ତୃତୀୟ ସର୍ଗ — ବିକ୍ରମାଦିତ୍ୟ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ସର୍ଗ
ବଢ଼ିଲେ ବିକ୍ରମାଦିତ୍ୟ ଆଦିତ୍ୟ-ଦର୍ଶନ,ସୁଖ ସ୍ନେହ ସମ୍ଭୋଗର ସୁକୋମଳ କ୍ରୋଡ଼େ,ବୟୋବୃଦ୍ଧି ସହକାରେ ବଢ଼ିଲା ପ୍ରତିଭା,ବଢ଼େ ଯଥା ତିଥିଭେଦେ ଶଶଧର ସହସୁହାସୀ ଚନ୍ଦ୍ରିକା-ଚନ୍ଦ୍ର-ଚନ୍ଦ୍ରିମା ରୁପିଣୀ ।କହିଲା ଶୁଦ୍ଧାନ୍ତେ ଖରେ ସହସ୍ର ଧାରାରେଦୌହିତ୍ର ବାଳୁତ ଲୀଳା ପବିତ୍ର ଅମୃତ-ଉତ୍ସ, ଗଲା ତହିଁ ଧୋଇ ରାଜାରାଣୀ ମନୁକନ୍ୟାବିୟୋଗରେ ସେହି ଜ୍ୱାଳାମୟୀ ସ୍ମୃତିସେ ଅବ୍ୟକ୍ତ ବେଦନାର ଉଚ୍ଛ୍ୱସିତ ଶୋକ ।ଏହିରୂପେ କିଛିକାଳ ହୁଅନ୍ତେ ଅତୀତ,ରାଇ ଦିନେ ଧାର ରାଏ ଦୌହିତ୍ର ଉଭୟେକହିଲେ, ‘‘ହେ ବତ୍ସ, ତେଜି କ୍ରୀଡ଼ା ସୁଖ ଏବେନାନା ଶାସ୍ତ୍ର ଅଧ୍ୟୟନେ କର ଜ୍ଞାନାର୍ଜନ,ବିଦ୍ୟାଲାଭ କଷ୍ଟସାଧ୍ୟ; ମାତ୍ର ଅଜ୍ଞତାରସୁଖଠାରୁ ସାର ନିଶ୍ଚେ ଜ୍ଞାନାର୍ଜନ ଦୁଃଖ ।ବିଦ୍ୟାର୍ଜନ ଦୁଃଖ କେବେ ଦୁଃଖ ନୁହେ ବାବୁ,ଭାବୀ ସୁଖ ଭୋଗର ସେ ସୁବର୍ଣ୍ଣ ସୋପାନ,ବିଦ୍ୟା ସ୍ପର୍ଶମଣି, ହୁଏ ପରଶେ ତାହାରକଳଙ୍କିତ ନର-ଲୌହ ଶୁଦ୍ଧ କଳଧୌତ ।ଜୀବସୃଷ୍ଟି ମଧ୍ୟେ ରାଜା ଯାହା ଯୋଗେ ନର,ବିଦ୍ୟା ସେହି ହିତାହିତ ଜ୍ଞାନର ପ୍ରସୂତି,ମାନବ ଜୀବନ-ପଥ ଜଟିଳ କୁଟିଳ,କରିଦିଏ ବିଦ୍ୟା ତାକୁ ସୁଗମ୍ୟ ସରଳ ।ଅରୂପା ଜନନୀ ବିଦ୍ୟା, ମନୁଜ କୁଳରଚତୁଗର୍ବଦାତ୍ରୀ, ବଳେ ଜନୟିତ୍ରୀଠାରୁ,ମାତୃଦତ୍ତ ଏ ଶରୀର ଅସ୍ଥିମାଂସମୟ,କ୍ଷଣସ୍ଥାୟୀ ମାତ୍ର ବିଦ୍ୟା-ମାତୃ-ଦତ୍ତ ଦେହସୃଷ୍ଟି ଅପାର୍ଥିବ ରତ୍ନେ, ଚିର ଅନଶ୍ୱର ।ଅବିଦ୍ୟାର ଶିକ୍ଷାଗାର ଏ ଛାର ସଂସାରେବିଦ୍ୟା ହିଁ ସଦ୍ଗୁରୁ ଏକା, ପ୍ରଦାନିଣ ସେହୁନ୍ୟାୟ-ନିଷ୍ଠା-ଦୟା-ଧର୍ମ-ସତ୍ୟ-ସରଳତା-ବିନୟ-ସୌଜନ୍ୟ-ଶିକ୍ଷା, କରେ ସମୁର୍ବରଜ୍ଞାନ-ଭକ୍ତି-ପ୍ରୀତି-ଜଳେ ହୃଦୟ-ଉଷରେ ।କରିପାରେ ବିଦ୍ୟା ସିନା କଦର୍ଯ୍ୟେ ସୁନ୍ଦର,ନାଚେ ଉଚ୍ଚ, ଦୀନେ ରାଜା, ଅପୁଜ୍ୟେ ପୂଜିତ,କରିପାରେ ଦୀପ୍ତ ପୁଣି ତିମିରିତ ସ୍ଥାନେ ।ବିଦ୍ୟା ଦୁର୍ବଳର ବତ, ସେ ବଳେ ମାନବଉଡ଼ିପାରେ ବିହାୟସେ ବିହଙ୍ଗମ ଭଳି,ଭେଦିପାରେ ଅନାୟାସେ ଅନଳ-ଅର୍ଗଳୀ ।ବାସ୍ତବ ପରମବନ୍ଧୁ ବିଦ୍ୟା, ତା ବନ୍ଧୁତାନୁହେଁ ଦୁଷ୍ଟ ଅପୂର୍ଣ୍ଣତା ଦୋଷେ କଦାଚନପାର୍ଥିବ ବନ୍ଧୁତା ସମ, ମିଶି ରହେ ତାହାରୁଧିରର ପରମାଣୁ ସହ ଆଜୀବନ ।
