ପାର୍ବତୀ ବା ଗଙ୍ଗେଶ୍ୱର ଗୀତିନାଟ୍ୟ — ବୈଷ୍ଣବ ପାଣି · ସ୍ୱର୍ଣ୍ଣଲିପିନଟୀ ଗୀତ ଗାଇ ଗାଇ ପ୍ରବେଶଧୀରି ଧୀରି ଆସଇ ବହି ଶୀରି ଶୀରି ସଞ୍ଜ ପବନ- ବୃତ୍ତେବହିବାରୁ ମଳୟ ବାତ ଫୁଲ ଫୁଟି ଚହଟେ ବାସ ।ଲୁଟି ନିଏ ପରାଣ ମନ ଘନ ଘନ କୋକିଳ ଭାଷ ! ଘୋଷା ॥
ନୀଳ ନଭେ ତାରା ବିକଶେ ଶୋଭେ ଚାନ୍ଦ ପୂରୁବାକାଶେସତେ କି ସେ ପ୍ରକୃତି ରାଣୀ ଜାଣି ଶୁଣି ନ ଭାଷେ ଭାଷ ।୧।ମଣ୍ଡିକି ସେ ନବ ବସନ ଦେଖାଉଛି ନାନା ଫେସନ ।ଟପ ଟପ ନିଶି ଶିଶିର ବରଷଇ ଅମିୟ ରସ ।୨।ନଟର ପ୍ରବେଶ
ନଟ- ପ୍ରିୟେ ! ଆଜି ଯେଉଁ ବସନ୍ତକାଳୀନ ପ୍ରକୃତିରଞ୍ଜନ କବିତାଟି ଗାଇଲ ତାହା ଅତି ଉପଭୋଗ୍ୟ ହୋଇଛି ଆଚ୍ଛା କହିଲ ଅଦ୍ୟ କେଉଁ ବିଷୟଟି ଦର୍ଶକମାନଙ୍କୁ ଏଠାରେ ଅଭିନୟ ଦେଖାଇ ତାଙ୍କର ଅନୁରାଗର ପାତ୍ର ହେବା ! ଆଗରୁ କିଛି ସ୍ଥିର କରିଛ ?
ନଟୀ - ପ୍ରିୟବର ନଟ ! ଏ ହଟ ତୁମ୍ଭର କାଳକ ହୃଦପଟରୁ ଯିବନାହିଁ, ମୋତେ କଣ ଗୀତ ଗାଇ ଆସେ, ତୁମ୍ଭେ ମୋତେ ଯାହା ଶିଖାଇଦେଇଛ ମୁଁ ତାହା ଜନସମାଜରେ ପ୍ରକାଶ କରୁଚି । ଆଜକାଲି ତ ନୂଆ ନୂଆ କବିଙ୍କ ରଚନାରେ ଲୋକ ତୁଆ ତୁଆ ହୋଇ ମାତି ଉଠୁଛନ୍ତି, ମୋର ଏ ଗୀତ ତୁମ୍ଭଙ୍କୁ କିପରି ଭଲଲାଗିଲା ! ଏଥିରେ ତ ଚମ୍ପା ମାଳତୀ ଆଦି ପୁଲ ବାସନା ନାହିଁ, ତେବେ ସିନା ଲୋକେ ଭୁଲି ବାଳରେ ଖୋଷନ୍ତେ ।
ନଟ- ପ୍ରିୟମ୍ବଦେ ! ସେ ଛଳ ଉକ୍ତି ଛାଡ଼, ଆଗେ ବସନ୍ତ ବହିବାରୁ ପରେ ସିନା ଫୁଲ ସବୁ ଫୁଟିଲେ । ବାଳରେ ଖୋଷିବା ଦୂରେ ଥାଉ, ଏଥିପୂର୍ବେ ସେ ଗଛରେ ପତ୍ର ଥିଲା କି ନା ସନ୍ଦେହ । ଦେଖିବ ଏଣିକି ସେ ଫୁଲ ବନରେ ଫୁଟି ବନରେ ଝଡ଼ିବ । ଆଚ୍ଛା ଥାଉ ସେକଥା, କହିଲ କେଉଁ ବିଷୟଟି ଏଠାରେ ଦର୍ଶକମାନଙ୍କୁ ରାତ୍ର ପ୍ରଭାତ ଯାଏ ଦେଖାଇବା ?
