ଚତୁର୍ଥ ଛାନ୍ଦ — ବୈଦେହୀଶ ବିଳାସ (ପ୍ରଥମ ଖଣ୍ଡ) — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ଛାନ୍ଦ
ରାଗ–ମାଳବଗଉଡ଼ାବୁଦ୍ଧି ଉତ୍ତମ ଯାହାର କାବ୍ୟ ଅଭିଧାନେ ।ବୃଜିନନାଶ ଚରିତ ଶୁଣ ସାବଧାନେ ହେ ।।୧।ବୃଷ୍ଟିହୀନ ଦ୍ୱାଦଶ ବରଷ ଚମ୍ପାବତୀ ।ବଡ ଚିନ୍ତା ଲଭି ଲୋମପାଦ ନରପତି ଯେ ।।୨।ବରଷା କରିବ ଋଷ୍ୟଶୃଙ୍ଗ ଆଗମନେ ।ବ୍ରହ୍ମଜ୍ଞାନ ପରି ଘେନି ଯୋଗୀନ୍ଦ୍ର ସମାନେ ଯେ ।।୩।୧ମ ପଦ–ବୃଜିନ ନାଶ–ପାପ କ୍ଷୟକର ।୧ମ ପଦ–ଯେଉଁମାନଙ୍କର ବାକ୍ୟ ଓ ଅଭିଧାନରେ ଉତ୍ତମ ପ୍ରବେଶ ଅଛି, ସେମାନେ ପାପ କ୍ଷୟକର ଏହି ଚରିତକୁ ମନଦେଇ ଶୁଣନ୍ତୁ ।୨ୟ ପଦ–ବୃଷ୍ଟିହୀନ–ବର୍ଷାଶୂନ୍ୟ । ନରପତି–ରାଜା ।୨ୟ ପଦ–ଚମ୍ପାବତୀ ନଗରୀରେ ବାରବର୍ଷ ପର୍ଯ୍ୟନ୍ତ ବର୍ଷା ନ ହେବାରୁ ଲୋମପାଦ ରାଜା (ଚମ୍ପାବତୀର ରାଜା) ଅତ୍ୟନ୍ତ ଚିନ୍ତିତ ହେଲେ ।୩ୟ ପଦ–ଯୋଗୀନ୍ଦ୍ର–ତପସ୍ୱୀ ଶ୍ରେଷ୍ଠ ।୩ୟ ପଦ–ଯୋଗୀମାନେ ବ୍ରହ୍ମଜ୍ଞାନୀ ସତ୍ୟ ମନେକଲା ପରି, ଲୋମ ପାଦ ‘ଋଷ୍ୟଶୃଙ୍ଗ ଆସିଲେ ବର୍ଷା ହେବ’ ଏହି କଥାକୁ ସତ୍ୟ ମନେକରିଥିଲେ ।ବୁଲାଇ ନିଜ ନବରେ ପଞ୍ଚରତ୍ନସ୍ଥଳୀ ।ବଜ୍ର ଧରି ଶତମନ୍ୟୁ ପରାୟେ ସେ ଝଳି ଯେ ॥
।୪।ବିକାଶରେ ପଦ୍ମରାଗ ସବିତା ପ୍ରତିଭା ।ବହିଛି ସେ ମାରକତୀ ହୋଇ ରତି ଶୋଭା ଯେ ॥
।୫।ବିଦ୍ରୁମେ ମହାଉଜ୍ଜ୍ୱଳ ଅଟବୀ ସଦୃଶ ।ବହି ଗର୍ଭେ ମୋତି ଶୁକ୍ତି, ଏ ତ୍ରିବିଧ ଶେଷ ଯେ ॥
।୬।ବେଶ୍ୟାସାର ଜରତା ତ ରତା ହୋଇ ନେଲା ।ବନୁଁ ଆଜନ୍ମତପସ୍ୱୀ ଆଣିବି ବୋଇଲା ଯେ ॥
।୭।୪ର୍ଥ ପଦ–ବଜ୍ର–ଇନ୍ଦ୍ରଙ୍କ ଅସ୍ତ୍ର, ହୀରା । ଶତମନ୍ୟୁ–ଇନ୍ଦ୍ର ।
୪ର୍ଥ ପଦ–(ଲୋମପାଦ ରାଜା) ଇନ୍ଦ୍ର ନିଜର ଅସ୍ତ୍ର ବଜ୍ରକୁ ଧରିଥିବାରୁ ଯେପରି ତେଜୀୟାନ୍ ଅଟନ୍ତି, ସେହିପରି ‘ବଜ୍ର’ ହୀରା ଥିବାରୁ ଅତି ତେଜୀୟାନ୍ ଦେଖାଯାଉଥିବା ପଞ୍ଚରତ୍ନ ଥାଳୀ(ଲୋମପାଦ ରାଜା) ନିଜ ନଗରରେ ବୁଲାଇଲେ ।
୫ମ ପଦ–ପଦୁରାଗ–ମରକତମଣି, ପଦଗ୍ରତି ସ୍ନେହ । ସବିତା–ସୂର୍ଯ୍ୟ । ମରକତୀ–ମରକତ ସମ୍ବନ୍ଧୀ, କନ୍ଦର୍ପର ନିକଟବର୍ତ୍ତୀ ।
୫ମ ପଦ–ସେ ଥାଳୀ ପଦ୍ମରାଗ ମଣିର ତେଜରେ ରଞ୍ଜିତ ହୋଇ ସୂର୍ଯ୍ୟଙ୍କ ପରି ଦେଖାଯାଉଛି । ତାହା ଦେଖି ମନେହୁଏ–ସୂର୍ଯ୍ୟପଦ୍ମଠାରେ ସ୍ନେହ କରି ତାହାର ବିକାଶ ନିମିତ୍ତ ନିଜର ତେଜକୁ ତାହା ଉପରେ ନିକ୍ଷେପ କରନ୍ତି (ଅର୍ଥାତ୍ ସୂର୍ଯ୍ୟକିରଣ ପଡ଼ିଲେ ପଦ୍ମ ଫୁଟେ) ଅତଏବ ଏହି ଥାଳୀରେ ‘ପଦ୍ମ–ରାଗ’ ପଦ୍ମ ପ୍ରତି ସ୍ନେହ ଥିବାରୁ ଥାଳୀଟି ସୂର୍ଯ୍ୟଙ୍କ ପରି ତେଜୀୟାନ୍ ହୋଇଅଛି । ଆଉ ମଧ୍ୟ ସେହି ଥାଳୀ ରତିଙ୍କ ପରି ସୁନ୍ଦର ଦେଖା ଯାଉଛି, କାରଣ ରତି ସବୁବେଳେ କନ୍ଦର୍ପର ନିକଟରେ ଥା’ନ୍ତି । ଏହି ଥାଳୀ ମଧ୍ୟ ‘‘ମରକତୀ’’ ମରକତ ମଣିର ସମ୍ବନ୍ଧକୁ ପାଇଅଛି; ଅର୍ଥାତ୍ ପଦ୍ମରାଗ ମଣି ଏଥିରେ ଅଛି ।
୬ଷ୍ଠ ପଦ–ବିଦ୍ରୁମେ–ପୋହଲାରେ, ନୂତନ ପତ୍ରରେ । ଅଟବୀ–ଅରଣ୍ୟ । ମୋତି–ମୁକ୍ତା । ଶୁକ୍ତି–ଶାମୁକା ।
୬ଷ୍ଠ ପଦ–ସେହି ଥାଳୀ ମଧ୍ୟରେ ଅତି ଉଜ୍ଜ୍ୱଳ ପୋହଳା ଥିବାରୁ ନବପଲ୍ଲବ ଧାରଣ କରି ଅତି ମନୋହର ଦେଖାଯାଉଥିବା ଅରଣ୍ୟପରି ଦିଶୁଅଛି । ଆଉ ମଧ୍ୟ ଏହା ମଧ୍ୟରେ ମୁକ୍ତା ଥିବାରୁ, ମୁକ୍ତାଗର୍ଭ ଶାମୁକାପରି ଶୋଭା ପାଉଛି । ଏହିପରି ଏ ତିନି ପଦରେ ଶେଷ୍ଳାର୍ଥ ରହିଛି ।
୭ମ ପଦ–ରତା–ଆଗ୍ରହାନ୍ୱିତା । ଆଜନ୍ମତପସ୍ୱୀ–ଆଜନ୍ମବ୍ରହ୍ମଚାରୀ ।
୭ମ ପଦ–ବେଶ୍ୟାଶ୍ରେଷ୍ଠା ଜରତା ସେହି ପଞ୍ଚରତ୍ନ ଥାଳୀକୁ ଆଗ୍ରହ ସହିତ ନେଇ ବନରୁ ଆଜନ୍ମ ବ୍ରହ୍ମଚାରୀ ସେହି ଋଷ୍ୟଶୃଙ୍ଗଙ୍କୁ ‘ଆଣିବି’’ ବୋଲି କହିଲା ।
ବୃଷଭ ଗୋଡ଼ାଇ ଧେନୁ ପଛରେ ଯେମନ୍ତ ।ବେଦାଧ୍ୟୟନ ଛଡ଼ାଇ ଆଣିବି ତେମନ୍ତ ଯେ ॥
।୮।ବର୍ଦ୍ଧକୀ ଡକାଇ ସଜଡ଼ାଇ ଦିଅ ନାବ ।ବେଶ୍ମ ପରି ମହ ମନୋରମ ହୋଇଥିବ ଯେ ॥
।୯।ବିବିଧ ପଦାର୍ଥ ଭର୍ତ୍ତି କରିଦିଅ ତହିଁ ।ବନ ରଚନାହିଁ ହୋଇଥିବ, ଭୁପେ କହି ଯେ ॥
।୧୦।ବଚସ୍କର ନୃପତି ସାମନ୍ତେ ଭୃତ୍ୟପରି ।ବାର ବାରନାରୀ ଗଲେ ଅନୁକୁଳ କରି ଯେ ॥
।୧୧।ବସିଲେ ତରଣୀ ଅଙ୍କେ ଛାୟା ପରା ହୋଇ ।ବିରାଜିବା ପୁଷ୍କର ଗମନେସେ ଯୋଗାଇଲେ ଯେ ॥
