ବିକ୍ରମାଦିତ୍ୟ
ଚିନ୍ତାମଣି ମହାନ୍ତି · ଭାଗ ୨ / ୧୨
ସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ସର୍ଗ
ଅସ୍ତୋନ୍ମୁଖ ରବି-ରଶ୍ମି-ରଜ୍ଜୁ ଧରି ଧୀରେଅବତରି ଦିବୁ ସନ୍ଧ୍ୟା, ଅସିତବସନା,ନିଭାଇଲା ପ୍ରକୃତିର ଚାରୁ ହାସ୍ୟଚ୍ଛଟା ।ସ୍ତରେ ସ୍ତରେ ସ୍ୱର୍ଣ୍ଣଘନ ପ୍ରତୀଚୀ ଗଗନେଶୋଭିଲା, ଶୟାଳୁ ଯଥା ଆଗ୍ନେୟ ଭୁଜଗ,ରାଜେ ତାରାରାଜି ତହିଁ ଫଣାମଣିରୂପେ ।ହେଲେ ବୃକ୍ଷେ ଛାୟାଶୂନ୍ୟ ଅନ୍ଧାର ପରଶେ,ମନୁଷ୍ୟତ୍ୱହୀନ ଯଥା ଦୁର୍ବୁଦ୍ଧି ମାନବେଅବିଦ୍ୟା ସଙ୍ଗମେ । ସନ୍ଧ୍ୟା ଅନ୍ଧକାର ସହଢାଳିଲା ଗାମ୍ଭୀର୍ଯ୍ୟଧାରା ପ୍ରକୃତି ପରାଣେ ।ଗଭୀର ଆକାଶ ଦୃଶ୍ୟ ଗଭୀର ଧରଣୀ,ସବୁ ଗଭୀରତାମୟ, ବାଜିଲା ଗଭୀରେଦେବାଳୟେ ଶଙ୍ଖ, ଆହା ପ୍ରକୃତି ତାପସୀ,ଉଚ୍ଚାରେ କି ଏକାକ୍ଷରୀ ଓଁ କାର ମନ୍ତର ?ସେ ପ୍ରଣବ ପୂତ ଧ୍ୱନି ବହି ସାନ୍ଧ୍ୟବାତମିଶାଇଲା ଦିଶେ ଦିଶେ ମହାଶୂନ୍ୟେ ନେଇ ।ମିଶିଗଲା ମହୀରୁହେ ଅନନ୍ତ ତିମିରେ,ସନ୍ତାପ-ସାଗରେ ଲୀନ ଚିତ୍ତ ଶାନ୍ତି ଯଥା ।ସାୟାହ୍ନେ ଗନ୍ଧର୍ବସେନ ଯାଇ କକ୍ଷାନ୍ତରେତେଜି ପଶୁଦେହ, ଧରି ଦେବଦେହ, ଆସିଉପସ୍ଥିତ ସଭା ମଧ୍ୟେ; ମୁହୂର୍ତ୍ତ ଅନ୍ତରେହେଲେ ଉପବିଷ୍ଟ ଯାଇ ନୃପତି ସକାଶେ ।ବିରାଜେ ପାବନ ସୌମ୍ୟ ବଦନମଣ୍ଡଳେଦେବତ୍ୱର ଦିବ୍ୟ ବିଭା, ମହିମା-ମଣ୍ଡିତ,ଉଠୁଛି ଆଭାସି ନେତ୍ରେ ଅମର ପ୍ରତିଭା ।ମୁଖ-ପୁଷ୍ପ, ହାସ୍ୟ-ପୁଷ୍ପ, ଆହା କି ମାଧୁରୀପୁଷ୍ପ ପରେ ପୁଷ୍ପବୃଷ୍ଟି ହେଉଛି ସତତ !ଦେବପ୍ରଭା ପୁଣି ଦେବଦେହ ସୌରଭରେହେଲା ସଭା ସମୁଜ୍ଜ୍ୱଳ, ସ୍ନିଗ୍ଧ ସୁବାସିତ ।ହେରି ସଭାଜନ ବୃନ୍ଦ ଏ ଦୃଶ୍ୟ ଅଦ୍ଭୁତ,ଲଭିଲେ ବିସ୍ମୟ ! ନୋହି ସନ୍ଦିଗ୍ଧ ହୃଦୟ,ଉଠିଲା ସଭାରୁ ରବ ‘‘ଇନ୍ଦ୍ରପୁତ୍ର’’ ବୋଲି ।ପୁରନାରୀ ଗହଣରେ ବସି ରାଜବାଳାଆଙ୍କୁଥିଲା କି ଅଦ୍ଭୁତ ଦାରୁଣ ଶୋକରକଳ୍ପିତ ଅରୂପ ଛବି, ଅନଶ୍ରୁ ନୟନେ,ହୁଏ ସିନା ନିର୍ବାପିତ ଶୋକାଗ୍ନି ଲୋତକେ,ଯେ ଶୋକ ଲୋତକରୋଧୀ, ଦୁର୍ବିଜୟ ତାହା,ଯନ୍ତ୍ରଣାଦାୟକ, ଅହୋ, ଯମଦୂତ ପରି;ଦହେ ସେହୁ ଅନ୍ତସ୍ଥଳ ଅନ୍ତଃକରଣରପ୍ରଚ୍ଛନ୍ନେ, ପାଦପେ ଯଥା କୋଟର ଅନଳ ।ହୃଦୟ-କପାଟ-ପୁଟ ଉଦ୍ଘାଟି କିଶୋରୀବିଷାଦର କି ଦାରୁଣ ଦୃଶ୍ୟ ପ୍ରଦର୍ଶନେଇଚ୍ଛୁଥିଲା ମୁହୁର୍ମୁହୁ, ମାତ୍ର ମନୋମତଦର୍ଶକ ଅଭାବେ ବାଳା ରଖୁଥିଲା କିଳିଅତି କଷ୍ଟେ ସେ କପାଟେ ଧୈର୍ଯ୍ୟ-ଅର୍ଗଳରେ ।ପ୍ରବେଶନ୍ତେ ଏ ସମୟେ ‘‘ଇନ୍ଦ୍ରସୁତ’’ ଧ୍ୱନିଶ୍ରବଣ-କୁହରେ ତାର, ତହୁଁ ସେ ସତ୍ୱରଚାହିଁଲା ଗନ୍ଧର୍ବସେନେ ଚୋରା ଚାହାଣିରେ,ଉନ୍ମୋଚି ଓଢ଼ଣା ଶିରୁଁ ଆବେଗ ଉଚ୍ଛାସେ,ଚାହିଁ ଯଥା ଫୁଲରାଣୀ ମଧୁପ-ମୋହିନୀପଲ୍ଲବେ ଆଡ଼େଇ ଦେଇ ଅନ୍ତ ଗଗନେ ।ଭାବିଲା ସ୍ୱଗତେ ବାଳା, ‘‘ଏ କି ସ୍ୱପ୍ନ ? ଯେବେସ୍ୱପ୍ନ, ତେବେ ସତ୍ୟଠାରୁ ସ୍ୱପ୍ନ ମହୀୟାନ,ତେବେ ସ୍ୱପନ ହିଁ ସୁଖ, ଚେତନା ଯାତନା;କିପାଁ ସ୍ୱପ୍ନେ ଭ୍ରାନ୍ତି ଆଖ୍ୟା ପ୍ରଦାନେ ସଂସାର ?