ଜୟଦ୍ରଥବଧ ବା ଶକଟବ୍ୟୂହ-ଭେଦ
ବୈଷ୍ଣବ ପାଣି · ଭାଗ ୩ / ୫
ସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ଦୃଶ୍ୟ
(ଅନ୍ତଃପୁର- ଦୁଃଶୀଳା ଓ ଭାନୁମତୀ ପ୍ରବେଶ)
ଭାନୁମତୀ- ନଣନ୍ଦେ ! ମୁଁ ଦେଖୁଛି ସଞ୍ଜ ବଢ଼ିଲା ବେଳୁଁ ତୁମେ ଯେଉଁଠି ବସୁଛ ଖାଲି ଆଖିରୁ ଲୁହ ଗଡ଼ାଉଛ, କାହାକୁ ତ କିଛି କହୁନା ? ତୁମକୁ କିଏ କଣ କହିଛି ଯେ ଏପରି ହେଉଛ ? ଆଜି ତମ ଭାଇ ଲଢ଼େଇରେ ଜୟ କରିଛନ୍ତି, ଏହା ଶୁଣି ତମେ ଖୁସି ନହୋଇ ଆହୁରି ବସି ଲୁହଗଡ଼ାଉଛ ? କ’ଣ ମନକଥା ମୋତେ କହୁନା ?
ଦୁଃଶୀଳା- ନୂଆବୋଉ ! ଆଜି କାନ୍ଦୁଛି ବୋଲି କହୁଚ, ନାଁ ଚିରଦିନ ଏଣିକି ମୋତେ ଲୁହ ଗଡ଼ାଇବାକୁ ପଡ଼ିବ ? ଏ କାଳଯୁଦ୍ଧ କ’ଣ ମୋହରି ମୁଣ୍ଡ-ସିନ୍ଦୂର ଯିବାଲାଗି ଥିଲା ? ହାୟ, ମୁଁ ନମଲି କାହିଁକି ?
ଭାନୁମତୀ- ନଣନ୍ଦେ ! ତୁମ କଥାର ଛଳ ତ ମୁଁ କିଛି ଜାଣିପାରୁନାହିଁ । ମୁଣ୍ଡର ସିନ୍ଦୂର ରମଣୀର ପତି; ତୁମ୍ଭ ପତି ପରା ଆଜି ଅଭିମନ୍ୟୁକୁ ମାରି ମହା ସମ୍ପତ୍ତି ଦେଇଅଛନ୍ତି । ସନ୍ଧ୍ୟା ହେବାରୁ ତ ରଣ ବନ୍ଦ ହେଲା, ତା’ପରେ ତ କିଛି ହୋଇନାହିଁ । ତୁମ୍ଭ ମୁଣ୍ଡ-ସିନ୍ଦୂର ପୋଛିଲା କିଏ ?
ଦୁଃଶୀଳା- ନୂଆବୋହୂ ! ତୁମେ କ’ଣ ସନ୍ଧ୍ୟାପରେ ଘଟଣା କିଛି ଶୁଣିନାହଁ- ସେ ଯୋଗେ ମୋତେ ପରିହାସ କରୁଛ ? ଥରେ ତୁମ୍ଭ ନଣନ୍ଦେଇ ଅବସ୍ଥା ମନଦେଇ ଶୁଣ ।
ଗୀତ(କାହିଁକି ଡାକୁଛ ମା...ବୃତ୍ତେ)ଶୁଣ ଆଗୋ ନୂଆବୋହୂ, ମୋର ମନକଷ୍ଟ ଜାଣିବ କେହୁ ଗୋ !ଚନ୍ଦ୍ରକୁ ଗ୍ରାସିଛି ରାହୁ, ମୋ ରାଣୀ ଗୋ ।୧।ଶୁଣି ଅଭିମନ୍ୟୁବଧ, ପଣ କଲା ପାର୍ଥ ବହିଣ କ୍ରୋଧ ଗୋଛୁଇଁ ଶ୍ରୀହରିଙ୍କ ପାଦ, ମୋ ରାଣୀ ଗୋ ।୨।ଅସ୍ତ ନୋହୁ ଦିବାକର, ଘେନିବେ ମୋ ପତି ପ୍ରାଣ ନିକର ଗୋଶୁଣି ବ୍ୟସ୍ତେ କମ୍ପେ ଚିତ୍ତ ମୋର, ମୋ ରାଣୀ ଗୋ ।୩।କାନ୍ତେ ନପାରିଲେ ମାରି, ନିଜ ହସ୍ତେ ଚିତା ସଜାଡ଼ି କରି ଗୋତହିଁ ପଶିବେ ଗାଣ୍ଡୀବଧାରୀ, ମୋ ରାଣୀ ଗୋ ।୪।ଅର୍ଜ୍ଜୁନ ହସ୍ତରୁ ତ୍ରାହି, କରିବ କେ ଜଣେ ସଂସାରେ ନାହିଁ ଗୋନିଶ୍ଚେଁ ବିଧବା ହୋଇବି ମୁହିଁ, ମୋ ରାଣୀ ଗୋ ।୫।ରଖିବି କିମ୍ପା ଏ ଜୀବ, ଯେବେ ତେଜି ଯିବେ ଜୀବ-ବଲ୍ଲଭ ଗୋରସେ ଭାଷେ ଦୀନ ବଇଷ୍ଣବ, ମୋ ରାଣୀ ଗୋ ।୬। (ଅଶ୍ରୁତ୍ୟାଗ)
