ନବମ ଛାନ୍ଦ — ବୈଦେହୀଶ ବିଳାସ (ପ୍ରଥମ ଖଣ୍ଡ) — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ନବମ ଛାନ୍ଦ
(ରାଗ–ଚୋଖି)
ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ
ହରେ ସୁର–ବର ତପ ଚାରୁଧାରା ସେ ।ବହେ ମକର–କେତନ ଉଚ୍ଛନ୍ନ ରତି ସମାନପୂରିତ ହୋଇଛି ପୁଣି ଅଶେଷ ରସେ ।ବିଦ୍ୟ ହୈମବତୀ ପଦରେ ।ବିଷକଣ୍ଠ ତୋଷଦାନୀ ବେନି ମତରେ ।୧।୧ମ ପଦ–ବିତଳ–ସପ୍ତ ପାତାଳର ତୃତୀୟ ପାତାଳ । ଚାରୁଧାରା–ଶଚୀ, ମନୋହର ପ୍ରବାହ । ହୈମବତୀ–ପାର୍ବତୀ, ଗଙ୍ଗା । ବିଷକଣ୍ଠ–ମହାଦେବ ।
୧ମ ପଦ–(ବିଶ୍ୱାମିତ୍ର ରାମ ଓ ଲକ୍ଷ୍ମଣଙ୍କ ସହିତ ଗଙ୍ଗାକୂଳରେ ପହଞ୍ଚି ଦେଖିଲେ) ବିତଳକୁ ଆଲିଙ୍ଗନ କରି ଗଙ୍ଗା ଶୋଭା ପାଉଅଛି । (ଏହାଦ୍ୱାରା ଗଙ୍ଗାର ଗଭୀରତା ସୂଚିତ ହେଉଛି) । ଶଚୀ ଯେପରି ଇନ୍ଦ୍ରଙ୍କର ସ୍ମରତାପ ହରଣ କରନ୍ତି, ସେ ଗଙ୍ଗା ସେହିପରି ମନୋହର ପ୍ରବାହରେ ସୂର୍ଯ୍ୟ ତାକୁ (ସ୍ନାନାଦିଦ୍ୱାରା) ହରନ୍ତି । ପୁଣି ସେ ରତି ସମାନ ଅଟନ୍ତି; ରତି ଯେପରି କନ୍ଦର୍ପର ଉଚ୍ଛନ୍ନ ବିଧାନ କରେ, ବହୁତ [ଶୃଙ୍ଗାର ରସରେ ପୂର୍ଣ୍ଣ ଅଟେ, ଗଙ୍ଗା ସେହିପରି ମକର ଜଳଚର ଜନ୍ତୁ ବିଶେଷର ଗୃହ ହୋଇଅଛି ଓ ଉଦ୍ବେଗ ବହନ କରିଅଛି । ସେ ଅପରିମିତ ଜଳରେ ମଧ୍ୟ ପୂର୍ଣ୍ଣ ଅଟେ । ‘ହୈମବତୀ’ ପାର୍ବତୀ ‘ବିଷକଣ୍ଠ’ ମହାଦେବଙ୍କର ତୋଷବିଧାନ କଲାପରି ଓ ବିଷତାପ ଝରିଲାପରି ‘ହୈମବତୀ’ ଗଙ୍ଗା (ଗଙ୍ଗା ହିମାଳୟରୁ ଜାତ, ତେଣୁ ହୈମବତୀ ] ହଂସ ପ୍ରଭୃତି ଜଳଚର ପକ୍ଷୀମାନଙ୍କର ଆହାର ବିହାରରେ ତୋଷବିଧାନ କରନ୍ତି । ଗଙ୍ଗା ବକ୍ଷରେ ଜଳଚର ପକ୍ଷୀମାନେ ବିହାର କରି କ୍ଷୁଧା ତାପ ଓ କନ୍ଦର୍ପ ତାପ ଭଭୟ ହରଣ କରନ୍ତି ।
ବିଷ୍ଣୁପଦୀ ବିଷ୍ଣୁପଦ ଈକାର ଭେଦ ଶବଦତରଣୀର ଗତାଗତ ତହିଁ ଉଚିତ ।ବିଶାରଦ ସେ ସାମନ୍ତ ମତ୍ତରେ–ଦାସ ସେବିତଡାକୁଁ ନ ଶୁଣନ୍ତେ ରଘୁନାଥ କଥିତ ।ବିଷଧର ପ୍ରାୟେକି ତୁହି ।ବେଳେ ନେତ୍ର ଢାଳି ଶୁଣ ଉଦାର ନୋହି ।୨।ବଧିର ନୁହଇ ବୀର ବୋଇଲା ତହୁଁ ଧୀବରଶୁଣିଲିଣି ପଥରେ ପଥର ଅବଳା ।ବାଲି ପଡ଼ି ତୋ ଚରଣୁ ଆଶଙ୍କା ଉପୁଜେ ଏଣୁନଉକା ନାୟିକା ହେଲେ ବୁଡ଼ିବ ଭେଳା ।ବୃତ୍ତିଏ ମୋ ପୋଷେ କୁଟୁମ୍ବ ।ବସାଇ ନ ଦେବି ପାଦ ନ ଧୋଇ ନାବ ।୩।ବଢ଼ାଇ ଦେଲେ ପୟର ଭାବଗ୍ରାହୀ ରଘୁବୀରପୟରେ କ୍ଷାଳିତ କରି ବସନେ ପୋଛି ।ବ୍ରହ୍ମାରେ ଧୌତ ଯେ ପଦ ନୋହିଛି ଶିବ ବିଷାଦନ ପାଇ ଚରଣାମୃତ ପାନକୁ ଇଛି ।ବିଜ୍ଞାନୀ କୈବର୍ତ୍ତ ଧୋଇଲା ।ବିଶ୍ୱେ ପତିତପାବନ ନାମ ରହିଲା ।୪।ବିଞ୍ଚି ପଲ୍ଲବ ନାବରେ ପଦ ବିକଳ୍ପ ମନରେପ୍ରତିହାରୀ ପରିରେ ମଣାଇ ବସାଇ ।ବିଶ୍ୱାମିତ୍ରଙ୍କୁ ଶ୍ରୀରାମ ପଚାରିଲେ ଗଙ୍ଗାନାମଭାଗୀରଥୀ କିମ୍ପା ହେଲା କହ ଗୋସାଇଁ ।ବିଷ୍ଣୁ ନଖ କୋଣେ ଏ ଥିଲା ।ବାମନାବତାରେ ଭାଗୀରଥ ଆଣିଲା ।୫।
୨ୟ ପଦ–ବିଷ୍ଣୁପଦୀ–ଗଙ୍ଗା । ବିଷ୍ଣୁପଦ–ଆକାଶ । ତରଣୀ(ଣି)–ନୌକା, ସୂର୍ଯ୍ୟ । ବିଶାରଦ–ନିପୁଣ ବା ଦକ୍ଷ । ମତ୍ତରେ–ଗର୍ବରେ । ଦାସ–ଭୃତ୍ୟ । ବିଷଧର–ସାପ ।
୨ୟ ପଦ–ବିଷ୍ଣୁପଦୀ ଓ ବିଷ୍ଣୁପଦ ଏ ଦୁଇ ଶବ୍ଦର ଈକାର ମାତ୍ର ପ୍ରଭେଦ ଅଛି, ଆଉ ସବୁ ସମାନ । ତେଣୁ ‘ବିଷ୍ଣୁ ପଦରେ’ ଆକାଶରେ ତରଣି ସୂର୍ଯ୍ୟ ଗତାଗତ କଲା ପରି ‘ବିଷ୍ଣୁପଦୀ’ ଗଙ୍ଗାରେ ‘ତରଣୀ’ ନୌକା ସବୁ ‘ଗତାଗତ’ କରିବା ଉଚିତ । ସେ ନୌକାସାମନ୍ତ ପଦବାଚ୍ୟ । ସାମନ୍ତମାନେ ଯେପରି ‘ଦାସ’ ଚାକରଙ୍କର ସେବ୍ୟ, ନୌକା ସେହିପରି ‘ଦାସ’ କୈବର୍ତ୍ତମାନଙ୍କର ସେବ୍ୟ । ସେହି (ଦାସ) ଧୀବରକୁ ବିଶ୍ୱାମିତ୍ର ଡାକନ୍ତେ ସେ ଶୁଣିଲା ନାହିଁ । ତହୁଁ ରଘୁନାଥ କହିଲେ, ‘‘ତୁ ସର୍ପ ପ୍ରାୟକି ? (ସର୍ପର କାନ ନାହିଁ । ସେ ତ ନେତ୍ରରେ ପଦସବୁ ଶୁଣେ, ତୁ ସେହିପରି ଉଦାସ ନ ହୋଇ ନେତ୍ର ଢାଳି ଥରେ ହେଲେ ଶୁଣ ।’’
୩ୟ ପଦ–ସେ ଧୀବର କହିଲା, ‘‘ହେ ବୀର । ମୁଁ ବଧିର ନୁହେଁ । ଶୁଣିଲିଣି ତୋହର ଚରଣରୁ ଧୂଳି ପଡ଼ିବାରୁ ବାଟରେ ପଥର ଅବଳା ହେଲା । ଏଣୁ ଭୟଜାତ ହେଉଅଛି, ଏ ନୌକା ସ୍ତ୍ରୀ ହେଲେ ମୋର ଭେଳା ବୁଡ଼ିଯିବ (ସମ୍ପତ୍ତି ସରିଯିବ) । ଏ ନୌକା ମୋର ବୃତ୍ତି (ଜୀବନ ପୋଷିବାର ଉପାୟ), ଏହାଦ୍ୱାରା ମୁଁ କୁଟୁମ୍ବ ପୋଷୁଅଛି । ତେଣୁ ତୁମ୍ଭର ପାଦ ନ ଧୋଇଲେ ନାବରେ ବସାଇ ଦେବିନାହିଁ । (କାଷ୍ଠପାଷାଣରେ ପ୍ରଭେଦ କିଛି ନାହିଁ, ପଥର ନାୟିକା ହୋଇଥିବା ସ୍ଥଳେ ନୌକା ନାୟିକା ହେବା ଅସମ୍ଭବ ନୁହେ) ।’’
୪ର୍ଥ ପଦ–ପୟରେ–ଜଳରେ । ବିଜ୍ଞାନୀ–ମୂଢ଼ ବା ପାପୀ ।
୪ର୍ଥ ପଦ–ଧୀବରର ଏହିପରି ଭାବଗର୍ଭକ ବଚନ ଶୁଣି ଭାବଗ୍ରାହୀ ରାମଚନ୍ଦ୍ର ପାଦ (ଧୋଇବା ପାଇଁ) ବଢ଼ାଇ ଦେଲେ । ତାହା ଦେଖି ଧୀବର ସେ ପଦକୁ ଜଳଦ୍ୱାରା ଧୌତ କରି ନିଜ ବସନରେ ପୋଛି ଦେଲା । ଚରଣାମୃତ ପାନ କରିବାକୁ ଇଚ୍ଛା କରିଥିବା ବ୍ରହ୍ମାଙ୍କଦ୍ୱାରା ଯେଉଁ ପାଦ ଧୌତ ହୋଇନାହିଁ, ଶିବ ଯେଉଁ ପାଦ ଧୌତ କରିବାକୁ ନ ପାଇ ବିଷାଦିତ ହୋଇଅଛନ୍ତି, ଏପରି ଯେ ବିଷ୍ଣୁଙ୍କ ପାଦ, ତାକୁ ଅଜ୍ଞାନୀ କେଉଟ ଧୋଇଲା । ସେହି ହେତୁ ସଂସାରରେ ପତିତପାବନ ନାମ ଖ୍ୟାତ ହେଲା ।
୫ମ ପଦ–ବିକଳ୍ପ–କଳ୍ପନା, ସନ୍ଦେହ ବା ସଂଶୟ ।
୫ମ ପଦ–(ଧୋଇବାଦ୍ୱାରା ପଦରେଣୁ ପଡ଼ିବ ନାହିଁ ସତ, ମାତ୍ର କାଳେ ପାଦ ଲାଗି ନୌକା ସ୍ତ୍ରୀ ହୋଇଯିବ, ଏହିପରି) କଳ୍ପନା କରି ସେ ଧୀବର ନାବରେ କୋମଳ ପତ୍ର ବିଛାଇ ପ୍ରତିହାରୀ ପରି ମଣାଇ ସେ ତିନିଜଣଙ୍କୁ ନେଇ ନାବରେ ବସାଇଲା । ତାହା ପରେ ରାମଚନ୍ଦ୍ର ବିଶ୍ୱାମିତ୍ରଙ୍କୁ ପଚାରିଲେ, ‘‘ହେ ଗୋସାଇଁ, ଗଙ୍ଗାଙ୍କ ନାମ ଭାଗୀରଥୀ କାହିଁକି ହେଲା ?–କହନ୍ତୁ । (ବିଶ୍ୱାମିତ୍ର ଉତ୍ତର ଦେଲେ) ଏ ଗଙ୍ଗା ବାମନାବତାରରେ ବିଷ୍ଣୁଙ୍କ ନଖ କୋଣରେ ଥିଲେ । ଭଗୀରଥ ତାହାଙ୍କୁ ଆଣିଲେ (ଭଗୀରଥ ତୁମ୍ଭର ପୂର୍ବ ପୁରୁଷ, ସେ ଆଣି ଥିବାରୁ ଏହାର ନାମ ଭାଗୀରଥୀ) ।
