ଭକ୍ତବୀର ସୁଧନ୍ୱା — ବୈଷ୍ଣବ ପାଣି · ସ୍ୱର୍ଣ୍ଣଲିପିଗୀତାଭିନୟ
ପ୍ରଥମ ଅଙ୍କ
ପ୍ରଥମ ଦୃଶ୍ୟ–ରାଜସଭା
ରାଜା ହଂସଧ୍ୱଜ ଓ ମନ୍ତ୍ରୀ ବୀରବାହୁ ଆସନେ ଉପବେଶନ, ଅଗ୍ରେ ନଗରପାଳ ଦଣ୍ଡାୟମାନ ଏବଂ ନର୍ତ୍ତକୀମାନଙ୍କର ନୃତ୍ୟ, ଗୀତ ଉଦ୍ଦେଶ୍ୟେ ପ୍ରବେଶ
ରାଜା– ଶୁଣ ନୃତ୍ୟ ଗୀତ ରଙ୍ଗ ରସ ବିଳାସିନୀଗଣେ ! ତୁମ୍ଭେମାନେ ବୀଣା ବିନିନ୍ଦିତ କଣ୍ଠରେ ସୁଧାରସ ପରିପୂରିତ ହରିଭକ୍ତି ରସମୟ ସଙ୍ଗୀତ ଗାନ କର, ସେହି ନାଦରେ ସୁରପୁର ନନ୍ଦନକାନସ୍ଥିତ ପାରିଜାତ ତରୁ ଶାଖାରୁ ପ୍ରସ୍ଫୁଟିତ କୁସୁମ ଝଡ଼ିପଡୁ, ଶଶି ହସି ହସି ତାର ମଧୁମୟ ସିତ କିରଣ ବର୍ଷଣ କରୁ, ସାଗର ଗତି ରୁଦ୍ଧ ହେଉ, ବାମାଗଣ ! ଗାଅ, ଗାଅ; ନାଚ, ନାଚ, ଆଉ ସମୟ ବିଳମ୍ବ କର ନାହିଁ ।
ନର୍ତ୍ତକୀମାନଙ୍କର ନୃତ୍ୟ ଓ ଗୀତ–ସତେ ପୀରତି–ବୃତ୍ତେଗାଅ ଗାଅ ଗୋ ସଙ୍ଗିନୀ ସୁରସ ରଙ୍ଗିନୀ ହରି ପ୍ରେମ ଗୀତ ।ନାଚ ଉଚ୍ଚେ ଟେକ ତାନ ପୁଲକାଇ ମନ ତୋଷ ଜନ ଚିତ୍ତ । ପଦ ।ଅକ୍ଷୟ ଅବ୍ୟୟ ସେହି ମହିମା ଅନନ୍ତ ।ଯେ ନାମ ଶ୍ରବଣେ ଦୂରେ ପଳାଏ ଦୂରିତ ।ଯୋଗୀ, ଭୋଗୀ, ରୋଗୀ, ଯାର ଅନୁଗତ,ତାର ଯଶ ଘୋଷେ ଘନ ଗଗନ ପବନ ବନ ଅବିରତ । ୧ ।ଗାଉଛି ସାଗର ଯାର ମହିମା ସଙ୍ଗୀତନକ୍ର ମକ୍ର ଅଙ୍ଗେ ହୋଇ ବିଭୂଷିତଲହରୀ ତାଳ ମାଳରେ ନାଚଇ କେମନ୍ତ,ପୁଣି ବିଞ୍ଚଇ ବସୁଧା ପରେ ସ୍ନେହସୁଧା ସିଞ୍ଚଇ ସତତ । ୨ ।(ନାଚି ନାଚି ପ୍ରସ୍ଥାନ)
ରାଜା– ନଗରପାଳ ! ନଗରର ସମସ୍ତ ଘଟଣା ପ୍ରକାଶ କର । ପ୍ରଜାଙ୍କ ମଧ୍ୟରେ ମନୋମାଳିନ୍ୟ ନାହିଁ ତ ? ହରି ଉପାସନା, ଦେବଦେବୀଙ୍କ ପୂଜା, ଔଷଧାଳୟ, ଶିକ୍ଷା ବିଭାଗ ଉତ୍ତମରୂପେ ଚଳୁଛି ତ ?