ଭାନୁମତୀ- ଛି ନଣନ୍ଦେ ! ଏତେ ମନ୍ଦକଥା ମନକୁ ଆଣୁଛ କାହିଁକି ? ତୁମ୍ଭେ କ’ଣ ଜାଣିନାହଁ ଏ ପକ୍ଷରେ ଦ୍ରୋଣ, କର୍ଣ୍ଣ, ଅଶ୍ୱତ୍ଥାମା, ଶଲ୍ୟ, କୃପ, ଭୂରିଶ୍ରବା, ସୋମଦତ୍ତ ଦୁଃଶାସନ ଏପରି ମହା ମହା ରଥୀମାନେ କୃତାନ୍ତ ପରି ଭାଇଙ୍କ ପକ୍ଷ ଜଗିରହିଛନ୍ତି । ଅର୍ଜ୍ଜୁନ ପଣକଲା ବୋଲିକି ସହଜରେ ତୁମ୍ଭ ସ୍ୱାମୀଙ୍କୁ ମାରିପକାଇବ ? ଏ କଥା କାହା ମନକୁ ଯିବ ଭଲା କହିଲ ? ଭୀଷ୍ମ କିପରି ଏ ପକ୍ଷରୁ ପରାସ୍ତ ହେଲେ ଜାଣି ନାହଁ ? ସେ ପରା ଓପ୍ରୋଧ ଯୁଦ୍ଧରେ ଇଚ୍ଛା-ମୃତ୍ୟୁକୁ ବରଣ କଲେ । ଆଉ ସେ କଥା ମୁହଁରେ ଧରନା, ମୁଁ ଯାହା କହୁଛି ଶୁଣ । ତୁମକୁ ମୁଁ ଏକଥା ଆଗରୁ କହୁନଥିଲି; କିନ୍ତୁ ତୁମେ ସେ କଥା କହିବାରୁ ମୁଁ ଏକଥା କହୁଛି ।
(ଗୀତ)ଇନ୍ଦୁମୁଖୀ ସିନ୍ଧୁ-ରାଜରାଣୀ ଗୋ, କାନ୍ଦ ନାହିଁ ।ପଦ ।ସାକ୍ଷୀ ଦିଅ ଧରମକୁ, ନିନ୍ଦ ନାହିଁ କରମକୁ,ମନ୍ଦଭାବ ମନକୁ ନ ମଣ ଗୋ ।୧।କୁନ୍ଦ-କରକଦଶନା, ତେଜ ସେ ଛନ୍ଦବାସନା,କ୍ଷୀରରେ ନ ମିଶାଅ ଖାର ଆଣି ଗୋ ।୨।ଥାଆନ୍ତେ ଗୁରୁ ଆଚାର୍ଯ୍ୟ, କେ କରିବ ଏଡ଼େ କାର୍ଯ୍ୟ,ଯେହୁ ବୀରଙ୍କର ଶିରୋମଣି ଗୋ ।୩।ଯେବେ କ୍ରୋଧେ ଅନ୍ଧହୋଇ, ପଣ କରିଚି ବିଜୟୀ,କାଲି ତାର ଘଟିବ ମରଣ ଗୋ ।୪।ଚିତ୍ତରୁ ଚିନ୍ତା ଉପେକ୍ଷି, ବାସେ ଯିବା ଆସ ସଖୀ,ଭାଷେ ରସେ ବଇଷ୍ଣବ ପାଣି ଗୋ ।୫।
ଦୁଃଶୀଳା- ନୂଆବୋହୂ ! ତୁମେ ମୋତେ ବୁଝାଇଲେ କ’ଣ ହେବ ? ମୁଁ ଯେତେ ମନକୁ ବୁଝାଉଚି, ଅବୋଧ ମନ କେଭେ ବୋଧ ମାନୁନାହିଁ । ବେଳେବେଳେ ମୋ ଡାହାଣ ଆଖି କାହିଁକି ନାଚିଉଠୁଛି । ଡାହାଣ ବାହା ନାଚି ଉଠୁଛି । ଏ ସବୁ ତ ଅମଙ୍ଗଳର କାରଣ ।
ଭାନୁମତୀ- ନଣନ୍ଦେ ! ମନ ଯେତେ ବିପଦ ଆଡ଼କୁ ଦଉଡ଼େଇବ ସେତେ ତ ଦଉଡ଼େ । କାର୍ଯ୍ୟ କାରଣ ଘେନି ଏପରି ମନରେ ଆଶଙ୍କା ଆସେ । ଆସ, ମୋର ଘରକୁ ଆସ ! କାଲି ଶୁଣିବ ଜୟଦ୍ରଥଙ୍କ ଜୟ ହୋଇଛି; ବିଜୟୀ ଜୀବନେ ମରିଚି । ଆସ ।
(ଉଭୟ ପ୍ରସ୍ଥାନ)
ତୃତୀୟ ଦୃଶ୍ୟ
(ଅର୍ଜ୍ଜୁନ ଓ ଶ୍ରୀକୃଷ୍ଣ ପ୍ରବେଶ)ନେପଥ୍ୟେ- ଜୟ କୁରୁପତି ଦୁର୍ଯ୍ୟୋଧନଙ୍କର ଜୟ ।
ଶ୍ରୀକୃଷ୍ଣ- ଅର୍ଜ୍ଜୁନ ! ଏହି ଶୁଣ ରଣକ୍ଷେତ୍ରରେ ତେଣେ କୌରବ-ସୈନ୍ୟଙ୍କ କୋଳାହଳ । ଦୂତ ଆସି କେତେବେଳୁ ସମ୍ବାଦ ଦେଲାଣି ଯେ ଆଜି ଦ୍ରୋଣାଚାର୍ଯ୍ୟ ଶକଟବ୍ୟୂହ ରଚନା କରିବାପାଇଁ ସେନାଗଣଙ୍କୁ ରଣସ୍ଥଳରେ ସଜାଉଅଛନ୍ତି । ଆଉ ବିଳମ୍ବ କରନା, ଶୀଘ୍ର ନନ୍ଦିଘୋଷ ଆରୋହଣ କର । କାଲିର ପ୍ରତିଜ୍ଞା କି ଭୁଲିଯାଇଛି ? ପ୍ରାଣପଣେ ରଣ ନ କଲେ ଆଜି ରକ୍ଷାନାହିଁ । ସୂର୍ଯ୍ୟ ଅସ୍ତହେଲେ ଯେ ନିଜ ଜୀବନ ପ୍ରତି ବାଧାଘଟିବ ।
ଅର୍ଜ୍ଜୁନ- କେଶବ ! ତୁମ୍ଭେ ମୋତେ ଏତେ ଛଳାଅ କାହିଁକି ? ଦ୍ରୋଣପରି ଯଦି ସହସ୍ର ଦ୍ରୋଣ ଜୟଦ୍ରଥକୁ ରକ୍ଷାକରିବାକୁ ଯତ୍ନ କରନ୍ତି, ତେବେ ସୁଦ୍ଧା ଅର୍ଜ୍ଜୁନ ହସ୍ତରୁ ପାପିଷ୍ଠର ନିସ୍ତାର ନାହିଁ । କାରଣ ତୁମର ଅଭୟପଦ ଯାହାର ସର୍ବଦା ସହାୟ, ତାର ଭୟ କି ହେବ ଛାର ଦ୍ରୋଣାଚାର୍ଯ୍ୟକୁ ?
