ଦଶମ ପରିଚ୍ଛେଦ — ରୁପାଚୁଡ଼ୀ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦଶମ ପରିଚ୍ଛେଦ
ହରି ପଟ୍ଟନାୟକ ଜଣେ ଲାଖରାଜଦାର । ତାଙ୍କର ବିଷୟ ସଂପତ୍ତି ଚଳନପୋଯୋଗୀ ଥିଲା; ମାତ୍ର ଭାଗ୍ୟ ଧ୍ୱଂସପଟୁ ଆଳସ୍ୟ, ବିଳାସ ତାଙ୍କର ଭାଗ୍ୟଲିପି ଅଧେ ଲିଭାଇ ଦେଇ ଅଧେ ଅସ୍ପଷ୍ଟ କରିଦେଲାଣି । ସେ ଟିକିଏ ମୃଦୃ ଏବଂ ହୁଗୁଳା; ଅର୍ଥାତ୍ମଉଜୀ ଧରଣର ଲୋକ । ଅତି ରୋଗାକାଙ୍କ୍ଷା ପତନର କାରଣ, ତାହା ହିଁ ତାହାଙ୍କ ଭାଗ୍ୟରେ ଘଟିଥିଲା । କର୍ପୁର ଯାଇ କନା ଅଛି; ତଥାପି ପୁରୁଣାଘର ବୋଲି ତାଙ୍କ ପ୍ରତି ଗ୍ରାମବାସୀ ମାନଙ୍କର ଖାତର ଗୌରବ ଅଛି । ଗ୍ରାମରେ ସେ ହରିବାବୁ ନାମରେ ପରିଚିତ । ସେ, ତାଙ୍କର ସ୍ତ୍ରୀ ଏବଂ ଏକମାତ୍ର ପୁଅ–ଘରକୁ ଏହି ତିନି ପ୍ରାଣୀ । ପୁତ୍ର ଶ୍ରୀକାନ୍ତ ପଞ୍ଚଦଶ ଅତିକ୍ରମ କରି ଷୋଡ଼ଶ ବର୍ଷରେ ଉପନୀତ ହୋଇଅଛି । ସେ କଟକରେ ଏଣ୍ଟ୍ରାନ୍ସ ପଢ଼ଅଛି । ଘରୁ କିଛି ସାହାଯ୍ୟ ପାଏ ନାହିଁ । କଟକରେ ଦୁଇଟି ପିଲାର ଗୃହଶିକ୍ଷକ, ହୋଇ ନିଜର ବ୍ୟୟ ଚଳାଇନିଏ । ପିଲାଟି ଶାନ୍ତ, ସୁଶୀଳ, ମେଧାବୀ ଏବଂ ଅଧ୍ୟୟନପ୍ରିୟ । ତାହାର ସ୍ମୃତିଶକ୍ତିର ଅସାଧାରଣ ବିକାଶ ଦେଖି ତାହାର ଭବିଷ୍ୟତ୍ଉଜ୍ଜ୍ୱଳ ବୋଲି ଶିକ୍ଷକମାନେ କଳ୍ପନା କରନ୍ତି । ସେ ଏ ବର୍ଷ ଏଣ୍ଟ୍ରାନ୍ସ ପରୀକ୍ଷା ଦେବ ।
ହରିବାବୁଙ୍କ ପିତାମହ ଲକ୍ଷ୍ମଣ ପଟନାୟକ ଗ୍ରାମର ମଧ୍ୟବିତ୍ତ ଗୃହସ୍ଥ ହୃଷୀ ପଣ୍ଡାଙ୍କ ପାଖରେ ନିଜର ଗୋଟାଏ ପୁଷ୍ପରିଣୀ ବନ୍ଧା ରଖିଥିଲେ; ମାତ୍ର ମୁକୁଳାଇ ପାରି ନାହାନ୍ତି । ପୁଷ୍କରିଣୀର ପୁନରୁଦ୍ଧାର ତାଙ୍କ ପୁତ୍ରଙ୍କ ଜୀବନରେ ମଧ୍ୟ ଘଟି ନାହିଁ । ପୋଖରୀଟି ବର୍ତ୍ତମାନ ହୃଷୀ ପଣ୍ଡାଙ୍କ ପୁତ୍ର ମଧୁ ପଣ୍ଡାଙ୍କ ଦଖଲରେ ଅଛି । ସେଥିରୁ ପ୍ରତିବର୍ଷ ପ୍ରାୟ ଶତାଧିକ ଟଙ୍କାର ମାଛ ବିକ୍ରି, ହୁଏ । ଏ ବର୍ଷ ଏତେ ଅଧିକ ମାଛ ଥିଲେ ଯେ, ମାଛ ବିକ୍ରିରୁ ମଧୁଙ୍କର ତିନିଶ ଟଙ୍କା ଆୟ ହୋଇଥିଲା । ସେ ଯତ୍ସାମାନ୍ୟ ଘରେ ଖାଇବା ସକାଶେ ରଖି ଆଉ ସମସ୍ତ ବିକ୍ରି କରି ଦିଅନ୍ତି । ଭୋଜନ ଏବଂ ବିକ୍ରୟ ମଧ୍ୟରେ ବିତରଣର ମଥା ରୁଞ୍ଜିବାକୁ ସ୍ଥାନ ଥାଏ ନାହିଁ । ଗ୍ରାମବାସୀଙ୍କ ମଧ୍ୟରୁ କେହି କେହି ମଧୁଙ୍କୁ କହିଲେ–‘‘ପୋଖରୀରୁ ମାଛ ଧରାଗଲେ ପଟନାୟକଘର ଗାଁରେ ବାଣ୍ଟୁଥିଲେ; ମାତ୍ର ତମେ ନେଲା ଦିନୁ ଆଉ ସେ ଧାରା ନାହିଁ । ଗାଁ ମଝିରେ ପୋଖରୀ, ସମସ୍ତେ ଆଶା କରିଛନ୍ତି; ତମେ ଅଧେ ବିକ୍ରି କରି ଅଧେ ସମସ୍ତଙ୍କୁ ବାଣ୍ଟିଦିଅ ।’’ ମଧୁ ଏ ଅନ୍ୟାୟ ପ୍ରସ୍ତାବରେ ସମ୍ମତ ନ ହୋଇ କହିଲେ, ‘‘ବାପ ଆମର ଆଞ୍ଜୁଳାଏ ଟଙ୍କା ଦେଇ ପୋଖରୀ କରିଥିଲେ, ମୁଁ ମାଛ ନ ବାଣ୍ଟି ଆଉ କଅଣ କରିବି ? ଟଙ୍କାଗୁଡ଼ାକ ରଖିବାକୁ ଜାଗା ମିଳୁ ନ ଥିଲା ପରା ! ଗାଁରେ ଯାହାର ଯାହା ହୁଏ, ମୋତେ ଆଣି ଦେଇ ଯାଆନ୍ତି ! ଅଧେ କାହିଁକି, ସବୁ ବାଣ୍ଟିଦେବି । ତାହାହେଲେ ପୋଖରୀରୁ ମୋର ଆଉ ଆୟ କଅଣ ହେଲା ? ପୋଖରୀଟା ପୋତି ଦେଇ ଧାନ କି ଅନ୍ୟ ଫସଲ କଲେ ମୋର କେତେ ଲାଭ ହୁଅନ୍ତା ? ପୃଥ୍ୱୀଦେବୀଙ୍କ ଦେହରେ ଆଙ୍ଗୁଳିଏ ସ୍ଥାନ ଖାଲି ରଖିଲେ ତାଙ୍କ ପ୍ରତି ଘୋର ଅବମାନନା କରାହେବ । ମାଟିରେ ରତ୍ନ ମିଶିକରି ଅଛି, ତାହା ବାଛି ନେବାକୁ ହେବ । ମାଟିରୁ ଫସଲ ଉତ୍ତାରି ସେହି ଫସଲ ବିକିଲେ ଯେଉଁ ଟଙ୍କା ମିଳେ, ସେହି ଟଙ୍କା ମାଟି ଭିତରେ ଥିଲା । ଯେଉଁ ଭୂମିରୁ ଯେତେ ଆଦାୟ ହୋଇପାରିବ, ତାହା କରିବ ।’’ ପଣ୍ଡା ମଧ୍ୟ ଚାଷ କରନ୍ତି; ମାତ୍ର ତାହା ପୃଥ୍ୱୀଦେବୀଙ୍କ ଅବମାନନା ଆଶଙ୍କାରେ ନୁହେଁ–ନିଜର ଆବଶ୍ୟକ ସକାଶେ । ପ୍ରସ୍ତାବକମାନେ ପଣ୍ଡାଙ୍କର ଏ ସୂକ୍ଷ୍ମତମ ଗବେଷଣାର ମର୍ମ ନ ବୁଝି ତାଙ୍କ ପ୍ରତି ଗୋଟାଏ ବିଦ୍ୱେକ୍ଷ ଭାବ ପୋଷଣ କଲେ । ସେମାନେ ଯାଇ ହରିବାବୁଙ୍କୁ କହିଲେ–‘‘ପୋଖରୀଟା ପାଇଁ କିଛି ଚେଷ୍ଟା କରୁ ନାହିଁ କାହିଁକି ? ମଧୁ ପଣ୍ଡାର ଛୁଆପିଲା ମାଛ ଖାଉଥିବେ; ଆଉ ତମ ଛୁଆପିଲା ଚାହିଁ ବସିଥିବେ–ଏହା କଅଣ ଭଲ କଥା ? ସେ ଯେତେ ଟଙ୍କାକୁ ବନ୍ଧା ରଖିଥିଲା, ତାହାର ଶଏ ଗୁଣ ମାଛ ବିକ୍ରିରୁ ଆଦାୟ କରି ନେଇ ସାରିଲାଣି । ପୋଖରୀ ଦାବୀରେ ତମେ ମୋକଦମା କର; ଆମ୍ଭେମାନେ ସାକ୍ଷୀ ହେବୁଁ । ତମର ପୋଖରୀ ବୋଲି ବା କିଏ ନ ଜାଣେ ? ପିଲାଠାରୁ ବୁଢ଼ାଯାଏ ସମସ୍ତେ କହୁଛନ୍ତି–ପଟନାୟକଘର ପୋଖରୀ । ତମ ପକ୍ଷରୁ ଆମ୍ଭେମାନେ ଯାଇ ତାକୁ କହିବୁଁ; ସେ ଛାଡ଼ିଦେଲା ତ ଭଲ, ନ ହେଲେ ତମେ ମୋକଦମା କର ।’’ ପ୍ରସ୍ତାବକମାନଙ୍କ ମଧ୍ୟରେ ନିତେଇ ଦାସ ଅଗ୍ରଣୀ । ହରିବାକୁ କହିଲେ–‘‘ଆଚ୍ଛା ହେଉ, ତୁମ୍ଭେମାନେ ଆଗେ ଯାଇ ପଚାର, ପରେ ଯାହା ହେବ କରାଯିବ ।’’ ଅଯାଚିତ ଭାବରେ ସହାୟତା ମିଳିଲେ ନଷ୍ଟସଂପତ୍ତି ଉଦ୍ଧାର କରିବାକୁ କାହାର ବା ଇଚ୍ଛା ନ ହୁଏ ? ପ୍ରସ୍ତାବକମାନେ ଆଶାନୁରୂପେ ଉତ୍ତର ପାଇ ମଧୁ ପଣ୍ଡାଙ୍କୁ ଯାଇ କହିଲେ–‘‘ହରିବାବୁ ଆମ୍ଭମାନଙ୍କଦ୍ୱାରା କହି ପଠାଇଲେ, ତମେ ତାଙ୍କ ପୋଖରୀଟା ଏବେ ଛାଡ଼ିଦିଅ ।’’ ପଣ୍ଡା ମୂଳ କାରଣଟା ବୁଝିପାରି କହିଲେ–‘‘ମୂଳ ପଚାଶ ଟଙ୍କା, ଆଉ ଚାଳିଶ ବର୍ଷର ସୁଧ ହିସାବ କରି ଦେଇ ପକାଇଲେ ପୋଖରୀ ଛାଡ଼ିଦେବାରେ ମୋର ଆପତ୍ତି ନାହିଁ । ଟଙ୍କାରେ ମାସକୁ ଦୁଇ ପଇସା ସୁଧ ଧରିଲେ ସୁଦ୍ଧା ମୋର ମୂଳ କଳନ୍ତର ମିଶି ଛଅଶ କି ସାତଶ ଟଙ୍କା ହେବ ।’’
ପ୍ରସ୍ତାବକ–ତାହା ହୋଇପାରେ; ମାତ୍ର ପ୍ରତିବର୍ଷର ମାଛ ବିକ୍ରି ହରେଦରେ ଶଏ ଟଙ୍କା ହେଲେ ଚାଳିଶ ବର୍ଷରେ ତୁମ୍ଭ ଚାରି ହଜାର ଟଙ୍କା ନେଇ ସାରିଲାଣି । ତାହା ଯଦି ହରିବାକୁ ଦାବୀ କରନ୍ତି ?
ମଧୁ–ହେଉ, ସେ ଦାବୀ କରି କେଉଁ ବାଗେ ନେବେ, ନେଉନ୍ତୁ ।
ପ୍ରସ୍ତାବକ–କେଉଁ ବାଗେ କଣ, ମୋକଦମା କରିବେ ।
ମଧୁ–ଉତ୍ତମ କଥା, ମୋକଦମା କରନ୍ତି–ମୁଁ ସୋରିଷ ଖୋଳି ପଶିବ ନାହିଁ ।
‘‘ଆଛା, ତେବେ ଦେଖାଯିବ’’ ବୋଲି କହି ପ୍ରସ୍ତାବକମାନେ ଫେରି ଆସି ହରିବାବୁଙ୍କୁ ସାଳଙ୍କାରରେ ଫୁଲାଇ ଫେଣାଇ ସବୁ କଥା ଜଣାଇଲେ । ତହୁଁ ମୁନସଫ୍କୋର୍ଟରେ ଦଖଲ ଉଚ୍ଛେଦ ମୋକଦମା ଦାଏର ହେଲା ଏବଂ ଯଥାସମୟରେ ହରିବାବୁଙ୍କର ଜୟ ହେଲା । ଗ୍ରାମବାସୀଏ ହାତତାଳି ଦେଇ ଆନନ୍ଦ ପ୍ରକାଶ କଲେ । ଅନନ୍ତର ମଧୁ ଜଜ୍କୋର୍ଟରେ ଅପିଲ କରି ଡ଼ିଗ୍ରୀ ପାଇଲେ । ମୋକଦମାର ଗତି କ୍ରମେ ଊର୍ଦ୍ଧ୍ୱକୁ ଉଠିଲା । ହରିବାବୁ ହାଇକୋଟ କରିବେ ବୋଲି ଟଙ୍କା କରଜ ପାଇଁ ନିତେଇ ଦାସଙ୍କ ନିକଟକୁ ଆସିଥିଲେ । ଉଭୟଙ୍କ ମଧ୍ୟରେ ଯେଉଁ କଥୋପକଥନ ହେଲା, ତାହା ପାଠକମାନେ ପୂର୍ବରୁ ଜାଣିଅଛନ୍ତି ।
