ପଞ୍ଚମ ସର୍ଗ — ଶିଶୁପାଳ ବଧ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ସର୍ଗ
ଖଡ଼ିୟାଳ ମହୀପାଳ ହେ ବୀର ବିକ୍ରମ !ଅଟ ତୁମ୍ଭେ ଯେଣୁ ଦେବ ସାହିତ୍ୟ-ରସିକ,ତେଣୁ ଆମନ୍ତ୍ରିଲି ଅଗ୍ରେ ସାଦରେ ବିନୟେତୁମ୍ଭଙ୍କୁ, ହେ କାବ୍ୟ-ବନ-କଳକଣ୍ଠ-ପିକ !ଶୁଣ ଏ ଗୀତିକା ମୋର ଦିବ୍ୟ ଅବଧାନେ ।ତବ ଯୋଗ୍ୟ ଉପାୟନ ଏ ନଗଣ୍ୟ ଗୀତନୁହେଁ ସତ୍ୟ, କିନ୍ତୁ ଦେବ ! ଶୁଣିଅଛି ମୁହିଁ,ଦୀନ-ଭକ୍ତି-ଦତ୍ତ-ଦ୍ରବ୍ୟ, ଅକିଞ୍ଚିତକରହେଲେ ସୁଦ୍ଧା, ମହାଜନେ ଗ୍ରହନ୍ତି ସାଦରେତାହା, ଭକ୍ତିଦତ୍ତ ବୋଲି ସିନା ବନମାଳୀ,ଭୁଞ୍ଜିଲେ ବିଦୂର ଗଅହେ ଶାକାନ୍ନ ସାଗ୍ରହେ !କି ନ ମିଳେ ତ୍ରିଲୋଚନେ ?-ତ୍ରିଲୋକ ଈଶ୍ୱର,କିନ୍ତୁ ଭକ୍ତ-ଭକ୍ତି-ଦତ୍ତ ଧୁତୁରା, ଗଇଛେଗ୍ରହନ୍ତି ସନ୍ତୋଷ ସେହୁ, ରୂପଗନ୍ଧହୀନ ।ଏଣୁ ତେଜି ମନୁ ଭୀତି ଆହ୍ୱାନିଲି ନୃପ !ଶ୍ରୀଛାମୁଙ୍କୁ, ଆଜ୍ଞା ହେଉ ଶୁଣିବାକୁ ଏବେ ।ଲାଗିଅଛ ଶତହସ୍ତେ କାର୍ଯ୍ୟେ, ଅଟ ରାୟେ !ଯୋଗଜନ୍ମା ରାଜା ତୁମ୍ଭେ, ରମା, ବୀଣାପାଣି,ବରିଛନ୍ତି ସମଭାବେ ଶ୍ରୀଛାମୁଙ୍କୁ, ତେଜିସପତ୍ନୀ-ବିଦ୍ୱେଷ ସଦା ! ପ୍ରଜାପାଳନରଗୁରୁଭାର ଅଛି ଶିରେ, ନାଟକ-ଲେଖକ-ରୂପେ, ଲିପ୍ତ ଅଛ ସଦା ସମାଜ-ସଂସ୍କାରେ,ହିନ୍ଦୀଭାଷାପ୍ଳାବୀ ରାଜ୍ୟେ କରି ସୁଦ୍ଧା ବାସ,ଆବାଲ୍ୟରୁ ମନପ୍ରାଣ ଦେଇଅଛି ଢାଳିମାତୃଭାଷା ସେବାବ୍ରତେ, ଯେଣୁ କର୍ମବୀରତୁମ୍ଭେ, ତେଣୁ ଚାହୁଁଛନ୍ତି ଉତ୍କଳ ଜନନୀତୁମ୍ଭରି ଆଡ଼କୁ, ଆହା ! ଆତୁର ନେତ୍ରରେ,ଅର୍ପେ ସିନା କର୍ମ ମାତା କର୍ମକ୍ଷମ ସୁତେ ।ପ୍ରତିଷ୍ଠା-ପ୍ରୟାସୀ ତୁମ୍ଭେ ନୁହଁ ନରଦେବ !କିନ୍ତୁ ବଳେ ବଳେ ଆସି ପ୍ରତିଷ୍ଠା ତୁମ୍ଭଙ୍କୁଧରୁଅଛି ଦୃଢ଼େ, ଯଥା ପାଦପେ ଲତିକା ।ପାଷାଣ୍ଡ-ଦଳନ ଲୀଳା କୃଷ୍ଣଚନ୍ଦ୍ରଙ୍କରମଧୁର, ପବିତ୍ର, ଯଥା ପୀୟୁଷ ପ୍ରପାନ,ଶୁଣ ନରନାହା ! ତାହା ଅବହିତ ମନେ ।ତୁମ୍ଭେ ସୁଦ୍ଧା ଶୁଣ ଆହେ ରାଜଧର୍ମୀ-ରାଜା,ସୁରଙ୍ଗୀ-ଧରଣୀପାଳ ଗୁଣ-ବିଚକ୍ଷଣ,ସ୍ୱଚ୍ଛ-ଶୁକ୍ଳ ସୁଶୀତଳ ପବିତ୍ର ସଲିଳା-ବାହୁଦା ୧ ପ୍ରତୀରବାସୀ ଚନ୍ଦ୍ରଚୂଡ଼ ସମଦେବ ଚନ୍ଦ୍ରଚୂଡ଼ାମଣି ! ଆମନ୍ତ୍ରିଲି ମୁହିଁକରଯୋଡ଼େ, ଯେଣୁ ତୁମ୍ଭେ ଉପଯୁକ୍ତ ଶ୍ରୋତା ।୧- ବାହୁଦା-ଗଞ୍ଜାମ ଜିଲାର ଇଚ୍ଛାପୁରସ୍ଥ ନଦୀ ।ରୂପ-ରସ-ଗନ୍ଧହୀନ କଦଳୀ ପଟୁକା,କୁସୁମ ପରଶେ ଯଥା ଲମ୍ୱେ ଦେବଗଳେ,ତଥା ଏ ଗୀତିକା ମୋର କବିତା ଚାତୁରୀ,-
ରସଭାବ-ହୀନ ଶୁଷ୍କ ହେଲେ ସୁଦ୍ଧା, ତହିଁ
ରସରାଜ ରାସେଶ୍ୱର ହରିଙ୍କର ରସ
ଥିବାରୁ ବର୍ଣ୍ଣିତ, ତାହା ଶୁଣିବା ଉଚିତ ।
ମୁନୀନ୍ଦ୍ର-ବାଦରାୟଣି-ବେଦ-ପୂତ-ମୁଖ-
ବିନିଃସୃତ, ମୋକ୍ଷପ୍ରଦ ମହାଭାରତୀର
ପ୍ରତିଧ୍ୱନି ଏହା, ଏଣୁ ପୂତ, ଶ୍ରବଣୀୟ ୨
ସାହିତ୍ୟପ୍ରେମିକ ତୁମ୍ଭେ, ମତ୍ତ ସଦା ପୁଣି
ସାହିତ୍ୟ ଆଳାପେ, ଧରି ସମୟ-ତରଣୀ-
ମଙ୍ଗେ, ଆଣ୍ଟେ, ଯଥାକାର୍ଯ୍ୟ କର ଯଥାକାଳେ,
ଶିଶୁପାଳବଧ ବ୍ୟାସ-ବିରଚିତ ମହାଭାରତର ଅନ୍ତର୍ଗତ ।
ତେଣୁ ଦୃଷ୍ଟା ବିଳାସିତା-ଚରିତ୍ରନାଶିନୀ,
ପଶେ ନାହିଁ ପାଖ ତବ ଡ଼ରେ, ଡ଼ରେ ଯଥା
ତ୍ରିପୁର-ବିଜୟୀ ସ୍ମର, ସ୍ମରହର-ହରେ ।
କର୍ମବୀର, କିନ୍ତୁ ନାମପ୍ରାୟସ-ବିରୋଧୀ,
ସଦା କର୍ମ-କଞ୍ଚୁକରେ ଥିବାରୁ ଆବୃତ
ଶ୍ରୀଅଙ୍ଗ ତୁମ୍ଭର, ନୃପ ! ଷଡ଼ରିପୁ-ବାଣ
ବାଜିତହି ହୋଇଗଲା ବ୍ୟର୍ଥ, (ଯେ ଅମୋଘ
ଆୟୁଧେ, ଚରିତ୍ର-ତରୀ ଫାଟିଯାଇ ଆହା !
