ସପ୍ତମ ସର୍ଗ — ଶିଶୁପାଳ ବଧ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତମ ସର୍ଗ
ଭୀଷଣ-ଶାର୍ଦ୍ଦୂଳ-ମର୍ଦ୍ଦୀ ହେ ନୃପ-ଶାର୍ଦ୍ଦୂଳଧରାକୋଟ-ଧରାଧିପ ମଦନମୋହନ,ଧାର୍ମିକପ୍ରବର ତୁମ୍ଭେ, ନବୀନ ବୟସେଆଚରୁଛି ତେଣୁ କେତେ ବ୍ରତ ଉପବାସ !ଦୁଜ୍ଜ ନଦଳନ ପୁଣି ସଜ୍ଜନପାଳନ,ନ୍ୟାୟେ କୋଷେ ସମ୍ପ୍ରବୃଦ୍ଧି, ଅପକ୍ଷପାତିତା,ମନେ ପ୍ରାଣେ ଧର୍ମରକ୍ଷା, ଏ ପଞ୍ଚଯଜ୍ଞରଅଟ ତୁମ୍ଭେ ସୁଯାଜ୍ଞିକ, ନୃପ ବ୍ରତ-ପୂତ,ଶ୍ରୀଅଙ୍ଗ ତୁମ୍ଭର ଗଢ଼ା ଭକ୍ତି-ଉପାଦାନେ,ବୀରତ୍ୱ, ଐଶ୍ୱର୍ଯ୍ୟ ପୁଣି ପ୍ରାଧାନ୍ୟ ଏ ତିନି,ପୋତନ୍ତି ପତାକା ଅଜ୍ଞ ନୃପତି ହୃଦୟେ,ମାତ୍ର ଦେବ ! ବାନ୍ଧି ତୁମ୍ଭେ ସେ ତିନିଙ୍କୁ ଦୃଢ଼େସମୟ ନିର୍ଘଣ୍ଟ, କରିଅଛ ଆତ୍ମବଶ,ଅନ୍ୟ ପକ୍ଷେ କାକୋଦର ସିନା ଊର୍ଦ୍ଧ୍ୱଫଣ,ମାତ୍ର ନତଶିର ସେହୁ ବୈନତେୟ ପଦେ ।ବୈଷ୍ଣବପ୍ରବର ତୁମ୍ଭେ, ବିଷ୍ଣୁ ପ୍ରେମରସେଅଛି ପ୍ରୀତି ଅଭିରୁଚି ସତତ ତୁମ୍ଭର,ଯେଣୁ ଆହ୍ୱାନିଲି ନୃପ ଛାମୁଙ୍କୁ ସାହସେ,ବସ ଆସି କଳ୍ପନାର ସ୍ୱର୍ଣ୍ଣ-ସିଂହାସନେ ।ନାହିଁ ଏଥି କାବ୍ୟରସ-ଅଛି ହରିରସ,ଏଣୁ ନୁହେଁ ଦୂଷିତ ଏ ଗୀତ, ହୁଏ ଯଦିପଙ୍କିଳ ଆବି ତୀର୍ଥଜଳ, ହୁଏ ନାହିଁ-ତେବେ ତାହା ଅପବିତ୍ର କେବେ, ନୃପବର !ଶୁଣ ଏବେ ବଖାଣୁଛି ପ୍ରସଙ୍ଗ ବର୍ଣ୍ଣନା ।ବେଳୁ ବେଳ ହେଲା ବୃଦ୍ଧି ବିଷମ ସମର,ଦିନକର ତେଜ ଯଥା ବଢ଼ଇ ପ୍ରଭାତୁ,ପ୍ରତାପୀ କ୍ଷତ୍ରୀୟ ବୀର ରାଜା ଶିଶୁପାଳବହୁଯୁଦ୍ଧେ ସୁପ୍ରବୀଣ, ପରିଜ୍ଞାତ ପୁଣିନାନା ଅସ୍ତ୍ରସନ୍ଧି, ବହେ ଅୟୁତ ସିଂହରବଳ ଦେହେଁ, ଯୁଝିଲା ସେ ବହୁ ବେଳଯାଏଁନିର୍ଭୟେ ଶ୍ରୀକୃଷ୍ଣ ସଙ୍ଗେ, ଧରି ଦୃଢ଼ଚାପେଚାପେ, ଯେହ୍ନେ ରାମାନୁଜ ସହିତେ ଲଙ୍କାରେଯୁଝିଲା ରାବଣାତ୍ମାଜ ମେଘନାଦ ରଥୀଦେବବରେ । ଦାମୋଦର, ଦେଖି ଶିଶୁପାଳେଅଟଳ ଅଥର ରଣେ ଯଥା ମହୀଧର,ଭବିଲେ ଏସନ ମନେ ମନେ- ଏ ଦୁର୍ଜ୍ଜନେହେବ ନାହିଁ ପରାଜୟି ସମାନ୍ୟରେ କେବେ,ଯାବତ ଅଛି ମୋ ଅଂଶ ତୋ ଦେହେ, ତାବତଅବଧ୍ୟ ମୋହର ସେହୁ, ବ୍ୟଷ୍ଟି ବଳ ସିନାପ୍ରବଳ ସମଷ୍ଟି ବଳୁ, ରାମ ଅବତାରେତେଣୁ ମୁଁ ପରାସ୍ତ ହେଲି କୁଶଲବଠାରେ,ଇତରାସ୍ତ୍ରେ ନ ମରିବ ପାମର କଦାପି ।