ବିଧିପୂର୍ବ କରି ଋଷି ସମସ୍ତ ଚରିତ ଭାଷିତରୀ ତ ତ୍ୱରିତ ଯାଇ ଲାଗେ କୂଳର ।ବିହାରି ହେଲେ ମାର୍ଗର ମାର୍ଗଣ କମାଣଧରମାର୍ଗଣ ଶୋଭା ଲେଶକୁ କନ୍ଦର୍ପ ଯାର ।ବିଦେହମଣ୍ଡଳେ ପ୍ରବେଶ ।ବାରବେନି ପୁର ସାର ମୋହନ ପୁଂସ ।୬।ବିପଣିରେ ଥିଲ ଜନେ ଭାବନା କଲେ ଦଶନେଆଗତ କି ଧାତା ହର ମଧ୍ୟରେ ହରି ।ବିଭଞ୍ଜନ ଶିବଧନୁ କରି ମରକତ ତନୁବିଭା ହେବେ ସୀତା ନିଶ୍ଚେଁ ଜନ୍ମିଛି ଶିରୀ ।ବଶ ଏ ରମ୍ୟରେ ମାନସ ।ବିଜେ ରାମ ଅଦଭୂତେ ଶୁଭେ ଏ ଘୋଷ ।୭।ବିଭ୍ରମୁ ଏ ଶବ୍ଦ ଚିତ୍ତେ ରା କା ହୋଇଗଲା ଶ୍ରୁତେନାରୀଏ ଭାଳିଲେ କେହି ସେ ରୂପବନ୍ତ ।ବଳର କବି ମାନସ ନାମ ପଛେ ତ ପ୍ରକାଶଅଖଣ୍ଡଚନ୍ଦ୍ର ଏ ହୋଇବାର ଉଚିତ ।ବୋଧିବେ ନୟନ ଚକୋରୀ ।ବିଶେଷେ ଶୋଭା ପୀୟୂଷ ପାନ ବିସ୍ତାରି ।୮।ବିଷୟ କରି ଅନ୍ତର ସେ ପ୍ରାନ୍ତ ହତ ପ୍ରକାରମଣି ରମଣୀ ବାହାର ଛନ୍ନ ଦ୍ୱିଗୁଣ ।ବିନାଶି ଗୁରୁ ଗୌରବ ତାହାଙ୍କରି ସେହି ଭାବଉଦିତରୁ କରି ନ ପାରିଲେ ବାରଣ ।ବେଶେ ଥିଲେ ଯେତେକ ନାରୀ ।ବିହେ କେ ନେତ୍ରେ କଜ୍ଜ୍ୱଳ ଛଳେ କସ୍ତୁରୀ ।୯।ବକ୍ଷସ୍ଥଳେ କେଉଁ ବାଳା କିଙ୍କିଣୀକି ଲମ୍ବାଇଲାଚାପସରିକି ଖଞ୍ଜିଲା ମଧ୍ୟଦେଶରେ ।ବେଶକାରୀ କେ କାହାର ସିନ୍ଦୂର ଦେଲା ପୟରଚିତା ଲଲାଟରେ ଲେଖେ ଲାକ୍ଷାରସରେ ।ବିବନ୍ଧ କରି କେ ଚିକୁର ।ବେଗେ କଙ୍କତିକାରେ ଶାମଳେ ଚାମର ।୧୦।
୬ଷ୍ଠ ପଦ–ବିଧିପୂର୍ବ–ଯଥାବିଧି । ତରୀ–ନୌକା । ମାର୍ଗ–ପଥ । ମାର୍ଗଣ–ଶର । ମର୍ଗଣ–ମାଗିବା । କମାଣ–ଧନୁ । ବାର ବେନି ପୁର–ସାର–ଚତୁର୍ଦ୍ଦଶ ଭୁବନରେ ଶ୍ରେଷ୍ଠ ।
୬ଷ୍ଠ ପଦ–ଋଷି ବିଧିପୂର୍ବକ ଗଙ୍ଗା ମର୍ତ୍ତ୍ୟକୁ ଆସିବା ଚରିତମାନ କହିଲେ । ଏହି ସମୟରେ ନୌକା ଶୀଘ୍ର ଯାଇ କୂଳରେ ଲାଗିଲା । ଯାହାଙ୍କ ଶୋଭାର ସାମାନ୍ୟ ଅଂଶକୁ କନ୍ଦର୍ପ ମାଗିନେବାକୁ ମନ କରୁଅଛି, ସେହି ଚତୁର୍ଦ୍ଦଶ ସୁରର ଶ୍ରେଷ୍ଠ ମୋହନ ପୁରୁଷ ଧନୁଶରଧାରୀ ରାମ [ନୌକାରୁ ଓହ୍ଲାଇ] ପଥରେ ଗମନ କରି ବିଦେହ ମଣ୍ଡଳରେ ପ୍ରବେଶ କଲେ ।
୭ମ ପଦ–(ବିଦେହର) ଦୋକାନରେ ଥିବା ଲୋକମାନେ ବିଶ୍ୱାମିତ୍ର, ରାମ ଓ ଲକ୍ଷ୍ମଣଙ୍କୁ ଦର୍ଶନ କରି ମନରେ ଭାବନା କଲେ, ‘‘(ଆଗରେ) ବିଧାତା, (ପଚ୍ଛରେ) ମହାଦେବ ଓ ମଧ୍ୟରେ ବିଷ୍ଣୁ ଆଗତ କଲେକି ? ମରକତକାନ୍ତିଧାରୀ ବିଷ୍ଣୁ ଶିବଧନୁ ଭଗ୍ନ କରି ଲକ୍ଷ୍ମୀସ୍ୱରୂପା ସୀତାଙ୍କୁ ବିବାହ ହେବେ । ରାମଙ୍କ ସୌନ୍ଦର୍ଯ୍ୟରେ ଲୋକମାନଙ୍କ ମାନସ ବଶ ହେଲା । ରାମ ବିଜେ କଲେ ଏ ଶବ୍ଦ ଅଦ୍ଭୁତରେ ଶୁଣାଗଲା ।’’
୮ମ ପଦ–ରା କା ହୋଇଗଲା ଅର୍ଥାତ୍ ‘ରାମ’ ‘କାମ’ ବୋଲି ଶୁଭିଲା । ରାକା–ପୂର୍ଣ୍ଣିମା । ଅଖଣ୍ଡଚନ୍ଦ୍ର–ପୂର୍ଣ୍ଣଚନ୍ଦ୍ର । ପୀୟୂଷ–ଅମୃତ ।
୮ମ ପଦ–‘ରାମ ବିଜେ କଲେ’ ଏ ଶବ୍ଦ ଶୁଭନ୍ତେ ଭ୍ରମବଶରେ ସମସ୍ତଙ୍କ ଚିତ୍ତରେ ‘ରା’ ‘କା’ ହୋଇଗଲା । [ରାମ ନ ଶୁଭି କାମ ଶୁଭିଲା] । ନାରୀମାନେ ଭାଳିଲେ, ସେ କାମ ରୂପବନ୍ତ କିପରି ହେଲା ? [ସେ ତ ଅରୂପ, ଅନଙ୍ଗ] । କବି ମନରେ ଭାବିଲେ, ନାମ ପଛରେ ତ ଚନ୍ଦ୍ର ପ୍ରକାଶ ପାଇଅଛି [ରାମଚନ୍ଦ୍ର], ତେଣୁ ରାକା ହୋଇଗଲା ଅର୍ଥାତ୍ ନିଶ୍ଚୟ ପୂର୍ଣ୍ଣଚନ୍ଦ୍ର ହେଲା । ସେହି ପୂର୍ଣ୍ଣଚନ୍ଦ୍ର ଶୋଭା ରୂପ ପୀୟୂଷରାଶି ପାନକୁ ବିସ୍ତାର କରି ଜନମାନଙ୍କ ନୟନ ରୂପ ଚକୋରୀକୁ ବୋଧ କରିବେ । (ଚକୋରୀ ପୂର୍ଣ୍ଣଚନ୍ଦ୍ରର ଜ୍ୟୋତ୍ସ୍ନାକୁ ଦେଖି ତୋଷ ହେବ) ।
୯ମ ପଦ–ରମଣୀମାନେ ‘ବିଷୟ’ କାମଧନ୍ଦାକୁ ତ୍ୟାଗ କରି, ତାକୁ ଶବ୍ଦର ଶେଷ ଅକ୍ଷର ‘ୟ’କୁ ନାଶ କରି (ଅର୍ଥାତ୍ ବିଷୟରୁ ଗଲେ ବିଷ ରହିଲା) ତାକୁ ବିଷପରି ମଣି ବାହାର ହେଲେ । ସେମାନେ ଦ୍ୱିପୁଣରେ ବିଚଳିତ ହେଲେ (କାମ ବିଜେ ଶୁଣି ବିଚଳିତ ହୋଇଥିଲେ । ବର୍ତ୍ତମାନ ରାମ ବିଜେ ଶୁଣି ଦ୍ୱିଗୁଣ ବିଚଳିତ ହେଲେ) ସେମାନେ ଗୁରୁଜନଙ୍କ ଗୌରବକୁ ବିନାଶ କଲେ । ଗୁରୁଜନମାନେ ମଧ୍ୟ ବିଚଳିତ ହୋଇଥିବାରୁ ସେମାନଙ୍କୁ ବାରଣ କରି ପାରିଲେ ନାହିଁ । ଯେଉଁ ନାରୀମାନେ ବେଶ ହେବାରେ ରତ ଥିଲେ, ତାଙ୍କ ମଧ୍ୟରୁ କେହି କଜ୍ଜ୍ୱଳ ଛଳରେ କସ୍ତୁରୀ ନେଇ ଆଖିରେ ଲଗାଇଲା ।
୧୦ମ ପଦ–କେଉଁ ଷୋଡ଼ଶୀ ଭ୍ରମ ହେତୁରୁ ବକ୍ଷରେ କିଙ୍କିଣୀକୁ ଲଗାଇଲା, ଚାପସରିକୁ କଟୀରେ ଖଞ୍ଜିଲା । କେଉଁ ନାୟିକାର ବେଶକାରିଣୀ ସିନ୍ଦୂରକୁ ଅଳତା ରସ ମନେକରି ପାଦରେ ଦେଲା । ଅଳତା ନେଇ ଲଲାଟରେ ଚିତା ଲେଖିଲା । କେଉଁ ରମଣୀ କେଶ ମୁକୁଳିତ କରି ବେଗରେ ଚାମରକୁ ବାଳ ବୋଲି ପାନିଆରେ ଚିକ୍କ’ଣ କଲା ।
ବସିଥିଲା ପତିକୋଳ କେ ଘେନି ପତିତ ମେଳଗତି କରି ଯୁବା ଦେଖା ଗତି ସେ କରି ।ବିପରୀତ କାହା ସାଇଁ ମାଗୁଁ ଦେଖିବା ଆଶାୟୀରୀତି ଦୁଇ ପୁଂସେ ଭାଷେ ପୁଷ୍ପେ ସଞ୍ଚରି ।ବଳା ଖଞ୍ଜୁ କେ ମାନୀ ଭାଷି ।ବଲ୍ଲଭେ ଭୁଲାଇ କେବେ ନୁହଇ ଦୋଷୀ ।୧୧।ବୟସୀଏ ଗୀତ ଗାଇ କେ ରାମା ବୀଣା ବଜାଇଥୋଇଅଛି ଭାବି ଚାହିଁ କୁଚ ରୋମାଳୀ ।ବାଜିତ କିଙ୍କିଣୀ ସ୍ୱର ମଣିତ ଧାଉଁ ପ୍ରଚାରଆମ୍ଭଠାରେ ଦେଲା ଭାଳି ଗମିଲା ଆଳୀ ।ବିସୋର ସେ ରାଗରେ ରାଗ ।ବୋଲୁଥିଲେ ରାମକେରୀ ରଳ ସଂଯୋଗ ।୧୨।ବାନ୍ଧବ ବାନ୍ଧବୀ ରଞ୍ଜି ପରସ୍ପରେ ଭୁଞ୍ଜାଭୁଞ୍ଜିପାନ ତୁଚ୍ଛା କର ଦିଆଦେଇ ହୋଇଲେ ।ବାହୁ ବାହୁ ଆଲିଙ୍ଗନ ଲତିକା ତରୁ ସମାନତରୁଣ ତରୁଣୀ ଥିଲେ ତେଜି ଧାଇଁଲେ ।ବାମା କେହି ହରିଦ୍ରା ଘେନେ ।ବିଚ୍ଛିତି ଦେଖାଇ ଗଲା ନ ପୋଛି ସ୍ନାନେ ।୧୩।ବଧୂ ପାତ୍ର ସାମନ୍ତଙ୍କ ଶ୍ରବଣେ ଅତି ଉତ୍ସୁକଜଗତୀ ଗତିକି ଦେଖି ସଖୀଏ ଭାଷେ ।ବଡ଼ଭି ଲଭିଲ ନାହିଁ ବଡ଼ଭୀ ଲଭିବ ଚାହିଁଜଗତି ଗତି ଦାତାଙ୍କୁ ଅନଙ୍ଗ ବଶେ ।ବାଟି ଶ୍ରମିହେବୁଁ ଉଶୀର ।ବାଧିବ ସରିବ ବେନି ଶିଶିରକର ।୧୪।ବିଗ୍ରହ ତ୍ୱରା ଆରମ୍ଭେ ସୁନ୍ଦର ଦର୍ଶନ ଲୋଭେପ୍ରଭଞ୍ଜନ–ପଥ ପ୍ରଭଞ୍ଜନ ହୋଇବ ।ବିଶ୍ୱସ୍ତେ ଜାତ ଏତେକ ଲାଭ ହୃଦ ସମ୍ପୂଟକମଧ୍ୟରେ ସେ ମନୋରମ–ମଣି ଥୋଇବ ।ବୋଲେ ସେ ତୁମ୍ଭର ନୋହିବ ?ବଞ୍ଚନା କଲାଣି କେତେ କାଳୁ ଦଇବ ।୧୫।