ହୁଏ ନିମଜ୍ଜିତ ପାପ-ଅତଳ-ସାଗରେ)
ତହୁଁ ଦୁଷ୍ଟେ ପୃଷ୍ଠଭଙ୍ଗ ଦେଇ ମହାଭୟ
ଲୁଚିଲେ କେ କାହିଁ, ଆଉ ନ ଦିଅନ୍ତି ଦେଖା,
କି ବର୍ଣ୍ଣିବି ନରବର ଛାମୁଙ୍କ ସୁଗୁଣ ?
ନବ-ହର୍ମ୍ୟ ଉପକଣ୍ଠେ ବହଇ ବାହୁଦା,
ଦେଖି ତାହା ଭାବେ ମୁହିଁ ମାନସେ ଏସନ,-
ବହୁଛି କି ଛାମୁଙ୍କର ଶୁଭ୍ର ଯଶୋରାଶି
ସ୍ରୋତରୂପେ ? ଗାଇ ତବ ବିଜୟ-ଗୀତିକା
ହର୍ଷ କଳକଳ ସ୍ୱରେ । ଗୀତେ ଅବଧାନ
ହେଉ ନରମଣି ! ମୋର ଏତିକି ମାଗୁଣି ।
ଅଧିକେ ବିଳମ୍ୱ ନାହିଁ ପାହିବାକୁ ରାତି,
ଦିଶିଲେଣି ଚନ୍ଦ୍ରସହ ତାରାଗଣେ ଫିକା,
ଯଥା ପର୍ଯ୍ୟୁଷିତ ପୁଷ୍ପ, ଫିକା ଦୀପଶିଖା,
ବହେ ଶୀତ ସମୀରଣ ରଣରଣ ସ୍ୱନେ ।
ଉଠିଲା ପ୍ରଭାତୀ-ପୂତ ସଙ୍ଗୀତର ଧ୍ୱନି
ଭକ୍ତକଣ୍ଠୁ- ଉଠ ଉଠ ପାହିଲା ରଜନୀ
ହେ ରଘୁମଣି, ଆହା, କି ଲଳିତ ମଧୁର !
କୋମଳ କାକଳି ଛଳେ ଗାଇଲେ ପକ୍ଷୀଏ
ଉଷାର ବନ୍ଦନା, ଧରା ଦିଶିଲା ଧବଳ
କ୍ରମେ କ୍ରମେ, ପ୍ରାଚୀନଭେ ଦେଖାଦେଲେ ରବି,
ଚାରୁ ହିଙ୍ଗୁଳିତ ଛବି, ଆହା ! ସେ କି ଶୋଭା
ପ୍ରାଚୀ-ଦିଗ୍ବାରଣ-ବଧୂ କରିଛି ପ୍ରସବ
ଆରକ୍ତ ପେଣ୍ଡୁଳାଟିଏ ? ବିଞ୍ଚଇ କି କାନେ
ଶବକ ଲାଭାର୍ଥେ ତାକୁ ? ସେହି ବାୟୁସ୍ରୋତ
ଦିଗ୍ଦନ୍ତୀ କପୋଳୁ ହରି ପରିମଳ ମଦ
ଆସଇ କି ପ୍ରାତେ ବହି ଧୀରେ ଚାରିଆଡ଼େ ?
ପୌରନ୍ଦରୀ ତଟେ ଗଜା-ବଉଦ ଉପରେ
ପଡ଼ି ବାଳରବି-କର, ସୃଜଇ ରୁଚିର-
ସ୍ୱର୍ଣ୍ଣ ବିମାନର ଶୋଭା, ଯଥା ରବିଙ୍କର
ହିରଣ୍ମୟ ରଥ, ମାଘ ଶୁକ୍ଳ ସପ୍ତମୀରେ
ରାଜେ ଚନ୍ଦ୍ରଭାଗା ତୀର୍ଥେ-ମହୋଦଧି କୂଳେ ।
ଯଥାକାଳେ ଶଯ୍ୟା ତେଜି ଭଦ୍ରା ସୁକୁମାରୀ,
ସାରି ପ୍ରାତଃକୃତ୍ୟ ଅତି ସଂକ୍ଷେପେ ସତ୍ୱର
ବିଜେ କଲେ ଭଦ୍ରାସନେ, ଏମନ୍ତ ସମୟେ
ଅମଳ-କମଳନେତ୍ରୀ ସଙ୍ଗିନୀ କମଳା,
ବିମଳା ବିମଳ-ଦେହା, ସୁ-ଶୀଳା ସୁଶୀଳା,
ପ୍ରିୟମ୍ୱଦା ପ୍ରମୀଳାଦି ଉପସ୍ଥିତ ଆସି,
ସେମାନଙ୍କ ମୁଖେ ଆଜି ଧରୁ ନାହିଁ ହାସ,
ଉଛୁଳିଣ ତାହା ଆହା ! ଦେଇଛି ବୁଡ଼ାଇ
ଓଷ୍ଠାଧର ବେନି, ଯେଣୁ ଆସିଥିଲେ କେତେ
ଫନ୍ଦା ଫାନ୍ଦି, ରାଣୀଙ୍କର ଆନନ୍ଦ ସହିତେ
ଯିବେ ମିଶି କ୍ଷୀର ନୀର ପରି, ଦୀନଜନେ
ବାଣ୍ଟିବେ ବଧାଇ, ବସ୍ତ୍ର ଅଳଙ୍କାର ଆଦି,
ଛଳିବେ ରାଣୀଙ୍କୁ ପରିହାସେ, ଆସିଥିଲେ
ଏହିପରି ନାନାଭାବ ମନାସି ମାନସେ ।
କିନ୍ତୁ ଯାହା କଳ୍ପିଯାଏ ମନ, ତାହା ସବୁ
ହୁଏ ନାହିଁ ପରିଣତ କାର୍ଯ୍ୟେ, ସବୁବେଳେ,
ଆଶା ମନୁଷ୍ୟର, କିନ୍ତୁ ତାର ସଫଳତା
ବିଶ୍ୱ-ବିଧାତାଙ୍କ ହସ୍ତେ, ଏହା ସତ୍ୟ, ଧ୍ରୁବ ।
ଦୃଢ଼ ବନ୍ଧ ଲଭି ଯଥା ନିମ୍ନଗାମୀ ସ୍ରୋତ
ହୁଅଇ ସଂରୁଦ୍ଧ, ତଥା ରାଣୀଙ୍କୁ ବିମନା
ଦେଖି, ସଖୀଙ୍କର ହର୍ଷ ପଡ଼ିଲା ମଉଳି ।
କିନ୍ତୁ ନ ପାରିଣ ଜାଣି ଦୁଃଖର କାରଣ
ରାଣୀଙ୍କର କିଛି, ସର୍ବେ ସଂଶୟ-ଦୋଳାରେ
ପଡ଼ି ହେଲେ ଦୋଳି, ତାହା ପଚାରିବା ପାଇଁ
ନ ହେଲା ସାହାସ କାର ରାଣୀଙ୍କୁ, ସକଳେ
ନୀରବେ ବସିଲେ ଯାଇ ଯଥାଯୋଗ୍ୟ ସ୍ଥାନେ ।
କେତେ କ୍ଷଣ ପରେ ତହୁଁ କୋମଳଭାଷିଣୀ
କମଳା, କହିଲା ଧୀରେ ରାଣୀଙ୍କୁ ସମ୍ୱୋଧି,-
ମହାଦେବି ! କ୍ଷମା ଆଜ୍ଞା ହେଉ, ଏ ଅଧୀନା
ପଚାରିବ କଥା ଏକ, ଖଞ୍ଜନ-ନୟନେ !