ହରିବାବୁ ଘରେ ପହଞ୍ଚିଲେ । ତାଙ୍କର ମୁଖ ଚିନ୍ତାଚ୍ଛାୟାଚ୍ଛନ୍ମ । ପତ୍ନୀ ଅନ୍ନପୂର୍ଣ୍ଣା ତାଙ୍କର ଏ ଭାବ ଲକ୍ଷ୍ୟ କଲେ; ମାତ୍ର ଅଗାଧୁଆ ଅଖିଆ ରଞ୍ଜାଳିଆ ବେଳରେ ପ୍ରଶ୍ନ କରିବା ଅନୁଚିତ ମଣି ନୀରବରେ ସ୍ୱାମୀଙ୍କ ପରିଚର୍ଯ୍ୟାରେ ନିଯୁକ୍ତ ହେଲେ । ଅନ୍ନପୂର୍ଣ୍ଣା ଯେପରି ଗୃହକାର୍ଯ୍ୟପ୍ରବୀଣା, ସେହିପରି ପତିଭକ୍ତି ପରାୟଣା । ସ୍ୱାମୀଙ୍କ ପଦୋଦକ ସେବନ ନ କରି ସେ ଜଳ ସୁଦ୍ଧା ଗ୍ରହଣ କରନ୍ତି ନାହିଁ । ଆଧୁନିକ ପାଠେଇ ବହୁମାନଙ୍କର ସ୍ୱାମୀଙ୍କ ଉପରେ କର୍ତ୍ତୃତ୍ୱ ସ୍ଥାପନକୁ ସେ ଅନ୍ତରର ସହିତ ଘୃଣା କରନ୍ତି । ସ୍ୱାମୀଙ୍କୁ ନ ପଚାରି ସେ କୌଣସି କାର୍ଯ୍ୟ କରନ୍ତି ନାହିଁ । ଥରେ ହରିବାବୁ କହିଥିଲେ–‘‘ତମେ ଏ ଘରର ଘରଣୀ, ଯାହା ଭଲ ବୁଝିବ ତାହା କରିବ; ସବୁବେଳେ ମୋତେ ପଚାରି କାର୍ଯ୍ୟ କରିବା ଉଚିତ ନୁହେଁ ।’’ ଅନ୍ନପୂର୍ଣ୍ଣା କହିଲେ, ‘‘ପ୍ରଭୁ, ଉଚିତ ଅନୁଚିତ ଜାଣେ ନାହିଁ, ମୁଁ ଅଜ୍ଞାନା ଅବଳା; କେବଳ ମାତାଙ୍କର ଉପଦେଶରୁ ଏତିକି ଜାଣିଛି ଯେ–ସ୍ୱାମୀ ଦେବତା, ଦେବତାଙ୍କ ଆଦେଶ ନ ନେଇ ନିଜ ଲଚ୍ଛାରେ କିଛି କରିବା ଦେବପୂଜନୀର କାର୍ଯ୍ୟ ନୁହେଁ । ମୁଁ ଏ ଘରର ଗୃହିଣୀ ନୁହେଁ–ଦାସୀ ମାତ୍ର । ମୋର ଦାସୀ ଉପାଧି ଗୃହିଣୀ ଉପାଧିଠାରୁ କୋଟିଗୁଣେ ଗୌରବାବହ ।’’ ଧନ୍ୟ ଅନ୍ନପୂର୍ଣ୍ଣା, ତୁମ୍ଭେ ଗୃହିଣୀ ନୁହଁ–ଗୃହର ଦେବୀ । ତୁମ୍ଭ ପରି ସହଧର୍ମଣୀ ଭାଗ୍ୟରେ ମିଳନ୍ତି । ତୁମ୍ଭେ ଅନ୍ନପୂର୍ଣ୍ଣାରୁପରେ ଏ ଘରେ ଅଛ ବୋଲି ଏତେ ପତନ ସତ୍ତ୍ୱେ ଆଜି ସୁଦ୍ଧା ଏ ଘର ଅନ୍ନଶୁନ୍ୟ ହୋଇ ନାହିଁ ।
ଅନ୍ନପୂର୍ଣ୍ଣା ଲୋଟା, ଗାମୁଛା ଏବଂ ତେଲଗାଡ଼ି ଆଣି ପିଣ୍ଡାରେ ରଖିଦେଲେ । ହରିବାବୁ ତେଲ ଲଗାଇ ଗାଧୋଇବାକୁ ଗଲେ । ସେ ଗାଧୋଇ ଆସି ପୂଜା କରିବେ, ଏହି ଅବସରେ ଅନ୍ନପୂର୍ଣ୍ଣାଙ୍କୁ ଅନ୍ନବ୍ୟଞ୍ଜନ ରନ୍ଧନ କରିବାକୁ ହେବ । ସେ ପୋଥିଗାଦି ଘରେ ମୁଠାଏ ପାଣି ଛିଞ୍ଚିଦେଇ କମ୍ବଳ ଖଣ୍ଡେ ଚାରି ଚଉତା କରି ବିଛାଇ ଦେଲେ ଏବଂ ବ୍ୟାସାସନ ସହିତ କୋଥଳି ଆଣି ତାହା ଉପରେ ରଖିଦେଇ ହାଣ୍ଡିଶାଳକୁ ଗଲେ । ଦିପଖା ଚୁଲୀ ଲଗାଇଦେଇ ଭାତଡ଼ାଲି ବସାଇ ଦେଲେ । ଭାତଡ଼ାଲି ହୋଇ ସାରିଲା ବେଳକୁ ପରିବା କଟା, ବେସର ବଟା ହୋଇଯାଇଥିଲା । ତାହା ପରେ ସନ୍ତୁଳା ହୋଇଥିବା ମାଛ, ବଡ଼ି, ବାଇଗଣ ପଡ଼ି ତୁଣ ହେଲା । କାଲି