ସାରଳା ମହାଭାରତ ମଧ୍ୟପର୍ବ (ଦ୍ୱିତୀୟ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିବଳରାମଙ୍କ ହସ୍ତିନା ତାଡ଼ନ ଓ ସିଂହଦ୍ୱାର ବକ୍ରକରଣ
ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି ଯେ ମୁନିସାତବଶଂ ଯାଦବନ୍ତ ରାମକୃଷ୍ଣ ଘେନି ।୧।ତାଳଧ୍ୱଜ ରଥେ ବିଜୟେ ଦେବ ହଳୀମହା ମତ୍ତଭରେ ଯେ କମ୍ପଇ ମହୀଆଳୀ ।୨।ସମର୍ଥନ ଲଙ୍ଗଳ ଯେ ବୁଲାଇ ବଳେବରନିଚୟେ ରାସାଂଗତ ମୁଂ କରିମି ହସ୍ତିନା ନବର ।୩।ବଳରାମଂକର କୋପ ଦେଖିଣ ବଦୟନ୍ତି ନାରାୟଣଆମ୍ଭ ବଚନ ଶୁଣିମା ହୋଉ ଆଗହୁଂ କୋପ କିମ୍ପେ ସଂକ୍ରିଷେଣ ।୪।ନ ଜାଣି ଦ୍ରିଯୋଧନ କୋପ କଲାକ ଅବାଶ୍ରୀହସ୍ତେ ଲେଖ ଲେଖି ଆମ୍ଭେ ଦୂତ ବରଗିବା ।୫।ତାଳପତ୍ର ଗୋଟିୟେ ଆଣି ହରି କରନ୍ତି ଲେଖନଯେଉଂମତେ ପଦ ଆଗ୍ୟାଂ ଦିଲେକ ବଳରାମ ।୬।ଶ୍ରୀମୁଖ ଲେଖନଜୟ ଜୟ ଶ୍ରୀଅନନ୍ତ ବିଶ୍ୱଭୂତସପତ ବିଶ୍ୱ ଭାରାଭର ବିହିତ ।୭।ସୁର ସନକାଦି ବନ୍ଦିତ ଯ ଅର୍କ ବିଧୁ ଉଦିତ ।୮।ତ୍ରିଇଲୋକ୍ୟ ନାଥ । ବଳେ ବଳବନ୍ତା ।ବିକ୍ରମ ସିଂଘ ମତ୍ତ ।୯।ରୋହିଣୀ ଗର୍ଭସମ୍ଭୁତଅଶେଷ କୋଟି ବ୍ରହ୍ମାଣ୍ଡ ଆଧିପତ୍ୟ ।୧୦।ଶ୍ରୀବିଶ୍ୱ ଯୋଗେଶ୍ୱରଶ୍ରୀଅନାଦି ଦେବ ପରଂବ୍ରହ୍ମ ଈଶ୍ୱର ।୧୧।ଅଂକୁଶ ଧାରଣ ନୀଳାମ୍ୱରଚତୁର୍ଦ୍ଦଶ ଭୁବନ ପ୍ରତଗ୍ୟାଂ ପ୍ରଖର ।୧୨।ବିଶ୍ୱାସୀ ହିତ ସାଧକସମସ୍ତ ଶ୍ରୀଅଙ୍ଗ ଅଳଂକୃତି କାରକ ।୧୩।ସୁର ମନୁଷ୍ୟ ମର୍ୟ୍ୟାଦା ରକ୍ଷିତ ଅଭିଷେକ ।ସତ୍ୟ ସାଧକ ।୧୪।ଉତପତ୍ତି ସ୍ଥିତି ନାଶ କାରକ । ଦୁଷ୍ଟ ଜନ ନାଶକ ।୧୫।ବିସ୍ତାର ବିଶ୍ରାମ ଗର୍ଭସୁଧା ଗଳିତ ଅଭୟ ଦେବ ।କୋଟି କନ୍ଦର୍ପ ଲାବଣ୍ୟ ସରୂପ ।୧୬।ଦୁଷ୍ଟ ଜନ ନାଶନ । ଦେବକୁଳ ରକ୍ଷଣ ।୧୭।ଅବିବେକୀ ବିହୃଦ ବିବେକ ଦାନସତ୍ତ୍ୱ ରଜ ତମ ତ୍ରିଗୁଣ ନିର୍ବାଣସୂକ୍ଷ୍ମ ବିମଳ ମଣିମୟ ମଣ୍ଡନ ।୧୮।ସମର୍ଥନ ସଂଧାରଣ । ଉତ୍ତମ ସଉନନ୍ଦ ଭୂଷଣ ।୧୯।କଦମ୍ୱା ମୋଡ଼ଣ । ଜରାସନ୍ଧମର୍ଦ୍ଦନ ।ଦୁର୍ବିନ୍ଦ ବାନର ନାଶନ ।୨୦।ସୂତ ପଉରାଣିକ ବିଧ୍ୱଂସନ ।ପ୍ରଳମ୍ୱା ଚାରୁଣ ଦର୍ପ ଦଳନ ।୨୧।କୁବଳୟା ପ୍ରାଣ ହରଣ । ଉଡ଼ଙ୍ଗ ଦେଶ ଭଙ୍ଗାଣ ।୨୨।କଂସାସୁର ନିସୂଦନ । ଅବନୀ ଭାରା ନିବାରଣ ।୨୩।ଶାମ୍ଭ ଗଦ ପଦ୍ମନ ମହାଛତ୍ରୀ ପରିବାର ଭୂଷଣ ।୨୪।ଗୋମନ୍ତ ପର୍ବତ ଗିରି ମଣ୍ଡନ ।
ସମ୍ବନ୍ଧିତ ରଚନା
ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ)ସାରଳା ଦାସ ସାରଳା ଦାସ
ସାରଳା ମହାଭାରତ ବନପର୍ବ ( ପ୍ରଥମ ଖଣ୍ଡ )ସାରଳା ଦାସ ସାରଳା ଦାସ
ବୃନ୍ଦାବନ ମୋହନ ।୨୫।
ଅସତ୍ୟ ଧ୍ୱଂସ କାରକ । ତମ ନାଶକ ।୨୬।
