ଅଷ୍ଟମ ଛାନ୍ଦ — ଚନ୍ଦ୍ରକଳା — ବଳଦେବ ରଥ · ସ୍ୱର୍ଣ୍ଣଲିପିଧରି ଖଟିଲେ ନୀଳା ମୋତିମାଳା ।୧୦।
ଚମ୍ପା ମାଳୀ ଘେନି ଫୁଲ ଆଡ଼େଣୀ ।
ମନ୍ଦ ମନ୍ଦ ଚାଲିଲା ମନ ଜାଣି ।
ବସି ଆଶ୍ୱାସି କୁନ୍ଦନ ରତନ ।
କଲେ ପାଦ ସମ୍ବାହନ ଯତନ ।୧୧।
କେହି ଟାକି ଅପହୁଡ଼ ସମୟ ।
ଜାଗରୂକ ଅଛନ୍ତି ସଖୀଚୟ ।
ବାସପାଣି ଭରି ହେମମଞ୍ଜରୀ ।
ଜଗି ରହିଛି ଧରି ହେମଝରି ।୧୨।
କରେ ଧରି ଝୁନାକଷ ଚାଦର ।
ହେଲା ଲବଙ୍ଗକଳିକା ହାଜର ।
ହେମ ହଂସେ ବିଡ଼ିଆ ବିଡ଼ା ଭରି ।
ଗୁଣ ଜଳଧି ଅଛି ଅନୁସରି ।୧୩।
ଚିତ୍ରଲେଖା କନକ ପିକଦାନୀ ।
ଅତି ପ୍ରମାଦେ ଅଛି କରେ ଘେନି ।
ଧରି କିଙ୍କିଣୀ ଝୁମୁକୀ କଠାଉ ।
ରସକଳା ଝଟକେ ଦାଉ ଦାଉ ।୧୪।
ଶୋଭାଲହରୀ ଘେନି ଗନ୍ଧସାର ।
ଚୂରି ମିଶାଇଅଛି ଘନସାର ।
ମୃଗମଦୁଁ ଭିନ୍ନ କରି ରୋଚନା ।
ଅତି ଯତ୍ନେ ଦଳୁଛି ସୁଲୋଚନା ।୧୫।
ନବ କୁଙ୍କୁମ କୁଙ୍କୁମ ଦଳୁଛି ।
ନବନୀତେ କି ସିନ୍ଦୁର ଗୋଳୁଛି ।
କିଆ କରଜେ କସୁଛି ପାନିଆ ।
ଝରାମଣି ବନାଉଛି ମାନିଆଁ ।୧୬।
ଜାଈଗଭା ନିବାଡ଼ୁଛି ସେବତୀ ।
ଝରା ସଜାଡ଼ୁଅଛି ଲୀଳାବତୀ ।
ପ୍ରେମମଞ୍ଜୁଳା ମଣ୍ଡନ ଚାଙ୍ଗଡ଼ା ।
ରଖି ଧରି ବରାହକେଶ ବିଡ଼ା ।୧୭।
କରୁଅଛି ମାଜିବାକୁ ଆରମ୍ଭ ।
କେହି ହାଟକ ବାସବାରିକୁମ୍ଭ ।
ପୁଞ୍ଜି ପୁଞ୍ଜି କରି ରଖୁଅଛନ୍ତି ।
କେହି ଖାଡ଼ିକୁଞ୍ଚା ଶାଢ଼ୀ ବାଛନ୍ତି ।୧୮।
ମଲ୍ଲୀ ନିଆଳୀ କେତକୀ ସୁମନା ।
ଚାରି ପରିଚାରୀଏ ଏକମନା ।
ଭୟ ପ୍ରମୋଦେ ଜଳେ ଅବଗାହି ।
ମରକତ ଚଉକି ନେଇ ବହି ।୧୯।
ମଣିମକର ଚାନ୍ଦନୀ ମଣ୍ଡପେ ।
ଧୀରେ ଥୋଇ ଜଗିଲେ ତା ସମୀପେ ।
ହେଲା ତୁରୀୟ ଯାମ ସମାଗମ ।
ଶୁଦ୍ଧ କୁଳୀରଲଗ୍ନ ଭୋଗ କ୍ଷମ ।୨୦।
ବାଳା ପୁଲକେ ଦିଶିଲା ସୁନ୍ଦର ।
ଚମକିଲା ଫୁଲଧନୁମନ୍ଦିର ।
ମଧ୍ୟ ହୋଇଲା ବୁକୁ ଦମ ଦମ ।
ହୃଦେ ଛୁଇଁଲା କିଛି କମ୍ପକ୍ରମ ।୨୧।
ସୂର୍ଯ୍ୟକନ୍ୟା ଯମୁନା, ଶୋଣଜଳରୁହ ରକ୍ତପଦ୍ମ । ୧୦ । ନୀଳା ମୋତିମାଳୀ– ଦୁଇଜଣ ସଖୀଙ୍କ ନାମ । ୧୧ । ଚମ୍ପାମାଳୀ କୁନ୍ଦନରତନ–ସଖୀଙ୍କ ନାମ । ଫୁଲିଆଡ଼େଣୀ- ଫୁଲରେ ତିଆରି ତ୍ରାସ, ପାଦସମ୍ୱାହନ–ଗୋଡ଼ ମୋଡ଼ିବା । ୧୨ । ହେମ ମଞ୍ଜରୀ–ସଖୀ, ହେମଝରି-ସୁନାର ସୁରେଇ । ୧୩ । ଝୁନାକଷ ଚାଦର–ପାତଳ ରଞ୍ଜିତ ଚାଦର । ହେମହଂସେ ସୁନାରେ ତିଆରି ହଂସ ଆକୃତିବିଶିଷ୍ଟ ଡବା । ୧୫ । ଗନ୍ଧସାର–ଚନ୍ଦନ, ଘନସାର– କର୍ପୂର, ମୃଗମଦୁ-କସ୍ତୁରୀରୁ, ରୋଚନା–ଗୋରୋଚନା । ୧୬ । କୁଙ୍କୁମ-ସଖୀର ନାମ, ନବନୀତ-ଲହୁଣୀ, କିଆ-ସଖୀର ନାମ, କରଜ-ନଖ, କସୁଛି-ପରୀକ୍ଷା କରୁଛି, ଝରାମଣି-ସଖୀ, ମାନିଆ-ଫୁଲଗଭା । ୧୭ । ଝରା–ଫୁଲତୋଡ଼ା, ବରାହବାଳବିଡ଼ାରେ ଅଳଙ୍କାର ପ୍ରଭୃତି ସଫା ହୁଏ । ୧୮ । ଖାଡ଼ିକୁଞ୍ଚା ଶାଢ଼ୀ–ସୂକ୍ଷ୍ମଭାବରେ କୁଞ୍ଚା ହୋଇଥିବା ଶାଢ଼ୀ । ୨୦ । ତୁରୀୟ ଯାମ-ଚତୁର୍ଥ ପ୍ରହର । କୁଳୀରଲଗ୍ନ-କକଡ଼ାଲଗ୍ନ । ଭୋଗକ୍ଷମ ହେଲା-ଭୋଗ କରିବାକୁ ପ୍ରବେଶ କଲା । ୨୧ । ପୁଲକେ––ରୋମାଞ୍ଚିତ ହୋଇ । ୨୨ ।