(ଗୀତ)ସୁର ବ୍ରହ୍ମାଙ୍କ ସମ୍ପଦ ଅଟେ ଯେ ଅଭୟ ପଦସଦା ସଦାଶିବ ଯା’ରେ ପୂଜେଯେ ପଦ ବିପଦ ହରେ ଚିନ୍ତିଲା ମାତ୍ରେ ଚିତ୍ତରେପାଷାଣ ହେଲା ନାରୀ ଯା ଭଜେ ।୧।ଯେ ପଦରୁ ଗଙ୍ଗାନଦୀ ବହେ ହିମାଚଳ ଭେଦିଚିନ୍ତିଲେ ଯା ଧ୍ରୁବ ପ୍ରହଲାଦଯେଉଁ ପଦେ ଦାନ ଦେଇ ବଳି ତିନିପାଦ ମହୀପାତାଳେ ଭୋଗୁଛି ଇନ୍ଦ୍ରପଦ ।୨।ରସାରେ ଭରସା ଜାଣ ମୋର ସେ ବେନି ଚରଣମରଣ କି ଡରାଇବ ରଣେଦୂରେ ପ୍ରାଣୀ ଧ୍ୟାୟି ତରେ ଅଛି ସେହି ମୋ ରଥରେମୁଁ ହତ ହେବି କି କାରଣେ ।୩।ହେ ବନମାଳୀ ନ ଛଳି ନନ୍ଦିଘୋଷ ଦିଅ ଚାଳିକୁରୁକ୍ଷେତ୍ର ସମର-ସାଗରେବଇଷ୍ଣବ ଗୀତେ କହି ନୁହେଁ ଅଭିମନ୍ୟୁ ମୁହିଁଦ୍ରୋଣ ମୋତେ ଫିଙ୍ଗିବ ବାଗରେ ।୪।
ଶ୍ରୀକୃଷ୍ଣ- ଅର୍ଜ୍ଜୁନ ! ମୁଁ ପୂର୍ବମୁଖ ହୋଇ ରଥ ଚଳାଉଛି । ଥରେ ଚାହିଁ ଦେଖିଲୁ କି କର୍କଟ ଭୃତିରେ ଦ୍ରୋଣ ଶକଟବ୍ୟୂହ ରଚନା କରିଛି ? ପ୍ରଥମରେ ଶକଟର ମୁଖ ଦିଗରୁ ବ୍ୟୂହ ଭଙ୍ଗ କରି କରି ଯିବାକୁ ହେବ । କାରଣ ଛଅଫଳି ଉତ୍ତାରେ ଯେଉଁ ଚକ ମଧ୍ୟରେ ଅଖ, ତହିଁ ମଧ୍ୟରେ ପଦ୍ମ କରି, ତା ନାଡ଼ରେ ଦ୍ରୋଣ ଜୟଦ୍ରଥକୁ ଲୁଚାଇଛି । ଏ ବ୍ୟୂହ ଭେଦିବାକୁ ବହୁ କଷ୍ଟ ପଡ଼ିବ ।
ଅର୍ଜ୍ଜୁନ- ଯଦୁନାଥ ! ଶୀଘ୍ର ରଥ ବାହାନ୍ତୁ । (ବେଗେ ଉଭୟଙ୍କର ପ୍ରସ୍ଥାନ)(ବେଗେ ଦ୍ରୋଣଙ୍କର ପ୍ରବେଶ- ଦୁର୍ଯ୍ୟୋଧନ ପ୍ରତି)ଦ୍ରୋଣ- ଦେଖ ଦେଖ ଦୁର୍ଯ୍ୟୋଧନ !ଛୁଟିଛି ଗାଣ୍ଡିବୀ ରଥ ପୂର୍ବମୁଖ ହୋଇଘନ ଘନ ରଥର ର୍ଘଘର ଧ୍ୱନି ତୁଲେ ମିଳି ଶୁଭୁଅଛି ପଞ୍ଚଜନ୍ୟ ।ଯାଏ ରଥ ବିଦ୍ୟୁତ୍ ଆକାରେ ଗମନେ ଦିଶଇ ଧ୍ୱଜା ବକପକ୍ଷୀ ସମ ।ସେନାଗଣେ କର ସାବଧାନଶକଟ ଝୁରାରେ ଅଛି ଅଶ୍ୱତ୍ଥିନୀ ମୋର,ପ୍ରଥମ ଫଳିରେ ଦୁଃଶାସନ, ଦ୍ୱିତୀୟରେ ଭୂରିଶ୍ରବା,ତୃତୀୟେ କର୍ଣ୍ଣ ଅଛଇ ଜଗି, ରହିଅଛି କୃପବ୍ରହ୍ମା ଚତୁର୍ଥ ଫଳିରେ,ପଞ୍ଚମରେ ମଦ୍ରପତି ଶଲ୍ୟ ।କୋଟିଏ କୋଟିଏ ସୈନ୍ୟ ନେଇଣ ସଙ୍ଗରେରହିଛନ୍ତି ସେନାପତିମାନେ;ସାବଧାନେ କରିବ ସମର, କେହି ଯେପରି ନଯିବେ ହଟିଚାଲ ଆମ୍ଭେ ସତର୍କ କରିବା ସୈନ୍ୟଗଣେ ।ଦୁର୍ଯ୍ୟୋଧନ- ଆସନ୍ତୁ ଆଚାର୍ଯ୍ୟେ !