ଶିଶୁପାଳ ବଧ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିପ୍ରଥମ ସର୍ଗ
କୁନ୍ଦେନ୍ଦୁ-ନୀହାର-ହୀର-ଗୋକ୍ଷୀର ଧବଳାଜଗଜ୍ଜାଡ଼୍ୟାପହା ଦେବୀ ମହାଭାବମୟୀଭାରତୀ ! ଆରତି ୧ ଘେନି ଦିଅ ପଦଚ୍ଛାୟା,(ଯେ ପଦ ପ୍ରସାଦେ ମୂଢ଼ ହୁଏ ମହାଜ୍ଞାନୀ)ଗାଇବାକୁ ଇଚ୍ଛା ମୋର-ଶିଶୁପାଳ-ବଧ,କଲି ତେଣୁ ତବ ପଦେ ଅଳି କରେ, ଯଥାମାତାର ପଣତ ଧରି ଶିଶୁ ଜଞ୍ଜାଳିୟା,ମାଗି ସ୍ୱୀୟ ଅଭୀପ୍ସିତ ଦ୍ରବ୍ୟେ, ଦୟାମୟି !ଦୟା ବହି ଖୋଲିଦିଅ ଭାବ- ପ୍ରସ୍ରବଣ,ସେ ସଲିଳେ ଫୁଟିଉଠୁ କବିତା-କମଳ,ଶତ ଶତ, ସଂଗ୍ରହ ତା, ଗୁନ୍ଥି ତହିଁ ହାର,ଅର୍ପିବି ଉତ୍କଳମାତା ଚାରୁ-ଦର-ଗଳେ । ୨ଧନ୍ୟ ଦେବି ତୋ ମହିମା ! ଅଚିନ୍ତ୍ୟ, ମହାନ,ଅବ୍ୟକ୍ତ, ଅଶ୍ରୁତ ପୁଣି ଅଧ୍ୟେୟ, ଅଜ୍ଞେୟ,କରିବାକୁ ଉପ୍ଲବ୍ଧି ଯାଇ ସେ ମହିମାଆଶା-ଦାଣ୍ଡେ ଶିଶୁ ପରି କରେଁ ଧାଁ ଦଉଡ଼ି ।ଚଢ଼ି ଶୂନ୍ୟ-ବିମାନରେ ଆଶା ମାୟାବିନୀଆସି, ଧରି ହାତ ମୋର, କେତେ କେତେ ଥରଘେନିଯାଏ ସାଥେ,- ଗୁରୁ ଗୌରବ ପ୍ରକାଶି,ମୂହୂର୍ତ୍ତେ ଦେଖାଏ ସ୍ୱର୍ଗ, ମର୍ତ୍ତ୍ୟ, ରସାତଳ ।ମାତି ମୁହିଁ ଆଶା-ମଦେ, ଉଠାଏଁ ଉର୍ଦ୍ଧ୍ୱକୁମନଃ କାଣ୍ଡେ, ବାଜିଣ ସେ ହତାଶା-ଚକ୍ରରେ,ଖଣ୍ଡ ଖଣ୍ଡ ହୋଇ ପଡ଼େ ଚାଣ୍ଡେ ପୂର୍ବସ୍ଥାନେ,ଅନନ୍ତ ଅନନ୍ତେ ପୁଣି ଯାଏ ସେ ମିଳାଇ ।ଦୁସ୍ତର ସାଗରେ ସାହା ସିନା ମୋର ଦେବି !ତୋ କୃପା-ତରଣୀ, ତେଣୁ ବାନ୍ଧିଅଛି ଆଶା-ତୋହୋଦତ୍ତ ଜ୍ଞାନ-ଫୁଲେ ପୂଜିବି ମା ତୋତେ,ଗଙ୍ଗାକୁ ପୂଜନ୍ତି ଯଥା ସେହି ଗଙ୍ଗାଜଳେ ।ରାଜସୂୟ ଯଜ୍ଞ ଅନ୍ତେ ପୌରବ-ଗୌରବ,ରାଜେନ୍ଦ୍ର-ମୁକୁଟଭାଷା-କୋହିନୂର-ହୀରଯୁଧିଷ୍ଠିର ବିଜେ କଲେ ଅମାତ୍ୟ ଗହଣେମୟବିରଚିତ ୩ ଚାରୁ ଭାସ୍କର୍ଯ୍ୟ-ଭାସ୍ୱରଦିବ୍ୟ ସଭାମଧ୍ୟେ, ଆହା ସେ ସଭାର ଶୋଭାଭବେ ଅପ୍ରତିମ, ଯଥା କଳ୍ପନା-କଳ୍ପିତ ।କମନୀୟକାନ୍ତ କାନ୍ଥ ଗଠିତ କାଞ୍ଚନେ,ଲେଖା ତହିଁ ନାନା ଚିତ୍ର-ଅମର, କିନ୍ନର,ଯକ୍ଷ, ରକ୍ଷଃ, ନାଗ, ନର, ପଶୁ, ବୃକ୍ଷ, ଲତା,ବିହଙ୍ଗ, ପତଙ୍ଗ, ଯଥା ଜୀବନ୍ତ ପ୍ରତିମା;ଗବାକ୍ଷେ, ଅଳିନ୍ଦେ ଦ୍ୱାରେ ଝଟରେ ଝାଲର,ନୀଳ, ପୀତ, ହରିତାଦି ନାନା ଆଭାମୟ-ବସନେ ଗଠିତ, ଆହା ! ସେ ଶୋଭା ନିକଟେକେଉଁ ଛାର କ୍ଷଣସ୍ଥାୟୀ ଇନ୍ଦ୍ରଧନୁ ଶୋଭା ।ଶୋଭେ ଊର୍ଦ୍ଧ୍ୱେ ମନ୍ଦାନିଳେ ସଘନେ ଆନ୍ଦୋଳିଅତସୀ-ନୀଳିମା-ନିନ୍ଦୀ-ନୀଳଚନ୍ଦ୍ରାତପ,
ସମ୍ବନ୍ଧିତ ରଚନା
ଚିନ୍ତାମଣି ମହାନ୍ତି
ସୁରଙ୍ଗୀ କାବ୍ୟଚିନ୍ତାମଣି ମହାନ୍ତି ଚିନ୍ତାମଣି ମହାନ୍ତି
ଝୁଲେ ତହିଁ ହୀରା, ନୀଳା, ବୈଦୁର୍ଯ୍ୟ, ମାଣିକ,
ପ୍ରବାଳମୁ କୁତାଆଦି ରତ୍ନ ଥୋପା ଥୋପା,
ରାଜେ ତାରାରାଜି ଯଥା ନୀଳ-ନଭସ୍ତଳେ;
କିମ୍ବା ବିକଶିତ ଯଥା ସରେ ନାନାଫୁଲ ।
ବିରାଜଇ ଠାବେ ଠାବେ ସ୍ଫୁଟିକ ବେଦିକା,
ଅପୂର୍ବ କୌଶଳ ତାହା ହୋଇ ସୁଗଠିତ
ଉପୁଜାଏ ସରଃପୂର୍ଣ୍ଣ ସରୋବର ଭ୍ରମ,
କାହି ବା ସଜଳ-ଜଳୀ ଦିଶେ ବେଦି ପରି ।
ମୟବିରଚିତ ସେହି ମନୋରମା ସଭା
ରତ୍ନ ପ୍ରାଚୀର-ବେଷ୍ଟିତ, ମେଖଳା ତାହାର
ପଞ୍ଚସହସ୍ରବ ହସ୍ତ, ଉଚ୍ଚେ ଆଡ଼େ ତଥା ।
ରବି-ରଶ୍ଜି-ଜିଣା ଦୀପ୍ତି ପ୍ରକାଶି ଅତୁଳ
ତୋଳିଛି ଉତ୍ତଙ୍ଗ-ଶୃଙ୍ଗ ନଭେ ଘନପଥେ,
ସୁଚାରୁ-ସୁଷମାମୟୀ ପ୍ରକୃତରେ ସୀମା
କଳିବାକୁ, ଟେକିଛି କି ଉନ୍ନତ ମସ୍ତକ ?
ବହୁ ତଳଯୁକ୍ତ ଦିବ୍ୟ ପ୍ରକୋଷ୍ଠ ସଭାରେ
ସ୍ଥିତ, ଯଥା ମାୟାପୁରୀ ! ସର୍ବୋପରି ତାର
ଶୋହେ ଚନ୍ଦ୍ର ଶାଳାପୁରୀ ହିରଣ୍ମୟପ୍ରଭ,
ଚୁଡ଼େ ଉଡ଼େ ଚାରୁ-ଚିତ୍ରପତାକା-ନିଚୟ ।
ସୁବାସିତ ତୈଳପୂର୍ଣ୍ଣ ରତ୍ନଦୀପାବଳୀ
ଜ୍ୱଳଇ ଉଜ୍ୱଳେ ପ୍ରତିଗୃହେ, ଉଠି ତହୁଁ
ଧୂପ, ପୁଷ୍ପଗନ୍ଧ, କରେ ଦିଗ ଆମୋଦିତ ।
ନୃତ୍ୟଶାଳେ ନାଚୁଛନ୍ତି କାହିଁ ନଟ ନଟୀ
ହୋଇ ହାତ ଧରାଧରି ଭାବାବେଶ, ଆହା !
ବୀଣାଜିଣା କଣ୍ଠ-ତନ୍ତ୍ରୀ କମ୍ପାଇ ସଘନେ,
ଚନ୍ଦ୍ରଲୋକୁ ଅବତରି କୁମୁଦବାନ୍ଧବ
ନାଚନ୍ତି କି ନଟରୂପେ, ରୋହିଣୀ ସହିତେ
ସେ ସଭାରେ, ଅବା ନାଚେ କାମ ସଙ୍ଗେ ରତି ।
କଳାଦକ୍ଷ ଶିଳ୍ପିଗୁରୁ ଦେବଶିଳ୍ପିବର
ବିଶ୍ୱକର୍ମୀଙ୍କର ହସ୍ତ-ସୁକୌଶଳ ଯହିଁ
ହେବ ପରାଜିତ, ତାର କି ଅଛି ତୁଳନା ?
