ଷଷ୍ଠ ସର୍ଗ — ଶିଶୁପାଳ ବଧ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଷଷ୍ଠ ସର୍ଗ
ସ୍ୱାଗତ ହେ ବାଣୀପୁତ୍ର ସାହିତ୍ୟ-ବିନ୍ଧାଣୀକବିବର ରାଧାନାଥ ! ମହାଯାତ୍ରା-କବି,ତ୍ରିଦିବ-ଦେବତା ତୁମ୍ଭେ, ମଞ୍ଚେ ଅବତରିଯେ ଅପୂର୍ବ କୀର୍ତ୍ତି-ଧ୍ୱଜା କରିଛି ଉଡ଼୍ଡୀନ,ଅତୁଳିତ ତାହା, ବୀଣା କି ମଧୁର ତବ !ରଚନା-କୌଶଳ ତବ ନବୀନ ସୁନ୍ଦର ।ରତ୍ନାର୍ଥୀ ନୁଲିଆ ୧ ଯଥା ବୁଡ଼ି ରତ୍ନାକରେବାଛି ବାଛି ସଂଗ୍ରହଇ ଶୌକ୍ତିକ ୨ ପ୍ରବାଳ,୧- ରତ୍ନାସଂତ୍ୱାହକ ଜାତିବିଶେଷ । ୨- ମୁକ୍ତାତେସନ ନିମଜ୍ଜି ତୁମ୍ଭେ ସାହିତ୍ୟ-ସାଗରେସଂଗ୍ରହିଛ ଯେ ମୁକୁତା, ସୁରଙ୍ଗ ପ୍ରବାଳଉଜ୍ଜ୍ୱଳାଉଅଛି ଆହା ! ତାର ଦିବ୍ୟ ପ୍ରଭା,ମାତୃଭୂମି, ମାତୃଭାଷା-ସାହିତ୍ୟ-ମନ୍ଦିରେ ।ଯେଉଁ ମହାଯାତ୍ରା, ଉଷା, ଯଯାତି-କେଶରୀ,ପାର୍ବତୀ, ନନ୍ଦିକେଶ୍ୱରୀ, ଚନ୍ଦ୍ରଭାଗା ଆଦିହୋଇଛି ନିର୍ଗତ ତବ ସୁଦା-ଲେଖନୀରୁ,ମହାଦୀପ୍ତିଶୀଳ ତାହା, ପଦ୍ମରାଗ ସମ ।ଉଜ୍ଜ୍ୱଳ ଜ୍ୟୋତିଷ୍କ ତୁମ୍ଭେ ଏ ଉତ୍କଳ-ଭୂମି-ସାହିତ୍ୟ-ଗଗନେ, ସୁଧି ! ରଚନା ତୁମ୍ଭରମଣିମୟୀ, ସ୍ୱର୍ଣ୍ଣମୟୀ ପୁଣି ସୁଧାମୟୀ,ହେ ଉତ୍କଳ କବିଗୁରୁ ! ବାଜୀକର ପରିଦଣ୍ଡକେ ଦେଖାଇପାର ତ୍ରିଦିବ-ବିଭବନନ୍ଦନକାନନ ଆଦି, ଧନ୍ୟ ତୁମ୍ଭେ ରଥି !କାବ୍ୟ-କୁଞ୍ଜବନଚାରି-ମତ୍ତ-ପିକବର !ଯେ ଗୀତ ଗାଇଛ ଆହା ମଧୁରେ ପଞ୍ଚମେ,କି ଅଛି ତୁଳନା ତାର, ଅଭୂତପୂର୍ବ ସେ ।ବଦ୍ଧ ଜଳାଶୟ ପରି ଥିଲା ମାତୃଭାଷା,ସଞ୍ଚାରିଣ ସ୍ରୋତ ତୁମ୍ଭେ ନେଲ ତାକୁ ଟାଣିବିଶ୍ୱର ଜନତା ମଧ୍ୟେ, ଦେଖିଲେ ସରବେ ।ଦୀନା ମାତୃଭାଷା-କଣ୍ଠେ ଯେଉଁ ଚାରୁହାରପିନ୍ଧାଇଲ କବିବର ! ଯତନେ ସଜାଡ଼ି,ଅପୂର୍ବ ଦୁର୍ଲଭ ସେହି ଜ୍ୟୋତିର୍ମୟ ଭୂଷା ।କି ବର୍ଣ୍ଣିବି ତବ ଗୁଣ ? କବି-କୋହିନୁର !ତୁମ୍ଭ କାବ୍ୟ-ଦର୍ପଣରେ ତବ ହୃଦୟରଦେବଭାବ, ହେଉଅଛି ସୁପ୍ରତିଫଳିତ,ଅନ୍ତରେ ବାହାରେ ତୁମ୍ଭେ ଏକଭାବମୟ ।ଶୁଣ ଆର୍ଯ୍ୟ ! ଏ ନୀରସ ଗୀତିକା ମୋହରକୃପା ବହି, ଯେଣୁ ମୁହିଁ ପଦାଙ୍କାନୁସାରୀତୁମ୍ଭର, ଉଚିତ ତେଣୁ ଶୁଣିବା ମୋ ଗୀତ,କବିଗୁରୁ ! ଜାଣେ ମୁହିଁ, ଲାଗେ ନାହିଁ ଭଲରସାବଳୀ-ପିଆ ତୁଣ୍ଡେ କାଞ୍ଜି-ଅମ୍ଳସ୍ୱାଦ,କିନ୍ତୁ ଦେବ ! ଅବିରତ ସୁଧାପାନେ ଜନ୍ମେମୁଖର ଅରୁଚି ଯେବେ, ହୁଏ ତେବେ ଲୋଡ଼ାଅତୀବ ଆମ୍ୱିଳା କାଞ୍ଜି, ହେ ଗୌରବମଣି !
