ଇନ୍ଦ୍ରାଦି ଦୋବଙ୍କ ସହିତ ରାମକୃଷ୍ଣଙ୍କର — ସାରଳା ମହାଭାରତ ବନପର୍ବ (ଦ୍ୱିତୀୟ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଇନ୍ଦ୍ରାଦି ଦୋବଙ୍କ ସହିତ ରାମକୃଷ୍ଣଙ୍କର
ଯୁଦ୍ଧ ଓ ସଚଳାର ବିବାହବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତିଂକ ପାଶେଦେବତାୟେ କେଉଂଣ କୃତ କଲେକ ଆକାଶେ ।୧।ଶୁଣ ହୋ ଯୋଗେଶ୍ୱର ମନୁ ମହାଗ୍ୟାଂତାଈଶ୍ୱରଂକୁ ପୁଣ ପୁଣ ପୁଛା କରଇ ବାସେବ ଦେବତା ।୨।ସ୍ୱାମୀ ବଡ଼ାଇ ସମ୍ଭର୍ବେ ଥାଠେକ ଘେନିଣ କୃଷ୍ଣ ବଳରାମଆକାଶ ଗଙ୍ଗାକୂଳ ଘୋଟିଣ ସଇନି ଧାମନ୍ତି ଅବିଶ୍ରାମ ।୩।ଈଶ୍ୱରେ ବୋଇଲେ ସମସ୍ତ ଦେବତାନ୍ତ ହକାରିମନ୍ଦର ପର୍ବତକୁ ଆସ ସମଦଣ୍ଡ ସନ୍ୟ ସଜକରି ।୪।ଅମରଗଣନ୍ତ ଘେନି ଦେବ ସୁରପତିଇନ୍ଦ୍ର ଆରୋହିଲା ଅଛଇ ଅଇରାବ୍ରତ ହାଥୀ ।୫।ଶ୍ରୀଭୁଜେ ଶୋଭାବନ ବଜ୍ର ଯେ ଆୟୁଧଯେବଣ ଆୟୁଧ ଘେନି ଜମ୍ବୋ ଦଇତ ବଧ ।୬।ପର୍ବତଂକ ପକ୍ଷ ଛେଦିଲା ଯେଉଂଣ ଶହସ୍ରରେସେ ବଜ୍ର ଶକତି ଇନ୍ଦ୍ର ଧରିଅଛି ନିଜ କରେ ।୭।ଚଉଷଠୀ କୋଟି ଦେବ ବାସବର ତୁଲେପାରିଜାତକ ମାଳା ଆଭରଣ ସବୁଂକରି ହୃଦୟରେ ।୮।ଶିରେ ସୀମନ୍ଥିନୀ ଯାହାର ରତ୍ନଝାଲି କପାଳେଅମରାଧି ନାଥ ସେ ବିଜୟେ ଆଖଣ୍ଡଳେ ।୯।ଦିବ୍ୟଭୁବନ ନାଥ ବିଜୟେ ସୁରପତିପରମ ଯୋଗେଶ୍ୱର ନିଦ୍ରାଘ ଯାହାର ମୃତ୍ତି ।୧୦।ପଞ୍ଚଷଠୀ କୋଟି ଯାହାର ଗନ୍ଧର୍ବ ସଇନିଲକ୍ଷେକ ବଳ ଧନୁ ଶ୍ରୀକରେ ଛନ୍ତି ଘେନି ।୧୧।ତ୍ରଇଲୋକ୍ୟେ ସୁନ୍ଦର ସେ ବିଦ୍ୟାଧର ବଳଦେବ ଦୁନ୍ଦୁଭି ବାଦ୍ୟ ଯେ ବ୍ରହ୍ମାଣ୍ଡ ଉଛୁଳ ।୧୨।ବୃଷଭ ବାହାନେ ଦେବ ବିଜୟେ ଈଶାନଚଉଦ କୋଟି ତୁଲେ ଅଛନ୍ତି ଗଣପୁତ୍ରମାନ ।୧୩।ମୟୁର ବାହାନେ ଯେ କାର୍ତ୍ତିକେଶ୍ୱର ବିଜେନବଲକ୍ଷ ତମ୍ବରୁ ଯେ ଅନ୍ତର୍ଚ୍ଛେ ବାଜେ ।୧୪।ଶ୍ରୀଭୁଜେ ଶୋଭାବନ ପିନାକ ଶାରଙ୍ଗ ଧନୁକରେଣ ଶୂଳ ଶହସ୍ର ଧରିଣ ପଞ୍ଚୁମନୁ ।୧୫।ବାମ ଦକ୍ଷିଣେ ଶୋଭାବନ ଅକ୍ଷୟେ ତ୍ରୋଣ ବେନିପାଶୁପତ ନାରାଚ ଦେବ ଶ୍ରୀକରେ ଛନ୍ତି ଘେନି ।୧୬।ଅଷ୍ଟରତ୍ନେ ଖଞ୍ଜିତ ହୃଦେ ଭୂଷଣ ଦିବ୍ୟମାଳାକଟି ମେଖଳେ ଆରୋହଣ ଅନନ୍ତ ମହାଖଳା ।୧୭।ଯୋଗେଶ୍ୱର ପୁରୁଷ ମହାଭୟଂକର ରାଗୀଯେ ସେ କାମଦେବକଇଂ ଦହିଲା ଅଭୟେ ପରମଯୋଗୀ ।୧୮।ଆଦିହୁଂ ଗର୍ବିତ ସେ ବ୍ରହ୍ମାର ମୁଣ୍ଡମୋଡ଼ିମହାଯୋଗ ସାଧି ସ୍ୱାମୀ ବ୍ରହ୍ମହତ୍ୟା ୟେଡ଼ି ।୧୯।ଦକ୍ଷ ପ୍ରଜାପତିର ମହାଯାଗ ଭଞ୍ଜାଗୁରୁପତ୍ନୀ ଶାପେ ତୁ ଘେନିଲୁ ଅଣ୍ଡପୂଜା ।୨୦।ଧବଳ ଶଙ୍ଖ ଶ୍ୱେତବର୍ଣ୍ଣ ଯାହାର ମଉଳି କୁଣ୍ଡଳୀଭାବକୁ ଭାବ ନାଥ ଅଭାବକୁ କୋପ ଯେ ଅଗୁଳି ।୨୧।
ଶରୀରରେ ଫୁ ଫୁ କାର ଗର୍ଜ୍ଜନ୍ତି ମହାନାଗେ
ଶିବଗଣନ୍ତ ଘେନି ସଦାନନ୍ଦ ଚଳନ୍ତି ଅତି ବେଗେ ।୨୨।
ନନ୍ଦୀକେଶ୍ୱର ମହାକାଳ ଭ୍ରୁକୁଟି ବିଣାୟେକ ଟିଣାୟେକ
ଚଣ୍ଡ ପ୍ରଚଣ୍ଡ ଯେ ଜୟନ୍ତିକ ଅଜୟନ୍ତିକ ।୨୩।
ଭୀମେକ ମଣିଭଦ୍ର ଯେ ଶାଖା ବେନିକତି
ଇନ୍ଦୁର ବାହାନେ ଯେ ବିଜୟେ ଗଣପତି ।୨୪।
ନାଗପାଶ କରେ ଘେନିଣ ତୀକ୍ଷପ୍ରଶୁ
ସିନ୍ଦୂର ସିମସ୍ଥାନେ ଯେ ମଉଳି ସୀତାଂଶୁ ।୨୫।
ବିଜୟେ ମହାଦେବ ବୃଷଭର ପିଠି
ନାଚନ୍ତି କଉତୁକେ ଗଣପତି ଭ୍ରୂକୁଟି ।୨୬।
ଶିବଗଣମାନନ୍ତ ଘେନିଣ ସାନନ୍ଦେ ବିଶ୍ୱନାଥ
ବିଜୟେ ଧୂର୍ଜଟି ଯାଇଂ ମନ୍ଦର ପର୍ବତ ।୨୭।
ରୁଦ୍ର ଇନ୍ଦ୍ର ଦୁହେଂ ଯାଇଂ ହୋଇଲେ ପରବେଶ
କୁବେର ବିଜେକଲେ ଅନେକ ସନ୍ୟ ଘେନି ପାଶ ।୨୮।
କୃତାନ୍ତକ ବଳ ଯେ ଘେନିଣ ଦେବ ନାଶକର
ସେ ଯାଇଂ ପ୍ରବେଶ ହୋଇଲେ ମନ୍ଦର ପର୍ବତର ।୨୯।
ବାଷଠୀ କୋଟି କାଳ ବିକାଳ ସଇନି
ଯମ ଦେବତା ପ୍ରବେଶ ଯମଗଣନ୍ତ ଘେନି ।୩୦।
ଆବର୍ତ୍ତକ ସମ୍ବର୍ତ୍ତକ ଦ୍ରୋଣ ପୁଷ୍କର ଚାରିମେଘେ
ୟେ ଚାରିହେଂ ସଇନ୍ୟ ଘେନି ପ୍ରବେଶ ଆସି ବେଗେ ।୩୧।
କାମ୍ୟେକ ମେଘ କାଳୀ ମେଘ ଚଞ୍ଚଳାବ୍ରତେକ ମେଘ
ଜମ୍ବୁପଟଳ ମେଘ ଜଳଧାର ମେଘ ଧୂମାନ୍ତେକ ମେଘ ।୩୨।
ଶୁଦ୍ଧସଷ୍ଟିକ ମେଘ ଆବର ବାରୁଣା ମେଘ
କୃତାନ୍ତକ ମେଘ ଯେ ଲୋହିତବର୍ଣ୍ଣ ମେଘ ।୩୩।
ପିଙ୍ଗଳ ମେଘ ଚନ୍ଦ୍ରକାନ୍ତି ମେଘ ଶାର୍ଦ୍ଦୁଳ ଯେ ମେଘ
ପର୍ବତକ ମେଘମେଳେ ଆବର ଅନେକ ମେଘ ।୩୪।
ୟେହାଂକରି ମୂଳେ ଚାରିପଦ୍ମ ନବଲକ୍ଷ ମେଘମାଳ
ସମ୍ଭର୍ବ ଥାଠ ଘେନି ଚଳଇ ଆଖଣ୍ଡଳ ।୩୫।
ବ୍ରହ୍ମାଂକର ବଚନେ ଅଣଚାଶ ପବନ
ଇନ୍ଦ୍ର ଦେବତାୟେ ବୋଇଲେ ଧାଅଂରେ ବହନ ।୩୬।
ଚଳିତ ଚଞ୍ଚଳ ଯେ ମହା ଭୀଷ୍ମଭୂପୀ
ଆକାଶ ମଧ୍ୟ ଘେନି ପାତାଳ ଭୁବନ କ୍ଷେପୀ ।୩୭।
ତହିଂ ବିଜେକଲେ ସମସ୍ତ ଦିଗପାଳେ
ଜଣେ ଜଣେ କୋଳାହଳ କରନ୍ତି ଗହଳେ ।୩୮।
ତହୁଂ ବିଜେ କରିଗଲେ ଦେବ ସସ୍ରଯୋନି
ହିମବନ୍ତ ବିଜେକଲେ ଗିରିମାନନ୍ତ ଘେନି ।୩୯।
ବିଝଂମାଳ ମହୀନ୍ଦ୍ରମାଳ ତପନମାଳ ପରବତ
ଗନ୍ଧମାଦନ ପର୍ବତ ମଳୟ ମାଲ୍ୟବନ୍ତ ।୪୦।
ୟେହାଂକର ମୂଳେ ଆଠଲକ୍ଷ ପର୍ବନ୍ତ ଘେନିଣ ହେମବନ୍ତ
ସେ ଯାଇଂ ପ୍ରବେଶ ହେଲେ ମେରୁର ସମେତ ।୪୧।
ଗ୍ରହଗଣନ୍ତ ଘେନିଣ ବିଜୟେ ଦିନକର
ବ୍ରାହ୍ମଣଗଣନ୍ତ ଘେନି ବିଜୟେ ବେଦବର ।୪୨।
ପବନ ଦେବତା ଯେ ଅଣଚାଶ ମୃତ୍ତି
ଯୋଗପବନ ମନ୍ଦ ବଜାନ୍ତକ ଯେ ଶାନ୍ତି ।୪୩।
ବିକରାଳ ପବନ ଧର୍ମପବନ ଉଦାସ
ମଳୟ ବସନ୍ତପବନ ଭୋଗପବନ ଯେ ଜୀବନ୍ୟାସ ।୪୪।
ମାଧୁର୍ଯ୍ୟ ସୁସ୍ୱାଦିତ ଚଣ୍ଡ ପ୍ରଚଣ୍ଡ କାଳାନ୍ତକ
ସମତୁଲ ଧାରଣ ତାରଣ ମାରଣ ପବନ କାମ୍ୟକ ।୪୫।
ମହାବାତ ଶିଶିର ହୁତାଶନ କୃତାନ୍ତକ
ପ୍ରାଣାଦି ଜୟନ୍ତିକ ମୋମପାଳ ଦୁରୁଦଣ୍ଡ ବୃନ୍ଦାରକ ।୪୬।
ଘୋର ଗର୍ଜନ ବିଷ୍ଣୁବାତ ଅଖିଳ ଶୋଷକ
ଋତୁଧର ମାତଙ୍ଗ ତିମ୍ବୁର ଜାତଅନ୍ତ ଯୁଗାନ୍ତକ ।୪୭।
ୟେମନ୍ତ ପବନ ଦେବତା ଯେ ଅଣଚାଶ ମୃତ୍ତି
ମେରୁ ମେଖଳକୁ ଇନ୍ଦ୍ର ଆଣିଲେ ସବୁନ୍ତି ।୪୮।
ଆଦିତ୍ୟ ସୋମ ମଙ୍ଗଳ ବୁଧ ବୃହସ୍ପତି
ଶୁକ୍ର ଶନିଚର ରାହୁ କେତୁ ଶଶାଂକ ତୁଲେ ଯାନ୍ତି ।୪୯।
ତିଥିବାର ନକ୍ଷତ୍ର ଲୋକମାନନ୍ତ ସକଳ
ଯୋଗ କରଣ ତୁଲେ ଆସନ୍ତି ଆଖଣ୍ଡଳ ।୫୦।
ନବ ସାଗର ହାହା ହୁହୁ ଭଣ୍ଡାର ଅଧିକାରୀ
ନଳ କୁବରନ୍ତ ଘେନି କୁବେର ଦେବତା ବିଜେକରି ।୫୧।
ସଜହୋଇ ଅଇଲେ ସେ ବଶ୍ୟାନର ବହନି
ପ୍ରାଣତେଜ କାଳାନଳ ପିଙ୍ଗଳ ଜାଳାଜାତ ପଞ୍ଚୁଅଗ୍ନି ।୫୨।
କ୍ରୋଟାନଳ ଦାନାବଳ ବଡ଼ବାନଳ ହୁତ
ତ୍ରିଶିଖା ଅଗ୍ନି ବ୍ରହ୍ମଅଗ୍ନି ଆବର ଲୋହିତ ।୫୩।
ରୁଦ୍ରଅଗ୍ନି ବ୍ରହ୍ମଅଗ୍ନି ଆବର ଦୋହରା
ତେଜ ଅନଳ ଦହନ ଅନଳ ସପତଶିରା ।୫୪।
ୟେହାଂକର ମୂଳେ ପଞ୍ଚବିଂଶ ବହତି
ଦେବସଭାକୁ ସେ ସଜ ହୋଇଣ ଆସନ୍ତି ।୫୫।
ଜଳଚର ସଇନି ଘେନିଣ ବାରାନିଧି
ମେରୁସଭା ମଧ୍ୟେ ବିଜୟେ ଜଗତ ଆଧି ।୫୬।
ଯେ ଯାହା ସଇନି ଘେନି ଆସନ୍ତି ଦେବଲୋକେ
ମେରୁଶିଖରେ ପ୍ରବେଶ ହୋଇଲେ ସକଳ ବୃନ୍ଦାଅର୍କେ ।୫୭।
ମେରୁଗିରି ପର୍ବତ ଆରମ୍ଭେ ମିଳିଲେ ଦିଗପାଳେ
ମେରୁମନ୍ଦର ପର୍ବତେ ବିଜୟେ ଆଖଣ୍ଡଳେ ।୫୮।
ତିରିଶି ସହସ୍ର ଯୋଜନ ଯେବଣ ମନ୍ଦର ପର୍ବତ ଆୟତନ
ପୂରିଲେ ବୃନ୍ଦାଅର୍କେ ଯେ ବହୁତ ଗହନ ।୫୯।
ବଜାବନ୍ତି ବିଜିଘୋଷ ଦେବବାଦ୍ୟ ଦୁନ୍ଦୁଭି
ମହାପ୍ରତାପେ ସମସ୍ତ ଦେବେ ଅଛନ୍ତି ସମ୍ବର୍ଭି ।୬୦।
ମନ୍ଦର ପର୍ବତେ ଯେ ରହିଲେ ସର୍ବଦେବେ
ଆସନ୍ତି ଦ୍ୱାରକାଉଂ ରାମକୃଷ୍ଣ ପାଣ୍ଡବେ ।୬୧।
ଗନ୍ଧମାଦନ ନାମେ ଯେଉଂଣ ପର୍ବତ
ବିସ୍ତାର ଆୟତନ ଯୋଜନ ପାଞ୍ଚଶତ ।୬୨।
ଅନେକ ମଉଷଧି ଦାରାକ୍ଷ ଫଳ ଅଛି ଗିରିବର ପୃଷ୍ଠେ
ସେ ପର୍ବତ ଉପରେ ଯାଇ ବିଜୟେ ରାମକୃଷ୍ଣେ ।୬୩।
ପୂର୍ବେ ଗନ୍ଧମାଦନ ପଛିମେ ମନ୍ଦର ପର୍ବତ
ମଧ୍ୟରେ ଛଡ଼ା ଅଛି ଯୋଜନ ନବଶତ ।୬୪।
ଉଚ୍ଚବାଚ ହୋଇ ଯେ ରହିଲେ ବେନି ସଇନବଳ
ଧନୁଘୋଷ ନାଦ ଶୁଭଇ ମହାଗୋଳ ।୬୫।
ଯୁଝେଷ୍ଠି ଦେବେ ବୋଇଲେ ନାରଦନ୍ତ ରାଇ
ମଧ୍ୟେ ନାଚଇ ମୁନି କଳହ ଦଣ୍ଡକୁ ବୁଲାଇ ।୬୬।
ଯୁଝେଷ୍ଠି ଦେବେ ବୋଇଲେ ଶୁଣସି ନାରଦ
ତୁମ୍ଭେ ଯାଇଂ ବାରତା କୁହ ଦେବଇନ୍ଦ୍ର ।୬୭।
କନ୍ୟାଗୋଟିକି ଘେନିଣ ଆସନ୍ତୁ ପୁରନ୍ଦର
ଇନ୍ଦ୍ର ଗୋବିନ୍ଦ ୟେକଆତ୍ମା ନୋହନା ସମର ।୬୮।
ଯୁଝେଷ୍ଠିଂକ ବଚନେ ଚଳିଲେ ବ୍ରହ୍ମାସୁତେ
ମନପବନ ଦଣ୍ଡେ ବସି ବିଜେ ମନ୍ଦରଗିରି ପରବତେ ।୬୯।
ନାରଦେ ସନ୍ନିଧ୍ୟେଣ ବସାଇ ଚିତ୍ରରଥ
ତୋହୋର ଯେ ଜୀବନ ସାର୍ଥକ ଯଥାର୍ଥ ।୭୦।
ଶ୍ରୀ ଜଗନ୍ନାଥଂକ ଦୁହିତା ତୁ ଆଣିଅଛୁ ହରି
ଅମର ନାୟିକାୟେ ତାହାକୁ ନୁହନ୍ତି ରୂପେ ସରି ।୭୧।
ତାହାର ସମାନେଣ ନ ପାଇଣ ବର
ମନସରି ଅନେକ ଲୋଡ଼ିଲୁ ତିନିପୁର ।୭୨।
ପୁରୁଷଂକ ମଧ୍ୟରେ ସୁନ୍ଦର ତୁହି ଅଟୁ
ତୋହୋର ରୂପଗଣେ ସଚଳାହିଂ ଘଟୁ ।୭୩।
ଆହୋ ଯୁଝେଷ୍ଠି ଦେବେ ବୋଇଲେ ମୋତେ ହକାରି
ଦ୍ୱନ୍ଦ ନୋହୁ ସମର୍ପ ଯେ ସଚଳା କୁମାରୀ ।୭୪।
ତୁହିତ ଲୋଡ଼ିନାହୁଂ ତୋତେ ପ୍ରାପତ ହେଲା ଅଦଭୁତେ
ପରିଗ୍ରହ ପଦାର୍ଥ ୟେ ପରକୁ ବାହୁଡ଼ାଇ ଦେବୁ ସେ କେମନ୍ତେ ।୭୫।
ବାବୁ ବିଗ୍ରହ କଥା ୟେବେ ବିଚାରକୁ କେମନ୍ତ
କନ୍ୟା ସମର୍ପଣ ନ ଯୋଗାଇ ବିଧିମତ ।୭୬।
ବ୍ରହ୍ମା ଈଶ୍ୱରେ ବିଜେ କରିଅଛନ୍ତି ବୃନ୍ଦାଅର୍କ ବଳ ଘେନି
ରାମକୃଷ୍ଣ ଅର୍ଜୁନ ସେ ସର୍ବେ ଜଣ ତିନି ।୭୭।
କେହୁ ତୋତେ ସମାନ ଅଛଇ ହାଦେ ରଣେ
ତୁ କିମ୍ପାଇ କନ୍ୟା ଦେବୁ ଆମ୍ଭେ ଅଇଲୁ ଅକାରଣେ ।୭୮।
ଚିତ୍ରସେନ ବୋଇଲା ମୁଂ ନ କଲି ହରଣ
ଆସୁଂ ଆସୁଂ ବିରହୀତା କନ୍ୟା ମୋତେ କଲାକ ବରଣ ।୭୯।
ବରଣମାଳା ଗୋଟିୟେ ମୋତେ କଲାକ ଆଭରଣ ।୮୦।
ମୁନି ହେ ଇଚ୍ଛାୟେ ବର ବରନ୍ତି ଟିକି ରାଜାର କୁମାରୀ
ଅବଶ୍ୟ ଆନକଇଂ ପ୍ରଦାନ କରିବେଟି ଦେବହରି ।୮୧।
ଅଭାବପଣ ଛାଡ଼ିଣ ପ୍ରୀତି ହୋଇଣ ଆସନ୍ତୁ
ସୁବିଧାନେ କନ୍ୟାଗୋଟି ମୋତେ ପ୍ରଦାନ କରନ୍ତୁ ।୮୨।
ଆହୋ ନାରଦେ ତୁମ୍ଭେ ରାମକୃଷ୍ଣେ କୁହ ବେଗେ ଯାଇଂ
ସମସ୍ତେ ନାଶ ଯିବେଟି ସଚଳା କନ୍ୟାର ପାଇଂ ।୮୩।
ଭଲେଣ ଦିଲେଟି ରହିବ ସବୁରି ବଡ଼ପଣ
ଧର୍ମ ପ୍ରାପତ ହୋଇବ ରହିବ ବନ୍ଧୁପଣ ।୮୪।
ଦ୍ୱନ୍ଦକଲେ ମୁନି ହେ ହୋଇବେ କି ଆମ୍ଭନ୍ତ ସରି
ଧାତା ଈଶ୍ୱରେ ଦିଗପାଳେ ଯାହକଇଂ ଅଛନ୍ତି ଆବୋରି ।୮୫।
ଚିତ୍ରସେନ ବଚନେ ବାହୁଡ଼ିଗଲେ ତପୋନିଷ୍ଠି
ଯାଇଂଣ ଭେଟିଲେ ସେହି ଧର୍ମଦେବ ଯୁଝେଷ୍ଠି ।୮୬।
ଯୁଝେଷ୍ଠିକ ଆଗରେ ଯାଇଂ କହିଲେ ନାରଦ
ସଚଳାର ନିମନ୍ତେ ହୋଇବ ବଡ଼ ଯୁଦ୍ଧ ।୮୭।
ଆହୋ ଧର୍ମେ ଅପାର ମଣାଇଂ ମୁଂ କହିଲି ତାହାଂକୁ
ଶାହାସ୍ର କଥା ରୁଚଇ କି ଟସ୍କର ସଭାକୁ ।୮୮।
ବଧିର ଶୁଣଇ କି କମ୍ବୁରସ ବାଣୀ
ଗୋପାଳେ ଚିହ୍ନିବେ କାହିଂ ଅମୂଲ୍ୟ ରତ୍ନମଣି ।୮୯।
ତୋହୋର କଥା ଶୁଣି ସେ ଅନେକ କଲା କୋପ
ଗରୁଡ଼ ବିବାଦେ ଯେହ୍ନେ ଗର୍ଜଇ କାଳସର୍ପ ।୯୦।
ଶୁଣିଣ ଯୁଝେଷ୍ଠି ଦେବ ହୋଇଲା ତବଦ
ନିଚୟେ ନାଶ ଗଲାଟି ଅମର ସଂପଦ ।୯୧।
ତହୁଂ ନାରଦେ କହିଲେ ଯାଇଂ ବଳଦେବଂକୁ
ଯୁଝେଷ୍ଠି ପେଷିଥିଲେ ମୁକୁ ଇନ୍ଦ୍ରରାଜାଠାକୁ ।୯୨।
ବହୁତ କୋପକଲା ସେ କନ୍ୟା ଫେରି ମାଗିବାରେ
ବୋଇଲା ରାମକୃଷ୍ଣ ଅର୍ଜୁନକଇଂ ମୁଂ ମାରିବଇ ସମରେ ।୯୩।
ନାରଦ ବଚନେ କୋପକଲେ ଦେବହଳୀ
ସମର୍ଥକ ହଳ ମୂଷଳ ବୁଲାଇଲେ ଦେବ ତୋଳି ।୯୪।
ଯୁଝେଷ୍ଠିଦେବେ ବୋଇଲେ କୋପ ନ କର ବଳରାମ
ଦଣ୍ଡ ସାମ ଭେଦ ମତେ ଅବଶ୍ୟ କରି କାମ ।୯୫।
ସନ୍ଧି ସମାଧାନ ନୋହିଲେ ତେବେ ସେ ଦ୍ୱନ୍ଦ୍ୱକରି
କିଞ୍ଚିତ ମାତ୍ରକେ ଦେବ ନୋହିବା ମରାମରି ।୯୬।
ମୁହିଂ ଯିବି କି ଦେବ ମନ୍ଦର ପର୍ବତକୁ
ସମାଧାନ କରି କହିବଇଂ ଇନ୍ଦ୍ର ଦେବତାଂକୁ ।୯୭।
ମୋହୋର ବୋଲେ ଯେବେ ନ ଦିଅଇ କୁମାରୀ
ୟେକା ନିମିଷେକ ଦ୍ୱନ୍ଦ୍ୱ କରିତ ଆମ୍ଭେ ପାରି ।୯୮।
ଗନ୍ଧମାର୍ଦନ ପର୍ବତରୁ ଓହ୍ଲାଇ ଧର୍ମସୁତେ
ବଇଜୟନ୍ତୀ ମାଳା ଗୋଟିୟେ ଧରିଛନ୍ତି ଦେବ ହାଥେ ।୯୯।
ସହଦେବ ବୋଇଲେ ଠାକୁରେ ସେ ଯାଆନ୍ତୁ ୟେକେ
ଭୀମସେନ ଠାକୁରେ ଗୋଡ଼ାଇ ଯାଆନ୍ତୁ ପାଖେ ।୧୦୦।
ଯେବେ କାଳେ ୟେ କଥା ନୋହିବ ସମ୍ବୋଧ
ସହି ନୁଆରିଲେ ସେ ଉପୁଜିବଟି ଦ୍ୱନ୍ଦ୍ୱ ।୧୦୧।
ଇନ୍ଦ୍ରଂକର ଦୁଷ୍ଟପୁତ୍ରମାନେ ହୋଇଛନ୍ତି ମେଳି
ଭୀମସେନ ଠାକୁରେ ଯେ ଆଣିବେ ସମ୍ଭାଳି ।୧୦୨।
ଗୋବିନ୍ଦେ ବୋଇଲେ ସେ ମନ୍ତ୍ରୀବରଂକ ବଚନେ
ଯାଉ ଭୀମସେନ ଠାକୁରଂକର ସନ୍ନିଧାନେ ।୧୦୩।
