ଜୟଦ୍ରଥବଧ ବା ଶକଟବ୍ୟୂହ-ଭେଦ — ବୈଷ୍ଣବ ପାଣି · ସ୍ୱର୍ଣ୍ଣଲିପିନଟୀର ପ୍ରବେଶଗୀତ- (ଶୁଣ ମୋ ଭାଉଜବୋହୂ...ବୃତ୍ତେ)ଘନ ଘନ ଝୁଲୁ ଏତେ କନକଲତା କାହିଁକିକାହା ସ୍ନେହେ ମନ ମଜ୍ଜାଇ ଦେଇଛୁ ବିକି ।ପଦ ।ହେଲା ପରି ଛନ୍ନଛନ୍ନ ଦିଶଇ ତୋ ଅପଘନତେଜିଲେ ତରୁ ତୁରିତେ କି ହେବ ମନେ ନାହିଁକି ।୧।ତା ଦେହେ ଥିବାରୁ ଜଡ଼ି ତୋ ଶୋଭା ଯାଇଛି ବଢ଼ିହଲାଇ ଫୁଲାଇ ହୋଇ ଦେଖାଉ ନିଜ ଛଇକି ।୨।କାନ୍ତ-ବିହୀନରେ କାନ୍ତା ଲଭେ ଯେମନ୍ତ ଅବସ୍ଥାତେମନ୍ତ ଭାବ ଏ କଥା ଯେ ଯୋଗ ଜାଣ ଯହିକି ।୩।ଚରାଚର ହୋଇ ଚିର ନାହିଁଟି କିଛି କାହାରଅଚିର ଧନଜୀବନ ଯୌବନ ଜଣା ବଇକି ।୪।
ନଟ- (ପ୍ରବେଶି) ପ୍ରିୟମ୍ବଦେ ! ପଦେ ପଦେ ତୁମ୍ଭ ମୁଖେ ପ୍ରକୃତିବର୍ଣ୍ଣନା କବିତାର ଛଟା ଫୁଟିପଡ଼େ । ପ୍ରକୃତରେ ସଙ୍ଗୀତପ୍ରବୀଣା ବୀଣା-ବଚନା ନାମକୁ କରିଛ ସାର୍ଥକ ଧରାତଳେ । ଭାଷ ରସବତୀ ! କି ବିଷୟ ଦେଖାଇବା ଅଦ୍ୟ ରଙ୍ଗସ୍ଥଳେ ?
ନଟୀ- ପ୍ରିୟବର ! ମନେ କି ନପଡ଼େ ଗତ କଥା ? ମହାଭାରତ ପୁରାଣୁ ଉଦ୍ଧୃତ କରିଣ ଲେଖିଛନ୍ତି ଯେଉଁ ‘‘ଜୟଦ୍ରଥବଧ’’ ଗୀତିନାଟ୍ୟ ତାହା ଆଜି ଦର୍ଶକଗଣଙ୍କ ଆଗେ ଦୃଶ୍ୟକାବ୍ୟ ରୂପେ ଦେଖାଇବା ଏଥେ । ଲେଖିଛନ୍ତି ଭୀଷ୍ମ-ଶରଶଯ୍ୟା, ତା’ପରେ ଅଭିମନ୍ୟୁବଧଠାରୁ ଜୟଦ୍ରଥ-ନିଧନ ପର୍ଯ୍ୟନ୍ତ କର ପରକାଶ ।
ନଟ- ଯଥାର୍ଥ କହିଛ ପ୍ରିୟେ ! ସେହିକଥା ଭାବିଥିଲି ମୁହିଁ ଏଥେ ଆସିବାର ବେଳେ । ଚାଲ ଶୀଘ୍ର ସଜାଇବା ଅଭିନେତୃଦଳେ ।ନଟୀ- ଚାଲ ପ୍ରିୟ !(ଉଭୟ ପ୍ରସ୍ଥାନ)
ପ୍ରଥମ ଅଙ୍କ
ପ୍ରଥମ ଦୃଶ୍ୟ
(ଡୁଏଟ୍)ପୁରୁଷ- ଖବର ବଡ଼ ଜବର...କହିଲେ ମାଡ଼ିବ ଡରଦ୍ରୋଣ କରି ଚକ୍ରବ୍ୟୂହ ପୃଥ୍ୱୀ କରେ ଥରହର ।ପଦ ।ସ୍ତ୍ରୀ- କି ହେବ ଚକ୍ରବ୍ୟୂହରେ, ବୁଝାଇଣ କହ ଥରେପୁରୁଷ- ତହିଁ ପାଣ୍ଡବମାନଙ୍କ ପ୍ରାଣ କରିବ ସଂହାର ।୧।ସ୍ତ୍ରୀ- ଧାର୍ମିକ ପଞ୍ଚପାଣ୍ଡବ, ତାହାଙ୍କୁ କେବା ଦଣ୍ଡିବପୁରୁଷ- ଏକା ବ୍ୟୂହ ଭେଦି ଜଣେ ଧନଞ୍ଜୟ ଧନୁର୍ଦ୍ଧର ।୨।ସ୍ତ୍ରୀ- ବ୍ୟୂହ ଭେଦି ବୀର ପାର୍ଥ, କୌରବେ କରିବେ ହତପୁରୁଷ- ନାରାୟଣୀ-ସେନା ସଙ୍ଗେ କରୁଛନ୍ତି ସେ ସମର । ୩।ସ୍ତ୍ରୀ- ବ୍ୟୂହ କେ ଭେଦିବ କହ, ଶୁଣି ଲାଗିଲା ସଂଶୟପୁରୁଷ- ପ୍ରସ୍ତୁତ ହେଲାଣି ତେଣେ ଅଭିମନ୍ୟୁ ବାଳବୀର ।୪।ସ୍ତ୍ରୀ- ଅଟଇ ବାଳକ ସେହି, କି ରଣ କରିବ ଯାଇଁପୁରୁଷ- ଆଖି ଆଗେ ଦେଖାଯିବ ସବୁ କଥା ଥୟ ଧର ।୫।ସ୍ତ୍ରୀ- ଧାର୍ମିକକୁ ରଖୁ ଧର୍ମ, ଏତିକି ମୋ ନିବେଦନପୁରୁଷ- ଦଣ୍ଡ ପାଉ ପାପୀ ବିଶ୍ୱେ ବିପ୍ର ବଇଷ୍ଣବ ଗିରି ।୬।(ଉଭୟର ପ୍ରସ୍ଥାନ)
ଦ୍ୱିତୀୟ ଦୃଶ୍ୟ
(ଉତ୍ତରା ଓ ଚିତ୍ରାବତୀ ପ୍ରବେଶ)
ସମ୍ବନ୍ଧିତ ରଚନା
କର୍ଣ୍ଣ-ଦାନ ପରୀକ୍ଷାବୈଷ୍ଣବ ପାଣି ବୈଷ୍ଣବ ପାଣି
ଗୀତିନାଟ୍ୟ କର୍ଣ୍ଣବଧବୈଷ୍ଣବ ପାଣି ବୈଷ୍ଣବ ପାଣି
ଚିତ୍ରାବତୀ- ସଖୀ ଉତ୍ତରା ! ତୁମେ ତ ଆଉ ଚଳି ପାରୁନାହିଁ ।
ଦେହଟା ଭାରି ଭାରି ଲାଗିଲାଣି ନାଁ କଣ ?
