ତୃତୀୟ ଛାନ୍ଦ — ବୈଦେହୀଶ ବିଳାସ (ପ୍ରଥମ ଖଣ୍ଡ) — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଛାନ୍ଦ
(ରାଗ–ରାମକେରୀ)[ଆଦ୍ୟଯମକ]
ବିଦୁଷ ହେ ଶୁଣ ରଞ୍ଜନ ରସ
ବିଦୁଷ ହେ ଶୁଣ ରଞ୍ଜନରସ ମନକୁ ଦେଇ ।ବିଦୁଷଣ ରାଜସମାନେ ଧର୍ମସ୍ୱରୂପୀ ସେହି ॥
।୧।ବିଦିତ ମିଥିଳା ନୃପତି ନାମ ଜନକ ତାର ।ବିଦିଗଦିଗରେ ହୋଇଛି ଖ୍ୟାତ ଯଶ ଯାହାର ॥
।୨।ବିଦଗଧ ଯଜ୍ଞକର୍ମରେ ସର୍ବଦାରେ ସେ ଅତି ।ବିଦଗଧଚିତ୍ତ ପ୍ରାପତ ନୋହିବାରେ ଦୂହିତୀ ॥
।୩।୧ମ ପଦ–ବିଦୂଷ–ପଣ୍ଡିତ । ରଞ୍ଜନ–ମନୋହର । ବିଦୂଷଣ–ପାପରହିତ ।୨ୟ ପଦ–ବିଦିଗ ଦିଗରେ–ଚତୁର୍ଦ୍ଦିଗରେ ।୩ୟ ପଦ–ବିଦଗଧ–ପଣ୍ଡିତ । ବିଦଗ୍ଧ–ଆକୁଳିତ, ଦୁଃଖିତ ।
୧ମ, ୨ୟ, ୩ୟ ପଦ–ହେ ପଣ୍ଡିତମାନେ ! ଅନୁରାଗ ବର୍ଦ୍ଧକ ଏହି ରସକୁ ମନଦେଇ ଶୁଣ-। ରାଜାମାନଙ୍କ ମଧ୍ୟରେ ନିଷ୍ପାପ ଧାର୍ମିକ ମିଥିଳାର ଅଧିପତି ଜନକଙ୍କ ଯଶ ଚତୁର୍ଦ୍ଦିଗରେ ଖ୍ୟାତ ଅଟେ । ସେ ସର୍ବଦା ଯଜ୍ଞ କାର୍ଯ୍ୟରେ ଅତି ଚତୁର । ଗୋଟିଏ କନ୍ୟା ନ ହେବାରୁ ତାଙ୍କ ଚିତ୍ତ ଅତିଶୟ ଦଗ୍ଧ ହେଉଥାଏ ।
ବୃଷାଳ ମଖଶାଳ କୃତେ ଦିନେ ଚଷୁଁ ଅବନୀ ।ବୃଷାଶାପୁଁ ମୁକ୍ତି ପାଇଣ ମେନା ନାମେ କାମିନୀ ॥
।୪।ବସି ବିମାନରେ ଗଗନେ କରୁଅଛି ଗମନ ।ବଶୀଭୂତ ଶୋଭାପ୍ରଭାରେ ହରେ ଜନନୟନ ॥
।୫।ବୁଧଜନକ କି କଳଙ୍କହୀନେ ପୂର୍ଣ୍ଣ ସମ୍ପଦେ ।ବୁଧଜନ କରେ ପରତେ ନଭେ ଦିବସେ ଉଦେ ॥
।୬।ବୃଷଭାସ୍ୟା ସେ ମଣ୍ଡିବାରେ ଚିତ୍ତ ଅତି ଉଦବେଗ ।ବୃଷଭାଷା ଏହି ତରଙ୍ଗେ ଢାଳିବାରେ ଅପାଙ୍ଗ ॥
।୭।ବିହରିତ ପୁନଃପୁନ କି ସୁଧା ପିଇ ଚକୋର ।ବିହରିତରେ ସେ ବହିଛି ନିଶ୍ଚେ ଏ ମନୋହର ॥
।୮।୪ର୍ଥ ପଦ–ବୃଷାଳ–ବିସ୍ତୀର୍ଣ୍ଣ । ମୁଖଶାଳା–ଯଜ୍ଞଶାଳା । ବୃଷାଶାପୁଁ–ଇନ୍ଦ୍ରଶାପରୁ । ମେନା–ମେନକା ନାମ୍ନୀ ଅପ୍ସରା ।
୪ର୍ଥ ଓ ୫ମ ପଦ–ବଡ଼ ଯଜ୍ଞଶାଳା କରିବା ନିମିତ୍ତ ଦିନେ ଭୂମି ଚାଷ କରୁ କରୁ ଇନ୍ଦ୍ରଙ୍କ ଶାପମୁକ୍ତ ହୋଇ ମେନକା ଅପ୍ସରା ବିମାନରେ ବସି ଗଗନରେ ଗମନ କରୁଥିବାର ଦେଖିଲେ; ତାହାର (ମେନକାର) ଶୋଭାପୁଞ୍ଜରେ ଜନ ନୟନ ମୋହିତ ହୁଏ ।
୬ଷ୍ଠ ପଦ–ବୁଧଜନକ–ଚନ୍ଦ୍ର ।୬ଷ୍ଠ ପଦ–(ମେନକାକୁ ଦେଖି) ପଣ୍ଡିତମାନଙ୍କର ପ୍ରତୀତ ହେଲା କଳଙ୍କବିହୀନ ପୂର୍ଣ୍ଣଚନ୍ଦ୍ର ଦିନରେ ଆକାଶରେ ଉଦେ ହୋଇଅଛନ୍ତିକି ?୭ମ ପଦ–ବୃଷଭସ୍ୟା–ଇନ୍ଦ୍ରପୁରୀ । ବୃଷଭାଷା–ମନୋହର ଉକ୍ତି ।
୮ମ ପଦ–ବିହରିତରେ–ଚତୁର୍ଦ୍ଦିଗରେ । ସୁଧା–ଚନ୍ଦ୍ରିକା ।
୭ମ ଓ ୮ମ ପଦ–ମେନକା ସ୍ୱର୍ଗ ପୁରୀକୁ ଯାଉଥିବାରୁ ତାହାର ଚିତ୍ତ ବଡ଼ ଚଞ୍ଚଳ ଥିଲା । ତେଣୁ ଏହି ସୁନ୍ଦର ଉକ୍ତି ପ୍ରତୀୟମାନ ହୁଏ, ଚକୋରପକ୍ଷୀ ଚନ୍ଦ୍ର କିରଣ ପାନ କରି ବାରମ୍ବାର ବିହାର କରୁଅଛିକି ? ତା’ ଅପାଙ୍ଗଚଳନ ଦିଗ ବିଦିଗକୁ ବିଶେଷ ମନୋହର କରିଅଛି । (ନେତ୍ର ସହିତ ଚକୋର, ମୁଖ ସହିତ ଚନ୍ଦ୍ର ଓ ମୁଖର ଶୋଭା ସହିତ ଚନ୍ଦ୍ର କିରଣ ଉପମିତ)
ବଳାରାତିପୁରମଣ୍ଡନା ଶୋଭା ଜନକ ଚାହିଁ ।ବଳାଇଲେ ଚିତ୍ତ ମୋ ସୂତା ପୁଣ ହୁଅନ୍ତା ଏହି ॥
।୯।ବାଳରୁଣାଧରୀ କହିଲା ଜାଣି ତାହାଙ୍କ ଚିତ୍ତ ।ବଳାଏ ଏକ୍ଷଣି ଅଦ୍ଭୁତେ ହୋଇ ସିନା ପ୍ରାପତ ॥
।୧୦।ବଳାହକୁଁ ଜନ୍ମ ହୋଇଲା ପରା ଈଶ୍ୱରଭୀରୁ ।ବଳାହକେ ବିଦ୍ୟୁତ୍ ପ୍ରକାଶ ପ୍ରାୟେ ଗନ୍ଧବତୀରୁ ॥