ନୁହଇ ସୁଧର୍ମୀ * ତିଳେ ସେ ସଭାକୁ ସରି ।
ଏସନ ସଭାରେ ବିଜେ କୁରୁ-ଧୁରନ୍ଧର
ଧର୍ମରୂପୀ ଧର୍ମସୂତ, ଭ୍ରାତୃ ମିତ୍ର ସହ;
ଚାମର, ଆଇଟ, ଛତ୍ର, ଆଢ଼େଣୀ, ତରାସ,
ଖଦିଆଦି ଉପଚାର ଧରି ପରିଚରେ,
ଉଭା ଯଥାଯୋଗ୍ୟ ସ୍ଥାନେ, ଯଥାକର୍ମେ ରତ ।
ଯଜ୍ଞ-ଆମନ୍ତ୍ରିତ ଶତ-ସହସ୍ର ଭୂପାଳ,
(ସର୍ବେ କ୍ଷାତ୍ରଶକ୍ତିରୂପି, କ୍ଷତ୍ରିୟଗୌରବ)
କେୟୁର, କିରୀଟ, ହାର କୁଣ୍ଡଳାଦି ସର୍ବ
ରାଜ-ଆଭରଣୋ ମଣ୍ଡି, କୁରୁକୁଳର୍ଷଭେ
ବେଢ଼ି, ଉପବିଷ୍ଟ ସର୍ବେ ଯୋଗ୍ୟ ସିଂହାସନେ,
ସୁନାସାରୀ ପାଶେ ଯଥା ଅମରମଣ୍ଡଳୀ ।
ଯଜ୍ଞଯାଜୀ ଜଗନ୍ନାଥ ହୋଇ ଆମନ୍ତ୍ରିତ
ଯଜ୍ଞେ ଆସିଥିଲ ତହିଁ, ଯେଣୁ ଭକ୍ତିଡ଼ୋରେ
ବାନ୍ଧିଥିଲେ ଆଗୁଁ ତାଙ୍କୁ ନିବିଡ଼ ବନ୍ଧନେ
ଦ୍ରୁପଦ ଦୁଲାଳୀ ସହ ପାଣ୍ଡୁ ପଞ୍ଚସୁତେ,
ମାୟା-ଡ଼ୋରେ ଜୀବଗଣେ ପ୍ରକୃତି ଯେସନ ।
ଭକ୍ତିବଶ ଭାବଗ୍ରାହୀ, ଭକ୍ତିଭାବେ ଯେହୁ
କରେ ତାଙ୍କୁ ଆରାଧନା, ହୋଇଣ ତନ୍ମୟ,
ହୁଅନ୍ତି ତାହାର ସେହୁ ଚିର- ସହଚର,
କାୟା ସଙ୍ଗେ ସଙ୍ଗେ ଯଥା ବିଦ୍ୟମାନ ଛାୟା,
ରଖନ୍ତି ତାହାକୁ ହରି, ସର୍ବ ସଙ୍କଟରୁ,
ଶୀତାତପୁଁ ରଖେ ଗୃହ ଗୃହୀକୁ ଯେସନ ।
ଚିତ୍ରାଙ୍ଗ କୁରଙ୍ଗଚର୍ମ ପବିତ୍ର ଆସନେ
ପଦ୍ମାସନେ ଉପବିଷ୍ଟ ମହାତପୀ ତପୀ,
*- ସୁଧର୍ମ ଦେବସଭା
ତପୋତେଜ ତେଜବନ୍ତ ଯଥା ବିଭାବସୁ ।
ଯୁକ୍ତକରେ ସ୍ତବେ ରତ ପ୍ରଣଧିନିକର ।
ଏସନ ସମୟେ ଶାନ୍ତ ଶାନ୍ତନୁ-ତନୟ
ପରମାର୍ଥପରାୟଣ ମହେତ୍ୟାଗଶୀଳ
ସତ୍-ବ୍ରତ ସତ୍ୟବ୍ରତ, ଗମ୍ଭୀରେ ସୁଧୀରେ
ସୁଧୀମଣି ଯୁଧିଷ୍ଠିର କହିଲେ ସମ୍ବୋଧି,
ହେ ତାତଃ ! ପାଣ୍ଡବ-ଜ୍ୟୋଷ୍ଠ ନୃପ-ବିଚକ୍ଷଣ
ଧର୍ମରାଜ ! ଧନ୍ୟ ତୁମ୍ଭେ, ଧନ୍ୟ ତୁମ୍ଭ ମାତା
କୁରୁ-କୁଳବଧୁ କୁନ୍ତୀ, ରତ୍ନପ୍ରସବିନୀ,
ଗର୍ଭେ ଧରି ତୁମ୍ଭ ପରି ସୁପୁତ୍ର-ରତନେ,
ଶକ୍ତି ଯଥା ମୋତି, ଆହା ! ପୁତ୍ରବତୀ ନାମେ
ସାର୍ଥକିଲେ ଭବେ ଦେବୀ, ପବିତ୍ରିଲେ ପୁଣି
ପତିପିତୃ ବେନି କୁଳେ । ରାଜଧର୍ମ-ରାଜା
ତୁମ୍ଭ ପରି, ଭବ ନାହିଁ ନ ଥିଲେ ନୋହିବେ ।
ପୂରିଲା ସୁଯଶ ତବ ଧରଣୀମଣ୍ଡଳେ,
ପୂତ କଲ ଜନ୍ମି ତୁମ୍ଭେ କୁରୁବଂଶେ, ଯଥା
ରଘୁକୁଳ-ଦୀପ୍ତରବି ଦଶରଆଙ୍ଗଜ
ରାମଚନ୍ଦ୍ର,ପବିତ୍ରିଲେ ରବି ମହାକୁଳେ ।
ପୃଥିବୀର ରାଜାଗରେ ଶାସି ବାହାବଳେ
ସାଙ୍ଗ କଲ ମହାକ୍ରତୁ, ପ୍ରକାଶି ପୌରୁଷ,
ଯେତେ ଦିନ ଯାଏଁ ରବି ଶଶୀ, ଗତାୟାତ
ହେଉଥିବେ ନଭୋଦେଶେ, ଯେତେ ଦିନଯାଏଁ
ଧରିଥିବି ଶେଷ ଅହି ଶିରେ ଏହି ମହୀ,
ତେତେ ଦିନଯାଏ ବତ୍ସ ! କୀରତି ଶାଶ୍ୱତୀ
ତୁମ୍ଭର, ଥିବି ଏ ଭବେ ହୋଇଣ ଅକ୍ଷୟ,
ନ ପାରିବ ହୁରି ତାକୁ କାଳ ସର୍ବହର ।
ଧରା ଧନ୍ୟା ତୁମ୍ଭ ପରି ସୁପୁରୁଷେ ଧରି ।
ଦାନେ ଦୀନେ ଯଜ୍ଞେ ଦେବେ, ଶ୍ରାଦ୍ଧେ ପିତୃଗଣେ
ଭକ୍ତିଭାବେ ଗୁରୁ, ବିପ୍ର, ପୁରୋହିତେ, ପୁଣି
ବ୍ୟବହାରେ ଜ୍ଞାତିଗଣେ, ବାତ୍ସଲ୍ୟେ ଆଶ୍ରିତେ
ତୋଷି, ରାଜଋଷି ! କଲ ବସୁମତୀ ବଶ ।
ବର୍ଷାଧିକ କାଳ ହେଲା ନିମନ୍ତ୍ରିତ ନୃପେ-
ଛାଡ଼ି ସ୍ୱୀୟ ରାଜଧାନୀ, ନିବସନ୍ତି ଏଥି,
ଅନୁପସ୍ଥିତିରେ ତାଙ୍କ, ନାନା ବିଶୃଙ୍ଖଳା
ଘଟିପାରେ ରାଜଧାନୀ, ନିବସନ୍ତି ଏଥି
ଅନୁପସ୍ଥିତିରେ ତାଙ୍କ, ନାନା ବିଶୃଙ୍ଖଳା
ଘଟିପାରେ ରାଜ୍ୟେ, ଯେଣୁ ରାଜା କର୍ଣ୍ଣାଧାର
ରାଜ୍ୟ-ତରଣୀର, ତେଣୁ ତାହାଙ୍କ ବିହୁନେ
ଅଧର୍ମ-ତରଙ୍ଗଘାତେ ହୋଇଯିବ ଚୂନା
ରାଜ୍ୟ-ତରୀ, ପ୍ରାଣାଭାବେ ଯଥା ପ୍ରାଣୀ ଦେହ ।
ସାଙ୍ଗ ଏବେ ଯଜ୍ଞ ତବ, ନୃପମହେଷ୍ୱାସ !
ପ୍ରଦାନ ଅନୁଜ୍ଞା ସର୍ବ ଆଗନ୍ତୁକ ନୃପେ,
ହେଉନ୍ତୁ ସେମାନେ ସ୍ୱ ସ୍ୱ ରାଜ୍ୟେ ପ୍ରତ୍ୟାଗତ ।
ଆଚାର୍ଯ୍ୟ, ଋତ୍ୱିକ ୧, ମିତ୍ର, ସମ୍ବନ୍ଧୀ ସ୍ନାତକ ୨,
୧- ଯଜ୍ଞର ମୁଖ୍ୟ ପୁରୋହିତ ଚାରି ଜଣ ।
୨- ଅସ୍ଳୁତବତୀ ଗୃହସ୍ଥ ।
ନୃପତି, ଏ ଛଅ ଜଣ ଅର୍ଘ୍ୟ ଅଧିକାରୀ,
ସମ୍ବତ୍ସର ସହବାସୀ ହୋଇଲେ ଏମାନେ
ହୁଅନ୍ତି ଅର୍ଘ୍ୟଭାଜନ, ବୋଲନ୍ତି ପଣ୍ଡିତେ ।
ଅତଃ ପ୍ରଧାନାନୁକ୍ରମେ ଅର୍ଘ୍ୟ ସମ୍ପ୍ରଦାନି,
ନୃପତେ ! ମେଲାଣି ଦିଅ ନୃପତିକଳାପେ ।
ଭୀଷ୍ମ ବାଣୀ ଶୁଣି ସର୍ବ ଆଗନ୍ତୁକ ନୃପେ,
ଏବେ ଏବେ ମନେ ମନେ ଭାଳିଲେ ଏସନ,-
ମୁହିଁ ଏକା ଏ ସଭାରେ ଅଟେ ଅଦ୍ୱିତୀୟ,
ନିଶ୍ଚୟ ପ୍ରଥମ ପୂଜା ଅଛି ମୋ କପାଳେ ।
ଏହା ଭାବି ନିଜ ନିଜ ବିଦ୍ୟା, ବୁଦ୍ଧି, ବଳ,
ଜାତି, କୁଳ, ରୂପ, ଧନ, ମାନ, ଦାନ, ପଦ,
ଯାହାର ଯେଉଁଟି ଥିଲା ଗର୍ବର କାରଣ,
ଗୁଣି ହେଲେ ତାହା ବସି ସକଳ ଭୂପତି;
ଆପଣାକୁ ବଡ଼ ମଣି ସର୍ବେ ଏହିରୂପେ
ବଖାଣି ସ୍ୱଗୁଣ ମନେ ମନେ, ବସାଇଲେ
ଆପଣାକୁ ସ୍ୱଗୁଣ କଳ୍ପନାର ସର୍ବୋଚ୍ଚ ଆସନେ ।
ଏ ଆତ୍ମବଡ଼ିମାମୟ ଜଗତରେ ସିନା
ନିଜକୁ ମଣନ୍ତି ସାନ ଅତି ଅଳ୍ପ ଲୋକେ,
ନୋହିଲେ ଦେଖନ୍ତୁ ସର୍ବେ ଆପଣାକୁ ବଡ଼,
ବିଶେଷେ କ୍ଷତ୍ରିୟେ ଏହି ନୀତି ପକ୍ଷପାତୀ ।
ଗାଙ୍ଗେୟ ବଚନେ ତହୁଁ କୌନ୍ତେୟ ସୁମତି
ଯୁଧିଷ୍ଠିର, ଧୀରେ ନମ୍ରେ ବୋଇଲେ ଏସନ.-
ହେ ପ୍ରଣୟ କୁରୁ-ଗୁରୁ ପିତାମହ ଦେବ !
