ଅର୍ଜୁନଙ୍କ ଜନ୍ମ (୨) — ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିବର କାମ୍ୟ କରି ସେ ଭୁବନକୁ ଯିବ ।୨୬୨।
ୟେଥେ ରହିଲେ ସେ କଳ୍ପ କଳ୍ପ ବହିଯିବ
ନବ ସୃଷ୍ଟିକେ ପୁନ ଭିଆଣ କରିବ ।୨୬୩।
ତେଣୁ କରି ଦୃଶ୍ୟ ଆମ୍ଭେ ନୋହିଲୁ ତାହାକଇଂ
ରାଗେଣ ଲୋଡୁଅଛି ଶିର କମଳ ମେଲାଇ ।୨୬୪।
ଭାନୁମତୀ ବୋଇଲା ଶୁଣିମା ଅନାଦି
ଆକାଶହୁଂ ସୁସ୍ଥ କି ଏଥିର ସମ୍ପ୍ରଧି ।୨୬୫।
ପନ୍ନଗ ବୋଇଲେ ୟେ ସ୍ୱର୍ଗ ମଞ୍ଚ ବେନି ପୁରେ
ଅନେକ ଭୋଗତହିଂ ବିଳସନ୍ତି ଦେବ ନରେ ।୨୬୬।
କାଳେ ପୁଣ ମୃତ୍ୟୁ ହୁଅଇ ପରାପତ
ନାଶକର ଦଣ୍ଡେ ପୁଣି ହୋଇବ ବିଘାତ ।୨୬୭।
ସୁଖ ଭୋଗ କଉତୁକେ କରନ୍ତି ଯେ ଇଚ୍ଛା
ଯେଣୁ ସ୍ୱର୍ଗ ମଞ୍ଚ ଭୁବନ କରନ୍ତି ମନ ବାଞ୍ଛା ।୨୬୮।
କୃତାନ୍ତକ ଦଣ୍ଡକୁ ଯେ କରନ୍ତି ମନଭ୍ରାନ୍ତି
ଯେଣୁ ୟେ ଭୁବନେ ଆମ୍ଭନ୍ତ ସେ ବିଘ୍ନ ଚିନ୍ତି ।୨୬୯।
ତୁ ପ୍ରିୟାରେ ୟେବେ ଆମ୍ଭର ବଚନ କର
ତୁ ସେ ଉଭା ହୋଅ ବିଧାତାର ଛାମୁର ।୨୭୦।
ତୋତେଦେଖିଣ ତାହାର ତପ ଧର୍ମ ଭାଞ୍ଜୁ
ଆମ୍ଭନ୍ତ କଠୋର ତପ କରି ସେ ନ ଭଜୁ ।୨୭୧।
ମଦନ ସଙ୍ଗେ ଘେନି ବସନ୍ତି ସଙ୍ଗତେ ତୋର ଥିବ
ଶୁଣ ହୋ ଭୂମନୁ ପୂର୍ବର ୟେସନେକ ସ୍ୱଭାବ ।୨୭୨।
ସେ ଯେ ପନ୍ନଗ ନାରାୟଣର ବଚନ ଅର୍ଥ ପାଇ
ଅନେକ ବେଶ ବେଶନେ ବ୍ରହ୍ମାର ଛାମୁକୁ ଯେ ଯାଇ ।୨୭୩।
ଶ୍ରୀକରେ ଅର୍ଘେକ ଘେନିଣ ମାହେଶ୍ୱରୀ
ଶୂଦ୍ରେକ ଛାମୁରେ ମିଳିଲେ ଅବଧାରି ।୨୭୪।
ଅର୍ଘ୍ୟ ଗୋଟିୟେ ନେଇ ଦିଲେ ବ୍ରହ୍ମାଙ୍କର ମାଥେ
ହୁଳହୁଳି ଶବଦ କଲେକ ପରମାର୍ଥେ ।୨୭୫।
ସେ ଶୁଦ୍ଧ ଅପର୍ଣ୍ଣାର ହୁଳହୁଳି ପଶିଲା ତାହାର ଗର୍ଭେ
ମଦନ ଶର ବ୍ରହ୍ମାଙ୍କୁ ପେଶଇଲା କାମଦେବେ ।୨୭୬।
ରେତ ଖଳିତ ହୋଇଲା ଭାଜିଲା ମହାତପ
ଦେଖିଲାକ ବେଦବର ମୋହିନୀ ସରୂପ ।୨୭୭।
ଧ୍ୟାନେ ଜାଣିଲା ସେ ବିଷ୍ଣୁନାଥର ମାୟା
କୋପେଣ ପ୍ରଜ୍ୱଳିତ ସେ ଅନାଦି ସିଦ୍ଧ କାୟା ।୨୭୮।
ସାତ ମନୁ ପରିଯନ୍ତେ ତପ ଘୋର କଷ୍ଟୁଂ
ନିର୍ଦ୍ଦୟା ପକ୍ଷ ମୋତେ ପ୍ରସନ୍ନ ନୋହିଲୁ ପନ୍ନଗା ବିଷ୍ଣୁ ।୨୭୯।
ୟେତେ ତପେ ବିଷ୍ଣୁ ପ୍ରସନ୍ନ ନୋହିଲୁ ଯେବେ ମୋତେ
ସମାଧି ସରୂପ ନଦେଖାଇଲୁ ତୁ ଯୁଗତେ ।୨୮୦।
ମଞ୍ଚପୁରେ ଜାତ ହୋଅ ମନିଷ୍ୟ ସରୂପେ
ସମସ୍ତେହେଂ ଦେଖନ୍ତୁ ତୋତେ ଅଜପା ଅଣ ତପେ ।୨୮୧।
ଆଗୋ ଭାନୁ କମଳ ତପ ସେ ଭାଙ୍ଗିଲୁ ମୋହୋର ଆସି
ତୁହି ସେ ମଧ୍ୟଭୁବନେ ଜାତ ହୋଅସି ମନୁଷୀ ।୨୮୨।
ଦୁଖେ ଅର୍ଜିଲା ତପ ଅଟଇ ଯେବେ ସତ
ପତି ପତ୍ନୀ ତୁମ୍ଭେ ବେନି ନରଯୋନିରେ ହୋଅ ଜାତ ।୨୮୩।
ତପ ଧର୍ମ ଛାଡ଼ି ଯେବେ ରାଗଯହୁଂ ସେ ଭଜିଲା
ରାଗ ମୋହ ହିଂସାୟେ ଧର୍ମ ନାଶ ଗଲା ।୨୮୪।
ନାରାୟଣ ଦୃଶ୍ୟ ହୋଇଲେ ଶୂଦ୍ରକ ବ୍ରହ୍ମାକୁ
ଆହୋ ବେଦବର ତୁ କୋପ କଲୁ ଯେ ଆମ୍ଭଙ୍କୁ ।୨୮୫।
ରାଗେ ବୋଇଲେ ବ୍ରହ୍ମା ତୁ ଯେ ଆମ୍ଭଙ୍କୁ ନୋହିଲୁ ଦୃଶ୍ୟ
ଧୃତରାଷ୍ଟ କୋଳେ ଜନମି ମାନବ ମେଳେ ବସ ।୨୮୬।
ଭୂମନୁର ଦୁହିତା ୟେ ହୋଉ ଭାନୁମତୀ
ତୁମ୍ଭଙ୍କୁ ପ୍ରଦାନ ହୋଉ ଥାଉ ନିତି ।୨୮୭।
ଅନୁବ୍ରତେ ବରବେଶ ହୋଉଥାଅ ନିତ୍ୟେ
ନମସ୍କାର ନ କରିବୁ ମାତାପିତା ସହିତେ ।୨୮୮।
ଯାହାକୁ ନମସ୍କାର କରିବୁ କର ତୋଳି
ଦେବତା ହୋଇଲେ ସେ ଅବଶ୍ୟ ଯିବ ଜଳି ।୨୮୯।
ୟେହା ଶୁଣି ବୋଇଲେ ପନ୍ନଗା ନାରାୟଣ
ମୁଂ ଯେବେ ମଞ୍ଚ ପୁରେ ହୋଇବଇଂ ଜନ୍ମ ।୨୯୦।
କଥାୟେ କହିବି ମୁଂ ଶୁଣ ବେଦବର
ଅନର୍ଘ୍ୟ ମଣିମୁକୁଟ ଥିବ ମୋହୋର ଶିର ।୨୯୧।
ଚାରିପାଦେ କମଳା ଥିବେ ବିଜେ କରି
ଭୋଗ ମୋହ ବାଧା ମୋତେ ନୋହିବାକ ସରି ।୨୯୨।
ୟେ ଭାନୁ କମଳା ମଞ୍ଚେ ନାମ ହୋଇବ ଭାନୁମତୀ
ମାନଗୋବିନ୍ଦ ନାମେ ହୋଇବି ମୁଂ ୟେହାର ପତି ।୨୯୩।
ଅଷ୍ଟଦିନେ ମଙ୍ଗଳ ମୁଂ ହୋଉଥିବି ବାଳୀ
ୟେତେକ ବଚନ ଯେ ମୋହୋର ପ୍ରତିପାଳି ।୨୯୪।
ବ୍ୟାସେ ବୋଇଲେ ବାବୁ ଶୁଣିବା ଭୂମନୁ
ପନ୍ନଗା ବିଷ୍ଣୁ ରୂପ ୟେ ଧୃତରାଷ୍ଟର ତନୁ ।୨୯୫।
ଭାନୁ କମଳା ଯେ ଅନାଦି କମଳିନୀ
ପନ୍ନଗା ନାରାୟଣର ୟେ ଅଟଇ ଜନ୍ମେ ଜନ୍ମେ ଘରଣୀ ।୨୯୬।
ଯେତେବେଳେ ପ୍ରଦାନ ୟେ ହୋଇବ ଭାନୁମତୀ
ମାନଗୋବିନ୍ଦ ହୋଇବ ୟେ ମାନ ଚକ୍ରବ୍ରତୀ ।୨୯୭।
ଅଷ୍ଟଦିନେ ମଙ୍ଗଳ ସେ ହୋଉଥିବ ବାଳୀ
ଶୂଦ୍ରେକ ବ୍ରହ୍ମାର ଯେ ବଚନ ପ୍ରତିପାଳି ।୨୯୮।
ବରକନ୍ୟା ୟେ ହୋଉଥିବେ ଅନୁବ୍ରତେ
ୟେଥେ ଥିବ ଭାରାଭର ନିବାରିବା ପରିଯନ୍ତେ ।୨୯୯।
ଶୁଣ ହୋ ମନୁ ପୁରୁଷ ବଦୟନ୍ତି ଅଗସ୍ତି
ବ୍ୟାସେ ଛଡ଼ାଇଲେ ଓହୋ କୁଳର ଭ୍ରାନ୍ତି ।୩୦୦।
ଭାନୁମତୀକୁ ହୋ ପ୍ରଦାନ କର ଦ୍ରିଯୋଧନକୁ
ୟେ ଅନାଦି ଅପର୍ଣ୍ଣାକୁ କାହିଂ ବରି ଲୋଡୁ ଆନକୁ ।୩୦୧।
ତୁହି ତ ଭୂତଳ ପୁରର ଅଟୁ ଆଧିପତି
ୟେଥି ଉତପତ୍ତି ହୋଇଲେ ସମସ୍ତ ହୋଇ ଭ୍ରାନ୍ତି ।୩୦୨।
ଭୂମନୁ ଅନେକ ସାନନ୍ଦ ହୋଇଲେ ବ୍ୟାସଙ୍କର ବଚନେ
ଭାନୁମତୀ ଉଚ୍ଛବ କରାଇଲେ ରାଜା ବିଭାର ବିଧାନେ ।୩୦୩।
ନଗ୍ରେଣ ମଙ୍ଗଳ ଯେ ଅନେକ ଉଚ୍ଛବ
ବିଭାକୁ ସଞ୍ଚିତ ରାଜା କରିଥିଲା ସର୍ବ ।୩୦୪।
ଶଶଧର ଗୋତ୍ର ଯେ ବୀର ଦ୍ରିଯୋଧନ
ଉଦ୍ଦାଳକ ଗୋତ୍ର ଯେ ଭୂମନୁ ରାଜନ ।୩୦୫।
ଉଦ୍ଦାଳକ ଗୋତ୍ରେ ପୁରୋହିତେ କରାବନ୍ତି ବିଭା
ପରମ ସାନନ୍ଦ ସେ ହୋଇଲେ ରାଜଦେବା ।୩୦୬।
ଭୂମନୁ କୋଳରେ ଯେ ବିଜୟ କଲେ ଭାନୁମତୀ
ବ୍ୟାସଙ୍କର କୋଳେ ବସିଲେ କୁରୁପତି ।୩୦୭।
ୟେସନେକ ପ୍ରଦାନ ଯେ ବିଭା ସୋମ ଗୋତ୍ରେ
ଦେଶ କାଳ ବାକ୍ୟ ଉଚ୍ଚାରନ୍ତି ଉଦ୍ଦାଳକ ପୁରୋହିତେ ।୩୦୮।
ସତ୍ୟ ବାକ୍ୟେଣ ବରଣ ସୀଉକାର ସାରି
ବିଭା ସମ୍ଭର୍ବେ ସେ ସମର୍ପିଲେ କୁମାରୀ ।୩୦୯।
କୁଶ ହସ୍ତ କରାବନ୍ତି ପୁରୋହିତେ
ଡାହାଣ ବ୍ରତେକ ଶଙ୍ଖେ ଜଳ ତିଳ ଘେନି ରାୟେ ହସ୍ତେ ।୩୧୦।
ଦୁହିତା ପ୍ରଦାନ କଲୁ ଦକ୍ଷିଣା ଦିଅସି ହୋ ରାୟେ
ଯେସନେ ବିଧାନ କରୁ ତୋହୋର ଉପାୟେ ।୩୧୧।
ଶଙ୍ଖେ ଜଳ ତିଳ ଘେନିଣ ଭୂମନୁ
ପଦ୍ମେକ ଗାବ ଦିଲା ସବଚ୍ଛା କରି ଧେନୁ ।୩୧୨।
ଚାରି ଲକ୍ଷ ଅଶ୍ୱ ଦିଲା ସେ ଚୋଖାର ଯେ ବାଜୀ
ପବନହୁଂ ବେଗବନ୍ତ ଅଟନ୍ତି ମହାତେଜି ।୩୧୩।
ଲକ୍ଷେକ ଗଜକେ ଲକ୍ଷେ ଚାମର ଉଭାରି
ଲକ୍ଷେକ ଗଜ ଦିଲା ଶ୍ୱେତ ବର୍ଣ୍ଣକରୀ ।୩୧୪।
ସପତ ଭଣ୍ଡାର ଯେ ଦିଲା ଅଷ୍ଟରତ୍ନ
ଲକ୍ଷେକ ଧାଈ ଦିଲା ଗଣିକା ଗଣମାନ ।୩୧୫।
ଲକ୍ଷେକ ପାଟଛତ୍ର ବେନି ଲକ୍ଷ ଉଦ୍ଦଣ୍ଡ
ରାଇଜ ସୀମା ପାଣି ଛଡ଼ାଇଲା ଚାରିଶତ ପାରିଦଣ୍ଡ ।୩୧୬।
ଆଲମ୍ୱ ଚାମର ଅଗଣିତ ଦିଲାକ ରାୟେ
ଅନେକ ବୀର ତୂର ସମ୍ଭର୍ବେ ବଜାୟେ ।୩୧୭।
ଅହିବ୍ରତେକ ରଥ ସୁବର୍ଣ୍ଣେଣ ସାଜି
ରଥଙ୍କରେ ଯୋଚିଲା ଚାରି ଚାରି ବାଜୀ ।୩୧୮।
ଯଉତୁକ ପାଣି ସେ ଛାଡ଼ିଲା ଦଣ୍ଡଧାରୀ
ଅନେକ ସମ୍ଭର୍ବ କହିତ କି ପାରି ।୩୧୯।
କନ୍ୟା ସମର୍ପଣ କଲା ଭୂମନୁ ନୃପରାୟେ
ଲାଜା ହୋମ ସାରିଲେ ପ୍ରୋହିତ ମୁନି ଧ୍ୟାୟେ ।୩୨୦।
ଘୃତ ପାରଣା କଲେ ବରକନ୍ୟା ବେନି
ମୁନିଗଣମାନେ କଲେ ଆଶିଷ୍ୟ ଯେ ଧୁନି ।୩୨୧।
ଚିର ଆଷ୍ୟ ହୋଅ ତୁ ଶୁଭ ସୁଲକ୍ଷଣୀ
ସୌଭାଗ୍ୟବନ୍ତୀମାନେ ବନ୍ଦାଇଲେ ଅର୍ଘ୍ୟ ଘେନି ।୩୨୨।
ବିଭା ସାରିଣ ସେ ଗଲେ ନିଜପୁରେ
ଯେ ବିଧି ମୁଣୋହି କରନ୍ତି ସମ୍ଭରେ ।୩୨୩।
ଅଷ୍ଟଦିବସ ରହିଲେ ବିଭାମଙ୍ଗଳ ଯୋଗେ
ପୁଣିହିଂ ବିଭା ହୋଇଲା ଭାନୁମତୀକି ସେହି ବାଗେ ।୩୨୪।
ୟେଥୁ ଅନନ୍ତରେ ଶୁଣ ବଇବସୁତ ମନୁ
ବିଭା ସାରି ଚଳଇ ଯେ ଧୃତରାଷ୍ଟର ତନୁ ।୩୨୫।
ରଥ ଗଜ ଅଶ୍ୱ ସଇନି ପାଦାନ୍ତି
ଚଳନ୍ତି ହସ୍ତିନାକୁ କୁରୁବଇଂ ବୀର କ୍ଷତ୍ରୀ ।୩୨୬।
ପ୍ରବେଶ ହୋଇଲେ ଯାଇ କୁଞ୍ଜଗଳ ଦେଶେ
ଭୀଷ୍ମ ବିଦୁରେ କହିଲେ ଧୃତରାଷ୍ଟର ପାଶେ ।୩୨୭।
ଭୋ ଦେବ ଅବଧାନ ହୋଅସି କହଇ ସଞ୍ଜୟେ
ବଡ ସମ୍ଭର୍ବେ ଆସନ୍ତି ତୋହୋର ତନୟେ ।୩୨୮।
ଭାନୁମତ ଦେଶର ଭୂମନୁ ବୋଲି ରାଜା
ଦକ୍ଷିଣ କୋଶଳେ ଅନେକ ତାଙ୍କୁ ପୂଜା ।୩୨୯।
ତାହାର ଦୁହିତା ଯେ ଅଟଇ ଭାନୁମତୀ
ଦ୍ରିଯୋଧନକୁ ପ୍ରଦାନ କଲା ସେ ନୃପତି ।୩୩୦।
କନ୍ୟାକଇଂ ଘେନି ସେ ଅନେକ ସମ୍ଭରେ
ବହୁତ ଯେ ଯଉତୁକ ଦିଲାକ ନୃପବରେ ।୩୩୧।
ବିରୂପାକ୍ଷ ସଙ୍ଗେ ସମର
ଚଳନ୍ତି ଥାଠ ସେ ଯେ ତିନିଯୁଣ ମାଡ଼ି
ପ୍ରଥମ ଦିନ ଗଲେ ଯେ ପଥ ବଢି ।୧।
ସମ୍ଭରେ ହସ୍ତିନାକୁ ଚଳଇ କୁରୁସାଇଂ
ଶତେକ ଭ୍ରାଥ ଘେନି ନୃପମଣି ଆସଇ ।୨।
ୟେମନ୍ତର ସମୟେ ଯେ ବିରୂପାକ୍ଷ ବୀର
ଶୂନ୍ୟେଣ ରଥ ଚଢି ଭ୍ରମଇ ଅସୁର ।୩।
ବ୍ରହ୍ମାର ବରେ ସେ ଯେ ଅମାପ ବଳବନ୍ତା
ଯାହାର ଧନୁ ଧରନ୍ତେ କମ୍ପଇ ବିଧାତା ।୪।
ଭ୍ରମଣ କରନ୍ତେ ସେ ଚାହିଂଲା ଶୂନ୍ୟେଣ
ବୀରବାଦ୍ୟମାନ ଶୁଭିଲା ଶ୍ରବଣ ।୫।
ବିଜୟା ସାରଥିକି ବୋଇଲା ଅସୁର
ଅଦଭୁତେ ବନେଣ ଯେ ବାଜି ବୀରତୂର ।୬।
କେବଣ ରାଜାୟେ ଯେ ଆସଇ ରଥ ବାହି
କାହାର ୟେଡ଼େ ଦର୍ପ ବୀର ତୂର ବଜାଇ ।୭।
ୟେମନ୍ତ ଶୁଣି ସାରଥି ଅନ୍ତରୀକ୍ଷେ ଚାହିଂ
କୁରୁବଳ ଥାଠ ନ ଦିଶଇ ମହୀ ।୮।
ବିଜୟା ସାରଥି ବୋଇଲା ଭୋ ଦେବ
କେବଣ ରାଜା ମର୍ତ୍ତ୍ୟେ ବଡ଼ାଇ ସୁଲଭ ।୯।
ଶୁଣିଣ ବିରୂପାକ୍ଷ ବୋଲଇ କ୍ରୋଧେଣ
ବାହା ମୋର ରଥ ଅଜଙ୍ଗ ନାମେ ବନ ।୧୦।
ସହସ୍ରେ ସାର୍ଦ୍ଦୋଳ ଯୋଚିଲା ଅଛି ତହିଂ
ତିନି ଦଣ୍ଡେ ତିନି ଭୁବନେ ଭ୍ରମଇଂ ।୧୧।
ତତକ୍ଷଣେ ସାରଥି ଟେକିଲାକ ଯାନ
ରାହୁ ଗ୍ରାସ କଲା କି ପୂର୍ଣ୍ଣମୀର ଜହ୍ନ ।୧୨।
ଲୋହାର ରଥ ସେ ଯେ ଯେବଣ ନିର୍ଜିତା
ଦୀର୍ଘ ପ୍ରତି ତାର ଅଟଇ ଆୟୁତା ।୧୩।
ବାବୁ ସେ ରଥ ତାର ଦେବ ରଥ ଜାଣି
ପନ୍ତି ପନ୍ତି ଲମ୍ୱନ୍ତି ଅଷ୍ଟରତ୍ନେ ମଣି ।୧୪।
ନେତର ଚିରାଳ ଉପରେଣ ଉଡ଼ି
ଚକର ଶବଦ ଯେ ମେଘ ଘଡ଼ଘଡ଼ି ।୧୫।
ଅଦଭୁତ ଶବଦ ଶୁଣିଣ କୋଳାହଳ
ଉପରକୁ ଦୃଷ୍ଟି ଯେ କରନ୍ତି କୁରୁବଳ ।୧୬।
ମିଥୁନ ମାସେ ଯେହ୍ନେ ଦିଶନ୍ତି ମେଘମାଳ
ତେସନ ଦିଶଇ ରଥ ଯେ ଶାମଳ ।୧୭।
ତଥିର ମଧ୍ୟେ ୟେ ବିଜୁଳୀ ତେଜ ଝଳି
ଅଷ୍ଟରତ୍ନେ ଲମ୍ୱନ୍ତି ସେ ତେଜରୁ ଉଗୁଳି ।୧୮।
ଦେଖିଣ କୁରୁବଳ ନପାରିଲେ ବାରି
କେ ବୋଲି ବାସେବ ୟେ ଅମର ଅଧିକାରୀ ।୧୯।
କେ ବୋଲେ ଗନ୍ଧର୍ବ ୟେ ଅଙ୍ଗାର ପନ୍ନଗ
ରଥ ଆରୋହି ଯେ ଭ୍ରମଇ ମଧ୍ୟ ସ୍ୱର୍ଗ ।୨୦।
ଶୁଣିଣ କର୍ଣ୍ଣ ସେ ଯେ ବୋଇଲାକ ଚାହିଂ
ଅଙ୍ଗାର ପନ୍ନଗହୁଂ ଆନ ସେ ନୋହଇ ।୨୧।
ମାନଗୋବିନ୍ଦର ବିଭା ସମଯୋଗ ଶୁଣି
ଆକାଶରେ ଉଚ୍ଛବ ଯେ କରାୟେ ବଜ୍ରପାଣି ।୨୨।
ଅର୍ଜୁନ ଲେଖାୟେଂ ସେ ଅଟଇଟି ତାତ
ଅବଶ୍ୟ ସୁରରାଜା ଅବା ଆସଇ ଦେଖି ତ ।୨୩।
ଅଶସ୍ତମା ବୋଇଲା ହୋ ଅଇରାବ୍ରତ ନାହିଂ
ସେ କେହ୍ନେ ମଘବା କର୍ଣ୍ଣ ହୋଇଲୁ ତୁ ବାଇ ।୨୪।
ବଜ୍ର ତତ୍ତୁଲ୍ୟ ତ ଶୁଭଇ ଘଡ଼ଘଡ଼ି
କିଅ ବା ସ୍ୱର୍ଗ ଯେ ମର୍ତ୍ତ୍ୟକୁ ପଡ଼େ ଝଡ଼ି ।୨୫।
ସ୍ତମ୍ଭୀଭୂତ ଥାଠ ଯେ ନପାରନ୍ତି ଯାଇ
ମାନଗୋବିନ୍ଦ ବୋଇଲା ଧୁଶାସନକଇ ଚାହିଂ ।୨୬।
କେବଣ କଥା ୟେ ବୁଝି ତଥ୍ୟ କର
ଶୁଣିଣ ଧୁଶାସନ ଉଠିଲା ଝୁଣି ଶିର ।୨୭।
ରେରେ କାର କରି ଉଠିଲା କୋପଭରେ
ଯାଇଣ ମିଳିଲା ଅଶସ୍ତମାଙ୍କର ଛାମୁରେ ।୨୮।
ବୋଇଲା ଧୁଶାସନ କୋପେଣ ଶିର ଝୁଣି
ଅଭୟ କ୍ଷେତ୍ରୀ ତୁମ୍ଭେ ଆଗେ ଆଗି ଆଣି ।୨୯।
କିସ ଶବଦ ଅବା ଆକାଶେ ଶୁଭିଲା
ଭୟ କରି ତୁମ୍ଭ ରଥ ଥିର କଲା ।୩୦।
କର୍ଣ୍ଣକୁ ଧୁଶାସନ କହନ୍ତେ ଉତ୍ତର
ଆକାଶୁଂ ଆସଇ ଯେ ଖସିଣ ରହୁବର ।୩୧।
ମେରୁ ତୁଲ୍ୟ ଜାଣି ଆକାଶୁଂ ପଡ଼ଇ ଖସି
ଦେଖିଣ କୁରୁବଳେ ରହିଲେକ ତ୍ରାସି ।୩୨।
ୟେମନ୍ତ ସମୟେ ବିରୂପାକ୍ଷ ବୀର
ଲୋହା ଧନୁରେ ଯୋଚାଇଲା ବାମ କର ।୩୩।
ଯୋଜନେ ଉର୍ଦ୍ଧ୍ୱେ ଥାଇ ସେ ଯେ ଅସୁର ମହାବୀରା
ବିନ୍ଧିଲା ଶର ସେ ଯେସନେ ଜଳଧାରା ।୩୪।
ତୀଖ ମୁନାଶର ବିନ୍ଧିଲା ତ୍ରୋଣୁଂ କାଢି
ରଥୀ ହାଥୀ ପାଦାନ୍ତି ଯେ ପଡ଼ିଲେ ବିଛଡ଼ି ।୩୫।
ଅଦଭୁତ ଦେଖି ବୀର ଅଶସ୍ତମା କର୍ଣ୍ଣ
ସେ ବୀରେ ଧନୁ ଯେ କଲେ ଆମଞ୍ଚନ ।୩୬।
ଅନ୍ତରୀକ୍ଷେ ବାଣ ଯେ ଗଗନୁଂ ପଡ଼ଇ ଖସି
କେଉଣିସି ପ୍ରକାରେ ନୋହନ୍ତି ଶର ନାଶି ।୩୭।
ମୁଖଟେକି ଚାହାନ୍ତେ ଲଲାଟେ ପଡ଼େ ଶର
କର୍ଣ୍ଣ ଦେଖନ୍ତେ ସନ୍ୟ ହୋଇଲେ ଅପହାର ।୩୮।
ମର୍ତ୍ତ୍ୟକୁ ଆସୁ ଆସୁ ବିରୂପାକ୍ଷ ବୀର
କୋଟିୟେ ଯୋଦ୍ଧା ସେ ଯେ ପେଷିଲା ଯମପୁର ।୩୯।
ଅନ୍ତରୀକ୍ଷୁଂ ଅଜଙ୍ଗ ବନକୁ ଆସୁ ଆସୁ
ଅସଂଖ୍ୟ ଯୋଦ୍ଧା ସେ କଲାକ ଧୂଳି ପାଂଶୁ ।୪୦।
ସାରଥିକି ବୋଇଲା ରେ ଶୁମ ମୋ ଉତ୍ତର
ଶତ୍ରୁର ସମ୍ମୁଖକୁ ବାହା ମୋର ରହୁବର ।୪୧।
ଶୁଣିଣ ବିଜୟା ଯେ ବାହିଲାକ ଯାନ
ଭେଟ ପଡିଲା ଯେ ସେ ଆଗ ଥାଠେ କର୍ଣ୍ଣ ।୪୨।
କର୍ଣ୍ଣର ରହୁବର ଜାଣିଣ ମନ୍ଦର
ଇନ୍ଦ୍ରଧନୁ ଜାଣି ହସ୍ତରେ ଧନୁ ତାର ।୪୩।
ଅଭେଦ କପଚ ବଜ୍ର ଛଉରି ଅମୃତ କୁଣ୍ଡଳ
ଦେଖିଣ ବିଚାରଇ ସେ ଯେ ଲୋହିତାକ୍ଷର ବାଳ ।୪୪।
ୟେତେ ଲକ୍ଷଣ ଯେ ୟେହାର ତହିଂ ଅଛି
କେବଣ ଦିଗପାଳ ୟେ ମର୍ତ୍ତ୍ୟରେ ବୁଲୁଛି ।୪୫।
ୟେମନ୍ତ ବିଚାରି କର୍ଣ୍ଣର ମୁଖ ଚାହିଂ
ବୋଲଇ କେବଣ ଦେଶର ରାଜା ଅଟୁ ତୁହି ।୪୬।
କାହାର ଭରସାରେ ବୀର ତୂର ବାଉ
ସମଦଣ୍ଡ ପଲାଣି ଦେଶ ଭ୍ରମି ଯାଉ ।୪୭।
ଆଜ ଜାଣିମାରେ ବଡିମା ତୋହୋର
କେ ଆଜ ରଖିବରେ ବହ୍ମା ହରିହର ।୪୮।
ୟେମନ୍ତ କଥା ଯହୁଂ ଶୁଣିଲା ଧୁଶାସନ
ପିଟିଲା ଗଦା ସେ ଯେ କରିଣ ମହାତମ ।୪୯।
ଲୋହାର ରଥେ ବାଜି ପଡିଣ ଚୂରଗଲା
ଅନେକ ବେଳ ଖଡ୍ଗ ତୋଳି ପ୍ରହାରିଲା ।୫୦।
ବାଜନ୍ତେ ରଥରେ ଯେ ତୀଖ ଅସି ଧାର
ଭଗନସ୍ତ ହୋଇଣ ପଡିଲା ଶତେ ଚୂର ।୫୧।
ଦେଖିଣ କୋପ କଲା ରାଧେବର ବଚ୍ଛି
ଆବର ଅଶସ୍ତମା ସଙ୍ଗେ ତାର ଅଛି ।୫୨।
ଇନ୍ଦ୍ରଧନୁ ଜାଣି ବୀରେ ଧଇଲେ ବେନି ଚାବ
ଦତ୍ୟ ଉପରକୁ ଶର କରନ୍ତି ପରାଭବ ।୫୩।
ନିମିଷେକ ଭିତରେ ବୀରେ ଲକ୍ଷେ ବାଣ ବିନ୍ଧି
ମଧ୍ୟ ପୁରକଇଂ ସେ ଯେ ଶରେଣ ନିରୋଦି ।୫୪।
ଦେଖି ଅସୁର ଯେ ହୋଇଲା କୋପାନଳ
ତ୍ରୋଣରୁ କାଢିଲା ସେ ଶର କାଳାନଳ ।୫୫।
ଆକର୍ଣ୍ଣ ପରିଯନ୍ତେ ଓଟାରିଣ ବାଣ
ଶରନ୍ତ ନାଶିବାକୁ ବିନ୍ଧଇ ଗରୁଟାଣ ।୫୬।
ତତକ୍ଷଣେ ବାଣ ସେ ଯେ ଚଳିଲେ ଅନ୍ତରୀକ୍ଷେ
ସେ ଅଗ୍ନିରେ ଶର ଦହନ ହୋଇଲା ପ୍ରତକ୍ଷେ ।୫୭।
ଶରନ୍ତ ନାଶି ଧୁଶାସନ ଉପରେଣ ପଡ଼ି
ପଡ଼ିଲା ମହାବୀର ଯେ ଛାଡ଼ି ସିଂଘରଡ଼ି ।୫୮।
ଦେଖିଣ କର୍ଣ୍ଣକୁ ଯେ ନଫୁରଇ କିଛି
ପର୍ବତ ଶରେକ ଯେ ବିନ୍ଧଲା ବୀର ବାଛି ।୫୯।
ବିରୂପାକ୍ଷ ଅସୁର ୟେ ବଜ୍ରଶର ବିନ୍ଧି
ବଜ୍ରର ବିଘାତେ ଯେ ଗିରିରାଜ ଛେଦି ।୬୦।
ପୁଣିହିଂ କର୍ଣ୍ଣ ଯେ ବିନ୍ଧିଲା ମେଘା ଶର
ପବନା ଶରେ ତାହା ନିବାରେ ଅସୁର ।୬୧।
ଅଶସ୍ତମା ଅଗ୍ନି ଶର ବିନ୍ଧିଲାକ ଦୃଢ କରି
ଜଳଧାରା ଶରେ ତାହା ଅସୁର ନିବାରି ।୬୨।
ପନ୍ନଗା ଶରେ କଯେ ଗୁରୁସୁତ ଛାଡ଼ି
ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଧାମନ୍ତି ଫେରୁ ଧରି ।୬୩।
ଦେଖିଲା ଯେ ତାହା ଲୋହିତାକ୍ଷ ସୁତ
ଗରୁଡ଼ା ଶରେ ତାହା ନିବାରେ ଦଇତ ।୬୪।
ବିନ୍ଧି ବିନ୍ଧି ବେନି ବୀରେ ହୋଇଲେ ବିମୁଖ
ବିଚାରନ୍ତି ଦାନବ ତ ଆମ୍ଭଙ୍କୁ ଦିଲା ଦୁଖ ।୬୫।
ୟେମନ୍ତ ବିଚାରି ସେ ବିନ୍ଧନ୍ତେ ବେଗେ ଶର
ଅସୁର ଛେଦଇ ତାହା କିଞ୍ଚିତ ପ୍ରକାର ।୬୬।
ମହାଭୀଷ୍ମ ରୂପେ ଯେ କର୍ଣ୍ଣ ମହାବଳୀ
ତିନି କାଣ୍ଡ ଗୁଣେ ବସାଇଲେ ଆଦ୍ରାବଳୀ ।୬୭।
ଅସୁର ଉପରକୁ ବିନ୍ଧିଲା ରୋଷଭରେ
ପଡିଲେ ଶର ସେ ଯେ ମହାଦତ୍ୟର ଉପରେ ।୬୮।
ବଜ୍ରସେହ୍ନା ଫୁଟି ଅଙ୍ଗେ ଶର ଯାଇଂ
ଗର୍ଜିଲା ଦାନବ ବ୍ରହ୍ମାଣ୍ଡ କମ୍ପାଇ ।୬୯।
ବ୍ୟଥା ପାଇଲା ସେ ଯେ ଲୋହିତାକ୍ଷ ବାଳ
କୋପେଣ ଧଇଲା ସେ ଯେ ବୈରୋବ ମୂଷଳ ।୭୦।
ପ୍ରଥମ ମୂଷଳ ସେ ଯେ ପିଟିଲାକ ତୋଳି
କର୍ଣ୍ଣର ସାରଥି ରଥ ସହିତେ ହେଲେ ଧୂଳି ।୭୧।
ଆଡ଼ ହୋଇ କର୍ଣ୍ଣ ପଳାଇଣ ଯାଉଂ
ପଛରୁ ମୂଷଳ ପିଟିଲା ଅସୁର କୁଳ ରାହୁ ।୭୨।
ସେ ମୂଷଳ ବାଜି କର୍ଣ୍ଣ ରୁଧିର ଉଦ୍ଗାରି
ଭୂମିରେ ପଡ଼ିଲା ସେ ରୁଧିରେ ପ୍ରାଣ ହାରି ।୭୩।
ଦେଖିଣ ଅଶସ୍ତମା ଟେକିଲେ ରହୁବର
ଅସୁର ଉପରକୁ ଯେ ବିନ୍ଧିଲେ ଦେବ ଶର ।୭୪।
ବଜ୍ରସେହ୍ନାରେ ନ ଭେଦି ଶର ପଡିଲା ଲେଉଟି
ସେ ଭୈରୋବୀ ମୂଷଳ ଅଶସ୍ତମାକୁ ନେଇ ପିଟି ।୭୫।
ଅକ୍ଷୟେ ତ୍ରିଜୀବୀ ସେ ଅନାଦିର ବରେ
କିଛିହିଂ ନୋହିଲା ସେ ମୂଷଳ ପ୍ରହାରେ ।୭୬।
ହୁଂକାରେ ତିନି ବେଳ ରିଂଝାଇ ପିଟିଲା
ଅଶ୍ୱ ସାରଥି ସହିତେ ରଥ ଧୂଳି କଲା ।୭୭।
ତଦ୍ୟାପି ଅଶସ୍ତମାର ନୋହିଲାକ କିଛି
ବିଚାରିଲା ୟେହାରେ ଅନେକ କାର୍ଯ୍ୟ ଅଛି ।୭୮।
ୟେମନ୍ତ ବିଚାରି ଦ୍ରୋଣିର ଚରଣ ଧଇଲା
ଆପଣା ଲୋହମୟ ରଥେ ନେଇ କଚାଡ଼ିଲା ।୭୯।
ଯହୁଂ ସେ ଲୋହମୟ ରଥେ ପିଟିଲା ନିଠାଇ
ମୋହ ହୋଇଲେ ସେ କୃପୀଙ୍କ ତନୟି ।୮୦।
ବିଜୟା ସାରଥିକି ବୋଇଲା କାମଚର
ରଥଦଣ୍ଡ ଉପରେ ଯେ ୟେହାକୁ ବନ୍ଧନ କର ।୮୧।
ଶୁଣିଣ ସାରଥି ଯେ ଦଣ୍ଡା ପରେ ଥୋଇ
କର ଚରଣ ସେ ଯେ ବାନ୍ଧିଲା ନିଠାଇ ।୮୨।
ୟେ ତିନିବୀରେ ଯହୁଂ ହରାଇଲେ ପ୍ରାଣ
ଶୂଳ ଘେନି ପଶିଲା ଯାଇଂ ରାଜାର ଥାଠେଣ ।୮୩।
କଦଳୀ ବୃକ୍ଷ ଯେହ୍ନେ ବାତ ଘାୟେ ଭାଜି
ଶୂଳ ଘାତେ ସନ୍ୟ ଯେ ପଡିଲେ ନିମଚ୍ଛି ।୮୪।
ମଧ୍ୟ ଗହଣରେ ଆସଇ ଦ୍ରିଯୋଧନ
ସତାଣୋଇ ଭାଇ ସେ ଘେନିଣ ସଙ୍ଗତେଣ ।୮୫।
ଡଗର ଜଣାଇଲା ଶୁଣିମା କୁରୁପତି
ଧୁଶାସନ ଅଶସ୍ତମା କର୍ଣ୍ଣ ହାରିଲେ ଜୀବତି ।୮୬।
ଅକସ୍ମାତେ କାହୁଂ ଅଇଲା ଅସୁର
ଅନେକ ସନ୍ୟ ସେ ଯେ ପେଷିଲା ଯମପୁର ।୮୭।
ଅଶସ୍ତମା କର୍ଣ୍ଣ ବହୁତ ଯୁଦ୍ଧକଲେ
କର୍ମ ଅବଳେ ସେ ଯେ ଜିଣି ନପାରିଲେ ।୮୮।
ଧୁଶାସନ କର୍ଣ୍ଣ ଭୂମିରେ ଛନ୍ତି ପଡ଼ି
ଅଶସ୍ତମାକୁ ରଥେ ବାନ୍ଧିଅଛି ଭିଡ଼ି ।୮୯।
ଶୁଣିଣ ଦ୍ରିଯୋଧନ ପଡିଲାକ କ୍ଷିତି
ଶ୍ରୀକରେ ତୋଳିଣ ଯେ ଧଇଲା ଭାନୁମତୀ ।୯୦।
ମୁଖେ ପାଣି ସିଞ୍ଚିଣ ସେ ସଚେତ କରାଇ
ସଧୀରେ ବଚନ ସେ ଯେ ସ୍ୱାମୀକି ଭାଷଇ ।୯୧।
ଅକସ୍ମାତେ ଶତ୍ରୁ ଯେବେ ହୋଇଲା ବର୍ଦ୍ଧମାନ
ଲକ୍ଷେ ରାଜାଙ୍କୁ ସ୍ୱାମୀ ଜିଣିଲା ଯେବଣ କର୍ଣ୍ଣ ।୯୨।
ଆବର ଅଶସ୍ତମା ଧୁଶାସନ ମାରି
ସୈନ୍ୟନ୍ତ ନାଶ ଦେଖି ଯେ ମହା କ୍ରୋଧ କରି ।୯୩।
ଜାଣିଲି ତା ଛାମୁରେ ବ୍ରହ୍ମାଦି ନୋହେ ରହ
ଭାଇନ୍ତ ଘେନି ସ୍ୱାମୀ ପଛଘୁଞ୍ଚା ଦିଅ ।୯୪।
ଦଇନି କରି ସ୍ୱାମୀ ଏ ତୋର ଚରଣେ
ଶରୀର ନହାର ସ୍ୱାମୀ ତାଙ୍କ ସଙ୍ଗ ରଣେ ।୯୫।
ଶୁଣିଣ କୁରୁବଇଂ ବୋଲି ବଚନ
ପଛକୁ ପଳାଇବି କି ହୋଇଣ କ୍ଷତ୍ରୀ ମାନ ।୯୬।
ପ୍ରାଣର ସଖା ମୋର ପଡ଼ିଲା ଯେବେ କର୍ଣ୍ଣ
ଆବର ଧୁଶାସନ ଗୁରୁଙ୍କ ନନ୍ଦନ ।୯୭।
ସନ୍ୟ ସାଖା ବଳ ୟେ ପଡ଼ିଲେ ବହୁତ
ଆବର ସଂଘାତ କିସ ମୋହୋର ଜୀବିତ ।୯୮।
ୟେସନେକ ସମୟେ ଧାମଇ ଅସୁର
ରଥ ଚଢିଟି କରଇ ସର୍ବ ଚୂର ।୯୯।
ଦେବଙ୍କୁ ଦୁଲଭ ସେ ଅସୁରର ଯୁଦ୍ଧ
ମୃଗ ପଳାଇ କି ଦେଖିଣ ବନେ ବ୍ୟାଧ ।୧୦୦।
ଶୂଳ ଘେନି ପିଟଇ ରାଜା ଗଳଗାଜି
ରଥୀ ପାଦାନ୍ତି ପଡ଼ିଲେ ନିମଜ୍ଜି ।୧୦୧।
ଭାନୁମତୀକି ଛାଡ଼ି ରାଜା ଦ୍ରିଯୋଧନ
ସତାଣୋଇ ଭାଇ ଘେନି ଧାମଇ କୋପ ମନ ।୧୦୨।
ଉଭାରି ଗଦା ସେ ଯେ ପିଟିଲା ଯେତେବେଳେ
କିଛୁହିଂ ନୋହିଲା ସେହୁ କଳେବରେ ।୧୦୩।
ଗଦାବର ବିଅର୍ଥେ ଗାନ୍ଧାରୀର ପୋୟେ
ସିଂଘର ଆଗେ ଯେହ୍ନେ ମତ୍ତହସ୍ତୀ ରହେ ।୧୦୪।
ଭୈରୋବୀ ଶୂଳ ଦତ୍ୟ ପିଟିଲା ରିଂଝାଇ
ମୋହେଣ ପଡ଼ିଲେ ସତାଣୋଇ ଭାଇ ।୧୦୫।
ସନ୍ୟନ୍ତ ମାରି ସେ ଯେ କଲାକ କୁଢ କୁଢ
ଯୋଜନ ପରିଯନ୍ତେ ପଡ଼ିଲା ପୟେଡ଼ ।୧୦୬।
ଭାନୁମତ ରାଜା ଯେତେକ ସନ୍ୟ ଦେଇଥିଲା
ବିରୁପାକ୍ଷ ବୀର ସବୁନ୍ତି ମାଇଲା ।୧୦୭।
ଦ୍ରିଯୋଧନର ସନ୍ୟ ନିଶୋଧନ କରି
ଗୋଟିୟେ ହୋଇଂ ମାତ୍ର ନ ଅଇଲେ ଉବୁରି ।୧୦୮।
ୟେହାନ୍ତି ମାରି ସେ ରଥକୁ ଦିଲା ଚାହିଂ
ଅପୂର୍ବ ସୁନ୍ଦରୀ ସେ ଦିଖିଲାକ ତହିଂ ।୧୦୯।
ରୂପେ ପଟାନ୍ତର କି ସେ ସହସ୍ରେ ପାର୍ବତୀ
ତେସନେକ ସରୂପ ଦିଶଇ ଭାନୁମତୀ ।୧୧୦।
ବିଚାରଇ ଧନ୍ୟ ମୋହୋର ଜୀବନ
ନିଶ୍ଚୟେଂ ଲଭିଲି ମୁଂ ସ୍ତିରିଙ୍କ ରତନ ।୧୧୧।
ୟେତେକ ବିଚାରି ସେ ଯେ ନିରେଖିଣ ଚାହିଂ
ଭାନୁମତୀ ରୂପକୁ ସେ ମନେ ବାଉନଇ ।୧୧୨।
ଧନ୍ୟ ଧନ୍ୟ ସୁନ୍ଦରୀ ଧନ୍ୟ ତୋର ଅଙ୍ଗ
ସଂସାର ଛାଡ଼ିବ ତୋତେ ଦେଖିଣ ଅନଙ୍ଗ ।୧୧୩।
ଧନ୍ୟ ସେ ପ୍ରଜାପତି ସଂସାର ଚିନ୍ତା ଛାଡ଼ି
କଳ୍ପେ ପରିଯନ୍ତେ କି ତୋହୋର ରୂପ ଗଢି ।୧୧୪।
ଚନ୍ଦ୍ରମା ବଦନ ମୁଂ ଯାଇଂ ନିଉଛାଳି
କେବଣ ରାଜାର ତୁ ଅଟୁ ଗୋ ଦୁଲାଳୀ ।୧୧୫।
ଧନ୍ୟ ଧନ୍ୟ ସୁନ୍ଦରୀ ଧନ୍ୟ ତୋହୋର ବର୍ଣ୍ଣ
ପାଦର ଅଙ୍ଗୁଳି ଜାଈ କଢିର ସମାନ ।୧୧୬।
ଭଲା ଶୋଭିତ ଯେ ଅଟଇ ପାଦ ଲଖ
କନ୍ଦର୍ପ ପୁରୁଷର କି ଅଟି କାମରେଖ ।୧୧୭।
ଅଳତା ବେଢିଣ ଚରଣ ନୁ ଶୋହି
ଦେଖିଣ କାମ ଯେ ନ ଯିବ ଆର କାହିଂ ।୧୧୮।
ଉଲଟ ରମ୍ଭା ପ୍ରାୟେ ଦିଶଇ ବେନି ଜାନୁ
ମଝା ସିଂହ ଜାଣି ସେ ତାହାର କୁଶାନୁ ।୧୧୯।
ସମାନ ଶ୍ରୀଫଳ ଜାଣିଣ ସ୍ତନ ବେନି
ପୀୟୁଷ ପୂରୋଇ ରଖିଅଛୁ ଘେନି ।୧୨୦।
କରୀ କର ପ୍ରାୟେ ଦିଶଇ କର ବେନି
କନ୍ଦର୍ପକୁ ବିନ୍ଧଇ କୁସୁମ ବାଣ ଘେନି ।୧୨୧।
କମ୍ୱୁକଣ୍ଠ ପ୍ରାୟେ ଦିଶଇ କଣ୍ଠ ତୋର
ସୁରଙ୍ଗ ଅଧର ବିମ୍ୱ ଫଳର ଆକାର ।୧୨୨।
ଭ୍ରୂଲତା ଇନ୍ଦ୍ରଧନୁ ଚନ୍ଦ୍ରମା ବଦନ
କୁଞ୍ଚିତ ହୋଇ ବାରେ ରୋମ ମୂଳମାନ ।୧୨୩।
ସ୍ୱାମୀର କ୍ରୋଧେ ଶ୍ରମ ଝାଳ ରୋମ ମୂଳୁଂ ଗଳି
ଚନ୍ଦ୍ର ବଦନ କିବା ଏକତ୍ୱେ ଓହୋଳି ।୧୨୪।
ଅଷ୍ଟରତ୍ନେ ଜଡ଼ିତ ଯେବଣ ଅଳଂକାର
ସର୍ବାଙ୍ଗେ ସୁନ୍ଦର ଭାନୁମତୀର ଶରୀର ।୧୨୫।
ବେଳ ଅସ୍ତ ହେବାକୁ ତିନିଦଣ୍ଡ ଥାଇ
ସମସ୍ତଙ୍କୁ ମାରି ଭାନୁମତୀ ପାଶକୁ ଯାଇ ।୧୨୬।
ରୂପକୁ ନିରୋପନ୍ତେ ରାତ୍ର ଦିବା ଗଲା
ତଥାପି ଭାନୁମତୀ ବର୍ଣ୍ଣ ବର୍ଣ୍ଣି ନପାରିଲା ।୧୨୭।
ସେ ତ ନ ବଚାଇ ଦଇବ ସଂଯୋଗ
ଏବ ମ୍ଭୁତ କନ୍ୟା ମୁଂ ଯେ କରିବଇଁ ଭୋଗ ।୧୨୮।
ୟେତେକ ବିଚାରିଣ ମେରୁର ଯେ ନାତି
ରୂପକୁ ବାଉନନ୍ତେ ଗଲା ଦିବା ରାତି ।୧୨୯।
ୟେସନେକ ସମୟେ ବ୍ରହ୍ମାଙ୍କ କୁମର
ପ୍ରୟାଗକୁ ଯାଇଥିଲେ ନାରଦ ମୁନିବର ।୧୩୦।
ତୀର୍ଥ କାର୍ଯ୍ୟ ସାରି ମନ ଦଣ୍ଡ ଚଢି
ହସ୍ତିନା ଭୁବନକୁ ଆସନ୍ତେ ଆଗ ବଢି ।୧୩୧।
ମେରୁ ତତ୍ତୁଲ୍ୟ ଯେ ଦିଶିଲା ରଥମାନ
ଦେଖିଣ ବିଚାରନ୍ତି ବ୍ରହ୍ମାଙ୍କ ନନ୍ଦନ ।୧୩୨।
କେବଣ କଥାୟେ ନ ଗଲା ବାରଣ
ଧ୍ୟାନେଣ ଜାଣିଲେ ସେ ନାରଦ ମହାମୁନ୍ୟ ।୧୩୩।
ହସ୍ତିନାର ରାଜା ୟେ ମାନ ଚକ୍ରବ୍ରତୀ
ଭାନୁମତ ରାଜ୍ୟରୁ ପ୍ରଦାନ ହୋଇଲା ଭାନୁମତୀ ।୧୩୪।
ସମଦଣ୍ଡ ଘେନି ହସ୍ତିନା ଆସନ୍ତେ
ବାଟରେ ବିନାଶ କଲେ ଲୋହିତାକ୍ଷର ସୁତେ ।୧୩୫।
ଯୁଝେଷ୍ଠିଙ୍କ ଅଗ୍ରତେ କହିବା ଆମ୍ଭେ ଯାଇଂ
ୟେତେ ବୋଲି ଶୀଘ୍ରେ ଚଳିଲେ ତପସାଇଂ ।୧୩୬।
ବାରୁଣାବନ୍ତରେ ଯେ ଅଛନ୍ତି ଯୁଝେଷ୍ଠି
ପ୍ରବେଶ ହୋଇଲେ ଯାଇଣ ତପୋନିଷ୍ଠି ।୧୩୭।
ଭୀମ ଅର୍ଜୁନ ନକୁଳ ସହଦେବ
ୟେକତ୍ୱେ ବସିଣ ଯେ ଅଛନ୍ତି ପାଣ୍ଡେବ ।୧୩୮।
ନାରଦଙ୍କୁ ଦୂରହୁଂ ଦେଖିଣ ଯୁଝେଷ୍ଠି
ଆସନେ ବସାଇ ସେ ପୂଜନ୍ତି ତପୋନିଷ୍ଠି ।୧୩୯।
ପ୍ରଣପତ୍ୟ ହୋଇଣ ଯେ ଶୁତିଲେ ପାୟେଣ
ସନ୍ତୋଷେ ମୁନିବର କରନ୍ତି କଲ୍ୟାଣ ।୧୪୦।
ଧନ ଶ୍ରୀ ଆୟୁଷ ବର୍ଦ୍ଧୁତ ହୋଉ ତୁକୁ
ଆମ୍ଭେ ଯାଇଥିଲୁ ପ୍ରୟାଗ ତୀର୍ଥକୁ ।୧୪୧।
ଅଜଙ୍ଗ ପାଦ ବନେ ଆସନ୍ତେଣ ବାଟେ
ମୃତୁ ଶବ ଦେଖିଲୁଂ ଯେ ସମସ୍ତ କୁରୁଥାଠେ ।୧୪୨।
ୟେଥକଇଂ ଯୁଝେଷ୍ଠି ବିରାରି କାର୍ଯ୍ୟକର
ୟେତେ କହି ଅନ୍ତର ହେଲେ ମୁନିବର ।୧୪୩।
ଶୁଣିଣ ଯୁଝେଷ୍ଠି ଯେ ପଡ଼ିଲେକ ଢଳି
କୋଳ କରିଣ ଧଇଲେ ଭୀମ ମହାବଳୀ ।୧୪୪।
ମୁଖରେ ପାଣି ସେ ଯେ ସିଞ୍ଚିଲେ ସହଦେବ
ଧୀର ଧୀର କରି ସେ ଯେ ବିଞ୍ଚଇ ପାର୍ଥିବ ।୧୪୫।
ଘଡ଼ିକର ମଧ୍ୟେ ଦେବ ଚେତନାୟେ ପାଇଂ
ଶୋକେଣ ଦରାଣ୍ଡନ୍ତି ଅବନୀକି ଚାହିଂ ।୧୪୬।
ହା ହା ମାନଗୋବିନ୍ଦ ବୋଲିଣ ଶୋକ କଲେ
ଆଜହୁଂ ଅନ୍ଧରାଜା ମୋର ଅନାସ୍ତ ହୋଇଲେ ।୧୪୭।
ତୋ କରେ ପଦ୍ମନିଧି ଥିଲା ମୋର ବାବୁ
ବିଧାତା ଅବଶେ ସେ ହରାଇଲୁ ସବୁ ।୧୪୮।
ମୂର୍ଖ ପଣେ ବାବୁରେ କାହିଂ କଳି କଲୁ
ସମଦଣ୍ଡ ଘେନିଣ ଯେ ଆପଣେ ପ୍ରାଣେ ମଲୁ ।୧୪୯।
ଯୁଝେଷ୍ଠିଙ୍କ ବଚନେ ଭୀମ ପରିଣାମି
ଅକାରଣେ କିମ୍ପା କ୍ରୋଧ କରହେ ଦେବ ସ୍ୱାମୀ ।୧୫୦।
ସେ ମୂର୍ଖ ପାପିଷ୍ଠ ଅଟନ୍ତି ପ୍ରମାଦ
ଆମ୍ଭର ହିତେ ତାଙ୍କୁ ଆନେ କଲା ବଧ ।୧୫୧।
ତହିଂକି ଭୋ ଦେବ କ୍ରୋଧ ଯେ ନ କର
ଚାଲ ୟେବେ ହସ୍ତିନାକୁ ଯିବା ହେ ସତ୍ୱର ।୧୫୨।
ଯୁଝେଷ୍ଠି ବୋଲନ୍ତିରେ ହସ୍ତିନାକୁ ଯାଇ
ଧୃତିରାଷ୍ଟ କ୍ରୋଧେ କି ଜୀବନ ମୋର ରହି ।୧୫୩।
ନକୁଳ ବୋଇଲେ ସ୍ୱାମୀ ଗଲା ମଲା ଯିବା
ତାହାନ୍ତ ଲୋଡ଼ିଲେ ଆଉ କି ପାଇବା ।୧୫୪।
ଯୁଝେଷ୍ଠି ବୋଲନ୍ତି ରେ ନୋହଇ ୟେମନ୍ତ
ଯଦ୍ୟପି ନ ଜୀଇଂବେ ଗାନ୍ଧାରୀର ଶତେ ପୁତ୍ର ।୧୫୫।
ମୁକୁ ହିଂ ଜଣେ ରେ ହୋଇଲି ତାଙ୍କ ତୁଲେ
ଯଦ୍ୟପି ମୋହୋର ଶତେ ଭ୍ରାଥ ମଲେ ।୧୫୬।
ସେମାନେ କେଉଂଠାରେ ଅଛନ୍ତିରେ ପଡ଼ି
ତାହାନ୍ତ ଦେଖିଲେ ମୁଂ ଯେ ଅବଶ୍ୟ ଆତ୍ମା ଛାଡ଼ି ।୧୫୭।
ସହଦେବକୁ ଚାହିଂ ପୁଚ୍ଛନ୍ତି ବାରତ
ତୁ ସେ ଜାଣୁ ଭୂତ ଭବିଷ୍ୟ ଆଗତ ନିୟତ ।୧୫୮।
କହ ତଥ୍ୟ କରି ପ୍ରତେ ଯେଣେ ଯାଇଂ
ଅକାରଣେ କିମ୍ପା ମଲା କୁରୁସାଇଂ ।୧୫୯।
କାହାର ସଙ୍ଗେ ସେ ଯେ ବିବାଦୀ ହୋଇଲା
କେ ୟେଡ଼େ ବଳିଷ୍ଠରେ ତାହାନ୍ତ ମଧ୍ୟ କଲା ।୧୬୦।
ଯୁଝେଷ୍ଠିଙ୍କ ବଚନେ ମନ୍ତ୍ରୀ ଚୂଡାମଣି
କରପତ୍ର ଯୋଡ଼ିଣ ବୋଲଇ ମୃଦୁବାଣୀ ।୧୬୧।
ଭୋ ସ୍ୱାମୀ କହଇ ହୋଇବା ସାବଧାନ
ଯେଉଂ ହେତୁ ମଲେ ସେ ଗାନ୍ଧାରୀ ନନ୍ଦନ ।୧୬୨।
ରଇବ୍ରତ ପର୍ବତକୁ ଗଲେ କୁରୁବୀରେ
କର୍ଣ୍ଣ ଅଶସ୍ତମା ଘେନିଣ ସଙ୍ଗତରେ ।୧୬୩।
ଗଦା ଶିଖାବନ୍ତି ଦେବ ବଳେବର
ଅଛନ୍ତି କୁରୁବୀରେ ରଇବ୍ରତ ପର୍ବତର ।୧୬୪।
ଭାନୁମତ ରାଜ୍ୟରେ ଭୂମନୁ ନୃପତି
ତାହାର ଦୁହିତା ନାମ ଅଟଇ ଭାନୁମତୀ ।୧୬୫।
ସର୍ବ ସୁଲକ୍ଷଣୀ ସେ ଅଟଇ ନବଯୁବା
ତା ରୂପ ସମାନକୁ କମଳା ନୋହିବା ।୧୬୬।
ସେ ଭାନୁମତ ରାଜା ବିଚାରଇ ମନେ
କାହାକଇଂ କନ୍ୟା ଯେ କରିବା ପ୍ରଦାନେ ।୧୬୭।
ୟେମନ୍ତ ଭାଳନ୍ତେ ଯେ କିଛୁ ଦିନ ଗଲା
ଲକ୍ଷେକ ରାଜାଙ୍କୁ ସେ ଯେ ସୟଂବରେ ବରିଲା ।୧୬୮।
ଦୁହିତା ବୋଇଲା ଶୁଣ ତାତ ପୁଣ
ରୁଣ୍ଡ ହୋଇଲେ ସେ ଯେ ସକଳ ରାଜାଗଣ ।୧୬୯।
ଶଙ୍ଖ ପଦ୍ମ ନିଧି ଅଛି କାହା କରେ
ପରୀକ୍ଷା କର ଶିଳା ତାହାଙ୍କ ହସ୍ତରେ ।୧୭୦।
କର ଲାଗି ପାଷାଣ ହୋଇବ ପାଣିଦ୍ରବ୍ୟ
ନିଶ୍ଚୟ ଜାଣ ତାତ ସେ ମୋହୋର ବଲ୍ଲଭ ।୧୭୧।
ଶୁଣିଣ ଭୂମନୁ ପରୀକ୍ଷ ଯେ କଲା
ସଂକେତ ନୋହିଲାକୁ ରାଜାଙ୍କୁ କହିଲା ।୧୭୨।
ଭୋ ନୃପ ରାୟେ ମୋତେ ଦୟା କରିଥିବା
ନୋହିଲା ସଙ୍କେତ ଯେ ଯାହାର ରାଜ୍ୟେ ଯିବା ।୧୭୩।
ସୁଗ୍ୟାନୀ ରାଜାମାନେ ବାହୁଡ଼ିଲେ ଶୁଣି
ଦୁଷ୍ଟ ରାଜାମାନେ ଯୁଦ୍ଧ ଆରମ୍ଭିଲେ ଆଣି ।୧୭୪।
ବୋଲନ୍ତି ଦୁଷ୍ଟ ରାଜାୟେ ୟେମନ୍ତ ବାଞ୍ଛା ତୁକୁ
କିମ୍ପାଇ ବରବେଶ କଲୁ ତୁ ଆମ୍ଭଙ୍କୁ ।୧୭୫।
ଉଚ୍ଚବାଚ ଗୋ ଳଶୁଭଇ ବହୁତ ଦୂର
ରଇବ୍ରତ ପର୍ବତରୁ ଆସଇ କୁରୁବୀର ।୧୭୬।
ଦ୍ରିଯୋଧନ ଡଗରା କହଇ ବାରତ
ଭାନୁମତ ରାଜ୍ୟରେ ଦେବ ଭୂମନୁ ନରନାଥ ।୧୭୭।
ତାର ଦୁହିତାର ନାମ ଅଟଇ ଭାନୁମତୀ
ସୟଂବରେ ବରିଲା ଲକ୍ଷେକ ନୃପତି ।୧୭୮।
ଡଗର ମୁଖରୁ ସେ ଶୁଣିଣ ବାରତ
ଭାନୁମତ ରାଜ୍ୟକୁ ଚଳିଲେ କୁରୁନାଥ ।୧୭୯।
ଦେଖିଲା ରାଜା ସଙ୍ଗେ ଯୁଝନ୍ତି ରାଜା ମନ୍ଦ
ଭୂମନୁକୁ ଆବୋରିଲା ରାଜା ମାନ ଯେ ଗୋବିନ୍ଦ ।୧୮୦।
ଲକ୍ଷେ ରାଜାକୁ ତହିଂ ଜିଣିଲା ବୀର କର୍ଣ୍ଣ
ଭାନୁମତୀକି ପ୍ରଦାନ ହୋଇଲା ଦ୍ରିଯୋଧନ ।୧୮୧।
ଅନେକ ଯଉତୁକ ଯେ ଦିଲାକ ନରସାଇଂ
ଭାନୁମତୀର ଘେନି ରାଜା ହସ୍ତିନାକୁ ଆସଇ ।୧୮୨।
ଅନେକ ସମ୍ଭାରେ ରାଜା ଥାଠ ଯେ ପଲାଣି
ଶତେ ଭ୍ରାଥ କର୍ଣ୍ଣ ବୀରବର ଦ୍ରୋଣି ।୧୮୩।
ଅଜଙ୍ଗ ପାଦ ବନେ ହୋଇଲେ ପ୍ରବେଶ
ବାଜଇ ଦମା ବୀର ତୂର ବିଜି ଘୋଷ ।୧୮୪।
ୟେମନ୍ତର ସମୟେ ବିରୂପାକ୍ଷ ବୀର
ଶୂନ୍ୟେଣ ଭ୍ରମଇ ସେ ଚଢିଣ ରହୁବର ।୧୮୫।
ବୀରବର ବାଦ୍ୟ ଶୁଣିଲା ଯହୁଂ କର୍ଣ୍ଣେ
ତତକ୍ଷଣେ ଟେକିଲା ଲୋହିତ ନିର୍ମିତ ଯାନେ ।୧୮୬।
ଗଗନୁ ଆସୁଂ ଆସୁଂ ବିନ୍ଧିଲାକ ଶର
ରଥୀ ହାଥୀ ଛିଡ଼ି ପଡିଲେ ପୟେଦାର ।୧୮୭।
ଅନେକ ଯୁଦ୍ଧ କଲେ ଅର୍ଣ୍ଣ ଅଶସ୍ତମା
କର୍ମର ଅବଳେ ସେ ଯେ ହାରିଲେ ମହାତମା ।୧୮୮।
ୟେମନ୍ତ ସମୟେ ଧୁଶାସନ ବୀର
ଗଦା ପ୍ରହାରିଲା ଅସୁର ଉପର ।୧୮୯।
ସେ ଗଦା ସହି ଯେ ଅସୁର କୁଳସାଇଂ
ଭଇରୋବୀ ମୂଷଳ ଯେ ପିଟିଲା ରିଂଝାଇ ।୧୯୦।
ଶୂଳର ଘାତେ ଧୁଶାସନ ହାରିଲାକ ପ୍ରାଣ
ସେ ଶୂଳ ନେଇ ପିଟିଲା କର୍ଣ୍ଣ ଉପରେଣ ।୧୯୧।
ତତକ୍ଷଣେ ରାଧେବ ପଡ଼ିଲା ଉତ୍ତାନଶାହୀ ହୋଇ
ଅଶସ୍ତମାର ଥାଠେ ଟେକିଲା ରଥ ବେଗେ ନେଇ ।୧୯୨।
ଅନେକ ସମର ସେ ଦତ୍ୟର ସଙ୍ଗେ କଲେ
ଅନାଦିର ବରେ ସେ ଶୂଳ ବଞ୍ଚାଇଲେ ।୧୯୩।
ଦେଖିଣ ଅସୁର ଯେ ମହା କ୍ରୋଧ କଲା
ଚରଣ ଧରିଣ ରଥେ ନେଇ କଚାଡ଼ିଲା ।୧୯୪।
ମୋହ ହେଲା ଯହୁଂ ଗୁରୁଙ୍କ ତନୟି
ଆପଣାର ରଥେ ନେଇ ଭିଡ଼ି ବାନ୍ଧିଛଇଂ ।୧୯୫।
ୟେହାନ୍ତ ମାରି ସେ ଯେ ସନ୍ୟଙ୍କୁ ମାଇଲା
ଶୂଳ ପ୍ରହାରି ଯେ ବଳ ବିଧଂସିଲା ।୧୯୬।
ଦ୍ରିଯୋଧନ ଆଦି ସତାଣୋଇ ଭାଇ
ତାହାନ୍ତ ମାଇଲା ଶୂଳେ ଲୋହିତାକ୍ଷ ନେଇ ।୧୯୭।
ନିଶୋଧନ କରିଣ ସେ କୁରୁବଳ ଥାଠ
ରଥର ଉପରକୁ ଚାହିଂଲା ଦ୍ରପିଷ୍ଠ ।୧୯୮।
ସ୍ତୁତି କରନ୍ତେ ଯେ ଦିବା ରାତି ଯାଇଂ
ଭାନୁମତୀର ରୂପକୁ ସେ ବର୍ଣ୍ଣି ନ ପାରଇ ।୧୯୯।
ଯୁବତୀ ମୋହେ ଉଭା ହୋଇଅଛି ଅସୁର
ଭାନୁମତୀକି ଘେନି ଯିବ ନିଜପୁର ।୨୦୦।
ଶୁଣିଣ ଯୁଝେଷ୍ଠି ୟେହା ହୋଇଲେ ବଇକୁଲ
ଶୁଣିଣ କ୍ରୋଧଭର ଭାରୋଇ ଯେ ମଲ୍ଲ ।୨୦୧।
ଯୁଝେଷ୍ଠି ବୋଇଲେରେ ଶୁଣ ଧନଞ୍ଜୟେ
ସୋମବଂଶକୁ ଯେ ୟେ କଳଙ୍କ ବଡ଼ ହୋୟେ ।୨୦୨।
ଯଦ୍ୟପି କଉରୋବେ ହୋଇଲେ ଅମାନୀ
ସେ ଦୁଷ୍ଟମାନଙ୍କର ମୁଂ ଦୋଷ ଯେ ନ ଘେନି ।୨୦୩।
ଆମ୍ଭନ୍ତ ଜିଂଘାସ ଯେବେ କଲେ କଉରୋବେ
ଧର୍ମ ଦେବତା ତାଙ୍କୁ ଦିଅଇଂ ପରାଭବେ ।୨୦୪।
ଧର୍ମ ଥିଲା ଲୋକେ ତରନ୍ତି ଦୁସ୍ତରେଣ
ଧର୍ମ ହୀନେ କଉରୋବେ ହରାଇଛନ୍ତି ପ୍ରାଣ ।୨୦୫।
କେମନ୍ତେ କାହିଂରେ ପଡ଼ିଅଛି ସେହି
ଯୁଝେଷ୍ଠି ବଚନେ ବାହାର ଚାରିଭାଇ ।୨୦୬।
ସହଦେବକଇଂ ବଦନ୍ତି ଧର୍ମଚାଟ
ଆଗରେ ମନ୍ତ୍ରୀବର କଢାଅ ତୁ ବାଟ ।୨୦୭।
ଶୁଣିଣ ସହଦେବ ଆଗରେଣ ହୋଇ
ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ପଛେ ଛନ୍ତି ଧାଇଂ ।୨୦୮।
ପବନହୁଂ ବେଗେ ସେ ଯେ ଖେପନ୍ତି ପାଣ୍ଡେବ
ପୁଣିହିଂ ଯୁଝେଷ୍ଠି ବୋଲନ୍ତି ଚାହିଂଣ ସହଦେବ ।୨୦୯।
କେବଣ ବଂଶରେ ୟେ ଅସୁର ଅବତାର
କାହାକଇଂ ସେବିଣ ୟେ ପାଇଅଛି ବର ।୨୧୦।
କୁରୁବଳ ମାରିବାକୁ ୟେ ସାମର୍ଥ ହୋଇ
କେବଣ ଦେଶରେ ସେ ଯେ ଅସୁର ରହଇ ।୨୧୧।
ତାହା ସଞ୍ଚପି ମୋତେ କହ ମନ୍ତ୍ରୀବର
ଶୁଣିଣ ବୋଇଲେ ସେ ମାଦ୍ରୀର କୁମର ।୨୧୨।
ଶୁଣିମା ସାବଧାନେ ଅସୁର ଆଦ୍ୟ ଜନ୍ମ
ୟେଥୁ ସେ ଅସୁର ହୋଇଲେ ସାର୍ଥମ ।୨୧୩।
ଶିବାନ୍ତକ କାଳ ୟେକ ସତ୍ୟଯୁଗ ଲୟେ
ପ୍ରଳୟାନ୍ତକ କାଳ ହୋଇଲା ଫେନମୟେ ।୨୧୪।
ନିରଞ୍ଜନ ନାଥ ଶୟନ ଯୋଗ ବଳେ
ଅନାଦି ମହାଦେବ ବାକ୍ୟ ଦେବୀର କୋଳେ ।୨୧୫।
ନାସିକାରୁ ରସ ପକାନ୍ତେ ନାରାୟଣ
ସେ ବେନି ଅସୁର ଉତପତ୍ତି ତତକ୍ଷଣ ।୨୧୬।
ଆସନ୍ତେ ଆକାଶକୁ କ୍ଷେପନ୍ତି ଦଇତେ
ମଧୁ କଇଟଭ ନାମ ୟେ ସଂକେତେ ।୨୧୭।
ନାରାୟଣ ସୀମସ୍ଥାନେ ଅଛନ୍ତି ବାକ୍ୟଦେବୀ
କୃଷ୍ଣଙ୍କୁ କୋଳେ ଧରି ପରମ ବୈଷ୍ଣବୀ ।୨୧୮।
ଅନନ୍ତ କୋଟି ବ୍ରହ୍ମାଣ୍ଡ ଜଳମୟେ ଅଗାଦ
ସେ ବେନି ଦତ୍ୟଙ୍କର ନ ତିନ୍ତଇ ପାଦ ।୨୧୯।
ଅତ୍ୟନ୍ତ ସୁନ୍ଦର ସେ ଦେଖିଣ ଧବଳାଙ୍ଗୀ
ସେ ବେନି ବୀରେ ଦେଖି ଶୃଙ୍ଗାର ବେନିହେଂ ଯେ ମାଗି ।୨୨୦।
ସରସ୍ୱତୀ ବୋଇଲେ ଭୋ ଦେବ ନାରାୟଣ
ମୋତେ ଅଭିଳାଷ ୟେ ମାଗନ୍ତି ବେନି ଜନ ।୨୨୧।
ଶୁଣିଣ ନାରାୟଣ ଛାଡ଼ିଲେ ଯୋଗବଳ
କାଳାନଳ ଜାଣି ଭ୍ରମଇ ବେନି ଡୋଳ ।୨୨୨।
ଚକ୍ର ଧରି ଭ୍ରମି ଆସନ୍ତେ ଅନାଦି ଶ୍ରୀହରି
ମଧୁକୈଟଭ ଦୁହେଂ କର ଯେ ପ୍ରସାରି ।୨୨୩।
ଭୋ ଦେବ ନ ଚିହ୍ନିଲୁ କଲୁ ଆମ୍ଭେ ଦ୍ରୋହ
ସେ ଅନରୂପେ ଶାସ୍ତି ସ୍ୱାମୀ ଆମ୍ଭଙ୍କୁ ଯେ ଦିଅ ।୨୨୪।
ଭକ୍ତି ଉପୁଜାଇ ମାଗିଲେ ଯହୁଂ ବର
ସ୍ୱାମୀ ଯହିଂ ପାଣି ନାହିଂ ତହିଂ ଆମ୍ଭଙ୍କୁ ଯେ ମାର ।୨୨୫।
ଶୁଣିଣ ନାରାୟଣ ବହିଲେ ବୀର ତନୁ
ଦୁଇ ଦାନବନ୍ତ ମାଡ଼ି ବସିଲେ ଦୁଇ ଜାନୁ ।୨୨୬।
ଗଦାୟେ ମେଲି ଦେବ ମାଂସ କଲେ ଲୋଚା
ଜଳୋଦକ କରିଣ ୟେ ପୃଥୀ କଲେ ସଞ୍ଚା ।୨୨୭।
ସହଦେବ ବୋଲଇ ଶୁଣିମା ଧର୍ମସୁତ
ସେ ମେଦାସୁରକୁ ଯେ ମେଦିଲେ ଅଚ୍ୟୁତ ।୨୨୮।
ସେ ମେଦାସୁର ମେଦି ଜଳେ ପକାନ୍ତେ ଗଦାଧର
ପଞ୍ଜରା ଅସ୍ଥି ଖଣ୍ଡେ ରହିଲା ଶେଷ ତାର ।୨୨୯।
ତଳେ ପକାନ୍ତେ ବିମ୍ୱ ୟେକ ହେଲା
ଅନନ୍ତ ବିମ୍ୱର ବୋଲି ଅନାଦି ନାମ ଦିଲା ।୨୩୦।
ତାର ଉପରେ ପଡିଲା ମାଂସ ଲୋଚା
ତେଣୁ ସେ ମେଦିନୀ ନାମ ବିଷ୍ଣୁ କଲେ ସଞ୍ଚା ।୨୩୧।
ସହଦେବ ବୋଲନ୍ତି ଶୁଣିମା ଧର୍ମ ବଚ୍ଛି
ଅସୁର ମାଂସେ ସ୍ୱାମୀ ମେଦିନୀ ହୋଇଅଛି ।୨୩୨।
ୟେ ଅସୁର ବଂଶ କହଇ ଶୁଣିମା ସାବଧାନେ
ୟେଣୁ ଅସୁର ହୋଇଲେ ବର୍ଧମାନେ ।୨୩୩।
ମଧ୍ୟକାର ବୋଲି ଅସୁରାଧି ଗୋତ୍ରେ
ସେ ବଂଶେ ଉତପତ୍ତି ତ୍ରିହୋତ୍ର ବୋଲି ପୁତ୍ରେ ।୨୩୪।
ତ୍ରିହୋତ୍ରର ନନ୍ଦନ ଜମ୍ୱୁଦତ୍ୟ ବୋଲି
ଜମ୍ୱୁଦତ୍ୟର ପୁତ୍ର ଜପାସୁର କହିଲି ।୨୩୫।
ଜପାସୁର ନନ୍ଦନ ଯେ ଦପାସୁର ବୀରା
ଦପାସୁର ପୁତ୍ର ହୋଇଲା ଅଙ୍ଗିରା ।୨୩୬।
ଅଙ୍ଗିରାର ନନ୍ଦନ ମୟେ ବୋଲି ବୀର
ମୟେର ନନ୍ଦନ ଉତପତ୍ତି ଲୋହାସୁର ।୨୩୭।
ଲୋହାସୁର ପୁତ୍ର ଯେ ଅସୁର ବିତକ୍ଷ
ତାହାର ନନ୍ଦନ ଶୂଳିକ ମହାତକ୍ଷ ।୨୩୮।
ଶୂଳିକର ନନ୍ଦନ ବଜ୍ରନାଭ ଅସୁର
ବଜ୍ରନାଭ ନନ୍ଦନ ସୌଦାସ ରାକ୍ଷସ ମହାବୀର ।୨୩୯।
ଜଳ ତରଙ୍ଗ ନାମେ ୟେହାର ସେ ଶିଷ୍ୟ ।୨୪୦।
ୟେ ଜଳ ତରଙ୍ଗ ବ୍ରହ୍ମାଣ୍ଡ ବୁଲିଲା
ଅନନ୍ତ ବିମ୍ୱର ପାତାଳେ ଠାବ କଲା ।୨୪୧।
କଟକ କରି ତହିଂ ରହିଲା କାମଚର
ସହସ୍ରେକ ବାରଧାଡ଼ି ଦିଲାକ ଅମର ।୨୪୨।
ଡରେଣ ସ୍ୱର୍ଗ ଛାଡ଼ି ପଳାବନ୍ତି ଦେବବୃନ୍ଦ
ଜୂର କରି ଆଣଇ ସ୍ୱର୍ଗର ସମ୍ପଦ ।୨୪୩।
ଜଳ ତରଙ୍ଗ ନନ୍ଦନ ଅସୁର ବୀର ମେଧା
ୟେ ସେ ଆକାଶକୁ କଲାକ ଶରଧା ।୨୪୪।
ମେଧାସୁର ନନ୍ଦନ ଅଟଇ କୃତକେଶୀ
ସଂସାର ଦହିଲା ସେ ଯେ ନାଶିଲା ସର୍ବଋଷି ।୨୪୫।
କୃତକେଶୀ ନନ୍ଦନ ଜଟାସୁର ନାମ
ସେ ମହାମୂଢ ଯେ ନାଶିଲା ସବୁଧର୍ମ ।୨୪୬।
କୃତକେଶୀ ପୁତ୍ର ଅଟଇ ଲୋହିତାକ୍ଷ
ଭାସ୍କର ବରେ ସେ ଯେ ପ୍ରତାପୀ ମହାଦକ୍ଷ ।୨୪୭।
ୟେ ପୁଣି ସ୍ୱର୍ଗକଇଂ ଅନେକ ଧାଡ଼ି ଦିଲା
ଡରେଣ ଶଚିପତି ସ୍ୱର୍ଗ ଛାଡ଼ି ଦିଲା ।୨୪୮।
ବହୁତ ଦ୍ରବ୍ୟ ସେ ଯେ ଆଣିଲା ଜୂର କରି
ୟେ ପାପିଷ୍ଠର ମନ ଯେ ବଳିଲା ଦେବ ସ୍ତିରୀ ।୨୪୯।
ଯହୁଂ ସ୍ୱର୍ଗ ଛାଡ଼ି ପଳାଇଲାକ ବଜ୍ରଧର
ସ୍ୱର୍ଗ ମର୍ତ୍ତ୍ୟ ପାତାଳ ପାଳିଲେ ଅସୁର ।୨୫୦।
ମକର ଶୁକ୍ଲପକ୍ଷ ଯେ ପୌର୍ଣ୍ଣମୀର ଦିନ
ମଘା ନାମେଣ ନକ୍ଷତ୍ର ଯେ ଅଟଇ ବିଦ୍ୟମାନ ।୨୫୧।
ଗର ନାମେ କରଣ ଅତିଗଣ୍ଡ ନାମେ ଯୋଗ
ମକର ସଙ୍କରାନ୍ତିକି ସତର ଦିନ ଭୋଗ ।୨୫୨।