ଗୀତ- (କହ ସଜନୀରେ କି ହେଲା କାଲି ରାତ୍ରିରେ....ବୃତ୍ତେ)
କହ ଛଇଳା ଗୋ, କେତେ ମାସ ଗଡ଼ିଲାଣି,
ତେଜିଲୁଣି ସଖି ମନେହୁଏ ଦେଖି ଆଖର ମାସ ହେଲାଣି ।ପଦ ।
ତେଜିଲୁଣି ଏବେ ପଲଙ୍କ ଶୟନ ଭଜିଲୁଣି ମହୀଶୁଆ
ତେଜିଲା ପରାୟ ରାଜିବ-ନୟନା ବସୁ ହୋଇ ତଳ ମୁହାଁ ।୧।
ସାଜୁ ନାହୁଁ କିବା କରଜ-ରାଜୀବ ସାଜୁ ନାହୁଁ ବେଣୀ ଶିରେ
ଉଠିଲା ବେଳକୁ ଲାଜ ଲାଜ ହୋଇ ଉଠୁଥାଉ ଧୀରେ ଧୀରେ ।୨।
ବାର ବରଷରେ ବରବରନାରେ କେ ପାଇଛି କାହିଁ ପୁଅ
ଖୋଜିଲେ ନମିଳେ କା’କୁ ବୃଦ୍ଧକାଳେ ଗଡ଼ାଉଣ ଥିଲେ ଲୁହ ।୩।
ନବ ଯୁବରାଜ ନବ ଯୁବତୀ ତୁ ନୂଆ ପୁଅ କୋଳେ ଧରି
ବଇ କହେ ନୂଆ ଆନନ୍ଦେ ମାତିବୁ ନୂଆ ଗୀତ ଗାଇକରି ।୪।
ଉତ୍ତରା- ସଖୀ ଚିତ୍ରାବତୀ ! ସବୁବେଳେ ତୁ ମୋତେ ଏଭଳି ମୋତେ ଏଭଳି ଲାଜ ଦେଉ କାହିଁକି ?
ଗୀତ- (କହ କାହିଁକି ମୋ’ଠାରେ ମାନ...ବୃତ୍ତେ)
ଏତେ କାହିଁକି ଦେଉଛୁ ଲାଜ- ସଜନୀ ଆଜ ।ପଦ ।
ଯା କରମେ ବିହି, ଯାହା ଥାଏ ଲିହି, ତାହା ଭୋଗିବ ସେ ମନେ ହେଜ ।୧।
ଅନ୍ତର୍ଯ୍ୟାମୀ ବିନା, ଅନ୍ତର ବେଦନା, କହ ଜାଣିବ କିଏ ସେ ବୋଝ ।୨।
ଯହିଁ ଯେତେ ଦୁଃଖ, ତହିଁ ତେତେ ସୁଖ, ସେହି କାମନା ମନରୁ ତେଜ ।୩।
କର ଧରୁଅଛି, କହ ନାହିଁ କିଛି, ରସେ ଭାଷେ ବଇଷ୍ଣବ ଦ୍ୱିଜ ।୪।
ସଖୀ ! ବିଧାତାର ଲେଖା କେବେ ନହୁଅଇ ଆନ
ଯେ ଦେଇଛି ବୋଝ ସିନା ସେହି ଉତ୍ତାରିବ ।
ତା ବିନା ଶକତା କିଏ ଅଛି ଏ ଶୟଳେ ସଖୀ ଆନ କରିବାକୁ ?
ଚିତ୍ରାବତୀ- ଆଗୋ, ମୁଁ ଦିନରାତି ପ୍ରଭୁଙ୍କୁ ଜଣାଉଛି,
ତୁମର ଗୋଟିଏ ସର୍ବସୁଲକ୍ଷଣ ପୁତ୍ର ଜନ୍ମହେଉ ।
ଅଭିମନ୍ୟୁ- (ପ୍ରବେଶି) ପ୍ରିୟେ ! ଆସିଲି ମୁଁ ନେବାକୁ ମେଲାଣି ।
ଉତ୍ତରା- (ସଚକିତେ) ମେଲାଣି ?...କାହିଁକି ମେଲାଣି ପ୍ରିୟ,
ନ ପାରଇ ବୁଝି ? କି ନିମନ୍ତେ ପିନ୍ଧି ଅଛ ତୁମେ ରଣ-ସାଞ୍ଜୁ ?
ଯିବ କିବା ଭାରତସମରେ ?
ଅଭିମନ୍ୟୁ- ନାହାନ୍ତି ମାମୁ ଶ୍ରୀକୃଷ୍ଣ, ପିତା ଧନଞ୍ଜୟ ।
ନାରାୟଣୀ- ସେନା ସାଥେ ସମରକୁ ରଣେ ଯାଇଛନ୍ତି ସ୍ୟନ୍ଦନ ଆରୋହୀ । ଏଣେ କୌରବ ପକ୍ଷର ସେନାପତି ଦ୍ରୋଣ ନିର୍ମାଣିଲେ ଚକ୍ରବ୍ୟୂହ ଗୋଟି, ପିତାଙ୍କ ବିନା ତା କେହି ଭେଦି ନଜାଣନ୍ତି ।
ତେଣୁ ମୁହିଁ ହୋଇ ସେନାପତି ପାଣ୍ଡବ ପକ୍ଷରୁ ଯାଉଅଛି ଚକ୍ରବ୍ୟୂହ ଭେଦି ।ତୁମେ ଆଉ ନହୋଇ ଦୁଃଖିନୀ ସାନନ୍ଦେ ମେଲାଣି ଦିଅ କରକରଦନା !ଗୀତ-(ଡେମ୍ଫ ବିନା କି ଫୁଲ...ବୃତ୍ତେ)କରକରଦନାରେ କର ମେଲାଣି, ମରକତବରନା ବେଳ ହେଲାଣି ।ପଦ ।ଯିବି ସମରେ, ଭାଷ ପ୍ରେମରେ, କାମକଳ୍ପଲତାରେ, ଶୁଣା ତୋ ବାଣୀଅରାତି ନାଦ, କରତେ ହୃଦ, ମୀନନୟନା ମନ ଟାଣି ନେଲାଣି ।୧।କିମ୍ପା ହରଷ ମୁଖ ସାରସ, ଦେଖିଲାବେଳୁ ମୋତେ କାଳି ପଡ଼ିଲାଣିକରିଛି ପଣ, କରିବି ରଣ, ପାଣି ଭଣି ମୁଁ ତୋର ଧରୁଛି ପାଣି ।୨।ଉତ୍ତରା- ଅଶନିରୁ ବଳି ଟାଣ ତବ ବାକ୍ୟଟାଣବାଜିଣ ମରମେ ନାଥ ହୃଦ ଦିଏ ଦହି ।ଯିବ ଯେବେ କାଳରଣେ,ତେବେ ମୋ ଜୀବନ ପିଣ୍ଡୁ କାଢ଼ିନେଇ ଯାଅ ସଙ୍ଗେ ।ଅଭିମନ୍ୟୁ- ବିମର୍ଷିତା ନହୁଅ ସୁନ୍ଦରି ! କ୍ଷତ୍ରିୟ ସନ୍ତାନ ହୋଇସମର କ୍ଷେତ୍ରକୁ ଡରି ଲୁଚିବି କି ଗୃହେ ?ଛାଡ଼ି ସେ ଭୀରୁତା ପ୍ରିୟେ ! ...ଆନନ୍ଦ ଅନ୍ତରେ ମୋତେ ପଠାଅ ରଣକୁ ।