ରାଜାମାନଙ୍କୁ ନିମନ୍ତ୍ରଣ — ସାରଳା ମହାଭାରତ ମଧ୍ୟପର୍ବ (ଦ୍ୱିତୀୟ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ରାଜାମାନଙ୍କୁ ନିମନ୍ତ୍ରଣ
ୟେଥୁ ଉତ୍ତାରେଣ କିସ ହୋଇଲା ବିଧାନବିଶେଷି କହ ହେ କୁମ୍ଭଋଷିର ନନ୍ଦନ ।୧।ଅଗସ୍ତି ବୋଲନ୍ତି ତୁ ହୋ ଶୁଣ ମନୁରାୟେରାଜାନ୍ତ ନିମନ୍ତ୍ରଣ ସେହୁ କଲେକ ଉପାୟେ ।୨।ଭୀମସେନକୁ ଚାହିଂ ବୋଲନ୍ତି ଚକ୍ରଧରଜାରାସନ୍ଧ ରାଜାକୁ ଯାଇ ନିମନ୍ତ୍ରଣ କର ।୩।ନାରଦେ ଯାଇଛନ୍ତି ତାହାର ଭୁବନକୁନିମନ୍ତ୍ରଣ ଘେନିଯାଅ ତୁ ତାହାର ପୁରକୁ ।୪।ଆବର ମୃଗସେନକୁ କରିବୁ ବରଣନିମନ୍ତ୍ରଣ ଯୋଗାଡ଼ ଘେନି ଚଳ ହୋ ଭୀମସେନ ।୫।ମାହେନ୍ଦ୍ର ବେଳ ଆସି ହୋଇଳା ବ୍ରିକୋଦରସଙ୍ଗତେ ଥାଠ ସଇନ ଯେ ଘେନିଣ ଅପାର ।୬।ଦୁଇ କ୍ଷଉଣୀ ବଳ ଦୁଇଶତ ରଥଚାରି ଲକ୍ଷ ହାଥୀ ସଙ୍ଗେ ଅଛନ୍ତି ମାହୁନ୍ତ ।୭।ସହସ୍ରେକ ଅଶ୍ୱ ଦୁଇ ସହସ୍ର ପାଦାନ୍ତିଲକ୍ଷେକ ଶଙ୍ଖ ଯେ ତାର ଛାମୁରେ ଫୁରନ୍ତି ।୮।ଶୁଭ ଅନକୂଳେ ଭୀମ ବାହାର ହୋଇଗଲାଦୁଇକୋଶ ମାତି ଥାଠ ପଲାଣି ଚଳାଇଲା ।୯।ପ୍ରବେଶ ଭୀମସେନ ମଗଧ ଦେଶେ ୟାଇଂଚାରଗଣେ ଯାଇ ରାଜା ଛାମୁରେ ଜଣାଇଂ ।୧୦।ଭୋ ଦେବ ପରଦେଶର ଥାଠ ଯେ ଗୋଟାୟେସେ ଆମ୍ଭର ରାଜ୍ୟରେ ଆସି ପଶିଲେ ମହାରାୟେ ।୧୧।ଶୁଣିଣ ଜାରାସନ୍ଧ କୋପେଣ ଥରହରବୋଇଲା ଥାଠକୁ ରେ ଭଳ କରିଣ ପଚାର ।୧୨।ଜାରାସନ୍ଧ ମୁଖରୁ ଚାର ୟେସନେକ ଶୁଣିନାରଦେ ବୋଇଲେ ରାଜା ତୁ ବୁଝ ପରିମାଣି ।୧୩।ନାରଦଂକ ବଚନେ ମଗଧ ଦେଶ ନରସାଇଂଚାରକୁ ବୋଇଲା ରେ ତୁମ୍ଭେ ଯାଅ ବେଗ ହୋଇ ।୧୪।କାହିଂର ଥାଠ ସେ ଯେ ତାହାନ୍ତ ପଚାରକି ନିମନ୍ତେ ଥାଠ ଚଳାଉଅଛି ରାଜ୍ୟକୁ ମୋହୋର ।୧୫।ୟେମନ୍ତେ ଚାରଗଣେ ପ୍ରବେଶ ଭୀମସେନ ଛାମୁରେବୋଇଲେ କାହିଂକି ପଶୁଅଛି ଆମ୍ଭର ରାଜ୍ୟରେ ।୧୬।ଭୀମସେନ ବୋଇଲେ ଆମ୍ଭେ ଯୁଦ୍ଧକୁ ଆସିନାହୁଂଯାଗକୁ ଯିବା ନିମନ୍ତେ ନିମନ୍ତ୍ରଣ ଯୋଗାଡ଼ ଆଣିଅଛୁଂ ତହୁଂ ।୧୭।ଭୀମସେନ ମୁଖୁଂ ଚାରେ ୟେସନେକ ବାଣୀ ଶୁଣିଡଗରମାନେ ସେ ଠାବରୁ ବାହୁଡ଼ିଲେ ତତକ୍ଷଣି ।