ଷଷ୍ଠ ସର୍ଗ — ବିକ୍ରମାଦିତ୍ୟ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଷଷ୍ଠ ସର୍ଗ
ଅନନ୍ତର ଯଥାକାଳେ ପାହିଲା ଯାମିନୀ,ପାହିଲା ତା ସଙ୍ଗେ ସଙ୍ଗେ ଦୁର୍ଭାଗ୍ୟ-ରଜନୀଅବନ୍ତୀର ବିଧିବଶେ, ଅଦ୍ୟର ପ୍ରଭାତତାହା ପକ୍ଷେ ପୂନର୍ଜନ୍ମ-ମଙ୍ଗଳ ପ୍ରଭାତ ।ବିହଗେ ଆଳାପ କଲେ ବିଭାଷରାଗିଣୀମଧୁସ୍ରାବୀ ସ୍ୱରେ, ତହିଁ ମିଶାଇଲ ସ୍ୱରସ୍ୱାଧ୍ୟାୟନିରତ ଯୋଗୀ ପ୍ରଣବ ଓଁକାର ।ଆହା କି ପବିତ୍ର କାଳ, ତରୁଲତା ଆଦିସର୍ବେ ଧ୍ୟାନମଗ୍ନ, ଧନୀ କାନନକମଳାସୁକୁମାରୀ ଫୁଲକୁଳ ରତ ମହାଯୋଗେ,ବିସର୍ଜି ଶିଶିର ଛଳେ ପ୍ରେମାଶ୍ରୁ କଣିକା ।ଭକ୍ତର ପ୍ରେମାଶ୍ର ଆହା କି ଅମୂଲ୍ୟ ଧନ,କି ଦେବଦୂର୍ଲ୍ଲଭ ନିଧି, କି ପବିତ୍ର ତାହା,ପୂଜା-ଫୁଲ, ତୁଳସୀ ବା ନିର୍ମାଲ୍ୟପ୍ରତିମ,ଅଙ୍ଗେ ବୋଳି ତାକୁ ଅଳି ହେଉଅଛି ଧନ୍ୟ,ଯଥା ସୁବୈଷ୍ଣବ, ବୋଳି ହୋଇ ଦେହେ, ଶିରେକୀର୍ତ୍ତନ-ମଣ୍ଡଳୀ-ପଦଧୂଳି ଭକ୍ତିଭାବେମଣନ୍ତି ଆତ୍ମାକୁ ମୁକ୍ତ, କୃତାର୍ଥ, ପାବନ ।ମଧୁର ପ୍ରଭାତେ ପଡ଼ି ମଧୁର ମୟୂଖଉଷାର, ଭାତିଲା ଯେହ୍ନେ ହୋଇଗଲା ଆହାମଧୁପରେ ମଧୁ ବୃଷ୍ଟି, କିମ୍ବା ଫୁଟିଗଲାଫୁଲ ପରେ ଫୁଲ, ଦିଗ ଦିଶିଲା ପ୍ରସନ୍ନ ।ତୃଣିତ ପ୍ରାନ୍ତରେ ଶୋଭେ ଚକ୍ରାକାରେ ହିମଠାବେ ଠାବେ, ଆହା କିବା ବୈଦିକା ପ୍ରକୃତି,ଅଙ୍କିଛି ବିଶାଳ ବକ୍ଷେ ପ୍ରଣବର ମୁଦ୍ରାଚନ୍ଦନେ, ଆଗ୍ରହେ, ଭକ୍ତି ଅନୁରାଗ ସହ ।ଏକାଳେ ବିକ୍ରମାଦିତ୍ୟ ହୋଇ ଶଯ୍ୟୋତ୍ଥିତ,ସାରି ପ୍ରାତଃକୃତ୍ୟ ହେଲେ ସିଂହାସନେ ବିଜେ,ଆସି ସଭାସଦେ ତହୁଁ ନମିଲେ ପୟରେ,ନମେ ଯଥା ପକ୍ୱଶାଳୀ ହେମନ୍ତେ କେଦାରେ ।ଭାଷିଲେ ସକଳେ, ‘‘ପ୍ରଭୋ, ନିଶ୍ଚୟ ଆପଣମହାତ୍ମା ବିକ୍ରମାଦିତ୍ୟ, ନତୁ ଶକ୍ତି କା’ରଶାସିବ ବେତାଳ ଦୁଷ୍ଟେ, ଅଗସ୍ତ୍ୟ ବ୍ୟତୀତଶୋଷଣେ କ୍ଷମ ବା କିଏ ଅଗାଧ ସାଗର ?ଚକ୍ଷୁଷ୍ମାନ ଅନ୍ଧ ଆମ୍ଭେ, ବିଷୟର କୀଟ,ନ ପାରିଲୁଁ ଚିହ୍ନି ଯାହା ଛାମୁଙ୍କ ସଦୃଶଋଷିକଳ୍ପ ସାଧୁଜନେ, ଆଜ୍ଞା ହେଉ କ୍ଷମା,ଛାମୁଙ୍କ ସଂସର୍ଗେ ଏବେ ଲଭିବୁଁ ଯୋଗ୍ୟତା,ପରଶି ମଳୟ ଗିରି ପବିତ୍ର ସନ୍ନିଧିଲଭେ ହୀନ ତରୁ ସୁଦ୍ଧା ଚନ୍ଦନର ଭାବ ।ଛାମୁଙ୍କର ରାଜ୍ୟ ଏବେ ପାଳନ୍ତୁ ଶ୍ରୀଛାମୁ,ଆମ୍ଭେମାନେ ଆଜ୍ଞାବହ ମାତ୍ର, ଯଥାଦେଶସାଧିବୁଁ କର୍ତ୍ତବ୍ୟ ସର୍ବେ, ଧରଣୀ ଧାରଣଶେଷ ଭୁଜଙ୍ଗର କାର୍ଯ୍ୟ-ନୁହେଁ ଡ଼ଣ୍ଡୁଭର !
