ଶେଷବ୍ରତ
୧୮୬୭–୧୯୪୩
- ପଢ଼ିବା ସମୟ
- ୩୭ ମିନିଟ୍
- ଶବ୍ଦ
- ୫୯୯୦
- ସ୍ଥିତି
- ସାର୍ବଜନୀନ (Public domain)
କହିଲା ବିବେକ ଉଠ ତୁ ରେ ମନଫେଡ଼ି ମୋହ-ମଦ ମୁଦ୍ରିତ ନୟନ ।ମଣୁଛୁ ତୁ ପରା ନିଜକୁ ଦେବତା,ପଟାନ୍ତର ଏକା ତୋତେ ତୋହ କଥା ।ଛାଡ଼ିଗଲେ ଦେହୁ ବ୍ୟର୍ଥ ଅର୍ଥ-ଝଳି,ନ ରହିବ ଆଉ ବଡ଼ିମା ଏଭଳି ।ଏବେ ଯେ ତୋ ପଦେ ସ୍ତବେ ଅବନତ,କରିବ ନାହିଁ ସେ ତୁଚ୍ଛା ଦଣ୍ଡବତ ।ନ ଦେଖିଲା ପରି ପୋତି ତତେ ମଥା,ବାଟ ଭାଙ୍ଗି ଯିବ ନ କହିବା କଥା ।କରେ ଯେଉଁ ସ୍ତୁତି ତୋତେ ତୋ ଚାକର,ତୋତେ ନୁହେଁ ତାହା ଅର୍ଥକୁ ତୋହର ।ଅର୍ଥ ବଶୀଭୂତ ଜଗତେ ସକଳ,ସମର୍ପନ୍ତି ପୂଜା ଅର୍ଥକୁ କେବଳ ।ମଣିମା, ଶ୍ରୀଛାମୁ, ମହାପ୍ରଭୁ ଆଦି,ଏ ସମସ୍ତ ସିନା ଅର୍ଥର ଉପାଧି ।ତହିଁ ତୋର କିଛି ନାହିଁ ଅଧିକାର,ପର ସମ୍ପଦେ ତୁ ମଣୁ ଆପଣାର ।ଏହା ସିନା ତୋର-ଭାନୁମତୀ ଲୀଳା,ଶିବ ନାମ ବହି ପୂଜା ପାଏ ଶିଳା ।ହେଳ ମନ, ଚିତ୍ରପଟ୍ଟର ପ୍ରସଙ୍ଗହୁଏ ତୁଚ୍ଛ କନା ଧୋଇଗଲେ ରଙ୍ଗ ।ଛାଡ଼ିଗଲେ ତଥା ତୋତେ ତୋ ବିଭବ,ହେବୁ ତୁହି ଜଣେ ନଗଣ୍ୟ ମାନବ ।ସ୍ମରି ଏହା ମନ ଛାଡ଼ ଅର୍ଥ ସାଙ୍ଗ,ଛାଡ଼ ଏ ଯାତ୍ରାର ବିଫଳ ସୁଆଙ୍ଗ ।ଚାହାଁ ଚାହାଁ ଥରେ ପଶ୍ଚିମ ଗଗନେ,ଜୀବନର ସନ୍ଧ୍ୟା ମାଡ଼ିଆସେ ଘନେ ।ତମୋଗର୍ଭେ ସୃଷ୍ଟି ଦେବ ଦେହ ଢ଼ାଳି,ହେବୁ ତୁହି ବାଟ ନ ପାଇ ଅଣ୍ଡାଳି ।ଆଗହୁଁ ଆଲୋକ ରଖ ତୁ ସଂଗ୍ରହି,ଅନ୍ୟଥା ଦଂଶିବ ଅନ୍ଧକାରେ ଅହି ।ରସାତଳେ କାଳ ଦେଇ ତୋତେ ଫିଙ୍ଗି,ଭାଙ୍ଗିଦେବ ତୋର ବଡ଼ିମା ବାଲିଙ୍ଗି ।ଭଣ୍ଡ ଉପଦେଶ ପରିହରି ଖରେ,କର ନିଜ ପ୍ରତି ଦୃଷ୍ଟିପାତ ଥରେ ।ଦେଖିବୁ ଯେ ଦୃଶ୍ୟ ଭୀଷଣ ମହାନ,ଉଠିବ ଆତଙ୍କେ ଶୀତେଇ ତୋ ପ୍ରାଣ ।ପଡ଼ିଲାଣି ଦାନ୍ତ, ପାଚିଲାଣି କେଶ,ବିକୃତ ବୀଭତ୍ସ ଦିଶିଲାଣି ବେଶ ।ଅସୁରାଣୀ ଜରା ନିତି ତୋର କାୟୁ,ଶୋଷୁଅଛି ତୀବ୍ରେ ରକ୍ତ ସଙ୍ଗେ ଆୟୁ ।ଶିରାଗଣ୍ଠିମାନ ଗଲାଣି ହୁଗୁଳି,ପଡ଼ିଲାଣି ଶୁଷ୍କ ଜୀର୍ଣ୍ଣ ଚର୍ମ ଝୁଲି ।ଭୁଞ୍ଜିବୁ ଯେ ଦୁଃଖ ଏଥୁଅନ୍ତେ ପୁଣି,ପାଷାଣ ତରଳିଯିବ ତାହା ଶୁଣି ।ଧନୁ ପରି ଦେହ ହୋଇଯିବ ବଙ୍କା,ପ୍ରତି ପହଣ୍ଡରେ ଲୋଡ଼ିବୁ ରେ ଥକା ।ନ ଚଳିବ ହସ୍ତ ନ ଚଳିବ ପଦ,କି କରିବ ତୋର ସେକାଳେ ସମ୍ପଦ ।ନ ଦିଶିବ ନେତ୍ରେ ନ ଶୁଭିବ କାନେ,ଦାରୁଣ ଅରୁଚି ହେବ ଖାଦ୍ୟପାନେ ।ଭୟେ ଭୟେ ସ୍ୱଳ୍ପ କଲେହେଁ ଆହାର,ଆକ୍ରମିବ ଅମ୍ଳ, ଅଜୀର୍ଣ୍ଣ ଉଦ୍ଗାର ।ନବ ହାରେ ହେବ ଶ୍ଳେଷ୍ମା ବିନିର୍ଗତ,ଜୀବନ୍ତେ ନରକ ଭୁଞ୍ଜିବୁ ଉଦ୍ଧତ ।ସେବନ୍ତି ଯେ ଏବେ ତୋତେ ଦିବାରାତ୍ର,ହେବୁ ତୁ ସେକାଳେ ତାଙ୍କ ଘୃଣାପାତ୍ର ।ଜଳଶୂନ୍ୟ ନଦୀ ପ୍ରାୟ ପରିଜନେ,ନ ଚାହିଁବେ ତୋତେ ଅପାଙ୍ଗ ନୟନେ ।ଢ଼ାଳୁଛୁ ଯା ଶିରେ ସ୍ନେହ ଏକାଧାରେ,ମଣିବ ସେ ମାନହାନି ତୋ କଥାରେ ।ସମସ୍ତଙ୍କ ନେତ୍ରେ ହେବୁ ତୁ ଅସାର,ମଣିବେ ସେ ତୋତେ ଜୀବନର ଭାର ।ଏଥିଲାଗି ତୋତେ କହୁଛି ଦୁର୍ମତି,ଆତ୍ମ-ଦୃଷ୍ଟିପାତ କର ଆତ୍ମପ୍ରତି ।ଏହିଁତ ରେ ତୋର ପ୍ରାଣ ପରିଣାମ,ମାତ୍ର ପରଲୋକ ଏଥୁ ବଳି ବାମ ।ସାଙ୍ଗ କରି ଜୀବ ଜୀବନ-ଜୀବିକା,ଦିଏ ଯାଇ ତହିଁ କର୍ମର ତାଲିକା ।ସେ ରାଜ୍ୟର ରାଜା କୃତାନ୍ତ ଆଖ୍ୟାତ,ବୃତ୍ତାନ୍ତ ତାହାର ଭୁବନ-ବିଖ୍ୟାତ ।ଗୁମାସ୍ତାଟି ତାର ବଡ଼ ବିଚକ୍ଷଣ,ଚିତ୍ରଗୁପ୍ତ ଦାସ ଜାତିରେ କରଣ ।ଅଭୁତ ଚତୁର ଗଣିତଜ୍ଞପଣେ-ବିସପ୍ତ ଭୁବନେ ସେହି ଏକା ଜାଣେ ।ସିରସ୍ତାର କଥା ନ କରେ ପ୍ରକାଶ,ରାଜାର ତାଠାରେ ଅଖଣ୍ଡ ବିଶ୍ୱାସ ।ଗୁଣେ ସେ ରାଜାର ସନ୍ତୋଷ ସମ୍ପାଦି,ପାଇଅଛି ‘‘ଛାମୁକରଣ’’ ଉପାଧି ।ତାହା ପ୍ରତି ରାଜା ଅର୍ପି ସର୍ବ ଭାର,ମୌନେ ବସି ଦେଖେ ବିଚାର ତାହାର ।ଚିତ୍ରଗୁପ୍ତ ସିହା-ବିଡ଼ାଟି ଫିଟାଇ,ନିଏ ତହିଁ କର୍ମତାଲିକା ମିଳାଇ ।ଯାହାର ତାଲିକା ଘେନେ ତାହା ମନେ,ବସାଏ ତାହାକୁ ଗୌରବ ଆସନେ ।ସେ ଦିନୁ ସେ ଗଣା ହୁଏ ପୂଣ୍ୟଶ୍ଳୋକେ,ସୁଖଭୋଗ ଅର୍ଥେ ଯାଏ ଊର୍ଦ୍ଧ୍ୱଲୋକେ ।ଯାହା ତାଲିକାରେ ଦେଖେ ସେ ଭଣ୍ଡିମା,କରିଦିଏ ତାକୁ ପାଇକଙ୍କ ଜିମା ।ନେଇ ସେ ତାହାକୁ ଦଣ୍ଡନ୍ତି ବିସ୍ତର,ନିକ୍ଷେପି ନରକେ ଭୀଷଣ ଦୁସ୍ତର ।ମରଣର ଆଉ ନାହିଁ ତ ମରଣ,ଭୁଞ୍ଜେ ସଦା ପାପୀ କେବଳ କଷଣ ।ନ ପାରନ୍ତି ଦେଇ ତାଲିକା ଯେମାନେ,ପଠାଏ ତାହାଙ୍କୁ ପୁଣି କର୍ମସ୍ଥାନେ ।ଭୁଞ୍ଜନ୍ତି ସେ ଯାଇ ଜନମ ଯନ୍ତ୍ରଣା,ଟାଣନ୍ତି ବଳଦ ପ୍ରାୟ ତେଲିଘଣା ।ଏହିପରି ଜନ୍ମ ମୃତ୍ୟୁ ବାରମ୍ୱାର,ଭୁଞ୍ଜି ହୋଇଯାନ୍ତି ଅସାରୁ ଅସାର ।ବୁଝିଲୁ ତ ମନ ତାଲିକାର ମର୍ମ,ନିଜ ପାଇଁ ଏବେ କର କିଛି କର୍ମ ।ନିଜକୃତ ଯେଉଁ ସତ୍କର୍ମ ପବିତ୍ର,ଧର୍ମ ନାମେ ତାହା ହୁଏ ଉପାହିତ ।ସେହି ଧର୍ମ ସାହା ବିନା ପ୍ରାର୍ଥନାରେ,ହୁଏ ଶେଷଦିନ ମହାଦରବାରେ ।ଓକିଲାତିନାମା ନ ଦେ ପଛେ ମନ,କରିବ ସେ ସ୍ୱତଃ ପକ୍ଷ ସମର୍ଥନ ।ବିପକ୍ଷର ଯୁକ୍ତି ପକାଇବ କାଟି,ନ ପାରିବ ଆଉ ଫିଟି ତାର ପାଟି ।ଅତଏବ କର ସୁକର୍ମ ସାଧନ,ସେ କର୍ମର ଅର୍ଥ ଧର୍ମ ଉପାର୍ଜନ ।ଧର୍ମ ସାଧନର ଉପାୟ ବିବିଧ,ଯୁଗେ ଯୁଗେ ଅଛି ଜଗତେ ପ୍ରସିଦ୍ଧ ।କିଏ ବା କୁଟିଳ, ଜଟିଳ କିଏ ବା,ସହଜ ଉପାୟ ସବୁଠାରୁ ସେବା ।ସ୍ଥାବର ଜଙ୍ଗମ ତେଣୁ ଅବିରତ,ଧରିଛନ୍ତି ଦୃଢ଼େ ମହା ସେବାବ୍ରତ ।ସଂଯମ କର୍ମର ପ୍ରଥମ ସୋପାନ,ସଂଯମରେ ହୁଏ ପରିପକ୍ୱ ଜ୍ଞାନ ।ନ ପାରିଲେ ରଖି ତାହାକୁ ଅଖଣ୍ଡ,କୋଟି ଚେଷ୍ଟା ସତ୍ତେ କର୍ମ ହୁଏ ପଣ୍ଡ ।କରିବୁ ତୁ ସେବା ସଂଯମେ ସତତ,ଆଚରିବୁ ଦୃତେ ସହିଷ୍ଣୁତା ବ୍ରତ ।ସହିବୁ ନୀରବେ ସବୁ ଅବହେଳେ,ହେବୁ ନାହିଁ ଧୈର୍ଯ୍ୟଚ୍ୟୁତ କେତେବେଳେ ।ଅଭାବ ସହିତେ ରଚିବୁ ଆହବ,ହାସ୍ୟମୁଖେ ସହି ତାହା ଉପଦ୍ରବ,ରୋଧିଦେବୁ ତାର ଆଗମନ ପଥ,କରିବୁ ତାହାକୁ ବ୍ୟର୍ଥ ମନୋରଥ ।କ୍ରୋଧ ଅଭିମାନ କରିବୁ ବର୍ଜନ,ନ କହିବୁ ଆନେ କଠୋର ବଚନ ।ବିନୟ ବଚନେ ତୋଷିବୁ ସକଳେ,ବିନୟୀର ଶତ୍ରୁ ନାହିଁ ଭୂମଣ୍ଡଳେ ।ହେଲା ନାହିଁ ବୋଲି ସ୍ୱମତ ରକ୍ଷିତ,ନୋହିବୁ ଚିନ୍ତିତ କ୍ରୁଦ୍ଧ ବିଚଳିତ ।କାହାରି ସ୍ତୁତିରେ ହେବୁ ନାହିଁ ହୃଷ୍ଟ,ହେବୁ ନାହିଁ ତଥା ନିନ୍ଦାବାଦେ ରୁଷ୍ଟ,ନ ମଣିବୁ କେବେ ଆପଣାକୁ ଉଚ୍ଚ,ବରଞ୍ଚ ମଣିବୁ ମାଟିଠାରୁ ତୁଚ୍ଛ ।ନ ଦେଲେହେଁ କେହି ତୋ କଥାରେ କାନ,ନ ବହିବୁ ତହିଁ ଭ୍ରମେ ଅଭିମାନ ।ମାଗି ଦଣ୍ଡବତ, ଯାଚି ଆଶୀର୍ବାଦ,ଶେଷଫଳ ନିଶ୍ଚେ ବିଷମ ପ୍ରମୋଦ ।ନ କରିବୁ ବୃଥା ବାକ୍ୟେ ପ୍ରତିବାଦ,ଅଲଣା ତୁଣର କି ମିଳିବ ସ୍ୱାଦ ।କାହା କାର୍ଯ୍ୟ ହୀରା କାହା କାର୍ଯ୍ୟ କାଚ,ନ କରିବୁ ସମାଲୋଚନା କଦାଚ ।