କୁମ୍ଭକ ଦୈତ୍ୟ ବଧ — ସାରଳା ମହାଭାରତ ମଧ୍ୟପର୍ବ (ଦ୍ୱିତୀୟ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
କୁମ୍ଭକ ଦୈତ୍ୟ ବଧ
ବନ୍ଦଇ ଲମ୍ବୋଦର ଗିରିଜାର ନାନଇନ୍ଦୁର ପିଠିରେ ବସି ସର୍ବଦା ଗମନ ।୧।ଲଡୁ ଗୁଡ଼ ଅମୃତ କରି ତୁ ଭୋଜନନୃତ୍ୟ ଗୀତ ବିନୋଦେ ତୋଷିଲୁ ଶିବ ମନ ।୨।ଅନ୍ଧେକ ଧଂସ ଗଲା ଯାହାର ବୁଦ୍ଧି ବଳେକାଶୀପୁର ନାଶିଲୁ କୋପ ଯେ ଅନଳେ ।୩।ମଣିକର୍ଣ୍ଣିକା ତୀର୍ଥେ ମୋହିଲୁ ସଦାଶିବର ମନପରମାନନ୍ଦ ପୁରୁଷେ ତୋତେ ନାହିଂ ରାତ୍ରଦିନ ।୪।ପ୍ରଳୟ ମହାପ୍ରଳୟ ତୁହି ସିନା ଜାଣୁମନୁୟେକ ଗଲେ ଦିବସେକ ପ୍ରାୟେ ମଣୁ ।୫।ପୃଥୀ ଆପ ତେଜ ବାୟବ୍ୟ ଆକାଶପଞ୍ଚୁଭୁତ ତଲୟେ ତୁମ୍ଭେ ନିରାକାର ପୁରୁଷ ।୬।ଶିରରେ ସିନ୍ଦୂର କଣ୍ଠେ ପାରିଜାତର ମାଳୀମତ୍ତ ଯେ ମତ୍ତାଙ୍ଗ ନାଥ ଗଜର ମଉଳି ।୭।ସେ ଗଣନାଥ ପଦ୍ମପାଦରେ ଶରଣଉଦ୍ଧରି ଧର ମୋତେ ଗିରିଜା ନନ୍ଦନ ।୮।ପହିଲେ ବନ୍ଦଇ ମୁଂ ଯେ ଗଉରୀ ନନ୍ଦନକପାଳେ ଲିଖିତ ଯାର ଶ୍ରୀଖଣ୍ଡ ଚନ୍ଦନ ।୯।ଗଜଦନ୍ତ ଥୋରହସ୍ତ ତୋର ମୁଖ ପଞ୍ଚାନନଅନନ୍ତ ବାସୁକି ତୋର ବେନି ଭୁଜରେ ବନ୍ଧନ ।୧୦।ଅଯୋନି ସମ୍ଭୂତେ ତୋତେ ଦୁର୍ଗା କଲେ ଜାତପାର୍ବତୀ ଜନନୀ ତୋର ସଦାଶିବ ତାତ ।୧୧।ଦକ୍ଷିଣ ଦୁଆର ତୁ ରଖିଲୁ ଭୁଜବଳେସୁମରନ୍ତେ ବିଘ୍ନ ତୁ ଖଣ୍ଡୁ ଅବହେଳେ ।୧୨।ଅଗ୍ରପୂଜା ଘେନୁ ତୁ ସର୍ବ ଦେବତାଂକ ମେଳେକୂଟେଣ ଅମୃତ ଲଡୁ ତୁ ଭକ୍ଷିଲୁ କୁତୂହୋଳେ ।୧୩।ପ୍ରଶୁ ଫାଶି ଅଂକୁଶ ତୋ ମଣି ଚନ୍ଦ୍ର ଯେ କିରଣସେ ମଣି ମୁକୁଟ ତୋର ଲଲାଟେ ଆଭରଣ ।୧୪।ୟେ ତୋହୋର ଚରଣେ ଲୁଳୁ ମୋର ମାଥଅବ୍ୟକତ ପୁରାଣ ତୁ ଦେସି ଗଣନାଥ ।୧୫।ୟେଥୁ ଅନନ୍ତରେ ଯେ ବଇବସୁତ ମନୁପାଦାଧି ପାଦ ଅର୍ଘ୍ୟ ଦିଲା ଘଟଋଷିର ତନୁ ।୧୬।ଅର୍ଜୁନ ବନବାସ ନବ ବରଷ ହୋଇଲାଅନେକ ପୁଣ୍ୟ କର୍ମ କଲା କ୍ଷତ୍ରୀ ଧର୍ମ ରହିଲା ।୧୭।ଯୁଝେଷ୍ଠି ଭୀମସେନ ଯେ ନକୁଳ ସହଦେବୟେହୁ କେବଣ କୃତ୍ୟ କଲେ କହିବା ମୁନି ଦେବ ।୧୮।ବଦୟନ୍ତି ଅଗସ୍ତି ଶୁଣିମା ମନୁରାୟେକୁମ୍ଭେକ ବଧ କଲା ଯେ ପବନ ତନୟେ ।୧୯।ମନୁୟେ ବୋଇଲେ ୟେତ ବଡ଼ ସନ୍ଦେଶ ପ୍ରସ୍ତାବକୁମ୍ଭକ ବଧ ମୋତେ କହିବା ମୁନି ଦେବ ।୨୦।କାହାର ପୁତ୍ର ସେ ଯେ କେଉଣ କୁଳେ ଜାତକେସନେକ ମାରୁତି କଲା ତାକୁ ହତ ।୨୧।ବଦନ୍ତି ଅଗସ୍ତି ପଣ୍ଡିତ ବ୍ରହ୍ମବେତ୍ତାତୁ ଯାହା ପଚାରିଲୁ ବହୁତ କାଳର ୟେ କଥା ।୨୨।
ଆଦିହୁଂ ସିଂହିକାର କୋଳେ ଉତପତ୍ତି ରାହୁ
ରାହୁର ନନ୍ଦନ ଯେ ଅଟଇ ବୀରବାହୁ ।୨୩।
ବୀରବାହୁର ନନ୍ଦନ ଜମ୍ବୁ ଯେ ଦଇତ
ଅମର ବିବାଦେ ତାକୁ ନାଶକଲେ ପୁରୁହୂତ ।୨୪।
ଜମ୍ବୁ ଦଇତକଇଂ ସମରେ ଯହୁଂ ଛେଦି
ତେଣୁ ସେ ଇନ୍ଦ୍ର ନାମ ଅଟଇ ଜମ୍ବୋଭେଦୀ ।୨୫।
ଜମ୍ବୁ ଦଇତର ପୁତ୍ର ଅଟଇ ଲୋହାସୁର
ଚଣ୍ଡୀର ଯୁଦ୍ଧେ ସେହୁ ହୋଇଲା ଅପହାର ।୨୬।
ଲୋହାସୁର ନନ୍ଦନ ଯେ ଅଟଇ ଭାସକର
ଭାସକର ନନ୍ଦନ ଯେ ଅଟଇ ଅର୍କ ନାମେ ଅସୁର ।୨୭।
ସର୍ବଦା ଆବୋରି ଥାଇ ସେହୁ ଅର୍କ ନାମେ ତୀର୍ଥ
କଣୟବିନ୍ଦୁ ବିବାଦେ ତାକୁ ନାଶ କଲେ ଆଦିତ୍ୟ ।୨୮।
ଅର୍କ ଦଇତ ନନ୍ଦନ ଯେ ଉଦପା ଅସୁର ବୋଲି
ଉଦପାର ନନ୍ଦନ ଯେ ଦପାସୁର କହିଲି ।୨୯।
ଦପାସୁରର ନନ୍ଦନ ଯେ ଅମୟାସୁର ପ୍ରକାଶ ।୩୦।
ଅମୟାକୁ ମାଡ଼ି ବସିଲେ ଯେ ହନୁମନ୍ତ
ୟେହାର ନନ୍ଦନ ଯେ ଶ୍ରବଣା ଦଇତ ।୩୧।
ଶ୍ରବଣାର ନନ୍ଦନ ଯେ ଅଶ୍ଲେଷା ଅସୁର
ୟେହାକୁ ବଧ କଲେ ଯେ କାର୍ତ୍ତିକ ଷଡ଼ଶିର ।୩୨।
ଅଶ୍ଲେଷାସୁର ନନ୍ଦନ ଯେ କଳ୍ପାସୁର ଦଇତ
ହରିହର ବିବାଦେ ତାକୁ କର୍ଣ୍ଣ କଲେ ହତ ।୩୩।
କଳପାର ନନ୍ଦନ ଯେ କୁମ୍ଭେକ ଅସୁର
ମହାପ୍ରତାପୀ ସେ ପୃଥୀକି ମହାଭାର ।୩୪।
ବାଳୁତ କାଳୁଂ ସେ ସେବିଲା କରତାର
ତୋଷେ ନିରଞ୍ଜନ ନାଥ ତାକୁ ଦେଇଥିଲେ ବର ।୩୫।
ଦେବ ଦାନବ ଯେ ନୋହିବଇଂ ମୁହିଂ ବଧ
ଅସ୍ତୁ ହୋଉ ବୋଲିଣ ଯେ ବୋଇଲେ ବିବୁଧ ।୩୬।
ମନୁଷ୍ୟନ୍ତ ଛାର ବୋଲି ନ କଲା ସେ ଭୀତି
ୟେଣେ ତାର ମୃତୁ ବଞ୍ଚାଇଲେ ପ୍ରଜାପତି ।୩୭।
ରଥ ଗଜ ଅଶ୍ୱ ଥାଠ ସଇନି ନାହିଂ ତୁଲେ
ବ୍ରହ୍ମା ସୁର ଇନ୍ଦ୍ର ରୁଦ୍ର ଜିଣଇ ଜୂର କରି ।୩୯।