୧୮।ରାଜାଂକ ଛାମୁରେ ଯାଇ କହିଲେ ବାରତନିମନ୍ତ୍ରଣ ଯୋଗାଡ଼ ଘେନି ଆସିଅଛି ୟେକ ମହାରଥ ।୧୯।ୟେଥକୁ କିସ ଅଗ୍ୟାଂ ଯେ ହୋଇବ ଗୋସାଇଂଜାରାସନ୍ଧ ବୋଇଲା ତହୁଂ ନାରଦଂକ ମୁଖ ଚାହିଂ ।୨୦।କିସ ନିମନ୍ତ୍ରଣ ୟେହୁ ସେ କେଇଣ ଦେଶ ରାଜାୟେହା ମୋତେ ସଞ୍ଚପିଣ କହ ବ୍ରହ୍ମଦ୍ୱିଜା ।୨୧।ନାରଦ ବୋଇଲେ ଶୁଣ ମଗଧେଶ୍ୱର ସାଇଂ
ହାସ୍ତିନା କଟକେ ଯେ ରାଜା କୁରୁବଇ ।୨୨।
ତାହାର ଭ୍ରାଥ ପଞ୍ଚୁ ପାଣ୍ଡବେ ଅଛନ୍ତି
ବାରୁଣାବନ୍ତରେ ସେ ନବର କରି ରହିଥାନ୍ତି ।୨୩।
ଯୁଝେଷ୍ଠି ଦେବ କରିବେ ଧର୍ମଯାଗ ଗୋଟିୟେ
ଚାରି ଦିଗରୁ ଚାରି ରାଜା ଗରଣ ହୋଇବେ ସେହି ଠାୟେ ।୨୪।
ଲକ୍ଷେ ରାଜା ଉପରେ ତୁ ଅଟୁ ଯେ ଗରିଷ୍ଠ
ତେଣୁ କରି ତୋତେ ବରଣ କରିଅଛନ୍ତି ପଣ୍ଡୁଚାଟ ।୨୫।
ନାରଦଂକ ବଚନେ ତହୁଂ ଜାରାସନ୍ଧ ବୋଇଲା
ଭଲ କଥା ଗୋଟିୟେ ତ ତୁମ୍ଭେ କହିଲ କହିଲ ବ୍ରହ୍ମବଳା ।୨୬।
ମୋତେ ତ ଅସମ୍ଭବ ଲାଗୁଅଛି ୟେହୁ କଥା
ୟେଥିର ବିଚାର ତୁମ୍ଭେ କୁହ ହେ ବ୍ରହ୍ମବେତ୍ତା ।୨୭।
ରାମକୃଷ୍ଣ ଦୁଇଭାଇ ଆସିଲେ ସେଠାଇଂକି
ଯାଗର ଚରଚା ସେ କରିବେ ଭାଳଇ ତହିଂକି ।୨୮।
ନାରଦେ ବୋଇଲେ ତହିଂକି ନ ଭାଳ ହୋ ରାୟେ
ଉଚ୍ଛବ ବରଣ କାଳେ କେବେହେଂ ଦ୍ୱନ୍ଦ ନୋହେ ।୨୯।
ନାରଦଂକ ବଚନେ ରାଜା ତୂନୀ ହୋଇ ରହିଲା
ଡଗର ମୁଖକୁ ସେ ଯେ ଚାହିଂଣ ଆଗ୍ୟାଂ ଦିଲା ।୩୦।
ଆରେ ରେ ଚାରଗଣ ଯାଅ ବହନ ହୋଇଣ
ମୋହୋର ଛାମୁକୁ ଭୀମସେନକୁ ବେଗେ ଆଣ ।୩୧।
ଶୁଣି ଚାରଗଣମାନେ ତତକ୍ଷଣେ ଚଳିଗଲେ
ଭୀମସେନଂକ ଛାମୁରେ ଯାଇଂ ପ୍ରବେଶ ହୋଇଲେ ।୩୨।
ଜାରାସନ୍ଧ ପଠିଆଇଲେ ତୁମନ୍ତ ପାଛୋଟି ନେମାପାଇଂ
ଉଛୁର ହୋଇଲେ ସେ ଯେ ଚଳିବେ ନରସାଇଂ ।୩୩।
ୟେହାଶୁଣି ଭୀମସେନ ଆନନ୍ଦ ହୋଇଲା
ନିମନ୍ତ୍ରଣ ଯୋଗାଡ଼ ଘେନି ବହନ ଚଳିଗଲା ।୩୪।
ଦେଖି କରି ଜାରାସନ୍ଧ ତହୁଂ ଉଠିଲା ବହନ
ଭୀମସେନକୁ କଲା କୋଳ ସମ୍ଭାଷଣ ।୩୫।
ନାରଦଂକୁ ଦେଖି ଭୀମସେନ ନମସ୍କାର କଲା
