ଷଷ୍ଠ ଛାନ୍ଦ — ବୈଦେହୀଶ ବିଳାସ (ପ୍ରଥମ ଖଣ୍ଡ) — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଷଷ୍ଠ ଛାନ୍ଦ
(ରାଗ–ମାଳବ ରୋଢ଼ାବାଣୀ)ବୁଧେ ସାବଧାନେ ଏହୁ ଗୀତର ।ବାକଚାତୁରୀକି ବିଚାର କର ॥
ବିଶୁଦ୍ଧ ସିଦ୍ଧବନେ ମୁନିଯାଗ ।ବିସିଦ୍ଧ କରଣେ ରାକ୍ଷସବର୍ଗ ॥
।୧।ବିଦିତ ହୋଇ ସୁବାହୁ ମାରୀଚେ ।ବଚନ ଶୂନ୍ୟରୁ ଶୁଭିଲା ଉଚ୍ଚେ ॥
ବିକୁକ୍ଷବଂଶେ ଜାତ ରାମ ଆଣ ।ବୈବସ୍ୱତ ଏ ଗଣେ ତା ମାର୍ଗଣ ॥
।୨।ବିଶ୍ୱାମିତ୍ର ଶୁଣି ଉଠି ଗମିଲେ ।ବେଗେ କୋଶଳ ଦେଶ ସେ ଦେଖିଲେ ॥
ବାରସ୍ୱତୀ ଛବି ଅଯୋଧ୍ୟା ପୁରୀ ।ବ୍ରହ୍ମ ଆକାରବନ୍ତ ଯେଣୁ ଧରି ॥
।୩।ବରଣେ ଶୋଭା ଦିବ୍ୟ କନ୍ୟା ପରି ।ବର ଖୋଜୁଅଛି ସମାନ କରି ॥
ବହିଅଛି ପୁଣି ସୁମନ ମାଳା ।ବିପଞ୍ଚିବାଦିନୀ ଆଳୀରେ ମେଳା ॥
।୪।ବିରଳ ମୁଖର–ଡିଣ୍ଡିମ ଶୁଭେ ।ବିମୋହିତ କରେ ଜଗତ ଶୁଭ୍ରେ ॥
ବହୁମୂଲ୍ୟ ବାସ ଅଙ୍ଗୀକାରୀ ସେ ।ବିହେ ନୃପର ମୋଦକୁ ବିଶେଷେ ॥
।୫।୧ମ ପଦ–ବିସିଦ୍ଧକରଣ–ବିଘ୍ନକରିବାକୁ ।୨ୟ ପଦ–ବିକୁକ୍ଷି ବଂଶ–ସୂର୍ଯ୍ୟବଂଶ । ବୈବସ୍ୱତ–ଯମ । ମାର୍ଗଣ–ଶର ।
୧ମ ଓ ୨ୟ ପଦ–ହେ ପଣ୍ଡିତଗଣ ! ସାବଧାନ ହୋଇ ଏହି ଗୀତରେ ଥିବା ବଚନ ଚାତୁରୀକୁ ବିଚାର କରନ୍ତୁ । ଋଷିମାନେ ପବିତ୍ର ସିଦ୍ଧବନରେ ଯଜ୍ଞ କରୁଥିବା ସମୟରେ ସୁବାହୁ, ମାରୀଚ ପ୍ରଭୃତି ଖ୍ୟାନାମା ରାକ୍ଷସମାନେ ସେଠାରେ ପହଞ୍ଚି ବିଘ୍ନ କରିବାକୁ ଲାଗିଲେ । ଏହି ସମୟରେ ଶୂନ୍ୟବାଣୀ ହେଲା, ‘ସୂର୍ଯ୍ୟ ବଂଶରେ ଜନ୍ମଗ୍ରହଣ କରିଥିବା ରାମଚନ୍ଦ୍ରଙ୍କୁ ଏଠାକୁ ଆଣ; ତାଙ୍କର ବାଣ ଏମାନଙ୍କର ଯମ ଅଟେ ।’(ଅର୍ଥାତ୍ ତାଙ୍କର ବାଣର ଆଘାତରେ ଏମାନେ ମରିବେ) ।
୩ୟ ପଦ–ବାରସ୍ୱତୀ–ବ୍ରହ୍ମଲୋକ ।
୩ୟ ପଦ–ବିଶ୍ୱାମିତ୍ର ସେହି ବାଣୀ ଶୁଣିବା ସଙ୍ଗେ ସଙ୍ଗେ ଉଠି କୋଶଳ ଦେଶକୁ ଗମନ କଲେ । ସେ କୋଶଳର ରାଜଧାନୀ ଅଯୋଧ୍ୟାରେ ପହଞ୍ଚି ଦେଖିଲେ ଯେ, ସେହି ପୁରୀ ବ୍ରହ୍ମଲୋକର ଶୋଭା ଧାରଣ କରିଅଛି, କାରଣ ନିଜେ ବ୍ରହ୍ମ ସେଠାରେ ଶରୀର ଧାରଣ କରିଅଛନ୍ତି-।
୪ର୍ଥ ପଦ–ବରଣ–ବରଣ କରିବା, ପ୍ରାଚୀର (ବାଡ଼ା) । ଦିବ୍ୟ–ଅପୂର୍ବ । ସୁମନମାଳା–ବରଣ ପୁଷ୍ପମାଳା (ପଣ୍ଡିତ ସମୂହ) । ବିପଞ୍ଚିବାଦିନୀ–ବାଣୀବାଦିନୀ, ବୀଣାଜିତ କଣ୍ଠି । ଆଳୀ–ସଖୀ-।
୪ର୍ଥ ଓ ୫ମ ପଦ–ଆଉ ମଧ୍ୟ ବିଶ୍ୱାମିତ୍ର ସେହି ନଗରୀକୁ ଦେଖି ସ୍ୱୟଂବର ସଭାସ୍ଥିତ ଗୋଟିଏ ସ୍ୱୟଂବର କନ୍ୟା ବୋଲି ଭାବିଲେ । କାରଣ ସ୍ୱୟଂବର କନ୍ୟା ଯେପରି ଅପୂର୍ବ ବେଶ ଧାରଣ କରି ବୀଣାଜିଣା କଣ୍ଠୀ ସଖିମାନଙ୍କ ସହ ବରଣ ଫୁଲମାଳ ହାତରେ ଧରି, ନିଜ ସମାନ ବର ଖୋଜି ବୁଲୁଥାଏ ଏବଂ ଶୁଭବାଦ୍ୟ ସେହି ସଭା ସ୍ଥଳରେ ବାଜୁଥାଏ ଅଥବା ହୁଳହୁଳି ପଡ଼ୁଥାଏ, ସେହି ସ୍ଥାନସ୍ଥ ଶୁଭ୍ର ସଭାମଣ୍ଡପ ବହୁମୂଲ୍ୟ ବସ୍ତ୍ରରେ (ଚାନ୍ଦୁଆ ପ୍ରଭୃତିରେ) ଅଚ୍ଛାବିତ ହୋଇ ଦର୍ଶକମାନଙ୍କର ମନ ଓ ନିମନ୍ତ୍ରିତ ରାଜାମାନଙ୍କର ମନକୁ ଆନନ୍ଦିତ କରୁଥାଏ; ସେହିପରି ଏହି ନଗରୀ ପ୍ରାଚୀର ପରିବେଷ୍ଟିତା ହୋଇ ବୀଣା ବାଦ୍ୟନିପୁଣା ସ୍ତ୍ରୀମାନଙ୍କ ସହ ମିଳି, ପଣ୍ଡିତମାନଙ୍କୁ ନିଜ ବକ୍ଷରେ ସ୍ଥାନ ଦେଇ, ନିଜର ଅନୁରୂପ ବର ରାମଚନ୍ଦ୍ରଙ୍କୁ ଖୋଜୁଛି ଅର୍ଥାତ୍ ତାହାଙ୍କର ରାଜତ୍ୱ ସମୟକୁ ଚାହିଁ ରହିଛି ଏବଂ ଏହାର ମଧ୍ୟଭାଗ ଅନବରତ ମଙ୍ଗଳବାଦ୍ୟ ନାଦରେ ସଂସାରସ୍ଥ ଲୋକମାନଙ୍କୁ ବିମୋହିତ କରି ବହୁମୂଲ୍ୟ ପକ୍କାଘର ଓ ପଟ୍ଟବସ୍ତ୍ର ପ୍ରଭୃତିରେ ପୂର୍ଣ୍ଣହୋଇ ଅର୍ଥାତ୍ ଅତ୍ୟନ୍ତ ସମୃଦ୍ଧି ଶାଳିନୀ ହୋଇ ରାଜା ଦଶରଥଙ୍କର ଆନନ୍ଦ ବର୍ଦ୍ଧନ କରୁଅଛି ।
ବିଷ୍ଣୁ ପରାୟେ ଲକ୍ଷ୍ମୀ ଆଲିଙ୍ଗନ ।ବିହାର ଚତୁର କରେ ରଞ୍ଜନ ॥
ବିନାୟକରେ ସଦା ଯୁକ୍ତ ସେହି ।ବହୁଳ ଭକ୍ତଭାବ ଖ୍ୟାତ ଯହିଁ ॥
।୬।ବାସ୍ତବ୍ୟ ଆପଣ ପରା କେ ଅଛି ।ବଇଲେ ପଦାର୍ଥ ନ ତୁଟେ କିଛି ॥
ବଣିଜାର ହସ୍ତ ସ୍ୱର୍ଗ ପ୍ରତୀତି ।ବିଶ୍ୱାବସୁ ଛନ୍ତି ସବୁ ଜାଣନ୍ତି ॥
।୭।ବନ୍ଧୁକୁମୁଦର କି ତନ୍ତୁବାୟ ।ବିଶଦ ନୀଳ ଅମ୍ବର ଉଦୟ ॥
ବଜ୍ରନିକର ଜାହ୍ନବୀ ଲକ୍ଷଣେ ।ବିଶୁଦ୍ଧ ପୟ ଉଦୟ କାରଣେ ॥
।୮।ବଣିକ ପସରା କି କଇଳାସ ।ବିରାଜେ ଶିବା କପର୍ଦ୍ଦୀ ଆଶ୍ଳେଷ ॥
ବଳିସଦ୍ମ ପରା ନାଗରେ ଚାରୁ ।ବ୍ୟୋମା କି ଚନ୍ଦ୍ର ତାରାଳି ସଙ୍ଗରୁ ॥
।୯।ବାରିଧିକୁମାରୀ ପରି ମାଳିନୀ ।ବିସ୍ତାରି ସୁମନା–ଭଦ୍ର ଶ୍ରୀଦାନୀ ॥
ବେଷ୍ଟନେ ପାତ୍ରଗଣ ସାବଧାନେ ।ବସେ କଂସାରି ରାଜନ ଯେସନେ ॥