।୧୨।୮ମ ପଦ–‘‘ଷଣ୍ଢ ଯେଉଁ ପରି ଗାଈର ପଛେ ପଛେ ଗୋଡ଼ାଇ ଆସେ, ମୁଁ ସେହିପରି ତାଙ୍କୁ ବେଦ ପଢ଼ା ଛଡ଼ାଇ ମୋର ପଛେ ପଛେ ଦୌଡ଼ାଇ ଆଣିବି ।’’୯ମ ପଦ–ବର୍ଦ୍ଧକୀ–ବଢ଼େଇ । ବେଶୁ–ଘର । ମହାମନୋରମ–ଅତି ସୁନ୍ଦର ।୯ମ ପଦ–‘‘ବଢ଼ାଇ ଡକାଇ ଅତି ସୁନ୍ଦର ଘରପରି ଗୋଟିଏ ନୌକା ସଜାଇ ଦିଅ ।’’୧୦ମ ପଦ–‘‘ତହିଁରେ ନାନାପ୍ରକାର ଜିନିଷ ରଖି ଅବିକଳ ଗୋଟିଏ ଜଙ୍ଗଲ ପରି କରିଦିଅ । ଏହି କଥା ଜରତା ରାଜାଙ୍କୁ କହିଲା ।୧୧ଶ ପଦ–ବଚସ୍କର–ଆଜ୍ଞାବହ । ନୃପତି–ରାଜା । ସାମନ୍ତ–ମୁନିବ । ଭୃତ୍ୟ–ଚାକର । ବାରନାରୀ–ବେଶ୍ୟା ।
୧୧ଶ ପଦ–ଭୃତ୍ୟମାନେ ତାଙ୍କ ସାମନ୍ତଙ୍କର ଆଜ୍ଞାବହ ହେଲା ପରି, ଲୋମପାଦ ରାଜା ତାହାର ଆଜ୍ଞା ପାଳନ କରିଥିଲେ । ଜରତା ବାରଜଣ ବେଶ୍ୟାଙ୍କ ସହ ଅନୁକୁଳ କରି ବାହାରିଲା ।
୧୨ଶ ପଦ–ତରଣୀ–ନୌକା, ସୂର୍ଯ୍ୟ । ଅଙ୍କେ–କୋଳରେ, ମଧ୍ୟରେ । ଛାୟା–ସୂର୍ଯ୍ୟଙ୍କ ସ୍ତ୍ରୀ ।
୧୨ଶ ପଦ–ସେହି ବେଶ୍ୟାମାନେ ସୂର୍ଯ୍ୟଙ୍କ କୋଳରେ ଛାୟାଦେବୀ ବସିଲାପରି ନୌକାର ମଧ୍ୟରେ ବସିଲେ ଏବଂ ଯିବା ସମୟରେ ଗତି କରୁଥିବା ପଦ୍ମପରି ଦେଖାଗଲେ ।
ବିଖ୍ୟାତ ଉଡ଼ୁପ ନାମ ଯୁକ୍ତ ତାରାଳିରେ ।ବ୍ୟଗ୍ରବନ୍ତ ଗତି କରେ ନିଶି ଦିବସରେ ଯେ ॥
।୧୩।ବେନିକୁଳେ ମହାରଣ୍ୟ ସତ୍ୟବାକେ ହୀନ ।ବିଘନ ପଶୁ ସମୂହେ ସତ୍ୟବାକେ ପୂର୍ଣ୍ଣ ଯେ ॥
।୧୪।ବାଜୀ–ଗମ୍ୟ ସ୍ଥାନ ନୋହେ ସର୍ବ ସମୟରେ ।ବାଜୀରାଜି କ୍ରୀଡ଼ା କରେ ବିଗତ ଭୟରେ ଯେ ॥
।୧୫।ବିଶ୍ରାମ ଆଶ୍ରମ କେତେଦୂରେ ନାବ କରି ।ବାମାକ୍ଷୀ କାମମୋହିନୀ ଘେନି ବାରନାରୀ ଯେ ॥
।୧୬।ବାହାରେ ରଖି ଜରତା ଚାମରକେଶୀକି ।ବିଲୋକି ଏମନ୍ତ ବନ, ଏମନ୍ତ ଋଷିଙ୍କି ଯେ ॥
।୧୭।ବିପର୍ଯୟ ପଲାଶିରେ ପଲାଶୀରେ ଘନ ।ବିନାତପ ପ୍ରଭାତପ ପ୍ରଭାରେ ପ୍ରଧାନ ଯେ ॥
।୧୮।ବିଭୁତି ବାଞ୍ଛକ ନୋହି, ବିଭୁତି ବାଞ୍ଛକ ।ବର୍ଜିତ କାମ ଉଦୟ, କାମ ଉଦୟକ ଯେ ॥
।୧୯।ବଲ୍ଲରୀ ଅନ୍ତରେ ଯାଇଁ ଆରମ୍ଭିଲେ ଗୀତ ।ବଲ୍ଲକୀ ବଜାଇ କଲେ ସପ୍ତସ୍ୱର ଜାତ ଯେ ॥
।୨୦।ବିଚାରି ରାଗ ସରାଗ ମୁନିର ଜନ୍ମାଉଁ ।ବୃଦ୍ଧି ପଞ୍ଚଶରକୁ ପଞ୍ଚମସ୍ୱର ଦେଉଁ ଯେ ॥
।୨୧।୧୩ଶ ପଦ–ଉଡୁପ–ନୌକା, ଚନ୍ଦ୍ର । ତାରାଳି–ସୁନ୍ଦରୀ ସଖୀଗଣ, ତାରାସମୂହ । ବ୍ୟଗ୍ରବନ୍ତ–ଶୀଘ୍ର ।
୧୩ଶ ପଦ–ଚନ୍ଦ୍ର ତାରାଗଣରେ ବେଷ୍ଟିତ ହୋଇ ଉଡୁପ ନାମରେ ଖ୍ୟାତି ଲାଭ କରି କେବଳ ରାତ୍ରିରେ ଗମନ କରନ୍ତି; ମାତ୍ର ନୌକା ‘ତାରାଳି’ ସୁନ୍ଦରୀ ବେଶ୍ୟା ସମୁହଦ୍ୱାରା ବେଷ୍ଟିତ ହୋଇ ଦିନ ଓ ରାତିରେ ଶୀଘ୍ର ଗତି କରୁଅଛି ।
୧୪ଶ ପଦ–ସତ୍ୟବାକ–କାକ । ବିଘନ–ପୂର୍ଣ୍ଣ । ସତ୍ୟବାକେ–ଋଷିମାନଙ୍କଦ୍ୱାରା ।୧୪ଶ ପଦ–ଯେଉଁ ନଦୀରେ ସେହି ନୌକା ଚଳୁଅଛି, ତାହାର ଉଭୟ କୂଳ କାକ ଶୂନ୍ୟ, ଋଷିପୂର୍ଣ୍ଣ ଓ ପଶୁ ସଂକୁଳ ମହାରଣ୍ୟ ଅଟେ ।୧୫ଶ ପଦ–ବାଜୀ–ଅଶ୍ୱାରୋହୀ, ବାଣୁଆ, ପକ୍ଷୀ ।
୧୫ଶ ପଦ–ସେହି ଅରଣ୍ୟ ଏପରି ନିବିଡ଼ ଯେ, ସେଥିରେ ଅଶ୍ୱାରୋହୀ ଶିକାରୀ ପ୍ରବେଶ କରିବା ତ ଦୂରର କଥା, ଶର ସୁଦ୍ଧା ପ୍ରବେଶ କରିପାରେ ନାହିଁ । ଏଣୁ ପକ୍ଷୀମାନେ ଭୟଶୂନ୍ୟ ହୋଇ କ୍ରୀଡ଼ା କରନ୍ତି ।
୧୮ଶ ପଦ–ବିପର୍ଯ୍ୟୟ–ଶୂନ୍ୟ । ପଲାଶୀ–ମାଂସଭୋଜୀ ପ୍ରାଣୀ, ବୃକ୍ଷ । ଆତପ–ସୂର୍ଯ୍ୟକିରଣ । ପ୍ରଭା–ତେଜ । ତପ–ତପସ୍ୟା ।୧୯ଶ ପଦ–ବିଭୂତି–ଧନ, ଭସ୍ମ । କାମ–କନ୍ଦର୍ପ, ଅଭିଳାଷ ।୨୦ଶ ପଦ–ବଲ୍ଲରୀ–ଲତା । ବଲ୍ଲକୀ–ବୀଣା ।୨୧ଶ ପଦ–ପଞ୍ଚଶର–କନ୍ଦର୍ପ ।
୧୬ଶରୁ୨୧ଶ ପଦ–ବାମାକ୍ଷୀ, କାମମୋହିନୀ ପ୍ରଭୃତି ବେଶ୍ୟାମାନେ ଜରତା ଓ ଚାମରକେଶୀ ସହିତ ନାବକୁ ଆଶ୍ରମରେ କିଛି ଦୂରରେ ରଖି, ତପୋବନରେ ପ୍ରବେଶ କରି ଦେଖିଲେ ଯେ, ସେହି ବନ ସିଂହ, ବ୍ୟାଘ୍ର ପ୍ରଭୃତି ହିଂସ୍ର ଜନ୍ତୁ ଶୂନ୍ୟ, ବୃକ୍ଷ ସଂକୁଳ ହୋଇଥିବାରୁ ସୂର୍ଯ୍ୟକିରଣ ଶୂନ୍ୟ ଓ ଋଷିମାନଙ୍କର ତପଃ ପ୍ରଭାବରେ ପବିତ୍ରିତ ଅଟେ । ସେହି ବନରେ ବାସ କରୁଥିବା ଋଷିମାନେ ଧନ ପ୍ରତି ଅନିଚ୍ଛା ପ୍ରକାଶ କରି, ଭସ୍ମ ବୋଳି ହୋଇ, ସମସ୍ତ ଇନ୍ଦ୍ରୟସୁଖ ପରିତ୍ୟାଗପୂର୍ବକ ମୁକ୍ତିକାମନା କରୁଅଛନ୍ତି । ଏଣୁ ସେମାନେ ଋଷ୍ୟଶୃଙ୍ଗଙ୍କୁ ନିଜ ନିଜ ପ୍ରତି ଆକୃଷ୍ଟ କରାଇବା ନିମିତ୍ତ ଲତନ୍ତରାଳରେ ରହି ସପ୍ତସ୍ୱରରେ ବୀଣା ବଜାଇ ଗୀତ ଗାନ କଲେ । କାରଣ ସେମାନେ ଭାବି ସ୍ଥିର କଲେ, ଗୀତର ରାଗ, ମୁନିଙ୍କ ହୃଦୟରେ ଆମ୍ଭପ୍ରତି ଅନୁରାଗ ବଢ଼ାଇବ ଓ ପଞ୍ଚମସ୍ୱର କାମ ଶକ୍ତିକୁ ବୃଦ୍ଧି କରିବ ।
ବିଟପୀକି ମୁନିମଣି ଆଉଜି ଯେ ଥିଲେ ।ବିଟପୀଙ୍କି ମୁନିମଣି ସମ୍ଭାବନା କଲେ ଯେ ॥
