ଚତୁର୍ଥ ଦୃଶ୍ୟ– ରାଜପଥ — ଭକ୍ତବୀର ସୁଧନ୍ୱା — ବୈଷ୍ଣବ ପାଣି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ଦୃଶ୍ୟ– ରାଜପଥ
(ଦୁଇଜଣ ସୈନିକ ପ୍ରବେଶ)୧ମ ସୈନ୍ୟ– ଆରେ ହେ, କୁଆଡ଼େ ପଳେଇଛୁ ?୨ୟ–ଆବେ, ତୁଟା ଓଲୁ ନା ଭାଲୁ ?୧ମ–ନାହିଁ, ମୁଁ ସେ ଯୋଡ଼ାଯାକ, ତୁ କଣ କଥାଟା କହିଲୁ ?୨ୟ–କହିଲୁ କହିଲୁ, ମଥାଟା ତ ଯିବ ଆଗେ ପହିଲୁ ?୧ମ–କଣ ହୋଇଛି ମୋ ଆଗରେ କହ, ଦିହ ସମ୍ଭାଳି ରହ ।୨ୟ–ଯୋଉ ଲଢ଼େଇ, ଆରେ ଭାଇ ରେ, ମୁଁ ତ ମନେକଲି, ଆର ବରଷ ବାହାଘର ହୋଇଛି, କିଛି ତ କୁଆଡ଼ୁ ହୋଇନାହିଁ,ମୋ ମଉଜ ଫଉଜ ଟିକକ କଣ ରାଇଜରୁ ଯିବ କି ?୧ମ– ଆରେ ଏତେବେଳେ ଡରିଲେ କିଏ ଛାଡ଼ିବ ? ଆଗରୁ ଯେ ବସି ବସି ଦରମା ଖଉଥିଲେ, ବୋଦା ପାଳନ୍ତି କାହିଁକି ଜାଣୁ
୨ୟ–ହଁ ଜାଣେ, ହଣା ହବାପାଇଁ, ପୁଣି ଠାକୁରାଣୀଙ୍କି ବଳି ଦେବାପାଇଁ, ପୁଣି ମାଆ ବାପ ମାନସିକ କରନ୍ତି, ପୁଅ ରୋଗରେ ପଡ଼ିଲେ କହନ୍ତି – ମଙ୍ଗଳା ମା ! ଏ ମୁଣ୍ଡ ଯେବେ ରଖିବୁ ତୁ ମୁଣ୍ଡ ବଦଳେ ମୁଣ୍ଡ ଦେବି ।
୧ମ–ଆରେ ଏ ତ ଜାଣେ, ଏକଥା ସେଇ ଭଳିକା– ବୁଝିଲୁ ?୨ୟ–ଦେଏ ଭାଇ ! ରଜା ଦାନାରେ ଏ ରକତ, ଯାର ରକ୍ତ ତାହାରି ପାଇଁ ତ ଯିବ, ସେଥିପାଇଁ ଚିନ୍ତା କଣ ?
୧ମ– ନାହିଁ ବେ, ଆଜି ନ ଖାଇଲେ ତ କାଲିକି ଏକ ସୁଦ୍ଧା ବନ୍ଦ ଚାଲେ ଚାଲ ଛକି ଛକି ଲଢ଼ୁ ଲଢ଼ୁ ମାମଲତ ଯୋଉଯାକେ ଯିବ, ଖାଲି ବାହା ହୋଇଥିଲି ବୋଉଟା ଘରକୁ ଆସି ଯାଇଥାନ୍ତା କି ମଲାଠଉଁ ମନଟା ଏକା ପଛରେ ଭାରି ବେସ୍ତ ହେବ ଜଣାଯାଉଛି ।
୨ୟ–ଚାଲବେ ଚାଲ, ମଲେ ତ ଲୋକେ ତେଣେ ଭାରି ବେସ୍ତ ହୋଇ କାନ୍ଦନ୍ତି, ତୁ ଶୁଣି ନାହୁଁ ଆ ଆ, ରଣ ବାଜା ବାଜିଲା ବେ । (ଉଭୟେ ପ୍ରସ୍ଥାନ)
ଚତୁର୍ଥ ଅଙ୍କ
ପ୍ରଥମ ଦୃଶ୍ୟ– ରଣକ୍ଷେତ୍ର
ରଣବାଦ୍ୟ– ଯୁଦ୍ଧ କରୁ କରୁ ସ୍ୱଧନ୍ୱା ଓ ବୃଷକେତୁ ପ୍ରବେଶ
ବୃଷକେତୁ–ନରାଧମ ! ଜାଣୁ ମୁହିଁ କିଏ ? ଚିହ୍ନ ଭଲକରି ଥରେ, ପିତା ଯାର ସ୍ୱୟଂ ଦିବାକର, ମାତା ଯାର ନିଜେ କୁନ୍ତି ଦେବୀ, ସେ ପିତାର ପୁତ୍ର ମୁହିଁ ? ନାମ ମୋର ବୃଷକେତୁ, ଚିତ୍ତେ ହେତୁ ରଖ ରେ ପାମର ।
