ପଞ୍ଚମ ଛାନ୍ଦ — ଚନ୍ଦ୍ରକଳା — ବଳଦେବ ରଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ଛାନ୍ଦ
ରାଗ – କୌଶିକ
ବାଳାବତାରଅତ ମନମଥରସକଥାପଥ ପଥିକେ ଶୁଣ ହୃଷ୍ଟଚିତ୍ତେ ।ମହାଗଜଘୋଷ ପୂରୁବକୁ କ୍ରୋଶ ଶତ ପଞ୍ଚକ ପରିମିତେ ।ଅଛି ଅଶେଷ ।ବିଭବନାମେ ରାଜ୍ୟରାଜ ।ମଣିମଞ୍ଜୁଳା ରାଜଧାନୀ ସେ ଦେଶ ତାରାଳି ମଧ୍ୟ ଦ୍ୱିଜରାଜ ।୧।ଆହା ଜଗତୀରେ ତାହା ଯଶ ଲବ କାହା ଜନ୍ମକେ କୁହାଭଳି ।ଯାହା ଜଳିଜଳେ ରାହାଜଗୁଆଳେ ଜାହାଜ ଲକ୍ଷଲକ୍ଷ ଚାଳି ।ହେଉ ଅଛନ୍ତି ।ସାହା ଜଗତଜନଙ୍କର ।ବାହାଜନ୍ୟ ଯଶେ ମିଶିଛି ବିଶେଷେ ମହାଜନପଣ ତାଙ୍କର ।୨।ଦୁର୍ଗଚାରି ବାହି ଉତ୍ସର୍ଗରୁ ଯହିଁ ଅଶକ୍ତ ହୋଇ ଅନୁମାନେ ।ଉଦୟାସ୍ତ ଉମାଗୁରୁ ବିନ୍ଧ୍ୟନାମାଚଳ ଚିହ୍ନନ୍ତି ନାହିଁ ଜନେ ।ପ୍ରତି ପ୍ରଭାତେ ।ପ୍ରାଚୀର ପ୍ରାଚୀର ଶିଖରେ ।ଚିରକାଳୁ ଥିବ ଅଭିନବ ଜବାସ୍ତବକ ଭ୍ରମ ହୋଏ ସୂରେ ।୩।ପଙ୍କେରୁହ ବଂଶଭବ ଅବତଂସ ହେବାରୁ ସେ ଧରାଧିନାଥ ।ତପନୀୟମୟ ବୃତ୍ତିସମୁଦୟ ହେବାର ହୋଇଲା ଯଥାର୍ଥ ।ବସୁନ୍ଧରାରୁ ।ସ୍ୱର୍ଗକୁ ମାର୍ଗ ବୋଲି ଏତେ ।ସହର ବାହାର ମଣ୍ଡା ମଣିଝଣ୍ଡା ଦଣ୍ଡରୁ ହେଉଛି ପରତେ ।୪।ଜନ୍ମୁ ତହିଁ ରହି ଯଉବନ ବହି ଲଭି ତହିଁରେ ପରିଣତି ।ସେହି ମହାରାଜଧାନୀ ସୀମା ଆଜିଯାଏ ଜନେ କଳି ନାହାନ୍ତି ।ଆନ ଦେଶରୁ ।ଆସିବା ଜନ କି କଳିବ ।ଧରାରଜ ଗଣି ପାରିବ କେ ପୁଣି ମଣି ସାନୁସୁନା ତୁଳିବ ।୫।ପଞ୍ଚମ ଛାନ୍ଦ
୧ । ମନ୍ମଥରସ–ଶୃଙ୍ଗାରରସ, ସେ କଥାପଥରେ ଯେଉଁମାନେ ପଥିକ । ରାଜ୍ୟରାଜ-ରାଜ୍ୟଶ୍ରେଷ୍ଠ, ତାରାଳି– ନକ୍ଷତ୍ରସମୂହ, ଦିଜରାଜ-ଚନ୍ଦ୍ର । ୨ । ଯେଉଁ ନଗରୀର ଯଶର ଲବମାତ୍ର ସଂସାରରେ କୌଣସି ଲୋକ ଜୀବନରେ କହିପାରିବ ନାହିଁ । ଜଳି ଜଳେ ପରିଖାର ପାଣିରେ, ରାହାଜଗୁଆଳେ-ବାଟ ଜଗିଥିବା ଲୋକମାନେ, ବାହାଜନ୍ୟ ଯଶେ– କ୍ଷତ୍ରିୟ ଯଶ ସଙ୍ଗରେ ସେହି ମହାଜନଙ୍କ ପରୋପକାର ଯଶ ମିଶିଛି । ୩ । ଉଦୟାସ୍ତ – ଉଦୟ ଓ ଅସ୍ତ ପର୍ବତ, ଉମାଗୁରୁ-ହିମାଳୟ ପର୍ବତ, ପ୍ରାଚୀର-ପୂର୍ବଦିଗର, ପ୍ରାଚୀର- ପାଚର, ଜବାସ୍ତବକ-ମନ୍ଦାରଫୁଲର ପେଣ୍ଡା, ସୂରେ-ସୂର୍ଯ୍ୟଙ୍କଠାରେ । ୪ । ପଙ୍କେରୁହବଂଶ ... ପଦ୍ମବଂଶଜାତ ରାଜାମାନଙ୍କ ଭୂଷଣସ୍ୱରୂପ, ତପନୀୟମୟବୃତ୍ତି-କେବଳ ସୁନାର କାରବାର
ସେ କି ଦାମୋଦର ଦେବଙ୍କ ଉଦର ତହିଁ ଯା ନାହିଁ କାହିଁ ନାହିଁ ।ଦେବଙ୍କ ଅଭ୍ୟାସ ହେଲା ଅନିମିଷ ଯାହା ସମ୍ପତ୍ତି ଚାହିଁ ଚାହିଁ ।ଯହିଁ ଆପଣେ ।ବସେ ପଣପଣ କୁଞ୍ଜର ।ଗଣନା କେ ପୁଣି କରିବ ସାଜେଣି ଉଷ୍ଟ୍ର ତୁରଙ୍ଗମ ପୁଞ୍ଜର ।୬।ପରିବାର ହାଟ ବାଟକୁ ନିଅନ୍ତି ପରିବାରେ ଯହିଁ ହାଟକ ।ଯହିଁ ଜନ ପଙ୍କେରୁହଚୟ ଅଙ୍କେ ଏକା ଜାଣନ୍ତି ବରାଟକ ।ଯହିଁ ଦୁଆରେ ।