ଏହା ଭାବି ଅନ୍ତର୍ଯ୍ୟାମୀ, ଅନ୍ତରେ ଅନ୍ତରେସୁମରିଲେ ଅସ୍ତ୍ରବର ଚକ୍ର ସୁଦର୍ଶନେ ।ଘୋରନାଦେ ଆସେ ଚକ୍ର ଗଗନ ଉଦ୍ଭାସି
ବାୟୁବେଗେ, କୋଯି ସୂର୍ଯ୍ୟ ଜିଣି ତେଜ ତାର,
ସେ ତେଜରେ ବିଶ୍ୱଚକ୍ଷୁ ଦେବ ଦିନମଣି
ହେଲେ ହୀନପ୍ରଭ, ଚାରୁ ଚାନ୍ଦିନୀ ରାତିରେ
ଯଥା ଜ୍ୟୋତିର୍ପୂଚ୍ଛଧାରୀ ଜ୍ୟୋତିରିଙ୍ଗ କୀଟ ।
ବ୍ରହ୍ମାଣ୍ଡ ଦହନକ୍ଷମ ସେ ମହାଚକ୍ରର
ମହାପ୍ରଭାପୁରେ, ଗଲା ବୁଜି ହୋଇ ଆଖି
ସକଳ ଜୀବର, ଆଉ ନ ଫିଟିଲା ତାହା
ଫିଟାଇଲେ ବଳେ, କିନ୍ତୁ ତଥାପି ସେ ପ୍ରଭା,
ଅକ୍ଷିରକ୍ଷୀ ଚର୍ମଭେଦି ପୀଡ଼ିଲା ନୟନେ
ଅତିରେକେ ଅଗ୍ନି ଜାଳି, ଜଣାଗଲା ଯଥା
ଚକ୍ରାଙ୍ଗୁ କିରଣ-ରେଖା ସ୍ଫୁରି, ତପ୍ତଲୌହ-
ଚିମୁଟା ପରାଏ, ଟାଣି ଘେନିଗଲା ଅବା
ସମସ୍ତଙ୍କ ଡୋଳା, ଅକ୍ଷିକୋଟର ମଧ୍ୟରୁ ।
ଯୁଦ୍ଧର୍ଥେ ଯେ ମୂଢ଼ ନୃପେ ହୋଇଥିଲେ ଉଭା
ସଭାମଧ୍ୟ, ସେ ଦୁର୍ଜ୍ଜନେ, ଭୟେ ଦୃଷ୍ଟିରୋଧୀ-
ଚକ୍ରର ଆଲୋକେ ନେତ୍ର ବୁଜି, ସ୍ତବ୍ଧଭାବେ
ବସିଗଲେ ତଳେ ଯଥା ଯୋଗମଗ୍ନ ଯୋଗୀ,
ତରଛରେ କେହି କଲେ ବସନେ ଅକର୍ମ ।
ଏହିପରି ଚରାଚରେ ତ୍ରାସି ଚକ୍ରବର
ସୁଦର୍ଶନ, ତ୍ରିଭୁଦନ-ବିନାଶ-ସକ୍ଷମ,
ଉପସ୍ଥିତ ହେଲା ଆସି ଶ୍ରୀକୃଷ୍ଣ ସମୀପେ ।
ସୁଦର୍ଶନଧାରୀଙ୍କର ସୁ-ଦର୍ଶନ କରେ
ବିରାଜିଲା ମହାଚକ୍ର, ବିରାଜୁଥିଲା ସେ
ପୂର୍ବେ ଯଥା ବିଷ୍ଣୁ କରେ ବୈକୁଣ୍ଠ ଭୁବନେ ।
ପାଞ୍ଚଜନ୍ୟ ଶଙ୍ଖନାଦ କଲେ ତହୁଁ ହରି,
ଘୋଷିଲା ସେ କମ୍ୱୁବର ଅମ୍ୱଧର ରବେ
ମୁହୁର୍ମୁହୁଃ, ପ୍ରତି ଶଙ୍ଖ ଶବ୍ଦେ ଉତ୍ତରିଲା
ଶିଶୁପାଳ ବିକଟାଳ ଚିତ୍କାର ସହିତେ,
ବେନିଙ୍କର ଶଙ୍ଖଶବ୍ଦେ ଥରିଲା ଧରଣୀ,
