ଦ୍ୱିତୀୟ ଦୃଶ୍ୟ — ଜୟଦ୍ରଥବଧ ବା ଶକଟବ୍ୟୂହ-ଭେଦ — ବୈଷ୍ଣବ ପାଣି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ଦୃଶ୍ୟ
(ରାଣୀହଂସପୁର-ଭାନୁମତୀ ଓ ଦୁଃଶୀଳା ପ୍ରବେଶ)
ଦୁଃଶୀଳା- ନୂଆବୋହୂ ! ମୁଁ କି ସତେ ବଞ୍ଚିବି । ରଣରେ କି କଥା ଘଟିଲା କିଛି ଜଣାଗଲା ନାହିଁ । ଆଜି ବସି ଦୁଇପ୍ରହର ସମୟରେ ଏକାକୀ କାନ୍ଦୁଥିଲି; ଲୁହ ପୋଛୁ ପୋଛୁ କାହିଁକି ହଠାତ୍ ମୋ ମୁଣ୍ଡର ସିନ୍ଦୂର ପୋଛିହୋଇଗଲା । ତେତେବେଳୁ ଏ ମନରେ ନାନା କଥା ଉଦୟ ହୋଇ ହୃଦୟକୁ କନ୍ଦାଇଦେଉଛି । ତୁମ୍ଭର ମୋର କ’ଣ ଏ ଜନ୍ମରେ ଆଉ ଦେଖା ହେବ ନାହିଁ ?
ଭାନୁମତୀ- ନଣନ୍ଦେ ! ମୁଁ ପରା ବାରମ୍ବାର ତୁମକୁ ମନାକଲି, ସେ ଅମଙ୍ଗଳ କଥା ମନକୁ ଆଣ ନାହିଁ । ତୁମେ ପୁଣି ସେ କଥା ମନରେ ସ୍ଥାନ ଦେଇ କାନ୍ଦୁଛ ? ଛି, ସେପରି ହୁଅନା, ଆଉ ସନ୍ଧ୍ୟା ହେବାକୁ ଅଳ୍ପ ସମୟ ଅଛି । ଏତେବେଳଯାଏ ଅର୍ଜ୍ଜୁନ ସଙ୍ଗେ ତୁମ ସ୍ୱାମୀଙ୍କର ରଣ ହୋଇନାହିଁ । ଆଉ ଗୋଟିଏ କଥା- ଅର୍ଜ୍ଜୁନ ନିଆଁରେ ପଶିବ ବୋଲି ଦୁଃଶାସନ ଚନ୍ଦନ ଘୃତ ଆଦି ନେଇଯିବା କଥା ମୁଁ ଦାସୀଠାରୁ ଶୁଣିଛି । ଏ କଥାରେ ଯେବେ ତୁମର ବିଶ୍ୱାସ ନହୁଏ ଦାସୀକୁ ଡାକିଆଣି ତୁମ ମନକୁ ମନେଇଦେବି । କାନ୍ଦନା, ମୁଁ ଈଶ୍ୱରଙ୍କୁ ଡାକୁଛି, ତୁମ ସ୍ୱାମୀଙ୍କର ଶତ୍ରୁ ମରୁ ।
ଦୁଃଶୀଳା- ଭାଉଜ ! ମୁଁ କ’ଣ ମନକୁ ବୋଧଦେଉନାହିଁ; କିନ୍ତୁ ଅବୋଧ ହୃଦୟ କେଭେ ବୋଧ ନମାନି ବେଳକୁ ବେଳ ବେଶି ଦଗ୍ଧ ହେଉଛି ।ଗୀତ- (ରଖି ପାରିବ ଏପରି କେ...ବୃତ୍ତେ)କାଳିପଡ଼ିଲାଣି ମୋର ଚୁଡ଼ିବାହି, ଆଗୋ ମହାଦେଈ,ତାହା ଦେଖି ଚିତ୍ତ ହୋଇଯାଏ ଦହି, ଆଗୋ ମହାଦେଈ ।ପଦ ।ଅନ୍ଧାର ଦିଶଇ ଦଶଦିଶ, ଚନ୍ଦ୍ର ବିନା ରାହୁ କଲା ଗ୍ରାସ,ଉରଦେଶ ତିନ୍ତିଲାଣି ଲୁହ ବୋହି ଗୋ, ଆଗୋ ମହାଦେଈ ।୧।ରଙ୍କ ହଜାଇଲା ପରି ଧନ, ତୁଚ୍ଛା ଲାଗୁଅଛି ତ୍ରିଭୁବନ,ଟେକ ଭାଙ୍ଗିଲା କି ସତେ ମନ୍ଦ ବିହି ଗୋ, ଆଗୋ ମହାଦେଈ ।