ଚାଲିବୁ ତୁ ହାତେ ମାପି ଚାଖଣ୍ଡକେ,ଯାହାର ଯା ଇଚ୍ଛା କହୁ ତା ପଛକେ ।ଏ ସଂସାର ଏକ ଅଭୁତ ସାମ୍ରାଜ୍ୟ,ବିନା କାରଣରେ ଘଟେ ଏଥି କାର୍ଯ୍ୟ ।ଅସୁଲଭ ଏଥି ନୁହେଁ ଶୂନ୍ୟନାଦ,ମିଥ୍ୟା ଦୋଷାରୋପ, ବୃଥା ଅପବାଦ ।ନ ଶୁଣିବୁ କେବେ ତାହା କାନ ଡ଼େରି,ବାଜୁ ପଛେ ଯେତେ ନିନ୍ଦା-କୁତ୍ସା-ଭେରୀ ।ଚାପୁଡ଼େ ତୋ ଗାଲେ ଦେଲେ କେ ବସାଇ,ଆର ଗାଲ ଦେବୁ ତକ୍ଷଣେ ଦେଖାଇ ।ସକଳ କାର୍ଯ୍ୟରେ ରହିବୁ ନୀରବ,ନୀରବତା ମର୍ତ୍ତ୍ୟେ ଅମର୍ତ୍ତ୍ୟ ବିଭବ ।ନ ଚାଲିବୁ ପରବୁଦ୍ଧିରେ ତୁ ବାଟ,ନିଜେ ହେବୁ ଗୁରୁ ନିଜେ ହେବୁ ଚାଟ ।କହିବ ତୋହର ବିବେକ ଯେ କାର୍ଯ୍ୟ,ସାଧିବୁ ତୁ ତାହା କରି ଶିରୋଧାର୍ଯ୍ୟ ।ସବୁପାୟେ କରି ଅର୍ଥ ଉପାର୍ଜନ,ପରିବାର ସେବା କରିବୁ ରେ ମନ ।ଆଶ୍ରିତ ପାଳନ କରି ଅଗ୍ରେ ସାର,ପଶ୍ଚାତେ କରିବୁ ଅପର ବିଚାର ।ମୂଳ ତରୁ ରସ ନ କଲେ ପ୍ରଦାନ,ରହିବ କି ବଞ୍ଚି ଶାଖାପତ୍ରମାନ ।ଦୀନ ଦୁଃଖୀ ହେଲେ ଉପସ୍ଥିତ ଦ୍ୱାରେ,ସେବିବୁ ତାହାଙ୍କୁ ବିହିତ ସତ୍କାରେ,ଧନାଭାବେ କହି ତୋଷିବୁ ବହନ,ସମବେଦନାର ମଧୁର ବଚନ ।ସହାନୁଭୂତିର ପଦେ କଥା ମୂଲ୍ୟ,ସଙ୍ଗେ କୋଟି ମୁଦ୍ରା ନୁହେଁ ସମ ତୁଲ୍ୟ ।ହେଉ ପଛେ ତାହା ବାଷ୍ପମୟ କଥା,ମାତ୍ର ହରିନିଏ ଅନ୍ତସ୍ତଳ ବ୍ୟଥା ।ଦୁଃଖୀ ପ୍ରାଣ ଏକା ତାହା ପାଇଁ ରଙ୍କା,ପାଇଲେ ତା ତୁଚ୍ଛ ମଣେ ସୁନା ଟଙ୍କା ।ଲୋଡ଼େ ସିନା ଦୁଃଖୀ କେବଳ ହୃଦୟ,ତାହାହିଁ ତା ପକ୍ଷେ ସମ୍ପଦ ଅକ୍ଷୟ ।ହୃଦୟୀ ସମୀପେ ହୃଦୟ ଯାତନା,ନିବେଦି ସେ ଲଭେ ଅପାର ସାନ୍ତ୍ୱନା ।ହୃଦୟୀ ନିକଟେ ଖୋଲିଯାଏ ତାର,ଆତ୍ମାର ଅନ୍ତରତମ ରୁଦ୍ଧ ଦ୍ୱାର ।ଭୁଲିଯାଏ ତହିଁ କ୍ଷଣେ ତୃଷା କ୍ଷୁଧା,ଭୁଲିଯାଏ ପୁଣି ନିଜକୁ ସେ ସୁଦ୍ଧା ।ଭୁଞ୍ଜେ ଯେ ଆନନ୍ଦ ସେ କାଳେ ସେ ଆହା,ଅଗୋଚର ସ୍ୱପ୍ନ ସୁଖୀ ଭାଗ୍ୟେ ତାହା ।ହୃଦୟର ବାଣୀ ନ ଶୁଣିଲେ କାନେ,ଦରିଦ୍ର ହୃଦୟ ତୁଷ୍ଟ ନୁହେଁ ଦାନେ ।ମନକଥା କହି ନ ଦେ ପଛେ ବିତ୍ତ,ହରିବୁ ଦରିଦ୍ର-ନାରାୟଣ ଚିତ୍ତ ।ପାତ୍ର ଦେଖି ଦାନ କରିବୁ କେବଳ,ମାତ୍ର ନ ଢ଼ାଳିବୁ ସମୁଦ୍ରରେ ଜଳ ।ଦୁଃଖୀ ଦୁଃଖ ଦେଖି ଦେବତାଙ୍କ ତୁର୍ଣ୍ଣ,ଅନଶ୍ରୁ ନୟନ ହୁଏ ଅଶ୍ରୁପୂର୍ଣ୍ଣ ।ପ୍ରତିବେଶୀ ସେବା ଶକ୍ତି ଅନୁସାରେ,କରିବୁ ଆପଣା-ପର ନିର୍ବିଚାରେ ।ଆଚରିବୁ ସାମ୍ୟ ନୀତି ସମୁଦାର,ମଣିବୁ ବିଶ୍ୱକୁ ନିଜ ପରିବାର ।ବିଶ୍ୱପ୍ରେମ ପଦେ ଅର୍ପି ଆତ୍ମବଳି,ମିଳନ ପ୍ରବାହେ ପଡ଼ିବୁ ତୁ ଢ଼ଳି ।ବିକୃତ ରୋଗୀକୁ ନ କରିବୁ ଘୃଣା,ମାଗିବୁ ତା ଲାଗି ଦେବଙ୍କ କରୁଣା ।ସେବାରେ ରୋଗୀର ଶମେ ଅନ୍ତର୍ଦାହା,ମହା ଔଷଧିରେ ହୁଏ ନାହିଁ ତାହା ।ପୋଛିଦେବୁ ଦୁଃଖୀ ନେତ୍ରୁ ଅଶ୍ରୁଧାର,ତୀର୍ଥବାରି ସଙ୍ଗେ ଉପମା ଯାହାର ।ଏହିରୂପେ ସେବା ସୁଯଜ୍ଞ ସମ୍ପାଦି,ବହିବୁ ତୁ ବିଶ୍ୱ-ସେବକ ଉପାଧି ।ପାର୍ଥିବ ଉପାଧି କେ ତାକୁ ନ ବଳେ,ରାଜୋପାଧି ସ୍ଥାନ ସିନା ତାହା ତଳେ ।କରୁଥିବୁ ସେବା ଆଜୀବନବ୍ୟାପୀ,ମାତ୍ର ନ ଧରିବୁ ଫଳାଶା କଦାପି ।ଫଳ ଯେ ନ ଲୋଡ଼େ ଫଳ ତାକୁ ଲୋଡ଼େ,ବଳେ ବଳେ ଆସି ଝସି ପଶେ କ୍ରୋଡ଼େ ।ସେହି ଏକା କର୍ମ, ନିଷ୍କାମ ଯେ କର୍ମ,ସେହି ଏକା ମୁକ୍ତି, ସେହି ଶ୍ରେଷ୍ଠ ଧର୍ମ ।
ଦ୍ୱିତୀୟ ସର୍ଗ
ଶୁଣ ଶୁଣ ମନ ସେବା ବିବରଣ,ତା ମହା ମହିମା ଦେବେ ଅକଳଣ ।ସତତ ତୁ ସହ୍ୟ ଗୁଣ ପରିଗ୍ରହି,ହାସ୍ୟମୁଖେ ଯିବୁ ଶୋକତାପ ସହି ।ପର ମନେ କ୍ଳେଶ ଦିଏ ଯେ ମତ୍ସରୀ,ହୀନଚେତା ସେହୁ ହିଂସ୍ରଜନ୍ତୁ ପରି ।ନିଜେ ଦେହୀ ହୋଇ ଦେହୀକୁ କଷଣ,ଅର୍ପେ ଯେ, ସେ ନିଶ୍ଚେ ପିଶାଚ ଭୀଷଣ ।ମାତ୍ର ନୀରବରେ ସହେ ଯେ ସଂଯମୀ,ଧ୍ରୁବଲୋକକୁ ସେ ଯାଏ ଅତିକ୍ରମି ।ମହୀପ୍ରାଣୀଙ୍କର ସହି ଅତ୍ୟାଚାର,ରଖିଛି ବଞ୍ଚାଇ ଭୁଞ୍ଜାଇ ଆହାର ।ଶତ୍ରୁର ଯେ କରେ କଲ୍ୟାଣ ସାଧନ,ସେହି ଜୀବନ୍ମୁକ୍ତ, ସେହି ମହାଜନ ।ଗୋପନେ ଯେ ପୋଷି ରଖେ ଈର୍ଷାନଳେ,ତା ପରି ଇତର ନାହିଁ ଭୂମଣ୍ଡଳେ ।କହିଲେ ତାହାକୁ ନାରକୀ ଅଜ୍ଞାନୀ,ନାରକୀର ସୁଦ୍ଧା ହେବ ମାନହାନି ।ନ ପାରେ ଯେ ସହି ପର ଗେଲ କଥା,ସେ କିପାଇଁ ଦିଏ ପର ମନେ ବ୍ୟଥା ।ଆଘାତ ବେଦନା ଯାର ପରିଜ୍ଞାତ,ନ ଦେବ ସେ କେବେ ଅପରେ ଆଘାତ ।ପର କଥାରେ ଯା ପ୍ରାଣ ଯାଏ ଘାରି,କେଉଁ ଲାଜେ ପରେ ଯାଏ ସେ ତିଆରି ।ପର ପୀଡ଼ା ପୂର୍ବୁ ସ୍ମରିଲେ ଏ କଥା,ଲଜ୍ଜାରୁଶେ ନିଶ୍ଚେ ହେଠ ହେବ ମଥା ।ଦୁର୍ବଳ ପୀଡ଼ନ ନୁହେଁ ବଡ଼ପଣ,ବଡ଼ପଣ ସିନା ଦୁର୍ବଳ ରକ୍ଷଣ ।ବଡ଼ ବୋଲି ନିଜେ ନିଜକୁ ମଣିବା,ଏଥୁ ବଳି ଅଛି ନିର୍ବୋଧତା କିବା ।ତୃଣଠାରୁ ଗୁଳ୍ମ, ଲତା ଗୁଳ୍ମଠାରୁ,ଲତାଠାରୁ ବଳି ବଡ଼ ପୁଣି ଦାରୁ ।ବଡ଼ଠାରୁ ବଡ଼ ତହୁଁ ବଡ଼ ଅତି,କ୍ରମେ ବହୁ ବଡ଼ ଜଗତେ ଅଛନ୍ତି ।ଏହା ଜାଣି କିଏ କହିବ ମୁଁ ବଡ଼,କି ସାହସେ ଭାଙ୍ଗି ଲଜ୍ଜାର ନିଗଡ଼ ।ଚାହିଁଲେ ନିଜକୁ ଚାହିଁଦେଇ ଭବେ,ଚୂର୍ଣ୍ଣ ହୋଇ ଗର୍ବ ଉଡ଼ିଯିବ ଲବେ ।ନ କରିବୁ ମନ କେବେ ତୁ ବଢ଼ାଇ,ହେବୁ ନାହିଁ ଲୋକହସା ତାହା ପାଇଁ ।ସେବାରେ ନିଜକୁ କରିବୁ ସୁଦକ୍ଷ,ଆତ୍ମସେବା ପ୍ରତି ରଖିଥିବୁ ଲକ୍ଷ୍ୟ ।ଆତ୍ମରକ୍ଷା ପ୍ରତି ପ୍ରାଣୀର ଉଚିତ,ଆତ୍ମସେବା ନାମେ ହୁଏ ତା କଥିତ ।ଶରୀର ରକ୍ଷଣ କର୍ତ୍ତବ୍ୟ ସର୍ବର,ଉଚ୍ଚ କଣ୍ଠେ ଘୋଷେ ପୁରାଣନିକର ।ନିଜେ ଥିଲେ ହେବ ଜନସେବା କରି,ହେବୁ ମନ ନିଜେ ନିଜର ପ୍ରହରୀ !ବାହ୍ୟ ଶୌଚାଚାର ଭୋଜନ ଶୟନ,କରିବୁ ତୁ ଯଥାକାଳେ ସମ୍ପାଦନ ।ଇଷ୍ଟଦେବ ନାମ ସ୍ମରି ହୃଦୟରେ,କରିନେବୁ ସ୍ୱଚ୍ଛ ଶୁଦ୍ଧ ଅଭ୍ୟନ୍ତରେ ।ଇଷ୍ଟଦେବ ନାମ ସ୍ପର୍ଶମଣି ପ୍ରାୟେ,ଛୁଇଁଲେ ସେ ଲୁହା ସୁନା ହୋଇଯାଏ ।କରି ଆପଣାକୁ ଅପବିତ୍ର ଜ୍ଞାନ,ନ କରିବୁ ଇଷ୍ଟସେବା ପ୍ରତ୍ୟାଖ୍ୟାନ ।ଆତ୍ମାରୂପୀ ବ୍ରହ୍ମ ବସନ୍ତି ଯେ ଦେହେଁ,ଅପବିତ୍ର ତାକୁ ନ ମଣ କେବେହେଁ ।ଆତ୍ମାପୁରୁଷକୁ ପ୍ରଦାନି ଯାତନା,ନ କରିବୁ କେବେ ଦେବ-ଉପାସନା ।ଦେବୁ ଯଦି କ୍ଳେଶ ଆତ୍ମବ୍ରହ୍ମ ଦେବେ,କାହାକୁ ତୁ ପୂଜା କରିବୁ ରେ ତେବେ ।ଆତ୍ମା କୁଶଳରେ କୁଶଳ ସକଳ,ଅନ୍ୟଥା ସାଧନା ହେବ ଯେ ବିଫଳ ।ଉପବାସ ରହି ନ ଲୋଡ଼ିବୁ ମୁକ୍ତି,ଅତୀବ ଦୁର୍ବଳ ସିନା ଏହି ଯୁକ୍ତି ।ମିଳୁଥାନ୍ତା ଯେବେ ମୁକ୍ତି ଉପବାସେ,ସହନ୍ତେ ଦରିଦ୍ରେ ଦୁଃଖ କି ସକାଶେ ।ପଞ୍ଚାଗ୍ନି ସାଧନା, କଣ୍ଟକ ଶୟନ,ଧର୍ମର ରାହା ଏ ନୁହେଁ କଦାଚନ ।ଅଭୁତ ସାଧନା-ଦକ୍ଷ ବାଜୀକରେ,ଦୁର୍ଲ୍ଲଭ କି ପାପ ତାଙ୍କ ସମାଜରେ ?ତା-ହୃଦୟ ପ୍ରଭୁ ଦେବୋତ୍ତମ,ସୁଜିବେ କି ଏଡ଼େ କଠୋର ନିୟମ ।ବ୍ୟାକୁଳ ପ୍ରାଣରେ କଲେ ଅନ୍ୱେଷଣ,ମିଳେ ଯଥା ତଥା ତାହାଙ୍କ ଦର୍ଶନ ।