ଭାଗ ୪ — ସାରଳା ମହାଭାରତ ଉଦ୍ୟୋଗ ପର୍ବ — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଶ୍ରୀକୃଷ୍ଣଙ୍କର ପ୍ରଥମ ଥର କୁରୁସଭାକୁ ଗମନ ଏବଂଅପମାନ ଓ ବଳି ରାଜାର ଉପାଖ୍ୟାନଶୁଣନ୍ତେ ଧର୍ମ ଅର୍ଥ କାମ ମୋକ୍ଷ ପ୍ରାପ୍ତ ହୋଇ ସର୍ବଜନ ହିତେ ମୁଂ ବଞ୍ଚାଇଲି ଉଦିଯୋଗ ପର୍ବ ।୧ ।ଦୁଧ ମଧୁ ସାକର ମିଶ୍ରିତ ପିବନ୍ତେ ଯେହ୍ନେ ରସତହିଂ କି ତତ୍ତୁଲ୍ୟ ନରେ ହୃଦ ଗତେ ଅଭ୍ୟାସ ।୨ ।ଯାହା ସେ କହିଲେ ବିଦୁର ମହାତମାଧୃତରାଷ୍ଟେ ବୋଇଲେ ସାଧୁ ସାଧୁ ତୋ ମହିଂମା ।୩ ।ମୁହିଂ ହାଦେ ଜଗନ୍ନାଥଂକୁ ସର୍ବଦା ହୋଇଥାଇ ଭଗତିକୁପୁତ୍ର ଉପୁଜାଇ ମୁଂ ପାଇଲି ଅଗତି ।୪ ।ୟେତ ପଣ୍ଡିତ ନାମେ ବିଚାରି ଜାଣେ ସଙ୍ଗତି ସର୍ବସୁର ସିଦ୍ଧ ମୁନି ଯେ ଚିନ୍ତନ୍ତି ବାସୁଦେବ ।୫ ।ସନ୍ନିଧ୍ୟେ ଧୃତିରାଷ୍ଟେ ଶ୍ରୀ ହରି ଚରଣେ ପରିଣାମିଅନୁଗ୍ରହ ନାଥ ସେ ଜାଣଇ ସର୍ବସ୍ୱାମୀ ।୬ ।କୋଟିୟେ ମିହଂମା ଯାହାର ପ୍ରଳୟାନ୍ତ ଯୋଗଧାନକେ ତାହା ଲୟେ କରି ମଣାଇବ ଜନ ।୭ ।ଧୃତିରାଷ୍ଟ ବୋଇଲେ ତୁ ସର୍ବ ସୋଦର ହରିକିମର୍ଥେ ନାରାୟଣ ବିଜୟେ ମମପୁରୀ ।୮ ।ଇଦଂ ବାକ୍ୟ ଯେ ଶ୍ରୀ ବାସୁଦେବ କଥୋପିଯେବଣ ଅର୍ଥେ ପିତାମହ ଗବନ ଅଦ୍ୟାପି ।୯ ।ଯୁଝେଷ୍ଠି ଦେବ ଆଦି ତୋହୋର ଅଟନ୍ତି ପଞ୍ଚୁପୁତ୍ରଅରଣ୍ୟେ କଷ୍ଟ ସେ ପାଇଲେଣି ବହୁତ ।୧୦ ।କନ୍ଦମୂଳ ଭକ୍ଷିଣ ସେ ମାଗିଲେ କଣ ଭିକ୍ଷାଛତ୍ରି କୁଳେ ଜନ୍ମ ହୋଇ ଭିକ୍ଷା କଲେ ଦୀକ୍ଷା ।୧୧ ।ଯାବତ ତୀର୍ଥ ଯେ ଦେଶାନ୍ତର ବୁଲିଭିକ୍ଷା ମାଗି ବଞ୍ଚିଲେ ସେ ଧୃତିରାଷ୍ଟ ପୁତ୍ରବୋଲି ।୧୨ ।ୟେହା ତୁ ବିଚାର ନକରୁ କିମ୍ପାଇ କୁରୁ ରାଜମୋହୋର ବିଚାରେ ତୋତେ ହୋଇ ବଡ଼ ଲାଜ ।୧୩ ।ରାଜ ଅଭିଷେକ ସେ ହୋଇଲେ ବିରାଟେବାରୁଣା ବନ୍ତେ ଆସି ରହିଲେ ନିକଟେ ।୧୪ ।ଯହିଂ ସେ ଜନମି ତହିଂ ସେ ଯେ ଭ୍ରମିସବ୍ୟ ହୋଉ କି ଅସବ୍ୟ ହୋଉ ଯାହାର ଯଉଂ ଭୂମି ।୧୫ ।ଶ୍ରୀ ବାସୁଦେବ ବଚନେ ଧୃତିରାଷ୍ଟ ପରମ ଶାନ୍ତିତୋହୋର ବଚନେ ମୋର ଫିଟିଲା ମନ ଭ୍ରାନ୍ତି ।୧୬ ।ଦଧି ବାମନ ସୁମରି କାର୍ଯ୍ୟ କରି ଅନୁବ୍ରତତୁ ତାହାନ୍ତ ସମାର୍ଜନା କରି ଆସ ତାତ ।୧୭ ।ସନ୍ନିଧ୍ୟେ ବସାଇ କରସି ନିବର୍ତ୍ତପଡ଼ା ପାଞ୍ଚଖଣ୍ଡ ସେ ଦେଉ ନରନାଥ ।୧୮ ।ଧୃତିରାଷ୍ଟ ବୋଇଲେ ତୁମ୍ଭେ ଶୁଣିମା ଦେବହରିମୁଂ ତାହାନ୍ତ ନୁଆରଇ ସମାଧାନ କରି ।୧୯ ।ଯୁଝେଷ୍ଠିରଂକ ଚିତ୍ତ ହୋଇଲାଣି ବିଚଳିତତାହାନ୍ତ ଆବର କେ କରିବ ସନ୍ଧିଗତ ।୨୦ ।ପୁଣ ପୁଣ ଧୃତିରାଷ୍ଟ ବଚନ ନିବର୍ତ୍ତି
ଅପାର ଅନ୍ତର କଥା ହୋଇବ କି ପ୍ରୀତି ।୨୧ ।
ଗୋବିନ୍ଦେ ବୋଇଲେ ତାତ ସେ ନ ଥାନ୍ତି ସନ୍ନିଧାନେ
ଦୂରେ ହେଂ ଥାଇଣ ସେ ବାସେ କରନ୍ତି ପଞ୍ଚୁ ଜନେ ।୨୨ ।
ଅରଣ୍ୟେ ଥିଲେ ପୁଣ ତାହାଂକର ତୋତେ ଚିନ୍ତା
ତୁହି ସେ ହୋଇଲୁ ତାହାଂକର ଈଶ୍ୱର ଦେବତା ।୨୩ ।
ଭାଗ୍ୟ ବନ୍ତ ପୁରୁଷେ ଯେହ୍ନେ ଈଶ୍ୱରେ ନ ଦେଖିଲେ
ପାଣ୍ଡବେ ନ ବ୍ରତନ୍ତି ତେହ୍ନେ ତୋତେ ଆର୍ଧନା ନ କଲେ ।୨୪ ।
ତୋହୋର ପୋଷିବା ୟେବେ ତାହାଂକୁ ଯୋଗାଇ
ପଡ଼ା ପଞ୍ଚଖଣ୍ଡ ହାଦେ ଦେବୁ ଯେ ତାହାଂକୁଇ ।୨୫ ।
ଲକ୍ଷେ ଯୋଜନରେ ତୁହି ସେ ଅଟୁ ଅଧିକାରୀ
କିଞ୍ଚିତ କରି ପଡ଼ା ପାଞ୍ଚଖଣ୍ଡି ଦିଅ ସେ କଣକେ ଥାନ୍ତୁ ପଡ଼ି ।୨୬ ।
ଧୃତିରାଷ୍ଟେ ବୋଇଲେ ୟେ ବେଭାର ଯୁଗତେ
ୟେ ତୋହୋର ବିଚାରକି ଯୁଝିଷ୍ଠି ବୋଇଲା ତୋତେ ।୨୭ ।
ତୁ ଯେବେ ବିଚାର ୟେହା କଲୁ ହୋ ଦେବରାୟେ
ସେହି ବାଗେ ଥିବ ସେ ପଣ୍ଡୁର ପାଞ୍ଚପୋୟେ ।୨୮ ।
ସନ୍ନିଧ୍ୟେଣ ଥିଲେ ସେ ନୋହଇ ପୀରତି
ପଡ଼ା ପାଞ୍ଚ ଖଣ୍ଡି ମାଗ ହୋ ଶ୍ରୀପତି ।୨୯ ।
ଧୃତିରାଷ୍ଟ ବୋଇଲେ ହରି ସଭାକଇଂ ବିଜେକର
ଶାନ୍ତି ପ୍ରାୟେ କରି କହ ଦ୍ରିଯୋଧନର ଆଗର ।୩୦ ।
ହରି ତୋହୋର ମଧ୍ୟସ୍ଥ ପଣେ ମୁହିଂ ନିସ୍ତରିଲି ନିସ୍ତରିଲି
ସାନନ୍ଦ ଭଜିଣ ପରମ ଗତି ଯେ ଲଭିଲି ।୩୧ ।
ଗାନ୍ଧାରୀ ବୋଇଲା ଶୁଣ ହୋ ବାସୁଦେବ
କଉତୁକ ଉପୁଜାଇ କଥା କରିବ ପ୍ରସ୍ତାବ ।୩୨ ।
ଯଦି ଓହୋ କୁଳ ଆସି ଅଛୁନି କରି ରକ୍ଷା
ଯଦି ତୋର ସମବଂଶ ଉଦିଲ କରିବାକୁ ବାଞ୍ଛା ।୩୩ ।
ସମରାଜ୍ୟ ଗୋଟି ଅଛି ମାନଚକ୍ରବ୍ରତୀ
ବଡ଼ ଗ୍ରାମ ମାଗିଲେ ହରି ଉପୁଜିବଟି ଅପ୍ରୀତି ।୩୪ ।
ତୁହିତ ଜଗତମୋହନ ସ୍ୱାମୀ ସଂସାର ହିଂ ପାରୁ ଭଣ୍ଡି
କଣ କଳ୍ପ କରି ମାଗ ପଡ଼ା ପାଞ୍ଚଖଣ୍ଡି ।୩୫ ।
ହରି ଆବର କଥାୟେ ତୋତେ ମୁଂ କହଇ ବିନୟ ଭାବେ
ସଭାରେ ପଡ଼ା ଦୁଇ ଖଣ୍ଡି ଆହୋ ମାଗ ହୋ ବାସୁଦେବେ ।୩୬ ।
ପଡ଼ା ବେନି ଖଣ୍ଡ ପାଇଲେ କରି ପାରିନା ସର୍ବ ବୁଦ୍ଧି
ପୁଣି ଅବନ୍ଦେକ ପଡ଼ାୟେ ମାଗୁକିନା ଗୋବିନ୍ଦି ।୩୭ ।
ଗୋବିନ୍ଦେ ବୋଇଲେ ମାଗୋ ତୁ ତିନି ଭୁବନରୁ ଅନାଦି ଅପର୍ଣ୍ଣା
ୟେ ତୋହୋର ଆଗ୍ୟାଂ ମୋତେ ପାଷାଣ ଗାର ସିନା ।୩୮ ।
ଯୁଝେଷ୍ଠି ଭୀମା ହାଦେ ତ୍ରିପୁତି ହୋଇଥିଲେ
ଆଉ ମାନେ ଶାନ୍ତି ହୋଇବେଟି ମୋହୋର ବୋଲେ ।୩୯ ।
ଗାନ୍ଧାରୀ ବୋଇଲେ ତୁ ଶୁଣ ଗୁଣ ସାଗର ଦେବରାଜ
ମୂର୍ଖନ୍ତ ସମାଦି ନାଥ ଘେନିମାକ କାର୍ଯ୍ୟ ।୪୦ ।
ଗାନ୍ଧାରୀ ଧୃତରାଷ୍ଟ ଯେ ବିନୋୟୀ ବାସୁଦେବଂକ ପୟରେ
ଦଣ୍ଡ ପ୍ରଳମ୍ୱିତ ହୋଇଲେ ସଞ୍ଜୟେ ବିଦୁରେ ।୪୧ ।
ସ୍ୱାମୀ ୟେବେ ବିବାଦ ପଡ଼ିଲା ବେନି କୁଳେ
ତୁ ୟେହା ସମାର୍ଜନା କରିବୁନା ୟେତେବେଳେ ।୪୨ ।
ସବୁନ୍ତି ସନାଦି ଯେ ଦେବାଧି ଦେବରାଜେ
ହସ୍ତିନା ସଭାକଇଂ ନାରାୟଣ କଲେ ବିଜେ ।୪୩ ।
ମହାସମ୍ଭର୍ବେ ଆସ୍ତାନେ ବିଜେ ମାନଚକ୍ରବ୍ରତି
ଭୀସ୍ମ ଦ୍ରୋଣ ଭୂରିସର୍ବା ଶଲ୍ୟ ବାଲହିକ ମହାରଥୀ ।୪୪ ।
ସୋମଦତ୍ତ କର୍ଣ୍ଣ ବିକର୍ଣ୍ଣ ଅଶସ୍ତାମା ଯଦ୍ୟରଥ
ବିଦୁର କୃତବର୍ମା ଅଳମ୍ୱୁଷ ଆବର ସୁରଥ ।୪୫ ।
ଆସ୍ଥାନେ ରାଜା ସନ୍ନିଧ୍ୟେ ବିଜୟେ ଶକୁନି
ରାଜ୍ୟ ସମାର୍ଜଇ ଭୂତ ଭବିଷ୍ୟ ପୋଥି ଘେନି ।୪୬ ।
ଶତେ ପଦ୍ମ ମୁକୁଟ ବନ୍ଧା ଯୋଦ୍ଧା ଅଛନ୍ତି ପଟୋଆରି
ନବଶତ ପାରିଦଣ୍ଡ ରାଜାକୁ ଅଛନ୍ତି ଉଭାରି ।୪୭ ।
ବିଜୟେ ବୀରତୂର ନବଲକ୍ଷ ସାଜି
ବିହଡ଼ନ୍ତି ରାଉତେ ଯେ ପବନୁ ବେଗ ତେଜି ।୪୮ ।
ଲକ୍ଷେକ ପାଟଛତ୍ର ଉଭାରନ୍ତି ବେନି ପାଖେ
ବେନି ଲକ୍ଷ ଆଲମ୍ୱ ଉଦଣ୍ଡ ବେନି ଲକ୍ଷେ ।୪୯ ।
ପାଞ୍ଚଲକ୍ଷ ୟେକ ଲକ୍ଷୀ ବିମଳମାନ ଲକ୍ଷେ
ସୁରଇନ୍ଦ୍ର ପ୍ରାୟେକ ରାଜା ବିଜୟେ ପ୍ରତକ୍ଷେ ।୫୦ ।
ମଜୁର ଝାଲି ଛତ୍ର ପାଞ୍ଚ ଅହିବ୍ରତ
ବିଲମ୍ୱ ପାଟଛତ୍ର କେ ପାରିବ ଲେଖିତ ।୫୧ ।
ଲକ୍ଷେକ ଆଲଟ ଯେ ଆଗରେ ପଡ଼ଇ
ସୁବର୍ଣ୍ଣ ବନ୍ଧା ଶଙ୍ଖ ଲକ୍ଷେକ ଫୁରଇ ।୫୨ ।
ଢୋଲ ଟମକୁ ଦମାଲୁ ମହୁରୀ ନାଦେ
ୟେଡ଼େକ ବାଦ୍ୟ ଯେ ବାଜନ୍ତି ସମସ୍ତ ଭେରୀ ବାଦ୍ୟେ ।୫୩ ।
ୟେକାଦଶ କ୍ଷଉଣୀ ସଇନି ଅଛନ୍ତି ପଟୋଆରୀ
ଦମା ଦୁନ୍ଦୁଭି ମହୁରୀ କାହାଳୀ ବାଜଇ ଲକ୍ଷଚାରି ।୫୪ ।
ଧୁଶାସନ ଦୁର୍ଜୟ ଦୁରନ୍ତ ଦୁରାକର୍ଣ୍ଣ
ଦୁର୍ବାଳ ଦୁକର୍ଣ୍ଣ ଦୁର୍ଭାଷ ଦୁରାଶନ ଦୁର୍ଜନ ।୫୫ ।
ଦୁର୍ମତି ଦୁର୍ବିନ୍ଦ ଦୁର୍ଦଣ୍ଡ ଦୁର୍ଭାବ ଦୁର୍ମନ
ଦୁରାନନ ଦୁରାମ ଦୁର୍ମଦ ଦୁର୍ଭାନୁ ଦୁଷଣ ।୫୬ ।
ଦୁରାନ୍ତକ ଦୁର୍ଦକ୍ଷ ଦୁଷନ୍ତେକ ଦୁଷଂକ
ଦୁରାୟନ ଦୁର୍ମର୍ଷଣ ଦୁର୍ଦ୍ଦଂସ ଦୁରକ୍ଷକ ।୫୭ ।
ୟେ ବିଧି ମାନଗୋବିନ୍ଦର ଶତେଭ୍ରାଥ ହୋୟେ
ଦୃଭାସାଂକ ମନ୍ତ୍ରେ ଜାତ ଦୁର୍ନାମ ଅଟନ୍ତି ସଭିହେଂ ।୫୮ ।
