ଦ୍ୱାଦଶ ଛାନ୍ଦ — ବୈଦେହୀଶ ବିଳାସ (ପ୍ରଥମ ଖଣ୍ଡ) — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପି୨ୟ ପଦ–ବାସରେ–ସୁଗନ୍ଧରେ । ବାସରେ–ବସ୍ତ୍ରରେ । ବାସରେ–ଦିବସକୁ । ବାସରେ–କେଳିଗୃହରେ । ପଞ୍ଚଶର–କନ୍ଦର୍ପ ।
୨ୟ ପଦ–ଯାହାଙ୍କର ଅଙ୍ଗ ସୌରଭଦ୍ୱାରା ସଦ୍ୟ ବିକଶିତ ପଦ୍ମ ପରାସ୍ତ ହୁଏ, ସେହି ସୀତା ନିଜର ବସନକୁ ବନ୍ଧନ ରଜ୍ଜୁପରି ମନେକଲେ । ଦିବସକୁ ଯୁଗ ସମାନ ବିଚାର କଲେ । ପୁଣି ଭାବିଲେ, କେଳିଗୃହରେ (ରାମଚନ୍ଦ୍ରଙ୍କ ସହିତ) ମିଳନ ନ ହେଉଣୁ କନ୍ଦର୍ପ ମୋତେ ବିନାଶ କଲେ, ବିନା ଗତିରେ ମୋର ଜୀବନ ଯିବ ସିନା ! (ସ୍ତ୍ରୀର ଏକମାତ୍ର ଗତି ସ୍ୱାମୀ) ।
୩ୟ ପଦ–ବିରୋଚନ–ଅରୁଚି । ବିରୋଚନକ’ଣ–ଅଗ୍ନିକଣା । ବିରୋଚନ–ଚନ୍ଦ୍ର । ବିରୋଚନ କର–ସୂର୍ଯ୍ୟକିରଣ ।
୩ୟ ପଦ–ସୀତାଙ୍କୁ ଅମୃତତୁଲ୍ୟ ଭୋଜନ ଅରୁଚି ହେଲା, କର୍ପୂର ଚୂର୍ଣ୍ଣ ଅଗ୍ନିକଣା ପରି ବୋଧହେଲା । ଚନ୍ଦ୍ର ଉଦିତ ହେବାର ଦେଖି ସୀତା ଜଣେ ବିଶ୍ୱସ୍ତା ସଖୀକୁ କହିଲେ, ‘‘ହେ ସଖୀ ! ଆମ୍ଭ ଗୃହ ମେରୁପର୍ବତ ହେଲାକି ? ତେଣୁ ସୂର୍ଯ୍ୟ କିରଣ ସର୍ବଦା ରହିଅଛି । (ମେରୁ ପର୍ବତରେ ସୂର୍ଯ୍ୟ କିରଣ ସର୍ବଦା ରହିଥାଏ । ବିରହବଶରୁ ସୀତା ଚନ୍ଦ୍ରର ସୁଶୀତଳ ଜ୍ୟୋସ୍ନାକୁ ସୂର୍ଯ୍ୟର ପ୍ରଖର କିରଣ ପ୍ରାୟ ମନେକଲେ) ।
୪ର୍ଥ ପଦ–ରସାଳତରୁ–ଆମ୍ବଗଛ । ବସନ୍ତଦୂତ–କୋକିଳ । ବସନ୍ତ ବସନା–ପୀତବସନା-। ବ୍ୟାଧିଘାତ–ସୁନାରୀଗଛ ।
୪ର୍ଥ ପଦ–କୋକିଳ ବସନ୍ତକାଳ ହେତୁରୁ ମତ୍ତହୋଇ ଆମ୍ବ ଗଛରେ ବସି ଉଚ୍ଚସ୍ୱରରେ ଶବ୍ଦ କରନ୍ତେ, ବସନ୍ତବସନା ସୀତା ଅଗସ୍ତ୍ୟ ଋଷିଙ୍କୁ ସ୍ମରଣ କଲେ । (ବଜ୍ର ଶବ୍ଦ ହେଲାବେଳେ ଅଗସ୍ତ୍ୟ ଋଷିଙ୍କୁ ସ୍ମରଣ କରାଯାଏ–ବିରହ ହେତୁ କୋକିଳ ରବ ସୀତାଙ୍କୁ ବଜ୍ର ଶବ୍ଦ ପ୍ରାୟ ପ୍ରତୀତ ହେଲା) । ଭ୍ରମର ଗୁଞ୍ଜନ କରି ସୁନାରୀ ଫୁଲ ପାଖରେ ଉଡ଼ନ୍ତେ, ତଦ୍ଦ୍ୱାରା ତାଙ୍କର ଯନ୍ତ୍ରଣା ବର୍ଦ୍ଧିତ ହେଲା ।