୨।ଜୀବବନ୍ଧୁ ବିନା ଜୀବ ମୋର, ତେଜିଯିବ ଜୀବଧରପୁର,ଶିବ ଅଶିବ ହେବ ଜାଣୁଛି ମୁହିଁ ଗୋ, ଆଗୋ ମହାଦେଈ ।୩।ଭୁଲାଇଲେ ଭାଷି ନାନା କଥା, ନଭୁଲିବ କେବେ ଘୋର ଚିନ୍ତା,ପିତା ମଧୁର କି ଲାଗେ ଭଣେ ବଇ ଗୋ, ଆଗୋ ମହାଦେଈ ।୪।
ଭାନୁମତୀ- ସିନ୍ଧୁରାଜରାଣୀ ! ମନର ଗତି ସେ ନଈସୁଅ ପରି । ସେ ସୁଅକୁ ବାଧାଦେବା ଶକ୍ତି କା’ ର ? ଯେତେବେଳେ ନଦୀ ତଳକୁ ବୋହିଯାଉଥାଏ ତାକୁ ବନପର୍ବତ ବୃକ୍ଷଲତା ସମ୍ମୁଖରେ ବାଧା ଅଟକାଇପାରନ୍ତି କି ? ଶେଷରେ ସେମାନେ ବି ସମୟ ସମୟରେ ସେହି ପ୍ରଖର ସ୍ରୋତରେ ପଡ଼ି ତଳକୁ ଗଡ଼ିଯାନ୍ତି । ଦେଖୁଛି ତୁମ୍ଭଙ୍କୁ ବୁଝାଉ ବୁଝାଉ, ତୁମ୍ଭ କ୍ରୋଧ ଦେଖି ମୋ ମନରେ ଆସି କ୍ରୋଧ ପହଞ୍ଚିଯାଉଛି । ଚାଲ, ଦୁହେଁ ରଣଚଣ୍ଡୀଙ୍କ ମନ୍ଦିରକୁ ଯାଇ ତାଙ୍କୁ ମନଦୁଃଖ ଜଣାଇବା । (ଦୁଃଶୀଳାର ଲୁହ ପୋଛି କର ଧରି ପ୍ରସ୍ଥାନ)
ତୃତୀୟ ଦୃଶ୍ୟ
(ରଣଭୂମି ରଣଚଣ୍ଡୀଙ୍କର ନୃତ୍ୟଗୀତ)ବଜାଇ ବଜାଇ ନାଚ ମଡ଼ାମୁଣ୍ଡ-ଖୋଳ ଗୋଘୋଡ଼ାମୁଣ୍ଡ ପେଣ୍ଡା ଗଳେ ମୁଣ୍ଡ ମାଳ ମାଳ ଗୋ ।ପଦ ।ହାତିଶୁଣ୍ଢ ବୀଣଂଦଣ୍ଡୀ କର, ଲଗା ନାଡ଼ିମାନ ଚାହିଁ ତାରମଣିଷର ଆଖି ନଖିକରା ସଖୀ ହରଷରେ ଖେଳ ଗୋ ।୧।କବନ୍ଧ ପିଠିରେ କୁଦ ଡେଇଁ, ଗୋବିନ୍ଦ ନାମ ଆନନ୍ଦେ ଗାଇକହ ହର ହର ଶିବ ଶଙ୍କର ମହାକାଳ କାଳ ଗୋ ।୨।ହାଡ଼ଅନ୍ତ କରି ତନ୍ତ, ତାକୁ ପଇତା କରି ପକା ଗୋ ମିତଯୋଡ଼ା ଯୋଡ଼ା ଘୋଡ଼ା ଚମଡ଼ା ବିଛାଇ ଗଡ଼ିବା ତଳ ଗୋ ।୩।
ବିକଟ ହୁଙ୍କାର ଛାଡ଼ି ରଡ଼ି କରି, ଛିଡ଼ିବ ଆକାଶ ଝଡ଼ିପଡ଼ୁ ଗିରି
ବଇଆ ବୋଲେ ଏ ରକ୍ତନଈକି ପହଁର ନମିଳେ ଆଳ ଗୋ ।୪।
୧ମ- ଚା, ଚିଇଁ, ଚି ଚିଇଁ, ଚି ଚିଇଁ, ଚି
୨ୟ- ଚା, ହାଁ ହିଃ ହିଃ ହିଁଃ
୩ୟ- ଚା, ହାଁଃ ହିଁଃ ହାଃ ହାଃ
୪ର୍ଥ- ଚା, ହୋଁଃ ହୋଁଃ ହୋଁଃ ହୋଁଃ
ସମସ୍ତେ- ଚା, ଚିଇଁଚି ଚିଇଁଚି ଚିଇଁଚି । (ନାଚି ନାଚି ସମସ୍ତେ ପ୍ରସ୍ଥାନ)
ଚତୁର୍ଥ ଅଙ୍କ