ନିମନ୍ତ୍ରଣ ଯୋଗାଡ଼ ନେଇ ଭୀମସେନ ଜାରାସନ୍ଧକୁ ଦିଲା ।୩୬।
ବୋଇଲା ଶୁକଳ ପକ୍ଷ ପଞ୍ଚମୀ ବଇଶାଖ ମାସେ ଯାଗରେ ବସିବେ
ସାତଦିନ ପରିଯନ୍ତେ ଆହୂତି ଦେଉଥିବେ ।୩୭।
ସେହି ଦିନ ତୁମ୍ଭେ ଯାଇଂ ପ୍ରବେଶ ହୋଇବ
ଯାଗ ସମାପତ ହେଲେ ଆପଣା ରାଜ୍ୟକୁ ଆସିବ ।୩୮।
ୟେତେ କହି ଭୀମସେନ ମେଲାଣି ମାଗିଲେ
ଜାରାସନ୍ଧ ରାଜା ସେଦିନ ଭୀମସେନେ ରୁହାଇଲେ ।୩୯।
ସେଦିନ ଭୀମସେନ ସେଠାରେ ରହିଲେ
ଷଡ଼ରସ ପ୍ରକାରେଣ ମୁଣୋହିଂ ତହିଂ କଲେ ।୪୦।
ଆରଦିନ ରାତ୍ର ପ୍ରଭାତୁ ଥାଠ ଯେ ଚଳାଇ
ପଚ୍ଛିମ ମୁଖେ ଭୀମ ଗଲେ ପଥ ବାହି ।୪୧।
ଦୁଇଦିନ ସେହୁ ଯେ ପଥ ବାହି ଗଲେ
ତିନି ଦିନେ ମୃଗସେନ ରାଜ୍ୟରେ ମିଳିଲେ ।୪୨।
ବୀରତୂର ବଜାଇଣ ଭୀମସେନ ଚଳାଇଛି ଥାଠ
ଅତି ଗରଷ୍ଠ ଅଟଇ ସେ ପଣ୍ଡୁରାଜାଂକର ଚାଟ ।୪୩।
ଶୁଣ ହୋ ମନୁ ବଦନ୍ତି ଅଗନ୍ତି
ପର୍ବତେ ଥାଇଂ ଅନାଇଲା ମୃଗସେନ ନରପତି ।୪୪।
କାହିଂର ୟେ ଥାଠ ବୋଲି ଘୋର କୋପକାଲା
ପର୍ବତୁଂ ଓହ୍ଲାଇଣ ସେ ଥାଠ ଓଗାଳିଲା ।୪୫।
ବୋଇଲା କାହିଂର ହାଦେ ଅଟୁ ପରଦେଶୀ
ନ ବିଚାରି କିମ୍ପେ ମୋହୋର ରାଜ୍ୟେ ପଶି ।୪୬।
ଯୁଝିବା ନିମନ୍ତେ ଯେବେ ଆସିଅଛୁ ତୁହି
ସାଂଗ୍ରାମ କଲେ ୟେଥେ ଆସିଅଛୁ ତୁହି
ସାଂଗ୍ରାମ କଲେ ୟେଥେ ଜୟେ ପାଇବୁ କାହିଂ ।୪୭।
ମୃଗସେନ ମୁଖରୁ ୟେସନେକ ବାକ୍ୟ ଶୁଣି
ଭୀମସେନ ବୋଇଲା ମୁଂ ନିମନ୍ତ୍ରଣ ଅଛି ଆଣି ।୪୮।
ୟେହାଶୁଣି ମୃଗସେନ କୋପଭର ହୋଇଲା
କାହିଂର ରାଜା ତୁହି ରୋ ବୋଲିଣ ଆଣ୍ଟେ ପଚାରିଲା ।୪୯।
ଭୀମସେନ ବୋଇଲା ମୁଂ ହସ୍ତିନା କଟକର ରାଜା
ଧର୍ମଯାଗ କରିବେ ଯୁଝେଷ୍ଠି ମହାରଜା ।୫୦।
ତୁମ୍ଭେ ଯାଗେ ଯିବ ଯେ ନିମନ୍ତ୍ରଣ ଆଣି ଆସିଅଛି ମୁହିଂ
ସାତଦିନ ଯାଗରେ ରହି ଆସିବ ନରବଇ ।୫୧।
ଭୀମସେନ କହନ୍ତେ ମୃଗସେନ ନ ବୁଝିଲା
କାହିଂର ଯୁଝେଷ୍ଠି ସେ ବୋଲିଣ କୋପକଲା ।୫୨।
କାହାର ବଂଶିକ ସେ କାହାର କୁଳେ ଜାତ
ତାହାର ହାଦେ ମୁଂ ନୋହଇ ବଶୀଭୂତ ।୫୩।
ଭୀମସେନ ବୋଇଲା ଆମ୍ଭେ ବ୍ୟାସବଂଶୀ ଅଟୁ