ଗୀତ– ସଧୁନ୍ୱା ପ୍ରତି ବୃଷକେତୁ– ଢକା ଫିଟାଇବାକୁ ଏକାକୀ–ବୃତ୍ତେଗୁଣ୍ଡାଗିରି ଦେଖା ନାହିଁ ରେ ଗେଣ୍ଡାଳଗୁଣ୍ଡାକିଆ ବୁଦ୍ଧି ଛାଡ଼ି ଦେଖ ।ଭଣ୍ଡାଭଣ୍ଡି ଥଣ୍ଡା ଥଣ୍ଡି ନ ଖଟିବମୋ କାଣ୍ଡ ମୁନକୁ ଏହି ଦେଖ । ପଦ ।ଦଣ୍ଡଧର ଦଣ୍ଡେ ଡରି ନାହିଁ ମୋରଖଣ୍ଡା ଖଣ୍ଡକରେ ବିଡ଼ି ଦେଖ ।ପଣ୍ଡା ଧଣ୍ଡାମାଳ ମଣ୍ଡା ପରା ଅଛିତୋ ନୟନ ଯୋଡ଼ି ଫେଡ଼ି ଦେଖ ।୧।କଣ୍ଡାମଳ ଜାତି ପରା ନ ମଣ ରେଭଣ୍ଡାଭଣ୍ଡି ପଥ ତଡ଼ି ଦେଖ ।ମୁଣ୍ଡନ କରିବି ଗୁଣ୍ଡ ଏ କାଣ୍ଡରେବାହାରେ ତାହାକୁ ଯୋଡ଼ି ଦେଖ ।୨।ସ୍ୱଧନ୍ୱା– ଆରେ ଆରେ ଦୁର୍ବୃତ୍ତ ବାଳକ,କି ସାହାସେ କହୁ ଏଡ଼େ କଥା ?ଳଜ୍ଜା ତିଳେ ନାହିଁ ତୋ ବଦନେ,
ଯେବେ ଜୀବନେ ରହିବୁ ବଳିଅଛି ଆଶା,
ସହସା ପଳା ରେ କୃଷ୍ଣ ପାଶେ,
ନୋହିଲେ ଏ ବାଣର ମୁନରେ ବର୍ତ୍ତି ନ ପାରିବୁ କ୍ଷଣେ ।
ଜାଣେ ତୋର ବୀରପଣ ମୁହିଁ,
ମାରିବାରୁ ଭାରତ ସମରେ, ଅର୍ଜୁନ ତୋ ପିତା ବର୍ବର ।
ତେଣୁ ପ୍ରାଣ ଡରେ ପଶିଲୁ ଶରଣ ତାର ପଦେ,
ଥିଲେ ତୋ କ୍ଷମତା, ନେଇ କି ନ ଥାନ୍ତୁ ପିତୃହନ୍ତା ପରିଶୋଧ ?
ଏବେ ଶୀଘ୍ର କର ଯୁଦ୍ଧ ।
ବୃଷ– ପ୍ରସ୍ତୁତ ମୁଁ । (ଉଭୟ ଯୁଦ୍ଧ କରୁ କରୁ ପ୍ରସ୍ଥାନ)
(ଅନ୍ୟ ଦିଗରୁ ସୁରଥ ଓ ପ୍ରଦ୍ୟୁମ୍ନର ପ୍ରବେଶ)
ପ୍ରଦ୍ୟୁମ୍ନ– ରେ ପାମର ବାଳକ,
ମରିବୁ ପଡ଼ିଛୁ ଆସି ପ୍ରଦୁମ୍ନର ଆଗେ,
ବିଛା ମନ୍ତ୍ର ନ ଜାଣି ରେ ମୂର୍ଖ,
ନାଗୁଣୀ ତୁଣ୍ଡରେ କର ଭରିବାକୁ ଯାଉ,
ତୁ ନ ମରି ଆଉ କେ ମରିବ କହ ଭଲା ?
ଯାଦବ କୁଳ ତିଳକ କୃଷ୍ଣ ସୁତ ପ୍ରଦ୍ୟୁମ୍ନର ଶର,
ତୁ କି ଯୁଝିବାର ସମକକ୍ଷ ଯୋଦ୍ଧା ଅଟୁ ?
ପଳା ପଳା ରେ ବାତୁଳା ।
ସୁରଥ– ରେ ନୁର୍ଲଜ୍ଜ ଲଜ୍ଜାହୀନ ଭଣ୍ଡ,
ତୋର ଗୁଣ କହିଲେ ସରିବ ନାହିଁ ବସି,
ଦ୍ୱାରାବତୀ ପୁରେ ଜାତ ହୋଇ,
ବଢ଼ିଲୁ ତୁ ସମ୍ବର ବାସରେ ।
ରାଘବ ମାଛ ତୋହର ମାତା,
କିବା ରୁକ୍ମିଣୀ ତୋ ମାଆ,
କହ କାହାକୁ ଆଣିବା,
କିବା ବେଧ ଛୁଆ ଭାସୁଥିଲୁ ଜଳେ,
କେହି ଗୁପ୍ତେ ଯାଇଥିଲା ପାଣିରେ ପକାଇ,
ଭଲହୋଇଥିଲେ କିରେ ପାଳିତା ମାତାରେ,
ଭାର୍ଯ୍ୟା ଭାବେ କରନ୍ତୁ ରମଣ ?
ପ୍ରଦ୍ୟୁମ୍ନ– ରେ ପାଷାଣ୍ଡ ! ତୁ କାହୁଁ ଜାଣିବୁ ମର୍ମ ତାର ?