ଅପହୁଡ଼ ସମୟ ହେଲା ଆସି ।ଋତୁ ଲଭିଲା ଲଉଲୀ ବୟସୀ ।ଚାରିଶର ରଖି ରତି ନାୟକ ।ଏକା ବିନ୍ଧିଲା କଙ୍କେଳୀ ସାୟକ ।୨୨।ଜେମା ମନ ଲକ୍ଷ୍ୟ ଫୁଟି ଫିଟିଲା ।ନିଜ ସିଂହଦୁଆରେ କି ଛୁଟିଲା ।ଜାଣିପାରି ସେ କିଶୋରୀ ଈଶ୍ୱରୀ ।ଅବିଳମ୍ବେ ମହୀକି ଅବତରି ।୨୩।ସଖୀ ସମୂହେ ନ ଦେଇ ଦୃଷ୍ଟିକି ।କଲା ସ୍ଥଳଜଳରୁହ ବୃଷ୍ଟିକି ।ମଣିପାଦୁକାରେ ନାହିଁ ନଜର ।ଅତି ବିଜନେ ହୋଇଲା ହାଜର ।୨୪।ବାସବତୀ କି ସଂଙ୍କେତ ପାଇଲା ।ଏକା ଗହଣେ ସେହି ଗୋଡ଼ାଇଲା ।ବାତବକ୍ରନାଳ ନୂଆ କମଳ ।ପରି ନୁଆଇଁ ଶ୍ରୀମୁଖମଣ୍ଡଳ ।୨୫।ଊରୁସନ୍ଧି ବାସେ ନୂଆ ଛଇଳା ।ଯହୁଁ ନେତ୍ରଖଞ୍ଜନ ଖେଳେଇଲା ।ନବଗବୟ ଶୃଙ୍ଗବାଡ଼ି ଅନ୍ତେ ।ହେଲା ପଦ୍ମରାଗ ପରି ପରତେ ।୨୬।କାଚଭିତ୍ତିରେ କିବା ଆଡ଼ମ୍ବର ।ଦିଶେ ବନ୍ଧୁଜୀବ ପ୍ରତିବମ୍ୱର ।ନିଜ ଗୋପୁର ଚିତ୍ର ଅର୍ଥେ ଅବା ।ରୂପାଥାଳୀରେ ପ୍ରସୂନଧନବା ।୨୭।ଗଇରିକ ଗୋଳାଇ ଅଛି ରଖି ।ଦେଖି ମଣିଲା ପୂର୍ଣ୍ଣଚନ୍ଦ୍ରମୁଖୀ ।ରତି ଭାଲକରି ବିନ୍ଦୁ ସୁନ୍ଦର ।ସେହି ବାସେ ପୋଛିଲା କି ସିନ୍ଦୁର ।୨୮।ତହୁଁ ତଳକୁ ପୁଣି ଦେଉଁ ଦୃଷ୍ଟି ।ତହିଁ ଦେଖିଲା ସେହି ଶୋଭା ବୃଷ୍ଟି ।ହେମ ପ୍ରାସାଦରେ ବସି ଦର୍ପକ ।ଦ୍ୱାରେ ଫିଙ୍ଗିଦେଲା କି ପାନପିକ ।୨୯।ତାକୁ କୁସୁମପ୍ରିୟ ବୋଲି ଜାଣି ।ଦ୍ରବମୟ କୁସୁମେ କୁଶପାଣି ।ସଂତର୍ପଣ ବିଧିରେ ମନକରି ।ସ୍ୱର୍ଣ୍ଣପାତ୍ରରେ ତହୁଁ କିଛି ଭରି ।୩୦।ରଖିଅଛି ସବୁ କରି ଠୁଳ ।ସିଞ୍ଚି ପୁଲକ ଇନ୍ଦ୍ରନୀଳ ତିଳ ।ଜାଣି ଯଉବନ ରାଜା ବିଜୟ ।ମନେ ହେବାରୁ ସଂଭ୍ରମ ଉଦୟ ।୩୧।ସେ ସମୟେ ସୁଷମା କଳାବତୀ ।ହେଉଁ ଅତି ତରଳତରମତି ।ଅଲକତ ସଂଭବଦ୍ରବଛରା ।ହେମପ୍ରାଙ୍ଗଣେ ପକାଇଲା ପରା ।୩୨।
କଙ୍କେଳୀସାୟକ-ଅଶୋକ ଫୁଲର ବାଣ । ୨୩ । ଜେମାମନଲକ୍ଷ୍ୟଫୁଟି ଫିଟିଲା ... ସେ ଶର ଚନ୍ଦ୍ରକଳା ମନରୂପ ଲକ୍ଷ୍ୟକୁ ଫୁଟାଇ ବା ଭେଦକରି ନିଜ ସିଂହଦ୍ୱାରକୁ ଚାଲିଗଲା କି ? ୨୪ । କଲାସ୍ଥଳ ... ସ୍ଥଳପଦ୍ମକୁ ବର୍ଷିଲା ଅର୍ଥାତ୍ ତଳଆଡ଼କୁ ଆଖି ପକାଇଲା । ୨୫ । ବାତବକ୍ରନାଳ–ପବନରେ ଯାହାର ନାଡ଼ ବଙ୍କା ହୋଇଅଛି । ୨୬ । ନବଗବୟ ... ଗବୟ (ଗୋଜାତୀୟ ଜୀବ)ର ନୂଆ ଶିଙ୍ଗରେ ନିର୍ମିତ ପେଡ଼ୀଭିତରେ ପଦ୍ମନାଗମଣି ଥିଲା ପରି ଜଣାଗଲା । ୨୭ । କାଚଭିଭିରେ-କାଚକାନ୍ଥରେ । ବନ୍ଧୁଜୀବ ପ୍ରତିବିମ୍ବ-ବଧୂଲିଫୁଲର ଛାୟା । ଗୋପୁର—ବହିର୍ଦ୍ୱାର । ପ୍ରସୂନଧନବା– ପୁଷ୍ପଧନ୍ୱା କନ୍ଦର୍ପ । ୨୮ । ଗୈରିକ-ଗେରୁ । ରତି ... ରତିଦେବୀ ନିଜ ଲଲାଟରେ ସୁନ୍ଦର ବିନ୍ଦୁଟିଏ ରଚନା କରିସାରି ଚନ୍ଦ୍ରକଳାର ସେହି ଲୁଗାରେ । ସିନ୍ଦୂରକୁ ପୋଛି ଦେଲା କି ? ୨୯ । ହେମପ୍ରାସାଦ-ସୁନାର କୋଠା (ଚନ୍ଦ୍ରକଳାର ଶରୀର) । ଦର୍ପକ-କନ୍ଦର୍ପ । ୩୦ । ତାକୁ – ଚନ୍ଦ୍ରକଳାକୁ । ଦ୍ରବମୟକୁସୁମେ-ତରଳ ରକ୍ତବର୍ଣ୍ଣ ଫୁଲରସରେ । କୁଶପାଣି--ବ୍ରହ୍ମା, ସ୍ରଷ୍ଟା । ୩୨ । ସୁଷମାକଳାବତୀ–ଶୋଭା ଓ ସୁକ୍ଷ୍ମକଳାର ନିଧାନ (ଚନ୍ଦ୍ରକଳା) । ଅଲକତଦ୍ରବସମ୍ଭବ ଛରା– ଅଳତାରସର ଛିଞ୍ଚା ବିନ୍ଦୁ । ହେମପ୍ରାଙ୍ଗଣ––ସୁନା ଅଗଣା । ୩୩ ।
ଜଗଜ୍ଜୟ ସଂକଳ୍ପେ କାମରାଜା ।କଲା ତ୍ରିକୋଣ ହେମଯନ୍ତ୍ର ପୂଜା ।ଉପହାର ନିମନ୍ତେ କରି ଅବା ।ସମରପିଛି ଅଭିନବ ଜବା ।୩୩।ନିଜ ମନ୍ଦିର ଦେହଳୀର ପାଶେ ।ରତି ବସିଛି ପ୍ରିୟ ଅଙ୍କଦେଶେ ।ତାହା ଲାଗି କୁସୁମ୍ଭା ଚେଳାଞ୍ଚଳ ।ପଡ଼ି ଦେହଳୀ କରିଛି ମଞ୍ଜୁଳ ।୩୪।କିବା ନବୀନ ଯଉବନରମା ।ମଣ୍ଡିବାକୁ ଚିତ୍ରରେ ଭାଲସୀମା ।ରଖି ପରିଣତତର ତାମ୍ବୁଳ ।ତହିଁ ଦଳିଅଛି କିଛି ହିଙ୍ଗୁଳ ।୩୫।ଚଳଦଳଚ୍ଛବି ପରିପନ୍ଥୀକି ।ଦେଇ ମନ୍ମଥମନ୍ଦିର ମନ୍ଥିକି ।ତାହା ଲୋହିତରେ ଚିତା ଘେନିଲା ।ସେହିପରି ସେ ସମୟ ମାନିଲା ।୩୬।ରସ ବରଷା ସମୟେ ପ୍ରବେଶେ ।ସ୍ୱର୍ଣ୍ଣ ଭୂମିରେ ଇନ୍ଦ୍ରଗୋପ କି ସେ ।ଭାଜି ସନ୍ଦେହ ହୁଅନ୍ତେ ନିଶ୍ଚୟ ।କରି ହୃଦୟ ରସାନନ୍ଦମୟ ।୩୭।ଉଭା ହୁଅନ୍ତେ ହସି ମଥା ପୋତି ।ପାଟ ବଢ଼ାଇ ଦେଲା ବାସବତୀ ।ଲାଜମୋହ ମିଶ୍ରିତ କରି ମନ ।କରି ମଣିଭିତ୍ତି ଦିଗେ ଗମନ ।୩୮।ପ୍ରତିବିମ୍ବିତ ବାଳଶୋଭା ଚାହିଁ ।ଲଭି ଦ୍ୱିଗୁଣ ସୁଖ ଚାନ୍ଦମୁହୀଁ ।କୁସୁମିତ ଦୁକୂଳକୁ ପାଲଟି ।ଲାଗି ହୁଅନ୍ତେ ଲାଲ ପାଟଶାଟୀ ।୩୯।ହେମଲତା ପଲ୍ଲବମୟ ହେଲା ।ପରି ଦିଶିଲା ସେ ବରମହିଳା ।ତେଣେ ଆଳୀଏ ମଣି ଚମତ୍କାର ।କଲେ ପରସ୍ପରେ ଏହି ବିଚାର ।୪୦।କାଳ ବେଳ କେ ନ ଥିବାର ନିତି ।ଦେଖାଗଲା ଏ କି ବିଚିତ୍ର ରୀତି ।କିଛି ଊଣା ଏକାଦଶ ବରଷ ।ଜେମାମଣିକି ହୋଇଲା ବୟସ ।୪୧।ଆମ୍ଭେମାନେ ତା ଲାଗି ଲୁଗାପରି ।ଶିଶୁକାଳରୁ ଥାଇ ଅନୁସରି ।ନ ଥିବାରେ ଆମ୍ଭେ ତାହା ସାଥିରେ ।ସ୍ୱପ୍ନେ ଏକାନ୍ତ କରି ନାହିଁ ଥରେ ।୪୨।ଲବେ ନ ବିଚାରି ଅନୁରୋଧକୁ ।ବିଜେ କଳାବେଳେ ଅବରୋଧକୁ ।ବାସବତୀକି ନେତ୍ରେ ଠାରି ଦେଲା ।ଆଜ ବିଜନରେ କି ବିଚାରିଲା ।୪୩।