ଖୋଜିଲେ ତାହାଙ୍କୁ ହୃଦୟ ମଧ୍ୟରେ,ଅଧିଷ୍ଠିତ ତହିଁ ହୁଅନ୍ତି ସେ ଖରେ ।ପୂଜିବୁ ତାହାଙ୍କୁ ହୃଦ ମଧ୍ୟେ ମନ,କରିବୁ ନିଜର ପରକାଳ ଧନ୍ୟ ।ସେ ମହାପୂଜାରେ ଲୋଡ଼ା ନୁହେଁ ଆନ,ଭାବ ଏକା ତାର ପୂର୍ଣ୍ଣ ଉପାଦାନ ।ମନୋମତ ସ୍ଥାନେ ବସି ଶୁଦ୍ଧମନେ,ଧ୍ୟାୟିବୁ ତାହାଙ୍କୁ ମୁଦ୍ରିତ ନୟନେ ।ଆକାଶେ ତାଙ୍କର ଜ୍ୟୋତିର୍ମୟ ମୂର୍ତ୍ତି,ଅଙ୍କି ନିରୋଧିବୁ ନିଜ ବାହ୍ୟସ୍ମୃତି ।ମନେ ମନେ ସୃଜି ସୁରଭି ସୁମନେ,ସେ ମୂର୍ତ୍ତିକୁ ତହିଁ ମଣ୍ଡିବୁ ଯତନେ ।ବସାଇବୁ ତାଙ୍କୁ ହୃଦୟ-କମଳେ,ଧୋଇଦେବୁ ପାଦ ଭକ୍ତି-ତୀର୍ଥ ଜଳେ ।ବିସୃଜି ମାନସେ ଷୋଡ଼ଶୋପଚାର,ପୂଜିବୁ ତା ଅର୍ପି ପଦେ ଉପହାର ।ପ୍ରାଣର ଭାଷାରେ ଜଣାଇବୁ ଯାହା,ସମର୍ପଣ ମନ୍ତ୍ର ହେବ ନିଶ୍ଚେ ତାହା ।କହିବୁ କେବଳ ଦୈନ୍ୟଗର୍ଭ ଭାଷା,ମାତ୍ର ନ ପୋଷିବୁ ପ୍ରତିଦାନ ଆଶା ।ବିନୟେ କହିବୁ ହେ ପ୍ରାଣଦେବତା,ନାହିଁ ଏ ଭୃତ୍ୟର ଡ଼ାକିବା ଯୋଗ୍ୟତା ।ନିଜ ଗୁଣେ ତୁମ୍ଭେ ଆସି ଦୟାମୟ,ପୂର୍ଣ୍ଣକର ପ୍ରଭୁ ଶୂନ୍ୟ ଏ ହୃଦୟ ।ସ୍ନେହରେ ଜନକ ଗ୍ରହନ୍ତି ଯେସନ,ଶିଶୁ ସନ୍ତାନର ଦତ୍ତ ଧୂଳି ଅନ୍ନ,ଘେନା ହେଉ ଦେବ ତେସନ ମୋ ପୂଜା,ମୁଁ ଯେ ତୁମ୍ଭ ଶିଶୁ ସନ୍ତାନ ଅବୁଝା ।ମାଗୁ ନାହିଁ ମୁକ୍ତି କିମ୍ୱା ଧନ ମାନ,ଘେନ ଶିଶୁଖେଳ ଏତିକି ଜଣାଣ ।ପ୍ରାଣ ଆବେଗରେ କହିବୁ ଏତିକି,ବିନାପଣେ ହେବୁ ତାଙ୍କ ପଦେ ବିକି ।ବହିବେ କରୁଣା ସେ କରୁଣାଧର,ପ୍ରଦାନିବେ ତୋତେ ଅଯାଚିତ ବର ।ମାଗେ ଯେ ତାହାଙ୍କୁ ପ୍ରକାଶିଣ କାକୁ,ନ ଦିଅନ୍ତି କେବେ କିଛି ସେ ତାହାକୁ ।ନ ମାଗେ ଯେ ତାକୁ ଦିଅନ୍ତି ସକଳ,ପୂଣ୍ୟ ସେବା ବ୍ରତ ହୁଏ ତା ସଫଳ ।କାମନା ନ କରି କରିଯିବୁ କାମ,ଜାଣିବୁ କାମନା ଶ୍ରେୟ ପଥେ ବାମ ।ଆବର କଥାଏ କରିବୁ ତୁ ରକ୍ଷା ।ମାଳି ଜପି ନାମ ନ କରିବୁ ସଂଖ୍ୟା ।ବିଫଳ ସେ ଜପ, ବିଫଳ ସେ ଶ୍ରମ,ଘଟେ ତହିଁ ଇଷ୍ଟ ଧ୍ୟାନେ ବ୍ୟତିକ୍ରମ ।ଇଷ୍ଟଦେବ ଜପ ନୁହେଁ ତା ନିଶ୍ଚୟ,ସଂଖ୍ୟାର ଜପ ସେ ଏଥେ କି ସଂଶୟ ।ଚଳେ ନାହିଁ ଧର୍ମରାଜ୍ୟେ ବ୍ୟବସାୟ,ସଂଖ୍ୟାଧିକେ ହେବ ବେଶି ଧର୍ମ ଆୟ ।ଏକାଗ୍ରତା ସହ ଥରେହିଁ ଜପିଲେ,ଶୁଣ ତୁ ରେ ମନ ଯେଉଁ ପୂଣ୍ୟ ମିଳେ,ନ ମିଳେ ଲକ୍ଷାଂଶୁ ଏକାଂଶ ତାହାର,ଇତସ୍ତତଃ ଚିତ୍ତେ ଜପି କୋଟି ବାର ।ଧ୍ୟାନେ, ଜପେ, ତପେ ଖାଲି ଏକା ମନ,ନ କରିବୁ କେବେ ସମୟ ଯାପନ ।କର୍ମଭୂମି ଏହି ପୃଥିବୀର ନାମ,କରିବାକୁ ହେବ ଏଥି ସବୁ କାମ ।ନିଜ ପାଇଁ କିମ୍ୱା ବିଶ୍ୱସେବା ପାଇଁ,କରୁ ଯେଉଁ କର୍ମ ନିତି ଧାଇଁ ଧାଇଁ ।କାୟମନୋପ୍ରାଣେ ସହି ବହୁ କ୍ଳେଶ,ତାହା ସୁଦ୍ଧା ମନ ଈଶ୍ୱର-ଆଦେଶ ।ତାହା କର୍ମଯଜ୍ଞ, ତାହା ଇଷ୍ଟ ଜପ,ଭବ ତପୋବନେ ତାହା ମୁଖ୍ୟ ତପ ।ରେ ଅସ୍ଥିର ମନ ଶୁଣି ଏ ବଚନ,ହୋଇପାରେ ତୋର ସନ୍ଦେହ ଏସନ-ଏକ ଯେବେ ବ୍ରହ୍ମସେବା, କର୍ମସେବା,ନ ଧରିବ କିପାଁ ଗୋଟିକୁ ତେବେ ବା ।ଶୁଣ ତାହା ମର୍ମ ଅବହିତ ଚିତ୍ତେ,ତୁଟିଯିବ ତୋର ସନ୍ଦେହ ତୁରିତେ ।କେବଳ ଅନ୍ନରେ ପୂରେ ତ ଉଦର,ତେବେ କିପାଁ ଲୋଡ଼ା ବ୍ୟଞ୍ଜନ ଆବର ।ଉଭୟ ସଂଯୋଗେ ପରିପାକ କ୍ରିୟା,ହୁଏ ସମାହିତ, ପୁଷ୍ଟ ହୁଏ ହିଆ ।ବ୍ରହ୍ମପୂଜା କର୍ମପୂଜା ପରସ୍ପର-ମଧ୍ୟରେ ସମ୍ୱନ୍ଧ ବଜ୍ରୁ, ଦୃଢ଼ତର ।ଉଭେ ଉଭୟର ସହାୟ ପ୍ରଧାନ,ଗୋଟିକ ଅଭାବେ ନ ତିଷ୍ଠିବ ଆନ ।ଇଚ୍ଛା, ଶକ୍ତି ବେନି ଏକତ୍ର ନ ହେଲେ,ହୋଇପାରେ ନାହିଁ କାର୍ଯ୍ୟ କେତେବେଳେ ।ସିନ୍ଧୁ ଜଳ ପୁଣି ଭାସ୍କର କିରଣ,ଉଭୟ ସଂଯୋଗେ ଜନ୍ମେ ସିନା ଘନ ।ସ୍ୱର୍ଣ୍ଣକାର ସ୍ୱର୍ଣ୍ଣ ବେନିଙ୍କ ବ୍ୟତୀତ,ହେବ ଅଳଙ୍କାର କିରୂପେ ନିର୍ମିତ ।ପ୍ରକୃତି ପୁରୁଷ ସଂଯୋଗର ଫଳ,ପରିଦୃଶ୍ୟମାନ ଏ ବିଶ୍ୱମଣ୍ଡଳ ।ଜ୍ଞାନ କର୍ମ ବେନି ସାହାଯ୍ୟେ ପାର୍ଥିବ-ବନ୍ଧନୁ ବିମୁକ୍ତ ହୋଇଯାଏ ଜୀବ ।କରୁଥିବୁ କାର୍ଯ୍ୟ ଆଳସ୍ୟ ନ ବହି,ଜଳେ ତୈଳ ପ୍ରାୟେ ନ ମିଶିବୁ ତହିଁ ।ଚାଲିଥିବୁ ଏକ ଦିଗେ ଲକ୍ଷ୍ୟ କରି,ଯନ୍ତ୍ରପ୍ରଚାଳିତ ଘଡ଼ିକଣ୍ଟା ପରି ।ସତ୍ୟ ପଦ ସେବି ଲଭିବୁ ନୈପୂଣ୍ୟ,ଜାଣିବୁ ନିକର ସତ୍ୟ ମହାପୂଣ୍ୟ ।ହେବୁ ପଛେ ମହା ବିପଦେ ପତିତ,ମାତ୍ର ହେବୁ ନାହିଁ ସତ୍ୟୁ ବିଚଳିତ ।ସତ୍ୟ ପାଳି ସତ୍ୟବୀର ଯୁଧିଷ୍ଠିର,ଯାଇଥିଲେ ସ୍ୱର୍ଗେ ଘେନି ସ୍ୱଶରୀର ।ସତ୍ୟରକ୍ଷା ହେତୁ ପେଷିଲେ କାନନେ,ରାଜା ଦଶରଥ ପ୍ରାଣର ନନ୍ଦନେ ।ସତ୍ୟର ମହିମା ଅନନ୍ତ ଅପାର,ସତ୍ୟ ପାଇଁ ତ୍ୟାଗ କରିବୁ ସ୍ୱୀକାର ।ତ୍ୟାଗଯୋଗେ ହୁଏ ସ୍ୱଭାବ ସଂସ୍କୃତ,ତ୍ୟାଗଦ୍ୱାରା ସତ୍ୟ ହୁଏ ଅଳଙ୍କୃତ ।କରେ ତ୍ୟାଗ ଜ୍ଞାନେ ପୂର୍ଣ୍ଣତା ପ୍ରଦାନ,ସଂଯମର ତ୍ୟାଗ ସର୍ବୋଚ୍ଚ ସୋପାନ ।ସତ୍ୟ, ତ୍ୟାଗ ବେନି ସାଧନାର ଟିକା,ଶୁଣ ମନ ତାର ଉଜ୍ଜ୍ୱଳ ଦାୟିକା ।ଥିଲେ ପୂର୍ବେ ଏକ ନୃପତି କୁମାର,କରନ୍ତି ସେ ରାଜ୍ୟେ ବହୁ ଅତ୍ୟାଚାର ।ସାମାନ୍ୟ ଦୋଷରେ ଦିନେ ଭୃତ୍ୟ ପ୍ରତି,ବଢ଼ିଲା ତାଙ୍କର ରୋଷାନଳ ଅତି ।କ୍ରୋଧ-ଅପଦେବ ଦୂରନ୍ତ ମହାନ,ହରିନେଲା ତାଙ୍କ ହିତାହିତ ଜ୍ଞାନ ।ମାରୁ ମାରୁ ମାରି ପକାଇଲେ ଭୃତ୍ୟେ,ପୋଡ଼ିଦେଲେ ତାହା ଶବକୁ ନିଭୃତେ ।ମାତ୍ର ପାପ କେବେ ରହେ ନାହିଁ ଛପି,ରୋଧିଲେ ପ୍ରାଚୀରେ ପଳାଏ ସେ ଟପି ।ତୁଳନ୍ତି ତାହାକୁ ସୋଲ ସଙ୍ଗେ ବୁଧେ,ଚାଳେ ପାଣି ତଳୁ ଭାସି ଉଠେ ଊର୍ଦ୍ଧ୍ୱେ ।ଏ ଗୁପ୍ତ ଘଟଣା କିଛିଦିନ ପରେ,ପ୍ରବେଶିଲା ଦୈବେ ନୃପତି-କର୍ଣ୍ଣରେ ।କୀର୍ତ୍ତିଚନ୍ଦ୍ର ପୁତ୍ର କୀର୍ତ୍ତି ଅଦଭୁତ,ଶୁଣି ନରମଣି ହେଲେ ସ୍ତମ୍ଭୀଭୂତ ।ନ ବହି ମମତା, ସ୍ନେହ କଣିକାଏ,ବିଚାରର ଦିନ ଧାର୍ଯ୍ୟ କଲେ ରାଏ ।ସାକ୍ଷ୍ୟ ଏ ବ୍ୟାପାରେ ପାଚକ ବ୍ରାହ୍ମଣ,କରିବେ ନୃପତି ତା ସାକ୍ଷ୍ୟ ଗ୍ରହଣ ।ଏଣେ ରାଜସୁତ ଶୁଣି ଏ ସମ୍ୱାଦ,ଗଣିଲେ ସଭୟେ ବିଷମ ପ୍ରମାଦ ।ହେଉ ରାଜା କିମ୍ୱା ପ୍ରଜାର ସନ୍ତାନ,ରାଜଦଣ୍ଡୁ କାର ନାହିଁ ପରିତ୍ରାଣ ।ହକାରି ପାଚକେ ତହୁଁ ରାଜସୁତ,ଦେଖାଇଲେ ତାକୁ ଧନାଶା ବହୁତ ।କହିଲେ ମୁଁ ତୋତେ କରୁଅଛି ମନା,ନ କହିବୁ କେବେ ପ୍ରକୃତ ଘଟନା ।କରୁଛି ମୁଁ ସତ୍ୟ ଧର୍ମନାମ ଧରି,ରାଜା ପରି ଧନୀ ଦେବି ତୋତେ କରି ।ଭାଷିଲା ପାଚକ ଶୁଣ ଯୁବରାଜ,କି ଅଭୁତ କଥା କହୁଅଛ ଆଜ ।ଧର୍ମ ନାମ ଧରି ପାପେ ପ୍ରବର୍ତ୍ତନା,ଏହା କି ତୁମ୍ଭର ଯୋଗ୍ୟ ବିବେଚନା ।ନ କର ଏ ଆଜ୍ଞା ନୃପତି ନନ୍ଦନ,ନ ପାରିବି କରି ସତ୍ୟକୁ ଗୋପନ ।ହେଉ ପଛେ ଅର୍ଥ ବିଶ୍ୱବନ୍ଦନୀୟ,ମାତ୍ର ସତ୍ୟ ସଙ୍ଗେ ନୁହେ ତୁଳନୀୟ ।ଜାଣୁ ଜାଣୁ ପାପ କରେ ଯେ ଗୋପନ,ସେ ପାପ ତା କାନ୍ଧେ କରେ ଆରୋହଣ ।ପ୍ରାଣକୁ ପଛକେ ଦେବି ଜଳାଞ୍ଜଳି,ମାତ୍ର ନ ପାରିବି ସତ୍ୟେ ଦେଇ ବଳି ।