ରାତିରୁ ଆମ୍ବିଳା ତୁଣ ରନ୍ଧା ହୋଇ ଅଛି; ସୃତରାଂ ଆଛ କିଛି ରାନ୍ଧିବାର ଆବଶ୍ୟକତା ହେଲା ନାହିଁ । ସ୍ୱାମୀ ସ୍ଣାନ କରି ଆସିଲେ । ଅନ୍ନପୂର୍ଣ୍ଣା ମଠା ଲୁଗାଟା ତାଙ୍କ ହାତକୁ ବଢ଼ାଇଦେଲେ । ସ୍ୱାମୀ ଲୁଗା ପାଲଟି ସାରିଲା ପରେ ତାଙ୍କ ପଲଟା ଲୁଗା ନେଇ ଶୁଖାଇ ଦେଲେ ଏବଂ ସ୍ୱାମୀଙ୍କ ଗୋଡ଼ ଧୋଇ ଦେଇ ପଣତ କାନିରେ ପୋଛି ଦେଲେ । ହରିବାବୁ ପୂଜା ସାରି ଭୋଜନରେ ବସିଲେ । ଅନ୍ନପୂର୍ଣ୍ଣା ପଂଖା ଧରି ବିଞ୍ଚି ଦେଉଁ ଦେଉଁ ‘‘ଏହା ଖାଅ, ତାହା ଖାଅ’’ ବୋଲି ଅନୁରୋଧ କରିବାକୁ ଲାଗିଲେ । କିନ୍ତୁ ହରିବାକୁ ସେଦିନ ଖୁବ୍ଉଣା ଖାଇଲେ । ତାଙ୍କର ତେଲଲୁଗାଠାରୁ ଖାଇବା ପର୍ଯ୍ୟନ୍ତ ଅନ୍ୟମନସ୍କ ଭାବ ଅନ୍ନପୂର୍ଣ୍ଣାଙ୍କର ଦୃଷ୍ଟି ଏଡ଼ି ପାରି ନ ଥିଲା । ସେ ଖାଇ ସାରି ହାତ ଧୋଇ ଖଟ ଉପରେ ବସିଲେ । ଅନ୍ନପୂର୍ଣ୍ଣା ତାଙ୍କୁ ପାନ ଦେଇ ସାରି ପଚାରିଲେ–‘‘ଆଜି ତମ ମୁହଁ ଇମିତି କାହିଁକି ଦିଶୁଚି ?’’
ଅନ୍ନପୂର୍ଣ୍ଣା–ଯିମିତି କି ଗୋଟିଏ ଚିନ୍ତା ତମକୁ ଘାରି ପକେଇଚି ।
ହରିବାବୁ–ଆଉ କିଛି ନୁହେଁ, ସେହି ମୋକଦମା କଥା ଭାବୁଥିଲି ।
ଅନ୍ନପୂର୍ଣ୍ଣା–ଅପିଲ୍କରିବ ପରା ?
ହରିବାବୁ–ହଁ, ଅସିଲ କରିବି ଯେ, ତାହା ତ ଆଉ ଖାଲି ହାତରେ ହେବ ନାହିଁ ।
ଅନ୍ନପୂର୍ଣ୍ଣା–କଉଁଠୁ ହେଲେ ଦିଟଙ୍କା ଉଧାର ଆଣ ।
ହରିବାବୁ ମୁହଁରେ ଟିକିଏ ଶୁଷ୍କ ହାସ୍ୟ ଫୁଟାଇ କହିଲେ,–‘‘ତୁମେ କି ପିଲା ମଣଷ ଶ୍ରୀକାନ୍ତବଉ, ଦିଟଙ୍କାରେ ଅପିଲ୍ହେବ ! ସମୁଦ୍ରକୁ ଶଙ୍ଖେ ପାଣି, ଉଟ ମୁହଁକୁ ଜୀରା ! ଏକା ଓକିଲ ତ ଦୁଇଶ ଟଙ୍କା ନେବ । ଆଜି ଯାଇ କଥା କରି ଆସିଲି । ସେ କାଲି ଶଏ ଟଙ୍କା ନେବ; ମୋକଦମା ଶେଷରେ ଆଉ ଶଏ ଟଙ୍କା ନେବ ବୋଲି ଜବାବ ହେଲା । ନିତେଇ ଦାସ ପାଖକୁ କରଜ ଆଣିବାକୁ ଯାଇଥିଲି । ତାହା ପାଖରେ ଟଙ୍କା ନାହିଁ । ସେ କହିଲା, ‘କିଛି ମାଲ ଆଣିଲେ ମୁଁ ଆଉ ଜାଗାରୁ କରିଦେବି । ଆଛା ଶ୍ରାକାନ୍ତବଉ, ଆମ ଘରେ ଭଙ୍ଗା ସୁନା ଗହଣା କିଛି ଅଛି କି ?’’ ଅନ୍ନପୂର୍ଣ୍ଣା କହିଲେ–‘‘ତିନି ଚାରି ଟଙ୍କାର ସୁନା ରୁପା ଅଛି, ତେତକ ଅବା କଅଣ ହେବ ? ଥାଇ ଥାଇକି ଅଛି ସେହି ରୁପାଚୁଡ଼ୀ ହଳକ, ସେ ତ ଲକ୍ଷ୍ମୀଚୁଡ଼ୀ–ତାକୁ ଦେବି ନାହିଁ । ମୋ ଶାଶୁ ମୋତେ କହିଯାଇଛନ୍ତି–ଯେତେ ଦୁଃଖ ହେଉ, ଖାଇବାକୁ ପଛେ ନ ମିଳୁ, ଏ ଚୁଡ଼ୀକି ବିକିବୁ ନାହିଁ କି ବନ୍ଧା ପକେଇବୁ ନାହିଁ । ଶାଶୁଙ୍କ ଆଜ୍ଞା ତ ମୁଁ କେବେ ଏଡ଼ି ପାରିବି ନାହିଁ ।’’ ହରିବାବୁ କହିଲେ–‘‘ଶାଶୁଙ୍କ–ଆଜ୍ଞା ଲଙ୍ଘନ କରିବାକୁ କିଏ କହୁଛି ? ଆଉ ତମେ ସେ ପାତ୍ରୀ ନୁହଁ । ତେବେ ବିକିବ ନାହିଁ ସିନା, ବନ୍ଧା ଦେବାକୁ ଦୋଷ କଅଣ ? ଆପଦ ବେଳେ କି ଗରଜ ବେଳେ କାମରେ ଆସିବ ବୋଲି ସିନା ପଦାର୍ଥ କରାଯାଇଥାଏ । ଆଉ ତ କିଛି ନାହିଁ, ଅଛି କେବଳ ଘରତଳିଖଣ୍ଡ ।’’ ସ୍ୱାମୀଙ୍କ କଥା ଶେଷ ନ ହେଉଣୁ ଅନ୍ନପୂର୍ଣ୍ଣା ଚମକି ଉଠି କହିଲେ–‘‘ନା ନା, ଚୁଡ଼ୀ ପଛେ ବନ୍ଧା ଦିଅ; ଘରତଳି ଦିଅ ନାହିଁ । ଭଗବାନ୍ଛୁଆଖଣ୍ଡ ଦେଇଛନ୍ତି, ସେ ପୁଣି ମୁଣ୍ଡ ଗୁଞ୍ଜିବ କଉଁଠି ? ମୋର ସତ ମାଲ ହୋଇଥିଲେ ମୋର ଚୁଡ଼ୀ ମୋ ଘରକୁ ଆସିବ । ତମେ କିଛି ଚିନ୍ତା କର ନାହିଁ, ଚୁଡ଼ୀ ବନ୍ଧା ଦେଇ ଟଙ୍କା ଆଣ ।’’
ତହିଁ ପର ଦିନ ଅନ୍ନପୂର୍ଣ୍ଣା ସିନ୍ଦୁକରୁ ଚୁଡ଼ୀ ବାହାର କରି ସ୍ୱାମୀଙ୍କୁ ଦେଲେ । ତାଙ୍କ ଆଖିରୁ ଦୁଇ ଟୋପା ଲୁହ ଗଡ଼ି ପଡ଼ିଲା । କାଳେ ତାହା ସ୍ୱାମୀଙ୍କ ଦୃଷ୍ଟିରେ ପଡ଼ିଯିବ, ଏହି ଭୟରେ ସେ ମୁହଁକୁ ପଛକୁ ଫେରାଇ ନେଇ ଅତି ସାବଧାନରେ ଲୋତକରେଖା ଲୁଗାକାନିରେ ଲିଭାଇ ଦେଲେ । ହରି ବାବୁ ଚୁଡ଼ୀ ନେଇ ପ୍ରସ୍ଥାନ କଲେ । ଅନ୍ନପୂର୍ଣ୍ଣାଙ୍କ ପଣ–ଗୋସାଇଁ ଶଶୁର ଟଙ୍କାରେ ଟଙ୍କାଏ ବାଣ ଦେଇ ଉକ୍ତ ଚୁଡ଼ୀ କଲିକତାରୁ ପ୍ରସ୍ତୁତ କରାଇ ଆଣିଥିଲେ । ଚୁଡ଼ୀ ଡାଇମନ୍କଟା; ଗଢ଼ଣ ଏବଂ କାରୁକାର୍ଯ୍ୟ ଅତି ଚମତ୍କାର । ବିବିଧ ବର୍ଣ୍ଣର ମୂଲ୍ୟବାନ୍ପଥର ଯୋଗେ ଗୁଡ଼ୀର ସୌନ୍ଦର୍ଯ୍ୟ ଶତଗୁଣ ବଢ଼ିଅଛି । ଘରର ଗୃହଣୀ ଗୁରୁବାର-ଓଷାବିନ ସେହି ଚୁଡ଼ୀ ପିନ୍ଧି ଧାନ ସେର ପୂଜା କରନ୍ତି; ସେହି ହେତୁରୁ ତାହାର ନାମ ଲକ୍ଷ୍ମୀଚୁଡ଼ୀ ହୋଇଅଛି । ଅନ୍ନପୂର୍ଣ୍ଣାଙ୍କ ପଣଗୋସାଇଁ ଶାଶୁଙ୍କ ଅମଳରୁ ତାଙ୍କ ଘରେ କ୍ରମାନ୍ୱୟରେ ଏହି ଧାରା ଚଳି ଆସୁଅଛି ।