୫ମ ପଦ–ବାରେ ବାରେ–ପୁନଃ ପୁନଃ । ବାରେ ବାରେ–ରବି ସୋମାଦି ବାରମାନଙ୍କରେ-। ବାରେ ବାରେ–ନିବାରଣ ବା ନିଷେଧ କରିବାରେ । ବନରୁହନାଡ଼–ପଦ୍ମନାଡ଼ । ବନଜାକ୍ଷୀ–ପଦ୍ମାକ୍ଷୀ ।
୫ମ ପଦ–ଏହି ବିରହ ତାପରୁ ରକ୍ଷାପାଇବା ପାଇଁ ସୀତା ଥରକୁ ଥର ଶିବ ନାମ ଉଚ୍ଚାରଣ କଲେ । ପୁଣି ରବି, ସୋମ ଇତ୍ୟାଦି ବାରମାନଙ୍କରେ (ଦିନାଧିପତିଙ୍କ ସନ୍ତୁଷ୍ଟ ପାଇଁ) ବ୍ରତ ମନାସ କଲେ । ବାରମ୍ବାର ମୂର୍ଚ୍ଛା ହେବାରୁ ସଖୀମାନେ ଭୟ ଓ ସଂଶୟ ଚିତ୍ତରେ ଅସ୍ଥିର ହୋଇ ପଙ୍ଖା କଲେ ଓ ପାଣି ଛାଟି ଚେତା କରାଇଲେ । ପୁଣି କହିଲେ, ‘‘ହେ ସଖୀ । ତୁମ୍ଭେ ପଦ୍ମନାଡ଼କୁ ଦେଖି ସର୍ପ ମନେକରି ଗରୁଡ଼କୁ ଚିନ୍ତା କରୁଅଛ ।’’(ସାମାନ୍ୟ କଥାକୁ ଅତି ବଡ଼ ବୋଲି ମନେକରୁଅଛ ।)
ବିଶ୍ୱସ୍ଥ ସଖୀଜନଙ୍କୁ କଥିତ ।ବିଶ୍ୱସ ଜନେ ବୋଲନ୍ତି ମରୁତ ॥
ବହଇ ପୁଣ ବ୍ୟାଧି ନାମ ସେହି ।ବହଇ ମନ୍ଦଗୁଣେ ହୋଇ ସ୍ନେହୀ ॥
ବିଧିରେ ଅସୁର ।ବିଧିରେ ସୁର କଲେ ପୁରନ୍ଦର ॥
।୬।ବିଶଦକର ଗୋଟାଏ ଆହୁରି ।ବିଶ(ସ)ଦ ମାର୍ଗରେ ଗମନ କରି ॥
ବିଦ୍ୟାଗୁରୁ ପତ୍ନୀ ହରଣେ ଆଗ ।ବିଦ୍ୟାଂଶୁ କଳଙ୍କ ଧରଇ ଅଙ୍ଗ ॥
ବିଷର ସୋଦର ।ବିସୋର ନୁହେଁ ବାରୁଣୀ ଆଦର ॥
।୭।ବିଗ୍ରହଯାକହିଁ ଯାଇଛି ପୋଡ଼ା ।ବିଗ୍ରହ ମୋର ସେ ପ୍ରେତର ଲୋଡ଼ା ॥
ବାମଲୋଚନା ବୋଲି ଛାଡ଼ି ନାହିଁ ।ବାମମାର୍ଗରେ ଯୋଗଭଙ୍ଗ ଧ୍ୟାଇ ॥
ବିହଗ ଯୋଡ଼ାଏ ।ବିହକ ପୁଣି ଏହାକୀ ପୀଡ଼ାଏ ॥
।୮।ବକୁଳ ଆସବ ପାନେ କେ ରଟେ ।ବ୍ୟାକୁଳଦାତା ଜନିତ କରଟେ ॥
ବିମୁଖ କରେ ମଧୁରେ ଧିଆନ ।ବ୍ୟତ୍ରକେ ପାନ ଯେ ନ କରେ ଆନ ॥
ବଧ ମୋ ଇଚ୍ଛନ୍ତି ।ବୃଜିନୀ ପାଞ୍ଚ ପାଞ୍ଚ କରିଛନ୍ତି ॥
।୯।ବୋଧଇ ଆଳୀ ଯେ ଏହି ନିମିତ୍ତ ।ବିପାକକର୍ମ ପାକ ହେଲା ମିତ ॥
ବଳି କର୍ମେ ଅଛି ଇନ୍ଦ୍ର ପଦବୀ ।ବାସବ ବଜ୍ର ପ୍ରହାରେ ନ ଦ୍ରବି ॥
ବାମନ ରକ୍ଷଣ ।ବିମନ ନୋହି ବିଚାର ତକ୍ଷଣ ॥
