କଟମ୍ୱାସୁର ଉପାଖ୍ୟାନ — ସାରଳା ମହାଭାରତ ମଧ୍ୟପର୍ବ (ଦ୍ୱିତୀୟ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
କଟମ୍ୱାସୁର ଉପାଖ୍ୟାନ
ଶୁଣ ହୋ ବଇବସୁତ ମନୁ ବଦନ୍ତି ଅଗସ୍ତିକୋପଶାନ୍ତି ହୋଇଲେ ଦେବ ହଳପତି ।୧।ଯୁଗେ ଯୁଗେଣ ସେ ରୁହାଇଲେ କଥାତହୁଂ ସିଂଘଦ୍ୱାର ବକ୍ର କଲେ ଦେବ ହଳହସ୍ତା ।୨।ଶୁଣିଲୁଟି କି ମନୁରାଜା ଶାହାସ୍ର ସଙ୍ଗତିସିଂଘଦ୍ୱାର ବଂକା କଥା ପୁଛିଲୁ ମୋର କତି ।୩।ଶାମ୍ୱ କୁମର ସକାଶୁଂ ୟେସନ ପ୍ରସ୍ତାବତୋର ଆଗେ କହିଲୁ ହସ୍ତିନା ସିଂଘଦ୍ୱାର ବକ୍ରଭାବ ।୪।ଅଗସ୍ତିଂକ ପାଦତଳେ ମନୁ କଲେ ସେବାକହିବ ମହାମୁନି ମୋତେ ଶାମ୍ୱ ଚନ୍ଦ୍ରାବତୀ ବିଭା ।୫।ଶୁଣ ହୋ ମନୁରାଜା ବଦନ୍ତି ଅଗସ୍ତିୟୁଯେ ପୁଚ୍ଛାକଲୁ ବିଭାର ଯିସ ରୀତି ।୬।ହସ୍ତିନା ରାଜ୍ୟରେ ଦ୍ରିଯୋଧନ ମହାରାଜାସମସ୍ତ ନୃପତି ତାକୁ କରନ୍ତି ପାଦପୂଜା ।୭।ହସ୍ତିନା ରାଜ୍ୟେ ମାଡ଼ି ବସିଲେ ଯାଦବେଯଦୁବଂଶ ଭୋଜବଂଶ ସକଳ ୟେକଠାବେ ।୮।ଅନେକ ଭଣ୍ଡାର ଫେଡ଼ି ମାନଚକ୍ରବ୍ରତୀବଳରାମଂକ ପାଦତଳେ ପୂଜା କଲାକ ତଡ଼ତି ।୯।ତୁ ଦେବ ହୋ ଯୋଗେଶ୍ୱର ପୁରୁଷ ଉତ୍ତମାଦଶ ଦୋଷ ଅପ୍ରାଧ କରିବା ମୋର କ୍ଷମା ।୧୦।ତୁ ଦେବ ବଳଭଦ୍ର ରେବତୀର ପତିଅପ୍ରାଧ କ୍ଷମା ମୋର ରେ ହୋ ହଳପତି ।୧୧।କନ୍ୟାଗୋଟି ଦେଇଣ ମୁଂ ହୋଇଲି ସମର୍ପିଅପ୍ରାଧଭଞ୍ଜନ ସ୍ୱାମୀ ମୋତେ ଦୟା କରିବା ଅଦ୍ୟାପି ।୧୨।ଗୋବିନ୍ଦେ ବୋଇଲେ ହୋ ଛାଡ଼ିଲୁ ସର୍ବ ଦୋଷଅର୍ଜୁନକୁ କୋଳ କଲେ ପ୍ରଭୁ ହୃଷୀକେଶ ।୧୩।ଯୁଝେଷ୍ଠିଂକି କୋଳକରି ଧଇଲେ ବଳରାମରାଜାଧିରାଜେଶ୍ୱର ହୋଇବୁ ଦେବ ଧର୍ମ ।୧୪।ୟେ ପଞ୍ଚୁ ରାଜ୍ୟର ତୁ ହୋ ହୋଇବୁ ଚକ୍ରବ୍ରତୀଉଭୟ କୁଳ ମଧ୍ୟେ ରହିବ ତୋହର କୀରତି ।୧୫।ୟେଥୁ ଅନନ୍ତରେ ଶୁଣ ହୋ ରାଜନବିଷ୍ଣୁର ଚରିତ ଶୁଣି ପାପ କରସି ଦହନ ।୧୬।ଆହୋ ଚଇତନ ବଳରାମଂକ ଅଗ୍ରତେ କହିଲେ ଅଚ୍ୟୁତେଦ୍ୱାରିକା ଭୁବନକୁ ପେଷିବା ୟେକ ଦୂତେ ।୧୭।ମହାକ୍ରୋଧ ହୋଇଛନ୍ତି ଦ୍ୱାରିକା ବନିତାସନ୍ତାପି ଚିନ୍ତାରେ ହୋଉଥିବେ କ୍ରୋଧ ଅପ୍ରମିତା ।୧୮।ଶୁଣିଣ ବଳଦେବ ହରଷିତ ମନେସାତୁକୀକି ବୋଇଲେ ଦ୍ୱାରିକାକୁ ଯାଅ ତୁ ବହନେ ।୧୯।ଶୁଭ ଯୋଗେ ଆସି ଭେଟିଲୁ ପୁତ୍ର ଶ୍ୟାମଆରୋଗ୍ୟ ହୋଇଣ ସେ ହୋଇ ଅଛନ୍ତି କ୍ଷମ ।୨୦।ଶ୍ରୀମୁଖୁଂ ସଂକେତ ପାଇ ସାତୁକୀ ଚଳିଲାଦ୍ୱାରାବତୀ ଭୁବନେ ଯାଇଂ ପ୍ରବେଶ ହୋଇଲା ।୨୧।ଦ୍ୱାରିକାର ଜନ ସାତୁକୀ ପ୍ରବେଶ ଜାଣିପ୍ରବୋଧ ହୋଇଲେ ସମସ୍ତେ ସାତୁକୀ ବଚନ ଶୁଣି ।୨୨।