ବାଆନ ବାଆନ ଭାର ଗଦା ଭୀମସେନର ବେନିକରେ
କୃତାନ୍ତେକ ପ୍ରାୟେ ଦିଶନ୍ତି ବ୍ରିକୋଦରେ ।୧୦୪।
ପ୍ରବେଶ ଧର୍ମସୁତ ମନ୍ଦର ପର୍ବତେ
ବିଜୟେ ଦେବଇନ୍ଦ୍ର ମହାନାଗ ଅଇରାବ୍ରତେ ।୧୦୫।
ଯୁଝେଷ୍ଠିକୁ ଦେଖି ଇନ୍ଦ୍ର ଅଇରାବ୍ରତୁଂ ଉତୁରି
ବସିଛନ୍ତି ଆସ୍ତାନେ ଯେ ବ୍ରହ୍ମା ଶୂଳଧାରୀ ।୧୦୬।
ମନ୍ଦର ପର୍ବତର ପାଞ୍ଚ ପାବଚ୍ଛର ତଳେ
ପ୍ରଣପତ୍ୟ ହୋଇଣ ଶୁତିଲେ ଧର୍ମବାଳେ ।୧୦୭।
କୋପେଣ ଉତ୍ତର ଯେ ଦିଅନ୍ତି ଅସକନ୍ଦ
ଆରେ ଆରେ ପାଣ୍ଡବାୟେ ୟେତେ ତୁମ୍ଭେ ମନ୍ଦ ।୧୦୮।
ଆରେ ଆଦ୍ୟହୁଂ ଜନ୍ମିଲ ତୁମ୍ଭେ ଗୋଳକୁଣ୍ଡାପଣେ
ଦୃଭାସ୍ୟାର ମନ୍ତ୍ରେ ଆମ୍ଭେ ଆବୋରିଲୁ ବଡ଼ପଣେ ।୧୦୯।
ଯଦ୍ୟପି ଦିଗପାଳେ ହୋଇ ସେ ବାସୁଦେବ
ଜନମେ ଲଭିଲା ସେ ଗଉଡ଼ ସ୍ୱଭାବ ।୧୧୦।
ଗଉଡ଼େ ଉପୁଜିଲେ ସେ ମାନବ ପ୍ରକୃତି
ତୁମ୍ଭଂକ ଲାଗି ସେ ଯେ ହୋଇଲା ହୀନଜାତି ।୧୧୧।
ଗଉଡ଼ ବାଉଡ଼ କୃଷ୍ଣ ବଳଦେବ
ଗୋଳକୁଣ୍ଡା ଜାରଜାତକା ତୁମ୍ଭେ ଅଟ ରେ ପାଣ୍ଡବ ।୧୧୨।
ତୁମ୍ଭରେ ତାହାଂକର ଯେବେ ବଢ଼ିଲା ବନ୍ଧୁପଣ
ବଢ଼ିଲା କନ୍ୟା ଘରେ କିମ୍ପେ ରେ ଥୁଅ ଅକାରଣ ।୧୧୩।
ମୋହୋର ଚିତ୍ରସେନ ନ ଆଣିଲା ତାକୁ ବଳେ ହରି
ବିରହୀତା କନ୍ୟା ସେ ଇଚ୍ଛାୟେ ହେଲା ବରି ।୧୧୪।
ଯୁଝେଷ୍ଠି ଦେବ ବୋଇଲେ କୋପ ଛାଡ଼ ଦେବରାୟେ
ମନ୍ଦବେଳେ ଜାତକଲେ ୟେ ତୁମ୍ଭ ତନୟେ ।୧୧୫।
ଥୋକାୟେକ ପୁତ୍ର ଯେ ବଂଶ କରନ୍ତି ସୁରକ୍ଷା
ଥୋକାୟେକ ପୁତ୍ର ବଂଶନାଶ କରିତେ ବାୟେଂଚ୍ଛା ।୧୧୬।
ପର ସ୍ତିରୀ ହରଣେ ଅନେକ ଧର୍ମ ନାଶି
ତାରା ଅଭିଳାଷେ ତନୁ କ୍ଷୀଣ ହୋଇଲାକ ଶଶୀ ।୧୧୭।
ଜାନକୀ ହରଣେ ନାଶଗଲାକ ରାବଣ
ଅହଲ୍ୟା ହରଣେ କିସ ନୋହିଲା ଆପଣ ।୧୧୮।
ଗଉତମର ଶାପେ ଛିଡ଼ିଲା ତୋର ଅଣ୍ଡ
ପୁରୁଷ ଲକ୍ଷଣ ନିମନ୍ତେ ଲଗାଇଲୁ ମେଷଅଣ୍ଡ ।୧୧୯।
ପୁତ୍ରକୁ ନ ତିଆରିଲେ କଲ ଯେ ୟେସନେକ କୃତ୍ୟେ
ବଳରାମଂକ କୋପେ ଅମର ରକ୍ଷା ହୋଇବ କେମନ୍ତେ ।୧୨୦।
ୟେବେହେଂ ବୋଲ ପୁତ୍ର ମୋର ଅଣିଲା ଅଗ୍ୟାନେ
ସନ୍ଧି କଥାରେ ତ ନ ପଶିଲୁ ପାକଶାସନେ ।୧୨୧।
ସଚଳାକଇଂ ୟେବେ ଘେନି ଯିବା ଚାଲ ଜମ୍ବୋଭେଦୀ
ଶ୍ରୀ ଜଗନ୍ନାଥଂକର ତୁଲେ ହୋ କିମ୍ପାଇଂ ହୋଉ ଦ୍ୱନ୍ଦୀ ।୧୨୨।
କାମପାଳ ଯେ , ସେ କାଦମ୍ବରୀ ପାନେ ଭୋଳ
ଶରମ ରକ୍ଷଣ ସେ ଯେ ଭଗତ ବଚ୍ଛଳ ।୧୨୩।
ମୁହିଂ ତୋତେ ରାମ ଛାମୁରେ କରିବି ସମର୍ପଣ
କୋପ ଛାଡ଼ି ଦୟା ତୋତେ କରିବେ ସଂକ୍ରିଷେଣ ।୧୨୪।
ଯାହାର ବୋଲେ ତୁ ୟେତେ ଦ୍ୱନ୍ଦ କଲୁ ରାୟେ
ରକ୍ଷା ନ ଯିବୁ କାଳେ ତାହାର ଉପାୟେ ।୧୨୫।
ଆବର ଦେଖ ତୋର କର୍ମର ବିପାକ
ଆତ୍ମାରୁ ଜାତ ତୋତେ ଛାଡ଼ିଲା ବିବତ୍ସ ।୧୨୬।
ଅର୍ଜୁନର ପ୍ରାୟେ ପୁତ୍ର ତୋତେ ଛାଡ଼ିଲା ଯେତେବେଳେ
ଅମର ସମ୍ପଦ ତୋର ନାଶଗଲା ଆଖଣ୍ଡଳେ ।୧୨୬।
ପରର ବଚନେ ତୋର ସମ୍ପଦ ନ କର ନାଶ
ନିରୁତାନ୍ତ ବେଳକୁ ସମରେ ନ ଥିବ ବିଶ୍ୱବାସ ।୧୨୭।
ବ୍ରହ୍ମାୟେ ଯିବେଟି ଜଗତପିତା ପଣେ
ୟେଡ଼େ ବଡ଼ ସମ୍ପଦ ତୁ ନାଶ ନ କର ଆକାରଣେ ।୧୨୮।
ପବନ ଦେବତା ଆମ୍ଭର ହୋଇବେ ପିତାମହ
ଯମ କୁବେର ବରୁଣ ଆମ୍ଭନ୍ତ ସମରେ ନୋହନ୍ତି ରହ ।୧୨୯।
ପରମ ପଣ୍ଡିତ ନାଥ କିମ୍ପା ହୋଉ ବଣା
ସେ ଯେ ରାମକୃଷ୍ଣ ତ୍ରଇଲୋକ୍ୟ ଧାରଣା ।୧୩୦।
କହୁଂ କହୁଂ ଯୁଝେଷ୍ଠିଂକ ବସିଲା ମହାକୋହ
କେହୁଣସି କାଳରେ ତୁମ୍ଭେ ରାମକୃଷ୍ଣଂକୁ ସରି ନୋହ ।୧୩୧।
ସତ୍ୟଭାମାଂକ ଛଳେ ହରି ହରିଲେ ପାରିଜାତ
ସ୍ୱର୍ଗୁଂ ଅମୃତ ହରି ନେଲା ବେଳେ ବଇନେତ୍ର ।୧୩୨।
ଗୋପପୁରେ ବାମକରେ ଧଇଲେ ଗୋବର୍ଦ୍ଧନ ଗିରିବର
ସାତଦିନ ବୃଷ୍ଟି ଯେ କଲୁ ପୁରନ୍ଦର ।୧୩୩।
କଂସ ସଭାତଳେ ହୋଇଥିଲା ନା କିଂକର
ସେ ବେଳର କଥା ୟେବେ ଗଲା କି ପାସୋର ।୧୩୪।
ପରିଘାଇ ଅନେକ କହିଲେ ଯୁଝେଷ୍ଠିର
ଶୁଣି କୋପ ବସିଲା ଦେବ ସୁନାସୀର ।୧୩୫।
କୋପ ଆରକ୍ତ ଲୋଚନ କରି ମଘବାନ
ବୋଇଲା ଯୁଝେଷ୍ଠିଂକି ନାଶ କର ରେ ଚିତ୍ରସେନ ।୧୩୬।
ଯହୁଂଣ ଇନ୍ଦ୍ର ଦେବତା ଚାହିଂଲେ କୋପଦୃଷ୍ଟି
ତ୍ରାସେଣ ପର୍ବତୁଂ ଓହ୍ଲାଇଲେ ଯୁଝେଷ୍ଠି ।୧୩୭।
ପିତାର ବଚନେ ଯେ ଧାଇଂଲା ବିଦ୍ୟାଧର
କରେ ଧରିଅଛି ଯେ ବଜ୍ର ମୁଦୁଗର ।୧୩୮।
କୁରାଳ ଚକ୍ର ପ୍ରାୟେକ ମୁଦୁଗର ବୁଲାଇ
ଯୁଝେଷ୍ଠି ଦେବଂକ ଉପରେ ପିଟିଲା ଝସାଇ ।୧୩୯।
ମୁଦୁଗର ପଡ଼ନ୍ତେ ଭୀମ ଯୁଝେଷ୍ଠିଂକି ପଛ କଲା
ଆପଣେ ଆଗହୋଇ ବଜ୍ର ମୁଦୁଗର ଧଇଲା ।୧୪୦।
ବାହାନାଦ ଦେଇ କୋପେ ଗରଜିଣ ବୀର ଭୀମ
ବିଦ୍ୟାଧର ତହୁଂ ଉଛୁଡ଼ି ଧରିଲା ବିକ୍ରମ ।୧୪୧।
ଯୁଝେଷ୍ଠିଂକି ବୋଇଲେ ଭୀମ ତୁମ୍ଭେ ପଳାଅ ବେଗହୋଇ
ମୋହୋର ଘୁଞ୍ଚିଲେ ଦେବ ତୁମର ଜୀଇନାହିଂ ।୧୪୨।
ୟେକା ଆସୁଥିଲା ପରା କଥା ସନ୍ଧିକରି
ୟେତେବେଳେ ଥାଅନ୍ତ ତୁମ୍ଭେ ମନ୍ଦର ପର୍ବତରେ ପଡ଼ି ।୧୪୩।
ୟେହା ଶୁଣି ଯୁଝେଷ୍ଠି ଯେ ହୋଇଲେ ଅନ୍ତର
ରେ ରେ କାର କରି ଯେ ବୋଲଇ ପବନ କୁମର ।୧୪୪।
ସେହି ମଦୁଗରକୁ ସେ କୋପେଣ ବୁଲାଇ
ଚିତ୍ରସେନ ରଥପରେ ପିଟିଲାକ ବେଗେ ନେଇ ।୧୪୫।
ମହାବଳବନ୍ତା ସେ ପାଣ୍ଡବ ବୀରଷଣ୍ଢ
ଭୀମସେନ ବିଘାତେ ସେ ରଥ ହୋଇଲା ମସୀଗୁଣ୍ଡ ।୧୪୬।
ଅନେକ ରତ୍ନ ମଣ୍ଡଣି ରଥ ଯହୁଂ ଗଲା ଭାଜି
ଜୟସେନ ଅଙ୍ଗାରପନଙ୍ଗ ଉଠିଲେ ଗଳଗାଜି ।୧୪୭।
ପ୍ରଚଣ୍ଡବଳୀ ତୁଳାକର୍ଣ୍ଣ ବୃଦ୍ଧଶ୍ରବା ବିଶ୍ୱବସୁ
କୋପେଣ ଉଗାଳିଲେ ବେଗେ ଭୀମସେନ ବେଗେ ଆସୁ ।୧୪୮।
ବାସବର ପୁତ୍ର ଯେ ବିଦ୍ୟାଧର ଲକ୍ଷ ଚାରି
ଶତେପୁର କରି ଭୀମସେନକଇଂ ଓଗାଳି ।୧୪୯।
ପହୁଡ଼ନ୍ତି ଗଦା ମୁଦୁଗର ଛେଲ ଚକ୍ର କାତି
କୋନ୍ତ ମୂଷଳୀ ସାବେଳୀ ଯେ ବାରୁଣାଶର ଯୋଚି ।୧୫୦।
ଆଦିତ୍ୟ କିରଣ ପ୍ରାୟେ ଝଲକନ୍ତି ଲାଂକିଆ
ମହାଭୀଷ୍ମ ମୃତ୍ତି ବିଦ୍ୟାଧରେ ସହସ୍ରବାହା ।୧୫୧।
ଯୁଝେଷ୍ଠି ଦେବେ ଯେ ତହିଂ ଅଇଲେ ପଳାଇ
ଗନ୍ଧମାର୍ଦନ ପର୍ବତେ ଉଠିଲେ ବେଗେ ଯାଇଂ ।୧୫୨।
ଯୁଝେଷ୍ଠି ଦେବଙ୍କୁ ଦେଖି ପଚାରନ୍ତି ହରି
କେବଣ ନିମନ୍ତେ ସ୍ୱାମୀ ନିଶ୍ୱାସ ଖରକରି ।୧୫୩।
ଯୁଝେଷ୍ଠି ଦେବ ବୋଇଲେ ଉବୁର ଅଇଲୁ ହୋ ଧର୍ମେ
ଭୀମସେନ ମୋର ନିଚେ ପଡ଼ିଲା ସାଂଗ୍ରାମେ ।୧୫୪।
ଆବର ସୋଦର ମୁହିଂ ପାଇବଇଂ କାହିଂ
ମୁହିଂ ଅଇଲି ଦେବ ଭାଇକି ମୋର ଦେଇ ।୧୫୫।
ଯୁଝେଷ୍ଠି ଦେବଂକର କ୍ରୋଧର ବିକଳେ
ପର୍ବତ ଉପରୁ ଡେଇଂ ପଡ଼ିଲେ କାମପଳେ ।୧୫୬।
ରଥ ସହିତେ ଦେବ ନ କଲେ ଆରୋହଣ
ହଳ ମୂଷଳ ଘେନି ଧାମନ୍ତି ସଂକ୍ରିଷେଣ ।୧୫୭।
ନନ୍ଦିଘୋଷ ରଥ ଯେ ମଣ୍ଡିଣ ବନମାଳୀ
ତହୁଂ ବହୁତ ଯାଦବ ସନ୍ୟ ଧାମନ୍ତି ମହାବଳୀ ।୧୫୮।
ସାତବଂଶ ଘେନି ଚଳନ୍ତି ଜଗନ୍ନାଥେ
ଅର୍ଜୁନ ବିଜେକଲେ ନନ୍ଦିଘୋଷର ରଥେ ।୧୫୯।
ବଇନେତ୍ର ବାହାନେ ବିଜୟେ ଜଗନ୍ନାଥେ
ଶଙ୍ଖ ଚକ୍ର କଉମୁଦୀ ଗଦାବର ହାଥେ ।୧୬୦।
ପଞ୍ଚୁଜନ୍ୟ ଶଙ୍ଖ ହରି କଲେକ ବାଦ୍ୟ
ଆକାଶ ଉଛୁଳିଲା ସେ ଶଙ୍ଖର ଶବଦ ।୧୬୧।
ଭୀମସେନ ଶ୍ରବଣେ ସେ ଶୁଭିଲା ଶଙ୍ଖଧୁନି
ଶୁଣି ପରବତୁଂ ଉଠିଲା ତହୁଂ ଭୀମ ଶିର ଝୁଣି ।୧୬୨।
କୋପେଣ ଗଦାବର ପ୍ରହାର କଲା ମହାବଳ
ପଡ଼ିଣ ଜୟସେନ ରଥ ହୋଇଲା ବେନିଫାଳ ।୧୬୩।
ଅଙ୍ଗାରପନଙ୍ଗ ରଥ ଧାଇଲା ବାମକରେ
ବିଶ୍ୱବାସୁ ରଥ ଉପରେ ପିଟିଲା କୋପଭରେ ।୧୬୪।
ଭୀମସେନ ପ୍ରହାରେକ ଭାଜିଲା ରଥ ବେନି
ଭୟେଣ ବେନିଭାଗ ହୋଇଲେ ସଇନି ।୧୬୫।
ମନ୍ଦର ପର୍ବତୁଂ ଭୀମ ପଡ଼ିଲାକ ବେଗେ ଡେଇଂ
ଦେଖିଣ ବିଦ୍ୟାଧରମାନେ ପୁଣ ପଡ଼ୁଛନ୍ତି ଧାଇଂ ।୧୬୬।
ପୁଣି ଯାଇଂ ବେଢ଼ି ଭୀମସେନକୁ କଟାଳି
ଗର୍ଜିଣ ଉଠିଲା ସେ ପାଣ୍ଡବ ମହାବଳୀ ।୧୬୭।
ଗଦାବର ବୁଲାଇଣ ସେ ପିଟିଲା ମାରୁତି
ମହାବାତେ ଯେସନେକେ ଫକୁଫଳେ ଲୋଟନ୍ତି ।୧୬୮।
ସମର ସମ୍ଭର୍ବେ ସେ ପାଣ୍ଡବ ବଳବନ୍ତା
ବିଦ୍ୟାଧର ଜଣ ମାତ୍ରକେ କେହି ଛାମୁରେ ନୋହିଂନା ରହନ୍ତା ।୧୬୯।
ସଇନି ଭାଗନ୍ତେଣ ଧାମଇଂ ଚିତ୍ରରଥ
ତୁଲେଣ ସଇନି ତାର ଚାରି ଅହିବ୍ରତ ।୧୭୦।
ଅନେକ ରତ୍ନ ଭୂଷଣ ଅଛଇ ତାର କାୟେ
ଦିଶନ୍ତି ବିଦ୍ୟାଧରେ କାର୍ତ୍ତିକେଶ୍ୱର ପ୍ରାୟେ ।୧୭୧।
ରେ ରେ କାର କରିଣ ସେ ଧାଇଂଲା ଚିତ୍ରରଥ
ତୀକ୍ଷମୁନୀ ଶସ୍ର କରେ ଧରିଅଛି ନଶନିଶି କୋନ୍ତ ।୧୭୨।
ଭୀମସେନ ଉପରକୁ ସେ ମାଇଲା ତାହା ଧରି
ସେହି କୋନ୍ତ ଚୂରଗଲା ଭୀମସେନ ବାମଅଙ୍ଗେ ପଡ଼ି ।୧୭୩।
ପୁଣ ପ୍ରହାର କଲା ବିଦ୍ୟାଧର ବଜ୍ର ଯେ ତୁମ୍ଭରେ
ପଡ଼ନ୍ତେ ବ୍ରିକୋଦର ତାହା ଧଇଲା ବାମକରେ ।୧୭୪।
ଚିତ୍ରସେନ ହାଥରୁ ସେ ଧଇଲା ଉଛୁଡ଼ି
ସେହି ତୁମ୍ଭର ଚିତ୍ରସେନକୁ ମାଇଲାକ ଧରି ।୧୭୫।
ବାମଅଙ୍ଗେ ତାର ଯାଇଂ ପଡ଼ିଲା ବଜ୍ରଗୋଟି
ଘାୟେଣ ଚିତ୍ରସେନ ଯେ ପଡ଼ିଲା ମହୀଲୋଟି ।୧୭୬।
ବଜ୍ରଘାତ ପ୍ରାୟେକ ଶୁଭଇ ଘୋରବାଣୀ
ଚିତ୍ରସେନ ପଡ଼ିଲା ଦେଖିଲେ ବଜ୍ରପାଣି ।୧୭୭।
ଆପଣେ ବିଜେକଲେ ଅଇରାବ୍ରତ ପିଠି
କରେଣ ବଜ୍ରଶକତି କୋନ୍ତ ଖଡଗ ଯାଠି ।୧୭୮।
ମୁଦୁଗର ଅସିପତ୍ର ଗୁରୁଜ ଶାବେଳୀ
ବତିଶ ଆୟୁଧ କରେ କଷିଅଛି ତୋଳି ।୧୭୯।
ବକ୍ଷସ୍ଥଳେ ଲମ୍ବିତ ଯେ ପାରିଜାତକ ପୁଷ୍ୟମାଳ
କୋଟିୟେ କିରଣ ଶକ୍ତି କରେ ଘେନିଣ ଆଖଣ୍ଡଳ ।୧୮୦।
ୟେକାୟେଣ ବେନିକରେ ଗଦା ଘେନିଣ ଉଠି
ବିଦ୍ୟାଧର ବଳଯାକ ଆସୁଅଛି ପିଟି ।୧୮୧।
ୟେକାୟେ ସମର କରଇ ଯେ ପବନ ବତ୍ସ
ସମରେ ପଡ଼ିଲେନି ଗନ୍ଧର୍ବ ତିନିଲକ୍ଷ ।୧୮୨।
ଯେସନେକେ ମତ୍ତବ୍ୟାଘ୍ର ଧାମଇଂ ଜନ୍ତୁ ଦେଖି
ମାରଇ ମାରୁତି ସେ ଓପ୍ରୋଧ ଉପେକ୍ଷି ।୧୮୩।
ଅନେକ ସଇନି ଯେ ଆସୁଅଛଇ ପିଟି
ବିଦ୍ୟାଧର ବଳ ଯେ ପଡ଼ୁଛନ୍ତି ମହୀଲୋଟି ।୧୮୪।
ଅସମ୍ଭବ ମହିଂମା ସେ ପାଣ୍ଡବ ବୀରମଣି
ପଳାବନ୍ତି ଗନ୍ଧର୍ବେ ଯେ ଶ୍ରୀକାଳ ଯୂଥ ଜାଣି ।୧୮୫।
ଜୟସେନ ବିଶ୍ୱାବସୁ ବୃଦ୍ଧଶ୍ରବା ଅଙ୍ଗାରପନ୍ନଙ୍ଗ ପ୍ରଚଣ୍ଡାବଳୀ
ଭାଜି ପଳାବନ୍ତି ଗନ୍ଧର୍ବେ ଭୀମସେନ କରଇ ରଣକେଳି ।୧୮୬।
ଶଙ୍ଖ ଶବଦ ଯହୁଂ କଲେକ ଶ୍ରୀରଙ୍ଗ
ଶୁଣିଣ ଦୁଗୁଣ ତେଜ ବିକାଶଇ ମାରୁତିର ଅଙ୍ଗ ।୧୮୭।
ଭୀମସେନର ଭୀଷ୍ମମୃତ୍ତି ମହାସମର ଦେଖି
ଭାଜିଲେ ବିଦ୍ୟାଧରେ ସେ ସମର ଉପେକ୍ଷି ।୧୮୮।
ଗୋଡ଼ାଇ ବ୍ରିକୋଦର ଯେ ମହାମୃତ୍ତି ଧରି
ବାସବର ସହସ୍ରେ ପୁତ୍ର ଧରିଣ କଚାଡ଼ି ।୧୮୯।
ଦଶବିଂଶ ପଚିଶ ଧରି ଦିଅଇ ଯେ ଫିଙ୍ଗି
ଅନେକ ଯୋଜନେ ପଡ଼ିଲେ ହାଥ ଗୋଡ଼ ଭାଂଗି ।୧୯୦।
ସମର ବିଭଙ୍ଗ ଦେଖିଣ ବ୍ରିକୋଦର
ଶରଣ ବୋଇଲେ ଭୀମ ଦୁଗୁଣ କରଇ ପ୍ରହାର ।୧୯୧।
ପୁତ୍ରଂକର ବିନାଶ ଦେଖିଣ ପୁରନ୍ଦର
ଆପଣେ ବିଜେକଲେ ସମର ଭିତର ।୧୯୨।
ଆରେ ଆରେ ଭୀମା ବୋଲି ଯେ କୋପେ ଦୁରୁଂ ଡାକଦେଇ
ଆପଣେ ଓଗାଳିଲେ ଦେବ ସୁରସାଇଂ ।୧୯୩।
କରେ ବଜ୍ର ଧରିଣ ସେ ରାଗେ ଝମକାଇ
ଗର୍ଜିଣ ମହାନାଗ ଯେ ଉଠିଲା ତୁହାଇ ।୧୯୪।
ୟେସନେକ ମହିମାଂ ଦେଖିଣ ସେ ବ୍ରିକୋଦର
ଗଦା ଧରି ଉଭା ହେଲା ବାସବ ଛାମୁର ।୧୯୫।
ମହାନାଗ ପରେ ଚଢ଼ିଅଛି ପୁରନ୍ଦର
ଇନ୍ଦ୍ରର ବଚନେ ହାଥୀ ଧାଇଂଲାକ ଖର ।୧୯୬।
ମହା ବଳବନ୍ତା ଯେ ଅଟଇ ଅଇରାବ୍ରତ
ଥୋରହସ୍ତେ କଟିଭାଗୁଂ ଧଇଲା ତୁରିତ ।୧୯୭।
ଅନ୍ତରୀଛେ ବୁଲାଇଲା ଅଇରାବ୍ରତ ତୋଳି
ଫିଙ୍ଗିଦେଲା ଭୀମକୁ ଯେ ଗଜ ମହାବଳୀ ।୧୯୮।
ଆକାଶ ମାର୍ଗରେ ଯହୁଂ ଫିଙ୍ଗିଦେଲା ଅଇରାବ୍ରତ ଗଜ
ଗନ୍ଧମାର୍ଦନ ପରବତେ ପଡ଼ିଲା ପବନ ଆତ୍ମଜ ।୧୯୯।
ବଜ୍ରଘାତ ପ୍ରାୟେ ଜାଣି ପଡ଼ିଲାକ ଭୀମ
ଭୂମିରେ ପଡ଼ିଣ ସେ ହୋଇଲା ଅଚେବନ ।୨୦୦।
ଦେଖିଲେକ ଯୁଝେଷ୍ଠି ଭୀମସେନର କଷ୍ଟ
କୋଳକରି ଧଇଲେ ଯାଇଂ ଦେବ ଧର୍ମଚାଟ ।୨୦୧।
ହା ହା ସୋଦର ରେ ମହା ଅଚାର୍ଗଳ ଯୋଧୀ
କେବଣ ଦଇବ ତୋତେ ଅନମିତେ ବିରୋଧୀ ।୨୦୨।
ନାରଦେ କହିଲେ ଯେ ଭୀମସେନର କଥା
ସଞ୍ଚପି କହିଲେ ସେ ଯେ ସମର ବାରତା ।୨୦୩।
ଅନେକ ଗନ୍ଧର୍ବେ ସେ ଯେ ମାଇଲା ସମରେ
କଟାଳ ଦେଖିଣ ବିଜେକଲେ ଆପଣେ ସୁରେଶ୍ୱରେ ।୨୦୪।
ଦେଖ ହୋ ପ୍ରତାପ ଭୀମସେନର ଯେ କଥା
ଦେବ ସଇନ୍ୟଯାକ ଭୀମ ମାରି ଅପ୍ରମିତା ।୨୦୫।
ଇନ୍ଦ୍ରକୁ ଦେଖିଣ ଭୀମ ନ ଘୁଞ୍ଚିଲା ଯହୁଂ
ସମରେ ସେ ଦେବଇନ୍ଦ୍ର କୋପିଲାକ ତହୁଂ ।୨୦୬।
କୋପେଣ ଯେ ଅଇରାବ୍ରତ ନାଗ ତାକୁ ଫିଙ୍ଗି ପକାଇଲା
ୟେତେଦୂରେ ଆସି ଭୀମସେନ ଯେ ପଡ଼ିଲା ।୨୦୭।
