ଦୁର୍ଭାସା ଚରିତ — ସାରଳା ମହାଭାରତ ବନପର୍ବ (ଦ୍ୱିତୀୟ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦୁର୍ଭାସା ଚରିତ
ୟେଥୁ ଅନନ୍ତରେ ଶୁଣ ହୋ ଯୁଗପତିପାଣ୍ଡବନ୍ତ ପ୍ରମାଦ ଚିନ୍ତିଲା କୁରୁପତି ।୧ ।ଶକୁନିକୁ ଘେନି ରାଜା ଭାଳଇ ୟେକାନ୍ତେବନବାସେ ପାଣ୍ଡବେ ନାଶଯିବେ କେମନ୍ତେ ।୨ ।ଶକୁନି ବୋଇଲା ରାଜା ଶୁଣ ଦ୍ରିଯୋଧନଉପାୟେ ଅଛି ପାଣ୍ଡବଂକୁ କରିବା ନିଧନ ।୩ ।ଆପଣେ ନା ମାରି ପରହାଥେ ମରାଇବାସୋଦର ବଧ ଦୋଷ ଯେମନ୍ତେ ନ ଲାଗିବା ।୪ ।ୟେକାନ୍ତେ ବସିଣ ଭାଳନ୍ତି ଦ୍ରିଯୋଧନ ଶକୁନିଶୁଣ ହୋ ଯୁଗପତି କହନ୍ତି ଅଗସ୍ତି ମହାମୁନି ।୫ ।ଯେଉଂଦିନୁ ପାଣ୍ଡବେ ବନବାସ ଗଲେଅନ୍ୟେ ଝିଂଘାସ ତାକୁ ଦ୍ରିଯୋଧନ କରାଇଲେ ।୬ ।କୂଟ କପଟ ମନ୍ତ୍ରୀ ଶକୁନି ବୋଲାଇବନବାସେ ପାଣ୍ଡବେ ଅଛନ୍ତି ଦୁଖ ସହି ।୭ ।ଅଗ୍ୟାଂତ ବନବାସେ ଗୋପ୍ୟାନ ହୋଇବେଆରବଳେ ପାଣ୍ଡବଂକୁ ଝିଘାଂସି କର କୁରୁଦେବେ ।୮ ।ୟେମନ୍ତେ ବସିଣ ଭାବନ୍ତେଣ ବେନିପ୍ରବେଶ ହୋଇଲେ ଆସି ଦୃଭାସା ମହାମୁନି ।୯ ।ଦଶ ସହସ୍ର ଶିଷ୍ୟ ଅଛନ୍ତି ସଙ୍ଗତରେପ୍ରବେଶ ହୋଇଲେ ଯାଇ ଦ୍ରିଯୋଧନ ସଭାରେ ।୧୦ ।ଦେଖିଣ ଦ୍ରିଯୋଧନ ଆସ୍ତାନୁ ଉଠିଲାପ୍ରଣମ୍ୟ ହୋଇଣ ନେଇ ଆସ୍ତାନେ ବସାଇଲା ।୧୧ ।ଧୂପ ଦୀପ ଆବର ଗନ୍ଧପୁଷ୍ୟ ନେଇଷଡ଼ଅର୍ଘ୍ୟ ପୂଜା ସେ କଲେ କୁରୁସାଇଂ ।୧୨ ।କୃଷ୍ଣାଜିନ ଛାଲ ସେ ଦିଲେ ଶିଷ୍ୟଗଣଂକୁ ପୁଣବସିଲେ ଶିଷ୍ୟଗଣ ହୋଇଣ ତୋଷମନ ।୧୩ ।କୁଶଳ ବାରତା ଯେ ପଚାରନ୍ତି ତପଚାରିସୁଖେ ରାଜ୍ୟ କରୁଅଛୁ ନା ଦଣ୍ଡଧାରୀ ।୧୪ ।ପାତ୍ର ମନ୍ତ୍ରୀଗଣେ ଅଛନ୍ତି ଆଗ୍ୟାଂରେ ଅନୁବ୍ରତେଦେଶାଉରେ ବାରତା ଜଣାଉଛନ୍ତି ନିତ୍ୟେ ।୧୫ ।ସୁବିଧାନେ ରାଜ୍ୟେ କରୁଅଛୁ ନା ଦଣ୍ଡଧାରୀଛାମୁରେ ଖଟିଛନ୍ତି ନା ପାରିଦଣ୍ଡ ଆଦିକରି ।୧୬ ।