ହେର ନୃପ ଉଜ୍ଜୟିନୀ ଛାରଖାର ଏବେ,
ମାତ୍ର ଏ ଦୁର୍ଦଶା ତାର ମେଣ୍ଟିବ ଅଚିରେ,
ସୁ-ସ୍ଥପତି * ବସନ୍ତର ଅନୁପସ୍ଥିତିରେ
ଘଟିଥାଏ ଯେତେ କ୍ଷତି ତା ବିଳାସଗୃହ
* ପ୍ରବୀଣ ବିନ୍ଧାଣି
ଏହି ପ୍ରକୃତିର, ଆସି ଦେଖିବାମାତ୍ରେ ସେ
କରି ତା ସଂସ୍କାର, ମଣ୍ଡେ ମଣିମାଣିକ୍ୟରେ ।
ଢ଼ାଳିଲ କି ଶାନ୍ତି-ବାରି ଅବନ୍ତୀ ପରାଣେ !
କି ଦ୍ରବ୍ୟେ ପୂଜିବୁଁ ଆଜି ଛାମୁଙ୍କ ଚରଣ ?
ନାହିଁ କିଛ, ଏଣୁ ଖାଲି ଆନନ୍ଦ-ଲୋତକେ,
ଧୋଇଦେଇ ଶ୍ରୀଚରଣ ମେଣ୍ଟାଉଛୁଁ ଆଶା ।’’
ଏ ପ୍ରୀତି-ଅଭିନନ୍ଦନ ପ୍ରତ୍ୟୁତ୍ତର ଛଳେ
ଭାଷିଲେ ବିକ୍ରମାଦିତ୍ୟ ସଂକ୍ଷେପେ ଏତିକି-
‘‘ମନ୍ତ୍ରିବର୍ଗ, ତବ ଏହି ଆଶାର ସାଫଲ୍ୟ
ତୁମ୍ଭରି ମସ୍ତିଷ୍କଜାତ ମନ୍ତ୍ରଣାସାପେକ୍ଷ,
ଅନିଳ ସହାୟ ହେତୁ ଅନଳ ପ୍ରବଳ !
ବିକ୍ରମ ଆଗମ ବାର୍ତ୍ତା ହେଲା ପ୍ରଚାରିତ
ତଡିତ ଗତିରେ, ଶୁଣି ନାଗରିକ ଜନେ
ଏ ମଙ୍ଗଳ ସମାଚାର ଅର୍ପି ଧନ୍ୟବାଦ
ଅନାଦି କରୁଣାମୟେ, ସୌଭାଗ୍ୟେ ନିଜର
ଜୀବନଦୂର୍ଲଭ ସୁଖେ ହେଲେ ସେ ବିହୁଳ,
ଚିର ଆଶଙ୍କାର ସ୍ମୃତି ବିସୋରି ପଲକେ ।
ନଗରୀ ଉଦ୍ଯାପତିଥିଲା ଯେଉଁ ଆଶା-ବ୍ରତ
ପୁନଶ୍ଚ ଧରିଲା ତାହା ବହୁକାଳ ପରେ,
ବାଳବୃଦ୍ଧ ସର୍ବେ ଆଜି ଆଶାର ପୂଜାରୀ
ତାହାର ପ୍ରଦତ୍ତ ମନ୍ତ୍ରେ ଜପିଲେ ତାହାକୁ ।
ଲାଗିଲା ସାଟୋପେ ରାଜ୍ୟେ ଆନନ୍ଦ ଉତ୍ସବ,
ଉଡ଼ାଇ ମଙ୍ଗଳଧ୍ୱଜା ନଗର-ନିବାସୀ
‘‘ଜୟ ମହାରାଜ ଜୟ ବିକ୍ରମ-ଆଦିତ୍ୟ’’
ଉଚ୍ଚାରି ଉଚ୍ଚରେ, କଲେ ଶୋଭାଯାତ୍ରା ମୋଦେ ।
କାହିଁ ନୃତ୍ୟଗୀତ, କାହିଁ ଦରିଦ୍ରଭୋଜନ,
କାହିଁ ଦେବାର୍ଚ୍ଚନା, ଗ୍ରହପୂଜା, ଏହିରୂପେ
ନାନା ଅନୁଷ୍ଠାନ ବକ୍ଷେ ଧରିଲା ନଗରୀ ।
ଚାରୁ ହାସ୍ୟଧାରା ଚିର ବିରସ ବଦନେ
ପଡିଲା ଉଛୁଳି, ହୃଦ ସୁଖଶାନ୍ତି ତାର
ଆସିଲା ବାହୁଡ଼ି, ହେଲା ଚିନ୍ତା ଦୂରୀଭୂତ ।
ମାହେନ୍ଦ୍ରେ ଆରମ୍ଭ ହେଲା ବିକ୍ରମାଦିତ୍ୟଙ୍କ
ପବିତ୍ର ରାଜତ୍ୱ, ତହିଁ ସଙ୍ଗେ ସୃଷ୍ଟି ହେଲା
ବିଶ୍ୱ-ଇତିହାସେ ଏକ ନବୀନ ଅଧ୍ୟାୟ
ଉପାଦେୟ ! କର୍ମବୀର ଅବତୀର୍ଣ୍ଣ ଆଜି
ମହୀ-କର୍ମକ୍ଷେତ୍ରେ, ମହାନିୟତିର ସ୍ରୋତ
ବହିବ ଉଜାଣି, ଏବେ ହସିବ ଉଜ୍ଜ୍ୱଳେ
ବିପଣୀରେ ରତ୍ନରାଜି, ଉଠିବ କବିତା-
ସ୍ୱର ଅବନ୍ତୀର ପ୍ରତି ଲୋମକୂପୁଁ, ଜାଣି
ଏହା ବିଶ୍ୱରାଣୀ ରମା, ଦେବୀ ବୀଣାପାଣି,
ଆଶ୍ରା କଲେ ସ୍ୱତଃ ଆସି ସେ ରମ୍ୟା ନଗରୀ,
ବସନ୍ତ ଆଗମ ଜାଣି ବିଳମ୍ବେ କି କେବେ
ସୁକଣ୍ଠୀ କୋକିଳା, କିମ୍ବା ରସାଳ କଳିକା ?