ଅଟେ ବଡ଼ ସେ ଗହନ କଥା,
ମୂର୍ଖକୁ ବୁଝାଇ ବେଦ ଫଳ କିଛି ନାହିଁ,
କର କର କର୍ତ୍ତବ୍ୟ ପାଳନ ।
ସୁରଥ– ରେ ନିର୍ଲଜ୍ଜ ଚୋରା କୃଷ୍ଣ ସୁତ,
କିଛି କହିବି ତୋ ପୂର୍ବାପର କଥା,
ତେବେ ଦେବି ଯଥୋଚିତ ପୁରସ୍କାର ରଣେ ।
ଗୀତ– ପ୍ରଦ୍ୟୁମ୍ନ ପ୍ରତି ସୁରଥ – ନେଏନା ନେଏନା ସଖି–ବୃତ୍ତେ ଫୁଲ ଧନୁ ଫୁଲ କାଣ୍ଡ ଧର ଭଣ୍ଡ
ମୂଲକଯାକ ତୁ ଦେଲୁ ସାରି ।
ତୋହ ଯୋଗେ ଭୂଲୋ– କରେ ଭାଇବୋହୂ
ଦେଢ଼ଶୁର ସଙ୍ଗେ ଧରାଧରି । ପଦ ।
ସ୍ୱଲୋକରେ ଲୋକ– ଶ୍ରଷ୍ଠା ଦେବ ସଭା,
ଠାବ ଦୁହିତାକୁ ଅଛି ହରି ।
ପଲକରେ ତୋହ ପିତା ଗୋଲକରେ
ଦେଲା ଗୋପୀଙ୍କ ମହତ ଜୁରୀ । ୧ ।
ତୋହ ଯୋଗେ ଜାତି ଅଜାତି ବାରଣ
ଧରମ ସଂସାରୁ ଗଲା ସରି ।
କୀଟଠାରୁ ଝିଟ ପଶୁ ପକ୍ଷୀ ଯେତେ
ସେସବୁ କାମ ତୋ ଆଜ୍ଞାକାରୀ । ୨ ।
ତୋ ଯୋଗୁ ହଜାରେ ହଜାରେ ବଜାରେ
ମହତ ବିକିଲେ ମୁଳ ନାରୀ ।
ଆରେ ପେଡ଼ା ପ୍ରେତ ଅତ୍ୟାଚାର ବ୍ରତ
ଯାବତ ଜଗତେ କଲୁ ଜାରି ।
ପ୍ରଦ୍ୟୁମ୍ନ– ରେ ଅହଂକାରୀ ଅଶ୍ୱଚୋର ପୁତ୍ର,
ଆଉ ବାକ୍ୟାଡ଼ମ୍ବରେ ନାହିଁ ପ୍ରୟୋଜନ,
କର ଯୁଦ୍ଧ ଧର ଧନୁ ଦୁଷ୍ଟ ।
ସୁରଥ– ଚିନ୍ତାନାହିଁ କିଛି, କର ରଣ । (ଉଭୟ ଯୁଦ୍ଧ କରୁ କରୁ ପ୍ରସ୍ଥାନ)
(ଭୀମ ଓ ସୁଧନ୍ୱା ଯୁଦ୍ଧ କରୁ କରୁ ପ୍ରବେଶ)
ଭୀମ– ରେ ପାମର ଅଶ୍ୱଚୋର, ତୁ କି ଭୀମର ସମର ମହିମା ଜାଣୁନାହିଁ ? ଯେତେବେଳେ ଜଉଶାଳୁ ଗୁପ୍ତ ବନବାସ କରିଥିଲି ସେକାଳେ କୁମ୍ଭୀରୀ କିନ୍ନରୀ ବକ ହିଡ଼ମ୍ବକ ଆଦି ବଧ କରିଛି, ଗୋଳ ରଣରେ ଦୁର୍ଯ୍ୟୋଧନାଦି ଶତ ଭ୍ରାତାଙ୍କର ମରଣ ଏହି ବୃକୋଦର ଗଦାରେ । ରେ ବାଳକ, ଆଜି ବୃକୋଦର କରସ୍ଥିତ ଗଦା ତୋର ଯମାଳୟର ପଥ ପ୍ରଦର୍ଶକ, ଏହା ଭଲ କରି ମନେରଖ ।
ସୁଧନ୍ୱା– ହେ ମହବୀର ! ଯା କହିଲି ତାହା ଅନ୍ୟ ଆଗରେ କହିଲେ ସେ ବିଶ୍ୱାସ କରିବ, କିନ୍ତୁ ଧାର୍ମିକପ୍ରବର ବୀର ହଂସଧ୍ୱଜ ପୁତ୍ର ସୁଧନ୍ୱା କଦାପି ବିଶ୍ୱାସ କରି ନ ପାରେ । ବେଳ ତ ଯାଇନାହିଁ, ଏକ୍ଷଣି ତାର ପରୀକ୍ଷା ହେଉ ।
ଭୀମ– ଚିନ୍ତା ନାହିଁ, କର ଗଦାଯୁଦ୍ଧ ତେବେ ଭୀମର କ୍ଷମତା ଜାଣି ପାରିବୁ ।(ଯୁଦ୍ଧ କରୁ କରୁ ଉଭୟେ ପ୍ରସ୍ଥାନ)
ଦ୍ୱିତୀୟ ଦୃଶ୍ୟ– ରଣକ୍ଷେତ୍ର
ଅର୍ଜୁନ ଏକାକୀ ରଥେ ଉପବେଶନ, ଅଗ୍ରେ ଅପର ସାରଥି ଅଶ୍ୱରଜ୍ଜୁ ଧାରଣ
