ଅଷ୍ଟମ ସର୍ଗ — ବିକ୍ରମାଦିତ୍ୟ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଅଷ୍ଟମ ସର୍ଗ
ଶକାଦିତ୍ୟ ନାମେ ଏକ ଅନାର୍ଯ୍ୟ ନୃପତିଦୁର୍ଦ୍ଦମ ଶକଜାତିର ଲଭି ସହାୟତାବିସ୍ତାରିଲା ସ୍ୱପ୍ରଭବ । ଜିଣିଲା ସେ ବହୁରାଜ୍ୟ ବାହୁବଳେ, ତାର ଦୁର୍ଦ୍ଧର୍ଷ ପ୍ରତାପେହେଲେ ତାତ୍କାଳିକ ନୃପେ ଶଙ୍କିତ ସରବେ ।ବଳେ ଛଳେ କଉଶଳେ ଉତ୍କୋଚ ପ୍ରଦାନେକରି ସେ ସ୍ୱାଧୀନ ବହୁ ପାର୍ବତୀୟ ଜାତିଶେଷେ ଆକ୍ରମିଲା ଯାଇ ହସ୍ତିନା ନଗରୀଗୋପନେ ନିଶୀଥେ । ଥିଲେ ନଗରବାସୀବିଶ୍ରାମଦା ନିଦ୍ରାଦେବୀ-ଅଙ୍କେ ଅଚେତନ,ଏକାଳେ ପିଶାଚ ପଶ ଖଣ୍ଟରୂପେ ପୂରେବଧ କରି ରାଜପାଳ ନାମୀ ସୁପ୍ତନୃପେ,ନିରାପଦେ ଅଧିକାର କଲା ସିଂହାସନ ।ଶୁଣି ଏହି ଦୁଃସମ୍ୱାଦ ଉଜ୍ଜୟିନୀପତିଚତୁରଙ୍ଗ ସେନା ସହ କଲେ ଅଭିଯାନଶକାଦିତ୍ୟ ବିରୁଦ୍ଧରେ ହସ୍ତିନାଭିମୁଖେ ।ଜାହ୍ନବୀ-ମେଖଳାମୟୀ ହସ୍ତିନା ସୁଷମାନିରେଖି ବିକ୍ରମାଦିତ୍ୟ, ଭାଳିଲେ ସ୍ୱଗତେ-ଭାରତ-ମସ୍ତକେ ଏ କି ଶେଫାଳିକା ଗଭା ?କେବଣ ଅଦ୍ଭୁତ ଶିଳ୍ପୀ ଇଚ୍ଛାମାତ୍ରେ ଯେହ୍ନେସୃଜିଛି ଏ ରମ୍ୟା ପୁରୀ, ଇଚ୍ଛା ଉପାଦାନେ ।ଜଗତେ ଆଦର୍ଶ ଯାର ବୀରତ୍ୱ, ମହତ୍ତ୍ୱ,କ୍ଷମା, ତେଜସ୍ୱିତା, ସୁତେ ଯାର ଶୌର୍ଯ୍ୟ ନୀତିପ୍ରବୀଣ-ସେବକ, ଯେହୁ ଗତ ଗୌରବରଅଙ୍ଗୁଳି ନିର୍ଦ୍ଦେଶ ସ୍ତମ୍ଭ ଆର୍ଯ୍ୟସମାଜର,ବୀରତ୍ବର ବରଣୀୟ ସେ ପୁଣ୍ୟତୀର୍ଥରକି ତୁଳନା କାହିଁ ? ଏହି ସୁନ୍ଦରୀ ପୁରୀର(ରାଜସୂୟ ଅଶ୍ୱମେଧ ଆଦି ଯଜ୍ଞପୂତ)ପ୍ରତ୍ୟେକ ଇଷ୍ଟକ ଖଣ୍ଡ ପ୍ରତ୍ୟେକ ଅଣୁରେବିଜଡ଼ିତ କେ୍ତେ ମହାସ୍ମୃତି, ଉଦ୍ଘାଟିତକେତେ ପୁରାବୃତ୍ତପୃଷ୍ଠା, କେ କଳିବ ତାହା ?ଭାଳୁ ଭାଳୁ ଏହିପରି ପ୍ରତେ ହେଲା ଭୂତବର୍ତ୍ତମାନ ପ୍ରାୟ, ସତେ କି ହସ୍ତିନା ପୁଣିଧରିଲା ବକ୍ଷରେ ସେହି ଅତୀତ ଯୁଗରବୀରତ୍ୱ-ମହିମାମୟ ଅପ୍ରତିମ ଛବି,ସତେ ଯେହ୍ନେ ଚାଲିଗଲେ ଆଖି ଆଗେ ଖରେଭୀମାର୍ଜ୍ଜୁନ ମହାରଥ, ଭାରତ-ଗୌରବ,ସଗର୍ବେ ଉଡ଼ାଇ ନଭେ ବିଜୟ-ପତାକା ।ବୀରତ୍ୱର ଏ ନୀରବ ମହା-ଅଭିନୟୁବିକ୍ରମଙ୍କ ବୀରହୃଦ ଲଭିଲା କି ଶିକ୍ଷାମହାଗୂଢ଼ତର, ତାହା ଜାଣନ୍ତି ସେ ଏକା ।ଏଣେ ଶକାଦିତ୍ୟ ଶୁଣି ବିକ୍ରମାଗମନନିଜକୁ ଅକ୍ଷମ ମଣି ପ୍ରତିଯୋଗିତାରେବିନା ଯୁଦ୍ଧେ ରାଜ୍ୟ ତେଜି ପଳାଇଲା ଭୟେ ।ନିରୁପଦ୍ରବରେ ତହୁଁ ଅବନ୍ତୀ-ମଣ୍ଡନ
କଲେ ଅଧିକାରଭୁକ୍ତ ହସ୍ତିନା ନଗରୀ ।
ସେ ଦିନୁ ଶକାରି ମଖ୍ୟା ଲଭି ନରମଣି
ପ୍ରଚାରିଲେ ରାଜ୍ୟ ମଧ୍ୟେ ଶକାବ୍ଦ ସ୍ୱନାମେ ।