।୧୦।୬ଷ୍ଠ ପଦ–ଲକ୍ଷ୍ମୀ–ଲକ୍ଷ୍ମୀଦେବୀ, ସମ୍ପତ୍ତି । କର–ହସ୍ତ, ପୁରୁଷ । ବିନାୟକ–ଗରୁଡ଼, ବିଶିଷ୍ଟ ଲୋକ । ଭକ୍ତ–ଭକ୍ତଲୋକ, ଭାତ ।
୬ଷ୍ଠ ପଦ–ଆଉ ମଧ୍ୟ ନଗରୀକୁ ‘ବିଷ୍ଣୁକି ?’ ବୋଲି ମନେକଲେ, କାରଣ, ବିଷ୍ଣୁ ଯେପରି ଲକ୍ଷ୍ମୀଙ୍କୁ ଆଲିଙ୍ଗନ କରନ୍ତି, ଚତୁର୍ଭୁଜ ଧାରଣା କରି ଗରୁଡ଼ ଉପରେ ବିହାର କରନ୍ତି ଏବଂ ଭକ୍ତମାନଙ୍କ ନିକଟରେ ନିଜର ମନୋଗତ ଭାବ ପ୍ରକାଶ କରିଥାନ୍ତି; ସେହିପରି ଏହି ନଗରୀ ସମ୍ପତ୍ତିକୁ ଆଲିଙ୍ଗନ କରିଅଛି (ଅର୍ଥାତ୍ ବହୁ ଧନରେ ପୂର୍ଣ୍ଣ ହୋଇଅଛି) । ଅନେକ ଚତୁରଲୋକ ଏଠାରେ ବିହାର କରୁଅଛନ୍ତି, ଏହା ବିଶିଷ୍ଟ ଲୋକମାନଙ୍କଦ୍ୱାରା ପୂର୍ଣ୍ଣ ହୋଇ ଖ୍ୟାତ ହୋଇଅଛି ଏବଂ ପ୍ରଚୁର ଅନ୍ନଦାନ ଏଠାରେ ହେଉଅଛି ।
୭ମ ପଦ–ଆପଣ–ଦୋକାନ । ବଣିଜାର–ବଣିକ । ବିଶ୍ୱାବସୁ–ଗନ୍ଧର୍ବ, ବିଶ୍ୱା ପ୍ରଭୃତି ପରିମାପକ ଚିହ୍ନ ।
୭ମ ପଦ–ବାସ୍ତବିକ୍ ଅଯୋଧ୍ୟାର ଦୋକାନମାନଙ୍କ ପରି ଦୋକାନ ଅନ୍ୟ କୌଣସିଠାରେ ନାହିଁ, କାରଣ ଦୋକାନୀମାନେ ଯେତେ ପଦାର୍ଥ ବିକ୍ରୟ କଲେ ମଧ୍ୟ ଦୋକାନରୁ ପଦାର୍ଥ ଶେଷ ହେଉ ନାହିଁ ଏବଂ ଦୋକାନୀମାନଙ୍କ ହାତକୁ ଦେଖିଲେ ତାହା ସ୍ୱର୍ଗପରି ବୋଧ ହେଉଛି । ଯେହେତୁ ସ୍ୱର୍ଗରେ ବିଶ୍ୱାବସୁ ପ୍ରଭୃତି ଗନ୍ଧର୍ବମାନେ ସବୁବେଳେ ବାସ କଲାପରି ସେମାନଙ୍କ ହାତରେ ବିଶ୍ୱା ପ୍ରଭୃତି (ଧନ ଦ୍ରବ୍ୟ ଓଜନ କରିବାପାଇଁ) ବଟକରା ସର୍ବଦା ରହିଅଛି ।
୮ମ ପଦ–କୁମୁଦର ବନ୍ଧୁ–ଚନ୍ଦ୍ର । ତନ୍ତୁକାୟ–ତନ୍ତୀ । ବିଶଦ–ବିସ୍ତୀର୍ଣ୍ଣ, ଶୁଭ୍ର । ଅମ୍ବର–ଆକାଶ, ବସ୍ତ୍ର । ବଜ୍ରନିକର–ଗଉଡ଼ମାନେ । ଜାହ୍ନବୀ–ଗଙ୍ଗା । ପୟ–ଜଳ, ଦୁଧ ।
୮ମ ପଦ–ସେଠାକାର ତନ୍ତୀମାନଙ୍କୁ ଦେଖି ଚନ୍ଦ୍ର ବୋଲି ମନେକଲେ କାରଣ, ଚନ୍ଦ୍ର ଯେପରି ବିସ୍ତୀର୍ଣ୍ଣ ନୀଳ ଆକାଶରେ ଉଦୟ ହୁଅନ୍ତି; ତନ୍ତୀମାନେ ସେହିପରି ଶୁକ୍ଳ ଓ ନୀଳ ବସ୍ତ୍ର ବୁଣୁଥିବେ । ଗୌଡ଼ମାନଙ୍କୁ ମଧ୍ୟ ଗଙ୍ଗାନଦୀ ତୁଲ୍ୟ ମନେକଲେ, ଗଙ୍ଗା ନଦୀରୁ ଯେପରି ବିଶୁଦ୍ଧ ଜଳ ମିଳେ; ଏମାନଙ୍କଠାରୁ ସେହିପରି ଖାଣ୍ଟି ଦୁଧମିଳେ ।
୯ମ ପଦ–ଉମା–ହଳଦୀ, ହରିଡ଼ା । କପର୍ଦ୍ଦୀ–ଶିବ, କଉଡ଼ି । ବଳିସଦୃ–ପାତାଳ । ନାଗରେ–ସାପରେ, ଶୁଣ୍ଠୀରେ–ସଂସାରେ । ଚନ୍ଦ୍ର–କର୍ପୂର, ସୁବର୍ଣ୍ଣ । ତାରାଳି–ତାରାସମୂହ, ଶୁଦ୍ଧ ମୁକ୍ତା ସମୂହ ।
୯ମ ପଦ–ବେପାରୀମାନଙ୍କ ପସରାକୁ ଦେଖି କୈଳାସ ପର୍ବତ ବୋଲି ମନେକଲେ । କାରଣ ସେହି ପର୍ବତରେ ଶିବ ପାର୍ବତୀଙ୍କୁ ଆଳିଙ୍ଗନ କରି ବିରାଜିତ ହୋଇଥାନ୍ତି । ଏଠାରେ କଉଡ଼ି ଓ ହରିଡ଼ା ଏକତ୍ର ଜମା ହୋଇଅଛନ୍ତି । ଆଉ ମଧ୍ୟ ପାତଳ ବୋଲି ଭାବିଲେ, ଯେହେତୁ ସେଠାରେ ବହୁତ ନାଗସାପ ଥାନ୍ତି, ଏଠାରେ ମଧ୍ୟ ବହୁତ ଶୁଣ୍ଠି ଜମା ହୋଇଅଛି ଅଥବା ସୀଂସା ରଖାଯାଇଅଛି-। ଆକାଶ ଲୋଇ ମଧ୍ୟ ମନେକଲେ, ଯେହେତୁ ଆକାଶ ତାରାବଳିରେ ମଣ୍ଡିତ ହେଲା ପରି ପସରାରେ ବହୁତ ମୁକ୍ତା ରଖାଯାଇ ଅଛି ।
୧୦ମ ପଦ–ବାରିଧି କୁମାରୀ–ଲକ୍ଷ୍ମୀ । ସୁମନା–ଇଚ୍ଛାବତୀ ସ୍ତ୍ରୀ, ମାଳତୀ ପୁଷ୍ପ । ଭଦ୍ର–ଚନ୍ଦନ । ସୁମନା ଭଦ୍ର–ଦେବଶ୍ରେଷ୍ଠ । ଶ୍ରୀଦାରୀ–ସୌନ୍ଦର୍ଯ୍ୟ ଦାସୀ । ପାତ୍ରଗଣ–କଂସାତାଟିଆ ପ୍ରଭୃତି, ମନ୍ତ୍ରୀସମୂହ ।
୧୦ମ ପଦ–ପୁଷ୍ପ, ଚନ୍ଦନ ଓ କର୍ପୂର ପ୍ରଭୃତି ଦେଉଥିବା ମାଲୁଣୀମାନଙ୍କୁ ଦେବ ଶ୍ରେଷ୍ଠ ବିଷ୍ଣୁଙ୍କର ଶୋଭା ବୃଦ୍ଧିକାରିଣୀ ଲକ୍ଷ୍ମୀ ଓ କଂସାଲୋଟା ପ୍ରଭୃତି ବାସନ ପରିବେଷ୍ଟିତ କଂସାରୀମାନଙ୍କୁ ମନ୍ତ୍ରୀଗଣ ପରିବେଷ୍ଟିତ ରାଜାପରି ମନେକଲେ ।
ବିଲୋକି ବିଲୋକି ମୁନି ଯେ ଗଲେ ।ବାରଣରିପୁଦ୍ୱାରେ ଯାଇଁ ହେଲେ ॥
ବେତ୍ରହସ୍ତ ପ୍ରତିହାରୀ ଜଣାଇ ।ବିରାଟ ଶ୍ରେଷ୍ଠଙ୍କୁ ଭେଟାଇ ନେଇ ॥
।୧୧।ବ୍ରହ୍ମାଙ୍କୁ ଇନ୍ଦ୍ର ସ୍ତୁତି କଲାପରି ।ବିନୟୀ ଦଶରଥ ଦଣ୍ଡଧାରୀ । ॥
ବେଦାନ୍ତକାରୀ ସାବିତ୍ରୀ ସେବନ ।ବିଶେଷ ନେତ୍ର ସୁଖଦ ବିଜନ ॥
।୧୨।ବନବାସୀ ବରସଭା ଲୋକିତ ।ବରାହମୂର୍ତ୍ତି କି ଜ୍ୟାବାଳୀ ଯୁକ୍ତ । ॥
ବାମଦେବ ଘେନି କୈଳାସ ସ୍ଥାନ ।ବେଦ କି ସୁମନ୍ତ୍ରରେ ବିଦ୍ୟମାନ ॥
।୧୩।ବଶିଷ୍ଠ ପୁଚ୍ଛେ କିମର୍ଥେ ଆଗତ ।ବ୍ୟକତ କଲେ ଗାଧିରାଜ ସୁତ । ॥
ବୃତ୍ତ ରାକ୍ଷସେ ହୋଇ କ୍ରତୁକୃତେ ।ବିଧ୍ୱଂସି ସୁନ୍ଦ ଉପସୁନ୍ଦ ସୁତେ ॥
।୧୪।ବିହାୟସୁଁ ରାମବାଣୀ ଶ୍ରବଣ ।ବଧି ରକ୍ଷଗଣ ହେବ ରକ୍ଷଣ । ॥
ବଦାନ୍ୟ ଏ ରାଜା ଧର୍ମେ ଉଦ୍ବେଗୀ ।ବିଷେ ଏ ଆସିଛୁଁ ରାମକୁ ମାଗି ॥