ଆବର ଆଶ୍ରିଲା ଧର୍ମ, ବହୁଦିନୁ ସେହୁ
ଲୁଚିଥିଲା ସ୍ଥାନାନ୍ତରେ ଅସହାୟ ହେତୁ,
ଲଭି ଏବେ ବିକ୍ରମାର୍କେ ପୃଷ୍ଠରକ୍ଷିରୁପେ
ଆସିଲା ନିର୍ଭୟେ, ଘେନି ଆତ୍ମଜ ଆତ୍ମଜା-
ସତ୍ୟ, ନ୍ୟାୟ, ପ୍ରୀତି, ଭକ୍ତି, ପବିତ୍ରତା ଆଦି ।
ବିକ୍ରମାର୍କ ରାଜପଦେ ହୋଇ ଅଧିଷ୍ଠିତ
ଚିନ୍ତା କଲେ ଅବନ୍ତୀର ଉନ୍ନତି ଉପାୟ,
ଆଗେ ଚିନ୍ତା, ତହିଁ ପଛେ ଚେଷ୍ଟା, ସର୍ବ ଶେଷେ
କରୁଥିଲେ ସେ ଚେଷ୍ଟାକୁ କାର୍ଯ୍ୟେ ପରିଣତ,
ଉଦ୍ୟାନପାଳକ ଯଥା, କରେ ସେ ପ୍ରଥମେ
ବୀଜରୁ ଅଙ୍କୁରୋତ୍ପତ୍ତି, ଅଙ୍କୁରୁ ପାଦପ,
ପାଦପରୁ ଫୁଲ ଫଳ ପର୍ଯ୍ୟାୟକ୍ରମରେ ।
ରାଜ୍ୟର ସେବକ ରାଜା, ନୁହେଁ ସ୍ୱାମୀ କେବେ,
ରାଜପଦ ନୁହେଁ ଭୋଗ-ବିଳାସ ଉପାଧି,
ଶବ୍ଦମୟୀ ପ୍ରଜାଶକ୍ତି ତାହା, ଧରି ମନେ
ଏହି ଭାବ ରାଏ, କାର୍ଯ୍ୟେ ନିରତ ସତତ
ନ ଭଜି ବିଶ୍ରାମ କ୍ଷଣେ । କାହିଁ ବା ବିଶ୍ରାମ
ମହାଜନ ପ୍ରାଣେ, ନ୍ୟସ୍ତ ଯାହା ଶିରେ ସଦା
କୋଟି ପ୍ରଜା ଧନପ୍ରାଣ ସଂରକ୍ଷଣ ଭାର,
ଅଛି କି ବିଶ୍ରାମ ତାର ? ହୁଏ ଯଦି କ୍ଷଣେ
ସ୍ଥିର ବାୟୁ, ହେବ ସୃଷ୍ଟି ଜୀବଶୂନ୍ୟ ତେବେ ।
କର୍ମସାଧନ ହିଁ ପୁଣ୍ୟ, ନିଷ୍କ୍ରିୟତା ପାପ,
ନୋହି ଆଳସ୍ୟର ଦାସ ଖଟାଏ ଯେ ତାକୁ
ଦାସପଣେ, ସେହି ଏକା କର୍ମୀ, ଆନର ଯା
କର୍ମକ୍ଳାନ୍ତି, ମଣେ ସେ ତା ଶାନ୍ତି, ତୃପ୍ତି, ସୁଖ ।
କ୍ରୀଡ଼ାକ୍ଳାନ୍ତ କେବେ କାହିଁ ହୁଏ କି ବାଳକ ?
ପ୍ରତ୍ୟୁତ ସେ ଲିପ୍ତ ହୁଏ ଯେତିକି କ୍ରୀଡ଼ାରେ
ତେତିକି ପ୍ରବୃଦ୍ଧି ଲଭେ ପ୍ରବୃତ୍ତି ତାହାର,
ଏହିଭାବେ ସାଧେ କର୍ମ ଯେ ନମସ୍ୟ ଜନ
କର୍ମଦେବ ମହାପୂଜାବେଦୀ-ଏ ମହୀରେ,
ଛନ୍ଦିହୁଏ ତାହା ପଦେ ସିଦ୍ଧି ଅଯାଚିତେ ।
ଲାଗିଲା ରାଜ୍ୟସ୍ଥ ଜୀର୍ଣ୍ଣ ଦୁର୍ଗ, ଦେବାଳୟ,
ତଡ଼ାଗ ସଂସ୍କାର-କାହିଁ ନୂତନ ନିର୍ମାଣ
ବହୁ ରଥ୍ୟା, କୂଲ୍ୟାଯୋଗେ କୃଷି ବାଣିଜ୍ୟର,
ଘଟିଲା ଉନ୍ନତି କ୍ରମେ, କାହିଁ ଶିଳ୍ପଶାଳା,
କାହିଁ କୃଷିଶାଳା, କାହିଁ ଅନାଥ-ଆଶ୍ରମ,
ଗୋଶାଳା, ଔଷଧାଳୟ, ଶାନ୍ତିରକ୍ଷାଗାର,
ସଭାଗୃହ, ବନ୍ଦିଶାଳା, ଧର୍ମାଧିକରଣ,
ପ୍ରଦର୍ଶନୀ ଗୃହ, ହାଟ ବିପଣୀବୀଥିକା,
ଅନ୍ନଛତ୍ର, ପାନ୍ଥାଗାର, ପ୍ରଜାଶିକ୍ଷା ପାଇଁ
ବିଦ୍ୟାଳୟ, ଗ୍ରନ୍ଥାଗାର, ରଙ୍ଗମଞ୍ଚ ଆଦି
ଯାବତୀୟ ନାଗରିକ ପୂର୍ଣ୍ଣ ଉପାଦାନେ
ଶୋଭିଲା ନଗରୀ, ହେଲେ ନିୟୋଜିତ ବହୁ
ସ୍ୱଦେଶରକ୍ଷାର୍ଥେ ସେନା ସମରକୁଶଳ ।
ନ ହେଲେ ସୁପ୍ରତିଷ୍ଠିତ ଧର୍ମଭିତ୍ତି ପରେ
ହୁଏ ନାହିଁ ସ୍ଥାୟୀ କଦା କେବଣ ଉନ୍ନତି,
ବାଲିବନ୍ଧ, ଅଟ୍ଟାଳିକା ସମ୍ଭାଳିବ କାହିଁ ?
