ଦ୍ୱିତୀୟ ଅଙ୍କ — ଭକ୍ତବୀର ସୁଧନ୍ୱା — ବୈଷ୍ଣବ ପାଣି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ଅଙ୍କ
ପ୍ରଥମ ଦୃଶ୍ୟ-ଶୟନ କକ୍ଷ
(ସୁଧନ୍ୱା- ଶୟନରୁ ଉଠି ବସି)
ସୁଧନ୍ୱା- (ସ୍ୱଗତଃ) ଏ କଣ, ଆଉ କେତେ ରାତ୍ର ଅଛି, ମନରେ ଶାନ୍ତି ନାହିଁ ସୁଖ ନାହିଁ । କାହୁଁ ବା ଆସିବ ? ପ୍ରଭାତରେ ଯେତେବେଳେ ରାଜ୍ୟରେ କୋଟି କୋଟି ମହାଜୀବଙ୍କର ରକ୍ତ ଦର୍ଶନ ଆସୁଛି ତେଣେ ପିତ୍ରାଦେଶରେ ତୈଳପୂର୍ଣ୍ଣ ତାମ୍ର କଟାହ ଧୁ ଧୁ ହୋଇ ଫୁଟୁଛି, ଯେ ରଣକୁ ଯିବାକୁ ପଛଘୁଞ୍ଚା ଦେବେ ତାକୁ ସେ ଉତ୍ତପ୍ତ ତୈଳ ଦ୍ରୋଣିରେ ପଡ଼ିବାକୁ ହେବ । ଏ ଗୋଟିଏ ଭୀଷଣ ଚିନ୍ତା, ଚିନ୍ତା ସହିତ ନିଦ୍ରାର ସପତ୍ନୀ ବିବାଦ, ଆଉ ଟିକିଏ ଭଲା ନିଦ ଆସନ୍ତା ।
(ଶୟନ)ଗୀତ- ବନ୍ଦିନୀମାନଙ୍କ ନୃତ୍ୟ-କି ନାମ ବୋଇଲୁ-ବୃତ୍ତେପାହିଲାଣି ରାତି ଉଇଁଲାଣି ଦେଖ ପୂରୁବ ଗଗନେ ରବି ।ବହିଲାଣି ଧୀରେ ଦକ୍ଷିଣା ପବନ ଦିଶେ ନବ ନବ ଛବି ॥
ଫୁଟିଲେଣି ଫୁଲ ବନ ଉପବନେ ଲୁଟନ୍ତି ମଧୁପେ ମଧୁ ।ଛୁଟିଲାଣି ବାସ ମହ ମହ ହୋଇ ଉଛୁଳାଇ ପ୍ରେମସିନ୍ଧୁ ॥
କୋଟି କୋଟି ତାରା ତୋରା ଲୁଚିଲେଣି ଗୋଟି ଗୋଟି ଅଛି ରହି ।ନିମିଷକେ ତାହା ତୁଟି ଯିବ କେଣେ ଫରଚା ଦିଶିଲେ ମହୀ ॥
ରଟିଲେଣି କାକ କୁକୁଟ ପ୍ରଭାତ ପ୍ରଭା ମନେ ଅନୁସରି ।ଉଠ ଉଠ ନିତ୍ୟକର୍ମେ ମାତ ତ୍ରୁଟି କର ନାହିଁ ନରନାରୀ ॥
(ନାଚି ନାଚି ପ୍ରସ୍ଥାନ)
ସୁଧନ୍ୱା- (ଉଠି ବସି) ନା, ଆଉ ରାତ୍ର ବେଶି ନାହିଁ, ପ୍ରଦୀପ କ୍ରମେ କ୍ରମେ ନିସ୍ତେଜ ଦିଶିଲାଣି, ବନ୍ଦିନୀମାନେ ପ୍ରଭାତ ସୂଚନା ସଙ୍ଗୀତ ଗାଇ ନାଚି ନାଚି ଗଲେଣି, କୁକ୍କୁଟଯୂଥ ପ୍ରଭାତ ଅବକାଶ ଗୀତଗାନ କରି ଜନମାନଙ୍କୁ ଜାଗ୍ରତ କରିଲେଣି । ଦେବାଳୟମାନଙ୍କରେ ଶଙ୍ଖ ଘଣ୍ଟ ତୂରୀ ଭେରୀ ଧ୍ୱନି ବାଜିଉଠିଲାଣି । ଦ୍ୱିଜଗଣ ମଙ୍ଗଳାଷ୍ଟକ ପାଠକରି ଓଁକାର ନାଦରେ ଭଗବାନଙ୍କୁ ନିଜ ନିଜ ମଙ୍ଗଳ ଜଣାଉଛନ୍ତି । ଯିବା, ପ୍ରାତଃସ୍ନାନ ଶେଷ କରି ରଣସ୍ଥଳକୁ ଗମନ କରିବା । ଆଜି କେଡ଼େ ସୁପ୍ରଭାତ, ଆଜି ରଣସ୍ଥଳରେ କେଶୀନିସୂଦନ ମଦନମୋହନଙ୍କ ସଙ୍ଗେ ଅର୍ଜ୍ଜୁନଙ୍କୁ ଦର୍ଶନ କରିବାକୁ ହେବ, ଯାଏଁ ।