ଶ୍ରୀ ନିରଞ୍ଜନ ପାଦେ ନତ ମସ୍ତକ
କୁଞ୍ଜଗଳ ଦେଶ ହସ୍ତିନା କଟକ ।୨୭।
ଦ୍ରିଯୋଧନ ଛାମୁକୁ ଆଗ୍ୟାଂ ଶ୍ରୀମୁଖ
ଶ୍ରୀହସ୍ତ ପ୍ରସାଦ ସନ୍ତକ ।୨୮।
ୟେହା ପଢ଼ି ଦୂତ ବଚନ ଶୁଣି
ଶାମ୍ୱ କୁମର ତୁଲେ ତୋହୋର ଦୁହିତା ଚନ୍ଦ୍ରାବତୀକି ଘେନି ।୨୯।
ବହନ ହୋଇ ତୁ କରିଯିବୁ ଦ୍ରଶନ
ନଇଲେ ନଉଚେତ ଧୁଶାସନ
ଦୁର୍ଜୟ ଦୁର୍ବିନ୍ଦ ଜଦ୍ୟରଥ କର୍ଣ୍ଣ ।୩୦।
ଭୂରିସର୍ବା ବାହ୍ଲିକ ଭୀଷ୍ମ ଦ୍ରୋଣ ଶକୁନି ।
ସେ ୟେଗାର ଅକ୍ଷଉଣୀ ବଳ ଘେନି ।୩୧।
ପଟୋୟାରେ ସାବଧାନେ ଥିବୁ ।
ନୋହିଲେ ତୁ ଆସି ମୋର ତୁଲେ ସମର କରିବୁ ।୩୨।
କେତେ ଗାଢ଼ କେତେ ଯୁଝିବ ।୩୩।
ଦେଖିବାକ ପୁଣ ।
ନ ଜାଣୁ କି ଶାମ୍ୱ କୁମର କାହାର ନନ୍ଦନ ।୩୪।
ମୋହୋର ନାମ ଗୋଟି ଜାଣିଥିବୁ ବଳରେ ବଳରାମ ।୩୫।
ଆହୋ ମାନଗୋବିନ୍ଦ । ତୋହୋର ବାପ ସିନା ଅନ୍ଧ ।୩୬।
ତୋହୋର ଯେବେ ଅଛି ବେନି ଚଚ୍ଛୁ
ମୋହୋର ପୁତ୍ରକୁ କିମ୍ପେ ୟେଡ଼େ କଷ୍ଟ ଦେଉଅଛୁ ।୩୭।
ପୁତ୍ର ଅଭାବେ ତୁ ନାଶ ଯେ ହୋଇଣ
ସମସ୍ତ ଜନ ମରାଇଣ ।୩୮।
ୟେମନ୍ତ କରିବି ।
ହସ୍ତିନା ନବର ଲଙ୍ଗଳ ମୁନରେ ତାଡ଼ିବି ।୩୯।
ସମୁଦ୍ର ଭିତରେ ମେଇଣ ମାଡ଼ିବି ।୪୦।
ତଦ୍ୟପି ମନେ ପ୍ରତେ ନ ଯିବ
ମୁହିଂ ଅଟଇ ବଳେ ବଳଦେବ ।୪୧।
ୟେମନ୍ତ କରି ଯେ ଶ୍ରୀମୁଖ ଲିହି
ମୁଦ ଦିଲେ ଚନ୍ଦନ କର୍ପୂର ମିଶ୍ରିତ କରି ଦେଇ ।୪୨।
ଶ୍ରୀହଳ ସନ୍ତକ କରି ଲେଖ ଦେଇ
ପଠିଆଇବାକୁ ମନୁଷ୍ୟ ଅନୁସରଇ
ଦ୍ରିଯୋଧନକୁ ଦୂତ ବରଗଇ ।୪୩।
ଆହୋ ଚଇତନ ନାରଦ ଆଗେ କହନ୍ତି ଦେବ ହଳୀ
ୟେହିକ୍ଷଣି ଯାଅ ତୁମ୍ଭେ ହସ୍ତିନା ପୁର ଚଳି ।୪୪।
ଶାମ୍ୱଚନ୍ଦ୍ରାବତୀକି ସମର୍ପି ମୋତେ ଯାଉ
ନିଚିନ୍ତ ହୋଇଣ ସେ ହସ୍ତିନା ପୁରେ ଥାଉ ।୪୫।
ନ ଦିଲେ ପୁର ତାର କରିବି ଯମପୁର ।୪୬।
ୟେମନ୍ତ କହିଣ ସେ ଯେ ଲେଖଗୋଟି ଦେଇ
ମାନଗୋବିନ୍ଦକୁ କହ ତୁମ୍ଭେ ସମସ୍ତ ବୁଝାଇ ।୪୭।
ଶୁଣ ହୋ ବଇବସୁତ ମନୁ ବଦନ୍ତି ଅଗସ୍ତି
ନାରଦଂକୁ ଆଗରେ ପଠିଆଇ ଦ୍ୱାରିକାରୁ ବାହାର
ହୋଇଲେ ଶ୍ରୀକୃଷ୍ଣ ହଳପତି ।୪୮।
ଥାଠ ଚଳିବାରୁ ଦେଖି ତ୍ରିଦଶେ ବିଷାଦ
ନାରଦେ ବୋଇଲେ ୟେଥେ ଆସି ପଡ଼ିଲା ପରମାଦ ।୪୯।
ହାଥେ ବ୍ରହ୍ମବୀଣା ଘେନିଣ ତପୋଧନୀ
ହସ୍ତିନା ପୁରେ ଯାଇଂ ମିଳିଲେ ବ୍ରହ୍ମମୁନି ।୫୦।
ସଭାରେ ବସିଣ ଯେ ଥିଲେ ଦ୍ରିଯୋଧନ ଭୀଷ୍ମ ଦ୍ରୋଣେ
ନାରଦଂକୁ ଦେଖି ସର୍ବେ ଉଠିଲେ ତତକ୍ଷଣେ ।୫୧।
ମୁନିଂକର ପାଦେ ସର୍ବେ କଲେ ଦିବ୍ୟ ପୂଜା
ନାରଦ ବୋଇଲେ ତୁ ହୋ ଶୁଣ କୁରୁରାଜା ।୫୨।
ନିଚିନ୍ତ ହୋଇଣ ତୁମ୍ଭେ ଅଛତ ସମସ୍ତ
ବଳରାମଂକର କୋପ ତୋତେ ହୋଇଲା ଅପ୍ରମିତ ।୫୩।