ବିଜଶ୍ରୀବିମଣ୍ଡିତ ହୋଇ ମାଳବେଶ
ଘେନିଣ ବିଜୟଲବ୍ଧ ବହୁ ରତ୍ନରାଶି,
ଅଗଣିତ ଅଶ୍ୱଗଜରଥ ଆଦି ସହ
ସସୈନ୍ୟେ ବାହୁଡ଼ିଲେ ସ୍ୱରାଜ୍ୟେ ସାନନ୍ଦେ ।
ଇନ୍ଦ୍ରଦତ୍ତ ସିଂହାସନେ ମସି ବୀରମଣି
ଶାସିଲେ ସାମ୍ରାଜ୍ୟ ସୁଖେ, ସ୍ୱର୍ଗେ ଇନ୍ଦ୍ର ଯଥା,
ତାହାଙ୍କର ଶୌର୍ଯ୍ୟ ବୀର୍ଯ୍ୟ ପ୍ରତିଭା-ମୟୂଖ
ବ୍ୟାପିଲା ଧରଣୀ, ସ୍ୱଚ୍ଛ ପୁତ ସେ ଆଲୋକେ
ଭଜିଲା କ୍ଷୀଣତା ସର୍ବ ନରପତି ପ୍ରଭା,
ପ୍ରକାଶନ୍ତି ଜ୍ୟୋତି ସତ୍ୟ ତାରକାନିକର,
ମାତ୍ର ଉଦେ ହେଲେ ଚନ୍ଦ୍ର, ଦିଶନ୍ତି ମଳିନ,
(ମଳିନ ଯେସନ ଦୀନ ହାସ୍ୟ) ସ୍ୱାଭାବିକ
ଏହା । ଦିଗଙ୍ଗନାକୁଳ ଗାଇଲେ ତାଙ୍କର
ଗୌରବ-ଗରିମା-ଗୀତ କୋଟି କଣ୍ଠ ଫେଡ଼ି,
ମହାରାଷ୍ଟ୍ର-ଦେଶପତି ଶୁଣି ସେ ଗୀତିକା
ଉତ୍ଫୁଲ୍ଲି ବିପୁଳାନନ୍ଦେ ଭାଳିଲେ ଏସନ
ଏତେ ଦିନେ ଇଷ୍ଟଦେବ ପ୍ରସନ୍ନ ମୋ ପ୍ରତି,
ଏତେ ଦିନ ପରେ ଆଣି ଘଟାଇଲା ବିହି
ମୋ କନ୍ୟାର ଯୋଗ୍ୟ ପାତ୍ର ମୋର ମନୋମତ,
ଇନ୍ଦୁମୁଖୀ ଇନ୍ଦୁମତୀ ତନୟା ମୋହର,
ଅନନ୍ତ ଲାବଣ୍ୟଧାମା, ଅନନ୍ତ ସଦ୍ଗୁଣା,
ସରଳତା-ପବିତ୍ରତା-ସୁବର୍ଣ୍ଣ ପ୍ରତିମା
ଆହା କି କୋମଳହୃଦା ଜେମାମଣି ମୋର,
କରୁଣାର ଉପାଦାନେ ବିଧାତା କି ଅବା
ନିର୍ମାଣିଛି ସୁକୁମାର ଅଙ୍ଗଯଷ୍ଟି ତାର ?
ନିହିଛି ଲୋତକ କେତେ ତାହା ନେତ୍ରେ ପୁଣି,
ଆତୁର ଦରିଦ୍ର ଦୁଃଖ ଦର୍ଶନ ମାତ୍ରକେ
ଝରେ ତହୁଁ ଝର ପ୍ରାୟ ଅଶ୍ରୁ ଅନର୍ଗଳ !
ରାଜକନ୍ୟା, ମାତ୍ର ନାହିଁ ଅଲିଅଳ ଭାବ,
ସଦା ଦୁଃଖି-ଦୁଃଖେ ଦୁଃଖୀ, ଦୁଃଖୀର ଆଶ୍ରୟା ।
ନାହିଁ ତିଳେ ଐଶ୍ୱର୍ଯ୍ୟର ବିକୃତାଡ଼ମ୍ୱର,
ଯଥା ସେ ବିକ୍ରମାଦିତ୍ୟ କଷିତ-କାଞ୍ଚନ
ନୃପତି ସମାଜେ, ତଥା କନ୍ୟାରତ୍ନ ମୋର
ନୃପଜା ସୃଷ୍ଟିରେ, ଉଭେ ଉଭୟର ସମ,
ନିଶ୍ଚେ ସେ କାଞ୍ଚନେ ମୁହି ଯୋଜିବି ରତନ ।
ଏହା ଭାବି ରାଇ ପାଶେ ପାତ୍ରମିତ୍ରଗଣେ,
ଘେନି ତାଙ୍କ ପରାମର୍ଶ, ବରଗିଲେ ଦୂତ
ଅବନ୍ତୀ ନଗରେ ଲେଖି ବରଣ ଚିଟାଉ ।
ଦିବସର ଶ୍ରାନ୍ତି-ଶୀର୍ଣ୍ଣ ଶେଷ ରଶ୍ମିରେଖା
ମିଶିଗଲା ସନ୍ଧ୍ୟାନିଳେ, ମିଶିଯାଏ ଯଥା
ମୁମୂର୍ଷୁର ଶେଷ ଆଶା, ଚିର ନିବୃତ୍ତିର
ମହାମୌନତା ଗରଭେ, ବାରୁଣୀ ତାପସୀ
ବିହିଲା ଆରତ ଚନ୍ଦ୍ର-ଦୀପେ ସନ୍ଧ୍ୟା ପ୍ରତି,
ନାହିଁ କେବେ ବିରତି ସେ ମହା ଆରତିର ।
ସେ କାଳର ରମଣୀୟ ସେ ଆତ୍ମବିସ୍ମୃତ
ମାଧୁର୍ଯ୍ୟ, ପ୍ରକୃତି-ଦେବୀ ପ୍ରତି ଲୋମକୂପେ
ମୁକ୍ତ କରି କି ଅନନ୍ତ ଜ୍ଞାନ-ଗନ୍ତାଘର,
କଲା ତାକୁ ଧ୍ରୁବ ସତ୍ୟ ମହିମା-ଜୁମ୍ଭିତ ।