ନଗରପାଳ– ଶୁଣନ୍ତୁ ମହାରାଜ ! ପ୍ରଜାଗଣ ଅତି ସୁଖ ଶାନ୍ତିରେ ଏ ଭଦ୍ରାବତୀପୁରେ ବାସକରୁଛନ୍ତି, ହରି ନାମର କୀର୍ତ୍ତନ ପ୍ରତି ଘରେ ଘରେ ଦିବାରାତ୍ର ହେଉଛି, ସେହି ସୁଧା ପାନକରି ପ୍ରଜାମାନେ ରୋଗ ଶୋକ ମୁଖରୁ ତ୍ରାହି ଲଭି ଛାମୁଙ୍କର ଯଶ ଗାନ କରୁଛନ୍ତି । ପୁଣି କିଛିଦୂର ଯାଇଁ ଦେଖିଲି, ଏକ ଯଜ୍ଞାଶ୍ୱ ଆମ୍ଭ ମଧୁବନରେ ଭ୍ରମଣ କରୁଛି । ସେହି ଅଶ୍ୱ କୌରବ ଗୌରବ ଧ୍ୱଂସକାରୀ ଧର୍ମରାଜ ଯୁଧିଷ୍ଠିଙ୍କର, ତାର ମସ୍ତକ ବନ୍ଧା ବୀରପତ୍ର ପଢ଼ି ସମସ୍ତ ଜାଣିଛି ।
ରାଜା– ନଗରପାଳ ! ତୁମ୍ଭେ ବଡ଼ ଭାଗ୍ୟବାନ, ସାକ୍ଷାତ୍ ଶ୍ରୀହରିଙ୍କ ଆତ୍ମା ଯେଉଁ ଧର୍ମ ତାଙ୍କର ଯଜ୍ଞହୟ ଦର୍ଶନ କରି ନେତ୍ର ଚରିତାର୍ଥ କରିଛ । ଆଚ୍ଛା କହ, ସେ ଅଶ୍ୱ ସଙ୍ଗରେ କିଏ ଅଛନ୍ତି ?
ନଗରପାଳ– ଅଛନ୍ତି । ଭୀମାର୍ଜୁନ, କର୍ଣ୍ଣପୁତ୍ର ବୃଷକେତୁ ଓ ନିଜେ ଶ୍ରୀକୃଷ୍ଣ ।
ରାଜା– ଆହା, ଯାହାଙ୍କ ଦର୍ଶନ ପାଇଁ କୋଟିକଳ୍ପ ଯୋଗୀଗଣ ତପକରି ଅସ୍ଥି ଚର୍ମ ମାଟିରେ ମିଶାଇ ତାଙ୍କର କରୁଣା ଲାଭକରି ପାରନ୍ତି ନାହିଁ, ସେହି ହରି ଯେତେବେଳେ ମୋ ଭକ୍ତିବଳରେ ନିଜେ ସଖା ସହ ଆସି ଧରା ଦେଇଛନ୍ତି, ଏ ସୁଯୋଗ ସହଜରେ କାହାକୁ ମିଳେ ନାହିଁ । ହରି ହେ ଦୀନବାନ୍ଧବ !
ଗୀତ–ରାଜା ହଂସଧ୍ୱଜ–(କୀର୍ତ୍ତନ ସୁର)ହେ ମହିଧରଧାରଣ ଅହି ଦର୍ପଗଞ୍ଜନଦହିବ କି ମୋ ଦୁରିତ ରାଧା ମାନଭଞ୍ଜନ ।ପାହିବ କି ଦୁଃଖ–ନିଶା ମୋର ସତେ ପଦ୍ମମୁଖ । ୧ ।ଉଇଁବ କି ଏ ଭାଗ୍ୟଗଗନେ ଶାନ୍ତି ଅରୁଣ
ସମ୍ବନ୍ଧିତ ରଚନା
କର୍ଣ୍ଣ-ଦାନ ପରୀକ୍ଷାବୈଷ୍ଣବ ପାଣି ବୈଷ୍ଣବ ପାଣି
ଜୟଦ୍ରଥବଧ ବା ଶକଟବ୍ୟୂହ-ଭେଦବୈଷ୍ଣବ ପାଣି ବୈଷ୍ଣବ ପାଣି
ଚାହିଁବ କି କୃପାନେତ୍ରେ ନକ୍ରକଣ୍ଠ ବାରଣ ।
ଆହେ ଚକ୍ରକର,
ଶକ୍ର ଗର୍ବହରା ତାର ତାର । ୨ ।
ହେ ଶ୍ୟାମସୁନ୍ଦର ନୀଳଘନ ଜିଣା ତନୁକୁ