ସେ ଦିନ ଲୋହିତାକ୍ଷ ମେରୁକୁ ଦିଲା ଧାଡ଼ି
ବିଚାରଇ ଆଜ ତାକୁ ପକାଇବି ଉପାଡ଼ି ।୨୫୩।
ୟେମନ୍ତେ ବିଚାରି ସେ ଯେ ମେରୁ ସ୍ଥାନେ ମିଳି
ହୁଂକାର ଶବଦ ଯେ କଲା ଯାତୁଧାନ ମହୀ ଯେ ଉଛୁଳି ।୨୫୪।
ତିନି ବେଳ ଝାଙ୍ଗନ୍ତେ ହଲିଲାକ ମେରୁ
ଟଳିଲାକ ପୃଥୀ ନୋହିଲାକ ଯହୁଂ ଗରୁ ।୨୫୫।
ବିକଳେ ମେରୁ ସେ ଯେ ବୋଲଇ ଅସୁରକୁ
କିମ୍ପାଇ ଦୁର୍ଧଂସ ତୁ କରୁଅଛୁ ମୁକୁ ।୨୫୬।
ମୁହିଂତ ରେ ତୋହୋର ନୋହଇ ବଇରି
ନିଶ୍ଚଳେ ମାଡି ମୁଂ ଯେ ବସଇ ବସୁନ୍ଧରୀ ।୨୫୭।
କିମ୍ପାଇ ମହାଦତ୍ୟ କୋପ ମୋତେ କରୁ
ତୋତେ ସାମାନ୍ୟ ମୁଂ କାହିଂ ହେବି ଗରୁ ।୨୫୮।
ମେରୁର କାକୁସ୍ତି ବିନୟ ବାଣୀ ଶୁଣି
ଶାନ୍ତି ଭଜିଲା ସେ ଅସୁର କୁଳ ଚୂଡାମଣି ।୨୫୯।
ବୋଇଲା ଯଦ୍ୟପି ତୋତେ ମୁଂ ନ ଉପାଡ଼ିବି
କିସ ଦେବୁ ମୋତେ ଯେ ବାହୁଡ଼ିଣ ଯିବି ।୨୬୦।
ମେରୁ ବୋଇଲା ଯେ ତୋହୋର ଇଚ୍ଛା
ମାଗୁକିନା ତୋର ପୂରୁ ମନ ବାଞ୍ଛା ।୨୬୧।
ଲୋହିତାକ୍ଷ ବୋଇଲା ସତ୍ୟ କର ତୁହି
ତଦଅନ୍ତ କରି ଯାହା ମାଗିବି ମନାଇଂ ।୨୬୨।
ଶୁଣିଣ ହେମାଦ୍ରି ଯେ ସତ୍ୟ ସତ୍ୟ କହି
ତୁ ଯାହା ମାଗିବୁ ଅବଶ୍ୟ ଦେବି ମୁହିଂ ।୨୬୩।
ଶୁଣିଣ ଲୋହିତାକ୍ଷ ବୋଇଲା ନିରାଧାର
ମୁକୁଇଂ ଦେବୁ ସରିତା ଦୁହିତା ତୋହୋର ।୨୬୪।
ଶୁଣିଣ ମେରୁ ସତ୍ୟଭଗ୍ନ ନୋହିଲା
ସରିତାକୁ ଆଣିଣ ଲୋହିତାକ୍ଷକୁ ଦିଲା ।୨୬୫।
କନ୍ୟା ଘେନି ଅସୁର ବାହିଡ଼ିଲା ଧାତି
ସେ ଦିନୁଂ ମେରୁକଇଂ କଲା ବହୁତ ପୀରତି ।୨୬୬।
ଅନନ୍ତ ବିମ୍ୱରେ ବିହରନ୍ତେ ଯାତୁ ଧାନ
ୟେମନ୍ତେ ଗଲା ତହିଂ କେତେହେଂକ ଦିନ ।୨୬୭।
ସରିତାର ସଙ୍ଗେ ପ୍ରୀତି ବଶ ହୋଇ
ଆବର ସ୍ୱର୍ଗକୁ ଯେ ନ ଯାଏ ଦଣ୍ଡବାହି ।୨୬୮।
ସ୍ୱର୍ଗେ ଦେବତାୟେ ଯେ ନିଶ୍ଚନ୍ତେ ରହିଲେ
ବହୁତ ପ୍ରଶଂସା ସେ ଯେ ମେରୁକଇଂ କଲେ ।୨୬୯।
ୟେଥୁ ଅନନ୍ତରେ ଶୁଣିମା ଭୋ ଦେବ
ଚାଲିଯାଉଂ ଯାଉଂ କହଇ ସହଦେବ ।୨୭୦।
ବୈଶାଖ କୃଷ୍ଣ ଯେ ଅମାବଇ ଦିନ
ରେବତୀ ନକ୍ଷତ୍ର ଯେ ଅଟଇ ବିଦ୍ୟମାନ ।୨୭୧।
ବିଷ୍ଟି ନାମେ କରଣ ବ୍ୟତିପାତ ନାମେ ଯୋଗ
ମେଷ ସଙ୍କରାନ୍ତିକି ବାଇଶ ଦିନ ଭୋଗ ।୨୭୨।
ଭୃଗୁବାରର ରାତ୍ର ଅଟଇ ବିଦ୍ୟମାନ
ସରିତାର ଗର୍ଭରୁ ଉତପତ୍ତି ନନ୍ଦନ ।୨୭୩।
ମହା ଉଗ୍ର ତେଜ ଯେ ପ୍ରଚଣ୍ଡ କାଳାନଳ
ଦିନୁ ଦିନୁ ବଢଇ ଅସୁର ଅଚାର୍ଗଳ ।୨୭୪।
ନାମ ତାହାର ଯେ ଦିଲା ଲୋହିତାକ୍ଷ
ୟେ ପୁତ୍ର ନାମ ମୋର ଅଟଇ ବିରୂପାକ୍ଷ ।୨୭୫।
ଜନ୍ମ ହୋଉଂ ଯେଣୁ ଭୀଷ୍ମ ରୂପ ହେଲା
ତେଣୁ କରି ବରୂପାକ୍ଷ ବୋଲି ପିତା ନାମଦିଲା ।୨୭୬।
କିଛୁ ଦିନ ଅନ୍ତରେ ବୋଲଇ ସରିତା
ଭୋ ପୁତ୍ର ତପସ୍ୟା କରରେ ବିଧାତା ।୨୭୭।
ଯାହାର ପ୍ରସନ୍ନେ ଜରା ମୃତ୍ୟୁ ନାହିଂ
ଅଭୟେ ବରଦିୟେ ସାବିତ୍ରୀ ଦେବୀର ସାଇଂ ।୨୭୮।
ଶୁଣି ବିରୁପାକ୍ଷ ସନମତ କଲା
ତପସ୍ୟା କରିବାକୁ ବିମ୍ୱରୁ ବାହାରିଲା ।୨୭୯।
ଦେଖିଲା ପୃଥୀ ଯେ ତୃତୀୟ ବିଦ୍ୟମାନ
ଗ୍ରାମ ପାଟଣା ନଦ ନଦୀ ଯେ ଉପବନ ।୨୮୦।
ମହାଘୋର ବନେ ପ୍ରବେଶ ରାକ୍ଷସ
ଜିଣିଣ ଗଲା ସେ ହଟକେଶ୍ୱର ଦେଶ ।୨୮୧।
ତୁଙ୍ଗଭଦ୍ରା ବନ ଯେ ଅତ୍ୟନ୍ତ ପରିମଳ
ସେ ବନେ ବସିଲା ଯେ ଆସନ ନିଶ୍ଚଳ ।୨୮୨।
ଷୋଳ ଡମ୍ୱରୁ ଯେ ଗ୍ୟାନ ତତ୍ତ୍ୱ ଧରି
ବ୍ରହ୍ମାଙ୍କୁ ତପସ୍ୟା କରି ନି-ଆହାରୀ ।୨୮୩।
ନବ ସହସ୍ର ବରଷ କଲା ଘୋରତପ
ବ୍ରହ୍ମାଙ୍କୁ ଲୟେ କରି ଦୁରାତ୍ମା କୁଣୋପ ।୨୮୪।
ଅନଳ ଜାଳିଣ ସେ ମାଂସ କାଟି ଦେହୁଂ
ଅଗ୍ନିର ଭିତରେ ମାଂସ କାଟି ଦେଉ ।୨୮୫।
ଅଗ୍ନିରେ ଦିଅନ୍ତେ ଯେ କଅଂଳଇ ଅଙ୍ଗ
ପଶୁ ମାଂସ କାଟି ଯେ ଦିଅଇ ହବି ମଧ୍ୟ ଭାଗ ।୨୮୬।
ୟେ ପ୍ରମାଣେ ତପ ୟେ ଦାନବ କରଇ
ନବ ସହସ୍ର ବରଷ ନି-ଆହାରେ ଥାଇ ।୨୮୭।
ୟେତେ କଷ୍ଟେ ନ ଦିଖିଲାକ ଚିହ୍ନବର୍ଣ୍ଣ
ପୁଣ ଦହିଲା ଯେ ଶରୀର ଯାତୁଧାନ ।୨୮୮।
ୟେକୋଇଶି ସହସ୍ର ବର୍ଷ ଅଗ୍ନିରେ ଦେହ ଝାସି
ଆହୂତି ସମର୍ପିଲା ଅଗ୍ନିରେ ଯାଇଂ ପଶି ।୨୮୯।
ଅନଳ ଭିତରେ ଯେ ନିବେଶିଲା କାୟା
ଦହନ ନୋହିଲା ସେ ୟେ ପିତାମହର ମାୟା ।୨୯୦।
ଜଳି ବହନି ଯେ ନିଜ ତେଜ ଲାଗି
ଦୁରାପଦ କଷ୍ଟେ ଜୀବନ ପରିତ୍ୟାଗି ।୨୯୧।
ମହାକଷ୍ଟୋର ଦେଖି ଭୟେ କଲେ ବୃନ୍ଦାଅର୍କେ
ଧାତାର ତହିଂକି ୟେ ଗଲେ ଦେବଲୋକେ ।୨୯୨।
ଇନ୍ଦ୍ର ଚନ୍ଦ୍ର ପବନ ଦେବ ବୃହସ୍ପତି
ସୂର୍ଯ୍ୟ ନଳ କୁବେର ବରୁଣ ନୈରୁତି ।୨୯୩।
ଗ୍ରହଗଣ ଆଦି ସପ୍ତ ଦେବ ଲୋକେ
ବସୁଧା ସହିତେ ସମସ୍ତେ ଦେବେ ଶୋକେ ।୨୯୪।
ଯଶୋବନ୍ତୀ ଭୁବନେ ବିଜୟେ ବେଦବର
ଆସ୍ତାନ ତଳେ ଉଭା ସମସ୍ତ ଦେବବର ।୨୯୫।
ଶତ ସହସ୍ର ଯେ ପ୍ରଣମ୍ୟ ଦଇନି
ଦେଖିଣ ପ୍ରତିବାଚ ଦିଅନ୍ତି ପଦ୍ମଯୋନି ।୨୯୬।
ଇଦଂ ପ୍ରତିବାଚ ପିତାମହ ସଂଚି
ସ୍ୱୟଂ ସମ୍ଭାଷଣ କରନ୍ତି ବିରଞ୍ଚି ।୨୯୭।
କିମ୍ଭୂତ କାରଣେ ଅଇଲ ବୃନ୍ଦାଅର୍କେ
ମୁଖେ ଅଙ୍ଗୁଷ୍ଟି ଦେଇ ଦେବେ ଶୋକେ ।୨୯୮।
ବୃହସ୍ପତି ବୋଇଲେ ତୁ ଜଗତର ବନ୍ଧୁ
କାରଣନାଥ ତୁ ଯେ କୃପାଜଳ ସିନ୍ଧୁ ।୨୯୯।
ଲୋହିତାକ୍ଷର ସୁତ ବିରୂପାକ୍ଷ ବୀର
ସେ ତୋତେ ଲୟେ ଯେ କରଇ ଅପାର ।୩୦୦।
କାହାର ସମ୍ପ୍ରଧି ସେ ଯେ ଘେନିମ ଯାତୁଧାନ
ଶୁଣିଣ ବୋଲନ୍ତି ସେ ଚତୁର ବଦନ ।୩୦୧।
ମୁଂ ତାହାକୁ ବର ଦେବଇ ନିରାଧାର
ତୁମ୍ଭେ ଦେବେ ଯାଅ ଯେ ଯାହାର ଘର ।୩୦୨।
ଶୁଣିଣ ଦେବେ ଗଲେ ଯେ ଯାହାର ସ୍ଥାନ
ମରୁଳ ବାହନେ ବିଜେ ଚତୁରବଦନ ।୩୦୩।
ବିରୂପାକ୍ଷ ସନ୍ନିଧ୍ୟେ ଯାଇଂ ପ୍ରବେଶ ହୋଇଲେ
କମଣ୍ଡଳୁ ପାଣିୟେ ସଧୀରେ ସିଞ୍ଚିଲେ ।୩୦୪।
ଗତୁଂ ଶତେ ଗୁଣେ ହୋଇଲା ଅସୁର
ବ୍ରହ୍ମା ବୋଇଲେ ମାଗୁ କି ନା ବର ।୩୦୫।
କରପତ୍ର ଯୋଡ଼ି ବୋଲଇ ସରିତା ତନୟେ
ଭୋ ସ୍ୱାମୀ ବେଦବର ମୁଂ ହୋଇବି ଅକ୍ଷୟେ ।୩୦୬।
ଅସ୍ତୁ ହୋଉ ବୋଲିଣ ବୋଇଲେ ପିତାମହ
ଭୋସ୍ୱାମୀ ବେଦବର ବଜ୍ର ହୋଉ ମୋର ଦେହ ।୩୦୭।
ଦେବାସୁର ନରେ ଯେ ନ ମରିବି ମୁହିଂ
ଦେବଶରମାନ ମୋର ଅଙ୍ଗେ ନ ଭେଦଇ ।୩୦୮।
ଭ୍ରମି ଆସିବ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ମୋର ଯାନ
ସାଂଗ୍ରାମେ ମୋତେ କେହି ନୋହିବେ ସମାନ ।୩୦୯।
ଅସ୍ତୁ ହେଉ ବୋଲି ବୋଇଲେ ବେଦବର
କରପତ୍ର ଯୋଡ଼ି ବୋଲଇ ଅସୁର ।୩୧୦।
ଭୋ ପିତାମହ ଦିଲୁ ଅଭୟେ ଯେ ବର ।୩୧୧।
ମୃତ୍ୟୁ ଭେଦ ମୋର କହିବା ନା ତତ୍ତୁ
ଶୁଣିଣ ଉତ୍ତର ବୋଲନ୍ତି କୁଶକେତୁ ।୩୧୨।
ପଞ୍ଚୁଇନ୍ଦ୍ର ଜନ୍ମିବେ ୟେ ମର୍ତ୍ତ୍ୟ ଭୁବନେ
ସେ ତୋର ହନ୍ତକାରୁ ପାଣ୍ଡେବ ଫାଲଗୁନ୍ୟେ ।୩୧୩।
ଶୁଣିଣ ବିଚାରଇ ଅସୁର କୁଳପତି
ୟେକ ଇନ୍ଦ୍ର ସିନା ସ୍ୱର୍ଗରେ ଆଧିପତି ।୩୧୪।
ପଞ୍ଚ ଇନ୍ଦ୍ର କାହିଂ ଏକତ୍ୱେ ଜନ୍ମ ହୋଇ
ଧନ୍ୟ ମୋର ବର ଅଭୟେ ବର ପାଇ ।୩୧୫।
ୟେମନ୍ତ ବିଚାରି ସେ ବୋଇଲା ଦାନବ
ଭୋ କୁଶକେତୁ ମୋର ଅମୃତ ଲିଙ୍ଗ ଥିବ ।୩୧୬।
ପଞ୍ଚୁଇନ୍ଦ୍ରେ ୟେବେ ମୋତେ ପକାଇବେ ହାଣି
ପୁନ ପୁନ ଶିର ମୋର ଲାଗିବ ତତକ୍ଷଣି ।୩୧୭।
ଅମୃତ ଲିଙ୍ଗ ମୋର ନାଭି ପଦ୍ମେ ଥିବ
ସେ ଥିବା ଯାଏ ମୋର ମୃତ୍ୟୁ ଯେ ନୋହିବ ।୩୧୮।
ଅସ୍ତୁ ହେଉ ବୋଲି ବୋଇଲେ ବେଦବର
ଅନ୍ତର୍ଧାନ ହୋଇଲେ ଅସୁରକୁ ଦେଇ ବର ।୩୧୯।
ସେ ଦିନୁ ରାକ୍ଷସ ଯେ ଦିଗ ବିଜେକଲା
ଅନେକ ରାଜା ସେ ଯେ ରାକ୍ଷସ ଜିଣିଲା ।୩୨୦।
ବ୍ରହ୍ମା ବରେ ସେ ଯେ ଅସୁର ମହାବୀର
ସରି ନୁହଂନ୍ତି ତାକୁ ସମରେ ହରିହର ।୩୨୧।
ଭାନୁମତୀ କି ଯେବେ ରଥରେ ବସାଇବ
ପାତାଳ ଭୁବନକୁ ବୋଲି ଘେନିଯିବ ।୩୨୨।
ଜଳ ଅନ୍ଧାରିପୁର ୟେ ଅଟଇ କୁଣ୍ଡଳୀ
ଭେଦ ନୋହଇ ବ୍ରହ୍ମା ବିଷ୍ଣୁ ଯେବେ ମିଳି ।୩୨୩।
ଶୁଣିଣ ଯୁଝେଷ୍ଠି ଭୀମକୁ ଆଗ୍ୟାଂ ଦିଲେ
ଆଗରେ ଦତ୍ୟକୁ ନିରୋଧ ବୋଇଲେ ।୩୨୪।
ଶୁଣିଣ ପାବନି ଯେ ଧାଇଂଲାକ ଖରେ
ଅଜଙ୍ଗ ପାଦ ବନେ ପ୍ରବେଶ ବୃକୋଦରେ ।୩୨୫।
ଦେଖିଲା ପଡିଣ ୟେ ଅଛନ୍ତି କୁରୁବୀରେ
ରଥିରେ ବନ୍ଧନ ଦ୍ରୋଣଙ୍କ କୁମରେ ।୩୨୬।
ବନ୍ଧନେ ଚେତନା ସେ ପାଇଲା ଅଶସ୍ତମା
ଦୂରହୁଂ ଦେଖିଲା ଯେ ଆସଇ ବୀର ଭୀମା ।୩୨୭।
କର ଚରଣ ସେ ଯେ ନପାରଇ ଚାଳି
ଦାରୁଣ ରାକ୍ଷସ ତାକୁ ବାନ୍ଧିଛି ନିରୋଳି ।୩୨୮।
ରଥର ସନିଧ୍ୟେ ମିଳିଲା ପବନର ନାନ
ବିଜୟା ସାରଥିକି ଧଇଲାକ ବହନ ।୩୨୯।
ତୋଳି କଚାଡ଼ିଲା ରଥ ଚକର ଉପରେ
ଛେଚି ହୋଇ ସାରଥି ଯେ ପଡ଼ିଲା ଭୂମିରେ ।୩୩୦।
ଅଶସ୍ତମା ପାଶେ ପ୍ରବେଶ ପାବେନି
ଧିକ୍କାର କରଇ ସେ ଯେ ଗୁରୁ ସୁତ ଚିହ୍ନି ।୩୩୧।
ଅସିପତ୍ର ଘେନିଣ ବନ୍ଧନ ତାର କାଟି
ଅଶସ୍ତମା ବାହା ଧରି ତଳକୁ ଦିଲା ଛାଟି ।୩୩୨।
ବଜ୍ର ସମ ଗଦା ରଥେ ପ୍ରହାରିଲା
ଅଖ ଚକ ଅଶ୍ୱ ରଥନ୍ତ ଧୂଳି କଲା ।୩୩୩।
ତଦ୍ୟାପି ବିରୂପାକ୍ଷ ନଜାଣଇଂ କିଛି
ଭାନୁମତୀ ରୂପ ଦେଖି ମୋହ ହୋଇଅଛି ।୩୩୪।
ୟେଥୁ ଅନନ୍ତରେ ଭାନୁମତୀ ରାଣୀ
ସ୍ୱାମୀ ସନ୍ୟ ଅଭାବେ ଯେ କାନ୍ଦଇ ତରୁଣୀ ।୩୩୫।
ଯେତେ କ୍ରୋଧ ତାର କହିତ କିପାରି
ଲକ୍ଷେ ରାଜାନ୍ତ ମୋ ପିତା ଥିଲା ବରି ।୩୩୬।
ଶଙ୍ଖ ପଦ୍ମ ନିଧି ସନ୍ତେକ ନ ପାଇ
ନାସ୍ତି କଲି ମୁହିଂ ପିତାର ମୁଖ ଚାହିଂ ।୩୩୭।
ଶୁଣି ପିତା ମୋର ରାଜାଙ୍କୁ ଅବଧାରି
ନୋହିଲା ସଙ୍କେତ ନାସ୍ତି କଲା ମୋ କୁମାରୀ ।୩୩୮।
ସଜ୍ଜନ ରାଜାମାନେ ବାହୁଡ଼ିଲେ
ଦୁଷ୍ଟ ରାଜାମାନେ ଯେ ଯୁଦ୍ଧ ଆରମ୍ଭିଲେ ।୩୩୯।
ଅକସ୍ମାତେ ସ୍ୱାମୀ ଯେ ହୋଇଲୁ ଉତପନ୍ନ
ଲକ୍ଷେ ରାଜାଙ୍କୁ ୟେକା ଜିଣିଲା ବୀର କର୍ଣ୍ଣ ।୩୪୦।
ଛାର ଦନୁଜ ୟେ ଦୁର୍ଭାର କାମ ରୂପୀ
ତାହାକୁ ଭୋ ସ୍ୱାମୀ ଯେ ହାରିଲ ଅଦ୍ୟାପି ।୩୪୧।
ଆଶା ଦେଖାଇ ୟେ ନି-ଆଶା କରିଗଲୁ
ଯେତେ ମୁଂ କହିଲି ମୋର ବୋଲ ନ ମାନିଲୁ ।୩୪୨।
ସୁନ୍ଦର ସୁଲକ୍ଷଣ ଅଟୁ ନବଯୁବା
ବୃକ୍ଷରେ ଉଠାଇ ନିଶୁଣି କାଟିଲୁ ମୋର ବାବା ।୩୪୩।
ଅନଙ୍ଗ ସୁନ୍ଦର ଯୁବା ବୟସ ମୂରତି
ଶଙ୍ଖ ପଦ୍ମ ନିଧି ଶ୍ରୀକରେ ତୋର ସ୍ଥିତି ।୩୪୪।
କୀର୍ତ୍ତି ଗ୍ରାମ ତୋର ନଜାଣଇଂ ମୁହିଂ
ପୂର୍ବେଣ କି ପୂଜି ନ ଥିଲି ମୁଂ ଉମାସାଇଂ ।୩୪୫।
ସ୍ୱାମୀର ଗୁଣ ମୁଂ ଯେ ବାହୁନିବି କିସ
ଜଳନ୍ତା ଅନଳେ ମୁଂ ଯେ ନିଶ୍ଚେ ଦେବି ଝାସ ।୩୪୬।
ତଳକୁ ନ ଆସଇ ଅସୁର ଭୟ ପାଇ
ରଥର ଉପରେ ସେ ଯେ ବାହୁନି କାନ୍ଦଇ ।୩୪୭।
ୟେଥୁ ଅନନ୍ତରେ କର୍ଣ୍ଣ ମହାବଳୀ
ବିରୂପାକ୍ଷ ଘାତେ ସେ ଯେ ପଡ଼ିଥିଲା ଢଳି ।୩୪୮।
ରାତ୍ରମାନେ ସେ ଯେ ମୃତ୍ୟୁ ପାଇଥିଲା
ରାତ୍ରର ଅନ୍ତେ ପୁଣ ଅରୁଣ ଉଇଂଲା ।୩୪୯।
ଆଦିତ୍ୟର ସୁତ ଯେ ଅଟନ୍ତି କର୍ଣ୍ଣବୀର
ଅମୃତ କୁଣ୍ଡଳ କର୍ଣ୍ଣେ ରଞ୍ଚିଛି କରତାର ।୩୫୦।
ସେ କୁଣ୍ଡଳ ଥିଲେ ମୃତ୍ୟୁ ତାର ନାହିଂ
ସୂର୍ଯ୍ୟଙ୍କ କିରଣେ ଅମୃତ ଝରଇ ।୩୫୧।
ଶୀତ ରଶ୍ମି କାଳେ ମୃତ୍ୟୁ ପାଇଥିଲା
ରବି ଉଦେ ହୁଅନ୍ତେ ଅମୃତ ସ୍ରବିଲା ।୩୫୨।
ମୁଖେଣ ପଶନ୍ତେ କର୍ଣ୍ଣ ପାଇଲା ଚେତନ
ନ ଉଠଇ ଡରେ ସେ କରିଣ ଭୟମନ ।୩୫୩।
ୟେମନ୍ତ ସମୟେ ଯେ ପବନ ତନୟେ
ଅସୁର ରଥ ଭଗ୍ନ କରି ସିଂଘ ରଡ଼ି ଦିୟେ ।୩୫୪।
କର୍ଣ୍ଣ ଶୁଣିଲା ଯହୁଂ ବ୍ରିକୋଦର ଡାକ
ଆକାଶର ପାଣି କି ସେ ପାଇଲା ଚାତେକ ।୩୫୫।
ପର୍ବତ ସମାନେ ବେନି ଗଦା ତୋଳି
ରାକ୍ଷସ ଉପରକୁ ଯେ ଧାମଇଂ ମହାବଳୀ ।୩୫୬।
ଚକ୍ଷୁ ମଳି କର୍ଣ୍ଣ ଉଠିଲାକ ଧାତି
ଦେଖିଣ ଅଳପ ହସଇ ମାରୁତି ।୩୫୭।
ଅଶସ୍ତମା ଭୀମ କର୍ଣ୍ଣ ଘେନି ତିନି
ରାକ୍ଷସ ଉପରକୁ ଧାମଇଂ ପେବନି ।୩୫୮।
ରଥ ତଳେ ଯେ ଦାନେବ ଅଛି ରହି
ସିଂଘ ରଡ଼ି ଶୁଣି ପଛକୁ ଦିଲା ଚାହିଂ ।୩୫୯।
ମେରୁ ତୁଲ୍ୟ ଜାଣି ଭୀମସେନ କାୟେ
ମନ୍ଦର ତୁଲ୍ୟ ବେନି ଗଦା ଘେନି ଧାୟେଂ ।୩୬୦।
ରେ ରେ କାର ଶବଦେ ଉଛୁଳିଲାକ ମହୀ
ବାମ ଡାହାଣେ କର୍ଣ୍ଣ ଅଶସ୍ତମା ରହି ।୩୬୧।
ଇନ୍ଦ୍ରଧନୁ ଜାଣି କରେ ଚାପ ଧରି
ଭୀମ ସଙ୍ଗେ ଧାମନ୍ତି ବିକ୍ରମ କେଶରୀ ।୩୬୨।
ଅସୁର ବିଘାତେ ମରି ଜୀଇଂଥିଲେ
ଭୀମକୁ ବଳ ପାଇ ଉଠିଣ ଧାଇଂଲେ ।୩୬୩।
ଅସୁର ସନ୍ନିଧ୍ୟେ ପ୍ରବେଶ ହେଲେ ଯାଇଂ
ଅସୁରକୁଚାହିଂ ଭୀମସେନ ବୋଲଇ ।୩୬୪।
ଆଜ ସେ ବିଧାତା ତୋତେ ମୃତ୍ୟୁ ଦିଲା
ସଞ୍ଜୀବନୀ ନାଥ ତୋର ପାଞ୍ଜି ଯେ ପୋଛିଲା ।୩୬୫।
ୟେମନ୍ତ କହନ୍ତେ ଅସୁର କଲା ଦୁଷ୍ଟି
ଆପଣାରଥରେ ନାହିଂ ସାରଥି ଗୋଟି ।୩୬୬।
ବିରରୀତ ଦେଖି ଅସୁର ମନେ ଭାଳି
ୟେ ରଥ ଭାଙ୍ଗିଲା କେ ୟେଡ଼େକ ମହାବଳୀ ।୩୬୭।
ଦେଖିଲା ଆଗରେ ତିନି ଜଣ ଉଭା
ବିଦ୍ୟାଧରର ପ୍ରାୟେ ଦିଶନ୍ତି ଯେ ଶୋଭା ।୩୬୮।
ବୋଲଇ ମାନବ ରେ ପୂରିଲା ତୁମ୍ଭ କାଳ
ୟେଡ଼େକ ଥାଠ ମାରି ପଦା କଲି ସକଳ ।୩୬୯।
ଆବର ଜୀବନ ରେ ପାଇବ କି ତୁମ୍ଭେ
ମୋର ମୁଖେ ଭେଟ ପଡିଲ ତୁମ୍ଭେ ଯେବେ ।୩୭୦।
ୟେମନ୍ତ କହିଣ ପାମର ଅସୁର
ଭୀମସେନ ଅଙ୍ଗେ ଶୂଳ କଲାକ ପ୍ରହାର ।୩୭୧।
ଶୂଳ ପଡନ୍ତେ ଭୀମ ପାତିଲା ବାମ ଅଙ୍ଗ
ପଡିଣ ଶୂଳ ଯେ ହୋଇଲା ବିଭଙ୍ଗ ।୩୭୨।
ଦେଖିଣ ପାବେନି ଯେ ରେ ରେ କାର କରି
ବାଉଂନ ବାଉଂନ ଭାର ଗଦା କରେ ଧରି ।୩୭୩।
ଧାଇଂଣ ପିଟିଲା ସେ ଯେ ପବନର ବତ୍ସି
କାଳେବର ଗଦା ପଡ଼ି ନୋହିଲା ତାର କିଛି ।୩୭୪।
ଧନୁ ଧରି କର୍ଣ୍ଣ ଅଶସ୍ତମା ଥିଲେ ରହି
ଅସୁର ଉପରକୁ ବାଣ ବିନ୍ଧିଲେ ନିଠାଇ ।୩୭୫।
ଦେଖିଣ ଅସୁର ଯେ ପ୍ରତିଶର କରି
ଦୁହିଂଙ୍କର ଶର ଦୂରହୁଂ ନିବାରି ।୩୭୬।
ଅଗ୍ନି ଶରେକ ଯେ ବିନ୍ଧିଲେ ଗୁରୁସୁତ
ଜଳଧାରା ଶରେ ତାହା ନିବାରିଲା ଦଇତ ।୩୭୭।
ମେଘାଶରେକ ଯେ ବିନ୍ଧିଲା କର୍ଣ୍ଣବୀର
ଗର୍ଜନ୍ତି ମେଘମାନେ ପ୍ରଳୟ ମହାଘୋର ।୩୭୮।
ଅସୁର ବିନ୍ଧିଲା ଯେ ପବନାଶର ବାଣ
ପବନ ବିଘାତେ ମେଘେ ରଡ଼ିଲେ ଗଗନ ।୩୭୯।
ପଞ୍ଚଶତ ଶର ଗୁରୁ ସୁତ ମାରି
କିଞ୍ଚିତ ଶରେ ତାହା ଅସୁର ନିବାରି ।୩୮୦।
କୋପେଣ କର୍ଣ୍ଣ ବୀର ପନ୍ନଗାଶର ମାରି
ଗରୁଡ଼ାଶରେ ତାହା ଅସୁର ନିବାରି ।୩୮୧।
ଅସୁର ବୋଲେ ମାନବ ପୂରିଲା ତୋର କାଳ
ଶୂଳ ଧରି ସେ ଯେ ଧାମଇଂ ମହାବଳ ।୩୮୨।
ଅସୁର ଧାମନ୍ତେ ଧାମନ୍ତି ପାବେନି
ବାଉଂନ ବାଉଂନ ଭାର ଗଦା କରେ ଘେନି ।୩୮୩।
ଅସୁର ଭୀମସେନ ପଡ଼ିଲେ ଯେ ଭେଟ
ଐରାବ୍ରତ ଗଜ ଯେହ୍ନେ ମେରୁର ନିକଟ ।୩୮୪।
ଶୂଳ ଧରି ଅସୁର ପିଟିଲାକ ନେଇ
ବାମ ଅଙ୍ଗ ପାତିଲା ଯେ ପବନ ତନୟି ।୩୮୫।
ଶୂଳ ବାଜନ୍ତେଣ ଭୀମସେନ ଗର୍ଜି
ଗଦା ବୁଲାଇ ଭୀମ ପିଟିଲା ଗଳଗାଜି ।୩୮୬।
ସେ ଗଦା ପଡ଼ିଲା ଯେ ଅସୁରର କାୟେ
କ୍ଷଣେ ଅଚେବନ ଅସୁର କୁଳ ରାୟେ ।୩୮୭।
ଚେତନା ପାଇ ପୁଣ ଉଠିଲା ତଡତି
ଦେଖିଲା ତିନି ଜଣେ ଉଭା ହୋଇଛନ୍ତି ।୩୮୮।
ଶୁଣ ହୋ ରାଜନ ବୋଲନ୍ତି ଅଗସ୍ତି ମହାଋଷି
ଯୁଝେଷ୍ଠି ଅର୍ଜୁନ ନକୁଳ ସହଦେବ ମିଳିଲେକ ଆସି ।୩୮୯।
ଅଜଙ୍ଗ ପାଦ ବନକୁ ଯୁଝେଷ୍ଠି ଚାହିଂଲେ
ବିଧାତାକୁ ସୁମରି ଅନେକ ଶୋକ କଲେ ।୩୯୦।
ଅର୍ଜୁନକୁ ଚାହିଂ ବୋଲନ୍ତି ଧର୍ମନାନ
ଦେଖରେ ଭ୍ରାଥ ପଡ଼ିଛନ୍ତି ଶତେ ଗାନ୍ଧାରୀ ନନ୍ଦନ ।୩୯୧।
ଭାଇଙ୍କର କଷ୍ଟ ମୁଂ ପୋଶୋରିବି କେମନ୍ତେ
ୟେ ଅନାସ୍ତ ହୋଇଲେ ଆମ୍ଭର ଦେଖନ୍ତେ ।୩୯୨।
ପୋଡୁ ଆତ୍ମା ଆମ୍ଭର ନିଲଜ ଶରୀରେ
ଶତେଭ୍ରାଥ ଯେବେ ପଡ଼ିଲେ ସମରେ ।୩୯୩।
ଯୁଝେଷ୍ଠିଙ୍କର ଶୋକ କହିତ ନୋହଇଂ
ଯୁଝେଷ୍ଠିଙ୍କ ସମ୍ୱୋଧନା କରନ୍ତି ତିନି ଭାଇ ।୩୯୪।
ତେଣେ ଅସୁର ସଙ୍ଗେ ଯୁଦ୍ଧ କରନ୍ତି ତିନିଜଣ
ରେ ରେ କାର କରନ୍ତେ ଶୁଣିଲା ଅର୍ଜୁନ ।୩୯୫।
ଅସୁର ସନ୍ନିଧ୍ୟେ ଚାରିଭାଇ ହୋଇଲେ ପ୍ରବେଶ
ଦେଖି ଭୀମ ଅଶସ୍ତମା କର୍ଣ୍ଣ ହୋଇଲେ ହରଷ ।୩୯୬।
କର୍ଣ୍ଣକୁ ଯୁଝେଷ୍ଠି ନମସ୍କାର କରି
ଅଶସ୍ତମାକୁ ଯୁଝେଷ୍ଠି କୋଳାଗ୍ରତ କରି ।୩୯୭।
ଅର୍ଜୁନଙ୍କୁ ଚାହିଂ ବୋଲନ୍ତି ଯୁଝେଷ୍ଠି
ଅସୁରକୁ ବନ୍ଧନ ବାବୁ କରରେ କିରଟୀ ।୩୯୮।
ଅସୁର ଭୀମସେନ ସମର ମହାଘୋର
ଯୁଝେଷ୍ଠିଙ୍କ ଆଗ୍ୟାଂରେ ଧାଣଇଂ ବାସବ କୁମର ।୩୯୯।
ଗାଣ୍ଡୀମ ଧନୁ ପାଥ ଧରି ଅଛି କରେ
ଯାଇଂଣ ମିଳିଲା ଅସୁର ଆଗରେ ।୪୦୦।
ଅସୁରକୁ ଦେଖି ଅର୍ଜୁନ ପ୍ରଜ୍ୱଳି
ଗାଣ୍ଡୀମ ଧନୁରେ ପୂରୋଇ ଆଦ୍ରାବଳି ।୪୦୧।
ଶରକୁ ତିଆରଇ ବୀର ଫାଲଗୁନ୍ୟ
ଅସୁରର ପ୍ରାଣ ଘେନସି ବହନ ।୪୦୨।
ଶରକୁ ତିଆରି ବେଗେ ଛାଡ଼ି ଦିଲା
ଲୋହିତାକ୍ଷ ସୁତ ଦେହେ ବାଜି ଉପୁଡ଼ି ପଡ଼ିଲା ।୪୦୩।
ଟହ ଟହ ହୋଇଣ ଯେ ହସଇ ଦଇତ
ୟେଣେ କି ମାନବାରେ ଜିଣିବୁ ଆମ୍ଭନ୍ତ ।୪୦୪।
ଲୋହାର ଧନୁ ଯେ ବିରୂପାକ୍ଷ କରେ ଧରି
ଅର୍ଜୁନ ଉପରକୁ ବିନ୍ଧିଲା କୋଟି ଚାରି ।୪୦୫।
କିଞ୍ଚିତ ଶରେ ତାହା ଛେଦଇ ଅର୍ଜୁନ
ହାବୋଡ଼ାଶରେକ ବିନ୍ଧିଲା ବୀର ଫାଲଗୁନ୍ୟ ।୪୦୬।
ହାବୋଡ଼ନ୍ତେ ଅସୁର ଯେ ପଡ଼ିଲା ଭୂମି ଗତେ
ପୁଣି ଚେତନା ପାଇଂ ଉଠିଲା ତୁରିତେ ।୪୦୭।
ବଜ୍ର ମୁଦ୍ଗର ଅସୁର ପିଟିଲାକ ଧରି
ଅର୍ଜୁନ ଛେଦିଲା ତାହା ବଜ୍ରଶର ମାରି ।୪୦୮।
କୋଟି ଅର୍ବୁଦ ଶର ଅର୍ଜୁନ ଓଟାରି
ଅସୁର ଉପରକୁ ବିନ୍ଧିଲେ କୋପ କରି ।୪୦୯।
ବିରୂପାକ୍ଷ ଅସୁର ତାହା ଦୂରହୁଂ ନିବାରି ।୪୧୦।
ମନଭେଦୀ ଶର ଯେ ଅର୍ଜୁନ ବେଗେ ପେଷି
ବୋଲେ ବିରୂପାକ୍ଷ ଅସୁରକୁ ପକାଅ ବେଗେ ନାଶି ।୪୧୧।
ଶରକୁ ତିଆରି ଅର୍ଜୁନ ଛାଡ଼ି ଦିଲା
ଅମୋଦଶରେ ଅସୁର ଢଳିଣ ପଡ଼ିଲା ।୪୧୨।
କ୍ଷଣକେ ଚେତନା ପାଇଲା ଅସୁର
ଅର୍ଜୁନକୁ ଚାହିଂ ବୋଲଇ କୋପଭର ।୪୧୩।
ଶୂଳ ବୁଲାଇଣ ଉଠଇ କୋପଭରେ
ଅର୍ଜୁନ ଛାମୁରେ ମିଳିଲା ସତ୍ୱରେ ।୪୧୪।
ଡାକ ଦିଅଇ ମାନବାରେ ପୂରିଲା ତୋର କାଳ
ଗାରଡ଼ି ନଜାଣି କାଳସର୍ପ ମୁଖେ ଅଙ୍ଗୁଳି ଭର ।୪୧୫।
ରେ ରେ ମାନବା ତୁ କେବଣ ଜାତୀୟା
ତିରଣ ପ୍ରମାଣେ କାଟିବି ତୋର କାୟା ।୪୧୬।
ରେ ରେ ମାନବା ସୁମର ତୋ ପିତାମାତା
ରେ ରେ ମାନବା ସୁମର ତୋର ଇଷ୍ଟ ଯେ ଦେବତା ।୪୧୭।
ପହିଜ କରିଣ ଶୂଳ ଘେନି ପିଟି
ବଜ୍ରା ଶରେ ତାହା ଛେଦଇ କିରଟୀ ।୪୧୮।
ଅଧାଚନ୍ଦ୍ର ବାଣ ଯେ ପେଷିଲା ବୀର ଟାଣି
ବିରୂପାକ୍ଷ ଶିର ଯେ ପକାଇଲା ହାଣି ।୪୧୯।
କନ୍ଧୁଂ ମୁଣ୍ଡ ପୁଣ ହୋଇଲା ଉତପତ୍ତି
ଟହଟହ ହୋଇଂ ହସଇ ଦତ୍ୟପତି ।୪୨୦।
ଅସୁର ହସନ୍ତେ ଅର୍ଜୁନ କୋପାନଳ
ତ୍ରୋଣୁଂ କାଢିଲା ସେ ନାରାଜ ମହାକାଳ ।୪୨୧।
ଦେଖିଣ ଅସୁର ଯେ ବୈଷ୍ଣବ ଚକ୍ର ଘେନି
ନ ବିନ୍ଧିଲା, ଅର୍ଜୁନ ମହାକାଳ ପକାଇବ ଛିନ୍ନି ।୪୨୨।
ଦେଖିଣ ଅର୍ଜୁନ ସେ କରଇ ବିଚାର
ବଡ଼ ଦୁର୍ଭାର ୟେ ଅଟଇ ନିଶାଚର ।୪୨୩।
ୟେତେ ବୋଲିଣ ସେ ଯେ ଗନ୍ଧର୍ବା ଶର ବିନ୍ଧି
ରୁଦ୍ରା ଶରେ ତାହା ବିରୂପାକ୍ଷ ଛେଦି ।୪୨୪।
କ୍ଷିନିକ୍ଷିନା ଶର ଯେ ବିନ୍ଧିଲା ଅସୁର
ସ୍ୱର୍ଗ ମର୍ତ୍ତ୍ୟ ପାତାଳ ପୂରିଲା ତିନି ପୁର ।୪୨୫।
ଯହୁଂ ପାର୍ଥ ଦେଖିଲା ଅସୁର ମାୟାରଣ
ଶରେକ ବିନ୍ଧିଲା ତିମିରି ବିଦାରଣ ।୪୨୬।
ତକ୍ଷଣେ ତିମିରି ଫାଟି ସୂର୍ଯ୍ୟ ଉଂଇ
ଦଶ ଦିସ ନିର୍ମଳ ଦିଶିଲା ରଣଭୂଈଂ ।୪୨୭।
କୁହୁଡ଼ି ଘୋଟିଲା ସଚରାଚର ଭୂବି ।୪୨୮।
ଦେଖିଣ ଦାନବ ପ୍ରତିଅସ୍ତ୍ର କରି
ପବନା ଶରେକ ବିନ୍ଧିଲା ଆଗ ବଢି ।୪୨୯।
ପବନ ବିଘାତେ କୁହୁଡି ଫାଟିଲା
ଶର ପଥ ମାନ ସକଳ ଦିଶିଲା ।୪୩୦।
ନାରାୟଣ ଶର ଅସୁର ବିନ୍ଧିଲା
ରୁଦ୍ରା ଶରେ ତାହା ଅର୍ଜୁନ ନିବାରିଲା ।୪୩୧।
ପର୍ବତା ଶରେକ ଅର୍ଜୁନ ଯେ ବିନ୍ଧି
ବଜ୍ରା ଶରେ ତାହା ଅସୁର ଛେଦି ।୪୩୨।
କପାଳକୁ ଅର୍ଜୁନ ବିନ୍ଧିଲା ଲକ୍ଷେ ବାଣ
କଣ୍ଠକୁ ଶତେ ବାଣ ବିନ୍ଧିଲା ଗରୁଟାଣ ।୪୩୩।
ଅର୍ବୁଦେକ ଶର ଲାଭି ମଣ୍ଡଳକୁ
ୟେତେ ଶର ବିନ୍ଧିଲା ବିରୁପାକ୍ଷ ଅସୁରକୁ ।୪୩୪।
ଦେଖିଣ ଅସୁର ପ୍ରତିଅସ୍ର କରି
ଅର୍ଜୁନଶର ସବୁ ଦୂରହୁଂ ନିବାରି ।୪୩୫।
ଶର ନିବାରିଣ ବିରୂପାକ୍ଷ ଅସୁର
ତ୍ରୋଣୁଂ କାଢିଲା ସେ ନାଗପାଶ ଶର ।୪୩୬।
ଶରକୁ ତିଆରଇ ଅସୁର-କୁଳପତି
ୟେ ମାନବାର ପ୍ରାଣ ଘେନ ତୁ ତଡତି ।୪୩୭।
ଆଗ୍ୟାଂ ପାଇଣ ନାଗମାନେ ଚଳି
ଗର୍ଜନ ନାଦରେ କୁରୁମ ଉଛୁଳି ।୪୩୮।
ସଚରାଚର ଯେ ଘୋଟିଲେ ନାଗବଳ
ବୃନ୍ଦାଅର୍କେ ଦେଖି ଯେ ହୋଇଲେ ବିକଳ ।୪୩୯।
କର୍ଣ୍ଣ ଡାକ ଦିଅଇ ରେ ଶୁଣ ସବ୍ୟସାଚୀ
ଗରୁଡା ଶର ବେଗେ ତୁ ବିନ୍ଧ ଆମଞ୍ଚି ।୪୪୦।
ଗରୁଡ ଫାଶୀ ଶର ଅର୍ଜୁନ ମାରି
ଦେଖିଣ ନାଗମାନେ ପଳାଇଲେ ଡରି ।୪୪୧।
ଅର୍ଜୁନ ବିଚାରଇ ୟେ ନୋହଇ ସାମାନ୍ୟ
ୟେହାକୁ ଜିଣିମାକୁ ମୁଂ ନୋହଇ ଭାର୍ଜନ ।୪୪୨।
ୟେମନ୍ତ ବିଚାରି ସେ ଯେ ବାସବ କୁମର
ଅର୍ବୁଦେକ ବାଛି ବିନ୍ଧିଲାକ ଶର ।୪୪୩।
ବିରୂପାକ୍ଷ ଅସୁର ଦେଖିଲା ତା ଦୂରେ
ଛେଦି ପକାଇଲା କିଞ୍ଚିତ ପ୍ରକାରେ ।୪୪୪।
ଶୁଣ ହୋ ରାଜନ ବଦୟନ୍ତି ବ୍ରହ୍ମବେତ୍ତା
ତିନି ଦିବସ ତିନିରାତ୍ର ଯୁଦ୍ଧ ଅପ୍ରମିତା ।୪୪୫।
ସହଦେବକୁ ଚାହିଂ ବୋଲନ୍ତି ଧର୍ମନାନ
କେମନ୍ତେ ଅସୁର ହୋଇବ ନାଶମାନ ।୪୪୬।
ଯୁଝେଷ୍ଠିଙ୍କ ଆଗ୍ୟାଂରେ ମନ୍ତ୍ରୀ ଚୂଡାମଣି
କରପଲ୍ଲବକୁ ସେ ଚାହିଂଲା ତତକ୍ଷଣି ।୪୪୭।
ଯୁଝେଷ୍ଠିଙ୍କ କହି ମାଦ୍ରୀ ଦେବୀଙ୍କର ଚାଟେ
ଅମୃତ ଲିଙ୍ଗ ଅଛି ଅସୁର ଲାଭି ତଟେ ।୪୪୮।
ଅଗ୍ନିଶର ଯେବେ ଲାଭିରେ ପଡ଼ିବ
ତେବେ ସେ ଅସୁର ପ୍ରାଣ ତ୍ୟାଜ ହେବ ।୪୪୯।
ହୃଦକୁ ପଶୁ ପତ୍ର ବିନ୍ଧନ୍ତୁ ବୀର ପାଥ
ଅଧା ଚନ୍ଦ୍ର ବାଣେ ଛିଡ଼ିବ ମୁଣ୍ଡ ଲୋହିତାକ୍ଷ ସୁତ ।୪୫୦।
ୟେ ତିନି ଶର ପାର୍ଥ ବିନ୍ଧନ୍ତୁ ବେଗେ ଟାଣି
ଅସୁର ପ୍ରାଣ ହରନ୍ତୁ ଏହିକ୍ଷଣି ।୪୫୧।
ୟେମନ୍ତ ମନ୍ତ୍ରୀ ଯହୁଂ କହିଲା ସନ୍ଦେଶ
ଶୁଣି ପଞ୍ଚୁଭ୍ରାଥେ ହୋଇଲେ ହରଷ ।୪୫୨।
ଅଶସ୍ତମା ବୋଇଲେ ଶୁଣ ବୀରପାଥ
ୟେ ଦତ୍ୟକୁ ବେଗେ କର ପ୍ରାଣେ ହତ ।୪୫୩।
ଶୁଣିଣ ଅର୍ଜୁନ ଯେ ମନେ ଗରୁ ଖଙ୍ଗ
ଲାଞ୍ଜ ମାଡ଼ିଲେ ଯେହ୍ନେ ଗର୍ଜଇ ପନ୍ନଂଗ ।୪୫୪।
କାଳାନଳଶର କାଢିଲାକ ତ୍ରୋଣୁଂ
ଗାଣ୍ଡୀମେ ବସାଇଲା କରି କୋପ ମନୁ ।୪୫୫।
ପଶୁପତ୍ର ଶର ମଧ୍ୟେ ଗୁଣେ ଥୋଇଂ
ଅଧା ଚନ୍ଦ୍ର ପୁଣ ଗାଣ୍ଡୀମେ ବସାଇଂ ।୪୫୬।
ୟେ ତିନି ଶର ଯହୁଂ ବସାଇ ପାର୍ଥ ଗୁଣେ
ଶଙ୍ଖ ଚକ୍ର ଗଦା କି ଧଇଲେ ନାରାୟଣେ ।୪୫୭।
ବିଶ୍ୱରୂପେ ଅର୍ଜୁନ ଶରନ୍ତ ଓଟାରି
ଶର ମୁନେ ରହିଲାକି ସପତ ସିନ୍ଧୁ ବାରି ।୪୫୮।
ଇନ୍ଦ୍ରାଦି ଦେବତା ୟେ ଦେଖି ଭୟେ କଲେ
ଦିନ ଥାଉଂ ଥାଉଂ ଆଦିତ୍ୟ ଅସ୍ତହେଲେ ।୪୫୯।
ଡରେଣ ବାସୁକି ନଟେକଇ ଶିର
ଅର୍ଜୁନ ଓଟାରି ଯେ ବିନ୍ଧିଲା ତୀକ୍ଷ ଶର ।୪୬୦।
ଅହିବ୍ରତେ ବଜ୍ରଘାତ କି ଶରଙ୍କ ଗର୍ଜନ
ଲାଭିରେ ପଡ଼ିଲା ୟେ ଶର ହୁତାଶନ ।୪୬୧।
ବୁକୁରେ ପଡ଼ିଲା ପଶୁପତ୍ର ଶର
ଅଧା ଚନ୍ଦ୍ର ପଡ଼ିଲା କଣ୍ଠର ଉପର ।୪୬୨।
ମହାଅଗ୍ନି ଶର ଲାଭିରେ ପଡ଼ିଲା
ଲାଭି ମଣ୍ଡଳକୁ ସେ ଯେ ବେଗେଂ ହାନ୍ଦୋଳିଲା ।୪୬୩।
ଅମୃତ ଲିଙ୍ଗ ପରେ ପଡ଼ିଲାକ ମାଡ଼ି
ଅଗ୍ନିର ତେଜେ ସେ ଶୂନ୍ୟେ ଗଲା ଉଡ଼ି ।୪୬୪।
କଣ୍ଠକୁ ଅଧା ଚନ୍ଦ୍ର ବିରୋଳି କାଟିଲା
ତକ୍ଷଣେ ମୁଣ୍ଡ ତାର ଛେଦି ପକାଇଲା ।୪୬୫।
ପଶୁପତ୍ର ତାର ପଡ଼ିଲା ହୃଦଗତେ
ବେନି ଫାଳ ହୋଇ ଯେ ପଡ଼ିଲା ଦଇତେ ।୪୬୬।
ଉତ୍ତାନସାହୀ ହୋଇ ପଡ଼ିଲା ଅସୁର
ଛାଡ଼ିଲା ସିଂଘ ରଡ଼ି କମ୍ପିଲା ତିନିପୁର ।୪୬୭।
ପ୍ରାଣ ଛାଡ଼ିଲା ସେ ପଡ଼ିଲା ଧରଣୀ
ସମସ୍ତେ ପ୍ରଶଂସା କରନ୍ତି ଅର୍ଜୁନକୁ ପୁଣି ।୪୬୮।
ସ୍ୱର୍ଗେଣ ଯୁଦ୍ଧ ଦେଖୁଥିଲେ ବୃନ୍ଦାଅର୍କେ
ଅର୍ଜୁନ ଶିରେ କୁସୁମ ବୃଷ୍ଟି କରନ୍ତି ଦେବ ଲୋକେ ।୪୬୯।
ଦୁନ୍ଦୁଭି ଶବଦ କରନ୍ତି ଦେବାଙ୍ଗନା
ଦୁତୀକୃଷ୍ଣ ରୂପ ବାସବ ସୁତ ସିନା ।୪୭୦।
ଅର୍ଜୁନକୁ ଯୁଝେଷ୍ଠି ବୋଲନ୍ତି ବଚନ
ଶତେଭ୍ରାଥ ଯେମନ୍ତେ ପାଇବେ ଜୀବନ ।୪୭୧।
ନୋହିଲେ ଜୀବନେ ନାହିଂ ମୁହିଂ ବ୍ରତି
ୟେମନ୍ତ କହିଂ ଯୁଝେଷ୍ଠି କ୍ରୋଧ ଯେ କରନ୍ତି ।୪୭୨।
ଯୁଝେଷ୍ଠିଙ୍କର ନିଷ୍ଠୁର ଶୁଣି ପାର୍ଥ
ମନରେ ଧ୍ୟାନ ସେ କରଇଂ ଶଚୀ ନାଥ ।୪୭୩।
ଜୟ ତୁ ବଜ୍ରଧର ଦେବଙ୍କ ଶିରୋମଣି
ଦଇନି କରଇଂ ମୁଂ ଯେ ଆସିବା ୟେହିକ୍ଷଣି ।୪୭୪।
ଜୟ ତୁ ପିତାମହ ଅମର ଅଧିକାରୀ
ଅମୃତ ଘେନି ବିଜୟେ କରିବା ବଜ୍ରଧାରୀ ।୪୭୫।
ଅନେକ ସ୍ତୁତି ଯହୁଂ କଲାକ ଅର୍ଜୁନ
ଧ୍ୟାନେଣ ଜାଣିଲେ ଦେବ ମଘବାନ ।୪୭୬।
ସାରଥିକି ଆଜ୍ଞା ଦିଲା ସୁନାସୀର
ବେଗେ ହୋ ମାତଳି ରଥ ସଜ କର ।୪୭୭।
ଶୁଣିଣ ମାତଳି ରଥ ସଜ କଲା
ପୁରନ୍ଦର ଆଗରେ ନେଇଂ ଉଭାରିଲା ।୪୭୮।
ବିଦ୍ୟାଧରମାନେ ହୋଇଲେ ଯେ ସଜ
ଦୁନ୍ଦୁଭି ବିଜାଇ ବିଜୟେ ଦେବରାଜ ।୪୭୯।
ତେତିଶ କୋଟି ଦେବ ଘେନିଣ ଆଖଣ୍ଡଳ
ଅଜଙ୍ଗ ପାଦ ବନେ ବିଜୟ ଦେବତା ସକଳ ।୪୮୦।
ଦେବତାନ୍ତ ଦେଖି ଯୁଝେଷ୍ଠି ଆସନ ଉପେଖି
ରଥରୁ ଉତୁରିଲେ ଦେବ ସହସ୍ରାକ୍ଷି ।୪୮୧।
ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ
ବାସବଙ୍କୁ ନମସ୍କାର କଲେ ପଞ୍ଚୁ ଯେ ପାଣ୍ଡବ ।୪୮୨।
ଅନ୍ତରୀକ୍ଷେ ରହି ବୋଇଲେ ମଘବା
କି କାର୍ଯ୍ୟେ ସୁମରଣା କଲ ମୋର ବାବା ।୪୮୩।
ଯୁଝେଷ୍ଠି ବୋଇଲେ ତାତ ସଙ୍କଟ କାଳ ମୋର
ମାନବୋବିନ୍ଦ ଶତେ ଭାଇ ମୋର ଅଟନ୍ତି ସହୋଦର ।୪୮୪।
ଭାନୁମତ ରାଜ୍ୟରୁ ଯେ ଭାନୁମତୀ ଘେନି
ଆପଣା ରାଜ୍ୟକୁ ୟେ ଥାଠ ଯେ ପଲାଣି ।୪୮୫।
ବିରୂପାକ୍ଷ ବୀର ସମସ୍ତଙ୍କୁ ନାଶ କରି
ସେ ରାକ୍ଷସକୁ ପାର୍ଥ ସାଂଗ୍ରାମେ ନିବାରି ।୪୮୬।
ୟେ ତୋର ପ୍ରସାଦେ ସେ ମଲାଟି ଅସୁର
ଜୀଆଇଂ ଦେବା ତାତ ଶତେ ଭାଇ ମୋର ।୪୮୭।
ଶୁଣିଣ ଶଚୀ ସାଇଂ ହରଷ ହୋଇଂ
ଅମୃତା ଶରେକ ଯେ ଅର୍ଜୁନ କରେ ଦେଇଂ ।୪୮୮।
ବଦନ୍ତି ପୁରନ୍ଦର ଶୁଣ ଫାଲଗୁନି
ବିନ୍ଧ ଥାଠ ସୈନ୍ୟ ଜୀଇଂବେ ବହନି ।୪୮୯।
ଶୁଣିଣ ବିବଚ୍ଛ ତାହା ଗାଣ୍ଡିମେ ପୂରୋଇ
ବିନ୍ଧିଲା ନାରାଜ ମୃତ୍ୟୁ ଥାଠକଇଂ ।୪୯୦।
ମାନଗୋବିନ୍ଦ ଆଦି ଅଠାଳୋଇଂ ଭାଇ
ଅମୃତ ଶର ଲାଗି ଉଠିଣ ଉଭା ହୋଇଂ ।୪୯୧।
ମୃତ୍ୟୁ ଥାଠ ତାର ଉଠନ୍ତି ତଡତି
କର୍ଣ୍ଣକୁ ପଚାରଇ ମାନ ଚକ୍ରବ୍ରତୀ ।୪୯୨।
ଭୋ ମଇତ୍ର ସନ୍ୟ ମୋର କିମ୍ପାଇଂ ଅପହାର
କର୍ଣ୍ଣ ବୋଇଲା ମଇତ୍ର ମାଇଲା ଅସୁର ।୪୯୩।
ସମସ୍ତଙ୍କୁ ମାରି ଭାନୁମତୀ କି ନିଅନ୍ତେ
କାହୁଂ ପାଣ୍ଡବେ ଆସି ମିଳିଲେ ୟେ ବନସ୍ତେ ।୪୯୪।
ୟେଡ଼େ ବଡ ଦାନବ ଅର୍ଜୁନ ବଧ କଲା
ଅମୃତା ଶରେ ପୁଣ ତୁମ୍ଭନ୍ତ ଜୀଂଆଇଲା ।୪୯୫।
ଶୁଣି ମାନଗୋବିନ୍ଦ ମଉନ ବ୍ରତ ହୋଇ
ପାଣ୍ଡବଙ୍କୁ ସମସ୍ୟା ନ ଦିଲା କୁରୁସାଇଂ ।୪୯୬।
ଧୁଶାସନ ଆଦି ସକଳ ସନ୍ୟ ତାର
ଘଡିକର ମଧ୍ୟେ ଯେ ପାଇଲେ ଶରୀର ।୪୯୭।
ଦ୍ରିଯୋଧନ ଯାଇଂ ବସିଲାକ ରଥେ
ସମଦଣ୍ଡ ଚଳୁ ବୋଇଲା କୁରୁନାଥେ ।୪୯୮।
ରାଜାର ବଚନେ ଯେ ଚଳିଲେ ସର୍ବ ସଇନ
ଦମା ଦୁନ୍ଦୁଭି ଯେ ବାଜଇ ବିଦ୍ୟମାନ ।୪୯୯।
ଭାନୁମତୀକି ଘେନି ଚଳଇ କୁରୁସାଇଂ
ମୂର୍ଖ ସ୍ୱଭାବେଣ ଅଟଇ ମନ୍ଦବାଇ ।୫୦୦।
ଯୁଝେଷ୍ଠିଙ୍କି କିଛି ସମସ୍ୟା ନଦିଲା
ପାଣ୍ଡବଙ୍କୁ ଦେଖି କିନ୍ତୁ ଯେ ମଣିଲା ।୫୦୧।
ଯହୁଂ ହସ୍ତିନାକୁ ପ୍ରବେଶ କୁରୁସାଇଂ
ଇନ୍ଦ୍ରଦେବତା ୟେ ସୁରପୁରକଇ ଯାଇଂ ।୫୦୨।
ଅପମାନ ପାଇଂ ପାଣ୍ଡବ ପଞ୍ଚରାଣ
ବାରୁଣାବନ୍ତକୁ ଯେ କରନ୍ତି ପୟାଣ ।୫୦୩।
ଧୃତରାଷ୍ଟ ଆଗେଣ ସଞ୍ଜୟେ ଯେ କହି
ଶୁଣିମା ସାବଧାନେ ଅମ୍ୱିକା ତନୟି ।୫୦୪।
ଭାନୁମତ ରାଜ୍ୟରୁ ବିଭାହୋଇଂ ଭାନୁମତୀ
ସମ୍ଭର୍ବେ ଆସଇ ଦ୍ରିଯୋଧନ କୁରୁପତି ।୫୦୫।
ସମଦଣ୍ଡ ଘେନିଣ ଆସନ୍ତେଣ ବାଟେ
ଅଜଙ୍ଗ ପାଦ ବନେ ଭେଟିଲା ଲୋହିତାକ୍ଷ ସୁତେ ।୫୦୬।
ସମସ୍ତ ସନ୍ୟ ତୋର ମାରି କଲା ଶେଷ
କର୍ଣ୍ଣ ଦ୍ରିଯୋଧନ ସମସ୍ତଙ୍କୁ ମାରି ଅସୁର ରାକ୍ଷସ ।୫୦୭।
ଭାନୁମତୀକି ନେମାକୁ ବିଚାରେ ଦଇତ ।୫୦୮।
ୟେମନ୍ତ ସମୟେ ନାରଦ ଦେବ ଋଷି
ପ୍ରୟାଗକୁ ଆସନ୍ତି ଅଜଙ୍ଗ ବନେ ପଶି ।୫୦୯।
ଦେଖିଲେ ସେଠାରେ ମୃତ୍ୟୁ ଶବ ଥାଠ
ନାରଦେ କହିଲେ ଯାଇଂ ଯୁଝେଷ୍ଠିଙ୍କି ଅଗ୍ରତ ।୫୧୦।
ଭୀମସେନ ଅର୍ଜୁନ ନକୁଳ ସହଦେବ ଘେନି
ଅନେକ ଯୁଦ୍ଧ କଲେ ଅସୁର ସଙ୍ଗେ ପୁଣି ।୫୧୧।
ସହଦେବ କହିଲା ତାର ମୃତ୍ୟୁ ଭେଦ
ଅର୍ଜୁନ ବିନାଶ କଲାକ ଦନୁଜ ।୫୧୨।
ଅମୃତ ଶରେକ ଯେ ମାଇଲା ସର୍ବସାଚୀ
ଅମୃତ ଆହାରେ ଶତେ ଭାଇ ଉଠି ।୫୧୩।
ଦେଖିଣ ଦ୍ରିଯୋଧନ ବୀର ତୋର କଲା ଅପମାନ
ଯୁଝେଷ୍ଠି ଗଲେ ସେ ବାରୁଣା ଭୁବନ ।୫୧୪।
ଶୁଣି ଧୃତରାଷ୍ଟ ହରଷ ବିରସ ମନ
ବିଦୁରକୁ ରାଇ ଆଗ୍ୟାଂ ଦିଲାକ ରାଜନ ।୫୧୫।
ପୁତ୍ରେ ଯେବେ ଉଦିତ ହୋଇଲେ ମୋହୋର
ପୁରେଣ ଉଚ୍ଛବ ତୁ କର ହୋ ବିଦୁର ।୫୧୬।
ଦୁର୍ଯ୍ୟୋଧନର ଭାନୁମତୀ ସହ ହସ୍ତିନାରେ ପ୍ରବେଶ
ରାଜାର ବଚନେ ଯେ ଅମ୍ୱୁବତୀର ବଳା
ସାନନ୍ଦେ ଉଚ୍ଛବ ସେ ରାଜ୍ୟରେ କରାଇଲା ।୧
ହାଟ ବାଟ ଦାଣ୍ଡ ସମସ୍ତ ପରିମଳି
ସୁବର୍ଣ୍ଣର କଳସ ଉଭାରିଲେ ସର୍ବ ପୁରୀ ।୨
ବହୁତ ପୁର ଜନ ମିଳି ଧାମନ୍ତି ଗହଳେ
ଅନେକ ସାନନ୍ଦ ହରଷ ସବୁରି ମନରେ ।୩
ହସ୍ତିନାର ଥାଠ ଘେନି ଭୀମ ଯେ ଯୁଝେଷ୍ଠି
ଅନେକ ସମ୍ଭର୍ବେ ସେ ଯାଆନ୍ତି ପାଛୋଟି ।୪
ଇନ୍ଦ୍ରପ୍ରଶସ୍ତେ ଭେଟିଲେ ଧର୍ମଦେବ ଯାଇ
ଭୀଷ୍ମେ ଆଶ୍ରିଜ ହୋଇଲେ ତାହାକଇଂ ଚାହିଂ ।୫
ଦ୍ରିଯୋଧନ ବିଜୟେ ଶ୍ୱେତହସ୍ତୀର ଉପରେ
ସର୍ବ ଅଳଙ୍କାରେ ଭାନୁମତୀ ଅଛଇ କୋଳରେ ।୬
ସମୋଦ୍ର ମନ୍ଥନୁ ଯେହ୍ନେ ଦେବ ନାରାୟଣ
ଲକ୍ଷ୍ମୀକି ଘେନି ଯେହ୍ନେ ଆସନ୍ତି ବୈକୁଣ୍ଠ ଭୁବନ ।୭
ଚନ୍ଦ୍ରର କୋଳେ ଯେହ୍ନେ ବିଜୟେ ଶୂଳପାଣି ।୮
ରତିକି ଘେନିଣ ଯେହ୍ନେ ବିଜୟ କନ୍ଦର୍ପ
ଦ୍ରିଯୋଧନ ଭାନୁମତୀକି ଦେଖିଲେ ତେସନ ସରୂପ ।୯
ଅନେକ ବୀର ତୂର ବାଜଇ ଯେ ଗଗନ ଉଚ୍ଛୁଳି
ଗଣିକା ଗଣମାନେ ସାନନ୍ଦେ ଦ୍ୟନ୍ତି ହୁଳହୁଳି ।୧୦
ଶଙ୍ଖ ଧୁନି ଶବଦ ଯେ ଘନଘନ ଫୁରି
ମଙ୍ଗଳ ଗୀତି ଗାବନ୍ତି ବାଜଇ ମହୁରୀ ।୧୧।
ବାଜୀନ୍ତ ଚାଳିଣ ଯେ ବିହଡ଼ନ୍ତି ରାଉତେ
ବୁଲାବନ୍ତି ଲାଙ୍କିଆ ଅସିପତ୍ର କୋନ୍ତେ ।୧୨।
ୟେମନ୍ତେକ ସମ୍ଭର୍ବେ ଯେ ଆସନ୍ତି ଦାଣ୍ଡ ପୂରି
ଅନେକ ହରଷେଣ କୁତୂହୋଳେ ଗୋଡ଼ାବନ୍ତି ନଗ୍ର ନରନାରୀ ।୧୩।
ବୋଲନ୍ତି ୟେବେ ସେ ହସ୍ତିନାପୁର ଶୋହିଲା
ପଣ୍ଡୁ ବନବାସ ଦିନୁଂ ୟେମନ୍ତ ଦିନେ ୟେଥେଂ ନ ଦେଖିଲା ।୧୪।
ଚଛୁର ଦରିଦ୍ର ଫିଟିଲା ୟେହା ଦେଖି
ୟେବେ ସେ ରାଜ୍ୟ ହୋଇବ ଅନେକ ସୁଖୀ ।୧୫।
ଅନେକ ସାନନ୍ଦେ ଯେ ରାଜ୍ୟଜନ ହରଷ
ଦଧି ମଙ୍ଗଳ ସୁମରି ଯାଇଂ ରାଜ୍ୟରେ ପ୍ରବେଶ ।୧୬
ଅନେକ ସୁଲକ୍ଷଣୀ ଘେନି ବିଜୟେ ଗାନ୍ଧାରୀ
ହସ୍ତେ ଅର୍ଘ୍ୟ ଘେନିଣ ଶୁଭ ଅବଧାରି ।୧୭।
ହସ୍ତୀରୁ ଓହ୍ଲାଇଲା ଦ୍ରିଯୋଧନ ଭାନୁମତୀର ଭୁଜ ଧରି
ଆସ୍ତାନେ ବିଜେ କରିଅଛନ୍ତି ଧୃତରାଷ୍ଟ ଗାନ୍ଧାରୀ ।୧୮।
ଦ୍ରିଯୋଧନ ବୋଇଲା ଶୁଣିମା ଗୋ ଦେବୀମାୟେ
ଜନ୍ମହୁଂ ଅନ୍ଧ ହୋଇଲେ ଧୃତରାଷ୍ଟ ରାୟେ ।୧୯।
ଚଛୁ ଥାଇଂଣ ଅନ୍ଧ କିମ୍ପା ହୋଇଲ ଆପଣ
ଅନ୍ଧ ପଟଳ ଫେଡ ମା ମୋହୋର ବୋଲ ଶୁଣ ।୨୦
ଆମ୍ଭନ୍ତ ଉତପତ୍ତି ଯେ କଲ ଗର୍ଭଗତେ
ୟେଡ଼େ ସମ୍ପଦ ମା ଗୋ ଚଛୁ ଥାଉଂ ନ ଦେଖିବ କେମନ୍ତେ ।୨୧
ସ୍ୱାମୀର ଅଭିମାନକୁ ଗୋ ତୁମ୍ଭେ ନ ବଢ
ଆମ୍ଭର ସମ୍ପଦ ଦେଖ ଗୋ ଅନ୍ଧ ପଟଳ ଫେଡ ।୨୨
ଭାନୁମତ ଦେଶର ସେ ଭୂମନୁ ନୃପତି
ତାହାର ଦୁହିତାର ନାମ ଅଟଇ ଭାନୁମତୀ ।୨୩
ଲକ୍ଷେକ ରାଜା ଆଣି କଲାକ ସୟମ୍ୱରେ
ୟେହାର ସାଦୃଶ୍ୟେ ମୃତ୍ୟୁ ପୁରେ ନ ମିଳିଲା ବରେ ।୨୪
ଦୁଷ୍ଟ ରାଜାମାନେ ୟେହା ନେଇ ଲୋଡୁଥିଲେ ବଳେ
କର୍ଣ୍ଣ ସାଂଗ୍ରାମ କଲା ଜିଣିଲା ସମସ୍ତ ମହୀପାଳେ ।୨୫
ୟେକା କର୍ଣ୍ଣ ଘୋର ସାଂଗ୍ରାମେ ଜିଣିଲା ସବୁନ୍ତି
ବଳେ ଛଡ଼ାଇ ଆଣିଲା ସୁନ୍ଦରୀ ଭାନୁମତୀ ।୨୬
କର୍ଣ୍ଣକୁ ପ୍ରଦାନ କରୁଥିଲା ଭୂମନୁ ଦଣ୍ଡଧାରୀ
ଆପଣେ ପ୍ରଦାନ ନୋହିଲା ମୋତେ ଦିଲା ଅନୁଗ୍ରହ କରି ।୨୭
ତ୍ରୈଲୋକ୍ୟର ମୋହିନୀ ୟେ ଅଟଇ ରୂପବନ୍ତୀ
ଶଙ୍ଖ ନିଧି ପଦ୍ମ ନିଧି ୟେହାର ବେନି କରରେ ବିରାଜନ୍ତି ।୨୮
ପାଷାଣେ କର ଲାଗନ୍ତେ ୟେହାର ହୋଅଇ ପାଣି ଦ୍ରବ୍ୟ
ୟେଡ଼େ ବଡ଼ ସମ୍ପଦ ମାତା ଗୋ କେମନ୍ତେ ନ ଦେଖିବ ।୨୯
କ୍ଷଣେ ଅନ୍ଧ ପଟଳ ଗୋ କାଢି ମେଲ ଗାନ୍ଧାରୀ
ଆମ୍ଭନ୍ତ ଅର୍ଘ୍ୟ ଦେଇ ପଛେ ବାନ୍ଧ ଦୃଢକରି ।୩୦
ଗାନ୍ଧାରୀ ବୋଇଲା ବାବୁ କିସ ସମ୍ପଦ ଦେଖିବି
ବିପଦ ଦେଖିଲେ ପୁଣ କେମନ୍ତେ ମୂର୍ଚ୍ଛିବି ।୩୧
ତୁ ୟେହା ସମ୍ପଦ ରେ ବୁଝୁଅଛୁ ବାଳ
ୟେହୁ ସମ୍ପଦ ବାବୁ ରେ ନଥିବ ଚିରକାଳ ।୩୨
ଜନ୍ମକାଳୁଂ ଦେଖିଲି ମୁଂ ତୁମ୍ଭର ଦୁଷ୍ଟ ଯେ ପ୍ରକୃତି
ଯେତେ କଥା ଶୁଣଇ ବାବୁ ସବୁ ହିଂ ଅନୀତି ।୩୩
ବିଦୁର କହିଲେ ଯେବଣ ପରମାର୍ଥ ବାଣୀ
ଅନ୍ଧ ପଟଳ ବାନ୍ଧିଲି ମୁଂ ତାହାର ବଚନ ଶୁଣି ।୩୪
ସମ୍ପଦ ବିପଦ ହୋଇଥାଇ ଗତାଗତ
ନଦେଖି ବିମୁଖ ରେ ଶୁଣ ମୋହୋର ସୁତ ।୩୫
ୟେହୁ ସମ୍ପଦ ତୋତେ ନଥିବ ଚିରକାଳ ପରିଯନ୍ତେ
ହରଷ ବିରସ ନ କରାଅ ପୁତ୍ର ମୋତେ ।୩୬
ଗାନ୍ଧାରୀ କହିଲେ ଯହୁଂ ନିରାପକ୍ଷ ବାଣୀ
ଦ୍ରିଯୋଧନ କୋପ କଲା ମାତାର ବଚନ ଶୁଣି ।୩୭
କୋଇନ୍ତାୟେ କଲ୍ୟାଣ କଲେ ଆଶିଷ୍ୟ ଦେଇ
ଭାନୁମତୀକି ଘେନି ଚନ୍ଦ୍ରଶାଳା ପୁରେ ବିଜୟେ କଲେ ଯାଇଂ ।୩୮
ଭାନୁମତୀକି ଘେନି ବିଜୟେ ନିଜ ଭୁବନେ
ସଞ୍ଜୟେ କହିଲେ ଯାଇଂ ଧୃତରାଷ୍ଟ ସନ୍ନିଧାନେ ।୩୯
ବଡାଇ ସମ୍ପଦ ରାଜା ଅର୍ଜିଲେ ତୋହୋର ଯେ ପୁତ୍ରେ
ରାଜ୍ୟେ ପଶନ୍ତେ ଦିଶଇ ଯେସନେ ଶଚୀ ଇନ୍ଦ୍ର ସଂଜାତେ ।୪୦
ୟେଥୁ ଅନନ୍ତରେଣ ମନୁ ମହା ରାୟେ
ଶ୍ରୀମହାଭାରତ ଶୁଣି ପାପ କର କ୍ଷୟେ ।୪୧
ବଦୟନ୍ତି ଅଗସ୍ତି ଶୁଣ ହୋ ବଇବସୁତ ମନୁ
ଅନେକ ଉଚ୍ଛବ ହୋଇଲା ହସ୍ତିନା ଭୁବନୁଂ ।୪୨
ୟେଥୁ ଅନନ୍ତରେ କେବଣ କୃତ୍ୟ କଲେ
କେମନ୍ତେ କରି ବ୍ୟାସ ସରୋବର ଭିଆଇଲେ ।୪୩
ୟେହା ମୋତେ ସଞ୍ଚପି କହିବା ମୁନିବର
ତୁମ୍ଭର ବଚନେ ମୁଂ ହୋଇବି ଗ୍ୟାନ ସାର ।୪୪
ହସ୍ତିନା ଭୁବନ ଈଶାନ୍ୟର କୋଣେ
ତହିଂ ସେ ବ୍ୟାସେ ସରୋବର କରନ୍ତି ଆପଣେ ।୪୫
(ବେଢାଇଲେ) ନଉଭାଗ ଦୀର୍ଘ ବତିଶ ଭାଗ ପ୍ରତି
ଚାରି ପାଖ ବସାଇଲେ ପାଷାଣ ଅପ୍ରମିତି ।୪୬
ହର ବ୍ରହ୍ମା ବିଷ୍ଣୁ ତିନିହେଂ ହେଲେ ସ୍ତମ୍ଭ
ଚନ୍ଦ୍ର ସୂର୍ଯ୍ୟ କଳା କାଣ୍ଡ ଅଶ୍ୱିନୀ କୁମାରେ ମେରୁଦଣ୍ଡ ।୪୭
ଅଶୀ କୋଟି ଗନ୍ଧର୍ବେ ହୋଇଲେ ରୁଅ ବତା
ଋଷି ବଚନ ଅପଗ୍ୟାନ କରିବ ହୃଦ ଫାଟିବ ତଥା ।୪୮
ଅଗ୍ନି ବରୁଣ କୁବେର ସତାଇଶ ନକ୍ଷତ୍ର
ୟେମାନେ ହୋଇଲେ ପାଣି ପାଟିଆ ଥମ୍ୱ ତଥ୍ୟ ।୪୯
ଚାରି ମେଘେ ଯେ ହୋଇଲେ ଚାରି ପୀଢା
ଜୁଣକ ମଧ୍ୟେ ବିଭୂତି ପଡ଼ଇ ତ୍ର୍ୟକ୍ଷଉରା ।୫୦
ସୁଦ୍ରିଶେନ ଚକ୍ର ଉପରେ ଭ୍ରମୁଥାଇଂ
ଦୁଷ୍ଟଜନ ଦେଖିଲେ ଶିର ଛିଡ଼ି ପଡ଼ଇ ।୫୧
ଅଣଗତି ଲୋକକୁ ଦିଅଇ ନେଇଠାବ
ବଳାତ୍କାରେ ପଶିଲେ ତାହାର ପ୍ରାଣ ଯିବ ।୫୨
ମାଣକ ଆକାରେ ଯେ ବେଢାଇଲେ ବେଢା
ଆପଣେ ବ୍ୟାସେ କଲେ ସରୋବରେ ପୀଢା ।୫୩
ସଞ୍ଜୟେ କହନ୍ତି ଧୃତରାଷ୍ଟର ଆଗର
ଆପଣେ ବ୍ୟାସେ ଥାଇ କଲେ ବ୍ୟାସ ସରୋବର ।୫୪
ଶୁଣିଣ ଧୃତରାଷ୍ଟ ଯେ ବଡ଼ ହରଷ ହୋଇଲା
କି ହୋଇବ ବୋଲି ଯେ ମନ୍ତ୍ରୀକି ପଚାରିଲା ।୫୫
ସଞ୍ଜୟେ ଗୁପତ କଲେ ନ କହିଲେ ସେହୁ କଥା
କି କାର୍ଯ୍ୟ ହୋଇବ ସେ ଭିଆଉ ଅପ୍ରମିତା ।୫୬
ଯୁଝେଷ୍ଠିଙ୍କି ସହଦେବ କହିଲେ ଗୁପତ ଯେ କରି
ଦ୍ରିଯୋଧନ କୁଶଳ ବାରତା କହଇ ବିଚାରି ।୫୭
ହସ୍ତିନା ଲୋକଙ୍କୁ ସେ ଚମତ୍କାର ଲାଗିଲା
କି କଥା ହୋଇବ ବୋଲି ବିଦୁର ସଞ୍ଜୟକୁ ପଚାରିଲା ।୫୮
କ୍ଷିଦ୍ର ଦେହରେ ରଖି କହନ୍ତି ସଞ୍ଜୟେ
ବ୍ୟାସ ସରୋବରେ ପଶିଲେ ଶତ୍ରୁରକ୍ଷା ହୋୟେ ।୫୯
କିଛୁ ଦିନ ଅନ୍ତରେ ବ୍ୟାସ ସଞ୍ଜୟ ବାସୁଦେବ
ସହଦେବକୁ ବସାଇ କହନ୍ତି ଗୁପତ ଭାବ ।୬୦
ୟେ ଗୁପତ କଥା ବାବୁ ନ କହିବୁ କାହିଂ