ଶୁଣି କୋପାନଳ ହୋଇଲେ ଦେବ ବଳରାମ
ରାଗେଣ ଉଠିଲେ ସେ ଯେ ପୁରୁଷଂକ ଉତ୍ତମ ।୨୦୮।
ରାମ କୃଷ୍ଣଂକର ମୃତ୍ତି ସେ ଦେଖିଣ ମଘବାନ
ମହାନାଗ ବାହନେ ବିଜୟେ ଦେବ ପାକ ଯେ ଶାସନ ।୨୦୯।
ଶ୍ରୀଭୁଜେ ଶୋଭାବନ ବଜ୍ର ଯେ ଶକତି
ମନ୍ଦର ପର୍ବତୁଂ ଓହ୍ଲାଇଲେ ସୁରପତି ।୨୧୦।
ଛଡ଼ ମର୍ଭୂତ ପୁତ୍ର ଅଛନ୍ତି ତାର ତୁଲେ
ଅନେକ ଅମରଗଣ ପବନୁଂ ବେଗେ ଧାଇଂଲେ ।୨୧୧।
ସମର ସମ୍ଭର୍ବେ ଯେ ବିଜୟେ ଆଖଣ୍ଡଳେ
ଗର୍ଜନ ନାଦ କରି ଉଠିଲେ ମେଘମାଳେ ।୨୧୨।
ଆହୋ ଚଇତନ ଚଉଦିଗେ ଘୋଟିଗଲେ ଜଳଧର ମେଘେ
ଆକାଶ ଅନ୍ଧକାର ହୋଇଲା ଚଉଦିଗେ ।୨୧୩।
ନିର୍ଘାତ ବାଣ ଅନଳ ଯେ ବଜ୍ରସୂଚୀ
ବଜ୍ରାଘାତେ ଉଲୁକାପାତ ଆକାଶୁଂ ପଡ଼ୁଅଛି ।୨୧୪।
ମେଘଂକର ଗର୍ଜନେ କମ୍ପଇ ବ୍ରହ୍ମାଣ୍ଡ ଖଣ୍ଡ ସାତ
ଦିବି ପୃଥିବୀ ଯେ ଦିଶିଲା ଉଲୁକାପାତ ।୨୧୫।
ଦେଖିଣ ଆଶ୍ରିଜ ଯେ ହୋଇଲେ ଯଦୁବୀରମାନେ
ସ୍ୱାମୀ ବଡ଼ାଇ ଦୁରାପଦ ପଡ଼ିଲା ରଖ ହେ ଭଗବାନେ ।୨୧୬।
ଶୁଣିଣ ବିଚାରନ୍ତି ଦେବ ଦାମୋଦର
ବିନତା ନନ୍ଦନ ମୁଖକୁ ଯେ ଚାହିଂଲେ ଚକ୍ରଧର ।୨୧୭।
ବାବୁ ମେଘେ ତ ଉଠିଲେ ବାସବ ବଚନେ
ଦେଖିଣ ବିକଳ ହୋଇଲେ ସମସ୍ତ ଯଦୁସନ୍ୟମାନେ ।୨୧୮।
ବିନତା ନନ୍ଦନ ଯେ ଉହାଡ଼ିଲା ବେନି ପଖି
ଆକାଶ ଘୋଟିଲା ସେ ସମସ୍ତ ସନ୍ୟମାନ ବ୍ୟାପି ।୨୧୯।
ଦଶଯୁଣ ମାଡ଼ି ରହିଛଇ ଯେବଣ ଯାଦବ ବଳ
ପଖିଦେଇ ବଇନେତ୍ର ଉହାଡ଼ିଲା ସକଳ ।୨୨୦।
ବରଷନ୍ତି ମେଘେ ଯେ ମୂଷଳ ଧାରା ଜାଣି
ଗରୁଡ଼ ପିଠିରେ ପଡ଼ି ତଳେ ପଡ଼ୁଅଛି ପାଣି ।୨୨୧।
ନିର୍ଘାତ ବଜ୍ରସୂଚୀ ଅନଳ ଶରମାନ
ଗରୁଡ଼ ପିଠିରେ ପଡ଼ି ହୋଉଛନ୍ତି ନାଶପାନ ।୨୨୨।
ପବନକଇଂ ରାଇ ଆଗ୍ୟାଂ ଦିଲେ ମଘବାନ
ମେଘଂକର ତୁଲେ ତୁ ଯାଇ ବହସି ବହନ ।୨୨୩।
ଅଣଚାଶ ପବନ ଘେନି ତୁ ବହିବୁ ସମ୍ଭରେ
ଯାଦବମାନନ୍ତ ନେଇ ପକାଅ ସାହେର ଭିତରେ ।୨୨୪।
ଦେବରାଜଂକ ବଚନେ ସେ ଗର୍ଜଇ ପବନ
ବହିଲା ଅଣଚାଶ ସେ ବଡ଼ାଇ ଗହନ ।୨୨୫।
ଯୁଝେଷ୍ଠି ଦେବ ଶ୍ରୀକୃଷ୍ଣେ ବୋଇଲେ ପବନ ମେଘ ତୁଲେ
ସମସ୍ତେ ନାଶ ଯିବାଟି ଅଣଚାଶ ବହିଲେ ।୨୨୬।
ଶୁଣିଣ ନାରାୟଣ ସୁମରିଲେ ହନୁମନ୍ତ
ଖିନିଖିନାୟେ ଥାଇଂ ଜାଣିଲା ସେ ଅଞ୍ଜନାର ସୁତ ।୨୨୭।
ଚଉଦ ଶଙ୍ଖ ତାହାର ଦଧିମୁଖା ସଇନି
ଲାଙ୍ଗୁଳ ଉପରେ ତାଂକୁ ବସାଇ ଆସଇ ପାବନି ।୨୨୮।
ୟେସନକ ବିକ୍ରମ ଗତି ଧରି ହନୁମନ୍ତ କ୍ଷେପି
ଆଠଶତ ଯୋଜନା ୟେକା ପାଦକେ ବ୍ୟାପି ।୨୨୯।
ମନ୍ଦର ଗନ୍ଧମାର୍ଦ୍ଦନ ପର୍ବତ ମଧ୍ୟସ୍ତାନେ
ତହିଂ ଯାଇ ପଡ଼ିଲା ହନୁମାନେ ।୨୩୦।
ଶ୍ରୀ ଜନାର୍ଦ୍ଦନ ଚରଣେ ହନୁମନ୍ତ ପରିଣାମି
କେବଣ ଚରିତ ତୁମେ ଭିଆଇଲେ ଦେବସ୍ୱାମୀ ।୧୩୧।
ଗୋବିନ୍ଦ ବୋଇଲେ ମୋର ଦୁହିତା ସଚଳା
ବଳାତକାରେ ହରିନେଲା ତାହା ବାସେବର ବଳା ।୧୩୨।
ତାହାର ପାଇଂ ତ୍ରିଦଶ ଦେବେ ପରିଘାଇ
ଆମ୍ଭନ୍ତ ଜିଣିମେ ବୋଲି ଆସିଛନ୍ତି ଧସାଇ ।୧୩୩।
ଆହୋ ମେଘନ୍ତ ଘେନିକରି ପବନ ସେନାପତି
ଆମ୍ଭନ୍ତ ଉଡ଼ାଇ ପକାଇବ ସମୋଦ୍ରେ ସବୁନ୍ତି ।୨୩୪।
ଶ୍ରୀ ନାରାୟଣଂକ ବଚନ ଶୁଣିଣ ହନୁମନ୍ତ
ଲାଙ୍ଗୁଡ଼ ବିସ୍ତାର କଲା ପବନର ସୁତ ।୨୩୫।
ଦଶଯୁଣ ମାଡ଼ି ରହିଅଛନ୍ତି ନାରାୟଣଂକ ସଇନି
କୋଡ଼ିୟେ ଯୋଜନ ଆୟତନେ ଗଡ଼େ କଲାକ ପାବନି ।୨୩୬।
ଉଛର୍ଗ କଲାକ ସେ ଷାଠିଏ ଯୋଜନ
ପବନର ବିଘାତ ୟେକା ଆବୋରିଲା ହନୁମାନ ।୨୩୭।
ଭାବେ ଲାଞ୍ଜ ଆଉଜି ସଇନି ରହିଲେ ନିଶ୍ଚିତେ
ଉପରେ ପଖି ଘୋଡ଼ାଇଲା ବିନତାର ସୁତେ ।୨୩୮।
ଅଣଚାଶ ପବନ ଘେନି ଯେ ବହିଲା ପବନ ମହାବଳ
ବନ ପରବତ ଭାଞ୍ଜି ଆଉଜି ସଇନି ହୋଇଲା ସମତୁଲ ।୨୩୯।
ଉପରେ ମେଘମାନେ ମୁଷଳଧାରା ବୃଷ୍ଟି
ଗରୁଡ଼ ପଛିରେ ପଡ଼ି ମନ୍ଦାୟେ ବନ ଫୁଟି ।୨୪୦।
ଆହୋ ଚଇତନ , ଗରୁଡ଼ ପଖି ଛାୟେଣୀ , ହନୁମନ୍ତ ଲାଞ୍ଜ ପାଚେରୀ ପ୍ରାୟେ ମଣି ।
ୟେତେ ପବନ ମେଘଂକର ଘାତ ଯଦୁବୀର କିଛିହିଂ ନ ଜାଣି ।୨୪୧।
ବଜ୍ରସୂଚୀ ବିଘାତ ଆବର ଅଗ୍ନିବାଣ
ଗରୁଡ଼ ପଛିରେ ପଡ଼ି ହୁଅନ୍ତି ଅକାରଣ ।୨୪୨।
ସଇନି ବିକଳ ହୁଅନ୍ତି ନ ପୁଣ ଗରୁଡ଼ ପଖି ପୋଡ଼ଇ
ଝଡ଼ିଣ ଅଗ୍ନି ଆମ୍ଭର ଉପରେ ପଡ଼ଇ ।୨୪୩।
ସଇନି ବିକଳ ଦେଖିଣ ଫାଲଗୁନି
ଅବିଛନ୍ନେ ବାଣ ବିନ୍ଧିଲା ମନଭେଦୀ ଶର ଘେନି ।୨୪୪।
ଗରୁଡ଼ ପକ୍ଷ ଘୋଡ଼ାଇଲା ଅଛି ମହାଭାରା
ତହିଂର ଉପରେ ଅର୍ଜୁନ କଲା ଶର ପୀଡ଼ା ।୨୪୫।
ପଞ୍ଚତାଳ ବହଳ ହୋଇ କୋଡ଼ିୟେ ଯୋଜନ ବିସ୍ତୀର୍ଣ୍ଣ
ଶର ଛାଉଣୀ କରି ଘୋଡ଼ାଇଲା ବୀର ଅରଜୁନ ।୨୪୬।
ପବନ ବହାଇ ମେଘ ବରଷଇ ମୂଷଳ ଧାରେ
ପଞ୍ଚୁରାତ୍ର ପଞ୍ଚୁଦିବସ ବରଷିଲେ ସମ୍ଭରେ ।୨୪୭।
ପବନ ବହନ୍ତେ ଯେ ଉଠିଲେ ଦିଗପାଳେ
ସମସ୍ତେ ଓହାଡ଼ ହୋଇଲେ ମେରୁ ଯେ ମେଖଳେ ।୨୪୮।
ମେଘଂକର ଗର୍ଜନେ ହନୁମନ୍ତ ମହାକୋପେ
ମେଘକୁ ଚାପଡ଼େ ମାଇଲା ପରିତାପେ ।୨୪୯।
ସମ୍ୱର୍ତ୍ତକ ମେଘ ମଥାରେ ପଡ଼ିଲା ବଜ୍ରବିଧା
ମୋହୋଣ ଅସାଷ୍ଟମ ହୋଇଲା ଜଳସିଦ୍ଧା ।୨୫୦।
ମହାବଳୀ ମେଘ ଯହୁଂ ପଡ଼ିଲା ମହୀଲୋଟି
ସମସ୍ତ ମେଘମାନେ ତହୁଁ ପଳାଇଗଲେ ଫୁଟି ।୧୫୧।
ମେଘେ ପଳାଇଲେ ଯହୁଂ ରହିଲା ମହାବୃଷ୍ଟି
ବନ ତିଙ୍ଗର ପର୍ବ ୟେକମେଳ ହୋଇଲା ଜଳଘୋଟି ।୨୫୨।
ମହା ଅନ୍ଧତ୍କାର ଯେ ସବୁ ଜଳମୟେ
ହନୁମନ୍ତ ଲାଜଂ ପଡ଼ନ୍ତେ ସନ୍ୟକୁ କିଛି ନାହିଂ ଭୟେ ।୨୫୩।
ପବନ ବହୁଅଛି ଯେ ମହାସମ୍ଭରେ
ପବନକୁ ହନୁମନ୍ତ ମାଇଲା ଚାପଡ଼େ ।୨୫୪।
ପ୍ରଚଣ୍ଡ ପବନ ଯାଇ ପଡ଼ିଲା ନିଜସ୍ଥାନେ
ପ୍ରାୟେଣ ଅଚେବନ ସେ ହୋଇଲା ପବନେ ।୨୫୫।
ଭୟେ ପାଇଣ ସେ ଯେ ରହିଲା ମହାବାତ
ପ୍ରଚଣ୍ଡ ପବନ ମୋହେଣ ହୋଇଲା ଅଚେତ ।୨୫୬।
ଆରମ୍ଭେ ପବନ ଯେ ବହୁଥିଲା ଗଳଗାଜି
ହନୁମନ୍ତ ବିଘାତେଣ ପଳାଇଲେ ସର୍ବେ ଭାଂଜି ।୨୫୭।
ମେଘ ପବନ ଯଦୁଂ ହୋଇଲା ନିବର୍ତ୍ତି
ହନୁମନ୍ତ ଲାଙ୍ଗୁଡ଼ ସଂହରିଲା ତତକ୍ଷଣାନ୍ତି ।୨୫୮।
ଗରୁଡ଼ର ପକ୍ଷ ଯେ ସମାର୍ଜନା କଲା
ଅର୍ଜୁନ ନାରାଜମାନ ତ୍ରୋଣରେ ସଂହରିଲା ।୨୫୯।
ବଳରାମେ ବିଜେକଲେ ତାଳଧ୍ୱଜ ରଥେ
ଗୋବିନ୍ଦେ ବିଜେକଲେ ବଇନେତ୍ର ପିଠିଗତେ ।୨୬୦।
ଦେଖିଲେ ଦେବତାମାନେ ସମରେ ନାହାନ୍ତି କେହି
ଈଶ୍ୱର ଇନ୍ଦ୍ର ଦୁଇ ଦେବତା ଛନ୍ତି ରହି ।୨୬୧।
କୋପେଣ ଗର୍ଜିଲେ ରାମ ତେଜ ଅନର୍ଗଳା
କାଦମ୍ୱରୀ ପାନେ ଯେ ମହାମତ୍ତଭୋଳା ।୨୬୨।
ନୀଳାମ୍ୱର ପୁରୁଷ ପ୍ରତଗ୍ୟା ଦେବହଳୀ
ମଉନେ ଫେଣା ଯାର ସପତ କୁଣ୍ଡଳୀ ।୨୬୩।
ନିରାକାର ପୁରୁଷ ଯେ ପରମାନନ୍ଦ ଯୋଗୀ
ସମର୍ଥକ ହଳ ଦେବ ବୁଲାଇଲେ ବେଗି ।୨୬୪।
ନବ ସହସ୍ର ଯୋଜନ ପୋତା ଯେବଣ ମନ୍ଦର ପରବତ
ଉତ୍ସର୍ଗ ବିସ୍ତାର ଯେ ତିନି ଅହିବ୍ରତ ।୨୬୫।
ବଜ୍ର ହଳ ଘେନି ପର୍ବତ ରାମ ତାଡ଼ି
ମହାଭାରା ପର୍ବତ ହେଳେଣ ଉପାଡ଼ି ।୨୬୬।
ଆହୋ ଚଇତନ କୋଟିୟେ ସିଂହର ବଳ ଯାହାର ପ୍ରତକ୍ଷେ
ମନ୍ଦର ଗିରି ପର୍ବତ ହଳମୁନେ ରାମ ଧଇଲେ ଅନ୍ତରୀଛେ ।୨୬୭।
ଈଶ୍ୱର ଇନ୍ଦ୍ର ଯେ ଘେନିଣ ବେନିବଳ
ସେହି ପର୍ବତ ଉପରେ ରହିଅଛନ୍ତି ନିଚଳ ।୨୬୮।
ଚଉଦ କୋଟି ଶିବ ଗଣନ୍ତ ଘେନିଣ ସଦାଶିବ
ବୃଷଭ ଚଳାଇ ଡେଇଂ ପଡ଼ିଲେ ମହାଦେବ ।୨୬୯।
ଅଇରାବ୍ରତ ଚଳାଇଂ ଡେଇଂ ପଡ଼ିଲେ ସୁରପତି
ଅମରଗଣ ଘେନିଣ ସେ ହୋଇଲେ ଭୂମିଗତି ।୨୭୦।
ଦେଖିଣ କାମପାଳେ ଯେ ଧାମନ୍ତି ଅତିବେଗେ
ମନ୍ଦର ଧରି ରାମ ସଦାଶିବର ଆଗେ ।୧୭୧।
ଶ୍ରୀଭୁଜେ ଶଙ୍ଖ ଚକ୍ର ଘେନିଣ ବନମାଳୀ
ବାସବ ଦେବତା ଛାମୁରେ ଯାଇଂ ମିଳି ।୨୭୨।
ନିଶାଚର ବଳମାନନ୍ତ ଘେନିଣ ଯେ ଯମ ଦେବତା
କାଳଫାଶ କରେ ମହିଷି ବାହନ ଘେନି ନାଥା ।୨୭୩।
କୋପେଣ କୃତାନ୍ତକ ବଳ ଘେନିଣ ଧାମଇଂ ଅତିବେଗେ
ପଳାବନ୍ତି ସଇନି କେହି ନ ରହିଲେ ଆଗେ ।୨୭୪।
ଦୂରେଣ ଦେଖିଲା ତାହା ପାଣ୍ଡବ ଭୀମସେନ
କୃତାନ୍ତକ ଉପରକୁ ଧାଇଂଲା ବହନ ।୨୭୫।
ଯମ ଭୀମ ଦୁହେଂ ଯହୁଂ ହୋଇଲେକ ୟେକଭେଟ
ଅଗ୍ନି ଦେବତାୟେ ଯାଇଂ ହୋଇଲେ ନିକଟ ।୨୭୬।
ଅଗ୍ନିଂକର ମୃତ୍ତି ଦେଖି ପଳାବନ୍ତି ସଇନି
ନନ୍ଦିଘୋଷ ରଥ ଆରୋହି ଯାଇଂ ଓଗାଳିଲେ ଫାଲଗୁନି ।୨୭୭।
ଅର୍ଜୁନର ହାଥେ ଶହସ୍ର ବଇଶ୍ୟାନର ଦେଖି
ଭାଞ୍ଜିଣ ଘୁଞ୍ଚି ରହିଲେ ସମର ଉପେକ୍ଷି ।୨୭୮।
ଅଗ୍ନି ବୋଲଇ ବାବୁ ମୋହୋର କଷ୍ଟଥିଲା ଲୁଦୁବୁଦୁ ବ୍ୟାଧି
ତାହା ପାରକଲୁ ମୋତେ ଦେଇଣ ମଉଷଧି ।୨୭୯।
ବାବୁ କଲାର ଉପକାର ନ ସୁମରନ୍ତି ଯେବଣ ଲୋକ
କୁପୁରୁଷ ତୁଲେ ତାକୁ କରିବା ଜଣେକ ।୨୮୦।
ତୁ ମୋତେ ଉପକାର କଲୁ ସର୍ବସାଚୀ
କାହୁଂ ଶୁଝିବି ମୁଂ ତୋର ଗୁଣ ହୃଦେ ପାଞ୍ଚି ।୨୮୧।
ଅଗ୍ନିଦେବତା ଯେ ଅର୍ଜୁନକୁ ବହୁତ ପୁରସରି ବୋଲି
ବାବୁ ସମରେ ମୁହିଂ ୟେବେ ତୋର କତିରେ ହୋଇଲି ।୨୮୨।
ଯହିଂକୁ ପେଷିବୁ ମୋତେ ଧନୁରେ ବସାଇ
ତ୍ରଇଲୋକ୍ୟେଣ ଥିଲେ ତାହା ମୁଂ ଆସିବଇଂ ଦହି ।୨୮୩।
ଶୁଣ ହୋ ଅର୍ଜୁନକୁ ପ୍ରସନ୍ନ ହୋଇଲେ ଯେ ଅଗ୍ନି
ପଞ୍ଚଶିଖା ହୋଇ ତ୍ରୋଣେ ପଶିଲେ ବହନି ।୨୮୪।
ଯୁଦ୍ଧ ଛାଡ଼ି ପ୍ରସନ୍ନ ହୋଇଲେ ବଇଶନ୍ୟାର
ଚମକାଇ ନନ୍ଦିଘୋଷ ରଥ ବାହଇ ପାଥ ଧନୁର୍ଧର ।୨୮୫।
ଯମ ଭୀମ ଦୁହିଂକର ବଢ଼ିଲା ମହାଗୋଳ
ଦଣ୍ଡ ଘେନି ଧାଇଂଲେ କାଳ ଯେ ବିକାଳ ।୨୮୬।
ଯମଗଣଂକର ହାଥେ ଅଛଇ କାଳଫାଶି
ଗଦା ଘେନି ବ୍ରିକୋଦର କାଳ ବିକାଳକଇଂ ଆକ୍ରେଷି ।୨୮୭।
କାଳଫାଶ ଘେନିଣ ଯେ ଧାଇଂଲେ ଯମଦୂତେ
ଧାଇଂଣ ମାରୁତି ନେଇ ପିଟିଲା ଗଦାଘାତେ ।୨୮୮।
ଗଦାବର ପଡ଼ନ୍ତେ ଛିଡ଼ିଲା କାଳଫାଶି
କାଳ ବିକାଳକୁ ଗଦା ଘେନି ଭୀମସେନ ଆକ୍ରେଷି ।୨୮୯।
ମହାଗଦା ଦେଖିଣ ଯେ ଯମର ସେନାପତି
ତ୍ରାସେଣ ଆଡ଼ ହୋଇଲେ ସପତ ମୂରତି ।୨୯୦।
ମୂର୍ଦ୍ଧୁନା ସେନା ପଡ଼ି ଭାଞ୍ଜିଲେ ଯହୁଂରଣେ
ପଞ୍ଚାଉଂଣ ମର୍ଭୁତ ଭାଞ୍ଜି ପଳାଇଲେ ଯମଗଣେ ।୨୯୧।
ଯଦୁଂଣ ଭାଞ୍ଜିଲେ ସେ କୃତାନ୍ତକ ଦଣ୍ଡ
କଳାଦଣ୍ଡ ଧରି ଧାମଇଂ ନାଶକର ପ୍ରଚଣ୍ଡ ।୨୯୨।
ମଇଂଷି ବାହନେ ଯେ ଅନ୍ଧାର ଘୋର ମୃତ୍ତି ।
ଭୀମର ଛାମୁରେ ଯମ ମିଳିଲା ତଡ଼ତି ।୨୯୩।
ଶତଶୃଙ୍ଗ ସୁମରି ଭୀମ ବିସ୍ତାର କଲା କାୟା
ଯମକଇଂ ଦେଖି ଭୀମସେନ ନିଶଂକ ନିର୍ଭୟା ।୨୯୪।
ରେ ରେ କାର କରିଣ ଭୀମ ବୁଲାଇ ଗଦାବର
ଧାଇଂଣ ପିଟିଲା ସେ ଯମର ମଇଂଷି ଉପର ।୨୯୫।
ପବନର ବୀର୍ଯ୍ୟେ ଜାତ ସେ କ୍ଷତ୍ରିୟ ପରଚଣ୍ଡ
ଗଦା ବିଘାତେ ଚୂରଗଲା ମଇଂଷିର ମୁଣ୍ଡ ।୨୯୬।
ଅସାଷ୍ଟମେ ମଇଂଷି ଯେ ପଡ଼ିଲା ମହୀଲୋଟି
ସେ ମଇଂଷି କି ଧରି ଯମ ଉପରେଣ ନେଇ ପିଟି ।୨୯୭।
ପର୍ବତ ଉପରେ ଯେହ୍ନେ ପଡ଼ଇ ବଜ୍ରଘାତ
ପ୍ରହାରେ ଯମ ଦେବତା ହୋଇଲେ ଅଚେତ ।୨୯୮।
ପୁଣି ସଚେତ ହୋଇ କରେ ଗଦା ଘେନି
ଭୀମକଇଂ ପ୍ରହାର ସେ କରଇ ଜନ୍ତୁସ୍ୱାମୀ ।୨୯୯।
ଗଦା ପିଟନ୍ତେ ସେ ଯେ ଧଇଲା ମାରୁତି
ଯମର ହାଥୁଂ ଉଡ଼ୁଛି ଧଇଲା ତଡ଼ତି ।୩୦୦।
ସେହି ଗଦା ଘେନି ପିଟିଲା ନିଠାଇ
ଭୟେଣ ନାଶକର ଅନ୍ତର୍ଦ୍ଧାନ ସେହିଠାଇଂ ।୩୦୧।
ଅନ୍ତରୀଛେ ପଳାଇଲା କୃତାନ୍ତକ ସଇନି ଘେନି
ପଳାଇ ପଶିଲା ସେ ଭୁବନ ସଞ୍ଜିବନୀ ।୩୦୨।
ସିଂଘନାଦ ଶବଦ କରଇ ବ୍ରିକୋଦର
ବିହଡ଼ଇ ପାଣ୍ଡବ ଯେ ତେଜ ପରଖର ।୩୦୩।
ଯମର ହାଥରୁ ଗଦାବର ଉଛୁଡ଼ିଣ ଘେନି
କାଳେବର ନାମ ଯେ ବହିଲା ପାବେନି ।୩୦୪।
ସାଧୁ ସାଧୁ ଭୀମ ବୋଲି ନାରଦେ କଲେ ଧୁନି
ଯମର ଉପରେ ଦୂତୀଯମ ବୀରଧୂ ପାବେନି ।୩୦୫।
ସମରେ ଭଗ୍ନ ଯହୁଂ ହୋଇଲେ ନାଶକର
ଦିଗପାଳମାନେ ଯେ ହୋଇଲେ ଅନ୍ତର ।୩୦୬।
ସମରେ ବିଜେକଲେ ଦେବ ବିଶ୍ୱନାଥେ
କୋଟିୟେ ସହସ୍ର ବଳ ପିନାକ ଧନୁ ଧରି ହାଥେ ।୩୦୭।
ଚଉଦ କୋଟି ଶିବଗଣ ଅଛନ୍ତି ତାକଂ ତୁଲେ
ପରମାନନ୍ଦ ନାଥ ସମରେ ବିଜେକଲେ ।୩୦୮।
ମୟୁର ବାହାନେ ଯେ କାର୍ତ୍ତିକେଶ୍ୱର ବିଜେ
ଇନ୍ଦୂର ବାହାନେ ବିଜେକଲେ ବିଘ୍ନରାଜେ ।୩୦୯।
ଶାର୍ଦ୍ଦୋଳ ବାହାନେ ନନ୍ଦୀକେଶର ଚଳି
ଶ୍ରୀକାଳ ବାହନେ ଜୟନ୍ତକ ବେଗେ ମିଳି ।୩୧୦।
ଚଣ୍ଡ ପ୍ରଚଣ୍ଡ ବେନି ବ୍ୟାଘ୍ରନ୍ତ ଆରୋହୀ
ଟିଣାୟେକ ବିଣାୟକ ବେନି ଭାଲୁକ ଉପରେ ଗମଇ ।୩୧୧।
ଜୟନ୍ତିକ ଅଜୟନ୍ତିକ ମୃଗ ଯେ ବଳୟା
ଭୂମିରେଣ ପାଦଗତି ଧାମଇଂ ଅଭୟା ।୩୧୨।
ମଣିଭଦ୍ର ଚଳଇ ଯେ ଶମ୍ୱର ବାହାନେ
ବନଜୀବ ଆରୋହିଣ ସକଳ ଗଣନାୟେକମାନେ ।୩୧୩।
ବଇନେତ୍ର ବାହାନେ ଯେ ବିଜୟେ ଚକ୍ରଧାରୀ