।୧୫।୧୧ଶ ପଦ–କାରଣ ରିପୁଦ୍ୱାର–ସିଂହଦ୍ୱାର । ବିରାଟଶ୍ରେଷ୍ଠ–କ୍ଷତ୍ରିୟ ଶ୍ରେଷ୍ଠ ।
୧୧ଶ ପଦ–ବିଶ୍ୱାମିତ୍ର ଏହିପରି ଦେଖି ଯାଉଁ ଯାଉଁ ରାଜାଙ୍କର ସିଂହଦ୍ୱାରରେ ପ୍ରବେଶ ହେଲେ । ବେତ୍ରହସ୍ତ ପ୍ରତିହାରୀ ରାଜାଙ୍କୁ ଜଣାଇ ତାଙ୍କ ନିକଟରେ ଋଷିଙ୍କୁ ଉପସ୍ଥିତ କରାଇଲା ।
୧୨ଶ ପଦ–ବିଶେଷ ନେତ୍ର–ବହୁ ନେତ୍ର । ସୁଖଦ–ସୁଖଦାତା । ଅନ୍ୟତ୍ର–ବିଶେଷ ନେତ୍ର-। ସୁଖଦ–ନୟନାଭିରାମ (ସର୍ବଜନ ଦର୍ଶନୀୟ) । ବିଜନ–ଏକାନ୍ତ ।
୧୨ଶ ପଦ–ସହସ୍ରଲୋଚନଧାରୀ ସମସ୍ତଙ୍କର ସୁଖଦାତା ଇନ୍ଦ୍ର ଏକାନ୍ତରେ ବିନୟୀ ହୋଇ ବେଦର ଉଦ୍ଭବକର୍ତ୍ତା ସାବିତ୍ରୀଦେବୀଙ୍କଦ୍ୱାରା ସେବିତ ବ୍ରହ୍ମାଙ୍କୁ ସ୍ତୁତି କଲା ପରି, ସର୍ବଜନ ଦର୍ଶନୀୟ (ରାଜା ଓ ସୁନ୍ଦର ହେତୁ) ଶାସନକର୍ତ୍ତା ଦଶରଥ ଏକାନ୍ତରେ ବିନୟୀ ହୋଇ ବେଦାନ୍ତଶାସ୍ତ୍ରକର୍ତ୍ତା ସାବିତ୍ରୀ ମନ୍ତ୍ରୋପାସକ ବିଶ୍ୱାମିତ୍ରଙ୍କୁ ସ୍ତୁତି କରିଥିଲେ ।
୧୩ଶ ପଦ–ବନବାସୀ–ଋଷି(ବିଶ୍ୱାମିତ୍ର) । ଜ୍ୟାବାଳି–ପୃଥ୍ୱୀଦେବୀ, ଦଶରଥଙ୍କର ମନ୍ତ୍ରୀ । ବାମଦେବ–ଶିବ, ଅନ୍ୟମନ୍ତ୍ରୀ । ସୁମନ୍ତ୍ର–ଉତ୍ତମ ମନ୍ତ୍ର, ଅପର ମନ୍ତ୍ରୀ ।
୧୩ଶ ପଦ–ବିଶ୍ୱାମିତ୍ର ରାଜାଙ୍କର ବିରାଟ ସଭାକୁ ଦେଖି ଏହା ବରାହ ମୂର୍ତ୍ତି, କୈଳାସ ପର୍ବତ ଓ ବେଦର ସମକକ୍ଷ ବୋଲି ମନେକରିଥିଲେ । କାରଣ–ବରାହ ମୂର୍ତ୍ତିରେ ପୃଥିବୀ, କୈଳାସରେ ଶିବ ଏବଂ ବେଦରେ ଉତ୍ତମ ମନ୍ତ୍ରମାନେ ଥିଲାପରି, ଏହି ସଭାରେ ଜାବାଳି, ବାମଦେବ ଓ ସୁମନ୍ତ ପ୍ରଭୃତି ମନ୍ତ୍ରୀମାନେ ଉପସ୍ଥିତ ହୋଇ ଅଛନ୍ତି ।
୧୪ଶ-୧୫ଶ ପଦ–ବଶିଷ୍ଠ ବିଶ୍ୱାମିତ୍ରଙ୍କୁ ଆଗମନରେ କାରଣ ପଚାରିବାରୁ ସେ କହିଲେ, ‘‘ସୁନ୍ଦ ଉପସନ୍ଦ ଏହି ଦୁଇ ରାକ୍ଷସଙ୍କର ପୁତ୍ର ସୁବାହୁ ଓ ମାରୀଚ ଅନ୍ୟାନ୍ୟ ରାକ୍ଷସମାନଙ୍କ ସହ ଆସି, ମୋର ଯୋଗ ଧ୍ୱଂସ କରିବା ସମୟରେ ଆକାଶରୁ ଶୁଣାଗଲା ରାମଙ୍କୁ ଆଣ, ସେ ଏହି ରାକ୍ଷସମାନଙ୍କୁ ମାରି ଯାଗରକ୍ଷା କରିବେ । ଏହି ରାଜା ଅତିଶୟ ଧାର୍ମିକ ଓ ଦାତା ଅଟନ୍ତି, ଏଣୁ ରାମଙ୍କୁ ମାଗିବାକୁ ଆସିଅଛି ।’’
ବଜ୍ରୀ ହେଉଛ ମୁନି ! ରାଜା କହି ।ବସୁଧାଭୃତ ତ ସ୍ୱଭାବେ ମୁହିଁ ॥
ବଚ–ଦମ୍ଭୋଳି ମାରି ଦମ୍ଭ–ଶୃଙ୍ଗ ।ବିନା ଅପରାଧେ କରୁଛ ଭଙ୍ଗ ॥
।୧୬।ବାଟୀ କ୍ରୀଡ଼ାକୁ ଛାଡ଼ି ନାହିଁ ଯେହି ।ବାଣ ଧନୁ ଯେ କାଂଶିକାରେ ବହି ॥
ବେଶ୍ମେ ରହିବାକୁ ଏକା ଡରଇ ।ବାଣ୍ଟମନେଦୈତ୍ୟ ନାଶିବ କେହି ॥
।୧୭।ବୋଲ ମୁଁ ସୈନ୍ୟ ସଜ କରି ଯିବି ।ବାଦ ଗଚି ତୁମ୍ଭ ଯାଗ ରଖିବି ॥
ବୁଝିଛି ଯୋଦ୍ଧାପଣ ମୁନି ଭଣି ।ବାମା କବଚ କି କରିବୁ ପୁଣି ॥
।୧୮।ବାଳକ ନ ବୋଲ ରାମଙ୍କୁ ତୁହି ।ବହ୍ନି କ୍ଷୁଦ୍ର ଭସ୍ମ ଆଚ୍ଛନ୍ନେ ଥାଇ ॥
ବଢ଼ାଏ ପ୍ରଭା ସେ ପାଇ ଇନ୍ଧନ ।ବଧିବେ ଦୈତ୍ୟ ଶଲଭ ଯେସନ ॥
।୧୯।ବାମନ କେଡ଼େ ବଳୀ ଅଧୋଗତି ।ବିଚାରିଛନ୍ତି ବିଚାର ତୋ ମତି ॥
ବିଷ୍ଣୁ ସେ ବୋଇଲେ ଅଜନନ୍ଦନ ।ବୋଲେ ଋଷି ଏବେ ମନରେ ଘେନ ॥
।୨୦।୧୬ଶ ପଦ–ବଜ୍ରୀ–ଇନ୍ଦ୍ର । ବସୁଧାଭୃତ–ରାଜା, ସର୍ବତ । ଦମ୍ଭୋଳି–ବଜ୍ର ।
୧୬ଶ ପଦ–ଏହା ଶୁଣି ଦଶରଥ କହିଲେ, ‘‘ହେ ମୁନି ! ମୁଁ ପ୍ରକୃତରେ ରାଜାଅଟେ; ଇନ୍ଦ୍ରଙ୍କ ପରି ଆପଣ ମୋତେ ପର୍ବତ ବୋଲି ଭାବି ବିନା ଅପରାଧରେ ବଚନରୂପ ବଜ୍ର ମାରି ମୋର ଧୈର୍ଯ୍ୟରୂପ ଶୃଙ୍ଗକୁ ଚୂନା କରୁଛନ୍ତି । (ଇନ୍ଦ୍ର ବଜ୍ର ମାରି ପର୍ବତମାନଙ୍କର ପକ୍ଷ ଛେଦନ କରିଥିଲେ) ।
୧୭ଶ ପଦ–ବାଟୀକ୍ରୀଡ଼ା–ଗୋଲି ଖେଳ । କାଂଶିକା–କାଇଁଶ । ବେଶ୍ମ–ଘର । ବାଣ୍ଟ–ବିଚାର ।
୧୭ଶ ପଦ–ପୁନର୍ବାର ରାଜା କହିଲେ, ‘‘ସେ ଏ ପର୍ଯ୍ୟନ୍ତ ବାଟୀ ଖେଳ ନାହିଁ, କାଇଁଶର ଧନୁଶର ଧରି ବୁଲୁଛି ଏବଂ ଏକାକୀ ଘରେ ରହିବାକୁ ଡରୁଛି; ସେ କିପରି ଅସୁରଙ୍କୁ ମାରିବ ? ଏହା ବିଚାର କର ।’’
୧୮ଶ ପଦ–ବାମା କବଚ–ସ୍ତ୍ରୀ ରକ୍ଷିତ ।
୧୮ଶ ପଦ–ପୁଣି କହିଲେ, ‘‘ଆପଣ କହିଲେ ମୁଁ ସେନାସହ ଯାଇ ରାକ୍ଷସମାନଙ୍କ ସଙ୍ଗରେ ଯୁଦ୍ଧ କରି ଯାଗ ରକ୍ଷା କରିବି ।’’ ଏହା ଶୁଣି ଋଷି କହିଲେ, ‘‘ମୁଁ ତୁମ୍ଭର ଯୋଦ୍ଧାପଣ ଭଲ କରି ଜାଣେ । ତୁମ୍ଭେ ବାମା–କବଚ ଅଟ ।
୧୯ଶ ପଦ–ବହ୍ନି କ୍ଷୁଦ୍ର–ଅଗ୍ନି କଣା । ଭସ୍ମ–ପାଉଁଶ । ଇନ୍ଧନ–କାଷ୍ଠ । ଶଲଭ–ପତଙ୍ଗ ।
୧୯ଶ ପଦ–‘‘ହେ ରାଜା ! ତୁମ୍ଭେ ରାମଙ୍କୁ ବାଳକ ମନେ କରନାହିଁ । ଅଗ୍ନିକଣା ଯେପରି ପାଉଁଶ ଭିତରେ ରହିଥାଏ, ମାତ୍ର କାଠ ପାଇଲେ ନିଜର ତେଜକୁ ବଢ଼ାଇ ପତଙ୍ଗମାନଙ୍କୁ ନାଶ କରେ, ସେହିପରି ରାମ ରାକ୍ଷସମାନଙ୍କୁ ନାଶ କରିବେ ।’’