ରଥ ମିଳିଲାଣି ଯାଇ ଝୁରାମୁଣ୍ଡିଠାରେ ତବ ଅଶ୍ୱତ୍ଥାମା ପାଶେ । (ବେଗେ ଉଭୟଙ୍କ ପ୍ରସ୍ଥାନ)(ରଣବାଦ୍ୟ)(ଯୁଦ୍ଧ କରୁ କରୁ ଅଶ୍ୱତ୍ଥାମା ପାଶେ ଅର୍ଜ୍ଜୁନର ପ୍ରବେଶ)ଅଶ୍ୱତ୍ଥାମା- ରେ ପାମର ପାପମତି ପାର୍ଥ !ନ ଜାଣୁ କି ଅଶ୍ୱତ୍ଥାମା ବଳ ?କି ଦେଖାଉ ନନ୍ଦିଘୋଷ ମୋହରି ଆଗରେ ?ପ୍ରତିଜ୍ଞା କରିଛୁ ପରା- ସୂର୍ଯ୍ୟାସ୍ତ ପୂର୍ବରୁ ନେବୁ ଜୟଦ୍ରଥ ପ୍ରାଣ ?ଆଗେ ଅଶ୍ୱତ୍ଥାମା ସହ କରି ରଣହଟାଇଲେ ଯିବୁ ତୁହି ଦୁଃଶାସନ ପାଶେ,ଯୁଦ୍ଧ ପାଇଁ ହୁଅ ତୁ ପ୍ରସ୍ତୁତ ।ଅର୍ଜ୍ଜୁନ- ଗୁରୁପୁତ୍ର ! ମୁଁ ନୁହେଁ ବାଳକ ଅଭିମନ୍ୟୁ ଅନ୍ୟାୟ ରଣରେ ନେବ ପ୍ରାଣ ।ଗୀତ- (ଜୟ ଜୟ ପରମବ୍ରହ୍ମ ରଘୁରାମ...ବୃତ୍ତେ)ହେ ଗୁରୁସୁତ ବିବାଦ କର କାହିଁକି,ବିଜୟୀକି ଜାଣ ନାହିଁ କି ।ପଦ ।ପାଚକ ମୁଖେ ନ ସାଜେ ବୀରବାଚକ,ବାରିପାରୁନାହଁ ମନ୍ଦସୂଚକ,କୁରୁନାଥ ଭାତ ରାନ୍ଧ ଯାଇଁକି ।୧।ନାରୀଏ ଖାଇ ସାରିଲେ ଖାଇବ ପଛେ,ଆମ୍ବକୁ ଆମ୍ବଡ଼ା ବୋଲି ଦେଖାଅ ମିଛେ;ରଣ ନୁହେଁ ଆଳୁ କଦଳୀ ଛୁଇଁକି ।୨।ବାଟି ବେସର ପରିବା କାଟିବ ଯାଅ,କାହିଁକି ଏଠାରେ ଘୋଡ଼ାମୁହଁ ହଲାଅ,ଚୁଡ଼ା ସାଙ୍ଗରେ ଘାଣ୍ଟି ଦିଅ ଦହିକି ।୩।ଅନ୍ଧପୁଅ ପେଜ ପିଇ ଚାତର ଏତେ,ଚଟୁ ଛାଡ଼ି ପୁଣି ଧନୁ ଧଇଲ ହାତେ,ବଇ ବୋଲେ ନଖୋଳା ନିଜ ଗୋଇକି ।୪।ଅଶ୍ୱତ୍ଥାମା- ରେ ଗାଣ୍ଡିବୀ !ନିଜ ମହତକୁ ଢାଙ୍କି ନେଉ ପରର ମହତ ।ଗଉଡ଼ିଆ ଖୋଇ ତୋର ଯିବ ନାହିଁ ଛାଡ଼ି ।ଗଉଡ଼ ଅଇଁଠା କଣ୍ଟା ଏମନ୍ତ ସୁଆଦ ପୁଣି ରାଜଅନ୍ନଠାରୁ ?ସଂସର୍ଗ ଦୋଷରୁ ଜନ ହୁଏ ଏହିପରି ।ନାହିଁ ଜାତିର ଠିକଣା ଯା’ର ତାର ତୁଲେ ଭୁଞ୍ଜି ଏକପତ୍ରେ,ପୁଣି ରହି ଏକବାସେହୋଇଲାଣି କଳୁଷିତ ସର୍ବାଙ୍ଗ ତୋହରି ।ତେଣୁ ବ୍ରାହ୍ମଣକୁ କହୁ ତୁଚ୍ଛକରି ।ପାପୀର ସଂସର୍ଗେ ପାପ ବଢ଼େ ଦିନୁ ଦିନ- ପଚାର କୃଷ୍ଣକୁ !ଗୋହତ୍ୟା, ନାରୀହତ୍ୟା, ପରସ୍ତ୍ରୀହରଣଏହି ପାପେ ଅଂଶୀ ତୁହି ନୋହୁ କି ବିଜୟୀ ?ଶ୍ରୀକୃଷ୍ଣ- ପାର୍ଥ ! ବୃଥା ବାକ୍ୟେ କାଳକ୍ଷୟ କରୁ କିସ ପାଇଁ ?ଅର୍ଜ୍ଜୁନ- ରେ ନିର୍ଲଜ୍ଜ ! ବିନାରଣେ ବେଳଯାଏ ବହି ।(ଉଭୟ ଯୁଦ୍ଧ କରୁ କରୁ ଅଶ୍ୱତ୍ଥାମାର ପଳାୟନ)