କରେଣ ଗଦା ମୁଦୁଗର ଶକ୍ତି କୁନ୍ତ ଜାଠି କାତି
ବିଜେକର୍ଣ୍ଣ କଟାରୀ ଭାଲ ଲାଂକିଆ ଝଲକନ୍ତି ।୫୯ ।
କୁଠାର ତୋମର ଖଡ଼ଗ ପୁଣି ତୀକ୍ଷମୁନା
ଗୁରୁଜ ଶାବେଳୀ କୃପାଣ ବଜ୍ରସେହ୍ନା ।୬୦ ।
ବାଜି ବାରଣ ଆସ୍ତାନ ତଳେଣ ଆବୋରି
କରନ୍ତି ନିଶୋଧନ କରେଣ ଶସ୍ର ଧରି ।୬୧ ।
ନିରସ୍ତକ ଆସ୍ତାନେ ସମ୍ଭର୍ବେ ବିଜୟେ କଉରୋବେ
ବିଦୁର ସଞ୍ଜୟ ମଧ୍ୟେଣ ବିଜୟେ ବାସୁଦେବେ ।୬୨ ।
ଶିରରେ ଲମ୍ୱିତ ଜୁଡ଼ ଯେ ତ୍ରିକଚ୍ଛ ବସନ
ଶ୍ରୀ କରେଣ ଦ୍ୱାଦଶ ଚିତା କୁଶବଟୁ ଶ୍ରୀବତ୍ସଲାଞ୍ଛନ ।୬୩ ।
ନବ ଗୁଣ ପଇତା ଯେ ସୁସଞ୍ଚ ଉତୁରି
କଣ୍ଠେଣ ତୁଳସୀ ମାଳ କରେଣ ଜପାମାଳି ।୬୪ ।
ଜଳଧର ମେଘେ ଯେହ୍ନେ ଝଟକଇ ଚପଳା
ଦରହସିତ ବଦନ ସ୍ୱାମୀର ବିରାଜିତ ଦଶନ ମାଳା ।୬୫ ।
କଣ୍ଠରେ ଶୋଭାବନ ଦିଶଇ ବନମାଳା
ଶୁଦ୍ଧ ଝୀନ ବସନ କଟିତଟେ ମେଖଳା ।୬୬ ।
ଶୁଦ୍ଧ ଝଳିତ ହୀରା ଦଶନହ ଜ୍ୟୋତି ବିକାଶି
ଚାଲନ୍ତେଣ ସିଂହଠାଣି ଦିଶଇ ଭୂମିକି ଆକ୍ରୋଶି ।୬୭ ।
ବଶିଷ୍ଠ ବିଶ୍ୱାମିତ୍ର ବାମଦେବ ମାର୍କଣ୍ଡ
ବ୍ୟାସ ବାଲମିକ ଭାରଦ୍ୱାଦଶ ଉତ୍ତଂକ ବିଭାଣ୍ଡ ।୬୮ ।
ୟେହାଂକର ମୂଳେ ବାଳଖିଳା ଲକ୍ଷେ
କୋଶକ ଅନ୍ତରେ କଉରବଂକୁ ସ୍ୱାମୀ ଦିଶିଲେ ଶ୍ରୀବତ୍ସେ ।୬୯ ।
ବାରଣ ଉପରେ ଥାଇ ଯେ ଦେଖିଲା ଧୁଶାସନ
ସଭାକଇଂ ଆସୁଅଛନ୍ତି ନନ୍ଦସୁତ ଯେ କାହ୍ନ ।୭୦ ।
ଆସ୍ତାନେ ଥାଇଣ ଯେ ଦେଖିଲା ରାଜା ଧୃତିରାଷ୍ଟି
ସମସ୍ତ ସେନାମାନେ କଲେ ୟେକ ଦୃଷ୍ଟି ।୭୧ ।
ଭୀଷ୍ମେ ବୋଇଲେ ଆଜ ଆମ୍ଭର ଜୀବନ ବଡ଼ ଧନ୍ୟ ଧନ୍ୟ
ପ୍ରତକ୍ଷେ ଦେଖିବା ଆମ୍ଭେ ଶ୍ରୀ ନାରାୟଣଂକ ବଦନ ।୭୨ ।
ୟେ ଦ୍ୱାପର ଯୁଗ ଲୋକଂକ ଜୀବନ ଧନି ଧନି
ଶ୍ରୀଜଗନ୍ନାଥେ ବୁଲୁଛନ୍ତି ମାନବ ଦେହଘେନି ।୭୩ ।
ଶତ୍ରୁ ହୋଉକି ଅବା ମିତ୍ର ପୁଣ ହୋଉ
ଶରୀର ବିସର୍ଜିବା ନାରାୟଣ ମୁଖ ଚାହୁଂ ଚାହୁଂ ।୭୪ ।
ସାଧୁ ୟେ ପାଣ୍ଡବଂକ କୁଳ ଧନି ଧନି
ସାଧୁ ୟେ ସୋମବଂଶ ଆଜ କଉରୋବ ସଇନି ।୭୫ ।
ବ୍ରହ୍ମଲୟେ କରିଣ ଚିନ୍ତନ୍ତି ଯାହାଂକୁ
ଶତ୍ରୁ ପଣ କରି ଆମ୍ଭେ ଦେଖୁଅଛୁଂ ତାହାଂକୁ ।୭୬ ।
ୟେ ପୁଣ ଆମ୍ଭର ଜୀବନ ଧନ୍ୟ ଧନ୍ୟ
ଚକ୍ର ମାରି ଶିର ଛେଦଇ କି ଜନାର୍ଦ୍ଦନ ।୭୭ ।
ଶରୀର ତେଜେ ଯେ ନାରାୟଣଂକ ମୁଖ ଚାହିଂ
ଗଙ୍ଗା ଗୟା ଆଦି ତୀର୍ଥ କଲେ କିସ ହୋଇ ? ।୭୮ ।
କଉରୋବ ସଭାରେ ଯେ ସୁଫଳ ଜୀବନ ଆଜ
ଆସ୍ତାନେ ପଡ଼ିବ ଆଜ ବାସୁଦେବଂକ ପାଦ ରଜ ।୭୯ ।
ଶକୁନି ବୋଇଲା ଶୁଣିମା କଉରୋବ ରାୟେ
ମୁଂ ୟେହା ବୁଝଇ ପାଣ୍ଡବଂକ ଦୂତ ପ୍ରାୟେ ।୮୦ ।
ଦ୍ରୋଣେ ବୋଇଲେ ୟେହା କହିତ କି ପାରି
ଅନାଦି ପୁରୁଷ ନାଥ ୟେ କାହାର ଦୂତକାରୀ ।୮୧ ।
ଦ୍ରିଯୋଧନ ବୋଇଲା ଆସନ୍ତୁ ନାରାୟଣ
ସବ୍ୟକି ଅସବ୍ୟ କଥା ବୁଝିବା ୟେହିକ୍ଷଣ ।୮୨ ।
ଶକୁନି ବୋଇଲେ ୟେ ନନ୍ଦ ମହାଖୁଡ଼ର ପୁତ୍ର
ଯୁଗତେ ଯଶୋବନ୍ତି ଗୋପାଳୁଣୀ ଗର୍ଭରୁ ସମ୍ଭୁତ ।୮୩ ।
ଦୁରାନ୍ତକ ପାତକ ୟେ ଅରଜିଲା ବାଳକାଳେ
ପ୍ରୋହିଣୀକି ମାଇଲା ୟେ କ୍ଷୀରପାନ ବେଳେ ।୮୪ ।
ଷଣ୍ଢାକୁ ମାଇଲା ୟେ ଗୋଗୋଷ୍ଠେଣ ପଶି
ଗୋହତ୍ୟା ସ୍ତିରୀ ହତ୍ୟା ଅଛି ୟେହାର ଶରୀରେଣ ବସି ।୮୫ ।
ଭୀଷ୍ମେ ବୋଇଲେ ତୁ ବୋଇଲୁ ନ ଜାଣି
ଶରୀର କମ୍ପଇ ଆମ୍ଭର ତବବୋଲ ଶୁଣି ।୮୬ ।
ନାନାପାତକ ଯେ କରନ୍ତି ଅଗିଆନେ
ସମସ୍ତ ପାତକ ଖଣ୍ଡଇ ଶ୍ରୀ ନାରାୟଣ ଦରଶନେ ।୮୭ ।
ଯେ ଯିସ ପାତକ କରିଥାଇ ଜନ୍ମେ ଜନ୍ମେ
ସମସ୍ତ ଖଣ୍ଡଇ ହୋ ଶ୍ରୀ ନାରାୟଣ ଦରଶନେ ।୮୮ ।
ଶକୁନି ବୋଇଲା ତୁମ୍ଭେ ଶୁଣ ଗୁରୁଦ୍ରୋଣ
ଗୋହତ୍ୟା ଦୋଷ ମୋହୋର ତହୁଂ ସାବଧାନେ ଶୁଣ ।୮୯ ।
ବିଷ୍ଣୁଗର୍ଭ ବୋଲିକରି ୟେକଇ ସତ୍ୟ ଯୁଗେ
ସୋମେକ ନାମେ ଈଶ୍ୱର ବସଇ ହଟକେଶ୍ୱର ସ୍ୱର୍ଗେ ।୯୦ ।
ମିଥୁନ ମାସ ଶୁକ୍ଳ ପକ୍ଷ ଦଶମୀର ତିଥି
ଶଉରିବାର ସେହି ଦିନ ନକ୍ଷତ୍ର ଭୋଗ୍ୟ ସ୍ୱାତୀ ।୯୧ ।
କରେଣ କୁଠାର ଘେନିଣ ସୋମକ ଧୂର୍ଜଟି
ପୁଣ୍ୟତୋୟା ତୀର୍ଥରୁ ସେ କୁଶ ବିଡ଼ିୟେ କାଟି ।୯୨ ।
ଗଙ୍ଗାର ତୀରେ ଈଶ୍ୱରେ ଥୋଇଲେ କୁଶ ବିଡ଼ି
ଗୋମାତା କପିଳା ତାହା ଭକ୍ଷିଲା ଆଧାର କରି ।୯୩ ।
ସେ ରୁଦ୍ର ଧୂର୍ଜଟି ୟେ ଧାଇଂଲେ ଅତି ବେଗେ
ଗୋ ମାତା କପିଳାକୁ ପ୍ରହାର କଲେ ରାଗ ।୯୪ ।
ଗୋ ମାତାଂକ ଶିର ଛିଡ଼ିଲା ଈଶ୍ୱରଂକ ପ୍ରହାରେ
ସେ ମୁଣ୍ଡ ଗୋଟି ଲାଗିଲା ଈଶ୍ୱରଂକ କରେ ।୯୫ ।
ଅନେକ ତୀର୍ଥ କରି ହର ନୁଆରିଲେ ପାପ ଧ୍ୱଂସି
ଆକାଶ ବ୍ରହ୍ମାଣ୍ଡେ ହର ନୁଆରିଲେ ପଶି ।୯୬ ।
ଅଲୋପ୍ୟ ପାତକ ଯେ ଗୋହତ୍ୟାର ଦୋଷ
ଈଶ୍ୱରେ ଅପୂଜ୍ୟ ହୋଇଲେ ତିନି ଭୁବନ ଆକାଶ ।୯୭ ।
ତହୁଂ ଭଇରୋବ ରୂପ ସେ ହୋଇଲେ ପ୍ରଚଣ୍ଡ
ଅଦ୍ୟାପି ଈଶ୍ୱର ହାଥେ ଅଛଇ ଗୋମୁଣ୍ଡ ।୯୮ ।
ଶକୁନି ୟେହା କହିଲା ଯେ କଉରୋବ ସଭାର
ଈଶ୍ୱର ଦେବତାଂକ ଗୋହତ୍ୟା ଦୋଷ ନ ଗଲାକ ପାର ।୯୯ ।
ତାଂ କହୁଂ ଶ୍ରେଷ୍ଠ କି ନନ୍ଦ ଗଉଡ଼ ପୁଅ କାହ୍ନ
ଗୋହତ୍ୟା ଦୋଷ ବସିଲା ୟେହାର ଶରୀରେଣ ।୧୦୦ ।
ଗୋହତ୍ୟା ସ୍ତିରୀ ହତ୍ୟା ଦୋଷ ଅଛୟଟି ୟେହା ଅଙ୍ଗେ
ୟେ ରାଜସଭାରେ ବସିବ ସେ କେବଣ ଯେବାଗେ ।୧୦୧ ।
ବଢ଼ିଲା ଗୋପାଳଂକ ମେଳେ କାଦମ୍ୱରୀ ରସଖେଡ଼େ
ଗଉରୋବ ସ୍ତିରୀଂକି ୟେ ରମିଲା ରଂଗ ଖେଡ଼େ ।୧୦୨ ।
ଜନ୍ମେଣ ଅଜାତିକ ଆବର ଦୋଷକାରୀ
କୁଜନେ ଗୋଷ୍ଠୀ ହୋଇଲେ ନର୍କଗତି ସରି ।୧୦୩ ।
କୁଳକ୍ଷୟେ ମନ୍ତ୍ରୀ ଯହୁଂ କହିଲା କୂଟ ବୁଦ୍ଧି
ଦୁଷ୍ଟ ଯୋଦ୍ଧା ମାନେ ତହିଂ ଆସ୍ତାନ ନିରୋଧି ।୧୦୪ ।
ବାଟ ଆବୋରିଣ ତହିଂ ବସିଲା ଧୁଶାସନ
ଅନେକ ଯେ ତହିଂ ଯୋଦ୍ଧା ପୂରିତ ଗହନ ।୧୦୫ ।
ଆସ୍ତାନକୁ ବିଜୟେ କରନ୍ତେ ଦେବ ହରି
ବେଳ ଉଦୟେ ଆସି ହୋଇଲା ଦଣ୍ଡ ଚାରି ।୧୦୬ ।
ବିଜେ କଲେ ବାସୁଦେବ ଆସ୍ତାନର ତଳେ
କାହାକଇଂ ବାଚା ନ ଶୁଭଇ ସଭାର ଗହଳେ ।୧୦୭ ।
ତେର ପାବଚ୍ଛ ଯେ ସଭାକଇଂ ବାଟଗୋଟି
ପାଞ୍ଚ ପାବଚ୍ଛ ପରିଯନ୍ତେ କେଶବ ଗଲେ ଉଠି ।୧୦୮ ।
ଦ୍ରୋଣେ ବୋଇଲେ ହୋ ରାଜା ମାନଚକ୍ରବ୍ରତି
ସଭାର ତଳେ ବିଜେ କଲେ ଦେବ ଶିରୀପତି ।୧୦୯ ।
ଯେବଣ ସଭାରେ ହାଦେ ନାରାୟଣେ ନ ବରି
ନିଶ୍ଚୟେ ଜାଣିମା ସେ ସଭା ପିଚାଶ ସଭାସରି ।୧୧୦ ।
ଶକୁନି ବୋଇଲା ହୋ ଶୁଣିମା ଗୁରୁ ଦ୍ରୋଣ
କୁଣ୍ଡୀ ନଗ୍ରି ରାଜା ଯେ ଭୀଷ୍ମେକ ମହାରାଣ ।୧୧୧ ।
ତାହାର ନନ୍ଦିନୀ ନାମ ଯେ ଅଟଇ ରୁକ୍ମିଣୀ
ସୟମ୍ୱର କଲା ସେ ଲକ୍ଷେ ରାଜାନ୍ତ ବରି ଆଣି ।୧୧୨ ।
ଜାରାସନ୍ଧର ମୂଳେ ଯେ ଅନେକ ଦେଶର ରାୟେ
ଛୟାଣୋଇ ସହସ୍ର ରାଜା ଯେ ବସିଲେ ସଭାୟେ ।୧୧୩ ।
ରୁକ୍ମିଣୀ ସୟମ୍ୱର ଯେ ହୋଇଛି ସେହି ଦିନ
ବଇଶାଖ ଶୁକ୍ଳପକ୍ଷ ଦୁତୀୟାର ଦିନ
ସୟମ୍ୱର ହୋଇଥିଲା ପୂର୍ଣ୍ଣ ତିନିଦିନ ।୧୧୪ ।
ୟେ ବିଧିରେ ଅନେକ ରାଜାୟେ ଯେ ବସିଲେ ମହା ଦୁଷ୍ଟେ
ରୋହିଣୀ ତୃତୀୟା ଦିନ ବିଜୟ କଲେ ରାମକୃଷ୍ଣେ ।୧୧୫ ।
ବାସ୍ତରି ପାବଚ୍ଛ ଯେ ସଭାର ଉଞ୍ଚସ୍ଥଳି
ବାଉନ ପାବଚ୍ଛ ତଳେ ବିଜୟେ କୃଷ୍ଣ ହଳି ।୧୧୬ ।
ସଉନନ୍ଦ ମୂଷଳ ଯେ ସମର୍ଥକ ହଳ
ମହା ଭୀଷ୍ମ ରୂପେ ଯେ ବିଜୟେ କାମପାଳ ।୧୧୭ ।
ଶଙ୍ଖ ଚକ୍ର ଗଦା ସାରଙ୍ଗ ଧନୁ ହାଥେ
ବଇନେତ୍ର ପିଠିରେ ହରି ରାମ ତାଳଧ୍ୱଜ ରଥେ ।୧୧୮ ।
ଜାରାସନ୍ଧ ବୋଇଲା ଯେ କରିଣ କୋପାନଳ ଦୃଷ୍ଟି
ସଭା ଉପରକୁ ଗଉଡ଼କୁ ନ ଦିଅରେ ଉଠି ।୧୧୯ ।
ନନ୍ଦ ଗଉଡ଼ର ପୁତ୍ର ଅଟନ୍ତି ୟେ ବେନି