।୧୦।୬ଷ୍ଠ ପଦ–ମରୁତ–ପବନ, ନଷ୍ଟ ହେଉ । ବିଧିରେ–ମୂର୍ଖତା ହେତୁ । ସୁର–ଦେବତା । ପୁରନ୍ଦର–ଇନ୍ଦ୍ର ।
୬ଷ୍ଠ ପଦ–(ବିରହ ଯନ୍ତ୍ରଣା ଯୋଗୁ ମୃଦୁ ମୃଦୁ ମନ୍ଦପବନ ସୁଦ୍ଧା ପୀଡ଼ାଦାୟକ ବୋଧ ହେବାରୁ ) ସୀତା ତାଙ୍କର ବିଶ୍ୱାସୀ ସଖୀମାନଙ୍କୁ କହିଲେ, ‘‘ସଂସାରର ଲୋକମାନେ ‘ମରୁତ’ ପବନ ବୋଲି ଯାହା କହନ୍ତି ତାହା ‘ମରୁତ’–ନଷ୍ଟ ହେଉ ।” ପୁଣି ସେ ବାତ ଅର୍ଥାତ୍ ଗୋଟାଏ ବ୍ୟାଧି ନାମକୁ ଧାରଣ କରେ, (ତେଣୁ ସେ ପୀଡ଼ାଦାୟକ ଅଟେ) ଓ ମନ୍ଦ ଗୁଣକୁ ସ୍ନେହରେ ରଖିଅଛି, ମନ୍ଦ ମଧ୍ୟ ଅଟେ । ସ୍ୱଭାବରେ ସେ ଅସୁର ଅଟେ, ଇନ୍ଦ୍ର ତାହାକୁ ମିଛରେ ଦେବତା କଲେ ସିନା ! (ଦେବତାମାନେ ଅଦିତି ଗର୍ଭରୁ ଜାତ । ପବନ ଦିତି ଗର୍ଭରୁ ଜନ୍ମ ହୋଇଥିଲେ–ତେଣୁ ଅସୁର, ମାତ୍ର ପବନ ଗର୍ଭରେ ଥିଲାବେଳେ ଇନ୍ଦ୍ର ତାଙ୍କୁ ଅଣଚାଶ ଖଣ୍ଡ କରି ହାଣିଥିଲେ, ପରେ ଦିତିଙ୍କ କୋପକୁ ଡରି ତାଙ୍କୁ ଅମୃତ ଖୁଆଇ ଦେବତା କଲେ ।)
୭ମ ପଦ–ବିଶଦକର–ଚନ୍ଦ୍ର । ବିଶଦମାର୍ଗ–ଆକାଶମାର୍ଗ । ବିଶଦମାର୍ଗ–ଅସନ୍ମାର୍ଗ । ବାରୁଣୀ–ପଶ୍ଚିମଦିଗ, ମଦ୍ୟବିଶେଷ ।
୭ମ ପଦ–(ଚନ୍ଦ୍ର କିରଣ କଷ୍ଟଦେବାରୁ ଚନ୍ଦ୍ରକୁ ଗାଳିଦେଇ) ପୁଣି କହିଲେ,–ଆକାଶ ମାର୍ଗରେ ଗମନ କରୁନାହିଁ ଯେ ସେ ଅସତ୍ ମାର୍ଗରେ ଗମନ କରୁଅଛି । ସେ ବିଦ୍ୟାଗୁରୁ ବୃହସ୍ପତିଙ୍କ ପତ୍ନୀ ତାରାଙ୍କୁ ହରଣ କରିଥିଲେ, (ଏପରି ପାପୀ) ତେଣୁ ନିଜ ଅଙ୍ଗରେ କଳଙ୍କ ଧାରଣ କରିଅଛନ୍ତି-। ପୁଣି ବିଷର ଭାଇ ଅଟନ୍ତି (ବିଷ ଓ ଚନ୍ଦ୍ର ଉଭୟେ ସମୁଦ୍ରରୁ ଜାତ)–(ବିଷ ଗୁଣକୁ କିପରି ବା ଛାଡ଼ିବେ?) ପଶ୍ଚିମ ଦିଗରୂପ ମଦିରାକୁ ଆଦର କରିବାରେ ସେ ସର୍ବଦା ତତ୍ପର (ସେ ମଦୁଆ ଅଟନ୍ତି) ।
୮ମ ପଦ–ବିଗ୍ରହଯାକ–ଶରୀରଯାକ । ବିଗ୍ରହ–କଳହ । ପ୍ରେତ–କନ୍ଦର୍ପ । ବାମଲୋଚନ–ସ୍ତ୍ରୀ । ବାମମାର୍ଗରେ–ଅସନ୍ମାର୍ଗରେ । ବିହଗ–ପକ୍ଷୀ ।