ବିଦ୍ୟା ଅଚୌର୍ଯ୍ୟାପହାରର୍ଯ୍ୟା ସମ୍ପତ୍ତି ମହତୀ,
ଅକ୍ଷୟା, ପ୍ରତ୍ୟୁତ ନିତ୍ୟ କ୍ରମବିବର୍ଦ୍ଧିତା,
ପ୍ରାକୃତ ଅର୍ଥ ମୂଲ୍ୟରେ ନୁହେଁ କ୍ରେୟ ତାହା,
ଉପାର୍ଜେୟ ଐକାନ୍ତିକୀ ସାଧନା ପ୍ରଭାବେ ।
ଅତଏବ ନାନାଶାସ୍ତ୍ର-କୁସୁମ-ଷଟ୍ପଦ
ପ୍ରବୀଣ ପଣ୍ଡିତବର୍ଗେ କରାଇ ପ୍ରସନ୍ନ,
ଶିକ୍ଷା କର ତାଙ୍କଠାରୁ ହିତଉପଦେଶ ।
ସମୟକୁ ନ ନିୟୋଗି ପ୍ରହରିପଣରେ,
ତାହାର ପ୍ରହରୀ ହୋଇ କର ଅଧ୍ୟୟନ-
କାବ୍ୟ, ବ୍ୟାକରଣ, ବେଦ, ବେଦାଙ୍ଗ, ପୁରାଣ,
ଇତିହାସ, ଧର୍ମଶାସ୍ତ୍ରୀ, ମହାତ୍ମା-ଚରିତ,
ଜ୍ଞାନଶାସ୍ତ୍ର, ନୀତିଶାସ୍ତ୍ର, ଶିଳ୍ପ, ଧନୁର୍ବେଦ,
ସଙ୍ଗୀତ ଶାସ୍ତ୍ରାଦି ବହୁ ଶୁଭ ବିଦ୍ୟାମାନ ।
ହୁଅ ପୁଣି ହସ୍ତୀ ଅଶ୍ୱ ରଥାରୋହେ ଦୃଢ଼,
ବ୍ୟାୟାମେ ଅଭ୍ୟସ୍ତ ନିତ୍ୟ, ଲମ୍ଫେ, ଉଲ୍ଲମ୍ଫନେ,
ଗଡ଼ଚକ୍ରଭେଦେ, ବ୍ୟୂହରଚନେ, ଧାବନେ,
ବ୍ୟୁହିତବାହିନୀଭଙ୍ଗେ ହୁଅ ସୁନିପୁଣ ।
ବିଗ୍ରହ, ଆସନ, ସନ୍ଧି, ଯାନ, ଦ୍ୱୈଧାଶ୍ରୟ,
ଏହି ଷଡ଼ ରାଜଗୁଣେ ଚୌବିଧ ଉପାୟ-
ଭେଦ, ଦଣ୍ଡ, ସାମ, ଦାନେ ଲଭି କୁଶଳତା ।’’
ଏହିରୂପେ ଧାରାଧୀଶ ଦେଇ ଉପଦେଶ
ଅର୍ପିଲେ ଦୌହିତ୍ରଦ୍ୱୟେ ଯୋଗ୍ୟ ଗୁରୁକରେ ।
ରତ ହେଲେ ଅଧ୍ୟୟନେ ଉଭୟ କୁମାର
ଉପେକ୍ଷି ଆଳସ୍ୟ କ୍ରୀଡ଼ା-ଶଶୈବ -ସୁଲଭେ
ନ ରହିଲା ରୁଚି ଆଉ ଆହାରେ ଶୟନେ,
ରୁଚି ଅଧ୍ୟୟନେ ସଦା, ନ ଲାଗିଲା ସୁଖ
ରାଜହର୍ମ୍ୟ ଶିକ୍ଷାଗାର ଭଳି, ବେନି ଭ୍ରାତା
ବାଳବ୍ରହ୍ମାଚାରୀ ପ୍ରାୟ ପାଠଶାଳାଶ୍ରମେ
ରହିଲେ ସାଧନା-ଯଜ୍ଞେ ଦୀକ୍ଷିତ ନିୟତ ।
ବଢ଼ିଲା ପ୍ରତିଭା କ୍ରମେ ଗୁରୁ ଉପଦେଶେ,
ସ୍ୱଭାବ ତେଜସ୍ୱୀ ହୀରା ପାଇ ଦୀପାଲୋକ
ପ୍ରକାଶିଲା କିବା ଦ୍ୟୁତି ପୂର୍ବୂ ବହୁଗୁଣେ ।
ସ୍ପର୍ଶିଲା ପ୍ରତିଯୋଗିତା ବେନି ଭ୍ରାତା ପ୍ରାଣେ,
ହୁଡ଼ ରଖି ପରସ୍ପରେ କଲେ ବିଦ୍ୟାଭ୍ୟାସ ।
ଜ୍ଞାନାର୍ଜନ ଅର୍ଥେ ଜାତ ଯେ ପ୍ରତିଯୋଗିତା,
ପବିତ୍ର ସେ, ନୁହେଁ କେବେ ଈର୍ଷା ଅଭିଖ୍ୟାତ,
ଉନ୍ନତି ଅମୃତ ଫଳ କରେ ସେ ପ୍ରସବ-
ପ୍ରସବେ ପିଶାଚୀ ଈର୍ଷା, ପାପ-ହଳାହଳ ।
ହେଲେ ହେ ସୁବିଚକ୍ଷଣ ଜ୍ୟେଷ୍ଠ ଭର୍ତ୍ତୃହରି,
କଠୋର ପ୍ରତିଯୋଗିତା-ପରୀକ୍ଷାକ୍ଷେତ୍ରରେ
ସର୍ବୋଚ୍ଚେ ନିର୍ଦ୍ଦିଷ୍ଟ ହେଲା ବିକ୍ରମଙ୍କ ସ୍ଥାନ ।
ମେଧାବୀ ବିକ୍ରମାଦିତ୍ୟ, ମହାମତିମାନ,
ଆଲୌକିତ ଅତ୍ୟଦ୍ଭୁତ ଶ୍ରୁତିଶକ୍ତିବଳେ
