ଚତୁର୍ଥ ସର୍ଗ — ବିକ୍ରମାଦିତ୍ୟ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ସର୍ଗ
ରାଜାଙ୍କ ଏ ଅବିମୁଷ୍ୟକାରିତା ଦର୍ଶନେମନ୍ତ୍ରୀ ପାରିଷଦ ପୁଣି ସକତ ପ୍ରଜାଏଭଜିଲେ ବିଷାଦ ଘୋର, ରଟିଲା ଅଖ୍ୟାତିକୋଟିମୁଖେ ଚତୁର୍ଦିଗେ ଭର୍ତ୍ତୃହରିଙ୍କର,ହେଲା ଏଣେ ରାଜକାର୍ଯ୍ୟ ଅତି ବିଶୃଙ୍ଖଳବିକ୍ରମ ଅଭାବେ, ଯଥା ଛିନ୍ନସୂତ୍ର ହାର,ରାଜା ସତ୍ତ୍ୱେ ହେଲା ରାଜ୍ୟ ଅରାଜକ ପ୍ରାୟ,ନାନାବିଧ ଅମଙ୍ଗଳ ଘଟିଲା ଆବର-ଉଲ୍କାପାତ, ଭୂମିକମ୍ପ ଆଦି, ଦେଖି ଏହାହେଲେ ରାଏ ଦିନୁଦିନ ଏକାନ୍ତ ଉନ୍ମନା ।ଦିନେ କ୍ଷିପ୍ତ ମନେ ଶାନ୍ତକରଣାଭିପ୍ରାୟେଗଲେ ବନେ ମାତବେଶ, ଦେଖିଲେ ସେଠାରେରହିଛି ଉନ୍ମୁକ୍ତ ସଦା ପ୍ରକୃତି-ପ୍ରଣୀତଅଯତ୍ନ ଶୋଭାର ଗ୍ରନ୍ଥ, ବିଶାଳ, ଚଟୁଳ,ବୃକ୍ଷେ ବସି ପକ୍ଷିପନ୍ତି, ରତ ଆବୃତ୍ତିରେମୃଦୁସ୍ୱରେ ଜଗତର ଜୀବନ୍ତ କବିତା !ସୁକଣ୍ଠ- ସେତାର- ତାର ଝଙ୍କାରେ ମଧୁପଉଡ଼ି ଉଡ଼ି, ଫୁଲକୁଳ ନର୍ତ୍ତକୀ ପରାଏଆନ୍ଦୋଳି ମୃଦୁଳ ବାତେ ପ୍ରକାଶନ୍ତି ନାନାଅଙ୍ଗଭଙ୍ଗୀ, ବିସ୍ତାରିଣ ନୀରବ ସୂହାସ !ବିଚରନ୍ତି ମୃଗଯୂଥ, ଶୋଭେ କାହା ଶିରେଦୀର୍ଘ ଝଟାଳିଆ ଶୃଙ୍ଗ, କିରୀଟପ୍ରତିମ,ରତ କେହି ଶାବକର ଶରୀର ଲେହନେମଧୁର ବାତ୍ସଲ୍ୟବଶେ, କେହି ଗେଲବଶେଆଚରେ କୃତ୍ରିମ ରଣ ସମକକ୍ଷ ସହ ।ପକାଇଲେ ହେରି ସର୍ବେ ଭର୍ତ୍ତୃହରି ନୃପେଇତସ୍ତତଃ, ଚୋର ଯଥା ପ୍ରହରୀ ଦର୍ଶନେ,ଚାହିଁ ଥରେ ଥରେ ଗ୍ରୀବା ଭାଙ୍ଗି ପୃଷ୍ଠଦେଶେସାଧ୍ୱସ ଉବ୍ଦେଗବ୍ୟଞ୍ଜୀ କାତର ଚାହାଣୀ ।କାନନର କେଉଁ ଅଂଶ ହୋଇ ତାରକିତଗଜମୁକ୍ତା, ଗଜଶିର, ଗଜାସ୍ଥିକଙ୍କାଳେ,ଦେଉଛି ଚିହ୍ନାଇ ସ୍ପଷ୍ଟ ନୀରବ ସଙ୍କେତେହୁର୍ଯ୍ୟକ୍ଷପାରିଧିସ୍ଥଳୀ ବୋଲି ସେ ନିଜକୁ ।ଏରୂପେ ପ୍ରକୃତି- ଗ୍ରନ୍ଥ ପୃଷ୍ଠା ଲେଉଟାଇକ୍ରମେ କ୍ରମେ, ପଢ଼ି ତାହା ନୟନ- ବଦନେ,ହେଲେ ଅଗ୍ରସର ରାଏ, ଯାଇ ଏକ ସ୍ଥାନେଦେଖିଲେ ଆଶ୍ଚର୍ଯ୍ୟ ଦୃଶ୍ୟ, ବନ୍ୟନାରୀ ଏକଘେନି ମୃତ ପତି କୋଳେ, ଅଗ୍ନିକୁଣ୍ଡେ ଝାସିଲଭିଲା ସହମରଣ- ଅମ୍ଳାନ ବଦନେ !ଅନନ୍ତର ଭର୍ତ୍ତୃହରି ବାହୁଡ଼ି ନବରେବିବରିଲେ ଦୃଷ୍ଟପୂର୍ବ ରମଣୀ-କରଣୀବେନି ପତ୍ନୀ ପାଶେ, କିନ୍ତୁ ଅନଙ୍ଗା ସେ କଥାଶୁଣି ନ ଶୁଣିଲା ପ୍ରାୟ ରହିଲା ନୀରବ ।କହିଲା ପିଙ୍ଗଳା ତହୁଁ- ‘‘ସତୀର ଜୀବନନୁହେଁ ସତୀପାଇଁ, ତାହା ପତିପାଇଁ ସିନା,
ଅଛି ଯେଉଁ ରମଣୀର ଏତାଦୃଶ ଜ୍ଞାନ,
ସେହି ମାନ୍ୟା, ସେହି ଧନ୍ୟା, ସେହି ନାରୀଦେବୀ,
ତାହାର ସହଗମନ ଧର୍ମ ପ୍ରାକୃତିକ !
