ଦ୍ୱିତୀୟ ଛାନ୍ଦ — ବୈଦେହୀଶ ବିଳାସ (ପ୍ରଥମ ଖଣ୍ଡ) — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ଛାନ୍ଦ
(ରାଗ–ମଙ୍ଗଳ ଗୁଜ୍ଜରୀ)ବିଦୁଷ ! ଦୁଷଣ ବିବର୍ଜ୍ଜିତ ଗୀତେ ରସ ।ବିଷ୍ଣୁ ଚରିତ ତ୍ୱରିତ କରିବ ହରଷ ଯେ ॥
।୧।ବାମଦେବ ଦେବରାଜ ଗୁରୁ ସଙ୍ଗତିରେ ।ବିମନେସୁମନେଗଲେ କ୍ଷୀରସିନ୍ଧୁତୀରେ ଯେ ॥
।୨।ବ୍ରହ୍ମାଣ୍ଡ କ୍ଷୋଭିତେ ଭୀତେ ବ୍ରହ୍ମା ପ୍ରମୁଖରେ ।ବିଶ୍ୱମ୍ଭର ଭରସାରେ ସ୍ତୁତି କଲେ ଖରେ ଯେ ॥
।୩।୧ମ ପଦ–ବିଦୁଷ–ପଣ୍ଡିତ । ଦୂଷଣ ବର୍ଜିତ–ଦୋଷଶୂନ୍ୟ । ତ୍ୱରିତ–ଶୀଘ୍ର ।୧ମ ପଦ–ପଣ୍ଡିତମାନେ । ଦୋଷ ରହିତ ଗୀତରେ ଅନୁରକ୍ତ ହୁଅ । କାରଣ ଏ ବିଷ୍ଣୁ ଚରିତ ଶୀଘ୍ର ହର୍ଷ ପ୍ରଦାନ କରିବ ।୨ୟ ପଦ–ବାମଦେବ–ଶିବ । ଦେବରାଜ–ଇନ୍ଦ୍ର । ଗୁରୁ–ବୃହସ୍ପତି । ସୁମନେ–ଦେବଗଣ୩ୟ ପଦ–କ୍ଷୋଭିତ–ତ୍ରସ୍ତ । ଭୀତେ–ଭୟରେ । ବ୍ରହ୍ମା ପ୍ରମୁଖରେ–ବହ୍ମାଙ୍କ ଅଗ୍ରଣୀରେ । ବିଶ୍ୱମ୍ବର–ବିଷ୍ଣୁ ।
୨ୟ ଓ ୩ୟ ପଦ–ବ୍ରହ୍ମାଣ୍ଡ ଅସ୍ଥିର ହେବାରୁ ମହାଦେବ, ଇନ୍ଦ୍ର, ବୃହସ୍ପତି ଆଦି ଓ ଅନ୍ୟ ଦେବତାମାନେ ବ୍ରହ୍ମାଙ୍କ ସଙ୍ଗରେ ଯାଇ କ୍ଷୀରସିନ୍ଧୁ ତୀରରେ ବିଶ୍ୱମ୍ଭରଙ୍କୁ (ସମଗ୍ର ବ୍ରହ୍ମାଣ୍ଡର ଧାରଣ କର୍ତ୍ତାଙ୍କୁ) ସ୍ମୃତି କଲେ ।
ବହିତ ଲୀଳା ରୋହିତ ରୋହିତ ମରତି ।ବେଗେ ବରଦୈତ୍ୟ ବରଦାନେ ହେଲ ରତି ହେ ॥
।୪।ବହି ଅମନ୍ଦମନ୍ଦର କୂର୍ମ ନମୋନମ ।ବାରିଧିଅମୃତ ମନ୍ଥୁ ଅମୃତ ଜନମ ଯେ ॥
।୫।ବିପକ୍ଷେ ଦେବାରି ବାରି ପରଶିଲ ସୁଧା ।ବିଶ୍ୱମୋହିତ ମୋହିନୀରୂପରେ ବିଶୁଦ୍ଧା ଯେ ॥
।୬।୪ର୍ଥ ପଦ–ରୋହିତ–ଲାଲବର୍ଣ୍ଣ । ରୋହିତ–ରୋହିମାଛ । ନରଦୈତ୍ୟ–ଶଙ୍ଖାସୁର । ବରଦାନ–ଭୟ ଛେଦନ ।
୪ର୍ଥ ପଦ–ହେ ଭଗବାନ ! ଲୀଳାରେ ଲୋହିତ ବର୍ଣ୍ଣ ରୋହି ମତ୍ସ୍ୟର ମୂର୍ତ୍ତି ଧରି ଶଙ୍ଖାସୁରର ଭୟରୁ ରକ୍ଷା କରିଥିଲ (ଶଙ୍ଖାସୁରକୁ ବିନାଶ କରିଥିଲ) ।
୫ମ ପଦ–ଅମନ୍ଦ ମନ୍ଦର–ବୃହତ୍ ମନ୍ଦର ପର୍ବତ । ବାରିଧି ଅମୃତ–ସାଗର ଜଳ ।ଷଷ୍ଠ ପଦ–ଦେବାରି–ରାକ୍ଷସ । ବାରି–ନିଷେଧ କରି । ବିଶୁଦ୍ଧ–ନିଷ୍କଳଙ୍କ ।
୫ମ ଓ ୬ଷ୍ଠ ପଦ–ତୁମ୍ଭେ ବୃହତ୍ ମନ୍ଦର ପର୍ବତକୁ ବହନ କରି କରି ସମୁଦ୍ରତଳ ମନ୍ଥନ କରାଇ ଅମୃତ ଜନ୍ମାଇଥିଲ । ପୁଣି ବିଶ୍ୱମୋହନୀ ମୋହିନୀ ରୂପ ଧାରଣ କରି ଶତ୍ରୁ ଭାବରେ ଅସୁରମାନଙ୍କୁ ଦୂରେ ରଖି ଆମ୍ଭମାନଙ୍କୁ ଅମୃତ ପରଶିଲ । ଏପରି ଯେ କୂର୍ମ ଅବତାର, ତୁମ୍ଭଙ୍କୁ ନମସ୍କାର ।
ବରାହବର ବରାହବର ସୁପଣ୍ଡିତ ।ବଲ୍ଲଭମହୀର ହିରଣ୍ୟାକ୍ଷକୁ ଖଣ୍ଡିତ ଯେ ॥