ଉତ୍ତରା- ପ୍ରାଣନାଥ ! ଜ୍ଞାନହୀନା ନୁହେଁ ତିଳେ ବିରାଟକୁମାରୀ,ଜାଣେ ନୀତିଶାସ୍ତ୍ର, ରଣଶାସ୍ତ୍ରେ ଅଟଇ ନିପୁଣା,କ୍ଷତ୍ରିୟର ଯୁଦ୍ଧ ମୃତ୍ୟୁ ବିଧେୟ ଯଦ୍ୟପି,ତଥାପି ଅନ୍ତରେ ଜାଗେ ଅତ୍ୟନ୍ତ ବିଷାଦ ।ତେଣୁ ମନେ ହେଉନାହିଁ କେଭେ, ଛାଡ଼ିବାକୁ ସଂଗ୍ରାମେ ତୁମ୍ଭଙ୍କୁ ।କହ ନାଥ ! ବରଜି ତୁମ୍ଭଙ୍କୁ କେହ୍ନେ ଧରିବି ଜୀବନ ?ଅଭିମନ୍ୟୁ- କ୍ଷତ୍ରିୟତନୟା ତୁମେ ବୀରର ବନିତା, ବୀର ଗୃହେ କୂଳବଧୂ ହୋଇଛ ବୀରର, ତଥାପି ବରଜି ନାହିଁ ପ୍ରାଣରୁ ଭୀରୁତା ?ଉତ୍ତରା- ଭୀରୁବାଳା ନୁହଁ ପ୍ରିୟ ! ବିରାଟକୁମାରୀ,ଜାଣେ ସେହି ବୀରର ମର୍ଯ୍ୟାଦା,ତଥାପି ପ୍ରାଣେ କାହିଁକି ଜାଗେ ଗୋ ସନ୍ତାପକର ପଦ ଅବଶ ଲାଗଇ, ମନ କୋଣେ ଦେଖାଦିଏଶୋକ ଦୁଃଖ ଛାଇ; ତେଣୁ କହେ ନାଥ- ନଯାଅ ସମରେ ।ଅଭିମନ୍ୟୁ- ଅତି ଅସମ୍ଭବ କଥା ନକହ ବରାଙ୍ଗି,ହସି ହସି ପୁଲକ ଅନ୍ତରେ, ସାଜିଦିଅ ଶିରେ ଶିରସ୍ତ୍ରାଣପିନ୍ଧାଇ ଦିଅ ଅଙ୍ଗରେ ବୀରବର୍ମ ଗୋଟି,ଲଲାଟପଟରେ ରଞ୍ଜି ବିଜୟ-ସିନ୍ଦୂର ଟିକା,ଖୋଲାପ୍ରାଣେ ପୁଲକ ଅନ୍ତରେଦିଅ ଅନୁମତି ସ୍ନେହେ ରଣେ ଯିବା ପାଇଁ ।ଉତ୍ତରା- ଜାଣିଲି ଜୀବେଶ !ଯେତେ ମନାକଲେ ତୁମ୍ଭେ କେବେ ନ ମାନିବ ।ଡାକେ ଯୁଦ୍ଧ ଉଚ୍ଚାଟେ ତୁମ୍ଭଙ୍କୁ; ବୀରପତ୍ନୀ ହୋଇ ମୁହିଁ କିପରି ରୋଧିବି ?ଯାହାହେଉ ଭରସା ରଖି ଶ୍ରୀ ନାରାୟଣ ଶ୍ରୀପୟରେସଜାଇବି ବୀରବେଶେ ସ୍ୱହସ୍ତରେ ଆଜି । ରଞ୍ଜିଦେବି ବିଜୟ-ଟିକା ସିନ୍ଦୂରବିନ୍ଦୁରେ ।ଯାଅ ରଣେ, ରଖ ପଣ ପ୍ରାଣ ବିନମୟେ ।(ମସ୍ତକେ ସିନ୍ଦୂର ଟିକା ଦେବା)ସାରଥି- (ପ୍ରବେଶି) ଆସନ୍ତୁ କୁମାର ବେଗେ ନକରିଣ ହେଳା,ଫୁକାରନ୍ତି କୌରବବାହିନୀ ଅତି ଅସହ୍ୟ ପ୍ରକାରେ ।ଅଭିମନ୍ୟୁ- ହେ ସାରଥି ! ଚଳ ତ୍ୱରା ଉଲ୍କା ପରି ଚଳାଅ ସ୍ୟନ୍ଦନଚକ୍ରବ୍ୟୂହ ଉତ୍ତର ଦୁଆରେ, ଯାଇ ଦେଖିବା ପ୍ରଥମେକିପରି କୌଶଳ କରିଅଛି ଦ୍ରୋଣ ଗୁରୁ ।(ଉତ୍ତରା ପ୍ରତି) ଥାଅ ପ୍ରିୟେ ! ନେଉଛି ମେଲାଣି । (ପ୍ରସ୍ଥାନ)ଉତ୍ତରା- ପ୍ରଭୋ ନାରାୟଣ ! ତୁମେ ଏକା ସାହା ଅଧୀନାର । (ପ୍ରସ୍ଥାନ)
ତୃତୀୟ ଦୃଶ୍ୟ
(ରଣକ୍ଷେତ୍ର-ଦ୍ରୋଣ, କର୍ଣ୍ଣ, ଜୟଦ୍ରଥ, କୃପାଚାର୍ଯ୍ୟ, ଶଲ୍ୟ, ଅଶ୍ୱତ୍ଥାମା ଏବଂ ଦୁର୍ଯ୍ୟୋଧନର ପ୍ରବେଶ)
ଦ୍ରୋଣ- ଦେଖ ଦେଖ ରଥିଗଣ ! ରବିରଥ ସମ ପ୍ରଭା କରିଣ ପ୍ରକାଶ । ଦକ୍ଷିଣ ଦିଗରେ ଛୁଟିଆସେ ଅଭିମନ୍ୟୁ ରଥ ତରୁଣ ସମ କାନ୍ତି ପ୍ରକଟାଇ । ହସ୍ତେ ଧରି ଗାଣ୍ଡୀବ ସମାନ ତେଜୋଦୀପ୍ତ ଧନୁ ବସିଅଛି ମହାବୀର ଦର୍ପେ । ନିଃଶଙ୍କ ତା ପ୍ରାଣ, ନିଥର ତା ଦେହ । ଅତ୍ୟନ୍ତ ଉତ୍ସାହେ ଆସେ ରଣମର ହୋଇ । ସାବଧାନେ ରହ ସର୍ବବୀରେ ।
ଗୀତ- (ଜୟ ରଘୁନାଥ ଆରତି ଆରତ....ବୃତ୍ତେ)ଧାଇଁଅଛି ରଣେ ଅର୍ଜ୍ଜୁନନନ୍ଦନ କେଶରୀ ବିକ୍ରମ ତେଜେଉଲ୍କା ସମ ଛୁଟେ ତେଜ ଝଟେ ଝଟେ କୋଟିଏ ଆଦିତ୍ୟ ଗଞ୍ଜେସାବଧାନ ହୋଇ, ଜୟଦ୍ରଥ ଦ୍ୱାର ରଖ ତୁହି ।୧।ଦ୍ୱିତୀୟ ଦୁଆରେ ରହୁ ଦୁଃଶାସନ, ତୃତୀୟରେ କର୍ଣ୍ଣବୀର,ଚତୁର୍ଥରେ କୃପ, ପଞ୍ଚମରେ ଶଲ୍ୟ, ଷଷ୍ଠେ ଅଶ୍ୱତ୍ଥାମା ମୋର ।ସପତମେ ମାନ-ଗୋବିନ୍ଦ ହୋଇଥା ସାବଧାନ ।୨।ଏହିପରି ସାତଦ୍ୱାର ଜଗିଥିବ ପଳାଇ ନଯିବ କେହିଦେଲେ ଛତ୍ରଭଙ୍ଗ ଅଭିମନ୍ୟୁ କରୁ ପରାଣ ପାଇବ ନାହିଁ,ଅଟେ ମହାଯୋଦ୍ଧା, ଦଣ୍ଡକେ ମାରି କରିବ ପଦା ।୩।