ଦଶମ ଛାନ୍ଦ — ବୈଦେହୀଶ ବିଳାସ (ପ୍ରଥମ ଖଣ୍ଡ) — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦଶମ ଛାନ୍ଦ
(ରାଗ–ଋଷିକୁଲ୍ୟା)
ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ ।
ବିଭୂଷଣ କରି କନ୍ୟାକୁ ଆଣ ॥
ବାରଣଶିରେ ପଦ ଦେଇ ଆସୁ ।ବରଣ କରି ରାମ ମନ ତୋଷୁ ସେ ॥
ବୋଲି ଦେଲେ କଉଶିକ ଯେ ।ବୋଳିଦେଲା ପ୍ରାୟେ ଗୋଳି ଚନ୍ଦନକୁ ହୋଇଲେ ରଘୁବଂଶିକ ଯେ ॥
।୧।ବିଧାନ ହୋଇଛି ଯା ନାମ ସୀତା ।ବର୍ଣ୍ଣନେ ଶୋଭା ଅତି ମଧୁରତା ॥
ବୁଡ଼ି କ୍ଷେତ୍ର ଆଜ ହେବ ପବିତ୍ର ।ବିଶେଷେ କର୍ଷି ଦେଇ ହୃଦ କ୍ଷେତ୍ର ॥
ବୁଣିଲାଣି ସ୍ନେହ–ବୀଜ ଯେ ।ବିଚାରୁ ଏମନ୍ତ ଜନକ ସମ୍ମତ ଶୁଣିଲେ ସଖୀ ସମାଜ ଯେ ॥
।୨।ବେଶକାରୀ ଡାକି ପୀଠେ ବସାଇ ।ବେଶ ବିରଚିଲେ ଚିତ୍ତ ରସାଇ ॥
ବିମ୍ବ ଦେଖାଇଲେ ଛାମୁରେ କେହି ।ବିମ୍ବାଧରୀ ଆଡ଼ମ୍ବରକୁ ବହି ସେ ॥
ବିବନ୍ଧ କଲେ କୁନ୍ତଳ ଯେ ।ବିଚିତ୍ର ମଣି ନୀଳମଣି ପ୍ରତିଭା ଊର୍ଦ୍ଧ୍ୱ ପ୍ରକାଶିତ ତଳ ଯେ ॥
।୩।ବିଲେପି ଅଳ୍ପ ତଇଳ ଶାମଳି ।ବାରଣଦନ୍ତ ପ୍ରସାଧନୀ ଚାଳି ॥
ବିଭାବସୁଜା କଲ୍ଲୋଳରେ ଭାସେ ।ବିକଶି ଆସିଲା କୁମୁଦ କିସେ ସେ ॥
ବାନ୍ଧିଲେ ଚୂଡ଼ା ଯତନେ ଯେ ।ବନ୍ଦୀ ହୋଇଗଲା ମର୍କତ କୁବେଣୀରେ ବନ୍ଦୀ ହେବେ ମନ–ମୀନେ ଯେ ॥
।୪।ବିତୁଳ ମଥାମଣି ମାଣିକ୍ୟର ।ବିଭାଗ ସୀମନ୍ତ ସିନ୍ଦୂରଗାର ॥
ବନ୍ଦବସ୍ତେ ଭିଡ଼ି ପାଟ ସୂତ୍ରରେ ।ବିଧୁନ୍ତୁକ ଗଳ ମିତ୍ର ହସ୍ତରେ ସେ ॥
ବିଧିବଶେ କିବା ପଡ଼ି ଯେ ।ବକୁଳ ଗର୍ଭକ ସୁଧା ଉଦ୍ଗାରୁଛି ଭୟରୁ ନ ଦେଇ ଛାଡ଼ି ଯେ ॥
।୫।
୧ମ ପଦ–ଷଣପୁଷ୍ପ–ଛଣପଟ ଗଛର ଫୁଲ । ବିଭୂଷଣ କରି–ବିଶେଷରେ ମଣ୍ଡନ କରି । ବାରଣ–ବ୍ୟତିପାତ ଆଦି ଯୋଗ । ବାରଣଶିର–ଗଣେଶ । କଉଶିକ–ବିଶ୍ୱାମିତ୍ର ।
୧ମ ପଦ–‘‘ଯେଉ ସୀତାଙ୍କ କାନ୍ତି ଛଣ ପୁଷ୍ପରକାନ୍ତି ପରି ସେହି କନ୍ୟାଙ୍କୁ ବିଶେଷ ଭାବରେ ମଣ୍ଡନ କରି ଆଣ । ଅଶୁଭ ବିନାଶ ପାଇଁ ଗଣେଷଙ୍କ ପଦାର୍ଥମାନ ଅର୍ପଣ କରି (ବିଘ୍ନ ବିନାଶ ପାଇଁ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଆଗ ଗଣେଶଙ୍କର ପୂଜା କରାଯାଏ) ସେ ଆସୁ ଓ ବରଣ କରି ରାମଚନ୍ଦ୍ରଙ୍କ ମନକୁ ତୋଷ କରୁ ।’’ ବିଶ୍ୱାମିତ୍ର ଏହି କଥା ଜନକଙ୍କୁ କହନ୍ତେ, ରାମଚନ୍ଦ୍ର ଚନ୍ଦନକୁ ଘୋରି ଦେହରେ ବୋଳିଲା ପ୍ରାୟ ମନେକଲେ । (ଚନ୍ଦନ ଦେହରେ ବୋଳିଲେ ମନ ଖୁସି ହୋଇଯାଏ, ସେହିପରି ବିଶ୍ୱାମିତ୍ରଙ୍କ ବାକ୍ୟ ରାମଙ୍କ ମନକୁ ଆନନ୍ଦିତ କଲା ।)
୨ୟ ପଦ–ସୀତା–ସୀତାଦେବୀ, କନ୍ଦ ବା ନକାତ । ସ୍ୱର୍ଙ୍ଗୋର ଶାଖା–ନଦୀ ବିଶେଷ, ଲାଙ୍ଗଳ ପଦ୍ଧତି ।