ପଳାଅନା ପଳାଅନା ଗୁରୁପତ୍ର ! ଆସ ଆସ ! ଧର ଅସ୍ତ୍ର କର ରଣ ଗଉଡ଼- ଉଚ୍ଛିଷ୍ଟଭୋଗୀ ସଙ୍ଗେ । (ଅଶ୍ୱତ୍ଥାମା ପଛେ ଅର୍ଜ୍ଜୁନ ଓ କୃଷ୍ଣ ଧାବମାନ)
(ଅର୍ଜ୍ଜୁନ ସହ ଦୁଃଶାସନର ପ୍ରବେଶ)ଅର୍ଜ୍ଜୁନ- ରେ ଦୁଃଶା ! ମନ୍ଦଦଶା ପଡ଼ିଛି ତୋହରି, ହେବୁ ଅଶ୍ୱତ୍ଥାମା ପରି ।ଦୁଃଶାସନ- ରେ ନପୁଂସକ ! ଯାଅ ବିରାଟସଭାକୁ, ନାଚିବୁ ପିନ୍ଧିଣ ଶାଢ଼ି-ଚୁଡ଼ି ।ଗୀତ- (ହରି ହରି ବୋଲ ହରଷେ ରସିକେ...ବୃତ୍ତେ)ରେ ବାସବ-ସୁନୁ ଭୁଲିଲୁ କି ମନୁ କପଟପଶାର ବେଳରେମୁହିଁ ଦୁଃଶାସନ ଉଠାଇ ସଭାରୁ ଉଭାକରାଇଲି ତଳରେ ।ପଦ ।ପାସୋରିଗଲା କି ସେ ଅଜ୍ଞାତବାସ, ହୋଇଥିଲ ପରା ବିରାଟର ଦାସ ।ଥିଲା ପୁଣି କୀଚକ ସେଠାରେ ତୁମ୍ଭର ଭାରିଯାମେଳରେ ।୧।ଗୋଟାଏ ନାରୀକି ଧରାପରା ହୋଇ, କେମନ୍ତ ରମଣ କର ପାଞ୍ଚଭାଇ,ଅନାଉ ଅନାଉ ଯାଉଥିବ ନେଇ ଯା’ର ହେବ ବେଶୀ ବଳରେ ।୨।ମଉଜରେ ହର ଦିବସ ରାତିକି, ଶାଶୁର ଯେତିକି ବୋହୂର ତେତିକିଆଉ ଯାହା ସଙ୍ଗେ ରହିଛ ମାତିକି ତାହାର ହଜାର ଷୋଳରେ ।୩।ସବୁରି କଥା ତ ଜାଣୁଥିବ ସବୁ, କାହା ଘରେ ନାହିଁ ତୁମ୍ଭ ଘର କାବୁବଇଷ୍ଣବ ଭାଳେ କିସ ଚିତ୍ତେ ଭାବୁ ଅନାଇଣ ଜଳଜଳରେ ।୪।ଅର୍ଜ୍ଜୁନ- ରେ ଅନ୍ଧନନ୍ଦନ !ସାହାଡ଼ା ଗଛକୁ ବିଭା ହୋଇନାହୁଁ ଆମ୍ଭେରେ ଅବୋଧ !ଯୁଦ୍ଧସ୍ଥଳେ ଶ୍ରାଦ୍ଧକଥା ପଡ଼ିଛି କାହିଁକି ?ଯେ କାର୍ଯ୍ୟରେ ଦୁହିଁଙ୍କର ହୋଇଅଛି ଭେଟତାହା ଶୀଘ୍ର ସାରିବା ଉଚିତ ।ଜାଣେ ମୁହିଁ ତୁମ୍ଭର ବଂଶର ଗୁଣାବଳୀତୋ’ପରି ନୀଚ ପ୍ରକୃତି ଥିଲେ ମୋର ହୋଇତୁଚ୍ଛ ଭାଷା ଆସନ୍ତା ତୁଣ୍ଡକୁ । ରଣ କର ।କିସ ହେବ ବୁଝାଇ ଭାଣ୍ଡକୁ ।ଦୁଃଶାସନ- ସେଥିପାଇଁ ଭୟକରିନାହିଁ ଦୁଃଶାସନ । (ଯୁଦ୍ଧରେ ଦୁଃଶାସନର ପରାସ୍ତ)ଭୁରିଶ୍ରବା- (ପ୍ରବେଶହୋଇ) ରହ ରହ ! ରହରେ ବିଜୟୀ !ଭୁରିଶ୍ରବାଠାରୁ କି ହୋଇବୁ ରଣଜୟୀ ?ଅର୍ଜ୍ଜୁନ- ରେ ନୀଚମତି ଭୁରିଶ୍ରବା ! ଗର୍ବର କି ଅଛି ପ୍ରୟୋଜନ ?ରଣ କର ବଳ ଥିଲେ ଗାତ୍ରରେ ତୋହରି ।ଲିଭାଇବି ଅଭିମନ୍ୟୁ-ଶୋକାନଳ ତୁମରି ଶୋଣିତେ ।ଭୁରିଶ୍ରବା- ରଖିଦେ ତୋ ବାକ୍ୟ ଆଡ଼ମ୍ବର ।ଏ ମହାଭାରତେ ଅଛି କେହୁ ଭୁରିଶ୍ରବା ସମକକ୍ଷ ଯୋଦ୍ଧା ?