ଶାକ ଗୋ ବୋଲି ଡାକ ଶୁଣି ।
ସୁରୂପାଳୀ ନେଇ ସ୍ୱରୂପେ କୁଢ଼ାଇ ଦିଅନ୍ତି ଦିବ୍ୟ ମୋତି ମଣି ।୭।
ହେବା କ୍ଷଣେ ଜଣା ବଜାର ବିଛଣା ଉଠିଯିବା କାଳ ନିକଟ ।
ପୁଳିନ୍ଦସୁନ୍ଦରୀ ପଡ଼ିବା କସ୍ତୁରୀ ପଗଡ଼ କରି କୂଟକୂଟ ।
ହେଳେ ରଖନ୍ତି ।
ମିଶାଇ ଅବକର ତୁଲେ ।
ତାହାର ବସତି ଦୁଆରେ ଦିଅନ୍ତି ଗୋମୟ ଆଣ ଗୋ ଯେ ବୋଲେ ।୮।
ସୁନାଗରୀଆରେ ଜୀବନ ଦେ ବୋଲି ଦାସୀକି ବୋଲୁଁ ଗୃହପତି ।
ଯହିଁ କୁଟୁମ୍ବିନୀ ଆନ ଭାବ ଘେନି ହୁଅନ୍ତେ ଦୃଢ଼ ମାନବତୀ ।
ଜାଣି ଭୟରେ ।
ଅବରୋଧକୁ ଧବ ଯାଏ ।
ବସାଇ କୋଳରେ ସୁରୂପା ଢାଳରେ ଦୃଷ୍ଟିକି ବୋଲି ସମଜାଏ ।୯।
ବରଣମଉଳି ବିଷ୍ଣୁପଦୁଁ ବଳି ବ୍ୟାପିଥିବାରୁ ଚାରିପାଖେ ।
ବହୁଳ ପକ୍ଷରେ ବହଳ ଋକ୍ଷଙ୍କ ପଟଳୀ ଚୁମ୍ବିବାରେ ଶିଖେ ।
ଯେଉଁ ନଗରୀ ।
ଜନ ବିଚାରେ ତାହା ଦେଖି ।
ଏ କି ଚମତ୍କାର ଅକାଳେ ଚତୁର ଦିଗ ଅଚଳେ ଦବଶିଖୀ ।୧୦।
କେଉଁ ପୁରେ କ୍ଷିତି ମାର୍ଜନା କରନ୍ତି ସୁନାଖଡ଼ିକା ଝାଡ଼ୁଧରା ।
କସ୍ତୂରୀ ରୋଚନା ଗନ୍ଧସାର ସିନା କୁଙ୍କୁମ ତୁଲେ ପଡ଼େ ଛରା ।
ଚିତ୍ର କମ୍ବଳ ।
ବିଛଣା ଭ୍ରମେ ପରିବାରେ ।
କରରୁହ ଛିଡ଼ା ପୀଡ଼ାକୁ ଲଭନ୍ତି ଖାଲି ଧରାଙ୍କୁ ଝିଙ୍କିବାରେ ।୧୧।
ଯାହାଙ୍କର (ରାଜ ପକ୍ଷରେ); ସୂର୍ଯ୍ୟସମ୍ବନ୍ଧୀୟ (ପଦ୍ମ ପକ୍ଷରେ); ମଣିବିଭୂଷିତ ପତାକାଦଣ୍ଡ । ୫ । ମଣିସାନୁସୁନା–ମଣିମୟ ପର୍ବତ ଶୃଙ୍ଗରେ ଥିବା ସୁନା । ୬ । ଆପଣେ ବଜାରରେ, କୁଞ୍ଜର– ହାତୀ, ସାଜେଣି–ସଜିତ, ତୁରଙ୍ଗମପୁଞ୍ଜି– ଅଶ୍ୱସମୂହ । ୭ । ହାଟକ–ସୁନା, ବରାଟକ– କଉଡ଼ି ଓ ପଦ୍ମବୀଜକୋଷ; ସୁରୂପାଳୀ–ସୁନ୍ଦରୀ ସ୍ତ୍ରୀମାନେ, ସ୍ୱରୂପେ–ପ୍ରତ୍ୟକ୍ଷରେ । ୮। ପୁଳିନ୍ଦସୁନ୍ଦରୀ-ନୀଚଜାତୀୟା ସୁନ୍ଦରୀମାନେ, କସ୍ତୁରୀପଗଡ଼-କସ୍ତୁରୀର ଖଣ୍ଡ ବା କଣା; କୂଟ-କୁଢ଼, ଅବକରତୁଲ–ଅଳିଆ ସାଙ୍ଗରେ । ୯ । ସୁନା ଗରୀଆରେ-ସୁନାରେ ତିଆରି ଗରାରେ, (ଅନ୍ୟ ପକ୍ଷରେ)–ହେ ସୁରସିକା ଆ, ଜୀବନ–ପାଣି ଓ ପ୍ରାଣ, କୁଟୁମ୍ବିନୀ-ନିଜ ସ୍ତ୍ରୀ, ଅବରୋଧ–ଅତଃପୁର, ଧବ–ସ୍ୱାମୀ । ୧୦ । ବରଣମଉଳି–ପ୍ରାଚୀରର ଅଗ୍ରଭାଗ, ବିଷ୍ଣୁପଦ –ଆକାଶ, ବହୁଳ ପକ୍ଷରେ-କୃଷ୍ଣପକ୍ଷରେ, ବହଳରକ୍ଷକ ପଟଳୀ-ବହୁ ତାରକାସମୂହ । ଦବଶିଖୀ–ଦାବାନଳ, ବନାଗ୍ନି । ୧୧ । କସ୍ତୁରୀ, ଗୋରୋଚନା, ଚନ୍ଦନ, କୁଙ୍କୁମ ପ୍ରଭୃତି ବିଭିନ୍ନ ରଙ୍ଗର ଛରା ( ଛିଟିକା ) ପଡ଼ିବାରୁ ପରିବାର ଲୋକମାନେ ସେ ସବୁକୁ ଚିତ୍ରକମ୍ବଳ ମନେ କରି ବୃଥା