୨ୟ ପଦ–ରାମଚନ୍ଦ୍ର ମନରେ ଭାବିଲେ, ‘ଯାହାର ନାମ ବିଧାନରେ ସୀତା ହୋଇଅଛି, ତାହାର ଶୋଭା ବର୍ଣ୍ଣନରେ ଅତ୍ୟନ୍ତ ସୁନ୍ଦର ଅଟେ । (ସୀତା = ଶର୍କରା, ଶର୍କରା ଖୁବ୍ ମଧୁର, ସୀତାଙ୍କ ନାମ ସେହିପରି ମଧୁର) । ଯେ ଗଙ୍ଗାରେ ବୁଡ଼େ ସେ ପବିତ୍ର ହୁଏ, ମୋର ନେତ୍ର ସୀତାଙ୍କ ଶୋଭା ଦର୍ଶନ କରି ପବିତ୍ର ହେବ । ବିଶେଷରେ ମୋ ହୃଦୟ ରୂପ କ୍ଷେତକୁ ସେ (ସୀତା–ଲଙ୍ଗଳ ଅଗ) କର୍ଷଣ କରି ସ୍ନେହ ବୀଜ ବୁଣିଲାଣି’’ । ରାମଚନ୍ଦ୍ର ଏହା ବିଚାର କଲାବେଳେ ଜନକ ବିଶ୍ୱାମିତ୍ର କଥା ଶୁଣି ସମ୍ମତି ଦେବାର ସୀତାଙ୍କ ସଖୀମାନେ ଶୁଣିପାରିଲେ ।
୩ୟ ପଦ–ପୀଠ–ପୀଢ଼ ବା ଆସନ । ବିମ୍ବ–ଦର୍ପଣ । କୁନ୍ତଳ–କେଶ ।
୩ୟ ପଦ–(ସୀତାଙ୍କୁ ବେଶ କରିବା ନିମିତ୍ତ ସଖୀମାନେ ବେଶକାରିଣୀମାନଙ୍କୁ ଡାକି ସୀତାଙ୍କୁ ଆସନରେ ବସାଇ, ତାହାଙ୍କ ଚିତ୍ତକୁ ରସାଇ ବେଶ କଲେ । କେହି ସଖୀ ତାଙ୍କ ଛାମୁରେ ଦର୍ପଣ ଦେଖାଇଲେ । ସେହି ଦର୍ପଣ ସୀତାଙ୍କୁ ପ୍ରତିବିମ୍ବ ଧାରଣ କରି ବେଶି ସୁନ୍ଦର ଦିଶିଲା । ତତ୍ପରେ କେଶକୁ ଫିଟାଇଲେ । କେଶ ଫିଟି ପୃଷ୍ଠରେ ପଡ଼ି ତଳକୁ ଲମ୍ବିବାରୁ ଜଣାଗଲା, ନୀଳକାନ୍ତ ମଣିର ପ୍ରଭା ଉପରୁ ତଳକୁ ଲମ୍ବିଅଛିକି ? (ନୀଳକାନ୍ତ ମଣିର ପ୍ରଭା ତଳୁ ଉପରକୁ ଉଠିଥାଏ, ମାତ୍ର ଏ କେଶ ନୀଳକାନ୍ତ ମଣି ଉପରୁ ତଳକୁ ଆସିଛି) ।
୪ର୍ଥ ପଦ–ବାରଣଦନ୍ତ–ହସ୍ତୀଦନ୍ତ । ପ୍ରସାଧନୀ–ପାନିଆ । ବିଭାବସୁଜା–ଯମୁନା । ମର୍କତ କୁବେଣୀ–ମର୍କତମଣି ଖାଳୋଇ ।
୪ର୍ଥ ପଦ–କେଶକାରିଣୀମାନେ କେଶରେ ଅଳ୍ପ ତୈଳ ଲଗାଇ ଶାଉଁଳି ଦେଲେ । ତତ୍ପରେ ହସ୍ତୀଦନ୍ତ ପାନିଆରେ କୁଣ୍ଡାଇ ଦେଲେ । ପାନିଆକୁ ଚଳାଇଲାବେଳେ ଜଣାଗଲା, ଯମୁନାର ତରଙ୍ଗରେ ବିକାଶୋନ୍ମୁଖ କୁମୁଦ ଭାସୁଛିକି ? (ଯମୁନାରେ ଜଳ ଗାଢ଼ କୃଷ୍ଣବର୍ଣ୍ଣ, କେଶ ଗାଢ଼ କୃଷ୍ଣବର୍ଣ୍ଣ ଓ ଢେଉ ପରି କୁଞ୍ଚିତ, ତା’ ମଧ୍ୟରେ କୁମୁଦପରି ଶୁଭ୍ର ଓ ସୁନ୍ଦର ପାନିଆ ଚାଳିତ ହେଉଥାଏ) । ତାହାପରେ ଯତ୍ନପୂର୍ବକ ଜୁଡ଼ା ବାନ୍ଧିଲେ । ସେ ଜୁଡ଼ା ରୂପ ମର୍କତମଣିର ଖାଳୋଇରେ ଦର୍ଶକଙ୍କ ମନ ମୀନ ବନ୍ଦୀ ହେବେ ।
୫ମ ପଦ–ବିତୁଳ–ଅତୁଲ୍ୟ । ସୀମନ୍ତ–ମସ୍ତକର ମଧ୍ୟରେଖା, ସୂନ୍ଥା । ବିଧୁନ୍ତୁଦ–ରାହୁ । ମିତ୍ର–ସୂର୍ଯ୍ୟ ।
୫ମ ପଦ–ତତ୍ପରେ ସୂନ୍ଥାପର ସିନ୍ଦୂର ଗାର ଦେଲେ ଓ ତୁଳନା ରହିତ ମାଣିକ୍ୟର ମଥାମଣି ଦେଇ ପାଟସୂତାରେ ଜୁଡ଼ାମୂଳକୁ ବାନ୍ଧିଦେଲେ । ସେ ଦେଖି ମନେହେଲା ସୂର୍ଯ୍ୟଙ୍କ କବଳରେ ରାହୁର ଗଳା ଦୈବବଶେ ପଡ଼ିଗଲାକି ? ତେଣୁ ସେ ଭୟ ହେତୁ ଛାଡ଼ି ନ ଦେବାରୁ କେଶ ମଧ୍ୟରେ ଥିବା ବକୁଳମାଳ ରୂପ ଅମୃତକୁ ବାନ୍ତି କରୁଅଛି । (ରାହୁ କଳା, କେଶ ଜୁଡ଼ା କଳା, ସୂର୍ଯ୍ୟ ଲାଲ ଓ ପାଟଡ଼ୋର ଲାଲ । ପାଟଡ଼ୋର ରୂପ ସୂର୍ଯ୍ୟ ରାହୁ ରୂପ ଜୁଡ଼ାକୁ କବଳ କରିବାରୁ ସେ ରାହୁଜୁଡ଼ା ବକୁଳଫୁଲ ମାଳ ରୂପ ଅମୃତ ବାନ୍ତି କରି ପକାଇଲା ।)