ଦେଖାଇ ତୋଷିବ ବାରେ ଏ ପାପୀ ନୟନକୁ
କାଳିନ୍ଦିକୂଳିଆ,
ଚାରୁ କେକୀକଳାପ ଚୂଳିଆ । ୩ ।
ମନ୍ତ୍ରୀ– ମହାରାଜ ! ଶୁଣନ୍ତୁ, ଛାମୁଙ୍କ ମନକାମନା ନିଶ୍ଚୟ ଫଳବତୀ ହେବ, ଏହା ସତ୍ୟ ସତ୍ୟ ସତ୍ୟ । କିନ୍ତୁ ନିଜ ଧର୍ମ ରକ୍ଷା କରିବା କର୍ତ୍ତବ୍ୟ । ବୀରପତ୍ରରେ ଲେଖାଥିବ ଯେ ଯଜ୍ଞବାଜୀ ଧରିବ, ତାକୁ ସେ ଯୁଦ୍ଧରେ ପରାସ୍ତ କରି ନିଜର ବୀରଧର୍ମ ପାଳି ଆୟତ୍ତକୁ ନେବେ । ଆପଣ ଯଜ୍ଞଅଶ୍ୱ ବନ୍ଧନ କରନ୍ତୁ, ମିତ୍ର ଭାବେ ତାଙ୍କୁ ନ ପାଇ ଶତ୍ରୁ ଭାବରେ ପାଇବେ, ଏଣେ ନିଜ ଧର୍ମ ମଧ୍ୟ ରକ୍ଷା ହେବ, ସେ ଧର୍ମର ଅନ୍ୟ କର୍ତ୍ତା କେହି ନାହିଁ– ସେହି ହରି ।
ରାଜା– ଅସମ୍ଭବ ମନ୍ତ୍ରୀ ଅସମ୍ଭବ । ଶତ୍ରୁଭାବରେ କି ହରି ଦର୍ଶନ କେହି ଲାଭ କରିଛି ! ତାର ପ୍ରମାଣ ଦେଖାଇଲେ ଏ ମନ ମାନିବ ସିନା ।
ମନ୍ତ୍ରୀ– ଛାମୁ ! ସେହି କୃଷ୍ଣରେ ଶତ୍ରୁଭାବ ଧରି ବ୍ରଜରେ କାଳୀ ତରିଛି, ମାଡ଼ ମାରି ଅନ୍ଧ ନେତ୍ର ପାଇଛି, ଜନ୍ମ ସମୟରେ ବାଟରେ ଉଗ୍ରସେନ ଗାଳି ଦେଇ ଶଙ୍ଖ ଚକ୍ର ଗଦା ପଦ୍ମ ବିଭୂଷିତ ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ କରିଛି, ପୁତନା ଅନ୍ତୁଡ଼ିଶାଳେ କ୍ଷୀର ସଙ୍ଗେ ବିଷ ପିଆଇ ବୈକୁଣ୍ଠ ଅଧିକାରିଣୀ ହୋଇଛି, ଅନେକ ରାକ୍ଷସ ବିପକ୍ଷ ଭାବରେ ସେହି କଳା ତନୁ ଦର୍ଶନ କରି ମୋକ୍ଷ ହୋଇଛନ୍ତି, ଛାମୁଙ୍କର ସେହି ନୀତି ଅବଲମ୍ବନ କର୍ତ୍ତବ୍ୟ ।
ରାଜା– ଧନ୍ୟ ହରି ! ଧନ୍ୟ ତୁମ୍ଭର ଅପାର କରୁଣା ବୈକୁଣ୍ଠପତି, ଶ୍ରୀପତି ଶ୍ରୀବତ୍ସଲାଞ୍ଛନ ! ସତେ ଏ ଦୀନ ହୀନ ଅଧମ ତୁମ୍ଭର ଦର୍ଶନ ଲାଭ କରିବ ? ମନ୍ତ୍ରୀ ! ମନ ଯେ ଏକ୍ଷଣି ଆଉ ମୋର ବଶ ମାନୁ ନାହିଁ–କେବଳ ସେହି ରଙ୍ଗାଚରଣ ହିରଣ୍ୟବକ୍ଷ ବିଦାରଣଙ୍କୁ ଲକ୍ଷ୍ୟ କରି ଧାଇଁଛି । ଚାଲ ଶୀଘ୍ର ଯଜ୍ଞାଶ୍ୱ ବନ୍ଧନ କରିବା, ତେବେ ଭବବନ୍ଧନ ମୋଚନକାରୀ ହରିଙ୍କି ଧରିବା । ସଭା ଭଙ୍ଗ କର ।