ଥିଲେ ଉଭେ ପ୍ରକୃତରେ ପ୍ରେମିକ ପ୍ରେମିକା,
ପ୍ରେମେ ମିଶି ବେନି ପ୍ରାଣ ହୋଇଥିଲା ଏକ,
ବାସ୍ତବ ପ୍ରେମର ନାହିଁ ବିଚ୍ଛେଦ ଯନ୍ତ୍ରଣା,
ପ୍ରଦର୍ଶିଲେ ସେଥିରେ ସେ ସଜୀବ ପ୍ରମାଣ ।’’
ଆଉ ଦିନେ ନରମଣି ହେଲେ ବେଣ୍ଟ * ବିଜେ,
ସ୍ୱଭାବ ପରୀକ୍ଷା ଅର୍ଥେ ବେନି ବନିତାର
ଏକାକୀ କାନନେ ରହି, ସଙ୍ଗୀ ବେଣ୍ଟକାରେ
କଲେ ଆଜ୍ଞା ଦାନ, ଯାଇ ସମସ୍ତେ ନବରେ
*ପାରିଧି
କରିବ ଘୋଷଣା- ‘‘ରାଜା ବ୍ୟାଘ୍ରଦ୍ୱାରା ହତ !’’
ଶୁଦ୍ଧାନ୍ତେ ଦେହୁଳୀ ଧରି ହୋଇଥିଲା ଠିଆ
ପିଙ୍ଗଳା, ଏକାଳେ ଦୂତ କରନ୍ତେ ପ୍ରକାଶ
ରାଜବଧ ବାର୍ତ୍ତା, ସତୀ ହୋଇଗଲା ଭେକା-
ଆକସ୍ମିକ ମହାଶୋକ- ଅସହ୍ୟ ଆବେଗେ,
ଥିଲା ଯେଉଁ ଅବସ୍ଥାରେ, ରହିଲା ସେପରି,
ମାତ୍ର ପ୍ରାଣବାୟୁ ଗଲା ଚକ୍ଷଣେ ବାହାରି !
ମେଢ଼େ ବିସର୍ଜନପ୍ରାପ୍ତ ପ୍ରତିମା ସଦୃଶ
ରହିଲା ଜୀବିତ ପ୍ରାୟ ଉଭା ତାର ଶବ !
ଅନଙ୍ଗା ଏ ବାର୍ତ୍ତା ଶୁଣି ବାହେଁ କଲା ଦୁଃଖ,
ଅନ୍ତରେ ଅନ୍ତରେ ମାତ୍ର ଲଭିଲା ଯେ ମୋଦ,
ଅନିର୍ବଚନୀୟ ତାହା, ଆସେ ଯଦି ଫେରି
ମୃତପିଣ୍ଡେ ପୂର୍ବ ପ୍ରାଣ ପୁଣି, ମରଣର
ବହୁଦିନ ପରେ, ତେବେ ହେବ ନାହିଁ କେହି
ତଥା ଆନନ୍ଦିତ, ଦୁଷ୍ଟା କେତେ ଯେ ଦେଖିଲା
ଜାଗ୍ରତ ଦୁରାଶା ସ୍ୱପ୍ନ, କେତେ ଯେ ତୋଳିଲା
ଭାବି- ଭାଗ୍ୟ-ଅଟ୍ଟାଳିକା, ବନ୍ଧାଇଲା ତହିଁ
କଳ୍ପିତ ସୁଖର ସ୍ୱର୍ଣ୍ଣ ସୁଗମ୍ୟ ସୋପାନେ,
ଭାଷା, ଭାବ, କଳ୍ପନା ତା ପ୍ରକାଶେ ଅକ୍ଷମ !
ସ୍ୱଗଗେ ଭାଳିଲା ଭ୍ରଷ୍ଟା- ‘‘କେଡ଼େ ଶୁଭଦିନ
ଆଜି, ଜଣାଇଲା ଦୂତ କି ଶୁଭ ସମ୍ବାଦ,
ପୂର୍ବରୁ ବିକ୍ରମାଦିତ୍ୟେ ଦେଇଛି ଘଉଡ଼ି,
ଜୀର୍ଣ୍ଣ ହେଲେ ରାଜା ବନେ ଶାର୍ଦ୍ଦୁଳ ଜଠରେ,
ଥିଲା ସଉତୁଣୀ ଏକ ପ୍ରାଣ- ଭଗାରୁଣୀ
ମୃତ ସେହୁ, ନିଷଣ୍ଟକେ ଏବେ ରାଜା ହେବ
ଉପପତି ମୋର, ସୁଖେ ରହିବି ନିର୍ଭୟେ ।’’
ଏକାଳେ ମିଳନ୍ତେ ଆସି ରାଜା ଭର୍ତ୍ତୃହରି
ଭଟା ପଡ଼ିଗଲା ଦୁଷ୍ଟ କଳ୍ପନା-ଜୁଆରେ,
ଦୁରାକାଙ୍କ୍ଷା-ଶୈଳ ତାର ଅକାଳ କୁଳିଶେ
ଗଲା ତିଳ ତିଳ ହୋଇ, କେଡ଼େ ବେଗେ ହାୟ !
କି ବଲା ବିଧାତା, ଗୁଞ୍ଜି ଦେଇ ହାତେ ମଣି,
ବାନ୍ଧୁ ବାନ୍ଧୁ ପଣତରେ ନେଲା ତା ଛଡ଼ାଇ !
ବଡ଼ ହଟିଆ ସେ, ନାହିଁ ବିଶ୍ୱାସ ତାହାକୁ,
ଭଣ୍ଡାଏ ସେ ସୁଖ ବୋଲି ଅର୍ପି ଅନୁତାପ ।
ଦୁରାଶା- ପାଦପେ ସିନା ଫଳେ ଏହିପରି
ଶୂନ୍ୟଫଳ, ନିୟତିର ମହାନିୟମରେ ।
ଅନଙ୍ଗା ରାଜାଙ୍କୁ ଦେଖି ପାର୍ଶ୍ୱେ ଉପସ୍ଥିତ,
ବିସ୍ତାର କପଟ ଶୋକେ କପଟ କାନ୍ଦଣା
ବୋଇଲା, ‘‘ହେ ନାଥ, ବଡ଼ ସୌଭାଗ୍ୟ ଦାସୀର,
ଦେଖିଲା ଯା ଚିରପ୍ରିୟ ସୌମ୍ୟମୂର୍ତ୍ତି ତବ,
ଶୁଣି ତବ ଶୋକାବହ ନିଧନ ସମ୍ବାଦ
ଯାଉଥିଲି ଏହି ମାତ୍ର ତେଜିବାକୁ ପ୍ରାଣ
ଅଗ୍ନିକୁଣ୍ଡେ ପଶି, ଦୈବେ ଦେଖାଇ ଶ୍ରୀମୁଖ !