ବାସୁଦେବଙ୍କୁ ବ୍ୟାସେ ଅନେକ ବିନୋୟୀ ହୋଇ ।୬୧
କେଶୀ-ଦତ୍ୟ-ଧଂସନ୍ତା ତୋତେ ଚିହ୍ନନ୍ତା କେହି ନାହିଂ
ଦୁଷ୍ଟ ନିବାରଣ ସନ୍ଥ ପାଳନ୍ତା ନାଥ ତୁହି ।୬୨
ଦଶରଥ ଘରେ ଜନ୍ମ ଜାତ ମହୀ
ଋଷିଙ୍କର ଯଗ୍ୟଂ ରଖିଲୁ ନାଥ ତୁହି ।୬୩
ତୋହୋର ବାହୁ ବଳେ ଋଷିଙ୍କ ରସେବା
ଅପାର ଦୁର୍ଧଂସ ନାଥ ମୁକତି ଗତି ଦେବା ।୬୪
ଶ୍ୱେତ ପୀତ ଲୋହିତ କୁଙ୍କୁମ ଯେ ବର୍ଣ୍ଣେ
ନୀଳ ସଷ୍ଟିକ ନାଥ ବାଉନିମି କିସ ଗୁଣେ ।୬୫
ଯଦୁ କୁଳ ନନ୍ଦନ ମୁକତି ଗତି ଦ୍ୟନ୍ତା
ଦେବକୀ କୋଳେ ନାଥ ତୁହି ସେ ସମ୍ଭୂତା ।୬୬
ୟେ ବ୍ୟାସ ସରୋବର ନାଥ ତୁମ୍ଭର ପ୍ରସନ୍ନେ
ନାରାୟଣ ସୁଦ୍ରିଶେନ ଚକ୍ର ଦେବୁ ତୋଷ ମନେ ।୬୭
ବାସୁଦେବ ତୋଷ ହୋଇ ବୋଇଲେ ଅସ୍ତୁ ହୋଉ
ଶତ୍ରୁପକ୍ଷ ହୋଇ ଯେ ପଶିବ ତାର ପ୍ରାଣ ଯାଉ ।୬୮
ବାସୁଦେବଙ୍କୁ ମନାଇ ଚଳିଲେ ଦେବବ୍ୟାସ
ଗଙ୍ଗା କୂଳେ ଯାଇଂ ହୋଇଲେ ପ୍ରବେଶ ।୬୯
ବାସୁଦେବ ସଞ୍ଜୟେ ଚଳିଲେ ଯେ ଯାହାର ପୁର
ସହଦେବ ପ୍ରବେଶ ହୋଇଲେ ଯୁଝେଷ୍ଠିଙ୍କ ଛାମୁର ।୭୦
କାହିଂ ଥିଲୁ ବୋଲି ପଚାରନ୍ତି ଦେବଧର୍ମ
ସଞ୍ଜୟେ ବାସୁଦେବ ଦେଖୁଥିଲୁ ବ୍ୟାସ ସରୋବର ଆଶ୍ରମ ।୭୧
କି ହୋଇବ ବୋଲି ପଚାରନ୍ତି ଧର୍ମଦେବ
ଅପାର ଦିନ ଅନ୍ତରେ ଦ୍ରିଯୋଧନକୁ ରକ୍ଷା ଯୋଗ ହୋଇବ ।୭୨
ୟେ ବେନି କୁଳେ ଉପୁଜିବ ମହାଭାରଥ
ଗୁପତ କରିଥାଅ ବାବୁ ନକର ପ୍ରଘଟ ।୭୩
ଯେ ଯାହାର ମାର୍ଗେ ସେ ରହିଲେ କାଳ ଜାଣି
ଅଗସ୍ତିଙ୍କି ପଚାରନ୍ତି ବଇବସୁତ ପୁଣି ।୭୪।
କୁରୁପାଣ୍ଡବଙ୍କର ଝିମାଣି ଖେଳ
ବଦନ୍ତି ଅଗସ୍ତି ଶୁଣ ବଇବସୁତ ମନୁ
ଅନେକ ଉଚ୍ଛବ ଯେ ହୋଇଲା ହସ୍ତିନା ଭୁବନୁ ।୧
ଭୀଷ୍ମଙ୍କର ଆଗ୍ୟାଂ, ଶୟେ ଅଷ୍ଟ ଉତ୍ତର କୁମାରେ
ମହା ପ୍ରିୟ ଭାବରେ ଆଖଡ଼ାରେ କଉତୁକ କରେ ।୨
ବଳରାମଙ୍କର ତହୁଂ ସେ ଗଦା ବିଦ୍ୟା ପାଇ
କାହାକଇଂ ଗଣନା ନ କରନ୍ତି ଦ୍ରିଯୋଧନ ଶତେ ଭାଇ ।୩
ଆଖଡାୟେ ପଶି ଗଦା ଯୁଦ୍ଧ କରନ୍ତି ନିତି
ଭୀମସେନ ଧୁଶାସନର ଯେ ହୋଇଲା ଅତ୍ୟନ୍ତ ଅପ୍ରୀତି ।୪
କର୍ଣ୍ଣ ଅର୍ଜୁନର ଯେ ଉପୁଜିଲା ଅଭାବ
ଯୁଝେଷ୍ଠିଙ୍କି ଦ୍ରିଯୋଧନ ନ କରଇ ପ୍ରିୟଭାବ ।୫
ଗଜ ଅଶ୍ୱ ଚଢିଣ ଯେ ହିଙ୍ଗିଡ଼ି ଖେଳନ୍ତି
ପଶା ଆଖଡ଼ା ଯେ ନ୍ୟାୟ ବଳ ଖେଳୁଥାନ୍ତି ।୬
ପୟାନ୍ତ ପାଦ ଗରୁ ଧାଉଡ଼ି ନିମିତ୍ୟେ
ନାନା କଉତୁକେ ଖେଳନ୍ତି ପୁତ୍ରମାନେ ସମସ୍ତେ ।୭
ଇନ୍ଦ୍ରପ୍ରଶସ୍ତ ଆଖଡ଼ା ୟେ କଉତୁକ ସଂକୁଡ଼େ
କୁତୂହୋଳେ ଭିଆଇଲେ ଝିମାଣି ନାମ ଖେଡ଼େ ।୮
ଦ୍ରିଯୋଧନ ଯୁଝେଷ୍ଠି ଯେ ହୋଇଲେ ମୂଳ ଗଣ୍ଡି
ଭୀମ ଧୁଶାସନ ହୋଇଲେ ତଳ ଗଣ୍ଡି ।୯
________________________________________
୩।୨- କାହାକଇ ଭୟିତା ନାହିଂ ଦ୍ରିଯୋଧନ ଶତେ ଭାଇ ।
୫।୧- ଇନ୍ଦ୍ରପ୍ରଶସ୍ତ ଆଖଡାରେ କୁତୂହୋଳ ରସ ଭାବ ।
୭।୧ପୟାନ୍ତ-ପାଦଚାର, ପାଦଚାଳନ
୮।୧- ସଂକୁଡେ - ସଂକୃତ, ସମ୍ୟକ୍ କ୍ରିୟାରେ, କାର୍ଯ୍ୟରେ
---------------------------------------------------------------
କର୍ଣ୍ଣ ଅର୍ଜୁନ ଗଲେ ଯେ ଗଣ୍ଡି ଭାଗେ
ଦ୍ରିଯୋଧନ କର୍ଣ୍ଣ, ଅର୍ଜୁନ ଯୁଝେଷ୍ଠିଙ୍କ ଭାଗେ ।୧୦
ଧୁଶାସନ କର୍ଣ୍ଣ ହୋଇଲେ ଦ୍ରିଯୋଧନର ଲାଗେ ।୧୧
ଶଲ୍ୟ ସହଦେବ ଦୁହେଂ ଗଣ୍ଡି ଯେ ହୋଇଲେ
ଯୁଝେଷ୍ଠିଙ୍କି ସହଦେବ ଦ୍ରିଯୋଧନ କୁଶଲ୍ୟେ ।୧୨
ନକୁଳ ଅଶସ୍ତମା ଗଣ୍ଡି ଗଲେ ଅନୁକ୍ରମେ
ଯୁଝେଷ୍ଠି ଭାଗେ ନକୁଳ ଦ୍ରିଯୋଧନ ଅଶସ୍ତମେ ।୧୩
ୟେସନେକ ଗଣ୍ଡି ଭିଆନ୍ତି ସମକଚ୍ଛେ
ଧୁଶାସନ ବୋଇଲା ଭୀମ ତୁମ୍ଭେ ପୀଢ ହୋଇଲ ପ୍ରତକ୍ଷେ ।୧୪
ଭୀମସେନ ହସିଲା ଧୁଶାସନର ବଚନେ
ତୁମ୍ଭନ୍ତ ଥାଡେ ହୋଅ ଶତେ ଭାଇମାନେ ।୧୫
ଆମ୍ଭଙ୍କୁ ତୁମ୍ଭେ ହୋ ନ ଦିଅ ୟେକା ଜଣେ ।୧୬
ଶଲ୍ୟ କୃପ ଅଶସ୍ତମା କର୍ଣ୍ଣ ଯେ ସହିତେ
କଚ୍ଛକେ ହୋଅ ତୁମ୍ଭେ ପଞ୍ଚ ଉତ୍ତର ଶତେ ।୧୭
ଆମ୍ଭେ ପାଞ୍ଚ ଭାଇ ହୋଇଲୁ ୟେକ କତି
ଖେଡ଼ର ଚରିତ୍ର ଜାଣିମାନା କେ ହାରଇ ଜିଣଇ ଯୁଗତି ।୧୮
ଭୀମସେନ ବଚନେ ଦ୍ରିଯୋଧନ କଲା ସନମତ
ପଛିମ ଭାଗେ ରହିଲେ ପାଞ୍ଚ ଉତ୍ତର ଶତେ ଭ୍ରାଥ ।୧୯
ପୂର୍ବଭାଗେ ହୋଇଲେ ଯୁଝେଷ୍ଠି ପାଞ୍ଚଭାଇ
ମଧ୍ୟେରେ ବେନି ଖମ୍ୱ ପୋତିଲେ ଗାର ଦେଇ ।୨୦
ଶାନ୍ୟେ ଯୁଝେଷ୍ଠି ପଶ୍ଚିମେ ଦ୍ରିଯୋଧନ ଭାଗ ଆଡେ
ବଢିଲା ଉଚ୍ଚବାଚ ଝିମାଣି ରସ ଖେଡ଼େ ।୨୧
ପ୍ରଥମେ ଗୋଡ଼ାଇଲା କୁମାର ଧୁଶାସନ
ପଳାବନ୍ତି ଯୁଝେଷ୍ଠି ପବନହୁଂ ବେଗେଣ ।୨୨
ବନଚର ଦେଖି ଯେହ୍ନେ ଖେଦଇ ହରିଣୀ
ନିଶ୍ୱାସ ଧରି ଖେଦଇ ଧୁଶାସନ ବୀରମଣି ।୨୩
ରେ ରେ କାର କରି ଧାଇଂଲା ବେଗେଣ କ୍ଷେପି
ଚିରାୟେ ମାରିଣ ମାଇଲା ଯୁଝେଷ୍ଠିଙ୍କି ।୨୪
ଅସାଷ୍ଟମେ ପଡିଲେ ଯୁଝେଷ୍ଠି ଧୁଶାସନର ଚାପୋଡ଼ ଘାତେ
ନାସିକା ବେନି ପୁଡ଼ାରୁ ବହଇ ଶ୍ରୋଣିତେ ।୨୫
ମାରିଣ ଧୁଶାସନ ବାହୁଡ଼ଇ ଲେଉଟି
ଆରେ ଆରେ ବୋଲି ଭୀମସେନ ଧାମଇଂ ପାଲଟି ।୨୬
ମଧ୍ୟ ଦାଣ୍ଡରେଣ ମାଇଲା ଧୁଶାସନକୁ
ୟେକା ପ୍ରହାରକେ ଭାଞ୍ଜିଲା ତାହାର ବୁକୁ ।୨୭
ଦ୍ରିଯୋଧନ ପଳାବଇ ଗୋଡ଼ାୟେ ମାରୁତି
ୟେକା ଚାପୋଡ଼ାକେ ପଡିଲା କୁରୁପତି ।୨୮
ଦୁର୍ଜୟ ଦୁର୍ବାଳ ଦୁରାଷ୍ଟର ମେଳେ
ପୟରକେ ବୀର ମାଇଲା କର ସ୍ଥଳେ ।୨୯
ଶତେ ଭାଇଙ୍କି ମାଇଲା ଶତେ ଯେ ଭେଡ଼ାୟେ
କର୍ଣ୍ଣହିଂ ପଡ଼ିଲା ଭୀମ ହାଦେ ଘାୟେ ।୩୦
ଶତେ ପହଣ୍ଡେ ମାଇଲା ଶତେ ଭ୍ରାଥଙ୍କୁ
ଗାତ୍ର ପ୍ରହାରେ ଭାଞ୍ଜିଲା ସମସ୍ତ ହିଂ ବୁକୁ ।୩୧
ଅଶସ୍ତମାକୁ କ୍ଷେପି ମାଇଲା ବକ୍ଷ ସ୍ଥଳେ
ମୂର୍ଚ୍ଛାଗତେ ପଡ଼ିଲେ କୁରୁ ଯେ କୁମରେ ।୩୨
ଶଲ୍ୟେ ପଳାବନ୍ତି ବାହୁଟିଆ ଜୀବ ଜାଣି
ନିଶ୍ୱାସ ଟେକି କଟାଳ କଲା ଭୀମଆଣି ।୩୩
ଚିରାୟେ ମାରିଣ ହାବୋଡ଼ାଇଲା ଶଲ୍ୟଙ୍କୁ
ଗାଢ ପ୍ରହାରେ ଶଲ୍ୟେ ପଡ଼ିଲେ ମାଡି ବୁକୁ ।୩୪
ବାମ ପାଦ ପଡ଼ିଲା ପିଠିର ମଧ୍ୟ ଖଣ୍ଡେ
ଡାହାଣ ଚରଣ ପଡ଼ିଲା ଶଲ୍ୟଙ୍କର ମୁଣ୍ଡେ ।୩୫
ମୁଣ୍ଡ ଫାଟିଣ ଯେ ବହିଲା ଗହନ ଶ୍ରୋଣି
ବାହୁଡ଼ଇ ବ୍ରିକୋଦର ବିକ୍ରମ ସିଂହ ଠାଣି ।୩୬
ସବୁ କୁରୁ ବୀରେ ପଡ଼ିଲେ ଅସାଷ୍ଟମ ହୋଇ
ଶଲ୍ୟ କର୍ଣ୍ଣ ଅଶସ୍ତମା କାହାରି ଚେତନା ଯେ ନାହିଂ ।୩୭
ବଦୟନ୍ତି ମହାମୁନି ବ୍ରହ୍ମବେତ୍ତା ଅଗସ୍ତି
ଆଦିହୁଂ ୟେହିଠାରୁ କୁରୁପାଣ୍ଡବଙ୍କର ଉପୁଜିଲା ଅପ୍ରୀତି ।୩୮
ଧୃତରାଷ୍ଟଙ୍କର ଅଗ୍ରତେ କହିଲେ ସଞ୍ଜୟେ
ଖେଡ଼ର ବିନୋଦେ ପଡ଼ିଲେ ଅସାଷ୍ଟମେ ତୋହୋର ପୋୟେ ।୩୯
ୟେକା ୟେ ଭୀମସେନ ମାଇଲା ସବୁଙ୍କୁ ହିଂ ଖେଡ଼େ
ଝିମାଣି ଭିଆଇଲେ ୟେକା କୁତୂହୋଳେ ପୀଢେ ।୪୦
ଭୀଷ୍ମେ ସଞ୍ଜୟେ ପ୍ରବେଶ ହୋଇଲେ ଯାଇ
ପୁଅନ୍ତ ଆଣିଲେ ଚେତନା କରାଇ ।୪୧
ଧୃତରାଷ୍ଟ୍ର ସୁମରଇ ରେବତୀ ପ୍ରାଣବନ୍ଧୁ
ଜୟୁ ତୁ କାମପାଳ ଅଭୟ ବର ଇନ୍ଦୁ ।୪୨
ଶୁଦ୍ଧ ସଷ୍ଟିକ ପ୍ରାୟେ ଯାହାର ଶରୀର ବିରାଜି
ଅଣାକାର ପୁରୁଷ ତୁ ଅଜପା ଲୟେ ଭଜି ।୪୩
ଅଦୃଷ୍ଟି ମହେଶ୍ୱର ଧବଳ ବର୍ଣ୍ଣ ଚିହ୍ନ
ଅବୟ ଅବ୍ୟକ୍ତ ଯାର ବଚନ ଅପୂର୍ଣ୍ଣ ।୪୪
ୟେକ ଆସନେ ଯାହାର କୋଟିୟେ କଳ୍ପ ବହି
ମଉଳି ଆଭରଣ ସ୍ୱାମୀ ମହାଦର୍ପ ଅହି ।୪୫
ଅଚେବନ ପୁରୁଷ ପାଇଲୁ ଯୋଗ ଚିନ୍ତା
ନାଶକର ଦର୍ପ ତୁହି ସେ ଭାଞ୍ଜନ୍ତା ।୪୬
ଅସମ୍ଭବ ପୁରୁଷ ତୁ ଗତି ମୁକତି ଦିଅନ୍ତା
କାଳାନ୍ତକ ପୁରୁଷ ଯୋଗେଣ ଯୋଗ ଚିନ୍ତା ।୪୭
ଶ୍ୱେତ ଶଙ୍ଖ ପଣ୍ଡୁର ଲୋହିତ ପୀତ ବାସଇ
କୁଙ୍କୁମ ନୀଳ କଳେବର ଶିରରେ ସପତ ଫଣୀ ବସଇ ।୪୮
ଯୋଗ ଭୋଗ ସୋଗ ଯାହାର ଅଭୟେ
ପବନ ଉଜାଇଲୁ ନାଥ ତୁ ଅଜପା ଯୋଗ ଲୟେ ।୪୯
ନିଶ୍ଚଳ ଆସନ ସ୍ୱାମୀ ଯାହାର ଭୁବନ ସଉନିଧି
ସର୍ବ ସୋଦର ବନ୍ଧୁ ଦ୍ରଶନେ କାର୍ଯ୍ୟସିଦ୍ଧି ।୫୦
ପ୍ରସନ୍ନେ ପ୍ରାପତ ହୋଅଇ ବଇକୁଣ୍ଠ ଭୁବନ
ଜଗ ବନ୍ଦନ ସ୍ୱାମୀ ସୁଢଳ ନୟନ ।୫୧
ମହାଯୋଗ ଲୟେ ଦେବ ଉତ୍ତରାଙ୍କୁର ତୀର୍ଥେ
ଝରଇ ସୁଧା ରସ ଦେବ ସନ୍ତାପ କରନ୍ତେ ।୫୨
ଶ୍ରୀଭୁଜେ ଶୋଭାବନ ଯାହାର ସମର୍ଥେକ ସଉନନ୍ଦ
ଦ୍ରଶନେ ଦହନ ସ୍ୱାମୀ ହୋଇ ସର୍ବ ବନ୍ଧ ।୫୩
ଅମ୍ୱା କଦମ୍ୱା ପ୍ରଳମ୍ୱା ଅସୁର ଧଂସି
ରେବତୀ ରମଣ ନାଥ ଅଭୟ ଯୋଗ ଅଭ୍ୟାସି ।୫୪
ସୁର ସିଦ୍ଧ ମୁନି ଯାହାର ଚରଣ ବନ୍ଦେ
ଅଭୟ ବର ଦେଉ ନାଥ ପରମ ସାନନ୍ଦେ ।୫୫
କାଳାନଳ ବଞ୍ଚାଇଲୁ ଅନାଦି ପରମ ଯୋଗୀ
କଳି କାଳ ଦର୍ପ ଧଂସି ଇଛାକଲୁ ଭୋଗୀ ।୫୬
ଶତେ ବେଳ ବିନୟ ମୁଂ କାମପାଳ ଚରଣେ
ଭଗତି ମୁକତି ନାଥ ଇଚ୍ଛା କଲି ଦେବ ମୁଂ ତୋହୋର ଶରଣେ ।୫୭
ରେବତୀ ରମଣ ସ୍ୱାମୀ ହଳାୟୁଧ ପାଣି
ଅନନ୍ତ କୋଟି ବ୍ରହ୍ମାଣ୍ଡ ନାଥ ତୁହି ସେ ଶିରୋମଣି ।୫୮
ଅନୀତି ସଂସାରେ ନାଥ ଲୋଭ ମୋହ କ୍ରୋଧ ହିଂସା
ୟେଥୁଂ ତରିବାକୁ ମୁହିଂ ବଢାଇଲି ମନୀଷା ।୫୯
କେଶୀ ବିଦାରଣ ନାଥ ଚରଣେ ନମାମି
ୟେ ଭବସାଗରୁ ଉଦ୍ଧର ଦେବସ୍ୱାମୀ ।୬୦
ଶ୍ରୀନୀଳାମ୍ୱରନାଥଙ୍କୁ ଶତ ସହସ୍ର ଦଣ୍ଡବତ ପାଦ ତଳେ
ଶୂଦ୍ରମୁନି ସାରୋଳ ଦାସ ମାଗଇ ସର୍ବକାଳେ ।୬୧।
କୁନ୍ତୀସହ ପାଣ୍ଡବଙ୍କର ଇନ୍ଦ୍ରପ୍ରଶସ୍ତେ ଅବସ୍ଥିତି
ଆହୋ କୁରୁବଇ ନୃପତି ଧୃତରାଷ୍ଟ
ଅନେକ ତୁସ୍ତି କଲା ବଳରାମଙ୍କୁ ହୋଇ ତୁଷ୍ଟ ।୧।
ଧ୍ୟାନେ ଚିନ୍ତିଲା ଯହୁଂ ଅମ୍ୱିକାର ବାଳ
ଆସନ କମ୍ପିଲା ଦେବ ସ୍ୱାମୀ କାମପାଳ ।୨।
ହସ୍ତିନା ନଗ୍ରେ ଦେବ କଲେକ ବିଜୟେ
ଧୃତରାଷ୍ଟ ଅଗ୍ରତେ କହିଲେ ସଞ୍ଜୟେ ।୩।
ଆସନ ତେଜି ଉଠିଲା କୁରୁରାଜ ସ୍ୱାମୀ
ଶ୍ରୀବଳରାମଙ୍କ ଚରଣେ ଦଣ୍ଡ ପରିଣାମି ।୪।
କ୍ରୋଧଭର ହୋଇଣ କହଇ ଧୃତରାଷ୍ଟ
ଭୋ ଦେବ କାମପାଳ ଦେଖ ମୋହୋର ପୁତ୍ରଙ୍କର କଷ୍ଟ ।୫।
ଯହିଂର ନିମନ୍ତେ ମୁଂ କଲି ହୃଦେ ଭ୍ରାନ୍ତି
ଖେଡ଼ର ବିନୋଦେ ଭୀମା ମାଇଲା ସବୁନ୍ତି ।୬।
ବଳରାମେ ବୋଇଲେ ତୁ ଭ୍ରାନ୍ତି ନ କର କିଛି
ଖେଡ଼ର ପରିହା ସେ ହୋ ୟେସନେକ କୃତ ଅଛି ।୭।
ମୋହୋର ବିଦ୍ୟାୟେଣ ଯେ ଅଟନ୍ତି ଶକତା
ଗଦା ଯୁଦ୍ଧେଣ ୟେ ହୋଇବେ ଜଗଜ୍ଜିତା ।୮।
ଧୃତରାଷ୍ଟଙ୍କର ଶତେ ପୁତ୍ର ମସ୍ତକେ ବଳଦେବ ଦିଲେ ହସ୍ତ
ଆଜହୁଂ ୟେମାନେ ଅଟନ୍ତି ଆମ୍ଭ ପୁତ୍ର ।୯।
ତୁ କିଛି ଭ୍ରାନ୍ତି ହୋ ନ କର ୟେହାଙ୍କୁ
ୟେହାଙ୍କର ସମସ୍ତ କଥା ଲାଗଇ ଯେ ମୁକୁ ।୧୦।
ବଳରାମଙ୍କ ବଚନେ ତୁଷ୍ଟ ଧୃତରାଷ୍ଟ
ଛାଡ଼ିଲାକ ମନ ଭ୍ରାନ୍ତି ଶରୀର କଲା ତୁଷ୍ଟ ।୧୧।
ତହୁଂ ବିଜୟେ କାମପାଳ ଦ୍ୱାରକା ଭୁବନେ
ସନିଧ୍ୟେ ପୁଛା କଲେ ଦେବ ଜନାର୍ଦ୍ଦନେ ।୧୨।
କହନ୍ତି କାମପାଳ ଧୃତରାଷ୍ଟଙ୍କ ସର୍ବକଥା
ଭାବେଣ କହିଲେ ଦେବ ଖେଡ଼ର ବାରତା ।୧୩।
ବଳରାମେ ନ ଜାଣନ୍ତି ଅର୍ଜୁନ ତୁଲେ ବାସୁଦେବର ପୀରତି
ଦ୍ରିଯୋଧନକୁ ଆବୋରି କହିଲେ ହଳପତି ।୧୪।
ଧୃତରାଷ୍ଟ ପୁଅଙ୍କର ମଥାରେ ହାଥ ଦେଲି
ସମସ୍ତ ବିଦ୍ୟା ଶିଖାଇ ତାହାନ୍ତ ଆବୋରିଲି ।୧୫।
ପଣ୍ଡୁର ପୁଅଙ୍କୁ ସେ କଲା ବଡ଼ ଭ୍ରାନ୍ତି
ୟେକା ଦ୍ରିଯୋଧନ ତାହାର ଜିଣିବ ସବୁନ୍ତି ।୧୬।
ୟେ ପାଞ୍ଚପୁତ୍ରନ୍ତ ମାରି ପଞ୍ଚୁକଟକେ ହୋଇବ ରାଜା
ୟେମନ୍ତ କରି ସଞ୍ଚିଲି ମୁଂ ଗାନ୍ଧାରୀ ତନୁଜା ।୧୭।
ବଳରାମଙ୍କ ମୁଖୁଂ ୟେସନେକ ବାକ୍ୟ ଶୁଣି
ହୃଦଗତେ ବିଚାରନ୍ତି ଦେବ ଚକ୍ରପାଣି ।୧୮।
ଗରୁଡ଼ ପିଠିରେ ବିଜେ କଲେ ଦେବ ହରି
ବିଜୟେ ନାରାୟଣ ଇନ୍ଦ୍ରପ୍ରଶସ୍ତ ନଗରୀ ।୧୯।
ଇନ୍ଦ୍ରପ୍ରଶସ୍ତ ନାମେଣ ୟେକଇ ପର୍ବତ ଗୋଟିୟେ
ରାତ୍ରିକାଳେ ନାରାୟଣ ତହିଂକି କଲେକ ବିଜୟେ ।୨୦।
ଅର୍ଜୁନଙ୍କୁ ସୁମରଣା କରନ୍ତି ଦେବ ଧ୍ୟାନେ
ବାସବି ପ୍ରବେଶ ହୋଇଲା ବାସୁଦେବଙ୍କ ସନ୍ନିଧାନେ ।୨୧।
ଦେଖିଲା ନାରାୟଣ ଗରୁଡ଼ ପିଠିରେ ବିଜେ
ଶତସହସ୍ର ଦଣ୍ଡ ପ୍ରଳମ୍ୱିତ ଇନ୍ଦ୍ରର ଆତ୍ମଜେ ।୨୨।
ଅର୍ଜୁନକୁ କୋଳ କରିଣ ଦେବ ଯେ ମୁରାରି
ପଚାରନ୍ତି କୁଶଳ ବାରତା ଦେବ ଦଇତାରି ।୨୩।
କେବଣ ଚରିତ ହୋଇଲା ଝିମାଣି ଖେଡ଼ ବାଗେ
କୁରୁବୀରେ ପଡ଼ିଲେ ପୁଣି ଭୀମସେନ ରାଗେ ।୨୪।
ଅର୍ଜୁନ ବୋଇଲା ସ୍ୱାମୀ ପ୍ରଥମେ ଧୁଶାସନ ଗୋଡ଼ାଇଲା
ଅସାଷ୍ଟମ କରି ଦେବ ଯୁଝେଷ୍ଠିଙ୍କି ମାଇଲା ।୨୫।
ସେ ରାଗ ସହିନ ପାରିଲେ ଯେ ମାରୁତି
ୟେକା ନିଶ୍ୱାସକେ ସେ ମାଇଲେ ସବୁନ୍ତି ।୨୬।
ଅଭିମାନେ ଧୃତରାଷ୍ଟ ବଳରାମଙ୍କୁ ସୁମରି
ହସ୍ତିନାୟେ ପ୍ରବେଶ ଆସି ହୋଇଲେ ହଳଧାରୀ ।୨୭।
ଅନେକ ପ୍ରତଗ୍ୟାଂ ଯେ କଲେକ ନୀଳାମ୍ୱର
ମସ୍ତକେ ହସ୍ତ ଦେଇ ବୋଇଲେ ୟେ ପୁତ୍ରେ ଆଜିହୁଂ ଆମ୍ଭର ।୨୮।
ଶ୍ରୀହରି ବୋଇଲେ ବଳରାମଙ୍କୁ ମୂଳ କରି ଧୃତରାଷ୍ଟ ଭିଆଇଛି ମନ୍ଦ
ଅବଶ୍ୟ ତୁମ୍ଭର ତୁଲେ ହୋଇବଟି ବଡ଼ ଦ୍ୱନ୍ଦ ।୨୯।
ଆଜହୁଂ ବିଶ୍ୱାସ ତୁମ୍ଭେ ନ ଯିବଟି ଧୃତରାଷ୍ଟଙ୍କୁ
କର୍ଣ୍ଣ ଅଶସ୍ତମା ଶଲ୍ୟ ଦ୍ରିଯୋଧନକୁ ।୩୦।
ଅର୍ଜୁନ ବୋଇଲେ ସ୍ୱାମୀ ତୋହୋର ଆମ୍ଭଙ୍କୁ ଯେବେ ୟେଡ଼େ ଚିନ୍ତା
ଲକ୍ଷେ ବଳରାମ ହୋଇଲେ ଆମ୍ଭଙ୍କୁ ନାହିଂନା ଜିଣନ୍ତା ।୩୧।
ଅର୍ଜୁନର ପ୍ରତଗ୍ୟାଂ ଦେଖିଣ ସାନନ୍ଦ ମଧୁରିପୁ
ପ୍ରତଗ୍ୟାଂ ସାର୍ଥୁକ ତୁମ୍ଭର ବୁଝିଲୁଂ ବଳ ବପୁ ।୩୨।
ଆହୋ ଭୋଜନେ ଶୟେନେ ତୁମ୍ଭେ ନ ଯିବଟି ବିଶ୍ୱାସ
ଶତ୍ରୁର ଛିଦ୍ର ବୁଦ୍ଧିରେ ହୋଅଇ ଅନେକ କାର୍ଯ୍ୟ ନାଶ ।୩୩।
ଯୁଝେଷ୍ଠି ଭୀମ ନକୁଳ ସହଦେବଙ୍କୁ ତିଆରି
ବୁଦ୍ଧି ଉପାୟେ କରି ୟେହାଙ୍କ ସଙ୍ଗ ଯାଅ ଅପସରି ।୩୪।
କହିଣ ନାରାୟଣ ଗଲେକ ଅନ୍ତରୀକ୍ଷେ
ଯୁଝେଷ୍ଠିଙ୍କି ଅର୍ଜୁନ ଯେ କହିଲେ ପ୍ରତକ୍ଷେ ।୩୫।
ଯୁଝେଷ୍ଠି ବୋଇଲେ ସେ ଜଗତମୋହନ
ସମସ୍ତ ବିଚାର ସେ ଜାଣନ୍ତି ପାପପୁଣ୍ୟ ।୩୬।
ଆମ୍ଭେତ ହୋଇଥାଉଂ ଧୃତରାଷ୍ଟଙ୍କୁ ଭଗତେ
ସେ ଆମ୍ଭନ୍ତ ଆନ ଭାବ ଧରିବେ କେମନ୍ତେ ।୩୭।
ହୃଦରେ କଳଙ୍କ ଥାଇଟି ଯେବଣ ପ୍ରାଣୀ
ତାହାର ପାପଟି ତାହାକୁ ହୋଅଇ ହାନି ।୩୮।
ଧର୍ମକୁ ଆଶ୍ରେ କରି ବାବୁ ଥାଅ ହୃଦଗତେ
ଧର୍ମ ଥିଲେ ପାପଟି ନଲାଗଇ ଯୁଗତେ ।୩୯।
ଅଜାତ ଶତ୍ରୁ ହୋ ଯାହାର କୋପ ନାହିଂ
ଅର୍ଜୁନକୁ ଶାନ୍ତି କରାଇଲେ ପରମାର୍ଥ କଥା କହି ।୪୦।
ପୁଅନ୍ତ ବସାଇଣ ଯେ ଭାଳଇ ଧୃତରାଷ୍ଟ
ଭୀମକୁ ଭ୍ରାନ୍ତି ମୋର ହୃଦରେ ଗରୁକଷ୍ଟ ।୪୧।
ସଞ୍ଜୟ ବୋଇଲେ ଯେବେ ଅନ୍ତର ଧଇଲୁ ଚିତ୍ତେ
ପଣ୍ଡୁର ପୁତ୍ରନ୍ତ ତୁ ଆଉ ସମ୍ଭାଳିବୁ କେମନ୍ତେ ।୪୨।
ହୃଦରେ ବିକୃତ ହୋଇଲା ଯେବଣ ପ୍ରାଣୀଙ୍କି
ତାହାନ୍ତ ଘେନିଣ ଆଉ ତୁ ବିଶ୍ୱାସ କରିଥାଉ ନିକି ।୪୩।
ସଞ୍ଜୟ ବଚନେ ସେ ରାଜା କୁରୁପତି
ବିଦୁରକୁ ୟେକାନ୍ତେ ରାଇଲା ନିଶାରାତି ।୪୪।
ବାବୁ ପରମ ପଣ୍ଡିତ ତୁ ଅଟୁ ମହାଗ୍ୟାଂତା
କେମନ୍ତେ ବିଚାର କରୁ ଭୀମସେନର କଥା ।୪୫।
ବିଦୁର ବୋଇଲେ ସ୍ୱାମୀ ଅଗ୍ୟାନ ବାଳକାଳେ
ପ୍ରୀତି ଅପ୍ରୀତି ହୋଉଥାନ୍ତି ସେ ଖେଡ଼ର କୁତୂହୋଳେ ।୪୬।
ତହିଂକି କିମ୍ପାଇ ସ୍ୱାମୀ କରୁ ମନେ ତାପ
ତୋ ତହୁଂ ବିତ୍ର କେ ଆନେ କେ ଅଛି ତାହାଙ୍କର ବାପ ।୪୭।
ଧୃତରାଷ୍ଟ ବୋଇଲେ ଭୀମାର ଜୀଇଂଥିଲେ
ମୋହୋର ପୁଅଙ୍କୁ ଭଲ ନାହିଂ ମୋର ପ୍ରୀତି ବଢାଇଲେ ।୪୮।
ବିଦୁର ବୋଇଲେ ଯେବେ ଚିତ୍ତରେ ଧଇଲୁ ଅନ୍ତର
ସଙ୍ଗରୁ ଛଡାଇ ସେ ପାଞ୍ଚଙ୍କୁ ଦୂରକର ।୪୯।
ବିଦୁର ବଚନେ ସେ ବୋଲନ୍ତି ଧୃତରାଷ୍ଟଇ
ୟେହା ଯେ କହିଲୁ ବାବୁ ସରୂପ ଅଟଇ ।୫୦।
ହସ୍ତିନା ରାଜ୍ୟ ଅନ୍ତରେ ଇନ୍ଦ୍ରପ୍ରଶସ୍ତ ପୁରେ
ତହିଂ ଭୁବନେକ ଭିଆଇଲେ କୁରୁବୀରେ ।୫୧।
ଆଖଡ଼ାରେ ଭୀମସେନ ପଶଇ ନିତିପ୍ରତି
ଗଦା ବୁଲାଇ କରଇ ବିକ୍ରମ ମୂରତି ।୫୨।
କରବୀର ବୋଲି ୟେକଇ ପରବତେ
ଯୋଜନେକ ଆୟତନ ଉତ୍ସର୍ଗ ନଳ ଶତେ ।୫୩।
ଗଦା ବୁଲାଇଣ ସେ ସଂହରି ନୁଆରିଲା
ପର୍ବତ ଉପରେ ନେଇ ବୁଲାଇ ପ୍ରହାରିଲା ।୫୪।
ଲୋହାର ବେନି ଗଦା ବାଉନ ବାଉନ ଭାର
ଭୀମସେନ ଗଦା ଘାତେ ସେ ପର୍ବତ ହୋଇଲା ଚୂର ।୫୫।
ଦେଖିଣ ତ୍ରାସିଲେ ଯେ କୁରୁ ବୀରମାନେ
ଭୀଷ୍ମେ କହିଲେ ଯାଇ ଧୃତରାଷ୍ଟଙ୍କ ସନ୍ନିଧାନେ ।୫୬।
ଆହୋ କୁରୁବଇ ତୁ ସାବଧାନେ ଶୁଣ
ଭୀମର ମହିମା ଆମ୍ଭେ ଦେଖିଲୁ ୟେହି କ୍ଷଣ ।୫୭।
କରବୀର ପର୍ବତକୁ ଜାଣନା କି ଭଲେ
ସେ ପର୍ବତ ଚୂର ହୋଇଲା ଭୀମସେନ ଗଦା ପ୍ରହାରେ ।୫୮।
ବାଳୁତ ବୟସେ ତାର ୟେଡ଼େକ ମହିମା
ଜଗତ ଦର୍ପ ମର୍ଦ୍ଦିବ ସେ ପବନ ନନ୍ଦନ ଭୀମା ।୫୯।
ପୁଅନ୍ତ ତିଆରିଣ ତୋହୋର ଥାଅସି ପ୍ରତିପାଳି
ଭୀମତୁଲେ କେହି ନୋହିବେ ବାରୁଆଳି ।୬୦।
ଯାହାକୁ କରିବ ସେ ପ୍ରହାର ପରିହାସେ
କେହି ନବର୍ତ୍ତିବଟି ଭୀମାର କୋପ ତ୍ରାସେ ।୬୧।
ଭୀଷ୍ମଙ୍କର ବଚନେ ଧୃତରାଷ୍ଟଙ୍କୁ ଲାଗିଲା ମହାଚିନ୍ତା
କେବଣ କ୍ଷଣେ ତାକୁ ଜାତ କଲା ଦେବୀ ଯେ କୋଇନ୍ତା ।୬୨।
ୟେମନ୍ତ ସମୟେ ଯେ ପଣ୍ଡୁର ତନୟେ
ଧୃତରାଷ୍ଟ ଚରଣେ ଯେ ପ୍ରଣପତ୍ୟ ହୋୟେ ।୬୩।
ସଞ୍ଜୟେ ବୋଇଲେ ସ୍ୱାମୀ ଶୁଣିମା କୁରୁପତି
ଯୁଝେଷ୍ଠି ଭୀମ ଅର୍ଜୁନ ଆସି ପ୍ରଣପତ୍ୟ ହୁଅନ୍ତି ।୬୪।
କଲ୍ୟାଣ ବାଞ୍ଛାକଲେ ସେ କୁରୁବୀର ନରସାଇଂ
ଆଗ୍ୟାଂ ଦିଲେ ପୁଅନ୍ତ କତିରେ ବସାଇ ।୬୫।
ବାବୁ ଇନ୍ଦ୍ରପ୍ରଶସ୍ତେ ତୁମ୍ଭେ ରହିଥାଅ ପାଞ୍ଚଭାଇ
ଭୀମର ବଚନ ଦ୍ରିଯୋଧନ କ୍ଷଣେହେଂ ନ ସହଇ ।୬୬।
ଅନୁବ୍ରତେ ବରବେଶ ହୋଉଥାଇ ମାନଗୋବିନ୍ଦାୟି ପଣେ
ଉତକର୍ମ ବଢାଇ ସେ ହୋଇଲା ଆପଣେ ଆପଣେ ।୬୭।
କିଞ୍ଚିତ ମାନ ସେ ନ ସହଇ ମାନଗୋବିନ୍ଦ
ବିନା ତପେ ଅରଜିଲା ୟେସନେକ ସମ୍ପଦ ।୬୮।
ତୋର ଭାଇ ଭୀମା ଅଟଇ ବଡ଼ମନ୍ଦ
ୟେକାଠାରେ ଥିଲେ ବାବୁ ଉପୁଜିବ ବଡ଼ ଦ୍ୱନ୍ଦ ।୬୯।
ଯୁଝେଷ୍ଠି ବୋଇଲେ ତାତ ୟେ କଥା ଯୁଗତ
ତୋହୋର ଆଗ୍ୟାଂ ପ୍ରମାଣେ ଆମ୍ଭେ ରହିବୁଂ ଇନ୍ଦ୍ରଯେ ପ୍ରଶସ୍ତ ।୭୦।
ୟେମନ୍ତ ସମୟେ ଭୀମସେନ ଆଖଡ଼ାରେ ପଶି
ବେନି ଗଦା ବୁଲାଇଲା ପୃଥୀକି ଆକ୍ରେଷି ।୭୧।
ଦେଖିଣ ଭୟେ କଲା ଦେବୀ ଯେ ବସୁଧା
ବିନୟ ଭାବେ କହଇ ଭୀମାକୁ ବଚନ ପ୍ରସିଦ୍ଧା ।୭୨।
ୟେଡ଼େ ଆକ୍ରଷଣେ ଗଦା ପିଟନ୍ତେ ମୋହୋର ଉପରେ
ରାସାଂଗତ ହୋଇବି ନା ଗଦା ପିଟନ୍ତେ ମହା ଭାରେ ।୭୩।
ଗଦା ସଂଘରିଲା ସେ ବୀର ପୃଥୀର ବିକଳେ
ପୁଣହିଂ ଗଦା ବୁଲାଇଣ ଧାମଇ କୁତୂହୋଳେ ।୭୪।
ବନ ପର୍ବତ ଡିଙ୍ଗର କନ୍ଦର କମ୍ପିଲେ ତାହାର ମୂର୍ତ୍ତି ଦେଖି
ଶୂନ୍ୟପୁରୁଷେ ପଳାଇଲେ ଆସନ ଉପେକ୍ଷି ।୭୫।
ଗଦାବର ବୁଲାଇ ସେ ବିକ୍ରମରୂ ପକଲା
ଆକ୍ରଷଣ କରି ସେ ଆକାଶକୁ ଚାହିଂଲା ।୭୬।
ଅଧର ପୁଷ୍ଟ କରି ଓଷ୍ଠରେ ଦନ୍ତ ଚାପି
ଯମ ଦେବତା ଭୟେ କଲା ତ୍ରାସିଲା ଅଦ୍ୟାପି ।୭୭।
ବୋଲଇ ମାରୁତି ୟେ ଗଦାବର ମହାଭାରା
ପୃଥିବୀ ପର୍ବତେ ସହି ନୁଆରିଲେ ଦେବ ଯେ ଅସୁରା ।୭୮।
ଧୃତରାଷ୍ଟର ଶୟେ ପୋୟେ ସହିପାରିବେକି ମୋହୋର ଗଦା
ତାହାଙ୍କର ଉପରକୁ ମୁଂହି ଯେ ବହିଛି ଗଦା ସର୍ବଦା ।୭୯।
ଭୀମସେନ ଗଦା ମୁଷ୍ଟି ଦେଖିଣ କୁରୁବୀରେ
ଡିଆଂ ଘୁଞ୍ଚାଇଂ ଲଟି ପାତିଲେ ଆଖଡ଼ାରେ ।୮୦।
ପ୍ରଥମେ ଦ୍ରିଯୋଧନ ଡିଆଇଂ ପଞ୍ଚାଶ ଗଜ ହାଥ
ଯୁଝେଷ୍ଠି ଡିଆନ୍ତି କୋଡ଼ିୟେ ପ୍ରସ୍ତ ।୮୧।
ଧୁଶାସନ ଡେଇଂଲା ପଞ୍ଚଷଠୀ ଗଜ
ବତିଶ ଗଜ ଡେଇଂଲେ ଅଶ୍ୱିନୀଙ୍କ ଆତ୍ମଜ ।୮୨।
କର୍ଣ୍ଣ ଡେଇଂଲା ନଉ ଗଜ ହାଥ
ଅଶସ୍ତମା ଡେଇଂଲା ପଞ୍ଚାଅଶୀ ଗଜ ହାଥ ।୮୩।
ଶଲ୍ୟେ ଡେଇଂଲେ ପଞ୍ଚାବନ ହାଥ କାଠି
ସହଦେବ ଡେଇଂଲେ ପଞ୍ଚତିରିଶ ଗଜଟି ।୮୪।
ଦ୍ରିଯୋଧନ ଶତେଭାଇ ୟେହି ମତି ଡେଇଂଲେ
ପଞ୍ଚାବନ ଗଜ ଯେ ଦ୍ରୋଣେ ଡେଇଂ ଗଲେ ।୮୫।
ଅର୍ଜୁନେ ଡେଇଂଲେ ଶୟେ ଗଜ କାଠି
ଦେଖି ଚମତ୍କାର ଯେ ହୋଇଲେ ଧୃତରାଷ୍ଟି ।୮୬।
ବୋଇଲା ଗୁରୁଙ୍କଠାରୁ ବଡ଼ ହୋଇଲା ଅର୍ଜୁନ
ଜାଣିଲେ ହୃଦେ ବହୁତ ବଳ ବପୁମାନ ।୮୭।
ୟେମନ୍ତେ ଭୀମସେନ ଡେଇଂଣ ଯେ ଗଲା
ଶୟେ ପଞ୍ଚସ୍ତରୀ ଗଜରେ ଉଭା ସେ ହୋଇଲା ।୮୮।
ୟେମନ୍ତେ ବାରତା କହିଲେ ଦେବ ଶଲ୍ୟେ
କରୁନାଥ ବୋଲଇ ଭୀମା ଅଟଇ ମହାବଳେ ।୮୯।
ଆହୋ ଗଦା ବୁଲାଇ ଭୀମା ମହାମୂର୍ତ୍ତି କଲା
ଗାନ୍ଧାରୀ ଶତେପୁତ୍ରଙ୍କୁ ଗଦା ଆକ୍ରେଷ ବୋଇଲା ।୯୦।
ତ୍ରଇଲୋକ୍ୟେ ୟେ ଗଦା ତ ଆନ ଲୋକେ ନ ପାରିବେ ସହି
ତାହାଙ୍କର ଉପରକୁ ଗଦା ଭାର ଅଛି ବହି ।୯୧।
ଧୃତରାଷ୍ଟ ବୋଇଲେ ବାବୁ ଶୁଣିଲୁଟିକି ଯୁଝେଷ୍ଠି
ଅନୁବ୍ରତେ ଭୀମାର ପ୍ରକୃତି ଅଟଇ ବଡଦୁଷ୍ଟି ।୯୨।
ସେହୁ ପ୍ରତଗ୍ୟାଂ ବେଳକୁ ପୋୟେ ମୋର ଯେବେ ଥାନ୍ତେ
ଶତେ ଭାଇ ହୋଇଣ ଭୀମାକୁ ବେଢିଣ ଅବଶ୍ୟ ମାରନ୍ତେ ।୯୩।
କୋଇନ୍ତାୟେ ବୋଇଲେ ମୋତେ ଭୀଷ୍ମେ ନାଶ କଲେ
ଶତ ଶିଂଗପର୍ବତୁଂ ମୋତେ ଅନମିତେ ଆଣିଲେ ।୯୪।
ପୁଅନ୍ତ ଘେନିଣ ତହିଂ ଅଇଲେ ଅଭିମାନେ
ରହିଲେ କୋଇନ୍ତାୟେ ଇନ୍ଦ୍ରପ୍ରଶସ୍ତ ସ୍ଥାନେ ।୯୫।
ପୁଅନ୍ତ ଘେନିଣ ଦେବୀ କୋନ୍ତଭୋଜର କୁମାରୀ
ଭୀମକଇଂ ରାଇ ସନ୍ନିଧ୍ୟେ ତିଆରି ।୯୬।
ୟେଡ଼େ ଦୁଷ୍ଟ ବୁଦ୍ଧି କି ଆଚରଣ କଲୁ ବାବୁ
ତୋହୋରେଣ କାର୍ଯ୍ୟ ନାଶ ଯାଉଅଛିଟି ସବୁ ।୯୭।
ଅନେକ ଦୟା ଆମ୍ଭଙ୍କୁ କରିଥିଲେ କୁରୁପତି
ୟେକା ତୋହୋର ପ୍ରମାଦେ ବାବୁ ଉପୁଜିଲା ବିକୃତି ।୯୮।
ଭୀମସେନ ଶୁଣଇ କୋଇନ୍ତାଙ୍କ ବାଣୀ
ହୃଦରେ ନ ଧରଇ ତାହା ବଧୀର ମତ ଜାଣି ।୯୯।
ରଜନୀ ପ୍ରଭାତେ ସ୍ନାହାନ ସାରିଣ ନିତ୍ୟକର୍ମ
ଧୃତରାଷ୍ଟଙ୍କୁ ଦର୍ଶନ କରିଯାନ୍ତି ଦେବଧର୍ମ ।୧୦୦।
ମାତା ଗାନ୍ଧାରୀକି କରନ୍ତି ନମସ୍କାର
ଧୃତରାଷ୍ଟ ବୋଇଲେ ବାବୁ ବସ ଯା ସଭାର ।୧୦୧।
ସଭାରେ ପ୍ରବେଶ ହ୍ୱନ୍ତି ପାଞ୍ଚଭାଇ
ଆସ୍ତାନେ ଦ୍ରିଯୋଧନ ବିଜୟେ ଗୁଣଗ୍ରାହୀ ।୧୦୨।
ଶତେକ ଭ୍ରାଥ ଘେନିଣ ବିଜୟେ କରୁବୀର
ଭୀଷ୍ମ ଭୂରିସର୍ବା ଶଲ୍ୟ କୃପ କର୍ଣ୍ଣ ବିଦୁର ।୧୦୩।
ଅଶସ୍ତମା ଆଦିକରି ସମସ୍ତେ ହେଂ ଛନ୍ତିବସି
ଯୁଝେଷ୍ଠି ପାଞ୍ଚଭାଇ ସଭାରେ ଉଭା ହୋଇଛନ୍ତି ଆସି ।୧୦୪।
ଭୀଷ୍ମ ଭୂରିସର୍ବା ଶଲ୍ୟଙ୍କୁ କଲେ ନମସ୍କାର
କାଖେ ହାଥ ଲାଇ ଉଭା ହୋଇଲେ ମଧ୍ୟ ସଭାର ।୧୦୫
ଦ୍ରିଯୋଧନ ବୋଇଲା ଯୁଝେଷ୍ଠିଙ୍କି ଧର୍ମପୁତ୍ର ବସ
ଭୀମସେନକୁବୋଇଲା ବସରେ ପବନର ଶିଷ ।୧୦୬।
ଅର୍ଜୁନକୁ ବୋଇଲା ବସରେ ବାସବି
ନକୁଳକୁ ବୋଇଲା ବସ ରେ ଅଶ୍ୱିନୀ ସମ୍ଭବି ।୧୦୭।
ସହଦେବକୁ ବୋଇଲା କୁମାର ପୁତ୍ର ବସ
ହୃଦେ କିନ୍ତୁ କରି ବୋଇଲା ଝିଂଘାସ ।୧୦୮।
ଆଗ୍ୟାଂ ପ୍ରମାଣେ ବସନ୍ତି ପଞ୍ଚୁବୀରେ
ଆସ୍ତାନ ମଉଲିଲା ପହଡ଼କ ଉତ୍ତାରେ ।୧୦୯।
ଚଳନ୍ତି ପଞ୍ଚୁ ଭାଇ ଇନ୍ଦ୍ରପ୍ରଶସ୍ତ ଭୁବନକୁ
ଭୀମସେନ ଯାଇ ପଚାରଇ କୋଇନ୍ତାଙ୍କୁ ।୧୧୦।
ମା ଗୋ ଦ୍ରିଯୋଧନ ସଭାୟେ କହଇ ଅନୀତି
ପାଞ୍ଚଙ୍କର ପିତା କହଇ ଆନ ଆନ ପ୍ରତି ।୧୧୧।
କୋଇନ୍ତା ପ୍ରତିବାଚ ବାବୁ ନ ଜାଣୁ ରେ ଭୀମ
ପିତାର ନାମ ଉଦିତ ହୋଇଲେ ପୁତ୍ରକୁ ଅନେକ ଧର୍ମ ।୧୧୨।
ଗ୍ୟାନ ପ୍ରାୟେ କହିଲେ କୋନ୍ତଭୋଜର ନନ୍ଦିନୀ
ମାତାଙ୍କର ବଚନେ ଭୀମସେନ ହୋଇଲେକ ତୂନି ।୧୧୩।
ପୁଣି ହିଂ ହସ୍ତିନାକୁ କରନ୍ତି ଗବନ
ଧୃତରାଷ୍ଟ ଗାନ୍ଧାରୀଙ୍କି କରନ୍ତି ଦରଶନ ।୧୧୪।
ଶୁଭକଲ୍ୟାଣ ବାଞ୍ଛନ୍ତି ଧୃତରାଷ୍ଟ ପୁତ୍ରେ ଅବଧାରି
ସଭାୟେ ବସ ବୋଲି ବୋଲନ୍ତି ଦୟାଭାବ କରି ।୧୧୫।
ପିତାର ଆଗ୍ୟାଂ ଯେ ପୁତ୍ରେ ଅଟଇ ଅଲଘିଂତ
ସଭାରେ ପ୍ରବେଶ ଯାଇ ହୋଇଲେ ପଞ୍ଚୁଭ୍ରାଥ ।୧୧୬।
ଭୀଷ୍ମ ଭୂରିସର୍ବା ଶଲ୍ୟଙ୍କୁ ନମସ୍କାର ହୋଇ
ଆସ୍ତାନେ ଉଭା ହୋଇଲେ ଦେବ କରସ୍ଥଳେ ବିନୋୟି ।୧୧୭।
ଆହୋ ଧର୍ମସୁତ ବସ ବୋଲି ବୋଇଲା ଦ୍ରିଯୋଧନ
ପବନର ନନ୍ଦନ ବସ ହୋ ଭୀମସେନ ।୧୧୮।
ଅର୍ଜୁନକୁ ବୋଇଲା ରେ ବାସବର ପୁତ୍ର ବସ
ନକୁଳ ସହଦେବକୁ ବୋଇଲା ବସ ହୋ ଅଶ୍ୱିନୀକୁମାରଙ୍କ ଶିଷ ।୧୧୯।
ଦ୍ରିଯୋଧନ ଆଗ୍ୟାଂରେ ବସନ୍ତି ପଞ୍ଚୁବୀରେ
ଅଭିମାନ ପା ଇସେ ବସନ୍ତି ସଭାରେ ।୧୨୦।
ବେଳ ପ୍ରହରକ ଉତ୍ତାରେ ମଉଳିଲା ଆସ୍ତାନ
ଦ୍ରିଯୋଧନ ପ୍ରବେଶ ହୋଅଇ ଆପଣା ଭୁବନ ।୧୨୧।
ଯୁଝେଷ୍ଠି ଚଳନ୍ତି ଇନ୍ଦ୍ରପ୍ରଶସ୍ତକୁ
ସ୍ରାହାନ ଭୋଜନ କରନ୍ତି, ନିତ୍ୟକର୍ମମାନଙ୍କୁ ।୧୨୨।
ୟେହି ମତି ନିତି ପ୍ରତି ହୋଅନ୍ତି ଆତଯାତ
ପ୍ରତିଦିନ ଦ୍ରିଯୋଧନ ବୋଲଇ ୟେହି ମତ ।୧୨୩।
ଯୁଝେଷ୍ଠି ଅଜାତଶତ୍ରୁ ତାହାଙ୍କର ନାହିଂ କୋପ
ମହାରାଗେ ଭୀମସେନ ପାଇଲା ପରିତାପ ।୧୨୪।
କୋଇନ୍ତାଙ୍କର ଚରଣ ତଳେ ବ୍ରିକୋଦର ପଡ଼ି କହେ
କୂଟବଚନ ସହି ନୁଆରଇ ଗୋ ମାୟେ ।୧୨୫।
କୋଇନ୍ତାୟେ ବୋଇଲେ ତୁ ଅଟୁ ବଡ଼ ମନ୍ଦ
ଅନୁବ୍ରତେ ଚିନ୍ତା କିମ୍ପା କରୁଥାଉ ଦ୍ୱନ୍ଦ ।୧୨୬।
ପିତାର ପୁଣ୍ୟେ ସିନା ବ୍ରତଇ ନା ବାଳ
ପିତାର ବଚନେ ପୁତ୍ରକୁ ଆଷ୍ୟ ଚିରକାଳ ।୧୨୭।
କୋଇନ୍ତାଙ୍କର ମୁଖ ଚାହିଂ ରାଗେଣ ବୋଲଇ ଭୀମ
ପାଞ୍ଚ ଭାଇଙ୍କର ଧରଇ ପାଞ୍ଚ ପିତାଙ୍କର ନାମ ।୧୨୮।
କୋଇନ୍ତାୟେ ବୋଇଲେ ତୁ ନ ଜାଣୁ ରେ ମନ୍ଦବାଇ
ପଞ୍ଚୁ ଦେବତାଙ୍କର ୟେକ ଆତ୍ମା ଅଟନ୍ତି ସେହି ।୧୨୯।
ଭୀମସେନ ବୋଇଲା ଆମ୍ଭନ୍ତ ଜନ୍ମ କଲୁ କେମନ୍ତେ
ପଣ୍ଡୁର ନାମ ନ ପଡ଼ଇ ସଭାର ଅଗ୍ରତେ ।୧୩୦।
କୋଇନ୍ତାୟେ ବୋଇଲେ ପଣ୍ଡୁ ଅଟନ୍ତି ମନୁଷ୍ୟ
ଦେବ କଳାହିଂ ସେ ସବୁ ଶରୀରେ ପ୍ରବେଶ ।୧୩୧।
ବାବୁ ଭଲ କଥା ସେ କହଇ ଦ୍ରିଯୋଧନ
ତହିଂ କି ବିକୃତି ବାବୁ ନ ଧରିବୁ ଭୀମସେନ ।୧୩୨।
ସମାର୍ଜନ କରି କୋଇନ୍ତାୟେ କଲେ ଶାନ୍ତି
ହସ୍ତିନା ଭୁବନକୁ ପୁଣି ଯାଆନ୍ତି ନିତି ପ୍ରତି ।୧୩୩।
ଧୃତରାଷ୍ଟ ଗାନ୍ଧାରୀଙ୍କି ପୁଣ ନମସ୍କାର କରି
ଆସ୍ତାନେ ବସ ବୋଲି ଆଗ୍ୟାଂ ଅବଧାରୀ ।୧୩୪।
ପ୍ରବେଶ ଯୁଝେଷ୍ଠି ଯେ ହୋଇଲେ ଆସ୍ତାନେ
ପାଞ୍ଚକଇ ପଞ୍ଚୁ ପିତା ନାମ ଧରଇ ଦ୍ରିଯୋଧନେ ।୧୩୫।
ଯୁଝେଷ୍ଠି ଅର୍ଜୁନ ଯେ ନକୁଳ ସହଦେବ
ୟେହାଙ୍କର ମନେ କାହିଂ ବିକୃତ ସଭାବ ।୧୩୬।
ଭୀମସେନ ବିସରି ପାଇଲା ବଡ଼ ଲଜ୍ଜ୍ୟା
ବିଚାରଇ ୟେ କଥା ନ ସହିବା ଶରୀର କରିବାକୁ ତେଜ୍ୟା ।୧୩୭।
ଭାଦ୍ରବ ଶୁକଳ ଷଷ୍ଠୀ ସଉରି ଯେ ବାର
ସ୍ୱାତୀ ନକ୍ଷତ୍ର ଯେ ଭୋଗ ସେ ଦିନର ।୧୩୮।
ବିଷ୍ଟି ନାମେ କରଣ ଯେ ବିଷ୍କୁମ୍ଭ ନାମେ ଯୋଗ
ସିଂଘ ସଂକ୍ରାନ୍ତିର ଯେ ଦଶ ଦିନ ଭୋଗ ।୧୩୯।
ସେଦିନ ହସ୍ତିନା ସଭାୟେ ହୋଇଲା ସେହୁ କଥା
ଉପହାସ୍ୟ କଲେ କୁରୁବୀରେ ୟେହା ସେ କଲା କୋଇନ୍ତା ।୧୪୦।
ମାତାର ଅନାଚାରେ ପୁତ୍ରଙ୍କୁ କଳଙ୍କ ରହିଲା
ୟେତେ ବଡ଼ ସଭାରେ ଅନେକ ଉପହାସ୍ୟ ଉପୁଜିଲା ।୧୪୧।
ବଂଶେଣ ପୁତ୍ର ଯେବେ ନୋହିବାକ ଜାତ
ଅନାଚାରୀ ନୋହୁ ନା ସେ ଗର୍ଭଧାରୀ ମାତ ।୧୪୨।
ତହୁଂଣ ଯୁଝେଷ୍ଠି ଅଇଲେ ଲଜ୍ଜା ପାଇ
ଇନ୍ଦ୍ରପ୍ରଶସ୍ତ ଭୁବନେ ପ୍ରବେଶ ହୋଇଲେକ ଯାଇ ।୧୪୩।
ଭୀମସେନ ଉତ୍ତର ସମସ୍ୟା କାହାକୁ ହିଂ ନ ଦିଲା
ନିଜ ମନ୍ଦିରେ କପାଟ ପାଡ଼ିଣ ଶୁତିଲା ।୧୪୪।
ସ୍ନାହାନ ଭୋଜନ ସେ ନ କଲାକ କିଛି
କଟୁ ବଚନ ଶୁଣି ସେ ମୃତ୍ୟୁକୁ ଲୟେ କରିଅଛି ।୧୪୫।
ମୁଣୋହିର ବେଳ ଯହୁଂ ହୋଇଲା ଯୁଗତେ
ଭୀମସେନକୁ ଯାଇ ଲୋଡ଼ନ୍ତି ଦେବୀ କୋନ୍ତେ ।୧୪୬।
ବାବୁ ସୂର୍ଯ୍ୟଅସ୍ତ ବେଳ ହୋଇଲା ଉଠ ଉଠ ବ୍ରିକୋଦର
ସ୍ନାହାନ ସାରି ବାବୁ ମୁଣୋହିକି ବିଜେ କର ।୧୪୭।
ଭୀମସେନ କବାଟ ପାଡି ଶୋଇଛି ବଜ୍ର ସେ କିଳଣୀ
କୋଇନ୍ତାଙ୍କର ବଚନ ସେ ଶ୍ରବଣେ ନ ଶୁଣି ।୧୪୮।
ଆରେ ଆରେ ଭୀମା ବୋଲି ମାୟେ ଡାକ ଦେଇ ଫୁଟି
ଶବ୍ଦ ଘୋର ଶୁଣି ବିଜେ କଲେକ ଯୁଝେଷ୍ଠି ।୧୪୯।
________________________________________
୧୪୬।୨-ଭୀମସେନକୁ ଯାଇଂ ତୋଳନ୍ତି ଦେବୀ କୋନ୍ତେ ।
-------------------------------------------------------------
ଯୁଝେଷ୍ଠି ଡାକ ଦିଅନ୍ତି ବାବୁ ଉଠ କି ନା ଭୀମସେନ
କାହାକଇଂ ବାବୁ ମନେ ତୋହୋର ୟେଡ଼େକ ଯେ ତମ ।୧୫୦।
ବାବୁ କିଂକେ ଶରୀରକୁ କରୁଅଛି ଏଡ଼େ ପ୍ରାସ
ବେଳେବେଳେ ଭୁଞ୍ଜୁଥାଉ ନୋହୁରେ ତୁ ତୋଷ ।୧୫୧।
ଷାଠିୟେ ପଉଟି ଅନ୍ନେ ବେଳେକେ ହୋଉ ଅତ୍ରିପୁତ୍ର
ଭୋଜନେ ସାନନ୍ଦ ତୋହୋର ଦେଖି ଉଚ୍ଛର୍ଗ ମନ ଧୀରତି ।୧୫୨।
ସୂର୍ଯ୍ୟବେଳେ ବାବୁରେ ଯଦି କରିବୁ ଭୋଜନ
ତେବେ ସେ ତୋହୋର ଗର୍ଭେ ପଂକୁ ହୋଇବାକ ଅନ୍ନ ।୧୫୩।
ସୋମର ବେଳେ ବାବୁ ମୁଣୋହି ସେ କଲେ
ଅଗ୍ନି ମନ୍ଦ ହୁଅଇରେ ଆହାର ଭୁଞ୍ଜିଲେ ।୧୫୪।
କାହାର ହିଂ ବଚନ ସେ ନ ଶୁଣଇ ମାରୁତି
ବେଳ ଅସତ ଗଲା ହୋଇଲା ନିଶାରାତି ।୧୫୫।
ଯୁଝେଷ୍ଠି ବିସରିଲେ ଅର୍ଜ୍ଜୁନ ମୁଖଚାହିଂ
ଭୀମର ଅଭାବେ ଯେ କାହାରିହିଂ ମୁଣୋହିତ ନାହିଂ ।୧୫୬।
ଅର୍ଜ୍ଜୁନ ବିସରି ସୁମରଇ ଜଗନ୍ନାଥ
ବଇନେତ ବାହାନେ ଆସି ବିଜୟେ ଅଚ୍ୟୁତ ।୧୫୭।
ଖଗେଶ୍ୱର ପିଠିରୁ ଉତ୍ତୁରିଣ ଦେବ ଦାମୋଦର
ଯୁଝେଷ୍ଠି ଦେବଙ୍କୁ ଦେବ କଲେକ ନମସ୍କାର ।୧୫୮।
ଯୁଝେଷ୍ଠି ଦେବ ମଥାରେ ଦିଲେ ବେନି ପାଣି
ବୋଇଲେ ଭୀମର ଚରିତ୍ର ଦେବ ବୁଝନି ପରିମାଣି ।୧୫୯।
କବାଟ କିଳିଣ ହାଦେ ଶୁତିଲା ଅଦଭୁତେ
ଅନାସ୍ତ ହୋଇଲୁଂ ଆମ୍ଭେ ଉପୁଜିଲୁଂ ପଞ୍ଚୁ ଭ୍ରାଥେ ।୧୬୦।
ବାଳୁତ କାଳହୁଂ ଆମ୍ଭର ଅଟଇ ମନ୍ଦକର୍ମ
ଅଭୋଗ ଲିଙ୍ଗ ହୋଇ ରହିଲୁ ଆମ୍ଭେ ଜନ୍ମ ।୧୬୧।
ପିତା ପଣ୍ଡୁଙ୍କୁ ଆମ୍ଭେ ଦେଖି ନ ପାରିଲୁ ଭଲକରି
ଧୃତରାଷ୍ଟ ଚିତ୍ତରେ ଅନ୍ତର ଧଇଲେ ନ ବିଚାରି ।୧୬୨।
ହସ୍ତିନା ପୁରୁଂ ବାହାର କରି ଦିଲେକ ଆମ୍ଭନ୍ତ
ମହା ଗହନ ବନେ ପଶିଲୁ ଇନ୍ଦ୍ର ଯେ ପ୍ରଶସ୍ତ ।୧୬୩।
ୟେତେକ କଷ୍ଟକୁ ହାଦେ ୟେହାର ପୁଣ ୟେଡ଼େକ କଥା
କବାଟ କିଳି ଶୁତିଲା ପାଇଲୁଂ ବଡ଼ ବ୍ୟଥା ।୧୬୪।
ଗୋବିନ୍ଦେ ବୋଇଲେ ଉଠ ଉଠ ହୋ ମାରୁତି
ଆମ୍ଭର ଛାମୁରେ କହ କେବଣ ତୋର ଗତି ।୧୬୫।
ଭୀମସେନ ବୋଇଲା ଶୁଣ ହୋ ବାସୁଦେବ
ହସ୍ତିନା ସଭାୟେ ମୁଂ ପାଇଲି ଅନେକ ଅଭାବ ।୧୬୬।
ଆସ୍ତାନେ ଦ୍ରିଯୋଧନ ବୋଲଇ ଆମ୍ଭର ପଞ୍ଚୁ ପିତା
ଉପହାସ କରି ବୋଇଲା ଧିକ ଧିକ ତୋହୋର ମାତା କୋନ୍ତା ।୧୬୭।
ଆହୋ ୟେ ବଚନମାନ କାହାର ବେଳେ ସହୁ
ପ୍ରାଣ ବିସର୍ଜିବି ଶରୀର ପଛେ ମୋର ଯାଉ ।୧୬୮।
କୂଟ ବଚନ ବ୍ରହ୍ମହତ୍ୟା ଦୋଷ ସଙ୍ଗେ ସରି
ଅନଗୃହ ନାଥ ଦୟା ମୋତେ କରିଥାଅ ଶ୍ରୀହରି ।୧୬୯।
ଧୃତରାଷ୍ଟ ଯୁଝେଷ୍ଠିଙ୍କି ହୋଇଲେ କାଶୀ ଦେବତା
ତାହାଙ୍କ ଦ୍ରଶନ କଲେ ମୁଣୋହି କରଇ ନିତ୍ୟା ।୧୭୦।
ସେ ଅନ୍ଧ ଆଗ୍ୟାଂ ପୁଣି ଦିଅଇ ଆମ୍ଭଙ୍କୁ
ଯତନେ ପଠିଆଇଂ ସଭାରେ ଆମ୍ଭଙ୍କୁ ଝିଂଘାସ କରିବାକୁ ।୧୭୧।
ୟେ ଚାଣ୍ଡାଳ ପୁଣ ତାହା ସଂଘରଇ କେମନ୍ତେ
କିଞ୍ଚିତେ ହେଂ ଆଗ୍ୟାଂ ମୋତେ ନ ଦିଅଇ କଦାଶ୍ଚିତେ ।୧୭୨।
ମାର ବୋଲି ବୋଇଲେ ମୁଂ ଲୋଟାଇ ଆସିବି ସେ ସବୁନ୍ତି
ଭୀଷ୍ମ ଭୂରିସର୍ବା ଶଲ୍ୟ ଆଦି ସକଳ ମହାରଥୀ ।୧୭୩।
ଛତ୍ରୀକୁଳେ ଜାତ ହୋଇ ୟେ ଅଟଇ ମହାପାପୀ
ଅନୁବ୍ରତେଣ ଅଣ କୋପିତ ୟେ ଅଟଇ ଅଦ୍ୟାପି ।୧୭୪।
ଭୀମସେନର ବଚନ ଶୁଣି ବୋଲନ୍ତି ଅଚ୍ୟୁତ
କବାଟ ଫେଡ଼ ମାରୁତି ମୁଂ କହଇ ୟେଥିର ଅର୍ଥ ।୧୭୫।
ଉଠିଣ ବ୍ରିକୋଦର ଫେଡ଼ିଲା କବାଟ
ଭୀମସେନ ବାସୁଦେବ ୟେକାନ୍ତେ ହେଲେ ଭେଟ ।୧୭୬।
ନାରାୟଣ ବୋଇଲେ ସେ ତୋତେ ଝିଂଘାସ କହିଲେ
ତୁ ୟେବେ କୂଟବଚନ ନୁଆରିବୁ କି ଦର୍ପଥିଲେ ।୧୭୭।
ବୋଲଇ ମାରୁତି ମୁଂ ନଜାଣଇ ନାଥ ତାହା
କେଉଣ କଥାଟି କହିବା କାଳନ୍ଦୀର ପ୍ରାଣ ନାହା ।୧୭୮।
ଗୋବିନ୍ଦ ପ୍ରତିବାଚ ତୁ ଧରିଥାଅ ହୃଦଗତେ
ପବନପୁତ୍ର ବୋଲି ତୋତେ ବୋଲିବ ଯୁଗତେ ।୧୭୯।
ଭୀମସେନ ବୋଇଲା ମୁଂ ନ ଜାଣଇ କିଛି
କେଉଣ କଳଙ୍କ ଖଣ୍ଡି ମୋତେ କହିବା ଶ୍ରୀବତ୍ସି ।୧୮୦।
ଗୋବିନ୍ଦେ ବୋଇଲେ ଭୀମସେନର ଅଗ୍ରତେ
ବସ ହେ ପବନସୁତ ବୋଲି ବୋଲିବ ସେ ତୋତେ ।୧୮୧।
ତାହାର ବଚନ ତୁ ସଭାରେ ନ ସହିବୁ
ଆହୋ ଗୋଲକ ପୁତ୍ର ମୁଂ ବସୁଅଛିନି ବୋଲିବୁ ।୧୮୨।
ୟେସନେକ ବଚନ ଯଦି ଶୁଣିମ ଧୃତରାଷ୍ଟି
ସଭାରେ ଲଜ୍ଜା ସିନା ସେ ପାଇବ ଲେଉଟି ।୧୮୩।
ଦୁର୍ଯ୍ୟୋଧନର ଅପମାନ ଓ ପାଷାଣ ଗୃହ ନିର୍ମାଣ
ୟେସନେକ ବୁଦ୍ଧି ଯହୁଂ କହିଲେ ଅଚ୍ୟୁତ
ଅନୁକ୍ଷଣେ ଭୀମସେନ ଘୋଷି ବୋଲଇ ଗୋଲକ ପୁତ୍ର, ଗୋଲକ ପୁତ୍ର ।୧।
କହିଂଣ ନାରାୟଣ ଗଲେ ଅନ୍ତର୍ଧାନେ
ଗୋଲକ ପୁତ୍ର, ଗୋଲକ ପୁତ୍ର ବୋଲଇ ସ୍ନାହାନ ଭୋଜନେ ।୨।
ଅନ୍ନଗୁଡ଼ାୟେ ଭୁଞ୍ଜଇ ମହାରୋଷେ
ଗୋଲକ ପୁତ୍ର, ଗୋଲକ ପୁତ୍ର ବୋଇଲ ହରଷେ ।୩।
ଆଞ୍ଚୋବନ ସାରି ଶୟନ ଥାନେ ବିଜେ
ଗୋଲକ ପୁତ୍ର, ଗୋଲକପୁତ୍ର ବୋଲି ମନେ ମନେ ହେଜେ ।୪।
ରାତ୍ର ଯହୁଂ ହୋଇଲା ତିନି ପହର ଯେ ଆସି
ପାହାନ୍ତିକି ନିଦ୍ରା ଘାରିଲା ପବନର ଶିଷି ।୫।
ତତକ୍ଷଣେ ପାଶୋରିଲା ପାଣ୍ଡବ ସୁନ୍ଦର
ଉଠି ତ ଉକତି ଦରାଣ୍ଡଇ ଶୟନ ମନ୍ଦିର ।୬।
ହା ହା ପଦ ଗୋଟି ଗଲା ମୋର କେଉଣ କତି
ଲୋଡ଼ନ୍ତେ ସହଦେବଙ୍କୁ ହାବୋଡିଲା ଯାଇଂ ଝାତି ।୭।
ୟେ କେ ଟି ବୋଲି ଯେ ଉଠି ବସିଲା ସହଦେବ
ଭୀମସେନ ବୋଲଇ କେଉଣ ନାମ ଗୋଟି କହିଲେ ବାସୁଦେବ ।୮।
ସହଦେବ ବୋଇଲେ ସେ ଗୋଲକ ପୁତ୍ର ବୋଲି
ନିସ୍ତରିଲି ନିସ୍ତରିଲି ବାବୁରେ ହରାଇଲାର ପାଇଲି ।୯।
ଗୋଲକ ପୁତ୍ର ଗୋଲକ ପୁତ୍ର ବୋଲୁଅଛି ମନେ ମନେ
ରୟଣୀ ପାହିଲା ଉଠିଲା ଭୀମସେନେ ।୧୦।
ବହନ ସ୍ନାହାନ ସାରିଲା ହରଷେ
ଗୋଲକପୁତ୍ର, ଗୋଲକ ପୁତ୍ର ହୃଦ ମଧ୍ୟେ ଘୋଷେ ।୧୧।
ମହା ହରଷ ହୋଇ ବୋଲଇ ଯେଝେଷ୍ଠିଙ୍କି
ଚାଲ ସ୍ୱାମୀ ! ଦେଖିଯିବା ଧୃତରାଷ୍ଟ ତହିଂକି ।୧୨।
ସେ ଯେବେ ଆମ୍ଭନ୍ତ ହୋଇଲେ ବିଶ୍ୱନାଥ ଦେବତା
ଦେବ ପିତୃ ଛାଡ଼ି ଯେବେ ହୋଇଲାଇ ଧୃତରାଷ୍ଟରେ ଭଗତା ।୧୩।
ଯୁଝେଷ୍ଠି ଗମିତା କରନ୍ତି ହସ୍ତିନା ଭୁବନକୁ
ଗୋଲକ ପୁତ୍ର, ଗୋଲକ ପୁତ୍ର ବୋଲି ବାଟ କଢାଇ ଯୁଝେଷ୍ଠିଦେବଙ୍କୁ ।୧୪।
ବୋଲନ୍ତି ଯୁଝେଷ୍ଠି ଆରେ କି କି ବୋଲୁ ମନ୍ଦ
ନ ପୁଣ ଭାଇଙ୍କର ତୁଲେ ମୋର ଲଗାଉ କଳି ଦ୍ୱନ୍ଦ ।୧୫।
ଆଗେଣ ଯୁଝେଷ୍ଠି ପଛେଣ କିରଟୀ
ତାହାଙ୍କର ପଛେ ନକୁଳ ସହଦେବ ବେନି ଗୋଟି ।୧୬।
ପ୍ରତିଦିନ ଯାଆନ୍ତି ଯେ ଧୃତରାଷ୍ଟଙ୍କୁ ଦେଖିବାକୁ
ସବୁରି ପଛେ ଚାଲଇ ଭୀମସେନ କାହାକୁ ହିଂ ସମାଦ ନ ଦେବାକୁ ।୧୭।
ସେ ଦିନ ଆଗ ହୋଇ ଭୀମସେନ ଚାଲଇ ବେଗି ବେଗି
ଯୁଝେଷ୍ଠି ଦେବଙ୍କୁ କୋଶ ଦୁଇ ଛାଡ଼ି ଚାଲଇ ଗୁରୁତ୍ୟାଗୀ ।୧୮।
ଲେଉଟି କରି ଚାହଂଇ ସେଭୀମସେନ
ଦେଖିଲା ପଛେ ଅଛନ୍ତି ଯୁଝେଷ୍ଠି ରାଜନ ।୧୯।
ଭୀମକଇଂ ଦେଖିଲେ ଯେ ଧର୍ମର କୁମରେ
ବୋଇଲେ ଆଜ ତୁ ତ ଗଲୁ ବେଗ ବେଗରେ ।୨୦।
ଭୀମସେନ ବୋଇଲେ ମୁଂ ଆଗ ନୋହିବି
ତୁମ୍ଭେ ଯେବେ କୋପକର ମୁଂ ପଛେ ପଛେ ଯିବି ।୨୧।
ସବୁରି ପଛରେ ଥାଇ ଚାଲଇ ମାରୁତି
ଗୋଲକ ପୁତ୍ର, ଗୋଲକ ପୁତ୍ର ବୋଲଇ ରୋଷମତି ।୨୨।
ଧୃତରାଷ୍ଟ ଭୁବନେ ହୋଇଲେ ପରବେଶ
ନମସ୍କାର କଲେ ଯାଇଂ ଅନ୍ଧରାଜାର ପାଶ ।୨୩।
ଆସନରେ ବସ ବୋଲି ବୋଇଲେ ଧୃତରାଷ୍ଟି
ଦ୍ରିଯୋଧନ ପାଶେ ଯାଇ ବିଜୟେ ଯୁଝେଷ୍ଠି ।୨୪।
ଧର୍ମସୁତ ବସ ବୋଲି ବୋଇଲେ କୁରୁବୀର
ଅଣକୋପୀନାଥ ଯାଇ ବସିଲେ ସଭାର ।୨୫।
ଅଜ୍ଜୁନକୁ ବୋଇଲେ ହୋ ବସ ଇନ୍ଦ୍ରସୁତ
ଆଗ୍ୟାଂ ପ୍ରମାଣେ ଯାଇଂ ବସିଲା ବୀର ପାଥ ।୨୬।
ନକୁଳ ସହଦେବଙ୍କୁ ଯେ ବୋଇଲେ ଆଗ୍ୟାଂ ଅବଧାରୀ
ଅଶ୍ୱିନୀକୁମାର ସୁତେ ବସ ବୋଲି ବୋଇଲେ ଦଣ୍ଡଧାରୀ ।୨୭।
ନକୁଳ ସହଦେବ ବସିଲେ ସଭାୟେ
ପଛେ ପରବେଶ ହେଲା ଯାଇଂ ପବନ ତନୟେ ।୨୮।
ଦ୍ରିଯୋଧନ ବୋଇଲା ପବନ ପୁତ୍ର ବସ
ଆହୋ ଗୋଲକ ପୁତ୍ର ମୁଂ ବସୁଛି ବୋଲି ବୋଇଲା ହରଷ ।୨୯।
ଭୂରିସର୍ବା ଭୀଷ୍ମେ ହସିଲେ କରତାଳି ଦେଇ
ୟେହେନେକ ମରମ ଖଣ୍ଡି ତୁ ଭିଆଇଲୁ କାହିଂ ।୩୦।
ୟେସନେକ କଥା ଶୁଣିଣ କୁରୁପତି
ବିସରିଲା ଆତ୍ମା ଚାହଂଇ ଚଉକତି ।୩୧।
ଅନେକ ବିସରି ଲଜ୍ଜା ପାଇଲା ମାନ ଯେ ଗୋବିନ୍ଦ
ମଥା ପୋତି ମହାବୀର କପାଳେ ଦିଲା କର ଧିନ୍ଦ ।୩୨।
