ପଞ୍ଚମ ଛାନ୍ଦ — ବୈଦେହୀଶ ବିଳାସ (ପ୍ରଥମ ଖଣ୍ଡ) — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ଛାନ୍ଦ
(ରାଗ–ମଙ୍ଗଳଗୁଜ୍ଜରୀ)
ବିଭାକରବଂଶୀ ଶୁଣି ପୁଲକ ବହି ।
ବିଭା କର ଲଗ୍ନ ବୁଝି ବଶିଷ୍ଠେ କହି ॥
।୧।ବିନ୍ୟାସ କଲେ ସେ ବାଣୀ ସନ୍ଧ୍ୟାବସାନେ ।ବସାଇବା ମଣ୍ଡପରେ କନ୍ୟା ସୁମନେ ॥
।୨।ବିଜନ ସ୍ଥାନରେ ବସି ବେନି ନୃପତି ।ବିବିଧ ସମ୍ଭାର କରି ନଗ୍ର ମଣ୍ଡାନ୍ତି ॥
।୩।ବାସଙ୍ଗରସ ନବାନୁଭବୀ ଭ୍ରମର ।ବାରିଜବାସ ଲଭି କି ନୋହେ ଆତୁର ॥
।୪।ବାରସ୍ତ୍ରୀକି ପୁଚ୍ଛି ଏକାନ୍ତରେ ତା କାନ୍ତ ।ବର୍ଦ୍ଧନ ଅର୍ଥେ କ୍ରମେ ସେ ଶୋଭା କଥିତ ॥
।୫।୧ମ ପଦ–ସୂର୍ଯ୍ୟବଂଶୀୟ ରାଜା ଦଶରଥ ଜରତାଠାରୁ ଏହି କଥା ଶୁଣି ବଶିଷ୍ଠଙ୍କୁ କହିଲେ, ‘‘ଲଗ୍ନ ବୁଝି ବିଭା କରାଅ ।’’୨ୟ ପଦ–ଏହା ଶୁଣି ବଶିଷ୍ଠ କହିଲେ, ‘‘ସନ୍ଧ୍ୟାପରେ ଉତ୍ତମରୂପେ ବିଚାର କରି କନ୍ୟାକୁ ବିବାହ ମଣ୍ଡପରେ ବସାଇବା ।’’
୩ୟରୁ ୫ମ ପଦ– ଦଶରଥ ଓ ଲୋମପାଦ ରାଜା ଦୁହେ ଏକାନ୍ତରେ ବସି ନଗରମଣ୍ଡନ କରାଇଲେ । ନୂଆ କରି ବାସଙ୍ଗ ଫୁଲରୁ ମଧୁ ଆସ୍ୱାଦନ କରୁଥିବା ଭ୍ରମର ପଦ୍ମଗନ୍ଧ ପାଇ ଆତୁର ହେଲା ପରି ଅର୍ଥାତ୍ ବେଶ୍ୟାରତ ଋଷି ରାଜକନ୍ୟା ରତିର ଆଶାରେ ଆତୁର ହୋଇ ବେଶ୍ୟା ଜରତାକୁ ‘ତା କାନ୍ତ’ ସେ କିପରି ସୁନ୍ଦରୀ ବୋଲି ପଚାରିଲେ । ସେ ବେଶ୍ୟା ଋଷିଙ୍କର ସ୍ନେହ ବଢ଼ାଇବା ପାଇଁ ଶାନ୍ତାଙ୍କର ସୌନ୍ଦର୍ଯ୍ୟ ବିଶେଷ ଭାବରେ ବର୍ଣ୍ଣନା କରିବାକୁ ଲାଗିଲା ।
ବିଲକ୍ଷ ପାଶ ପାଟଳୀ ସାରସ ପାଳି ।ବାହୁ ଶ୍ରବଣ ଉଦର ଗଣ୍ଡରେ ଦଳି ॥
।୬।ବକ୍ଷୋଜ ନିତମ୍ବ ଚକ୍ରେ ପକାଇ ଡକା ।ବିଭ୍ରମ ଭ୍ରମରେ ଲକ୍ଷ ନାଭି ଅଳକା ॥
।୭।ବିସ୍ତୀର୍ଣ୍ଣରେ ଶୋଭା ରମ୍ଭା ପ୍ରଭାକୁ ଗଞ୍ଜି ।ବୃଶାଳ ଉରୁଯୁଗଳ ଚରମ ରାଜି ॥
।୮।୬ଷ୍ଠ ପଦ–ସାରସ–ପଦ୍ମ । ପାଳି–ଖଣ୍ଡାର ମୁଠା । ଗଣ୍ଡ–ଚାଲ ।
୬ଷ୍ଠ ପଦ–‘‘ପାଶ, ପାଟଳି ଫୁଲ, ପଦ୍ମ ଖଡ଼୍ଗପାଳି ଏମାନଙ୍କୁ ଶାନ୍ତାଙ୍କର ବାହୁ, ଶ୍ରବଣ, ଉଦର ଓ ଗଣ୍ଡ ଦେଶ ସହିତ ଗାଢ଼ଦୃଷ୍ଟି ଦେଇ ତୁଳନା କଲେ ଜଣାଯାଏ, ଉପରି ଲିଖିତ ବସ୍ତୁମାନଙ୍କର ଶୋଭା ତଳ ଲିଖିତ ଅବୟବମାନଙ୍କର ଶୋଭାଦ୍ୱାରା ଦଳି ହୋଇଯାଇଅଛି ।’’
୭ମ ପଦ–ବକ୍ଷୋଜ–ସ୍ତନ । ଚକ୍ର–ଚକବାକ, ରଥଚକ । ବିଭ୍ରମ–ଜଳଭଉଁରୀ । ଭ୍ରମରେ–ଭଅଁରସବୁ, ଭ୍ରାନ୍ତିରେ ।
୭ମ ପଦ–‘‘ତାହାଙ୍କର ସ୍ତନସହିତ ଚକ୍ରବାକ ପକ୍ଷୀ ଓ ନିତମ୍ବସହ ରଥର ଚକ ସୌନ୍ଦର୍ଯ୍ୟରେ ସମାନ ନ ହେବାକୁ ଡକା ପକାଉଅଛନ୍ତି ଅର୍ଥାତ୍ ଚକ୍ରବାକ ପକ୍ଷୀ ଓ ଚକ (ଗମନ ସମୟରେ) କେଁ କେଁ ଶବ୍ଦ ପ୍ରକାଶ କରୁଅଛନ୍ତି ଏବଂ ତାହାଙ୍କର ନାଭି ସହିତ ଜଳଭଉଁରୀ ଓ ଅଳକା ସହିତ ଭ୍ରମରମାନଙ୍କୁ ତୁଳନା କରିବା ତୁଳନାକାରୀର ଭ୍ରମ ମାତ୍ର ।’’
୮ମ ପଦ–ବିସ୍ତୀର୍ଣ୍ଣରେ–ବିଶେଷ ଭାବରେ-। ରମ୍ଭା–କଦଳୀବୃକ୍ଷ, ରମ୍ଭାନାମକ ସ୍ୱର୍ଗ ବେଶ୍ୟା-। ପ୍ରଭା–କାନ୍ତି । ବୃଶଳ–ଉନ୍ନତ । ଉରୁଯୁଗଳ–ଜାନୁଦ୍ୱୟ । ଚରମରାଜି–ଜାନୁର ନିମ୍ନ ଅଂଶଗୁଡ଼ିକ ।
୮ମ ପଦ–‘‘ତାହାଙ୍କର ବିଶାଳ ଜାନୁଦ୍ୱୟ ବିଶେଷଭାବରେ କଦଳୀ ବୃକ୍ଷର ଶୋଭାକୁ ରଞ୍ଜୁଅଛି ଏବଂ ଜାନୁର ନିମ୍ନଅଂଶ ଜଙ୍ଘ ଓ ପାଦ ପ୍ରଭୃତି ରମ୍ଭା ବେଶ୍ୟାର ସେହି ସେହି ଅଂଶର ଶୋଭାକୁ ରଞ୍ଜୁଅଛି ଅର୍ଥାତ୍ ଧିକ୍କାର କରୁଅଛି । (କେହି କେହି ‘ଚରମରାଜି’ ପୃଷ୍ଠଦେଶ ‘ପ୍ରଭାକୁ’ ଦୁର୍ଗାଙ୍କ ଶୋଭାକୁ ଧିକ୍କାର କରୁଅଛି, ଏହା କହନ୍ତି) ।
ବିଘଟିତ ହରି ଓଷ୍ଠେ ପ୍ରାତୋଦୟରେ ।ବିଶୀର୍ଣ୍ଣ କଟୀ ନାସିକା ମଧୁର ଗିରେ ॥
।୯।ବିଲକ୍ଷିତ ଚନ୍ଦ୍ରହାସେ ତନୁ ଶୀତଳେ ।ବର୍ଣ୍ଣ ସୁଲପନ ରୋମାବଳୀର ତୁଲେ ॥
।୧୦।ବାଳଭ୍ରୁଲତା ଲୋଚନ ଗମନ ଗଳା ।ବପୁ ସୁଗନ୍ଧେ ସାରଙ୍ଗେ ନୋହିବ ତୁଳା ॥
।୧୧।ବିଧାତା ଶୋଭା ବିଧାନେ ଶାନ୍ତ ସେ ଶାନ୍ତା ।ବୋଲି ମଉନ ହୋଇଲା ବାରବନିତା ॥
।୧୨।୯ମ ପଦ–ବିଘଟିତ–ତୁଳିତ । ହରି–ସୂର୍ଯ୍ୟ, ସିଂହ, ଶୁକପକ୍ଷୀ’ କୋକିଳ । ପ୍ରାତୋଦୟରେ–ଉଦୟ ହେଉଥିବା ସମୟରେ । ବିଶୀର୍ଣ୍ଣ–କ୍ଷୀଣ ।
୯ମ ପଦ–‘‘ତାହାଙ୍କର ଓଷ୍ଠସହ ଉଦୟକାଳୀନ ସୂର୍ଯ୍ୟ, କ୍ଷୀଣ କଟୀସହ ସିଂହକଟୀ, ନାସିକା ସହ ଶୁକ ଚଞ୍ଚୁ ଓ ମଧୁର ବଚନସହ କୋକିଳର ସ୍ୱର ତୁଳନୀୟ ନୁହେଁ ।’’
୧୦ମ ପଦ–ଚନ୍ଦ୍ର–କର୍ପୂର, ଜଳ, ଚନ୍ଦ୍ରିକା, ସୁବର୍ଣ୍ଣ, ଚନ୍ଦନ, ଜହ୍ନ ଓ ଅଳାଇଚ ।