କୁଶଳ ବାରତା ସମସ୍ତ ଶୁଣିଲେ ଉତ୍ତମ
ଶୁଭ ଯୋଗେ ଭେଟ ପାଇଲେ ପୁତ୍ର ଶାମ ।୨୩।
ଶୁଣ ହୋ ଚଇତନ ହସ୍ତିନାୟେ କଲେ ମଙ୍ଗଳ ବିଧି
ୟେସନେକ ମତେ ପୂର୍ବର ବିଧାନ ପ୍ରସିଦ୍ଧି ।୨୪।
ରତ୍ନବେଦୀ ଉପରେ କଲେକ ଯୁଗଳ ଖମ୍ୱ
ମୁନି ବିପ୍ରଗଣେ ବସି କଲେକ ଆରମ୍ଭ ।୨୫।
ଦେବାଧିଦେବ ରାଜା କୃଷ୍ଣର ନନ୍ଦନ
ବିଭା କରାବନ୍ତି ଯେ ଦେବ ଭଗବାନ ।୨୬।
ଅପକ୍ଷରୀ କିନ୍ନରୀ ଦେବଗଣ ଗନ୍ଦର୍ବେ
ବିଜେ କରିଅଛନ୍ତି ସ୍ୱାମୀ ବଳରାମ ଦେବେ ।୨୭।
ଦିଗପାଳମାନେ ଯେ କରନ୍ତି ଗବନ
ବିଭା ହୋଇବେ ଚାଲ ଦେଖିବା କୃଷ୍ଣର ନନ୍ଦନ ।୨୮।
ଆହୋ ଚଇତନ୍ୟ ଦଇବଗ୍ୟଂ କହିଲେ ଶୁଭଲଗ୍ନ
ବ୍ରାହ୍ମଣେ କହିଲେ ବରଣ ବିଧି ଆଣ ହୋ ବହନ ।୨୯।
ବିଧି ପୂର୍ବମତେ ବିଭାରେ ଯେତେ ଦ୍ରବ୍ୟ ଲାଗଇ
ହାଥ ଯୋଡ଼ଣ ବେଳେ ଲୋଡ଼ିଲେ କାହିଂକି ନପାଇ ।୩୦।
ବିଷ୍ଣୁର ପାଦ ଅର୍ଘ୍ୟ ମଧୁପର୍କ ବିଧି
କଟମ୍ୱା ଆଣ ବୋଲି ବୋଇଲେ ବ୍ୟାସ ତପୋନିଧି ।୩୧।
କନ୍ୟାକୁ ସଂକଳ୍ପ କରାଇଲେ ମହାମୁନି
ସାଂସାରିକ ବେଭାରେ ଯେତେକ ଦ୍ରବ୍ୟ ବିଧି ଘେନି ।୩୨।
ଯୁଝେଷ୍ଠି କହିଲେ ଶୁଣିମା ବେଦବ୍ୟାସେ
ବିଭାର ଯୋଗାଡ଼ମାନ ସମସ୍ତ ଅଭ୍ୟାସେ ।୩୩।
ୟେ ସଂଯୋଗ ପୁଣ ଅଟଇ କେମନ୍ତ
କଟମ୍ୱା ବୋଲି କରି କାହିଂର ସମ୍ଭୂତ ।୩୪।
ତାହାର ନ ଥିଲେ ପୁଣ ନୋହଇ ଯେ ବିଭା
କଟମ୍ୱା କଥା ମୋତେ ବିଶେଷି କହିବା ।୩୫।
ବ୍ୟାସେ କହିଲେ ତୁମ୍ଭେ ଶୁଣ ହୋ ମହାରାୟେ
ଯୁଝେଷ୍ଠି ବୋଇଲେ ୟେ ବଡ଼ାଇ ସନ୍ଦେହ କଥାୟେ ।୩୬।
ମାନଗୋବିନ୍ଦ ବୋଇଲା ୟେ ଜାଣି ତ ନୁଆରି
କଟମ୍ୱା ଆସନ ବୋଲି ସୋମପାଳ ଲତା ଯେ କରି ।୩୭।
ବ୍ୟାସେ ବୋଇଲେ ହୋ ମାନଗୋବିନ୍ଦ ରାଜନେ
କଟମ୍ୱାସୁର କଥା ଶୁଣ ହୋ ଲକ୍ଷେ ରାଜାମାନେ ।୩୮।
ମଧୁ ସଂବତ୍ସର ବୋଲି ୟେକଇ ସତ୍ୟ ଯୁଗେ
କଞ୍ଚନ ବୋଲି ବ୍ରହ୍ମା ବସନ୍ତି ଯଶୋବନ୍ତୀ ନାମେ ସର୍ଗେ ।୩୯।
ୟେ ବ୍ରହ୍ମାର ଭାରିଜା ନାମ ଅଟଇ ସାବିତ୍ରୀ
ତାହାର ଦୁହିତାୟେ ଉପୁଜିଲା ନାମ ସରସ୍ୱତୀ ।୪୦।
ସେ ସରସ୍ୱତୀକି ପଚାରିଲେ କଞ୍ଚନ ନାମେ ବ୍ରହ୍ମା
ତୁ ଆୟି ଧବଳାଙ୍ଗୀ ଗୋ କାହାର ହୋଇବୁ ବାମା ।୪୧।
କାହାକୁ ପ୍ରଦାନ ତୋତେ କରିବା ରେ ବାଳୀ
ଦେବତାଗଣ ମଧ୍ୟେ କେ ତୋ ମନର ହିଆଳି ।୪୨।
ସରସ୍ୱତୀ ବୋଇଲେ ପିତା ହୋ କୃଷ୍ଣ ଅବତାରେ
ସେହି କୃଷ୍ଣ ନିଚୟେ ଅଟଇ ମୋହୋର ବରେ ।୪୩।