ବହିଲା ଚନ୍ଦ୍ରିକା ଧାରା, ମଣି ତାକୁ ଧରା
ଦେବ-ଆଶୀର୍ବାଦଧାରା ଧରିଲା ମସ୍ତକେ ।
ହସିଲେ କୁସୁମେ, ମାତ୍ର ଦୁଃଖିନୀ ପଦ୍ମିନୀ
ପୋତିଲା ତଳକୁ ମଥା, କି ତୀବ୍ର ବ୍ୟଥାରେ,
ସେ ଅବ୍ୟକ୍ତ ବେଦନାର ଘନ କାତରତା
ବାହାରି ପଡ଼ିଲା ତାର ଚକ୍ଷୁ ମୁଖ ବାଟେ,
ଏ ସମୟେ ମିଳି ଦୂତ ବିକ୍ରମ ସକାଶେ
ଅର୍ପିଲା ବିନୟେ ଧୀରେ ଶ୍ରୀଛାମୁରେ ଲେଖ ।
ଅନନ୍ତର ଯଥାକାଳେ ଶକାରି ବିକ୍ରମ
ବିଜେହେଲେ ଟହବରେ * ମହାରାଷ୍ଟ୍ର ଦେଶେ,
ପରମଗୌରବେ ତାଙ୍କୁ ଗ୍ରହି ନରପତି,
ସମର୍ପିଲେ ତାଙ୍କ କରେ ଦୁହିତା +ନିଜର ।
*ଆଡ଼ମ୍ୱର । + ବିକ୍ରମାଦିତ୍ୟ ମହାରାଷ୍ଟ୍ର ରାଜକନ୍ୟା ଇନ୍ଦୁମତୀଙ୍କ ପାଣିଗ୍ରହଣ କରିଥିଲେ । ଗ୍ରାନ୍ଥିକ ପ୍ରମାଣ ମୃଗ୍ୟ ।
ଅପୁତ୍ରକ ରାଏ, ତେଣୁ ଯଉତୁକରୂପେ
ଦେଲେ ମହାରାଷ୍ଟ୍ର, ରାଜ୍ୟ ନବ ଜାମାତାଙ୍କୁ ।
ସରିଲା ବିବାହ, ନବ ଦମ୍ପତିଯୁଗଳ,
ଲଭି ପରସ୍ପରେ ସଙ୍ଗୀ ଭାବି-ଜୀବନର,
ସହାୟ ସମ୍ୱଳହୀନ ଭବ-ମରୁପଥେ,
ମଣିଲେ କୃତାର୍ଥ । ନରପ୍ରାଣେ ପରିଣୟ
ମଙ୍ଗଳ ସଂସ୍କାର ସାର, ବରକନ୍ୟାଙ୍କର
ହସ୍ତଗ୍ରନ୍ଥି ନୁହେଁ ଖାଲି ପ୍ରଣୟ ବନ୍ଧନ,
ଧର୍ମର ବନ୍ଧନ ତାହା, ସତ୍ୟର ବନ୍ଧନ,
ଅଚ୍ଛିନ୍ନ ଅଭିନ୍ନ ତେଣୁ, ବିବାହ ଦିବସ,
ଭବାଶ୍ରମ ପ୍ରବେଶର ଆଦ୍ୟ ଦିନ ସିନା,
ସେ ଦିନୁ ଆରମ୍ଭ ହୁଏ ଧର୍ମଜୀବନର
ପ୍ରକୃତ କର୍ତ୍ତବ୍ୟ, ତାହା ମହାଶୁଭ ଦିବା ।
ନବୀନା ମହିଷୀ ସହ ଅବନ୍ତୀଭରସା
ବାହୁଡ଼ିଲେ ରଥେ ବସି ସଦଳେ ସ୍ୱଦେଶେ,
ବିକ୍ରମଙ୍କ ଦକ୍ଷେତରେ ମହାରାଷ୍ଟ୍ର ଜେମା
ଶୋଭିଲେ ଯେସନ ପୁଣ୍ୟ ପାଶେ ପବିତ୍ରତା,
ଅବା ତପଃ ପାଶେ ସିଦ୍ଧି, କୃପା ସ୍ନେହ ପାଶେ,
ଅଥବା ବସନ୍ତ ରାଜା ବିଜେ ପୁଷ୍ପରଥେ
ସୁଷମା-ସାମ୍ରାଜ୍ଞୀ ସହ, ମହାସମାରୋହେ ।
ଲାଗିଲା ବେନିଙ୍କ ମଧ୍ୟେ ଦାମ୍ପତ୍ୟ ସମ୍ଭାଷ,
ପ୍ରଥମତଃ ଥରେ ଥରେ ବାଧା ଦେଲା ବ୍ରୀଡ଼ା,
ମାତ୍ର ଉଦ୍ଦାମ ପ୍ରୀତିର ପ୍ରଖର ପ୍ରବାହେ
ହୋଇ ସେ ଅକ୍ଷମ ଶେଷେ ଆତ୍ମ-ସଂରକ୍ଷଣେ
ବୁଡ଼ିଗଲା ତହିଁ । ବହୁ କଥାବାର୍ତ୍ତା ପରେ
ଭାଷିଲେ ଦୟିତ- ‘‘ପ୍ରିୟେ, ଭାଗ୍ୟଧର ମୁହିଁ
ଲଭି ତୁମ୍ଭ ଭଳି ପତ୍ନୀ-ନିଖିଳ ସଦ୍ଗୁଣା,
ଆଜିଠାରୁ ହେବ ସତି, ତୁମ୍ଭେ ଗୋ ପୂଜିତା
ମୋର ହୃଦ-ସିଂହାସନେ, ପ୍ରେମ-ପାରିଜାତେ ।’’
ଉତ୍ତରିଲେ ଇନ୍ଦୁମତୀ ସୁନ୍ଦରୀ-ଇନ୍ଦ୍ରାଣୀ,
ପ୍ରଭୋ, ଏ କି ଅସଙ୍ଗତ କଥା, କରିବାକୁ
ଅଧିକାର ହୃଦ ତବ, ପବିତ୍ର ପରମ,
ଅଛି କି ରମଣୀ କାହିଁ ରମଣୀ-ସୃଷ୍ଟିରେ ?