ସଲାବଣ୍ୟରସ ପୂରୁଛି ବିଶେଷ ନାହିଁ ତା ବୀଚିଜାତଦର ।ରତନ ମକରକୁଣ୍ଡଳୀ ପ୍ରକର ସନ୍ତାନଜନ୍ମ ସୁଖାକର ।ପ୍ରତି ପ୍ରାଙ୍ଗଣ ।ମଣ୍ଡନେ କୀଲାଲ ଦିଶଇ ।ଚନ୍ଦ୍ର ତୁରଙ୍ଗମ ଗଜ ଲକ୍ଷୀଜନ୍ମସ୍ଥଳୀ ସେ ସିନ୍ଧୁକୁ ହସଇ ।୧୨।ନିଜ ଦାନବାରି ଗଜଦାନବାରି ବହେ ଦାନବାରି ଗୃହକୁ ।ଅର୍ଭକେ ତାହାର ଗର୍ଭକୁ ଚଳାଇ ତରୀମଣ୍ଡପ ସମୂହକୁ ।ଖେଳି ମଣନ୍ତି ।ମାଧବ ପ୍ରତି ମାସଯାକ ।ମାଧବପ୍ରତିମା ଚାପକେଳିରମା ଭାବି ହେବାରୁ ସମୁତ୍ସୁକ ।୧୩।ପ୍ରତିମାସେ ରାକାପ୍ରଦୋଷେ ରସିକାଜନଙ୍କ ଭ୍ରମ କି କହିବା ।କେ ଥାଏ ତଳରେ କେ ଊର୍ଦ୍ଧସ୍ଥଳରେ ଅଟ୍ଟାଳିକାରେ ଥାଏ ଅବା ।ଯେଟି ଉପରେ ।ଥାଏ ସେ ଚନ୍ଦ୍ରକୁ ବନ୍ଦାଏ ।ତଳେ ଥିବା ବାମା ଉର୍ଦ୍ଧ୍ୱଗତା ରାମାଲପନକୁ ଅର୍ଘ୍ୟ ବନ୍ଦାଏ ।୧୪।ଯହିଁ ଗୃହଚୂଳ ହିରଣ୍ୟମଞ୍ଜୁଳ କଲଶୀ ଉପର ଦଣ୍ଡକୁ ।ଚୁମ୍ବିବା ଦଣ୍ଡକ କାଳେ ଚାହିଁ ଲୋକ କଳା ବଳାହକଖଣ୍ଡକୁ ।ମନେ ବିଚାରେ ।ବଡ଼ଭୀ ନୀଳଚେଳବଲ୍ଲୀ ।ଯେଉଁ ବର୍ଣ୍ଣ ଘନ ଚୁମ୍ବେ ତାକୁ ଜନ ଘେନେ ସେ ବର୍ଣ୍ଣବାନା ବୋଲି ।୧୫।ଯେବେ ସର୍ବଯୋଟ ପ୍ରକାରେ ପ୍ରାବୃଟକାଳୀନ ଘନ ବ୍ୟୋମ ଘୋଟେ ।ଦେଖି ବାତଲୋକ ସୁପୀତ ଦୁକୂଳ ଲତା ବଡ଼ଭୀ ଗିରିକୂଟେ ।କେଉଁ ପ୍ରାସାଦେ ।ଚାହିଁ ଅବଦାତପତାକା ।ଜନ ଘେନେ ପୀତ କେତୁକୁ ତଡ଼ିତ ଧବଳକେତୁକୁ ବଳାକା ।୧୬।ନିସର୍ଗ ଚପଳା ବଲ୍ଲରୀକଖେଳା ଆକାଶ ମଧ୍ୟରେ ଅନାଇ ।କେ ବୋଲେ ହେ ମିତ ବଡ଼ଭୀର ପୀତ ପତାକା ଦେଖିଲ କି ନାହିଁ ।ରବି ମୟୂଖ ।ଛନ୍ନ ହେବାରୁ ଘନେ ସିନା ।ଜଣାଗଲା ଏତେ ଦିନକେ ନିକେତମଉଳିଶିଖେ ପୀତ ବାନା ।୧୭।
ଝିଙ୍କିବାକୁ ଚେଷ୍ଟା କରି ନଖ ଛିଡ଼ିବାରୁ କଷ୍ଟ ପାଆନ୍ତି । ୧୨ । ସଲାବଣ୍ୟରସ-ଲାବଣ୍ୟ-ପୂର୍ଣ୍ଣ ଶୃଙ୍ଗାର ରସ ଓ ସୁନ୍ଦର ଜଳ, ବୀଚିଜାତଦର-ଲହରୀ ହେତୁରୁ ଭୟ, ସନ୍ତାନ-ପୁତ୍ରାଦି, କଳ୍ପବୃକ୍ଷ; କୀଲାଲ-ଜଳ ଓ କିପରି ରକ୍ତବର୍ଣ୍ଣ; ପ୍ରତି ଅଗଣାରେ ଥିବା ସୁନ୍ଦର ଜଳାଶୟମାନଙ୍କୁ ସମୁଦ୍ର ସଙ୍ଗେ ତୁଳନା କରାଯାଇଅଛି । ୧୩ । ନିଜ ଦାନବାରି-ନିଜେ ଦାନ କରିବା ବେଳେ ଦେଉଥିବା ଜଳ; ଗଜଦାନବାରି–ହସ୍ତୀମାନଙ୍କର ମଦଜଳ, ଦାନବାରିଗୃହକୁ-ସମୁଦ୍ରକୁ, । ଅର୍ଭକେ-ପିଲାମାନେ, ତରୀମଣ୍ଡପ-ଖେଳିବା ପାଇଁ କରିଥିବା ମଣ୍ଡପାକୃତି ନୌକା; ମାଧବ–ବୈଶାଖମାସ, ବୈଶାଖରେ ମାଧବ ପ୍ରତିମା (ବିଷ୍ଣୁପ୍ରତିମା)ଙ୍କର ଚାପକ୍ରୀଡ଼ାର ରମା ( ସୌନ୍ଦର୍ଯ୍ୟ) । ଭାବି ସମୁସୁକ । (ଆନନ୍ଦିତ) ହୁଅନ୍ତି । ୧୪ । ରାକାପ୍ରଦୋଷ-ପୂର୍ଣ୍ଣିମାର ସନ୍ଧ୍ୟା, ରାମାଲପନ–ସ୍ତ୍ରୀର ମୁଖ (ଚନ୍ଦ୍ର) । ୧୫ । କଳାବଳାହକ-କଳାମେଘ, ବଡ଼ଭୀ– ଚନ୍ଦ୍ରଶାଳା, । ନୀଳଚେଳବଲ୍ଲୀ-ନୀଳବର୍ଣ୍ଣର ବସ୍ତଖଣ୍ଡ । ୧୬ । ସର୍ବଯୋଟ ପ୍ରକାରେ– ଚାରିଆଡ଼ୁ ଏକାଠି ମିଳି, ପ୍ରାବୃଟକାଳୀନ-ବର୍ଷାକାଳରେ, ବାତଲୋଳ-ପବନରେ ଚଞ୍ଚଳ, ସୁପୀତଦୁକୂଳ-ହଳଦିଆ ପାଟବସ୍ତ୍ରଖଣ୍ଡ, ବଡ଼ଭୀଗିରିକୂଟେ–ଚନ୍ଦ୍ରଶାଳାରୂପ ପର୍ବତ ଶିଖରରେ, ପ୍ରାସାଦ କୋଠାରେ, ଅବଦାତ– ଧଳା, ପୀତକେତୁ-ହଳଦିଆ ପତାକା, ବଳାକା ବକପଂକ୍ତି । ୧୭ ।
ଭୁଜଙ୍ଗମ ନର ଦୁଇ ପୁରସାର ବିଜୟେ ଆଦର ନ କରି ।କେଉଁ ମଣିମୟ ପ୍ରାସାଦ ନିଳୟ ଅସିତ ଅଂଶକୁ ମଞ୍ଜରୀ ।ଜମିଯାଏ ଯା ।ଆକାଶେ ଊର୍ଦ୍ଧ୍ୱେ ଖେଳି ଖେଳି ।ହୁଅଇ ପ୍ରତୀତି ଜିଣି ସ୍ୱର୍ଗଦ୍ୟୁତି ତା ମୁଖେ ଲଗାଏକି କାଳୀ ।୧୮।ଋକ୍ଷ ପ୍ରତିବିମ୍ବ ଡମ୍ବରାବଲୟ ନୀଳାଶ ଜଗତୀରେ ନିଶି ।ଲାଉଲୀ ବୟସୀ ଚାରି ପାଞ୍ଚ ମିଶି କୁସୁମ ଗୁନ୍ଥୁ ଗୁନ୍ଥୁ ରସି ।ଚୂତ କୁସୁମ ।ବୋଲି କେ ପ୍ରତିବିମ୍ବ ଧରେ ।ସମୀରଣ ଉଡ଼ା ଫୁଲ ଭ୍ରମେ ଛିଡ଼ା ହୋଇ କେ ତାହାକୁ ଓଟାରେ ।୧୯।ଯହିଁ କେଉଁ ରସଲମ୍ପଟ ପୁରୁଷ ଗବାକ୍ଷ ପାଶେ ବସିଥିଲା ।ଅବିଦୂର ଶଶିବିମ୍ବକୁ ପ୍ରେୟସୀବଦନ ଭ୍ରମେ ଚୁମ୍ବି ଦେଲା ।ଊଣା ହେବାରୁ ।ମାଧୁର୍ଯ୍ୟ ବୋଇଲା ଯା ଛି ଛି ।ସେହି ଦିନୁ ଲାଜ ଭଜି ଦ୍ୱିଜରାଜ କାଳିମା ଲଭିଅଛି କିଛି ।୨୦।ରଞ୍ଜିବାକୁ ନେତ୍ରଖଞ୍ଜି କାଂସ୍ୟପାତ୍ର ଦୀପଶିଖେ କେ ଗଲା ବୁଲି ।ତହିଁ ପୁଣି ଆସି ପୁରେ ଦେଖୀ ଶଶୀ ମସି ପଡ଼ିଲା ପାତ୍ରେ ବୋଲି ।ଭ୍ରମେ ଅଙ୍ଗୁଳି ।ଅଗ୍ର ତା କଳଙ୍କେ ଘଷିଲା ।କହୁଁ କହୁଁ ଶଶୀଜାଳମାର୍ଗେ ଖସି ଗଲା ଜାଣି ମନେ ହସିଲା ।୨୧।ଯହିଁ ପ୍ରାଭାତିକ ବାଜା ବନ୍ଦୀଡ଼ାକ ହୟହ୍ରେଷା ଗଜବୃଂହତି ।କରଟରଟନ ତାମ୍ରଚୂଡ଼ସ୍ୱନ ନୋହେ ପ୍ରସାଦା ଉର୍ଦ୍ଧ୍ୱଗତ ।ଶୋଣ ରତନ ।କରେ ସୂରସୁତ ସୁଷମା ।ହେବାରୁ ଆଚ୍ଛନ୍ନ ନ ଜାଣନ୍ତି ଜନ ସମାପ୍ତ ହେବାର ତ୍ରିଯାମା ।୨୨।ମରକତମୟ ସବୁରି ନିଳୟ ପ୍ରାଣଙ୍ଗ ତଳ ଉଲ୍ଲସଇ ।କିଛି କିଛି ନୀଳୀ ମିଶିବାର କେଳିସରସୀ ପରି ଆଭାସଇ ।ଯେବେ ନ ଥାନ୍ତା ।ହଂସ ପଙ୍କଜ ଦ୍ୱୀପଦଣ୍ଡୀ ।ସ୍ନାନ ଅବସରେ ସେ ନଗର ନରେ ଦୁହିଙ୍କି ନ ପାରନ୍ତେ ଉଣ୍ଡି ।୨୩।ଯେଉଁ ପୁର ଅଟ୍ଟକୁଟ୍ଟିମନିକଟ ବୃନ୍ଦାରକଙ୍କ ମନ୍ଦାକିନୀ ।ତହୁଁ ଆସି ମନ୍ଦବାତ ଅରବିନ୍ଦ ମରନ୍ଦବିନ୍ଦୁବୃନ୍ଦ ଘେନି ।ଜଗି ବସନ୍ତ ।ନିଦାଘ ଏ ଦୁଇ କାଳକୁ ।ଜଳାକବାଟୀଧାଟୀ ପାଖେ ରଚଇ ଜଳଯନ୍ତ୍ର କୁତୂହଳକୁ ।୨୪।ଯହିଁ କଳାବତୀକୁଳ କଳଗୀତି ଶିଖିବାକୁ ଛପି ନ ଟଳି ।ରହିବାରୁ ଅଟ୍ଟଗୃହାଚଳକୂଟ ଘେରି ସୁରଙ୍ଗନା ପଟଳୀ ।ଦେବେ ଜାଣନ୍ତି ।ନାହିଁ କେ ସତ କେ କୃତ୍ରିମ ।ଭେଦ ଜାଣିବାକୁ ମେରୁଠାରୁ ଯହିଁ ଚୂଳେ କଳସମୟ କମ ।୨୫।