(ପ୍ରସ୍ଥାନ)
ଦ୍ୱିତୀୟ ଦୃଶ୍ୟ-ଉପବନ
ଫୁଲପାତ୍ର ହସ୍ତେ ସଖିଗଣ ସହ ପ୍ରଭାତୀର ପ୍ରବେଶକୁଞ୍ଜ- ସଖି ! ଦେଖିଲଣି ନା, ଦିନେ ତ ଏତେ ଫୁଲ ଏ ବଗିଚାରେ ଫୁଟେ ନାହିଁ, ଆଜି ତ ନ ଫୁଟିବା ଗଛରେ ଫୁଲ ସବୁ ଫୁଟିଛି ।
ଲଳିତା- ହଁ ଲୋ କୁଞ୍ଜଲତା । ସେ କୁଞ୍ଜଲତା ଉପରେ ଯେଉଁ ଭ୍ରମରଟି ଯାଇ ବସି ଥରେ ଥରେ ଉଡ଼ି ପୁଣି ବସି ପୁଣି ଉଡ଼ିଯାଇ ପୁଣି ବସୁଛି, ଯେମନ୍ତେ ଦିଶୁଛି ବର କନ୍ୟା ଲୁଚକାଳି ଖେଳିଲାପରି ।
ପ୍ରଭାବତୀ- ସଖିଗଣେ ! ଆସ ଆମେ ସମସ୍ତେ ମିଳିମିଶି ଫୁଲ ତୋଳିବା ।ଗୀତ- ଫୁଲତୋଳା – ଚନ୍ଦ୍ରମାବଦନୀ-ବୃତ୍ତେତୋଳ ଗୋ ସଙ୍ଗାତ ଫୁଲ,ବେଳ ବଳିଯିବ ବାସକୁ ଚାଲ ଗୋ ।କେତେ ହେଉଅଛ ଗେଲ ଗେଲ ସଙ୍ଗାତ ଗୋ ।ଚମ୍ପାଗୋରୀ ତୋଳ ଚମ୍ପା,ଯୁବା ଯୁବତୀଙ୍କ ଧଇର୍ଯ୍ୟକମ୍ପା ଗୋ ।
ଦିଶେ ଟଗର କେମନ୍ତ ତୋଫା ସଙ୍ଗାତ ଗୋ ।
ଲବଙ୍ଗ- ଆମ ରାଣୀଙ୍କର ମଲ୍ଲୀ ଫୁଲରେ ବେଶି ଶ୍ରଦ୍ଧା, ଦେଖ ରାଣୀ !
ଗୀତ- ମଲ୍ଲିହାସିନୀରେ ମଲ୍ଲୀ,
ପାଶେ ବିକଶିଛି ସେ କୁରୁବେଲି ଗୋ ।
ତୋଳ କୁନ୍ଦବନ୍ତୀ କୁନ୍ଦ କଳି ସଙ୍ଗାତ ଗୋ ।
ମାଳତୀ- ସଖି ! ଏଣିକି ଅନେଇଲ ।
ଗୀତ-ଜବାଧରୀ ! ଜବା ଘେନ
ଶିବାଙ୍କର ଏ ତ ଆଦର ଧନ ଗୋ ।
ଆଜି ! ନିଆଳୀ ତୋଳ ବହନ ସଙ୍ଗାତ ଗୋ ।
ଲଳିତା- ହେଉ, ମୁଁ ଯେ ଫୁଲ ଦେଖିଛି ସେ ଉପକାରଗୁଡ଼ିକ ଆମ ଯୁବରାଜ ଓ ରାଣୀଙ୍କ ଠେଇ ପୂରି ରହିଛି ଦେଖ ।
ଗୀତ- ନୀଳୋତ୍ପଳ ଦୃଶା ନୀଳ-
କମଳ ଫୁଟିଛି ବହନ ତୋଳ ଗୋ ।
କେତକୀକାନ୍ତି କେତକୀ ଦଳ ସଙ୍ଗାତ ଗୋ ।
ସୁନୀଳ ଅପରାଜିତା
କେଶିନି ! ଏ ନୀଳ ଅପରାଜିତା ଗୋ ।
ତୋଳ ଫୁଟି ଦିଶେ ବିରାଜିତା ସଙ୍ଗାତ ଗୋ ॥
ପ୍ରଭାବତୀ- ସଖିମାନେ ! ଆଜି ଏ ଫୁଲଗୁଡ଼ିକ ନିଜେ ମୁଁ ହାତରେ ହାର ଗୁନ୍ଥି ମୋର ହୃଦୟ ଦେବତାଙ୍କ ଗଳାରେ ପିନ୍ଧାଇ ତାଙ୍କୁ ପୂଜା କରିବି । (ଚମକିପଡ଼ି) ଏ କ’ଣ ? ମୋର ଡାହାଣ ଆକ୍ଷି କାହିଁକି ନାଚି ଉଠିଲା, କଣ ଅମଙ୍ଗଳ ଘଟିବ କି ?
