ଭୀମ ଜନ୍ମ — ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିଅମୃତ ପୁରୁଷ ସେ ଋଷିର ମହାମନ୍ତ୍ରେ
ବିଜେକଲେ ପବନ ଦେବତା କୋଇନ୍ତାଙ୍କର ଶେଯ୍ୟାଇ ଯୁଗତେ ।୨୨।
ବାମ କରେ ପାଶ ଯେ ଦକ୍ଷିଣେ ମୁଦୁଗର ପୁଣି
ଦେଖିଣ ପଚାରନ୍ତି କୁନ୍ତଭୋଜର ଦୁଲଣୀ ।୨୩।
ମହାପ୍ରଚଣ୍ଡ ତେଜ ଦିଶଇ ଲୋହିତ ବର୍ଣ୍ଣ ରୂପେ
ଅଦଭୁତ ମହାତ୍ମା କାହୁଂ ବିଜେ କଲୁ ମୋହୋର ସମୀପେ ।୨୪।
ବଦୟନ୍ତି ଶୂନ୍ୟେପୁରୁଷ ତୁ ଯାହା ସୁମରିଲୁ କୋଇନ୍ତା
ଚେତନା ପୁରୁଷ ହାଦେ ମୁଂ ପବନ ଦେବତା ।୨୫।
ତୁ ମୋତେ ଅଭିଳାଷ କଲୁ କୋନ୍ତଭୋଜର ଦୁଲାଳୀ
ଅମୃତ ପୁରୁଷ ମୁଂ ବିଜେ କଲି ଦୁର୍ଭାସାଙ୍କର ମନ୍ତ୍ର ଭୟେ କରି ।୨୬।
ସରୂପ ଜାଣି ଦେବୀ ସଲଜ୍ଜିତ ମତି
ପବନ ଦେବତାୟେ କୋଇନ୍ତାଙ୍କୁକୋଳେ ଧଇଲେ ତତକ୍ଷଣାନ୍ତି ।୨୭।
ୟେସନେକ ପ୍ରଭୁ ଭାରିଯା ବିବସନଶାହୀ
ମଦନା ହିଂ ଯତନେ ଛାଡ଼ିଗଲା ସନ୍ନିଧ୍ୟେ କେହି ନାହିଂ ।୨୮।
ମରୁତ ଦେବତା ତୁଲେ ଯହୁଂ ଶୃଙ୍ଗାରକୁ ଇଚ୍ଛା
ବଢିଲା ରତି ରଙ୍ଗ ଓହୋ କୁଳର ମନ ବାଞ୍ଛା ।୨୯।
ଚନ୍ଦ୍ର ପବନ ଘେନି ପଞ୍ଚିଶ ପ୍ରକୃତି
ବଳବନ୍ତ ଦେବତାର ଶୃଙ୍ଗାର ସହିଲା ସେ ଅନାଦି ଶକତି ।୩୦।
ଚନ୍ଦ୍ରମେଳକ ଘେନି ବିଷ୍ଣୁ ବାତ ପ୍ରସନ୍ନେ
ଛାଡିଲା ମହାବୀର୍ଯ୍ୟ ସେ ଦୁର୍ଦଣ୍ଡ ପବନେ ।୩୧।
ପବନ ଦେବତାର ସେ ଅମୋହ ରେତ ପଡ଼ି
ମୂର୍ଚ୍ଛାଗତ ହୋଇ ପଡିଲେ କୋଇନ୍ତାୟେ ସହିତ ନୁଆରି ।୩୨।
କୋଳ କରି ଧଇଲେ ପବନ ଦେଇଣ ଜୀବ ନ୍ୟାସ
ଆପଣାର ଆତ୍ମା ଯାଇ ତାହାର ଗର୍ଭରେ ପ୍ରବେଶ ।୩୩।
ଯହୁଂ ମହାଭାରା ସହି ନପାରିଲେ ଦେବୀ କୋନ୍ତୀ
ସଇନ୍ଦୁ ପୁତ୍ରେକ ଯେ ହୋଇଲା ଉତପତ୍ତି ।୩୪।
କୋଇନ୍ଥାଙ୍କର ଗର୍ଭରୁ ପୁତ୍ରେକ ଅବତରି
ଥରହର କମ୍ପୁଅଛି ଚାରିଶତ ଯୁଣ ଶତଶିଂଗ ଗିରି ।୩୫।
ପୁତ୍ର ରାବେ କମ୍ପିଲା ଆକାଶ ସପତ ବ୍ରହ୍ମାଣ୍ଡ
ଆଠଲକ୍ଷ ପର୍ବତ ଘେନି କମ୍ପିଲା ମେଦିନୀ ନବଖଣ୍ଡ ।୩୬।
ପୁତ୍ର ଦେଖି ପବନ ଦେବତା ସାନନ୍ଦ ଚିତ୍ତେ
ଦେଖଇ ଭୁବି ଭୁବନ ସେ କମ୍ପଇ ଅପ୍ରମିତେ ।୩୭
ଦେବରାଜା ଗିରିରାଜା କମ୍ପଇ ଯମରାଜା
ଭୀମସେନ ନାମ ଦିଲେ ପବନ ଦେବ ରାଜା ।୩୮।
ପୁତ୍ରକଇ ନାମ ଦେଇ ସେ ଚଳିଲେ ପବନ ପୁଣି
ନନ୍ଦନ ଦେଖି ସାନନ୍ଦ କୁନ୍ତଭୋଜର ଦୁଲଣୀ ।୩୯।
ମହାଘୋର ଅନ୍ଧକାର ବରଷନ୍ତି ମେହେ
କ୍ଷେପନ୍ତି ବଳାହକେ ଯେହ୍ନେ ବିଜୁଳି କନକ ରେହେ ।୪୦।
ପୁତ୍ରଗୋଟି ଘେନି ଦେବୀ ରାତ୍ରକାଳେ ପର୍ବତେ ଅଛଇଂ ବସି
ମହାମତ୍ତ ବ୍ୟାଘ୍ରେକ ଗର୍ଜନ କଲା ଆସି ।୪୧।
ବ୍ୟାଘ୍ରର ଗର୍ଜନ ଶୁଣି ତ୍ରାସିଲେ ଦେବୀ କୋଇନ୍ତେ
ଭୟେଣ ଛାଡି ପଳାଇଲେ ପୁତ୍ରକୁ ପକାଇ ଶତଶିଂଗ ପର୍ବତେ ।୪୨।
ଚାରିଶତ ଯୋଜନ ଯେବଣ ମହାଗିରି
ସେ ପର୍ବତ ରସାଂଗତ ହୋଇଲା କୁମର ଯହୁଂ ପଡ଼ି ।୪୩।
ମହାଭାରା ପର୍ବତ ଯହୁଂ ପଶିଲା ରାସାନ୍ତଳେ
ଦେଖିଣ ତ୍ରାସିଲେ ସକଳ ଦିଗପାଳେ ।୪୪।
ପୁତ୍ରନ୍ତ ତଳେ ପକାଇ କୁନ୍ତୀ ପଳାଇଲେ ଡରେ
ଧାତିକାରେ ଉଠିଲେ ସେ ବୃକ୍ଷର ଉପରେ ।୪୫।
ପର୍ବତେ ପଡ଼ି କାନ୍ଦଇ ସେ ବାଳଶିଷି
ଶ୍ରାବଣ ମାସ ଘୋର ଅନ୍ଧକାର ପଛିମୁଂ ବତାସ କରି ବରଷି ।୪୬।
ପଡ଼ି ଅଛି ନନ୍ଦନ ଉତ୍ତାନଶାହୀ ହୋଇଂ
କାନ୍ଦଇ ନନ୍ଦନ ଯେ ବାଳୁତ ରାବ ଦେଇ ।୪୭।
ଗର୍ଜନ ନାଦ କରି ଧାମଇ ମତ୍ତ ବ୍ରାଘ
ପୁତ୍ରକୁ ଘୋଟିଲା ସେ କରିବ ଆଧାର ଯୋଗ ।୪୮।
କାନ୍ଦଇ ସେ ଭୀମସେନ ଚରଣ ହଲାଇ
ବ୍ୟାଘ୍ରର ମୃଧୁନିରେ ବାଜିଲା ପାଦ ଯାଇ ।୪୯।
ଭୀମର ଦକ୍ଷିଣ ଚରଣ ବାଜିଲା ବ୍ୟାଘ୍ରର ମୃଧୁନା
ବାଜନ୍ତେ ମୃଧୁନା ତାର ହୋଇଲା ଶତେ ଚୂନା ।୫୦।
ରୁଧିର ବୃଷ୍ଟି ହୋଇ ପଡ଼ିଲାକ ବ୍ୟାଘ୍ର
ରଜନୀ ପ୍ରଭାତ ହୋଇଲା କାନ୍ଦଇ ଯେ ପୁତ୍ର ।୫୧।