୧୧ଶ ପଦ–କେଉଁ ରମଣୀ ପତି କୋଳରେ ବସିଥିଲା, ମାତ୍ର ତାହାକୁ ତୁଚ୍ଛ ମନେକରି ଯୁବା ରାମଚନ୍ଦ୍ରଙ୍କ ଦର୍ଶନରେ ମୁକ୍ତି ମିଳିବ, ଏହା ଭାବି (ପତିକୁ ତ୍ୟାଗକରି ରାମ ଦର୍ଶନକୁ) ଗମନ କଲା । କାହାର ସ୍ୱାମୀ ବିପରୀତ ରତି ମାଗନ୍ତେ ରାମଚନ୍ଦ୍ରଙ୍କ ଦର୍ଶନାକାଙ୍କ୍ଷୀଣୀ ରମଣୀ (ପୁରୁଷ ବିପରୀତ ରତି ମାଗୁଛି ଏ ଲୋଭ ଓ ରାମଚନ୍ଦ୍ର ଦର୍ଶନ ଲୋଭ ଏ ଦୁଇ ଲୋଭରୁ ରାମ ଦର୍ଶନ ଲୋଭ ପ୍ରବଳ ହେବାରୁ) ପୁରୁଷକୁ ଭୁଲାଇ କହିଲା, ମୁଁ ପୁଷ୍ପବତୀ ହୋଇଅଛି ।’’ କାହାର ସ୍ୱାମୀ ରମଣୀର ପାଦରେ କଳା ଖଞ୍ଜିବାରୁ ସେ ସ୍ତ୍ରୀ ସ୍ୱାମୀକୁ ଭୁଲାଇ କହିଲା, ‘‘ମୁଁ ତ ଦୋଷୀ ନୁହେଁ । (ସ୍ତ୍ରୀମାନେ ବଡ଼ ଅଳଙ୍କାର ପ୍ରିୟ, ତଥାପି ରାମଚନ୍ଦ୍ରଙ୍କ ଦର୍ଶନ ଆଶା ଏପରି ବଳବତ୍ତର ହୋଇଥିଲା ଯେ, ସେ କହିଲା, ଦୋଷୀକୁ ସିନା ଗୋଡ଼ କଡ଼ି ଦିଆଯାଏ, ମୁଁ ତ ଦୋଷୀ ନୁହେଁ, ମୋତେ କାହିଁକି ଗୋଡ଼କଡ଼ା ଦେଉଛ) ।’’
୧୨ଶ ପଦ–ବୟସୀଏ–ସଖିସମୂହ । ରାଗରେ–ଅନୁରାଗରେ, ସ୍ନେହରେ ।
୧୨ଶ ପଦ–ସଖୀମାନେ ଗୀତ ଗାଉଥିଲେ, କେଉଁ ରମଣୀ ବୀଣା ବଜାଉଥିଲେ । (ରାମଚନ୍ଦ୍ରଙ୍କ ଦର୍ଶନ ପାଇଁ) ସେ ବୀଣା ଥୋଇ ଧାଇଁଗଲା । ରାମଚନ୍ଦ୍ରଙ୍କୁ ଦେଖିବା ପାଇଁ ସଖୀମାନେ ଧାଇଁଯିବା ସମୟରେ ନିଜ କୃତକୁ ଦେଖି ବୀଣା, ରୋମସବୁକୁ ବୀଣାତାର ବୋଲି ଭାବିଲେ, ଯିବା ସମୟରେ କିଙ୍କିଣୀ ସ୍ୱରକୁ ବୀଣାସ୍ୱର ଭାବି ମନେକଲେ; ‘ସଖି ଆମ ହାତରେ ବୀଣା ଦେଇଗଲାକି ?’ ରାମଚନ୍ଦ୍ରଙ୍କୁ ଦର୍ଶନ କରିବାପାଇଁ ଯେ ଅନୁରାଗ ଜାତ ହେଲା, ତଦ୍ୱାରା ପୂର୍ବେ ବୋଲୁଥିବା ଗୀତର ରାଗ ବିସ୍ମରଣ ହୋଇଗଲା । ରାମକେରୀ ରାଗ ବୋଲୁଥିଲେ, ତହିଁରେ ‘ର’ ସ୍ଥାନରେ ‘ଳ’ ସଂଯୋଗ ହେଲା (ରାମକେରୀ ହୋଇ ରାମକେଳୀ ହେଲା) ।
୧୩ଶ ପଦ– କେଉଁ ନାୟକ ନାୟିକା ପରସ୍ପରରେ ଅନୁରାଗର ସହିତ ପାନ ଭୁଞ୍ଜାଭୁଞ୍ଜି ହେଉଥିଲେ; ରାମ ଦର୍ଶନ ଆଶାରେ ବିଚଳିତ ହୋଇ ଖାଲି ହାତ ଦିଆଦେଇ ହେଲେ । ତେଣୁ ତରୁଣ ତରୁଣୀ ବୃକ୍ଷଲତା ପ୍ରାୟ ବାହୁ ବାହୁକୁ ଛନ୍ଦାଛନ୍ଦି ହୋଇଥିଲେ, ସେ ତାହା ତ୍ୟାଗକରି ରାମଙ୍କ ଦର୍ଶନ ପାଇଁ ଧାଇଁଲେ । କେଉଁ ରମଣୀ ଦେହରେ ହଳଦୀ ଲଗାଉଥିଲା । ସ୍ନାନ କରି ମାତ୍ର ପୋଛି ନ ହୋଇ ଅଙ୍ଗର ଛଟା ଦେଖାଇ ରାମଙ୍କ ଦର୍ଶନକୁ ଦୌଡ଼ିଲା ।
୧୪ଶ ପଦ–ପାତ୍ର–ମନ୍ତ୍ରୀ । ଜଗତ–ଅଟ୍ଟାଳିକା । ବଡ଼ଭି–ଅଟ୍ଟାଳିକା । ବଡ଼ଭୀ–ଅତିଶୟ ଭୟ । ଉଶୀର–ବେଣା । ଶିଶିରକର–ଚନ୍ଦ୍ରକିରଣ, କର୍ପୂର ।
୧୪ଶ ପଦ–ପାତ୍ର, ମନ୍ତ୍ରୀ ଓ ସାମନ୍ତଙ୍କର ସ୍ତ୍ରୀମାନେ ରାମ ବିଜେ କରିବା ଶ୍ରବଣ କରି ତାଙ୍କୁ ଦେଖିବା ନିମନ୍ତେ ଉଚ୍ଛୁକ ହୋଇ ଅଟ୍ଟାଳିକା ଉପରକୁ ଯିବାରୁ କୌଣସି ସଖି କହିଲା–‘ତୁମ୍ଭେ ବଡ଼ଭି ଲଭିଲ ନାହିଁ’ ତୁମ୍ଭେ କୋଠା ଉପରକୁ ଗଲନାହିଁ ଯେ, ଜଗତର ଗତି ମୁକ୍ତିଦାତା ରାମଙ୍କୁ ଚାହିଁ କନ୍ଦର୍ପ ବଶରେ ବଡ଼ ଭୟ ଲାଭ କରିବାକୁ ଗଲ । ଆମ୍ଭେମାନେ ଉଶୀରବେଣା ବାଟିକାରେ ଶ୍ରମୀ ହେବୁଁ । ବେନି ଶିଶୁରକର ବାଧିବ ଅର୍ଥାତ୍ ଚନ୍ଦ୍ରକିରଣ ତୁମ୍ଭଙ୍କୁ କଷ୍ଟକର ଜଣାଯିବ ଓ କର୍ପୂର ଜଗତରୁ ଶେଷ ହେବ । (ତୁମ୍ଭେ ରାମକୁ ଦେଖି ବିରହ ଜ୍ୱାଳାରେ ତାପତ ହେବ । ତୁମ୍ଭଙ୍କୁ ଥଣ୍ଡା କରିବାକୁ ଯାଇ ଆମେ ଉଶୀର ବେଣା ବାଟି ବାଟି ଥକିତ ହେବୁ, କର୍ପୂର ଚୂର୍ଣ୍ଣ ଜଗତରୁ ଶେଷ ହୋଇଯିବ, ଚନ୍ଦ୍ରକିରଣ ବିଷପରି ବୋଧହେବ) ।
୧୫ଶ ପଦ–ବିଗ୍ରହ–ଦେହ । ପ୍ରଭଞ୍ଜନପଥ–ଗବାକ୍ଷ ବା ଝରକା । ପ୍ରଭଞ୍ଜନ–ବିଶେଷରେ ଭଗ୍ନହେବା । ହୃଦସଂପୂଟକ–ହୃଦୟରୂପ ଫରୁଆ ।
୧୫ଶ ପଦ–‘‘ତୁମ୍ଭେମାନେ ଯେଉଁ ରାମଙ୍କର ମନୋହର ରୂପ ଦେଖିବା ନିମିତ୍ତ ବ୍ୟଗ୍ର ହୋଇ ଝରକା ନିକଟକୁ ଧାଉଁଅଛ, ସେହି ରାମଚନ୍ଦ୍ର, ତୁମ୍ଭମାନଙ୍କ ହୃଦୟ ରୂପ ଫରୁଆରେ ତାହାଙ୍କର ସୌନ୍ଦର୍ଯ୍ୟ ରୂପ ମଣିକି ଥୋଇ ତୁମ୍ଭଙ୍କୁ କେବଳ ଚିନ୍ତା ଦେବେ । (ତୁମ୍ଭେମାନେ ତାହାଙ୍କର ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ହେବ ଓ ସବୁଦିନ ତାଙ୍କୁହିଁ ଭାଜନ କରୁଥିବ, ମାତ୍ର ତାଙ୍କୁ କଦାପି ପାଇ ପାରିବ ନାହିଁ) । ତୁମ୍ଭେ ସେହି ବିରହ ଚିନ୍ତାରେ ଅସ୍ଥିର ହେଲାବେଳେ (ପବନ ତୁମ୍ଭଙ୍କୁ ଅପ୍ରୀତିକର ଲାଗିବାରୁ) ଏହି ଝରକାଗୁଡ଼ିକ (ଯାହା ପାଖକୁ ତୁମ୍ଭେ ରାମଙ୍କୁ ଦେଖିବାପାଇଁ ଆଗ୍ରହରେ ଦଉଡ଼ି ଯାଉଛ) ଭଗ୍ନ ହେବେ । ସେ ରାମ ତୁମ୍ଭର କଦାପି ହୋଇ ପାରିବେ ନାହିଁ । ଦଇବ ସେଥିରୁ ତୁମ୍ଭଙ୍କୁ ବଞ୍ଚିତ କରିଅଛି । (ତୁମ୍ଭେ ବହୁକାଳରୁ ବିବାହିତ) ।’’ ସେମାନେ (ପାତ୍ର, ମନ୍ତ୍ରୀ ଓ ସାମନ୍ତଙ୍କ ସ୍ତ୍ରୀମାନେ) କହିଲେ, ‘‘ତୁମ୍ଭର କ’ଣ ବିରହ ଯନ୍ତ୍ରଣା ହେଉନାହିଁକି ?’’ ସଖୀ ଉତ୍ତର ଦେଲା, ‘‘ଦଇବ ବହୁତ ଦିନୁ ଆମ୍ଭଙ୍କୁ ସେଥିରୁ ବଞ୍ଚିତ କରିଅଛି ।’’ (ଆମ୍ଭେ ବୃଦ୍ଧା ହୋଇ ଗଲୁଣି) ।