ସଂଯମିତ-ନିୟନ୍ତ୍ରିତ କରେ ଧର୍ମଜ୍ଞାନ
ସିନା ମାନବଚରିତ୍ରେ-ସ୍ୱଭାବୋଚ୍ଛୃଙ୍ଖଳ ।
ଜାଣି ଏହା, ଧର୍ମଭାବବୃଦ୍ଧି ଅଭିପ୍ରାୟେ
ପ୍ରକୃତିପୁଞ୍ଜର କଲେ ନିୟୋଜିତ ରାଏ
ଧର୍ମଗୁରୁଚୟେ, ଭ୍ରମି ସର୍ବତ୍ର ସେମାନେ
ପ୍ରଚାରିଲେ ନିତ୍ୟ ସତ୍ୟଧର୍ମର ମହିମା ।
ଏହିରୂପେ ସୁସାଧନା ସଂଗୃହୀତ ହେମେ
ତୋଳିଦେଲେ ନବ ଭାଗ୍ୟ-ହର୍ମ୍ୟ ଅବନ୍ତୀର,
ହେଲା ହୃଷ୍ଟପୁଷ୍ଟ ସେହୁ, କୁଅମଳ ତ୍ୟାଗେ
ଅମଳୀ ଶରୀର ଯଥା, ବିଭାତିଲା ଚାରୁ
ନବଶୋଭା, ସୃଷ୍ଟି ଯଥା ମହାବାତ୍ୟା ପରେ ।
ପାଳିଲେ ନୃପତି ପ୍ରଜା ପୁତ୍ରନିର୍ବିଶେଷେ,
ନାହିଁ ଶତ୍ରୁମିତ୍ର ଭେଦ, ମିତ୍ରଠାରୁ ବଳି
ଶତ୍ରୁ ପ୍ରତି ପ୍ରକାଶନ୍ତି ସଂପ୍ରୀତି ବିସ୍ତର,
ଯେଣୁ ମହାଜ୍ଞାନୀ, ତେଣୁ ଜାଣନ୍ତି ନିକର,
ବଢ଼ାଏ ଅନ୍ଧାର ସିନା ପ୍ରଦୀପର ପ୍ରଭା,
କେବଳ ସର୍ପର ମଣି ନୁହେଁ କାର୍ଯ୍ୟବର,
ବିଷ ସୁଦ୍ଧା ସମାଦୃତ ସ୍ଥଳବିଶେଷରେ,
ବିନାଶେ ସେ ପ୍ରାଣ, ଏହା ହେଲେହେଁ ନିଦାନ,
ଔଷଧରୂପରେ କରେ ପ୍ରାଣରକ୍ଷା ପୁଣି ।
ବିଶୋଭିଲା ଉଜ୍ଜୟିନୀ ରମଣୀୟ ବେଶେ,
ଫୁଲର ପିତୁଳାଟିଏ ଉଭା କିବା ଆହା
ପିନ୍ଧି ଫୁଲ ଅଳଙ୍କାର, ଫୁଲର ମୁକୁଟ,
ବିସ୍ତାରି ଫୁଲର ହାସ ନର୍ତ୍ତନ ଭଙ୍ଗୀରେ ।
ବାହ୍ୟ ଶୋଭାଠାରୁ ବଳେ ଅନ୍ତରର ଶୋଭା,
ଅନନ୍ତ ଗାମ୍ଭୀର୍ଯ୍ୟବୋଳା, ମାଧୁର୍ଯ୍ୟେ ସିକତ,
ସ୍ୱାଧୀନତା-ମୁକ୍ତବାୟୁ ଖେଳିଲା ଚହଟି,
ବିଚରି ଉନ୍ନତି-ପୁଷ୍ପ-କୋମଳ-ଆମୋଦ ।
ଯଥା ରାଜା ପ୍ରଜାପ୍ରୟ, କଥା ପ୍ରତାକୁଳ
ରାଜଭକ୍ତ, ଯୋଗ୍ୟ ରାଜା ଯୋଗ୍ୟ ପ୍ରଜା, ଦୁହେଁ
ଯୋଗ୍ୟତାର ପ୍ରାପ୍ୟ ମୂଲ୍ୟ ପରସ୍ପରଠାରୁ
ପରିଗ୍ରହି ମଣୁଥିଲେ କୃତାର୍ଥ ନିଜକୁ ।
କି ପ୍ରଭେଦ ରାଜା ପ୍ରଜା ଉଭୟ ମଧ୍ୟରେ,
ଯେତିକି ପାର୍ଥକ୍ୟ ଅଛି ସମଷ୍ଟି ବ୍ୟଷ୍ଟିରେ,
ତେତିକି ପ୍ରଭେଦ ମାତ୍ର, ସେ ପ୍ରଭେଦଟିକ
କଲେକ ବିୟୋଗ ତହୁଁ ବେନିଏ ସମାନ,
ରାଜର୍ଷି ବିକ୍ରମଙ୍କର ଏ ଚିର ଧାରଣା ।
ଭାଗ୍ୟଧର ରାଜା ହୋଇ ବହନ୍ତି ଯେ ମନେ
ଏଭଳି ମହୋଚ୍ଚ ସାମ୍ୟ, ଦୈନ୍ୟ, ସରଳତା,