ତୁମ୍ଭେ ମୋର ସ୍ୱାମୀ, ପୂଜ୍ୟ ହୃଦୟଦେବତା,
ଆକାଙ୍କ୍ଷାର ସ୍ୱର୍ଗଧାମ, ଏ କିଣା କିଙ୍କରୀ
ସେବାଦାସୀ ସିନା, ଦେବ, ଚରଣେ ତୁମ୍ଭର ।’’
କହିଲେ ନୃମଣି, ପ୍ରିୟେ, ‘‘ଏହି ଆତ୍ମଗ୍ଳାନି
ତବ ବିଶେଷତ୍ୱ, ସ୍ତ୍ରୀତ୍ୱ, ମହତ୍ତ୍ୱ, ଦେବତ୍ୱ,
କିପାଁ ନ ମଣିବି ଧନ୍ୟ ଲଭି ମୁଁ ତୁମ୍ଭଙ୍କୁ ?’’
ଏହିପରି ସ୍ନେହାଳାପ କରୁ କରୁ ଦୁହେଁ
ମିତିଲେ ଅବନ୍ତୀ ରାଜ୍ୟେ, ତହୁଁ ଯଥାବିଧି
ଲାଗିଲେ ଆନନ୍ଦୋତ୍ସବ ସପ୍ତ ଦିବାନିଶି ।
ନବୀନା ଭାମିନୀ ସହୁ ବିକ୍ରମ ନୃପତି
ସଂପାଦିଲେ ସୁଖେ ଦିନ ଏକ ମନପ୍ରାଣେ,
ବଦ୍ଧ କି କରିଣୀ କରୀ ଏକଇ ଶୃଙ୍ଖଳେ !
ମିଶିଲା ଆତ୍ମାରେ ଆତ୍ମା, ଭିନ୍ନ ଖାଲି ଦେହେ,
ଯଥା ଏକମାତ୍ର ଶବ୍ଦ ଦି ଅର୍ଥ ବୋଧକ ।
ଏହି ଶୁଭ ଉଦ୍ବାହର ସ୍ଥାୟୀ ସ୍ମୃତିରୂପେ
ସଂସ୍ଥାପିଲେ ବିକ୍ରମାର୍କ ନବ ରାଜ୍ଞୀ ନାମେ
ଇନ୍ଦ୍ରପୁର ରାଜ୍ୟ, ଯାମ୍ୟଭାରେ ଅବନ୍ତୀର,
ପରିଚିତ ଏବେ ତାହା ଇନ୍ଦୋର ଆଖ୍ୟାରେ ।
ଏ ଅନ୍ତେ ଅବନ୍ତୀ-ପତି ମହୀ-ସୁନାସୀର
ସାଜିଲେ ବିରାଟ ଚମୂ ଦିଗ୍ବିଜୟ ଆଶେ ।
ବାହାରିଲେ ଚିରଜୟୀ ଉଜ୍ଜୟିନୀ ବୀରେ
ଦୀପ୍ତ ପ୍ରକ୍ଷ୍ୱେଡ଼ନଧାରୀ, ଉଠୁଛି ଆଭାସି
ପ୍ରାକର୍ମ ସାହସ ନେତ୍ରୁ, କମ୍ପାଇ ଆକାଶ
ଜୟ ମହାକାଳ ରବେ ଚାଲିଛନ୍ତି ଖରେ
ଅସ୍ତ୍ରଲେଖାଙ୍କିତ ବକ୍ଷ ଫୁଲାଇ ଉଲ୍ଲାସେ,
ସମ୍ମଖସାମରୀ ସର୍ବେ, ମହାଭୀତି ସ୍ଥଳ
ଭୟର, ଦୁରନ୍ତ ଯମ, ଥାଉ ଆନ କଥା,
ସମରେ ଅମରଞ୍ଜୟ, ଅପୃଷ୍ଠଦରଶା,
ତେଣୁ ନାହୁଁ ଅସ୍ତ୍ରଲେଖା ପୃଷ୍ଠେ । ତାଙ୍କ ପଛେ
ସୁବର୍ଣ କଳିସଯୁକ୍ତ ସୁନ୍ଦର ସ୍ୟନ୍ଦନ,
ଗର୍ବନତଗ୍ରୀବ ଅଶ୍ୱ, ମତ୍ତ ଦନ୍ତାବକ-
ଆୟସୀ ଅମାର- ହେବ କୁବେଣୀମଣ୍ଡିତ ।
ମିଶିଲେ ତା ସହ ଆସି ହସ୍ତିନା-ନିବାସୀ
ଦାମ୍ଭିକ ଆସ୍ତ୍ରିକବୃନ୍ଦ, ଶୂଶ୍ରୂଳ, ପୃଥୁକ,
ବିଶାଳ ଉଷ୍ଣୀଷ ଶିରେ, ଦିଶୁଛନ୍ତି ଯଥା
ଆଭୀକ * ନୃସିଂହ ମୂର୍ତ୍ତି, ବିନା ପରଶନେ