ଆଉ ଆଶ୍ରିତେ କି କାଳ ହରିବା ।ବୁଝି ଯେ ଯାହା ଉପାୟ କରିବା ।ଶୁଣି ଜଣେ କହିଲା ଏ ବାଣୀକି ।ଏହିପରି ଏବେ ସିନା ହେବ ଏଣିକି ।୪୪।କହୁଥିଲେ ବୋଲୁଥିବା ମଣିମା ।ମନକଥାଟି କେହି ନ ଜାଣିମା ।ନିରନ୍ତରେ ଏଥର ଫୁଲବାଣ ।ଜେମାଠାରେ କରିବ ମନ୍ତ୍ରୀପଣ ।୪୫।ଜାଣି ତାର ଏ ସମୟ ମରଜି ।କେତେ ଗଲେନି ସ୍ୱସ୍ଥାନ ବରଜି ।ଗତିଜବ ଚରଣରୁ ନିରାଶ ।ହୋଇ କଲାନି ନୟନେ ନିବାସ ।୪୬।ଅବିବେକ ପୃଥୁଭାବ ପଳାଇ ।ସ୍ଥାନ କଲା ନିତମ୍ବବିମ୍ବେ ଯାଇ ।ରସ କୃଶତା ହୃଦୟରୁ ଖସି ।ହୋଇଲାନି ମଧ୍ୟଦେଶନିବାସୀ ।୪୭।
ନବଜବା-ନୂଆ ମନ୍ଦାର ଫୁଲ । ୩୪ । ଦେହଳୀ–ଏରୁଣ୍ଡିବନ୍ଧ; ତାହା ଲାଗି କୁସୁମ୍ଭାଚେଳାଞ୍ଚଳ–ରତିର ପିନ୍ଧା ରଙ୍ଗଶାଢ଼ୀର ପଣନ୍ତ । ୩୫ । ପରିଣତତର ତାମ୍ବୁଳ––ଅତି ପାଚିଲା ପାନ । ୩୬ । ମନ୍ମଥମନ୍ଦିର (କର୍ତ୍ତା) ଚଳଦଳଛବି (ଅଶ୍ୱତଥପତ୍ର) ରୂପ ପରିପନ୍ଥୀକି (ଶତ୍ରୁକୁ) ମଛି ଦେଇ ତା ରକ୍ତରେ ଚିତା ଘେନିଲା କି ? ୩୭ । ରସବରଷା ସମୟ–ଜଳବୃଷ୍ଟି । କାଳ, ଇନ୍ଦ୍ରଗୋପ-ସାଧବ ବୋହୁ ପୋକ । ୪୦ । ହେମଲତା ... ସୁବର୍ଣ୍ଣର ଲତାରେ ପତ୍ର ଧଇଲା କି ? ୪୬ । ଗତିଜବ ... ସେ ବର୍ତ୍ତମାନ ଚଞ୍ଚଳଗତି ଛାଡ଼ି ଚଞ୍ଚଳନେତ୍ରୀ ହେଲାଣି । ୪୭ ।
ତେଜି କାର୍କଶ ମନ ନଗରୀକି ।କଲା ଅବଲମ୍ବ ବକ୍ଷସରିକି ।ଦେଖୁ ନାହିଁ କି ଏବେ ସେ ଦ୍ୟୁତିକି ।ଜଗତ୍ତ୍ରୟ ନୟନସମ୍ପତ୍ତିକି ।୪୮।ଏହି ସମୟେ ଚେଟୀ ରତ୍ନଚୁଡ଼ି ।ଦୃଶ୍ୟ ହୋଇଲା ଘେନି ଲାଟଶାଢ଼ୀ ।ସେ କି ସଂଚରିବା ହେମମଞ୍ଜରୀ ।ଅଛି ସିତ କୁସୁମଗୁଚ୍ଛ ଧରି ।୪୯।ସଉରଭ ଲୋଭରେ ଭୃଙ୍ଗାରଜି ।ଚାରିପାଶେ ଘେରୁଅଛି ଗରଜି ।ଅବା ଆଳୀଙ୍କ ସନ୍ଦେହ ଛିଡ଼ିଲା ।ଅଳିଶ୍ରେଣୀ ଦମ୍ଭେ ବ୍ୟୋମେ ଉଡ଼ିଲା ।୫୦।ଖେଳା ଚପଳ କଳହଂସୀ ପରି ।ଅତି ହରଷେ ଧାଇଁ ସହଚରୀ ।ଲଜ୍ଜାନମ୍ରମୁଖୀକି ପରିହାସେ ।ଘେରି ରହି ଜଣାଇଲେ ଏ ରସେ ।୫୧।ସଖୀ ଏଡ଼େ ନିର୍ମଳ ହୃଦପଟ ।ଅର୍ଦ୍ଧଅଙ୍ଗେ ବହିଲା ତ କପଟ ।କରିଥାଉ ଯେ ତେଡ଼େ ଅନୁରାଗ ।ଆଉ କେଉଁ ଭାଗ୍ୟରୁ ଦେବୁ ଭାଗ ।୫୨।ଲୁଚାଇଲେ କି ଲୁଚେ ଏହି ମାନ ।ଫୁଲବାସନା ମାନଇଁ କି ଆନ ।ଘନ ଆଚ୍ଛନ୍ନ କଲେ କଲେ ଲୋକନେତ୍ର ।ଘନେ ଆଚ୍ଛନ୍ନ ହୁଅଇ କି ମିତ୍ର ।୫୩।ଦେଇ ଶିଖରେ କରକିଶଳୟ ।ଜେମା ଲୁଚାଉଛି କି ସୁରାଳୟ ।କର କ୍ରୋଡ଼େ କି ସମୁଦ୍ର ଲୁଚିବ ।ସତ୍ୟ ହେଲେ ଏ କାହକୁ ରୁଚିବ ।୫୪।ଛାଇପରି କରି ତୋର ଭଜନ ।ଏତେ ମାତ୍ରକୁ ନୋହିଁଲୁଁ ଭାଜନ ।ଯେତେବେଳେ କୁରଙ୍ଗଶିଶୁଦୃଶା ।ନେବୁ ରମଣଅଙ୍କେ ବସି ନିଶା ।୫୫।ମଞ୍ଜୁ ମଞ୍ଜୀର ବାଚାଳ ରସନା ।କିଛି କହିବେ ଏହି ଦୁହେଁ ସିନା ।