।୨୨।ବସାଇ ଆସନେ ପୁଚ୍ଛେ କାହିଁ ତପିଗଣ ।ବସ ମଠ କରି, କହ ମଠ ନ କରିଣ ହେ ॥
।୨୩।ବଖାଣ କି କି ମନ୍ତ୍ରକୁ ଜପ କରି ଜାଣ ।ବିଷ୍ଣୁ ଶିବ ସେବା କାହାଭାବରେ ନିପୁଣ ହେ ?।୨୪।ବିକାଶି ହାସ କଟାକ୍ଷ ଢାଳିଣ ରସିକା ।ବୋଇଲେ ଗେଲାଇ ହୋଇ ଫୁଲାଇ ନାସିକା ଯେ ॥
।୨୫।ବନେ ତୁମ୍ଭେ ଭ୍ରମ, ଆମ୍ଭେ ବନୀରେ ବିଳସୁଁ ।ବନୌକା ତୁମ୍ଭେ, ବନିତା ଆମ୍ଭେଟି ଏ ବଶୁ ଯେ ॥
।୨୬।ବୋଲିବାର ରାମମନ୍ତ୍ର ଆଦ୍ୟବର୍ଣ୍ଣ ଭିନ୍ନ ।ବିସର୍ଗ ଚତୁର୍ଥ ବର୍ଣ୍ଣ ଏକ କରି ଘେନ ଯେ ॥
।୨୭।ବସନ୍ତି ଆମ୍ଭ ଦେବତା ଶମ୍ଭୁ–ହୃଦସ୍ଥଳ ।ବକ୍ଷେ ରୁହ ଉରେ ଯୋଡି ଶୀଘ୍ରେ କଲା କୋଳ ଯେ ॥
।୨୮।ବିଭୂତି ଆମ୍ଭ ଦେଶର ବୋଲି ତତପର ।ବୋଳିଦେଲା ଚୂରି କାମମୋହିନୀ କର୍ପୁର ଯେ ॥
।୨୯।ବାସାନ୍ତର କରି ଋଷି ଦେଖୁଁ ପୟୋଧର ।ବୋଇଲେ ହେ ହର ହର ! ମୋତେ କୃପା କର ହେ ॥
।୩୦।୨୨ଶ ପଦ–ବିଟପୀ–ବୃକ୍ଷ, ବେଶ୍ୟା । ସମ୍ଭାବନା–ଆଦର ।
୨୨ଶରୁ୨୪ଶ ପଦ–ମୁନିଶ୍ରେଷ୍ଠ ଋଷ୍ୟଶୃଙ୍ଗ ସେହି ତପୋବନରେ କୌଣସି ବୃକ୍ଷକୁ ଆଉଜି ବସିଥିଲେ । ସେ ଏହି ବେଶ୍ୟାମାନଙ୍କୁ ଦେଖି ଋଷି ମନେକରି ଆଦରପୂର୍ବକ ଡାକି ବସାଇବା ପାଇଁ ଆସନ ଦେଇ କହିଲେ, ‘‘ବିଳମ୍ବ ନ କରି ଶୀଘ୍ର କହନ୍ତୁ; ଆପଣମାନଙ୍କ ମଠ କେଉଁଠାରେ ? କି ମନ୍ତ୍ର ଜପ କରନ୍ତି ? ଶିବ କି ବିଷ୍ଣୁଙ୍କୁ ଉପାସନା କରନ୍ତି ?’’
୨୬ଶ ପଦ–ବନୀ–ଉପବନ । ବନୌକା–ବନବାସୀ ଏଠାରେ ଋଷି ।
୨୫ଶରୁ୨୭ଶ ପଦ–ଋଷିଙ୍କର ଏହି କଥା ଶୁଣି ବେଶ୍ୟାମାନେ ନାକ ଫୁଲାଇ ଗେଲେଇ ହୋଇ କହିଲେ, ‘‘ତୁମ୍ଭେ ବନରେ ବାସ କରୁଥିବାରୁ ଯେପରି ବନୌକା ନାମରେ ପରିଚିତ ହୋଇଅଛି, ଆମ୍ଭେ ସେହିପରି ବନୀରେ (ଉପବନରେ)ବାସ କରୁଥିବାରୁ ବନିତା ନାମରେ ଖ୍ୟାତି ଲାଭ କରିଅଛୁଁ । ତୁମ୍ଭେ ରାମ ମନ୍ତ୍ର (ରାମାୟ ନମଃ) ଜପ କର । ଆମ୍ଭେମାନେ ମଧ୍ୟ ସେହି ମନ୍ତ୍ର ଜପ କରୁଁ ମାତ୍ର ଏତିକି ପ୍ରଭେଦ, ଆରମ୍ଭ ‘ରା’ ସ୍ଥାନରେ ‘କା’ ହୁଏ । (ଅର୍ଥାତ୍ ଆମ୍ଭେମାନେ ‘କାମାୟ ନମଃ’ ଏହି ମନ୍ତ୍ର ଜପ କରୁଁ) । ଚତୁର୍ଥ ବର୍ଣ୍ଣ ‘କା’କୁ ଛାଡ଼ି ବିସର୍ଗ ସହ ଅନ୍ୟ ଚାରିଗୋଟି ବର୍ଣ୍ଣ ଏକ ପରି ଜାଣ ।
୨୮ଶ ପଦ–ଶମ୍ଭୁ–ଶିବ । ବକ୍ଷୋରୁହ–ସ୍ତନ । ଉଚ–ଛାତି ।
୨୮ଶ ପଦ–ଅନନ୍ତର କାମମୋହନୀ ‘‘ଆମ୍ଭମାନଙ୍କର ଆରାଧ୍ୟ ଦେବତା ଶିବ ଆମ୍ଭମାନଙ୍କର ବକ୍ଷ ସ୍ଥଳରେ ବିରାଜମାନ’’ ଏହା କହି ଋଷିଙ୍କୁ କୋଳ କଲା ।
୨୯ଶ ପଦ–ତତ୍ପରେ କର୍ପୂରକୁ ଚୂରି ‘‘ଏହା ଆମ୍ଭ ଦେଶର’’ ଭସ୍ମ ବୋଲି କହି ଋଷିଙ୍କ ଦେହରେ ବୋଳି ଦେଲା ।୩୦ଶ ପଦ–ବାସାନ୍ତର କରି–ବସ୍ତ୍ର ଫେଇ । ପୟୋଧର–ସ୍ତନ । ହର–ମହାଦେବ ।୩୦ଶ ପଦ–ଋଷି ଲୁଗା ଫିଟାଇ ସ୍ତନକୁ ଦେଖିବା ସଙ୍ଗେ ସଙ୍ଗେ ‘‘ହେ ମହାଦେବ ! ମୋତେ ଦୟାକର’’, ବୋଲି କହିଲେ ।ବିଲୀନ ବେନି ଅର୍ଥକୁ ବିହୁଁ ସେ ବଚନେ ।ବିଧାନ କଲା ମୁଖରେ ଚୁମ୍ବନେ ଚୁମ୍ବନେ ଯେ ॥
।୩୧।ବନୀଫଳ କହି ପକ୍ୱ କଦଳୀ ଭୁଞ୍ଜାଇ ।ବାଣ ପୟଃପେଟୀ ପୟଃ ପାନ ସେ କରାଇ ଯେ ॥
।୩୨।ବୋଧି ଚିତ୍ତ ଏ ଆମ୍ଭ ନିର୍ଝର ନୀର କହି ।ବୃଷ୍ୟକାରୀ କାମରାଜ ଅଧାମ ପୂରାଇ ଯେ ॥
।୩୩।ବାଢ଼ିଲେ ଯେ ଘୃତପକ୍ୱ ଆମିକ୍ଷା ଅଗ୍ରତେ ।ବର୍ଣ୍ଣ ପୁଚ୍ଛେ କି, ଭୋଜନ କର ସେ ବୋଲନ୍ତେ ଯେ ॥
।୩୪।ବିପ୍ର ତୁମ୍ଭେ, ଆମ୍ଭେ ଯାହା ବୋଲାଉଁ ତା ଶୁଣ ।ବିପ୍ରଲବ୍ଧା ଘେନି ଅଷ୍ଟ ଜାତିରେ ନିପୁଣ ॥
।୩୫।୩୧ଶ ପଦ–ବଲୀନ–ଅତିଗୁପ୍ତ । ବେନି ଅର୍ଥକୁ–ଦ୍ୱିତୀୟ ଅର୍ଥକୁ ।
୩୧ଶ ପଦ–‘‘(ହର ହର) ମହାଦେବଙ୍କ ଧୈର୍ଯ୍ୟ ଲୋପକରୀ କନ୍ଦର୍ପ ମୋତେ ରକ୍ଷାକର’’ ଋଷି ଏହି ଦ୍ୱିତୀୟ ଅର୍ଥ ଗୁପ୍ତଭାବରେ ରହିଥିବା କଥା କହିବାରୁ, କାମମୋହିନୀ ସେହି ଦ୍ୱିତୀୟ ଅର୍ଥକୁ ପ୍ରକୃତ ଅର୍ଥ ମନେକରି ତାହାଙ୍କର ମୁଖରେ ବାରମ୍ୱାର ଚୁମ୍ୱନ ପ୍ରଦାନ କଲା । (ପଣ୍ଡିତମାନେ ଗୁପ୍ତକଥା ଶ୍ଳେଷରେ କହିବାକୁ ଉପଦେଶ ଦେଇଅଛନ୍ତି ।)
୩୨ଶ ପଦ–ବାଣପୟଃ ପେଟୀ–ବାଣପଇଡ଼ । ପୟଃ–ଜଳ ।୩୩ଶ ପଦ–ବୃଷ୍ୟକାରୀ–ବଳକର ।୩୪ଶ ପଦ–ଆମିକ୍ଷା–ଛେନା ।
୩୨ଶରୁ ୩୪ଶ ପଦ–ତତ୍ପରେ ବେଶ୍ୟାମାନେ ବଣଫଳ ବୋଲି କହି ଋଷିଙ୍କୁ ପାଚିଲା କଦଳୀ ଖାଇବାକୁ ଏବଂ ଆମ ଦେଶର ଝର ପାଣି ବୋଲି କହି ବଣପଇଡ଼ ପାଣି ପିଇବାକୁ ଦେଇ କିଛିକ୍ଷଣ ପରେ ବଳକର ଓ କାମୋଦ୍ଦୀପକ ଅଧାମ, ଛେନା ପ୍ରଭୃତି ବାଢ଼ି ଋଷିଙ୍କୁ ଖାଇବା ନିମିତ୍ତ ଅନୁରୋଧ କରିବାରୁ, ଋଷି ସେମାନଙ୍କୁ ଜାତି ପଚାରିଲେ ।