(ରୁଦ୍ର ଭୀମ ଶିଙ୍ଗା ଶବ୍ଦେ ପ୍ରଳୟେ ଯେସନ)
ତ୍ରସ୍ତ ହେଲେ ମରାମରେ, ବ୍ରହ୍ମାଣ୍ଡ-ଭାଣ୍ଡକି
ଗଲା ଖଣ୍ଡ ଖଣ୍ଡ ହୋଇ, ପରତେ ଏସନ,
ଜଣାଗଲା ପିଣ୍ଡୁ ଆତ୍ମା ଉଡ଼ିଗଲା ପ୍ରାୟେ ।
ଶୁଣି ସେ ଭୀଷଣ ଶବ୍ଦ ଚିର ବଧିରର
ତୁଟିଗଲା ସେହିକ୍ଷଣି କର୍ଣ୍ଣର ଜଡ଼ତା,
ଚିରମୂକ ଜନେ ଭୟେ ଉଠିଲେ ଚିତ୍କାରି,
ଘୁଞ୍ଚିଲା ତାଙ୍କର ସୁଦ୍ଧା କଣ୍ଠ-ସଂରୁଦ୍ଧତା,
ନବଜାତ ସୁପ୍ତ ବାଳେ ଉଠିଣ ଚମକି
କାନ୍ଦିଲେ ଚିହିଡ଼ା ୧ ଛାଡ଼ି କୁଆଁ କୁଆଁ ରବେ ।
ପକ୍ଷୀଏ କୁଲାୟ ତେଜି ଉଡ଼ିଲେ ଆକାଶେ
ପ୍ରାଣାତଙ୍କେ, ପୂରି ନଭେ ଭୟ କୋଳାହଳେ,
ମହାଭୟେ ଶିଶୁଗଣ ଛାଡ଼ି ଧୂଳିଖେଳ,
ପଡ଼ି ଉଠି ଧାଇଁ ଯାଇ ଜନନୀକୋଳରେ
ଲୁଚିଲେ ଆଚ୍ଛାଦି ଦେହେ ପଣତ ତାହାର ।
ବିଷ୍ଣୁମନ୍ତ୍ରେ ଅଭିଷେକି ଚକ୍ରେ ଚକ୍ରଧର,
ବିଘୂର୍ଣ୍ଣି କରାଳେ, ଘୋର ହୁହୁଙ୍କାର ନାଦେ
ନିକ୍ଷେପିଲେ ଲକ୍ଷ୍ୟ କରି ଶିଶୁପାଳ ଗଳା,
ଗଲା ଚକ୍ରବର ଖରେ, ଘୂରି ଘୂରି ଘୋର
ଘର୍ଘର ନିନାଦେ, (ଯଥା ଆବର୍ତ୍ତ ମାରୁତ)
ପକାଇଲା ଯାଇ ଛେଦି ଚେଦୀଶ୍ୱର ଶିର,
ସ୍କନ୍ଧୁ ଝଡ଼ି ମୁଣ୍ଡ ତାର ଲୋଟିଲା ଭୂତଳେ,
ବଜ୍ରାଘାତେ ଗିରିଶୃଙ୍ଗ ପଡ଼େ ଯଥା ଝଡ଼ି,
କିମ୍ୱା ଯଥା ବିବେକର ଜ୍ଞାନାସ୍ତ୍ର ଆଘାତେ
ଛିଡ଼ିଯାଏ ସଂସାରର ଦୁର୍ବିଳୟ ମୋହ ।
ଶିଶୁପାଳ ଗଳୁ, ଉଠେ ଶୋଣିତ ପିଚିକା
ସବେଗେ, ତିନ୍ତିଲେ ତହିଁ ପାର୍ଶ୍ୱବର୍ତ୍ତୀ ନୃପେ,
ଯଥା ଦୋଳଯାତ୍ରା କାଳେ ଫଗୁରଙ୍ଗ ଜଳେ
ତିନ୍ତନ୍ତି ଯାତ୍ରୀଏ ପାଗ-ପରିଚ୍ଛେଦ ସହ ।
କବନ୍ଧ ୨ ମୂରତି ତାର ନାଚିଲା ବିକଟେ,
ମହାବିଦ୍ୟା ଛିନ୍ନାମସ୍ତା ମହାଦେବୀ ଯଥା
କରନ୍ତି ଶ୍ମଶାନବକ୍ଷେ ବିକଟ ତାଣ୍ଡବ,
ନାଚି ନାଚି ସେ କବନ୍ଧ କେତେ କ୍ଷଣ ପରେ
୨- ମସ୍ତକଶୂନ୍ୟ ଦେହ ।
ପଡ଼ିଗଲା ପାର୍ଶ୍ୱବର୍ତ୍ତୀ ଜନସଙ୍ଘେ ଚାପି,
ଓହୋ ! ସେ ପ୍ରବଳ ଚାପେ ଗଲା କେତେକର
ହସ୍ତପଦ ଭାଙ୍ଗି, କାର ଅବା ମଚକିଲା
ବେକଷଣ୍ଢା, ଭାଙ୍ଗିଗଲା କଙ୍କାଳ କାହାର,