ଅର୍ଜୁନ– ଏ କଣ ! ଏପରି ରଣ ତ କେବେ ଏ ପାର୍ଥର ନେତ୍ର ଦେଖିନାହିଁ, ଏକାକୀ ବାଳକ ସୁଧନ୍ୱା ଶତ ଶତ ପାଣ୍ଡବ ବାହିନୀକି ପରାଜିତ କରୁଛି, ଭୀମ ବୃଷକେତୁ, ପ୍ରଦ୍ୟୁମ୍ନାଦି, ବୀର ସିଂହମାନେ ନିସ୍ତେଜ ଭଜିଲେଣି, ଆଜି କି ମହାପ୍ରଳୟର ଦିନ, ଜଣାଯାଏ ଧରା ରସାତଳେ ଯିବ, ଓଃ କି ବାଣଶିକ୍ଷା ଉଲ୍କାସମ ! ବାଣଗଣ ଛୁଟନ୍ତି ଚୌଦିଗେ, ରଥର ଘର୍ଘର ଧ୍ୱନିରେ ପବନର ଗତିରୁଦ୍ଧ, ମତ୍ତହସ୍ତୀ କମଳ ବନ ଦଳନ କଲା ପରି ମୋର ସମସ୍ତ ସେନା ଦଳିପକାଉଛି । ଧନ୍ୟ, ଧନ୍ୟ, ବୀର ସୁଧନ୍ୱା ! ଜଣାଯାଏ ଆଜି ପାଣ୍ଡବ କୌରବ ରବି ଅସ୍ତମିତ ହେବ । ଏହି ଯେ ସମସ୍ତଙ୍କୁ ପରାସ୍ତ କରି ମୋହରି ଆଡ଼କୁ ଛୁଟିଛି ।
ସୁଧନ୍ୱା–(ପ୍ରବେଶି) ମହାବୀର, ମହାବୀର, ତୃତୀୟ ପାଣ୍ଡବ, ମନେକରନା, ଲୁଚିଲେ ମୃତ୍ୟୁକାଳରେ ଯମକୁ ଭଣ୍ଡିବ । ଆସ ଆସ ସୁଧନ୍ୱା ସହିତ ରଣ ପରୀକ୍ଷା କର । ଦେଖ ଦେଖ, ତୁମ୍ଭର ସମସ୍ତ ସେନା ମୋର ସମରରେ ପରାଜିତ, ଅବଶିଷ୍ଟ ତୁମ୍ଭେ
ଅର୍ଜୁନ–ବର୍ବର ହୟ ହରଣକାରୀ ହଂସଧ୍ୱଜ ପୁତ୍ର ! ଥାଉ ଥାଉ ସେ ଆସ୍ପର୍ଦ୍ଧା, ତୁ କି ଜାଣୁ ନା – ନିର୍ବାତକବଚ ପରାଜିତକାରୀ ଗାଣ୍ଡିବଧାରୀର କ୍ଷମତା ? ଯେ ଏହି ଗାଣ୍ଡିବ ବଳରେ ସାତଦିନ ସସାଗରାଧରାକୁ ଧାରଣ କରିଛି, ଯେ ଏହି ଗାଣ୍ଡିବ ପାଇଁ ଖାଣ୍ଡବ ପୋଡ଼ି ଅଗ୍ନିକି ବ୍ୟାଧିମୁକ୍ତ କରିଛି, ଶିବଦତ୍ତ ପାଶୁପତ, ଦୁର୍ଗାଦତ୍ତ ଅକ୍ଷୟତୂଣୀର, ଗଙ୍ଗାଦତ୍ତ ନୀଳବାଣ, ଭୁଜ ବାଣକୁ ଯେ ଧାରଣ କରେ, ତୁ ତା ନିକଟରେ କି ଦର୍ପ ଦେଖାଉ ନରପଶୁ ? ଜୀବନରେ ଯେବେ ମମତା, ଅଶ୍ୱଦେଇ ଦୋଷ ପ୍ରତି କ୍ଷମା ମାଗି ନିଅ ।
ସୁଧନ୍ୱା–ବିଜୟ ! ସବୁ ଜାଣେ, ସବୁ ଶୁଣେ, କିନ୍ତୁ ବିଶ୍ୱାସ ହୁଏନାହିଁ, ତାର କାରଣ ଶୁଣ ।ଗୀତ–ଅର୍ଜୁନ ପ୍ରତି ସୁଧନ୍ୱା –ଏ ଭିକ୍ଷାରେ ମୋର–ବୃତ୍ତେକାହା ବଳେ ଜୟ କରିଛି ବିଜୟମହାଭାରତ ସମର ।ଭୀଷ୍ମ ଦ୍ରୋଣ ଆଗେ ତୁମ୍ଭେ ତୃଣ ତୁଲ୍ୟଜାଣନ୍ତି ନର ଅମର ।ଭବ ଭୟହାରୀ ହେ, ସାରଥି ତୁମ୍ଭରି ହେ,ସେ ଶକ୍ତୁ କେ ଯିବ ତରି । ୧ ।ତା ଛଡ଼ା ପାଣ୍ଡବେ କହ କେଉଁଠାବେକରିଛନ୍ତି କେତେ କର୍ମ ?ସରିଛି ଯା ତହୁଁ ସର୍ବ ଧର୍ମ ମର୍ମସଜୀବେ ତୁମ୍ଭେ ପରମ ।ମରମରେ ହେଜ ହେ, ଭରମେ ନ ମଜ୍ଜ ହେ,ସମଜି ସେ ନାମେ ମଜ୍ଜ । ୨ ।ଦ୍ରୋଣ ଚକ୍ରବ୍ୟୂହ୍ୱେ ମଲା ପୁତ୍ର ତବସପତ ରଥୀଙ୍କ ବାଣେ ।କୃଷ୍ଣ ଥିଲେ ଏଡ଼େ ଆଫତ କି ପଡିଥାନ୍ତାଥାନ୍ତା, ସେଥି ଚାରିଜଣେ ।କରନା ଗରବ ହେ, ନ ଲଗା ପରବ ହେ,ସେ ଯେ ଅମୂଲ୍ୟ ଦରବ । ୩ ।