ଶୁଣ ଏ ନଗଣ୍ୟ ଗୀତ ମୋର ଏହି ଭାବେ ।
ଏଥୁଅନ୍ତେ କୃଷ୍ଣଦ୍ରୋହୀ ରାଜନ୍ୟକଳାପ
ଶୁଣି ସତ୍ୟବ୍ରତ ମୁଖୁ ମର୍ମନ୍ତୁଦ କଥା,
ତରଙ୍ଗ ବିକ୍ଷୁବ୍ଧ ରୁଦ୍ରସାଗର ପରାଏ
ଉଠିଲେ ଗରଜି, କେହି ପ୍ରଚଣ୍ଡ କାର୍ମୁକେ
ଶିଞ୍ଜିନୀ ସଂଯୋଗ ପରେ ଆକର୍ଣ୍ଣ ଓଟାରି
ଟଙ୍କାରଇ ମୁହୁର୍ମୁହୁଃ, ଧରି ଅଷ୍ଟଶିରା
ଗୁରୁ ଗଦା କେହି, କରେ ବେଗେ ଆସ୍ପାଳନ
ମଣ୍ଡଳ ଆକାରେ, ଘୂରି ଗଦାବର କରେ
ସନ ସନ ସ୍ୱନେ ସୃଜେ ମହାଝଡ଼, ଯଥା
ଘୂର୍ଣ୍ଣିବାୟୁ, ସେ ଭୀଷଣ ଝଡ଼େ ଉଡ଼ିଗଲା
ଅନେକର ଶିରସ୍ତ୍ରାଣ ଉତ୍ତରୀୟ ଆଦି ।
ବିଘୂର୍ଣ୍ଣିନ କରେ କେହି କରାଳ କୃପାଣ,
ସୌରକର ସ୍ପର୍ଶେ ସେହି ଦୀପ୍ତା ଅସି-ଲତା
ବିନା ମେଘେ ବିସୃଜଇ ସୌଦାମିନୀ ଛଟା ।
ବଜ୍ରେ ବଜ୍ର ପ୍ରାୟ କେହି ଦଶନେ ଦଶନ
ସଂଘର୍ଷି, ସବେଗେ ଧାଏଁ ହୁହୁଙ୍କାର ନେଦେ,-
ଯଥା ଦଳପତି ହନୁ, ମାରି ମାଳକଛା
କାମୋଡ଼ି ଅଧୋର କେହି ମାରେ ବାହୁସ୍ଫୋଟ,
କେହି ବା ଉନ୍ମତ୍ତ ହୋଇ ରଣମଦେ ଅତି,
ଭୁଲାଯାଇ ବାହ୍ୟଜ୍ଞାନ ନିଜ ଛାୟାପରେ
ଶତ୍ରୁଜ୍ଞାନେ ବାରମ୍ବାର ହାଣେ ଅସି ଚୋଟ ।
କେହି ବା ନ ପାଇ ଭେଟ ଶତ୍ରୁର, ଦୁର୍ବାର-
କ୍ରୋଧେ ହୋଇ ଅସମ୍ଭାଳ, ନିଜର ବାହୁକୁ
ନିଜେ କାମୋଡ଼ିଣ ଦୃଢ଼େ ପକାଉଛି ଝୁଣି ।
ଏହିରୂପେ ରାଜଗଣେ ବିବିଧ ଆୟୁଧ
ଧରିଣ ଉଠିଲେ ଗର୍ଜି, ତହୁଁ ଶିଶୁପାଳ
ବୋଇଲା ସମସ୍ତଙ୍କର ହୋଇଣ ଅଗ୍ରଣୀ,
ଗୋପାନ୍ନ-ପ୍ରତିପାଳିତ ଆରେ ରେ ଗୋପାଳ
କୃଷ୍ଣ ! ଆଜି ତୋତେ ପେଷି ଶମନ ସଦନେ
କରିବି ଆକାଙ୍କ୍ଷା ପୂର୍ଣ୍ଣ, ଆବାଲ୍ୟ-ପୋଷିତ,
ଅର୍ପି ତୋତେ ଅଗ୍ରପୂଜା ଜାରଜ ପାଣ୍ଡବେ,
ପ୍ରଦର୍ଶିଲେ ରାଜଗଣେ ଅବଜ୍ଞା ଯେପରି,
ସେପରି ତୋତେ ରେ ତୋର ପୂଜକ ସହିତେ
ସଂହାରିଣ, ପରିଶୋଧ କରିବୁଁ ସେ ଋଣ
ଆଜି କଳନ୍ତର ସହ, ରେ ଭଣ୍ଡ ଲମ୍ପଟ !
ଏକାକୀ ତୁ କିପାଁ ଯିବୁ କୃତାନ୍ତ ଭବନେ ?
ବଡ଼ କଷ୍ଟ ହେବ ତହିଁ ପୂଜକ ଅଭାବେ
ତୋର, ତେଣୁ ଦୟା ବହି ଚିତ୍ତେ ତୋହପ୍ରତି,
କରିଦେବୁଁ ସହଚର ତୋ ପ୍ରିୟ ପୂଜକେ,
କରିବେ ସେ ପରଲୋକେ ତୋର ପଦସେବା ।
ରେ ଦୁଷ୍ଟ ! ନ କର ଆଉ ଧୂର୍ତ୍ତତ ପ୍ରକାଶ
ଶିଶୁପାଳଠାରେ କିମ୍ୱା ରାଜଗଣଠାରେ,
ରହିବ ନାହିଁ ଧୂର୍ତ୍ତିକା ଅପ୍ରକାଶ୍ୟ ତୋର,
ଅତଏବ ରେ ପାମର ! ନ କରିଣ ମଠ
ହୁଅ ରଣେ ଅଗ୍ରସର ଉଠି ଆସି ବେଗେ ।
ରୋଗଶେଷ, ଋଣଶେଷ ଆଉ ଶତ୍ରୁଶେଷ
ରଖିବା ଉଚିତ ନୁହେଁ, ଶାସ୍ତ୍ରାଦେଶ ଏହା,
ଏଣୁ ମୋର ନାହିଁ ଶାନ୍ତି ଥାଉଁ ତୁ ଜୀବିତ ।
ସୁଷୁପ୍ତ ହର୍ଯ୍ୟକ୍ଷ ହେଲା ଜାଗରିତ
କରି ଗାତ୍ରୋଥିନ କୃଷ୍ଣ, ଈଷଦ୍ଧାସ୍ୟ ମୁଖେ
ବୋଇଲେ-ରେ ଶିଶୁପାଳ ଶିଶୁମତି ମୂଢ଼ !