ସର୍ବଦାୟେ ଆମ୍ଭେ ବ୍ୟାସଂକ ଚରଣରେ ଖଟୁ ।୫୪।
ୟେହାଶୁଣି ମୃଗସେନ ବୋଇଲା ବଚନ
ତୋହୋର ସୁମରନ୍ତେ ଆସିବେକି ବ୍ୟାସ ମହାମୁନ୍ୟ ।୫୫।
ତୋହାର ସୁମରନ୍ତେ ଯେବେ ଆସିବେ ବ୍ୟାସ ଋଷି
ତେବେ ସେ ଜାଣିମା ନା ଯୁଝେଷ୍ଠି ବ୍ୟାସବଂଶୀ ।୫୬।
ୟେହା ଶୁଣି ଭୀମ ଆତଙ୍କ କଲା ମନ
ବ୍ୟାସ ଋଷିଂକି ସେହୁ ଯେ କଲାକ ସୁମରଣ ।୫୭।
ଆଶ୍ରମେଣ ବସି ଥିଲେ ଯେ ମୁନି ବ୍ୟାସ
ଆସନ କମ୍ପିଲା ଯୋଗ ନୋହିଲା ଅଭ୍ୟାସ ।୫୮।
ଧ୍ୟାନେ ବସି ମୁନି ଜାଣିଲେ ଯୋଗବଳେ
ଭୀମସେନ ସୁମରୁଛି ଜାଣିଲେ ଯୋଗବଳେ ।୫୯।
ମନଦଣ୍ଡ ଚଢିଣ ମୁନି ହୋଇଲେ ବାହାର
ପ୍ରବେଶ ହୋଇଲେ ଆସି ମେରୁମେଖଳ ପର୍ବତର ।୬୦।
ବ୍ୟାସନ୍ତ ଦେଖିଣ ସେ ଯେ ମୃଗସେନ ରାଣ
ନମସ୍କାର କଲା ଯାଇଂ ମୁନିଂକ ଚରଣ ।୬୧।
ଉଠ ଉଠ ବୋଲି ମୁନି କଲ୍ୟାଣ ବାଞ୍ଚିଲେ
ଭୀମନେକଇଂ ମୁନି ଅବଲୋକନେ ଚାହିଂଲେ ।୬୨।
ଭୀମସେନ ମୁନିଂକ ଚରଣେ ନମିଲା
କରପତ୍ର ଯୋଡ଼ି ଉଭା ହୋଇଣ ରହିଲା ।୬୩।
ମୁନି ବୋଇଲେ ତୁ ହୋ ଶୁଣ ଭୀମସେନ
ଆଜକୁ ଯାଗ ରହିଲା ଆଉ କେତେହେଂକ ଦିନ ।୬୪।
ଭୀମସେନ ବୋଇଲା ଯେ ଅଳପ ଦିନ ଅଛି
ତଦନ୍ତ କରିଣ ୟେହା ଜାଣ ମୁନିବଚ୍ଛି ।୬୫।
ନିମନ୍ତ୍ରଣ ଘେନି ୟେବେ ଆସିଅଛି ମୁହିଂ
ଯିବି ବେଗହୋଇ ରହିବାକୁ କାଳ ମୋତେ ନାହିଂ ।୬୬।
ବ୍ୟାସେ ବୋଇଲେ ତୁ ହୋ ଶୁଣ ମୃଗସେନ
ଖୁଡୁତା ପୁତୁରା ତୁମ୍ଭେ ଅଟ ବେନି ଜଣ ।୬୭।
ଯେଥକୁ ଚିନ୍ତା କିଛି ନ କର ତୁମ୍ଭେ ବାବୁ
ନିମନ୍ତ୍ରଣ ଘେନିଣ ତୁ ଯାଗକୁ ଚଳିଯିବୁ ।୬୮।
ଭୀମସେନକୁ ବୋଇଲେ ୟେହାକୁ ଦିଅ ନିମନ୍ତ୍ରଣ
ଭୀନସେନ ତତକ୍ଷଣେ ଦିଲା ନିମନ୍ତ୍ରଣ ଯୋଗାଡ଼ମାନ ।୬୯।
ମୃଗସେନ ବୋଇଲା ୟେ ଯାଉ ବେଗହୋଇ
ପଛେ ଯାଇଂ ମୁହିଂ ଯେ ପଇଠ ହୋଇବଇଂ ।୭୦।
ମୃଗସେନ ବୋଇଲା ଯାଗ ହୋଇବ କେଉଂଦିନ
ଭୀମସେନ ବୋଇଲା ତୁମ୍ଭେ ସାବଧାନେ ଶୁଣ ।୭୧।
ଯାଗ ହୋଇବ ବଇଶାଖ ଶୁକଳ ପକ୍ଷ ପଞ୍ଚମୀ ସୋମବାର
ୟେକଇ ମାସ ଯେ ବଇଶାଖ ମାସର ।୭୨।
ୟେହି ଦିନକୁ ପଇଠ ହୋଇବ ତୁମ୍ଭେ ଯାଇଂ