।୧୧।ବାଣୀ ଯେ ଏପରି ଲଙ୍ଗଳ ଅଗ୍ରେ ଜାତ ମଞ୍ଜୁଷେ ।ବାଣିଜ୍ୟେ ରତ୍ନସଂପୁଟକ ଲଭ୍ୟ ପରା ମଞ୍ଜୁ ସେ ॥
।୧୨।୯ମ ପଦ–ବଳାରତିପୁରମଣ୍ଡନା–ସ୍ୱର୍ଗପୁର ମଣ୍ଡନକାରୀ (ମେନକା)୯ମ ପଦ–ଇନ୍ଦ୍ରପୁର(ସ୍ୱର୍ଗପୁର) ମଣ୍ଡନ କାରିଣୀ ମେନକାର ଶୋଭାକୁ ଦେଖି ଜନକ ୠଷି ମନରେ ଭାବିଲେ–‘ ଏ ମୋର କନ୍ୟା ହୁଅନ୍ତାକି ?’’୧୦ମ ପଦ–ବାଳାରୁଣାଧାରୀ–ଯେଉଁ ସ୍ତ୍ରୀର ଓଷ୍ଠ ନବୋଦିତ ସୂର୍ଯ୍ୟଙ୍କର କର୍ଣ୍ଣପରି ।
୧୦ମ ପଦ–ବାଳସୂର୍ଯ୍ୟପରି ଯାହାର ଅଧର ଶୋଭାପାଏ, ଏପରି ଯେ ମେନକା, ଜନକ ୠଷିଙ୍କ ଚିତ୍ତ ଜାଣି କହିଲା, ‘‘ଏହିକ୍ଷଣି ଗୋଟିଏ ବାଳିକା ଅକସ୍ମାତ୍ ପ୍ରାପ୍ତ ହେବ ।’’
୧୧ଶ ପଦ–ବଳାହକୁଁ–ପର୍ବତରୁ । ଈଶ୍ୱରଭୀରୁ–ପାର୍ବତୀ । ବଳାହକେ–ମେଘରେ । ଗନ୍ଧବତୀରୁ–ପୃଥିବୀରୁ ।୧୧ଶ ପଦ–‘‘ପର୍ବତରୁ ପାର୍ବତୀ ଜାତ ହେଲାପରି, ମେଘରେ ବିଦ୍ୟୁତ୍ ପ୍ରକାଶ ପାଇଲାପରି, ପୃଥ୍ୱୀରୁ ସେ କନ୍ୟା ଜନ୍ମ ହେବ ।’’୧୨ଶ ପଦ–ମଞ୍ଜୁଷ–ପେଡ଼ି । ରତ୍ନସଂପୁଟକ–ରତ୍ନ ଫରୁଆ ।୧୨ଶ ପଦ–ଏହି ବାଣୀ ଶୁଣିଲା ସମୟରେ ବଣିକକୁ ରତ୍ନ ଫରୁଆ ପ୍ରାପ୍ତ ହେଲା ପ୍ରାୟ ଲଙ୍ଗଳ ଅଗରୁ ଗୋଟିଏ ମନୋହର ପେଡ଼ି ଜାତ ହେଲା ।ବିଶ୍ୱମୋହିନୀ ଏ ତା ମଧ୍ୟେ ଦେଖି ମହା ହରଷ ।ବିଶ୍ୱକର୍ମା କୃତ କୃତ୍ରିମପୁତ୍ରୀ କି କଳବଶ ।।୧୩।ବସୁନ୍ଧରାଭବା ଜନକ କୋଳ କରି ସ୍ୱଭାବ ।ବସୁ ଧରାଇଲା କୃପଣେ କି କୃପାଳୁ ଦଇବ ?।୧୪।ବିଶ୍ୱସୃକ ଏକ କରିଛି ଧରି ଶୋଭାଚୟକୁ ।ବିଶ୍ୱକେତୁ କେତୁ ବାନ୍ଧିଲା ଜାଣି ଜଗଜ୍ମୟକୁ ।।୧୫।ବହୁ ଋଷି ତାଙ୍କ ସଙ୍ଗତେ ମେଳ ହୋଇ ଯେ ଥିଲେ ।ବହୁ ସୀତାନାମ ଏ ସୀତା ଯୋଗେ ଜାତ ବୋଇଲେ ।।୧୬।ବିଧି ସନମତ ପୃଥିବୀଭବା ପାର୍ଥିବୀ ଏହି ।ବିଧିରେ ମିଥିଳା ଉତ୍ସବକାରୀ ମୈଥିଳୀ କହି ।।୧୭।୧୩ଶ ପଦ–ବିଶ୍ୱମୋହିନୀ ଏ–ସଂସାରମୋହିନୀ କନ୍ୟାଟିଏ । ବିଶ୍ୱକର୍ମା–ଦେବଶିଳ୍ପୀ । କତ୍ରୀମପୁତ୍ରୀ–କୁଣ୍ଢେଇ । କଳବଶ–କଳଦ୍ୱାରା ।
୧୩ଶ ପଦ–ସେ ପେଡ଼ି ମଧ୍ୟରେ ସଂସାରମୋହିନୀ କନ୍ୟାଟିକୁ ଦେଖି ଜନକ ମହାହର୍ଷ ହେଇ ବିଚାରିଲେ, ‘ବିଶ୍ୱକର୍ମା ଏହି କୁଣ୍ଢାଇଟିକୁ ଯନ୍ତ୍ରଦ୍ୱାରା ଗଢ଼ିଅଛନ୍ତିକି ?’’ (ଯନ୍ତ୍ରନିର୍ମିତ କୁଣ୍ଢାଇ ହସ୍ତ ନିର୍ମିତ କୁଣ୍ଢାଇ ଅପେକ୍ଷା ସୁନ୍ଦର ହୁଏ) ।
୧୪ଶ ପଦ–ବସୁନ୍ଧରାଭବା–ପୃଥିବୀସମ୍ଭୁତା । ବସୁ–ରତ୍ନ ।
୧୪ଶ ପଦ–କୃପାଳୁ ବିଧାତା କୃପଣକୁ ରତ୍ନ ଧରାଇଲା ପରି ଜନକୠଷି ଆନନ୍ଦ ମନରେ ପୃଥ୍ୱୀରୁ ଜାତ କନ୍ୟାକୁ–ପିତା ଦୁହିତାକୁ କୋଳ କଲା ପ୍ରାୟ କୋଳରେ ଧଇଲେ ।
୧୫ଶ ପଦ–ବିଶ୍ୱସୃକ– ବ୍ରହ୍ମା । ବିଶ୍ୱକେତୁ–ମଦନ, କନ୍ଦର୍ପ । କେତୁ–ପତାକା ।
୧୫ଶ ପଦ–ବ୍ରହ୍ମା ସମସ୍ତ ଶୋଭାକୁ ଏକତ୍ରିତ କରି ଏ କନ୍ୟା ଗଢ଼ିଅଛି । କନ୍ଦର୍ପ ଏହାଦ୍ୱାରା ଜଗତ ଜୟ କରିବ, ଏହି ଆଶରେ ପତାକା ଉଡ଼ାଇଲା ।
୧୬ଶ ପଦ–ସୀତା–ଲଙ୍ଗଳର ଅଗ୍ର ।
୧୬ଶ ପଦ–ଜନକଙ୍କ ସହିତ ବହୁତ ଋଷି ରୁଣ୍ଡ ହୋଇଥିଲେ । ସେମାନେ କହିଲେ, ‘‘ଏ ସୀତା ଯୋଗେ (ଲଙ୍ଗଳ ଅଗ୍ରରୁ) ଜାତ ହୋଇଅଛି, ତେଣୁ ଏହା ନାମ ସୀତା ହେଉ ।’’
୧୭ଶ ପଦ–‘‘ଏ ପୃଥିବୀରୁ ସମ୍ଭୂତ ହୋଇଅଛି, ତେଣୁ ବିଧାନରେ ଏହାର ନାମ ପୃଥିବୀ ହେଲା । ପୁଣି ଦୈବକ୍ରମେ ମିଥିଳା ପୁରର ଉତ୍ସବକାରଣୀ ଯୋଗ ଏ ମୈଥିଳୀ ନାମ ପାଇବ ।’’
ବିଦେହଜାୟା କୋଟିଏକ ହେଲେ ସମ କି ଆଉ ?ବିଦେହଦେଶରେ ଉଦ୍ଭବି ବଇଦେହୀ ବୋଲାଉ ॥