ଶିଖିଲେ ବିବିଧ ବିଦ୍ୟା ଅତ୍ୟଳ୍ପ ସମୟେ
ପଢ଼ନ୍ତି ଶୁଣନ୍ତି ଯାହା ବାରେକ ମାତର,
ରଖନ୍ତି ତାହାକୁ ହେତୁ ନୋହେଁ ତା ବିସ୍ମୃତ ।
ଦେଖି ବାଳକର ଏହି ଅଚିନ୍ତ୍ୟ ପ୍ରତିଭା,
ଭାବୁଥିଲେ ଲୋକ, ସତେ ସ୍ମୃତିଦେବୀ ଅବା
ଆବିର୍ଭୁତ ଧରାଧାମେ ପୁରୁଷ ରୂପରେ ।
ଅନନ୍ତର ରାଜା ଦିନେ ଡ଼କାଇ ବିକ୍ରମେ
ବୋଇଲେ, ‘‘ହେ ବତ୍ସ, ତୁମ୍ଭେ ହୋଇଅଛି ଏବେ
ସର୍ବାଂଶରେ ଉପଯୁକ୍ତ, ଏଣୁ ମୋ ବାସନା,
ସମର୍ପିବି ତବ କରେ ମାଳବ, ପ୍ରଦେଶ;
ମହାକର୍ତ୍ତବ୍ୟର ତାର ବହି ଏବେ ଶିରେ
କର ପ୍ରଜାପୁଞ୍ଜେ ଧର୍ମେ ଶାସନ ପାଳନ ।
ଶୁଣ କିଛି ରାଜନୀତି ଅବହିତ ମନେ,
ନୁହେ ବ୍ୟକ୍ତିଗତ, ବାବୁ, ନୃପତି ଜୀବନ,
ତାହା ସାଧାରଣ, ପ୍ରଜାର ରକ୍ଷକ;
ରାଜ୍ୟରୂପ ମହାଗୃହେ ପ୍ରଜା ପରିବାର,
ରାଜା ମୁଖ୍ୟ ଗୃହକର୍ତ୍ତା କୁଟୁମ୍ବ-ଚାଳକ ।
ପ୍ରଜାପାଳ ସତ୍ୟ-ନ୍ୟାୟ-ଧର୍ମ-ଅବତାର,
ଆଚରି ସେ ସାମ୍ୟନୀତି କରିବ ଶାସନ,
ବିଚାର ତାହାର ଜାତି-ଧର୍ମ-ଆତ୍ମ-ପର-
ବିଭେଦରହିତ । ଶାନ୍ତ, ଶିଷ୍ଟ, ନୀତିମାନ,
ଜିତେନ୍ଦ୍ରିୟ, ମିଷ୍ଟଭାଷୀ, ଧାର୍ମିକ, ଦୟାଳୁ
ଯେ ନୃପ, ସେ ପ୍ରକୃତିର ମହାର୍ହ ଭୂଷଣ,
ସର୍ବଲୋକନିୟାମକ ଅଟେ ରାଜନୀତି,
ମାତ୍ର ତାହା ହେଲେ ମୃଦୁ, କରନ୍ତି ପୁଜାଏ
ଅତିକ୍ରମ, ତୀକ୍ଷ୍ଣ ଥିଲେ ହୁଅନ୍ତି ସଂତ୍ରସ୍ତ,
ଅତଃ ତାହା ନାତି-ଉଷ୍ଣ, ବା ନାତି-ଶୀତଳ
ହେବାର ଉଚିତ, ଯଥା ମଳୟ-ମାରୁତ ।
କର୍ମମୟ ଏ ଜୀବନ, କର୍ମ ହିଁ ଜୀବନ,
କର୍ମବିମୁଖତା-ମୃତ୍ୟୁ, ପ୍ରଜାଦର୍ଶ ରାଜା,
ଦେଖି ତାଙ୍କୁ କର୍ମରତ; କର୍ମୀ ହେବେ ପ୍ରଜା,
ଦୈବନିର୍ଭରତା ଖାଲି ଆଳସ୍ୟ ଲକ୍ଷଣ,
କରେ ସିନା କାର୍ଯ୍ୟ ପ୍ରାଣୀ ଜୀବନ ଉପରେ
ପୌରୁଷ, ପୌରୁଷ ସଦା ବାଞ୍ଛନ୍ତି ଦେବତା ।
ହେବେ ନାହିଁ ଆର୍ଦ୍ର ନୃପ ଚାଟୁକାର ଗିରେ,
ନାହିଁ ଶତ୍ରୁ ମାନବର ସ୍ତାବକ ସମାନ,
ପଶା, ବେଶ୍ୟା, ମଦ୍ୟ ପୁଣି ମୃଗୟାବ୍ୟସନ
ତେଜିବେ ସର୍ବଥା ରାଜା, ନୁହଇ ଉଚିତ
ଭୃତ୍ୟୁ ସହ ପରିହାସ, କିମ୍ବା କାହା ପ୍ରତି
ବିଶ୍ୱାସ ସ୍ଥାପନ ଅତି, ରଖିବେ ନୃମଣି
ସ୍ୱମନ୍ତ୍ରଣା ଗୁପ୍ତ ରାଜକାର୍ଯ୍ୟ ପ୍ରତି ଅଂଶ
କରିବେ ପର୍ଯ୍ୟବେକ୍ଷଣ ତନ୍ନ ତନ୍ନ ଭାବେ ।
ଧର୍ମ, ମିତ୍ର, ମନ୍ତ୍ରୀ, ରାଷ୍ଟ୍ର, କୋଷ, ଦୁର୍ଗ, ବଳ,
ରାଜ୍ୟର ଏ ସପ୍ତ ଅଙ୍ଗ, ହୁଏ ଯଦି କେହି
ପ୍ରତିକୂଳ ଯେ କୌଣସି ଏକ ଅଙ୍ଗ ପ୍ରତି,