ହରିହର ଦୁହେଂ ଭେଟ ସମର ଆବୋରି ।୩୧୪।
ନାରାୟେଣକଇଂ ଦେଖିଣ କୋପକଲେ ହର
ସଞ୍ଚୟେ ସମ୍ପଦ ଆଜ ବୁଡ଼ାଇଲ ରେ ଗଉଡ଼ ।୩୧୫।
ଆରେ ସଚଳା କନ୍ୟା ତୋର କୂଳ ଯେ ନାଶିନୀ
ଦ୍ୱାରିକା ଭୁବନକୁ ସେ କାଳାନଳ ବହନି ।୩୧୬।
ଯାବତ କନ୍ୟାକୁ ତୁ ହରିଆଣୁ ବଳେ
ତୋତେ କଳଂକ ଲାଗିଲା ଆସି ୟେତେକାଳେ ।୩୧୬।
ଗୋବିନ୍ଦେ ବୋଇଲେ ହୋ ତୋହୋର ମନ୍ଦପଣ
ତୁ କିଂପେ ମଝିରେ ପଶି ମରୁଛୁ ଅକାରଣ ।୩୧୮।
ବାସେବର ପୁତ୍ର ମୋର ଦୋହିତା ହରିଲା
ତାହାର ମୋହୋର ଯେ ସମର ହୋଇଲା ।୩୧୯।
ତୁ କିପେଂ ମଧ୍ୟେ ପଡ଼ି ଧ୍ୱଂସି ମରୁ ଅନମିତେ
ପୃଥିବୀ ରହଇ କି ସମୋଦ୍ର ଲଘଂନ୍ତେ ।୩୨୦।
କର୍ମେଣ ଯୋଗୀ ତୁ କାଳେଣ ଅବିଚାର ମନ୍ଦବୁନ୍ଧି
ଯତନେ ନାଶ କରିବୁ ଅମର ସମ୍ପ୍ରଧି ।୩୨୧।
ନାରାୟେଣଂକର ବଚନ ଶୁଣିଣ ବିଶ୍ୱବାସୀ
କରେ ପିନାକ ଦେବ ଧଇଲେ ଆକ୍ରେଷି ।୩୨୨।
ଅନିର୍ଯାପ ନାରାଜ ବିନ୍ଧିଲେ ହର କୋପେ
ସମସ୍ତ ଚୂରଗଲା ଗରୁଡ଼ ପକ୍ଷୀ ଦର୍ପେ ।୩୨୩।
ଅବିକ୍ଷଣେ ବାଣ ବିନ୍ଧିଲେ ଧୂର୍ଜଟି
ୟେକା ପ୍ରହାରକେ ଢଳନ୍ତି କୋଟି କୋଟି ।୩୨୪।
ବିନତାର ନନ୍ଦନ ପଥି ଯେ ଉହାଡ଼ି
ସମସ୍ତ ଶହସ୍ରମାନ ହେଉଛନ୍ତି ଚୂରି ।୩୨୫।
ଅଗ୍ନିବାଣ କରେ ଧରି ବିନ୍ଧିଲେ ସଦାଶିବ
ସେ ଅଗ୍ନିବାଣକୁ ଗରୁଡ଼ ସଂହରିଲା ଗର୍ଭ ।୩୨୬।
ପର୍ବତ ଘେନିଣ ଯେ ଧାମନ୍ତି ହେମବନ୍ତ
ଆଗେ ଓଗାଳିଲା ତାହା ବୀର ହନୁମନ୍ତ ।୩୨୭।
ଗିରିବରମାନେ ଯେ ପଡ଼ୁଛନ୍ତି ଝଡ଼ି
ସମସ୍ତ ଚୂରଗଲେ ହନୁମନ୍ତ ଶରୀରେଣ ପଡ଼ି ।୩୨୮।
ଲକ୍ଷେକ ପର୍ବତେ ଯେ ପଡ଼ିଲେ ୟେକଘାନ୍ତି
ହନୁମନ୍ତ ଦେହେ ପଡ଼ି ହୋଇଲେ ଧୂମ୍ରାନ୍ତି ।୩୨୯।
ରେ ରେ କାର କରିଣ ଯେ ଧାମଇ ପାବେନି
ହନୁମନ୍ତ ଆଗେ ହୋଇଲା ପର୍ବତେକ ଘେନି ।୩୩୦।
ଡିଙ୍ଗର ବୁଲାଇ ଯେ ପ୍ରହାର କଲା ହନୁ
ପର୍ବତେ ଭାଙ୍ଗିଲେ ପଡ଼ି ହେମବନ୍ତର ତନୁ ।୩୩୧।
ଲଉହଗିରି ହେମଗିରି ଘେନି ରାଜା କରେ
ବୁଲାଇ ପ୍ରହାର କଲା ମାରୁତିର ଶିରେ ।୩୩୨।
ଦେଖିଣ ହନୁମନ୍ତ ପାତିଲା ବକ୍ଷସ୍ଥଳ
ଲଉହଗିରି ଭାଞ୍ଜି ହୋଇଲା ଶତ ଚୂର ।୩୩୩।
ଦେଖିଣ ଆଶ୍ରିଜ ଯେ ହୋଇଲେ ହେମବନ୍ତ
ନିଶ୍ୱାସ ନ ବହଇ ହୋଇଲେ ଥମ୍ଭୀଭୂତ ।୩୩୪।
କୋପେଣ ମାରୁତି ଯେ ମାଇଲା ବଜ୍ରମୁଥ
ପଡ଼ିଣ ମୃଛାଗତ ହୋଇଲେ ହେମବନ୍ତ ।୩୩୫।
ପୁଣ ପୁଣ ପ୍ରହାର ଯେ କରଇ ମାରୁତି
ହନୁମନ୍ତ ହାଥ ଆସି ଧଇଲେ ପାର୍ବତୀ ।୩୩୬।
ବାବୁ ମୋହୋର ପିଅର ୟେ ଯେ ତୋହୋର ଅଟେ ଅଜା
ରହ ରହ ବାବୁରେ ସମର କର ପରିତେଜ୍ୟା ।୩୩୭।
ପାର୍ବତୀଂକ ବଚନେ ହନୁ କୋପକଲା ଶାନ୍ତି
ଆଉ ପର୍ବତମାନନ୍ତ ଲାଙ୍ଗୁଡ଼େ ବାନ୍ଧି ଫିଙ୍ଗିଲା ସବୁନ୍ତି ।୩୩୮।
ହେମବନ୍ତ ଗଲା ଯେ ତେଜିଣ ସମର
ହନୁମନ୍ତକୁ ଓଗାଳିଲେ ଆସି କାର୍ତ୍ତିକେଶ୍ୱର ବୀର ।୩୩୯।
ଦ୍ୱାଦଶ ଭୁଜେ କୁମର ଧରିଛନ୍ତି ଛଡ଼ଧନୁ
ଲକ୍ଷେକ ନାରାଜ ବିନ୍ଧିଲା ପାର୍ବତୀର ତନୁ ।୩୪୦।
ଦେଖିଣ ହନୁମାନ ପାତିଲା ବକ୍ଷସ୍ଥଳ
କାର୍ତ୍ତିକେଶ୍ୱର ନାରାଜମାନ ହୋଇଲେ ସର୍ବଚୂର ।୩୪୧।
ପୁଣି ଲକ୍ଷେକ ପ୍ରହାର କଲା ବୀରମଣି
ହନୁମନ୍ତ ପାତିଲା ବକ୍ଷସ୍ଥଳ ପୁଣି ।୩୪୨।
ନାରାଜ ପଡ଼ିଲେ ଯେ ହନୁମନ୍ତ ହୃଦେ
ସମସ୍ତ ନାରାଜ ଯେ ଚୂରଗଲା ହାଦେ ।୩୪୩।
ଅଞ୍ଜନାର ନନ୍ଦନ ଯେ ଅତିୟ ବଳବନ୍ତା
ମହାକଳ୍ପାନ୍ତ ପୁରୁଷ ସାଂଗ୍ରାମେ ଜିଣନ୍ତା ।୩୪୪।
ଦେଖିଣ କୋହାନଳ କାର୍ତ୍ତିକେଶ୍ୱେର ଯତି
ହନୁମନ୍ତ ଉପରେ ନେଇ ପିଟିଲା ଶକତି ।୩୪୫।
ହନୁମନ୍ତ ହୃଦେ ପଡ଼ିଣ ତୀକ୍ଷଶୂଳ
ଝଣତ୍କାର ହୋଇ ଅଗ୍ନି ହୋଇଲା ତାହାର ।୩୪୬।
ପଡ଼ିଣ ଚୂରଗଲା ମହାରୁଦ୍ର ଶର
ମହାମେଘ ପ୍ରାୟେ ଗର୍ଜଇ ପବନ କୁମାର ।୩୪୭।
କାର୍ତ୍ତିକେଶ୍ୱରକୁ ମାଇଲା ଭୁଜଦଣ୍ଡେ
ଶ୍ରୋଣିତ ବୃଷ୍ଟି ହେଲା କାର୍ତ୍ତିକେଶ୍ୱର ଛଡ଼ମୁଣ୍ଡେ ।୩୪୮।
ଘାୟେଣ ଅଚେତନ ସେ ଗଉରାଂକ ବଚ୍ଛି
ଶହସ୍ର ଛାଡ଼ିଣ ସେ ପଡ଼ଇ ଭୂମି ମୃଛି ।୩୪୯।
କାର୍ତ୍ତିକେଶ୍ୱର ନିଚେଷ୍ଟ ଦେଖି ଭାଜିଲେ ସଇନି
ପଳାବନ୍ତି ରୁଦ୍ରଗଣେ କରେ ଶସ୍ର ଘେନି ।୩୫୦।
ବଜ୍ରଗିରି କରେଣ ଧରି ଧାମଇଂ ହନୁମନ୍ତ
ଗୋଡ଼ାଇ ପିଟିଲା ସେ ଶିବଗଣମାନନ୍ତ ।୩୫୧।
ହରିହର ସମର ଯେ ହୋଇଲା ମହାରୋଳ
ଉଲୁକାପାତ ପ୍ରାୟେ ଦିଶିଲା ସ୍ୱର୍ଗ ମର୍ତ୍ତ୍ୟ ପାତାଳ ।୩୫୨।
ଈଶ୍ୱରେ ବିନ୍ଧିଲେ ଯେ ପାଶୁପତ୍ର ବାଣ
ନାରାୟଣ ଶସ୍ର ବିନ୍ଧିଲେ ନାରାୟଣ ।୩୫୩।
ବେନି ଶହସ୍ର ପରିତାଳ ହୋଇଲା ସମର ଭୂମି
ମହା ଅନଳ ତେଜ ବ୍ୟାପିଲା ଗଗନଗାମୀ ।୩୫୪।
ଈଶ୍ୱରେ ପ୍ରହାର କଲେ ଶୂଳ ଯେ ଶକତି
କଉମୁଦି ଗଦାରେ ଯେ ବଞ୍ଚାଇଲେ ଶ୍ରୀପତି ।୩୫୫।
ଧନୁ ଛାଡ଼ି ରୁଦ୍ରଦେବ ପଡ଼ିଲେ ବେଗେ ଡେଇଂ
ମାଲବନ୍ଧେ ହର ଜଗନ୍ନାଥଂକୁ ଧଇଲେକ ଯାଇଂ ।୩୫୬।
ପାଦେ ପାଦ ଛନ୍ଦି ମୁଥେ ମୁଥ ମରାମରି
ରୋମେ ରୋମେ ଶୋଣିତ ବହଇ ଦେବହରି ।୩୫୭।
ଦେଖିଣ ବଇନେତ୍ର ପକ୍ଷ ଯେ ଘୋଡ଼ାଇ
ନାରାୟଣଂକୁ ପିଠିରେ ବସାଇ ଉଡ଼ି ଘେନିଯାଇ ।୩୫୮।
ଗୋବିନ୍ଦ ଆଡ଼ ହୁଅନ୍ତେ ଧାଇଂଲେ ଦେବହର
ଉଗ୍ରସେନ ମୂଳେ ଅନେକ ସନ୍ୟ କଲେକ ଅପହାର ।୩୫୯।
ପଳାବନ୍ତି ଯାଦବେ ରୁଦ୍ରଂକ କୋପମୂର୍ତ୍ତି ଦେଖି
ପଶିଲେ ଗହନ ବନେ ସମର ଉପେକ୍ଷି ।୩୬୦।
ଇଶ୍ୱରଙ୍କ କୋପମୃତ୍ତି ଦେଖି ଦେବ ବଳରାମ
ହଳ ମୂଷଳ ଘେନିଣ ପଶିଲେ ସାଂଗ୍ରାମ ।୩୬୧।
ବୃଷଭ ଆହୋରଣ କଲେ ଦେବ ଶୂଳୀ
ମୁଖରାବ ଶବଦ କରି ଓଗାଳିଲେ ଦେବ ହଳୀ ।୩୬୨।
ବଜ୍ର ମୂଷକ ଯେ ସଉନନ୍ଦ ଯାର ନାମ
ବୃଷଭ ଉପରେ ନେଇ ପିଟିଲେ ବଳରାମ ।୩୬୩।
ବୃଷଭ ଉପରେଣ ମହାବଜ୍ର ପଡ଼ି
ମୋହେଣ ବୃଷଭ ଯେ ପଡ଼ିଲା ବସୁନ୍ଧରୀ ।୩୬୪।
ବଇଲ ଅଚେବନେ ରୁଦ୍ର ଯେ ଦେବତା
ଶୂନ୍ୟ ବାହନେ ଦେବ ସମରେ ଅପ୍ରମିତା ।୩୬୫।
ମନ୍ଦର କନ୍ଦର ରାମ ଧରିଅଛନ୍ତି ବାମକରେ
ଶୂଳେକ ଘେନି ପିଟିଲେ ନୀଳାମ୍ୱର ଉପରରେ ।୩୬୬।
ପୁଣି ପିଟିଲେ ହର ସୂର୍ଯ୍ୟାବ୍ରତେକ ଚକ୍ରେ
ଅଇରାବ୍ରତ ଆରୋହି ବିଜୟେ ଦେବ ଶକ୍ରେ ।୩୬୭।
ଶକ୍ର ଦେବତାଂକ ଧାମନ୍ତେ ଦେଖିଲା ଫାଲ୍ଗୁନି
ପୁରନ୍ଦର ଛାମୁରେ ପ୍ରବେଶ କରେ ଗାଣ୍ଡିବ ଧନୁ ଘେନି ।୩୬୮।
ଇଦ୍ର ଆରୋହୀ ଅଛନ୍ତି ଅଇରାବ୍ରତ ନାଗ
ନନ୍ଦିଘୋଷ ରଥ ଆରୋହୀ ବିଜୟେ ପାର୍ଥ ଆଗ ।୩୬୯।
ଇଦ୍ରଦେବ ବୋଇଲେ ଆରେ ରେ ମୂର୍ଖ ପାଣ୍ଡବା
ଦେବାଧି ଦେବଂକର ମୁହିଂ ସେ ଶିରୋମଣି ଦେବା ।୩୭୦।
ମୁହିଂ ତୋର ଯୁଗତେ ଅଟଇ ପିତାମହ
ଛାର ଗଉଡ଼ ବାଉଡ଼ ପାଇଂ ଛାଡ଼ିଲୁ ମୋତେ ସ୍ନେହ ।୩୭୧।
ଅଗ୍ୟାନ ପାଣ୍ଡବା ରେ ଗ୍ୟାନ ତୋର ନାହିଂ
ପଶିଲୁ ଯମଦଣ୍ଡେ ଯିବୁ ଆଜ କାହିଂ ।୩୭୨।
ପିତାମାତାଂକୁ ନ ଚିହ୍ନଇ ରେ ଯେବଣ ପୁତ୍ର
ତାହାର ଜୀବନ ରେ ଅଟଇ ଅକୃତାର୍ଥ ।୩୭୩।
ଯଦ୍ୟପି ବେଦମନ୍ତ୍ରକୁ ଜାଣଇଂ ଯେଉଂ ପୁତ୍ର
ପିତାର ପ୍ରସାଦେ ସିନା ହୁଅଇ ଉଦିତ ।୩୭୪।
ଗୋଳକୁଣ୍ଡା ଜାରଜାତକା ସେ ଅଗ୍ୟାନୀ ମୂଢ଼ପ୍ରାଣୀ
ଗଉଡ଼ଂକ ମେଳେ ବଢ଼ିଲୁ କିଛିହିଂ ନ ଜାଣି ।୩୭୫।
କହୁଂ କହୁଂ କୋହ ଯେ ବଢ଼ିଲା ଅସକନ୍ଦ
ବଜ୍ର ଶକତି ବୁଲାଇ ଗର୍ଜଇ ଦେବଇଦ୍ର ।୩୭୬।
ଅର୍ଜୁନ ବୋଇଲା ଦେବ ବୋଲଇ ବହୁତ
ଅକାରଣେ ପ୍ରତଗ୍ୟାଂ କଲୁ ଅନମିତ୍ତ ।୩୭୭।
ଯେସନେକେ କୁହୁଡ଼ି ଘୋଟଇ ଆକାଶେ
କ୍ଷଣକେ ଫିଟଇ ସେ ସୂର୍ଯ୍ୟଂକର ଜ୍ୟୋତିତ୍ରାସେ ।୩୭୮।
କାହିଂ ତୋର ପବନ କାହିଂ ତୋର ବଇଶନ୍ୟାରେ
କାହିଂ ତୋର ହିମବନ୍ତ କାହିଂ ନାଶକରେ ।୩୭୯।
ଆଗହୁଂ ପିତାମହ କିମ୍ପେ ନ କଲୁ ବୁଦ୍ଧି
କେମନ୍ତେ ଦିଗପାଳ ବୋଲାଉ ଜମ୍ଭୋଭେଦୀ ।୩୮୦।
ପାରିଜାତକ ହରିଆଣିଲା ଯେତେବେଳେ
ବଳବୀର୍ଯ୍ୟ ପ୍ରାକ୍ରମ କାହିଂ ଥୋଇଲ ଆଖଣ୍ଡଳେ ।୩୮୧।
ସମରେ ପଡ଼ିଲେ ଯେ ତୋହୋର ସର୍ବପୁତ୍ରେ
କ୍ଷଣକେ ୟେ ତୋହୋର ଜୀବନ ଅଛଇ ନା ହୃଦଗତେ ।୩୮୨।
ଅର୍ଜୁନର ବଚନ ଶୁଣିଣ ମଘବାନ
ଅଜଙ୍ଗ ଧନୁ ଧରି କଲାକ ଆଧାନ ।୩୮୩।
ନିଜ କରେ ଅର୍ଜୁନ ଧରିଲା ଗାଣ୍ଡିମ ଧନୁ
ବଢ଼ିଲା ଉଚବାତ ପିତାପୁତ୍ର ହୋଇଲେ ଅନ୍ୟାଅନୁ ।୩୮୪।
ଆକର୍ଣ୍ଣ ପରିଯନ୍ତେ ନାରାଜ ପୂରୋଇ
ମନ୍ତ୍ର ଆବାହନେ ନାରାଜ ବିନ୍ଧିଲେ ସୁରସାଇଂ ।୩୮୫।
ସାତୁକୀ ସାରଥି ଯେ ଅର୍ଜୁନର ରଥେ
ତାହାକଇଂ ନାରାଜ ବିନ୍ଧିଲେ ଦଶଶତେ ।୩୮୬।
ଅର୍ଜୁନଂକୁ ବିନ୍ଧିଲେ ବେନିକୋଟି ନାରାଜ
ଚାରି ଅଶ୍ୱନ୍ତ ଚାରି ଶହସ୍ର ବିନ୍ଧିଲେ ଦେବରାଜ ।୩୮୭।
ବାସେବର ଶହସ୍ରକୁ ଅର୍ଜୁନ ବିନ୍ଧିଲା ଜ୍ୱାଳାବଳୀ
ବାସେବର ଶହସ୍ରମାନ ସବୁ ଗଲା ଜଳି ।୩୮୮।
ବାବଲ ଶରେକ ଯେ ପେଷିଲା ବାସେବର ତନୁ
ଛେଦି ପକାଇଲା ଇଦ୍ର ଦେବତାର ଧନୁ ।୩୮୯।
ପୁଣ ଆରେକ ଧନୁ ଧରି ସୁରନାଥ
ଅର୍ଜୁନ ଉପରେ ନାରାଜ ବିନ୍ଧିଲା କୋଟି ସାତ ।୩୯୦।
ଅଧାଚନ୍ଦ୍ର ବାଣ ଯେ ଅର୍ଜୁନ ବେଗେ ସନ୍ଧି
ବାସେବର ଧନୁ ତ୍ରୋଣ ପକାଇଲା ଛେଦି ।୩୯୧।
କାମ୍ୟେକ ନାରାଜ ଗୋଟି ବିନ୍ଧିଲା କିରୀଟୀ
ଅଇରାବ୍ରତ ଶରୀରେ ପଡ଼ି ରୋମେ ରୋମେ କଣ୍ଟି ।୩୯୨।
ପ୍ରଭାତେ କାଳେ ଯେହ୍ନେ ଦିଶଇ ଆଦିତ୍ୟ
ଶ୍ରୋଣିତ ବୃଷ୍ଟି ହୋଇ ଢଳିଲା ଅଇରାବ୍ରତ ।୩୯୩।
ନାଗଫାଶ ଶରେକ ଯେ ଅର୍ଜୁନ ପ୍ରହାରି
ଅଇରାବ୍ରତକୁ ଗୁଡ଼ିଆଇଲା ଶତେପୁର କରି ।୩୯୪।
ଅହିଶର ବନ୍ଧନେ ମହାନାଗ ହୋଇଲା ଅଚଳ
ହାଥୀ ପିଠିରୁ ଉତୁରି ଧାମଇଂ ଆଖଣ୍ଡଳ ।୩୯୫।
ଶ୍ରୀଭୁଜେ ଶୋଭାବନ ବଜ୍ର ଯେ ଶକତି
ବୁଲାଇ ବାସେବ ଯେ ମାଇଲା ତତକ୍ଷଣାନ୍ତି ।୩୯୬।
କୋଟିୟେ କିରଣ ଯେ ବଜ୍ର ଶକତିର ତେଜ
ଆସନ୍ତେ ମଧ୍ୟସ୍ୱର୍ଗ ହୋଇଲା କି ଦହିଜ୍ୟ ।୩୯୭।
ଦେଖିଣ ଆଶ୍ରିଜ୍ୟ ଯେ ସତ୍ୟବତୀର ନାତି
ଅର୍ଜୁନ ପ୍ରହାର କଲା ବ୍ରହ୍ମ ଯେ ଶକତି ।୩୯୮।
ବଜ୍ର ଶକତି ବ୍ରହ୍ମ ଶକତି ଦୁହେଂ ହୋଇଲେ ଭେଟାଭେଟି
ଦିବି ଭୁବନ ଦହନ ହେଉଛି ତ୍ରାସିଲେ ପରମେଷ୍ଠି ।୩୯୯।
ଦୁହିଂକର ହାବୁଡ଼ା ହାବୁଡ଼ିରେ ନ ସହଇ ମେଦିନୀ
ଉଲୁକାପାତ ଜାଣି କମ୍ଫିଲା ଭୁବନ ତିନି ।୪୦୦।
ଅନେକ ବିକଳ ହୋଇଲା ବସୁନ୍ଧରା
ବୋଇଲା ପାତାଳଗାମୀ ହେଉଅଛି ସହି ନୁଆରଇ ଭାରା ।୪୦୧।
ସଂସାରର ବିକଳ ଦେଖି ଶାନ୍ତି ବେନିଶର
ଦୁହେଂ ପଶିଲେ ଯାଇଂ ସାହେର ଭିତର ।୪୦୨।
କାତି ଛାଡ଼ିଲେ ଯେହ୍ନେ ସର୍ପ ହୁଅଇ ନିଚେତ
ବଜ୍ର ଛାଡ଼ନ୍ତେ ଈନ୍ଦ୍ର ହୋଇଲେ ସେହିମତ ।୪୦୩।
ମନଭେଦୀ ନାରାଜ ଘେନି ଫାଲଗୁନି
ମୋହନା ଶରେ ଭେଦିଲା ଦେବ ସସ୍ରଯୋନି ।୪୦୪।
ଯେବଣ ଶର ପ୍ରତିଗ୍ରହ କରି ଦେଇଛନ୍ତି ବହତି
ଯାହାକୁ ପେଶଇ ଅବଶ୍ୟ ସମରେ କେହି ନ ବର୍ତ୍ତନ୍ତି ।୪୦୫।
ଅନିର୍ଯାପ ଶର ସେ ନ ଯାଇ କଳନା
ରୋମେକ ଶତେ ନାରାଜ ପଡ଼ିଲା ବାସବ ଅଙ୍ଗେ ସିନା ।୪୦୬।
ଶରୀର କର୍ଦ୍ଦନ ହୋଇଲା ରକତ ଯେ ବୃଷ୍ଟି
ମୋହଶରେ ସୁରନାଥ ପଡ଼ିଲା ମହୀଲୋଟି ।୪୦୭।
ଘାୟେଣ ଦେବଇଦ୍ର ପଡ଼ିଲା ମୋହଯାଇ
ସାନନ୍ଦେ ଅର୍ଜୁନ ଦେବଦତ୍ତ ଶଙ୍ଖ ବାଇ ।୪୦୮।
ଇନ୍ଦ୍ରଦେବତା ଘେନିଣ ସର୍ବସାଚୀ
ଦ୍ରଶନ କଲାକ ପାଥ କାମପାଳ ଯହିଂ ଅଛି ।୪୦୯।
ଇନ୍ଦ୍ର ଦେବତାଂକୁ ଯେ ଛାମୁରେଣ ଦେଇ
ଅର୍ଜୁନ ଶୁତିଲା ଶତ ସହସ୍ର ଦଣ୍ଡଲାଇଂ ।୪୧୦।
ଇନ୍ଦ୍ର ନିଚେଷ୍ଟ ହେବାର ଦେଖିଣ ଶୂଳପତି
ବଳରାମକଇଂ ମାଇଲେ ସହସ୍ରଧାରା ଶକତି ।୪୧୧।
ଆହୋ ସମର ତେଜି ଇନ୍ଦ୍ରକଇଂ ଚାହାନ୍ତେ ଦେବହଳୀ
ୟେମନ୍ତର ସମୟେ ଶକତି ମାଇଲେ ଦେବଶୂଳୀ ।୪୧୨।
ଯେବଣ ଶକତି ଘାୟେ ଚୂର ହୋୟେ ମେରୁ
ମନୁଷ୍ୟ ଶରୀର ମାତ୍ରକେ ତାହା କେହୁ ମେଣ୍ଟିପାରୁ ।୪୧୩।
ଶକତିର ଘାତେ ଦେବ ବଳରାମ ସ୍ୱାମୀ
ମୃଛାଗତ ହୋଇଣ ଯେ ପଡ଼ିଲେ ଅବନି ।୪୧୪।
ରୁଦ୍ରଶସ୍ରେ ମୃଛାଗତ ହୋଇଥିଲେ ଦେବହରି
ଗରୁଡ଼ ତାହଂକୁ ନେଇଥିଲା ଆଡ଼େକରି ।୪୧୫।
ଗରୁଡ଼ ବାହନ ତେଜିଣ ଯେ ଜଗନ୍ନାଥେ
ସାରଥି ହୋଇଲେ ଦେବ ଆସି ଅର୍ଜୁନର ରଥେ ।୪୧୬।
ଇନ୍ଦ୍ରର ଅଚେବନ ଦେଖିଣ ଦେବ ପଶୁପତି
ଅର୍ଜୁନକୁ ଆସିକରି ଓଗାଳିଲେ ଧାତି ।୪୧୭।
ବଳରାମଂକ ଅଚେବନ ଦେଖି ସର୍ବସାଚୀ
ରୁଦ୍ର ଦେବତାକଇଂ ନାରାଜ ଆମଞ୍ଚି ।୪୧୮।
ବାହାନ୍ତି ତୁରଙ୍ଗ ଯେ ଦେବ ଚକ୍ରଧାରୀ
ସଦାଶିବଂକ ଅଗ୍ରତେ ରଥ ଟେକିଲେ ଦେବହରି ।୪୧୯।
ପଶୁପତ୍ର ନାରାଜ ଦେବ ଧରିଛନ୍ତି ହାଥେ
ଯେଉଣ ଶିରେ ତ୍ରିପୁର ନାଶକଲେ ଦେବ ବିଶ୍ୱନାଥେ ।୪୨୦।
ଶତ କୋଟିକି ପୁଣ ଯେବଣ ନାରାଜର ଜ୍ୟୋତି