ପ୍ରଥମ ଦୃଶ୍ୟ
[ରୈବତ ପର୍ବତ ନିକଟବର୍ତ୍ତୀ ସ୍ଥାନେ ଜୟଦ୍ରଥ ଏକାକୀ ପ୍ରବେଶ]ଜୟଦ୍ରଥ- (ଦୀର୍ଘ ନିଃଶ୍ୱାସ ତ୍ୟାଗକରି ସ୍ୱଗତ)
ଓଃ, ଆଉ ଦଉଡ଼ିପାରିବିନାହିଁ, ହସ୍ତପଦ ଅବସନ୍ନ ହୋଇଗଲା । ଜାଣୁଛି, ପ୍ରାଣବାୟୁ ଦେହରୁ ଣାଘ୍ର ବାହାରିଗଲାପରି ବୋଧହେଉଛି । ଏ ଯେ ରୈବତ ଗିରି । ଏଣିକି ପଳାଇବାକୁ ଆଉ ପଥ ପାଉନାହିଁ । ଗିରିଶୃଙ୍ଗ ଅତିକ୍ରମ କରି ଅପରପାର୍ଶ୍ୱକୁ ଯିବାକୁ ମଧ୍ୟ ଶକ୍ତି ନାହିଁ । ଏପରି ସ୍ଥଳେ କି ଉପାୟ କଲେ ରକ୍ଷାପାଇବି । ଏଇ ଯେ- କୃଷ୍ଣାର୍ଜ୍ଜୁନ ମୋ ପଛେପଛେ କ୍ଷିପ୍ର ଗତିରେ ଧାଇଁଛନ୍ତି । ହେଇ ହେଇ, ଅତି ନିକଟ ହୋଇଗଲେ, କି ବୁଦ୍ଧି କରିବି । ପଛକୁ ଚାହିଁ ଦେଖିଲି, କେହି ଜଣେ କୌରବ ସେନା ମୋ ସଙ୍ଗରେ ନାହିଁ । ରେ ସଂସାର ! ତୋର ଗତି ବଡ଼ ବିଚିତ୍ର । ଯାହାପାଇଁ ଆଜି ଏ ଦଶା, ସେ ମାନଗୋବିନ୍ଦର ମାନ ରକ୍ଷା ନିମନ୍ତେ ସିନ୍ଧୁକଟକ ଛାଡ଼ି ନିଜ ଜୀବନକୁ ସମାନ୍ତରାଳରେ ଆହୁତି ଦବାକୁ ଯାଇଥିଲି, ସେ ଏତେବେଳେ କାହିଁ ? ବୁଝିଲି ଜଗତ କେବଳ ସ୍ୱାର୍ଥର ବଶବର୍ତ୍ତୀ । ମୁଁ ଜାଣିଛି ଶରଣାଗତକୁ କଦାପି ବୀରମାନେ ଅସ୍ତ୍ର ପ୍ରହାର କରନ୍ତି ନାହିଁ । ଶରଣ ଶରଣ କହି ଅର୍ଜ୍ଜୁନର ଚରଣ ଧରି ମହୀରେ ଶୋଇବି । ଦେଖେଁ, ଯେଉଁ ପାର୍ଥ ସତ୍ୟ ପାଳନ କରିବା ନିମନ୍ତେ ନିଜ ପ୍ରାଣକୁ ଝାସିବାକୁ ଯାଉଥିଲା, ସେ କଦାପି କ୍ଷତ୍ରିୟ ଧର୍ମ ପାଳନରେ କୁଣ୍ଠିତ ହେବନାହିଁ । ଆସିଲା, ଆସିଲା ।
ଅର୍ଜ୍ଜୁନ- ରେ ବାଳକହତ୍ୟାକାରୀ ଅଧମ ନାରକୀ,ରେ ପିତୃଦ୍ୱେଷୀ ବୀରାଧମ ଜୟଦ୍ରଥ !ଏବେ ମୋର ପଡ଼ିଛୁ ସମ୍ମୁଖେ ।ଯିବୁ କେଉଁ ଦିଗେ, ଆରୋହଣ କର ଦୁଷ୍ଟ ଗିରିଶୃଙ୍ଗପରେ ।ଏହି ଦେଖ ଗିରିଧାରୀ କୃଷ୍ଣ ଅଛି ମୋ ସଙ୍ଗରେ ।ନପଳାଇଣ ଛିଡ଼ା ହେଲୁ କିମ୍ପା ?ଭୀରୁ ପଳାୟିତ ଅପମାନିତ ସିନ୍ଧୁପତି !ଏହି ଶରେ ଛେଦିଲି ତୋ ଶିର ।ଏତେବେଳେ କାହିଁ ଦୁର୍ଯ୍ୟୋଧନ ?ରକ୍ଷାକରୁ ଆସି ପାର୍ଥ-ଶର ସମ୍ମୁଖରୁ ।