ହରନ୍ତି ଯେ ଦରଶନ ମାତ୍ରେ ଅରାତିର
ଅଧେ ବଳ, ଅଧେ ଧୈର୍ଯ୍ୟ । ଆସିଲେ ଆବର
*ଭୟାନକ
ମହାରାଷ୍ଟ୍ର ମହାବୀରେ ମହାରଣରଙ୍କା,
ଚାହାଁଣି ବୀରତ୍ୱବ୍ୟଞ୍ଜୀ ଉଦାର, କଠୋର,
ଯାହାଙ୍କ ତ୍ରିଶୂଳ ମୁନେ ବସେ ଅଲକ୍ଷ୍ୟରେ
ଭୁବନ-ଦମନ-ଦକ୍ଷ ଦୁରନ୍ତ ଶମନ ।
ଏହିରୂପେ ନାନାଦେଶ ସୈନ୍ୟ ସମାବେଶେ
ହେଲା ପରିବ୍ୟାପ୍ତ ମହୀ ଅଷ୍ଟାଦଶ * ଯୁଣ ।
ସଂଖ୍ୟାରେ ପୃତନା ହେଲା ତ୍ରିକୋଟି ପଦାତି,
ରଥାରୋହୀ ଅଶ୍ୱାରୋହୀ ସେହି ପରିମିତ,
*ଯୋଜନା
ଚତୁଷ୍କୋଟି ରାଜାରୋହୀ, ଚତୁର୍ଲକ୍ଷ ପୋତ ।
ଘେନି ଚତୁରଙ୍ଗ ବଳ ବିଜେ ହେଲେ ରଥେ
ଭାରତେ ଅପ୍ରତିରଥ ବିକ୍ରମାର୍କ ରଥୀ,
ସଚଳ ସାଗର ପ୍ରାୟ ଚଳିଲା ବାହିନୀ,
ପ୍ରଥମେ ପ୍ରତୀଚୀ ମୁଖେ, ଗଭୀର ନିର୍ଘୋଷେ ।
ବୀଚି ତହିଁ ସୈନ୍ୟପନ୍ତି, ବୀରପାଗ ଫେନ,
ରକ୍ତ ବୈଜୟନ୍ତୀମାଳା ବିଦ୍ରୁମ-ଲତିକା,
ଧନୁଶର ସର୍ପଜାତ, ଫଳକ କଚ୍ଛପ,
ଖଡ଼୍ଗ ମୀନ, ଅଶ୍ୱରାଜ ତିମିତିମିଙ୍ଗିକ,
ଶକଟ କକଟ, ରଥ ଅଝାଲିତ ପୋତ,
ରତ୍ନାକର ରତ୍ନରାଶି ବୀର ଅଳଙ୍କାର ।
ଭୀତି ଲଭି ବିକ୍ରମଙ୍କ ଦୁର୍ବାର ବିକ୍ରମେ
ଥୋକେ ନୃପ, କରି ତାଙ୍କ ବଶ୍ୟତା ସ୍ୱୀକାର,
ଭେଟିଲେ ଛାମୁରେ ଆଣି ରାଜକରରୂପେ
ବହୁ ଧନ, ରତ୍ନ, ରାଜ, ବାଜୀ, ସ୍ୟନ୍ଦନାଦି
ସ୍ୱୀୟ ସ୍ୱାଧୀନତା ସହ, ଭେଟେ ଯଥା ନଦ
ସିନ୍ଧୁ ପଦେ ଢାଳ ଦେଇ ଶରୀର-ସମ୍ବଳ
ଚଳାଇ ସ୍ୱକୀୟ ଶକ ବିଜିତ ପ୍ରଦେଶେ
ଘେନି ପରାଜିତ ସୈନ୍ୟ ହେଲେ ଅଗ୍ରସର
ରାଏ ଅନ୍ୟ ରାଜ୍ୟ ପ୍ରତି, ମିଶି ଠାବେ ଠାବେ
ପଥେ ବହୁ ନରପତି-ଚମୁ, ହେଲା କ୍ରମେ
ସମ୍ରାଟ ବହିନୀ ଉଗ୍ର ପୃଥଚର, ଯଥା
ନଦୀ, ଘେନି ଗତିପଥେ ବହୁ ଉପନଦୀ
ହୁଏ ପୃଥୁତମା । ବଳେ ତ୍ରିବିକ୍ରମ ସମ
ହେଲେ ହେଁ ବିକ୍ରମ, ମାତ୍ର ନ କରନ୍ତି ଋଣ
ଦୁର୍ବଳ ସହିତେ, କେବେ ଯୁଝେ କି ନକୁଳ
ମଣିଚୂଡ଼ ଅହି ଭିନ୍ନ ମହୀଲତା ସହ ?