ଛପନ କୋଟି ଯାଦବେ ସାତବଂଶ ଘେନି
ତୋହୋର ଉପରକୁ ବାହିଲେ ରାମକୃଷ୍ଣ ବେନି ।୫୪।
ବାବୁ ରତିଚୋର ବୋଲିଣ ଧଇଲୁ ଯାହାକୁ
ଧର୍ମ ଉଦିତ ହୋଇଲା ତୁ ଯେ ମାଇଲୁ ତାହାକୁ ।୫୫।
ସାଧୁ ସାଧୁ ପାଣ୍ଡବେ ସେ ତୁମ୍ଭର ଜୀବତି
ସେହି ସେ ପଞ୍ଚୁକଟକେ ହୋଇବେ ଆଧିପତି ।୫୬।
କୃଷ୍ଣର ଦୁଲାଳ ସେ ଯେ ଜମ୍ୱୁବତୀର ବଳା
ଶାମ୍ୱ କୁମାର ନାମ ତା କୃଷ୍ଣବର୍ଣ୍ଣ କଳା ।୫୭।
କଉତୁକ ଖେଡ଼ରେ ସେ ହରିଲା ତୋହୋର ଦୁଲଣୀ
ୟେଡ଼େବଡ଼ ଦ୍ୱନ୍ଦ କଲ ତୁମ୍ଭେ ତ ନ ଜାଣି ।୫୮।
ୟେବେ ବଳରାମଂକର କୋପ ଯେ ଦୁଲଭ
କେମନ୍ତ ବୁଦ୍ଧିରେ ୟେବେ ତୋର ବଂଶ ରକ୍ଷା ଯିବ ।୫୯।
ଶ୍ରୀମୁଖ ଗୋଟିୟେ ତୋତେ ଦେଇଅଛଇ ବଳରାମ
ପୁତ୍ର ଦୋହିତାକୁ ଘେନି ଯାଇ ପାଦେ କରିବୁ ପ୍ରମାଣ ।୬୦।
ୟେହା ଶୁଣି କୋପକଲା ମାନଗୋବିନ୍ଦ ଚକ୍ରବ୍ରତୀ
ଆସ୍ତାନ ଉପରୁ ଡେଇଂ ପଡ଼ିଲାକ ଝାଡ଼ି ।୬୧।
ସାଜ ସାଜ ସମଦଣ୍ଡ ବୋଲି ଶୁଭିଲା ଉଚ୍ଚେ ବାଣୀ
ଦ୍ୱାରିକା ପୁର ଥାଠ ଆଜ ସବୁ ପକାଇବା ହାଣି ।୬୨।
ୟେବେ ରତିଚୋରର ପକାଅ ରେ ମୁଣ୍ଡ କାଟି
ୟେମନ୍ତେ କୋପେଣ ଆଗ୍ୟାଂ ଦିଲା ରାଜା ଧୃତିରାଷ୍ଟି ।୬୩।
ନାରଦେ ବୋଇଲେ ତୁ ହୋ ଶୁଣ କୁରୁନାଥ
ବଳରାମଂକର କୋପକୁ ତୁ କି ସାମରଥ ।୬୪।
ମାନଗୋବିନ୍ଦ ବୋଇଲା ମୁନି ହେ ଦେଖ ୟେହିକ୍ଷଣି
କେମନ୍ତେ ସାଂଗ୍ରାମଟି କରିବେ ଚକ୍ରପାଣି ।୬୫।
ନିଚୟେ ପ୍ରାଣତ୍ୟାଜ ହୋ କରିବି କାହ୍ନୁ ସଂକ୍ରିଷେଣ
କେ ରକ୍ଷା କରିବ ରତିଚୋରର ମୁଣ୍ଡ ପୁଣ ।୬୬।
ଧୁଶାସନକୁ ବୋଇଲା ଆଣ ଶାମ୍ୱ କୁମରକୁ ଧରି
ଆନ ପ୍ରାୟେ ବୁଝି ମୁହିଂ ଥିଲି ହେଳାକରି ।୬୭।
ୟେ ମୋହୋର ଭୁବନେ ପଶି ଲଗାଇଲା କାଳି
ୟେଡ଼େ ଗରବ ହୋଇଲା ହରିଲା ମୋହୋର ଦୁଲାଳୀ ।୬୮।
ଅଶି ସହସ୍ର ଯୋଦ୍ଧା ସେ ଘେନିଣ କୁମାର ଧୁଶାସନ
ଶାମ୍ୱ କୁମରକୁ ବେଢ଼ିଲେ ବହନ ।୬୯।
ଶାମ୍ୱ କୁମରକୁ ବେଢ଼ନ୍ତେଣ ପାଣ୍ଡବେ ପାଞ୍ଚ ଭାଇ
ଯେ ଯାହାର ଶହସ୍ର ଧରି ଡାକନ୍ତି ତୁହାଇ ।୭୦।
ପଞ୍ଚୁ ପାଣ୍ଡବେ ବେଢ଼ିକରି କରନ୍ତେ ରଣଗୋଳ
ମୁଖରାବ ଶବଦ ଯେ ଶୁଭଇ ଚହଳ ।୭୧।
ପଚ୍ଛିମ ମୁରତି ଯେ ଦ୍ୱାରିକାର ଥାଠ
ପ୍ରବେଶ ହୋଇଲେ ଯାଇ ହସ୍ତିନା ପୁର ନିକଟ ।୭୨।
ଆହୋ ଚଇତନ ନାରଦେ ମିଳିଲେ ଯାଇଂ ରାମକୃଷ୍ଣଂକ ପାଶେ
ବୋଇଲେ ପାଣ୍ଡବ ଦ୍ରିଯୋଧନ ବହୁତ ଅମରିଷେ ।୭୩।
ବଳରାମ ବୋଇଲେ ତୁମ୍ଭେ ଶୁଣ ମଧୁହାରୀ
ବେଗେ ଆସ ବୋଲି କୋପେ ଧାଇଂଲେ ହଳଧାରୀ ।୭୪।
ଶ୍ରୀଭୁଜେ ଶୋଭାବନ ହଳ ମୁଷଳ ଆୟୁଧ
ଦେବାଧିଦେବ ସ୍ୱାମୀ କରିବେ ମହାଯୁଦ୍ଧ ।୭୫।
ବଳରାମଂକ କୋପ ମହାଅନଳ ତେଜ ଜାଣି
ବ୍ରହ୍ମାଣ୍ଡ କମ୍ପୁଅଛି ରୋଷେଣ ଧରଣୀ ।୭୬।
ପାଣ୍ଡବେ ଯଦ୍ୟପି ହୋ ହୋଇଲେ ଶସ୍ରଧାରୀ