(ଶର ଦେଖାନ୍ତେ ଜୟଦ୍ରଥ ଅର୍ଜ୍ଜୁନର ପଦଧାରଣପୂର୍ବକ ମହୀରେ ପତନ)ଜୟଦ୍ରଥ- ଦ୍ୱାହି ବୀରବର ! ତୋ ପାଦରେ ପଶିଲି ଶରଣ । ହେ କିରୀଟି ! ରକ୍ଷାକର, ରକ୍ଷାକର, ରକ୍ଷାକର ଥରେ ।ଗୀତ- (କୀର୍ତ୍ତନ ସୁର)ଦିଅ ପ୍ରାଣଦାନ ବାସବନନ୍ଦନ ନ ମାର ଶରଣାଗତେତୁ ମାରିଲେ କେହି ତ୍ରାଣକର୍ତ୍ତା ନାହିଁ ସାହା ହେବ ଆସି ଏଥେ ।ସବ୍ୟସାଚୀ ଶ୍ୱେତବାହନ କିରୀଟି ପାର୍ଥ ନାମ ପରହିତେବିଜୟ ଫାଲ୍ଗୁନୀ ଗାଣ୍ଡିବୀ ଅର୍ଜ୍ଜୁନ ଧନଞ୍ଜୟ ଏ ଜଗତେ ।କୃଷ୍ଣ ଜିଷ୍ଣୁ ଦଶ ନାମ ଅରଜିଛୁ ରଖି ଯଶ ଏ ମରତେନୋହିବ ଶେଷ କ୍ଷମା କରିବୁ କରିଛି ଦୋଷ ଯେତେ ।ମୋତେ ମାରିବ, ଯେବେ ମାରିବ, ତୋର ସୁତ କି ଅମରୁ ଫେରିବମନରୁ କି ସୁଧାନଦୀ ଝରିବ, ମାତ୍ର ମନର କାମନା ପୂରିବବଇ ରଚେ ଜୀତ ମହତର ବାଣୀ ନଟଳଇ କଦାଚିତେ ।ଅର୍ଜ୍ଜୁନ- ଯଦୁନାଥ !ନ ମାରିବ କେଭେ ଜୟଦ୍ରଥେ,ଦେଖ ତେଜ୍ୟା କଲି ଏ ଗାଣ୍ଡୀବ ।ଏହି ଦେଖ ତ୍ୟାଗ କଲି ଅସି ନ ନାଶିଚି ସିନ୍ଧୁପତି ପ୍ରାଣପଳାୟିତ ରଥଚ୍ୟୁତ ରଥୀ ଅସ୍ତ୍ରହୀନ ପୁଣି, ଭୟାତୁରେ ଯେହୁରଣ ତେଜି ପଶଇ ଶରଣ, ରୋଗୀ ଋଣୀ ଦୂତ,ଏମାନେ ଅବଧ୍ୟ କାଳେ କାଳେ ।ଆଉ ଦେଖ, ଶ୍ୱଶୁର ପିଅର ନାରୀକୁଳେ ଗୁରୁବିପ୍ର ଅତିଥି ଭୃତ୍ୟଙ୍କୁଦୋଷ କଲେ କ୍ଷମାଦେବ ଦଣ୍ଡକୁ ନଦେଇ ।ବିଶେଷରେ ଜୟଦ୍ରଥ ପଳାୟିତ ଭୟାତୁର ଅସ୍ତ୍ରହୀନ ଅଟେ ।ଆଗରୁ ଶରଣ ଶରଣ ବୋଲି ବୋଲୁଛି ମୁଖରେ ।ଧରି ବାରେ ମୋ ବେନି ଚରଣହେଉ ପଛେ ପୁତ୍ର ଅରି, ନ ବଧିବି କେଭେ ଏହା ପ୍ରାଣ ।(ଗାଣ୍ଡୀବ ଓ ଅସି ଭୂତଳେ ନିକ୍ଷେପ)ଶ୍ରୀକୃଷ୍ଣ- ଜ୍ଞାନଶୂନ୍ୟ ହେଲୁ କି ଅର୍ଜ୍ଜୁନ !ବିଶେଷେ ଏଣେ ପୁତ୍ରର ଅରାତି ଶୁଣିଥିଲୁ ଧର୍ମରାଜମୁଖୁ-ଏହି ଜୟଦ୍ରଥ ଯୋଗେ ମରିଛି ତୋ ସୁତ ।କେଉଁ ଧର୍ମହାନି ଏହୁ କରିନାହିଁ ?ଅଭିମନ୍ୟୁର ସମରେ ଏକ ବାଳକକୁ ବେଢ଼ିକରିସପ୍ତରଥୀ ଏକକାଳେ ଅସ୍ତ୍ରଶସ୍ତ୍ର କରିଲେ ପ୍ରହାରଏ କି ନୁହଁଇ ଅନ୍ୟାୟ ?