ସମସ୍ତ କୁଶଳ ଯେ ବୋଇଲା ରାଜନଯେବେ ସୁଦୟା ମୋତେ କଲ ମହାମୁନ୍ୟ ।୧୭ ।ସୂପକାରକୁ ରାଇ ଆଗ୍ୟାଂ ଦିଲେ ଦଣ୍ଡଧାରୀଷଡ଼ରସ ବ୍ୟଞ୍ଜନ ପାକ ନିର୍ଭାକରି ।୧୮ ।ଆଗ୍ୟାଂପାଇ ସୂପକାର ବହନ ହୋଇ ଗଲାଯେ ବିଧି ବିଧାନେ ପାକ ସମ୍ପାଦିଲା ।୧୯ ।ସ୍ରାହାନ ନିତ୍ୟକର୍ମ ସାରିଣ ମହଋଷିଶିଷ୍ୟଗଣନ୍ତ ଘେନି ଭୋଜନ ସ୍ତାନେ ବସି ।୨୦ ।ଭୁଞ୍ଜିଣ ତ୍ରିପୁତି ଯେ ହୋଇଲେ ତପଚାରୀଆଚମନ ସାରିଣ ତାମ୍ୱୁଳ ଭୋଜନ କରି ।୨୧ ।ସୁସ୍ତ ହୋଇଣ ଯେ ବସିଲେ ମହାମୁନିବହୁତ କଲ୍ୟାଣ କଲେ ମାନଗୋବିନ୍ଦଂକୁ ପୁଣି ।୨୨ ।
ଯାଉଅଛୁ ଆମ୍ଭେ ଶୁଣ ହୋ କୁରୁପତି
ସମୟେକ ଆସୁ ସିନା କ୍ଷମେଣ ଥାଅ ବ୍ରତି ।୨୩ ।
ବହୁତ ବିନୟ ହୋଇ ବୋଇଲେ ରାଜନ
ଦିନଚାରି ମୋର ପୁରେ ରହିବା ମହାଶୂନ୍ୟ ।୨୪ ।
ପବିତ୍ର ହୋଇବ ୟେ ମୋହୋର ପୁରଗୋଟି
ଯେବେ ଅନୁଗ୍ରହ କରି ଅଇଲ ତପନିଷ୍ଠି ।୨୫ ।
ଶୁଣିଣ ମହାମୁନି ହୋଇଲେ ହରଷ
ରହିଲେ ସଙ୍ଗତେ ଘେନି ଦଶ ସହସ୍ର ଶିଷ୍ୟ ।୨୬ ।
ଅନେକ ଭଗତି ଭାବ ଯେ ହୋଇଲେ କୁରୁପତି
ରାଜାର ଭଗତି ଦେଖି ରହିଲେ ମହାଯତି ।୨୭ ।
ୟେକାନ୍ତେ ଶକୁନି କହିଲା ରାଜାର ଆଗର
ପାଣ୍ଡବଂକ ତହିଂକି ପେଶିବା ଦୃଭାସା ମୁନିବର ।୨୮ ।
ସତ୍ୟବନ୍ତ ଅଟଇ ଯେ ଯୁଝେଷ୍ଠି ନୃପତି
ଅଠାଅଶି ସହସ୍ର ଋଷିଂକି ଭୋଜନ ଦିଅଇ ନିତି ।୨୯ ।
ଫଳମୂଳ ଆହାରେ ସେ ବଞ୍ଚୁଥାନ୍ତି ଦିନ
ଦୃଭାସାଂକୁ ପେଶି ତାହାଂକୁ କରାଇବା କଷଣ ।୩୦ ।
ଭୋଜନ ଅନ୍ତେ ପ୍ରବେଶ ହୁଅନ୍ତି ମୁନିବର
ଦଶ ସହସ୍ର ଶିଷ୍ୟନ୍ତ ଘେନିଣ ସଙ୍ଗତର ।୩୧ ।
ଯୁଝେଷ୍ଠି ଦେବଂକୁ ମାଗନ୍ତୁ ସେ ଭିକ୍ଷା
ଦୟାବନ୍ତ ନୃପତି ସେ ଧର୍ମେଣ ବଡ଼ କକ୍ଷା ।୩୨ ।
ସତ୍ୟକଲେ ଯୁଝେଷ୍ଠି ଯେ ଦେଇ ନୁଆରିବ
ଦୃଭାସାଂକ କୋପେ ସେ ସଂପଡେ ନାଶ ଯିବ ।୩୩।
ସୋଦର ମାରନ୍ତେ ବହୁତ ଦୋଷ ଅରଜିବା
ଉପାୟେ କରିଣ ପରହାଥେ ମରାଇବା ।୩୪।