ଭୀଷ୍ମ ଦ୍ରୋଣ ସହିତେ ଆସନ୍ତି ଆଗସରି ।୭୭।
ପଞ୍ଚମର୍ଭୁତ ସଇନି ଘେନି ମାନଗୋବିନ୍ଦ ଚକ୍ରବ୍ରତୀ
ଭୀମ ଅର୍ଜୁନ ତୁଲେ ସେ ସମର ଅପ୍ରମିତି ।୭୮।
ନାରଦ କହିଲେ ଯାଇଂ ଶୁଣ ହୋ ବଳରାମ
ପାଣ୍ଡବଂକର ତୁଲେ କଉରୋବେ ହାଦେ ଅନେକ ସାଂଗ୍ରାମ ।୭୯।
ବଳରାମ ବୋଇଲେ ବାବୁ ଶୁଣ ଚକ୍ରଧାରି
ହଳମୁନେ ତାଡ଼ିବି ମୁଂ ହସ୍ତିନା ନାମେ ପୁରୀ ।୮୦।
ସମୋଦ୍ର ଭିତରେ ଆଣି ପକାଇବି ତାଡ଼ି
ପୁଣ ପୁଣ ପ୍ରତଗ୍ୟାଂ ସେ କରନ୍ତି ହଳଧାରୀ ।୮୧।
ବ୍ରହ୍ମାଣ୍ଡ କମ୍ପିଲା ବଳରାମଂକର କୋପେ
ଗଳଇ ତ୍ରିପଣ୍ଡ ଝାଳ ଅତି ଗରୁତାପେ ।୮୨।
ପବନ ଦେବତା ତେଜ ନୁଆରିଲା ସହି
ତେତିଶ କୋଟି ଦେବେ କମ୍ପିଲେ ସର୍ଗପୁରେ ଥାଇ ।୮୩।
ତ୍ରଇଲୋକ୍ୟ କମ୍ପିଲା ଯେ ବଳରାମଂକର ଶୁଣି ସିଂଘରଡ଼ି
ଗିରି କନ୍ଦରମାନ କି ପଡୁଅଛି ଝଡ଼ି ।୮୪।
ତ୍ରଇଲୋକ୍ୟ ଶଂକିଲା ଦେଖି ବଳରାମଂକର କାୟା
ନିଦାଘ ତେଜ ଜାଣି ବଳରାମଂକର ଛାୟା ।୮୫।
ଧବଳ ବଦନ କ୍ରୋଧେ ଦିଶଇ ଶୋଣିତମୟେ
ବଦନ ଦେଖି ତ୍ରଇଲୋକ୍ୟେ କଲେ ମହାଭୟେ ।୮୬।
ସମର୍ଥନ ଲଙ୍ଗଳ ଯେ ହଳ ମୂଷଳ ପାଣି
କୋପେ ପ୍ରଜ୍ୱଳିତ ରାମ ଯେ ଜୀମୂତ ମେଘ ଜାଣି ।୮୭।
କଉରୋବ ସଇନି ଭୟେ ପଳାଇଲେ ଉଠି
ସରସ୍ୱତୀ ନଦୀ ତୀରେ ହୋଇଲେ ଭେଟାଭେଟି ।୮୮।
ଦେଖିଲେ ଅସମ୍ଭବ କଉରୋବ ସଇନି
ପୂର୍ବ ଦିଗରେ ରହିଲେ ପାଣ୍ଡବେ ଶାମ୍ୱ କୁମରକୁ ଘେନି ।୮୯।
ନାରଦେ କହିଲେ ଶୁଣ ଧୃତିରାଷ୍ଟଂକ ସୁତ
ବଳରାମଂକର କୋପ ହାଦେ ଦେବତାନ୍ତ ଅପ୍ରମିତ ।୯୦।
ହୁତାସନ ତେଜ ପ୍ରାୟେ ହୋଇଛନ୍ତି ହଳପାଣି
ଅଗ୍ନିରେ ପଡ଼ିଲେ ଯେହ୍ନେ ପତଙ୍ଗେ ନ ବ୍ରତନ୍ତି ପୁଣି ।୯୧।
ଶାମ୍ୱ କୁମରକୁ ଘେନି ଯୁଝେଷ୍ଠି ସହିତେ
ରାମକୃଷ୍ଣଂକୁ ଯାଇଂ ଶାନ୍ତି କର ହୋ ସମସ୍ତେ ।୯୨।
ଯୁଝେଷ୍ଠି ମିଳିଲେ ମାନଗୋବିନ୍ଦର ପାଶ
ବାବୁ ରେ ତ୍ରଇଲୋକ୍ୟ କମ୍ପୁଅଛି ବଳରାମଂକ ରଡ଼ିଘୋଷ ।୯୩।
ସପତ ଭୁବନ ଯାକ କାଳନ୍ତେକ କାୟେ
ବଳରାମ ସନ୍ନିଧକୁ କେହି ରହମାନ ନୋହେ ।୯୪।
ବାବୁ ତାହାର ପୁତ୍ର ଦୋହିତାକୁ ଘେନି
ରାମକୃଷ୍ଣଂକର ଚରଣେ କରିବା ଦଇନି ।୯୫।
ଆମ୍ଭନ୍ତ ଦେଖିଣ ସେ କୋପ କରିବେ ଶାନ୍ତି
ଅପାଦ କ୍ଳେଶ ଖଣ୍ଡଣ ହୋଇବ ନୃପତି ।୯୬।
ମଧୁର ବଚନ ଶୁଣି ସେ ହୋଇଲା କୋପ ଅତି
ଯେ ସେ ମଧୁପିଙ୍ଗଳ କର୍କଶ ମାନଚକ୍ରବ୍ରତୀ ।୯୭।
ଧାଆଂରେ ଧୁଶାସନ ଦୁର୍ଜୟେ ଦୁରାକର୍ଣ୍ଣ
ଥାଠରେ ଆଗିଆଣି ହୋଇଲା ରାଜା ଦ୍ରିଯୋଧନ ।୯୮।
ରାଜାର ବଚନେ ଧାଇଂଲେ ଅଠାଣୋଇଂ ଭାଇ
ଭୋଜବଂଶ ଥାଠ ବେଢ଼ିଲେ ବେଗେ ଯାଇଂ ।୯୯।
ଗଦା କୋନ୍ତ ନାରାଜ ଘେନିଣ ଖଡ଼ଗ ଫଳା
ଗୁରୁଜ ଶକତି ଯେ ତେଜ ଅନର୍ଗଳା ।୧୦୦।