୨୦ଶ ପଦ–‘‘ହେ ରାଜା ! ତୁମ୍ଭେ ବିଚାରକର । ବାମନ କେଡ଼େ ଛୋଟ, ସେ ପୁଣି ବଳିକୁ ପାତାଳରେ ଚାପିଲେ ।’’ ଏହା ଶୁଣି ଦଶରଥ କହିଲେ, ‘‘ସେ ବିଷ୍ଣୁ ।’’ ଋଷୀ କହିଲେ, ‘‘ତାଙ୍କୁ ଓ ଏହାଙ୍କୁ ଏକ ବୋଲି ଜାଣ ଅର୍ଥାତ ଏ ସେହି ବିଷ୍ଣୁ ।’’
ବ୍ୟୁତ୍ପତ୍ତି କର ଯେ ଉତ୍ପତ୍ତି ହୋଇ ।ବନପତି ଶିଶୁ ଗଜ ମାରଇ ॥
ବାର ବରଷର କ୍ଷତ୍ରିୟ ସୁତ ।ବ୍ୟାଜ ନ କରି ରାମ ଦେ ତ୍ୱରିତ ॥
।୨୧।ବୋଲୁଁ କଉଶିକ ରାଘବ ଆସି ।ବେହରଣ ସିନ୍ଧୁରେ ଯାଏ ଦିଶି ॥
ବୀଚିର ଲୀଳାରେ ମହାରଞ୍ଜନ ।ବ୍ୟଥିତ ତିମିରେ ଗ୍ରସ୍ତ ରାଜନ ॥
।୨୨।ବିବେକ ସ୍ୱୟମ୍ଭୁ ଆତ୍ମଭୁ ଚିତ୍ତେ ।ବିଧାନ ମୁନି ରାମର ଉଚିତେ ॥
ବସେ ମାନ୍ୟ କରି ଆଶିଷ ପାଇ ।ବୋଲ ରାମ ଯାଉ କୌଶିକ କହି ॥
।୨୩।ବାଚଂଯଯଭୂତି ନୃପ ପାଇଲେ ।ବାହୁଳ ପ୍ରାୟେ ତପସ୍ୱୀ ଜଳିଲେ ॥
ବିରୋଚନ ଏ ବଶିଷ୍ଠ ମନକୁ ।ବୋଇଲେ ଏ ଋଷି ନେଉ ରାମକୁ ॥
।୨୪।ବକ୍ରବିକାରରୁ ନୃପର ଘେନି ।ବାହାରିଲେ ରାମ ଲକ୍ଷ୍ମଣ ବେନି ॥
ବିଳମ୍ବ ନ କରି ସରଯୂ ପାରି ।ବିଗମ୍ୟ ଅରଣ୍ୟ ମଧ୍ୟେ ବିହରି ॥
।୨୫।ବୋଲାଇ ତାମସୀ ଯେ ସେ ବାହାର ।ବଢ଼ାଇ ଦେଇ ସନ୍ଧ୍ୟାଛଳେ କର ॥
ବାରୁଣୀ କୁଣ୍ଡେ ବୁଡ଼ାଇ ଈନକୁ ।ବିନାଶ କରିବା ଇଚ୍ଛି ଦିନକୁ ॥
।୨୬।ବାଳ ଧରି କିବା ନେଇ ଆକର୍ଷି ।ବାୟସଚୟ ଯିବା ତଥା ଦିଶି ॥
ବୋବିଦେଲା ପକ୍ଷିନାଦ ଛଳର ।ବଦନେ କାଳି ପଡ଼ିଲା ଦିଗର ॥
।୨୭।୨୧ଶ ପଦ–ବ୍ୟୁତ୍ପତ୍ତି କର–ଜ୍ଞାନ କର (ହେଜ) । ବନପତି ଶିଶୁ–ସିଂହ ଛୁଆ । ବ୍ୟାଜ–କପଟ ।
୨୧ଶ ପଦ–‘ସିଂହ ଛୁଆ ଜନ୍ମ ହେବାର ଅଳ୍ପଦିନ ପରେ ହାତୀକୁ ମାରେ, ଏହି କଥା ମନରେ ହେଜ । ଅତଏବ ବାର ବରଷର କ୍ଷତ୍ରୀୟ ପୁତ୍ର ରାମଙ୍କୁ ସାଧାରଣ ବାଳକ ତୁଲ୍ୟ ନ ଭାବି କପଟ ତେଜି, ଶୀଘ୍ର ଦିଅ ।
୨୨ଶ ପଦ–କଉଶିକ–ବିଶ୍ୱାମିତ୍ର । ଭାବକୁ–ରାମ, ରାଘବ ମାଛ । ସିନ୍ଧୁ–ସମୁଦ୍ର । ବୀଚିର–ଲହରୀ,ଅଲକ୍ଷଣ । ଜମିର–ଅନ୍ଧକାର, ତିମି ମାଛର ।
୨୨ଶ ପଦ–ବିଶ୍ୱାମିତ୍ର ଏହିପରି କହୁ କହୁ ରାଘବ ମାଛ ସମୁଦ୍ରରେ ଦେଖା ଦେଲାପରି ସମୁଦ୍ର ତୁଲ୍ୟ ଅତିବିସ୍ତୀର୍ଣ୍ଣ ଦେହରଣ ମଣ୍ଡପ ଉପରେ ରାମଚନ୍ଦ୍ର ଦେଖାଦେଲେ । ରାଘବ ଲହରୀରେ ଖେଳି ବୁଡ଼ିଗଲେ ତିମିମାଛ (ତାହାର ଖାଦ୍ୟ) ଯେପରି ଦୁଃଖଗ୍ରସ୍ତ ହୁଏ; ସେହିପରି ଦଶରଥ ଦେହରଣ ମଣ୍ଡପ ଉପରେ କ୍ରୀଡ଼ା କରୁଥିବା ରାମଙ୍କୁ ଦେଖି ‘ତିମିରଗ୍ରସ୍ତ’ ଘୋର ଅନ୍ଧକାର ନିପତିତ ଲୋକ ପରି ଦୁଃଖ ଅନୁଭବ କଲେ ।
୨୩ଶ ପଦ–ବିବେକ–ବିଚାରିଲେ (ମନେକଲେ) । ସ୍ୱୟଂଭୁ–ବ୍ରହ୍ମା । ଆତ୍ମଭୁ–କନ୍ଦର୍ପ ।
୨୩ଶ ପଦ–ରାମଚନ୍ଦ୍ର ମୁନିଙ୍କୁ ବ୍ରହ୍ମ ଓ ମୁନି ରାମଙ୍କୁ କନ୍ଦର୍ପ ବୋଲି ମନେକଲେ । ରାମ ମୁନିଙ୍କୁ ଯଥୋଚିତ ମାନ୍ୟ କରି ଆଶୀର୍ବାଦ ପାଇ ବସିଲେ ଏବଂ ବିଶ୍ୱାମିତ୍ର ରାମଙ୍କୁ ସଙ୍ଗରେ ନେଇ ଯିବାପାଇ ଅନୁମତି ମାଗିଲେ ।
୨୪ଶ ପଦ–ବାଚଂଯମଭୁତି–ମୌନୀ, ତୁନୀ । ବାହୁଳ–ଅଗ୍ନି । ବିରୋଚନ–ଅରୁଚିକର ।
୨୪ଶ ପଦ–ବିଶ୍ୱାମିତ୍ରଙ୍କ କଥା ଶୁଣି ରାଜା ତୁନି ହୋଇ ରହିଲେ । ଋଷି କ୍ରୋଧରେ ଅଗ୍ନିପରି ଜଳି ଉଠିଲେ । ରାଜାଙ୍କର ଏପରି ଆଚରଣ ବଶିଷ୍ଠଙ୍କୁ ଭଲ ନ ଲାଗିବାରୁ, ‘ରାମଙ୍କୁ ବିଶ୍ୱାମିତ୍ର ନିଅନ୍ତୁ’ ବୋଲି ରାଜାଙ୍କୁ କହିଲେ ।
୨୫ଶ ପଦ–ବକ୍ରବିକାର–ମୁଖ ଭଙ୍ଗୀ । ବିଗମ୍ୟ–ଅଗମ୍ୟ ।
୨୫ଶ ପଦ–ବଶିଷ୍ଠଙ୍କ କଥାରେ ରାଜା ସ୍ୱୀକାର କରିବାର ତାଙ୍କ ମୁଖ ଭଙ୍ଗିରୁ ଜାଣିପାରି ବିଶ୍ୱାମିତ୍ର ରାମ, ଲକ୍ଷ୍ମଣ ଦୁହିଙ୍କୁ ସଙ୍ଗରେ ଘେନି ବାହାରିଲେ ଏବଂ ଅଳ୍ପ ସମୟ ମଧ୍ୟରେ ସରଯୂ ନଦୀ ପାରହୋଇ ଅଗମ୍ୟ ଜଙ୍ଗଲରେ ପ୍ରବେଶ କଲେ ।
୨୬ଶ ପଦ–ତାମସୀ–ରାତ୍ରି । ବାରୁଣୀକୁଣ୍ଡ–ପଶ୍ଚିମଦିଗ ରୂପ କୁଣ୍ଡ । ଈନ–ସୂର୍ଯ୍ୟ ।
୨୬ଶ ପଦ–ଏହି ସମୟରେ ରାତ୍ରି ସନ୍ଧ୍ୟା ଛଳରେ ହାତ ବଢ଼ାଇ ସୂର୍ଯ୍ୟଙ୍କୁ ଧରି ପଶ୍ଚିମ ଦିଗ ରୂପ କୁଣ୍ଡରେ ବୁଡ଼ାଇ ଦିନକୁ ନାଶ କରିବାକୁ ଇଚ୍ଛା କଲା (ଅର୍ଥାତ୍ ସୂର୍ଯ୍ୟ ଅସ୍ତହେବାରୁ ସନ୍ଧ୍ୟାକାଳ ଉପସ୍ଥିତ ହେଲା) ।
୨୭ଶ ପଦ–କାକମାନେ ରାବ ଦେଇ ନିଜ ନିଜର ବସାକୁ ଉଡ଼ିଯିବାକୁ ଲାଗିଲେ । ସେମାନଙ୍କୁ ଦେଖି ମନେହେଲା, ରାତ୍ରି ଦିବସର ବାୟସ୍ୱରୂପ କେଶକୁ ଟାଣି ତାକୁ ବାହାର କରି ଦେଉଥିବାରୁ ସେ କାନ୍ଦୁଛିକି ? ତତ୍ପରେ ଅନ୍ଧାର ଚତୁର୍ଦ୍ଦିଗରେ ବ୍ୟାପିଗଲା । ତାହା ଦେଖି ମନେହେଲା, ଦିବସ ଏହିପରି ଭାବରେ ବିତାଡ଼ିତ ହେବାର ଦିଗମାନଙ୍କ ମୁଖ କଳା ପଡ଼ିଗଲାକି ?