ନଟୀ - ନାଥ ! ମୋ ମତରେ ଉତ୍କଳର କବିବର ରାୟ ରାଧାନାଥ ରାୟ ବାହାଦୂରଙ୍କ ଗ୍ରନ୍ଥାବଳିରୁ ଉଦ୍ଧୃତ କରି ଯେଉଁ ପାର୍ବତୀ ନାମକ ଐତିହାସିକ ନାଟକ ଖଣ୍ଡ ଗଢ଼ିଛନ୍ତି ତାହା ଏଠାରେ ଦୃଶ୍ୟ କାବ୍ୟାକାରେ ଦେଖାନ୍ତୁ । ସେଥିରେ ଗୋଟିଏ ମହାଶିକ୍ଷାର ବୃହତ୍ ଚିତ୍ର ଅଙ୍କିତ । ପ୍ରାଣୀ ଯେତେ ବଳଶାଳୀ, ଯେତେ ଧନୀ ମାନୀ ହେଉନା କାହିଁକି, ମହାପାପ ଆସୁରୀ ପ୍ରବୃତ୍ତି ବଳରେ ପରିଣାମରେ ସେ କି ଫଳ ଭୋଗକରେ ତାର ଜାଜ୍ୱଲ୍ୟମୟ ଚିତ୍ର ଏଥିରେ ବିଶେଷ ଭାବେ ଚିତ୍ରିତ । ଲୋକେ ଦେଖି ଶିଖି ଭବିଷ୍ୟତ ପାଇଁ ସାବଧାନ ହେବ । ଚାଲ ରାତ୍ର ଅଧିକ ହେଉଚି, ଅଭିନୟରେ ଯୋଗାଡ଼ କରିବା ।
ନଟ- ଯଥାର୍ଥ କହିଲ ପ୍ରିୟେ ! ତାହା ନିଶ୍ଚୟ ଶିକ୍ଷା ହେତୁ ଲୋକରେ ଆଦରଣୀୟ ହେବ –ଆସ ।(ଉଭୟଙ୍କର ପ୍ରସ୍ଥାନ)
ପ୍ରଥମ ଅଙ୍କ
ପ୍ରଥମ ଦୃଶ୍ୟ
ଶିବିରରାଜା ଗଙ୍ଗେଶ୍ୱରଦେବ କୌଶଲ୍ୟାକୁ କ୍ରୋଡ଼େ ଘେନି ଆସନେ ଉପବେଶନ ଓ ସୈନିକଗଣ ପାର୍ଶ୍ୱେ ଉପବିଷ୍ଟଗଙ୍ଗେଶ୍ୱର – ଭୋ ସୈନିକେ ! ଭୂପାଳତନୁଜେ !ଭୋ ବୀର –ଶିର- ହୀରକ-ମୁକୁଟମଣ୍ଡନଶୁଣିଥାଅ ଗଙ୍ଗେଶ୍ୱର ପଣ-ଅଗ୍ରେ ତବ ଦେଖ ବିରାଜିତ ଯେଉଁ ରତ୍ନଯାର ଅତୁଳ ସୌନ୍ଦର୍ଯ୍ୟ ଜଗତେ ଦୁର୍ଲଭଯାର ମୁଖ ଦେଖି ଚନ୍ଦ୍ର ଲୁଚିବ ନୀରଦେଯା ନେତ୍ର ଦେଖି ଖଞ୍ଜନ ଗଞ୍ଜି ହେବ ଚିତ୍ତେଯାର ନାସ ଶୁକଚଞ୍ଚୁ ଜିଣାଯା ଦନ୍ତପନ୍ତି ଦାଡ଼ିମ୍ବବୀଜକୁ ଧିକ୍କାରେ
ସମ୍ବନ୍ଧିତ ରଚନା
କର୍ଣ୍ଣ-ଦାନ ପରୀକ୍ଷାବୈଷ୍ଣବ ପାଣି ବୈଷ୍ଣବ ପାଣି
ଜୟଦ୍ରଥବଧ ବା ଶକଟବ୍ୟୂହ-ଭେଦବୈଷ୍ଣବ ପାଣି ବୈଷ୍ଣବ ପାଣି
ଅମ୍ବୁଜାତ କମ୍ବୁକୁ ଯା କଣ୍ଠ ଅଛି ଜିଣି
ଯାର ବାହୁଯୁଗ ପଦ୍ମଦଣ୍ଡଠାରୁ ଶୋଭା
ଯା କଟିଶୋଭା ନିରେଖି ହଟିବ କେଶରୀ
ଯାର ଜାନୁ ଯୁଗବଳି ଉଲଟ ରମ୍ଭାକୁ
ଯା ତଳିପା ତଳ ନିନ୍ଦେ ରକ୍ତ କୋକନଦେ
ଅଙ୍ଗୁଳି ଚମ୍ପକକଳୀ ବଳିଛି ଛଟାରେ
ନାହିଁ ତୁଳିବାକୁ ଯାକୁ ପ୍ରକୃତିବିଧାନେ
ଏହି ସେହି କୌଶଲ୍ୟା ମୋ ନୟନପ୍ରତିମା ।
ସ୍ୱୟମ୍ବର ହେବା ଆଶେ ଆଣିଥିଲି ସଙ୍ଗେ
ଏ କନ୍ୟା ଗୋଟିକି ରଖି କରୁଛି ମୁଁ ପଣ
ଯେହୁ ବୀର ରତ୍ନପତି ମୁକୁଟମଣ୍ଡିତ ଶିର
ହାଣି ଆଣି ଭେଟିବ ମୋ ପାଶେ
ଯା ଯୋଗେ ରତ୍ନପୁରର ନରେଶ ନନ୍ଦିନୀ
ଅନ୍ନପୂର୍ଣ୍ଣା ହେବ ଗଙ୍ଗେଶ୍ୱର ଅଙ୍କଲକ୍ଷ୍ମୀ
ଏହି ସେହି କନକପ୍ରତିମା ତାର କଣ୍ଠେ ହେବ ହାର
ସତ୍ୟ ସତ୍ୟ ସତ୍ୟ ଏ ତ୍ରିବାର ।
୧ ମ ସୈନିକ- ଭୋ ଉତ୍କଳଗଜପତି ବୀରେନ୍ଦ୍ର କେଶରୀ
ଶ୍ରୀଛାମୁ ସମ୍ମୁଖେ କରି କରବାଳ ସ୍ପର୍ଶ
କରୁଛି ପ୍ରତିଜ୍ଞା ରଖ ମନେ
ରଣେ ପ୍ରାଣପଣେ ହାଣି ରତ୍ନପତି ଶିର
ଅଚିରେ ଭେଟିବି ତବ ପାଶେ ।
୨ୟ ସୈନିକ- ମୁହିଁ ମଧ୍ୟ ଗଜପତି କରୁଛି ପ୍ରତିଜ୍ଞା
ଆଣିଦେବି ରତ୍ନପତି ମୁକୁଟମଣ୍ଡିତ-
ଶିର ଗୋଟି ଶ୍ରୀଚରଣେ ତବ ।
ରାଜରାଜେଶ୍ୱର !