ୟେକ ପ୍ରହାର କରନ୍ତେ ଆରେକ ହ୍ୱନ୍ତି ଆଗ
ଅଜାଯୂଥ ଦେଖି ଯେହ୍ନେ ଧାମନ୍ତି ମତ୍ତବ୍ରାଘ ।୧୦୧।
ଦୁର୍ଜୟେ ଧୁଶାସନ ପ୍ରତଗ୍ୟାଂ ଯାର ବୀରଧୂ
ରଣଗୋଳ ଧନ୍ଦୋଳ କେ ତାହାର ନିନ୍ଦୁ ।୧୦୨।
ଗଜେକ ଆରୋହି ଧୁଶାସନ ବୀର ଉଠି
ଉଗ୍ରସେନର ଉପରେ ଗଦା ନେଇ ପିଟି ।୧୦୩।
ଗଦାବର ପଡ଼ନ୍ତେ ଭାଜିଲେ ସଇନି
ମୁଖରାବ ଶବଦ ଶୁଭିଲା ଅନ୍ୟୋଅନ୍ୟି ।୧୦୪।
ମହାଗୋଳ ଉପୁଜିଲା ଓହୋବଳ ଥାଠ
ତିନି ଭୁବନ କମ୍ପିଲା କମ୍ପିଲେ ସମରାଷ୍ଟ୍ର ।୧୦୫।
ଦ୍ରିଯୋଧନ ଦୁଷ୍ଟପଣ ଦେଖିଣ ହଳଧାରୀ
ମହା କୋପେଣ ଦେବ ଆସନ୍ତି ଆଗସରି ।୧୦୬।
ଆଜ ଯେ ହସ୍ତିନା କଟକ ପକାଇବି ତାଡ଼ି
ମରନ୍ତୁ ୟେ କଉରୋବେ ବଡ଼ବାନଳେ ପଡ଼ି ।୧୦୭।
ୟେତେ ବୋଲି ଦେବ ହଳ ମୂଷଳ କରେ ଧରି
ଅନ୍ତରୀକ୍ଷେ ବୁଲାଇଲେ ପବନ ଗତି କରି ।୧୦୮।
ସମର୍ଥନ ଲଙ୍ଗଳ ଦେବ ବୁଲାଇଲେ ଧରି
ମହାବଳବନ୍ତ ଯେହ୍ନେ ବିକ୍ରମ କେଶରୀ ।୧୦୯।
ହଳମୁନେ ପ୍ରହାର କଲେକ ବସୁନ୍ଧରୀ
ମେରୁକୀଳା ଜାଣିଣ ସେ ରହିଲା ଆବୋରି ।୧୧୦।
ଫୁଟିଲା ବସୁନ୍ଧରୀ ମେଦିନୀ କୋଟି କୋଟି
ନୃସିଂଘ ଅବତାର ବଳରାମ ହେଟି ।୧୧୧।
ନରକେଶରୀ ରୂପ ଧରିଲେ ହଳଧାରୀ
ଲଙ୍ଗଳମୁନେ ଉଭାରିଲେ ହସ୍ତିନା ନାମେ ପୁରୀ ।୧୧୨।
ପଞ୍ଚବିଂଶ ଯୋଜନ ହସ୍ତିନା ମହୀସ୍ଥଳୀ
ହଳମୁନେ ବଳରାମେ ଧଇଲେ ତାହା ତୋଳି ।୧୧୩।
କିଞ୍ଚିତ ମାତ୍ରକେ ତାହା ଧଇଲେ ହଳ ଅଗ୍ରେ
ପୃଥିବୀକି ବୁଲାବନ୍ତି ଅନ୍ତରୀକ୍ଷ ମାର୍ଗେ ।୧୧୪।
ଦେଖିଣ ବିଷାଦ ଯେ ହୋଇଲେ ବୃନ୍ଦାଅର୍କେ
ରଖ ରଖ ସ୍ୱାମୀ ବୋଲି ଡାକନ୍ତି ଦେବଲୋକେ ।୧୧୫।
ତିନି ଭୁବନକୁ ଯେ ଲାଗିଲାକ ମହାତ୍ରାସ
କେ ଆଗ ହୋଇବଟି ସ୍ୱାମୀ ସଂକ୍ରଷେଣ ପାଶ ।୧୧୬।
ଯାହାର କୋପିଲେ କମ୍ପଇ ପଦ୍ମଯୋନି
ତ୍ରାସେ ପଳାଇଲେ ଯେ ସୁର ସିଦ୍ଧ ମୁନି ।୧୧୭।
ତ୍ରଇଲୋକ୍ୟ ପୂରିଲା ୟେକା ତେଜ ସଂକ୍ରଷେଣ
ଅନ୍ତରୀଯେ ବୁଲାବନ୍ତି ସେ ହସ୍ତିନା ଭୁବନ ।୧୧୮।
ବ୍ରହ୍ମାଂକର ଛାମୁରେ କହିଲେ ବିହନ୍ତା ପୁରୁଷେ
ସ୍ୱାମୀ ହସ୍ତିନାପୁର ନାଶ ଗଲା
ବଳରାଂକର ରୋଷେ ।୧୧୯।
ଶୁଣି ଦେବବର ବିଜେ ମରୁଳ ବାହାନେ
ବ୍ରହ୍ମଲୋକନ୍ତ ଘେନିଣ ଯେ ବିଜୟେ ଅନ୍ତର୍ଧାନେ ।୧୨୦।
ଦେଖିଲେକ ହଳମୁନେ ଲାଗଇ ଯେହ୍ନେ ମାଟି
ସେହିମତି ଦିଶଇ ଯେ ହସ୍ତିନା ରାଜ୍ୟ ଗୋଟି ।୧୨୧।
ପୃଥିବୀର ମଧ୍ୟେ ଯେ ସାରସ୍ୱତ ଭୁବନ
ଅଦଭୁତେ ଅନମିତେ ହେଉଛି ନାଶପାନ ।୧୨୨।
ତିନି ଭୁବନ ମଧ୍ୟେ ଯେ ହେଉଛି ଉଲୁକାପାତ
ଅଗାଦ ସମୋଦ୍ରେ ଯେହ୍ନେ ଲହଡ଼ି ଉତପାତ ।୧୨୩।
ୟେକା କାୟେ ଘୋଟିଲା ସପତଦୀପା ପୃଥୀ
ଦେଖିଣ ଭୟେ କଲେ ଭୀଷ୍ମ ଦ୍ରୋଣ ସେନାପତି ।୧୨୪।