ଅର୍ଜୁନ–ଦୁର୍ବୃତ୍ତ ବାଳକ ! ସେ ପବିତ୍ର ଭତ୍ସନା ଥାଉ, ଏକ୍ଷଣେ କର୍ତ୍ତବ୍ୟ ପାଳନ କର । ତୋର କଟୁ ମଧୁମିଶା ଭାଷା ଅତୀବ ଅସହ୍ୟ, ଧର ଧନୁ, କର ଯୁଦ୍ଧ, ବିଳମ୍ବ କର ନାହିଁ ।
ସୁଧନ୍ୱା– କଣ କରିବି କିପରି ଅର୍ଜୁନକୁ ଯୁଦ୍ଧରେ ପରାସ୍ତ କରିବି ? ଯାହାଙ୍କୁ ଦେଖି ଏ ନେତ୍ର ପବିତ୍ର ହେବ, ମଲେ ମଧ୍ୟ ଯଶ, ସେହି ବଙ୍କା ବଂଶଧାରୀ ଶଙ୍ଖାରୀ ଯେ ପାର୍ଥର ରଥରେ ନାହନ୍ତି ଦେଖୁଛି– ଅନ୍ୟ ଏକ ସାରଥି ରଥ ଚଳାଉଛି । ଆଗେ ତାକୁ ବିନାଶ କଲେ ନିଶ୍ଚୟ ସଖା ବିପଦ ସହି ନ ପାରି ଅହି ଦର୍ପଦଳା ଅର୍ଜୁନ ରଥରେ ଆସି ଅଶ୍ୱ ସଂଚାଳନ କରିବେ, ଏହି ଉପାୟ ମୋର କର୍ତ୍ତବ୍ୟ ।
ଅର୍ଜୁନ–ଡରିଲୁ କି ବାଳକ ? ନୀରବ କାହିଁକି ? ଅସ୍ତ୍ର ଉତ୍ତୋଳନ କର ।ସୁଧନ୍ୱା–ଧର ଧନୁ, ଡରି ନାହିଁ, ତୁମ୍ଭରି ମରିବା କଥା ଭାବୁଛି ।(ଉଭୟ ଯୁଦ୍ଧ– ସାରଥିର ଶିର ଛେଦନ)ଅର୍ଜୁନ-ରେ ବାଳକ ! ମୋର ସାରଥିର ପ୍ରାଣ ହରଣ କଲୁ, ଏବେ ମନେକରନା ଅର୍ଜୁନ ବୀରଥି ।
ସୁଧନ୍ୱା–(ସ୍ୱଗତଃ) ଜାଣେ , ଏଥର ଅର୍ଜୁନକୁ ବାଣାଘାତେ ଅସ୍ତବ୍ୟସ୍ତ କଲେ ନିଶ୍ଚୟ କୃଷ୍ଣ ଏଥକୁ ଆସିବେ, ମୋର ମଧ୍ୟ କାମନା ପୂର୍ଣ୍ଣ ହେବ । (ପ୍ରକାଶ୍ୟେ) ବୀରବର ବିଜୟ ! ଜୟ ଆଶା କି ଭୁଲିଗଲୁ ? ଶୀଘ୍ର ଶୀଘ୍ର ରଣ କର, ବାଣ ଜାଲରେ ଗଗନ ଛାଇଦିଅ, ଧରଣୀ କମ୍ପିଉଠୁ, ଚନ୍ଦ୍ର, ସୂର୍ଯ୍ୟ ମହୀରେ ଲୋଟୁ, ଆଉ ଭୟ ନାହିଁ ଆଉ ଭୟ ନାହିଁ, ଦେଖ ଦେଖ ସମସ୍ତ ବୀରେ ଅସ୍ତ୍ର ଶସ୍ତ୍ର ଫିଙ୍ଗି ଆମ୍ଭ ରଣ ଦେଖବାକୁ ନିମଳିତ ନେତ୍ରରେ ଛିଡ଼ାହୋଇଛନ୍ତି ।
ଅର୍ଜୁନ–ରେ ବାଳକ ! ସେ ନିମନ୍ତେ ଗାଣ୍ଡିବୀ ପ୍ରସ୍ତୁତ ରହିଛି । ଧର ଧନୁ ହଂସଧ୍ୱଜ ପୁତ୍ର ।(ଉଭୟର ଯୁଦ୍ଧ– ଅର୍ଜୁନ ନିରାଶ ଭାବେ ଠିଆ ହେବା )
ଅର୍ଜୁନ–(ସ୍ୱଗତଃ) ନା, ନିଶ୍ଚୟ ଏ ବାଳକ ମୋତେ ପରାଜିତ କରିବ । ହରି ! ତୁମ୍ଭେ ଥାଉ ଥାଉ ଅର୍ଜୁନ ଆଜି ଭଦ୍ରାବତୀରେ ଆସି ବାଳକଠାରୁ ଅପମାନ ଭୋଗୁଛି, ଯାଦବପତି ! ଯେବେ ଏପରି କରିବା ଚିତ୍ତରେ ଥିଲା ଚିନ୍ତାମଣି ! ଅଶ୍ୱମେଧର ମନ୍ତ୍ରଣା ଦେଇ, ଶେଷରେ ଏ ଯନ୍ତ୍ରଣା ଦେବା, ଏହାକି ଜଗତକୁ ସୁନ୍ଦର ଦିଶିବ ? ନାରାୟଣ, ଶୀଘ୍ର ଏଠାକୁ ଆସି ଅର୍ଜୁନକୁ ରକ୍ଷା କର, ପାଣ୍ଡବ ସଖା ନାମରେ କଳଙ୍କ ନ ରଟୁ, ହରି, ହରି ।
ଶ୍ରୀକୃଷ୍ଣ–(ପ୍ରବେଶି) ଅର୍ଜୁନ ! ମୁଁ ଆସିଛି, କହ ଏପରି ଦୁଃଖିତ ହୋଇ ରଣ ଭୂମିରେ ଧନୁର୍ବାଣ ସ୍ତମ୍ଭନ କରି ବସିଛ କାହିଁକି ?