ବିବୁଧାଳୟ ଜଗତୀ ସ୍ଥିତି ନାରୀ ସୁରୀଭ୍ରାନ୍ତିସୁମନା ମନ ମୋହନ ଛବି ଯାହାର ।ବିଳୁଁ ବାହାରିଲା ପରି ନାଗ–ନାଗରୀ ଚାତୁରୀମଣି–ଭୂଷଣୀ ମଧ୍ୟରୁ ଯେତେ ବାହାର ।ବେଭାରେ ତମାନବୀ ସର୍ବେ ।ବିଶୁଦ୍ଧ ତ୍ରିପୁର ଲୀଳା ତହିଁ ସମ୍ଭୁବେ ।୧୬।ବାମା କାଳ ଭାନୁ–ବାମା ପ୍ରସବ ସୂନୁ ସୁଷମାଲକ୍ଷିତ ହୁଅନ୍ତା ଆନ ଆନନ ପ୍ରଭା ।ବରନ ବସନ ଧରେ ନୀଳ ପୀତ ପରସ୍ପରେସ୍ମର ମଧୁ ଆଲିଙ୍ଗନ ବିହିଲା ଶୋଭା ।ବିହ୍ୱଳିତ ଦମ୍ଭ ଅନାଇ ।ବାସ କଲା ଚିତ୍ତ ରାମ ଲକ୍ଷ୍ମଣେ ଯାଇଁ ।୧୭।ବାଡ଼େ ଯେ ଆଉଜି ରହି ଚିତ୍ର ପ୍ରତିମା କି ସେହିନିରବଲମ୍ବିନୀ କି ଇନ୍ଧନ ପିତୁଳା ।ବନ୍ଧକୀ ସ୍ୱଭାବ ଲୁଟି ପତିବ୍ରତା କଲେ ହଟିସ୍ତମ୍ଭଟି ମହତ ସୃଷ୍ଟି ତାଙ୍କ ରଖିଲା ।ବୋଲନ୍ତି କି କାହା ଶୁଣନ୍ତି ।ବିଜ୍ଞାତ ନୋହେ ମାଦକୀ ଚେତା ଆକୃତି ।୧୮।ବୈଦେହୀ ବିମଳଦେହୀ କମଳ କେଶରେ ନାହିଁସହୀ ସହିତରେ ଥିଲେ ମଣ୍ଡି ଅଟ୍ଟାଳୀ ।ବିହି ଲୋକନେ ପ୍ରଶଂସା କଳାଙ୍ଗେ କଲେ ଲାଲସାଗଉରେ ଗଉରବତା ନେତ୍ର ନ ଢାଳି ।ବର ଦେବରେ ଯେ ମନାସେ ।ବରଦେବର ହେବାକୁ ମାନସେ ଘୋଷେ ।୧୯।ବାମଲୋଚନ ସ୍ଫୁରିତା ବାମମୋଚନ ବିଧାତାପାଞ୍ଚୁ ପୁଲକ ପୁଲକ କପୋଳେ ଦିଶି ।ବୃଦ୍ଧବୟଃ ସଙ୍ଗୀବାର ଭାଙ୍ଗିବ ଏ ଧନୁବରମନରେ ଏମନ୍ତ କର ତା ଜାଣି ଭାଷି ।ବ୍ୟକତ ଏମନ୍ତ ବଚନ ।ବିଶ୍ୱାସ ନିଃଶ୍ୱାସ ହାସ ନାଶା ଆନନ ।୨୦।
୧୬ଶ ପଦ–ବିବୁଧାଳୟ–ସ୍ୱର୍ଗ ବା ମେରୁ ପର୍ବତ । ନାରୀ ସୁରୀ–ଦେବ ସ୍ତ୍ରୀ ବା ଅପ୍ସରା-। ସୁମନା–ଦେବତା, ପଣ୍ଡିତ । ନାଗ–ନାଗରୀ–ନାଗସ୍ତ୍ରୀ । ବିଶ୍ୱଧାତ୍ର–ଧରିଣୀ ।
୧୬ଶ ପଦ–ମେରୁ ସଦୃଶ ଅଟ୍ଟାଳିକା ଉପରେ ଥିବା ନାରୀମାନେ ଦେବ ସ୍ତ୍ରୀ ପରି ଶୋଭା ପାଉଛନ୍ତି । ଦେବ ସ୍ତ୍ରୀ–ମାନଙ୍କର ଛବି ଦେବତାମାନଙ୍କର ମନମୋହନ କଲାପରି ଅଟ୍ଟାଳିକା ଉପରେ ଥିବା ନାରୀମାନଙ୍କର ଛବି ପଣ୍ଡିତମାନଙ୍କର ମନମୋହନ କରୁଅଛି । (ଏହାଦ୍ୱାରା ସ୍ୱର୍ଗପୁରର ସୂଚନା ଦିଆଗଲା) । ପୁରରୁ ବାହାରିବା ମଣିଭୂଷିତା ସ୍ତ୍ରୀମାନେ ନାଗ କନ୍ୟା (ନାଗକନ୍ୟାବିଳରୁ ବାହାରନ୍ତି ଓ ତାଙ୍କ ମସ୍ତକରେ ମଣିଥାଏ) ପ୍ରାୟ ଦେଖାଗଲେ । (ଏହାଦ୍ୱାରା ପାତାଳ ପୁରର ସୂଚନା ମିଳିଲା ।) ପ୍ରକୃତରେ ସମସ୍ତେ ମାନବୀ (ମର୍ତ୍ତ୍ୟର ସ୍ତ୍ରୀ–ଏହାଦ୍ୱାରା ମର୍ତ୍ତ୍ୟ ସୂଚିତ ହେଲା) । ସେହି ମିଥିଲା ପୁରରେ ଏହି ତିନି ପୁରର ଲୀଳା (ସ୍ୱର୍ଗ ମର୍ତ୍ତ୍ୟ ପାତାଳ) ସମ୍ଭବ ହେଲା ।
୧୭ଶ ପଦ–କାମା କାଳେ–ରୂପ ଧଇଲା ବେଳେ । ଭାନୁ–ବାମା–ସୂର୍ଯ୍ୟପତ୍ନୀ, ସଜ୍ଞା ଓ ଛାୟା । ସୂନୁ–ପୁତ୍ର । ସୁଷମା–ଶୋଭା । ଆନନ–ମୁଖ । ସ୍ମର–କନ୍ଦର୍ପ । ମଧୁ–ବସନ୍ତ ।
୧୭ଶ ପଦ–ସୂର୍ଯ୍ୟ ପତ୍ନୀ ସଜ୍ଞା ଘୋଟକୀ ହେବା କାଳରେ ଯେଉଁ ପୁତ୍ର ପ୍ରସବ କରିଥିଲେ, ସେହି ଅଶ୍ୱିନୀ କୁମାରଙ୍କର ଶୋଭା ଏହାଙ୍କ ସହିତ (ରାମ, ଲକ୍ଷ୍ମଣଙ୍କ ସହିତ) ଉପମିତ ହୋଇପାରିଥାନ୍ତା, ଯଦି ଅଶ୍ୱିନୀ କୁମାରଙ୍କର ମୁଖ ଅନ୍ୟପ୍ରକାର ହୋଇଥାନ୍ତା, (ଅଶ୍ୱିନୀ କୁମାରଙ୍କ ମୁଖ ଘୋଡ଼ାମୁଖ ପରି) । ଏ ଦୁହେଁ (ରାମ ଲକ୍ଷ୍ମଣ) ପରସ୍ପରରେ ନୀଳବର୍ଣ୍ଣ ଓ ପୀତବର୍ଣ୍ଣ ବସନ ପିନ୍ଧିଛନ୍ତି ଅର୍ଥାତ୍ ନୀଳବର୍ଣ୍ଣ ରାମ ପୀତ ବସନ ପିନ୍ଧିଛନ୍ତି ଓ ପୀତବର୍ଣ୍ଣ (ଗୌର) ଲକ୍ଷ୍ମଣ ନୀଳବସନ ପିନ୍ଧିଛନ୍ତି; ତେଣୁ କନ୍ଦର୍ପ ଓ ବସନ୍ତର ଆଲିଙ୍ଗନରେ ଯେଉଁ ଶୋଭାହେବ ସେହି ଶୋଭା ଏମାନେ ଧାରଣ କରି ଅଛନ୍ତି । ସେ ଶୋଭାକୁ ଚାହିଁ ଧୈର୍ଯ୍ୟ ବିଚଳିତ ହେଲା; ଚିତ୍ତ ଯାଇ ରାମ ଲକ୍ଷ୍ମଣଙ୍କଠାରେ ବାସ କଲା ।
୧୮ଶ ପଦ–ବନ୍ଧକୀ–ଅସତୀ । ମାଦକୀ–ମଦ୍ୟପ ।
୧୮ଶ ପଦ–ଯେଉଁ ସ୍ତ୍ରୀ କାନ୍ଥକୁ ଆଉଜି ଠିଆ ହୋଇଥିଲା,(ରାମଙ୍କ ଦର୍ଶନରେ କାମ ବିକାର ଜାତ ହେବାରୁ ସେ ନିଶ୍ଚଳ ହୋଇ ଠିଆହେଲା) ସେ କାନ୍ଥରେ ଚିତ୍ରିତ ହୋଇଥିବା ଚିତ୍ରପ୍ରତିମା ପରି ଦିଶିଲା । ଯେଉଁ ସ୍ତ୍ରୀ ବିନା ଆଶ୍ରୟରେ ଠିଆ ହୋଇଥିଲା, ସେ କାଠ କଣ୍ଢେଇ ପରି ଦେଖାଗଲା । ପତିବ୍ରତାମାନେ ଅସତୀମାନଙ୍କ ସ୍ୱଭାବକୁ ଲୁଟି କଲେ (ଅସତୀ ଯେପରି ପର ପୁରୁଷ ଦେଖିଲେ ହାବଭାବ ଦେଖାନ୍ତି ବା ବିଚଳିତ ହୁଅନ୍ତି, ପତିବ୍ରତାମାନେ ସେହିପରି ହେଲେ) ମାତ୍ର ଜଡ଼ତା ସେମାନଙ୍କ ମହତ୍ୱ ରକ୍ଷାକଲା । (ସେମାନେ ଜଡ଼ ହୋଇ ଠିଆ ହୋଇଥିବାରୁ କିଛି କରିପାରିଲେ ନାହିଁ, ନ ହେଲେ ରାମ ଲକ୍ଷ୍ମଣଙ୍କୁ କୁଣ୍ଢାଇ ପକାଇଥାନ୍ତେ) । ମାଦକଦ୍ରବ୍ୟ ଖାଇଥିବା ଲୋକଙ୍କ ପରି ପତିବ୍ରତାମାନେ କାମ ବିକାରରେ ବିହ୍ୱଳ ହୋଇ) କ’ଣ କହୁଛନ୍ତି ବା କ’ଣ କରୁଛନ୍ତି କିଛି ଜାଣିପାରିଲେ ନାହିଁ ।
୧୯ଶ ପଦ–କମଳ କେଶରଠାରୁ ବେଶୀ ସୁନ୍ଦରୀ ନିର୍ମଳଦେହୀ ବୈଦେହୀ ସୀତା ସଖୀଙ୍କ ସଙ୍ଗରେ ଅଟ୍ଟାଳିକାକୁ ମଣ୍ଡନ କରି ବସିଥିଲେ (ସେ ବସିଥିବାରୁ ଅଟ୍ଟାଳିକା ସୁନ୍ଦର ଦିଶୁଥିଲା) । ସେ ରାମ ଲକ୍ଷ୍ମଣଙ୍କୁ ଦେଖି ପ୍ରଶଂସା କଲେ । ‘କଳାଙ୍ଗ’ ରାମଙ୍କଠାରେ ଅଭିଳାଷ କଲେ, ଗୌରଅଙ୍ଗ’ ଲକ୍ଷ୍ମଣଙ୍କଠାରେ ଗୌରବ ଅନୁଭବ କରି ନେତ୍ର ପକାଇଲେ । (ସୀତା ନିଜେ ଗୌର ବର୍ଣ୍ଣ, ତେଣୁ ସେ ଶ୍ୟାମଳ ବର୍ଣ୍ଣ ପ୍ରତି ଆକୃଷ୍ଟ ହେଲେ) । ବର ଓ ଦିଅର (ରାମ ଲକ୍ଷ୍ମଣଙ୍କୁ) ହେବା ପାଇଁ ମନରେ ଇଚ୍ଛା କଲେ, ସେ ମହାଦେବଙ୍କୁ ମାନସିକ କଲେ ଅଥବା ବର ଦାତାଙ୍କଠାରେ ବର ମନାସିଲେ ।
୨୦ଶ ପଦ–ବୃଦ୍ଧ ବୟଃ ସଙ୍ଗୀକାର–ବଡ଼ ସଖୀସମୂହ ।
୨୦ ପଦ–(ସୀତା ମନରେ ଏପରି ବିଚାର କରିବା ସମୟରେ) ତାଙ୍କ ବାମ ଆଖି ଡେଇଁବାରୁ ବିଧାତା ମୋର ପ୍ରତିକୂଳତାକୁ ମୋଚନ କଲେ (ମୋର ସମସ୍ତ ବାଧା ଏଡ଼ି ଦେଲେ),–ଏହା ପାଞ୍ଚିଲେ । ସେତେବେଳେ ତାଙ୍କ ଗଣ୍ଡସ୍ଥଳରେ ରୋମୋଦ୍ଗମ୍ ହେଲା । ବୟୋଜ୍ୟେଷ୍ଠ ସଖୀମାନେ ତାଙ୍କର ନେତ୍ର ଓ ଗଣ୍ଡସ୍ଥଳର ବିକାର ଦେଖି କହିଲେ, ‘‘ହେ ସୀତା ! ଏ ପୁରୁଷ ଧନୁଶ୍ରେଷ୍ଠ ଶିବ ଧନୁକୁ ଭାଙ୍ଗିବେ । ଏହା ଠିକ୍ରୂପେ ଜାଣ’’ ଏହି କଥା ଶୁଣନ୍ତେ ସୀତାଙ୍କ ନାସିକାରୁ (ଅତି ଆନନ୍ଦ ହେତୁ) ନିଃଶ୍ୱାସ ଓ ମୁଖର ହାସ୍ୟ ପ୍ରକାଶିତ ହେଲା (ଏହା ଶୁଭ ସୂଚକ), ତେଣୁ ସୀତା ସଖୀଙ୍କ କଥାରେ ବିଶ୍ୱାସ କଲେ ।