ନାନା ପାତକ ଦୋଷ ୟେ ଅଛନ୍ତି ଶରୀରେଣ ଘେନି ।୧୨୦ ।
ଆମ୍ଭେ ରାଜବଂଶୀକ ଅଛୁଂ ସମସ୍ତେହେଂ ବସି
ୟେ ସଭାୟେ ଗଉଡ଼େ କେହ୍ନେ ବସିବେଟି ଆସି ।୧୨୧ ।
ୟେହେନେକ ବିଚାରନ୍ତେ ଅସ୍ତଗଲା ବେଳ
ଲାଜଣେ ବାହୁଡ଼ିଲେ ଯେ କୃଷ୍ଣ କାମପାଳ ।୧୨୨ ।
ଶକୁନି ବୋଇଲା ୟେହେନେକ ଭିଆଣ ଅଛି ପୂର୍ବେ
କେ ତାହା ଅନ୍ୟସ୍ଥା କରିବାକ ୟେବେ ।୧୨୩ ।
ମାନଗୋବିନ୍ଦ ବୋଇଲେ ୟେହେନେକ ପୂର୍ବେ ଅଛି
ୟେବେ କେମନ୍ତେ ୟେ ସଭାୟେ ବସିବେ ଶ୍ରୀବତ୍ସୀ ।୧୨୪ ।
ଭୀଷ୍ମେ ବୋଇଲେ ବାବୁ ୟେହେନେକ ଅଛଇ ଯୁଗତେ
ଆଦି ପ୍ରାନ୍ତ କରି ଶକୁନି ନ କହିଲା ତୋତେ ।୧୨୫ ।
ସଭାରେ ଜାରାସନ୍ଧ ଅନୀତି କହୁଂ କହୁଂ
ସଭାରୁ ରାମକୃଷ୍ଣ ବେନି ଭାଇ ଉଠିଗଲେ ତହୁଂ ।୧୨୬ ।
ବିଜୟେ ରାମକୃଷ୍ଣ ମହାବାତ ପର୍ବତେ
ସନିଧ୍ୟେ ହକାରିଲେ ସେ ବାହନ ବଇନେତ୍ରେ ।୧୨୭ ।
ତୁ ୟେହିକ୍ଷଣ ହାଦେ ଯାଇସି ଖଗେଶ୍ୱର
ବହନ ହୋଇ ଭୀଷ୍ମ ରାଜାକଇଂ ସଭା ଭଗ୍ନ କର ।୧୨୮ ।
ଆଗ୍ୟାଂ ପରମାଣେ ସେ ବିନିତାର ବଳା
ପ୍ରଚଣ୍ଡ ପବନ ଜାଣି ତେଜ ଅନର୍ଗଳା ।୧୨୯ ।
ବେନିପକ୍ଷ ଚାଳିଣ ସେ ଗଲାକ ମହାବାତେ
ଉଡ଼ିଲେ ରାଜାୟେ ଅଶ୍ୱ ଗଜ ରଥ ସହିତେ ।୧୩୦ ।
କେ ସହସ୍ର ଯୋଜନେ କେ ବେନି ସହସ୍ର ଯୋଜନେ ଯାଇ ପଡ଼ି
ଆସ୍ତାନ ନବର ଯେ ଭୁଞ୍ଜିଲା ଚୂର୍ଣ୍ଣ କରି ।୧୩୧ ।
ରାଗେଣ ରାମକୃଷ୍ଣ ଦୁହେଂ ଯେ ସଭାକୁ ନ ଗଲେ
ୟେକା ବାହାନକେ ସେ ୟେତେକ କୃତ କଲେ ।୧୩୨ ।
ୟେକଥା ତଦନ୍ତ କରି ବୁଝ ପରିମାଣ
ଦୁଷ୍ଟ ଦର୍ପ ଭାଞ୍ଜନ୍ତାଟି ୟେହି ନାରାୟଣ ।୧୩୩ ।
ବାବୁ ଜାରାସନ୍ଧ ରାଜା ଯେ ହୋଇଲା ଅପ୍ରୀତି
ଯୁଗଭୋଗୀ ରାଜା ହୋଇ ସେ ଅଳପ କାଳ ବ୍ରତୀ ।୧୩୪ ।
ଚକ୍ରକୂଟ ମାୟାଧର ୟେ ସମସ୍ତ ପରିମାଣଇଂ
ଯେ ଯେତେମାନଂକୁ ଭାର୍ଜନ ସେ ସମସ୍ତ ଜାଣଇଂ ।୧୩୫ ।
ଭୀଷ୍ମେ ବୋଇଲେ ବାବୁ ଆଗ୍ୟାଂ ଦିଅ ମାନଚକ୍ରବ୍ରତୀ
ସଭାରେ ବିଜେ କରନ୍ତୁ ଆସି ଦେବ ଶିରୀପତି ।୧୩୬ ।
ଗାଙ୍ଗବଂକ ବଚନେ ମାନଗୋବିନ୍ଦ ହୋୟେ ତୁନି
ଶୁଣି ପ୍ରତିବାକ୍ୟ କଲା ମନ୍ତ୍ରୀ ଯେ ଶକୁନି ।୧୩୭ ।
ତୁ ଯେ ଅନିର୍ଯାପ କଥା କହିଲୁ ଗାଙ୍ଗବେ
କେବଣ ରାଜାର ପୁତ୍ର ଅଟନ୍ତି ବାସୁଦେବେ ।୧୩୮ ।
ସେ ଅଜାତିକ ଗୋପାଳ ପୁଅ ତୁ ଅପୁତ୍ରିକ ଅଟୁ
ଅନରୂପ ସାଧ୍ୟେ ତୁ ବଚନ ପ୍ରକଟୁ ।୧୩୯ ।
ପୁତ୍ର ଦୁହିତା ଯେ ବେଭାର ତୋର ନାହିଂ
ପ୍ରଭାତେ ତୋହୋରି ବଦନ ଚାହିଂତେ ନ ଯୋଗାଇ ।୧୪୦ ।
ତୁ ଯେ ୟେ ସଭାରେ ବସିଅଛୁ ଆରମ୍ଭେ
କୁଳବୃଦ୍ଧ ବୋଲି ତୋତେ ଉପେକ୍ଷା କଲୁ ଆମ୍ଭେ ।୧୪୧ ।
କହୁଂ କହୁଂ ବହୁତ ଝିଂଘାସିଲା ଶକୁନି
ଜାଣିଣ ତା ଗାଙ୍ଗବେ ଲାଜେ ହୋଇଲେକ ତୁନି ।୧୪୨ ।
ଦଶ ପାବଚ୍ଛ ପର୍ଯ୍ୟନ୍ତେ ଦେବ ଗଲେ ଉଠି
ଦୁଷ୍ଟ ଯୋଦ୍ଧା ମାନେ ଦେଇ ବସିଛନ୍ତି ପିଠି ।୧୪୩ ।
ତେର ପାବଚ୍ଛ ତଳେ ପୂରି ବସିଛନ୍ତି ଋଷିମାନେ
ବିଦୁର ସଞ୍ଜୟେ ଯେ ଅଛନ୍ତି ସନ୍ନିଧାନେ ।୧୪୪ ।
ବିଦୁରେ ବୋଇଲେ ମହାମନ୍ତ୍ରୀ ସଞ୍ଜୟେ
ମୋହୋର ଚିତ୍ତରେ ତ ବସିଲା ମହାଭୟେ ।୧୪୫ ।
ସଞ୍ଜୟେ ବୋଇଲେ ନାରାୟଣ ଅପମାନ ପାଇ ଗଲେ
କଉରୋବେ ନାଶଯିବେ ଅଭଗତି ହୋଇଲେ ।୧୪୬ ।
କଳିକାଳ ମନ୍ତ୍ରୀ ଯେ ଶକୁନି ମହାରାଜ
ଅଷ୍ଟ ଅବଧାନେ କରିବ ସେ ପିତୃ କାର୍ଯ୍ୟ ।୧୪୭ ।
ଆହୋ ଚଇତନ ତିନି ପାବଚ୍ଛ ତଳେ ଯେ ନାରାୟଣ ଉଭା
ଦେଖ ହୋ ସାର୍ଥକ ପଣ କଉରୋବ ସଭା ।୧୪୮ ।
କୋଟିୟେ ସିଂଘର ପ୍ରାକ୍ରମ ବହଇ ଯେବଣ କଂସ
ବାଳୁତ ରୂପ ଦେଖିଣ ସେ ହୋଇଲାକ ଧ୍ୱଂସ ।୧୪୯ ।
ସଞ୍ଜୟେ ବୋଇଲେ କଉରୋବ କୁଳ ଧନି ଧନି
ସାଧୁ ତୁମ୍ଭର ପିଅର ସାଧୁ ଜନନୀ ।୧୫୦ ।
ସଞ୍ଜୟେ ବୋଇଲେ ହରି କେତେ ସହିପାରୁ
କିମର୍ଥେ ୟେହାନ୍ତ ନାଶ କୋପ ତୁ ସଂହରୁ ।୧୫୧ ।
ଗୋବିନ୍ଦେ ବୋଇଲେ ମୋର ଠାକୁର ଯୁଝେଷ୍ଠି
ତାହାଂକର ସହୋଦ୍ର ଭ୍ରାଥ ଅଟଇ ଧୃତିରାଷ୍ଟି ।୧୫୨ ।
ଭୀଷ୍ମେ ପିତାମହ ଦ୍ରୋଣେ ତାହାଂକର ଗୁରୁ
ତଦଅର୍ଥେ ୟେହାନ୍ତ ଆମ୍ଭେ କୋପ ଯେ ସଂହରୁ ।୧୫୩ ।
ଆହୋ ସଞୟେ ଯେତେ ଲୋକମାନେ ମୋତେ କରିଛନ୍ତି ପିଠି
ସେମାନେ ସମସ୍ତେ ମୋତେ ଦୁଜେଣ ଯୁଝେଷ୍ଠି ।୧୫୪ ।
କଉରୋବ ସଭାରେ ହାଦେ ହରି ୟେମନ୍ତ ବିଚାର କରନ୍ତେ
ବେଳ ସାତଘଡ଼ି ଆସି ହୋଇଲାନି ଯୁଗତେ ।୧୫୫ ।
ଝାଳେଣ ତ୍ରିପଣ୍ଡ ଯେ ଦେବାଧି ଦେବରାଜେ
ସବୁ ସହୁଛନ୍ତି ସେ ଯୁଝେଷ୍ଠି ଦେବଂକର କାର୍ଯ୍ୟେ ।୧୫୬ ।
ଦ୍ରୋଣେ ବୋଇଲେ ତୁ ଶୁଣ ରାଜାଧିରାଜେଶ୍ୱର
ଜଗବନ୍ଦନ ପୁରୁଷଂକୁ ତୁ ଝିଂଘାସ ନ କର ।୧୫୭ ।
ରୋମମୂଳେ ଯାହାରଟି ବସଇ ବ୍ରହ୍ମାଣ୍ଡ
ଉଦରେ ଯାହାର ବିଶ୍ରାମ ମହୀ ନବଖଣ୍ଡ ।୧୫୮ ।
ସେ ହରି ଉଭା ହୋଇ ଅଛନ୍ତି ତୋର ସଭାତଳେ
କାହାରି ଶିର କମଳ ନାହିଂଟି ସ୍କନ୍ଧମୂଳେ ।୧୫୯ ।
ବାବୁ ପନ୍ନଗା ନାରାୟଣ ତୁ କଇଚ୍ଛା ଜଗଜ୍ଜେଠୀ
ତୋତେ ଶୋହଇ କି ୟେସନେକ ଅରଷ୍ଟି ।୧୬୦ ।
ସଭାକୁ ଉଠନ୍ତୁ ହରି ବସନ୍ତୁ ଆସ୍ତାନେ
କରିବା ପାଦଅର୍ଘ୍ୟ ପୂଜା ଯେ ଯାହା ବିଧାନେ ।୧୬୧ ।
ଶକୁନି ବୋଇଲା ଦ୍ରୋଣ ତୁମ୍ଭେ ଅଟ ଭିକ୍ଷା ବାସୀ
ୟେକା ଭାରିଯା ଗୋଟିକି ତୁମ୍ଭେ ନୂଆରିଲ ପୋଷି ।୧୬୨ ।
ସପତ ମାସର ସେହୁ ହୋଇଥିଲା ଗର୍ଭବତୀ
ବ୍ୟାଧି ଆବୋରନ୍ତେ ଯେ ହୋଇଲା ଅସକତି ।୧୬୩ ।
ନହେଣ ବିଦାରଣ କଲ ତାହାର ଯେ ବୁକୁ
ଉଂଛୁଡ଼ି କାଢ଼ିଲ ତୁମ୍ଭେ ପେଟର ପୁଅକୁ ।୧୬୪ ।
ତୁମ୍ଭର ମନ୍ଦ ବୁଦ୍ଧିରେ ପୁତ୍ରର ମାତା ନାଶଗଲା
ତେଣୁ ସେ ପୁତ୍ରର ନାମ ଅଶ୍ୱସ୍ତମା ହୋଇଲା ।୧୬୫ ।
ତିରୀ ହତ୍ୟା ଦୋଷ ତୋର ଶରୀରେ ରହିଅଛି
ବିଦ୍ୟାଗୁରୁ ବୋଲି ତୋତେ ଆମ୍ଭେ ନ ବୋଲୁ ହୋ କିଛି ।୧୬୬ ।
ଆପଣେ ପାତକୀ ତୁ ପରେଣ କହୁକଥା
ଅନୁରୂପ ସାଧ୍ୟ ତୁ ବର୍ଣ୍ଣନା କରୁ ଯଥା ।୧୬୭ ।
ଯଥା ଗୋଷ୍ଠୀ ତଥା ବାକ୍ୟ ହିଂ ସେ କହି
ଜିସ ତିସ ସଭା ପ୍ରାୟେ ବୁଝିଲୁ କୁ ତୁହି ।୧୬୮ ।
ପନ୍ନଗା ନାରାୟଣଟି ୟେ ରାଜା ମାନଗୋବିନ୍ଦ
ଲକ୍ଷେ ରାଜା ମଉଡ଼ମଣି ୟେ ଜମ୍ୱୁଦ୍ୱୀପ ଚନ୍ଦ୍ର ।୧୬୯ ।
ଆହୋ ଦ୍ରୋଣ କୋଟି ତୀର୍ଥ ଘେନିଣ ଜଳାଧି ପୁଷ୍କର
ଅଭିଷେକ କରିଅଛି ଯେବଣ ରାଜା ଶିର ।୧୭୦ ।
ଭୀଷ୍ମେ ବୋଇଲେ ତୁ ଯାହା ବୋଇଲୁ ନ ବିଚାରି
ପୁଷ୍କର ଅଭିଷେକ ନୋହିଲେ ହୟି ଦଣ୍ଡଧାରି ।୧୭୧ ।
ଆହୋ ଶକୁନି ପୁଷ୍କର ଅଭିଷେକ ଯାହାର ଶିର ହାଦେ
କୋଟି ତୀର୍ଥ ଘେନି ପୁଷ୍କର ଅଭିଷେକ କରଇ
ୟେହି ନାରାୟଣ ପଦ୍ମ ପାଦେ ।୧୭୨ ।
ବିଷ୍ଣୁ ପାଦପଦ୍ମରୁ ଗଙ୍ଗା ଆସୁଅଛି ବହି
ଦେବ ଋଷି ରାଜ ଋଷି ନିତ୍ୟେ ସ୍ରାନ କରୁଛନ୍ତି ତହିଂ ।୧୭୩ ।
ବିଷ୍ଣୁ ପାଦୁକା ନାମ ବହଇ ଧବଳାଙ୍ଗି
ତେଣୁ ସେ ମୋକ୍ଷ କଇଂ କାରଣ ସେ ପାଇଲେ ସଉଭାଗୀ ।୧୭୪ ।
ସେ ଗଙ୍ଗା କଇଂ ଶିବ ଧୋଇଲେକ ଶିରେ
ତେଣୁ ସ୍ୱାମୀ ନାମ ବହିଲେ ଗଙ୍ଗାଧରେ ।୧୭୫ ।
ଅପାରୁଂ ଅପାର ଯେ ଗୋବିନ୍ଦର ମହିଂମା
ଅପାରୁଂ ଅପାର ଯେ ୟେହାଂକ ଗାରିମା ।୧୭୬ ।
ସୁବୁଦ୍ଧି ମନ୍ତ୍ରୀ ନ ଜାଣୁ ତୁ କିଛି
ବିଷ୍ଣୁ ଅଂଶେ ଜାତ ନୋହିଲେ ନୃପତି କାହିଂ ଅଛି ।୧୭୭ ।
କୁବେର ଅଂଶେ ଜାତ ନୋହିଲେ ସାଧବ ଅଛି କାହିଂ
ଈଶ୍ୱର କଳା ନ ଥିଲା ବ୍ରହ୍ମ ଜ୍ଞାନ ସାଧିକି ପାରଇ ।୧୭୮ ।
ଗନ୍ଧର୍ବ କଳା ନ ଥିଲା ବୀଣା ବିଦ୍ୟା ହୋଇ ଅୟି ସାଧି
ମୁନି ଅଂଶେ ଜାତ ନୋହିଲେ ସାହାସ୍ର ପାରଇ ଛନ୍ଦି ।୧୭୯ ।