ହେଲେ ପଛେ ହେଉ ଭ୍ରାନ୍ତି, ମାତ୍ର ତାହା ପରିମଧୁର ସୁନ୍ଦର କିଛି ନାହିଁ ଜଗତରେ ।’’ଉପବାସୀ ଚକ୍ଷୁ ତାର ଲଭିଲା ସହସାଅମୃତ ପାରଣା, ଗଲା ଶୁଖି ଆଶଙ୍କାରତପ୍ତ ବୈତରଣୀ, ହୃଦେ ବହିଲା ପ୍ରଖରେଆଶା-ତୃପ୍ତି-ଆନନ୍ଦର ତ୍ରିବେଣୀ ପ୍ରବାହ !ଦିଶୁଥିଲା ଯେ ଆନନ ନୈରାଶ୍ୟେ ମଳିନପ୍ରାବୃଟ ଚନ୍ଦ୍ରିକା ପ୍ରାୟ, ଭଜିଲା ସେ ଏବେପ୍ରସନ୍ନତା, ସଜୀବତା, ଯଥା କମଳିନୀହୋଇ ଘନଛାୟାମୁକ୍ତ ବାସରୁ-ଯୌବନେ,କରେ ଉପଲବ୍ଧି ପୁଣି ପୂର୍ବ ମଧୁରିମା ।ନିନ୍ଦୁଥିଲା ଯେଉଁ ଭାଗ୍ୟେ ଯାମପୂର୍ବେ ଜେମା,ଭାବୁଥିଲା ଅର୍ପି ଯାକୁ ବଳି ଦୁଃଖ ପଦେଲଭିବ ନିଷ୍କୃତି, ଆହା ! ସେହି ଭାଗ୍ୟେ ଏବେଦେଖିଲା ମମତାଯୁକ୍ତ ଗୌରବ-ନେତ୍ରରେ,ନିୟତି ବ୍ୟବସ୍ଥା-ଗ୍ରନ୍ଥେ ଏହା ମହାଧାରା-ଆଜି ଯେ ନିନ୍ଦ୍ୟ; ସେ କାଲି ପ୍ରଶସ୍ତି-ପିହିତ !ଅନନ୍ତର ଶଶବ୍ୟସ୍ତେ ଉଠି ନୃପମଣିନବୀନ ଜାମାତୃବରେ ଆଲିଙ୍ଗି ଆଦରେବର୍ଜି ଆନନ୍ଦାଶ୍ରୁ ସ୍ନେହେ ଚୁମ୍ୱିଲେ ମସ୍ତକ ।‘‘କ୍ଷମିବ ମୋ ଦୋଷ ବାବୁ’’ ଭାଷିଲେ ଧାରେଶ,‘‘ପୋଷିଥିଲି ସନ୍ଦେହ ମୁଁ ମନେ ତୁମ୍ଭ ପ୍ରତିପାପବୁଦ୍ଧି ଦୋଷେ, ତୁଚ୍ଛ କ୍ଷୁଦ୍ରନର ମୁହିଁ,କ୍ଷୁଦ୍ର ମୋ ହୃଦୟ, କାହୁଁ ପାରିବି ବା ବୁଝିଦେବଲୀଳା, ପଡ଼ିବ କି ଗୋସ୍ପଦ ସଲିଳେମହାକାୟ ପ୍ରକୃତିର ମହା ପ୍ରତିଛାୟା ?ଅବା ଚନ୍ଦ୍ର ପ୍ରତିବିମ୍ୱ ନଖ-ଦର୍ପଣରେ ?’’ଏହା ଭାଷି ନରେଶ୍ୱର ଆନନ୍ଦବିହ୍ୱଳେଘେନି କନ୍ୟାଜାମାତାଙ୍କୁ ମହାଆଡ଼ମ୍ୱରେଯାତ୍ରା କଲେ ସଦଳରେ ନଗରାଭିମୁଖେ ।ପର ଦିନ ନରନାହା ଯୌତୁକ ସ୍ୱରୂପେଅର୍ପିଲେ କନ୍ୟାକୁ ବହୁ ଧନ, ରତ୍ନ, ଗଜ,ବାଜୀ, ଦାସ, ଦାସୀ ସହ ରମ୍ୟ ଅଟ୍ଟାଳିକାଏକ, ବିମଣ୍ଡିତ ଦିବ୍ୟ ରାଜୋଚିତ ସାଜେ ।ରହିଲେ ଗନ୍ଧର୍ବସେନ ରାଜକନ୍ୟା ସହସେ ଆବାସେ, ସୁଖମୟ, ପରମ ହରଷେ ।ପବିତ୍ର ଦାମ୍ପତ୍ୟ ପ୍ରେମ-ମନ୍ଦାକିନୀଧାରା,ବହିଲା ବେନିଙ୍କ ହୃଦେ ଖରତର ଭାବେ,ବୃଦ୍ଧି ଲଭି କ୍ରମେ କ୍ରମେ ସ୍ନେହ-ଅନୁରାଗ-ବୀଚି, ବେନି ହୃଦେ-ସିନ୍ଧୁ କରି ଦେଲା ଏକ ।ବିଭିନ୍ନ ଶରୀର, ମାତ୍ର ଏକଇ ପରାଣ,ଏକ ଆଳବାଳସ୍ଥିତ ଯୁଗ୍ମ ତରୁବରକାଳବଶେ ମିଶି କିବା ହୋଇଅଛି ଏକ ?କିମ୍ୱା ଏକସୂତ୍ରେ ଗୁନ୍ଥା ଯୁଗଳ ମୁକୁତା,ଅବା ଏକ ବାଦ୍ୟଯନ୍ତ୍ରେ ଲଗ୍ନ ଦୁଇ ତାର ?ବେନିଙ୍କ ସୌନ୍ଦର୍ଯ୍ୟେ ଥିଲେ ବେନିଏ ମୋହିତ,ସୌନ୍ଦର୍ଯ୍ୟ ବହିର୍ବିକାଶ ଅଟଇ କେବଳ-ହୃଦୟ ଅନ୍ତର୍ନିହିତ ପବିତ୍ର ପ୍ରୀତିର,ସୌନ୍ଦର୍ଯ୍ୟ ମଧ୍ୟରେ ନାହିଁ ସାନ ବଡ଼ ଭେଦ;ଏଣୁ ସେ ଦମ୍ପତି ସଦା ଅବଲୋକୁଥିଲେପରସ୍ପର ସୌନ୍ଦର୍ଯ୍ୟରେ ଅନନ୍ତ ବିଶ୍ୱରଅନନ୍ତ ସୌନ୍ଦର୍ଯ୍ୟରାଶି । ଜଣକ ହୃଦୟେଉଠେ ଯେବେ ଯେଉଁ ଭାବେ, ପ୍ରତିଫଳେ ତାହାସେହି ଦଣ୍ଡେ ଆନ ପ୍ରାଣେ, ପ୍ରତିଫଳେ ଯଥାଦର୍ପଣେ ପତିତ ଖରା ଗୃହଭିତ୍ତିପରେ ।