କିପାଇଁ ବିମର୍ଷ ଚିହ୍ନ ଶ୍ରୀମୁଖ-ମଣ୍ଡଳେ ?
ଉତ୍ତରିଲେ ଭଦ୍ରାରାଣୀ- କି କହିବି ସଖି !
ରଜନୀର ଶେଷଯାମେ କାଲି, ଦେଖି ଏକ
କୁସ୍ୱପ୍ନ, ହେଉଛି ଘାଣ୍ଟି ହୃଦୟ ମୋହର ।
ଏହା ଭାଷି ସେ ସ୍ୱପ୍ନର ଆମୂଳ ଘଟନା
ବର୍ଣ୍ଣିଗଲେ ସବୁ, ଯଥା ଶିଷ୍ଟ ଚାଟପିଲା
ସ୍ୱକୀୟ ଅଭ୍ୟସ୍ତ ବିଦ୍ୟା କହେ ଗୁରୁଆଗେ ।
ରାଣୀଙ୍କର ରାତ୍ରି-ଦୃଷ୍ଟ ସ୍ୱପନ ବିଷୟ
ବରାଙ୍ଗୀ କମଳା, ଶୁଣି ବୋଇଲା ସସ୍ମିତେ,-
କି ନ ଜାଣ ଦେବି ! ସର୍ବଶାସ୍ତ୍ର-ସୁପ୍ରବୀଣା,
ଏ ଛାର କଥାକୁ ଏତେ ଭାବନା କିପାଇଁ ?
ଛାୟାରେ ଆରୋପ ରୂପ ଯଥା ଅସମ୍ଭବ,
ସ୍ୱପ୍ନରେ ସତ୍ୟତାରୋପ ସୁଦ୍ଧା ସେହିପରି
ବୃଥା, ସ୍ୱପ୍ନ ଅଟେ ଖାଲି ଭ୍ରାନ୍ତି ଇନ୍ଦ୍ରଜାଲ ।
ବୋଇଲା ବିମଳା ସଖୀ ବିମଳସ୍ୱଭାବା,-
ଚେଦୀଶ୍ୱରି ! ଜାଣୁ ଜାଣୁ ତୁମ୍ଭେ ଚେଦୀଶ୍ୱର
ପରାକ୍ରମ, ଭାବ କିପାଁ ଅନ୍ୟଥା ତାହାର
ବାତୁଳାଣୀ ପ୍ରାୟ ? ପଡ଼ି ଅକାରଣ ଭ୍ରମେ,
କେ ଅଛି ଏମନ୍ତ ଭବେ, ଧରଷିବ ଯେହୁ
ନୃପସିଂହ ଚେଦୀଶ୍ୱରେ ? ଦେବି ! ଛାଡ଼ ବୃଥା
ଚିନ୍ତା । ତହୁଁ ଚାରୁଶୀଳା ସୁଶୀଳା ସୁନ୍ଦରୀ,
ଭାଷିଲା ମଧୁରେ ଯଥା କଳକଣ୍ଠୀ ସାରୀ,
ଶୁଣିଛି ମୁଁ ଲୋକମୁଖେ, ସ୍ୱପନର ଫଳ
ହୁଏ ପୂର୍ଣ୍ଣ ବିପରୀତ, ଦେଖିଲେ ଘରକୁ,
ଘଟଇ ପରକୁ ତାହା, ଅତଏବ ରାଣି !
ତୁମ୍ଭ ସ୍ୱପ୍ନଫଳେ ଯିବ ଶତ୍ରୁ ତବ ନାଶ ।
ବୋଇଲା ପ୍ରମୀଳା ଶେଷେ, ପ୍ରଳମ୍ୱକୁନ୍ତଳା,-
ସୁଶୀଳା ସଜନୀ କଥା ଅଟେ ନିଶ୍ଚେ ସତ,
ଭୋଗିଛି ଦେହକେ ମୁହିଁ, ଥରେ ଏହିପରି,-
ଦିନେ ନିଶିଯୋଗେ ମୁହିଁ ଦେଖିଲି ସ୍ୱପନେ,
ଯାଇଛି ମୁଁ ମରି, ମୋର ମୃତଦେହେ, ଘେନି-
ଗଲେ ଯମରାଜ ପାଶେ ଯମଦୂତମାନେ,
କେତେ ଯେ ଦଣ୍ଡିଲା ଯମ କି କହିବି ତାହା ?
ଉପବିଷ୍ଟ ଯମରାଜା କୃଷ୍ଣକାନ୍ତ ପୁରୀ
ମଧ୍ୟେ କୃଷ୍ଣ ମଣ୍ଡପରେ, କୃଷ୍ଣପରିଚ୍ଛଦ-
କୃଷ୍ଣବସ୍ତ୍ରଧାରୀ, ତାର ଦେହଯାକ କଳା,
ଧାନସିଝା ହାଣ୍ଡି ପରି, ବଡ଼ମୁଣ୍ଡେ ତାର
କୃଷ୍ଣ ଶିରସ୍ତ୍ରାଣ, କରେ ଅତି ତ୍ରାସପ୍ରଦ
ସ୍ଥୂଳ-ଦୀର୍ଘ-କୃଷ୍ଣଦଣ୍ଡ, ଯଥା କେନ୍ଦୁବାଡ଼ି,
ପାର୍ଶ୍ୱଦେଶେ ଚିତ୍ରଗୁପ୍ତ ପ୍ରଧାନ-ପାଞ୍ଜିଆ,
ବସିଅଛି ପିଣ୍ଡି ୧ ପରେ, ଅଗ୍ରେ ଥୁଆ ତାର
୧- ପିଣ୍ଡି ମୃତ୍ତିକା ମଣ୍ଡପ ।
ପାଞ୍ଜିବିଡ଼ା, କାଠପୀଢ଼ା ପୃଷ୍ଠେ, ଅତି ବୁଢ଼ା
ସେହୁ, ପାଚି ମୁଣ୍ଡେ ବାଳ, ଦିଶେ ଝୋଟ ପରି,
ପ୍ରଚକ୍ଷୁ ଲଗାଇ ବୁଢ଼ା ଲେଖିଯାଏ ଖରେ
ତାଳପତ୍ରେ, ଫାଳସମ ଲୌହ ଲେଖନୀରେ ।
ରୋଗ, ପାପ, ହତ୍ୟା ତିନି ବଡ଼ ସେନାପତି
ଉଭା ଅନୁଚର ସହ ଆଜ୍ଞା ପ୍ରତୀକ୍ଷାରେ ।
ଗୁମାସ୍ତା, ଛାମୁକରଣ, ବେବର୍ତ୍ତା ପ୍ରଭୃତି
କର୍ମ୍ମଚାରିବୃନ୍ଦ ବସି ଯଥାସ୍ଥାନେ, ରତ
ନିଜ ନିଜ କାର୍ଯ୍ୟେ, ଯଥା ପାଠାର୍ଥୀ ବାଳକେ,
ବେତ୍ରହସ୍ତ ଅବଧାନ ତହିଁ ଦଣ୍ଡଧର,
ଚିତ୍ରଗୁପ୍ତ ବଡ଼ଚାଟ । ମହାଦରବାର
ଲାଗିଅଛି ତହିଁ, ଯମ କରନ୍ତି ବିଚାର,