ଧନୁରେ ବସାଇଣ ପେଷିଲେ ପଶୁପତି ।୪୨୧।
ଅର୍ଜୁନ ସୁମରିଲା ମହାଦେବଂକ ଶର
ସୁମରନ୍ତେ ପ୍ରାପତ ହୋଇଲା ଆସି ଅର୍ଜୁନ ହାଥର ।୪୨୨।
ଈଶ୍ୱରଂକ ଗୁଣରେ ଯେ ବାଣ ବସିଥିଲା
ଅର୍ଜୁନ ସୁମରନ୍ତେ ତାହା ଆସ ପ୍ରାପତ ହୋଇଲା ।୪୨୩।
ଅଗ୍ନି ସମର୍ପି ହୋଇଅଛନ୍ତି ଅର୍ଜୁନର ତହିଂ
ସେ ଶର ଗୋଟିକ ଚନ୍ଦ୍ରଶେଖର ତହିଂ ନାହିଂ ।୪୨୪।
ଶୁଣ ହୋ ମନୁରାଜା ଯୁଦ୍ଧର ହାଦେ କଥା
ପ୍ରଥମେ ଜୟକଲା ଇନ୍ଦ୍ର ଯେ ଦେବତା ।୪୨୫।
ବଳବୀର୍ଯ୍ୟ ନିଉନ ଦେଖି ବ୍ରହ୍ମାଣ୍ଡେ ଗଲେ ଧାତା
ଭୟେଣ ବାରାନିଧି ଘେନି ପଳାଇଲେ ରତ୍ନାକର କୁବେର ଦେବତା ।୪୨୬।
ପବନ ଦେବତା ଯେ ସମରେ ଗଲେ ହାରି
ମୁଥଘାତେ ଅଚେବନ ହୋଇଲେ ମେଘଚାରି ।୪୨୭।
ଆଦିତ୍ୟ ଦେବତା ଗଲେ ମେରୁ ପ୍ରଦକ୍ଷିଣେ
ସଂଗତରେ ଚଳିଲେ ସମସ୍ତ ଗ୍ରହଣେ ।୪୨୮।
ଚଦ୍ର ଦେବତା ଯାଇଣ ପଶିଲେ ଗଗନେ
ବଳବୀର୍ଯ୍ୟ ନିଉନେ ହାରିଲେ ସକଳ ଦେବତାମାନେ ।୪୨୯।
ବଳନାଶ କରି ପଳାଇଲେ ଯମ ଯେ ଦେବତା
ଯମର ଉପରେ ଦୁତୀଯମ ବିଧୂର ହୋଇଲା ବ୍ରିକୋଦର ବଳବନ୍ତା ।୪୩୦।
ଇନ୍ଦ୍ର ଦେବତାୟେ ପଡ଼ିଲେ ମୋହବନ୍ଧେ
ଅର୍ଜୁନକଇଂ ସମରେ ହାରିଲେ ସଦାନନ୍ଦେ ।୪୩୧।
ତ୍ରୋଣ ଶହସ୍ର ଧନୁ ଶ୍ରୀକରେ ଯହୁ ନାହିଂ
ଈଶ୍ୱର ଉଭା ହୋଇଲେ କାଖରେ ହାଥ ଲାଇ ।୪୩୨।
ଗୋବିନ୍ଦେ ବୋଇଲେ ଈଶ୍ୱରଂକୁ ନାରାଜ ବିନ୍ଧ ପାଥ
ଅର୍ଜୁନ ବୋଇଲା ମୁଂ ବିନ୍ଧିବି ଶହସ୍ରାନ୍ତ ।୪୩୩।
ବିରଥୀ ନିଶସ୍ର ବିବସନ ହୋଇଥିଲେ
ମୁହିଂ ନ ମାରଇ ଦେବ ରଣେ ପିଠିଦିଲେ ।୪୩୪
ୟେମନ୍ତେହେଂ ସଦାଶିବ ପାଇଲେ ନିକି ଲାଜ
ଅର୍ଜୁନ ବୋଇଲେ ସ୍ୱାମୀ ବିଜେକର ଯା ଦେବରାଜ ।୪୩୫।
ଇନ୍ଦ୍ରଂକୁ ତରଛା କଲ ହୋ ଈଶ୍ୱରେ
ରାମକୃଷ୍ଣ ସହିତେ ଯାଦବନ୍ତ ଜିଣିଲ ସାଂଗ୍ରାମରେ ।୪୩୬।
ହରି ଅର୍ଜୁନ ତ ଘେନିଲେ ସର୍ବଯଶ
ୟେବେ ସ୍ୱାମୀ ବିଜେକରିବା ଦେବ କପିଳାସ ।୪୩୭।
ଯେ ଅବା ଶିବଗଣମାନେ ସଙ୍ଗତରେ ହୋଇଥିଲେ
ସବୁନ୍ତି ଘେନି ଈଶ୍ୱରେ କପିଳାସେ ବିଜେକଲେ ।୪୩୮।
ସମରେ ଜୟକରି ଦେବ ମଧୁ ହାରୀ
ଯୁଝେଷ୍ଠିଂକ ପାଦେ ପ୍ରଳମ୍ୱ ଦେବ କରି ।୪୩୯।
ସ୍ୱାମୀ ମୁହିଂ ଯେ ପ୍ରତଗ୍ୟାଂ କଲି କଲି ଇନ୍ଦ୍ର କଇଂ ନାସିବି
ଅମର ସଭାରେ ଆସ୍ତାନେ ଆନ ଇନ୍ଦ୍ର ବସାଇବି ।୪୪୦।
ଅମର ଗଣନ୍ତ ଜିଣିଲି ତୋହୋର ପରସାଦେ
ସ୍ୱାମୀ ତୁମ୍ଭନ୍ତ ନେଇ ବସାଇବି ଇନ୍ଦ୍ରପଦେ ।୪୪୧।
ଯୁଝେଷ୍ଠି ଦେବେ ବୋଇଲେ ନାରାୟଣଂକ ଯେହ୍ନେ ଆଗ୍ୟାଂ
ତାହାକଇଂ ମୋହୋର ବେଳେ କରିପାରିବି କି ଅବଗ୍ୟାଂ ।୪୪୨।
ଆହୋ ଚଇତନ ଯୁଝେଷ୍ଠି ଭୀମ ଅରଜୁନ ସହଦେବ
ଖଗେଶ୍ୱର ପିଠିରେ ଆରୋହିଲେ ବାସୁଦେବ ।୪୪୩।
ବଳରାମ ବିଜେକଲେ ପୁଷ୍ୟକ ବିମାନେ
ବିଜୟେ ଦେବ ଯାଇଂ ଅମର ଭୁବନେ ।୪୪୪।
ବହୁତ ଆନନ୍ଦେଣ ସଭାରେ ଦେବ ବିଜେ
ଇନ୍ଦ୍ର ଆସ୍ତାନେ ଯୁଝେଷ୍ଠିଂକି ବିଜେ କରାଇଲେ ଦେବରାଜେ ।୪୪୫।
ଅମଳାନ ବସ୍ତ୍ର ଯେ ପାରିଜାତେକ ପୁଷ୍ୟମାଳ
ଯୁଝେଷ୍ଠିଂକ କଣ୍ଠେ ଦିଲେ ନେଇ କାମପାଳ ।୪୪୬।
ଅମର ବିଳାସୁଣୀୟେ ଅଇଲେ ଚଉଷଠୀ କୋଟି
ବିବିଧ ବେଶ ବେଶନେ ନୃତ୍ୟରଙ୍ଗେ ଖଟି ।୪୪୭।
ମର୍ଦ୍ଦଳ ତାଳ କଂସାଳ ଶରଗୁଣା ଅଧାଟି
ଭରହର ନାୟେକା ପଞ୍ଚମ ସ୍ୱରେ ଖଟି ।୪୪୮।
ଶ୍ରୀ ନାରାୟଣଂକ ବିଜେ ଦେଖିଣ କୁବେର
ସପତ ନିଧି ଘେନି ଆସି ଖଟିଲା ଧନେଶ୍ୱର ।୪୪୯।
ହାହା ହୁହୁ ମୂଳେ ଯେ ତିନିକୋଟି ବିଦ୍ୟାଧର
ଆସ୍ତାନ ନିରୋଧ କରନ୍ତି ସମସ୍ତ ଦ୍ୱାର ।୪୫୦।
ମେଘମାଳାମାନେ ଆସି ହୋଇଲେ ପ୍ରବେଶ
ଗିରିରାଜା ବିଜେ ଆସି ହୋଇଲେ ଆସ୍ତାନର ପାଶ ।୪୫୧।
ଯେହ୍ନେ ଯେ ଆରାଧନା ଇନ୍ଦ୍ରଂକୁ କରନ୍ତି ନିତ୍ୟକର୍ମେ
ସମସ୍ତେହେଂ ଖଟିଲେ ଆସି ଆସ୍ତାନେ ଦେବଧର୍ମେ ।୪୫୨।
ସାରିଗାମା ଧୁନି ଯେ ସପତସ୍ୱର ବୀଣା
ନୃତ୍ୟ ଆରମ୍ଭେ ନାରଦେ ଖଟାଇଲେ ଖଟଣା ।୪୫୩।
ମନୁପୁରୁଷ ସନକ ଆବର ବିଶ୍ୱଦେବା
ବିଦ୍ୟାଧର ପୁରୁଷେ ଲଗାଇଲେ ସେବା ।୪୫୪।
ବାରାନିଧି ଘେନିଣ ଯେ ବରୁଣ ରତ୍ନାକର
ନିଧି ଭଣ୍ଡାର ଥୋଇଲେ ଯୁଝେଷ୍ଠିଂକ ଛାମୁର ।୪୫୫।
ଆସ୍ତାନେ ଯୁଝେଷ୍ଠିଦେବ ଗୋବିନ୍ଦେ ଡାହାଣ ଖମ୍ୱେ
ବାମଖମ୍ୱ ମାଡ଼ିଣ ଯେ ବିଜୟେ ହଳଦେବେ ।୪୫୬।
ଛାମୁରେ ଗତ ଆଗତ କହଇ ମନ୍ତ୍ରୀ ସହଦେବ
ଯେହେନ୍ନେ ଅମରେ ପୂର୍ବର ବିଧାନ ହୋଇଲା ସେହିଭାବ ।୪୫୭।
ଆସ୍ତାନ ନିରୋଧଇ ବୀର ଫାଲଗୁନି
ମାତେଳି ବିଜେକଲା ଅଇରାବ୍ରତ ନାଗ ଘେନି ।୪୫୮।
ପବନ ଦେବତା ବିଜେ କଲେ ତତକ୍ଷଣାନ୍ତି
ଅଭିଷେକ ମୁକୁଟ ଆଣି ଦିଲାକ ପ୍ରଜାପତି ।୪୫୯।
ସପତାଙ୍ଗ ପାଞ୍ଜି ସେ ବୃହସ୍ପତି ଘେନି
ଛାମୁରେ ଅନକୂଳ ଯେ କହନ୍ତି ସୁବିଧାନି ।୪୬୦।
ରମ୍ଭା ଉରୁବଶୀ ଯେ କାମସେଣା ଚିତ୍ର ରେଖା
ଚଞ୍ଚଳା ମୋହିନୀ ମଳୟା ଆବର ମଦନିକା ।୪୬୧।
ମାଳିନୀ ମାଳତୀ ପୁଣ ବାସନ୍ତୀ ଅସକନ୍ଦା
ତ୍ରିଲୋଚନା ତିଳୋତ୍ତମା ନନ୍ଦିନୀ ଚାରୁଚନ୍ଦ୍ରା ।୪୬୨।
ରତି ରେବତୀ ଗନ୍ଧମତୀ ଯେ ଚନ୍ଦ୍ରକାନ୍ତି
ମାତାଙ୍ଗୀ ସୁରୁଚି ଦମୟନ୍ତୀ ହୀରାବତୀ ।୪୬୩।
ପ୍ରିୟା ଶ୍ରିୟା ତାରା ଯେ ତନୁ ଚିତ୍ରୋତ୍ପଳା
ଲୀଳା ଶ୍ରୀବଛା ମେନକା ଭାନୁମତୀ ଯେ କମଳା ।୪୬୪।
ହାରିଣୀ ତାରିଣୀ ପାରେଣୀ ଯେଉଂ ହାରାବତୀ
ଲକ୍ଷ୍ମୀ ଶାନ୍ତି ଶୃତିମତୀ ସେବତୀ ରତ୍ନକାନ୍ତି ।୪୬୫।
ମରୁଆ ପାରୁଆ କେସୀ ପାର୍ବତୀ ବିମଳା ଯେ ରାଧା
ଅରୁଣା କରୁଣା କାଶୀବାସୀ ଚକିତା ସୁମେଧା ।୪୬୬।
ମାଳୀ ମାରୁତୀ ସର୍ବଜିଣା ନାରାୟଣୀ ଯେ ବନିତା
ଜାନକୀ ସୁରମତି ଭାନୁକୀ ସୀତା ଆବର ଶାୟେଂତା ।୪୬୭।
ୟେ ଚଉଷଠି କନ୍ୟାଂକର ମୂଳେ ଭରହରଷ ନାୟେକାଣୀ
ଚଉଷଠି କୋଟି ଅପକ୍ଷରାୟେ ୟେହାଂକର ନାଚେଣୀ ଖଟଣି ।୪୬୮।
ଅପକ୍ଷରୀ କୋଟିୟେକ ବିଦ୍ୟାଧରୀ ବାମା
ୟେମନ୍ତେ ଚଉଷଠି ବିଦ୍ୟାଧରୀ ଅନୁପମା ।୪୬୯।
ୟେସନେକ ସମ୍ପଦ ଯେ ଅମର ବାରସ୍ୱତୀ
ଛାମୁରେ ଉଭାରିଛନ୍ତି ନିରଞ୍ଜନ ଜ୍ୟୋତି ।୪୭୦।
ଆଦିହୁଂ ଅମର ଯେ ଦିଶେ ଶୋଭାବନ
ତଳେ ଉଭା ହୋଇଛନ୍ତି ବୃନ୍ଦାଅର୍କମାନ ।୪୭୧।
ଆହୋ ଚଇତନ ଶରହସୁନ୍ଦରୀ ନାମେ ୟେକଇ ଅପକ୍ଷରୀ
ଶଚୀଦେବୀଂକ ବିମାନ ସେ ଯେ ବାହଇ ବିଦ୍ୟାଧରୀ ।୪୭୨।
ଶଚୀ ବୋଇଲେ ତୁହି ଲୋ ଯାଅସି ବହନ
ୟେହିକ୍ଷଣି ମୋହୋର ଛାମୁକୁ ହକାରିଣ ଆଣଲୋ ଅର୍ଜୁନ ।୪୭୩।
ବିମାନ ଘେନି ଗଲା ଯେ ଶରହସୁନ୍ଦରୀ
ୟେକାନ୍ତେ ଅର୍ଜୁନକୁ ଆଣିଲା ହକାରି ।୪୭୪।
ଶଚୀ ବିଜେ କରିଅଛନ୍ତି ପାରିଜାତକ କଳପତରୁ ତଳେ
ଅର୍ଜୁନ ପ୍ରଳମ୍ୱିତ ହୋଇଲା ଶଚୀଦେବୀ ପାଦତଳେ ।୪୭୫।
ଅର୍ଜୁନକୁ ଦେଖିଣ ସେ ବାସବର ନାରୀ
ତୁଲେଣ ଘେନିଛନ୍ତି ଯେ ସଚଳା ସୁନ୍ଦରୀ ।୪୭୬।
ଶଚୀ ବୋଇଲେ ବାବୁ ଅର୍ଜୁନରେ ୟେଟି ବାସୁଦେବଂକ ଦୁଲଣୀ
ଚିତ୍ରସେନ ୟେହାକଇଂ ହରିଲା କିଛିହିଂ ନ ଜାଣି ॥୪୭୭।
ୟେହାର ପାଇଂଟି ସେ ଯେ ହୋଇଲା ୟେଡ଼େ ଦ୍ୱନ୍ଦ
ବାବୁ ୟେଣେ ସେ ନାଶକଲା ଇନ୍ଦ୍ରର ସମ୍ପଦ ।୪୭୮।
ବାଳୁତ ଅଗ୍ୟାନ ୟେ ହୋଇଲା ଯୁବତୀ
ଇନ୍ଦ୍ର ଦେବତାର ୟେହୁ ବୁଡ଼ାଇଲା ସମ୍ପତ୍ତି ।୪୭୯।
ବାବୁ ସମାଧାନ କରି ଲୋଡ଼ୁଥିଲେ ଅସକନ୍ଦ
ୟେ ମହାଦ୍ୱନ୍ଦ କରାଇଲେ ସଦାନନ୍ଦ ।୪୮୦।
ବାବୁ ତୁମ୍ଭେ ମୋହୋର ପୁତ୍ର ଯେ ବସିଲ ଅମରେ
ତୋହୋରେ ସେ ଥାପିଲା ଅଟଇ ପୁରନ୍ଦରେ ।୪୮୧।
ଯେବେ ତୁମ୍ଭେ ଇନ୍ଦ୍ରପଦେ ବସିଲ ଆକାଶେ
ୟେବେ ଇନ୍ଦ୍ର ଦେବତାକୁ ଆଣିଦିଅ ମୋହୋର ପାଶେ ।୪୮୨।
ଅର୍ଜୁନ ବୋଇଲେ ମାଗୋ ସଚଳାକଇଂ ଘେନି
ଚାଲ ମାୟେ ପୋୟେ ଆସ୍ତାନର ତଳେ କରିବା ଦଇନି ।୪୮୩।
ସାନନ୍ଦେ ମହାଦେବୀ ଅର୍ଜୁନ ବଚନ ଶୁଣି
ସଚଳାକଇଂ ଘେନି ବିଜେ ଅମର ଠାକୁରାଣୀ ।୪୮୪।
ଆସ୍ତାନେ ବିଜେ କରିଛନ୍ତି ଦେବଧର୍ମେ
ଦ୍ୱାରେଣ ଶଚୀଦେବୀ ବିଜୟେ ଶ୍ରମେ ।୪୮୫।
ସଚଳା କନ୍ୟାର ଧରିଛନ୍ତି ହାଥଗୋଟି
ଆସନ୍ତେ ତଳେ ଯାଇ ପ୍ରଳମ୍ୱକରି ଲୋଟି ।୪୮୬।
ନାରଦେ ରୁହାଇଲେ ସପତ ସୁରବେଣୀ
ଶଚୀଂକି ଦେଖିଣ ସେ ଧର୍ମ ଯେ ଯୁଝେଷ୍ଟି
ଆପଣେ ଧର୍ମରାଜା ଆସ୍ତାନେ ତେଜି ଉଠି ।୪୮୮।
ନାରାୟଣଂକୁ ଦେଖି ଯେ କୁମାରୀ ସଚଳେ
ଧାତିକାରେ ବସିଲା ଯାଇଂ ଜଗନ୍ନାଥଂକର କୋଳେ ।୪୮୯।
ଶଚୀଦେବୀ ବୋଇଲେ ଦଶଲହ ମୁଖେ ଲାଇ
ଭୋ ସ୍ୱାମୀ ଜଗତ ମୋହନ ପତିଂ ଦେହି , ପତିଂ ଦେହି ।୪୯୦।
ଯୁଝେଷ୍ଠି ଦେବେ ବୋଇଲା ଗୋ ବିଜେ କରସି ମାୟେ
ୟେହିକ୍ଷଣି ଆସ୍ତାନେ ବିଜେ କରିବେ ଦେବରାୟେ ।୪୯୧।
ମାଗୋ ଅନୁଗ୍ରହ ନାଥର କୋପ ଶାନ୍ତି କରାଇ
ୟେହିକ୍ଷଣି ପିତାଂକୁ ମୁଂ ଆଣିବି ଜୀଆଇଂ ।୪୯୨।
ତୁମ୍ଭେ ବିଜେ କରିଯିବା ନିଜ ଭୁବନେ
ଭଗତବତ୍ସଳ ନାଥଂକୁ କରାଇବେ ପ୍ରସନ୍ନେ ।୪୯୩।
ଶଚୀ ବିଜେ କରିଗଲେ ଅମର ଭୁବନକୁ
କଷ୍ଠୋରେ ଯୁଝେଷ୍ଠିଦେବ ବୋଇଲେ ବଳଦେବ ଠାକୁରଂକୁ ।୪୯୪।
ଶ୍ରୀ ଜଗନ୍ନାଥ ଉଠିଲେ ଯୁଝେଷ୍ଠି ଦେବଂକ ଉଭା ଦେଖି
ଯୁଝେଷ୍ଠି ତୁସ୍ତି କରନ୍ତି ଆସ୍ତାନ ଉପେକ୍ଷି ।୪୯୫।
ତୁ ଦେବ ନୀଳାମ୍ୱର ସୟଳ ଜନ ଚିନ୍ତାମଣି
ତୁ ଦେବ ପରମବ୍ରହ୍ମ ହଳ ମୂଷଳ ପାଣି ।୪୯୬।
ତୁ ଦେବ ସୁପ୍ରସନ୍ନ ନିର୍ବାକାର ପ୍ରତକ୍ଷେ
ତୁ ଦେବ ନୀଳାମ୍ୱର ଶ୍ରୀକୃଷ୍ଣ ଜ୍ୟେଷ୍ଠ ଦକ୍ଷେ ।୪୯୭।
ତୁ ଦେବ ସୋହଡ଼ ନୟନ ଧବଳୀ
ତୁ ଦେବ ପରମାନ୍ଦ ଦେବ ହଳୀ ।୪୯୮।
ତୁ ଦେବ ନାରାୟଣ ରୂପ ଅବିଶ୍ରାମ
ତୁ ଦେବ ଭଗତମଛଳ ବଳରାମ ।୪୯୯।
ତୁ ଦେବ ଶରଣ ଉଦ୍ଧାରଣ ମହାରୂପୀ
ତୁ ଦେବ ଜଗତ ବନ୍ଦନ ବିଶ୍ୱବ୍ୟାପୀ ।୫୦୦।
ତୁ ଦେବ ଗଗନ ଧାରଣ ଶୂନ୍ୟଦେବ
ତୁ ଦେବ ଭାନୁରୁଦ୍ର ବ୍ରହ୍ମରୂପ ଭାବ ।୫୦୧।
ତୁ ଦେବ କାମପାଳ ଭଗତମଛଳା
ତୁ ଦେବ ରୋହିଣୀ ନନ୍ଦନ କାଦେମ୍ୱରୀ ରସପାନେ ମତିଭୋଳା ।୫୦୨।
ତୁ ଦେବ ଦୃଢ଼ ଆସନ ସଉନନ୍ଦୀ
ତୁ ଦେବ ସପତ କୁଣ୍ଡଳୀ ଦେବନିଧି ।୫୦୩।
ତୁ ଦେବ ଯୋଗେଶ୍ୱର ମନୁକଳ୍ପ ବଞ୍ଚା
ତୁ ଦେବ ଅକାଳ ଅକାମ ଅସଞ୍ଚା ।୫୦୪।
ତୁ ଦେବ ଦୁଷକୃତ ହରନ୍ତା ପରଲୋକର ବନ୍ଧୁ
ବଦନ୍ତି ସାରୋଳା ଦାସ ଶ୍ରୀ କାମପାଳ କୃପାସିନ୍ଧୁ ।୫୦୫।
ସୁଭାଗ୍ୟ ପଣ୍ଡିତ ମହାକଳପୀ ଘଟଋଷିର ତନୁ
ମହା ଯୋଗେଶ୍ୱର ଶୁଣନ୍ତି ବଇବସୁତ ମନୁ ।୫୦୬।
ପାଦ୍ୟ ଅର୍ଘ୍ୟ ଘେନିଣ ସେହୁ ମନୁ ମହାରାଜା
ଅଗସ୍ତିକଂ ପଦ୍ମପାଦେ କଲେ ଦିବ୍ୟପୂଜା ।୫୦୭।
ବଡ଼ାଇ ଚରିତ୍ର ମୁନି ଶୁଣିଲି ତବ ମୁଖୁଂ
ଯୁଝେଷ୍ଠି ରାମକୃଷ୍ଣଂକୁ ସ୍ତୁତିକଲେ କହ ମୁକୁ ।୫୦୮।
କିସ ଆଗ୍ୟାଂ ହୋଇଲା ପ୍ରସନ୍ନେ ଦେବହଳୀ
ଅଗସ୍ତି ବୋଲନ୍ତି ହୋ ଶୁଣ ମନୁ ମହାବଳୀ ।୫୦୯।
ବଳରାମକଇଂ ଅନେକ ସ୍ତୁତି କଲେ ଧର୍ମସୁତେ
ପ୍ରସନ୍ନ ହୋଇଲେ ସ୍ୱାମୀ ଦେବ ଯେ ଅନନ୍ତେ ।୫୧୦।
କେବଣ କଥା ଅଛି କହ ଦେବ ଧର୍ମରାୟେ
ଶ୍ରୀ ବଳରାମେ ପ୍ରସନ୍ନ ହୋଇଲେ ସଭାୟେ ।୫୧୧।
ଯୁଝେଷ୍ଠି ବୋଇଲେ ସ୍ୱାମୀ ଯେବେ ହୋଇଲଟି ପ୍ରସନ୍ନ
ବାସବ ଦେବତାକଇଂ ଦେବ ଦେବାଟି ଜୀବଦାନ ।୫୧୨।
ସ୍ୱାମୀ ତୁମ୍ଭର ଥାପିଲାର ସିନା ଅଟେ ଦେବଇନ୍ଦ୍ର
ତୁମ୍ଭେ ହେ ଦିଲ ତୁମ୍ଭେ ହରିବ କି ତାହାର ସମ୍ପଦ ।୫୧୩।
ସ୍ୱାମୀ ଅନୁଗ୍ରହ ନାଥ ଯେବେ ହୋଇଲ ପ୍ରସନ୍ନ
ଆଗ୍ୟାଂ ଦିଲେ ବାସବ ଦେବତାଂକୁ ଜୀଆଇଂ ଆଣିବ
ସେ ଅରଜୁନ ।୫୧୪।
ଯୁଝେଷ୍ଠି ବଚନେ ରାମ ଅର୍ଜୁନକୁ ଚାହିଂ
ଆଗ୍ୟାଂ ଦେଲି ଇନ୍ଦ୍ରକୁ ତୁ ଘେନିଆସ ଯାଇଂ ।୫୧୫।
ରାମକଂର ବଚନେ ସେ ଅମୃତାକ୍ଷ ଶର ଘେନି
ବାସବର ସନିଧ୍ୟେ ଯାଇଂ ବିଜୟେ ଫାଲଗୁନି ।୫୧୬।
ଚେତନା ଶରକେ ବିନ୍ଧିଲା ବିବତ୍ସ
ମୋହ ତେଜିଣ ସେ ଉଠି ବସିଲେ ସହସ୍ରାକ୍ଷ ।୫୧୭।
ଚିତ୍ରସେନ ତୁଲେ ଯେତେକ ଥିଲେ ରଣେ ପଡ଼ି
ଚେତନା ଶରେଣ ସେ ଉଠିଲେ ମୋହ ଛାଡ଼ି ।୫୧୮।
ଅର୍ଜୁନ ବିନୋପଇ ସୁରନାଥଂକ ପାଦତଳେ
ବାସବ ଦେବତା ଅର୍ଜୁନକଇଂ ବସାଇଲେ କୋଳେ ।୫୧୯।
ସାଧୁ ସାଧୁରେ ଅର୍ଜୁନ ମୋର ପୁତ୍ର ତୁ ସମରେ ସର୍ବସିଦ୍ଧା
ମାରଣ ତାରଣ ତୁ ଜାଣୁ ସର୍ବବିଦ୍ୟା ।୫୨୦।
ଅର୍ଜୁନ ବୋଇଲା ସ୍ୱାମୀ ପୁଷ୍ୟେକ ରଥେ କର ବିଜେ
ଅମର ଆସ୍ତାନକୁ ବିଜେ କରିବା ଦେବରାଜେ ।୫୨୧।
ଅନେକ ପୁରସରି ବୋଇଲେ ଦେବ ସୁରନାଥ
ମାତେଳିକି ଘେନିକରି ବିଜେ ପୁଷ୍ପକ ରଥ ।୫୨୨।
ଅମର ସ୍ୱର୍ଗପୁରେ ବିଜୟେ ମଘବା
ବାରସ୍ୱତୀ ପୁରେ ମିଳିଲେ ସୁରଦେବା ।୫୨୩।
ଶଚୀ ସହିତେଣ ଯେ ଦେବ ସସ୍ରଯୋନି