।୭।ବପୁବନ୍ତ ହରି ହରି ପ୍ରହ୍ଲାଦ ପୁଣ୍ୟକୁ ।ବିଦାରିଲ କରୀପରି କରି ହିରଣ୍ୟକୁ ଯେ ॥
।୮।ବାମନ ମନମୋହନ ହୋଇ ଭୂଦାନରେ ।ବଳିଷ୍ଠ ବଳିକି ଚାପି ଅଧୋଭୁବନରେ ଯେ ॥
।୯।୭ମ ପଦ–ବରାହବର–ଶ୍ରେଷ୍ଠ ବରାହ । ବରାହବର–ଭୟଙ୍କର ଯୁଦ୍ଧ । ବଲ୍ଲଭମହୀର–ଚକ୍ରବର୍ତ୍ତୀ ।୭ମ ପଦ–ହେ ବରାହଶ୍ରେଷ୍ଠ ! ଯୁଦ୍ଧ ପଣ୍ଡିତ ପୃଥ୍ୱୀପତ ହିରଣ୍ୟାକ୍ଷ ଦୈତ୍ୟକୁ ଶ୍ରେଷ୍ଠ ଯୁଦ୍ଧରେ ବିନାଶ କରିଅଛ ।୮ମ ପଦ–ବପୁବନ୍ତହରି–ନୃସିଂହ ମୂର୍ତ୍ତିଧାରୀ [ନାରାୟଣ] । ପଣ–ପ୍ରତିଜ୍ଞା । କରୀ–ହାତୀ-।୮ମ ପଦ–ହେ ହରି ! ପ୍ରହ୍ଲାଦର ପୁଣ୍ୟ ଫଳରେ ନରସିଂହ ରୂପ ଧଇଲ ଓ ହିରଣ୍ୟକୁ ହାତୀପରି ବିଦାରଣ କଲ ।୯ମ ପଦ–ଭୂଦାନ–ଭୂମିଦାନ । ଅଧୋଭୁବନ–ପାତାଳ ।୯ମ ପଦ–ସୁନ୍ଦର ବାମନମୁର୍ତ୍ତି ଧାରଣ କରି ଭୂମିଦାନ ନେବା ସମୟରେ ବଳବାନ୍ ବଳୀକୁ ପାତାଳରେ ଚାପିଥିଲ ।ବିଭୁ ଭୃଗୁବଂଶପର ପରଶୁଧାରଣ ।ବାହୁଜ ବାହୁସହସ୍ର ଦାରଣ କାରଣ ହେ ॥
।୧୦।ବିଂଶକର କରଣୀକି ନାହିଁ ସରି ରକ୍ଷ ।ବିନତି ଉନ୍ନତିହୀନେ ଆମ୍ଭେ,ପ୍ରଭୁ ! ରକ୍ଷ ହେ ॥
।୧୧।ବୁଧ ବିବୁଧଙ୍କ ସ୍ତୁତି ଘେନି କମ୍ବୁଧର ।ବଶୀଭୂତ ହେଲେ ବସି ଗରୁଡ଼ କନ୍ଧର ଯେ ॥
।୧୨।ବୋଇଲେ ପ୍ରବରବର ଦିଅ କାହିଁପାଇଁ ।ବେଭାରେ ତ୍ରିପୁରଭାର ଦୈତ୍ୟେ ଜାଣ ନାହିଁ ହେ ॥
।୧୩।୧୦ମ ପଦ–ଭୃଗୁବଂଶପର–ଭୃଗୁବଂଶ ଶ୍ରେଷ୍ଠ । ବାହୁଜ–କ୍ଷତ୍ରିୟ । ବାହୁ ସହସ୍ର–ସହସ୍ରାର୍ଜୁନ । ବାରଣ–ନିଷେଧ ।
୧୦ମ ପଦ–ହେ ହରି ! ଭୃଗୁକୁଳ ଶ୍ରେଷ୍ଠ (ପର୍ଶୁରାମ) ରୂପରେ ପରଶୁ (କୁଠାର) ଧରି କ୍ଷତ୍ରିବୀର କୀର୍ତ୍ତୀବୀର୍ଯ୍ୟର ବିନାଶର କାରଣ ହେଲ ।
୧୧ଶ ପଦ–ବିଂଶକର–ରାବଣ । କରଣୀ–ପ୍ରତାପ । ସରି–ସମାନ । ରକ୍ଷ–ରାକ୍ଷସ ।
୧୧ଶ ପଦ–ଏବେ ରାବଣର ପ୍ରତାପକୁ ସମାନ ହେବାପରି ରାକ୍ଷସ ଆଉ ନାହିଁ । ତେଣୁ (ତାହାରି ପ୍ରତାପରେ) ଆମେ ନିସ୍ତେଜ ହୋଇ ପଡ଼ିବାରୁ ତୁମ୍ଭଙ୍କୁ ବନ୍ଦନା କରୁଅଛୁ । ହେ ପ୍ରଭୋ ! ରକ୍ଷା କର ।
୧୨ ଶ ପଦ–ବୁଧ ବିବୁଧଙ୍କ–ବିଜ୍ଞ ଦେବତାମାନଙ୍କ । ଜମ୍ବୁଧର–ଶଙ୍ଖଧାରୀ (ବିଷ୍ଣୁ) ।୧୩ ଶ ପଦ–ପ୍ରବର ବର–ଉକ୍ତୃଷ୍ଟ ବର । ତ୍ରିପୁର–ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ।
୧୨ଶ ଓ ୧୩ଶ ପଦ–ଶଙ୍ଖଧାରୀ ବିଷ୍ଣୁ ବିଜ୍ଞ ଦେବତାଙ୍କ ସ୍ତୃତିରେ ବଶୀଭୂତ ହୋଇ ଗରୁଡ଼ କାନ୍ଧରେ ବସି ଆସି କହିଲେ, ‘‘କାହିଁକି ଏପରି ଉତ୍କୃଷ୍ଟ ବର ଦିଅ ? ସ୍ୱଭାବରେ ଦୈତ୍ୟମାନେ ତିନିପୁରର ଶତ୍ରୁ; ଏହା କ’ଣ ଜାଣ ନାହିଁକି ?’’