ଥିଲେ ତୋର ସାରଥି ସମାନ ମୋର ସାରଥି ରଥରେଦେଖନ୍ତୁ କେ କାହାକୁ ଜିଣନ୍ତା ଏ ମହାଭାରତେ ।ଅର୍ଜ୍ଜୁନ- ଦେଖାଇବି ସେ ସାରଥୀ ଅଛି ସବୁ ରଥେ ।ନଥିଲେ ସେ ଚଳନ୍ତା କେ ରଥକୁ ତୁମ୍ଭରି ?ଶ୍ରୀକୃଷ୍ଣ- ହେ ଅର୍ଜ୍ଜୁନ ! ବୃଥା କିମ୍ପା କରୁଅଛ ଡେରି ?ଭୁରିଶ୍ରବା- ଆଚ୍ଛା ! କର ରଣ ପ୍ରାଣ ଆଶା ତେଜି ।(ଉଭୟ ଯୁଦ୍ଧ କରୁ କରୁ ପ୍ରସ୍ଥାନ)
ଚତୁର୍ଥ ଦୃଶ୍ୟ
(ଯୁଧିଷ୍ଠିର ଶିବିର)
ଯୁଧିଷ୍ଠିର- (ଭୀମ ପ୍ରତି) ଭୀମ ! ଏତେବେଳେଯାଏ କି ଯୋଗେ ପଞ୍ଚଜନ୍ୟ ଶଙ୍ଖଧ୍ୱନି ଶୁଭିଲା ନାହିଁ । ତୁମ୍ଭେ ସାତ୍ୟକି ସହ ନକୁଳ ସହଦେବଙ୍କୁ ସଙ୍ଗରେ ନେଇ ଅର୍ଜ୍ଜୁନର ଅନ୍ୱେଷଣରେ ଯାଅ । ଯେ ପର୍ଯ୍ୟନ୍ତ ଦେବଦତ୍ତ, ପଞ୍ଚଜନ୍ୟ ଶଙ୍ଖଧ୍ୱନି ମୋର କର୍ଣ୍ଣକୁ ନ ଆସେ, ସେ ପର୍ଯ୍ୟନ୍ତ ମୋର ଚିତ୍ତ କେବେ ସ୍ଥିରହେବନାହିଁ ।
ଭୀମ- ଧର୍ମରାଜ ! ମୁଁ ଯାଉଛି ସାତ୍ୟକି ନକୁଳ ସହଦେବଙ୍କୁ ସଙ୍ଗତରେ ନେଇ ଅପରାପର କୌରବସେନାଙ୍କୁ କ୍ଷୟ କରିବି । ଯେତେବେଳେ ଶ୍ରୀକୃଷ୍ଣ ଅର୍ଜ୍ଜୁନ ରଣରେ ସାରଥି, ଆପଣ ବିପଦର ଆଶଙ୍କା ମନରୁ ତ୍ୟାଗକରନ୍ତୁ । କାଲି ଏଠାରେ ଯେବେ ଶ୍ରୀକୃଷ୍ଣ ଥାନ୍ତେ, କଦାପି ଅଭିମନ୍ୟୁ ସେହି କୌରବ କୂଟଚକ୍ରରେ ପଡ଼ି ପ୍ରାଣ ହରାଇ ନଥାନ୍ତା । ମୁଁ ଚାଲିଲି । ଆଜି ନିଶ୍ଚୟ ଗାନ୍ଧାରୀ-ପୁତ୍ରରୁ କାହାରିକି ହେଲେ ସମରାନଳରେ ଆହୁତି ଦେବି । ଆପଣ ନିଶ୍ଚିନ୍ତରେ ଥାଆନ୍ତୁ । ବର୍ତ୍ତମାନ ଦିବସ ଦୁଇ ପ୍ରହର । (ଉଭୟ ପ୍ରସ୍ଥାନ)
(କୃଷ୍ଣ, ଅର୍ଜ୍ଜୁନ ପ୍ରବେଶ)
ଶ୍ରୀକୃଷ୍ଣ- (ସ୍ୱଗତ) ବର୍ତ୍ତମାନ ଅର୍ଜ୍ଜୁନକୁ ବିଷ୍ଣୁମାୟାରେ ନଭୁଲାଇ ରହିପାରୁନାହିଁ । ଏକ୍ଷଣି ସୂର୍ଯ୍ୟଦେବ ବିଷ୍ଣୁରେଖାର ମଧ୍ୟବର୍ତ୍ତୀ, ଆଉ ସୈନ୍ୟକ୍ଷୟ କରି ଯାଉଁ ଯାଉ ଅନେକ ସମୟ ଲାଗିବ । (ପ୍ରକାଶ୍ୟେ) ହେ ଅର୍ଜ୍ଜୁନ ! ଏକ୍ଷଣି ଦୁଇ ପ୍ରହର ଦିବସ । ମୁଁ ଏଠରେ ଅଶ୍ୱଗଣଙ୍କୁ ତୃଣ-ଜଳ କିଛି ପାନ କରାଇବି । ସେମାନେ ବହୁତ କ୍ଳାନ୍ତ ହୋଇପଡ଼ିଲେଣି । ତୁ ଟିକିଏ ମାତ୍ର ବିଶ୍ରାମ କର; ଅଶ୍ୱଗଣଙ୍କର କାର୍ଯ୍ୟ ସାରିଲେ ପୁଣି ରଥ ବାହି ସମରେ ପଶି ସୈନ୍ୟକ୍ଷୟ କରିବା । ଏ କାହାର ଧ୍ୱନି !!