ଲବଙ୍ଗ- ଏ ଗୋଟାଏ କଥା, ଆମପରି କଣ ତୁମ୍ଭେ ଗରିବ ହୋଇଛ ଯେ, ସାହୁ ମହାଜନ ତଣ୍ଡିନେବେ, ଚୋରଖଣ୍ଟ ଦଣ୍ଡିନେବେ, ଲୁଗା ମିଳିବ ନାହିଁ, ଭାତ ମିଳିବ ନାହିଁ, ତୁମର ଗୋଟାଏ ଅମଙ୍ଗଳ କଣମ ?
ପ୍ରଭାବତୀ- ନା ସଖି ! ମୋ ପେଟ ଭିତର କିଏ ଘାଣ୍ଟି ପକାଉଛି ।କୁଞ୍ଜ- ମୁଁ କହୁଛି ଲୋ ରାଣ୍ଡେ ! ଚଞ୍ଚଳ ଚାଲ, ଉଛୁର କରନା, ମାଜଣା ବେଳ ଗଡ଼ିଗଲାରୁ ରାଣୀ ଦିହଟା ସେମନ୍ତେ ହଉଥିବପ୍ରଭାବତୀ- ନା ସଖି ! ମୋତେ ଭୁଲାଅ ନାହିଁ, ନିଶ୍ଚୟେ କିଛି ମୋ କପାଳରେ ମନ୍ଦ ଦଶା ଘଟିବ - ଶୁଣ ମୁଁ କହୁଛି ।ଗୀତ-ସଖୀମାନଙ୍କ ପ୍ରତି ପ୍ରଭାବତୀ- ସେ କି ସହଜେ-ବୃତ୍ତେକରୁ ହଜିଗଲା ଧନ ଗୋ, ସେହିପରି ହୁଏ ଅନୁମାନ ।ମାନୁ ନାହିଁ ମନ, ଯେ ଯେତେ କହିଲେଚାରିଦିଗ ଦିଶେ ଶୂନ୍ୟ । ଗୋ ।ବକ ବକ ଚିତ୍ତ ହେଲା ରେ ସଙ୍ଗାତଅକସ୍ମାତ କିମ୍ପା ଘେନ ।ବିଷ ସମ ଭାବ ବନପ୍ରିୟ ରାବପୁଣି ଭ୍ରମର ଗୁଞ୍ଜନ ଗୋ ।ଘନ ଘନ କିଏ କାନରେ କହୁଛିସରିଲା ତୋ ସୁଖ ଦିନ ।ଭାରି ଲାଗେ ଉର- କନକର ହାରଗରୁ ତ ପିନ୍ଧା ବସନ ଗୋ ॥
ଗତ କାଲିଠାରୁ ଦେଖି ନାହିଁ ଆକ୍ଷିଅକଳଙ୍କ ଚନ୍ଦ୍ରାନନ ।ସତେ ଦୀନବନ୍ଧୁ ଦେବେ ମୋ ବନ୍ଧୁଙ୍କୁଶୁଣିବି ସୁଧା ବଚନ ଗୋ ॥
କୁଞ୍ଜଲତା- ରାଜରାଣୀ ! ସ୍ଥିର ହୁଅ, ରସମଞ୍ଜରୀ କାହିଁକି ଏଠାକୁ ତରତର ହୋଇ ଧାଇଁଛି, କଣ ଜଣାଇବାକୁ ଆସୁଛି ପରା, (ରସମଞ୍ଜରୀ ପ୍ରବେଶ) କିଲୋ ରସ ! ତୋର ବିରସ ମୁହଁ କାହିଁକି ? ସବୁବେଳେ ତ ରସର ହସ ଧାର ବୋହୁଥାଏ, ଆଜି ମୁହଁଶୁଖା ରୋଗ ତୋତେ ଧଇଲା କି ?