କାମ ଦେବର କଳା ନଥିଲେ କି ହୋଇ ରୂପ ବନ୍ତ
ହନୁମନ୍ତ କଳା ନ ଥିଲେ କି ହୋଇ ବଳବନ୍ତ ।୧୮୦ ।
ତୁହି ସେ ମନ୍ତ୍ରୀବର କଉରୋବ ଇଷ୍ଟ ବନ୍ଧୁ
ସୁବୁଦ୍ଧି ମନ୍ତ୍ରୀ ହୋଇ ଶ୍ରୀ ଜଗନ୍ନାଥଂକୁ କିମ୍ପେ ନିନ୍ଦୁ ।୧୮୧ ।
ଶକୁନି ବୋଇଲା ଦେବତାହିଂ ହୋଇଲେ
ସଭାରେ ଗଣିତା ତାକୁ ହତ୍ୟା ଦୋଷ ଥିଲେ ।୧୮୨ ।
ତୀର୍ଥ ହୋଇ ଯେବେ ହୋଇବ ଦୋଷକାରୀ
ବ୍ରାହ୍ମଣ ହୋଇ ଯେବେ ହୋଇବ ଅନାଚାରୀ ।୧୮୩ ।
ଅନୀତି ବ୍ରାହ୍ମଣକୁ ଯେ ନ ଜାଣି କରନ୍ତି ମାନି
ଅପଣା ଆଷ୍ୟ କ୍ଷୟେ ସନ୍ତାନ ହୋୟେ ହାନି ।୧୮୪ ।
କ୍ଷତ୍ରିୟ ହୋଇ ଯେବେ ସଂଗ୍ରାମେ ଦିୟେ ପିଠି
ୟେତେ କଥା ମୋହୋର ହୋ ମନକୁ ନ ଘଟି ।୧୮୫ ।
ୟେସନେକ ବିଚାର ସେ କରନ୍ତେ କଉରୋବ
ତିନି ପାବଚ୍ଛ ତଳେ ଉଭା ବାସୁଦେବେ ।୧୮୬ ।
ଘୃମ ଜଳ ଗଳିତ ସ୍ୱାମୀ ଦେବାଧିଦେବରାଜେ
ସମସ୍ତ ସହୁ ଅଛନ୍ତି ଯୁଝେଷ୍ଠି ଦେବଂକର କାର୍ଯ୍ୟେ ।୧୮୭ ।
ବିଦୁରେ ବୋଇଲେ ତୁ ଜଗତ ଜନ ପ୍ରହୁ
ଅତି ହିଂ ଝିଂଘାସ ତୁ କଉରୋବଂକର କେତେ ସହୁ ।୧୮୮ ।
ଅବଶ୍ୟ ପ୍ରାଣ ତ୍ୟାଜ ହୋଇବେ କଉରୋବ
ଚକ୍ରେଣ ପ୍ରହାର କରୁକିନା ୟେହି ପରସ୍ତାବ ।୧୮୯ ।
ଗୋବିନ୍ଦେ ବୋଇଲେ ତୁମ୍ଭେ ଶୁଣ ହୋ ବିଦୁର
ଯୁଝେଷ୍ଠି ଦେବଂକର ଯେ ସଭିଂୟେ ସୋଦର ।୧୯୦ ।
ମଧ୍ୟ ପାତ୍ର ଦୂତ ପଣେ ଆସିଅଛି ମୁହିଂ
ୟେହାନ୍ତ କେମନ୍ତେ ନାଶ କରିବି ହୋ ସ୍ୱାମୀଂକ ଆଗ୍ୟାଂନାହିଂ ।୧୯୧ ।
ଶୁଣିଣ ବିଦୁର ତହିଂ ହୋଇଲେ ମଉନ
ଉଭା ହୋଇ ରହିଛନ୍ତି ପ୍ରଭୁ ଭଗବାନ ।୧୯୨ ।
ଆସ୍ତାନକଇଂ ଉଠିଲା ଯେ ଅମ୍ୱୁବତୀର ସୁତ
ଦ୍ରିଯୋଧନ ଛାମୁରେ କହଇ ବିନୟ ଯୁଗତ ।୧୯୩ ।
ବାବୁ ତୁ ଯେ ଜମ୍ୱୁ ଦ୍ୱୀପ ପୃଥୀକି ଧାରଣା
ଦିବ୍ୟ ଚକ୍ଷୁ ଥାଉଂ ଥାଉଂ କିମ୍ପେ ହୋଉଅଛୁ ବଣା ।୧୯୪ ।
ଶ୍ରୀ ହରି ବିଜୟେ କରନ୍ତେ ସଭାର ଉପରେ
ଦେବ ଋଷି ରାଜ ଋଷି ଅଛନ୍ତି ସଂଗତରେ ।୧୯୫ ।
ଚତୁର୍ଦ୍ଦଶ ଘଡ଼ି ଆସି ହୋଇଲାଣି ବେଳ
କିମ୍ଭୂତ ଚରିତ ରାଜା ତୋହୋର ୟେତେ ହେଳ ।୧୯୬ ।
ଆଗ୍ୟାଂ ଦିଅ ଆସ୍ତାନକୁ ବିଜେ କରନ୍ତୁ ଶ୍ରୀହରି
ବାକ୍ୟ ଶୁଣି ପଛେ ଅନୁରୂପେ ସିଦ୍ଧାନ୍ତ ଯେ କରି ।୧୯୭ ।
ବିଦୁର ବାକ୍ୟେ ଶାନ୍ତି ମାନଚକ୍ରବ୍ରତ୍ତି
ବୋଇଲା ଆସ୍ତାନରେ ବିଜେ କରନ୍ତୁ ଶ୍ରୀପତି ।୧୯୮ ।
ବାସବର ଆଗ୍ୟାଂୟେ ଯେସନେ ଚଳଇ ମାତଳି
ସ୍ୱପନ ସୁଲଭ ପ୍ରାୟେ ମଣିଲେ ବନମାଳି ।୧୯୯ ।
ଦୁଶାସନ ଦୁର୍ଜୟେ ଯେ ଛାଡ଼ି ଦିଲେ ପଥ
ଆସ୍ତାନେ ବିଜୟ ଯାଇଂ କଲେ ଜଗନ୍ନାଥ ।୨୦୦ ।
ଭୀଷ୍ମ ଦ୍ରୋଣ କର୍ଣ୍ଣ ଭୂରିସ୍ରବା ଯେ ଶକୁନି
ବାଲ୍ହିକ ସୋମଦତ୍ତ ଅଶସ୍ତମା କୃପ କୃତବର୍ମା ଶଲ୍ୟ କରନ୍ତି ଦଇନି ।୨୦୧ ।
ଆସ୍ତାନେ ବସିଅଛି ସେ ରାଜା ଧୃତିରାଷ୍ଟ୍ରି
ନାହିଂ ତାହାର ମାନ୍ୟ ସେ ସଭାରୁ ନଉଠି ।୨୦୨ ।
ରାଜାର ଶ୍ରବଣେ ଲାଗି କହିଲା ମନ୍ତ୍ରୀ ଯେ ଶକୁନି
ରାଜ୍ୟ ମାଗିବା ନିମନ୍ତେ ଆସିଅଛନ୍ତି ୟେ ପାଣ୍ଡବଂକ ଆଗ୍ୟାଂ ଘେନି ।୨୦୩ ।
ଦ୍ରିଯୋଧନ ବୋଇଲା ପ୍ରତିବାକ୍ୟ ଦିଅ ମନ୍ତ୍ରୀ
ଶକୁନି ବୋଇଲା ତୁମ୍ଭର କହିବା ଯୁଗତି ।୨୦୪ ।
ସେ ଜଗନ୍ନାଥ ତୁ ଅଟୁ ମହୀ ଧର
ବେନି ବାକ୍ୟ ସମସରି ହୋଇବ ତୁମ୍ଭର ତାଂକର ।୨୦୫ ।
ଦୁଇ କାଖରେ ଦେବ ବେନି ହାଥ ଲାୟି
ସଭାର ମଧ୍ୟରେ ଦେବଛନ୍ତି ଉଭା ହୋଇ ।୨୦୬ ।
ବସ ବୋଲି ନ ବୋଇଲା ରାଜା ମାନଗୋବିନ୍ଦ
ହୃଦେ ଯାହାର କଳଂକ ଥାଇ ସେ କହଇ କି ମଧୁର ଶବଦ ।୨୦୭ ।
ଦ୍ରିଯୋଧନ ବୋଇଲା ହୋ ଶୁଣସି ନାରାୟଣ
କିମର୍ଥେ ମମପୁରକୁ କଲୁ ତୁ ପୟାଣ ।୨୦୮ ।
କି ମୋତେ ଅନୁଗ୍ରହ ଦେଖିବାର ନିମନ୍ତେ
ଅଥବା କେବଣ କଥା କାର୍ଯ୍ୟର ସଙ୍ଗତେ ।୨୦୯ ।
ବଡ଼ାଇ ହରଷ ମୁହିଂ ହୋଇଲି ଆଜର ଦିନ
ସମୟେ ଦୃଷ୍ଟିପାତ ନାହିଂ ଜନାର୍ଦ୍ଦନ ।୨୧୦ ।
ଦେବତା ବ୍ରାହ୍ମଣ ଆବର ପିତୃ କାର୍ଯ୍ୟେ
ୟେହି କଥା ବଡ଼ାଇ ସୁଲଭ ଆପଣେ ଜାଣୁ ଦେବରାଜେ ।୨୧୧ ।
ସ୍ୱାମୀ ଦ୍ୱାପର ଯୁଗ ଲୋକଂକର ବଡ଼ ପୁଣ୍ୟ
ଯାହା ଶ୍ରବଣେ ଶୁଣି ତାହା ଦେଖିଲି ଜନାର୍ଦ୍ଦନ ।୨୧୨ ।
ସ୍ୱାମୀ ରାଗ ମୋହ ହିଂସା ଅହଂକାର ଅପବାଦେ
ମାୟା ମୋହେ ପଡ଼ି ନାଶ ବଣା ହୋଇଲଇଂ ହାଦେ ।୨୧୩ ।
ପରମାନନ୍ଦ ପୁରୁଷ ତୁ ଆମ୍ଭର ସଙ୍ଗେ ଖେଳୁ
ସାମାନ୍ୟ ଜନ ପ୍ରାୟେ ବୁଝି ନାଥ କଲି ତୋତେ ହେଳୁ ହେଳୁ ।୨୧୪ ।
ସ୍ୱାମୀ ତୁମ୍ଭର ବାଳ ଚରିତ ଶୁଣୁଥାଉଂ ଭଲେ
ଗୋପପୁରେ ଖେଳୁଥାଉ ଗୋପାଳଂକ ମେଳେ ।୨୧୫ ।
ବତ୍ସାନ୍ତ ନ ପାଇ ନନ୍ଦ ଲୋଡ଼ିଣ ଯାଇଂ ବାଟେ
ଚୂଳ ଗୋଟି ଧରି ନନ୍ଦ ମାଇଲାକ ତିନ୍ତୁଳି ଛାଟେ ।୨୧୬ ।
ହରି ଗାପାଳ ପୁଅଂକର ମେଳେ ଖେଡ଼ର କୁତୂହଳେ
ଚାପଡ଼େକ ପ୍ରହାର ସେ କଲାକ ବକ୍ଷ ସ୍ଥଳେ ।୨୧୭ ।
ପଳାଇଯାନ୍ତେ ନାଥ ପୁଣ ଭୂମିରେ ପଡ଼ିଲୁ ହାବୁଡ଼ି
ଡେଇଂ ଗଲା ଗୋପାଳ ତୋହୋର ଶିରରେ ପାଦ ପଡ଼ି ।୨୧୮ ।
କୁତୂହୋଳ ପୁରୁଷ ନାଥ ତୁ ସହିଲୁ ନାହିଂ କି ତାହା
ମହତ ଆଶ୍ରିତେ ଦୋଷ ନ ଧରିଲୁ ଚଉବାହା ।୨୧୯ ।
ହରି ତୁ ରାଧାର ତୁଲେ ଶୃଂଗାର କୁତୂହଳେ
ବିପରୀତ ଶୃଙ୍ଗାର ମାଧବୀଲତା ତଳେ ।୨୨୦ ।
ୟେମନ୍ତ ସମୟେ ଯାଇ ଭେଟିଲା ଗୁଆଳ
ଧାଇଂଯାଇଂ ଧଇଲା ସେ ଦୁହିଂକର ବାଳ ।୨୨୧ ।
ରାଧାମାଧବ ତୁମ୍ଭେ ହୋଇଥିଲ ଉଲଗ୍ନ ସାହି
ଉପରେ ରାଧିକା ଯେ ତଳେ ଥିଲୁ ତୁହି ।୨୨୨ ।
ତୁ ପୁଣି ବିଶ୍ୱରୂପ ବିକାଶିଲୁ ଦେବହରି
ପେଲିପକାଇଲୁ ଚନ୍ଦ୍ରସେଣା ଭୁଜ ଧରି ।୨୨୩ ।
ସହସ୍ର ଜୁଣେ ଯାଇ ପଡ଼ିଲା ଚନ୍ଦ୍ରସେଣା
ପାଞ୍ଚମାସ ବୁଲୁଥିଲା ପଥ ନ ଜାଣି ବଣା ।୨୨୪ ।
ହରି ୟେସନେକ ଚରିତ ଶୁଣୁଥାଇ କର୍ଣ୍ଣେ
ସଂମ୍ପ୍ରତେ ନ କଲୁ ଦେବ ନ ଦେଖି ନୟନେ ।୨୨୫ ।
ଗୋବିନ୍ଦେ କହିଲେ ତୁ ବୋଇଲୁ ଯେତେମାନ
ଅନ୍ତର ନୁହଇ ୟେକଥା ସରୂପ ବିଧାନ ।୨୨୬ ।
ଦ୍ରିଯୋଧନ ବୋଇଲା ତାଂକ ଦୋଷ ନ ଘେନିଲୁ ଯେହ୍ନେ
ମୁହିଂ ହାଦେ ତୋହୋର ଅଟଇ ନା ତେହ୍ନେ ।୨୨୭ ।
ଯଦ୍ୟପି ଦୋଷ ମୁହିଂ ତୋତେ କରିବି ଅନନ୍ତ
ବାଳକାଳେ ଯେହ୍ନେ ଖେଳ ଖେଳୁଥାଇଂ ଅନୁବ୍ରତ ।୨୨୮ ।
ଯିସ ତିସ ଦୋଷ ଅବା ମୋହୋର କରିବୁ ଉପେକ୍ଷା
କୋପଛାଡ଼ି ଜଗନ୍ନାଥ କରିବ ମୋତେ ରକ୍ଷା ।୨୨୯ ।
ଗୋବିନ୍ଦେ ବୋଇଲେ ତୁମ୍ଭେ ଆମ୍ଭର ଭ୍ରାଥମାନ
ତୁମ୍ଭନ୍ତ କୋପ ମୁହିଂ କରିବି କେସନ ।୨୩୦ ।
ଦ୍ରିଯୋଧନ ବୋଇଲା ଯେବେ ସୋଦ୍ରିମାପଣ ଇଚ୍ଛି
ମୋହୋର ପୁରେ ମୁଣୋହିଂ କରିବା ଶ୍ରୀବତ୍ସୀ ।୨୩୧ ।
ପବିତ୍ର ବ୍ରାହ୍ମଣେ ସେ ଭାରଦ୍ୱାଦଶଂକର ନାତି
ଅଶ୍ୱସ୍ତମା ଜାଣଇ ଗଉରି ସଉରି ନଳବିଧି ତିନିପ୍ରିତି ।୨୩୨ ।
ଗୋବିନ୍ଦେ ବୋଇଲେ ୟେ ହତ୍ୟା ବିବାଦି ଶସ୍ରଧାରୀ
ତାହାନ୍ତ ବ୍ରାହ୍ମଣ ହୋ କେମନ୍ତେ ନାମ ଧରି ।୨୩୩ ।
ଭଜନେ ଅର୍ଚ୍ଚନା ମୋତେ କଲୁ ହୋ କୁରୁରାଜ
ଆମ୍ଭେ ଯେବଣ ନିମନ୍ତେ ଅଇଲୁ କେମନ୍ତ ସେ କାର୍ଯ୍ୟ ।୨୩୪ ।
ଦ୍ରିଯୋଧନ ବୋଇଲା ହରି କେବଣ ସନ୍ଦେହ
ବିଚାରି ନାରାୟଣ ସନ୍ଦେଶ ମୋତେ କହ ।୨୩୫ ।
ଗୋବିନ୍ଦ ବୋଇଲେ ତୁ ଶୁଣ ହୋ କୁଞ୍ଜଗଳ ଅଧିକାରୀ
ଯୁଝେଷ୍ଠି ଦେବ ଠାକୁରେ ଅଟନ୍ତି ତୋହୋରି ।୨୩୬ ।
ତାହାଂକର ପିତା ଯେ ପାଣ୍ଡୁରାଜା ଥିଲେ
ଧୃତିରାଷ୍ଟେ ରାଜ୍ୟ ଦେଇ ବନବାସ ଗଲେ ।୨୩୭ ।
ଶତସିଂଘ ପର୍ବତେ ଯେ ମହାଘୋର କନ୍ଦରେ
ଶୀତ ଖରା ବର୍ଷା ବଞ୍ଚିଲେ ମହାଘୋରେ ।୨୩୮ ।
କନ୍ଦମୂଳ ଖାଇ ସେ ଦତ୍ୟ ଦାନବନ୍ତ ନାଶି
ୟେ ପଞ୍ଚୁରାଜ୍ୟେ ତୋ ପିତା ରକ୍ଷା କରଇ ଦିବାନିଶି ।୨୩୯ ।
