ରୁପାଚୁଡ଼ୀ
ଚିନ୍ତାମଣି ମହାନ୍ତି · ଭାଗ ୧୧ / ୧୮
ସମ୍ପୂର୍ଣ୍ଣ ସୂଚୀପତ୍ର
ତ୍ରୟୋଦଶ ପରିଚ୍ଛେଦ
ନିତେଇ ଦାସଙ୍କ କନ୍ୟାର ବିବାହ ହୋଇଗଲା । ହରିବାବୁଙ୍କର ମୋକଦ୍ଦମାରେ ଜୟ ହେଲା । ଆମୋଦ ଆହ୍ଲାଦରେ କିଛି ଦିନ ଅତିବାହିତ ହେଲା । ହରିବାବୁ ଖର୍ଚ୍ଚସ୍ୱରୂପ ଯେଉଁ ତିନିଶ ଟଙ୍କା ପାଇଥିଲେ ସେଥିରୁ ଶଏ ଟଙ୍କା ବିଜୟୋତ୍ସବ ସକାଶେ ଦେଇଥିଲେ । ଅବଶିଷ୍ଟ ଦୁଇଶ ମଧ୍ୟରୁ କେତେ ଟଙ୍କା ଖର୍ଚ୍ଚରେ ଉଡ଼ିଗଲାଣି । ତାଙ୍କର ପୂର୍ବପୁରୁଷମାନେ ସାହାଖର୍ଚ୍ଚୀ ଥିଲେ । ହରିବାବୁ ସୁଦ୍ଧା ସେମାନଙ୍କର ସେହି ପ୍ରତିଷ୍ଠା ରକ୍ଷା କରି ‘‘ବଂଶଭୂଷଣ’’, ‘‘ଯୋଗ୍ୟପୁତ୍ର’’ ଆଖ୍ୟାର ଅଧିକାରୀ ହୋଇଛନ୍ତି । ପୂର୍ବପୁରୁଷମାନେ ବିପୁଳ ଉପାର୍ଜନକ୍ଷମ ଥିଲେ; ସେମାନଙ୍କ ଅମଳରେ ଦୋଳଯାତ୍ରାରେ ତିନି ମହଣ ଅବିର ଖର୍ଚ୍ଚ ହେଉଥିଲା । ବର୍ତ୍ତମାନ ଶୂନ୍ୟହସ୍ତ ହୋଇ ସୁଦ୍ଧା ହରିବାବୁ ସେହି ଧାରା ପାଳନ କରି ଆସୁଅଛନ୍ତି । ପୂର୍ବେ ବହୁକୁଟୁମ୍ବ ଥିଲେ ଦଶହରାକୁ ପାଞ୍ଚହାଣ୍ଡି ମଣ୍ଡାପିଠା ହେଉଥିଲା । ବର୍ତ୍ତମାନ କୁଟୁମ୍ବ ବିରଳ; ତଥାପି ସେହି ପାଞ୍ଚହାଣ୍ଡିରୁ ଉଣା ହୁଏ ନାହିଁ । ଋଣ କରି ବଂଶୀୟ ପ୍ରତିଷ୍ଠା ରକ୍ଷା କରାଯାଏ । ସେ ଋଣ ପରିଶୋଧ ବେଳକୁ ଭୂସଂପତ୍ତି ବିକ୍ରୟ ଅନିବାର୍ଯ୍ୟ ହୋଇଉଠେ । ଏହିପରି ଅନ୍ଧ ଅଭିମାନ ଏବଂ ଅଦୂରଦର୍ଶିତା ହେତୁ ସେ ବିପୁଳ ସଂପତ୍ତି ହରାଇ ବସିଅଛନ୍ତି । ତଥାପି ତାଙ୍କର ଦୋଷ ନୁହେଁ, ଦୋଷ ସଂସାରର । ସଂସାର-ସାଗରରେ ସଂପତ୍ତିର ଜୁଆରଭଟା ଚିରକାଳ ଲାଗିଅଛି । ସେ ଛିଡ଼ିବାପାଇଁ ବଢ଼େ । ଯେଉଁମାନେ କଥାକେ କଥାକେ ମାନହାନିର ବ୍ୟର୍ଥ ସ୍ୱପ୍ନ ଦେଖନ୍ତି, ସେମାନେ ମାନର ଅର୍ଥ ଜାଣନ୍ତି ନାହିଁ । ମାନର ଅର୍ଥ ବଡ଼ଲୋକି ବା ଆଭିଜାତ୍ୟ ପ୍ରଦର୍ଶନ ନୁହେଁ–ନିଜସ୍ୱ ଅର୍ଥାତ୍ମନୁଷ୍ୟତ୍ୱ ରକ୍ଷା । ପତ୍ନୀ ଅନ୍ନପୂର୍ଣ୍ଣାଙ୍କ ତାଡ଼ନାରେ ହରିବାବୁ ରୂପାଚୂଡ଼ୀର ସୁଧ ହିସାବ କରିବା ସକାଶେ ଦାସଙ୍କ ଘରକୁ ଆସିଲେ । ଦାସେ ତାଙ୍କୁ ଆଦରରେ ଗ୍ରହଣ କରି ବସିଥିବା ନଡ଼ିଆ ଚଟାଇର ବଳକା ସ୍ଥାନରେ ବସାଇ ହସି ହସି କହିଲେ–‘‘କି ବାବୁ, ମୋ କଥା ହେଲା ନା ? ମୁଁ କହିଥିଲି ପରା ହାଇକୋଟରେ ମୋକଦମା ନିଶ୍ଚେ ଓଲଟି ଯିବ । ଡିଗ୍ରୀ ତ ହେଲା, ଏବେ ମିଠେଇଖିଆ ଆଣ । କାହିଁକି ବା ଜୟ ନ ହେବ, ତମ ଗୋସବାପ ଆଉ ବାପ ତ କାହାରି