ରସମଞ୍ଜରୀ- ଯା ଲୋ ସବାଖାଈ ! ରସର ଶଶ ଶୁଖିଲାଣି, ତମକୁ ହସ ଲାଗିଛି, ଯୁବରାଜ- ରାଣୀ ! ଶୁଣ ତେଣେ ପରା ତମ ପତି ବୀର ବେଶ ପିନ୍ଧି ଶର ଖଣ୍ଡା ଧାର ସବୁ ଘସି ରଥରେ ରଖୁଛନ୍ତି, ମୁଁ ଦେଖି ଦଉଡ଼ି ଆସିଲି, ତମକୁ ଖବର ଦବାକୁ
ପ୍ରଭାବତୀ- ଆଲୋ ରସ ! କାହାସଙ୍ଗରେ ରଣ କରିବାକୁ ଯାଉଛନ୍ତି ?
ରସମଞ୍ଜରୀ- ତମ ଶଶୁରପରା ପାଣ୍ଡବଙ୍କ ଯାଗ ଘୋଡ଼ାକୁ ବାନ୍ଧି ଆଣିଛନ୍ତି, ସେ ଯୋଗେ ସେମାନେ ଲଢ଼ି ଘୋଡ଼ା ଛଡ଼େଇ ନେବାକୁ ତିଆର, ଏ ପରା ସେଠିକି ଯିବେ,ସାହି ସାହି ଧେଣ୍ଡୁରା ପିଟି କଟୁଆଳ କାଲିଠଉଁ କହିଲାଣି, ସମସ୍ତେ ହାତ ହତିଆର ଧରି ଯାଇ ଲଢ଼େଇ ଭୂଇଁରେ ଜମା ହୋଇ ଗଲେଣି ପରା, କୃଷ୍ଣାର୍ଜୁନ କିଏ, ତାଙ୍କ ସଙ୍ଗରେ ଲଢ଼ିବେ ।
ପ୍ରଭାବତୀ- ଚାଲ କେତକୀ ! ଏ ଫୁଲ ସବୁ ଏଠି ପଡ଼ିଥାଉ, ମୋତେ ଚଞ୍ଚଳ ତାଙ୍କ କତିକି ନେଇ ଚାଲ । ହା ନାଥ ! ତୁମ୍ଭେ ଏଡ଼େ ନିଦାରୁଣ ମୋତେ ପଦେ ନ କହି ରଣକୁ ଯିବାପାଇଁ ବସିଛ । ଚାଲ ରସ ।
(ପ୍ରସ୍ଥାନ)ଗୀତ- ସଖିମାନେ-ମନ୍ଦ ମଧୁର ମଳୟ ସୁନ୍ଦର-ବୃତ୍ତେସରିଗଲା ଆମ୍ଭ ସରାଗ ସରବ ଗରବ ତୁ ପୋଡ଼ି ଯାଆ ରେ ।ତୋଳିଲା ସୁମନ ପଡ଼ିଣ ଶୁଖିଲା ଯୋଗ ତ ନୋହିଲା କାହାରେ । ପଦ ।ନ ରହିଲା ଅନୁରାଗ ରଙ୍ଗ ନାଟ,ଏତେ କୂଟ କଲୁ ରେ ଦଇବ ଖଣ୍ଟ ।ବହିଲା ବିପଦ ବାଆ ଘନ ଘନ ଦହିଲା ବିପତ୍ତି ଦାହା ରେ ।୧।ଯାର ପାଇଁ ହାର ଗୁନ୍ଥିଥାନ୍ତୁ ବସି,ତାର ତ ଏ ଦଶା ରସାରେ ଘଟିଛି ।ରାହୁର କବଳୁ ବଳିବ କି ଶଶୀ ହସିବ କି ଶରଧା ରେ ।୨। (ସମସ୍ତଙ୍କ ପ୍ରସ୍ଥାନ)
ତୃତୀୟ ଦୃଶ୍ୟ- ଅସ୍ତ୍ରାଗାର