ଅର୍ଜୁନ–ପ୍ରଭୋ ! ଯେ ମୋ ସ୍ମରଣ କରିବା ଜାଣିପାରି ଏଠାରେ ଦେଖା ଦେଲେ, ସେ କି କାରଣ ଜାଣନ୍ତି ନାହିଁ ? ବନମାଳୀ ! ଏକ୍ଷଣି ସଖା ତୋର ସାରଥିହୀନ, କିପରି ସୁଧନ୍ୱାକୁ ପରାସ୍ତ କରି ଯଜ୍ଞାଶ୍ୱ ମୁକ୍ତି କରିବି ତାର ପ୍ରତିକାର କରନ୍ତୁ ।
ସୁଧନ୍ୱା–ଆହା ! ଏ ଯେ ନୀଳ ନୀରଦ ନିନ୍ଦିତ କାନ୍ତି ସୁରାସୁର ବନ୍ଦିତ ନନ୍ଦନନ୍ଦନ ବଂଶୀବଦନ ଯେ ପାର୍ଥ ରଥରେ– ଧନ୍ୟରେ ପାଣ୍ଡବେ ଧନ୍ୟ ତୁମ୍ଭର ସୁକୃତ ।
ଗୀତ–ସୁଧନ୍ୱା–ବନଫୁଲ ହାରେ–ବୃତ୍ତେ(ଏହି) କମଳାବଲ୍ଲଭ ଦୁର୍ଲଭ ଚରଣ ପଲ୍ଲବରେ ମନ ଲଗା ରେସୁଲଭ ଏ ଜାଣ ମରଣକାଳକୁ ଜଳ ଘାଟ ବାଟ ଜଗାରେ । ପଦ ।ନିର୍ଲୋଭ ଅନ୍ତରେ ଆରେ ରସନା,ପୂର୍ଣ୍ଣ କର ନାମେ ରସି ବାସନା,ଭାସନା ଭାସନା ମାୟା ଜଳାର୍ଣ୍ଣବେ ବେଳ ଥାଇ ଲଗା ପଘା ରେ । ୧ ।ଭକ୍ତିଡୋରେ ବନ୍ଧା ଏ କାଳେ କାଳେ,ଭକତ ବାନ୍ଧିଲେ ତିଳେ ନ ଚଳେ ।ରୋଳେ ବନ୍ଧିଥିଲା ଯଶୋଦା ଗୋପିନୀ ଏ ଯେ ଅଘାତାଳୁ ଭଙ୍ଗା ରେ ।୨।ଯେବେ ତୋ ହାତରେ ଅଛି ସେ ଦାଉ ।ଆଗରେ ପଡ଼ିଛି ନ ଛାଡ଼ ଆଉ ।ଆଖି ପିଛଡ଼ାରେ କେଣେ ଲୁଚିଯିବ ଦହି ଦୁଧ ସର ମଗା ରେ । ୩ ।କୃଷ୍ଣ– ଧର ଧନୁର୍ବାଣ ବେଗେ ବାସବର ସାନୁ ।(ଅର୍ଜୁନ ସୁଧନ୍ୱା ନିକଟରେ ପ୍ରବେଶ)ଅର୍ଜୁନ– ରେ ରେ ଅଶ୍ୱଚୋର ରାଜପୁତ୍ର,ନୀରବେ କି ଭାବୁ ବସି, ଧର ଧର ଧନୁ ।ସୁଧନ୍ୱା– ବୃଥା କିପାଁ ବୀରଦର୍ପ ଦେଖାଉ ଗାଣ୍ଡିବୀ ?ନ ପାରିବୁ ମୋତେ ରଣେ ଜିଣି ।ଅର୍ଜୁନ- ରେ ଗର୍ବିତ ବାଳକ !ଦେଖିବୁ ଏକ୍ଷଣି ମୋର ରଣ ରଙ୍ଗ ନୀତି,ଶ୍ରୀକୃଷ୍ଣ ବଦନ ଚାହିଁ କରୁଅଛି ପଣ,ଏହି ବାଣେ ନେବି ତୋ ପରାଣ ।ସଧୁନ୍ୱା–ନିଶ୍ଚେ ପଣ ଭଙ୍ଗ ତବ ଭଟିବ ବିଜୟୀ,କୋଟି କୋଟି ବାଣେ କାଟି ନ ପାରିବୁ ମୁଣ୍ଡ,ଧର ଧର ଗାଣ୍ଡିବ କୋଦଣ୍ଡ ।(ରଣବାଦ୍ୟ ଉଭୟ ଯୁଦ୍ଧ, ସୁଧନ୍ୱାଠାରୁ ଅର୍ଜୁନ ପରାସ୍ତ)କୃଷ୍ଣ–ବୃଥା ପଣ କରିଲୁ ଗାଣ୍ଡିବୀ ।ସୁଧନ୍ୱାରେ ଜିଣିବା ତୋହେବ ଅସମ୍ଭବ, ମୋର ଭକ୍ତଶ୍ରେଷ୍ଠ ସେହି ବୀର,ନିଷ୍ପାପ ଶରୀର ତାର ନୋହିବ ନିଧନ ।ଅର୍ଜୁନ– ଅଭୟ ଚରଣ ଯାର ସହାୟ ରସାରେ,ତାର କି ଭୟ ଏ ଛାର ସୁଧନ୍ୱା ରଣକୁ ?ଏହିବାର ପୂରିବ ପ୍ରତିଜ୍ଞା ଦେଖି ହରିସୁଧନ୍ୱା– ନିସ୍ତେଜ କି ହେତୁ ଇନ୍ଦ୍ର ସୁତ ?ମର ଅବା ମାର ଧନୁ ଧର ବେଗ କରି ।(ଉଭୟର ରଣ, ଅର୍ଜୁନ ସୁଧନ୍ୱା ବାଣେ ମୋହ)ସୁଧନ୍ୱା– ଏକାଳେ ପଡ଼ିଛି ମୋହେ ବୀରବର ପାର୍ଥ,ନ ପାଇବି ଏମନ୍ତ ସୁଯୋଗ,ଜଣାଇବି ମନଭାବ ପଦେ । ୧ ।ଶ୍ରୀକୃଷ୍ଣ ନିକଟେ-ଗୀତ ଗାଇ ଗାଇ ପ୍ରବେଶଗୀତ–ସୁଧନ୍ୱା–ଅନ୍ଧ ହୋଇ ମଧୁ–ବୃତ୍ତେମିଳିଛି ମୋ ଖୋଜିଲା ନିଧିଏତେକାଳେ ଆଜି ଆକ୍ଷି ଆଗରେ ।