କେଉଁ ଧର୍ମେ ଅଛି ଏହା ଲେଖା-ରଣଚ୍ୟୁତ ଅସ୍ତ୍ରହୀନ ହୋଇ ସୁତ ତୋରମାଗିଲା ଖଣ୍ଡିଏ ଅସି କେତେ ଅନୁନୟେ,ଦେଲେନାହିଁ ଏ ପାପିଷ୍ଠମାନେ ।ଶେଷେ ପାଣି ପାଣି କହି ବତ୍ସ ତେଜିଲା ପରାଣ ।ନିରସ୍ତ୍ର ରଥୀକି କେହ୍ନେ ଅସ୍ତ୍ର ମାରିଚକ୍ରବ୍ୟୂହ ମଧ୍ୟେ ଅସହାୟେ ପକାଇଲେ ମାରି ?ଯାର ଯେମନ୍ତ ପ୍ରକୃତି, ତାର ତୁଲେ ଆଚରିବ ସେହିପରି ରୀତି ।ଲେଖା ନାହିଁ ପୁରାଣରେ ଅଧର୍ମୀ ସହିତ ଧର୍ମ ପାଳିବାର କଥା ।କପଟପଶା ଦଶା କି ଭୁଲିଗଲୁ ଏକାବେଳେ ମନୁ ?ଏକବସ୍ତ୍ରା ରଜସ୍ୱଳା ଭ୍ରାତୃବଧୂକୁ ଆଣିଣକେଉଁପରି କଲେ ବିବସନ ଦୁଷ୍ଟେ କୁରୁସଭା ତଳେ,ନଥିଲା କି ତେତେବେଳେ ଧର୍ମକରିବାର ?ନଥିଲେ କି ପୁରାଣ-ଲେଖକ ଋଷିବୃନ୍ଦ ?କପଟୀକି ଜିଣିବ କପଟେ, ଧର୍ମଶାସ୍ତ୍ର ମର୍ମ ଏହା ଅଟେ ।କିନ୍ତୁ ସବୁଠାରୁ ଶ୍ରେଷ୍ଠ ଧର୍ମ ଅଟେ ପ୍ରତିଜ୍ଞା ପାଳନ ।ଗୀତ- (ତେଜ ତେଜ ଚିନ୍ତା ଚିତ୍ତୁ...ବୃତ୍ତେ)କର କର ବୀରବର ପ୍ରତିଜ୍ଞା ପାଳନରେମୋହର ଗିରକୁ କେଭେ ନକର ହେଳନ ରେ ।ପଦ ।ଏ ଦୁଷ୍ଟେ ନାଶିବା ପାଇଁ, କହିଛୁ ମୋ ପାଦ ଛୁଇଁ,ସତ୍ୟଭଙ୍ଗ କଲେ ଯମ ନର୍କେ ଦେବ ସ୍ଥାନରେ ।୧।ନିଜର ଆତ୍ମରକ୍ଷଣ, ଧର୍ମ ମଧ୍ୟେ ଶ୍ରେଷ୍ଠ ଜାଣ,ଏ ବଞ୍ଚିଲେ ତୁ ଅନଳେ ତେଜିବୁ ଜୀବନରେ ।୨।ସ୍ୱହସ୍ତେ ଚିତା ସଜାଇ, ପଶୁଥିଲୁ ଏହା ପାଇଁ,ଏତେ ଶୀଘ୍ର କିପରି ତୋ ଭୁଲିଗଲା ମନରେ ।୩।ସେ ଚିତା ନିକଟେ ଏହି. କେତେ କଟୁ କହିନାହିଁ,ବଇ ବୋଲେ ଧର ତୁ ଗାଣ୍ଡୀବ ଶରାସନରେ ।୪।ଅର୍ଜ୍ଜୁନ- ଦୟାମୟ ହରି ! ଧର୍ମାଧର୍ମ ପାପପୁଣ୍ୟ ବିଚାରକରତାତୁହି ଅଟୁ ନାରାୟଣ । କି ସାଧ୍ୟ ଅର୍ଜ୍ଜୁନ ଲଙ୍ଘିବ ତୋର ଉପଦେଶ ?ପ୍ରକୃତରେ ରାକ୍ଷସ ଏମାନେଦୟାମାୟା-ଶୂନ୍ୟ-ହୃଦ କାଳେ କାଳେ ଅଟେ ଏମାନଙ୍କ ।ଏମାନେ ଅଟନ୍ତି ଆତତାୟୀ ।ଷଡ଼ଗୁଣ ରହିଥାଏ ଆତତାୟୀଠାରେ ।