ତୁ ତ କହିବା ପରି ଦିଶୁ ନାହିଁ ।ପଚାରିବାକୁ ଆମ୍ଭ ବଳ କାହିଁ ।୫୬।ଶୁଣି ଲବଙ୍ଗକଳିକା ହସିଲା ।ଛଳି ସଖୀଙ୍କି ଏ ବାଣୀ ଭାଷିଲା ।ମନ ଧରି କହୁଅଛି ସହୀକି ।କାଳଯାକ ସେବାଫଳ ଏହି କି ।୫୭।ନେତ୍ରସମ୍ପତ୍ତି କିଛି ନ ଦେଖିବ ।ଭିତ୍ତିତଟରେ କେ ପୁଣି ଲାଖିବ ।ଦିନେ ହେଲେ କି ମରଦନ ବେଳେ ।ସ୍ତନତଟକୁ ନ ଦେଖିବା ଡୋଳେ ।୫୮।ଶିଶୁଶଶୀ ତ ସବୁ ଦେହ କହି ।ଆଉ ବଡ଼ ବଡ଼ଙ୍କ ଯାଏ କାହିଁ ।ବାଳା ବୋଲିବ ଅବା ତହିଁ ବାସ ।ଥିବ ନିବିଡ଼େ କାହିଁ ଅବକାଶ ।୫୯।
ଅବିବେକ ... ବିବେକଶୂନ୍ୟତାରୂପ ସ୍ଥଳତା ପଳାଇ ନିତମ୍ବରେ ରହିଲା ଅର୍ଥାତ୍ ବିବେକ ବୃଦ୍ଧ ହେଲା ଓ ନିତମ୍ବ ସ୍ଥୂଳ ହେଲା । ରସକୃଶତା ... କ୍ଷୀଣରସଭାବ ହୃଦୟରୁ ଯାଇ ମଧ୍ୟଦେଶନିବାସୀ ହେଲାଣି (କଟୀଦେଶରେ ବାସ କଲାଣି) ଅର୍ଥାତ୍ ହୃଦୟ ରସପୂର୍ଣ୍ଣ ଓ କଟୀ କ୍ଷୀଣ ହେଲାଣି । ୪୮ । ମନରୂପ ନଗରକୁ ଛାଡ଼ି ଏବେ ଏହାର ବକ୍ଷ ଦେଶରେ ବାସ କରିଛି (ଏହାର କୁଚଦ୍ୱୟ ଏବେ କର୍କଶ ହେଲାଣି) । ୪୯ । ଚେଟୀ-ଦାସୀ, ଲାଟଶାଢ଼ୀ-ପୁରୁଣା ପିନ୍ଧାଶାଢ଼ୀ, ସଞ୍ଚରିବା ହେମମଞ୍ଜରୀ–ଚାଲୁଥିବା ସ୍ୱର୍ଣ୍ଣବୃନ୍ତ କି ? ସିତକୁସୁମଗୁଚ୍ଛ –ଧଳା ଫୁଲପେଣ୍ଡା । ୫୦ । ଅଳିଶ୍ରେଣୀଦମ୍ଭରେ–ଭ୍ରମର ପଂକ୍ତି ବ୍ୟାଜରେ । ୫୩ । ଘନ-ମେଘ, ମିତ୍ର– ସୂର୍ଯ୍ୟ । ୫୪ । ଦେଇ ଶିଖରେ ... ଅଗ୍ରଭାଗରେ କରରୂପ ନୂଆ ପତ୍ରଟିଏ ଘୋଡ଼ାଇ ଜେମା ଚନ୍ଦ୍ରକଳା) ସୁରାଳୟ (ମେରୁପର୍ବତ)କୁ ଲୁଚାଉଅଛି କି ? । ୫୫ । କୁରଙ୍ଗଶିଶୁଦୃଶା– ବାଳମୃଗାକ୍ଷୀ । ୫୬ । ମଞ୍ଚୁ ମଞ୍ଜୀର-ମନୋହର ନୂପୁର (ଚରଣ ଅଳଙ୍କାର), ରସନା ଚନ୍ଦ୍ରହାର (ଅଣ୍ଟାର ଅଳଙ୍କାର) । ୫୮ । ଭିଭିତଟରେ––କାନ୍ତ ପାଖରେ । ୫୯ । ଶିଶୁ ଶଶୀ-ବାଳଚନ୍ଦ୍ର (ନଖକ୍ଷତ),
ବାସ ସିନା ସମସ୍ତ ପ୍ରକାଶିବ ।ପୁଣି ରଦବାସ ତୁଲେ ମିଶିବ ।ଦୁହେଁ ମିଶି କରିବେ ସବୁ ଜଣା ।ଆହା କି କରିବଟି ସୁଲକ୍ଷଣା ।୬୦।ଏବଂବିଧ ପରିହାସ ନ ସରୁ ।ସରୁମଧ୍ୟା ଯାଇଁ ଜେମା ପାଶରୁ ।ଜଣାଇଲା ଶ୍ରୀ ମହାଦେଈ ପାଶେ ।ସେ ତ ଜେମା ଜନନୀ ଅତି ତୋଷେ ।୬୧।ନିଜ କରରୋପିତ ସୁନାଲତା ।ସତେ ହୋଇଲା ମଣି କୁସୁମିତା ।ମୋଦ ଅଖଟେ ଚିତ୍ତକୁ ସଧାଇ ।ଦେଲେ ନିଜ ଅଙ୍ଗଭୂଷା ବଧାଇ ।୬୨।ଏ ସମୟେ ଭେଟି ଅନ୍ୟ ବନିତା ।ପାଟକଠିନୀକରରତ୍ନସୁତା ।ଜେମା କୁସୁମୋତ୍ସବ ଯୋଗ ଧାଟୀ ।ଲେଖି ବଢ଼ାଇଦେଲା ପତ୍ରିକାଟି ।୬୩।ମହାଦେବୀ ତ ପରମ ବିଦୁଷୀ ।ତହିଁ ଚାହିଁ ସୁଭାଗ୍ୟ ଯୋଗରାଶି ।ଗଦ ଗଦ ସ୍ୱରେ ହୋଇ ସହାସ ।କଲେ ଶରମନ୍ଦିର ଫରମାସ ।୬୪।ଆଜ୍ଞା ପ୍ରମାଣେ ବାଳା ସହଚରୀ ।