୧୦ମ ପଦ–‘‘ତାହାଙ୍କର ହାସ ସହ ଚନ୍ଦ୍ରିକା, ଶରୀରର ଶୀତଳତା ସହ କର୍ପୂର, ଜଳ କିମ୍ବା ଚନ୍ଦନ, ବର୍ଣ୍ଣସହ ସୁବର୍ଣ୍ଣ, ମୁଖସହ ଚନ୍ଦ୍ର ଏବଂ ରୋମରାଜିସହ ଅଳେଇଚଲତା ତୁଳନୀୟ ନୁହେ ।’’
୧୧ଶ ପଦ–ସାରଙ୍ଗ–ମେଘ, ଧନୁ; ଚକୋର, ହଂସ ବା ହସ୍ତୀ, ଶଙ୍ଖ ଓ ପଦ୍ମ ।
୧୧ଶ ପଦ–‘‘ତାହାଙ୍କର କେଶଗୁଚ୍ଛସହ ମେଘ, ଭ୍ରୁଲତାସହ ଧନୁ, ଚକ୍ଷୁସହ ଚକୋର, ଗତିସହ ହସ୍ତୀ, କଣ୍ଠସହ ଶଙ୍ଖ ଓ ଦେହର ଗନ୍ଧସହ ପଦ୍ମ ତୁଳନୀୟ ନୁହନ୍ତି ।’’
୧୨ଶ ପଦ–‘ବିଧାତା ଏହାଙ୍କର ଶୋଭା ରଚନା କରି ଶାନ୍ତ ହେବାରୁ ଅର୍ଥାତ୍ ବିଧାତାର ସୁନ୍ଦରୀ ନିର୍ମାଣ ଇଚ୍ଛା ଏହିଠାରୁ ଶାନ୍ତି ଲାଭ କରିବାରୁ ଏହାଙ୍କ ନାମ ଶାନ୍ତା ହୋଇଅଛି ।’ ଏତିକିମାତ୍ର କହି ବେଶ୍ୟା ମଉନ ହେଲା ।
ବିଧୁନ୍ତୁଦପ୍ରାୟ ହୋଇ ସନ୍ଧ୍ୟା ଆସିଲା ।ବିବସ୍ୱାନ ଗ୍ରାସୀ ରଙ୍ଗଭାବ ଦିଶିଲା ॥
।୧୩।ବାଳୀ ସେ କାଳୀ ପିଧାନୀ କି ପାଟଶାଢ଼ୀ ।ବହିଲେ କି ସରସ୍ୱତୀ କାଳିନ୍ଦୀ ଜଡ଼ି ॥
।୧୪।ବନଜାରିକର କିଛି ଆସିଲା ଦିଶି ।ବାରୁଣୀ ତ୍ରିବେଣୀ ଘାଟେ ପଡ଼ିଲା ଘୋଷି ॥
।୧୫।ବିସ୍ତୃତ ପକ୍ଷେ ଦିବାନ୍ଧ ପ୍ରମୁଖ ଦ୍ୱିଜେ ।ବିକାଶୀ ଶ୍ଳୋକ ବାଣୀକି ବିହାରେ ମଜ୍ଜେ ॥
।୧୬।୧୩ଶ ପଦ–ବିଧୂନ୍ତୁଦପ୍ରାୟ–ରାହୁପରି । ବିବସ୍ୱାନଗ୍ରାସୀ–ସୂର୍ଯ୍ୟଙ୍କୁ ଗ୍ରାସ କରି ।୧୩ଶ ପଦ–ଅନନ୍ତର ସନ୍ଧ୍ୟାକାଳ ରାହୁପରି ମାଡ଼ି ଆସ ସୂର୍ଯ୍ୟଙ୍କୁ ଘୋଡ଼ାଇ ପକାଇଲା ଏବଂ ଲାଲବର୍ଣ୍ଣ ଦେଖାଗଲା ।୧୪ଶ ପଦ–ବାଳୀ–ସ୍ତ୍ରୀ । ପିଧାନୀ–ପିନ୍ଧି ।
୧୪ଶ ପଦ–ସଙ୍ଗେ ସଙ୍ଗେ ଅନ୍ଧକାର ମାଡ଼ିଆସିବାରୁ ବୋଧହୁଏ, ସେହି ସନ୍ଧ୍ୟାରମଣୀ କଳା ଶାଢ଼ି ପିନ୍ଧିଛିକି ? ଅଥବା ସରସ୍ୱତୀ ନଦୀ ଯମୁନା ସହିତ ମିଶି ବହିଲାକି ?(କାରଣ ସରସ୍ୱତୀ ଜଳ ଶୁକ୍ଳ ଓ ଯମୁନାର ଜଳ କୃଷ୍ଣ ଅଟେ) ।
୧୫ଶ ପଦ–ବନଜାରିକର–ଚନ୍ଦ୍ର କିରଣ । ବାରୁଣୀ–ପ୍ରସିଦ୍ଧ ସ୍ନାନ ଯୋଗ । ତ୍ରିବେଣୀ ଘାଟ–ଗଙ୍ଗା, ଯମୁନା, ସରସ୍ୱତୀର ସଙ୍ଗମ ସ୍ଥଳ ।
୧୫ଶ ପଦ–ଏହି ସମୟରେ ଚନ୍ଦ୍ର ଉଦୟ ହେବାରୁ ତାହାଙ୍କର ଉଦୟ କାଳୀନ ଆରକ୍ତ କିରଣ ସେହି ସନ୍ଧ୍ୟାକାଳୀନ ଶୋଭାରେ ମିଶିଗଲା । ତାହା ଦେଖି ମନେହେଲା, ତ୍ରିବେଣୀ ଘାଟରେ ବାରୁଣି ସ୍ନାନ ଯୋଗ ପଡ଼ିଲାକି ?
୧୬ଶ ପଦ–ଦିବାନ୍ଧ ପ୍ରମୁଖ ଦ୍ୱିଜେ–ରାତ୍ରିଚର ପକ୍ଷୀମାନେ । ଅନ୍ୟପକ୍ଷରେ, ପ୍ରମୁଖ ଦ୍ୱିଜେ–ଶ୍ରେଷ୍ଠ ବ୍ରାହ୍ମଣମାନେ । ବିହାର–କ୍ରୀଡ଼ା ।
୧୬ଶ ପଦ–ବ୍ରାହ୍ମଣମାନେ ତ୍ରିବେଣୀ ଘାଟରେ ଗଙ୍ଗା ସ୍ତ୍ରୋତ୍ର ପାଠ କରି ଜଳରେ ମଗ୍ନ ହେଲା ପରି, ଦିନରେ ଅନ୍ଧ ହୋଇ ରହିଥିବା ପେଚା ଅନ୍ୟ ରାତ୍ରିଚର ପକ୍ଷୀମାନଙ୍କର ନେତା ହୋଇ ପକ୍ଷ ବିସ୍ତାରପୂର୍ବକ ଚତୁର୍ଦ୍ଦିଗରେ ବୁଲି କ୍ରୀଡ଼ା କରିବାକୁ ଲାଗିଲେ ।
ବିଜିଘୋଷ ଆଦି ବାଦ୍ୟ ବାଜେ ଏକାଳେ ।ବର କନ୍ୟା ଋଷ୍ୟଶୃଙ୍ଗ ଶାନ୍ତାକୁ କଲେ ॥
।୧୭।ବାରି ତୋଳି ଦେଲେ ଶଙ୍ଖେ ଶଙ୍ଖେ ରତନ ।ବତ୍ସାସହ ଧେନୁ କଉଶେୟ ବସନ ॥
।୧୮।ବନଜାସନ ସାବିତ୍ରୀ ପ୍ରାୟ ଦିଶିଲେ ।ବିନୋଦେ ଶର୍ବରୀରେ ଏକାନ୍ତେ ରସିଲେ ॥
।୧୯।ବାହୁଳେୟ ପ୍ରାୟେ ହେଲା ପ୍ରାତ ଉତ୍ପତ୍ତି ।ବିଭ୍ରାଜି ତାରକା–ସୁର ପ୍ରମୋଦ ଅତି ॥
।୨୦।ବିଭ୍ରାଜି ଉଜ୍ଜ୍ୱଳ ଶକ୍ତି ମନ୍ତ୍ରରେ ସେହି ।ବିହାରୀ ହୋଇ କ୍ରମଶେ ଷଷ୍ଠୀରେ ସ୍ନେହୀ ॥
।୨୧।୧୭ଶ ପଦ–ବିଜିଘୋଷ–ଢକା ତୁଲ୍ୟ ବାଦ୍ୟ ବିଶେଷ ।୧୮ଶ ପଦ–ଶଙ୍ଖେ–ଏକଶଙ୍ଖ ପରିମିତ । କୌଶେୟ–ବସନ, ପଟ୍ଟବସ୍ତ୍ର ।
୧୭ଶ ଓ ୧୮ଶ ପଦ–ଏହି ସମୟରେ ବିଜିଘୋଷ ପ୍ରଭୃତି ବାଦ୍ୟ ବାଜିଲା । ୠଷ୍ୟଶୃଙ୍ଗ ଓ ଶାନ୍ତାଙ୍କୁ ବିବାହ ବେଶରେ ସଜ୍ଜିତ କରି ମଣ୍ଡପ ଉପରକୁ ନେଇ, ହସ୍ତଗଣ୍ଠି ପଡ଼ିବା ପରେ ଦଶରଥ ଶଙ୍ଖରେ ପାଣି ଟେକି ଦେଇ ଏକ ଶଙ୍ଖ ରତ୍ନ, ସବତ୍ସା ଧେନୁ ଓ ପାଟ ଯୋଡ଼ ପ୍ରଭୃତି ଯଉତୁକ ଦେଲେ ।
୧୯ଶ ପଦ–ବନଜାସନ–ବ୍ରହ୍ମା । ବିନୋଦେ–ଆନନ୍ଦରେ ।୧୯ଶ ପଦ–ଋଷି ଓ ଶାନ୍ତା ବ୍ରହ୍ମା ସାବିତ୍ରୀଙ୍କ ପରି ଦେଖାଗଲେ; ଅନନ୍ତର ରାତ୍ରିରେ ଏକାନ୍ତରେ ଶୃଙ୍ଗାର ରସରେ ମଜ୍ଜିଲେ ।୨୦ଶ ପଦ–ବାହୁଳେୟ–କାର୍ତ୍ତିକେଶ୍ୱର । ତାରକା–ତାରା, ତାରକାସୁର । ସୁର–ସୂର୍ଯ୍ୟ ।
୨୦ଶ ପଦ–ତତ୍ପରେ କାର୍ତ୍ତିକେୟ ଜନ୍ମ ହୋଇ ତାରକାସୁରକୁ ମାରି ଦେବତାମାନଙ୍କୁ ଆନନ୍ଦ ଦେଲା ପରି ପ୍ରଭାତ ଉପସ୍ଥିତ ହୋଇ ତାରାମାନଙ୍କୁ ଲୁପ୍ତପୂର୍ବକ ସୂର୍ଯ୍ୟଙ୍କୁ ପ୍ରକାଶିତ କରିବାକୁ ଜଗତରେ ଅତିଶୟ ଆନନ୍ଦ ଖେଳି ଉଠିଲା ।