ଅର୍ଥ ମୂଲ୍ୟେ ସତ୍ୟେ କରେ ଯେ ବିକ୍ରୟ,ଭୁଞ୍ଜେ ସେ ବର୍ବର ଭୀଷଣ ନିରୟ ।ଶୁଣି ଏ ନିରାଶ ବାଣୀ ପାଚକର,କ୍ରୁଦ୍ଧ ହେଲେ ମନେ ନରେଶ କୁମର ।ଯଥାକାଳେ ହେଲା ବିଚାର ଆରମ୍ଭ,କହିଲା ପାଚକ ସତ୍ୟ, ବହି ଦମ୍ଭ ।ଯୁବରାଜ ହୋଇ ଦୋଷୀ ପ୍ରମାଣିତ,ହେଲେ ସୁକଠୋର ଦଣ୍ଡରେ ଦଣ୍ଡିତ ।ଲଭିଲେ ନୃମଣି ଯେବେ ଦେହାନ୍ତର,ହେଲେ ଯୁବରାଜ ରାଜ୍ୟର ଈଶ୍ୱର ।ପ୍ରତିହିଂସାନଳ ଥିଲା ଗୋପନରେ,ଜଳିଲା, ସୁଯୋଗ ପାଇ ସେ ପ୍ରଖରେ ।ମିଥ୍ୟା ଅପରାଧେ ପଡ଼ିଲା ବ୍ରାହ୍ମଣ,ହେଲା ତାହା ପ୍ରତି ଶୁଳିଦଣ୍ଡାର୍ପଣ ।ତହୁଁ ସେ ବ୍ରାହ୍ମଣେ ଘେନି କଟୁଆଳେ,ଶୁଳିଆ ପଦାରେ ଉପସ୍ଥିତ କାଳେ,ଅକସ୍ମାତ୍ ବେନି ହର୍ଯ୍ୟକ୍ଷପ୍ରବର,ଉଭା ହେଲେ ଆସି ଫୁଲାଇ କେଶର ।ଶୁଭିଲା ଶୂନ୍ୟରୁ ଅଶରୀରୀ ବାଣୀ,କେ କହିଲା କେହି ନ ପାରିଲେ ଜାଣି-‘‘ବଧିବ ବ୍ରାହ୍ମଣେ କି ଅଛି ସକ୍ଷମକାହା ପାଞ୍ଜି ପୋଛି ଦେଇଅଛି ଯମ ।ସତ୍ୟସେବା ପୁଣି ତ୍ୟାଗସେବା ଯାର,ବ୍ରତ, ତାକୁ କିଏ କରିବ ସଂହାର ।ସେହି ତ୍ୟାଗ ସତ୍ୟ ସିଂହରୂପ ଧରି,ଗ୍ରାସିବାକୁ ଏଥି ଉଭା ବିପ୍ର-ଅରି ।ଶୁଣି କଟୁଆଳେ ଏ ବଜ୍ର ବଚନ,କଲେ ଯାଇ ଭୟେ ନୃପେ ନିବେଦନ ।ଉଡ଼ିଲା ସାହସ ଦୁଷ୍ଟ ନୃପତିର,କମ୍ପିଲା ସଭୟେ ସର୍ବାଙ୍ଗ ଶରୀର ।ଉଠି ସିଂହାସନୁ ଆସି ତରତରେ,କଲା କ୍ଷମାଭିକ୍ଷା ବ୍ରାହ୍ମଣ-ପୟରେ ।କରି ବହୁ ପୂଜା ଆଦରେ ତାହାକୁ,ଘେନିଗଲା ଗୃହେ କହି ନାନା କାକୁ ।ହର୍ଯ୍ୟକ୍ଷେ ବ୍ରାହ୍ମଣେ କରି ପ୍ରାଣଦାନ,ଭଜିଲେ ପଲକେ କାହିଁ ଅନ୍ତର୍ଦ୍ଧାନ ।ବୁଝ ମନ ସତ୍ୟ ତ୍ୟାଗର ମହିମା,ମହାସିନ୍ଧୁ ପ୍ରାୟ ନାହିଁ ତାର ସୀମା ।
ତୃତୀୟ ସର୍ଗ
ଧର୍ମରାଜ୍ୟେ କେତେ ବିଧି-ହୀନତର,ଅବସ୍ଥିତ ଯଥା ଗଙ୍ଗାରେ ହାଙ୍ଗର ।ଏକଧର୍ମସେବୀ ଆନ ଧର୍ମୀ ପ୍ରତି-କରିଥାନ୍ତି ଘୃଣା ପ୍ରଦର୍ଶନ ଅତି ।ମାତ୍ର ବଡ଼ ନୀଚ ସଂକୀର୍ଣ୍ଣ ଏ ରୀତି,ନୁହେଁ ଏ ଧର୍ମର ସମୁଦାର ନୀତି ।ନିରୁପାଧି ଧର୍ମ ଅଦ୍ୱିତୀୟତର,ନାହିଁ ତହିଁ ଭେଦ ଭଦ୍ର ବା ଇତର ।ବେଦ ବାଇବେଲ କୋରାନ୍ ପୁରାଣ,କେହି ନୁହେଁ ସାନ ସକଳେ ମହାନ ।ସଲିଳ, ଉଦକ, ଜଳ, ପାଣି, ବାରି,ଏକଇ ପଦାର୍ଥ ବହୁ ନାମଧାରୀ ।ବିଧର୍ମାକୁ ଘୃଣା ନ କରିବୁ ମନ,କରିବୁ ତାହାକୁ ପ୍ରେମେ ଆଲିଙ୍ଗନ ।ହେଉ ପଛେ ଭିନ୍ନ ସାଧନା ବା ଭେକ,ମାତ୍ର ସମସ୍ତଙ୍କ ଲକ୍ଷ୍ୟ ନିଶ୍ଚେ ଏକ ।କେହି ଯାଏ ନାବେ, କେହି ପଦବ୍ରଜେ,କେହି ଶକଟରେ କେହି ଅବା ଗଜେ,ଏହିପରି ତୀର୍ଥଯାତ୍ରୀ ଲକ୍ଷ ଲକ୍ଷ,ଯାନ୍ତି ସର୍ବେ କରି ଏକତୀର୍ଥେ ଲକ୍ଷ୍ୟ ।ବିଧର୍ମୀକୁ ଦେବୁ ହୃଦୟେ ଆସନ,ମାତ୍ର ନ କରିବୁ ବିଧର୍ମ ଗ୍ରହଣ ।ସେହିପରି ବୌଦ୍ଧ ବ୍ରହ୍ମ ଆଦି ଧର୍ମ,ସକଳର ମୁଖ୍ୟ ଲକ୍ଷ୍ୟ ପରଂବ୍ରହ୍ମ ।ଧର୍ମନାମେ କେତେ ବୀଭତ୍ସ ଆଚାର,ହୁଏ ଅବିହିତ ନାହିଁ ସଂଖ୍ୟା ତାର ।ରଖିଥିବୁ ସଦା ଦୃଷ୍ଟି ସେଥି ପ୍ରତି,ନ ପଶିବୁ କେବେ ଭ୍ରମେ ତାହା କତି ।ଆତ୍ମ ବିବେକକୁ ଅର୍ପି ଜଳାଞ୍ଜଳି,ନ ଯାଚିବୁ ଦେବେ ପଶୁପକ୍ଷୀ ବଳି ।ଜୀବବଳିଠାରୁ ନାହିଁ ବଳି ପାପ,କିଣାହୁଏ ତହିଁ ଦେବ-ଅଭିଶାପ ।ଜୀବ ପିତାମାତା ଦେବଦେବୀଗଣ,କରିବେ କି ଅହୋ, ସନ୍ତାନେ ଭକ୍ଷଣ ।କେଉଁ ପିତାମାତା ପାମରୀ ପାମରସନ୍ତାନହନ୍ତାକୁ ଦେବ ତୋଷେ ବର ।ଧର୍ମ ବୋଲି ଭଣେ ଯେ ଶାସ୍ତ୍ର ହତ୍ୟାକୁ,ଦୂରୁ ଶତକୋଟି ଦଣ୍ଡବତ ତାକୁ ।ପର ପ୍ରାଣ ଦେଇ ରଖେ ଯେ ସ୍ୱପ୍ରାଣ,ପ୍ରାଣୀ ନୁହେଁ ସେହୁ ଅପ୍ରାଣ ପାଷାଣ ।ପ୍ରାଣେ ପ୍ରାଣେ ଛନ୍ତି ବ୍ରହ୍ମ ଜଗନ୍ନାତା,ମାତୃହତ୍ୟା ପାପ କରେ ବଳିଦାତା ।ମିଳୁଥିଲେ ପ୍ରାଣ ବଦଳେ ଜୀବନ,ମାନବ ସୃଷ୍ଟିରେ ନ ଥାନ୍ତା ମରଣ ।ଅନ୍ୟର ଜୀବନ କରେ ଯେ ବିନାଶ,ଅକାଳରେ କାଳ କରେ ତାକୁ ଗ୍ରାସ ।ଲାଞ୍ଚେ ବଶୀଭୂତ ନୁହନ୍ତି ଦେବତା,ମାନବ-ସୁଲଭ ସିନା ସେ କୁପ୍ରଥା ।ନୁହନ୍ତି ଦେବତା ପେଟବିକଳିଆ,ହୋଇଯିବେ ତୁଷ୍ଟ ଖାଇ ମୁଆଁ, ଲିଆ ।ଯାହା ଦତ୍ତ ଖାଦ୍ୟେ ଜୀବିତ ପ୍ରାଣୀଏ,କି ଦ୍ରବ୍ୟେ ତାହାଙ୍କୁ ତୋଷିବ ବା କିଏ ।ଯାହା ଦ୍ରବ୍ୟ, ତାହା ତାକୁ ସମର୍ପଣ,-କରିବା କେବଳ ଅଲୋଜୁକପଣ ।ନ ଲୋଡ଼ନ୍ତି ଦେବେ କ୍ଷୀରି, ପିଠା, ଡାଲି,ହୃଦୟର ଭାବ ଲୋଡ଼ନ୍ତି ସେ ଖାଲି ।ତାହାହିଁ ତାହାଙ୍କୁ କରିବୁ ଅର୍ପଣ,ନ ହେବୁଟି କେବେ ଭକ୍ତିରେ କୃପଣ ।ନିର୍ମାୟ ନିଷ୍କ୍ରିୟ ବ୍ରହ୍ମଚାରୀ ବ୍ରତ,ବାହ୍ୟ ଚହଟରେ ନ ହେବୁ ଆସକ୍ତ,ବ୍ରହ୍ମଚାରୀ ଆତ୍ମ-ଉଦରସର୍ବସ୍ୱ,କର୍ମ ପରିତ୍ୟାଗୀ ନିଖଟୁ ଅଳସ ।ବିଶ୍ୱ-ମଙ୍ଗଳ ସେ କିଛି ସାଧେ ନାହିଁ,ତାହା କର୍ମ ସିନା ଏକା ତାହା ପାଇଁ ।ନ ଧାରେ ସେ ଜନ-ହିତଚିନ୍ତା ଧାର,ବଢ଼ାଏ ସେ ଖାଲି ସମାଜର ଭାର ।କର୍ମ ତେଜି ହୋଇ ନଖ ଶ୍ମଶ୍ରୁଯୁକ୍ତବୁଲୁଥିଲେ କେହି ହେବ ନାହିଁ ମୁକ୍ତ ।ହେଉଥିଲେ ତାହା ଭଲ୍ଲୁକ କେଶରୀ,ଯାଇ ସାରନ୍ତେଣି ପଶୁତ୍ୱର ତରି ।ଶତ ଦେବ-ସେବା କୋଟି ତପ ବ୍ରତ,କର୍ମସେବା ବିନା ହୁଏ ସବୁ ବ୍ୟର୍ଥ ।ଅତଏବ ମନ, ନ ହେବୁ ସନ୍ନ୍ୟାସୀ,କରିଯିବୁ କର୍ମ ହୋଇ ଗୃହବାସୀ ।ମାତ୍ର ସବୁ କର୍ମେ ହେବୁ ଇଚ୍ଛାଶୂନ୍ୟ,ନିରିଚ୍ଛା କର୍ମର ଉପନାମ ପୂଣ୍ୟ ।ସୁମରିବୁ ସଦା ଜୀବନ ଅନିତ୍ୟ,ରଚିଯିବୁ ଚାଣ୍ଡେ ସୁକର୍ମ-ସାହିତ୍ୟ ।କରିବାକୁ ହେବ କାଲିକି ଯେ କାମ,କରିବୁ ତା ଆଜି ନ ଭଜି ବିଶ୍ରାମ ।ବେଳ ଓଳି କାର୍ଯ୍ୟ ସାଧିବୁ ସକାଳେ,ବିଳମ୍ୱରେ ବିଘ୍ନ ଶ୍ରେୟଟି ସସ୍କାଳେ ।ଗୃହାଶ୍ରମେ ରହି ଆଚରିବୁ କର୍ମ,ପକାଇ ପୟରେ ମସ୍ତକର ଘର୍ମ ।ଗୃହାଶ୍ରମ ସମ ପୂଣ୍ୟାଶ୍ରମ ନାହିଁସକଳ ଆଶ୍ରମେ ରଖେ ସେ ବଞ୍ଚାଇ ।ରସ ଦେଇ ରସା ଆପଣା ଦେହରୁ,ବଞ୍ଚାଇ ଯେସନ ରଖେ ବିରୁ ତରୁ ।କୃଷିଦ୍ୱାରା କରି ଶସ୍ୟ ଉତ୍ପାଦନ,ଲକ୍ଷ ଲକ୍ଷ ଜୀବେ ଅର୍ପେ ଗୃହୀ ଅନ୍ନ ।କରେ ଗୃହୀ ଯେଉଁ ମୁଷ୍ଟି ଭିକ୍ଷା ଦାନ,ତୁଲ୍ୟ ନୁହେଁ ତାର ଜପ ଯଜ୍ଞ ଧ୍ୟାନ ।କ୍ଷୁଧାତୁରେ ଅନ୍ନ, ତୃଷାତୁରେ ଜଳଦେଇ ଲଭେ ଗୃହୀ ଚତୁର୍ବର୍ଗ ଫଳ ।ହିମାଦ୍ରି, ପ୍ରମାଣେ କଲେ ସ୍ୱର୍ଣ୍ଣ ଦାନ,ଅନ୍ନମୁଷ୍ଟି ସଙ୍ଗେ ନୁହେଁ ତା ସମାନ ।ଗୋ-ସେବାରେ ଗୃହୀ କରେ ପୂଣ୍ୟାର୍ଜନ,ସେ ପୂଣ୍ୟେ ସେ ଲଭେ ଦେବତା ଆସନ ।ବର୍ଣ୍ଣିବ ଅନନ୍ତ ଗୋମାହାତ୍ମ୍ୟ କିଏ,ରୋମ ଗୋଟିକେ ତା’ ଦେବତା ଗୋଟିଏ ।ଗୋଜାତି ମହତ୍ତ୍ୱ ଅକଳିତ ଜାଣି,ସେବୁଥିଲେ ସ୍ୱୟଂ କୃଷ୍ଣ ବେଣୁପାଣି ।ଗୋଜାତିର ଦାନ ନବନୀତ, ଘୃତ,ଯଜ୍ଞର ହବି ସେ ମର୍ତ୍ତ୍ୟର ଅମୃତ ।ଯଜ୍ଞରୁ ସଂଜାତ ବାରିଗର୍ଭ ଘନ,ବାରି ବର୍ଷିକରେ ପ୍ରକୃତି ପାଳନ ।ଦେବଶକ୍ତି ନିଶ୍ଚେ ଗୋଶରୀର ଧରି,ବିଶ୍ୱହିତ ଅର୍ଥେ ଅଛି ଅବତରି ।ପ୍ରତିଦିନ ମନ କରିବୁ ଗୋସେବା,ଗୋଶରୀରେ ଗଙ୍ଗା ଗୋଦାବରୀ, ରେବା ।