ହରିବାବୁ ଦାସଙ୍କ ହାତକୁ ଚୁଡ଼ୀ ବଢ଼ାଇ ଦେଇ କହିଲେ–‘‘ଆଉ କିଛି ନାହିଁ, ଏ ଲକ୍ଷ୍ମୀଚୁଡ଼ୀ ହଳକ ଥିଲା । ଶ୍ରୀକାନ୍ତ ବଉ ଦେଉ ନ ଥିଲେ, ଅନେକ କୁହାବୋଲା କରି ଆଣିଲି ।’’ ଦାସେ ଅନେକ ଥର ଲେଉଟାଇ ପାଲଟାଇ ଦେଖିଲେ । ଦୃଷ୍ଟ ପ୍ରଲୋଭନ ଅଲକ୍ଷ୍ୟରେ ଅନାହୃତ ଭାବରେ କାହୁଁ ଆସି ତାଙ୍କର ହୃଦୟ ଆକ୍ରମଣ କଲା । ସେ ମନେ ମନେ ଭାବିଲେ–‘‘ଏଥିରେ ଲାଗିଥିବା ପଥରର ମୂଲ୍ୟ ଦୁଇଶ ଟଙ୍କାରୁ ଉଣା ହେବ ନାହିଁ । ତାହା ଉପରେ ରୁପାର ମୁଲ୍ୟ ଅଛି । ଏ ଚୁଡ଼ୀ ବନ୍ଧା ରଖି ଶଏ ଟଙ୍କା ଦେଲେ କିଛି କ୍ଷତି ନାହିଁ । ବର୍ତ୍ତମାନ ଟଙ୍କା ଦେଲେ ହରିବାବୁ ମୋର ଛଅଟା ଜାଣିପକାଇବେ; ଯେ ହେତୁ ଅନ୍ୟ କେଉଁଠାରୁ ଆଣି ଦେବି ବୋଲି ତାଙ୍କୁ ମୁଁ ଆଗରୁ କହିଥିଲି । ବର୍ତ୍ତମାନ କୌଣସି କୌଶଳରେ ତାଙ୍କ ଘରକୁ ପଠାଇ ଦେବା ଉଚିତ ।’’ ଯେ କୁଟବୁଦ୍ଧିରେ ପ୍ରବୀଣ, କୁଟକପଟର ସୁକ୍ଷ୍ମସୂତ୍ରଗୁଡ଼ାକ ତାହା ଆଖି ଆଗରେ ଖେଳିବୁଲେ । ସୁତରାଂ ତାକୁ ଅଧିକକ୍ଷଣ ଭାବିବାକୁ ହୁଏ ନାହିଁ । ଦାସେ ହରି ବାବୁଙ୍କ କହିଲେ–‘‘ତମେ ଘରକୁ ଯାଅ; ମୁ ବେଳ ଓଳିକଠେଇଁ ଟଙ୍କା ନେଇ ଦେଇ ଆସିବ । ଜଣକୁ କହିଥିଲି, ସେ ଦେବାକୁ ରାଜି ହୋଇଛି । ଚାରିଟା ଖାଇଦେଇ ମୁଁ ଏହିଲାଗେ ତାହା ପାଖକୁ ଯିବି । ତମ କଥାରେ କି ମୋର ହେଳା ଅଛି ବାବୁ ? ତମକୁ କହିଦେଇ ମୁଁ ମୋର ଚେଷ୍ଟାରେ ଲାଗିଛି । କାଳି ତମେ ଗଲା ପରେ ମୁଁ ଢେର ହାଇପିସାଇସି ହେଲି । କହିଲି–‘‘ବାବୁ ମନରେ କଅଣ ଭାବିବେ, ସେ ତ ଦିନେ କହନ୍ତି ନାହିଁ । ଦଇବେ ଆଜି କହିବାକୁ ମୋ ହାତରେ ଟଙ୍କା ନାହିଁ । ହେଉ, ସେଥିରେ କଅଣ ଅଛି, ଗରଜ ମେଣ୍ଟିଗଲେ ହେଲା ।’’ ହରିବାବୁ ଆଉ କିଛି ବାକ୍ୟବ୍ୟୟ ନ କରି ଚାଲିଗଲେ । ଦାସେ ଘର ଭିତରକୁ ଯାଇ ଉଷାଙ୍କୁ ଚୁଡ଼ୀ ଦେଖାଇଲେ । ଉଷା କହିଲେ–‘‘ଜିନିଷ ପରି ଜିନିଷ ଗୋଟାଏ ଏକା, ଘର କରି ଇମିତି ପଦାର୍ଥ ରଖିଲେ ସିନା ସୁନ୍ଦର, ଖାଲି ଟଙ୍କା ରଖି କଅଣ ହେବ ? ଚୁଡ଼ୀ ହଳକ ଦେଖିଲା ବେଳୁ ଲୋଭ ହଉଚି ।’’ ଦାସେ ଶୁଷ୍କମୁଖରେ କହିଲେ–‘‘ଲୋଭ ହେଲେ କଅଣ ହେବ, ଯାହାର ଚିତ ସେ ତ ନେଇଯିବ ।’’
ଉଷା–ଟଙ୍କା ଆଗେ ଦଉ ! ଇମିତି କେତେ ମାଲ ତ ବନ୍ଧାଛନ୍ଦା ପକାଇ ମୁକୁଳେଇ ପାରିଲା ନାହିଁ–ସବୁ ପର ଖାଇଲେ, ଆଉ ଏ ଚୁଡ଼ୀ ମୁକୁଳେଇ ନେଇଯିବ ?