ଅନ୍ନପୂର୍ଣ୍ଣା ପ୍ରାପ୍ତି-ଆଶା ପୋଷିଣ ଅନ୍ତରେ
ବସିଥାନ୍ତୁ ଶିବିର ମଧ୍ୟରେ
ରାଜଜେମା ମରାଳଗମନା
ନିଶ୍ଚୟ କରିବ ତବ ଅଙ୍କ ବିମଣ୍ଡନ
ଚାଲିଲୁଁ ସମରେ ସର୍ବେ ମାତିବୁଁ ପ୍ରେମରେ ।
ଗଙ୍ଗେଶ୍ୱର- ରାଜସୁତେ ! ପ୍ରତ୍ୟୟ ନ ହୁଏ ତବ ବାକ୍ୟେ
ବେନି ବର୍ଷ ଷଡ଼ମାସ
ଅତୀତ ହୋଇଲା ରଣ ଆସି
ନୋହିଲା ରତ୍ନପତି ଗର୍ବ ଖର୍ବ
ଭୂତଳେ ଲୁଣ୍ଠିତ ହେଲା ନାହିଁ ଦୁଷ୍ଟ ଶିର
ଆସେ ଦୂତ ଘେନି କି ଖବର ।
ଦୂତ–(ପ୍ରବେଶି) ମହାରାଜାଙ୍କର ଜୟ ହେଉ ।
ଗଙ୍ଗେଶ୍ୱର– ବାର୍ତ୍ତାବହ ! କି ସମ୍ୱାଦ କର ପରକାଶ ?
ଦୂତ– ଶୁଣ ଦେବ ତହିଁର କାରଣ ।
ଗୀତ
ହରିବଲେ ଆମାର ଗଉର ନାଚେ–ବୃତ୍ତେ
ଗଜପତି ନିଜ ସୈନ୍ୟ ସାଜ । ପଦ ।
ଅନ୍ୟ ଭାବ ନାହିଁ ଯେବେ ଧନ୍ୟ ହେବ ଭବେ,
ରତ୍ନପୁର ନୃପ ଦର୍ପ ଚୂର୍ଣ୍ଣ କର ଏବେ ।୧।
ଅସ୍ତ୍ର ଶସ୍ତ୍ର ସାଜି ରତ୍ନପୁର ଶତ୍ରୁ ସେନା ।
ଛନ୍ତି ଅପେକ୍ଷାରେ ଆତ୍ମ କବିର ଭାବନା ।୨।
ମହାରାଜ ! ପାପିଷ୍ଠ ରତ୍ନପତି ଆଜି ମଦମତ୍ତ କରୀ ପରି
ରଣସ୍ଥଳରେ କ୍ରୀଡ଼ା କରୁଛି,
ଶୀଘ୍ର ଶୀଘ୍ର ସେନାମାନଙ୍କୁ ଆଦେଶ କରନ୍ତୁ ।
ଗଙ୍ଗେଶ୍ୱର–ସୁସଜ୍ଜିତ ସେନା ରଣସ୍ଥଳେ ଅଗ୍ରସର କରନ୍ତୁ ।
ସମସ୍ତେ–ଯେ ଆଜ୍ଞା ଚାଲିଲୁଁ ! ଜୟ ଗଙ୍ଗେଶ୍ୱରଙ୍କର ଜୟ । (ସମସ୍ତଙ୍କର ପ୍ରସ୍ଥାନ)
ଗଙ୍ଗେଶ୍ୱର–ଚାଲ ମା କୌଶଲ୍ୟା ତୋର ବାସେ ।
କୌଶଲ୍ୟା–ଯେ ଆଜ୍ଞା ପିତା । (ପ୍ରଣାମାନ୍ତେ ପ୍ରସ୍ଥାନ)
ଗଙ୍ଗେଶ୍ୱର–(ସ୍ୱଗତ) ଆଉ ଏ ସୁବର୍ଣ୍ଣ ସୁଯୋଗ ଗଙ୍ଗକୁ ମିଳିବ ନାହିଁ । ଆଜି ଶିବିର ବୀରଶୂନ୍ୟ । ବହୁ ଦିବସର ଆଶା ଏଥିରେ ପୂର୍ଣ୍ଣହେବ, ଯାଏଁ ।
ଦ୍ୱିତୀୟ ଦୃଶ୍ୟ
ଉପବନରତ୍ନପୁର ଜେମା ଅନ୍ନପୂର୍ଣ୍ଣା ସଖିଗଣ ସହ ଉପବନ ଭ୍ରମଣ
୧ମ ସଖୀ –ରତ୍ନପୁର ରାଜବାଳା ! ଏମନ୍ତେ ମନଟା ବିରସ କରିଛ କିଆଁ ମ ! ତୁମ୍ଭ ମନ ଭଲ ହେବ ବୋଲି ପରା ଏ ଉପବନ ବିହାରକୁ ଆସିଲୁଁ । ରଣ ତ କ୍ଷତ୍ରିୟଙ୍କ ଦିହର ମଳି, ସେଥିପେଇଁ ଏତେ ଚିନ୍ତା କଣ ! ଭଲା ସେ ହର୍ଷମୁଖ ଆମ୍ଭଙ୍କୁ ଥରେ ଦେଖା ।
ଅନ୍ନପୂର୍ଣ୍ଣ– ସଖି ଗୋ ଆଉ ହସିବି–ସେ କଥାଟି ଏ ଜୀବନରେ ନୁହେଁ । ମୋର ଯେ ଦୁଃଖ ସେ କି ଯିବାର ଦୁଃଖ ।୨ୟ ସଖୀ–ମଲା ଏମନ୍ତେ କି ଦୁଃଖ ହେଇଚି କହୁନାହଁ ।ଅନ୍ନପୂର୍ଣ୍ଣା–ତା ଶୁଣିବ ତ ଶୁଣ ମୁଁ କହୁଛି ।ଗୀତରାଧା ଧରି ସଖୀ କର–ବୃତ୍ତେଶୁଣ ସଖି ମୋ ଭାରତୀ, କହିଲେ ସହିବ ନାହିଁ ଧରତୀ ଗୋ ।