ଦୋହିତାର ବଚନ ଶୁଣି ସନ୍ତୋଷ ହେଲେ ବ୍ରହ୍ମା
ମେରୁ ସଭା କରାଇ ବସିଲେ ତହିଂ ମହାତମା ।୪୪।
ନାରଦଂକୁ ଚାହିଂ ବୋଇଲେ କଞ୍ଚନ ନାମେ ବ୍ରହ୍ମା
ସକଳ ଦେବତାନ୍ତ ବରି ଆଣ ହୋ ମହାତମା ।୪୫।
ୟେଥକଇଂ ବରି ଆଣ ସକଳ ଦେବତା
ବାଜଇ ବୀରତୂର ଯେ ଦୁନ୍ଦୁଭି ସଙ୍ଗୀତା ।୪୬।
ପିତାମହ ବଚନେ ନାରଦ ବେଗେ ଗଲେ
ସକଳ ଦେବତାନ୍ତ ଘେନି ସଭାରେ ମିଳିଲେ ।୪୭।
ଇନ୍ଦ୍ର ବିଜେ କଲେ ମେରୁ ସଭାର ମଧ୍ୟେ
ଗିରିରାଜ ବିଜେ କଲେ ପର୍ବତଗଣ ସାଧ୍ୟେ ।୪୮।
ମୃଗ ବାହାନେ ପ୍ରବେଶ ହେଇଲେ ପବନ
ସେହି ଯେ ପ୍ରବେଶ ହେଲେ ମେରୁ ପୃଷ୍ଠ ସ୍ଥାନ ।୪୯।
ମଗର ବାହାନେ ବିଜୟେ ରତ୍ନାକର
ଜଳଚର ସଇନ ତାର ଅଛନ୍ତି ସଙ୍ଗତର ।୫୦।
ଦେବସଭା ମଧ୍ୟରେ ପ୍ରବେଶ ହୋଇଲେ ଆସି
ବଶିଷ୍ଠ ବିଶ୍ୱାମିତ୍ର ବାମଦେବ ଋଷି ।୫୧।
ଶଙ୍ଖପଦ୍ମ ମହାପଦ୍ମ ତକ୍ଷକ ଅନନ୍ତ
ବାସୁକୀ ବିଜେ କଲେ ସଙ୍ଗେ ଘେନି ଅଷ୍ଟକୁଳା ନାଗନ୍ତ ।୫୨।
ମହିଷ ବାହାନେ ବିଜେ କୃତାନ୍ତେକ ଦେବତା
ଗ୍ରହଣମାନେ ତହିଂ ମିଳିଲେ ଅପ୍ରମିତା ।୫୩।
ଯେ ଯାହାର ବାହାନ ଚଢ଼ିଣ ବୃନ୍ଦାଅର୍କେ
ମେରୁ ସଭାରେ ବିଜୟେ ସମସ୍ତ ଦେବଲୋକେ ।୫୪।
ବଇନେତ୍ର ବାହାନେ ବିଜୟେ ଚକ୍ରଧାରୀ
ବିଜୟେ ନାରାୟଣେ ଆସିଣ ମେରୁ ଗିରି ।୫୫।
ସମ୍ଭର୍ବ ଆସ୍ତାନେ ସର୍ବ ଦେବ
ବୃଷଭ ବାହାନେ ବିଜୟେ ସଦାଶିବ ।୫୬।
ଆକାଶରୁ ବିଜେକଲେ ସମସ୍ତ ଦେବଲୋକେ
ବସିଲେ ଦେବତାମାନେ ଯେ ଯାହାର ସୁଖେ ।୫୭।
ଦୋହିତା ଘେନି ବିଜେ କଞ୍ଚନ ନାମେ ବ୍ରହ୍ମା
ମେରୁ ସଭା ମଧ୍ୟରେ ବିଜୟେ ମହାତମା ।୫୮।
କରେ ଅର୍ଘ୍ୟ ଘେନି ଯେ ପାରିଜାତେକ ମାଳି
ବିଷ୍ଣୁର ଛାମୁରେ ବେଦବର ଯାଇଂ ମିଳି ।୫୯।
ମଳୟ ଅଗର ଚନ୍ଦନ ଲେପିଲେ ଲଲାଟେ
କର୍ପୂର କୁଂକୁମ କସ୍ତୁରୀ ଦିଲେ ହରି ହୃଦତଟେ ।୬୦।
କଣ୍ଠେ ଲମ୍ୱାଇଲେ ଅମଳାଣ ମାଳି
ଦେବାଙ୍ଗ ବସନ ମଣ୍ଡିଲେ କୃଷ୍ଣର କଟିସ୍ଥଳୀ ।୬୧।
ଦେବ ସଭାକୁ ଚାହିଂଣ ବ୍ରହ୍ମା କହନ୍ତି ଉତ୍ତର
ବିନୋୟୀ ଭାବହୋଇ ଯୋଡ଼ିଣ ବେନି କର ।୬୨।
ସମସ୍ତ ଦେବତାୟେ ମୋତେ ଆଗ୍ୟାଂ ଦେବା
ୟେ ମୋର କଥାକୁ ଅବଧାନ କରିବା ।୬୩।
ମୋହୋର ଦୋହିତା ନାମଗୋଟି ଅଟଇ ସରସ୍ୱତୀ
କୃଷ୍ଣଂକୁ ପ୍ରଦାନ କରିବଇଂ ମୋହୋର ଦୋହିତୀ ।୬୪।
ତହିଂର ନିମନ୍ତେ ମୁଂ କଲଇ ବରଣ
ପ୍ରସନ୍ନେ ଆଗ୍ୟାଂ ମୋତେ ଦେବା ଦେବଗଣ ।୬୫।
ଦେବେ ବୋଇଲେ ଯେମନ୍ତ ଆଗ୍ୟାଂ ତୋର ପିତା