ହଳଦିଆ ପାଣିରେ ଗୋଡ଼ ଧୋଇବା ଲୋକ ଥିଲେ ନାହିଁ; ତମେ ବି ତ ସୁନାମୁଣ୍ଡେ, ତମର ସତ୍ସଂପତ୍ତି କୁଆଡ଼େ ଯିବ ? ହେଲେ, ହୃଷୀ ପଣ୍ଡା ପୁଅ ମଧୁଆର ଦର୍ପରୁର୍ଣ୍ଣ ହୋଇଗଲା । ଭୋଜି ଦିନ ଆଉ ସେ ଘରୁ ବାହାରିଛି କି ? ଜୋକ ମୁହିଁରେ ଲୁଣ ଦେଲା ପରି ମୋଡ଼ି ହୋଇ ଘର କୋଣରେ ଲୁଚି ରହିଲା । ତମେ ଏକା ଖୁବ୍ପଟେ ଦେଇଚ ବାବୁ ।’’ ହରିବାବୁ ଦାସଙ୍କ ପ୍ରଶଂସାରେ ଫୁଲି ଉଠି କହିଲେ–‘‘ଋଣରେ ଏକା ବୁଡ଼ିଗଲି ଦାସପୁଅ; ତେର ଟଙ୍କା ଖର୍ଚ୍ଚ ହେଲା ।’’
ଦାସେ–ଟଙ୍କା ଖର୍ଚ୍ଚ ନ ହେଲେ କେଉଁ କାର୍ଯ୍ୟ ହୋଇପାରିବ ବାବୁ ? ନଷ୍ଟ ସଂପତ୍ତି ଉଦ୍ଧାର କରିବା କି ସାମାନ୍ୟ କଥା ? ସେଥିରେ ଖର୍ଚ୍ଚ ନ କଲେ ଚଳିବ କିପରି ? ଆଉ ଖର୍ଚ୍ଚ କଥା ବାବୁ କୁହ ନାହିଁ । ଏହି ଯେ ବିଭାଘରଟା କଲି, ହିସାବ କଲେ ହଜାରେ ଟଙ୍କା ଖର୍ଚ୍ଚରୁ କଡ଼େ କଉଡ଼ି ଊଣା ହେବ ନାହିଁ । ଏହା ଛଡ଼ା ତା’ମା ଆହୁରି ସୁନାହାର ସୁନା ବାଜୁ ହେରିକା କଣ ଦେଇଛନ୍ତି ବୋଲି ଶୁଣୁଛି । କଥାରେ କହନ୍ତି ପରଝିଅ ଲାଗି ମା’ ଚୋରଣୀ !
ହରି–ଯା’ହେଉ ବିଭାଘରଟି ସୁରଖୁରୁରେ ହୋଇଗଲା–ବଡ଼ ଆନନ୍ଦର କଥା ।
ଦାସେ–ହଁ ବାପ, ତମ ଦୟାରୁ କିଛି ବିଘ୍ନ ଘଟି ନାହିଁ ।
ହରି–ରାମ ରାମ, ମୁଁ ତ କିଛି କରି ନାହିଁ ।
ଦାସେ–ଏଁ, କିଛି କରି ନାହିଁ, ପାଞ୍ଚ ଜଣ ମିଶି କାମଟି ତୁଲାଇ ଦେଲ–ସେହି ଢେର । କଥ ପଦକ ଛଡ଼ା ମୁଁ ଆଉ କିଛି ଖୋଜେ ନାହିଁ ବାପ !
ହରିବାବୁ ଯହିଁ ଲାଗି ଆସଛନ୍ତି, ସେ କଥା କିଛି ହୋଇ ନାହିଁ; ସୁତରାଂ ଦାସଙ୍କର ଏସବୁ ବାଜେ କଥା ତାଙ୍କୁ ଭଲ ଲାଗୁ ନାହିଁ । କେବଳ ବକ୍ତାର ଆଗ୍ରହାବି ଶଯ୍ୟାରେ ଶ୍ରୋତାକୁ ବାଧ୍ୟ୍ୟ ହେବାକୁ ପଡ଼ୁଅଛି । ଏହା ଚକ୍ଷୁଲଜ୍ଜାର ବଳାତ୍କାର ଯନ୍ତ୍ରଣା । ଯାହା ହେଉ, ଦାସଙ୍କ କଥା ଶେଷରେ ହରିବାବୁ କହିଲେ–‘‘ଚୁଡ଼ୀର ସୁଧ କେତେ ହେବ, ମୁଁ ବୁଝିବାକୁ ଆସିଥିଲି । ଅସଲ, ସୁଧ ଯାହା ହେବ, ତାହା ଦେଇ ଚୁଡ଼ୀହଳକ ମୁକୁଳାଇ ନେବି ।’’
ଦାସେ–ହେଉ, ମୁ୍ଁ ପଚାରି ବୁଝି ତମକୁ କହିବି । ବୋଧ ହୁଏ ବର୍ଷେ ହେବ ପରା ? ଦେବାବେଳେ ତ କହିଥିଲା–ଦୁଇମାସ ମଧ୍ୟରେ ନ ନେଲେ ଅଣାକିଆ ସୁଧରୁ ଊଣା କରିବି ନାହିଁ । ଝୁଣ୍ଟିପତି ଆଙ୍ଗୁଳିଟା ବଥା କରୁଥିବାରୁ ମୁଁ ଢେର ଦିନୁ ସେ ସାହିକୁ ଯାଇ ନାହିଁ । ବଥା ଛାଡ଼ିଗଲେ ସାତ ଆଠ ଦିନ ପରେ ଯାଇ ବୁଝି ଆସିବି ।