ବିପ୍ରଳାପ ଥାଇ ଭାଷେ ମନମାୟା ଯେ ରଭସେଏ ଯୋଗ ତୋର କର୍ମରେ ଅଛି ଘେନ ରେ ।ବ୍ୟଲୀକ ଏକି ? ଜନକ ନାରୀକେଳ ସଦୃଶକଧନୁ ସ୍ୱୟମ୍ବର କୃତ ତୋଷଦାନରେ ।ବିଦଗ୍ଧତା ଚିତ୍ତେ ଘେନିଲେ ।ବୟସୀଗଣ ପ୍ରମାଣ ପ୍ରମାଣ ବୋଲେ ।୨୧।ବୃକୋଦର ବାସବର ଦିଗଦନ୍ତୀ ମନୋହରବିହରି ମଖଶାଳାରେ ପ୍ରବେଶବେଳେ ।ବଂଶିକ ରାଜା ମାନସ ମଧ୍ୟରୁ ଧୈର୍ଯ୍ୟ ସାରସଅସ୍ପରଶେ ଦରଶନେ ଉତ୍ପାଟି ନେଲେ ।ବିଚିତ୍ର–କର୍ମାଙ୍କ ଆଲୋକେ ।ବିଦେହରାଜ କୌଶିକେ ପୁଚ୍ଛିଲେ ଏ କେ ? ।୨୨।ବଲଗିଲେ ମୁନି ତ୍ୱରିତ ଦଶରଥ ବେନିସୁତବନେ ତାଡ଼କା ବିନାଶି ରଖି ମୋ ଯାଗ ।ବିନ୍ୟସ୍ତ କରି ଚରଣ ଗୌତମ–ନାରୀ ତାରଣଶିବ ଚାପ ଦେଖିବାକୁ ଏବେ ଉଦ୍ବେଗ ।ବୋଇଲେ ଦେଖିଲେ ଦେଖନ୍ତୁ ।ବାଳ କୁମାରେ କି ହେବ ଏହାଙ୍କ ହେତୁ ? ।୨୩।ବାଳି ବଳିଷ୍ଠରେ ସାର ବଳ କୋଟିଏ ସିଂହରଭାଞ୍ଜିବା ଥାଉ ଭାଜିଲା ଶୁଣି ଛଳିତ ।ବିଷ୍କିରେ ଗଣ୍ଡଭେରଣ୍ଡେ ଗଜକୁ ଘେନିଣ ଉଡ଼େଡାଳେ ବସେ, ଭାରତୀରେ ଭଗ୍ନ ବିହିତ ।ବୋଲେ ପର୍ଶୁରାମ ପୂଜିଲେ ।ବ୍ୟଭିଚାର କ୍ଷତ୍ରି ଧର୍ମ ବିପ୍ର ବୋଇଲେ ।୨୪।ବାଣାସୁର କାର୍ତ୍ତବୀର୍ଯ୍ୟ ସହସ୍ର ଭୁଜରେ ହେଜଟେକି ନ ପାରିଲେ ତହୁଁ କଲେ ଉତ୍ତର ।ବୃଶ୍ଚିକ କର୍କଟପରି ସିନା ତାହାଙ୍କ ମାଧୁରୀନାଗ ବ୍ୟତ୍ରକେ କେ ଆନ ଧରଣୀ ଧର ।ବିଂଶକର କହିବା ନୋହୁ ।ବାଳି ଅର୍ଜୁନରେ ଧରାଯାଇଛି ଯେହୁ ।୨୫।୨୧ଶ ପଦ–ରଭସେ–ବ୍ୟଗ୍ରହୋଇ । ବିପ୍ରଳାପ–ବିରୋଧୋକ୍ତି ।
୨୧ଶ ପଦ–ସୀତାଙ୍କର ଆଗ୍ରହ ଦେଖି ମନମାୟା ନାମକ ସଖୀ ବିରୋଧାକ୍ତି ଥାଇ ବେଗରେ କହିଲା, ‘‘ହେ ସଖି ! ଏ ପୁରୁଷକୁ ବିଭା ହେବା ଯୋଗ ତୋ କର୍ମରେ ଅଛି । ଏ ଯୋଗ ନାହିଁ ବୋଲି ମନରେ ଆଣ ନାହିଁ । ତୁମ୍ଭ ପିତା ଜନକୠଷି ନାରିକେଳସଦୃଶ ବାହାରେ କଠିନ ଓ ଭିତରେ ବହୁ ରସଯୁକ୍ତ । ଏ ଯେଉଁ ଧନୁ ସ୍ୱୟଂବର କଲେ, ତାହା ଅପ୍ରିୟ ହୁଅନ୍ତାକି ?’’ ଚତୁରୀ ସୀତା ତାହା ବୁଝିପାରିଲେ ଓ ସଖିମାନେ ତାହା ଶୁଣି ସତ୍ୟ ସତ୍ୟ ବୋଲି କହିଲେ ।
୨୨ଶ ପଦ–ବୃକୋଦର–ଯମ । ବାସବ–ଇନ୍ଦ୍ର । ମଖଶାଳା–ଯଜ୍ଞଶାଳା । ବଂଶିକ–କୁଳୀନ । ସାରସ–ପଦ୍ମ ।
୨୨ଶ ପଦ–ଯମ ଓ ଇନ୍ଦ୍ର ଅବସ୍ଥାନ କରୁଥିବା ଦୁଇ ଦିଗର ହସ୍ତୀ ଅଞ୍ଜନ ଓ ଐରାବତ ପରି ମନୋହର ରାମ ଲକ୍ଷ୍ମଣ ଯଜ୍ଞଶାଳାରେ ପ୍ରବେଶ କରି କୁଳୀନ ରାଜାମାନଙ୍କ ମାନସ ସରୋବରୁ ଧୈର୍ଯ୍ୟ ପଦ୍ମକୁ ସ୍ପର୍ଶ ନ କରି ଦର୍ଶନ ମାତ୍ରକେ ଉପାଡ଼ି ପକାଇଲେ । (ଅଞ୍ଜନ ଓ ଐରାବତଦ୍ୱାରା ମାନସରୋବରର ପଦ୍ମନାଡ଼ି ଉତ୍ପାଟିତ ହେଲା ପରି ରାମ ଲକ୍ଷ୍ମଣଙ୍କୁ କେବଳ ଦେଖିଲାକ୍ଷଣି କୁଳୀନ ରାଜାମାନଙ୍କର ଧୈର୍ଯ୍ୟ ଲୋପ ପାଇଲା) । ଅଦ୍ଭୁତକର୍ମା ରାମ ଲକ୍ଷ୍ମଣଙ୍କ ଦର୍ଶନରେ ବିଦେହ ରାଜା ଜନକ ବିଶ୍ୱାମିତ୍ରଙ୍କୁ ପଚାରିଲେ, ‘‘ଏ କିଏ ?’’
୨୩ଶ ପଦ–(ଜନକଙ୍କ ପ୍ରଶ୍ନ ଶୁଣି) ବିଶ୍ୱାମିତ୍ର ମୁନି କହିଲେ, ‘‘ଏ ଦଶରଥ ରାଜାଙ୍କର ଦୁଇପୁଅ ବନରେ ତାଡ଼କା ରାକ୍ଷସୀକୁ ମାରି ମୋ ଯୋଗରକ୍ଷା କରିଅଛନ୍ତି । କାମ୍ୟକ ବନରେ ଚରଣ ବିନ୍ୟସ୍ତ କରି ଅହଲ୍ୟାଙ୍କୁ ପାଷାଣରୂପରୁ ତାରିଅଛନ୍ତି, ଏବେ ଶିବଧନୁ ଦେଖିବାକୁ ଉଦ୍ବେଗ ନେଇ ଆସିଅଛନ୍ତି ।’’ (ବିଶ୍ୱାମିତ୍ରଙ୍କ ବଚନ ଶୁଣି) ଜନକ କହିଲେ, ‘‘ଦେଖିଲେ ଦେଖନ୍ତୁ, ଏ ବାଳକ କୁମାର ମାତ୍ର, ଏହାଙ୍କଦ୍ୱାରା କ’ଣ ହେବ ?’’ (ଅର୍ଥାତ୍ ଏ ଧନୁ ଭାଙ୍ଗିପାରିବେ ନାହିଁ) ।
୨୪ଶ ପଦ–ବିଷ୍କିରେ–ପକ୍ଷୀମାନଙ୍କ ମଧ୍ୟରେ ।
୨୪ଶ ପଦ–‘‘କୋଟିସିଂହ ପରାକ୍ରମୀ ବଳିଷ୍ଠଙ୍କ ମଧ୍ୟରେ ଶ୍ରେଷ୍ଠ ଏପରି ଯେ ବାଜି, ସେ ଧନୁ ଭାଙ୍ଗିବା କଥା ଦୂରେ ଥାଉ, ମାତ୍ର ଧନୁ ଦେଖି ହାରିଗଲା । (ଜନକ ଏପରି କହିବାରୁ ବିଶ୍ୱାମିତ୍ର ଛଳ କରି ଉତ୍ତର ଦେଲେ, ପକ୍ଷୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଗଣ୍ଡଭୈରବ ଚଢ଼େଇ ଗଜକୁ ଘେନି ଉଡ଼େ, ପୁଣି ବୃକ୍ଷଡ଼ାଳରେ ବସେ, କିନ୍ତୁ ଡାଳ ଭାଙ୍ଗିଯାଏ ନାହିଁ । ମାତ୍ର ଭରତିଆ ପକ୍ଷୀ ଡାଳରେ ବସିଲେ ଡାଳ ଭାଙ୍ଗିଯାଏ ।’’(ଦେବଯୋଗରେ ଅସମ୍ଭବ ସମ୍ଭବ ହୁଏ, ବାଳି ସିନା ଧନୁ ଦେଖି ହାରିଗଲା, ମାତ୍ର ଏ ଧନୁ ଭାଙ୍ଗିପାରିବେ) । ପୁଣି ଜନକ କହିଲେ, ‘‘ପର୍ଶୁରାମ ପୂଜା କଲେ [ଧନୁଧରି ନ ପାରି] ।’’ ବିଶ୍ୱାମିତ୍ର ଉତ୍ତର ଦେଲେ, ‘‘ସେ ବିପ୍ର ହୋଇ ବ୍ୟଭିଚାର ହେତୁ କ୍ଷତ୍ରିୟ ହୋଇଅଛନ୍ତି, (ବିପ୍ରର ପୂଜା କରିବା ବିଧି–ତେଣୁ ସେ ପୂଜା କଲେ ।)
୨୫ଶ ପଦ–ତତ୍ପରେ ଜନକ କହିଲେ, ‘‘ବାଣାସୁର ଓ ସହସ୍ରାର୍ଜୁନ ସହସ୍ର ହାତରେ ଧନୁକୁ ଟେକିପାରିଲେ ନାହିଁ–ଏ କଥା ମନରେ ଭାବ ।’’ ତାହା ଶୁଣି ବିଶ୍ୱାମିତ୍ର ଉତ୍ତର କଲେ, ‘‘ବିଛା, କଙ୍କଡ଼ାପରି ସିନା ତାଙ୍କର ହସ୍ତ ସଂଖ୍ୟା ବେଶୀ (ବିଛା ଓ କଙ୍କଡ଼ାଙ୍କର ସିନା ହାତ ବହୁତ, ମାତ୍ର ପରାକ୍ରମ ବା କେତେ) ? ମାତ୍ର ନାଗ ବିନା ଆନ କେହି ଧରିଣୀକି ଧରିପାରେକି ?’’ ଜନକ ପୁଣି କହିଲେ, ‘‘ରାବଣ’’ (ରାବଣ ଧନୁ ଦେଖି ହାରିଯାଇଅଛି) । ବିଶ୍ୱାମିତ୍ର କହିଲେ, ‘‘ତା’ କଥା କହ ନାହିଁ, ବାଳି ଓ ସହସ୍ରାର୍ଜୁନଙ୍କଦ୍ୱାରା ବନ୍ଦୀ ହେଲାଦିନୁ ତା ବଳ ଜଣାଯାଇଅଛି ।’’