।୧୮।ବିଦୁଷ ଜନକ ପାଳନେ ବୋଲାଇବ ଜାନକୀ ।ବିଦୁଷଣ ଶୋଭା ଜେମାର ଆଉ ସମ ଆନ କି ॥
।୧୯।ବାସରେ ଉତ୍ପଳ କି ଲକ୍ଷ ପାରିଜାତକ ତୁଚ୍ଛ ।ବାସରେ ଚହଟେ ଯୋଜନଗନ୍ଧା ନାମହିଁ ସ୍ୱଚ୍ଛ ॥
।୨୦।ବଡ଼ଭି ଉପରେ ଦୋଳିରେ ରଖି ଧାତ୍ରୀ ପାଳିତ ।ବଡ଼–ଭୀ ଉପମାମାନଙ୍କ ଅସମାନରୁ ଜାତ ॥
।୨୧।ବିନିଦ୍ର କି ହେମ ଶୟନେ ଦୁର୍ଗା ରୂପା–ପଲଙ୍କେ ।ବିନିର୍ଗତ ଆନ ଉପମା ସେହି କାଳେ ପଲକେ ॥
।୨୨।୧୮ଶ ପଦ–ବିଦେହଜାୟା–କନ୍ଦର୍ପର ପତ୍ନୀ, ରତି ।
୧୮ଶ ପଦ–‘‘କୋଟି କୋଟି ରତି ଏକ ହେଲେ ଏହାକୁ ସମ ହେବେକି ? (ସମ ହେବେ ନାହିଁ) । ବିଦେହ ଦେଶରେ ଏ ଉଦ୍ଭବ ହୋଇଅଛି. ତେଣୁ ବିଦେହୀ ନାମ ପାଉ ।’’
୧୯ଶ ପଦ–ବିଦୁଷ–ପଣ୍ଡିତ । ବିଦୁଷଣ–ନିଷ୍କଳଙ୍କ ।
୧୯ଶ ପଦ–‘‘ପଣ୍ଡିତ ଜନକ ୠଷିଙ୍କ ପାଳନ ଯୋଗେ ଏହାର ନାମ ଜାନକୀ ହେବ । ଦୋଷରହିତ ଏହି ଜେମାର ଶୋଭାକୁ ଦେବାକୁ ଆଉକିଛି ଅଛିକି ?(ଆଉକିଛି ନାହିଁ) ।’’
୨୦ଶ ପଦ–ଉତ୍ପଳ–ପଦ୍ମ । ଲକ୍ଷ–ତୁଲ୍ୟ । ଯୋଜନ–ଚାରିକ୍ରୋଶ ।
୨୦ଶ ପଦ–‘ସେହି କନ୍ୟାର ବାସନାକୁ ପଦ୍ମ ବାସନା କା କି ଲକ୍ଷ ଦେବା ? ପାରିଜାତ ବାସନା ମଧ୍ୟ ତୁଚ୍ଛ ହୋଇଯିବ । ଦେହ ସୌରଭ ଯୋଜନେ ପର୍ଯ୍ୟନ୍ତ ଚହଟୁଥିବାରୁ (ଏହାର) ଯୋଜନାଗନ୍ଧା ନାମ ସାର୍ଥକ ହେଲା ।’
୨୧ଶ ପଦ–ବଡ଼ଭି–ଚନ୍ଦ୍ରଶାଳାସୁର । ବଡ଼–ଭୀ–ଅତିଭୟ ।
୨୧ଶ ପଦ–ପାଳୁଥିବା ଧାଇମାନେ ଚନ୍ଦ୍ରଶାଳା ପୁରରେ ଦୋଳିରେ ଝୁଲାଇଲାବେଳେ ଯେଉଁ ସୌନ୍ଦର୍ଯ୍ୟ ସୃଷ୍ଟ ହେଲା, ତା’ ସହିତ ଆଉ କୌଣସି ଉପମା ସମାନ ନ ହୋଇ ବଡ଼ ଭୟ ପାଇଲେ ।
୨୨ଶ ପଦ–ହେମ–ସୁବର୍ଣ୍ଣ । ପଲକ–ଚକ୍ଷୁର ପକ୍ଷ୍ମପାତ ।
୨୨ଶ ପଦ–ଦୋଳିରେ ଶୋଇଥିବା ବେଳେ ଅନୁମିତ ହେଲା । ସ୍ୱର୍ଣ୍ଣଦୁର୍ଗା ରୌପ୍ୟପଲଙ୍କରେ ଶୟନ କରି ଅଛନ୍ତିକି ? ସେହି ସମୟରେ କନ୍ୟା ପଲକ ପକାଇବାରୁ ଅନ୍ୟ ଉପମା ସବୁ ବାହାରି ପଡ଼ିଲେ ।
ବାଳକୀ ଲୀଳା କଉତୁକେ ଅନ୍ତଃପୁରସ୍ଥା ମୋହି ।ବାଳ କି ଶୈବାଳ କମଳକୋଷ ଉପରେ ଶୋହି ॥
।୨୩।ବାଡ଼ବର ଚିତ୍ରପ୍ରତିମା ପରି ଧରି ତା ଉଭା ।ବାଡ଼ବର ମଧ୍ୟେ ପକାଅ ଆନ ସମାନ ଶୋଭା ॥
।୨୪।ବିଡ଼ମ୍ବ ନୂତନ ମଞ୍ଜରୀ ଢଳିତ କି ପବନେ ।ବିଡ଼ମ୍ବଣ ଅନ୍ୟ ଦୃଷ୍ଟି ସେ ଟଳଟଳ ଗମନେ ॥
।୨୫।ବଚକୁ ବାଚକେ ନ କହୁଁ ପୁଣି ଶୁଣି ଉତ୍ସାହୀ ।ବଚକୁ ପିଇଲା ପଢିଲା ଶୁକ ମୁକରେ ରହି ॥
।୨୬।୨୩ଶ ପଦ–ବାଳକୀ ଲୀଳା–ବାଲ୍ୟାବସ୍ଥାର କ୍ରୀଡ଼ା କୌତୁକ । ଶୈବାଳ–ଶିଉଳି । କମଳକୋଷ– ପଦ୍ମକଢ଼ ।
୨୩ଶ ପଦ–ବାଳକାଳର କ୍ରୀଡ଼ା କୌତୁକରେ ସେ କନ୍ୟା ଅନ୍ତଃପୁରରେ ଥିବା ରମଣୀମାନଙ୍କୁ ମୋହିଲେ । ପଦ୍ମକଢ଼ ଉପରେ ଶିଉଳୀ ଶୋଭିତ ହେଲାପରି ତାଙ୍କ ମୁଣ୍ଡରେ ଥିବା ବାଳସବୁ ଶୋଭା ପାଇଲା ।
୨୪ଶ ପଦ–ବାଡ଼ବର–ଉତ୍ତମ କାନ୍ଥ । ବାଡ଼ବରେ–ସମୁଦ୍ର ମଧ୍ୟସ୍ଥ ଅଗ୍ନିରେ ।
୨୪ଶ ପଦ–କାନ୍ଥକୁ ଧରି ଆଉଜି ଉଭା ହେଲାବେଳେ ସେ କାନ୍ଥରେ ଲେଖାଥିବା ଚିତ୍ରପ୍ରତିମା ପ୍ରାୟ ଶୋଭା ଦିଶିଲେ । ସେହି ଶୋଭା ସହିତ ତୁଳନା କରିବାକୁ ଆଉ ଯେତେ ଉପମାସବୁ ଅଛି, ତାକୁ ବାଡ଼ବାଗ୍ନିରେ ପକାଇ ଦିଅ । (ଏହା ସହିତ ଉପସ୍ଥିତ ହେବାକୁ ଆଉ କେହି ସମ ନୁହଁନ୍ତି)
୨୫ଶ ପଦ–ବିଡ଼ମ୍ବ–ବିଳମ୍ବ ବା ଯାହା ଲମ୍ବିଅଛି । ନୂତନ ମଞ୍ଜରୀ–ନୂଆଲତା । ବିଡ଼ମ୍ବଣ–ନିନ୍ଦିତ, ବୃଥା ।