କୋଇନ୍ତାୟେ ଉଠିଛନ୍ତି ବୃକ୍ଷର ଉପରେ
ପଣ୍ଡୁ ଆସି ହୋଇଲେ ଶତଶିଂଗ ପର୍ବତରେ ।୫୨।
ଦେଖିଲେ କାନ୍ଦୁଅଛି ସୁନ୍ଦର ବାଳୁତ
ପୁତ୍ର ପାଦତଳେ ବ୍ୟାଘ୍ର ହୋଇଅଛି ହତ ।୫୩।
ପୁଣ ଯେ ରୋଦନ କରନ୍ତେ ବାଳୁତ
ସରୂପ ଦେଖିଣ ପଣ୍ଡୁ ହୋଇଲେ ଚକିତ ।୫୪
ଚଉଦିଗକୁ ଅନାଇ ଅମ୍ୱାଳିକା ସୁତ
ଭାଳିଲେ ମାୟା କରିଛି କେବଣ ଦଇବତ ।୫୫।
କେବଣ ମହାତ୍ମାୟେ ପୁତ୍ର ଗଲା ଛାଡ଼ି
କେଣିକି ଗଲା ପୁତ୍ର ୟେକା ଅଛି ପଡ଼ି ।୫୬।
ଅନଙ୍ଗ ଶରୀର ଜାଣି ବ୍ରହ୍ମାଣ୍ଡ ତେଜ ଫୁଟି
ବିଚାରନ୍ତି ପଣ୍ଡୁ ରାୟେ ୟେ କାହାର ପୁତ୍ର ଗୋଟି ।୫୭।
ସ୍ୱାମୀକି ଦେଖିଣ କୋନ୍ତଭୋଜର କୁମାରୀ
ଭୟ ଛାଡ଼ିଣ ଦେବୀ ବୃକ୍ଷରୁ ଅବତରି ।୫୮।
ପଣ୍ଡୁର ଦେଖନ୍ତେଣ ଯେ କାନ୍ଦଇ କୁମର
ବାମପାଦ ଅଙ୍ଗୁଷ୍ଠି ବାଜିଲା ପର୍ବତ ଶିଖର ।୫୯।
ଅନାଦି ସିଦ୍ଧ ସେ ଅଟଇ ଗିରିବର
ଶିଂଗ ତୁଟନ୍ତେ ଅନୁବ୍ରତେ ବହୁଅଛି କ୍ଷୀର ।୬୦।
ଶିଂଗ ଦ୍ୱାଦଶ ଯୋଜନ ତଳି ଶତେ ଯୋଜନ ଶିର
ବାମପାଦ ଅଙ୍ଗୁଷ୍ଠି ଲାଗି ହୋଇଲା ଶତେ ଚୂର ।୬୧।
କୋପେ ପ୍ରଜ୍ଜ୍ୱଳିତ ହୋଇଲା ଡିଙ୍ଗର
ପ୍ରଥମରେ ପାଦ ମତେ କଲୁରେ ପ୍ରହାର ।୬୨।
ରାଗେଣ ବ୍ୟଥା ପାଇ ବୋଇଲା ଗିରିବର
ବାଳୁତ ବୟସୁଂ ୟେତେ ପ୍ରାକର୍ମ ତୋହୋର ।୬୩।
ଜନ୍ମ ହୋଇଲୁ ତୁ ମୋହୋର କୋଳର
ମୋର ଶାପ ତୋତେ ଫଳୁରେ ମରୁତ କୁମର ।୬୪।
ଆରେ ଆରେ ଭୀମା ତୁ ପ୍ରଥମ ଯୁଦ୍ଧେ ହାର ।୬୫।
ୟେସନେକ ଶାପ ଯହୁଂ ଗିରିବର ଦିଲା
ଆସିଣ କୋଇନ୍ତାଦେବୀ ପୁତ୍ରନ୍ତ ସମ୍ଭାଳିଲା ।୬୬।
ପଣ୍ଡୁ ପୁଚ୍ଛା କଲେ କୋନ୍ତାୟେ କାହାର ନନ୍ଦନ
ୟେ ପୁତ୍ର ଦେଖି ସାନନ୍ଦ ହୋଇଲା ମୋ ମନ ।୬୭।
ଆହୋ ସ୍ୱାମୀ ତୁମ୍ଭେ ଛାଡ଼ିଣ ଗଲ ଯେବଣ ରାତି
ମେଘ ଅନ୍ଧାର କରି ବରଷଇ ଘୋର ମୂର୍ତ୍ତି ।୬୮।
କାମେଣ ସୁମରିଲି ମୁଂ ପବନ ଦେବତାଙ୍କୁ
ସେ ମହାପୁରୁଷ ଆସି ଆବୋରିଲେ ମୁକୁ ।୬୯।
ତାହାରେଣ ପୁତ୍ରେକ ପ୍ରାପତ ହୋଇଲା ଯେ ମୋତେ
ଭୀମସେନ ନାମ ୟେହାକୁ ଦିଲେକ ମରୁତେ ।୭୦।
ଶୁଣିଣ ପଣ୍ଡୁରାୟେ ହୋଇଲେ ଅନେକ ଉଷତ
ବୋଇଲେ ପୁତ୍ର ଗୋଟି ମୋର କୋଳେ ଦିଅସି ସଂଘାତ ।୭୧।
ୟେତେ ବୋଲି ପୁତ୍ରକୁ ଧଇଲେ ପଣ୍ଡୁ ନରନାଥ ।୭୨।
ୟେ ପର୍ବତ ଶାପ ଦିଲା ଯେ ପୁଅକୁ
ଅନେକ ବିନୋୟୀ ହୋଇ ଦେବୀ କହିଲେ ପର୍ବତକୁ ।୭୩।
ହେ ମହତ ପର୍ବତ ଆମ୍ଭନ୍ତ ସମ୍ଭାଳିଲୁ
ପବନ ଦେବତାର ପୁଅର ଆର୍ଦ୍ଦୋଳି ସହିତ ନୁଆରିଲୁ ।୭୪।
ତୋହୋର ତହିଂ ଆମ୍ଭେ କରୁଅଛୁଂ ବାସ
ତୁ ସୟଳ ଆମ୍ଭର ଯେ ସହିବୁ ଦଶ ଦୋଷ ।୭୫।
ନିକଳଙ୍କ କରି ମୁଂ ଯେ ପୁତ୍ର କଲି ଜାତ
ବାଳୁତକୁ କୋପ କିମ୍ପେ କଲୁ ହେ ମହତ ପର୍ବତ ।୭୬।
ପୁତ୍ରକଇ ଶାପ ମୋର ଦିଲୁ ନବିଚାରି
ତୁମ୍ଭଙ୍କୁ କାଟନ୍ତୁ ଜନେ ଖଣ୍ଡ ଖଣ୍ଡ କରି ।୭୭।
ଆବର ଶାପ ଦେଇଂ ଲୋଡୁଛଇ କୋନ୍ତେ
ବିନୟ ଭାବ ହୋଇ ବୋଲାଇ ପରବତେ ।୭୮।
ରାଗେଣ ଯେବଣ ଶାପ ଦେଲୁସି ଗୋ ମାୟେ
ଖଣ୍ଡ ଖଣ୍ଡ କରାଇଲୁ ଅତୁଟ ମୋର କାୟେ ।୭୯।
ଆହୁରି ହିଂ ଶାପ ଦେଇ ଲୋଡୁଅଛୁ ମୋତେ
ରହ ରହ ମାତା ଗୋ ମୁଂ ପ୍ରସନ୍ନ ହୋଇଲହିଂ ତୋତେ ।୮୦।
ଅବଶ୍ୟ ୟେ ପୁତ୍ର ତୋର ପ୍ରଥମ ଯୁଝରେ ହାରିବ
ଦୁଜ ଯୁଝରେ ମୋତେ ସୁମରଣା କରିବ ।୮୧।
ପବନର ବୀର୍ଯ୍ୟେ ଜାତ ୟେ ତୋହୋର ପୁତ୍ର ଭୀମ
ଶତେସିଂଘର ୟେହାର ହୋଇ ବପରାକ୍ରମ ।୮୨।
ମୁଂ ୟେତେବେଳେ ବସିବି ୟେହାର ଦକ୍ଷିଣପାଣି
ବ୍ରିକୋଦର ମୂରତି ହୋଇବ ବ୍ରହ୍ମାଣ୍ଡ ଶିରୋମଣି ।୮୩।
ଯଦ୍ୟପି ବ୍ରହ୍ମା ବିଷ୍ଣୁ ମହେଶ୍ୱର ହୋଇବ
ବ୍ରିକୋଦର ମୂରତି ଦେଖି ସବୁନ୍ତି ଭୟେ ଉପୁଜିବ ।୮୪।
ଯେତେବେଳେ କ୍ରୀଡ଼ା କଲୁ ନିରଞ୍ଜନ ଦେବତାଙ୍କୁ ଘେନି
ତୋହୋର ନାମ ଗୋଟା ଗୋ ପ୍ରତକ୍ଷେ ନିରଞ୍ଜନୀ ।୮୫।
ପବନକଇଂ ଘେନିଣ ରମଣ କଲୁ ଗୋ ଆଜ ରାତି