ବିଭୂଷି କିଆପତ୍ରୀ ମୋତିଜାଲୀ ।ବିପିନେ ତମାଳର କିବା ଝଳି ॥
ବନ୍ଧନ କୃତ ପାଶ ଜାଲ ଦୁଇ ।ବିଶିଖ ଝରାକାଠିକି ଦେଖାଇ ସେ ॥
ବକ୍ର ଚଉଁରା ହିଁ ଧନୁ ଯେ ।ବଧିବ ଧୈର୍ଯ୍ୟ–ମୃଗକୁ ବିନ୍ଧିବାକୁ ।ଏଠାରେ କରେ ଅତନୁ ଯେ ॥
।୬।ବିବିଧ କୁସୁମମାଳା ଖଞ୍ଜନ ।ବ୍ୟୋମେ ଇନ୍ଦ୍ରଧନୁ ପ୍ରଭା ଗଞ୍ଜନ ॥
ବିହୁଁ ଚନ୍ଦ୍ରଝୁମ୍ପି ଝିଲିମିଲିକା ।ବିଭାବରୀ–ପ୍ରାନ୍ତ ସ୍ୱତ ଅଳକା ସେ ॥
ବେନି ସପ୍ତଋଷି ଶଶୀ ଯେ ।ବିମୋହିତ କରେ ମନ ଏକାବେଳେ ।ପଡ଼ିଲା ପରାୟେ ଖସି ଯେ ॥
।୭।ବେଣ୍ଟଲା ଶ୍ରବଣେ ସଖୀ ଖଞ୍ଜିଲେ ।ବଜ୍ରେ ବ୍ୟାକୁଳ ଅଗ୍ନି ଜାତ କଲେ ॥
ବିହିତ ଫୁଲ ତହିଁ ସ୍ଫୁଟ କରି ।ବାଳୀକି ଭଜ ବୋଲି ବାଳୀ ଠାରି ସେ ॥
ବନ୍ଦିଆ ଚକ୍ର ଭଙ୍ଗୁର ଯେ ।ବିଚ୍ଛେଦି ବୁଡ଼ାଇଦେବ ଯୋଗୀ ।ଯୋଗ ଯନ୍ତ୍ରିତ ଦୁଇ ପ୍ରକାର ଯେ ॥
।୮।ବିଧାୟକ ଚିତ୍ର ଭାଲପଟରେ ।ବର୍ଣ୍ଣକ ଛଳେ କସ୍ତୁରୀ ସିନ୍ଦୂରେ ॥
ବିଶ୍ୱକୁ ତିଳକେ କରିବ ବଶ ।ବିଧୃତ ଏ ଘେନି ତିଳକ ଭାଷ ସେ ॥
ବେନି ହୀରା ଅବତଂସ ଯେ ।ବର୍ଣ୍ଣି ଆସୁଁ ମୂକ କିବା ଗୁରୁକବି ।ସେହି ଚିତ୍ରକର ଯଶ ଯେ ॥
।୯।ବୟସୀ ମାଣିକ୍ୟ ଗୁଣା ମୁକୁତା ।ବେନିପୁଟେ ଦେଉଁ ନାସା ଶୋଭିତା ॥
ବଦନକୁ ଚାହିଁ ଚନ୍ଦ୍ରକୁ ଚାହିଁ ।ବିମଳ ଏହି ତ ସମଳ ସେହି ଯେ ॥
ବ୍ୟଭିଚାରୀ ହେଲେ ପରା ସେ ।ବିଧିରେ ଆରଦ୍ରା–ଚିତ୍ତରେ ଆରଦ୍ରା ।ରୋହିଣୀ ଏ ବେନି ତାରା ଯେ ॥
।୧୦।୬ଷ୍ଠ ପଦ–କିଆପତ୍ରୀ ଓ ମୋତି ଜାଲି–ମସ୍ତକ ଭୂଷଣ ବିଶେଷ । ବିଶିଖ–ଶର । ବକ୍ର ଚଉଁରା ଶିରୋଭୂଷା । ଅତନୁ–କନ୍ଦର୍ପ ।
୬ଷ୍ଠ ପଦ–ତତ୍ପରେ ସ୍ୱର୍ଣ୍ଣ କିଆପତ୍ରୀ ଓ ମୁକ୍ତାଜାଲୀ ନାମକ ଅଳଙ୍କାରକୁ ଭୂଷିତ କଲେ । (ସେଥିରେ ଏହି ଉତ୍ପ୍ରେକ୍ଷା ହେଲା) କନ୍ଦର୍ପ ସେ କେଶରୂପ ତମାଳ ବନରେ ଧୈର୍ଯ୍ୟ ରୂପ ମୃଗକୁ ଉପରୋକ୍ତ ଅଳଙ୍କାର ଦ୍ୱୟ ସଦୃଶ ଫାଶ ଜାଲରେ ବାନ୍ଧି ବକ୍ର ଡଉଁରାରୂପ ଧନୁରେ ଝରାକାଠି ରୂପ ଶର ଯୋଚି ତାକୁ ଏଠାରେ ବଧିବା ପାଇଁ ଏପରି କରିଅଛିକି ?
୭ମ ପଦ–ତାହାପରେ ନାନାରଙ୍ଗର କୁସୁମଦ୍ୱାରା ନିର୍ମିତ ମାଳମାନଙ୍କୁ ଖଞ୍ଜିଲେ । ସେହି ଶୋଭା ଆକାଶରେ ପଡ଼ିଥିବା ଇନ୍ଦ୍ରଧନୁର ଶୋଭାକୁ ଖର୍ବ କଲା । ତହୁ ଚନ୍ଦ୍ର ଝୁମ୍ପି ଓ ଝିଲିମିଲି ମାଳୀ ଦିଅନ୍ତେ, ତାହା କୁଞ୍ଚିତ କେଶରେ ଶେଷଭାଗରେ ପଡ଼ି ନିଶା ଅବସାନରେ ସପ୍ତର୍ଷି ଓ ଚନ୍ଦ୍ର ଦୁହେଁଯାକ ଏକାବେଳକେ ପଡ଼ିଲାପରି ମନକୁ ବିଶେଷ ଭାବରେ ମୋହିତ କଲା । (କେଶରୂପ ଅନ୍ଧକାରର ଶେଷ ଭାଗରେ ଛିନ୍ଦ୍ର ଝାମ୍ପିରୂପ ଚନ୍ଦ୍ର ଓ ଝିଲିମିଲି ମାଳୀରୂପ ସପ୍ତର୍ଷି–ମରାଚ୍ୟାଦି ସପ୍ତୠଷି–ଉଜ୍ଜ୍ୱଳ ବର୍ଣ୍ଣରେ ଉଦିତ ହେଲେକି ?)