ବ୍ୟୂହ ମଧ୍ୟସ୍ଥଳେ ରହିଲଇ ମୁହିଁ ନିକଟେ ହେଲାଣି ଆସିଧର ଶରାସନ ହୁଅ ସାବଧାନ ବିପ୍ର ବଇଷ୍ଣବ ଭାଷି,ବୀରପଣ ଦେଖା, ପଛକୁ ହୋଇଯିବଟି ବୋକା ।୪।ସାବଧାନ ହୁଅ ଜୟଦ୍ରଥ ! ଆସିଲା ଆସିଲା ବୀରସିଂହ-ଶିଶୁସମ ସମର-ସମ୍ଭବେ, କରିବ ବିଷମ ରଣ ପ୍ରଚଣ୍ଡ ଆହବେଘୃତ-ସିନ୍ଧୁଗର୍ଭ ଯଥା ମନ୍ଥଇ ଅନଳ,ସେହିପରି ହେବ କୁରୁସଇନୀଙ୍କ ଦଶା ।ରକ୍ଷାକର ଦ୍ୱାର ଅତି ସତର୍କରେ ।ଆମ୍ଭେମାନେ ଯାଉଅଛୁ ନିଜ ନିଜ ସ୍ଥାନେ ।(ଜୟଦ୍ରଥ ବ୍ୟତୀତ ଅନ୍ୟମାନେ ପ୍ରସ୍ଥାନ)ଅଭିମନ୍ୟୁ- (ପ୍ରବେଶି) ସିନ୍ଧୁପତି ! ପଥଛାଡ଼ି ଆଡ଼ହୋଇଯାଅ ।ଜୟଦ୍ରଥ- ବିନା ରଣେ ନଛାଡ଼ିବି ତୋତେ ରେ ଅର୍ଜ୍ଜୁନ ପୁଅ ।ଅଭିମନ୍ୟୁ- ତୁମ୍ଭ ସଙ୍ଗେ ଲଢ଼ିବ କି ସବ୍ୟସାଚୀ-ସୁତ ?ଜୟଦ୍ରଥ- ଏଡ଼େ କଥା କହୁ କେହ୍ନେ ହୋଇଣ ବାଳୁତ ?ଅଭିମନ୍ୟୁ- ବାଳକ ନୁହେଁ ମୁଁ ତୁମ କାଳ ଆସିଅଛି ।ଜୟଦ୍ରଥ- ତଇଳ ଭାଣ୍ଡରେ ଆସି ପଡ଼ିଅଛୁ ମାଛି ।ଅଭିମନ୍ୟୁ- ଚିହ୍ନିନାହଁ କିଏ ମୁହିଁ କାହାର କୁମର ?ଜୟଦ୍ରଥ- ଅର୍ଜ୍ଜୁନ ବିନୁ ମୋହର ଆନେ ନାହିଁ ଡର ।ଅଭିମନ୍ୟୁ- ସ୍ମରଣ ନାହିଁ କି ତବ ଲବ-କୁଶ କଥାଜୟଦ୍ରଥ- ଜାଣେ ପିତାଠାରୁ ବେଶି ପୁତ୍ରର କ୍ଷମତା ।ଅଭିମନ୍ୟୁ- ବୃଥା କିମ୍ପା କରୁଅଛ ବାକ୍ୟ ଆଡ଼ମ୍ବରଜୟଦ୍ରଥ- ଜଣାଯିବ ଦୁହେଁ ରଣେ ହେଲେ ଅଗ୍ରସର ।ଅଭିମନ୍ୟୁ- ଧର ଅସ୍ତ୍ର କର ହେ ସମର ।ତୁମ୍ଭେ ତ ପିଉସା ମୁହିଁ ଅଟଇ ପୁତୁରାଆଜି ରଣେ ଦେଖାଯିବ ବୀରତ୍ୱର ଛଟାକରନା ବିଳମ୍ବ ଆଉ, ନ୍ୟାୟ-ଯୁଦ୍ଧେ ହୁଅ ଅଗ୍ରସର ।ଜୟଦ୍ରଥ- ଧର ଅସ୍ତ୍ର କର ରଣ କେଶରୀ-ବିକ୍ରମେ,ପାର ଯେବେ ପିଉସା ହସ୍ତରୁ ରକ୍ଷାକର ପ୍ରିୟ ପ୍ରାଣ ଗୋଟି ।ଅଭିମନ୍ୟୁ- ତୁମ୍ଭପାଇଁ ଯଥେଷ୍ଟ ମାତ୍ର ଗୋଟିଏ ନାରାଚକେବଳ ଦୟା ଆସେ ପିଉସୀ ଦୁଃଶୀଳା ଲାଗି;ହୁଅ ସାବଧାନ, ନିକ୍ଷେପିଲି ଅସ୍ତ୍ର ।(ଯୁଦ୍ଧ-ପରେ ଜୟଦ୍ରଥର ପଳାୟନ)ଦୁଃଶାସନ- (ପ୍ରବେଶି) ରହ ରହ ପାର୍ଥସୁତ, କି ଦେଖାଉ ବୀରପଣ ତୁ’ଟା ।ହୀନବଳ ଜୟଦ୍ରଥେ କରିଣ ପରାସ୍ତ ଭାବିଛୁ କି ପଶିବୁ ବ୍ୟୂହରେ ?ମାର୍ଜ୍ଜାର ମୁଖରେ ସି ପଡ଼ିଛୁ ମୂଷିକ, ସିଂହମୁଖେ ଶଶକ ପ୍ରକାରଥୟଧରି କର ରଣ ମୋ ସଙ୍ଗରେ; କନ୍ଦାଇବି ମାତା ସୁଭଦ୍ରାକୁ ।ଉତ୍ତରା ହସ୍ତରୁ କାଢ଼ି ସୁବର୍ଣ୍ଣ କଙ୍କଣ, ମଥାରୁ ପୋଛିବ ନିଶ୍ଚେ ସୀମନ୍ତ-ସିନ୍ଦୂର ।ଅଭିମନ୍ୟୁ- ଚୁପ୍କର ମନ୍ଦମତି କୌରବ – କୁଳକଳଙ୍କ ଦୁଃଶାସନ !ଛୋଟ ମୁଖେ କହ ନାହିଁ ବଡ଼ କଥାମାନ ।ଆଜି ରଣେ ପରୀକ୍ଷା ହୋଇବ ଶକ୍ତି,ଜଣାପଡ଼ିବ କିଏ ମୂଷା କେ ଅଟେ ମାର୍ଜ୍ଜାର ।ଗୀତ- (ହେ ରଘୁବୀର, ମାର ମାର ନକର ହେଳା...ବୃତ୍ତେ)ଆରେ ଦୁଃଶା- ହୋଇବୁ ଆଜି ମୂଷାପରିକିମାର୍ଜ୍ଜାର ଆଗରୁ ସତେ ଯିବୁକି ଉବୁରିକି ।ପଦ ।ଏ ନୁହେଁ ଦ୍ରୌପଦୀ କେଶ ଓଟାରି ଫେଡ଼ିବା ବାସକପଟପଶା ନୁହଁଇ ଦଶା ଯିବ ଫେରିକି ।୧।ନାସା କର୍ଣ୍ଣ କାଟି ଶିରେ ଭସାଇବି ଯମୁନାରେଜୀବେ ଆଶାଥିଲେ ଯାଅ ମୋ ଆଗରୁ ବାହାରି କି ।୨।ଧନ୍ୟ ତୋ ଗାନ୍ଧାରୀ ମାଆ କେଡ଼େ ଅଦଭୁତ ଏହାକେମନ୍ତେ ସେ ଶହେଛୁଆ ପେଟେଥିଲା ଭରିକି ।୩।ନିଶାଖୋର ପରକାର ଲେଶେ ଜ୍ଞାନ ନାହିଁ ତୋରଛାଡ଼ ପଥ ରଖ ବଇଷ୍ଣବର ଗୁହାରିକି ।୪।ଆରେ ଦୁଃଶା ! ସେଟା ତୋ ମାଆର ଗର୍ଭ, ନାଁ ଶଗଡ଼ ଓଦର ?ଦୁଃଶାସନ- ତୁନୀ ହୁଅ ଗଉଡ଼ୁଣୀ ପୁଅ । ଥିଲେ ଶକ୍ତି କର ରଣରଙ୍ଗ ।