ଭାବି ଏକ ଆରେକକୁ ସ୍ୱଧର୍ମ-ସହାୟ,ଜୀବନର ମହାସଙ୍ଗୀ ସଂସାର-କାନ୍ତାରେ,ଅର୍ଦ୍ଧକଳେବର, ମଣୁଥିଲେ ପରସ୍ପରେନୟନ-ସଙ୍ଖାଳି, ତଥା ଉଭେ ଉଭୟରବଚନକୁ ମଣୁଥିଲେ ସୁଶ୍ରାବ୍ୟ-ସଙ୍ଗୀତ !ଆଦର୍ଶ ପୁରୁଷ ଧର୍ମେ ମିଶି ଊର୍ଜସ୍ୱଳଆଦର୍ଶ ରମଣୀଧର୍ମ, ମର୍ତ୍ତ୍ୟେ ସୃଜିଥିଲାଶାନ୍ତିର ବୈକୁଣ୍ଠ ଧାମ; ବିରାଜେ ଯେ ଗୃହେପବିତ୍ର ଦାମ୍ପତ୍ୟ-ପ୍ରେମ ଅମର-ବାଞ୍ଚିତ,ସ୍ୱର୍ଗ, ତୀର୍ଥ, ତପୋବନ ନାମାନ୍ତର ତାର ।ଏରୂପେ ଗନ୍ଧର୍ବସେନ କ୍ଷେପିଲେ ସମୟ,ଦିବସେ ଗର୍ଦଭ, ରାତ୍ରେ ନରରୂପ ଧରି ।ନବଦମ୍ପତିଙ୍କ ସ୍ନେହ ସୌହାର୍ଦ ବନ୍ଧନହେଲା କ୍ରମେ ଦୃଢ଼ତର, ବଢ଼ିଲା ମମତାଅନୁଦିନ ପରସ୍ପର ପ୍ରତି, ତଦ୍ଦର୍ଶନେବଢ଼ିଲା ଧାରେଶ୍ୱରଙ୍କ ସନ୍ତୋଷ ବିଶେଷ ।ଜାମାତା ଦେବକୁମାର, କନ୍ୟା ନାରୀଦେବୀ,କି ଅମୃତ ଦୃଶ୍ୟ ଦେବଦେବୀ ସମ୍ମିଳନ !କି ଅବା ସେ ସ୍ୱପନର ପ୍ରେମ-ପକ୍ଷିଯୁଗବିକସନ୍ତି ସ୍ୱପନର ପ୍ରେମ-କୁଲାୟରେ !ପୂଜୁଥିଲା ଯଥା ଜେମା ପତି-ପଦାମ୍ୱୁଜଭକ୍ତି-ପାତିବ୍ରତ୍ୟ-ଫୁଲେ, ତଥା ଦେବପତିଢାଳୁଥିଲେ ପ୍ରାଣେ ତାର ପ୍ରଣୟ-ଆଶିଷ-ଧାରା, ଅନାବିଳ, ପୁଣି ଶୀତଳ ମଧୁର !ଦୁହିଁଙ୍କର ଗୁଣ-ଋଣ ଦୁହେଁ ଗୁଣ-ଧନେଦେଉଥିଲେ ଶୁଝି ସଦ୍ୟ, କରି ଦ୍ୱିଗୁଣିତ ।ଇନ୍ଦ୍ରପୁତ୍ର ଔରସରେ କିଛିଦିନାନ୍ତରେହେଲା ଉପପତ୍ନୀ ଗର୍ଭୁ ପୁତ୍ର ଏକ ଜାତ,ସୁନ୍ଦର, ଲକ୍ଷଣବନ୍ତ, ଆଦରେ ଜନକଦେଲେ ନବଜାତ ଶିଶୁ ନାମ ଭର୍ତ୍ତୁହରି ।ଗଣି ଶିଶୁ ଜନ୍ମଲଗ୍ନ ପ୍ରବୀଣ ଗଣକେବୋଇଲେ- ‘‘ଏ ହେବ ମହାପ୍ରତିଭା-ପିହିତ !କୋଷ୍ଠୀର ସର୍ବୋଚ୍ଚ କେନ୍ଦ୍ରେ ସ୍ଥିତ ବୃହସ୍ପତିମିତ୍ର ଗ୍ରହ ସଙ୍ଗେ, ତାଙ୍କ ଶୁଭ ଦୃଷ୍ଟି ସଦାଉଜ୍ଜ୍ୱଳିବ ବାଳକର ସୌଭାଗ୍ୟ-ମନ୍ଦିରାହେବ ସୁପଣ୍ଡିତ, କବି-କାବ୍ୟକତାନିଧି,କେବଳ ସ୍ତ୍ରୈଣତା ଦୋଷେ ଅର୍ଜିବ ଅଖ୍ୟାତି,କଳାଦାଗେ କଳଙ୍କିତ କଳାକର ଯଥା,ଜୀବନ-ସାୟାହ୍ନେ ହେବ ସ୍ୱାଧ୍ୟାୟ-ନିରତ ।ବସିଣ ନିଭୃତେ ଦିନେ ଧାରଖ୍ୟ ଧାରେଶଭାଳିଲେ ସ୍ୱଗତେ, ‘‘ରୂପେ ଗୁଣେ ମୋ ଜାମାତାରାଜା ରୂପ-ଗୁଣ-ରାଜ୍ୟେ, ମାତ୍ର ଦିନ ପଶୁ,ଏ ଲଜ୍ଜା ତାହାର ମୁହିଁ କରିବି କ୍ଷାଳନ ।ରାତ୍ରେ ତାର ଅପତନୁ ରହିଥାଏ ପଡ଼ିଗତପ୍ରାଣ ପ୍ରାୟ, ଆଜି ନଷ୍ଟ କରି ତାହାକରିବି ଗନ୍ଧର୍ବସେନେ ମୁକ୍ତ ଖର ରୂପୁଁ,ଅମର ସେ, ନ ସମ୍ଭବେ ମରଣ ତାହାର ।’’ଏହା ଭାବି ସେହି ରାତ୍ରେ ପ୍ରିୟ ଜାମାତାରତ୍ୟକ୍ତ ପଶୁଦେହ କଲେ ଅନକେ ନିକ୍ଷେପ,ମୁହୂର୍ତ୍ତକେ ହେଲା ତାହା ଭସ୍ମେ ପରିଣତ ।ଅନନ୍ତର ଇନ୍ଦ୍ରାଙ୍ଗଜ ମିଳି ନୃପ ପାଶେକୋମଳ-କୃତଜ୍ଞ-କଣ୍ଠେ ବୋଇଲେ, ‘ହେ ନୃପ,ହେଲା ଏତେକାଳେ ଆସି ଶାପାନ୍ତ ମୋହର,ଦଗ୍ଧ କଲେ ତୁମ୍ଭେ ମୋର ଗର୍ଦଭ ଶରୀର,ହେବି ଶାପମୁକ୍ତ ମୁହିଁ, ଥିଲା ନିର୍ଦ୍ଧାରିତ ।