ନିସର୍ଗ-ପ୍ରାକୃତିକ ବିଦ୍ୟୁତ୍ଲତାରକ୍ରୀଡ଼ା, ଛନ୍ନ ଆଚ୍ଛନ, ଆବୃତ; ନିକେତମୌଳିଶିଖେ-ଗୃହର ଅଗ୍ରଭାଗରେ । ୧୮ । ଭୂଜଙ୍ଗମ ... ପୁର– ପାତାଳ ଓ ମର୍ତ୍ତ ଦୁଇ ଲୋକର ସାରାଂଶକୁ ଜୟ କରିବାକୁ ଇଚ୍ଛା ନ କରି; ଅସିତଅଂଶୁକ ମଞ୍ଜରୀ–କଳାରଙ୍ଗର ବସ୍ତ୍ରଖଣ୍ଡ, ସ୍ୱର୍ଗଦ୍ୟୁତି– ସ୍ୱର୍ଗଶୋଭା । ୧୯ । ଋଷପ୍ରତିବିମ୍ବ ... ନିଶି-ନକ୍ଷତ୍ରମାନଙ୍କର ପ୍ରତିବିମ୍ବ ଶୋଭାର ଛାୟା ଇନ୍ଦ୍ରନୀଳମଣି କୋଠା ଉପରେ ପଡ଼େ; ଲଉଲୀବୟସୀ–ଅଳ୍ପବୟସ୍କା । ୨୦ । ଗବାକ୍ଷ-ଝରକା, ଅବିଦୂର-ନିକଟବର୍ତ୍ତୀ, ଦ୍ୱିଜରାଜ-ଚନ୍ଦ୍ର । ୨୧ । କଂସା ଥାଳିଆକୁ ଦୀପଶିଖା ଉପରେ ରଖିଲେ ତହିଁରେ ଚକ୍ଷୁର କଜଳ ଜାତ ହୁଏ, ଜାଳମାର୍ଗେ–ଝରକାବାଟେ । ୨୨ । କରଟରଟନ-କୁଆରଡ଼ି, ଶୋଣରତନ ... ରକ୍ତବର୍ଣ ରତ୍ନମାନଙ୍କ କିରଣରେ ସୂରସୁତ (ଅରୁଣ)ର ସୁଷମା (ଶୋଭା), ତ୍ରିଯାମା– ରାତ୍ରି । ୨୪ । ଅଙ୍ଗକୁଟ୍ଟମ–ଉନ୍ନତ କୋଠା, ବୃନ୍ଦାରକ ଦେବତା, ଅରବିନ୍ଦ ... ପଦ୍ମ ମକରନ୍ଦ-ବିନ୍ଦୁସମୂହ, ଧାଟୀ-ସମୂହ, ଧାଡ଼ି । ୨୫ । କଳାବତୀକୁଳ–ସ୍ତ୍ରୀ ସମୂହ, ଛପି-ଲୁଚି,
ପ୍ରତି ଗୃହବାଟୀ ଉପବନିକାଟିମାନଙ୍କୁ ବରନିବା କିସ ।ଇନ୍ଦ୍ରଆନନ୍ଦନ ହେବାର ନନ୍ଦନବନେ ନାହିଁ ଯା ଶୋଭା ଲେଶ ।ଶଶୀଉପଳ ।ଆବାଳ ସବୁ ଲତା ମୂଳେ ।ସୁଧାଂଶୁ ସ୍ପର୍ଶରେ ବଳକ୍ଷ ପକ୍ଷରେ ପୂରଇ ନିଜ ଦ୍ରବ ଜଳେ ।୨୬।ମହୀ ମାରକତ ପ୍ରଣାଳୀ ଅମିତ ମହିମା ରକତରତନ ।ଝଡ଼ିଯିବା ଦଳ ଫୁଲ ଫୁଲଜାଳ ଯହିଁ ରକ୍ଷକବରତନ ।ଏଳା ଲବଙ୍ଗ ।ପ୍ରିୟଙ୍ଗୁ ଦ୍ରାକ୍ଷା ଜାତିଫଳ ।କ୍ରମୁକ ଲାଙ୍ଗଳୀ କର୍ପୁର କଦଳୀ ରୁଚକ ପନସ ରସାଳ ।୨୭।ଡାଳିମ୍ବ ଜମ୍ଭୀର ଲେମ୍ବୁ ଜମ୍ବୁ ବରକୋଳି କମଳା ନାଗରଙ୍ଗ ।ଏବଂବିଧ ମହୀରୁହବ୍ୟୂହେ ଯହିଁ ନାନା କୁସୁମ ଲତାସଙ୍ଗ ।ଚମ୍ପା କେଶର ।ପୁନ୍ନାଗ ମଲ୍ଲୀ ଛୁରିଅନା ।ପନୀର ଅଶୋକ ଜାତି କୁରୁଣ୍ଟକ କଣ୍ଟକ ସେବତୀ ସୁମନା ।୨୮।ଯୂଥିକା ନିଆଳୀ ମାଧବୀ ପାଟଳୀ ଅସିତ ଇଟାଳା ପଲାସ ।ସ୍ଥଳୋତ୍ପଳ ଦୁଳୁଦୁଳାଙ୍ଗ ରଙ୍ଗଣୀ କୁନ୍ଦ ଗୁଲାପ ଗୁଳ୍ମବାସ ।ବାସ ତଗର ।ତରାଟ ରଙ୍ଗ କନିୟର ।କରବୀର ନିତି ମଲ୍ଲିକା ସେବତୀ ବଧୂଲୀ ଅଲାର ମନ୍ଦାର ।୨୯।ଦୟଣା ମରୁଆ ପଚାପତ୍ରୀ ଚୂଆ ଚୁନି ନାଗୁଣୀ କୁରୁବେଲୀ ।ତହୁଁ ଅନୁଲକ୍ଷୀ ପୋଷା ପଶୁପକ୍ଷୀ କ୍ରୀଡ଼ନ୍ତି ମତଲ୍ଲୀ ମତଲ୍ଲୀ ।