ଅନ୍ଧପଟଳ ବାନ୍ଧି ବସିଲେ ଗାନ୍ଧାରି
କଇନ୍ତାୟେ ପାଳିଲେ ତୁମ୍ଭନ୍ତ ଅତି ଯତ୍ନ କରି ।୨୪୦ ।
ୟେବେହେଂ ସେ ତୋତେ ନିଜ ରାଜ୍ୟେ ଥାପି
ବୁଲନ୍ତି ବନ ଗାମୀ ହୋଇ ପାଣ୍ଡବେ ଅଦ୍ୟାପି ।୨୪୧ ।
ବହୁତ ଦୁଖ ସେ ପାଇଲେ ଘୋର ବନ
ଅଜ୍ଞାତ ବାସେ ସେ ଯେ ବିରାଟେ ନେଲେ ଦିନ ।୨୪୨ ।
ୟେବେ ଉଦିତ ହୋଇଲେ ଇନ୍ଦ୍ର ଯେ ପ୍ରଶସ୍ତେ
ସୋଦର ପ୍ରତିପାଳିବା ନ ଯୋଗାଇ କି ତୋତେ ।୨୪୩ ।
ମୋତେ ହକାରିଣ ବୋଇଲେ ଧର୍ମ ଯେ ଯୁଝେଷ୍ଠି
ଧୃତରାଷ୍ଟଂକୁ ହରି ମାଗୋ ପଡ଼ା ପାଞ୍ଚ ଗୋଟି ।୨୪୪ ।
କିଞ୍ଚିତ କରି ପଡ଼ା ପାଞ୍ଚଖଣ୍ଡି ଦିଲେ
କୋଣକେ ପଡ଼ି ଥାଇ ମୁଂ ଭାଇକିଂ ଘେନି ଭଲେ ।୨୪୫ ।
ଦ୍ରିଯୋଧନ ତୁଲେ ମୋର ପ୍ରୀତିଭାବ ବୃଦ୍ଧି
ଧୃତିରାଷ୍ଟ ଚରଣେ ମୁଂ ଥାଇକିନା ଆରାଧି ।୨୪୬ ।
ଆହୋ ମାନଗୋବିନ୍ଦ ତୁ ମହୀଧର ରୂପେ ଜନ୍ମ
ସୋଦରନ୍ତ ନସମ୍ଭାଳିଲେ ତୋର କିସ ଧର୍ମ ।୨୪୭ ।
ବାବୁ ଯୁଗତେ ସେ ତୋତେ ଅଟନ୍ତି ଉପଗାରି
ଅପାର ସଂକଟୁ ତୋତେ କରିଛନ୍ତି ପାରି ।୨୪୮ ।
କଲା ଉପୁଗାରମାନ ନ ମାନନ୍ତି ଯେବଣ ଜନ
ସଞ୍ଚୟେ ସେହୁ ପ୍ରାଣୀ ନର୍କେ ପତନ ।୨୪୯ ।
ଗୋବିନ୍ଦେ ବୋଇଲେ ଦ୍ରିଯୋଧନ ଆଗର
ୟେ ତୋର ସଭା ଗୋଟି ବାବର ପୁରୀ ବିଚାର ।୨୫୦ ।
ଭୀଷ୍ମେ ବୋଇଲେ ଦେବ ଶୁଣିମା ନାରାୟଣ
ବାବର ପୁରୀ କଥା କେବଣ ପ୍ରକାରେଣ ।୨୫୧ ।
ସେ କଥା ବିସ୍ତାରିଣ କହିବା ଦେବରାୟେ
ଆସ୍ତାନେ ତୁମ୍ଭେ ମାନେ ଶୁଣିମା ସଭିୟେଂ ।୨୫୨ ।
ଆସ୍ତାନେ ଶୋଭା ଯେ ସମସ୍ତେ ଛନ୍ତି ହୋଇ
ବିସ୍ତାରିଣ କହୁଛନ୍ତି ଯଦୁକୁଳ ସାଇଂ ।୨୫୩ ।
ପଚ୍ଛିମ ସଉରାଷ୍ଟ କୁରଳ ବଲି ଦେଶ
ବାବର ପୁରୀ ବୋଲି କଟକପ୍ରକାଶ ।୨୫୪ ।
ଭଣ୍ଡେଶ୍ୱର ବୋଲିଣ ଅଟେ ତହିଂର ରାଜା
ବାଇଭଣ୍ଡ ବୋଲି ମନ୍ତ୍ରୀ ରାଜାକୁ କରେ ପୂଜା ।୨୫୫ ।
ଦେବତା ଅଛଇଂ ତହିଂ ଅଣ୍ଡିଆ କ୍ଷେତ୍ରପାଳ
ଲଙ୍ଗଳା ଦେବତା ସେ କେଶ ତା ମୁକୁଳ ।୨୫୬ ।
ସେ ନଗ୍ର ଆୟେତନ ତିନିଶ ଯୋଜନ ଖଳା
ତିରୀ ପୁରୁଷ ସମସ୍ତେ ଅଟନ୍ତି ସେ ଦେଶେ ଲଙ୍ଗଳା ।୨୫୭ ।
ଭଣ୍ଡଶାସ୍ରମାନ ସର୍ବେ କରନ୍ତି ଆଭ୍ୟାସ
ମିଥ୍ୟା ବିନା ସତ୍ୟ କଥା ନାହିଂ ପରକାଶ ।୨୫୮ ।
ମିଥ୍ୟା କଥା ଯେ କହଇ ତାକୁ ଦିଅନ୍ତି ଶାଢ଼ୀ
ସତ୍ୟ କହେ ଯେଉଂ ପ୍ରାଣୀ ତାହାକୁ ପ୍ରାଣେ ମାରି ।୨୫୯ ।
ଭଣ୍ଡ ଭାଷା ଭକତେ ଯେ ମିଛ କହ ଯତ
ଭଣ୍ଡାରୁ ଧନ ତାକୁ ଦିଅନ୍ତି ବହୁତ ।୨୬୦ ।
ଦେବତା ବ୍ରାହ୍ମଣ ଯେବେ ସେ ଯଜମାନ ଦେଖି
ଭୂମିରେ ପାଡ଼ି ତାହାର ଉପରେ ବସନ୍ତି ।୨୬୧ ।
ସେ ନଗ୍ର ଲୋକଂକର ୟେମନ୍ତ ବିଚାର
ହେତୁ କରି ଶୁଣ ତୁମ୍ଭେ ଗଙ୍ଗାର କୁମର ।୨୬୨ ।
ଶିରେ ବସନ ବାନ୍ଧନ୍ତି କଟିରେ କିଛି ନାହିଂ
ତିରୀ ପୁରୁଷେ ଚାଲନ୍ତି ଉପସ୍ଥ ଯୋନି ଦେଖାଇ ।୨୬୩ ।
ରାଜା ମନ୍ତ୍ରୀ ପାତ୍ର କିୟେ ବାରଣ ନ ଯାଇ
ପରଜାୟେ ବସନ୍ତି ରାଜାର ପାଶେ ଯାଇ ।୨୬୪ ।
ଯାହାର ମନକୁ ଯୋଗାଏ ଯେବଣ ହିଂ ନାରୀ
ଭ୍ରଥା ଦେଖି ନ ବୋଲନ୍ତି ନିଅନ୍ତି ତାକୁଂ ଧରି ।୨୬୫ ।
ୟେକର ମୁଖ ଗୋଟି ଆରେକ ଜଣ ଚାହିଂ
ସେହିଠାରେ ଶୃଙ୍ଗାର ଭାବ କରନ୍ତି ଲଜ୍ଜା ଭାବ ନାହିଂ ।୨୬୬ ।
ୟେକର ଯୁବତୀକି ଆରକେ ପୁରୁଷ ନିଅଇ
କାର୍ଯ୍ୟ ଲଭି ସାରି ତାକୁ ଛାଡ଼ିଣ ଦିଅଇ ।୨୬୭ ।
କେ କାହାର ବାପ ଭାଇ କେ କାହାର ପୁଅ
ମାନିତୀ ଗଉରୋବୀ ଖୁଡ଼େଇ ଦେଠେଇ ଝିଅ ।୨୬୮ ।
ଯେ ଯାହାର ମନ ସୁଖେ ଶୃଙ୍ଗାର କରନ୍ତି
ହାରି ଗୁହାରି ନାହିଂ ତହିଂ କେ ନ ଶୁଣନ୍ତି ।୨୬୯ ।
ୟେମନ୍ତେ ସେ ରାଜ୍ୟରେ ବଡ଼ାଇ ସଂପଦ
ଅଖଳ ରାଜା ସେହୁ ନାହିଂ କଳି ଦ୍ୱନ୍ଦ ।୨୭୦ ।
ଯେ ଯାହା ଅରଜଇ ସୁଖେ କରଇ ଭୋଗ
ନିଷ୍କର ଅଟଇ ସେ ଦେଶ ରାଜାକୁ ନ ଦିଅନ୍ତି ସଞ୍ଜାଭାଗ ।୨୭୧ ।
ୟେମନ୍ତ ରାଜ୍ୟ ଅଟେ ବାବରା ନଗ୍ର ପୁରୀ
ଯେ ଯାହାର ଜଣେ ଜଣେ ମାନିତୀ ଗଉରୋବି ନ ପଚାରି ।୨୭୨ ।
ୟେମନ୍ତେ ସେ ରାଜ୍ୟ ଅକଣ୍ଟେକ ହୋଇଥିଲା
ଅଦଭୂତେ ମାୟା ତହିଂ ଦଇବେ କୃତ୍ୟ ହେଲା ।୨୭୩ ।
ଡାକେକ ଶୁଭିଲା ତହିଂ କୋକୁଆ ଭୟ ବୋଲି
ପ୍ରହରେ ବେଳ ଥାଉଂ ସେ ଦାଣ୍ଡେ ନୁଆରନ୍ତି ଚାଲି ।୨୭୪ ।
ବେନି ଘଡ଼ି ବେଳ ଯାୟେ ପଡ଼ଇ କବାଟ
ପ୍ରଭାତେ ବେନି ଘଡ଼ି ନଚାଲନ୍ତି ବାଟ ।୨୭୫ ।
ବୋଲୁଥାନ୍ତି କୋକୁଆ କେହି ତାକୁ ନ ଦେଖି
କେ ବୋଲଇ କୋକୁଆର ସାତ ଗୋଟା ଆଖି ।୨୭୬ ।
ଧରିବା ମାତ୍ରେ ଗିଳଇ ଖଣ୍ଡିୟେ ନ ପକାଇ
ୟେମନ୍ତେ ସେ ନଗ୍ରେ ବଡ଼ ଭୟ ପାଇ ।୨୭୭ ।
କେ ବୋଲାଇ ୟେହିକ୍ଷଣି ମୁଂ ଦେଖିଲଇଂ ବେନି ଗୋଟା
ଆକାଶେ ପୂରି ଅଛି ସରୂପ ତାର ମୋଟା ।୨୭୮ ।
ପୋୟେମାନେ କାନ୍ଦିଲେ ଡ଼ରାନ୍ତି ବାପମାୟେ
କୋକୁଆ କଥା ଶୁଣି ପାନ୍ତି ବଡ଼ଭୟେ ।୨୭୯ ।
ୟେମନ୍ତେ ଦିନେ ତହିଂ ଗୋଳେକ ଉପୁଜିଲା
ମରାମରି ହୋଇ ତହିଂ ଅନେକ ଲୋକ ମଲା ।୨୮୦ ।
ନାନାଦି ଅନର୍ଥ ଯେ ଦଇବ ବେଳେ ହେଲା
ଉପଦର୍ପ ଉତପାତ ପ୍ରବେଶ ହୋଇଲା ।୨୮୧ ।
ଅଦଭୂତେ ଅରିଷ୍ଟି ହୋଇଲା ଉତପାତ
ବିପ୍ର ଚଣ୍ଡାଳେ ତହିଂ ହୋଇଲେ ୟେକତ୍ୱ ।୨୮୨ ।
ଆପଣେ ଆପଣେ ମୋତେ ଶତ୍ରୁ ନାହିଂ ଉପଗତ
ବାବରା ନଗ୍ର ପୁରୀର ୟେହେନେକ ଚରିତ ।୨୮୩ ।
ଦେବ ଦାନବେ ନ ଥିଲା ତହିଂ ଶଂକା କିଛି
ସେହି ମତି ପ୍ରାୟେକ ୟେହି ଆସ୍ତାନ ହୋଇଅଛି ।୨୮୪ ।
ଆନ ମିତେ ୟେ ଆସ୍ତାନ ଅଟଇ ଅବିଧି
ହତକାଳେ ପ୍ରାଣୀକି ଦିଶଇ ବିପରୀତ ବୁଦ୍ଧି ।୨୮୫ ।
ଶୁଣ ହୋ ଗାଙ୍ଗବେ ବୋଇଲେ ନାରାୟଣ
ଦ୍ରିଯୋଧନର ଚରିତ ୟେମନ୍ତ ଭିଆଣ ।୨୮୬ ।
ଶୁଣିଣ କୁରୁପତି କ୍ରୋଧ ଭର ହୋଇ
କିମ୍ପାଇ ଆସିଅଛ କହ ଯଦୁସାଇଂ ।୨୮୭ ।
ମାନଗୋବିନ୍ଦ ବଚନେ ବୋଲନ୍ତି ନାରାୟଣ
ସୋଦୋର ଅଟନ୍ତି ତୁମ୍ଭର ପାଣ୍ଡବ ପାଞ୍ଚଜଣ ।୨୮୮ ।
ଆହୋ ମାନଗୋବିନ୍ଦ ପଡ଼ା ପାଞ୍ଚଖଣ୍ଡ ତୁ ଦିଅ ପାଣ୍ଡବକୁ
ଲକ୍ଷ୍ମୀ ଶାନ୍ତି ଚିର ପ୍ରାପତ ହୋଇ ତୁକୁ ।୨୮୯ ।
ଦ୍ରିଯୋଧନ ବୋଇଲା ହରି ଆଜକ ୟେଥେ ରହ
ଆସ୍ତାନ ବେଳେ ୟେକଥା ମାନ ମୋତେ କହ ।୨୯୦ ।
ନାଡ଼ି ଘଡ଼ିୟା ଜଣାଇଲା ଆସି ଆସ୍ତାନର ତଳ
ସୂର୍ଯ୍ୟ ବେଳ ପ୍ରକାଶ ହୋଇଲା ଆସି ୟେତବେଳ ।୨୯୧ ।
ସ୍ୱାମୀ ସୂର୍ଯ୍ୟ ବେଳେ ମଣୋହିଂ କଲେ ଆଧାର ହୋଇ ପକୁଂ
ଚନ୍ଦ୍ର ବେଳେ ନ ଯୋଗାଇ ଭୋଜନ କରିବାକୁ ।୨୯୨ ।
ଦ୍ରିଯୋଧନ ବୋଇଲା ଶୁଣିମା ଜନାର୍ଦ୍ଦନ
ଆହାର୍ଣ୍ଣିକ ସାରି ୟେଥି କରିବା ଭୋଜନ ।୨୯୩ ।
ଗୋବିନ୍ଦେ ବୋଇଲେ ଆମ୍ଭେ ଯାଉଅଛୁ ବିଦୁର ଭୁବନକୁ
ତହିଂ ସେ ଭୋଜନ ବିଧି ହୋଇଛି ଆମ୍ଭକୁଂ ।୨୯୪ ।
ସରାଗି ବିଦୁରକୁ ଯହୁଂ କହିଲେ ବନମାଳି
ଶୁଣିଣ ମାନଗୋବିନ୍ଦ କୋପେଣ ପ୍ରଜ୍ଜଳି ।୨୯୫ ।
ହରି ହେ ଶକୁନି କହିଲାନି ତୋହୋରି କଥା ମାନ
ସେ ମହାମନ୍ତ୍ରୀର ବଚନ କେ କରିବ ଆନ ।୨୯୬ ।
କଳଂକ ବ୍ରତିଲୁ ହରି ଗଉଡ଼ଂକ ମେଳେ
ସେ ପ୍ରକୃତି ତୁ ନ ଛାଡ଼ିଲୁ ୟେତେ ବେଳେ ।୨୯୭ ।
ଶୂଦ୍ରକ ସେନ ବୋଲି ୟେକଇ ଶୂଦ୍ର ଜାତି
ତାହାର ଦୁହିତା ନାମ ଅଟେ ଅମ୍ୱୁବତୀ ।୨୯୮ ।
ପାରେଶ୍ୱର ନନ୍ଦନ ତାହାର ତୁଲେଣ ପୀରତି
ବ୍ରାହ୍ମଣ ବୀର୍ଯ୍ୟେ ଶୂଦ୍ରେଣୀ ଗର୍ଭେଣ ବିଦୁର ଉତପତି ।୨୯୯ ।
ପ୍ରତକ୍ଷେ ନର ଚାଣ୍ଡାଳ ବୋଲିଟି ତାହାକୁ
ସଙ୍ଗେଣ ପାଣ୍ଡୁ ଯେ ଅଭିନ୍ନ କଲେ ବିଦୁରକୁ ।୩୦୦ ।
ବ୍ରାହ୍ଣଣ ହୋଇ ଯେବେ ଶୂଦ୍ରେ କରଇ ପ୍ରତିଗ୍ରହ
ସଞ୍ଚୟେ ସେ ବ୍ରାହ୍ମଣର ନରକେ ହୋୟେ ଦେହ ।୩୦୧ ।