ତକ୍ଷଣେ ଆସ୍ତାନୁଂ ଡେଇଂ ପଡ଼ିଲା କୁରୁପତି
ଅଭିମାନ ପାଇଗଲା ମାନ ଚକ୍ରବ୍ରତୀ ।୩୩।
ଭିତର ଆହୁଟ ଭୁବନେ ପ୍ରବେଶ ହୋଇଲା
କପାଟ ପାଡ଼ି ରାଜା ବିସରି ଶୁତିଲା ।୩୪।
ମୁଣୋହିର ବେଳେ ଜଣାଇଲେ ସୂପକାରେ
ଲୋଡ଼ନ୍ତି ମାନଗୋବିନ୍ଦଙ୍କୁ ଉଭାରି ସର୍ବଦ୍ୱାରେ ।୩୫।
ସଞ୍ଜୟେ ବିଦୁରେ ଆଦି କରି ସମସ୍ତେହେଂ ପରବେଶ
ଭୀଷ୍ମ ଭୂରିସର୍ବାୟେ ମିଳିଲେ ଯାଇ ପାଶ ।୩୬।
କବାଟ ଫେଡ ବାବୁ ମାନ ଚକ୍ରବ୍ରତୀ
କି ନିମନ୍ତେ ବିକୃତ ବଢାଇଲୁ ୟେ ତୋହୋର ମତି ।୩୭।
ସୂର୍ଯ୍ୟ ବେଳେ ମୁଣୋହି କରିବା ବାବୁ ଉଠ
କଠୋର ଦେଖିଣ ବିଜେ କଲେ ଧୃତରାଷ୍ଟ ।୩୮।
ଡାକନ୍ତି ପିତା ବାବୁ ଉଠରେ କୁରୁପତି
ତୁ ମାନେ ମାନଗୋବିନ୍ଦ ଉଠ ଚକ୍ରବ୍ରତୀ ।୩୯।
କି ନିମନ୍ତେ କପାଟ କିଳି ଶୁତୁଲିରେ ବାବୁ
ତୁ ସେ ପଞ୍ଚୁକଟକେ ପାଳନ୍ତା ଅଟୁ ସବୁ ।୪୦।
କର୍ଣ୍ଣ ମହାବୀର ଯେ ଦ୍ୱାରେ ଦେଇ ଡାକ
କେବଣ ନିମନ୍ତେ ମଇତ୍ର ତୁମ୍ଭର ୟେଡ଼େ ତାପ ।୪୧।
କାହାକଇଂ ରାଜା ନ ଦିଲା ସମ୍ଭାଷି
ଆପଣେ ଗାନ୍ଧାରୀ ଯେ ବିଜେ କଲେ ଆସି ।୪୨।
ଗାନ୍ଧାରୀ ଡାକ ଦିଅନ୍ତି ଉଠସିରେ ବାଳ
ତୁ ସେ ପଞ୍ଚୁକଟକେ ଅଟୁ ମହୀପାଳ ।୪୩।
ତୁହି ସେ ଭିଗ୍ୟଂବନ୍ତ ବାଇ ହୋଉ କାହିଂ
ସମସ୍ତେ ମୂର୍ଖ ୟେକା ତୁହି ସେ ବୁଝାଇ ।୪୪।
ବାବୁ ତୋହୋର ଅପଣ୍ଡିତ ପଣେ ପୃଥୀ ହୋଇଲା ଭାସି
ତୋହୋର ବିଚାରକୁ ଯେ ନ ଯୋଗାଇ ତାହା ପକା ନାଶି ।୪୫।
କୁବୁଦ୍ଧି କୁଶଯ୍ୟାୟେ ଲକ୍ଷ୍ମୀ ହୁଅଇ ହାନି
ଅଭୟେ ପୁରୁଷ ତୁ କାହାକଇଂ ୟେଡ଼େ ଅଭିମାନୀ ।୪୬।
ଅପଣ୍ଡିତ ଲୋକଙ୍କର ୟେସନେକ ଗତି
ଛତ୍ରିଙ୍କି ୟେମନ୍ତ କଥା ତ ନୋହଇ ଯୁଗତି ।୪୭।
ତୁହି ସେ ସଂସାରେଣ ଅଟୁଂ ଦଣ୍ଡଧାରୀ
ଅନେକ ବୁଝାଇଂ କହଇ ମାତା ଯେ ଗାନ୍ଧାରୀ ।୪୮।
ଦ୍ରିଯୋଧନ ବୋଇଲା ମାତା ଗୋ ତୋତେ କହଇ ବିଶ୍ୱାସ
ଭୀମା ସଭା ମଧ୍ୟେ ମୋତେ କହିଲା ଝିଂଘାସ ।୪୯।
ମନ ହିଂ ସେ ଜାଣଇ ଗୋ ହୃଦରେ ଯେତେ ପାପ
ମାତା ହିଂ ସେ ଜାଣଇଂ ପୁତ୍ରର ଯେତେ ବାପ ।୫୦।
ଗାନ୍ଧାରୀ ବୋଇଲେ ବାବୁ ତୁହି ସେ ମନ୍ଦ କଲୁ
ଆପଣାର ମନ୍ଦ ପକ୍ଷେ ସମସ୍ତ କାର୍ଯ୍ୟ ନାଶ କଲୁ ।୫୧।
ଯୁଝେଷ୍ଠି ତୋହୋର ଯୁଗତେ ଅଟଇ ଜ୍ୟେଷ୍ଠଭ୍ରାଥ
ତାହାକୁ ନିତ୍ୟେ ତୁ ବୋଲୁ ବସ ହୋ ଧର୍ମସୁତ ।୫୨।
ସେ କି ବିଦ୍ୟାମାନେ ନୋହନ୍ତି କି ତୋର ପଞ୍ଚୁଭାଇ
ଆପଣାର ଛିଦ୍ର କଥା ଆପଣେ ସେ ଲୁଚାଇ ।୫୩।
ପଣ୍ଡୁ ଧୃତରାଷ୍ଟ ଯେ ନୋହନ୍ତି ନା ଭିନ୍ନ
ତୋତେ ଲାଜ ନୋହଇ କି ଯୁଝେଷ୍ଠିଙ୍କ ଅଭିମାନ ।୫୪।
ସୋହୋଦ୍ରେ ଝିଂଘାସ ଯେ କଲୁ ତୁ ଯୁଗତେ
କାଳେଣ ପାପ ଆସି ଦୂଷାଇଲା ତୋତେ ।୫୫।
ଦ୍ରିଯୋଧନ ବୋଇଲା ମା ଗୋ ମୋହୋର ପିତା ଧୃତରାଷ୍ଟ
ଗାନ୍ଧାରସେନ ଦୁହିତୀ ତୁ ବଂଶେଣ ଗରିଷ୍ଠ ।୫୬।
ପିତା ଧୃତରାଷ୍ଟ ଗାନ୍ଧାରୀ ମୋର ମାତା
ଗୋଲକ ପୁତ୍ର ବୋଲି ଭୀମା ବୋଲଇ ଅମର୍ଜିତା ।୫୭।
ଭୀଷ୍ମ ଭୂରିସର୍ବାୟେ ହସିଲେ ତାହା ଶୁଣି
ଲାଜେ ଅପମାନ ପାଇଲି ଗୋସାମଣୀ ।୫୮।
ଗାନ୍ଧାରୀ ବୋଇଲେ ତୁ ପଣ୍ଡିତ ମୋର ପୁତ୍ର
ପାଣ୍ଡବଙ୍କୁ ଝିଂଘାସ କଲୁ ନିଯେ ବହୁତ ।୫୯।
ଆପଣାର ଶରୀରେ ପଡ଼ିଛି ଅଂସାଇ
ପରକୁ ହସୁ କିମ୍ପା ନାସିକାରେ ହସ୍ତ ଦେଇ ।୬୦।
ଦ୍ରିଯୋଧନ ବୋଇଲା ମା ଗୋ ୟେ ଅର୍ଥ କେମନ୍ତ
ଗୋଲକ ପୁତ୍ର କଥା ମୋତେ କହସି ଗୋ ମାତା ।୬୧।
ଗାନ୍ଧାରୀ ବୋଇଲେ ବାବୁ ତୁ ୟେବେ ମୁଣୋହି କର ଉଠି
ମୁଣୋହି ଉତ୍ତାରେ କହଇ ୟେଥିର ଅର୍ଥ ଗୋଟି ।୬୨।
ଦ୍ରିଯୋଧନ ବୋଇଲା ୟେମନ୍ତ କଳଙ୍କ ଅଛି ଯେବେ
କାହିଂକି ଗୁପତେ କରୁ କହୁକିନା ୟେବେ ।୬୩।
ତହିଂର ଅର୍ଥ ଗୋ ଶୁଣିଲେ ମହାମାୟୀ
ତେବେ ସେ ଉଠିଣ ମୁଂ କରିବି ମୁଣୋହି ।୬୪।
ଗାନ୍ଧାରୀ ବୋଇଲେ ବାବୁ ଶୁଣ ପୂର୍ବର କଥା
ଗାନ୍ଧାରସେନ ରାଜା ଅଟଇ ଯେ ମୋର ପିତା ।୬୫।
ଜ୍ୟେଷ୍ଠ ମାସ ଅମାବଇ କୃତ୍ତିକା ନକ୍ଷତ୍ରେ
ସେ ଦିନ ଉତପତ୍ତି ମୁଂ ହୋଇଲି ଯୁଗତେ ।୬୬।
ଜାତି ଉଆଂସୀ ଆବର ବ୍ରହ୍ମଅସୁରୀ
କେହି ମୋତେ ପ୍ରଦାନ ନୋହିଲେ ଡରି କରି ।୬୭।
ଦୂର ରାଜାମାନନ୍ତ ବାବୁରେ ପିତା ଯେ ବରିଲା
ମୋହୋର ନାମେ ବରିଲେ ବାଇଶି ରାଜା ମଲା ।୬୮।
ବ୍ୟାସଙ୍କୁ ହକାରି ଗାନ୍ଧାରସେନ ପୁଚ୍ଛଇ
ବ୍ୟାସେ ବୋଇଲେ ୟେହାକୁ ବିଭା କରିବା ଗୋଲକ ବୃକ୍ଷକଇ ।୬୯।
ପିତାଙ୍କର ମଧ୍ୟ ଅଗଣାୟେ ଗୋଲକ ବୃକ୍ଷ ଥିଲା
ବ୍ୟାସଙ୍କୁ ନେଇ ତାହା ଗାନ୍ଧାରସେନ ଦେଖାଇଲା ।୭୦।
ଆପଣେ ବ୍ୟାସେ କନ୍ୟା ବେଶ କରାଇଲେ ମୁକୁ
ବରବେଶ କରାଇଲେ ସେ ଗୋଲକ ବୃକ୍ଷକୁ ।୭୧।
ମୋତେ ପ୍ରଦାନ କରାଇଲେ ପାରେଶ୍ୱରଙ୍କ ସୁତ
ଗୋଲକ ବୃକ୍ଷର ଡାଳେ ବାନ୍ଧିଲେ ମୋହୋର ଡାହାଣ ହସ୍ତ ।୭୨।
କୁଶରେ ବନ୍ଧନ କଲେ ସତ୍ୟବତୀର ବାଳ
ଶଙ୍ଖେ ଗାନ୍ଧାରସେନ ଲାଇଂ ଦିଲା ଜଳ ତିଳ ।୭୩।
ମୋହୋର କର ତାହାର ତହିଂ ଲାଗିଲା ପ୍ରତ୍ୟକ୍ଷେ
ତତକ୍ଷଣେ ମଲା ସେ ଗୋଲକ ମହାବୃକ୍ଷେ ।୭୪।
ତୋହୋର ପିତା ବ୍ରହ୍ମଅସୁର ତାହାକୁ କନ୍ୟା କେ ଦିଅନ୍ତା ନାହିଂ
ଶତେଅଷ୍ଟଉତ୍ତର କନ୍ୟା ମଲାନି ତାହାର ବରଣ ଚାହିଂ ।୭୫।
ବ୍ୟାସେ ଥାଇ ୟେକା ଯେ ଆପଣେ ଭିଆଇଲେ
ଧୃତରାଷ୍ଟଙ୍କୁ ଆଣି ମୋତେ ଦିଆଇଲେ ।୭୬।
ୟେହେନେକ ବିଶ୍ୱାସ କଥା କେହି ନ ଜାଣନ୍ତି ଆନ
ବ୍ୟାସେ ବାସୁଦେବେ ହିଂ ଜାଣନ୍ତି ୟେସନେକ ବିଧାନ ।୭୭।
ଯାହା ଲୋଡ଼ିଲୁ ବାବୁ ତୁ ତାହାହିଂ ପାଇଲୁ
ପରକୁ ଛିଦ୍ର କହି ଆପଣା ଛିଦ୍ର ମରମ କଢାଇଲୁ ।୭୮।
ଭୀମା ଯାହା କହିଲା ସେ ଅଟଇ ନିଚୟେ
ଶୁଣିଣ ବିଷାଦ ହୋଇଲା ଗାନ୍ଧାରୀ ତନୟେ ।୭୯।
ୟେତେ ଅର୍ଥ କେମନ୍ତେ ଜାଣିଲାକ ଭୀମା
ନଜାଣି ହୁଡ଼ିଲି ମୁଂ ନାଶିଲି ଆପଣାର ସୀମା ।୮୦।
ନିତି ପ୍ରତି ଭୀମା ୟେ ଦିପଦ ବୋଲୁଥିବ ମୋତେ
ଆବର ସଭାୟେଣ ମୁଂ ବସିବି କେମନ୍ତେ ।୮୧।
ଗାନ୍ଧାରସେନ ପାମର କି ନା ୟେମନ୍ତ କୃତ୍ୟକଲା
ବିଧବା କନ୍ୟାକୁ କେମନ୍ତେ ମୋ ପିତାକଇଂ ଦିଲା ।୮୨।
ୟେହେନେକ ପାପ କ୍ଷଣେ ଯେବେ ହୋଇଲୁ ତୁ ଜାତ
ପିତା ଘରେ ପଡ଼ି କିଂପେ ନ ମଲୁ ଗୋ ମାତା ।୮୩।
ୟେତେ ବୋଲି କର୍ମକୁ ଆଦରି ବୀର ଉଠି
ସ୍ନାହାନ ନିତ୍ୟକର୍ମ ଯେ ସାରିଲା ଧୃତିରାଷ୍ଟି ।୮୪।
ମଢ ଫୁଲିରେ ବିଜେ ରାଜା ମହାବୀର
ସେହି ଦିନୁ ଦ୍ରିଯୋଧନ ନ ବସଇ ଆସ୍ତାନର ।୮୫।
ଯୁଝେଷ୍ଠି ବୋଇଲେ ଭୀମସେନର ମୁଖ ଚାହିଂ
ଦ୍ରିଯୋଧନକୁ ଅନୀତି କଥା କହିଲୁ କିସ ପାଇଂ ।୮୬।
ଭୀମସେନ ବୋଇଲା ନିତି ଦିନ ଆମ୍ଭନ୍ତ କରଇ ଝିଂଘାସ
ଅନେକ ସହିଲୁନି ଆମ୍ଭେ ପ୍ରତି ଯେ ଦିବସ ।୮୭।
ପାଞ୍ଚଙ୍କରି ପିତା ନାମ ଧରଇ ସଭାରେ
ଉପହାସ କରନ୍ତି ନା ଆମ୍ଭନ୍ତ ସକଳ କୁରୁବୀରେ ।୮୮।
ଯୁଝେଷ୍ଠି ବୋଇଲେ ତାହାର ପିତା ଧୃତରାଷ୍ଟ ମାତା ଯେ ଗାନ୍ଧରୀ
ଗୋଲକ ପୁତ୍ର ତାହାକଇଂ କିଂପା ବୋଇଲୁ ନ ବିଚାରି ।୮୯।
ଭୀମସେନ ବୋଇଲା ଦେବ ହୋଇଅଛିନି ସେହି
ନୋହିଲେ କିଂପା ଚଳନ୍ତା କଳଙ୍କ ଯେବେ ନାହିଂ ।୯୦।
ଶୁଣିଣ ତବଦ ଯେ ଧର୍ମର ନନ୍ଦନ
ମନେ ମନେ ତୋଷ ହୋଇଲେ ଭୀମସେନ ।୯୧।
ପ୍ରବେଶ ଯୁଝେଷ୍ଠି ହୋଇଲେ ଇନ୍ଦ୍ରପ୍ରଶସ୍ତ ପୁରେ
ନିତ୍ୟକର୍ମେଣ ସେବନ୍ତି ସେ ଧୃତରାଷ୍ଟର ପୟରେ ।୯୨।
ଦୁର୍ଯ୍ୟୋଧନର ପାଷାଣ ଗୃହ ନିର୍ମାଣ
ସେହି ଦିନୁ ଆସ୍ତାନରେ ନାହିଂ ଜାଣ ସଭା
ଯେ ଯାହାର ଆସ୍ତାନେ ଥାନ୍ତି ସକଳ ରାଜଦେବା ।୧।
କୂଟକପଟ ଛତ୍ରୀ ଯେ ମାନ ଚକ୍ରବ୍ରଥୀ
ବୃଦ୍ଧିବନ୍ତା ଭାଗ୍ୟବନ୍ତା ଉପାୟେ ଚକ୍ରବ୍ରତୀ ।୨।
ଲୋହଗିରି ବୋଲି ୟେକ ପର୍ବତ ଗୋଟିୟେ
ଉଚ୍ଛର୍ଗ ପୋତା ବିସ୍ତାର ସେ ଅଟେ କୋଶ ମୟେ ।୩।
ଶିଲପୀ ବିନ୍ଧାଣୀମାନନ୍ତ ସମସ୍ତ ରୁଣ୍ଡିଆଇଂ
ଶ୍ରୀଭୁଜେ ଶାଢୀ ସରଳ ଅନେକ ରତ୍ନ ଦେଇ ।୪।
ରାତ୍ର କାଳେ ପର୍ବତେ ସେ ଲଗାଇଲା ନେଇ
ୟେ ପର୍ବତ ଗୋଟି ଖୋଳିବ ଭିତରେ ଭଙ୍ଗାଇ ।୫।
ଯତନ କରିବ ଖୋଲ ପ୍ରାୟେ କରି
ୟେକଇ ଦୁଆରେ ଯେ ହୋଇବ ତାହାରି ।୬।
ଘର ପ୍ରାୟେ କରି କରିବ ଯେ ସଞ୍ଚା
ୟେତେ ବୋଲି ଆଗ୍ୟାଂ ଦିଲା ଧୃତରାଷ୍ଟ ବତ୍ସା ।୭।
ଯୋଜନେକ ବିସ୍ତାର ହୋଇବାକ ସଞ୍ଚ
ଉଚ୍ଛର୍ଗ ହେବ ଦୁଇ ଯୋଜନ ଯେ ଉଞ୍ଚ ।୮।
ତହିଂକି ନିର୍ବାଣ କରିବ ବ୍ରଜକବାଟ ଯେ ଗୋଟି
ବାହାରେ ଥାଇ କିଳି କେ ସେ ଭିତରେ ନ ଫିଟି ।୯।
ଜଣକେ ବରତନ କଲା ଗ୍ରାମ ପାଞ୍ଚଖଣ୍ଡ
ମାସକେ ବର୍ତ୍ତନ ହୋଇଲା ସୁବର୍ଣ୍ଣ ୟେକ ମାଢ ।୧୦।
ପାଞ୍ଚ ଉତ୍ତର ଶତେକ ଲାଗିଲେ ବିନ୍ଧାଣି
କାଟନ୍ତି ପାଷାଣ ଯେହ୍ନେ ବଜ୍ରକୀଟ ନିର୍ବାଣି ।୧୧।
ଦ୍ୱାଦଶ ବରଷେ ତାହା କଲେକ ନିର୍ମିତ
ସଉଭାଗୀ ନଦୀ କୂଳେ ସଉଭଦ୍ର ବନସ୍ତ ।୧୨।
ତହିଂର କୂଳେ ଅରବିନ୍ଦ ଲୋହଗିରି
ଉପାୟେଣ ଦ୍ରିଯୋଧନ ତାହା ପଥର ଘର କରି ।୧୩।
ଘଟଣ ନିର୍ମିତ ଯେତେ ବେଳେ ହୋଇଲା ସଂପୂର୍ଣ୍ଣ
ଭିତରେ ପିତୁଳିନ୍ତ ଭିଆଇଲେ ଚିତ୍ର ଯେ ଲେଖନ ।୧୪।
ଗୁପତେ କରାଇଲା ତାହା ନଜାଣନ୍ତା କେହି
ଦିନେକ ଦ୍ରିଯୋଧନ ମାତା ଗାନ୍ଧାରୀ ଆଗେ କହି ।୧୫।
ଭୋ ମାତା ମହାସତୀ ଆଗ୍ୟାଂ ଦେବା ମୁକୁ
ମୁହିଂ ଯିବି ମାତା ଗୋ ଗାନ୍ଧାରସେନ ରାଜ୍ୟକୁ ।୧୬।
କେମନ୍ତ ସଂପଦେ ଗୋ ଅଛଇ ମୋର ଅଜା
କେମନ୍ତ କରିଣ ସେ ପାଳଇ ଜନ ପ୍ରଜା ।୧୭।
କଥା ପାଶୋରିଲେ ନ ଜାଣିଲେ ଗାନ୍ଧାରୀ
ଯାଅ ବୋଲି ଦ୍ରିଯୋଧନକୁ ଆଗ୍ୟାଂ ଅବଧାରୀ ।୧୮।
ଧୁଶାସନ ଦୃଜୟେ କର୍ଣ୍ଣ ଶଲ୍ୟ କୃପ
ଅଶସ୍ତମା ସହିତେ ଅଛନ୍ତି ସମସ୍ତ ନୃପ ।୧୯।
ୟେତେକ ସଙ୍ଗର ସନ୍ୟ କୁମାର କୁରୁପତି
ଗାନ୍ଧାରସେନ ରାଜ୍ୟକୁ ସେ ଚଳଇ ତଡ଼ତି ।୨୦।
ରାତ୍ର ଦିବସେଣ କରନ୍ତି ପ୍ରୟାଣ
ହସ୍ତିନାକୁ ଗାନ୍ଧାରସେନ ରାଜ୍ୟ ପନ୍ଦର ଶତ ଯୁଣ ।୨୧।
ପ୍ରବେଶ ହୋଇଲେ ଯାଇଂ ପନ୍ଦର ଦିବଷେ
କଟକେ ପ୍ରବେଶ ଯାଇଂ ହୋଇଲେ ହରଷେ ।୨୨।
ବାରତା ପାଇଣ ସେ ଗାନ୍ଧାରସେନ ନୃପତି
ଦଣ୍ଡ ସନ୍ୟ ଘେନି ସେ ପାଛୋଟି ଆସଇ ତଡ଼ତି ।୨୩।
ବଇଡୁର୍ଯ୍ୟ ପର୍ବତ ତଳେ ହୋଇଲେ ଭେଟା ଭେଟି
ଗାନ୍ଧାରସେନ କୁଶଳ ବାରତା ପୁଚ୍ଛଇ ଧୃତରାଷ୍ଟି ।୨୪।
ଦ୍ରିଯୋଧନ ବୋଇଲା ଶୁଣିମା ମାତ ତାତ
ସନ୍ୟବଳ ଛାଡ଼ି ତୋହୋର ମୋହୋର ହୋଇବା ୟେକାନ୍ତ ।୨୫।
ପର୍ବତ ଉପରେ ଯାଇଂ ବସିଲେ ଅଜା ନାତି
ବଂଶାଧିକ ରାଜା ତୁ ଅଟୁ ଚକ୍ରବ୍ରତୀ ।୨୬।
ମୁହିଂ ସହି ନୁହାରଇ ଯୁଝେଷ୍ଠିଙ୍କ ଆରଦୋଳି
ସେ ନିମନ୍ତେ ଅଜା, ଅଇଲି ତୋହୋର ତୁଲେ ଭାଳି ।୨୭।
ଭୀମସେନ ଅନେକ ଝିଂଘାସ କଲାକ ମୋତେ
ମୁହିଂ ତାହାର ପ୍ରାଣତ୍ୟାଗ କରିବି କେମନ୍ତେ ।୨୮।
ଭୂଇଂ ଛୁଇଂ ଶ୍ରବଣେ ହସ୍ତ ଦିଲା ଗାନ୍ଧାର
ବାବୁ ଯେବଣ କଥା କହିଲୁ ସେ ଦୁସହ ଅଗୋଚର ।୨୯।
ତୋହୋର ବେଳେ ପାଣ୍ଡବନ୍ତ ବଳବନ୍ତେ ନୋହୁଂ ଟି ଯେ ସରି
ଦେବ କଳା ଘେନି ସେ ପ୍ରତକ୍ଷେ ଅବତରି ।୩୦।
ଧର୍ମର ବୀର୍ଯ୍ୟେ ଜାତ ସେ ଯେବଣ ଯୁଝେଷ୍ଠି
କର ଲେଉଟାନ୍ତେ ଯାହାର ଲେଉଟଇ ନବ ସୃଷ୍ଟି ।୩୧।
ବ୍ରିକୋଦର ଜାତ ହାଦେ ପବନର ବୀର୍ଯ୍ୟେ
କରେଣ ଗଦା ଧରିଲେ ତ୍ରାସଇ ଦେବରାଜେ ।୩୨।
ମହା ବଳବନ୍ତା ସେ ପ୍ରତଗ୍ୟାଂ ସାର୍ଥୁକ ଭୀମ
ଛଡ଼ ଲକ୍ଷ ଯୋଜନେ ଥାଇଂ ତାହାକଇଂ ତ୍ରାସ କରଇ ଯମ ।୩୩।
ବାସବର ନନ୍ଦନ ଯେବଣ ଫାଲଗୁନି
ୟେକା ନାରାଜକେ ତ୍ରୈଲୋକ୍ୟ ପାରଇ ସେ ଜିଣି ।୩୪।
ନକୁଳ ବୋଲିଣ ତାହାର ଯେବଣ ଅନୁଜ
ଆକାଶେ ପାଟ ଅଛି ଅଶ୍ୱିନୀକୁମାରଙ୍କ ଆତ୍ମାଜ ।୩୫।
ତାହାର ଅନୁଜ ଯେ ସହଦେବ ବୋଲି
ଭୂତ ଭବିଷ୍ୟ ଗ୍ୟାଂତା ମୁଂ ପ୍ରତକ୍ଷେ ଦେଖିଲି ।୩୬।
ବାବୁ ମୋହୋର ବଚନ ଶୁଣରେ ମାନଗୋବିନ୍ଦ
ସମୟେ ବ୍ରତିଥାଅ ଯୁଝେଷ୍ଠିଙ୍କରେ ନ କର ତୁ ଦ୍ୱନ୍ଦ ।୩୭।
ଦ୍ରିଯୋଧନ ବୋଇଲା ତାତ ସମର ନ କରିବି
ଉପାୟେ କରିଣ ହାଦେ ପାଣ୍ଡବନ୍ତ ମାରିବି ।୩୮।
ଭୀମାର ବଳବୀର୍ଯ୍ୟକୁ ମୋହୋର ଭୟ ନାହିଂ
ଯାହାକୁ ନିଳାମ୍ୱର ଦେବ ହୋଇଛନ୍ତି ସାହି ।୩୯।
ଗାନ୍ଧାରସେନ ବୋଇଲା ବାବୁ କେବଣ ଉପାୟେ
ଦ୍ରିଯୋଧନ ବୋଇଲା ଆସ ଦେଖାଇବି ଦେବ ରାୟେ ।୪୦।
ଗାନ୍ଧାରସେନ ବୋଇଲା ଯେବେ ଅଇଲୁ ମୋର ପୁରେ
ଦିନା ପାଞ୍ଚ ସାତ ରହିବୁ ନା ମୋହୋର ପୁର ମନ୍ଦିରେ ।୪୧।
ଦ୍ରିଯୋଧନ ବୋଇଲା ତାତ କଟାଳ ନ କର ଯେ ମୋତେ
ପାଣ୍ଡବନ୍ତ ନାଶ କଲେ ମୁଂ ବ୍ରତଇ ନିଶ୍ଚିନ୍ତେ ।୪୨।
ସମସ୍ତ ସନ୍ୟମାନ ପଠିଆଅ ତୋହୋର ଦେଶ
ବର୍ଗ କୁଟୁମ୍ୱମାନ ଘେନି ସଙ୍ଗତେ ମୋର ଆସ ।୪୩।
ଆପଣାର ଶତେ ପୁତ୍ର ଘେନିଣ ଗାନ୍ଧାର
ଆବର ଛୟାଣୋଇ ଭ୍ରାଥେ ଘେନିଣ ବନ୍ଧୁ ସଙ୍ଗର ।୪୪।
ଆପଣାକୁ ଲାଇ ଶୟେ ସତାଣୋଇ ଜଣ
ଦ୍ରିଯୋଧନ ତୁଲେ ଗାନ୍ଧାରସେନ କରଇ ପ୍ରୟାଣ ।୪୫।
ସଉଭଦ୍ର ବନେ ଯାଇ ହୋଇଲେ ପ୍ରବେଶ
ଲୋହଗିରି ପର୍ବତରେ ମିଳିଲେ ତାର ପାଶ ।୪୬।
କୂଟ କପଟ ରାଜା ଫେଡିଲାକ ବାଟ ଗୋଟି
ଆପଣେ ଭିତରେ ଯାଇ ପଶିଲା ଧୃତରାଷ୍ଟି ।୪୭।
ତାହାକୁ ଗୋଡ଼ାଇ ଯେ ପଶିଲେ ଗାନ୍ଧାରସେନ
ପିତାର ସଙ୍ଗତେ ପଶିଲେ ଗାନ୍ଧାରସେନ ପୁତ୍ରମାନ ।୪୮।
ଦ୍ରିଯୋଧନ ବୋଇଲା ବିଚାର କର ପିତା
ଭୀମାର ଗଦା ଘାତୟେ ସହିବଟି ପର୍ବତା ।୪୯।
ୟେହା ଭୋ ପିତା ବିଚାର କର ଦୃଢ କରି
କବାଟ ପାଡ଼ିବି ପାଣ୍ଡବନ୍ତ ଭିତରେ ମୁଂ ଭରି ।୫୦।
ଦେଖି ବିଚାର କରଇ ଗାନ୍ଧାରସେନ ନୃପତି
ବାବୁ ଦ୍ରିଯୋଧନ ତୁ ଉପାୟେ ଚକ୍ରବ୍ରତୀ ।୫୧।
ତୋହୋର ବୋଲେ ୟେହା ହୋଇଲା ନିର୍ବାଣି
ପ୍ରତକ୍ଷେ ଦିଶୁଅଛି ଇନ୍ଦ୍ର ବାରସ୍ୱତୀ ପୁର ଜାଣି ।୫୨।
ଭଲ କରି ପିତା ପୁତ୍ର ୟେହାକୁ ବିଚାର କର
କାହାର କିସ ବୁଦ୍ଧି କହ ମୋହୋର ଆଗର ।୫୩।
ୟେତେକ ବଚନ କହି ବାହାର ଧୃତିରାଷ୍ଟି
ବାହାରେ ଥାଇ ପାଡ଼ିଲା ବଜ୍ର କିଳଣୀ କବାଟ ଗୋଟି ।୫୪।
ଗାନ୍ଧାରସେନ ବୋଇଲା କବାଟ ଫେଡ଼ ବାବୁ
ସର୍ବଗ୍ୟଂ ନାଥ ତୋତେ ବୁଦ୍ଧି ଦୃଶ୍ୟ ସବୁ ।୫୫।
ଦ୍ରିଯୋଧନ ବୋଇଲା ଶୁଣ ହୋ ଗାନ୍ଧାର
ତୁମ୍ଭେ ନିରୁତାନ୍ତ ବଇରି ଅଟ ଯେ ମୋହୋର ।୫୬।
ମାତାକୁ ମୋହୋର ଯେବଣ କୃତ୍ୟ କଲୁ ଗାନ୍ଧାରସେନ ରାଜା
ବିଧବା କନ୍ୟା କରାଇଲୁ ଧୃତରାଷ୍ଟଙ୍କ ଭାରିଯା ।୫୭।
ଗୋଲକ ବୃକ୍ଷ ଯେ ବିଭା କାଳେ ମଲା ଯୁଗତେ
ବିଧବା କନ୍ୟା ପିତାକୁ ମୋହୋର ଦିଲୁ ତୁ କେମନ୍ତେ ।୫୮।
ଅଗ୍ନିରେ ଦହନ କିଂପେ ନ କଲୁ ମହାତମା
ସେ କଥା କଳଙ୍କ ମୋତେ ସଭାରେ ବୋଇଲା ଭୀମା ।୫୯।
ତୋତେ ମାଇଲେ ମୁଂ ପାଶୋରଇ ସେକଥା
ତୋହୋର ନିମନ୍ତେ ମୋତେ ହାଦେ ଲଜ୍ଜା ଅପ୍ରମିତା ।୬୦।
ପାଣ୍ଡବଙ୍କ ନିମନ୍ତେ ନିର୍ବାଣ ନୋହଇ ୟେ ଘର
ତୋହୋର ନିମନ୍ତେ ନିର୍ବାଣ କରିଛି ୟେହୁ ପୁର ।୬୧।
ତୁ ୟେବେ ନିଶ୍ଚିନ୍ତେଣ ଥାଅ ଯାଉଅଛି ମୁହିଂ
ବଜ୍ର ଯନ୍ତ୍ର କିଳଣୀ କିଳିଲା, ତହୁଂ ଗଲାକ କୁରୁସାଇଂ ।୬୨।
ପ୍ରବେଶ ହୋଇଲା ଯାଇଂ ଆପଣା ନିଜ ଦେଶ
ସ୍ନାହାନ ଭୋଜନ ସେ କରଇ ହରଷ ।୬୩।
ଗାନ୍ଧାରୀ ବାରତା ପାଇଲେ ତଥ୍ୟ କରି
ଦ୍ରିଯୋଧନ ସନ୍ନିଧ୍ୟେ ବିଜେ କଲେ ମାହେଶ୍ୱରୀ ।୬୪।
ବାବୁ ପିତାକୁ ମୋହୋର ଲାଇଲୁ ପଥର ଘରେ
ଆରେ ସୋଦର ବଧରେ ପଶିଲୁ ବାଳୁତ ପାମରେ ।୬୫।
ଗାନ୍ଧାରସେନ ବ୍ରତିଥିଲେ ତୋତେରେ ପରମ ହିତ
କେବେହେଂ ବାବୁ ନ ବାହୁଡ଼ଇ କଲା କର୍ମ କୃତ୍ୟ ।୬୬।
ଦ୍ରିଯୋଧନ ନ ଶୁଣଇ ଗାନ୍ଧାରୀର ବୋଲ
ଗୋଟିୟେ କରି ଦ୍ରିଯୋଧନ ନ କଲୁ ତୁହି ଭଲ ।୬୭।
ଯଦ୍ୟପି ପିତାକୁ ମୋହୋର କଲୁ ୟେଡ଼େ କୃତ୍ୟ
ଅନ୍ନ ଦେଉଥାଅ ତାହାର ଜୀବନ ଥିବା ପରିଯନ୍ତ ।୬୮।
ଦ୍ରିଯୋଧନ ବୋଇଲା ମା ଗୋ ତୋହୋର ବଚନେ
ଦେବଇଂ ଅନ୍ନ ଯାହା ମାଗିଲୁ ତୋଷ ମନେ ।୬୯।
ମାତାଙ୍କର ବଚନେ ଆଗ୍ୟାଂ ଦିଲା କୁରୁବୀର
ବସାଣ କଲା ଗାନ୍ଧାରକୁ ନିତ୍ୟେ ଅନ୍ନ ୟେକ ଭାର ।୭୦।
ଭାରେକ ଅନ୍ନ ଆବର ପାଣି କଳସାୟେ
ଗୁଣ୍ଡିରି ଜଳା ବାଟେ ବଢାଇଣ ଦିୟେ ।୭୧।
ଦେଖିଣ ଗାନ୍ଧାରସେନ ବିଚାର କରଇ ମନେ
ଅନ୍ନ ଶାସ୍ତିରେ ମଲେ ମୁକତି ନୁହନ୍ତି ଜନେ ।୭୨।
ସମସ୍ତେହେଂ ପାତନ୍ତି ଡାହାଣ କର ଗୋଟି
ଜ୍ୟେଷ୍ଠ ପୁତ୍ର ଶଙ୍କୁନି ସବୁଙ୍କୁ ହିଂ ଦିଅଇ ବାଣ୍ଟି ।୭୩।
ଜଣେକ ହୋଅଇ ପୋଷେ ପୋଷେ ଅନ୍ନ
ଘଡ଼ାୟେକ ପାଣି ଚଳୁୟେ ଗ୍ରାସ ପୁଣ ।୭୪।
ୟେସନେକ ନିତି ପ୍ରତି ଦିଅଇ କୁରୁବଇଂ
ଉପାୟେ ଶଙ୍କୁନି ତହୁଂ ଥୋକାୟେ ଥୋକାୟେ ରଖିଥାଇ ।୭୫।
ଭାତ ପୁଡ଼ାୟେ ଚକଟି ଲେପିଥାଇ କାନ୍ଥେ
ବୁଦ୍ଧି ଭିଆଇଲା ଆପଣା ବ୍ରତିବା ନିମନ୍ତେ ।୭୬।
ବଦୟନ୍ତି ଅଗସ୍ତି ଶୁଣ ହୋ ଯୁଗଧର
ଛଅ ମାସ ପରିଯନ୍ତେ ଦିଲା ଅନ୍ନ ୟେକ ଭାର ।୭୭।
ଛଅ ମାସ ଅନ୍ତରେ ପୁଣ ବୁଦ୍ଧି ୟେକ କଲା
ଅଙ୍ଗାୟେକ ଦିଅ ବୋଲି ସୂପକାରକୁ ବୋଇଲା ।୭୮।
ଜ୍ୟେଷ୍ଠ ମାସ ଶୁକ୍ଲ ପକ୍ଷ ଚଉଠୀର ଦିନ
ଆଗ୍ୟାଂୟେ ବଢାଇ ଦିଲା ଅଧଭାରେକ ଅନ୍ନ ।୭୯।
ତାହା ବାଣ୍ଟି ଭୁଞ୍ଜିଲେ ସମସ୍ତେ ବିକଳେ
ଥାଳିୟେକ ଅନ୍ନ ପୁଣି ଦିଲା ଅନ୍ତ କାଳେ ।୮୦।
ତାହା ଦେଖି ବିଚାର କରଇ ନୃପତି ଗାନ୍ଧାରସେନ
ବାବୁ ସବୁନ୍ତି ଅଦୋଷେ ନାଶ କଲାଟି ଦ୍ରିଯୋଧନ ।୮୧।
ଶହେ ସତାଣୋଇ ଜଣଙ୍କୁ ଥାଳିୟେକ ଭାତ
ୟେତେକ ଆହାର କରି ହୋ ବ୍ରତିବା କେମନ୍ତ ।୮୨।
ଦ୍ରିଯୋଧନର ତ ଆମ୍ଭେ ନୋହୁଂ ନା ବଇରି
ବିନା ଅପରାଧେ କିଂପା ଆମ୍ଭନ୍ତ ନାଶ କରି ।୮୩।
ୟେ ମୋହୋର ବଂଶ ଯେ ମାରୁଅଛି ଅନମିତେ
ତାହାର ବଂଶ କେହୁ ନାଶ କରିବ ୟେହି ମତେ ।୮୪।
ୟେ ଥାଳିକ ଭାତ ଜଣକହିଂ ଭୁଞ୍ଜ
ପିତୃ କାର୍ଯ୍ୟ କରି ଦ୍ରିଯୋଧନ ବଂଶ ଗଞ୍ଜ ।୮୫।
ଗାନ୍ଧାରସେନ ରାଜାର ୟେସନେକ ବଚନ ଶୁଣି
ଜ୍ୟେଷ୍ଠ ପୁତ୍ର ଶଙ୍କୁନି କହିଲା ଦୃଢ ବାଣୀ ।୮୬।
ତୁ ଯେହ୍ନେ ଆଗ୍ୟାଂ ଦିଲୁ ନରସାଇଂ
ମୁହିଂ ପାରିବି ଦ୍ରିଯୋଧନର ବଂଶ ନାଶ କରାଇ ।୮୭।
ଗାନ୍ଧାରସେନ ବୋଇଲା ଥାଳିକ ଅନ୍ନ ଖାଅ
ସବୁରି ଆଷ୍ୟ ଘେନିଣ ତୁ ଶୁଭେଣ ବ୍ରତିଥାଅ ।୮୮।
ସେ ଥାଳିକ ଅନ୍ନ ଯେ ଭୁଞ୍ଜଇ ଶଙ୍କୁନି
ସଭିଂୟେ ପ୍ରାଣ ପୟାଣ ହୋଇଲେ ଅବସାନି ।୮୯।
ଶହେ ପାଞ୍ଚଣୋଇ ଜଣ ହୋଇଲେ ପ୍ରାଣ ତ୍ୟାଜ
ଶଙ୍କୁନି ଘେନି ବ୍ରତିଅଛି ଗାନ୍ଧାରସେନ ରାଜ ।୯୦।
ଗାନ୍ଧାରସେନ ପଚାରଇ ଶୁଣରେ ଶଙ୍କୁନି
ତୁ ମୋହୋର ଜ୍ୟେଷ୍ଠପୁତ୍ର ଅଟୁ ମହାଗ୍ୟାନୀ ।୯୧।
ମୁହିଂ ଯେ ପୁତ୍ରରେ ରକ୍ଷା କଲି ତୋତେ
ଦ୍ରିଯୋଧନର ବଂଶ ତୁ ନାଶିବୁ କେମନ୍ତେ ।୯୨।
ଶଙ୍କୁନି ବୋଇଲା ତାତ ଅଛିନି ମୋହୋର ବୁଦ୍ଧି
ତୋହୋର ବଚନ କହ ମୋତେ କେମନ୍ତେ କାର୍ଯ୍ୟସିଦ୍ଧି ।୯୩।
ତୁମ୍ଭେ ତ ଯାଉଅଛ ବୁଦ୍ଧିୟେ ମୋତେ କହ
ହୃଦରେ ଧରିଥିବି ତୋହୋର ବଚନ ସନ୍ଦେହ ।୯୪।
ଗାନ୍ଧାରସେନ ବୋଇଲା ଶୁଣସି ମୋହୋର ପୁତ୍ର
ମୁହିଂ ଯେତେବେଳେ ହୋଇବି ମୃତ୍ୟୁ ପରାପତ ।୯୫।
ୟେ ମୋହୋର ଡାହାଣ କରର ପବ ଅସ୍ଥି
ତାହା ଯତନ କରି ଥୋଇଥିବୁ ନ ଜାଣିମ କୁରୁପତି ।୯୬।
ଡାହାଣ ହାଥର ଡାହାଣ ପବ ଗୋଟି
ତାହା କରାଇବୁ ବାବୁ ପଶା ଦୁଇକାଠି ।୯୭।
ବାମ ହାଥର ପବ କରାଇବୁ ପଶାର ଗୁଟି
କରାଇବୁଟି ନିର୍ବାଣ ଯତନ କରି ତିରିଶ ଗୋଟି ।୯୮।
ଅବଶ୍ୟ ଦ୍ରିଯୋଧନ ତୋତେ କରିବ ବଡ଼ ଜଣେ
ରାଜାର ତୁଲେ ବସିବୁ ତୁ ମହାମନ୍ତ୍ରୀ ପଣେ ।୯୯।
ବାବୁ ତୁ ତ ନାଶ କରି ନୁଆରିବୁ ତାହାକୁ
ପଶା ଖେଳାଇବୁ ତୁ ଦ୍ରିଯୋଧନ ସଂଗେ ପାଣ୍ଡବଙ୍କୁ ।୧୦୦।
ଆପଣେ ପାଡ଼ିବୁ ତୁ କୂଟ କପଟ ପାଶା
ଦାନ ପଡୁଥିବଟି ତୋହୋର ମନୀଷା ।୧୦୧।
ଯୁଝେଷ୍ଠିଙ୍କି ହରାଇବୁ ଜିଣାଇବୁ ଦ୍ରିଯୋଧନ
ପଶା ଖେଳଇ ଯେ ଘେନାଇବୁ ପାଣ୍ଡବଙ୍କ ରାଜ୍ୟ ସିଂହାସନ ।୧୦୨।
ଆତ୍ମା ସହିତେ ଜିଣାଇବୁ ଦ୍ରିଯୋଧନକୁ
ସଭାର ତଳେ ନେଇ ବସାଇବୁ ପାଣ୍ଡବଙ୍କୁ ।୧୦୩।
ସମ୍ଭର୍ବେ ଆସ୍ତାନେ ବସିଥିବ କୁରୁରାଜା
ସଭାର ତଳକୁ କେଶ ଧରି ଅଣାଇବୁ ପାଣ୍ଡବଙ୍କର ଭାରିଯା ।୧୦୪।
ବିବସନ କରାଇବୁ ଆଣି ମହାସଭା ତଳେ
ସେ କଥା ମାନ ଭୀମା ଲିହିଥିବ ବକ୍ଷ ସ୍ଥଳେ ।୧୦୫।
ତହିଂର ରାଗ ଯେ ଘେନିଣ ଭୀମସେନ
ଦ୍ରିଯୋଧନର ବଂଶ ନାଶ କରିବ ସଂଗ୍ରାମେଣ ।୧୦୬।
ବାବୁ ତୁହି ରଣ ଯାଗ୍ୟଂ କରିବୁ ସହଦେବର ହସ୍ତେ
ଭଣଞ୍ଜାଙ୍କୁ ମରାଇ ନ ରହିବୁ କଦାଚିତେ ।୧୦୭।
ଜଳ ସ୍ଥଳ ଅନଳେ କହୁଅଛି ତୋତେ
ପାଣ୍ଡବେ ବଧ ନୋହନ୍ତି କେଉଣସି ମତେ ।୧୦୮।
ଶଙ୍କୁନି ବୋଇଲା ତାତ କହିଲୁ ଯେଉଣ କଥା
ଦେବଙ୍କୁ ଅଶକ୍ୟ ୟେ ତୋହୋର ବାରତା ।୧୦୯।
ୟେ ତୋହୋର ଭୁଜ ୟେତେ ପୁଣ୍ୟ କରିଥିଲା କାହିଂ
ସଂପ୍ରତେ କରାଅ ମୋତେ ୟେଥିର କଥା କହି ।୧୧୦।
ଗାନ୍ଧାରସେନ ବୋଇଲା ବାବୁ ୟେ ତ୍ରେତୟା ଯୁଗର କଥା
ଶହସ୍ର ଶାହାସ୍ରେ ମୁଂ ଅଟଇ ନିର୍ଜିତା ।୧୧୧।
ପଶା ଖେଳିଲେ ମୁଂ ହାରଇ ପ୍ରତିଦିନେ
ଗଙ୍ଗାକଇଂ ସେବା କଲି ମୁଂ ପୁତ୍ରରେ ପଶାର ଅଭିମାନେ ।୧୧୨।
ପଞ୍ଚଦଶ ବରଷ ପରିଯନ୍ତେ ମୁଂ କଲି ଘୋର ତପ
କଠୋର ତପେ ଦେଖିଲି ବାବୁ ଗଙ୍ଗାଙ୍କ ସରୂପ ।୧୧୩।
ଉତ୍ତ୍ରାଙ୍କ ତୀର୍ଥେ ପ୍ରସନ୍ନ ହୋଇଲେ ଧବଳାଙ୍ଗୀ
ବୋଇଲେ ଗାନ୍ଧାରସେନ ରେ ବର ମାଗ ବେଗି ।୧୧୪।
ମୁଂ ବୋଇଲି ଗୋ ମାତା ସୁଦୟା କର ମୋତେ ଆଦିନାରୀ
ତୋହୋର ତହୁଂ ଦେବୁ ମୋତେ ବିଜୟ ପଶା ସାରି ।୧୧୫।
ପଶାରେ କେହି ମୋତେ ନୋହିବେ ଜିଣନ୍ତା
ପ୍ରସନ୍ନେ ପଶା ସାର ମୋତେ ଦିଲେ ଆଦିମାତା ।୧୧୭।
ତିନି ବରଷରେ ତୁ ତିନି ଭୁବନ ଜିଣିବୁ
କଥା ରୁହାଇ ଆଣି ମୋତେ ବାବୁ ରେ ବାହୁଡ଼ାଇ ଦେବୁ ।୧୧୮।
ଗଙ୍ଗାହୁଂ ବିଜୟା ସାର ଘେନି ଅଇଲି ତନୟେ
ଅନେକ ରାଜାଙ୍କୁ ବାବୁ ରେ ମୁଂ ଜିଣିଲି ପଶାୟେ ।୧୧୯।
ପଶାର ଭୟେ କେହି ନଇଲେ ମୋର କତି ।୧୨୦।
ତିନି ବରଷକୁ ଆଣିଲି ସାତ ବରଷ ଗଲା
ଗଙ୍ଗାଙ୍କୁ ତୁସ୍ତି କରି ମୁଂ ବିଜୟା ପଶା ଦେଲି ।୧୨୧।
ପଶା ଘେନିମାକୁ ଦେବୀ ପାତିଲେକ ହସ୍ତ
ବିନୟ ଭାବେ ଗୋସାମଣୀଙ୍କୁ ଯୋଡ଼ିଲି ବେନି କର ପତ୍ର ।୧୨୨।
ତୁ ଯେବେ ପ୍ରସନ୍ନ ହୋଇଲୁ ମହେଶ୍ୱରୀ ମୁକୁ
ଚିରନ୍ତନ କଥା ରହୁ ମୋହୋର ବଂଶକୁ ।୧୨୩।
ଗଙ୍ଗା ବୋଇଲେ ପଶା ପାତିଲୁ ଯେବଣ କର ସ୍ଥଳେ
ତୋହୋର ମୃତୁକାଳେ ଅସ୍ଥି ଘେନିମ ତୋହୋର କୁମରେ ।୧୨୪।
ଡାହାଣ ହସ୍ତ ପବେ କରିବ ଦୁଇ ପାଶାକାଠି
ବାମ ହସ୍ତର ପବ କରିବ ପାଶା ଗୁଣ୍ଡି ତିରିଶ ଗୋଟି ।୧୨୫।
ତୋହୋର ବଂଶକୁ ଯେ ରହିବ ଚିରନ୍ତନେ
କେହି ଜିଣନ୍ତା ନୋହିବଟି ତ୍ରୈଲୋକ୍ୟ ଭୁବନେ ।୧୨୬।
ଗଙ୍ଗାର ପ୍ରସନ୍ନ ବାବୁ ନୋହଇ ଆନ କଲା
କହୁଂ କହୁଂ ଗାନ୍ଧାରସେନ ପ୍ରାଣ ତ୍ୟାଜ ହୋଇଲା ।୧୨୭।
ପିତାର ବଚନେ ସେ କୁମାର ଶଙ୍କୁନି
ଦୁଇହସ୍ତର ଅସ୍ଥି ପବ ଯତନ କରି ଘେନି ।୧୨୮।
ଶୟେ ଛୟାଣୋଇ ଜଣ ତ ପ୍ରାଣତ୍ୟାଜ ହୋଇଲା
ୟେକ ମାତ୍ର ଶଙ୍କୁନି ପ୍ରାଣ ସେ ପାଇଲା ।୧୨୯।
ଥାଳିୟେକ ଅନ୍ନ ଯେ ଦେଉଥିଲା କୁରୁପତି
ଅନ୍ତେଣ ପୁଣ ନ ଦିଲା ତାହା ମୂର୍ଖମତି ।୧୩୦।
କାନ୍ଥରେ ଶଙ୍କୁନି ଲେପିଥିଲା ଯେବଣ ଅନ୍ନ
ତାହା ଖାଇ ପ୍ରାଣ ସେ ରଖଇ ପ୍ରତିଦିନ ।୧୩୧।
ଶକୁନିର ମନ୍ତ୍ରୀତ୍ୱ ଲାଭ
ୟେଥୁ ଅନନ୍ତରେ ବିଲଙ୍କ ଦେଶ ରାଜା
ଅଗସ୍ତି ଚରଣ ତଳେ କଲା ଦିବ୍ୟ ପୂଜା ।୧।
ଗାନ୍ଧାରସେନର ବଂଶ ପଥର ଘରେ ଭରି
ବିନା ଦୋଷେ ନାଶ କଲା କୁରୁ ଦଣ୍ଡଧାରୀ ।୨।
ଶୟେ ସତାଣୋଇ ଜଣ ସର୍ବେ ଗଲେ ନାଶ
ଶଙ୍କୁନି ମାତ୍ରକ ଯେ ରହିଲା ଅବଶେଷ ।୩।
ୟେଥୁ ଅନନ୍ତରେ ହେଲା ଯେ କେବଣ ଚରିତ
ବିଚାରି ଆଗ୍ୟାଂ ମୋତେ କହିବା କୁମ୍ଭ ସୁତ ।୪।
କହନ୍ତି କୁମ୍ଭସୁତ ଶୁଣିମା ବିଲଙ୍କାଧି
କେତେ ଦିନ ଅନ୍ତରେ ସେ କୁରୁ କୁଳନିଧି ।୫।
ଦିନ ପ୍ରକୃତି ସଂସ୍କାର ନିମନ୍ତେ ରାଜନ
ରତ୍ନ କଠାଉ ଚଢି ବିଜେ ତୋଟା ଜଗତୀର ସ୍ଥାନ ।୬।
ସଙ୍ଗେ ରତ୍ନଝରୀରେ ନୀର ଧରି ତାର ଦାସୀ
ବଟ ମୂଳେ ରାଜନ ମିଳିଲାକ ଆସି ।୭।
ମୂତ୍ର କରନ୍ତେଣ ଧାର ଗଲା ବେଗେ ବହି
ବଟ ଫଳ ଭାସିଲା ଦେଖି ନରସାଇଂ ।୮।
ମନେ ବିଚାର କରଇ ରାଜା ଦ୍ରିଯୋଧନ
ୟେଡ଼େ ବୃକ୍ଷର ଫଳ ଯେ ୟେତେକ ସାମାନ୍ୟ ।୯।
ୟେବେ ଭାସି ଯାଉଅଛି କିଞ୍ଚିତ ମତ ହୋଇ
ୟେଥି ବୀଜ ଅଛି ପାଞ୍ଚ ସାତ ଶତହିଂ ।୧୦।
ବିଧାତାର ବଶେ ୟେ ବୀଜମାନେ ବୃକ୍ଷ ହେବେ ଯେବେ
ସମୋଦ୍ର ପ୍ରାୟେ ଜଳ ବରଷିଲେ ୟେ ପୁଣ କିଛିହିଂ ନୋହିବେ ।୧୧।
ବୃକ୍ଷକୁ ଚାହିଂଲା ଅଟଇ କେଡ଼େ ଦାରୁ
ମନେ ମନେ ବିଚାରି ହସିଲା ରାଜାଗୁରୁ ।୧୨।
ଧନ୍ୟ ଧନ୍ୟ ବିଧାତା ଅଟଇ ପ୍ରଭୁପଣ
କାହିଂକି କେତେ ରୂପେ କରିଛୁ ନିର୍ବାଣ ।୧୩।
ବୃକ୍ଷ ମାନଙ୍କର ରାଜା ଯେବଣ ସ୍ଥାବର
ତା ବୀଜ ଭାସିଲା ମୂତ୍ରରେ ମୋହୋର ।୧୪।
ତଳକୁ ଅନାଇଂ ରାଜା ବୃକ୍ଷକୁ ଅନାଇଂ
ମନେମନେବିଚାରିଣହସିଲାକୁରୁସାଇଂ ।୧୫।
ଯହୁଂ ସେ ହସିଲା ଗାନ୍ଧାରୀ ନନ୍ଦନ
ଦାସୀ ହିଂ ହସିଲା ହୋଇ ହୃଷ୍ଟ ମନ ।୧୬।
କୋପେ ଦ୍ରିଯୋଧନ ବୋଇଲା ମୁଦୁସୁଲୀକି ।
କିମର୍ଥେ ହସିଲୁ କେବଣ କଥା ଦେଖି ।୧୭।
ସରୂପ କରି କହଲୋ ୟେ ତୋର କେବଣ ପ୍ରକୃତି
ଉପହାସ କଲୁକି ଅନମିତେ ହସିଲୁ ନିବୃତି ।୧୮।
ମୁଦୁସୁଲୀ ବୋଇଲା ଶୁଣିମା ଗୋସାଇଂ
ତୁମ୍ଭେ ଯହିଂକି ହସିଲ ମୁହିଂ ହସିଲି ତହିଂ ପାଇଂ ।୧୯।
ରାଜନ ବୋଇଲା ମୁଂ କି ନିମନ୍ତେ ହସିଲି କହ
ନ କହିଲେ ତୁ ଆଜ ନାଶ ଗଲୁ ତ ନିଶ୍ଚୟ ।୨୦।
ମୁଦୁସୁଲୀ ବୋଇଲା ଶୁଣିମା ଗୋସାଇଂ
କାଲି ପ୍ରଭାତେ ଦେବାର୍ଚ୍ଚନେ ଜଣାଇବି ମୁହିଂ ।୨୧।
ନୃପତି ବୋଇଲେ କାଲି ଯେବେ ମୋତେ ନ କହିବୁ ସତ
ନାସା ଶ୍ରବଣ ଦୁଇ କରିବି ତୋର ହତ ।୨୨।
ଆଗ୍ୟାଂ ଦେଇ ରାଜନ ଗଲା ନିଜପୁର
ୟେଥୁ ଅନନ୍ତରେ ଶୁଣ ବିଲଙ୍କ ନୃପବର ।୨୩।
କଣ୍ଡ କରି ମୁଦୁସୁଲୀ ଗଲାକ ଭିତର
ମନେ ବିଚାରଇ ମରଣ ହୋଇଲା ମୋହୋର ।୨୪।
ନ ଜାଣି ହସିଲି ମୁଂ କି କହିବି କାଲି ପ୍ରଭାତେ
ଭୋ ଧର୍ମ ଦେବତା ପ୍ରତିକାର କର ମୋତେ ।୨୫।
ଆଜ ଦିନ ବଞ୍ଚାଇଲି ବଳ ବୁଦ୍ଧିକରି
କାଲି ନୃପତି ଦଣ୍ଡିବ ମୁଂ କି ରୂପେ ହୋଇବି ପାରି ।୨୬।
ଯେଉଂ ଦିନୁଂ ଗାନ୍ଧାର ବଂଶ ବନ୍ଦୀ କରି
ପଥର ଘର ଭିତରେ ଭରିଲା ଦଣ୍ଡଧାରୀ ।୨୭।
ଅନ୍ନ ଜଳ ଯାହା ଦିଅଇ ମାନ ଚକ୍ରବ୍ରତୀ
ବନ୍ଦୀ ଘର ଭିତରେ ଦାସୀ ପ୍ରବେଶ କରାୟେ ନିତି ।୨୮।
ସେ ଦିନ ଅନ୍ନ ଘେନି ମନର ବିରସେ
ପ୍ରବେଶ ହେଲା ଯାଇଂ ବନ୍ଦୀ ମନ୍ଦିର ପାଶେ ।୨୯।
ଗୁଣ୍ଡୁରି ଜଳା ବାଟେ ଡାକିଲା ଥିର କରି
କେ ଅଛ ଅନ୍ନ ବାବୁ ନିଅ ବେଗ କରି ।୩୦।
ବିହି ତୁମ୍ଭଙ୍କୁ ମୋତେ କଲାକ ଅନ୍ତର
କାଲି ନାସା ଶ୍ରବଣ ମୋ ଛେଦି ବନୃପବର ।୩୧।
ଭିତରେ ଥାଇଣ ଶଙ୍କୁନି କହଇ ବଚନ
କି ଦୋଷେ ନାଶ ତୋତେ କରିବ ରାଜନ ।୩୨।
ଦାସୀ ବୋଇଲା ଦେବ ନ ଜାଣଇ କିଛି
ପ୍ରକୃତି ସଂସ୍କାରେ କାଲି ଗାନ୍ଧାରୀର ବତ୍ସି ।୩୩।
ବଟବୃକ୍ଷ ମୂଳେ ବିଜୟ କଲା ଆସି
ମୂତ୍ର ନୀର ବହନ୍ତେ ମନ୍ଦ ମନ୍ଦ ହସି ।୩୪।
ତଳକୁ ଚାହିଂଣ ସେ ନେତ୍ରକୁ ବୁଜିଲା
ବୃକ୍ଷକୁ ନିରେଖି ସେ ପୁଣି ହିଂ ହସିଲା ।୩୫।
ରାଜା ହସି ଉଠନ୍ତେ ହସିଲଇଂ ମୁହିଂ
ଶୁଣି ରାଜନ ବୋଇଲାଲୋ ହସିଲୁ କାହିଂ ପାଇଂ ।୩୬।
କରଯୋଡି ବୋଇଲି ମୁଂ ନଜାଣଇ କିଛି
ତୁମ୍ଭେ ଯହିଂକି ହସିଲ ମୁଂ ତହିଂକି ହସିଲି କୁରୁ ବତ୍ସି ।୩୭।
ରାଜା କହିଲା ତୁ କହ ମୋର ମନର ବାରତା
ନୋହିଲେ ପ୍ରାଣେ ତୋତେ ମାରିବି ସର୍ବଥା ।୩୮।
ୟେମନ୍ତେ ବୋଲି ଆଗ୍ୟାଂ ଦେଇଛନ୍ତି ଦଣ୍ଡଧାରୀ
କାଲି ପ୍ରଭାତରେ ଯେ ପକାଇବ ମାରି ।୩୯।
ଶଙ୍କୁନି ବୋଇଲା ମା ଗୋ ନ କର ମନେ ଚିନ୍ତା
ଆମ୍ଭେ କହିବା ରାଜାର ଅନ୍ତର୍ଗତ ବାରତା ।୪୦।
ଯେମନ୍ତେ ରାଜନ ତୋତେ ନ ବୋଲିବ କିଛି
ୟେମନ୍ତେ ଆଶ୍ରିଜ ଉପାୟ ଆମ୍ଭ ତହିଂ ଅଛି ।୪୧।
ଯେତେବେଳେ ରାଜନ ତୋତେ ପୁଚ୍ଛିବ ବାରତ
ବୋଲିବୁ ଶୁଣ ପ୍ରଭୁ କୁରୁ କୁଳନାଥ ।୪୨।
ବଟମୂଳେ ଯେତେବେଳେ କଲୁ ଯେ ପ୍ରକୃତି
ବଟବୀଜ ଉପୁଚିଆଇ ମୂତ୍ରର ସୋହତି ।୪୩।
ବୀଜକୁ ଅନାଇ ବୃକ୍ଷକୁ ଅନାଇ
ବିଧାତା ସୁମରି ହସିଲୁ କୁରୁସାଇଂ ।୪୪।
ଶଙ୍କୁନି ତହୁଂ ତଥ୍ୟ ବିଚାର ପାଇ ଦାସୀ
ରାଜାର ଛାମୁରେ ମିଳିଲା ପ୍ରସନ୍ନ ହୋଇଆସି ।୪୫।
ପ୍ରଭାତୁଂ ଉଠି ଦାସୀକି ପୁଚ୍ଛିଲା ଦଣ୍ଡଧାରୀ
ସୁନ୍ଦରୀ କହଇ ଭୟକୁ ଦୂରକରି ।୪୬।
ବଟମୂଳେ ବିଜୟେ ଯେ କଲୁ ଦଣ୍ଡଧର
ରତ୍ନଝରୀରେ ମୁଂ ଯେ ଧରିଥିଲି ନୀର ।୪୭।
ମୂତ୍ରରେ ତୁମ୍ଭର ବଟମଞ୍ଜି ଯେ ଭାସନ୍ତେ
ବୃକ୍ଷକୁ ଚାହିଂ ତଳକୁ ଚାହିଂ ହସିଲୁ କୁରୁନାଥେ ।୪୮।
ଅନ୍ତର୍ଗତ ବାରତା କହିଲୀ ଦାସୀ ଯହୁଂ
ଶୁଣିଣ ଆଶ୍ରିଜ ହେଲା କୁରୁ କୁଳପ୍ରହୁ ।୪୯।
ଦାସୀକି ଅନାଇ ଦଣ୍ଡେ ମଉନ ହୋଇ ରହି
ମନେ ମନେ ଅନ୍ତର୍ଗତେ ଭାଳିଲା କୁରୁସାଇଂ ।୫୦।
ଦାସୀ ଛାରକ ନୁହେଂ ୟେହାର ୟେ ବୁଦ୍ଧି
ଭୂତ ଭବିଷ୍ୟ ବର୍ତ୍ତମାନ ତିନି କାଳେ ସିଦ୍ଧି ।୫୧।
ୟେମନ୍ତ ଜନ ନିଶ୍ଚେଂ କହିଲା ୟେହାରେ
ଦାସୀକି ଚାହିଂଣ କହିଲା କୁରୁବୀରେ ।୫୨।
ତୋହୋର ଚରିତ ୟେ ନୋହଇ କଦାଚିତ
କହ ତୋତେ କହିଲା କେବଣ ପଣ୍ଡିତ ।୫୩।
ଧନରତ୍ନ ବହୁତ ଅଳଙ୍କାର ଦେବି
ଯାବତ ଦୋଷ ତୋହୋର କ୍ଷମା ମୁଂ କରିବି ।୫୪।
ଦାସୀ ବୋଇଲା ଆହୋ ଶୁଣିମା କୁରୁନାଥ
ପ୍ରତିଦିନ ଯାହାକୁ ମୁଂ ଦିଅଇ ନୀର ଭାତ ।୫୫।
ପଥର ଘରେ ଯାହାକୁ ରଖିଛୁ ନୃପବର
ସେ କହିଲା ତୋର ୟେ ହୃଦୟ ବିଚାର ।୫୬।
ଶୁଣିଣ ରାଜନ ବହୁତ ହରଷ ହୋଇଲା
ବହୁତ ଧନରତ୍ନେ ତହୁଂ ଦାସୀକି ମଣ୍ଡିଲା ।୫୭।
ଆସ୍ତାନ ଜଗତୀରେ ୟେକାନ୍ତେ ବିଚାରିଲେ ବସି
ୟେହି ସେ ଉପାୟେ ଶତ୍ରୁକୁ ପାରିବଇଂ ନାଶି ।୫୮।
ଭୂତ ଭବିଷ୍ୟ ବର୍ତ୍ତମାନ ଜାଣଇ ତିନି କଥା
ୟେହି ସେ ମନ୍ତ୍ରୀପଣକୁ ସଭାରେ ଯୋଗ୍ୟତା ।୫୯।
ସକଳ ସଭାଜନ ଘେନିଣ ନରପତି
ତେର ମାସେ ବିଜେ କଲାକ କୁରୁପତି ।୬୦।
କବାଟ ଫେଡାଇଲା ଯାଇଂ ମାନ ଚକ୍ରବ୍ରତୀ ।୬୧।
ହାକଇ ଦ୍ରିଯୋଧନ ଦ୍ୱାରେ ଉଭା ହୋଇ
ଜୀବନ୍ତା କେ ଅଛି ବୋଲି ଡାକଇ କୁରୁସାଇଂ ।୬୩।
ଅନ୍ନ ଖିନ୍ନେ ଶଙ୍କୁନି କହଇ କ୍ରୋଧ ବାଣୀ
ଅନମିତେ ମୋର ବଂଶ ତୁ ନାଶିଲୁ ନୃପମଣି ।୬୪।
ଶୟେ ଛୟାଣୋଇ ଜଣ ମାଇଲୁ ମୋହୋର ହୋ ରାୟେ
ନିଲ୍ଲଜ ଆତ୍ମା ମୋର ବ୍ରତିଛି ୟେ କାୟେ ।୬୫।
ୟେହାଙ୍କର ଅବସ୍ତା ଦେଖି ଶରୀର କିମ୍ପା ନ ଯାଉ
ଧିକ ମୋହୋର ଜୀବନ ଗ୍ରିଧିନୀ ମାଂସ ଖାଉ ।୬୬।
କର୍ମକୁ ନିନ୍ଦି କ୍ରୋଧ କରଇ ଶଙ୍କୁନି
ହୃଦୟେ ବୈକୁଲ୍ୟ ରାଜାର କ୍ରୋଧ ମାନି ।୬୭।
ଆଗ୍ୟାଂ ଦିଲା ସେ ଧୁଶାସନ ଦୁର୍ଜୟକୁ
ଭିତରେ ପଶି ଆଣରେ ମୋହୋର ଛାମୁକୁ ।୬୮।
ଆଗ୍ୟାଂ ପ୍ରମାଣେ ସେ ପଶିଲେ ଭିତରେ
ଶଙ୍କୁନି କି କୋଳ କରି ଆଣନ୍ତି ବେନି ବୀରେ ।୬୯।
ଭିତରୁ ବାହାର ସେ ହୋଇଲା ଶଙ୍କୁନି
ଦ୍ରିଯୋଧନ ବୋଇଲା ମାମୁ ଜୀବନ ତୋହୋର ଧନି ।୭୦।
କନେକ ରତ୍ନ ଘଟେ ପାଣି ଯେ ପୁରୋଇ
ସ୍ନାହାନ କରାଇଲା ଆପଣେ ସନ୍ନିଧ୍ୟେ ଉଭା ହୋଇ ।୭୧।
ଅନେକ ସୁଗନ୍ଧ ଯେ ଲଗାଇ ତାହାର କେଶେ
ସ୍ରାହାନ କରାଇ ପିନ୍ଧାଇଲେ ଝୀନ ବାସେ ।୭୨।
ଅନେକ କୁସୁମେଣ କେଶ ସାଞ୍ଜୋଇ
ଅଷ୍ଟରତ୍ନ ଅଳଙ୍କାର ଶରୀରେ ଆଭରଣ କରାଇ ।୭୩।
ଚନ୍ଦନ ଚତୁସମ ମୃଗଲାଭ କସ୍ତୁରୀ
ଆପଣେ ଦ୍ରିଯୋଧନ ଶଙ୍କୁନି ଶରୀରେ ଲେପନ କରି ।୭୪।
ଶ୍ରୀହସ୍ତେ ପାଟଶାଢୀ ଦିଲାକ କୁରୁପତି
ୟେ ପଞ୍ଚୁକଟକେ ମାତୁଳ ତୁମ୍ଭେ ୟେକାଙ୍ଗ ମହାମନ୍ତ୍ରୀ ।୭୫।
ଯେ ସେ ନାଶଗଲେ ତୋର ପିତା ବାନ୍ଧେବ ସୋହୋଦରେ
ତାହା ମାତ୍ର ତୋତେ ଦେଇ ନ ପାରିବି ମନ୍ତ୍ରୀବରେ ।୭୬।
ଇନ୍ଦ୍ରପ୍ରଶସ୍ତ ଯମପ୍ରଶସ୍ତ ହସ୍ତିନା ଜୟନ୍ତା ବାରୁଣା
ୟେ ପଞ୍ଚୁରାଜ୍ୟକୁ ମାମୁ ତୁହି ସେ ଧାରଣା ।୭୭।
ବଇଠା ରାଜା ସେ ଆଜହୁଂ ମୋହୋର
ତୋହୋର ଆଗ୍ୟାଂ ହି ସେ ପଞ୍ଚୁରାଜ୍ୟକୁ ନିରାଧାର ।୭୮।
ଆଲମ୍ୱ ପାଟଛତ୍ର ଉଭାରନ୍ତି ବେନି ପାଖେ
ଛାମୁରେ ଫୁରଇ ସୁବର୍ଣ୍ଣ ବନ୍ଧା ଶଙ୍ଖ ଲକ୍ଷେ ।୭୯।
ଲକ୍ଷେକ ଆଲଟ ଯେ ଢାଳନ୍ତି ବେନି କତି ।୮୦।
ଆଗେଣ ମହାମତ୍ତ ଯେ ପାଞ୍ଚ ଲକ୍ଷ ଗଜ
ପଛରେଣ ପାଞ୍ଚ ମର୍ଭୁତ ଅଶ୍ୱ ଚୋଖାର କଲେ ସଜ ।୮୧।
ୟେସନେକ ସମ୍ପଦ କରାଇଣ ଶଙ୍କୁନି
ଗାନ୍ଧାରୀଙ୍କ ଛାମୁକୁ ଦ୍ରିଯୋଧନ ଗଲା ଘେନି ।୮୨।
ଶଙ୍କୁନି ନାମେଣ ଯେ ବ୍ରତିଲା ତୋହୋର ୟେକ ଭ୍ରାଥ ।୮୩।
ଅନେକ ପୁରୁଷାର୍ଥ ଯେ କରାଇଲା ଦ୍ରିଯୋଧନ
ଦୁତୀ ଇନ୍ଦ୍ର ପ୍ରାୟେ ଦିଶଇ ଗାନ୍ଧାରସେନ ନାନ ।୮୪।
ଗାନ୍ଧାରୀ ବୋଇଲେ ୟେ ସଭିୟେଂ ଗଲେ ନାଶ
ୟେକା ପାମର ତୁ ଜୀବନେ କଲୁ ଆଶ ।୮୫।
ମୁହିଂ ୟେବେ ତୋହୋର ରେ ପ୍ରକୃତି ଜାଣିଲି
ତୁ ୟେକା ବ୍ରତିଲୁ ଦ୍ରିଯୋଧନର ବଂଶ ନାଶ କରିବୁ ବୋଲି ।୮୬।
ମୋହୋର ବଚନ ଶୁଣରେ କୁରୁ-ରାଜ-ଦେବ
ଶଙ୍କୁନି ବଚନକୁ ବାବୁରେ ନଯିବୁ ସଦଭାବ ।୮୭।
ଯାହାର ବଂଶ ନାଶ କଲୁ ତାହାକୁ କଲୁ ମନ୍ତ୍ରୀ
ଉଭୟେ କୁଳ ନ ପାରିବି ବୋଲି ବୋଇଲେ ମହାସତୀ ।୮୮।
ପିତାକୁଳ, ସ୍ୱାମୀକୁଳ ଅବଶ୍ୟ ଯିବ ନାଶ
ଯହିଂ ପାପ ତହିଂ ନାଶ ହୋଅନ୍ତି ଅବଶ୍ୟ ।୮୯।
ଗାନ୍ଧାରୀ କହିଲେ ସିଦ୍ଧ ଅର୍ଥ ବାଣୀ
ମୂର୍ଖ ଦ୍ରିଯୋଧନ ତାହା ଶ୍ରବଣେ ନ ଶୁଣି ।୯୦।
ରାଗେଣ ଗାନ୍ଧାରସେନକୁ ରାୟେ ମାରି
ପାଣ୍ଡବଙ୍କ ରାଗେ ହୋ ଅପାର ବିସରି ।୯୧।
କର୍ଣ୍ଣ ଶଙ୍କୁନି ଯେ ଅଶସ୍ତମା କୃପ
ୟେହାନ୍ତ ଘେନି ୟେକାନ୍ତେ ଭାଳୁଥାଇ ନୃପ ।୯୨।
ବିଦୁରେ କହିଲେ ଯେ ଯୁଝେଷ୍ଠିଙ୍କ ଅଗ୍ରତେ
ଧୃତରାଷ୍ଟି ବାବୁରେ ଅନେକ କୋପ କଲା ତୋତେ ।୯୩।
ତୁ ବାବୁ ୟେ କଥାନ୍ତ ବୁଝିଥାଅ ପରିମାଣି
ଅନେକ ପ୍ରମାଦେ ତୋତେ ଚିନ୍ତିବ କୁରୁମଣି ।୯୪।
ରାଜାଗାନ୍ଧାରସେନ ବଂଶ ନାଶ କଲା ତୁମ୍ଭ ରାଗେ
ଶଙ୍କୁନି ମହାମନ୍ତ୍ରୀ ହୋଇଲା ଶୁଭଯୋଗେ ।୯୫।
ଅବଶ୍ୟ ପ୍ରମାଦ ସେ ଚିନ୍ତିବଟି ତୁମ୍ଭଙ୍କୁ
ବହୁତ ବାଗେ ସମ୍ଭାଳିଥିବ ଟି ଭୀମସେନକୁ ।୯୬।
ଯୁଝେଷ୍ଠି ପଚାରନ୍ତି ବିଦୁର ଅଗ୍ରତେ
ଧୃତରାଷ୍ଟି ୟେତେ ରାଗ କରିଛିକିନା ମୋତେ ।୯୭।
ଯଦ୍ୟପି ଅଦୟା ମୋତେ କରିବେ କୁରୁରାୟେ
ତୁହି ମାତ୍ର ତାତ ମୋତେ କରିଥାଅ ସଦୟେ ।୯୮।
ବିଦୁର ବାସୁଦେବ ଯେବେ ହୋଇବେ ସପକ୍ଷ
ତ୍ରୈଲୋକ୍ୟ ବ୍ରହ୍ମାଣ୍ଡେ ମୋତେ କେ ଅଛି ସମକକ୍ଷ ।୯୯।
ଜତୁଗୃହ ନିର୍ମାଣ ଓ ଭୀମର ବିଷଲଡୁ ଭକ୍ଷଣ
ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ
କୂଟ ଉପାୟେ ପାଞ୍ଚୁଅଛି ଧୃତରାଷ୍ଟର ତନୁ ।୧।
ଦ୍ରିଯୋଧନ କର୍ଣ୍ଣ ଶଙ୍କୁନି ଅଶସ୍ତମା
ବାରୁଣାବନ୍ତେ ବସି ଭାଳନ୍ତି ମହାତମା ।୨।
ତୁଳମାସ କୃଷ୍ଣପକ୍ଷ ଦ୍ୱିତୀୟାର ତିଥି
ବନସ୍ତେ ଥାଇ ଭାଳଇ ମାନଚକ୍ରବ୍ରତୀ ।୩।
ଆହୋ ପୁରୋତନ ନାମେ ୟୋକଇ ଦ୍ୱିଜବର
ୟେକା ହୋଇଥାଇ ବ୍ରାହ୍ମଣ ବନସ୍ତ ଭିତର ।୪।
ପୂର୍ବ ଅଭିଶାପରୁ ଅଷ୍ଟବସୁରୁ ୟେକ ବସୁ
ଶାପ ଅନୁମତୁଂ ୟେ ବୁଲଇ ବନ କନ୍ଦର ଦେଶୁ ।୫।
ପୂର୍ବ ଅନୁକର୍ମରେ ୟେ ବନ ପର୍ବତେ ଅଛନ୍ତି ବସି
ପୁରୋଚନ ପଣ୍ଡାୟେ ସନ୍ନିଧ୍ୟେ ହୋଇଲେକ ଆସି ।୬।
ଧାର୍ମିକ ବିବେକ ବେଦ ଶାହାସ୍ରେଣ ନିର୍ଜିତା
ବେଦ ଆଧ୍ୟାନ ସେ କରଇ ବ୍ରାହ୍ମଣ ମହତା ।୭।
କର୍ଣ୍ଣ ପଚାରିଲେ ତୁମ୍ଭେ କାହିଂର ପଣ୍ଡା ହେ
ବନସ୍ତେ ଭ୍ରମୁଅଛ ହୋଇଣ ନିର୍ଭୟେ ।୮।
ବ୍ୟାଘ୍ର ଭାଲୁକେଣ ତୁମ୍ଭେ ନକର କି ଶଙ୍କା
ୟେ ଘୋର ବନସ୍ତେ ତୁମ୍ଭେ ବୁଲ କିଂପେ ୟେକା ।୯।
ପୁରୋଚନ ବୋଇଲା ତୁମ୍ଭେ କାହିଂର ନରପତି
ହତରାଜ୍ୟ ପ୍ରାୟେ ତୁମ୍ଭର ଭାଳୁଣି ଯେମତି ।୧୦।
କର୍ଣ୍ଣ ବୋଇଲେ ତୁମ୍ଭେ ଶୁଣ ହୋ ଦ୍ୱିଜବର
ପଞ୍ଚୁକଟକେ ଆଧିପତି ୟେ ଦ୍ରିଯୋଧନ ମହାବୀର ।୧୧।
ୟେହାର ବଡ଼ କଷ୍ଟ ଶତ୍ରୁର ଉପଦର୍ପେ
ଅନେକ ବିଷରଇ ରାଜା ବଇରି ମତ୍ତଗର୍ବେ ।୧୨।