ହେଲେ ସୁଦ୍ଧା ଗୁରୁ ସେହି ବିପକ୍ଷେ ଗଣିତ ।
ରାଜା ପ୍ରକାଶରୀରର ନିସର୍ଗ-କଞ୍ଚୁକ,
ହରିବେ ସେ ନିଜ କଷ୍ଟେ ପ୍ରକୃତି କଷଣ,
ବିଳାସ ଆଶ୍ରୟୀ ରାଜା ଭକ୍ଷ୍ୟ ବିଳାସର;
ଅନ୍ଧ ଖଞ୍ଜ ଅକ୍ଷମାଦି ଅନାଥପାଳନ,
ଯଥାକାଳେ ଭୃତ୍ୟବର୍ଗେ ବର୍ତ୍ତନପ୍ରଦାନ,
ଅଧୀନସ୍ଥ କର୍ମଚାରୀ ପ୍ରତି ସଦ୍ବେଭାର,
କୃଷି, ଶିଳ୍ପ, ଶିକ୍ଷା, ଧର୍ମ ବାଣିଜ୍ୟ ଉନ୍ନତି
ରାଜାର କର୍ତ୍ତବ୍ୟ ମୁଖ୍ୟ, ଦୋଷେ ଦଣ୍ଡ ପ୍ରାୟ
ଅଛି ଗୁଣେ ପୁରସ୍କାର, ବିଶିଷ୍ଟ ଗୁଣିକେ
ଲଗାଇବେ କର୍ମେ ରାଏ କରି ବୃତ୍ତିଦାନ ।
ମନ ସମୁର୍ବର ଭୂମି କାମନା ତରୁର,
ଉଠିବ ତହିଁରେ ସଦା ମେଳା ମେଳା ହୋଇ
ସୁପାଦପ କୁପାଦପ ଉଭୟ ଅଙ୍କୁର,
ମାତ୍ର ବସ୍ତ୍ର, ବାଛି ତାହା ତୁମ୍ଭେ, ‘‘କୁ’’ ଉପାଡି
‘‘ସୁ’’ ପାଳିବ ଯତ୍ନେ, ଯଥା ବିଜ୍ଞ ବୃଷୀବଳ
ଉାପହି ବାଳୁଙ୍ଗା କ୍ଷେତୁଁ ରଖେ ଧାନ ଗଛ ।
ଚଳାଇବ ରାଜକାର୍ଯ୍ୟ ସଚିବ ସହାୟେ,
ମାତ୍ର ତବ ଅନ୍ତରାତ୍ମା-ସୁମନ୍ତ୍ରୀ ମନ୍ତ୍ରଣା
ଶୁଣିବ ସର୍ବାଗ୍ରେ, ପଛେ ଆନ ଅମାତ୍ୟର ।’’
‘‘ମାତମହ, ଶିରୋଧାମ୍ୟ ତବ ଆଜ୍ଞା ମୋର-’’
ଭାଷିବେ ବିକ୍ରମାଦିତ୍ୟ, ‘‘ଆବର ହେ ଦେବ,
ସୁପାବନ ଉପଦେଶ କୈବଲ୍ୟ-କଣିକା,
ଗ୍ରହିଲି ତା ଆର୍ଶୀବାଦ ଜ୍ଞାନେ, ଘେନା ହେଉ
ଭକ୍ତିବୋଳା କୃତଜ୍ଞତା ଏ ତ୍ରୀତଭୁତ୍ୟର,
କେବଳ ଏତିକି ନୁହେ, ସେ ଉପଦେଶର
ନୁହେଁ ଯୋଗ୍ୟ ପ୍ରତିଦାନ କୃତଜ୍ଞତା ଖାଲି,
ପ୍ରାଣଠାରୁ ମୂଲ୍ୟବାନ ଥାନ୍ତା ଯଦି କିଛି,
ନୁହନ୍ତା ତେବେ ସେ ସୁଦ୍ଧା କିଞ୍ଚିତ ସମାନ,
ଯାହାହେଉ ଅର୍ପୁଅଛି ସାନନ୍ଦେ ନିଜକୁ,
ଏହା ବିନା ଯୋଗ୍ୟ ଦେୟ ପାଉ ନାହିଁ ଖୋଜି ।
ଅଲଙ୍ଘ୍ୟ ଆଦେଶ ତବ, ଦେବାଦେଶ ପ୍ରାୟ,
ମାତ୍ର ଦେବ, ଅଛନ୍ତି ମୋ’ ଜ୍ୟେଷ୍ଠ ଭର୍ତ୍ତୃହରି,
ଜ୍ୟେଷ୍ଠ ସତ୍ତ୍ୱେ କନିଷ୍ଠର କର୍ତ୍ତୃକ ଗ୍ରହଣ
ଧର୍ମବିଗର୍ହିତ, ଅତଃ ହେଉନ୍ତୁ ସେ ରାଜା,
ରହିବି ମୁଁ ମନ୍ତ୍ର ପଣେ ତାହାଙ୍କ ସକାଶେ ।’’
ଶୁଣି ଏ ଭାରତୀ ରାଜପାରିଷଦ ଦଳ
ଭାଷିଲେ ବିସ୍ମୟାନନ୍ଦ-ଆଲିଙ୍ଗିତ ସ୍ୱରେ-
‘‘କୁମାର, ଉର୍ତ୍ତୀର୍ଣ୍ଣ ତୁମ୍ଭେ ଆଜି କି ଅଦ୍ଭୁତ
ଅଗ୍ନି ପରୀକ୍ଷାରୁ, ଧନ୍ୟ ହୃଦୟ ତୁମ୍ଭର,
ମହାପୁରୁଷ ଜୀବନେ ଆସଇ ଏପରି
ସୁକଠୋର ପରୀକ୍ଷାର ଶୁଭ ସୁପ୍ରଭାତ ।
ପରମ ଧାର୍ମିକ ତୁମ୍ଭେ, ଧର୍ମରକ୍ଷାପାଇଁ
ରାଜ୍ୟଭୋଗ ତ୍ୟାଗ ମହାପୁରୁଷର କର୍ମ,