୨୧ଶ ପଦ–ଶକ୍ତିମନ୍ତର–ଅତି ପରାକ୍ରମୀ, ଶକ୍ତିଧାରୀ । ଷଷ୍ଠୀ–ଦୂର୍ଗା ।
୨୧ଶ ପଦ–ଯେପରି କାର୍ତ୍ତିକେୟ ଅତି ଉଜ୍ଜ୍ୱଳ ଶକ୍ତି ନାମକ ଅସ୍ତ୍ର ଧାରଣ କରି ଅଥବା ଅତିଶୟ ଶକ୍ତିଶାଳୀ ହୋଇ ବିହାର କରି କ୍ରମେ ଦୁର୍ଗାଙ୍କଠାରେ ଅନୁରକ୍ତ ହୋଇଥିଲେ, ସେହିପରି ପ୍ରଭୃତ ଉଜ୍ଜ୍ୱଳ ସୂର୍ଯ୍ୟ କିରଣ ବିସ୍ତାରପୂର୍ବକ କ୍ରମେ କ୍ରମେ ଜଗତକୁ ଆଲୋକିତ କଲା ଏବଂ ଷାଠିଏ ଦଣ୍ଡ ପର୍ଯ୍ୟନ୍ତ ରହିଲା ।
ବାରକରେ ଖ୍ୟାତ ଶିବପୁରେ ଉତ୍ସବେ ।ବାଦନ ଯେ ଶଙ୍ଖମାଳି ଗଣହିଁ ଭାବେ ॥
।୨୨।ବିଗତ ନିଦ୍ରା ଏକାଳେ ଦଶରଥର ।ବସାଇ ଜାମାତା ଘେନିଗଲେ ରଥର ॥
।୨୩।ବପ୍ର ଜିଣି ପରବେଶ ଅଯୋଧ୍ୟା ଦୁର୍ଗେ ।ବ୍ରତ ଆଚରଇ ତହିଁ ମହିଷୀବର୍ଗେ ॥
।୨୪।ବୀତିହୋତ୍ର ସ୍ଥାପି ଯଜ୍ଞକୁଣ୍ଡେ ସତ୍ୱରେ ।ବ୍ରହ୍ମବେତ୍ତା ହୋମ କଲେ ପୁତ୍ର ଅର୍ଥରେ ॥
।୨୫।ବ୍ୟାପୀ ତହୁଁ ଧୂମାବଳି ଊର୍ଦ୍ଧ୍ୱେ ଚପଳେ ।ବିୟତିରେ ଜଳଧର ପ୍ରାୟ ଦିଶିଲେ ॥
।୨୬।୨୨ଶ ପଦ–ବାରକରେ–ବାରଗୋଟି ହାତରେ, କୌଣସି ଗୋଟିଏ ବାରରେ । ଶବସୁର–କୈଳାସ । ଶକମାଳୀ–ଶଙ୍ଖ ସମୂହ । ଗଣ–ଶିବଗଣ ।
୨୨ଶ ପଦ–କାର୍ତ୍ତିକେୟ ବାରଗୋଟି ହସ୍ତ ଧାରଣ କରି ଯେତେବେଳେ ଜନ୍ମ ହେଲେ, ସେହି ସମୟରୁ କୈଳାସରେ ଉତ୍ସବ ହୋଇଥିଲା, ଶିବଗଣମାନେ ଅନେକ ଶଙ୍ଖ ବଜାଇଥିଲେ; ସେହିପରି ପ୍ରଭାବ ରବି, ସୋମ ପ୍ରଭୃତି କୌଣସି ଏକ ବାରରେ ଖ୍ୟାତ ହେଲା ଏବଂ ସେହି ସମୟରେ ମାଳୀମାନେ ଶିବ ମନ୍ଦିରରେ ଶଙ୍ଖ ବଜାଇଲେ ।
୨୩ଶ ପଦ–ଏହି ସମୟରେ ଦଶରଥଙ୍କ ନିଦ୍ରା ଭାଜିଲା । ସେ ଜାମାତାଙ୍କୁ ରଥରେ ବସାଇ ନେଇଗଲେ ।୨୪ଶ ପଦ–ବିପ୍ର–ଗଡ଼ପ୍ରାଚୀର ।୨୫ଶ ପଦ–ବୀତିହୋତ୍ର–ଅଗ୍ନି ।୨୬ଶ ପଦ–ବିୟତରେ–ଆକାଶରେ ।
୨୪ଶରୁ୨୬ଶ ପଦ–ଅଳ୍ପକ୍ଷଣପରେ ସେମାନେ ଗଡ଼ର ପାଚେରୀ ଲଙ୍ଘି ଅଯୋଧ୍ୟା ଦୁର୍ଗରେ ପ୍ରବେଶ ହେଲେ । ବ୍ରହ୍ମଜ୍ଞାନୀ ଋଷି ରାଣୀମାନଙ୍କୁ ବ୍ରତ କରାଇ ପୁତ୍ରେଷ୍ଟି ଯଜ୍ଞ ନିମିତ୍ତ ହୋମକୁଣ୍ଡରେ ଅଗ୍ନି ସ୍ଥାପନ କଲେ । ହଠାତ୍ ହୋମକୁଣ୍ଡରୁ ଉପରକୁ ଧୂଆଁ ଉଠି ଆକାଶରେ ବ୍ୟାପି ଯିବାରୁ ତାହା ମେଘପରି ଦେଖାଗଲା ।
ବିଜୁଳି ଲକ୍ଷ ବଡ଼ଭି ରାଙ୍ଗକେତନ ।ବରହ ଟେକି ଅନାର କେକୀ ନର୍ତ୍ତନ ॥
।୨୭।ବିଥିରଚିତ୍ତ ତୃଷାର୍ତ୍ତୀ ଯେତେ ସାରଙ୍ଗ ।ବୀଥୀ ବୀଥୀ ହୋଇ କଲେ ନିକଟେ ରଙ୍ଗ ॥
।୨୮।ବାୟୁନାଏ ଦୁନ୍ଦୁଭି ଦିଆଉ ହରଷେ ।ବିଜନିତ ସ୍ତନିତ କି ପ୍ରତେ ମାନସେ ॥
।୨୯।ବିବେକ ମଧୁରୀ ଭେରୀ ଦାତ୍ୟୁହ କଙ୍କ ।ବର୍ଷାଭୂ ଟମକ ଯହିଁ ଉଚ୍ଚନାଦକ ॥
।୩୦।ବଳାକାପ୍ରକାର ନିଶ୍ଚେ ବିରାଜମାନ ।ବଂଶେ ଉଡୁଛନ୍ତି ହୋଇ ଅତି ରଞ୍ଜନ ॥
।୩୧।୨୭ଶ ପଦ–ବଡ଼ଭି–ପ୍ରାସାଦ । ରଙ୍ଗକେତନ–ଲାଲପତାକା । କରହ–ପୁଚ୍ଛା । କେକୀ–ମୟୂର ।୨୭ଶ ପଦ–ରାଜାଙ୍କର କୋଠା ଉପରେ ଉଡ଼ୁଥିବା ଲାଲ ପତାକାକୁ ବିଜୁଳି ମନେକରି ମୟୂରମାନେ ପୁଚ୍ଛ ଟେକି ନୃତ୍ୟ କଲେ ।୨୮ଶ ପଦ–ବିଥିରଚିତ୍ତ–ଅସ୍ଥିର ହୃଦୟ । ସାରଙ୍ଗ–ଚାତକ । ବାଥୀ ବାଥୀ ହୋଇ–ଦଳ ଦଳ ହୋଇ ।୨୮ଶ ପଦ–ତୃଷାର୍ତ୍ତ ଅସ୍ଥିର ହୃଦୟ ଚାତକମାନେ ଦଳ ଦଳ ହୋଇ ଆସି (ସେହି ମେଘକୁ ଦେଖି) ଆନନ୍ଦରେ ନୃତ୍ୟ କଲେ ।୨୯ଶ ପଦ–ବାୟୁନାଏ–ବାଦକମାନେ । ସ୍ତନିତ–ଘଡ଼ଘଡ଼ି ଶବ୍ଦ ।୨୯ଶ ପଦ–ବାଦକମାନେ ଏହି ସମୟରେ ଆନନ୍ଦରେ ଦୁନ୍ଦୁଭି ବଜାଇଲେ । ସେହି ଧ୍ୱନି ମେଘର ଘଡ଼ ଘଡ଼ି ଧ୍ୱନି ବୋଲି ମନେହେଲା ।୩୦ଶ ପଦ–ଦତ୍ୟୁହ–ଡାହୁକ । ବର୍ଷାଭୁ–ବେଙ୍ଗ ।୩୦ଶ ପଦ–ମହୁରୀ ଓ ଭେରୀର ସ୍ୱର ଡାହୁକ ଓ କଙ୍କପକ୍ଷୀର ସ୍ୱର ପରି ଏବଂ ଅତି ଉଚ୍ଚ ଟମକ ଧ୍ୱନି ବେଙ୍ଗ ରଡ଼ିପରି ପ୍ରତୀକ ହେଲା ।୩୧ଶ ପଦ–ବଳାକା ପ୍ରକାର–ବକଶ୍ରେଣୀ ପରି । ଚିରାଳ–ପତାକା ।୩୧ଶ ପଦ–ବାଉଁଶର ଅଗ୍ରଭାଗରେ ଫର ଫର ହୋଇ ଉଡ଼ୁଥିବ ଅତିଶୁକ୍ଳ ପତାକାଗୁଡ଼ିକ ବକପନ୍ତି ପରି ଦେଖାଗଲେ ।ବରଷିବେ କୃପାଜଳ ଉଦୟେ ହରି ।ବହ୍ନିକୁଣ୍ଡ ନଭ ଅବଲମ୍ବନ କରି ॥
।୩୨।ବଶିଷ୍ଠାଦି ଋଷ୍ୟଶୃଙ୍ଗ ସେଠାରେ ଥିଲେ ।ବିହୀନ ନିମିଷ ଯେ ସେମାନେ ନମିଲେ ॥
।୩୩।ବରୁଣାଳୟ କରୁଣାକର ବୋଇଲେ ।ବିରାଜ କମ୍ବୁ ଚକ୍ର ଗଦାବ୍ଜେ ମଞ୍ଜୁଳେ ॥
।୩୪।ବିଧୃତ କର ମକର ଲକ୍ଷଣମାନ ।ବୁଡ଼ାନ୍ତି ମହତୀଯୋଗେ ନୟନ–ମୀନ ॥
।୩୫।୩୨ଶ ପଦ–ହରି ଇନ୍ଦ୍ର–ବିଷ୍ଣୁ । ଅବଲମ୍ବନ–ଆଶ୍ରୟ ।
୩୨ଶ ପଦ–ମେଘ ଉଦୟ ହେଲେ ଇନ୍ଦ୍ର ଯେପରି ତାହାକୁ ଆଶ୍ରୟ କରି ବର୍ଷା କରାନ୍ତି, ସେହିପରି ବିଷ୍ଣୁ ଅଗ୍ନିକୁଣ୍ଡ ରୂପକ ମେଘକୁ ଆଶ୍ରୟ କରି କୃପା ରୂପକ ଜଳବର୍ଷଣ କରିବେ ।