ଛିନ୍ନମୂଳ ତରୁ ଯଥା ନାଶେ ମାଡ଼ିପଡ଼ି
ଅଗ୍ରବର୍ତ୍ତୀ ପାଦପର ଡ଼ାଳପତ୍ର ଆଦି ।
ବାହାରିଲା ଶିଶୁପାଳ ଦେହୁଁ ବିଷ୍ଣୁତେଜ
ମହା ଆଭାମୟ, ମିଶି ଚକ୍ରତେଜେ ତାହା
ଧରିଲା ପ୍ରକାଣ୍ଡ ରୁଦ୍ର ସର୍ବଗ୍ରାସୀ ରୂପ,
ସର୍ବଗ୍ରାସୀ ଯଥା ଅଗ୍ନି, ସତେ ବା ଦହିବ
ଚରାଚରେ ସେହୁ, ଉଠି ପଲକେ ସେ ତେଜ
ନଭେ, ଆସି ତହୁଁ ଲୀନ ହେଲା କୃଷ୍ଣପଦେ,
ଯଥା ମାୟାମୃଗରୂପୀ ମାରୀଚ ଶରୀରୁ
ବାହାରିଣ ଦିବ୍ୟଜ୍ୟୋତିଃ, ଉଜ୍ଜ୍ୱଳି ଦିଙ୍ମୁଖେ
ମିଶିଗଲା ରାମଅଙ୍ଗେ ଦଣ୍ଡକ କାନନେ ।
ସମ୍ମୁଖ ସମରେ ମଲା ବୀରଧର୍ମାଚରୀ
ଶିଶୁପାଳ ଯେଣୁ, ତେଣୁ ସ୍ୱର୍ଗୁ ତାହା ପାଇଁ
ଆସିଲା ବିମାନ ଏକ, ବିମାନେ ଆଲୋକି,
ଚଢ଼ି ପ୍ରେତଆତ୍ମା ତାର ସେ ଦିବ୍ୟ ବିମାନେ,
ଗଲା ସୁଖେ ଅନାମୟ ନିତ୍ୟଧାମେ ଚଳି,
ଶିଶୁପାଳ ନିଧନରେ ସଙ୍ଗୀ ରାଜଗଣେ
ତାର, ହେଲେ ନତଶିର, ତୁଟିଲେ ଯୌବନ
ନିଜେ ନିଜେ ଦମିଯାନ୍ତି ଯେସନ ଇନ୍ଦ୍ରିୟେ ।
ଦ୍ୱେଷ ତେଜି ଦୁଷ୍ଟ ନୃପେ କଲେ କୃଷ୍ଣେ ସ୍ତୁତି
ବହୁବିଧ, ଯୁକ୍ତିକରେ ପ୍ରଣମି ପୟରେ,
ଶକ୍ତି ଦେଖି ସିନା ହୁଅଇ ସକଳେ
ଏ ଭବେ, ଅଟଇ ଏହା ସ୍ୱତ ।ସିଦ୍ଧ କଥା,
ନୁହେଁ ଭକ୍ତିରସସିକ୍ତ ଏହି ପଣ୍ଡ-ସ୍ତବ
ଭଣ୍ଡଙ୍କର, ଅଟେ ତାହା ଭୟରେ ଛଟାଣ, *
ଜାଣି ପ୍ରାଣରଙ୍କ ତାଙ୍କୁ ପ୍ରଭୁ ଅନ୍ତର୍ଯ୍ୟାମୀ,
ବିହିଲେ ତାହାଙ୍କ ପ୍ରତି କ୍ଷମା କୃପା ବହି ।
ଏକା ଗଲା ଶିଶୁପାଳ, ରହିଲେ ସକଳ
*ଛଟଣା-ଛଳଣା
ପରୋଚକ ବନ୍ଧୁ ତାର, ସମ୍ପଦିରେ ସିନା
ହୁଅନ୍ତି ସକଳେ ସଖା, କିନ୍ତୁ ହାୟ ! ଯେବେ
ଗ୍ରାସଇ ବିପଦ, ତେବେ ହୁଅନ୍ତି ଅଲଗା ।
ଅନନ୍ତର ଯୁଧିଷ୍ଠିର ଭ୍ରାତୃଗଣେ ରାଇ
ଆଦେଶିଲେ ଦହିବାକୁ ଶିଶୁପାଳ ଦେହ
ରାଜ-ବ୍ୟବହାରେ, ଲଭି ରାଜାନୁଜ୍ଞା ତହୁଁ
ପଣ୍ଡୁ ସୁତେ, ସଜାଡ଼ିଣ କୁସୁମ-ଚୌଦୋଳ,
ଶୁଆଇଲେ ଶବେ ତହିଁ ଉତ୍ତର ଶିରରେ ।
ଏକା ଭୀମ ଦୁଇ ହାତେ ଟେକିଲେ ଦ୍ୱିଖୁରା