ହେଲାଣି ନିକଯ ମୃତ୍ୟୁ ତୋର, ଆଭାସଇ
ସୁସ୍ପଷ୍ଟ ଲକ୍ଷଣ ତାର, ହେଉଛୁ ପ୍ରଳାପୀ
ତେଣୁ, ପକ୍ଷଦୟ ସିନା ମୃତ୍ୟୁର ଲକ୍ଷଣ
ବଲ୍ମୀକର ? ଏ କୁବୁଦ୍ଧି ତେସନ ତୋହର
ଆସନ୍ନ ମୃତ୍ୟୁର ଏକା ଅଟଇ କାରଣ,
ଅଳ୍ପକ୍ଷଣେ ଯମ ତୋର ଦେବ ପାଞ୍ଜି ପୋଛି,
ନ ଆଚରୁ କିପାଁ ଦୁଷ୍ଟ ! ଯଥାସମୟରେ
ଯଥାକାର୍ଯ୍ୟ ? ଏ କାଳରେ ତୋର ଅତି ଲୋଡ଼ା
ଇଷ୍ଟଦେବ ସୁମରଣା, ଏତେ ଦିନେ ମୋର
ଘୁଞ୍ଚିଲା ପିଉସୀଙ୍କର କୁପୁତ୍ର ଜନନୀ-
ଅପବାଦ, ଏ ହେତୁ ମୁଁ ବଡ଼ ଆନନ୍ଦିତ,
ତୋପରି ପ୍ରତାପୀ ପୁଣି ସର୍ବଶାସ୍ତ୍ରଜ୍ଞାତା
ରାଜାଟିଏ, କୁବୁଦ୍ଧିରୁ ଲଭିବ ବିନାଶ,
ଏଣୁ ଦୁଃଖ ଜାତ ସୁଦ୍ଧା ହୁଅଇ ମାନସେ,
ଦୁଜେ ଭ୍ରାତୃ-ଶୋକ ନୁହେଁ ଅଳ୍ପ କଷ୍ଟପ୍ରଦ ।
ତୋହୋ କର୍ମଫଳ ତୁହି ଭୁଞ୍ଜିବୁ ରେ ଭାଇ,
ହେତୁମାତ୍ର ହେବି ମୁହିଁ ତାର, ମୃତ୍ୟୁପରେ
ପରଲୋକେ ଫଳେ ସିନା କୃତକାର୍ଯ୍ୟ ଫଳ,
ଏହା ସ୍ୱତଃସିଦ୍ଧ, ତୋହୋ କର୍ମ-ବୃକ୍ଷ-ଫଳ-
ସଂଖ୍ୟା ଲେଖି ଚିତ୍ରଗୁପ୍ତ ଖଡ଼ିଗୋଟାଳିରେ
ମିଶାଉଛି ପଙ୍କ୍ତିକ୍ରମେ, ଦେଖି ପାଞ୍ଜି ତାର,
ମିଶାର କଦାପି ତାର ହୁଏ ନାହିଁ ହୁଡ଼ି ।
ବିଶେଷ ପାର୍ଥକ୍ୟ ନାହିଁ ତୋହର ମୋହର,
ତୁ ମୁଁ ମଧ୍ୟେ ବ୍ୟବଧାନ କେବଳ ଅଜ୍ଞାନ,
ତୁ ତ ମୁଁ ର ରୂପାନ୍ତର ମାତ୍ର, ଜଗତର
ତୁ ଯାକ ହେଉଛି ମୁଁ ର ସତତ ନିକଟ
କ୍ରମେ କ୍ରମେ, ଯଥାକାଳେ ମିଶିଯାଇ ପୁଣି
ମୁଁ ରେ ଯାଉଛି ହୋଇ ମୁଁ, ନିୟତି ନିୟମ
ଏହା,- ଅଖଣ୍ଡ, ଅଲଙ୍ଘ୍ୟ, ନିୟତି କାହାର
ନୁହେଁ ଅନୁଗାମୀ, ବରଂ ସର୍ବେ ଅନୁଗାମୀ
ତାର, ତୋର ନିୟତିର ଫଳ ମୁହୂର୍ତ୍ତକେ
ଫଳିବ, ଅପେକ୍ଷା କର ଭୁଞ୍ଜିବୁ ସକଳ ।
ଏସନ ମଧୁରେ ଭର୍ତ୍ସି କୃଷ୍ଣ ଶିଶୁପାଳେ,
ବୋଇଲେ ସମ୍ୱୋଧି ସର୍ବ ଶିଷ୍ଟରାଜଗଣେ-
ହେ ଭଦ୍ର ରାଜନ୍ୟବର୍ଗ ! ଶୁଣନ୍ତୁ ମୋ କଥା,
ଏ ଦୁଷ୍ଟ ପିତୃସ୍ୱସ୍ରେୟ ସମ୍ୱନ୍ଧରେ ମୋର,
ଏହା ଜନ୍ମ ଆଉ ମୋର ପ୍ରତିଜ୍ଞା କାହାଣୀ,
ହୋଇଅଛି ଇତିପୂର୍ବ ଉକ୍ତ ଭୀଷ୍ମମୁଖେ,
ତାହା ଶୁଣିଛନ୍ତି ସର୍ବେ; ଏହି ଦୁର୍ମତିର
କ୍ଷମିବାକୁ ଅପରାଧ ଶତସଂଖ୍ୟ, ମୁହିଁ
ହୋଇଛି ପ୍ରତିଜ୍ଞାବଦ୍ଧ, କିନ୍ତୁ ପାପିଷ୍ଠର
ଅପରାଧ, ନିଦ୍ଦାରିତ ସଂଖ୍ୟାରୁ ଅନେକ
ପଡ଼ିଲାଣି ବଳି, ଯଥା ପାଦପର ଶାଖା
କୁଠାରେ ସଂଲଗ୍ନନ ହୋଇ ନାଶେ ସେ ପାଦପେ,
ତଥା ଏ ଦୁଷ୍ଟ, ଜନମି ଯାଦବୀ ଗର୍ଭରୁ
ଯାଦବଗଣର କଲା ବହୁ ଅପକାର,
ସହିଛି ମୁଁ ତାହା ସବୁ ପ୍ରତିଜ୍ଞା ସ୍ମରଣେ,
ନତୁ ଶିଶୁପାଳ ନାମ ଏ ମର୍ତ୍ତ୍ୟଧାମରୁ
ହୋଇଥାନ୍ତା ଅନ୍ତର୍ହିତ ନିଶ୍ଚେ ବହୁକାଳୁ ।
ଯାଇଥିଲି ଏକଦା ମୁଁ ପ୍ରାଗ୍ଜ୍ୟୋତିଷପୁରେ
କାର୍ଯ୍ୟ ଉପଲକ୍ଷେ, ଦୁଷ୍ଟ ଏହି ଅବସରେ
ଲୁଣ୍ଠି ଦ୍ୱାରାବତ ପୁରୀ ପଳାଇଲା ଭୟେ,
ଅଶ୍ୱମେଧ ଯଜ୍ଞାରମ୍ଭ କରି ମୋର ପିତା,
ଦେଇଥିଲେ ଛାଡ଼ି ମେଧ୍ୟ ତୁରଙ୍ଗେ, ତାହାକୁ
ରଖିଥିଲା ଏ ପାପାତ୍ମା ଧରିଣ ଲୁଚାଇ,
ଯଦୁ-ବଧୂ ବଭ୍ରୁପତ୍ନୀ ସୌବୀର ମଣ୍ଡଳେ
ଯାଇଥିଲେ ଦେଖିବାକୁ ମହୋତ୍ସବ, ତହୁଁ
ଏ ଦୁଷ୍ଟ ତାହାଙ୍କୁ ହରି ଯାଇଥିଲା ଘେନି,
ବସୁରାଜପତ୍ନୀ ଭଦ୍ରା ଯାଦବ-ଦୁହିତା,
ସମ୍ୱନ୍ଧରେ ଅଟଇ ସେ ଭଉଣୀ ଏହାର,
(ସ୍ମରଣେ ଯେ କଥା ହାୟ, ଘୋଟେ ମହାପାପ
ମରେ, ଯେ ପାପର ନାହିଁ ପ୍ରାୟଶ୍ଚିତ୍ତ ବିଧି)
ଏ ନାରକୀ ହରି ତାକୁ ଘେନିଗଲା ବଳେ,