ବିଦ୍ୟାଧାରୀମାନନ୍ତ ସେ ହରି ଆଣିଲାକ ବଳେ
ଦେବେ ରହି ନୁଆରନ୍ତି ଗଗନ ମଣ୍ଡଳେ ।୪୦।
ଇନ୍ଦ୍ର ଚନ୍ଦ୍ର କୁବେର ବରୁଣ ପବନ
ଯମ ଅଗ୍ନି ନଇଋତଯେ ଆଉର ଗ୍ରହଗଣ ।୪୧।
ୟେମାନେ ସମସ୍ତେ ଯେ ସମର ଘୋର କଲେ
ସେ କୁମ୍ଭେକ ଦଇତକୁ ସମସ୍ତେ ହାରିଲେ ।୪୨।
ବଇଶାଖ ଶୁକଳ ଯେ ତୃତୀୟାର ଦିନ
ଭୃଗୁବାର ଯେ ରୋହିଣୀ ନକ୍ଷତ୍ର ବିଦ୍ୟମାନ ।୪୩।
ତଇତିଳ ନାମେ କରଣ ଶୁଭନାମେ ଯୋଗ
ରୋହିଣୀ ଘରେ ସେ ଦିନ ବୃକ୍ଷ ଚନ୍ଦ୍ର ଭୋଗ ।୪୪।
ସେ ଦିନ ଇନ୍ଦ୍ରଂକର ସ୍ୱନକ୍ଷତ୍ର ବନ୍ଦାପନା
ଅନେକ ସାନନ୍ଦ ସେ ଯେ ଦେବ ମଘବାନା ।୪୫।
ବସନ୍ତ ଉତ୍ସବ ସେ ଯେ ଯାତ୍ରାର ବିଧାନ
ଅନେକ ସମ୍ଭର୍ବ ଯେ ବୃନ୍ଦାଅର୍କ ମାନ ।୪୬।
ନନ୍ଦନ ବନ ଯେ ଆକାଶ ଗଙ୍ଗା କୂଳେ
ବସିଲେ ଆସ୍ତାନେ ସକଳ ଦିଗପାଳେ ।୪୭।
ଚଉଷଠି କୋଟି ଯେ ବିଦ୍ୟାଧର ବିଦ୍ୟାଧରୀ
ମହା ସମ୍ଭର୍ବେଣ ଯେ ସର୍ବେ ଗୀତ ନୃତ୍ୟ କରି ।୪୮।
ସା ରି ଗ ମ ପ ଧ ନି ସା ସପତ ସ୍ୱର ବୀଣା
ଭରହରଷ ନାୟିକା ସେ ଗାଇଲେ ଖଟଣା ।୪୯।
ରମ୍ଭା ଉର୍ବଶୀ ଯେ ମେନକା ଚିତ୍ରଲେଖା
ଚଞ୍ଚଳ ଚକିତା ଯେ ମଦନିକା ମୋହନିକା ।୫୦।
ମଣି ମାଳତୀ ଯେ ବସନ୍ତ ଅପକ୍ଷରୀ
କେଶୀ ମେଧା ସୁମେଧା ବିଭାଷୀ ଶାନ୍ତି ସୁନ୍ଦରୀ ।୫୧।
ସୁଭାଙ୍ଗୀ ସୁବାସୀ ବିଳାସୀ ସୁମତି
ବିଳାସିନୀ ଶ୍ରିୟା କାଞ୍ଚୀ କାମାକ୍ଷୀ ସରସ୍ୱତୀ ।୫୨।
ଲଲିତା ଶରଧା ସୁନାଙ୍ଗୀ ପରିଚନ୍ଦ୍ରା ମାଳତୀ
ସରଳା ସଉଦାମିନୀ ସୁମାଳୀ କାମକଳା ରତି ।୫୩।
ୟେହାଂକର ମୂଳେ ଚଉଷଠି ବିଳାସୁଣୀ
ଚଉଷଠି ପରିବନ୍ଧେ ଲଗାଇଛନ୍ତି ଖଟଣି ।୫୪।
ଯମ କୁବେର ବରୁଣ ପବନ ନଇଋତ
ଚନ୍ଦ୍ର ସୂର୍ଯ୍ୟ ଆବର ଗ୍ରହଗଣ ଦଇବତ ।୫୫।
ବିଶ୍ୱେଦେବାୟେ ଯେ ବିହନ୍ତା ପୁରୁଖେ
ସନକ ସନନ୍ଦାଦିଭୃଗୁ କଉଶିକେ ।୫୬।
ୟେମାନନ୍ତ ଘେନିଣ ସୁରରାଜ ମଘବା
ବସିଲେ ଆସ୍ତାନେ ତ୍ରିଦଶ କୋଟି ଦେବା ।୫୭।
ଦେବଋଷି ରାଜଋଷି ବ୍ରହ୍ମଋଷିଂକ ସହିତେ
ବସନ୍ତ ଉଚ୍ଛବ ଯାତ୍ରା କରନ୍ତି ସମସ୍ତେ ।୫୮।
ବଦନ୍ତି ଅଗସ୍ତି ଶୁଣ ହୋ ଯୋଗେଶ୍ୱର
ୟେମନ୍ତ ସମୟେ ବାହିଲା ଯେ କୁମ୍ଭେକ ଅସୁର ।୫୯।
ଅମରାବତୀ ପୁରେ ସେ ପଶଇ ଗଳଗାଜି
ଶବଦେ ପରବତ କି ପଡୁଅଛି ଭାଜି ।୬୦।
ସ୍ତିରୀ ପୁରୁଷ ସହିତେ କୁମର କୁମାରୀ
ସମସ୍ତେ ପ୍ରବେଶ ଯେ ଯାତ୍ରାରଙ୍ଗ କରି ।୬୧।
ପ୍ରଚଣ୍ଡାବଳୀ ଯେ ରହିଛି ଅମର ରକ୍ଷା
ସଙ୍ଗେ ଲକ୍ଷେକ ଗନ୍ଧର୍ବ ଯେ ତାହାର ସାରିକ୍ଷା ।୬୨।
ସମସ୍ତ ସମ୍ପଦ ଘେନି ଦେବ ସୁନାଶୀର
କରନ୍ତି ଯାତ୍ରା ସେ ଯେ ଆକାଶ ଗଙ୍ଗା ତୀର ।୬୩।
ଦାନବେ ପଶନ୍ତେ ସେ ଆଗେଣ ଓଗାଳି
କାହିଂର ଦ୍ରପିଷ୍ଠରେ ଭରସା ୟେତେ ଭଳି ।୬୪।
ଧାଇଂଲେ ବିଦ୍ୟାଧରେ ଯେ ରେ ରେ କାର କରି
ରାଗେଣ ନିଶାଚରେ ଯେ ପଶିଲେକ ପେଲି ।୬୫।
ଅସୁର ଅପ୍ରମିତ ତେଜ ଦେଖିଣ ପ୍ରଚଣ୍ଡାବଳୀ
ଗଦାବର ବୁଲାଇଣ ପିଟଇ ମହାବଳୀ ।୬୬।
ଦେଖିଣ ସାନନ୍ଦ ସେ ଯେ କୁମ୍ଭକ ଦଇତ ଅରି
ଦରାଣ୍ଡି ଧଇଲା ସେ ଖୋଜି ଖୋଜି କରି ।୬୭।
କେଶ ଧରି ବୁଲାଇ ସେ ସବୁନ୍ତି ଦିଅଇ ଫିଙ୍ଗି
ଗଙ୍ଗାକୂଳେ ପଡ଼ିଲେ ସେ ଥାନ ପରିତ୍ୟାଗି ।୬୮।
ଭିତରେ ଦାନବ ଯେ ପଶିଲା ଗଳଗାଜି
ଦ୍ୱାରପୁଡ଼ା ଜଗତୀ ପକାଇଲା ସର୍ବ ଭାଞ୍ଜି ।୬୯।
ମେଢ ମଣ୍ଡୋପ ଦେଉଳ ଅଟ୍ଟାଳୀ
ସମସ୍ତ ଭାଙ୍ଗଇ ସେ ଦୁର୍ଭାର ମହାବଳୀ ।୭୦।
ପୁରେ ପୁରେ ଦାନବ ଲୋଡ଼ଇ ଉପନେସି
ନ ଦେଖି ଦାନବ ଯେ ଭ୍ରମଇ ଆକ୍ରେଷି ।୭୧।
ନାରଦ ପ୍ରବେଶ ଯାଇ ଉଚ୍ଛବ ନଗର
ଦେଖିଣ ପୂଜାକଲେ ତାଂକୁ ଦେବ ସୁନାଶୀର ।୭୨।
ଇନ୍ଦ୍ର ବୋଇଲେ ହୋ ତୁମ୍ଭେ ବ୍ରହ୍ମାଂକ କୁମର
କିସ ସମ୍ପାଦେ ଆସିଛ କହ ତୁମ୍ଭେ ମୋହୋର ଆଗର ।୭୩।
ନାରଦେ ବୋଇଲେ ତୁମ୍ଭେ ଶୁଣହୋ ସୁରପତି
ଅମରାବତୀ ନାଶ କଲା ତାର ଅଶ୍ଲେଷାର ନାତି ।୭୪।
ପ୍ରଚଣ୍ଡାବଳୀକି ସେ ଦିଲା ବଳେ ଫିଙ୍ଗି
ବାରସ୍ୱତୀପୁର ତୋର ପକାଇଲା ଭାଙ୍ଗି ।୭୫।
ଶୁଣିଣ ଥମ୍ଭୀଭୂତ ଦେବ ମଘବାନେ
ଯାତ୍ରାମୁରାଟ ଭାଙ୍ଗିଲା ନାରଦଂକ ବଚନେ ।୭୬।
ଦେବତାମାନେ ଯେ ବୋଇଲେ ବାସବଂକୁ
ଆମ୍ଭେ ଯାଉଅଛୁଂ ହୋ ଯେ ଯାହା ଭୁବନକୁ ।୭୭।