ପୁରୁଷଂକ ଉତ୍ତମ ତୁ ବିହନ୍ତା ବିଧାତା ।୬୬।
ତୁ ଯେବେ ପ୍ରଦାନ ହୋ କରିବୁ କୁମାରୀ
ଯେହ୍ନେ ତୋହୋର ଆଗ୍ୟାଂ ବଞ୍ଚିତ କେ ପାରି ।୬୭।
କନ୍ୟାକୁ ବେଶ ବେଶନ କରାଇ ବିଧାତା
କୃଷ୍ଣର ଛାମୁରେ ନେଇ ବସାଇଲେ ଦୋହିତା ।୬୮।
ବିଭାର ବିଧାନ ଯେ କରନ୍ତି ବେଦବର
ବରବେଶ ହୋଇ କୃଷ୍ଣ ବସିଲେ ବେଦିର ଉପର ।୬୯।
ବିଭା ଚହଳେ ଯେ ଶୁଭିଲା ବେଦ ବାଣୀ
ମେରୁ ଥାନେ ଥାଇ ତାହା କଟମ୍ୱାସୁର ଶୁଣି ।୭୦।
କୋକ ଦେଶ ବୋଲି ଶାମଦୀର୍ଘ ନାମେ ପୁର
ତହିଂର ରାଜ୍ୟ କରଇ କଟମ୍ୱା ଅସୁର ।୭୧।
ଦେବ ସ୍ତିରୀୟେ କଲେ ହୁଳହୁଳି ବାଣୀ
ବନ ଗହନ ପୂରିଲା ଶବଦର ଧୁନି ।୭୨।
ମନ୍ତ୍ରୀକି ଚାହିଂଣ ଯେ ପଚାରିଲା କଟମ୍ୱା
କିସ ଶବଦ ଗୋଟିୟୟେ ଶୁଭିଲା ରେ ବାବା ।୭୩।
ମନ୍ତ୍ରୀ ବୋଇଲା ଶୁଣ ହୋ ଦାନବ ଶିରୋମଣି
ମେରୁ ପୃଷ୍ଠରେ ଶୁଭିଲା ହୁଳହୁଳି ଧୁନି ।୭୪।
କଞ୍ଚନ ନାମେଣ ବ୍ରହ୍ମାର ଦୁହିତା ସରସ୍ୱତୀ
ନାରାୟଣଂକୁ ପ୍ରଦାନ କରଇ ବେଦପତି ।୭୫।
ତହୁଂ ସେ ଶୁଭିଲାକ ହୁଳହୁଳି ବାଣୀ
ୟେସନେକ କଥାକୁ ବିଚାର କରତୁ ଦତ୍ୟମଣି ।୭୬।
ବୋଇଲୁ କେମନ୍ତ ସେ ଯେ ତାହାଂକର କଥା
ଆଜି ସେ ମାରିବି ମୁଂହି ସମସ୍ତ ଦେବତା ।୭୭।
କହୁଂ କହୁଂ କୋପିତ ହୋଇଲା ଦନୁଜ
ଶହସ୍ର ଘେନି ଆପଣେ ହୋଇଲାକ ସଜ ।୭୮।
ଆରେ ଆେ ବୋଲି ଦିଲା ଗରୁ ଡାକ
ବ୍ରହ୍ମାଣ୍ଡ ପୂରିଲା ସେ କଉଣୋପର ହାକ ।୭୯।
ତୁଲେ ନାହିଂ ତାର ରଥ ଗଜ ସଇନି
ଲୁହାର ଲହଡ଼ି ୟେକ କରେ ଅଛି ଘେନି ।୮୦।
ଶରୀର ବିରାଜଇ ମନ୍ଦର ଗିରି ପ୍ରାୟେ
ତିମ୍ୱୁରୁ ଗୋଟାୟେ ସେ ଦନୁଜ ବଜାୟେ ।୮୧।
ମେରୁ ଆସ୍ତାନକୁ ଆସଇ ଖର କରି
ଗରୁ ଡାକ ଶୁଣି ଦେବତାୟେ ଡରି ।୮୨।
ଆକାଶେ ଲାଗିଅଛି ଅସୁର ବର୍ଣ୍ଣ ଚିହ୍ନ
ଦେଖିଣ ତ୍ରାସିଲେ ସକଳ ଦେବଗଣ ।୮୩।
ଶୂନ୍ୟେଣ ଶୁଭିଲା ଯେ ଅସୁର ଶବଦ ଗରୁ ଡାକ
ଆସ୍ତାନୁଂ ଉଠିଲେ ଯେ ସକଳ ବୃନ୍ଦାଅର୍କ ।୮୪।
ସଭାରୁ ଉଠି ବୋଇଲେ ନାରଦ ବ୍ରହ୍ମଚାରୀ
ଅନମିତେ ପଡ଼ିଲା ହୋ କଟମ୍ୱାସୁର ଧାଡ଼ି ।୮୫।
ସମସ୍ତ ଦେବତାନ୍ତ ଲାଗିଲା ମହାଭୟେ
ବିଷ୍ଣୁଂ ଆଗ୍ୟାଂ ଦିଲେ ରହ ରହ ଦେବତାୟେ ।୮୬।
ମୋହର ଥାଆନ୍ତେ ତୁମ୍ଭର କାହାକଇ ଭୀତି
ଆଜ ୟେହାକୁ ମୁଂ ମାରିବି ନିପାତି ।୮୭।
ମୁହିଂ ନ ଜାଣଇଂ ୟେଥି ୟେଡେ ବଡ ଦତ୍ୟ ଅଛି
ପାତାଳଗାମୀ ମୁହିଂ ତୁମ୍ଭେ ମୋତେ କିମ୍ପାଇ ନ ପୁଚ୍ଛି ।୮୮।
କରପତ୍ର ଯୋଡ଼ି ତହୁଂ କହଇ ବସୁନ୍ଦରା
ସହି ନୁଆରଇ ଦେବ କଟମ୍ୱାସୁର ଭାରା ।୮୯।