୩୫ଶ ପଦ–ବେଶ୍ୟାମାନେ କହିଲେ, ‘‘ତୁମ୍ଭେ ‘ବିପ୍ର’ ବ୍ରାହ୍ମଣ; ଆମ୍ଭେମାନେ ବିପ୍ରଲବ୍ଧା ପ୍ରଭୃତି ଆଠ ପ୍ରକାର ନାୟିକା ଜାତିରେ ପ୍ରଧାନ ଅଟୁଁ’’ ।
ବାଳିକାଏ ବୋଲୁଁ ମୂନି ଭୁଞ୍ଜି ସ୍ୱାଦ ପାଇ ।ବଟୁ ! ତୁମ୍ଭ ତପ ଧନ୍ୟ ବୋଲି ପ୍ରଶଂସଇ ଯେ ॥
।୩୬।ବଟୁ ଯାହା ହୋଇଲ ପ୍ରମାଣ ଅନୁସ୍ୱାରେ ।ବାତ୍ସ୍ୟାୟନଶାସ୍ତ୍ର ପଢ଼ା ଗୁରୁ ଛନ୍ତି ଦୂରେ ଯେ ॥
।୩୭।ବେଳାସ୍ତ ହେବାର ଜାଣି, ମେଲାଣି ହେଲୁଟି ।ବାର ମୂଖେ ଭାଷି ଉଠୁଁ, ଗଲେ ସେ ପାଛୋଟି ଯେ ॥
।୩୮।ବାଟେ ରହି ରହି କହି ଗଲେ ବାରାଙ୍ଗନା ।ବାହୁଡ଼ିବା ହେଉ ଆମ୍ଭେ କାଲି ଆସୁଁ ସିନା ଯେ ॥
।୩୯।ବିହ୍ୱଳିତ ଆସିବାରେ କରାଇ ନିୟମ ।ବାହୁଡ଼ିଲେ ଋଷ୍ୟଶୃଙ୍ଗ ଆପଣା ଆଶ୍ରମ ଯେ ॥
।୪୦।ବହିତ୍ରପ୍ରତିମ ନାବେ ପ୍ରବେଶ ନାଗରୀ ।ବ୍ୟବସାୟ ଚୟ କହି ବ୍ୟବସ୍ଥିତ କରି ଯେ ॥
୩୬ଶ ପଦ–ବେଶ୍ୟାମାନେ ଏହିପରି କହୁ କହୁ ମୁନି ସ୍ୱାଦ ପାଇ ସମସ୍ତ ଜିନିଷ ଖାଇବାରେ ଲାଗିଲେ ଏବଂ ସେମାନଙ୍କୁ ସମ୍ବୋଧନ କରି କହିଲେ, ‘‘ହେ ’ବଟୁ’ ବ୍ରାହ୍ମଣମାନେ ! ତୁମ୍ଭର ଜୀବନ ଧନ୍ୟ ଅଟେ ।’’
୩୭ଶ ପଦ–ବଟୁ–ବ୍ରାହ୍ମଣ । ବାତ୍ସ୍ୟାୟନଶାସ୍ତ୍ର–କାମଶାସ୍ତ୍ର ।
୩୭ଶ ପଦ–ଋଷିଙ୍କର ଏହିପରି କଥା ଶୁଣି ବେଶ୍ୟାମାନେ କହିଲେ, ‘‘ଆମ୍ଭଙ୍କୁ ‘ବଟୁ’ ବୋଲି ଯାହା ସମ୍ବୋଧନ କଲ ତାହା ଅନୁସ୍ୱାର ଯୋଗ କଲେ ପ୍ରମାଣିତ ହେବ । (ଅର୍ଥାତ୍ ଆମ୍ଭେମାନେ ପୁରୁଷଙ୍କୁ ‘ବଟୁଂ’ ଠକୁ) । କାମଶାସ୍ତ୍ରରେ ନିପୁଣ ଆମ୍ଭମାନଙ୍କର ଗୁରୁ ଏହି ସ୍ଥାନରୁ ଦୂରରେ ଅଛନ୍ତି ।’’
୩୮ଶରୁ ୪୦ଶ ପଦ–ଏହି ସମୟରେ ସୂର୍ଯ୍ୟ ଅସ୍ତ ହେବାର ଜାଣି, ବେଶ୍ୟାମାନେ ବିଦାୟ ମାଗି ବାହାରିବାରୁ ଋଷି ସେମାନଙ୍କୁ ପାଛୋଟି ଗଲେ । ସେମାନେ ଋଷିଙ୍କୁ କହିଲେ, ‘‘ଆପଣ ଫେରିଯାନ୍ତୁ, ଆମ୍ଭେ କାଲି ଆସିବୁଁ ।’’ ଋଷି ସେମାନଙ୍କୁ ନିଶ୍ଚୟ ଆସିବା ପାଇଁ ନିୟମ କରାଇ ଆଶ୍ରମକୁ ଫେରିଗଲେ ।
୪୧ଶ ପଦ–କହିତ୍ରପ୍ରତିମ–ବୋଇତ ତୁଲ୍ୟ ସୁନ୍ଦର । ବ୍ୟବସାୟ ଚୟ–ବ୍ୟବହାର ସମୂହ-।
୪୧ଶ ପଦ–ବେଶ୍ୟାମାନେ ବୋଇତ ପରି ସୁନ୍ଦର ସେହି ନୌକାରେ ପ୍ରବେଶ କରି ଋଷିଙ୍କ ସହ ସେମାନଙ୍କର ଯାହା ଯାହା ଘଟିଥିଲା, ସେ ସମସ୍ତ ଜରତାକୁ କହିଲେ ।
ବିଭାଣ୍ଡକ ଆସି ପୁଚ୍ଛେ ଜାନୁରେ ବସାଇ ।ବିଷାଣ–ଋଷ୍ୟ ଅଙ୍ଗରୁ ସୁବାସକୁ ପାଇ ଯେ ॥
।୪୨।ବକତା ସକଳ କଥା, କିତବେ ଭାଷିତ ।ବିଭାବରୀ–ଚରୀ ସେ ଭକ୍ଷନ୍ତି ତପିସୁତ ଯେ ॥
।୪୩।ବ୍ୟବହାର କଲେ ନିଶ୍ଚେଁ ତାହାଙ୍କ ସଙ୍ଗରେ ।ବାବୁ ହେବୁ ଅଗ୍ନି ପ୍ରୀତି ପତଙ୍ଗ ପ୍ରକାରେ ଯେ ॥
।୪୪।ବିରୋଧୋକ୍ତି ଜନକର ନ ଘେନିଲେ ଲବ ।ବୁଜିଲେ ନେତ୍ର ସ୍ୱପନେ ଦେଖେ ସେହି ଭାବ ଯେ ॥
।୪୫।ବିଭାବରୀ ଅନ୍ତ ତାତ ତପସ୍ଥାନେ ଗତ ।ବଶ କରିଥିଲେ ରାମା ଛନ୍ନ ମୂନିସୁତ ଯେ ॥
।୪୬।ବିପ୍ରଲମ୍ବ ଶୃଙ୍ଗାର ଯେ ଉଦୟ ମାନସ ।ବାଞ୍ଛେ ପୁନଃ ପୁନଃ ରାମା ଚୁମ୍ବନ ଆଶ୍ଳେଷ ଯେ ॥
୪୨ଶ ପଦ–ବିଭାଣ୍ଡକ ଋଷି ତପସ୍ୟା ସ୍ଥାନରୁ ଫେରିଆସି ‘ଋଷି–ବିଷାଣ’ ଋଷ୍ୟଶୃଙ୍ଗଙ୍କୁ କୋଳରେ ବସାଇ ତାଙ୍କ ଦେହ ବାସୁଥିବାରୁ ତାହାର କାରଣ ପଚାରିଲେ ।
୪୩ଶ ପଦ–କିତବେ–କପଟରେ । ବିଭାବରୀଚରୀ–ରାକ୍ଷସୀ ।
୪୩ଶ ଓ ୪୪ଶ ପଦ–ଋଷ୍ୟଶୃଙ୍ଗ ସମସ୍ତ କଥା ତାଙ୍କ ଆଗରେ କହିବାରୁ ବିଭାଣ୍ଡକ କପଟରେ କହିଲେ, ‘‘ସେମାନେ ରାକ୍ଷସୀ ଋଷିପିଲାମାନଙ୍କୁ ମାରି ଖାଆନ୍ତି । ସେମାନଙ୍କ ସହିତ ବ୍ୟବହାର କଲେ, ଅଗ୍ନିରେ ପତଙ୍ଗ ପରି ପଡ଼ି ମରିବୁ ।’’
୪୫ଶ ପଦ–ବିରୋଧୋକ୍ତି–ବିପରୀତ କଥା । ଜନକ–ପିତା । ଲବ–ଲେଶମାତ୍ର ।
୪୫ଶ ଓ ୪୬ଶ ପଦ–ନିଜେ ଭଲ ମନେକରି କରୁଥିବେ କାର୍ଯ୍ୟର ଓଲଟା କଥା ଜନକ କହିବାରୁ, ସେ କଥା କ୍ଷଣକ ପାଇଁ ସୁଦ୍ଧା ଭାବିଲେ ନାହିଁ । ଶୋଇଲାବେଳେ ସେହିମାନଙ୍କୁହିଁ ସ୍ୱପ୍ନ ଦେଖିଲେ । ସକାଳୁ ଉଠି ଋଷି ତପସ୍ୟା ସ୍ଥାନକୁ ଚାଲିଯିବାରୁ ସ୍ତ୍ରୀ ବଶ ସେହି ଋଷିପୁତ୍ରଙ୍କର ମନ ଚଞ୍ଚଳ ହେବାକୁ ଲାଗିଲା ।
୪୭ଶ ପଦ–ବିପ୍ରଲମ୍ଭ ଶୃଙ୍ଗାର–ମିଳିତ ହୋଇପାରି ନ ଥିବା ସ୍ତ୍ରୀ ପୁରୁଷମାନଙ୍କର ମିଳନ ଇଚ୍ଛା । ରାମା–ସୁନ୍ଦରୀ ସ୍ତ୍ରୀ । ଅଶ୍ଲେଷ–ଆଲିଙ୍ଗନ ।
ବାରବାର ଆଶ୍ଳେଷରେ ନ ଆସେ ଚୁଂକାର ।ବନପ୍ରିୟ ଡାକୁଁ କର୍ଣ୍ଣ ଟେକଇ ସତ୍ୱର ଯେ ॥