ପୁରୁଷ ମାତ୍ରର ନୁହେଁ, ଘୃଷ୍ଟର ଚିକିଳେ
ପ୍ରୀତି, ମାତ୍ର ତାହା ଘୃଣ୍ୟ କେଶରୀ ପକ୍ଷରେ,
ତବ ଏ ବିମଳ କୀର୍ତ୍ତି ସୁତ ସୁଧାମୟ,
ଭବିଷ୍ୟ ପୁରାଣ-ବକ୍ଷେ ଶୋଭିବ ଉଜ୍ଜ୍ୱଳେ,
ଯେସନ ସୌଭ୍ରାତୃବର ଭରତ ଆଖ୍ୟାନ
ଶୋଭେ ରାମାୟଣ-ବକ୍ଷେ ଅମର-ଅକ୍ଷରେ ।’’
ଲଭି ପରିତୁଷ୍ଟି ରାଏ ଦୌହିତ୍ର ବଚନେ
ପ୍ରଶଂସି ବିଶେଷେ ତାଙ୍କୁ, ଭର୍ତ୍ତୃହରି କରେ
ମାଳବ ଶାସନ ଭାର କଲେ ସମର୍ପଣ,
ରହିଲେ ବିକ୍ରମାଦିତ୍ୟ ତାଙ୍କ ମନ୍ତ୍ରିପଦେ ।
ମାଳବର ରାଜଧାନୀ ହେଲା ଉଜ୍ଜୟିନୀ,
ବ୍ୟାପିଲା ସେ ତ୍ରୟୋଦଶ କ୍ରୋଶ ଦୀର୍ଘେ, ନବ-
କ୍ରୋଶ ପ୍ରସ୍ଥେ, ଚଳାଇଲେ ରାଜ୍ୟ-ରହୁବରେ
ଭର୍ତ୍ତୃହରି, ସୁସାରଥି ପ୍ରାୟ, ଯୋଚି ତହିଁ
ସୁମନ୍ତ୍ରୀ ବିକ୍ରମଙ୍କର ସୁମନ୍ତ୍ରଣା-ହୟ ।
ଲଭିଲା ଶ୍ରୀବୃଦ୍ଧି ରାଜ୍ୟ ଶାସନେ ପାଳନେ,
ସତ୍ୟ, ଧର୍ମ, ନ୍ୟାୟ, ନିଷ୍ଠା ଆଶ୍ରିଲେ ପ୍ରଜାଏ,
ଦୁର୍ଜନର ଅତ୍ୟାଚାର, ଚୌର୍ଯ୍ୟା ଉପଦ୍ରବ
ହେଲା ତିରୋହିତ, ହର୍ଷେ ହସିଲା ନଗରୀ,
ଷୋଳକଳା ସୁଖ ଶାନ୍ତି ଖେଳିଲା ଚୌଦିଗେ ।
ଥିଲେ ଭର୍ତ୍ତୃହରିଙ୍କର ଯୁଗଳ ମହିଷୀ
ଅନଙ୍ଗା ପିଙ୍ଗଳାନାମ୍ନୀ, ପରମାସୁନ୍ଦରୀ,
ଦ୍ୱିତୀୟା ସରଳା, ସାଧ୍ୱୀ, ପୁଣ୍ୟ-ଦୟାବତୀ,
ପ୍ରଥମା ତା ବିପରୀତ-ମୁଖରା, ଦୁଃଶୀଳା,
ରୌଦ୍ର ଚନ୍ଦ୍ରିକାର ଏହା ବିରୋଧ ମିଳନ ।
ମିଶିଥିଲା ଦେବୀ ସଙ୍ଗେ ଦୁର୍ମୂଖା ଦାନବୀ,
ଅଥବା ଅବିଦ୍ୟା ବିଦ୍ୟା ସହ, କେଉଁ ପାପେ
ଅବା ଶାପେ, କେ କହିବ ତାହା ? ବହୁଥିଲା
ଏକ ହୃଦେ ତ୍ରିଦିବିର ମନ୍ଦାକିନୀଧାରା,
ଆନ ହୃଦେ ଦାଉଦାଉ ଶ୍ମଶାନାଗ୍ନିଶିଖା;
ଏକ ମଳୟଜ, ଆନ କଟୁ ଉପଲେପ;
ସୁରଭି ଗୋଲାପ ଏକ, ଆନ ଓଲ ଫୁଲ;
ଏକ ହୃଦ ଅନାବିଳ ପ୍ରେମ-ପାରାବାର,
ଆନ କ୍ରୋଧ ବିଦ୍ୱେଷର ପଙ୍କିଳ ପଲ୍ୱଳ;
ଏମନ୍ତ କି, ଏକ ହୃଦ ପବିତ୍ର ସ୍ୱରଗ;
ଆନ ପାପ-କାଟ-ଦୁଷ୍ଟ ମହାକୁମ୍ଭୀପାକ;
ସୁଚାରୁ ଚରିତ୍ର-ଚୂଡ଼େ ଶୋଭେ ଏକ ଶିର;
ଭାରାକ୍ରାନ୍ତ ଅଭିମାନ ଅଲିଚାରେ ଆନ ।*
* ଅଭିଚାର-ପରହିଂସା ।
ଧୂର୍ତ୍ତା-ଶିରୋମଣିବରା ଅନଙ୍ଗା ରୂପସୀ,
ସ୍ୱାଧୀନ-ଭର୍ତ୍ତୃକା ହେଲା କପଟ କୌଶଳେ,
ନାରୀ ଫାନ୍ଦେ ବନ୍ଦୀ ହେଲେ ରାଜା ଭର୍ତ୍ତୃହରି,
ଅଳି ଯଥା ଉର୍ଣ୍ଣନାଭ-ଜାଲେ, କ୍ଷମ ସେହୁ
ଲୌହ-ଦୃଢ଼-କାଷ୍ଠ ଭେଦେ; ମାତ୍ର ପାରେ ନାହିଁ
ଛିନ୍ନ କରି ସୂକ୍ଷ୍ମ ସୂତ୍ର ସେ କ୍ଷୁଦ୍ର କୀଟର !