୮ମ ପଦ–ସର୍ବାଙ୍ଗ ଦଗ୍ଧ ହୋଇଥିବା କନ୍ଦର୍ପରୂପୀ ପ୍ରେତ ମୋ ସହିତ ଶତ୍ରୁତାଚରଣ କରୁଅଛି । (ମହାଦେବଙ୍କ ଯୋଗଭଗ୍ନ କରିବାକୁ ଯାଇ କନ୍ଦର୍ପ ଦଗ୍ଧ ହୋଇଥିଲେ) । ସ୍ତ୍ରୀ ବୋଲି ମୋତେ ଜାଣି ସୁଦ୍ଧା (ସ୍ତ୍ରୀ ଅବଧ୍ୟ) ସେ ମୋତେ ଛାଡ଼ୁନାହିଁ । ମନ୍ଦ ମାର୍ଗରେ ଚଳି ମୋତେ ସଙ୍ଗୀଛଡ଼ା କରୁଅଛି । ପୁଣି ଯୋଡ଼ାଏ ପକ୍ଷୀ–ଭ୍ରମର ଓ କୋକିଳ ମୋତେ ଏକାକୀ ଦେଖି ପୀଡ଼ା ଦେଉଅଛନ୍ତି ।
୯ମ ପଦ–ବକୁଳ ଆସବ–ବକୁଳ ମକରନ୍ଦ ଅର୍ଥାତ୍ ମଦ୍ୟ । କରଟ–କାଳ । ମଧୁ–ପୁଷ୍ପରସ ରୂପ ମଦ୍ୟ । ବୁଜିନୀ–ପାପୀ ।
୯ମ ପଦ–କାଳ ପାଳିତ କୋକିଳ ଆମ୍ବ ବଉଳର ମଧୁ ପାନପୂର୍ବକ ଧ୍ୱନି କରି ମୋତେ ବ୍ୟାକୁଳ କରୁଅଛି । (କାକଦ୍ୱାରା ପାଳିତ ହେବାରୁ ତା’ର ମନ୍ଦଗୁଣ ବଢ଼ିଅଛି, ପୁଣି ମଦ୍ୟପାନ କରି ଉନ୍ନତି ହୋଇଅଛି) । ଭ୍ରମର ପୁଷ୍ପରସ ରୂପକ ମଦ୍ୟ ବ୍ୟତୀତ ଅନ୍ୟରସକୁ ପାନ କରେନାହିଁ । ତେଣୁ ସେ ସର୍ବଦା ମଦୁଆ ଅଟେ । ସେହି ମଦୁଆ ଭ୍ରମର ମଧ୍ୟ ମୋତେ କଷ୍ଟ ଦେଉଅଛି । ପବନ, ଚନ୍ଦ୍ର, କାମ, କୋକିଳ ଓ ଭ୍ରମର ଏହି ପାଞ୍ଚପାପୀ ମୋତେ ହତ୍ୟା କରିବା ପାଇ ପାଞ୍ଚ କରିଅଛନ୍ତି ।
୧୦ମ ପଦ–ବିପାକକର୍ମ–ଦୁର୍ଦ୍ଦଶା । ପାକ–ଶେଷ ।
୧୦ମ ପଦ–ସୀତାଙ୍କ ବ୍ୟାକୁଳତା ଦେଖି ବୋଧ ଦେଇ କହିଲା, ‘ହେ ସଖି ! ତୁମ୍ଭ ଦୁର୍ଦ୍ଦଶା ଶେଷ ହେଲାଣି । ବଳିରାଜା ଭାଗ୍ୟରେ ଇନ୍ଦ୍ରପଦବୀ ପ୍ରାପ୍ତି ଯୋଗ ଥିବାରୁ ସେ ଇନ୍ଦ୍ରଙ୍କ ବଜ୍ରକୁ ଭୟ କରୁ ନ ଥିଲେ । (ତୁମ୍ଭେ ପବନାଦମାନଙ୍କୁ ଡରୁଛ କାହିଁକି ? ଅର୍ଥାତ୍ ଡର ନାହିଁ) । ବଳି ବାମନଙ୍କଦ୍ୱାରା ରକ୍ଷିତ ହୋଇଥିଲେ, (ତୁମ୍ଭେ ସେହିପରି ରକ୍ଷା ପାଇବ ନାହିଁକି ?) ବିରସମନା ନ ହୋଇ ଏହା ମୁହୂର୍ତ୍ତେ ମାତ୍ର ବିଚାର କର । (ବଳି ରାଜା ବଜ୍ର ପ୍ରହାରକୁ ନ ଡରି ରହିଥିବାରୁ ବାମନ ତାଙ୍କୁ ରକ୍ଷା କରିଥିଲେ । ତୁମ୍ଭେ ପବନାଦିମାନଙ୍କୁ ନ ଡରି ଧୈର୍ଯ୍ୟ ଧରି ରହିଲେ ରାମଚନ୍ଦ୍ର ଶରୀର ଭୋଗ ରୂପ ଇନ୍ଦ୍ର ସମ୍ପତ୍ତି ଦାନ କରିବେ । ତୁମ୍ଭେ ଅଧୈର୍ଯ୍ୟ ହୁଅ ନାହିଁ) ।
ବୋଧ ହେଲା ଚିତ୍ତ ସାତ୍ୱିକେ ତାର ।ବିଲୋକ ହେଲା କେତେ ହାସ ତାର ॥