ସ୍ପର୍ଶି ରାଜପଦ ତାଙ୍କୁ ଧନ୍ୟ ହୁଏ ଭବେ,
ପ୍ରଣମେ ଜଗତ ତାଙ୍କ ପୁଣ୍ୟ ପାଦମୂଳେ ।
ନୃପତି ସଦ୍ଗୁଣରାଶି ଥିଲା ପ୍ରତିଫଳି
ପ୍ରତି ପ୍ରଜା ପ୍ରାଣେ, ଯଥା ଶିକ୍ଷକ ସ୍ୱଭାବ
ପ୍ରତିଫଳେ ଅବିକଳ ସୁଛାତ୍ର ହୃଦୟେ,
ପ୍ରଜାଙ୍କ ବିଶ୍ୱାସ-ରାଜା ଦେବତା ତାଙ୍କର,
ପ୍ରବାହିତ ଯେ ଶୋଣିତ ପ୍ରଜାକଳେବରେ,
ନୃହେଁ ସେ ଶୋଣିତ-ରାଜ କରୁଣାପ୍ରବାହ,
ରାଜା ପରମାତ୍ମା, ପ୍ରଜା ଜୀବାତ୍ମାସ୍ୱରୂପ,
ତାହାଙ୍କ ଶାସନଦଣ୍ଡ ଶିରୋଧାର୍ଯ୍ୟ ସିଦା
ପ୍ରଜା ପକ୍ଷେ, ବହେ ଶିରେ ଜ୍ୟୋତ୍ସାଦଣ୍ଡ ଯଥା
ସାଦରେ ପ୍ରକୃତି, ମଣି ପ୍ରାଣେ ହିତ ତାହା ।
ନିର୍ମଳ ବିଶ୍ୱାସ କେଡ଼େ, ଏଭଳି ସୁ ପ୍ରଜା ।
ଯାର, ସେହି ରାଜା ଏକା ଭବେ ଭାଗ୍ୟବାନ,
ସେହି ରାଜ୍ୟ ମର୍ତ୍ତ୍ୟେ ସ୍ୱର୍ଗ, ମହାତୀର୍ଥ ନତୁ ।
ବିକ୍ରମଙ୍କ ସୁପାଜନେ ଦୈନ୍ୟ ହେଲ ଦୂର,
ନ ଭୁଞ୍ଜିଲେ ପ୍ରଜା କେହି ଅଭାବଜନିତ
କ୍ଳେଶ, ସର୍ବ ସ୍ୱାବଲମ୍ବୀ, ଧର୍ମପରାୟଣ,
ନାହିଁ ରାଜ୍ୟେ ହିଂସା, ଦ୍ୱେଷ, ପାପ, ପ୍ରତାରଣା,
ବହିଲା ସର୍ବତ୍ର ଶାନ୍ତି-ସଖ୍ୟ-ସ୍ନେହ-ପ୍ରୀତି-
ପୁତସ୍ରୋତ, କଳି ଶବ ହେଲା ବ୍ୟବହୃତ
ଯୁଗଅର୍ଥେ, ମିଥ୍ୟା, କ୍ରୋଧ ଆଳସ୍ୟ, କୁସ୍ୱାର୍ଥ
ଲୋଭ, ଚୌର୍ଯ୍ୟ, ଅହଙ୍କାର ଏ ଶବ୍ଦସକଳ
ପ୍ରଚଳିତ ଅଭିଧାନୁ ହେଲା ବହିଷ୍କୃତ ।
ଲଭିଲା ପ୍ରବଳେ ବୃଦ୍ଧି ସତ୍ୟର ସାଧନା,
ଶରୀରେ ଯନ୍ତ୍ରଣା ଅର୍ପି ନାନା ଓଷାବ୍ରତ
ନ ପାଳି ନଗରବାସୀ ଧରିଲେ ହୃଦୟେ
ଦୟା, କ୍ଷମା, ସାମ୍ୟ, ନିଷ୍ଠା, ସୌଜନ୍ୟ, ଶିଷ୍ଟତା,
ପରୋପକାରାଦି ବ୍ରତ, ବିବୁଧ-ବନ୍ଦିତ ।
କ୍ଷେତ୍ର ଯଥା ଗୁଣେ ନେଇ ବିହନସ୍ୱରୂପେ,
ଅର୍ପେ ଶତଗୁଣ ଶସ୍ୟ, ତଥା ନରମଣି
ଷଷ୍ଠାଂଶ ଗ୍ରହଣ କରି ଉତ୍ପନ୍ନ ଶସ୍ୟର
ରାଜକରରୂପେ, ତହିଁ ପ୍ରକୃତିପୁଞ୍ଜର
ସାଧୁଥିଲେ ବହୁ ସୁଖ ସୁବିଧା ଉପାୟ ।
ମଣନ୍ତି ସେ ରାଜକୋଷ ସଂଗଚ୍ଛିତ ଧନେ
ପ୍ରଜାଙ୍କ ଶୋଣିତ, ତେଣୁ କପର୍ଦ୍ଦକ ତହୁଁ
ନ କରନ୍ତି ବ୍ୟୟ କେବେ ନିଜପାଇଁ ନୃପ,