ସାଧିଲ ମହୋପକାର ତୁମ୍ଭେ ମୋର ରାଏ,ଘେନୁଛ ମେଲାଣି, ହେଉ ମଙ୍ଗଳ ତୁମ୍ଭରଯିବି ଏବେ ପିତୃ କତି, ତନୟା ତୁମ୍ଭରହୋଇଅଛି ଅନ୍ତଃସତ୍ତା, ଜନ୍ମିବ ଯେ ସୁତଗର୍ଭୁ ତାର, ନୃପବର, ହେବ ସେ ବାଳକପ୍ରଦୀପ୍ତ ଆଦିତ୍ୟ ସମ ବିପୁଳବିକ୍ରମୀ,ଦୁଦ୍ଧର୍ଷ ପ୍ରତାପଶାଳୀ, ବହିବ ଶରୀରେସହସ୍ର ମାତଙ୍ଗବଳ, ହେବ ପୁଣି ଜ୍ଞାନୀନୀତିଜ୍ଞ, ପରୋପକାରୀ, ସାହାସୀ, ଧାର୍ମିକ,କରିବ ସେ ଏକଛାତ୍ରା ସସାଗରାଧରା,ତାର କୀର୍ତ୍ତୀ-ଯାଗ ଧୂମ-ପବିତ୍ର-ସୁରଭିବହିବ ଅନନ୍ତ କାକ ଭାରତୀୟ ବାୟୁ,ଯାବତ ଥିବ ଏ ଧରା, ଥିବ ଏ ଭାରତ,ରଖିବ ବିକ୍ରମାଦିତ୍ୟ ବୋଲି ତାହା ନାମ ।’’ଶୁଣି ରାଜଜେମା ସ୍ୱାମି-ତ୍ରିଦିବପ୍ରୟାଣ,ବେଶବାସ ଅସମ୍ଭାଳେ ଧାଇଁ ଆସି ଖରେ,ପଡ଼ି ସ୍ୱାମୀ ପଦତଳେ, ଢାଳିଲା ଲୋତକ,ଯଥା କ୍ଷୀଣା ସୌଦାମିନୀ, ନଭଃ-ସ୍ୱର୍ଣ୍ଣଲତାଅବଲୁଣ୍ଠି ପ୍ରତ୍ୟାବୃତ୍ତ ବାରିବାହପଦେ,କରେ ବର୍ଷାଧାରା ବ୍ୟାଜେ ଶୋକାଶ୍ରୁ ବର୍ଜନ !ଆହା କି ସୁନ୍ଦର ସେହି ବିହ୍ୱଳିତ ବେଶ,ଅଯତ୍ନବିନ୍ୟସ୍ତ କେଶ ପଡ଼ି ବାଳାମୁଖେଦିଶେ ବିଶୃଙ୍ଖଳ ଯଥା ଶୋଭାର ବିପଣୀ !ଉଡ଼ାଇ ଶୈବାଳ ରାଶି ଧୀର ସମୀରଣପକାଉଛି ଆଣି କିବା ପଙ୍କଜିନୀ ପରେ ?ଭାଷିଲା ଆରତେ ଜେମା ଶୋକେ-ଗଦଗଦେ,‘‘ସତେ କିହେ ଛାଡ଼ିଯିବ ପ୍ରଭୋ, ଏ ଦାସୀକି,ସତେ କି ସେବକୀ ହେବ ବଞ୍ଚିତ ଏଣିକିସେ ପଦସେବାରୁ ଦେବ, ସତେ କି ହେ କହଫଳିବ ନିଷ୍ଠୁର-ଫଳ କରୁଣା-ପାଦପେ ?ତୁମ୍ଭେ ପ୍ରାଣ, ମୁଁ ଶରୀର, ପ୍ରାଣର ଅଭାବେସମ୍ଭବେ କି, ସୁରମଣି ଅସ୍ତିତ୍ୱ ଦେହର ?ତୁମ୍ଭେ ସ୍ୱଚ୍ଛ ଝର ଶୈଳ-କର୍କଶ ସଂସାରେ,ପଦାଶ୍ରିତା ଲତା ମୁହିଁ, ଶୁଖିଗଲେ ଝରେ,କେମନ୍ତେ ବଞ୍ଚିବି ଭଲା ଅନାଥା ଲତିକା ?ପ୍ରାଣ-ତରଣୀର ମୋର ତୁମ୍ଭେ କର୍ଣ୍ଣଧାରଏ ଭବ-ସାଗରେ, ମୁହିଁ ଆରୋହୀ କେବଳତୁମ୍ଭ ବିନା ସେ ତରଣୀ ଆରୋହୀ ସହିତେଦୁଃଖ-ବାତ୍ୟାବର୍ତ୍ତେ ପଡ଼ି ହେବ ନିମଜ୍ଜିତ ।ଯିବ ଯଦି ଦିବେ, ନାଥ, ନିଅ ଏ ଦାସୀକି,ଉପେକ୍ଷି ଛାୟାକୁ କେବେ ଯାଏ ନାହିଁ କାୟା;ହୁଏ ଯଦି ସ୍ଥାନାନ୍ତର ଜ୍ୱଳନ୍ତ ପ୍ରଦୀପ,ଚାଲିଯାଏ ଶିଖା ତେବେ ସଙ୍ଗେ ସଙ୍ଗେ ତାର;ବହିଗଲେ ସରୁଁ ଜଳ, ରହେ କି ଶଫରୀ ?’’ରମଣୀ-କରୁଣ-ବାଣୀ ଶୁଣି ଇନ୍ଦ୍ରସୂତଉଠାଇ ସାଦରେ ତାକୁ ଅବନୀ-ଶଯ୍ୟାରୁସ୍ୱହସ୍ତେ ଆଡ଼େଇ ଦେଇ ବିକ୍ଷିପ୍ତ ଅଳକନିହିଲେ ପ୍ରେୟସୀ ମୁଖେ ଦୃଷ୍ଟି ଅପଲକ,ଅନ୍ଧାରେ ଆଡ଼େଇ ଦେଇ ଅହମୂର୍ଖେ ଆହାଦେଖିଲେ କି ଦିନମଣି କମଳିନୀ ମୁଖ ?ମିଶିଲା ନୟନଜ୍ୟୋତି ନୟନଜ୍ୟୋତିରେ,ବହିଲା ପ୍ରେମର ଧାରା ନୟନୁ ନୟନୁ,ନୟନେ ନୟନେ ହେଲା ଅନ୍ତିମ ସମ୍ଭାଷ,କି ଗଭୀର ଉପଦେଶ ଢାଳିଲା ତରୁଣବିଦଗ୍ଧ ତରୁଣୀପ୍ରାଣେ ନୟନ ସଙ୍କେତେ,ନୀରବ ଭାଷାରେ ବାଳୀ କି ବୁଝିଲା ତହୁଁ,କେ ଭେଦିବ ପ୍ରେମର ସେ ରହସ୍ୟ ନିଗୂଢ ?ଏହି ଭାବେ କିଛିକ୍ଷଣ ହୁଅନ୍ତେ ଅତୀତ,ଭାଷିଲେ ଗନ୍ଧର୍ବସେନ ପ୍ରୀତିବୋଳା ସ୍ୱରେ-‘‘ରାଜବନ୍ୟେ, ଏ ସଂସାର-ସନ୍ଦର୍ଭ ଜଟିଳ,ବିଷମ ସମସ୍ୟାପୂର୍ଣ୍ଣ, ନୁହେଁ ଏ ସଂସାର,ନିଦ୍ରା-ଚିତ୍ରପଟାଙ୍କିତ ସୁଖ-ସ୍ୱପ୍ନ ଏହା ।