ଶୁଣିଣ ସାନନ୍ଦ ହୋଇଲେ ମାନ ଚକ୍ରବର୍ତୀ
ଧନ୍ୟ ଧନ୍ୟ ମାମୁଂ ହେ ଶକୁନି ମହାମନ୍ତ୍ରୀ ।୩୫।
ଶକୁନିକି ଘେନିଣ ବାହାର କୁରୁପତି
ଦୃଭାସାଂକ ଛାମୁରେ ପ୍ରବେଶ ତଡ଼ତି ।୩୬।
ସମସ୍ତ ସଞ୍ଚପିଣ କହିଲା ରାଜନ
ଯେବେ ଅନୁଗ୍ରହ କରିବ ମହାମୁନ୍ୟ ।୩୭।
ସୁଦୟା କରି ଯେବେ ଅଇଲ ତପନିଷ୍ଠ
ମୋହୋର ବଇରି ଯେ ଅଟଇ ଯୁଝେଷ୍ଠି ।୩୮।
ବନବାସେ ଅଛନ୍ତି ଯେ ପାଣ୍ଡବ ପାଞ୍ଚଜଣ
ବନବାସେ ତାହାଂକୁ କରଯା କଷଣ ।୩୯।
ସତ୍ୟବନ୍ତ ପୁରୁଷ ଯେ ଅଟନ୍ତି ଯୁଝେଷ୍ଠି
ତାହାଂକୁ ଭିକ୍ଷା ପ୍ରକାଶ କର ତପନିଷ୍ଠି ।୪୦।
ଅଠାଶି ସହସ୍ର ଋଷି ଆବର ପାଣ୍ଡବ ଦ୍ରୋପତି
ୟେହାଂକ ଭୋଜନ ଅନ୍ତେ ଭିକ୍ଷା ପ୍ରକାଶ ମହାଯତି ।୪୧।
ୟେମନ୍ତ ସମୟେ ତାକୁ ନ ମିଳଇ ଅନ୍ନ
ୟେମନ୍ତ ସମୟ ଜାଣି ଭିକ୍ଷା ପ୍ରକାଶ ବହନ ।୪୨।
ମୋତେ ସଦୟ ଯେବେ ଅଛଇ ମହାମୁନି
ପାଣ୍ଡବନ୍ତ କଷଣ ଦିଅ ସିଷ୍ୟଗଣନ୍ତ ଘେନି ।୪୩।
ଶୁଣିଣ ସାନନ୍ଦ ଯେ ହୋଇଲେ ମହଋଷି
ଯୁଝେଷ୍ଠିଂକ ପାଶକୁ ଚଳିଲେ ସଙ୍ଗେ ଘେନି ଦଶ ସହସ୍ର ଶିଷି ।୪୪।
ଯୁଝେଷ୍ଠିଂକ ପାଶେ ଯାଇଂ ହୋଇଲେ ପରବେଶ
ଦେଖିଣ ଧର୍ମରାୟେ ଯେ ହୋଇଲେ ହରଷ ।୪୫।
ଆସନ ଅର୍ଘ୍ୟ ଦେଇଣ କଲେ ପାଦପୂଜା
ଆନନ୍ଦେ କୃତ କୃତ ହୋଇଲେ ଯୁଝେଷ୍ଠି ମହାରାଜା ।୪୬।
ଦୃଭାସା ବୋଇଲେ ଭିକ୍ଷା କରିବୁ ଯୁଝେଷ୍ଠି
ଶୁଣିଣ ଧର୍ମରାୟେ ମନେ ମହାତୁଷ୍ଟି ।୪୭।
କଷଣ କରିବାକୁ ଯାଇଛନ୍ତି ଋଷି
ୟେହା ଜାଣି ନୁଆରିଲେ ପଣ୍ଡୁରାଜାର ଶିଷି ।୪୮।
ଯହିଂ ଧର୍ମ ତହିଂ ଜାଣ ପଡ଼ଇ କଷଣ
ଦୃଭାସାଂକ ବଚନେ ଯୁଝେଷ୍ଠି ସମ୍ମତ କଲେ ପୁଣ ।୪୯।
ଶିଷ୍ୟନ୍ତ ଘେନି ଋଷି ଗଲେ ନିତ୍ୟକର୍ମେ
ନକୁଳକଇଂ ହକାରି ବୋଇଲେ ଦେବ ଧର୍ମେ ।୫୦।
ଆରେ ବାବୁ ନକୁଳ ଦ୍ରୋପତୀକି କହ ଯାଇଂ
ଦୃଭାସା ଭିକ୍ଷା କରିବେ ସଙ୍ଗତେ ଶିଷ୍ୟନ୍ତ ନେଇ ।୫୧।
ଶୁଣିଣ ନକୁଳ ଯେ ବହନ ହୋଇ ଗଲା