ବୋଲନ୍ତି, ‘‘ପ୍ରଜାଙ୍କ ଧନ ଶଙ୍କରନିର୍ମାଲ୍ୟ ।’’
ଦୁର୍ବଳ-ପକ୍ଷପାତିନୀ ତାଙ୍କ ରାଜନୀତି,
ଆଣିଥିଲା ବାହୁଡ଼ାଇ ଯୁଧିଷ୍ଠିର ଯୁଗେ
ସୁଦୂର ଅତୀତ ଗର୍ଭୁ, ଅପନ୍ତି ଯା’କୁ ସେ
ଦଣ୍ଡ, ଦୋଷୀ ଜ୍ଞାନେ, ପୁଣି ପାଳନ୍ତି ତାହାକୁ
ପ୍ରଜାଜ୍ଞାନେ, ଅଛି ସତ୍ୟ ଶାସନ କ୍ଷମତା
ପିତାର ସନ୍ତାନ ପ୍ରତି, ମାତ୍ର ବଳେ ତହୁଁ
ପାଳନଦାୟିତ୍ୱ, ଏହା ଥିଲେ ସେ ବିଜ୍ଞାତ ।
ନୁହେଁ ଅଳଙ୍କାର ରାଜମୁକୁଟ ତାଙ୍କର,
ବରଞ୍ଚ ସେ ଅଳଙ୍କାର ରାଜମକୁଟର,
ପଦ୍ମପତ୍ର ଜଳ ମଧ୍ୟେ ଯେତିକି ଅନ୍ତର,
କିମ୍ବା ଶାଖୀ ଶାଖା ମଧ୍ୟେ ଯେତେ ବ୍ୟବଧାନ,
ତେତିକି ଅନ୍ତର ରାଏ ମଣନ୍ତି ନିଜକୁ
ପ୍ରଜାଠାରୁ, ପ୍ରଜାପ୍ରାଣେ ମିଶାଇ ସ୍ୱପ୍ରାଣ,
ମହତ ଉଦ୍ଦେଶ୍ୟ ଧରି ଅର୍ପୁଥିଲେ ହାତ
ଯେଉଁ କାର୍ଯ୍ୟେ, ସାଧୁଥିଲେ ଅନାୟାସେ ତାହା,
ସଦିଚ୍ଛାର ପଛେ ପଛେ ଥାଏ ଲୁଚି ସିନା
ସିଦ୍ଧି ଦେବୀଙ୍କର ଶୁଭ ଅବ୍ୟର୍ଥ ଆଶିଷ ।
ପ୍ରଜାପୁଞ୍ଜ ବାଞ୍ଛାବଟ ଯେପରି ନୃପତି,
ସେହିପରି ରାଜାଦେଶ ପ୍ରତିଧ୍ୱନି ପ୍ରଜା,
ଆହା, ଗଙ୍ଗା ଯମୁନାର କି ମଧୁ ମିଳନ,
ସେ ପୁଣ୍ୟ ପ୍ରୟୋଗ ତୀର୍ଥେ ନିତ୍ୟ ଅବଗାହି
ମଣୁଥିଲେ ପରସ୍ପରେ କୃତାର୍ଥ ନିଜକୁ ।
ସେ ଅମୃତ ସମ୍ମିଳନ ବିସ୍ତାରି ଚୌଦିଗେ
ଜୀବନ୍ତ ଜାତୀୟତାର ଜୀବନ୍ତ ଜୀବାଣୁ,
କଲା ରାଜ୍ୟେ ସମୁଦୀପ୍ତ ଗୌରବ-ଗର୍ବିତ,
ଉଜ୍ଜ୍ୱଳ-ଜୀବନୀ-ଶକ୍ତି ମହିମା-ପ୍ରଭାବେ ।
ମହାପ୍ରାଣ ବିକ୍ରମଙ୍କ ଯଶ-ଶଙ୍ଖ ଧ୍ୱନି
ବ୍ୟାପିଳା ଚୌଦିଗେ ମିଶି ସଦାଗତି ସହ,
ଜଳିଲା ଉତ୍ଶିଖେ ସ୍ନିଗ୍ଧେ ସ୍ୱର୍ଣ୍ଣ ଘୃତଦୀପ
କୃତିତ୍ୱର, ସେ ଆଲୋକ ଗଲା ଦେଶେ ଦେଶେ,
ପାଇ ସେ ସଙ୍କେତ ଦୂରୁ ଦୀନଦୁଃଖିଚୟ
ଉଜ୍ଜୟିନୀ ଅଭିମୁଖେ ହେଲେ ପ୍ରଧାବିତ,
ତୀର୍ଥ ଉଦ୍ଦେଶ୍ୟରେ ଯଥା ତୀର୍ଥଯାନ୍ତ୍ରିଦଳ ।
ବେତେ ଅର୍ଥଶୂନ୍ୟ କର ଲଭିଲା ପୂର୍ଣ୍ଣିତା,
କେତେ ଦୂର୍ଭାଗ୍ୟର ହେଲା ସୌଭାଗ୍ୟ ଗଠିତ,
ହତାଶ ବଦନେ କେତେ ଖେଳିଲା ଆଶାର
ଜ୍ୟେତ୍ସ୍ନା ନୃପତିଙ୍କ ଦାନେ, କେ କହିବ ତାହା ?