ପୁଣି ବିରୋଧ ।ନାହିଁ କାହା ତୁଲେ କାହାର ।କେ ପଲ୍ଲବକଣ କେ ତମାଳ ତୃଣ କେ ଫୁଲ ମରନ୍ଦ ଆହାର ।୩୦।ପଞ୍ଚଜାତି ମୃଗ ଗବୟ ଖଡ଼ଗ ଚମରୀ କସ୍ତୁରୀ କୁରଙ୍ଗ ।ଶାଳିଆପତନୀ ମହୀଦାର ଘେନି କରୁଅଛନ୍ତି ନାନାରଙ୍ଗ ।ନାନା ନିଗମ ।ପଢ଼ା ଶାରୀ ଶୁକ ସହିତ ।ମରାଳ ମୟୂର ରଥାଙ୍ଗ ଚକୋର ଦୁଇ କେନାଟୀ ପରଭୃତ ।୩୧।ଶରାସ୍ୟଟଙ୍କାର ଶଙ୍କାର ନିଦାନ ଝଙ୍କାର ପଣ୍ଡିତ ରୋଲମ୍ବ ।ପ୍ରସବ କଦମ୍ବ ମକରନ୍ଦଚୁମ୍ବକେଳିକି କରି ଅବଲମ୍ବ ।ତହିଁ ଖେଳନ୍ତି ।ଚମ୍ପକ ବିନା ମଦେ ରସି ।ଅଖିଳ ବ୍ରତତୀ ଫୁଟନ୍ତି ଫଳନ୍ତି ଯେଉଁ ଆରାମେ ବାରମାସୀ ।୩୨।
ନ ଟଳି-ସ୍ଥିର ହୋଇ, ମେରୁର ଶୃଙ୍ଗାବଳୀ ସୁବର୍ଣ୍ଣମୟ ଏବଂ ଏ ନଗରର କୋଠା ଉପର ସୁବର୍ଣ୍ଣମୟ, ତେଣୁ ଭେଦ ଜାଣି ହୁଏ ନାହିଁ । କୋଠାମାନଙ୍କରେ ସୁନାର କଳସସବୁ ଥିବାରୁ ପ୍ରଭେଦ ଜଣାଯାଏ । ୨୬ । ଉପବନିକା-ବଗିଚା, ଆନନ୍ଦନ-ଆନନ୍ଦଜନକ, ପ୍ରୀତିପ୍ରଦ; ନନ୍ଦନବନ-ଇନ୍ଦ୍ରଙ୍କବଗିଚା, ଶଶୀଉପଳ-ଚନ୍ଦ୍ରକାନ୍ତମଣି (ଚନ୍ଦ୍ରକିରଣରେ ଯହିଁରୁ ପାଣି ବାହାରେ), ଆବାଳ-ଆଳବାଳ ବା ମନ୍ଦା, ବଳକ୍ଷପକ୍ଷ-ଶୁକ୍ଳପକ୍ଷ । ୨୭ । ମାରକତ ପ୍ରଣାଳୀ-ମରକତମଣି ନିର୍ମିତ ପାଣିନାଳ, ରକ୍ଷକବରତନ– ଚାକରମାନଙ୍କର ବେତନ ବା ଦରମା । ଏଳା–ଅଳାଇଚ, ଜାତିଫଳ-ଜାଇଫଳ, କ୍ରମୁକ-ଗୁଆ, ଲାଙ୍ଗଳୀ-ନଡ଼ିଆ, ରୁଚକ–ଟଭା, ରସାଳ–ଆମ୍ବ । ୨୯ । ସ୍ଥଳୋତ୍ପଳ– ସ୍ଥଳପଦ୍ମ, ଦୂଳଦୂଳାଙ୍ଗ–ଦୋହଲୁଥିବା, ଯୂଥିକା– ଯୁଈ, ଅସିତ-କଳା, ମତଲ୍ଲୀ ମତଲ୍ଲୀ–ଉକୃଷ୍ଟ ବା ପ୍ରଶସ୍ତଜାତୀୟ (ପୋଷା ପଶୁପକ୍ଷୀମାନେ) । ୩୧ । କୋଇଲି । ୩୨ ।
ସେ ପୁରାଧିରାଜ ବୀରଧର୍ମଧ୍ୱଜ ଗୁଣଗଣମଣିମଣ୍ଡିତ ।ନିର୍ଜିତାରିଜାତ ଅର୍ଥିପାରିଜାତ ଆଶ୍ରିତଭରଣପଣ୍ଡିତ ।କେଳି କଲ୍ଲୋଳା ।ତାର ପ୍ରିୟପାଟ ଅଙ୍ଗନା ।ମାରତୁଲ୍ୟ ତିନି କୁମାରଜନନୀ ନନ୍ଦନା ବିନା ମ୍ଲାନମନା ।୩୩।ପ୍ରତିଦିନ ବାମା ଗଉରୀପ୍ରତିମା ନିଷ୍କଶତ ସ୍ୱର୍ଣ୍ଣେ ଗଢ଼ାଇ ।ଚେଳ ଅଳଙ୍କାର ତୁଲେ ଦ୍ୱିଜଙ୍କର ମହିଳାକୁ ଦେଇ ବଢ଼ାଇ ।ବନ୍ଦି ଚରଣେ ।ବୋଲେ ଏ ବିନୟ ବଚନ ।ଦ୍ୱିତୀୟ ସାବିତ୍ରୀ ସମ ଲଭ ପୁତ୍ରୀ ବୋଲ ଗୋ ଗୁରୁପତ୍ନୀମାନେ ।୩୪।ଅଷ୍ଟମୀ ନବମୀ ଅମା ପଉର୍ଣ୍ଣମୀ ଚତୁର୍ଦ୍ଦୁଶୀ କୁଜବାସରେ ।ଗଉରୀଙ୍କ ଓଷା ପୂଜୁଥାଏ ଯୋଷାରାଜି ଘେନି ଉପବାସରେ ।ଗଙ୍ଗା ଯମୁନା ।ଆଦି ପୁଣ୍ୟ ନଦୀ ସ୍ନାନକୁ ।କରାଇ ବରଣ ପେଷୁଥାଏ ଗୁଣବନ୍ତ ଭୂଗୀର୍ବାଣମାନଙ୍କୁ ।୩୫।ଏପରି ବୟସ ହେଲା ଊନବିଂଶ ପହୁଡ଼ିଥିଲା ନାଥ କୋଳେ ।ସେ ବାଳାରତନ ଲଭିଲା ସ୍ୱପନ ତ୍ରିଯାମା ଅବସାନକାଳେ ।