ପୂତ ଉପଦେଣ ତବ ମହା ଶିବପ୍ରଦ,
ଅଲଙ୍ଘ୍ୟ ତା ଧରାତଳେ, ପାରଇ କି କେବେ
ଲଙ୍ଘି ତାହା ଯୁଧିଷ୍ଠିର, ତବ ଆଜ୍ଞାବହ ?
ପାରଇ କି ଅବହେଳି ଗୁରୁ ଆଜ୍ଞା ଚାଟ,
କିମ୍ବା ସୁରାଚାର୍ଯ୍ୟାଦେଶ * ସୁରେଶ ବାସବ,
*ବୃହସ୍ପତି
ତବ କୃପା-ତରୀ ଏକା ପାରିକଲା ଦାସେ
ରାଜସ୍ୱୟ ଯଜ୍ଞରୂପୀ ଅପାର ସାଗରୁ
ନିର୍ବିଘ୍ନେ, ଯେସନ ପ୍ରଭୁ ଭକତବତ୍ସଳ
ହରି କୃପା, ପାରିକରେ ପଞ୍ଚଭୁତମୟ
ଭୂତେ, ପ୍ରପଞ୍ଚ-ସାଗରୁ ! ଦୟା ବହି ଏବେ
ପ୍ରଦାନ ଅନୁଜ୍ଞା ଦେବ ! ଏ ମହାସଭାରେ
କିଏ ଆଦ୍ୟ ଅର୍ଘ୍ୟଯୋଗ୍ୟ, ଅଟନ୍ତି ଆପଣେ
ମହାପପ୍ରାଜ୍ଞ ଯେଣୁ, ତେଣୁ ଏହି ବିଷୟର
ବିହିବେ ଅବଶ୍ୟ ମୋତେ ବିହିତ ଆଦେଶ,
ତବ ସୁମଙ୍ଗଳାଦେଶ ଶିରୋଧାର୍ଯ୍ୟ ମମ ।
ଉତ୍ତରିଲେ ଭୀଷ୍ମ, ଆହେ ପ୍ରକୃତିରଞ୍ଜନ
ବତ୍ସ ଯୁଧିଷ୍ଠିର ! ତୁମ୍ଭେ ସର୍ବଧର୍ମଜ୍ଞାତା,
ସର୍ବଶାସ୍ତ୍ର-ବିଶାରଦ, ତଥାଚ କିପାଇଁ
ଅଜ୍ଞ ପ୍ରାୟ ମୋତେ ଏହା କରୁଛ ଜିଜ୍ଞାସା ?
ପୂଜନ୍ତି ଯାହାଙ୍କ ପାଦ ମହେନ୍ଦ୍ରାଦି ଦେବେ
ମାନସେ, (ଯେ ପଦୁଁ ଦେବୀ ସତ୍ତ୍ୱଗୁଣମୟୀ
ଭଙ୍ଗୁରତରଙ୍ଗା ଗଙ୍ଗା ହୋଇ ସମଭୂତା
ହରନ୍ତି ଧରଣୀ ପାପ, ପତିତପାବନୀ,
ଯେ ପଦ ପରଶେ ଶିଳା ହୋଇଛି ମହିଳା,
ଜୀର୍ଣ୍ଣ ଶୀର୍ଣ୍ଣ କାଷ୍ଠନାବ ହୋଇଅଛି ସୁନା । )
ସର୍ବରାଜଗଣ ମଧ୍ୟେ ସମୁଭାସମାନ
ଯେହୁ, ତେଜେ, ବୀର୍ଯ୍ୟେ, ଶୌର୍ଯ୍ୟେ ପୁଣି ପରାକ୍ରମେ,
ଜ୍ୟୋତିଷ୍କ ମଧ୍ୟରେ ଯଥା ଦେବ ଅଂଶୁମାଳୀ,
ଉପସ୍ଥିତ ଥାଉଁ ଥାଉଁ ଯଜ୍ଞେ ସ୍ୱୟଂ ସେହି
ନତ୍ରଛେଦୀ ଚକ୍ରଧର କୃଷ୍ଣ ଯଜ୍ଞେଶ୍ୱର,
କିଏ ହେବ ଆଉ ଅଗ୍ରପୂଜାର ଭାଜନ ?
ଶ୍ରୀହରି ପୟରେ ଅର୍ଘ୍ୟ ପ୍ରଥମେ ପ୍ରଦାନି,
ପରେ ଦିଅ ଆନ ଆନ ନରବର ଶିରେ ।
କଠୋର ଅଶନିସମ ଭୀଷ୍ମଙ୍କ ଏ ବାଣୀ
ମଣିଲେ ସକଳ ନୃପେ, ଅଗ୍ରପୂଜା ପାଇଁ
ବାନ୍ଧିଥିଲେ ଆଶା ଯେଣୁ ଦୁରାଶା-ବାରିଧି,
ମୁହୁର୍ତ୍ତ ମଧ୍ୟରେ ତହିଁ ପଡିଗଲା ଭଟା !
ଆକାଶ-କୁସୁମେ ଆଶା ହେଲା ପରିଣତ ।
ତୋଳିଥିଲେ ଶୁନ୍ୟେ ଯେଉଁ ଆଶା-ଅଟ୍ଟାଳିକା
ମନୋନତ, ନିରାଶାର ଭୀମ ବଜ୍ରାଘାତେ
ତିଳ ତିଳ ହୋଇ ତାହା ହୋଇଥିଲା ଚୂନା,
ହସ୍ତୁ ଖସି କାଚପାତ୍ର ଯଥା ବିଚୂର୍ଣ୍ଣିତ ।
ସହଦେବ ରାଇ ତହୁଁ ପାଣ୍ଡବ-ଅଗ୍ରଣୀ,
ଆଦେଶିଲେ କରିବାକୁ ଭୀଷ୍ମଙ୍କର କଥା-
ଅନୁଯାୟୀ ଯଥାକାର୍ଯ୍ୟେ, ବୀର ମାଦ୍ରୀସୁତ,
ତହୁଁ ଜ୍ୟେଷ୍ଠ ନିୟୋଜନେ ସମ୍ପାଦି ସକଳ
ପୂଜାଦ୍ରବ୍ୟେ ଯଥାବିଧି କଲେ କୃଷ୍ଣେ ପୂଜା,
ଭକ୍ତି-ପାରିଜାତେ ଗୋଳି ଆନନ୍ଦ-ଚନ୍ଦନ ।
ସଭାର ଅନତିଦୁରେ ପୁରନାରୀବ୍ରାତେ,
ବସି ଚାରୁ ପଟ୍ଟଗୃହେ, ଦେଖୁଥିଲେ ଯାଗ,
ପାଣ୍ଡବ-ପ୍ରସ୍ତୁତି କୁନ୍ତୀ, ଭଦ୍ରା, ସତ୍ୟଭାମା,
ଭୀଷ୍ମକ-ଦୁହିତା ଦେବୀ ଶ୍ରୀକୃଷ୍ଣ-ଯୋଷିତା
ରୁକ୍ମିଣୀ, ପରମସାଧ୍ୱୀ ପାଣ୍ଡବ-ମହିଷୀ
କୃଷ୍ଣା ଯାଜ୍ଞସେନୀ ଆଦି ପୁରାଙ୍ଗନାଗଣ
ଉପବିଷ୍ଟ ଯୋଗ୍ୟାସନେ ବାତାୟଣ ପାଶେ;
ଏକ ଏକ ବରାସନେ ବସି ଠାବେ ଠାବେ
ପାଞ୍ଚ, ସାତ, ଆଠ, ଦଶ ଅନିନ୍ଦ୍ୟା ସୁନ୍ଦରୀ,
ପରସ୍ପର ପ୍ରେମାଳାପେ ହୋଇଛନ୍ତି ରତ,
ଫୁଟିଛି କି ଆହା ! ପଟ୍ଟଗୃହ-ସରୋବରେ
ଏକ ଏକ ମୃଣାଳରେ ଅନେକ କମଳ ?