ବିକଟ କାଳକୁ ଯହୁଁ ଦର୍ଶନ ।ବୁଡ଼ିଲା ପଦ୍ମିନୀ ପଦ୍ମ ନୟନ ॥
ବସା ତେଜି ନିଶାଚର ପ୍ରକଟ ।ବର୍ଜି ତର୍ଜି କଲେ ହୁଁ ହୁଁ ହୁଁ ରଟ ॥
।୨୮।ବିରସ ତେଜି ବାହାର ଭୁଜଙ୍ଗେ ।ବିକୃତ ଭୟଙ୍କର ହେଲା ତୁଙ୍ଗେ । ॥
ବେନି ଭ୍ରାତା ମୁନି ସକାଳେ ରହି ।ବଞ୍ଚିଲେ ପ୍ରଭାତ ପ୍ରବେଶ ହୋଇ ॥
।୨୯।ବାସବଦିଗ ଅଭ୍ରମୁକରିଣୀ ।ବ୍ୟଜନ କଲା ରକ୍ତ ପିଣ୍ଡ ଜାଣି । ॥
ବିମ୍ୱ ସବିତାର ଦିଶି ଆସିଲା ।ବିଞ୍ଚେ କର୍ଣ୍ଣେ ଶୀତ ବାତ ସେ ହେଲା ॥
।୩୦।୨୮ଶ ପଦ–ବିକଟ–ଭୟଙ୍କର । ପଦ୍ମିନୀ–ପଦ୍ମଲତା ।
୨୮ଶ ପଦ–ଏହିପରି ଭୟଙ୍କର କାଳକୁ ଦେଖି ପଦ୍ମିନୀ ତାହାର ପଦ୍ମରୂପ ଆଖିକୁ ବୁଜି ଦେଲା (ଅର୍ଥାତ ପଦ୍ମ ଫୁଲଗୁଡ଼ିକ ମୁଦି ହୋଇଗଲେ) ଏବଂ ପେଚା ପ୍ରଭୃତି ଜୀବମାନେ ବସା ତ୍ୟାଗକରି ଗୁପ୍ତ ଭାବରେ ବାହାରି ହୁଁ ହୁଁ ଶବ୍ଦ ପ୍ରକାଶ କଲେ ।
୨୯ଶ ପଦ–ଭୁଜଙ୍ଗେ–ସାପମାନେ, ଜାରପୁରୁଷମାନେ । ତୁଙ୍ଗ–ଅତିଶୟ ।
୨୯ଶ ପଦ–ଏହି ସମୟରେ ସାପମାନେ ଆନନ୍ଦରେ ବାହାରିଲେ । ବନସ୍ଥଳୀ ବିକୃତାକାର ଧାରଣ କରି ଅତିଶୟ ଭୟଙ୍କର ବୋଧହେଲା । ରାମ ଓ ଲକ୍ଷ୍ମଣ ଦୁଇ ଭାଇ ବିଶ୍ୱାମିତ୍ରଙ୍କ ସହ ସେହି ଜଙ୍ଗଲ ମଧ୍ୟରେ ରହି ରାତ୍ରି ଯାପନ କଲେ । ପରେ ପ୍ରଭାତ ହେଲା ।
୩୦ଶ ପଦ–ବାସବଦିଗ ଅଭ୍ରମୁ କରିଣୀ–ପୂର୍ବଦିଗର ଅଭ୍ରମୂନାମକ ହସ୍ତିନୀ (ଐରାବତର ସ୍ତ୍ରୀ) । ସବିତା–ସୂର୍ଯ୍ୟ । ବିମ୍ବ–ମଣ୍ଡଳ ।
୩୦ଶ ପଦ–ସୂର୍ଯ୍ୟ ମଣ୍ଡଳ ଦେଖାଦେଲା ଅର୍ଥାତ୍ ସୂର୍ଯ୍ୟ ଉଇଁବାକୁ ଲାଗିଲେ ଓ ଶୀତଳ ପବନ ବହିଲା । ଏହା ଦେଖି ଦର୍ଶକର ମନେହେଲା ପୂର୍ବଦିଗର ହସ୍ତିନୀ ଅଭ୍ରମୂ ରକ୍ତ ପିଣ୍ଡ ଜନ୍ମ କରି ବିଞ୍ଚିଛିକି ? ଏଠାରେ ସୂର୍ଯ୍ୟ, ରକ୍ତ ପିଣ୍ଡ ଓ ପ୍ରଭାତ ବାୟୁ ହସ୍ତିନୀର କର୍ଣ୍ଣ ସଞ୍ଚାଳନ ବାୟୁ ରୂପରେ ଉତ୍ପ୍ରେକ୍ଷିତ ହେଲା । (ହାତୀ ପ୍ରଥମେ ରକ୍ତ ପିଣ୍ଡ ଜନ୍ମକରି ପରେ ତାକୁ କାନରେ ବିଞ୍ଚି ଶାବକ ବାହାର କରେ ।)
ବିଚ୍ଛେଦନ କରି ତମକୁ କି ସେ ।ବିଲେପିତ ଚକ୍ର ରକତ ବଶେ ॥
ବଞ୍ଚିଲେ ଭୟେ ଲୁଚି ରାତ୍ରିଚର ।ବିନାଶକାଳ ଆରମ୍ଭ ଆମ୍ଭର ॥
।୩୧।ବର୍ଣ୍ଣନା ସିଦ୍ଧିକି ଆଣିଲା ସେହି ।ବିଶ୍ୱାମିତ୍ର ରାମଚନ୍ଦ୍ରଙ୍କୁ କହି । ॥
ବାବୁ ଏ ବନେ ତାଡ଼କା ନିବାସ ।ବାଟ ଭାଙ୍ଗିଯିବା ବିହିବ ତ୍ରାସ ॥
।୩୨।ବୋଲେ ରାମ ଏକ ରାକ୍ଷସୀ ଡରେ ।ବାଟ ଭାଙ୍ଗି ଗଲେ ବହୁତ ବୀରେ । ॥
ବାଦୀ ହେବା କେହି ମୁଖ ରକ୍ଷଣେ ।ବୋଲିଣ ଆଗ ହୋଇଲେ ଆପଣେ ॥
।୩୩।ବିଶ୍ୱାମିତ୍ର ମଧ୍ୟେ ପଛେ ଲକ୍ଷ୍ମଣ ।ବିପିନ ଦେଖନ୍ତି ଅତି ଭୀଷଣ । ॥
ବିରୋଚନକର ପଶଇ ନାହିଁ ।ବିଭାବରୀ ସ୍ଥାନ ସର୍ବଦା ସେହି ॥
।୩୪।ବାଚକ ଏ ଘେନି ପେଚକପନ୍ତି ।ବିଲୋକନ ନୋହେ ମେଚକକାନ୍ତି । ॥
ବିନୋଦ ସ୍ୱଚ୍ଛେ କରନ୍ତି ଗଣ୍ଡକ ।ବଲ୍ମୀକ ବିଦାରୁଛନ୍ତି ଭଲ୍ଲୁକ ॥
୩୧ଶ ପଦ–ତମ–ଅନ୍ଧକାର, ରାହୁ । ରାତ୍ରିଚର–ପେଚା ପ୍ରଭୃତି, ରାକ୍ଷସ । ବିନାଶକାଳ–ମରଣସମୟ, ଲୁଚିବା ସମୟ । ଚକ୍ର–ମଣ୍ଡଳ, ସୁଦର୍ଶନଚକ୍ର ।
୩୧ଶ ପଦ–‘‘ସୁଦର୍ଶନ ଚକ୍ର ରାହୁର ଶିରଃଚ୍ଛେଦନ କରି ରକ୍ତ ଜର୍ଜରିତ ହୋଇଅଛି, ଅତଏବ ଆମ୍ଭମାନଙ୍କର ମରଣକାଳ ଉପସ୍ଥିତ ହେଲା’’ ଏହା ଭାବି ରାକ୍ଷସମାନେ ଭୟରେ ଲୁଚିଲେ-। ଅଥବା, ପେଚା ପ୍ରଭୃତି ରାତ୍ରଚରମାନେ ଭାବିଲେ, ଏହି ‘ଚକ୍ର’ ସୂର୍ଯ୍ୟମଣ୍ଡଳରୂପ ଚକ୍ର ଅନ୍ଧକାରକୁ ଚ୍ଛେଦନ କରି ରକ୍ତବର୍ଣ୍ଣ ହୋଇଅଛି । (ଅର୍ଥାତ୍ ଅନ୍ଧାର ପରେ ଆଲୋକ ଆସିବାର ସୂଚନା ଦେଉଛି) ଅତଏବ ଆମ୍ଭମାନଙ୍କର ଲୁଚିବା ସମୟ ହେଲା,–ଏହା ଭାବି ଦିବାଚରମାନଙ୍କୁ ଭୟ କରି ଲୁଚିଲେ-।