ଶୁକ ସନକ ଜନକ ସନାତନ,ପାଇ ନାହାନ୍ତି ଯା ପଦଯୁଗରେ । ପଦ ।ତ୍ରିଭୁବନ ଲୋଡ଼ିଲା ଯାଇ,ବିହି ପାଦ ଧୋଇବା ପାଇଁ ।ହେ କରୁଣାକର ବକା ଦେଲ କରି,ଶୁଣିଛି ଏ ବାଣୀ ତ୍ରେତାଯୁଗରେ । ୧ ।ଧ୍ରୁବ ପ୍ରହଲାଦେ ଉଦ୍ଧରି–ଅଛ ଏହା ଶୁଣିଛି ହରି ।ମୋତେ ତାଙ୍କ ସଙ୍ଗେ ଜଣେ ନିଅ କରି,ଯଶ ଘୋଷିଥିବି ଚାରି ଯୁଗରେ । ୨ ।ଯେବେ ଭୃତ୍ୟଠାରେ କପଟ,ଚକ୍ର ଦାଢ଼େ ଏ ମୁଣ୍ଡ କାଟ ।ନକ୍ର ଶିର ଭଞ୍ଜା ଶକ୍ର ଗର୍ବଗଞ୍ଜ,ଛାଡ଼ିବି ନାହିଁ ଏ ଶୁଭ ଯୋଗରେ । ୩ ।କଥା– ହେ ଦୟାନିଧି କରୁଣା ଆଧାର !ବରୁଣ ଜେମା ଜୀବନ,ଶରଣାଗତରେ ନ କରିବ ଚିତ୍ତରୁ ଅନ୍ତର,ଯେବେ କରିଥିବ ଭୃତ୍ୟ ଅପରାଧ ପଦେ,କ୍ଷମାଗୁଣେ କ୍ଷମ ରମାକାନ୍ତ ।କୃଷ୍ଣ– ସ୍ଥିର ହୁଅ ବୀର ! ତୁହି ମୋର ଭକତ ପ୍ରଧାନ,ତପ୍ତ ତୈଳୁ ତାରିଅଛି ତୋତେ ଯେତେବେଳୁ,ସେତେବେଳୁ କିଣିଛୁ ମୋତେ ଭକ୍ତିଧନ ଦାନେ,ମାଗି ନିଅ ଇଚ୍ଛା ଯାହା ଦେବି ଅକାତରେ,ମୋହ ତେଜି ଏହିକ୍ଷଣି ଉଠିବ କିରୀଟି,ଦେଖିଲେ ଘଟିବ ମହାଦ୍ୱନ୍ଦ୍ୱ ।ସୁଧନ୍ୱା– ନାହିଁ ଇଚ୍ଛା ବନମାଳୀ ଆନ ବରେ ମୋର,ମୋର ପ୍ରଜାଗଣେ ଦେଇ ଦରଶନ,କରନ୍ତୁ ଉଦ୍ଧାର ତାଙ୍କୁ କୃତାନ୍ତ ଦାଉରୁ,ଆଉ ଏକ ବାଞ୍ଛା ବାଞ୍ଛାନିଧି ।ରଙ୍କକୁ ପଦ ପଙ୍କଜେ ଅନ୍ତେ ଦେବ ସ୍ଥାନ ।କୃଷ୍ଣ– ତଥାସ୍ତୁ ! ଯାର ବୀର କର ଯା ସମର ।ସୁଧନ୍ୱା– ଯଥା ଆଜ୍ଞା ପ୍ରଭୋ ! (ସୁଧନ୍ୱାର ନିଜ ରଥ ଆହୋରଣ)କୃଷ୍ଣ– ଉଠ ସଖା ! ମାତ ରଣେ ଭୀତି ପରିହରି ।ଅର୍ଜୁନ– (ଉଠି) ଯାଅ ନରାଧମ ଯମାଳୟେ ଏହି ଶରେ ।(ସୁଧନ୍ୱା ସହ ରଣ, ସୁଧନ୍ୱା ପଳାୟନ)ଅର୍ଜୁନ– ପଳାଇଛି ପ୍ରାଣ ଭୟେ ଦୁଷ୍ଟ ।କୃଷ୍ଣ– ତାହା ନୁହେଁ ପାର୍ଥ ! ସେ ଆଶା ପୋଷ ନାହିଁ ମନେ, ଏହି ଦେଖ ଫେରିଲାଣି ବୀର ।ସୁଧନ୍ୱା– ହେ ବିଜୟ ! ଦେଖ ମୋର ପଣ । (ଯୁଦ୍ଧେ ଅର୍ଜୁନ ପରାସ୍ତ ହୋଇ ପଳାୟନ)ସୁଧନ୍ୱା– ଓଃ କି କଲି ମୁଁ, କି କଲି ମୁଁ,ଅର୍ଜୁନ ରଣ ସହିତ ମୋ ମୁକତି ଦାତାଙ୍କୁ,ଦୂରେ ଦେଲି ଠେଲି, ହାଏ ହାଏ,ହରି ! କ୍ଷମା କର ଅପରାଧ ମୋର ।କୃଷ୍ଣ– ଧନ୍ୟ ଧନ୍ୟ ଧନ୍ୟ ରେ ସୁଧନ୍ୱା !ହଟାଇଲୁ ଶତ ହସ୍ତ ନନ୍ଦୀଘୋଷ ମୋର ।ଅର୍ଜୁନ– କି ଯୁଦ୍ଧ କରିବି ଯଦୁନାଥ ?ମୁହିଁ କଲି ତାରେ ପରାଜିତ ଯେତେବେଳେ,ନ କହିଲେ କିଛି ନାରାୟଣ,ସେ ଠେଲି ଦେବାରୁ ରଥ ମୋର,ପ୍ରଶଂସାର ପାତ୍ର ଗଲା ହୋଇ,ଶତ୍ରୁର ପ୍ରଶଂସା ଶୁଣି ଜଳେ ଏ ଅନ୍ତର ।କୃଷ୍ଣ– ମନେ କର ରେ ଅର୍ଜୁନ କର୍ଣ୍ଣ ରଣ କଥା,ଥରେ ତୋତେ କହିଛି ସେ ମର୍ମ,ସମସ୍ତ ବିଶ୍ୱ ତୋ ରଥେ ଅଛି ଲଦା ହୋଇ,ତୋ ରଥର ଭାର ନିଶ୍ଚେ ତାଠାରୁ ଅଶେଷ,ସେ ନହେବ ପ୍ରଶଂସାର ପାତ୍ର କେଉଁପରି ?କର କର ସମର କିରୀଟି ।