ଇନ୍ଦ୍ର ବୋଇଲେ ତୁମ୍ଭେ ୟେମନ୍ତ ନ କହ
ମାରିବା ଦାନବ ଯେ ଫେଡିବା ସନ୍ଦେହ ।୭୮।
ଚିତ୍ରସେନ ବୃଦ୍ଧଶ୍ରବା ଅଂଗାରପନ୍ନଙ୍ଗ
ଜୟସେନ ଅଜୟସେନ ତୁଳାକର୍ଣ୍ଣ ବିରଙ୍ଗ ।୭୯।
ୟେହାଂକର ତୁଲେ ଯେ ଗନ୍ଧର୍ବ ନବଲକ୍ଷ
ତାହାନ୍ତ ରାଇ ଆଗ୍ୟାଂ ଦିଲା ସହସ୍ରାକ୍ଷ ।୮୦।
ରଥ ଗଜ ଅଶ୍ୱ ବହୁତ ସଇନ ସାଜ
ଦେବରାଜ ବଚନେ ହୋଇଲେ ସର୍ବେ ସଜ ।୮୧।
ଆପଣେ ସୁରନାଥ ଅଇରାବ୍ରତ ଗଜମଣ୍ଡି
ଉପରେ ଥୋଇଲେ ନେଇ ଛେଲ ଚକ୍ର ଭୂଷଣ୍ଡୀ ।୮୨।
ସୁବର୍ଣ୍ଣ ମୟେ ରସାଣ ରତ୍ନମୟେ ନିଗୂଢ
ଭିତରେ ଖଞ୍ଜଣି ଅଶି ହଜାରକ ବଜର ।୮୩।
ଲୋହାର ଜାଲି ଯେ ଉପରେଣ କାତି
ତହିଂକି ଆବୋରିଣ କଣ୍ଟେକ ତୀକ୍ଷ ବରତି ।୮୪।
ଭିତରେ ସେହ୍ନା ଯେ ବାହାରେ ଦିବ୍ୟରଙ୍ଗ
ଅଷ୍ଟାଙ୍ଗ ଶରୀରର ଯେ ମଣ୍ଡିଲା ମହାନାଗ ।୮୫।
ଘଣ୍ଟି ଘାଘୁଡ଼ି ଯେ ଘାଘରା ମାଳକଣ୍ଠି
ବଳିୟା ଶିଂକୁଳାରେ ଖଞ୍ଜିତ ସୁବର୍ଣ୍ଣର ଘଣ୍ଟି ।୮୬।
ଉପରେଣ ଶୋଭା ଶୁକଳ ପାଟ ଅଛି ଖଞ୍ଜି
ନିଘୋଡ଼ ଖଞ୍ଜା କରି ପଖାଉଜ ବାନ୍ଧି ।୮୭।
କୁମ୍ଭସ୍ଥଳ ମଣ୍ଡଣି ଯେ ବିବିଧ ରତ୍ନଖଞ୍ଜି
ମୁକୁତାର ତୁଲେ ଯେ ହୀରା ନୀଳା ପୁଞ୍ଜି ପୁଞ୍ଜି ।୮୮।
ସେହ୍ନାର ଉପରେ ଯେ ମାଣିକ୍ୟ କେଣ୍ଡା କେଣ୍ଡା
ଚଉକତି ଲମ୍ବର ମୁକୁତା ପେଣ୍ଡା ପେଣ୍ଡା ।୮୯।
ତହିଂର ପାଖରେ ଯେ ତ୍ରିବିଧ ରତ୍ନ ଖଞ୍ଜଣୀ
ପ୍ରଭାର ତେଜେ ଯେହ୍ନେ ଗଞ୍ଜଇ ଦିନମଣି ।୯୦।
ବାଗଲାଟ ଘୋର ଯେ ମସ୍ତକେ ଅଛି ଶୋହି
ଅଭେଦ ବଜ୍ର ସେହ୍ନା ହୃଦେ ଅଛି ଲାଇ ।୯୧।
କିରୀଟୀ ମୁକୁଟ ଶିରେ ପାରିଜାତକ ମାଳ
କରେ ବଜ୍ର ଶକତି ଶୋଭିତ ଆଖଣ୍ଡଳ ।୯୨।
ହାଥୀର ଉପରେ ଯେ ବତିଶ ଆଯୁଧ ରଖନ୍ତି
କୋନ୍ତ ଖାଡ଼ଗ ଲାଂକିଆ ତ୍ରିଶୂଳ ଶକତି ।୯୩।
ସାଞ୍ଜୁ ସାବେଳି ଶକତି ବଜ୍ରଯାଠି
ତୀକ୍ଷଣମୁନା ଅସିମୁନା କୋଦାଳ ମାଳ ଅଧାଟି ।୯୪।
ଛେଲ ଚକ୍ର ଗଦା ଯେ ଭୂଷଣ୍ଡୀ ମୁଷଳୀ
ୟେ ବିଧି ବତିଶ ଆୟୁଧ କଷିଛି ମହାବଳୀ ।୯୫।
ୟେସନେକ ସରୂପେ ବିଜୟେ ସୁରସାଇଂ
ରେ ରେ ଦାନବ ବୋଲି ଉଗାଳିଲେ ଯାଇଂ ।୯୬।
ବାସବର ସଜ ଦେଖି ବିଦ୍ୟାଧରମାନେ
ସମସ୍ତେ ଧାଇଂଣ ଯେ ପିଟିଲେ କୋପ ମନେ ।୯୭।
ଶହସ୍ର ପଡ଼ନ୍ତେ ଅସୁର ନ କରନ୍ତି ଭୟେ
ସେ ତାହା ମଣନ୍ତି ପିଚିକା ଜଳ ପ୍ରାୟେ ।୯୮।
ଆପଣେ ଦେବ ଇନ୍ଦ୍ର ଯେ ଅନେକ ସମର କଲା
ଦେବ ଶସ୍ରମାନ ତାର ଶରୀରେ ଚୂର ଗଲା ।୯୯।
ବଜ୍ର ଶକତି ବୁଲାଇ ବାସବ କୋପେ ପିଟି
ଦେଖିଣ ଦାନବ ଯେ ପାତିଲା ମଥାଗୋଟି ।୧୦୦।
କନ୍ଦର ଚୂର ହୋୟେ ଯେବଣ ବଜ୍ର ପଡ଼ି
ଦଇତ ମୁଣ୍ଡେ ପଡ଼ି ସେ ଗଲାକ ଉପୁଡ଼ି ।୧୦୧।
ଶକତି ଛାଡ଼ିଣ ସେ ହୋଇଲା ହୀନବର୍ଯ୍ୟ
କୋପେଣ କମ୍ପଇ ସେ ଦୁଷ୍ଟ ଯେ ଦନୁଜ ।୧୦୨।
କୋପେଣ ଦାନବ ଯେ ରେ ରେ କାର କରି
ଧାଇଂଣ ପିଟଇ ଯେ ମୁଦୁଗର କରେ ଧରି ।୧୦୩।
ମୁଦୁଗର ପଡ଼ନ୍ତେ ଦେବ ମଘବାନ
ଅଇରାବ୍ରତ ଘୁଞ୍ଚାଇଲେ ସେ ପାକଶାସନ ।୧୦୪।
ଦିଗପାଳେ ପଳାଇଲେ ଯାହା ଭୁବନକୁ
ଇନ୍ଦ୍ର ଦେବତା ପଳାଇଲେ ନନ୍ଦନ ବନକୁ ।୧୦୫।
ବିଦ୍ୟାଧରମାନନ୍ତ ସେ ମାଇଲା ଥୋକାୟେ
ଦିନକର ନାଥ ମେରୁ ଉହାଡ଼େଣ ରହେ ।୧୦୬।
ଅନେକ ସେ ଜୂର କଲା ଦେବ ଭଣ୍ଡାରମାନ
ଆପଣା ଭୁବନକୁ ବାହୁଡ଼ଇ ଅସୁର ଅଗ୍ୟାନ ।୧୦୭।
ଅମର ସମ୍ପଦ ନାଶି ବାହୁଡ଼ଇ ଅସୁର
ପ୍ରବେଶ ହୋଇଲା ଯାଇ ଆପଣାର ପୁର ।୧୦୮।
ଅରୁଣ ପ୍ରକାଶେ ଯେ ଉଦୟେ ଦିନକର
ପୁଣି ସଜ ହୋଇଲା କୁମ୍ଭକ ଅସୁର ।୧୦୯।
କରେଣ ଗଦା ଯେ ମୁଦୁଗର ଘେନି
ଧାମଇ ମହାବୀର କମ୍ପଇ ଭୁବନ ତିନି ।୧୧୦।
ମହାମତ୍ତା ବୀର ସେ ଆସଇ ଖର କରି
ବାସୁକି ଫେରୁରେ ରକତ ଧାର ଗଳି ।୧୧୧।
ଉତକଣ୍ଟିତ ରୋମ ଯେ ଫରହର ନିଶ
କଳାନଳ ନୟନ ଖରତର ନିଶ୍ୱାସ ।୧୧୨।
ସିଂଘନାଦ କରି ଧାମଇ ଅତି ରୋଷେ
ଅଳକା ପୁରେ ଯାଇ ହୋଇଲା ପରବେଶେ ।୧୧୩।
ନବ ସାଗର ଯେ ପକ୍ଷର ସଇନି
ବରୁଣ ପୁରକୁ ଯାଉଛନ୍ତି ଦେବଭଣ୍ଡାରମାନ ଘେନି ।୧୧୪।
ଅମର ଭଗ୍ନ ଦେଖି ସେ ଅଳକାର ପତି
କାଢିଲା ସମ୍ପଦ ସେ ହୋଇଲା ଅନ୍ତର୍ଗତି ।୧୧୫।
କୁମ୍ଭେକ ପ୍ରବେଶ ହୋଇଲା ସେହୁ ପୁରୀ
ରକ୍ଷାପାଳ ଲୋକନ୍ତ ମାଇଲାକ ଧରି ।୧୧୬।
ପୁରେ ପୁରେ ପଶି ସେ ନ ପାଇଲା କିଛି