୩୨ଶ ପଦ–ଏହିପରି ପ୍ରଭାତ ବର୍ଣ୍ଣନା ଶେଷ ହେଲା । ପ୍ରଭାତ ହେବାରୁ ବିଶ୍ୱାମିତ୍ର ରାମକୁ କହିଲେ, ‘‘ବାବୁ, ଏହି ବନରେ ତାଡ଼କା ବାସକରେ, ଚାଲ ବାଟ ଭାଙ୍ଗି ଯିବା । ନ ହେଲେ ସେ ଆମ୍ଭକୁ ଭୟ ଦେଖାଇବ ।’’
୩୩ଶ ପଦ–ଏହା ଶୁଣି ରାମଚନ୍ଦ୍ର କହିଲେ, ‘‘ଅନେକ ବୀର ଏହି ରାକ୍ଷସୀ ଗୋଟାକୁ ଭୟ କରି ବାଟ ଭାଙ୍ଗି ଗଲେଣି । ଆମେ ଯଦି ବାଟ ଭାଙ୍ଗି ଯିବା, ତେବେ ବହୁତ ରାକ୍ଷସଙ୍କୁ ସଙ୍ଗେ ବିବାଦୀ ହୋଇ ଯାଗ ରକ୍ଷାକରିବା କିପରି ? ଏହା କହି ସେ ନିଜେ ଆଗୁଆ ହେଲେ ।
୩୪ଶ ପଦ–ବିରୋଚନକର–ସୂର୍ଯ୍ୟକିରଣ । ବିଭାବରୀ–ରାତ୍ରି ।
୩୪ଶ ପଦ–ବିଶ୍ୱାମିତ୍ର ମଧ୍ୟରେ ଓ ଲକ୍ଷ୍ମଣ ପଛରେ ରହିଗଲେ-। ସେହି ଜଙ୍ଗଲ ଅତି ଭୟଙ୍କର ଦେଖାଯାଉଥିଲା । କାରଣ–ସେହି ଜଙ୍ଗଲରେ କେବେ ହେଲେ ସୂର୍ଯ୍ୟକିରଣ ପଡ଼େ ନାହିଁ-। ଏଣୁ ରାତ୍ରି ସବୁବେଳେ ସେଠାରେ ବସି ରହିଥାଏ । (ଅର୍ଥାତ୍ ବୃକ୍ଷ ଗହଳ ହେତୁ ସର୍ବଦା ଅନ୍ଧାର ଘୋଟି ରହିଥାଏ) ।
୩୫ଶ ପଦ–ବାଚକ–କଥକ । ମେଚକ କାନ୍ତି–କାଳିଆ ଜିନିଷସବୁ । ବିନୋଦ–କ୍ରୀଡ଼ା । ବଲ୍ମୀକ–ଉଇ ହୁଙ୍କା ।
୩୫ଶ ପଦ–ସେହି ବନ ସର୍ବଦା ଅନ୍ଧକାରଛନ୍ନ ହୋଇଥିବାରୁ ଦିନରାତି ପେଚାମାନେ ବୋବାଉଛନ୍ତି, କାଳିଆ ପଦାର୍ଥ ସବୁ ବାରି ହେଉ ନାହି, ଗଣ୍ଡାମାନେ ସ୍ୱଚ୍ଛନ୍ଦରେ କ୍ରୀଡ଼ା କରୁଛନ୍ତି ଓ ଭାଲୁମାନେ ଉଇହୁଙ୍କା ବିଦାରୁଛନ୍ତି ।
ବରାହ ପ୍ରତୀତି ସ୍ୱନରୁ ଜାଣି ।ବିଡ଼ାଳଆଦି ଦୀପ୍ତାକ୍ଷରୁ ଆଣି ॥
ବାରି ହୋଏ ଗଜ ଦଶନ ଘେନି ।ବଢ଼ାନ୍ତେ ପାଦ ନ ଦିଶେ ଅବନୀ ॥
।୩୬।ବୃକ୍ଷ ବଲ୍ଲୀ ପତ୍ର ଘଞ୍ଚରୁ କରି ।ବାୟୁ ଯେ ମଶକ ମଶାରି ସରି ॥
ବିଚାରି ରାଘବ ରାକ୍ଷସୀ ଆସୁ ।ବିଧାନ ଗୁଣ ଟଙ୍କାର ଏ ବଶୁଁ ॥
।୩୭।ବଜ୍ର ଉପରେ କି ବଜ୍ର ପଡ଼ିଲା ।ବିଶ୍ରାମସ୍ଥାନ ତାଡ଼କା ଛାଡ଼ିଲା ॥
ବିକ୍ରମି ଆସିଲା ମନରୁ ବେଗେ ।ବଡ଼ମେଘଖଣ୍ଡ କି ବାୟୁ ଯୋଗେ ॥
।୩୮।ବିଳ ପରା ନାସା ସର୍ପ ଫୁତ୍କାର ।ବାତହିଁ ବହୁଛି ନିଶ୍ୱାସ ତାର ॥
ବସୁନ୍ଧରାଧର ଶୃଙ୍ଗ କି ହନୁ ।ବହେ କି ଝର ଝାଳ ତଥା ତନୁ ॥
।୩୯।ବିସ୍ତୃତ ମୁଖ ଗହ୍ୱର ସଦୃଶ ।ବ୍ୟାଘ୍ର କଲା ପ୍ରାୟ ସେ ମଧ୍ୟେ ଘୋଷ ॥
ବିସ୍ତାରେ ରେ ରେ କାର ଶୁଭୁଅଛି ।ବହ୍ନିଯୋଗ ପ୍ରାୟ ଜିହ୍ୱା ଜଳୁଛି ॥
।୪୦।୩୬ଶ ପଦ–ସ୍ୱନରୁ–ଶବ୍ଦରୁ । ଦଶନ–ଦାନ୍ତ । ଦୀପ୍ତାକ୍ଷ–ଉଜ୍ଜ୍ୱଳ ଚକ୍ଷୁ । ଅବନ୍ତୀ–ପୃଥିବୀ ।୩୭ଶ ପଦ–ବୃକ୍ଷବଲ୍ଲୀ–ଗଛଲତା ।
୩୬ଶ, ୩୭ଶ ପଦ–ଶବ୍ଦଦ୍ୱାରା ବରାହ, ଆକ୍ଷିର ତେଜଦ୍ୱାରା ବିରାଡ଼ି ପ୍ରଭୃତି ହିଂସ୍ରଜନ୍ତୁମାନେ ଓ ଦାନ୍ତକୁ ଦେଖି (ସେ ଉଜ୍ଜ୍ୱଳ ଦେଖାଯାଇଥିବାରୁ ହାତୀ ଚିହ୍ନା ଯାଉଅଛନ୍ତି । ପାଦ ପକାଇବାକୁ ସ୍ଥାନ ଦେଖା ଯାଉନାହିଁ) ବୃକ୍ଷଲତାମାନଙ୍କର ପତ୍ରଦ୍ୱାରା ସେହି ବନ ଏପରି ଆଚ୍ଛାଦିତ ହୋଇଛି ଯେ, ମଶା ଯେପରି ମଶାରୀରେ ପଶି ପାରେ ନାହିଁ, ସେହିପରି ବାୟୁ ତାହା ମଧ୍ୟରେ ପ୍ରବେଶ କରିପାରୁ ନାହିଁ । ତାଡ଼କା ଆସୁ, ଏହା ଭାବି ରାମ ଧନୁରେ ଗୁଣ ଦେଇ ଟଙ୍କାର କରିବାକୁ ଲାଗିଲେ ।
୩୮ଶ ପଦ–ତାଡ଼କା ସେହି ଶବ୍ଦ ଶୁଣି, ବଜ୍ର ଉପରେ ବଜ୍ର ପଡ଼ିଲା ବୋଲି ଭାବି ନିଜର ରହିବା ସ୍ଥାନ ଛାଡ଼ି ମନଠାରୁ ଅଧିକ ବେଗରେ ଦୌଡ଼ି ଆସିଲା । ସେହି ସମୟରେ ତାକୁ ଦେଖି ମନେହେଲା, ଖଣ୍ଡେ ବଡ଼ ମେଘ ପବନ ବେଗରେ ଭାସି ଆସୁଛିକି ?