ସ୍ୱାମୀଙ୍କର ଅଗ୍ରପୂଜା ଦେଖିଣ ରୁକ୍ମିଣୀ
ଲକ୍ଷ ରାଜା ମଧ୍ୟେ ହେଲେ ପରମ ହର୍ଷିତା,
ତତୋଽଧିକ ଆନନ୍ଦିତା ହେଲେ ପୁଣି ତହିଁ
କୃଷ୍ଣ-ସଖୀ କୃଷ୍ଣା, ଆହା ! ଚାରୁହାସ୍ୟମୟ-
ବଦନ-ମଣ୍ଡଳେ ତାଙ୍କ, ନାଚିଣ ଉଠିଲା-
ଆନନ୍ଦ-ଲହରୀ ଖରେ, ନାଚର ଯେସନ
ପୂର୍ଣ୍ଣିମା ନିଶାନ୍ତେ ସିନ୍ଧୁବକ୍ଷେ ଉର୍ମ୍ମିମାଳା ।
ଯଦୁକନ୍ୟା କୁରୁବଧୂ ସୁଭଦ୍ରା ସୁନ୍ଦରୀ,
କେତେ ଯେ ହର୍ଷିତା ହେଲେ ଅଗ୍ରଜ ଗୌରବେ,
ପାରିବ କିଏ ତା ବର୍ଣ୍ଣ ? ସ୍ୱଭାବତଃ ସିନା
ପତିକୁଳଠାରୁ ପିତୃକୁଳ ସମ୍ମାନର
ହୁଅନ୍ତି ପକ୍ଷପାତିନୀ ଅଧିକେ ନାରୀଏ ।
ବୋଇଲେ ସହର୍ଷେ ଦେବୀ ମୃଦୁ ମଧୁସ୍ୱରେ;-
ଧନ୍ୟ ମୋର ପିତୃକୁଳ ! କେଉଁ କୁଳ ଭବେ
ସମକକ୍ଷ ତାର, ଅଗ୍ରସମ୍ମାନ ଲାଭରେ ?
ବୋଇଲେ ଦ୍ରୌପଦୀ ତହୁଁ ହର୍ଷଗଦଗଦେ,
ସତ ଲୋ ଭଉଣୀ ଭଦ୍ରେ ! କହିଲୁ ତୁ ଯାହା-
ଅକ୍ଷରେ ଅକ୍ଷରେ ସତ, ଯେଉଁ ମହାକୁଳେ
ମଣ୍ଡିଛନ୍ତି ହୃଷିକେଶ ହୃଦସଖା ମୋର,
କେଉଁ କୁଳ ସେ କୁଳର ପଟାନ୍ତର ଭବେ ?
କୃଷ୍ଣଙ୍କ ଗୌରବ ଦେଖି ସାମାନ୍ୟ ସଭାରେ
ମଣୁଛି ନିଜକୁ ତୁମ୍ଭେ ସମ୍ମାନିତା, ପୁଣି
ଆନନ୍ଦିତା, କିନ୍ତୁ, ଦେବୀ ଯାଦବ-ଯୁବତୀ !
ନ ଜାଣ କି ତୁମ୍ଭେ-ଦେବ, ଯକ୍ଷ, ରକ୍ଷଃ, ନର,
ନାଗ ଆଦି କେ ନ କରେ ସେ ପଦ ଅର୍ଚ୍ଚନା ?
ଇନ୍ଦ୍ର, ଚନ୍ଦ୍ର, ଯମ, ବାୟୁ, କୁବେର, ବରୁଣ,
ଏମନ୍ତ କି ସ୍ୱୟମ୍ଭୁବ ସ୍ୱୟଂ, ସେ ଶ୍ରୀପଦେ
ନ ପୂଜି ରହନ୍ତି ନାହିଁ ଦଣ୍ଡେ ମାତ୍ର ସ୍ଥିର ।
ଚରାଚରପୂଜ୍ୟ ସେହି ଚରଣ ନିକଟେ,
ସାମାନ୍ୟ ବାଲୁକାକଣା ଏ ବିରାଟ ସଭା ।
ଦ୍ୱିତୀୟ ସର୍ଗ
ପ୍ରଣମେ ଶ୍ରୀପଦେ ତବ ହେ ଅମର-କବିମହାତପା ତପୋନିଧି ସତ୍ୟବତୀ-ସୁଚ-ବେଦ-ବ୍ୟାସ ବେଦବ୍ୟାସ, ଅଟ ତୁମ୍ଭେ ଦେବ !କବିତ୍ୱ-ବୈରାଗ-ମହାମିଳନ ମନ୍ଦିର ।ମନ୍ଥି ବେଦ-ବାରାନିଧି, ସଂଗ୍ରହିଣ ତହୁଁଯେ ବିବିଧ ରତ୍ନ ତୁମ୍ଭେ, ଗଚ୍ଛି ଅଛ ତବକାବ୍ୟ-କୋଷେ, ତହୁଁ ଘେନି କାଣିକାଏ ମୁହିଁ,ରଚି ତହିଁ ଚାରୁ ଭୁଷା ଶକ୍ତି ଅନୁଯାୟୀମାତୃସମା ମାତୃଭାଷା ଶ୍ରୀଅଙ୍ଗ ମଣ୍ଡନେଇଚ୍ଛା ମୋର, ତେଣୁ ଦେବ ! ଜୁହାରି ଶ୍ରୀପଦେମାଗୁଅଛି ଯୁକ୍ତକରେ ଏହି ଇଷ୍ଟ ବର,-ଆଶୀର୍ବାଦ କର ଯେହ୍ନେ ପୁରୁ ମନୋରଥ ।ଏଥୁଅନ୍ତେ ଉପସ୍ଥିତ ଶିଷ୍ଟ ଧର୍ମପ୍ରାଣ-ରାଜବୃନ୍ଦ, ନନ୍ଦସୁତ କୃଷ୍ଣ ଅଗ୍ରାର୍ଚ୍ଚନେହେଲେ ମହା ଆନନ୍ଦିତ, ବିପରୀତାଚାରୀରାଜାଙ୍କର ଈର୍ଷାନଳ ଉଠିଲା କୁହୁଳି,ତୁଷାନଳ ପ୍ରାୟ ଖରେ ଅନ୍ତରେ ଅନ୍ତରେ,ନ ଫୁଟି ଉର୍ଦ୍ଧ୍ୱକୁ । ମହାଭୟେ, ମହାକ୍ଳେଶେଈର୍ଷାଜାତ-ଚିତ୍ତାବେଗେ ରୋଧିଲେ ସକଳେ ।ସ୍ୱଭାବତଃ ଈର୍ଷାଳୁର ହୃଦୟ କୁଟିଳ,ଭିତରେ ଅନଳ ତାହା ବାହାରେ ଶୀତଳ,ଚକମକି ଶିଳା ତାର ସାର୍ଥକ ଉପମା ।ବସିଥିଲା ସଭା ମଧ୍ୟେ ଦମଘୋଷ-ସୁତଚେଦି-ରାଜ ଶିଶୁପାଳ, ଦେଖିଣ ସେ ତହିଁକୃଷ୍ଣଙ୍କର ଅଗ୍ରପୂଜା, ଦାବେ ବନପ୍ରାୟଅନିର୍ବାର ଈର୍ଷାନଳେ ହେଲା ପ୍ରଜ୍ୱଳିତ,ପରଶ୍ରୀକାତର ଯଥା ଦେଖି ପରଶିରୀ ।ସମ୍ବାଳି ନ ପାରି ଈର୍ଷା, କମ୍ପି କମ୍ପି କ୍ରୋଧେ,କମ୍ପଜ୍ୱର ରୋଗୀ ଯଥା, ପର୍ଜ୍ଜନ୍ୟ-ଗର୍ଜ୍ଜ୍ୱନେଗର୍ଜ୍ଜି, କହିଗଲା ଯାହା ଆସିଲା ମନକୁ,ଯେସନ ତ୍ରିଦୋଷରୋଗୀ କରଇ ପ୍ରଳାପ ।କେତେ କ୍ଷଣେ କଥଞ୍ଚିତ ପ୍ରକୃତିସ୍ଥ ହୋଇଶିଶୁପାଳ, ଫଁ ଫଁ ସ୍ୱନେ ପକାଇ ନିଃଶ୍ୱାସଉଚଫଣ ଭୁଜଙ୍ଗ ପ୍ରାୟ, କହିଲା ସମ୍ବୋଧିଭୀଷ୍ମେ, ହେ ଗାଙ୍ଗେୟ ! ଭଲା କହ ଶୁଣେବାରେ,ଏ କେଉଁ ବିବେକସିଦ୍ଧ ବ୍ୟବସ୍ଥା ତୁମ୍ଭର ?ତୁମ୍ଭେ ବୃଦ୍ଧ,-ଅତିବୃଦ୍ଧ ବିଚଳିତ-ମତି,ନାହିଁ ତବ ଧର୍ମାଧର୍ମ ଭେଦ, ଧର୍ମ ଅଟେଅତି ସୂକ୍ଷ୍ମଦ୍ରବ୍ୟ, ମର୍ମ କି ବୁଝିବ ତାର,ବାଳକ ପାଣ୍ଡବେ ତବ କ୍ରୂର କୁମନ୍ତ୍ରଣା-ହେତୁ ହରାଇବେ ପ୍ରାଣ, ଏ ଧ୍ରୁବ ବଚନ,ଯେସନ ଦାତ୍ୟୁହ କୁଳ ଦାତ୍ୟୁହ ଆହ୍ୱାନେ,କିମ୍ବା ଯଥା ସୁର୍ପଣଖା ବାକ୍ୟେ ଦଶାନନଅପାଣ୍ଡବା ଧରେ ନିଶ୍ଚେ ହେବ ତୁମ୍ଭ ଯୋଗେ ।କେଉଁ ଗୁଣେ ବଡ଼ କୃଷ୍ଣ, ଗୋପର ଗୋପାଳ ?ନନ୍ଦଘରେ ଥିଲା ଗୋରୁ ରଖୁଆଳପଣେ,ହୋଇପାରେ ତୁମ୍ଭ ପରି କ୍ଲୀବ ପକ୍ଷେ ସେହୁବଡ଼, ମାତ୍ର ଏ ସକଳ ସର୍ବଗୁଣାଧାରନୃପ ତୁଳନାରେ ସେହୁ ହେୟ, ଅତି ହେୟ ।