୩୩ଶ ପଦ–ବିହୀନ ନିମିଷ–ଅପଲକ ଚକ୍ଷୁ ।
୩୩ଶ ପଦ–ହୋମକୁଣ୍ଡ ନିକଟରେ ଥିବା ବଶିଷ୍ଠ, ଋଷ୍ୟଶୃଙ୍ଗ ପ୍ରଭୃତି ଋଷିମାନେ ସେହି ହୋମ କୁଣ୍ଡରେ ଆବିର୍ଭୂତ ବିଷ୍ଣୁଙ୍କୁ ଅପଲକ ଦୃଷ୍ଟିରେ ଦେଖି ନମସ୍କାର କଲେ ।
୩୪ଶ ପଦ–ବରୁଣାଳୟ–ସମୁଦ୍ର । କରୁଣାକର–ଦୟା ସମୁଦ୍ର । କମ୍ବୁ–ଶଙ୍ଖ । ଚକ୍ର–ଚକ୍ରବାକ ପକ୍ଷୀ, ଜଳଭଉଁରୀ, ଅସ୍ତ୍ର ବିଶେଷ । ଗଦା–ଅସ୍ତ୍ର ବିଶେଷ, ସମୂହ । ଅବ୍କ–ପଦ୍ମ, ଚନ୍ଦ୍ର ।
୩୪ଶ ପଦ–ଋଷିମାନେ କହିଲେ, ‘‘ହେ କରୁଣାକର ଦୟା ସମୁଦ୍ର ! ତୁମ୍ଭେ ପ୍ରକୃତରେ ସମୁଦ୍ର ଅଟ । କାରଣ, ସମୁଦ୍ର ଯେଉଁପରି ଶଙ୍ଖ, ଡଅଁର ବା ଚକ୍ରବାକ ପକ୍ଷୀ ସମୂହ ଏବଂ ଚନ୍ଦ୍ରଙ୍କୁ ଧାରଣ କରି ଶୋଭାପାଉଛି, ତୁମ୍ଭେ ସେହିପରି ପାଞ୍ଚଜନ୍ୟ ଶଙ୍ଖ, ସୁଦର୍ଶନ ଚକ୍ର, ଗରୁଡ଼, କୌମୋଦକୀ ଗଦା ଏବଂ ପଦ୍ମ ଧାରଣ କରି ଶୋଭାପାଉଅଛି ।’’
୩୫ଶ ପଦ–ମହତୀ–ବଡ଼, ମହତୀ ନାମକ ଯୋଗ । ଲକ୍ଷଣମାନ–ଲକ୍ଷ ଲକ୍ଷ ପରିମିତ, ଚିହ୍ନମାନ । କର–ହସ୍ତ ।
୩୫ଶ ପଦ–‘‘ସମୁଦ୍ର ଯେଉଁପରି ଲକ୍ଷ ଲକ୍ଷ ଜଳଚର ଜୀବମାନଙ୍କୁ ଧାରଣ କରିଅଛି, ତୁମ୍ଭେ ସେହିପରି ନିଜ କରରେ ମୀନ, ମକର ପ୍ରଭୃତି ଚିହ୍ନମାନଙ୍କୁ ଧାରଣ କରିଅଛ । ଲୋକମାନେ ମହତୀ ନାମକ ଯୋଗରେ ସମୁଦ୍ରରେ ନିମଗ୍ନ ହେଲାପରି ବଡ଼ ବଡ଼ ଭକ୍ତମାନଙ୍କର ନୟନ ତୁମ୍ଭ ହୃଦୟରେ ନିମଗ୍ନ ହେଉଅଛି ।’’
ବୋଇତିଆଳ ଯେ ଦଶରଥ ନୃପତି ।ବାଞ୍ଛିବାରେ କର ତାରେ ରତ୍ନ ପ୍ରାପତି ॥
।୩୬।ବଡ଼ବାନଳେ ପକାଅ ରାକ୍ଷସଗଣ ।ବ୍ୟତ୍ରକେ ଏଥିରୁ ନାହିଁ ଆନ ମାର୍ଗଣ ॥
।୩୭।ବ୍ୟାକୋଷ କୁସୁମ–ହାସ ମୁଖେ ଧଇଲେ ।ବୋଲି ଅସ୍ତୁ ଚାରି ଚରୁରୂପେ ଦିଶିଲେ ॥
।୩୮।ବ୍ୟଞ୍ଜଳି କରନ୍ତେ କର ସେ ଋଷ୍ୟଶୃଙ୍ଗ ।ବ୍ରହ୍ମରୂପୀ ପରବେଶ ହୋଇଲେ ବେଗ ॥
।୩୯।ବ୍ରାହ୍ମଣଶ୍ରେଷ୍ଠ ତା ରାଜା ହସ୍ତରେ ଦେଲେ ।ବାଣ୍ଟି ସର୍ବ ମହିଷୀରେ ଦିଅ ବୋଇଲେ ॥
।୪୦।ବାତ ମଳୟାଦ୍ରିରୁ ଯେ ବହଇ ଘେନ ।ବଂଶକର୍ମେ ନାହିଁ ଯଥା ହେବା ଚନ୍ଦନ ॥
।୪୧।ବ୍ରତୀ ନୋହି ସାତଶତ ସତଚାଳିଶି ।ବାମା ଅଛନ୍ତି କୌଶଲ୍ୟା କୈକେୟୀ ଭାଷି ॥
।୪୨।ବିରକ୍ତେ ନୃପତି ଦୁଇଭାଗ ତା କଲେ ।ବିହ୍ୱଳେ ସେ ଦୁହିଙ୍କର ପାଣିରେ ଦେଲେ ॥
୩୬ଶ ଓ ୩୭ଶ ପଦ–‘‘ହେ ପ୍ରଭୋ ! ସମୁଦ୍ରରେ ବୋଇତିଆଳମାନେ ବୋଇତ ବାହି ଯେପରି ଇପ୍ସିତ ରତ୍ନଲାଭ କରନ୍ତି, ସେହିପରି ଆପଣଙ୍କ ରୂପ ସମୁଦ୍ରରେ ବୋଇତିଆଳ ହୋଇଥିବା ଅର୍ଥାତ୍ ଆପଣଙ୍କୁ ପୁତ୍ର ପ୍ରାପ୍ତିର ସ୍ଥାନ ମନେକରିଥିବା ଦଶରଥଙ୍କୁ ପୁତ୍ରରୂପ ରତ୍ନ ପ୍ରଦାନ କରନ୍ତୁ ଏବଂ ସମୁଦ୍ର ବଡ଼ବାଗ୍ନିରେ ରାକ୍ଷସମାନଙ୍କୁ ପକାଇଲା ପରି ଆପଣ ନିଜର ବଡ଼ବାଗ୍ନି ତୁଲ୍ୟ କ୍ରୋଧରେ ରାକ୍ଷସମାନଙ୍କୁ ପକାନ୍ତୁ । ଏହା ବ୍ୟତୀତ ଆଉକିଛି ମାଗୁ ନାହୁଁ ।’’
୩୮ଶ ପଦ–ବ୍ୟାକୋଷ କୁସୁମ–ପ୍ରସ୍ଫୁଟିତ ପୁଷ୍ପ । ଚରୁ–ଯଜ୍ଞାନ୍ନ ।
୩୮ଶ ପଦ–ଏହା ଶୁଣି ଭଗବାନ୍ ପ୍ରସ୍ଫୁଟିତ ପୁଷ୍ପ ତୁଲ୍ୟ ମନୋରମ ହାସ ପ୍ରକାଶ କରି, ‘ତାହା ହେଉ’ କହି ଚାରିଗୋଟି ଚରୁରୂପରେ ଦେଖା ଦେଲେ ।
୩୯ଶ ପଦ–ଏହାଦେଖି ଋଷ୍ୟଶୃଙ୍ଗ ହାତ ଅଞ୍ଜଳି କରିବାରୁ, ବ୍ରହ୍ମରୂପୀ ଭଗବାନ ତାହାଙ୍କ ହସ୍ତରେ ଶୀଘ୍ର ପ୍ରବେଶ କଲେ ।୪୦ଶ ପଦ–ତପସ୍ୱୀ ଋଷ୍ୟଶୃଙ୍ଗ ସେହି ଯଜ୍ଞାନ୍ନ ଦଶରଥଙ୍କୁ ଦେଇ କହିଲେ, ‘‘ରାଣୀମାନଙ୍କୁ ବାଣ୍ଟି ଦିଅ ।’’
୪୧ଶରୁ ୪୩ଶ ପଦ–କୌଶଲ୍ୟା ଓ କୈକେୟୀ (ରାଜାଙ୍କୁ ଚରୁ ଘେନି ଆସିବାର ଦେଖି) କହିଲେ, ‘‘ତୁମ୍ଭର ସାତଶହ ସତଚାଳିଶ ରାଣୀ ବ୍ରତ କରିନାହାନ୍ତି ।’’ ପବନ ମଳୟ ପର୍ବତରୁ ବହିଲେ ଯେଉଁପରି ସବୁ ବାଉଁଶର ଭାଗ୍ୟରେ ଚନ୍ଦନ ହେବାର ସୁଯୋଗ ଘଟେ ନାହିଁ, ସେହିପରି ଏହି କଥା ଶ୍ରବଣରେ ରାଜା ବିରକ୍ତ ହୋଇ ମଳୟର ଗୁଣ ରୂପୀ ସେହି ଚରୁକୁ ସେ ଦୁହିଁଙ୍କର ହାତରେ ଦେଲେ ।
ବିମଳହୃଦୟା ଭାଷି କଲ ଅହେଜା ।ବେନି ବେନି ଭାଗ ଦେଲେ ସନ୍ତୋଷ ରାଜା ॥
।୪୪।ବିଶ୍ୱଗର୍ଭ ସେ ଅଶନେ ଗର୍ଭରେ ରହି ।ବରଷେ ଯେ ସ୍ୱାତୀଜଳ ଭକ୍ଷଣ ବିହି ॥
।୪୫।ବହଇ ଉଦରେ ମୋତି ଶୁକ୍ତି ଯେମନ୍ତ ।ବିଘ୍ନ ନୋହି ଏ କଥାହିଁ ହେଲା ତେମନ୍ତ ॥
।୪୬।୪୪ଶତ ପଦ–ବିଶ୍ୱଗର୍ଭ–ବିଷ୍ଣୁ । ଅଶନ–ଭକ୍ଷଣ । ବରଷେ–ମେଘ ବରଷିବା ସମୟରେ-।