ନୁହେଁ ଏ ମିଳନଧାମ, ନିଶ୍ଚେ ବିଚ୍ଛେଦରଭୂମି, ନୁହେଁ ଚିର ଏଥି କାହାରି ମିଳନ,ନେଇ ପାରେ ନାହିଁ ସଙ୍ଗେ ଏଥୁ କିଛି କେହି,ଥାଉ ଆନ କଥା ଦୂରେ, ନିଜର ଶରୀରେ(ସଂସାରେ ପ୍ରଥମ ପ୍ରିୟ, ଦ୍ୱିତୀୟ ଜୀବନ)ନେବାକୁ ସଙ୍ଗରେ କାର ନାହିଁ ଅଧିକାର,ମାଟିର ଅର୍ଜନ ରହେ ପଡିଣ ମାଟିରେ ।ପ୍ରାକ୍ତନ ନିୟମେ ଜୀବ ଆସେ ଏକୁଟିଆ,ଯିବାବେଳେ ସେହିପରି ଯାଏ ମଧ୍ୟ ଏକା ।ନୁହନ୍ତି ଆମର କେହି ଏ ମର ଜଗତେ,କରୁଛନ୍ତି ଅଲକ୍ଷ୍ୟରେ ସର୍ବେ ମହାଗତି,କି ସ୍ଥାବର, କି ଜଙ୍ଗମ, ମୃତ୍ୟୁ ଅଭିମୁଖେ ।ତୁମ୍ଭେ ସୁଦ୍ଧା କାଳିବଶେ ଯିବ ଦିନେ ଚାଲି,ଆଜି କିମ୍ବା କାଲି, ନତୁ ଦୂର ଭବିଷ୍ୟତେ,ମୋହରି ଗନ୍ତବ୍ୟଦେଶେ, ଅବଶ୍ୟ ସେ ଦିନଘଟିବ ଉଭୟ ଭାଗ୍ୟେ ଅଖଣ୍ଡ ମିଳନ ।ନାହିଁ ଗୋ ସେ ଦେଶେ, ସେହି ପୁଣ୍ୟମୟ ଦେଶେବିଚ୍ଛେଦ-ଜନିତ ପ୍ରେମ ଶିରଶ୍ଛେଦ ପ୍ରିୟେ,କିମ୍ବା ସେ ଦେଶର ପ୍ରେମ ନୁହେଁ ଜ୍ୱାଳାମୟ,ଯଥା ଏ ପାର୍ଥିବ ପ୍ରେମ, ଭଙ୍ଗୁର, ଅସାର !ଜୀବନ-ସାୟାହ୍ନ ତବ ନୋହିଛି ଯାବତ,ତାବତ ନିବସ ଧନି, ମର୍ତ୍ତ୍ୟେ ଧୌର୍ଯ୍ୟ ଧରି ।ଯାଉଛି ମୁଁ ଅଗ୍ରେ, ଏବେ ଘେନୁଛି ବିଦାୟରହିଥିବି ସ୍ୱର୍ଗେ ତବ ଗତିପଥ ଚାହିଁ,ଯଥାକାଳେ ପରସ୍ପରେ ହେବ ତହିଁ ଭେଟ ।’’ଏହି କାଳେ ଉପସ୍ଥିତ ଆସି ଦେବରଥ,ଅମର ବିଭବେ ପୂର୍ଣ୍ଣ, ଦିବ୍ୟ ଜ୍ୟୋତିର୍ମୟ,ପ୍ରବାହିତ ଦେବବାୟୁ-ସ୍ନିଗ୍ଧ ସୁଶୀତଳ,ହେଲ ସ୍ଥଳୀ ସୁରଭିତ ଦେବସୌରଭରେ;ବସିଲେ ଗନ୍ଧର୍ବସେନ ଦେବରୂପ ଧରିସେହି କାମଗତି ରଥେ, ଝଟକେ ଶରୀରେକିରଣ-କଞ୍ଚୁକେ, ଶିରେ କିରଣ-କିରୀଟ !ଦୀପି ଅନମ୍ବର ବକ୍ଷ ଚଳିଲା ସ୍ୟନ୍ଦନ,ଘନ ଘନ ଜୟଘଣ୍ଟା ହେଲା ନିନାଦିତ,କ୍ରମେ କ୍ରମେ ଉଠି ଊର୍ଦ୍ଧ୍ୱେ ଅମର-ବିମାନଶୂନ୍ୟେ, ମହାଶୂନ୍ୟେ, ଯଥା ପ୍ରଦୀପ-ପଞ୍ଜରୀଦୀପାବଳୀ ଅମାବାସ୍ୟା ରାତ୍ରେ, ଗଲା ଖରେଅନନ୍ତ ଅନନ୍ତ ମହାନୀଳିମାରେ ମିଶି ।ଜାମାତୃବିଚ୍ଛେଦ ରାଏ ଏବେ ଶୋକାକୁଳ,ମିଶିଲା ସେ ଶୋକେ ଭୟ, କ୍ଷତେ ଚୂର୍ଣ୍ଣ ପ୍ରାୟ,ଜାମାତୃ ଭବିଷ୍ୟ-ବାଣୀ ଶୁଣିଲା ବେଳରୁଅରୁଅଛି ଅନ୍ତରାତ୍ମା, ଭାବୀ କନ୍ୟାସୂତହେବ ଚକ୍ରବର୍ତ୍ତୀ, ଏହି ଭୀତ କରିଦେଲାବୃଦ୍ଧ ନୃପେ ମ୍ରିୟମାଣ, ଜପିଲେ ସେ ତହୁଁନିଜ ଅଧିକାରଚ୍ୟୁତି ମନ୍ତ୍ର, ବୁଝାଇଲେମନ୍ତ୍ରିବର୍ଗ କେତେ, ମାତ୍ର ସେ କଳ୍ପିତ ଭୟନ ମାନି କାହାରି ଦତ୍ତ ସାନ୍ତ୍ୱନା କିଛି ହିଁ,ଲଭିଲା ଉତ୍ତରୋତ୍ତର ବୃଦ୍ଧି ବହୁଗୁଣେ ।ତ୍ରାସେ ହୋଇ ଛନ୍ନମତି, ସ୍ଥିର କଲେ ଶେଷେସଂହାରି ଦୌହିକେ ଜାତମାତ୍ରେ, ମୁକ୍ତ ହେବେଆସନ୍ନ ଆଶଙ୍କା-ରାହୁ ଭୀଷଣ କବଳ ।ପାଞ୍ଚି ଏହି ପାପପାଞ୍ଚ, ହକାରି ପ୍ରହରୀଜଗାଇଲେ କନ୍ୟାଗୃହ ଚୌପାଶେ ନିବିଡ଼େ,ପ୍ରଦାନି ଆଦେଶ ସର୍ବେ ବିଶେଷ ଭାବରେ,ଦେବାକୁ ସମ୍ବାଦ ତ୍ୱରା ଶିଶୁଜନ୍ମ କ୍ଷଣେ ।ଏଣେ ଯଥାକାଳେ ଯାଇ ବାଜିଲା ବାଳାରପିତୃକୃତ ଷଡ଼ଯନ୍ତ୍ର ସମ୍ବାଦ ଶ୍ରବଣେଶତବଜ୍ରୁଁ ବଳି, ହାୟ କ୍ଷତ ମଧ୍ୟେ କ୍ଷତ !