ସେହି ଶବ- ଶିବିକାର, ଆନ ଖୁରାଦ୍ୱୟ
ଧରିଲେ ଛ ଜଣ ବୀର ମାଦ୍ରି-ସୁତ ଆଦି,
ଅବିଳମ୍ୱେ ପ୍ରବଶିଲେ ଭୀଷଣ ଶ୍ମଶାନେ ।
ଶାନ୍ତିର ଆଶ୍ରମ ତାହା, ଚିରଶାନ୍ତି ତହିଁ
ମିଳେ ଭବ-ଦାବାନଳ ଦଗ୍ଧ ଜୀବକୁଳେ,
କର୍ମକ୍ଳାନ୍ତ ଜୀବ ସାରି କର୍ତ୍ତବ୍ୟ ନିଜର
ଭବ- କର୍ମକ୍ଷେତ୍ରେ, ଲଭେ ଅନ୍ତିମ ବିଶ୍ରାମ
ଏଥି, ପଞ୍ଚମହାଭୂତ-ଗଠିତ ଶରୀର
ମିଶେ ଏଥି ପଞ୍ଚଭୂତେ ପ୍ରପଞ୍ଚନିୟମେ ।
ମହାତତ୍ତ୍ୱ-ଦୀକ୍ଷାଦାୟୀ ସ୍ଥଳୀ ସେ ଶ୍ମଶାନ,
ତଦ୍ଦର୍ଶନେ ଜ୍ଞାନିଜନେ ଲଭନ୍ତି ବିଶେଷେ
ମହାତତ୍ତ୍ୱ ଦୀକ୍ଷା, ଭବ-ଭଙ୍ଗୁରତାମୟୀ,
ଅଜ୍ଞାନ-ଚକ୍ଷୁରେ ତାହା ଭୟର ଆଗାର ।
ଶ୍ମଶାନ-ଶଙ୍କରୀଙ୍କର ଦୌବାରିକ ପ୍ରାୟ
ବୁଲୁଛନ୍ତି ଶିବା ଶ୍ୱାନେ ଦେଇଣ ପହରା,
ପଡ଼ିଅଛି ସଦ୍ୟ ଶବ ଏକ ସେ ଶ୍ମଶାନେ,
ବେଢ଼ି ତାର ଚଉପାଶେ ମାଂସାଶୀ ଜନ୍ତୁଏ
ଟାଣି ଆଣି ଖାଉଛନ୍ତି ଖଣ୍ଡ ଖଣ୍ଡ ମାଂସ,
ବଳବନ୍ତ ଶ୍ୱାନେ, ଦେଇ ଦୁର୍ବଳେ ଘଉଡ଼ି
ଖାଉଛନ୍ତି ତରତରେ ଈର୍ଷା ଗରଗରେ,
କେହି ବା ଶାଗୁଣାଗଣେ ନେଇଯାଏ ଖେଦି
ଭୁକି ଭୁକି ଭୋ ଭୋ ରବେ, ତହୁଁ ସେ ପକ୍ଷୀଏ
ଡ଼େଣା ମେଲି ଡ଼େଇଁ ଡ଼େଇଁ ଯାଆନ୍ତି ପଳାଇ
ଖଣ୍ଡେ ଦୂରେ, ରୋଷଭୟମିଶା ଚେଁ ଚେଁ ସ୍ୱରେ
କାହିଁ ଅବା ଆଠ ଦଶ ମାଂସାଶୀ ପ୍ରାଣୀଏ
ଘେନି ଖଣ୍ଡେ ମାଂସପିଣ୍ଡ, କରି ଘୋର ନାଦ
ହେଉଛନ୍ତି ଟଣାଟଣି, ଲାଗିଅଛି କାହିଁ
ଶିବା ଶ୍ୱାନ ଶକୁନର ବିଷମ ସମର ।
ଏହିପରି ସ୍ୱାର୍ଥଦ୍ୱେଷ ଘୋର ସଂଘର୍ଷଣ,
ପ୍ରବଳ ପ୍ରତାପ ପୁଣି ଦୁର୍ବଳ ଦୁର୍ଗତି
ଲାଗିଅଛି ନିରନ୍ତର ବିଶ୍ୱଚରାଚରେ,
ଯହିଁ ଦେଖ ତହିଁ ଏକା ସ୍ୱାର୍ଥ ପାଇଁ କଳି ।
ପଡ଼ିଅଛି ଶବ ଯେଣୁ, ତେଣୁ ପାନ୍ଥକୁଳେ
ସେ ବାଟେ ଯିବାକୁ ଭୟ ମାନସେ ମନାସି
ବାଟ ଭାଙ୍ଗି ଯାଉଛନ୍ତି ଅନ୍ୟ ଦିଗ ଦେଇ ।
ଧରିବାକୁ ଶବରୂପ ହେବ ନିଶ୍ଚେ ଦିନେ
ଶରୀରୀକୁ, ଜାଣି ସୁଦ୍ଧା ଦୃଢ଼େ ଏହା ନରେ
କି ଆଶ୍ଚର୍ଯ୍ୟ ! ଶବ ଦେଖି ଡରନ୍ତି ତଥାପି ! !