ଗୋଟାଏ ମାମଲା ସୁଦ୍ଧା ରହେ ନାହିଁ ବାସି,
ସଦ୍ୟ ସଦ୍ୟ ଛିଡ଼ିଯାଏ ସେ ଦିନର ଯେତେ ।
ନାହିଁ ତହିଁ ମୁଦ୍ରା ବିକ୍ରି, ୨ ବ୍ୟବହାରଜୀବୀ ୩
(ଅର୍ଥ ଉପାସକ ଯେହୁ, ଯୁକ୍ତିତର୍କ ବଳେ କରିପାରେ
କଳା ଧଳା ପୁଣି ଧଳା କଳା)
କାଣ୍ଡିଆଳ ୪ ପ୍ରବର୍ତ୍ତକ, ପ୍ରବଞ୍ଚକ, ଅବା
୨-କୋଟଫିସ ବିକ୍ରି । ୩- ଓକିଲ ।
୪- ଯେ ଓକିଲ ମୋକ୍ତାରଙ୍କୁ ମାମଲା ଯୋଗାଏ ।
ସାହାସିଆ ବାହାପିଆ କାନକୁହା ଆଦି,
କିମ୍ୱା ଯଙ୍କା କଉଡ଼ିର ବ୍ୟବହାର କିଛି ।
ସେଠାରେ କାହାରି ସାକ୍ଷ୍ୟ ହୁଏ ନାହିଁ ଲୋଡ଼ା,
ସମସ୍ତଙ୍କ ସାକ୍ଷୀ ଏକା ଚିତ୍ରଗୁପ୍ତ ପାଞ୍ଜି ।
ନୟନ ଫେରାଇ ମୁହିଁ ଚାହିଁଲି ଚୌଦିଗେ,
ଦେଖିଲି ଅସଂଖ୍ୟ ପୁରୀ, ଧୂମମୟୀ କେହି,
କେହି ଅନ୍ଧକାରମୟୀ, ଯଥା ଅମାନିଶା ।
କାହିଁ ଲକ୍ଷ ଲକ୍ଷ ଶବ ହେଉଅଛି ଦାହ,
ବାହାରେ ଦୁର୍ଗନ୍ଧ ତହୁଁ, ଅସହ୍ୟ ଅତୀବ,
ସେ ଦୁର୍ଗନ୍ଧ ଆଘ୍ରାଣରେ ଅନ୍ନପ୍ରାଶନର
ଅନ୍ନ ସୁଦ୍ଧା ହୋଇଯିବ ଖରେ ଉଦ୍ଗାରିତ ।
ପ୍ରସ୍ରାବ ପୁରୀଷ କୁଣ୍ଡେ କାହିଁ ବା ପାପୀଏ
ରହିଛନ୍ତି ବୁଡ଼ି, ଥରେ ଟେକିଲେ ମସ୍ତକ,
ଝାମ୍ପି ଉର୍ଦ୍ଧ୍ୱୁ ଶ୍ୟେନପକ୍ଷୀ, ଲୌହ ସଣ୍ଡୁଆଶୀ-
ସମଥଣ୍ଟେ, ଟାଣିନିଏ ତାହାଙ୍କର ଆଖି,
କାହିଁ ମିଳି ଶିବାଶ୍ୱାନେ ପାପିଦେହୁଁ ଆହା !
ବିକଟେ ଓଟାରି ମାଂସ ଭୁଞ୍ଜନ୍ତି ହରଷେ ।
ନାହାନ୍ତି ସେ ନଭେ ଚନ୍ଦ୍ର କିମ୍ୱା ଦିବାକର,
ଧୂମକେତୁ ଭୀମପୁଚ୍ଛ ଆନ୍ଦୋଳି ସଘନେ
ବୁଣେ ସଦା ଅଗ୍ନିକଣା, ଅଗ୍ନିବୃଷ୍ଟି କରେ
ସଘନେ ନିନାଦି ଘନ ପାତକୀ ମସ୍ତକେ,
କାହିଁ ଭୀମ ଯମଦୁତେ ଉପଯମ ସମ
ରତ ଅବିରତ ପ୍ରେତ ପାପୀ ନିର୍ଯ୍ୟାତନେ,
ମହାଉଗ୍ର କେହୁ, ଧରି ଜ୍ୱଳନ୍ତ ସଣ୍ଡାଶୀ
ଟାଣେ ମିଥ୍ୟାବାଦୀ ଜିହ୍ୱା, କେଉଁ ଦୂତ ଅବା
ବିଟପୀ ବିଟପେ ଘେନି, ଶୁଆଉଛି ନେଇ
ଅଗ୍ନିତପ୍ତ ତାମ୍ରପତ୍ରେ, ଅଧୋମୁଖେ, ହାୟ !
ପୋଡ଼େ ଚର୍ମ ଚଡ଼ଚଡ଼େ, ପୁଣି ତା ଉପରେ
ଢଳାହୁଏ ଘଡ଼ା ଘଡ଼ା ତୈଳ, ବାହାରିଣ
ତହୁଁ ତୀବ୍ର ଗନ୍ଧ, ରୁନ୍ଧିଦିଏ ନାସାପଥ,
ଯେହୁ ଦେଶଦ୍ରୋହୀ ପାପୀ, ଶୋଷିଣ ଦେଶର
ଅସ୍ଥିମଜ୍ଜା, ଦେଇଅଛି ମହାକ୍ଳେଶ, ପୁଣି
ମହାଭାର, ଯମଦୂତେ ଶୁଆଇ ତାହାକୁ
ଉତ୍ତାନେ, ଦିଅନ୍ତି ଚାପି ସେ ପାପୀ ଉପରେ
ସୁବିଶାଳ ଲୌହଶୈଳ, ସେ ଗୁରୁ ଚାପନେ
ପରିତ୍ରାହି ଡ଼ାକେ ପାପୀ କରୁଣ ଚିତ୍କାରେ,
ପରସ୍ୱାପହାରୀ ଦୁଷ୍ଟ ଆତତାୟୀ ଜନେ
ଅର୍ପନ୍ତି ଦାରୁଣ ଦଣ୍ଡ ଚଣ୍ଡ ଯମଦୂତେ,
ତାହାଙ୍କର ହସ୍ତ ପଦ ଚକ୍ଷୁ କର୍ଣ୍ଣ ଆଦି
ଉପାଡ଼ନ୍ତି ଚାଣ୍ଡେ, ମୁଣ୍ଡେ ପ୍ରହାରି ମୁଦ୍ଗର;
ଯେହୁ ରାଜଦ୍ରୋହୀ ମୂଢ଼, ଗୁଡ଼ାଇ ତା ଦେହେଁ
ତୂଳା, ଝୋଟ ଆଦି ଯେତେ ଦାହ୍ୟ ଦ୍ରବ୍ୟେ,- ଦୂତେ,
ଲଗାନ୍ତି ତହିଁରେ ଅଗ୍ନି, ପିତୃମାତୃ ଆଦି
ଗୁରୁଦ୍ରୋହୀ ଜନେ ଦୂତେ କଚାଡ଼ନ୍ତି ନେଇ
ବିଶାଳ ପାଷାଣେ, ଯଥା କଚଡ଼ା ଭାଡ଼ିରେ