ସ୍ୱଭାବେ ତ ଥିଲା ପତି-ବିଚ୍ଛେଦ-ବିଧୁରା,ତହିଁପରେ ଭାବୀ ଆଶାଭରସାର ସ୍ଥଳଅଜାତ ଶିଶୁର ହତ୍ୟାଶଙ୍କା, ଅହୋ, ହେଲାଅଗ୍ନିବୃଷ୍ଟି ପରେ ଅଗ୍ନିବୃଷ୍ଟି, ଦେଲା କରିଭସ୍ମୀଭୂତ ହୃଦ ତାର, ବୁଝିଲା ସେ ଏବେ,ସ୍ୱାର୍ଥପାଇଁ କେଉଁ ପାପେ ପରାଙ୍ମୁଖ ନର ?ଶିରେ କର ଦେଇ ବାଳା ଭାଳିଲା ଏସନ,କି ପାପ ସଂକଳ୍ପ ! ଅହୋ, ସତେ କି ଜନକଏଭଳି ବୀଭତ୍ସପଣ ପୋଷିଛନ୍ତି ମନେ !ସତେ କି ଏହିରୂପେ ଦେବେ ପୂର୍ଣ୍ଣାହୁତିଅପତ୍ୟ-ବାତ୍ସଲ୍ୟ-ଯଜ୍ଞେ ! ହେଉଛି ସ୍ମରଣ,ଖେଳୁଥିଲି ବାଲ୍ୟେ ଦିନେ ଧନୁର୍ବାଣ ଘେନି,ବିନ୍ଧୁଥିଲି ଇତସ୍ତତଃ ନିର୍ଲକ୍ଷ୍ୟେ ଶାୟକ,ସ୍ତନ୍ୟପାୟୀ ଶିଶୁସହ ହୋଇଥିଲା ଉଭାପାଳିତ କୁରଙ୍ଗୀ ମୋର, ଦୈବେ ଏକ ଶରବାଜନ୍ତେ କୁରଙ୍ଗଶାବ କୋମଳ ଗାତ୍ରରେ,ଛାଡିଲା ସେ ପ୍ରାଣ, ତହୁଁ ମାତା ତାର ହୋଇଶୋକାଚ୍ଛ୍ୱାସେ ରୁଦ୍ଧକଣ୍ଠ, ଚାହିଁ ଥରେ ମୋତେଥରେ ମୃତ ଶିଶୁ ମୁଖେ, ବ୍ୟାକୁଳ ନୟନେ,ସମ୍ଭାଳି ନ ପାରି ଧୈର୍ଯ୍ୟ ତେଜିଲା ଜୀବନ;ସେ ପାପର ପ୍ରାୟଶ୍ଚିତ ଏତା କାଳେ ଅବାଘଟାଇଲା ବିହି ଆଣି ଦଗ୍ଧ ଭାଗ୍ୟେ ମୋର !ଶୁଣିଛି ପୁରାଣେ, କ୍ରୂର ରକ୍ଷୋଧର୍ମୀ କଂସକରିଥିଲା ଦେବକୀଙ୍କୁ ବନ୍ଦିନୀ ଏପରି,ମାତ୍ର ତାହା ଭ୍ରାତା ଭଗ୍ନୀ ସମ୍ପର୍କର କଥା,ହୋଇ ଜନ୍ମଦାତା ପିତା, ଏଡ଼େକ ନିଷ୍ଠୁରକନ୍ୟାପକ୍ଷେ, କେଉଁକାଳେ ଶୁଣା ନାହିଁ କାହିଁ;ଆଚରିବା ଥାଉ ତେବେ ଏଭଳି ପାତକ,ଉଚ୍ଚାରଣେ ଅପବିତ୍ର ନ ମଣିବ ଭଲାକେବଣ ନାସ୍ତିକ ସ୍ୱୀୟ କଣ୍ଠରସନାକୁ ।ହୋଇ ଗର୍ଭଧାରୀ ମାତା, କେମନ୍ତେ ଦେଖିବିସ୍ୱଚକ୍ଷୁରେ ପୁତ୍ରହତ୍ୟା, ଫାଟିଯିବ ଛାତି,ଆହା ସେ କରୁଣ ଦୃଶ୍ୟ ସହିବ କି କେବେମାତୃଚକ୍ଷୁ, ମାତୃହୃଦ ବାତ୍ସଲ୍ୟ-ଗଠିତ !କଷ୍ଟଭୋଗ ଅବସାନେ ପ୍ରାଣତ୍ୟାଗଠାରୁତା ଆଗୁଁ ମରଣ ଶ୍ରେୟଃ, ହେଲେ ହେଉ ପଛେଆତ୍ମହତ୍ୟା ମହାପାପ, ମାତ୍ର ତା ଯନ୍ତ୍ରଣାନୁହେଁ ତୀବ୍ର ଉପସ୍ଥିତ ଯନ୍ତ୍ରଣା ସମାନ ।କି ଅଶାନ୍ତି ଛାୟାପାତ ହେଲା ପ୍ରଭୋ, ପ୍ରାଣେ,ଶାନ୍ତିମୟ ତୁମ୍ଭେ, ସୃଜ ଅଶାନ୍ତି କିପାଇଁ ?ରଖିଛି ଜଡ଼ିତ କିପାଁ ସଙ୍ଗେ ଦୁଃଖ,ଚରାଚର ତବ ସୃଷ୍ଟ, ତୁମ୍ଭରି ସର୍ଜିତସୁଖ, କେ ସୃଜିଲା ଦୁଃଖ, ତୁମ୍ଭ ବିନା ଆଉ ?ଆନନ୍ଦରେ ଆସି ଜୀବ ଦୁଇ ଦିନ, ଯାଇ ପୁଣିମିଶିଲେ ତୁମ୍ଭର ସତ୍ୟ ସଦାନନ୍ଦମୟକ୍ରୋଡ଼େ, ପ୍ରଭୋ, ଏଥିରେ ବା କି କ୍ଷତି ତୁମ୍ଭର ?ମାନବ ପଛକେ ହେଉ ସ୍ୱଭାବଦୁର୍ବଳ,ମାତ୍ର ତବ ଶକ୍ତି-ଶଙ୍ଖ-ପାଞ୍ଚଜନ୍ୟ ଧ୍ୱନିଭାଙ୍ଗିବାକୁ ଅକ୍ଷମ କି ସେହି ଦୁର୍ବଳତା ?ନାହିଁ ପଳାୟନ ପଥ, ଅବରୁଦ୍ଧ ତାହାଅସ୍ତ୍ର-କଣ୍ଟକିତ ଭୀମ ପ୍ରହରି-ପାଦପେ,ଜଳରେ କୁମ୍ଭୀରଭୀତି, ସ୍ଥଳେ ବ୍ୟାଘ୍ରଭୀତି,ଉଭୟ ସଙ୍କଟାକୀର୍ଣ୍ଣ, ଏ ବେନି ମଧ୍ୟରେନାହିଁ ତ ତୃତୀୟ ସ୍ଥାନ, ଅତଃ ଏ ଦୁଷ୍କାଳେମୃତ୍ୟୁ ହିଁ ପରମାଶ୍ରୟ, ବସି ମୃତ୍ୟୁ-ନାବେପାରି ହେବି ଅବହେଳେ ଏ ଦୁଃଖ-ବାରିଧି !