ଚିତ୍ତ ଭିତର ଦିଏ କରତି । ସଜନି ଗୋ ।୧।୨ୟ ସଖି–ମଲା, ଏମନ୍ତେ କ’ଣ ହେଲା ଯେ ଚିତ୍ତ କରତି ଦେଉଛି ?ଅନ୍ନପୂର୍ଣ୍ଣା–ତା ଶୁଣ–ମୋ ସମ ଦୁଃଖିନୀ ଯୋଷା, ନାହିଁ ନୋହିବ ନ ଥିବ ଏ ରସା ଗୋ ।ଶୁଣିନାହିଁ ଦିନେ ମାତା ଭାଷା, ସଜନି ଗୋ ।୨।୧ମ ସଖୀ–ମଲା, ସେ କି କଥା ମ, ଖୋଲି କହିଲେ ସିନା ଜାଣିବୁ ।
ଅନ୍ନପୂର୍ଣ୍ଣ –ସଖି ! ମୋ ମନକଥା କଣ ଜାଣିପାରୁନାହଁ, ତା ଶୁଣ– ଜନମକାଳୁଁ ମାଆକୁ ଖାଇ ବସିଛି, କହିବି କାହାକୁ ଗୋ । ଚାହିଁ ଜୀଇଛି ପିତା ବାହାକୁ । ସଜନି ଗୋ ।୩। ସଖି ଗୋ, ଏ ଅଭାଗିନୀ ସୂତିକା ଗୃହରୁ ମାତୃହୀନା, କେବଳ ପିତାଙ୍କର ଆଦର ସ୍ନେହର ଆଜିଯାଏ ବଢ଼ି ଆସିଛି ।
୧ମ ସଖୀ– ମଲା ସେ କଅଣ ମ, ସେ ପିତା ପରା ଆଜି ଅଛନ୍ତି, ତାଙ୍କର କଣ ସ୍ନେହ ଆଦର ପାଉ ନାହଁ ବୋଲି ଏପରି ହେଉଚ?
ଅନ୍ନପୂର୍ଣ୍ଣା –ତାର କାରଣ ଶୁଣ–ଯଉବନ ହୋଇ କାଳ, ଛଡ଼ାଇଲା ମୋତେ ପିତାଙ୍କ କୋଳ ଗୋ । ତାହା ଭାବି ବହେ ଅଶ୍ରୁଜଳ । ସଜନି ଗୋ ।୫। ସଖି ଗୋ, ଏ ପୋଡ଼ା ଯଉବନ ମୋ ଅଙ୍ଗଦେଶରେ ଆବିର୍ଭାବ ହେଲା ଦିନୁ ପିତାଙ୍କ ଅଙ୍କ ମୋତେ ଶତକ୍ରୋଶ କରାଇ ଦେଲା ।
୨ୟ ସଖୀ–ମଲା ସବୁଦିନେ କିଏ ବାପାଙ୍କ ପାଖରେ ବାପାଙ୍କ ଅଙ୍କରେ କିଏ ବସିଛି ନା ତୁମେ ବସିବ ମ– ସେକଥା ଆମକୁ ଶୁଣାନା ।
ଅନ୍ନପୂର୍ଣ୍ଣା –ସଖି ଗୋ, ଆଉ ଗୋଟିଏ ଦୁଃଖ ବାପା ମୋ ପାଇଁ ଅର୍ଜନ କରିଛନ୍ତି ତା ଏହି–ମୋର ଦୋଷେ ରତ୍ନପୁର, ଗଙ୍ଗେଶ୍ୱର କରଇ ଛାରଖାର ଗୋ । ଧରିବାକୁ ଲମ୍ପଟ ମୋ କର । ସଜନି ଗୋ ।୫। ସଖି ଗୋ ! ବୃଦ୍ଧ ଗଙ୍ଗେଶ୍ୱର ପଣ କରିଛନ୍ତି ଯେ ମୋପିତାଙ୍କ ଛିନ୍ନ ମୁଣ୍ଡନେଇ ତାଙ୍କ ନିକଟରେ ଦେବ ତାଙ୍କର କନ୍ୟା କୌଶଲ୍ୟା ତାହାରି କଣ୍ଠରେ ବରମାଲ୍ୟ ଦେବେ ଓ ମୋତେ ନେଇ ନିଜେ ଅଙ୍କଲକ୍ଷ୍ମୀ କରିବେ । ହା ପିତଃ ! ଏ ଅଭାଗିନୀ ସିନା ତୁମ୍ଭ ଦୁଃଖର କାରେଣୀ ହେଲେ ।
୧ମ ସଖୀ –ଆଗେ ଏ କି ଅପସାନ୍ତର କଥା ମ, ସେ ବୁଢ଼ାଟା କଣ ତମ ହାତ ଧରିବ ମ । ତାଙ୍କର ପରା ଷୋଳବରଷର ଯୁଆନ ପୁଅ ଅଛି– ଏ ପୁଅଟା ଥାଉଁ ଥାଉଁ ବୁଢ଼ାଟା ତମ ହାତ ଧରିବ ! ମଲା ମୋର –ଏ ପାକଲା ଆମ୍ୱକୁ ଡାମରା କାଉ, କେତେ ରାଉ ରାଉ ବୋବାଉ ଥାଉ । ସେ ଦିନ ଯେଉଁ ବାଣବିଦ୍ଧ ବିହଙ୍ଗଟିକୁ ଧରି ତମେ କୋଳରେ ପୂରାଇ ଜଳ ପିଆଉଥିଲ ସେ ହଠାତ୍ ଆସି ସେଠି ପହଞ୍ଚିଗଲେ– ସେହି ପରା ବୁଢ଼ାର ପୁଅ । ଆହା, କେମନ୍ତ ସୁଆଦିଆ ମିଣିପଟିଏ ମ । ମୁଁ ପରା ତାଙ୍କ ମୁହଁକୁ ଚାହିଁଦେଲାକ୍ଷଣି ମୋ ଦିହ କେମନ୍ତେ ଝିମିଝିମି ହୋଇଗଲା ।