ପୂର୍ଣ୍ଣ କନକ ।କୁମ୍ଭ ଧରିଛି କନ୍ୟା କେହି ।ବିଭୂଷିତା ବାଳୀ ଜଣେ କେ ମରାଳୀ ନିଜପୁରତେ ଅଛି ବହି ।୩୬।ଚାହୁଁଥିଲା ବୀଣାଯନ୍ତ୍ର କେ ପ୍ରବୀଣା ଆଳାପି ଆଳାପି ରଙ୍ଗରେ ।ପରବେଶ ହେଲା ପରି ଜଣାଗଲା ପୁଣି ରଜତାଦ୍ରି ଶୃଙ୍ଗରେ ।ମୋଦେ ବନ୍ଦିଲା ।ଅଚଳେନ୍ଦ୍ରଜେମା ଚରଣ ।ଜଣାଇଲା ସୁତା ଅଭାବ ଦୁଃଖିତାଶୟ ହୋଇବା ଆଚରଣ ।୩୭।ଶୁଣୀ ପୁଣି ଦେବୀ ନରେଶବାନ୍ଧବୀଠାରେ କରୁଣାଦୃଷ୍ଟି ଢାଳି ।ସୁପୁଷ୍ଟଗୋସ୍ତନୀଲତିକାରୁ ଘେନି ଗୋଟିଏ ପରିପକ୍ୱ କୋଳି ।ରାଣୀପାଣିରେ ।ଦେଲାକ୍ଷଣେ ପୁଣି ଗିଳିଲା ।ଦେବୀଙ୍କ ପୁରତେ ଥିବାର ପରତେ ହେଉଅଛି ନିଶା ଟଳିଲା ।୩୮।ସେହିଦିନୁ ଗର୍ଭବତୀ ସେ ବିଦର୍ଭମହୀମହେନ୍ଦ୍ର ଜେମା ହେଲା ।ଦିନୁ ଦିନ ତାର ଅଳସ ମନ୍ଥରଗତି ମଣ୍ଡିତ କ୍ଷମା ହେଲା ।ନିତି ହଟିଲା ।ଧରଣୀତଳ ଶୟନକୁ ।କଞ୍ଜପରି କଲା ଖଞ୍ଜରୀଟଖେଳା-ମଞ୍ଜୁଳତର ନୟନକୁ ।୩୯।ଅଣାଇ ବଲ୍ମୀକ ପକାଇ ଉଦକ ତା ବାସ ଆଘ୍ରାଣେ ରସଇ ।ତୁମ୍ବିସୂନ ପିତା ଜାଣି ମୋଦେ ସୂତା ହେବ ବୋଲି ମନେ ହସଇ ।ଖଡ଼ି ଖେଳରେ ।ରହିବା ଦେଖି ଦୁଇ ଅଙ୍କ ।ବିଚାରଇ ରାମା ଜାତ ହାଇ ଜେମା ଅବଶ୍ୟ ମଣ୍ଡିବ ମୋ ଅଙ୍କ ।୪୦।ଭଜିଲା ଗଭୀର ଆବର୍ତ୍ତ ନାଭିର ତଳସ୍ଥଳକୁ ଲାଗିବାସ ।ବାସି ବନ୍ଧୁଜୀବ ସୁଷମାବିଭବ ଆସି ବହିଲା ଦନ୍ତବାସ ।ରାମା ପହଣ୍ଡେ ।ସଞ୍ଚରିଲେ ଦଣ୍ଡେ ଫୁଟିଲା ।ଆହାର ନାହାର ଉତ୍ସଙ୍ଗବିହାର ରାହାରୁ ଶରଧା ତୁଟିଲା ।୪୧।
ଶରାସ୍ୟ-ଧନୁ, ରୋଲମ୍ୱ-ଭ୍ରମର, ବ୍ରତତୀ-ଲତା । ୩୩ । ନିର୍ଜିତାରିଜାତ-ପରାଜିତ ହୋଇଅଛନ୍ତି ଶତ୍ରୁସମୂହ ଯାହାଦ୍ୱାରା, ଅର୍ଥୀ ପାରିଜାତ–ଯାଚକଙ୍କ ପକ୍ଷରେ କଳ୍ପଦ୍ରୁମ ପରି, ନନ୍ଦନା–କନ୍ୟା । ୩୪ । ନିଷ୍ପଶତସ୍ୱର୍ଣ–ଏକଶତ ମୋହର ସୁନାରେ । ୩୫ । କୁଜବାସର–ମଙ୍ଗଳବାର; ଭୂଗୀର୍ବାଣ–ବ୍ରାହ୍ମଣ । ୩୭ । ଅଚଳେନ୍ଦ୍ରଜେମା– ପାର୍ବତୀ । ୩୮ । ଗୋସ୍ତନୀଲତିକା–ଦ୍ରାକ୍ଷାଲତା । ୪୦ । ବଳ୍ମୀକ–ଉଇହୁଙ୍କା ମାଟି । ତୁମ୍ବିସୂନ– ଲାଉଫୁଲ: ଗର୍ଭଣୀ ସ୍ତ୍ରୀକୁ ଲାଉଫୁଲ ପିତା ଲାଗିଲେ ଝିଅ ଜାତ ହୁଏ । ନାଭି ... ନାହିରୁ ପାଣି ଶୁଖିଯିବା ପରେ ।
ଗ୍ରହପଞ୍ଚକର ଉଚ୍ଚସ୍ଥାନ ପରବେଶରେ ରହିଥିଲା ମେଷେ ।ଅସମ ଲାବଣ୍ୟନିଧିର ଗର୍ଭକୁ ଦଶମ ମାସ ପରବେଶେ ।ଶୁଭ ଲଗ୍ନରେ ।ପ୍ରକାଶି ରାମାଜନ୍ମୋତ୍ସବ ।ଜରାୟୁ ବିରାଜି ଧରାତଳ ଭଜି କଳା କୋକିଳ କଳରବ ।୪୨।କୁମାର କୁମାର ବୋଲି ପରିଚାରଜନେ ଭିତରେ କଲେ ଖ୍ୟାତି ।ଜେମାର ଯେ ମା ରଙ୍କନିଧି ଦେଖିଲା ପରି ଦେଖିଲା ତାହା ପ୍ରୀତି ।କିସ କହିବା ।