।୪୮।ବାହ ପ୍ରାୟ ଗତି କରି ପୁଣି ଲେଉଟଇ ।ବାଳବର୍ଦ୍ଦ ଯଥା ଋତୁ ଧେନୁକୁ ଇଚ୍ଛଇ ଯେ ॥
।୪୯।ବଳାଧ୍ୱନି କରି ଘେନି ଝିଙ୍କାରି ଝଙ୍କାର ।ବାତାୟୁ ଡାଳିଘଣ୍ଟିରେ ବଶ ପରକାର ଯେ ॥
।୫୦।ବିନ୍ଧିବା ଆରମ୍ଭି ଆଣୁ ମନୋଜ ପୁଳିନ୍ଦ ।ବାଚାଳ ପ୍ରାୟ ଜନମ ହେଉଛି ଉନ୍ନାଦ ଯେ ॥
।୫୧।ବଢ଼ିବାରୁ ବେଳୁଁ ବେଳ ପ୍ରେମନଦୀ ତହିଁ ।ବୁଡ଼ୁ ନାହିଁ ଚେତା ତୃଣ ପରାୟ ଭାସଇ ଯେ ॥
।୫୨।୪୮ଶ ପଦ–ବନପ୍ରିୟ–କୋକିଳ ।
୪୮ଶ ପଦ–ଋଷିଙ୍କ ମନରେ ବାରମ୍ୱାର ଆଲିଙ୍ଗନର ଭାବ ବଢ଼ି ଉଠିବାରୁ ଚୁମ୍ୱନ ଦେବା ସମୟରେ ଶବ୍ଦ ଉଚ୍ଚାରିତ ହେଲା ନାହିଁ । ସେ କୋକିଳର ରାବ ଶୁଣି ସେମାନେ (ବେଶ୍ୟାମାନେ) ଡାକିଲେ କି ବୋଲି କାନ ଡେରୁଥିଲେ ।
୪୯ଶତ ପଦ–ବାହି–ଘୋଡ଼ା । ଧେନୁ–ଗାଈ ।
୪୯ଶତ ପଦ–ସେମାନେ ଯାଇଥିବା ରାସ୍ତାରେ ଋଷି ଘୋଡ଼ା ପରି କିଛି ଦୂର ଦୌଡ଼ି ଯାଇ ପୁଣି ଫେରି ଆସୁଥିଲେ ଏବଂ ବଳଦ ଋତୁମତୀ ଧେନୁକୁ ପାଇବା ଆଶାରେ ଇତସ୍ତତଃ ହେଲା ପରି ସେ ଏ ପାଖ ସେ ପାଖ ହେଉଥିଲେ ।
୫୦ଶତ ପଦ–ବାତାୟୁ–ମୃଗ । ଡାଳଘଣ୍ଟି–କାଷ୍ଠ ଘଣ୍ଟି (ଟିପା) ।
୫୦ଶତ ପଦ–ମୃଗମାନେ କାଷ୍ଠଘଣ୍ଟିର ଶବ୍ଦକୁ ମନଦେଇ ଶୁଣିଲା ପରି, ଋଷି ଝିଙ୍କାରୀ ଶବ୍ଦକୁ ସେମାନଙ୍କର କଳାଧ୍ୱନି ମନେକରି ଆଗ୍ରହରେ ଶୁଣୁଥିଲେ ।
୫୧ଶତ ପଦ–ମନୋଜ ପୁଳିନ୍ଦ–କନ୍ଦର୍ପ ଶବର । ବାଚାଳ–ପାଗଳ । ଉନ୍ମାଦ–ଚିତ୍ତଭ୍ରମ ।୫୧ଶତ ପଦ–କନ୍ଦର୍ପ ଶବର ଋଷିଙ୍କ ପ୍ରତି ଶର ମାରିବାରୁ ଠିକ୍ ପାଗଳମାନଙ୍କ ପରି ତାହାଙ୍କର ଚିତ୍ତ ବିଭ୍ରମ ଘଟିଲା ।
୫୨ଶତ ପଦ–ତେଣୁ ଋଷିଙ୍କ ମନରେ ଥିବା ସେମାନଙ୍କ ପ୍ରତି ସ୍ନେହ ନଦୀରୂପ ଧାରଣ କରି ବେଳୁବେଳ ବଢ଼ିବାରୁ ତହିଁରେ ତାଙ୍କର ଚେତା ବୁଡ଼ି ନ ଯାଇ ଘାସ ପରି ଭାସି ଉଠିଲା (ଅର୍ଥାତ୍ ସେ କାମ ବାଧାରେ ଅଚେତନ ନ ହୋଇ ଚେତନ ଥିଲେ) ।
ବିଳମ୍ବ କାହିଁକି ବେଗେ ଆସ ବେଗେ ଆସ ।ବେଳ ବଳିଗଲେ ମିଥ୍ୟା ହେଉଛିଟି ଭାଷ ଯେ ॥
।୫୩।ବୋଲି ବୋଲି ଆଶ୍ରମ ପ୍ରାନ୍ତକୁ ସେ ଯେ ଗଲେ ।ବୃକ୍ଷାରୁଢ଼େ ଆସିବାର ପଥ ନିରୀକ୍ଷିଲେ ଯେ ॥
।୫୪।ବ୍ୟଥିତ ହେବାର ତପୋଧନ ପୁଣ୍ୟ ଆସି ।ବରଚତୁରୀ ଦେଖନ୍ତି କୁଞ୍ଜୋଦରେ ପଶି ଯେ ॥
।୫୫।ବିସ୍ମୟ ଚିତ୍ତୁ ତେଜିଲେ ଚାହିଁ ବଶହେବା ।ବାରଣ ପରିରେ ତରୀ ଟୋପେ ପକାଇବା ଯେ ॥
।୫୬।ବୋଧିଦ୍ରୁମଦଳ ତୁଲ୍ୟ ତନୁଭୋଗ ଦେଇ ।ବିକ୍ରୟ କରିବା ନୃପତିରେ ଧନ ପାଇ ଯେ ॥
।୫୭।ବାହାରିଲେ ପାଞ୍ଚି ତରୁଣୀଏ ଲତା ମଧ୍ୟୁଁ ।ବିଲୋକି ପାଶେ ମିଳିଲେ ସେ ଆଜନ୍ମ ସାଧୂ ଯେ ॥
।୫୮।ବାହୁ ଛନ୍ଦାଛନ୍ଦି କାମମୋହିନୀ ସଙ୍ଗର ।ବିକାର ଅଧିକେ ଚୁମ୍ବେ ପୁଲକ ସଂଚାର ଯେ ॥
।୫୯।ବୋଇଲେ ଜାରତା ଗୁରୁ ଲୋଭିତ ଦର୍ଶନେ ।ବିଜେ କର ଥରେ ଉଟଜକୁ କୃପାମନେ ॥
୫୩ ଓ ୫୪ଶତ ପଦ–(ଋଷି କାମଶରାଘାତରେ ପାଗଳ ପରି ହୋଇଥିବାରୁ କେତେବେଳେ କହି ଉଠିଲେ, ‘‘ବିଳମ୍ୱ କାହିଁକି କରୁଛ ? ଶିଘ୍ର ଆସ; କଣ୍ଟବେଳ ଗଡ଼ି ଗଲେ ତୁମ୍ଭେମାନେ ମିଥ୍ୟାବାଦୀ ହେବ ଯେ ।’’ ଏହା କହି ଆଶ୍ରମର ଶେଷଭାଗକୁ ଯାଇ ଗଛ ଉପରେ ଚଢ଼ି ସେମାନଙ୍କର ଆସିବା ବାଟକୁ ଚାହିଁବାକୁ ଲାଗିଲେ ।
୫୫ଶତ ପଦ–ବ୍ୟଥିତ–ଦୁଃଖିତ । କୁଞ୍ଜୋଦର–ଲତାଭ୍ୟନ୍ତର ।୫୫ଶତ ପଦ–ଏହି ସମୟରେ ବେଶ୍ୟାମାନେ ଋଷିଙ୍କର ଧର୍ମବଳରୁ ଆସି ସେଠାରେ ପହଞ୍ଚିଲେ ଓ ଲତା ଉହାଡ଼ରେ ରହି ତାଙ୍କର ଦୁଃଖ ଦେଖିଲେ ।୫୬ଶତ ପଦ–ବିସ୍ମୟ–ଆଶ୍ଚର୍ଯ୍ୟ । ବଶ–ଅଧିନ । ବାରଣ–ହସ୍ତୀ । ଟୋପ–ଖୋଲ ।୫୭ଶତ ପଦ–ବୋଧିଦ୍ରୁମଦଳ–ଅଶ୍ୱତ୍ଥ ପତ୍ର । ତନୁ–ଦେହି ।
୫୬ଶ ଓ ୫୭ଶତ ପଦ–ଋଷ୍ୟଶୃଙ୍ଗ ଏପରି ହେବାର ଦେଖି ବେଶ୍ୟାମାନେ ମନେମନେଆଶ୍ଚର୍ଯ୍ୟ ନ ହୋଇ ‘ଋଷି ଆମ୍ଭର ଅଧୀନ ହୋଇପଡ଼ିଛନ୍ତି’ ବୋଲି ନିଶ୍ଚୟ କରି ବିଚାରିଲେ, ‘ହାତୀକୁ ହାତୀଧରାଳି ଖାଲରେ ପକାଇ ଅଶ୍ୱତ୍ଥପତ୍ର ଖାଇବାକୁ ଦେଇ ବାନ୍ଧି ନେଇ ବିକ୍ରୟ କଲାପରି ଆମ୍ଭେମାନେ ଏହାଙ୍କୁ ନୌକା ରୂପକ ଖାଲରେ ପକାଇ ଅଶ୍ୱତ୍ଥପତ୍ର ତୁଲ୍ୟ ଆମ୍ଭମାନଙ୍କର ଦେହକୁ ଭୋଗ ନିମିତ୍ତ ଦେଇ ଧନ ପାଇ ରାଜାଙ୍କୁ ବିକ୍ରୟ କରିଦେବା ।’’
୫୮ଶ ଓ ୫୯ତମ ପଦ–ଏହା ଭାବି ଯୁବତୀମାନେ ଲତା ଉହାଡ଼ରୁ ବାହାର ହେଲେ । ସେହି ଆଜନ୍ମ ବ୍ରହ୍ମଚାରୀ ଋଷ୍ୟଶୃଙ୍ଗ ତାହାଙ୍କୁ ଦେଖି ନିକଟକୁ ଆସିଲେ । ତତ୍ପରରେ କାମମୋହିନୀ ସହିତ ବାହୁ ଛନ୍ଦାଛନ୍ଦି କରି ତାହାଙ୍କୁ ଚୁମ୍ୱନ ଦିଅନ୍ତି ଋଷିଙ୍କର ଦେହ ରୋମାଞ୍ଚିତ ହେଲା ।