ଏତେ ରାଜା (ରାଜୋଚିତଗୁଣେ ବିଭୁଷିତ)ଥାଉଁ ଥାଉଁ ଏଥି, କହ କିପରି ହେ ଭଲାରାଜୋପାଧିଶୁନ୍ୟ ଏହି କଂସାରି କେଶବ,ହେଲା ଅଗ୍ରପୂଜା-ଯୋଗ୍ୟ ବିବେଚ୍ୟ ତୁମ୍ଭରପ୍ରସରିଣ ଥିଲା ଯେଉଁ ସୁକୀର୍ତ୍ତି ମହତୀ,ଧାର୍ମିକତା, ବିବେକିତା, ସୁଶୀଳତା ଆଦିପାଣ୍ଡବଗଣର, ତୁମ୍ଭ ଦୁର୍ବୁଦ୍ଧିରୁ ତାହାଖର୍ବ ହେଲା ଆଜିଠାରୁ, ନିଶ୍ଚୟ ନିଶ୍ଚୟ,ପାଣ୍ଡବ-ସୌଭାଗ୍ୟ-ରବି ହେଲା ଅସ୍ତମିତ ।ବୟୋଜ୍ୟେଷ୍ଠ ଜନେ ଯଦି ଥିଲା ପୂଜିବାରଇଚ୍ଛା ତବ, ତେବେ କିଁପା ଉପେକ୍ଷି ଦ୍ରୁପଦେ( ସକଳ ନୃପତି ମଧ୍ୟେ ବୟସେ ସ୍ଥବିର )ପୂଜା କଲ ଚକ୍ରଧରେ ଚକ୍ରୀ ଚୂଡ଼ାମଣି !ବିଶେଷେ ଅଛନ୍ତି ପୁଣି ବୃଦ୍ଧ ବସୁଦେବ,ପିତାସତ୍ତ୍ୱେ ପୁତ୍ରେ ପୂଜା କେଉଁ ଶାସ୍ତ୍ରନୀତି ?ଆଚାର୍ଯ୍ୟ ପୂଜନେ ଯଦି ଥିଲା ଅଭିଳାଷତୁମ୍ଭର ଏକାନ୍ତ, ତେବେ ଉପବିଷ୍ଟ ଏହିଶୁକ୍ଳ ଉତ୍ତରୀୟଧାରୀ ଧବଳ ଶ୍ଶଶ୍ରୂଳକୁରୁଗୁରୁ ଦ୍ରୋଣାଚାର୍ଯ୍ୟ ବିଦ୍ୟମାନେ, ଆନକିଏ ଅଗ୍ରପୂଜ୍ୟ ? କିମ୍ବା ଋତ୍ୱିକ କ୍ରମରେପୂଜାର ଆକାଂକ୍ଷା ଯେବେ ପୋଷିଥିଲ ମନେ,ତେବେ ଛାଡି ସତ୍ତ୍ୱଗୁଣୀ ଦୈପାୟନ ବ୍ୟାସେ,ପୁଜା କିପାଁ ଜନାର୍ଦ୍ଦନେ ? ଯଦି ରାଜକ୍ରମେପୁଜିବାର ଇଚ୍ଛା ତବ, ହେ ନଦୀନନ୍ଦନ !ତେବେ ଲକ୍ଷସଂଖ୍ୟ-ନୃପ-ମହୁଡର ମଣିପୁରୁଷପ୍ରବର କୁରୁବୀର ଦୁର୍ଯ୍ୟୋଧନେ( ଯା ପ୍ରତି ପଦ-ବିକ୍ଷେପେ ଫୁଟେ ସ୍ୱର୍ଣ୍ଣମୟପଦ ଫୁଲ ) ଛାଡି ଏହି ତ୍ରିପଣ୍ଡ କାଳିଆକଳାପଚୁଳିଆ କୃଷ୍ଣେ, ପୁଜିଲ କିପରି ?ଶ୍ରେଷ୍ଠ ଯୋଦ୍ଧା ପୁଜିବାର ଇଚ୍ଛା ଯେବେ ମନେଥିଲା ତବ, ତେବେ ଯାର ଶୈର୍ଯ୍ୟ, ବୀର୍ଯ୍ୟ ତେଜେଭୀତ ଦେବେ, ଥରଥରେ ସସାଗରା ଧରା,ଯେହୁ ଯାମଦଗ୍ନ୍ୟ ଶିଷ୍ୟ, ଅଦ୍ଧ ମହାରଥୀଧରଣୀର, ସେହି ବୀରବର ଚୂଡ଼ାମଣିସୂର୍ଯ୍ୟ-ସୂନୁ କର୍ଣ୍ଣ ସଙ୍ଗେ, କେଉଁ ଗୁଣ ସରିନନ୍ଦଚାଟ ? ହେଲା ଅଗ୍ରପୂଜାର ଭାଜନ !ଅନନ୍ତର ସର୍ବ ଶସ୍ତ୍ରଶାସ୍ତ୍ରବିଶାରଦମହେଷ୍ୱାସ ଅଶ୍ୱତାମା, ମାତୁଳ ତାଙ୍କରକୃପ, (ଯେ ଥିଲେ ସଶସ୍ତ୍ର, ଜଗତରେ କେହିନ ପାରଇ ଅତିକ୍ରମି ତାଙ୍କୁ) ବୀରବରକିମ୍ପୂରୁଷାଚାର୍ଯ୍ୟ ଦ୍ରୁମ, ( ଦୁର୍ମଦ ସମରେ )ସୁଲକ୍ଷଣବନ୍ତ ପାଣ୍ଡ୍ୟ, ଦୁର୍ଦ୍ଧଷ ଭୀଷ୍ମକ,ଏକଲବ୍ୟ, ଭଗଦତ୍ତ, ରୁକ୍ମୀ, କୃପସେନ,ମଦ୍ରରାଜ ଶଲ୍ୟ, ଆଉ ମୁହିଁ ଆଦିକରିଗୁଣବାନ ରୁପବାନ କ୍ଷତ୍ରିୟ ଭୂପାଳେତେଜି, କି ବୁଝିଣ ତୁମ୍ଭେ ପୂଜିଲ କହ୍ନାଇ ?ଯଦି ଅନୁଗତ ଜ୍ଞାନେ ପୂଜିଥାଅ ତାକୁ,ତେବେ କାହି ପାଇଁ ଏହି ଜ୍ଞାନୀ, ମହାମାନୀରାଜଗଣେ ଅର୍ପିବାକୁ ଅପମାନ ଖାଲିଆଣିଲ ନିମନ୍ତ୍ରି ? ଧିକ୍ ତୁମ୍ଭ ଅବିଚାରେ !ବାର୍ଦ୍ଧକ୍ୟ-ବାତୁଳ ଆହେ ଅବିମୃଷ୍ୟକାରୀଭୀଷ୍ମ, ଏହି ଉପସ୍ଥିତ ନୃପତି ସକଳେବାହୁବଳେ ଶାସି ତୁମ୍ଭେ ଆଣିଛ ଏଠାକୁ,କର ନାହିଁ ସ୍ୱପ୍ନେ ସୁଦ୍ଧା ଏରୁପ କଳ୍ପନା !କରିଅଛ ଧର୍ମକାର୍ଯ୍ୟ ତୁମ୍ଭେ ଆୟୋଜନ,ଘଟାଇବା ବିଘ୍ନ ତହିଁ ନୁହେଁ ଇଚ୍ଛା କାର,ଏଣୁ ସିନା ସମସ୍ତଙ୍କ ସମାଗମ ଏଥି ?କିନ୍ତୁ ହୋଇ ବୟୋବୃଦ୍ଧ ତୁମ୍ଭେ, ଆଚରିଲଯେଉଁ ବାଳୋଚିତ କାର୍ଯ୍ୟ, ହାୟ, ସେଥିପାଇଁଅଚିରେ ନିର୍ମୁଳ ହେବ ନିଶ୍ଚେ ପଣ୍ଡୁ କୁଳ !ପଣ୍ଡ ହେବ ତୁମ୍ଭ ପାପୁ ରାଜସୂୟ କ୍ରତୁ ।ସମଧର୍ମୀ ବାକ୍ୟେ ସିନା ସମଧର୍ମୀ ଜନପ୍ରକାଶେ ସହାନୁଭୁତି, ଏହା ସ୍ୱାଭାବିକ ।ଶିଶୁପାଳ କଟୁବାକ୍ୟେ କଲେ ସମର୍ଥନଦୂର୍ଜ୍ଜନ ଭୂପାଳେ, କିନ୍ତୁ ସଜ୍ଜନେ ତାହାକୁମଣିଲେ ବିକୃତ ତିକ୍ତ, ଅସହ୍ୟ ଅତୀବ,ବାସ୍ୟପାତ୍ରେ ଅମ୍ଳରସ ବିକୃତ ଯେସନ ।ଏପରି କାର୍ଯ୍ୟ ବା କଥା ବିରଳ ସଂସାରେ,ହୋଇପାରେ ପ୍ରତ୍ୟେକର ଯାହା ମନୋମତ,ବିରୋଧୀ ଭାବରେ ସଦା ପୂର୍ଣ୍ଣ ଏ ଜଗତ,ନିବସନ୍ତି ଦୁଇ ଗୋଟି ବିଭିନ୍ନ ଦଳରଜୀବ ଏଥି, ଏକ ଦଳ ମଣେ ଯାକୁ ସୁଖ,ଆନ ତହିଁ ଦେଖେ, ଦୁଃଖ-ଅମା-ରଜନୀରବିକଟ କାଳିମାମୟ ନିବିଡ଼ ତାମସ ।ପଟ୍ଟଗୃହ-ନିବାସିନୀ ରଜନାମଣ୍ଡଳୀ,ଶୁଣି ଚେଦୀଶ୍ୱର ଗିରି, କ୍ଷୁବଧ ହେଲେ କେହି,କେହି ବା ବିମୁଗ୍ଧ, ତହିଁ ବାତାୟନ ପାଶେଥିଲେକ ରୁକ୍ମଣୀ ବସି ବ୍ୟଥିତ ନୟନେ,ଚାହିଁଲେ ସେ ଜୀବେଶ୍ୱରେ, ସୂର୍ଯ୍ୟେ ପଦ୍ମ ଯଥା ।କୃଷ୍ଣଙ୍କର ଦୃଷ୍ଟି ସୁଦ୍ଧା ପଡିଲା ସେକାଳେରୁକ୍ମିଣୀ ବଦନ-ପଦ୍ମେ, ନୟନେ ନୟନେହେଲା ଦୁହିଁଙ୍କର କଥା, ଆହା ! ରୁକ୍ମିଣୀରନୀଳ-ଇନ୍ଦୀବର-ନିନ୍ଦୀ ନୟନଯୁଗଳକହିଲା ଯେସନେ କୃଷ୍ଣେ ସଙ୍କେତେ ଏସନ;-ଦୁଃଖିନୀ ରୁକ୍ମିଣୀ-ନାହା ଆହେ ଚଉବାହା !