ଆପଣେ ଇନ୍ଦ୍ରାୟଣୀ କରେ ଅର୍ଘ୍ୟସ୍ଥାଳୀ ଘେନି ।୫୨୪।
ବିଜୟେ ମଘବାନ ଯେ ଅମର ସଭାରେ
ଅର୍ଘ୍ୟ ବନ୍ଦାପନା କଲେ ଯୁଝେଷ୍ଠିଂକ ଶିରେ ।୫୨୫।
ଅର୍ଘ୍ୟଶିରେ ଦେଇ କଲ୍ୟାଣ କରନ୍ତି ବିଡ଼ୋଜା
ତୁହି ସେ ଅମର ସ୍ୱର୍ଗେ ଆସି ପାଇଲୁ ଦେବ ପୂଜା ।୫୨୬।
ୟେବେ ଯାଇ ମଧ୍ୟପୁରେ ଭାରା କର ନାଶ
ୟେହି ଦେହ ଘେନିଣ ସ୍ୱର୍ଗରେ ଆସି ବସ ।୫୨୭।
ଶ୍ରୀ ବଳରାମ ଚରଣେ ଇନ୍ଦ୍ର ଦେବତା ପରିଣାମି
ମମ ଦୋଷ ଉପେକ୍ଷା କରିବା ଦେବସ୍ୱାମୀ ।୫୨୮।
ତୁ ଦେବ କାରଣ ପୁରୁଷଂକ ଉତ୍ତମା
ଅନେକ ଦୋଷ ଅପରାଧ କରିବା ମୋର କ୍ଷମା ।୫୨୯।
ସଉନିଧି ନାଥ ତୁ କଇଛା ଜଗଜ୍ଜେଠୀ
ହୃଦଗତେ ବିଘଂସୁ ମୋହୋ ଶ୍ରୀ ବଳରାମ ନାମଗୋଟି ।୫୩୦।
ଶୁଣ ହୋ ଚଇତନ ବାସବର ବଚନେ ବଳରାମେ ବୋଇଲକେ ଶାନ୍ତି
ଈଶ୍ୱରଂକ ବଚନେ ତୁହି ସେ ପଶିଲୁ ଅନୀତି ।୫୩୧।
ଇନ୍ଦ୍ର ଗୋବିନ୍ଦ ଆମ୍ଭେ ୟେକବୋଲି ଜାଣି
ମଧ୍ୟରେ ଭେଦକଥା ଯେ ଭିଆଇଲେ ଶୂଳପାଣି ।୫୩୨।
ଶୁଣି ବଳରାମେ ବାସବଂକ ଶ୍ରୀହସ୍ତେ ଦିଲେ ଶାଢ଼ୀ
ୟେବେ ଥାଅ ତୁମ୍ଭେ ଅମର ସ୍ୱର୍ଗେ ସୁଖେ ରାଜ୍ୟକରି ।୫୩୩।
ଇନ୍ଦ୍ର ଦେବତାୟେ ବିଜେକଲେ ନିଜପୁରେ
ଆପଣେ ଆଣିଦିଲେ ଅମୃତ ଯୋଗାଡ଼େ ।୫୩୪।
ତିନିଦିନ ରହିଲେ ଦେବ ଅମର ଭୁବନେ
ଆପଣେ ଯୁଝେଷ୍ଠିଦେବ କଲେ ସର୍ବ ସମାଧାନେ ।୫୩୫।
ଯୁଝେଷ୍ଠିଦେବ ବୋଇଲେ ଶ୍ରୀ ଜଗନ୍ନାଥଂକୁ
କଥାୟେ କହିବି ଦେବ ଯୋଗାଇ କି ତୁମ୍ଭ ବିଚାରକୁ ।୫୩୬।
ଶ୍ରୀ ଜଗନ୍ନାଥେ ବୋଇଲେ ଦେବ ତୁମ୍ଭର ବଚନ ଅଲଘିଂ
ତୋହୋ ଆଗ୍ୟାଂୟେ ମୁହିଂ ସର୍ବସିନ୍ଧି ଭୋଗୀ ।୫୩୭।
ସ୍ୱାମୀର ବଚନ ଯେ ସେବକ କାହିଂ ମେଣ୍ଟି
ଯେହେର୍ଣ୍ଣେକ ନିରାଧାର ମୋତେ ତୋହୋର ଆଗ୍ୟାଂଗୋଟି ।୫୩୮।
ଯୁଝେଷ୍ଠି ବୋଇଲେ ଇନ୍ଦ୍ର ଗୋବିନ୍ଦ ୟେକଆତ୍ମା
ଅନେକ ଦୂଷଣ ହୋଇଲା ବାସବ ମହାତମା ।୫୩୯।
ଈଶ୍ୱର ବ୍ରହ୍ମା ଆଦିକରି ଦେବ ସୁରରାଜା
ପ୍ରତଗ୍ୟାଂ ସାର୍ଥୁକ ହୋଇଲାକ ପାଇଲେ ସର୍ବେ ଲଜ୍ଜା ।୫୪୦।
ସ୍ୱାମୀ ଜଗତ ମୋହନ ମୋହୋର ବଚନ କରିବା
ସଚଳା କନ୍ୟାକଇଂ ୟେବେ ଚିତ୍ରସେନକୁ ପ୍ରଦାନ କରିଦେବା ।୫୪୧।
ଈଶ୍ୱର ଯେବେ ପ୍ରତଗ୍ୟାଂ କଲେ ସଚଳାକୁ ପ୍ରଦାନ କରିବା ଚିତ୍ରସେନେ
ତାହାଂକର ପ୍ରତଗ୍ୟାଂ ରହୁ ସେ ନ ଯାନ୍ତୁ ଅଭିମାନେ ।୫୪୨।
ତୁମ୍ଭେ ଯେ ପ୍ରତଗ୍ୟାଂ କଲ ଯୁଝେଷ୍ଠିଂକି ଇନ୍ଦ୍ର ପଦେ ବସାଇବି ଅମରେ
ତୁମ୍ଭର ସେ ବଚନ ତ ରହିଲା ନିରାଧାରେ ।୫୪୩।
ଯୁଝେଷ୍ଠିଂକ ବଚନେ ଦେବ ହୋଇଲେକ ତୂନୀ
ତୁଷ୍ଠି ଅନୁମତେ ଧର୍ମେ ଅନୁକୂଳ ଥାଅ ଘେନି ।୫୪୪।
ବଇନେତ୍ରୟ ବାହାନେ ଶ୍ରୀ ପୁରୁଷୋତ୍ତମ କଲେ ବିଜେ
ବ୍ରହ୍ମାଂକ ଭୁବନେ ବିଜୟେ ଦେବରାଜେ ।୫୪୫।
ପିତାର ଅଗ୍ରତେ କେଶବ ପରିଣାମି
ଗୋବିନ୍ଦକଇଂ କୋଳକଲେ ପିତାମହ ଦେବ ସ୍ୱାମୀ ।୫୪୬।
ଧାତାୟେ ବୋଇଲେ ତୋତେ ଦ୍ରୋହକଲା ଆଖଣ୍ଡଳ
ଦୟା ସାଗର ତୁ ଯେ ଭଗତମଛଳ ।୫୪୭।
ଦୋଷ ଉପେକ୍ଷି ପୁଣ କଲୁ ତୁ ସଦୟେ
ୟେହେର୍ଣ୍ଣେକ କ୍ଷଣେ ସଂପକ୍ଷ ପାଇଲୁ ଧନୁର୍ଜୟେ ।୫୪୮।
ଯୁଝେଷ୍ଠି ୟେମନ୍ତ ଅଛି ସେ ଆକାଶେ ପାଇବ ପୂଜା
ୟେ ତିନି ଜଗତେ ସେ ହୋଇବ ମହାରାଜା ।୫୪୯।
ଗୋବିନ୍ଦେ ବୋଇଲେ ପିତା ବଳରାମକଇଂ ମାଗିଲେ ଯୁଝେଷ୍ଠି
ଚିତ୍ରସେନକଇଂ ପ୍ରଦାନ କରିବା ସଚଳା କନ୍ୟାଗୋଟି ।୫୫୦।
ବହନ ହୋଇ ଯିବା ଦେବ ଅମର ଭୁବନକୁ
ଶୁଣି ପିତାମହ ପ୍ରଶଂସା କଲେ ଯୁଝେଷ୍ଠି ଦେବଂକୁ ।୫୫୧।
ତହୁଂ ମରୁଳ ବାହାନେ ବିଜେକଲେ ବେଦବର
ହରି ବ୍ରହ୍ମା ବିଜେକଲେ ଅମର ଭୁବନର ।୫୫୨।
ବଳରାମ ଅର୍ଜୁନ ଦୁହେଂ ବେଗେ ଗଲେ
କପିଳାସ ସ୍ୱର୍ଗେ ଯାଇଂ ପ୍ରବେଶ ହୋଇଲେ ।୫୫୩।
ଦେଖିଣ ସାନନ୍ଦ ଯେ ହୋଇଲେ ନୀଳକଣ୍ଠ
ବିଜେକଲେ ବିଶ୍ୱନାଥ ବୃଷଭର ପୃଷ୍ଠ ।୫୫୪।
ଶିବଗଣନ୍ତ ଘେନିଣ ଦେବ ବିଶ୍ୱେଶ୍ୱର
ପାର୍ବତୀ ସହିତେ ବିଜୟେ ଅମର ଭୁବନର ।୫୫୫।
ସୁଧର୍ମା ସଭାୟେ ଯେ ବିଜୟେ ସମ୍ଭର୍ବେ
ଚିତ୍ରସେନକଇଂ କନ୍ୟା ପ୍ରଦାନ କରିବେ ବାସୁଦେବେ ।୫୫୬।
ଆପଣେ ଆଚାର୍ଯ୍ୟ ହୋଇଲେ ଋଷି ଯେ ପଉଲସ୍ତେ
ଅନେକ ମଙ୍ଗଳ ଯେ ବିଭାର ଯୁଗତେ ।୫୫୭।
ବାଜନ୍ତି ଦେବବାଦ୍ୟ ଯେ ଦୁନ୍ଦୁଭି ଶବଦ
ଗଗନ ଫୁରିଲା ଦେବଦତ୍ତ ଶଙ୍ଖନାଦ ।୫୫୮।
ଓହୋକୁଳ ଗୋତ୍ର ଯେ ସୀଉକାର ବରଣେ
କନ୍ୟାଗୋଟି ସମର୍ପିଲେ ଦେବ ନାରାୟଣେ ।୫୫୯।
କୁଶ ବନ୍ଧନ ଯେ ବେନି କରପତ୍ରେ
ଅନେକ ଯଉତୁକ ଦିଅନ୍ତି ଅପ୍ରମିତେ ।୫୬୦।
ଲାଜା ହୋମବିଧି କଲେ ଗୁଆଘୃତେ
ଲଭିଲା ସୁନ୍ଦରୀ ସେ ବାସେବର ସୁତେ ।୫୬୧।
ଅନେକ ହରଷ ହୋଇଲେ ଦେବଗଣମାନେ
ମନ ଭ୍ରାନ୍ତି ଛାଡ଼ିଲେ ସେ ଦେବ ମଘବାନେ ।୫୬୨।
କନ୍ୟାଗୋଟି ସମର୍ପଣ କରନ୍ତି ମଧୁହାରୀ
ଦିନାଦଶ ରହିଲେ ବିଭାଯୋଗ ସାରି ।୫୬୩।
ଯାଦବନ୍ତ ଘେନିଣ ଯେ ଚଳନ୍ତି ଦେବହରି
ଯୁଝେଷ୍ଠି ଦେବେ ରହିଲେ ପଦ୍ମଲାଭ ଗିରି ।୫୬୪।
ଗୋବନ୍ଦେ ବୋଇଲେ ସ୍ୱାମୀ ଦ୍ୱାରିକା ଚାଲ ଯିବା
ମମ କୁଟୁମ୍ୱମାନେ କରନ୍ତୁ ତୋତେ ସେବା ।୫୬୫।
ଯୁଝେଷ୍ଠି ଦେବେ ବୋଇଲେ ଆମ୍ଭେ କଲୁ ଯେ ନିୟମ
ବନବାସ ନ କଲେ ନାଶ ଯିବଟି ଧର୍ମ ।୫୬୬।
ଆବର ବନବାସ ଅଛି ବରଷେ ଦଶମାସ
ତହିଂ ଉତ୍ତାରେ ହୋଇବ ଅଗ୍ୟାଂତବାସ ପରବେଶ ।୫୬୭।
ସମ୍ୱୋଧନା କରିଣ ବାସୁଦେବେ
ଚଳିଲେ ଦ୍ୱାରିକାକୁ ହରି ବଳଦେବେ ।୫୬୮-୮୨୩୨।
କୀର୍ତ୍ତିବାସ ଦୈତ୍ୟବଧ ,
ଚନ୍ଦ୍ରଭାଗା ତୀର୍ଥର ମାହାତ୍ମ୍ୟ ଓ ଅର୍କଦୈତ୍ୟ ବଧ
ପଦ୍ମନାଭ ପର୍ବତେ ଯୁଝେଷ୍ଠି ଦୁଇଦିନ ରହି
ଗୋକର୍ଣ୍ଣିକା ତୀର୍ଥକୁ ଚଳିଲେ ପଞ୍ଚୁଭାଇ ।୧।
ବିଜୟେ ଧର୍ମସୁତେ ୟେକାମ୍ର ଯେ ବନେ
ବିନ୍ଦୁ ସାଗର ତୀର୍ଥେ କଲେକ ସ୍ରାହାନେ ।୨।
କଉଶିକକୁ ଭେଟିଲେ ଯୁଝେଷ୍ଠି ରାଜଦେବେ
ମହାତମାଂକ ଚରଣେ ପ୍ରଣପତ୍ୟ ପଞ୍ଚୁ ଯେ ପାଣ୍ଡବେ ।୩।
ବୋଲନ୍ତି କଉସିକେ ବାବୁ ୟେହୁ ଅଟେ ମହାତୀର୍ଥ
ବିଜୟେ ମହାତମା ୟେଥି ୟେକାମ୍ୱର ନାଥ ।୪।
ୟେ କ୍ଷେତ୍ର ଆଧିପତି ୟେକାମ୍ୱର ଈଶାନ
ୟେକାମ୍ୱର ତୀର୍ଥ ୟେ ୟେକାମ୍ୱର ବନ ।୫।
ଯୁଝେଷ୍ଠି ଦେବଂକୁ ବୋଇଲେ ବାବୁ ୟେ ଲିଙ୍ଗରାଜା
ଆଗେ ଅର୍ଘ୍ୟ ଦେଇ ହୋ ଅରଜୁନ ୟେହାନ୍ତ କରିବା ପୂଜା ।୬।
କଉଶିକେ ବୋଇଲେ ବାବୁ ୟେକାମ୍ୱର ଈଶ୍ୱରେ ଦେଖ
ଭୁବନେଶ୍ୱର ତୀର୍ଥ ୟେହୁଂ ବରଷ ଦଶଲକ୍ଷ ।୭।
ୟେକାମ୍ୱର ସୂକ୍ଷ୍ମେଶ୍ୱର ଯମେଶ୍ୱର ଦେବତା
ଆଦ୍ୟହୁଂ କ୍ଷେତ୍ରର ଯେ ଅଟନ୍ତି କରତା ।୮।
ବାଉନ କୋଟି ଲିଙ୍ଗ ୟେହି ସ୍ତାନରେ ଅଛନ୍ତି
ସମସ୍ତଂକ ଉପରେ ଶ୍ରେଷ୍ଠ ଲିଙ୍ଗ ଯେ ଅଟନ୍ତି ।୯।
କହନ୍ତି କଉଶିକ ପଣ୍ଡିତ ମହାଗ୍ୟାଂତା
ଶୁଣ ବାବୁ ମନଦେଇ ୟେକାମ୍ୱର ବନ କଥା ।୧୦।
ବାବୁ ଆଦ୍ୟହୁଂ ଅଟଇ ୟେ ହାଦେ ୟେକାମ୍ୱର ବନ
ପୃଥୀକି କୀଳାୟେ ଯମେଶ୍ୱର ଉତ୍ତମ ।୧୧।
ପୂର୍ବେ ସୂକ୍ଷ୍ମେଶ୍ୱର କେଦାରେଶ୍ୱର ଉତ୍ତରେ
ମୁକତେଶ୍ୱର ପଛିମେ ଦକ୍ଷିଣେ ହିରଣେଶ୍ୱର ।୧୨।
ଈଶାନ୍ୟେ ରୁଦ୍ରେଶ୍ୱର ବାୟବ୍ୟେ ଭଇରୋବେଶ୍ୱର
ନଈରୁତ କୋଣେ ଯେ ତ୍ରିପୁରାନ୍ତେକ ହର ।୧୩।
ଚନ୍ଦ୍ରେଶ୍ୱର ଲିଙ୍ଗ ବିଜେ ଅଗ୍ନିକୋଣେ
ୟେ ଅଷ୍ଟକୀଳା ଜମ୍ୱୁଦୀପ ପୃଥୀକି ଧାରଣେ ।୧୪।
ଅଷ୍ଟ ମହାଲିଙ୍ଗ ୟେ ଅଛନ୍ତି ଦୀପକେ
ଆଉମାନେ ବଗ୍ନ ହୋଅନ୍ତି ପ୍ରଳୟ ଅନ୍ତକେ ।୧୫।
ନବଦୀପ ପୃଥୀକି ୟେ ବାସ୍ତରୀ ଯେ କୀଳା
ୟେଥେ ସେ ପୃଥୀକି ଖଟାଇଲା ଭେଳା ।୧୬।
ଶଙ୍ଖପଦ୍ମ ମହାପଦ୍ମ କ୍ରକୋଟକ କୁଳିକ ମହାଶ୍ୱେତ ତକ୍ଷକ ଅନନ୍ତ
ୟେ ଅଷ୍ଟକୁଳା ନାଗରେ ରଜ୍ଜୁ ଦଉଡ଼ି ଛନ୍ଦ ସାତ ।୧୭।
ବାବୁ କ୍ରୀତି ବାସନ ବୋଲି ୟେହୁ ଅସୁର ବେନି
ୟେକାମ୍ୱର ନାଥକଇଂ ଖଟିଲେ ଯୁଗ ତିନି ।୧୮।
ଭୋଳେ ବରଦିଲେ ଯେ ୟେକାମ୍ୱରଶ୍ୱର ନାଥ
ଆରେ ଆରେ କଳ୍ପେ କଳ୍ପେ ଅମର ହୋଇ ରହିଥାଅ ୟେଥ ।୧୯।
ବାବୁ ଯୁଝେଷ୍ଠି କିଛିଦିନ ଅନ୍ତେ ଅମର ଭାଙ୍ଗିଲେ ସେ ଅମର କଲେ ଜୁର
ବଳେ ହରି ନେଲେ ସେହୁ କୁବେର ଭଣ୍ଡାର ।୨୦।
ଅନେକ ରାଜଭଣ୍ଡାର ଆଣିଲେ ଜୁର କରି
ସୁବର୍ଣ୍ଣେ ବାନ୍ଧିଲେ ସୁବର୍ଣ୍ଣକୂଟ ଗିରି ।୨୧।
ସୁବର୍ଣ୍ଣକୂଟ ପର୍ବତ ବୋଲି ନାମ ଦିଲେ ବେନି
ତାହାଂକର ଭୟେ ଅମର ଛାଡ଼ିଲେ ସସ୍ରୋଯୋନି ।୨୨।
ବାବୁ ସଉଦାସ ରାଜାର ୟେ ଅଟନ୍ତି ବେନିପୁତ୍ର
କ୍ରୀତି ବାସନ ବୋଲିଣ ୟେ ବେନି ଯେ ଦଇତ ।୨୩।
ୟେ ମହାକ୍ଷେତ୍ର ହୋଇଲା ଅସୁରଭୋଗୀ
ଋଷି ବିପ୍ର ତପୋଧନ ଡରେଣ ସେ ଧାନ ପରିତ୍ୟାଗୀ ।୨୪।
ଶୁଣ ହୋ ଯୁଝେଷ୍ଠି ସତ୍ୟଯୁଗ ୟେମନ୍ତେ ବହିଗଲା
ଜନ ମନୁଷ୍ୟ କେହି ଆତଯାତ ୟେ ତୀର୍ଥେ ନୋହିଲା ।୨୫।
ଈଶ୍ୱରେ ବିଚାରନ୍ତେ ୟେ ଅଟଇ ମହାତୀର୍ଥ
ସଂସାର ଜନ ୟେଥି ହୋଇବେ ମୁକତ ।୨୬।
ଅନେକ ଆନନ୍ଦେ ଆସନ୍ତି ବୃନ୍ଦାଅର୍କେ
ଦାନବ ଭୟେ ପଶି ନୁଆରିଲେ କେହି ଦେବଲୋକେ ।୨୭।
ମୀନମାସ ଶୁକ୍ଲ ପକ୍ଷ ଚଉଠୀ ଚନ୍ଦ୍ର ବାର
ପାର୍ବତୀ ସହିତେ ବିଚାରନ୍ତେ ଦେବହର ।୨୮।
କ୍ରୀତି ବାସନ ଦଇତେ ମରନ୍ତି କେଶବଣମତେ
ତେବେ ସିନା ମୁକତି ହୋଇବେ ୟେହି ମହାତୀର୍ଥେ ।୨୯।
ଈଶ୍ୱରେ ବୋଇଲେ ତୁମ୍ଭେ ଶୁଣ ଗୋ ପାର୍ବତୀ
ତୁମ୍ଭେ ମାରିପାରିବ କି ଅସୁର ଦୁହିନ୍ତି ।୩୦।
ପାର୍ବତୀ ବୋଇଲେ ବଡ଼ାଇ ଦୁରାନ୍ତେ ଦଇତ ଅରି
ଉପାୟେ କରିଣ ଅବା ତାହାନ୍ତ ମାରିପାରି ।୩୧।
ବ୍ରହ୍ମାଂକୁ ଜିଣିଲି ସେ ବାରିଲେ ଦେବରାୟେ
ନାରାୟଣ ଚକ୍ରକୁ ୟେହାଂକର ନାହିଂ କିଛି ଭୟେ ।୩୨।
ଦୁରାପଦ ବରେକ ତୁମ୍ଭେ ଦିଲ ଦେବରାଜ
ଅଭୟେ ହୋଇ ରହିଲେ ସେ ପାପିଷ୍ଠ ଦନୁଜ ।୩୩।
ବିଶ୍ୱନାଥ ସ୍ୱାମୀ ତୁମ୍ଭେ ସମରେ ନୋହିଲା ଯେ ସରି
ବିଶ୍ୱାସଘାତକ କଲେ ତାହାନ୍ତ ପାରିବା ଅବା ମାରି ।୩୪।
ତୁମ୍ଭେ ଯେବେ କୋପ ନ କରିବ ଦେବ ମୋତେ
ମୁହିଂ ଅଭିନ୍ନ ଭାରିଯା ହୋଇବି ତାହାଂକର ପ୍ରାୟମତେ ।୩୫।
ତେତେ ବାଗେ ସେ ତାହାନ୍ତ ମାରିପାରି
ଶୁଣିଣ ଅନେକ ସାନନ୍ଦ ହୋଇଲେ ଦେବ ତ୍ରିପୁରାରି ।୩୬।
ସନ୍ତୋଷେଣ ଆଗ୍ୟାଂ ସେ ଦିଲେ ଦେବରାଜା
ୟେ ମହାତୀର୍ଥ ଗୋ ତୁମ୍ଭେ ଉଦ୍ଧାର କର ଗିରିଜା ।୩୭।
ସ୍ୱାମୀର ବଚନ ସେ ଅଲଂଘିତ ମହାସତୀ
ଈଶ୍ୱରନ୍ତ ଉପେକ୍ଷଣି ସେ ଯେ ଅଇଲେ ପାର୍ବତୀ ।୩୮।
ଆହୋ ଚଇତନ ସଂସାର ସାଗର ୟେ ଯେ ନ ଯାଇ କଳଣା
ପାର୍ବତୀଂକର ରୂପ ନ ଯାଇ କହଣା ।୩୯।
ରମ୍ଭା ମେନକା ଅହଲ୍ୟା ଆଦିକରି
ପାର୍ବତୀଂକର ରୂପକାନ୍ତିକୁ ନୁହନ୍ତି କେହି ସରି ।୪୦।
ଅପଟାନ୍ତର ରୂପ ସେ ପରମ ଅନ୍ନପୂର୍ଣ୍ଣା
ପୁରୁଷ ସୃଷ୍ଟି କି ସେ ମୋହଫାଶ ସିନା ।୪୧।
ନବସୃଷ୍ଟି ଭିଆଇଲେ ସେ ବେଦବର ସ୍ୱାମୀ
ପାର୍ବତୀଂକ ରୂପ ସେ ଦେବ ନୂଆରିଲେ ଚିହ୍ନି ।୪୨।
ବାବୁ ୟେ ମହାତୀର୍ଥ ଉଦ୍ଧାର କରିବା ନିମନ୍ତେ
ପଶିଲେ ଗୋସାମଣି ଯେ ଗହନ ବନସ୍ତେ ।୪୩।
ସାତ ଶୀତଳ ବୋଲି ଯେବଣ ନଦୀଗୋଟି
ଚିତ୍ର ଉତ୍ପଳାଉଂ ସେ ଦକ୍ଷିଣ ବାହିନୀୟେ ଫୁଟି ।୪୪।
ଆହୋ ଯୁଝେଷ୍ଠି ପିତୃଲୋକମାନନ୍ତ ଯେ ଅବସାନ ଦହନ କରି
ସେ ଦହନ ଶୀତଳ ହୋଅଇ ୟେ ନଦୀରେ ସ୍ରାହାନ କରି ।୪୫।
ୟେସନେକ ମହିମା ୟେ ସାତ ଶୀତଳ ନଦୀ
ପଞ୍ଚୁବଟୀ ବନରୁ ସେ ଆସୁଅଛି ଭେଦି ।୪୬।
ସେ ନଦୀରେ ସ୍ରାହାନ ସାରିଣ ପାର୍ବତୀ
ଗୋପାଳୁଣୀ ରୂପ ସେ ଧଇଲେ ମହାସତୀ ।୪୭।
ପାଟ ମାଢ଼ିଆଳ ଯେ ଦେବୀ ଆଭରଣ କଲେ ଅଙ୍ଗେ
ଶିରେ ଦଧିନଉତି ଘେନି ଚଳିଲେ ବନମାର୍ଗେ ।୪୮।
ଗମନ୍ତେ ଗମନ୍ତେ ଦେବୀ ଚଳନ୍ତି ବନସ୍ତେ
ପ୍ରବେଶ ହୋଇଲେ ଯାଇ ସୁବର୍ଣ୍ଣଚୂଟ ପରବତେ ।୪୯।
କୀର୍ତ୍ତି ବାସନ ବୋଲି ଯେ ଦଇତେ
ଦୁହେଂ ବସିଅଛନ୍ତି ସେଇ ସୁବର୍ଣ୍ଣଚୂଟ ପର୍ବତେ ।୫୦।
ଦେଖିଣ ବେନି ଦାନବେ ଯେ ଉଠିଲେ ତଡ଼ତି
ଅପୂର୍ବ କନ୍ୟାୟେ ଯେ ରମ୍ଭାଉଂ ତେଜକାନ୍ତି ।୫୧।
ଆମ୍ଭର ଭୟେ ୟେଥେଂ ଜନ ମନୁଷ୍ୟ ଆତଯାତ
ବଡ଼ାଇ ଦୁଲଭ ୟେ ଆମ୍ଭ କର୍ମର ସୁକୃତ ।୫୨।
ଧାତିକାରେ ଦାନବେ ପ୍ରବେଶ ଯାଇ ଆଗେ
କାହିଂର ମହାତ୍ମାଣୀ ତୁ ପଶିଲୁ ବନମାର୍ଗେ ।୫୩।
ପାର୍ବତୀ ବୋଇଲେ ବାଭିୟେ ମୁହିଂ ଦଧିବିକା ଅଟଇ ଗଉଡ଼ଣୀ
ୟେ ବନମାର୍ଗେ ପଶିଲୁ ମୁହିଂ ବାଟ ତ ନ ଜାଣି ।୫୪।
ବଦୟନ୍ତୀ କୀର୍ତ୍ତି ବାସନ ଯେ ବେନିଭାଇ
ଆଜକ ଆମ୍ଭନ୍ତ ଗୋ ଦେଉକିନା ଦହି ।୫୫।
ଧାନେଣ ତୋହୋର କାର୍ଯ୍ୟ ଧାନ୍ୟେଣ ଅଛି କାର୍ଯ୍ୟ