ଦେଖିବୁ କିପରି ହେବ ଦୁର୍ଦ୍ଦଶା ତୋହର ।ଗୀତ- (ହରିହରି ବୋଲ ହରଷେ ରସିକେ...ବୃତ୍ତେ)କୁଆ ବୁଆ ହେବୁ ଛୁଆଖଣ୍ଡକ ତୁ କେଡ଼େ ବଢ଼ି ବଢ଼ି କହୁରେଦାଣ୍ଡେ ଗଡ଼ି ମୁଣ୍ଡେ କର କଚାଡ଼ିବ ଜାଣିଥା ପୁତୁରା-ବୋହୂରେ ।ପଦ ।ସୁଭଦ୍ରାର ଆଶାଭରସା ବୁଡ଼ିବ, ଆଜି ନିଶ୍ଚେ ଚାହୁଁଚାହୁଁରେଶାର୍ଦ୍ଦୂଳମେଳରେ ପଡ଼ିଅଛି ଛେଳି ଗିଳିଦେବ ଟାଉଟାଉ ରେ ।୧।ଦୁଃଶାସନ କରେ ଶାସନ ହୋଇବୁ ଚନ୍ଦ୍ର ଯେହ୍ନେ ଗ୍ରାସେ ରାହୁରେଅକାରଣେ ଦୁଷ୍ଟ ଲୋଡ଼ିଲୁ ମରଣ ପିଣ୍ଡେ ପ୍ରାଣ ଥାଉଥାଉରେ ।୨।କର ରଣ ପୁଅପଣ ଜଣାଯିବ ଏକ୍ଷଣି ପଡ଼ିଛି ଦାଉରେଆଉ ବେଳ ନାହିଁ ବଇଷ୍ଣବ କହି ପିଇଯିବି ତୋର ଲହୁରେ ।୩।କହୁଅଛୁ ଆଣ୍ଟପଣେ ଯେତେ କଥାତାହା ସବୁ ଦେଖାଯିବ ଆଜିର ସମରେ ।ଲିଭିଯିବ ଉତ୍ତରାର ସୀମନ୍ତ-ସିନ୍ଦୂରରେଖା, ସ୍ୱର୍ଣ୍ଣବାହି ଖସିବ ହାତରୁ ।ହା ହା ପୁତ୍ର ବୋଲି କାନ୍ଦି ଗଡ଼ିବ ସୁଭଦ୍ରା,କର କଚାଡ଼ି ଲଲାଟେ ନିନ୍ଦୁଥିବ ବିଧି ।ଆସ ମୂର୍ଖ, ହୁଅ ସମ୍ମୁଖୀନ ! ରଣ-ଲିପ୍ସା ମେଣ୍ଟିବ ଅଚିରେ ।(ଦୁହେଁ ରଣ କରୁ କରୁ ଦୁଃଶାସନ ତଳେ ପଡ଼ିଯିବା ଓ ଅଭିମନ୍ୟୁ ତା ଛାତି ଉପରେ ବସିବା)ଅଭିମନ୍ୟୁ- କହ ମୂର୍ଖ ! କେ ରକ୍ଷା କରିବ ଆଜି ମୋ ହସ୍ତରୁ ତୋତେ ?(ଦୁର୍ଯ୍ୟୋଧନ, ଦ୍ରୋଣ ଓ ସପ୍ତରଥୀ ପ୍ରବେଶ)ଦୁର୍ଯୋଧନ- ରକ୍ଷାକର ଗୁରୁ ! ଦୁଃଶାସନକୁ ରକ୍ଷାକର !ସାକ୍ଷାତରେ କାଳରୂପୀ ଅଟେ ଏ ବାଳକ ।ମତ୍ତହସ୍ତୀ ଯେସନେ ମନ୍ଥେ ପଦ୍ମବନ, ସେହିପରି ମନ୍ଥିଦେବ ମୋର କୁରୁଥାଟ ।ଦ୍ରୋଣ- ଛାଡ଼ିଦିଅ ଦୁଃଶାସନେ ଅର୍ଜୁନକୁମର !ଯଦି ଶିଖିଅଛୁ ବିଦ୍ୟା କିଛି ଜାଣିଅଛୁ ଅସ୍ତ୍ରର କୌଶଳ,ତେବେ ଆସ ଯୁଝ ମୋର ସଙ୍ଗେ ।ବହୁଦିନ ବାହୁକଣ୍ଡୁ ନୋହେ ନିବାରଣ ।ଆଜି ତେଣୁ ତୋ ସଙ୍ଗରେ ଲଢ଼ି ଅଜା ଟାଣ କିବା ନାତି ତାହା ମୁଁ ଜାଣିବି ।ଅଭିମନ୍ୟୁ- ଉଚିତ କହିଛ ଗୁରୁ !ତୁମ୍ଭେ ଅଟ ସେନାପତି କୌରବ ପକ୍ଷର ।ସର୍ବ ଅସ୍ତ୍ର-ଶାସ୍ତ୍ରେ ବିଶାରଦ ପୁଣି ପାଣ୍ଡବଙ୍କ ଗୁରୁ ।ଭାରତସମରେ ବୋଲାଉଛ ମହାରଥୀ ।ଚାହେଁ ମୁଁ ତୁମ୍ଭଙ୍କୁ ତେଣୁ ।ଜାଣିଛ କି ପାଣ୍ଡବ ପକ୍ଷର ଆଜି ସେନାପତି ମୁହିଁ ?ଦ୍ରୋଣ- ଜାଣେରେ ବାଳକ ! ଅଟୁ ତୁହି ମୃତ୍ୟୁପଥଯାତ୍ରୀ ।କନ୍ଦାଇ ପିତାମାତାଙ୍କୁ ପୋଛୋଇ ବିୟୋଗ-ଦୁଃଖରେ,ପତ୍ନୀ ଶିରୁ ପୋଛାଇ ସିନ୍ଦୂରଆହୁତି ଦେବୁ ପ୍ରାଣକୁ ସମରଯଜ୍ଞରେ ।ତେଣୁ ମୁହିଁ ଦେଉଛି ଆହ୍ୱାନ-ଛାଡ଼ି ଦୁଃଶାସନେ, ଆସ ମୋହର ସମ୍ମୁଖେ ।ଅଭିମନ୍ୟୁ- ସେନାପତି ଅଗ୍ରେ ଯେବେ ପାଏ ସେନାପତି,ଆନଠାରେ କିବା ପ୍ରୟୋଜନ ।(ଦୁଃଶାଉପରୁ ଉଠି) ଯା ଦୁଃଶା, ମୂଷାପରି ଦେଲି ତୋତେ ମୁକ୍ତି ।(ଦୁଃଶାସନର ପଳାୟନ)ଦ୍ରୋଣ- ଅସ୍ତ୍ର ଧର ଦୃଢ଼ କରି ଅର୍ଜ୍ଜୁନ-ନନ୍ଦନ ।ଗୀତ- (ଏହୁ କାହା ରମଣୀମଣିରତନ..ବୃତ୍ତରେ)ରହ ରହ ଗାଣ୍ଡିବୀସୁତ ରହରେକାହିଁକି ପଶିଲୁ ଚକ୍ରବ୍ୟୂହରେ ।ପଦ ।ଏଡ଼େକ ସାହସ ତୋର ଏ ଅଟେ କୁରୁସାଗରେଠାକି ପାରିବୁ କି ସେହି ସୁଅରେ ।୧।ନାତୁଣୀ-ବୋହୂ ମୋ ରାଣ୍ଡ ହୋଇ କୋଡ଼ୁଥିବ ମୁଣ୍ଡପଣତେ ପୋଛିବ ଆଖିଲୁହରେ ।୨।ଦ୍ରୋଣ-ଚକ୍ର କରି ଭେଦ ଆସିଲୁ ଆରେ ଅବୋଧନଜାଣୁ ପଡ଼ିବୁ ମୋର ମୁହଁରେ ।୩।ଯିବା ପାଇଁ ଯମପୁର ପଥ କଲୁ ପରିଷ୍କାରବଇ ବୋଲେ କି କହିବୁ କହରେ ।୪।