ଅନ୍ନପୂର୍ଣ୍ଣା–(କ୍ରନ୍ଦନ)୨ୟ ସଖୀ–ସଖି ! ପୁଣି କାନ୍ଦିଲ, ଏ ଚିରିଦିନ କାନ୍ଧିବାକୁ କି ବିଧାତା ତୁମକୁ ଏ ରତ୍ନଧାମରେ ଜନ୍ମ ଦେଇଥିଲା ।ଗୀତ(କଳାମାଣିକ-ବୃତ୍ତେ)କାନ୍ଦନା କାନ୍ଦନା କୁନ୍ଦରଦନା ଗୋ ଆଉ ।ମନ୍ଦଉଦରୀ ସେ ଚିନ୍ତା ପୋଡ଼ିଯାଉ ।ଇନ୍ଦୁବଦନା ଗୋ । କାମ ସଦନା ଗୋ ।୧।ଭାଳି ଭାଳି ସୁନା ତନୁ କରିଲୁଣି କାଳୀ ।ବାଳିଶ ପରାୟେ କେତେ ହେଉଛୁ ରେ ବାଳୀ ।କୁଳ ପାଳିକା ରେ । ମୋ ଗଳାମାଳିକା ରେ ।୨।ବରଜନା ନୀରଜନୟନୁ ନୀରଧାରବିହି ସରଜନା ଖଣ୍ଡିବାକୁ ବଳ କାର ।ଗଜଗମନା ରେ । ପୂରିବ କାମନା ରେ ।୩।ଚାଲ କୁଞ୍ଚିତକୁନ୍ତଳା ସୁଚିତ୍ତରେ ବେଶ ।ସାଜିଦେବୁ ମାଜିଦେବୁ କେଶ କବି ଭାଷ ।ରସ ଉଦୟା ରେ । ଥିଲେ ତୋ ସୁଦୟା ରେ ।୪।(ସମସ୍ତଙ୍କର ଜେମା କର ଧରି ପ୍ରସ୍ଥାନ)
ତୃତୀୟ ଦୃଶ୍ୟ
ରତ୍ନପୁର ଦୁର୍ଗ ପ୍ରାଚୀରରତ୍ନପୁର ପତି ଏକାକୀ ଭ୍ରମଣ
ରତ୍ନପତି– (ସ୍ୱଗତ) ଆଜି ଏ କିସ ବଳ ବିକ୍ରମ ଗଙ୍ଗେଶ୍ୱର ସେନାଙ୍କର ନେତ୍ରପଥରେ ଦେଖୁଚି । ଆଜକୁ ବେନିବର୍ଷ ଷଟ୍ମାସାବଧିତ ବିପକ୍ଷ ବାହିନୀଙ୍କର ଏପରି ବଳବିକ୍ରମ କେବେ ନେତ୍ରପଥରେ ଦେଖି ନ ଥିଲି । ଗଙ୍ଗେଶ୍ୱର ପୁତ୍ର ସେନାଭାର ବହନ କରି ସୈନ୍ୟମାନଙ୍କୁ ଦ୍ୱିଗୁଣରେ ଉତ୍ସାହିତ କରୁଚି । କାହିଁ ପାପିଷ୍ଠ ଗଙ୍ଗକୁ ତ ରଣ ପ୍ରାଙ୍ଗଣରେ ଦେଖୁନାହିଁ । ଜଣାଯାଏ ସେ କପଟୀ କୌଣସି କପଟ ମନ୍ତ୍ରଣାରେ ଲିପ୍ତ ଅଛି, ପୁଣି ବର୍ବର ନିଜ କନ୍ୟା ପ୍ରଲୋଭନ ସେନାମାନଙ୍କୁ ଦେଖାଇ କହିଛି–ପଣ କରିଛି ଯେ ମୋର ମୁଣ୍ଡ ହାଣି ନେଇ ତାହାକୁ ଉପହାର ଦେବ ତାର କନ୍ୟା କୌଶଲ୍ୟା ତାହାରି କଣ୍ଠରେ ମାଳ ଦେବ । ହା ଅନ୍ନପୂର୍ଣ୍ଣା ! ମୋର ନିଧନରେ ତୋର ଦଶା ଯେ କ’ଣ ହେବ ତାହା ଭାବି ମନ ବିଷାଦ ସାଗର ଗର୍ଭରେ ବୁଡ଼ିଯାଉଛି । ହା ଅନ୍ନ ! ତୁ କି ବୃଦ୍ଧ ଗଙ୍ଗେଶ୍ୱର ଅଙ୍କ ମଣ୍ଡନ କରିବୁ ବୋଲି ଆବାଲ୍ୟରୁ ଯାବତୀୟ ସ୍ନେହ ତୋ ଉପରେ ଢାଳି ଦେଇଥିଲି, ପୁଣି ମାତୃହୀନା ହେତୁ ସୂତିକାଗାରୁ ପାଳିଆସିଥିଲି ! ଏ କିଏ ? ଏ ଯେ ଆମ୍ଭର ଦୂତ ତରତର ହୋଇ ମୋ ନିକଟକୁ ଧାଉଁଛି । ବୋଧହୁଏ ବିପକ୍ଷ ପକ୍ଷର ବା ନିଜ ପକ୍ଷର କୌଣସି ଖବର ଆଣିଛି । କହ ଦୂତ ! ବିଜିତ କି ପରାଜିତ ବାହିନୀ ଆମ୍ଭର ?