ତବ ପାଦ-ପଦ୍ମେ ସଦା ବିକା ଏ କିଙ୍କରୀ,ତେଣୁ ତୁମ୍ଭ ନିନ୍ଦାବାଣୀ ଦିଏ ହୃଦେ ବ୍ୟଥାକୁଳିଶ ସମାନ, ହାୟ ଏ ସଭାରେ ମୁହିଁପାଇଲି ଯେ ନିଦାରୁଣ ମନୋବ୍ୟଥା ଆଜି,ଜୀବ ଥିବାଯାଏଁ ତାହା ନ ଯିବ ବିସୋରି ।ଧିକ ଏ ପାପ ସଭାକୁ ! ନାଥ, ହୁଏ ଯହିଁତୁମ୍ଭ ନିନ୍ଦା, ହେଉ ପଛେ ତାହା ସ୍ୱର୍ଗସ୍ଥଳୀ,ମୋ ନେତ୍ରେ ଆଭାସେ କିନ୍ତୁ ଭୀଷଣ ନରକ ।ଉପସ୍ଥିତ ଥିଲେ ଆଜି ବୀର ଧନଞ୍ଜୟ,ପ୍ରିୟସଖା ତବ ଏଥି, ଶୁଣନ୍ତେ କି ବସିତୁମ୍ଭ ନିନ୍ଦାବାଣୀ ? ତାହା ଅସହ୍ୟ ତାଙ୍କର,ଶିଷ୍ୟପକ୍ଷେ ଗୁରୁନିନ୍ଦା ଅସହ୍ୟ ଯେସନ,ଛେଦି ଚେଦୀଶ୍ୱର ମୁଣ୍ଡ ଗାଣ୍ଡୀବେ ଗାଣ୍ଡୀବୀ,ଖଣ୍ଡ ଖଣ୍ଡ ପିଣ୍ଡ ତାର କରନ୍ତେ ଦଣ୍ଡକେ ।ଅଭାଗିନୀ ଭାଗ୍ୟଦୋଷେ, ରହିଲେ ସେ ଯାଇଅଚଳ ପାତାଳ-ପୁରେ, ଶିରେ ଧରି ଧରା,ସାତଦିନ ହେଲା ସଖା ଅଛନ୍ତି ଉପାସେ ।ଏଣୀନେତ୍ରୀ ରୁକ୍ମିଣୀଙ୍କ ନେତ୍ର ଆକୁଳତାଦେଖି ବାସୁଦେବ, ତହୁଁ ନୟନ ଇଙ୍ଗିତେମୃଦୁ ମନ୍ଦହାସ୍ୟେ ଯେହ୍ନେ ବୋଇଲେ ଏସନ,-ଦେବି, ଚାରୁ ହାସ୍ୟମୟ ଆସ୍ୟେ ତବ, କିପାଁଦଖାଯାଏ ବିଷାଦର କରୁଣା କାଳିମା ?ନଳିନୀ-ବଦନ ଆହା ଦୁର୍ଦ୍ଦିନେ ଯେସନ !ସତ୍ୟପାଶେ ଆବଦ୍ଧ ମୁଁ ହୋଇଅଛି ଦେବି,ଶିଶୁପାଳ ମାତାପାଶେ, ଶତ ଅପରାଧକ୍ଷମିବ ପୁତ୍ରର ତାର, ପୂର୍ଣ୍ଣ ତାହା ଆଜି,ମରଣ ନିକଟ ଯେଣୁ, ତେଣୁ ସେ ଦୁର୍ମତିକରୁଅଛି ଆସ୍ଫାଳନ, ନିର୍ବାଣ ପୂର୍ବରୁଜଳିଉଠେ ଦୀପଶିଖା ପ୍ରଖରେ ଯେସନ,ଦେଖିବ ଅପେକ୍ଷା କର ଅଳ୍ପକ୍ଷଣେ ସବୁ ।ରୁକ୍ମିଣୀ ମାଧବଙ୍କର ଏ ନୟନ-ବାଣୀ,ହେଲା ନୟନେ ନୟନେ, ନ ଶୁଣିଲେ ଆନେ ।କୃଷ୍ଣଙ୍କର ମୃଦୁହାସ୍ୟଦେଖି ଶିଶୁପାଳ,କାରଣ ନ ପାରି ବୁଝି ଭାଳିଲା ଏସନ, -ନ ହେବାରୁ ମନୋମତ କୃଷ୍ଣର ମୋ କଥା,ହସୁଅଛି ସେହୁ ମୋତେ ଅବଜ୍ଞା ଦେଖାଇ ।ଏହା ଭାବି ପ୍ରଜ୍ଜ୍ୱଳିତ ହୁତାଶନେ ଘୃତଢ଼ଳିଲା ପରାୟେ ହୋଇ ଅଗ୍ନିଶର୍ମା କ୍ରୋଧେ,ଇଚ୍ଛିଲା ସେ କହିବାକୁ କିଛି, ମାତ୍ର ତାରକଣ୍ଠନଳୀ, ଦୁର୍ନିବାର କ୍ରୋଧ ଆବେଗରେହେବାରୁ ସଂରୁଦ୍ଧ, କିଛି ନ ପାରିଲା କହି,କହୁଁ କହୁଁ ତୁଣ୍ଡ ତାର ଗଲା ଖନି ବାଜି ।କେତେ କ୍ଷଣ ପରେ ପୁଣି ଧଇର୍ଯ୍ୟ ସମ୍ଭାଳିବୋଇଲା ଶ୍ରୀକୃଷ୍ଣେ ଚାହିଁ ଗମ୍ଭୀରେ ହୁଙ୍କାରି,-(ହୁଙ୍କାରେ ଗମ୍ଭୀରେ ଯେହ୍ନେ ନଭେ ବଳାହକ)ହେ ଗୋପାଳ-ଚୂଡ଼ାମଣି କୃଷ୍ଣ ବନମାଳ !କୌଶଳେ କୁକୁର ଯଥା ଖାଏ ଲୁଚାଇଣଯଜ୍ଞହବି, ସେହିପରି ତୁମ୍ଭର ଏ ପୂଜା,କେଉଁ ମୁଖେ କର ଭଲା ହର୍ଷ ଉପଭୋଗ ?ଶ୍ରେଷ୍ଠଜ୍ଞାନେ ଅଗ୍ରପୂଜା ଅର୍ପିଲେ କୌରବେତୁମ୍ଭଙ୍କୁ, ମୁହୁର୍ତ୍ତ ପାଇଁ ନ ମଣ ଏପରି,ପଣ୍ଡିତେ ଛଳୋକ୍ତି ଛଳେ ମର୍ମନ୍ତୁଦ କଥାକହିଲା ପରାଏ, ଏହି ମହତୀ ସଭାରେକରାଇବାକୁ ତୁମ୍ଭଙ୍କୁ ଉପହାସ୍ୟ ସିନାଅର୍ପିଛନ୍ତି ଅଗ୍ରପୂଜା ରସିକ ପାଣ୍ଡବେ !ତୁମ୍ଭ ଯୋଗୁଁ ଆଜି ଏହି ବିରାଟସଭାରେ,ଅପୂର୍ବ କୌତୁକମୟ ହାସ୍ୟରସ ଏକହେଲା ଅଭିନୀତ, ପୂର୍ବେ ଯଥା ଦେଖାଇଲତୁମ୍ଭେ ହୋଇ ସଭାପତି ଗୋଚର-ପ୍ରାନ୍ତରେ ।କ୍ଲୀବର ବିବାହ ପୁଣି ସ୍ୱରୁପ ଦର୍ଶନଅନ୍ଧର, ଏ ଦୁଇ କାର୍ଯ୍ୟ ଯଥା ଅସଙ୍ଗତ,ରାଜା କିମ୍ବା ରାଜପୁତ୍ର ନ ହୋଇ, ତୁମ୍ଭରଏ ରାଜପୂଜା ତେସନ ଉପହସନୀୟ ।ବିବାହେ କ୍ଲୀବର ଯଥା ଲାଭାଲାଭ କିଛିନ ଥାଏ, କେବଳ ସେହି ବିବାହିତା ବାଳାଲଭେ ସୁଦାରୁଣ କ୍ଲେଶ, ତ ଥାଏ ଏ ପୂଜାରେନାହିଁ କିଛି କ୍ଷତବୃଦ୍ଧି ତୁମ୍ଭର, କେବଳତୁମ୍ଭ ପୂଜକ ପାଣ୍ଡବଗଣର ଘଟିବଅଚିରେ ବିପଦ ଘୋର, ଭୁଞ୍ଜିବେ ସେମାନେସ୍ୱକୀୟ କୃତକର୍ମର ସମୁଚିତ ଫଳ ।ହେ ମାନି ରାଜେନ୍ଦ୍ରବୃନ୍ଦ, ସହିବ କି ହାୟ !ନୀରବରେ ବସି ତୁମ୍ଭେ ଏ ଘୋର ଲାଞ୍ଛନା ?ମାନ ଏକା ଅଟେ ସିନା କ୍ଷତ୍ରୀୟ ଜୀବନ,ନାହିଁ ଯହିଁ ଭେଦାଭେଦ ମାନାପମାନର,ସେଠାରେ ବସିବା କ୍ଷଣେ ନୁହଇ ଉଚିତ,ଉଠ ସର୍ବେ ତ୍ୟାଗ କରି ଏହି ପାପ-ସଭା ।ଏହା କହି ଶିଶୁପାଳ ଉଠିଣ ଆସନୁବାହାରିଲା ସଙ୍ଗେ ଘେନି ଦୁଷ୍ଟ ରାଜଗଣେ ।ରାଜଗଣ ଭଙ୍ଗ ଦେଖି ଯଜ୍ଞଙ୍ଗ ଭୟେକହିଲେ ବିନୟେ ନୃପ ବିନୟ-ଭୂଷଣଯୁଧିଷ୍ଠିର, ଚେଦୀଶ୍ୱରେ ପ୍ରବୋଧ ଏସନ-ଶିଶୁପାଳ ! ଏ କଠୋର ବ୍ୟବହାର ତବନୁହେଁ ତୁମ୍ଭ ଉପଯୁକ୍ତ, ନୁହଇ ଶୋଭନଉଚ୍ଚମୁଖେ ନୀଚ କଥା, ଜାହ୍ନବୀ-ବଚୟଯୋଗାଧ୍ୟାୟୀ ଇଚ୍ଛାମୃତ୍ୟୁ ଭୀଷ୍ମଦେବ ପରାନୁହନ୍ତି ଧର୍ମଜ୍ଞ, ଯାହା ବୋଇଲେ ଆପଣ,ତାହା ଭ୍ରମ, ମହାଭ୍ରମ ନିଶ୍ଚୟ ତୁମ୍ଭର ।