ବିଘ୍ନରାଜ ମହାସେନ ଲବଣ ଆଦି ରାଜନପ୍ରଭା ଦେଖାଇ ମଳିନ ଭାବ ଭାଷିଲେ ।ବିଞ୍ଚକ ପରାୟେ ତେବେ ମୁଖରେ ଅନଳେ ଜବେଦେଖାଇ ନାଶି ଭୀରୁକ ହେଲେ ଦୁଷିଲେ ।ବିବୋଧ ନୁହଁ ହେ ଜନକ !ବିଭୀତେ ଦେଖିବେ ଏ ଅଣାଅ ପିନାକ ।୨୬।ବିତପନ କଲେ ନେଇ ତପନବଂଶିକ ତହିଁସଭାରେ ଲୋଭା ଅନାଇ ନୃପ ସକଳ ।ବିଦର୍ଭ, କର୍ଣ୍ଣାଟ, ଭୋଟ, ସଉରାଷ୍ଟ୍ର, ମରହଟ୍ଟକୁନ୍ତଳ, କେରଳା, ଚୋଳ, ସିନ୍ଧୁ, ଉତ୍କଳ ।ବାହ୍ଲିକ, ତୁରଷ୍କ, ନିଷେଧ ।ବଙ୍ଗ, ଅଙ୍ଗ, କଳିଙ୍ଗ, ଚୋଡ଼ଙ୍ଗ, ମଗଧ ।୨୭।ବେଦି, ଚେରି, ମଘ, ମତ୍ସ, ଦ୍ରାବୀଡ଼, ଗଉଡ଼, ମ୍ଳେଚ୍ଛ,ଆରବ, ମାଳବ, କଚ୍ଛ, କୁରୁ, ପଞ୍ଚାଳ ।ବନାଉଜ, କନାଉଜ, କାଶ୍ମୀର, କାମେରୀ, କୁଞ୍ଜ,ଗଳ, ଡାହାଳ, ଲୋମଶପୁଣ୍ଡ୍ର, କୋଶଳ ।ବେଲାଉଳ ଆଦି ଏ ଠିକ ।ବିଶେଷି କହିବା କେତେ କହେ ଜନକ ।୨୮।ବିନିନ୍ଦ୍ୟ ଭୂପତିମାନେ ବହୁଦିନୁ ଅଭିମାନେବସ କି କାରଣେ ଧନୁ ଆଣ ନ କହ ।ବ୍ୟାଜ ଦମ୍ଭ ପରା ପ୍ରତେ ଏବେ ଦଶରଥ ସୁତେଆସିଛନ୍ତି ଦେଖିବାକୁ ବଳାଇ ସ୍ନେହ ।ବୋଇଲେ ଆଣିବା ସେ ଚାପ ।ବଦନ୍ତେ ଅଣାଅ କହେ ନୃପକଳାପ ।୨୯।ବଳବନ୍ତ ଏକୁଁ ଏକ ଆଜ୍ଞାକୁ ମଲ୍ଲ ଅନେକଯନ୍ତ୍ରେ ଓଟାରି ଆଣିଲେ ମଞ୍ଜୁଷଗୋଟି ।ବ୍ରହ୍ମାଣ୍ଡଯାକ ଧଇଲେ ଚଳନ୍ତା ନାହିଁ ଯେ ତିଳେଚକ୍ର କଟ୍ କଟ୍ ହୁଁକାର ନଭେ ପ୍ରକଟି ।ବାକ୍ ଚାତୁରୀ ମଇଥିଳର ।ବାଣାସନ ଆସିଲା ବିଳମ୍ବ ନ କର ।୩୦।୨୬ଶ ପଦ–ବିଘ୍ନରାଜ–ଗଣେଶ । ମହସେନ–କାର୍ତ୍ତିକେୟ । ବଲ୍ଲକ–ବିଲୁଆ ।
୨୬ଶ ପଦ–ଜନକ ପୁନର୍ବାର କହିଲେ, ‘‘ଗଣେଶ, କାର୍ତ୍ତିକ, ଲବଣଦୈତ୍ୟ ଆଦି ରାଜାସବୁ ପ୍ରଥମେ ଗର୍ବ ଦେଖାଇ ପରେ ମଳିନ ହୋଇଅଛନ୍ତି (ପ୍ରଥମଥର ତେଜ ଦେଖାଇ ଆସି, ଧନୁ ଦେଖି ଭୟକରି ପଳାଇ ଯାଇଅଛନ୍ତି) ।’’ ଏହାର ଉତ୍ତରରେ ବିଶ୍ୱାମିତ୍ର କହିଲେ, ‘‘ବିଲୁଆ ପ୍ରଥମେ ମୂଖରେ ଅନଳ ଦେଖାଇ ପରେ ଭୟ ପାଇଲେ ସେ ଅନଳ ଲିଭାଇ ଦିଏ (ସେହିପରି ଏ ବୀରମାନେ ପ୍ରଥମେ ତେଜ ଦେଖାଇ ପରେ ଏ ଧନୁଦର୍ଶନରେ ସେ ତେଜକୁ ହରାଇଅଛନ୍ତି) । ହେ ଜନକ ! ତୁମ୍ଭେ ଅବୋଧ ହୁଅ ନାହିଁ । ହରଧନୁ ଅଣାଅ, ଏ ନିର୍ଭୟରେ ତାହା ଦେଖିବେ ।’’
୨୭ଶ ଓ ୨୮ଶ ପଦ–ବିଶ୍ୱାମିତ୍ରଙ୍କ କଥା ଶୁଣି ଜନକ ରାମ ଲକ୍ଷ୍ମଣଙ୍କୁ ନେଇ ରାଜସଭାରେ ପ୍ରବେଶ କରାଇଲେ । ରାମ ଲକ୍ଷ୍ମଣଙ୍କ ଶୋଭା ଦେଖି ରାଜ ସଭାରେ ବସିଥିବା ନୃପତିମାନେ ଲୋଭିତ ହେଲେ । (ତାଙ୍କ ଶୋଭାକୁ ଏକ ଧ୍ୟାନରେ ଚାହିଁ ରହିଲେ) । ଜନକ କହିଲେ,–ବିଦର୍ଭ, କର୍ଣ୍ଣାଟ, ଭୋଟ, ସୌରାଷ୍ଟ୍ର, ମରହଟ୍ଟ, କୁନ୍ତଳ, କେରଳ, ଚୋଳ ସିନ୍ଧୁ, ଉତ୍କଳ, ବାହ୍ଲିକ, ତୁରଷ୍କ, ନିଷେଧ, ବଙ୍ଗ, କଳିଙ୍ଗ, ଚୋଡ଼ଙ୍ଗ, ମଗଧ, ବେଦି, ଚେଦି, ମରା, ମତ୍ସ୍ୟ, ଦ୍ରାବିଡ଼, ମ୍ଲେଚ୍ଛ, ଆବର ମାଳବ, କଚ୍ଛ, କୁରୁ, ପାଞ୍ଚାଳ, ବନାଉଜ, କନାଉଜ, କାଶ୍ମୀର, କାମେରୀ, କୁଞ୍ଜଗଳ, ଡାହାଳ, ଲୋମଶ, ପୁଣ୍ଡ୍ରୁକ, କୋଶଳ, ବେଲାଉଳ ଆଦି ଯେ ରାଜାମାନେ ଠୁଳ ହୋଇଅଛି, ତାହା ବିଶେଷ କରି କେତେ ଅବା କହିବା ?
୨୯ଶ ପଦ–‘ହେ ଖ୍ୟାତାନାମା ନରପତିମାନେ ! ତୁମ୍ଭେ ବହୁ ଦିନରୁ ଧନୁ ଭାଙ୍ଗିବା ଅଭିମାନରେ ବସିଅଛ । ମାତ୍ର କି ହେତୁରୁ ଧନୁକୁ ଆଣ ବୋଲି ଆମ୍ଭଙ୍କୁ କହୁ ନାହିଁ ? ଏଥିରୁ ତୁମ୍ଭର ଦମ୍ଭ ଓ ଦର୍ପ କେବଳ ଛଳନା ପ୍ରାୟ ପ୍ରତେ ହେଉଛି (ତୁମ୍ଭର ଦମ୍ଭ ଓ ଦର୍ପ ଥିଲା ପ୍ରାୟ ଜଣା ଯାଉ ନାହିଁ) । ଏବେ ଦଶରଥ ରାଜାଙ୍କ ସୁତ ସ୍ନେହ ବଳାଇ ଧନୁ ଦେଖିବାକୁ ଆସି ଅଛନ୍ତି । ତୁମ୍ଭେମାନେ କହିଲେ ଶିବଧନୁକୁ ଅଣାଇବା ।’’ ଜନକ ଏହା କହନ୍ତେ, ‘‘ରାଜାମାନେ କହିଲେ ଧନୁ ଅଣାଅ ।’’
୩୦ଶ ପଦ–ଜଣକୁ ଜଣ ବଳବନ୍ତ ଅଟନ୍ତି ଯେଉଁ ବୀର, ସେମାନେ ଜନକ ରାଜାଙ୍କ ଆଜ୍ଞାପାଇ, ବ୍ରହ୍ମାଣ୍ଡଯାକ ଧଇଲେ ତିଳ ପ୍ରମାଣେ ଚଳିବ ନାହିଁ ଏପରି ଯେ ଶିବଧନୁ, ତାକୁ ପେଡ଼ାମଧ୍ୟରେ ଯନ୍ତାରେ ଥିବା ହେତୁ ଓଟାରି ଆଣିଲେ । ସେ ପେଡ଼ାରେ ଲାଗିଥିବା ଚକର କଟ୍କଟ୍ ଶବ୍ଦ ଓ ମଲ୍ଲମାନଙ୍କର ହୁଁ ହୁଁ କାର ରବ ଯାଇ ଆକାଶରେ ସମ୍ଭେଇଲା । ସେ ସମୟରେ ଜନକ ଚାତୁରୀ କରି କହିଲେ, ‘ଧନୁ ଆସିଲା ଆଉ ବିଳମ୍ବ କର ନାହିଁ । (ଶୀଘ୍ର ଆସି ଦେଖ) ।’’
ବଳବାନେ ଅଧିକ କେ ଜାଣୁ କଷଟୀ କାର୍ମୁକେସମୂଳେ ହୋଇଲେ ସିନା ସୁବର୍ଣ୍ଣ ସର୍ବେ ।ବଇଦେହିକ ଯେ ଆମ୍ଭେ ଭୂଷଣ କର୍ମ ଆରମ୍ଭେକନ୍ୟାରତ୍ନ ସଙ୍ଗେ ଯୋଗ କରିବୁଁ ତେବେ ।ବଚ ଶ୍ରୋତେ ଗଲେ ସମସ୍ତ ।ବ୍ୟାଘ୍ର ପତନ ଯନ୍ତାକୁ ଚାହିଁଲା ମତ ।୩୧।ବିଭାବସୁ ବିଭାବସୁ ଏକସ୍ଥାନେ ଏ କି ବସୁଁଭାବି ନେତ୍ର ବୁଜି ମୁଖ ପଛକୁ କଲେ ।ବିଳେ ନିଦ୍ରା ହରି ବୃକ୍ଷ ବିଳେ ନିଦ୍ରା ହରି ବୃକ୍ଷଦେଖି ଯଥା ପଳାୟିତ ତଥା ହୋଇଲେ ।ବାସେ ଯାଇ କେତକୀ ପାଶେ ।ବସେ ପଲାଶେ ଭୃଙ୍ଗାଳି କି ସ୍ୱଭାବୁଁ ସେ ।୩୨।ବୈରାଗ୍ୟ ଆକୁଳ କୂଳେ ଭାସିଲେ ଭୂମିପକୁଳେଭାଷିଲେ ଜନକ ଗମ ଶ୍ରୀରାମ ବେଗେ ।ବତାଇ ସୁମିତ୍ରା ବତ୍ସ ନାହିଁ ସୁମିତ୍ରାରି ସ୍ୱଚ୍ଛନମ୍ରେ ଧଇଲେ ବାଛିବେ ଚାପେ ଓଳଗେ ।ବିଶ୍ୱାମିତ୍ର ନେତ୍ରରୁ ଜାଣି ।ବାହାରିଲେ ଶସ୍ତ୍ର ଦେଇ ଲକ୍ଷ୍ମଣ ପାଣି ।୩୩।ବିକ୍ରମ ଗତିକି ବିହି ଶରଧା ଚାପକୁ ଚାହିଁକେଶରୀ ଗିରି ମଧ୍ୟରୁ ସେହି ସ୍ୱଭାବେ ।ବିରାଜି ମୂର୍ତ୍ତି ଯେ ଧୃତ ମଞ୍ଜୁ ମଞ୍ଜୁଷରୁ ସତଧନୁ ଆକର୍ଷି ଆଣିଲେ ପନ୍ନଗ ଭାବେ ।ବକପୁଷ୍ପ ମାଳା ମାଳିକ ।ବିକ୍ରୟକୁ ଚାଙ୍ଗଡ଼ାରୁ ଟେକିଲା ଦୃକ ।୩୪।ବକ୍ତ୍ରେ ଗଳି ରାଜନ୍ୟଙ୍କ ବକ୍ତେ ଜନକ ଜନକଏହି ଗିରି ଶରଭେଦ ହୃଦୟ କରେ ।ବିଜୟୀ ଏ ତ୍ରିପୁରର ବିଜୟୀ ଏ ତ୍ରିପୁରରଧଇଲା ଧଇଲା ଧନୁ ଅନାୟାସରେ ।ବିଦ୍ରାବକୁ ଲଜ୍ଜାରେ ଭାଳି ।ବିପଲକେ ଅନାଇଲେ ନ ପାରି ଚଳି ।୩୫।୩୧ଶ ପଦ–କାର୍ମୁକ–ଧନୁ । ସୁବର୍ଣ୍ଣ–ଉତ୍ତମ ଜାତି, ସୁନା । ବଇଦେହିକ–ବଣିକ, ବିଦେହର ରାଜା ।
୩୧ଶ ପଦ–‘ତୁମ୍ଭେ ସମସ୍ତେ ଉତ୍ତମ କ୍ଷତ୍ରିୟ ଜାତି ଅଟ । ତେଣୁ ତୁମ୍ଭେ ସୁବର୍ଣ୍ଣ ହେଲ । ତୁମ୍ଭର ବଳ ସୁବର୍ଣ୍ଣର ତେଜ ହେଲା । ଆମ୍ଭେ ବିଦେହରାଜ ରୂପ ବଣିକ ଧନୁ ରୂପ କଷଟୀ ପଥରରେ ତୁମ୍ଭର ବଳରୂପ ବିଶୁଦ୍ଧତାକୁ କଷି ତେଜିୟାନ୍ ହୋଇଥିବା ବୀରଙ୍କ ସହିତ କନ୍ୟାରୂପୀ ରତ୍ନ ଯୋଗ କରିବୁ । [ସୁବର୍ଣ୍ଣ କଷଟି ପଥରରେ କଷି ହୋଇ ବିଶୁଦ୍ଧ ବୋଲି ଜଣାଗଲେ, ସେଥିରେ ରତ୍ନ ଯୋଗକରି ତାହାର ସୌନ୍ଦର୍ଯ୍ୟ ବଢ଼ାନ୍ତି । ସେହିପରି ତୁମ୍ଭେ ଶିବଧନୁଦ୍ୱାରା ବଳବାନ୍ ବୋଲି ନିର୍ଣ୍ଣୀତ ହେଲେ, ଆମ୍ଭେ ସୀତାଙ୍କୁ ତୁମ୍ଭଙ୍କୁ ବିବାହ ଦେଇ ତୁମ୍ଭର ମର୍ଯ୍ୟାଦା ବଢ଼ାଇବୁ] ।’’ ଜନକଙ୍କର ଏ କଥାମାନ ଶୁଣି ରାଜାମାନେ ପାଖକୁ ଯାଇ ବ୍ୟାଘ୍ର ପଡ଼ିଥିବା ଯନ୍ତାକୁ ଚାହିଁଲା ପ୍ରାୟ ଧନୁପେଡ଼ାକୁ ଚାହିଁଲେ ।