ଦୂତ – (ପ୍ରଣାମ କରି) ମହାରାଜ ! ପ୍ରଣାମ ଚରଣେକି କହିବି ଅଦ୍ୟ ରଣ କାରଣ ସମସ୍ତସାଳନ୍ଦୀ ତଟିନୀ ତଟଠାରୁଶାଳ୍ମଳୀ ଶଇଳ ଅଧିତ୍ୟକା ଭୂମି ମାଡ଼ିରହିଛନ୍ତି ବିପକ୍ଷ ବାହିନୀରଣଭେରୀ ରଣଶିଙ୍ଗା ଅଶ୍ୱ ହ୍ରେଷା ରବଗଜଙ୍କର ବୃହିଁସ୍ୱନ ଅସ୍ତ୍ର ଝଣତ୍କାରେମିଶି ଚିତ୍ତେ ଜନ୍ମାଏ ଆଶଙ୍କାନାଚନ୍ତି କବନ୍ଧବୃନ୍ଦ ପଣ ପଣ ଭୂମେ–ମଡ଼ାରେ ମଡ଼ାରେ ପୂର୍ଣ୍ଣ ମହୀଦେବୀ ଦେହଗଙ୍ଗେଶ୍ୱର ସେନାଙ୍କ ପ୍ରତାପେ ।ଛତ୍ରଭଙ୍ଗ ଦେଲେ ରଣେ ଆମ୍ଭରି ସେନାଏ,ଚାଲ ପ୍ରଭୁ ପ୍ରାଣପଣେ କରିବା ସାହାଯ୍ୟତା ନୋହିଲେ ଦୁର୍ଗ ରକ୍ଷା ହେବ ଅସମ୍ଭବ ।ରତ୍ନପତି –କି କହିଲୁ ବାର୍ତ୍ତାବହ ! ପରାଜିତ ରତ୍ନପୁର ସେନା ?ଚାଲିଲି ସମରେ ମୁହିଁ ପଶିବି ପ୍ରେମରେସାକ୍ଷୀ ଥା’ନ୍ତୁ ଦଶଦିଗପାଳେସାକ୍ଷୀ ଥାନ୍ତୁ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେରବନଗିରି ବୃକ୍ଷ ଲତା ପଶୁ ପକ୍ଷୀରାଜିଅସି ଛୁଇଁ କରୁଛି ପ୍ରତିଜ୍ଞା–ଗଙ୍ଗେଶ୍ୱର ସେନାଙ୍କ ରକତେପ୍ଲାବିତ ହେବ ଏ ରତ୍ନପୁର ମହୀସ୍ଥଳୀସାଳନ୍ଦୀର ନୀଳ ଜଳ ହୋଇବ ଲୋହିତ ।ଚାଲ ଦୂତ ଦେଖା ଅଗ୍ରେ ପଥ ।(ପ୍ରସ୍ଥାନ)
ଚତୁର୍ଥ ଦୃଶ୍ୟ
ଉପବନକାଞ୍ଚନକୁଞ୍ଜ, ପ୍ରେମ ଆଦି ଚାରି ସଖୀସହ କୌଶଲ୍ୟା ପ୍ରବେଶ ।
୧ମ ସଖୀ–ରାଜଜେମା ! ଦେଖିଲ ଏ କଳା ଭ୍ରମରଟି କେମନ୍ତ ମଧୁମାଳତୀ ଫୁଲଟିରେ ବସି କିପରି ଗୁଣୁ ଗୁଣୁ ନାଦ କରି ମଧୁପାନ କରୁଚି, ସତେ ଯେମନ୍ତ ତା କାନ ପାଖରେ କଣ କହିଦେଉଚି ।
୨ୟ ସଖୀ– ଆଲୋ କାଞ୍ଚନ ! ତୁ ତ ଆମ ଜେମାଙ୍କୁ ଭଲ କଥାଟିଏ ଦେଖଉଚୁ, ଆଲୋ ତାଙ୍କର ପରା ସେ ବେଳ ଅତି ନିକଟ ।୩ୟ ସଖୀ –ଆଲୋ ନିକଟ କଣ କହୁଚୁ ମ, ଫୁଲ ସିନା ଫୁଟିଚି, ଭ୍ରମର ପରା ଜୁଟି ନାହିଁ ।
୪ର୍ଥ ସଖୀ –ଯେତେବେଳେ ଫୁଲ ଫୁଟିଲାଣି ଭ୍ରମର ଆସି ଧରାପରା ହେବେ । ‘‘ବନେ ବିକସିତ ହେଲେ ମାଧବୀ । ମଧୁପେ କି ନ ଜାଣନ୍ତି ବାନ୍ଧବୀ ।’’ କିଲୋ ପ୍ରେମ କହୁନାହୁଁ ।
୨ୟ ସଖୀ –ମଲା ମତେ ଏତେ ଆଡ଼େ ବୁଲେଇ ଭୁଲେଇ କହି ଆସେ ନା । କ’ଣ ସଂସାରରେ ତାଙ୍କୁ ସେ ରୋଗ ଏକା ଧଇଲା ଆଉ କାହାକୁ ଧାରେ ନା ?