ସତତ ସଦୟ ସେହୁ ପରାଜିତ ପ୍ରତି,
ମାତି ଯେ ବିଜୟଦର୍ପେ ବିଜିତ ଉପରେ
କରେ ଅତ୍ୟାଚାର, ନୁହେ ବୀର ସେ କଦାପି,
ସେ ପିଶାଚ, ନତୁ ହିଂସ୍ରଜନ୍ତୁ ନରରୂପୀ,
ପ୍ରଦେର୍ଶେ ସେ ଅସମ୍ମାନ ପୁଣ୍ୟ ବୀରଧର୍ମେ ।
ବୀର ପକ୍ଷେ ଶ୍ରେଷ୍ଠ ସ୍ୱର୍ଗ, ସର୍ବଶ୍ରେଷ୍ଠ ତୀର୍ଥ
ଋଣସ୍ଥଳୀ, ବୀରର ସେ ଜୀବନ-ବାଞ୍ଛିତ,
ବାଲ୍ୟେ ଯେ ସୁହୃଦବରା, ଯୌବନେ ସଙ୍ଗିନୀ,
ବାର୍ଦ୍ଧକ୍ୟରେ ମରଣର ଶେଷ ମହାଶଯ୍ୟା,
କରେ ତାକୁ ଅପବିତ୍ର ଅତ୍ୟାଚାରୀ ବୀର ।
ପକ୍ଷାନ୍ତେ ଯେ ଶତ୍ରୁ ପ୍ରତି ପ୍ରକାଶେ କରୁଣା,
ମଣେ ଶତ୍ରୁ ଗୌରବକୁ ନିଜର ଗୌରବ,
ସେହି ବୀର, ବୀରତ୍ୱର ମହିମିତ ଭୁଷା ।
ଲଙ୍ଘି ବହୁ ବନ, ଗିରି ଚାରୁକାନ୍ତଚୂଡ଼,
ବିସ୍ତୀର୍ଣ ପ୍ରାନ୍ତର, ନଦୀ, ରମ୍ୟ ରାଜଧାନୀ,
ମିଳିଲା ବାହିନୀ ଯାଇ ଗୁଇକ୍ୱାଡ଼ ଦେଶେ ।
ସ୍ୱଦେଶ ରକ୍ଷାର୍ଥେ ତହୁଁ ସେ ରାଜ୍ୟ ସୈନିକେ
ଦଳେ ଦଳେ ଦୁର୍ଗ ମଧ୍ୟୁ ହୋଇ ବହିର୍ଗତ
ଧାଇଁଲେ ଅରାତି ପ୍ରତି, ସନ୍ଧ୍ୟାଗମେ ଯଥା
ବାହାରି ଗେରୁଆ ଖୋଲୁ ୧ ପଲ ପଲ ହୋଇ
୧- ଗଞ୍ଜାମ ଜିଲ୍ଲାସ୍ଥ ଇଚ୍ଛାପୁରର ସ୍ୱନାମଧନ୍ୟ ପଙ୍କତ ।
ଅସଂଖ୍ୟ ୨ ଅଜିନପକ୍ଷ, ହୁଅନ୍ତି ଧାବିତ
୨- ବାଦୁଡ଼ି ।
ଆକାଶେ ଉଦ୍ୟାନମୁଖେ ୩ ଫଳାଶନ ଆଶେ ।
ଉତ୍ତେଜନା ଉଚ୍ଛ୍ୱାସରେ ହୋଇ ପ୍ରଦୀପିତ
ସକଳ ଦୀରର ଆସ୍ୟ, ନିଷ୍ଠୁର ହାସିତ,
ପ୍ରତେ ହୁଏ, ଯେହ୍ନେ ସର୍ବେ ଶରୀର ଅପେକ୍ଷା
୩- ସମୁଦ୍ର ବେଳାସ୍ଥ ଉଦ୍ୟାନଖଣ୍ଡ ।
ଅଧିକ ବଳିଷ୍ଠ ମନେ, ଲାଗିଲା ସମର,
ମାତ୍ର କେତେ କ୍ଷଣ ଅବା ତିଷ୍ଠିବ ଶଲଭ,
ଜ୍ୱାଳାବଳିବିଭୁଷିତ ଜ୍ୱଳନ୍ତି ଅନଳେ ?
ନ ପାରି ବିପକ୍ଷବୀର୍ଯ୍ୟ ସହି ଗୁଇକ୍ୱାଡ଼େ
ପଳାଇଲେ ଇତସ୍ତତଃ ଭଙ୍ଗ ଦେଇ ରଣେ,
ଆଶାର ସୁବର୍ଣ୍ଣ ସୌଧ ହେଲା ଧୂଳିସାତ !
ଏଥୁଅନ୍ତେ ଜୟୋଲ୍ଲାସେ ବିଜୟବାହିନୀ
ଚଳିଲା ଗୁର୍ଜର ଦେଶେ ୪ ସାଗର-ମେଖଳ,
୪- ଆଧୁନିକ ଗୁଜରାଟ ।
ଦୀପ୍ତ ଯାର ବକ୍ଷ ସଦା, ଦୀପେ କକ୍ଷ ଯଥା,
ଦ୍ୱୀପ-ଦୀପାନ୍ତରାନୀତ ମାଣିକ୍ୟ-ମୌକ୍ତିକେ,
ମହାଦୁର୍ଗ ଭାରତର ଜଳଦ୍ୱାରରୁପୀ,
ବସି ଯେଉଁ ଦ୍ୱାରେ ଆହା ଭାରତଜନନୀ
କରନ୍ତି ଶ୍ରବଣ ନିତ୍ୟ ରତ୍ନାକର ମୁଖେ
ସଂସାରର କି ଦୁର୍ବୋଧ୍ୟ ବ୍ୟାକୁଳ ବେଦନା-
ଗୀତି, ସେ ଅନନ୍ତ ରୁଦ୍ର ଅଖଣ୍ଡ ଗୀତିକା
ଅନନ୍ତ ଆକାଶ ଶୁଣି ସ୍ତମ୍ଭିତ ସର୍ବଥା ।
ଗର୍ଜିଲା ଗୁର୍ଜର ମହୀ ହେରି ବୈରିଥାଟ,
ମାତ୍ର ତାହା ବୃଥା, ଶୂନ୍ୟଗର୍ଭ ଆସ୍ଫାଳନ,
ବ୍ୟର୍ଥ ଆସ୍ଫାଳନ ଯଥା ତା ପଦେ ସିନ୍ଧୁର ।
ନିରେଖି ଗୁର୍ଜରପତି ସୈନ୍ୟ-ପାରାବାର,
ହୋଇ ସ୍ତବଧ ମହାଭୀତ, କଲେ ଆସି ଖରେ
ସନ୍ଧି, ଅର୍ପି ଯଥୋଚିତ ରାଜକର, ତହୁଁ
ବିଜେ ହେଲେ ବିକ୍ରମାର୍କ କଚ୍ଛ ଉପକୂଳେ ।
ପୁରୋଭାଗେ ରତ୍ନାକର ଅଛି ବିଲମ୍ବିତ,
ଚିର ବୀଚି-ବିକ୍ଷୋଭିତ, ଅକଳିତ କୂଳ,
କି ରୁଦ୍ର ବିସ୍ତୃତି ଅହୋ, ଅନନ୍ତ, ଅଗମ୍ୟ,
ଯେସନ ହିରଣ୍ୟଗର୍ଭ, ଖିଳ ଜ୍ଞାନତୀତ,
ମାନବର କ୍ଷୁଦ୍ରାଦପି କ୍ଷୁଦ୍ର ଅନୁଭୂତି
ନ ପାରି ସେ ବିସ୍ତୃତିର ସୀମା ସ୍ପର୍ଶ କରି,
ବୁଡ଼ି ମରେ ଶେଷେ ତାର ଅଗାଧ ସଲିଳେ ।
ଅର୍ଦ୍ଧମୁକୁଳିତ ବକ୍ଷ ଦେଖାଇ ପ୍ରକୃତି
ପ୍ରକାଶେ କି ବିଶ୍ୱଭୂମା ମହିମା-ଗରିମା ?