ବିଗତ ପ୍ରଭା କି ପ୍ରଭାତ ତାର ।ବେତନ ପାଣି କେତେ ଯଥା ତାର ॥
ବେଦନାରୁ ତାର ।ବୋଲି ବିହେ ସ୍ତୁତି ସେ ବିଧାତାର ॥
।୧୧।ବଇବର୍ଣ୍ଣ୍ୟ ଦଶା ଅବକାଶର ।ବର୍ଣ୍ଣ ଦିଶିଗଲା କେଡେ଼ ଧୂସର ॥
ବଇଦେଲା କିଛି କର କେଶର ।ବିନୟ ପାଦେ ଦେଖି ସାରସର ॥
ବନ ନିବାସର ।ବଞ୍ଚେ ବାହୁଡ଼ାଇ ନେବା ତ୍ରାସର ॥
।୧୨।ବକ୍ଷୋଜରେ ନବ ପାଣ୍ଡୁବିଳାସ ।ବିଫଳ କି ଶିବ ସେବା ତୁଳାଶ ॥
ବଡ଼ାଇ ଆଣିଲା ଗିରି କୈଳାସ ।ବେଳୁଁବେଳ ଜାତ କରି ଉଲ୍ଲାସ ॥
ବିମ୍ବେ ଅଭିଳାଷ ।ବିହିଲେ ରଙ୍ଗ ଲକ୍ଷ କୃକଲାସ ॥
।୧୩।ବଶୀଭୂତ ରାମ ପ୍ରୀତି ଆଦରେ ।ବସି ଭୂତପତି–ରିପୁର ଦରେ ॥
ବାରବାଣ ହେବ ସୁନ୍ଦରୀ ଖର ।ବାରବାଣକୁ ପଞ୍ଚ ବିଶିଖର ॥
ବି–ଶାଖା ସ୍ୱଭାବେ ।ବିଶାଖା–ପତି ମୁଖ ଛବି ଭାବେ ॥
।୧୪।ବାହୁଲତାରେ ସମ ନୋହି ଦୀନ ।ବାହୁଲତାରେ ତାକୁ କେଉଁଦିନ ॥
ବାନ୍ଧି ବିରଚିବି ନ କରି ମଠ ।ବାନ୍ଧିବି ! ବୋଲି ଧିରିବି ନର୍ମଠ ॥
ବନ୍ଧୁ ମୋ ବିଶୁଦ୍ଧା ।ବନ୍ଧୁକ ଅଧରୁ ପିଇବି ସୁଧା ॥
୧୧ଶ ପଦ–ସଖୀମାନେ ଏପରି ସାନ୍ତ୍ୱନା ଦେବାରୁ ସୀତାଙ୍କର ଚିତ୍ତ ବୋଧ ହେଲା । ସାତ୍ତ୍ୱିକ ବିକାର ପ୍ରକାଶପୂର୍ବକ ସେ ହାସ୍ୟ କଲେ । ପ୍ରଭାତ କାଳରେ ତାରାଗଣ ହୀନପ୍ରଭ ହେଲା ପ୍ରାୟ ତାହା ଜଣାଗଲା । ଭୃତ୍ୟ ମୁନିବ ନିକଟରେ ଯେପରି ବିନୟ ପ୍ରକାଶ କରେ, ସେହିପରି ସୀତା ବିଧାତାଙ୍କୁ ଉଚ୍ଚସ୍ୱରରେ ସ୍ତୁତି କରି କହିଲେ, ‘‘ମୋତେ ଏ ବେଦନାରୁ ରକ୍ଷାକର ।’’
୧୨ଶ ପଦ–ବଇଦେଲା–ବ୍ୟୟ କଲା । ସାରସ–ପଦ୍ମ । ନିବାସର–ଗୃହର ।
୧୨ଶ ପଦ–ବିରହାବସ୍ଥାର ଶେଷରେ ତାଙ୍କ ଦେହ ଧୂସର ବର୍ଣ୍ଣ ଦେଖାଗଲା । ତାହା ଦେଖି ବୋଧହେଲା,–ପଦ୍ମ ତାଙ୍କ ପାଦ ତଳରେ ବିନୟୀ ହେବାରୁ ସେ ଆପଣା ଦେହ କାନ୍ତିରୁ କିଛି ନେଇ ପଦ୍ମକୁ ଦେଲେକି ? କାଳେ ସୀତା ଦେଇଥିବା କାନ୍ତିକୁ ପୁଣି ଛଡ଼ାଇ ନେବେ–ଏଇ ଭୟରେ ପଦ୍ମ ଯାଇ ଜଳ ମଧ୍ୟରେ ବାସ କରୁଅଛିକି ?