ହେ ହରି, ଅନାଥନାଥ, ବିପନ୍ନ-ବାନ୍ଧବ,ସ୍ୱାର୍ଥ-ଦ୍ୱେଷ-ବିଷ-ଦିଗ୍ଧ ଏ ପାପ ପୃଥିବୀଲାଗୁଛି ଅସୁଖ ମୋତେ, ରୋଗି-ଶଯ୍ୟା ପ୍ରାୟନାହିଁ ଆଉ ଆକାଙ୍କ୍ଷାର ଦାରୁଣ ପିପାସା,ହେଲାଣି ଅଜୀର୍ଣ୍ଣ, ପ୍ରଭୋ, ଆଶା-ବାରି ପାନେବିଷାକ୍ତ ପଙ୍କିଳ ପୁଣି କୀଟାଣୁ-ଦୂଷିତ,ଘେନ ଏବେ ଏ ଦାସୀକି ଶ୍ରୀପଦସମୀପେ,ଖଣ୍ଡିବ ସେ ରୋଗ ମୋର ତବ ପାଦୋଦକେ,ଲୋଡ଼ା ନାହିଁ, ପ୍ରଭୋ, ଭକ୍ତ ହେବାର ଗୌରବ,ନୁହେଁ ମୁଁ ତହିଁକି ଯୋଗ୍ୟ, ହେବି ମାତ୍ର ଦାସୀ,ପୁରାଅ ଏ ବାଞ୍ଛା ମୋର, ବାଞ୍ଛାକଳ୍ପତରୁ !ଏଥୁଅନ୍ତେ ରାଜକନ୍ୟା ବିଷାଦ-ବିବଶାଶାଣିତ ଛୁରିକାଘାତେ ବିଦାର ଉଦର,ସେହି ମୁହୂର୍ତ୍ତରେ ତହିଁ ତେଜିଲା ଜୀବନ,ପାର୍ଥିବ ଶୋଚନା ସହ ପାର୍ଥିବ ଶରୀରରହିଲା ପୃଥ୍ୱୀରେ ପଡ଼ି, ସାଙ୍ଗ ଭବଲୀଳା ।ଗର୍ଭରୁ ବାହାରି ଶିଶୁ ଅକ୍ଷତଶରୀରେତଳେ ପଡି ମୃଦୁ ସ୍ୱରେ ରାବିଲା ସଘନେ,ଜାଗି ସେ କ୍ରନ୍ଦନ ସ୍ୱରେ ପ୍ରହରିନିକର,ମିଳି ଜେମା ଗୃହେ, ଦେଖି ଭୀଷଣ ଘଟଣାମଣିଲେ ବିସ୍ମୟ, ତହୁଁ ଘେନି ନବଜାତଶିଶୁ, ସମର୍ପିଲେ ନେଇ ନୃପତି ନିକଟେ,ଦେଖି ରାଏ ଶିଶୁମୁଖ, ଶିଶୁର ଆକୃତି,ମୋହନ-ମାଧୁରୀବୋଳା, ଯୁକ୍ତ ସୁଲକ୍ଷଣେ,ହେଲେ ସ୍ନେହସିକ୍ତଚିତ୍ତ, ପିଶାଚୀ ଜିଙ୍ଘାସାହେଲା ନିର୍ବାସିତା, ଆସି ବସିଲେ ତା ସ୍ଥାନେଦୟା-ଦେବୀ, ପୁଣ୍ୟବତୀ, ସ୍ନିଗଧ-ସୁଧାମୟୀ;ରାଜାଙ୍କ ଦାରୁଣ ପଣ ହେଲା ଅନ୍ତର୍ହିତ ।ପୌତ୍ର ଯେହୁ ଦେବରାଜ ସୁନାସୀରଙ୍କର,ସଂସ୍ଥାପି ଭାରବେ ଧର୍ମ ଅଖଣ୍ଡ ସାମ୍ରାଜ୍ୟଧରିବ ଯେ ସତ୍ସାହିତ୍ୟ ଦର୍ଶନ ଆଦିରଉଜ୍ଜ୍ୱଳ ବର୍ତ୍ତିକାପୁଞ୍ଜ ଜଗତ ସମ୍ମୁଖେ,ପ୍ରେରିତ ଯେ ବିଶ୍ୱହିତ ସାଧନ ସକାଶେ,ଅବତୀର୍ଣ୍ଣ ମର୍ତ୍ତ୍ୟପୁରେ ଯେ ମହାପୁରୁଷମହାକର୍ତ୍ତବ୍ୟର ଭାର ବହି ଶିରୋଦେଶେ,କାର ସାଧ୍ୟ ସଂହାରିବ ସେ ଦେବବାଳକେ ?କନ୍ୟାର ମଙ୍ଗଳବାର୍ତ୍ତା ପୃଚ୍ଛନ୍ତେ ନରେଶ,କହିଲା ପ୍ରହରୀ, ‘‘ହାୟ, କାହିଁ କନ୍ୟା ନୃପ,ଚିରି ସ୍ୱୀୟ ଗର୍ଭ ସେହୁ ହେଲେଣି ଗତାସୁ !’’ଶୁଣି ଏ ଲୋମହର୍ଷଣ ବିପଦ ବାରତାହେଲେ ନୃପ ବିଷବର୍ଷୀ ଶୋକରେ ବିହ୍ୱଳ,ବିସ୍ତାରି ସହସ୍ର ଶିଖା ଅନୁତାପାନଳ,ଦଗ୍ଧ କଲା ମର୍ମସ୍ଥଳ, ମିଶି ତହିଁ ପୁଣିଅପତ୍ୟସ୍ନେହର ସ୍ମୃତି ଆହୁତିରୂପରେକଲା ତାକୁ କୋଟିଗୁଣେ ଅସହ୍ୟ, ପ୍ରଖର ।ଭାଷିଲେ ଗଦ୍ଗଦେ ରାଜା ଶୋଭଗଗ୍ନ ସ୍ୱରେ,ପୂର୍ଣ୍ଣାଶ୍ରୁ ନୟନେ, ଚାହିଁ ସଚିବ ବଦନ-‘‘ଅହୋ, କେଡ଼େ ପାପିଷ୍ଠ ମୁଁ, ନାରକୀ, ପାମର,ଲିପ୍ତ ହେଲି କନ୍ୟା-ବଧ-ସମୁତ୍କଟ ପାପେ !ଅକ୍ଷାଳିତ ଏ କଳଙ୍କ ରହିଲା ମୋହରସୁଦୃଢ଼େ ଅଙ୍କିତ ହୋଇ ପ୍ରାଣ-ପଞ୍ଜିକାରେ,ପ୍ରାଣାନ୍ତରେ ପୁଣି ମିଶି ରହିବ ସ୍ମୃତିରେ ।ପ୍ରାକୃତ ପ୍ରଧାନ୍ୟ, ତୁଚ୍ଛ ଧନମୋହେ ପଡ଼ିଅର୍ଜିଲି ଯେ ପାପ, ନାହିଁ ପ୍ରାୟଶ୍ଚିତ ତାର,ଏଥିଲାଗି ପ୍ରାପ୍ୟ ମୋର ହେବ ପରକାଳେଭାବୀ ବଂଶଧର ଦତ୍ତ ଦୁରାତ୍ମା ଉପାଧି ।