ଦରିଦ୍ର କ୍ରନ୍ଦନଧ୍ୱନି ପ୍ରବେଶିଲା କ୍ଷଣି
ତାଙ୍କ ସିଂହାସନ ତଳେ, ହେଉଥିଲା ତାର
ଯଥାଯୋଗ୍ୟ ପ୍ରତିକାର ଅନତିବିଳମ୍ବେ ।
ଗଲା ଦିନୁ ବୈରୋଚନ, ରଘୁ, ରାଧେୟାଦି
ଦାନବୀରେ, ଉପଯୁକ୍ତ ପୂଜକ ଅଭାବେ
ହୋଇଥିଲେ ଦାନଦେବ ଅନାଥ ସଂସାରେ,
ମାତ୍ର ଏତେ କାଳ ପରେ ଲଭି ସେ ସହାୟ
ବଦାନ୍ୟ ବିକ୍ରମାଦିତ୍ୟେ, ଦେଖାଇଲେ ପୁଣି
ଦୂର ଅତୀତର ସ୍ୱୀୟ ଗୌରବ-ଗରିମା,
ସେ ଅନନ୍ତ ଗରିମାର ଅମୃତ କିରଣେ,
ନ ରହିଲା କାହି ବିଶ୍ୱ ପ୍ରକୃତି ବଦନେ
ଦୈନ୍ୟର ଅସ୍ପଷ୍ଟ ପାଣ୍ଡୁ କ୍ଷୀଣତମଛାୟା
ନ ଥିଲା ଜଗତେ କିଛି ଅଦେୟ ତାଙ୍କର,
ପ୍ରତେ ହୁଏ, କେହି ଯଦି ମାଗିଥାନ୍ତା ପ୍ରାଣ,
ଅକାତରେ ତେବେ ତାକୁ ଅର୍ପିଥାନ୍ତେ ତାହା,
ଅତାଲକବଦ୍ଧ ତାଙ୍କ ରାଜକୋଷ ସଦା ।
ବିପୁଳ ଦାନସାଗର ସୁଜିଥିଲେ ସତ,
ମାତ୍ର ନ ଢ଼ାଳନ୍ତି କେବେ ପାଉଁଶରେ ଘୃତ,
ଅଥବା ଦୂରାଧରେ ମଧୁ । ସାତ୍ତ୍ୱିକ ସେ ଦାନ,
ନୁହେଁ ତା ଅଗ୍ରିମ ମୂଲ୍ୟ ସ୍ତବ ପ୍ରଶସ୍ତିର ।
କେବଳ ଅର୍ଥମୂଳକ ନୁହେଁ ତାଙ୍କ ଦାନ,
ଆଉ ଏକ ମହାଦାନେ ପ୍ରକୃତିକୁ ରାଏ
ଅର୍ପି ମହାଧନୀ ଆଖ୍ୟା କରିଥିଲେ ଧନ୍ୟ,
ପରମାର୍ଥମୂଳକ ସେ ଦାନ, ବ୍ରାହ୍ମଣାଦି
ଚୌବର୍ଣ୍ଣର ଧର୍ମରାଜ୍ୟେ ସମ ଅଧିକାର ।
ବ୍ରାହ୍ମଣ ପଢ଼ିବ ଶାସ୍ତ୍ର, ଉପାର୍ଜିବ ଜ୍ଞାନ,
ହେବ ଅପବିତ୍ର ଶାସ୍ତ୍ର ଶୂଦ୍ରର ପରଶେ,
ଅହୋ ! ଏ କି ଏକମୂଖୀ ନିର୍ଦୟ ପ୍ରଧାନ୍ୟ
ଦ୍ୱିଜାତିକୁଳର, ଏ କି କଠୋର ବଞ୍ଚନା,
ବିଦ୍ୟା ସାଧାରଣ ଧନ, କେବଳ ନିଜର
ମଣିବା ତାହାକୁ ଘୋର ବାତୁଳତା ସିନା,
ପବନେ ନିଜସ୍ୱ କରି କେ ପାରିବ ରଖି ?
ନୁହେଁ କି ମାନବ, ଭଲା ଯେ ବ୍ରାହ୍ମଣେତର ?
ପ୍ରତ୍ୟେକ ମାନବ ଦେହ ପରମାତ୍ମାଙ୍କର
ପବିତ୍ର ମନ୍ଦିର, ନାହିଁ ଉଚ୍ଚନୀଚ ଭେଦ,
ମଣେ ଯେ ବ୍ୟତ୍ୟୟ ଏହା, ସ୍ୱାର୍ଥକୀଟ ସେହୁ,
ଅଜ୍ଞାନ ଦୁର୍ବଳଚିତ୍ତ ସମାଜ-କଣ୍ଟକ ।
ଅପବିତ୍ରତା ଆରୋପ ଧର୍ମଶାସ୍ତ୍ରପ୍ରତି
ନିତାନ୍ତ ଅବିମୃଷ୍ୟତା, ଆବର ନିଶ୍ଚୟ
ଶାସ୍ତ୍ରର ଅବମାନନା, କରିପାରେ ଯେହୁ
ଅପବିତ୍ରେ ସୁପବିତ୍ର, ସମ୍ଭବେ କିରୁପେ
ଅଶୁଦ୍ଧତା ତାର, ହୁଏ ଲୌହ ସିନା ସୁନା
ଅୟସ୍କାନ୍ତ ସ୍ପର୍ଶେ, ମାତ୍ର ଅୟସ୍କାନ୍ତ ମଣି,
ଳଭେ କି ଅୟସଭାବ ବୟସ ପରଶେ ?
ଶ୍ରେଷ୍ଠ କାର୍ଯ୍ୟ ଅଧିକାରୀ କେବଳ ବ୍ରାହ୍ମଣ,
ବ୍ରାହ୍ମଣ କି ବିଧିସୃଷ୍ଟ ଏକା ଏ ସଂସାରେ,
ଆନ ଉପଦେବସୃଷ୍ଟ, ଅଭିଶପ୍ତ ଅବା ?
ଏହି କି ବ୍ରାହ୍ମଣ୍ୟ ଧର୍ମ, ନାହିଁ ସାମ୍ୟ ନୀତି
ଯହିଁ, ନୁହେଁ ଯେ ଧୂପିତ ପ୍ରୀତି-ମୈତ୍ରୀ-ଧୂପେ,
କେବଳ ଆତ୍ମାଭିମାନ, ନୀଚ ପ୍ରତାରଣା
ଯାର ମୂଳଭିତ୍ତି, ଧର୍ମ ଯେବେ ସେହୁ, ତେବେ
କୋଟିଗୁଣେ ଶ୍ରେୟ ବରଂ ଅଧର୍ମୋପାସନା ।
ଯେ ଜାତି ଦେଖାଇ ମହାତ୍ୟାଗର ଆଦର୍ଶ
ମଣ୍ଡିଥିଲେ ବିଶ୍ୱୋଜ୍ଜ୍ୱଳ ଗୌରବ-କିରୀଟ
ଆର୍ଯ୍ୟସମାଜର ଶିରେ, ହାୟ, ସେହି ଜାତି,
ହୋଇ ଏବେ ସ୍ୱାର୍ଥପର, ପରଶ୍ରୀକାତର,
ବୋଲିଲେ କଳଙ୍କ-କାଳି ସମାଜ-ବଦନେ ।
ବିଶ୍ୱହିତେ, ଦେବହିତେ ତେଜିଲେ ଶରୀର
ମହର୍ଷି ଦଧୀଚି ମୁଦେ, ଏହାଠାରୁ ବଳି
ତ୍ୟାଗର ଦୃଷ୍ଟାନ୍ତ ଆନ କି ଅଛି ମହୀରେ ?