୨୫ଶ ପଦ–ସୀତାଙ୍କ ଟଳ ଟଳ ଗମନ [ଭଲରୂପେ ଚାଲି ଜାଣି ନ ଥିବା ହେତୁ] ପବନରେ ଦୋହୁଲୁଥିବା ନୂତନ ଲଳିତା ସଦୃଶ ଦେଖାଯାଏ । ତାଙ୍କ ଗତିବେଳେ ଅନ୍ୟଆଡ଼କୁ ଦୃଷ୍ଟିପାତ କରିବା ବୃଥା; (ତାଙ୍କ ଗତିର ସୌନ୍ଦର୍ଯ୍ୟର ଅନ୍ୟ ସମସ୍ତ ଦିଗର ସୌନ୍ଦର୍ଯ୍ୟ ଲୁଚିଯାଏ)
୨୬ଶ ପଦ–ବଚକୁ–କଥାକୁ । ବାଚକେ–ବଚନରେ । ମୁକ–ମୌନ ।
୨୬ଶ ପଦ–ସେ କଥାକୁ ବାକ୍ୟରେ ପ୍ରକାଶ କରୁ କରୁ ଶୁଣିବା ଲୋକେ ପୁଣି ଶୁଣିବାକୁ ଉତ୍ସାହିତ ହେଲେ । ଶୁକ (ସୀତାଙ୍କ ସ୍ୱର ସହିତ ସମାନ ହେବା ପାଇଁ )ବଚ ଖାଇ ପଢ଼ିଲା, ତଥାପି ସମାନ ନ ହେବାରୁ ମୂକ ହୋଇ ରହିଲା ।
ବାଳୀ ସେ ଖେଳିଲା ଶିଶୁଙ୍କ ସଙ୍ଗେ କ୍ରମ କ୍ରମରେ ।ବାଳିଶେ ଲକ୍ଷିବେ ସେ କାଳେ ରମ୍ଭା ରମା ସମରେ ॥
।୨୭।ବେଣୀ ଚାରୁ ଶିରେ ଶୁକଳ ରଙ୍ଗଫୁଲେ ଯତନ ।ବେଣୀ ତ୍ରିପୂର୍ବ କି ନଭରୁ ହେଉଛନ୍ତି ପତନ ॥
।୨୮।ବିଳମ୍ବିତ କର୍ଣ୍ଣେ କୁଣ୍ଡଳ କି ସେ ଶାଙ୍କୁଳୀ ବଳା?ବିଳମ୍ବିତ ଦମ୍ଭ ଚିତ୍ତରେ ଦେବ ଚାହୁଁ ନୋହିଲା ॥
।୨୯।ବୟ କଲା କାହିଁ ଏ ରୀତିମାନ ସୁନ୍ଦରୀମଣି ।ବୟସଙ୍ଗତି କି ପ୍ରକାଶି ଆନ ପ୍ରକାରେ ଆଣି ॥
।୩୦।୨୭ଶ ପଦ–ବାଳିଶେ–ମୂର୍ଖମାନେ ।
୨୭ଶ ପଦ–ସେ ସୀତା କ୍ରମଶଃ ଶିଶୁଙ୍କ ସହିତ ଖେଳିବାକୁ ଆରମ୍ଭ କଲେ । ସେତେବେଳର ଶୋଭାକୁ ଦେଖି କେବଳ ମୂର୍ଖମାନେ ରମ୍ଭା ଓ ଲକ୍ଷ୍ମୀଙ୍କ ସହିତ ସମାନ ବୋଲି କହିବେ (ରମ୍ଭା ଓ ଲକ୍ଷ୍ମୀଙ୍କ ଶୋଭା ମଧ୍ୟ ସେ ଶୋଭା ସହିତ ତୁଳନୀୟ ହୋଇ ନ ପାରେ) ।
୨୮ଶ ପଦ–ବେଣୀ ତ୍ରିପୂର୍ବ ଅର୍ଥାତ ତ୍ରିବେଣୀ–ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀତ୍ରୟର ସଙ୍ଗମସ୍ଥାନ । ନଭରୁ–ଆକାଶରୁ ।
୨୮ଶ ପଦ–ବେଣୀଦ୍ୱାରା ଶୋଭିତ ମଣ୍ଡଳରେ ଧଳା ଓ ଲାଲ ରଙ୍ଗର ଫୁଲ ଯତ୍ନରେ ମଣ୍ଡନ କଲେ; ତାହା ଦେଖି ମନେହୁଏ ତ୍ରିବେଣୀ–ଗଙ୍ଗା, ଯମୁନା, ସରସ୍ୱତୀ ଆକାଶରୁ ଖସି ପଡ଼ୁଅଛନ୍ତିକି ? (ଗଙ୍ଗାର ପାଣି ଧଳା, ଯମୁନା ପାଣି ଗାଢ଼ କଳା ଓ ସରସ୍ୱତୀର ପାଣି ଲାଲ ବର୍ଣ୍ଣ ଦେଖାଯାଏ) ।
୨୯ଶ ପଦ–ବିଳମ୍ବିତ ଦମ୍ଭଚିତ୍ତରେ–ଧୈର୍ଯ୍ୟଶାଳୀ ବ୍ୟକ୍ତିମାନଙ୍କୁ !
୨୯ଶ ପଦ–କର୍ଣ୍ଣରେ କୁଣ୍ଡଳ ଝୁଲୁଥିବାର ଦେଖିଲେ ତାହା ଶାଙ୍କୁଳି ପରି ଆଖିକୁ ବାନ୍ଧି ରଖେ । ଧୈର୍ଯ୍ୟଶାଳୀ ଲୋକ ହେଲେ ମଧ୍ୟ ଚାହିଁଲେ ତା’ର ଆଖି ସେ ଫେରାଇ ପାରିବ ନାହିଁ ।
୩୦ଶ ପଦ–ବୟସଙ୍ଗତି–ଯୌବନର ପ୍ରଥମ ଅବସ୍ଥା ।୩୦ଶ ପଦ–ସେ ସୁନ୍ଦରୀଶିରୋମଣି ସୀତା ଏ କାଳ ସୁଲଭ ରୀତିମାନଙ୍କୁ ଶେଷକରି ପ୍ରଥମ ଯୌବନ ସମୟର ଭିନ୍ନ ରୀତିମାନ ପ୍ରକାଶ କଲେ ।ବିଭାକାଳେ ନାରୀ ଯେମନ୍ତେ କନ୍ୟାଳଙ୍କାର ମୁଞ୍ଚି ।ବିଭାବନା ହେଲା ତହିଁରେ ନବବିଳାସ ରଞ୍ଚି ॥
।୩୧।ବସନ୍ତଦୂତ ଧ୍ୱନି କଲାବେଳେ କେତେ ଇଙ୍ଗିତ ।ବସନ୍ତ ରାଗରେ ଆଳାପ ତହିଁ କରଇ ଗୀତ ॥
।୩୨।ବସନ୍ତ ବସନେ ଗଣ୍ଠିକି ଦେଇ କନ୍ଧେ ପକାଇ ।ବସନ୍ତ ବସନ ମୋହିବି ଏହି ଗୁମାନ ବହି ॥
।୩୩।ବନ୍ଧନ କରେ ନାନା ଛନ୍ଦେ ନୀବୀ ସେ ପୁନଃ ପୁନଃ ।ବନ୍ଧଚିତ୍ରପଟ ଏକାନ୍ତେ ଚାହିଁବାରେ ସୁମନ ॥
।୩୪।ବନ୍ଦି ଯାହାକୁ ବଡ଼ ବୋଲି ସଉନ୍ଦର୍ଯ୍ୟେ ଧରାରେ ।ବନ୍ଦୀପରି ହୋଇ ରହିଲା ଅବରୋଧେ ଧରାରେ ॥
୩୧ଶ ପଦ–ବିଭାକାଳରେ ନାରୀ ଯେପରି ପିଲାଦିନର ଅଳଙ୍କାରସବୁ ଛାଡ଼ି ଅନ୍ୟ ଅଳଙ୍କାରକୁ ଇଚ୍ଛା କରେ, ସେହିପରି ଯୌବନ କାଳରେ ପୁରାତନ କ୍ରୀଡ଼ା ଛାଡ଼ି ନୂତନ କ୍ରୀଡ଼ା କରିବାକୁ ସେ ମନ ବଳାଇଲେ ।