ଆଣ୍ଟ କରି ପକାନ୍ତେ ଚରଣ ରୁଧିର ବହଇ ମୋର ମୁଖେ
କାହାର ଆଗରେ କହିବି ମୋହୋର ଯେତେ ମନ ଦୁଖେ ।୯୦।
ୟେମନ୍ତ ବିଚାରିନ୍ତେ କଟମ୍ୱାସୁର ବେଗେ
ଯାଇଂଣ ପ୍ରବେଶ ହୋଇଲା ମେରୁ ସର୍ଗ ଲାଗେ ।୯୧।
ରେ ରେ କାର କରିଣ ଅସୁର ଡାକ ଦେଇ
ବ୍ୟାଘ୍ର ପିଠିରେ ବସି ସେ ଗଦାବର ବୁଲାଇ ।୯୨।
ଦାନବର କୋପ ଦେଖିଣ ବିଶ୍ୱେଶ୍ୱର
ବୋଇଲେ ସଭାକୁ ନ ଉଠି ରେ ଅସୁର ରହିଥାଅ ସେହିଠାର ।୯୩।
ୟେହା ଶୁଣି କୋପେ ଅସୁର କରଇ ପହିଜ
ଅଧରେ ଜନ୍ତ ଚାପଇ ବଳିଷ୍ଠ ଦନୁଜ ।୯୪।
ଲୁହାର ଲଉଡ଼ିୟେ କୋପଭରେ ବୁଲାଇ
ଈଶ୍ୱରଂକ ଉପରେ ପ୍ରହାର କଲା ନେଇ ।୯୫।
ଶହସ୍ର ପଡ଼ନ୍ତେ ଦେଖିଲେ ଶଂକର
ରହ ରହ ବୋଲି ଅସୁରକୁ ପାଡ଼ିଲେ ବାମକର ।୯୬।
ଈଶ୍ୱରେ ଲେଉଟି କରେ ଶୂଳ ଧରି
ପୁଣି ଧାଇଂଲା ଦଇତ ବାହାନାଦ କରି ।୯୭।
ଶ୍ରୀକରେ ଶୂଳ ଘେନିଣ ଦେବ ଯେ କାପାଳୀ
ଅସୁର ଉପରେ ନେଇ କୋପେଣ ପଡ଼ିତାଳି ।୯୮।
ଶୂଳ ପଡ଼ନ୍ତେ ଦାନବ ପାତିଲା ବାମ ହାଥ
ଈଶ୍ୱରଂକ ହାଥରୁ ଉଛୁଡ଼ି ଘେନିଲା ଦୁରାପାତ ।୯୯।
ସେହି ଶୂଳ ଘେନି ବୁଲାଇଣ ପିଟି
ବକ୍ଷସ୍ଥଳେ ବାଜନ୍ତେଣ ଢଳି ପଡ଼ିଲେ ଧୂର୍ଜଟି ।୧୦୦।
ପୁଣି ଦଇତ ୟେକ ଶକତି ବୁଲାଇ କୋପ କଲା
ଲଲାଟରେ ଈଶ୍ୱରଂକର ଘେନିଣ ପିଟିଲା ।୧୦୧।
ଘାୟେଣ ଈଶ୍ୱର ହୋଇଲେ ଯହୁଂ ମୂର୍ଚ୍ଛା
ପ୍ରତଗ୍ୟାଂ କରି ଦାନବ ବୋଲଇ ତୋତେ କେ କରିବ ରକ୍ଷା ।୧୦୨।
ଦୀର୍ଘ ରଡ଼ି ଛାଡ଼ଇ ସଭାକୁ ଉଠନ୍ତେ ଦନୁଜ
ବଜ୍ରେକ ପ୍ରହାର କଲେ କୋପେ ଦେବରାଜ ।୧୦୩।
ସହସ୍ରଧାରା ଶକତି ପଡ଼ନ୍ତେଣ ଦନୁଜର ଗାତ୍ରେ
ପବନହୁଂ ଖର କରି ଦତ୍ୟ ଧଇଲା ବାମ ହାଥେ ।୧୦୪।
ବାମ ପାଦ ନେଇ ଇନ୍ଦ୍ର ଉପରେ ପ୍ରହାରି
ତାହାର ଶକତି ଘେନି ତାହାକଇଂ ମାରି ।୧୦୫।
ଅସୁର ପ୍ରହାରେ ଅଚେତ ହେଲେ ସୁରପତି
ଭୁଜ ଧରି ଇନ୍ଦ୍ରକୁ ଫିଙ୍ଗିଦିଲା ଅସୁର ତତକ୍ଷଣାନ୍ତି ।୧୦୬।
ଅସାଷ୍ଟମ ହୋଇ ପଡ଼ିଲେ ମେରୁ ତଳେ
ମୋହଗତ ହୋଇଣ ତହିଂ ପଡ଼ିଲେ ଆଖଣ୍ଡଳେ ।୧୦୭।
ଇନ୍ଦ୍ରର ଅସାଷ୍ଟମ ଦେଖଇଣ କୁବେର
ରତ୍ନାବଳୀ ଗଦା ଘେନି ହୋଇଲେ ବାହାର ।୧୦୮।
କୁବେରକୁ ଦେଖି ମାଇଲା ବଜ୍ର ମୁଥେ
ୟେକା ପ୍ରହାରକେ କୁବେର ପଡ଼ିଲା ଅଚେତେ ।୧୦୯।
କୁବେରକଇଂ ଅଚେତ ଦେଖିଣ ଅସୁର ମହାରାଗୀ
କେଶ ଧରି ତାହାକୁ ଅନ୍ତରୀକ୍ଷେ ଦିଲାକ ସେହୁ ଫିଙ୍ଗି ।୧୧୦।
କୁବେର ପଡ଼ିଲା ଯାଇଂ ମେରୁର ମେଖଳେ
ତ୍ରାସେଣ ପଳାଇଲେ ତହୁଂ ସକଳ ଦିଗପାଳେ ।୧୧୧।