ବର୍ଣ୍ଣୁଥିଲେ ଦିବାନିଶି, ନ ସରିବ ଏହି
ଉପହାସ୍ୟ ରସିକର ରସ, ପୁଣି ଥରେ
ପୋଷି ଦୁରାକାଙ୍କ୍ଷା ଦୁଷ୍ଟ, (ଚନ୍ଦ୍ର ଧରଷଣେ
ବାମନ ପରାଏ) ଯାଇଥିଲା ଲକ୍ଷ୍ମୀସମା-
ମହାସତୀ ରୁକ୍ମିଣୀକୁ ବିବାହ ମାନସେ
ଭୀଷକ-ପୁରକୁ, କିନ୍ତୁ ତହିଁ ଅପାତ୍ରର
ବେଦାର୍ଥବୋଧିନୀ ଆଶାପ୍ରାୟ ତାର ଆଶା
ହୋଇଥିଲା ପଣ୍ଡ, ଆଉ କେତେ ବା କହିବି
ବିଜ୍ଞବର ଗୁଣଦର ପୁରୁଷଙ୍କ ଗୁଣ,
ଏତିକି କହିଲି ମାତ୍ର, ଆଉ ଶୁଣିଛି ତ
ସାକ୍ଷାତ ଦୋଷର କଥା ସର୍ବେ, ଏ ନଷ୍ଟର
ଅପରାଧ ଯାଇଅଛି ସୀମା ଲଙ୍ଘି, ଦୈବେ
ପାଇଛି ସାକ୍ଷାତ ଆଜି ଯେଣୁ, ତେଣୁ ତାକୁ
ବଧିବ ନିଶ୍ଚୟ, ନୁହେଁ କ୍ଷମାପାତ୍ର ସେହୁ ।
ଶୁଣି କୃଷ୍ଣବାଣୀ ସର୍ବ ଧାର୍ମିକ ନୃପତି,
ନିନ୍ଦିଲେ ବିସ୍ତର ମୂଢ଼ବୁଦ୍ଧି ଶିଶୁପାଳେ,
କିନ୍ତୁ ଧର୍ମଦ୍ରୋହୀ, ପାପୀ, ଈର୍ଷୀ ନରବରେ
ଆଖି ଠାରି ଶିଶୁପାଳେ ଦେଉଥାନ୍ତି ଟେଇ *
କୃଷ୍ଣଙ୍କ ବିରୁଦ୍ଧେ, ବୃଦ୍ଧ ସୁବିବେକ ନୃପେ,
ବୁଝାଇଲେ ଶିଶୁପାଳେ ବିବିଧ ବିଧାନେ
*ଟେଇ-ଉସ୍କେଇ, ପ୍ରବର୍ତ୍ତାଇ
ସାର ଉପଦେଶ ବାକ୍ୟେ, କିନ୍ତୁ ଯଥା ରୋଗୀ
ପ୍ରକାଶେ ବିଷମ ଘୃଣା ଔଷଦ ସେବନେ
ମୃତ୍ୟୁପୂର୍ବେ, ତଥା ଦୁଷ୍ଟ ତହିଁ ନ କରିଣ
କର୍ଣ୍ଣପାତ, ଅଟ୍ଟହାସ୍ୟେ ବୋଇଲା ଏସନ,-
ଧିକ୍ରେ ନିର୍ଲଜ୍ଜ ଚୋର ବୃଷ୍ଣିକୁଳାଧମ !
କେଉଁ ମୁଖେ ଭଲା ତୁହି ନିଜର ଭାର୍ଯ୍ୟକୁ
ବରପୂର୍ବା ଅଭିଧାନେ କରୁ ଅଭିହିତ ?
ପୂର୍ଣ୍ଣବ୍ରହ୍ମ ପରା ତୁହି ଏହି ବୁଦ୍ଧି ଘେନି !
କାହୁଁ ବା ଆସିବ ନୀଚମୁଖେ ଉଚ୍ଚ କଥା ?
ଦୟା ବହି ସେ ସମୟେ ଦେଇଥିଲି ଛାଡ଼ି
ରୁକ୍ମିଣୀକୁ, କିନ୍ତୁ ଆଜି ସଂହାରିଣ ତୋତେ,
କରିବି ନିଯୁକ୍ତ ତାକୁ କରଙ୍କଧାରିଣୀ ୧-
କାର୍ଯ୍ୟେ, ରେ ଦୁରତ୍ମା ! ଆଉ କଥାରେ କି ଫଳ ?
୧- କରଙ୍କ-ପାନଡିବା ।
କର ବୀର କାର୍ଯ୍ୟ, ହୁଅ ପ୍ରବୃତ୍ତ ସମରେ ।
ଅନନ୍ତର ଦୁଷ୍ଟ ନୃପେ ବେଢ଼ିଣ ଚୌପାଶୁ
ଦାମୋଦରେ, ନିକ୍ଷେପିଲେ ଅସ୍ତ୍ର କ୍ଷୁରଧାର
ବହୁ, ଦେଖୁ ଦେଖୁ ହେଲା ମାଧବଙ୍କ ଦେହେ
ଘନ ଘନ ଅସ୍ତ୍ରବୃଷ୍ଟି, ଶ୍ରବଣେ ଯେସନ
ଗିରି ଅଙ୍ଗେ ପଡ଼େ ବୃଷ୍ଟି ମୂଷଳଧାରାରେ ।
ତଦ୍ଦର୍ଶନେ ଭୀମ ବୀର ଭୀମପରାକ୍ରମ,
(ସମର ପାଇଲେ ଯେହୁ ଲଭେ ମହାହ୍ଲାଦ,
ଆହାରେ, ସମରେ ପୁଣି ପ୍ରତିଜ୍ଞା ପାଳନେ
ତିନି କାର୍ଯ୍ୟେ ନାହିଁ ଯାର ଭବେ ପରାଜୟ)
ରୋଷେ ଜଳି ବୈଶ୍ୱାନର ପ୍ରାୟ, ଭୀମଗଦା
ପକାଇଣ କାନ୍ଧେ, ହେଲେ ଖରେ ପ୍ରଧାବିତ
ରାଜଗଣ ପ୍ରତି । କପିବର ଆଞ୍ଜନେୟ,
ଉତ୍ପାଟି ପୃଥୁଳ ବୃକ୍ଷେ, ଘେନି ସ୍କନ୍ଧେ ତାହା
ଧାଏଁ କି ସରୋଷେ ବେଗେ ରକ୍ଷଃସେନା ପ୍ରତି,
ସ୍ୱର୍ଣ୍ଣଲଙ୍କାପୁରେ, ରାମ ରାବଣ ସମରେ ?
କିମ୍ୱା ଦେବ ଶକ୍ତିଧର ୨ ଶକ୍ତି ଧରି କରେ
ଧାଆନ୍ତି କି ବାୟୁବେଗେ ତାରକା ଆହବେ ? ୩
ଏ ସମୟେ ଧରି ଭୀଷ୍ମ ବଜ୍ରମୁଷ୍ଟି ଚାପେ
୨- କାର୍ତ୍ତିକେୟ । ୩- ତାରକାସୁର ଯୁଦ୍ଧରେ ।
ଭୀମହସ୍ତ, ବୋଇଲେ, ହେ ବତ୍ସ ! ହୁଅ ସ୍ଥିର,
ଆଣିଛି ଆମନ୍ତ୍ରି ତୁମ୍ଭେ ଏହି ରାଜଗଣେ,
ସେମାନଙ୍କ ଅଙ୍ଗେ ଅସ୍ତ୍ର ପ୍ରହାରିବ ଯେବେ,
ହେବ ବାବୁ ! ଧର୍ମ ନଷ୍ଟ ତୁମ୍ଭର ପାବନି ।
ଆରକ୍ତ ନୟନେ ତହୁଁ ଭାଷିଲେ ମାରୁତି-
ପିତାମହ ! ପ୍ରାଣପ୍ରିୟ ଗୋବିନ୍ଦେ ହରାଇ
କି କରିବୁଁ ଧର୍ମ ଘେନି ଆମ୍ଭେମାନେ ଭଲା ?