୩୨ଶ ପଦ–ବସନ୍ତଦୂତ–କୋକିଳ । ବସନ୍ତ–ରାଗବିଶେଷ ।
୩୨ଶ ପଦ–କୋକିଳ ଧ୍ୱନି କଲାବେଳେ ସୀତା ସେ ସ୍ୱନକୁ ଉପହାସ କରି ବସନ୍ତ ରାଗରେ ଗୀତ ବୋଲୁଥିଲେ । (ସୀତାଙ୍କ ସ୍ୱନ କୋକିଳ ସ୍ୱନଠାରୁ ଉତ୍କୃଷ୍ଟତର) ।
୩୩ଶ ପଦ–ବସନ୍ତ ବସନେ–ହଳଦିଆ ଲୁଗାରେ । ବସନ୍ତ ବସନ–ପୀତାମ୍ବର, ବିଷ୍ଣୁ ।
୩୩ଶ ପଦ–ସୀତା ହଳଦିଆଲୁଗା ପିନ୍ଧି ତା’ର କାନିରେ ଗଣ୍ଠି ଦେଇ କାନ୍ଧରେ ପକାଉଥିଲେ । ସେଥିରୁ ଜଣାଯାଉଥିଲା, ସେ ରାମଚନ୍ଦ୍ରଙ୍କୁ ଦିନେ ନିଶ୍ଚୟ ମୋହିତ କରିବେ,–ଏହି ଗୁମାନରେ ଯେପରି କାନିରେ ଗଣ୍ଠି ପକାଇ ରଖୁଅଛନ୍ତି ।
୩୪ଶ ପଦ–ନାବୀ–କଛା । ବନ୍ଧଚିତ୍ରପଟ–ଚଉଷଠି ବନ୍ଧ ଚିତ୍ରିତ ଚିତ୍ରପଟ ।୩୪ଶ ପଦ–ସେ ସୀତା ନାନାପ୍ରକାର ଛନ୍ଦରେ ନାବୀ ବାରମ୍ବାର ବନ୍ଧନ କଲେ । ଚଉଷଠି ବନ୍ଧ ଚିତ୍ରକୁ ଏକାନ୍ତରେ ଦେଖିବାକୁ ମନ ବଳାଇଲେ ।୩୫ଶ ପଦ–ବନ୍ଦ–ବନ୍ଦନା କରି । ଅବରୋଧ– ଅନ୍ତଃସୁରରେ ।
୩୫ଶ ପଦ–ବ୍ରହ୍ମାଣ୍ଡରେ ସୌନ୍ଦର୍ଯ୍ୟପଣରେ ଶ୍ରେଷ୍ଠ ସ୍ଥାନ ଦିଆଯାଇ ଯାହାକୁ ବନ୍ଦନା କରାଯାଏ, ଏପରି ଯେ ସୀତା, ସେ ଯୌବନକାଳ ହେବାରୁ ଅନ୍ତଃସୁରରେ ବନ୍ଦୀ ହୋଇ ରହିଲେ ।
ବତ୍ସର ନବିରୁ ଦିନକୁଦିନ ପ୍ରଭା ବଢ଼ାଇ ।ବତ୍ସରେ କୁଚ ଅଙ୍କୁରିତ, ଏହି ଉତ୍ପ୍ରେକ୍ଷା ହୋଇ ॥
।୩୬।ବର୍ଣ୍ଣମାଳୀପରା ରୋମାଳି କି ସେ ସରଘାପନ୍ତି ।ବର୍ଣ୍ଣନୀୟ ଏହି, କରନ୍ତି କି ସେ ଊର୍ଦ୍ଧ୍ୱକୁ ଗତି ?।୩୭।ବିକଳନା କରି ସଞ୍ଚନ୍ତି ମଧୁ କଳ୍ପଦ୍ରୁମରେ ।ବିକଳପ, ଫଳ ଅଙ୍କରୁ ଭଜେ ବୁଦ୍ଧିକ୍ରମରେ ॥
।୩୮।ବିଜୟ ହୋଇଲା କ୍ରମୁକଠାରୁ ତାଳସରିକି ।ବିଜୟ ହୃଦରେ ସ୍ୱୟମ୍ଭୁ ରୂପେ କଲେ ଶମ୍ଭୁ କି ॥
।୩୯।ବଳିଶ୍ରେଷ୍ଠ କାମ ତାହାଙ୍କ ବାମ କଲା ପ୍ରହାର ।ବଳି ବାଟୁଳିକି ସ୍ତନାଗ୍ରରୂପେ ସେ ମନୋହର ॥
।୪୦।୩୬ଶ ପଦ–ବତ୍ସରନବରୁ–ନଅବର୍ଷଠାରୁ । ବତ୍ସରେ–ଛାତିରେ ।୩୭ଶ ପଦ–ବର୍ଣ୍ଣମାଳା–ଅକ୍ଷରମାଳା ।
୩୬ଶ ଓ ୩୭ଶ ପଦ–ନଅବର୍ଷ ହେବାରୁ ଦିନକୁ ଦିନ (ସୀତାଙ୍କ) ପ୍ରଭା ବଢ଼ିଲା । ବକ୍ଷସ୍ଥଳରେ କୁଚ ଅଙ୍କୁରିତ ହେବାରୁ ଏହି ଉତ୍ପ୍ରେକ୍ଷା ବହନ କଲା–ବର୍ଣ୍ଣମାଳା ପ୍ରାୟ ଯେଉଁ ରୋମାବଳୀ, ସେ ମହୁମାଛି ହେଲା । ସେହି ମହୁମାଛି ଉପରକୁ ଗତି କରୁଅଛିକି ? ଏହାହିଁ ବର୍ଣ୍ଣନାଯୋଗ୍ୟ ।
୩୮ଶ ପଦ–ସରଘାପନ୍ତି–ମଧୁମକ୍ଷିକାଗଣ ।୩୯ଶ ପଦ–ବିକଳପ–କଳ୍ପନା । କ୍ରମୂକ–ଗୁଆ ।
୩୮ଶ ଓ ୩୯ଶ ପଦ–ସ୍ତନ୍ୟରୂପ କଳ୍ପଦ୍ରୁମରେ (ରୋମାବଳୀ ରୂପ ମହୁମାଛିମାନେ) ମଧୁ ସଞ୍ଚୁ ଅଛନ୍ତି–ଏହା ବିଶେଷ ଭାବରେ ଅନୁମାନ କରିବାର କଥା । ଅଥବା ସେ କଳ୍ପଦ୍ରୁମରେ ଫଳ ଫଳ କ୍ରମଶଃ ଗୁବାକଠାରୁ ତାଳ ଫଳ ସଦୃଶ ବୃଦ୍ଧି ପ୍ରାପ୍ତ ହେଲାକି ? କିମ୍ବା ସ୍ୱୟଂମ୍ଭୁ (ଯେ ସ୍ୱୟଂ ବର୍ଦ୍ଧିତ ହୁଅନ୍ତି) ଶିବଲିଙ୍ଗ ହୃଦରେ ବିଜୟ କଲେକି ?
୪୦ଶ ପଦ–ମହାବଳୀ କନ୍ଦର୍ପ ଶିବଙ୍କର ଶତ୍ରୁ ଅଟେ । ତେଣୁ ସେ ସଦ୍ୟ ବାଟୁଳି ବଳି ପ୍ରହାର କଲାକି ? ସେହି କୁଚାଗ୍ର ରୂପରେ ମନୋହର ଦିଶୁଅଛି (ବାଟୁଳି ବାଜି ଝଡ଼ି ପଡ଼ିବାର କଥା, ମାତ୍ର ଏ ବାଟୁଳି ସାଙ୍ଗେ ସାଙ୍ଗେ ତିଆରି ହୋଇଥିବାରୁ ଓଦା ଥିଲା ଓ କଳା ଦିଶୁଥିଲା । ସେହି କଳା ଓ ଓଦା ବାଟୁଳି ମହାଦେବଙ୍କ ଶିରରେ ବାଜି ଲାଖି ରହିଅଛିକି ?)