ବୋଇଲ ଯେ ପୂର୍ବ ପୂର୍ବଦେବେ ବଳେ ସାର ।ବିନାଶରେ କୀନାଶ ପ୍ରକାର ସଂସାର ଯେ ॥
।୧୪।ବିହି ବିହିଲେ ଶୁଣି ତା କି ଭକ୍ତିବଚନ ।ବର କରୁଁ ଉଚିତେ ଏ ଚିତ୍ତେ ବିରଚନ ଯେ ॥
।୧୫।ବିଲୋକନ ହେବ ନବ ନବ ଅବତାର ।ବିଧୂର ମଧୂରଲୀଳା ହୋଇବ ବିସ୍ତାର ଯେ ॥
।୧୬।ବୃଷଭାସନେ ବୃଷଭାଷଣେ ଅତିତର ।ବିଭୋ ତାର ଯେଉଁ ନାମ ତାରକ ମନ୍ତର ଯେ ॥
।୧୭।ବିହି ସେହି ମୁରତି ରତିଶକୋଟି ଜିତ ।ବାଞ୍ଛା ପୁରୁ ହେ ପୁରୁଷୋତ୍ତମ ! ମୁଁ ଭାବିତ ହେ ॥
।୧୮।୧୪ ପଦ–ପୂର୍ବଦେବ–ରାକ୍ଷସ । କୀନାଶ–ଯମ ।
୧୪ଶ ପଦ–‘ରାକ୍ଷସମାନେ ଖୁବ୍ ବଳବାନ୍ ଓ ସଂସାର ବିନାଶ କରିବାରେ ଯମ ସଦୃଶ । ତୁମ୍ଭେ କହୁଛ ଯେ, ରାବଣ ଏମାନଙ୍କ ଅପେକ୍ଷା ମଧ୍ୟ ଶ୍ରେଷ୍ଠ । (ତେବେ ଏପରି ବର ଦେଲ କାହିଁକି-?)’’
୧୫ ଶ ପଦ–ବିହି–ବ୍ରହ୍ମା । ବିହିଲେ–କହିଲେ ।୧୬ଶ ପଦ–ବିଲୋକନ ହେବ–ଦେଖାଯିବ । ବିଧୁର–ବିଷ୍ଣୁଙ୍କର । ମଧୁରଳୀଳା–ମନୋହର କ୍ରୀଡ଼ା ।
୧୫ଶ ପଦ ଓ ୧୬ଶ ପଦ–ବିଷ୍ଣୁଙ୍କର ବଚନ ଶୁଣି ବିଧାତା ଭକ୍ତିଭରେ କହିଲେ, ‘‘ଆପଣଙ୍କର ନୂଆ ନୂଆ ଅବତାର ଦର୍ଶନ ଓ ନାନା ଲୀଳାର ବିଶ୍ଲେଷଣ ହେବ । ହୃଦୟରେ ଏହି ଚିନ୍ତା କରି ଆମେ ଉଚିତରେ ବର ପ୍ରଦାନ କରୁ ।’’
୧୭ଶ ପଦ–ବୃଷଭାସନ–ଶିବ । ବୃଷଭାଷଣ–ଉଚ୍ଚସ୍ୱର । ଅବିତର–ଅତିଶୀଘ୍ର । ତାର–ତ୍ରାଣକର ।୧୮ଶ ପଦ–ରତୀଶକୋଟିଜିତ–କୋଟିକନ୍ଦର୍ପଜିତ ।
୧୭ଶ ଓ ୧୮ଶ ପଦ–ତାହାପରେ ମହାଦେବ ଶୀଘ୍ର ଯାଇ ଉଚ୍ଚସ୍ୱରରେ କହିଲେ, ‘ହେ ବିଭୋ ! ହେ ପୁରୁଷୋତ୍ତମ ! ଯେଉଁ ତାରକ ମନ୍ତ୍ରର ଦୀପ୍ତି କୋଟି କାମଦେବକୁ ଜୟ କରିଛି, ସେ ରାମମୂର୍ତ୍ତି ଧାରଣ କର । ମୁଁ ସେ ମୂର୍ତ୍ତି ଦେଖିବା ପାଇଁ ଚିନ୍ତିତ ଅଛି, ମୋର ମନୋବାଞ୍ଛା ପୂର୍ଣ୍ଣ ହେଉ ।’’
ବିରୁପାକ୍ଷ ବୋଲିବାରେ ବାରେ କି ଶୋଚନ ।ବିକ୍ଷଣ ଲୋଭେ ଇକ୍ଷଣ ତିନି ମୁଁ ରଚନ ହେ ॥
।୧୯।ବକ୍ତ୍ର ପାଞ୍ଚ ପାଞ୍ଚ ଏହି ବହି ସ୍ତୁତିକୃତେ ।ବହନ ବହ ସେ ରୂପ ମୋହରି ସ୍ୱକୃତେ ହେ ॥
।୨୦।ବାସ୍ତୋଷ୍ପତି ପତିତ ଅଛନ୍ତି କେତେ ଭାଷି ।ବହ ସେ ରୂପ ସ୍ୱରୂପେ ନ ଯାନ୍ତୁ ସେ ଭାସି ହେ ॥
।୨୧।ବିଶ୍ୱକସେନ ସେନେହ କରି ଏ ଉତ୍ତରେ ।ବିଧୁ–କାଶ–ଜିତ ହାସ ପ୍ରକାଶି ସତ୍ୱରେ ଯେ ॥