ପ୍ରଭଞ୍ଜନୀ ନାମ ତୋର ଆଜହୁଂ ଦେବୀ କୋନ୍ତୀ ।୮୬।
ସତ୍ୟଯୁଗ ଅନ୍ତେ ତ୍ରେତୟା ଯୁଗେ ଗଉତମ ମହାମୁନି
ଅହଲ୍ୟା ମହାସତୀ ଗୋ ତାହାର ଭାବିନୀ ।୮୭।
ଋଷିଙ୍କର ଘରେ ଉତପତ୍ତି ଅନାଦି ରୂପ ଘେନି
ପିତାମାତାୟେ ନାମ ତୋର ଦିଲେ ପ୍ରଭଞ୍ଜନୀ ।୮୮।
ସେ ଜନମେ ସହିଲୁ ତୁ ବୀର୍ଯ୍ୟଦାତା ମରୁତ
ମହା ବଳବନ୍ତ ତୋର ତହୁଂ ଜାତ ହୋଇଲେ ହନୁମନ୍ତ ।୮୯।
ତ୍ରେତୟା ଯୁଗେ ପ୍ରଦାନ ତୋତେ ହୋଇଲେ ଉତଙ୍ଗ
ପୁଣି ପବନେ ହୋଇଲା ତୋର ରତି ରଙ୍ଗ ।୯୦।
ସେ ମହାବୀର୍ଯ୍ୟର ଭାରା ତୁହି ସିନା ସହୁ
ପୃଥୀର ନିମନ୍ତେ ତୁହି ମହାଭାରା ଯେ ବହୁ ।୯୧।
ୟେବେ କୋନ୍ତଭୋଜର ଘରେ ହୋଇଲୁ ଉତପତ୍ତି
ପ୍ରଥମରେ ତୋଷିଲୁ ଗୋ ଦୁର୍ଭାସା ମହାଯତି ।୯୨।
ସେ ତୋତେ ପ୍ରସନ୍ନ ହୋଇଲେ ଦୟା ପ୍ରତିପାଳି
ଅଜପା ମହାମନ୍ତେଣ ଦିଲେକ ଜପାମାଳୀ ।୯୩।
ତୁ ଯେ ପରମ ବୈଷ୍ଣବୀ ଦେବୀ ଯେ ଅର୍ଣ୍ଣପୂର୍ଣ୍ଣା
ମୋତେ ସେ ଦୟାକର ଗୋ ପଣ୍ଡୁ ରାଜା ବାମା ।୯୪।
ଶୁଣିଣ ସନ୍ତୋଷ ଯେ କୋଇନ୍ତା ହୋଇଲେ
ତୁ ମହତ ଗିରିବର ବୋଲିଣ ବୋଇଲେ ।୯୫।
ମୋହୋ ଶାପ ତୋତେ ନୋହିବାକ ଆନ
ଥୋକାୟେ ଖଣ୍ଡ ହୋଇ ହୋଇବ ଦେବତାମାନ ।୯୬।
ଜଗତଯାକ ତୋତେ ଆରାଧନା କରିବେ
ତୋହୋର ଥିଲା ଥାନେ ଦେବତାୟେ ବସିବେ ।୯୭।
ବଦନ୍ତି ଅଗସ୍ତ ଶୁଣସି ମହାରଥା
ଶୁଣ ସାବଧାନେ ଭୀମସେନର ବାଳ କାଳ କଥା ।୯୮।
ଭୀମକୁ ଶୁଆଇଣ ଦେବୀ କୋନ୍ତଭୋଜର କୁମାରୀ
ରାନ୍ଧଣା ବିଧି ଯୋଗାଡ଼ମାନ ଦେବୀ ସାରି ।୯୯।
ମାଦ୍ରୀ କୋଇନ୍ତାୟେ ଗଲେ ଗଙ୍ଗା ଯେ ସ୍ନାହାନେ
ପଣ୍ଡୁ ରହିଛନ୍ତି ଯେ ଉଦ୍ଦାଳକ ବନେ ।୧୦୦।
ରାନ୍ଧଣା ଶାଳରେ ସେ ପଶିଲା ମାରୁତି
ପାକଶାଳେ ଯାଇ ମିଳିଲା ତଡ଼ତି ।୧୦୧।
ଭାତ ତିଉଣ ଯେତେ ଥିଲାଟି ରାନ୍ଧଣା
ସବୁଠାରୁ ଅଧେ ଅଧେ ଭୁଞ୍ଜଇ ବାଳୁତ ଦୁଲଣା ।୧୦୨।
ବାହୁଡ଼ିଣ ଆସି ଭୀମସେନ ସେହିଠାରେ ଶୁତେ
ସ୍ନାହାନ ସାରି ଅଇଲେ ଦେବୀ ଯେ କୋଇନ୍ତେ ।୧୯୩।
ପଣ୍ଡୁ ବିଜେ କଲେ ନିତ୍ୟକର୍ମ ସାରି
ମଣୋହିଠାରେ ସେ ବିଜୟେ ଦଣ୍ଡଧାରୀ ।୧୦୪।
କୋଇନ୍ତା ଦେବୀ ବିଜେକଲେ ରାନ୍ଧଣା ଶାଳରେ
ଦେଖିଲେ ଅଧେ ଅଧେ ନାହିଂ ରାନ୍ଧଣା ହାଣ୍ଡିରେ ।୧୦୫।
ବାହୁଡ଼ି କହିଲେ ଯାଇ ପଣ୍ଡୁ ରାଜା ଆଗେ
ଭୋ ଦେବ ଅଧେ ଅଧେ ନାହିଂ ରାନ୍ଧଣା ଯୋଗାଡ଼ ପାଗେ ।୧୦୬।
ପଣ୍ଡୁ ବୋଇଲେ ଶିଝିଲାର ପଂକୁ ଅନ୍ନ
ବିଶୋଇଲେ ହୁଅଇ ସେ ଅଳପ ବିଧାନ ।୧୦୭।
ଆହୁତିକ ଆଧାର ଦିଲେ ଅନ୍ନ ଯେ ମେଞ୍ଜନ
ଦେବ ପିତୃ ଦେଇ ଆପଣେ କଲେକ ଭୋଜନ ।୧୦୮।
ଏହି ମତି ବାଳୁତ ଭୁଞ୍ଜଇ ନିତି ପ୍ରତି
ଦିନୁଂ ଦିନୁଂ ଆଧାରେ ବଢିଲା ପୀରତି ।୧୦୯।
ପୁଆଇ ପୁଆଇ କରି ଭୁଞ୍ଜୁ ଭୁଞ୍ଜୁ ଅଳପ ରହିଲା
ଏହି ମତ ବରଷ ପରିଯନ୍ତେ ଗଲା ।୧୧୦।
ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଚଉଠି ସୌରିବାର
ଉତ୍ତରାଷାଢା ନକ୍ଷତ୍ର ଭୋଗ ସେ ଦିନର ।୧୧୧।
ବବ ନାମେ କରଣ ସିଦ୍ଧି ନାମେ ଯୋଗ
ଋଷଭ ସଂକ୍ରାନ୍ତି କି ଦ୍ୱାଦଶ ଦିନ ଭୋଗ ।୧୧୨।
ସେ ଦିନ ପାକଶାଳେ ପଶିଣ ବାଳ ଶିଷି
ମହା ସରାଗ କରି ସମସ୍ତ ଗରାସି ।୧୧୩।
ଭୁଞ୍ଜୁ ଭୁଞ୍ଜୁ ନନ୍ଦନ ସମସ୍ତ କଲା ଭକ୍ଷା
ଯୋଗାଡ଼ ସରିଲା ହାଣ୍ଡିମାନ ହେଲା ତୁଚ୍ଛା ।୧୧୪।
ବାହୁଡ଼ିଶୋଇଲା ଯାଇ ଶଯ୍ୟାରେ ଯୁଗତେ
ସ୍ନାହାନ ସାରି ପ୍ରବେଶ ହେଲେ ଦେବୀ କୋନ୍ତେ ।୧୧୫।
ପଣ୍ଡୁ ବିଜେ କଲେ ଆସି ଆପଣା ଆସନେ
କୋଇନ୍ତାୟେ ବିଜେ କଲେ ପାକଶାଳା ଭୁବନେ ।୧୧୬।
ପ୍ରଥମ ଓରେୟାରେ ଦେଖିଲେ ତହିଂ କିଛି ନାହିଂ
ଆଶ୍ରିଜ ହୋଇଲେ ଦେବୀ ସମସ୍ତ ପାକ ଚାହିଂ ।୧୧୭।
ବିସ୍ମୟେ ହୋଇ ପ୍ରବେଶ ହୋଇଲେ ପଣ୍ଡୁ ରାଜାଙ୍କର କତି
କେବଣ ଚରିତ ବୋଲି ପୁଚ୍ଛାକୟେ ପଣ୍ଡୁ ନୃପତି ।୧୧୮।