୮ମ ପଦ–ତତ୍ପରେ ସଖୀମାନେ ସୀତାଙ୍କ ଶ୍ରବଣରେ ମଲ୍ଲୀକଢ଼ ଖଞ୍ଜିଲେ । ସେହି ମଲ୍ଲୀକଢ଼ି ବଜ୍ରଠାରେ ବ୍ୟାକୁଳତା ରୂପ ଅଗ୍ନି ଜାତ କରାଇଲା । (ବଜ୍ରର ଶୋଭା ସେ ଶୋଭା ସହିତ ସମାନ ନ ହେବାରୁ ବଜ୍ର ସନ୍ତାପାଗ୍ନିରେ ଦଗ୍ଧ ହେଲା) ତଦନନ୍ତର କଢ଼ ଫୁଟିଲେ ସେ ଫୁଲ ହୁଏ–ଏହା ଜଣାଇବା ପାଇଁ, ସଖୀମାନେ ଯେ କର୍ଣ୍ଣଫୁଲ ଖଞ୍ଜିଲେ ତା ଉଚିତ ହେଲା । ତହିଁପରେ ବାଳିଗୁଣା ଦେଲେ ନାହିଁ ଯେ, ଏ ବାଳାକୁ ଭଜ ଏହି ସଙ୍କେତ ଦେଲେ । ତଦନନ୍ତର ବନ୍ଦିଆକୁ କର୍ଣ୍ଣର ତଳଭାଗରେ ଦେଲେ । ସେ ବନ୍ଦିଆ ଚକ୍ର ପରି ଯୋଗୀମାନଙ୍କର ଯୋଗକୁ ଚ୍ଛେଦନ କରି ‘ଚକ୍ର’ ପାଣିଭଉଁରୀ ପରି ସେମାନଙ୍କ ମନକୁ ବୁଡ଼ାଇ ଦେବକି ?
୯ମ ପଦ–ସଖୀମାନେ ସୀତାଙ୍କ ଲଲାଟପଟରେ କନକ କସ୍ତୁରୀ ଓ ସିନ୍ଦୂରର ଚିତା ଦେଲେ । ସେହି ଚିତା ସଂସାରକୁ ତିଳମାତ୍ରକେ ବଶ କରିବ । ସେହି ଉତ୍ତାରୁ ସେ ତିଳକ ନାମ ବହନ କରିଛି । ସୀତାଙ୍କ କର୍ଣ୍ଣରେ ଥିବା ହୀରକଯୁକ୍ତ କର୍ଣ୍ଣଭୂଷଣ ଦ୍ୱୟ ଦେଖିଲେ ମନେହୁଏ, ବୃହସ୍ପତି ଓ ଶୁକ୍ର ସେ ତିଳକ ଚିତ୍ରର ଶୋଭାକୁ ବର୍ଣ୍ଣନା କରିବାକୁ ଆସି (ବର୍ଣ୍ଣନା କରି ନ ପାରି) ମୂକ ହେଲେକି ? (ମୁକ ହୋଇ କର୍ଣ୍ଣର ଦୁଇପାଖରେ କର୍ଣ୍ଣଭୂଷଣରୂପେ ରହିଲେ) ।
୧୦ମ ପଦ–ବ୍ୟଭିଚାରୀ–କୁଳଟା ସ୍ତ୍ରୀ । ଅରଦ୍ରା–ଦ୍ରବୀଭୂତା, ନକ୍ଷତ୍ର ବିଶେଷ ।
୧୦ ପଦ–ସମବୟସୀ ସଖୀମାନେ ମାଣିକ୍ୟର ଗୁଣ, ମୁକ୍ତାର ନଥ, ନାକଚଣା ନାସାର ବେନି ପୁଡ଼ାରେ ଦେବାରୁ ନାସିକା ସୁନ୍ଦର ଦିଶିଲା । ସୀତାଙ୍କ ମୁଖକୁ ଓ ଚନ୍ଦ୍ରକୁ ଚାହିଁଲେ ଧାରଣା ହୁଏ, ସୀତାଙ୍କ ମୁଖ ନିଷ୍କଳଙ୍କ; ମାତ୍ର ଚନ୍ଦ୍ର କଳଙ୍କଯୁକ୍ତ । ତେଣୁ ଆର୍ଦ୍ରା ଓ ରୋହିଣୀ ଏ ତାରା ଦୁହେଁ ଆର୍ଦ୍ରଚିତ୍ତ ହୋଇ ବ୍ୟଭିଚାରିଣୀ ହେଲେ ପରା । (ଆର୍ଦ୍ରା ଓ ରୋହିଣୀ ଚନ୍ଦ୍ରଙ୍କୁ ସକଳଙ୍କ ଦେଖି ତାଙ୍କ ତ୍ୟାଗ କରି ସୀତାଙ୍କ ନିଷ୍କଳଙ୍କ ବଦନରେ ଶୋଭିତ ହୋଇ ବ୍ୟଭିଚାରିଣୀ ହେଲେ । ଆର୍ଦ୍ରା ରକ୍ତବର୍ଣ୍ଣ, ରୋହିଣୀ ଶୁକ୍ଳବର୍ଣ୍ଣ, ଏଠାରେ ମାଣିକ୍ୟର ଗୁଣା ରକ୍ତବର୍ଣ୍ଣ, ମୁକ୍ତାର ନଥ ଶୁକ୍ଳବର୍ଣ୍ଣ) ।
ବଲ୍ଲଭ ରଥେ ଯା କେତୁ ମକର ।ବଲ୍ଲଭୀ ରଥେ ତା ମକରୀକର ॥
ବିବେକୀ ସଜନୀ ସୌନ୍ଦର୍ଯ୍ୟ ଗୋଳେ ।ବଳେ ଛଡ଼ାଇ ଦେଖାଇ କପୋଳେ ସେ ॥