ହଳ ଅଗ୍ରେ ଥାଇଣ ସମସ୍ତେ ଦ୍ୟନ୍ତି ଡାକ
ଭୋ ଦେବ କାମପାଳ ସ୍ୱାମୀ ହସ୍ତିନା ବାରେ ମାତ୍ର ରଖ ।୧୨୫।
ନ ଶୁଣନ୍ତି କଉରୋବଂକ ବିନୟ ତୁସ୍ତି ବାଣୀ
ଦକ୍ଷିଣାବ୍ରତେକ କରି ବୁଲାନ୍ତି ପବନ ଘାତ ଜାଣି ।୧୨୬।
ଦିଗାମ୍ୱର ପୁରୁଷେ ଯେ ରହିଲେ ଅନ୍ତରୀକ୍ଷେ
ଦେଖନ୍ତି କାମପାଳଂକ ମୂରତି ପ୍ରତ୍ୟକ୍ଷେ ।୧୨୭।
ଅମ୍ୱିକାର ନନ୍ଦନ ଗଳାରେ କୋଠାର ଯେ ଦନ୍ତରେ ତିରଣ ଲଗାଇ
ସଞ୍ଜୟେ ବିଦୁରେ ପ୍ରଣପତ୍ୟ ହୋଇ ଶୋଇ ।୧୨୮।
ଧୁଶାସନ ଦୁର୍ଜୟେ ମୂଳେ ଅନେଶ୍ୱତ ଭାଇ ଘେନି
ମାନଗୋବିନ୍ଦ ରାଜା କରଇ ଅନେକ ଦଇନି ।୧୨୯।
ତୁ ଦେବ ଅନାଦି ଯେ ସଂସାର ପ୍ରସିଦ୍ଧି
ତୁ ଦେବ ପରଂବ୍ରହ୍ମ ସଂସାର ଗୁଣନିଧି ।୧୩୦।
ତୁ ପ୍ରତ୍ୟକ୍ଷେ ନିରଞ୍ଜନ ତୁ ପ୍ରତ୍ୟକ୍ଷେ ନିରାକାର
ମାନବ ମାତ୍ରକେ ତୋତେ କେ କରିବ ଗୋଚର ।୧୩୧।
ଧବଳାଙ୍ଗ ଶରୀର ଶୁଦ୍ଧ ସ୍ଫଟିକମୟେ
ଅନନ୍ତ କୋଟି ବ୍ରହ୍ମାଣ୍ଡ ଯାହାକୁ ତିଳମନ୍ଦା ପ୍ରାୟେ ।୧୩୨।
କିଞ୍ଚିତ ମାତ୍ରକେ ହସ୍ତିନା ଧଇଲୁ ଦେବ ତୋଳି
ତୁମ୍ଭେ ସେ ବଳଭଦ୍ର ଅତି ବଳେ ବଳୀ ।୧୩୩।
ତୁହି ଦେବ ଜଳ ସ୍ଥଳ ଅନାଦି ଦେବତା
ପାଦ ନଖ କୋଣେ ଯାର ବ୍ରହ୍ମାଣ୍ଡ କୋଟି ଥିତା ।୧୩୪।
ପୃଥି ନାଭିଖଣ୍ଡ ପାତାଳ ପାଦ ଆକାଶ ଯାର ଶିର
ତୁମ୍ଭର ମହିମା ଦେବ ଦେବନ୍ତ ଅଗୋଚର ।୧୩୫।
ୟେ ସଂସାରସାଗରକୁ ମୁକତି ଗତି ଅର୍ଥେ
ନିଜ କାୟା ଦେଖାଇଲ ସ୍ୱାମୀ କାରଣ ନିମନ୍ତେ ।୧୩୬।
ନମସ୍ତେ ନିରଞ୍ଜନ କାମପାଳ ନିରାକାର
ମହାପ୍ରଳୟ ଦିଶଇ ଯାକୁ ବୁଦୁବୁଦୁ ଆକାର ।୧୩୭।
ସଚଳ ନିଚଳ ଦେବ ନିରାକାର ତୁହି
ଶୂନ୍ୟକୁ ଆକାର ଦେବ ତୋ ତହୁଂ ଆନ ନାହିଂ ।୧୩୮।
ଅନେକ ତୁସ୍ତି ସେ ଯେ କରନ୍ତି ବେଦବ୍ରହ୍ମା
କେ ଆନ କରିବ ଦେବ ତୋହର ମହିଂମା ।୧୩୯।
ବୃଷଭ ବାହାନେ ଦେବ ବିଜୟେ ପଶୁପତି
ନିରାକାର ପୁରୁଷଂକୁ କରନ୍ତି ଶୂନ୍ୟେ ତୁସ୍ତି ।୧୪୦।
ୟେ ସଚରାଚରକୁ ଦେବ ତୁହି ସେ ୟେକ ସ୍ତମ୍ଭ
ସ୍ୱାମୀ ଆଉମାନେ ଚଞ୍ଚଳ ତୁହି ୟେକା ଦମ୍ଭ ।୧୪୧।
ତୁହି ସେ ପୃଥିବୀକି ଯେ କରୁ ୟେକା ଭୋଗ
ତୋହୋର କୋପ କଲେ କି ରହିବ ମଧ୍ୟସର୍ଗ ।୧୪୨।
କେହୁ ବ୍ରହ୍ମା କେହୁ ବିଷ୍ଣୁ କେହୁ ମହେଶ୍ୱର
ଜ୍ୟେଷ୍ଠ ନାମ ଗୋଟି ତୋର ସବୁରି ଉପର ।୧୪୩।
ଅମ୍ୱା କଦମ୍ୱା ଯେ ପ୍ରଳମ୍ୱାସୁର ମାରି
ପୃଥୀର ଭାରାଭର ତୁହି ସେ ଉଦ୍ଧାରି ।୧୪୪।
କାହୁ ଉତପତି ହୋଇଲୁ ନାଥ ତୋତେ ନ ଜାଣନ୍ତି କେହି
ନିରାକାର ପୁରୁଷ ତୁ ତୋର କୁଳ ଗୋତ୍ର ନାହିଂ ।୧୪୫।
ତୁହି ସେ ଆନର କୋପ କରୁ ଦେବ ଶାନ୍ତି
ତୋହୋର କୋପ କଲେ କି ରହିବ ବସୁମତୀ ।୧୪୬।
ତୁ ଦେବ ଦାନବ ଯେ ନର ନାଗ ଲୋକକଇଂ