ଦ୍ରୋପତୀଂକି ଯାଇଂଣ ସେ ସନ୍ଦେଶ କହିଲା ।୫୨।
ଶୁଣିଣ ଦ୍ରୋପତୀ ଯେ ହୋଇଲେ ଥମ୍ଭୀଭୂତ
ଭାଣ୍ଡରେ କିଛି ନାହିଂ ସରିଲାନି ସମସ୍ତ ।୫୩।
ଭୋଜନ ସାରିଣ ମୁଂ ଧୋଇଲିନି କୁଢ଼ୋଇ
ଅନ୍ନ ବ୍ୟଞ୍ଜନ ଆଦି ଫଳ ମୂଳ ନାହିଂ ।୫୪।
ଠାକୁରଂକ ଆଗେ ଯାଇ କହିଲା ନକୁଳ
ଅନ୍ନହିଂ ବ୍ୟଞ୍ଜନ ଠାରୁ ନାହିଂ ଫଳମୂଳ ।୫୫।
ଭୋଜନ ସାରିଣ କୁଢୋଇ ଧୋଇଲେନି
ଥମ୍ଭୀଭୂତ ହୋଇଲେ ଯୁଝେଷ୍ଠି ନୃପମଣି ।୫୬।
ଆକୁଳେ ଯୁଝେଷ୍ଠିଂକି ନ ଫୁରିଲା କିଛି
ମନେଣ ବିସୋରି ବସିଲେ ଧର୍ମବତ୍ସି ।୫୭।
ଆରେ ବାବୁ ନକୁଳ କରିବା କେମନ୍ତ
କିସ ଭିକ୍ଷା ଦେବା ହୋ ଦୃଭାସା ତପୋବନ୍ତ ।୫୮।
ୟେହିକ୍ଷଣି ଆସିବେ ଶିଷ୍ୟଗଣନ୍ତ ଘେନି
ଦୃଭାସା କୋପକଲେ କି ବ୍ରତିବା ଆଉ ପୁଣି ।୫୯।
ଧର୍ମ ଧର୍ମ ସୁମରି ବସିଲେ ରାୟେ ମନ
କଷଣ ଉପରେ କଷଣ ବିହିଲେ ଆପଣ ।୬୦।
ଆକୁଳେ ଯୁଝେଷ୍ଠିଂକି ନ ଫୁରଇ କିଛି
ନକୁଳ ମୁଖ ଚାହିଂ କହନ୍ତି ଧର୍ମବତ୍ସି ।୬୧।
ସହଦେବକୁ ବାବୁରେ ହକାରିଆଣ ଯାଇଂ
ଦଶଦିଗ ଅନ୍ଧାର ଯେ ନ ଦିଶେ ବନଭୂଇଂ ।୬୨।
ହୃଦଗତେ ଚିନ୍ତିଲେ ଯେ ଦେବ ନାରାୟଣ
ସର୍ବଦା ଆମ୍ଭେ ନାଥ ତୋହୋର ଶରଣ ।୬୩।
ୟେ କଷଣୁ ଉଦ୍ଧର ହେ ଦେବ ଦାମୋଦର
ସୁମରନ୍ତେ ଆସନ କମ୍ପିଲା ଚକ୍ରଧର ।୬୪।
ଅନ୍ତର୍ଯ୍ୟାମୀ ନାଥ ଅନ୍ତର୍ଗତ କଥା ଜାଣି
ବଇନେତ୍ର ବାହାନେ ବିଜୟେ ଚକ୍ରପାଣି ।୬୫।
ପବନୁଂ ବେଗେ ହୋଇ ଗମଇଂ ପଚ୍ଛୀବର
ପ୍ରବେଶ ହୋଇଲେ ଯାଇଂ ଯୁଝେଷଅଠିଂକ ଛାମୁର ।୬୬।
ଗରୁଡ଼ ପିଠିରୁ ଓହ୍ଲାଇ ଦେବ ନାରାୟଣ
ଯୁଝେଷ୍ଠିଂକ ପାଦତଳେ ହୋଇଲେ ପ୍ରଣମ୍ୟ ।୬୭।
ଉଠିଣ କେଶବ ଯେ ବୋଲନ୍ତି ବଚନ
କ୍ଷୁଧା ଲାଗିଲା କିଛୁ କରିବା ଭୋଜନ ।୬୮।
କ୍ଷୁଧା ତୃଷାରେ ଯେ ଆକୁଳ ହୋୟେ କାୟେ
ଶୀଘ୍ର କିଛି ଆଣିଦିଅ ବୋଲନ୍ତି ଦେବରାୟେ ।୬୯।
ୟେହା ଶୁଣି ଧର୍ମସୁତ ପଡ଼ିଲେକ ଢଳି