କୋଇନ୍ତାୟେ ବୋଇଲେ ଦେବୀ ମଣୋହି ଯୋଗାଡ଼
କିଛିହିଂ ନାହିଂ ଦେବ ହାଣ୍ଡିମାନଙ୍କର ।୧୧୯।
ପଣ୍ଡୁ ପ୍ରତିବାଚ ତୁ ଥିର ହୋଇଥାଅ ପ୍ରିୟା
ତଦନ୍ତ କରି ଦେବୀ ବୁଝିବା ଆମ୍ଭେ ୟେହା ।୧୨୦।
ଶୀତଳ ଦ୍ରବ୍ୟମାନ ଭୁଞ୍ଜିଲେ ନୃପମଣି
ଦିନ ଅସ୍ତ ଗଲା ପାହିଲା ରୟଣୀ ।୧୨୧।
ପଣ୍ଡୁ ବୋଇଲେ ଆଜ କ୍ଷୁଧା ବଡ଼ ଲାଗି
ଦୁଗୁଣା ମଡ଼ଫୁଲି ରାନ୍ଧଣା କର ବେଗି ।୧୨୨।
କୋଇନ୍ତା ମାଦ୍ରୀ ଯେ ପାକ ସଞ୍ଚାକଲେ
କବାଟ କିଳି ତିନିହେଂ ସ୍ନାହାନକୁ ଗଲେ ।୧୨୩।
ବଦୟନ୍ତି ଅଗସ୍ତି ଶୁଣସି ମହତ
ଭୀମସେନ ବାଳୁତ କୁତୁହୋଳ ଚରିତ ।୧୨୪।
ଶୋଇଲା ଠାବରୁ ଗୁଳୁଗୁଞ୍ଚା ମାରି ଉଠି
ରାନ୍ଧଣା ଶାଳେ ପଶି ପାକନ୍ତ କରଇ ଅଇଂଠି ।୧୨୫।
ପଣ୍ଡୁ ଗୁପତ ହୋଇ ବସିଥିଲେ ପରବତେ
ଧାତିକାରେ କବାଟ ଫେଡିଣ ପଶିଲେ ଗୃହଗତେ ।୧୨୬।
ମଡ଼ଫୁଲି ଘରେ ଯେ ପଶିଲେ ଗୁପତ ହୋଇ
ଦେଖିଲେ ଭୀମସେନ ପାକନ୍ତ ସବୁ ଖାଇ ।୧୨୭।
ବେସାଳିନ୍ତ କରେ ଘେନି ବିସ୍ତାର କରଇ ତୁଣ୍ଡ
ୟେକା ଗ୍ରାସକେ ଢୋକଇ ତ୍ରିପୁତି କରଇ ପିଣ୍ଡ ।୧୨୮।
ରାଗେଣ ପଣ୍ଡୁ ବୋଇଲେ କୋପ ସଂଘରି ନପାରି
ହାଣିମି ବୋଲି ସେ ଖଡ଼ଗ ବେଗେ ଲୋଡ଼ି ।୧୨୯।
ସାଂଜୋୟା ଶାଳେ ପଶି ଆଣନ୍ତେ ଅସିବର
ବାହାର ହୋଇ ପଳାଇ ସେ ବାଳୁତ କୁମର ।୧୩୦।
ଅସିପତ୍ର ଘେନି ରାୟେ ଅଛନ୍ତି ଗୋଡ଼ାଇ
ପବନହୁଂ ବେଗେ ବାଳୁତ କୁମର ପଳାଇ ।୧୩୧।
ବନ କନ୍ଦର ପର୍ବତ ନିର୍ଝର ଅଟବ୍ୟା
ମହାରାଜେ ଗୋଡ଼ାବନ୍ତି ପଣ୍ଡୁ ରାଜଦେବା ।୧୩୨।
ଭୀମସେନ ପଳାନ୍ତେ ପଣ୍ଡୁ ଗୋଡ଼ାଇ ପଛ କତି
ପଣ୍ଡୁର ପଛେ ଅଗ୍ନି ବ୍ରାହ୍ମଣେକ ହୋଇଣ ଧାମନ୍ତି ।୧୩୩।
ପଣ୍ଡୁ ବୋଇଲେ ମୋହୋର ଅବଶ୍ୟ ନିୟମ
ନିଶ୍ଚୟେ ଆଜ ତୋର ଶିର ଛେଦିବି ରେ ଭୀମ ।୧୩୪।
କୋଇନ୍ତା ମାଦ୍ରୀ ଦୁହେଂ ସ୍ନାହାନ କରି ଆସୁଥିଲେ
ଧାଇଂଣ କୋଳ କରି ପଣ୍ଡୁ ରାଜାଙ୍କୁ ଧଇଲେ ।୧୩୫।
ରାଗେଣ ମହାରାଜା ଯେ ଅନେକ ମନ୍ଦ ବୋଲି
କୋପେଣ ବେନି ଭାରିଯାନ୍ତ ପକାଇଲେ ପେଲି ।୧୩୬।
ବିକଳ ହୋଇକରି ବୋଇଲେ କୋଇନ୍ତାୟେ
ଅଗ୍ୟାନେ ଦୋଷ କଲା ବାଳୁତ ତନୟେ ।୧୩୭।
କାହିଂର ପଣ୍ଡାୟେ ତୁମ୍ଭେ ଧର୍ମ ଦଇବତ
ପୁତ୍ର ଗୋଟିକ ମୋହୋର ରକ୍ଷା କରିବା ମହତ ।୧୩୮।
ରୋଦନ କରିଣ ଯେ ପଳାଇ ପୁତ୍ର ଆଗେ
ଅସିବର ଉହାଇ ଗୋଡ଼ାଇ ପଣ୍ଡୁରାଗେ ।୧୩୯।
ପଣ୍ଡୁର ପଛ କତି ବିଚକ୍ଷଣ ବ୍ରାହ୍ମଣେକ ହୋଇ
ଅଗ୍ନିଦେବତାୟେ ପଛେ ଅଛନ୍ତି ଗୋଡ଼ାଇ ।୧୪୦।
ତାହାଙ୍କର ପଛ କତି କୋଇନ୍ତାୟେ ଗୋଡ଼ାବନ୍ତି
ମାଦ୍ରୀ ଦେବୀ ପଛରେ ଧାପ ଦେଇଛନ୍ତି ।୧୪୧।
ୟେମନ୍ତେ ପଳାଇ ସେ ଯେ ବାଳୁତ ନନ୍ଦନ
ଭୀମସେନ ପଳାଇଲା ଶତଷଠି ଯୋଜନ ।୧୪୨।
ଉର୍ଦ୍ଧ୍ୱବାହୁ ବୋଲିଣ ଯେ ପର୍ବତ ଗୋଟିଏ
ସନ୍ଧ୍ୟାବେଳେ ଝୁଣ୍ଟିଲା ତାହା ବାଳୁତ ତନୟେ ।୧୪୩।
ତିନି ଯୋଜନ ଆୟତନ ସେ ପର୍ବତ ପ୍ରଚଣ୍ଡା
ଭୀମସେନ ଝୁଣ୍ଟନ୍ତେଣ ହୋଇଲା ମସି ଗୁଣ୍ଡା ।୧୪୪।
ସେ ପର୍ବତ ତଳେ ଅଛି ନଦୀ ଯେ ଗୋଟିୟେ
ତହିଂ ଯାଇ ହୁଡ଼ି ପଡିଲା ବାଳୁତ ତନୟେ ।୧୪୫।
ରାଗେ ଡେଇଂ ପଡିଲା ପଣ୍ଡୁ ବାଳୁତ ଉପର
ବାମକରେ ଆକ୍ରୋଷି ଧଇଲା ଭୀମସେନର ବାଳ ।୧୪୬।
ଖଡ଼ଗ ଘେନିଣ ପଣ୍ଡୁ ହାଣି ଲୋଡ଼ଇ ନିର୍ଭରେ
ଖଣ୍ଡା ଧଇଲେ ଯାଇଂ ଦେବ ବୈଶ୍ୱାନରେ ।୧୪୭।
କୋପେଣ ଉଚ୍ଛୁଡ଼ନ୍ତେ ପଣ୍ଡୁ ଦେବ ରାୟେ
ମାରିବି ୟେ ଦୁଷ୍ଟ ପୁତ୍ର ଛାଡ଼ ହୋ ପଣ୍ଡାୟେ ।୧୪୮।
ଅଗ୍ନିବୋଇଲେ ରାଜା କୋପ କିମ୍ପା ୟେତେ
ଅଗ୍ୟାନ ବାଳକ ୟେହାର ଦୋଷ ଅଛି କେତେ ।୧୪୯।
ଆହୋ ରାଜା ତୁମ୍ଭେ ଥିର କରନି ନିଶ୍ୱାସ
ବାଳ ଛାଡ଼ି ରାୟେ ଥିର ହୋଇ ବସ ।୧୫୦।
କୁନ୍ତୀ ମାଦ୍ରୀ ଦୁହେଂ ରାଜା ବାମ ହସ୍ତକୁ ଧଇଲେ
କୌଣସି ମତେ ଚୂଳ ଗୋଟି ଛଡ଼ାଇ ନପାରିଲେ ।୧୫୧।