୪୪ଶତ ପଦ–ନିର୍ମଳ ହୃଦୟା ରାଣୀ ଦୁହେଁ କହିଲେ, ‘‘ଆପଣ ଅବିଚାର କଲେ; (କାରଣ ଆପଣଙ୍କର ସାତଶହ ପଞ୍ଚାଶ ରାଣୀଙ୍କ ମଧ୍ୟରୁ ଉପରୋକ୍ତ ସଂଖ୍ୟକ ରାଣୀ ବ୍ରତ କରିନାହାନ୍ତି ବାକି ତିନିଜଣ ବ୍ରତ କରିଛନ୍ତି, ଆପଣ ସେ ତିନିଜଣଙ୍କୁ ସୁଦ୍ଧା ଦେଲେ ନାହିଁ) ଏହା କହି ବ୍ରତନୀଙ୍କୁ (ସୁମିତ୍ରାଙ୍କୁ) ଦୁଇଭାଗ ଦେବାରୁ ରାଜା ସନ୍ତୁଷ୍ଟ ହେଲେ ।
୪୫ଶ ପଦ–ବିଶ୍ୱଗର୍ଭ–ବିଷ୍ଣୁ । ଅଶନ–ଭକ୍ଷଣ । ବରଷେ–ମେଘ କରଷିବା ସମୟରେ ।୪୬ଶ ପଦ–ଶକ୍ତି–ଶାମୁକା ।
୪୫ଶ-୪୬ଶ ପଦ–ସ୍ୱାତୀନକ୍ଷତ୍ରରେ ମେଘ ବରଷିଲେ ସେହି ଜଳକୁ ଭକ୍ଷଣ କରି ଶାମୁକା ମୁକ୍ତାକୁ ଗର୍ଭରେ ଧାରଣ କରେ; ସେହିପରି ରାଣୀମାନେ ଚରୁ ଭକ୍ଷଣ କରି ବ୍ରହ୍ମାଣ୍ଡ ଯାହାଙ୍କ ଗର୍ଭରେ ରହିଅଛି, ସହି ବିଷ୍ଣୁଙ୍କୁ ଗର୍ଭରେ ଧାରଣ କଲେ ।
ବୈଭାଣ୍ଡକ କାନ୍ତା ଘେନି ସ୍ୱଗୃହ ଗତ ।ବାସରକୁ ବାସର ରାଣୀଏ ଅଶକ୍ତ ॥
।୪୭।ବିଧୃତ ଲତିକା ମେରୁ ଏଥି ଉତ୍ତାରୁ ।ବିଚିତ୍ର ନୋହିଲା ଅଶକତ ହେବାରୁ ॥
।୪୮।ବର୍ଣ୍ଣ ସୁବର୍ଣ୍ଣ ଦୋହଦ ରୂପ୍ୟରେ କିଣି ।ବତ୍ସୋଜ ଦନ୍ତସମ୍ପୂଟେ ରକ୍ଷଣ ମଣି ॥
।୪୯।ବୃଦ୍ଧିହେବା କଟୀ ପୃଥୁ ଅଧିକ ନୋହି ।ବିଧିପୂର୍ବେ ସିଂହ ଲକ୍ଷ ଗ୍ରାସିଛି ଯେହି ॥
।୫୦।ବିକୀର୍ଣ୍ଣ ମଧୁରସରେ ଉଦରପଥ ।ବମନ ହେବା ଚିତ୍ର କି ଆନ ପଦାର୍ଥ ॥
।୫୧।୪୭ଶ ପଦ–ବିଭାଣ୍ଡକ–ଋଷ୍ୟଶୃଙ୍ଗ । ବାସରକୁ ବାସର–ଦିନକୁ ଦିନ ।
୪୭ଶ ପଦ–ଅନନ୍ତର ଋଷ୍ୟଶୃଙ୍ଗ ପ୍ରିୟା ଶାନ୍ତାଙ୍କୁ ନେଇ ସ୍ୱୀୟ ତପୋବନକୁ ଗମନ କଲେ ଏବଂ ରାଣୀମାନେ ଗର୍ଭ ଭାରରେ ଦିନକୁ ଦିନ ଅଶକ୍ତ ହେଲେ ।
୪୮ଶତ ପଦ–ଲତା ତୁଲ୍ୟ ସୁକୁମାରୀ ରାଣୀମାନେ ମେରୁପର୍ବତ ତୁଲ୍ୟ ଉନ୍ନତଗର୍ଭ ଧାରଣ କରି ଆଶକ୍ତ ହେବା ବିଚିତ୍ର ନୁହେଁ ।୪୯ଶତ ପଦ–ଦୋହଦ-ଗର୍ଭ । ବତ୍ସୋଜ-ସ୍ତନ । ଦନ୍ତସମ୍ପୂଟ–ହାତୀ ଦନ୍ତ ତିଆରି ଫରୁଆ-।
୪୯ଶତ ପଦ–ଗର୍ଭ ରାଣୀମାନଙ୍କର ସୁବର୍ଣ୍ଣ ତୁଲ୍ୟ ଦେହର କାନ୍ତିକୁ ରୂପା ମୂଲ୍ୟରେ କିଣି ସ୍ତନରୂପ ହାତୀ ଦନ୍ତ ଫରୁଆରେ ରଖିଛିକି ? (ଏହିପରି ଦର୍ଶକର ମନେହୁଏ । ଗର୍ଭ ଲକ୍ଷଣ ପ୍ରକାଶ ହେଲେ ଗର୍ଭିଣୀର ଶରୀରର କାନ୍ତି ପାଣ୍ଡୁ ବର୍ଣ୍ଣ ହୁଏ । ସ୍ତନ ଅଧିକ ଶୋଭା ଧାରଣ କରେ, ଏଣୁ ଏପରି ଉତ୍ପ୍ରେକ୍ଷା ହେଲା) ।
୫୦ଶତ ପଦ–ସେମାନଙ୍କ କଟିଦେଶ ବେଶି ଉନ୍ନତ ହେଲା; ଏହା କହିବା ଅଧିକ ବିଚିତ୍ର ନୁହେଁ । କାରଣ ଏଥି ପୂର୍ବରୁ ଏହି କଟି ସିଂହକଟିକୁ ଗ୍ରାସ କରିଥିଲା (ଜିଣିଥିଲା) । ଯେ ଯାହାକୁ ଗ୍ରାସ କରେ, ସେ ତା’ଠାରୁ ନିଶ୍ଚୟ ପୃଥୁଳ ଅଟେ ।
୫୧ଶତ ପଦ–ମଧୁରସରେ–ମିଠାରସରେ, ନାରାୟଣଙ୍କ ମାଧୁରୀରେ । ଉଦରପଥ–କଣ୍ଠଦେଶ ।
୫୧ଶତ ପଦ–ରାଣୀମାନଙ୍କର କଣ୍ଠ ପ୍ରଦେଶ ମିଠା ରସରେ ଏବଂ ‘ମଧୁର ରସ’ ନାରାୟଣ ମାଧୁରୀରେ ପୂର୍ଣ୍ଣ ହେବାରୁ ଅନ୍ୟ କଟୁ, ତିକ୍ତ ପ୍ରଭୃତି ରସ ଭକ୍ଷଣ କରନ୍ତେ ବାନ୍ତି ହେଲା-। ଏଥିରୁ ଆଶ୍ଚର୍ଯ୍ୟ କ’ଣ ? (ଅରୁଚି ସେମାନଙ୍କୁ ଆକ୍ରମଣ କଲା ଏହାହିଁ ଫଳିତାର୍ଥ) ।
ବସନ୍ତ ମଧୁ ମାସରେ ନବମୀ ଖ୍ୟାତି ।ବିପତିଧ୍ୱଜ ବହିଲେ ଚତୁର୍ଦ୍ଧାମୂର୍ତ୍ତି ॥
।୫୨।ବ୍ୟୁତ୍ପତ୍ତି ଏ କୌଶଲ୍ୟା କୈକେୟୀ ସୁମିତ୍ରା ।ବାସବଦିଗଦ୍ରି ତିନିଶୃଙ୍ଗ ଶୋଭିତା ॥
।୫୩।ବିଧୁଗୁରୁ ଭାର୍ଗବ ଅଙ୍ଗିରା ଉଦିତ ।ବିନଶ୍ୟତି ଧାତ୍ରୀ ରାତ୍ରି ନିବିଡ଼ ଧ୍ୱନ୍ତ ॥
।୫୪।ବଧାଇ ଲଭିଲେ ନୃପେ ନାରୀଏ କହି ।ବାର୍ତ୍ତାବହେ ରାଜ୍ୟାନ୍ତରେ ଗମିଲେ ତହିଁ ॥
।୫୫।ବାରତା କହି ସାମନ୍ତ ପାତ୍ରେ ତ୍ୱରିତ ।ବେତ୍ରକେ କଟକ କୁଣ୍ଡଳରେ ମଣ୍ଡିତ ॥
।୫୬।୫୨ଶତ ପଦ–ମାଧୁମାସ–ଚୈତ୍ରମାସ । ବିପତଧ୍ୱଜ–ଗରୁଡ଼ାସନ(ବିଷ୍ଣୁ) । ଚତୁର୍ଦ୍ଧାମୂର୍ତ୍ତି–ଚାରିପ୍ରକାର ଦେହ ।୫୨ଶତ ପଦ–ବସନ୍ତ ୠତୁରେ ଚୈତ୍ରମାସର ଶୁକ୍ଳ ନବମୀ ପ୍ରସିଦ୍ଧ ଅଟେ । ସେହିଦିନ ବିଷ୍ଣୁ ଚାରିଗୋଟି ଦେହ ଧାରଣ କଲେ ।୫୩ଶତ ପଦ–ଏହି ସମୟରେ କୌଶଲ୍ୟା ଆଦି ତିନିରାଣୀ ଉଦୟାଚଳର ତିନିଗୋଟି ଶୃଙ୍ଗପରି ଦେଖାଗଲେ ।୫୪ଶତ ପଦ–ବାସବଦିଗଦ୍ରି–ଉଦୟ ପର୍ବତ ।
୫୪ଶତ ପଦ–ବିଧି–ଚନ୍ଦ୍ର । ଗୁରୁ–ବୃହସ୍ପତି । ଭାର୍ଗବ–ଶୁକ୍ର । ଅଙ୍ଗିରା–ମଙ୍ଗଳ । ଧାତ୍ରୀ ରାତ୍ର–ପୃଥିବୀରୂପୀ ରାତ୍ରି । ଧ୍ୱାନ୍ତ–ଅନ୍ଧକାର, ଚିନ୍ତା ।
୫୪ଶତ ପଦ–ଯେପରି ଚନ୍ଦ୍ର, ବୃହସ୍ପତି, ଶୁକ୍ର, ମଙ୍ଗଳ ଉଦୟ ହୋଇ ରାତ୍ରିର ଗାଢ଼ ଅନ୍ଧକାରକୁ ନାଶ କରନ୍ତି, ସେହିପରି ରାଣୀମାନଙ୍କ ଗର୍ଭରୁ ଚାରିଗୋଟି ପୁତ୍ର ଜନ୍ମ ହୋଇ ପୃଥିବୀର ଗାଢ଼ ଚିନ୍ତାକୁ ନାଶ କଲେ ।
୫୫ଶତ ପଦ–ବଧାଇ–ପୁରସ୍କାର । ବାର୍ତ୍ତାବହ–ଦୂତ ।