ହୋଇଥିଲେ କ୍ଷଣମାତ୍ର ବିଳମ୍ବ ତୁମ୍ଭର,
ନ ଘଟନ୍ତା ଭାଗ୍ୟେ ଆଉ ଛାମୁଙ୍କ ଦର୍ଶନ,
କଟିଗଲା କେଡ଼େ ରିଷ୍ଟ ପୂର୍ବ ସୂକୃତିରୁ,
ନ ହେଉ ଶତ୍ରୁକୁ ସୁଦ୍ଧା ଏଭଳି ବିପାକ !’’
ଶୁଣି ଏହା ଭୃର୍ତ୍ତୃହରି ମଣି ପ୍ରବଞ୍ଚନା
ରହିଲେ ନୀରବ, ମାତ୍ର ସତୀଶିରୋମଣି
ପିଙ୍ଗଳା ମରଣେ ହେଲେ ଦୁଃଖିତ ବିଶେଷ ।
ବସି ରାଏ ସଭା ମଧ୍ୟେ ଅନନ୍ତର ଦିନେ
ପଣ୍ଡିତମଣ୍ଡଳୀ ସହୁ ରତ କାବ୍ୟାଳାପେ,
ଲାଗିଅଛି ପରସ୍ପର କଥା କଟାକଟି
ଯୁକ୍ତି ପ୍ରତିଯୁକ୍ତିବଳେ, ପ୍ରଦର୍ଶାଇ କେହୁ
ବିବିଧ ଦୁଷ୍ଟାନ୍ତ ଶ୍ଲୋକ ବିବିଧ ଶାସ୍ତ୍ରରୁ
କରୁଅଛି ସ୍ୱମତର ଦୃଢ଼ ପୋଷକତା,
ଅର୍ଥାନ୍ତରେ ଅନ୍ୟ ତାହା କରୁଛି ଖଣ୍ଡନ,
ଏହିପରି ଲାଗିଅଛି ଘୋର ବାକ୍ୟ-ରଣ,
କଳି ତୁଲ୍ୟ କୋଳାହଳେ ମୁଖରିତ ସଭା ।
କେଡ଼େ ମଧୁର ସେ କଳି, ସ୍ୱପ୍ନ-ସୁଧାବୋଳା,
ନାହିଁ ତହିଁ କ୍ରୋଧ-ପ୍ରେତ ବିଭୀଷଣ ଛାୟା,
ପ୍ରତ୍ୟୁତ ସେ ଆମୋଦର ଅମର ଭଣ୍ଡାର,
ସତ୍ସାହିତ୍ୟଚର୍ଚ୍ଚା ତାର ପ୍ରଚ୍ଛନ୍ନ ଜୀବନ ।
କୋବିଦ କୋବିତ ମଧ୍ୟେ ଘଟୁଅଛି କେତେ
ମତଭେଦ, ମାତ୍ର ତାହା ହେଉ ନାହିଁ କେବେ
ମତଭେଦେ ପରିଣତ, ଇଚ୍ଛେ ନାହିଁ ସିନା
ଭ୍ରାନ୍ତ ମତ ସଂଶୋଧନେ ଅଜ୍ଞ ଆତ୍ମଶ୍ଲାଘୀ,
ପଣ୍ଡିତ ପ୍ରକୃତି କିନ୍ତୁ ସମ୍ପୂର୍ଣ୍ଣ ବ୍ୟତ୍ୟୟ,
ମଣନ୍ତି ସେ ମହାଶିକ୍ଷା ଭ୍ରମ ସଂଶୋଧନେ,
ସ୍ୱଭାବତଃ ଛାଗ ଭୀତ ସରସୀ ପ୍ରବେଶେ,
ମାତ୍ର ତହିଁ ସ୍ନାନ ରାଜ ଲଭେ ପରିତୋଷ !
ଲାଗିଛି ସମାଲୋଚନା ଭର୍ତ୍ତୃହରିକୃତ
ନବ କାବ୍ୟବିଶେଷର, ଧରୁଅଛି କେହି
ଉପମାର ଅପୂର୍ଣ୍ଣତା, ଯତିପାତ ଦୋଷ,
ଶ୍ରୂତିକଠୋରତା ଆଦି ଅଧମ ମେଳର,
ନ ମଣି ଧର୍ତ୍ତବ୍ୟ ତାହା କେବଣ ବିଦୂଷ,
ବିମୋହିତ କବିତାର ପ୍ରାଣସ୍ପର୍ଶୀ ଭାବେ ।
ଏସନ ବାଦାନୁବାଦ ଲାଗିଛି ସଭାରେ,
ଚାଲିଛି ଅପରିଚ୍ଛିନ୍ନ ବାକ୍ୟର ପ୍ରବାହ,
ଉପସ୍ଥିତ ଏହି କାଳେ ତପଶ୍ଚାରୀ ଏକ,
ସ୍ମାଧ୍ୟାୟ- ନିରତ, ନାଚେ ବଦନମଣ୍ଡଳେ
ବେରାଗ୍ୟ, ସଂଯମ, ତ୍ୟାଗ, ଶାନ୍ତି, ସଂତୃପ୍ତିର
ସୁଧାସ୍ନିଗ୍ଧ ସମୁଜ୍ଜଳ ସ୍ୱପନ-ଚନ୍ଦ୍ରିକା !