୧୩ଶ ପଦ–ବକ୍ଷୋଜ–ସ୍ତନ । ତୁଳାଶ–ତୁଳନା କରିବା ଇଚ୍ଛା । କୃକଲାସ–ଏଣ୍ଡୁଅ ।
୧୩ଶ ପଦ–ସ୍ତନଦ୍ୱୟ ନୂତନ ପାଣ୍ଡୁରବର୍ଣ୍ଣ ଧାରଣ କରିବାରୁ କୈଳାସ ପର୍ବତ ଦେଖି ଖୁସି ହୋଇ ମନରେ ଗର୍ବ କଲା, ମୁଁ (ସ୍ତନ ଯୁଗଳ ସହିତ ସମାନ ହେବି ବୋଲି) ମହାଦେବଙ୍କୁ ଯେଉଁ ସେବା କରିଥିଲି, ତାହା ବିଫଳ ହୁଅନ୍ତାକି ? (ଅର୍ଥାତ୍ ମୁଁ ମହାଦେବଙ୍କ ସେବା କରିବାରୁ ଏହାଙ୍କ ସ୍ତନ ଯୁଗଳ ସହିତ ସମାନ ହେଲି) । କିନ୍ତୁ ଏଣ୍ଡୁଅ ପାଚିଲା ବିମ୍ବ ଫଳରେ ବର୍ଣ୍ଣକୁ ଧାରଣା କରିବାକୁ ଇଚ୍ଛା କଲା ପରି ଏହା ହେଲା । (ଏଣ୍ଡୁଅ ଯେତେ କଲେ ମଧ୍ୟ ବିମ୍ବ ଫଳରେ ବର୍ଣ୍ଣ ପାଇପାରିବ ନାହିଁ–ସେହିପରି କୈଳାସ ପର୍ବତ କେବେ ହେଲେ ସ୍ତନ ଯୁଗଳ ସହିତ ସମାନ ହେବ ନାହିଁ) ।
୧୪ଶ ପଦ–ଭୂତପତି ରିପୁ–ପନ୍ଦର୍ପ । ବାରବାଣ–ସାଞ୍ଜୁ । ବାରବାଣକୁ–ବାଣସମୂହକୁ । ପଞ୍ଚ ବିଶିଖ–କନ୍ଦର୍ପ । ବିଶାଖା–ପ୍ରିୟାହୀନ । ବିଶାଖାପତି–ଚନ୍ଦ୍ର ।
୧୪ଶ ପଦ–ରାମଚନ୍ଦ୍ର ସୀତାଙ୍କ ପ୍ରେମରେ ବଶୀଭୂତା ହୋଇ ମହାଦେବଙ୍କ ଶତ୍ରୁ କନ୍ଦର୍ପର ଭୟରେ ଏକାନ୍ତରେ ବସି ଚନ୍ଦ୍ରମୁଖୀ ସୀତାଙ୍କୁ ଭାବନା କରି ବିଚାର କରୁଅଛନ୍ତି, ‘‘କନ୍ଦର୍ପ ପ୍ରେରିତ ବାଣମାନଙ୍କୁ ବାରଣ କରିବା ବିଷୟରେ ସୀତା ସାଞ୍ଜୁ ପ୍ରାୟ ଅଟେ ।’’ [ସୀତାରୂପୀ ସାଞ୍ଜୁ ମୁଁ ଧାରଣା କଲେ, ସୀତାଙ୍କୁ କୋଳ କଲେ, କନ୍ଦର୍ପର ପୀଡ଼ା ମୋତେ ବାଧିବ ନାହିଁ ।]
୧୫ଶ ପଦ–ନର୍ମଠ–ଓଷ୍ଠ । ବନ୍ଧୁକ–ବଧୁଲି ଫୁଲ ।
୧୫ଶ ପଦ–‘‘କେଉଁଦିନ ମୁଁ ବିଳମ୍ବ ନ କରି ଦୀନ ଦୁଃଖୀଙ୍କ ପରାୟ ନ ହୋଇ [ଅର୍ଥାତ୍ କୁଣ୍ଠିତ ନ ହୋଇ–ଅବହେଳାରେ] ବାହୁ ଲତାରେ ତାକୁ ବନ୍ଧନ କରିବି ? କେଉଁଦିନ, ‘ହେ ବାନ୍ଧବୀ !’ ଏହା କହି ତାହାର ଚିବୁକ ଧରିବି ? କେଉଁ ଦିନ ମୋର ନିର୍ମଳ ହୃଦୟା ବାନ୍ଧବୀ ସୀତା ଅଧରରୁ ଅମୃତ ପାନ କରିବି ?’’