ବିଚାରଇ ଦାନବ ସେ କାହିଂ ଲୁଚିଅଛି ।୧୧୭।
ପୁରଯାକ ତାଂକର ସେ ପକାଇଲା ଭାଞ୍ଜି
ନ ପାଇଣ ଦାନବ ବାହୁଡ଼ଇ ଅତି ବେଗି ।୧୧୮।
ପୁଣ ପ୍ରବେଶ ହୋଇଲା ଆପଣାର ପୁର
ସମସ୍ତ କଥା କହଇ ମାତାର ଆଗର ।୧୧୯।
ଇନ୍ଦ୍ରକୁ ଜିଣିଲେ ଯେ ହାରିଲା ରତ୍ନାକର
ପବନ ଘୁଞ୍ଚିଲା ଯେ ଲୁଚିଲା କୁବେର ।୧୨୦।
କାଲି ପ୍ରଭାତେ ଯିବି ମୁହିଂ ସଞ୍ଜୀବନୀ
କାଳ ବିକାଳ ଚିତ୍ରଗୁପତ ଯମକୁ ଆସିବଇଂ ଘେନି ।୧୨୧।
ବାନ୍ଧି ପକାଇବି ଯେ ନବରର ମଝି
ଅମର ପଦ ଲିଭାଇବି ପୋଛିବି ଯମରାଜା ପାଞ୍ଜି ।୧୨୨।
ୟେସନେକ ବିଚାରନ୍ତେ ଅରୁଣ ପରକାଶ
ଉଦୟଗିରି ଭେଦି ସ୍ୱାମୀ ବିଜେ କମଳ ବିଳାସ ।୧୨୩।
ବଦୟନ୍ତି ଅଗସ୍ତି ଶୁଣ ମନୁରାୟେ
ଭୀମସେନେ ହକାରି ଆଗ୍ୟାଂ ଦିଲେ ଧର୍ମର ତନୟେ ।୧୨୪।
ବାବୁ ଦିବସା ପିତୃ ଶ୍ରାଦ୍ଧ ରେ ହୋଇବ ପରିଦିନ
ବନସ୍ତରୁ ଗଣ୍ଡା ଗୋଟିୟେ ମାରି ଆଣ ରେ ଭୀମସେନ ।୧୨୫।
ସ୍ୱାମୀକଂର ଆଗ୍ୟାଂ ଯେ ଶିରେଣ ନିବେଶି
ଚଳଇ ମାରୁତି ଗହନ ବନେ ପଶି ।୧୨୬।
ନିର୍ଝର ଝର ଅଟବୀ ଗିରି କନ୍ଦର ଲତା
ଲୋଡ଼ଇ ଗଣ୍ଡାଜୀବ ସେ ପାଣ୍ଡବ ବଳବନ୍ତା ।୧୨୭।
ୟେଥୁ ଅନନ୍ତରେ ଯେ କୁମ୍ଭେକ ଦନୁଜ
ରଜନୀ ପ୍ରଭାତେ ପୁଣ ହୋଇଲା ବେଗେ ସଜ ।୧୨୮।
ବେନି କରେ ଧଇଲା ଗଦା ମୃଦୁଗର
ପ୍ରବେଶ ହୋଇଲା ଯାଇଂ ସଞ୍ଜୀବନୀ ପୁର ।୧୨୯।
ଚିତ୍ରଗୁପତେ କହିଲେ ଯମର ଅଗ୍ରତେ
ତୋହୋର ଉପରେ ବାହିଲା କୁମ୍ଭେକ ଦଇତେ ।୧୩୦।
ବାସବର ଅରିଷ୍ଟି ଯେ ଯାଇଅଛି ଦେଖି
ଯମହିଂ ଘୁଞ୍ଚିଲା ତେଣୁ ସମର ଉପେଖି ।୧୩୧।
ପଞ୍ଚାଉନ ମର୍ଭୁତ ଯେ ନାଶକର ବଳ
ପଳାଇଣ ପଶିଲେ ସେ ସମସ୍ତେ ସିନ୍ଧୁଜଳ ।୧୩୨।
ଥୋକାୟେ ଗୋଡ଼ାଇଣ ସେ ମାଇଲାକ ଧରି
ପଳାବନ୍ତି ସେମାନେ ପ୍ରାଣକୁ ଭୟ କରି ।୧୩୩।
କିଛିହିଂ ନ ପାଇଣ ତହୁଂ କୁମ୍ଭେକ ଅସୁର
ଭାଞ୍ଜିଣ ଜୂର କଲା ସେ ସଞ୍ଜୀବନୀ ପୁର ।୧୩୪।
ମେଢ ମଣ୍ଡୋପ ଜଗତୀ ଅଟ୍ଟାଳୀ ଆଦି କରି
ଆସ୍ତାନ ନବର ସହିତେ ଦିଲାକ ସେ ପୋଡ଼ି ।୧୩୫।
ସତ୍ୟ ତ୍ରେତୟା ବେନି ଯୁଗର ମଧ୍ୟେ
ଦେବତା ମାନନ୍ତ ସେ ସାଧ୍ୟ କଲା ଯୁଦ୍ଧେ ।୧୩୬।
ଋଷି ବିପ୍ର ତପୋଧନେ ଯେ ନ ରହନ୍ତି କେହି
ୟେକା ଦିବସେକ ଭ୍ରମି ପାରଇ ସପ୍ତଦୀପା ମହୀ ।୧୩୭।
ନିରଞ୍ଜନଂକର ବରେ ସେ ଦାନବ ଅକ୍ଷୟେ
ନାରାୟଣଂକ ଚକ୍ରକୁ ନାହିଂ ତାର ଭୟେ ।୧୩୮।
ଆକାଶ ଛାଡ଼ିଣ ଯେ ପଳାଇଲେ ବୃନ୍ଦଅର୍କେ
କ୍ଷୀର ସମୋଦ୍ର ଯେ ପଶିଲେ ଦେବଲୋକେ ।୧୩୯।
ଇନ୍ଦ୍ର ଦେବତା କହିଲେ ଯେ ପିତାମହର ଆଗେ
କୁମ୍ଭକର ଭୟେ ମୁଂ ରହି ନ ପାରଇ ସ୍ୱର୍ଗେ ।୧୪୦।
ଇନ୍ଦ୍ରଂକ ବଚନେ ଯେ ବୋଲନ୍ତି ବେଦପତି
ବହୁତ କଟାଳ ସେ କଲାନି ଆମ୍ଭନ୍ତି ।୧୪୧।
ନିରଞ୍ଜନ ବରେ ସେହୁ ଦ୍ରପିଷ୍ଠ ଅସୁର
ଦେବତାଂକ ଶରେ ସେ ନୋହଇ ଅପହାର ।୧୪୨।
ଦେବତାଂକ କଷ୍ଟ ଦେଖି ଅବନୀ କଲାକ ଗୁହାରି
ବିଷ୍ଣୁନାଥେ ଜନମ ହୋଇଲେ ମାନବ ଦେହ ଧରି ।୧୪୩।
ସୋମବଂଶେ ଜାତ ପାଣ୍ଡବ ପଞ୍ଚୁଭ୍ରାଥେ
ସେ ଜାତ ହୋଇଅଛନ୍ତି ଅସୁର ବଧ ଅର୍ଥେ ।୧୪୪।
ତୁମ୍ଭେ ସମସ୍ତେହେଂ ୟେବେ ହୋଇଥାଅ ଥିର
ପରିଦିନ ତେରଦଣ୍ଡ ମଧେ ମରିବ ଅସୁର ।୧୪୫।
ସ୍ୱର୍ଗେ ଦେବତାନ୍ତ ଯେ ନ ପାଇଣ ଲୋଡ଼ି
କପିଳାସ କନ୍ଦରକୁ ସେ ଦାନବ ଦିଲା ଧାଡ଼ି ।୧୪୬।
ଗଦାବର ବୁଲାଇ ସେ ଧାମଇଂ ଅତି ବଳେ
ଭିତରେ ପଶନ୍ତେ ଓଗାଳିଲେ ଦ୍ୱାରପାଳେ ।୧୪୭।
ଭୀମେକ ମଣିଭଦ୍ର ଚଣ୍ଡ ଯେ ପ୍ରଚଣ୍ଡ
ଜୟନ୍ତକ ଅଜୟନ୍ତକ ମହାକାଳଦଣ୍ଡ ।୧୪୮।
ଟିଣାୟେକ ବିନାୟେକ ହିଡ଼ିମ୍ବେକ ଗଣପତି
ନନ୍ଦୀ ମହାକାଳ କାର୍ତ୍ତିକେଶ୍ୱର ମହାଛତ୍ରୀ ।୧୪୯।
ଚଉଦ କୋଟି ଯେ ଶିବଗଣମାନେ
ଦାନବ ପଶନ୍ତେ ଦେଖି ଧାମନ୍ତି କୋପମନେ ।୧୫୦।
ଗଦା ମୁଦୁଗର ଯେ କୋନ୍ତ ଖଡ଼ଗ ଯାଠି
ପରିଘ ଅସିବର ଗୁରୁଜମାନ ପିଟି ।୧୫୧।
ଛେଲ ଭାଲ ଲାଂକିଆ ଯେ ଶକତି ଶୂଳ ସାବେଳି
ଅମୋହ ପରିଘ ଯେ ଆବର ବଜ୍ର ମୂଷଳୀ ।୧୫୨।
ଅଜଙ୍ଗ ପିନାକୀ ଯେ ଅକ୍ଷୟେ ତ୍ରୋଣ ଧରି
ଧାମନ୍ତି ଶିବଗଣେ ଯେ ମହାନାଦ କରି ।୧୫୩।
ଦେଖିଲେ ଦୁଆର ଆବୋରି ରହିଛି ଦଇତ
ହେମବନ୍ତ ପର୍ବତ ଜାଣି ଦିଶଇ ତାହାର ଗାତ୍ର ।୧୫୪।
ସେ ଶିବଗଣ ମାନେ ଯେ ସମରେ ଅଜୟେ