ସୁଧନ୍ୱା– କିପାଇଁ ନିଶ୍ଚଳେ ପାର୍ଥ ବସିଛ ରଥରେ,ଦୁର୍ବଳ କି ହେଲା ତବ ଅଙ୍ଗ ?ସେ ଯୋଗେ ନୀରବ ଏବେ,କଢ଼ାଅ ସମର ବେଳ ହେବ ଅବସାନ ।ଅର୍ଜୁନ– କି କରିବି କହ ଯଦୁନାଥ ?କୃଷ୍ଣ– ନୀଳ ବାଣ ଭୁଜ ବାଣ ସହ, ପେଷରେ ନାରାଚ ପାଶୁପତ,ବ୍ରହ୍ମାସ୍ତ୍ର ବିନୁ ଆନରେ ନାହିଁ ତା ମରଣ ।ଅର୍ଜୁନ– (ଅର୍ଜୁନ ଶର ସନ୍ଧାନ) ରେ ବାଳକ !ସମ୍ଭାଳ ଏ ତିନିଗୋଟି ଶର ।ସୁଧନ୍ୱା– ଓଃ ! ଏ କି ମୋର ପ୍ରାଣହନ୍ତା କାଳ ?ନିଶ୍ଚୟ ଏ ଶିବଦତ୍ତ ପାଶୁପତ ବାଣ,ମୁଖେ ଜଳେ ହୁତାଶନ ଶତସୂର୍ଯ୍ୟ ତେଜେ,ହରି, ହରି, ପ୍ରାଣ ଯିବାବେଳେ ଥରେ ଚାହିଁବ କି ଭକ୍ତେ ?କୃଷ୍ଣ– ଏ ବଡ଼ ବିଷମ ସନ୍ଧି ସ୍ଥଳ,ଦୁଇଟିଯାକ ପଦାର୍ଥ ଅଟଇ ମୋହରି,କାହାକୁ ଭାଙ୍ଗିବି ପୁଣି ରଖିବି କାହାକୁ,ନ ରଖିଲେ ଅର୍ଜୁନର ମାନ,ବନେ ଯିବ ନ ଯାଇ ହସ୍ତିନା ।ସୁଧନ୍ୱା– ନାରାୟଣ କମଳାରମଣ !ଦେଖୁଅଛି ଚିନ୍ତିତ ମୋପାଇଁ, ସଙ୍କଟରେ ପଡ଼ିଛନ୍ତି ହରି !ଗୀତ– ଶ୍ରୀକୃଷ୍ଣ ପ୍ରତି ସୁଧନ୍ୱା – ଚୋଖି ବୃତ୍ତେବାଞ୍ଛାନିଧି ! ବାଞ୍ଛା ମୋର ଲଭିବାକୁ ତୋ ପୟରଭୟରେ କହୁନାହିଁ ଏ ବାଣୀ ପଦକ ।ଆହେ ବଳିଆର ବାହୁ ଅର୍ଜୁନର ପଣ ରହୁଛେଦ ଶିର ଯାଉ ପ୍ରାଣ ବୈକୁଣ୍ଠଲୋକ ।କୌସ୍ତୁଭ ପଦକ ଭୂଷଣ,ଛାର ଭୃତ୍ୟ ଲାଗି କିମ୍ପା ପାଅ କଷଣ । ୧ ।ମୋ ଜୀବନ ମହାଯାଗ ଆଜି ତ ହୋଇବ ସାଙ୍ଗନ ମିଳିବ ଏ ସୁଯୋଗ କାହାକୁ ଭବେ ।ଭବ କର୍ଣ୍ଣଧାର ହରି ଥିବେ ଅଗ୍ରତେ ତାହାରିଶତପତ୍ର ନୟନରେ ଅନାଇଥିବେ ।ଏ ଜୀବନ ଯିବ ବାହାରି,.ଛୁଇଁବ ନାହିଁ କୃତାନ୍ତ ଦେହ ତାହାରି । ୨ ।ଯାର ନାମ ଅନ୍ତଃକାଳେ ତୁଣ୍ଡେ ଭଜି ପ୍ରାଣୀ ଚଳେଯମ ତ୍ରାସ ଏଡ଼ି ବଇକୁଣ୍ଠ ଆଳକୁ ।ତାକୁ ପାର୍ଥ ରଥ ପରେ ଦେଖୁ ଦେଖୁ ନୟନରେମରି ଯଶ ରଖି ଯିବି କାଳକାଳକୁ ।ହେ ହରି ଇନ୍ଦିରାବଲ୍ଲଭ !ଦତ୍ତ କର ଅନ୍ତଃକାଳେ ପଦପଲ୍ଲବ । ୩ ।ଅର୍ଜୁନ – ରେ ବାଳକ ! ଆଉ ତୋର ନାହିଁ ରକ୍ଷା ଏ ବାଣ ବନ୍ଧନୁ,ଗଲା ପ୍ରାଣ ସମ୍ଭାଳ ଏଥର ।ସୁଧନ୍ୱା– ଆସ ପାର୍ଥ । (ଯୁଦ୍ଧ) ଦେଖିବି କି ଯୁଗଳ ମୂରତି ହରି ହରି ,(ଯୁଦ୍ଧ ସୁଧନ୍ୱାର ମୃତ୍ୟୁ ପତନ) (ଦେବବାଳାମାନଙ୍କରେ ପୁଷ୍ପ ବୃଷ୍ଟି ଓ ଗୀତ)ଗୀତ – ଗାଅ ଗାଅ ଗାଅ ସହଚରୀ– ବୃତ୍ତେଗାଇ ଭକ୍ତ ବୀର ଯଶରାଶି, ଫୁଲ ମାଳ ଫିଙ୍ଗି ହସି ହସି ।ଭାସି ଭକ୍ତିନୀରେ ଗମିଲା ସଧିରେଦିନ ନେବ ବଇକୁଣ୍ଠ ବସି । ପଦ ।ଦେଖାଇଲା କେତେ ବୀରପଣ,ଶିଖାଇଲା ଲୋକେ ହରିଗୁଣ,ଚଖାଇଲା ହରି ନାମ ପ୍ରେମପଣାତରିଲେ ପରଜାରାଶି । ୧ ।ଧନ୍ୟ ଭକ୍ତ ବୀର ଶିରୋମଣି,କେତେ ଖ୍ୟାତି ରଖିଗଲୁ ପୁଣି ।ବୁଣିଦେଲୁ ଯେଉଁ ବୀଜ ବସୁଧାରେନ ଯିବ ସେ କାଳସ୍ରୋତ ଭାସି । ୨ ।