୫୫ଶତ ପଦ–ଅନ୍ତଃପୁରରେ ଥିବା ସ୍ତ୍ରୀମାନେ ରାଜାଙ୍କୁ ଏହି କଥା କହି ପୁରସ୍କାର ପାଇଲେ ଏବଂ ଦୂତମାନେ ଏହି ବାର୍ତ୍ତା ନେଇ ଅନ୍ୟାନ୍ୟ ରାଜ୍ୟକୁ ଗଲେ ।
୫୬ଶତ ପଦ–ବେତ୍ରକ–କଞ୍ଚୁକୀ । କଟକ–ବାଲା ।୫୬ଶତ ପଦ–କଞ୍ଚୁକୀମାନେ ସାମନ୍ତ ଓ ମନ୍ତ୍ରୀମାନଙ୍କୁ ଏହି କଥା ଜଣାଇ ବାଲା ଓ କୁଣ୍ଡଳ ପ୍ରଭୃତି ଅଳଙ୍କାର ପିନ୍ଧିଲେ ।ବାଟ ହାଟ ଜୂର ତୂର ବାଜେ ଅସଂଖ୍ୟ ।ବିଦୁଷକ କାତ୍ୟାୟନୀ ହୃଷ୍ଟ ଅଲେଖ ॥
।୫୭।ବୃନ୍ଦ ବୃନ୍ଦ ହୋଇ ତହିଁ ଜନନୀମାନେ ।ବସୁଧାପତି ଦେଖିଲେ ସୁନୁ ସୁମନେ ॥
।୫୮।ବନଜନାଭ ପଦକୁ ସାର୍ଥ କରଇ ।ବିଲମ୍ବିତ ନାଡ଼ ନାଭିମଣ୍ଡଳେ ଶୋହି ॥
।୫୯।ବିଚ୍ଛେଦନ କଲେ ନାଭି ହୃଦୟହୃଦେ ।ବିଗ୍ରହ ସୁବାସ ଯେଣୁ କସ୍ତୁରୀ ବନ୍ଦେ ॥
।୬୦।୫୭ଶତ ପଦ–ବିଦୂଷକ–ହାସ୍ୟକାରୀ । ବାତ୍ୟାୟନୀ–ଅର୍ଦ୍ଧବୃଦ୍ଧା, ବିଧବା ସ୍ତ୍ରୀ ।
୫୭ଶତ ପଦ–ଏହି ଉତ୍ସବରେ ବାଟ, ହାଟ ସବୁ ଲୋକାରଣ୍ୟ ହେଲା, ତୁରୀ ପ୍ରଭୃତି ଅସଂଖ୍ୟ ବାଦ୍ୟ ବାଜିଲା, ହାସ୍ୟକାରୀ ଓ ବିଧବା ସ୍ତ୍ରୀମାନେ ଆନନ୍ଦିତ ହେଲେ ।
୫୮ଶତ ପଦ–ଯେତେବେଳେ ଦଳ ଦଳ ହୋଇ ଅନ୍ୟ ରାଣୀମାନେ ସୂତିକା ଘରେ ରୁଣ୍ଡ ହେଲେ, ସେହି ସମୟରେ ରାଜା ସୂତିକା ଘରେ ଉପସ୍ଥିତ ହୋଇ ଆନନ୍ଦ ମନରେ ପୁତ୍ରଙ୍କୁ ଦେଖିଲେ ।
୫୯ଶତ ପଦ–ବନଜନାଭ–ପଦ୍ମନାଭ(ବିଷ୍ଣୁ) ।
୫୯ତମ ପଦ–ଦଶରଥ ପୁତ୍ରର ନାଭିରୁ ଲମ୍ବିଥିବା ନାଡ଼କୁ ଦେଖି, ବିଷ୍ଣୁଙ୍କର ପଦ୍ମନାଭ ନାମକୁ ସାର୍ଥକ ମନେକଲେ ।(ଅର୍ଥାତ୍ ରାମଙ୍କର ନାଡ଼ ବିଲମ୍ବିତ ନାଭି ମୃନାଳଯୁକ୍ତ ପଦ୍ମ ପରି ଦେଖାଯାଉଥିଲା ।)
୬୦ତମ ପଦ–ଏହି ସମୟରେ ପୁତ୍ରମାନଙ୍କର ନାଡ଼ି ଛେଦନ କରିବାରୁ ସେମାନଙ୍କ ଦେହରୁ କସ୍ତୁରୀର ଗନ୍ଧ ବାହାରିଲା । ତେଣୁ ମନେହେଲା ପୁତ୍ରମାନଙ୍କର ଦେହ ସୌରଭ କସ୍ତୁରୀର ବନ୍ଦନୀୟ (କସ୍ତୁରୀଠାରୁ ଉତ୍କୃଷ୍ଟ) ହୋଇଥିବାରୁ ଦାସୀମାନେ ମୃଗନାଭୀ ଭ୍ରମରେ ଛେଦନ କଲେ କି-?
ବ୍ୟକତ ସୂତିକା ଗୃଦ କାରୁଣ୍ୟପୟ ।ବିସ୍ତୀର୍ଣ୍ଣ ଅନନ୍ତ ଶୋଭା ଶଯ୍ୟା ନିଶ୍ଚୟ ॥
।୬୧।ବୀଚି ଚନ୍ଦ୍ରାତପ କୁଞ୍ଚାବାସ ରଚଇ ।ବିବେକୀ ଶୁଆଇ ସଦା ନିଦ୍ରା ଚିତୋଇ ॥
।୬୨।ବ୍ରୀହି ଆଦି ପଞ୍ଚବୀଜ ପଞ୍ଚୁଆତୀ ଯେ ।ବ୍ୟାନ ସହ ପଞ୍ଚବାୟୁ ତୋଷକ ସେ ଯେ ॥
।୬୩।ବନଜିନୀ ଲକ୍ଷ୍ୟ ନାରୀ ଷଷ୍ଠୀଘରକୁ ।ବରାଟକେ ମଣ୍ଡି କଲେ ମନୋହରକୁ ॥
।୬୪।ବିଯୋଗ ନିଦ୍ରାରେ କାମମଧୁରେ ବାଦ ।ବିରଚି ଏ ପାଞ୍ଚ ଉଠିଆରି ସମ୍ପାଦ ॥
।୬୫।୬୧ତମ ପଦ–କାରୁଣ୍ୟମୟ–କ୍ଷୀର ସମୁଦ୍ର । ଅନନ୍ତ–ଶେଷଦେବ ।
୬୧ତମ ପଦ–ସୂତିକାଗୃହ କ୍ଷୀରସମୁଦ୍ର ପରି ଓ ସେହି ଗୃହରେ ବିଚ୍ଛାଇ ଦିଆଯାଇଥିବା ଶଯ୍ୟା ବିଷ୍ଣୁଙ୍କର ଅନନ୍ତ ଶଯ୍ୟାପରି ଦେଖାଯାଉଥିଲା ।
୬୨ତମ ପଦ–ବୀଚି–ଲହରୀ । ଚନ୍ଦ୍ରାତପ–ଚାନ୍ଦୁଆ । ବିବେକୀ–ଚତୁରା, ସରସ୍ୱତୀ ।
୬୨ତମ ପଦ–ସେହି ସୂତିକା ଗୃହରେ ବନ୍ଧା ଯାଇଥିବା ଚାନ୍ଦୁଆର (କୁଞ୍ଚାବାସ) ଝାଲରସବୁ କ୍ଷୀର ସମୁଦ୍ରର ଲହରୀପରି ଏବଂ କୁମାରଙ୍କର ପ୍ରବୋଧକାରିଣୀ ଚତୁରା ଦାସୀ ବିଷ୍ଣୁଙ୍କର ପ୍ରବୋଧକାରିଣୀ ସରସ୍ୱତୀଙ୍କ ପରି ଦେଖା ଯାଉଥିଲେ ।
୬୩ତମ ପଦ–ପଞ୍ଚୁଆତି ଦିନ ବୀରି ପ୍ରଭୃତି ପଞ୍ଚଶସ୍ୟ ମିଶ୍ରିତ ଚାଉଳ ଭକ୍ଷଣକାରୀମାନଙ୍କର ପଞ୍ଚପ୍ରାଣକୁ ସନ୍ତୋଷ କଲା ।୬୪ତମ ପଦ–ବନଜିନୀ–ପଦ୍ନିନୀ । ବରାଟକ–କଉଡ଼ି ।୬୪ତମ ପଦ–ଷଷ୍ଠଦିନ ଲକ୍ଷେ ପଦ୍ମିନୀ ସ୍ତ୍ରୀ ବହୁସଂଖ୍ୟକ କଉଡ଼ିରେ ଷଷ୍ଠୀଘରକୁ ମଣ୍ଡନ କଲେ ।୬୫ତମ ପଦ–କାମ–ଇଚ୍ଛା, କନ୍ଦର୍ପ । ମଧୂର–ମଧୁ ରାକ୍ଷସ, ବସନ୍ତକାଳ ।
୬୫ତମ ପଦ–ଭଗବାନ ଯୋଗନିଦ୍ରାରେ ଅଭିଭୂତ ଥିବାବେଳେ ଯେପରି ମଧୁଦୈତ୍ୟସହ ବିବାଦ କରିବା ଇଚ୍ଛା ପୋଷଣ କରି ଉଠିଥିଲେ, ସେହିପରି ଏହି ପୁତ୍ରମାନେ ସୁନ୍ଦରତାରେ କନ୍ଦର୍ପ ଓ ବସନ୍ତକାଳ ସହ ବିବାଦ କରିବାପାଇଁ ସପ୍ତମ ଦିବସରେ ଉଠିଆରୀ କାର୍ଯ୍ୟ ସମ୍ପାଦନ କଲେ ।
ବିଂଶ ଏକଦିନେ ଦୋଳିଶୟନ କରି ।ବଟପତ୍ର ପୁଟେ ବାଳ ମୁକୁନ୍ଦ ପରି ॥
।୬୬।ବଢ଼ାନ୍ତେ ଯେ ଦଶରଥ ଚାଳନେ କର ।ବାହୁଊର୍ଦ୍ଧ୍ୱେ ମାର୍କଣ୍ଡେୟ ଥିବା ପ୍ରକାର ॥
।୬୭।ବ୍ରହ୍ମଋଷି ନାମ ବିହି ଶ୍ରୀରାମ ରାମ ।ବୋଲେ ଚନ୍ଦ୍ର ଭଦ୍ର ହେଉ ଏ ପଛେ ରମ୍ୟ ॥
।୬୮।ବଂଶେ ରଘୁ ରାଘବ ଏ ସେ ନାଥ ଭଣି ।ବୋଲାଇବେ ରାବଣାରି ରାଜେନ୍ଦ୍ର ପୁଣି ॥
।୬୯।ବପ୍ତା ଦଶରଥ ରାଜା ଯେଣୁ ସ୍ୱଭାବେ ।ବହନ୍ତୁ ଏ ଦାଶରଥି ନାମକୁ ଏବେ ॥
।୭୦।ବିହିଲେ ଭରତ ନାମ କୈକେୟୀ ସୁତେ ।ବୋଇଲେ ସଦା ବଞ୍ଚିବ ଏ ଶୁଭରତେ ॥