ବିଚକ୍ଷଣ ବିବେକ ଧାର୍ମିକ ମହାରାୟେ
କେଡ଼େକ ଶତ୍ରୁ ସେ ତାହାକୁ ତୋହୋର ୟେତେକ ଭୟେ ।୧୩।
ରଥ ଗଜ ଅଶ୍ୱ ପାଦାନ୍ତି ବଳ ତାର କେତେ
ସର୍ବେ ମାଆ ରାଣ୍ଡ ପାଞ୍ଚ ଗୋଟି ପୁତ୍ରେ ।୧୪।
ପୁରୋଚନ ବୋଇଲା ୟେତେକ ଛାରକୁ
ବେଢିଣ ମାରିକି ହୋ ନ ପାରିଲା ତାହାକୁ ।୧୫।
ଦ୍ରିଯୋଧନ ବୋଇଲା ତାଙ୍କୁ ପ୍ରାକର୍ମେ ନୋହୁ ସରୀ
ଯୁଦ୍ଧେଣ ବଳବନ୍ତା ପ୍ରାକର୍ମେ କେଶରୀ ।୧୬।
ପୁରୋଚନ ବୋଇଲା ମୋହୋର ଅଛିନି ଉପାୟେ
ମୁହିଂ ତାହା ନାଶକରି ପାରଇ କୁରୁରାୟେ ।୧୭।
ୟେମନ୍ତ ଶତ୍ରୁ ସେ ତୁମ୍ଭର ତାହାକୁ ୟେଡ଼େ ଭୟେ
ଯାହା କହିବି ମୁଂ କରିବ କଥାୟେ ।୧୮।
ଗ୍ରାମ ଗୋଟିୟେ ମାତ୍ରକ ତୁ ତାହାକୁ ଛାଡ଼ିବୁ
ଜଉ ସଜଳସ ଗୁଆଘୃତ ଛଣପଟ ମୋତେ ଦେବୁ ।୧୯।
ଜଦୁର ଘରେକ ମୁଂ ଭିଆଇବି କୂଟେ
ଜଉ ସଜଳସ ଗୁଆଘୃତ ଛଣପଟେ ।୨୦।
ଆହୋ ପାଣ୍ଡବନ୍ତ ରୁହାଇବୁ ସେ ଘରରେ ଆଣି
ନିଦ୍ରାକାଳେଣ ଜାଳି ଦେବଇଂ ମୁହିଂ ୟେ ରୟେଣୀ ।୨୧।
ଜଦୁର ଘରେ ଦହନ ହୋଇବେ ପଞ୍ଚୁବୀରେ
ୟେକାଙ୍ଗ ରାଜା ତୁ ହୋଇବୁ ପଞ୍ଚୁକଟକରେ ।୨୨।
ଶୁଣିଣ ପରମ ସାନନ୍ଦ ହୋଇଲା କୁରୁପତି
ବ୍ରାହ୍ମଣକଇଂ ସମ୍ଭାଳିଲା ଅନେକ କରି ପ୍ରୀତି ।୨୩।
ବୋଇଲା ୟେହି ବାରୁଣାବନ୍ତ କଟକ ଯେ ମୋହୋର ରାଜ୍ୟ
ତୋହୋର ଆଗ୍ୟାଂ ହେ ୟେହା ଛାଡ଼ିଲି ହୋ ଦ୍ୱିଜ ।୨୪।
ଅନେକ ରତ୍ନ ଦେଇ ସେ କଲାକ ଗଉରୋବ
ଆତ୍ମାହୁଂ ଅଧିକ ସେ ହୋଇଲା ପ୍ରିୟ ଭାବ ।୨୫।
ଜଉ ସଜଳସ ଗୁଆଘୃତ ଛଣପଟ
ୟେ ଚାରିଙ୍କି ମର୍ଦ୍ଦି ପୁରେକ ନିର୍ମିତ କଲା କୂଟ ଯେ କପଟ ।୨୬।
ବିଚିତ୍ର ଲେଖନ ଉପରେ ନିର୍ବାଣି
ଲମ୍ୱନ୍ତି ଅଷ୍ଟରତ୍ନେ ମୁକୁତା ଝରାମଣି ।୨୭।
କାନ୍ଥ ଚାଳ ସେ ରୁଅ ବତା ଆଦି କରି
ଜଉ ସଜଳସ ଗୁଆଘୃ ତଛଣପଟେ ଜଡ଼ି ।୨୮।
ଭିତରେଣ ସମାନ ଉପରେ ବିଚିତ୍ର କମ
ଝଲକନ୍ତି ମଣିରତ୍ନ ଚିରାଳ ଉତ୍ତମ ।୨୯।
ସୁବର୍ଣ୍ଣର କଳସ ଯେ ବସାଇ ଉପରେ
ପୁର ନିର୍ବାଣ କଲା ବ୍ରାହ୍ମଣ ପାଞ୍ଚ ବରଷରେ ।୩୦।
ଯୁଝେଷ୍ଠିଙ୍କି ହକାରୀ ଯେ ବୋଇଲେ ଧୃତରାଷ୍ଟେ
ବାବୁ ତୋହୋର ଥିବା ନ ଯୋଗାଇ ହସ୍ତିନାକଟକେ ।୩୧।
ବାବୁ ଭୀମସେନ ଦ୍ରିଯୋଧନ ହୋଇଲେ ଅନେକ ଅପ୍ରୀତି
ଦ୍ୱନ୍ଦ ହୋଇବ ବାବୁ ନ ରହ ତୁ ୟେଥି ।୩୨।
ତୁମ୍ଭନ୍ତ ଛାଡ଼ିଲୁ କଟକ ବାରୁମାବନ୍ତେ
ସୁଖେଣ ରାଜ୍ୟ ଭୋଗ କର ପଞ୍ଚୁଭ୍ରାତେ ।୩୩।
ଯୁଝେଷ୍ଠି ବୋଇଲେ ଆମ୍ଭେ ଆଦ୍ୟହୁଂ ବନଚର
ଜନ୍ମହୁଂ ବଢିଲୁ ଆମ୍ଭେ ଶତଶିଂଗ ପର୍ବତର ।୩୪।
ୟେ ତୋହୋର ଆଗ୍ୟାଂ ଶିରେ ଧରି ମାନୁ ଆମ୍ଭେ ପଞ୍ଚୁଭ୍ରାଥେ
ବାରୁଣାବନ୍ତ ରାଇଜେ ତାତ ରହିବୁ ନିଶ୍ଚିନ୍ତେ ।୩୫।
ଧୃତରାଷ୍ଟର ଆଗ୍ୟାଂ ଶିରେ ନିରାଧାର କରି
ଶୁଭ ଅନକୂଳ ଯୋଗ ଲଗ୍ନ ଯେ ବିଚାରି ।୩୬।
ମାର୍ଗଶୀର କୃଷ୍ଣପକ୍ଷ ପ୍ରତିପଦା ଚନ୍ଦ୍ରବାର
ବୃଷ ରାଶିକୁ ଭୋଗ ଯେ ଅଟଇ ସେ ଦିନର ।୩୭।
ତୈତିଳ ନାମେ କରଣ ଶିବ ନାମେ ଯୋଗ
ତାର ଚନ୍ଦ୍ର ବଳ ଶଶୀ ରୋହିଣୀ ଘରେ ଭୋଗ ।୩୮।
ୟେସନେକ ଶୁଦ୍ଧ ଶୁଭଯୋଗ ଅନକୂଳେ
ବାରୁଣାବନ୍ତକୁ ଅନକୂଳ କଲେ ଶୁଭଲଗ୍ନ ବେଳେ ।୩୯।
ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ
କୋଇନ୍ତାକୁ ଘେନି ଚଳିଲେ ପଞ୍ଚୁ ଯେ ପାଣ୍ଡବ ।୪୦।
ପ୍ରବେଶ ଯୁଝେଷ୍ଠି ଯାଇ ବାରୁଣାବନ୍ତ ପ୍ରଶସ୍ତେ
ଜଦୁର ଘର ଦ୍ୱାରେ ଯେ ରହିଲେ ପଞ୍ଚୁଭ୍ରାଥେ ।୪୧।
ଦେଖନ୍ତି ଭୁବନ ଯେ ଅତି ପରିମଳ
ସୁବର୍ଣ୍ଣର କଳସ ଯେ ବସଇ ଢଳ ହଳ ।୪୨।
ଚଉଂରୀ ନବର ବିସ୍ତାର ଭିଆଣ ସାତପୁର
ଖଞ୍ଜିତ ରତ୍ନମଣି ମାଣିକ୍ୟ ବିସ୍ତାର ।୪୩।
ସୁବର୍ଣ୍ଣର ପାତିଆ ଯେ ଉପରେ ଛାୟେଣୀ
ମରକତ ବଇଡୁର୍ଯ୍ୟ ଗଜଦନ୍ତ ଶୁଦ୍ଧମଣି ।୪୪।
ପୀଢାର ଉପରେଣ ମାଣିକ୍ୟ ପୁଞ୍ଜୀ ପୁଞ୍ଜୀ
ବାଳ ଆଦିତ୍ୟର ତେଜ ପ୍ରଭାତେଣ ଗଞ୍ଜି ।୪୫।
ପୀଢାର ଉପରେଣ ନିର୍ବାଣ ଯେ ଅଷ୍ଟରତ୍ନ କମ
ଦେଖିଣ ଅନେକ ଉଷତ ଯେ ହୋଇଲେ ବୀର ଭୀମ ।୪୬।
ଭୀମସେନ ବୋଇଲେ ୟେ ବଡ ସୁସଞ୍ଚ ଭୁବନ ଗୋଟି
ବାରସ୍ୱତୀ ଭୁବନ ଜାଣି ତେଜ ୟେହାର ଫୁଟି ।୪୭।
ଯୁଝେଷ୍ଠି ବୋଇଲେ ବାବୁ ଭିତରେଣ ପଶ
କେମନ୍ତ ସରୂପ ତାହା ତୁ ବିଚାରିଣ ଆସ ।୪୮।
ଯୁଝେଷ୍ଠିଙ୍କ ଆଗ୍ୟାଂ ପ୍ରମାଣେ ମାରୁତି
ଜଦୁରଘର ଭିତରେ ପଶିଲା ତତକ୍ଷଣାନ୍ତି ।୪୯।
କଣୟ ପତ୍ର ରସାଣି ଅନେକ ରତ୍ନଖଞ୍ଜି
କିଅବା ବାରାନିଧି ଘେନି ଲକ୍ଷ୍ମୀ ୟେଥି ଭଜି ।୫୦।
ଭୀମସେନ ବୋଇଲା ସ୍ୱାମୀ ଶୁଣ ରାଜଦେବ
ୟେଡ଼େ ଦୟା କିଂପେ କଲା ମାନଗୋବିନ୍ଦ କେଉଂଣ ପ୍ରସ୍ତାବ ।୫୧।
ୟେ ମଧ୍ୟସ୍ୱର୍ଗରେଣ ୟେମନ୍ତ ଦେଖିଲା ମୋର ନାହିଂ
ମୁହିଂ ଆଶ୍ରିଜ ହୋଇଲେ ୟେ ପୁରକଇଂ ଚାହିଂ ।୫୨।
ଧୃତରାଷ୍ଟ ପୁଅଙ୍କୁ ମୋର ଅନେକ ରାଗ ଥିଲା
ୟେ ଦିବ୍ୟଭୁବନ ଦେଖନ୍ତେ ଦେବ ସମସ୍ତ ପାଶୋର ଗଲା ।୫୩।
ଯୁଝେଷ୍ଠି ବୋଇଲେ ଯେ ସେ ମୂର୍ଖପ୍ରାଣୀ
ପଣ୍ଡିତ କଥା ସେ ଯେ କେବେହେଂ ନଶୁଣି ।୫୪।
ଆପଣେ ବିଜେ କଲେ ଜଉଘରର ଭିତରେ
ପୁର ପରିମଳ ଜାଣନ୍ତି ପଞ୍ଚୁବୀରେ ।୫୫।
ଚନ୍ଦ୍ରଶାଳା ପୁରେ ଚଉଂରୀ ଭୁବନ
ଦକ୍ଷିଣ ଜଗତୀ ଯେ ନାନାବିଧରତ୍ନଚିହ୍ନ ।୫୬।
ମେଢକ ନିର୍ବାଣ ଯେ ଦେଖିଣ ତୋଷ ମତି
ବିଶ୍ୱେଶ୍ୱର ଆସନ କି ଅମର ବାରସ୍ୱତୀ ।୫୭।
ଭିତରେଣ ଥାଇ ଜଉ ଗୁଆଘୃତ ଛଣପଟ ଜଡ଼ି
ଉପରେ ସୁବର୍ଣ୍ଣ ରସାଣ ପତ୍ର ଅଷ୍ଟରତ୍ନେ ଖଞ୍ଜଣି କରି ।୫୮।
ଦେଖନ୍ତି ସୁସଞ୍ଚ ଯେ ଅତ୍ୟନ୍ତ ଅମୂଲ୍ୟ
କୁବେର ଅଳକା ଭୁବନେ ଯେ ନୋହଇ ସମତୁଲ ।୫୯।
ପ୍ରତକ୍ଷେ ପରିମଳ ସେ ଦେବଭୁବନ ପ୍ରାୟେ
ଦେଖିଣ ପରମ ସାନନ୍ଦ ସେ ଧର୍ମର ତନୟେ ।୬୦।
ଯୁଝେଷ୍ଠି ବୋଇଲେ ହୋ ଆମ୍ଭେ ପଞ୍ଚୁଭ୍ରାଥେ
ଆମ୍ଭର ମାତା ଅଛନ୍ତି କୋନ୍ତଭୋଜର ଦୋହିତେ ।୬୧।
ୟେହେନେକ ପୁର ଯେ ନିର୍ବାଣ କଲା ଦ୍ରିଯୋଧନ
କାହାର ବିଚାରକୁ ୟେହା ଦିଶଇ କେସନ ।୬୨।
ମାୟେ ବୋଇଲେ ବାବୁ ୟେ ବଡ଼ ସୁସଞ୍ଚ ପୁରୀ
ଦ୍ରିଯୋଧନ ବଡ଼ ସଦଭାବେ ୟେହା ନିର୍ବାଣକରି ।୬୩।
ତାହାର ହୃଦେ ଯେ ଆମ୍ଭଙ୍କୁ ନାହିଂ ପାପ ବାଧା
ମାନଗୋବିନ୍ଦ ୟେ ପୁର କରାଇଲା ବହିଣ ଶରଧା ।୬୪।
ଭୀମସେନ ବୋଇଲା ଦେବ ୟେ ଅତିଥି ସୁସଞ୍ଚ ପୁରୀ
ଅନେକ ପ୍ରିୟ ଭାବେ ୟେହା ନିର୍ବାଣିଲା ଦଣ୍ଡଧାରୀ ।୬୫।
ୟେବେ ସେ ଜାଣିଲି ଦ୍ରିଯୋଧନର ନିକଳଙ୍କ ହିୟା
ସୋଦ୍ରିମା ପଣ ଦେବ ପାଳିଲା କୁରୁନାହା ।୬୬।
ଅର୍ଜ୍ଜୁନ ବୋଇଲା ଦେବ ଦ୍ରିଯୋଧନ ଅଟଇ ଭଲ
ବଢିଲା ପିରତୀ ଦେବ ହୋଇଲା ସମତୁଲ ।୬୭।
ସୋଦ୍ରିମା ପଣ ଦେବ ଜାଣିମା କେମନ୍ତେ
ଭଲ ବାଞ୍ଛା କରଇ ଦେବ ତାହାର ହୃଦଗତେ ।୬୮।
ଅଭାବକୁ ଭାବ ଯେବେ କରନ୍ତି ଯେବଣ ପ୍ରାଣୀ
ସୁଜନ ସଙ୍ଗତରେ ତାହାନ୍ତଇଂ ଗଣି ।୬୯।
ସୋଦର ସୋଦ୍ରିମା ପଣ ଜାଣିମା କେମନ୍ତେ
ଧନ ପ୍ରାଣ ଭାରିଯା ଭାବଇ ହୃଦଗତେ ।୭୦।
ନକୁଳ ବୋଇଲା ଦେବତାର ନିକଳଙ୍କ ହିୟା
ତେଣୁ ସେ ଦ୍ରିଯୋଧନ ଆମ୍ଭଙ୍କୁ ଦେଲା ୟେହା ।୭୧।
ସେ ମହା ଧାର୍ମିକ ବିବେକ ସୋଦ୍ରିମ
ଆମ୍ଭନ୍ତ ସମ୍ଭାଳିଲା ଅଟଇ ତାର ଧର୍ମ ।୭୨।
ସହଦେବ ବୋଇଲା ଦେବ ବଡ଼ ସୁସଞ୍ଚ ପୁର
ଅତି ଅନନ୍ତ ଅଲେଖ ସେ କଣୟ ବିସ୍ତାର ।୭୩।
ଦ୍ରିଯୋଧନ ଆମ୍ଭଙ୍କୁ କାହିଂ ୟେଡ଼େକ ସୁହୃଦେ
କପଟ ପ୍ରାୟେ ଦେବ ବୁଝଇ ମୋହୋର ହୃଦେ ।୭୪।
ଯୁଝେଷ୍ଠି କୋଳ ଯେ କଲେ ସହଦେବଙ୍କୁ
ତୋହୋର ପ୍ରସାଦେ ବାବୁ କାରଣ ଅଛଇ ମୁକୁ ।୭୫।
ସହଦେବଙ୍କୁ ଘେନି ୟେକାନ୍ତ ହୋଇଲେ ଯୁଝେଷ୍ଠି ଦେବ
ବାବୁ କେମନ୍ତ କପଟରେ କହସି ସହଦେବ ।୭୬।
ସହଦେବ କହଇ ପୁରୋଚନ ନାମେ ଦ୍ୱିଜ
ତାହାର ଭିଆଣ ୟେ ଅଟଇ ଧର୍ମରାଜ ।୭୭।
ଜଉ ସଜଳସ ଛଣପଟ ଗୁଆଘୃତ ଭରି
ୟେହାର ସଂଯୋଗେଣ ଘର ନିର୍ବାଣ ଯେ କରି ।୭୮।
କାନ୍ଥ ଚାଳ ରୁଅ ବତା ଆଦି କରି
ଜଉ ସଜଳସ ଗୁଆଘୃତେ ଜଡ଼ି ।୭୯।
ନିଦ୍ରାକାଳେ ୟେଥି ଲଗାଇବ ଜୁଇ
ୟେମନ୍ତ ଭିଆଣ କରିଅଛି କୁରୁସାଇଂ ।୮୦।
ଯୁଝେଷ୍ଠି ମନେ ମନେ ସୁମରନ୍ତି ଧର୍ମ ଧର୍ମ
ବାବୁ ଗୋପ୍ୟ କରନି ୟେ କଥା ନ ଜାଣୁ ବୀରଭୀମ ।୮୧।
ଜାଣିଲେ ୟେ କ୍ଷଣି ଦ୍ୱନ୍ଦ ଯେ କରିବ ସାଂଗ୍ରାମ
ଦ୍ରିଯୋଧନ ଶତେ ଭାଇଙ୍କି ମାରିବ ଅତିତମ ।୮୨।
ଧୃତରାଷ୍ଟ ପୁଅନ୍ତ ସେ ସବୁନ୍ତି ମାରିବ
ଅନ୍ଧରାଜା ଗୋଟି ଯେ ଅନାସ୍ତ ହୋଇବ ।୮୩।
ବାବୁ ସେ ଅବା କପଟ କଲା ନ ବିଚାରି
କେମନ୍ତେ ଧର୍ମେ ଆମ୍ଭେ ହୋଇବା ୟେଥୁଂ ପାରି ।୮୪।
ସହଦେବ ତୁନି ହୋଇଲେ ଯୁଝେଷ୍ଠିଙ୍କ ବଚନେ
ରହିଲେ ଜଗବନ୍ଦନ ବାରୁଣାବନ୍ତ ସ୍ଥାନେ ।୮୫।
କ୍ରୀଡ଼ନ୍ତି ବିହଡ଼ନ୍ତି ଘୋର ବିପଟ ବନ ଭେଦି
ମାରନ୍ତି ବରେହା ହରିଣ ବାହୁଟିଆ ବନଚର ଖେଦି ।୮୬।
କୁତୂହୋଳେ ବେଣ୍ଟେ ବିହଡ଼ନ୍ତି କୁରୁଳି
ଯେସନେକେ ସିଂଘ ବନେ ନିର୍ଭୟେ ହୋଇ ଖେଳି ।୮୭।
ମୃଗ ବାହୁଟିଆ ଗଣ୍ଡା ଜୀବମାନ ଧରି
ଧୃତରାଷ୍ଟଙ୍କ କତିକି ଯାଆନ୍ତି ପକ୍ଷକେ ଦ୍ରଶନ କରି ।୮୮।
ପୁରୋଚନ ରାଇଣ ପଚାରଇ ଦ୍ରିଯୋଧନ
ପାଣ୍ଡବଙ୍କର ମୃତୁକୁ ଅଛିଟି କି ବିଧାନ ।୮୯।
ପୁରୋଚନ ବୋଇଲା ମୁଂ ଗଙ୍ଗା କୂଳୀୟା ଦ୍ୱିଜ
ଅଥର୍ବ ବେଦୀ ବ୍ରାହ୍ମଣ ମୁଂ ସମସ୍ତ ବିଦ୍ୟାରେ ଗ୍ରାହିଜ ।୯୦।
ଯେଉଣିସି ପ୍ରକାରେ ଯେ ନାଶିବା ଶ୍ରତ୍ରୁକୁ
ତହିଂକି ଅଧର୍ମ କିଛି ନାହିଂ ନା ତୁମ୍ଭଙ୍କୁ ।୯୧।
ବିଷ ୟୋଗାଡ଼େକ ୟେବେ ଭିଆଇବି ମୁହିଂ
ଭୀମାକୁ ପରଷିବା ଭାବେଣ ଭୁଞ୍ଜାଇ ।୯୨।
ଶୁଣି କରି ହରଷ ହୋଇଲା ଦ୍ରିଯୋଧନ
ବେଗ କରି ୟେହା କର ହୋ ବ୍ରାହ୍ମଣ ।୯୩।
ରାଇଜ୍ୟକୁ ରୁହାଇବୁ ତୋହୋର ବୁଦ୍ଧିମତେ
ପ୍ରଥମେ ୟେ କଥା ହୋ କର ଯଥା ଅର୍ଥେ ।୯୪।
ୟେଥୁ ଅନ୍ତେ ସଞ୍ଜୟେ ବିଦୁର ଭୂରିସର୍ବା ଭୀଷ୍ମ ସହିତ
କର୍ଣ୍ଣ ଅଶସ୍ତମା ଶଲ୍ୟ ଶଙ୍କୁନି କୃପମାନନ୍ତ ।୯୫।
ୟେହାନ୍ତ ବସାଇଣ ସେ ଯେ ଭାଳନ୍ତି ଧୃତରାଷ୍ଟ
ରାଜ୍ୟକଇଂ ଅଯୋଗ୍ୟ ମୁଂ ନୟନ ମୋର ଭ୍ରଷ୍ଟ ।୯୬।
ବ୍ୟାସେ ଦୁର୍ଭାସା ଅନୁରାଗେଣ କରି
ପୁଅନ୍ତ ପାଇଲି ମୁଂ କ୍ଷତ୍ରିୟ ଦୁର୍ଭାରି ।୯୭।
ପୁଅ ଗୋଟିୟେ ଅଭିଷେକ କରାଇବି ରାଜ୍ୟକୁ
ଧର୍ମ ସରୂପ ବିଚାରି କହିବ ଜାଣ ମୁକୁ ।୯୮।
ଭୟ ଉପ୍ରୋଧ ଦୁହିଙ୍କି କର ତୁମ୍ଭେ ପରିତେଜ୍ୟା
ୟେ ପଞ୍ଚୁରାଜ୍ୟକୁ ହୋ କେହୁ ହୋଇବ ମହାରାଜା ।୯୯।
ଶୁଣିଣ ସମସ୍ତ ଯୋଧାୟେ ହୋଇଲେକ ତୂଷ୍ଣୀ
ଭୂରିସର୍ବାୟେ ବୋଇଲେ ଶୁଣ ଧୃତରାଷ୍ଟି ।୧୦୦।
ଧର୍ମ ନିମନ୍ତେ ଯେବେ ପଚାରିଲୁ ଦୃଢ କରି
ନ ପୁଣ କୋପକୁ ତୁ ରାୟେ କରୁ ନା ବିଚାରି ।୧୦୧।
ଧୃତରାଷ୍ଟ ବୋଇଲେ କିଛିହିଂ ନାହିଂ କୋପ
ଯେସନେକେ ବହୁତ ବିଚାରକୁ ଆସଇ ସରୂପ ।୧୦୨।
ଆହୋ ସବୁନ୍ତି ବସାଇ ବଦୟନ୍ତି ସୋମବଂଶୀ ଜ୍ୟେଷ୍ଠ ଭୂରିସର୍ବା
ଆମ୍ଭର ବିଚାରକୁ ଯୋଗାଇ ଯୁଝେଷ୍ଠିଙ୍କି ରାଜ୍ୟ ଦେବା ।୧୦୩।
ଯାହାର ବଚନକୁ ଭଜଇ ସଂସାର
ତାହାକଇଂ ଆସଇ ଯେ ଯୁଗତେ ରାଜ୍ୟ ଭାର ।୧୦୪।
ଆମ୍ଭନ୍ତ ଘେନି ଯେବେ ଭାଳିଲୁ କୁରୁନାଥ
ଆମ୍ଭର ବିଚାରକୁ ଯେ ଯୋଗାଇ ୟେମନ୍ତ ।୧୦୫।
ଯୁଝେଷ୍ଠି ଥିଲେ ତୋହୋର ଦ୍ରିଯୋଧନ ନୋହଇ ରାଜା
ଯୁଝେଷ୍ଠିଙ୍କି ଭଜଇ ସଂସାର ଜନପ୍ରଜା ।୧୦୬।
ଅଳପ ଦୋଷେ ଯେବେ ବହୁତ କରଇ କୋପ
ଦୁର୍ଭାର ଭାର ସେ ଜାଣ କିସ କରିବ ନୃପ ।୧୦୭।
ପ୍ରତଗ୍ୟାଂ ଦର୍ପେ ଅବା ଦ୍ରିଯୋଧନକଇଂ କରିବୁ ତୁ ରାଜା
ଅନେକ ଦେଶ ଭାଞ୍ଜିବ ଯେ ପଳାଇବେ ଜନପ୍ରଜା ।୧୦୮।
ଜ୍ୟେଷ୍ଠ ପୁତ୍ର ଥାଉଂ କନିଷ୍ଠ ପୁତ୍ର ନୋହଇ ରାଜ୍ୟ ନୃପ
ଅଦଛ ପୁତ୍ର କି ସେ ତାହାକୁ ଭାଞ୍ଜିବୁ ତୁ ତାହାର ବାପ ।୧୦୯।
ଯୁଝେଷ୍ଠିଙ୍କି ରାଜ୍ୟ ଦିଲେ ୟେ ୟେକ ରାଜ୍ୟ ହୋଇବ
ନିର୍ଦ୍ୱନ୍ଦ ହୋଇଣ ସୁବିଧାନେ ଦିନ ଯିବ ।୧୧୦।
ତୁ ଅବା ବେଳେ ଆମ୍ଭର ବୋଲ ଭାଞ୍ଜିବୁ ଧୃତରାଷ୍ଟ
ଆପଣେ ଛତ୍ର ଉଡ଼ାଇ ବସିବ ସେହୁ ପାଟ ।୧୧୧।
ୟେକା ରାଇଜେ ହୋ ଦୁଇ ଦଣ୍ଡ ହୋଇଲେ
ଅନେକ ଦ୍ୱନ୍ଦ ହୋଇବ ଦିନ ନ ଯିବଟି ଭଲେ ।୧୧୨।
ତୋତେ ସେ ରାଇଜ ପଦ ଦିଲେ ଶାୟେଂତନୁର ତନୁ
ବଳେ ତୋର ରାଜ୍ୟ ଘେନିଲାଟି କାଳ ଯେ ଦମନୁ ।୧୧୩।
ପଳାଇ ପଶିଲୁ ଯାଇ ତୁ ଶତଶିଂଗ ପର୍ବତେ
ମାଡ଼ିଣ ବସିଲା ରାଜ୍ୟ ଦମନ ପଞ୍ଚଇପ୍ରଶସ୍ତେ ।୧୧୪।
ପଣ୍ଡୁ ଯେ ସେ ବେଳେ ତପସ୍ୟାୟେ ହୋଇଥିଲେ ଅଗ୍ନିୟାନ
ରାଜ୍ୟ ସୁଖେ ଭୋଗକଲା କାଳ ଯେ ଦମନ ।୧୧୫।
ପଞ୍ଚଦଶ ବରଷ ଯହୁଂ ପଣ୍ଡୁର ସଂପୂର୍ଣ୍ଣ ହୋଇଲା
ଭାଗ୍ୟବର ତୋଷି ଅନେକ ବିଦ୍ୟା ସାଧ୍ୟ କଲା ।୧୧୬।
କାଳ ଦମନର ତୁଲେ ଅନେକ ଘୋର ଯୁଦ୍ଧ
ପଣ୍ଡୁ ତାହାଙ୍କୁ ଜିଣିଲା ତେତିଶ ଦିନର ମଧ୍ୟ ।୧୧୭।
ଚଉବିଂଶ କ୍ଷେଉଣୀ ଯେ ଦମନର ଥାଠ
ପଣ୍ଡୁର ଶରଘାତେ ସେ ହୋଇଲେ ମୁଣ୍ଡକାଟ ।୧୧୮।
ପଞ୍ଚପୁରୁଷ ଘେନି ସେ ରାଜ୍ୟେ ବସିଥିଲା
ପଣ୍ଡୁର ବିଘାତେ ତାର ବଂଶ ନାଶଗଲା ।୧୧୯।
ତୋତେ ବସାଇଲା ଆଣି ହସ୍ତିନା ଭୁବନେ
ତୋତେ ସଂପଦ ଦେଇଣ ସେ ପଶିଲା ଘୋରବନେ ।୧୨୦।
ପଣ୍ଡୁର ଅର୍ଜିଲାର ୟେ ଅଟଇ ପଞ୍ଚୁରାଜ୍ୟଇ
ତାହାର ପୁତ୍ରକଇଂ ସେ ସଂସାର ଯୋଗାଇ ।୧୨୧।
ତୁ ଅବା ୟେକଥା ହୋ ରାଜା କରିବୁ ଗୁପତ
ସେ ଜାଣି ଅଛନ୍ତି ଯେ ସମସ୍ତ ତଦନ୍ତ ।୧୨୨।
ଯୁଝେଷ୍ଠି ଥିଲେ ତୋତେ ରାଜ୍ୟ ଭାର ନାହିଂ
ଯେଥି ମଧ୍ୟେ ଯୁଝେଷ୍ଠିଙ୍କି ସମାର୍ଜି ପାର ଯେବେ ଧର୍ମ କଥା କହି ।୧୨୩।
ବିଦୁରେ ବୋଇଲେ ଯୁଝେଷ୍ଠି ହୋଇବେ ଯେବେ ଶାନ୍ତି
ଭୀମ ଅର୍ଜ୍ଜୁନ କିଂପେ ଭଜିବେ ତ୍ରିପୁତି ।୧୨୪।
ଶଙ୍କୁନି ବୋଇଲା ମୋର କଥାୟେ ଅଛଇ
ପଣ୍ଡୁର ପଞ୍ଚୁପୁତ୍ରକୁ ଯେବେ ନିଶେଷ କରି ମାରଇଂ ।୧୨୫।
ତେବେ ସେ ଦ୍ରିଯୋଧନ ୟେ ରାଜ୍ୟେ ହେବ ରାଜା
ସୁଖେ ଭୋଗ୍ୟ କରିବ ରାଜ୍ୟ ଜନ ପ୍ରଜା ।୧୨୬।
ଧର୍ମ ଧର୍ମ ସୁମରି ସମସ୍ତେ ସଭାରୁ ଗଲେ ଉଠି
ପାଣ୍ଡବନ୍ତ ମାରିବାକୁ ବୁଦ୍ଧିୟେ କରଇ ଧୃତରାଷ୍ଟି ।୧୨୭।
କୂଟ କପଟ ଭିଆଉ ଅଛନ୍ତି ଶଙ୍କୁନି ପୁରୋଚନ
କର୍ଣ୍ଣ ଧୁଶାସନ ଶତେ ଭାଇ ଦ୍ରିଯୋଧନ ।୧୨୮।
ବିଷଲଡ଼ୁର ଯୋଗାଡ଼ ଯେ ଭିଆନ୍ତି ମନେ ଭାଳି
ଧର୍ମ ତେଜ୍ୟା କଲେ ଯେ ଅସତ୍ୟ ପ୍ରତିପାଳି ।୧୨୯।
ମନେଣ ବିଚାରନ୍ତି ସେ ଧୃତରାଷ୍ଟ ରାୟେ
କେବଣ ବୁଦ୍ଧି ୟେବେ କରିବା ଉପାୟେ ।୧୩୦।
ୟେତୁ ଅନ୍ତରେ ସେ ପଣ୍ଡୁର କୁମରେ
ଭ୍ରମନ୍ତି ମୃଗୟା ବିନୋଦେ ପଞ୍ଚୁବୀରେ ।୧୩୧।
ଗଣ୍ଡା ଗୋଟିୟେ ମାଇଲେକ ଘୋର ବନେ
ଯୁଝେଷ୍ଠି ବୋଇଲେ ରେ ଶୁଣ ଭୀମସେନେ ।୧୩୨।
ଅପୂର୍ବ ପଦାର୍ଥ ୟେ ନିଅ ହସ୍ତିନାକୁ
ଗଣ୍ଡା ଗୋଟି ନେଇ ଦେଇ ଆସ ଧୃତରାଷ୍ଟ ରାଜାଙ୍କୁ ।୧୩୩।
ଯୁଝେଷ୍ଟିଙ୍କର ବଚନେ ସେ ପବନର ଶିଷି
ଗଣ୍ଡା ଗୋଟି ଘେନି ସେ ହସ୍ତିନାକୁ ଆସି ।୧୩୪।
ଧୃତରାଷ୍ଟ ସଂଜୟେ ବିଦୁର କୃପ ଅଶସ୍ତମା
ୟେହାନ୍ତ ଘେନି ଭାଳଇ କ୍ଷତ୍ରିୟ ମହାତମା ।୧୩୫।
ଧୃତରାଷ୍ଟ ବୋଇଲେ ନ ଭାଞ୍ଜ ତୁମ୍ଭେ ମୋତେ
ତ୍ରେତୟା ଯୁଗେ କେମନ୍ତେ କଲେ ଦଶରଥେ ।୧୩୬।
ଶ୍ରୀରୀମଚନ୍ଦ୍ର ଯେ ଅଟନ୍ତି ଜ୍ୟେଷ୍ଠପୁତ୍ର
ତାହାଙ୍କୁ ଛାଡ଼ି ରାଜ୍ୟ ଦିଲାକ ଭରଥ ।୧୩୭।
ବିଦୁରେ ବୋଇଲେ ସେ ଖଳ ବଚନେ ୟେମନ୍ତ କଲା
ଭ୍ରଥ ରାଜା ନୋହିଲା ଆପଣେ ନାଶ ଗଲା ।୧୩୮।
ବିଦୁରେ ବୋଇଲେ ତୁ ନ ଭାଳ ନିୟୋମାନ
ମନ୍ଦବୁଦ୍ଧି ଭାଳିଣ ପୁଅନ୍ତ କରୁଛୁ ଅନ୍ୟୋଅନ୍ୟ ।୧୩୯।
ଆପଣେ କଷ୍ଟି ହୋଇ ମରିବୁ ବଂଶହିଂ ନାଶ ଯିବ
ତୋହୋର ବୁଦ୍ଧିବଳେ ଭ୍ରଥ ୟେମନ୍ତ ହୋଇବ ।୧୪୦।
ୟେମନ୍ତ ଭାଳେଣି ତହିଂ ହୋଇବାର ସମୟେ
ଗଣ୍ଡା ଗୋଟି ଘେନି ଭୀମସେନ ପ୍ରବେଶ ଆସି ହୋୟେ ।୧୪୧।
ବିଦୁରେ ବୋଇଲେ ତାତ ନ ଧର କିଂପା ସୀମା
ଗଣ୍ଡା ଗୋଟି ଘେନି ଦ୍ରଶନ କଲା ଭୀମା ।୧୪୨।
ୟେମନ୍ତ ଭଗତି ତୋତେ ହେଉଛନ୍ତି ପୁତ୍ରେ
ୟୋହାକୁ ପାପ ଚିତ୍ତ ତୁ ଧରିବୁ କେମନ୍ତେ ।୧୪୩।
ଭଗତି ଲୋକଙ୍କୁ ଯେ ଧରଇ ପାପକଥା
ଆପଣେ ହିଂ ନାଶ ଯାଆନ୍ତି ପାପେ ବୁଡ଼ନ୍ତି ସର୍ବଥା ।୧୪୪।
ୟେକଥା ମାନ ଯେବେ ମିଥ୍ୟାଟି ହୋଇବ
ୟେ ସଂସାର ଜନ ଆଉ କେମନ୍ତେ ବ୍ରତିବ ।୧୪୫।
ପୂର୍ବର ପାତକେଣ ୟେବେ ହୋଇଲୁ ହୀନ ଚଛୁ
ୟେ ଜନ୍ମେ ପୁଣି ପରେ ପ୍ରମାଦ ଚିନ୍ତୁଅଛୁଂ ।୧୪୬।
ୟେମନ୍ତ ପାତକ କଲେ ଉପରକୁ ନାହିଂ ତ ସଦଗତି
ନର୍କ ହିଂ ସେ ଅଛି ଟି ତୋତେ ନାଶ କର ଶାସ୍ତି ।୧୪୭।
ବିଦୁର ବଚନେ ଅନ୍ଧ ଉଠିଲା ସିର ଝୁଣି
ଖଣ୍ଡାୟେକ ଘେନି ଆସଇ ବିଦୁରକୁ ହାମି ।୧୪୮।
କୋଳ କରି ଧଇଲେ ସେ ଅଶସ୍ତମା କୃପେ
ରହ ରହ ନୃପତି କିଂପେୟେଡ଼େକ ପରିତାପେ ।୧୪୯।
ଉଠିଣ ବିଦୁର ଯେ ଗଲେକ ନିଜ ସ୍ଥାନେ
ବୋଇଲେ ବଂଶ ନାଶକଲୁ ତୋହୋର ମନ୍ଦଗ୍ୟାନ ।୧୫୦।
ଭୀମସେନକୁ କୋଳ କରି ଧଇଲେ ନିକଟେ
ମୁଖେ ଚୁମ୍ୱନ ଦେଇ ବଦୟନ୍ତି ଧୃତରାଷ୍ଟେ ।୧୫୧।
ବାବୁ ତୁ ଯାଇ କହିବୁ ଯୁଝେଷ୍ଠିଙ୍କ ଆଗର
ସୋଦରେ ଅନ୍ୟୋଅନ୍ୟ କରା ଅଛି ବିଦୁର ।୧୫୨।
ତାହାର ବଚନକୁ କେହି ନ ଯିବଟି ବିଶ୍ୱାସ
ନାରଖାର ଭିଆଇ ସେ ସବୁନ୍ତି କରିବଟି ନାଶ ।୧୫୩।
ଧୃତରାଷ୍ଟ ବୋଇଲେ ଦ୍ରିଯୋଧନକୁ ରାଇ
ଭୀମସେନକୁ ଘେନି ଭୁଞ୍ଜି ବସ ସବୁ ଭାଇ ।୧୫୪।
ପିତାର ବଚନେ ଦ୍ରିଯୋଧନ ଭୀମକୁ କୋଳ କରି
ସରୋବରେ ପଶି ସ୍ନାହାନ ବେଗେ ସାରି ।୧୫୫।
ଠାବ ସଜାଡ଼ିଣ ରାଇଲେ ପୁରୋଚନ
ଭୀମାକୁ ପାଶେ ଘେନି ବସିଲେ ଦ୍ରିଯୋଧନ ।୧୫୬।
ଡାହାଣେ ଦ୍ରିଯୋଧନ ବାମେ ଧୁଶାସନ
ମଧ୍ୟରେ ବସାଇଲେ ଯେ ପବନ ନନ୍ଦନ ।୧୫୭।
ରତ୍ନଝରିରେ ଦିଲେକ ସୁବାସିତ ପାଣି
ସୁବର୍ଣ୍ଣ ପଇଲମ ଯେ ଛାମୁରେ ଦିଲେ ଆଣି ।୧୫୮।
ପରଶଇ ଅନ୍ନ ଯେ ବିପ୍ର ସୁବର୍ଣ୍ଣ ପାତ୍ର ଘେନି
ଚିନ୍ତୁଅଛି ପ୍ରମାଦ ସେ ବିପ୍ର ଯେ ଅଗ୍ୟାନୀ ।୧୫୯।
ଭୋଜନେ ଅତ୍ରିପୁତି ସେ ପବନର ବଳା
ଭୁଞ୍ଜଇ ବ୍ରିକୋଦର ସେ ଆହାରେ ମତି ଭୋଳା ।୧୬୦।
ଦୁଦୁରା ମଞ୍ଜି ଗଞ୍ଜାଇ ଶାକାର ମିଶାଇ ଭରି
ମାଛରେ ମିଶାଇଲା ତାହା ରାନ୍ଧିଲା ଯତ୍ନ କରି ।୧୬୧।
ଉପରେ ଭଲ ଥିଲା ତାହା ଦ୍ରିଯୋଧନ କୁଦିଲା
ତଳେ ଜଡ଼ି ବିଷମାନ ତାହା ଭୀମସେନକୁ ପରଶିଲା ।୧୬୨।
ମଧୁର ସୁଆଦରେ ତାହା ଭୁଞ୍ଜଇ ମାରୁତି
ଜାଇଫଳ ଗରଳ ମିଶାଇ ଦେଲା ଖଣ୍ଡପଣା କତି ।୧୬୩।
ଦ୍ରିଯୋଧନ ବୋଇଲା ମୋତେ ଶୋଷ ନାହିଂ
ଭୀମସେନ କତିକି ସେ ଦିଲାକ ବଢାଇ ।୧୬୪।
ସୁଖେଣ ପିଅଇ ସେ ପାଣ୍ଡବ ସୁନ୍ଦର
ଦୁଗୁଣ ଘାରିଲା ବିଷ ମଧୁର ଆହାର ।୧୬୫।
ଅଧାମ ଭିତରେ ଲଇଲା ଅଛି ମହୁରା ସିଂଘଡ଼ା ଜାତି
ତହୁଂ କପୋରାୟେ ଦିଲା ସେ ଭୀମସେନ କତି ।୧୬୬।
ଖଣ୍ଡ ଶାକର ଯେ ମେଦିଲା ଅଛି ତହିଂ
ଭୁଞ୍ଜଇ ବ୍ରିକୋଦର ମନେଣ ହରଷ ପାଇଂ ।୧୬୭।
ଭୋଜନ ଅନ୍ତେ ନେଇ ପରଶିଲେ ବିଷଲଡୁ
ଅହିବ୍ରତେକ ଲଡୁ ତା ଗ୍ରାସବଢୁ ।୧୬୮।
ଲଡୁର ସୁସ୍ୱାଦେ ଯେ ଅତି ଉପମା ଦେଖି
ଗୋଟାୟେ ଗୋଟାୟେ କରି ଭୁଞ୍ଜଇ ନୟନ ନିରେଖି ।୧୬୯।
ଗଞ୍ଜାଇ ଫଳ ଦୁଦୁରା ଫଳରେ କାକରା
ଆବର ମିଶ୍ରିତ ତହିଂ ସିଂଘଡ଼ା ଜାତି ମହୁରା ।୧୭୦।
କାଳସର୍ପର ବିଷ ଲଡୁରେ ସେ ଭରି
ୟେହାକୁ ଭକ୍ଷିଣ ବ୍ରିକୋଦର ପ୍ରାଣ ହାରି ।୧୭୧।
ଲାଗିଲା ବିଷ ଯେ ପଡ଼ିଲା ଅଚେତେ
ମଧୁର ରସ ପାଇ ସେ ବିଷ ଖେପିଲା ନିଜ ଗାତ୍ରେ ।୧୭୨।
ଭୁଞ୍ଜ ଭୁଞ୍ଜୁଣ ଢଳି ପଡିଲା ବୀର ଭୀମ
ସେହିଠାରେ ଲୋଟି ସେ ହୋଇଲା ଅସାଷ୍ଟମ ।୧୭୩।
ଥାନ ମାନ ନିଶ୍ଚଳ ନ ବହଇ ପବନ
ଛାଡିଲା ପଞ୍ଚଭୂତ ହୋଇଲା ଅଚେବନ ।୧୭୪।
ଆଦିତ୍ୟ ଅସ୍ତ ଯହୁଂ ଗଲେ ପଶ୍ଚିମ ଦିଗ ଭାଗେ
ରାତ୍ର ଅଧ ଆସି ଯେ ହୋଇଲା ନିଶା ଯୋଗେ ।୧୭୫।
ଧୁଶାସନ ଦୁର୍ଜୟେ ଦୁର୍ବିନ୍ଦ ଦୁରାଷ୍ଟ
ଭୀମକୁ ଧରି ନେଇ ପକାଇଲେ ଜଳଘାଟ ।୧୭୬।
ଯମୁନା ନଦୀରେ ଯେ ଥାଆନ୍ତି ନାଗେଣୀ
ଭୀମସେନକୁ ବାନ୍ଧି ନେଇ ମେଳିଲେ ତହିଂ ପାଣି ।୧୭୭।
ୟେହି ଜଳ ମଧ୍ୟେ ନାଗୁଣୀ ୟାକୁ ଖାଉ
କୁରୁବୀରମାନଙ୍କର ଆପଦ ଆଝୁଂ ଯାଉ ।୧୭୮।
ୟେତେ ବୋଲି ଚାରିହେଂ ଅଇଲେ ପକାଇ
ଭୀମକଇଂ ମାରି ସ୍ୱସ୍ଥ ହୋଇଲେ କୁରୁସାଇଂ ।୧୭୯।
ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି
ଧର୍ମ ଥିଲା ପ୍ରାଣୀକି ନ ଆସେ ପାପ କତି ।୧୮୦।
ଅନନ୍ତ ନାଗର ଦୁହିତା ବେଲାବାଳୀ
ପଦ୍ମେକ ନାଗେଣୀ ଘେନି ସେ କରଇ ଜଳକେଳି ।୧୮୧।
ନାଗେଣୀ ବଳ ଘେନିଳ ସେ ଖେଡ଼ ଖେଡ଼ନ୍ତି ଜଳେ
ପଦ୍ମ ବିଙ୍ଘସିତ ଯେ ଶିଶିର ଋତୁ କାଳେ ।୧୮୨।
ନାଗେଣୀ ବିଚାରନ୍ତି ୟେତ ବଡ଼ାଇ ଅପୂର୍ବ
ଶିଶିରେ ସୁଲଭ ତ ବସନ୍ତ ପଲ୍ଲବ ।୧୮୩।
କାଲି ତ କିଛିହିଂ ନଥିଲା ୟେହୁ ଜଳେ
ଅଦଭୁତେ ହୋଇ ବିଙ୍ଘସିତ କମଳେ ।୧୮୪।
ଦେଖନ୍ତି ଗୋଟାୟେ କିସ ଅପୁରୁବ
ଲୋଡ଼ନ୍ତେ ଦେଖିଲେ ସେ ସୁନ୍ଦର ମୃତୁ ଶବ ।୧୮୫।
ଅତି ସୁକୁମାର ସୁସଞ୍ଚ ତାହାର କାୟେ
ରାତ୍ରକାଳେ ଦିଶଇ ଶରଦ ଚନ୍ଦ୍ରମାର ପ୍ରାୟେ ।୧୮୬।
ଦେଖିଣ କୋଳ କରି ଧଇଲା ବେଲାବାଳୀ
ୟେ ପୁରୁଷ ଅଟଇ ମୋ ମନର ହିଆଳି ।୧୮୭।
କୋଳ କରି ନାଗେଣୀ ଯେ ବୁଡ଼ାଇଲେ ତାହାକୁ
ଘେନିଗଲେ ସୁନ୍ଦରୀ ସେ ପାତାଳ ଭୁବନକୁ ।୧୮୮।
ଛାମୁରେ ନେଇ ଦିଲେ ଅନନ୍ତ ନାଗରାଜା
ବିଚାରଇ ଅନନ୍ତ କେବଣ ଦିଗପାଳ ଆତ୍ମଜା ।୧୮୯।
ଅମୃତ ଦିଲା ଆଣି ବ୍ରିକୋଦର ମୁଖେ
ନବ ଶସ୍ର ନାଗର ବଳ ହୋଇ ଉଠିଲା ପ୍ରତକ୍ଷେ ।୧୯୦।
ସାଷ୍ଟମ ହୋଇ ବୀର ଚାହଇଂ ଚଉକତି
ଦେଖଇ ଜଳ ଭୁବନ ପୂରିଅଛଇ ଅପ୍ରମିତି ।୧୯୧।
ଚଉକତିକି ଚାହିଂ ମନରେ ବିଚାରି
ମୁହିଂ ତ ପଡିଲି ଆସି ଜଳ ଭୁବନ ଅନ୍ଧାର ପୁରୀ ।୧୯୨।
କେ ମୋତେ ଆଣି ୟେଥେ କଲାକ କପଟେ
ଅଗାଦ ଜଳ ଭୁବନ ୟେଥୁଂ ମୁ ଯିବି କେବଣ ଘାଟେ ।୧୯୩।
ୟେ ନାଗେଣୀବଳମାନଙ୍କୁ ପକାଇବି ମାରି
ଯିବାକଇଂ ବାଟ ନାହିଂ ୟେ ଜଳ ଅନ୍ଧାରପୁରୀ ।୧୯୪।
ପୁଣି ବିଚାରଇ ୟେହାଙ୍କର ତୁଲେ ହୋଇବି ପୀରତି
ଭାବ ବଢାଇଲେ ମୋତେ ସେ ଅଛଇ ସଦଗତି ।୧୯୫।
ଭୀମସେନ ବୋଇଲା ତୁମ୍ଭେ ଶୁଣ ଗୋ ନାଗେଣୀ
ମୁହିଂ ଯେ ମାନୁଷ କେହୁ ମୋତେ ୟେଥକୁ ଆଣି ।୧୯୬।
ଭୀମସେନର ବଚନେ ସେ ଅନନ୍ତ ଦୁଲାଳୀ
ଭୀମକୁ କୋଳ କରିଣ ସେ ବୋଇଲା ବେଲାବାଳୀ ।୧୯୭।
ଅନନ୍ତ ନାଗ ଦୁହିତା ଆମ୍ଭେ ଜଳଭୁବନ ବାସୀ
ସନ୍ଧ୍ୟାବାଳୀ ବେଲାବାଳୀ ବିଝଂବାଳୀ ଉଦାସୀ ।୧୯୮।
ୟେ ଚାରି କନ୍ୟାୟେ ଆମ୍ଭେ ଅନନ୍ତ ଦୁଲାଳୀ
ଯମୁନା ଜଳ ଗଭୀର ଯୋଜନ ସହସ୍ର ଯେ ଚାରି ।୧୯୯।
କ୍ରୀଡ଼ାରଙ୍ଗ କରନ୍ତେ ଭେଟିଲୁ ତୁକୁ ଯାଇଂ
ମୃତୁ ପିଣ୍ଡ ଗୋଟି ଯେ ତୁ ଥିଲୁ ଉପୁଚିଆଇଂ ।୨୦୦।
ଦ୍ରିଯୋଧନ ତୋତେ ଯେ ଭୁଞ୍ଜାଇଣ ନେଲା
କପଟ କୂଟ କରିଣ ସେ ତୋତେ ବିଷ ଲଡୁ ଦିଲା ।୨୦୧।
ଲୁବୁଧେ ଖାଇଣ ତୁ ପଡ଼ିଲୁ ଅଚେବନେ
ଅଗାଦ ଜଳେ ତୋତେ ପକାଇଲେ କୁରୁବୀରମାନେ ।୨୦୨।
ଆମ୍ଭେ ଭେଟିଲୁ ତୋତେ କ୍ରୀଡ଼ାରଙ୍ଗ ବେଳେ
ଅନନ୍ତ ନାଗ ଛାମୁକୁ ତୋତେ ଆଣିଲୁ ପାତାଳେ ।୨୦୩।
ଅମୃତ ଦେଇଂଣ ତୋତେ ଜିଆଇଂଲେ ଆମ୍ଭ ତାତ
ତୁ ୟେବେ ମାରିଣ ଲୋଡୁ ଅଛୁ ଯେ ଆମ୍ଭନ୍ତ ।୨୦୪।
ପରକୁ ଉପଗାର କଲେ କି ଆପଣେ ନାଶ ଯିବା
ଲେଞ୍ଚ ଲୋକଙ୍କୁ ହୋ ଉପଗାର ନ କରିବା ।୨୦୫।
ନାଗେଣୀର ବଚନେ ଭୀମସେନ ପରମ ଶାନ୍ତି
ଛାଡ଼ିଲା କୋପଭର ବତାଇଲା ପୀରତି ।୨୦୬।
ଅନନ୍ତ ବିଜେ କଲେ ଭୀମସେନର ସନ୍ନିଧାନେ
ପବନର ନନ୍ଦନ ଦେଖି ସାନନ୍ଦ ପଞ୍ଚୁମନେ ।୨୦୭।
ବାବୁ ତୁ ଯେ ସୋମବଂଶୀ ଅଟୁ ମହାବଳୀ
ମୋହୋର ଦୋହିତା ତୋତେ ପ୍ରଦାନ କରିବ ବେଲାବାଳୀ ।୨୦୮।
ବୋଲଇ ମାରୁତି ତୋର ଯେହ୍ନେକ ବିଚାରଇ
ମୋହୋର ବେଳେ କି ତାହା ନାସ୍ତି କରିପାରଇ ।୨୦୯।
ଯାଚିଲାର କନ୍ୟା ଯେ ପାଚିଲାର ଅନ୍ନ
ୟେହା ଉପେକ୍ଷିଲେ ନାଶ ଯାଇ ଧର୍ମ ।୨୧୦।
ଅମୃତ ଯୋଗେ ସେ ସୀଉକାର କରି ନାଗ ରାୟେ
ବେଲାବାଳୀ କନ୍ୟାକୁ ଭୀମସେନକୁ ପ୍ରଦାନ କୟେ ।୧୧୧।
ନାଗେଣୀ ପ୍ରଦାନ କରି ସେ ଅନନ୍ତ ନାଗରାଜା
ଅନେକ ସମ୍ଭରେ ଭୀମସେନକୁ କଲା ପୂଜା ।୧୧୨।
ପୁରୁଷ ବଶ ବିଦ୍ୟା ସେ ଜାଣଇ ନାଗେଣୀ
ଭାବେ ବଶ୍ୟ ହୋଇଲା ସେ କାଳଦଣ୍ଡ ପାଣି ।୨୧୩।
ଅନନ୍ତ ବୋଇଲା ମୁ ଅପୂର୍ବ ଦେବଇଂ କିସ
ଯଉତୁକ ଦିଲା ଅମୃତ କୁମ୍ଭ ବିଶେଷ ।୨୧୪।
ବିଚାରଇ ଭୀମସେନ ୟେହା କାହିଂ ଥୋଇବି
ପିଣ୍ଡ ତ୍ରିପୁତି ହେବ ମୁଂ ୟେହା ଆହାର କରିବି ।୨୧୫।
ନବ ନିଶ୍ୱାସକେ ନବ କୁଣ୍ଡ ପିଇଲା
ଆହୁରି ନବ ସହସ୍ର ନାଗର ବଳ ହୋଇଲା ।୨୧୬।
ୟେକେ ମହାବଳୀ ପବନ ତନୟେ
ଅମୃତ ଖାଇ ତାର ଅବଳ ବଳ କାୟେ ।୨୧୭।
ପାତାଳେ ରହିଲା ବୀର ନାଗେଣୀ ରଙ୍ଗ ରସେ
ପାଶୋରିଲା ସୋହୋଦ୍ରନ୍ତ ସୁରତି ମୁହାଂସେ ।୨୧୮।
ଯୁଝେଷ୍ଠି ଦେବ ପଚାରନ୍ତି ଅର୍ଜୁନକୁ ହକାରି
ଭୀମା ଗଣ୍ଡା ଘେନିଗଲା ହସ୍ତିନା ରାଜ୍ୟପୁରୀ ।୨୧୯।
ନବ ଦିବସ ହୋଇଲା ନ ଆସିଲା ଆଜକୁ
କେମନ୍ତେ ଭୀମସେନ ମୂର୍ଚ୍ଛିଲା ଆମ୍ଭଙ୍କୁ ।୨୨୦।
କୋଇନ୍ତାୟେ ବୋଇଲେ ସେ ଦ୍ରିଯୋଧନର ମେଳ ପାଇଂ
ଖେଡ଼ କଉତୁକେ ଯେ ଅଛଇ ତହିଂ ରହିଂ ।୨୨୧।
କୋଇନ୍ତାଙ୍କର ବଚନେ ସେ ପୁଣ ଛଡ଼ ଦିବସ ଗଲା
ଷୋଳ ଦିବସ ହୋଇଲା ବାରତା ନୋହିଲା ।୨୨୨।
ଯୁଝେଷ୍ଠି ଅର୍ଜୁନ ଗଲେ ଭୀମସେନକୁ ଲୋଡ଼ି
ପ୍ରବେଶ ହୋଇଲେ ଯାଇଂ ହସ୍ତିନା ନଗ୍ରପୁରୀ ।୨୨୩।
ଧୃତରାଷ୍ଟଙ୍କ ପାଦ ତଳେ ହୁଅନ୍ତି ପରିଣାମି
ଭୀମ ଯେ ଅଇଲା, କେଣେ ଅଛି ସ୍ୱାମୀ ।୨୨୪।
ଧୃତରାଷ୍ଟ ବୋଇଲେ ସେ ଅଇଲା ଯେବଣ ଦିନ
ଗଣ୍ଡା ଗୋଟି ଦେଇଗଲା ୟେଥେ ନକଲା ଭୋଜନ ।୨୨୫।
ତକ୍ଷଣେ ଗଲା ସେ ନ ରହିଲା ୟେଥ
ଶୁଣିଣ ଆଶ୍ରିଜ ହୋଇଲେ ଧର୍ମସୁତ ।୨୨୬।
ଦ୍ରିଯୋଧନ ଧୁଶାସନ ଶଙ୍କୁନି କୃପ କର୍ଣ୍ଣକୁ
ଜଣେ ଜଣେ ପୁଛା କରନ୍ତି ଦେଖିଲା କି ଭୀମକୁ ।୨୨୭।
ସମସ୍ତେ ବୋଇଲେ ଆମ୍ଭର ଦେଖିଲା ତ ନାହିଂ
ପଞ୍ଚୁକଟକେ ଲୋଡ଼ନ୍ତି ମହା କ୍ରୋଧ ହୋଇ ।୨୨୮।
କୋଇନ୍ତାଙ୍କର ଅଗ୍ରତେ ପୁଛା କଲେ ଚଉଭ୍ରାଥେ
ଭୀମାକୁ ଲୋଡ଼ି ଗୋ ନପାଇଲୁ ପଞ୍ଚୁକଟକ ପ୍ରଶସ୍ତେ ।୨୨୯।
ୟେମନ୍ତେ ପାଣ୍ଡବେ ହୋଅନ୍ତି ବିକଳ
ସବୁଙ୍କରି ନୟନୁଂ ବହେ ଅଶ୍ରୁଜଳ ।୨୩୦।
ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ
ପାଣ୍ଡବଙ୍କୁ ମନ୍ଦ ୟେକା ଧୃତରାଷ୍ଟ ଗ୍ୟାନୁ ।୨୩୧।
ଶୁଣିଣ ବିଷାଦ କୋନ୍ତଭୋଜର କୁମାରୀ
କେଣେ ଗଲୁ ଦୁଖୀର ସଂଘାତ ଆମ୍ଭଙ୍କୁ ଛାଡ଼ି କରି ।୨୩୨।
ଧର୍ମରାଜା ବୋଇଲେ ମାତା ଗୋ ନୋହସି ବିଷାଦ ମନେ
ଭୀମସେନକୁ ଲୋଡ଼ି ନ ପାଇଲୁ ଜୀବନେ ।୨୩୩।
କୋଇନ୍ତାଏ ବୋଇଲେ ବନ କନ୍ଦର ଦେଶେ
ସଙ୍ଗତ ହୋଇ ଲୋଡୁଥିବ ନ ଜାଣିମେ ରାକ୍ଷସେ ।୨୩୪।
ପାଣ୍ଡବାସୁର ବଧ
ଆହୋ ଅନ୍ଧକର ବଂଶେ ଯେ ପାଣ୍ଡବାସୁର ବୀର
ପଣ୍ଡୁବତୀର ଗର୍ଭରୁ ଯେ ଉପୁଜିଲା ବ୍ରହ୍ମଅସୁର ।୧।
ଅନ୍ଧକର ପୁତ୍ର ଯେ ପାଣ୍ଡବା ମହାସୁରା
ହସ୍ତିନା ଭୁବନକୁ ସେ ବାହିଲା ମହାବୀରା ।୨।
ଥାଠ ସନ୍ୟ ନାହିଂ ସେ ଅସୁରର ତୁଲେ
ବ୍ରହ୍ମା ରୁଦ୍ରକଇଂସେ ଜିଣଇ ସାଂଗ୍ରାମେ ପଶିଲେ ।୩।
ବାମ କରେ ଶୂଳ ଡାହାଣ କରେ କୃପାଣଇ
ୟେତେକ ଘେନିଣ ସେ ସକଳ ଭୁବନ ଜିଣଇ ।୪।
ସାଂଗ୍ରାମେ ନିର୍ଭୟା ସେ ଦାନବ ମହାବଳୀ
ଜିଭରୁ ରୁଧିର ଦେଇ ତ୍ରିପୁତି କଲା ଭଦ୍ରକାଳୀ ।୫।
ପ୍ରସନ୍ନେ ବର ତାକୁ ଦିଲେ ମହାଦେବୀ
ଭଗବତୀ ବରେ ସେ ଦାନବ ତ୍ରିଜୀବୀ ।୬।
ସେ ପାଣ୍ଡବାସୁର ଯେ ବାହିଲା ଭୁବନ ହସ୍ତିନା
ଶରୀରେ ଶହସ୍ର ନ ଭେଦଇ ସେ ଅଟଇ ବଜ୍ରସେହ୍ନା ।୭।
ଯେତେକ ଜୀବଜନ୍ତୁ ଦେଖୁଅଛି ପଥେ ଯାଉଂ
ଆହାର ନ ଅଣ୍ଟଇ ଯେତେକ ଜନ୍ତୁ ଖାଉଂ ।୮।
ହସ୍ତିନା ରାଜ୍ୟେ କଲା ଅନେକ ଅରଷ୍ଟି
ବାରତା ପାଇଣ ଧାଇଂଲେ ସେ କୁମାର ଧୃତରାଷ୍ଟି ।୯।
ରଇବ୍ରତ ଆଖଡ଼ାୟେ ବଳରାମଙ୍କ ତୁଲେ ଥିଲେ
ନିଦାଘ ବନେ ସେ ପାଣ୍ଡବାସୁରକୁ ଦେଖିଲେ ।୧୦।
କର୍ଣ୍ଣ ବୋଇଲା ୟେ ଯେ ଅଟଇ ଅସୁରଅରି
ତପ ବନ ଭାଞ୍ଜି ସେ ଋଷିନ୍ତ ନାଶ କରି ।୧୧।
ଦ୍ରିଯୋଧନ ବୋଇଲା ବେଢଣ ଧର ୟେହା
ମାରିବା ନିଶାଚାର ତପୋଧନଙ୍କ ଦୋରେହା ।୧୨।
ୟେତେକ ବିଚାରି ବେଢିଲେ ତାହାକଇ କୋପେ
ନରଜନ୍ତୁ ଦେଖି ସେ ଉଷତ କଉଣୋପେ ।୧୩।
କୁରୁବୀରେ ଗଦା ମୂଷଳନ୍ତ ବୁଲାଇଲେ ତୋଳି
ଅସୁର ଶରୀରେ ପଡ଼ି ଗଦାବର ହୋଇଲାକ ଧୂଳି ।୧୪।
ଗଦାବର ଭଞ୍ଜନ୍ତେ ଯେ ହୋଇଲେ ବିରସେ
ଲୋଚି ହୋଇ ରହିଲେ ସମସ୍ତ କୁରୁବୀର ନିରାଶେ ।୧୫।
ଦେଖିଣ ପାଣ୍ଡବାସୁର ଅତି ଗରୁତାପ
ବଜ୍ର ମୂଷଳ ଘେନି ସେ ମାଇଲା କଉଣୋପ ।୧୬।
କର୍ଣ୍ଣ ଦ୍ରିଯୋଧନ ଦୁଶାସନ ଦୁର୍ଜୟେ
ଅଶସ୍ତମା ଆଦି କରି ପଡିଲେ ଅସୁର ଶସ୍ର ଘାୟେ ।୧୭।
ତବଦେଣ କୁରୁବୀରେ ପଳାଇଲେ ବିକଳେ
ସବୁନ୍ତି ହିଂ ଗୋଡ଼ାଇ ମାଇଲା ବଜ୍ର ଯେ ମୂଷଳେ ।୧୮।
ଗାନ୍ଧାରୀ ଶତେପୁତ୍ର ଆବର କର୍ଣ୍ଣ ଅଶସ୍ତମା
ସବୁନ୍ତି ମାଇଲା ସେ ଅସୁର ଦୁରାତମା ।୧୯।
ସବୁଙ୍କରି କେଶ ସେ ଧଇଲା ଲୋଚି କରି
ବେନି ଭୁଜେ ତୋଳି ଆଣଇ ବାରୁଣାବନ୍ତ ଗିରି ।୨୦।
ବୋଇଲା ଦରବେ ଯେବେ ଦିଲାକ ମେଞ୍ଜନ
ୟେ ପର୍ବତ ଉପରେ ବସି କରିବି ଭୋଜନ ।୨୧।
ଯୁଝେଷ୍ଠି ରହି ଅଛନ୍ତି ସେହି ବାରୁଣାବନ୍ତେ
ଭୀମସେନକୁ ନ ଦେଖି ବୁଲନ୍ତି ଚାରି ଭ୍ରାଥେ ।୨୨।
ପର୍ବତ ଉପରେ ସେ ମୃତୁ ପିଣ୍ଡମାନ ଥୋଇଂ
ନଦୀରେ ସ୍ନାହାନ ଯେ କରଇ ଅବଗାହି ।୨୩।
ଯୁଝେଷ୍ଠି ଦେଖିଲେ ଯେ ଧୃତରାଷ୍ଟର ପୁଅନ୍ତ
ଭୟେଣ ଯୁଝେଷ୍ଠି ଦେବ ହୋଇଲେ ଅନ୍ତର୍ଗତ ।୨୪।
ଭୀମକୁ ସୁମରନ୍ତି ଯେ ଦେବ ଧର୍ମ ଶିଷି
ବୈବୁ ଅନାସ୍ତର ନାଥ ତୁ କେଣେ ଅଛୁ ପଶି ।୨୫।
ବାବୁ କେବଣ ରାକ୍ଷସ ମୋର ଭାଇନ୍ତ ନାଶ କଲା
ଆମ୍ଭେ କି ବ୍ରତିବୁ ୟେଡ଼େ ପ୍ରମାଦ ପଡିଲା ।୨୬।
କ୍ରୋଧଭରେ ସୁମରିଲେ ଯହୁଂ ଧର୍ମର ନନ୍ଦନ
ପାତାଳେ ଆସନ ଯେ କମ୍ପିଲା ଭୀମସେନ ।୨୭।
ବୋଲଇ ବ୍ରିକୋଦର ଶୁଣଗୋ ବେଲାବାଳୀ
ମୋତେ ନ ଦେଖି ମୋହୋର ସୋଦରେ ବିକଳୀ ।୨୮।
ଜାତଗୁରୁ ଯେ ଅଟନ୍ତି ମୋର ନିଜ ମାତ
ଆତ୍ମାଗୁରୁ ମୋର ତୁହି ପ୍ରାଣର ସଂଘାତ ।୨୯।
ଭ୍ରାତା ମାତାଙ୍କୁ ମୁଂ ଯାଇଂ ଦ୍ରଶନ କରିବି
ପୁଣ ତୋର ତହିକିଂ ଗୋ ବହନ ଆସିବି ।୩୦।
ବୋଇଲା ଯେ ବେଲାବାଳୀ ଶୁଣ ହୋ ପ୍ରାଣନାଥ
ଦେଖିବୁ ନାହିଂ କି ସ୍ୱାମୀ ତୋହୋର ସୋଦରନ୍ତ ।୩୧।
ତୋହୋର ବୀର୍ଯ୍ୟ ଯେ ମୋହୋର ଗର୍ଭେ ପଡ଼ି
ମୋହୋର ଉଦର ଯେ ହୋଇଛି ଅଳ୍ପ ଅଳ୍ପ ଭାରି ।୩୨।
ୟେଥକୁ ନ ପୁଣ ସ୍ୱାମୀ ମନେ କରୁ ଭ୍ରାନ୍ତି
ନ ପୁଣ କାଳେ ବୋଲୁଟି ତୁ ହୋଇଲୁ ଅସତୀ ।୩୩।
ଭୀମସେନ ବୋଇଲା ଗୋ ଅବଶ୍ୟ ହୋଇବ ଦୁଲାଳ
ନାମ ଦେବୁଟି ତାହାର ତୁ ବଳୀ ଯେ ବେଲାଳ ।୩୪।
ମୁହିଂ ଯେ ମହାବଳୀ ତୁ ଅଟୁ ବେଲାବଳୀ
ଦୁହିଂଙ୍କର ନାମ ଦେଇଥିବୁଟି ନାଗର ଦୁଲାଳୀ ।୩୫।
ନାଗେଣୀକି ବୁଝାଇ ସେ ଚଳଇ ବ୍ରିକୋଦର
ନାଗେଣୀର ମାୟାରୁ ସେ ଯେ ହୋଇଲା ବାହାର ।୩୬।
ସ୍ନାହାନ କରିଣ ସେ ଆସଇ ପାଣ୍ଡବାସୁର କଉଣୋପ
ମୃତୁପିଣ୍ଡମାନଙ୍କର ସେ ମିଳିଲା ସମୀପ ।୩୭।
ଯୁଝେଷ୍ଠି ଅର୍ଜ୍ଜୁନ ନକୁଳ ସହଦେବ
ଚାରିଭାଇ ଆସିଣ ମିଳି ଓ ଗାଳିଲେ ଦାନବ ।୩୮।
ଦେଖିଣ ଦାନବ ସେ ମୂଷଳେକ ବୁଲାଇ
ପର୍ବତ ଉପରକୁ ସେ ଆସୁଅଛି ଧାଇଂ ।୩୯।
ଦେଖିଣ ଅର୍ଜ୍ଜୁନ ବିନ୍ଧିଲା ହାବୁଡ଼ା ନାମେ ଶର
ଧାତିକାରେ ପଡ଼ିଲା ସେ ଦାନବ ଉପର ।୪୦।
ଦେହ ଫୁଟିଲା ସେ ହାବୋଡ଼ା ଶରଘାତେ
ରୁଧିର ବୃଷ୍ଟି ଯେ ହୋଇଲା ଦୁରାପାତେ ।୪୧।
ପୁଣି ଉଠିଲା ସେ ଦୁର୍ଭାର କଉଣୋପ
ଅର୍ଜ୍ଜୁନକୁ ଶୂଳେ ପିଟିଲା ଗରୁତାପ ।୪୨।
ଅର୍ଜ୍ଜୁନ ପ୍ରହାର କଲା ବଜ୍ର ଯେ ମୁଦଗର
ବେନି ଶସ୍ର ହାବୋଡ଼ନ୍ତେ କମ୍ପିଲା ସ୍ୱର୍ଗପୁର ।୪୩।
ୟେହେନେକ ସାଂଗ୍ରାମ କରନ୍ତେ ଘୋର ମହାରଣ
ଭୀମସେନ ପ୍ରବେଶ ହୋଇଲା ତତକ୍ଷଣ ।୪୪।
ଦେଖିଣ ପରମ ସାନନ୍ଦ ହୋଇଲେ ଯୁଝେଷ୍ଠି
ବାବୁ ଧୃତରାଷ୍ଟ ପୁଅଙ୍କର ଦେଖରେ ଅରଷ୍ଟି ।୪୫।
ବାବୁ ରଇବ୍ରତ ପର୍ବତ ଆଖଡ଼ାରୁ ଆସୁଛନ୍ତି
ପାଣ୍ଡବାସୁର ଦତ୍ୟ ଯେ ମାଇଲା ସବୁନ୍ତି ।୪୬।
ଆହାର କରନ୍ତେ ଆମ୍ଭେ ଭେଟିଲୁ ଅସୁରକୁ
ଅନେକ ଯୁଦ୍ଧ କରି ଜିଣି ନ ପାରିଲୁ ୟେହାକୁ ।୪୭।
ଭୀମସେନ ବୋଇଲା ଦେବ କଥାକୁ ନ ବଢ
ଖାଉ ଖାଉ ଅସୁର କଉରୋବଙ୍କୁ ତୁମ୍ଭେ ବେଗେଂ ଛାଡ଼ ।୪୮।
ଆପଣାର ବଇରି ଦେବ ମାରୁଅଛି ପର
ୟେହି ସେ ପରମ ହିତ ହାଦେ କାର୍ଯ୍ୟହିଂ ଅପାର ।୪୯।
ଗଣ୍ଡା ଗୋଟି ଘେନି ଦେବ ଗଲି ଯେବଣ ଦିନେ
ଭୁଞ୍ଜାଇ ବସାଇଲେ ମୋତେ ଦ୍ରିଯୋଧନ ଧୁଶାସନେ ।୫୦।
କପଟ କରିଣ ଅଛନ୍ତି ଯେ ପାକ ମହାରସ
ତହିଂର ଭିତରେ ଲଇ ମୋତେ ପରଶିଲେ ବିଷ ।୫୧।
ବିଷ ଖାଇ ଦେବ ମୁଂ ଢଳିଲି ଯେତେବେଳେ
ନାଗେଣୀ ଖାଉ ବୋଲି ମୋତେ ମେଲିଦିଲେ ଅଗାଦ ଜଳେ ।୫୨।
ସ୍ୱାମୀ ଅନନ୍ତ ନାଗର ଯେ ଦୋହିତା ବେଲାବାଳୀ
ନାଗେଣୀ ବୃନ୍ଦ ଘେନି ସେ କ୍ରୀଡ଼ାରଙ୍ଗ କେଳି ।୫୩।
ମୋତେ ଦେଖି ପାତାଳ ଭୁବନକୁ ଘେନିଗଲେ
ଅମୃତ ଦେଇ ମୋତେ ସେ ଜିଆଇଂଲେ ସୁବେଳେ ।୫୪।
ଅନନ୍ତ ରାଜା ମୋତେ ବିଭାଦିଲାକ କୁମାରୀ
ଅନେକ ଭଗତି ମୋତେ ହୋଇଲା ନାଗର କୁମାରୀ ।୫୫।
ଆସନ କମ୍ପିଲା ଦେବ ତୁମର ସୁମରନ୍ତେ
ୟେକା ନିଶ୍ୱାସକେ ଅଇଲି ନାଗୁଣୀର ମହାମନ୍ତ୍ରେ ।୫୬।
ଭୋ ଦେବ ନାଶ ଆମ୍ଭେ ଯାହା କରନ୍ତୁ ବଇରି
ଦଇବ ନାଶିଲା ୟେହାଙ୍କୁ ଶୋକ ଛାଡ଼ ଦଣ୍ଡଧାରୀ ।୫୭।
ଛାଡ଼ଛାଡ଼ ଦେବ କୌରବନ୍ତ ପାଣ୍ଡବାସୁର ଖାଉ
ଯାବତ କାଳକୁ ଆମ୍ଭର ଅରଷ୍ଟିମାନ ଯାଉ ।୫୮।
ଯଦ୍ୟପି ଦ୍ରିଯୋଧନ ୟେଥୁ ପ୍ରାଣ ପାଇଯିବ
ଅନେକ ଦୁଖ ପାଇବା ଦେବ ରାଜ୍ୟ ପ୍ରାପତ ନୋହିବ ।୫୯।
ଯୁଝେଷ୍ଠି ବୋଇଲେ ବାବୁ ଦ୍ରିଯୋଧନକଇ ନକର କୋପ
ଦଇବ ଦଣ୍ଡ ବିହିଲା ତହିଂର ଅନରୂପ ।୬୦।
ଆମ୍ଭଙ୍କୁ ପାପ ଚିତ୍ତେ ଯାହା ଚିନ୍ତିଲା ଆପଣେ
ପ୍ରତ୍ୟକ୍ଷେ ଦେଖ ବାବୁ ଫଳିଲା ୟେହି କ୍ଷଣେ ।୬୧।
ବାବୁରେ ଅଣଉପଗାରୀ ପର ହିଂସକ ଯେଉଂ ପ୍ରାଣୀ
ଆପଣେ ନ କଲେ ୟେହା ଦଇବ ବିହଇ ଯେ ଆଣି ।୬୨।
ଧର୍ମହିଂ ସେ ଚାରିଯୁଗେ ବର୍ଧୁତ ଅଟଇରେ ବାବୁ
ଧର୍ମ ସେ ସଚରାଚର ପାଳନ କରଇ ସବୁ ।୬୩।
ଧର୍ମ ଥିଲେ ଜିଘାଂସ ନାହିଂଟି ପ୍ରାଣୀକି
ଆପଦ ବିପଦ ପଡ଼ିଲେ ଧର୍ମହିଂ ସେ ପ୍ରାଣୀକି ରଖି ।୬୪।
ବାବୁ ଅନିତ୍ୟ ସଂସାର ୟେ ନୋହଇ କାହାରି
ଜଳ ବିମ୍ୱ ଫୋଟକା ପ୍ରାୟେ ସଂସାର ବିହରି ।୬୫।
ତୁ ଯେ ଅଧର୍ମରେ ନାହୁ ମୋର ଭୀମ
ମୃତ ପିଣ୍ଡ ଜୀଆଂଇଲେ ଉଦିତ ହୋଇଧର୍ମ ।୬୬।
ଅଧର୍ମ ଲୋକଙ୍କୁ ବାବୁ ଧର୍ମ କରାଉଥିବା
ସେହି ତମୁ ନାଶ ଯିବେ ଆମ୍ଭେ ଧର୍ମେଣ ଉତୁରିବା ।୬୭।
ବାବୁ ଧୃତରାଷ୍ଟ ପୋୟେ ଯେ ଆମ୍ଭର ସୋଦର
ୟେହାନ୍ତ ଉଦ୍ଧର ଭାଇ ଧର୍ମ ଉପୁଜୁ ତିନିପୁର ।୬୮।
ମୁହିଂ ତୋର ଆପଦ ଘେନଇ ଆରେ ବାପ
ଅସୁରକୁ ବଦ୍ଧ କର ଦ୍ରିଯୋଧନକୁ ଛାଡ଼ କୋପ ।୬୯।
ଆମ୍ଭର ଦେଖନ୍ତେ ଯେବେ ଦ୍ରିଯୋଧନ ନାଶଯିବ
ଅନ୍ଧରାଜ ଗୋଟି ମୋର ଭାଇରେ ଅନାସ୍ତ ହୋଇବ ।୭୦।
ବାବୁ ଯଦ୍ୟପି କଉରୋବରେ ମରିବେ ୟେ ପ୍ରସ୍ତାବେ
ମୁହିଂକି ବ୍ରତିବି ଦ୍ରିଯୋଧନର ଅଭାବେ ।୭୧।
ଯୁଝେଷ୍ଠିଙ୍କର ମୁଖରୁ କଷ୍ଠୋର ବଚନ ଯେ ଶୁଣି
ଅସୁର ଉପରକୁ ବୀର ଉଠିଲା ଶିର ଝୁଣି ।୭୨।
ବ୍ରିକୋଦରକୁ ଦେଖିଣ ପାଣ୍ଡବାସୁର ବେଗେ
ବଜ୍ର ମୂଷଳ ଧରି ପିଟିଲା ଭୀମସେନ ବାମ ଅଙ୍ଗେ ।୭୩।
ପଡ଼ିଣ ବଜ୍ର ମୂଷଳ ଚୂର ହୋଇଗଲା
ଅସିବର ଘେନି କୋପେ ଅସୁର ଧାଇଂଲା ।୭୪।
ଖଡ଼କ ପ୍ରହାରନ୍ତେ ଯେ ଧଇଲା ମାରୁତି
ଅସୁର ହାଥୁଂ ଉଛୁଡ଼ି ଘେନିଗଲା ଝାତି ।୭୫।
ସେ ଅସିବର ଭୀମ ଊର୍ଦ୍ଧବାହୁ କରି ହାଣି
ପଡ଼ିଣ ଅସୁରର ଛିଡ଼ିଲା ଦକ୍ଷିଣ ପାଣି ।୭୬।
ପୁଣି ଆରେକ ବେଳେ ଯେ ପ୍ରହାର ଭୀମ କଲା
ବାମ କର ପାତିଲା ଯେ ଛିଡ଼ିଣ ପଡିଲା ।୭୭।
ପୁଣି ଆରେକ ବେଳେ ପିଟିଲା କୋପାନଳେ