ସପତ ବ୍ରହ୍ମାଣ୍ଡ ଯାର ରୋମମୂଳେ ରହଇ ।୧୪୭।
ନ ଜାଣି ସଂସାରେ ଦେବ ହେଉଛନ୍ତି ବଣା
ତୋ ତହୁଂ ପୃଥୀକି ଆନେ ନାହିଂଟି ଧାରଣା ।୧୪୮।
ଅନେକ ବିନୋଇ ଯେ ବୋଲନ୍ତି ଦେବଲୋକେ
ଶାନ୍ତି ନୁହଇ ଯେ ରାମ ଶାମ୍ୱ କୁମରର ଶୋକେ ।୧୪୯।
ଆହୋ ଚଇତନ ଦେବଲୋକେ କରନ୍ତେ ଯହୁଂ ତୁସ୍ତି
ଆମ୍ଭେ ରାସାଙ୍ଗତେ ହୋଇଲୁ ତୋହୋର ଅଛି ଯେ ଅପ୍ରୀତି ।୧୫୦।
ପାଣ୍ଡବ ପାଞ୍ଚଭାଇ ତ ତୋହୋରେ ଭଗତି
ତାହାନ୍ତ କେମନ୍ତେ ନାଶ କରିବୁଂ ହଳପତି ।୧୫୧।
ଭୋ କାମପାଳ ଯେ କର ଦେବ ରକ୍ଷା
ଯାବତ କାଳକୁ ଦେବ ରହିଲା ତୋର କକ୍ଷା ।୧୫୨।
ବ୍ରହ୍ମାୟେ ବୋଇଲେ ନାରଦଂକ ମୁଖ ଚାହିଂ
ଯୁଝେଷ୍ଠଇଂକ ଛାମୁରେ କହ ତୁ ବେଗେ ଯାଇଂ ।୧୫୩।
ସେ କିମ୍ପେ ମଉନବ୍ରତ ବଳରାମଂକ କୋପକୁ
ୟେ ପଞ୍ଚୁରାଜ୍ୟ ପ୍ରାପତ ଯେ ହୋଇବ ତାହାଂକୁ ।୧୫୪।
କାଲି ସେ ପଞ୍ଚୁକଟକେ ହୋଇବେ ଆଧିପତି
ତାହାଂକର ଅଟଇନା ସପତଦୀପା ପୃଥୀ ।୧୫୫।
ପିତାମହର ବଚନେ ଚଳନ୍ତି ନାରଦେ
ଯୁଝେଷ୍ଠିଂକ ଅଗ୍ରତେ ପ୍ରବେଶ ହେଲେ ହାଦେ ।୧୫୬।
ଆସନ ତେଜିଣ ଯେ ଉଠିଲେ ପଞ୍ଚୁଭ୍ରାଥେ
ନାରଦଂକ ପୟରେ ଯେ ଦଣ୍ଡ ପ୍ରଳମ୍ୱିତେ ।୧୫୭।
ପାଦ ପଖାଳିଲେ ଦେଇ ପାଦାଅର୍ଘ୍ୟ ଗୋଟିୟେ
ଅନେକ ଦଇନି ସେ କଲେ ଧର୍ମରାୟେ ।୧୫୮।
ନାରଦ ବୋଇଲେ ତୁମ୍ଭେ ଶୁଣ ପଞ୍ଚୁଭାଇ
ହସ୍ତିନା ରାଜ୍ୟ ଯେ ହେଉଅଛି ଜଳଶାହୀ ।୧୫୯।
ବଳରାମ ଦେବ ଯେ ଅଟନ୍ତି କାଳସର୍ପ
ଗରୁଡ଼ ସିନା ହରିପାରିବ ତାହାଂକର ଦର୍ପ ।୧୬୦।
ସେ ରାମ କାଳସର୍ପ ତୁମ୍ଭେ ସେ ଖଗେଶ୍ୱର
ଦେଖି କୋପ ଶାନ୍ତି ଯେ ହୋଇବ ତାହାର ।୧୬୧।
ବାବୁ ତୁମ୍ଭନ୍ତ ଦେଖି ସେ ବଳରାମ କରିବେ କୋପ ଶାନ୍ତି
ନାରଦଂକ ବଚନେ ପାଣ୍ଡବେ ଉଠିଲେ ତଡ଼ତି ।୧୬୨।
ଶାମ୍ୱ ଚନ୍ଦ୍ରାବତୀକି ସଙ୍ଗତରେ ଘେନି
ଦ୍ରିଯୋଧନକୁ ବୋଇଲେ ଚାଲ କରିବା ଦଇନି ।୧୬୩।
କରେ କୁଠାର ଯେ ଦନ୍ତେ ତିରଣ ଘେନି
ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଅଶସ୍ତମା ଶକୁନି ।୧୬୪।
କରପତ୍ର ଯୋଡ଼ି ତୁସ୍ତି କରନ୍ତି ଉପରେ
ଶରଣ ରଖ ସ୍ୱାମୀ ଦେବ ବଳେବରେ ।୧୬୫।
ଶରଣ ଶବଦ ଗୋଟି ଯେ ଶୁଭିଲା ଘୋର ବାଣୀ
ରଖ ରଖକୋପ ଛାଡ଼ ହେ ହଳପାଣି ।୧୬୬।
ପୃଥୀ ନ ସହଇ ଯେ ତୋହୋର କୋପ ଭରା
ୟେହିକ୍ଷଣି ରାସାଙ୍ଗତ ହୋଇବ ବସୁନ୍ଧରା ।୧୬୭।
ୟେ ସଂସାର ସାଗରକୁ ତୁହି ସେ ନଉକା
ସମସ୍ତ ନିଶୋଧନ ତୁହି ସେ କରୁ ୟେକା ।୧୬୮।
ଶ୍ରୀବଳରାମ ବଳରାମ ଘୋଷନ୍ତି ହୃଦପଦ୍ମେ
ଅତିହିଂ ଆକୁଳ ଯେ ହୋଇଲେ ସୁରସିଦ୍ଧେ ।୧୬୯।
ତୁମ୍ଭର କୋପ କଲେ କି ରହିବ ହସ୍ତିନା
ୟେ ସଂସାରକୁ ଧାରଣା ପୁରୁଷ ତୁହି ସିନା ।୧୭୦।