ଘେନି ସଙ୍ଗତେ ସର୍ବପରିଚାରୀ ।ରାମ ବିବାହଗୀତ ହୁଳହୁଳି ।ନାଦେ ଭରତି କଲେ ମହୀସ୍ଥଳୀ ।୬୫।ବୀଣା ରବା ପଖାଉଜ ମର୍ଦଳ ।ଭେରୀ ଆରବୀ ତେଲିଙ୍ଗୀ କଂସାଳ ।ଆଦ୍ୟ ବାଦ୍ୟ ନାଦେ ସେ ଭୂମଣ୍ଡଳୀ ।ସିନ୍ଧୁ ତୁଲେ କି ଆରମ୍ଭିଲା କଳି ।୬୬।ଅତିପ୍ରବଳ ହୋଇ ବାଜୁଁ ବାଜା ।ଉଠିଆସୁ ସଭାରୁ ମହାରାଜା ।ଦେବୀ ପ୍ରମୋଦ ଭେଟରୁ ଜାଣିଲେ ।ଯତ୍ନ କର ବୋଲି ମୋଦେ ଭଣିଲେ ।୬୭।ତହୁଁ ବାଳା ସଖୀ ସର୍ବ ବିମ୍ବୋଷ୍ଠୀ ।ମାଷ ତଣ୍ଡୁଳେ ବନାଇଲେ କୋଷ୍ଠୀ ।ଚାରିକୋଣେ – ପଞ୍ଚବର୍ଣ୍ଣ କୋଠିର ।ସ୍ଥିରତର ପୋତିଲେ ଚାରି ତୀର ।୬୮।ଚାରି ପ୍ରହର କରିବାକୁ ରକ୍ଷା ।ଚାରି ପ୍ରହାର ପୋତିଲେ କି ଦକ୍ଷା ।ରସକଳା ହସି ବୋଲେ ତହିଁ କି ।ବାଳା ସମ୍ଭାଳି ପାରିବ ନାହିଁ କି ।୬୯।ଏକ ଅତନୁ ମାରର ଏ ଗୁଣ ।ଏବେ ସତନୁ ଚାରି ମାରଗଣ ।ଜଗିରହିଲେ ରଜନୀ ଦିବସ ।ସୁକୁମାରୀ ନୋହିବେ କି ବିବଶ ୭୦।ପୁଣି ଦେଲେ ଚାରୁ ଚେଳ ବେଢ଼ାଇ ।ଦେଲା ଏହି ଊହକୁ ସେ ବଢ଼ାଇ ।ହରି ଆଣି ତ୍ରିଲୋକ ସମ୍ପତ୍ତିକି ।ତହିଁ ଲୁଚାଇବ ପ୍ରଜାପତିକି ।୭୧।
ବାସ–ବସ୍ତ୍ର, ଅବକାଶ–ସ୍ଥାନ । ୬୦ । ରଦବାସ–ଅଧର । ୬୧ । ସରୁମଧ୍ୟା – ଜଣେ ସଖୀ, ମହାଦେଈ–ଚୁନ୍ଦ୍ରକଳାର ମା । ୬୨ । ମୋଦିଆଖେଟେ ... ଆନନ୍ଦରୂପ ମୃଗୟାରେ ମନକୁ ସାଧନ କରି ଅର୍ଥାତ୍ ମନରେ ପ୍ରକୃତ ଆନନ୍ଦ ଅନୁଭବ କରି । ବଧାଇ-ପାରିତୋଷିକ, ଉପହାର । ୬୩ । ପାଟକଠିନୀକରରତ୍ନସୁତା–ପ୍ରଧାନ ଜ୍ୟୋତିଷ୍ଠୀ ଖଡ଼ୀରତ୍ନଙ୍କ ଝିଅ । କୁସୁମୋତ୍ସବଯୋଗଧାଟୀ-ଋତୁମତୀ ହେବା ଯୋଗନକ୍ଷତ୍ରାଦିର ଜ୍ୟୋତିଷ ଗଣନା । ୬୪ । ଶରମନ୍ଦିର-କ୍ଷତ୍ରିୟ କନ୍ୟାର ପ୍ରଥମ ଋତୁସ୍ନାନରେ କରାଯିବା ଉତ୍ସବ । (ପରେ ଏହି ଉତ୍ସବର ବର୍ଣ୍ଣନା ହେଉଛି) । ୬୮ । ମାଷ-ବିରୀ; ସ୍ଥିରତର-ଦୃଢ଼ଭାବରେ । ୭୦ । ଶରୀର ନ ଥିବା ଏକ ମାର (କନ୍ଦର୍ପ)ର ଏତେ ଗୁଣ, ବର୍ତ୍ତମାନ ଶରୀର ଥିବା ଚାରିଗୋଟା ମାର୍ଗଣ (ଶର) ଦିନରାତି ଜଗି ରହିଲେ । ବାଳିକା ବିବଶ (ଅସ୍ଥିର) ହୋଇ ପଡ଼ିବ ନାହିଁ କି ? । ୭୧ । ପୁଣି ଦେଲେ ... ତା ପରେ ସଖୀମାନେ
ଚାରିପାରୁଶେ ଶିଶୁରମ୍ଭାସ୍ତମ୍ଭ ।ପାଖେ ରଖିଲେ ସୁନା ପୂର୍ଣ୍ଣକୁମ୍ଭ ।ପିକବଲ୍ଲଭପଲ୍ଲବ ମାଳିକା ।କଲେ ତୋରଣ ତରୁଣ ବାଳିକା ।୭୨।ଟାଣିଦେଲେ ବିଚିତ୍ର ଚନ୍ଦ୍ରାତପ ।କୋଣେ ଲମ୍ବାଇ ନୂଆ କୁଞ୍ଚ ଥୋପ ।ଜେମାରୁଚି ଜିଣିଲା ସାତଦ୍ୱୀପ ।ବୋଲି ସୂର୍ପେ ରଖିଲେ ସାତଦୀପ ।୭୩।ତଦନନ୍ତର ତରୁଣୀବରକୁ ।ବିଜେ କରାଇ ଶରମନ୍ଦିରକୁ ।ଝିଲୀ ଖଜା ଖଇରଚୁର ନାଡ଼ୀ ।ଲଡ଼ୁ ବସନ୍ତ ଆରିଷା ପାପୁଡ଼ି ।୭୪।ଜଗନ୍ନାଥବଲ୍ଲଭ ହଂସକେଳି ।