ସେ କି କୁହାଯାଏ ବଚନେ ।ବ୍ରହ୍ମ ଅବଲୋକ ଉତ୍ସବ କି ଲୋକ ଲଭେ ସପୁଲକ ଲୋଚନେ ।୪୩।ନାଭିଜଳ ତୁଟି ନାଡ଼ୀନାଳ କାଟି କରାଇ ଅଉଷଧିସ୍ନାନ ।ଧାଈ ଗୀତ ଗାଇ ତଳପେ ଶୁଆଇ କଲେ ଅରିଷ୍ଟବିଧିମାନ ।ସମୁଚ୍ଛଳିଲା ।ମଙ୍ଗଳ ହୁଳହୁଳି ବାଜା ।ଘେନି ରତ୍ନାଞ୍ଜଳି ନୟନଯୁଗଳି ପବିତ୍ର କଲେ ମହାରାଜା ।୪୪।ତାହା ଜନ୍ମ ଶୁଣି ଯା ହାଟକଶ୍ରେଣୀ ବୃଷ୍ଟିରେ ପୂର୍ଣ୍ଣ କଲେ କ୍ଷମା ।କବି ଭାବି କହେ ସେ କି ଶିଶୁ ନୋହେ କଳଙ୍କଦରିଦ୍ର ଚନ୍ଦ୍ରମା ।ରାଣୀ ଉଦର ।ଆକାଶୁଁ ହେବାରୁ ଉଚିତ ।କଳଙ୍କୀ ଶଶୀକି ବରଜି ଆସି କି ତରାଳି ହେଲା ଭୂମିଗତ ।୪୫।ଲୁଟିଲେ ପ୍ରଜାଏ ସାତଦିନ ଯାଏ ହଜାର ସଂଖ୍ୟକ ବଜାର ।ସହସ୍ରାଂଶୁଁ ଅଂଶ ନ ଲଭିଲା ଶେଷ ଲୁଟିବାରେ ହେଲେ ବେଜାର ।ଲକ୍ଷ ରଜକେ ।ସଜ କରିବା ଚେଳକୂଟ ।ବରଜି ବିଦୂରେ ଡାକିଲେ ମୋଦରେ ଆସ ହେ ଜନେ ଲୁଟ ଲୁଟ ।୪୬।ଏକବିଂଶ ଦିନ ସକଳ ଭୁବନ ସେ ପରେ ପରି ଆଭାସିଲେ ।ଗଉରବ ମୂଳ ହୋଇ ନୃପକୁଳଗୁରୁ ମହୀସୁରେ ଆସିଲେ ।ଯେମାମଣିକି ।ରଖନ୍ତେ ମହାରାଜ କୋଳେ ।ଅଷ୍ଟକଞ୍ଜମାଳାଭୂଷିତ ଚପଳା ଘନାଙ୍ଗେ ଖେଳିଳା କି ଲୋଳେ ।୪୭।ସେ ନରେନ୍ଦ୍ରବାଳୀ ରାଶି ଋକ୍ଷ ଭାଳି ମୀନ ରେବତୀ ମୂଳ କଲେ ।ଚମ୍ପାମାଳା କୋଷ୍ଠୀ ଲେଖିଲା ବିମ୍ବୋଷ୍ଠୀ ଚନ୍ଦ୍ରକଳା ବୋଲି ବୋଇଲେ ।କୋଳ ତଳପ ।ଖଟଦୋଳି ପୂରାବୟବ ।ଜନଙ୍କ ନୟନ ହୃଦୟ ବଚନ ସେ ଦିନୁ ହୋଇଗଲେ ଶିବ ।୪୮।ନଗରୀ ଭୂପାଳରାଜବଧୂ ନୀଳ କମଳନୟନା ଜନମ ।ପଞ୍ଚାଶତପଦ ଘଟିତ ଏ ଛାନ୍ଦ ବାଳାବତାର ଏହା ନାମ ।ଏହା ଉତ୍ତର ।ଛାନ୍ଦେ ପ୍ରଥମୁଁ ଯେମା ଛବି ।ବାଳଲୀଳା ଧରି ହେବାର କିଶୋରୀ ସଂକ୍ଷେପେ ବରନିବ କବି ।୪୯।କମଳାଙ୍କ ଶିଶୁ କର୍କଶପରଶୁକର – ବନ୍ଦ୍ୟ କଞ୍ଜନୟନ ।କମଳାଙ୍କ ସ୍ତନ କର୍ପୂର ଚନ୍ଦନ କମଳଧିମଧ୍ୟଶୟନ ।କମ୍ବୁ କଟକ ।କମଳ ସଂହାସନେ ସ୍ଥିତ ।କର ରାମଚନ୍ଦ୍ର ଦେବ ଧରାଧରାଇନ୍ଦ୍ରଠାରେ କରୁଣା ଦୃଷ୍ଟିପାତ ।୫୦।
ଅରିଷ୍ଟ–ଅନ୍ତୁଡ଼ିଶାଳ । ୪୫ । ଯା ହାଟକ ... ସୁବର୍ଣ୍ଣ ବୃଷ୍ଟିରେ ଯାହା ପୃଥିବୀକୁ ପୂର୍ଣ୍ଣ କଲେ; କଳଙ୍କଦରିଦ୍ର–କଳଙ୍କହୀନ, ତାରାଳି– ନକ୍ଷତ୍ରଗଣ । ୪୬ । ସହସ୍ରାଂଶୁ ଅଂଶ-ହଜାର ଭାଗରୁ ଭାଗେ ମଧ୍ୟ ସରିଲା ନାହିଁ । ଚେଳକୂଟ-ଲୁଗାଗଦା । ୪୭ । ଗୁରୁମହୀସୁରେ –ଗୁରୁସ୍ଥାନୀୟ ବ୍ରାହ୍ମଣମାନେ; ଅଷ୍ଟକଞ୍ଜମାଳା -ଆଠଗୋଟି ପଦ୍ମମାଳ, ଘନାକେ- ମେଘକୋଳରେ । ୫୦ । କମଳାଙ୍କ ଶିଶୁ–ବ୍ରହ୍ମା; କର୍କଶପରଶୁକର-ଶିବ; କଞ୍ଜନୟନ–ପଦ୍ମନେତ୍ର (ଜଗନ୍ନାଥ), କମଳଧି-ସମୁଦ୍ର, କମ୍ଭୁ କଟକ–ଶଙ୍ଖକ୍ଷେତ୍ର, ପୁରୀ ।