ଉଷା–ଦେଲେ ? ତମେ ଯାହା କହିଚ ମୁଁ ଶୁଣିନାହିଁ କି ? ଆଉ କଉଁଠୁ ଟଙ୍କା ଆଣି ଦବ ବୋଲି କହିଛ ପରା ? ଯେବେ ଟଙ୍କା ଆଣିବ, ତେବେ ତମେ କହିବ–ଯା’ ଘରେ ବନ୍ଧା ରଖିଥିଲି, ତା’ ଚୋର ନେଇଗଲା ।
ଦାସେ–ଓଃ, କେତେ ଛନ୍ଦ ଫିକର ତମକୁ ଜଣା, ଧନ୍ୟ ତୁମର ବୁଦ୍ଧି !
ଉଷା–ସେ କଥା ପଛକୁ କହିବ, ଆଗେ ଚୁଡ଼ୀ ସିନ୍ଦୁକରେ ରଖିଦେଇ ତାହାକୁ ଟଙ୍କା ଦେଇ ଆସ ।
ପତ୍ନୀଙ୍କ ଆଜ୍ଞା ଶିରୋଧାର୍ଯ୍ୟ କରି ଦାସେ ଚୁଡ଼ୀ ନେଇ ସିନ୍ଦୁକରେ ରଖିଦେଲେ ଏବଂ ଟଙ୍କା ବାହାର କରି ହରିବାବୁଙ୍କ ଘରକୁ ଗଲେ । ହରିବାବୁ ଚାତକ ପରି ଚାହିଁ ବସିଥିଲେ । ଦାସେ ତାଙ୍କ ହାତରେ ଟଙ୍କା ଗଣିଦେଇ କହିଲେ–‘‘ବଡ଼ କଷ୍ଟରେ ମିଳିଲା ବାବୁ । ଆଗେ କହିଲା, ଟଙ୍କାରେ ଅଣେ ସୁଧ ନ ହେଲେ ଦେବ ନାହିଁ । ଅନେକ ବୁଝାଇ ଶୁଝାଇ କୁହାବୋଲା କରି ଦୁଇ ପଇସା ସୁଧାରେ କଥା କରି ଆଣିଲି; ତେବେ ସୁଦ୍ଧା କହିଛି–ଦୁଇମାସ ମଧ୍ୟରେ ନ ନେଲେ ଚାରିପଇସା ସୁଧରୁ ଉଣା ହେବ ନାହିଁ । ସମାନସ୍କନ୍ଧ ଲୋକ ହେଲେ ସିନା କଥା କହିବ; ଆଉ ବହୁ ଭୁଆସୁଣୀଙ୍କ କଅଣ କହିବ ? ଏ ତ ପୁଣି ହେଲା ଲୁଚାଚୋରା ବେଭାର ।’’ ହରିବାବୁ କହିଲେ–‘‘ଯାହା ହେଉ, ତମ ଉପକାର ମୁଁ ଶୁଝି ପାରିବି ନାହିଁ ।’’ ଦାସେ ତାଙ୍କୁ ଅଧିକ କହିବାକୁ ନ ଦେଇ କହିଲେ–‘‘ଏ କି କଥା କହୁଛ ବାବୁ, ସମୟ ଅସମୟ ସମସ୍ତଙ୍କର ଅଛି, ମୋର ଅସମୟ ପଡ଼ିଲେ ତମେ କଅଣ ସାହାଯ୍ୟ କରିବ ନାହିଁ ? ଆଉ ଗୋଟାଏ କଥା କଅଣ କି ବାବୁ, ମୁଁ କାହାରି ବିକଳ ସହି ପାରିବା ଲୋକ ନୁହେଁ, ମୋ କୋଷ୍ଠୀରେ ତାହା ନାହିଁ । ବଖତ ବେଳେ ଯେ କାହାର ଉପକାର ନ କରେ, ସେ କି ମନୁଷ୍ୟ ? ପାଖରେ ନ ଥିଲେ ମୁଁ କରଜ କରି ଆଣିଦିଏ; ମାତ୍ର କାହାକୁ ମନା କରେ ନାହିଁ । ତମେ ତ ସବୁ ଜାଣ, ଆଉ ଅଧିକ ବା କଅଣ କହିବି ?’’ ଏହା କହି ଦାସେ ବିଦାୟ ନେଲେ ଏବଂ ହରିବାବୁ ଟଙ୍କା ଘେନି ଓକିଲ ପାଖରୁ ଗଲେ ।