ପୂର୍ଣ୍ଣ ଭାଗବତ ପ୍ରେମେ, ମାତ୍ର ଶୂନ୍ୟାୟିତ
କାମନା ସମ୍ପର୍କେ, ଯଥା ଭୋଳା ମହେଶ୍ୱର,
ଜିତ-ସ୍ୱର୍ଣ୍ଣ-ସର୍ପ-ଶୋଭା ପିଶଙ୍ଗିତ ଜଟା,*
ଅଯତ୍ନଭୂଷଣ ପ୍ରାୟ ଲମ୍ବିତ ଉରସେ,
ବକ୍କଳକୌପୀନଧାରୀ, ହସ୍ତେ ଆଶାବାଡ଼ି
*ପିତଳିଆ ବର୍ଣ୍ଣଯୁକ୍ତ ଜଟା
ଶୋଭେ ଭବ-ନିରାଶର ନିଦର୍ଶନରୂପେ ।
ପ୍ରଣମନ୍ତେ ଭର୍ତ୍ତୃହରି, ଆଶିଷି ତାପସ,
ଭେଟିରୂପେ ଦିବ୍ୟଫଳ ପ୍ରଦାନି ଛାମୁରେ
ଭାଷିଲେ କୋମଳେ, ‘‘ନୃପ, ପ୍ରକୃତି- ରଞ୍ଜନ,
ତପୋଲବ୍ଧ ଫଳ ଏହା, ଭୁଞ୍ଜିଲେ ଏ ଫଳ
ତ୍ରାହି ମିଳେ ଜରା ମୃତ୍ୟୁ ବିପଦ କବଳୁ ।
ତପସ୍ୱୀ ମୁଁ, ସଦା ମୃତ୍ୟୁ-କରୁଣା ଭିଖାରୀ,
କି ଲୋଡ଼ା ଚିରାୟୁ ମୋର ? ମୋ ପକ୍ଷେ ତା’ ଶାପ,
ବନ୍ଧା ଯା’ ଜୀବନ-ସୂତ୍ରେ ଜଗତଜୀବନ,
ବାଞ୍ଛନୀୟ ସିନା ଚିରଜୀବନ ତାହାର !’’
ସସମ୍ନାନେ ଭର୍ତ୍ତୃହରି ପରିଗ୍ରହି ଫଳ
ପ୍ରକାଶିଲେ କୃତଜ୍ଞତା କୃତାଞ୍ଜଳିପୁଟେ-
ବିନୟ-ସୌଜନ୍ୟସିକ୍ତ ଶୀତଳ ବଚନେ,
ସନ୍ନ୍ୟାସୀ ମେଲାଣି ମାଗି ହେଲେ ଅନ୍ତର୍ହିତ ।
ବାସର-ଯୌବନେ ରବି ଦେଲେ ମୁକୁଳାଇ
ପ୍ରଭାଭଣ୍ଡାରର ଦରମୁକୁଳା କବାଟ
ଏକାବେଳେ, ଏଣେ ନୃପ ହୃଦୟ- ଅମ୍ବରେ
ଆନନ୍ଦ-ମଧ୍ୟାହ୍ନ-ରବି କଲାକ ବିସ୍ତାର
ଅନନ୍ତ ମୟୂଖମାଳା ଅନନ୍ତ ଆବେଗେ ।
ତହୁଁ ରାଏ ସଭା ଭାଙ୍ଗି ବିଜେ ହୋଇ ଖରେ
ଅନ୍ତଃପୁରେ ଦେଲେ ଫଳ ଅନଙ୍ଗା ହସ୍ତରେ,
ଆଗରୁ ତ ଆତ୍ମଦାନ କରିଥିଲେ ତାକୁ,
ଏହି ପ୍ରାଣ-ଫଳ ହେଲା ତା’ ଯୋଗ୍ୟ ଦକ୍ଷିଣା ।
ଅଜର ଅମର ଫଳ ଲଭି ସେ ଦୁଃଶୀଳା
ମଣିଲା ଦରିଦ୍ର ଜନ ହୁଣ୍ଡିପ୍ରାପ୍ତି ଭଳି,
ଭାବିଲା ଏ ଫଳ ନୁହେଁ, ଅଯାଚିତ ବର
ଅମୂଲ୍ୟ, ଅମୃତମୟ ଅସ୍ୱପ୍ନ-ସୁଲଭ,
ଯୋଗ୍ୟ ଉପହାର ଏହା ମୋ ପ୍ରିୟତମର ।
ଅର୍ପି ଏହା କରିବି ତା’ ତୃପ୍ତି ଆକର୍ଷଣ,
ତାହା ତୃପ୍ତି ମୋ ପକ୍ଷରେ ଅମରତା ଏକା,
ନତୁ ମୁଁ ଅମର ହେଲେ କେଉଁ ସୁଖ ଭଲା ?
ଯେହୁ ମୋର ଚିତ୍ତଚୋର, ଅର୍ପିଛି ଯା ପାଦେ
ପ୍ରାଣ, କୁଳମାନ ସହ ଜଳାଞ୍ଜଳିରୁପେ,
ଏ ଫଳେ ତାହାକୁ କଲେ ଜରାମୃତ୍ୟୁଞ୍ଜୟ,
ଭୁଞ୍ଜିବି ମୁଁ ତାହା ସୁଖେ ସୁଖ ନିରଙ୍କୁଶ,
ସେହି ମୋର ସୁଖ-ଉତ୍ସ, ସୁଖର ତ୍ରିଦିବ
ତାହାର ପ୍ରଣୟ ମୋର ଆନନ୍ଦ ଅମୃତ,-
ଜଗମୃତ୍ୟୁନିବାରକ ଅମୋଘ ଔଷଧ !
ଏହାଭାଳି, ହୋଇ ଦୁଷ୍ଟା ଅତୀବ ଉଷତ
ଦେଲା ନେଇ ସେହି ଫଳ ଏକ କ୍ରୀତଦାସେ
ଥିଲା ଯେଣୁ ବହୁକାଳୁ ତାହା ସହିତରେ
ବନ୍ଧା ସେ ଚୋରା ପ୍ରଣୟେ । ସେ କ୍ରୀତ-କିଙ୍କର
ଆଜୀବନ ବିକା ଏକ ବାରାଙ୍ଗନା ପଦେ,
ପାଇ ପ୍ରାଣ-ଫଳ ତାକୁ ଅର୍ପିଲା ସରାଗେ ।
ସେ ବେଶ୍ୟା ତାହାକୁ ନେଇ ଭେଟି ଦେଲା ନୃପେ
ସନ୍ନ୍ୟାସି-ପ୍ରଦତ୍ତ ଫଳେ ଚିହ୍ନିପାରି ରାଏ,
ଗଣିଲେ ସନ୍ଦେହ, ତହୁଁ ପୁଚ୍ଛନ୍ତେ ତାହାକୁ
ଫଳପ୍ରାପ୍ତି ସମାଚାର, ଭଣିଲା ଗଣିକା,
ଲଭିଛି ସେ ତାହା ତାର ପ୍ରିୟ ଉପପତି
ରାଜଭୃତ୍ୟଠାରୁ । ଭୂପ ହୁକାରି ଭୃତ୍ୟକୁ
ପଚାରିଲେ, ‘‘କହ କାହୁଁ ପାଇଲୁ ଏ ଫଳ ?’’