ଦେବତାନ୍ତ ଜିଣିଲା ସେ ଅସୁର ନିର୍ଭୟେ ।୧୫୫।
ଗଦା ମୁଦୁଗର ଯେ ଶକତି କୋନ୍ତ ଯାଠି
ରେ ରେ କାର ଶବଦେ ସର୍ବେ ଗୋଡ଼ାଇଣ ପିଟି ।୧୫୬।
ଅକାଟ ଅଫୁଟ ଯେ ଅସୁର ଶରୀର ଗୋଟି
ପଡ଼ିଣ ଶହସ୍ରମାନ ଯେ ଆସନ୍ତି ଲେଉଟି ।୧୫୭।
କୋପେଣ ଦାନବ ଯେ ଛାଡ଼ଇ ସିଂଘରଡ଼ି
ଯେସେନେକେ ଆକାଶୁଂ ନିର୍ଘାତ ଝଡ଼ି ।୧୫୮।
ଶହସ୍ର ବିହୁନେ ଯେ ଶିବଗଣମାନେ ଭାଜି
ଗଦାବର ବୁଲାଇ ଦାନବ ପିଟଇ ଗଳଗାଜି ।୧୫୯।
ଅସୁର ଗୋଡ଼ାବନ୍ତେ ଭାଞ୍ଜିଲେ ଶିବଗଣେ
ଗୋଡ଼ାଇ ପହିଜ କଲା ସେ ପାଞ୍ଚ ସାତ ଯୋଜନେ ।୧୬୦।
ମହାଗୋଳ ଶବଦ ଶୁଣିଣ ଦେବ ହର
ଭିତରୁ ବାହାର ହୋଇଲେ ପିନାକୀ ଶୂଳଧର ।୧୬୧।
କୋଟିୟେ ସହସ୍ର ବଳ ଶ୍ରୀକରେ ପିନାକ ନାମେ ଧନୁ
ଅକ୍ଷୟେ ତ୍ରୋଣ ଶର କାନ୍ଧେ ଶୋଭିତ ପଞ୍ଚମନୁ ।୧୬୨।
ହୃଦେଣ ବାସୁକି ଯେ ପନ୍ନଗ କଣ୍ଠେ ହାର
ସୋମ ସୂର୍ଯ୍ୟ ବହନି ଯେ ନୟନ ପ୍ରଖର ।୧୬୩।
ରୁଦ୍ର ଅବତାର ସ୍ୱାମୀ କଣ୍ଠେଣ କାଳକୂଟ
ନାଗମାନେ ଶୋଭିତ ପିଙ୍ଗଳ ପଞ୍ଚୁଜଟ ।୧୬୪।
ଶିବଗଣନ୍ତ ଛାଡ଼ି ସେ ଅସୁର ବେଗେ ଯାଇଂ
ଇଶ୍ୱରଂକ ଛାମୁରେ ପ୍ରବେଶ ଗଦାବର ବୁଲାଇ ।୧୬୫।
ଅସୁର ବୋଇଲା ତୁ ଶୁଣ ଦେବ ହର
ମୋହୋର ଅଜାକୁ ବଧିଲା ତୋ ପୁଅ କାର୍ତ୍ତିକେଶ୍ୱର ।୧୬୬।
ଈଶ୍ୱରେ ବୋଇଲେ ସେ ଉଗ୍ର ବର ପାଇ
ଅଳପେ ନାଶ ଗଲେ ସେ ଦେବେ ଦ୍ୱନ୍ଦୀ ହୋଇ ।୧୬୭।
ଦାନବେ ବୋଇଲା ତୁ ସବୁକୁହିଂ ଦେଉ ବର
ମୋତେ ବର ନ ଦେଉ ତୁ କେଉଣ ବିଚାର ।୧୬୮।
ଅସୁର ବଚନ ଶୁଣି ହସିଲେ ବିଶ୍ୱନାଥ
ଅଭଗତେ ବର କି ସେ ହୁଅଇ ପରାପତ ।୧୬୯।
ଦାନବ ବୋଇଲା ତୁ ନ ଦିଲେ ଭଲେ ବର
ତୋତେ ମାରି ଘେନିଯିବି ୟେ କପିଳାସ କନ୍ଦର ।୧୭୦।
ୟେତେ ବୋଲି ସେ ଦାନବ ବୀର ବେଗେ ଧାଇଂ
ସଦାଶିବ ଛାମୁରେ ଯେ ଗଦାବର ବୁଲାଇ ।୧୭୧।
ଅନ୍ଧକ ତ୍ରିପୁର ଯେହୁ ବଧ କଲା ୟେକା
ଦାନବ ମୁର୍ତ୍ତି ଦେଖି ମନେ କଲା ଶଂକା ।୧୭୨।
ଅନେକ ଶହସ୍ର ସ୍ୱାମୀ ପେଷିଲେ ଦେବ ହର
ଅସୁର ଦେହେ ତା ପଡ଼ି ହୋଇଗଲା ଚୂର ।୧୭୩।
ରେ ରେ କାର ଶବଦେ ଅସୁର ବୀର ଉଠି
ଇଶ୍ୱରଂକ ଉପରେ ନେଇଣ ଗଦାବର ପିଟି ।୧୭୪।
ଗଦା ପଡ଼ନ୍ତେ ଦେବ ପାତିଲେ ଶୂଳଦଣ୍ଡ
ପଡ଼ିଣ ବଜ୍ରଶୂଳ ହୋଇଲା ବେନିଖଣ୍ଡ ।୧୭୫।
ଦେବ ଦାନବେ ସେ ସମରେ ଅଜୟେ
ଦାନବର ଗଦାକୁ ଦେବ କଲେ ମହାଭୟେ ।୧୭୬।
ସମରେ ଘୁଞ୍ଚି ସେ ଆଡ଼େ ହୋଇଗଲେ ଦେବସ୍ୱାମୀ
କୁମ୍ଭେକ ବିଚାରଇ ସେ କପିଳାସ ପୁର ନେମି ।୧୭୭।
ୟେତେକ ବିଚାରି ସେ କଳ୍ପାଅସୁର ଶିଶି
କପିଳାସ କନ୍ଦରକୁ ସେ ଧଇଲା ଆକ୍ରେଷି ।୧୭୮।
ମାଥେ ବସାଇଣ ଆସଇ ଲେଉଟି
ଗୋଡ଼ାଇ ଈଶ୍ୱରେ ଶୂଳ ପଛେଣ ନେଇ ପିଟି ।୧୭୯।
ପାଞ୍ଚବେଳ ପରିଯନ୍ତେ ପିଟିଲେ ଦେବ ହର
ନ ଜାଣି ଦାନବ ଯେ ପଳାଇ ଖରତର ।୧୮୦।
ଥୋକାୟେକ ଦୂରଯାଇଂ ଚାହିଂଲା ଲେଉଟି
ଦେଖଇ ଈଶ୍ୱର ଯେ ପଛକତି ପିଟି ।୧୮୧।
ମଥାରୁ ପର୍ବତ ଯେ ଧଇଲାବାମ କରେ
ଡାହାଣ କରେ ଗଦା ଧରି ଲେଉଟିଲା କୋପଭରେ ।୧୮୨।
ଅସୁର ଲେଉଟନ୍ତେ ପଳାଇଲେ ଦେବ ଧାତି
ଗୋଡ଼ାଇବା ଦାନବ ସେ ମହାକୋପ ମୂର୍ତ୍ତି ।୧୮୩।
ରେ ରେ କାର ଶବଦେ ଧାମଇଂ ଦଇତ ରାଗେ
ନ ରହନ୍ତି ଈଶ୍ୱରେ ପଳାବନ୍ତି ଅତି ବେଗେ ।୧୮୪।
ୟେମନ୍ତର ସମୟେ ଯେ ପବନ ନନ୍ଦନ
ମୃଗୟା ବିନୋଦେ ସେ ଭ୍ରମଇ ଘୋର ବନ ।୧୮୫।
ବନସ୍ତର ଭିତରେ କରଞ୍ଜକ ନାମେ ଗିରି
ସେ ପର୍ବତ ଉପରକୁ ଉଠଇ ମାରୁତି ମହାବଳୀ ।୧୮୬।
କୁରଞ୍ଜା ନାମେଣ ଯେ ବହଇ ନଦୀଗୋଟି
ଈଶାନ୍ୟ ଭାରାରେ ସେ ସାହେରେ ଯାଇଂ ଫୁଟି ।୧୮୭।
କୁଞ୍ଜ ବନସ୍ତକୁ ସେ ପର୍ବତ ଇଶାନ୍ୟ କୋଣେ
ତହିଂକି ହର ଉଦ୍ୟାନ ବନ ବିଶାଶତେ ଯୋଜନେ ।୧୮୮।
ସେ ପର୍ବତ ଉପରେ ଭୀମସେନ ଉଠଇ ବେଗି
ମୃଗ ଶଅମ୍ବର ଯେ ବରେହା ଗଣ୍ଡାଜୀବ ଜଗି ।୧୮୯।
ଭାଳଇ ମାରୁତି ଯେ ମୁଂ କରିବଇଂ ଆଜ କିସ
କିଛିହିଂ ନ ଭେଟି ମନରେ ବିରସ ।୧୯୦।
ୟେମନ୍ତ ସମୟେ ଦେବ ଦେବ ଯେ ଧୂର୍ଜଟି
ବିଶାଶତ ଯୋଜନ ସେ ପଳାଇଲେନି ଫୁଟି ।୧୯୧।
କଟାଳି ଗୋଡ଼ାଇଣ ଅଛି ଦାନବ ବୀର ଯୋଧୀ
ଯେସନେକ ବନରେ ଖେଦଇ ପରିଧି ।୧୯୨।
ଆରତ ହୋଇଣ ସେ ଦେବ ପଞ୍ଚମୁଖ
ଆହୋ ପାବନି ତୁ ଶରଣ ମୋତେ ରଖ ।୧୯୩।