ସହଦେବକୁ ସୁମରଣା କଲେକ ବନମାଳୀ ।୭୦।
ଧାତିକାରେ ସହଦେବ ହୋଇଲେ ପ୍ରବେଶ
ସହଦେବକଇଂ ଚାହିଂ ବୋଲନ୍ତି ହୃଷୀକେଶ ।୭୧।
ଦ୍ରୋପତୀଂକି ରେ ବାବୁ ଶୀଘ୍ରେ କହ ଯାଇଂ
ଭୋଜନ କରିବାକୁ ବୋଲୁଛନ୍ତି ଲକ୍ଷ୍ମୀସାଇଂ ।୭୨।
କ୍ଷୁଧା ତୃଷାରେ ଯେ ଅସମ୍ଭାଳ ଦେହ
ବହନ ଯାଇଣ ତୁ ଦ୍ରୋପତୀଂକି କହ ।୭୩।
ଶୁଣିଣ ସହଦେବ ବହନ ହୋଇ ଗଲା
ଦ୍ରୋପତୀଂକି ୟେସନ ସମସ୍ୟା କହିଲା ।୭୪।
ଶୁଣିଣ ଦ୍ରୋପତୀ ସେ ହୋଇଲେ କାତର
ସମସ୍ତ ସରିଲାନି କିଛି ନାହିଂ ଭାଣ୍ଡର ।୭୫।
ନାରାୟଣଂକ ଅଗ୍ରତେ ସହଦେବ କହିଲା
କୁଢ଼ୋଇରେ କିଛି ନାହିଂ ସମସ୍ତ ସରିଗଲା ।୭୬।
ୟେହା ଶୁଣି ଜଗନ୍ନାଥେ ଆପଣେ ଚଳିଗଲେ
ଅନ୍ତପୁରେ ଦ୍ରୋପତୀଂକ ଛାମୁରେ ମିଳିଲେ ।୭୭।
କହନ୍ତି ଜଗନ୍ନାଥେ ଶୁଣ ଜିଘ୍ନସେନୀ
କିଛୁ ଆଣ ଭୋଜନ କରିବାକ ପୁଣି ।୭୮।
କ୍ଷୁଧାଭରେ ଅଶକତ ହୋଉଅଛି ଦେହ
ଯାହା ଅଛି ତାହା ତୁମ୍ଭେ ବେଗେ ଆଣିଦିଅ ।୭୯।
ଜଗନ୍ନାଥଂକୁ ବୋଲନ୍ତି ଦ୍ରୋପତୀ ବାରତ
ଭୋଜନ ସାରି କୁଢୋଇ ଧୋଇଲିନି ପ୍ରତ୍ୟକ୍ଷ ।୮୦।
ପାକ ପଚନ ମୁଂ କରନ୍ତି ୟେହିକ୍ଷଣି
ଭଣ୍ଡାରେ ଆର କିଛୁ ନାହିଂ ନାରାୟଣ ।୮୧।
ବୋଲନ୍ତି କେଶବ ଯେ ଆଣି ଦେଖା ଭାଣ୍ଡ
ଯିସ ଧିବ ଭୁଞ୍ଜି ତ୍ରିପୁତି କରିବାକ ପିଣ୍ଡ ।୮୨।
ଶ୍ରୀକୃଷ୍ଣଂକ ବଚନେ ଯେ ଚଳିଲେ ଦ୍ରୋପତୀ
ପାକଭାଣ୍ଡ ଆଣିଣ ଯେ ଦେଖାଇଲେ ଶ୍ରୀପତି ।୮୩।
ନିରେଖି ଭାଣ୍ଡକୁ ଚାହିଂଲେକ ନାରାୟଣ
ଦେଖିଲେ ଭାଣ୍ଡ ଲାଗିଛି ଶାକ ବ୍ୟଞ୍ଜନ ପୁଣ ।୮୪।
କର ପ୍ରସାରି ତାହା ମାଗିଲେ ଶ୍ରୀହରି
ଲାଗିଛି ବ୍ୟଞ୍ଜନ ଦିଅ ଦ୍ରୋପତ କୁମାରୀ ।୮୫।
ନାରାୟଣ ଆକୁଳ ଦେଖି ଦ୍ରୋପତୀ ତାହା ଦିଲେ
ଭୁଞ୍ଜିଣ ସନ୍ତୋଷ ସେ ଶ୍ରୀହରି ହୋଇଲେ ।୮୬।
ଧନ୍ୟ ସେ ପରମ ସାଧବୀ ଦ୍ରୋପତୀ ଦୁହିତୀ
ଶାକପତ୍ର ଭୁଞ୍ଜିଣ ଯେ ସନ୍ତୋଷ ଶ୍ରୀପତି ।୮୭।
ଶୁଣ ହୋ ମନୁରାୟେ ବଦୟନ୍ତି ଅଗସ୍ତି