ବିନ୍ଦ ଏ ମୃଗମଦରେ ଯେ ।ବିହେ କେ ଚିବୁକେ ମଧୁମକ୍ଷିକାଏ ।ସ୍ଥକିତ ସଙ୍ଗ ଭଙ୍ଗରେ ଯେ ॥
।୧୧।ବଡ଼ିଶ ସାରଣୀ ଲକ୍ଷ ସେ ନେତ୍ର ।ବିଲମ୍ବିତ କଲେ ଅଞ୍ଜନସୂତ୍ର ॥
ବାହାରି ପକ୍ଷ୍ମପେଡ଼ାରୁ ପଳାଇ ।ବିଳ–ଶ୍ରୋତ୍ରେ କି ଦମ୍ଭଦଂଶ ଅହି ସେ ॥
ବିଷେ କି ନ ଜାଣି ତତ୍ତ୍ୱ ଯେ ।ବିକାଶ ମୀନରାଶି ବେନି ପାରୁଶେହେଲା ବେନି ଧୂମକେତୁ ଯେ ॥
।୧୨।ବିତରଣରେ ମୋତି ଚାପସରି ।ବିତକ ତହିଁରେ ବେଗେ ପ୍ରସରି ॥
ବିଞ୍ଚି ତଣ୍ଡୁଳବତ ପାରାବତ ।ବନ୍ଦୀ ହେଲା ପରା ପାଶରେ ସତ ସେ ॥
ବହୁଳ ମାଳିକି ରଞ୍ଜି ଯେ ।ବର୍ଣ୍ଣନା ଅଛି ଶଙ୍ଖ ବୋଲି ଯାହାକୁ ।କେ ତାହା ପାରିବ ଭାଞ୍ଜି ଯେ ॥
।୧୩।ବ୍ୟବସ୍ଥା କଲେ ବାହୁଦଣ୍ଡ ବିଧି ।ବିନତ ସ୍କନ୍ଧ ଛତି ପ୍ରତିନିଧି ॥
ବଳୟ ତାଡ଼ସାରକୁ ନିଯୋଗି ।ବକ୍ଷୋଜ ତୁମ୍ବିକା ଥିବାରୁ ଲାଗି ସେ ॥
ବିମୂତ ବାହୁଯୁଗଳ ଯେ ।ବାହୁବନ୍ଧ ଦେଇ ମୁଦି ଦେଲେ ତାକୁ ।ନୋହିଲା ଲକ୍ଷ ସକଳ ଯେ ॥
।୧୪।ବଲ୍ଲୀପରି ଗିରି ଲକ୍ଷରୁ ମାତ୍ର ।ବିଦୃଷ୍ଟ ସ୍ଥାନରେ କି ସୃଷ୍ଟ ଚିତ୍ର ॥
ବିଭୂଷି ସ୍ୱର୍ଣ୍ଣଜରୀ ନୀଳଚୋଳୀ ।ବିଳସାଇ ହାର ବିଚିତ୍ର ଝଳି ସେ ॥
ବିନ୍ଧ୍ୟ ମନ୍ଦର ଘୋଡ଼ାଇ ଯେ ।ବିଦ୍ୟୁଧାରକେ ଘନଧାରେ ।ବଳାକାପନ୍ତି ଏ ମିଳି କି ତହିଁ ଯେ ॥
।୧୫।୧୧ଶ ପଦ–ବଲ୍ଲଭ–ପ୍ରିୟ କନ୍ଦର୍ପ । ବଲ୍ଳଭୀ–ପ୍ରିୟା ବା ପତ୍ନୀ । ମୃଗମଦ–କସ୍ତୁରୀ ।
୧୧ଶ ପଦ–ଯେଉଁ କନ୍ଦର୍ପରେ ରଥରେ ମକର ଚିହ୍ନିତ ପତାକା ଥିବାରୁ ସେ ପ୍ରିୟ ହୋଇପାରି ଅଛି, ତାହାର ପ୍ରିୟା ରୂପ ରଥ (ଏଠାରେ ସୀତା ସ୍ତ୍ରୀ ରୂପ ରଥ ହେଲେ) ଦେହର ମକରୀ ଚିତ୍ର ଲେଖ । ଏପରି କୁହାକୁହି ହୋଇ ମକରୀ ଚିତ୍ର ଲେଖିବାକୁ ଗଲାବେଳେ ସୌନ୍ଦର୍ଯ୍ୟ ସମ୍ବନ୍ଧରେ ଗୋଳ ଉଠିଲା । (ଅର୍ଥାତ୍ ସଖୀମାନେ ପରସ୍ପର କୁହାକୁହି ହେଲେ, ତୁ ଭଲକରି ଲେଖି ଜାଣୁନାହିଁ–ମୁଁ ତୋ ଅପେକ୍ଷା ଭଲ ଜାଣେ । ସେହି ଗୋଳମାଳ ଭିତରେ କେହି ବିବେକବତୀ ସଖୀ ବଳେ ତୁଳିକା ଛଡ଼ାଇ ନେଇ ସୀତାଙ୍କ ଗଣ୍ଡସ୍ଥଳରେ ମକରୀ ଚିତ୍ର ରଚନା କଲା । ତାହା ପରେ କେଉଁ ସଜନୀ କସ୍ତୁରୀରେ ଗୋଟିଏ ବିନ୍ଦୂ ଚିବୁକରେ ଦେଲା । ତା’ ଦେଖି ମନେହୁଏ ଗୋଟିଏ ମହୁମାଛି ସଙ୍ଗଭ୍ରଷ୍ଟ ହୋଇ ନିଶ୍ଚଳ ଭାବରେ ସେଠାରେ ରହିଅଛିକି ?)