ଅଷ୍ଟରତ୍ନ ମଧ୍ୟେ ଯାହା ମାଗିବୁ ତା ଦେବୁଂ ଆଜ ।୫୬।
ତୋହୋର ଆମ୍ଭର ହୋଇବ ଆଜ ଗୋ ବଡ଼ାଇ ପୀରତି
ଆମ୍ଭର ତହିଂକି ଗୋ ଦହି ଆଣୁଥିବୁ ଟିକି ନିତି ।୫୭।
ବୋଲଇ ଗୋପାଳୁଣୀ ତୁମ୍ଭେ ପରମ ପଣ୍ଡିତ
ଧାତିକାରେ ମୁଂ ଦହି ଦେଉଥିବି ନିତ୍ୟପ୍ରତ୍ୟ ।୫୮।
ଶାଳପତ୍ର ପାଡ଼ିଣ ବସିଲେ ବୀରବେନି
ଆପଣେ ଗୋସାମଣି ପରଶନ୍ତି ଶଡ଼ାଇ କରେ ଘେନି ।୫୯।
ପରିହାସ ଚାଟୁପଟଳ କହୁଛନ୍ତି ବେନିବୀରେ
ଗେଲେଣ ଭୁଞ୍ଜନ୍ତି ସେ ମଦନ ଆତୁରେ ।୬୦।
ସ୍ୱୟଂ ଗୋସାମଣି ଯେ ପରଶୁଛନ୍ତି ପାର୍ବତୀ
ଦେଉଣଂ ନ ସରଇ ସେ ମାୟା ଦଧିର ନଉତି ।୬୧।
ଆହୋ ଯୁଝେଷ୍ଠି କ୍ଷୀରୋଦ୍ର ପିଇବାକୁ ସମର୍ଥ ଯେବଣ ବେନିବୀରେ
ୟେକା ଦଧି ନଉତିକ ଯେ ଅଣ୍ଟିଲା ସମ୍ଭରେ ।୬୨।
ଖାଆନ୍ତେ ଚାହାନ୍ତି ସେ ପାର୍ବତୀଂକ ଜାନୁ ସ୍ତନ
ଅନଙ୍ଗ ବିଘାତେ ସେ ହୋଇଲେ ମୋହମାନ ।୬୩।
ନିର୍ଜ୍ଜନ ବନ ଗହନ କେହି ନାହିଂ କତି
ହସଇ ପରିହାସ୍ୟେ ସେ ଗୋପାଳୁଣୀ ଜାତି ।୬୪।
ବହୁତ ଭୋଜନେ ଆୟୁଷ ହୋୟେ ହାନି
କାମର ଚେଷ୍ଟା ଆବର ଯୁବତୀ ମାନିନୀ ।୬୫।
ବୋଲଇ ଗୋପାଳୁଣୀ ମୋତେ ଦେବା ନା ଯିସ ହୋଇ
ବଣା ହୋଇ ପଡ଼ିଲି ମୁଂ ତୁମ୍ଭର ହସ୍ତଇ ।୬୬।
ଦଇତ୍ୟେ ବୋଇଲେ ଆମ୍ଭନ୍ତ ବଶକଲୁ ରୂପଗୁଣ ଦେଖାଇ
ପଡ଼ିଲୁ ଆମ୍ଭର ମୁଖେ ଯିବୁ ଆର କାହିଂ ।୬୭।
ପୋଡ଼ଇ କିନା ୟେ ତୁମ୍ଭ ଗୋପାଳୁଣୀ ଜନ୍ମ
ୟେ ନବ ଯଉବନ ଘେନି ଦେଶେ ଦେଶେ ଭ୍ରମ ।୬୮।
ଆଜହୁଂ ତୋର ଜନ୍ମ ଦାରିଦ୍ର୍ୟପଣ କର ତେଜ୍ୟା
ଅନେକ କୂତୁହୋଳେ ଥିବା ଆମ୍ଭର ହୁଅସି ଭାରିଯା ।୬୯।
ଆମ୍ଭର ବଚନ ତୁ ଗୋ ମେଣ୍ଟିବୁ ଯଦ୍ୟପି
ମାରିଣ ମାୟେଂସ ତୋର ଭୁଞ୍ଜିବୁ ଅଦ୍ୟାପି ।୭୦।
ଅସୁରଂକ ମୁଖରୁ ଦେବୀ ନିରାଶ ବଚନ ଶୁଣି
ରୁବଇ ସୁନ୍ଦରୀ ତହୁଂ ନେତ୍ରୁ ବହି ପାଣି ।୭୧।
ୟେହେନ୍ନେକ ଭବିଷ୍ୟ ଯେବେ ଅଛଇକ ମୋତେ
ମୋହୋର ମୃତୁ ତୁମ୍ଭର ସେ ହାଥେ ।୭୨।
କର୍ମ ବୋଲି ସିନା ଆପଣେ ଯାହା ଅର୍ଜି
ଆନକୁ ନ ଦିଶି ଆପଣେ ତାହା ଭୁଞ୍ଜି ।୭୩।
ମମ କର୍ମେ ଯେବେ ଅଛଇ ୟେହେନ୍ନେକ ଘଟଣ
କାହାର ବେଳେ ସେ ହୋଇବାକ ମେଣ୍ଟଣ ।୭୪।
ଭକ୍ଷ ମୋର ମାୟେଂସ ଖାଅ ତୁମ୍ଭେ ଭାଜି
ତୁମ୍ଭର ହାତେ ମୁହିଂ ୟେ ଜନ୍ମ ଯାଇ ସୁଝି ।୭୫।
ଅସୁର ବୋଇଲେ ଆମ୍ଭନ୍ତ ତୁ ଗୋ ନିରାଶ କିମ୍ଫା କହୁ
ତୋତେ ଯାହା ଭକ୍ଷିବୁ ଆମ୍ଭେ ଜୋଇ କିମ୍ଫା ନ ଖାଉଂ ।୭୬।
ତୁ ଆମ୍ଭନ୍ତ ରକ୍ଷା ୟେବେ କରସି ଗୋ ମାୟେ
ଦନ୍ତେଣ ତିରଣ ଘେନି ବେନି ପଡ଼ିଲେ ତାର ପାୟେ ।୭୭।
ବୁଡ଼ିଲୁ ମଦନ ଜଳେ ଗୋ ତୋହୋରେ ଶରଣ
ରତିରଙ୍ଗ ଦେଇ ଗୋ ରଖସି ପଞ୍ଚ ପ୍ରାଣ ।୭୮।
ବୋଲନ୍ତି ଗୋପାଳୁଣୀ ତାହାଂକ ବିନୟ ଦେଖି
ଅଦଭୁତ କାରଣେ ତୁମ୍ଭେ ହୋଇଲ ବଡ଼ ଦୁଖୀ ।୭୯।
ତୁମ୍ଭର ବିକଳେ ପଛେ ମୁଂ ଗୃହବାସ କରିବି ତେଜ୍ୟା
ଦୟା ବସିଲା ମୁଁ ତୁମ୍ଭର ହୋଇବି ଭାରିଯା ।୮୦।
ମୋହୋର ବ୍ରତେକ ଅଛି ଯେବେ କରିବ ପ୍ରତିଷ୍ଠା
ହୋଇବି ବଲ୍ଲଭୀ ତୁମ୍ଭର ପୂରାଇବି ମନତୁଷ୍ଟା ।୮୧।
ଶୁଣିଣ ଦାନବେ ଯେ ହୋଇଲେ ଉଷତ
କହ ଗୋ ମହାତ୍ମାଣୀ ତୁମ୍ଭର କିସ ବ୍ରତ ।୮୨।
ସରୂପ ବଚନ ଯେ କହନ୍ତି ଗଉରୀ
କିଞ୍ଚିତ ମାତ୍ର ବ୍ରତ ଯେ ଅଛଇ ମୋହୋରି ।୮୩।
ତୁମ୍ଭେ ଦୁହେଂ ମୋତେ ଯେ କାନ୍ଧରେ ବସାଇ
ୟେ ତୀର୍ଥଯାକ ମୋତେ ଆଣିବ ବୁଲାଇ ।୮୪।
ୟେତେକ ପ୍ରତିଷ୍ଠା ଯେ ହୋଇବ ମୋହାର ବ୍ରତ
ଶୁଣି ଅନେକ ହରଷ ହୋଇଲେ ବେନିଭ୍ରାଥ ।୮୫।
କାମେ ବଶ ହୋଇଣ ସେ ନ ଚେତନ୍ତି କିଛି
ମହାଉଚ୍ଚାଟ ଫାଶ ଦେବୀ ଲଗାଇଣ ଅଛି ।୮୬।
ରଜ୍ଜୁ ଲଗାନ୍ତେ ଯେସନେ ଗମନ୍ତି ବଇଲ
କାମ ବଶେ ନାଶଗଲେ ବେନି ମହାମଲ୍ଲ ।୮୭।
ଆହୋ କ୍ରୀତି ବାସନ କାହିଂ ଅଟନ୍ତି ପରମଯୋଗୀ
ଯୁବତୀଂକ ବଶେ ପଡ଼ି ସେ ସମସ୍ତ ପରିତ୍ୟାଗୀ ।୮୮।
ବେନି କାନ୍ଧ ପାତିଲେ ସେ ବେନି ବୀରମଣି
ବକ୍ଷସ୍ଥଳେ ବେନି ଚରଣ ଦେଇ ଉଠିଲେ ଗୋସାମଣି ।୮୯।
ବୁଲାବନ୍ତି କ୍ଷେତ୍ରରେ ସେ ମଧୁର ଗୀତଗାଇ
ହାସନ୍ତି ନାଚନ୍ତି ସେ କରେ କରତାଳି ଦେଇ ।୯୦।
ଇଶାନ୍ୟ କୋଣ ଡେଇଂ ଆଣିଲେ ଅସୁରେ
ଆସିଣ ପ୍ରବେଶ ହୋଇଲେ ୟେକାମ୍ୱରେଶ୍ୱର ଦ୍ୱାରେ ।୯୧।
ବରୁଣା ବଳିକା ତହିଂ ଗୋଟିୟେକ ଅଛି
କନ୍ଧରେ ବସାଇ ବୀରେ କଉତୁକେ ନାଚି ।୯୨।
ରେ ରେ ଶବଦ କଲେକ ଶାକାମ୍ଭେରୀ
ମହାଭୀଷ୍ମ ରୂପ ହୋଇଲେ ଗଗନ ସରି ।୯୩।
ମହାଭାରାନ୍ତ ପାଇ ପକାଇ ଲୋଡ଼ନ୍ତି ପାମରେ
ଦୁହିଂକର କେଶ ଦେବୀ ଧରିଲେ ଦୁଇକରେ ।୯୪।
ଫୁକାର ଶବଦ କରିଣ ଦେବୀ ଦିଲେ ଚାପି
ହୋଇଲେ ପାତାଳଗାମୀ ସେ ଅସୁର କାମରୂପୀ ।୯୫।
ଅସୁର ବୋଇଲେ ୟେତ କପଟ ହୋଇଲା
ୟେ ମାୟକୂଟ ଆମ୍ଭନ୍ତ ମଣିତ ନ ଗଲା ।୯୬।
ପାତାଳକୁ ପଶିଲେନି ବେନିବୀରେ ହୃଦଗତ ପରିଯନ୍ତେ
ଆକ୍ରେଷି ଦରାଣ୍ଡି ଧରି ଲୋଡ଼ନ୍ତି ବେନି ହାଥେ ।୯୭।
ଦୁଇଭୁଜେ ଧରିଛନ୍ତି ଦୁହିଂକର କେଶ
ଆହୁରି ଚତୁର୍ଭୁଜ ହୋଇଲା ପ୍ରକାଶ ।୯୮।
ଆକ୍ରେଷି ଗୋସାମଣି ଦୁହିଂକର ଭୁଜ ଧରି
ହୁଂକାର ନାଦକରି ଦେବୀ ଅସୁର ଭୁଜନ୍ତ ଉପାଡ଼ି ।୯୯।
ରୋଧିର ମାୟେଂସ କର୍ଦନ ହୋଇ ତୁସ୍ତି କରନ୍ତି ଦାନବେ
ମା ଗୋ ବୁଡ଼ାଇଲୁ ଶ୍ୱରୀର ସ୍ତିରୀ ମାତ୍ର ଭାବେ ।୧୦୦।
ୟେବେ ଆମ୍ଭେ ତ ନାଶଗଲୁ ନ ଜାଣିଣ ବେନିଭାଇ
ତୁହି କିୟେଟି ଗୋ ଆମ୍ଭଂକୁ ନ କହୁ କାହିଂପାଇଂ ।୧୦୧।
ନାମ କେବଣ ତୋର ଜାଣିଥାଉଂ ଦୃଦେ
ବଦୟନ୍ତି ଗୋସାମଣି ମୁହିଂ ପାର୍ବତୀ ଅଟଇ ହାଦେ ।୧୦୨।
ଅସୁରେ ବୋଇଲେ ଆମ୍ଭେ ନିସ୍ତରିଲୁ ମହାମାୟେ
କଣକଳ୍ପ ଦୃଶ୍ୟ ଗୋ ହୋଇଥାଉ ଆମ୍ଭ କାୟେ ।୧୦୩।
ଅନେକ ତୀର୍ଥ ଯେ ୟେଥି ହୋଇବ ତହିଂ ଯାତ୍ରା
ଥିଲେହେଂ କିଞ୍ଚିତ ୟେଥି ହୋଇଥାଉଂ ଭଗତା ।୧୦୪।
କଠୋର ଦେଖି ତାହାନ୍ତ ଦୟା କଲେ ଗୋସାମଣି
ମାଗରେ ବର ତୁମ୍ଭେ ବୋଇଲେ ଠାକୁରାଣୀ ।୧୦୫।
ଅସୁରେ ବୋଇଲେ ମାତା ଗୋ ଯେବେ ହୋଇଅଛୁ ଦୃଶ୍ୟ
ୟେତେକେହେଂ ଥାଉ ଆମ୍ଭନ୍ତ ପ୍ରାଣେ ନ କର ନାଶ ।୧୦୬।
ମା ଗୋ ଆମ୍ଭେ କୀର୍ତ୍ତି ବାସନ ବୋଲି ଯେ ବେନିଭ୍ରାଥ
କୀର୍ତ୍ତିବାସନ ବୋଲି ନାମ ହୋଇବ ୟେହୁ ତୀର୍ଥ ।୧୦୭।
ପ୍ରସନ୍ନ ହୋଇଣ ଗୋସାମଣି ତାହାନ୍ତ କଲେ ଦୟା
ୟେ ତୀର୍ଥ ହେଉ କୀର୍ତ୍ତିବାସନ ବୋଲି ବର ଦିଲେକ ଅଭୟା ।୧୦୮।
ବାବୁ ୟେକାମ୍ୱର ଦେବ ପାଶେ ୟେ ବେନି ପାଷାଣ
କୀର୍ତ୍ତିବାସନ ବୋଲି ୟେହା ତଥ୍ୟ କରି ଜାଣ ।୧୦୯।
ଆହୋ ଯୁଝେଷ୍ଠି କୀର୍ତ୍ତିବାସନ ଯିବା ବୋଲି ଯେ ଆସିବ ୟେ ତୀର୍ଥକୁ
ସେ ପୁଣ୍ୟ ଅଧେ ପ୍ରପାତ ହୋଅଇଟି କୀର୍ତ୍ତିବାସନକୁ ।୧୧୦।
ୟେ ଦୁହିଂକର ମଧ୍ୟେ ଯେହୁ ଯାଆନ୍ତି ନ ଜାଣି
ଯାବତ ସୁକୃତମାନ ୟେହାନ୍ତ ଦିଅନ୍ତି ଗୋସାମଣି ।୧୧୧।
ଅସୁରନ୍ତ ମାରି ଦେବୀ ହୋଇଲେ ମହାଶ୍ରମି
ଅଳସେ ନିଦ୍ରାଗଲେ ଦେବୀ ତୁଚ୍ଛା ଭୂମି ।୧୧୨।
କଉସିକେ ଯୁଝେଷ୍ଠିକି ଦେଖାଇଲେ ନେଇ
ବିନ୍ଦୁସାଗର କୂଳେ ଅଛନ୍ତି ଦେବୀ ଶୋଇ ।୧୧୩।
କଉଶିକ ମୁନିଂକି ପୁଛାକଲେ ଧର୍ମରାୟେ
କେବଣ ଚରିତ ୟେ ବଡ଼ାଇ ଆଶ୍ରିଜ ହୋୟେ ।୧୧୪।
ଗୋସାମଣିଂକ ପଦତଳେ ଅଛଇ ଲିଙ୍ଗ ଯେ ଗୋଟିୟେ
ପାର୍ବତୀଂକ ଯିବା ଡେରି ଦେଖି ଦେବରାୟେ ।୧୧୫।
ଗୋସାମଣିଂକି ଲୋଡ଼ିଣ ଅଇଲେ ମହାଦେବେ
ଦେଖିଲେ ପ୍ରାଣେ ନାଶ ହୋଇଛନ୍ତି ଦାନବେ ।୧୧୬।
ଅନେକ ବ୍ୟାକୁଳେ ଦେବ ହୋଇଣ ବିମୁଖ
ପାର୍ବତୀଂକୁ ନ ଦେଖି ଈଶ୍ୱରେ କଲେ କୋପ ।୧୧୭।
ଶ୍ରମେ ଧାବନ୍ତି ଦେବ ଲୋଡ଼ନ୍ତି ଚଉକତି
ସେ ବିଂଝଗିରି ପର୍ବତେ ଯାଇ ବିଜୟେ କଲେ ଝାତି ।୧୧୮।
ପାର୍ବତୀ ପାର୍ବତୀ ବୋଲି ଡାକନ୍ତି ଉଚ୍ଚସ୍ୱରେ
ସେ ବିଂଝଗିରି ପର୍ବତ ପାତାଳକୁ ପଶିଲା ରୁଦ୍ର ପାଦଭରେ ।୧୧୯।
ବାବୁ ୟେଣୁକରି ପାତାଳଗାମୀ ହୋଇଲା ବିଂଝଗିରି ପରବତ
ତେନ୍ୟାୟୁଂ ଉଦେ ହୋଇଲା ବିଂଝଗିରି ତୀର୍ଥ ।୧୨୦।
ବାବୁ ଲୋଡ଼ନ୍ତେ ୟେଥେ ଆସି ଭେଟିଲେ ଦେବ ଶୂଳପାଣି
ଦେଖିଲେ ଦକ୍ଷିଣକଇଂ ଶୋଇଅଛନ୍ତି ଗୋସାମଣି ।୧୨୧।
ହା ହା ସଖୀ ବୋଲିଣ ଦେବ ଯେ ସୁଢଳେ
ଈଶ୍ୱର ସ୍ୱାମୀ ଯେ ବିଜେକଲେ ପାର୍ବତୀଂକ ପାଦତଳେ ।୧୨୨।
ଶୁଣ ବାବୁ ଯୁଝେଷ୍ଠି ୟେ ଲିଙ୍ଗର ଆଦିକଥା
ଶମ୍ଭୁ ହୋଇ ରହିଲେ ସେ ଈଶ୍ୱର ଦେବତା ।୧୨୩।
ଯୁଝେଷ୍ଠି ପୁଚ୍ଛାକଲେ ଶୁଣିମା ବିଶ୍ୱାମିତ୍ରେ
ସେ ମାୟେ ବିଜେକଲେ ଦକ୍ଷିଣଭାଗ ତୀର୍ଥେ ।୧୨୪।
ବିଶ୍ୱାମିତ୍ରେ ବୋଇଲେ ବାବୁ ସାବଧାନେ ଶୁଣ
ୟେ ମହାତୀର୍ଥେ ଆସି ତପ କଲାଟି ରାବଣ ।୧୨୫।
ଯୁଝେଷ୍ଠି ପୁଛାକଲେ ବିଶ୍ୱାମିତ୍ରଂକ ଅଗ୍ରତେ
ଲଂକାକଇଂ ଛାଡ଼ି ରାବଣ ୟେଥକ ଅଇଲା କିସ ଅର୍ଥେ ।୧୨୬।
ଶୁଣ ହୋ ଯୁଝେଷ୍ଠି ବ୍ରହ୍ମାଂକର ସମୟକେ ହୋଇଲା ଚାରିପୁତ୍ର
ବଶିଷ୍ଠ ନାରଦ ଯେ ଅଗସ୍ତି ପୋଉଲସ୍ତ୍ୟ ।୧୨୭।
ପୋଉଲସ୍ତିଂକର ନନ୍ଦନ ଯେ ହୋଇଲେ କପିଳ
ଶୂନ୍ୟମୁନି ବୋଲିକରି ୟେହାଂକ ଦୁଲାଳ ।୧୨୮।
ଶୂନ୍ୟଂକର ପୁତ୍ର ଯେ ପ୍ରୟାଗ ବାସୁଦେବା
ୟେହାକଂର ନନ୍ଦନ ଯେ ହୋଇଲା ବିଶ୍ରବା ।୧୨୯।
ବଇବସୁତ ମନୁଂକର ଦୁହିତା ଜମ୍ୱୁବତୀ
ତାହାକଇଂ ପ୍ରଦାନ ହୋଇଲେ ବିଶ୍ରବା ମହାଯତି ।୧୩୦।
ବିଭା ହୋଇଣ ସେ ବିଶ୍ରବା ମୁନିବରେ
ସ୍ୱସ୍ଥ ପାଇ ରହିଲେ ସେ ବଇବସୁତ ମୁନିଂକର ପୁରେ ।୧୩୧।
ମେରୁଶିଙ୍ଗ ଭଗ୍ନକଲା ପବନ ବିଘାତେ
ଦକ୍ଷିଣ ମଉଦଧିରେ ପକାଇଲେ ହାଦେ ।୧୩୨।
ସୁବର୍ଣ୍ଣର ଶିଂଗ ବୋଲି ତା ପିତା କଲେ ରକ୍ଷ
ଦକ୍ଷବଂଶେ ଉପୁଜିଛନ୍ତି ରକ୍ଷ ଭକ୍ଷ ।୧୩୩।
ଘଟଣା ଯୋଗଡ଼ମାନ ଦିଲେ ବେଦବର
ବୋଇଲେ ତୁମ୍ଭେ ଦୁହେଂ ୟେଶିଂଗେ ପୁରେକ ନିର୍ବାଣ କର ।୧୩୪।
ବଡ଼ ବିଚିତ୍ର କରି ପୁରେକ ନିର୍ବାଣ କରିବ
ଅସୁର ଭୟେ ହୋଇଲେ ୟେଥେଂ ତେତିଶକୋଟି ଦେବତାନ୍ତ
ଦେବ ଠାବ ।୧୩୫।
ବଜ୍ରଯନ୍ତ୍ର କବାଟ ହୋଇବ ବଜ୍ରଯନ୍ତ୍ର କିଳଣି
ପାଚେରୀ ଉଚ୍ଛର୍ଗ ହୋଇବ ମେରୁଗିରି ଜାଣି ।୧୩୬।
ଚିତ୍ରପଟ ଗୋଟିୟେ ପାଡ଼ିଲେ ବେଦପତି
ୟେହିମତି ଲଂକାଗଡ଼ ସ୍ରିଜିବ ମେଢ଼ ମଣ୍ଡପ ଜଗତୀ ।୧୩୭।
ଧାତାର ବଚନେ ରକ୍ଷ ଭକ୍ଷ ଦୁହେଂ ଲାଗି
ମହା କାମରୂପୀ ସେ ଗଢ଼ନ୍ତି ତାହା ବେଗି ।୧୩୮।
ବ୍ରହ୍ମାଂକର ବଚନେ ସେହୁ ବେନି ବେନି ରକ୍ଷ ଭକ୍ଷ
ଲଂକା ନିର୍ବାଣ କଲେ ବରଷ ଦଶଲକ୍ଷ ।୧୩୯।
ଦେଖିଣ ସାନନ୍ଦ ଯେ ହୋଇଲେ ପଦ୍ମଯୋନି
ବୋଇଲେ ୟେଥେ ତୁମ୍ଭେ ରାଜ୍ୟକର ଭାଇବେନି ।୧୪୦।
ପିତାର ଆଗ୍ୟାଂ ପାଇ ସେହୁ ରକ୍ଷ ଭକ୍ଷ
ନିଚିନ୍ତେ ରାଇଜ ସେ କରନ୍ତି ବେନିବତ୍ସ ।୧୪୧।
ସମୟେକେ ସେହୁ ଦତ୍ୟେନ ଉପଦ୍ରବ କଲେକ ଆକାଶ
ଅନୀତି ଦେଖିଣ ନାରାୟଣ ତାହାଂକଇଂ କଲେ ନାଶ ।୧୪୨।
ରକ୍ଷ ଭକ୍ଷକଂର ପୁତ୍ର ଯେ ହେତି ପରହେତି
ଲକାଂରେ ସମୟେ ସେ ହୋଇଲେ ଆଧିପତି ।୧୪୩।
ସେହୁ ସମୟେକେ କଉଣୋପେ ଉପଦ୍ରବ କଲେ
ନାରାୟଂଣକର ହାଥେ ସେହୁ ନାଶଗଲେ ।୧୪୪।
ତାହାଂକର ପୁତ୍ର ଯେ ବଜ୍ରାଙ୍ଗ କାଳାନଳ
ସମୟେକେ ଲଂକାଗଡ଼େ ସେହୁ ହୋଇଲେ ମହୀପାଳ ।୧୪୫।
ସେହୁ ବିରୋଧ କଲେ ଆକାଶ ସ୍ୱର୍ଗପୁରେ
ତାହାନ୍ତ ନାଶ କଲେ ହରି ଦାମୋଦରେ ।୧୪୬।
ତାହାଂକର ନନ୍ଦନ ହୋଇଲେ କେଶୀ ମହାକେଶୀ ।
କେଶବରୂପେ ହରି ତାହାନ୍ତ ଦର୍ପ ଧ୍ୱଂସି ।୧୪୭।
ତାହାଂକର ପୁତ୍ର ଯେ ଉପୁଜିଲେ ବଳୀ ମହାବଳୀ
ତାହାନ୍ତ ବଦ୍ଧ କଲେ ବଳୀ ଦେବ ବନମାଳୀ ।୧୪୮।
ବଳୀ ମହାବଳୀର ପୁତ୍ର ମାଳୀ ଯେ ସୁମାଳୀ
ସମୟେକେ ଥିଲେ ସେ ଲଂକା ମହାସ୍ଥଳୀ ।୧୪୯।
ସମସ୍ତ ଦେବତାଂକୁ ଯେ ବଶ୍ୟାବୃତ୍ତି କରି
ଜନାର୍ଦ୍ଦନ ଅବତାରେ ମାଳୀ ଦତ୍ୟକୁ ଦଳି ।୧୫୦।
ସୁମାଳୀ ଦାନବ ତହୁଂ ପଳାଇଲା ଡରେ
ଭୟେଣ ଲୁଚିଲେ ଯାଇ ପାତାଳ ସ୍ୱର୍ଗପୁରେ ।୧୫୧।
ସେ ଲକାଂଗଡ଼ ଶୂନ୍ୟ ଯେ ହୋଇଲା ସମୟେ
କେହି ଆତଯାତ ନୋହନ୍ତି ତହିଂ ପଦ୍ମଲାଭର ଭୟେ ।୧୫୨।
ବିଶ୍ରବା ଋଷି ଯେ ବଇବସୁତ ମନୁ ଘରେ ଥିଲେ
ବ୍ରହ୍ମା ନେଇ ତାହାନ୍ତ ଲଂକାରେ ରୁହାଇଲେ ।୧୫୩।
ଘରଣୀଂକ ସହିତେ ଲଂକାରେ ଥାନ୍ତି ବିଶ୍ରବା ମହାଋଷି
ପାତାଳ ସ୍ୱର୍ଗପୁରୁ ଦିନେ ସୁମାଳୀ ଦତ୍ୟ ଆସି ।୧୫୪।
ମୀନମାସ ଶୁକଳ ପକ୍ଷ ଚଉଠୀ ଗୁରୁବାର
ମୃଗଶିରା ନକ୍ଷତ୍ର ଭୋଗ୍ୟ ସେ ଦିନର ।୧୫୫।
ବାୟେବ୍ୟ ନାମେ କରଣ ଆୟୁଷ୍ମାନ ନାମେ ଯୋଗ
ମୀନ ସଂକ୍ରାତିକୁ ତେରଦିନ ଭୋଗ ।୧୫୬।
ସେ ଦିନ ସୁମାଳୀ ଯେ ଅଇଲା ମଧ୍ୟସ୍ୱର୍ଗେ