ଧିକ୍ କାପୁରୁଷ ମୁହିଁ, ସୃଜିଲି ନରକନିଜ ହାତେ ନିଜପାଇଁ, ମୋର ଏ ଦୁଷ୍କୃତି-ଘୃଣ୍ୟ, ଅମାନୁଷୀ ଏହି ଅକ୍ଷୟ ଦୁଷ୍କୃତିରଖିବାକୁ ଦେଖୁ ନାହିଁ ସ୍ଥାନ ଚରାଚରେ !ହାୟ, ମା, କି ହେବ ମୋର ପାରତ୍ରିକ ଗତି,ନିଷ୍ଠୁର ମୁଁ, ନର-ପଶୁ, ପାପୀ, କନ୍ୟାଘାତୀ,ନୁହେଁ ପିତା ଯୋଗ୍ୟ କେବେ ତୋ ପରି ଦେବୀର;ମୁହିଁ ସିନା ଅଭାଜନ, ମାତ୍ର ତୁ ମାଆ ଲୋ,ଦୟା-କ୍ଷମା-ସ୍ନେହ-ପ୍ରୀତି-ଭକ୍ତି-ପ୍ରସ୍ରବଣ,କ୍ଷମିବୁ ସ୍ୱଗୁଣେ ତୋର ଅଧମ ଜନକେ ।ମାଗିବୁ ମୋ ପାଇଁ କ୍ଷମା ବିଶ୍ୱପତି କତି,ମୋ ପରି ଧରମଦ୍ରୋହୀ ଅପବିତ୍ର ଡ଼ାକନ ପାରିବ ପଶି ତାଙ୍କ ପବିତ୍ର ସୁଧାମେ,ଯଥା ସିନ୍ଧୁଘୋଷ ବଡ଼ଦେଉଳ ବେଢ଼ାରେ ! *ମା, ତୁ ପୁଣ୍ୟବତୀ ସତୀ କଲେ ଜଣାମଣାତୋର ଏହି କୃପାପାତ୍ର ଦୁଃସ୍ଥ ପିତାପାଇଁ,ନିଶ୍ଚେ ସେ ମୋ ପ୍ରତି ହେବେ କରୁଣା-ପ୍ରବଣ ।* ପୁରୀ ଜଗନ୍ନାଥ ଦେଉଳ ବେଢ଼ା ଭିତରକୁ ସମୁଦ୍ରଗର୍ଜନ ଶ୍ରୁତିଗୋଚର ହୁଏ ନାହିଁ ।ଅହୋ,କି କରିବି, କାହିଁ ଯିବି, କେ ରଖିବମୋତେ ଆତ୍ମ-ଦୁଷ୍କୃତିର ଭୀଷଣ କବଳୁଁ ?ଚାହେଁ ଯେଉଁ ଦିଗେ ନାଚେ ସ୍ୱକୃତ ପାପରଅସଂଖ୍ୟ ବିକଟାକାର ଛାୟା ମୋ ନୟନେ,କି ଭୀଷଣ ପୁଣି ସେହି ଛାୟାର କରଣୀ,ପ୍ରଦାନେ ସେ ଧମନୀରେ ଅନକ ଫୁତ୍କାର ।’’ରାଜାଙ୍କ ଏ ଆକ୍ଷେପୋକ୍ତି ପ୍ରଳାପମିଶ୍ରିତଶୁଣି ମନ୍ତ୍ରୀ କାଳୋଚିତ ବିହିଲେ ସାନ୍ତ୍ୱନା-‘‘ତେଜ ନୃପ ଖେଦ, ଶୂନ୍ୟଗର୍ଭ ଅନୁତାପ,ମାନବ ଦୁର୍ବଳମତି, ଏ ସଂସାରେ ତାରସ୍ଖଳନ ବିଚିତ୍ର ନୁହେଁ; ବରଂ ସ୍ୱାଭାବିକ ।ଆସି ନାହିଁ ଭବେ ନର ସୁଖଭୋଗ ପାଇଁ,ଆସି ଅଛି ସୁଖାର୍ଜନ ପାଇଁ, ନୁହେଁ ଧରାଭୋଗଭୂମିକାର, ଅଟେ କର୍ମଭୂମିସିନା,ଦୁଃଖଭୋଗ ମାତ୍ର ଏଥି ପ୍ରାପ୍ୟ ମାନବର;ଅତଃ ନୀରବରେ ସର୍ବ ସହିବା ଉଚିତ ।’’ଏହିରୂପେ ନାନାଭାବେ ପ୍ରବୋଧି ସଚିବ,ଶିଶୁକୁ କ୍ରୋଡ଼ରେ ଘେନି ମିଳି ଅନ୍ତଃପୁରେ,ସମର୍ପି ମହିଷୀ କରେ କହିଲେ ଏସନ,-‘‘ଦେବି, ତବ ହୃଦୋଦ୍ୟାନ-ଜାତ ଲତିକାରେଫୁଟିଥିଲା ଏ ଫୁଲଟି, ଘେନନ୍ତୁ ସାଦରେ ।ନାହାନ୍ତି ଗୋ, ତେଜି ପ୍ରାଣ ତନୟା ତୁମ୍ଭର,ରୂପାନ୍ତର ଏ ରୂପେ ସେ, ଧରି ଏହି ଭାବ,କର ଏ ବାଳକେ ଏବେ ଲାଳନ ପାଳନ ।ଥିଲା ଯେଉଁ ସ୍ନେହ ଜେମା ପ୍ରତି, ସେହି ସ୍ନେହପ୍ରତିଫଳୁ ପୂର୍ଣ୍ଣରୂପେ ଏ ଶିଶୁ ଉପରେ ।ଦେଖି ଏହି ସୌମ୍ୟମୁଖ, ମୁଖେ ଚାରୁ ହାସ,(ଶୋଭା-ସୁଧା-ପାରାବାରେ ପୁଷ୍ପର ଲହରୀ)କନ୍ୟାର କରୁଣ ସ୍ମୃତି ପାସୋରିବ ମନୁ ।’’କରିଛନ୍ତି ରକ୍ଷା ରାଏ ନ ବଧି ଶିଶୁକୁ,ଜାଣି ଏହା ରାଣୀ ଭକ୍ତିକୃତଜ୍ଞତା ସହବିହିଲେ ଈଶ୍ୱରୋଦ୍ଦେଶ୍ୟେ ଅସଂଖ୍ୟ ପ୍ରଣତି,ପରିହରି କନ୍ୟାଶୋକ ତହୁଁ ମହାଦେଈ,କରାଇଲେ ତ୍ୱରା ଜାତସଂସ୍କାର ଶିଶୁର ।ବିତରିଲେ ବହୁ ଧନ ଏକାଦଶ ଦିନେରଖିଣ ବିକ୍ରମାଦିତ୍ୟ ଦୁହିତୁକ ନାମପିତୃନିର୍ଦ୍ଦେଶାନୁସାରେ, ପୁତ୍ରନିର୍ବିଶେଷେପାଳିଲେ ସଯତ୍ନେ ରାଜ୍ଞୀ ଶିଶୁକୁ ସର୍ବଥା ।