ଭୟେ ଭୃତ୍ୟ କମ୍ପି କମ୍ପି କହିଲା- ‘‘ମଣିମା,
ହେଉ ଦାସେ ଦୟା କ୍ଷମା ଅଭୟ ଆଦେଶ,
କହୁଅଛି ସତ୍ୟ, ଦେଲେ ଅନଙ୍ଗା ସେବକେ ।’’
ଶୁଣି ଏହା ଭର୍ତ୍ତୃହୁରି ହେଲେ ସ୍ତମ୍ଭୀଭୂତ,
ପଡ଼ିଲା ଆକାଶ ଭାଙ୍ଗି କିବା ମସ୍ତକରେ,
ହେଲା ନେତ୍ର ଅପଲକ, ବସ୍ମୟେ ପାଣ୍ଡୁର,
କଳଙ୍କ-ନରକ ଚିତ୍ର ଉନ୍ମୁକ୍ତ ସମ୍ମୁଖେ ।
ଅନଙ୍ଗାର କୂଟ-ପ୍ରୀତି-ଉଫଣା-ଫଣିନୀ
ଦଂଶିଲା ସହସ୍ର ମୁଖେ ମମେ ମହୁର୍ମହୁଃ,
ଘାରିଲା ସେ ବିଷ ହୃଦେ, ମାତ୍ର ନ ଆଣିଲା
ମୂର୍ଚ୍ଛା, କେ କହିବ କିପା ? ଘଟିଥିଲେ ତାହା,
ହୋଇଥାନ୍ତା କ୍ଷଣେ ହେଲେ ଯାତନା ବିସ୍ମୃତ !
କି ଅମୃତ ସୁଖସ୍ପର୍ଶ ଦୁଃଖୀ ପକ୍ଷେ ଆହା
ମୂର୍ଚ୍ଛା, ତା କୋମଳ କୋଳେ ପାସୋରେ ମାନବ
ପଲକେ ଅନନ୍ତ ତାପ ଅନନ୍ତ ବେଦନା,
ସ୍ୱପ୍ନ-ସ୍ୱର୍ଣ୍ଣ-ସ୍ୱର୍ଗ ତାହା ତାପିତ ପକ୍ଷରେ !
ତେଜି ରାଏ ଦୀର୍ଘାଶ୍ୱାସ-ଅନୁତାପସୁଚୀ,
ବିଜେ କଲେ ଏକୁଟିଆ ନିର୍ଜନ ମନ୍ଦିରେ ।
ଘୃଣା-ବାତ୍ୟାବର୍ତ୍ତେ ଜାଗି ଅପମାନ-ବୀଚି,
ଗଭୀର ବିକଟ ରୁଦ୍ର ଗର୍ଜନ ଉଠାଇ,
ଉଦ୍ବେଳିଲା ଘନ ଘନ ହୃଦୟ-ସାଗରେ ।
ରୋଧି ତାର ମହାବେଗ ଧୈର୍ଯ୍ୟେ ନରନାହା,
ଭାଳିଲେ ଏସନ- ‘‘ହାୟ ! କି ଦୁର୍ଭାଗ୍ୟ ମୁହିଁ
ସ୍ୱଭାବ-ସୌଭାଗ୍ୟଶାଳୀ ରାଜକୁଳେ, ବୁଡ଼ି
ଦୁଷ୍ଟ ପ୍ରେମ ପାରାବାରେ ସଂଗ୍ରହିଲି ସିନା
ରତ୍ନ ବୋଲି ଶୁକ୍ତି, ସେହି ତୁଚ୍ଛ କୁଭୂଷଣ
ଅଖ୍ୟାତି ପଦକ ରୂପେ ବହିବି ବକ୍ଷରେ,
ଏହା ମୋ ଅର୍ଜିବା ଫଳ, କେ ଭୁଞ୍ଜିବ ଆଉ
ମୋହ ବିନା ? କାଳକୂଟ ଉତ୍ପାଦି ସାଗରୁ,
ହେଲା ଶେଷେ ଶିବଙ୍କୁ ତା କରିବାକୁ ପାନ !
ଧିକ୍ ଶତ ଧିକ୍ ମୋତେ, ମଣିଲି ଯା ମୋହେ
ଉଚ୍ଛିଷ୍ଟାନ୍ନେ ଇଷ୍ଟଦେବ ନିର୍ମାଲ୍ୟ ସମାନ !
ମଣୁଥିଲି ଯାହାକୁ ମୁ ପୂତ ନାମାବଳୀ *
ଛି ଛି ସେ ତ କଦାଚାର କନ୍ଥା, ମଣୁଥିଲି
ପ୍ରଶସ୍ତି ଯାହାକୁ, ସେ ତ ସୁତୀବ୍ର ଭର୍ତ୍ସନା !
*ନାମମନ୍ତ୍ରଲିଖିତ ଉତ୍ତରୀୟ ।
କେତେ ସ୍ନେହ କେତେ ଯତ୍ନେ ହୃଦ-ଉପବନେ
ରୋପିଥିଲି କୁଞ୍ଜଲତା- ନିକୁଞ୍ଜ ସୁନ୍ଦରୀ,
ମାତ୍ର ସେ ଯେ ଶତାବରୀ କଣ୍ଟକଦନ୍ତୁରା,
ଜାଣିବି କେମନ୍ତେ ଏହା, ମୁହିଁ ମୂଢ଼ମତି,
କାମିନୀ- କୁହୁକେ ଅନ୍ଧ, କାମିନୀ କିଙ୍କର,
ଆଘ୍ରାଣିଲି ହେଙ୍ଗୁ ସିନା ମୃଗନାଭି ଜ୍ଞାନେ !