ତୋ ପ୍ରତି ନିୟତି କରି ଇନ୍ଦ୍ରଜାଲ ସୃଷ୍ଟିକଢ଼ାଇ ଆଣିଲା ତୋତେ ମୃତ୍ୟୁ-ଗହ୍ୱରକୁ ।ଅଭିମନ୍ୟୁ- ହାଃ-ହାଃ-ହାଃ...ହାସ୍ୟ ଲାଗେ ଶୁଣି ତୁମ୍ଭ କଥା ।ପୂଜ୍ୟ ଯେଣୁ ଅଟ ତୁମ୍ଭେ ପାଣ୍ଡବକୁଳରତେଣୁ କରୁଅଛି ମାନ୍ୟ ପ୍ରଥମରେ ।ଦ୍ୱିତୀୟେ ଆହ୍ୱାନ ଦେବି ଶସ୍ତ୍ରମୁଖ ଖୋଲିହୋଇ ବିପ୍ର ତ୍ୟାଗ କଲ ବ୍ରାହ୍ମଣ ଧରମଆଚରିଲ କ୍ଷତ୍ରିବୃତ୍ତି ଧନୁର୍ବାଣ ଧରିଯଜନ ଯାଜନ ହୋମ ବ୍ରତ ଉପାସନାଗାୟତ୍ରୀ ସାବିତ୍ରୀ ଆଦି ଗଲା ରସାତଳେ-ପରଅନ୍ନଭୋଗୀ ହୋଇ କାର୍ମୁକ ଟଙ୍କାରିଭଡ଼ାଟିଆ ସାଜି କରୁଅଛ ରଣଯଜ୍ଞତଥାପି ଲଜ୍ଜା ନଆସେ ଶ୍ରୀମୁଖକୁ ତବ ?
ଦ୍ରୋଣ- ସଂଯତ ରସନା ଘେନି ବାକ୍ୟବ୍ୟୟ । ସାମାନ୍ୟ ବାଳକ ତୁହି, ପିତା ତୋର ଅଟେ ମୋର ଶିଷ୍ୟ । ହସ୍ତେ କଲେ କାର୍ମୁକ ଧାରଣ ସସାଗରା ଧରାବକ୍ଷ ହୁଏ ଥରହର । ତୁହି ଛାର ଅବୋଧ ବାଳକ ରଣେ ସତେ ସମର୍ଥ ହୋଇବୁ ଦ୍ରୋଣ ତୁଲେ ?
ଅଭିମନ୍ୟୁ- ଧର ଅସ୍ତ୍ର ଦ୍ରୋଣଗୁରୁ ! ସମରଅଙ୍ଗନେ ହେଉ ଶକ୍ତିର ପରୀକ୍ଷା । ଛାର ତୁମେ ଘୁଣଲଗା କାଠ, ଯୁବକ କେଶରୀ ତୁଲେ କରି ରଣରଙ୍ଗ ନପାରିବ ଜିଣି । ତେଣୁ ଧରି ଦନ୍ତରେ ତିରଣ ମାଗ କ୍ଷମା, ତା ନହେଲେ ପରାଭବ ଲଭିବ ମୋ କରେ ।
ଦ୍ରୋଣ- (ଦୁର୍ଯ୍ୟୋଧନ ପ୍ରତି ସକ୍ରୋଧ) କୁରୁପତି ! ଅସହ୍ୟ ହେଲାଣି ଏହି ବାଳକର ବାଣୀ । ନରଖି ଉପ୍ରୋଧ ତିଳେ, ସପ୍ତରଥୀ ମିଳି ଏକସଙ୍ଗେ ରଣ କର ଏହା ସଙ୍ଗତରେ । ଧର୍ମାଧର୍ମ ନ୍ୟାୟ ପ୍ରତି ନରଖିଣ ଦୃଷ୍ଟି ବେଢ଼ି ମାର ହୋଇ ନିଦାରୁଣ ।
ଦୁର୍ଯ୍ୟୋଧନ- ତବାଦେଶ ଶିରୋଧାର୍ଯ୍ୟ ଗୁରୁ ! ଯା ଘଟିବ ଘଟୁ ପଛେ ଅନ୍ୟାୟ ଅଧର୍ମ ଘୋର ରଣେ ବିନାଶିବୁ ଆଜି ବାଳକକୁ । (ଅଭିମନ୍ୟୁ ପ୍ରତି)ରେ ସୁଭଦ୍ରା-ସୁତ ! ଯମପୁର ଯିବାକୁ ତୁ ହୁଅରେ ପ୍ରସ୍ତୁତ ।
ଅଭିମନ୍ୟୁ- ଜଣାଯିବ ବୀରପଣ ଆରେ ଅନ୍ଧସୁତ ।ଦୁର୍ଯ୍ୟୋଧନ- ଦେଖିବି ତୋ ଦେହେ ଅଛି ଦୁଷ୍ଟ କେତେ ଶକ୍ତି ।ଅଭିମନ୍ୟୁ- ଲାଜ ମାଡ଼ୁନାହିଁ, ଏକ ବାଳକକୁ ବେଢ଼ିଗଲ ସପ୍ତରଥୀ ?ଦୁର୍ଯ୍ୟୋଧନ- ଅନଳରେ ଆସିକରି ପଡ଼ିଲୁ ପତଙ୍ଗ,ଅଭିମନ୍ୟୁ- ଜଣାଯିବ ପଛେ ଆଗେ କର ରଣରଙ୍ଗ ।ଦୁର୍ଯ୍ୟୋଧନ- ପ୍ରହାର ଅସ୍ତ୍ର ସକଳେ କରନାହିଁ ଡେରି ।ଅଭିମନ୍ୟୁ- ଅନନ୍ତ ନରକେ ଦୁଷ୍ଟ ଯାଇକରି ।(ଯୁଦ୍ଧ ଆରମ୍ଭ, ସପ୍ତରଥୀ ପଳାୟନ ଓ ନିୟତି ପ୍ରବେଶ)ନିୟତି- ଗୀତ- (ଦାନ୍ତ ନିକୁଟି ପଡ଼ିଛି ମୋର....ବୃତ୍ତେ)ଛି ଛି ଏଡ଼ିକି ନିର୍ଲଜ୍ଜ ତୁମେ ସାତଟାଯୁଝି ଘୋଳେଇ ହେବଣି ସିନା ହାତଟା ।ପଦ ।ଆଣ୍ଟେ ମୋଡ଼ି ନିଶ ଦାଢ଼ି ସଘନେ ଛାଡ଼ୁଛ ରଡ଼ିଘଡ଼ି ଘଡ଼ି ଛନ୍ନଛନ୍ନ କରୁଅଛ ମତିଟା ।୧।ସିଂହଶାବକ ଆଗରେ ହେଲେଣି ଛେଳି ପ୍ରକାରେକାଢ଼ ବଳ ଛାଡ଼ି ନାହିଁ ଖାଲି ବାତଟା ।୨।ଛାଡ଼ି ନ୍ୟାୟ ଧରକମକୁ ଆଶ୍ରିଲଣି ଅନ୍ୟାୟକୁଅନ୍ତେ ବାସ ନରକ କରିବ ଚିନ୍ତାଟା ।୩।ପୋଡ଼ିଯାଉ ତୁମ ଟେକ ନୁଆଇଁ ଦିଅରେ ବେକରସେ ଭାଷେ ବଇ ଧରି ସତ୍ୟବ୍ରତଟା ।୪।(ପୁଣି ସପ୍ତରଥୀ ପ୍ରବେଶ)କର୍ଣ୍ଣ- କି ଦେଖୁଛ ସଖା ! ସର୍ବେ ଯାଅ ଶୀଘ୍ର ବେଢ଼ି ।
ଅଭିମନ୍ୟୁ- ପୃଷ୍ଠଭଙ୍ଗ ଦେଇ ରଣୁ ପୁଣି ଆସ ଲଢ଼ି । ଏହା ନୁହେଁ କ୍ଷତ୍ରିୟର ଧର୍ମ । ରଣଶାସ୍ତ୍ରେ ଲେଖା ନାହିଁ- ଏକ ରଥୀ ସଙ୍ଗେ ସପ୍ତରଥୀ ମିଶି କରିବା ସଂଗ୍ରାମ । ବୀର ହୋଇ ଏ ଅନ୍ୟାୟ ସାଜେ କି ତୁମ୍ଭଙ୍କୁ ?