ମନୋହର ଡାଳିମ୍ବ ସରପୁଳୀ ।ଖଜା ପେଡ଼ା ଦିବ୍ୟପୁରୀ ତ୍ରିପୁରୀ ।ଖଣ୍ଡମଣ୍ଡା କାନ୍ତି ପୁର ଇଣ୍ଡୁରି ।୭୫।ପାରିଜାତ ସରଖଇ ଖୁରୁମା ।ସର ସରପାପୁଡ଼ି ଅନୁପମା ।କ୍ଷୀରି କ୍ଷିରୀସା ବାସ ଅଟକାଳି ।ବଡ଼ା ସୁପୁରୀ କାକରା ଶୂଆଳୀ ।୭୬।ଦେବା ନେବା ଖାଇବା ରଖାଇବା ।ବାସି ଗିରି ସଦୃଶ ପକାଇବା ।ଏହିପରି ସେ ରାଜଧାନୀଯାକ ।ପ୍ରତି ମନ୍ଦିରରେ ଉତ୍ସବ ଅସ୍ତୋକ ।୭୭।ସେ ନଗର ତ ଦୁର୍ଲ୍ଲଭ ଅରାତି ।ସେହି ସାତ ଦିନ ହେଲା ଅ–ରାତି ।ସାରି ଶରପୁରବସା ବିଧିକି ।ତହୁଁ ଅବତାରି ଶୋଭାନିଧିକି ।୭୮।ଶତହ୍ରଦା ଗୋରୀଏ ଏକମେଳେ ।ସାତ ଶାତକୁମ୍ବ କୁମ୍ଭମଙ୍ଗଳେ ।କାହିଁ କୁଙ୍କୁମ କାହିଁ ଗନ୍ଧସାର ।କାହିଁ ଭରି କୁରଙ୍ଗମଦସାର ।୭୯।ଦଳି ଗୋଳି ସେ ସକଳ ଶୁଭାଙ୍ଗୀ ।ପରସ୍ପରେ ହୋଇଲେ ଫିଙ୍ଗାଫିଙ୍ଗି ।ଏକ ଉପରେ ପଡ଼ିଲେ ଆରକେ ।ଦେଖା ନାହିଁ ସେ ଉତ୍ସବ ତ୍ରିଲୋକେ ।୮୦।ନୀରେ ପନୀରେ ତଡ଼ ଉଚ୍ଛଳିଲେ ।ସ୍ନାନ କରାଇ ନାନା ତୀର୍ଥଜଳେ ।ଦିବ୍ୟ କଷାବାସରେ ଅଙ୍ଗ ପୋଛି ।ଦେଲେ ପ୍ରଲମ୍ବ କେଶପାଶ ଉଞ୍ଛି ।୮୧।ନୂଆବାସ ନବ ରତ୍ନାଭରଣ ।କରି ଜଗତୀଭୂଷାକୁ ଶରଣ ।ଧନ୍ୟ ମଣିଲେ ନିଜ ଜନମକୁ ।ଘେନି ବାଳା ଅଙ୍ଗୀକାର କ୍ରମକୁ ।୮୨।ଦେଲେ ଅଣାଇ ମୁଖ୍ୟ ଦ୍ୱିଜକୁଳ ।ଧେନୁ ଧରା ହିରଣ୍ୟ ଅନ୍ନ ଚେଳ ।ଦାନାନନ୍ତରେ କୁଶେ ତୀର୍ଥୋଦକ ।ଘେନି ପୁରୋଧା କଲେ ଅଭିଷେକ ।୮୩।
ସେହି ଶରମନ୍ଦିରକୁ ଚାରୁଚେଳ (ସୁନ୍ଦର ବସ୍ତ୍ର)ଦ୍ୱାରା ଆବତ କରିଦେଲେ । ସେ ଆବରଣ ଏହି ଉହ (ଅନୁମାନ)କୁ ବଢ଼ାଇଦେଲା ଅର୍ଥାତ୍ ତହିଁରୁ ଏପରି ଅନୁମାନ ହେଲା—ବ୍ରହ୍ମା ତିନିଭୁବନର ସମ୍ପତ୍ତିକି ଚୋରାଇ ଆଣ ଏହିଠାରେ ଲୁଚାଇବ କି ? । ୭୨ । ପିକବଲ୍ଲଭ ... ଆମ୍ବଗଛର ନୂଆପତ୍ର । ୭୩ । ଟାଣିଦେଲେ ... ‘‘ସୁନ୍ଦର ଚାନ୍ଦୁଆ ଟାଣିଦେଇ ତା ଚାରିକୋଣରେ ନୂଆଲୁଗା କୁଞ୍ଚି ଥୋପ କର ଓହଳାଇ ଦେଲେ । ସାତଦ୍ୱୀପ-ପ୍ରାଚୀନ ମତରେ ପୃଥିବୀ ସାତଗୋଟି ଦ୍ୱୀପର ସମଷ୍ଟ, ସୂର୍ପ-କୁଲା । ୭୭ । ଅସ୍ତୋକ ଉତ୍ସବ-ବଡ଼ ଉତ୍ସବ । ୭୮ । ଅରାତି-ଶତ୍ରୁ ଓ ରାତିର ଅଭାବ (ଦିବସ) । ଶରପୁରବସା ବିଧି-ଶରମନ୍ଦିରରେ ବସିବା ବିଧାନ । ୭୯ । ଶତହ୍ରଦା ଗୋରୀଏ– ବିଜୁଳି ପରି ଗୌରାଙ୍ଗୀମାନେ; ସାତ ଶାତକୁମ୍ଭ କୁମ୍ଭମଣ୍ଡଳେ-ସାତଗୋଟି ସୁନା ମାଠିଆରେ । କୁରଙ୍ଗ ମଦସାର––ଉକୃଷ୍ଟ କସ୍ତୁରୀ । ୮୦ । ଶୁଭାଙ୍ଗୀ–ସୁନ୍ଦରୀ ସ୍ତ୍ରୀ । ୮୧ । ପନୀର– ସୁବାସିତ ଜଳ, ତଡ଼-ପ୍ରାନ୍ତ (ସେହି ମନ୍ଦିରର), ଉଚ୍ଛୁଳିଲେ-ଉଛୁଳାଇ ଦେଲେ । କଷାବାସ– ରଞ୍ଜିତ ବସ୍ତ୍ର । ୮୩ । ଧେନୁ–ଗାଈ, ଧରା– ଭୂମି, ହିରଣ୍ୟ–ସୁନା, ଚେଳ ବସ୍ତ୍ର,