ତାଳୁଠାରୁ ପାଦ ପରିଯନ୍ତେ ହୋଇଲେ ବେନି ଫାଳେ ।୭୮।
ପର୍ବେଣ ବର ତାକୁ ଦେଇଛନ୍ତି ଭଦ୍ର କାଳରାତ୍ରି
ଶରୀରେ ନ କାଟିବ ତୋର ବଜ୍ର ଛେଲ କାତି ।୭୯।
ତୀକ୍ଷ ଅସିବର ଶୂଳକେଦିଲେ ହାଥେ
ୟେ ଦୁହେଂ ହସ୍ତରେ ଥିଲେ
ତ୍ରୈଲୋକ୍ୟେ କେହି ଜିଣନ୍ତା ନାହିଂ ତୋତେ ।୮୦।
ତୋହୋରହିଂ ଶହସ୍ର ଛଡ଼ାଇ ତୋତେ ଯେ ମାରଇ
ତେବେ ସେ ଶରୀର ତୋହୋର ହଇବ ଅପହାରଇ ।୮୧।
ସେ କାଳୀଙ୍କର ବଚନ ହେ ନୋହଇ ଆନକଲା
ତାହାର ଅସିବାରେ ସେହି ସେ ନାଶଗଲା ।୮୨।
ନମସ୍ତେ ସୁରବର ସୁନ୍ଦର ଶ୍ରୀରାମ
ନମସ୍ତେ ଇଚ୍ଛାଙ୍କୁର ବଂଶ ମଣ୍ଡନ ଗୁଣଧାମ ।୮୩।
ନମସ୍ତେ ରଘୁନାଥ ଅମଳାଣ ସୂର୍ଯ୍ୟ ବଂଶୀ
ନମସ୍ତେ ଶ୍ରୀରାମ କଉଣୋପ ବଳଧ୍ୱଂସୀ ।୮୪।
ନମସ୍ତେ ଶ୍ରୀରାମ କୋଦଣ୍ଡ ଦୀକ୍ଷା ଗୁରୁ
ନମସ୍ତେ ଶ୍ରୀରାମଚନ୍ଦ୍ର ରାବଣ ଦର୍ପ ହରୁ ।୮୫।
ବାରାନିଧି ବନ୍ଧନ ନାଥ ହରି ବଳ ପ୍ରାଣବନ୍ଧୁ
ଅଧାରଣ ପୁରୁଷ ଉଦ୍ଧାରଣ ତୁହି ପବିତ୍ର ପୂର୍ଣ୍ଣଇନ୍ଦୁ ।୮୬।
ଥାବର ଜଙ୍ଗମ ଯେ କୀଟ ପତଙ୍ଗ ଆଦି
ତବ ପ୍ରସାଦେ ନାଥ ସବୁରି ବ୍ରତ ସିଦ୍ଧି ।୮୭।
କଉଶିକର ପ୍ରସନ୍ନେ ତାଡକୀ ଦର୍ପ ଗଞ୍ଜି
ଜନକ ଋଷି ଘରେ ଶିବଧନୁ ଭାଞ୍ଜି ।୮୮।
ଅଭୟ ଭୁବନେ ଯେ ବଇକୁଣ୍ଠପୁର ବାସୀ
ଯାହାର ନାରାଜେ ଅସୁର ଦର୍ପ ଧଂସି ।୮୯।
ଅନନ୍ତ ଦୁର୍ଗମ ଜଳ ଯେ କଲା ୟେକ ବାଟ
ଅହିଲା ସ୍ୱର୍ଗ ପାଇଲା ଫିଟିଲା ଗରୁକଷ୍ଟ ।୯୦।
ଶ୍ରୀଭଗବନ୍ତ ନାରାୟଣ ଚରଣେ ଶରଣ
ସୂର୍ଯ୍ୟ ବଂଶିକ ନାଥ ମୋତେ କରିବା ଉଦ୍ଧାରଣ ।୯୧।
ଯଦ୍ୟପି ଶ୍ରୀରାମ ମୁଂ ଦେଖନ୍ତି ବେନି ଡୋଳେ
ସ୍ନାହାନ ଭୋଜନ ମୁହିଂ ତେଜନ୍ତି ସର୍ବକାଳେ ।୯୨।
ଅଭୟ ପଦ୍ମପାଦ ଗୋଟି ପାଷାଣର ରେଖା
ୟେ ସଂସାର ଅନ୍ଧପଟଳରୁ ମୋତେ ମୁକତି ବାଟ ଦେଖା ।୯୩।
ନୟନେ ନ ଦେଖି ଯାହା ଶ୍ରବଣେ ନ ଶୁଣିଲି
ଗ୍ୟାଂନକୁ ଉପଲେଖି ମୁଂ ଶବଦକୁ ଗୋଡ଼ାଇଲି ।୯୪।
ଶ୍ରୀଜାନକୀ ବଲ୍ଲଭ ଚରଣେ ନିଜ ଦାସ
ଶୂଦ୍ରମୁନି ସାରୋଳା ଦାସକୁ ବୈକୁଣ୍ଠରେ ଦେବା ବାସ ।୯୫।
ଜତୁଗୃହ ଦାହର ମନ୍ତ୍ରଣା
ଆହୋ ବଦୟନ୍ତି ଅଗସ୍ତି ଶୁଣ ହୋ ଯୁଗବାସୀ
ଅମୃତର ସଭା ରଥ, ଶରୀର ଯେହ୍ନେ ତୋଷି ।୧।
ପାଣ୍ଡବାସୁରକୁ ଯହୁଂ ପାଣ୍ଡବେ ବଧ କଲେ
ତହୁଂ ସେ ପାଣ୍ଡବ ନାମ ପାଞ୍ଚେ ହେଂ ବହିଲେ ।୨।
ଧାତୁବାଦ ପୁରୁଷ ବୋଇଲେ ଶୂନ୍ୟଦେବ
ଆଜହୁଂ ତୁମ୍ଭ ନାମ ହେଉ ଯେ ପଞ୍ଚୁପାଣ୍ଡବ ।୩।
ଅସାଷ୍ଟମ ହୋଇ ଯେ ପଡ଼ିଥିଲେ କୁରୁବୀରେ
ଶରୀର ପାଇଲେ ସେ ଅର୍ଜୁନର ଜୀବନ୍ୟାସ ଶରେ ।୪।
ଭୀମସେନ ବୋଇଲାରେ ପ୍ରତଗ୍ୟାଂ କରୁଥିଲ
କପଠ ଭିଆଇ ମୋତେ ବିଷଲଡୁ ଦେଲ ।୫।
ତୁମ୍ୱର ନିମନ୍ତରେ ପାଣ୍ଡବାସୁର ନାଶି
ପାଣ୍ଡବ ନାମ ଆମ୍ଭନ୍ତ ଦିଲେ ସ୍ୱର୍ଗବାସୀ ।୬।
ଚଳନ୍ତି କୁରୁବୀରେ ଅନେକ ଅଭିମାନେ
ବିଜୟେ କୁରୁବୀରେ ହସ୍ତିନା ଭୁବନେ ।୭।
ସଞ୍ଜୟେ କହିଲେ ଶୁଣ ଅମ୍ୱିକାର ସୁତ
ପୁଅଙ୍କର ଚରିତ୍ର ତୋର ଶୁଣ ବିପରୀତ ।୮।
ବଳରାମଙ୍କ ମେଳୁଂ ଆସନ୍ତେ ତୋର ପୁତ୍ରେ
ପାଣ୍ଡବାସୁର ଦାନବ ଯେ ଦେଖିଲା ବନସ୍ତେ ।୯।
ସାଂଗ୍ରାମ କରି ସବୁନ୍ତିହିଂ ମାଇଲା ମହାରୋଳେ
ଭକ୍ଷଣ କରିବ ସବୁ ପକାଇ ଅନଳେ ।୧୦।
ପଣ୍ଡୁରନନ୍ଦନ ଯେ ଦେଖିଲେ ୟେମନ୍ତର ସମୟେ
ଅସୁର ମାରି ପ୍ରତଗ୍ୟାଂ ସାଚା କଲା ପବନ ତନୟେ ।୧୧।
ଅସୁର ମାରି ଯହୁଂ ପ୍ରତଗ୍ୟାଂ ସାଚା କଲେ
ପଞ୍ଚୁ ପାଣ୍ଡବ ବୋଲି ଆକାଶେ ଡାକିଲେ ।୧୨।
ସଞ୍ଜୟ କହନ୍ତେଣ ପ୍ରବେଶ ଦ୍ରିଯୋଧନ
ଧୃତରାଷ୍ଟେଙ୍କ ଅଗ୍ରେ ସମସ୍ତ କହିଲା କର୍ଣ୍ଣ ।୧୩।
ଶଙ୍କୁନି କହିଲା ଦେବ ଶୁଣ କୁରୁବଇ
ଭୀମସେନ ପାରକଲା ସେ ବିଷଲଡୁ ଖାଇ ।୧୪।
ସଞ୍ଜୟେ ତୋ ବଂଶନାଶ ହେବ ହୋ କୁରୁବଇଂ
ପାଣ୍ଡବ ବ୍ରତିଥିଲେ ତୋର ପୁଅଙ୍କର ଜୀବନ ନାହିଂ ।୧୫।
ଶୁଣିଣ ବିଷାଦ ହୋଇଲା ସେ ଅମ୍ୱିକାର ବଳା
ଅଗାଦ ସମୁଦ୍ରେ ନିଶ୍ଚେ ମୋହୋର ବୁଡ଼ିଲାକ ଭେଳା ।୧୬।
ଶଙ୍କୁନି ବୋଇଲା ତୁ ଶୁଣ ରାଜ୍ୟେଶ୍ୱର
ପାଣ୍ଡବଙ୍କର ନାଶ ଯେହ୍ନେ ଉପାୟେ ଦେବ କର ।୧୭।
ୟେସନେକ ବିଚାର ଯେ କରଇ କୁରୁନାଥେ
ପାଣ୍ଡବେ ରହିଛନ୍ତି ବାରୁଣାବନ୍ତେ ପ୍ରଶସ୍ତେ ।୧୮।
ବାସୁଦେବଙ୍କୁ ସୁମରନ୍ତି ୟେକାନ୍ତେ ଯୁଝେଷ୍ଠି
ଯୁଝେଷ୍ଠି ସୁମରନ୍ତେ ଦେବ ମିଳିଲେ ଗରୁଡ଼ର ପିଠି ।୧୯।
ରାତ୍ର ଅର୍ଦ୍ଧମାନେ ଶଙ୍କୁନି ହକାରୀ ଭଗବାନ
ସଙ୍ଗତେ ଘେନିଛନ୍ତି ସହଦେବ ମନ୍ତ୍ରୀ ପୁଣ ।୨୦।
ତିନି ଜଣ ବସି ଯେ ବିଚାର କରନ୍ତି
ଜଦୁଘର ତୁମ୍ଭ ପାଇଂ ଭିଆଇ ଅଛିଟି କୁରୁପତି ।୨୧।
ସହଦେବ ବୋଇଲେ ତୁ ମାତୁଳ ଶୁଣିମା
ଜଦୁରଘର ଭିଆଇ ଅଛନ୍ତି କାହାକୁ ରଖିବେ ମହାତମା ।୨୨।
ଗୋବିନ୍ଦେ ବୋଇଲେ ତୁମ୍ଭେ ଶୁଣ ହୋ ବେନି ମନ୍ତ୍ରୀ
ଯୁଝେଷ୍ଠିଙ୍କି ଡକାଇ କହିବା ୟେଘାନ୍ତି ।୨୩।
ବଦନ୍ତି ଶଙ୍କୁନି ଶୁଣିମା ବାସୁଦେବ
ଧର୍ମସୁତଙ୍କୁ ଦେବ କି ଅବା କହିବ ।୨୪।
ଯୁଝେଷ୍ଠିଙ୍କି ହକାରୀ ଆଣିଲେ ନିଶା ଭାଗେ
ସକଳ ବୃତ୍ତାନ୍ତ ଯେ କହନ୍ତି ତାଙ୍କ ଆଗେ ।୨୫।
ପୁରଞ୍ଚନ ପଣ୍ଡା ଯଦୁଘର ବେଗେ ଦହନ କରିବ
ବୋଲନ୍ତି ଧର୍ମନନ୍ଦନ ଶୁଣ ବାସୁଦେବ ।୨୬।
ୟେଘୋର ସଂକଟରୁ ତୁମ୍ଭେ ସେ ରଖିବ
ତୁମ୍ଭେ ସାହାପକ୍ଷ ହୋଇଥିଲେ କେ କିସ ଯେ କରିବ ।୨୭।
ବ୍ୟାସ ବାସୁଦେବ ବିଦୁର ମୋତେ ସପକ୍ଷ ହୋଇଥିଲେ
କେହୁ ଜିଣିମ ମୋତେ ପୃଥିବୀରେ ଭଲେ ।୨୮।
ୟେକାନ୍ତେ ବାସୁଦେବ କହିଲେ ସହଦେବଙ୍କୁ
ରାତ୍ରେଣ ଜଗାଇ ରଖାଇବ ପୁର ଭୀମସେନକୁ ।୨୯।
ୟେତେ କହି ଶଙ୍କୁନି ବାସୁଦେବ ଅନ୍ତର୍ଦ୍ଧାନେ ଗଲେ
ହରି ହରି ସୁମରୀ ପାଣ୍ଡବେ ନିଜ ନବରକୁ ଅଇଲେ ।୩୦।
ପୁରଞ୍ଚନ ରାଇଣ ବୋଇଲା କୁରୁପତି
ତୁ ଯା ବ୍ରାହୁଣ ହୋ ପାଣ୍ଡବଙ୍କର କତି ।୩୧।
ସୂପକାର ପଣେଣ ପାକ ସଞ୍ଚି ଦେବୁ
ବିଷ ପରଶିଣ ତୁ ପାଣ୍ଡବନ୍ତ ନାଶିବୁ ।୩୨।
ନିଦ୍ରା ଯିବେ ପାଣ୍ଡବେ ଯେବଣ ନିଶା କାଳେ
ଜଦୁର ଘରେ ତୁ ଲଗାଇବୁ ଅନଳେ ।୩୩।
ଦୁର୍ଯ୍ୟୋଧନ ଆଜ୍ଞାରେ ପୁରୋଚନର ବାରୁଣାବନ୍ତ ଗମନ
ରାଜାର ଆଗ୍ୟାଂ ସେ ପାଇଣ ପୁରଞ୍ଚନ
ବାରୁଣାବନ୍ତକୁ ସେ ଚଳଇ ବହନ ।୧।
ଆଷାଢ ମାସ ବିଷ୍ଟି ଯେ ପୂର୍ଣ୍ଣୀମୀର ଦିନ
ଉତ୍ତରାଷାଢା ନକ୍ଷତ୍ର ଯେ ଧନୁ ବିଦ୍ୟମାନ ।୨।
ସେଦିନ ପୁରଞ୍ଚନ ଯେ ବାରୁଣାବନ୍ତ ଗଲା
ଯୁଝେଷ୍ଠିଙ୍କ ସନ୍ନିଧ୍ୟେ ଯାଇ ପ୍ରବେଶ ହୋଇଲା ।୩।
ବ୍ରାହ୍ମଣକୁ ଦେଖିଣ ଯେ ପଚାରନ୍ତି ଦେବୀ କୋନ୍ତେ
କେବଣ କାର୍ଯ୍ୟେ ବିପ୍ର ଅଇଲ କାହିଂର ନିମନ୍ତେ ।୪।
ବ୍ରାହ୍ମଣ ବୋଇଲା ଶୁଣ ଭୋଜର କୁମାରୀ
ତୁମ୍ଭେ ଯେ ଦୁଖ ପାଉଅଛ ପାକ ପଚନ କରି ।୫।
ମୁହିଂ ବଲ୍ଲଭ ଜାଣଇ ରାନ୍ଧଣା ବିଧାନ
ପାକ ରଞ୍ଚନ କରି ମୁଂ ଦେଉଥିବି ପ୍ରତିଦିନ ।୬।
ପୁରଞ୍ଚନ ବୋଇଲା ଧୃତରାଷ୍ଟ ବୋଲି ଯେବଣ ରାୟେ
ତୁମ୍ଭର ଚିନ୍ତାକୁ ତାର ଅନୁବ୍ରତେ ଧ୍ୟାୟେ ।୭।
ତାହାର ପୁତ୍ରଙ୍କୁ ନାହିଂ ତାହାଙ୍କର ଚିନ୍ତା
ଅନୁବ୍ରତେ ଧରଇ ସେ ପଞ୍ଚ ପୁତ୍ରଙ୍କର କଥା ।୮।
ପୁରଞ୍ଚନ ବଚନ ଶୁଣି ବୋଲନ୍ତି ଯୁଝେଷ୍ଠିର
ସହଦେବଙ୍କୁ ହକାରି ୟେକାନ୍ତେ ନୃପବର ।୯।
ବ୍ରାହ୍ମଣ ଚରିତ୍ର ତୁ କେମନ୍ତ ପ୍ରାୟେ ମଣୁ
ତୁ ଯେ ବିତକ୍ଷଣ ବାବୁ ସବୁ କଥା ଜାଣୁ ।୧୦।
ସହଦେବ ବୋଇଲା ଦେବ ଉତ୍ତର କୋଶଳେ
ଗ୍ୟାନପୁର ନଗ୍ର ବୋଲି ଗଙ୍ଗାନଦୀ କୂଳେ ।୧୧।
ନଉ ସହସ୍ର ଷାଠିୟେ ଘର ତହିଂ ଯେ ବସଇ
ସମସ୍ତେ ହେଂ କୁଗ୍ୟାନୀ ନାଶ କରଇ ମନୁଷ୍ୟଇଂ ।୧୨।
ତହିଂର ମହାଜନ ୟେ ଅଟଇ ଶାସେନୀ
ପାପ ପ୍ରକୃତି ଦେବ ଅଟଇ କୁଗ୍ୟାନୀ ।୧୩।
ଗଉଡିଆ ଗୋଖର ୟେ ଅଟଇ ମନ୍ଦ ବାଟି
ଘର ଭିଆଇଲା ଯେ ଜଉ ସଜଳସ ଗୁଆଘୃତ ଛଣପଟି ।୧୪।
ଭୀମସେନ ଠାକୁରଙ୍କୁ ୟେଟି ଦିଲା ବିଷ ଲଡୁ
ୟେବେ ଆମ୍ଭନ୍ତ ୟେ ନାଶକରିବ ନେଇଣ ବିଷ ଯୋଗାଡୁ ।୧୫।
ୟୁଝେଷ୍ଠି ବୋଇଲେ ରହ ରହରେ ସହଦେବ
ଭୀମସେନ ଜାଣିଲେ ଏହାକୁ ପ୍ରାଣେ ନାଶ କରିବ ।୧୬।
ସବ୍ୟ ହୋଉ କି ଅସବ୍ୟ ହୋଉ ଅଟଇ ବ୍ରାହ୍ମଣ
ଅଥର୍ବ ବେଦୀ ୟେ ବହଇ ବିପ୍ର ଲକ୍ଷଣ ।୧୭।
ୟେହାର ପାପେ ହୋ ନାଶ ଯାଉ ୟେହି
ବ୍ରହ୍ମହତ୍ୟା ଦୋଷ ନ ଲାଗୁ ଆମ୍ଭକଇଂ ।୧୮।
ମୋହୋର ଶପତ ବାବୁ ସଂରକ୍ଷଣ କର ଗର୍ଭେ
କଦାଶ୍ଚିତେ ନକହିବୁଟି ଭୀମସେନର ଆଗେ ।୧୯।
ଯୁଝେଷ୍ଠି ବୋଇଲେ ହୋ ଶୁଣିମା ପଣ୍ଡାୟେ
ତୁମ୍ଭନ୍ତ ହକାରି ଯେବେ ପେଷିଲେ ପିତାୟେ ।୨୦।
ଆଦିହୁଂ ଜାତ ହୋଇଲୁ ଶତଶିଂଗ ପର୍ବତେ
ବନଫଳ ଭୁଞ୍ଜୁ ଆମ୍ଭେ ଥାଉଂ ଯେ ବନସ୍ତେ ।୨୧।
ବନସ୍ତହୁଂ ଏବେ ଆମ୍ଭର ସେହି ସେ ପ୍ରକୃତି
ଅନ୍ନ ମେଞ୍ଜନେ ଆମ୍ଭେ ନୋହୁନା ତ୍ରିପୁତି ।୨୨।
ପିତା ଯେବେ ପେଷିଲେ ତୁମ୍ଭେ ଥାଅ ଆମ୍ଭତୁଲେ
ଅନ୍ନ ପାଞ୍ଚନ କରିଦେବ ଆମ୍ଭର ଇଚ୍ଛା ଯେ ହୋଇଲେ ।୨୩।
ବିଦୁର ଜତୁଗୃହ ଦ୍ୱାରେ ପ୍ରବେଶ
ରହିଲେ ପୁରଞ୍ଚନ ଯୁଝେଷ୍ଠିଙ୍କର ତୁଲେ
ହୃଦରେ ପାପ ଚିତ୍ତ ବାହରେ ଅନେକ ପୀରତି ବଢାଇଲେ ।୧।
କୁମ୍ଭମାସ ଶୁକଳପକ୍ଷ ଅଟଇ ତିଥି ତ୍ରୟୋଦଶୀ
ଗୁରୁବାର ଦିନ ପୁଷ୍ୟାନକ୍ଷତ୍ରର ବେଳେ ଆସି ।୨।
ସେ ଦିନ ରାତ୍ରକାଳେ ଆସି ବିଜେ କଲେ ବିଦୁରେ
ପ୍ରବେଶ ହୋଇଲେ ସେହୁ ଜଦୁଘର ଦ୍ୱାରେ ।୩।
ଯୁଝେଷ୍ଠିଙ୍କି ତୋଳି ସେ ପଣ୍ଡିତ ମହାଭିଗ୍ୟଂ
ରାତ୍ରରେ ସନ୍ନିଧ୍ୟେଣ ବସାଇ କହନ୍ତି ସର୍ବଗ୍ୟଂ ।୪।
ବାବୁ ଧୃତରାଷ୍ଟ ଚରିତ୍ର ମଣିଲୁ କି ମନେ
ଅଭିଷେକ କରାଇ ଲୋଡ଼ଇ ଦ୍ରିଯୋଧନେ ।୫।
ଆମ୍ଭନ୍ତ ଘେନି ଭାଳିଲା ସନ୍ନିଧ୍ୟେ ବସାଇ
ଭୀଷ୍ମେ ବୋଇଲେ ଯୁଝେଷ୍ଠି ଥାଉ ଦ୍ରିଯୋଧନକୁ ପାଟ ନାହିଂ ।୬।
ତାହା ଶୁଣି କୋପ କଲା ରାଜା ଅନ୍ଧ
ତେଣୁ କରି ତୁମ୍ଭନ୍ତ ଚିନ୍ତିଲା ପରମାଦ ।୭।
ଗୋଖରା ବ୍ରାହ୍ମଣ ୟେ ଅଟଇ ମହାଦୁଷ୍ଟ
ଭାମସେନକୁ ବିଷଲଡୁ ଖୁଆଇଲା ୟେ ପାପିଷ୍ଠ ।୮।
ଧର୍ମେଣ ପାର ହୋଇଲା ତୋହୋର ଅନୁଜ
ସମସ୍ତ ହେତୁ କରି ହୃଦୟେ ତୋହୋର ବୁଝ ।୯।
ଆହୋ ୟେ ପୁର ଭିଆଇଲା ପୁରଞ୍ଚନ କପଟେ
ଜଉ ସଜଳସ ଗୁଆଘୃତେ ଛଣପଟେ ।୧୦।
ଯେବଣ ପାକଟି କରିବ ରଞ୍ଚନ
ସବୁ ହିଂ ବିଷ ତାହା ନକରିବଟି ଭୋଜନ ।୧୧।
ରାତ୍ରରେ ବାବୁରେ ତୁମ୍ଭେ ଯେବେ ନିଦ୍ରା ଯିବ
ସେହିଦି ନବ୍ରହ୍ମଣ ୟେ ପୁର ପୋଡ଼ିଦେବ ।୧୨।
ଅଗ୍ନି ନଥିବଟି ଜଦୁଘରର ଭିତରେ
ୟେହା ଚେତି କାର୍ଯ୍ୟ ହୋ କରସି ନିର୍ଭରେ ।୧୩।
ସେ ଅବା ବାପରେ ତୁମ୍ଭନ୍ତ ଚିନ୍ତିଲା ପାପଚିତ୍ତ
ଗୁପତେ ପାର ହୋଅ ସମୟେ ନଥାଅ ୟେଥ ।୧୪।
କେ କେମନ୍ତେ ବିଚାର କରଇ ତଥ୍ୟ କରି
ତୁମ୍ଭର ଚିନ୍ତା ହିଂ ସେ ଥିବ ହୃଦେ ଧରି ।୧୫।
ୟେତେ କହି ସେ ଗଲେ ଅମ୍ୱୁବତୀର ସୁତ
ଧୃତରାଷ୍ଟଙ୍କୁ ପ୍ରଳମ୍ୱିତ କଲେକ ତୁରିତ ।୧୬।
କଲ୍ୟାଣ ବାଞ୍ଛା ଯେ କରଇ କୁରୁବଇ
ଆସନ ପାଇଣ ଯେ ବସଇ ତହିଂ ଯାଇଂ ।୧୭।
ଯୁଝେଷ୍ଟି ଦେବ ହକାରିଲେ ଯେ ଭୀମସେନକୁ
ତୁ ସବୁ ରାତ୍ରେଣ ଇଚ୍ଛା ଯେ ନକରିବୁ ନିଦ୍ରାକୁ ।୧୮।
ମହାବନସ୍ତ ୟେ ଦଇତ ଦାନବଙ୍କ ଭୂମି
ବ୍ୟାଘ୍ର ଭଲ୍ଲୁକମୟ ମତ୍ତ ହସ୍ତୀ ୟେଥି ଅନେକ ବିଶ୍ରାମି ।୧୯।
ଦିବସେ କ୍ଷେପଇ ମାରୁତି ଘୋରବନେ
ଖାଇଜ ଜୀବ ମାରି ଭୁଞ୍ଜଇ ପ୍ରତିଦିନେ ।୨୦।
କନ୍ଦମୂଳ ଦାରାକ୍ଷ ଭୁଞ୍ଜଇ କ୍ଷୁଧା ବେଳ ଜାଣି
ଭୀମସେନ ଜଦୁଘରେ ଭ୍ରମୁଥାଇ ସେ ରୟଣୀ ।୨୧।
ପାତାଳ ଭୁବନେ ଭୀମସେନ ଯେ ବେଲାବାଳୀ କି ପ୍ରଦାନ ହୋଇଲା
ତାହାର ତହୁଂ ବଳୀବେଲାଉଳ ନାମେ ପୁତ୍ରେକ ଉପୁଜିଲା ।୨୨।
ବଡ଼ାଇ ସୁନ୍ଦର ସେ ଅତିବଳବନ୍ତା
ଅନନ୍ତର ନାତି ସେ ଅନେକ ଶାହାସ୍ରେ ନିର୍ଜିତା ।୨୩।
ଋଷଭ ମାସ ଶୁକଳ ପକ୍ଷ ଦଶମୀର ଦିନ
ସୋମବାର ସେ ଦିନ ନକ୍ଷତ୍ର ହସ୍ତାକନ୍ୟ ।୨୪।
ସେଦିନ ପୁରଞ୍ଚନ ପଣ୍ଡା ଗଲା ହସ୍ତିନା ଭୁବନକୁ
ବାରତା କହିଲା ଯାଇଂ ଦ୍ରିଯୋଧନ ରାଜାକୁ ।୨୫।
ଆହୋ ଅନ୍ନ ପାଞ୍ଚନ ନାହିଂ ପାଣ୍ଡବଙ୍କର
କନ୍ଦମୂଳ ଭକ୍ଷନ୍ତି ସେ ଯେହ୍ନେ ବନଚର ।୨୬।
ଅଗ୍ନି ବିବର୍ଜିତ ଦେବା କଲେକ ଜଦୁର ଘରେ
ଲୋଡ଼ିଲେ ନ ପାଇ ଅଗ୍ନି ଗହନ ବନସ୍ତରେ ।୨୭।
ଆନ ଘରମାନ ଯେବେଟି ଥାଇ ସନ୍ନିଧାନେ
ତେବେ ଅଗ୍ନି ପାଇବା ଲୋଡ଼ିବା ବିଧାନେ ।୨୮।
ଶଙ୍କୁନି ବୋଇଲା ମୋହୋର ବଚନ କରିବା
ଝିମାଣି ଶାଳ ମାନନ୍ତ ଯେ ତହିଂ ତୋଳାଇବା ।୨୯।
ସାଞ୍ଜୁ ଘଟଣ ଯେ କରୁଥାନ୍ତି ବିନ୍ଧାଣିମାନେ ତହିଂ
ଲୋଡ଼ିବାର ବେଳେ ଯେ ପାଇବାକ ଜୁଇ ।୩୦।
ଯେତେବେଳେ ନିଦ୍ରା ଯେ ଯାଆନ୍ତି ରୟଣୀ
ଝିମାଣି ଶାଳୁଂ ଅଗ୍ନି ଆଣି ଲଗାଇ ଦେବା ପୁଣି ।୩୧।
ଶଙ୍କୁନିର ବଚନ ଯେ ଶୁଣିଲା ସେ ମାନଗୋବିନ୍ଦ
ଘଟଣା ବିନ୍ଧାନ୍ତିମାନନ୍ତ ରାଇ ଆଗ୍ୟାଂ ଦିଲା ସେ ନରେନ୍ଦ୍ର ।୩୨।
ଶାଢୀ ସରଳ ଅନେକ ରତ୍ନ ଦିଲାକ ବଧାଇ
ସହସ୍ରେ ଶାଳ ଭିଆଅ ବାରିଣାବନ୍ତେ ରହି ।୩୩।
ନଦୀର ସନ୍ନିଧେଣ ଆବର ବନସ୍ତ ନିକଟ
ଅଙ୍ଗାର ପୋଡ଼ିବାକୁ ତହିଂ ପାଇବାକ ଅନେକ କାଠ ।୩୪।
ଭ୍ରାଥମାନେ ମୋର ଯେ ରହିଲେ ତହିଂ ଯାଇ
ପାଣ୍ଡବନ୍ତ ସପକ୍ଷ ତୁମ୍ଭେମାନେ ଥିବ ହୋଇ ।୩୫।
ଆପଣେ ବିଜେ କଲେ ମହାମନ୍ତ୍ରୀ ଶଙ୍କୁନି
ବାରୁଣାବନ୍ତେ ପ୍ରବେଶ ହୋଇଲେ ବିନ୍ଧାଣିମାନନ୍ତ ଘେନି ।୩୬।
ଯଦୁର ଘର ବେଢାଇ ପାତିଲେ ମହାଖଳା
ଶଙ୍କୁନି ସନ୍ନିଧେ ପ୍ରବେଶ ହୋଇଲେ ପଣ୍ଡୁରାଜାର ବଳା ।୩୭।
ମାତୁଳ ବୋଲି କରିକଲେ ନମସ୍କାର
ୟେ କିସ ଭିଆଣ ବୋଲି ପଚାରିଲେ ଯୁଝେଷ୍ଠିର ।୩୮।
ଶଙ୍କୁନି ବୋଇଲା ତୁ ଶୁଣ ଧର୍ମସୁତ
ଶୁଣସି ସାବଧାନେ କହଇ ତୋତେ ସତ ।୩୯।
ପୁରଞ୍ଚନ ପଣ୍ଡା ଯେ ଯାଇ ଧୃତରାଷ୍ଟଙ୍କୁ କହିଲେ
ମହାଘୋର ଅରଣ୍ୟେ ତୋର ପୋୟେ ୟେକା ହୋଇ ରହିଲେ ।୪୦।
ଝିମାଣି ଶାଳମାନନ୍ତ ତୁମ୍ଭନ୍ତ ଦିଲା ସାଙ୍ଗ ।୪୧।
ଶଙ୍କୁନି କହିଲା ଯେ ପାଣ୍ଡବଙ୍କର ସନ୍ନିଧାନେ
ନିର୍ଭୟେ ହୋଇଣ ତୁମ୍ଭେ ଥିବା ନା ଘୋରବନେ ।୪୨।
ରାତ୍ର ଦିବସେ ବିନ୍ଧାଣି କରୁଥିବେ ଘଟଣା
ପଞ୍ଚ ଦଶ ମାସେ ସବୁ ହୋଇବ ସଂପୂର୍ଣ୍ଣ ।୪୩।
ଦ୍ୱାଦଶ ନଳେ ବଖରାୟେ କରନ୍ତି ନିର୍ବାଣ ।୪୪।
ୟେମନ୍ତେ ସହସ୍ର ବଖରା ଘର ହୋଇଲା ନିର୍ମିତ
ଲୋହକାର ବିନ୍ଧାଣିମାନେ ଲାଗିଲା ସମସ୍ତ ।୪୫।
ପୁରଞ୍ଚନ ଥାଇ ହୋ ସେ ପାଣ୍ଡବଙ୍କର ତୁଲେ
ତୁମ୍ଭନ୍ତ ସଙ୍ଗ ବାବୁ କରାଇଲି ମୋହୋର ବୋଲେ ।୪୬।
ଯୁଝେଷ୍ଠି ବୋଇଲେ ତୁମ୍ଭେ ମହାଭିଗ୍ୟଂ ପଣ୍ଡିତ
ଧାର୍ମିକ ବିବେକ ତୁମ୍ଭେ ବେଦଶାସ୍ରରେ ନିର୍ଜିତ ।୪୭।
ତୁମ୍ଭର ଗ୍ୟାନେ କି ହୋଇ ପାପ କଥା
ଧର୍ମହିଂ ସାହା ପକ୍ଷ ହୋଇବ ନା ସର୍ବଥା ।୪୮।
ତହିଲା ଦ୍ୱିଜବର ଯୁଝେଷ୍ଠିଙ୍କର ତୁଲେ
ଝିମାଣି ଶାଳ ବିନ୍ଧାଣିମାନେ ଶାଳନ୍ତ ସିର୍ଜିଲେ ।୪୯- ୬୨୬୪
ଝିମାଣିଶାଳ ନିର୍ମାଣ
ସିଂହ ଶୁକଳ ତ୍ରୟୋଦଶୀ ତିଥି ଅର୍କବାର
ଧନିଷ୍ଠା ନକ୍ଷତ୍ର କୁମ୍ଭରାଶି ଭୋଗ୍ୟ ଅଟଇ ସେ ଦିନର ।୧।
ବିଦୁର ମହାତ୍ମା ଯେ ବିଜେକଲେ ନିଶାକାଳେ
ଭାମସେନକଇ ଦେଖିଲେ ବାରୁଣାବନ୍ତ ପର୍ବତର ତଳେ ।୨।
ଯୁଝେଷ୍ଠିଙ୍କି ହକାରି ଆଣ ମୋର କତି
ଆଗ୍ୟାଂ ପ୍ରମାଣେ ବେଗେ ଚଳଇ ମାରୁତି ।୩।
ଯୁଝେଷ୍ଠି ଅର୍ଜୁନଙ୍କୁ ଘେନିଣ ବ୍ରିକୋଦର
ବିଦୁରଙ୍କୁ ଭେଟିଲେ ସେ ସୁର ନଦୀ ତୀର ।୪।
ବିଦୁର କହିଲେ ତୁ ଶୁଣ ହୋ ଯୁଝେଷ୍ଠି
ଅନୁବ୍ରତେ କପଟ ତୁମ୍ଭନ୍ତ ଚିନ୍ତଇ ଧୃତିରାଷ୍ଟି ।୫।
ଝିମାଣିଶାଳ ବିନ୍ଧାଣିମାନନ୍ତ ତୋହୋ ସନିଧ୍ୟେ ରୁହାଇ
ତହିଂର ତଦନ୍ତମାନ ଜାଣିଲୁ ଟି କି ତୁହି ।୬।
ଯୁଝେଷ୍ଠି ବୋଇଲେ ତାତ ଥିଲି ମୁହିଂ ୟେକା
ଦତ୍ୟ ଦାନବଙ୍କୁ ମୋତେ ଲାଗୁଥିଲା ବଡ଼ ଶଙ୍କା ।୭।
ଶଙ୍କୁନି ପ୍ରସନ୍ନେ ମୁଂ ହୋଇଲି ନିର୍ଭୟେ
ଅପାର ସାଙ୍ଗ ମୁଂ ପାଇଲି ପିତାମହେ ।୮।
ସେ ମୋହୋର ତାତ ଯେ ଅଟନ୍ତି ଧୃତରାଷ୍ଟ
ସକଳ ଚିନ୍ତା କରିବାକୁ ବଂଶକୁ ସେହୁ ଶ୍ରେଷ୍ଠ ।୯।
ଅନେକ କାଳ ମୁଂ ରହିଲି ଘୋରବନେ
ଅନେକ ଅରଷ୍ଟି ବଞ୍ଚିଲି ଧୃତରାଷ୍ଟଙ୍କ ପ୍ରସନ୍ନେ ।୧୦।
ବିଦୁର ବୋଇଲେ ତୁ ଧର୍ମ ନ ଛାଡ଼ିବୁ କଦାଚିତେ
ଧୃତରାଷ୍ଟର ପ୍ରକୃତି ତୋତେ ନୋହଇ ନା ୟେମନ୍ତେ ।୧୧।
ଯେମନ୍ତେ ନାଶ ଯିବ ତୁମ୍ଭେ ପାଞ୍ଚଭାଇ
ତହିଂକି ବୁଦ୍ଧି ହାଦେ ଅନୁବ୍ରତେ ଚିନ୍ତୁଅଛି ସେହି ।୧୨।
ତୁ ଯେ ବୋଲୁଅଛୁ ହୃଦଗତେ ଧୃତରାଷ୍ଟ ମୋହୋର ପିତା
କେବଣ ବାଗେ ସହିବଟି ତାକୁ ଧର୍ମ ଯେ ବିଧାତା ।୧୩।
ବାବୁ ଝିମାଣିଶାଳମାନ ଯେ ତୋଳାଇଲା ଯତନେ
ଅଗ୍ନି ନ ପାଇଲ ଯହୁଂ ପୁରଞ୍ଚନ ତୋହୋର ଭୁବନେ ।୧୪।
ଝିମାଣିଶାଳମାନ ଯେ ୟେଥି ନିମନ୍ତେ ଟି
ଅଗ୍ନି ଘେନି ପୁରଞ୍ଚନ ଦହିବ ନିଶା ରାତି ।୧୫।
ବାବୁ ଏମନ୍ତେଟି ହାଦେ ଧୃତିରାଷ୍ଟ ଚିତ୍ତ କଥା
ବାବୁ ସାବଧାନ ହୋଇଥାଅ ୟେମନ୍ତ ବେବସ୍ତା ।୧୬।
ଯୁଝେଷ୍ଠି ବୋଇଲେ ତାତ ତୋହୋର
ଯେବେ ୟେହେନେକ ଚିନ୍ତା
କେ ମୋତେ ତ୍ରୈଲୋକ୍ୟେ ଅଛି ପ୍ରମାଦ ବିହନ୍ତା ।୧୭।
କହିଣ ବିଦୁର ଯେ ଗଲେ ନିଜସ୍ଥାନେ
ଯୁଝେଷ୍ଠି ପ୍ରବେଶ ହୋଇଲେ ବାରୁଣାବନ୍ତ ଭୁବନେ ।୧୮।
ହସ୍ତେଣ ଖଡ଼ଗ ଯେ ଘେନିଣ ବିଦୁର
ହସ୍ତିନା ଭୁବନେ ଯେ ଭ୍ରମଇ ପୁରେ ପୁର ।୧୯।
ନିଶାକାଳେ ଯାନ୍ତେଣ ହସ୍ତିନା ଭୁବନ ଭ୍ରମି
ତୁଲେଣ କେହି ନାହିଂ ୟେକସରେ ରାୟେ ଗମି ।୨୦।
ପୁରୁଷକୁ ଦେଖିଲେ ସେ ବୁଲଇ କୋନ୍ଦି କୋନ୍ଦି
ଚିରକୁଟୀ ବସ୍ରେକ ସେ କଟିରେ ଅଛି ପିନ୍ଧି ।୨୧।
ନୟନେ ଅଞ୍ଜନ ଯେ ମଥାରେ କେଶ ହୀନେ
ପରପଞ୍ଚ ଅବସ୍ତା ସେ ବସ୍ରର ବିହୁନେ ।୨୨।
ନିଶାପତିକି ଦେଖିଣ ସେହୋଇଲେ ଗୁପତ
ଧାଇଂ ଯାଇ ବିଦୁରେ ଯେ ଧଇଲେ ତାର ହସ୍ତ ।୨୩।
ବିଦୁରେ ବୋଇଲେ ରେ ତୁ ଅଟୁ କାହାର କତି
ପ୍ରପଞ୍ଚ ଅବସ୍ତାରେ ତୁ ଦିଶୁ ହୀନ ଜାତି ।୨୪।
ୟେ ହସ୍ତିନା ଭୁବନେ ୟେମନ୍ତ
ଲୋକ ଦେଖିଲା ତ ନାହିଂ
ୟେହେନେକ ଦାରିଦ୍ର ଅବସ୍ତା ହୋଇଲୁ ତୁହି କାହିଂ ।୨୫।
ୟେଥିର ସରୂପ କହତୁ ମୋହୋର ଅଗ୍ରତେ
ମିଛ କହିଲେ ପ୍ରାଣେ ନାଶିବିଟି ତୋତେ ।୨୬।
ଖନିକାର ଟସକର ବୃତ୍ତାନ୍ତ
ବିଦୁର ବଚନେ ସେ ବୋଲଇ ଟସକର
ମୁହିଂ ଯେବଣ ଜାତି ଶୁଣିମା ଦଣ୍ଡଧର ।୧।
ମୁହିଂ ଟସକର ଯେ ଅଟଇ ଯୁଗତେ
ବିଦୁର ବୋଇଲେ ଟସକର ଜାତିରେ କେମନ୍ତେ ।୨।
ମୁଂ ଅଟଇ ହାଦେ ଚଉର୍ଯ୍ୟ ହୀନ ଜାତି
ଘର ବାସ ନାହିଂ ମୋର ଚଉର୍ଯ୍ୟ କର୍ମେଣ ବ୍ରତି ।୩।
ପୁଣ ପଚାରଇ ଅମ୍ୱୁବତୀର ବାଳ
କେବଣ ମତେ ପରଧନ ଚଉର୍ଯ୍ୟ ଯେ କର ।୪।
କାନ୍ଥ ଖୋଲିଣ ଦେ ବପଶଇ ଭିତରେ
ପରଧନ ଚଉର୍ଯ୍ୟ କରି ନିୟେ ନିଶା କାଳେ ।୫।
ବିଦୁରେ ବୋଇଲେ ଥାନ୍ତି କବାଟ ପାଡ଼ି କରି
କେବଣ ବାଗେ ପଶ ତାହାଙ୍କର ଭିତର ପୁରୀ ।୬।
କହଇ ଟସକର ଶୁଣିମା ଗୋସାଇଂ
ଚାରିଖାନି ଚଉରାଶି ଲକ୍ଷ ଜନ୍ତୁ ନାରାୟଣ ଭିଆଇ ।୭।
ଚଉର ବୋଲି କରିୟେକ ଜାତିୟେ ଭିଆଇଲା
ଲକ୍ଷଣା ଦଣ୍ଡ ବୋଲି ଶସ୍ରେକ ସ୍ରିଜିଲା ।୮।
ତାହା ଘେନି କାନ୍ଥ ଖୋଳଇ ନିଶା ରାତି
ଭିତରେଣ ପଶିଲେ ଦେବ କେହି ନ ଜାଣନ୍ତି ।୯।
ବିଦୁରେ ବୋଇଲେ ତାର ସରୂପ ମୋତେ କହ
କାହା ହାଥେ ଲକ୍ଷଣାରେ କେତେବେଳେ ଗଢାଅ ।୧୦।
କହଇ ଖନିକାର ସ୍ୱାମୀ ଶୁଣିମା ସାବଧାନେ
ତୁଳମାସ କୃଷ୍ଣପକ୍ଷ ଅମବାଇ ଚଣ୍ଡୀ ପୂଜା ଦିନେ ।୧୧।
ବିଶାଖା ନକ୍ଷତ୍ର ଯେ ଅଟଇ ସେ ଦିନର
ସେ ଦିନ ଲକ୍ଷଣାକୁ କରନ୍ତି ବିଚାର ।୧୨।
ତହିଂର ପାହାନ୍ତି ଯେବେ ରୋବଇ ଅବଳା
ଚଉର୍ଯ୍ୟ ବିଦ୍ୟାକୁ ସେ ଅଟଇ ଶୁଭ ଅନକୂଳା ।୧୩।
ଯେଉଣ ମହାରଣାର କୃତ୍ତିକା ବୃଷରାଶି
ତାହାକୁ ବରଣ କରି ଅମାବାଇ ନିଶି ।୧୪।
ପ୍ରାତେ ସ୍ନାହାନ କରି କଳା ବସ୍ରେକ ଥାଇ ପିନ୍ଧି
ମଲା ମାଇପଙ୍କ ଶୃଙ୍ଖା ପଟିୟେ ବାମ ହସ୍ତେ ବାନ୍ଧି ।୧୫।
ରାତ୍ର ହୋଇଲେଣ ଶାଳ ଯନ୍ତ୍ର ପୂଜା କରି
ନବତନ ଅଗ୍ନି ଲେହ ପାଷାଣରୁ ଉତ୍ତାରି ।୧୬।
ରାତ୍ର ତିନି ପ୍ରହରେ କଷ୍ଣ ଛାଗଳେକ ନେଇ
ଚଉରୁଣୀ ଦେବୀଙ୍କି ରକତ ଭାତ ବଳି ଦେଇ ।୧୭।
ଭୋ ଦେବ ଅବଳାମାନଙ୍କର ଯେ ପ୍ରଥମ ରାବ ଯେ ବୋବାଳି
ଅଗ୍ନିରେ ନେଇ ଲୁହା ସିଝାଇ ପରିତାଳି ।୧୮।
ଯୋଗେଣ ନିର୍ବାଣ ସେ କରଇ ମହାରଣା
ତ୍ରିଅଧାର କରି ଦଣ୍ଡ କରାଇ ଲକ୍ଷଣା ।୧୯।
ଭୋ ଦେବ ବିଦୁର ଶୁଣିମା ସାବଧାନେ
ଆପଣେ ସଞ୍ଚିଲେ ତାହା ଦେବ ଜନାର୍ଦ୍ଦନେ ।୨୦।
ସ୍ୱାମୀ ଗୋପପୁରେ ଜନମ ଯେ ହୋଇଲେ ବନମାଳୀ
ରଙ୍ଗା ଅବତାରେ ବିଳସିଲେ ଚନ୍ଦ୍ରାବଳୀ ।୨୧।
ଶ୍ରୀହରି ରାଧାର ତୁଲେ ଅନେକ ପୀରତି
ଚନ୍ଦ୍ରସେଣ ଗୁଆଳ ରାଧାର ନଛାଡ଼ଇ କତି ।୨୨।
ରାତ୍ରରେ ଶୁଆଇ ଥାଇ ତାହାର ନିଜ ଗମ୍ଭୀରି
ଅନେକ ଯତନେ ଯେ କବାଟ କିଳିକରି ।୨୩।
ମଦନ ଆରତ ହୋଇ ଦେବ ବନମାଳୀ
ରାଧାର ନିମନ୍ତେ ଯେ ରାତ୍ରେ ବୁଲନ୍ତି ଅନ୍ତରାଳି ।୨୪।
ସାତ କବାଟ ଅନ୍ତରେଣ ଚନ୍ଦ୍ରସେଣା ଶୋଇଛି ରାଧିକାଙ୍କୁ ଘେନି
ପଶି ତ ବାଟ ଲୋଡ଼ି ନପାଇଲେ ଦେବ ସ୍ୱାମୀ ରୟଣୀ ।୨୫।
ଅସମ୍ଭାଳ ହୋଇ ସ୍ୱାମୀ ମଦନ ଆରତେ
ରାଗେଣ କବାଟ ହରି ପେଲନ୍ତି ହେଠ ମାଥେ ।୨୬।
କବାଟ କଣ୍ଟା ଗୋଟିୟେ ଲାଗିଲା କପାଳ
ଲଲାଟ ଫୁଟିଣ ରୁଧିର ବହଇ ଝରଝର ।୨୭।
ଧାତାଙ୍କୁ ଚିନ୍ତା ଯେ ଲାଗିଲା ମନେ ବଡ଼ ଭ୍ରାନ୍ତି
ନାରାୟଣଙ୍କୁ ପ୍ରସନ୍ନ ହୋଇଲେ ପିତାମହ ଧାତି ।୨୮।
ରୁଧିର ବହନ୍ତେ ହରି ପକାବନ୍ତି ପୋଛି
କଟାକ୍ଷ ମନ୍ତ୍ରେଣ ବେଦବର ଫୁଙ୍କନ୍ତି ଶ୍ରୀବତ୍ସି ।୨୯।
ନାରାୟଣଙ୍କ ରୁଧିର ରୁହାଇଲେ ବେଦପତି
ପିତାମହ ବିଜେକଲେ ନାରାୟଣଙ୍କର କତି ।୩୦।
ଭୋ ଦେବ ନାରାୟଣ କି ହୋଇଲ ବିରହିତ
ଗୋପାଳ ନିରୋଧି କଲ ପୁଷ୍ପେକର ଦୁହିତ ।୩୧।
ୟେ ଲୋହ ଯନ୍ତ୍ର ତୋତେ ଦେଉଛି ବନମାଳୀ
ୟେହା ଘେନି ଭିତରେ ପଶ କାନ୍ଥ କୋଳି ।୩୨।
ସେ ଶହସ୍ର ଗୋଟି ଘେନି ଦେବ ଯେ ଅଚ୍ୟୁତ
ତତକ୍ଷଣେ ଖୋଳିଲେ ଗୋପାଳର ପାଷାଣର କାନ୍ଥ ।୩୩।
ବ୍ରହ୍ମାର ମାୟାରେ ଯେ ନଶୁଭଇ କାହାକୁ
କାନ୍ଥ ଖୋଳି ବନମାଳୀ ପଶିଲେ ଭିତରକୁ ।୩୪।
ରାଧିକାକୁ ଲାଗି ଅଛି କାମ ଶର ବାଧା
କେଶବର ଶୃଙ୍ଗାରକୁ ଲୟେ କରିଅଛି ରାଧା ।୩୫।
ଅଞ୍ଜନ ବିଦ୍ୟା ଯେ ଦେଇଥିଲେ ବେଦପତି
ନୟନେ ଲଗାଇ ହରି ଚାହିଂଲେ ଚଉକତି ।୩୬।
ଦିବସ ଯେସନେକ ଦିଶଇ ଆଲୁଅମୟେ
ଅନ୍ଧାର ଘର ଦିଶଇ ସୂର୍ଯ୍ୟ ଉଦୟ ପରାୟେ ।୩୭।
ଆରେକ ବିଦ୍ୟାୟେ କହିଲେ ବେଦବରେ
ନିଦ୍ରାଧୂଳି ଗୁଡ଼ାୟେକ ଦିଲେ ନାରାୟଣଙ୍କ ହସ୍ତରେ ।୩୮।
ତାହା ନେଇ ପକାଇଲେ ଗୋପାଳ ଉପରେ
ଅସାଷ୍ଟମେ ନିଦ୍ରାରେ ପଡିଲେ ଗଉଡ଼େ ।୩୯।
ରାଧାର ହାଥ ଧରି ନାରାୟଣ ତୋଳି
ଧାତିକାରେଣ ଉଠିଣ ସେ ଯେ ବସିଲା ଚନ୍ଦ୍ରାବଳୀ ।୪୦।
ରାଧାର ହସ୍ତ ଧରି ପଇଠି ଗମ୍ଭିରି
ହରଷେ ବାସୁଦେବ କ୍ରୀଡା ରଙ୍ଗ କରି ।୪୧।
ରସ ଖଳିତ ହୋଇ ଭାଗିଲା ସରାଗ
ସେହି ବାଟେ ବାହାର ହୋଇଲେ ଶ୍ରୀରଙ୍ଗ ।୪୨।
କେଶବ ବିଚାରନ୍ତି ୟେ ବିମ୍ୱରେ ହୋଇଲା କାର୍ଯ୍ୟସିଦ୍ଧି
ୟେହି ବିମ୍ୱରେ ସର୍ବକାଳେ କାର୍ଯ୍ୟ ହୋଇବ ପ୍ରସିଦ୍ଧି ।୪୩।
ୟେମନ୍ତେ ନାରାୟଣ ଲକ୍ଷେ ଶୃଙ୍ଗାର କଲେ
ତେଣୁୟେ ଶହସ୍ର ଗୋଟିକୁ ଲକ୍ଷଣା ନାମ ଦିଲେ ।୪୪।
ୟେ ବିଦ୍ୟାରେ ଅନେକ କାର୍ଯ୍ୟ ସିଦ୍ଧି କରିଣ କହ୍ନାଇ
ମୋତେ ଦିଲେକ ଅଞ୍ଜନ କଜ୍ଜଳ ବିଦ୍ୟା ନିଦ୍ରା ଗୁଣ୍ଡି ସିଦ୍ଧଦାୟୀ ।୪୫।
ବିଦୁରେ ବୋଇଲେ ବଡ଼ାଇ ସୁସଞ୍ଚ ପରସ୍ତାବ
ତୋହୋର କେଶବର ଏଡ଼େ କାହିଂ ଭାବ ।୪୬।
ବିନୟ ଭାବ ହୋଇ କହଇ ଖଲ୍ୟକାର
ବାସୁଦେବ ଯେ ଗୋପପୁରେ ରଙ୍ଗା ଅବତାର ।୪୭।
ରାଧାର ତୁଲେ ଯହୁଂ ନ ପାଇଲେ ପୀରତି
ସନ୍ନିଧ୍ୟେ ହକାରିଲେ ସରହସୁନ୍ଦରୀ ଦୂତୀ ।୪୮।
ସେ ଅମର ସୁନ୍ଦରୀ ସ୍ୱର୍ଗର ଅଟଇ ଦୂତକାରୀ
ୟେହାର ମୂଳେ ଭୋଗ୍ୟ ଚଉଷଠୀ କୋଟି ବିଦ୍ୟାଧରୀ ।୪୯।
ସ୍ତମ୍ଭନ ମୋହନ ଯେ ବଶ୍ୟ ଉଚ୍ଚାଟନ
ଗୁଟିକା ଅଞ୍ଜନ ଯେ ଧରଣ ଧାରଣା ।୫୦।
ସମସ୍ତ ବିଦ୍ୟା ଯେ ଜାଣଇଂ ସରହସୁନ୍ଦରୀ
ଭାର ରସ ବଚନେ ପାଷାଣ ହୋୟେ ଜଡ଼ି ।୫୧।
ନନ୍ଦ ପୁଅ କହ୍ନାଇ ବୋଲି ନିନ୍ଦା କରୁଥିଲେ
ସେ ସରହସୁନ୍ଦରୀ ଦୂତିକାର ବଚନେ ସମସ୍ତେ ବଶ ହୋଇଲେ ।୫୨।
ବଇଶାଖ ଶୁକଳ ପକ୍ଷ ଚଉଠୀର ଦିନ
ରୋହିଣୀ ଭୋଗ ଯାଇ ମୃଗଶୀରା ସଂପୂର୍ଣ୍ଣ ।୫୩।
ସେ ଦିନ ରାଧିକା ପୁରେଣ ଅଛି ରହି
ଶାଶୁ ଗଲା ତାର ଝିଅକୁ ଶାଶୁଘରକୁ ପୁଆଇ ।୫୪।
ବସନ୍ତ ଉଚ୍ଛବ ଯେ ମଥୁରା ନଗ୍ରପୁର
ଦହି ଦୁଧ ଘୃତ ସର ଘେନିଗଲେ ଗଉଡ଼େ କଂସର ଛାମୁର ।୫୫।
ଗୋପାଳୁଣୀ ଗଲା ଯହୁଂ ଶୂନ୍ୟ ମନ୍ଦିର ହୋଇଲା
ସେ ସରହସୁନ୍ଦରୀ ଦୂତିକାଙ୍କୁ ରାଧିକା ହକାରିଲା ।୫୬।
ଆପଣାର ଅଳଙ୍କାରମାନ ସମସ୍ତ କାଢି ଦିଲା
ସେ ସରହସୁନ୍ଦରୀକି ରାଧିକା ମଣ୍ଡିଲା ।୫୭।
ଆପଣାର ଅଲେଖ ତିଳକ ବସ୍ର ପିନ୍ଧାଇ
କବେରୀ ଭାର ଖୋଷା ଖୋଷିଲା ପୁଷ୍ପମାଳା ଲାଇ ।୫୮।
କସ୍ତୁରୀ ଗନ୍ଧ ଯେ ଲେପନ କଲା ତାର ଅଙ୍ଗେ
ଆପଣାର ତାମ୍ୱୋଳ ଭୁଞ୍ଜାଇ ଅଧର କଲା ସୁରଙ୍ଗେ ।୫୯।
ବୋଇଲା ସଂଘାତ ଗୋ ଯାଅ ୟେହି କ୍ଷଣ
ନନ୍ଦ ପୁଅ କହ୍ନାଇକି ବହନ କରିଆଣ ।୬୦।
ଆପଣାର ନେପୁର କାଢି ଦୂତିକା ପାଦେ ଦେଇ
ରାଧିକାର ବଚନେ ସରହସୁନ୍ଦରୀ ଚଳଇ ।୬୧।
ରାଧିକାର ନିମନ୍ତେ ଦେବ ମଧୁହାରୀ
ମାଧବୀ ଲତା ତଳେ ଛନ୍ତି ପଥ ଅନୁସରୀ ।୬୨।
କ୍ଷଣେ ଯମୁନା କୂଳେ କ୍ଷଣେ କଦମ୍ୱ ବୃକ୍ଷେ ଉଠି
ପରଦ୍ୱାରା ଶୃଙ୍ଗାରେ ହରି ୟେହେନେକ କଷ୍ଟି ।୬୩।
ୟେମନ୍ତେ ପନ୍ଥା ଅନୁସରନ୍ତି ଜଗନ୍ନାଥ
ନେପୁର ଧୂନି ଶୁଭିଲା ଦୂତିକା ଗବନର ପଥ ।୬୪।
ଧାତିକାରେ ଡେଇଂ ପଡ଼ିଲେ କଦମ୍ୱର ଡାଳୁଂ
ତରଙ୍ଗ ନୟନେ ହରି ଚାହାଂନ୍ତି ହେଳୁ ହେଳୁ ।୬୫।
ମଦନର ସେ ବୁଡ଼ାଇ ଅଛନ୍ତି କୃଷ୍ଣ ନିଜେ କାୟେ
ଦୂତିକାକୁ ଦେଖିଲେ ସୁଢଳ ଆଭରଣ ମୟେ ।୬୬।
କାମ ଆରତେଣ ଯେ ଦେବ ମଧୁହାରୀ
ରାଧିକା ବୋଲି ହରି ଦୂତିକାକୁ କୋଳ ଧରି ।୬୭।
ମଦନଆରତେ ଦେବ କିଛି ନୁଆରି ପଚାରି
ଦୂତିକାରପି ନ୍ଧିଲା ବସନ ଦେବ ପକାଇଲେ ଫେଡି ।୬୮।
ବିଶେଷେ କୁଞ୍ଜ ଲତା ଗହନ ଘୋରବନ
ବସନ୍ତ ଋତୁ ମଳୟାନିଳ ଦେଖଇ ମଦନ ।୬୯।
ବସନ୍ତ କୋକିଳ ଧୁନି ଦିଅଇ ସେ ଋତୁ
ମନସିଜ ବାଣ ଘାତେ ଦହଇ କାମ ତତ୍ତୁ ।୭୦।
ୟେହେନେକ ଭ୍ରାନ୍ତି କଲାକ କାମଦେବ
ପରମ ଗ୍ୟାନୀ ନାଥ ନ ପାଇଲ ସଦିଭାବ ।୭୧।
ରାଧିକାର ବେଶ ଅଳଙ୍କାର ମାନ ନୟନେଣ ଦେଖି
ରାଧିକା ବୋଲି ଶୃଙ୍ଗାର କଲେକ ଦୂତୀକି ।୭୨।
ହେଠ ଉବୁଡ଼ାୟେ ଶୃଙ୍ଗାର ରସ ଭୋଳେ
ମୁଖେ ଚୁମ୍ୱନ ଦେଇ ସେ ଭିଡ଼ନ୍ତି ବକ୍ଷସ୍ଥଳେ ।୭୩।
ମଦନ ଆରତେ ଦେବ ଅସମ୍ଭାଳ ଘେନି
ମୁଖେ ମୁଖ ଲଗାଇଂ ଯେ ନ ପାରନ୍ତି ଚିହ୍ନି ।୭୪।
ଦୂତିକା ବୋଲିଣ ସେ ଯେବଣ ଯୁବତୀ
ତାହାର ବୟସେ ଯେ ନାହିଂ କେହି ପୃଥୀ ।୭୫।
ପାଚିଲା କେଶ ତାର ଅତି ଗଳିତ ଖଳିତ କାୟେ
ପରପଞ୍ଚ ଦିଶଇ ଯେ କେନ୍ଦୁ କାଠ ପ୍ରାୟେ ।୭୬।
ଅତିହିଂ ଉଚ୍ଛର୍ଗ ଯେ ପ୍ରଳମ୍ୱ ହାଥ ଗୋଡ଼
ତାହାର ତୁଲେ ହରି ଶୃଙ୍ଗାର ରସ ଖେଡ଼ ।୭୭।
ଅତି ଆରତେ ଯହୁଂ ହରି ବୁଡ଼ାଇଲେ କାୟେ
ଦୂତିକା ପାଚିଲା କେଶ ଦିଶିଲା ଯେ ସେବତୀ ପାଖୁଡ଼ା ପ୍ରାୟେ ।୭୮।
ହାସ୍ୟ ଲାସ୍ୟ ରତି ରଙ୍ଗେ ଶୃଙ୍ଗାର ରସ ଭାବେ
ଲଖ ଦନ୍ତଘାତେ ଶରୀର ବିଦାରିଲେ ପ୍ରସ୍ତାବେ ।୭୯।
ବାଳୁତ ପୁରୁଷକୁ ବୃଦ୍ଧ ସ୍ତିରୀ ଭାବ
ଉଷତେ ମହନ୍ତାରୀ ସହଇ ଚାଟୁଭାବ ।୮୦।
ହୃଦକୁ ହୃଦ ଭିଡ଼ି ମୁଖେ ଦିଅଇ ଚୁମ୍ୱନ
ପ୍ରେମେ ବୋଲନ୍ତି ପ୍ରିୟେ ମୋର ରଖସି ଜୀବନ ।୮୧।
ସାର୍ଥୁକ ପୁରୁଷ ସେ ଶୃଙ୍ଗାରେଣ ଜିତା
ଦୂତୀହିଂ ଅନେକ କାଳର ବୃଦ୍ଧ ଯେ ବନିତା ।୮୨।
ଅପାର କାଳେ ପାଇଲା ବାଳୁତ ପୁଅ ଗୋଟି
ରସରଙ୍ଗ ଶୃଙ୍ଗାରେ ସରହସୁନ୍ଦରୀ ଫୁଟି ।୮୩।
ରାଧିକା ବୋଲି ହରିଥିଲେ ନିଖେଦ କରି
ହାଦେ ଶୃଙ୍ଗାର ଅନ୍ତେ ଦୂତିକା ପଡିଲା ଅସାଷ୍ଟମ ଧାଡ଼ି ।୮୪।
ଯେତେ ବେଳେ ରସ ଖଳିତ ହୋଇଲା
କାମଭ୍ରଷ୍ଟ ହୋଅନ୍ତେ ସ୍ରାଗହିଂ ଭାଂଜିଲା ।୮୫।
ଛାଡ଼ିଣ ବସିଲେ ଦେବ ଶୃଙ୍ଗାର ଉପେକ୍ଷି
ଦୂତିକାର ବର୍ଣ୍ଣ ଚିହ୍ନ ସାଷ୍ଟମ ହୋଇ ଦେଖି ।୮୬।
ନାସାରେ ହସ୍ତ ଦେଇ ହସିଲେ ଜନାର୍ଦ୍ଦନ
ବିସରିଲେ ପଞ୍ଚୁମନ ବସ୍ର ପିନ୍ଧିବାକୁ ନାହିଂ ମନ ।୮୭।
ଯହୁଂଣ କେଶବ ବସିଲେ ମଥା ପୋତି
ଅସମ୍ଭାଳ ହୋଇଣ ପଲାଇଲା ଦୂତୀ ।୮୮।
ଆପଣାର ବସ୍ର ବାରି ନୁଆରିଲା
ବେଗେ ବେଗେ କହ୍ନାଇ ବସ୍ର ପିନ୍ଧି ପଳାଇଲା ।୮୯।
ବସ୍ର ନ ପିନ୍ଧନ୍ତି ହରି ନ ବାନ୍ଧନ୍ତି କେଶ
ରାଧିକାକୁ ଛାଡ଼ି ଦୂତିକାରେ କଲି ରତିରସ ।୯୦।
କେବଣଂ କଲଇ ପାପ ୟେ କାମର ଅନୀତି
ମୋହୋର ଭଳି କି ବିହିଲା ୟେତେ ବଡ଼ ଶାସ୍ତି ।୯୧।
କାହାର ବୋଲେ ମୁହିଂ କଲଇଂ ୟେଡ଼େ କଥା
ମାନବ ମାନନ୍ତତ ହୋଇବ ଅନେକ ଅବସ୍ତା ।୯୨।
ମୁହିଂ ଯାହା କଲି ତହିଂକି ଗୋଡ଼ାଇବ ସଂସାର
ଗୁରୁ ଗଉରୋବନ୍ତେ ହୋଇବ ଅନେକ ଅବେଭାର ।୯୩।
ବୃଦ୍ଧ ବୟସ ତ ନୁଆରିଲି ମୁହିଂ ବାରି
ଥାବକେ ବୁଡିଲି ମୁଂ କାମ ମହାଭାରୀ ।୯୪।
କେତେ କାଳର ସେ ମହନ୍ତା ନାରୀ ଗୋଟା
ତାହାକଇ କାମ ମୋତେ କରାଇଲା ଚେରଷ୍ଟା ।୯୫।
ନ ପୁଣ ରାଧିକାର ଛାମୁରେ କହଇ ଯାଇ
ଅନେକ ଉପହାସ୍ୟ ମୋତେ କରି ବେ ଯେ ରାହୀ ।୯୬।
ଭୋ ସରସ୍ୱତୀ ଦୂତିକାର କଣ୍ଠେ ହୋଅ ଆଲିଙ୍ଗନ
ୟେ କଥାମାନ ନ କହୁ ଦୂତିକା ରାଧିକା ଆଗରେଣ ।୯୭।
ପୁଣି ବିଚାରିଲେ ସ୍ତ୍ରୀଙ୍କର ବଡ଼ ଗର୍ବ
ପରଦାରା ଶୃଙ୍ଗାର କିମ୍ପାଇ ଆନକୁ କହିବ ।୯୮।
ଯଦ୍ୟପି କହିବ ୟେ ରାଧିକାର ଆଗ
ରାଧିକା ଶୁଣିଲେ ୟେହାକୁ କରିବ ମହାରାଗ ।୯୯।
ୟେତେକ ବିଚାରି ସେ ଉଠିଲେ ଦେବହରି
ବସ୍ର ତୋଳି ଦେଖିଲେ ଦୂତିକା ପାଲଟା ଶାଢି ।୧୦୦।
ତା ଦେଖି ସ୍ୱାମୀ ମନ ଦୁଗୁଣ ବିରସ
କଥା ଅନୁସରି ଯେ ମାଡ଼ିଲା ପୁଣ ହସ ।୧୦୧।
ୟେହେନେକ ଅବସ୍ତା କଲୁଟି ଅନଙ୍ଗ
ଜଗ ବନ୍ଦନ ପୁରୁଷକୁ କଲୁ ୟେସନେକ ଯୋଗ ।୧୦୨
ପରଦାରା ଶୃଙ୍ଗାର ଯେ ନୋହୁ ପୋଡୁ ପୋଡୁ
ପରଦାରାକୁ ଯେ ଇଚ୍ଛିବ ଶରୀର ତାର ଛାଡୁ ।୧୦୩।
ପରଦାରା ହରେଣ ଯେ ୟେହେନେକ ଅବସ୍ତା
କେଉଣଂ ରସେ ମୁଂ ଭିଆଇଲି ୟେଡ଼େ କଥା ।୧୦୪।
ପରଦାରା ସ୍ତ୍ରୀ ଯେ ଅମୃତ ତହୁଂ ସୁଆଦ
ୟେବେ ସେ ଜାଣିଲି ପରଦାରା ପରମାଦ ।୧୦୫।
ନାରାୟଣ ବିରସ ଯେ ହଇଲେ ୟେସନେ
ପରଦାରାକୁ ନ ବଢ ସଂସାର ଜନମାନେ ।୧୦୬।
କାମେନୀ କାମସେଣୀ ସେ କାଉଂରୀ କାମାକ୍ଷୀ
ସ୍ତୀରୀ କୁଳକୁ ହାଦେ ସେ କାମ ଦେଇଅଛି ।୧୦୭।
କମଳା ପିଙ୍ଗଳ ବଗଳୀ ମାତଙ୍ଗୀ ଅଭୟା
କଳ୍ମଷନାଶିନୀ କମଳାକ୍ଷୀ ବିମଳା ବିଜୟା ।୧୦୮।
କାମାକ୍ଷୀ ସୁମରନରେ କାମ କଷ୍ଟ ଛାଡୁ
ସ୍ୱଦାରା ଇଚ୍ଛାକର ସଂସାର ନପଡୁ ।୧୦୯।
କାମସାଗର ବୋଲି ତ ଅକାଦ ମହାଜଳ
କାହାକଇଂ ଦୃଶ୍ୟ ନାହିଂ ଯେ ତହିଂର ଥଳ କୂଳ ।୧୧୦।
ଜଗମୋହନ ପୁରୁଷର ଭାଜିଲା ୟେଡ଼େ ଦର୍ପ
ପରଦାରା ସେ ଉପୁଜାଇ ସକଳ ପାପ ।୧୧୧।
କ୍ଷଣକ ମାତ୍ର ସିନା ପରଦାରା ରସ ସଙ୍ଗ
କ୍ଷଣକ ଉତ୍ତାରେ ସେ ହୋୟେ ସର୍ବ ଭଙ୍ଗ ।୧୧୨।
କାମାକ୍ଷୀ କାମସେଣୀ ଚରଣେ ସେବା ନିତି
ପରଦାରା ସଙ୍ଗରେ ମୋର ନ ବଳାଅ ମତି ।୧୧୩।
ପରଦାରା କଷ୍ଟ ଯେ ଅଟଇ ୟେମନ୍ତ
ପର ଦୁଖେ କାତର ତୁ ଗୋ ସବୁଙ୍କରି ମାତା ।୧୧୪।
ତୋହୋର ଆଗ୍ୟାଂୟେ କହିଲି ଶୂଦ୍ରମୁନି ମୋହୋର ନାମ
ୟେ କଥାକୁ ଅନ୍ତର ମୋତେ ନକରାଅ ମତିଭ୍ରମ ।୧୧୫।
ତୁହି ସେ ସିଂହବାହିନୀ ଗୋ ପ୍ରତ୍ୟକ୍ଷେ ହିଙ୍ଗୁଳା
ୟେ ସଂସାରଜନଙ୍କୁ ଅଭୟ ଦିଅସି ସିଦ୍ଧ ସାରଳା ।୧୧୬।
ମୁହିଂ ତୋର ପୁତ୍ର ଯେ ସାରୋଳା ଦାସ ବୋଲି
ଅବଶ୍ୟ ପାଇବଇ ମୁହିଂ ଯାହା ବାଞ୍ଛାକଲି ।୧୧୭।
ଶ୍ରୀହରିଙ୍କର ବାଳଲୀଳା ଓ
ଖନିକାରର ବିବର ନିର୍ମାଣ
ବଇବସୁତ ମନୁ ପୁଚ୍ଛ କଲେଅଗସ୍ତିଙ୍କି
ବଡାଇ ଚରିତ୍ର କହିଲ ବଡ଼ାଇ ରସ ବାକି ।୧।
ଦୂତୀର ଉତ୍ତିଷ୍ଟ ବସ୍ର ଯେ ନାରାୟଣ ଦେଖିଲେ
ଆପଣା ବସ୍ର ବୋଲି ଶ୍ରୀକରେ ଘେନିଲେ ।୨।
ମନେ ବିରସ ହୋଇ ପକାଇଲେ ଭୂମି
କିସ ବସ୍ର ପିନ୍ଧିଲେ ଜଗତ-ଭୂତ ସ୍ୱାମୀ ।୩।
ବଦୟନ୍ତି ଅଗସ୍ତି ଶୁଣ ହୋ ମନୁପୁରୁଷ
ବସ୍ର ପକାଇ ଉଲଗ୍ନେ ବସିଲେ ହୃଷୀକେଶ ।୪।
ବାଆଂଶ ଗୋଟିୟେ ଭାଞ୍ଜିଲେ ଦେବହରି
ଲହେଣ ଚିରିଲେ ତାହା ବେନି ଫାଳ କରି ।୫।
କୋମଳ ସୁସଞ୍ଚ ହୋଇ ବାହାରିଲା କଶିର
କାଛଟା କଲେ ନେଇ ତାହା କଟିରେ କରି ଡୋର ।୬।
ବେଣୁ ବସ୍ର ଗୋଟି ଯେ କଟିରେ ଭିଡିଲେ
ପୁଣ ଅଗସ୍ତିଙ୍କି ବଇବସୁତ ମନୁ ପଚାରିଲେ ।୭।
ଭୋ ମୁନି ଦୂତିକା ଗଲା ଯେ ରାଧିକା ଛାମୁକୁ
କିସ ଉତ୍ତର ବୋଇଲା ସରହସୁନ୍ଦରୀ ତାହାଙ୍କୁ ।୮।
ଅଲେଖ ତିଳକ ହୋଇ ବସିଛି ରାଧେବ
ବିଷ୍ଣୁ ଅଭିସାରିକା ୟେ ଆସିବେ ବାସୁଦେବ ।୯।
ଛାମୁରେ ପ୍ରବେଶ ହୋଇଲା ସରହସୁନ୍ଦରୀ ଦୂତୀ
ଝାଳେଣ ତ୍ରିପଣ୍ଡ ଯେ ବିରସ ତାର ମତି ।୧୦।
ସରହସୁନ୍ଦରୀକି ପଚାରଇ ରାଧିକା
କେଶବ ନୁ ଆସୁଂ ସଖୀ ଅଇଲୁ ତୁ ୟେକା ।୧୧।
ଦୂତୀ ବୋଇଲା ରାଧା ଯେ ତୋହୋର ଯେତେ ବେଗ
ତୁକୁହିଂ ତାହାର ନାହିଂ ୟେଡ଼େ ସ୍ରାଗ ।୧୨।
ରାଧିକା ବୋଇଲା ଆୟେ ତୋହୋର ଅଧର
ବିରସ ଦିଶଇ ତ ଚୁମ୍ୱିଲା ଆକାର ।୧୩।
ଦୂତୀକା ବୋଇଲା ଲୋ ଶୁଣ ସଂଘାତୁଣୀ
ତୋହୋର ପାଇଂ ବୋଇଲି ଅନେକ ଚାଟୁବାଣୀ ।୧୪।
ଅନେକ ଟାଟୁ ପଟଳ କଲି ଉଜାଇଂ ପ୍ରକାଶ
କହି କହି କଣ୍ଠ ଶୁଖିଲା ତେଣୁ ମୋହୋର ଅଧର ବିରସ ।୧୫।
ଚାଟୁ ପଟଳ କହିଲି ଅନେକ ଯେ ରଞ୍ଜି
ମୁହିଂ ସେ ଫୁଟିଲା ତୋତେ ସେ କେବେହେଂ ନ ଭଜି ।୧୬।
ରାଧିକା ବୋଇଲା ଖୋପା ଖୋଷିଲି ସୁସଞ୍ଚ କରି
ଆଉଳ ହୋଇ ମୁହଂ କତିକି ପଡଇ ମାଡ଼ି ।୧୭।
ଦୂତୀକା ବୋଇଲା ଶୁଣ ଗୋ ରାଧେନି
ବଚନେ ନ ଭଜିଲାକୁ ତାକୁ କଲାଇ ଦୟିନି ।୧୮।
ଅପାର ବେଳ ଯାୟେ ଶୁତିଲି ପାୟେ ପଡ଼ି
ତେଣୁ ସେ ଖୋପା ମୋହୋର ଲେଉଟି କପାଳକୁ ପଡ଼ି ।୧୯।
ରାଧା ବୋଇଲେ ଗଳାରେ ଲାଇଲି ରତ୍ନମାଳୀ
ପିଠି କତିକି ସମସ୍ତ ଥୋପାମାନ ଢଳି ।୨୦।
ଆଗୋ ପିଠି କତିକି ରତ୍ନମାଳୀ ହୃତ କତିକି ଝୁମ୍ପା
ୟେହେନେକ ବିଭଳିତ ହୋଇଲା ତୋହୋର କିମ୍ପା ।୨୧।
ଦୂତୀ ବୋଇଲା ମୁହିଂ ଯେତେ ବେଳେ ଶୁତିଲି ପାୟେ ପଡ଼ି
ରତ୍ନମାଳମାନ ଲୋଟିଲା ତେଣୁ ଗଣ୍ଠି ଫେଡ଼ି ।୨୨।
ବିକଳେ ଝୁମ୍ପାମାନ ଆଗ କତିକି ଦେଲି ଲେଉଟାଇ
ହସ୍ତକେ ଗଣ୍ଠି ମୁଠି ଧଇଲି ନିଠାଇ ।୨୩।
ତେମନ୍ତେ ୟେଣିକି ଲେଉଟିଲା ପାଟଝୁମ୍ପା
ରାଧିକା ବୋଇଲା ସଖି ତୋ ପିଠିରେ ଧୂଳି କିମ୍ପା ।୨୪।
ଯେତେବେଳେ ସଖି ଗୋ ଧଇଲି ମାଳୀର ଗଣ୍ଠିମାନ
ଲେଉଟାଇ ପାଡ଼ିଲା ମୋତେ ମୁଂ ପଡ଼ିଲି ଉତ୍ତାନ ।୨୫।
ତେମନ୍ତେ ପିଠିରେ ଗୋ ମୋହୋର ଲାଗିଲାକ ଧୂଳି
ତୋହୋରେ ସହିଲି ମୁଂ ୟେତେକ ଆରଦୋଳି ।୨୬।
ରାଧିକା ବୋଇଲେ ଆୟେ ତୋହୋର କାୟେ
ବିଦାରି ହୋଇଅଛି ଲଖ ଦନ୍ତ କ୍ଷତ ପ୍ରାୟେ ।୨୭।
ଦୂତୀ ବୋଇଲା ଅପାର ଘାନ୍ତି ଯହୁଂ ଶୁତୁଲି ଗଡ଼ଘାଲି
ନଯାଇଂ ନଯାଇଂ ବୋଲି ମୋତେ ପାଦରେ ଦିଲା ପେଲି ।୨୮।
କଣ୍ଟିକା ଲଟାୟେ ମୁଂ ପଡିଲି ମୁହଂମାଡ଼ି
କଣ୍ଟାମାନ ଲାଗି ଶରୀର ମୋର ଛିଡ଼ି ।୨୯।
ରାଧିକା ବୋଇଲେ ମୁହିଂ ତୋତେ ପିନ୍ଧାଇଲି ମୋହୋର ଝୀନଶାଢି
ପୁରୁଷ ବସ୍ର ଗୋଟିଏ ଅଇଲୁ କିପରି ପିନ୍ଧିକରି ।୩୦।
ଦୂତିକା ବୋଇଲା ମୁଂ ଅନେକ ବୋଇଲି ବିନୋୟି
ୟେତେ କଷ୍ଟ ଦେଖି ଆସିବାକୁ ସନମତ କଲା ସେହି ।୩୧।
ୟେତେ କଷ୍ଟରେ ସେ ସନମତ କଲା
ଆଜରାତ୍ରରେ ତାହାର ପୁରକୁ ଯିବି ସେ ବୋଇଲା ।୩୨।
ମୁହିଂ ବୋଇଲି ଯେବେ ଯିବୁ ଆଜର ନିଶି
ମୋହୋର ହାଥେ ରାଧିକାକୁ ସନ୍ତକ ଦେସି ।୩୩।
ରାଧା ସମ୍ପ୍ରତେ ଯାଉ ତୋହୋର ସନ୍ତକ ଦେଖି