।୭୧।ବେନି ସୁତ ସୁମିତ୍ରାର ଦେଖି ହରଷ ।ବିଚକ୍ଷଣ ଲକ୍ଷଣମାନଙ୍କେ ପ୍ରକାଶ ॥
।୭୨।ବହୁ ଲକ୍ଷ୍ମଣ ନାମକୁ ଅଗ୍ରଜ ସୁତ ।ବୋଲିବାର କୁମାର ଏହାକୁ ଉଚିତ ॥
।୭୩।ବଡ଼ ଶକ୍ତିମନ୍ତ ନ ଗଣିବ ଆନରେ ।ବୃଦ୍ଧି ହେବ ମେଘନାଦ ତୋଷ ଦାନରେ ॥
।୭୪।୬୬ତମ ପଦ–ବିଷ୍ଣୁ ବଟପତ୍ରରେ ଶୋଇଲାପରି, ଏମାନେ ଏକୋଇଶ ଦିନ ଦୋଳରେ ଶୋଇଲେ ।୬୭ତମ ପଦ–ଦଶରଥ ସେହି ଦୋଳି ଦୋହଲାଇବା ପାଇଁ ହାତ ବଢ଼ାନ୍ତେ ଊର୍ଦ୍ଧ୍ୱବାହୁ ମାର୍କଣ୍ଡଙ୍କ ପରି ଦେଖାଗଲେ ।
୬୮ତମ ପଦ–ବ୍ରହ୍ମଷି ବଶିଷ୍ଠ ଜ୍ୟେଷ୍ଠ ପୁତ୍ରଙ୍କର ନାମ ଶ୍ରୀରାମ ଓ ରାମ ଦେଇ କହିଲେ, ‘‘ଏହି ନାମ ପଛରେ ଚନ୍ଦ୍ର ଓ ଭଦ୍ର ଶବ୍ଦ ଯୁକ୍ତ ହୋଇ ରମଣୀୟ ହେଉ ଅର୍ଥାତ୍ ଶ୍ରୀ ରାମଚନ୍ଦ୍ର, ରାମଭଦ୍ର, ରାମଚନ୍ଦ୍ର ରାମଭଦ୍ର ହେଉ ଆଉ ମଧ୍ୟ ରଘୁବଂଶରେ ଜନ୍ମ ହୋଇଥିବାରୁ ଏହାଙ୍କର ନାମ ରଘୁନାଥ, ରାଘବ ହେବ । ପରେ ରାବଣକୁ ମାରି ରାବଣର ଏବଂ ରାଜା ହୋଇ ରାଜେନ୍ଦ୍ର ନାମ ଧାରଣ କରିବେ ।’’
୭୦ତମ ପଦ–‘‘ଆଉ ମଧ୍ୟ ଦଶରଥ ଏହାଙ୍କର ପିତା ହୋଇଥିବାରୁ ଏ ଦାଶରଥି ନାମକୁ ଧାର କରନ୍ତୁ ।’’
୭୧ତମ ପଦ–କୈକେୟୀପୁତ୍ରଙ୍କୁ ଦେଖି କହିଲେ, ‘‘ଏ ସଦା ଶୁଭ କାର୍ଯ୍ୟରେ ରତ ହୋଇ ଜୀବନ ଯାତ୍ରା ନିର୍ବାହ କରିବ; ଏଣୁ ଏହାର ନାମ ଭରତ ହେଉ ।’’
୭୨ତମ ପଦ–ମେଘନାଦ–ମୟୁର, ଇନ୍ଦ୍ରଜିତ । ଦାନ–ଦେବା, ଛେଦନ କରିବା ।୭୪ତମ ପଦ–ବଳକ୍ଷପକ୍ଷ–ଶୁକ୍ଳପକ୍ଷ ।
୭୨ତମରୁ–୭୪ତମ ପଦ–ବଶିଷ୍ଠ ସୁମିତ୍ରାଙ୍କର ପୁତ୍ରଦୁହିଙ୍କୁ ଦେଖି କହିଲେ, ‘‘ଏ ଦୁହିଙ୍କ ମଧ୍ୟରୁ ଜ୍ୟେଷ୍ଠଠାରେ ସ୍ପଷ୍ଟ ଭାବରେ ସୁଲକ୍ଷଣମାନେ ଦେଖା ଯାଉଥିବାରୁ ସେ ଲକ୍ଷ୍ମଣ ନାମରେ ଅଭିହତ ହେଉ, ଆଉ ମଧ୍ୟ ତାହାର ନାମ କୁମାର ହେବା ଉଚିତ । କାରଣ କୁମାର (କାର୍ତ୍ତିକେୟ) ଯେପରି ଶକ୍ତି ଧାରଣ କରି ଅନ୍ୟ ଶକ୍ତିଶାଳୀ ତ୍ରିଭୁବନ ବିଜୟୀ ତାରକ ପ୍ରଭୃତିଙ୍କୁ ଗଣନା କରି ନ ଥିଲେ, ଏ ସେହିପରି ଶକ୍ତି ଧାରଣ କରି ଅନ୍ୟ ବୀରମାନଙ୍କୁ ଗଣନା କରିବେ ନାହିଁ ଏବଂ କାର୍ତ୍ତିକେୟ ଯେପରି ମୟୂରକୁ ସନ୍ତୋଷ ଦାନ କରିବାରେ ବ୍ରତୀ ଅଟନ୍ତି, ଏ ସେହିପରି ‘ମୟୂର’ ଇନ୍ଦ୍ରଜିତକୁ ତୋଷ ଦାନ କରିବେ ଅର୍ଥାତ୍ ତାହାର ଶିର ଛେଦନ କରି ଚିରକାଳକୁ ଶାନ୍ତ କରି ଦେବେ ।’’
ବିଶିଷ୍ଟ ଯେଣୁ ଶତ୍ରୁଘ୍ନ ହେବ ସହଜେ ।ବିଦିତ ଏଣୁ ଶତ୍ରୁଘ୍ନ ନାମ ଅନୁଜେ ॥
।୭୫।ବିଧାନ ସୁମିତ୍ରାସୁତ ଦୁହେଁ ସୌମିତ୍ରୀ ।ବୋଲାନ୍ତୁ ବୋଲି ବିଗତ ତହୁଁ ସେ ଯତି ॥
।୭୬।ବଢ଼ି ସୁତେ ଦିନୁ ଦିନୁ ପ୍ରଭା ଉଦୟେ ।ବଳକ୍ଷପକ୍ଷରେ କଳାକର ପରାୟେ ॥
୭୫ତମ ପଦ–ଲକ୍ଷ୍ମଣଙ୍କର ସାନ ଭାଇଙ୍କୁ ‘‘ଏ ଅତି ସହଜ ଉପାୟରେ ବହୁ ଶତ୍ରୁଙ୍କୁ ନାଶ କରି ଖ୍ୟାତି ଲାଭ କରିବ’’–ଏହା କହ ଶତ୍ରୁଘ୍ନ ନାମ ଦେଲେ ।
୭୬ତମ ପଦ–‘‘ଏ ଦୁହେଁ ସୁମିତ୍ରାଙ୍କଠାରୁ ଜନ୍ମ, ଏଣୁ ସୌମିତ୍ରୀ ନାମ ଧାରଣ କରନ୍ତୁ’’–ଏହା କହ ଋଷି ସେଠାରୁ ପ୍ରସ୍ଥାନ କଲେ ।୭୭ତମ ପଦ–ପୁତ୍ରମାନେ ଶୁକ୍ଳପକ୍ଷ ଚନ୍ଦ୍ର ପରି ଦିନକୁ ଦିନ ବଳଶାଳୀ ହୋଇ ବଢ଼ିବାକୁ ଲାଗିଲେ ।ବାଡ଼ ଧରି ଉଭା ଶୋଭା କେବା କହିବ ।ବଡ଼କବି ଯହିଁ ଜଡ଼ ହୋଇ ରହିବ ॥
।୭୮।ବିହାର ରଚିଲେ କ୍ରମେ କ୍ରମେ ସତ୍ୱରେ ।ବ୍ୟଗ୍ରଗତି ଶିଶୁ ସଙ୍ଗେ ରଙ୍ଗେ ସତ୍ୱରେ ॥
।୭୯।ବାଲ୍ୟେ ଜଗତୀ ନୋହେ ବିସୋର ।ବାଲୁକାରେ ସର୍ଜନା ଯେ ସେହି ପ୍ରକାର ॥
।୮୦।ବ୍ରତବିଧାନ ସମୟ ତହିଁ ହୋଇଲା ।ବଦ୍ରିକାରେ ନରନାରାୟଣ ଯେ ଲୀଳା ॥
।୮୧।ବରହୀ ସ୍ୱତଃ ସୃଷ୍ଟିରେ ଶିଖଣ୍ଡ ଧରେ ।ବାହାରିଲେ ନଗର ଭ୍ରମଣ ଇଚ୍ଛାରେ ॥
୭୮ତମ ପଦ–ପୁତ୍ରମାନେ କାନ୍ଥବାଡ଼ ଧରି ଠିଆ ହେବା ସମୟର ଶୋଭା କିଏ ବର୍ଣ୍ଣନା କରିବ ? ବଡ଼ କବିମାନେ ଅଥବା ‘‘ବଡ଼ କବି’ ବ୍ରହ୍ମା ସୁଦ୍ଧା ଏହା ବର୍ଣ୍ଣି ନ ପାରି ମୂକ ହୋଇ ରହିବେ-।
୭୯ତମ ପଦ–ପୁତ୍ରମାନେ କ୍ରମେ କ୍ରମେ ଅନ୍ୟ ଶିଶୁମାନଙ୍କସହ ‘ଚତ୍ୱରେ ଅଗଣାରେ ଗୋଡ଼ିଆ ହୋଇ ଖେଳିବାକୁ ଲାଗିଲେ ।୮୦ତମ ପଦ–ଜଗତୀ ରଚନା–ସୃଷ୍ଟି ରଚନା ।
୮୦ତମ ପଦ–ଭଗବାନ ବର୍ତ୍ତମାନ ରାମରୂପ ଧାରଣ କରି ବାଳକ ହୋଇଥିଲେ ସୁଦ୍ଧା ବିଷ୍ଣୁ ରୂପରେ ପୂର୍ବେ କରିଥିବା ସୃଷ୍ଟିର ରଚନା କୌଶଳ ଭୁଲି ନ ଥିଲେ । ଯାହାକି ସେ ସେହିପରି ବାଲିରେ ନାନା ପ୍ରକାର ରଚନା କରିବାକୁ ଲାଗିଲେ ।
୮୧ତମ ପଦ–ବଦ୍ରିକାଶ୍ରମରେ ଯେପରି ନର ନାରାୟଣଙ୍କର ଲୀଳା ହୋଇଥିଲା, ସେହିପରି ଉପନୟନ ସମୟ ଉପସ୍ଥିତ ହେବାକୁ ଅଯୋଧ୍ୟାରେ ଲୀଳା ହେଲା ।