ସ୍ନାନ ଆର୍ଦ୍ରବାସେ ଆର୍ଯ୍ୟବଧୂଗଣ,ଗୋଧନେ ସୁଦୁର୍ବା କରାନ୍ତି ଭକ୍ଷଣଗୁଢ଼ ଅର୍ଥ ସିନା ଗୋସେବା ତାହାର,ଆର୍ଯ୍ୟର ଏ ନୀତି ପରମ ଉଦାର ।ମାନବ ଭାଗ୍ୟରେ ଗୋସୃଷ୍ଟି ବିଧାନ,ବିଧିର ଅମୃତମୟ ମହାଦାନ ।ଗୃହାଶ୍ରମେ ହୁଏ ଗୋସେବା ସୁବିଧା,ଚାଲିବୁ ତୁ ମନ ସେହି ବାଟେ ସିଧା ।ପୁରାଣ-ପ୍ରଣେତା ଋଷି ତୁଙ୍ଗଯଶା,କରିଛନ୍ତି ଗୃହାଶ୍ରମର ପ୍ରଶଂସା ।ସିଦ୍ଧକ୍ଷେତ୍ର ତାହା ଅମର ବାଞ୍ଛିତ,କର୍ମଯଜ୍ଞ ତହିଁ ହୁଏ ନିର୍ବାହିତ ।ନିବସିବୁ ଗୃହେ ଘେନି ପରିବାର,ହେବ ତହିଁ ଲଘୁ ଜୀବନର ଭାର ।ଲଭି ସ୍ୱଜନଙ୍କ ସଙ୍ଗ-ସହାୟତା,ସେବାର ସୁଯୋଗ ଭୁଞ୍ଜିବୁ ସର୍ବଥା ।ଗୃହଯୋଗୀ ହୋଇ କରିବୁ ସାଧନା,ଗୃହୀର ତପସ୍ୟା କର୍ମ ଆରାଧନା ।ସାଧନାରେ ମନ, ମିଳେ ଯେ ଆନନ୍ଦ,ନ ଥାଏ ସିଦ୍ଧିରେ ସେ ଆନନ୍ଦ ଗନ୍ଧ ।ନୁଆଁଇବୁ ପ୍ରେମେ ଅପ୍ରେମୀର ମଥା,ସାଧୁତା ବଳରେ ଅସାଧୁର ତଥା ।ନ ଫୁଲାଇ କେବେ ଗୁଣକୁ ନିଜର,ଫେଣାଇବୁ ସଦା ସ୍ୱଦୋଷନିକର ।ଫେଣାଇବୁ ଯେତେ ଦୋଷେ ଅନର୍ଗଳ,ତେତେ ସେ ଦିଶିବ ତୋ ନେତ୍ରେ ଉଜ୍ଜ୍ୱଳ ।ନିଜ ଗୁଣେ ଅନ୍ଧ ଥିବୁ ସାବଧାନ,ମାତ୍ର ପର ଗୁଣେ ହେବୁ ଚକ୍ଷୁଷ୍ମାନ ।ନ ଖୋଜିବୁ ମାଛି ପରି ପୂଜ ରକ୍ତ,ଅଳି ପରି ହେବୁ ମଧୁପାନେ ରତ ।ହେବୁ କୁଲା, ମାତ୍ର ନ ହେବୁ ଚାଲୁଣୀ,କେଉଟୁଣୀ ନୋହି ହେବୁ ରେ ମାଲୁଣୀ ।ଆତ୍ମବିସ୍ମୃତିର ଅମଳ ନ ଖାଇ,ଯୌବନକୁ ଦେବୁ ଶୈଶବେ ବୁଡ଼ାଇ ।ଆପଣାକୁ ସଦା ରଖିବୁ ଗୋପନ,କରୁଥିବୁ ତାର ଗୁଣ ପ୍ରଖ୍ୟାପନ ।ବହୁରୂପୀ ନୋହି କୃକଳାସ ପରି,ଥିବୁ ଦୁଃଖେ ସୁଖେ ଏକଭାବ ଧରି ।ଦେଖାଇବା ପାଇଁ ସମାଜେ ଶ୍ରେଷ୍ଠତା,ମଣ୍ଡାଇବୁ ନାହିଁ ଶରୀରେ ରଙ୍ଗତା ।ଚକ୍ଷୁଲଜ୍ଜାବଶେ ନ ଅର୍ଜିବୁ ପାପ,ହେବୁ ନାହିଁ କେବେ ଦୁମୁଣ୍ଡିଆ ସାପ ।ଟିଙ୍କ ପରି ଲାଗି ଗାଈପହ୍ନାଚିରେ,ନ ଶୋଷିବୁ ଦୁଗ୍ଧ, ତେଜି ତୁ ରୁଧିରେ ।ତମ୍ପ ସାପ ପ୍ରାୟ ଉଗ୍ରତା ନ ଧରି,ମହୀଲତା ଧର୍ମ ଥିବୁ ରେ ଆଚରି ।ନ ହେବୁ ଯଦ୍ୟପି ଛିଦ୍ରାନ୍ୱେଷୀ କୀଟ,ପିନ୍ଧିବୁ ମସ୍ତକେ ମହିମା କିରୀଟ ।ଶୁଣ ଶୁଣ ମନ ହୋଇ ଅବହିତ,ରାଜସେବା କାର୍ଯ୍ୟେ ନ ହେବୁ କୁଣ୍ଠିତ ।ଜନେଶ୍ୱର ନିଶ୍ଚେ ମର୍ତ୍ତ୍ୟର ଦେବତା,ପ୍ରକୃତିପୁଞ୍ଜର ଶିରୋରକ୍ଷୀ ଛତା ।ରାଜା, ପ୍ରଜାପିତା ଆଦର୍ଶ ଶିକ୍ଷକ,ଇହକାଳର ସେ ପରମ ରକ୍ଷକ ।ଶାସନ୍ତି ପାଳନ୍ତି ନ୍ୟାୟ ନିକ୍ତି ଧରି,ପ୍ରଜାଙ୍କର ଧନ ଜୀବନ ପ୍ରହରୀ ।ଧର୍ମଦଣ୍ଡ କରେ କରି ସେ ଧାରଣ,କରନ୍ତି ପ୍ରଜାର ଧର୍ମ ସଂରକ୍ଷଣ ।ରାଜାଙ୍କ ଜୀବନ ନୁହେଁ ରାଜା ପାଇଁ,ଜନହିତ ଲାଗି ସୃଷ୍ଟ ଜନସାଇଁ ।ରାଜନୀତି ସୂତ୍ର ଦୃଢ଼ ବିଲକ୍ଷଣ,ଗୁନ୍ଥା ତହିଁ ପ୍ରଜା ଜୀବନ ମରଣ ।ହେଲେ ସେହି ସୂତ୍ର କିଞ୍ଚିତ କୋହଳ,ଦଣ୍ଡକେ ସମାଜ ହେବ ବିଶୃଙ୍ଖଳ ।ହିଂସା ହତ୍ୟା ଆଦି ବୀଭତ୍ସ ବ୍ୟାପାର-ଘଟି, ଜନ ସୃଷ୍ଟି ହେବ ଛାରଖାର ।ପ୍ରଜା ପିଣ୍ଡ, ରାଜା ସେ ପିଣ୍ଡର ପ୍ରାଣ,ସାଧନ୍ତି ସେ ସଦା ପ୍ରଜାର କଲ୍ୟାଣ ।ପ୍ରଜାଙ୍କର ରାଜା ସେବକ ମହତ,ଜନସେବା ତାଙ୍କ ଜୀବନର ବ୍ରତ ।କରିବୁ ସାହାଯ୍ୟ ତାଙ୍କୁ ଯଥାଶକ୍ତି,ରାଜକର ସହ ସମର୍ପିବୁ ଭକ୍ତି ।ଲୋଡ଼ା ହେଲେ ପ୍ରାଣ ଦେବୁ ରାଜକାର୍ଯ୍ୟେ,ବସିବୁ ସେ ଫଳେ ପୂଣ୍ୟମୟ ରାଜ୍ୟେ ।ନ କରିବୁ ଭ୍ରମେ ରାଜଦ୍ରୋହ ପାପ,ଦଂଶିବଟି ରାଜଦୋଷ-ନାଗସାପ ।ସେ ମହାପାପର ନାହିଁ ପ୍ରାୟଶ୍ଚିତ୍ତ,ରହିବୁ ସେ ପକ୍ଷେ ଚିର ସତର୍କିତ ।ଜାଣିବୁ ସେ ବିଷ ଉତ୍କଟ ସର୍ବତ୍ର,ବ୍ୟର୍ଥ ତାହା ପାଶେ ଗୁଣିଆର ମନ୍ତ୍ର ।ଘାରିବ ସେ ବିଷ ଶିରା ପ୍ରଶିରାରେ,ନ ଝଡ଼ିବ ତାହା ପରଶୁକେଦାରେ । ** - ପଦବିଶେଷରାଜଶକ୍ତି ଉଗ୍ର, ଦୈବଶକ୍ତି ପ୍ରାୟେ,ଗଢ଼ା ତାହା ପ୍ରଜାଶକ୍ତି ସମବାୟେ ।ପାଳିବୁ ରାଜାଜ୍ଞା ଦେବଆଜ୍ଞା ଯଥା,ନୃମଣି ଚରଣେ ଲଗାଇବୁ ମଥା ।ଦେଶମାତୃକାର ପବିତ୍ର ପୟର-ସେବାରେ ତୁମ ମନ ଥିବୁ ରେ ତତ୍ପର ।ମାତୃମହୀ ସ୍ୱର୍ଗ, ପୂଣ୍ୟେ ଅଳଙ୍କୃତ,ମାତୃଭାଷା ତହିଁ ଦୁର୍ଲ୍ଲଭ ଅମୃତ ।ସେବେ ଯେ ତା ପଦ ସେ ନିଶ୍ଚେ ଅମର,ବିଶ୍ୱ ନମସ୍ୟ ସେ ମହା ଭାଗ୍ୟଧର ।ମାନବ ଜୀବନ ମାନବର ଆଶା,ରଖିଛି ବଞ୍ଚାଇ ସିନା ମାତୃଭାଷା ।ମନୋଗତ ଭାବ ଭାଷା ରୂପ ଧରି,ଆନ ହୃଦେ ପଶି ଉଠାଏ ଲହରୀ ।ଭାଷା ଯୋଗେ ହୁଏ ମାନବ ଜଗତନିୟନ୍ତ୍ରିତ, ପୁଣି ଚାଳିତ ସତତ ।କରେ ମାତୃଭାଷା ଆତ୍ମାକୁ ବିଶୁଦ୍ଧ,ମାନବ ସମାଜ ତା ଲାଗି ସମୃଦ୍ଧ ।ମାତୃଭାଷା ଏକା ମାନବର ସାହା,ଦେଖାଏ ସେ ଜନେ ଜୀବନର ରାହା ।ମାନବ ଭାଗ୍ୟେ ସେ ମଙ୍ଗଳ ଅତୁଲ,ଦେବତା-ପ୍ରସାଦୀ ପାରିଜାତ ଫୁଲ ।ଖଟିବୁ ତା’ ପଦେ ହୋଇ ସେବାଦାସ,ସାରସ୍ୱତ-ସ୍ୱର୍ଗେ ଲଭିବୁ ନିବାସ ।
ଚତୁର୍ଥ ସର୍ଗ
କଳ୍ପେ ପରମାୟୁ ଘେନି କେହି କବି,ବର୍ଣ୍ଣିବ ଯଦ୍ୟପି ମହୀରେ ସମ୍ଭବି,ତଥାପି ସେ ସେବା ମହିମାର ଲେଶ,ନ ପାରିବ କରି ଜୀବନରେ ଶେଷ ।ଶୁଣ ଶୁଣ ମନ ସେବା ଶୁଭ ଫଳ,କଳୁଷିତ ଜ୍ଞାନ ହେବ ସୁନିର୍ମଳ ।ଦିନେ ଅତି ଦୀନା ବନ୍ୟନାରୀ ଜଣେ,ଯାଇଥିଲା ଦୂରେ କାଷ୍ଠ ଆହରଣେ ।ଦଇବେ ଥିଲା ସେ ପୂର୍ଣ୍ଣ ଗର୍ଭବତୀ,ପ୍ରସବିଲା ପୁତ୍ର ଶୋଭାବନ ଅତି ।ହୋଇ ସେ ଶିଶୁର କ୍ରନ୍ଦନେ ଆହୂତମିଳିଲା ଶାର୍ଦ୍ଦୁଳରୂପୀ ଯମଦୂତ ।ପ୍ରସୂତେ ଉପେକ୍ଷି ପ୍ରସୂତିକୁ ଘେନି,ପଳାଇଲା ବ୍ୟାଘ୍ର ଭେଦି ବନଶ୍ରେଣୀ ।ପ୍ରଚଣ୍ଡ ନାମରେ ଦୁଷ୍ଟ ଦସ୍ୟୁପତି,କରିଥିଲା ସେହି କାନ୍ତାରେ ବସତି ।ରାଜା ପ୍ରାୟ ତାର ବିପୁଳ ସମ୍ପତ୍ତି,ମାତ୍ର ଦସ୍ୟୁବର ଥିଲା ନିଃସନ୍ତତି ।ଶୁଣି ସଦ୍ୟଜାତ ଶିଶୁଣ କ୍ରନ୍ଦନମିଳିଲା ସେ ଆସି ସେଠାରେ ବହନ ।ଦେଖିଲା ସୁନ୍ଦର ଶିଶୁ ଶଶୀ ପରି,ପଡ଼ିଛି କାନନ ଆଲୋକିତ କରି ।ଭାବିଲା ସେ ହେରି ଶିଶୁ ନବଜାତ,ପଡ଼ିଛି କି ଖସି ସ୍ୱର୍ଗୁ ପାରିଜାତ ।ଅସ୍ଥାନେ ପତିତ କିବା ରତ୍ନଟିଏ,ଅବା ବନଦେବୀ କ୍ରୀଡ଼ା ପୁତ୍ତଳୀ ଏ ।କେବଣ ସଦୟ ଦେବତା ପ୍ରଧାନ,ମନ ଜାଣି ମୋତେ କଲା ପୁତ୍ରଦାନ ।ପାଳିବି ଏହାକୁ ନିଜ ପୁତ୍ରବତ,ରଖିବି ଶିଶୁର ନାମ ଦେବଦତ୍ତ ।ଚାହିଁଥିଲି ଉଠି ପ୍ରାତେ କାହା ମୁଖ,ଖଣ୍ଡିଲା ଆଜି ମୋ ଆଜୀବନ ଦୁଃଖ ।ଏହା ଭାବି ତୋଳି ଶିଶୁଟିକୁ ଅଙ୍କେ,ଘେନିଗଲା ଦସ୍ୟୁ ସ୍ୱଗୃହେ ନିଃଶଙ୍କେ ।କି ମନ୍ତ୍ରରେ ଶିଶୁ କରେ ବିଶ୍ୱ ଜୟ,ତରାଳାଏ ଲୌହ କଠିନ ହୃଦୟ ।ଦସ୍ୟୁ ହୃଦ ଯଥା ନୀରସ ଉପଳ,କରିଦେଲା ତାକୁ ସ୍ନେହରେ ସଜଳ ।ବଢ଼ିଲା ବାଳୁତ ଦସ୍ୟୁର ଆଗାରେ,ବଢ଼େ ଯଥା ବିଦ୍ୟା ନିତ୍ୟ ବ୍ୟବହାରେ ।ଐଶ୍ୱର୍ଯ୍ୟ ମଧ୍ୟରେ ବଢ଼ିଲ ବାଳକ,ପତ୍ର ମଧ୍ୟେ ଯଥା କୁସୁମ କୋରକ ।ବଢ଼ିଲା ତା ସହ ଦସ୍ୟୁର ମମତା,ଇନ୍ଦୁ ସଙ୍ଗେ ସଙ୍ଗେ ସିନ୍ଧୁ ବୃଦ୍ଧି ଯଥା ।