ଭର୍ତ୍ତୃହରି ସମ ରାଜା, ଶାସ୍ତ୍ରଜ୍ଞ, ଧାର୍ମିକ,
ରହିଲେ ରମଣୀବଶେ ଶୁଦ୍ଧାନ୍ତେ ସର୍ବଦା,
କେଡ଼େ ଆକର୍ଷଣ ଯନ୍ତ୍ର ରମଣୀ ମହୀରେ !
‘‘କାମିନୀ’’ ତ୍ର୍ୟକ୍ଷ୍ୟର ମନ୍ତ୍ର ବଶୀକରଣର,
ଅଛି ଏ ଜଗତେ ଯେତେ ଦ୍ରବ୍ୟ ଲୋଭନାୟ,
ଚୂଡ଼ାନ୍ତ ତାହାର ନିଶ୍ଚେ କାମିନୀ, କାଞ୍ଚନ !
ପବିତ୍ର ଦାମ୍ପତ୍ୟ ପ୍ରୀତି; ମାତ୍ର ହେଲେ ତାହା
ବୀଭତ୍ସତା-ବିସର୍ପିତ, ହୁଏ ଅଭିହିତ
କଳଙ୍କ-କାଳିମାମୟ ‘‘କାମୁକତା’’ ନାମେ ।
ଅବନତି-ପେତୁଣୀର କାମୁକା ରମଣୀ
ଅମୋରା ବ୍ରହ୍ମାସ୍ତ୍ର, ଜିଣେ ସେ ତାହା ବଳରେ !
ହେଉନ୍ତୁ ନାରୀଏ ପଛେ ସ୍ୱଭାବେ ଅବଳା,
ପ୍ରଭାବେ ପ୍ରବଳା ମାତ୍ର, ସମର୍ଥ ସେମାନେ
ଆଣିବାକୁ ଝିଙ୍କି ବଳେ ଏ ମର୍ତ୍ତେ-ନିରୟେ
ଆନନ୍ଦ-ଅମୃତମୟ ଧାମୁ ମୁନିମନେ ।
ଯୋଗୀଙ୍କର ଯୋଗ-ଯଜ୍ଞ, ସଂଯମି-ସଂଯମ
ପାରନ୍ତି ସେ ପଣ୍ଡ କରି ଭ୍ରୂଭଙ୍ଗ ମାତ୍ରକେ !
ବନ୍ଦୀ ହେଲେ ଭର୍ତ୍ତୃହରି ଅନ୍ତଃସୁର-ଟୋପେ
ଗଜମୂର୍ଖ ପ୍ରାୟ, ଆଉ ନ ହେଲେ ବାହାର,
ସଂଘଟିଲା ରାଜକାର୍ଯ୍ୟେ ଏଣେ ବିଶୃଙ୍ଖଳା,
ହେଲେ ମନ୍ତ୍ରୀ ପାରିଷଦେ ବିଶେଷ ଚିନ୍ତିତ ।
ଏହି ରୂପେ କେତେ କାଳ ହୁଅନ୍ତେ ଅତୀତ,
ବିଜେ ହେଲେ ଦୈବେ ଦିନେ ରାଜା ସିଂହାସନେ,
କିନ୍ତୁ ଇତସ୍ତତଃମନା, ଧୃତ ପକ୍ଷୀପ୍ରାୟ,
ନିରେଖି ଏସନ ଭାବ ଭର୍ତ୍ତୃହରିଙ୍କର
ସଚିବ ବିକ୍ରମାଦିତ୍ୟ କହିଲେ ସମ୍ବୋଧି-
‘‘ମହାରାଜ, ସର୍ବଶାସ୍ତ୍ର-ଅର୍ଥବେତ୍ତା ଛାମୁ,
ପରମ ପଣ୍ଡିତ, ଜଣା ମଧ୍ୟ ନୃପତିର
କର୍ତ୍ତବ୍ୟଗୁରୁତା, ମାତ୍ର ଜାଣି ଶୁଣି ପୁଣ
କରନ୍ତି ସେ ବ୍ୟବହାର, ଆଶ୍ଚର୍ଯ୍ୟତା ଅତି ।
ସର୍ବନାଶ ହେତୁ ନିଶ୍ଚେ ରାଜାର ସ୍ତ୍ରୈଣତା,
ସେ ରାଜା ଅବଳାବଶ, ଅବଳା ସେ, ତାର
ଯୋଗ୍ୟ ସିଂହାସନ ନାରୀହୃଦ, ରମଣୀର
ବାସାଞ୍ଚଳ ତାର ପ୍ରିୟ ରାଜପରିଚ୍ଛଦ,
ରାଜକାର୍ଯ୍ୟ ପାଶବିକ ପ୍ରୀତି, ପଦ ତାର
‘‘ରମଣୀ-ରଞ୍ଜନ’’, ନୁହେଁ ‘‘ପ୍ରକୃତ-ରଞ୍ଜନ’’ ।
ସ୍ତ୍ରୈଣତାର ଶେଷ ଫଳ ତୀବ୍ର ବିଷମୟ,
ହୋଇଛି ତା ସପ୍ରମାଣ ମହୋଜ୍ୱଳଭାବେ
ପୁଣ୍ୟଶ୍ଳୋକ ଦଶରଥ ରାଜାଙ୍କ ଜୀବନେ,
ଘଟିଲା ତାଙ୍କର ଯଶୋନାଶ ପୁତ୍ରଶୋକ,
ଅବଶେଷେ ପ୍ରାଣନାଶ ଘୋର ଅନୁତାପେ ।
ନୃପତିର ଅନୁଷ୍ଠେୟ ସପ୍ତବିଧ ବ୍ରତ-
କରନ୍ତି ପୃଥିବୀ ପୂର୍ଣ୍ଣ ଇନ୍ଦ୍ର ଯଥା ଜଳେ
ବର୍ଷାକାଳେ, ତଥା ରାଜା ନ୍ୟାୟାର୍ଜିତ ଧନେ
କରିବେ ଭଣ୍ଡାର ପୂର୍ଣ୍ଣ, ଇନ୍ଦ୍ରବ୍ରତ ଏହା,
ରସ ରଖି ରବି, ରସ ଶୋଷନ୍ତି ଧରାରୁ,