ସୁଧନ୍ୱା ଅସ୍ତ୍ର ଶସ୍ତ୍ରଦ୍ୱାରା ସଜ୍ଜିତ ହେବାସୁଧନ୍ୱା- (ସ୍ୱଗତଃ) ଓହୋ, ରଣକ୍ଷେତ୍ର ସୈନ୍ୟ ମୁଖଗୋଳ,ଉଠୁଅଛି ଗଗନ ପରଶି,ଅଶ୍ୱଙ୍କର ହ୍ରେଷାନାଦ ଗଜଙ୍କ ଗର୍ଜନ,ଅସ୍ତ୍ରର ଝଣ ଝଣ ଶବ୍ଦ,ଶୁଣି କେଉଁ ବୀର ରକ୍ତ ସୁସ୍ଥିରେ ରହିବ ।ନରନାରାୟଣ ଦରଶନେ,ଧାଇଁଛନ୍ତି ଦେଶବ୍ୟାପୀ ପରମ ଉଲ୍ଲାସେ,ମରଣକୁ ହେୟଜ୍ଞାନ କରି,ବହୁ କଷ୍ଟାର୍ଜିତ ଧନେ ପଦେ ଦେଇ ଠେଲି,ପ୍ରକୃତରେ, ଅକ୍ଷୟ ଅବ୍ୟୟ ଧନେ ଯାର ଅଭିଳାଷ,କ୍ଷଣସ୍ଥାୟୀ ଧନକୁ ସେ କିମ୍ପା ଆଦରିବ,ଧନ୍ୟ ନାରାୟଣ ! ଧନ୍ୟ ତୁମ୍ଭ ଲୀଳା ଖେଳା,ତୁମ୍ଭେ ଏକା ଭେଳା ଏହି ଭବଅବଧିରେ,କି କରିବି ଭାବିଥିଲି ପ୍ରଭାବତୀ ସଙ୍ଗେ କରି ଦେଖା,ଯାଇଥାନ୍ତି ସମର ପ୍ରାଙ୍ଗଣେ, କିନ୍ତୁ ବେଳ ନାହିଁ ଆଉ,କରିବା ତା କାର୍ଯ୍ୟେ ପରିଣତ,ରଣ ଜୟ କରି ଯେବେ ନର ନାରାୟଣେ, ଫେରିବି ସଦନେହରିବି ପ୍ରିୟାର ମାନ ଧରି ସ୍ନେହେ କୋଳେ,ଚୁମ୍ବଦାନ ପାଶେ ଦମ୍ଭ କେତେ ରମଣୀର ।ଏଣେ ଟାଣେ ନାରୀ ପ୍ରେମ, ତେଣେ ଟାଣେ ହରି ପ୍ରେମ,କାର କେତେ ଶକ୍ତି, ଆଜି ଦେଖୁ ତା ଜଗତ,ସୁଧନ୍ୱା ତା’ ପରୀକ୍ଷାର କ୍ଷେତ୍ର ।ଗୀତ – ସୁଧନ୍ୱା-ଏତେବେଳକୁ ହେ, ମୁଖ-ବୃତ୍ତେମୋତେ ଫିଙ୍ଗନା ହେ, ହରି ବିଷମ ଧନ୍ଦାରେ ।ଛନ୍ଦାଚରଣକୁ ଏ କି ନୋହିବଟି ନିନ୍ଦା ରେ । ପଦ ।କନ୍ଦାଇବ କି ଅବଳା, ବାଳାକୁ ନନ୍ଦର ବଳାସନ୍ଧାଇବ କି ବିଚ୍ଛେଦ ଜନ୍ଦାର ମନ୍ଦାରେ ।୧।ବୃନ୍ଦାରକ ରଙ୍କ ଧନ, ଶ୍ରୀବୃନ୍ଦାବନ ମୋହନବୃନ୍ଦାର କ୍ରୀଡ଼ାକେତନ ମୁଁ ପଡ଼ିଛି ଅନ୍ଧାରେ ।୨।ବୁନ୍ଦାଏ କଲେ କରୁଣା, ମୋ ବିପଦ ହେବ ଊଣା ।ହେବ ଖନ୍ଦା ରନ୍ଧା ଭାତଗିଳା ବସୁଧାରେ ।୩।ପ୍ରଭାବତୀ- (ରସମଞ୍ଜରୀ ସହ ପ୍ରବେଶି) ରସମଞ୍ଜରୀ ! କାହାନ୍ତି ମୋ ହୃଦୟ ପଞ୍ଜରୀ କଳା ସାରୀ ?ରସମଞ୍ଜରୀ- ଏହି ଯେ ଯୁବରାଜ ! ଏଇଠି ଠିଆହୋଇଛନ୍ତି ।ପ୍ରଭାବତୀ- ଜୀବନବଲ୍ଲଭ ! କେଉଁଠାକୁ ଯାଉଛ- ଏ ବୀର ବେଶ କାହିଁକି ?