ଯଥାକାଳେ ସେହି ଦସ୍ୟୁର ନନ୍ଦନ,ଯୌବନରେ ଆସି କଲା ପଦାର୍ପଣ ।ଦସ୍ୟୁବୃତ୍ତିରେ ସେ ହେଲା ଧୁରନ୍ଧର,ଧନଲୋଭେ ହତ କଲା ବହୁ ନର ।ପିତାଠାରୁ ବଳି ହେଲାକ ଦୁର୍ଦ୍ଧର୍ଷ,ଏହିରୂପେ ଗଲା ବିତି କେତେ ବର୍ଷ ।ଯଥାସମୟରେ ବୃଦ୍ଧ ଦସ୍ୟୁପତି,ପ୍ରାଣ ତେଜି କଲା ପରଲୋକେ ଗତି ।ତହୁଁ ଦେବଦତ୍ତ ଶଠ ପାପାଚାରୀ,ବିପୁଳ ଧନର ହେଲା ଅଧିକାରୀ ।ବଡ଼ କୃପଣ ସେ, କେବେ ହେଲେ ହୁଡ଼ି,କରେ ନାହିଁ ବ୍ୟୟ କଡ଼ାଏ କଉଡ଼ି ।ନ ଭୁଞ୍ଜି ନ କରି ଦାନ, ବିତରଣ,ଶୁଙ୍ଘି ଶୁଙ୍ଘି ଧନ ମରନ୍ତି କୃପଣ ।ତୃପ୍ତ ନୁହେଁ ତାଙ୍କ ଧନର ପିପାସା,ଯେତେ ବଢ଼େ ଧନ ତେତେ ବଢ଼େ ଆଶା ।ଦିନେ ଦେବଦତ୍ତ ପଥ ପାର୍ଶ୍ୱେ ଯାଇ,ଲୁଚି ରହିଥିଲା ପଥିକକୁ ଚାହିଁ ।ଦଇବଯୋଗରେ କେତେ କ୍ଷଣ ପରେ,ଆସିଲା ବ୍ରାହ୍ମଣ ଜଣେ ସେ ପଥରେ ।କର୍ଣ୍ଣରେ ତାହାର ସୁବର୍ଣ୍ଣ କୁଣ୍ଡଳ,ଦ୍ରୁତଗତି ହେତୁ ଦୋଳେ ଅବିରଳ ।ଦେଖି ସେ କୁଣ୍ଡଳ ଦେବଦତ୍ତ ଚିତ୍ତ,ହେଲା ଅନବାର୍ଯ୍ୟ ଲୋଭେ ଲାଳାୟିତ ।ତହୁଁ ସ୍ଥୂଳ ଯଷ୍ଟି କରି ଉତ୍ତୋଳନ,ବ୍ରାହ୍ମଣ ବଧାର୍ଥେ ଧାଇଁଲା ବହନ ।କହିଲା ହୁଙ୍କାରି ଦ୍ୱିଜ ହୋଇ ରୁଷ୍ଟ,ଦୂରେ ରହ ପାପୀ ନରାଙ୍ଗାର ଦୁଷ୍ଟ ।କଲା ତାକୁ ଦ୍ୱିଜ ସ୍ତମ୍ଭୀଭୂତ ଖରେ,ଆଧ୍ୟାତ୍ମିକ ମହା-ଶକ୍ତି ପ୍ରଭାବରେ ।ନ ପାରିଲା ହୋଇ ଅଗ୍ରସର ରାଢ଼,ହୋଇଗଲା ଦେହ ଅସ୍ପନ୍ଦ ଅସାଢ଼ ।ନ ପାରିଲା ଚାଲି ନ ପାରିଲା ବସି,ଭୀମଯଷ୍ଟି ହସ୍ତୁ ପଡ଼ିଲାକ ଖସି ।ଅଭୁତ ବ୍ୟାପାରେ ମନେ ବହି ଶଙ୍କା,ରହିଲା ସେ ଚାହିଁ ହୋଇଣ ତାଟଙ୍କା ।ଭାଙ୍ଗିଗଲା ତାର ଉଦ୍ଧତପଣିଆ,କହିଲା ବ୍ୟାକୁଳେ ହୋଇ ସେ ଛାନିଆକେଉଁ ଦେବ ତୁମ୍ଭେ ଛଦ୍ମବେଶ ଧରି,ବିଜେ ଏଥି କୃପା ମୋପ୍ରତି ବିଚରି ।ମହାପାପୀ ମୁହିଁ ଅତି ଅକିଞ୍ଚନ,ତାର ପ୍ରଭୁ ମୋତେ ସ୍ୱଗୁଣେ ବହନ ।କୃପା ବହି କର ସମ୍ୱରଣ ରୋଷ,କ୍ଷମ ଏ ଅଧମ ଅଜ୍ଞାନର ଦୋଷ ।ଘେନି ଦେବ ମୋର ପ୍ରାର୍ଥନା ବିନୀତ,ବିହ ମୋ ପାପର ଯୋଗ୍ୟ ପ୍ରାୟଶ୍ଚିତ୍ତ ।କରୁଛି ମୁଁ ସତ୍ୟ ତପ ପାଦ ଚାହିଁ,ଦସ୍ୟୁବୃତ୍ତି ଆଉ ଆଚରିବି ନାହିଁ ।ଦସ୍ୟୁର ଦଇନୀ ଶୁଣି ବିପ୍ରବର,ଶାନ୍ତ ହେଲେ ତେଜି କ୍ରୋଧ ଉଗ୍ରତର ।ବହ୍ନିତାପେ ବହି ସଲିଳ ଉଷ୍ଣତା,କ୍ଷଣକେ ଶୀତଳ ହୁଏ ପୁଣି ଯଥା,ବ୍ରାହ୍ମଣର କୋପ ତଥା ସାମୟିକ,ଦୟାକ୍ଷମା ତାର ଗୁଣ ସ୍ୱାଭାବିକ ।ଭାଷିଲା ବ୍ରାହ୍ମଣ ଶୁଣ ରେ ବର୍ବର,ଆନ ପ୍ରାୟଶ୍ଚିତ୍ତ ନାହିଁ ତୋ ପାପର ।କର ନରସେବା ହୋଇ ଦୃଢ଼ଚିତ୍ତ,ନରହତ୍ୟାର ସେ ଯୋଗ୍ୟ ପ୍ରାୟଶ୍ଚିତ୍ତ ।ଅଙ୍ଗ ଅବଶତା ହେଉ ତୋର ଦୂର,ଏହା କହି ଚାଲିଗଲା ସେ ଭୂସୁର ।ତହୁଁ ଦେବଦତ୍ତ ଭାଳିଲା ଏମନ୍ତ,ନାହିଁ ମୋର ଘୋର ଦୁଷ୍କୃତିର ଅନ୍ତ ।ମୋଭଳି ପାତକୀ ନାହିଁ ଭବେ ଆନ,ନରକରେ ସୁଦ୍ଧା ନାହିଁ ମୋର ସ୍ଥାନ ।ଧିକ ଧିକ ମୁହିଁ ଘୃଣ୍ୟ, ଦୁରାଚାର,ଦୁର୍ଭାଗ୍ୟକୁ ମୋର ସହସ୍ରେ ଧିକ୍କାର ।ଅହୋ ମୋ କରଣୀ କେଡ଼େ ଅବାସ୍ତବ,ମାନବ ନୁହେଁ ମୁଁ ଦୂରନ୍ତ ଦାନବ ।ଶୁଣିଲେ ମୋହର ବୀଭତ୍ସ ବେଭାର,ରୋଧିବ ଶ୍ୱାପଦ ସୁଦ୍ଧା କର୍ଣ୍ଣଦ୍ୱାର ।ନର ହୋଇ ହେଲି ନର-ରକ୍ତପାୟୀ,ପୂରାଇଲି ପେଟ ନିଜ ମାଂସ ଖାଇ ।କଲି କଳୁଷିତ ଜୀବନର ରାହା,ହରାଇ ବସିଲି ପରକାଳ ହା ହା !ହୀନଠାରୁ ମୁହିଁ ହୀନତର ଅତି,କି ହେବ ମୋହର ଶେଷଦିନ ଗତି ।ଆସିଥିଲି ଘେନି ପବିତ୍ର ଜୀବନ,କଲି ତହିଁ ଆହା କଳଙ୍କ ଲେପନ ।ଏଥୁ ଯାଇ ପୁଣି ଭୁଞ୍ଜିବି ନିଶ୍ଚୟ,କୃମିକୀଟପର୍ଣ୍ଣ ଭୀଷଣ ନିରୟ ।ନିଜ ଦୁର୍ବୁଦ୍ଧିରେ ପଡ଼ିବି ଅଚିରେ,କଟାହୁ ଛିଡ଼ିକି ଜ୍ୱଳନ୍ତ ଚୁଲିରେ ।ପୁଣି ଭାବିଲା ମୁଁ କରୁଅଛି କିସ,କି ଫଳ ସନ୍ତାପେ ଖାଇ ସାରି ବିଷ ।ଅତୀତକୁ ଆଣି ବର୍ତ୍ତମାନାସନେ,ବସାଉଛି ସିନା ଅବିବେକପଣେ ।ଗଲାଣି ତ ମରି ସେ ଦୁଷ୍ଟ ଅତୀତ,ବର୍ତ୍ତମାନ ଏବେ ଦେଖିବା ଉଚିତ ।ଆଜିଠାରୁ ତେଜି ଏ ପାପ ବେଭାର,ପାଳିବି ବିପ୍ରର ଉପଦେଶ ସାର ।କି ଅଭୁତ ତାର ଆଧ୍ୟାତ୍ମିକ ଶକ୍ତି,ନାହିଁ ହିଂସାଦ୍ୱେଷ କ୍ରୋଧ ବା ବିରକ୍ତି ।କଥାକରେ ମୋର ଶକ୍ତି ନେଲା ହରି,ପୁଣି ଦୟା ବହି କଲା ପୂର୍ବ ପରି ।ଧନ୍ୟ ଆଧ୍ୟାତ୍ମିକ ଶକ୍ତିର ମହିମା,କଳ୍ପନାରେ ବଳି ନୁହେଁ ତାର ସୀମା ।ଜଳ ଅନଳାଦି ମହାଶକ୍ତିଚୟ,ପାରେ ନାହିଁ ତାକୁ କରି ପରାଜୟ ।ଏଥୁଅନ୍ତେ ଦସ୍ୟୁ ଫେରିଯାଇ ଘରେ,ଆପାତ କର୍ତ୍ତବ୍ୟ ଚିନ୍ତିଲା ଚିତ୍ତରେ ।ସମ୍ପତ୍ତି ତାହାର କୁବେର ସମାନ,ଜନହିତ ଅର୍ଥେ କଲା ସବୁ ଦାନ ।ନ ରଖିଲା ସୁଦ୍ଧା କିଛି ନିଜ ପାଇଁ,କୃପଣ ସମାନ ଦାତା କେହି ନାହିଁ ।ବାରିଦ ସଞ୍ଚୟ କରି କରି ବାରି,ଢ଼ାଳିଦିଏ ଶେଷେ ସମ୍ଭାଳି ନ ପାରି ।ବାହାରି ସେ ଶୂନ୍ୟହସ୍ତେ ଶୂନ୍ୟମନେ,ପ୍ରବେଶିଲା ଯାଇ ଗହନ କାନନେ ।‘ସତ୍ୟବ୍ରତ’ ନାମେ ଜାଣେ ବୃଦ୍ଧ ଯତି,କରିଥିଲେ ସେହି କାନନେ ବସତି ।ଭାବିଲା ତାହାଙ୍କୁ ଦେଖି ଦେବଦତ୍ତ,ନରକୁଳେ ଏ ତ ଧାର୍ମିକ ମହତ ।କି ସୁନ୍ଦର ମୂର୍ତ୍ତି ସଂଯତ ସରଳ,ଜୁରିନିଏ ହୃଦୁ ଭକ୍ତି ଅନର୍ଗଳ ।ସେବିବି ଏହାଙ୍କୁ ତେଜି ମନସ୍ତାପ,ସାଧୁସେବା ଫଳେ ଖଣ୍ଡିବ ମୋ ପାପ ।କିନ୍ତୁ ସାକ୍ଷାତରେ ମାଗିଲେ କରୁଣା,ପାପୀ ବୋଲି କାଳେ ପ୍ରକାଶିବେ ଘୃଣା,ଏଣୁ ଅସାକ୍ଷାତେ ରହି ନିରନ୍ତର,ସେବିବି ଏହାଙ୍କ ପବିତ୍ର ପୟର ।ଦୃଢ଼ କରି ଦସ୍ୟୁ ଏ ସଙ୍କଳ୍ପ ମନେ,ପର୍ବତ କନ୍ଦରେ ରହିଲା ଗୋପନେ ।ଗିରିଗୁହା ମହା ଶାନ୍ତିପୁତ ସ୍ଥଳୀ,ନାହିଁ ପୂଣ୍ୟତୀର୍ଥ ସ୍ୱର୍ଗେ ତାହା ଭଳି ।ଆର୍ଯ୍ୟ ଋଷିକୁଳ ତ୍ରିକାଳଦରଶୀ,ଯୋଗଧ୍ୟାନେ ମଜ୍ଜି ତାହା କୋଳେ ବସି,ଭବୀ ବଂଶଧର ସକାଶେ ସଞ୍ଚୟ,କରିଯାଇଛନ୍ତି ଭାବ-ରତ୍ନଚୟ ।ନିଜେ ମଧ୍ୟ ଲଭି ନିର୍ବାଣ ମୁକତି,ଜନ୍ମ ମରଣରୁ ତ୍ରାହି ଲଭିଛନ୍ତି ।ସ୍ଥାନ ପ୍ରଭାବରେ ଦସ୍ୟୁ ହୃଦୟରେ,ସତ୍ତ୍ୱ ଗୁଣ ହେଲା ସମୁଦିତ ଖରେ ।ଦସ୍ୟୁତା-ସୁଲଭ ହିଂସା ପରିହରି,ରହିଲା ସେ ତହିଁ ସାଧୁଭାବ ଧରି ।ସତ୍ୟବ୍ରତ ଋଷି ନିଶା ଅବଧାନେ,ଇଷ୍ଟ ନାମ ସ୍ମରି ଯାନ୍ତି ପ୍ରାତଃସ୍ନାନେ ।ଏହି ଅବସରେ ଦସ୍ୟୁ ଦେବଦତ୍ତ,ଗୋପନେ ଗୁମ୍ଫାରୁ ହୋଇ ବହିର୍ଗତ,ଋଷିଙ୍କ ଆଶ୍ରମେ ପ୍ରବେଶି ସତ୍ୱର,ଲିପିପୋଛି କରେ ପରିଷ୍କାର ଘର ।ପୂଜାପାତ୍ରମାନ ଧୋଇ ସାବଧାନେ,ସଜାଡ଼ିଣ ଆଣି ରଖେ ଯଥାସ୍ଥାନେ ।ସଂଗ୍ରହି କାନନୁ କାଷ୍ଠ, ଫୁଲ, ଫଳ,ରଖିଦେଇ ଯାଏ ବାହାରି ଚଞ୍ଚଳ ।ଋଷିଙ୍କ ଅଜ୍ଞାତେ ନିତି ଏହିମତି,କରୁଥାଏ ସାଧୁସେବା ଦସ୍ୟୁପତି ।ଫେରି ଆସି ସ୍ନାନୁ ଋଷି ସଦାଶୟ,ଦେଖି ଏ ସକଳ ଲଭନ୍ତି ବିସ୍ମୟ ।ଅନ୍ତରାଳେ ଦିନେ ଜଗି ଯତିମଣି,ଦେଖିଲେ ସମସ୍ତ ଦସ୍ୟୁର କରଣୀ ।