ଈଶ୍ୱରଂକ ତହୁଂ ଯେ କଷ୍ଠୋର ବଚନ ଶୁଣି
ପର୍ବତୁ ଡେଇଂ ପଡିଲେ ଯେ କାଳଦଣ୍ଡ ପାଣି ।୧୯୪।
ଭୀମସେନ ବୋଇଲା ହୋ ରହ ରହ ଦାନବ
ତୋହୋରେ ଈଶ୍ୱରେ କିମ୍ପା ୟେଡ଼େକ ଅଭାବ ।୧୯୫।
ଭାମସେନ ବଚନ ଯେ ଶୁଭିଲା ଦାନବ କର୍ଣ୍ଣକୁ
କିଞ୍ଚିତ ପ୍ରାୟେକ ମଣିଲା ସେ ଭୀମସେନକୁ ।୧୯୬।
ଡାହାଣ କରେ ଗଦା ପର୍ବତେ ବାମହାଥେ
ଯେସନେକ କ୍ଷୁଦ୍ର ଟେଳା ଧରନ୍ତି ବାଳୁତେ ।୧୯୭।
ପର୍ବତ ଉପରକୁ ସେ ଉଠନ୍ତେ ଅତି ବେଗେ
ଧାଇଂଣ ମାରୁତି ଯେ ଓଗାଳିଲା ଆଗେ ।୧୯୮।
ଭୀମସେନ ମୂର୍ତ୍ତି ଦେଖି ସେ ଅସୁର ବେଗେ ରହି
ଖଗେଶ୍ୱର ଦ୍ରଶନେ ଯେହ୍ନେ ଘୁଞ୍ଚିଯାନ୍ତି ଅହି ।୧୯୯।
ଅସୁର ବୋଇଲା ରେ ମାନବ ମାତ୍ର ହୋଇ
ୟେଡେ ବଡ଼ ଦର୍ପ ବହୁଅଛୁ କିସ ପାଇଂ ।୨୦୦।
ବ୍ରହ୍ମା ରୁଦ୍ର ଚନ୍ଦ୍ର ଇନ୍ଦ୍ର ଯାହାକୁ ସାଂଗ୍ରାମେ ନୁହଂନ୍ତି ଟି ସରି
ତୁ ମାନବ ମାତ୍ରକ ରେ ରଖୁ ମାହାର ବଇରି ।୨୦୧।
ଭୀମସେନ ବୋଇଲା ଅଗ୍ୟାନ ମନ୍ଦ ବାଇ
ଶରଣ ବୋଇଲେ ରେ ଉପେଖି ତ ନୁଆରଇ ।୨୦୨।
ଭୀମସେନ ବଚନେ ଯେ ହସିଲା ଅସୁର
ଆଜର ଦିବସ ଯେ ସୁଫଳ ମୋହୋର ।୨୦୩।
ଯତନେ ଯାହା ଲୋଡ଼ଇ ସେ ଆପଣେ ପରାପତ
ନରବଳି ଭୋଜନ ମୋତେ ଦିଲାକ ବିଧାତ ।୨୦୪।
ୟେତେ ବୋଲି ଦାନବ ଗର୍ଜଇ କୋପଚିତ୍ତେ
ମୁଣୋହିକି ପୋଡ଼ାବଳି କରିବଇଂ ଆଜ ତୋତେ ।୨୦୫।
ଭୀମସେନ କୋପିଲା ଯେ ଅସୁର ମୂର୍ତ୍ତି ଦେଖି
କାଳଚକ୍ର ପ୍ରାୟେକ ଭ୍ରମେକ ବେନି ଆଖି ।୨୦୬।
ଯଦ୍ୟପି ସ୍ୱର୍ଗ ମଞ୍ଚ ପାତାଳ ତୁ ଜିଣିଲୁ ଅସୁର
ଆଜ ତୋର ପାଞ୍ଜି ରେ ପୋଛିଲା ନାଶକର ।୨୦୭।
କପିଳାସ କନ୍ଦର ରଖିବି ଆଜ ତୋତେ ମାରି
ଆକାଶର କଷ୍ଟ ରେ ଆଜହୁଂ ଗଲା ପାରି ।୨୦୮।
ଭୀମସେନ ବଚନ ଶୁଣି ଅସୁର କୋପଚିତ୍ତ
କପିଳାସ କନ୍ଦର ଥୋଇଲା ଭୂମିଗତ ।୨୦୯।
ଗଦାବର ବୁଲାଇ ସେ କୋପେ ଗଳଗାଜି
ଶବଦେ ଗିରି କନ୍ଦର ପଡ଼ିଲା କି ଭାଜି ।୨୧୦।
ଭୀମସେନ ଗଦାବର ଧଇଲା ବେନି ହାଥେ
ଯେସନେକ ଆକାଶେ ଉଦୟ ଧୂମକେତେ ।୨୧୧।
ଆରେ ଆରେ ମାନବା ବୋଲି ଦାନବ ବୀର ଉଠି
ଭୀମସେନ ଉପରେ ଗଦାବର ନେଇ ପିଟି ।୨୧୨।
ଲୋହାର ବେନି ଗଦା ଶତେ ଶତେ ଭାର ଗରୁ
ଦିଗପାଳେ କମ୍ପିଲେ ସେ ଗଦା ପ୍ରହାର କରୁ କରୁ ।୨୧୩।
ଶତଶୃଙ୍ଗ ପ୍ରସନ୍ନେ ଯାହାର ବଜ୍ର ବାମଅଙ୍ଗ
ପଡ଼ିଣ ଗଦାବର ଯେ ହୋଇଲାକ ଭଙ୍ଗ ।୨୧୪।
ପୁଣ ଆରେକ ଗଦା ଯେ ବୁଲାଇ ଅସୁର
ୟେଘାନ୍ତି ପ୍ରତଗ୍ୟାଂ ରେ ଜାଣିମା ତୋହୋର ।୨୧୫।
ସମୁଦ୍ର ମନ୍ଥନ କାଳେ ଯେମନ୍ତ ଶବଦାଇ
ସେହିମତି ପ୍ରାୟେ ଗଦାଘାତେ ଗରଜଇ ।୨୧୬।
ସମ୍ଭାଳ ସମ୍ଭାଳ ବୋଲି ଅସୁର ବୀର ଗଦା ପିଟି
ଗଦାବର ପିଟନ୍ତେ ତାହା ଭୀମସେନ ମେଣ୍ଟି ।୨୧୭।
ବେନି ଗଦା ପଡ଼ିତାଳେ ଉଠିଲା ବହନି
ସତର ଲକ୍ଷ ଯୋଜନେ ଥାଇ ତାହା ଜାଣିଲେ ପଦ୍ମଯୋନି ।୨୧୮।
ଭୀମସେନ ଗଦାବର ଅତି କୋପେ ବୁଲାୟେ
କନ୍ଦରେ କମ୍ପିଲେ ସେ ଭୀମସେନ ଗଦାବର ବାତଘାୟେ ।୨୧୯।
କୋପେଣ ମାରୁତି ଯେ କମ୍ପଇ ପରଚଣ୍ଡ
ରଡ଼ିଘାୟେ କମ୍ପିଲାକ ସପତ ବ୍ରହ୍ମାଣ୍ଡ ।୨୨୦।
ପ୍ରଳୟ ନିକଟେ ଯେହ୍ନେ ଗର୍ଜନ୍ତି ମେଘମାଳ
ସେହିମତି ଶୁଭଇ ଯେ ଗଦାବର ପଡ଼ିତାଳ ।୨୨୧।
ଭୀମସେନ ଗଦା ଯେ ଅସୁର ଅଙ୍ଗେ ପତି
ସହସ୍ରେ ଖଣ୍ଡେ ହୋଇ ଯେ ଭାଜି ହୋଇଲାକ ଚୂରି ।୨୨୨।
ପୁଣି ଆରେକ ଗଦା ପିଟିଲା ବ୍ରିକୋଦର
ଧୂଳି ହୋଇଣ ଗଦା ପଡ଼ିଲା ଭୂମିର ।୨୨୩ ।
ଅସୁର ଗଦାୟେକ ଘେନି ପିଟିଲା ଭୀମକୁ
ଦେଖିଣ ବିକ୍ରୋଦର ପାତିଲା ବାମ ବୁକୁ ।୨୨୪ ।
ହୃଦଗତେ ପଡ଼ିଣ ସେ ଯେ ଦତ୍ୟର ଗଦାବର
ସହସ୍ରେ ଖଣ୍ଡ ହୋଇଣ ସେ ଗଦା ଗଲା ଚୂର ।୨୨୫ ।
ଗଦାବର ବିଭଙ୍ଗ ଦେଖି ଅସୁର ବୀର ରାଗେ
ପର୍ବତେ ଉପାଡ଼ି ସେ ଧାଇଂଲା ଅତି ବେଗେ ।୨୨୬ ।
ଅନ୍ତରୀକ୍ଷ ମାର୍ଗେଣ ସେ ଯେ ବୁଲାଇ ପର୍ବତ
ଭୀମସେନ ଉପରେ ସେ ନେଇଣ ପିଟିଲା ଦଇତ ।୨୨୭ ।
ବାମ ଅଙ୍ଗର ମଧ୍ୟେ ପଡ଼ିଲା ଗିରିବର
ଧୂଳି ହୋଇ ଉଡ଼ିଲା ସେ ଗଗନ ଅନ୍ଧକାର ।୨୨୮ ।
ଆକାଶେ ଶୁଭିଲା ସାଧୁ ସାଧୁ ରେ ପାବେନି
ଅସୁର ବଧ କରି ଉଦ୍ଧର ମେଦିନୀ ।୨୨୯ ।
କିମ୍ଭୀରୀ କିନ୍ନରୀ ବକ ହିଡ଼ିମ୍ବକ ଚାରି
ୟେହାନ୍ତେ ବଧ କରି ରଖିଲୁ ବସୁନ୍ଧରୀ ।୨୩୦ ।