ସୁଧନ୍ୱା- ପ୍ରିୟେ ! ପିତାଙ୍କ ଆଦେଶରେ ମୁଁ ଆଜି କୃଷ୍ଣାର୍ଜୁନ ସହ ରଣ କରିବାକୁ ଯାଉଛି । ସମୟ ନୋହିବାରୁ ତୁମ୍ଭ ସାକ୍ଷାତକୁ ଯାଇପାରି ନାହିଁ, ତେଣେ ସେନାମାନେ ସମରାଙ୍ଗଣରେ ପ୍ରବେଶି ମୋତେ ଅପେକ୍ଷା କରିଥିବେ ।
ପ୍ରଭାବତୀ- ଜୀବେଶ ! ଏ ଦାସୀର ଗୋଟିଏ କଥା ଶ୍ରବଣ କରନ୍ତୁ ।ଗୀତ – ସୁଧନ୍ୱା ପ୍ରତି ପ୍ରଭାବତୀ-କୃଷ୍ଣ ହେ ଦିଅ କୃପା-ବୃତ୍ତେ ଧନ ହେ, ମୋତେ ମନା ନ କର ।ରଣେ ଯିବି ମନ ବଳିଛି ମୋର । ପଦ ।ନର ନାରାୟଣେ କରି ଦରଶନସରବ କଷଣ ଦହିବି ମୋର ।ସନକାଦି ପତି ଯା ରୂପକୁ ଚିନ୍ତିଶମନ ଦମନ ନାମ ପ୍ରଚାର ।କଲେ ଧରାର, ହେଲେ ଅମର,ନେତ୍ରେ ନିରେଖିବି ସେହି ସମର ।୧।ମୁଁ ଯେ ବୀର ସୁତା ବୀରର ବନିତାବୀରବଧୂ ବୋଲି ଜାଣନ୍ତି ନରବୀରପରି ଘର- କୋଣ ପିଞ୍ଜରାରେପଡ଼ି କି ଏ ଜୀବ ହେବ ଅସାର ।ଦେଖୁ ସଂସାର, ଶକତି ବାର,ସାଧିଅଛି ବାଲ୍ୟେ ଅସ୍ତ୍ର ନିକର ।୨।ଯେବେ ପାର୍ଥ ବାଣେ ରଣେ ହେବ ହତସହମୃତା ହେବ ଦାସୀ ତୁମ୍ଭରନୋହିବି ବିଧବା ଆହେ ଜୀବଧନ !ତୋଷେ ଯିବି ଜୀବଧବ ନବର ।ଶିର ସିନ୍ଦୂର, ହେବ ସେ ଚିର,ଅଙ୍ଗ ଆଉ ରଣରଙ୍ଗ ଅମ୍ବର ।୩।ସୁଧନ୍ୱା- ପ୍ରିୟେ ! ଯା କହିଲ ଅଟେ ସତ୍ୟ,କିନ୍ତୁ ପତି ଥାଉଁ ପତ୍ନୀ ସମରକୁ ଗଲେ,ସୁନ୍ଦର ଦିଶିବ ନାହିଁ ଜଗତ ଚକ୍ଷୁକୁ,ତେଣୁ କରୁଛି ନିଷେଧ ପ୍ରିୟେ !ନ ବଳାଅ ବାଳାମଣି ସେ ଦିଗକୁ ମତି,କହୁଛ ଯେ ନର ନାରାୟଣେଦରଶନ କରି ହେବ ସର୍ବ ପାପୁଁ ମୁକ୍ତ,ନାହିଁ ରମଣୀର ଅଧିକାର ଦେବ ଆରାଧନେ,ପତି ତାର ଗତି, ପତି ତା ମୁକତି,ପତି ଦେବତା ତାହାର ପତି ପଦସେବା ତାର ଜୀବନର ବ୍ରତହେଉଛି ବିଳମ୍ବ, ଫେରି ଯାଅ ଅନ୍ତଃପୁରେ ।
ପ୍ରଭାବତୀ- ଶୁଣ ନାଥ ! ନର ନାରାୟଣ ରଣେ ନ ବଳା ମାନସ, ଶୁଣି ନାହଁ ପାର୍ଥଙ୍କ କ୍ଷମତା, କୃଷ୍ଣ ବଳେ ବଳୀୟାନ ବିଜୟୀ ସର୍ବତ୍ର, କୋଟି କୋଟି କୌରବ ବାହିନୀ, ଭୀଷ୍ମ ଦ୍ରୋଣପରି ରଥୀ, ନର ଶାର୍ଦ୍ଦୂଳ ନାମରେ କ୍ଷାତ ଯେହୁ ବେନି, ସେମାନଙ୍କୁ ପରାଜିତ କରିଛି ଅର୍ଜୁନ, ତାଙ୍କ ତୁଲେ ରଣେ ମୃତ୍ୟୁ ଅଟେ ଅନିର୍ବାର । ଯେବେ ଇଚ୍ଛା କୃଷ୍ଣ ଦରଶନେ, ତୁଷ୍ଟଭାବେ ବରି ତାଙ୍କ ଭକ୍ତି କର ଲାଭ । ଏକଥା କି ସଂସାରକୁ ନ ହେବ ସୁଲଭ ?