ଅନ୍ତର୍ଯ୍ୟାମୀ ନାଥ ସେ ସକଳ ଭୂତେ ଥିତି ।୮୮।
ଯହୁଂ ସେ ତ୍ରିପୁତି ହୋଇଲେ ନାରାୟଣ
ସମସ୍ତ ଜୀବଜନ୍ତୁ ତ୍ରିପୁତି ହୋଇଲେକ ପୁଣ ।୮୯।
ନିତ୍ୟକର୍ମେ ଯାଇଥିଲେ ଦୃଭାସା ମହାଋଷି
ନ ଭୁଞ୍ଜି ପେଟ ପୁରିଲା ନୁଆରିଲେ ଉଠି ବସି ।୯୦।
ଶିଷ୍ୟଗଣମାନେ ଯେ ଚଳି ନୁଆରିଲେ
ବିନା ଭୋଜନେ ଉଦର ପୂରିଲା ବୋଇଲେ ।୯୧।
ଶିଷ୍ୟଗଣନ୍ତ ଚାହିଂ ବୋଲନ୍ତି ତପଚାରୀ
ବିଭୋଜନେ ଆମ୍ଭେ ଯେ ଚଳି ନୁଆରି ।୯୨।
ସମସ୍ତ ଶିଷ୍ୟ ବୋଇଲେ ୟେ ଅଟଇ ଦୁର୍ଘଟ
ଉଦର ପୂରିଣ ଯେ ରୁଦ୍ଧଇ କଣ୍ଠତଟ ।୯୩।
ଦୃଭାସାୟେ ବୋଇଲେ ଚାଲ ବହନ ହୋଇଯିବା
ଯେ ଯିସ ପାର ତାହା ଭୋଜନ କରିବା ।୯୪।
ସମସ୍ତ ଶିଷ୍ୟମାନେ ବୋଲନ୍ତି ଉତ୍ତର
କିସ ଭୁଞ୍ଜିବା ଆଉ ପୁରିଲାନି ଉଦର ।୯୫।
ୟେହାଶୁଣି ଦୃଭାସାୟେ ହୋଇଲେ ମଉନ
ବିଚାର କରନ୍ତି ସେ ଆପଣେ ମନେ ମନ ।୯୬।
ଆମ୍ଭେ ଯୋଗୁ ଯୁଝେଷ୍ଠି ଯେ ପାକ କଲେ ନିର୍ଭା
ଯେ ଯିସ ପାର ତାହା ଭୋଜନ କରିବା ।୯୭।
ୟେତେକ କଷଣେ ତାକୁ ଭିକ୍ଷା ପ୍ରକାଶିଲୁ
ଦଶ ସହସ୍ର ତଣଂକୁ ପାକ ପଚନ କରାଇଲୁ ।୯୮।
ନ ଭୁଞ୍ଜିଲେ ପ୍ରାଣେହିଂ ମାରିବ ଆମ୍ଭଂକୁ
ୟେମନ୍ତ କହିଲେ ଶିଷ୍ୟଗଣମାନଂକୁ ।୯୯।
ୟେତେ ବିତାରିଣ ଦୃଭାସା ମହାଋଷି
ସଙ୍ଗତେ ଘେନିଣ ଦଶ ସହସ୍ର ଯେ ଶିଷି ।୧୦୦।
ନିଜ ଆଶ୍ରମକଇଂ ଚଳିଗଲେ ଦେବ
ଅନ୍ତର୍ଯ୍ୟାମୀ ନାଥ ତାହା ଜାଣିଲେ ବାସୁଦେବ ।୧୦୧।
ସହଦେବ କଇଂ ଘେନିଣ ଦେବ ଦାମୋଦର
ପ୍ରବେଶ ହୋଇଲେ ଯାଇଂ ଯୁଝେଷ୍ଠିଂକ ସନ୍ନିଧ୍ୟର ।୧୦୨।
ଆସନେ ନେଇଣ ବସାଇଲେ ଧର୍ମସୁତ
ଅନ୍ତରେ ବଇକୁଲ୍ୟ ବାହ୍ୟେ ମଉନ ଯେ ବ୍ରତ ।୧୦୩।
ବଦୟନ୍ତି ଶ୍ରୀକୃଷ୍ଣ ଯେ ଶୁଣିମା ଧର୍ମଦେବ
କିସ ଅର୍ଥେ ଚିନ୍ତାକଲ କେବଣହିଂ ଭାବ ।୧୦୪।
ଶୁଣିଣ ଯୁଝେଷ୍ଠି ଦେବ ହୋଇଲେ ମଉନ
ଆତ୍ମା ବଇକୁଲ୍ୟେ କହି ନୁଆରନ୍ତି ବଚନ ।୧୦୫।