ଲୋଡ଼ା ନାହିଁ ଧର୍ମେ, ଯେବେ ଗୋବିନ୍ଦ ଯେ ପଥେ
ଯିବି ମୁହିଁ ସେହି ପଥେ, ଧର୍ମ ସୁଦ୍ଧା ମୋର
ଯିବ ସେହି ପଥେ, ଏହି ଦେଖ ପିତାମହ !
ଏତେ ରଥୀ ମହାରଥୀ ହୋଇ ଏକତ୍ରିତ,
ଏକେଶ୍ୱର ଶ୍ରୀହରିଙ୍କ ଉପରେ ବିବିଧ
ଅସ୍ତ୍ରଶସ୍ତ୍ର କରୁଛନ୍ତି ବୃଷ୍ଟି, କ୍ଷତ୍ର ହୋଇ
କ୍ଷତ୍ରିୟ ଧର୍ମର ଏହି ଘୋର ବ୍ୟଭିଚାର
କେ ଦେଖିବ ନେତ୍ରେ ? ଭୁଲି ଜାତୀୟ ମହତ୍ତ୍ୱ ।
ଅତ୍ୟାଚାର, ଉପଦ୍ରବ ଦମନେ ଯେ ବାହୁ
ନୁହଇ ସମର୍ଥ, ବାହୁ ନୁହେଁ ତାହା, ଅଟେ
ରନ୍ଧନ-ଇନ୍ଧନ, ଶୁଷ୍କ, ନିର୍ଜ୍ଜୀବ, ଆସାଢ଼ ।
ଛାଡ଼ ଦେବ ! ହସ୍ତ, ଏହି ମୁଷ୍ଟିମେୟ ନୃପେ,
ବାମପାଦେ ମର୍ଦ୍ଦିବି ମୁଁ ହୀରାପନ୍ତି ୪ ପରି
୪- ହୀରାପନ୍ତି- ପିମ୍ପୁଡ଼ିଯୁଥ
ଧରାରେ, ଯାବତ ଥିବ ଭୀମ ଧମନୀରେ
ଶୋଣିତ ବିନ୍ଦୁଏ ମାତ୍ର ସଞ୍ଚିତ, ତାବତ
କରିପାରେ କିଏ କୃଷ୍ଣ ଅଙ୍ଗେ ଅସ୍ତ୍ରାଘାତ ?
ଗଦାଘାତେ ବିଚୂର୍ଣ୍ଣିତ ମସ୍ତକ ତାହାର,
ଏହା ମୋର ଦୃଢ଼ପଣ ନିଶ୍ଚେ ପିତାମହ !
ଭାଷିଲେ ଗାଙ୍ଗେୟ ତହୁଁ ମଧୁରେ ଏସନ-
ଯା କହିଲି ସତ ବତ୍ସ ! ସମ୍ଭବେ ସକଳ
ତୁମ୍ଭଙ୍କୁ, ତଥାଚ କ୍ଷାନ୍ତ ହେବାର ଉଚିତ,
ହୀନବୀର୍ଯ୍ୟ ଚକ୍ରଧର ନୁହନ୍ତି କଦାଚ
ଏହି ରାଜଗଣଠାରୁ, ସନ୍ଦେହ ପୋଷଣ
ନୁହଇ ଉଚିତ ତାଙ୍କ ପକ୍ଷେ, ଜାଣି ଶୁଣି
ତୁମ୍ଭେ, କହ କିପାଁ କଥା ନିର୍ବୋଧ ପରାୟେ ?
ସ୍ରଷ୍ଟା, ପାତା, ନିୟନ୍ତା ଯେ ଅଖିଳ ବିଶ୍ୱର,
କି କରିପାରନ୍ତି ଏହି ନଗଣ୍ୟ ଭୂପାଳେ
ତାହାଙ୍କର, କି କରନ୍ତି ପ୍ଳବଙ୍ଗମଯୂଥ
କାଳଭୁଜଙ୍ଗର ? ତୀବ୍ରକାଳକୂଟୋଦ୍ଗାରୀ ।
ତଥାପି ଅଶକ୍ତ ଯଦି ହୁଅନ୍ତି ସମରେ
ଦୈତ୍ୟାରି, ତେବେ ମୁଁ ଅଛି, ତୁମ୍ଭେ ଅଛ ପୁଣି,
ଯାର ବାଣେ ତ୍ରିଭୁବନ ହୁଏ ପ୍ରକମ୍ପିତ,
ଖାଣ୍ଡବେ ଦହିଣ ଯେହୁ ସନ୍ତୋଷି ଅନଳେ
ଲଭିଲେ ଗାଣ୍ଡବୀ ଧନୁ, ମହା ଆଭାମୟ,
ବିଶ୍ୱ-ବିଧ୍ୱଂସନ-ଦକ୍ଷ, ଯହୁ କୃଷ୍ଣସଖା,
ଅଛନ୍ତି ସେ ମରାମର ଅଜେୟ ଅର୍ଜୁନ,
ଅତଏବ ତେଜ ବର୍ତ୍ସ ! ମନୁ ବୃଥା ଭୀତି ।
ଏହି ଦେଖ ବୃକୋଦର ! ଶିଶୁପାଳ ସହ
ହୋଇଛନ୍ତି ଯୁଦ୍ଧାରମ୍ଭ ବନମାଳୀଙ୍କର,
ଦିଶୁଛନ୍ତି କ୍ରୋଧେ ଦୁହେଁ କାଳାନଳ ପ୍ରାୟ
ମହାତେଜସ୍କର, ଯଥା ମୂର୍ତ୍ତିମାନ ରବି,
ପୁଣି ମୂର୍ତ୍ତିମାନ ଅଗି ଉଭା ପରସ୍ପରେ
ମୁଖାମୁଖିଭାବେ । ଦେଖ ଦୁହିଁଙ୍କର ରଣ
ବଢ଼ୁଛି ଉତ୍ତରୋତ୍ତର କିରୂପ ଭୀଷଣେ,
ମୁହୁର୍ମୁହୁଃ ଆକର୍ଷଣେ ଦୁହିଙ୍କର ଧନୁ
ମଣ୍ଡଳ ଆକାର ଦିଶେ ସଦା, କେତେବେଳେ
କିଏ ନିଏ ଶଣାଧାରୁ ଶର, କେତେବେଳେ