ବିରାଟ ବିକଟ ରମ୍ୟ ସାଗର-ତାଣ୍ଡବେ
ହେଲେ ନୃପବର ହୃଷ୍ଟ ବିଶାଳ ବାରିଧି,
ବିଶାଳ ବିକ୍ରମ ହୃଦ, ବିଶାଳ ବିଶାଳ
ଭେଟ-ବାରୀନ୍ଦ୍ର ନରେନ୍ଦ୍ର ଭେଟ, ମହା ମହା-
ମିକନରେ ସଂଜାତ କି ମହାଭାବ ଅବା
କେ କହିବ ତାହା, ସେ ଯେ ଅଜ୍ଞେୟ ଅନ୍ୟର !
ପୂର୍ବରୁ ସଜ୍ଜିତ ତହିଁ ଥିଲା ରଣତରୀ
ଚତୁର୍ଲକ୍ଷସଂଖ୍ୟ, ନୃପ ଆରୋହି ସଦଳେ
ରୋମ ରାଜ୍ୟ * ଅଭିମୁଖେ କରେ ଅଭିଯାନ ।
* ଇଟାଲୀର ଅନ୍ତର୍ବର୍ତ୍ତୀ ରାଜ୍ୟ ।
ଚାଲିଲା ତରଣୀସଙ୍ଘ ଲହରୀ ବିଦାରି
ବିହଙ୍ଗଗତିରେ ଖରେ, ପ୍ରତେ ହେଲା ଯଥା
କେଉଁ ମହାନଗରୀ ବା ଯାଉଅଛି ଭାସି
ଲଙ୍ଘି କ୍ରମେ ସିନ୍ଧୁ ସିନ୍ଧୁ + ପବିତ୍ରସଙ୍ଗମ,
ରଖି ଦକ୍ଷଭାଗେ ଅବି-ଆରବ-ମୁଖର
ଆରବ ନଗରେ, ମ୍ଲେଚ୍ଛ ଯବନବସତି,
ପଡ଼ିଲା ତରଣୀବାର ଲୋହିତ ସାଗରେ ।
+ ସମୁଦ୍ର ଓ ସିନ୍ଧୁନଦ ।
ହେରି ତହିଁ ରକ୍ତଜଳ ଭାରତୀୟ ବୀରେ
ଲଭିଲେ ବିସ୍ମୟାନନ୍ଦ, ପ୍ରତିଫଳି ମୁଖ
ଲୋହିତ ସଲିଳବିମ୍ବେ ଦିଶିଲା ରକ୍ତାଭ,
ପଦ୍ମ ଯଥା ବୋଳିହୋଇ ଉଷା ପାଟଳିମା;
କା’ ସହ ଚର୍ଚ୍ଚରି-କ୍ରୀଡ଼ାଇଚ୍ଛି ସୃଷ୍ଟିରାଣୀ
ସୃଜିଛନ୍ତି ଫଗୁଜଳେ ମହାଜଳାଶୟ,
ଖେଳୁଛି ଲୋହୁତବୀଚି ଲୋହିତ ଉରସେ,
ରୂପ-ପାରାବାରେ ଯଥା ସୁଷମା ଲହରୀ,
କିମ୍ବା ଉଠେ ରଙ୍ଗଘନେ ରଙ୍ଗ ବିଦ୍ୟୁ ଭାସି !
ଓହ୍ଲାଇ ବାହିନୀ ତହିଁ, ଚାଲି ଖଣ୍ଡେ ଦୂର
ଆରୋହିଲା ତରୀ ପୁଣି ଭୂମଧ୍ୟସାଗରେ ।
ଧାଇଁଲା ତରଣୀ ଏବେ ଖରେ ସେ ସାଗରେ,
ଲୋହିତସାଗର ଶୋଭା ଦିଶିଲା ସେଠାରୁ
ସୀମାନ୍ତ ସିନ୍ଦୂର ଦାଣ୍ଡି ପ୍ରାୟ ପ୍ରକୃତିର ।
ଦିଶିଲା ଅଗ୍ରତେ ରୋମ ସୁରମ୍ୟ ନଗରୀ,
ଇତିହାସସୁପ୍ରସିଦ୍ଧା, ସୌଭାଗ୍ୟଶାଳିନୀ,
ସଭ୍ୟତାର ପୁଣ୍ୟପୀଠ, ଧନେ, ମାନେ, ଜ୍ଞାନେ,
ପୁଣି ଶୌର୍ଯ୍ୟ ପ୍ରଭାବରେ ଜଗତେ ଅତୁଳା,
ବିରାଜେ ବାରିଧି ପ୍ରାନ୍ତେ, ନଭଃପ୍ରାନ୍ତେ ଯଥା
ଧ୍ରୁବତାରା, କିମ୍ବା ଲଙ୍କା ଭାରତ-ପୟରେ ।
ସେ ଦେଶ ନୃପତି ଶୁଣି ଶତ୍ରୁ-ଆଗମନ,
ସାଜି ତୂରୀ ତରୀବ୍ୟୂହ ଓଗାଳିଲେ ପଥ
ବିପୁଳ ବିକ୍ରମେ ଆସି, ସାଗରବକ୍ଷରେ
ବେନି ନୌବାହିନୀ ଦୂରୁ ଦିଶିଲା ରୁଚିର,
ମଧ୍ୟେ ନୀଳେ ପାରାବାର ମାତ୍ର ବ୍ୟବଧାନ,
ଶାରଦୀୟ ମେଘରନ୍ଧ୍ରେ ନଭରେଖା ଯଥା,
ଅଥବା ମର୍କତେ ବନ୍ଧା ରାଜଦାଣ୍ଡ ପାଶେ
ଶୋଭେ ନବରାଜଧାନୀ ନବରତ୍ନଖଚୀ