କର୍ଣ୍ଣ- ରଖ ସେ ପାଣ୍ଡିତ୍ୟ ତୋର ରେ ପାର୍ଥକୁମର ! ହେଉ ନ୍ୟାୟ ଅଥବା ଅନ୍ୟାୟ, ସମ୍ମୁଖ ବା ପୃଷ୍ଠଦେଶୁ ମଧ୍ୟ ବଳିଷ୍ଠ ଶତ୍ରୁକୁ କରି ଆକ୍ରମଣ ବିନାଶ କରିବା ଅଟେ ନିତାନ୍ତ ଉଚିତ ।
ଅଭିମନ୍ୟୁ- ସେଥିପାଇଁ ଭୀରୁ ନୁହେଁ ମୁହିଁ । କ୍ଷତ୍ରିୟର ଅଙ୍ଗ-ମଳି ଅଟେ ରଣମୃତ୍ୟୁ ତେଣୁ ମୁହିଁ ପ୍ରସ୍ତୁତ ସର୍ବଦା ମାନବର ଚିର ସହଚର ମରଣ ନିମନ୍ତେ । ଆସ ମୂର୍ଖ କର ରଣରଙ୍ଗ ! ଜୟ କିମ୍ବା ମୃତ୍ୟୁ ଦୁଇଟି କଥାରୁ ଗୋଟିଏ ମୁଁ ବାଛି ନେବି ଆଜି ।
ଦୁର୍ଯ୍ୟୋଧନ- ରେ ସୁଭଦ୍ରାସୁତ ! ଏହିଥର ପୂରିବ ଆୟୁଷ ତୋର । ସଜ ହୁଅ ବେଗେ, ଯିବା ପାଇଁ ସମନ ଆଳୟେ ।(ଗୀତ)ସଜହୁଅ ବୀରମଣିରେ ! ଯିବୁ ଏହିକ୍ଷଣି ଯମପୁରକୁ ।କହି ଆହା ଆହା କାନ୍ଦୁଥିବ ମାଆ କଚାଡ଼ିଣ ତାର ମୁଣ୍ଡେ କରକୁ ।ପଦ ।ରାଣ୍ଡ ହେବ ଆଜି ବିରାଟନନ୍ଦିନୀ ନେତ୍ରୁ ଗଡ଼ାଇଣ ନୀରଧାରକୁକାଳି ପଡ଼ିଯିବ କନକବରନା କାଳକ ସହିବ କାମଜରକୁ ।୧।ସୁତ ସୁତ କହି କାନ୍ଦିବ ବିଜୟୀ ଯାଇଛି ଏକ୍ଷଣି ବହୁ ଦୂରକୁଅରଜିଲୁ ବଳେ ଝାସି କୁରୁବଳେ ନିଜେ ନିଜ ଗଳେ ଦେଇ ଖୁରକୁ ।୨।ତୋର ଧନୁର୍ଗୁଣ ଛିନ୍ନ ହେଲା କାହିଁରେ ମାରିବୁ ଯୋଡ଼ି ଶରକୁକିମ୍ପା ଅସିଖଣ୍ଡ କରୁ ଲଣ୍ଡଭଣ୍ଡ ଫିଙ୍ଗିଦେଇ ଚିନ୍ତ ଇଷ୍ଟ ଗୁରୁଙ୍କୁ ।୩।ବିନ୍ଧିବିରେ ବାଣ କରିଣ ନିଶାଣ ବେଗେ କାଟ ଏହି ଦୁଷ୍ଟ ଶିରକୁବଇଷ୍ଣବ କହି ବେଳ ନାହିଁ ସାରୁଅଛି କାଳ ଆଖିଠାରକୁ ।୪।ଅଭିମନ୍ୟୁ- ଭୀରୁ ନୁହଁ ଅର୍ଜ୍ଜୁନନନ୍ଦନପଳାଇବ ପୃଷ୍ଠଭଙ୍ଗ ଦେଇ, କ୍ଷତ୍ରିୟ ଧର୍ମକୁ ରଖିଥିବାଯାଏ ଶରୀରରେ ବିନ୍ଦୁମାତ୍ର ରକ୍ତ, ରଣ ତେଜି ନଯିବି ପଳାଇ ।ପ୍ରାଣ ହାରି ରଣଭୂମେ କରିଲେ ଶୟନ ସାର୍ଥକ ହୋଇବ ଦେହ ।ଧନ୍ୟ ହେବେ ପିତାମାତା ଆଉ ପୁଣି ବଂଶର ମର୍ଯ୍ୟାଦା ।ଆସ ରାଜା ! ସପ୍ତରଥୀ ଘେନି କର ରଣ ବାଳକ ସଙ୍ଗରେ ।ପ୍ରସ୍ତୁତ ସର୍ବଦା ମାରିବା ମରିବା ପାଇଁ ସମରପ୍ରାଙ୍ଗଣେ ।(ଯୁଦ୍ଧ ଏବଂ ଅଭିମନ୍ୟୁର ପତନ)ଗୀତ- (ଆଜ୍ଞାଦିଅ ଭୋଜରାଜ....ବୃତ୍ତେ)କେଣେ ଅଛ ଦେଖାଦିଅ ପିତା ଆସି ସୁତେ ତୋରଅନ୍ୟାୟ ରଣେ ନାଶିଲେ କୁରୁକୁଳ-କୁଳାଙ୍ଗାର ।ପଦ ।ଜ୍ୟେଷ୍ଠ ତାତ ଦେଖ ଆସି, ଆଜି ତବ ପୂର୍ଣ୍ଣଶଶୀ ।ଗ୍ରାସିଛନ୍ତି ସପ୍ତରଥୀ ହୋଇ ରାହୁ ଅବତାର ।୧।ଆହା ମାତା ଅଛ କାହିଁ, ଆସି ଥରେ ଯାଅ ଚାହିଁ ।ଆଜୁ ତବ କୋଳୁ ମୁହିଁ ଯାଉଛି ହୋଇ ଅନ୍ତର ।୨।ହେ ମଧ୍ୟମ ତାତ ଭୀମ, ନିରେଖ ଦୁର୍ଗତି ମମ ।ରେ ପ୍ରାଣପ୍ରିୟା ଉତ୍ତରା, ନହେବୁ କେଭେଁ କାତର ।୩।ଆସିବାର ବେଳେ କେତେ, ମନାକରିଥିଲୁ ମୋତେ ।ଭୁଲି ରହିଲୁ କେମନ୍ତେ ମନମୋହର ମନ୍ତର ।