ପ୍ରଥମେ ଯେ ଯୋଡ଼ି ପରଗୃହ ପ୍ରାଣୀ ନାଶେ,ଦ୍ୱିତୀୟରେ ଯେହୁ ବିଷ ପ୍ରାଣୀକି ଭୁଞ୍ଜାଏ,ତୃତୀୟରେ ଅସ୍ତ୍ର ସଦା ଘେନି ଯେ ବୁଲଇ,ଚତୁର୍ଥରେ ପରଧନ କରେ ଯେ ହରଣ,ପଞ୍ଚମରେ ପରଭୂମି ଯେହୁ ବଳେ ନିଏ,ଷଷ୍ଠେ ହରଇ ଯେ ପରନାରୀ-ଏ ଗୁଣମାନ ରହିଛି କୌରବ ପକ୍ଷରେ ।ଜତୁ-ଗୃହଦାହ, ଭୀମେ ବିଷଲଡ଼ୁ ଦାନ,ଅସ୍ତ୍ରହସ୍ତ ଅଟନ୍ତି ତ ସହଜେ ଏମାନେ,କପଟପଶାରେ ନେଲେ ଆମ ରାଜ୍ୟ ଧନ-ଦ୍ରୌପଦୀକୁ କଲେ ବିବସନ ଆଣି କୌରବ ସଭାରେ,ରଖିବା ଲୋଭରେ ଡାକୁଥିଲା ଦୁର୍ଯ୍ୟୋଧନ ।ବୁଝିଲି ବୁଝିଲି ଏହାଙ୍କ ବିନାଶେ ଲେଶ ଦୋଷ ହେବନାହିଁ ।ରେ ପାପୀ-ଶିରୋମଣି ଜୟଦ୍ରଥ !ଏଇ ଦେଖ ନେଲି ତୋର ପ୍ରାଣ । (ଜୟଦ୍ରଥର ପଳାୟନ, ଅର୍ଜ୍ଜୁନର ଶର ନିକ୍ଷେପ)
ଦ୍ୱିତୀୟ ଦୃଶ୍ୟ
(ଯୁଧିଷ୍ଠିର ଓ ଭୀମ ପ୍ରବେଶ)ଯୁଧିଷ୍ଠିର- ରେ ମାରୁତି ! କମ୍ପେ ଦମ ଦମ ଛାତି ମୋର,ଦେବଦତ୍ତ ପଞ୍ଚଜନ୍ୟ ଶଙ୍ଖଧ୍ୱନି କିମ୍ପା ନବାଜେ କର୍ଣ୍ଣରେ ?ନମଲା କି ସିନ୍ଧୁରାଜପୁତ୍ର ବୀରବର ଅର୍ଜ୍ଜୁନ ବାଣରେ ?ଅବଶିଷ୍ଟ ଆଉ ଅଛି ବେଳ ଦୁଇ ଦଣ୍ଡ-ଏଥିମଧ୍ୟେ ଘଟିଛି କି କାଣ୍ଡ ?ହୋଇଲାଣି ଯୁଦ୍ଧ ଅବସାନ, କିମ୍ପା ନଫେରେ ଅର୍ଜ୍ଜୁନ ?କୃଷ୍ଣ ତୁଲେ ଯାଇଥିଲୁ ରଣସ୍ଥଳେ ତୁହି, କିସ ଜାଣୁ କହ ମୋତେ ଭାଇ !ଭୀମ- ଧର୍ମରାଜ ! କୃଷ୍ଣାର୍ଜ୍ଜୁନ ବ୍ୟୂହ ଭେଦ କରିବାର ବେଳେମିଳନ୍ତେ ସେ ଶକଟର ପଞ୍ଚମ ଫଳିର ପାଶେମେଘାଚ୍ଛନ୍ନ ହେତୁ ନଦିଣିଲା ରବିରଥ ଗଗନପଥରେ ତହୁଁ ।ସର୍ବେ ପାଞ୍ଚିଲେ ଚିତ୍ତରେ ରବି ଅସ୍ତ ହେଲା ବୋଲି ।ସ୍ୱହସ୍ତେ ଚିତା ପ୍ରସ୍ତୁତ କଲା ଅରଜୁନତେଜିବ ଜୀବନ ହୋଇ ପ୍ରତିଜ୍ଞାଆୟତ୍ତ ।ଦୁର୍ଯ୍ୟୋଧନ ଯୋଗାଇଲା ଘୃତ ଓ ଇନ୍ଧନ,ଏହା ଦେଖି ଜଡ଼ସମ ହେଲା ଆମ ଗତି ।ମେଲାଣି ମାଗିଣ ପାର୍ଥ ସମସ୍ତଙ୍କଠାରୁଅଗ୍ନିରେ ଝାସିବାକାଳେ ଜୟଦ୍ରଥ ହୋଇଲା ପ୍ରବେଶ ସେହିଠାରେ ।ସେହି କାଳେ ସୂର୍ଯ୍ୟମୁଖୁ ମେଘରାଶି ହୋଇଲା ଅନ୍ତରଦେଖିଲୁ ସରବେ ଅଛି ଅଷ୍ଟଦଣ୍ଡ ବେଳ ।ତହୁଁ କୌରବେ ହୋଇଲେ ବାକ୍ୟହୀନପଳାଇଲା ଜୟଦ୍ରଥ ପବନହୁଁ ଖରେ,ଧାଇଁଥିଲେ ପାର୍ଥ-କୃଷ୍ଣ ତାହାରି ପଛରେ ।