ସମସ୍ତେ– ଯେ ଆଜ୍ଞା ।(ସମସ୍ତଙ୍କ ପ୍ରସ୍ଥାନ)
ଦ୍ୱିତୀୟ ଦୃଶ୍ୟ–ରାଜପଥ
କେତେକ ଭକ୍ତ ଖୋଳ କରତାଳ ବଜାଇ ନାଚି ନାଚି ପ୍ରବେଶଗୀତ– ଜୟ ଜୟ ଗୋବିନ୍ଦ ଗୋପାଲ–ବୃତ୍ତେଜୟ ରାଧାଧର ସୁଧାପାନ ଅଭିଳାଷୀ ।ଜୟ ଜୟ କୃଷ୍ଣଚନ୍ଦ୍ର ଗୋକୁଳର ଶଶୀ ।ଗୋକୁଳର ଶଶୀ ହେ । ରାଧା ପ୍ରେମ ଅଭିଳାଷୀ । ୧ ।ନନ୍ଦ ଆନନ୍ଦବର୍ଦ୍ଧନ ଗୋବର୍ଦ୍ଧନ ଟେକା ।କାଳ କାଳୀ ବିମର୍ଦ୍ଦନ ଶିରେ ଶିଖୀ ପଙ୍ଖା ।ଗୋବର୍ଦ୍ଧନ ଟେକା ହେ । ଶିରେ ଶୋଭେ ଶିଖୀ ପଙ୍ଖା । ୨ ।ଦୁର୍ଦ୍ଦଣ୍ଡ ଷଣ୍ଢ ଦାନବ ପିଣ୍ଡ ବିମନ୍ଥନ ।ପାଣ୍ଡବ ବତ୍ସଳ ପୁଣ୍ଡରିକ ବିନାଶନଷଣ୍ଢସୁର ଦଣ୍ଡା ହେ । ପାଣ୍ଡବ ବିପତ୍ତିଖଣ୍ଡା । ୩ ।ଯମୁନା ଜଳ କଲ୍ଲୋଳ ସନ୍ତରଣକାରୀ ।ଜଗତଜନନୀ ଜଗନ୍ନାଥ ଯାମଳାରି ।ଯାମଳାଭଞ୍ଜନ ହେ । ଯମୁନାତଟ ରଞ୍ଜନ । ୪ ।ସମସ୍ତେ–ହରିବୋଲ ! ହରିବୋଲ !! ହରିବୋଲ !!!
ଦୂତ– (ପ୍ରବେଶି) କିଏ କେଉଁଠାରେ ଅଛ ପ୍ରଜାଗଣ, ରାଜାଙ୍କର ଆଦେଶ ଶୀଘ୍ର ଶୀଘ୍ର ସମସ୍ତେ ଆସ । କୃଷ୍ଣାର୍ଜୁନଙ୍କ ସଙ୍ଗତରେ ଯୁଦ୍ଧ ହେଉଛି । ଯେଉଁମାନେ କୃଷ୍ଣଙ୍କୁ ଦର୍ଶନ କରିବ, ନରନାରାୟଣ ତନୁ ଦେଖି ସଂସାରୁ ବିଦାୟ ନେବ । ବୀର ଧୀର ହଂସଧ୍ୱଜ ରାଜାଙ୍କ ଆଦେଶ ଶୀଘ୍ର ଆସ– ସେହି କୃଷ୍ଣାର୍ଜୁନଙ୍କ ଯଜ୍ଞହୟ ଧରିବାକୁ ଯାଉଛନ୍ତି ନଗରବାସୀ । ଆଉ ଏ ସୁଯୋଗ ପାଇବ ନାହିଁ । ଯାହାଙ୍କୁ ପାଇବ ବୋଲି ଡାକି ଡାକି ଏତେକାଳ କଣ୍ଠ ରସନା ତାଳୁ ଶୁଖିଯାଉଥିଲା, ତାଙ୍କୁ ଦେଖି ସମସ୍ତେ ସୁଖୀ ହେବ । ଧାଇଁ ଆସ ଧାଇଁ ଆସ ।
ସମସ୍ତେ– ସତେ ସତେ, ଚାଲରେ ଚାଲ ରେ ହରିବୋଲ, ହରିବୋଲ ।(ହରି ହରି ଡାକି ପ୍ରସ୍ଥାନ)
ତୃତୀୟ ଦୃଶ୍ୟ–ମନ୍ତ୍ରଣା ଭବନ
(ରାଜା ହଂସଧ୍ୱଜ, ମନ୍ତ୍ରୀ, ବିଦୂଷକ ଓ ସେନାପତି ପ୍ରବେଶ)ରାଜା– ସେନାପତି ! ସମସ୍ତ ସୈନ୍ୟଙ୍କୁ ଯୁଦ୍ଧକୁ ଯିବାପାଇଁ ଜଣାଇଦେଲେ ?