।୨୨।ବହିବି ନାହିଁ ମୁଁ ଅରି ଅରମାଣରେ ।ବିରାଜମାନ ବି–ରାଜ ନ ଚଢ଼ି ରଣରେ ଯେ ॥
।୨୩।ବନୌକା ପ୍ରବଳ ବଳ ସଙ୍ଗ ହେବେ ହେଳେ ।ବୋଲିଣ ଅନ୍ତର ଯେ ଅନ୍ତର୍ଯ୍ୟାମୀ ହେଲେ ଯେ ॥
।୨୪।୧୯ଶ ପଦ–ବିରୂପାକ୍ଷ–ଅସୁନ୍ଦର ଆଖି । ବିକ୍ଷଣ–ଦେଖିବା । ଈକ୍ଷଣ–ଚକ୍ଷୁ ।୨୦ଶ ପଦ–ବକ୍ତପାଞ୍ଚ–ପଞ୍ଚମୁଖ ।
୧୯ଶ ଓ ୨୦ଶ ପଦ–ମୋତେ ବିରୂପାକ୍ଷ (ମୋର ତିନି ଆଖିଥିବାରୁ) କହନ୍ତି, ସେଥିରେ ମୋର ତିଳେ ହେଲେ ଶୋଚନା ହୁଏ ନାହିଁ । ବିଶେଷ ଭାବରେ ସେହି ରାମ ରୂପ ଦେଖିବା ପାଇ ମୁଁ ତିନିଆଖି ବହିଛି । ବହୁତ ମୁଖରେ ସ୍ତୁତି କରିବି; ଏହି ପାଞ୍ଚ ପାଞ୍ଚି ମୁଁ ପଞ୍ଚମୁଖ ବହନ କରିଛି । ମୋହର ସୁକୃତି ଲାଗି ସେହି ରାମ ରୂପ ଧାରଣ କର ।’’
୨୧ଶ ପଦ–ବସ୍ତୋଷ୍ପତି–ଇନ୍ଦ୍ର । ପତିତ–ପାପୀ ।
୨୧ଶ ପଦ–ଇନ୍ଦ୍ର କହିଲେ ‘‘ପାପୀ ଲୋକମାନେ ସଂସାରରେ ଅଛନ୍ତି, ସେମାନେ ଯେପରି ଭାସି ନ ଯାନ୍ତୁ । ତୁମ୍ଭେ ରାମ ରୂପ ଧାରଣ କର । (ତୁମ୍ଭଙ୍କୁ ଦେଖିଲେ ସେମାନଙ୍କ ପାପ ଦୂର ହେବ ଓ ସେମାନେ ମୁକ୍ତି ଲାଭ କରିବେ) ।
୨୨ଶ, ୨୩ଶ, ୨୪ଶ ପଦ–ବିଶ୍ୱକ୍ସେନ–ବିଷ୍ଣୁ । ବିଧୁ–ଚନ୍ଦ୍ର । କାଶ–କାଶତଣ୍ଡୀଫୁଲ । ଅରି–ଚକ୍ର । ଅରିମାରଣରେ–ଶତ୍ରୁ ବିନାଶକାଳରେ । ବିରାଜ–ଗରୁଡ଼ । ବନୌକା–ବାନର ।
୨୨ଶ, ୨୩ଶ, ୨୪ଶ ପଦ–ବିଷ୍ଣୁ ଦେବତାଙ୍କର ଉତ୍ତର ଶୁଣି ଚନ୍ଦ୍ର ଓ କାଶତଣ୍ଡୀଫୁଲକୁ ମଳିନ କରୁଥିବା ସେହି ମିଶ୍ରିତ ହସ ପ୍ରକାଶ କରି କହିଲେ, ଶତ୍ରୁ ବିନାଶ କରିବାରେ ମୁଁ ଚକ୍ର ବହିବି ନାହିଁ, ସମର କ୍ଷେତ୍ରରେ ଗରୁଡ଼ ଉପରେ ନ ବସି ବିରାଜମାନ ହେବି । ଅସଂଖ୍ୟ ବାନରବଳ ସଙ୍ଗରେ ଧରି ଅବହେଳେ ଶତ୍ରୁ ନାଶ କରିବି ।’’ ଏହା କହି ଅନ୍ତର୍ଯ୍ୟାମୀ ଅନ୍ତର ହୋଇଗଲେ ।
ବୈଧାତ୍ର କଥିତ ସ୍ଥିତ ଏମାନ ପ୍ରସଙ୍ଗେ ।ବିଧିରେ ସାଧିରେ ଗଙ୍ଗାକୂଳେ ଋଷି ସଙ୍ଗେ ଯେ ॥
।୨୫।ବିବେକ ସୁମନ୍ତ୍ର ସୁମନ୍ତର ଥିଲା ଯାଇ ।ବିଚାରିଲା ପଚାରିଲା ଭାବ ଉପୁଯାଇ ଯେ ॥
।୨୬।ବୈଜୟନ୍ତୀମାଳାଧର ଧରଣୀକରତା ।ବର୍ଷଧରି କେଉଁ ଧରିତ୍ରୀଶ କୁଳେ ରତା ଯେ ॥
।୨୭।ବିଭ୍ରାଜିତ ଭବନରେ ବନରେ ହୋଇବେ ।ବାତ୍ସଲ୍ୟରସବତ୍ସଳ ହୋଇଣ ଦଇବଯେ ?।୨୮।ବିକଶିତ ଶୀତକର ଧବଳ ପକ୍ଷରେ ।ବିହାୟସେ ଯଥା ବିହାର ସେ ଏ ଲକ୍ଷରେ ଯେ ॥