ୟେବେ କୁମ୍ବକକୁ କର ହୋ ବିନାଶ
ୟେତେକ କଲେ ବାବୁ ସୁସ୍ଥ ହୋଇବ ଆକାଶ ।୨୩୧ ।
ଆକାଶର ଧୁନି ଯେ ଶୁଣିଣ ବିକ୍ରୋଦର
ବଜ୍ରମୁଥେ ମାଇଲା ନେଇ ଦାନବ ମୁଣ୍ଡର ।୨୩୨ ।
ଦଇତର ମୁଣ୍ଡରେ ଯେ ପଡ଼ିଲା ବଜ୍ର ମୁଷ୍ଠି
ମହାର୍ଣ୍ଣବ ପ୍ରାୟେ ହୋଇ ବହନି ଜଳି ଉଠି ।୨୩୩ ।
ଦେବେ ଦାନବ ସେ ସମରେ ଅଜୟେ
ବ୍ରିକୋଦର ମୁରତି ଦେଖି ଅସୁର କଲା ଭୟେ ।୨୩୪ ।
ଶହସ୍ର ବିହୁନେ ଦୁହେଂ ମାଲଗତି ଘେନି
ଧରାଧରି ଗଡ଼ାଗଡ଼ି ପଡ଼ାପଡ଼ି ହୁଅନ୍ତି ମେଦିନୀ ।୨୩୫ ।
ହାମ୍ବୋଡ଼ାଇ ଦାନବ ଯେ ପକାଇଲା ଭୀମକୁ
ଲେଉଟାଇ ଭୀମସେନ ପାତିଲା ଦାନବକୁ ।୨୩୬ ।
ଭୁଜେଭୁଜେ ଭିଡ଼ାଭିଡ଼ି ପାଦେ ପାଦ ଛନ୍ଦାଛନ୍ଦି
ଶିରେ ଶିର ପତିତାଳ ହୃଦେ ହୃଦ ବାନ୍ଧି ।୨୩୭ ।
ପଡ଼ନ୍ତି ଉଠନ୍ତି ଗଡ଼ନ୍ତି ବସୁମତୀ
ଚକ୍ଷୁର ମଟକେ ସେ ଲେଉଟନ୍ତି ଧାଡ଼ି ।୨୩୮ ।
ବେନି ବୀରେ ସମରେ ଯେ ଅଟନ୍ତି ମହାବଳୀ
ଶାଳବୃକ୍ଷମାନେ ସବୁ ହେଉଛନ୍ତି ଧୂଳି ।୨୩୯ ।
ଦିଗପାଳମାନେ କମ୍ପିଲେ ଯେ ଶୁଣି ଦୁହିଂକ ମୁଖରତି
କୁରୁମ ଚମକିଲା ଲସିଲା ବସୁନ୍ଧରୀ ।୨୪୦ ।
ଭୀମକଇଂ ମାଡ଼ି ଯେ ଅସୁରକୁଳ ରାୟେ
ହୃଦଗତେ ମାଡ଼ି ବସିଲାକ ବ୍ୟାଘ୍ରର ପରାୟେ ।୨୪୧ ।
କୋତେ ପ୍ରତିଗ୍ୟାଂ କରଇ ସୁମର ମହାବୀର
ଆରେ ଆରେ ମାନବ ତୁ ଯିବୁ ନିଚେ ଯମପୁରେ ।୨୪୨ ।
ଇଶ୍ୱର ଦେବତା ଭୟେ ପଳାଇଲେ ଡରି
ତୁ ମାନବା ହୋଇରେ ମୋତେ ନିରୋଧ କରି ।୨୪୩ ।
ସାଧୁ ସାଧୁ ମହିମା ତୋର ଗର୍ଭଧାରୀ ଜନନୀ
ତୋତେ ଯେ ଜାତ କଲା ପିତା ତୋର ଧନୀ ।୨୪୪ ।
ବୀରପଣେ ସରେ ତୋତେ ନାହିଂରେ ରବି ତଳେ
ମୋହୋର ତୁଲେ ପଡ଼ିତାଳ ତୁ ଦେଲୁ ୟେତେବେଳେ ।୨୪୫ ।
ତୋତେ ପ୍ରାଣେ ମାରି ନେମଇଂ ଇଶ୍ୱରନ୍ତ ଆଜ ଧରି
ମାୟେଂସ ଭକ୍ଷିବି ତୋହୋର ପୋଡ଼ାବଳି କରି ।୨୪୬ ।
ସୁମର ରେ ମାନବା ତୋହୋର ପିତା ମାତା
ସୁମରରେ ମାନବା ତୋହୋର ଇଷ୍ଟ ଯେ ଦେବତା ।୨୪୭ ।
ଅସୁର ପ୍ରତଗ୍ୟାଂ ଯେ ଉଗ୍ର ବଚନ ଶୁଣି
ଭୟେଣ ଅନ୍ତର ଯେ ହୋଇଲେ ଶୂଳପାଣି ।୨୪୮ ।
ସମରେଣ ହାରି ସେ ପାଣ୍ଡବ ପଞ୍ଚାଣ
ଶତଶିଙ୍ଗ ପର୍ବତକୁ କଲେ ସୁମରଣ ।୨୪୯ ।
ୟେକ ଉତ୍ତର ଶତସିଂଘର ଯେ ହୋଇଲା ପରାକ୍ରମ
ବ୍ରିକୋଦର ମୂରତି ସେ ଧଇଲା ବୀର ଭୀମ ।୨୫୦ ।
ହୁଂକାର ଶବଦ ସେ କରିଣ ମହାବଳେ
ଲେଉଟାଇ ଦାନବକୁ ପାଡ଼ିଲା ଭୂମିତଳେ ।୨୫୧ ।
ମନ୍ଦରକୁ ମାଡ଼ି ଯେହ୍ନେ ବସଇ ହିମବନ୍ତ
ସେହିମତି ଦିଶଇ ଯେ ଦୁହିଂକରି ଗାତ୍ର ।୨୫୨ ।
ତଳେଣ ଅସୁର ଯେ ଉପରେଣ ବୀର ଭୀମ
ଜନ୍ତୁ ବିନାଶନେ ଯେହ୍ନେ ଦିଶଇ ଦୁତୀ ଯମ ।୨୫୩ ।
ଭୀମସେନ ବୋଇଲା ରେ ୟେତେ ମାନ ଭରସୁ
ଜଳନ୍ତା ଅନଳେ ଦେଖୁ ଦେଖୁ ତୁହି ଝାସୁ ।୨୫୪ ।
କୁମ୍ଭାରୀ କିନ୍ନରୀ ଯେ ବକ ହିଡ଼ିମ୍ବକ
ୟେହାନ୍ତ ବଧ କଲି ତୁ ଉବୁରିଅଛୁଂ ୟେକ ।୨୫୫ ।
ଆଜ ସେ ତୋହୋର ପାଞ୍ଜି ପୋଛିଲା ଜନ୍ତୁ ଅଇରି
ହୋଇଲୁ ନିରେଖ ଆଜ ତୋତେ କେହୁ ରକ୍ଷା କରି ପାରି ।୨୫୬ ।
କୋପେଣ ମାରୁତି ଯେ ମାଇଲା ବଜ୍ରମୁଥେ
ନାସିକା ଫାଟି ଶ୍ରୋଣିତ ବହେ ଅପ୍ରମିତେ ।୨୫୭ ।
ଯେସନେକ ମେରୁ ଫୁଟି ଗଙ୍ଗା ଯମୁନା ସରସ୍ୱତୀ ତିନି ଧାର
ସେହିମତି ହୋଇଣ ଯେ ଭୀମସେନର ଅଙ୍ଗ ।୨୫୮ ।
ବିଶେଷେ ବ୍ରିକୋଦର ସେ ଆବର ମହାବଳ
କାଳଚକ୍ର ପରାୟେ ଭ୍ରମଇ ବେନି ଡୋଳ ।୨୬୦ ।
ଯେସନେକ ଉପରେ ମାଡ଼ି ବସଇ ମେରୁ
ଚାଳି ନୁଆରିଲା ସେ ପାଇଲା ମହାଗରୁ ।୨୬୧ ।
ତୋଟି ମାଡ଼ି ବସିଲା ସେ ତାହାର ବାମ କରଗତେ
ଡାହାଣ ଭୁଜେ ବୀର ଯେ ମାଇଲା ବଜ୍ରମୁଥେ ।୨୬୨ ।
ପୁଣ ପୁଣ ବୀର ମାରଇ କରସ୍ଥଳ ତେଳି
ଭାଙ୍ଗିଣ ମୁଣ୍ଡ ତାହାର କଲାକ ସେ ଧୂଳି ।୨୬୩ ।
ପିଣ୍ଡରୁ ପ୍ରାଣ ତାର ହାଦେ ଗଲାକ ଛାଡ଼ି
ପଡ଼ିଲା ଦାନବ ଯେ ପଞ୍ଚୁକୋଶ ମାଡ଼ି ।୨୬୪ ।
ଅସୁର ବଧ କରି ଉଭା ବୀର ବ୍ରିକୋଦର
ଦେଖଇ ସାନ୍ନିଧେ ଯେ ନାହାନ୍ତି ଦେବହର ।୨୬୫ ।
ମେଷମାସ ଶୁକଳ ପକ୍ଷ ପଞ୍ଚମୀ ଗୁରୁବାର
ଅସୁରକୁ ବଧ କଲା ବେଳ ଦଣ୍ଡ ତେର ।୨୬୬ ।
ଆକାଶୁଂ ଶୁଭିଲା ଯେ ସାଧୁ ସାଧୁ ବାଣୀ
ଭୀମସେନ ମଥାରେ ପୁଷ୍ପବୃଷ୍ଟି କଲେ ଦେବ ଚକ୍ରପାଣି ।୨୬୭ ।