ସହଦେବ ମୁଖ ଚାହିଂ ବୋଲନ୍ତି ଦାମୋଦର
କହ ହେ ମନ୍ତ୍ରୀବର ୟେ କେବଣ ପ୍ରକାର ।୧୦୬।
ୟେସନେକ ସମୟେ ବାସବି ବ୍ରିକୋଦର
ପ୍ରବେଶ ହୋଇଲେ ଆସି ନାରାୟଣ ଛାମୁର ।୧୦୭।
କରପତ୍ର ଯୋଡ଼ିଣ କହଇ ସହଦେବ
ସାବଧାନ ହୋଇଣ ଶୁଣିମା ୟେହାର ପ୍ରସ୍ତାବ ।୧୦୮।
ବନବାସେ ଆମ୍ଭନ୍ତ କଷଣ ଦେବାଅର୍ଥେ
ମନରେ ବିଚାର କଲାକ କୁରୁନାଥେ ।୧୦୯।
ଶକୁନିକୁ ଘେନିଣ ଭାଳନ୍ତି କୁରୁପତି
ୟେସନ ସମୟେ ଆସି ମିଳିଲେ ଦୃଭାସା ମହାଯତି ।୧୧୦।
ଅନେକ ଭଗତି ହୋଇଣକୁରୁନାଥ
ଦିନାଚାରି ରଖିଲା ହସ୍ତିନା ପ୍ରଶସ୍ତ ।୧୧୧।
ଶକୁନି ମନ୍ତ୍ରୀ ଯହୁଂ କହିଲା ଯେତେ ବାଳୀକି
ଦୃଭାସାଂକୁ ପେଷିଲା ଦେବ ଆମ୍ଭର ତହିଂକି ।୧୧୨।
ଦୃଭାସା ଅଇଲେ ଘେନି ଦଶ ସହସ୍ର ଶିଷ୍ୟ
କଷଣ ଦେବେ ବୋଲି ବୋଇଲେ ଭିକ୍ଷା ଦିଅ ଧର୍ମଶିଷ୍ୟ ।୧୧୩।
କପଟ କଥା ଦେବ ମଣିତ ନୁଆରିଲେ
ହଉ ବୋଲିଣ ଦେବ ସନମତ କଲେ ।୧୧୪।
ଦୃଭାସାୟେ ନଦୀକି ଗଲେ ସ୍ରାହାନ ସାରି
ଆଗ୍ୟାଂଦିଲେ ଦେବ ନକୁଳକଇଂ ହକାରି ।୧୧୫।
ଦ୍ରୋପତୀଂକି ନକୁଳ କହଇ ତଡ଼ତି
ଦଶ ସହସ୍ର ଶିଷ୍ୟ ଘେନି ଭିକ୍ଷା କରିବେ ଦୃଭାସା ମହାଯତି ।୧୧୬।
ନକୁଳ କହନ୍ତେ ଦ୍ରୋପତୀ ନାସ୍ତିକଲେ ଯହୁଂ
ମନେ ଚିନ୍ତା ଦେବ ଲାଗିଲାକ ତହୁଂ ।୧୧୭।
ବଇକୁଲ୍ୟେ ଦିଶଦିଶ ଦିଶିଲା ଅସୁନ୍ଦର
ଧ୍ୟାନେଣ ଜଗନ୍ନାଥଂକୁ ଚିନ୍ତିଲେ ଅପାର ।୧୧୮।
ଅନ୍ୟର୍ଯାମୀ ନାଥ ତାହା ଅନ୍ତରେ ଜାଣିଲେ
ବହନ ଆସି ଦେବ ପ୍ରବେଶ ହୋଇଲେ ।୧୧୯।
କ୍ଷୁଧାରେ ଭୋଜନ ଦେବ ମାଗିଲେକ ଯହୁଂ
ଦୁସହ କଷଣ ଦୁଖ ହୋଇଲାକ ତହୁଂ ।୧୨୦।
ମନ ବୁଦ୍ଧି ହରାଇ ଦେବ ଚିନ୍ତାରେ ରହିଲେ
ଦ୍ରୋପତୀଂକ ଛାମୁକୁ ନାରାୟଣ ବିଜେକଲେ ।୧୨୧।
କ୍ଷୁଧାରେ ଭୋଜନ ଯହୁଂ ମାଗିଲେ ଶ୍ରୀପତି
ନାହିଂ ବୋଲି ନାସ୍ତି କଲେକ ଦ୍ରୋପତୀ ।୧୨୨।
ଶ୍ରୀକୃଷ୍ଣ ବୋଇଲେ ଦେଖାଅ ପାକଭାଣ୍ଡ