ବ୍ରାହ୍ମଣ ହୋଇ ଯେବେ ଶୂଦ୍ର ଘରେ ଭୁଞ୍ଜି
ନାଶକାର ଦଣ୍ଡେ ସେ ଅବଶ୍ୟ ହୋଅଇ ଗଞ୍ଜି ।୩୦୨ ।
ବ୍ରାହ୍ମଣ ହୋଇ ଯେବେ ଶୂଦ୍ରେଣିରେ ବୀର୍ଯ୍ୟ ଢ଼ାଳଇ
ରଉରୋବ ନରକେ ସେ ପଡ଼ଇ ଚିର କାଳଇଂ ।୩୦୩ ।
ବ୍ରାହ୍ମଣ ହୋଇ ଯେବେ ଶୂଦ୍ର କଇଂ କରଇ ସେବା
କୃମି ପୋକ ହୋଇ ସେ ପଡ଼ଇ ରଉରୋବା ।୩୦୪ ।
ବ୍ରାହ୍ମଣ ହୋଇ ଯେବେ ହରଇ ପର ବିତ୍ତ
କୋଟିୟେ ଜନ୍ମେ ନର୍କେ ଥାଇ ନ ହୋଇ ମୁକୁତ ।୩୦୫ ।
ତୁ ଯେ ହରି ଜନ୍ମିଲୁ ଯଦୁଋଷିର ବଂଶେ
ଶୂଦ୍ର ଅନ୍ନକୁ କେହ୍ନେ ବଢ଼ାଇଲୁ ପ୍ରତି ଆସେ ।୩୦୬ ।
ବିଚାରେ ପ୍ରୀତି ସେ ହୋଇ ନୁଆସଇ ଯୁଗତେ
ଅନ୍ୟ ଜାତି ଅନ୍ନ ତୁ ଭୁଞ୍ଜିବୁ କେମନ୍ତେ ।୩୦୭ ।
ଅନେକ ଝିଂଘାସ ଯହ୍ନୁ କଲାକ ଧୃତିରାଷ୍ଟି
ଧିକାର କରି ରାଜା ଆସ୍ତାନୁ ଗଲେ ଉଠି ।୩୦୮ ।
ମାନଗୋବିନ୍ଦେ ବିଜୟେ କଲେ ଯାଇଂ ନିଜ ପୁରେ
ବହୁତ ଯୋଗୋଡ଼ ହୋଇଅଛି ଯେ ସମ୍ଭାରେ ।୩୦୯ ।
ବହୁତ ଅଗାଦ ଯେ ଯମୁନା ନଦୀ ଗୋଟି
ଅବଗାହି ସ୍ରାହାନ ତହିଂ କରଇଂ ଧୃତିରାଷ୍ଟି ।୩୧୦ ।
ନିତ୍ୟ କର୍ମ ସାରି ତହିଂ ମାନଗୋବିନ୍ଦ ରାୟେ
ଦେବାର୍ଚ୍ଚନ ସାରିଣ ମୁଣହିଂରେ ବିଜୟେ ।୩୧୧ ।
ଅମୃତ ରସ ଯୋଗାଡ଼ ଷଡ଼ରସ ଭୋଗୀ
ମୁଣୋହିଂ ସାରିଣ ରାଜା ଅନେକ ରତ୍ନ ଲାଗି ।୩୧୨ ।
ଆଞ୍ଚୋବନ ସାରି ରାଜା କ୍ରପୁର ତାମ୍ୱୁଳନ୍ତ ଭୁଞ୍ଜି
ନିଅବକାଶେ ରାଜା ସ୍ତିରୀ ରସେ ଭଜି ।୩୧୩ ।
ଅନେକ କୁସୁମ ସୁସଞ୍ଚ କସ୍ତୁରୀ ଗନ୍ଧ ଲେପି
ଦେବାଙ୍ଗ ବସନ ମାନ ଅଙ୍ଗେଣ ପରିଧାପି ।୩୧୪ ।
ବାହାର ଅବକାଶ ରାଜା ଚନ୍ଦ୍ରଶାଳା ଭୁବନେ
ଜାଣିଣ ଦ୍ରଶନ କଲେ ମାହାରି ଖଟଣି ମାନେ ।୩୧୫ ।
ଖଟନ୍ତି ବିଳାଶୁଣିୟେ ଭରହର ନାୟେକା
ତାଣ୍ଡେବ ଆରୋପଣେ ବିଚିତ୍ର ଶାୟିକା ।୩୧୬ ।
ୟେଥୁ ଅନନ୍ତରେ ଶୁଣ ହୋ ଚଇତନ
ଗୋବିନ୍ଦେ ବିଜୟେ ଯେ କରିଥିଲେ ଆସ୍ତାନେଣ ।୩୧୭ ।
ରାଜା ବିଜେ କଲେ ଦେଖି ଆସ୍ତାନ ମଉଳି
ଋଷି ଗଣେ ଚାହିଂଣ ବଦୟନ୍ତି ବନମାଳି ।୩୧୮ ।
ଅନ୍ତପୁରେ ରାଜା ହୋଇଲେଣି ଅବକାଶ
ଚାଲ ଆମ୍ଭେ ଯିବା ହୋ ବିଦୁରର ବାସ ।୩୧୯ ।
ୟେତେକ ବୋଲିଣ ଯେ ଚଳନ୍ତି ଦାମୋଦର
ନାରାୟଣ ବିଜେ କଲେ ଯାଇ ବିଦୁରର ପୁର ।୩୨୦ ।
ଆହିନିକ ସାରିଣ ଯେ ଋଷି ଗଣ ମେଳେ
ଅନେକ କଉତୁକ ହୋଇଲା ଗଙ୍ଗା ନଦୀକୂଳେ ।୩୨୧ ।
ଅନେକ ଭଗତି ଭାବେ ଖଟଇ ବିଦୁର
ମୁଣୋହିଂ ମନ୍ଦିରେ ଯାଇ ବିଜୟେ ଦାମୋଦର ।୩୨୨ ।
ଖଣ୍ଡ ଖିରି ଶାକର ଯେ ଅଧାମ କର୍ପୂରବାସ ପଣା
ଅମୃତ ପାଣି କଦଳୀ ପଇଡ଼ ଗଙ୍ଗବାଣ ଅଗଣା ।୩୨୩ ।
କେଶର ଶିଙ୍ଗଡ଼ା ଗୁଡ଼ାଏ ଯେ ନାରାୟଣ ଭୋଗୀ
ଶୀତଳ ଦ୍ରବ୍ୟ ଯେ ହେଲେ କୁତୂହଳେ ଲାଗି ।୩୨୪ ।
ନଟିକାଳ ତାଳ ସଜ ଖଜୁରି ଛେନା ଯେ ଏଣ୍ଡୁରି
ଖଣ୍ଡରସ ଚକୁଳି ଦଧି ଦୁଧ ସରପୁଳି ।୩୨୫ ।
ବିଦୁର ଭଗତି ହୋଇଲାଟି ଯେବଣ ବାଗେ
ଅମର ପଦ ଦେଇ କେଶବ ଲୋଡ଼ନ୍ତି ଅନୁରାଗେ ।୩୨୬ ।
ଅମ୍ୱୁବତୀର ନନ୍ଦନ ଯେ ଜାଣଇ ସକଳ ବୁଦ୍ଧି
ଋଷିମାନଂକର ଭୋଜନ ଯେହେନେକ ବିଧି ।୩୨୭ ।
ପ୍ରସନ୍ନେ ଅଭୟେ ବର ଦିଲେକ ସର୍ବ ଋଷି
କଲ୍ୟାଣ କରି ବୋଲନ୍ତି ବିଦୁର ତୁ ବଇକୁଣ୍ଠ ଭୁବନ ପାଅସି ।୩୨୮ ।
ଛାମୁରେ ବିଦୁର ଯେ କହନ୍ତି କରପତ୍ର ଯୋଡ଼ି
ତ୍ରଇଲୋକର ନାଥ ତୁ ବ୍ରହ୍ମାଣ୍ଡ ଅଧିକାରୀ ।୩୨୯ ।
ସ୍ୱାମୀ ମଧ୍ୟେ ପାତ୍ର ପଣେ ଅଇଲୁ କାର୍ଯ୍ୟ ନୋହିଲାକ କିଛି
ବାହୁଡ଼ି ଯୁଝେଷ୍ଠି ଦେବଂକୁ ଜଣାଅ ଶ୍ରୀବତ୍ସୀ ।୩୩୦ ।
ଗୋବିନ୍ଦେ ବୋଇଲେ ନ ଜାଣି ତୁ କହିଲୁ ମନ୍ଦ କଥା
ଯେ ସେ ଯୁଝେଷ୍ଠି ସେ ମୋତେ ନିରଞ୍ଜନ ଦେବତା ।୩୩୧ ।
ତାହାର ଆଜ୍ଞାୟେ ମୁଂ ଅଇଲି ଦୂତକାରି
କାର୍ଯ୍ୟ ସିଦ୍ଧି ନୋହିଲେକି ପାରିବି ବାହୁଡ଼ି ।୩୩୨ ।
ବିଦୁର ବୋଇଲେ ସ୍ୱାମୀ ହୋଇଲ ଦୂତପଣ
କୃଷ୍ଣହୁଂ ଦୂତକେ ଅଛଇ ଆନ ଜଣ ।୩୩୩ ।
ସ୍ୱାମୀ ପଞ୍ଚୁ ଗ୍ରାମ ମାଗୁ ଯୁଝେଷ୍ଠି ଦେବଂକର ବାକ୍ୟେ
ତ୍ରିପୁତି ହୋଇବେକି ସେ ୟେକଇ ଗ୍ରାମକେ ।୩୩୪ ।
ସର୍ବଥା ମାନଗୋବିନ୍ଦ ପାଣ୍ଡବଂକୁ ନ ଦିଅଇ କିଛି
ୟେ ଘେନି କରି ପଞ୍ଚୁ ଗ୍ରାମ ପାରିବକି ମୁରୂଛି ।୩୩୫ ।
ଅଥବା ଅଭର୍ଥୀ କରି ମାଗିବି ପଞ୍ଚୁ ଗ୍ରାମ
ୟେତେକ ତ୍ରିପୁତି ଭଜିବୁକି ଶ୍ରୀ ପୁରୁଷୋତ୍ତମ ।୩୩୬ ।
ଗୋବିନ୍ଦେ ବୋଇଲେ ଯେ ସେ ପଞ୍ଚୁପାଣ୍ଡବେ
ୟେକୁ ୟେକ ବଳବନ୍ତା ଅଟଇ ମହାହବେ ।୩୩୭ ।
ପାଞ୍ଚେହେଂ ବୋଇଲେ ମୋତେ ପଞ୍ଚୁ ଗ୍ରାମ ମାଗି
କାହାର ବଚନ ମୁଂ ପାରିବି ପରିତ୍ୟାଗୀ ।୩୩୮ ।
ପାଇଲେ ପଞ୍ଚୁଗ୍ରାମ ମାଗିବି ନୋହିଲେ ନହୋଉ କିଛି
ପୁଣି ପାଣ୍ଡବେ ଯାନ୍ତୁ ବନକୁ ରାଜ୍ୟ ମୂର୍ଚ୍ଛି ।୩୩୯ ।
ୟେଥୁ ଅନନ୍ତରେ ହୋ ଶୁଣିବା ଚଇତନ
ଭୀଷ୍ମ ଦ୍ରୋଣ ମିଳିଲେ ଯାଇ ମାନଗୋବିନ୍ଦ ସନ୍ନିଧ୍ୟେଣ ।୩୪୦ ।
ପ୍ରସ୍ତାବ ବାକ୍ୟେଣ ଯେ ବଦୟନ୍ତି ଗାଙ୍ଗବ
ମଧ୍ୟସ୍ଥ ପଣେ ଯେ ଆସିଅଛନ୍ତି ବାସୁଦେବ ।୩୪୧ ।
ନାରାୟଣଂକ ତୁଲେ ସର୍ବ ଋଷିଛନ୍ତି ସାକ୍ଷୀ
ଯୁଝେଷ୍ଠିଂକ ଆଗ୍ୟାଂୟେ ହରି ପଞ୍ଚୁଗ୍ରାମ ମାଗୁଅଛି ।୩୪୨ ।
ଶୁଣିଣ ପ୍ରତିବାକ୍ୟ ଦିଲା ମାନ ଚକ୍ରବ୍ରତି
ପଡ଼ା ଦୁଇଖଣ୍ଡି ଦେଇ ହରିଂକି କରିବା ତ୍ରିପୁତି ।୩୪୩ ।
ଶୁଣିଣ ତୁଷ୍ଟ ହୋଇଲେ ଭୀଷ୍ମ ଦ୍ରୋଣ ବେନି
ପ୍ରତି ବାକ୍ୟ ଦିଲାକ ତହିଂ ମନ୍ତ୍ରୀବର ଶକୁନି ।୩୪୪ ।
ଆହୋ ଭୀଷ୍ମେ ଦ୍ରୋଣେ ତୁମ୍ଭେ ଯେ ଜଗନ୍ନାଥଂକୁ ପଡ଼ା ଦୁଇଖଣ୍ଡି ଦେବା କଲ
ୟେ କଥା ମୋହୋ ମନକୁ ତ ନୁଆସଇ ଭଲ ।୩୪୫ ।
ଯଦ୍ୟପି ପଞ୍ଚୁଗ୍ରାମ ନ ପାବନ୍ତି ଶିରିବତ୍ସୀ
ତେବେ ସେ ନାରାୟଣ ନୁହଂନ୍ତି ତ୍ରିପୁତି ।୩୪୬ ।
ଯଦ୍ୟପି ୟେକ ଗ୍ରାମକଇଂ ଦେବାର କରିବ
ୟେକା ଗ୍ରାମକେ ହରି ସେ ସଚରାଚର ପୃଥିବୀ ଘେନିବ ।୩୪୭ ।
ଶୁଣ ହୋ କୁରୁପତି ୟେହି ନାରାୟଣ କଥା
ସତ୍ୟ ଯୁଗେ ବଳିରାଜା ଦାନେଣ ଶକତା ।୩୪୮ ।
ବୃନ୍ଦା ଅର୍କ ଜିଣିଣ ସେ ହୋଇଲା ୟେକଜଣ
ଦେବତାନ୍ତ ଜିଣି ସେ ଇନ୍ଦ୍ର ହୋଇଲା ସ୍ୱର୍ଗେଣ ।୩୪୯ ।
ପାତାଳେ ଜିଣିଲା ସେ ନାଗଲୋକ ମାନନ୍ତ
ମଞ୍ଚପୁରେ ଜିଣିଲା ସେ ସକଳ ଛତ୍ରିନ୍ତ ।୩୫୦ ।
ତିନିପୁରେ ରାଜା ସେ ବଳୀ ଯେ ନୃପତି
ତାହାକୁ ପାତାଳୀ କଲାଟି ୟେହି ପରମ ଜ୍ୟୋତି ।୩୫୧ ।
ସପତ ଦ୍ୱୀପା ପୃଥୀ ଘୋଟିଲାଟି ୟେହାର ପାଦ
ତିନି ପାଦ ଦିଅନ୍ତେ ତାକୁ କଲାଟି ପରମାଦ ।୩୫୨ ।
ମାୟା ୟେ ନିରୋଧିଲା ତାହାର ତିନି ଭୁବନ ଘେନି
ମାୟାଧର ପୁରୁଷ ସେ ମାୟା ନିଶୋଧନି ।୩୫୩ ।
ଦ୍ରିଯୋଧନ ବୋଇଲା ସେ ବଳି ତିନି ଭୁବନ ରାଜା
କହ ମାମୁଂ ଭାଞ୍ଜିଲା କେମନ୍ତ ସେ ୟେହାର ପରିଜା ।୩୫୪ ।
ଶୁଣ ହୋ କୁରୁପତି ଆଦି ଅନ୍ତ ମଧ୍ୟ ବାଣୀ
ସତ୍ୟ ଯୁଗ କଥା ତୋତେ କହଇ ବଖାଣି ।୩୫୫ ।
ମୁନିମାନଂକ ମୁଖୁଂ ଅଛଇ ମୁହିଂ ଶୁଣି
ତେଣୁ କରି ପୂର୍ବ କଥା କହଇ ସର୍ବ ବାଣୀ ।୩୫୬ ।
ଦେବତାଂକ ସହିତେ ସେ ଜିଣିଲା ବଳୀ ଇନ୍ଦ୍ର
ଛଡ଼ାଇ ଇନ୍ଦ୍ର ପଦ ସେ ହୋଇଲା ନରେନ୍ଦ୍ର ।୩୫୭ ।
ବୃନ୍ଦାଅର୍କ ନାମେ ଯେ ରଞ୍ଚିଲା ୟେକ ଜାଗ
ଦେବଲୋକେ ଆସିଣ ଯେ ପଡ଼ିବେ ହବି ଭାଗ ।୩୫୮ ।
ଦେବତାଂକ ନାଶି ସେ ସ୍ୱର୍ଗେ ହୋଇବାକ ଇନ୍ଦ୍ର
ବସିବ ଅମରେ ସେ ଘେନିଣ ସମ୍ପଦ ।୩୫୯ ।
ନାରଦ କହନ୍ତେ ସେ ଅଇଲା ବେଦ ବରଇ
କ୍ଷୀରୋଦ୍ର ଭିତରେ ନାରାୟଣଂକୁ ଲୟେ କରଇ ।୩୬୦ ।
ବଳୀର ଅନୀତି ଦେଖି ହୋ ଜଳଶାହୀ