ଯୋଖେ ଗୁଣେ, କିଛି ମାତ୍ର ହେଉ ନାହିଁ ଜାଣି,
ଦୁହେଁ ଅତି ଶୀଘ୍ରହସ୍ତ, ବିନ୍ଧୁଛନ୍ତି ବାଣେ
ପରସ୍ପରେ, ଦୁହିଙ୍କର ବାଣେ ଘୋଟେ ନଭଃ,
ମେଘଆନ୍ଧି ୧ ଦିନେ ଯଥା କଲେ ଶରପୀଡ଼ା
ମେଘ, ଦୁହେଁ ମଧ୍ୟ ଗଲେ ଢାଙ୍କି ଦୁହିଁଙ୍କର
ଶରଜାଲେ, କୁଜ୍ଝଟୀରେ ଯେସନ ଶିଖରୀ ।
୧- ମେଘାବରଣ ଦିନ ।
ଶଙ୍ଖନାଦ, ବୀରନାଦ, ଧନୁକ ଟଙ୍କାର,
ତିନି ଶବ୍ଦ ମିଶି ହୋଇ ଅତୀବ ପଅଥୁଳ
ପୁରିଲା ବ୍ରହ୍ମାଣ୍ଡ, ସେହି ମହାଶବ୍ଦ ଶୁଣି
ହେଲେ ବିତ୍ରାସିତ ସର୍ବ ମରାମର ଜୀବେ,
ଅକାଳେ ପ୍ରଳୟାଶଙ୍କା କଲେ ଅବା କେହି ।
ଛେଲ, ଗଦା, ଚକ୍ର, କୁନ୍ତ, ପରିଘ, ଶକତି
ନାନାଅସ୍ତ୍ରେ ନାନାରଙ୍ଗେ ଲାଗିଛି ସମର,
ଅସ୍ତ୍ରେ ଅସ୍ତ୍ର ବାଜି ସୃଜେ ସ୍ପୁଲିଙ୍ଗ ଆକାଶେ,
ଲୌହଦଣ୍ଡ ମଘାତରେ ଅଗ୍ନିଶିଳା ଯଥା ୨
ଝାଡ଼ିଦିଏ ଅଗ୍ନିକଣା, ଖଦ୍ୟୋତ ୩ ସମାନ ।
ଲାଗିଲା ବିଷମ ଯୁଦ୍ଧ ମହାଭୟଙ୍କର,
ଯୁଝୁଛନ୍ତି ନାରାୟଣ ଶିଶୁପାଳ ସହ,
୨- ଚକମକି ପଥର । ୩- ଜୁଳୁଜୁଳିଆ ପୋକ ।
ଦେବବୈରୀ ବୃତ୍ର ୪ ସହ ଯଥା ସୁନାସୀର,
କିମ୍ୱା ଦଶାନନ ସଙ୍ଗେ ଦାଶରଥି ଯଥା,
ଅତସୀ-କୁସୁମ-ଶ୍ୟାମ ଅଙ୍ଗୁ, ବାଣାଘାତେ
ବହିଯାଏ ରକ୍ତଧାରା କେରା କେରା ହୋଇ,
୪- ଅସୁରବିଶେଷ ।
ହିମାଳୟ ଦେହୁଁ ଯଥା ଗୈରିକ ପ୍ରବାହ
ବହିଆସେ ବର୍ଷାକାଳେ ହୋଇ ଶତଧାର ।
ଏହି ଶୁଣ ଭୀମସେନ ! ସମରେ ମୁରାରି
ହେବାରୁ ପ୍ରବୃତ୍ତ, ସ୍ୱର୍ଗେ ବାଜଇ ଦୁନ୍ଦୁଭି ।
ଦେଖ ଦେଖ ବତ୍ସ ! ଏହି ଦେବସଭା ନଭେ,
ବିଜେ; ତହିଁ ଦେବଗଣ ଦେଖିବାକୁ ରଣ ।
ମେଘ-ମଞ୍ଚେ ଦେବସଭା ଆହା କି ସୁନ୍ଦର !
କନକ-କିଙ୍କିଣୀଯୁକ୍ତ ରାଜହଂସ-ରଥେ
ଦେଖ ବତ୍ସ, ଚତୁର୍ମୁଖ ବ୍ରହ୍ମା; ଅଷ୍ଟକର
ଯୋଡ଼ି କୃଷ୍ଣେ କରୁଛନ୍ତି ସ୍ତବ, ତାଙ୍କ ପାଶେ
ଅମର-ଗୌରବ ଇନ୍ଦ୍ର, ତ୍ରିଦିବ-ସୁନ୍ଦରୀ
ପୌଲାମୀ ୫ ସହିତେ ବିଜେ ଐରାବତ ପୃଷ୍ଠେ,
୫- ଶଚୀ
ବକ୍ଷେ ଶୋଭେ ପାରିଜାତ ହାର, ହସ୍ତେ ପବି,
ଋଷି ଅସ୍ଥି-ବିନିର୍ମିତ ଅମୋଘ ଆୟୁଧ ।
ବୃଷାସନେ ବିରାଜିତ ଦେଖ ଶୂଳପାଣି,
ବିଭୂତି-ଭୂଷଣ ତନୁ, ଶିରେ ଦୀର୍ଘଜଟା,
ଟେକିଛନ୍ତି ଫଣା ତହିଁ କାଳ-ବ୍ୟାଳ-କାଳେ,
ଅର୍ଦ୍ଧନିମୀଳିତ ନେତ୍ର ହୋଇ ସିଦ୍ଧିପାନେ,
କରନ୍ତି ଡ଼ମ୍ୱରୁ ଧ୍ୱନି ଡ଼ିବି ଡ଼ିବି ସ୍ୱରେ ।
ତାଙ୍କ ବାମେ ଉପବିଷ୍ଟା କେଶର-ବାହନେ
ମହିଷ-ମର୍ଦ୍ଦିନୀ ଦେବୀ ଦୁର୍ଗତି-ନାଶିନୀ
ଦୁର୍ଗା ଦଶଭୁଜା, ମହାପ୍ରକୃତିସ୍ୱରୂପା,
ସଙ୍କଟ ସମୟେ ଦେବୀ ଟେକି ଦଶଭୁଜ
କରନ୍ତି ସନ୍ତାନେ ରକ୍ଷା, ସନ୍ତାନବତ୍ସଳା ।