ମୁହିଂ ଯାଉଅଛି ଯେ ମୋତେ ବିଳମ୍ବ ନ ସହଇ ।୭୩।
ୟେତେ କହି ଭୀମସେନ ହୋଇଲା ବାହାର
ଥାଠ ସଇନ ଘେନିଣ ଯେ ଚଳିଲା ଅତି ଖର ।୭୪।
ବ୍ୟାସ ଯେ ଅନ୍ତର୍ଦ୍ଧାନ ହୋଇ ତହୁଂ ଚଳିଗଲେ
ନିଜ ଆଶ୍ରମରେ ଯାଇଂ ପ୍ରବେଶ ହୋଇଲେ ।୭୫।
ୟେଥୁ ଅନନ୍ତରେ ହୋ ଶୁଣିମା ଦିବ୍ୟରସ
ଗୋବିନ୍ଦେ ଅର୍ଜୁନକୁ ହକାରିଲେ ପାଶ ।୭୬।
ନିମନ୍ତ୍ରଣ ଯୋଗାଡ଼ ଘେନିଣ ଚଳ ୟେହିକ୍ଷଣ
ସ୍ୱର୍ଗ ଭୁବନେ ଇନ୍ଦ୍ରଂକୁ କରଯା ବରଣ ।୭୭।
ଥାଠ ସଇନ ଘେନିଣ ଅର୍ଜୁନ ଚଳିଗଲେ
ଅମର ଭୁବନେ ୟାଇଂ ପ୍ରବେଶ ହୋଇଲେ ।୭୮।
ଆସ୍ତାନ କରିଣ ବସିଛନ୍ତି ସସ୍ରଯୋନି
ଅସ୍ତାନ ତଳେ ଯାଇଂ ମିଳିଲେ ଫାଲଗୁନି ।୭୯।
ଅମରନାଥଂକୁ ଦେଖି ସେ ପାୟେ ପଡ଼ି ଶୋଇଲେ
ଶିରେ କର ଦେଇ ପଛ ଘୁଞ୍ଚିଣ ରହିଲେ ।୮୦।
କଲ୍ୟାଣ ଅର୍ଜୁନକୁ କଲେ ସହସ୍ରାକ୍ଷ
କି ନିମନ୍ତେ ଆସିଅଛୁ କହ ହୋ ବିବଚ୍ଛ ।୮୧।
ଅର୍ଜୁନ ବୋଇଲେ ଧର୍ମଯାଗ ଗୋଟିୟେ କରିବେ ଯିଝେଷ୍ଠି
ପ୍ରବର୍ତ୍ତାଇ ଅଛନ୍ତି ଯେ ନାରଦ ତପୋନିଷ୍ଠି ।୮୩।
ୟେ ଯାଗ କଲେ ଧାନ୍ୟ ପ୍ରାପତ ହୋଅଇ
ଅନେକ ପୁଣ୍ୟ ବାବୁ ତୁମ୍ଭର ସେ ହୋଇ ।୮୪।
କର ଯାଗ ବାବୁ ତୁମ୍ଭେ କିଛିହିଂ ନ ବିଚାର
ଯେମନ୍ତଟି ସନ୍ତୋଷ ହୋଅନ୍ତି ବଶ୍ୟାନର ।୮୫।
ଇନ୍ଦ୍ରଂକ ମୁଖୁଂ ଅରଜୁନ ୟେସନେକ ବାକ୍ୟ ଶୁଣି
ନିମନ୍ତ୍ରଣ ଯୋଗାଡ଼ ଦିଅଇ ଫାଲଗୁନି ।୮୬।
ନିମନ୍ତ୍ରଣ ଯୋଗାଡ଼ ଘେନିଣ ସହସ୍ରାଷ
ଅର୍ଜୁନକୁ ବୋଇଲେ ତୁ ଶୁଣରେ ବିବଚ୍ଛ ।୮୭।
ବୋଇଲେ ବାବୁରେ ତୁ ବେଗହୋଇ ଯାଅ
ନାରାୟଣଂକ ଛାମୁରେ ଆମ୍ଭର ବାକ୍ୟ କହ ।୮୮।
ଅମରନାଥଂକୁ ପାଥ ନମସ୍କାର କରି
ଥାଠ ଚଳାଇ ଆସଇ ସେ ଗାଣ୍ଡିମ ଧନୁଧାରୀ ।୮୯।
ପୁଣ ଇନ୍ଦ୍ରରାୟେ ଅର୍ଜୁନକୁ ଚାହିଂ
ଯାଗରେ ଯୁଝେଷ୍ଠି ଦେବ ଯେଉଂଦିନ ବସିବେ
ତାହା ଫେଡ଼ିତ ନ କହି ।୯୦।
ଅର୍ଜୁନ କହିଲେ ଶୁକଳ ପକ୍ଷ ପଞ୍ଚମୀ ସୋମବାରେ
ସେଦିନ ଯାଗକୁ କରିବେ ଅନକୂଳେ ।୯୧।
ଇନ୍ଦ୍ର ପଚାରନ୍ତେ ସେ ଯେ ଅର୍ଜୁନ କହିଲେ
ପୁଣ ଚରଣ ତଲେ ନମସ୍କାର କଲେ ।୯୨।
ଥାଠ ସନ୍ୟ ସଙ୍ଗେ ଚାର ଅଛଇ ଅପାର