ସନ୍ତକ ଦେଖିଲେସମ୍ପ୍ରତେ ଯାଉ ଚନ୍ଦ୍ରମୁଖୀ ।୩୪।
କୃଷ୍ଣ ବୋଇଲେ କିଛି ସନ୍ତକ ନାହିଂ ଗୋ ଦୂତିକା
ପିନ୍ଧିଲାର ବସ୍ର ଅଛି ମାତ୍ର ମୋର ୟେକା ।୩୫।
ମୁହିଂ ବୋଇଲି ୟେହା ଦେବୁ ନପାଲଟି
ତୁ ପିନ୍ଧ କହ୍ନଇ ରାଧିକା ଶାଢି ଗୋଟି ।୩୬।
ତୋର ବସ୍ର ବୋଲି ହୋଇଲା ଉଷତ
ସେ ଶାଢି ଆପଣେ ପିନ୍ଧିଲେ ଜଗନ୍ନାଥେ ।୩୭।
ତାହାଙ୍କର ପିନ୍ଧିଲା ବସ୍ର ମୁହିଂ ପିନ୍ଧିଲି
ପରଚେ ନିମନ୍ତେ ମୁହିଂ ସନ୍ତକ ଆଣିଲି ।୩୮।
ଶୁଣିଣ ରାଧିକା ଯେ ପରମ ସାନନ୍ଦ ଚିତ୍ତ
ମୋହୋର ପାଇଂ ଆଈ ପାଇଲ ଦୁଖ ବହୁତ ।୩୯।
ଅନେକ ବିକଳ ଯେ ହୋଇଲେ ରାଧିକା
ବାଳୁତ କୁମାରୀକଇଂ ଭଣ୍ଡିଲା ଦୂତିକା ।୪୦।
ଟସକର କହିଲା ଦେବ ଶୁଣିମା ବିଦୁର
ଦୁତିକାକୁ ନାରାୟଣ କଲେ ଯେ ଶୃଙ୍ଗାର ।୪୧।
ସରହସୁନ୍ଦରୀ ଗର୍ଭେ ଯେ ପଡିଲା ବାସୁଦେବର ବୀର୍ଯ୍ୟ
ନବ ମାସେ ଉତପତ୍ତି ମୁଂ ଯେ ହୋଇଲି ଆତ୍ମଜ ।୪୨।
ସରହସୁନ୍ଦରୀ ବୋଇଲା ୟେ ତୋହୋର ବୀର୍ଯ୍ୟେ ହେଟି
ତୋତେ ସେବା କରିଥାଉ ୟେ ମୋହୋର ପୁତ୍ରଗୋଟି ।୪୩।
ଦୂତିକାର ଗର୍ଭରୁ ମୁଂ ହୋଇଲି ଅବତାର
ନାମ ମୋହୋର ହରି ଦିଲେ ଖଲ୍ୟକାର ।୪୪।
ବ୍ରହ୍ମାଙ୍କର ଦିଲା ଯେ ଲକ୍ଷଣା ପ୍ରତକ୍ଷେ
ତାହା ମାହାର ହାଥେ ଆଣି ଦିଲେକ ଶ୍ରୀବଚ୍ଛେ ।୪୫।
ମୋତେ ବୋଇଲେରେ ତୁ କଥା ୟେକ କର
କଦମ୍ୱ ତଳକୁ ଜୁଣେ ଯେ ରାଧିକାର ପୁର ।୪୬।
ୟେହି କଦମ୍ୱ ତଳକୁ ବିମ୍ୱର ଗୋଟିଏ ଖୋଳିବୁ
ରାଧିକାଙ୍କର ପଲଙ୍କ ତଳେ ନେଇଣ ଫୁଟାଇବୁ ବାବୁ ।୪୭।
ନାରାୟଣଙ୍କ ଆଗ୍ୟାଂୟେ ମୁଂ ଖୋଳିଲି ବିମ୍ୱର
ରାଧିକାର ପୁରେ ଫୁଟିଲା ଦିନ ଯେ ଅଠର ।୪୮।
ତାଳେକ ଉତ୍ସର୍ଗ ବିସ୍ତାର ତାଳ ତିନି
ରାଧିକା ଲୁଚାଇ ଥାଇ ବିମ୍ୱର ପଥରେକ ଘେନି ।୪୯।
ରାତ୍ର ହୋଇଲେ ଯେ ଗୁଆଳକୁ ନିଦ୍ରା କରାଇ
ବିମ୍ୱରେ ପଶି ରାଧିକା କଦମ୍ୱ ମୂଳକୁ ଯାଇ ।୫୦।
ଇଚ୍ଛାୟେ ଶୃଙ୍ଗାର ଦିଅଇ ସେ ଚନ୍ଦ୍ରବଦନୀ
ଗୋପାଳ କତିରେ ଯାଇ ଶୋଅଇ ରଜନୀ ।୫୧।
ମୋହୋର ଚରିତ୍ର ତୁମ୍ଭେ ଶୁଣସି ବିଦୁର
ଖଲ୍ୟକାର ନାମେଣ ମୁଂ ଅଟଇ ଟସକର ।୫୨।
ଶୁଣିଣ ବିଦୁର ବିଚାରଇ ପରମାର୍ଥ
ୟେହି ମୋହୋର ପୁଅକଇଂ ହୋଇବା କହିତ ।୫୩।
ବିଦୁର ପୁଚ୍ଛା କଲେ ଶୁଣରେ ମହାବଳୀ
କେତେଦୂର ତୁହୋ ବିମ୍ୱର ପାରୁ ଖୋଳି ।୫୪।
ଖଲ୍ୟକାର ବୋଲେ ଯାହାର ଯେତେ ଦୂରେ ହୁଅଇ କାର୍ଯ୍ୟ
ତେତେକ ସମ୍ପାଦି ମୁଂ ପାରଇ ଗ୍ରାହିଜ ।୫୫।
ଶୁଣିଣ ବିଦୁର ଯେ ପରମ ସାନନ୍ଦେ
ଟସକର ଘେନିଣ ଚଳିଲେ ନିଜ ଫନ୍ଦେ ।୫୬।
ତୁ ଯେବେ ଚଉର୍ଯ୍ୟରେ ଭେଟିଲୁନି ମୋତେ
ଆବର ବେଳେ ଚଉର୍ଯ୍ୟପଣ କରିବୁ କେମନ୍ତେ ।୫୭।
ଦୁଇ ଅଧିକାର ବିଦୁରର ହସ୍ତିନା ନଗରୀ
ନଗ୍ର ରକ୍ଷା କରଇ ଆବର ଭଣ୍ଡାର ଅଧିକାରୀ ।୫୮।
ରାତ୍ରେଣ ବିଦୁର ତୁଲେ ଘେନିଣ ଖଲ୍ୟକାର
ଭଣ୍ଡାରୁ ପାଣି ଦ୍ରବ୍ୟ ଦିଲେ ୟେକ ଭାର ।୫୯।
ସୁଖେଣ ବିଳସ ତୁ ରହି ହସ୍ତିନା ପୁର
ଆବର ବେଳେ ଚଉର୍ଯ୍ୟପଣ ନ କରିବୁ ଖଲ୍ୟକାର ।୬୦।
ଧନରତ୍ନମାନ ପୋତି ଥୋଇଲା ନିଜପୁରେ
ଅନୁବ୍ରତେ ଗୋଡ଼ାଇଥାଇ ବିଦୁରଙ୍କ ସଙ୍ଗତରେ ।୬୧।
ଦିନେକ ଟସକର ବୋଇଲା କରଯୋଡି
ତୁମ୍ଭେ ଯେ ମୋତେ ପୋଷୁଅଛ ମୁଇଂ କିସ ଉପୁଗାରୀ ।୬୨।
ବିଦୁର ବୋଇଲେ ମୁଇଂ ତୋତେ ପୋଷୁଅଛି
ତୋହୋରେଣ ମୋତେ ଅନେକ କାର୍ଯ୍ୟଅଛି ।୬୩।
କେବଣ ମୋତେ ତୋତେ ମୁଂ କରିବି କାରଣ
ଆଗ୍ୟାଂ ଦିଅ ମୋତେ ଭିଆଇବି ୟେହିକ୍ଷଣ ।୬୪।
ବିଦୁରେ ବୋଇଲେ ତୁ ଯେବେ ଗର୍ଭେ କରୁ ଗୋପ୍ୟ
କାହାରି ଅଗ୍ରତେ ନକହିବୁଟିରେ ମୋହୋର ବାପ ।୬୫।
ତେବେ ସେ ବାବୁରେ କହି ପାରଇ ତୋତେ
ଖଲ୍ୟକାର ବୋଇଲା ମୁଂ ନୋହଇ ୟେମନ୍ତେ ।୬୬।
ମୀନମାସ କୃଷ୍ଣପକ୍ଷ ଦୁତୀୟା ଭୃଗୁବାର
ହସ୍ତା ନକ୍ଷତ୍ରର ଶେଷ ଭୋଗ ସେ ଦିନର ।୬୭।
ଖଲ୍ୟକାର ଘେନି ଅମ୍ୱୁବତୀର ବାଳ
ବେନି ଜନେ ମିଳିଲେ ଯାଇ ସୁରନଦୀ କୂଳ ।୬୮।
ପଥ ବୁଲାଇଣ ଘେନିଣ ଗଲେ ଟସକରକୁ
ଜଦୁର ଘରେ ନେଇ ଭେଟାଇଲେ ତାହାକୁ ।୬୯।
ସୁରନଦୀ କୂଳକୁ ଜଦୁର ଘର ୟେକାଦଶ ଜୁଣ
ବାବୁ ବିମ୍ୱର ଗୋଟିୟେ ତହିଂ କରିବୁ ନିରିବାଣ ।୭୦।
ଖଲ୍ୟକାର ବୋଇଲା କିସ ତୋହୋର ଚିନ୍ତା
ମୁହିଂ ସେ ୟେହା ଯେ ଅଟଇ ବିହନ୍ତା ।୭୧।
ନାରାୟଣ ସୁମରି ସେ କଲା ଶୁଭ ଅନକୂଳ
ତ୍ରିଶିରା ପର୍ବତ ତଳୁଂ ଖୋଳଇ ବିମ୍ୱର ।୭୨।
ବିଦୁରେ ବୋଇଲେ ଦ୍ୱାପର ଯୁଗ ଦେଉଳ ଉଚ୍ଚ ଯେତେ
ଆଠ ସହସ୍ର ଆଠ ଶତ ଅଠାଇଶ ହାଥ ପରିଯନ୍ତେ ।୭୩।
ଉଚ୍ଚ ହୋଇବ ଯେ ବିସ୍ତାର ହୋଇବ ତେଡ଼େ
ଉଭାରେ ଜଣେ ଯିବ ଆସିବ ସଂପୋଡେ ।୭୪।
ଟସକର ବୋଇଲା ତୋହୋର କାର୍ଯ୍ୟ ଯେତେ
ଆହୁରି ବିସ୍ତାର ମୁଂ କରିପାରଇ ତେତେ ।୭୫।
ଖଲ୍ୟକାର ବିମ୍ୱରେ ଲଗାଇ ବିଦୁର
ରାତ୍ରେ ଆପେଣ ନେଇ ଦିଅନ୍ତି ଅନ୍ନଜଳ ।୭୬।
ମକରମାସ ଶୁକଳପକ୍ଷ ପୂର୍ଣ୍ଣୀମୀର ଦିନ
ମଙ୍ଗଳବାର ନକ୍ଷତ୍ର ସେଦିନ ପର୍ବ ଫାଲଗୁନ ।୭୭।
ସେଦିନ ହରି ବଳରାମ ବେନି ଭ୍ରାଥେ
ପ୍ରବେଶ ହେଲେ ହସ୍ତିନା ରାଜ୍ୟେ କୁରୁନାଥ ଅଗ୍ରତେ ।୭୮।
ବିଦୁରେ ଦେଖିଲେ ରାମକୃଷ୍ଣ ବେନି
ଅନେକ ପୂଜା କଲେ ବିନୋୟ ଦୟିନି ।୭୯।
ଆସ୍ତାନୁଂ ଉଠି ଦେବ ବିଜେ କରିଯାନ୍ତେ
ପଛେଣ ଗୋଡ଼ାଇ ଅଛନ୍ତି ଅମ୍ୱୁବତୀର ସୁତେ ।୮୦।
ଆଗ ହୋଇଗଲେ ଦେବ ବଳରାମେ ତୁରିତେ
ୟେକାନ୍ତେ ବିଦୁରକୁ ପୁଚ୍ଛାକଲେ ଜଗନ୍ନାଥେ ।୮୧।
ଧୃତରାଷ୍ଟ ପାଣ୍ଡବଙ୍କୁ ଯେ ଚିନ୍ତଇ ପରମାଦ
ସେ ପାର ହୋଇବେ ୟେକା ତୋହୋର ପରସାଦ ।୮୨।
ବିଦୁରେ ବୋଇଲେ ମୋତେ ନକହ ୟେତେକଥା
ସ୍ୱାମୀ ତୋତେ ସେ ଲାଗଇ ପାଣ୍ଡବଙ୍କ କଥା ।୮୩।
ଦ୍ରିଯୋଧନ କୂଟେ ଝିମାଣି ଶାଳ କଲା ବାରୁଣାପ୍ରଶସ୍ତେ
ଜଦୁର ଘରେ ଦହନ କରାଇବ ପୁରଞ୍ଚନ ପଣ୍ଡା ହାଥେ ।୮୪।
ଖଲ୍ୟକାର ନାମେଣ ଯେ ୟେକଇ ଟସକର
ତାହାକୁ ଲଗାଇ ମୁହିଂ କରାଉ ଅଛି ବିମ୍ୱର ।୮୫।
ରାତ୍ର କାଳେ ଦେବ ସେ ଯେ ଜଦୁର ଘର ଜାଳି
ସେ ବିମ୍ୱର ବାଟେ ପାଣ୍ଡବେ ରାତ୍ରେ ଯିବେ ଗଳି ।୮୬।
ନାରାୟଣ ବୋଇଲେ ସେ ଖଲ୍ୟକାର ଚଉର୍ଯ୍ୟ
ସରହସୁନ୍ଦରୀ ପୁତ୍ର ସେ ଆମ୍ଭର ଆତ୍ମଜ ।୮୭।
ଆମ୍ଭେ ଶିଖାଇଲୁ ତାହାକୁ ଚଉର୍ଯ୍ୟପଣ ବିଦ୍ୟା
ବିମ୍ୱର ଖୋଳି ପାରଇ ସେ ବଚନ ସଂସିଦ୍ଧା ।୮୮।
ବିଦୁରେ ବୋଇଲେ ହୋ ଶୁଣିମା ଗୋସାଇଂ
ଖଲ୍ୟକାର ବଚନ ସେ ଆହୁରି ଅଛି କହି ।୮୯।
ସେ ଯେ ଖୋଳୁଅଛି ଦେବ ବିମ୍ୱର ଗୋଟି
ଅସମ୍ଭାଳ ହୋଇ କାହିଂ ସମ୍ଭାଳିବ ମାଟି ।୯୦।
ଖୋଳିବାକୁ ଶକତା ସେ ଅଟଇ ଦାମୋଦର
କେମନ୍ତେ ପ୍ରକାରେ ମାଟି ହୋଇବାକ ଦୂର ।୯୧।
ବିଦୁର ତହୁଂ ୟେସନେକ ବଚନ ଶୁଣି
ମନେ ମନେ ସେ ବିଚାର କରନ୍ତି ଚକ୍ରପାଣି ।୯୨।
ୟେତେ ବୋଲି ବିଶ୍ୱମୂର୍ତ୍ତିକି ଧଇଲେ
ବେନି ଭୁଜରୁ ବେନି ପୁରୁଷ ଭିଆଇଲେ ।୯୩।
ଛାୟା ମାୟା ନାମେ ଯେ ଅଟନ୍ତି ବେନି ବୀର
ତାହାନ୍ତ ରାଇ ଆଗ୍ୟାଂ ଦିଲେକ ଦାମୋଦର ।୯୪।
ତୁମ୍ଭେ ଦୁହେଂ ୟେବେ ସୁରନଦୀ କୂଳକୁ ଯିବ
ଖଲ୍ୟକାର ବାମ ଡାହାଣେ ଲାଗିଥିବ ।୯୫।
ଯେତେକ ଭୂମି ସେ ଖୋଳିବ ପ୍ରତକ୍ଷ
ସେ ମୂତ୍ତିକାମାନ ତୁମ୍ଭେ ଦୁଇ ଭାଇ ଭକ୍ଷ ।୯୬।
କ୍ରୋଟ ଅନଳ ଯେ ଥୋଇଲେ ତାହାଙ୍କର ଗର୍ଭେ
ସେ ମୃତ୍ତିକାମାନ ଦହନ ହୋଇବ ପଡିଲେ ଉଦର ଭାଗେ ।୯୭।
ନାରାୟଣଙ୍କ ଆଗ୍ୟାଂୟେ ସେ ମହାବୀର ବେନି
ଖଲ୍ୟକାରକୁ ସପକ୍ଷ ହୋଇଲେ
ମୃତ୍ତିକା ଦହନ କଲେ ଭାଇ ବେନି ।୯୮।
ଖୋଳନ୍ତି ଟସ୍କର ଯେ ଭକ୍ଷନ୍ତି ବେନି ଦକ୍ଷ
ତିନିହେଂ ବିମ୍ୱର ଯେ ଭିଆଇଲେ ପ୍ରତକ୍ଷ ।୯୯।
ବିଦୁରଙ୍କର ବାରୁଣାବନ୍ତ ଗମନ
ଶ୍ରାବଣ ଶୁକଳ ଯେ ଚତୁର୍ଦ୍ଦଶୀ ଦିନ
ଭୃଗୁବାର ଉତ୍ତରାଷାଢା ନକ୍ଷତ୍ର ବିଦ୍ୟମାନ ।୧।
ସେଦିନ ବିଦୁର ଗଲେ ବାରୁଣାବନ୍ତକୁ
ରାତ୍ର ଅଢାଇ ପ୍ରହରେ ଭେଟିଲେ ଜଦୁର ଘରଦ୍ୱାରକୁ ।୨।
ବାଉନ ବାଉନ ଭାର ବେନି ଗଦାଧରି
ରାତ୍ର କାଳେ ବୁଲଇ ଭୀମ ଜଦୁଘରେ ବେଢି ।୩।
ବିଦୁରକୁ ଦେଖି ଭୀମ ଡାକ ଦିଲା କେ କେ ଟି ରେ
ଆପଣାର କାର୍ଯ୍ୟ ବୋଲି ମିଳିଲେ କତିରେ ।୪।
ବିଦୁରଙ୍କୁ ଭୀମସେନ କରଇ ନମସ୍କାର
ବାବୁ ତୁନୀ ହୋଇଯାଇ ତୁ ଯୁଝେଷ୍ଠିଙ୍କି ହକାର ।୫।
ତୁନୀ କରି ତୋଳି ଆଣଇ ଯୁଝେଷ୍ଠିଙ୍କି
ଯୁଝେଷ୍ଠି ବିନୋଇ ହୋଇଲେ ଯେ ବିଦୁରଙ୍କଇଂ ଦେଖି ।୬।
ବିଦୁରେ ବୋଇଲେ ତଲେ କରିଥାସି ମନେ
ବିମ୍ୱର ଗୋଟାଏ ଫୁଟିବଟି ଜଦୁଘର ଥାନେ ।୭।
ଖଲ୍ୟକାର ଟସ୍କରକୁ କରିବଟି ଅନେକ ଗଉରୋବ
ତାହାର ପ୍ରସାଦେ ତୁମ୍ଭେ ଗୋପ୍ୟାନେ ପାର ହୋଇଯିବ ।୮।
କଉରୋବେ ତୁମ୍ଭନ୍ତ ଝିଙ୍ଘାସ କରିବେ ଅନେକ
ଭଲେ ପାରି ହୋଇଯାଅ ସମୟେକ ।୯।
ତୁମ୍ଭଙ୍କୁ ସାହାପକ୍ଷ ଅଟନ୍ତି ଜଗନ୍ନାଥେ
ସମୟେକ ବଞ୍ଚ ବାବୁ ଦୁଖେଣ ବନସ୍ତେ ।୧୦।
ପାଞ୍ଚଗୋଟି ଭ୍ରାଥ ମାତାଙ୍କୁ ଘେନି ଛଡ଼ ପ୍ରାଣୀ
ୟେକ ଆତ୍ମା ହୋଇଥିବ ନୋହିବ ପରାପର ଜାଣି ।୧୧।
ମାତାଙ୍କୁ ସେବା କରିଥିବଟି ବନସ୍ତେ
ଦୁଖେଣ ସମୟେକ ବାବୁ ବଞ୍ଚ ପଞ୍ଚୁ ଭ୍ରାଥେ ।୧୨।
ୟେତେ କହି ପୁଣ କହିଲେ ବିଦୁର
ପୁରଞ୍ଚନ ହାଥେ କିଛି ନ କରିବଟି ଆହାର ।୧୩।
ଯୁଝେଷ୍ଠି ବୋଇଲେ ତୁହି ଯେ ଆମ୍ଭର ପିତା
ତୁହି ସେ ଅଟୁ ଆମ୍ଭନ୍ତ ଧର୍ମ ଯେ ଦେବତା ।୧୪।
କହିଣ ବିଦୁର ଗଲେକ ଗହନ ବନସ୍ତେ
ସୁରନଦୀ ତୀରେ ଯେ ତ୍ରିଶିରା ପର୍ବତେ ।୧୫।
ବିମ୍ୱରେ ପଶିଲେ ଯାଇ ମହାନିଶା କାଳେ
ଦେଖିଲେ ବିମ୍ୱର ଯେ ବିସ୍ତାର ନବ ତାଳେ ।୧୬।
ଦେଖିଲେ ବିଦୁରେ ବିମ୍ୱର ଅତିହି ବିସ୍ତାର
ବରଷକେ ହୋଇଲାଣି ପାଞ୍ଚ ଯୋଜନ ଦୂର ।୧୭।
ଅନେକ ଧନ ରତ୍ନ ଦିଲେ ଯେ ଟସ୍କରକୁ
ତୋହୋର ଉପୁଗାର ମୁଂ କହିବି କାହାକୁ ।୧୮।
ୟେତେ ବୋଲି ବିଦୁରେ ଯେ ବାହାର ହୋଇଲେ
ସୁରନଦୀ କୂଳ ନାବ ବାହୁକ କହିବ୍ରତକୁ ଦେଖିଲେ ।୧୯।
ନାବ ଗୋଟି କୂଳେ ଲଗାଇ ବସିଅଛି କଣ୍ଡେୟାର
ରାତ୍ରେ ଜନ ଅଇଲେ କରି ଦିୟେ ପାର ।୨୦।
ବିଦୁରେ ବୋଇଲେ ରେ କେବଣ ତୁ ଜାତି
ୟେ ବନ ନଦୀ କୂଳେ କିମ୍ପେ ବସିଲୁ ନିଶା ରାତି ।୨୧।
ମୁଂ ଦେବ ନିଷାଦ ଅଟଇ କଇବ୍ରତ
ନାବରେ ବସାଇ ପାର କରଇ ଜନମାନନ୍ତ ।୨୨।
ପଣେ ବୋଡ଼ିୟେ ଯେ ଗଣ୍ଡାୟେ ଆଦିକରି
ୟେଣେ ବ୍ରତଇ ମୁଂ ଜୀବନ ଆହାରି ।୨୩।
ବିଦୁରେ ବୋଇଲେ ଏ ମାନଗୋବିନ୍ଦର ରାଜ୍ୟ
ସମସ୍ତ ଜନେ ୟେଥେଂ ବ୍ରତନ୍ତି ଅଇଶୁର୍ଯ୍ୟ ।୨୪।
ତୋହୋର ପରାୟେକ କଷ୍ଟି ଲୋକ ୟେଥି ନାହିଂ
କେତେଦିନ ବଞ୍ଚିବୁ ତୁ ଜଳଚର ହୋଇ ।୨୫।
ନାବ ଗୋଟି ବୁଡାଇ ତୁ ଆସ ହୋ କଇବ୍ରତ
ୟେ ତର ପଡୁ ଲୋକେ ନୋହନ୍ତୁ ୟେଥେ ଆତଯାତ ।୨୬।
ବିଦୁର ବଚନେ ନାବ ବୁଡାଇଲା କଣ୍ଡେୟାର
କଇବ୍ରତକୁ ଘେନି ତହୁଂ ଗଲେକ ବିଦୁର ।୨୭।
ଭଣ୍ଡାର ଫେଡିଣ ତାହାକୁ ଦିଲେ ଅନେକ ଧନ
ଆପଣାର ପୁରେ ତାକୁ କଲେକ ଗୋପ୍ୟାନ ।୨୮।
ବିଦୁର ପ୍ରସନ୍ନେ ତାର କଷ୍ଟ ପାରଗଲା
ଦିନେ ସେ କଣ୍ଡେୟାର ବିଦୁରଙ୍କୁ ପଚାରିଲା ।୨୯।
ୟେତେ ଧନ ଦିଲେ ମୋତେ ଭଣ୍ଡାର ଫେଡି
ମୁହିଂ ଛାର ହୀନ ତୋତେ କଉଂ ଗୁଣେ ହୋଇବି ଉପୁଗାରୀ ।୩୦।
ବିଦୁରେ ବୋଇଲେ ତୁ ଅଟୁ ଯେ ମହତ
ତୋହୋର କାରଣ ମତେ ଅଛଇ ବହୁତ ।୩୧।
କଇବ୍ରତ ହସ୍ତ ଧରି ନେଲେ ନିଶାକାଳେ
ବିମ୍ୱର ସନ୍ନଧ୍ୟେ ହୋଇଲେ ରାତ୍ର କାଳେ ସୁରନଦୀ କୂଳେ ।୩୨।
ବିଦୁରେ ବୋଇଲେ ତୁ ୟେହିଠାରେ ଜଗି ବସିଥିବୁ
ଦିବସେ ନାବ ଗୋଟି ପାଣିରେ ବୁଡାଇବୁ ।୩୩।
ରାତ୍ରେଣ ପାଣିରୁ କାଢି ରଖିବୁ ବିମ୍ୱର ଦ୍ୱାର
ବିମ୍ୱରୁ ଯେ ଆସଇ ତାଙ୍କୁ କରିଣ ଦେବୁ ପାର ।୩୪।
ପାରିକରି ଦେବୁ ସୁରନଦୀର ପଛିମ କୂଳକୁ
ତେତେବେଳେ ଯାଇ ବାରତା କହିବୁ ଆମ୍ଭଙ୍କୁ ।୩୫।
ବିଦୁର ବଚନେ ସେ ନିଷାଦ କଇବ୍ରତ
ନାବ ଘେନି ଜଗି ବସିଲା ସେ ସୁରନଦୀ ତଟ ।୩୬।
ଦିବସେ ନାବଗୋଟି ବୁଡାଇ ଘରେ ଥାଇଂ ଯାଇଂ
ରାତ୍ରେ ପାଣି ନିଗାଡ଼ି ବିମ୍ବର ଦ୍ୱାରକୁ ଯାଏ ବାହି ।୩୭।
ବିମ୍ବର ଖୋଳିଲା ଯେ ଟସ୍କର ଖଲ୍ୟକାର
ବିମ୍ୱରେ ନିର୍ବାଣ ହୋଇଲା ବରଷେ ୟେଗାର ।୩୮।
ମୀନମାସ ଶୁକଳପକ୍ଷ ଦଶମୀର ନିଶି
ଭୌମବାର ଅଶ୍ଳେଷା ଅନ୍ତରେ ଭୋଗ ମଘା ସିଂଘ ରାଶି ।୩୯।
ସୁକର୍ମା ନାମେ ଯୋଗ ବାଣିଜ୍ୟ ନାମେ କରଣ
ରାତ୍ର ନବ ଘଡି ମାନେ ଫିଟିଲା ବିମ୍ୱର ଜଦୁଘର ଉତ୍ତର କଣ ।୪୦।
ସେହିଠାବରେ ଶୋଇଥିଲା ବୀର ଯେ ଅର୍ଜୁନ
ଧାତିକାରେ ଚିଆଇଂ ଉଠିଲା ସେ ବାସବର ନାନ ।୪୧।
କେ ରେ କେ ରେ ବୋଲିଣ ଦରାଣ୍ଡିଲା ରାଗେ
ବାମକରେ ଟସକର କେଶ ଧଇଲାକ ବେଗେ ।୪୨।
ବୋଇଲା ଖଲ୍ୟକାର ମୋତେ ଛାଡ଼ବୀର ପାର୍ଥ
ବିଦୁର ଆଗ୍ୟାଂୟେ ମୁଂ ତୁମ୍ଭର କାର୍ଯ୍ୟେ ହିତ ।୪୩।
ୟେସନେକ ବଚନ ଶୁଣିଣ କିରୀଟୀ
ତତକ୍ଷଣେ ଟସ୍କରର ଛାଡିଲେ କେଶ ଗୋଟି ।୪୪।
ଆଶ୍ୱାସନା କରିଣ ସେ ବାସବର ସୁତ
କତିରେ ବସାଇ ବାରତା ପୁଛଇ ତୁରିତ ।୪୫।
କତିରେ ବସି କରି ଯେ କହଇ ଚଉର୍ଯ୍ୟ
ୟେହି ବିମ୍ୱରେ ପଶି ତୁମ୍ଭେ ଯିବ ଦେବରାଜ ।୪୬।
ଦ୍ୱାଦଶ ବରଷକୁ ମୋତେ ଅନେକ ଧନ ଦେଇ
ବିଦୁରଙ୍କ ଆଗ୍ୟାଂୟେ ମୁଂ ବିମ୍ୱର ଭିଆଇ ।୪୭।
ଅର୍ଜ୍ଜୁନ ତୋଳିଲା ଯୁଝେଷ୍ଠିଦେବ ଠାକୁରଙ୍କୁ
ଯୁଝେଷ୍ଠି ହକାରିଲେ ଯେ ଭୀମସେନକୁ ।୪୮।
ୟେ ବିମ୍ୱର ଭିତରେ ଯାଇ ପଶନିରେ ମାରୁତି
କେତେ ଥଳ କେତେ ଦୀର୍ଘ କେତେ ଉଚ୍ଛର୍ଗ ଯେ ପ୍ରତି ।୪୯।
ଯାଇ ପାରିବାଟିକି ୟେ ବିମ୍ୱରେଣ ପଶି
ଆଗ୍ୟାଂୟେ ବ୍ରିକୋଦର ଗଲାକ ମହା ନିଶି ।୫୦।
ବାଉନ ବାଉନ ଗଦା ଭାର ବେନି ହାଥେ
ବିମ୍ୱର ଭିତରେ ମାରୁତି ଗମଇ ଉଷତେ ।୫୧।
ଊର୍ଦ୍ଧ୍ୱ ବାହୁ କରି ବେନି ହାଥ ତୋଳି ଗଲା
ଆକାଶ ପ୍ରାୟେ ହୋଇ ସେ କାହିଂ ନ ଲାଗିଲା ।୫୨।
ୟେଗାର ଯୋଜନା ବିମ୍ୱର ଖେଦଇ ବ୍ରିକୋଦର
ପ୍ରବେଶ ମାରୁତି ଯାଇ ସୁରନଦୀର ଯେ ତୀର ।୫୩।
ବାହୁଡ଼ା ବେଳକୁ ମାରୁତି ବିସ୍ତାରିଲା ବେନି କରପତ୍ର ।୫୪।
ବିଚାରଇ ମାରୁତି ୟେଥି ସାଂଗ୍ରାମ ପଡିଲେ
ଯୁଦ୍ଧକୁ ଠାବ ଯେ ହୋଇବଟିକି ଦୁଇ ଭୁଜ ଆକ୍ରେଷିଲେ ।୫୫।
ଗଦା ବୁଲାଇ ଯେ ଦୁଇ କରେ ବୀର
ଗଦା କାହିଂ ନ ହାବୋଡ଼ିଲା ପାତାଳ ବିମ୍ୱର ।୫୬।
ଭୀଷ୍ମ ରୂପ ଧରିଣ ଯେ ବ୍ରିକୋଦର ଗଲା
ଜଦୁର ଘରେ ଯାଇଂ ଯୁଝେଷ୍ଠି ଦେବଙ୍କୁକହିଲା ।୫୭।
ବଡାଇଂ ଆଶ୍ରିଯ ଦେବ ୟେ ଟସକର କଥା
ଦେବଙ୍କୁ ଅଶକ୍ୟ ୟେ ଅସମ୍ଭବ ବଳବନ୍ତା ।୫୮।
ଯେବଣ ବିମ୍ୱର ୟେ ସମ୍ପାଦିଲା ଟସକର
ମଞ୍ଚ ସ୍ୱର୍ଗ ପ୍ରାୟେ ଦେବ କିଛି ନାହିଂ ଯେ ଅନ୍ତର ।୫୯।
ଶୁଣିଣ ଯୁଝେଷ୍ଠି ଦେବ ପରମ ସାନନ୍ଦ ଚିତ୍ତେ
ଟସକରକୁ ଅନେକ ରତ୍ନ ଦିଲେ ଜଦୁଘରେ ଥିଲା ଯେତେ ।୬୦।
ତୁ ଆମ୍ଭ ନିମିତ୍ତେ ଯେତେ କଷ୍ଟ ପାଇଲୁ ଖଲ୍ୟକାର
ଧର୍ମେଣ ରାଜ୍ୟ ପାଇଲେ ତୋହୋର କରିବୁ ଉପୁଗାର ।୬୧।
ଟସକର ବୋଇଲା ଦେବବିଦୁର ମାହାତ୍ମା ହିଂ ଥିଲେ
ତୁମ୍ଭନ୍ତ ପଞ୍ଚୁକଟକ ପ୍ରାପତ ହୋଇବ ଭଲେ ।୬୨।
ନାମଗିରି ନାମେ ଯେ ପର୍ବତ ଗୋଟାୟେ
ବିମ୍ୱର ଦ୍ୱାରେଣ ନେଇ ଭୀମ ଚାପିଣ ଗୋପ୍ୟକୟେ ।୬୩।
ଖଲ୍ୟକାର ଗଲା ଯେ ବିଦୁର ସନ୍ନିଧାନେ
ବିମ୍ୱର ପରିକ୍ଷ କଲେ ପାଣ୍ଡବ ଭୀମସେନେ ।୬୪।
ଶୁଣିଣ ବିଦୁର ଯେ ଅନେକ ସାନନ୍ଦେ
ଖଲ୍ୟକାରକଇ ବହୁତ ଧନ ଦିଲେକ ଆନନ୍ଦେ ।୬୫।
ସେହି ରାତ୍ରେ ସେ ଟସ୍କରକୁ ତୁଲେ ଘେନି
ଜଦୁର ଘରେ ପ୍ରବେଶ ଦିବା ଅନ୍ତେଣ ରୟଣୀ ।୬୬।
ପ୍ରବେଶ ହୋଇଲେ ଯାଇଂ ଜଦୁର ଘରେଟି
ପ୍ରତକ୍ଷେ ଭେଟିଲେ ଯାଇଂ ଧର୍ମରାଜା ଯୁଝେଷ୍ଠି ।୬୭।
ବୋଲନ୍ତି ମୁଂ ତ ସଞ୍ଚିଲି ୟେସନେକ ସନ୍ଦେହେ
ଧର୍ମେ ୟେଥୁଂ ପାର ହୋଇଥାଅ ସମୟେକ ବାଭିୟେ ।୬୮।
ଯେମନ୍ତ ବାବୁରେ ତୁମ୍ଭଙ୍କୁ ନଜାଣନ୍ତି ଆନ ଜନେ
ବରଷ କେତେ ରହ ଯାଇ ଅଗମ୍ୟ ଘୋର ବିପୁନ୍ୟେ ।୬୯।
ଜାଣିମା ଧୃତରାଷ୍ଟ କେମନ୍ତ କଥା ଧରଇ ହୃଦେ
କେମନ୍ତେ ବିଚାରଇ ସେ ବିଷାଦ କି ଆନନ୍ଦେ ।୭୦।
ପରମ ଆଷ୍ୟ ତୁମ୍ଭେ ହୋଅ ପାଞ୍ଚୁଭାଇ
ବରଷେ କେତେ ବାବୁ ତୁମ୍ଭର ଆମ୍ଭର ଭେଟା ଭେଟି ନାହିଂ ।୭୧।
ମୋହୋର ଆଇଷ୍ୟ ଘେନି ବ୍ରତି ଥାଅ ଭଲେ
ଅଇରି ଦର୍ପ ଗଞ୍ଜିବ ବନସ୍ତେ ଭେଟିଲେ ।୭୨।
ୟେତେ ବୋଲିଣ ସନ୍ନିଧେ ରାଇଲେ ଭୀମକୁ
ବାବୁ କଷ୍ଟ କର୍ମ କରି ଧରିଥିବୁ ଶରୀରକୁ ।୭୩।
ବାବୁରେ ବନସ୍ତେ ପଶନ୍ତେ ହୋଇବ ଅନେକ କଷ୍ଟ ଦୁଖ
ଶରୀର ରକ୍ଷଣ ନିମନ୍ତେ ଯାଇ ମାଗିବଟିରେ ଭିଖ ।୭୪।
ଅଳପ ସମୟେଟି ବାବୁ କର୍ମର ବିପଦ
ତହୁଂ ଅଇଲେଟି ପ୍ରାପତ ହୋଅଇ ସିନା ରାଜ୍ୟ ସଂପଦେ ।୭୫।
ୟେତେକ ତିଆରିଣ ଯେ ଗଲେକ ବିଦୁର
ତୁଲେଣ ଗୋଡ଼ାଇ ଅଛି ଖଲ୍ୟକାର ଟସକର ।୭୬।
ଜତୁଗୃହ ଦାହ ଓ ଭୀମଙ୍କର ଅଗ୍ନିସ୍ତବ
ବିଦୁରେ ହସ୍ତିନା ଭୁବନେ ପ୍ରବେଶ ହୋଇଲେକ ଯାଇ
ଅଛନ୍ତି ପାଣ୍ଡବ ଯେ ଜଦୁର ଘରେ ରହି ।୧।
ବିଦୁରେ ଗଲେ ଯେ ଦ୍ୱାରକା ଭୁବନକୁ
ସମସ୍ତ ସଂବାଦ କହିଲେ ଶ୍ରୀବାସୁଦେବଙ୍କୁ ।୨।
ମୋହୋରେ ୟେତେକ ୟେ ହୋଇଲାକ ଦାମୋଦର
ତୋହୋର ବୁଦ୍ଧି ବଳେ ସ୍ୱାମୀ ଜଦୁଘରୁ ପାରିକର ।୩।
ଶ୍ରାବଣ ଶୁକଳ ଯେ ତ୍ରୟୋଦଶୀ ଚନ୍ଦ୍ରବାର
ମୂଳା ନକ୍ଷତ୍ର ଯେ ଭୋଗ ଅଟଇ ସେ ଦିନର ।୪।
ବିଦୁରେ ବୋଇଲେ ହରି କେବଣ କୃତ୍ୟ କରିବା
କେମନ୍ତେ ପାଣ୍ଡବନ୍ତ ପାର କରି ଦେବା ।୫।
ବିମ୍ୱର ବାଟେ ଯେବେ ହୋଇବେ ବାହାର
କେବଣ ବୁଦ୍ଧି ଉପାୟେ ଅଛଇ ତୋହୋର ।୬।
ବୋଲନ୍ତି ଶ୍ରୀହରି ଶୁଣ ହୋ ବିଦୁର
ୟେ କଥାକୁ ଉପାୟେ ଅଛିନି ମୋହୋର ।୭।
ମେଘାନ୍ତ ହକାରିଣ ବୋଲନ୍ତି ନାରାୟଣ
ବାରୁଣାବନ୍ତେ ଘୋର କରିବା ବରଷଣ ।୮।
ନାରାୟଣଙ୍କଆଗ୍ୟାଂୟେ ବରଷନ୍ତି ମେଘେ
ମୂଷଳଧାରା ପ୍ରମାଣେ ସେ ବରଷନ୍ତି ଉଚ୍ଛର୍ଗେ ।୯।
ଅନୁଭବ ବନେ ଅଜରାଜ ନାମେଣ କିରାତ
ଜୟନ୍ତା ନାମେ ଭାରିଯା ତା କୋଳେ ପାଞ୍ଚପୁତ୍ର ।୧୦।
ନିର୍ଘାତ ବଜ୍ର ସୂଚି ପଡ଼ିଲା ତାର ବାସ
ଅଜ ଶବର ଉପରେ ପଡ଼ିଲାକ ସେ ହୋଇଲାକ ନାଶ ।୧୧।
ଆଶ୍ରମ ଗୋଟି ଯେ ତାର ଗଲା ଜଳି
ପାଞ୍ଚ ଗୋଟି ପୁତ୍ର ଘେନି ପଳାଇଲା ବିକଳୀ ।୧୨।
ଜଦୁର ଘର କାନ୍ଥରେ ସେ ଲାଗିଲାକ ଯାଇଂ
ଭୀମସେନ ବୋଇଲା ଲୋ ଆସୁଅଛୁ କାହିଂ ।୧୩।
କେ ଟି ବୋଲିଣ ଚାହିଂଲେ ଦେବୀ କୋନ୍ତୀ
ଆସ ଆସ ମହାତ୍ମାଣୀ ଗୋ ଅଟୁ କେଉଣ ଜାତି ।୧୪।
ମୁହିଂ କିରାତୁଣୀ ଅଟଇ ବନଚର
ପାଞ୍ଚ ଗୋଟି ପୁତ୍ର ଗୋ ଅଟଇ ମୋହୋର ।୧୫।
ସ୍ୱାମୀ ମୋହୋର ନାଶ ଗଲା ବଜ୍ରସୂଚୀ ଘାୟେ
ରହିବାକୁ ଠାବ ଖଣ୍ଡିଏ ଦେୟସି ଗୋ ମାୟେ ।୧୬।
ୟେ ପାଞ୍ଚଗୋଟି ପୁତ୍ର ଯେ ତୋହୋର ବାଳଶିଷ
ନାମ ଗୋଟି ଆଈ ଅଟଇ ତୋର କିସ ।୧୭।
ବୋଲଇ ଶବରଣୀ ଶୁଣ ଗୋସାମଣୀ
ମୋହୋର ନାମ ଅଟଇ ଜୟନ୍ତା ଶବରଣୀ ।୧୮।
କୋଇନ୍ତା ବୋଇଲେ ଗୋ ଭିତରେ ରହଆସି
ନାମ ଅକ୍ଷର ପଡ଼ିଲା ତୁ ମୋହୋର ବୟେସୀ ।୧୯।
ମୋହୋର ପାଞ୍ଚଗୋଟି ପୁତ୍ର ତୋହୋର ପାଞ୍ଚପୁତ୍ର
ଆସ ଆସ ପଇଠି ଗମ୍ଭୀରିରେ ପଶସିରେ ସଂଘାତ ।୨୦।
ଭୀମ ଦ୍ୱାର ଛାଡ଼, ସେ ପଶନ୍ତୁ ଭିତରେ
ମାତାଙ୍କର ଆଗ୍ୟାଂୟେ ଛାଡିଲା ଦ୍ୱାର ବ୍ରିକୋଦରେ ।୨୧।
ପଇଠ ଗମ୍ଭୀରେ ସେ ରହିଲା ଶବରୁଣୀ
ଶେଯ୍ୟା ଗୋଟିୟେ ତାହାକୁ କୋଇନ୍ତା ଦିଲେ ଆଣି ।୨୨।
ବନସ୍ତେ ଅନେକ ଯେ ଅଇଲେ ଦୁଖପାଇ
ଉଷୁମେ ନିଦ୍ରାଗଲେ ଯେ ଅସାଷ୍ଟମ ହୋଇ ।୨୩।
ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ
କୋଇନ୍ତାକୁ ଘେନି ଭିତରେ ପଶିଲେ ପଞ୍ଚୁପାଣ୍ଡବ ।୨୪।
ଯୁଝେଷ୍ଠି ବୋଇଲେ ଶୁଣସି ଗୋ ମାୟେ
ୟେଥୁ ପାର ହୋଇଯିବା ୟେହୁ ଯେ ସମୟେ ।୨୫।
ପର୍ବତକୁ ଆଡିଆଇ ପଶିଲେ ଭିତରେ
କୋଇନ୍ତାକୁ ଭୀମସେନ ବସାଇଲା ଶିରେ ।୨୬।
ଡାହାଣ କାନ୍ଧେ ଯୁଝେଷ୍ଠି ବାମ କାନ୍ଧରେ କିରୀଟୀ
ଦୁଇ କାଖେ ବସାଇଲା ନକୁଳ ସହଦେବ ଦୁଇ ଗୋଟି ।୨୭।
ବାଉନ ବାଉନ ଭାର ଗଦା ଧରି ବେନି ହସ୍ତେ
ବିମ୍ୱରେ ଚଳଇ ଭୀମ ପବନ ଅପତ୍ୟେ ।୨୮।
ସୁର ନଦୀ କୂଳେ ନେଇ ବସାଇଲା ପାଞ୍ଚନ୍ତି
ଜଦୁର ଘରକୁ ଭୀମସେନ ଲେଉଟ ଅଇଲା ନିଶାରାତି ।୨୯।
ବିମ୍ୱରେଣ ପଶି ଆସି ଜଦୁଘରେ ମିଳି
ଝିମାଣିଶାଳୁଂ ଅଗ୍ନି ଆଣି ବାମ କରେ ଦିଲା ଜାଳି ।୩୦।
ଭାମସେନ ତୋଳିଲା ପୁରଞ୍ଚନ ପଣ୍ଡାକୁ
ତୁ ସେ ପ୍ରତଗ୍ୟାଂ ପାଣ୍ଡବନ୍ତ ମାରିବାକୁ ।୩୧।
ପ୍ରତଗ୍ୟାଂ ସାଚା ହୋଇଲା ତୋହୋର ଦ୍ୱିଜବର
ପାଣ୍ଡବନ୍ତ ମାରି ରାଜ୍ୟ ଦିଅ କୁରୁବୀର ।୩୨।
ଜଦୁର ଘର କେ ଯେ କପଟେ ଭିଆଇଲୁ
ଭୁଞ୍ଜାଇ ବସାଇ ମୋତେ ବିଷ ଖୁଆଇଲୁ ।୩୩।
ପୁରଞ୍ଚନକୁ ଝିଙ୍ଘାସଇ ପବନର ବଳା
ଧାତିକାରେ ଜଦୁର ଘରେ ଲଗାଇଲୁ ହୁଳା ।୩୪।
ଜଉ ସଜଳସ ଗୁଆ ଗୃତେ ଛଣପଟ
ୟେ ଚାରିଙ୍କି ମେଦି କରି ଘର କରିଛୁ କପଟ ।୩୫।
ଯେତେବେଳେ ହୁଳା ଲଗାଇଲେ ଜଦୁର ଘରେ
ଜଳିଲା ଅନଳ ଯେ କାଳାନଳ ପରଖରେ ।୩୬।
ପଣ୍ଡାୟେ ପଳାଅ ତୁମ୍ଭେ ବାହାର ହୋଇ
କାହୁଂ ଆଣି ଲଗାଇଲେ ତୁମ୍ଭେ ଜୁଇ ।୩୭।
ୟେହି କ୍ଷଣି ଆମ୍ଭେ ମରିବଇଂ ପୋଡ଼ି
ତୁମ୍ଭେ ପଳାଅ ପଣ୍ଡା ହେ ଅଗ୍ନି ଆସୁଅଛି ମାଡ଼ି ।୩୮।
ତୁରିତେ ଅଗ୍ନି ଲାଗିଲା ବ୍ରାହ୍ମଣ ଭୀମ ଦୁହିଙ୍କର କର
ମୁହଂ ମାଡ଼ି ପଡ଼ିଲା ବ୍ରାହ୍ମଣ ଭୂମିର ।୩୯।
ଭୀମସେନ ପଳାବନ୍ତେ ଅଗ୍ନିର ତେଜ ଲାଗି
ଅନେକ ତୁସ୍ତି ଭୀମ କଲା ପରମ ଯୋଗୀ ।୪୦।
ରହ ରହ ପବନ ନନ୍ଦନ ମୋହୋର ହାତରୁ ଯିବୁ କାହିଂ
ରହିଣ ଭୀମସେନ ବିସ୍ମୟ ହୋଇ ତୁସ୍ତି କରଇ ତହିଂ ।୪୧।
ଜୟ ତୁ ଜୟ ତୁ ଦେବ ବୈଶ୍ୱାନର
ଜୟ ତୁ ଜୟ ତୁ ଦେବ ଦୋହୋରା ଅବତାର ।୪୨।
ଜୟ ତୁ ଜୟ ତୁ ଦେବ ଦହନ ପାପଘୋରା
ଜୟ ତୁ ଜୟ ତୁ ଦେବ ଗୋପ୍ୟାନ ଦୋହୋରା ।୪୩।
ଜୟ ତୁ ଜୟ ତୁ ଦେବ ଆହାରେ ମତ୍ତ ଭୋଳା
ଜୟ ତୁ ଜୟ ତୁ ଦେବ ସିଦ୍ଧ ଅନର୍ଗଳା ।୪୪।
ଜୟ ତୁ ଜୟ ତୁ ଦେବ କାଳ ଯେ ଅନଳ
ଜୟ ତୁ ଜୟ ତୁ ଦେବ ପ୍ରସନ୍ନେ ପିଙ୍ଗଳ ।୪୫।
ଜୟ ତୁ ଜୟ ତୁ ଦେବ ମହା ରୁଦ୍ରମୂର୍ତ୍ତି
ଜୟ ତୁ ଜୟ ତୁ ଦେବ କ୍ରୋଟ ଅନଳ ଜ୍ୟୋତି ।୪୬।
ଜୟ ତୁ ଜୟ ତୁ ଦେବ ଶୂନ୍ୟ ପୁରୁଷ ଦକ୍ଷ
ଜୟ ତୁ ଜୟ ତୁ ଦେବ ଅଭକ୍ଷ ସର୍ବ ଭକ୍ଷ ।୪୭।
ଜୟ ତୁ ଜୟ ତୁ ଦେବ ତୁହି ପିତା ମାତା
ଜୟ ତୁ ଜୟ ତୁ ଦେବ ପ୍ରସନ୍ନେ ବରଦ୍ୟନ୍ତା ।୪୮।
ଜୟ ତୁ ଜୟ ତୁ ଦେବ ସୁରସିଦ୍ଧ ମହାବ୍ରହ୍ମି
ଜୟ ତୁ ଜୟ ତୁ ଦେବ ପ୍ରସନ୍ନେ ଅଭୟ ସ୍ୱାମୀ ।୪୯।
ଜୟ ତୁ ଜୟ ତୁ ଦେବ ମହାବ୍ରହ୍ମ ତେଜା
ଜୟ ତୁ ଜୟ ତୁ ଦେବ ମୂର୍ଖ ଦର୍ପ ଭଞ୍ଜା ।୫୦।
ଜୟ ତୁ ଜୟ ତୁ ଦେବ କାଳାନଳ ହୁଅ ଶାନ୍ତି
ଜୟ ତୁ ଜୟ ତୁ ଦେବ ଅନଳ ଅନନ୍ତ ମୂର୍ତ୍ତି ।୫୧।
ଜୟ ତୁ ଜୟ ତୁ ଦେବ ସ୍ୱାହାର ବଲ୍ଲଭ
ଶୂଦ୍ରମୁନି ସାରୋଳା ଦାସ ଭକତି ବିନୟଭାବ ।୫୨।
ଭୀମସେନ ତୁସ୍ତି କଲା ବୈଶ୍ୱାନର ଦେବତାଙ୍କୁ
ଅପାଦ କାଳେ ସ୍ୱାମୀ କଟାଳ ନକର ମୁକୁ ।୫୩।
ମୋତେ ୟେବାରେ ଯେଥୁଂ ରକ୍ଷାକଲେ ଦେବ ହବି
ମୋହୋର ସମାନେ ସ୍ୱାମୀ ଶତେଜଣ ତୋତେ ଦେବି ।୫୪।
ୟେତେକ ତୁସ୍ତି କରିଣ ବ୍ରିକୋଦର
ଧାତିକାରେ ପଶିଲା ଯାଇଂ ପାତାଳ ବିମ୍ୱର ।୫୫।
ଦ୍ୱାରେଣ ଚାପିଲା ସେ ପର୍ବତ ଶିଳାଗୋଟି
ଧାତିକାରେ ଧାଇଂ ଯାଇଂ ବ୍ରିକୋଦର ଭେଟିଲା ଯୁଝେଷ୍ଠି ।୫୬।
ଅନେକ ଧନ ରତ୍ନ ନେଲା ଜଦୁର ଘରୁ
ଯୁଝେଷ୍ଠି ବୋଇଲେ ୟେହା ଆଣି କିସ କରୁ ।୫୭।
କୁମ୍ଭୀର ଦୈତ୍ୟ ବଧ
ୟେମନ୍ତରେ ବିମ୍ୱର ଦ୍ୱାରେ ବୀର ବିଚାରନ୍ତି ବସି
କଇବ୍ରତ ନାବ ଘେନି ମିଳିଲାକ ଆସି ।୧।
ତାହାକୁ ଦେଖି ବୀରେ ବିମ୍ୱରେ ହୋଇଲେ ଗୁପତ
ସ୍ୱାମୀ ରହ ରହ ବୋଲି ଡାକ ଦିଅଇ କଇବ୍ରତ ।୨।
ବିଦୁର ମହାତମା ମୋତେ ଅନେକ ଧନରତ୍ନ ଦିଲେ
ନବ ବରଷ ଜଗିଲି ମୁହିଂ ରାତ୍ରେ ନିଦ୍ରା ନାହିଂ ଭଲେ ।୩।
ବିଦୁରଙ୍କ ବଚନ ଯେ ଶୁଣି ଅଛନ୍ତି ଯୁଗତେ
ବିମ୍ୱରୁ ବାହାର ହୋଇଲେ ପଞ୍ଚୁଭ୍ରାଥେ ।୪।
କଇବ୍ରତ ବଚନ ଶୁଣି ସେ ହୋଇଲେ ହରଷ
ତାହାକୁ ଦେଖିଣ ପାଣ୍ଡବେ ପରମ ସନ୍ତୋଷ ।୫।
ନାବରେ ବସ ସ୍ୱାମୀ ଦେବି ପାରିଆଇ
ତର ପଡ଼ିଲାନି ୟେଥେ ଆତ ଯାତ ନାହିଂ ।୬।
ପ୍ରଥମ ନାବରେ ବସିଲେ ଦେବୀ କୋନ୍ତେ
ଯୁଝେଷ୍ଠି ଦୁଜେଣ ତୃତୀୟେ ବୀର ପାଥେ ।୭।
ଚତୁର୍ଥେଣ ବସିଲେ ଯେ ନକୁଳ ସହଦେବ
ପଛେ ଭୀମସେନ ଉଠି ବସିଲାକ ନାବ ।୮।
ଭୀମସେନର ଭାରା ନାବ ନସହିଲା
ଭଡ଼ ଭଡ଼ ହୋଇଣ ନାବ ଗୋଟି ବୁଡ଼ିଗଲା ।୯।
ଧାତିକାରେ ନାବୁଂ ଡେଇଂ ପଡ଼ିଲା ବ୍ରିକୋଦର
ତୋଳିଣ ନାବ ଗୋଟି ସେ ଧଇଲା ବାମକର ।୧୦।
ପାଣି ନିଗାଡ଼ିଣ ଯେ ବସିଲା ପୁଣ ନାବେ
ଭୀମସେନ ବସିବାକୁ ନାବ ନ ସହି ସ୍ୱଭାବେ ।୧୧।
କରପତ୍ର ଯୋଡ଼ିଣ ବୋଲଇ କଣ୍ଡେୟାର
ଭୀମସେନ ଠାକୁର ବସନ୍ତୁ ନାବ ବଡ଼ ମଙ୍ଗର ।୧୨।
ଛୟେ ହୋଇ ବସିବା ଆମ୍ଭେ ସାନ ମଙ୍ଗ କତି
ପୁତ୍ରନ୍ତ ଘେନି ସାନ ମଙ୍ଗ ବସିଲେ ଦେବୀ କୋନ୍ତୀ ।୧୩।
ଯାଇଂଣ ଭୀମସେନ ନାବ ବଡ଼ ମଙ୍ଗେଣ ଉଠି
ମହା ଭାରାୟେ ନାବ ଗୋଟି ଯେ ପଡୁଛି ଲେଉଟି ।୧୪।
ପୁଣିହିଂ ଭୀମସେନ ଡେଇଂ ପଡ଼ିଲା ତୁରିତେ
ନାବ ସମ୍ଭାଳି ଧଇଲାକ କର ପତ୍ରେ ।୧୫।
କକଡା ମାସରେ ଯେ ମହାବରଷାର କାଳ
ପୂରିଅଛି ନଦୀ ଯେ ନଦିଶଇ ବେନି କୂଳ ।୧୬।
ଅନେକ ତାଳ ଗଭୀର ନ ପାଇ ଯେ ଥଳ
ଭାଳଇ ଯେ ଯୁଝେଷ୍ଠି ଦେବ ମନେଣ ଗରୁ ବିକଳ ।୧୭।
ସହଦେବ ମୁଖ ଚାହିଂ ପଚାରନ୍ତି ଧର୍ମସୁତେ
ନାବ ନ ସହଇ ବାବୁ ପାରି ହୋଇବା କେମନ୍ତେ ।୧୮।
ସହଦେବ ବୋଇଲେ ଆଗ୍ୟାଂ ଦେବାକ ଭୀମସେନ ଠାକୁରଙ୍କୁ
ଗଦା ଦୁଇ ପକାନ୍ତୁ ୟେ ନଦୀର ଭିତରକୁ ।୧୯।
ପାଣିର ଭିତରେ ଥାଉ କିନା ପଡ଼ି
ବାହୁଡାର ବେଳେ ୟେଥୁଂ ନେଇଂ ସିନା କାଢି ।୨୦।
ୟେକେ ହେଂ ବଳବନ୍ତା ଆବର ବେନି ଗଦା ହସ୍ତେ
ବାଉନ ବାଉନ ଭାର ବେନି ଗଦା ଜାଣି ବେନି ପର୍ବତେ ।୨୧।
ନାବ ମାତ୍ର ସିନା ୟେ କେମନ୍ତେ ସହିବ
ବ୍ରିକୋଦର ମୂରତି ୟେହାର ତ୍ରୈଲୋକେ ଅସମ୍ଭବ ।୨୨।
ସହଦେବର ବଚନେ ଯୁଝେଷ୍ଠିଙ୍କର ଆଗ୍ୟାଂ ପ୍ରମାଣେ
ସୁର ନଦୀ ଭିତରେ ଗଦା ଛାଡ଼ିଲେ ଭୀମସେନ ।୨୩।
ସାନ ମଙ୍ଗେ ପାଞ୍ଚେହେଂ ବ୍ରିକୋଦର ବଡ଼ମଙ୍ଗେ
ବସିଲେ ନାବରେ କଣ୍ଡେୟାର ବାହଇ ଅତି ବେଗେ ।୨୪।
ନଦୀରେ ନାବ ଜଳ ଚହଳ ରାବଶୁଣି
ଜଳପ୍ରଭା ବାହାର ହୋଇଲା କୃତାନ୍ତେକ ଜାଣି ।୨୫।
ପଞ୍ଚତିରିଶ ତାଳ ପରିଯନ୍ତ ପୂରିଅଛି ଜଳ
ତୁଣ୍ଡ ବିସ୍ତାର କୁମ୍ଭୀର ଜଳ କଲାକ ହାନ୍ଦୋଳ ।୨୬।
ଦେ ଦେ ବୋଲିଣ ଡାକ ଦିଅଇ ଭୀଷ୍ମରୂପେ
ନାବ ହେଠ ବୁଡ ହେଉଅଛି ତାର ପରତାପେ ।୨୭।
ଯୁଝେଷ୍ଠି ପୁଚ୍ଛା କଲେ ହୋ ୟେ କଥା କେମନ୍ତ
କରପତ୍ର ଯୋଡ଼ିଣ ଯେ କହଇ କଇବ୍ରତ ।୨୮।
ସ୍ୱାମୀର ଚାରିଯୁଗ ହେଲାନି କୁମ୍ଭୀର ଅଛଇ ୟେହି ତୁଠେ
ଜଣେକ ବସାଣ ଅଛଇ ପଡଇ ଯେ ଭେଟେ ।୨୯।
ସ୍ୱାମୀ ନବ ବରଷ ହେଲାନି ପଡିଲା ୟେହୁ ତର
କ୍ଷୁଧାର୍ତ୍ତୀ ହୋଇ ଅଛଇ ୟେ ଜଳପ୍ରଭା ଅସୁର ।୩୦।
ଜଣେ ନ ପାଇଲେ ଜଳ ହାନ୍ଦୋଳ କରିବ
ନାବ ବୁଡ଼ାଇ ସ୍ୱାମୀ ସମସ୍ତ ଭକ୍ଷିବ ।୩୧।
ଯୁଝେଷ୍ଠି ଦେବ ଚାହିଂଲେ ଭୀମସେନର ବଦନ
ବାବୁ ଦୁସହ କଷଣ ପଡିଲା ୟେହି କ୍ଷଣ ।୩୨।
ତୁ ମୋହୋର ସୋଦର ପଣ୍ଡିତ ଭିଗ୍ୟଂଦକ୍ଷ
ସଭିଂୟେ ମରିବାକି ବାବୁ ଜଣେକ ୟେଥୁଂ ବାଛ ।୩୩।
ବ୍ରିକୋଦର ବୋଇଲା ଦେବ ସହଦେବ ଅଟଇ ସାନ
କିଛି ହିଂ ନକହଇ ବାଳୁତ ଅଗ୍ୟାନ ।୩୪।
ଚତୃଦଶ ଭୁବନର ବାରତା ଥାଇ ତାହାର ଗର୍ଭେ
ଜାଣି ନ କହଇ ୟେ ମୋଢା ପାପିଷ୍ଠ ସହଦେବେ ।୩୫।
ମୋହୋର ବିଚାରେ ସହଦେବକଇଂ ଦେବା
ଆମ୍ଭେ ପାଞ୍ଚେ ହେଂ ଚାଲ ପାରି ହୋଇଯିବା ।୩୬।
ଯୁଝେଷ୍ଠି ବୋଇଲେରେ ୟେ ମାତା ପିଅର ଅବସାନେ
ୟେ ପୁତ୍ର ଗୋଟିରେ ଉପୁଜିଲା ପଣ୍ଡୁର ଉଦଯାନେ ।୩୭।
ଦ୍ରିଯୋଧନ ପର ପୁତ୍ର ବୋଲି ଭାଗ ନଦେବା ଆମ୍ଭଙ୍କୁ
ରାଜ୍ୟକୁ କାରେଣି ଅଛଇଟି ୟେକ ସହଦେବକୁ ।୩୮
ଆବର ବିଶେଷେ ୟେ ଜାଣଇ ସମସ୍ତ
ଭୂତ ଭବିଷ ୟେ ଜାଣଇ ଗତ ଯେ ଆଗତ ।୩୯।
ୟେହା ପରା ବିତକ୍ଷଣ ଭାଇକି ଦେବଇଂ କେମନ୍ତେ
ମନ୍ତ୍ରୀପଣେ ରାଜ୍ୟ ଭିଆଣେ ଅଟଇ ଶକତେ ।୪୦।
ଆନ ଜଣେକ ବାଛ ବାବୁ ସହଦେବକୁ ଛାଡ଼ି
ଭୀମସେନ ବୋଇଲା ଯେ କରପତ୍ର ଯୋଡ଼ି ।୪୧।
ସ୍ୱାମୀ ନକୁଳ ଯେ ଅଛଇ ଅତି ସୁକୁମାର
ଶତେ ପଳ ଚନ୍ଦନ ଲେପଇ ମାଛି ଗୋଟିଏ ବସିଲେ ଶରୀର ।୪୨।
ହଂସୁଲୀ ତୁଳୀ ଉପରେ ଦେବ କପୂରର ଗୁଣ୍ଡି
ତହିଂ ପହୁଡ଼ିଥିଲେ ୟେହାକୁ ନିଦ୍ରା ନମାଡ଼ି ।୪୩।
ବନସ୍ତେ ୟେତକ ଦ୍ରବ୍ୟ ପାଇବା ଆମ୍ଭେ କାହିଂ
ଅବଶ୍ୟ ବନସ୍ତେ ମରିବ ୟେ ସୁଖ ଭୋଗ ବାଟ ଚାହିଂ ।୪୪।
ସ୍ୱାମୀ ମୋହୋର ଯେ ତୁମ୍ଭେ ବଚନେ କକରିବା
ନକୁଳକୁ ଦେଇ ଚାଲ ପାରି ହୋଇଯିବା ।୪୫।
ଯୁଝେଷ୍ଠି ବିସରିଲେ ଭୀମସେନର ବଚନେ
ବାବୁ ସାବତ ମାତାର ପୁତ୍ର ଗୋଟି ମୁ ଦେବଇଂ କେସନେ ।୪୬।
ଆକାଶରେ ପାଟ ବାବୁ ଅଛଇ ଯାହାକୁ
ମୁଇଂ କେମନ୍ତେରେ ନାଶ କରିବି ତାହାକୁ ।୪୭।
ଆନ ଜଣକ ହୋ ବିଚାରି ଧର ନାମ
କରପତ୍ର ଯୋଡିଣ ବୋଲଇ ଭୀମସେନ ।୪୮।
ସ୍ୱାମୀ ବଡ଼ଇ ପାପିଷ୍ଠ ମୋଢା ଅଟଇ ଫାଲଗୁନ
ଶରଣ ପଶିଲା ଶତ୍ରୁକୁ ୟେ ନ ମାରଇ ଶସ୍ର ଘେନି ।୪୯।
ଅବଶ୍ୟ ଦ୍ରିଯୋଧନର ତୁଲେ ଆମ୍ଭର ସାଂଗ୍ରାମ ହୋଇବ
ବିରଥୀ ବିଶସ୍ର ହୋଇଲେ ୟେ ଶତ୍ରୁକୁ ଛାଡ଼ିଦେବ ।୫୦।
ୟେହାଉଂ ପାପିଷ୍ଠ ଦେବ ନାହିଂ ଆନ ଜଣେ
ଶତ୍ରୁକୁ ପାଳଇ ୟେ ସୋଦ୍ରିମା ବନ୍ଧୁପଣେ ।୫୧।
ଛତ୍ରୀ ହୋଇ ଦେବ ଦୟାବନ୍ତ ହୋଇଲେ
ରାଜ୍ୟ ପ୍ରାପତ ହୋଇକି ୟେଡେ ମନ୍ଦ ଲୋକ ଥିଲେ ।୫୨।
ସାଂଗ୍ରାମ ବେଳକୁ ଦେବା ଯେ କଳଙ୍କ ନ ଥାଉ
ଅର୍ଜୁନକୁ ଦେବା ଯେ କୁମ୍ଭୀରୀ ଦତ୍ୟ ଖାଉ ।୫୩।
ଯୁଝେଷ୍ଠି କୋଳ ଧରି ଧଇଲେ ଅର୍ଜ୍ଜୁନକୁ
ଜାନୁରେ ବସାଇ ନାରାୟଣ କୃଷ୍ଣ ନାମ ଦିଲେଟି ୟେହାକୁ ।୫୪।
ଯାହାର ପିଅର ବାବୁରେ ଅଟଇ ମଘବା
ଅମରାଧିନାଥ ଅଛଇ ସ୍ୱର୍ଗପୁର ଦେବା ।୫୫।
ଯଦ୍ୟପି ଅର୍ଜ୍ଜୁନକୁ ଦେବା ଆମ୍ଭେ ୟେଥେ
ବାସବ ବାସୁଦେବ କୋପୁଂ ବ୍ରତିବା କେମନ୍ତେ ।୫୬।
ବିଦ୍ୟା ଶିଖାଇବା ବେଳେ ମୋତେ ଦ୍ରୋଣଗୁରୁ ବୋଇଲେ
ତ୍ରୈଲୋକ୍ୟ ଜିଣିମାକୁ ଅର୍ଜ୍ଜୁନ ଅଟଇ ଭଲେ ।୫୭।
ଭଲକରି ୟେହାକୁ ପାଳିଥାଅ ଯତନେ
ୟେହାରେ ସେ ରାଜ୍ୟ ପାଇବୁଟି ବିଦ୍ୟମାନେ ।୫୮।
ବାବୁ ୟେମନ୍ତେ ବୋଲି ଦ୍ରୋଣଗୁରୁ କହିଗଲେ ମୋତେ
ଗୁରୁଙ୍କର ବଚନ ମୁଂ ଭାଞ୍ଜିବି କେମନ୍ତେ ।୫୯।
ୟେ ମୋହୋର ବେଳେ ଦେଇ ନ ପାରିବ ବିବଚ୍ଛ
ୟେ ତିନିନ୍ତ ଛାଡ଼ି ବାବୁ ଆନ ଜଣେ ବାଛ ।୬୦।
ଭୀମସେନ ବୋଇଲା ୟେ ତିନିହେଂ ନୋହିଲେ
ତୁମ୍ଭେ ତ ନ ଯିବ ମୁହିଂ ନ ଯିବି ତୁମ୍ଭର ବୋଲେ ।୬୧।
ସ୍ୱାମୀ କୋଇନ୍ତାୟେ ଅଛନ୍ତି ଯେ ବୃଦ୍ଧ ମହନ୍ତାରୀ
ପଣ୍ଡୁର ପ୍ରସାଦେ ୟେ ଅନେକ ଭୋଗକରି ।୬୨।
ବନସ୍ତେ ସୁସ୍ତ ପାଇବା ଆମ୍ଭେ କାହିଂ
ଦଇବେ ବୟେସାଧିକ ୟେ ମରିବେ ବନେ ଦୁଖ ପାଇ ।୬୩।
ୟେହାଙ୍କର ଥାଉଂ ଆମ୍ଭର ଯିବାର କି ମିଳଇ ଉଚିତ
ପୁତ୍ର ଅଭାବେ ତାଙ୍କୁ ଦୁଖ ହୋଇବ ବହୁତ ।୬୪।
ୟେ ଚାଲି ନୁଆରିବେ ଯେ ଜଞ୍ଜାଳିବେ ଆମ୍ଭଙ୍କୁ
କୋଇନ୍ତାଙ୍କୁ ଦେବା କି ୟେ କୁମ୍ଭୀରୀ ଦଇତକୁ ।୬୫।
ଭୀମସେନ ବଚନେ ବିକ ଳହୋଇଲେ ଯୁଝେଷ୍ଠି
ଆମ୍ଭେ ଜାଣିଲୁ ଭୀମା ତୁ ବଡ ମୂର୍ଖ ହେଟି ।୬୬।
ବାବୁ ଗର୍ଭଧାରୀ ମାତା ଆମ୍ଭଙ୍କୁ ମୁଖରେ କ୍ଷୀ ରଦିଲା
ଆତ୍ମାରୁ ଜାତ କରିଣ ଆମ୍ଭନ୍ତ ପାଳିଲା ।୬୭।
ତାହାର ବ୍ରତିଥିଲେ ସେ ଆମ୍ଭଙ୍କୁ ଅଛଇ ବହୁତ ଧର୍ମ
ତାହାକୁ କେହ୍ନେ ଦତ୍ୟକୁ ଦେଇ ଲୋଡୁ ରେ ଭୀମ ।୬୮।
ଭୀମସେନ ବୋଇଲା ଆମ୍ଭେ ସମସ୍ତେ ସୋଦର
ସମସ୍ତେ ଭାଇ ଆମ୍ଭେ ୟେକ ମାତା ପିଅର ।୬୯।
ଆମ୍ଭର ତହୁଂ ବାହାର ୟେ ଦେବ ଅଟଇ କଣ୍ଡେୟାର
ୟେହାକୁଦେଇଆମ୍ଭେହୋଇଯିବାପାର ।୭୦।
ଭୀମସେନ ବଚନେ ଦେବ ହୋଇଲେ ବିରସ
ପୁଣ କ୍ଷଣକେ ସ୍ୱାମୀ କି ମାଡ଼ିଲାକ ହସ ।୭୧।
ବାବୁ ଆମ୍ଭର ନିମନ୍ତେ ୟେ ଜଗିଥାଇ ନିଷାଦ
ନବ ବରଷ ହୋଇଲାନି ରାତ୍ରେ ନ ମାଡ଼ଇ ନିଦ ।୭୨-୭୭୧୧।
ଭୀମକୁ ଜଳପ୍ରଭାକୁ ପ୍ରଦାନ ଓ
ଭୀମର ଭୀଷ୍ମରୂପ ଧାରଣା
ଖରା ବରଷା ଯେ ଶୀତ ଆଦି କରି
ଗୃହବାସ ତେଜି କରି ଜଗିଥାଇ ଜଳ ଯେ ଅନ୍ଧାରୀ ।୧।
ପାପ ପୁଣ୍ୟ ଭୀମ ତୁ କିଛିହିଂ ନ ବିଚାରୁ
ଯେ ସେଉ ପୁଗାରୀ ତାକୁ ବାଟରେ ନେଇମାରୁ ।୨।
ମାତାଙ୍କର ବଦନ ଚାହିଂଣ ଧର୍ମସୁତ
ମା ଗୋ ଆମ୍ଭେ ଅଟୁ ତୋହୋର ତିନିଗୋଟି ପୁତ ।୩।
ନକୁଳ ସହଦେବ ଦୁହିଂନ୍ତି ଦୂର କରି
ତୋହୋର ତିନି ପୁତ୍ରହୁଂ ଜଣେ ଦିଅସି ବିଚାର ।୪।
କୋଇନ୍ତାୟେ ବୋଇଲେରେ ଦୁଷ୍ଟ ଅଟଇ ଭୀମ
ମନ୍ଦ ବିତ୍ରକେ ୟେହାର ନାହିଂ ଆନ କର୍ମ ।୫।
ୟେହାରେ ସେ ଅନ୍ତର ଧଇଲେ ଆମ୍ଭଙ୍କୁ ଧୃତରାଷ୍ଟ
ଗୁରୁ ଗଉରୋବ ମାନ୍ୟ ନାହିଂ ଆନୁବ୍ରତେ ଅଟଇ ମହାଦୁଷ୍ଟ ।୬।
ଷାଠିୟେ ପଉଟି ଆଣିଲେ ୟେ ବେଳକୁ ସେ ନଅଣ୍ଟି
ପେଟ ନପୂରିଲେ ସେ ହୋଉ ଥାଇ ମହାକଷ୍ଟୀ ।୭।
ଭିକ୍ଷା ମାଗିତ ୟେ ନ ଯିବ କଦାଶ୍ଚିତେ
ଅଳପ ନୟନେ ଯାର ନ ଦିଶଇ ଯୁଗତେ ।୮।
ଯାଅ ଯା ପଣ୍ଡାୟେ ବୋଲି ଯେହୁଟି ବୋଲିବ
କୁଡ଼ିଆ ଗୋଟି ଉପାଡ଼ିଣ ତାହାର ସବୁନ୍ତି ମାରିବ ।୯।
ୟେଡେ କୁ ଦୁଷ୍ଟ ଆମ୍ଭ ସଙ୍ଗତେ ନ ଥାଉ
ଭୀମକୁ ଦେବା ୟେବେ ୟେ ଜଳପ୍ରଭା ଖାଉ ।୧୦।
ଯୁଝେଷ୍ଠି ଦେବ ମାୟେ କରନ୍ତେ ୟେସନ ଭାଳେଣି
ଦୁହିଂ କରି ବିଚାର ସେ ଭୀମସେନ ଜାଣି ।୧୧।
ବୋଇଲା ତୁମ୍ଭର ମନ ଗୋ ମୁହିଂ ଜାଣିଲିନି ଆଈ
ମୋତେ ଦେମାକୁ ଗୋ ଭାଳୁଛ ତୁମ୍ଭେ ଦୁଇ ।୧୨।
ୟେତେ ବୋଲି ଭୀମା ନଦୀରେ ପଡିଲାକ ଡେଇଂ
ଜଳପ୍ରଭା ଆକ୍ରେଷି ଧଇଲା ନିଠାଇ ।୧୩।
ଦୁଇ ହସ୍ତେ ଧରି ଉପରକୁ ପିଙ୍ଗି ଦିଲା
ଝିଣ୍ଟିକା ମୂର୍ତ୍ତି ପ୍ରାୟେ ଭୀମ ଉଦରେ ପଶିଲା ।୧୪।
କୁମ୍ଭୀର ଗର୍ଭ ଦିଶଇ ପାତାଳ ବିମ୍ଭର ପ୍ରାୟେ
ଗର୍ଭରେ ପଶିଅଛି ଯେ ପବନ ତନୟେ ।୧୫।
ତହୁଂ ନାବ ବାହି କରି ନେଲା କଣ୍ଡେୟାର
ଚାରି ଭାଇ ମାତାୟେ ଓହ୍ଲାଇଲେ କୂଳର ।୧୬।
ଯୁଝେଷ୍ଠି ଅନେକ କ୍ରୋଧକଲେ ଭୀମକୁ ନ ଦେଖି
ଅବିକ୍ଷଣ ଲୁଅ ବହଇ ବେନି ଆଖି ।୧୭।
ନକୁଳ ସହଦେବ ଆବର କିରାଟୀ
ଅସାଷ୍ଟମ ହୋଇଣ ସେ ଭୂମିରେଣ ଲୋଟି ।୧୮।
ଆରେ ଆରେ ମୋର କାହିଂ ଗଲୁ ବଳବନ୍ତା ଭାଇ ଗୋଟି
ଅନେକ ବିକଳେ ଯେ ବୋଲନ୍ତି ଯୁଝେଷ୍ଠି ।୧୯।
କେଣିକି ଯିବି ଭୀମରେ ତୋହୋର ଅଭାବେ
ବାଟ କଢାଇଣ କେ ନେବ ମୋତେ ୟେବେ ।୨୦।
ମନ୍ଦଅଗ୍ନି ହୋଇଲେ ଯେହ୍ନେ ନିର୍ବଳ ହୋଅନ୍ତି ପ୍ରାଣୀ
ଦଶଦିଶ ଅନ୍ଧାର ହେଲା ମୋତେ ଜାତି ଅନ୍ଧ ଜାଣି ।୨୧।
ରିପୁ ତ୍ରାସ କରୁଥିଲା ତୋହୋର ପ୍ରାକର୍ମ ଦେଖି
ତୋହୋର ଅଭାବେଣ ମୁଂ ହୋଇଲି ନିରିମାଖି ।୨୨।
କୋଇନ୍ତାୟେ ବୋଇଲେ ବାବୁ କେତେ କରୁ ଶୋକ
ରୟେଣୀ ପାଇଲେ ପୁଣ ଜାଣିମେ ସର୍ବଲୋକ ।୨୩।
ହଜିଲା ବଣା ଲୋକଙ୍କୁ ବାବୁକି ବାଟ ଚାହିଂ
ମଲା ନୁଆସଇ ଭସ୍ମ କାହିଂ ନ ଆଙ୍କୋରଇ ।୨୪।
ଚାରି ପୁଅଙ୍କର ଯେ ହସ୍ତ ଦେବୀ ଧରି
ପଶିଲେ ଗହନ ବନେ ନରସିଂଘ ସୁମରି ।୨୫।
ଭୀମ ତୁନୀ ହୋଇ ଅଛି କୁମ୍ଭୀରର ଗର୍ଭେ
ଭାଇ ମାଆଙ୍କର ମନ ଜାଣିବାନା ୟେହି ପରସ୍ତାବେ ।୨୬।
ଯେତେବେଳେ ନିରାଶେ ସେ ଗଲେ ଘୋରବନେ
କୁମ୍ଭୀର ଗର୍ଭେ ଭୀଷ୍ମରୂପ ଧଇଲେ ଭୀମସେନେ ।୨୭।
ବ୍ରିକୋଦର ମୂରତି ଧଇଲା ମହାବଳ
ଶରୀର ବିକାଶିଲା ଉଚ୍ଛର୍ଗ ନବତାଳ ।୨୮।
ପଞ୍ଚୁତାଳ ଉଚ୍ଛର୍ଗ ଯେ କୁମ୍ଭୀର ଗର୍ଭ ଗୋଟି
ମହା ଭରା ପାଇ ଗଲା ତାର ପେଟ ଫାଟି ।୨୯।
କୁମ୍ଭୀରକୁ ମାରି ଚର୍ମ ଛଉରି ଭୀମ କରି
ଉପରେ ପକାଇ କରି ହୋଇଂ ବାହାର ଜଗନ୍ନାଥଙ୍କୁ ସୁମରି ।୩୦।
ନାବ ଗୋଟି ଘେନି ଆସଇ କଣ୍ଡେୟାର
ରାଗେଣ ଚାପୋଡ଼େକ ମାଇଲା ବ୍ରିକୋଦର ।୩୧।
ତାହାଙ୍କର ଭାଳେଣିରେ ତୁହି ପଶିଥିଲୁ