୧୨ଶ ପଦ–ଅଞ୍ଜନସୂତ୍ର–କଜ୍ଜ୍ୱଳସୂତ୍ର । ବିଳ–ଶୋତ୍ରେ–କର୍ଣ୍ଣରୂପକ ଗର୍ତ୍ତରେ । ଦମ୍ଭ–ଦଂଶ–ଅହି–ଧୈର୍ଯ୍ୟ ଦଂଶକ ସର୍ପ ।
୧୨ଶ ପଦ–ଅନ୍ତରର ତାହାଙ୍କ ନେତ୍ରରେ କଜ୍ଜ୍ୱଳ ଦେବାରୁ, ତାହା ବନିଶି ଓ ସାରେଣୀ ସହିତ ଲକ୍ଷ ଦେଲା । ପୁଣି ସେହି କଜ୍ଜ୍ୱଳର ଲାଞ୍ଜ ଦେଖି ମନେହୁଏ, ନେତ୍ରଲୋମ ରୂପ ପେଡ଼ାରୁ ବାହାରି କର୍ଣ୍ଣରୂପ ବିଳକୁ ଦମ୍ଭ ଦଂଶନକାରୀ ଲାଞ୍ଜରୂପ କୃଷ୍ଣସର୍ପ ପଳାଇ ଯାଉଛିକି ? ଅଥବା ନେତ୍ରରୂପ ମୀନ ରାଶିର ଦୁଇପାଖରେ ବୋଧହୁଏ ଦୁଇ ଧୂମକେତୁ ପ୍ରକାଶିତ ହେଲା । (ମୀନରାଶିର ଦୁଇପାଖରେ ଧୂମକେତୁ ଦେଖାଗଲେ ଉତ୍ପାତ ଘଟେ । ଏଠାରେ ଯୁବକ ଧୈର୍ଯ୍ୟ ଧ୍ୱଂସ ହୋଇ ଉତପାତ୍ ଘଟାଇବା ପାଇଁ ଏପରି ହୋଇଛିକି ? ) ଏ ବିଷୟରେ କି ତତ୍ତ୍ୱ ଅଛି–ତା’ ଜଣାଯାଉନାହିଁ ।
୧୩ଶ ପଦ–ତଦନନ୍ତରେ ସଖିମାନେ କଣ୍ଠରେ ମୋତି ଚାପସରି ଦେଲେ । ତାହା ଦେଖି ଉତ୍ପ୍ରେକ୍ଷା ହେଲା, କପୋତ ମୋତିକୁ ତଣ୍ଡୁଳ ପରାୟ ମନେକରି ଖାଇବାକୁ ଯାଇ ଫାଶରେ ବନ୍ଦୀ ହୋଇଛିକି ? ଏହା ମିଥ୍ୟା ନୁହେଁ । ପୁଣି ବହୁତ ମାଳାରେ ରଞ୍ଜିତ କଣ୍ଠକୁ ଯାହା ଶଙ୍ଖ ବୋଲି ବର୍ଣ୍ଣନା କରାଯାଇଛି ତାହା କିଏ ବା ଅନ୍ୟଥା କରିବ ? (ଅନ୍ୟଥା କରିପାରିବ ନାହିଁ ।) (ଶଙ୍ଖ ବହୁତ ମାଳାକାରକୁ ରଞ୍ଜିତ କରେ, କଣ୍ଠ ବହୁତ ମାଳିରେ ରଞ୍ଜିତ ହେଲା ।)
୧୪ଶ ପଦ–ସଖୀମାନେ ଭୁଜନ୍ତି ବୀଣାଦଣ୍ଡ ବିଧିରେ ବ୍ୟବସ୍ଥା କଲେ । ଅନତ୍ର ସ୍କନ୍ଧଦେଶ ବୀଣାଛକିର ପ୍ରତିନିଧି ହେଲା । ବାହୁରେ କଙ୍କଣ ଓ ତାଡ଼ ଲଗାଇବାରୁ ତାହା ବୀଣାର ସାର ସଦୃଶ ହେଲା । ସ୍ତନ ସେହି ବାହୁଦଣ୍ଡରେ ତୁମ୍ଭୀ ହେଲା । ତତ୍ପରେ ସେହି ବୃଷାଳ ବାହୁଦ୍ୱୟରେ ବାଜୁବନ୍ଧ ଓ ଆଙ୍ଗୁଠିରେ ମୁଦି ଖଞ୍ଜିଦେଲେ । ଏହିପରି ଅଳଙ୍କାରମାନଙ୍କଦ୍ୱାରା ମଣ୍ଡିତ ହେବାରୁ ବୀଣାଦଣ୍ଡ ଖୋଳ ମଧ୍ୟସ୍ଥ ହେଲେ ଯେପରି କିଛି ଦେଖାଯାଏ ନାହିଁ, ବାହୁର ସେହିପରି କୌଣସି ଅଂଶ ଦେଖାଗଲା ନାହିଁ ।
୧୫ଶ ପଦ–ବଲ୍ଲୀ–ଲତା । ବିଦୃଷ୍ଟ–ଯାହା ଦେଖାଯାଏ ନାହିଁ । ନୀଳଚୋଳୀ–ନୀଳକାଞ୍ଚଲା । ବଳାକାପନ୍ତି–ବକଶ୍ରେଣୀ ।
୧୫ଶ ପଦ–ତତ୍ପରେ ସ୍ତନ ଦ୍ୱୟରେ ସଖିମାନେ ଉତ୍ତମ ଚିତ୍ରମାନ (କସ୍ତୁରୀରେ ପତ୍ରାବଳୀ) ଲେଖିଲେ । ସ୍ତନଦ୍ୱୟ ଗିରି ସଦୃଶ ହେଲା, (ପର୍ବତରେ ଲତାପତ୍ର ମାଡ଼ିଥାଏ, ଏଠାରେ ଲତାପତ୍ର ଚିତ୍ରିତ ହେଲା) ତତ୍ପରେ ତାହାକୁ ସ୍ୱର୍ଣ୍ଣ ଜରିଯୁକ୍ତ ନୀଳବର୍ଣ୍ଣ କାଞ୍ଚଲାରେ ବିଭୂଷିତ କଲେ । ପୁଣି ସେହି କାଞ୍ଚଲା ଉପରେ ମୁକ୍ତାମାଳା ଲମ୍ବାଇଲେ, ତେଣୁ ତାହା ବିଚିତ୍ରଶୋଭା ଧାରଣ କଲା । ତାହା ଦେଖି ମନେହୁଏ, ବିନ୍ଧ୍ୟ ଓ ମନ୍ଦର ପର୍ବତ ଦ୍ୱୟ ନୀଳମେଘରେ ଢାଙ୍କି ହୋଇଅଛି ଓ ସେ ନୀଳମେଘ କୋଳରେ ବିଜୁଳି ଖେଳୁଛି ଏବଂ ବଗସବୁ ଧାଡ଼ି ଧାଡ଼ି ଉଡ଼ି ଯାଉଅଛିନ୍ତି ।
ବଳା ତୁଳାକୋଟି ଖଞ୍ଜିଲେ ପାଦେ ।ବୋଲିବ ତୁଳାକୋଟି ତୁଚ୍ଛନାଦେ ॥