ଆସି ତହୁଁ ତ୍ୱରା ମିଳି ତାହା ପାଶେ,ପୁଚ୍ଛିଲେ ତୁ ଏହା କରୁ କି ସକାଶେ ।ନିରେଖି ସମ୍ମୁଖେ ତାଙ୍କୁ ଦେବଦତ୍ତ,ଅଷ୍ଟାଙ୍ଗ ଲୁଟାଇ କଲା ଦଣ୍ଡବତ ।ଲୋତକିତ ନେତ୍ରେ ଯୋଡ଼ି ବେନି ହସ୍ତ,ଆମୂଳ ବୃତ୍ତାନ୍ତ କହିଲା ସମସ୍ତ ।ବଡ଼ ଦୁର୍ଭାଗ୍ୟ ମୁଁ ପତିତ ଦୁର୍ଜନବହୁ ମହାପ୍ରାଣୀ କରିଛି ନିଧନ ।ବିଶ୍ଳେଷଣ କଲେ ମୋ ଦେହ ଶୋଣିତ,ନ ମିଳିବ କିଛି ପାତକ ବ୍ୟତୀତ ।ନର ଜୀବନର ମହାଲକ୍ଷ୍ୟ ହୁଡ଼ି,ଥିଲି ଆଜୀବନ ହତ୍ୟାପାପେ ବୁଡ଼ି ।ଦୈବେ ଦିନେ ଏକ ଦ୍ୱିଜ ମହାମନା,ଦେଲେ ମୋତେ ଆସି ଦୟାରେ ଚେତନା ।ତାହାଙ୍କ ଆଦେଶେ ଧରି ସେବାବ୍ରତ,ହୋଇଛି ମୁଁ ଆସି ଏଥେ ଉପଗତ ।ତୁମ୍ଭେ ସାଧୁ ସିଦ୍ଧ ଋଷି ଦେବକଳ୍ପ,ସେବିବି ତୁମ୍ଭଙ୍କୁ କରିଛି ସଙ୍କଳ୍ପ ।କରିବି ଉପେକ୍ଷା ପାପୀ ବୋଲି ନିକି,ଏହି ଆଶଙ୍କାରେ ନ ଆସି କତିକି,କରୁଥିଲି ସେବା ପ୍ରଚ୍ଛନ୍ନରେ ରହି,କ୍ଷମା କର ଦେବ ଦୀନେ କୃପା ବହି ।ମୁଁ ସିନା ବୀଭତ୍ସ ପାପରେ ମଳିନ,ମାତ୍ର ପୂଣ୍ୟରାଜ୍ୟେ ତୁମ୍ଭେ ଉଚ୍ଚାସୀନ ।ତବ ସ୍ପର୍ଶେ ପୂତ ହେବି ମୁଁ ସର୍ବଥା,ଜାହ୍ନବୀ ପରଶେ ଚର୍ମନାସା ଯଥା ।ତବ ଯୋଗେ ମୋର ପ୍ରାଣର ପିପାସା,ମେଣ୍ଟିବ ବୋଲି ମୁଁ ବାନ୍ଧିଅଛି ଆଶା ।ଈଶ୍ୱରଦ୍ରୋହୀ ମୁଁ ଅସାରୁ ଅସାର,ଡାକିବାକୁ ତାଙ୍କୁ ନାହିଁ ଅଧିକାର ।ତୁମ୍ଭେ ତାଙ୍କ ଭକ୍ତ ପ୍ରାଣର ସମାନ,ଭକ୍ତର ଅଧୀନ ସଦା ଭଗବାନ ।କଲେ ଜଣମଣା ତୁମ୍ଭେ ମୋହ ପାଇଁ,ଘେନିବେ ତା ନିଶ୍ଚେ ପ୍ରଭୁ ବିଶ୍ୱସାଇଁ ।ଦେଖିବି ମୁଁ ତାଙ୍କୁ ତୁମ୍ଭରି ପ୍ରସାଦେ,ଦୁର୍ଭାର ପାପରୁ ନିସ୍ତରିବି ହାଦେ ।ଶୁଣିଣ ଏସନ ଦସ୍ୟୁର ବିନତି,କହିଲେ ସହାସ୍ୟେ ସତ୍ୟବ୍ରତ ଯତି-କରିବା ନିମନ୍ତେ ସୂର୍ଯ୍ୟଙ୍କୁ ଦର୍ଶନ,ପ୍ରଦୀପର ଅବା କିସ ପ୍ରୟୋଜନ ।ଖୋଜିଲେ ପ୍ରହ୍ଲାଦ କିମ୍ୱା ଧ୍ରୁବ ପରି,ଯହିଁ ତହିଁ ଦେଖା ଦିଅନ୍ତି ଶ୍ରୀହରି ।ସତ୍ୟ ମଣି ବତ୍ସ କର ତୁ ବିଶ୍ୱାସ,ସର୍ବଦ୍ରବ୍ୟ ମଧ୍ୟେ ତାଙ୍କରି ପ୍ରକାଶ ।ଅଛନ୍ତି ସେ ହରି ପାତାଳେ ଆକାଶେ,ଅଛନ୍ତି ସେ ତୋର ନିଃଶ୍ୱାସ ପ୍ରଶ୍ୱାସେ ।ଭୟ ନାହିଁ, କ୍ଷୟ ହେଲାଣି ତୋ ପାପ,ନାଶିଲାଣି ତାକୁ ତୋର ଅନୁତାପ ।ଅନୁତାପ ପରି ଶ୍ରେଷ୍ଠ ପ୍ରାୟଶ୍ଚିତ୍ତ,ନାହିଁ ବତ୍ସ ଆଉ ଏହା ସୁନିଶ୍ଚିତ ।ଦୃଢ଼େ ସେବାବ୍ରତ ଆଚର ତୁ ଏବେ,ପବିତ୍ର ସେ ବ୍ରତ, ବାଞ୍ଛନ୍ତି ତା ଦେବେ ।ସେବା ଅର୍ଥ ଖାଲି ନୁହେଁ ନରସେବା,ସେବ୍ୟ ସର୍ବେ, ହେଉ କୀଟ ବ୍ରହ୍ମ ଯେବା ।ସାରା ସୃଷ୍ଟି ସଙ୍ଗେ ସେବାର ସମ୍ୱନ୍ଧ,ସଂକୀର୍ଣ୍ଣ ସୀମାରେ ନୁହେଁ ସେ ଆବଦ୍ଧ ।ସେବିବୁ କର୍ମକୁ ହେଜି ତା ମହିମା,ନ ମାଡ଼ିବୁ କେବେ ଭ୍ରମେ ପାପସୀମା ।କ୍ଷୁଦ୍ର ପାପ ସୁଦ୍ଧା ନୁହେଁ ଅବଜ୍ଞାତ,ସ୍ପୁଲିଙ୍ଗେ ହିମାଦ୍ରି ହୁଏ ଭସ୍ମସାତ ।ପ୍ରାଣନାଶ ପକ୍ଷେ କଣିକାଏ ବିଷ,ଯଥେଷ୍ଟ ଏଥିରେ ସନ୍ଦେହ ବା କିସ ।ଉତ୍ତେଜିତ ନୋହି ଲାଳସା ଉତ୍ତାପେ,ମାରିବୁ ସର୍ବଦା ତଣ୍ଟି ଚିପି ପାପେ ।ପାପେଚ୍ଛାକୁ ହେୟ ନ ମଣିବୁ ଭୁଲି,ଖରାଠାରୁ ଊଣା ନୁହେଁ ଗୁଳୁଗୁଳି ।ଆଲିଙ୍ଗିବୁ ଦୁଃଖେ ପ୍ରକାଶି ସମ୍ମାନ,ଦୁଃଖକୁ ମଣିବୁ ସୁଖର ସମାନ ।ରଖିଅଛି ଦୁଃଖ ସୁଖକୁ ବଞ୍ଚାଇ,ଦୁଃଖ ସିନା ସୁଖ-ଦୀପତଳ ଛାଇ ।ଦୁଃଖୁଁ ଜାତ ସୁଖ, ସୁଖୁ ଜାତ ଦୁଃଖ,ସୁଖେ ହୃଷ୍ଟ ଦୁଃଖେ ନୋହିବୁ ବିମୁଖ ।ଦୁଃଖ ଅଛି ବୋଲି ସୁଖ ଜଣାପଡ଼େ,ନତୁ ସୁଖ ମୂଲ୍ୟ ନ ଥାଆନ୍ତା କଡ଼େ ।ତ୍ୟାଗେ ସେବି ଭୋଗେ କରିବୁ ବର୍ଜନ,ଭୋଗ-ପାବକର ଭୋଗହିଁ ଇନ୍ଧନ ।ସୁପଥକୁ ଆଶ୍ରା କରିବୁ ନିରତେ,ବିପଥଗାମୀକୁ ଆଣିବୁ ସୁପଥେ ।ଭୁଞ୍ଜିବାକୁ ହେଲେ ସେ ଲାଗି ବିପଦ,ଭୁଞ୍ଜିବାକୁ ତା କେବେ ନୋହି ପଶ୍ଚାତ୍ପଦ ।ନିଶୁଣୀ ଯାହାକୁ ଉଠାଏ ଉପରେ,ତାହା ପଦାଘାତ ସହେ ଅକାତରେ ।ମାନବ ଶରୀର ରୋଗର ଆକର,ପୀଡ଼ା ହେଲେ ଦେହେ ନ ହେବୁ କାତର ।ତୁ ତୋହର ଦେହ, ଭିନ୍ନ ନିଃସନ୍ଦେହ,ଆରୋହୀ ତୁ, ତୋର ବାହନ ତୋ ଦେହ ।ଲାଗିଲେ ଆଘାତ ବାହନ ଶରୀରେ,ହେବ ଅବା ତୋର କି କ୍ଷତି ତହିଁରେ ।ଧରି ଏହି ଭାବ ରହିବୁ ଅଟଳ,ସହିବୁ ବାହାର ଆଘାତ ସକଳ ।ଏହିରୂପେ କହି ଋଷି ତପପ୍ରାଣ,ଦେବଦତ୍ତେ ଦେଲେ ଆଶ୍ରମରେ ସ୍ଥାନ ।
ପଞ୍ଚମ ସର୍ଗ
ଋଷି ଆଶ୍ରମରେ ରହି ଦେବଦତ୍ତ,ଲାଗିଲା ଆଶ୍ରମ-ସେବାରେ ସତତ ।ଆଶ୍ରମ-ପାଳିତ ପଶୁପକ୍ଷୀମାନେ,ସୁଖୀ ହେଲେ ତାର ଖାଦ୍ୟପେୟ ଦାନେ ।ଅଭ୍ୟାଗତେ ସେବା କଲା ଯଥାବିଧି,ସେବାକୁ ମଣିଲା କୋଟି ରତ୍ନନିଧି ।ଦେଖି ତାକୁ ଯୋଗୀ ସଦା ସେବାରତ,ରଖିଲେ ତାହାର ନାମ ସେବାବ୍ରତ ।ସେହି ଦିନୁ ଶିଷ୍ୟ ବହିଲା ସେ ନାମ,ଦେବଦତ୍ତ ଆଖ୍ୟା ଭଜିଲା ବିଶ୍ରାମ ।ସଦୟେ ତାହାକୁ ଭାଷିଲେ ତାପସ,ଅର୍ଥର ସାପେକ୍ଷ ସବୁ କାର୍ଯ୍ୟ ବତ୍ସ !ଉପାର୍ଜ୍ଜନ ଆଗେ କର ବହୁ ଅର୍ଥ,ହେବୁ ବିଶ୍ୱ-ହିତ-ସାଧନେ ସମର୍ଥ ।ଏହି ଯେ ସମ୍ମୁଖେ ଉଭା ଗିରିବର,ସିନ୍ଧୁ ସମ ତାହା ରତ୍ନର ଆକର ।କେତେ ରତ୍ନ ତାହା ଗର୍ଭେ ଠାବେ ଠାବେ,ରହିଛି ବିକ୍ଷିପ୍ତ ଇତସ୍ତତଃ ଭାବେ ।କାହିଁ ବ୍ୟାଘ୍ରହତ କସ୍ତୁରୀ ମୃଗର,ମୃଗନାଭି ଦାନା ପଡ଼ିଛି ବିସ୍ତର ।ହରି-ବିଦାରିତ କରିଶିର-ମୋତି,ବନଗର୍ଭେ କାହିଁ ବିସ୍ତାରିଛି ଜ୍ୟୋତି ।ସ୍ୱଚ୍ଛ ଶୁଭ୍ର କାନ୍ତ ମୃତ ହାତୀଦାନ୍ତ,ଉଜ୍ଜ୍ୱଳାଏ କାହିଁ ବନଗିରିପ୍ରାନ୍ତ ।କାହି ଶିଳାଜତୁ ବାଉଁଶ କର୍ପୁର,ଅନାଦୃତ ପ୍ରାଏ ରହିଛି ପ୍ରଚୁର ।କାହିଁ ସର୍ଜରସ ଶାଳତରୁ ବଣେ,ପଡ଼ି ରହିଅଛି ଭରଣେ ଭରଣେ ।ମହା ମୂଲ୍ୟବାନ କେତେ ମହୌଷଧି,ଅଛି ଏ ପର୍ବତେ ନାହିଁ ତା ଅବଧି ।ଭୀଷଣ ବରାହ ଦନ୍ତ-ବିଦାରିତ,କେତେ ହୀରାଖଣ୍ଡ ରହିଛି ପତିତ ।ବହୁ ରତ୍ନ ବହୁ ରତ୍ନ ରୂପାନ୍ତର,ବହିଛି ଶରୀରେ ଏହି ଗିରିବର ।ସେ ସକଳ ତୁହି କରିବୁ ସଂଗ୍ରହ,ଗିରି-ବନଗର୍ଭେ ଖୋଜି ଅହରହ ।କଲେ ତାହା ନେଇ ନଗରେ ବିକ୍ରୟ,ବହୁ ଅର୍ଥ କରିପାରିବୁ ସଞ୍ଚୟ ।ଜନସେବା ତହିଁ କରି ମନୋମତ,ଦେଖାଇବୁ ସେବାଯଜ୍ଞର ମହତ୍ତ୍ୱ ।ଶୁଣି ସେବାବ୍ରତ ଋଷି ଉପଦେଶ,ଲଭିଲା ଆନନ୍ଦ ଉତ୍ସାହ ବିଶେଷ ।କଲା ତାଙ୍କ ପଦେ ସାଷ୍ଟାଙ୍ଗ ପ୍ରଣାମ,ଭାବିଲା ହେଲା ମୋ ପୂର୍ଣ୍ଣ ମନସ୍କାମ ।ସାଧୁ ଉପଦେଶ ପବିତ୍ର ମଙ୍ଗଳ,ଦେବାଶିଷ ପ୍ରାୟେ ନ ହୁଏ ବିଫଳ ।ଧରି ମନେ ପ୍ରାଣେ ଦୃଢ଼େ ଏ ବିଶ୍ୱାସ,ନିୟୋଜିଲା ଅର୍ଥସଂଗ୍ରହେ ପ୍ରୟାସ ।ଅଟଳ ସଙ୍କଳ୍ପେ ସାଧେ ଯେ ସୁକାର୍ଯ୍ୟ,ସାଫଲ୍ୟ ତାହାର ଭାଗ୍ୟେ ଅନିବାର୍ଯ୍ୟ ।ଋଷି ଉପଦେଶ କରି ସେ ପାଳନ,କଲାକ ବିପୁଳ ଅର୍ଥ ଉପାର୍ଜନ ।ଅର୍ଥର ଅସାଧ୍ୟ ନାହିଁ ମହୀତଳେ,ଅସାଧ୍ୟ ସୁସାଧ୍ୟ ହୁଏ ତାହା ବଳେ ।ମିଥ୍ୟା ନୁହେଁ ଏହା ଭାଗବତ ବାଣୀ,ଅର୍ଥବଳେ ସ୍ରୋତ ବହଇ ଭଜାଣି ।