ବୈଶ୍ୱାନର ବୋଇଲେ ବାଳୁତର କିସ ଦୋଷ ବାବୁ
ସଞ୍ଚପି କରିଣ କହନି ମୋତେ ସବୁ ।୧୫୨।
ପଣ୍ଡୁ ବୋଇଲେ ତୁ ଶୁଣ ସୁଗ୍ୟାନୀ ଦ୍ୱିଜ ଶ୍ରେଷ୍ଠା
ପାକମାନସବୁ ମୋର କରି ଅଇଂଠା ।୧୫୩।
ଭାରିଯା କହନ୍ତି ମୁନି ଜାଣଇଂ ୟେମନ୍ତ
ପାକ ନାଶ କଲାନି ୟେ ବର୍ଷ ପରିଯନ୍ତ ।୧୫୪।
ଦେବ ପିତୃ ଅତିଥି ଅଗ୍ନି ଆଦି କରି
ୟେହାର ଉତ୍ତିଷ୍ଟମାନ ଦିଅଇ ସବୁଙ୍କୁ ହିଂ ନବିଚାରି ।୧୫୫।
ବରଷକ ଦିନୁଂ ୟେହାର ୟେହେନେକ ପ୍ରକୃତି
ୟେ ମନ୍ଦଦୁଷ୍ଟକୁ ମୁଂ ଥୋଇବି କେମନ୍ତି ।୧୫୬।
ଦଇନି କରୁଅଛି ପଣ୍ଡାୟେ ୟେହାର ପାଇଂ ନବୋଲ
ୟେହାର ବ୍ରତି ଥିଲେ ମୋହୋର କାଳେହେଂ ନାହିଂ ଭଲ ।୧୫୭।
ସମସ୍ତ କ୍ରିୟା ମୋର ଭାଙ୍ଗିଲା ମହାଦୁଷ୍ଟ
ବାଳୁତ କାଳୁଂ ୟେହାର ହୋଇଲା ୟେଡ଼େ ପେଟ ।୧୫୮।
ବୈଶ୍ୱାନର ବୋଇଲେ ପଣ୍ଡୁ ୟେମନ୍ତ ତୋର କଥା
କଣକଳ୍ପ ଦୋଷକୁ ଦେଉ ୟେଡ଼େକ ଅବସ୍ଥା ।୧୫୯।
ବାଳ ପୁଅ ଆବର ମାଛି ସଙ୍ଗେ ସରି
ଅଗ୍ୟାନ ମୂଢ ଲୋକ ସେ ୟେଥକୁ ବିଚାରି ।୧୬୦।
ତୁ ଯେ ବୋଇଲୁ ମୁଂ ଦିଅଇ ପିତୃ ଲୋକଙ୍କୁ
ପିତୃ ଲୋକେ ଆଶା କରନ୍ତି ବାଳୁତ ଉତ୍ତିଷ୍ଟକୁ ।୧୬୧।
ଯେବେ ବ୍ରହ୍ମହତ୍ୟା ଗୋହତ୍ୟା କରିଥିବ
ସନ୍ତାନ ଥିଲେ ଶାସ୍ତି ନ ଦିଅଇ ଯମଦେବ ।୧୬୨।
ୟେ ଅବା ପାତକ କଲା ମୂର୍ଖ ଯେ ଅଗ୍ୟାନେ
ପୁତ୍ର ଗୋଟିଏ ଅଛି, ୟେହାର ମୋକ୍ଷ କରିବା କାରଣେ ।୧୬୩।
ସନ୍ତାନକୁ ଆଶ କରଇ ଯମର ବିଚାର
ତାହାକୁ ଶାସ୍ତି ଦେଇ ନ ପାରଇ ନାଶକର ।୧୬୪।
ଅନେକ ପୁଣ୍ୟ କରି ଯେବେ ଅପୁତ୍ରିକ ହୋଇ ମରଇ
ଅନେକ ଅବସ୍ଥା ତାକୁ ଦିଅଇ ଜନ୍ତୁସାଇଂ ।୧୬୫।
ଶଉଚ ଅଶଉଚ ହୋଇ ବ୍ରତିଥାଉ ବାଳ
ବଂଶକୁ କାରଣ ସେ ହୋଇଥାଇ ସର୍ବକାଳ ।୧୬୬।
ୟେହା ବିଚାର କର ତୁ ପଣ୍ଡୁ ମହୀପାଳ ।୧୬୭।
ବାଳୁତ ଅଇଂଠା ପାଇଲେ ପିତୃଗଣେ
ବହୁତ ସାନନ୍ଦ ତାଙ୍କର ଉପୁଜଇ ମନେ ।୧୬୮।
ପଣ୍ଡୁ ବୋଇଲେ ଯେବେ ପିତୃଲୋକେ ହୋଇଲେ ତ୍ରିପୁତି
ଇଷ୍ଟଦେବତାମାନନ୍ତ ଯେ ଅନ୍ନ ଦିଅଇ ମୁଂ ନିତି ।୧୬୯।
ସେ ଧର୍ମ ମୋହୋର ନାଶଗଲା ହୋ ଦ୍ୱିଜବର
ଛାଡ଼କି ନା ଖଡ଼ଗେ ଛେଦିବି ୟେହାର ଶିର ।୧୭୦।
ଦେବତାୟେ କାହିଂ ଥାନ୍ତି ହୋ ମହାବୀରା
ଶରୀରରେ ସେ ନିଜ ଦେବତା ବଦନ୍ତି ଦୋହୋରା ।୧୭୧।
ପ୍ରଥମ ଶିର ତାଳୁରେ ବିଜେ କରନ୍ତି ବ୍ରହ୍ମା
କପାଳ ପାଟିରେ ହାଦେ ନାରାୟଣ ମହାତମା ।୧୭୨।
ଚନ୍ଦ୍ର ସୂର୍ଯ୍ୟ ଦେବତା ଅଟନ୍ତି ଚକ୍ଷୁ ବେନି
ନାସିକାୟେ ବସଇ ପବନ ମହାଗ୍ୟାନୀ ।୧୭୩।
ଦୁଇ ଆଡ଼େ ଯେ କର୍ଣ୍ଣସ୍ଥଳୀ ବେନି
ରୁଦ୍ର ଦେବତା ବସଇ ଭ୍ରୂକୁଟିଗଣ ଘେନି ।୧୭୪।
ବେନିଶ୍ରବଣେ ବସଇ ରାୟେ ଚଇତନ
ଗର୍ଭଭେଦି ବସଇ ରାୟେ ଶୂନ୍ୟ ନିରଞ୍ଜନ ।୧୭୫।
ବତିଶ ଦନ୍ତ ଯେ ବସଇ ବେନି ପାଟି
ବଜ୍ର ନିର୍ଘାତ ବସନ୍ତି ଗ୍ରହଗଣ ଘେନିଟି ।୧୭୬।
ଅନୁସରି ରୁଚିର ସଦନ ମଉଳି
ଶୁକ୍ର ବୃହସ୍ପତି ବସନ୍ତି ବେନି ଯେ ଚହଳି ।୧୭୭।
ଋକ୍ଷ ତୁଲେ ବସଇ ଯେବଣ ଓଷ୍ଠ
ସେହି ସେ ଇନ୍ଦ୍ର ଆସନ କରଇ ସୁର ରାଷ୍ଟ ।୧୭୮।
ଗଣ୍ଡ ସ୍ଥଳ ଆବୋରି ବସନ୍ତି ପଞ୍ଚତିରିଶ ଦେବତା
କୃତକୃତାନ୍ତକଗଣ ଆଦି ଜିତା ।୧୭୯।
ସଲୀଳ ଶଇଳ ଶୋଭାବନ ସମୀର
ମନ ତଲୟେ ଯେ ଗ୍ୟାନ ବୁଦ୍ଧି କଣ୍ଠର ।୧୮୦।
କଣ୍ଠର ତଳେ ବସନ୍ତି ୟେତେକ ଦେବତା
ହୃଦଗତେ ରୋମେ ବସନ୍ତି ନକ୍ଷତ୍ର ଅପ୍ରମିତା ।୧୮୧।
ଦ୍ୱାଦଶ ବିଶ୍ୱେ ଦେବା ବସନ୍ତି ହୃଦଗତେ
ସନକ ସନାତନ ବସନ୍ତି କରସ୍ଥଳ ଯୁଗତେ ।୧୮୨।
ଚଉଦ ବିଦ୍ୟାୟେ ବସନ୍ତି ବେନି କରସ୍ଥଳୀ
ସାଧନ ତଲୟେ ବସନ୍ତି ଆକ୍ରଷଣ ମହାବଳୀ ।୧୮୩।
ପ୍ରାକର୍ମ ଗ୍ୟାନବନ୍ତ ବଳବନ୍ତ ଶକତା
ବେନି ଭୁଜେ ବସନ୍ତି ସତାଇଶ ଦେବତା ।୧୮୪।
ନାଭିଠାରୁ ଉପରକୁ ତାଳୁ ବ୍ରହ୍ମଦ୍ୱାର ଯାକେ
ୟେଥେଂ ଭୋଗ କରନ୍ତି ତେତିଶକୋଟି ଦେବ ଲୋକେ ।୧୮୫।