ବସି ମାତୃ ଅଙ୍କେ ଗଜ-ବଦନ ଗଣେଶ
ସ୍ଥୂଳୋଦର, ଥୋଡ଼େ ଧରି ଭୁଞ୍ଜୁଛନ୍ତି ଲଡ଼ୁ ।
ବର୍ହଶୋଭୀ ନୃତ୍ୟଶୀଳ ବର୍ହିପୃଷ୍ଠେ ବିଜେ
ତାରକିର ଦେବ, ଶିରେ ଦୋଦୁଲ୍ୟ-କିରୀଟ ।
ବସିଛନ୍ତି ଦିବାକର ଗ୍ରହଗଣ ମେଳେ,
ବାହାରଇ ଅଙ୍ଗୁ ତାଙ୍କ ଦୀପ୍ତ ଜ୍ୟୋତିଃରେଖା
ଅଗ୍ନିଶିଖା ପ୍ରାୟ, ତେଣୁ ହେଉ ନାହିଁ ଚାହିଁ ।
ଗଳିତ-କାଞ୍ଚନ-କାନ୍ତ ଗୁରୁ ବୃହସ୍ପତି,
ଉପବିଷ୍ଟ ଦେଖ ଯାକି ଦେବ ପୋଥି କାଖେ,
ସ୍କନ୍ଧେ ଶୁଭ୍ର ଉପବୀତ ହୋଇ ବିଳମ୍ୱିତ,
ଶୋହେ ଯଥା ମନ୍ଦାକିନୀ ମେରୁ ହେମକୂଟେ ।
କୁମୁଦ-ଧବଳକାନ୍ତି ଦେବ ସୁଧାଧାର,
ବିରାଜିତ ଦେକ ପ୍ରିୟା ରୋହିଣୀ ସହିତେ,
ଯେହ୍ନେ ବସୁନ୍ଧରା ସହ ଋତୁ ପୁଷ୍ପାକର । ୧
ଅତୀବ ଶୀତଳ ଯେଣୁ ସିତକର ବେର,
(ସନ୍ନିପାତେ ରୋଗୀ ଦେହ ଯଥା) ତେଣୁ ଦେବେ
ନ ବସନ୍ତି ତାଙ୍କ ପାଶେ, ଘୋର ଶୀତେ ଦେହ
୧- ପୁଷ୍ପାକର- ବସନ୍ତ ।
କୁଙ୍କୁରିବା ୨ ଭୟେ, ଯଥା ଶୀତ-ଭୀତ ଜନେ,
କରନ୍ତି ଉପେକ୍ଷା, ନେତ୍ର-ସୁଶୀତଳକାରୀ
ପଦ୍ମପତ୍ର-ସମ୍ପାଚ୍ଛନ୍ନ ଶୀତଳ ସରସୀ,
ଶ୍ୱେତହଂସ ପୃଷ୍ଠେ ବିଜେ ଦେଖ ବୀଣାପାଣି,
୨- କୁଙ୍କୁରିବା- କୁଞ୍ଚନ ଶବ୍ଦଜ, ସଙ୍କୁଚିତ ହେବା ।
ବେଦ, ଶାସ୍ତ୍ର-ପ୍ରସବିନୀ ବିଶଦବସନା,
ନିରତେ ମୁଖରା ଦେବୀ ସାହିତ୍ୟସଙ୍ଗୀତ-
ପାଠେ, ବଜାଇଣ ମୃତ୍ୟୁସଞ୍ଜୀବନୀ ବୀଣା ।
କନକ-କମଳାସନେ କମଳା ସୁନ୍ଦରୀ
ବସି, ବୁଣୁଛନ୍ତି ଦେଖ ଏକହସ୍ତେ ନାନା-
ଶସ୍ୟବୀଜ, ପୁଣି ଆନେ ବିବିଧ ରତନ
ବସୁଧା ଉପରେ ସଦା, ଚିତ୍ତେ ଦୟା ବହି ।
କୁବେର, ବରୁଣ, ଯମ, ବାୟୁ ଆଦି ଯେତେ
ତ୍ରିଦିବନିବାସୀ, ସର୍ବେ ଠୁଳ ହୋଇ ନଭେ,
କୃଷ୍ଣ-ଶିଶୁପାଳ ରଣ ଦେଖନ୍ତି କୌତୁକେ ।
ଏହିପରି ଦେଖାଇଣ ଭୀମେ ଭୀଷ୍ମଦେବ
ଦେବସଭା, ଯୋଗବଳେ, ହେବାକୁ ନୀରବ
କ୍ଷଣେ ଦେଇ ଉପଦେଶ, ନୀରବିଲେ ନିଜେ ।
ପଟ୍ଟବାସନିବାସିନୀ ପୁରନାରୀ-ବ୍ରାତ
ଦେଖି କୃଷ୍ଣ-ଶିଶୁପାଳ ରଣ, ହେଲେ କେହି
ଭୀତା, କେହି ଆନନ୍ଦିତା, ରୁଚିଲା ରୁକ୍ମିଣୀ
ବୋଇଲେ କୃଷ୍ଣାଙ୍କୁ ଚାହିଁ ସଭୟେ ବିସ୍ମୟେ-
ସହସା କିପାଇଁ ସଖି ଧରିଲା ଆକାଶ
ପିଙ୍ଗଳ ବର୍ଣ୍ଣ ? ଚପଳା ଚମକେ ଚୌଦିଗେ
ଘନ ଘନ, ବିନା ମେଘେ, ଏ କି ଦୁର୍ଲ୍ଲକ୍ଷଣ ?
ବ୍ୟାକୁଳ ଏ ପ୍ରାଣ ସଖି ! ପ୍ରାଣସଖା ପାଇଁ,
ଏକେଶ୍ୱର ସମ୍ପ୍ରତି ଯେ ପ୍ରାଣନାଥ ମୋର ।
ବୋଇଲେ ଦ୍ରୋପଦୀ, ଦେବୀ ! ଆତତ୍ମବିସ୍ମୃତିର
ଗୂଢ଼ ଆବରଣେ ତୁମ୍ଭେ ହୋଇ ଆଚ୍ଛାଦିତା,
ସାର୍ଥକିଲ ସିନା ଆହୋ ଭୀରୁମଣି ନାମେ,
ଏକର ମହିମା ତୁମ୍ଭେ ନ ଜାଣ କି ଦେବି ?