ବାଦ୍ୟନାଦ ଶବଦେ ବିଶ୍ୱ କମ୍ପଇ ଥରହର ।୯୩।
ଚଳଇ ମହାବୀର ଯେ ଦ୍ୱାରାବତୀ ପୁରେ
ପ୍ରବେଶ ହୋଇଲେ ଯାଇଂ ଉଗ୍ରସେନଂକ ଛାମୁରେ ।୯୪।
ଶିରେ କର ଦେଇ ସେ ଉଭା ବୀର ଫାଲଗୁନି
ଉଗ୍ରସେନଂକ ଚରଣେ କରଇ ଦଇନି ।୯୫।
ବୋଇଲେ ଧର୍ମ ଯାଗ କରିବେ ଯିଝେଷ୍ଠି ମହାରାୟେ
ଶୁଣି ଉଗ୍ରସେନ ନିମନ୍ତ୍ରଣ ଯୋଗାଡ଼ ଘେନିଯାୟେ ।୯୬।
ଯାଗ କେଉଂଦିନ ହୋଇବ ବୋଲି ଉଗ୍ରସେନ ପଚାରିଲେ
ଅର୍ଜୁନ ବୋଇଲେ ବଇଶାଖ ଶୁକଳ ପକ୍ଷ ପଞ୍ଚମୀ ଦିନରେ ।୯୭।
ୟେଦିନ ପ୍ରବେଶ ଯେ ହୋଇବେ ଆପଣ
ସାତଦିନ ରହି ତହିଂ ଆସିବେ ଯେ ପୁଣ ।୯୮।
ୟେତେ କହି ତହୁଂ ଯେ ଅର୍ଜୁନ ଚଳିଗଲା
ଶ୍ରୀ ବଳରାମଙ୍କ ଛାମୁରେ ଯେ ପ୍ରବେଶ ହୋଇଲା ।୯୯।
ଶତେ ସହସ୍ର ଯେ ଦଣ୍ଡ ପ୍ରଳମ୍ବିତ ହୋଇ
ଚରଣ ତଳରେ ବୀର ସାଷ୍ଟାଙ୍ଗେଣ ଶୋଇ ।୧୦୦।
ବଳରାମେ ବୋଇଲେ ଉଠ ଉଠ ରେ ଫାଲଗୁନି
କି ନିମନ୍ତେ ଅଇଲୁ କହ ୟେଥିର ବାଣୀ ।୧୦୧।
ଅର୍ଜୁନ କହନ୍ତି ଯେ କରପତ୍ର ଯୋଡ଼ି
ଧର୍ମଯାଗ ଗୋଟିୟେ କରିବେ ଯୁଝେଷ୍ଠି ଦଣ୍ଡଧାରୀ ।୧୦୨।
ନାରଦେ କହିଅଛନ୍ତି ୟେଥିର ବିଧାନ
ତୁମ୍ଭର ଛାମୁକୁ ମୁଂ ଆଣିଛି ନିମନ୍ତ୍ରଣ ।୧୦୩।
ବଳରାମେ ବୋଇଲେ ରେ ଗୋବିନ୍ଦ କାହିଂ ଅଛି
ଅର୍ଜୁନ ବୋଇଲେ ଆମ୍ଭ ପୁରେ ଅଛନ୍ତି ଶ୍ରୀବଚ୍ଛି ।୧୦୪।
ନିମନ୍ତ୍ରଣ ଯୋଗାଡ଼ ବଳରାମ ଠାକୁରଙ୍କୁ ଦେଇ
କୃଷ୍ଣଙ୍କ ପୁତ୍ରମାନନ୍ତ ନିମନ୍ତ୍ରଣ ଦିଲା ତହିଂ ।୧୦୫।
ତହୁଂ ମହାବୀର ଯେ ତତକ୍ଷଣେ ଚଳିଗଲା
ଦ୍ରୋପଦ ରାଜ୍ୟରେ ଯାଇଂ ପ୍ରବେଶ ହୋଇଲା ।୧୦୬।
ବାରତ ପାଇଣ ଯେ ଦ୍ରୋପଦ ମହାରାୟେ
ଅର୍ଜୁନଂକୁ ଖଣ୍ଡେ ଦୂରୁଂ ପାଛୋଟିଣ ଆୟେ ।୧୦୭।
ଦ୍ରୋପଦଂକୁ ଦେଖି ଅର୍ଜୁନ ଓଳଗି ହୋଇଲେ
ଅନେକ ହରଷେ ରାଜା କଲ୍ୟାଂଣ ବାଞ୍ଚିଲେ ।୧୦୮।
ଆପଣେ ଦ୍ରୋପଦ ରାୟେ ଯେ ଡଗରା ହକରାଇ
ବୋଇଲେ ରାଜ୍ୟରେ ବେଗେ ଉଚ୍ଛବ କରାଅ ଯାଇଂ ।୧୦୯।
ୟେହା ଶୁଣି ଚାରଗଣେ ବହନ ଚଳିଗଲେ
ରାଜ୍ୟରେ ଅନେକ ସେ ଉଚ୍ଛବ କରାଇଲେ ।୧୧୦।
ଅର୍ଜୁନକୁ ଘେନିଣ ଦ୍ରୋପଦ ପୁରରେ ପ୍ରବେଶ