ସମସ୍ତ ରାଜ୍ୟ ବୁନି ପଶିଲା ଲକାଂଭାଗେ ।୧୫୭।
ପୁରେ ପୁରେ ଦତ୍ୟ ଯେ ବୁଲିଲେ ଆତ୍ମନ୍ତେ
ବିଶ୍ରବା ଋଷିକୁ ସେ ଭେଟିଲା ୟେକାନ୍ତେ ।୧୫୮।
କୋପକଲା ରାକ୍ଷସ ସେ ବିଶ୍ରବାକଇଂ ଦେଖି
କାଳଚକ୍ର ପ୍ରାୟେକ ବୁଲାଇ ବେନିଆଖି ।୧୫୯।
କାହିଂର ବ୍ରାହ୍ମଣ ତୁରେ ମୋହୋର ପୁରେ ପଶୁ
ବ୍ରାହ୍ମଣ ହୋଇ କିପେଂ ଅସୁର ଭୂମିକି ଆସୁ ।୧୬୦।
ବିଶ୍ରବା ବୋଇଲେ ଆମ୍ଭନ୍ତ କୋପ ନ କରେ ରେ ବାବୁ
ତୋହୋର କୋପକଲେ ଆମ୍ଭେ କ୍ଷଣେହେଂ କିମ୍ପେ ଥିବୁ ।୧୬୧।
ତୁ ଯେବେ ଲକାଂଗଡ଼ର ଅଟୁ ଆହୋ ରାୟେ
ତୋତେ ଦେବୁଂ ଆମ୍ଭେ ଅନ୍ନ ଯେ ପୁଡ଼ାୟେ ।୧୬୨।
ୟେତେ ବୋଲି ବିଶ୍ରବା ଭୋଜନ ତାକୁ ଦିୟେ
ଭୁଞ୍ଜଇ ସୁମାଳୀ ଯେ ପରଶନ୍ତି ବିଶ୍ରବାୟେ ।୧୬୩।
ଅନେକ ସନ୍ତୋଷେ ଭୁଞ୍ଜଇ ଅସୁରେଶ୍ୱର ରାୟେ ।୧୬୪।
ଭୁଞ୍ଜିଣ ତ୍ରିପୁତି ଯେ ହୋଇଲା ଦଇତ ଅରି
ନିଚୟେ ବ୍ରାହ୍ମଣ ତୁକୁ ପ୍ରାପତ ହୋଇଲା ଲଂକାପୁରୀ ।୧୬୫।
ମୋହୋର ଅଛଇ ଯେ ଦୁହିତା ଗୋଟିୟେ
ତାହାକଇଂ ପ୍ରଦାନ ତୁମ୍ଭେ ହୋଇବା ପଣ୍ଡାୟେ ।୧୬୬।
ୟେ ଲକାଂଗଡ଼ ତୁମ୍ଭନ୍ତ ଦିଲାଇଂ ଯଉତୁକ
ୟେ ଲକାଂଗଡ଼କୁ ଭୋଗ୍ୟକର ଅକଣ୍ଟକ ।୧୬୭।
ଡରେଣ ସନମତ କଲେ ବିଶ୍ରବା ମହାଋଷି
ସୁମାଳୀର ଦୁହିତା ବିଭା ହୋଇଲା ନଉକେଶୀ ।୧୬୮।
ମାଳୀଦତ୍ୟର ଦୁହିତା ପୁଷ୍ୟଉତକଟ ନାମେ ଦୁଲଣୀ
ବିଶ୍ରବାକଇଂ ପ୍ରଦାନ କଲା ତାହାକୁ ଆଣି ।୧୬୯।
ମାଲ୍ୟବନ୍ତର ଦୁହିତା ପୁଷ୍ୟ ଯେ ମାଳିନୀ
ବିଶ୍ରବାକଇଂ ପ୍ରଦାନ କଲା ସେହୁ ଆଣି ।୧୭୦।
ବ୍ରାହ୍ମଣୀ ତାହାଂକର ଯେ ହୋଇଥିଲା ଗର୍ଭବତୀ
ତାହା ତହୁଂ ପୁତ୍ରେକ ହୋଇଲା ଉତପତ୍ତି ।୧୭୧।
ବିଶ୍ରବାୟେ ଦେଖିଲେ ସୁସଞ୍ଚ ବାଳ ତନୁ
ସେ ପୁତ୍ରର ନାମ ଦିଲେକ ଶତମନୁ ।୧୭୨।
ପୁଣି ସମୟେକେ ନଉକେଶୀ ହୋଇଲା ଗର୍ଭବତୀ
ତାହାର ତହୁଂ ରାବଣ ହୋଇଲା ଉତପତ୍ତି ।୧୭୩।
ପୁଣ ନଉକେଶୀ ପୁତ୍ରେକ ହୋଇଲା ଜାତ
ଅରୁଣତେଜ ବୋଲି ତାହାର ନାମ ବିଖ୍ୟାତ ।୧୭୪।
ସମୟେକେ ଖେଳୁଛନ୍ତି ଅରୁଣତେଜ ଶତମନୁ
ବାରୁଆଳୀ ହୋଇଲେ ଦୁଇ ବାଳୁତ ତନୁ ।୧୭୫।
କୋପେ ଶତମନୁ କଟାକ୍ଷି ଚାହିଂଲା
ନଉକେଶୀର ନନ୍ଦନ ଅରୁଣତେଜ ଭସ୍ମ ହୋଇଗଲା ।୧୭୬
ଡରେଣ ନଉକେଶୀ ରାଇଲା ରାବଣ ନାମେ ବଳା
ୟେଥେ ଥିଲେ ମରିବୁ ବାବୁ ବହନ ହୋଇ ପଳା ।୧୭୭।
ମାତାର ବଚନେ ସେ କଲାକ ମହାଭୟେ
ପୁଷ୍ୟେକ ଆରୋହୀ ପଳାଇଲା ନଉକେଶୀର ତନୟେ ।୧୭୮।
ପଳାଇ ପଶିଲା ଆସି ମଉଦଧି ଉତ୍ତର ତଟେ
ୟେକାମ୍ୱର ନାଥକଇଂ ଭେଟିଲା ନିକଟେ ।୧୭୯।
ସୁବର୍ଣ୍ଣଚୂଟ ପର୍ବତ ଦକ୍ଷିଣ କୋଣ ଭାଗେ
ବାଣେକ ଥୋଇ ଜପଇ ମହାମନ୍ତ୍ର ଯୋଗେ ।୧୮୦।
ସମସ୍ତ ନିରୋଧିଲା କାଳ କାମ କ୍ରୋଧ ନିଦ୍ରା
ଅଶି ସହସ୍ର ବରଷ ବସିଲା ୟେକମୁଦ୍ରା ।୧୮୧।
ତମ୍ୱାର କୁଣ୍ଡେଣ ସେ କଲାକ ଆହୁତି
ଶରୀରୁ ମାସଂ କାଟି ପକାଇ ତହିଂ ନିତି ।୧୮୨।
ୟେ ମହାକଷ୍ଠୋର ଦେଖିଣ ବିଜୟେ ଯୋଗେଶ୍ୱର
ଭୋଳେଣ ରାବଣକଇଂ ପ୍ରସନ୍ନେ ଦିଲେ ବର ।୧୮୩।
ଚଉରାଶି କୋଟି ଅମର ବର ମାଗିଲା ଯାତୁଧାନ
ବୋଇଲା ମୋହୋର ହୋଇବ ଦଶଇ ବଦନ ।୧୮୪।
ୟେକ ଶରୀରେ ହୋଇବ ମୋହୋର କୋଡ଼ିୟେ ଯେ ଭୁଜ
ନାଗ ନର ଦେବଲୋକେ ହେବି ୟେକରାଜ ।୧୮୫।
ଭୋଳେଣ ପ୍ରସନ୍ନ ଯେ ହୋଇଲେ ସୋମୟା
ଅତୁଟ ଅଫୁଟ ହୋଉ ରାବଣ ତୋର କାୟା ।୧୮୬।
କିଞ୍ଚିତ ଭଗତେ ସେ କଲେ ବହୁତ ସଦୟା
ବାବୁ ୟେ ଲିଙ୍ଗଗୋଟି ହାଦେ ରାବଣ ସୋମୟା ।୧୮୭।
ୟେହାକୁ ସେବାକରି ଯେ ଯାହା କରନ୍ତି ଇଛା
ପ୍ରତକ୍ଷେ ମହାଦେବ ପୂରାବନ୍ତି ମନବାଞ୍ଛା ।୧୮୮।
କଉସିକ ମୁନିଂକ ବଚନେ ସାନନ୍ଦ ଧର୍ମରାୟେ
ସେ ସୋମାୟା ଲିଙ୍ଗକୁ ବହୁତ ହୁଅନ୍ତି ବିନୟେ ।୧୮୯।
ବାବୁ ୟେ ହାଦେ ଅଟଇ ଅମାପତ ସରଇଂ
ୟେଥେ ସ୍ରାହାନ କଲେ ଅନେକ ପାପ ଯେ ହରଇ ।୧୯୦।
ୟେଥେ ସ୍ରାହାନ କରି ପୁଷ୍ପେଶ୍ୱର ଲିଙ୍ଗ ଦେଖ
ଗତ ଆଗତ ଜନ୍ମର ପାତେକ ଉପେଖ ।୧୯୧।
କଉସିକେ ବୋଇଲେ ବାବୁ ଶୁଣ ଧର୍ମବାଳ
ୟେ ସେ ମହାଲିଙ୍ଗ ହାଦେ ଅଟନ୍ତି କପିଳ ।୧୯୨।
ତ୍ରେତୟା ଯୁଗରେ ରାମ ରାବଣକଇଂ ମାରି
ବିଭୀଷଣକୁଇଂ ରାଜ୍ୟ ସମର୍ପି ସୀତାଂକୁ ଘେନି ଆସନ୍ତି ବାହୁଡ଼ି ।୧୯୩।
ଶ୍ରୀ ରାମଚନ୍ଦ୍ର ଲିଙ୍ଗ ଗୋଟିକି ଆରାଧି
ରାମେଶ୍ୱର ବୋଲି ଲିଙ୍ଗେକ ଥାପିଲେ ସେ ବୋଧି ।୧୯୪।
ସୁଗ୍ରୀବର ନୃପତି ୟେ ଲିଙ୍ଗଗୋଟି କଲେ ପୂଜା
ଭୁବନେଶ୍ୱର ଆଧିପତି ସେ ଭୁବନେଶ୍ୱର ଲିଙ୍ଗରାଜା ।୧୯୫।
ଜମ୍ୱେବ ପୂଜିଲେ ଯେ ଜମେଶ୍ୱର ମହାଲିଙ୍ଗ
ଶତବାଳୀ ପୂଜିଲା ଈଶାଣେଶ୍ୱର ଲିଙ୍ଗ ।୧୯୬।
ହନୁମନ୍ତ ପୂଜିଲେ ସେ ସୁରେଶ୍ୱର ଦଇବତ
ଗଙ୍ଗେଶ୍ୱର ଦେବଂକୁ ପୂଜିଲା ହରିନାଥ ।୧୯୭।
ବ୍ରହ୍ମା ପୂଜିଲେ ବ୍ରହ୍ମେଶ୍ୱର ଦେବ କାଶୀ
ନାରଦେଶ୍ୱର ବୋଲି ଲିଙ୍ଗେକ ପରକାଶି ।୧୯୮।
ଲିଙ୍ଗେକ ପୂଜିଲେ ଯେ ଦକ୍ଷ ପ୍ରଜାପତି
କୃତ୍ତେଶ୍ୱର ବୋଲି ଲିଙ୍ଗେକ ଆଧିପତି ।୧୯୯।
ଯମଦେବତା ପୂଜିଲେ ଯମେଶ୍ୱର ଲିଙ୍ଗ
ମରୁତେଶ୍ୱରଂକୁ ସ୍ଥାପି ପୂଜିଲେ ଧନେଶ୍ୱର ବେଗ ।୨୦୦।
ମହାକ୍ଷେତ୍ର ଦେଖି ସେ ତେତିଶ କୋଟି ଦେବେ
ସମସ୍ତେହେଂ ପୂଜା ଘେନୁଛନ୍ତି ୟେହିଠାବେ ।୨୦୧।
ଦେବତାୟେ ବିଜେକଲେ ମଧ୍ୟ ଯେ ଆକାଶେ
ବାସୁକି ବିଜେ କଲେ ଯେ ୟେହୁ ଭୂବନ ବାସେ ।୨୦୨।
ସେହୁ ବସିଲେ ୟେଥେ ପୁଷ୍କର ବିଜେକରି ।୨୦୩।
ତହୁଂଣ ପାଣ୍ଡବେ ଚଳିଣ ହାଦେ ଗଲେ
ଭାସ୍କର ତୀର୍ଥେ ଯାଇଂ ପ୍ରବେଶ ହୋଇଲେ ।୨୦୪।
ଚନ୍ଦ୍ରଭାଗା ଦେବ ଦକ୍ଷିଣ ମହୋଦଧି
ସ୍ରାହାନ କଲେ ତହିଂ ପାଣ୍ଡବ ଗୁଣନିଧି ।୨୦୫।
ଯୁଝେଷ୍ଠି ଦେବ ତହିଂ ପଚାରିଲେ ବାରତା
କହିବା ମୁନି ହେ ୟେହୁ ଅର୍କତୀର୍ଥର କଥା ।୨୦୬।
ତାହାର ପୁତ୍ର ସେହୁ କଲା କେଉଂଣ ଦୋଷ
କେଉଂଣ ପ୍ରକାରେ ତାକୁ ବିରଞ୍ଚି ନାରାୟଣ କଲେ ନାଶ ।୨୦୭।
ବଦନ୍ତି ମାରକଣ୍ଡେ ଶୁଣ ହୋ ପଣ୍ଡୁସୁତ
କୃତାନ୍ତକ ଦଇଂତହୁଂ ଜାତ ଅର୍କ ଯେ ଦଇତ ।୨୦୮।
ଅମର ବିବାଦେ ଜମ୍ୱୋଦତ୍ୟ ଇନ୍ଦ୍ର କଲା ହତ
ଶିରଗୋଟି ତାର ଛେଦିଲା ସୁରନାଥ ।୨୦୯।
ଦୁସହ ସମରେ ଜମ୍ୱୁଦତ୍ୟ ଶିର ଛେଦି
ତେଣୁ ସେ ଇନ୍ଦ୍ରନାମ ବହିଲା ଜମ୍ଭୋଭେଦୀ ।୨୧୦।
ସେ ଜମ୍ୱୁଦତ୍ୟର ପୁତ୍ର ଅଟଇ କୃତକେଶୀ
ହିରଣ୍ୟ ହରିଣାକ୍ଷ ବୋଲି ତାହାର ବେନି ଶଶି ।୨୧୧।
ହରିଣାକ୍ଷର ପୁତ୍ର ମୟ ଯେ ଦାନବ
ସେ ଯେ ନିରୋଧିଲା ଭୁବି ଭୁବନ ସର୍ବ ।୨୧୨।
ମୟ ଦାନବର ପୁତ୍ର ନାମ କାନ୍ତିମାଳା
ୟେହାର କୁମର ଯେ ହୋଇଲା ବିଡୋଳା ।୨୧୩।
ବିଡୋଳାର ପୁତ୍ର ଯେ ଅଟଇ ଭାସ୍କର
ଅର୍କ ଦଇତ ବୋଲିଣ ଯେ ପୁତ୍ରେକ ତାହାର ।୨୧୪।
ବଡ଼ାଇ ପ୍ରତାପୀ ସେ ଅର୍କ ଦଇତାରି
ରହିଲା ଦଇତ ୟେହି ତୀର୍ଥେକ ଆବୋରି ।୨୧୫।
ମନୁବଂଶେ ଜାତ ପଦ୍ମନାଭ ନରପତି
କଣୟବିନ୍ଦୁ ବୋଲି ତାହାର ସନ୍ତତି ।୨୧୬।
ବଡ଼ାଇ ପ୍ରତାପୀ ସେ ହୋଇଲାକ ରାଜା
ବଡ଼ ସୁବିତ୍ତେ ସେ ପାଳଇ ଜନ ପ୍ରଜା ।୨୧୭।
ୟେକା ମାଢ଼କେ ଚିନାୟେ ଦ୍ୟନ୍ତି ଚାଷୀ
ସମ୍ୱଚ୍ଛର ପରିଯନ୍ତେ ଆୟେ କରନ୍ତି ଦୁଇରାଶି ।୨୧୮।
ଭଗ୍ନପାଦ ବେଳେ ରାୟେ ବସିଲାକ ପାଟ
ରାଜ୍ୟଯାକ ଭଗନ ହୋଇଲା ଦରିଦ୍ରବାସୀ ହୋଇଲା ସମରାଷ୍ଟ ।୨୧୯।
ସଂସାର ବିକଳ ଦେଖି ବିଚାରଇ ରାଜନ
ପରଜାର ଦୁଖିତେ ରାଜାର କିସ ପୁଣ୍ୟ ।୨୨୦।
ବିଚାରଇ ନୃପତି ମୁଂ କରତାକଇଂ କରିବି ସେବା
ରାଜ୍ୟଯାକ ମୋର କଣୟ ବୃଷ୍ଟି କରାଇବା ।୨୨୧।
ପୁତ୍ରକଇଂ ରାଜ୍ୟଭାର ସମର୍ପି ମହୀପତ୍ୟେ
ବସିଲା ନିରାଶେ ଚନ୍ଦ୍ରଭାଗା ମହୋଦଧି ଅର୍କତୀର୍ଥେ ।୨୨୨।
ନିରାଶେ ବସିଣ ସେବା କରଇ କରତାର
ୟେକା ଆସନେ ବସିଲା ପଞ୍ଚଦଶ ବର୍ଷର ନିରାଧାର ।୨୨୩।
ବିଚାରି ଗୁଣଇ ସେ ଅର୍କ ନାମେ ଦଇତ
ମହାତପୀ ହୋଇଲା ୟେହାର ଚରିତ କେମନ୍ତ ।୨୨୪।
ନ ପୁଣ ମୋର ପଦ ଘେନିବ ମାଗିଣ ବିରଞ୍ଚି
ରାଜାକୁ ମାରିବ ବୋଲି ହୃଦଗତେ ପାଞ୍ଚି ।୨୨୫।
ମକର ମାସ ଶୁକ୍ଳପକ୍ଷ ଚଉଠୀର ଦିନ
ଚନ୍ଦ୍ରଭାଗାୟେ ଦେଖିଲା ସ୍ୱାମୀର ବର୍ଣ୍ଣ ଚିନ୍ହ ।୨୨୬।
ଅନେକ ସ୍ତୁତି କରି ସେ ହୋଇଲା ପରିଣାମି
ଆକାଶେ ଥାଇ ତାହା ଦେଖିଲେ କରତାର ଦେବସ୍ୱାମୀ ।୨୨୭।
ପ୍ରଣପତ୍ୟ ହୋଇଲେ ଯେ ଶୁତିଲା ନରପତି
ଦେଖିକରି ଅର୍କ ଦଇତ ଧାଇଂଲା ତତକ୍ଷଣାନ୍ତି ।୨୨୮।
ଲୋହାର ଲଉଡ଼ି ୟେକ ଧରିଅଛି ହାଥେ
ପ୍ରହାର କରିବି ଆଜ ପାମରର ମାଥେ ।୨୨୯।
ଲକ୍ଷେ ଯୋଜନେ ଥାଇଂ ତାହା ଦେଖିଲେ କରତାର
ନୁହଇ ନୁହଇ ବୋଲି ବଢ଼ାଇ ଦିଲେ କର ।୨୩୦।
ଅର୍କ ଦଇତ ଦେବ ଧଇଲେକ ଶିର
ଅଦୋଷେ କିମ୍ପେ ଦଇତ ତୁ ପରହାର କର ରେ ଅସୁର ।୨୩୧।
ଅର୍କଦତ୍ୟକୁ ବିରଞ୍ଚି ଧଇଲେ ଆକ୍ରେଷି
ମହାବଳବନ୍ତା ଦତ୍ୟ ସମରେ ନ ଘୁଞ୍ଚି ।୨୩୨
ଅର୍କ ଦଇତର ତୁଲେ ଦେବ କଲେକ ସାଂଗ୍ରାମ
ବଢ଼ିଲା ରଣରଙ୍ଗ ସାଂଗ୍ରାମ ଅବିଶ୍ରାମ ।୨୩୩।
ଚଉଠୀ ପଞ୍ଚମୀ ଷଷ୍ଠୀ ୟେହି ତିନିଦିନ
ମହାଘୋର ସମରେ ହାରିଲା ଯାତୁଧାନ ।୨୩୪।
ମକର ମାସ ଶୁକଳପକ୍ଷ ସପତମୀ ରାତି
ଅର୍କ ଦଇତକୁ ଦେବ ଧଇଲେ କୋପମୃତ୍ତି ।୨୩୫।
ବିରଞ୍ଚି ନାରାୟେଣ ହୋଇଲେ ତେସନ
ଦତ୍ୟର ଭୁଜ ସେହୁ ଧରିଲେ ଆକ୍ରେଷିଣ ।୨୩୬।
ଚନ୍ଦ୍ରଭାଗା ତୀରେ ଥିଲେ ଯେ ଚନ୍ଦ୍ରଗିରି ପର୍ବତ
ତହିଂନେଇ କଚାଡ଼ିଲେ ଦେବ ଅର୍କ ଯେ ଦଇତ ।୨୩୭।
ସେ ଚନ୍ଦ୍ରଚୂଡ଼ ଗିରି ଅସୁର ପଡ଼ି ଚୂରଗଲା
ସେ ଅର୍କ ଦଇତର ଦେହ କିଛିହିଂ ନୋହିଲା ।୨୩୮।
ସୂର୍ଯ୍ୟାବ୍ରତେକ ଚକ୍ର ମାଇଲେ ଦେବ ତୋଳି
ଅର୍କଦତ୍ୟର ଦେହେ ପଡ଼ି ଚକ୍ର ହୋଇଲାକ ଧୂଳି ।୨୩୯।
କେଉଣସି ପ୍ରକାରେ ନାଶ ନୋହିଲା କଉଣୋପ
ମାଡ଼ିଣ ବସିଲେ ଦେବ ହୋଇ ବିଶ୍ୱରୂପ ।୨୪୦।
ଅର୍କ ଦଇତକୁ ମାଡ଼ି ବସିଲେ ବକ୍ଷସ୍ଥଳେ
ବିଜୟେ ବିରଞ୍ଚି ନାରାୟେଣ ଚନ୍ଦ୍ରଭାଗା ବାରାନିଧି କୂଳେ ।୨୪୧।
ଚଳିଗଲେ ବାରାନିଧି ଅଗ୍ନିକୋଣ ଆଡ଼େ
ଅର୍କ ଦଇତକୁ ମାଡ଼ି ବସିଲେ ମଉଦଧି ପଛିମ କଛାଡ଼େ ।୨୪୨।
ପୃଥିବୀର ଅଗ୍ନି କୋଣେ ବିଜୟେ ଜଗତ ଜ୍ୟୋତି
ତେଣୁ ସେ କୋଣାଅର୍କ ତାର୍ଥ ଜଗତେ ବିଖ୍ୟାତି ।୨୪୩।
ସେ କଣୟବିନ୍ଦୁ ରାଜାକୁ ଅର୍କ ପ୍ରସନ୍ନ ହୋଇଲେ
ସାତଘଡ଼ି ପରିଯନ୍ତେ ତାହାର ରାଜ୍ୟେ କଣୟ ବରଷିଲେ ।୨୪୪।
ଶୁଣ ଆହୋ ଯୁଝେଷ୍ଠି ବଦୟନ୍ତି ମାରକଣ୍ଡେ
ସେହି କୋଣାଅର୍କ ତୀର୍ଥ ପବିତ୍ର ଭ୍ରଥଖଣ୍ଡେ ।୨୪୫।
ମଉଦଧିରେ ସ୍ରାନ କରି ଚନ୍ଦ୍ରଭାଗା ତୀର୍ଥ ଦାହି
ବରଞ୍ଚି ନାରାୟଣଂକ ବଦନ ଯେବେ ଚାହିଂ ।୨୪୬।
ଜୟତୁ ଜୟତୁ କମଳ ଲୋଚନ ପୀତବାସ
କରୁଣାକର ନାଥ ପ୍ରସନ୍ନ ଆଦେଶ ।୨୪୭।
ଜୟତୁ ଦିନକର ନାଥ ଗଗନ ଚୂଡ଼ାମଣି
ଭଗତ ଜନମାନଂକୁ ସଦୟା ଦିନମଣି ।୨୪୮।
ଅର୍କ ବିଦାରଣ ନାଥ ଭଗତ ଉଦ୍ଧାରି
ସଦୟ ଉଦ୍ଧାରଣ ନାଥ ବ୍ରହ୍ମାଣ୍ଡ ଅଧିକାରୀ ।୨୪୯।
ସଂଗ୍ୟାଂର ବଲ୍ଲଭ ତୁ ପ୍ରସନ୍ନ ସଦୟେ
ଯାବତ କାଳକୁ ନାଥ ତୁହି ସେ ବରଦାୟେ ।୨୫୦।
ତିମିର ବିଦାରଣେ ନାଥ ତୁ ପ୍ରସନ୍ନ ଅନାଦି
ଦ୍ରସନେ ସଂସାର ସାଗର ସଂସିଦ୍ଧି ।୨୫୧।
ନମୋ ନମୋ କମଳଲୋଚନ କରତାର
ପ୍ରଳୟ କାଳ ବଞ୍ଚାନ୍ତା ତୁହି ସେ ଭାସକର ।୨୫୨।
ସଜ୍ଜନ ତାରଣ ନାଥ ତୁ ଯୋଗେଶ୍ୱର ସ୍ୱାମୀ
ତବ ଚରଣ ପଂକଜ ନାଥ ମମ ପରିଣାମି ।୨୫୩।
ତ୍ରଇଲୋକ୍ୟ ଦୀପନ ନାଥନମସ୍ତେ ନାରାୟଣ
ୟେ ଅଗତି ସଂସାରକୁ ନାଥ ତୁହି ସେ କାରଣ ।୨୫୪।
ତବ ପଦ୍ମପାଦେ ଭଗତି ଭାବେ ସେବି
କାଳ ବଞ୍ଚାଇଲା ନାଥ ସାରୋଳ ଦାସ କବି ।୨୫୫।
ଶୁଣ ହୋ ଯୋଗେଶ୍ୱର ବଦୟନ୍ତି ବ୍ରହ୍ମବେତ୍ତା
ଯୁଝେଷ୍ଠି ଆରାଧନା କଲେ ବିରଞ୍ଚି ନାରାୟେଣ ଦେବତା ।୨୫୬।
ମକର ମାସ ମଧ୍ୟେ ମଉଦଧି ଚନ୍ଦ୍ରଭାଗା
ୟେଥେଂ ସ୍ରାହାନ କଲେ ଖଣ୍ଡିବ ରୋଗବାଧା ।୨୫୭।
ବାବୁ ୟେ ତୀର୍ଥେ ସ୍ରାନକରି ଯେ ବୁଡ଼ାଇବ ମଥା
କାଳକର ଦୁଷୁକୃତ ଯେ ଖଣ୍ଡିତ ସର୍ବଥା ।୨୫୮।
ମକର ମାସେ ଚନ୍ଦ୍ରଭାଗା ମଉଦଧି ମଧ୍ୟସ୍ତାନେ
ଯେବଣ ଜନ ୟେଥି ଯେ କରନ୍ତି ପିଣ୍ଡଦାନେ ।୨୫୯।
ଦ୍ୱାଦଶ ପୁରୁଷ ଯେ ଯାଆନ୍ତି ଦେବଲୋକେ
ବଂଶେ ଅଗତି ଯେ ନ ଥାଇ ପିତୃ ଗଣଂକେ ।୨୬୦।
ଅନ୍ୟ ଶ୍ରାଦ୍ଧ ସରି ନୋହେ ଦ୍ୱାଦଶ ପରିଯନ୍ତେ
ୟେଥେଂ ପିଣ୍ଡ ଦିଲେ ଯେ ତରନ୍ତି ସମସ୍ତେ ।୨୬୧।
ବାବୁ ୟେଥେ ସ୍ରାହାନ କରି ଯେ ପୂଜନ୍ତି ବିରଞ୍ଚି
ଗଳୁତ କୁଷ୍ଠ ବ୍ୟାଧି ଥିଲେ ପକାଇ ସର୍ବ ପୋଛି ।୨୬୨-୮୪୯୪।