୮୨ତମ ପଦ–ବରହୀ–ମୟୂର । ସ୍ୱତଃ–ବିଧାତା ଦତ୍ତ । ସୃଷ୍ଟିରେ–ସଂସାରରେ । ଶିଖଣ୍ଡ–ଚଳ, ଶିଖା(ଚୁଟୀ), ନଗର–ପର୍ବତର, ବୃକ୍ଷର, ସହର । ଅନ୍ୟାର୍ଥରେ–ବର–ଶ୍ରେଷ୍ଠ । ହିଁ ନିଶ୍ଚିତ । ସ୍ୱତଃ–ପ୍ରକୃତରେ ।
୮୨ତମ ପଦ–ଏହି ସଂସାରସ୍ଥ ପ୍ରାଣୀମାନଙ୍କ ମଧ୍ୟରୁ ମୟୂର ଯେପରି ବିଧାତା ଦତ୍ତ ଚୂଳ ଧାରଣ କରି ପର୍ବତ, ବୃକ୍ଷମାନଙ୍କରେ ନିଜ ଇଚ୍ଛାନୁସାରେ ବୁଲେ, ସେହିପରି ଏହି ସଂସାରରେ ସମସ୍ତଙ୍କଠାରୁ ବାସ୍ତବିକ ଉତ୍କୃଷ୍ଟ ଅଟନ୍ତି ଯେଉଁ ବିଷ୍ଣୁ ସେ ଶଖା (କେଶଗୁଚ୍ଛ) ଧାରଣ କରି ଇଚ୍ଛାନୁସାରେ ନଗରରେ ବୁଲିବାକୁ ଲାଗିଲେ (ଉପନୟନ ପରେ ଶିଖା ଧାରଣ ଯାତ୍ରୀଙ୍କର କୁଳାଚାର) ।
ବାଳକିଶୋର ଭାବକୁ ପ୍ରକାଶ ତହିଁ ।ବାହଗ୍ରୀବ ହୋଇଥିଲେ ପୂର୍ବରେ ଯେହି ॥
।୮୩।ବୃଷ ଧନୁ ଯୁକ୍ତ ରାମଚନ୍ଦ୍ର ସହଜେ ।ବନ୍ଦାରୁ ସେ ଶ୍ରୁତିରୂପ ବିଦ୍ୟାଧର ଯେ ॥
।୮୪।ବିନୟୀ ଦାସ ପ୍ରକାରେ ଶାରଦା ଯାର ।ବଣା କେଉଁ ବିଦ୍ୟାଆଦି ସୁମୃତି ସାର ॥
।୮୫।ବିଭ୍ରାଣରୁ ଦୁକୁଳ ମନକୁ ଆଣିଲି ।ବଡ଼ ସ୍ନେହ ପୀତାମ୍ବର ନାମେ ଜାଣିଲି ॥
।୮୬।୮୩ତମ ପଦ–ବାହଗ୍ରୀବ–ହୟଗ୍ରୀବ ।
୮୩ତମ ପଦ–ଯେଉଁ ବିଷ୍ଣୁ ପୂର୍ବେ ହୟଗ୍ରୀବ ରୂପକୁ ଧାରଣ କରିଥିଲେ, ସେହି ବିଷ୍ଣୁ ବାଲ୍ୟପରେ କିଶୋର ଅବସ୍ଥାକୁ ପ୍ରକାଶ କଲେ । (ଅର୍ଥାତ୍ ଯେ ଇଚ୍ଛାନୁସାରେ ନାନାରୂପ ଧାରଣ କରି ପାରନ୍ତି, ସେ ରାମରୂପ ଧାରଣ କରି ବାଲ୍ୟାବସ୍ଥାରୁ କିଶୋର ଅବସ୍ଥାକୁ ପ୍ରାପ୍ତ ହେଲେ)
୮୪ତମ ପଦ–ବୃକ୍ଷ–ବୃକ୍ଷରାଶି, ଶ୍ରେଷ୍ଠ । ଧନୁଯୁକ୍ତ–ଧନୁରାଶିଯୁକ୍ତ, ଧନୁର୍ଦ୍ଧାରୀ । ରାମଚନ୍ଦ୍ର ମନେହର ଚନ୍ଦ୍ର । ଶ୍ରୁତ–ଦେବ । ବନ୍ଦାରୁ–ବନ୍ଦନୀୟ, ବିଦ୍ୟାଧର–ଦେବତା ବିଶେଷ, ବିଦ୍ୟାଭ୍ୟାସୀ ।
୮୪ତମ ପଦ–ମନୋହର ଚନ୍ଦ୍ର ଯେଉଁପରି ବୃଷରାଶି କିମ୍ବା ଧନୁରାଶି ସହ ଅନାୟାସରେ ଯୁକ୍ତ ହୁଅନ୍ତି, ସେହିପରି ସର୍ବଜନ ବନ୍ଦନୀୟ ରାମ ଅନାୟାସରେ ଅତି ଉତ୍କୃଷ୍ଟ ଧନୁ ଧାରଣ କରି,(ଧନୁ ବିଦ୍ୟା ଶେଷ କରି) ଦେବ ବିଦ୍ୟାକୁ ଧାରଣ କଲେ ଅର୍ଥାତ୍ ଦେବ ପଢ଼ା ଆରମ୍ଭ କଲେ ।
୮୫ତମ ପଦ–ଶାରଦା–ସରସ୍ୱତୀ । ସୁମୃତିସାର–ସ୍ମୃତିଶ୍ରେଷ୍ଠ ।
୮୫ତମ ପଦ–ସରସ୍ୱତୀ ବିନୀତା ଦାସୀ ପରି ସବୁବେଳେ ଯାହାଙ୍କ ନିକଟରେ ରହିଅଛନ୍ତି, ସେ ମନୁ ପ୍ରଭୃତି ଶାସ୍ତ୍ର ବିଦ୍ୟାରେ କାହିଁକି ବା ବଣାହେବେ ?
୮୬ତମ ପଦ–ରାମଚନ୍ଦ୍ର ପୀତବସ୍ତ୍ର ପରିଧାନ କରୁଥିବାରୁ ଜଣାଯାଏ, ତାଙ୍କର ପୀତବସ୍ତ୍ରରେ ଅଧିକ ଅଧିକ ସ୍ନେହ ଅଛି । ସୁତରାଂ କୌଣସି ଅବତାରେ ମଧ୍ୟ ତାହାକୁ ତ୍ୟାଗ କରୁନାହାନ୍ତି ।
ବିସୋର ନୋହି କୃପଣ ଧନର ଭାବ ।ବପ୍ତା ମାତାମାନଙ୍କର ମାନସୁଁ ଲବ ॥
।୮୭।ବଡ଼ କି ଏ ନଗର ଜନଙ୍କ ଏ ଭାବ ।ବଖାଣି ହୋଇଲେ ଏକା ସେହି ପ୍ରସ୍ତାବ ॥
।୮୮।ବର୍ଦ୍ଧିତ ସେ ବାଣିଜ୍ୟ ଧନର ପ୍ରକାର ।ବିଦେଶେ ହୋଇଲା ଦିନୁଁ ଦିନୁଁ ପ୍ରଚାର ॥
।୮୯।ବଳୀବର୍ଦ୍ଦ ଯହିଁ ଜନମୁଖ ହୋଇଲେ ।ବିକ୍ରୟ ସ୍ଥାନ ସ୍ଥାନକେ ବହି ସେ କଲେ ॥
।୯୦।ବାତ୍ସଲ୍ୟ ରସବର୍ଣ୍ଣନେ ରାମଭଦ୍ରର ।ବଚନ ମନ ପବିତ୍ର ହୋଇଲା ମୋର ॥
।୯୧।ବୀରବର ଉପଇନ୍ଦ୍ର ଭଞ୍ଜ ମୋ ନାମ ।ବୟାଣୋଇ ପଦେ କଲି ଏ ଛାନ୍ଦ ରମ୍ୟ ॥
୮୭ତମ ପଦ–କୃପଣ ଯେପରି ଧନ ସଞ୍ଚୟ କରିବାକୁ କ୍ଷଣେ ମାତ୍ର ପାସୋରେ ନାହିଁ, ସେହିପରି ପିତାମାତା ଦଣ୍ଡେମାତ୍ର ତାହାଙ୍କୁ ମନରୁ ଅନ୍ତର କରୁ ନ ଥିଲେ ।
୮୮ତମ ପଦ–ଅଯୋଧ୍ୟାର ଲୋକମାନେ ‘ଏହି ଜଗତରେ ସବୁଗୁଣରେ ବଡ଼ କିଏ ?’ ଏହି ପ୍ରଶ୍ନ ନିଜ ନିଜ ମଧ୍ୟରେ ଉଠାଇ ରାମଙ୍କ ନାମ ପ୍ରସ୍ତାବ କରିବାକୁ ଲାଗିଲେ । (ଅର୍ଥାତ୍ ରାମ ସମସ୍ତଙ୍କଠାରୁ ବଡ଼ ବୋଲି ସ୍ଥିର କଲେ) ।
୮୯ତମ ପଦ–ବାଣିଜ୍ୟରେ ଧନ ଲଗାଇଲେ ତାହା ଯେପରି ଦିନକୁଦିନ ବଢ଼େ, ସେହିପରି ଏହି ପ୍ରସ୍ତାବ ଦିନୁ ଦିନୁ ବିଦେଶରେ ବ୍ୟାପିଲା ।
୯୦ତମ ପଦ–ବେପାରୀ ଯେପରି ଜିନିଷପତ୍ର ବଳଦ ଉପରେ ଲଦି ସ୍ଥାନାନ୍ତରକୁ ନେଇ ବିକ୍ରୟ କରେ, ସେହିପରି ଲୋକମାନଙ୍କର ମୁଖରୂପ ବଳଦ ଏହି ପ୍ରସ୍ତାବକୁ ବୋହି ନେଇ ନାନା ସ୍ଥାନରେ ବିକ୍ରୟ କଲା । (ଅର୍ଥାତ୍ ଏହା ବାର୍ତ୍ତା ଲୋକମାନେ ସବୁଆଡ଼େ କହି ବୁଲିଲେ) ।
୯୧ତମ ଓ ୯୨ତମ ପଦ–ରାମଚନ୍ଦ୍ରଙ୍କର ବାତ୍ସଲ୍ୟରସ ବର୍ଣ୍ଣନା କରି ମୋର ମନ ଓ ବଚନ ପବିତ୍ର ହେଲା । ମୋର ନାମ ଉପେନ୍ଦ୍ର ଭଞ୍ଜ, ଏ ଛାନ୍ଦକୁ ବୟାଣୋଇ ପଦରେ ପୂର୍ଣ୍ଣ କଲି ।