ବଳାହକକେଶୀ ନେତ୍ର ଶବଳା ।ବଳାହକସ୍ତନୀ ସ୍ନେହପ୍ରବଳା ॥
ବଳାଉଁ ରତିରେ ମତି ଅବଳା ।ବଳାରି ସୁଖକୁ ହେବ କବଳା ॥
ବଳାଇବ ବଳା ।ବଳତ୍କାରେ ମାର ହେବ ଦୁର୍ବଳା ॥
।୧୬।ବିଶଲ୍ୟ ରାମା ପ୍ରାପତେ ହବିଷ ।ବିଷୟ ଅନ୍ତର ଅଶନ ବିଷ ॥
ବିଶ–ପ୍ରଭୁ ପ୍ରେମ–ବାଣିଜ୍ୟେ ବିଷ ।ବିଶଦଭାନୁ ଭାନୁ ଏ କିଳ୍ବିଷ ॥
ବିଷଧର ବିଷ ।ବିଷମତାପ ବଶ ଏ ଭବିଷ୍ୟ ॥
।୧୭।ବସି ପାରାବତ ହୁଁ କୃତ ସ୍ୱନେ ।ବଶିଷ୍ଠ ଆଦି ଆସେ ସୁଖାସନେ ॥
ବିଥିରେ ଶ୍ୟାମଳ କମଳବାସୀ ।ବିଥିରେ ଦେଖିବା ଅଯୋଧ୍ୟାବାସୀ ॥
ବିତର୍କି ଚିତ୍ତରେ ।ବିତରଣକୃତ ନେତ୍ର କାତରେ ॥
।୧୮।ବିଭ୍ରାଜ ପଲାଶହୀନ ପଲାଶ ।ବିଭ୍ରାନ୍ତି ହୁଏ ପଦଗବିଳାସ ॥
ବଳାକାପନ୍ତି ଯାଉଁ ତ୍ୱକସାର ।ବଳାନ୍ତି ଚିତ୍ତ ପତାକା ପ୍ରସାର ॥
ବିଳସେ ସୁମନ ।ବିଳମ୍ବ ତେଜି କଲେ ତ ଗମନ ॥
।୧୯।ବିରଳେ ଆଦ୍ୟ ଯମକେ ବିଦ୍ୟକ ।ବିଭୂଷିତ ଧ୍ୱନି ପ୍ରାନ୍ତ ଯମକ ॥
ବିଶ୍ରାମ ଯମକ ଆଦ୍ୟ ପ୍ରାନ୍ତରେ ।ବିଶୁଦ୍ଧ ରୂପକ ବିଂଶ ପଦରେ ॥
ବୀରବର କହି ।ବାଳିଶେ ବିସ୍ମୟ ବୁଧଙ୍କୁ ମୋହି ॥
୧୬ଶ ପଦ–ବଳାହକକେଶୀ–ଘନକେଶୀ । ଶବଳା–ବିବିଧବର୍ଣ୍ଣ–ବିଚିତ୍ରିତା । ବଳାହକସ୍ତନୀ–ପର୍ବତସ୍ତନା । ସ୍ନେହପ୍ରବଳା–ସ୍ନେହମୟୀ । ବଜାରି–ଇନ୍ଦ୍ର ।
୧୬ଶ ପଦ–‘‘ଘନକେଶୀ, ଶ୍ୱେତ ଓ କୃଷ୍ଣବର୍ଣ୍ଣ ମିଶ୍ରିତ ନୟନା, ପର୍ବତସ୍ତନା, ସ୍ନେହପ୍ରବୀଣା ସୀତା ଯେତେବେଳେ ରତିରେ ମନ ବଳାଇବ, ସେତେବେଳେ ଇନ୍ଦ୍ର ସମ୍ପଦ ମୋର ହସ୍ତଗତ ହେବ-। (ସେ କାମାସକ୍ତ ହୋଇ ମୋ ପାଶକୁ ଆସିଲେ, ମୁଁ ତା’ ସହିତ ବିହାର କରି ଇନ୍ଦ୍ର ସମ୍ପତ୍ତିକୁ ତୁଚ୍ଛ ମନେକରିବି) । ତାହାର ବଳାଧନି କନ୍ଦର୍ପକୁ ବଳାତ୍କାରରେ ଦୁର୍ବଳ କରି ପକାଇବ । (କନ୍ଦର୍ପ ପରାଜିତ ହୋଇ ପଳାୟନ କରିବ) ।’’
୧୭ଶ ପଦ–ବୀଶ–ଗରୁଡ଼ । ବିଶଦ ଭାନୁ–ଚନ୍ଦ୍ର । କିଳ୍ବିଷ–ପାପ ।