କଚାଡ଼ନ୍ତି କୃଷୀବଳେ କଚଡ଼ା ବିଡ଼ାକୁ,
କିମ୍ୱା ଯଥା ଧୋବା ଲୁଗା ପିଟଇ ଗଣ୍ଡିରେ,
ଅବର୍ଣ୍ଣେୟ, ଧର୍ମଦ୍ରୋହୀ ପାତକୀ କଷଣ,
ସୁତୀକ୍ଷ୍ଣ କରତେ ଦୂତେ ଚିରି ଫାଳ ଫାଳ
ଦେହ ତାର, ଦେଉଛନ୍ତି ତହିଁ ମଡ଼ାଇଣ
କଟୁ ଦ୍ରବ୍ୟ-ଚୂନ, ଲୁଣ ବେଶରାଦି କରି,
ଜୀବହିଂସାପରାୟଣ ଯେଉଁ ନରପଶୁ,
ଘେରି ତାକୁ ଚଉପାଶୁଁ, ସିଂହ ବ୍ୟାଘ୍ର ଶ୍ୱାନେ
ଖାଉଛନ୍ତି ଦେହୁଁ ତାର କଳ କଳ ପଳ,
କାହିଁ ଦୂତେ ଢାଳୁଛନ୍ତି ସୁରାପାୟୀ ମୁଖେ,
ଆଉଟା ପିତ୍ତଳ ଧାରା, ଢୋକି ନ ପାରିଣ
ହୁଅଇ ଆକଚା ଦୁଷ୍ଟ, ସେହି ଦ୍ରବ ଧାତୁ
ବାହାରି ପଡ଼ଇ ନାସା କର୍ଣ୍ଣ ଚକ୍ଷୁପଥେ,
ଦ୍ୱିତୀୟ ମରଣ ଯେଣୁ ନାହିଁ ମରଣରୁ
ତେଣୁ ତହିଁ ଭୁଞ୍ଜେ ପାପୀ କେବଳ କଷଣ ।
ଅସ୍ୱାଭବୀ ମୂର୍ତ୍ତିଧରି, ଉପଯମ ସମ
ବୁଲୁଛନ୍ତି ଦୂତେ, କାର ଦେହ ନରାକୃତି,
କିନ୍ତୁ ମୁଣ୍ଡ ଘୋଡ଼ାମୁଣ୍ଡ ଭଳି, କାହାର ବା
ମର୍କଟ ମସ୍ତକ, ଦେହ ଗର୍ଦ୍ଦଭ ସମାନ,
କାହାର ବା ଦେହ ସିଂହ ପରି, କିନ୍ତୁ ମଥା
ବଜ୍ରଚଞ୍ଚୁ ଶ୍ୟେନ ମୁଣ୍ଡ ପ୍ରାୟ, ସେ ମଧ୍ୟରୁ
ଦୁଇଟାକୁ ଆଦେଶିଲା ଦଣ୍ଡଧର, (ମୋତେ
ଦେଖାଇ ଅଙ୍ଗୁଳି ଦ୍ୱାରା) ଯାଅ ରେ ! ଏହାକୁ
ଘେନି, ଭାଜ ତପ୍ତ ତୈଳେ, ପ୍ରହାରି ମୁଦ୍ଗରେ ।
ଆଜ୍ଞାମାତ୍ରେ ବାନ୍ଧି ମୋତେ ଚର୍ମ୍ମରଜ୍ଜୁ ଯୋଗେ,
ଘେନିଗଲେ ଯଥାସ୍ଥାନେ ଯମଦୂତେ, ତହିଁ
ଦେଖିଲି ମୁଁ ଅଗ୍ନିମୟ ପୁର ଏକ, ତାର
କାନ୍ଥ, ବାଡ଼, ଚାଳ, ସବୁ ଅଗ୍ନି ଉପାଦାନେ
ବିନିର୍ମିତ, ତହିଁ ମଧ୍ୟେ ଅଛି ପୁଣି ଏକ
ଅଗ୍ନିମୟ ହ୍ରଦ, ଜଳେ ଜଳ ସଦା ତାର
ଦୀପ୍ତ ହୁତାଶନ ସମ ହୋଇ ଊର୍ଦ୍ଧ୍ୱଶିଖ,
ସନ୍ତରନ୍ତି ତହିଁ କେତେ କେତେ ମହାପାପୀ
ପରିତ୍ରାହି ନାଦେ, ମୋତେ ନେଇ ଦୂତେ, ତହିଁ
ନିକ୍ଷେପିବାବେଳେ ଭାଙ୍ଗିଗଲା ମୋ ସ୍ୱପନ ।
ଦେଖିଲି ସକାଳୁ ଉଠି କାନ୍ଦୁଛି ପଡ଼ିଶା,-
ମରିଅଛି ସ୍ତ୍ରୀ ତାହାର, ଅତଏବ ରାଣି !
ନିଶ୍ଚୟ ସ୍ୱପ୍ନର ଅଟେ ବିପରୀତ ଫଳ ।
ବୋଇଲା କମଳା, ଶୁଣ ସଙ୍ଗିନୀ ପ୍ରମୀଳେ !
ବର୍ଣ୍ଣିଲୁ ଯେତେକ, ତାହା ପାତକୀର କଥା,
କହିଲୁ ତ ନାହିଁ କିଛି ଧାର୍ମିକ ବୃତ୍ତାନ୍ତ ।
କିପରି ସୁଖରେ ତହିଁ ଧାର୍ମିକ ମାନବେ
ନିବସନ୍ତି, କହ ସଖି ! ଦେଖିଛୁ ଯଦ୍ୟପି ।
ଖଞ୍ଜନଗଞ୍ଜନନେତ୍ରୀ ପ୍ରମୀଳା ଯୁବତୀ
ଉତ୍ତରିଲା ମୃଦୁସ୍ୱରେ- ରେ ପ୍ରାଣମିତଣି
କମଳେ ! ମୁଁ ଯାଇଥିଲି ପାତକୀ ସ୍ୱରୂପେ
ପାତକୀ ପୁରକୁ, ତେଣୁ ଦେଖିଛି ନୟନେ
ପାପୀର ଦୁର୍ଗତି, ଯହିଁ ପୁଣ୍ୟବନ୍ତ ନରେ
ଭୁଞ୍ଜନ୍ତି ପରମ ସୁଖ, ସେ ଦେଶକୁ ମୁହିଁ,
ଯାଆନ୍ତି କିପରି ? ତେଣୁ ସେ ମୋର ଅଜ୍ଞାତେ ।
ଚେଦି-ପାଟମହାଦେଈ ଭଦ୍ରା ମହାସତୀ,
ସର୍ବଶାସ୍ତ୍ରବିଚକ୍ଷଣା, ଜାଣନ୍ତି ସକଳ,
କମଳାକୁ ଦୁଃଖସ୍ୱରେ କହିଲେ ସମ୍ୱୋଧି-
କମଳେ ! କମଳମୁଖି, ସ୍ୱପନ ଅସାର,
ସଂସାର ଅସାର - ଏହା ସତ୍ୟ, କିନ୍ତୁ ସହି !