ତାଙ୍କ ବଂଶଧରେ ଏବେ ଅର୍ପି ଜଳାଞ୍ଜଳି
ସେ ପୈତୃକ ଯଶେ, କଲେ ସ୍ୱାର୍ଥକୁ ସଙ୍ଖାଳି ।
ଉଦର ସେବାର୍ଥେ ପୁଣି ସୃଜି ଧର୍ମ ନାମେ
ଅଧର୍ମ ଆଚାର, ନାନା, ପ୍ରେତବଳି ଆଦି
ବୃଥା କୁଟକାଣ୍ଡେ, (ସର୍ବେ ଅକର୍ମ-ସେବକ)
ଛାନ୍ଦି ନାନା କର୍ମ-ଜାଲେ ସମାଜ ପୟରେ,
ଶୋଷି ନାନାଭାବେ ରସ ହୃଦୟ ତାହାର
ରଖିଛନ୍ତି କରି ତାକୁ ଅଥର୍ବ ଅସାଢ଼,
ହୋଇ ସମଦଶାପନ୍ନ, ନିଖଟୁପଣରେ
ଅଧୋଗତିକୁ ପ୍ରାଧାନ୍ୟ ମଣି ଭ୍ରାନ୍ତେ ହାୟ !
ସାମାନ୍ୟ ଦୁର୍ଭାଗ୍ୟ, ଏ କି ସ୍ୱଳ୍ପ ଅନୁତାପ !
ନ ତୁଟିଲେ ଦ୍ୱିଜାତିର ଏ ସ୍ୱାର୍ଥ-ଶିକୁଳି,
ଦେଶର ବା ସମାଜର କାହିଁ’ଛି କଲ୍ୟାଣ ?
ଧର୍ମର ଏ ସଂକୀର୍ଣ୍ଣତା ଅଧଃପାତହେତୁ,
ଆର୍ଜିବ-ବର୍ଜିତ ଯେଉଁ ଧର୍ମର ସରଣୀ,
ବିସ୍ତୃତି ଯାହାର ସୀମାବଦ୍ଧ, ଅପୂର୍ଣ୍ଣ ସେ,
ଭାବି ଏହା ନୃପ, ଦେଲେ ରାଜ୍ୟରେ ଘୋଷଣା
‘‘ବ୍ରାହ୍ମଣ-ପ୍ରାଧାନ୍ୟ ହେଲା ଆଜହୁ ରହିତ,
ଶାସ୍ତ୍ରପାଠେ ନ ରହିବ ଆଉ ତାହାଙ୍କର
ଏକାଧିପତ୍ୟ, ସକଳେ ଜାତିନିର୍ବିଶେଷେ
ହେବେ ଅଧିକାରା ତହିଁ, ସମଭାବେ ସଦା ।’’
ଶୁଣି ଏ ମଙ୍ଗଳାଦେଶ ନାଗରିକଜନେ
ପୁଲକ-ପ୍ରଫୁଲ୍ଲ କଣ୍ଠେ ବିକ୍ରମଙ୍କ ନାମେ
ଉଚ୍ଚାରିଲେ ଧନ୍ୟ ଧନ୍ୟ ଜୟଜୟକାର ।
ଏହିରୂପେ ଛେଦି ବହୁ ସ୍ୱାର୍ଥାଚାର-ତରୁ,
(ବହୁକାଳୁ ବଦ୍ଧମୂଳ, ଶାଖା-ପ୍ରଶାଖିତ)
କୁସଂସ୍କାର ଆକ୍ରମଣୁ ରଖିଲେ ସମାଜେ,
ରଖେ ଯଥା ପ୍ରଭଞ୍ଜନ ଘଉଡ଼ି ଭ୍ରମରେ
ନିଖଳ ଲାବଣ୍ୟରାଣୀ ସୂତନ୍ୱୀ ସୁମନେ ।
ଦୂର କରି ଆବର୍ଜନା ସମାଜ-ଦେଉଳୁ,
ବିଶୁଦ୍ଧ ସଂସ୍କାର-ଚୁନ ଚଢ଼ାଇଲେ ତହିଁ,
ହେଲା ପୁନର୍ଦ୍ଦୀପ୍ତ ସତ୍ୟ ଧର୍ମର ମହିମା ।
ଥିଲା ପର-ଉପକାର ବିକ୍ରମାର୍କଙ୍କର
ଆଶୈଶବ ଧୃତବ୍ରତ, ପାଇଲେ ସେ ତାହା
ହୁଅନ୍ତି ଆତ୍ମବିସ୍ମୃତ, ଭୁଲିଯାନ୍ତି ପୁଣି
କ୍ଷୁତ୍ପିପାସା, ନିଦ୍ରା, ମଣି କୋଟିନିଧିଲାଭ,
ଜୀବନର ଏକମାତ୍ର ପ୍ରିୟ ସେ ତାଙ୍କର ।
ଏହି ବ୍ରତ ହେତୁ ତାଙ୍କୁ ସଙ୍କଟ କବଳେ
ପଡିବାକୁ ହେଉଥିଲା କେତେ କେତେ ଥର
ମାତ୍ର ତାହା ନ ଛାଡ଼ିଲେ ତେବେ ସୁଦ୍ଧା ରାଏ ।
ଜଳେ ବହ୍ନି କରିପାରେ ବରଂ ତନୁତ୍ୟାଗ,
ତଥାଚ ନ କରେ ସ୍ୱୀୟ ଉଷ୍ଣତା ବର୍ଜନ ।