।୨୯।ବନ୍ଧୁବର୍ଗ ଜୀବଞ୍ଜୀବ ନୟନ ତୋଷିବେ ।ବ୍ୟକ୍ତେ ଭକ୍ତସରବ–କୈରବ ଉଲ୍ଲାସିବେ ଯେ ?।୩୦।୨୫ଶ ପଦ–ବେଧାତ୍ର–ସନତ୍କୁମାର ।୨୫ଶ ପଦ–ଗଙ୍ଗାକୂଳରେ ୠଷିଗୁଣ ପରିବେଷ୍ଟିତ ସନତ୍ କୁମାର ୠଷି କଥା ପ୍ରସଙ୍ଗରେ ଏହି ବିଷୟମାନ କହିଲେ ।୨୬ଶ ପଦ–ବିବେକ–ବିଚାରବନ୍ତ । ସୁମନ୍ତ୍ର–ବିଚାରଜ୍ଞ, ସୁମନ୍ତ୍ରମନ୍ତ୍ରୀ । ସୁମନ୍ତର–ଉତ୍ତମ ମନ୍ତ୍ର ।
୨୬ଶ ପଦ–ବିବେକବନ୍ତ ଓ ଉତ୍ତମ ବିଚାରକ ସୁମନ୍ତ୍ର ମନ୍ତ୍ରୀ ସେଠାକୁ ଯାଇଥିଲେ । ସେ ଏହିସବୁ କଥା ବିଚାରିଲେ ଓ ମୁନିଙ୍କୁ ଭକ୍ତି କରି ପଚାରିଲେ ।
୨୭ଶ ପଦ–ବେଜୟନ୍ତୀମାଳା–ବିଷ୍ଣୁଙ୍କର ସୁନାମପ୍ରସିଦ୍ଧ ମାଳା । ଧରଣୀକରତା–ସୃଷ୍ଟିକର୍ତ୍ତା । ବର୍ଷ–ଦେହ । ଧରୀତ୍ରାଣ–ରାଜା ।୨୭ଶ ପଦ–‘‘ବୈଜୟନ୍ତୀ ମାଳା ଧାରଣକାରୀ ଜଗତର କର୍ତ୍ତା (ନାରାୟଣ) କେଉଁ ରାଜାର ବଂଶରେ ଦେହ ଧରି ଜାତ ହେବେ ।’’୨୮ ପଦ–ବିଭ୍ରାଜିତ–ପ୍ରକାଶିତ ।୨୮ଶ ପଦ–‘‘ଦୈବ ବଳରେ ବାତ୍ସଲ୍ୟରସରେ ଅନୁପ୍ରାଣିତ ହୋଇ ସେ ରାଜପୁରୀରେ ପ୍ରକାଶିତ ହେବେ ନା ବନରେ ଜାତ ହେବେ ?’’୨୯ଶ ପଦ–ଶୀତକର–ଚନ୍ଦ୍ର । ଧବଳପକ୍ଷ–ଶୁକ୍ଳପକ୍ଷ । ବିହାୟସ–ଆକାଶ ।୩୦ଶ ପଦ–ଜୀବଞ୍ଜୀବ–ଚକୋର । କେରବ–କଇଁଫୁଲ ।
୨୯ଶ ଓ ୩୦ଶ ପଦ–‘‘ଶୁକ୍ଳପକ୍ଷରେ ଚନ୍ଦ୍ର ଆକାଶରେ ଉଦିତ ହୋଇ ବିହାର କଲାପରି ବିଷ୍ଣୁ ପ୍ରକାଶିତ ହୋଇ ଚକୋର ରୂପେ ବନ୍ଧୁବର୍ଗଙ୍କୁ ତୋଷ କରିବେ ଓ କୁମୁଦରୂପେ ଭକ୍ତମାନଙ୍କୁ ଉଲ୍ଲାସ କରିବେକି ?’’
ବୈରୀ–ପଦ୍ମଙ୍କର କର ହେବ ଆମୋଦିତ ।ବିଧୁ ନାମହିଁ ଏଣୁ କି ମହୀରେ ଉଦିତ ଯେ ?।୩୧।ବୋଲେ ପ୍ରସନ୍ନେ ସନତକୁମାର ପେଶଳେ ।ବର୍ତ୍ତିବେ ଯେ ଉତ୍ତରକୋଶଳେ ସେ କୁଶଳେ ଯେ ॥
।୩୨।ବୋଲାଇବେ ଦାଶରଥି ରଥିଶ୍ରେଷ୍ଠ ହରି ।ବର୍ଣ୍ଣିବେ କବିତ୍ୱେ କବି ନେବେ ଚିତ୍ତ ହରି ଯେ ॥
।୩୩।ବାହୁଡ଼ି ସଚିବ ଶଚୀବରଭୂତି ଲଭେ ।ବନ୍ଦନ ଅଜନନ୍ଦକ କୌଶଲ୍ୟାବଲ୍ଲଭେଯେ ॥
।୩୪।ବୃତ୍ତାନ୍ତ ତାତପର୍ଯ୍ୟରେ ସବୁ ଜଣାଇଲା ।ବୃଦ୍ଧକାଳେ ସୁଭାଗ୍ୟତା ପ୍ରବୃଦ୍ଧ ହୋଇଲା ଯେ ॥
।୩୫।୩୧ଶ ପଦ–କର–କିରଣ, ବାହୁ । ବିଧୁ–ବିଷ୍ଣୁ, ଚନ୍ଦ୍ର ।୩୧ଶ ପଦ–‘‘ପଦ୍ମସଦୃଶ ଶତ୍ରୁମାନଙ୍କର ବିନାଶକାରୀ ହୋଇ ଚନ୍ଦ୍ର ନାମକୁ ସାର୍ଥକ କରି ମହୀରେ ଉଦିତ ହେବେକି ?’’୩୨ଶ ପଦ–ପେଶଳେ–କୋମଳ ଭାବରେ । ଉତ୍ତର–କୋଶଳ–ଅଯୋଧ୍ୟା ।