ଶିଖେ ରହିକରି ବହୁତ ତୁସ୍ତି କରି
ଉଦ୍ଧରି ଧର ବଳରାମ ବୋଲି ଛାଡ଼ିଲେ ଦୀର୍ଘ ରଡ଼ି ।୧୭୧।
ଶ୍ରୀକୃଷ୍ଣ ବିଜେକଲେ ବଳରାମଂକ ଅଗ୍ରତେ
ସ୍ୱାମୀ କ୍ଷଣକ ବିଶ୍ରାମ କରିବା ହେଉ ୟେଥେ ।୧୭୨।
ଆକାଶେ ରହି ସ୍ତୁତି କରନ୍ତି ବୃନ୍ଦାଅର୍କେ
ଅନେକ ନିବେଶି କହନ୍ତି ଦେବଲୋକେ ।୧୭୩।
ଅନେକ ବଇକୁଲ୍ୟ ଯେ ହୋଇଲେ ଧୃତିରାଷ୍ଟି
ଶରଣ ରକ୍ଷଣ ନାଥ ତୁମ୍ଭ ନାମ ଗୋଟି ।୧୭୪।
ତୋହୋରେଣ ନାଥ ସେ ବ୍ରତିବେ ସକଳ
ଭଗତବତ୍ସଳ ତୁମ୍ଭେ ଅଟ କାମପାଳ ।୧୭୫।
ମୁହିଂ ନ ଜାଣଇଂ ଦେବ ଶାମ୍ୱ କୁମର ବୋଲି
ସ୍ତିରୀଚୋର ବୋଲି ମୁଂ ଅନେକ ଦୁଃଖ ଦେଲି ।୧୭୬।
ତୁ ଦେବ ମୋହୋର ଯେ ଦୋଷ ଯମା କରିବା
ତୁମର ଚରଣେ ଦେବ ସବୁଂକରି ସେବା ।୧୭୭।
ବଳରାମେ ବୋଇଲେ ବାବୁ ଶୁଣ ବନମାଳୀ
ମୁଂ ଯେ ସତ୍ୟ କରିଅଛି ହସ୍ତିନା ସମୋଦ୍ର ପକାଇବି ବୋଲି ।୧୭୮।
ଗୋବିନ୍ଦେ ବୋଇଲେ ସ୍ୱାମୀ ହସ୍ତିନା ସମୋଦ୍ର ପକାଇଲେ
ପାଣ୍ଡବେ ପାଞ୍ଚେ ଅଛନ୍ତି ଯେ ସୋହୋଦ୍ରାର ତୁଲେ ।୧୭୯।
ଶାମ୍ୱ କୁମର ତୁଲେ ସମସ୍ତେ ଯିବେ ନାଶ
ଗାନ୍ଧାରୀ ପୁଅ ଦୋଷେ କିମ୍ପେ ଆମ୍ଭେ ପୁତ୍ର ହେବ ନାଶ ।୧୮୦।
ନିଜ ଥାନେ ଥୋଅ ହସ୍ତିନାର କିସ ଦୋଷ
ଜଗନ୍ନାଥେ କହିଲେ ବଳରାମଂକର ପାଶ ।୧୮୧।
ରକ୍ଷା କରିବା ଦେବ ହସ୍ତିନା ଭୁବନ
ପାଣ୍ଡବଂକ ନିମନ୍ତେ ରକ୍ଷା ହୋଇବ ଦ୍ରିଯୋଧନ ।୧୮୨।
ଯୁଝେଷ୍ଠି ଭଗତ ବଳରାମଂକ ପାଦ ତଳେ
ଅପାଦ ଖଣ୍ଡନ ଦେବ ଦୁସହର ବେଳେ ।୧୮୩।
ଆମ୍ଭର ସଞ୍ଚିଲା ଦେବ ସିନା ୟେହୁ ବସୁନ୍ଧରୀ
ଆମ୍ଭେ ନାଶ ଯିବା କି ଶତ୍ରୁର ଦୋଷୁଂ କରି ।୧୮୪।
ତାହାର ଦୋଷେ ନାଶଯିବ ସେ ଯୁଗତେ
କୋପ ଶାନ୍ତି କରିବା ଦେବ ସବୁରି ଦେଖନ୍ତେ ।୧୮୫।
ଅନେକ ପ୍ରାର୍ଥନା ଯେ ବିନୟ ଭାବେ ବୋଲି
ବଳରାମଂକ ପାଦତଳେ ଯୁଝେଷ୍ଠି ଶୁତିଲେ ଗଡ଼ଘାଲି ।୧୮୬।
ଭୀମ ଅର୍ଜୁନ ଯେ ନକୁଳ ସହଦେବ
ୟେମାନେ ସମସ୍ତେ ଅନେକ ବିନୟ ଭଗତି ଭାବ ।୧୮୭।
କୃଷ୍ଣ ବୋଇଲେ ସ୍ୱାମୀ ସଂହରିବା କୋପ
ତୁମ୍ଭର କୋପକୁ ୟେ ନୋହନ୍ତି ଅନରୂପ ।୧୮୮।
ଶ୍ରୀକୃଷ୍ଣଂକର ବଚନେ ଯୁଝେଷ୍ଠିଂକର କହନ୍ତେ
ଲେଉଟିଲେ କାମପାଳ ନଗ୍ର ବାରୁଣାବନ୍ତେ ।୧୮୯।
ଦେଖିଲେ ସମସ୍ତେହେଂ ହସ୍ତିନା ନଗ୍ର ସ୍ଥାନ
ଅଗାଦ ଗଭୀର ଜାଣି ଦିଶଇ ହସ୍ତିନା ଭୁବନ ।୧୯୦।
ଦେବତାଂକ ବଚନେ କୋପ ଶାନ୍ତି ବଳଦେବ
ପ୍ରବେଶ ହୋଇଲେ ହସ୍ତନା ଭୂମି ଠାବ ।୧୯୧।
ନିଜସ୍ଥାନେ ନେଇ ହସ୍ତିନା ବସାଇଲେ
ସିଂଘଦ୍ୱାରେ ଦେବ ସେ ବକ୍ରଭାବ କଲେ ।୧୯୨-୭୬୦୬।
ସାରଳା ମହାଭାରତ ବିରାଟପର୍ବସାରଳା ଦାସ ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ)ସାରଳା ଦାସ ସାରଳା ଦାସ