ତତ୍ପରେ କି ଘଟିଲା ଜଣାଯାଇନାହିଁ ।ଯୁଧିଷ୍ଠିର- ଭୀମ ! ଜାଣିଲି ମୁଁ ସେହି ଯୋଗେ ନୀରବେ ବସିଛନ୍ତି କୌରବେ ।ଦମ୍ଭ ହେଲା ଚିତ୍ତ ଶୁଣି ତୋ ମୁଖୁ ଏ ଭାବ ।ନିଶ୍ଚେ ମରିବ ଜାଣୁଛି ବୀରବର ଅର୍ଜ୍ଜୁନ ହସ୍ତରେ ।ଆସ ଭୀମ ! ପାର୍ଥର ଫେରିବା ମାର୍ଗ ଚାହିଁ ବସିଥିବା ଆମ୍ଭେମାନେ ।(ଉଭୟ ପ୍ରସ୍ଥାନ)
ତୃତୀୟ ଦୃଶ୍ୟ
[ରଣବାଦ୍ୟ- ଯୁଦ୍ଧ କରୁ କରୁ କୃଷ୍ଣାର୍ଜ୍ଜୁନ ଓ ଜୟଦ୍ରଥ ପ୍ରବେଶ]ଅର୍ଜ୍ଜୁନ- ହେ ଯାଦବକୁଳଚନ୍ଦ୍ର !କହ ମୋତେ କରିବି ମୁଁ କେବଣ ଉପାୟ ?ଗୀତ- (କର୍ଣ୍ଣ ନିର୍ଦ୍ଦେଶ ଶୁଣ ହେ ସାଧୁଜନ...ବୃତ୍ତେ)ଥିଲେ ଉପାୟ କହ ହେ ଯଦୁନାଥ, କେଉଁପରି ମରିବ ଏ ଜୟଦ୍ରଥ ।ଯେତେବାର କାଟଇ ମୁଁ ଏହା ଶିର, ପୁଣି ଯୋଡ଼ିହୋଇଯାଏ ତେତେଥର ।କେଭେ ନୋହିବ ମୋ କରେ ଏ ସଂହାର, ଶେଷ ଜୀବ ଯିବା ସାର ହେଲା ମୋର ।ଥିଲି ତ୍ରେତାଯୁଗ କଥା କର୍ଣ୍ଣେ ଶୁଣି, ରାବଣର ମୁଣ୍ଡ କାଟୁ ରଘୁମଣିପଲକରେ ତାର ମୁଣ୍ଡ ଯାଏ ଯୋଡ଼ି, ଅଙ୍ଗ ଥରେ ତାର କଥା ମନେପଡ଼ି ।ସେହି ରାବଣ କି ଜୟଦ୍ରଥ ହୋଇ, ଜନମିଛି ସିନ୍ଧୁଦେଶେ କହ ଭାଇ,ସବୁ ଛେଦଭେଦ ହରି ତୋତେ ଜଣା, କିମ୍ପା ନକହୁ ହେଉଛି ବାଟବଣା,କିସ କଲେ ଏ ନୃଶଂସ ହେବ ନାଶ, ତୁମ୍ଭେ ଇଷ୍ଟ ମୋର ବଇଷ୍ଣବ ଭାଷ ।ଶ୍ରୀକୃଷ୍ଣ- ଧନଞ୍ଜୟ ! ନିରାଶ ନହୁଅ ତୁହି । ସେବି ପଞ୍ଚାନନେବର ପାଇଛି ଦୁର୍ଜନ, ତୋର ବିନୁ ଅନ୍ୟ ହସ୍ତେ ନମରିବ ସେହି ।ଦେଖୁଅଛୁ ଲାଗେ କଟାମୁଣ୍ଡ ତାହା ସେହି ସଦାଶିବ ବରେ ।ଅଛି ଏକ ଅଭୁତ ରହସ୍ୟ- ଏ ପାମର ଜୟଦ୍ରଥ ବିନାଶ କାରଣ ।(ଗୀତ)ବାୟୁବାଣ ବିନ୍ଧ ଇନ୍ଦ୍ରସୁତ, କାଟିପକା ଜୟଦ୍ରଥ ମାଥ ।ପଦ ।ସେହି ବାଣେ ଉଡ଼ାଇଣ ଦିଅ ତା ମୁଣ୍ଡ,କେଭେ ଶ୍ରମ ହେବ ନାହିଁ ଜାଣିଥା ପଣ୍ଡ ।ତପ କରେ ଦେଶେ ସିନ୍ଧୁରଥ ।୧।ଚକ୍ଷୁ ବୁଜି ତର୍ପଣ ସେ କରଇ ତହିଁ,ଅଞ୍ଜଳି କରିଣ ରଖି ତା’ କର ଦୁଇ ।ତାର ହସ୍ତେ ପକାଅ ତୁରିତ ।୨।ପିତା ଭସ୍ମ ହୋଇଯାଅ ବୋଲି କହିବ,ତେବେ ଏ ପାମର ଭସ୍ମ ହୋଇବ ।