ମହାତ୍ୟାଗୀ ପିତାମହ, ସମ୍ୟକ ବିଦିତକୃଷ୍ଣ ମହିମାର ଗୂଢ଼ତତ୍ତ୍ୱ, ଅଗ୍ରେ ତେଣୁପୂଜିବାକୁ କୃଷ୍ଣପାଦ ଦେଲେ ଉପଦେଶ,ନୀରବ ସଙ୍କେତେ ସର୍ବ ରାଜଗଣ ତହିଁପ୍ରକାଶିଲେ ସ୍ୱସମ୍ମତି, ମନୋମତ ଯାହାସାଧାରଣଙ୍କର, ତହିଁ କିପାଇଁ ଅରୁଚିତୁମ୍ଭର ? ଘୃଷ୍ଟିର ଯଥା ପକ୍ୱରମ୍ଭା ଫଳେ ।ମହାବୀର ସୁଧାର୍ମିକ ତୁମ୍ଭେ, ଅକାରଣକରି କୃଷ୍ଣନିନ୍ଦା, କିଁପା ନାସ୍ତିକ ବେଭାରଆଚର ନୃମଣି ! ଘେନିଗଲେ ନୃପଗଣେତୁମ୍ଭେ ସାଥେ, ମହାବିଘ୍ନ ଘଟିବ ମୋହରଯଜ୍ଞେ, ଯେଣୁ ସମୁଦାୟ ଧରଣୀର ରାଜାନ ଥିଲେ ସମୁପସ୍ଥିତ, ରାଜସୁୟ ଯାଗହୁଏ ନାହିଁ ସାଙ୍ଗ, ଏଣୁ କହୁଛି ବିନୟେ,ପ୍ରଦାନି ମୋ ପ୍ରତି କ୍ଷମା, ସମ୍ବରିଣ କ୍ରୋଧ,ଫେରିଆସି ସଭା ମଧ୍ୟେ ନୃପତି ଗହଣେକରନ୍ତୁ ଉପବେଶନ, ଦୀନେ ଦୟା ବହି ।ଧର୍ମରାଜ କାକୁ ବାଣୀ ଶୁଣି ଗଙ୍ଗାସୁତ,ବରାସନୁ ଉଠି ଉଚ୍ଚେ ଭାଷିଲେ ଏ ଗିରହେ ଶାନ୍ତିପ୍ରୟାସୀ ନୃପ ସୁଧୀ ଯୁଧିଷ୍ଠିର !ସଦା ଶାନ୍ତଭାବ ଜାତ ! ନୁହେଁ ଶୋଭନୀୟ ।ଶାସତବ କ୍ଷତ୍ରିୟଧରା ତେଜେ, ବୀର୍ଯ୍ୟେ, ବଳେ,ଏହା ସିନା ରାଜନୀତି ବିଶେଷତଃ ପୁଣିଦୁର୍ଜ୍ଜନ ନିକଟେ ହେଲେ ଶାନ୍ତପରାୟଣ,ବଢ଼େ ତହିଁ ଦୁର୍ଜ୍ଜନର ଦୁର୍ନୀତି ପ୍ରଶ୍ରୟ ।କିପାଁ ସ୍ତବ, ଆତ୍ମଜ୍ଞାନଶୂନ୍ୟ ଶିଶୁପାଳେ ?ଉଠିଗଲେ ସଭା ମଧ୍ୟୁ ସେହୁ ପଣ୍ଡ ହେବଯଜ୍ଞ ତବ, ଏ ଆଶଙ୍କା କିପାଇଁ ନୃମଣି ?ଯାଙ୍କ ପ୍ରତି ଲୋମକୂପେ ରାଜଇ ରୁଚିରେଅସଂଖ୍ୟ ବ୍ରହ୍ମାଣ୍ଡ, କୋଟି ରାଜା ମହାରାଜାନୁହନ୍ତି ଯାହାଙ୍କ ଅଣୁ ପରମାଣୁ ସରି,ସେହି ଯଜ୍ଞରୁପୀ ହରି, ଥାଉଁ ଉପସ୍ଥିତଯଜ୍ଞେ, ଛାର-ଅତି ଛାର ଏହି ଚେଦୀଶ୍ୱରଶିଶୁପାଳ ଅଭାବରେ, ବିକଳାଙ୍ଗ ହେବଯାଗ ତବ, ଲାଗେ ଏହା ଅସମ୍ଭବ ବଡ଼ !ଉଠିଗଲେ ସଭାମଧ୍ୟୁ ଶ୍ରୀକୃଷ୍ଣ ନିନ୍ଦୁକ,ହେବ ସଭା ନିଷ୍କଳଙ୍କ, କୋକିଳ ସମାଜୁଉଠିଗଲେ ଯଥା ଦୁଷ୍ଟ କଟୁରାବୀ କାକ,ଯାଉ ଉଠି ଶିଶୁପାଳ, ଦୁଷ୍ଟ, କୃଷ୍ଣଦ୍ରୋହୀ,କେ ଇଚ୍ଛେ ଶ୍ରୀକୃଷ୍ଣ-ନିନ୍ଦା ଶୁଣିବାକୁ କାନେ,ଜୀବନ୍ତ ନରକ ଭୋଗ କାର ଅଭିପ୍ରେତ ?ହୁଅ ତୁମ୍ଭେ ସ୍ଥିର, ବତ୍ସ ଧୀର ଯୁଧିଷ୍ଠିର !ଦୁଷ୍ଟ ଶିଶୁପାଳ ଦେହେଁ ଅଛି କୃଷ୍ଣକଳା,ଯାବତ ସ୍ୱକଳା ହରି ନାହାନ୍ତି ଶ୍ରୀହରି,ତାବତ କରିବ ସେହୁ ତର୍ଜ୍ଜନ ଗର୍ଜ୍ଜନ ।ସମାଗତ ସାଧୁନୃପେ ଜାଣନ୍ତି କ୍ଷମତାତାର, ସେହି ପଶୁବୁଦ୍ଧି କ୍ରୁର ଶିଶୁପାଳେକରି ତୁମ୍ଭେ ସ୍ତୁତି ନତି, କରାଇଲ ସିନାହଟହଟା ତାକୁ, ସର୍ବ ନୃପତି-ସମାଜେ ।ଯାହାଙ୍କୁ ପୂଜନ୍ତି ବିଧି ବିବିଧୋପଚାରେଯଥାବିଧି, ଆଶ୍ରୟ ଯେ ନିଖିଳ ଗୁଣର,ପୂଜନ୍ତି ତ୍ରୈଲୋକ୍ୟ ଜନେ ଯାହାଙ୍କୁ ମାନସେ,ପ୍ରକୃତି-ପୁରୁଷରୁପୀ ସେହି ସନାତନେନ ପୂଜି ପୂଜନ୍ତି ଆଉ କାହାକୁ ପ୍ରଥମେ ?ଶାସ୍ତ୍ର ଅନୁସାରେ ଦ୍ୱିଜମଧ୍ୟେ ବୃଦ୍ଧ ଜ୍ଞାନୀ,କ୍ଷତ୍ରିମଧ୍ୟେ ବଳବାନ, ବୈଶ୍ୟ ଧନିଜନ,ଆଉ ଶୂଦ୍ରେ ବୟୋବୃଦ୍ଧ ଅଗ୍ରେ ପୂଜନୀୟ,ଏ ନୃପସମାଜେ କିଏ କୁଳେ, ଶୀଳେ, ବଳେ,ମାନେ କୃଷ୍ଣଠାରୁ ଶ୍ରେଷ୍ଠ ? ଦାନ, ଶାସ୍ତ୍ରଜ୍ଞାନ,କରୁଣା, ଦାକ୍ଷିଣ୍ୟ ଶୌର୍ଯ୍ୟ, ଲଜ୍ଜା, କୀର୍ତ୍ତି, ଧୃତି,ଉତ୍ତମା ବୁଦ୍ଧି, ବିନତି, ତୁଷ୍ଟି, ପୁଷ୍ଟି ଆଦିସର୍ବଗୁଣାବଳୀ କୃଷ୍ଣେ ବିଦ୍ୟମାନ, ଏହାଜାଣି ମୁହିଁ, ଅର୍ପି ଅଛି ତାଙ୍କୁ ଅଗ୍ରପୂଜା ।ଏ ପୂଜା ଅନ୍ୟାୟ ଯଦି ମଣେ ଶିଶୁପାଳ,ତେବେ ଯାହା ନ୍ୟାୟ ତାହା ଆଚରୁ ପାମର,କିଏ ଅବା ଭୀତ ତାର ତର୍ଜ୍ଜନ ଗର୍ଜ୍ଜନେ,ଡ଼ରଇ କି ମହାବଳ ଫେରୁର ଚିତ୍କାରେ ?ନୀରବନ୍ତେ ଭୀଷ୍ମ, ତହଁ ବୀର ସହଦେବ,କହିଲେ ଗମ୍ଭୀରେ ଧୀରେ ଅଗ୍ରଜେ ସମ୍ବୋଧି,ଆର୍ଯ୍ୟ ! କୃଷ୍ଣ-ବିଦ୍ୱେଷୀକୁ କରୁଛନ୍ତି କିଁପାସ୍ତବ ସ୍ତୁତି ? କୃଷ୍ଣଦାସ-କୃଷ୍ଣଗତପ୍ରାଣଅଟନ୍ତି ଆପଣେ ଯେଣୁ, ତେଣୁ କୃଷ୍ଣାରିକୁକରିବା ସାଧନା, ଦେବ ! ନୁହଇ ଉଚିତ ।ଅପ୍ରମେୟ ପରାକ୍ରମୀ ପ୍ରଭୁ ନାରାୟଣେନିନ୍ଦେ ଯେ ପାମର, ତାର ମସ୍ତକେ ନିକ୍ଷେପିବାମପାଦ, କରିଅଛି ମୁହିଁ କୃଷ୍ଣେ ପୂଜା,କହୁଅଛି ସଗର୍ବେ ମୁଁ ନିଶ୍ଚେ ଏହି କଥା ।କଟା ଘାଆାରେ ବେଶର ବୋଳିଲା ପରାୟେସହଦେବ କଟୁବାକ୍ୟେ ମଣି ଶିଶୁପାଳଅସହ୍ୟ, ଭୈରବ ରବେ ଉଠିଲା ହୁଙ୍କାରି,ଦକ୍ଷ ପ୍ରଜାପତି ଯାଗେ ପାଇ ଅପମାନହୁଙ୍କାରିଲେ ମହାକୋପେ ମହାରୁଦ୍ର ଯଥା ।