୩୯ଶ ପଦ–ବିଳ–ଗାତ । ଫୁତ୍କାର–ଫୁଉଁ ଫୁଉଁ ଶବ୍ଦ । ବାତ–ପବନ । ବସୁନ୍ଧରାଧର–ପର୍ବତ । ହନୁ–ଗାଲ । ତନୁ–ଦେହ ।
୩୯ଶ ପଦ–ତା’ର ନାକ ଦୁଇ ଗୋଟା ବଡ଼ ବଡ଼ ଗାତ ପରି ଦେଖାଯାଉଥିଲା ଓ ସେଥିରୁ ସାପ ଫୁଁ ଫୁଁ କଲାପରି ଫୁଁ ଫୁଁ ଶବ୍ଦ ସହ ନିଶ୍ୱାସ ବାୟୁ ବହୁଥିଲା । ତା’ର ଗାଲ ଦୁଇଟା ପର୍ବତ ଶୃଙ୍ଗପରି ଦେଖାଯାଉଥିଲା ଓ ଦେହରୁ ଝରଣା ପରି ଝାଳ ବହୁଥିଲା ।
୪୦ଶ ପଦ–ଗହର–ଗୁମ୍ଫା । ଘୋଷ–ଶବ୍ଦ । ବହ୍ନିଯୋଗପରି–ନିଆଁ ଜଳିଲା ପରି ।
୪୦ଶ ପଦ–ତାର ମୁଖ ଗୋଟାଏ ଗୁମ୍ଫା ପରି ହୋଇଅଛି ଓ ବାଘ ଗର୍ଜନ କଲାପରି ସେହି ମୁଖ ମଧ୍ୟରୁ ଅତି ଦୀର୍ଘ ରେ ରେ କାର ଶବ୍ଦ ଶୁଣାଯାଉଛି । ତାର ଜିଭରେ ନିଆଁ ଜଳୁଥିବା ପରି ଦେଖାଯାଉଛି ।
ବିବତ୍ସରୂପା ଆସି ପରବେଶ ।ବୃକ୍ଷ ପ୍ରହାରେ ବହି ମହାରୋଷ ॥
ବୋଇଲା ମୋ ଦାନ୍ତ ଲାଙ୍ଗଳ ଈଶ ।ବିପ୍ର ତୁମ୍ଭେ ହେବ କରିବି ଚାଷ ॥
।୪୧।ବ୍ୟାନ ସହ ପ୍ରାଣ କର୍କଟ ବତ ।ବାହାରି ହୋଇବେ ମନ୍ଦ ଆୟତ୍ତ ॥
ବୋଲି ସେ ତଳ ଉଞ୍ଚାଇବା ବେଳେ ।ବିଧୁ ଅର୍ଦ୍ଧଶର ପ୍ରୟୋଗ କଲେ ॥
।୪୨।ବିଶାଳ ତୁଙ୍ଗ ଶାଳ ମହୀରୂହ ।ବିଚ୍ଛେଦିଲା ପ୍ରାୟ ପଡ଼ିଲା ଦେହ ॥
ବାହାର ତହୁଁ ଦିବ୍ୟ ରୂପ ହେଲା ।ବିମାନ ଆରୋହି ସ୍ୱର୍ଗକୁ ଗଲା ॥
।୪୩।ବୃଷ୍ଟି କଲେ ପୁଷ୍ପ ବାଦ୍ୟ ବଜାଇ ।ବିବୁଧ ନିକର ଆକାଶେ ରହି ॥
ବନ ଯେ କାଳିକା ଦେବୀ ଆକାର ।ବାହୁରୁ ତାଡ଼ କି ଭାଙ୍ଗିଲା ତାର ॥
।୪୪।ବେଦ ବଂଶର ବିନାଶ ଉଦ୍ବେଗ ।ବିଧ୍ୱଂସି ଦୈତ୍ୟ ରଖିବ ମୋ ଯାଗ ॥
ବିଗଳିତ ତାପ ହୋଇଲି ଆଗ ।ବୃଜିନୀ ଗଲା ବରି ସ୍ୱର୍ଗଭୋଗ ॥
।୪୫।୪୧ଶ ପଦ–ବୀଭତ୍ସ ରୂପା–ଭୟଙ୍କର ଦେହ । ବିପ୍ର–କ୍ଷେତ୍ର ।
୪୧ଶ ପଦ–ସେହି ବିକଟାଳ ଦେହା ତାଡ଼କା ରାମଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଅତି କ୍ରୋଧରେ ଗୋଟାଏ ବୃକ୍ଷ ପ୍ରହାର କରି କହିଲା, ‘‘ମୋ ଦାନ୍ତ ଈଶ ଯୁକ୍ତ ଲଙ୍ଗଳ ଅଟେ । ମୁଁ ସେଥିରେ ତୁମ୍ଭର ଶରୀର ରୂପ କିଆରିକୁ ବର୍ଷିବ । (ଅର୍ଥାତ୍ ତୋତେ ଚୋବାଇବି) ।
୪୨ଶ ପଦ–କର୍କଟ–କଙ୍କଡ଼ା । ମନ୍ଦ–କାଳ । ତଳ–କରତଳ(ଚାପଡ଼ା) । ବିଧୁଅଦ୍ଧର୍ଶର–ବିଧୁଅର୍ଦ୍ଧଚନ୍ଦ୍ର ବାଣ ।
୪୨ଶ ପଦ–ପୁନର୍ବାର କହିଲା, ‘‘କଙ୍କଡ଼ାମାନେ କୁଆର ଅଧୀନ ହେଲା ପରି (କୁଆ ସେମାନଙ୍କୁ ମାରିଲା ପରି) ବ୍ୟାନ ବାୟୁସହ ତୁମ୍ଭର ପ୍ରାଣମାନେ ମୋର ଆୟତ୍ତ ହେବେ (ମୁଁ ତୁମ୍ଭର ପଞ୍ଚପ୍ରାଣ ନେବି) ।’’ ଏହା କହି ଚାପୁଡ଼ା ଉଠାଇବାବେଳେ ରାମ ଅର୍ଦ୍ଧଚନ୍ଦ୍ର ବାଣକୁ ମାରିଲେ ।
୪୩ଶ ପଦ–ବିଶାଳ–ପୃଥକ । ତୁଙ୍ଗ–ମତି ଉଚ୍ଚ । ଶାଳ ମହୀରୂହ–ଶାଳୁଆ ଗଛ । ବିଚ୍ଛେଦିଲା–କାଟିଲା ।
୪୩ଶ ପଦ–ଅତି ମୋଟା ଏବଂ ଅତି ଉଚ୍ଚା ଶାଳ ଗଛ କାଟିଲେ ଯେପରି ପଡ଼େ, ତାଡ଼କାର ଦେହ ସେହିପରି ପଡ଼ିଲା ଏବଂ ସେହି ଦେହରୁ ଗୋଟିଏ ଅତି ସୁନ୍ଦର ରୂପ ବାହାରି ବିମାନ ଆରୋହଣ କରି ସ୍ୱର୍ଗକୁ ଗଲା ।
୪୪ଶ ପଦ–ବିବୁଧ ନିକର–ଦେବତା ସମୂହ ।
୪୪ଶ ପଦ–ଦେବତାମାନେ ଆକାଶରେ ରହି ଏହା ଦେଖି ବାଦ୍ୟ ବଜାଇ ପୁଷ୍ପ ବୃଷ୍ଟି କଲେ । ବୋଧହୁଏ, ଏହି ବନ କାଳିକା ଦେବୀ ଅଟେ; ତାଡ଼କା ମରିବାରୁ ମନେହୁଏ, ତାର ବାହୁରୁ ତାଡ଼ (ଅଳଙ୍କାର)ଭାଙ୍ଗିଗଲାକି ?
୪୫ଶ ପଦ–ବେଦ ବଂଶର–ବିଶ୍ୱାମିତ୍ରର । ବୃଜିନୀ–ପାପିନୀ ।
୪୫ଶ ପଦ–ତାଡ଼କା ମରିବାରୁ ବିଶ୍ୱାମିତ୍ରଙ୍କ ମନରୁ ଉଦ୍ବେଗ କମିଗଲା ସେ ଭାବିଲେ,‘‘ଏହି ରାମ ଅସୁରମାନଙ୍କୁ ମାରି ମୋର ଯାଗ ରକ୍ଷା କରିବେ । ଆଜିଠାରୁ ମୋ ମନରୁ ଭୟ ଗଲା ଏବଂ ଏହି ପାପିନୀ ସ୍ୱର୍ଗ ଭୋଗ କରିବାକୁ ଗଲା ।’’
ବିପକ୍ଷ ପକ୍ଷ ନାହିଁ ମୋକ୍ଷ ଦାୟୀ ।ବିଷ୍ଣୁ ଏ ସ୍ୱୟଂ ଅବତୀର୍ଣ୍ଣ ମହୀ ॥
ବପୁରେ ଲୀନ ଅବତାର ମାନ ।ବସନ୍ତି ପୁରୁଷଲକ୍ଷଣେ ମୀନ ॥
।୪୬।ବିଖ୍ୟାତ ହେଲେ ମନ୍ଦର ତାଡ଼ନେ ।ବରାହବରେ ଏ ନିପୁଣ ଗୁଣେ ॥
ବସନ ହିରଣ୍ୟ–ପ୍ରଭା ଗଞ୍ଜନ ।ବଳୀ ଶିରେ ପାଦ ଦେଇ ଗମନ ॥
।୪୭।ବିଜିତ ତେଜରେ ସହସ୍ରକର ।ବର୍ଣ୍ଣରେ କୃଷ୍ଣ କରି ଅଙ୍ଗୀକାର ॥
ବଳ ସଙ୍ଗ ହୋଇଅଛି ସହଜେ ।ବୁଦ୍ଧତ୍ୱ ବୁଦ୍ଧିରେ ପୁଣ ଉପୁଜେ ॥
।୪୮।ବିଭ୍ରାଜମାନ ସାୟକରେ ଅତି ।ବିଦିତ କରୁଛି ଗନ୍ଧର୍ବଗତି ॥
ବର୍ତ୍ତମାନ ଭୂତ ଭବିଷ୍ୟ ଘେନି ।ବିକ୍ଷଣେ ଅବତାରୀ ଏହି ଚିହ୍ନି ॥
।୪୯।ବପ୍ତା ଭାଗ୍ୟୁ ଦଶରଥ ନୃପତି ।ବିଦ୍ୟାଗୁରୁ ହୋଇ ରହୁ ମୋ କୀର୍ତ୍ତି ॥
ବିବେକୀ ଋଷି ସ୍ନାନବିଧି ସାରି ।ବିଜୟା ଜୟା ମନ୍ତ୍ର ଦାନ କରି ॥
।୫୦।୪୬ଶ ପଦ–ବିପକ୍ଷ–ଶତ୍ରୁ । ବପୁ–ଶରୀର ।