ପିତୃ ଦଇବତ ପୁରୁଷ ବସନ୍ତି ନାଭିମଣ୍ଡଳ ମାଡ଼ି
ସଂକଳ୍ପ ଉଦକ ଅନ୍ତେ ସେହୁ ଯାନ୍ତି ଛାଡ଼ି ।୧୮୬।
ତିନି ଦିହୁଡ଼ିୟେ ଆକାଶକୁ ଉଜାଣି
ଧାତୁ ଭେଦି ତଳକୁ ବହଇ ନବଝର ପାଣି ।୧୮୭।
ଉପରକୁ ବହଇ ଧାରେ ତଳକୁ ବହଇ ଧାରେ
ଆଗକୁ ବହଇ ଧାରେ ଧାରେକ ପଡ଼ଇ ଆକାଶରେ ।୧୮୮।
ପୃଥିବୀ ଆପ ତେଜ ବାୟବ୍ୟ ଆକାଶ
ପଞ୍ଚଧାତୁ ଭେଦି ୟେ ଦ୍ୱାଦଶ ପୁରୁଷ ।୧୮୯।
କାଳ କାମ ଅର୍ଥ ଧର୍ମ ଅନୁସ୍ୱାର ପାଞ୍ଚ
ସିଦ୍ଧପୁରୁଷମାନଙ୍କ ୟେ ଦୃଢସଞ୍ଚ ।୧୯୦।
ବେନି ଜାନୁ ମାଡ଼ି ନାଭିମଣ୍ଡଳ ପରିଯନ୍ତେ
ଯୋଗପୁରୁଷମାନେ ୟେଥେ ବସନ୍ତି ପଞ୍ଚଶତେ ।୧୯୧।
ତୁୟେ ବୋଇଲୁ ମୁଂ ଦେବତାଙ୍କୁ ଦିଅଇ ଅନ୍ନ
ଶରୀରେ ସେ ଥାନ୍ତି ନା ସମସ୍ତ ଦେବତାମାନ ।୧୯୨।
ପଣ୍ଡୁ ବୋଇଲେ ଯେ ଭୂମିରେ ପତ୍ର ପାଡ଼ି
ନାମ ସଂକେତ କରି ଯେ କରସ୍ଥଳେ ପାଣି ଛାଡ଼ି ।୧୯୩।
ପଣ୍ଡାୟେ ବୋଇଲେ ତାହା ଆମ୍ଭେ କହୁଂ ତୋହୋର ଆଗେ
ସେ ଅନ୍ନକୁ ପାଆନ୍ତି ଯେ ଅଷ୍ଟକୁଳା ନାଗେ ।୧୯୪।
ହାଣ୍ଡିୟା ଚାଣ୍ଡାଳିୟା ଆମ୍ୱୁଆ କ୍ଷାଙ୍କରା
ଭାଲୁଙ୍କା ରାକ୍ଷସା କ୍ଷେପଣୀ କ୍ଷେତ୍ରପାଳା ।୧୯୫।
ୟେତେକ ପିଶାଚ ବୀରମାନେ ଅଇଂଠାଚଣ୍ଡ ବୋଲି
ପ୍ରତିବାୟେ ଭୁଞ୍ଜିଲେ ପତ୍ରେ ଦିଅଇ କର ତୋଳି ।୧୯୬।
ପତ୍ରରୁ ଯାଇଣ ଯେବେ ପଡ଼ଇ ଭୂଇଂରେ
ତାହା ଆହାର କରନ୍ତି ଅଇଂଠା ଅଷ୍ଟବୀରେ ।୧୯୭।
ପଞ୍ଚଅସୁର ଅଛନ୍ତି ହୋ ପଞ୍ଚଭୂତ ଆତ୍ମାକୁ
ବାହାରେ ମେଞ୍ଚାୟେ ଦେଲେ ସେ ଭୋଗ୍ୟ ହୋଅଇ ତାହାଙ୍କୁ ।୧୯୮।
ଚଣ୍ଡ ପ୍ରଚଣ୍ଡ ଦୃଦଣ୍ଡ ମହାକାଳ ଅନଳ
ସେ ମେଞ୍ଚିକି ଖାଇ ଜୀଅନ୍ତି ୟେମାନେ ରକ୍ଷାପାଳ ।୧୯୯।
ବାହାର ମେଞ୍ଚିୟେ ନ ଦେଇ ଭୁଞ୍ଜନ୍ତି ଯେ ଅନ୍ନ
ଅସୁର ଭୋଜନ ହାଦେ ହୋଇଟି ସେ ଦିନ ।୨୦୦।
ହିରଣ୍ୟଗର୍ଭ ବୋଲି ଅଷ୍ଟ ହସ୍ତୀବର ବିଧାନ
ପାଦ ଅରବିନ୍ଦେ ହୋଅଇ ଗୋପ୍ୟାନ ।୨୦୧।
ପାଦ ଶଉଚ ଜଳରେ ସେ ହୁଅନ୍ତି ତ୍ରିପୁତି
ସମସ୍ତ ଦେବତାୟେ ଯେ ଶରୀରେ ଅଛନ୍ତି ।୨୦୨।
ଜନଜନ୍ତୁ ଥିଲେ ସେ ଦେବତାୟେ ପାଆନ୍ତି ପୂଜା
ଆପଣେ ଅତି ତ୍ରିପୁତି ହୋଇଲେ ସମସ୍ତେ ହୁଅନ୍ତିପୂ ଜା ।୨୦୩।
ପଣ୍ଡୁ ବୋଇଲେ ହୋ ଦେବତାୟେ ହୋଇଲେ ତ୍ରିପୁତି
ଦୋହରା ଅଗ୍ନିରେ ମୁଂ ଆହୂତି ଦିଅଇ ନିତି ।୨୦୪।
ଅଗ୍ନିକି ଅତ୍ରିପୁତି କଲେ ନାଶଯାଇ ପିଣ୍ଡ
ୟେଯେ ଅନୀତି କଲା ପୁତ୍ରର କେମନ୍ତେ ନକାଟିବି ମୁଣ୍ଡ ।୨୦୫।
ପଣ୍ଡା ବୋଇଲେ ତୁ ନଜାଣି ହୁଡ଼ିଲୁ ୟେବେ
ଅଗ୍ନି ଦେବତାୟେ ଥାଆନ୍ତି ସବୁଙ୍କରି ଗର୍ଭେ ।୨୦୬।
ସବ୍ୟେ ଅସବ୍ୟେ ଯବେ କରଇ ଭକ୍ଷ
ସମସ୍ତ ଦହନ କରଇ ସେ ଅଗ୍ନି ପରତକ୍ଷ ।୨୦୭।
ଅଗ୍ନି ଦେବତାୟେ ନଜାଣନ୍ତି ନା ଉତ୍ତିଷ୍ଟ
ସମସ୍ତ ଭକ୍ଷନ୍ତି ୟେ କ୍ରୋଟାନଳ ଦୁଷ୍ଟ ।୨୦୮।
ଉତ୍ତିଷ୍ଟ ଅଣଉତ୍ତିଷ୍ଟ ସେ ନଜାଣନ୍ତି କିଛି
ଦହନ ପାନ ପୁରୁଷ ସେ ସମସ୍ତ ପାରେ ଭଛି ।୨୦୯।
କହୁ କହୁ ରୋଷେଣ କହିଲେ ମହାତମା
ଆମ୍ଭେ ସେ ଦୋହରା ଅଗ୍ନି ବୈଶ୍ୱାନର ଦେବବ୍ରହ୍ମା ।୨୧୦।
ତୁ ଆଜ ସିନା ଦେଖିଲୁ ହୋ ପଣ୍ଡୁ
ଦେଢ ବରଷ ହୋଇଲାନି ହୋ ଉତ୍ତିଷ୍ଟମାନ ଛାଡୁ ।୨୧୧।
ସମସ୍ତ ଭକ୍ଷି ଆମେ ହୋଉ ଯେ ତ୍ରିପୁତି
ବାଳୁତଙ୍କର ଦୋଷ ଘେନିବାର ନୋହଇ ଯୁଗତି ।୨୧୨।
ଅଗ୍ନିର ପ୍ରତିବାକ୍ୟେ ଶାନ୍ତ ପଣ୍ଡୁରାଜା
ତତକ୍ଷଣେ କେଶ ରାଜା ଛାଡିଲା ଆତ୍ମଜା ।୨୧୩।
ପଣ୍ଡୁ ବୋଇଲେ ଯେବେ ବୈଶ୍ୱାନର ଦେବ
ତୁମ୍ଭ ନିଜ ସରୂପ ମୋତେ ଦେଖାଇବ ।୨୧୪।
ଯେମନ୍ତେ ମୋହୋର ମନେ ପ୍ରତେ ଯାଇଂ
ନିଜ ସରୂପ ମୋତେ ଦେଖାଇବା ଗୋସାଇଂ ।୨୧୫।
ପଣ୍ଡୁର ବଚନେ ବୋଲନ୍ତି ବୈଶ୍ୱାନର
ମୋହୋର ନିଜ ସରୂପ ଯେବେ ଦେଖିବାକୁ ଶରଧା ତୋହୋର ।୨୧୬।
ପଣ୍ଡୁ ବୋଇଲେ ଦେବ ସମ୍ପଦ ନିମନ୍ତେ
ନିଜ ଶରୀର ଦେଖାଇବା ମୋତେ ।୨୧୭।