ସାଧୁ ସାଧୁ ପାବନି ତୁ କାଳେବର ଷଣ୍ଢା
ଅସୁର ବଳ ନିଶୋଧନ ତେଣୁ ତୁ ବୀରବର ପ୍ରଚଣ୍ଡା ।୨୬୮ ।
ଅସୁର ବଧ ଦେଖି ଅଇଲେ ସଦାଶିବ
ଭୀମସେନର ସାନ୍ନିଧେ ବିଜୟେ ମହାଦେବ ।୨୬୯ ।
ଇଶ୍ୱରେ ବୋଇଲେ ତୁ ହୋ ଶୁଣ ବ୍ରିକୋଦର
ଯେସନେକ ବାଞ୍ଛା ତୋର ମାଗି ଘେନବର ।୨୭୦ ।
ଭାମସେନ ବୋଇଲା ଯେବେ ଅନଗୃହ ମୋତେ କଲ ହାଦେ
ମୋହୋର କାର୍ଯ୍ୟବେଳେ ମାଗିଲେ ଦେବ ସିଂଘନାଦେ ।୨୭୧।
ଈଶ୍ୱର ବୋଇଲେ ମୋହୋର ବୋଲ ଶୁଣ
ତୋହୋର କାର୍ଯ୍ୟକାଳେ ମୋତେ କରିବୁ ସୁମରଣ ।୨୭୨।
ୟେତେ କହି କପିଳାସ ଗଲେ ଦେବ ହର
ନିଜ ସ୍ଥାନେ ବସାଇଲେ ନେଇ କପିଳାସ କନ୍ଦର ।୨୭୩।
ତହୁଂଣ ଭୀମସେନ ଗଣ୍ଡାଜୀବ ଲୋଡ଼ିଲା
ଭିଖି ବନରେ ଗଣ୍ଡା ଦୁଇଗୋଟି ମାଇଲା ।୨୭୪।
ଗଣ୍ଡାଭାର ଘେନି ଲେଉଟଇ ପାବନି
ପ୍ରବେଶ ମାରୁତି ବେଳ ପ୍ରହର ଯେ ତିନି ।୨୭୫।
ଜୟ ତୁ ତ୍ରିଲୋଚନ ଉମାଦେବୀର ପତି
କଣ୍ଠେ କାଳକୂଟ ଶିରେଣ ଗଙ୍ଗା ଥିତି ।୨୭୬।
ଅର୍ଦ୍ଧାଙ୍ଗେ ଶଇଳୀ ନାଭିରେ ବାରାହୀ
ଦିଗାଙ୍ଗ ବସନ ନାଥ ଅଙ୍ଗେ ଶୋହେ ଅହି ।୨୭୭।
ଡିବି ଡିବି ଡମ୍ୱରୁ ଯେ ବାଦ୍ୟ ଘନ ଡାକି
ଶ୍ରୀଭୂଜେ ଶୋଭାବନ ତ୍ରିଶୂଳ ପିନାକୀ ।୨୭୮।
ଶାର୍ଦ୍ଦୂଳ ଚର୍ମ ପରିହରଣ ହୃଦେ ଅସ୍ଥିମାଳଆ
ସୋମ ସୂର୍ଯ୍ୟ ବହନି ବିରାଜିତ ତିନି ଡୋଳା ।୨୭୯।
କନ୍ଦର୍ପ ଦହନ ଗଲା ଯାହା କୋପଦୃଷ୍ଟି
ଦକ୍ଷଯାଗ ବିନାଶନ ଦେବ ଅଭୟ ଧୂର୍ଜଟି ।୨୮୦।
ସଂସାରେ ରକ୍ଷଣେ ଯେ କଣ୍ଠେ କାଳକୂଟ
ଭାବଗ୍ରାହୀ ନାଥ ତେଣୁ ନାମ ନୀଳକଣ୍ଠ ।୨୮୧।
ଅନ୍ଧକ ତ୍ରିପୁରା ସମରେ ଶିର ଛେଦି
କାଞ୍ଚି କଳାଞ୍ଚି ଯେ ବେନି ଅସୁରନ୍ତ ବଧି ।୨୮୨।
ବେଦ ବିଦ୍ୟା ବାଦେ ଯେ ପିତାର ମୁଣ୍ଡ ମୋଡି
ମହାଯୋଗ ସାଧଇ ସେ ହତ୍ୟାକୁ ପାର କରି ।୨୮୩।
ଅନଙ୍ଗ ସୁନ୍ଦର ନାଥ ପନ୍ନଗ ହୃଦେ ହାର
ମହା ପିଙ୍ଗଳ ବଇରାଗୀ ବହନି ଜାଣି ଖର ।୨୮୪।
ଜ୍ୱଳିତ ବହନ ଯେ ଗଳିତ ଅମିୟ ରସ
କିଞ୍ଚିତ ସଦୟ ନାଥ ଲଭିଲି କପିଳାସ ।୨୮୫।
ସେବକ ଜନନ୍ତ ନାଥ ଧନ ରତ୍ନ ସୁଖାସନ
ପରକଇଂ ସମ୍ପଦ ଦେଇ ଆପଣେ ଦେବ ଶୂନ୍ୟ ।୨୮୬।
ପର ଦୁଖେ କାତର ନାଥ ଦ୍ରଶନେ ପାପ ହରି
ଅନ୍ଧ କୁଷ୍ଠ ଦରିଦ୍ର ଦ୍ରଶନେ ଯାହାରେ ହୋଇ ପାରି ।୨୮୭।
କିଞ୍ଚିତ ଭଗତେ ନାଥବହୁତ ବର ଦାତା
ଭାବକୁ ଭାବନା ନାଥ ସଂସାର ଭାବ ଚିନ୍ତା ।୨୮୮।
କଳିକାଳ ସଂସାରେ ନାଥ ପଡ଼ି ହୋଇଲି ମୁଂ ଭାସି
ୟେଥୁ ତରିବାକୁ ମୋତେ ମୁକତିଗତି ଦେସି ।୨୮୯।
କପିଳାସ କନ୍ଦର ସିଂଘଦ୍ୱାରେ ମୁଂ ଦ୍ୱାରପାଳ
ଗିରିଜାର ଶାପେ ମୁଂ ଜନମିଲି ମହୀଥଳ ।୨୯୦।
ଶ୍ରୀ ରୁଦ୍ର ଦେବତା ଯେ ଯୋଗଧ୍ୟାନେ ସନ୍ତତେ
ଶୂଦ୍ରମୁନି ସାରେଳା ଦାସ ବିନୟ ଭଗତେ ।୨୯୧।
ଜମ୍ୱୁଦ୍ୱୀପ ଭ୍ରଥଖଣ୍ଡ ଓଡ଼ରାଷ୍ଟ୍ର ମଣ୍ଡଳେ
ଚିତ୍ର ଉତ୍ପଳା ନଦୀ ଈଶାନୀ ଭାଗ କୂଳେ ।୨୯୨।
ଜଙ୍ଖେରପୁର ବୋଲିଣ ସେ ଗ୍ରାମର ନାମ
କନକାବତୀ ପାଟଣା ଯାହା ସ୍ରିଜିଲେ ପ୍ରଶୁରାମ ।୨୯୩।
ତହିଂର ସନିଧ୍ୟେ ଯେ ସାରୋଳା ବୋଲି ଗ୍ରାମ
ବିଜୟେ ମାହେଶ୍ୱରୀ ସାରୋଳା ଚଣ୍ଡୀ ନାମ ।୨୯୪।
ଜମଦଗ୍ନି ସୁତ ପ୍ରଶୁରାମ ଯାହାନ୍ତ ପୂଜି
ରୁଧିର ଦ୍ରଶନେ ଯେ ସର୍ବଦା ମନ ରଞ୍ଜି ।୨୯୫।
ଗୋପପୁରେ ନନ୍ଦ ଘରେ ଅବତାର କହ୍ନାଇ
ପିତାମହ ଶାପେ ତହିଂ ବିଜୟେ ମହାମାୟୀ ।୨୯୬।
ବତ୍ସା ଚରାନ୍ତେଣ ଗୋପ କୁମାରଂକ ସଙ୍ଗେ ହରି
ଜାଣି କେଶବ ତାଂକୁ ୟେକାନ୍ତେ ତିଆରି ।୨୯୭।
କର୍ମ ଭୋଗ ବୁଝିଲୁ ଗୋ ଚଳ ୟେଥୁ ମାୟେ
କନକାବତୀ ପାଟଣାରେ ବିଜେ କର ଗୋ ସମୟେ ।୨୯୮।
ଶ୍ରୀକୃଷ୍ଣର ବଚନେ ଯେ ବିଜୟେ ଝଂକଡେ
ଚନ୍ଦ୍ରଭାଗା ଅର୍କ ତୀର୍ଥ ଈଶାନ କୋଣ ଆଡ଼େ ।୨୯୯।
କୃପାଜଳ ନନ୍ଦିନୀ ଗୋ ନର୍ମଦା ସରସ୍ୱତୀ
କଳିକାଳ ଧ୍ୱଂସନେ ମା ଗୋ ସିଦ୍ଧ ସାରୋଳା ଚଣ୍ଡୀ ମୂର୍ତ୍ତି ।୩୦୦।
ସେ ମୋତେ ପ୍ରସନ୍ନେ ଯେ କହିଲେ ସିଦ୍ଧଗ୍ରନ୍ଥେ
ମୁହିଂ ତାହା ବଞ୍ଚାଇଲି ସଂସାର ଜନ ହିତେ ।୩୦୧।
ଆହେ ବୃଦ୍ଧି ଜନମାନେ ମୋର ନ ଘେନିମା ଦୋଷ
ଜନ୍ମେ ଜନ୍ମେ ମୂର୍ଖ ମୁହିଂ ବୁଦ୍ଧି ମୋର କିସ ।୩୦୨।
ଶ୍ରୀ ମହାଭାରଥ ସୁମରି ବଳାଇଲି ସାହସ
ଶ୍ରୀଚଣ୍ଡୀ ପ୍ରସନ୍ନେ ମୋର ନାମ ସାରୋଳା ଦାସ ।୩୦୩।୯୫୯୦।