ଦୋଷୀ ଅଟେ ଏ ତାହା ସହିତ ।୩।ଏହା କଲେ ହେବ ତ ସ୍ୱକାର୍ଯ୍ୟ ସାଧନ,ଅଟଇ ଏ ପାମରର ମୃତ୍ୟୁବିଧାନ ।ବଇଷ୍ଣବ ଚିନ୍ତେ ଲକ୍ଷ୍ମୀକାନ୍ତ ।୪।ଅର୍ଜ୍ଜୁନ- ରେ ରେ ଶିଶୁଘାତୀ ପାତକୀ ଦୁର୍ଜନ !ଏହି ଦେଖ ବାୟୁବାଣେ ଗଲା ତୋ ଜୀବନ,ଏତେବେଳେ ରକ୍ଷାକରୁ ଆସି ଦୁର୍ଯ୍ୟୋଧନ ।(ଶର ନିକ୍ଷେପ, ଜୟଦ୍ରଥ ଶିର କାଟି ଉଡ଼େଇଦେବା, ଦେବଦତ୍ତ ଓ ପଞ୍ଚଜନ୍ୟ ଶଙ୍ଖଧ୍ୱନି, କୃଷ୍ଣାର୍ଜ୍ଜୁନ ପ୍ରସ୍ଥାନ)(ସିନ୍ଧୁପତି ସିନ୍ଧୁଦେଶେ କୃତାଞ୍ଜଳିପୁଟେ ନେତ୍ର ମୁଦି ଧ୍ୟାନେ ମଗ୍ନ)ସିନ୍ଧୁରାଜ- ହରି ! ଦୟାନିଧି ! କେତେକାଳ ଏ ବୃଦ୍ଧଜରାଜୀର୍ଣ୍ଣ ଘଟକୁ କଷ୍ଟ ଦେଉଥିବ ?ପାପାତ୍ମା ଜୟଦ୍ରଥ ମୋତେ ଏ ଯନ୍ତ୍ରଣାରେ ପକାଇଛିତା’ର କି ମୃତ୍ୟୁ ହେବନାହିଁ ?(ଏକାଳେ ଶୂନ୍ୟରୁ ଜୟଦ୍ରଥର କଟାମୁଣ୍ଡ ତା’ର ପିତା ସିନ୍ଧୁରାଜ ହସ୍ତେ ପତନ)ସିନ୍ଧୁରାଜ- କିଏରେ ପାମର ! ମୋର ତର୍ପଣ କିମ୍ପା ଭଗ୍ନ କଲୁ ଆସି, ଭସ୍ମ ହୁଅ ଏହିକ୍ଷଣି ତୁହି । (ଜୟଦ୍ରଥର ମୁଣ୍ଡ ଭସ୍ମହେବା)ସିନ୍ଧୁରାଜ- ଓଃ ! ଏ ଜଳିଗଲା କାହାର ମସ୍ତକ ?ଓହୋ ! ଏ ଯେ ସେହି ଜୟଦ୍ରଥର ଶିର !ଯାଏଁ ଏତେବେଳେ କରେ ସ୍ନାନ,ଏତେ ଦିନେ ପୁତ୍ର ମୋର ହୋଇଲା ନିଧନ । (ପ୍ରସ୍ଥାନ)(ନିୟତିର ପ୍ରବେଶ)(ଗୀତ)ଫଳେ ଦେଖ ଭାଇ ଏ ଖଳଜନ ପରାଭବ,ପାରହେଉଥିଲେ ବିନା ପବନରେ ମଝିରେ ବୁଡ଼ୁଛି ନାବ ।ପଦ ।ସଂସାରସାଗରେ ଏକା ଧର୍ମତରୀ ଭରସା ସବୁରି ଜାଣ,ତାକୁ ଯେ ଛାଡ଼ିବ ବିପଦେ ପଡ଼ିଛି, ସବୁ ଶ୍ରମ ଅକାରଣ ।୧।ସତ୍ୟ ପାଳିଥିଲେ ସଚରାଚର ତ ନମାଡ଼ିବ ଗୋଡ଼େ କଣ୍ଟା,ଦେଖ କୂଟବୁଦ୍ଧି କରି କଉରବେ ହେଲେ କେତେ ହଟହଟା ।୨।ଯେଉଁପରି ଭାଇ ଲୋଭୁଁ ହୋଏ ପାପ, ପାପରୁ ମରଣ ହୁଏସେହିପରି ଦେଖ କର୍ମରୁ ଧରମ, ଧରମରୁ ଜାଣ ଜୟେ ।୩।କାଳେ କାଳେ ଯା’କୁ ରଖନ୍ତି ଗୋବିନ୍ଦ ତାର କେ କରିବ ମନ୍ଦ,ବଇଷ୍ଣବ ବୋଲେ ବିଷ୍ଣୁ ପଦ ସାର, ଅସାର ଆଉ ସମ୍ପଦ ।୪।*ସମାପ୍ତ*