୬୦ତମ ପଦ–ବେଶ୍ୟାମାନେ ଋଷିଙ୍କୁ କହିଲେ, ‘ଆମ୍ଭମାନଙ୍କର ଗୁରୁ ଜରତା ଆପଣଙ୍କୁ ଦେଖିବା ନିମିତ୍ତ ଶ୍ରଦ୍ଧା ପ୍ରକାଶ କରୁଛନ୍ତି । ଆପଣ ଦୟାକରି ଥରେମାତ୍ର ଆମ୍ଭମାନଙ୍କର ସହିତ ବିଜେ କରନ୍ତୁ ।
ବ୍ରହ୍ମବଶ ରତିଶାସ୍ତ୍ର ତାଠାରୁ ଜାଣିବ ।ବିହ୍ୱଳେ ସମ୍ମତ କରି ଚଳିଲେ ସେ ଜବ ଯେ ॥
।୬୧।ବିକ୍ରମି ନଉକାରେ ପ୍ରବେଶ ହେବା ଚାହିଁ ।ବାରି ଭରି ଝରି ପାଦ ଧୋଇ ତୁମ୍ବୀ କହି ଯେ ॥
।୬୨।ବଳ୍କଳ ବୋଲି ପିନ୍ଧାଇ କୌଶେୟ ବସନ ।ବ୍ୟାଘ୍ରଚର୍ମ ଭ୍ରମରେ ସିନ୍ଧୁଆ ଶଯ୍ୟାମାନ ଯେ ॥
।୬୩।ବିବିଧ ସ୍ୱାଦୁ ପଦାର୍ଥ କରାଇ ଅଶନ ।ବସାଇ ଚୁଳ କୁସୁମେ ଚନ୍ଦନ ଲେପନ ଯେ ॥
।୬୪।ବସିଲା ଓଳଗି ପାଶେ ଜରତା ସୁମୁହିଁ ।ବେଷ୍ଟିତା ଲତା ପାଦପେ ପରା କୋଳ ବିହି ଯେ ॥
।୬୫।୬୧ତମ ପଦ–ବ୍ରହ୍ମବଶ–ରତିଶାସ୍ତ୍ର, ଆନନ୍ଦଦାୟକ ରତିଶାସ୍ତ୍ର । ଜବ–ଶୀଘ୍ର ।
୬୧ତମ ପଦ–‘‘ଆମ୍ଭମାନଙ୍କର ଗୁରୁଙ୍କଠାରୁ ମହାନନ୍ଦଦାୟକ ରତିଶାସ୍ତ୍ର ଶିକ୍ଷା କରିବେ ।’’ ଋଷି ତାହାଙ୍କର ଏହି କଥାରେ ଭୋଳ ହୋଇ ତାଙ୍କ କଥା ମାନି ତାଙ୍କ ସଙ୍ଗରେ ଗଲେ ।
୬୨ତମ ପଦ–ବିକ୍ରମି–ଯାଇ । ବାରି–ଜଳ । ତୁମ୍ୱି–ଲାଉତୁମ୍ୱା ।
୬୨ତମ ପଦ–ଋଷି ନୌକାରେ ପ୍ରବେଶ ହେବାର ଦେଖି ବେଶ୍ୟାମାନେ ଜଳପୂର୍ଣ୍ଣ ଝରି ଆଣି ତାହାଙ୍କର ପଦ ଧୋଇ ଦେଇ ସେହି ଝରୀକୁ ଦେଖାଇ କହିଲେ–ଏ ଆମ୍ଭର ଲାଉ ତୁମ୍ୱା ।’’
୬୩ତମ ପଦ–ବଳ୍କଳ–ଗଛର ବକଳ । କୌଶେୟ ବସନ–ପାଟଲୁଗା । ସିନ୍ଧୁଆ–ଡୋରଯୁକ୍ତ ।୬୪ତମ ପଦ–ଅଶନ–ଭୋଜନ । ପାଦପ–ବୃକ୍ଷ ।
୬୩ତମ, ୬୪ତମ, ଓ ୬୫ତମ ପଦ–ଜରତା ଋଷିଙ୍କୁ ନମସ୍କାର କରି ବକୁଳ ବୋଲି ପାଟଲୁଗା ପିନ୍ଧାଇ ଦେଲା ଏବଂ ବାଘଚମ ବୋଲି କହି ସୁନ୍ଦର ଡୋରିଆ ଶେଯରେ ବସାଇ ନାନାବିଧ ସ୍ୱାଦୁ ପଦାର୍ଥ ଖାଇବାକୁ ଦେଲା ଏବଂ ଜୂଡ଼ା ଦେହରେ ଫୁଲମାଳ ବାନ୍ଧି ଚନ୍ଦନ ବୋଳି ଦେଇ ଗଛ ଦେହରେ ଲତା ଗୁଡ଼ାଇ ହେଲାପରି ତାହାଙ୍କ ବେକରେ ଦୁଇ ବାହୁକୁ ଛନ୍ଦି ଅର୍ଥାତ୍ କୋଳ କରି ବସିଲା ।
ବିଜ୍ଞା ସେ ପ୍ରଥମରସେ ଚନ୍ଦ୍ର ଚାଳି ଦେଲା ।ବିଜ୍ଞାନେ ଋଷିକୁମାର ଉତ୍ତାନେ ଶୋଇଲା ଯେ ॥
।୬୬।ବିଧୁନନ ଆରମ୍ଭିଲା ପୁରୁଷାୟିତରେ ।ବନପତି ଉପରେ ହରିଣୀ ଲୀଳା କରେ ଯେ ॥
।୬୭।ବୈଶ୍ୱାନର ପରେ ନୃତ୍ୟ କରେ ଶୁଭ୍ରାପାଙ୍ଗୀ ।ବିଷମ ସମସ୍ୟାହିଁ ପୂରଣ ଶ୍ଳେଷଭଙ୍ଗୀ ଯେ ॥
୬୬ତମ ପଦ–ବିଜ୍ଞା–ପଣ୍ଡିତା । ପ୍ରଥମରସ–ଆଦିରସ । ଚନ୍ଦ୍ରଚଳନ–ତିଥି ଭେଦରେ ଅଂଶ ବିଶେଷକୁ ଚାଳନ କରି କାମୋଦ୍ଦୀପନ କରିବାର ଉପାୟ । ବିଜ୍ଞାନେ–ଅଚେତନ ହୋଇ । ଉତ୍ତାନେ–ଚିତ୍ହୋଇ ।
୬୬ତମ ପଦ–କେଳିପ୍ରବୀଣା ଜରତା ଚନ୍ଦ୍ର ଚାଳିଦେବାରୁ, ଋଷି ମୋହିତ ହୋଇ ଚିତ୍ ଭାବରେ ଶୋଇଲେ ।
୬୭ତମ ପଦ–ବିଧୁନନ–ରତି । ପୁରୁଷାୟିତ–ବିପରୀତ ରତି । ବନପତି–ସିଂହ, ଋଷି, ବିଷ୍ଣୁ-। ହରିଣୀ–ମୃଗୀ, ହଭିଣାକ୍ଷୀ (ଯେ କୌଣସି ସ୍ତ୍ରୀ) ।
୬୮ତମ ପଦ–ବେଶ୍ୱାନର–ଅଗ୍ନି, ଯେ କୌଣସି ତେଜସ୍ୱୀ ପୁରୁଷ । ଶୁଭ୍ରାପାଙ୍ଗୀ–ମୟୁରୀ, ଯେ କୌଣସି ସ୍ତ୍ରୀ ।
୬୭ତମ ଓ ୬୮ତମ ପଦ–ଜରତା ବିପରୀତ ରତି ଆରମ୍ଭ କରି ଋଷିଙ୍କ ଉପରେ କ୍ରୀଡ଼ା କଲାବେଳେ, ବିଷ୍ଣୁଙ୍କ ଉପରେ ଲକ୍ଷ୍ମୀ କ୍ରୀଡ଼ା କଲାପରି, ସିଂହ ଉପରେ ମୃଗୀ କ୍ରୀଡ଼ା କଲା ପରି, ଅଗ୍ନିଙ୍କ ଉପରେ ସ୍ୱାହା ଦେବୀ କ୍ରୀଡ଼ା କଲା ପରି କିମ୍ୱା ମୟୁରୀ ନୃତ୍ୟ କଲାପରି ଦେଖାଗଲା । ଏହି ଦୁଇ ପଦରେ କବି ଶେଷ ଛଟାରେ ବିଷମ ସମସ୍ୟା ପୂରଣ କଲେ ।
ବସୁଁ ଚେତା, ଭାବେ ଅନଅନୁଭବୀ ଯୁବା ।ବିବୁଧାଳୟ ସୁଖ ଯେ ସେହି ଏହି ଅବା ଯେ ॥
।୬୯।ବାଜିଣୀ କିଙ୍କିଣୀ ବାଦ୍ୟ ତାଳି ତାଳି ସ୍ୱନ ।ବ୍ୟାଖ୍ୟାନ ଧ୍ୱନି ଶ୍ଳେଷ ସେ କରାଇ ପ୍ରଧାନ ଯେ ॥
।୭୦।ବିବୁଦ୍ଧ ହୁଅଇ ସେହି ସୂରନାମା ହୃଦେ ।ବାଦେ ବେଣୀ ହାର ନାଚେ ନିଶ୍ଚୟ ସେ ବାଦ୍ୟେ ଯେ ॥
।୭୧।ବାହିଲେ ସଲିଳରଥ କୈବର୍ତ୍ତେ ସେକାଳେ ।ବାହୁକ ପ୍ରାୟେ ସେ ଦଣ୍ଡଧାରଣେ ଦିଶିଲେ ଯେ ॥
।୭୨।୬୯ତମ ପଦ–ଅନନୁଭବୀ–ଅଜ୍ଞ । ବିବୁଧାଳୟ ସୁଖ–ସ୍ୱର୍ଗ ସୁଖ ।
୭୦ତମ ପଦ–କିଙ୍କିଣୀ–କଟିନିବଦ୍ଧ କ୍ଷୁଦ୍ର ଘଣ୍ଟି । ତାଳି–ହାତକୁ ହାତ ବାଜି ଉଠୁଥିବା ଶବ୍ଦ-। ତାଳି ସ୍ୱନ–କରତାଳି(ଗିନି) ଶବ୍ଦ । ବ୍ୟାଖ୍ୟାନ ଧ୍ୱନି–କରୁଥିବା ଶବ୍ଦ ।