ମୋତେ ଦେବାକୁ ବୋଲୁଂରେ ତୁହି ସନମତ କଲୁ ।୩୨।
କୋପେଣ ମୁଣ୍ଡ ତାର ପକାଇଲା ମୋଡ଼ି
ନାବ ଗୋଟି ଭାଞ୍ଜିଲା ଶତଖଣ୍ଡ କରି ।୩୩।
ପ୍ରକୋପିତ ବଦନ ହଇଂ ଧାମଇଂ ଘୋରବନେ
ମେଦୀନି କମ୍ପୁଅଛି ତାର ଚରଣ ଉଦ୍ଦାନେ ।୩୪।
ଯୁଝେଷ୍ଠି ବୋଇଲେ ମା ଗୋ ମୁଣ୍ଡ ତ ପୋଡ଼ିଲା
କେଉଂଣ ରାକ୍ଷସ ଆମ୍ଭଙ୍କୁ ଦେଖିଣ ଧାଇଂଲା ।୩୫।
ଆରେ ମୋର ଭାଇ ମୁହିଂ କିମ୍ପାଇଂ ନମଲି
ତୋତେ ମରାଇ ମୁହିଂ ସଂପୋଡ଼େ ନାଶଗଲି ।୩୬।
କୋଇନ୍ତା ବୋଇଲେ ବାବୁ ତୁ ନ ଭାଳ ଯୁଝେଷ୍ଠି
ଦାନବ ନୋହଇ ତୋହୋର ଭାଇ ଭୀମସେନ ହେଟି ।୩୭।
ଯୁଝେଷ୍ଠି ବୋଇଲା ମା ଗୋ ୟେଡ଼େକ ନିର୍ଦ୍ଦୟା
ସ୍ତିରୀଲିଙ୍ଗ ହୋଇ ପାଷଣ ତୋର ହିୟା ।୩୮।
ଗର୍ଭଧାରୀ ହୋଇଣ ପୁତ୍ରକୁ ମରାଇ
ଗର୍ଭ ତୋହୋର ଗୋ କିଛି ହିଂ ନ ବଥାଇ ।୩୯।
କୋଇନ୍ତାୟେ ବୋଇଲେ ଭ୍ରାନ୍ତି ତୁ ନ କର କିଛି
କୁମ୍ଭୀର ଦତ୍ୟ ମାରି ତୋର ଭାଇ ଆସୁଅଛି ।୪୦।
ୟେସନେକ ବିଚାର କରନ୍ତେ ଦେବଧର୍ମେ
ସନିଧ୍ୟେଣ ପ୍ରବେଶ ହୋଇଲେ ବୀର ଭୀମେ ।୪୧।
କୋଇନ୍ତାଙ୍କର ପାଦେ ଭୀମ ହୋଇଲା ପରିଣାମି
ଭୀମକୁ କୋଳ କଲେ ଯୁଝେଷ୍ଠି ଦେବସ୍ୱାମୀ ।୪୨।
ବାବୁ ଆମ୍ଭର ଦେଖନ୍ତେ ତୋତେ ଗିଳିଲା କୁମ୍ଭୀର
କେବଣ ବାଗେ ବାବୁରେ ହୋଇଲୁଂ ବାହାର ।୪୩।
ଭୀମସେନ ବୋଇଲା ସ୍ୱାମୀ ଗର୍ଭେ ତାର ଥିଲି
ଓଦର ବିଦାରି ଦେବ ମୁଂ ବାହାର ହଇଲି ।୪୪।
କହଇ ଭୀମସେନ ସାନନ୍ଦ ତୋଷ ମନେ
ଚାଲଇ ପବନ ଗତି ଘୋର ଗହନ ବନେ ।୪୫।
ଚାଲନ୍ତେ ଶତେ ହାଥ ହୋଇ ୟେକ ଭଡ଼ା
ହାବୋଡ଼ା ଘାତେ ବୃକ୍ଷ ପର୍ବତ ହୋଉଛନ୍ତି ଚୂରା ।୪୬।
ଚାଲି ନପାରି କୋଇନ୍ତାୟେ ବସିଲେକ ଫୁଟି
ରହ ରହ ଭୀମସେନ ଚାଲି ନ ପାରିଲେ
ମାୟେ ବୋଲି ବୋଲନ୍ତି ଯୁଝେଷ୍ଠି ।୪୭।
ଭୀମସେନ ବୋଇଲା ମାତା ଗୋ କେମନ୍ତେ କରନ୍ତୁ
ଦ୍ରିଯୋଧନ ବେଣ୍ଟକାରେ ବୁଲନ୍ତି
ୟେଥୁଂ କେତେ କାଳ ଯା'ନ୍ତୁ ।୪୮।
କୋଇନ୍ତାଙ୍କୁ କୋଳ କରି ଧଇଲା ପାବେନି
ମଥାର ଉପରେ ବସାଇଲା କରେ ଘେନି ।୪୯।
ଡାହାଣ କନ୍ଧେ ଯୁଝେଷ୍ଠି ବାମ କାନ୍ଧେଣ କିରାଟୀ
ନକୁଳ ସହଦେବ ବେନି କାଖେ ବେନି ଗୋଟି ।୫୦।
ପବନ ହୁଂ ବେଗେ ଖେପଇ ଭୀମସେନ
ଘଡ଼ିକେ ଯାଉଅଛି କୋଡ଼ିୟେ ଯୋଜନ ।୫୧।
ବନଜୀବମାନେ ପଳାବନ୍ତି ଡରେ
କୁତୂହୋଳେ ଗଣ୍ଡା ଗୟଳ ହରଷେ ଧରଇ ବ୍ରିକୋଦର ।୫୨।
ବଇବସୁତ ମନୁ ପୁଚ୍ଛା କଲେ ଅଗସ୍ତିଙ୍କି
ଜଦୁର ଘରୁ ପୁରଞ୍ଚ ନ ଗଲା ଯେ କେଣିକି ।୫୩।
ଶବରୁଣୀ ପଞ୍ଚ ପୁତ୍ରେ କଲେ ଯେ କେମନ୍ତେ
ଏହା ମୋତେ ସଞ୍ଚପି କହିବା ତପୋବନ୍ତା ।୫୪।
ଅଗସ୍ତି ପ୍ରତିବାକ୍ୟ ଶୁଣ ମହାମନୁ
ଜଦୁର ଘର ଦହିଲା ଯେ ପବନର ତନୁ ।୫୫।
ଅଗ୍ନିର ତେଜେ ଯେ ପଡ଼ିଲା ମିଳାଇ
ପୁରଞ୍ଚନ ପଣ୍ଡା ଯେ ନାଶଗଲା ତହିଂ ।୫୬।
ଜୟନ୍ତା ଶବରୁଣୀ ପଞ୍ଚୁ ପୁତ୍ର ଘେନି
ମହା ନିଦ୍ରାୟେ ସେ ଦହନ ହୋଇଲା ରୟେଣୀ ।୫୭।
ଶବରୁଣୀ ପଞ୍ଚୁପୁତ୍ର ଶବରୁଣୀକି ଘେନି ଛଡ଼ ଜଣ
ତାହାଙ୍କର ତୁଲେ ଯେ ମଲା ପୁରଞ୍ଚନ ବ୍ରାହ୍ମଣ ।୫୮।
ୟେ ସାତେ ହେଂ ଦହନ ହୋଇଲେ ଜଦୁର ଘରେ
ସମସ୍ତ ନାଶ ଗଲେ ଅଗ୍ନିର ସମ୍ଭରେ ।୫୯।
ଶବରୁଣୀର ପଞ୍ଚୁପୁତ୍ରଙ୍କର ପୂର୍ବ ବୃତ୍ତାନ୍ତ
ଅଗସ୍ତିଙ୍କି ପୁଚ୍ଛାକଲେ ବଇବସୁତ ମନୁ
ବଡ଼ ଦୁଲଭ କଥା କୁମ୍ଭଋଷିଙ୍କ ତନୁ ।୧।
କେଉଂଣ ପାତକ ୟେହୁ କରିଥିଲେ ପୂର୍ବେ
ବିନା ଦୋଷେ କେମନ୍ତେ ଦହନ ହୋଇଲେ ଅପ୍ରସ୍ତାବେ ।୨।
ୟେହେ କହିବା ମୋତେ ପଣ୍ଡିତ ଭିଗ୍ୟଂଯତି
ଶୁଣିଣ ମହାତମା ଯେ ଫିଟିବ ମନ ଭ୍ରାନ୍ତି ।୩।
କହନ୍ତି ଅଗସ୍ତି ଶୁଣ ହୋ ସାବଧାନେ
ପୂର୍ବର କୃତ୍ୟେ ଦହନ ହୋଇଲେ ଶବରୁଣୀ ପୁତ୍ରମାନେ ।୪।
ବିଝଂକଳ୍ପ ଦେଶ ରାଜା ଗାଧି ଯେ ନୃପତି
ଭୋଜ ବଂଶେଣ ସେହୁ ଅଟଇ ଆଧିପତି ।୫।
ସେ ଗାଧିର ନନ୍ଦନ ଯେ ବିଶ୍ୱାମିତ୍ର ରାଜା
ମଞ୍ଚେଣ ନରପତି ସେ ଜାଣିଣ ବିଡୋଜା ।୬।
ଦିଗ ବିଜେ କରଇ ଯେ ସମସ୍ତ ଦିଗେ ପଶି
ଅନେକ ରାକ୍ଷସ ସେ ମାରଇ ଆକ୍ରେଷି ।୭।
ପଦ୍ମେକ ରଥ ତାର ବେନି ପଦ୍ମ ହସ୍ତୀ
ଚାରି ସାଗର ଅଶ୍ୱ ସାତ କ୍ଷଉଣୀ ପାଦାନ୍ତି ।୮।
ୟେତେକ ଘେନି ରାଜା କରଇ ଦିଗବିଜେ
ବନ ଅରଣ୍ୟେ ଖେଦି ମାରଇ ଦନୁଜେ ।୯।
ମକର ଶୁକଳ ପକ୍ଷ ନବମୀର ତିଥି
ସେ ଦିନ ଦିଗ ବିଜେ କଲା ବିଶ୍ୱାମିତ୍ର ନୃପତି ।୧୦।
ଅରଣ୍ୟେ ଖେଦଇ ରାଜା ଅନ୍ନ ପାଣି ନାହିଂ
ଦଶମୀ ୟେକାଦଶୀ ଯେ ଖେଦଇ ଯେ ଅବଗାହି ।୧୧।
ତିନିଦିନ ଉପାସେ ଭେଟିଲେ ସତ୍ତ ଭ୍ରମେ
ଯାନ୍ତେଣ ଭେଟିଲେ ଯାଇଂ ବଶିଷ୍ଠଙ୍କ ଆଶ୍ରମେ ।୧୨।
ଦେଖିଣ ବଶିଷ୍ଠେ ତାଙ୍କୁ କଲେକ ଅର୍ଘ୍ୟପୂଜା
ବୋଇଲେ ଅତି ଶ୍ରମେ କାହିଂ ଥିଲ ମହାରାଜା ।୧୩।
ରାଜା ପ୍ରତିବାକ୍ୟ ଅସୁର ଉପଦର୍ପେ ଖେଦିଲୁ ବନବାସେ
ମାଇଲି ଅନେକ ଦୁଷ୍ଟ ପିଚାଶ ରାକ୍ଷସେ ।୧୪।
ଅଶକତେ ଚାଲି ନୁଆରନ୍ତି ବଳ
ତିନି ଦିବସ ହେଲାନି ନାହିଂ ଅନ୍ନ ମେଳ ।୧୫।
ବଶିଷ୍ଠେ ବୋଇଲେ ଶୁଣ ବିଶ୍ୱାମିତ୍ର ରାୟେ
ଆମ୍ଭର ତହିଂ ଅଛି ଅନ୍ନ ଯେ ପୁଡ଼ାୟେ ।୧୬।
ଗୋଟି ଚାରି ଭୁଞ୍ଜି ତୁ ଯାଅ ନୃପମଣି
ବିଶ୍ୱାମିତ୍ର ବୋଇଲେ ମୋହୋର ବଳ ସାତ କ୍ଷଉଣୀ ।୧୭।
ବଶିଷ୍ଠେ ବୋଇଲେ ସନ୍ୟ ଘେନିଣ ବସିବା ବିଶ୍ୱାମିତ୍ରେ
ସମସ୍ତେ ହେଂ ବାଣ୍ଟି ଭୁଞ୍ଜ ଅନ୍ନ ଅଛି ଯେତେ ।୧୮।
ବଶିଷ୍ଠେ ବୋଇଲେ ପାଡ଼ହୋ ଶାଳପତ୍ର ଗୁଡାୟେ
ସମସ୍ତେ ସିଅଂ ଦନା ଗୋଟିୟେ ।୧୯।
ସୁମନ୍ତଙ୍କୁ ବୋଇଲେ ତୁ ଦୁହଂ ଗାଈ ଗୋଟି
ମେଞ୍ଜନ ଯେ ନାହିଂ ଦେବା ଦୁଧ ଫୁଟି ।୨୦।
ବଶିଷ୍ଠଙ୍କର ଭାରିଯା ଯେ ଅଟନ୍ତି ଅରୁନ୍ଧତୀ
ଭାତ ଓରିୟା ସେ ରାନ୍ଧିଣ ଅଛନ୍ତି ।୨୧।
ସାତ କ୍ଷଉଣୀ ବଳ ଘେନି ଯେ ସେହି ବନସ୍ତେ
ତିନି ଯୋଜନ ମାଡ଼ି ବସିଲେ ବିଶ୍ୱାମିତ୍ରେ ।୨୨।
ବଶିଷ୍ଠଙ୍କ ଚେଲା ପଞ୍ଚାଶ ସହସ୍ର ଯେ ଶିଷି
ଅରୁନ୍ଧତୀ ଢାଳି ଦିଅନ୍ତି ଯେ ସମସ୍ତେ ପରଶି ।୨୩।
ଗାଈ ଗୋଟିକର ଦୁଧ ଓରିୟା ଗୋଟିକର ଭାତେ
ଯାହାକୁ ଯେତେକ ଅଣ୍ଟଇ ଭୁଞ୍ଜନ୍ତି ସମସ୍ତେ ।୨୪।
ଦିନ ଅର୍ଦ୍ଧେ ରାଜା ମୁଣୋହିଂରେ ବିଜେ କଲା
ଆଦିତ୍ୟ ଅସ୍ତ ଯାନ୍ତେ ମୁଣୋହିଂ ସରିଲା ।୨୫।
ସମସ୍ତ ସଇନି ଭୁଞ୍ଜି ହୋଇଲେ ତ୍ରିପୁତି
ଆଚୋଂବନ ସାରି ଆସ୍ତାନେ ବିଜେ ନରପତି ।୨୬।
ବିଶ୍ୱାମିତ୍ରେ ବୋଇଲେ ଶୁଣିମା ମୁନି ହେ
ବଡ଼ାଇ ଆଶ୍ରିଜ ଦେଖିଲୁ ସନ୍ଦେହେ ।୨୭।
ଗାଈ ଗୋଟିକର ଦୁଧ ଓରିୟା ଗୋଟିକର ଭାତ
ୟେତେକ ଅଣ୍ଟିଲା ମୋର ସାତ କ୍ଷଉଣୀ ସନ୍ୟ ବଳବନ୍ତ ।୨୮।
ବଶିଷ୍ଠ ପ୍ରତିବାକ୍ୟ ଶୁଣ ବିଶ୍ୱାମିତ୍ର ରାୟେ
ଆହୁରି ହୋଇବନା ପଖାଳ ଗୁଡ଼ାୟେ ।୨୯।
ବିଶ୍ୱାମିତ୍ର ବୋଇଲେ ଶୁଣିମା ତପନିଷ୍ଠି
ମୋତେ ଦେବା ୟେ ତୁମ୍ଭର ଗାଈ ଗୋଟି ।୩୦।
ସହସ୍ରେକ ଧେନୁ ଗାବ ମୁହିଂ ଦେବଇଂ ତୁମ୍ଭଙ୍କୁ
ବଶିଷ୍ଠେ ବୋଇଲେ ଲୋକ କେ ଆମ୍ଭର ସମ୍ଭାଳିବାକୁ ।୩୧।
ୟେକା କାମଧେନୁ ମୋର ଅଟଇ ଯୁଗତେ
ବିୟାଣେ ବିଆଇଲେ ଦୁହୁଂ ମନୁୟେ ପରିଯନ୍ତେ ।୩୨।
ତୁ ରାଜା ମହାପଣ୍ଡିତ ଅଟୁ ଭିଗ୍ୟଂବନ୍ତେ
ବ୍ରାହ୍ମଣ ଗାବ ଯେ ହରିବୁଂ କେମନ୍ତେ ।୩୩।
ଶୁଣି ବିଶ୍ୱାମିତ୍ରେ ତୂନୀ ଯେ ହୋଇଲେ
ଦୁଷ୍ଟଜନମାନେ ଯେ ରାଜାଙ୍କୁ ଜଣାଇଲେ ।୩୪।
ଚାଲ ହୋ ୟେବେ ବନସ୍ତ ଠାବରେ ଗୋପ୍ୟ ହୋଇଥିବା
ଚରିବା ଠାବରୁ ଗାବ ଅଡ଼ାଇଣ ନେବା ।୩୫।
ଦୁଷ୍ଟଙ୍କର ବଚନେ ଯେ ବିଶ୍ୱାମିତ୍ର ରାଜା
ମୁଂ ୟେଠାରେ ଋଷିଙ୍କି ବୋଲୁ ଥାଇଂ ତେଣେ ଅଡ଼ାଇ ନିଅଯା ।୩୬।
ରାଜାର ବଚନେ ଚଳିଲେ ବୀର ଦୁଷ୍ଟେ
ଗାଈକି ଭେଟିଲେ ଯାଇ ବଇତରଣୀ ନଦୀ ତଟେ ।୩୭।
ଏଡ଼ାଇ ନେମାକୁ ବୁଦ୍ଧିୟେ କଲେ ମହାରଥା
ଦୁଷ୍ଟନ୍ତ ଦେଖି କୋପକଲେ ଜଗତ ମାତା ।୩୮।
ଖୁରି ଖାଇ ଲାଦେ ଦେବୀ ଚାହିଂଲେ କୋପଦୃଷ୍ଟି
ଦେଖି ତା ମହାବୀରେ କରେ ଧଇଲେ ଯାଠି ।୩୯।
ଦେଖିଣ ଗୋମାତା ମାଇଲେ ନେଇ ସିଙ୍ଘେ
ଫୁଟିଲେ ଅଶ୍ୱଯୋଦ୍ଧାୟେ ପଳାବନ୍ତି ବେଗେ ।୪୦।
ସହସ୍ରେକ ଯୋଦ୍ଧାୟେ ଯେ ବେଢିଥିଲେ ଗାଈ
ରାଗେଣ ମହାଦେଈ ମାଇଲେ ଗୋଡ଼ାଇ ।୪୧।
ଋଷି ଯହୁଂ ଗାଈ ନଦିଲେ ମାଗନ୍ତେ
ସମଦଣ୍ଡ ଘେନି ଆସି ବେଢିଲେ ବିଶ୍ୱାମିତ୍ରେ ।୪୨।
ଦେଖିଲେ ଯୋଦ୍ଧାମାନେ ସମସ୍ତେ ଛନ୍ତିପଡ଼ି
ସୁଖେଣ ଗୋମାତା ନଦୀରେ ପାଣି ହେରି ।୪୩।
ଦେଖିଣ ଆଗ୍ୟାଂ ଦିଲେ ବିଶ୍ୱାମିତ୍ର ରାଜା
ସଇନିକି ବୋଇଲେ ରେ ଅଡ଼ାଇ ଆଣଯା ।୪୪।
ରାଜାର ବଚନେ ଧାଇଂଲେ ବେଗେ ଥାଠ
ଗଜ ଅଶ୍ୱ ଯୋଦ୍ଧାୟେ ମହା ମହା ବଳିଷ୍ଠ ।୪୫।
ଲକ୍ଷେ ପୁର କରିଣ ସେ ବେଢିଲେ ଗାଈଙ୍କି
ଗୋମାତାର କୋପ ଯେ ବଢିଲା ଥାଠ ଦେଖି ।୪୬।
ବେନି ଶିଙ୍ଘେ ହୋଇଲେ ତାର ପରଶୁ ତୀକ୍ଷ କାତୀ
ନିଶ୍ୱାସ ବହିଲା ପବନ ଅଣଚାଶ ମୂର୍ତ୍ତି ।୪୭।
ପାଦ ହୋଇଲେ ତାର ଅସିବର ତୀକ୍ଷ ମୁନା
ପିଠିର ଚର୍ମ ତାର ହୋଇଲା ବଜ୍ରସେହ୍ନା ।୪୮।
ରୋମେ ହୋଇଲେ ଦେବୀଙ୍କର ଅସ୍ତି ତୀକ୍ଷ ବାଣ
ଝାଡ଼ନ୍ତେ ବର୍ଷିଲା ଯାଇସନ୍ୟଙ୍କ ଶରୀର ଉପରେଣ ।୪୯।
ଘାୟେଣ ସନ୍ୟଦଣ୍ଡ ଯେ ପଡ଼ିଲେ ନିମଜାଇ
ଯମ ଦେବତା ପାଞ୍ଜି ପୋଛିଲା ସବୁନ୍ତି ହିଂ ।୫୦।
ହତ୍ୟାକୁ ବିମୋଚନ କଲେ ସର୍ବ ସଇନି
ରାଗେଣ ବିନ୍ଧିଲେ ଧନୁ ଶସ୍ର ଘେନି ।୫୧।
ଶହସ୍ର ମାନ ପଡିଲେ ଗାଈର ଶରୀରେ
ବଜ୍ର ଛଉରିରେ ପଡ଼ି ଉଚ୍ଛୁଡନ୍ତି ଶରେ ।୫୨।
ନିଶ୍ୱାସ ଛାଡ଼ିଲେ ଦେବୀ ଅତି କୋପଭରେ
ବିଶ୍ୱାମିତ୍ର ସଇନି ଉଡ଼ିପଡିଲେ ଅପାର ଦୂରରେ ।୫୩।
ପବନ ବହିଲା କି ଅଣଚାଶ ମୂର୍ତ୍ତି ଘେନି
ଯେ ଯହିଂ ପଡିଲେ ସେ ଲୋଟିଲେ ଧରଣୀ ।୫୪।
ସାତ କ୍ଷଉଣୀ ବଳ ଯେ ବିଶ୍ୱାମିତ୍ରଙ୍କର ଥିଲା
ୟେକା ଗୋମାତାର କୋପେ ସମସ୍ତ ନାଶ ଗଲା ।୫୫।
ତେର ଜଣ ଘେନି ରାଜା ଗଲା ସନ୍ୟଭଗ୍ନ ହୋଇ
ଭାରଦ୍ୱାଦଶଙ୍କ ଆଶ୍ରମେ ପ୍ରବେଶିଲା ଯାଇଂ ।୫୬।
ଭାରଦ୍ୱାଦଶ ବୋଇଲେ ତୋର ସନ୍ୟ କାହିଂ ବିଶ୍ୱାମିତ୍ର
ସନ୍ୟର ବିହୁନେ ରାଜା ଦିଶୁ ତ ବିପରୀତ ।୫୭।
କାହାର ତୁଲେ ରାଜା ହୋଇଲୁ ବିବାଦୀ
ସକଳ ଭୁବନ ତ ସମସ୍ତ ପାରୁ ସାଧି ।୫୮।
ବିଶ୍ୱାମିତ୍ରେ କହିଲେ ଯେ ବଶିଷ୍ଠଙ୍କର କଥା
ଲୋତେଣ ହରି ମୁଂ ଆଣୁଥିଲି ତାଙ୍କର ଗୋମାତା ।୫୯।
ଅନେକ ରାଜା ମୁଂ ଜିଣିଲି ସାଂଗ୍ରାମେ
ଗୋମାତା ନାଶ କଲା ମୋର ସଇନି ଅନୁକ୍ରମେ ।୬୦।
ରାଜ୍ୟ ଭାର ମୋର କିଛି ନୋହିଲା ମହାଗ୍ୟାଂତା
ଧର୍ମ ବଳହିଂ ସେ ଅସଂଖ୍ୟ ବଳବନ୍ତା ।୬୧।
ପୋଡ଼ୁ ପୋଡ଼ୁ ରାଜ୍ୟ ମୋର ନାହିଂ ପ୍ରିୟୋଜନ ।
ୟେତେ ବୋଲି ଛାଡିଲା ସେ ରାଜ୍ୟ ଆଶାମାନ ।୬୨।
ବଶିଷ୍ଠଙ୍କରଅଷ୍ଟବସୁଙ୍କପ୍ରତିଅଭିଶାପ
ସମସ୍ତ ତେଜ୍ୟା କରି ତପକୁ କଲା ଇଛା
ପଶିଲା ଧର୍ମେ ରାଜା ଅମର ପଦ କଲା ବାଞ୍ଛା ।୧।
ମହାଘୋର ତପେ ସେ ବସିଲେ ବିଶ୍ୱାମିତ୍ରେ
ଶୂନ୍ୟ ଭେଦି ତଲୟେ କରନ୍ତି ଶୁଦ୍ଧ ଚିତ୍ତେ ।୨।
ଲୋହ ଚୂରି ଭକ୍ଷିଲା ନବ ସହସ୍ର ବରଷ
ଶୂନ୍ୟ ପରୁଷମାନେ ହୋଇଲେ ଆସି ଦୃଶ୍ୟ ।୩।
ବିଶ୍ୱାମିତ୍ରେ ବୋଇଲେ ଅଷ୍ଟବସୁନ୍ତ ରାଇ
ବଶିଷ୍ଠଙ୍କ ତହୁଂ ଦିଅ ମୋତେ କାମଧେନୁ ଗାଈ ।୪।
ରାଜଋଷିର ବଚନେ ଚଳିଲେ ଅଷ୍ଟବସୁ
ବଶିଷ୍ଠଙ୍କର ଗାଈ ସେ ଦେଖିଲେ ଆଶ୍ରମରେ ପଶୁଂ ।୫।
ଚଉର୍ଯ୍ୟ ପଣ ଧରି ପଶିଲେ ନିଶାକାଳେ
ଆଶ୍ରମେ ପଶି ଗାଈ ଫେଇଲେ ବାହୁବଳେ ।୬।
ଗାଈକି ଓଡ଼ାଇ ସେ ନେଇ ଯାଉଛନ୍ତି ବନେ
ରୟେଣୀ ପ୍ରଭାତେ ମନ୍ଦିରେ ଗାଈ ନଦେଖିଲେ ମହାମୁନ୍ୟେ ।୭।
ଦୁହିଂବାକୁ ଲୋଡ଼ିଲେ ନାହିଂ ଗାଈ ଗୋଟି
ଆଶ୍ରମ ଚଉକତି ଲୋଡ଼ନ୍ତି ତପନିଷ୍ଠି ।୮।
ଅନେକ ଶ୍ରମେଣ ପଡ଼ି ଲୋଡ଼ନ୍ତି ମୁନି ଗାଈ
ବସୁୟେ ବୋଇଲେ ୟେମନ୍ତେ ନେମା ଯେ କିମ୍ପାଇ ।୯।
ମହାମନ୍ତ୍ର ଧୂଳି ପକାଇ ଆଣ୍ଟେ ଅଷ୍ଟ ଭାଇ
ଆପଣା ଇଚ୍ଛାୟେ ଯେ ପଛେ ଗୋଡ଼ାଇ ଅଛି ଗାଈ ।୧୦।
ଦୃମନ ପର୍ବତେ ଯେ ବାନ୍ଧିଲେ ନେଇ ଗାଈ
ଗଣ୍ଡାୟେକ ମାରି ସେ ସଉରୀ ଭୋଜନ ଖାଇ ।୧୧।
ଗାଈକି ଲୋଡ଼ିଣ ଯାଉଛନ୍ତି ବଶିଷ୍ଠେ
ଭେଟିଲେ ଗାଈକି ଦୃମନ ଗିରି ନିକଟେ ।୧୨।
ଧାଇଂ ଯାଇଂ କତିରେ ଭେଟିଲେ ବ୍ରହ୍ମଚାରୀ
ଆଶ୍ୱାନୀ ଗାଈକି ଫେଇଲେ ଦଉଡ଼ି ।୧୩।
ପର୍ବତ ଉପରୁଂ ଧାଇଂ ଅଇଲେ ଉମାବସୁ
ବଶିଷ୍ଠଙ୍କ ଉପରେ ପିଟିଲେ ଯାଠି ଯେ ପରଶୁ ।୧୪।
ଯାଠି ପଡି ମୁନି ଅଙ୍ଗ ମହା ବ୍ୟଥାପାଇ
ରାଗେଣ ବୋଇଲେ ତୁ ଥାଅରେ ନପୁଂସକ ହୋଇ ।୧୫।
ମଞ୍ଚେ ଜାତ ହୁଅ ଯାଇଂ ଗଙ୍ଗାର ଉଦରେ
ଅପୁତ୍ରିକ ହୋଇ ନାଶ ଯାଅ ଭାରଥ ଯୁଦ୍ଧରେ ।୧୬।
ବିଷମ ଶାପ ପାଇ ଉମାବସୁ ଯେ ଗଲା
ଶେଷେ ଭୀଷ୍ମ ଗଙ୍ଗାର ପୁତ୍ର ଯେ ହୋଇଲା ।୧୭।
ବଶିଷ୍ଠେ ଯାଉଛନ୍ତି ଅଡ଼ାଇଣ ଗାଈ
ଅନିଳ ବସୁ ଧାଇଂ ଲଉଡ଼ିୟେକ ବୁଲାଇ ।୧୮।
ଅନିଳ ବସୁ ବଶିଷ୍ଠଙ୍କୁ ପିଟିଲା ନେଇ ବାଡ଼ି
ବଶିଷ୍ଠେ ବୋଇଲେ ତୁ ଅନ୍ଧ ହୋଇଥାଅ ପଡ଼ି ।୧୯।
ସେ ମହାତ୍ମାର ଶାପ ଯେ ମେଣ୍ଟଣ ନ ଗଲା
ଅନିଳେକ ବସୁ ତତକ୍ଷଣେ ଅନ୍ଧ ଯେ ହୋଇଲା ।୨୦।
ଅନିଳ ବସୁ ବୋଇଲା ଶୁଣହେ ବଶିଷ୍ଠ
ବିଶ୍ୱାମିତ୍ରଙ୍କ ଆଗ୍ୟାଂୟେ ଆମ୍ଭେ ପାଇଲୁ ୟେତେ କଷ୍ଟ ।୨୧।
ଚକ୍ଷୁ ମୁକତକୁ ମୋତେ କହିବା କାରଣ
ବଶିଷ୍ଠେ ବୋଇଲେ ପଡ଼ିଥାଅ ୟେହି ବନସ୍ତେଣ ।୨୨।
ଦ୍ୱାପର ଯୁଗେ ୟେ ଅରଣ୍ୟେ ଆସିବେ ଧର୍ମ ଯୁଝେଷ୍ଠି
ତାହାଙ୍କୁ ଦେଖିଲେ ତୋହୋର ଅନ୍ଧ ପଟଳ ଯିବଫିଟି ।୨୩।
ପ୍ରାୟେକ ବସୁ ଧାଇଂଲେ କୋପ ଅପ୍ରମିତେ
ବଶିଷ୍ଠଙ୍କର ଗାଈ ନିଅନ୍ତେ ଧଇଲେ କୋପ ଚିତ୍ତେ ।୨୪।
ଗାଈ ଧରି ବଶିଷ୍ଠଙ୍କୁ ପକାଇଲେ ପେଲି
ବାଡ଼ିୟେକ ପିଟିଲେ ସେ ଅନେକ ମନ୍ଦ ବୋଲି ।୨୫।
କୋପେଣ ଶାପ ତାଙ୍କୁ ଦିଲେ ମୁନିଦ୍ୱିଜ
ବୋଇଲେ ପର ଉପୁଗାରୀ ହୋଇ ଜଦୁର ଘରେ ହୁଅସି ଦହିଜ ।୨୬।
ପୁଣି ଗାଈ ଘେନିଯା'ନ୍ତେଣ ତପୋଧନ
ଆର ପାଞ୍ଚବସୁ ଧାଇଂଲେ ମହା କୋପମନ ।୨୭।
ଲଉଡ଼ିୟେ ଲଉଡ଼ିୟେ ଘେନି କୋପେଣ ବୁଲାଇ
ବଶିଷ୍ଠଙ୍କ ଉପରେ ପ୍ରହାର କଲେ ନେଇ ।୨୮।
ମୁହଂ ମାଡ଼ି ଭୂମିରେ ପଡିଲେ ବଶିଷ୍ଠେ
ଗାଈ ଘେନିଣ ଯାଆନ୍ତି ପଞ୍ଚବସୁ ବଳିଷ୍ଠେ ।୨୯।
ସାଷ୍ଟମ ହୋଇଣ ମୁନି କଲେ କୋପ
ରାଗେଣ ବସୁଙ୍କୁ ବଶିଷ୍ଠେ ଦିଲେ ଶାପ ।୩୦।
ପାଞ୍ଚେହେଂ ହୋଅ ତୁମ୍ଭେ ଗଙ୍ଗାଙ୍କର ପୁଅ
ଜନ୍ମିଲା ଦିନହିଂ ତୁମ୍ଭେ ଶିର ଚ୍ଛେଦ ହୋଅ ।୩୧।
ଶାପ ଦିଅନ୍ତେଣ ବସୁହିଂ ଅପସରି
ଭୋ ବଶିଷ୍ଠ ନ ଜାଣି ତୋହୋର ଗାବ କଲୁ ଚୋରି ।୩୨।
ଶିରଚ୍ଛେଦ ହୋଇବୁ ଯେବେ ମାତାଙ୍କର ହସ୍ତେ
ମୁକତିକି କାରଣ କହିବା ତପୋବନ୍ତେ ।୩୩।
ବଶିଷ୍ଠେ ବୋଇଲେ ରେ ଚୋରାଇଲ ୟେ ମୋହୋର ଗାବ
ବେନି ଜନ୍ମେ ତୁମ୍ଭେରେ ମୁକତ ହୋଇବ ।୩୪।
ଗଙ୍ଗାର ହାଥେ ଶିର ଛେଦନ ହୋଇବ ବାଳ କାଳେ
ପୁଣ ଜନ୍ମ ହୋଇବ ଶବରୁଣୀର କୋଳେ ।୩୫।
ଅଜ ଶବର ନାମେ ତୁମ୍ଭର ହୋଇବ ତାତ
ସେହି କିରାତ ଉପରେ ପଡ଼ିବ ବଜ୍ର ନିର୍ଘାତ ।୩୬।
ମାତା ତୁମ୍ଭର ତୁମ୍ଭନ୍ତ ଘେନି ପଳାଇବ
ବାରୁଣାବନ୍ତେ ଯାଇଂ ଜଦୁର ଘରେ ଆଉଜିବ ।୩୭।
ଜଦୁର ଘରେ ଦହନ ହୋଇବ ସେହି ରାତି
ତହିଂ ତୁମ୍ଭେ ଦହନ ହୋଇବ ପାଞ୍ଚମୂର୍ତ୍ତି ।୩୮।
ଆରେ ଅଷ୍ଟବସୁ ତୁମ୍ଭେ ଚୋରାଇଲ ମୋହୋର ଗାବ
ଗୋରୁ ଚୋରା ନାମ ତୁମ୍ଭନ୍ତ ରହୁ ଚାରିଯୁଗ ।୩୯।
ବଦନ୍ତି ଅଗସ୍ତି ଶୁଣ ମନୁ ମହା ଧାର୍ମିକ
କହନ୍ତେଣ କଥା ଯେ ନ ସରଇ ଅନେକ ।୪୦।
ଆହୋ ବଶିଷ୍ଠଙ୍କ ଶାପ୍ୟେଣ ଅଷ୍ଟ ବସୁ
ଜଦୁ ଘରେ ଛଡ଼ ବସୁ ଶରୀର କଲେ ପାଂଶୁ ।୪୧।
ଶୁଦ୍ଧାଙ୍ଗ ସାଧ୍ୟଙ୍ଗ ଭିଗ୍ୟଂ ଭାଗ୍ୟବନ୍ତ
ସର୍ବଗ୍ୟଂ ପ୍ରାଗ୍ୟଂ ୟେ ଛଡ଼ବସୁ ସଙ୍କେତ ।୪୨।
ଶବରୁଣୀ ପୁତ୍ର ହୋଇ ପଞ୍ଚବସୁ ହୋଇଲେ ଦହନ
ପ୍ରାୟେ ବସୁ ଦହନ ହୋଇଲେ ପଣ୍ଡା ପୁରଞ୍ଚନ ।୪୩।
ଅନିଲ ବସୁ ଅନ୍ଧ ହୋଇ ପଡ଼ିଅଛି ବନେ
ସେ ମୁକତି ହୋଇବ ଯୁଝେଷ୍ଠିଙ୍କ ଦରଶନେ ।୪୪।
ଉମାବସୁ ଗଙ୍ଗାର ପୁତ୍ର ଭୀଷ୍ମ ମହାତେଜା
ଯୁଝେଷ୍ଠି ନିମନ୍ତେ ଭାରଥ ଯୁଦ୍ଧେ କରିବେ ଶରଶଯ୍ୟା ।୪୫।
ୟେମାନେ ଅଷ୍ଟବସୁ ଅଟନ୍ତି ଗୋରୁ ଚୋର
ପାଣ୍ଡବଙ୍କର ନିମନ୍ତେ ଧ୍ୱଂସିବେ ଶରୀର ।୪୬।
ବଶିଷ୍ଠଙ୍କ ଶାପ୍ୟୁଂ ୟେ ହୋଇଲେ ମୁକତ
ଯୁଝେଷ୍ଠିଙ୍କର କାର୍ଯ୍ୟ ନାହିଂ ଏହାଙ୍କର
କାର୍ଯ୍ୟେ ୟେ ହୋଇଲେକ ହତ ।୪୭।
ଶୁଣିଣ ପରମ ସାନନ୍ଦ ହୋଇଲେ ମନୁକଳ୍ପ ରାଜା
ଅଗସ୍ତିଙ୍କ ପଦ୍ମ ପାଦେ କଲେକ ପାଦ୍ୟ ଅର୍ଘ୍ୟ ପୂଜା ।୪୮।
ସାଧୁ ମହାତ୍ମା ତୁମ୍ଭେ ପରମ ପଣ୍ଡିତ ଅଗସ୍ତି
ଅମୃତ ରସ ମହାଭାରଥ ଶୁଣି ପାଇଲି ପରମ ଗତି ।୪୯।
ମନୁ ବୋଇଲେ ୟେମାନେ ସମସ୍ତେ ହୋଇଲେ ଦହନ
ଗୋପ୍ୟାନେ ପାଣ୍ଡବେ ଯେ ଗଲେକ ଘୋରବନ ।୫୦।
ୟେଥିର ବାରତା ସେ ପାଇଲାକ କୁରୁପତି
କିସ କିସ ବୋଇଲେ ସଭାୟେ କହିବା ମହାଯତି ।୫୧।
ପାଣ୍ଡବଙ୍କ ମୃତ୍ୟୁ ଶୁଣି ଧୃତରାଷ୍ଟଙ୍କର ଶୋକ ଓ ପ୍ରେତ କ୍ରିୟାସାଧନ
ବଦନ୍ତି ଅଗସ୍ତି କୁମ୍ଭଋଷିଙ୍କର ତନୁ
କଳି କାଳ ଧ୍ୱଂସ ନିମନ୍ତେ ଶୁଣ ବଇବସୁତ ମନୁ ।୧।
ରାତ୍ରରେ ଜଦୁଗୃହ ହୋଇଲାକ ଦହନ
ପଳାଇଣ ଗଲେ ଝିମାଣିଶାଳ ଲୋକମାନ ।୨।
ସମ୍ଭର୍ବେ ଆସ୍ଥାନେ ବିଜୟେ କୁରୁପତି
କରପତ୍ର ଯୋଡ଼ିଣ ଡଗରାୟେ ବାରତା କହନ୍ତି ।୩।
ସ୍ୱାମୀ ପାଣ୍ଡବେ ଥିଲେ ଯେ ଜଦୁର ଘରେ ରହି
ଆଜ ରାତ୍ର କାଳେ ଦେବ ହୋଇଲେ ସର୍ବେ ଦହି ।୪।
ପୁରଞ୍ଚନପଣ୍ଡା ତାଙ୍କ ସଙ୍ଗତେ ଶୋଇଥିଲା
ତାହାଙ୍କର ସଙ୍ଗତେ ସେ ଦହନ ହୋଇଲା ।୫।
ୟେସନେକ ବାରତା ଶୁଣି ରାଜା କୁରୁପତି
ମୁର୍ଚ୍ଛା ଗତେ ପଡିଲା ସେ ମାନଚକ୍ରବ୍ରତୀ ।୬।
ଧୁସାସନ ଦୃଜୟେ ଏକ ଉତ୍ତର ଶତେଭ୍ରାଥ
ଶହସ୍ରନ୍ତ ପକାଇ ଯେ ହୋଇଲେ ମୂର୍ଚ୍ଛାଗତ ।୭।
ଭୂରିସର୍ବାୟେଶୁଣିଲେ ଯେ ଭୀଷ୍ମ ମହାରଥି
ଶଲ୍ୟ କୃପ ଶଙ୍କୁନି ସଞ୍ଜୟେ କୁରୁପତି ।୮।
ଭିତରେ ବାରତା ଯେ ପାଇଲେ ଧୃତରାଷ୍ଟେ
ବଜ୍ରଘାତ ପ୍ରାୟେ ପଡ଼ିଲେ ଅଚେଷ୍ଟେ ।୯।
ଥାନ ମାନ ନିଚଳ ରାୟେ ଅସାଷ୍ଟମେ ଅଛିପଡ଼ି
ନିଜ ପ୍ରାଣ ନିଶ୍ଚଳକି ପ୍ରାଣ ଗଲା ଛାଡ଼ି ।୧୦।
ସ୍ୱାମୀକି କୋଳ କରି ଧଇଲେ ଗାନ୍ଧାରୀ
ମୁଖେ ଜଳ ନେଇ ସିଞ୍ଚିଲେ ପରିବାରୀ ।୧୧।
କୋଳ କରି ମନ୍ତ୍ରୀବର ଧଇଲା ସଞ୍ଜୟେ
କେଶବାସ ଅସମ୍ଭାଳ ଚେତନ ନାହିଂ କୁରୁରାୟେ ।୧୨।
ଆହା ପୁତ୍ର ବୋଲଇ ରୋବଇ ଧୃତରାୟେ
ୟେତେ କାଳେ ଧାତା ମୋତେ ଦିଲାକ ପୁତ୍ରକଷ୍ଟ ।୧୩।
ପୁତ୍ରନ୍ତ ପାଳିଲି ମୁହିଂ ପଣ୍ଡୁର ଅଭାବେ ।
ୟେଥି ଦ୍ୱନ୍ଦ ପ୍ରମାଦ ହୋଇ ବୋଲି ମୁଂ ଥୋଇଲି ଆନଠାବେ ।୧୪।
ଜଗତ ମୋହନ ବାବୁ ଜଗତ ତାରଣ ନାମ ଗୋଟି
ଅନାସ୍ତର ବାନ୍ଧବ ମୋହୋର ଦୁଖୀର ସଙ୍ଘାତ ଯୁଝେଷ୍ଠି ।୧୫।
ଅଜାତ ଶତ୍ରୁ ବାବୁ ସର୍ବଗ୍ୟଂ ସୁଧର୍ମ
ଆରେ ମୋହୋର ବାବୁ ଅର୍ଜ୍ଜୁନ ବୀରଭୀମ ।୧୬।
ବଳବନ୍ତା ଶକତା ଯେ ଧାର୍ମିକ ବୁଦ୍ଧିବନ୍ତା
ପରଲୋକ ବାନ୍ଧବ ବାଭିୟେ ଅଭୟେ ରଣଜିତା ।୧୭।
ଅନାଥର ନାଥ ବାବୁ ମୋର ଅନ୍ଧର ଲଉଡ଼ି
ୟେକହୁଂ ଜାତ ଅନ୍ଧ ଆବର ଦୁଗୁଣେ କଷ୍ଟ ପଡ଼ି ।୧୮।
ବାବୁ ପାଣ୍ଡବାସୁର ମାରି ଉଦ୍ଧରିଲୁ କୁରୁବଂଶ
ପାଣ୍ଡବ ନାମ ତୁମ୍ଭନ୍ତ ଦିଲେ ଯେ ତ୍ରିଦଶ ।୧୯।
ହା ହା ରେ ନନ୍ଦନ ମୋର କେଉଂଣ କତି ଗଲୁ
ଗଭୀର ସୋମୋଦ୍ରେ ମୋହୋର ଭେଳା ବୁଡ଼ାଇଲୁ ।୨୦।
ଦୁଖୀର ସଙ୍ଘାତରେ ମୋହୋର ପ୍ରାଣ ପଞ୍ଚୁଭୂତ
ମୁହିଂ ତୁମ୍ଭର ଅପାଦ ଘେନି ଯାଇଂରେ ପଞ୍ଚୁପୁତ୍ର ।୨୧।
ଦେବ ଲୋକେ ତୁମ୍ଭନ୍ତ କଲେ ଯହୁଂ ଜନ୍ମ
କେବଣ ପାପ ଦୋଷେ ନାଶ ଗଲାକ ୟେଡ଼େ ଧର୍ମ ।୨୨।
ଆରେ ବାବୁ ମୋହୋର ନନ୍ଦନ ଅର୍ଜୁନରେ ଦୁତୀକୃଷ୍ଣ ଫାଲଗୁନି
ୟେ ନାମ ଗୋଟି ଦିଲେ କୃଷ୍ଣ କୋଳେ ତୋତେ ଘେନି ।୨୩।
ବାବୁ ୟେକଉଂ ହୀନ ଜୀବ ଆବର ଦୁଖ ଉପରେ ଦୁଖ
ମୁହିଂ ବ୍ରତି ଚାଣ୍ଡାଳ ଚାହିବିଂ କାହା ମୁଖ ।୨୪।
ବାଳ ଭାବ ଛାଡ଼ିପୁତ୍ରେ ଆବର ହୋଇଲାରେ ଯୁବା
ଓହୋ କୁଳ ବୁଡ଼ାଇଣ କେଣେ ଗଲ ବାବା ।୨୫।
ରୋବଇ ଗାନ୍ଧାରୀ ଧୃତରାଷ୍ଟର ପାଟରାଣା
ଭୂମିରେ ପଡ଼ଇ ଦେବୀ ଯେହ୍ନେ ବଜ୍ର ଘାତ ଜାଣି ।୨୬।
ବଜ୍ରଘାତେ ଶରୀର ମୋହୋର ହୋଉଛି ବିଦାରି
ପୋଡ଼ୁ ମୋହୋର ଶରୀର କେମନ୍ତେ ଥିବଧରି ।୨୭।
ଅନ୍ଧପଟଳ ବାନ୍ଧିଲି କାହାରି ଦୁଖ ନ ଦେଖିବାକୁ
କଷ୍ଟ ଉପରେ କଷ୍ଟ ନଗଲା ହାଦେ ମୁକୁ ।୨୮।
ଆରେ ଆରେ ବାବୁ ୟେ ମୋହୋର ନକୁଳ ସହଦେବ
ସୁଲକ୍ଷଣ ବୁଦ୍ଧି ଗୋଟି ଯାହାର ଅମୃତର ସଭାବ ।୨୯।
ବାବୁ ଚାଲନ୍ତେ ଶୋହଇରେ ମୋହୋର ପଞ୍ଚୁ କଟକ ପୁରୀ
ଆସ୍ତାନ ଶୋହଇ ଯେହ୍ନେ ବିଜୟେ ମୁରାରି ।୩୦।
ପ୍ରମାଦର ଡରେ ତୁମ୍ଭନ୍ତ ବାବୁ ଲୁଚାଇଲି ନେଇ
ସମ୍ପୋଡ଼େ ନାଶ ଗଲ ମୋହୋର ହୀନ ବୁଦ୍ଧିରେ ତହିଂ ।୩୧।
ବାବୁରେ ଆମ୍ଭନ୍ତ ମରଣ ହୁଅନ୍ତା ତୁମ୍ଭର ଆଗେ
ନିଲଜ ଆତ୍ମା କିମ୍ପେ ନ ତୁଟଇ ପୁତ୍ର ଶୋଗେ ।୩୨।
ପୁତ୍ରେ କିମ୍ପା ନାଶ ଗଲେ ମାତା ପିତା ଥାଉଂ ଥାଉଂ
ଭୋ ଦଇବ ପୁରୁଷ ୟେହା ଭିଆଣ କଲୁ କାହୁଂ ।୩୩।
ଆଗୋ କୋଇନ୍ତା ତୁ ଯେ ମୋହୋର ପ୍ରାଣସଖୀ
ତୋହୋର ପୁତ୍ରହୁଂ ଅଧିକ ମୋହୋର ପୁତ୍ରେ ଦେଖି ।୩୪।
ଆମ୍ଭେ ତ ବସିଲୁ ଯେ ହୋଇ ଅନ୍ଧ ଯେ ଅନ୍ଧୁଣୀ
ୟେହୁ ପଞ୍ଚୁ କଟକରେ ତୁହି ସେ ଠାକୁରାଣୀ ।୩୫।
କାହାକୁ ସମର୍ପିଲୁ ତୋହୋର ୟେଡ଼େକ ସମ୍ପଦ
ମେଣ୍ଟିତ ନ ପାରିଲୁ ଗୋ କର୍ମର ବିପଦ ।୩୬।
ଦରାଣ୍ଡ ହୋଇଣ ଅନ୍ଧ ଯେ ବାହାର ହୋଇ ଆସି
କେଉଂଣ ଅଗାଦେ ପଶିବି ଶରୀର ମୋର ଝାସି ।୩୭।
କେ ମୋତେ କଢାଇଣ ନେବ ଜଦୁର ଘରେ
ଅନ୍ଧ ଅନ୍ଧୁଣୀ ଦହି ହୋଇବୁ ପୁତ୍ରଙ୍କ ସଙ୍ଗତରେ ।୩୮।
ଦ୍ରିଯୋଧନ ବୋଇଲା ତାତ କ୍ରୋଧରେ ନୁହ ବାଇ
ଦହିଜ ଗଲା ଶରୀର ଆବର ଲୋଡିଲେ କାହିଂ ପାଇ ।୩୯।
ତୁ ତାହାଙ୍କର ଗୁଣ ଜାଣୁଟିକି ପିତା
ଆମ୍ଭନ୍ତ ମାଇଲା ସେ ପାଣ୍ଡବା ଦଇତା ।୪୦।
ନଦୀରେ ପଶି ଦେହ ପଖାଳୁଛି ଖାଇବ ବୋଲି ସବୁନ୍ତି
ୟେମନ୍ତର ସମୟେ ଯାଇଂ ଭେଟିଲେ ସୁତ କୁନ୍ତୀ ।୪୧।
ମୁହିଂ ତାହାନ୍ତ ତାତ କରିଅଛି ଅନେକ ଯେ ପାପ
ସେ କଥା ଶରୀରେ ଯେ ନ ବହିଲେ ଗରୁତାପ ।୪୨।
ଯୁଦ୍ଧରେ ମାରିଲେ ସେ ପାଣ୍ଡବାସୁରକୁ
ଅମୃତ ଦେଇଣ ତାତ ଜିଆଇଲେ ଆମ୍ଭଙ୍କୁ ।୪୩।
କଲା ଉପୁଗାର ଯେ ନ ସୁମରନ୍ତି ଜନ
ଅବଶ୍ୟ ହୁଅନ୍ତି ସେ ନରକେ ପତନ ।୪୪।
ୟେସନେକ ସଖା ଯେ ଅଟନ୍ତି ମୋହୋର ସୋହୋଦ୍ରେ
ୟେସନେକ ସଖା ଯେ ପିତା ମୋତେ ପଡ଼ିଲା ହାଦେ ।୪୫।
ଜାରା ଶବର ମାଇଲା ଯେ ଆମ୍ଭନ୍ତ ବାଳ କାଳେ
ଦ୍ରୋଣ ଗୁରୁଥାନ୍ତେ ସେ ମୋତେ ଉଦ୍ଧରିଲେ ବେଳେ ।୪୬।
କହୁଂ କହୁଂ ଦ୍ରିଯୋଧନ ଯେ ପଡିଲା ମହୀ ଲୋଟି
କ୍ରୋଧେ ପଡ଼ି ଗଡ଼ିଣ ଯାଉଛନ୍ତି ଧୃତରାଷ୍ଟ ଧୃତରାଷ୍ଟି ।୪୭।
ଶତେ ଭାଇଙ୍କର କ୍ରୋଧ କହିତ କି ପାରି
ନିର୍ଘାତ ବାଣ କି ପଡ଼ୁଅଛି ଅଙ୍ଗେ ସବୁଙ୍କରି ।୪୮।
ପାଣ୍ଡବଙ୍କର ବିହୁନେ ମୋର ଜୀବନେ କାର୍ଯ୍ୟ କିସ
ୟେହିକ୍ଷଣି ଭକ୍ଷିବି ମୋତେ କେ ଆଣି ଦେବ ବିଷ ।୪୯।
ଦେହ ମିଳାଉ ମୋର ଯେ ଅର୍ଜୁନର କଷ୍ଟ ଦେଖି
ତୋହୋର ଅଭାବେ ବାବୁରେ ହୋଇଲି ନିରିମାଖି ।୫୦।
ଦଶ ଦିଶ ମୋତେ ଅନ୍ଧାର ଦିଶିଲା
ଶରଦ ଚନ୍ଦ୍ରମାକୁ କି ରାହୁ ଗରାସିଲା ।୫୧।
ଉର ଶିର ଦ୍ରିଯୋଧନ ପାଷାଣେଣ କୋଡ଼ି
କୋଳ କରି ଗାଙ୍ଗେବ ଧଇଲେ ତାକୁ ଭିଡ଼ି ।୫୨।
ଭୂରିସର୍ବାୟେ ଧରି ଅଛନ୍ତି ଧୁଶାସନକୁ
ସଞ୍ଜୟେ ଧରିଅଛି ଅନ୍ଧ ଯେ ରାଜାକୁ ।୫୩।
ରାଧା ଧରିଅଛି ଯେ ଗାନ୍ଧାରସେନ ଦୁହିତାକୁ ।୫୪।
ବିଦୁର ମହାତମା କହଇ ଶାନ୍ତି ବୁଦ୍ଧି
ରହ ରହ ଦ୍ରିଯୋଧନ ତୁ ଅନମିତ୍ତେ ନୋହସି କ୍ରୋଧୀ ।୫୫।
ଆମ୍ଭର ଦେହ ନ ସହଇ ତୋହୋର କ୍ରୋଧ କଲେ
ପାଣ୍ଡବେ ଆସିବେ କି ତୋହୋର ନାଶ ଗଲେ ।୫୬।
ସମସ୍ତେ ମରିବା କି ପାଣ୍ଡବଙ୍କର ପାଇଂ
କେ ପାରୁ ଯୁଝେଷ୍ଠିକି ଆଣୁନା ଜୀଆଇଂ ।୫୭।
ଅପ୍ରମିତ କ୍ରୋଧେ କରନ୍ତି ସର୍ବେ ମିଳି
ବ୍ରହ୍ମାଣ୍ଡ ଉଛୁଳୁଛି ଅସଂଖ୍ୟ ବୋବାଳି ।୫୮।
ସମସ୍ତ ରାଜ୍ୟରେ ବାରତା କହିଲେ ଦେଶାଉରେ
ପାଣ୍ଡବେ ଦହନ ହୋଇଲେ ବାରୁଣାବନ୍ତ ଜଦୁର ଘରେ ।୫୯।
ଦ୍ରୋଣେ ଥିଲେ ଯେ ତ୍ରିପୁରାନ୍ତକ ପର୍ବତେ
ତପ ଧର୍ମ ଉପେଖି ଆସନ୍ତି ଶୀଘ୍ର ଗତେ ।୬୦।
ପ୍ରବେଶ ହୋଇଲେ ଆସି ହସ୍ତିନା ଭୁବନେ
ବିଦୁରଙ୍କୁ ପଚାରନ୍ତି ଭାରଦ୍ୱାଦଶଙ୍କର ନାନେ ।୬୧।
ଲୋୟେ ଅନ୍ଧ ସବୁଙ୍କରି ଚକ୍ଷୁ ବେନି
ଦ୍ରୋଣଗୁରୁ ବୋଲି କେହି ନ ପାରିଲେ ଚିହ୍ନ ।୬୨।
ବିଦୁରଙ୍କୁ ଦ୍ରୋଣେ ପଚାରନ୍ତି ୟେକାନ୍ତେ
ତୋହୋର ଥାନ୍ତେ ପାଣ୍ଡବେ ନାଶ ଗଲେ କେମନ୍ତେ ।୬୩।
ବିଦୁର ବୋଇଲେ ଭୀମ ଧୁଶାସନ ଯହୁଂ ହୋଇଲେ ଅପ୍ରୀତି
ପୁଅନ୍ତ ଘେନି ଅପସରିଲେ ଦେବୀ ଯେ କୋଇନ୍ତୀ ।୬୪।
ବାରୁଣାବନ୍ତେ ଯାଇଂ ରହିଲେ ଅନେକ ସୁସ୍ତେ
ପ୍ରମାଦ ଉପୁଜିଲା କର୍ମର ଘଟସୂତ୍ରେ ।୬୫।
ବିଦୁର ନିରାଶ ବଚନ ଶୁଣି ଦ୍ରୋଣଗୁରୁ
ଶରୀର ବିଅର୍ଥ କଲେ ଅର୍ଜୁନ ସୁମରୁ ସୁମରୁ ।୬୬।
ଧାଇଂ ଯାଇ କୋଳେ କରି ଧଇଲେ ଅଶସ୍ତମା
ଭୋ ପିତା ତୁମ୍ଭେ ନୋହ ଅସାଷ୍ଟମ ଆତ୍ମା ।୬୭।
ବିଦୁର ବୋଇଲେ ହୋ ସମସ୍ତେ ଥିର ହୋଇରହ
ପଣ୍ଡିତ ପଣ କରି କିମ୍ପା ଜଣେହେଂ ନ କହ ।୬୮।
ପଳାଇବା ଲୋକଙ୍କୁ କି ବିକଳ ହୋଇବା
ଦୂତ ବରଗି ବାକି ଆପଣେ ଲୋଡ଼ିବା ।୬୯।
ତହିଂକି ଉପାୟ କରିବା ଦିବ୍ୟ ମଉଷୋଧି ଲୋଡି ।୭୦।
ଅଗ୍ନି ଦହିଜ କଲା ସବୁଙ୍କରି ଗାତ୍ର
କାୟା ଭସ୍ମ ହୋଇଲା କାଳ ଯହିଂ ତ ପ୍ରାପତ ।୭୧।
ଦହନ ପାନ ପୁରୁଷ ସେ ଗ୍ରାସିଲାକ ଆପଣ
ତହିଂକି କ୍ରୋଧ କର କେବଣ କାରଣ ।୭୨।
ରହ ରହ କୁରୁନାଥ ଛାଡ଼ିମେଲ ଶୋକ
କିସ ତୋତେ ବୁଝାଇବି ତୁ କି ଅଟୁ ମୂର୍ଖ ।୭୩।
ବାବୁ ଛାଡ଼ି ମେଲ କ୍ରୋଧ ମୋହବଦ୍ଧ ଚିନ୍ତା
ଥିର ହୋଇ ରହି କି ଯାଆନ୍ତା ପଥ ଶ୍ରାନ୍ତା ।୭୪।
କାଳ ବୋଲି କରି ହୋ ଯେବଣ ପୁରୁଷ
ନିର୍ଦୟା ନିରାପକ୍ଷ ସେ କହାକୁ ହିଂ ନୋହେ ବଶ୍ୟ ।୭୫।
ତାହାକୁ ଜାଣିମାକୁ ୟେଥେ କେ ଅଛି ସାମରଥ
କିମ୍ପା ଅନେକ ରାଜ୍ୟ ସିଂହାସନ ଛାଡ଼ିଲେ ବିଶ୍ୱାମିତ୍ର ।୭୬।
ସର୍ବ ସୁଖ ଛାଡ଼ି ପରିତ୍ୟାଜ ଛାଡ଼ିଲେ ସୁଖଭୋଗୀ
ଛାଡ଼ିଲେ ଜଞ୍ଜାଳ ସେ ହୋଇଲେ ପରମ ଯୋଗୀ ।୭୭।
ସୋଦର ନିଧନେ ସେ ଅନେକ କଷ୍ଟ ବୋଲି
କେ ୟେଥେ ଅମର ଅଛି ସମସ୍ତେ ମରିବା କାଲି ।୭୮।
ଆହୋ ବଡ଼ ଭାଗ୍ୟବନ୍ତା ସେ ପାଣ୍ଡବେ ପୁଣ୍ୟ ଦେହୀ
କାହାରି କଷ୍ଟ ନ ଦେଖି ଧର୍ମ ପଥେ ଗଲେ ଆଗ ହୋଇ ।୭୯।
କେହୁ ଆଗେ କେହୁ ଅବା ହୋଇ ଥାଇ ପଛ
ବହନ୍ତା ପଥକୁ କିମ୍ପା ଅରଗଳି ଦେଉଅଛ ।୮୦।
ଆରମ୍ଭେ ମୁରାଟ ହୋ ଅକ୍ରୋଧ ଛାଡ଼ି ମେଲ
ପରରାଷ୍ଟ୍ରକୁ ୟେତେ କ୍ରୋଧ କଲେ ନୋହଇ ଭଲ ।୮୧।
ହରି ବଳରାମ ଯେ ବିଜୟେ ରଇବ୍ରତ ପର୍ବତେ
ଇନ୍ଦ୍ର ଉଚ୍ଛବ ଯାତ୍ରା ବିଧାନେ ଯଦୁ ଭୋଜ ସମସ୍ତେ ।୮୨।
ୟେସନେକ ସମୟେ ମିଳିଲେ ମୁନେହି
ଉଗ୍ରସେନର ଆସ୍ତାନେ ବାରତା ଯାଇ କହି ।୮୩।
ସ୍ୱାମୀ ପାଣ୍ଡବେ ଥିଲେ ବାରୁଣାବନ୍ତ ଯଦୁର ଘରେ
କୋଇନ୍ତା ଆଦି କରି ଦହନ ହୋଇଲେ ପାଣ୍ଡବ ପଞ୍ଚୁବୀରେ ।୮୪।
ଦେଶାଉର ତହୁଂ ୟେସନ ବାରତା ଶୁଣି
ଉଗ୍ରସେନେ ଜଣାଇଲା ଦେବ ଚକ୍ରପାଣି ।୮୫।
ଶୁଣ ଦେବ ଯଦୁବୀର ବିପରୀତ ବାରତା
ଜଦୁର ଘରେ ନାଶ ଗଲେ ପଞ୍ଚୁପାଣ୍ଡବେ ଆବର କୋଇନ୍ତା ।୮୬।
ଲୋକିତେ ଚକତି ହୋଇଲେ ଚକ୍ରପାଣି
ପୁଣି ଛଦ୍ରମେ କାନ୍ଦାନ୍ତି ଲୋଟିଣ ଧରଣୀ ।୮୭।
ଯଦୁଂ ଆପଣେ ଅପାର ଶୋକ କଲେ ଶ୍ରାପୁରୁଷୋତ୍ତମ
ନାରାୟଣଙ୍କୁ ଶାନ୍ତି କରାନ୍ତି ଦେବ ବଳରାମ ।୮୮।
ବଳରାମ ବାସୁଦେବ ଅନେକ ବିକଳ
ପୁଣ ପୁଣ ନିଚେଷ୍ଟ ଦେବ କାମପାଳ ।୮୯।
ହା ହା ଯୁଝେଷ୍ଠି ବୋଲି ବୋଲନ୍ତି ହଳପତି
ଅଦୋଷେ ନାଶ ଗଲ କର୍ମର ବିପତ୍ତି ।୯୦।
ସଞ୍ଚୟେ ପାଣ୍ଡବେ ଯେବେ ହୋଇଲେ ପ୍ରାଣ ଭ୍ରଷ୍ଟ
ଅନେକ କଷ୍ଟ ପାଇବ ନୃପତି ଧୃତିରାଷ୍ଟ ।୯୧।
ବଦୟନ୍ତି ସଂକ୍ରିଷେଣ ଶୁଣ ହୋ ଜନାର୍ଦ୍ଦନ
ଧୃତିରାଷ୍ଟ ତହିଂକି ଯିବାଟି କି ପାଣି ଦରଶନ ।୯୨।
ଦାରୁକା ସାତ୍ୟକି ହକାରି ବୋଲନ୍ତି ଦେବରାଜ
ତାଳଧ୍ୱଜ ନନ୍ଦିଘୋଷ ବେଗ କରି ସାଜ ।୯୩।
ନାରାୟଣଙ୍କ ଆଗ୍ୟାଂୟେ ବେନି ଯେ ସାରଥି
ଅନେକ ରତ୍ନ ସେ ରଥରେ ମଣ୍ଡନ୍ତି ।୯୪।
ତାଳଧବଜ ରଥ ସାଜଇ ଦାରୁକ
ଉପରେ ସୁବର୍ଣ୍ଣ ବନ୍ଧା ଶ୍ୱେତ ଚାମର ୟେକ ଲକ୍ଷ ।୯୫।
ଡାଳିମ୍ୱ ନେତ ଯେ ଲମ୍ୱାନ୍ତି ଚଉସରା
ଶତେ ସରି ମାଣିକ୍ୟ ମୁକୁତା ମାଳମାନ ଝରା ।୯୬।
ନେତର ଚିରାଳ ପାତଙ୍ଗ ଯେ ଫିରିଫିରାନ୍ତି ବାୟେ
ଚାରି କୋଣେ ଦାସୀ ନେତର ଆଳମ୍ୱ ଶୟେ ଶୟେ ।୯୭।
ସୁବର୍ଣ୍ଣ କାଠିରେ ଅଷ୍ଟରତ୍ନେଣ ଉଦ୍ଦଣ୍ଡ
ଢଳନ୍ତି ବଇଡୁର୍ଯ୍ୟେ ନୀଳା ରତ୍ନେଣ ଚାରି କାଣ୍ଡ ।୯୮।
ସହସ୍ରେ ସହସ୍ରେ ପତନି ହୀରା କନକରେ ଜଡ଼ି
ଫେରକେଣ ଗଜମୁକୁତା ପାଞ୍ଚ ପାଞ୍ଚ ସରି ।୯୯।
ତଥିର ସଙ୍ଗତେ ମରକତ ଧାଡ଼ିଧାଡ଼ି
ରତ୍ନପାଟିୟା ଉପରେ ମାଣିକ୍ୟ ଦର୍ପଣ ଅଛି ଜଡ଼ି ।୧୦୦।
ଶତେ ମୁକୁତାରେ ମାଣିକ୍ୟ ପୁଞ୍ଜି ପୁଞ୍ଜି
ତରୁଣ ଆଦିତ୍ୟ ତେଜ ପ୍ରଭାତରେ ଗଞ୍ଜି ।୧୦୧।
ରଥର ଚାରି କତି ସୁବର୍ଣ୍ଣର ଘଣ୍ଟିକା
ପରିମଳ ଶବଦେ ଯେ ଝଟକନ୍ତି ରତନର ଶିଖା ।୧୦୨।
ଶୁକଳ ପତନି ରଙ୍ଗ ପତନି ଦାସୀ ନେତ ତୁଲେ
ଗଜ ବନ୍ଧମାନନ୍ତ ନେଇ ଉପରେ ରଞ୍ଚିଲେ ।୧୦୩।
ତାଳଧ୍ୱଜ ରଥେ ସୁବର୍ଣ୍ଣ ଅହିବ୍ରତେକ ଲମ୍ୱି
ଯେସନେକ ଅମର ସଭା ଦିଶଇ ଆରମ୍ଭି ।୧୦୪।
ରଥର ଚାରି ପୀଢ ସୁବର୍ଣ୍ଣର କୋଣ କାଣ୍ଡ
ଝଟକନ୍ତି ହୀରାୟେ ଯେହ୍ନେ ଉଦୟ ମାରତଣ୍ଡ ।୧୦୫।
ୟେସନେକ ସ୍ୱରୂପ ଯେ ତାଳଧ୍ୱଜ ରଥ ଶୋଭା
କୁବେର ଭୁବନ ଜାଣି ଚନ୍ଦ୍ର କିରଣ ପ୍ରଭା ।୧୦୬।
ଶ୍ୱେତ ଅନନ୍ତ ଗୋକ୍ଷୁର ଶାର୍ଦ୍ଦୁଳ ଚାରି ବାଜୀ
କଳପୀ ହୟେ ଯେ ଅଟନ୍ତି ମହାତେଜୀ ।୧୦୭।
ୟେକା ନିମିଷକେ ତ୍ରୈଲୋକ୍ୟ ପାରନ୍ତି ଖେପି
ମହାଯାଗୁଂ ସମ୍ଭୂତ ହୟେ ଅଟନ୍ତି କାମ ରୂପୀ ।୧୦୮।
ତାହାଙ୍କର ମୂଳେ ସହସ୍ରେ ସହସ୍ରେ ବାଜୀ
ଚୋଖାର ତୁରଙ୍ଗମ ସେ ପବନୁ ବେଗ ତେଜି ।୧୦୯।
ୟେ ଅଶ୍ୱନ୍ତ ଯୋଚିଲା ନେଇ ଦାରୁକ ସାରଥି
ଶେଣା ପକ୍ଷୀ ପ୍ରାୟେ ସେ ଖେପନ୍ତି ଗଗନ ଗତି ।୧୧୦।
ତାଳଧ୍ୱଜ ରଥେ ବିଜୟେ କାମପାଳ
ଶ୍ରୀଭୁଜେ ଶୋଭମାନ ସ୍ୱାମୀର ସଉନନ୍ଦ ମୂଷଳ ।୧୧୧।
ଶିରେଣ ସପତ ଫଣା ଯେ ଭୁଜଙ୍ଗ ମଉଳି
ରେବତୀର ବଲ୍ଲଭ ସ୍ୱାମୀ ପ୍ରତଗ୍ୟାଂ ସାମରଥା ଦେବହଳୀ ।୧୧୨।
ଶିରରେ ସୀମନ୍ଥ କଟିରେ ମେଖଳା ପବିତ୍ରା
ନୀଳବସନ ଆଭରଣ ସ୍ୱାମୀ ଲୋହିତ ବର୍ଣ୍ଣ ନେତ୍ରା ।୧୧୩।
ଯାତ୍ରା ମଙ୍ଗଳ ସୁଯୋଗେ ଶୁଭ ଅନକୂଳେ
ଭୁଜଙ୍ଗ ମଣ୍ଡଣ ସ୍ୱାମୀ ବିଜୟେ କାମପାଳେ ।୧୧୪।
ଦାରୁକ ମଣ୍ଡିଲା ଯେ ନନ୍ଦିଘୋଷ ରଥ
ଅନେକ ସମ୍ଭରେ ସ୍ୱାମୀ ବିଜୟେ ଜଗନ୍ନାଥ ।୧୧୫।
ଶେତ ଗୋକ୍ଷୀର ଶଙ୍ଖ କାମପାଳ ଚାରି ହୟେ
ଜଳ ବାରଣ ଅନଳ ନିସ୍ତାରଣ କାୟେ ।୧୧୬।
ଶ୍ରୀଭୁଜେ ଶଙ୍ଖ ଚକ୍ର ଶାରଙ୍ଗ କୌମୋଦୀ
ବିଜେ ଜଗମୋହନ ସ୍ୱାମୀ ପରମ ସାନନ୍ଦୀ ।୧୧୭।
ଉଡ଼ନ୍ତି ହୟବର ପବନ ଗତି ଜାଣି
ଦେଖିଣ ଅନେକ ସାନନ୍ଦ ଦେବ ଦିନକର ମଣି ।୧୧୮।
ବାହାନ୍ତି ତୁରଙ୍ଗମ ସେ ବେନି ସାରଥି
ହସ୍ତିନା ଭୁବନେ ବିଜେ କୃଷ୍ଣ ହଳପତି ।୧୧୯।
ଅମଙ୍ଗଳ ଭୁବନେ ଯେ ଦିଶଇ ନାରଖାର
କଳହ ଅସ୍ତାନ ପ୍ରାୟେ ସେବନ୍ତି କୁରୁବୀର ।୧୨୦।
ଶ୍ରୀଖଣ୍ଡ ଚନ୍ଦନମାନ ଗୋବିନ୍ଦର କାୟେ
କ୍ରୋଧଭରେ ନୃପତି ହୋଇଛି ରେଣୁ ମୟେ ।୧୨୧।
ଧୃତରାଷ୍ଟ ଦ୍ରିଯୋଧନ ସବୁରି କଷ୍ଟ ଦେଖି
ଆସନ୍ତି ବେନିଭ୍ରାଥେ ଯାନ ବାହାନନ୍ତ ଉପେଖି ।୧୨୨।
ସଞ୍ଜୟେ କହିଲେ ଶୁଣ ଧୃତରାଷ୍ଟେ
ସ୍ୱାମୀ ସନ୍ନିଧ୍ୟେ ତୋହୋରି ବିଜେ କଲେ ରାମ କୃଷ୍ଣେ ।୧୨୩।
ଅମ୍ୱିକାର ନନ୍ଦନ କହଇ ଶୋକଭରେ କଥା
ୟେହେନେକ ବିପଦ ସ୍ୱାମୀ ବିହିଲା ମୋତେ ଧାତା ।୧୨୪।
ଭୀମ ଧୁଶାସନ ଯହୁଂ ହୋଇଲେ ଅନ୍ୟାଅନ୍ୟି
ମୁହିଂ ୟେକାନ୍ତେ ଭାଳିଲି ଯୁଝେଷ୍ଠିଙ୍କି ଘେନି ।୧୨୫।
ୟେକାଠାରେ ଥିଲେ ବାବୁ ହୋଇବ ଅନ୍ୟାଅନ୍ୟି
ବାରୁଣାବନ୍ତେ ରହ ଯାଇଂ ଭାଇନ୍ତ ତୋର ଘେନି ।୧୨୬।
ଗୁରୁଜନ ବଚନେ ଦେବ ଅଲଙ୍ଘିତ ଯୁଝେଷ୍ଠି
ବାରୁଣାବନ୍ତେ ରହିଲେ ମୋର ପୁତ୍ର ପାଞ୍ଚଗୋଟି ।୧୨୭।
କାଲି ରାତ୍ରେ ଦେବ ମୋତେ ପଡ଼ିଲା ବିପଦ
ସେ ପଞ୍ଚୁ ପୁତ୍ରଙ୍କୁ ହାଦେ ପଡିଲା ପରମାଦ ।୧୨୮।
ଝିମାଣିଶାଳୁ ଅଗ୍ନି ପଡ଼ି ଦେବ ପୁର ଦହନ ହୋଇଲା
କୋଇନ୍ତା ସହିତେ ମୋର ପଞ୍ଚୁ ପୁତ୍ର ନାଶଗଲା ।୧୨୯।
ବିନାଶ କାଳକୁ ଦେଖ ବିପରୀତ ବୁଦ୍ଧି
ବିପଦ କର୍ମେଣ ମୋହୋର ୟେସନେକ ଲିହି ବିଧି ।୧୩୦।
କହୁଂ କହୁଂ ମୃକ୍ଷାଗତ ହୋଇଲେ ଧୃତରାଷ୍ଟ
ରହ ରହ କୁରୁପତି ବୋଲି ଧଇଲେ ଜଗନ୍ନାଥ ।୧୩୧।
ଜଗୁ ଜନ ବନ୍ଧୁ ଯେ ଜଗତ ଜନ ହିତକାରୀ
କେବଣ ପାତକେ ମୋତେ ୟେଡ଼େକ ବିପତ୍ତି ପଡ଼ି ।୧୩୨।
ଦ୍ରିଯୋଧନ ଅସାଷ୍ଟମ ବଳରାମଙ୍କ ମୁଖ ଦେଖି
ବେଳେକ ସୋଦରନ୍ତା ସ୍ୱାମୀ ନ ପାରିଲୁ ରଖି ।୧୩୩।
ଶ୍ରୀହରି ବୋଇଲେ ତୁମ୍ଭେ ଶୁଣ କୁରୁପତି
ଦଇବ କୃତ୍ୟେ ତୋତେ ହୋଇଲା ଅନୀତି ।୧୩୪।
ବଳରାମେ ବୋଇଲେ କାହିଂ ଦହନ ହୋଇଲେ ପାଣ୍ଡବେ
ଚାଲ ହୋ ଦେଖିଯିବା ବୋଲନ୍ତି ବଳଦେବେ ।୧୩୫।
ରାମର ବଚନେ ସଜ ହୋଇଲେ କୁରୁଥାଠ
ଅନେକ ଗହଳ ଯେ ହୋଇଲା ମୁରାଟ ।୧୩୬।
ଯଦୁର ଘର ଦେଖିବାକୁ ଯାଆନ୍ତି ସଇନି
ମହାତେଜ ହୋଇ ଯେ ଦହୁଅଛି ଅଗ୍ନି ।୧୩୭।
ବିଦୁରକୁ ୟେକାନ୍ତେ ପଚାରନ୍ତି ଜନାର୍ଦ୍ଦନ
ପାଣ୍ଡବଙ୍କର ଚରିତ ହୋ କେବଣ ବିଧାନ ।୧୩୮।
ବିଦୁରେ ବୋଇଲେ ଦେବ ଗଲେନି ପାର ହୋଇ
ଅରଣ୍ୟେ ପଶିଲେନି ଯେୟେହାଙ୍କୁ ଗୋଚର ନାହିଂ ।୧୩୯।
ଭୋ ନାଥ ନାରାୟଣ ତୁ ମନ୍ଦ କୃତ୍ୟ କଲୁ
ୟେ ଜଦୁର ଘର ଦେଖାଇ କିମ୍ପା ୟେହାଙ୍କୁ ଆଣିଲୁ ।୧୪୦।
ୟେଥିରେ ଦହନ ହୋଉଛନ୍ତି ଶବରୁଣୀ ପଞ୍ଚୁ ପୁତ୍ରେ
ନପୁଣ ଚିହ୍ନନ୍ତି ୟେ ଦେଖିଲେ ନିଜ ଗାତ୍ରେ ।୧୪୧।
ଶ୍ରୀହରି ତ୍ରାସିଲେ ଯେ ବିଦୁର ବଚନେ
ସୁଦ୍ରିଶେଣ ଚକ୍ର ପେଷିଲେ ଅଗ୍ନି ଦହନ ସ୍ଥାନେ ।୧୪୨।
ନ ଚିହ୍ନନ୍ତୁ କୁରୁବୀରେ ଦୁଗୁଣ ତେଜ ବହୁ
ବାସୁଦେବର ମାୟା ହୋ ଜାଣିମାକ କେହୁ ।୧୪୩।
ୟେ ସେ ମାୟାଧର ହୋ ମହାମାୟା ରଞ୍ଚନା
ଭାରା ନିବାରିବାକୁ ୟେ କୂଟ ଉପାୟେ ସିନା ।୧୪୪।
ଶ୍ରୀହରି ବୋଇଲେ ହୋ ଶୁଣ କୁରୁପତି
ମୃତୁ ପିଣ୍ଡ ଗନ୍ଧ ଲାଗିଲେ ଶିରୀ ହୋୟେ କ୍ଷତି ।୧୪୫।
ଦୂରେ ଥାଇ ଦେଖନ୍ତି ସମସ୍ତ ବୀରମାନେ
ଦେଖୁଛନ୍ତି ଛଡ଼ ପିଣ୍ଡ ହୋଉଛନ୍ତି ଦହନେ ।୧୪୬।
ହା ହା ଦଇବ ବୋଲି ଯେ ପଡ଼ିଲା କୁରୁପତି
ଭୀଷ୍ମ, ଦ୍ରୋଣ, କର୍ଣ୍ଣ , ଭୂରିସର୍ବା, ଶଲ୍ୟ, ଅଶସ୍ତମା ସର୍ବ କ୍ଷେତ୍ରୀ ।୧୪୭।
ଦ୍ରିଯୋଧନ ଶତେ ଭ୍ରାଥେ ଆବର କୁରୁଦେବ
ସମସ୍ତେ ବଜ୍ରଘାତେ ପଡ଼ିଲେ ପାଣ୍ଡବଙ୍କର ଅଭାବେ ।୧୪୮।
ରାମ କୃଷ୍ଣ ସମାଜ୍ରନା କରନ୍ତି ସବୁନ୍ତି
ଗୋବିନ୍ଦେ ବଦନ୍ତି ହୋ କ୍ରୋଧ କର ଶାନ୍ତି ।୧୪୯।
କ୍ରୋଧ ଶାନ୍ତି କର ହୋ ଅମ୍ୱିକାର ସୁତ
ଅନେକ କ୍ରୋଧ ଅବସ୍ତା ତୋତେ ଅଛିନି ବହୁତ ।୧୫୦।
ଅପାର କୁଟୁମ୍ୱ ତୁ ଯେ ଅରଜିଲୁ ଧୃତରାଷ୍ଟ
ମୋହୋର ବିଚାରେ ତୋତେ ହୋଇବ ଅନେକ କଷ୍ଟ ।୧୫୧।
ଧୃତରାଷ୍ଟ ଦ୍ରିଯୋଧନକୁ ଶାନ୍ତି ଯେ କରାଇ
ବାହୁଡ଼ି ହସ୍ତିନା ଭୁବନକୁ ଆସନ୍ତି କୁରୁସାଇଂ ।୧୫୨।
ପ୍ରେତ କାର୍ଯ୍ୟ କରିବାକୁ ଯେସନେକ ବିଧି
ସାଂସାରିକା ଧର୍ମକୁ ରାଜା ଯେସନେକ ବିଧି
ସାଂସାରିକ ଧର୍ମକୁ ରାଜା ଯେସନେକ ହୋଇ ସିଦ୍ଧି ।୧୫୩।
କରନ୍ତି କୁରୁ ବୀରେ ପ୍ରେତ କାର୍ଯ୍ୟ ବିଧାନ
ରହିଲେ ଯଦୁ ନନ୍ଦନ କୁରୁ ରାଜାର ଆସ୍ତାନ ।୧୫୪।
ନବ ଦିବସ ପରିଯନ୍ତେ ଅନେକ ଦାନ ଦିଲେ
ଦଶାହ ଶ୍ରାଦ୍ଧ କରି ୟେକାଦଶ ପିଣ୍ଡ ଭିଆଇଲେ ।୧୫୫।
ହୋମ କର୍ମେଣ କରାନ୍ତି ଘୃତପାକ
ପାରଣା ଆଚୋବନ ଶୁଦ୍ଧ ଯେ ପାତ୍ରକ ।୧୫୬।