ବିଗୂଢ଼ ହଂସକ ହରେ ଗମନ ।ବିଗୁଢ଼–ସ୍ୱନ ହଂସକ ମଣ୍ଡନ ସେ ॥
ବନ୍ଧୁର ମାର୍ଗ ଜଣାଉଁ ଯେ ।ବର୍ଣ୍ଣଭେଦ ସିନା ଝୁଣ୍ଟିଆ ଖୁଣ୍ଟିଆ ।ପ୍ରପଦେ ରଖିଲେ ତହୁଁ ଯେ ॥
।୧୬।ବେଢ଼ରେ ପାଦରେ ଲେଖିଲେ ଲାକ୍ଷା ।ବାରି ହେଲା ବେନିରଙ୍ଗ କି ଦକ୍ଷା ॥
ବିକଶିତ କୋକନଦ ମଧ୍ୟର ।ବେଢ଼ି ଭ୍ରମେ କି ସରସ୍ୱତୀ ନୀର ସେ ॥
ବଂଶନଳିରେ ଥିବାର ଯେ ।ବାଛି ପିନ୍ଧି ଦୁର୍ବାଦଳ–ନୀଳ ଚେଳ ।କୋଳ ଇଚ୍ଛି ଶ୍ରୀରାମର ଯେ ॥
।୧୭।ବସନାଞ୍ଚଳ ଯେ ଚଳିଲେ ବେଗେ ।ବସନାଠାରେ ସେ ଯୋଗିଙ୍କି ଯୋଗେ ॥
ବିଭଙ୍ଗେ ତାହା ଆଗେ କୁଞ୍ଚା ରଞ୍ଚି ।ବ୍ୟକ୍ତ ନୋହି ଉରୁ ଫୁଟି ଏ ପାଞ୍ଚି ସେ ॥
ବାନ୍ଧି କଟିରେ କିଙ୍କିଣୀ ଯେ ।ବାଜି କିଣିକିଣି ଚିତ୍ତ ନେବ କିଣି ।ଚାହିଁଲେ ନୟନ ଏଣୀ ଯେ ॥
।୧୮।ବେଳା ଜାଣିବାକୁ ସଖୀ ବସାଇ ।ବୀଟିକା ନାଗବଲ୍ଲୀର ଭୁଞ୍ଜାଇ ॥
ବିଡ଼ମ୍ବ ନୋହିଲା ଅତିଶୟରେ ।ବାଳ ରବି ଦ୍ୟୋତଜବା କି ଧରେ ସେ ॥
ବତିଶଲକ୍ଷଣା ପୁରୀ ଯେ ।ବିଧାନୀ ଉପମା ଗୀତ ଚାତୁରୀକି ।ଲକ୍ଷ ଲକ୍ଷ ଦଉ କରି ଯେ ॥
।୧୯।ବିଭୂଷା ହେମରତ୍ନ ଯେତେ କହି ।ବାଳାମଣି ଶାଣ ରସାଣ ତହିଁ ॥
ବିଦଳି ଅଞ୍ଜନ କସ୍ତୁରୀ ନିଶି ।ବିଧୂ ବିଧିବଶୁଁ ଉଜ୍ଜ୍ୱଳ ଦିଶି ସେ ॥
ବିଦେହଜା ପଦ ଗୁଣି ଯେ ।ବିଂଶତି ପଦେ ଏ ଛାନ୍ଦ ଉପଇନ୍ଦ୍ର ଭଞ୍ଜ ବୀରବର ଭଣି ଯେ ॥
୧୬ଶ ପଦ–ତୁଳାକୋଟି–ନୂପୁର । ତୁଳାକୋଟି–ଭୁମାସମୂହ । ବିଗୁଢ଼–ନିନ୍ଦିତ । ନିଗୁଢ଼ସ୍ୱନ–ଗୁପ୍ତସ୍ୱନ । ଖୁଣ୍ଟିଆ–ବନ୍ଧୁର ପଥ । ପ୍ରପଦେ–ପଦାଗ୍ରରେ ।
୧୬ଶ ପଦ–‘କୋଟି କୋଟି ଉପମାକୁ ତୁଚ୍ଛ କରୁଛି’–ଛଳରେ ଏହା କହିବା ପାଇଁ ସଖୀମାନେ ସୀତାଙ୍କ ପାଦରେ ବଳା ଓ ନୂପୁର ଖଞ୍ଜି ଦେଲେ । ପୁଣି ‘ସୀତାଙ୍କ ଗମନ ହଂସମାନଙ୍କର ଗତିକୁ ନିନ୍ଦା କରୁଛି’–ଏହି ସ୍ୱନ କରିବା ନିମିତ୍ତ ପାଦରେ ହଂସକ ନାମକ ଅଳଙ୍କାରକୁ ମଣ୍ଡନ କଲେ । ଖୁଣ୍ଟିଆର ଅର୍ଥ ଉଚ୍ଚ ନୀଚ ପଥ । ଝୁଣ୍ଟିଆ ସହିତ ତାହାର ଗୋଟିଏ ଯାହା ପ୍ରଭେଦ ଅଛି । ଶବ୍ଦ ଛଳରେ ଉଚ୍ଚନୀଚ ପଥ ଜଣାଇ ଦେବାପାଇଁ ସଖୀମାନେ ପାଦ ଆଗରେ ଝୁଣ୍ଟିଆ ଖଞ୍ଜି ଦେଲେ ।
୧୭ଶ ପଦ–ଲାକ୍ଷା–ଅଳତା । କୋକନନ୍ଦ–ରକ୍ତପଦ୍ମ ।
୧୭ଶ ପଦ–ତତ୍ପରେ ପାଦର ବେଢ଼ରେ ଅଳତା ଦେଲେ । ପାଦ ରଙ୍ଗ ଓ ଅଳତା ରଙ୍ଗ କୁଶଳର ସହିତ ଜଣା ପଡ଼ୁଥିଲା (ଏକବର୍ଣ୍ଣ ହୋଇ ସୁଦ୍ଧା କେହି କାହା ସହିତ ମିଶିଲା ନାହିଁ) ଯେପରି ଫୁଟିଥିବା ରକ୍ତପଦ୍ମର ଚାରିପାଖରେ ସରସ୍ୱତୀର ରକ୍ତବର୍ଣ୍ଣ ଜଳ ବେଢ଼ି ରହିଅଛି । (ପାଦ ରକ୍ତପଦ୍ମ ଓ ଅଳତା ସରସ୍ୱତୀର ରକ୍ତବର୍ଣ୍ଣ ଜଳରୂପେ ଉପମିତ) । ତାହା ପରେ ବାଉଁଶ ନଳୀ ଭିତରେ ଥିବା ଅତିଶୟ ସୁକ୍ଷ୍ମ ଦୁର୍ବାଦଳବର୍ଣ୍ଣ ବିଶିଷ୍ଟ ନୀଳ ଶାଢ଼ି ବାଛି ପିନ୍ଧାଇଲେ । ଦୁର୍ବାଦଳବର୍ଣ୍ଣ ରାମ ଏହିପରି କୋଳ କରିବେ–ଏହି ଇଚ୍ଛାରେ ନୀଳବର୍ଣ୍ଣ ଶାଢ଼ି ସୀତାଙ୍କ ଦେହରେ ଜଡ଼ାଇ ଦେଲେକି ?