ଅମରସଭାରେ ବିଜେ ଅସୁର ମହାବୀରା
ପୃଥୀ ଦେବୀ ନ ସହଇ ପାଦର ଗରୁ ଭାରା ।୧୧୨।
କଞ୍ଚନ ବ୍ରହ୍ମାର କୋଳେ ବିଜୟେ କରିଅଛନ୍ତି ସରସ୍ୱତୀ
ନାରାୟଣେ ଅହିଗ୍ୟେଂ ବିଜୟେ କରି ଯାଇଅଛନ୍ତି ।୧୧୩।
ପୂର୍ବଦିଗେ ଅଛି ନାରାୟଣଂକ ପଦ୍ମପାଦୁକା
ଧ୍ୟାନ କଲେ ବ୍ରହ୍ମା ଯେ ନାରାୟଣ ଦିଲେ ଦେଖା ।୧୧୪।
ଆହାନିକ ସାରି ଆସନ୍ତି ପୁଷ୍ୟେକେ ବିଜେ କରି
ବ୍ରହ୍ମାର ଛାମୁକୁ ବିଜେ କରୁଛନ୍ତି ଦେବ ଦଇତାରି ।୧୧୫।
ଶୁଣ ହୋ ବଇବସୁତ ମନୁ ବଦନ୍ତି ଅଗସ୍ତି
ଯେବଣ କୃତ୍ୟ କଲା ଦାନବ ଦୃଷ୍ଟିମତି ।୧୧୬।
ବ୍ରହ୍ମାଂକର ଛାମୁରେ ମିଳିଲା ଅନେକ ଭ୍ରଚ୍ଛନା ବୋଲି
ରାଗେଣ ପିତାମହଂକୁ ପକାଇ ଦିଲା ପେଲି ।୧୧୭।
ଅସୁର ବିଘାତେ ପିତା ଉତ୍ତାନଶାୟୀ ହୋଇ
ମୋହେ ପଡ଼ି ପିତା ଡାକନ୍ତି ହେ କୃଷ୍ଣ କର ତ୍ରାହି ତ୍ରାହି ।୧୧୮।
କଟମ୍ୱା ଅସୁର ବୋଲଇ ତୋର ୟେଡ଼େକ ଭରସା
ବାଳକାଳହୁଂ ୟେ କନ୍ୟାକୁ ମୁଂ କରିଅଛି ଆଶା ।୧୧୯।
ମୋତେ ଛାଡ଼ିକରି କୃଷ୍ଣଂକୁ କଲୁ ବିଭା
କାହିଂଅଛି ରଖୁ ୟେବେ ଆସି ଦେଖଇବା ବାସୁଦେବା ।୧୨୦।
ୟେହିକ୍ଷଣି ମୁଣ୍ଡ ତୋର ପକାଇବି ମୋଡ଼ି
ଅନେକ କାଳର ବୃଦ୍ଧ ତୁ ଅନେକ ସର୍ଜନା କରି ।୧୨୧।
ୟେତେ ବୋଲି କୋଳୁଂ କନ୍ୟା ଘେନିଲା ସରସ୍ୱତୀ
କାଖେ ବସାଇ କନ୍ୟା ଦତ୍ୟ ହୋଇଲା ଶୂନ୍ୟଗତି ।୧୨୨।
ପ୍ରତଗ୍ୟାଂ କରିଣ ଯେ ଆସଇ କଉଣୋପ
ଲେଉଟି ଆସନ୍ତେ କୃଷ୍ଣ ଭେଟିଲେ ଶାକଲ୍ୟ ଦ୍ୱୀପ ।୧୨୩।
ସରସ୍ୱତୀ ଡାକଦିଲେ ହୋ କୃଷ୍ଣ ମୁଂ ତୋହୋର ଭାରିଯା
ମୋତେ କଟମ୍ୱା ଅସୁର ବଳେ ନେଉଛି ହୋ ଦେବରାଜା ।୧୨୪।
ନାରଦେ ବୋଇଲେ ହୋ ଶୁଣିମା ଶିରୀବଚ୍ଛି
ସେ ତୋହୋର ପତ୍ନୀ ତାହାକୁ ଦାନବ ନେଉଅଛି ।୧୨୫।
ଶୁଣି କୋପାନଳ ଦେବ ଚକ୍ରପାଣି
ଅସୁରକୁ ଆଗକରି ଓଗାଳିଲେ ତତକ୍ଷଣି ।୧୨୬।
କଉମୋଦୀ ଗଦା ଧରିଣ ଚକ୍ରଧର
ଅସୁର ଉପରକୁ ମୁଠିକରି ମାଇଲେକ ଖର ।୧୨୭।
କଟମ୍ୱା ଅସୁର ବୋଲଇ ତୁ ଦେବ ଦଇତାରି
ଅସୁର ବଳ ନିସୂଦନ ତୁ ଦେବ ଦାନବ ଅନ୍ତକାରୀ ।୧୨୮।
ଆଜ ପଡ଼ିଲୁ ତୁ ମୋହୋର ଛାମୁରେ ତୋର ଯିବାକୁ ବାଟ ନାହିଂ
ଯତନେ ଯାହାକୁ ଲୋଡୁଥିଲି ଦେଖିଲି ତାହାକୁ ମୁହିଂ ।୧୨୯।
ୟେତେକ ବୋଲି ଦାନବ ପବନୁଂ ଖର ବେଗେ
ବଜ୍ର ମୁଦୁଗର ପ୍ରହାର କଲା ଅଙ୍ଗେ ।୧୩୦।
କଉମୋଦକୀ ଗଦା କରେ ବୁଲାଇ ଦେବ ହରି
କଟମ୍ୱାସୁର ଉପରେ ପ୍ରହାର ସେ କରି ।୧୩୧।
ଦେଖିଣ ଦାନବ ତହିଂ ପାତିଲା ବାମ ହାଥ