ସେନାପତି– ମହାରାଜ ! ନାଗ୍ରୀଚି ଦ୍ୱାରା ଘୋଷଣା ଦିଆଇ ଦୂତ ପଠାଇ କି ସେନା, କି ପ୍ରଜା, ସମସ୍ତଙ୍କୁ ଯିବା କଥା ଜଣାଇ ଦେଇଛି, କିନ୍ତୁ ଦେଖି ଆସିଲି ଭୀମାର୍ଜୁନଙ୍କ ସହିତ ଶ୍ରୀକୃଷ୍ଣଙ୍କୁ ପାଇଲି ନାହିଁ । ଅଦ୍ୟ ଯୁଦ୍ଧଯାତ୍ରା ରହିତ କରି କାଲି ପ୍ରଭାତରୁ ଅନୁକୂଳ କଲେ କି ଭଲ ହୁଅନ୍ତା ନାହିଁ ? ଯାହାଙ୍କ ପାଇଁ ଏତେ ଆତୁର ସେ ତ ନାହାନ୍ତି !
ରାଜା– ସେନାପତେ ! ଏ ମିଥ୍ୟା କଥା, ଯହିଁ କୃଷ୍ଣ, ତହିଁ ଅର୍ଜୁନ ଉଭୟ ଅଭେଦ ଆତ୍ମା । ଏକର ଅଭାବେ ଅନ୍ୟ ରହି ନ ପାରେ, ମୋତେ ବୃଥାରେ ଭଣ୍ଡ ନାହିଁ । ଯେବେ ଏ ଜୀବର ସେହି ରଙ୍ଗ ନଳିନ ପଦ ଯୁଗଳରେ ଭକ୍ତି ଥିବ, ଅବଶ୍ୟ ସେ ଦର୍ଶନ ଦେବେ ।
ବିଦୂଷକ– ମହାରାଜ ! କଥା ଅଛି ଭଗବାନ ଯହିଁରେ ତୃପ୍ତ, ସେ କାର୍ଯ୍ୟଟି କରିବା ଆଗେ ଦରକାର । ଭଗବାନ କହିଛନ୍ତି- ଶିବମୁଣ୍ଡ, ଅଗ୍ନିକୁଣ୍ଡ, ବିପ୍ର ତୁଣ୍ଡରେ ଭୋଗ ଦେଲେ ସନ୍ତୋଷ ଲାଭ କରେଁ । ମୁଁ କହୁଛି, ଆଗେ ଥୋଡ଼ା ମିଷ୍ଟାନ୍ନ ଲଡ଼ୁ, ପୁରୀ, ମାଲପୁଆ, ସନ୍ଦେଶ, ପେଡ଼ା, ରସଗୋଲା, ଆମ୍ବ, ପଣସ ଯୋଗାଡ଼ କରି ଗୋଟା କେତେ ବ୍ରାହ୍ମଣଙ୍କୁ ଖୁଆଇବାର ଯୋଗାଡ଼ କରି ଠିକ୍ କରିଦିଅନ୍ତୁ । ମାଲ ଯେଉଁ ଘରେ ରହିବ, ସେ ଘରେ ଆମ୍ଭେ ସ୍ୱୟଂ ବିଦ୍ୟମାନ ରହିବାକୁ ହେବ ।
ସେନାପତି- ବାଃ, ବାଃ, ତେବେ ଯାଇଁ ମହାଶୟଙ୍କ ଜଠରାନଳ ନିର୍ବାପିତ ହେବ ।
ବିଦୂଷକ- ତା ହୋଇପାରେ, ଶୀଘ୍ର ଶୀଘ୍ର ସେ ବନ୍ଦୋବସ୍ତ କରନ୍ତୁ, ଯଦି ବିଳମ୍ବ ହୁଏ, ପାଣ୍ଡବ ବୀରଗଣ ରାଜ୍ୟକୁ ଧ୍ୱଂସ କରିଦେବେ । ଶୀଘ୍ର ହୋମାଦି କାର୍ଯ୍ୟ ଆରମ୍ଭ କରାଯାଉ ।