କି ପ୍ରଭେଦ ମହାକାଳ * ସୁରଙ୍ଗ ରସାଳେ,
କି ପ୍ରଭେଦ ଅପଭାଷା ପବିତ୍ର ସଂସ୍ଳୁତେ,
*ଫଳବିଶେଷ ।
କି ପ୍ରଭେଦ ଅବା ତୀର୍ଥ, ବାରବାମାଳୟେ,
ନ ପାରିଲି ବାରି ହାୟ, ଦୁର୍ବଳ ବୁଦ୍ଧିରେ !
ବସାଇଲା ଦୁଶ୍ଚାରିଣୀ ହଟହଟା-ହାଟ,
ଲଜ୍ଜା, ଭୟ ନାରୀଧର୍ମେ ଅର୍ପି ଶିରଶ୍ଛେଦ
ଶାସ୍ତି, କେଡ଼େ ଦୁଃସାହସ ଅହୋ ଦୁଃଶୀଳାର,
ବୁଡ଼ି ଆପେ ପାପୀୟୁସୀ କଳଙ୍କ-ନିରୟେ,
ବୁଡ଼ାଇଲା ମୋତେ, ମୋର ସୂପାବନ କୁଳେ,
ଯଥା ନିଶୀଥିନୀ ବୋଳି ହୋଇ ଦେହେ କାଳି,
ବୋଳେ ସେହି କାଳି ପୁଣି ପ୍ରକୃତି ବଦନେ !
ଯେ ଅଖ୍ୟାତି-ଅଟ୍ଟାଳିକା ତୋଳିଲା ପାମରୀ,
ନ ଭାଙ୍ଗିବ ସହଜେ ତା, ବହୁକାଳଯାଏ
ବହିଯିବ କାଳସ୍ରୋତ ଜୁହାରି ତା ପଦେ,
ମାତ୍ର ତହୁଁ ନ ପାରିବ ଖସାଇ ଇଷ୍ଟକ
ଖଣ୍ଡେ । ଯେହୁ ରାଜରାଣୀଳ ରମଣୀ ଆଦର୍ଶ,
ପ୍ରକୃତିପୁଞ୍ଜର ମାତା, ନାରୀରୂପା ଦେବୀ
ତାହାର ଏ ଅକରଣୀ-ଏ ନୀଚ ଆଶ୍ରୟ
ଶୁଣି ନ ମଣିବ କିଏ କର୍ଣ୍ଣେ କଳୁଷିତ ?
ଏ ଭଳି ନଷ୍ଟା କି ପୁଣି ଲଭନ୍ତି ଜନମ
ସାଧାରଣ ଶିକ୍ଷୟତ୍ରୀ ରାଜରାଣୀକୁଳେ ?
ବାହାରେ ଅଙ୍ଗାର କିମ୍ପା ହୀରକ ଆକରୁ,
କେବା କ୍ଷମ ଭେଦନେ ଏ ପ୍ରକୃତିରହସ୍ୟ !
ନିହିଛନ୍ତି ମାଧୁରୀ ଯେ କ୍ଷୁଦ୍ର ଇକ୍ଷୁଦଣ୍ଡେ,
ସେ ବିଧି ତ ରଖିଛନ୍ତି ସୁଗନ୍ଧି ଚନ୍ଦନେ
ତିକ୍ତତା, ପକ୍ଷାନ୍ତେ ଯେଉଁ ହିମାଳୟ ଶୈଳ
ପ୍ରସବେ ଅମରୌଷଧି, ସେହି ତ ପ୍ରସବେ
ବିଷବଲ୍ଲୀ, ବିଧିର ଏ ବିଚିତ୍ର ବିଧାନ !
ଯେସନ ଛଡ଼ାଇନିଏ ପ୍ରକୃତି ମସ୍ତକୁ
ସୁଷମା-କିରୀଟ ଗ୍ରୀଷ୍ମୁ, ଅନଙ୍ଗା ତେସନ
ମୋର ଚିର ଖ୍ୟାତି-ଚୂଡ଼ା ନେଲାକ ଛଡ଼ାଇ,
ଧିକ୍ ମୁହିଁ ନିର୍ବିବେକ, ହୀନ ସହବାସେ
ହେଲି ହୀନଚର, ମାତ୍ର ଉଚ୍ଚ ସଂସର୍ଗରେ
ଧରି ତ ପାରିଲି ନାହିଁ ଉଚ୍ଚଦର୍ଶ ତିଳେ !
ଚେତାଇଲା ବାରମ୍ବାର ମୋତେ ମୋ ଅନୁଜ
ଧାର୍ମିକ ବିକ୍ରମାଦିତ୍ୟ ଅମାତ୍ୟପ୍ରବର,
ତାହା ସଂସର୍ଗରେ ସୁଦ୍ଧା ନ ଘୁଞ୍ଚିଲା ମୋର
ଜଘନ୍ୟ ସ୍ତ୍ରୈଣତା ଦୋଷ- ଜୀବନ୍ତ କୁଗ୍ରହ,
ସ୍ୱାତୀଯୁକ୍ତ * ବୃଷ୍ଟିବିନ୍ଦୁ ପରଶେ ଶୁକ୍ତିକା
ଧରେ ମୋତି ଗର୍ଭେ, ଏହି ନିସଗ ନିୟମ
ହେଲା ଏ ଦୁର୍ଭାଗ୍ୟ ଭାଗ୍ୟ ନିରର୍ଥ ପ୍ରବାଦ;
ଅବହେଳି ସାଧୁ ବାକ୍ୟ, ସେହି ମହାପାପେ
*ସ୍ୱାତୀ ନକ୍ଷତ୍ରରେ ବୃଷ୍ଟିଜଳ ପାନ କଲେ ଶକ୍ତି ମୂକ୍ତା ଧାରଣ କରେ ବୋଲି ପ୍ରବାଦ ଅଛି ।
ଭୁଞ୍ଜୁଛି ମୁଁ ଅଭାଜନ ଏହି ମନସ୍ତାପ !