ଇଷ୍ଟ ଦେବତା ତ୍ରିପୁରସୁନ୍ଦରୀ ।ଦରଶନବିଜୟ ବେଳ ଶିରୀ ।ଛାନ୍ଦ ବିସ୍ତାର ହେବା ଭୟେ ଦବି ।ଆଉ ବର୍ଣ୍ଣନା କଲା ନାହିଁ କବି ।୮୪।ଠାକୁରାଣୀଙ୍କ ଚଳନ୍ତି ପ୍ରତିମା ।ପରି ବିରାଜିଲା ସେ ରାଜଜେମା ।ଜୀବ ଅବା ପ୍ରତିବିମ୍ବେ ଘଟିଲା ।ସେ କି ଜଗଜ୍ଜନନୀଙ୍କି ଭେଟିଲା ।୮୫।ଖଞ୍ଜି ପ୍ରସାଦ ଫୁଲମାଳା ଗଳେ ।ତହୁଁ ବିଜେ କାରାଇଲେ ସଲୀଳେ ।ଭେଟାଇବାକୁ ନେଉଁ ଜନନୀଙ୍କିବରବାରଣରାଜଗମନୀକି ।୮୬।ଦ୍ୱାରେ ପ୍ରବେଶ ହେଲା କ୍ଷଣେ ବାଳା ।ଦେବୀ ନିଦଶୁଁ ଆସି ବାଳାମାଳା ।ହୁଳହୁଳିମିଶା ଗୀତ ଗାଇଲେ ।ଅନ୍ନ ଗୋମୟରେ ନିଉଁଛାଇଲେ ।୮୭।ଚନ୍ଦ୍ରାନନାର ବନ୍ଦାପନା ବିଧି ।ସାରି ସକଳ କାମକଳାନିଧି ।ମୃଦୁ ସୁନ୍ଦର ଶ୍ରୀହସ୍ତେ ଜେମାର ।ଦିଆଇଲେ ଅର୍ଘ୍ୟକୁ ଅର୍ଯ୍ୟମାର ।୮୮।ଉଭାକଲେ ମାତାଙ୍କ ଆଗେ ନେଇ ।ଦେଲେ ଯୋଡ଼ା ପାଟଶାଢ଼ୀ ବଢ଼ାଇ ।ଗୁରୁତରମନ୍ଦାକ୍ଷେ ମନ୍ଦେ ହସି ।ନିଉଁଛାଳି କରି ଶୋଭାସରସୀ ।୮୯।ମହୀ ମଥାରେ ଛୁଇଁ ଜୁହାରିଲା ।ରାମା ଉପମା ମଣ୍ଡଳୀ ସାରିଲା ।ତୋଳି ଜନନୀ ସ୍ନେହେସ୍ରୋତେ ପଡ଼ି ।ମୁଖଚନ୍ଦ୍ରରେ ଚୁମ୍ବି ଗାଢ଼େ ଭିଡ଼ି ।୯୦।ଶିଶୁ ସମୟୁଁ ବଳିଆଇ ଗେଲେ ।ଧରି ଚିବୁକ ଏ ଆଶିଷ ଦେଲେ ।ଜେମା ହାତୀ ମୋ ନୟନସମ୍ପତ୍ତି ।ବାବୁ ହୁଅ ପରମ ଭାଗ୍ୟବତୀ ।୯୧।ଅନୁରୂପ ଚକ୍ରବର୍ତ୍ତୀ କୁମାର ।କର ଗ୍ରହଣ କର ଧନ ମୋର ।କାଳଯାକ ତୋ ପଦ ଅଲକତ ।ନାଥ ମୁକୁଟ କରୁ ଆରକତ ।୯୨।ଜୀଇ ଶଚୀର ପରି ଚିରକାଳ ।ଗୁଣମଣ୍ଡଳେ ମଣ୍ଡ ଦୁଇ କୁଳ ।କର ଧରାରେ ଧର୍ମକୁ ଅମନ୍ଦ ।ହେଲା କୁସୁମୋଦ୍ଗଦ ନାମ ଛାନ୍ଦ ।୯୩।ନାଗାନ୍ତକ ଯାହାଙ୍କର ବାହାନ ।ଅରିଦରେ ଅରିଦର ଦହନ ।ଦୁର୍ଗା ମାଧବ ପଦଯୁଗଦ୍ୱୟ ।ଭଜେ ଶ୍ରୀରାମଚନ୍ଦ୍ର ଛୋଟରାୟ ।୯୪।
ପୁରୋଧା–ପୁରୋହିତ । ୮୫ । ପ୍ରତିବିମ୍ବ – ଛାୟା, ଜୀବ ... ଛାୟା ସଜୀବ ହୋଇ ଜଗଜ୍ଜନନୀ (ଦୁର୍ଗାଙ୍କୁ) ଭେଟିଲା କି ? ୮୬ । ସଲୀଳେ-କୌତୁକରେ । ୮୭ । ବାଳାମାଳା– ବାଳିକାସମୃହ । ନିଉଁଛାଇଲେ– ବନ୍ଦାଇଲେ । ୮୮ । ଅର୍ଯ୍ୟମା–ସୂର୍ଯ୍ୟ । ୮୯ । ଗୁରୁତର ମନ୍ଦାଷେ–ଅତି ଲଜାରେ । ନିଉଛାଳି-ବନ୍ଦନା କରି, ଶୋଭାସରସୀ– ସୌନ୍ଦର୍ଯ୍ୟନିଧାନ (ଚନ୍ଦ୍ରକଳା) । ୯୨ । କାଳଯାକ .. ସବୁଦିନ ତୋ ପାଦ ଅଲକତ (ଅଳତା) ନାଥ ମୁକୁଟ (ସ୍ୱାମୀର ମୁକୁଟ )କୁ ଆରକ୍ତ କରୁ ଅର୍ଥାତ୍ ସବୁଦିନେ ସ୍ୱାମୀ ତୋର ପଦାନତ ହୋଇ ରହୁ । ୯୩ । ଗୁଣମଣ୍ଡଳେ– ଗୁଣସମୂହଦ୍ୱାରା । ଅମନ୍ଦ-ଉନ୍ନତ, ବଡ଼ । ୯୪ । ଅରିଦରେ–ଚକ୍ର ଓ ଶଙ୍ଖଦ୍ୱାରା, ଅରିଦର ଶତ୍ରୁଭୟ । ନାଗାନ୍ତକଗରୁଡ଼ ।