ସେହିପରି ରାଜା କର କରିବେ ଗ୍ରହଣ,
ଏହା ସୂର୍ଯ୍ୟବ୍ରତ; ତହିଁ ପରେ ବାୟୁବ୍ରତ,
ବ୍ୟାସ୍ତ ସର୍ବଭୂତେ ବାତ, ବାହ୍ୟେ ଅଭ୍ରନ୍ତରେ,
ପ୍ରକୃତପୁଞ୍ଜଙ୍କୁ ପକ୍ଷେ ରାଜାର ଏ ନୀତି
ପ୍ରପାଲ୍ୟ ସର୍ବଥା; ହେବେ ଯମତୁଲ୍ୟ ଭୂପ
ବିଚାରେ ଅପକ୍ଷପାତୀ, ଏ ଶମନବ୍ରତ;
ବଦ୍ଧ କରି ପାରାବାରେ ପାଶ ଅସ୍ତ୍ରେପାଶୀ
ରଖେ ଯଥା, ତଥା ନୃପ ଚୋର ଖଣ୍ଟଗଣେ
ରଖିବେ ଶାସନ କରି, ବରୁଣବ୍ରତ ଏ;
ଶଶଧର ସ୍ନିଗ୍ଧକର ବିତରିଲା ପ୍ରାୟ
ସର୍ବଗୁଣେ ବିଭୂଷିତ ହୋଇ ନରମଣି
କରିବେ ସକଳ ଜନେ ସଦା ଆହ୍ଲାଦିତ,
ଧର୍ମଶାସ୍ତ୍ରେ ଉକ୍ତ ଏହା ଚନ୍ଦ୍ରବ୍ରତ ନାମେ,
ସର୍ବଂସହା ଧରେ ପାଳେ ସର୍ବେ ସମଭାବେ,
ତେସନ ନୃପତି ସହି ସମସ୍ତ ଅର୍ଦିଳି
ସକଳର, ସମଭାବେ କରିବେ ପାଳନ,
ଏହା ପଥ୍ୱୀବ୍ରତ । ଏହି ସପ୍ତ ମହାବ୍ରତ
ପାଳନ୍ତି ଯେ ନରବର କାୟକାବ୍ୟମନେ,
ତାଙ୍କ ଇହପରକାଳ ସୁଖେ ସମୁଜ୍ଜୁଳ ।
ସର୍ବଲୋକ ତୁଚ୍ଛୀକୃତ ସ୍ତ୍ରୈଣ ପ୍ରଜାପାଳ,
ରାଏ, ନୋହି ବହିଦର୍ଶୀ, ଅନ୍ତର୍ଦୃଷ୍ଟିବତେ
ଦେଖନ୍ତୁ, ରମଣୀ ଦେହ ମୂଳ ଉପାଦାନ
କି ବୀଭତ୍ସ ଦୁର୍ଗନ୍ଧିତ ରକ୍ତ ମାଂସ ମେଦେ,
ଅଛି କି ସୌନ୍ଦର୍ଯ୍ୟ, ଅତଃ ହୁଅନ୍ତୁ ମଣିମା
ଅବହିତ । ମହୀନାଥ, ମୋର ଏ ବଚନ
ନୁହେଁ ଛାମୁପ୍ରତି ଶିକ୍ଷା-ସ୍ମରଣ କେବଳ,
ବୋଲିବେ ଅବା ‘‘ଚିତଉ ଖାଇବା ଲୋକର
ବିନ୍ଧ ଗଣନାରେ ଅଛି କେଉଁ ପ୍ରୟୋଜନ ?’’
ମାତ୍ର ଯେ ପିଠଉ ମୃତପିଣ୍ଡ ଚିତଉର,
ହେଲେ ସେ ବିକୃତ, ଆଉ କି ସୁଖ ପିଠାରେ ?
ନିବେଦିବ ନିର୍ଭୟରେ ସର୍ବିବିଧ ନୀତି
ନୃପତି ଛାମୁରେ ମନ୍ତ୍ରୀ, ମନ୍ତ୍ରିଧର୍ମ ଏହା,
ହୀନ ଯେ କର୍ତ୍ତବ୍ୟବୁଦ୍ଧି ନୈତିକ ସାହସେ,
‘‘ଯେ ଆଜ୍ଞା’’ ‘‘ଯେ ଆଜ୍ଞା’’ ସଦା ଇଷ୍ଟମନ୍ତ୍ରଯାର,
ନୁହେଁ ସେ ସଚିବ-ଅଟେ ସ୍ତାବକପୁଙ୍ଗବ,
ପ୍ରତିଧ୍ୱନି ଜଡ଼ଯନ୍ତ୍ର ତାହା କଳେବର;
ଏଣୁ କରି ଜଣାମଣା ଛାମୁରେ ସକଳ,
ଆଚରନ୍ତୁ ଯାହା ଶ୍ରେୟ, ବିଚାରି ତାହାହିଁ ।’’
ଶୁଣି ଏ ସୁନୀତି ବାଣୀ ରାଜା ଭର୍ତ୍ତୃହରି
ନ କହିଲେ କିଛି, ମାତ୍ର ବିକ୍ରମଙ୍କ ପ୍ରତି
ବହିଲେ ଅନ୍ତରେ କ୍ରୋଧ, ଯଥା ବହ୍ନିଶିଳା
ବାହାରେ ଶୀତଳ, କିନ୍ତୁ ପ୍ରଚ୍ଛନ୍ନେ ଗରଭେ
ଧରେ ଉଗ୍ରଅଗ୍ନିରେଣୁ । ଅଦୂରଦର୍ଶୀର
ବଡ଼ କର୍ଣ୍ଣକଟୁ ସିନା ତଦୀୟ କାର୍ଯ୍ୟର
ବିରୁଦ୍ଧ ସମାଲୋଚନା, ଅମୃତ ଔଷଧି
ମୁମୁର୍ଷୁ ପକ୍ଷରେ ତିକ୍ତ, କରେ କି ଆଦର
ମତ୍ସ୍ୟପ୍ରିୟ ଆଖୁଭୁକ୍ ମଧୁର ଶାର୍କରା ?