୩୨ଶ ପଦ–(ସୁମନ୍ତ୍ର ଏମନ୍ତ ପଚାରିବାରୁ) ସନତ୍ କୁମାର ପ୍ରସନ୍ନ ହୋଇ କହିଲେ, ‘‘ସୌନ୍ଦର୍ଯ୍ୟ ପୂର୍ଣ୍ଣ ଅଯୋଧ୍ୟାରେ ସେ କୁଶଳରେ ଜୀବନ ଧାରଣ କରିବେ ।’’
୩୩ଶ ପଦ–ରଥିଶ୍ରେଷ୍ଠ–ଉତ୍ତମ ଯୋଦ୍ଧା ।
୩୩ଶ ପଦ–‘‘ରଥିଶ୍ରେଷ୍ଠ ହରି ଦାଶରଥି ବୋଲାଇବେ (ଦଶରଥଙ୍କର ପୁତ୍ର ହେବେ) କବିମାନେ ତାଙ୍କ ଚରିତ୍ରକୁ ବର୍ଣ୍ଣନା କରି ନାନା କବିତାରେ ଚିତ୍ତ ହରଣ କରିବେ ।’’
୩୪ଶ ପଦ–ସଚିବ–ମନ୍ତ୍ରୀ,(ସୁମନ୍ତ୍ର) । ଶଚୀବର ଭୂତି–ଇନ୍ଦ୍ର ସମ୍ପତ୍ତି । ଅଜନନ୍ଦନ କୌଶଲ୍ୟାବଲ୍ଲଭ–ଦଶରଥ ।
୩୪ଶ ଓ ୩୫ଶ ପଦ–ସୁମନ୍ତ୍ର(ଏହା ଶୁଣି) ଇନ୍ଦ୍ର ସମ୍ପତ୍ତି ଲାଭ କରି ସେଠାରୁ ବାହୁଡ଼ି ଗଲେ । ଦଶରଥଙ୍କୁ ବନ୍ଦନ କରି ‘ହରି ତୁମ୍ଭର ପୁତ୍ର ହୋଇ ଜାତ ହେବେ’–ଏହା କହି ସମସ୍ତ ବୃତ୍ତାନ୍ତ ସଂକ୍ଷେପରେ ଜଣାଇଲେ ଓ କହିଲେ, ‘‘ବୃଦ୍ଧକାଳରେ ଆପଣଙ୍କ ସୌଭାଗ୍ୟ ବୃଦ୍ଧିପ୍ରାପ୍ତ ହେଲା ।’’
ବିକଳ କଳନା ହୋଇ କରୁଥିଲା ରଙ୍ଗ ।ବନଦନିନଦ କିବା ଶୁଣିଲା ସାରଙ୍ଗ ଯେ ॥
।୩୬।ବାମଦେବ,ଜାବାଳି,ଯା–ବାଳି ଅରୁନ୍ଧତୀ ।ବେଗେ ମିଳିତ ଲଳିତ ଜଟାବର ଧୃତି ଯେ ॥
।୩୭।ବିମଳ ନଳିନ–ଲୀନ ଲପନେ ମନାଇ ।ବସୁମତୀଶ ଅତି ସହରଷ,ଅନାଇ ଯେ ॥
।୩୮।ବୋଲୁଅଛନ୍ତି ଛତିଶ–କୁଳୀନ ଯମର ।ବଧ ଶୁଣିଲ ଜାଣିଲୁଁ ପରଶୁରାମର ଯେ ॥
।୩୯।୩୬ଶ ପଦ–ରଙ୍ଗ–କେଳି, କ୍ରୀଡ଼ା । ବନଦନିନ୍ଦ–ମେଘଧ୍ୱନି । ସାରଙ୍ଗ–ଚକୋର ।
୩୬ଶ ପଦ–ତୃଷାର୍ତ୍ତ ଚାତକ ମେଘଧ୍ୱନି ଶୁଣି ଖୁସିହେଲା ପରି ସୁମନ୍ତ୍ର ବଚନ ଶୁଣି ଆକୁଳିତ (ସନ୍ତାନ ନ ଥିବା ଯୋଗୁ) ଦଶରଥ ଆନନ୍ଦିତ ହେଲେ ।
୩୭ଶ ପଦ–ଯା–ବାଳୀ ଅନ୍ଧରୁତୀ–ଯାହାଙ୍କର ସ୍ତ୍ରୀ ଅରୁନ୍ଧତୀ (ବଶିଷ୍ଠ) । ଲଳିତା–ମନୋହର ।
୩୭ଶ ପଦ–ମନୋହର ଜଟା ବହନ କରିଥିବା ୠଷି ବାମଦେବ, ଜାବାଳି ଆଉ ଯାହାଙ୍କର ସ୍ତ୍ରୀ ଅରୁନ୍ଧତୀ ଅର୍ଥାତ୍ ବଶିଷ୍ଟ, ଏ ତିନିଜଣ ସେଠାରେ ପ୍ରବେଶ କଲେ ।
୩୮ଶ ପଦ–ବିମଳ ମଳିନ–ପ୍ରସ୍ଫୁଟିତ ପଦ୍ମ । ଲିପନ–ମୁଖ । ବସୁମତୀଶ–ରାଜା (ଦଶରଥ) ।୩୯ଶ ପଦ–ଛତିଶ କୁଳୀନ–ସମସ୍ତ ବର୍ଣ୍ଣ ମଧ୍ୟରେ ଶ୍ରେଷ୍ଠ (ବ୍ରାହ୍ମଣ) ।