ନ ପାରିଲି କଳି ଜଣେ ସାମାନ୍ୟ ନାରୀର
କୁଟିଳ ହୃଦୟ, ଭଲା କେମନ୍ତେ ବା ତେବେ
କଳିବି ଅନନ୍ତ ଏହି ପ୍ରକୃତିପୂଞ୍ଜର
ଅନନ୍ତ ମାନସ, ହାୟ, ରାଜୋପାଧି ସିନା
ମୋହୋ ପକ୍ଷେ ବିଧାତାର ଅପାତ୍ରରେ ଦାନ !
ନୁହେଁ ମୁଁ ତହିଁକି ଯୋଗ୍ୟ, ଏ ଭାଗ୍ୟବନ୍ଧନ
ଛିଣ୍ଡାଇବି ବଳେ ଆଜି, ହେବ ଆଜ ଦିନ
ମୋର ଭୋଗ- ଜୀବନର ଅନ୍ତିମ ଦିବସ ।
କରୁଛି ସତର୍କ ମୋତେ ଭ୍ରୂକୁଟୀ ସଙ୍କେତେ
ଉଚ୍ଚକଣ୍ଠେ ଭବିଷ୍ୟତ, ଆଜି ଏ ଘଟନା
ଫିଟାଇଲା ମୋ ହୃଦୟ-ମୋହ ଯବନିକା,
ଫିଟାଏ ଯେସନ ଉଷା, କମଳରୂପିଣୀ
କମଳ-ପାଟକ-କରେ ପ୍ରାଚୀ ଆବରଣ
କଜ୍ଜ୍ୱଳ କାଳିମାମୟ, ପୁଣ୍ୟ ପ୍ରାତଃକାଳେ ।
ପିଙ୍ଗଳାର ହତାଦର ଅଭିଶାପରୂପେ
ଫଳିଲା ମୋ ଭାଗ୍ୟ ଏବେ । ପିଙ୍ଗଳେ, ତୁ ସତୀ
ପ୍ରକୃତ ସହଧର୍ମିଣୀ, ଶୁଣି ମୋ ମରଣ
ତେଜିଲୁ ଜୀବନ, ଦେବି, ଚରିତ୍ର ତୋହର
ବିଶୁଦ୍ଧ ଉଜ୍ଜ୍ୱଳ, ଯଥା ଅନଳମାର୍ଜିତ
କୁନ୍ଦନ, ଅଥବା ଧର୍ମ-ଶାଣିତ ପ୍ରତିଭା,
କାହୁଁ ବା ଚିହ୍ନିବି ତୋତେ ଅପଦାର୍ଥ ମୁହିଁ !
ଦୁର୍ଲ୍ଲଭ ସୁଲଭ ହେଲେ, ହୁଏ ହତାଦର,
ଏହା ପ୍ରପଞ୍ଚର ଧାରା, ତୋହରି ଅଭାବ
ବୁଝାଉଛି ଏବେ ମୋତେ ମହାମୂଲ୍ୟ ତୋର !
ପବିତ୍ର ଦାମ୍ପତ୍ୟ ପ୍ରୀତି ଅମିଶ୍ର ଗୋକ୍ଷୀର,
ତାହା ପ୍ରାପ୍ୟ ତୋର, ମାତ୍ର କରି ତାକୁ ମୁହିଁ
ପାଶବିକ କାମୁକତା-ଲବଣେ ବିକୃତ,
ଦେଇଥିଲି ଅଜାତି ତା’ ଅନଙ୍ଗା-ପାତ୍ରରେ !
ସ୍ୱାହାଭୋଗ୍ୟ ଯଜ୍ଞହବି ଅର୍ପିଲି ଶୁନୀକୁ; *
ଏହି ଅନୁତପାନଳେ ଦବୁ ଆଜୀବନ
ଢାଳୁଥିବି ବସି ତୋର ସ୍ମୃତିରେ ଶୋକାଶ୍ରୁ !
*କୁକୁରୀ ।
ପଦେ ଦଳି ସୁଶୀତଳ ମୃଣାଳଲତିକା,
ଜଡ଼ାଇଲି ବିଛୁଆତି ଅଙ୍ଗେ, ମୋତି ତେଜି
ଖେଳୁଥିଲି ପୂତି * ଘେନି, ଉପେକ୍ଷି ମୋଦକେ
ଗିଳିଲି ଗରଳଗୋଳା-ପ୍ରାଣସଂଘାତିକା !
*ପଥରମାଳା ।
ଅବସାନ ଏତେ କାଳେ ଏ ସତୀଦ୍ରୋହୀର
ଜୀବନ କଳ୍ପନା-ସ୍ୱପ୍ନ, ବୀଭତ୍ସ ବିକଟ,
ମାତ୍ର ନୁହେଁ ଅବସାନ ଜୀବନ-ଶର୍ବରୀ !
ଚାରିତ୍ର୍ୟ-ଚନ୍ଦିକେ, ଦେବି, ଯେତିକି ତୋ ପ୍ରତି
ହେଉଥିଲି ମୁଁ ନିର୍ମମ, ତେତିକି ତୁ ସତି,
ଢାଳୁଥିଲୁ ମୋହୋ ପଦେ ଭକ୍ତି-ସୁଧା-ଧାରା,
ସର୍ବଂସହା ଯଥା ଲଭେ ଯେତେ କୋଡ଼ାପଡ଼ା
କୃଷୀବଳ ହୁସ୍ତେ, ତୋଷେ ତତୋଽଧିକ ତାକୁ
ଦେଇ ଶସ୍ୟ ମଣିରତ୍ନ-ଉପସଂସ୍କରଣ !
ନାଚୁଛନ୍ତି ନେତ୍ର ଅଗ୍ରେ ବହୁମୂର୍ତ୍ତି ଧରି
ବିବିଧ ସଦ୍ଗୁଣ ତୋର, ପ୍ରଦର୍ଶେ ଦର୍ପଣ
ଏକ ପ୍ରତିବିମ୍ବ, ମାତ୍ର ହେଲେ ଚୂର୍ଣ୍ଣୀଭୂତ
ସେ ଦର୍ପଣ, ଧରେ ତେବେ ଶତ ପ୍ରତିଚ୍ଛବି !
ପୁଣ୍ୟଶୀଳେ, ହେଲି ସିନା ହାୟ ମୁହିଁ ତୋର
ମୃତ୍ୟୁହେତୁ, ଆତ୍ମକୃତ ସେ ମହାପାପର
ଯୋଗ୍ୟ ପ୍ରାୟଶ୍ଚିତ୍ତ ନିଶ୍ଚେ ଆତ୍ମବଳିଦାନ,
ଅତଏବ ବନେ ଯାଇ ତପସ୍ୟା ଆଚରି,
ତେଜି ପାପତନୁ ହେବି ଏ ପାପୁଁ ନିଷ୍କୃତ !