ବୃନ୍ଦା ଅର୍କ ଝିଂଘାସିଣ ବଳି ଜାଗ କଲା ତହିଂ ।୩୬୧ ।
ତବ ହେତୁ ଯାତ ବୋଲି ନ ବୋଲୁ ଆମ୍ଭେ କିଛି
ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଯେ ଅସୁର ଭୋଗ୍ୟ ହୋଉଅଛି ।୩୬୨ ।
ଆଦି ସିଂହିକାର ତହୁଂ ଉପୁଜିଲା ରାହୁ
ରାହୁ ନନ୍ଦନ ଯେ ଉପୁଜିଲା ବୀରବାହୁ ।୩୬୩ ।
ବୀରବାହୁର ନନ୍ଦନ ଅଟଇ ଜମ୍ୱ ଦତ୍ୟ
ବଜ୍ର କପଚ ବୋଲିଣ ତାହାର ନିଜ ସୁତ ।୩୬୪ ।
ବ୍ରଜ କପଚର ସୁତ ଯେ ହିରଣ୍ୟ ହିରଣାକ୍ଷ
ପ୍ରହଲାଦ ବୋଲିକରି ତାହାର ନିଜ ବତ୍ସ୍ୟ ।୩୬୫ ।
ପ୍ରହଲାଦର ସୁତ ଯେ ବଇଲେଚନ ରାୟେ
ମାଳତୀର ଗର୍ଭରେ ବଳିକି ଉପୁଜାୟେ
ମାଳତୀ ରୂପେଣ ହରି ବଇଲୋଚନ କଲେ କ୍ଷୟେ ।୩୬୬ ।
ମାୟାଧର ପ୍ରଭୁ ତୁମ୍ଭେ ସବୁଂକରି ଚିନ୍ତା
ଅସୁରଂକର ଭୟରୁ ଦେବ ତୁହି ସେ ଉଦ୍ଧାରନ୍ତା ।୩୬୭ ।
ବଳିକି ବିନାଶିବାକୁ ତୁ କରସି ଦେବ ବୁଦ୍ଧି
ତହୁଂ ବାବନ ରୂପ ଧରିଲେ କରୁଣା ବାରାଧି ।୩୬୮ ।
ଅତି ଖୂର୍ପ ରୂପ ହୋଇଲେ ବାସୁଦେବେ
ବାଆନ ଅଙ୍ଗୁଳି ଉତ୍ସର୍ଗ ବିକାଶିଲା କାୟା ସର୍ବେ ।୩୬୯ ।
ଆହୋ ଭୀଷ୍ମ କାନ୍ଧେଣ ଛତା ଯେ ହାଥରେ ବେଦ ପୋଥି
ଦଣ୍ଡ କମଣ୍ଡଳ କରେ ତାମ୍ର ବର୍ଣ୍ଣ ମୂରତି ।୩୭୦ ।
ନବଗୁଣ ପଇତା ବାମ କନ୍ଧେଣ ଉତ୍ତୁରୀ
କଣ୍ଠେଣ ତୁଳସୀ ମାଳ ହାତେ ଜପାମାଳି ।୩୭୧ ।
କାଖେ ବେଦ କରାଣ୍ଡି ଯେ ପିନ୍ଧି କଷା ବସନ
କଟିରେ ପୁଣ୍ଡରୀକ ଚର୍ମ ନିବିଡ଼ ବଜ୍ର ଛଉଂରୀ ପୁଣ ।୩୭୨ ।
ତ୍ରିବେଣୀ ସ୍ରୋହାପାତ୍ର ପ୍ରୋକ୍ଷଣି କଉପୁନି ବ୍ରହ୍ମ ସାଧି
ତମ୍ୱା ପାତ୍ରୀ ଗଡ଼ୁ ପିଢ଼ା ଯେହ୍ନେ ବ୍ରହ୍ମାଂକର ବିଧି ।୩୭୩ ।
ଯଜନ ଯାଜନ ଅଧ୍ୟୟନ ଅଧ୍ୟାପନ ଦାନ ପ୍ରତିଗ୍ରହ ଆଦି ଷଟ୍କର୍ମ ବିଦ୍ୟା
ଗୋପ୍ୟାନେ ଦୋହୋରା ଶ୍ରବଣେ ଭୂଷଣ ଯେ ମୁଦ୍ରା ।୩୭୪ ।
ଶରୀରେ ଶୋଭାବନ ଯେ ଦ୍ୱାଦଶ ଚିତା ଗୋଟି
ସମାଦି ମଉନେ ଯେ ବାଳୁତ କାୟେ ସେଟି ।୩୭୫ ।
ଅନନ୍ତ ଶରୀର ଦଧିବାମନ ମୂରତି
ୟେକ କରିଣ ଖଣନ୍ତି ଆରେକ କରେ ବେଦପୋଥି ।୩୭୬ ।
ମକର ମାସ ଶୁକ୍ଳପକ୍ଷ ପଞ୍ଚମୀର ତିଥି ଦିନ
ଭୃଗୁବାର ନକ୍ଷତ୍ର ଯେ ଉତ୍ତରା ଫାଲଗୁନ ।୩୭୭ ।
ବିଷ୍କୁମ୍ଭ ନାମେ ଯୋଗ ବିଷ୍ଟି ନାମେ କରଣ
ବାବନ ପ୍ରବେଶ ଯାଇଂ ବଳିରାଜା ଦ୍ୱାରେଣ ।୩୭୮ ।
ବଳି ଦ୍ୱାରେ ଛନ୍ତି ଅଶୀ ଶସ୍ର ମାଲେବସି
ବାବନ ରୂପ ଦେଖି ନାସିକାୟେ ହାଥେ ଦେଇ ହସି ।୩୭୯ ।
କର ଚରଣେ ଜାନୁ ଅଙ୍ଗୁଷ୍ଠ ଯେ ବିଂଶ
ଗଜମୁଖ କପାଳ ଅଙ୍ଗୁଳ ଦ୍ୱାଦଶ ।୩୮୦ ।
ବାବନ ରୂପ ବିକାଶି ବାଆନ ଆଙ୍ଗୁଳ ଦିଶଇ
ଦେଖିଣ ସର୍ବ ଜନେ ହାସ କଲେ ତହିଂ ।୩୮୧ ।
ସୁବାହୁ ମାଲ ଯେ ମାପିଲା ତିରିଶ ନାଡ଼େକ ଘେନି
ପାଦ ଦ୍ୱାଦଶ ଆଙ୍ଗୁଳ ବାଆନ ଆଙ୍ଗୁଳ କାୟେ ପୁଣି ।୩୮୨ ।
ହଠ କର୍ମା ମାଲେ ମିଳି କହନ୍ତି ବିତଣ୍ଡା
କେବଣ ଦେଶର ହୋ ବିପ୍ର ବାବନ ପଣ୍ଡା ।୩୮୩ ।
କୁଶ ହାଥେ ତଣ୍ଡୁଳ ଘେନି ସହସ୍ର ଶ୍ରୀର୍ଷା କାଣ୍ଡି
ଅଣ୍ଡିର କୋକିଳ ଜାଣି ଆକ୍ରେଶି ଦେବ ପଢ଼ି ।୩୮୪ ।
ବାଭିୟେ ମୁହିଂ ତୁମ୍ଭନ୍ତ ନ ଚିଂହ୍ନଇ ତୁମ୍ଭେ କଲ୍ୟାଣ ହୁଅ
ବଳି ରାଜାର ଛାମୁରେ ଯାଇ ବାରତା ବେଗେ କହ ।୩୮୫ ।
ବୋଲ ଅଭ୍ୟାଗତ ଦ୍ୱିଜବର ବହୁତ ବିଦେଶୀ
ବିଭୋକ୍ଷିତ ହୋଇଣ ସେ ଅପାର ଧୂରୁଂ ଆସି ।୩୮୬ ।
ଆଷ୍ୟ ଆରୋଗ୍ୟ ବାବୁ ହୋଉ ଯେ ତୁମ୍ଭଂକୁ
ରାଜାକୁଂ ଦ୍ରଶନ ନେଇ କରାଇ ଆମ୍ଭଂକୁ ।୩୮୭ ।
ମାଲେ ବୋଇଲେ ପଣ୍ଡାୟେ ଆସ୍ତାନ ଗହଳ
ପୂର୍ଣ୍ଣ ଆହୂତି ହୋଉଛି ମହାଦାନ ବେଳ ।୩୮୮ ।
ମହା ମହା ବେଦୀ ବିପ୍ରେ ନୁଆରନ୍ତି ପଶି
ତୋତେ ଛାମୁ କୁ ନେଲେ ପାଇବୁ ଉପହାସି ।୩୮୯ ।
କେହି ନ ଶୁଣିଲେ ଯହୁଂ ବାବନର କଥା
କିମ୍ଭୂତ ପ୍ରାୟେ ମଣିଲେ ସେ ନାରାୟଣ ଦେବତା ।୩୯୦ ।
ସିଂହଦ୍ୱାରେ ଥାଇ ବାବନ ଯେ କଲେ ବେଦ ଧୁନି
ଗହ ଗହ ଶବଦେ ଯେ ପୂରିଲା ମେଦିନୀ ।୩୯୧ ।
ଢ଼ୋଲ ଦମା ଟମକ ନିଶାଣ ଭେରି ବାଦ୍ୟ
ସମସ୍ତ ବୁଡ଼ିଲା ବାବନର ବେଦ ନାଦ ।୩୯୨ ।
ଶ୍ରବଣେ ପଶନ୍ତେ ଯେ ତଲୟେ କଲା ବଳି
କିମ୍ଭୂତ ଶବଦେ ଯେ କମ୍ପିଲା ମହୀଆଳି ।୩୯୩ ।
ରାଜାର ଅଗ୍ରତେ ଯାଇ ଜଣାଇଲେ ମୁନେହିଂ
ସ୍ୱାମୀ ୟେକ ବ୍ରାହ୍ମଣେଟି ଖୂର୍ପ ରୂପ ଦେହୀ ।୩୯୪ ।
ବେଦ ଆଧ୍ୟାନ କରି ରହିଅଛି ସିଂହଦ୍ୱାରେ
ବ୍ରହ୍ମାଣ୍ଡ କମ୍ପୁଅଛି ତାହାର ବେଦର ଉଂକାରରେ ।୩୯୫ ।
ଦ୍ରହସିତ ଭାବେ ଯେ ନରୀନ୍ଦ୍ର କୁତୂହୋଳି
ଆଣରେ ଦ୍ୱିଜବର ବୋଲି ଆଗ୍ୟାଂ ଦିଲେ ତୋଳି ।୩୯୬ ।
ମୁନେହିଂ ବୋଇଲେ ଆଗ୍ୟାଂ ହୋଇଲା ଆସ ହୋ ବ୍ରାହ୍ମଣ
ରାଜାର ଆଗ୍ୟାଂ ପାଇଣ ଭିତରେ ପଶିଲେ ତତକ୍ଷଣ ।୩୯୭ ।
ଚଳଇ ବାବନ ବିପ୍ର ସଳ୍ପ ସଳ୍ପ ପାଦ ବ୍ରତି
ଦୂରୁଂ ଦେଥିଲା ବଳି ରାୟେ ବାବନ ମୂରତି ।୩୯୮ ।
ବୟସ ଅଳ୍ପ ସାମାନ୍ୟ କ୍ଷୀଣ କାୟା
ବଢ଼ାଇ ଆଗୋଚର ମଣଇତ ଯେ ବ୍ରାହ୍ମଣର ମାୟା ।୩୯୯ ।
ଦେଖିଣ ଉପହାସ୍ୟ କଲେ ଦାନବ ବଳେ
ବିଜୟେ ବାବନ ଯାଇଂ ବଳିରାଜାର ଯାଗଶାଳେ ।୪୦୦ ।
ଆହୋ ଚଇତନ ଇଦଂ ବାକ୍ୟ ବଳି ରାଜାର ସଂପାଦେ
ଅପୂର୍ବ ବ୍ରାହ୍ମଣ ୟେତ ବାଳୁତ ବୟସ ହାଦେ ।୪୦୧ ।
କୁଶ ହାଥ ହୋଇଣ ଯେ ଦେବ ଦଇତାରି
ଅଖଣ୍ଡିତ ତଣ୍ଡୁଳ ଘେନି ଆଶିଷ୍ୟ କରନ୍ତି କର ପ୍ରସାରି ।୪୦୨ ।
ଆହୋ ଚଇତନ ପ୍ରଥମ ଆଶିଷ୍ୟ ଯେ ମହାମନ୍ତ୍ର ବାଦୀ
ପଚାରନ୍ତି ରାଜା ପଣ୍ଡାୟେ ତୁମ୍ଭେ କେଉଂଣ ବେଦୀ ।୪୦୩ ।
କେବଣ କୁଳ ଗୋତ୍ର କେବଣ କୁଳେ ଯାୟେ
କେବଣ ଦେଶ ଜାତ କେ ତୁମ୍ଭର ବାପ ମାୟେ ।୪୦୪ ।
ନାମ ସଂକେତ କିସ ତୁମ୍ଭେ କେବଣ ମନ୍ତ୍ର ବେଦୀ
କିସ ଅର୍ଥେ ବିଭୋକ୍ଷିତ କହସି ବାକ୍ୟ ସିଦ୍ଧି ।୪୦୫ ।
ବୟସ ଅଳପ ବାଳୁତ ବୁଦ୍ଧି ଭାବ
ବେଦ ଅଧ୍ୟାନ ଶବଦେ କମ୍ପଇ ଭୂଅସର୍ବ ।୪୦୬ ।
ବାବନ ସଂପାଦ କରଇ ଅମୃତ ରସ ବାଣୀ
ଉତ୍କଳ ଦେଶେ ନଦୀ ବହଇ ବଇତରଣୀ ।୪୦୭ ।
ବାରାହୀ ବୋଲି କରି ଅଟଇ ୟେକଇ ଶାସନେ
ମନୋହର ନଗ୍ର ଚଇତନ ପାଟଣା ସନ୍ନିଧ୍ୟାନେ ।୪୦୮ ।
ତହିଂର ଶାସନୀ ଆମ୍ଭେ ମହାଜନ ପାଣିଗ୍ରାହୀ
ନିରଞ୍ଜନ ଧର୍ମ ଦାସ ପଣ୍ଡାଂକର ପୁତ୍ର ଆମ୍ଭେ ତିନି ଭାଇ ।୪୦୯ ।
ମାତାଂକର ନାମ ଆମ୍ଭର ଅଟଇ ଅନନ୍ତାୟୀ
ବ୍ରହ୍ମଦାସ ପଣ୍ଡା ଆମ୍ଭର ନିଜ ଭାଇ
ସଦାନନ୍ଦ ଦାସ ଆମ୍ଭର ଦୁଇ ଭାଇ ହୋଇ ।୪୧୦ ।
ନିରାକୁଳ ବଂଶୀ ଆମ୍ଭେ ଜଳଧର ଗୋତ୍ରୀ
ନାମ ଆମ୍ଭର ବାବନ ପଣ୍ଡା ଶୂନ୍ୟ ସାଧନ ମୂରତି ।୪୧୧ ।
ଯାଗ ଯଗ୍ୟଂ ପ୍ରତିଷ୍ଠା ଉଚ୍ଛବ କର୍ମ ମାନ
ଧାର୍ମିକ ଦେଖିଲେ ଆମ୍ଭେ ଆସୁ ଶୁଦ୍ଧସ୍ଥାନ ।୪୧୨ ।
ସାଧୁ ସାଧୁ ମହାରାଜା ଦାନବ କୁଳ ଗୋତ୍ରୀ
ବଡ଼ାଇ ମହିମା ତୋହୋର ଦେଖିଲୁ ୟେହି ପୃଥୀ ।୪୧୩ ।
ଦାନେଣ ଶୂରବନ୍ତା ତୁ ମାନେଣ ମହାବଳୀ
ମହାଯଗ୍ୟଂ ଆରୋପଣ କଲୁ ମହୀଆଳି ।୪୧୪ ।
ଅନେକ ଦ୍ୱିଜବରେ କହିଲେ ତୋ ମହିଂମା
ବିଚାରି ଜାଣିଲୁ ତୁ ପ୍ରତକ୍ଷେ ମହାତମା ।୪୧୫ ।
ପ୍ରତକ୍ଷେ ଶୁଣିଲୁ ତୁ ଅବିଚ୍ଛନ୍ନେ ଦାନ ଦେଉଅଛୁ
ମୁହିଂ ଦରିଦ୍ର ବ୍ରାହ୍ମଣ ମୋତେ ଦାନ ଦେବା କିଛୁ ।୪୧୬ ।
ମାଗ ହୋ ଦ୍ୱିଜବର ଯେ ତୋହୋର ମତି
ଯେତେ ମାନଂକୁ ଭାର୍ଜନ ଯହିଂକି ଶକତି ।୪୧୭ ।
ବଳିରାଜା ବୋଇଲା ଯେ ବାବନର ଆଗ
ପୂର୍ଣ୍ଣ ଆହୂତି ଦେବି ସମାପନ ହୋଉ ଯାଗ ।୪୧୮ ।
ଅମର ବିନାଶନେ ମୋହୋର ଆହୂତି
ଅଇରାବତ ଘେନି ଆସି ପଡ଼ିବ ସୁରପତି ।୪୧୯ ।
ଅନୁଷ୍ଟୁକ କଣ୍ଡୁ ମହଋଷି ଅଚନ୍ତି ଯାଗନିକ