ଆଜି ଯେହୁ ମହାଭୀତ ଗତାୟୁ ଦର୍ଶନେ,
କାଲି ସେ ହୋଇବ ଶବ, ଡ଼ରିବେ ଅପରେ
ତାକୁ, ଅହୋ ! ମାନବର କି ବିଷମ ଭ୍ରମ !
ମାୟା-ମୋହେ ପଡ଼ି ନର ଭୁଲିଯାଏ ସବୁ,
ଧନ୍ୟ ସଂସାରର ମାୟା ! ପଡ଼ିଲେ କୁହୁକେ
ତାର, ରକ୍ଷା ନାହିଁ ଆଉ, ବାନ୍ଧିଅଛି ସେହୁ
ଅଦୃଶ୍ୟ, ଆଚ୍ଛେଦ୍ୟ ଫାଶ ସମସ୍ତଙ୍କ ଗୋଡ଼େ,
ମୁହୂର୍ତ୍ତେ ତୋ ପାଶୁଁ ହେଲେ ଦୂରବର୍ତ୍ତୀ ଜୀବ,
ଓଟାରି ସେ ଫାଶ ତାକୁ ଆଣଇ କତିକି ।
ପଦ-ରଜ୍ଜୁ ଧରି ଦୃଢ଼େ, ମଧ୍ୟେ ବସି ମାୟା,
ଘୂରାଉଛି ଜୀବଗଣେ ଆପଣା ଚୌପାଶେ,
ଧ୍ରୁବ ଯଥା ସପ୍ତର୍ଷିଙ୍କୁ, ଅବା ବେଙ୍ଗଳାର
ମଇଦାଣ୍ଡି, ନିଜ ପାଶେ ବୁଲାଏ ଯେସନ
ବଳଦେ ଦେଉଣୀ ୧ ବନ୍ଧ, ମଣ୍ଡଳ ଆକାରେ ।
ପାରେ ନାହିଁ ବାନ୍ଧି ଦୁଷ୍ଟା ନିଷ୍କାମ ମାନବେ,
ବାନ୍ଧିଲେ କଦାପି ଦୈବେ ଜ୍ଞାନାସ୍ତ୍ରେ ସେମାନେ
କାଟି ସେ ଅମୋଘ ଫାଶ, ହୁଅନ୍ତି ମୁକତ ।
୧- ଅନେକ ବଳଦର ଏକତ୍ର ବନ୍ଧନରଜ୍ଜୁ ।
ଭୀମ ଆଜ୍ଞା ପାଇ ସର୍ବ ରାଜ-ଅନୁଚରେ
ଜାଳିଲେ ଶ୍ମଶାନେ ଚିତା, ଚନ୍ଦନ-ଇନ୍ଧନେ,
କରାଇଣ ସ୍ନାନ ତହୁଁ ପବିତ୍ର ସୁବାସ-
ଜଳେ ଶବେ, ମଣ୍ଡି ଅଙ୍ଗ ରାଜ-ଆଭିରଣେ
ଶୁଆଇଲେ ନେଇ ଦୀପ୍ତ ଚିତା-ଶେଯ ବକ୍ଷେ,
ଘନ ଘନ ହରିଧ୍ୱନି ଉଚ୍ଚାରି ତୁଣ୍ଡରେ ।
ସ୍ଥାପି ସଙ୍ଗାଡ଼ିଏ କାଠ ଶବଦେହ ପରେ,
ଢାଳିଦେଲେ ଗବ୍ୟଘୃତ ତହିଁ ଘଡ଼ା ଘଡ଼ା,
ଘୃତ ପାଇ ଖରବେଗେ ଜଳିଲା ଦ୍ୱିଗୁଣେ
ରଇ ୨, ହୋଇ ଊର୍ଦ୍ଧ୍ୱଶିଖ, ନିକ୍ଷେପିଲେ ତହିଁ
କର୍ପୂର, କସ୍ତୁରୀ, ପୁଷ୍ପ, ଝୁଣା, ଗୁଗ୍ଗୁଳାଦି
ଗନ୍ଧଦ୍ରବ୍ୟ ନାନା, ଯଥା ମାଘ ପୂର୍ଣ୍ଣିମାରେ
୨- ରଇ-ଚିତାନଳ । ଏ ଶବ୍ଦ ଗଞ୍ଜମାରେ ଅଧିକ ପ୍ରଚଳିତ ।
ନିକ୍ଷେପନ୍ତି ନାଗରିକେ ଅଗିରାଗଦାକୁ ୩
ବାର୍ତ୍ତାକୁ, ସର୍ଷପ, ରବି, ପକ୍ୱରମ୍ଭା ଆଦି ।