୧୭ଶ ପଦ–କାମପୀଡ଼ାର ବିଶଲ୍ୟକରଣୀ ଔଷଧ ପ୍ରାୟ ସୀତାଙ୍କୁ ପାଇବାପାଇଁ ରାମଚନ୍ଦ୍ର ବ୍ରତ ଆଚରଣପୂର୍ବକ ହବିଷ ପାଳନ କଲେ । ତାଙ୍କ ମନରୁ ଅନ୍ୟ ସବୁ ଚିନ୍ତା ଅନ୍ତର ହେଲା । ଭୋଜନ ବିଷ ପ୍ରାୟ ବୋଧ ହେଲା । ଗରୁଡ଼ର ପ୍ରଭୁ ରାମଚନ୍ଦ୍ର ବୈଶ୍ୟ ପରି ପ୍ରେମ ବାଣିଜ୍ୟର ମଗ୍ନହୋଇ ରହିଲେ । ଚନ୍ଦ୍ରର କିରଣ ତାଙ୍କୁ ସନ୍ତାପ ଦେଲା, ପଦ୍ମର ମୃଣାଳ ବିଷଧର ସର୍ପ ପ୍ରାୟ ପ୍ରତୀତି ହେଲା । ସୀତାଙ୍କ ବିରହରେ ଏପରି ବିପରୀତ କଥାସବୁ ଘଟିଲା ।
୧୮ଶ ପଦ–ସୁଖାସନେ–ଯାନରେ । ବିଥିରେ–ଅସ୍ଥିର ହୋଇ । ବିଥିରେ–ଏକତ୍ରରେ ।
୧୮ଶ ପଦ–ଶ୍ୟାମଳବର୍ଣ୍ଣ ପଦ୍ମଗନ୍ଧ ବିଶିଷ୍ଟ ଶରୀର ରାମଚନ୍ଦ୍ର କପୋତ ହୁଁକାର ଧ୍ୱନି କରନ୍ତେ, ବଶିଷ୍ଟାଦି ଅଯୋଧ୍ୟା ପ୍ରଧାନ ଲୋକମାନେ ଶିବିକାର ବସି ଅଇଲେକି ? (ଶୀଘ୍ର କିପରି ବିଭାଘର ହେବ, ସେଥିପାଇଁ ଚିତ୍ତ ଉଦ୍ବିଗ୍ନ ଥିବାରୁ ଏପରି ଭ୍ରମ ଜାତହେଲା । ) ଏହା ବିଚାରି ସେମାନଙ୍କୁ ଚଞ୍ଚଳ ଯାଇ ପଥ ମଧ୍ୟରେ ଭେଟିବା ପାଇଁ ଚାରିଆଡ଼େ ନେତ୍ରପାତ କଲେ ।
୧୯ଶ ପଦ–ପତ୍ରବିହୀନ ପଲାଶ ଗଛରେ ଦୃଷ୍ଟି ପଡ଼ନ୍ତେ, (ବସନ୍ତ ସମୟରେ ପଲାଶ ଗଛରେ ପତ୍ର ନ ଥାଏ, ମାତ୍ର ଲାଲବର୍ଣ୍ଣ ଫୁଲରେ ବୃକ୍ଷ ପୂର୍ଣ୍ଣ ହୋଇଥାଏ–ସେହି ଲାଲବର୍ଣ୍ଣରେ ରଞ୍ଜିତ ବୃକ୍ଷକୁ ଦେଖି)–ପଦାତିକମାନେ ବିହାର କରି ଆସୁଛନ୍ତିକି ?–ଏହି ଭ୍ରମ ଜାତହେଲା । ବଗ ଦଳ ବାଉଁଶ ଗଛରୁ ଉଡ଼ିଯିବାର ଦେଖି ମନେକଲେ, (ପଦାତିକମାନେ ଆସୁଥିବାରୁ) ‘‘ପତାକା ଉଡ଼ୁଅଛି ।’’ ତାଙ୍କର ମନରେ ‘ଅଯୋଧ୍ୟା ଲୋକେ ଆସୁଅଛନ୍ତି’–ଏ ଦୃଢ଼ ଧାରଣା ହେବାରୁ ସେ ଶୀଘ୍ର ପଥ ମଧ୍ୟକୁ ଗମନ କଲେ ।
୨୦ଶ ପଦ–ନିର୍ମଳ ଅଦ୍ୟଯମକ ଶୋଭିତ, ଧନି ଓ ପ୍ରାନ୍ତ ଯମକ ବିଭୁଷିତ, ଆଦ୍ୟ ପ୍ରାନ୍ତ ଯମକର ବିଶ୍ରାମକାରୀ ପୁଣି ରୂପକାଳଙ୍କାରରେ ମଣ୍ଡିତ ଏହି ଛାନ୍ଦକୁ ଉପେନ୍ଦ୍ର ରଚନା କଲେ । ଏହି ଛାନ୍ଦଶ୍ରବଣରେ ମୂର୍ଖ ଲୋକେ ବିସ୍ମିତ ଓ ପଣ୍ଡିତମାନେ ମୋହିତ ହେବେ ।