ଏକଚନ୍ଦ୍ର ଆଭାମୟ କରନ୍ତି ଜଗତେ
ନଭେ ଉଇଁ, ମୁଣ୍ଡାଇଛି ଏକା ଶେଷ ଅହି
ଏ ନିଖିଳ ମହୀ, ପୁଣି ଏକା ହନୁମାନ
ବିଧ୍ୱଂସିଲା ସ୍ୱର୍ଣ୍ଣଲାଙ୍କା ଉଲ୍ଲଙ୍ଘି ସାଗର ।
ଏକ ସୂର୍ଯ୍ୟ ଯଥା ବହୁ ସ୍ଫଟିକ ପାଷାଣେ
ହୁଅନ୍ତି ବିମ୍ୱିତ, ତଥା ଦେବସ୍ୱାମୀ ତବ,
ସର୍ବଜୀବେ ବିଦ୍ୟମାନ ଏ ନିଖିଳ ଭବେ;
ଅତଏବ ବିରାରୋହେ ! ନୁହନ୍ତି ଏକାକୀ
ସ୍ୱାମୀ ତବ, ତେଜ ମନୁ ଅକାରଣ ଭୟ ।
ଦାମଘୋଷିର ଶ୍ରୀହରି ଜିଗୀଷା-କେବଳ
ଧୃଷ୍ଟତା ମାତ୍ର, ଯେସନ ବେଣାଫୁଟକରି ୧
ଆକାଶ ଧାରଣ ଆଶା ଦୂର୍ବଳ ଚରଣେ,
ବେଣାଫୁଟକି ନାମରେ ବିହଙ୍ଗମ ଏକ
କ୍ଷୁଦ୍ରଦପି ଅତିକ୍ଷୁଦ୍ର, ନିବସଇ ସଦା
ବେଣାପାଟେ, ରଜନୀରେ ଶୁଅଇ ସେ ଖଗ
୧- କ୍ଷୁଦ୍ର ପକ୍ଷିବିଶେଷ ।
ଉତ୍ତାନଭାବରେ, ଟେକି ସୂକ୍ଷ୍ମସୂତ୍ରସମ
ଅତି କ୍ଷୀଣ ପାଦଦ୍ୱୟ ଊର୍ଦ୍ଧ୍ୱେ, ଯେ ହେତୁରୁ
ଦୈବେ ଯଦି କେବେ ଭାଙ୍ଗିପଡ଼ିବ ଆକାଶ,
ତେବେ ସେ ଧରିବ ତାକୁ ଦୁଇ ଗୋଡ଼େ ଟେକି,
ନଗଣ୍ୟ ପକ୍ଷୀର ଏହି ଦୁରୂହ କଳ୍ପନା
ଯଥା ବିଡ଼ମ୍ୱନା, ତଥା ବ୍ରହ୍ମାଣ୍ଡ-ଧର୍ଷଣ
ଶ୍ରୀକୃଷ୍ଣେ, ଶିଶୁପାଳର ବିଜୟାଭିଳାଷ
ଅଟେ ସିନା ଦେବି ! ଖାଲି ଉପହସନୀୟ ।
ଆକାଶର କଥା ଯାହା ପଚାରିଲ ଦେବି !
ପାରୁ ନାହିଁ ବୁଝି ମୁହିଁ କିଛି ତାହା, ଓହୋ !
ଉନ୍ମୀଳିଲେ କପାଳସ୍ଥ ନେତ୍ର କି କପାଳୀ,
ପୁଣି ଅବା କାମ ପରି ଦହିବେ କାହାକୁ,
କେଉଁ ଅଭାଗ୍ୟର ହାୟ ଫାଟିଲା କପାଳ !
ଶୁଣିଛି ମୁଁ ବିଶ୍ୱକର୍ମ୍ମା-ଅମର ବିନ୍ଧାଣୀ,
ସୂର୍ଯ୍ୟଙ୍କୁ ଘର୍ଷଣ ଶାଣେ କରିବା ସମୟେ
ସୃଷ୍ଟି ଆଦ୍ୟେ, ହୋଇଥିଲା ଚଣ୍ଡାଂଶୁ କିରଣ
ଏଭଳି ପ୍ରଚଣ୍ଡ ଅତି, ଦୃଷ୍ଟିରୋଧିକାରୀ ।
ନାହିଁ ନାହିଁ ବୁଝିଅଛି, ଦୁରାତ୍ମା ଚେଦିପ,
ନିକ୍ଷେପିଛି ଆଗ୍ନେୟାସ୍ତ୍ର ଏକ, ଏ ତାହାରି
ପ୍ରଭା । କେତେ କ୍ଷଣ ଅନ୍ତେ ପୁନଶ୍ଚ ରୁକ୍ମିଣୀ,
ପଚାରିଲେ ନଭେ ଚାହିଁ ଦ୍ରୌପଦୀଙ୍କୁ ଏହା,-
ଏହି ଦେଖ ସଖି ! କେକିକଣ୍ଠ ବର୍ଣ୍ଣ ଶୋଭୀ
ମେଘମାଳେ, କାହୁଁ ଆସି ଛାଇଲେ ସହସା
ବିଷ୍ଣୁପଦେ, ସ୍ଫୁରେ ତହିଁ ଚପଳା ଚପଳେ,
ଇତସ୍ତତଃ ଧାବମାନ ହେଉଛନ୍ତି ମେଘେ
ଖରବେଗେ ନଭସ୍ତଳେ, ଯଥା ନବଧୃତ
ସଭୀତ କୁଞ୍ଜରପୁଞ୍ଜ ଖୁଆଡ଼ ୨ ମଧ୍ୟରେ
ତୀର ବେଗେ ଦଉଡ଼ନ୍ତି ଗଭୀରେ ଚିତ୍କାରି ।
୨- ହାତୀଖେଦା- ହାତୀ ଧରିବା ନିମିତ୍ତ ବାଡ଼
ଆବୃତ ସୁବିସ୍ତୀର୍ଣ୍ଣ ସ୍ଥାନ ।
ଦେଖି ବିଭୀଷିକାମୟୀ ଅଦ୍ଭୁତ ଘଟନା,
କ୍ଷଣେ କ୍ଷଣେ ପଶୁଅଛି ଛନକା ଛାତିରେ
ମୋର, ସଖି ! ଏ ଯାତନା ଅସହ୍ୟ ଅତୀବ ।
ସସ୍ମିତେ ସଧୀରେ ତହୁଁ ଭାଷିଲେ ପାଞ୍ଚାଳୀ,-
ଶ୍ରୀନାଥ-ବଲ୍ଲଭେ ! ତୁମ୍ଭ ସ୍ୱାମିକୃତ ଏହା,
ପ୍ରତିସଂହାରିବା ପାଇଁ ଶିଶୁପାଳ ବାଣ,
କରିଛନ୍ତି ବରୁଣାସ୍ତ୍ର ଶ୍ରୀହରି ନିକ୍ଷେପ,
ତାହାରି ଏ ମହାପ୍ରଭା ବ୍ୟାପିଛି ଆକାଶେ,
ଏହି ଦେଖ ମହାଦେବି ! ବାରି ବରଷଣେ
ହୋଇଗଲା ଦୁରାତ୍ମାର ଅଗ୍ନିବାଣ ବୃଥା ।
ପୁଚ୍ଛିଲେ ରୁକ୍ମିଣୀ ପୁଣି ଭବେଶ-ଭାମିନୀ,- ୩
ଏ ପୁଣି କି ହେଲା ସଖି ! ବୃଷ୍ଟିବାରିଧାରା
୩ - ଶ୍ରୀକୃଷ୍ଣଙ୍କ ସ୍ତ୍ରୀ
କିପାଁ ହୁଏ ଆଲୋକିତ ଅକଥିତରୂପେ ?
ଉତ୍ତରିଲେ କୃଷ୍ଣା- ସତି ! ଚନ୍ଦୋଳାଧିପତି
ନୁହଇ ସାମାନ୍ୟ ବୀର, -ସାମାନ୍ୟ ପ୍ରତାପୀ,
ମହାବଳବନ୍ତ ସେହୁ ମହାବିଷ୍ଣୁ ତେଜେ,
ତ୍ୟାଗ କରି ବାୟବ୍ୟାସ୍ତ୍ର,ବୀର, ନିବାରିଲା
ସଖାଙ୍କର ବରୁଣାସ୍ତ୍ର-ପ୍ରସତ ବାରିଦେ ।