କୌଶଲ୍ୟା –ସଖିଗଣେ ! ତୁମେମାନେ ମତେ ଏତେ କଥା ଦେଖାଇ ଶିଖେଇ କହ ନାହିଁ । ମୁଁ ବାପାଙ୍କ ଚରଣ ବିନା ଆଉ କିଛି ଜାଣେ ନାହିଁ । ପିତା ମୋର ସ୍ୱର୍ଗ, ପିତା ମୋର ତପ, ପିତା ମୋର ଅଜ୍ଞାନ ଅନ୍ଧାକାରର ଆଲୋକମାଳା । ଏବେ ଶୁଣ କହୁଚି କାଞ୍ଚନ ।
ଗୀତ(ପାର ହେବ ଯେବେ ସଂସାର ସାଗରୁ–ବୃତ୍ତେ ।)ବାପାଙ୍କ ଚରଣ ଏ ପିଣ୍ଡେ ପରାଣ ଥାଉଁ ନ ଭୁଲିବି ସହି ରେ ।ଯାହାଙ୍କ କରୁଣାବଳରୁ ଅରୁଣାଧରୀ ଜନମିଛି ମହୀରେ ।ପଦ ।ଏ ପିଣ୍ଡର ଅଧିକାରୀ ଯେ ଜାଣ ଯାହାଙ୍କ ଆଦେଶ ଶିରଭୂଷଣତାଙ୍କ ଯୋଗୁଁ ମୋର ମରଣକୁ ଡର ନାହିଁ ନାହିଁ ରେ ।୧।
୧ମ ସଖୀ– ଠିକ୍ କଥା, ଏକା ପିତାଙ୍କ ପାଦ ଧୋଇ ପାଣି ନ ପାଇଲେ ଜେମା ଆମର ବେଳ ପଛେ ବୁଡ଼ିଯାଉ ମୁହଁରେ ଗଣ୍ଡାଏ କିଛି ଦେବେ ନାହିଁ ! କି କୁଞ୍ଜ, ଏପରି ଭକ୍ତି ତ ତମ ଆମ ଘରେ ନାହିଁ ।
କୌଶଲ୍ୟା – ଆହୁରି କହୁଚି ଶୁଣ କାଞ୍ଚନ–ନିତି ନିତି ଦେଇ ନବ ବସନ ନରପତି ମୋର ଯୋଗାନ୍ତି ମନନବ ଆଭରଣେ ସୁରୁଚି ଅଶନେ ତୋଷନ୍ତି ମୋ ମନ ସେହି ରେ ।୨।ସଖି ! କେଉଁ ବାପ ରାତି ପାହିଲେ ଝିଅକୁ ନୂଆ ବସନ ଭୂଷଣ ଯୋଗାଉଚି,ସେ ମୋତେ ସ୍ନେହ ଦେଲେ ମୁଁ ତାଙ୍କୁ ଭକ୍ତି ନ ଦେବି କାହିଁକି ? ଆହୁରି ଶୁଣ–ଯେ ଦିନୁ ପାଶରେ ବସାଇ ମୋତେ, ଦେବେ ପଣ କଲେ ପରର ହାତେମୋ ମନ ସୁମନେ ସେହିଦିନୁ କୀଟ ଦଂଶିଅଛି ଭାଷେ ବଇ ରେ । ୩ ।
ସଖି ଗୋ, ପିତା ଯେଉଁଦିନୁ ମୋତେ କତିରେ ବସାଇ ପଣ କଲେ– ଯେ ବୃଦ୍ଧ ରତ୍ନପତିର ମୁଣ୍ଡ ଆଣି ତାଙ୍କ ପାଦରେ ଭେଟିବ ସେ ସେହିଦିନ ମୋତେ ତାହାଙ୍କୁ ସମର୍ପି ଦେବେ । ସଖି ମୁଁ ସେହିଦିନଠାରୁ ଲାଜ ପଙ୍କରେ ବୁଡ଼ିଚି ।
୩ୟ ସଖୀ– ଏକି କଥା ଲୋ ମା, ଯେତେ କନିଆ ସେତେ ବର, ଯେତେ ଭାଇ ତେତେ ଘର । ବାହା ହବାକୁ କାହା ମନ ନ ହୁଏ ମ, ଆଜି ଯିଏ ପେଟରୁ ପଡ଼ୁଚି କାଲି ସେ ବାହା ହବାକୁ ଗୋଡ଼ ଠିଆ କଲାଣି । ତୁମ୍ଭର ଯେଉଁ ଯୌବନ ତେଜ ଉପରକୁ ଫୁଟି ଉଠୁଚି ସେଥିରେ ଯେବେ ସେ ସୁଆଦ ତମ ପାଟିରେ ଲାଗିବ ତେବେ କି ରାତି କି ଦିନ, ବରଷା କି ବନ କି ପବନ କିଛି ଠିକଣା ରହିବ ନାହିଁ, ସବୁ ଛାଡ଼ି ତାର ପଛରେ ଗୋଡ଼େଇବ । ନୂଆ ଯଉବନରେ ବାହା କଥା ଶୁଣିଲେ ନାରୀଙ୍କ ମନ ଦିନକୁ ଚାଖଣ୍ଡେ କଅଁଳିବ । ଜେମା କଣ ନାରୀ ସଂସାରରୁ ବାହାର ?
୨ୟ ସଖୀ– ଅବଶ୍ୟ ବାହାର । ଆମ ଭିତରୁ କିଏ ପିତାଙ୍କ ପାଦ ନ ଧୋଇ ପାଣି ନ ପିଇଲେ କିଛି ଖାଇବ ନାହିଁ ?