ବାସରେ ଯତନେ ଘୋଡ଼ାଇ ଚୋକ କବଚ ଦେଇ ।ବାସଅଙ୍ଗୀ ସ୍ୱର ଭୟରୁ ରତି ସେବନେ ସ୍ନେହୀ ॥
।୪୧।ବନଧବକୁ ଯେ ଜିଣିଲା କଟୀ କୃଶତା ହୋଇ ।ବନଧରକେଶୀ କିଙ୍କିଣୀ ଜୟବାଦ୍ୟ ବଜାଇ ॥
।୪୨।ବଳାହଂସକ ନାଦେ ଗତି ବଡ଼ାଇକି ଶୁଣାଇ ।ବଳାତ୍କାରେ ମନ୍ଦ ସରଣେ ଗଜ ହଂସ ଜିଣାଇ ॥
।୪୩।ବାରଣବୃଷା ଗର୍ବ ଖର୍ବ କରି ଊରୁ ଦୀପିତ ।ବାରଣଦନ୍ତ କୁନ୍ଦା ସ୍ତମ୍ବ କି କୁଙ୍କୁମ ଲେପିତ ॥
।୪୪।୪୧ଶ ପଦ–ବାସରେ–ଲୁଗାରେ । ଚୋଳ–କାଞ୍ଚଲା । କବଚ–ସାଞ୍ଜୁ ।
୪୧ଶ ପଦ–ସୌରଭାଙ୍ଗୀ ସୀତା କାମ ଭୟରୁ ସ୍ତନଶମ୍ଭୁକୁ ରକ୍ଷା କରିବାପାଇଁ ତାକୁ କାଞ୍ଚଲା ରୂପ କବଚରେ ଆଚ୍ଛାଦନ କରି ତା’ ଉପରେ ଲୁଗା ଘୋଡ଼ାଇଲେ । ଆଉ ମଧ୍ୟ ରତି ସେବା କଲେ (ରତି ସେବା କଲେ ରତିଙ୍କ ସ୍ୱାମୀ କାମଦେବ ସନ୍ତୁଷ୍ଟ ହେବେ; ଅର୍ଥାତ୍ ରତି ରସରେ ଚିତ୍ତ ମଜ୍ଜିଲା) ।
୪୨ଶ ପଦ–ବନଧବ–ସିଂହ । ବନଧକେଶୀ–ମେଘର କର୍ଣ୍ଣପରି ଯାହାର କେଶର ବର୍ଣ୍ଣ । (ସୀତା) ।୪୨ଶ ପଦ–ସୀତାଙ୍କର କଟୀ କ୍ଷୀଣତାର ସିଂହକୁ ଜୟ କଲା । ତେଣୁ ସେହି ଜଳଧରକେଶୀ ସୀତା କଙ୍କିଣୀରୂପ ଜୟବାଦ୍ୟ ବଜାଇଲେ ।୪୩ଶ ପଦ–ହଂସକୁ–ନୂପୁର । ମନ୍ଦ ସରଣେ–ମନ୍ଦଗତିରେ ।
୪୩ଶ ପଦ–ସୀତାଙ୍କର ଗମନ ଗଜ ଓ ହଂସର ଗତିକୁ ବଳି ପଡ଼ିବାରୁ ସେ ଧୀର ଗତି କଲାବେଳେ ବଳା ଓ ନୂପୁର ନାଦରେ ଗମନର ବଡ଼ିମାକୁ ଶୁଣାଇଲେ । (ତାଙ୍କ ଗତି ହଂସ ଓ ଗଜର ଗତିଠାରୁ ମଧ୍ୟ ମନ୍ଥର ହେଲା ।)
୪୪ଶ ପଦ–ବାରଣବୃକ୍ଷା–କଦଳୀ ବୃକ୍ଷ । ଊରୁ–ଜାନୁ । ଦୀକ୍ଷିତ–ଶୋଭିତ । ବାରଣଦନ୍ତ–ହସ୍ତୀଦନ୍ତ ।
୪୪ଶ ପଦ–ତାଙ୍କ ଊରୁଦ୍ୱୟ କଦଳୀ ବୃକ୍ଷର ଗର୍ବକୁ ଖର୍ବ କରି ତେଜ ପ୍ରକାଶ କଲା । (ତାହା ଦେଖି ମନେହେଲା) କୁନ୍ଦା ହୋଇଥିବ ହସ୍ତୀ ଦନ୍ତର ସ୍ତମ୍ଭରେ କୁଙ୍କୁମ ବୋଳା ହୋଇଛି କି-?
ବାହୁ ଶୋଭା ଚାହିଁ ମୃଣାଳ କଣ୍ଟକକୁ ବହିଲା ।ବାହୁଟି ତାଡ଼ରେ ଜାଣିଲି ସେ ପୂଜାକୁ ପାଇଲା ॥
।୪୫।ବ୍ରହ୍ମାଣ୍ଡରେ ନାହିଁ ସେ ହସ୍ତତୁଳ କହିବା ତର୍କେ ।ବ୍ରହ୍ମା ତେଣୁ ଦେଲା ଅତୁଳ କରି ନାମ କଟକେ ॥
।୪୬।ବିଭୁଷଣ ଭୁଷାନିଚୟ ସର୍ବ ସୁନ୍ଦରୀଙ୍କରେ ।ବିଭୁ ସେ ଜାନକୀ ଅତୁଲ ତାଙ୍କୁ ଆମ୍ଭେ ଏଠାରେ ॥
।୪୭।ବନ୍ଦିଆମଣ୍ଡନେ ଶ୍ରବଣେ ତାଳପତ୍ର ଘଉଡ଼ି ।ବନ୍ଦିଆ ନୋହି କି ସେ ଯିବ, ଯେଉଁ ନୟନ ପଡ଼ି ॥
।୪୮।୪୫ଶ ପଦ–ମୃଣାଳ–ପଦ୍ମନାଡ଼ ।
୪୫ଶ ପଦ–ବାହୁର ସୌନ୍ଦର୍ଯ୍ୟ ଦେଖି ପଦ୍ମନାଭ (ଅସମାନ ହେବାରୁ) ଦେହରେ କଣ୍ଟା ବହନ କଲା । ତହିଁରେ ବାଜୁବନ୍ଧ ଓ ତାଡ଼ ଦିଆଯିବାରୁ ମନେକରୁଛି,–ସେ ଦୁହେଁ (ବାହୁକୁ) ପୂଜା କରୁଅଛନ୍ତିକି ? କିମ୍ବା–ବାଜୁବନ୍ଧ ଓ ତାଡ଼ ଦୁହେଁ ବାହୁରେ ଲାଗିବାରୁ ନିଜେ ବାହୁଯୋଗୁ (ପୂଜ୍ୟ ହେଲେ) ଆଦର ଲଭିଲେ ।
୪୬ଶ ପଦ–ବିଭୂଷଣ–ମଣ୍ଡନ । ଭୂଷାନିଚୟ–ଅଳଙ୍କାର ସମୂହ ।
୪୬ଶ ପଦ–ସୀତାଙ୍କ ସହିତ ତୁଲ୍ୟ ହେବାକୁ ବ୍ରହ୍ମାଣ୍ଡରେ ଆଉକିଛି ନାହିଁ । ତେଣୁ ମନେହୁଏ, ବ୍ରହ୍ମା ସେ ହସ୍ତରେ ଥିବା ବଳୟର ନାମ ଅତୁଲ୍ୟ ରଖିଅଛନ୍ତି ।
୪୭ଶ ପଦ–ପୃଥିବୀର ସମସ୍ତ ସୁନ୍ଦରୀ ନାନା ଅଳଙ୍କାରରେ ଭୂଷିତ ହୋଇସୁଦ୍ଧା ସୀତାଙ୍କ ସହିତ ସମକକ୍ଷ ହେବେ ନାହିଁ । ତେଣୁ ସୋମନେମନେ(ଅଳଙ୍କାରମାନେ) କଲେ–ସୀତା ଆମ୍ଭମାନଙ୍କର ପ୍ରଭୁ । ଆମ୍ଭେ ତାଙ୍କୁ ସମକକ୍ଷ ନୋହୁ । (ଅଳଙ୍କର ସବୁ ସୁନ୍ଦରୀମାନଙ୍କର ଭୂଷଣ । ମାତ୍ର ସେହି ଅଳଙ୍କାରମାନ ସୀତାଙ୍କୁ ଦେଖି ମନେକଲେ, ସୀତା ଆମର ପ୍ରଭୁ, ଆମେ ତାଙ୍କର ଭୂଷଣ ହେବା ତ ଦୂରେ ଥାଉ, ତାଙ୍କ ସମକକ୍ଷ ମଧ୍ୟ ହୋଇପାରିବୁ ନାହିଁ ) ।