ଦଳପତି ଶୃଗାଳକୁ ଭୁକିବାର ଦେଖିଭୁକନ୍ତି ଯେସନ ତାର ଦଳସ୍ଥ ଶିଆଳେରାତ୍ରିକାଳେ, ଶିଶୁପାଳ ସମଧର୍ମୀ ନୃପେ,ଉଠିଲେ ତେସନ ଗର୍ଜ୍ଜି ଦନ୍ତ କଡ଼ମଡ଼ି,ମାର ମାର ରବେ ସଭା ଉଠିଲା ମୁଖରି,କେହି କହେ ମାର ଆଜି ଅନ୍ୟାୟୀ ପାଣ୍ଡବେବୃଷ୍ଣିବଂଶୀ କୃଷ୍ଣସହ, କେହି କହେ ପୁଣି,ନିକ୍ଷେପି ଅମେଧ୍ୟ ହୋମକୁଣ୍ଡେ, ପଣ୍ଡ କରଯାଗ, କେହି ଅବା କହେ ସଭୀଷ୍ମପାଣ୍ଡବେବାନ୍ଧି, କ୍ଷେପ ଯଜ୍ଞାନଳେ, ଆହୁତି ପ୍ରକାରେ,ଘୁଞ୍ଚିଯାଉ ମଞ୍ଚପୁରୁ କ୍ଷତ୍ରକୁଳୁ ପାପ ।ଧନୁକ ଟଙ୍କାରି କେହି, ଆସ୍ଫାଳିଣ ଅସିତୀକ୍ଷ୍ଣଧାର-ତେଜସ୍କର କେହି, କେହି ଅବାଆଉ୍ଁଷିଣ ବୀରବେଶ, ସଦର୍ପେ ସକ୍ରୋଧେତର୍ଜ୍ଜମୀ ତର୍ଜ୍ଜନେ ଗର୍ଜ୍ଜି ବଖାଣେ ବହୁତପ୍ରତିଜ୍ଞା ନିଜର, ସର୍ବେ ହେଲେ ହୁଡ଼ାହୁଡ଼ି,ବୀରପଦଭରେ ସଭା କମ୍ପେ ଥରଥରେ ।ଥରିଲା ହସ୍ତିନା ପୁରୀ, ଜାହ୍ନବୀ-ମେଖଳାଘନଘନ, ଜଣାଯାଏ ଭୂମିକମ୍ପ ପ୍ରାୟେ ।ଶଙ୍ଖନାଦେ, ବୀରନାଦେ ଧନୁକ-ଟଙ୍କାରେପଡିଲା ଆକାଶେ ଭାଙ୍ଗି, ସେ ବିକଟ ନାଦେକର୍ଣ୍ଣର ପଟହ ଗଲା ଛିଡ଼ି, ରଡି ରଡି,ଚରାଚର ବିକ୍ରାସିତ ସେହି ମହାନାଦେ ।ମହାପ୍ରଳୟ ଆଶଙ୍କା କଲେ ତହିଁ ଜନେ,ଯେଣୁ ସେ ସମୟେ ହୋଇ ନଭେ ଏକତ୍ରିତ,ଆବର୍ତ୍ତ-ସମ୍ବର୍ତ୍ତ-ଦ୍ରୋଣ-ପୁଷ୍କରାଖ୍ୟ ଚାରିବାରିବାହ, ଭୀମନାଦେ ନାଦନ୍ତି ସମଘେ ।ପଟ୍ଟଗୃହ-ଉପବିଷ୍ଟା ପୂରସ୍ଥା ନାରୀଏ,ଶୁଣି ସେ ଭୀଷଣ ଶବ୍ଦ ହୋଇଲେ ମୂର୍ଚ୍ଛିତା,କେତେ କ୍ଷଣେ ସଂଜ୍ଞା ଲଭି ରୁକ୍ମିଣୀ ସୁନ୍ଦରୀ,( ମହା ପତିବ୍ରତା ସତୀ ଭୀଷ୍ମକ-ଦୁହିତା )କାନ୍ଦେ ସ୍ୱାମୀଙ୍କୁ ଦେଖି ବିପଦ-ସଙ୍କୁଳ,କାନ୍ଦେ ଯଥା କୁମୁଦିନୀ, କୁମୁଦ-ବାନ୍ଧବେଦେଖି ରାହୁଗ୍ରସ୍ତ ହାୟ ! ନେତ୍ରୁ ଦେବୀଙ୍କରଝରେ ଖରେ ଅଶ୍ରୁବାରି ହୋଇ ଟୋପା ଟୋପା,ପୂର୍ଣ୍ଣଗର୍ଭା ଶୁକ୍ତିକା କି ପ୍ରସବୁଛି ମୋତି ?ପକ୍ଷ୍ମକେଶ ଦେଇ ଅଶ୍ରୁ ଗଡିଲା ସମୟେଉପୁଜେ ଏସନ ଆହା, ଅଦ୍ଭୁତ ଉପମା !-ଦେବୀଙ୍କ ନେତ୍ର-ପିତୁଳା ନେତ୍ର ମଧ୍ୟେ ଥାଇଗୁନ୍ଥେ କି ମୁକୁତା କଳା ରେଶମ ସୁତ୍ରରେ ?ଏଥୁଅନ୍ତେ ପୋଛି ଦେବୀ ଚାରୁ ଚେଳାଞ୍ଚଳେଅଶ୍ରୁବାରି, ଅବଲୋକି ଦ୍ରୌପଦୀ ବଦନ,କହିଲେ କରୁଣା ବାଣୀ ଅର୍ଦ୍ଧଭଙ୍ଗ ସ୍ୱରେ,-କୃଷ୍ଣ-ସଖୀ କୃଷ୍ଣେ ! ଦେଖ ସମୁଦ୍ର ସମାନଉଚ୍ଛୁଳିଲେ ନରବରେ କ୍ରୋଧେ, ହେବ ଏଥେକେଉଁ ଗତି ନାଥଙ୍କର ? ଏହି ଚିନ୍ତାନଳ,ଦାବଦାହୁ ପ୍ରାୟେ ଦହେ ହୃଦୟେ ସଘନେ ।ଉତ୍ତରିଲେ କୃଷ୍ଣା, ଦେବୀ ଜଗତଜନନି !ନରଲୋକେ ନରଦେହେଁ ତୁମ୍ଭେ ଅବତରିହୋଇଛି କି ମାତଃ ! ନିଜେ ନିଜକୁ ବିସ୍ମୃତ ?ତୁମ୍ଭେ କିଏ ପୁଣି ତୁମ୍ଭ ସ୍ୱାମୀ ଅବା କିଏ,ବିସୋରିଛ ସବୁ, ରାତ୍ରି-ଦୃଷ୍ଟ ସ୍ୱପ୍ନ ପରି ।ଜଗତ୍ପତି-ପ୍ରାଣପ୍ରିୟେ ! ଏହି ମୁଷ୍ଟିମେୟନଗଣ୍ୟ ନୃପତିଗଣ ଗର୍ଜ୍ଜୁଛନ୍ତି ବୃଥା,ଯଥା ଶରତ୍କାଳ ମେଘ କିମ୍ବା ଶୁନ୍ୟଘଟ,କି କରିପାରିବେ ସେହୁ ତୁମ୍ଭ ସ୍ୱାମୀଙ୍କର,ପାରନ୍ତି କି ଶଶାପଲ ହର୍ଯ୍ୟକ୍ଷେ ଧରଷି ?ଦେବ, ଯକ୍ଷ, ରୁକ୍ଷଃ, ନାଗ, ଦାନବ, ମାନବ,ଖେଚର, ଭୂଚର, ବନ, ସାଗର, ପର୍ବତ,ନଦ, ନଦୀ, ବୃକ୍ଷ, ଲତା, ଦେଖୁଛ ଯା କିଛିଜଗତେ, ସକଳ ସୃଷ୍ଟ ତୁମ୍ଭ ସ୍ୱାମୀଠାରୁ,ତାଙ୍କରି ଶରୀରେ ହେବେ ବିଲୀନ ଅନ୍ତିମେ ।ଇଚ୍ଛା କଲେ ତୁମ୍ଭ ସ୍ୱାମୀ, ମୁହୁର୍ତ୍ତ ମଧ୍ୟରେପାରନ୍ତି ଜଗତେ କରି ଧୁମେ ପରିଣତ,ଏ ସଂସାର ତାହାଙ୍କର ସିନା ଖେଳଘର,ଇଚ୍ଛାମତ ଭାଙ୍ଗି ଗଢ଼ି ପାରନ୍ତି ସେ ତାକୁ ।ଧର୍ମ, ଜ୍ଞାନ, ପ୍ରେମ, ଭକ୍ତି, କର୍ମ, ଏ ସକଳସାଧୁବିଷୟର ହୋଇ ଆଦର୍ଶ ଶିକ୍ଷକତୁମ୍ଭ ସ୍ୱାମୀ ଲୀଳାମୟ, ମାନବ ସମାଜେଦର୍ଶନ ପ୍ରଦାନ ସିନା କରିଛନ୍ତି, ଦେବି !ମୋର ପ୍ରିୟସଖା କୃଷ୍ଣେ କରିବ ଧର୍ଷଣ,ଏସନେକ ଶକ୍ତିଧର ନାହିଁ ତ୍ରିଭୁବନେ,ତେବେ ଯାହା ଦେଖୁଅଛ ଦେବୀ ଜଗନ୍ନାତା !ଉପସ୍ଥିତ କ୍ଷେତ୍ରେ, ଅଛି ତହିଁ ବକ୍ରଠାଣିଚକ୍ରଧରଙ୍କର କିଛି ବକ୍ରଚକ୍ର, ସେହିମହାଚକ୍ରୀଙ୍କର ଚକ୍ର କରିବାକୁ ଭେଦକେ ହେବ ସମର୍ଥ ଏହି ବିଶ୍ୱ ଚରାଚରେ ?ଅଟେ ତାହାଙ୍କର ବ୍ରତ, ଦୁର୍ଜ୍ଜନ-ଦଳନ,ସଜ୍ଜନ-ପାଳନ ପୁଣି ଭୁଭାର ବିନାଶ,ସେଥିରେ ଦୃଷ୍ଟାନ୍ତ ଏକ ହେବ ପ୍ରଦର୍ଶିତଆଜି ଏ ସଭାରେ, ତାହା ଦେଖିବେ ସକଳେ ।
ପ୍ରଣୟ-ଚିଟାଉଚିନ୍ତାମଣି ମହାନ୍ତି