ନେପଥ୍ୟେ- (ଅର୍ଜ୍ଜୁନ ରକ୍ଷାକର, ଅର୍ଜ୍ଜୁନ ରକ୍ଷାକର ।)ଅର୍ଜ୍ଜୁନ- କିଏ ମୋତେ ଡାକୁଛି- ‘ଅର୍ଜ୍ଜୁନ ରକ୍ଷାକର’ ।ଓହୋ ବାରବାର ସେହି ଧ୍ୱନି !! କେଶବ !କହ, କିଏ ମୋତେ ରକ୍ଷା କରିବାକୁ ତ୍ରସ୍ତ ହୋଇ ଡାକେ ?ନେପଥ୍ୟେ- (ଅର୍ଜ୍ଜୁନ ହେ, ରକ୍ଷାକର, ରକ୍ଷାକର, ରକ୍ଷାକର)
ଶ୍ରୀକୃଷ୍ଣ- ଅର୍ଜ୍ଜୁନ ! ଏ ଯେ ସାତ୍ୟକିର ଧ୍ୱନି । ଭୁରିଶ୍ରବା ସାତ୍ୟକିର ଶିରଚ୍ଛେଦ କରିବାକୁ ତାର କେଶ ଧରି ଖଡ଼୍ଗ ଉଞ୍ଚାଇଛି- ସେ ଯୋଗେ ସାତ୍ୟକି ଅର୍ଜ୍ଜୁନରକ୍ଷାକର ବୋଲି ଡାକୁଛି । ତୁ ବେଗେ ଅର୍ଦ୍ଧ-ଚନ୍ଦ୍ର ବାଣ ପେଶି ଭୁରିଶ୍ରବାର ଦୁଇବାହୁ ଛେଦନ କର- ତା ନହେଲେ ସାତ୍ୟକି ନିଶ୍ଚୟ ମଲା ।
ଅର୍ଜ୍ଜୁନ- ଯେ ଆଜ୍ଞା ଯଦୁନାଥ ! (ବାଣ ନିକ୍ଷେପ)ନେପଥ୍ୟେ- (ରେ ପାମର ଭୁରିଶ୍ରବା ! ତୋହରି ଅସି ଏବେ ତୋହରି ଶିର ଛେଦନ କରୁ । ପାପିଷ୍ଠର ଦୁଇହାତ ଛିଡ଼ିଛି । ଏହି ଗଲା ପ୍ରାଣ ।)
ଶ୍ରୀକୃଷ୍ଣ- ଅର୍ଜ୍ଜୁନ ! ମୁଁ ଅଶ୍ୱଗଣଙ୍କୁ ତୃଣ-ଜଳ ଦେଇ ରଥରେ ଯୋଚିଲି । ଏବେ ଚାଲ, ଆହୁରି ଅନେକ ସମୟ ଲାଗିବ । ବୋଧହୁଏ ବେଳ ଅଣ୍ଟିଲା ପରି ଲାଗୁନାହିଁ ।
ଅର୍ଜ୍ଜୁନ- ଯାଦବେନ୍ଦ୍ର ! ଆଗ କର୍ଣ୍ଣ ନିକଟକୁ ରଥ ଚଳାଇ ଦିଅନ୍ତୁ ।(ଉଭୟ ପ୍ରସ୍ଥାନ)(ଦୁର୍ଯ୍ୟୋଧନ ନିକଟରେ ଅସ୍ତବ୍ୟସ୍ତ ହୋଇ ଦୂତ ପ୍ରବେଶ)ଦୁର୍ଯ୍ୟୋଧନ- କି ଦୂତ ! ଏତେ ଅସ୍ତବ୍ୟସ୍ତ କିମ୍ପା ?କି ଘଟିଲା ଘଟଣା ଏପରି, ତେନ୍ରୁ ବହେ ବାରି ?କର ମୋର ଆଗେ ପରକାଶ ।ଦୂତ- କୁରୁରାଜ ! ଶୁଣନ୍ତୁ ସେ ଅଦ୍ଭୁତ ଘଟଣା, ବୁଦ୍ଧି ହେବ ବଣା ।ଭୀମସେନ ସଙ୍ଗେ ଘେନି ସହଦେବ ନକୁଳ ଦୁହିଙ୍କିକୁରୁସେନାଗଣେ ପକାଉଛି ଦଳି, ଯେହ୍ନେ ଗଜ ଦଳେ ପଦ୍ମବନ ।ଦେଖୁ ଦେଖୁ ସେହିକ୍ଷଣି ସାତ୍ୟକି ସହିତେ ଭୁରିଶ୍ରବା କରନ୍ତେ ସମର,ଧରି ସାତ୍ୟକିର କେଶ ଖଡ଼୍ଗ ଉଚାବନ୍ତେ ସେହି,ରଖ ହେ ଅର୍ଜ୍ଜୁନ ବୋଲି ଡାକିଲା ସାତ୍ୟକି ।ତହୁଁ ଶୂନୁ ଆସି ଏକ ବାଣ ଭୁରିଶ୍ରବା ବେନିବାହୁ ପକାଇଲା କାଟି ।ଅସ୍ତ୍ର କରୁ ପଡ଼ିଗଲା ଝଡ଼ି, ଧରି ତାର ଖଡ଼୍ଗ ସେ ସାତ୍ୟକି, ତତକ୍ଷଣେ ଭୁରିଶ୍ରବା ମୁଣ୍ଡକୁ କାଟିଲା ।ଏହାପରେ ତେଣେ ଭୀମ ଏକାବେଳେ ଧରିତୁମ୍ଭ ଦଶଗୋଟି ଭାଇ ମାରିପକାଇଲା ପିଟି ।ତା’ପରେ ଆମ୍ଭେ ଆମ୍ବ ତୋଳନ୍ତି ଯେମନ୍ତ,ସେହିପରି କଲା ବାୟୁସୁତ ।