ଅଳପ ଭୋଜନେ ଗୋ ତୋଷ କରିବୁ ପିଣ୍ଡ ।୧୨୩।
ପାକଭାଣ୍ଡ ଘେନି ଦେଖାଇଲେ ଯିଘ୍ନସେନୀ
ବ୍ୟଞ୍ଜନ ଭାଣ୍ଡରେ ଶାକ ଭୁଞ୍ଜିଲେ ଚକ୍ରପାଣି ।୧୨୪।
ଭୁଞ୍ଜିଣ ସନ୍ତୋଷ ହୋଇଲେ ଦେବ ଯହୁଂ
ଅଭୋଜନେ ଦୃଭାସାୟେ ତ୍ରିପୁତି ହେଲେ ତହୁଂ ।୧୨୫।
ଶିଷ୍ୟଗଣନ୍ତ ଚାହିଂ ବୋଇଲେ ବଚନ
କିସ ଭୁଞ୍ଜିବା ଯାଇଂ ଯୁଝେଷ୍ଠି ଛାମୁରେଣ ।୧୨୬।
ଦୁଷ୍ଟ ଭାଇ ତାହାର ଅଟଇ ଯେ ଭୀମା
ନ ଭୁଞ୍ଜିଲେ ପ୍ରାଣେ ସେ ମାରିବ ମହାତମା ।୧୨୭।
ଭୟେଣ ମୁନିବର ନିଜ ଆଶ୍ରମକୁ ଗଲେ
ଅନ୍ତର୍ଯ୍ୟାମୀ ନାଥ ତାହା ଅନ୍ତରେ ଜାଣିଲେ ।୧୨୮।
ଛାମୁରେ ଆସି ପ୍ରବେଶ ହୋଇଲେ ନାରାୟଣ
ୟେତେ କଷଣ ଦିଲେ ଶକୁନି କୁରୁରାଣ ।୧୨୯।
ଶୁଣିଣ ହରଷ ଯେ ହେଲେ ଧର୍ମସୁତ
ୟେ କଷଣୁଂ ମୋତେ ଉଦ୍ଧରିଲୁ ଜଗନ୍ନାଥ ।୧୩୦।
ଦୃଭାସା କୋପକୁ ମୁହିଂ ହୁଅନ୍ତି କି ଭାଜନ
ତବ ପ୍ରସାଦେ କାରଣ ପାଇଲି ଜନାର୍ଦ୍ଦନ ।୧୩୧।
ମେରୁ ଆଶ୍ରେ ଯେହ୍ନେ ଅଛଇ ବସୁନ୍ଧରୀ
ମହତ ଆଶ୍ରେ ଥିଲେ ନିଚୟେ କଷ୍ଟୁଂଫେରି ।୧୩୨।
ହର ଆଶ୍ରିତେ ଚନ୍ଦ୍ର ଅଛଇ ଯେସନେ
ତବ ଆଶ୍ରିତେ ପାଣ୍ଡବେ ଅଛନ୍ତି ସର୍ବଦିନେ ।୧୩୩।
ଶୁଣିଣ ପରମ ସାନନ୍ଦ ହୋଇଲେ ନାରାୟଣ
ବଇନେତ୍ର ବାହାନେ ବିଜୟେ ଦ୍ୱାରିକା ଭୁବନ ।୧୩୪।
ପାଣ୍ଡବ ପାଞ୍ଚଜଣ ଦ୍ରୋପତୀ ସହିତେ
ନିଚିନ୍ତେ ରହିଲେ ମନେ ଚିନ୍ତି ଜଗନ୍ନାଥେ ।୧୩୫।
ଜୟ ଜୟ ଜଗନ୍ନାଥ ଜଗତ ହିତକାରୀ
ଜୟ ଜୟ ଜଗନ୍ନାଥ ଶରଣ ଜନ ଉଦ୍ଧାରୀ ।୧୩୬।
ଜୟ ଜୟ ଜଗନ୍ନାଥ ଭଗତ ଭାବଗ୍ରାହୀ
ଜୟ ଜୟ ଜଗନ୍ନାଥ କ୍ଷୀରୋଦ୍ର ଅନନ୍ତଶାହୀ ।୧୩୭।
ଜୟ ଜୟ ଜଗନ୍ନାଥ ଭକ୍ତଜନ ଉଦ୍ଧାରଣ
ଜୟ ଜୟ ଜଗନ୍ନାଥ ଦୁଷ୍ଟ ନିବାରଣ ।୧୩୮।
ଜୟ ଜୟ ଜଗନ୍ନାଥ ରାକ୍ଷସ କୁଳ ଗଞ୍ଜା
ଜୟ ଜୟ ଜଗନ୍ନାଥ ପିତାମହ ଦର୍ପଗଞ୍ଜା ।୧୩୯।
ଦୁଖୀଜନ ସୋଦର ନାଥ ନାମ ଜଗନ୍ନାଥ
ତବ ପାଦେ ଲୁଳୁ ଶୂଦ୍ରମୁନି ସାରୋଳା ମାଥ ।୧୪୦-୧୧୩୨୩।