ପଣ୍ଡୁର ବଚନେ ସାନନ୍ଦେ ଅଗ୍ନି ଦଇବତେ
ଆପଣାର ନିଜ ଶରୀର ବିକାଶିଲେ ଜଗତେ ।୨୧୮।
ମହା ଅନଳ ବିକାଶିଲା ଜ୍ୟୋତି
କୋଟିୟେ ତେଜ ହୋଇ ବିକାଶିଲେ ଅଗ୍ନିମୂର୍ତ୍ତି ।୨୧୯।
ମହାକାଳାନଳ ବିକାଶିଲା କାୟେ
ଦେଖିଣ ପଣ୍ଡୁକୁ ଲାଗିଲା ମହାଭୟେ ।୨୨୦।
ଭୟେଣ ଅନ୍ତର ହେଲେ ନୃପମଣି
କୋଇନ୍ତା ମାଦ୍ରୀ ପଳାଇଲେ ବେନିରାଣୀ ।୨୨୧।
ମହାଭୟେ ପଣ୍ଡୁ ପଳାଇଲେ ବହନ
ଅଗ୍ନିଦେବତା ପାରୁଶେ ଅଛଇ ଭୀମସେନ ।୨୨୨।
ଅନଳ ଜ୍ୟୋତିକି ତାର କିଛି ଭୟ ନାହିଂ
ଅଗ୍ନି ଦେବତାଙ୍କ କୋଳେ ଅଛି ରହି ।୨୨୩।
ମହାଭୟେ କରି ପଳାଇଲେ ନୃପବର
ବେନିରାଣୀ ଘେନି ରହିଲେ ଯୋଜନକ ଅନ୍ତର ।୨୨୪।
ଦୋହୋରାଙ୍କ ମୂର୍ତ୍ତି ଦେଖି ପଣ୍ଡୁ ନୃପତି
ଅଗ୍ନିଦେବତାଙ୍କୁ କରଇ ବହୁତ ତୁସ୍ତି ।୨୨୫।
ଜୟତୁ ବୈଶ୍ୱାନର ଅନାଦି ସିଦ୍ଧ ଦେବତା
ଜୟତୁ ବୈଶ୍ୱାନର ସୟଳ ଦହନ୍ତା ।୨୨୬।
ଜୟତୁ ବୈଶ୍ୱାନର ଅନନ୍ତ କାଳ ବଞ୍ଚା
ଜୟତୁ ବୈଶ୍ୱାନର ଅନନ୍ତ ରୂପ ସଚ୍ଚା ।୨୨୭।
ଜୟତୁ ବୈଶ୍ୱାନର ଅନାଦି ସିଦ୍ଧ ବ୍ରହ୍ମା
ଜୟତୁ ବୈଶ୍ୱାନର ଦାବାନଳ ମହାତ୍ମା ।୨୨୮।
ପିଙ୍ଗଳ ଜଟା ଶିର ରୂପ ଅନଳ ବ୍ରହ୍ମ
ଜୟତୁ ବୈଶ୍ୱାନର ଯଗ୍ୟଂରେ ପୂର୍ଣ୍ଣକାମ ।୨୨୯।
ଜୟତୁ ଜୟ ଦେବ ଜ୍ୱଳିତ ଅନଳ
ହାନ୍ଦୋଳା ଲହରୀ ଦେବ ତୁହି ସେ ମହାବଳ ।୨୩୦।
ଜୟତୁ ଜୟତୁ ଦେବ କ୍ରୋଟ ଅନଳ ନାଥା
ବ୍ରହ୍ମ ନିରାକାର ମହାତ୍ମା ଆକାଶ କରତା ।୨୩୧।
ଜୟତୁ ଜୟତୁ ଦେବ ଯୋଗ ଯେ ଅନଳ
ଜୟତୁ ଜୟତୁ ଦେବ ବଡବା ଅନଳ ।୨୩୨।
ଜୟତୁ ଜୟତୁ ନିର୍ଘାତ ବଜ୍ର ସଚୀ
ଜୟତୁ ଜୟତୁ ଦେବ ପାତାଳ ଅନଳ ରୁଚି ।୨୩୩।
ଜୟତୁ ଜୟତୁ ଦେବ ମହା ବ୍ରହ୍ମ ଅଗ୍ନି
ଜୟତୁ ଜୟତୁ ସୁର ତରଙ୍ଗ ମୁନି ।୨୩୪।
ଜୟତୁ ଜୟତୁ ଦେବ ନିତ୍ୟକର୍ମ ଦୋହୋରା
ଜୟତୁ ଜୟତୁ ଦେବ ସର୍ବଭକ୍ଷ ସଚରା ।୨୩୫।
ଜୟତୁ ଜୟତୁ ଦେବ ସ୍ୱାହା ସ୍ୱଧା ଚରଣେ ନମାମି
ମୁହିଂ ତୋହୋର ଚରଣ ତଳେ ଶତେ ସହସ୍ର ଦଣ୍ଡ ପରଣାମି ।୨୩୬।
ଗୋପ୍ୟାନ ପୁରୁଷ ସ୍ୱାମୀ ତୁ ସମସ୍ତ ପ୍ରତିପାଳୁ
ନିରାକାର ଦଇବତ ତୁ ଚଳୁ ଯେ ଅଚଳୁ ।୨୩୭।
ଶରଦ ଶିଶିର ହେମ ବସନ୍ତ, ଗ୍ରୀଷମ ବରଷା
ୟେ ଛଡ଼ ଋତୁ ହେତୁ ତୁ ଦ୍ୱାଦଶ ଯେ ମାସା ।୨୩୮।
ଋତୁକେ ହେଉ ତୁ ଆନ ଆନ ଯେ ମୂରତି
ତୋହୋର ଉତ୍ତିଷ୍ଠ ଖାଇ ସଚରାଚର ବର୍ତ୍ତି ।୨୩୯।
କାହିଂରେଣ ଅଛୁ ନାଥ ହାଦେ କାହିଂରେଣ ନାହୁଂ
ଆହାରେଣ ଦର୍ପ ତୋହୋର ଗୋପ୍ୟାନେ ଦେଖାଉ ।୨୪୦।
ଶ୍ୱେତ ରାଜା ଯଗ୍ୟେଂ ଦେବ ଅନେକ ଘୃତ ଭକ୍ଷି
ଲୁଦୁ ବୁଦ ହୋଇ ଦେବ ମନ୍ଦାଗ୍ନି ହୋଇଅଛି ।୨୪୧।
କେବଣ ପୁରୁଷ ସଞ୍ଚପି କହିବ ତୋହୋର ଚିହ୍ନବର୍ଣ୍ଣ ଗୋଟି
ୟେକ ଲୟେ ସରଇ ମେଦିନୀ ନବ କୋଟି ।୨୪୨।
ସ୍ୱେଦଜ, ଅଣ୍ଡଜ, ଉଦ୍ଭିଜ୍ଜ, ଜରାୟୁଜ ଚାରିଖାନି
ବିନା ଅଗ୍ନିରେ ତ କେହି ନବ୍ରତନ୍ତି ପ୍ରାଣୀ ।୨୪୩।
ଭିତରେ ଦେବ ତୁହି ବାହାରେ ଦେବ ତୁହି
ମହାଅନଳ ରୂପେଣ ଦେବ ସକଳ ଦ୍ରବ୍ୟ ଦହି ।୨୪୪।
ନାନା ପାତକ ଯେବେ କରିଥିବ ପ୍ରାଣୀ
ହୋମ କରିଣ ତୋର ତହିଂ ପକାବନ୍ତି ଆଣି ।୨୪୫।
ଅଭୟା ପୁରୁଷ ତୁ ସମସ୍ତ ଦେବ ବହୁ
ଆପଣା ଶରୀରରେ ଲାଇ ଦେବ ସର୍ବ ପାପ ଦହୁ ।୨୪୬।
ସାଧୁ ମାହେଶ୍ୱରୀ ସେ ଦକ୍ଷର କୁମାରୀ
ତବ ତେଜ ଶୀତଳ କଲେ ହୋଇଲେ ମନୋହାରୀ ।୨୪୭।
ଶ୍ରୀ ଦୋହୋରା ଅଗ୍ନିଙ୍କର ସେବେ ପଦ୍ମପାଦେ
ଧର୍ମ ବର୍ଦ୍ଧୁତ ହୋଇବ ସ୍ୱାମୀ ତୋହୋର ପ୍ରସାଦେ ।୨୪୮।
ଶ୍ରୀବୈଶ୍ୱାନର ଅଗ୍ନିଙ୍କର ଚରଣେ ମୁହିଂ ଦାସ
ଶୂଦ୍ରମୁନି ସାରୋଳା ଦାସ ଜନ୍ମେ ଜନ୍ମେ ଅଭ୍ୟାସ ।୨୪୯।
ୟେସନେକ ସ୍ତୁତି ଯହୁ କଲେ ପଣ୍ଡୁ ନୃପତି
ମହାତେଜ ଛାଡ଼ି ଅଗ୍ନି ହୋଇଲେ ଶାନ୍ତିମୂର୍ତ୍ତି ।୨୫୦।
ପଣ୍ଡୁ କୋଇନ୍ତା ମାଦ୍ରୀ ହୋଇଲେ ସନ୍ନିଧାନ