ଅହୋ, କି ଅଚିନ୍ତନୀୟ ଅରଣ୍ୟମହିମା,
ତାହା ପୁଣ୍ୟମୟ ଦେଶ, ନ ପଡ଼େ ତହିଁରେ
ପାର୍ଥିବ କୌଟିଲ୍ୟ ଛାୟା, ରୁଦ୍ର, ମାରାତ୍ମକ,
କିମ୍ବା ସେ ବିଷାକ୍ତ ନୁହେଁ ପ୍ରତାରଣା-ବିଷେ,
ଅବିଶ୍ୱାସ- ପାଦପର ସୁଖ-ବୃନ୍ତେ ତହିଁ
ଫୁଟେ ନାହିଁ ସ୍ୱାର୍ଥ-ଫୁଲ-ପୂତିଗନ୍ଧମୟ,
ଶମିବି ସେଠାରେ ଯାଇ ବୁର୍ବିଷହ ଜ୍ୱାଳା !
ନିଖିଳ ପୂରାଣପ୍ରସୂ ଯେଉଁ ଅରଣ୍ୟାନୀ
ଯହିଁ ବ୍ୟାସ ବାଲମୀକି ଆଦି ମହର୍ଷିଏ
(ଭାରତ-ଭାରତୀ-ଖଣ୍ଡି ଦୀପ୍ତୀ ମହାମଣି,
ଭାରତ-ଦେବାଳୟର ଅନିର୍ବାଣ ଦୀପ)
ଲଭିଛନ୍ତି ଅମରତା, ଆବର ଯା କୋଳ
ମୁମୁକ୍ଷୁ ଚରମାଶ୍ରୟ, ଜୀବାତ୍ମା ଯା ଯୋଗେ
ଲଭେ ପରମାତ୍ମା-ପଦ-ପବିତ୍ର-ସନ୍ନିଧି;
ମାନବ ସଭ୍ୟତାର ଯେ ଆଦି ଜନ୍ମଭୂମି,
ସଦା ସୂପ୍ତା ଶାନ୍ତିଦେବୀ ଯା ପାବନ କ୍ରୋଡ଼େ
ପ୍ରୀତିଦେବୀ ସହ, ସେହି ଅରଣ୍ୟ ବ୍ୟତୀତ
ସାଧନାର ସ୍ୱର୍ଗଧାମ କାହିଁ’ଛି ମହୀରେ ?
କ୍ଷିପ୍ତମନ ଚିକିତ୍ସକ ବନ, ପ୍ରଦାନି ସେ
ନୀରବ ବ୍ୟବସ୍ଥା, ମନୁ ଉପଶମେ ରୋଗ,
ଦେଖାଇ ସେ ବକ୍ଷ ଫେଡ଼ି ଅନନ୍ତ ଶୋଭାର
ଅନନ୍ତ ନିର୍ଝର, ଗାଇ ଅନନ୍ତ ସଙ୍ଗୀତ,
ଶିଖାଇ ନିଷ୍କାମ ଦୀକ୍ଷା, କରାଏ ପ୍ରବେଶ
ଅଧ୍ୟାତ୍ମ ମନ୍ଦିର ମଧ୍ୟେ, ଅବଲୋକି ତହିଁ
ପରମାତ୍ମା ଦେବତାଙ୍କ ମହା ନୀରାଜନା,
ମିଶାଏ ସାଧକ ସେହି ଅନନ୍ତ ଆଲୋକେ
ମହାମହୋଲ୍ଲାସେ ସ୍ୱୀୟ ଜୀବୀତ୍ମା-ସ୍ଫୁଲିଙ୍ଗ,
ଯେସନେ ଖଦ୍ୟୋତ (ତମଃ-ଘନ-ବିଦ୍ୟୁଲ୍ଲତା)
ମିଶାଏ ସ୍ୱକ୍ଷୀଣଜ୍ୟୋତି ପ୍ରଦୀପ ଜ୍ୟୋତିରେ ।
ବନସୁତ ଦାବାନଳ, କେବଳ ବନର
ଆବର୍ଜନା ଧ୍ୱଂସ ନୁହେଁ କର୍ତ୍ତବ୍ୟ ତାହାର,
ଜଟିଳ ଲାଳସା-ତୃଣ ନହେ ସୁଦ୍ଧା ସେହୁ
ସଂସାରୀର, ଅସ୍ପରଶେ, ହୁଏ ସେ ନିର୍ମଳ ।’’
ଅନନ୍ତର ଭର୍ତ୍ତୃହରି ହକାରି ସଚିବେ
ଜଣାଇ ସ୍ୱମତ ତାଙ୍କୁ ବାନପ୍ରସ୍ଥ ବ୍ରତ,
ରାଜ୍ୟ ତେଜି ଗଲେ ବନେ । ନିବର୍ତ୍ତିବା ପାଇଁ
ବୁଝାଇଲେ ମନ୍ତ୍ରିବର ବିବିଧ ବିଧାନେ,
ମାତ୍ର ହେଲେ ନାହିଁ ରାଏ ସଂକଳ୍ପ-ବିଚ୍ୟୁଭ,
ବର୍ତ୍ତମାନ ଆହ୍ୱାନେ କି ବାହୁଡ଼େ ଅତୀତ ?
କିଅବା ବିଷୟ ଡାକେ ବୈରାଗ୍ୟ ? ଧାବିତ
ଯା ମତି ଶାଶ୍ୱତ ଦିଗେ, ଅଛି ସାଧ୍ୟ କାର
ଫେରାଇବ ତାକୁ ? ଗଲାଦିନୁ ତରଙ୍ଗିଣୀ
ଘେନିଣ ମେଲାଣି ଗିରିପଦୁ, ଗିରି ତାକୁ
କେତେ ଯେ ଡାକୁଛି ନିତି ପଛୁ ଦରୀମୁଖେ,
ମାତ୍ର ସେ ତା କର୍ଣ୍ଣପାତ କରୁଛି କି କେବେ ?