ଶ୍ମଶାନ ଶାନ୍ତିର ସ୍ଥାନ- ଏହି ବିନଶ୍ୱର
ଚିର ହାହାକାରମୟ ଭବେ, ତେଣୁ ତହିଁ
ସ୍ଥାନ ପ୍ରଭାବରେ, ହେଲା ଭୀମସେନ ମନ
ଔଦାସ୍ୟ ଆଳୟ, ଯଥା ଉଦାସୀ ମାନସ,
ତେଜି ସ୍ୱାର୍ଥଦ୍ୱେଷ, କ୍ରୋଧ-କଳୁଷିତ ଭାବ
ବୋଇଲେ ଏସନ ବୀର, ଚାହିଁ ଚିତାବସୀ-
ଶିଶୁପାଳେ- ବୀରବର ! ଶତ ସାଧୁବାଦ
ସାଧୁକାର୍ଯ୍ୟେ ତବ ! ପାଳି କ୍ଷତ୍ରଧର୍ମ ନୃପ !
କ୍ଷତ୍ରିୟ-ବାଞ୍ଚିତ ବୀରବେଶେ, ବାହାରିଲ
ଚିର ନିଜ ଧାମେ, ତେଜି ଭବ-ପାନ୍ଥଶାଳେ,
ଭୁଞ୍ଜିବ ସେଠାରେ ତୁମ୍ଭେ ସୁଖଶାନ୍ତି-ସୁଧା ।
କବଚ, ତୁଣୀର, ଅସି, ଧନୁ, ଗଦା, ଶର,
ଗୋଧା ୪, ଅଙ୍ଗୁଳିତ୍ର ୫ ଆଦି ବୀରପ୍ରହରଣ
ଶୋଭଇ ଶରୀରେ, ଥିଲ ପ୍ରଚଣ୍ଡ ପ୍ରତାପୀ
ବୀର ତୁମ୍ଭେ, ଧରାଧାମେ, ଯାଉଛ କି ନୃପ !
ଏବେ ଜିଣିବାକୁ ସ୍ୱର୍ଗ ? -ମହାବୀର ବେଶେ
ଚଢ଼ି ଏହି ଚିତାସ୍ତୂପ-ରଥେ, କିନ୍ତୁ ରାଏ !
ସୈନ୍ୟ ସେନାପତି କିପାଁ ନାହାନ୍ତି ସଙ୍ଗରେ ?
ବୁଝିଅଛି ଏବେ, ତୁମ୍ଭେ ଯାଉଛ ଯେ ଦେଶେ,
ସେ ଦେଶକୁ ଯିବାବେଳେ ନ ହୁଅନ୍ତି କେହି
ସଙ୍ଗୀ, ପ୍ରଦାନିଲେ ସୁଦ୍ଧା ଅତୁଳ ସମ୍ପଦ,
ସେ ଦେଶୁଁ ଆସିବା ବେଳେ ଆସେ ଏକୁଟିଆ
ଜୀବ, ଯିବାବେଳେ ପୁଣି ଗମଇ ଏକାକୀ,
କେବଳ ପ୍ରବାସ ଭବେ ରହେ ଯେତେ ଦିନ,
ତେତେ ଦିନ ମାତ୍ର ଲଭେ ଅକୃତଜ୍ଞ ସାଥୀ ।
ସରିଲା ନୃପତି ! ତବ ଭବ-ଅଭିନୟ,
ଲୁଚିଯିବ ଖରେ ମାୟା-ଯବନିକା ପାରେ
ଚିରଦିନ ପାଇଁ, ଆହା ଯଥା ବାଲ୍ୟସୁଖ ।
ମଣୁଥିଲ ଯାକୁ ତୁମ୍ଭେ ଜୀବନ-ଦୋସର
ପ୍ରିୟାଦପି ଅତିପ୍ରୟ, ସଙ୍କଟେ ପ୍ରମାଦେ-
ରଖୁଥିଲ ଯାକୁ ତାର ପୃଷ୍ଠେ ଢାଲ ହୋଇ,
ଯାହା ସୁଖ ବର୍ଦ୍ଧନରେ ଥିଲ ରତ ସଦା
ନ ଖାଇ ନ ପିଇ, ସେହି ଅକୃତଜ୍ଞ ଏବେ
ତୁମ୍ଭ ଆକ୍ରମଣୁ ରକ୍ଷା ପାଇବା ସକାଶେ,
କିଳି ହେବ ଦେହ ତାର ଗୁଣିଆ ଅଣାଇ !