୪୮ଶ ପଦ–ସେ ତାଡ଼କାକୁ ବଦଳାଇ ତା’ ପରିବର୍ତ୍ତରେ ବନ୍ଦିଆ [କର୍ଣ୍ଣାଳଙ୍କାର ବିଶେଷ] ଶ୍ରବଣରେ ମଣ୍ଡନ କଲେ । ତହିଁରେ ଯେଉଁ ଆଖି ପଡ଼ିବ, ସେ ବନ୍ଦୀ ନ ହୋଇ କୁଆଡ଼େ ଯିବ ? [ସେହି ବନ୍ଦିଆଠାରେ ଆଖି ଟାଣି ହୋଇ ରହିବ ।]
ବାଳୀ ଝଲକାଦି ସୁଫୁଲ ମଲ୍ଲୀକଢ଼ୀ ବିଶେଷେ ।ବାଳୀ ଝଲକାଇ ଯେମନ୍ତ ନୋହିବ ଶେଷେ ॥
।୪୯।ବନ୍ଧା ସୁମନରେ ଜୁଡ଼ା ସେ ଧୈର୍ଯ୍ୟ ଉଜୁଡା ସେହି ।ବନ୍ଧା ସୁମନକୁ ପକାଇ ନେବ କେ ମୁକୁଳାଇ ?।୫୦।ବିଶେଷେ ଚଞ୍ଚଳ ଈଷଣ ବାଣ ସେ ଗତାଗତ ।ବିଶେସେ ଯୁକ୍ତ କି ଅଞ୍ଜନେ ଯେଣୁ ଅତି ଜ୍ୱଳିତ ॥
।୫୧।ବାଜିବାର ଭୟେ କୁରଙ୍ଗ ମୀନ ବନେ ପଳାଇ ।ବାଜୀବାର ଗତାଗତ ସେ ଗତି ଶିଖିବା ପାଇଁ ॥
।୫୨।୪୯ଶତ ପଦ–ବାଳୀ–ସୀତା, କର୍ଣ୍ଣାଳଙ୍କାର ବିଶେଷ । ଶେଷେ–ଶେଷଦେବଙ୍କଦ୍ୱାରା, ଅନନ୍ତଦ୍ୱାରା ।
୪୯ଶତ ପଦ–ସୀତା ବାଳୀ, ଝଲ୍କଫାଶିଆ, କାନଫୁଲ ଓ ମଲ୍ଲୀକଢ଼ୀ (ମଲକଢ଼ୀ) ପ୍ରଭୃତି କର୍ଣ୍ଣଭୂଷଣରେ ଭୂଷିତ ହୋଇ ଯେଉଁ ଅନିବର୍ଚନୀୟ ଶୋଭା ଧାରଣ କରିଥିଲେ, ତାହା ଶେଷଦେବ ସହସ୍ରମୁଖରେ ସୁଦ୍ଧା ବର୍ଣ୍ଣନା କରି ପାରିବେ ନାହିଁ ।
୫୦ଶତ ପଦ–ତାହାଙ୍କର ନାନାଜାତି ଫୁଲରେ ମଣ୍ଡିତ ହୋଇଥିବା ଜୁଡ଼ା ଦର୍ଶକମାନଙ୍କର ଧୈର୍ଯ୍ୟ ଲୋପକାରୀ ଥିଲା । ଏଣୁ ଥରେ ମାତ୍ର ତାହାକୁ ଦେଖିଲେ, ସେହି ଶୋଭା ଦର୍ଶନରୁ ମନକୁ ଫେରାଇ ଆଣିବା କଷ୍ଟକର ହେଉଥିଲା ।
୫୧ଶତ ପଦ–ଇକ୍ଷଣ–ନେତ୍ର । ଗତାଗତ–ଗମନାଗମନ । ଅଞ୍ଜନ–କଜ୍ଜ୍ୱଳ । ଜ୍ୱଳିତ–ଉଜ୍ଜ୍ୱଳ ।୫୨ଶତ ପଦ–କୁରଙ୍ଗ–ମୃଗ । ମୀନ–ମତ୍ସ୍ୟ । କନେ–ଅରଣ୍ୟରେ, ଜଳରେ ବାଜୀକାର–ଘୋଟକ ସମୂହ, ପକ୍ଷୀମାନେ ।
୫୧ଶତ ଓ ୫୨ଶତ ପଦ–ମୃଗସମୂହ ଓ ମୀନସମୂହ ଅତିଶୀଘ୍ର ଗମନାଗମନ କରୁଥିବାରୁ ସୀତାଙ୍କର ଆଖିକୁ ଶର ଏବଂ ସେଥିରେ ଅତି ଉଜ୍ଜ୍ୱଳ କଜ୍ଜ୍ୱଳ ଲାଗିଥିବାରୁ ବିଷବୋଳା (ଶର) ବୋଲି ଭାବି କେଜାଣି ଆମ ଦେହରେ ବାଜିବ, ଏହି ଆଶଙ୍କାରେ ଅରଣ୍ୟ ଓ ଜଳରେ ପ୍ରବେଶ କଲେ । କିନ୍ତୁ ଘୋଡ଼ା ଓ ପକ୍ଷୀମାନେ ତାହାଙ୍କ ନେତ୍ରରେ ଗତି ସହିତ ସମାନ ହେବାପାଇଁ ଶୀଘ୍ରଗତିର ଅଭ୍ୟାସରେ ଲାଗିଲେ । (ଅର୍ଥାତ୍ ମୃଗ, ମୀନ, ଘୋଟକ ଓ ପକ୍ଷୀମାନଙ୍କର ଗତିଠାରୁ ତାଙ୍କ ନେତ୍ରରେ ଗତି ବଳି ପଡ଼ିଥିଲା) ।
ବର୍ତ୍ତୁଳ ମୁକୁତା ଚଳିତ ନାସା ପୁଡ଼ା ଯେ ଫୁଲେ ।ବର୍ତ୍ତୁକେ ତା ଚାହିଁ ଆଜନ୍ମ ବ୍ରହ୍ମଚାରୀ ହୋଇଲେ ॥
।୫୩।ବନ୍ଧୁ କରିବାର ଇଚ୍ଛିଲା ଯେଣୁ ଅଧର ତୁଲେ ।ବନ୍ଧୁକ ନାମହିଁ ରହିଲା ତେଣୁ ଉକ୍ତିକ ପୁଲେ ॥
।୫୪।ବଧୁଲୀ ଅଧର ବୋଳିବା ଯୁକ୍ତ ଅର୍ଥରେ ଅନ ।ବଧୂ କରେ ତହିଁ ଉପରେ ହାସ ପ୍ରକାଶମାନ ॥
।୫୫।ବଭର୍ତ୍ତି ମୋତିପନ୍ତି ଦନ୍ତ ଓଷ୍ଠ ମାଣିକ୍ୟପାତ୍ରେ ।ବିଭବ ଶୋଭାର କେ କହୁ ଯେ ବିଚିତ୍ର ବିଚିତ୍ରେ ॥
।୫୬।୫୩ଶତ ପଦ–ବର୍ତ୍ତୁଳ–ଗୋଲ । ଫୁଲେ–ଫୁଲି ଉଠୁଥିବା । ଆଜନ୍ମ–ପିଲାଦିନରୁ ।
୫୩ଶତ ପଦ–ପିଲାଦିନରୁ ବ୍ରହ୍ମଚାରୀ ହୋଇଥିଲେ ସୁଦ୍ଧା (ନିଶ୍ୱାସ ନେବା ସମୟରେ) ଫୁଲି ଉଠୁଥିବା ତାହାଙ୍କ ନାକପୁଡ଼ା ନିକଟରେ ଦୋହଲୁଥିବା ଗୋଲ ମୁକ୍ତାକୁ ଦେଖି କେଉଁ ଲୋକ ବର୍ତ୍ତିବ ?