୬୯ତମ ଓ ୭୦ ତମ ପଦ–ଯୁବକ ଋଷି ଚେତନା ପାଇ କେବେ ଅନୁଭବ କରି ନ ଥିବା ସେହି ରତିସୁଖକୁ ‘ଏହାହିଁ ସ୍ୱର୍ଗ ସୁଖ’ ବୋଲି ମନେକଲେ ଏବଂ କିଙ୍କିଣୀ ନାଦକୁ ବାଦ୍ୟଧ୍ୱନି, କର ତାଡ଼ନା ଶବ୍ଦକୁ କରତାଳି ଶବ୍ଦ ଓ ଜରତା ପ୍ରକାଶ କରୁଥିବା ହୁଁ ହୁଁ ଶବ୍ଦକୁ ସଙ୍ଗୀତ ଆରମ୍ଭକାଳୀନ ତାନ ବୋଲି ମନେକଲେ ।
୭୧ତମ ପଦ–ଋଷିଙ୍କ ହୃଦୟରେ କନ୍ଦର୍ପ ବିକାର ବେଳୁଁବେଳ ବୃଦ୍ଧି ପାଇଲା ଏବଂ କିଙ୍କିଣୀ ବାଦ୍ୟ ବାଜିବାରୁ ଜରତାର ବେଣୀ ଓ ହାର ଦୁହେଁ ବିବାଦ କରି ନାଚିଲେ । (ଅର୍ଥାତ୍ ଜରତା ଗାଢ଼ ରତିରେ ମଜ୍ଜିବାରୁ ବେଣୀ ଓ ହାର ଖୁବ୍ ଜୋରରେ ଦୋହଲିଲେ)
୭୨ତମ ପଦ–କୈବର୍ତ୍ତେ–କେଉଟମାନେ । ସଲିଳ ରଥ–ନୌକା, ଜଳଗାମୀ ରଥ । ବାହୁକ–ସାରଥି । ଦଣ୍ଡ–କାତ ।
୭୨ତମ ପଦ–କେଉଟମାନେ ସେହି ସମୟରେ ନୌକା ରଥ ବାହିବାକୁ ଲାଗିଲେ; ମାତ୍ର ଯେତେବେଳେ ସେମାନେ କାତ ହାତରେ ଧରିଲେ, ସେତେବେଳେ ସାରଥି ପରି ଦେଖାଗଲେ । (ନୌକାକୁ ଜଗନ୍ନାଥଙ୍କ ରଥ ସହିତ ତୁଳନା କରାଯାଇଛି, ଏଠାରେ ରଥଯାତ୍ରା ବର୍ଣ୍ଣନା କରୁଥିବାରୁ କେଉଟମାନଙ୍କୁ ଜଗନ୍ନାଥଙ୍କ ରଥର ଖାଲି ବସି ରହିଥିବା ସାରଥି ପରି ବର୍ଣ୍ଣନା କଲେ) ।
ବୀଚି ରଜ୍ଜୂ ମୀନ କୂର୍ମ ଝିଙ୍କାଜନ ଯୋଖେ ।ବେନିରୋଧେ ମୃଗ ମୃଗୀ ନର ନାରୀ ଦେଖେ ଯେ ॥
।୭୩।ବସ୍ତ୍ରକୁଞ୍ଚା ଚିରାଳ ଚାମରେ ସେ ମଣ୍ଡନ ।ବିସ୍ତୃତି ରୂପକ ରଥଯାତ୍ରାର ସମାନ ଯେ ॥
।୭୪।ବାସର ନିଶା ହେବାର ଜଣା ନୋହେ ତହିଁ ।ବାମା ଦ୍ୱାଦଶେ ଖଟନ୍ତି ରତିରସେ ମୋହି ଯେ ॥
।୭୫।ବେଳାରେ ଲାଗିଲା ନାବ ଚମ୍ପାବତୀ ପୁରେ ।ବରଷିଲା ଋଷି ଝରନୀର ଲୋଡ଼ିବାରେ ଯେ ॥
।୭୬।ବହିଲା ପ୍ରବାହ, ପୂର୍ଣ୍ଣ କେଦାର ହୋଇଲେ ।ବିଭାଣ୍ଡକ ପୁତ୍ରପାଶେ ଲୋମପାଦ ମିଳେ ଯେ ॥
।୭୭।୭୩ତମ ପଦ–ବୀଚ–ଲହରୀ । ରଜ୍ଜୁ–ଦଉଡ଼ି । ବେନିରୋଧ–ଦୁଇପାଖ କୂଳ ।୭୪ତମ ପଦ–ଚିରାଳ–ପତାକା ।
୭୩ତମରୁ ୭୫ତମ ପଦ–ଜଗନ୍ନାଥଙ୍କ ରଥରେ ଦୌଡ଼ି ଲାଗିଥାଏ । ଏହି ରଥରେ ସେହିପରି ଲହରୀମାନେ ଦୌଡ଼ି ହୋଇ ଲାଗିଲେ । ତାଙ୍କ ରଥକୁ ଯେପରି ବହୁତ ଲୋକ ଟାଣୁଥାନ୍ତି, ସେହିପରି ଏହି ରଥକୁ ମାଛ ଓ କଇଁଛମାନେ ଟାଣିଲେ ଓ ତାଙ୍କ ରଥକୁ ଯେପରି ବହୁ ନରନାରୀ ଦେଖୁଥାନ୍ତି, ଏହି ରଥକୁ ସେହିପରି ଉଭୟ କୂଳବର୍ତ୍ତୀ ମୃଗ, ମୃଗୀ, ନର, ନାରୀମାନେ ଦେଖିଲେ । ତାଙ୍କର ରଥ ଯେପରି ଚାମର ପ୍ରଭୃତିଦ୍ୱାରା ମଣ୍ଡିତ, ଏ ରଥ ସେହିପରି ଚାମର ମଣ୍ଡିତ ଅଟେ । ତାଙ୍କ ରଥଯାତ୍ରା ସମୟରେ ଦିନରାତି ଜଣାଯାଏ ନାହିଁ । ଏ ରଥଯାତ୍ରାରେ ମଧ୍ୟ ଜରତା ପ୍ରଭୃତି ବାରଜଣ ସ୍ତ୍ରୀ ରତି ରସରେ ମୋହିତ କରୁଥିବାରୁ ଦିନ, ରାତି ଜଣାଯାଇ ନ ଥିଲା । (ସୁତରାଂ ଏ ନୌକାଯାତ୍ରା ସେ ରଥଯାତ୍ରାର ସମାନ)
୭୬ତମ ପଦ–ବେଳା–କୂଳ ।୭୭ତମ ପଦ–ପ୍ରବାହ–ସ୍ରୋତ । କେଦାର–କିଆରୀ ।
୭୬ତମ ଓ ୭୭ତମ ପଦ–ଚମ୍ପାବତୀପୁର ଘାଟରେ ନୌକା ଲାଗିଲା; ଋଷି ଝର ଜଳ ଖୋଜିବାରୁ ବର୍ଷା ହେଲା । ଧାନ କିଆରୀସବୁ ପାଣିରେ ପୂର୍ଣ୍ଣ ହୋଇଗଲା; ଚାରିଆଡ଼େ ସୂଅ ଚାଲିଲା । ଏହା ଦେଖି ଋଷ୍ୟଶୃଙ୍ଗ ଆସିଲେ ବୋଲି ଜାଣିପାରି ଲୋମପାଦ ରାଜା ଋଷିଙ୍କ ନିକଟକୁ ଆଗମନ କଲେ ।
ବିରଚିଲେ ଲକ୍ଷ ଗିରି ସଙ୍ଗେ ଋଷ୍ୟଶୃଙ୍ଗ ।ବିଘାତ ବଜ୍ର–ସୁହାସ ଯୋଗେ ଦମ୍ଭ ଭଙ୍ଗ ଯେ ॥
।୭୮।ବିଷୟ ବୁଝାଉଁ ଯୋଦ୍ଧା ମହାତପୋବନ୍ତେ ।ବାଞ୍ଛି କଲ୍ୟାଣ ବସାଇ ରାଜା ଦଣ୍ଡବତେ ଯେ ॥
।୭୯।ବିମଳ ଚିତ୍ତେ ମଣ୍ଡିଲେ ଯାଇ ତାର ପୁରୀ ।ବରଦାତା ପୁତ୍ରଦାନେ ହୋମାରମ୍ଭ କରି ଯେ ॥
।୮୦।ବାକକଲ୍ୟାଣିଏ ଶୁଣି ଦଶରଥେ କହି ।ବେଶ୍ୟା ଜରତା ପ୍ରମୁଖ୍ୟା ଜାଙ୍ଗଳିକା ହୋଇ ଯେ ॥
।୮୧।ବିବର ପର୍ଣ୍ଣକୁଟୀରେ ଥିଲେ ମୁନିନାଗ ।ବଜାଇ ସପ୍ତକୀ ନାଗେଶ୍ୱର ବାଦ୍ୟ ବେଗ ॥
।୮୨।ବିଭେଦିତ–କୃତଚିତ୍ତ ରସଗୀତ ଗାଇ ।ବିଧୂଚୁର୍ଣ୍ଣ ମନ୍ତ୍ରଧୂଳି ପକାଇ ପକାଇ ଯେ ॥
।୮୩।ବାହାରକୁ ଆଣି ନାବ ପେଡ଼ାରେ ମୁଦିଲା ।ବିଳାସ ବଶ କରିଣ ପୁଣି ଖେଳାଇଲା ଯେ ॥
।୮୪।ବାରବାମା ବାର ଭୋଗିନୀରେ ସେହି ଯୋଗୀ ।ବିଗରିତ ଏଣିକି ସେ ବୋଲାଇବେ ଭୋଗୀ ଯେ ॥
୭୮ତମ ପଦ–ଲୋମପାଦ ଋଷ୍ୟଶୃଙ୍ଗଙ୍କୁ ଦେଖି ତାଙ୍କୁ ପର୍ବତ ସଙ୍ଗେ ତୁଳନା କଲେ । କାରଣ ପର୍ବତର ଯେପରି ଶୃଙ୍ଗ ଅଛି, ଏହାଙ୍କର ମଧ୍ୟ ସେହିପରି ଶୃଙ୍ଗଅଛି । ବଜ୍ରଘାତ ପାଇ ପର୍ବତମାନେ ଦମ୍ଭ ହରାଇଥିଲେ, ଏ ମଧ୍ୟ ବେଶ୍ୟାମାନଙ୍କ ମନ୍ଦ ହାସରେ ଦମ୍ଭ ହରାଇ ଅଛନ୍ତି ।