୩୮ଶ ଓ ୩୯ଶ ପଦ–ଦଶରଥିରାଜା ଖୁସି ହେଉଥିବାର ଦେଖି ସେ ୠଷିମାନେ ମୁଖ–ପଦ୍ମରେ ନିର୍ମଳ ଆନନ୍ଦ ପ୍ରକାଶ କରି କହିଲେ, ଯମ ସଦୃଶ ‘‘ଭୟଙ୍କର ବ୍ରାହ୍ମଣ ପର୍ଶୁରାମର ବଧବାର୍ତ୍ତା ଶୁଣିଲକି ? ତୁମର ହର୍ଷ ଦେଖି ଏହା ଜଣାଯାଉଅଛି ।’’
ବାରିଧି ମନ୍ଦ ମନ୍ଦର ନୃପଗଣେଶ୍ୱର ।ବିରଚନ ବଚନ ଆନନ୍ଦମୟ ସ୍ୱର ଯେ ॥
।୪୦।ବୃହଭାନୁ ଭାନୁର ମୁଁ ଶୀତଳ ପାଇବି ।ବିନ୍ଧ୍ୟପରବତ ହସ୍ତ ଉପରେ ଥୋଇବି ଯେ ॥
।୪୧।ବିକୁଷକୁ ମନେକରେଁ କରେ ଧରିବାକୁ ।ବାୟୁକୁ ପାଶେ ପକାଇ ପାଶେ ରଖିବାକୁ ଯେ ॥
।୪୨।ବଶିଷ୍ଠ ଶିଷ୍ଟଉକ୍ତିକି ତହିଁ ପ୍ରକାଶିଲେ ।ବିଷୟକି ? ସଂଶୟ କି ସୁମନ୍ତ୍ର ଭାଷିଲେ ଯେ ॥
।୪୩।ବୁଝି ମୁନି ହସି ହସି ସମ୍ମତିକୁ ଇଚ୍ଛି ।ବାଲ୍ମୀକି ଭବିଷ୍ୟ ପୁରାଣକୁ ପୁରା ଇଚ୍ଛି ହେ ॥
।୪୪।୪୦ଶ ପଦ–ବାରିଧି–ସାଗର । ମନ୍ଦ–ଶନୈଶ୍ୱର । ନୃପଗଣେଶ୍ୱର–ନୃପତିଶ୍ରେଷ୍ଠ (ଦାଶରଥି) ।୪୧ଶ ପଦ–ବୃହଭାନୁ–ଅଗ୍ନି । ଭାନୁ–ସୂର୍ଯ୍ୟ ।୪୨ଶ ପଦ–ବିକୁଷକୁ–ଚନ୍ଦ୍ରକୁ । ପାଶ–ଫାନ୍ଦ । ପାଶ–ନିକଟ ।
୪୦ଶ, ୪୧ଶ, ୪୨ଶ ପଦ–ଶନିରୂପ ସାଗରର ମନ୍ଥନକାରୀ ମନ୍ଦର ପର୍ବତ ସଦୃଶ ନୃପଶ୍ରେଷ୍ଠ ଦଶରଥ ଆନନ୍ଦମୟ ସ୍ୱରରେ କହିଲେ, ‘‘ଅଗ୍ନି ଓ ସୂର୍ଯ୍ୟଙ୍କଠାରୁ ମୁଁ ଶୀତଳଗୁଣ ପାଇବି ଏବଂ ବିନ୍ଧ୍ୟ ପର୍ବତକୁ ହସ୍ତଉପରେ ରଖିବି । ଆଉ ମଧ୍ୟ ଚନ୍ଦ୍ରକୁ ହାତରେ ରଖିବାକୁ ଓ ବାୟୁକୁ ଫାଶରେ ବାନ୍ଧି ପାଖରେ ରଖିବାକୁ ମୁଁ ମନେକରେ ।’’
୪୩ଶ ପଦ–ଶିଷ୍ଟଉକ୍ତି–ମହଦ୍ବାକ୍ୟ ।
୪୩ଶ ପଦ–(ଦଶରଥ ଏପରି ଅସମ୍ଭବ କଥାମାନ କହିବାରୁ) ବଶିଷ୍ଟ ଧୀର ଭାବରେ (ସଂଶୟ ଚିତ୍ତରେ) ପଚାରିଲେ–କଥା କ’ଣ ? ସୁମନ୍ତ୍ର (ସମସ୍ତ କଥା କହି ଶେଷରେ) କହିଲେ–ସଂଶୟ ନାହିଁ ।
୪୪ଶ ପଦ–ସୁମନ୍ତ୍ରଙ୍କ କଥା ବୁଝିପାରି ବଶିଷ୍ଟ ହସି ହସି ସମ୍ମତି ପ୍ରଦାନ କରି କହିଲେ, ‘‘ବାଲ୍ମୀକି ମୂନି ଭବିଷ୍ୟ ପୁରାଣରେ ପୂର୍ବରୁ ଏହା ଲେଖିଅଛନ୍ତି ।’’
ବୈକୁଣ୍ଠ ବୈକୁଣ୍ଠପୂର ଶୂନ୍ୟ ପୂର୍ଣ୍ଣ ମୂର୍ତ୍ତି ।ବିଶେଷତ ଶ୍ରୁତି ଅଛି ଶ୍ରୂତି ଯେ ସୁମୃତି ଯେ ॥
।୪୫।ବାଞ୍ଛା ସେ ଅନୁସରଣ ଶରଣ ବିହିତ ।ବୈବସ୍ୱତକୁଳେ ସ୍ୱତଃ ଆମ୍ଭେ ପୁରୋହିତ ଯେ ॥
।୪୬।ବେଳୁ ବେଳ ନୃପତି ଚିତ୍ତକୁ ଦ୍ରବାଇଲା ।ବିଧୁଶିଳ ପରି ବିଧୁ ସେ ବାଣୀ ହୋଇଲା ଯେ ॥
।୪୭।ବିତ୍ତ ବିତରଣ ସେହିଦିନୁ ସେ କାମରେ ।ବ୍ରତ ସର୍ଜିତ ପୂଜିତ ଅପୁଜ୍ୟ ଅମରେ ଯେ ॥