କୃଷ୍ଣର କରୁ ଗଦା ଘେନିଗଲା ସେ ତୁରିତ ।୧୩୨।
ସେହି ଗଦା ଘଏନି ତହୁଂ ଲେଉଟାଇ ପିଟି
ବାମ ଅଙ୍ଗ ପାଡିଣ ଶ୍ରୀକୃଷ୍ଣ ତାହା ମେଣ୍ଟି ।୧୩୩।
ଦାନବ ହାଥରୁ ଗଦା ଛଡ଼ାଇ ଅଚ୍ୟୁତ
ପୁଣ ଅସୁର ଉପରେ କଲେ ଗଦାଘାତ ।୧୩୪।
ତଦ୍ୟାପି ନ ତୁଟିଲା ଦାନବର କାୟେ
ଦେଖିଣ ବିସ୍ମୟେ ସ୍ୱାମୀ ହୋଇଲେ ଦେବରାୟେ ।୧୩୩।
ଅସୁର ତୁଲେ ଦେବ ଅନେକ ସାଂଗ୍ରାମ
ବିମୁଖ ହୋଇଲେ ପୁରୁଷଂକର ଉତ୍ତମ ।୧୩୬।
ମହାତେଜେ ଉପୁଜିଲା ଦେବ ବିଶ୍ୱରୂପ
ଦୁଇଭୁଜେ ଧଇଲେ ସେ ଦୁର୍ଭାର କଉଣୋପ ।୧୩୭।
ବିଂଝଗିରି ପର୍ବତେ ଦେବ କଚାଡ଼ିଲେତୋଳି
ଦଇତ ଅଙ୍ଗ ପଡ଼ି ପର୍ବତ ହୋଇଲାକ ଧୂଳି ।୧୩୮।
ଦେଖିଣ ଭଗବାନ ହୋଇଲେ ଆଶ୍ରିଯ
ପ୍ରଶଂସା କରନ୍ତି ଧନ୍ୟ ଧନ୍ୟ ରେ ଦନୁଜ ।୧୩୯।
ନାହିଂ ଦେଖିଲା ଦାନବ ୟେଡ଼େକ ପରଚଣ୍ଡା
ୟେହାର ଦେହ ଲାଗି ବିଂଝଗିରି ହୋଇଲା ମସିଗୁଣ୍ଡା ।୧୪୦।
ପୁଣି ଦୁଇ ପାଦ ଧରି ବୁଲାଇ ଅନ୍ତରୀକ୍ଷେ
ଲୋହଗିରି ପର୍ବତେ କଚାଡ଼ିଲେ ପ୍ରତକ୍ଷେ ।୧୪୧।
କି ଜାଣି ଅସୁର ଦେହ ଅଭେଦ ବଜ୍ରସେହ୍ନା
ଲୋହଗିରି ଉପରେ ପଡ଼ନ୍ତେ ହୋଇଲାକ ଚୂନା ।୧୪୨।
କୃଷ୍ଣ ପ୍ରଶସାଂ କରନ୍ତି ଦାନବ ସାଧୁ ସାଧୁ
ଦତ୍ୟ କୁଳେ ଜନମ ହୋଇ କେ ଅବା ତୋତେ ନିନ୍ଦୁ ।୧୪୩।
ୟେହେନେକ ପ୍ରଶଂସା କରନ୍ତି ଚକ୍ରଧର
ଅସୁର କୁଳେ ଜାତ ତୋର ମହିମା ଅଗୋଚର ।୧୪୪।
ଛାଡ଼ିବି ଦାନବକୁ ହୋଉ ୟେ ତ୍ରିଜୀବୀ
ଦେବତାମାନେ ପଛେ ନଥାନ୍ତୁ ସର୍ଗ ଭୁବି ।୧୪୫।
କୃଷ୍ଣ ଯହୁଂ ବିଚାରିଲେ ଅସୁର ଛାଡ଼ିବାକୁ
ମହାଭୟେ ଲାଗିଲା ସେ ଦେବତାମାନଙ୍କୁ ।୧୪୬।
ସ୍ୱାମୀ ଦେବତା ବ୍ରହ୍ମଣ ଋଷି ନାଶି ୟେ ହୋଇଲା ପୃଥୀକି ମହାଭାରା
ତୋର ଛାଡ଼ନ୍ତେ ୟେ ହୋଇବ ଅମରା ।୧୪୭।
କୃଷ୍ଣ ବୋଇଲେ ୟେ ନ ମରଇ ମୋହୋର ହାଥେ
ବ୍ରହ୍ମାଂକୁ ବୋଇଲେ ୟେ ମରିବ କେମନ୍ତେ ।୧୪୮।
ପିତାମହ ବୋଇଲେ ଶୁଣ ଦେବାଧିଦେବ ରାଜା
ମୋତେ ଭଗତି ହୋଇ ୟେ ବହୁତ କଲା ପୂଜା ।୧୪୯।
ନିରାଶ ହୋଇ ଯେହୁଂ ସେବା କଲା ମୋତେ
ମହାକଷ୍ଟେ ବସିଲା ମନୁୟେ ପରିଯନ୍ତେ ।୧୫୦।
ମୁହିଂ ବୋଇଲି ବର ମାଗ ରେ ଦାନବା
ସେ ବୋଇଲା ତୁମ୍ଭର ସମାନେ ମୋର ଆୟୁଷ ହୋଇବା ।୧୫୧।
ଯେତେକାଳ ପର୍ଯ୍ୟନ୍ତେ ତୁମ୍ଭେ ହୋଇବ ତ୍ରିଜୀବୀ
ମୁହିଂ ତେତେକାଳ ପରିଯନ୍ତେ ଥିବି ।୧୫୨।
ୟେସନେକ ବର ମୋତେ ମାଗିଅଛି ପୂର୍ବ
ଭଲେ ବୋଇଲି ମୋହୋର ଆୟୁଷ ହେଉ ରେ ଦାନବ ।୧୫୩।
ପିତାମହ ମୁଖୁଂ ୟେସନେକ ବାଣୀ ଶୁଣି