ସିଂଘାସନେ ନେଇ ବସାଇଲେ ପଣ୍ଡୁଶିଷ ।୧୧୧।
ଅନେକ ଗଉରୋବ କରି ରୁହାଇଲେ ଆପଣେ ରାଜନ
ଛଡ଼ରସ ମେଞ୍ଜନେ କରାଇଲେ ଭୋଜନ ।୧୧୨।
ନିମନ୍ତ୍ରଣ ଯୋଗାଡ଼ ଘେନିଣ ଅରଜୁନ
ଦ୍ରୋପଦେଶ୍ୱର ରାଜାନ୍ତ କଲେ ନିମନ୍ତ୍ରଣ ।୧୧୩।
ବୋଇଲେ ବଇଶାଖ ଶୁକଳ ପକ୍ଷ ପଞ୍ଚମୀ ସୋମବାର ଦିନ
ସେଦିନ ପ୍ରବେଶ ତୁମ୍ଭେ ହୋଇବ ଆପଣ ।୧୧୪।
ୟେଡ଼େ କହି ଥାଠ ତହୁଂ ଚଳାଇଣ ଗଲେ
ଭାନୁମତ ପୁରେ ଯାଇଂ ପ୍ରବେଶ ହୋଇଲେ ।୧୧୫।
ଦେଖିଣ ମହାରାୟେ ଗଉରୋବ କଲା
କୃତ କୃତ ହୋଇ ଅର୍ଜୁନକୁ କୋଳ ଯେ କରିଲା ।୧୧୬।
ପାଦାସନ ଦେଇଣ ସେ ପାଶେ ବସାଇଲା ନେଇ
କୋମଳ କରି ପଚାରଇ ତହିଂ ନରସାଇଂ ।୧୧୭।
ଯାଗର ବିଧାନ ଅର୍ଜୁନ ଯେ ସମସ୍ତ କହିଲେ
ଶୁଣି ଭାନୁମତ ରାୟେ ଯେ ଆନନ୍ଦ ହୋଇଲେ ।୧୧୮।
ବୋଇଲେ ଭୀମସେନ ଯେ ୟେହିବାଟେ ଗଲେ
ଯାଗର ବିଧାନ ମୋତେ ସମସ୍ତ କହିଲେ ।୧୧୯।
ନିମନ୍ତ୍ରଣ ଯୋଗାଡ଼ ଯେ ଦେଇଛନ୍ତି ମୋତେ
ଆଗରୁ ୟେ କଥା ମୁଂ ଜାଣିଛି ହୋ ବୀର ପାଥେ ।୧୨୦।
ଭାନୁମତ ରାଜା ମୁଖୁଂ ଯେସନେକ ଶୁଣି
ପୁଣ ପୁଣ ଅର୍ଜୁନ ଯେ କହଇ ପରିମାଣି ।୧୨୧।
ଆଉର ନିମନ୍ତ୍ରଣ ତୁମ୍ଭେ ଘେନି ହୋ ଭାନୁରାୟେ
ଶୁଣି ମହାରାଜା ମହା ଆନନ୍ଦ ମନ ହୋୟେ ।୧୨୨।
ନିମନ୍ତ୍ରଣ ଯୋଗାଡ଼ ତାଂକୁ ପାଥ ଦିଲେ ନେଇ
କ୍ଷଣେହେଂ ନ ରହି ତୁମ୍ଭେ ଯାଅ ବେଗହୋଇ ।୧୨୩।
ବଇଶାଖ ଶୁକଳ ପକ୍ଷ ପଞ୍ଚମୀ ସୋମବାର
ୟେଦିନ ପ୍ରବେଶ ହୋଇବ ବାରୁଣାବନ୍ତର ।୧୨୪।
ୟେତେ କହି ପାଥ ହୋଇଲା ବାହାର
ପ୍ରବେଶ ହୋଇଲା ଆସି ଆପଣା ନବର ।୧୨୫।
ମନ ଉତ୍ତାରେଣ କିସ ହୋଇଲା ଗୋସାଇଂ ।୧୨୬।
ରାଜାର ଶୁଣ ତୁହୋ ପାପନାଶନ ଧୁନି ।୧୨୭।
ଶ୍ରୀ ସହଦେବଂକୁ ହକାରିଲେ ପାଶ
ମୁନିମାନନ୍ତ ଘେନି ଆସ ହୋ ମାଦ୍ରୀଦେବୀର ଶିଷ ।୧୨୮।
ଶ୍ରୀ ଜଗନ୍ନାଥଂକର ଯେ ଆଗ୍ୟାଂ ପରମାଣେ
ସହଦେବ ଗଲେ ଯେ ମୁନିଂକର ନିମନ୍ତ୍ରଣେ ।୧୨୯।
ନାରାୟଣ କହନ୍ତି ହୋ ଶୁଣ ସହଦେବ
ଷାଠିୟେ ସହସ୍ର ରଷିଂକି ଘେନିଣ ଆସିବ ।୧୩୦।
ନଇମିଷା ଅରଣ୍ୟେ ସମସ୍ତ ଋଷି ଛନ୍ତି