ଜାଣି ଶୁଣି ସୁଦ୍ଧା ତାହା, ନ ମାନେ ପ୍ରବୋଧ
ଏ ଅବୋଧ ପ୍ରାର, କାନ୍ଦେ ସ୍ମରି ନାନାବିଧ
କାଳ୍ପନିକ ଦୁଃଖ, ତାହା ମାୟାର ଛଳନା,
ହେଲାଣି ସମୟ ଏବେ ଯାଅ ତୁମ୍ଭେମାନେ
କରିବ ଆହାର ପାନ, ଯିବି ମୁଁ ଭିତରେ ।
ମେଲାଣି ପାଇଣ ତହୁଁ ଗଲେ ସର୍ବ ସଖୀ,
ବିଜେ କଲେ ରାଣୀ ଏକା ବିଜନ କୁଟୀରେ ।
ଚାହୁଁ ଚାହୁଁ ଉପସ୍ଥିତ ମଧ୍ୟାହ୍ନ ସମୟ,
ପ୍ରତାପୀ ପ୍ରତାପ ଯଥା ଯୌବନ ସମୟେ
ହୁଏ ଅନିବାର୍ଯ୍ୟ, ତଥା ଚଣ୍ଡ ରବିକର
ହେଲା ଦୂର୍ବିଷହ ଅତି, ମାଧ୍ୟନ୍ଦିନ ରବି,
ଦିବସ-ହୃଦୟ ମଣି ପ୍ରାୟ ବିରାଜିଲେ
ମଧ୍ୟାକାଶେ, ବିଛୁନିଳେ ଅନଳ-କଣିକା
ମେଦିନୀ-ମଣ୍ଡଳେ, ଅଗ୍ନିଗୁଣ୍ଡି ବାୟୁସହ
ଉଡ଼ିଲା ଚୌଦିଗେ, ଝାଁ ଝାଁ ଡ଼ାକିଲା ଆକାଶ,
ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ିଲା ଯେସନ ।
ଲୁଚିଲେ ପକ୍ଷୀଏ ଭୟେ ରବି-ରଶ୍ମି-ରୋଧୀ-
ପତ୍ର ଅନ୍ତରାଳେ, ଆର୍ତ୍ତେ ରାବିଲେ ବା କେହି ।
ଛାୟାରେ ଆଶ୍ରୟ ଘେନି ପିପାସା ଆକୁଳେ
କୁକୁରେ ଧକାଇ ହେଲେ କାଢ଼ିଣ ରସନା ।
ଚୋରାଇ ସୁରୂପା ରମା ଅଧରୁ ରକ୍ତିମା
ଫୁଟିଲେ ବିଧୁଲୀ ଫୁଲେ, ସୁସାଧିକା ପରି,
ସୂର୍ଯ୍ୟାମୁଖୀ, ନେତ୍ର ନିହି ରବି-ବିମ୍ୱେ, ବସି
ଅଗ୍ନିସମ ରୌଦ୍ରେ କରେ ପଞ୍ଚାଗ୍ନି ସାଧନା ।
ଝାଉଁଳିଲେ ତରୁଲତା ପ୍ରତପ୍ତ ପବନେ,
ବାଳୁତ-କୋମଳ-ସ୍ୱରେ ପିଞ୍ଜରୁ ଶାରିକା,
ଡ଼ାକ ଦେଲା, ଜଳ ଦିଅ ଜଳ ଦିଅ ବୋଲି
ତୃଷାର୍ତ୍ତେ, ଯେସନ ଭବଯାତନ-ଅନଳେ
ସନ୍ତାପିତ ପ୍ରାଣ-ପକ୍ଷୀ ଖୋଜେ ଶାନ୍ତି-ଜଳ ।
ଲଭିଲା କମଳ ମନେ ବିମଳ ଆହ୍ଳାଦ,
କିନ୍ତୁ କଇଁ ମଥା ପୋତି ପଡ଼ିଲା ଝାଉଁଳି
ଦୁଃଖ-ଲଜ୍ଜା ଅତିରେକେ, ଝାଉଁଳଇ ଯଥା
ସତୀ ସାଧ୍ୱୀ ନାରୀ ପର-ପୁରୁଷ ପରଶେ,
କିମ୍ୱା ଯଥା କରସ୍ପର୍ଶେ ଲଜ୍ଜାବତୀ ଲତା
ଲଜ୍ଜାରେ ସଂକୋଚି ବପୁ ହୁଏ ନତମୁଖୀ ।
ବିଜନ କୁଟୀରେ ରାଣୀ ବସି ଏକାକିନୀ
ଭାବୁଛନ୍ତି ନାନାକଥା, ଜନଶୂନ୍ୟ ସ୍ଥାନ
ନାନା ଭାବ-ପ୍ରସ୍ରବଣ, କେତେ ଭାବ ତହିଁ
ମାନବ-ମାନସେ ଘେରେ, ଯଥା ଅଳିପାଳି
ଘେରନ୍ତି ଚୌଦୁଗୁଁ ଆସି ଫୁଲ୍ଲ ଶତଦଳେ ।
ଦେଖାଏ ସେ କେତେ ଚିତ୍ର ନେତ୍ର ଆଗେ ଆଣି,
ଭାବୀ, ଭୂତ, ବର୍ତ୍ତମାନ ତ୍ରିକାଳଯାକର
ଚିତ୍ରରାଶି, ଗୋଟି ଗୋଟି ତା ଦେହେ ଅଙ୍କିତ ।
ଭାବୁଛନ୍ତି ମହାଦେଈ ମାନସେ ଏସନ,-
ଫେରିଲେ ତ ନାହିଁ କାହିଁ ଆଜିଯାଏ ରାଜା,
ଘଟିଲା କି ପଥମଧ୍ୟେ ଅମଙ୍ଗଳ କିଛି !
କହିଲା ଉଦନ୍ତ ଦୂତ-ଆଜି କିମ୍ବା କାଲି
ବିଜେ ହେବେ ନୃପମଣି, ହେଲା ଆସି ଦିନ
ଦ୍ୱିତୀୟ ପ୍ରହର, କାହିଁ ରାଜ ଆଗମର
ସୂଚନା ତ କିଛିମାତ୍ର ଯାଉ ନାହିଁ ଦେଖା ।
ହାୟ ! ପ୍ରଭୁ ଆଶୁତୋଷ ! କିପାଁ ଅସନ୍ତୋଷ
ଦାସୀ ପ୍ରୀତି ଦେବ ? ଦେବି ମୁହିଁ ଗଢ଼ାଇଣ
ଲକ୍ଷସ୍ୱର୍ଣ୍ଣଚମ୍ପା, ବହି ଅନିକମ୍ପା ଦେବ !
ଦିଅ ଏହି ବର, ଯେହ୍ନେ ଚେଦି-ନୃପବର,
ସର୍ବଶୁଭେ ପ୍ରତ୍ୟବୃତ୍ତ ହେଉନ୍ତୁ ଚଞ୍ଚଳେ ।
ଶୁଭଙ୍କରୀ ମା ଶଙ୍କର ! କିଙ୍କରୀ ମୁଁ ତବ,
ମାଗୁଛି ଶ୍ରୀପଦେ ସ୍ୱାମୀ-ଭିକ୍ଷା, ମାନସିକ
ରହିଲା ମୋହର, ନୃପ ବିଜେ ହେଲେ ପୁରେ
ପୂଜିବ ତୋ ପାଦ, ଦେବି ! ଷୋଡ଼ଶୋପଚାରେ,
ସଙ୍କଟତାରିଣି ! ତାର ଦୁର୍ଭାର ସଙ୍କଟୁ ।
ଅହୋ ! କିପାଁ ସ୍ପୁରୁ ପୁଣି ଦକ୍ଷିଣ ନୟନ !
ପୋଡ଼ିଯାରେ ପୋଡ଼ା ଆଖି ! ଆଉ କି କଷଣ
ଦେବୁ ତୁହି ? ଥିଲା ପରା ବାକୀ ତୋର ପାଳି ?