ଅସୁରକୁ ଭଜିଲେ ଦେବ ଚକ୍ରପାଣି ।୧୫୪।
ନାରାୟଣ ବୋଇଲେ ୟେ ବ୍ରହ୍ମାର ଅଟେ ବଳା
ସରସ୍ୱତୀଂକର ଭାଇ ଆମ୍ଭର ହୋଇଲାକ ଶଳା ।୧୫୫।
ବ୍ରହ୍ମାଂକୁ ବୋଇଲେ ୟେ କଟମ୍ବାସୁର ଥାଉ
ତୁମ୍ଭର ବର ପାଇଛି ନାଶ ୟେ ନ ଯାଉ ।୧୫୬।
ତୁମ୍ଭେ ମାଡ଼ି ବସିବ ୟେହାର ବକ୍ଷସ୍ଥଳେ
ବ୍ରହ୍ମାଂକୁ ଆଗ୍ୟାଂ ଦେଇ କନ୍ୟା ଘେନି କୃଷ୍ଣ ବିଜେ କଲେ ।୧୫୭।
ବ୍ରହ୍ମା ମାଡ଼ିବସିଲେ କଟମ୍ବାସୁର ଉପରେ
ତେଣୁକରି କଟମ୍ବା ବୋଲି ବିଦିତ ତିନି ପୁରେ ।୧୫୮।
ବେଦବ୍ୟାସେ ବୋଇଲେ ଶୁଣ ହୋ ରାଜାମାନେ
ସେ ଦିନୁ କଟମ୍ବା ଆସନଟି ବିଭାର ବିଧାନେ ।୧୫୯।
ବ୍ରହ୍ମାର ବଚନ ରକ୍ଷା କଲେକ ମୁରାରି
କନ୍ୟାକୁ ପ୍ରଦାନ କଲେ ଚତୁର୍ମୁଖଧାରୀ ।୧୬୦।
ସରସ୍ୱତୀଂକି ବିଭା ହୋଇଲେ ନାରାୟଣ
ସନ୍ନିଧେ ମିଳିଲେ ଆସି ସକଳ ଦେବଗଣ ।୧୬୧।
ଅସୁର ଶରଘାତେ ସେ ହୋଇଥିଲେ ମୂର୍ଚ୍ଛା
ମୋହତେଜି ଉଠିଲେ ସର୍ବେ ଯେ ଯାହାର ଇଚ୍ଛା ।୧୬୨।
ସରସ୍ୱତୀଂକି ବିଭା କଲେ ଅମୃତ ଯୋଗ ବେଳେ
ଦୋହିତା ଘେନି ବସିଲେ ବ୍ରହ୍ମା କଟମ୍ବା ବକ୍ଷସ୍ଥଳେ ।୧୬୩।
ନିରାକୁଳ ଗୋତ୍ରୀ ଦେବ ଯେ ଅନନ୍ତ
ଜଳଧର ଗୋତ୍ର ଯେ ବ୍ରହ୍ମା ଦଇବତ ।୧୬୪।
ଓହୋକୁଳ ଗୋତ୍ର ଯେ ଉଚ୍ଚାରି ଦେବ ଦେବା
ଶୁଭ ଯୋଗେ ନାରାୟଣ ସରସ୍ୱତୀଂକି ହୋଇଲେକ ବିଭା ।୧୬୫।
ସରସ୍ୱତୀଂକି ଘେନିଣ ଦେବ ବନମାଳୀ
ବଇକୁଣ୍ଠ ଭୁବନକୁ ନାରାୟଣେ ଗଲେ ଚଳି ।୧୬୬।
ବ୍ୟାସେ ବୋଇଲେ ତୁ ହୋ ଶୁଣ ଧର୍ମରାୟେ
କଟମ୍ବାସୁର କଥା ବିଭାବେଳେ ୟେମନ୍ତ ଯେ ହୋୟେ ।୧୬୭।
ବ୍ରହ୍ମା ବିଷ୍ଣୁ ଯାହା ସଞ୍ଚିଲେ ସତ୍ୟଯୁଗେ
ଯାବତ କାଳକୁ କଥା ରହିଲା ପୃଥିବୀ ମଧ୍ୟସ୍ୱର୍ଗେ ।୧୬୮।
ପ୍ରସ୍ତାପ ବାକ୍ୟେ କହିଲୁ ସରସ୍ୱତୀ ବିଭା
ଆହୋ ବୁଧ ଜନମାନେ ୟେହା ସଞ୍ଚପି ଶୁଣିବା ।୧୬୯।
ବ୍ରହ୍ମାଂକର ଦୁଲଣୀକୁ ବର ଯେ ଶ୍ରୀହରି
ତ୍ରିଦଶ ଲୋକେ ବିଭାକୁ ଶୁଭ ଅବଧାରୀ ।୧୭୦।
ଶ୍ରୀମହାଭାରଥ ୟେ ଅମୃତ ରସ ବାଣୀ
ଜୀବ ଥିବାଯାୟେ ୟେଥକୁ ମନ ଦିଅ ପ୍ରାଣୀ ।୧୭୧।
ମୁହିଂ ଯେ କଳିକାଳ ଦର୍ପ ଧଂସିବା ନିମନ୍ତେ
ଶ୍ରୀରାମଂକର ଦୟା ଯେ ହୋଇଲା ସୁଚିତ୍ତେ ।୧୭୨।
ଜନ୍ମେ ଜନ୍ମେ ସେବା ମୋର ସରସ୍ୱତୀଂକ ପଦ୍ମପାୟେ
ବଦନ୍ତି ସାରୋଳା ଦାସ ସର୍ବମଙ୍ଗଳା ପାଦେ ବିନୟେ ।୧୭୩।
ଆହୋ ଚଇତନ ଶ୍ରୀକୃଷ୍ଣ ସରସ୍ୱତୀଂକ ବିଭା ଅନ୍ତରେଣ କଥା
ପ୍ରସ୍ତାପ ବାକ୍ୟେ କହିଲି ୟେସନେକ ବ୍ୟବସ୍ଥା ।୧୭୪ – ୭୫୮୭।