୩୨ଶ ପଦ–ବିଭାବସୁ–ସୂର୍ଯ୍ୟ । ବିଭାବସୁ–ଅଗ୍ନି । ବିଳ– ଗର୍ତ୍ତ । ହରି–ସିଂହ । ହରି–ସର୍ପ-। ବୃଷ–ମୂଷା, ଷଣ୍ଢ ।
୩୨ଶ ପଦ–ସୂର୍ଯ୍ୟ ଓ ଅଗ୍ନି କି କାରଣରୁ ଏକତ୍ର ଅବସ୍ଥିତ ହୋଇ ଅଛନ୍ତି ରାଜାମାନେ ଏପରି ମନରେ ଭାବି ନେତ୍ର ବୁଜି ପଛକୁ ମୁହଁ ବୁଲାଇଲେ [ଧନୁକୁ ଚାହିଁ ପାରିଲେ ନାହିଁ] । ଗୁହାରେ ନିଦ୍ରା ଯାଇଥିବା ସିଂହକୁ ଦେଖି ଷଣ୍ଢ, ଗର୍ତ୍ତରେ ନିଦ୍ରା ଯାଇଥିବା ସର୍ପକୁ ଦେଖି ମୂଷା ଯେପରି ପଳାନ୍ତି, ସେପରି ରାଜାମାନେ ଧନୁକୁ ଦେଖି ପଳାଇଲେ । ଭ୍ରମରମାନେ ବାସ ହେତୁରୁ କେତକୀ କୁସୁମର ପାଖକୁ ଯାଇ କଣ୍ଟକରେ ପକ୍ଷ ଛିଡ଼ିଯିବା ଭୟ ହେତୁ ରହି ନ ପାରି ପଳାନ୍ତି, ମାତ୍ର ପଲାଶରେ ଯାଇ ବସନ୍ତି (କେତକୀରେ ବାସ ଥାଏ ତା ସଙ୍ଗେ ସଙ୍ଗେ କଣ୍ଟା ମଧ୍ୟ ଥାଏ । ଭ୍ରମର କଣ୍ଟାକୁ ଭୟ କରି ସେ ବାସ ଉପଭୋଗ କରିପାରେ ନାହିଁ । ମାତ୍ର କଣ୍ଟକଶୂନ୍ୟ ଓ ସୁବାସ ହୀନ ପଲାଶରେ ଯାଇ ବସେ, ସେହିପରି ଭୀରୁ ରାଜାମାନେ ହେଲେ) ।
୩୩ଶ ପଦ–ବୈରାଗ୍ୟ–ବିରକ୍ତ, ବିବେକ । ଭୂମିପକୁଜେ– ରାଜା ସମୂହ । ସୁମିତ୍ରାରି–ପ୍ରଧାନଶତ୍ରୁ । ସୁମିତ୍ରା–ଉତ୍ତମମାତ୍ର । ପାଣି–ହସ୍ତ ।
୩୩ଶ ପଦ–ବିରକ୍ତିଜନିତ ଆକୁଳତା ରୂପ ଜଳରେ ରାଜାମାନେ ଭାସମାନ ହେଲେ, (ସୀତାଙ୍କୁ ପାଇବା ପାଇଁ ପ୍ରବଳ ଆକାଂକ୍ଷା ଥିଲେ ସୁଦ୍ଧା ଧନୁ ଯୋଗୁ ପାଇ ପାରୁ ନାହାନ୍ତି–ତେଣୁ ବିରକ୍ତ ହେଉଛନ୍ତି) । ତତ୍ପରେ ଜନକ କହିଲେ, ହେ ଶ୍ରୀରାମ । ତୁମ୍ଭେ ଶୀଘ୍ରଯାଅ, [ଧନୁ ଟେକିବା ପାଇଁ ଚେଷ୍ଟା କରିବାକୁ ଯାଅ] ।’ ଏହା ଶୁଣି ଲକ୍ଷ୍ମଣ ରାମଙ୍କୁ କହିଲେ, ‘ଆମ୍ଭର ଏଠାରେ ଭଲ ମିତ୍ରଲୋକ କେହି ନାହାନ୍ତି, ଶତ୍ରୁ ସବୁ ଅଛନ୍ତି ।’ ମୁଣ୍ଡ ନୁଆଇଁ ଧନକୁ ଧଇଲେ, ଧନୁକୁ ଓଳଗୁଛି ବୋଲି ସେମାନେ କହିଲେ ମୁଣ୍ଡ ନୁଆଇଁ ଧନ ଧରିବ ନାହିଁ । ଏହି ସମୟରେ ବିଶ୍ୱାମିତ୍ର ଆଖିଠାରି ଦେବାରୁ ରାମଚନ୍ଦ୍ର ଲକ୍ଷ୍ମଣଙ୍କ ହସ୍ତରେ ନିଜଧନୁ ଦେଇ ବାହାର ହେଲେ ।
୩୪ଶ ପଦ–ବିକ୍ରମଗତି–ସାହସପୂର୍ବକ ଗମନ । କେଶରୀ–ସିଂହ । ବିରାଜମୂର୍ତ୍ତି–ବିରାଟମୂର୍ତ୍ତି, ଗରୁଡ଼ । ମଞ୍ଜୁ– ସୁନ୍ଦର, ମନୋହର । ମଞ୍ଜୁଷ–ପେଡ଼ା । ପନ୍ନର୍ଗ–ସର୍ପ । ବକପୁଷ୍ପମାଳା–ଗଇଶଫୁଲମାଳା ।
୩୪ଶ ପଦ–ପର୍ବତ ଗୁହାରୁ ବାହାରି ସିଂହ ଯେପରି ବିକ୍ରମ ଭାବରେ ଗତି କରେ, ସେହିପରି ରାମଚନ୍ଦ୍ର ରାଜସଭାକୁ ଯାଇ ଧନୁକୁ ଦେଖିବାକୁ ଶ୍ରଦ୍ଧା କଲେ । କ୍ଷତ୍ରିୟ ମୂର୍ତ୍ତି ଧରିଥିବା ରାମଚନ୍ଦ୍ର ଗରୁଡ଼ ରୂପରେ ସୁନ୍ଦର ପେଡ଼ାରୂପ ଗର୍ତ୍ତରୁ ଧନରୂପ ସର୍ପକୁ ଓଟାରି ଆଣିଲେ । (ଗରୁଡ଼ ଗର୍ତ୍ତରୁ ସର୍ପ ଓଟାରି ଆଣିଲାପରି ରାମଚନ୍ଦ୍ର ପେଡ଼ାରୁ ଧନୁକୁ ଓଟାରି ଆଣିଲେ) । ମାଳି ଗଇଶଫୁଲ ମାଳକୁ ବିକିବା ପାଇ ଚାଙ୍ଗୁଡ଼ାରୁ ଟେକିଲା ପ୍ରାୟ ଟେକିଲେ । (ରାମଚନ୍ଦ୍ର ଧନୁକୁ ଅକ୍ଲେଶରେ ଟେକି ଧଇଲେ) ।
୩୫ଶ ପଦ–ବକ୍ତ୍ର–ସାଞ୍ଜୁ । ବକ୍ତ୍ର–ମୁଖ । ତ୍ରିପୁର–ଉକ୍ତ ନାମ ଧାରୀ ରାକ୍ଷସ । ବିଦ୍ରାବ–ପଳାୟନ ।
୩୫ଶ ପଦ–‘‘ତ୍ରିପୁରାସୁର ବିଜୟୀ ଶିବଙ୍କର ଧନୁକୁ ଏ ଅନାୟାସରେ ଧଇଲେ; ତେଣୁ ଏ ତ୍ରିପୁର ବିଜୟୀ ଅଟନ୍ତି’’–ଏହି ବାଣୀ ଶର ପ୍ରାୟ ଜନକ ରାଜାଙ୍କ ମୁଖରୁ ଜାତ ହେଲା । ସେ ବଚନ–ଶର ରାଜାମାନଙ୍କର ସାଞ୍ଜୁ ଭେଦକରି ହୃଦରେ ବିଦ୍ଧ ହେଲା । ସେମାନେ ଲଜ୍ଜା ପାଇ ପଳାଇବାକୁ ଭାବିଲେ, ମାତ୍ର ଯାଇ ନ ପାରି ତଟସ୍ଥ ହୋଇ ଅପଲକ ନେତ୍ରରେ ଚାହିଁ ରହିଲେ ।
ବରାକାବରାଙ୍ଗୀ ସୀତା ବରାକ କରଇ ଚିନ୍ତାଜୀବନ ଯାଉ ନୋହିଲେ ହେଲେ ଏ ବର ।ବିମିଳିତ ନେତ୍ର ଫିଟେ ମୁଦ୍ରିତ କଞ୍ଜ କି ଫୁଟେପ୍ରମୋଦଦାୟକ ପରଭୃତଙ୍କ ସ୍ୱର ।ବ୍ୟଲୀକତା କେ ବୋଲୁଥିଲା ।ମଧୁର ସେ ଦି(ଦୀ)ନବନ୍ଧୁ ଦର୍ଶନେ ହେଲା ।୩୬।ବୃନ୍ଦାରକ–ବୃନ୍ଦାରକେ ସେ ଯେ ପୁଚ୍ଛିଲେ ଜନକେଦେବା ଶିଞ୍ଜିନୀ ଉତ୍ତମ ବୋଲି ସେ କହି ।ବୀର୍ଯ୍ୟ ଦମ୍ଭ ବେନି ଯୋଗେ ଅଷ୍ଟନାଗେ ଅଷ୍ଟନାଗେଧର ଧରଣୀକି ବୋଲେ ଲକ୍ଷ୍ମଣ ତହିଁ ।ବିକଳିତେ ପୃଥିବୀ ଭାଳେ ।ବସୁ ହୁଳ ପାଦଅନ୍ତେ ପଡ଼ିବି ତଳେ ।୩୭।ବୃଦ୍ଧାଙ୍ଗୁଳି ପରେ ପଦେ ରାମ ରଖିଲେ ସମଦେଜାଣିଲେ ତା ଅତ୍ୟନ୍ତ ଅଧୈର୍ଯ୍ୟ ହେବାର ।ବାସୁକି କି ବହେ କୁର୍ମ ବହିଲା ସେ ମନୋରମଗୁଣବନ୍ତ ଗୁଣ ଦତ୍ତ କଲେ ସତ୍ୱର ।ବୈନାଶିକ ନାଡ଼ୀ ମୋ ହେଲା ।ବାମେ ରହି ଅଜଗବ ବିଚାର କଲା ।୩୮।ବିଗୂଢ଼ବଶେ ଓଟାରେ ପ୍ରଚଣ୍ଡ ମଲ୍ଲ ହସ୍ତରେଏରଣ୍ଡ ଦଣ୍ଡ ପଡ଼ିଲା ପରି ଭାଜିଲା ।ବ୍ରହ୍ମାଣ୍ଡ ଭାଣ୍ଡ ପୂରିତ ପ୍ରଳୟକାଳେ ଏକତ୍ୱଚାରିମେଘ ଗର୍ଜିଲା ଶବଦ ଗଞ୍ଜିଲା ।ବିବୁଧେ ମୂର୍ଚ୍ଛିତ ଚେତାରେ ।ବେଳେ ପ୍ରାଣ ଅମୃତ ରଖିଲା ବିଚାରେ ।୩୯।ବସୁଧାଭୃତେ ଟଳିଲେ ବସୁଧାଭୃତେ ଚଳିଲେସେହି ତରଳିତ ଧାତୁ ଧାରା ହେଲାଟି ।ବଳି–ବର–ବଳୀ ବର ଆନ କି ହୋଇବ ମୋରଭାବେ ଶତକୋଟି ଶତକୋଟି ତ ବୃଷ୍ଟି ।ବିଚିତ୍ର କି ନରେ କିନ୍ନରେ ?ବିଚେତନ ହେଲେ ଯହିଁ ନାରକି ନରେ ।୪୦।
୩୬ଶ ପଦ–ବରାକାବରାଙ୍ଗୀ–ତପ୍ତକାଞ୍ଚନ ବର୍ଣ୍ଣା । ବରାକ–ଶିବ । କଞ୍ଜ–ପଦ୍ମ । ପରଭୃତ–କୋକିଳ, ଭୃତ୍ୟ । ବ୍ୟଲୀକତା– ଅପ୍ରିୟକର କାର୍ଯ୍ୟ । ଦି(ଦୀ)ନବନ୍ଧୁ–ସୂର୍ଯ୍ୟ, ରାମଚନ୍ଦ୍ର ।