୪।ହା ମାତୁଳ ରାଧାକାନ୍ତ, ତୁମେ ଥାଉ ହେଲି ହତ ।ବଇ ବୋଲେ ଗୋପୀନାଥ ଜାଣୁ ବାହାର ଭିତର ।୫।ଦୁର୍ଯ୍ୟୋଧନ- ସାହାଯ୍ୟର ଆଶା ତେଜ ଅର୍ଜ୍ଜୁନନନ୍ଦନ !ଆଜି ତୋର ଉପସ୍ଥିତ ହୋଇଅଛି ମରଣର ବେଳା ।ଶିବବରେ ବଳିୟାର ହୋଇ ଜୟଦ୍ରତ ଜିଣିଅଛି ଚାରିପାଣ୍ଡବଙ୍କୁ ।ତେଣୁ ସର୍ବେ ହୋଇକରି ଭେଳା କାନ୍ଦୁଛନ୍ତି ବ୍ୟୂହଦ୍ୱାରେ ବସି ।ଆସି ନପାରିବେ ତୋତେ ଦେବାକୁ ସାହାଯ୍ୟ ।ତେଣୁ ଚିନ୍ତାକର ଦୁଷ୍ଟ ଇଷ୍ଟକୁ ତୋହର, ଦେବି ମୃତ୍ୟୁଦଣ୍ଡ ।ଅଭିମନ୍ୟୁ- ଏହି ସତେ ନୃପତିର ନ୍ୟାୟ-ଧର୍ମ ନୀତି ?ବହି ମାନଗୋବିନ୍ଦ ନାମକୁସଚରାଚରେ ଟେକିଛ ବୀରତ୍ୱ କେତନ,ତଥାପି ଅନ୍ୟାୟେ କର ବାଳକ-ସଂହାର-ଭୁଲି ରଣନୀତି ?ଦୁର୍ଯ୍ୟୋଧନ- ଉପଦେଶ ଦିଅନା ବାଳକ !ରଣନୀତି, କୂଟନୀତି, ରାଜନୀତି ଆଦି ଭଲଭାବେ ଜାଣେ ଦୁର୍ଯ୍ୟୋଧନ ।ଶତ୍ରୁର ନିଧନ ପୁଣି କାର୍ଯ୍ୟ ସମାଧାନେନ୍ୟାୟ ଅନ୍ୟାୟ ଧର୍ମର କିବା ପ୍ରୟୋଜନ ?ଏକମାତ୍ର କାମନା ମୋ ଶତ୍ରୁସୁତ ନାଶ ।ଅଭିମନ୍ୟୁ- ତୁଷ୍ଟ ମୁହିଁ ବିଚାରେ ତୁମ୍ଭର ।ତ୍ୟାଗ କରି ନ୍ୟାୟ-ଧର୍ମ ବଂଶ-ପରମ୍ପରାସ୍ୱାର୍ଥ ଲାଗି କର ତୁମ୍ଭେ ଅପାର ଅନ୍ୟାୟ ।ସେଥିପାଇଁ ଚିନ୍ତା ମୁଁ ନକରେ ।କିନ୍ତୁ ରିକ୍ତକରେ ନିରୁପାୟପ୍ରାଣେ ମରିବାକୁ ନ ଲାଗଇ ଶାନ୍ତିତେଣୁ ଚାହେଁ ଖଣ୍ଡେ ଅସ୍ତ୍ର, ଦେଇକି ପାରିବ ମୋତେ ?କର୍ଣ୍ଣ- ନିରସ୍ତ୍ର ଶତ୍ରୁ ହସ୍ତରେ ଧରାଇଣ ଅସ୍ତ୍ରବିପଦକୁ ବରଣ ନକର ସଖା !
ଅଭିମନ୍ୟୁ- ତୁନି ହୁଅ ସୁତପୁତ୍ର ! ନୀଚ ପାଶେ ଦିଅନାହିଁ ଉଚ୍ଚ ପରାମର୍ଶ । ପ୍ରାର୍ଥନା ମୋ ନୃପତି ନିକଟେ, ଛାର ମାତ୍ର ଅସ୍ତ୍ରଖଣ୍ଡେ ପାଇଁ ।
ଦୁର୍ଯ୍ୟୋଧନ- ଅସ୍ତ୍ର ଭିକ୍ଷା ନୋହିବ ପୂରଣ ତୋର । ମୃତ୍ୟୁ ଯେବେ ନକରୁଛୁ ବାଞ୍ଛା, ତେବେ ପ୍ରାଣଭିକ୍ଷା କର, ଦେଇପାରେ କୁରୁପତି ତାହା ଅବହେଳେ ।
ଅଭିମନ୍ୟୁ- ଛିଃ ଛିଃ ଲଜ୍ଜା କି ନଲାଗେ ରାଜା !ଏଡ଼େ ହୀନ କଥା ମୁଖେ କର ଉଚ୍ଚାରଣ ?ଛାର ପ୍ରାଣଭୟେ ଭୀରୁପରି ସବ୍ୟସାଚୀ-ସୁତ କରିବ ଜୀବନଭିକ୍ଷା ?ନା ନା, ହେବନାହିଁ ହେବନାହିଁ-ମରିବ ସେ ଯୁଦ୍ଧ କରି କରି- ଯାଏ ଦେଖେ ଖଣ୍ଡେ ଅସ୍ତ୍ର ।(ବେଗେ ପ୍ରସ୍ଥାନ)କର୍ଣ୍ଣ- ଏ କଣ ହେଲା ସଖା ! ଅର୍ଦ୍ଧମୃତ ସର୍ପ ଶିଶୁ ପଳାଇଲା ଆଣ୍ଟେତଥାପି ଆଜ୍ଞା ନଦେଲ ବିନାଶକରଣେ ।ଦୁର୍ଯ୍ୟୋଧନ- ଧୈର୍ଯ୍ୟ ଧର, ବ୍ୟସ୍ତ କିମ୍ପା ଏତେ,କୁଣ୍ଡଳି ବିଳରୁ ଭେକ ଯିବ କି ଉଦ୍ଧରି ? (ଦୁହେଁ ପ୍ରସ୍ଥାନ)
ପାର୍ବତୀ ବା ଗଙ୍ଗେଶ୍ୱର ଗୀତିନାଟ୍ୟବୈଷ୍ଣବ ପାଣି ଭକ୍ତବୀର ସୁଧନ୍ୱାବୈଷ୍ଣବ ପାଣି ବୈଷ୍ଣବ ପାଣି