ସୁଧନ୍ୱା- ପ୍ରିୟେ ! ଜାଣିଛ ତ ଧର୍ମ କର୍ମକର୍ତ୍ତା ସେହି,ଜଗତ ଜୀବନ ବନମାଳୀ,ବୀର ଧର୍ମେ ତାହା ହେଲେ ଲାଗିବ କଳଙ୍କ,ଧରିଛନ୍ତି ଅଶ୍ୱ ପିତା ପଣ କରି ରଣ,ମୁଁ କେମନ୍ତେ ପୁତ୍ର ହୋଇ କରିବି ବାରଣ ?ଆବର କଥାଏ ଶୁଣ ସୁକୁନ୍ଦ ରଦନେ,ଅନ୍ତର୍ଯ୍ୟାମୀ ନାରାୟଣ ସକଳ ଅନ୍ତରେ,ପୂରି ରହିଛନ୍ତି ଚରାଚରେ ।ଗୀତ – ପ୍ରଭାବତୀ ପ୍ରତି ସୁଧନ୍ୱା-ବାଟୋଇରେ ଦୂର ବାଟ-ବୃତ୍ତେହରିକି ଡରିଲେ ମୋତେ ତାରିବ କିଏ ?ସେହି ହରି ପରା ଭୟେ ଅଭୟ ଦିଏ । ପଦ ।ବିଶ୍ୱରୂପୀ ପରା ସେହି ମୁହିଁ ତା ଉଦରେ ରହିଅଛି ଏ ଶରୀର ବହି (ସେ) କାହାରି ନୋହେ ।୧।ନେତ୍ରଠାରୁ ହୃଦେ ଦେଖ ବାର ଆଙ୍ଗୁଳ ଫରକ ।ଏତିକି ଦୂରେ ଥାଇ ସେ କଥା ନ କହେ ।୨।ଯେବେ ମୃତ୍ୟୁ ଲେଖା ଭାଲେ, ଖଣ୍ଡିବ କେ ତାହା ଭଲେ ।ଦଣ୍ଡିବା ଖଣ୍ଡିବା ଶକ୍ତି ତାଠାରେ ଥାଏ । ୩ ।
ପ୍ରଭାବତୀ- ଜୀବେଶ୍ୱର ! ତେବେ ମୋ କଥା ମାନିବେ ନାହିଁ ? ନାଥ ! ଶୁଣ, ଆଜି ମୋର ପାକାସ୍ପର୍ଶର ସପ୍ତମ ଦିବସ, ମୁଁ ଶୁଦ୍ଧ ସ୍ନାନ କରିଛି, ମୋତେ ବଂଶରକ୍ଷା ନିମିତ୍ତ କୌଣସି ବାଟ ବତାଇ ଦିଅନ୍ତୁ । ଯଦି ରଣରେ ମୃତ୍ୟୁ ହୁଏ, ଆଉ ଯେ ତୁମ୍ଭର ସାକ୍ଷାତ ଏ ଦାସୀ ପାଇବ ନାହିଁ, ସେ ଯୋଗେ ଚାଲନ୍ତୁ, ମୁଁ କେଳି ମଣ୍ଡନ କରି ରଖିଛି, ସେଠାରେ ଉଭୟ ଏକତ୍ର ଶୟନ କରି ପରେ ଯୁଦ୍ଧ ଯାତ୍ରା କରିବେ ।
ସୁଧନ୍ୱା- ପ୍ରିୟେ ! ଯୁଦ୍ଧ ସମୟରେ ବା କୌଣସି କର୍ମରେ ଯାତ୍ରା କରିବାକୁ ହେଲେ ନାରୀ ସହବାସ ନିଷେଧ । ମୋତେ ବଳାଅନା, ହୃଦୟର ନିଆଁ ହୃଦୟରେ ମାରି ତୁମ୍ଭର ବାସକୁ ଫେରିଯାଅ । ପିତାଙ୍କର ଆଦେଶ ଯେ ଯୁଦ୍ଧକ୍ଷେତ୍ରକୁ ଯିବା ପୂର୍ବରୁ ତାଙ୍କ ସହ ସାକ୍ଷାତ ନକରିବ, ସେ ତାକୁ ଉତ୍ତପ୍ତ ତୈଳ ଦ୍ରୋଣିରେ ପକାଇ ପ୍ରତିଜ୍ଞା ପୂର୍ଣ୍ଣ କରିବେ ।