ଦେଖି ଅଗ୍ନି ଦେବତା ହୋଇଲେ ତୋଷମନ ।୨୫୧।
କୋଇନ୍ତା ମାଦ୍ରୀ ଦେବୀ ଦୁହେଂ ଆୟେ
ପ୍ରଣପତ୍ୟ ହେଲେ ଅଗ୍ନିଦେବତାଙ୍କ ପାୟେ ।୨୫୨।
ଭୀମସେନଙ୍କୁ ଆଶ୍ୱାସନା କଲେ ବୈଶ୍ୱାନର
ଶାନ୍ତି ହୋଇ ମହାତ୍ମା ତାଙ୍କୁ ଦିଲେ ବର ।୨୫୩।
ବୈଶ୍ୱାନର ବୋଇଲେ ତୋହୋର ଆହାରେ ଏଡ଼େ ଶ୍ରଦ୍ଧା
କ୍ରୋଟ ଅନଳେ ତୋତେ ହୋଉ ବଡ଼ କ୍ଷୁଧା ।୨୫୪।
ଆହାରେ ଅତ୍ରି ପୁତି ହୁଅସିରେ ଭୀମା
ଆହୋ ପଣ୍ଡୁ ୟେ ପୁତ୍ର ତୋହୋର ଉଦ୍ଧରିବ ସୀମା ।୨୫୫।
ପଣ୍ଡୁ ବୋଇଲେ ୟେ ଆଜହୁଂ ୟେଡ଼େ ଅତ୍ରିପୁତି
ଅସଂକ୍ଷେପକ ଖାଇବ ୟେ କାହୁଂ ଦେବି ନିତି ।୨୫୬।
ଦୋହୋରାୟେ ବୋଇଲେ ଆମ୍ଭେ ହୋଇଲୁ ପ୍ରସନ୍ନ
ନିତି ପ୍ରତି ରାନ୍ଧଣା ୟେହାକୁ ହୋଇବ ବିଦ୍ୟମାନ ।୨୫୭।
ଗଉରୀ ଶଉରୀ ଆବର ନଳ ବିଧି
ୟେ ତିନି ପାକ ୟେହାକୁ ହୋଇବ ପରସିଦ୍ଧି ।୨୫୮।
ଅକଟା ଅବଟା ଯେ କଞ୍ଚା ଯୋଗାଡ଼ର
ୟେହା ହସ୍ତ ଲାଗନ୍ତେ ହୋଇବ ଅମିୟ ରସ ସାର ।୨୫୯।
ଭୋଜନେ ଅତ୍ରିପୁତି ହୋଉ ତୋହୋର ବଳା
ସଂଗ୍ରାମେ ଅତ୍ରିପୁତ୍ରି ହୋଉ ଅଚାର୍ଗଳା ।୨୬୦।
ଶୃଙ୍ଗାରେ ଅତ୍ରିପୁତ୍ରି ହୁଅସିରେ ଭୀମ
ବ୍ରିକୋଦର ମୂରତିକି ତୋର କେହି ନୋହିବେ ସମ ।୨୬୧।
ଶୁଣ ବଇବସୁତ ମନୁ ବଦନ୍ତି ଅଗସ୍ତି
ପଣ୍ଡୁ ପ୍ରଣପତ୍ୟ ହେଲେ ବୈଶ୍ୱାନର କତି ।୨୬୨।
ବହୁତ ପ୍ରସନ୍ନ ହେଲେ ବାଳୁତ କୁମରକୁ
ବୈଶ୍ୱାନର ପ୍ରସନ୍ନ ହୋଇଲେ ଭୀମସେନକୁ ।୨୬୩।
ବର ଦେ ଇବୈଶ୍ୱାନର ଗଲେ ଅନ୍ତର୍ଧାନେ
ପଣ୍ଡୁ ବାହୁଡ଼ି ବିଜେ କଲେ ମନୋହର ବନେ ।୨୬୪।
ଭୀମସେନକୁ କାଖେ ଘେନିଲେ ପଣ୍ଡୁରାଜା
ତାହାଙ୍କର ପଛରେ ଗୋଡ଼ାବନ୍ତି ବେନି ଯେ ଭାରିଯା ।୨୬୫।
ପ୍ରବେଶ ହୋଇଲେ ଯାଇ ଶତଶିଂଗ ପର୍ବତେ
ପୁତ୍ର ଭାରିଯା ଘେନି ରହିଲେ ନିଶ୍ଚିନ୍ତେ ।୨୬୬।
ବଇବସୁତ ମନୁ ପଚାରିଲେ ଅଗସ୍ତି ମହାଦେବ
କୋଇନ୍ତାଙ୍କ କଥାତ ଅତି ଅସମ୍ଭବ ।୨୬୭।
ଧର୍ମଦେବତାଙ୍କ ରସେ ସହିଲା ଆରଦୋଳି
ପବନ ଦେବତା ଯେ ସେ ଅଟଇ ମହାବଳୀ ।୨୬୮।
ମାନବୀ ହୋଇଣ ସେ ଦେବତାଙ୍କୁ ଦିଅଇ ରତି
ୟେ ବଡ଼ ଆଶ୍ରିଜ କଥା କହିବା ଅଗସ୍ତି ।୨୬୯।
ଶୁଣ ହୋ ମନୁପୁରୁଷ ବଦୟନ୍ତି ଅଗସ୍ତି ମହାମୁନ୍ୟେ
ସତ୍ୟ ଯୁଗେ ଅଞ୍ଜନା ୟେ ଅଟଇ ପୂର୍ବଜନ୍ମେ ।୨୭୦।
ସେକାଳେ ପବନ ଦେବତା ସଙ୍ଗରେ ପୀରତି
ଶ୍ୱର ବୀର୍ଯ୍ୟ ଆଣି ଦିଲାକ ତଡ଼ତି ।୨୭୧।
ସେବୀ ର୍ଯ୍ୟ ସମ୍ଭାଳି ଇଚ୍ଛିଲା ଗର୍ଭଗତେ
ତହୁଂ ଜନ୍ମ ହୋଇଲେ ବୀର ହନୁମନ୍ତେ ।୨୭୨।
ସେ ହନୁମନ୍ତଟିତ୍ରେତୟା ଯୁଗେ ମହା ମଲ୍ଲ
ଶ୍ରୀରାମଚନ୍ଦ୍ର ତାହାକୁ ବୁଝେଲେକ ଭଲ ।୨୭୩।
ସତ୍ୟଯୁଗରେ ଯେ ଅଞ୍ଜନା ରୂପ ଧରି
ୟେବେ କୋନ୍ତୋଭୋଜ ରାଜାର ଘରେ ଅବତରି ।୨୭୪।
ଦ୍ୱାପର ଯୁଗେ ଯେ ସେ ଭାରା ନିବାରିବା ଅର୍ଥେ
ପବନ ଦେବତା ଆସି ସମ୍ଭର୍ବେ ଭେଟିଲା ଯୁଗତେ ।୨୭୫।
ତହୁଂଟି ଜାତ କଲେ ଭୀମସେନ ତାହାର ପୁତ୍ର
ୟେ ଯୁଗେ ଭାଗ ଯେ କରିବ ରସାଂଗତ ।୨୭୬।
ଶତଶିଂଗ ବହୁତ କଲା କୋଇନ୍ତାଙ୍କୁ ବିନୟେ
କୋଇନ୍ତାଙ୍କୁ ପଣ୍ଡୁରାଜା କଲାକ ମହାଭୟେ ।୨୭୭।
ମୁହିଂ ଅଗ୍ୟାନ ଯେ ଗ୍ୟାନ ମୋର ନାହିଂ
ତୁ ଅନାଦି ଅପର୍ଣ୍ଣା ଅଛୁ ୟେହେନେକ ରୂପ ବହି ।୨୭୮।
ଶତଶିଂଗ ପର୍ବତ କହନ୍ତେ ତୁ ଅଟୁ ମହାଦେବୀ
ଆଝୁଂ କୋଇନ୍ତା ଗୋ ତୋତେ ଥିବି ମୁହିଂ ସେବି ।୨୭୯।
କହିଣ ପର୍ବତ ଯେ ହୋଇଲା ଗୋପ୍ୟାନ
କୋଇନ୍ତାୟେ ବିନୟ ଭାବେ ଖଟନ୍ତି ପବନ ।୨୮୦।
ଯୁଝେଷ୍ଠି ଭୀମସେନ କୋଇନ୍ତାଙ୍କର ପୁତ୍ର ବେନି
ଅତି ସ୍ନେହେ ପାଳନ୍ତି ମାଦ୍ରୀ ମକରଧ୍ୱଜର ନନ୍ଦିନୀ ।୨୮୧।
ଭୀମସେନର ସପତ ବରଷ ଉତ୍ତାରେ
ଦୁଷ୍ଟ ପ୍ରକୃତି ଦେଖି କୋଇନ୍ତାୟେ କରନ୍ତି ବିଚାରେ ।୨୮୨।
ବଳବନ୍ତ ମୂର୍ଖ ୟେ ହୋଇବ ଅପଣ୍ଡିତ
ଧନୁ ଶହସ୍ର ବିଦ୍ୟାରେ ୟେ ନୋହିବ ନିର୍ଜିତ ।୨୮୩।