ଦୁଃଖବେଳେ ଘଟେ ହାୟ ! ସବୁ ଦୁଃଖ ଆସି,
ଭଙ୍ଗାଘର ଖଣ୍ଡ ସିନା ଭାଙ୍ଗନ୍ତି ସକଳେ ।
ଉପର୍ଯ୍ୟୁପରି ବିବିଧ ଅମଙ୍ଗଳାଘାତେ
ରାଣୀଙ୍କ ଆଶଙ୍କା କ୍ରମେ ଲଭିଲା ବର୍ଦ୍ଧନ,
ଅନିଳି ଆଘାତେ ଯଥା ମହୋଦଧି-ବୀଚି,
କ୍ରମେ ସ୍ଥୂଳ, ସ୍ଥୂଳତର, ସ୍ଥୂଳତମ ହୋଇ
ଶେଷେ କରେ ଉପକ୍ରମ ଦେବାକୁ ବୁଡ଼ାଇ
ତରଣୀ, ତେସନ ଏହି ଆଶଙ୍କା-ଲହରୀ,
ରାଣୀଙ୍କର ଚେତା-ତରୀ ବୁଡ଼ାଇଦେବାକୁ
ବସିଲାକ ପ୍ରତିକ୍ଷଣ, ଆହାରେ, ବିହାରେ,
ଶୟନେ, ଗମନେ, ସଦା ସକଳ ବିଷୟେ
ମଣିଲେ ଅରୁଚି ରାଣୀ, ହେଲେ ଖାଲି ଆହା !
ନବଧତ ପକ୍ଷୀ ପ୍ରାୟ ଇତସ୍ତତଃମନା ।
ଏ ସମୟେ ସଖୀମାନେ, ହୋଇ ଉପସ୍ଥିତ
ଅବଲୋକି ରାଣୀଙ୍କର ବିଲୁକିତ ଭାବ,
ଘେନିଗଲେ ସଙ୍ଗେ ତାଙ୍କୁ ରମ୍ୟ ଉପବନେ,
ପରିବର୍ତ୍ତନ ମାନସେ ମାନସ ତାଙ୍କର,
ଉପସ୍ଥିତ ହେଲେ ସର୍ବେ ପୁଷ୍ପବାଟିକାରେ ।
ରମ୍ୟ ଉପବନ ମଧ୍ୟେ ରତନ-ମଣ୍ଡପେ
ବିଜେ କଲେ ଚେଦୀଶ୍ୱରୀ ସଙ୍ଗିନୀ ଗହଣେ,
ହାୟ ! ଯଥା ରାମଚନ୍ଦ୍ର-ହୃଦୟ-ଚନ୍ଦ୍ରିକା
ସଶୋକା ଜାନକୀ ଦେବୀ, ଅଶୋକ କାନନେ
ସରମାଦି * ସଖୀସହ ହୋଇଛନ୍ତି ବିଜେ ।
*ବିଭୀଷଣର ସ୍ତ୍ରୀ
ଶୋଭାର ମନ୍ଦିର ସେହି ସୁରମ୍ୟ ଉଦ୍ୟାନ
ହସୁଅଛି ପୁଷ୍ପ-ହାସେ, ପୁଷ୍ପିତ ପାଦପେ
ଆନ୍ଦୋଳି ପବନେ, ନାନାଭୂଷଣେ ଭୂଷିତ-
ନାଟୁଆ ପ୍ରାୟ, ଦେଖାନ୍ତି ଅଙ୍ଗଭଙ୍ଗୀ ନାନା;
ଛୁରିଫଳା ସମାକଅତି ଘନ ପର୍ଣ୍ଣଦଳେ
ଧରି ଉଭା ଛୁରିଅନା, ବିରହୀ ହୃଦୟେ
ହାଣିଦିଏ ଛୁରି ସେହୁ, ବଡ଼ ନିର୍ମମ ସେ ।
କାହିଁ ବା ପୁନ୍ନାଗ ଉଭା ପୁଂ-ନାଗ ସମାନ
ରୂପେଶ୍ବରୀ-ହୃଦକମ୍ପା ଚମ୍ପା, ଶେଫାଳିକା;
ରସିକା-ରସିକ-କୁଳ-ଆକୁଳ ବକୁଳ,
ନାଗରୀ ନାଗର ବର-ଭୂଷା ନାଗେଶ୍ୱର,
(କେ ସରି କୋରେ ତାର ?) ଶରତ-ଡ଼ଗର-
ତଗର, କାନନ-ଆଳୀ ନିଆଳୀ ମାଧବୀ,
ଏ ଆଦି ତରୁ, କାନନ-ସୁନ୍ଦରୀ ଲତାଏ
ଉଭା, ଧରି ମୁନି-ମନ-ବିମୋହିନ ବେଶ ।
ପୁଷ୍ପ-ପରିମଳ ଘେନି ମଳୟ ଅନିଳ
ପ୍ରସରେ ମୃଦୁଳେ, ମହା ! ଋତୁପତି ମଧୁ,
ସର୍ବଋତୁ ସହ ତହିଁ କରିଛି କି ବାସ ?
ସୁରନ୍ଦ୍ର-ଲୋଚନ-କାରା ନନ୍ଦନକାନନ
କିମ୍ୱା ଚୈତ୍ରରଥ ୧ ନୁହେଁ ସେ ଉଦ୍ୟାନେ ସରି,
ମୁକୁଳେ ଆନତ ଆମ୍ରତରୁ, ଉଭା ଯଥା
ଅବଗୁଣ୍ଠନା କାମିନୀ, ଶିରେ ଦୋଳେ ତାର
୧-କୁବେରଙ୍କର ଉପବନ ।
କନକ-କିରୀଟ, ଯଥା ବିବାହ ସମୟେ
କନ୍ୟାଶିରେ, ବସନ୍ତକୁ ବରି ବରପଦେ
କରିଛି କି ବିଭା ତାକୁ ? ତେଣୁ ବିବାହର
ଲୋଳମୁକୁଟ ୨ କି ଶୋଭେ ତାର ଶିରୋଦେଶେ ?
୨- ବରକନ୍ୟାର ମୁକୁଟ ସର୍ବଦା ଲୋଳିତ ହୋଇଥିବାରୁ ତାହାକୁ ଲୋଳମୁକୁଟ କହନ୍ତି ।
ଆନନ୍ଦେ ନଣଦ ଯଥା ଚାଲଇ ପ୍ରଖରେ
ପାରିତୋଷିକସ୍ୱରୂପେ ପାଇ ହଳଦିମ-
ଦ୍ୱାରମଣ୍ଡା ଶାଢ଼ୀ ୩ ତଥା ଉଡ଼େ ଫରଫର
ହଳଦୀବସନ୍ତ ପକ୍ଷୀ, ବୃକ୍ଷୁ ବୃକ୍ଷାନ୍ତରେ ।
୩- ବିବାହ ସମୟରେ ବରର ଭଗିନୀ ଶାଢ଼ୀ ପାଇବାର ପ୍ରଥା ଏ ଦେଶରେ ପ୍ରଚଳିତ ଅଛି ।
ପଞ୍ଚମେ ସଙ୍ଗୀତତାଳାପ କରେ ପିକବଧୂ,
ଶିସାରଇ ପୁଲଚୁରୀ ୪ କାହିଁ ତାର ସ୍ୱରେ ।
କମଳ-କହ୍ଲାରଶୋଭୀ ବିମଳା-ସରସୀ,
ଶୋଭେ ଉପବନେ, ଯଥା ବିଶାଳ ଦର୍ପଣ;
୪- ମଧୁରକଣ୍ଠ ପକ୍ଷିବିଶେଷ । ବସନ୍ତ କାଳରେ ଏହାର ସ୍ୱର ଅଧୀକ ଶୁଣାଯାଏ ।
ତାହାର ସୋପାନାବଳୀ ସ୍ଫଟିକେ ଗଠିତ ।
ତୀରସ୍ଥ ପାଦପଚ୍ଛାୟା ଜଳେ ପ୍ରତିଫଳି
ବିରାଜଇ, ଯଥା ସ୍ୱଚ୍ଛ ସ୍ଫଟିକ ବାଡ଼ରେ
ହରିଦ୍ରଙ୍ଗେ ଲେଖା ନାନା ତରୁଲତା ଛବି ।
ଫୁଟିଛି କମଳସହ କୁମୁଦ କହ୍ଲାର
ଜଳେ, ପୁଣି ବହୁବିଧ ସୁକାନ୍ତି-ସୁମନ,
ମାରକତି ଚାଙ୍ଗୁଡ଼ିରେ ହୋଇଛି କି ଥୁଆ
ବିବିଧ ରତନ-ମଣି ହୀରା, ନୀଳା ଆଦି ?