ହିତ ଉପଦେଶ ବୃଥା କାମୁକ ନିକଟେ,
ହେଉ ପଛେ ମହୋତ୍କୃଷ୍ଟ ବୀଜ, ପଡ଼ିଲେ ସେ
ଉଷର ଭୂମିର, ଲାଭ କେଉଁ ଫଳ ତହିଁ ?
ପୂର୍ବ ଭ୍ରାତୁପ୍ରୀତି-ଗଳେ ପ୍ରଦାନୀ ଗଳଥା,
ଆଣିଲା ଆମନ୍ତି କୋପ, ଈର୍ଷା, ଅହମିକା,
ତୁଟିଗଲା ମୁହୂର୍ତ୍ତକେ ଆଜନ୍ମ ମମତା !
ଏଣେ ଏ ଅପ୍ରିୟବାର୍ତ୍ତା ଯାଇ ଯଥାକାଳେ
ସ୍ପର୍ଶନ୍ତେ ଅନଙ୍ଗା କର୍ଣ୍ଣ, ଜଲିଲା ସେ କ୍ରୋଧେ,
ହେଲା ତାର ହିଂସା-ସ୍ରୋତ ପ୍ରଖରେ ଧାବିତ
ସିନ୍ଧୁମୁଖୀ ନଦୀ ପ୍ରାୟ ବିକ୍ରମଙ୍କ ପ୍ରତି ।
ସ୍ୱଭାବେ ନାଗୁଣୀ ଗଢ଼ା କ୍ରୋଧ ଉପାଦାନେ,
ଚାଲିଲେ ତାହାକୁ ପୁଣି ମନ୍ତ୍ରରେ ଫୁତ୍କାରି
ଅଛି କି ନିସ୍ତାର ଆଉ ? ଦଂଶି ସେ ଚାଳକେ,
ଉପଯୁକ୍ତ ପ୍ରତିଶୋଧ ଗ୍ରହେ ପରକ୍ଷଣେ !
ସେ ଦିନୁ ଦୁଃଶୀଳା ରତ ନାନା ଆକିଞ୍ଚନେ
ବିକ୍ରମାଦିତ୍ୟଙ୍କ ପ୍ରତି ଭର୍ତ୍ତୃଙ୍କରିଙ୍କର
ମନୋଭଙ୍ଗ ଅର୍ଥେ, ଫଳେ ଘଟାଇଲା ତାହା,
ସତ୍କାର୍ଯ୍ୟ ସାଧନ ସିନା ଦୁଃସାଧ୍ୟ ମହୀରେ,
ବିଘ୍ନ ତହିଁ ସ୍ୱାଭାବିକ; ମାତ୍ର ଦୁଷେର୍ଯ୍ୟର
ଦ୍ୱାର ମୁକ୍ତ, ଅବହେଳେ ହୁଏ ତାହା ସାଧି ।
କି ଅସାଧ୍ୟ କୁଟିଳାର, ପାରେ ସେ ଉତ୍ପାଦି
ବିନା ଅନଳରେ ଧୁମ କୂଟବୁଦ୍ଧିବଳେ,
ପୁଣି ସେ ବିନା ସୂତାରେ କରି ପାରେ ହାଟ;
ତାହାର କୁପରାମର୍ଶେ ହୋଇ ଛନ୍ନମତି
ମାତବେଶ ଭର୍ତ୍ତୃହରି, ସଭାମଧ୍ୟେ ଦିନେ
କହିଲେ ଅନୁଜେ ଅତି କଠୋର ଭାଷାରେ-
‘‘ହେ ବିକ୍ରମାଦିତ୍ୟ, ତୁମ୍ଭେ ମିତ୍ରରୂପୀ ଅରି,
ନୁହଇ ଉଚିତ ତବ ମୁଖାବଲୋକନ,
ଅତଃ ଏହିକ୍ଷଣି ହୁଅ ଏ ରାଜ୍ୟୁ ଅନ୍ତର ।’’
‘‘ଯେ ଆଜ୍ଞା ମଣିମା, ମୁହିଁ ମିତ୍ରରୂପୀ ଅରି,’’
ଭାଷିଲେ ବିକ୍ରମାଦିତ୍ୟ କାମାନ୍ଧ ଅଗ୍ରଜେ,
‘‘ମୁହିଁ ମିତ୍ରରୂପୀ ଅରି, ହେଉଛି ବିଦାୟ,
ଘେନନ୍ତୁ ପ୍ରଣାମ ତେବେ, ବୁଝିବେ ପାଶ୍ଚାତେ
ସବୁ, ଅଧାର୍ମିକ ପାଶେ ଧର୍ମ ଉପଦେଶ
ଧର୍ମ ପ୍ରତି ବିଦ୍ରୁପୋକ୍ତି ତୁଲ୍ୟ, ସେଥିପାଇଁ
ଅନୁତପ୍ତ ମୁହିଁ, ଗଜମୁକ୍ତାର ଗୌରବ
ବୁଝିବ କି ଭଲ-ଗୁଞ୍ଜ-ଗରଗଡ଼-ପ୍ରିୟ ?
କାହାକୁ ଶୀତଳ ଭଲା ନ ଲାଗେ ସଲିଳ,
ଶିବାଦଷ୍ଟ ରୋଗୀ ପକ୍ଷେ ମାତ୍ର ତା’ ବ୍ୟତ୍ୟୟ,*
* ଶିଆଳକାମୁଡ଼ା ରୋଗୀ ଜଳ ଦେଖିଲେ ଭୟରେ ଚିତ୍କାର କରେ ।
ଦେଖିଲେ ସେ ଜଳ, ମଣେ ଅନଳ ସମାନ,
ଫଳେ ହତଭାଗ୍ୟ କରେ ମରଣେ ବରଣ !’’
ଏହା ଭାଷି ବିକ୍ରମାର୍କ ସଭାମଧ୍ୟୁ ଉଠି
ଗମିଲେ ମାଳବ ତେଜି ଅନ୍ୟ ରାଜ୍ୟମୁଖେ ।