ରାଜା- ଠିକ୍ କହିଲ ସଖେ ! ମନ୍ତ୍ରୀ ତୁମ୍ଭେ ହୋମସାମଗ୍ରୀ ଓ ବ୍ରାହ୍ମଣ ଭୋଜନର ଯୋଗାଡ଼ କରାଇଦିଅ, ଆଉ ଗୋଟିଏ କାର୍ଯ୍ୟ କର । ଶୁଣ-ଗୀତ- ମନ୍ତ୍ରୀ ପ୍ରତି ରାଜା (କାହା ମନୋହାରୀ-ବୃତ୍ତେ)ଡଗରା ପଠାଇ ମନ୍ତ୍ରୀ ଡାକି ଦାଣ୍ଡେ କହିବଡରିବ ଯେ ରଣେ ତାଙ୍କୁ ମୋଡ଼ିବ ତା ଦଇବ । ପଦ ।ଡହ ଡହ ତୈଳ କୁଣ୍ଡେ, ପକାଇବି ତାକୁ ଚାଣ୍ଡେଡବ ଡବ ତେତେବେଳେ ନେତ୍ରୁ ନୀର ବହିବ ।୧।ଡିଣ୍ଡିମ ବଜାଇ ଜଣା, ବଡ଼ ସାନ କୁଜା କଣାନ ଯାଇ ଯେ ଗୃହ କୋଣେ ବଣା ହୋଇ ରହିବ ।୨।ଛାଡ଼ିବ ତା ଆୟୁ ଫାଶ, ପୀଡ଼ିବି ଜାଣ ଅବଶ୍ୟପଡ଼ିବ ଚିତ୍ରଗୁପତ ଆଗେ ଭିଡ଼ା ପାଇବ ।୩।
ମନ୍ତ୍ରୀ- ମହାରାଜ ! ଆପଣଙ୍କ ଆଜ୍ଞାନୁସାରେ ସମସ୍ତଙ୍କୁ ଜଣାଇଦେବି, କିନ୍ତୁ ଏତେ ତୈଳ ଦ୍ରୋଣୀ କଥା ଆଦେଶ ହେଲା, ଆପଣଙ୍କର ତ ଦୟାଳୁ ହୃଦୟ, ଯଦି କାହାରି ବିକଳ ଦେଖି ସହି ନ ପାରି ମୁକ୍ତି ଦେଇଦେବେ, ତେବେ ଯେ ମୋର ତୈଳ ଫୁଟାଇ ରଖିବା ଏତେଗୁଡ଼ିଏ ଶ୍ରମ ବିଫଳ ହେବ ।
ରାଜା- ମନ୍ତ୍ରୀ ! ତା କେଭେ ନୁହେଁ, ଯାହାର କୃଷ୍ଣ ଦର୍ଶନରେ ଅରୁଚି ଜନ୍ମିବ, ସେହି ନିଶ୍ଚୟ ମହାପାପୀ ନାରକୀ, ତାର ପାପର ଶାସ୍ତି ସେହି ତୈଳ ଦ୍ରୋଣୀ ।
ବିଦୂଷକ- ମହାରାଜ ! ସର୍ବନାଶ, ଆମ୍ଭେ ଯେ ଗୋଟିଏ ଅଭିଷିକ୍ତ ଗର୍ଦ୍ଦଭଠାରୁ ହୀନ । ଯୁଦ୍ଧ ବିଦ୍ୟାରେ ଏତେଦୂର ପଟୁ ଯେ, ସମୟେ ସମୟେ ଆମ୍ଭ ଗୃହିଣୀଙ୍କ ସହ ପରୀକ୍ଷା ବିଶେଷ ଭାବରେ ମିଳେ । ଆଜ୍ଞା ବୁଝନ୍ତୁ, ଯେତେବେଳେ ବ୍ରାହ୍ମଣୀ ଆମ୍ଭର ତାଙ୍କ ନିଯୋଗରେ ତ୍ରୁଟିଦେଖି ଆରକ୍ତିମ ନେତ୍ରଯୁଗରେ ଆମ୍ଭଙ୍କୁ ତୀବ୍ର ଦୃଷ୍ଟିରେ ଲକ୍ଷ୍ୟ କରି ତାଙ୍କର ଚିରସ୍ଥାୟୀ ଆୟୁଧ ଧରି ଆମ୍ଭ ମସ୍ତକ ପୃଷ୍ଠ ଗଣ୍ଡଦେଶ ସ୍ଥାନମାନରେ ପ୍ରୟୋଗ କରନ୍ତି, ସେତେବେଳେ ଆମ୍ଭର ପ୍ରତିଅସ୍ତ୍ର କେବଳ ‘ମଲୁଁ ମଲୁଁ’ ଏହି ସ୍ତବ ପାଠ । ଏଥିରେ ଛାମୁଙ୍କର ଏପରି ବୀରକୁ ସଙ୍ଗରେ ନେଲେ କ୍ଷତି ଛଡ଼ା କିଛି ଲାଭ ନାହିଁ ।