ଜନହିତ କାର୍ଯ୍ୟେ ବହି ଅନୁରାଗ,ଆରମ୍ଭିଲା ସେହି ଅର୍ଥେ ସେବାଯାଗ ।ଅନାଥ ରୋଗୀର ପୀଡ଼ା ନାଶ ପାଇଁ,ଦେଲା ନେଇ ପଥ୍ୟ ଔଷଧ ଯୋଗାଇ ।ନ ବିଚାରି କୁଳ ନ ବିଚାରି ଜାତି,ପୀଡ଼ିତ ସେବାରେ ପୁହାଇଲା ରାତି ।ଦୁଃଖୀ ରଙ୍କୀ ପାଇଁ କରି ବହୁ ବ୍ୟୟ,ସଂସ୍ଥାପିଲା କେତେ ସୁଚିକିତ୍ସାଳୟ ।ଲୋକହିତକର ବହୁ ସତ୍କାର୍ଯ୍ୟରେ,ବହୁ ଅର୍ଥ ଦାନ କଲା ଅକାତରେ ।ସବୁ ଦାନଠାରୁ ଶ୍ରେଷ୍ଠ ବିଦ୍ୟମାନ,ବସାଇଲା ଦେଶେ ବିଦ୍ୟାଳୟମାନ ।ଜ୍ଞାନବୃଦ୍ଧି ପାଇଁ ଗ୍ରାମବାସୀଙ୍କର,ଖୋଲା ହେଲା ଗ୍ରାମେ ଗ୍ରାମେ ପାଠଘର ।ଜଳାଭାବ ସ୍ଥାନେ ବହୁ ଭୂମି କିଣି,ଖୋଳାଇଲା କେତେ କୂପ ପୁଷ୍କରିଣୀ ।ସାଧୁ ସନ୍ଥ ଭିକ୍ଷୁ ଅତିଥି ସକାଶେ,ସଦାବର୍ତ୍ତ ମଠ ହେଲା ପଥ ପାଶେ ।ଅପଥରେ ହେଲା ସଡ଼କ ନିର୍ମିତ,କେତେ ପାନ୍ଥଶାଳା ହେଲା ସଂସ୍ଥାପିତ ।ଶ୍ରମିକଙ୍କୁ କର୍ମ ଯୋଗାଇବା ପାଇଁ,ସ୍ଥାପିଲା ଆଦର୍ଶ କୃଷିକ୍ଷେତ୍ର କାହିଁ ।ବହୁ ଶିଳ୍ପଶାଳା ହେଲା ସଂସ୍ଥାପିତ,ହେଲେ ଲୋକେ ବହୁ ବିଦ୍ୟାରେ ଶିକ୍ଷିତ ।ଗ୍ରାମେ ଗ୍ରାମେ ଧର୍ମପ୍ରଚାର ନିମିତ୍ତ,କେତେ ଧର୍ମଗୁରୁ ହେଲେ ନିୟୋଜିତ ।ଏହିପରି ବହୁ କାର୍ଯ୍ୟେ ସେବାବ୍ରତ,ମାନବ-ସେବାରେ ରତ ଅବିରତ ।ସେବା-ଯଜ୍ଞେ ହେଲା ପୂର୍ଣ୍ଣ ଚାରିଆଡ଼,ପଶୁପକ୍ଷୀ ସେବା ଗଲା ନାହିଁ ଛାଡ଼ ।ବନ୍ୟ ଜୀବ ପାଇଁ ନିଦାଘ କାଳରେ,ରଖାଇଲା ଜଳ ପର୍ବତ ଶିଖରେ ।ଶୀତ ଉପଦ୍ରବୁ ଲଭିବାକୁ ତ୍ରାହି,ଜଳା ହେଲା ଶୈଳେ ବନେ ନିଆଁ ଡ଼ାହି ।ସ୍ଥାନେ ସ୍ଥାନେ ତହିଁ ରଚିଲା ଭଟଜ,ବର୍ଷାରେ ଆଶ୍ରିଲେ ତାହା ଜୀବବ୍ରଜ ।ଏହିପରି କରି ବହୁ ଅନୁଷ୍ଠାନ,ସେଥିପ୍ରତି ଦୃଷ୍ଟି ରଖିଲା ସମାନ ।କୃତ ଅନୁଷ୍ଠାନ ସୁରକ୍ଷଣ ପାଇଁ,ବହୁ ଅର୍ଥ ଖଞ୍ଜି କଲା ସର୍ବେ ସ୍ଥାୟୀ ।ବୟୋଧର୍ମେ ତାକୁ ଆକ୍ରମିଲା ଜରା,ତେବେ ସେ ନ ଗଣେ ଶୀତ ବର୍ଷା ଖରା ।ସମଭାବେ ସଦା ଧରି ସେବାବ୍ରତ,ସେବାରେ ନିଯୁକ୍ତ ରହିଲା ସତତ ।ବୃଦ୍ଧକାଳେ ସଦା ଯୁବକ ସମାନ,କର୍ତ୍ତବ୍ୟ-ପୟରେ କଲା ଆତ୍ମଦାନ ।ସେବା ତାର ଧର୍ମ ସେବା ତାର ସ୍ୱର୍ଗ,ସେବାକୁ ମଣେ ସେ ଶ୍ରେଷ୍ଠ ଅପବର୍ଗ ।ସେବା ତାର ପ୍ରାଣ, ତପ ତାର ସେବା,ସେବା ସର୍ବ ତୀର୍ଥ ଗଙ୍ଗା ଗୟା ରେବା ।ଥିଲା ଦିନେ ରାତ୍ରେ ନିଦ୍ରା ଅଭିଭୂତ,ଦେଖିଲା ସେ ଏକ ସ୍ୱପନ ଅଭୁତ ।ନାରୀମୂର୍ତ୍ତି ଏକ ଉଭା ହୋଇ ଶିରେ,କହିଲା ତାହାକୁ ସୁକୋମଳ ଗୀରେ-‘‘ଚିହ୍ନିଲୁ କି ମୋତେ, ମୁଁ ତୋର ସୁକୃତି,ଆସିଲି ତୋ ପାଶେ ଧରି ଜ୍ୟୋତିମୂର୍ତ୍ତି ।ହେଲାଣି ତୋହର ଆୟୁ ଅବସାନ,କାଲି ସନ୍ଧ୍ୟାରେ ତୁ ବିସର୍ଜିବୁ ପ୍ରାଣ ।ଭବେ ତୋହ ପରି ଭାଗ୍ୟଧର କିଏ,ଥିଲୁ ତୁ ଗୋଟିଏ ହେବୁ ରେ କୋଟିଏ ।ଦେଖାଇଛୁ ତୁ ଯେ ମଙ୍ଗଳ ଆଦର୍ଶ,ଅନୁକୃତ ତାହା ହେବ ବହୁ ବର୍ଷ ।ସେ ମହା ଆଦର୍ଶ ଦେବତା-ବାଞ୍ଛିତ,କୋଟି ପ୍ରାଣେ ହେବ ସୁପ୍ରତିବିମ୍ୱିତ ।କର୍ମଯାଗେ ଦୃଢ଼େ କରି ଅବଲମ୍ୱ,ଗଢ଼ିଲୁ ତୁ ନିଜେ ନିଜ କୀର୍ତ୍ତିସ୍ତମ୍ଭ ।ତୋ କୀର୍ତ୍ତି-ଦୁଲାଳୀ, ସୁଯଶ-ଦୁଲାଳରଖିବେ ତୋହର ସ୍ମୃତି ଚିରକାଳ ।ମାଟିଦେହ ବତ୍ସ ନୁହେଁରେ ଅମର,କିନ୍ତୁ କୀର୍ତ୍ତିଦେହ ଚିର ଅନଶ୍ୱର ।ଅର୍ପିବ ତୋ କର୍ମ ତୋତେ ଉଚ୍ଚାସନ,ଉଚ୍ଚକୁଳେ ଜନ୍ମେ ତୋ ଭାଗ୍ୟଲିଖନ ।ମାନବର ଇହଜନ୍ମର ସଂସ୍କାର,ପରଜନ୍ମେ କରେ ପ୍ରଭାବ ବିସ୍ତାର ।ତୋ କର୍ମ ମଧ୍ୟରେ ରହିବୁ ତୁ ବର୍ତ୍ତି,କର୍ମ ମଧ୍ୟେ ସିନା କର୍ତ୍ତାର ବସତି ।କର୍ମ ମଧ୍ୟେ କର୍ତ୍ତା କର୍ତ୍ତା ମଧ୍ୟେ କର୍ମ,ବୁଝାଇଛି ଗୀତା, ଏ ତତ୍ତ୍ୱର ମର୍ମ ।କର୍ତ୍ତା କର୍ମର ଏ ଘନିଷ୍ଠ ସମ୍ୱନ୍ଧ,ବୁଝେ ଚକ୍ଷୁଷ୍ମାନ, ବୁଝେ ନାହିଁ ଅନ୍ଧ ।ସୃଷ୍ଟି, ସୃଷ୍ଟିକର୍ତ୍ତା ବ୍ରହ୍ମାଣ୍ଡ ଈଶ୍ୱର,ଦୁହିଁଙ୍କର ସିନା ଦୁହେଁ ରୂପାନ୍ତର ।’’ଏହା ଋଷି ଦେବୀ ହେଲେ ଅନ୍ତର୍ହିତ,ସେବାବ୍ରତ ନିଦ୍ରା ତୁଟିଲା ତ୍ୱରିତ ।ସ୍ୱପ୍ନ କଥା ହେଜି ଭାବିଲା ଏସନ,ସତେ କି ମୋ ପ୍ରତି ଦେବତା ପ୍ରସନ୍ନ ।ହେବି ମୁଁ ବିମୁକ୍ତ ଭବ-କାରାଗାରୁ,କି ଅଛି ସୌଭାଗ୍ୟ ବଳି ଏହାଠାରୁ ।ମୃତ୍ୟୁ ପରି ବନ୍ଧୁ ନାହିଁ କେହି ଆନ,ଆଣିଦିଏ ସିନା ମୃତ୍ୟୁ ନବପ୍ରାଣ ।ଗଢ଼େ ସେ ନୂତନ, ପ୍ରାଚୀନକୁ ଭାଙ୍ଗି,ଭୁଞ୍ଜେ ସୁଖଶାନ୍ତି ଜୀବ ତାହା ଲାଗି ।ଏହା ଭାବି କିଛି ନ କହି କାହାକୁ,ନମିଲା ଉଦ୍ଦେଶେ ଜଗତନାହାଙ୍କୁ ।ନିତ୍ୟକୃତ୍ୟ ସାରି ରହି ଉପବାସେ,ଇଷ୍ଟଦେବ ନାମ ଜପିଲା ଉଲ୍ଲାସେ ।ଅସ୍ତ ହେଲେ ରବି ବୁଡ଼ିଲା ଆତପ,ଏକ ମନେ ବସି କରୁଥାଏ ଜପ ।ଆସିଲା ଏ କାଳେ ଘନ ଘନ ହାଇ,ହାଇ ସଙ୍ଗେ ପ୍ରାଣ ଉଡ଼ିଗଲା କାହିଁ ।ପଡ଼ିଲା ସେ ଢ଼ଳି ଯଥା ଛିନ୍ନତରୁ,ବହିଗଲା ଧାରେ ଗରଳ ମୁଖରୁ ।ଆଶ୍ରମବାସୀଏ ଆସିଣ ଦଉଡ଼ି,ଦେଖିଲେ ଯାଇଛି ପ୍ରାଣ-ପକ୍ଷୀ ଉଡ଼ି ।ମୃତ୍ୟୁବାର୍ତ୍ତା ହେଲା ତତକ୍ଷଣେ ପ୍ରଚାର,ଚାରିଆଡ଼େ ଗଲା ପଡ଼ି ହାହାକାର ।ଏ ଅଭୁତ ମୃତ୍ୟୁ ଦେଖି ଋଷିବର,ଫିଟିଗଲା ତାଙ୍କ ନେତ୍ରୁ ଅଶ୍ରୁଝର ।ଭାଷିଲେ- ‘‘ଆଶ୍ରମୁ ହେଲା ସୂର୍ଯ୍ୟ ଅସ୍ତ,ଛଡ଼ିଗଲା ଆଜି ମୋ ଦକ୍ଷିଣ ହସ୍ତ ।ଘଟେ ଯାହା ଭାଗ୍ୟେ ଏ ସୁଖ-ମରଣ,ସେ ସୌଭାଗ୍ୟବାନ ପଦର ଭାଜନ ।କେଉଁ ତପ ଫଳେ ବାହାର ଆଶିଷେ,ଲଭିଥିଲି ମୁହିଁ ତୋହ ପରି ଶିଷ୍ୟେ ।ତୋହୋ ଯୋଗୁଁ ମୁହିଁ ହେଲି ସିନା ଧନ୍ୟଭାଗ୍ୟଧର ମଧ୍ୟେ ହେଲି ପୁଣି ଗଣ୍ୟ ।ପ୍ରଦାନିବ ତୋତେ ତୋ ପୂଣ୍ୟ ବହନ,ମୃତ୍ୟୁ ଆର ପାଶେ ଅମୃତ ଜୀବନ ।ଯାଅ ବତ୍ସ, ଘେନି ମୋର ଆଶୀର୍ବାଦେ,କର ସୁଖେ ସେବା ବିଶ୍ୱପତି ପାଦେ ।’’ଏହା ଭାଷି ଋଷି ରାଇ ଶିଷ୍ୟଗଣେ,ଆଦେଶିଲେ ଶବ-ସଂସ୍କାର ସାଧନେ ।ତହୁଁ ଶିଷ୍ୟେ ନେଇ ମୃତପିଣ୍ଡେ ବହି,ଶ୍ମଶାନରେ ଦେଲେ ଚିତାନଳେ ଦହି ।ଚିତା ମଧ୍ୟୁ ଉଠି ଏକ ଜ୍ୟୋତି ସ୍ତୁପ,ଚାଲିଗଲା ଊର୍ଦ୍ଧ୍ୱେ ହାବେଳୀ ସ୍ୱରୂପ ।ଦେଖି ସେହି ଦୃଶ୍ୟ ଶବଦାହିଚୟ,ସ୍ତମ୍ଭୀଭୂତ ହୋଇ ଗଣିଲେ ବିସ୍ମୟ ।ଦେଖିଲେ ସକଳେ ଚାହିଁ ଶୂନ୍ୟପଥେ,ବିଜେ ସେବାବ୍ରତ ଜ୍ୟୋତିର୍ମୟ ରଥେ ।ଜ୍ୟୋତିରୂପଧାରୀ ଦ୍ୱିପାଶେ ଦ୍ୱିଜଣ,କରୁଛନ୍ତି ତାକୁ ଚାମରେ ବ୍ୟଜନ ।ଊର୍ଦ୍ଧ୍ୱେ ଉଠି ରଥ ମହାଶୂନ୍ୟେ ଯାଇ,ନ ଦିଶିଲା ଆଉ ଗଲାକ ମିଳାଇ ।କହିଲେ ଉଦ୍ଦେଶେ କରି ଦଣ୍ଡବତ,ଶାପଭ୍ରଷ୍ଟ ଦେବ ନିଶ୍ଚେ ସେବାବ୍ରତ ।ଶାପମୁକ୍ତ ହୋଇ ସେବାଧର୍ମ ପାଳି,ଦେବରୂପେ ଗଲା ଦେବଦେଶେ ଚାଲି ।ଚିତାଭସ୍ମ ବୋଳି ମସ୍ତକେ ସମ୍ଭ୍ରମେ,ବାହୁଡ଼ିଲେ ଶିଷ୍ୟେ ଗୁରୁଙ୍କ ଆଶ୍ରମେ ।
ସମ୍ବନ୍ଧିତ ରଚନା
ସୁଭଦ୍ରା
ଚିନ୍ତାମଣି ମହାନ୍ତି
ସୁରଙ୍ଗୀ କାବ୍ୟ
ଚିନ୍ତାମଣି ମହାନ୍ତି
ପ୍ରଣୟ-ଚିଟାଉ
ଚିନ୍ତାମଣି ମହାନ୍ତି
ବିକ୍ରମାଦିତ୍ୟ
ଚିନ୍ତାମଣି ମହାନ୍ତି