ପ୍ରଭାବତୀ- ନାଥ ! ତେବେ କି ଏ କିଣା କିଙ୍କରୀକି ଦୂରକୁ ଫିଙ୍ଗି ରଣକ୍ଷେତ୍ରକୁ ଗମନ କରିବେ ?ଗୀତ – ସୁଧନ୍ୱା ପ୍ରତି ପ୍ରଭାବତୀ-ଶ୍ୟାମ ଶିଖଣ୍ଡେ ଚୂଳ-ବୃତ୍ତେଜୀବ ଜୀବନ ଧନ ମାଗୁଛି ଏତେ ହେ, ଭୁଲି ନ ଯିବ ଚିତ୍ତେ । ପଦ ।ତରୁ ବିନେ କି ଲତା ଦିଶିବ ଶୋଭା ।ଫୁଲ ହୀନେ କି କାହିଁ ସାଜିବ ଗଭା ହେ ।ଚାନ୍ଦ ହୀନେ ଯାମିନୀ, ତେସନ ଜାଣ ପତିହୀନେ କାମିନୀ ହେ ।ନେତ୍ର ନୀରେ ତିନ୍ତିବ ପିନ୍ଧା ବସନ,ବିଷ ଲାଗିବ ସୁଧା ଶୁଦ୍ଧ ଅଶନ ହେ ।ଆହେ ମୋ ଉର ହାର, ହର ହାର ପରାୟେ ଦଂଶିବ ଚିର ହେ ।ବଳିବ ତୂଳି ଶେଯ କଣ୍ଟା ବଣରୁ,କାଳି ପଡ଼ିବ ତନୁ ତବ ହେତୁରୁ ହେ ।ଆହେ ମୋ କଣ୍ଠମାଳି, ଖଣ୍ଟ ତ ନେଇେ କାଟି ଯାଉଛି ଚଳି ହେ ।
କଥା- ଶୁଣ ନାଥ ! ମୋର ବ୍ରତ ଭଙ୍ଗ କରି ଯାଉଛ, ଏଥିରେ କି ଅଧର୍ମ ହେବ ନାହିଁ ? ପୁଣି ନାରୀ ନ ଥିବା ପୁରୁଷ କୌଣସି ଶୁଭ କର୍ମ କରିବାର ଅଧିକାର ନାହିଁ, କିଂବା ପୁରୁଷ ବିନା ନାରୀର ହସ୍ତ ନୀର ପିତୃଲୋକେ ମଧ୍ୟ ପାଆନ୍ତି ନାହିଁ । ତୁମ୍ଭେ ମୋତେ ସଙ୍ଗରେ ନ ନେଇ କି ମୁକ୍ତି ଲଭିବ ନାଥ ?
ସୁଧନ୍ୱା- ପ୍ରିୟେ । ଶୁଣ, ଧର୍ମାଧର୍ମ କର୍ମାକର୍ମର କରତା ଯେଉଁ ହରି, ମୁଁ ଯେତେବେଳେ ତାଙ୍କ ନିକଟକୁ ଯାଉଛି ତାଙ୍କୁ ଦର୍ଶନ କରିବି, ସେତେବେଳେ କି ମୋ ଅଙ୍ଗରେ ଦୁଷ୍କୃତ ସ୍ଥାନ ପାଇବ ? ଯାର ନାମ ସ୍ମରଣ ମାତ୍ରେ ପାପ ଲକ୍ଷ ଲକ୍ଷ ଯୋଜନାନ୍ତର ପଳାୟନ କରେ, ସେ ହରି ମୋର ଆଗରେ ନନ୍ଦିଘୋଷରେ ଅଶ୍ୱରଜ୍ଜୁ, ଧରି ଛିଡ଼ାହୋଇଥିବେ । ଦୁଷ୍ଟ କୃତାନ୍ତର କି ସାଧ୍ୟ ଯେ ମୋର କେଶାଗ୍ର ସ୍ପର୍ଶ କରିବ ? ଥାଅ ପ୍ରିୟେ ! ମୁଁ ଯାଉଛି ।
ପ୍ରଭାବତୀ- ନାଥ ! ଯେତେ ବୁଝାଇଲେ ଏ ମନ ମାନୁନାହିଁ, ପାଇଲା ଧନ ହଜାଇ ଦେଲେ କି ଆଉ ମିଳିବ ? (ହସ୍ତ ଧାରଣ)
ସୁଧନ୍ୱା- ହଉ ପ୍ରିୟେ ! ଚାଲ, ସେହି ହରି ସୃଷ୍ଟି ସ୍ଥିତି ପ୍ରଳୟର କର୍ତ୍ତା ମୁଁ କିଏ ? ସେ ଯାହା କହିଦେଉଛନ୍ତି ମାନବ ତାହାହିଁ କରୁଛି । କାହିଁକି ତାଙ୍କ ସୃଷ୍ଟି କର୍ମରେ ବାଧା ଘଟିବ, ପଛରେ ନିନ୍ଦା ରଟିବ । ଚାଲ ବିଳାସ ଭବନକୁ, ତୁମ୍ଭର କାମ-କାମନା ପୂର୍ଣ୍ଣକରି, ତୀର୍ଥ କରି ରଣକ୍ଷେତ୍ରକୁ ଗମନ କରିବି ।
(ଉଭୟ କର ଧରାଧରି ହୋଇ ପ୍ରସ୍ଥାନ)