ରାଜା- ଆଚ୍ଛା, ତୁମ୍ଭଙ୍କୁ କେବଳ ଆମ୍ଭ ସଙ୍ଗରେ ରହିବାକୁ ହେବ ।ବିଦୂଷକ- ଆଜ୍ଞା, ଏ ଚୂଡ଼ା ଦହିଖିଆ ପ୍ରାଣ ଅତି ନରମା, ଶୁଣନ୍ତୁଗୀତ- ବିଦୂଷକ-(ଜାତୀୟ ସଙ୍ଗୀତ-ବୃତ୍ତେ)ଅସ୍ତ୍ର ଝଙ୍କାର ଶ୍ରବଣେ ଆମ୍ଭ ବସ୍ତ୍ର ହୋଇବ ମାରା ।ଗାତ୍ରଟି ଯାକ ଥରି ଲୋଡ଼ିବ ଚିତ୍ରଗୁପ୍ତ କାରା ।୧।ଠୋ ଠୋ ଠୋ ଛୁଟିବାକାଳେ ବନ୍ଧୁକ ନଳିରୁ ଗୁଳି ।ଠା ଠା ଠା ହୋଇଣ ବ୍ରାହ୍ମଣ ଡୋଳାଟି ପଡ଼ିବ ଗଳି ।୨।ହେଁ ହେଁ ହେଁ ଶୁଭିଲାକାଳେ ଘୋଟକ ଘୋଣା ଫୁତ୍କାର ।ହୋ ହୋ ହୋ ହାଏ ହାଏ ବୋଲି ଛାଡ଼ିବୁଁ ମହା ଚିତ୍କାର ।ଘର୍ଘର ଘର୍ଘର ଚକ୍ର ଘୂର୍ଣ୍ଣନ ହେଲା କାଳରେ ।ଝର୍ଝର ଝର ତିନ୍ତିଯିବ ଅଙ୍ଗ ଗୋଟି ଝାଳରେ ।
ରାଜା- ଆଚ୍ଛା, ସଖେ ! ଭୟ କରନା, ଭବଭୟହାରୀ ହରିଙ୍କି ଯେ ଆଗରେ ଦେଖିବ, ତାର ଆଉ ଜଗତରେ କେଉଁ କଥାକୁ ଭୟ ? ଯାଅ ସେନାପତେ ! ସମସ୍ତ ଯୋଗାଡ଼ କର, ଯେ ପ୍ରଭାତରୁ ଆସି ରଣସ୍ଥଳରେ ମୋର ସାକ୍ଷାତ ନ କରେ, ତାକୁ ସେହି ତୈଳ ଦ୍ରୋଣିରେ ନିଶ୍ଚୟ ନିଶ୍ଚୟ ପୋଡ଼ି ମରିବାକୁ ହେବ । ଯାଅ, ମୁଁ ଅନ୍ତଃପୁରକୁ ଯାଉଛି ।
ଚତୁର୍ଥ ଦୃଶ୍ୟ-ପାଣ୍ଡବ ଶିବିର
ବୀରବେଶେ ବୃଷକେତୁ ଓ ଭୀମାର୍ଜୁନ
ବୃଷକେତୁ- ହେ ପିତୃବ୍ୟ ! କେଣେ ଗଲା ଯଜ୍ଞଅଶ୍ୱ ଆମ୍ଭ ? ବହୁସ୍ଥାନ କରି ଅନ୍ୱେଷଣ, ନ ପାଇଲି ବର୍ଣ୍ଣ ଚିହ୍ନ କିଛି । କାହାର ଏମନ୍ତେ ଶକ୍ତି କେ ଅଛି ଧରାରେ ପାଣ୍ଡବଙ୍କ ଯଜ୍ଞବାଜୀ କରିବ ବନ୍ଧନ ? କେ କରିଛି ମୃତ୍ୟୁକୁ ବରଣ, ଚିତ୍ରଗୁପ୍ତ ପୂରେ ଯିବାପାଇଁ କେ ବସିଛି ? ବିଷଧର ବିଳେ କେଉଁ ମୂର୍ଖ କର ଭରି ଅଛି, ମନ୍ତ୍ର ଗାରଡ଼ି ନ ଜାଣି । କି କରିବା କହନ୍ତୁ ଉପାୟ ।
ଭୀମ- ଏ ରାଜ୍ୟର ରାଜା ହଂସଧ୍ୱଜ, ନାମ ୟାର ଭଦ୍ରାବତୀ ପୁରୀ,ଯାଇଅଛି ଦୂତ ସେହି ଦିଗେ, ଫେରିଲେ ସେ ଜଣାଯିବ ସର୍ବ,ଚେଷ୍ଟା ନ କରିଣ ବସି କରନ୍ତେ ବିଚାର,ପଥିକର ପଥ ଉଣା ହୋଇଅଛି କାହିଁ ?ଔଷଧ ନ ଖାଇ ବସି କରୁଥିଲେ ଚିନ୍ତା,ରୋଗୀ ରୋଗ ହଟଇ କି କେବେ ?ବୃଷକେତୁ- ହେ ପିତୃବ୍ୟ ! ଧାଇଁଅଛି ଏଣେ ସେହି ଦୂତ, ଜଣାଯାଏ ଆଣିଅଛି ସମ୍ବାଦ ଅଶ୍ୱର ।