୩୬ଶ ପଦ–ଉଜ୍ଜ୍ୱଳ ସ୍ୱର୍ଣ୍ଣବର୍ଣ୍ଣା ସୀତା ଚକ୍ଷୁ ବୁଜି ମହାଦେବଙ୍କୁ ଚିନ୍ତାକରି କହିଲେ, ‘‘ଏ ମୋର ବର ନୋହିଲେ ଜୀବନ ଯାଉ, ଏ ମୋର ବର ହେଲେ ଜୀବ ନ ଯାଉ ।’’ ଏପରି ସମୟରେ ‘ଧନୁ ଧଇଲେ’–ଭୃତ୍ୟମାନଙ୍କର ଏ ଶବ୍ଦ ତାଙ୍କର ପ୍ରମୋଦଦାୟକ ହେଲା, ତେଣୁ ନିର୍ମଳ ନେତ୍ରପଦ୍ମ ବିକଶିତ ହେଲା । (ରାତି ପାହିଲେ କୋକିଳ ସ୍ୱର ଶୁଣି ଲୋକମାନେ ଚକ୍ଷୁ ଫିଟାଇ ଉଠନ୍ତି–ଏଠାରେ ସୀତାଙ୍କର ଚିନ୍ତାରୂପକ ରାତ୍ରି ଯାଇ ଶୁଭ ଦିନର ସକାଳ ହେଲା) । ଲୋକମାନେ କହିଲେ, ‘‘କିଏ କହୁଥିଲା ଯେ ଧନୁର୍ଭଙ୍ଗପଣ ସୀତାଙ୍କର ଅପ୍ରିୟ କର ? ସୂର୍ଯ୍ୟରୂପା ରାମଚନ୍ଦ୍ରଙ୍କର ଦର୍ଶନରେ ସୀତାଙ୍କ ହର୍ଷପଦ୍ମ ବିକଶିତ ହେଲା । (ଅନ୍ୟାର୍ଥ–ପଦ୍ମର ମୁଦ୍ରିତ ଦୋଷ କିପରି ଗଲା ? ରାମଙ୍କୁ ଚନ୍ଦ୍ର ବୋଲି ବୋଧ ହେବାକୁ ପଦ୍ମ ମୁଦ୍ରିତ ହୋଇଥିଲା, ମାତ୍ର ଦୀନବନ୍ଧୁ ଜଣାଯିବାରୁ ଅର୍ଥାତ୍ ସୂର୍ଯ୍ୟରୂପେ ବୋଧ ହେବାରୁ ପଦ୍ମ ବିକଶିତ ହେଲା) ।
୩୭ଶ ପଦ–ବୃନ୍ଦାରକ–ଦେବଶ୍ରେଷ୍ଠ । ବୃନ୍ଦାରକ–ରାଜା । ଶଞ୍ଜିନୀ–ଧନୁର ଗୁଣ । ଅଷ୍ଟନାଗ–ଅଷ୍ଟ ଦିଗ୍ଗଜ, ଅଷ୍ଟକୁଳାନାଗ । ହୁଳ–ଧନୁର ଅଗ୍ରଭାବ ।
୩୭ ପଦ–(ଧନୁକୁ ପେଡ଼ିରୁ ଆଣି ଧଇଲା ପରେ) ଦେବଶ୍ରେଷ୍ଠ ରାମଚନ୍ଦ୍ର ରାଜା ଜନକଙ୍କୁ ପଚାରିଲେ, ‘‘ଧନୁରେ ଗୁଣ ଦେବିକି ?’’ ଜନକ କହିଲେ, ‘‘ଭଲ କଥା (ଗୁଣ ଦିଅ) ।’’ ସେହି ସମୟରେ ଲକ୍ଷ୍ମଣ କହିଲେ, ‘‘ହେ ଅଷ୍ଟଦିଗର ହସ୍ତୀସବୁ, ହେ ଅଷ୍ଟକୁଳାନାଗେ ! ବଳ ଓ ଧୈର୍ଯ୍ୟର ସହିତ ଧରିଣୀକି ଧର ।’’ ପୃଥ୍ୱୀ ବିକଳ ଭାବରେ ଭାବିଲେ, ‘‘ପଦ ପ୍ରାନ୍ତସ୍ଥିତ ଧନୁହୁଳ ମୋ ଉପରେ ରଖାଗଲେ, ମୁଁ ପାତାଳକୁ ପଶିଯିବି ।’’
୩୮ଶ ପଦ–ପୃଥିବୀ ଅତ୍ୟନ୍ତ ଅଧୈର୍ଯ୍ୟ ହେବାର ରାମ ଜାଣିପାରି ପଦର ବୃଦ୍ଧାଙ୍ଗୁଳି ଉପରେ ଗର୍ବଭରେ ଧନୁହୁଳକୁ ରଖିଲେ । କୁର୍ମ ବାସୁକିକି ବହନ କଲା ପ୍ରାୟ ତାହା ମନୋହର ଦେଖାଗଲା । ଗୁଣବନ୍ତ ରାମ ତତ୍ପର ହୋଇ ଧନୁରେ ଗୁଣ ଦେଲେ । ସେ ସମୟରେ ଶିବଧନୁ ରାମଙ୍କର ବାମହସ୍ତରେ ରହି ବିଚାର କଲା, ‘‘ମୋର ବୈନାଶିକ ନାଡ଼ି ହେଲା ।’’ (ଏହିକ୍ଷଣି ବିନାଶ ହେବି–ଅଜଗବ କୃତିକା ନକ୍ଷତ୍ର ଦାଶରଥି ପୂର୍ବଭାଦ୍ର ପଦ; ତେଣୁ ବୈନାଶିକ ନାଡ଼ି ହେଲା) ।
୩୯ଶ ପଦ–ବିଗୂଢ଼ ବଶେ–ବଳପୂର୍ବକ । ଏରଣ୍ଡଦଣ୍ଡ–ଗବ ଗଛର କାଣ୍ଡ । ବିବୁଧେ–ଦେବତାମାନେ ।
୩୯ଶ ପଦ–ବଳପୂର୍ବକ ଗାଢ଼ କରି ଧରି ଧନୁକୁ ଓଟାରି ଦିଅନ୍ତେ, ପ୍ରଚଣ୍ଡ ମଲ୍ଲ ହାତରେ ଗବଗଛ ପଡ଼ି ଯେପରି ଭାଙ୍ଗିଯାଏ, ସେହିପରି ସେ ଭାଙ୍ଗିଗଲା । ସେହି ଶବ୍ଦ (ଧନୁ ଭଗ୍ନହେବା ଶବ୍ଦ) ବ୍ରହ୍ମାଣ୍ଡରେ ପୂର୍ଣ୍ଣ ହୋଇ ପ୍ରଳୟ କାଳରେ ଚାରିମେଘ (ଆବର୍ତ୍ତକ, ସମ୍ବର୍ତ୍ତକ, ଦ୍ରୋଣ, ପୁଷ୍କର) ଏକତ୍ରିତ ହୋଇ ଗର୍ଜିଲେ ଯେଉଁ ଶବ୍ଦ ହୁଏ, ତା’ଠାରୁ ବଳିଗଲା । ଦେବତାମାନେ ମୂର୍ଚ୍ଛିତ ହେଲେ; ପରେ ଚେତାପାଇ ବିଚାର କଲେ; ‘‘ଅମୃତ ଆମ୍ଭର ପ୍ରାଣ ଏତେବେଳେ ରଖିଲା । (ଅମୃତ ଖାଇଥିବାରୁ ଆମ୍ଭେ ଜୀବନରେ ରହିଗଲୁ, ନ ହେଲେ ଏ ଶବ୍ଦରେ ନିଶ୍ଚୟ ପ୍ରାଣ ହାରିଥାନ୍ତୁ) ।
୪୦ଶ ପଦ–ବସୁଧାରଭୃତେ–ରାଜାମାନେ । ବସୁଧାଭୃତେ–ପର୍ବତମାନେ । ବଳିବର ବଳି–ବୀରେନ୍ଦ୍ର ବଳି । ଶତକୋଟି–ବ୍ରଜ । ନାରକି ନରେ–ନରକ ପଡ଼ିତ ଲୋକମାନେ ।
୪୦ଶ ପଦ–ସେ ଶବ୍ଦ ଶୁଣି ରାଜାମାନେ ଢଳି ପଡ଼ିଲେ, ପର୍ବତ ସବୁ କମ୍ପିତ ହେଲେ । ତହିଁରୁ ତରଳ ଗୈରିକ ଧାତୁ ଧାରା ଛଳରେ ପ୍ରବାହିତ ହେଲା । ବଳିଶ୍ରେଷ୍ଠ ବଳି ଭାବିଲା, ‘ଶତକୋଟି ବଜ୍ର ଏକାବେଳକେ ବୃଷ୍ଟି ହେଲା ପରା; ମୋହର (ଚିରଂଜୀବୀ ହେବା) ବର ଅନ୍ୟଥା ହେବକି ? (ମୁଁ ବର୍ତ୍ତମାନ ବିନାଶ ହେବି, ଏହି ଆଶଙ୍କା ହେଲା,–ଏହି ଶବ୍ଦ ସ୍ୱର୍ଗ ଓ ପାତାଳ ଭେଦ କରିବାର ସୂଚନା ଦିଆଗଲା) ଯେଉଁ ଶବ୍ଦରେ ନରକରେ ଥିବା ପାପୀମାନେ ଅଚେତନ ହୋଇଗଲେ, ସେ ଶବ୍ଦରେ ନର କିନ୍ନରମାନେ ଅଚେତନ ହେବାରେ ବିଚିତ୍ର ବା କ’ଣ ଅଛି ।
ବିଭ୍ରଷ୍ଟ ଯେ ବ୍ରହ୍ମଚାରୀ ଧ୍ୟାନ ତହିଁକି ବିଚାରିବିଭ୍ରଷ୍ଟ ଯେ ବ୍ରହ୍ମ ଚାରିମୁଖୁଁ ବେଦହିଁ ।ବିଖଣ୍ଡନ ଚଣ୍ଡିମାନ ଈଶରେ ସ୍ନେହୀ ନ ଘେନବିଖଣ୍ଡନ ଚଣ୍ଡୀମାନ ଈଶରେ ସ୍ନେହୀ ।ବାହାରନ୍ତେ ବ୍ରହ୍ମାଣ୍ଡ ଫୁଟି ।ବିରବ ସମସ୍ତଙ୍କର ଜ୍ଞାନ ପ୍ରକଟି ।୪୧।ବୀରେଶ୍ୱର କରି ପୂଜା କଲା ସେ ମିଥିଳା ରାଜାବସାଇ ରଘୁତ୍ତମଙ୍କୁ ସିଂହାସନରେ ।ବିହାୟସେ ଦେବେ ଆସେ ରାମ ଦର୍ଶନ ଲାଳସେଶବ୍ଦ ଶୁଣି ରାବଣ ମିଳିଲା ସେଠାରେ ।ବୀର ସେ ବାହୁଡ଼େ ବିରସେ ।ବୟାଳିଶ ପଦେ ଛାନ୍ଦ ଉପେନ୍ଦ୍ର ଭାଷେ ।୪୨।୪୧ଶ ପଦ–ଚଣ୍ଡୀ–କୁପିତା ରମଣୀ । ଈଶ–ପତି । ଚଣ୍ଡୀ–ଦୁର୍ଗା । ଈଶ–ଶିବ । ବିରବ–ବିଶେଷ ଶବ୍ଦ, ଭୟଙ୍କର ଶବ୍ଦ ।
୪୧ଶ ପଦ–ସେ ଶବ୍ଦରେ ବ୍ରହ୍ମଚାରୀମାନଙ୍କର ଧ୍ୟାନ ଭଗ୍ନହେଲା; ସେ କଥା ବା କ’ଣ ବିଚାର କରିବା । ବ୍ରହ୍ମାଙ୍କ ଚାରିମୁଖରୁ ବେଦ ସୁଦ୍ଧା ବିଭ୍ରଷ୍ଟ ହୋଇଗଲା (ବ୍ରହ୍ମା ବେଦପାଠ କରିପାରିଲେ ନାହିଁ ) । କୋପିନୀ ସ୍ତ୍ରୀର ମାନ ଖଣ୍ଡନ ହେବାରୁ ସେ ନାୟକଙ୍କଠାରେ ସ୍ନେହ ବଳାଇଲା–ଏ ବା କି ବଡ଼ କଥା; ଭୟରେ ପାର୍ବତୀଙ୍କର ମାନ ଖଣ୍ଡନ ହୋଇଯିବାରୁ ସେ ମହାଦେବଙ୍କଠାରେ ସ୍ନେହଯୁକ୍ତ ହେଲେ । ସେ ଶବ୍ଦ ବ୍ରହ୍ମାଣ୍ଡ ଫୁଟି ବାହାରନ୍ତେ ସମସ୍ତଙ୍କର ଜ୍ଞାନଲାଭ ହେଲା ।
୪୨ଶ ପଦ–(ଧନୁର୍ଭଙ୍ଗ କରିବାରୁ) ମିଥିଲାର ରାଜା ରାମଚନ୍ଦ୍ରଙ୍କୁ ସିଂହାସନରେ ବସାଇ ବୀରଶ୍ରେଷ୍ଠ ବୋଲି ପୂଜାକଲେ । ସେହି ସମୟରେ ରାମଚନ୍ଦ୍ରଙ୍କ ଦର୍ଶନ ଆଶାରେ ଦେବତାମାନେ ଆକାଶମାର୍ଗରେ ଆସିଲେ । ଧନୁର୍ଭଙ୍ଗ ଶବ୍ଦ ଶୁଣି ରାବଣ ସେଠାରେ ମିଳିଲା, ମାତ୍ର (ରାମଚନ୍ଦ୍ର ଧନୁ ଭାଙ୍ଗିବାର ଶୁଣି) ସେ ବୀର ବିରସମନରେ ଫେରିଗଲା । ଏ ଛାନ୍ଦକୁ ବୟାଳିଶ ପଦରେ ଉପେନ୍ଦ୍ର କହିଲେ ।