କମଳାଳଙ୍କୃତ ସେହି ଚାରୁ ସରୋବରୁ
ସଖୀଏ ତୋଳିବା ବେଳେ ପ୍ରଫୁଲ୍ଲ କମଳ,
କିଏ କର କେ କମଳ ହେଲା ନାହିଁ ବାରି,
ସ୍ୱଭାବେ ରମଣୀଜାତି ଅଟନ୍ତି ଅବଳା,
କୁସୁମଚୟନ ବେଳେ କିନ୍ତୁ ସେହିମାନେ
ହୁଅନ୍ତି ପ୍ରବଳା ଅତି, ହୁଡ଼ିଯାନ୍ତି ପୁଣି
ନିଜର ସ୍ୱଭାବସିଦ୍ଧ ଦୟା, ସ୍ନେହ, ପ୍ରୀତି,
ଡ଼ାଳ ଭାଙ୍ଗି ଛିଡ଼ାଇଣ ପତ୍ର, କଢ଼, ଆହା !
ତୋଳନ୍ତି ନିଷ୍ଠୁରଭାବେ ପାଦପୁ କୁସୁମ,
ନିଜ ସ୍ୱାର୍ଥ ପାଇଁ ପରେ ଦିଅନ୍ତି କଷଣ ।
ସରଳା ଅବଳାକୁଳ ମୁହୂର୍ତ୍ତ ମଧ୍ୟରେ
ଫୁଲ ତୋଳି ଉପବନେ ପକାଇଲେ ଦଳି,
ଦଳେ ଇକ୍ଷୁବନ ଯଥା ପ୍ରମତ୍ତା କରିଣୀ ।
କିନ୍ତୁ ଆଜି ରାଣୀଙ୍କର ମାନସ କାହିଁରେ
ନୁହଇ ସଂଲଗ୍ନ, ଧାଏଁ ଉର୍ଦ୍ଧ୍ୱଦିଗେ ତାହା,
ଦୁଃଖ ଚିନ୍ତା ମାନସକୁ କରେ ଊର୍ଦ୍ଧ୍ୱଗାମୀ ।
ପାର୍ଶ୍ୱଦେଶେ ଉପବିଷ୍ଟା କମଳାକୁ ରାଣୀ
ବୋଇଲେ ସମ୍ୱୋଧି, ସଖି, ଦେଖୁଛ ଯେ ଏହି
ଫୁଲ୍ଲ-ଫୁଲଦଳେ, ବସି ବୃନ୍ତାସନେ ଆଜି
ପ୍ରକାଶନ୍ତି ଚାରୁହାସ୍ୟ, କେତେ କ୍ଷଣ ସ୍ଥାୟୀ
ଏ ଆନନ୍ଦ ତାହାଙ୍କର ? ସ୍ଥାୟୀ କେତେ କ୍ଷଣ
ବିଜୁଳି ଚମକ ନଭେ ? ପ୍ରତ୍ୟହ ଏମାନେ,
ନଶ୍ୱରତା ପ୍ରତିଚବି ଦେଖାଇ ମାନବେ
ହୁଅନ୍ତି ନିକ୍ଷିପ୍ତ କାଳଗର୍ଭେ, ଅଳ୍ପକ୍ଷଣେ,
ହାୟ ! ମୂଢ଼ ମନ, ଜାଣି ଶୁଣି ସୁଦ୍ଧା ଏହା,
ବୁଝେ ନାହିଁ ସହଜରେ । ଅସ୍ଥାୟୀ ଜଗତ,
ଅଛି ତହିଁ ଯାହା କିଛି ସମସ୍ତ ଅସ୍ଥାୟୀ,
ଅସ୍ଥାୟୀ ମଧ୍ୟରେ କାହିଁ ସତ୍ତା ସ୍ଥାୟିତ୍ୱର ?
ସମ୍ଭବେ କି ମିଥ୍ୟା ମଧ୍ୟେ ସତ୍ୟର ପ୍ରକାଶ ?
ମୋର ଏହି ଦୁଃଖ ସୁଦ୍ଧା ନୁହେଁ ଚିରସ୍ଥାୟୀ,
ତେବେ ବୃଥା କିପାଁ ମୁହିଁ ଝୁରୁଅଛି ଦୁଃଖେ ?
କ୍ଷତ୍ରିୟ ରମଣୀ ମୁହିଁ, ମହାକ୍ଷତ୍ରିକୁଳେ
ଜନ୍ମ ମୋର, ବୀରପତ୍ନୀ ପୁଣି ବୀରମାତା
ହୋଇ, କାଳ୍ପନିକ ଦୁଃଖେ ହେବା ଛନ୍ନମତି
ନୁହଇ ଉଚିତ ମୋର କେଭେ, ଗ୍ରହଦୋଷ,
ମସ୍ତକ ବିକାର ଆଦି ନାନା କାରଣରୁ
ହୁଏ ସ୍ୱପ୍ନ ଜାତ, କିପାଁ ମୁହିଁ ଏଡ଼େ ଭୀତ,
ଅହୋ ! ସେଥିଲାଗି ? କ୍ଷୁଦମନା ଲୋକ ପରି ।
ଏହିପରି କହି ରାଣୀ ପ୍ରବୋଧି ମାନସେ
ନିଜର, ବାନ୍ଧିଲେ କ୍ରମେ ଧଇର୍ଯ୍ୟ ହୃଦୟେ,
ରକ୍ଷା କରେ ଧୈର୍ଯ୍ୟ ସିନା ସକଳ ଆପଦୁ
ମାନବେ, ଉଦ୍ଧାରପଥ ଦେଖାଇ ବିବିଧ,
ଅଙ୍କୁଶ ସମାନ ଧୈର୍ଯ୍ୟ ବିପଦ-କରୀର ।
ବୁଡ଼ି ଆସୁଅଛି ବେଳ, ପଡ଼ିଲେଣି ଢଳି
ଲୋହିତବରଣ ରବି, ଦିଗ୍ବଳୟୋପରି
ପଶ୍ଚିମେ, ପ୍ରତୀଚୀ ନଭ ଦିଶେ ହିଙ୍ଗୁଳିତ,
ତହିଁ ମଧ୍ୟ ରକ୍ତରବି ଆହୋ କି ସୁନ୍ଦର !
ଫୁଟିଅଛି କି ରକ୍ତପଦ୍ମ ସରସ୍ୱତୀ ଜଳେ ?
ମଣ୍ଡପୁ ଉଠିଣ ରାଣୀ ସଖୀଗଣେ ରାଇ
ଭାଷିଲେ, ସଜନି ! ଚାଲ ଯିବା ଅନ୍ତଃପୁରେ,
ଆସିଲାଣି ସାୟଂ ସନ୍ଧ୍ୟା ଉପାସନା ବେଳ ।
ଏହା କହି ଗଲେ ରାଣୀ ସଖୀଦଳେ ଘେନି,
ତାରାପୁଞ୍ଜ ଗହଣରେ ରୋହିଣୀ ସମାନ ।