୧୮ଶ ପଦ–ବସନାଞ୍ଚଳ–ପଣନ୍ତ ବା ଲୁଗାକାନି । ଉରୁ–ଜାନୁ । ଏଣୀ–ମୃଗୀ ।
୧୮ଶ ପଦ–ଲୁଗା ପିନ୍ଧାଇ ଦେଲା ପରେ ଲୁଗାର ପଣନ୍ତ ପବନରେ ଚାଳିତ ହେବାରୁ ଜଣାଗଲା, ଯେପରି ସେ ପଣନ୍ତ ଯୋଗୀଙ୍କ ‘ଯୋଗରେ ବସ ନାହିଁ ଏପରି ଠାରି କହୁଛି । (ସେ ପବନ ଚାଳିତ ଅଞ୍ଚଳର ଦର୍ଶନରେ ଯୋଗୀଙ୍କର ଯୋଗ ସୁଦ୍ଧା ଭ୍ରଷ୍ଟ ହୋଇଯିବ) । ପୁଣି ସୀତାଙ୍କ ସମୁଖ ଭାଗରେ ସ୍ତନ ଦ୍ୱୟ ଫୁଟି ନ ଦିଶୁ’–ଏହା ଭାବି ଲୁଗାକୁ ନାନାପ୍ରକାର ଭାଙ୍ଗ କରି କୁଞ୍ଚ ଦେଲେ । କଟିରେ କିଙ୍କଣୀ ବାନ୍ଧିଲେ; ତାହା କିଣି କିଣି ବାଜି ଦେଖିବା ଲୋକର ନୟନ ମୃଗର ଚିତ୍ତକୁ କିଣି ନେବ । (ଘଣ୍ଟି ଶବ୍ଦ ଶୁଣିଲେ ଅରଣ୍ୟରେ ମୃଗ ମୃଗୀମାନେ ବଶ ହୁଅନ୍ତି) ।
୧୯ଶ ପଦ–ବୀଟିକା–ପାନ ଖିଲ । ନାଗବଲ୍ଲୀ–ପାନ । ବିଡ଼ମ୍ବ–ଉପହାସ ।
୧୯ଶ ପଦ–ଏହିପରି ବେଶ ରଚନା ସରିଲା ପରେ ବରଣ ସମୟ ନିକଟବର୍ତ୍ତୀ ହେବାର ଜାଣି ସଖୀମାନେ ସୀତାଙ୍କୁ ବସାଇ ପାନଖିଲ ଭୁଞ୍ଜାଇଲେ ରକ୍ତବର୍ଣ୍ଣ ବିଶିଷ୍ଟ ଅଧର ପାନ ବୋଳରେ ଦ୍ୱିଗୁଣିତ ହୋଇଗଲା, କିନ୍ତୁ ତାହା ଉପହାସ ବା କୃଷ୍ଣବର୍ଣ୍ଣ ହେଲାନାହିଁ (ରକ୍ତବର୍ଣ୍ଣରେ ରକ୍ତବର୍ଣ୍ଣ ମିଶିଲେ କୃଷ୍ଣବର୍ଣ୍ଣ ହୋଇଯାଏ), ମାତ୍ର ଜବାବର୍ଣ୍ଣ ବାଳ ସୁର୍ଯ୍ୟର ଜ୍ୟୋତିକୁ ଧାରଣ କଲା ପ୍ରାୟ ଦେଖାଗଲା । ସୀତା ବତିଶ ଲକ୍ଷଣାର ସ୍ଥଳ ରୂପେ ନିର୍ଣ୍ଣିତ ହୋଇଅଛନ୍ତି, ଗୀତ ଚାତୁରୀ ଛଳରେ ଉପମାମାନଙ୍କୁ ସିନା ଦିଆଗଲା । (ମାତ୍ର କୌଣସ ଉପମା ତାଙ୍କର ଶୋଭାକୁ ଯୋଗ୍ୟ ନୁହଁନ୍ତି) ।
୨୦ଶ ପଦ–ଯେତେ ସ୍ୱର୍ଣ୍ଣ ଓ ରତ୍ନର ଅଳଙ୍କାର କଥା କୁହାଗଲା, ସେ ସବୁ ସୀତାଙ୍କ ଅଙ୍ଗ ରୂପ ରସାଣ ପଥର ଯୋଗରେ ଉଜ୍ଜ୍ୱଳ ଦେଖାଗଲେ । (ରତ୍ନ ଓ ସ୍ୱର୍ଣ୍ଣ ରସାଣ ପଥରରେ ଲାଗିଲେ ବେଶି ଉଜ୍ଜ୍ୱଳ ଦିଶନ୍ତି, ସେହିପରି ଏଠାରେ ସେମାନେ ସୀତାଙ୍କୁ ସୁନ୍ଦର କଲେ ନାହିଁ ଯେ, ସୀତାଙ୍କ ଯୋଗେ ନିଜେ ସୁନ୍ଦର ଦେଖାଗଲେ) । ମର୍ଦ୍ଦିତ ଉଜ୍ଜ୍ୱଳ ଓ କସ୍ତୁରୀରୂପ ରାତ୍ରି ସୀତାରୂପୀ ଚନ୍ଦ୍ର ଯୋଗେ ଉଜ୍ଜ୍ୱଳତର ଦିଶିଲେ । ସେହି ବିଦେହ ରାଜକନ୍ୟା ସୀତାଙ୍କ ପାଦପଦ୍ମକୁ ସ୍ମରଣ କରି ବୀରବର ଉପେନ୍ଦ୍ର ଭଞ୍ଜ ଏ ଛାନ୍ଦକୁ କୋଡ଼ିଏ ପଦରେ ଭଣିଲେ ।