୭୯ତମ ଓ ୮୦ତମ ପଦ–ବେଶ୍ୟାମାନେ ସମସ୍ତ ବିଷୟ ଋଷିଙ୍କୁ ବୁଝାଇବାବେଳେ ଲୋମପାଦ ତାହାଙ୍କୁ ପ୍ରଣାମ କଲେ । ଋଷି ତାହାଙ୍କୁ କଲ୍ୟାଣ କରି ନିକଟରେ ବସାଇଲେ । ତତ୍ପରେ ରାଜନବରରେ ପ୍ରବେଶ ହୋଇ ‘ତୁମ୍ଭର ପୁତ୍ର ପ୍ରାପ୍ତି ହେଉ’ ଏହି ବର ଦାନ କଲେ ଓ ସେ ଉଦ୍ଦେଶ୍ୟରେ ପୁତ୍ରେଷ୍ଟି ଯଜ୍ଞ ଆରମ୍ଭ କଲେ ।
୮୧ତମ ପଦ–ବାକକଲ୍ୟାଣି–ବ୍ରାହ୍ମଣ । ପ୍ରମୁଖ୍ୟା–ଶ୍ରେଷ୍ଠା । ଜାଙ୍ଗଳିକ–ବିଷବୈଦ୍ୟ ।୮୨ତମ ପଦ–ବିବର–ଗର୍ତ୍ତ । ସପ୍ତକୀ–ବୀଣା ।୮୩ତମ ପଦ–ବିଭେଦିତ କୃତ ଚିତ୍ତ–ହୃଦୟକୁ ତରଳାଇ । ବିଧୁଚୂର୍ଣ୍ଣ–କର୍ପୂରଗୁଣ୍ଡ ।୮୫ତମ ପଦ–ବାରବାମା–ବେଶ୍ୟା । ଭୋଗିନୀ–ସର୍ପିଣୀ’ ସହବାସଯୋଗ୍ୟା । ବିଗରିତ–ବିଷଶୂନ୍ୟ, କ୍ରୋଧଶୂନ୍ୟ । ଭୋଗୀ–ଭୋଗଶାଳୀ, ସାପ ।
୮୧ତମରୁ ୮୫ତମ ପଦ–ବ୍ରାହ୍ମଣମାନେ ଏହି କଥାଶୁଣି ଆସି ଦଶରଥଙ୍କୁ କହିଲେ, ‘‘ବେଶ୍ୟା ଶ୍ରେଷ୍ଠ ଜରତା ବିଷବିଦ୍ୟା ଅର୍ଥାତ୍ କେଳୁଣୀ ବା ଗୁଣିଆଣୀ ସାଜି ଗୁଡ଼ିଆଘର ରୂପ ଗାତରେ ଥିବା ମୂନିରୂପି ନାଗସାପକୁ ନାଗେଶ୍ୱର ରୂପ ବୀଣା ବାଦ୍ୟ ବଜାଇ, ଆଦିରସଭରା ଗୀତଗାଇବାଦ୍ୱାରା ତାହାଙ୍କର ଚିତ୍ତକୁ ତରଳାଇ ମନ୍ତ୍ରଧୂଳି ରୂପ କର୍ପୂର ଗୁଣ୍ଡା ତାଙ୍କ ଉପରେ ବାରମ୍ୱାର ପକାଇ ବାହାରକୁ ଆଣି, ନୌକାରୂପ ପେଡ଼ାରେ ବନ୍ଦୀ କରି ରଖିଲା ଏବଂ ତାଙ୍କୁ ନାନାବିଧ ରସ କ୍ରୀଡ଼ାରେ ବଶ କରି ଖେଳାଇଲା । ସେହି ‘ଯୋଗୀ’ ମୁନିନାଗ ସହବାସ ଯୋଗ୍ୟା ବାରଗୋଟି ବେଶ୍ୟାଙ୍କଦ୍ୱାରା ‘ବିଗରିତ’ ବିଷଶୂନ୍ୟ ଅର୍ଥାତ୍ କ୍ରୋଧଶୂନ୍ୟ ହେଲେ । ଏଣିକି ଭୋଗୀ ଅର୍ଥାତ୍ ଭୋଗଶାଳୀ (ରସିକ) ବୋଲାଇବେ ।
ବହି ନାଗରେ ଈଶ୍ୱରପରି ଚମ୍ପାପୁରେ ।ବସନ୍ତି କୃପାଳୁ ହୋଇ କୁମାର ଦାନରେ ଯେ ॥
।୮୬।ବାର୍ତ୍ତା ଶୁଣି ତୋଷ ତ୍ୱରା ହୋଇ ସୂର୍ଯ୍ୟବଂଶୀ ।ବଳ ସଜ କରି ଚମ୍ପାପୁରେ ମିଳେ ଆସି ଯେ ॥
।୮୭।ବାଟୁଁ ଲୋମପାଦ ନେଇ ଋଷିଙ୍କି ଭେଟାଇ ।ବିକଶିତହାସ କରି କଲ୍ୟାଣେ ବସାଇ ଯେ ॥
୮୬ତମ ପଦ–ନାଗରେ–ରସିକମାନେ । ଈଶ୍ୱର–ଶିବ । ଚମ୍ପାପୁରେ–ଚମ୍ପାଫୁଲରେ, ଚମ୍ପାବତୀ ପୁରରେ । କୃପାଳୁ–ଦୟାଳୁ । କୁମାର–କାର୍ତ୍ତକେୟ, ପୁତ୍ର ।
୮୬ତମ ପଦ–ରସିକ ଓ ଶିବ ଚମ୍ପାଫୁଲକୁ ଆଦର କଲା ପରି ଋଷି ଚମ୍ପାବତୀପୁରକୁ ଆଦର କରି, ସେହି ପୁରୀର ରାଜାଙ୍କୁ ପୁତ୍ରଦାନ ଦେବା ପାଇଁ ଶିବ କାର୍ତ୍ତିକେୟଙ୍କୁ ଦୟା କଲା ପରି ଦୟା ପ୍ରକାଶ କରିଛନ୍ତି ।
୮୭ତମ ପଦ–ଏହି କଥା ଶୁଣି ସୂର୍ଯ୍ୟବଂଶୀୟ ରାଜା ଦଶରଥ ସସୈନ୍ୟେ ଚମ୍ପବତୀପୁରରେ ପ୍ରବେଶ ହେଲେ ।
୮୮ତମ ପଦ–ଲୋମପାଦ ଦଶରଥଙ୍କୁ ବାଟରୁ ନେଇ ଋଷିଙ୍କ ସହ ସାକ୍ଷାତ୍ କରାଇ ଦେଲେ । ଋଷି ମନ୍ଦହାସ ପ୍ରକାଶ କରି ତାଙ୍କୁ ଆଶୀର୍ବାଦପୂର୍ବକ ନିକଟରେ ବସାଇଲେ ।
ବିପ୍ରୋତ୍ତମ ପୁଚ୍ଛେ ତବ ସର୍ବମଙ୍ଗଳ କି?ବୋଲେ ବିକଳ୍ପେ ପୁଚ୍ଛିଲ ସର୍ବଜ୍ଞ ତରକି ଯେ ॥
।୮୯।ବ୍ୟଥା ଜନମୁଁ ବିନତି ହୋଇଣ ତଦର୍ଥୀ ।ବରରୂପାଜୀବା ଅଛି କହିଦେଲା ଏଥି ଯେ ॥
।୯୦।ବରାଙ୍ଗନା ସୁନ୍ଦରୀରତନ ତବ ସୁତା ।ବିବାହ କର ଯତୀନ୍ଦ୍ରେ ହେବେ ସୁତଦାତା ଯେ ॥
।୯୧।ବୀରବର ଉପଇନ୍ଦ୍ର ଭଞ୍ଜ କହେ ରସ ।ବୟାଣୋଇ ପଦରେ ଏ ଛାନ୍ଦ ହେଲା ଶେଷ ଯେ ॥
।୯୨।୮୯ତମ ପଦ–ବିପ୍ରୋତ୍ତମ-ବ୍ରହ୍ମାଣ ଶ୍ରେଷ୍ଠ । ବିକଳ୍ପ-ତର୍କ କରି । ସର୍ବଜ୍ଞତର-ସର୍ବଜ୍ଞଶ୍ରେଷ୍ଠ ।
୮୯ତମ ପଦ–ବ୍ରାହ୍ମଣଶ୍ରେଷ୍ଠ ଋଷ୍ୟଶୃଙ୍ଗ ଦଶରଥଙ୍କୁ ‘‘ତୁମ୍ଭର ସମସ୍ତ ମଙ୍ଗଳ ତ ?’’ ବୋଲି ପଚାରିବାରୁ ସେ ତର୍କ କରି କହିଲେ, ‘‘ଆପଣ ସର୍ବଜ୍ଞଶ୍ରେଷ୍ଠ, ଏପରି କାହିଁକି ପଚାରୁଛନ୍ତି ?’’
୯୦ତମ ପଦ–ତଦର୍ଥୀ–ପୁତ୍ରାର୍ଥୀ । ବରରୂପାଜୀବା–ବେଶ୍ୟାଶ୍ରେଷ୍ଠା ।୯୧ତମ ପଦ–ବରାଙ୍ଗନା–ସ୍ତ୍ରୀ ଶ୍ରେଷ୍ଠା । ଯତୀନ୍ଦ୍ର–ମୁନିଶ୍ରେଷ୍ଠା । ସୁତଦାତା–ପୁତ୍ରଦାତା ।
୯୦ତମରୁ ୯୨ତମ ପଦ–ଦଶରଥ ପୁତ୍ରାର୍ଥୀ ହୋଇ ଆସିଥିବାର ଜାଣି ଋଷି ଦୁଃଖିତ ହେଲେ । ଏହି ସମୟରେ ବେଶ୍ୟାଶ୍ରେଷ୍ଠା ଜରତା ଦଶରଥଙ୍କୁ କହିଲା, ‘‘ଆପଣଙ୍କର ସୁନ୍ଦରୀଶିରୋମଣି ସ୍ତ୍ରୀ ଶ୍ରେଷ୍ଠା କନ୍ୟା ଶାନ୍ତାଙ୍କୁ ଏହି ପ୍ରଧାନ ଋଷିସହ ବିବାହ ଦିଅନ୍ତୁ । ସେ ଆପଣଙ୍କୁ ପୁତ୍ରପ୍ରାପ୍ତି ବର ପ୍ରଦାନ କରିବେ । ବୀରବର ଉପେନ୍ଦ୍ର ଭଞ୍ଜ ବୟାଣୋଇ ପଦରେ ଏହି ରସପୂର୍ଣ୍ଣ ଛାନ୍ଦ ଶେଷ କଲେ ।