ନିମନ୍ତ୍ରଣ ଦେଇ ଘେନି ଆସ ହୋ ଝଟତି ।୧୩୧।
ନାରାୟଣ ଆଗ୍ୟାଂୟେ ସହଦେବ ଗଲେ
ଶୁଭ ନାମ ଯୋଗରେ ଯେ ଅନୁକୂଳ କଲେ ।୧୩୨।
ରଥ ଚଲାଇଣ ତହୁଂ ଗଲେ ମନ୍ତ୍ରୀବର
ଯାହାକୁ ସାହାପକ୍ଷ ଅଟନ୍ତି ଚକ୍ରଧର ।୧୩୩।
ଶ୍ରୀହରିଂକି ସୁମରି ସେ ତତକ୍ଷଣେ ଗଲେ
ନଇମିଷା ଅରଣ୍ୟେ ଯାଇଂ ପ୍ରବେଶ ହୋଇଲେ ।୧୩୪।
ଦେଖିଲେକ ମୁନିମାନେ ନିତ୍ୟକର୍ମ ସାରି
ପୁରାଣ ଶୁଣୁଅଛନ୍ତି ବସିଣ ତପଚାରୀ ।୧୩୫।
ସହଦେବଂକୁ ଦେଖି ମୁନିମାନେ ବିଚାରନ୍ତି
କାହୁଂ ୟେ ରଥୀ ଆସୁଅଛି ବୋଲିଣ ଭାଳନ୍ତି ।୧୩୬।
ନିକଟେ ସହଦେବ ଯେ ମିଳିଲେକ ଯାଇଂ
ନମସ୍କାର କରିଣ ଭୂମିରେ ଗଡ଼ଘାଲି ଶୋଇ ।୧୩୭।
ବ୍ୟାସେ ବୋଇଲେ ୟେତ ଅଟଇ ସହଦେବ
ଯାଗେ ନିମନ୍ତ୍ରଣ କରିବ ସର୍ବଋଷି ଦେବ ।୧୩୮।
ବୋଇଲେ ଉଠ ସହଦେବ ମନ୍ତ୍ରୀବର
କି ନିମନ୍ତେ ଅଇଲୁ ଆମ୍ଭର ଛାମୁର ।୧୩୯।
ସହଦେବ ବୋଇଲେ ଯୁଝେଷ୍ଠି ଠାକୁର କରିବେ ଧର୍ମଯାଗ
ମୁନିମାନେ ଥାଇ ଅଗ୍ନିରେ ଦେବେ ହବିର୍ଭାଗ ।୧୪୦।
ୟେହା ଶୁଣି ମୁନିୟେ ଯେ ଆନନ୍ଦ ହୋଇଲେ
ନିମନ୍ତ୍ରଣ ଯୋଗାଡ଼ ତହିଂ ସହଦେବ ଦିଲେ ।୧୪୧।
ବାଳଖିଳାନ୍ତ ଘେନି ମୁନିମାନେ ବାହାର ହୋଇଲେ
ଗଉତମ ବାଲମ୍ବିକ ବ୍ୟାସ ସଜ ହେଲେ ।୧୪୨।
ଶୁକମୁନି ସନକ ମୁନି ପିପଳୟନ ମୂଳେ
ମାରକଣ୍ଡ ବ୍ରହ୍ମଋଷି କୁମ୍ଭଋଷି ତୁଲେ ।୧୪୩।
ଭାରଦ୍ୱାରଶ ପଉଲସ୍ତି କଣ୍ଡୁଋଷି ଘେନି
ଅଙ୍ଗିରା ପରାଶର ନଅ ବ୍ରହ୍ମମୁନି ।୧୪୪।
ଆନନ୍ଦ ହୋଇଣ କରନ୍ତି ହରିଧୁନି
ୟେମନ୍ତେ ବାହାର ହୋଇଲେ ଷାଠିୟେ ସହସ୍ର ତପୋଧନି ।୧୪୫।
ୟେହାଂକର ଯେତେ ସାଖା ଶିଷ୍ୟନ୍ତ ଥିଲେ
ମନଦଣ୍ଡ ଚଢିଣ ବାରୁଣାବନ୍ତରେ ମିଳିଲେ ।୧୪୬।
ମୁନିମାନନ୍ତ ଦେଖି ଯୁଝେଷ୍ଠି ମନସ୍କାର କଲେ
କଲ୍ୟାଣ ଧୁନି ଯେ ତାଂକୁ ମୁନିମାନେ ବାଞ୍ଛିଲେ ।୧୪୭।
ଆସନ ପାଇଣ ସେ ବସିଲେ ମୁନିମାନେ
ଶୁଣହୋ ବିଲଂକ ରାଜା କହନ୍ତି ତପୋଧନେ ।୧୪୮।
ୟେମନ୍ତ ପ୍ରକାରେ ଋଷିମାନନ୍ତ ବରଣ
ୟେଥୁ ଅନନ୍ତରେ ମୁନିୟେ ହୋଇଲା
କିସ ପୁଣ ।୧୪୯।୯୨୧୮।