୩ୟ ସଖୀ– ଯାଲୋ ଯା ମତେ ସେଗୁରା ଶୁଣାନା । ଯୋଉ କାମରେ ଆସିଲ ତା କର । ଏ ଯୋଉ ଛୋପରି ହୁଅ ମିଛରେ ମୁଁ ତା ଶୁଣିଲେ ମୋ ହାଡ଼ ଜଳିଯାଏ, ଦେଖିଲ ରାଜଜେମା ।
ଗୀତ(ନବ ବସନ୍ତ ସମୟ ନବ ବୃନ୍ଦାବନ ରସମୟ ଗୋ-ବୃତ୍ତେ)
ଦେଖ ରାଜଜେମା କେମନ୍ତ ସଜରେ ବିକଶିଛି ବ୍ରଜମଲ୍ଲୀ ଗୋ । ପଡ଼ିଲେ ନଜରେ ବରଜି ଏହାକୁ ନ ତୋଳି କେ ଯିବ ଚାଲି ଗୋ । ମଲ୍ଲୀ ହାସିନୀ ଗୋ ଅନା, ଏ ଯେ ଫୁଟିଅଛି ଛୁରୀଅନା ଗୋ ।୧।
୨ୟ ସଖୀ– ଆଚ୍ଛା ତୁ ଭଲା କୁଞ୍ଜ ଏମତିକା ଉପମାରେ ପଦେ ଗୀତ ଗାଇ ଫୁଲ ଚିହ୍ନେଇଲୁ ! ନଇଲେ କାଞ୍ଚନର ଜିତାପଟ ହେଲା ।୧ମ ସଖୀ– ମଲା, ମତେ ଆହୁରି ଚିହ୍ନାଇବାକୁ ପଡ଼ିବ, ତାଙ୍କର ସେ ଲକ୍ଷଣ ଅଛି, ମୁଁ ଖାଲି ଜୁଟାଇ ଦେବା କଥା । ଦେଖ ରାଜଜେମା –ଗୀତମନ୍ଦାରଅଧରା ଧରାମଣ୍ଡନା ଏ ମନ୍ଦାର ଫୁଟିଛି ଦେଖ ଗୋ ।ରେ କୁନ୍ଦରଦନା ! କୁନ୍ଦ ସୁମନକୁ ତୋଳିଣ ସାଇତି ରଖ ଗୋ ।ଦେଖ ନିଆଳୀକରଜା । ଏ ନିଆଳୀ ଫୁଲେ ବଶ ରାଜା ଗୋ ।୩।୩ୟ ସଖୀ –ଏଣେ ଦେଖ ଜେମା–ଗୀତଅନୁକମ୍ପା ବହି ଚମ୍ପାବରନା ଏ ଚମ୍ପାଫୁଲ ନେବୁ ତୋଳି ଗୋ ।ବାସନାରେ ଦିଗ କମ୍ପାଉଚି ପରା ନାଗରୀଙ୍କ କଣ୍ଠମାଳୀ ଗୋ ।ଆଗୋ ସରୋଜବଦନା, ସରେ ସରୋଜ ଫୁଟିଛି ଅନା ଗୋ ।୩।୪ର୍ଥ ସଖୀ – ସମସ୍ତେ ତ ପଦେ ଅଧେ କହିଲ, ପ୍ରେମ କଉଡ଼ିରେ କଣ ସନ ନାହିଁକି ? ଶୁଣ ଗୋ ଜେମା–ଗୀତନୀଳୋତ୍ପଳଦୃଶା ଦେଖ ନୀଳକଇଁ ବିକଶିଛି ନୀଳ ଜଳେ ଗୋ ।ରେ ଭ୍ରମରକେଶା ! ଭ୍ରମନ୍ତି ଭ୍ରମରେ ତା ନିକଟେ ଦଳେ ଦଳେ ଗୋ ।ଆଗୋ ହରପରାଜିତା ! ବଇ କହି ଏ ଅପରାଜିତା ଗୋ ।୪।କୌଶଲ୍ୟା– ସଖିଗଣେ ! ତୁମ୍ଭେମେନେ ମୋତେ ଏତେ ଉପରକୁ ଟେକି ଦେଉଚ କିଆଁ ! ଏ ଲକ୍ଷଣାକୁ ମୁଁ ଲକ୍ଷ ଦେବି ?
୧ମ ସଖୀ– ସତେ ଗୋ ସହି, ଦେଖିଲ ଜେମା ଆମର କେଡ଼େ ଚତୁରୀ ? କେମନ୍ତେ ଉପରକୁ ଉଠିବାକୁ ତଳକୁ ଖସି ପଡୁଛନ୍ତି । ଫୁଲ ତ ବାସି ହେଲା ଝଡ଼ି ପଡ଼ିବ, ଜେମା ତ ଆମର ସବୁବେଳେ ସଜ ଫରଫର । ହଉ ଆମର କାଇଲି ।
୨ୟ ସଖୀ– ହଉ ଜେମା–ଆମର ସବୁ କାଇଲି, ଏ ଯେତେବେଳେ ଓଡ଼ିଶା ରାଜାଙ୍କ ଆଦରର ନିଧି ତାଙ୍କୁ ଫୁଲ ସଙ୍ଗରେ ତୁଲ କରିବା କି ସିଦ୍ଧି ! ଆସ ଲୋ ଆସ ଖରା ପରା ମାଡ଼ି ଆସୁଚି ।
ଗୀତିନାଟ୍ୟ କର୍ଣ୍ଣବଧବୈଷ୍ଣବ ପାଣି ଭକ୍ତବୀର ସୁଧନ୍ୱାବୈଷ୍ଣବ ପାଣି ବୈଷ୍ଣବ ପାଣି