୫୪ଶତ ପଦ–ରକ୍ତର ଫୁଲ–ବଧଲୀ ଫୁଲ । ଅଧର–ଓଠ ।
୫୪ଶତ ପଦ–ବଧୁଲୀ ଫୁଲ (ସାତରାଡ଼ିଆ ଫୁଲ । ସୀତାଙ୍କର ଓଷ୍ଠ ସହିତ ବନ୍ଧୁତା କରିବାକୁ ଇଚ୍ଛା କରିବାରୁ, ତାହାର ନାମ ବନ୍ଧୁକ ହେଲେ (ଅର୍ଥାତ ତାଙ୍କର ଓଷ୍ଠ ବଧୁଲୀ ଫୁଲ ପରି ରକ୍ତବର୍ଣ୍ଣ ଅଟେ) ।
୫୫ଶତ ପଦ–ବଧୂ–ବୋହୂ, ଏଠାରେ ସୀତା । ଅଧର–ନ୍ୟୂନ ।
୫୫ଶତ ପଦ–ସୀତାଙ୍କର ଓଷ୍ଠ ବଧୂଲୀର ସମାନ ଥିବାରୁ ତାହାଙ୍କୁ ବଧୂଲୀ ଅଧରା କହିବା ଉପଯୁକ୍ତ ହେଲେ ମଧ୍ୟ ସେପରି ଅର୍ଥ କରିବା ଠିକ୍ ନୁହେଁ, ଯେହେତୁ ସୀତା ସେହି ବଧୁଲୀ–ଅଧର (ଓଷ୍ଠ) ଉପରେ ହାସ ପ୍ରକାଶ କରନ୍ତି । (ଅର୍ଥାତ୍ ବଧୂଲୀକୁ ଉପହାସ କରନ୍ତି) ଅତଏବ ‘ବଧୂଲୀ’ ରକ୍ତକ ଫୁଲ ତାହାଙ୍କର ଓଷ୍ଠଠାରୁ ‘ଅଧର’ ନ୍ୟୂନ ଅଟେ ।
୫୬ଶତ ପଦ–ମୋତି–ଶୁକ୍ଳ ହୀରା । ମାଣିକ୍ୟ–ପଦ୍ମରାଗମଣି । ବିଭବ–ସମ୍ପତ୍ତି, ଏଠାରେ ଉତ୍କର୍ଷ ।
୫୬ଶତ ପଦ–ସୀତାଙ୍କର ଓଷ୍ଠରୂପୀ ପଦ୍ମରାଗମଣିର ପାତ୍ର ଦନ୍ତରୂପୀ ହୀରା ସମୂହକୁ ଧାରଣ କରିଅଛି (ଅର୍ଥାତ୍ ତାହାଙ୍କର ଅତି ସ୍ୱଚ୍ଛ ଦନ୍ତପଙ୍କ୍ତି ଓଷ୍ଠର ରକ୍ତିମାଦ୍ୱାରା ସମୟ ସମୟରେ ରଞ୍ଜିତ ହେଉଅଛି) । ଏଣୁ ମନେହୁଏ, ଯେଉଁ ଶୋଭାର ଉତ୍କର୍ଷ ଚିତ୍ରରେ ଦେଖାଇ ହେବ ନାହିଁ, ତାହାକୁ କିଏ ବର୍ଣ୍ଣନା କରିବ ?
ବିଭୂଷଣ ନାନାପ୍ରକାରେ ଯେତେ କରନ୍ତି ତିନି ।ବିଭୂଷଣ ପରା ତହିଁକି ଦିଶେ ସୁନ୍ଦରୀ ଜ୍ୟୋତି ॥
।୫୭।ବଦନରେ ଚନ୍ଦ୍ର ଦର୍ପଣ ପଦ୍ମ ନିଉଞ୍ଛାଇବା ।ବଦନରେ ଏହି ଉକ୍ତିକି ଆନ କି ଲକ୍ଷ ଦେବା?।୫୮।ବରବର୍ଣ୍ଣିନୀ ରସଲତା ନବ ପୁଷ୍ପବତୀ ସେ ।ବରଣ କରିବା ଜନକ କହେ ଯତିଙ୍କ ପାଶେ ॥
।୫୯।ବାରିଲେ ବାଲ୍ମୀକି ଟେକିବ ଯେହୁ ଶିବଚାପକୁ ।ବାରିଜଗନ୍ଧାକୁ ପ୍ରଦାନ ନିଶ୍ଚେଁ କରିବା ତାକୁ ॥
।୬୦।ବୋଧ ଜନକ ହରଧନୁ ସ୍ୱୟଂବର ରଚିତ ।ବୋଧକର ମୁଖେ ବିଖ୍ୟାତ, ନୃପଗଣେ ଆଗତ ॥
।୬୧।ବାସ କରନ୍ତୁ ସେହି ସୀତାଲୀଳା ସଦା ମୋ ହୃଦ ।ବାଷଠୀପଦେ ଉପଇନ୍ଦ୍ର ଭଞ୍ଜ କହେ ଏ ଛାନ୍ଦ ॥
୫୭ଶତ ପଦ–ସୀତା ପ୍ରତିଦିନ ଯେଉଁସବୁ ଅଳଙ୍କର ଧାରଣ କରନ୍ତି, ତାହାଙ୍କର କାନ୍ତି ସେହି ଅଳଙ୍କାରମାନଙ୍କର ଅଳଙ୍କାର ପରି ଦେଖାଯାଏ । (ଅର୍ଥାତ୍ ସୀତା ଅଳଙ୍କାରର ଅଳଙ୍କାର ଅଟନ୍ତି) ।
୫୮ଶତ ପଦ–ବଦନ–ମୁଖ । ଲକ୍ଷ–ଉପମା ।
୫୮ଶତ ପଦ–ଆନନ୍ଦଦାୟକ ଗୁଣରେ ଚନ୍ଦ୍ର, କାନ୍ତିରେ ଦର୍ପଣ ଓ ସୁଗନ୍ଧିରେ ପଦ୍ମ, ସୀତାଙ୍କ ମୁଖଠାରୁ ଊଣା ଅଟନ୍ତି । ଅତଏବ ଅନ୍ୟ କୌଣସି ବସ୍ତୁର ନାମ ମୁଖରେ ଉଚ୍ଚାରଣ କରି ଉପମା ଦେବା ଠିକ୍ ନୁହେଁ ।
୫୯ତମ ପଦ–ବରବର୍ଣ୍ଣିନୀ–ପୀତବର୍ଣ୍ଣା । ରସଲତା–ଶୃଙ୍ଗାରରସ ରୂପ ଲତା । ପୁଷ୍ପବତୀ–କୁସୁମବତୀ, ଯୁବତୀ ।
୫୯ତମ ପଦ–ସେହି ସୁନ୍ଦରୀ ସୀତା ଯୌବନରେ ପଦାର୍ପଣ କରିବାରୁ ‘ତାହାଙ୍କର ସ୍ୱୟଂବର ନିମିତ୍ତ ରାଜାମାନଙ୍କୁ ନିମନ୍ତ୍ରଣ କରିବା’–ଏହି କଥା ଜନକ ଋଷିମାନଙ୍କ ନିକଟରେ ପ୍ରକାଶ କଲେ ।
୬୦ତମ ପଦ–ବାଚିଲେ–କହିଲେ । ଶିବଚାପ–ଶିବଧନୁ । ବାରିଜଗନ୍ଧା–ପଦ୍ମଗନ୍ଧା ।୬୦ତମ ପଦ–ଏହା ଶୁଣି ବାଲ୍ମୀକି ମୁନି କହିଲେ, ‘‘ଯେ ଶିବଧନୁ ଟେକିବାକୁ ସମର୍ଥ ହେବ, ତାହାକୁ ପଦ୍ମିନୀ ସୀତାଙ୍କୁ ପ୍ରଦାନ କରିବା ।’’୬୧ତମ ପଦ–ବୋଧକର–ଭାଟ ।
୬୧ତମ ପଦ–ଜନକ ‘ହରଧନୁ’ ଟେକିବା ପଣରେ ରାଜିହୋଇ ସ୍ୱୟଂବର ସଭାର ସମସ୍ତ ଯୋଗାଡ଼ କରି ଖ୍ୟାତନାମ ଭାଟମାନଙ୍କଦ୍ୱାରା ରାଜାମାନଙ୍କ ନିକଟକୁ ନିମନ୍ତ୍ରଣ ପଠାଇଲେ ।
୬୨ତମ ପଦ–ସେହି ସ୍ୱୟଂବର ସୀତାଙ୍କର ସଦା ମୋ ହୃଦୟରେ ଜାଗିଉଠୁ । ଉପେନ୍ଦ୍ର ଭଞ୍ଜ ଏହିକଥା କହି ବାଷଠିପଦରେ ଏ ଛାନ୍ଦ ଶେଷ କଲେ ।