ଆହୂତିର ସାଧ୍ୟେ ପ୍ରାପତ ହୋଇବ ବାଞ୍ଛିକ ।୪୨୦ ।
ବଳିର ବଚନେ ବାବନ ବେଦଭଣି
ବ୍ରହ୍ମାଣ୍ଡ ଝଡ଼ି କି ପଡ଼ିଲା ଧରଣୀ ।୪୨୧ ।
ରହ ରହ ବ୍ରାହ୍ମଣ ବୋଲି ଯେ ବୋଲକ ବଳିରାୟେ
ୟେ ତୋହୋର ବେଦଧୁନି ଶୁଣି କମ୍ପଇ ମୋର କାୟେ ।୪୨୨ ।
ଲକ୍ଷେକ ବରଷ ହୋଇଲା ମୁହିଂ ହେଉଅଛି ଦାନ
କାହାକଇଂ ନ ଦେଖିଲି ବିପ୍ର ତୋହୋର ସମାନ ।୪୨୩ ।
ମାଗ ହୋ ବ୍ରାହ୍ମଣ ଯେବଣ ତୋହୋର ମନବାଞ୍ଛା
ଯେତେକ ପୂର୍ଣ୍ଣ ହୋଅଇ ତୋହୋର ମନୀଷା ।୪୨୪ ।
ବାବନ ଡାହାଣ ବ୍ରତେକ ଶଙ୍ଖେ ଭରିଲା ଜଳତିଳ
ଆପଣେ ତୋଳିଦିଲା ରାଜା ବାବନ କର ସ୍ଥଳ ।୪୨୫ ।
ତଳହାଥ କରିଣ ଯେ ପାତିଲା ବାବନ
ଉପର ହାଥ କରି ବଳି ଦେଉଅଛି ଦାନ ।୪୨୬ ।
ବଳି ବୋଇଲା ବାବନ ଯେତେକ ତୋତେ ଅଣ୍ଟଇ
ଯାବତ ବଂଶକୁ ତୋହୋର ଦରିଦ୍ର ଯେସନ ଫିଟଇ ।୪୨୭ ।
ବାବନ ପ୍ରତି ବାକ୍ୟ ଶୁଣିମା ମହାରାଜ
ଧନ ସମ୍ପଦେ ମୋହୋର ନାହିଂ କିଛି କାର୍ଯ୍ୟ ।୪୨୮ ।
ବାବନ ସାକ୍ଷୀ କରଇ ଦଶ ଦିଗପାଳଂକୁ
ଆବର ସାକ୍ଷୀ କରଇ ଅସ୍ତୁକାର ପୁରୁଷଂକୁ ।୪୨୯ ।
ବାବନ ସାକ୍ଷୀ କରଇ ଚନ୍ଦ୍ର ସୂର୍ଯ୍ୟ ଦେବତାଂକୁ
ବାବନ ସାକ୍ଷୀ କରଇ ଚାରି ଯେ ମେଘଂକୁ ।୪୩୦ ।
ବାବନ ସାକ୍ଷୀ କରଇ ଯେ ଚାରି ଯୁଗଂକୁ
ବାବନ ସାକ୍ଷୀ କରଇ ଯେ ଚାରି ଦିଗକୁ ।୪୩୧ ।
ଉପର ହାଥ କରି ଦାନ ଦେଉଅଛି ବଳି
ସାମାନ୍ୟ ଦାନ ମାଗଇ ନ ମାଗଇ ଅଗୁଳି ।୪୩୨ ।
ଦାନ ଦିଅନ୍ତେଣ ତହିଂ ଶୁକ୍ରମନ୍ତ୍ରୀ ବଚନ ବୋଇଲା
ରହ ରହ ବୋଲି ଶଙ୍ଖ ଉଛୁଡ଼ି ଧଇଲା ।୪୩୩ ।
ରହ ରହ ମହାରାଜା ତୁ କାହାକୁ ଦେଉଅଛୁ ଦାନ
ମାସାନ୍ୟ ପ୍ରାୟେ ମିଣିଲୁ କି ୟେ ପ୍ରଚଣ୍ଡ ବାବନ ।୪୩୪ ।
ଅସଂଖ୍ୟ ସମ୍ପଦ ତୋହୋର ହାଦେ ଦେଖି ହରି
ପ୍ରତକ୍ଷେ ନାରାୟଣ ସେ ବାବନ ରୂପ ଧରି ।୪୩୫ ।
ଦେବଂକୁ ଅଗୋଚର ଯହୁଂ ତୋହୋର ସମ୍ପଦ
ଗୋପ୍ୟାନେ କେଶବ ତୋତେ ଚିନ୍ତୁଛି ପରମାଦ ।୪୩୬ ।
ବଳି ବୋଇଲା ତୁ ତ ଭୃଗୁକୁଳ ଜାୟେ
କେବଣ ଲକ୍ଷଣେ ଜାତ ତୋତେ କଲେ ପିତାମାୟେ ।୪୩୭ ।
କିଞ୍ଚିତ ଦାନ ଦେବାକୁ ମୁଂ କରଇ ଇଚ୍ଛା
ଶ୍ରୀବାସୁଦେବ ପ୍ରାପତ କରିତେ ମନ ବାଞ୍ଛା ।୪୩୮ ।
ପୁରୋହିତ ଅଭିମୁଖେ ବଳି ବଚନ ପଚାରି
ପ୍ରତକ୍ଷେ ନାରାୟଣ ବାବନ ଅବତରି ।୪୩୯ ।
ୟେହାଂଉ ଆନ କିସ ମୁଂ ପାଇବି ସୁଲଭ
ସମସ୍ତ ସମ୍ପଦ ମୋର ପଛେ ଘେନୁ ପଦ୍ମନାଭ ।୪୪୦ ।
ଶୁକ୍ର ବୋଇଲେ ଅର୍ଜିଲୁ ୟେତେକ ସମ୍ରଧି
ହେଳେଣ ବଢାଉଅଛୁ ୟେବେ ଚକ୍ରକୂଟ ବୁଦ୍ଧି ।୪୪୧ ।
ବଳି ବୋଇଲା ହେ ଶୁକ୍ର ନୁହଇ ୟେମନ୍ତ
ଅନେକ ପୁଣ୍ୟେ ଦାନ ଦେବି ବାମନର ହାଥ ।୪୪୨ ।
ଧର୍ମ ଅର୍ଥ କାମ ମୋକ୍ଷ ଚାରିବର୍ଗ
ଆଜ ସେ ପ୍ରାପତ ମୋତେ ହୋଇଲାକ ସର୍ବ ।୪୪୩ ।
ବଳେଣ ଶୁକ୍ରମନ୍ତ୍ରୀ ଯେ ବଳି ରାଜାର ହାତ ଧରି
ଦାନ ଦିଅନ୍ତେ ଶଙ୍ଖ ଘେନିଲା ଉଛୁଡ଼ି ।୪୪୪ ।
ଦେଖିଣ କୋପାନଳ ବାମନ ମୂରତି
ରାଗେ ବାମକରେ ପେଲିଦିଲେ ଯେ ଶିରୀପତି ।୪୪୫ ।
ଆହୋ ଚଇତନ ବାବନର କରେ ଯେ କୁଶ ବଟୁ ଥିଲା
ଯେ କୁଶର ଅଗ୍ର ଲାଗି ଶୁକ୍ରର ଚଛୁ ମିଳାଇଲା ।୪୪୬ ।
ଫୁଟିଣ ଶୋଣିତ ଯେ ବହଇ ଅବିଚ୍ଛନ୍ନ
ବଳି ବୋଇଲା ଶୁକ୍ର ତୋହୋର ଦୋଷେ ତୁ ପାଇଲୁ ଅଭିମାନ ।୪୪୭ ।
ଦିଅନ୍ତା ବାରିଲୁ ଯେ ନ ଗଲା ତୋତେ ପାରି
ପ୍ରତକ୍ଷେ ଫଳିଲା ତୋତେ ନଗଲା ଉବୁରି ।୪୪୮ ।
ମାଗ ହୋ ବ୍ରାହ୍ମଣ ତୋତେ ଦେବଇଟି ଦାନ
ତଳହାଥ କରିଣ ତାହା ପାତିଲା ବାବନ ।୪୪୯ ।
ଶଙ୍ଖେ ଜଳତିଳ ଲାଇ ବଳି ଦିଲା ବାବନର ହାଥେ
ବ୍ରାହ୍ମଣ ବୋଇଲା ପୃଥୀ ତିନିପାଦ ଦାନ ଦେବୁ ମୋତେ ।୪୫୦ ।
ଯେତେକ ବିସ୍ତାର ମୋହୋର ଚରଣ ତଳିପାର କାନ୍ତି
ମାଗନ୍ତେ ଯେତେକ ହୋଇବ ତେତେକ ଦେବୁ ପୃଥୀ ।୪୫୧ ।
ଶୁଣିଣ ଆଶ୍ରିଜ ଯେ ଧୂମ୍ର ଲୋଚନର ପଣନାତି
ସର୍ବେଣ ୟେତେକ ମାଗିଲୁ ମୋତେ ବାବନ ମୂରତି ।୪୫୨ ।
ପାଞ୍ଚ ଆଙ୍ଗୁଳ ତୋହୋର ବିସ୍ତାର ପାଦଗୋଟି
ୟେଥିରେ ତିନିପାଦ କାହିଂକି ତୋର ଅଣ୍ଟି ।୪୫୩ ।
ବ୍ରାହ୍ମଣ ବୋଇଲା ମୁଂ କିଞ୍ଚିତ ମନ୍ତ୍ରବାଦୀ
ବହୁତ ଦାନ ଘେନିମାର ନୋହୋଇ ପରସିଦ୍ଧି ।୪୫୪ ।
ଅଳପ ମନ୍ତ୍ରେ ଯେବଣ ଦ୍ୱିଜ ବହୁତ ଦାନ ମାଗି
ନାଶକର ଦଣ୍ଡେ ହ୍ୱନ୍ତି ସେହୁ ନର୍କଭୋଗୀ ।୪୫୫ ।
ବଳି ବୋଇଲା ତିନିପାଦ ଭୂମିରେ କିସ ହୋଇବ ବାସ୍ତୁ
ତୋଟା ଖଣ୍ଡିୟେତ ନ ଥିଲେ କେମନ୍ତେ ବ୍ରତ ହେତୁ ।୪୫୬ ।
ବ୍ରାହ୍ମଣ ବୋଇଲା ମୁଂ ନୋହୋଇ ବଡ଼ ଲୋଭୀ
ଅଧିକ ନ ମାଗଇ ତୋତେ ତିନିପାଦ ମାଗଇ ଭୁବି ।୪୫୭ ।
ମୋହୋର ପରାୟେ ଦାନୀ ତୋତେ ଦେଇଛି ଦାନ
ମୋହୋର ଦାତ୍ରିକ ପଣକୁ ତୁ ନୋହିଲୁ ଭାର୍ଜନ ।୪୫୮ ।
ତିନିପାଦ ଭୂମି ଦେବା ତୁଙ୍ଗଭଦ୍ରା ନଦୀକୂଳ
ୟେତେ କହି ରାଜା ବାବନ କରେ ଛାଡ଼ିଲାକ ଜଳ
ଦେଖୁଂ ଦେଖୁଂ ବାବନ ମୂରତି ହୋଇଲା ହେଳୁଂହେଳ ।୪୫୯ ।
ବିସ୍ତାର କରେ ବାବନ ଯେ ବାମପାଦ ତଳିପା ଗୋଟି
ୟେକା ପାଦକେ ନବଦୀପ ସପତ ସାଗର ଗଲା ଘୋଟି ।୪୬୦ ।
ଦେଖିଣ ଆଶ୍ରିଜ ଯେ ହୋଇଲା ମହାରାଜା ବଳି
ଶୁକ୍ର ମୁନି କଥା ବିଚାରି ହୃଦଗତେ ଭାଳି ।୪୬୧ ।
ସାଧୁ ସାଧୁ ଶୁକ୍ରମନ୍ତ୍ରୀ କହିଲୁ ମୋତେ ଯାହା
କାଳେଣ ଫଳିଲା ଆସି ମୋତେ ମୁଂ ନ ଚେତିଲି ତାହା ।୪୬୨ ।
ମୋର ହିତ ଅର୍ଥେତ ଶୁକ୍ରଇ ନାଶଗଲା
ୟେହି ବାବନ କୂଟବୁଦ୍ଧି ମୋତେ ଗୋଚର ନ ଗଲା ।୪୬୩ ।
ବାବନ ବୋଇଲା ବଳି ଦେବୁ ନା ଆରେକ ପାଦେ
ବଳି ବୋଇଲା ବିପ୍ରବର ଆକାଶ ଦିଲେ ମୁଂ ହାଦେ ।୪୬୪ ।
ୟେକ ପାଦେ ଭୂମି ଆରେକ ପାଦ ଆକାଶ
କୋଟିୟେ ବ୍ରହ୍ମାଣ୍ଡଯାକ ଘୋଟିଲେ ହୃଷିକେଶ ।୪୬୫ ।
ବାବନ ବୋଇଲା ବଳି ଆରେକ ପାଦ ଦିଅସି
ସଂକଳ୍ପ କରି ଦାନ ନ ଦିଲେ ଧର୍ମହୋୟେ ନାଶି ।୪୬୬ ।
ବଳି ବୋଇଲା ମୁଂ ପାରିବି ଆରେକ ପାଦ ଦେଇ
ମୁହିଂ ଅବା ପାରିବି ପାଦ ତୋହୋର ଆରେକ ପାଦ କାହିଂ ।୪୬୭ ।
ଶୁଣି ହୁଂକାର ଶବଦ କଲେ ଦେବରାୟେ
ନାଭିକମଳ ଭିତରୁ ସ୍ୱାମୀ ଆରେକ ପାଦ ଉପୁଜାୟେ ।୪୬୮ ।
ବଳି ବୋଇଲା ଦୁଇପାଦେ ଘୋଟିଲା ଦୁଇ ଯେ ଜଗତ
ଆରେକ ପାଦ ଭୂମି ତୋତେ କାହୁଂ ଦେବଇଂ ଜଗଭୂତ ।୪୬୯ ।
ବାବନ ବୋଇଲେ ତୁ ଯେ ଦାନେଣ ଶୂରବଳି
ସତ୍ୟଭଗ୍ନ ହୋଇବୁ କେସନେ ତୋହୋର ପରା ଭଳି ।୪୭୦ ।
ସଂକଳ୍ପ କରି ଦାନ ନ ଦେଲେ ବଡ଼ ଦୋଷ
ଗତ ଧର୍ମ ନାଶ ଯାଇ ନର୍କେଣ ହୋୟେ ବାସ ।୪୭୧ ।
ଶୁଣିଣ ମଥା ଯେ ପୋତିଲା ରାୟେ ବଳି
କମଳ ପାଦ ମାଥେ ଲଦିଲେକ ବନମାଳୀ ।୪୭୨ ।
ମେରୁକୁ ତତ୍ତୁଲ୍ୟ ବଳିର ଯେବଣ କାୟେ
କିଞ୍ଚିତେ ରାସାଂଗତ ହୋଇଲେ ମହାରାୟେ ।୪୭୩ ।
ଇଦଂ ବାକ୍ୟ ଶକୁନି ଯେ ସଭାରେଣ ଭାଷା
କହ୍ନାଇ ବୋଲି ତୁମ୍ଭେ କରକି ୟେହାକୁ ଭରସା ।୪୭୪ ।
ବାବନ ଅବତାର ହୋଇଲାଟି ୟେହି
ତିନିପାଦେ ଘୋଟିଲା ଯେ ତିନିଜଗତ ମହୀ ।୪୭୫ ।
ତିନିପାଦ ମାଗନ୍ତେ ବଳି ନୁଆରିଲା ତରି
ତୁମ୍ଭେ କେମନ୍ତ ତାହାକୁ ପଞ୍ଚୁଗ୍ରାମେ ଦେବ କରି ।୪୭୬ ।
ପଞ୍ଚୁଗ୍ରାମେ ଛାଡ଼ି ଯେବେ ୟେକ ଗ୍ରାମ ଦେବ
ୟେକା ଗ୍ରାମେକ ହରି ସଚରାଚର ଯେ ଘୋଟିବ ।୪୭୭ ।
ୟେସନେକ କରି ହରି ପଡ଼ାୟେକ ମାଗିବ
ବିଶ୍ରାମ କରିବ ତୁମ୍ଭଂକୁ ଠାବହିଂ ନ ଥିବ ।୪୭୮ ।
ୟେହାଉଂ ଅନ୍ତର ଯେବେ ହୋଇବ ମୋ କଥା
ମନ୍ତ୍ରୀପଣ ସଭାରେ ମୁଂ ନ କରିବି ସର୍ବଥା ।୪୭୯ ।
ଆହୋ କଉରୋବେ ଚକ୍ରକୂଟ ବୁଦ୍ଧିରେ ତୁମ୍ଭର କିସ ବିଶ୍ୱାସ
ୟେଡ଼େ ବଡ଼ ରାଜାକୁ ତୁମ୍ଭେ କରିଲତ ନାଶ ।୪୮୦ ॥ ୧୯୨୩ ।