।୪୮।ବୈଷ୍ଣବେ ଭୂସୁରେ ସୂରେ କରାଇ ମୋଦକୁ ।ବ୍ରହ୍ମଚର୍ଯ୍ୟେ କର୍ମ କୃତ କର୍ମଶୁଭଦକୁ ଯେ ॥
।୪୯।୪୫ଶ ପଦ–ବୈକୁଣ୍ଠ–ବିଷ୍ଣୁ । ଶ୍ରୁତିଅଛି–ଶୁଣାଅଛି । ଶ୍ରୁତି–ବେଦ । ସୁମୃତି(ସ୍ମୃତି)–ମନୁ ପ୍ରଭୃତି ଧର୍ମଶାସ୍ତ୍ର ।୪୫ଶ ପଦ–‘‘ବିଷ୍ଣୁ ବୈକୁଣ୍ଠପୁରକୁ ଶୂନ୍ୟକରି ପୂର୍ଣ୍ଣାବତାର ହେବେ, ଏହା ବେଦଶାସ୍ତ୍ରରେ ବିଶେଷ ଭାବରେ ଶୁଣାଅଛି ।୪୬ଶ ପଦ–ବିଧୁଶିଳ–ଚନ୍ଦ୍ରକାନ୍ତମଣି ।୪୬ଶ ପଦ–ସେହି ବିଷ୍ଣୁଙ୍କର ଶରଣ ନେବା ଇଚ୍ଛାରେ ଆମ୍ଭେ ସ୍ୱଇଚ୍ଛାରେ ବୈବସୁତ ମନୁ ବଂଶରେ (ସୂର୍ଯ୍ୟବଂଶରେ) ପୁରୋହିତ ହେଇଅଛୁ ।’’
୪୭ଶ ପଦ–ଚନ୍ଦ୍ର ଯେପରି ଚନ୍ଦ୍ରକାନ୍ତ ମଣିକୁ ତରଳାଇ ଦିଏ, ସେହିପରି ମୁନିଙ୍କ ବାକ୍ୟ ଚନ୍ଦ୍ରପରି ହୋଇ ରାଜାଙ୍କର ଚିତ୍ତରୂପ ଚନ୍ଦ୍ରକାନ୍ତ ମଣିକୁ ବେଳକୁ ବେଳ ତରଳାଇଲା ।
୪୮ଶ ପଦ–ବ୍ରତ ସର୍ଜିତ–ବ୍ରତୀ ହୋଇ । ଅମରେ–ଦେବତାମାନଙ୍କୁ ।
୪୮ଶ ପଦ–ସେହିଦିନୁ ସେ ବିଷ୍ଣୁ ପୁତ୍ର ହେବା ଇଚ୍ଛାରେ ଦ୍ରବ୍ୟ ବିତରଣ କଲେ, ବ୍ରତ ଆଚରଣ କଲେ, ଅପୂଜା ରହିଥିବା ଦେବତାମାନଙ୍କୁ ପୂଜା କଲେ ।
୪୯ଶତ ପଦ–ଭୂସୁର–ପଣ୍ଡିତ । ସୁର–ଦେବତା । ମୋଦ–ଆନନ୍ଦ ।
୪୯ଶତ ପଦ–ବୈଷ୍ଣବ ବ୍ରାହ୍ମଣ, ଦେବତାମାନଙ୍କୁ ପୂଜାକରି ସୋମନଙ୍କର ହର୍ଷ ବଢ଼ାଇଲେ-।-ଏସବୁ କର୍ମ ଶୁଭପ୍ରଦ ହେବାପାଇଁ ନିଜେ ବ୍ରହ୍ମଚର୍ଯ୍ୟ ବ୍ରତରେ ବ୍ରତୀ ହେଲେ ।
ବିବେଚନାମାନ ମାନସରେ କରେ ନିତ୍ୟ ।ବ୍ୟବସ୍ଥିତେ ରଜନୀରେ ସୁସ୍ୱପ୍ନ ଜନିତ ଜେ ॥
।୫୦।ବିତପନ ତପନବଂଶୀ ଶ୍ରୀ ସେ ନୃପୋତ୍ତମ ।ବିନାଶଇ ଦିନକୁଦିନ ସେ ଚିନ୍ତାତମ ଯେ ॥
।୫୧।ବୋଲେ ଉପଇନ୍ଦ୍ର ଭଞ୍ଜ ଭଞ୍ଜନେ ଦୂରିତ ।ବାନପଦରେ ଆଦରେ ରଚିତ ଚରିତ ଯେ ॥
।୫୨।୫୦ଶତ ପଦ–ବ୍ୟବସ୍ଥିତେ–ଯଥାସମୟରେ ।୫୧ଶତ ପଦ–ବିପନ–ସୂର୍ଯ୍ୟ । ତପନବଂଶୀ–ସୂର୍ଯ୍ୟବଂଶୀୟ ।
୫୦ ଓ ୫୧ ଶତ ପଦ–ସୂର୍ଯ୍ୟପରି ତେଜସ୍ୱୀ ସୂର୍ଯ୍ୟବଂଶୀୟ ରାଜା ଦଶରଥ ପ୍ରତ୍ୟହ ମନରେ ଏହି ଚିନ୍ତା କରିବାରୁ ରାତ୍ରରେ ସେହି ଶୁଭସ୍ୱପ୍ନମାନ ଦେଖିଲେ । ଦିନକୁ ଦିନ ଚିନ୍ତାରୂପକ ଅନ୍ଧକାର ବିନାଶ ଲଭିଲା ।
୫୨ଶତ ପଦ–ପାତକ ବିନାଶ ନିମିତ୍ତ ଏ ଚରିତ ବର୍ଣ୍ଣନା କରି ଉପେନ୍ଦ୍ର ଭଞ୍ଜ ବାଉନ ପଦରେ ଏହା ରଚନା କଲେ ।