ତୁମ୍ଭର ପରଶେ ପୁଣି ମଣିବ ଅଶୁଚି
ଆପଣାକୁ ! ନୃପ ! ଭବେ ସଙ୍ଗୀ ଏହିପରି ।
ଏକମାତ୍ର ସଙ୍ଗୀ ଧର୍ମ ଜୀବନେ ମରଣେ,
ଯାଏ ସଙ୍ଗେ ସେହୁ, ଆନ ଭଣ୍ଡ ସଙ୍ଗିଦଳ,
ବନ୍ଧୁତାର ପ୍ରତିଦାନସ୍ୱରୂପ, ଦେହରୁ
କାଢ଼ି ନେଇ ଭଲ ବସ୍ତ୍ର ଅଳଙ୍କାର ଆଦି,
ବନ୍ଧୁତାରେ ଜଳାଞ୍ଜଳି ଅର୍ପନ୍ତି ଏ ସ୍ଥାନେ ।
ଅର୍ଜ୍ଜିଛି ଯେ ଧର୍ମ ତୁମ୍ଭେ ବୀରଧର୍ମ ପାଳି,
ଦେଖାଇବ ସ୍ୱଗମାର୍ଗ ସେହି, ବୀରମଣି !
ଘେନି ସେହି ଚିରସଖା ଧର୍ମ ସଙ୍ଗେ, ଗମ
ମହାସୁଖେ ବୀରକୁଳ-ବାଞ୍ଚିତ ପ୍ରଦେଶେ ।
ଧୁ ଧୁ ହୋଇ ଚିତାନଳ ଉଠିଲା ପ୍ରଜ୍ୱଳି
ପ୍ରଚଣ୍ଡେ, ଅସଂଖ୍ୟ ଜିହ୍ୱା କରି ଲହଲହ
ଚାଟିଲା ଆକାଶେ, ଯଥା ଦ୍ୱିଜହ୍ୱ ଭୁଜଗ
ବିସ୍ତାରି ରସନାଦ୍ୱୟ ଚାଟଇ ମହୀକି ।
ହିଲ୍ଲୋଳି ଅନିଳେ ସେହି ଅନଳର ଶିଖା
ଛାଡ଼ିଲା ସ୍ଫୁଲିଙ୍ଗ ରାଶି ରାଶି, ଚଡ଼ଚଡ଼ି,
କ୍ରମେ ଗାଡ଼ି ହିଙ୍ଗୁଳିତ ହେଲା ଚିତାନଳ,
ଶିଖାଚୂଳେ ମୃଗତୃଷ୍ଣା ଖେଳାଇ କୁଞ୍ଚିତେ,
ଖୋଳାଏ ତଟନୀ ଯଥା ସୃଜି ଜଳବେଣୀ,
ମାରୁତ ଆଘାତେ ଯେବେ ପ୍ରାବୃଟ ସମୟେ
ଚାଲୁଥାଏ ଗର୍ବଭରେ ପୂର୍ଣ୍ଣଗର୍ଭା ହୋଇ,
ମୁହୂର୍ତ୍ତକେ ଶିଶୁପାଳ ହେଲା ଭସ୍ମୀଭୂତ ।
ତହୁଁ ସର୍ବ ଶବଦାହିଜନେ, ପୁତଜଳେ
ନିଭାଇଣ ଯାଇ, *ଗଲେ ଫେରି ନିଜାବାସେ ।
ମହାଦମ୍ଭୀ, ଅଭିମାନୀ ଶିଶୁପାଳ ଦେହ,
ପରିଣତ ହେଲା ଆହା ! ମୁଠାଏ ପାଉଁଶେ !
*ଚିତାନଳ
କିଛି ଦିନେ ତାହା ସୁଦ୍ଧା ମିଶିଲା ମାଟିରେ !
ଶିଶୁପାଳ ପୁତ୍ରେ ତହୁଁ ରାଇ ଯୁଧିଷ୍ଠିର,
ଯଥାବିଧାନରେ ବାନ୍ଧି ମୁଣ୍ଡେ ତାର ଶାଢ଼ୀ,
ନିୟୋଜିଲେ ତାକୁ ଚେଦି-ମହୀପାଳ-ପଦେ ।