ଦୂତ- (ପ୍ରବେଶି) କହ ଦୂତ ! ଭେଟିଲୁ ଯଜ୍ଞବାଜୀ କାହିଁ ?ଦୂତ- ଶୁଣ ଶୁଣ ଅଙ୍ଗନାଥ ସୁତ, ଭଦ୍ରାବତୀ ରାଜା ହଂସଧ୍ୱଜ,ବାନ୍ଧିଅଛି ଆମ୍ଭ ବାଜୀ ପାଜି,ମାଗନ୍ତେ ନ ଦେଲା ତିଳେ ମୁକୁଳାଇ ଦୁଷ୍ଟ,କି କରିବା କହନ୍ତୁ ଉପାୟ ?ଭୀମ- କି କହିଲୁ ଚାର, ଚୋର ଧରିଅଛି ଅଶ୍ୱ ?ଭେକ ହୋଇ ହିମଗିରି ଉତ୍ତୋଳନେ ଇଚ୍ଛା ?ଭୁଜଙ୍ଗ ହୋଇ ଗରୁଡ଼ ତୁଲେ ରଚେ ଦ୍ୱନ୍ଦ୍ୱ ?ନ ଜାଣେ କି ଦ୍ୱିତୀୟ ପାଣ୍ଡବ ବୃକୋଦର,ଯାର ଗଦାର ବତାଶେ ଉଡ଼ିଲେ ଅସଂଖ୍ୟ ଥାଟ,ଭାରତ ସମରେ କଉରବ ଶତେ ଭ୍ରାତ,ଏକାବେଳେ ଗଲେ ଯମାଳୟେ,କୁମ୍ଭିରୀ, କିନ୍ନରୀ, ବକ, ହିଡ଼ିମ୍ବକ ହନ୍ତା ।ରହିଛି ଜୀବିତ ସେ କି ନ ଜାଣେ ବର୍ବର ।ଖର୍ବ ହୋଇ ଗର୍ବେ ଧାଏଁ ଧରିବାକୁ ଚାନ୍ଦ,ବାମନ ହୋଇଣ ଇଚ୍ଛେ ସୁରତରୁ କୁସୁମ ଚୟନେ,ଚାଲ ସେନା କରି ସଜ ଭଦ୍ରାବତୀ ପୁରେ,ମାରିଣ ରାଜାକୁ, ଗଡ଼େ ବୁଲାଇବା ଲୁହା ମଇ,ବିଳମ୍ବରେ ନାହିଁ କାର୍ଯ୍ୟ ଆଉ ।ଅର୍ଜୁନ- ସ୍ଥିର ହୁଅ ଭ୍ରାତ ! ଅଯଥା କୋପ ନ କର ନୃପତି ଉପରେଗୀତ- ଭୀମ ପ୍ରତି ଅର୍ଜ୍ଜୁନ-କୀର୍ତ୍ତନ ସୁରଅଜ୍ଞାତରେ ବାନ୍ଧିଥିଲେ ଆମ୍ଭ ଯଜ୍ଞ ବାଜୀକିଆଜ୍ଞା ମାତ୍ରେ ଆଣି ଦେବ କାଳେ ସଂଜ୍ଞା ଭଜିକି ।ହରିଭକ୍ତ ଶିରୋମଣି ଅଟେ ନରମଣିଏହି କଥା ଗୋଟି ବହୁବାର ଅଛି ଶୁଣି ।ତରିବାକୁ କାଳେ ଭରିଥିବ ଅଶ୍ୱ ନେଇ ଆଳେ ।ଯେବେ ସେ ଶତ୍ରୁତାପଣ କରେ ଆଚରଣପିତୃ ପତି ପୁର ପଠାଇବ ଏ ମୋ ବାଣ ।କାଲି ରଣସ୍ଥଳେ ଜଣେ ନ ରଖିବି ଧରା ତଳେ ।ବୃଷକେତୁ- ତେବେ ଚାଲ, ସମସ୍ତେ ଶିବିରେ ବସି ମନ୍ତ୍ରଣା କରିବା । ଗୁପ୍ତଚର ମୁଖରୁ ଅବଶ୍ୟ ଗୁପ୍ତ ରହସ୍ୟ ଜଣାପଡ଼ିବ ।ଭୀମ- ଆସ ଆଉ ବିଳମ୍ବ କାହିଁକି ? ଭୀମର ବାହୁ ଯେ ବ୍ୟଥା କଲାଣି, କାଲି ନିଶ୍ଚୟ ରଣଗୋଳ ହେବ, ଆସ ।(ସମସ୍ତଙ୍କ ପ୍ରସ୍ଥାନ)
ଗୀତିନାଟ୍ୟ କର୍ଣ୍ଣବଧବୈଷ୍ଣବ ପାଣି ପାର୍ବତୀ ବା ଗଙ୍ଗେଶ୍ୱର ଗୀତିନାଟ୍ୟବୈଷ୍ଣବ ପାଣି ବୈଷ୍ଣବ ପାଣି