ଦୁର୍ଯ୍ୟୋଧନ- କି କହିଲୁ ଦୂତ ! ଦେଖୁ ଦେଖୁ ଦଶଗୋଟା ଭାଇଙ୍କି ମୋହରି ମାଇଲା ସେ ଭୀମ ? ଏହିକ୍ଷଣି ବଧିବି ତାହାକୁ । କେହି କିରେ ନଥିଲେ ସେଠାରେ ? ଚାଲ ଦୂତ ! ଆଉ ରକ୍ଷା ନାହିଁ; ମାରିବି ଭୀମକୁ । (ଉଭୟ ପ୍ରସ୍ଥାନ)
(କୃଷ୍ଣ ଅର୍ଜ୍ଜୁନର ପ୍ରବେଶ)ଶ୍ରୀକୃଷ୍ଣ- ଅର୍ଜ୍ଜୁନ ! ନାହିଁ ବେଳ ଭେଦିବାକୁ ବ୍ୟୂହ, କି କରିବା କହ ।ଗୀତ- (କୀର୍ତ୍ତନ ସୁର)ବ୍ୟୂହ ଭେଦିବାକୁ ବେଳ ନଅଣ୍ଟିବ ପାର୍ଥରେଦେଖୁ ଦେଖୁ ଏତେ ଶ୍ରମ ହେଉଛି ବିଅର୍ଥରେ ।ପଦ ।ରବିସୁତ ସଙ୍ଗେ ରଣ କରୁ କରୁ ତୁ’ତୁରେତେଣେ ବାରୁଣୀ ଚୁମ୍ବିଲେ ସେହି ରବି ରଥରେ ।୧।ଜାଣୁଅଛି କେବେ ନମରିବ ଜୟଦ୍ରଥରେକିମ୍ପାଇ କରିଲୁ ବୀର ଏଡ଼େକ ଶପଥରେ ।୨।ଯିବାକୁ ପଡ଼ିବ ଆଉ ଚାରିକ୍ରୋଶ ପଥରେଦେଖୁ ଦେଖୁ ଆସି ବାମ ହେଉଛି ବିଧାତାରେ ।୩।କେହ୍ନେ ପଶିବୁ ବହ୍ନିରେ ବଳିବ ତୋ ସତରେନ ଚଳଇ ହସ୍ତପଦ ବଇ କହେ ଗୀତରେ ।୪।ଅର୍ଜ୍ଜୁନ- ଇଚ୍ଛାମୟ ! ଯାହା ଇଚ୍ଛା ତୋର, ନଜାଣେ ମୁଁ କିଛି ।ତୋର ଇଚ୍ଛାବଳେ ନାଥ ଚଳେ ଏ ଜଗତ ।ଚନ୍ଦ୍ର ସୂର୍ଯ୍ୟ ହୋନ୍ତି ଆତଯାତ, ସେ ମଧ୍ୟ ତୋର ଇଚ୍ଛାବଳେ ।ତୋର ଇଚ୍ଛାବଳେ ସହସ୍ରଶିରେ ଅନନ୍ତ ଧରିଛନ୍ତି ଧରା ।ଇଚ୍ଛାରେ ତୋ ଇନ୍ଦ୍ର ଭବେ ବରଷଇ ବାରି;ମୋ ଇଚ୍ଛାରେ ନହୋଇବ କିଛି ।ଅଛି ପ୍ରହରେକ ଦିନ ଅବଶେଷ, ଶୀଘ୍ର ଶୀଘ୍ର ଚଳା ନନ୍ଦିଘୋଷ ।ତବ କୃପା ହେଲେ କୃପାନିଧି !ନିମିଷକେ ସହସ୍ର ଶକଟ-ବ୍ୟୂହ ମୁଁ କରିପାରେ ଧ୍ୱସଂ ।ଶ୍ରୀକୃଷ୍ଣ- ହଉ ତେବେ ଶୀଘ୍ର ଶୀଘ୍ର ଆସ । (ଉଭୟ ପ୍ରସ୍ଥାନ)(ନିୟତି ପ୍ରବେଶ)ଗୀତ- (ଆହା କେଡ଼େ ସୁନ୍ଦର ଦେଖ ଗୋ...ବୃତ୍ତେ)ଦେଖ ମନ ନବଘନ ବରଜହରିବିଜେ ନନ୍ଦିଘୋଷପରେ ବ୍ରଜବିହାରୀ ।ପଦ ।ଭକତ ଭାବରେ ବନ୍ଦି ହୋଇ କେଡ଼େ ଦୟାନିଧିବିଶ୍ୱବାସୀ ଅଶ୍ୱରଶି ଅଛନ୍ତି ଧରି ।୧।ଭିଣୋଇର ହୋଇ ଭୃତ୍ୟ ଚଳାନ୍ତି ଭାରତେ ରଥପାପୀ ହୁଅନ୍ତି ମୁକତ ସେଯୋଗେ ମରି ।୨।ସେ ନିମନ୍ତେ ରଣକ୍ଷେତ୍ର ସକଳକାଳେ ପବିତ୍ରମର ବୀରେ ଯାଅନାହିଁ ସେଠାରୁ ଫେରି ।୩।ଛଳରେ ଅରିଗରବ ଗଞ୍ଜିବେ ରୁକ୍ମିଣୀ-ଧବବଇ ବୋଲେ କେହି ତା ନପାରିବେ ବାରି ।୪।