ବାରୀଶ ବରୁଣଙ୍କର । ଲାଗିଲା ସମର,
ପ୍ରଥମତଃ ତରୀଚୂଡ଼ଧ୍ୱଜ କଟାକଟି,
ଦ୍ୱିତୀୟେ ପରୀକ୍ଷା ବଳ, ଚାଲିଲା ଆକାଶେ
ଶର, କୋଟି କୋଟି ଉଲ୍କାପ୍ରାୟ ସନସନେ,
ବର୍ଷିଲା ସ୍ଫୁଲିଙ୍ଗରାଶି ବାଣ ସଂଘର୍ଷଣେ,
ଆର୍ତ୍ତନାଦି, ବୀରନାଦ ଧନୁକ ଟଙ୍କାର
ମିଶି ହୋଇ ପୁଥୁଳିତ, ଦେଲାକ ବୁଡ଼ାଇ
ପାରାବାର ଚିରନ୍ତନ ଗଭୀର ଚହଳ ।
ମଣିମଣ୍ଡୀ ଚାକ୍ଚକିତ ରାଜଦନ୍ତ ପୋତେ
ଦେଖୁଥିଲେ ବିକ୍ରମାର୍କ ରଣ, ମନ୍ତ୍ରିବର
ବୀରସେନ ସହ ଧୀରେ ଏତେବେଳଯାଏଁ,
ମାତ୍ର ହେରି ଆତ୍ମପକ୍ଷେ କିଞ୍ଚିତ ଦୁର୍ବଳ
ଉଠିଲେ ଉଭୟ ବୀରେ ଟଙ୍କାରି ଅଧିଜ୍ୟ,
ବରଷିଲେ ବାଣଧାରା ବର୍ଷାଧାରା ସମ
ରଘୁହସ୍ତେ, କିଏ କେବେ ନିଏ ତୂଣୂ ଶର,
ଯୋଖେ ତାହା କେତେବେଳେ ଶରାସନେନେଇ,
କେତେବେଳେ କରେ ଅବା ଗୁଣ ଆକର୍ଷଣ,
ହେଲା ନାହିଁ ଜାଣି କିଛି, କେବଳ ସତତ
ଦିଶୁଥାଏ ବେନି ଧନୁ ମଣ୍ଡଳ ଆକାର ।
ବିପକ୍ଷର ରଣଚରୀ କେତେ ହେଲା ମଗ୍ନ,
କେତେ ଭଗ୍ନ, ଅର୍ଦ୍ଧଭଗ୍ନ, ବିପର୍ଯ୍ୟସ୍ତ କେତେ,
କେତେ ବା ଅଚଳ, ଦେଖି ତାହା ବିପକ୍ଷର
ହୋଇଗଲା ଚୂର୍ଣ୍ଣୀଭୂତ ଆଶା-ବିନ୍ଧ୍ୟାଚଳ ।
ଲକ୍ଷି ରୋମେଶ୍ୱର ବକ୍ଷ ଶ୍ରୀବିକ୍ରମାଦିତ୍ୟ
ବିନ୍ଧିଲେ ଶାୟକ ଏକ, ମାତ୍ର ପରକ୍ଷପେ
କି ଭାବିଣ ମନେ, ପଡ଼ୁ ପଡ଼ୁ ତାହା ଯାଇ
ବିପକ୍ଷ ବକ୍ଷରେ, ମାରି ଖରେ ଆନ ଶର
ନେଲେ ତା ଉଡ଼ାଇ, ଦେଖି ଏ ଅଦ୍ଭୁତ ଶିକ୍ଷା
ଦେଲେ ଛତ୍ରଭଙ୍ଗ ଭୟେ ପରିପନ୍ଥିଦଳେ ।
ବନ୍ଦୀ କରି ତହୁଁ ରୋମ ବିଧର୍ମୀ ଅଧିପେ
ବାହୁଡ଼ିଲେ ବିକ୍ରମାର୍କ ଭାରତାଭିମୁଖେ ।
ଚାଲିଲା ତରଣୀବ୍ୟୂହ ଖରେ ଅବିରତ,
ଦୋଳିଖେଳ ଖେଳି ଖେଳି ଲହରୀ-ଦୋଳାରେ,
ଜୟୋଲ୍ଲାସେ ମାତି ସୈନ୍ୟେ କଲେକ ଆବୃତ୍ତି
ଜାତୀୟ ସଙ୍ଗୀତ, ସ୍ନିଗ୍ଧ ସୁମଧୁର ସ୍ୱରେ,
ଯଥାକାକେ ଆସି ସର୍ବେ ମିଳିଲେ ସ୍ୱଦେଶେ ।
ବଶତା ସ୍ୱୀକାର କରି ରୋମ-ଅଧିପତି
ମାଗନ୍ତେ ମେଲାଣି, ତହୁଁ ଭାରତ-ସମ୍ରାଟ
ଲଭି ପରିତୁଷ୍ଟି ଦେଲେ ତାହାଙ୍କୁ ବିଦାୟ
ସସମ୍ମାନେ, ଗଲା ବୀର ବିରସେ ବାହୁଡ଼ି,
ସେ ଦିନ ଚଳିଲା ରୋମେ ଖଗେନ୍ଦ୍ର-ଅଙ୍କିତ
ସୁନ୍ଦର ଦୀନାର ମୁଦ୍ରା ସମ୍ରାଟ-ଆଦେଶେ ।*
*ରୋମର ପ୍ରାଚୀନ ମୁଦ୍ରା ‘‘ପାନେରିଆସ’’ ସମ୍ଭବତଃ ବିକ୍ରମାଦିତ୍ୟଙ୍କ ଗରୁଚାଙ୍କିତ ମୁଦ୍ରା ଏହି ‘‘ଦୀନାର’’ ଶବ୍ଦଜ ।