୪୬ଶ ପଦ–‘‘ଏ ସ୍ୱୟଂ ବିଷ୍ଣୁ, ପୃଥିବୀରେ ଅବତୀର୍ଣ୍ଣ ହୋଇ ଅଛନ୍ତି; ଯେ ହେତୁ ଶତ୍ରୁ ମିତ୍ର ନ ବିଚାରି ସମସ୍ତଙ୍କୁ ମୁକ୍ତିଦାନ କରୁଅଛନ୍ତି । ଦଶଅବତାର ଯାକ ଏହାଙ୍କ ଦେହରେ ଗୁପ୍ତ ହୋଇ ରହିଅଛି । ମୀନ ମହାପୁରୁଷର ଲକ୍ଷଣ ହୋଇଥିବାରୁ ଦେଖାଯାଉଛି ।’’
୪୭ଶ ପଦ–ମନ୍ଦର–ପର୍ବତ ବିଶେଷ, ବିଘ୍ନ, ଦୁଷ୍ଟର ବା ଖଳର । ବରାହବର–ବରାହ ଶ୍ରେଷ୍ଠ, ପ୍ରଧାନ ଯୁଦ୍ଧ । ହିରଣ୍ୟ କଶିପୁ, ସୁବର୍ଣ୍ଣ । ବଳୀ–ବଳିରାଜା, ବଳବାନ୍ ।
୪୭ଶ ପଦ–କୁର୍ମ ଅବତାରରେ ବିଷ୍ଣୁ ମନ୍ଦର ପର୍ବତଦ୍ୱାରା ତାଡ଼ିତ (ଆଘାତ ପ୍ରାପ୍ତ) ହୋଇ ବିଖ୍ୟାତ ହୋଇଥିଲେ । ବର୍ତ୍ତମାନ ରାମରୂପୀ ବିଷ୍ଣୁ ‘‘ମନ୍ଦିର ତାଡ଼ନ’’ ବିଘ୍ନମାନଙ୍କୁ ଦୂର କରି (ଅର୍ଥାତ୍ ରାକ୍ଷସମାନଙ୍କୁ ମାରି) ବିଖ୍ୟାତ ହେବେ, ଅଥବା ‘‘ମନ୍ଦର’’ ଦୃଷ୍ଟା ତାଡ଼କାର ମରଣ ବିଧାନ କରି ବିଖ୍ୟାତ ହେଲେ । ବିଷ୍ଣୁ ବରାହରୂପରେ ଗୁଣରେ (ସୌନ୍ଦର୍ଯ୍ୟାଦି ଗୁଣରେ)ଶ୍ରେଷ୍ଠ ହୋଇ ଖ୍ୟାତଲାଭ କରିଥିଲେ । ବର୍ତ୍ତମାନ ରାମ ମହାଯୁଦ୍ଧ କରିବାପାଇଁ ଯେପରି ବୀରତ୍ୱ ଥିବା ଆବଶ୍ୟକ ସେଥିରେ ନିପୁଣ ବୋଲି ଖ୍ୟାତ ହୋଇଅଛନ୍ତି । (ନଚେତ୍ ଦେବୀବାଣୀ ଏହାଙ୍କ ନାମ ପ୍ରକାଶ କରନ୍ତା କାହିଁକି ?)ବିଷ୍ଣୁ ନୃସିଂହ ରୂପରେ ହିରଣ୍ୟାକ୍ଷର ଦର୍ପଗଞ୍ଜନ କରିଥିଲେ, ବର୍ତ୍ତମାନ ଏହି ରାମ ନିଜର ଶସ୍ତ୍ର ତେଜଦ୍ୱାରା ସୁକର୍ଣ୍ଣର ତେଜକୁ ପରାସ୍ତ କରୁଅଛନ୍ତି । ବିଷ୍ଣୁ ବାମନ ରୂପରେ ବଳିରାଜାର ମସ୍ତକରେ ପାଦ ଦେଇଥିଲେ, ବର୍ତ୍ତମାନ ରାମ ବଳଶାଳୀମାନଙ୍କର ମୁଣ୍ଡରେ ପାଦ ଦେଇ ଗମନ କରୁଛନ୍ତି (ଅର୍ଥାତ୍ ବୀର ଶ୍ରେଷ୍ଠ ହୋଇ ଅଛନ୍ତି) ।
୪୮ଶ ପଦ–ସହସ୍ରକର–ସୂର୍ଯ୍ୟ, କାର୍ତ୍ତିବୀର୍ଯ୍ୟ । କୃଷ୍ଣ–ନନ୍ଦ ନନ୍ଦନ, କଳା । ବର୍ଣ୍ଣରେ–ଶରୀର କାନ୍ତିରେ । ଅଙ୍ଗୀକାର–ସ୍ୱୀକାର । ବଳ–ପରାକ୍ରମ ।
୪୮ଶ ପଦ–ପର୍ଶୁରାମ ରୂପରେ ନିଜର ବଳଦ୍ୱାରା ସହସ୍ରାର୍ଜୁନକୁ ପରାସ୍ତ କରିଥିଲେ, ବର୍ତ୍ତମାନ ଏହି ରାମ ରୂପରେ ସୂର୍ଯ୍ୟଙ୍କୁ ସ୍ୱୀୟ ତେଜଦ୍ୱାରା ପରାସ୍ତ କରିଛନ୍ତି ଏବଂ ନିଜ ଶରୀର କାନ୍ତିରେ କଳା ବର୍ଣ୍ଣକୁ ସ୍ୱୀକାର କରି ଅର୍ଥାତ୍ ନବଦୁର୍ବାଦଳ ଶ୍ୟାମଳ ତନୁ ଧାରଣ କରି, ନନ୍ଦନନ୍ଦନ କୃଷ୍ଣ ବୋଲି ସ୍ୱୀକାର କରୁଅଛନ୍ତି । ସେହି କୃଷ୍ଣାବତାରରେ ବଳରାମ ଭାଇ ଭାବରେ (ଭାଇ ହୋଇ) ସାଙ୍ଗରେ ଥିଲେ । ବର୍ତ୍ତମାନ ଏହି କାଳିଆ ଶରୀରରେ ପରାକ୍ରମ ସାଙ୍ଗ ହୋଇଅଛି ଅର୍ଥାତ୍ ମହାବଳିଷ୍ଠ ଅଟନ୍ତି । ବୁଦ୍ଧରୂପରେ ଯେପରି ‘‘ବୁଦ୍ଧତ୍ୱ’’ ଜ୍ଞାନ ବଳରାମ ଲାଭ କରିଥିଲେ, ବର୍ତ୍ତମାନ ମଧ୍ୟ ବୁଦ୍ଧିର ତୀବ୍ରତା ହେତୁ ସେହିପରି ପାଣ୍ଡିତ୍ୟ ଲାଭ କରିଅଛନ୍ତି ।
୪୯ଶ ପଦ–ସାୟକ–ଖଡ଼୍ଗ, ଶର । ଗନ୍ଧର୍ବ–ଦେବଯୋନି ବିଶେଷ, ଗୋଟିକ ।
୪୯ଶ ପଦ–କଳ୍କି ରୂପରେ ଯେପରି ଅତି ତୀକ୍ଷ୍ଣ ଖଡ଼୍ଗ ଧରି ଘୋଡ଼ା ଉପରେ ଚଢ଼ି ବୁଲିବାଦ୍ୱାରା ଜଗତରେ ବିଖ୍ୟାତ ହୋଇଥିଲେ, ଏବେ ସେହିପରି ଅତି ତୀକ୍ଷ୍ଣ ଶରମାନଙ୍କୁ ଧରି (ବଧ୍ୟର ପଛେ ପଛେ) ଅଶ୍ୱପରି ଅତିଶୀଘ୍ର ଦୌଡ଼ିବାରେ ଖ୍ୟାତି ଲାଭ କରିଅଛନ୍ତି, ଅର୍ଥାତ୍ ପ୍ରଧାନ ଧାନୁଷ୍କ ଅଟନ୍ତି । ଋଷି ଏହିପରି ବର୍ତ୍ତମାନ, ଭୂତ, ଭବିଷ୍ୟତର ଚିହ୍ନ ସବୁ ଦେଖି, ରାମଙ୍କୁ ଅବତାରୀ ବିଷ୍ଣୁ ବୋଲି ଚିହ୍ନିଲେ ।
୫୦ଶ ପଦ–ତତ୍ପରେ ଚତୁର ଋଷି ‘ରାଜା ଦଶରଥ ଭାଗ୍ୟବଶରୁ ପିତା ହୋଇ ଯେପରି କୀର୍ତ୍ତି (ପୃଥିବୀର) ରଖି ଅଛନ୍ତି, ସେହିପରି ବିଦ୍ୟାଗୁରୁ ହେବାଦ୍ୱାରା ମୋର କୀର୍ତ୍ତି ରହିବ’–ଏହି କଥା ନିଶ୍ଚୟପୂର୍ବକ ସ୍ନାନବିଧି ସମାପ୍ତ କରି ରାମଙ୍କୁ ଜୟା ଓ ବିଜୟା ନାମକ ଦୁଇଗୋଟି ମନ୍ତ୍ର ପ୍ରଦାନ କରିଥିଲେ ।
ବିଶାଳ କଟକ ସୀମାରେ ସ୍ଥିତ ।ବିଚାରୁ ଅସ୍ତ୍ର ଶସ୍ତ୍ର ଉପଗତ ॥
ବୀରେଶ୍ୱର ରାମ ପଚାରୁ ସତ ।ବଦନ୍ତି ମୁନି ସେ ଦେଶ ଚରିତ ॥
।୫୧।ବାସର ନିଶିଏ ତହିଁରେ ରହି ।କହିଲେ ପ୍ରଭାତ ହରଷ ହୋଇ ॥
ବାନପଦେ ଏ ଛାନ୍ଦ ମନୋହର ।ବିରରେ ଉପଇନ୍ଦ୍ର ବୀରବର ॥
୫୧ଶ ପଦ–ତତ୍ପରେ ରାମ ‘ବିଶାଳ କଟକ’ ବିଶାଳା ନାମକ ନଗରୀର ନିକଟରେ ଉପସ୍ଥିତ ହୋଇ ଋଷି ଦେଇଥିବା ମନ୍ତ୍ରକୁ (ମନେମନେ) ବିଚାରନ୍ତେ ଅର୍ଥାତ୍ ସ୍ମରଣ–କରନ୍ତେ; ଅସ୍ତ୍ର, ଶସ୍ତ୍ର ସବୁ ସେଠାରେ ଉପଗତ ହେଲେ । ଏହା ଉତ୍ତାରୁ ରାମ ମୁନିଙ୍କୁ ବିଶାଳା ନଗରୀର କଥା ପଚାରିବାରୁ ସେ ସମସ୍ତ କଥା କହିଲେ ।
୫୨ ଶତ ପଦ–‘‘ସେମାନେ ସେହି ନଗରୀରେ ଏକ ଅହୋରାତ୍ର ରହି, ସକାଳୁ ଅନ୍ୟନ୍ତ୍ର ଗମନ କଲେ । ବୀରବର ଉପେନ୍ଦ୍ର ଏ ଛାନ୍ଦକୁ ବାଉନ ପଦରେ ଅତି ସୁନ୍ଦରଭାବରେ ରଚନା କଲେ-।