ରୁପାଚୁଡ଼ୀ
ଚିନ୍ତାମଣି ମହାନ୍ତି · ଭାଗ ୧୦ / ୧୮
ସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱାଦଶ ପରିଚ୍ଛେଦ
ଉଷା ହରିପ୍ରିୟାଙ୍କ ସଙ୍ଗରେ କଳହ କରି ଆସିବାବେଳେ ତାଙ୍କର ସ୍ୱାମୀ ଘରେ ନ ଥିଲେ-। ସ୍ୱାମୀ ତାଙ୍କର ଯନ୍ତ୍ର୍ରଣାୟିତ କ୍ଷତର ଶୀତଳ ଅମୃତ ପ୍ରଲେପ, ଦୈନ୍ୟର ଭିକ୍ଷା, ନୈରାଶ୍ୟର ଧୈର୍ଯ୍ୟ ଏବଂ ମତର ସମର୍ଥକ । ତାଙ୍କ ପାଖରେ ହରିପ୍ରିୟାଙ୍କର କଟୁ ଭର୍ତ୍ସନା କଥା ନ କହିଲେ ତାଙ୍କର ମାନସିକ କ୍ଳେଶ ଦୂର ହେବ ନାହିଁ–ପୁୟପୂର୍ଣ୍ଣ ଘା ପରି ହୃଦୟ ପିଣିପିଣି ହେଉଥିବ । କଥାଗୁଡ଼ାକ ତାଙ୍କ ପେଟରେ ଜୀର୍ଣ୍ଣ ନ ହୋଇ କଳକଳ ବଳବଳ ହେଉଥାଏ ଅଧୀର ରୋଗୀ ଚିକିତ୍ସକକୁ ଚାହିଁ ବସିଲା ପରି ସେ ବ୍ୟାକୁଳ ଉତ୍କଣ୍ଠାସହକାରେ ସ୍ୱାମୀଙ୍କ ଆଗମନ ପ୍ରତୀକ୍ଷାରେ ନିର୍ନିମେଷ ନେତ୍ରରେ ଚାହିଁ ବସିଥାନ୍ତି । ମନେ ମନେ ନାନାକଥା ଭାବୁଥାନ୍ତି । ହଟିଆଣୀସ୍ମୃତି ମଧ୍ୟେ ମଧ୍ୟେ ହରିପ୍ରିୟାଙ୍କ ଭର୍ତ୍ସନାର ତୀବ୍ର ତପ୍ତ ବାସ୍ପ ଆଣି ତାଙ୍କ ହୃଦୟରେ ପ୍ରବେଶ କରାଇ ଦେଉଥାଏ-। ସେହି ଅସହ୍ୟ ଅନଳ ବାସ୍ପରେ ତାଙ୍କର ଅନ୍ତରାତ୍ମା ହାଉ ହାଉ ହୋଇ ଜଳିଉଠୁଥାଏ । ମାତ୍ର ଏ ଦାରୁଣ ଅବସ୍ଥା ତାଙ୍କୁ ଅଧିକ କ୍ଷଣ ସହିବାକୁ ହେଲା ନାହିଁ । ଘଡ଼ିକ ପରେ ନିତେଇ ଦାସ ଆସି ଘରେ ପହଞ୍ଚିଲେ । ଶ୍ରାବଣର ପୂର୍ଣ୍ଣଗର୍ଭା କାଦମ୍ବିନୀ ଅସମ୍ଭାଳ ଜଳରାଶି ଢାଳି ଦେଲା ପରି ଉଷା ଏକନିଃଶ୍ୱାସରେ କଳହର ବିବରଣ ଉଦ୍ଧାର କରି ପକାଇଲେ । ହରିପ୍ରିୟା ଯାହା ଯାହା କହିଥିଲେ, ତାହାକୁ ଫେଣାଇ, ଫୁଲାଇ, ଆଉ କେତେ ଆକାଶ-ତୋଳା ନିର୍ମଳ ମିଥ୍ୟା ତହିଁରେ ମିଶାଇ ସ୍ୱାମୀଙ୍କୁ ଉପହାର ଦେଲେ । ଉଷା ଠାକୁରାଣୀ କଥାକୁ ଯେପରି ପୃଥୁଳ କରିପାରନ୍ତି, କୌଣସି ଦକ୍ଷ ବୈୟାକରଣିକ ପ୍ରତିପଦରେ ବିଶେଷଣ ଏବଂ ଅଳଙ୍କାର ପ୍ରୟୋଗଦ୍ୱାରା ବାକ୍ୟକୁ ସେପରି ପୃଥୁଳ କରି ପାରିବେ ନାହିଁ । କଥାକୁ ସପ୍ତରଙ୍ଗରେ ରଞ୍ଜିତ କରିବା ଉଷାଙ୍କର ଗୋଟାଏ ଅଲୌକିକ ଶକ୍ତି । ବହୁ ଅନୁଶୀଳନଦ୍ୱାରା ସେ ଏହି ଶକ୍ତି ବୃଦ୍ଧି କରିଅଛନ୍ତି । ଦାସେ ମନୋଯୋଗପୂର୍ବକ ସବୁ କଥା ଶୁଣି ସହଧର୍ମିଣୀଙ୍କୁ କହିଲେ–‘‘ତମେ ସେଠିକି କଳି କରିବାକୁ କାହିଁକି ଗଲ ?’’ ଉଷା କହିଲେ–‘‘ମୁଁ ସେହି ଚୁଲିପଶା ଟାମାକୁ ଖୋଜିବାକୁ ଯାଇଥିଲି । ମୁଁ କହିଲି–ଚେମାମା, ତମେ ସୁଦ୍ଧା ଟୋକାଟାକୁ ଟିକିଏ ଦାଣ୍ଟ ନାହିଁ ? ଏତକ କହିଚି, ଆଉ ଯାଏଁ କୁଆଡ଼େ ! ତାହା ମନକୁ ଯାହା ଆସିଲା, ତାହା କହିଗଲା । ରୋଗରେ ଶୁଖି ଶୁଖି ଗୋଟାଏ ପେତୁଣୀ ପରି ଦିଶୁଚି, ତେବେ ବି କି ଦିମକି ଲୋ ମା-। ବଡ଼ଲୋକର ମାଇପ ବୋଲି ଏତେ ଫୁଲାଣ, ନା କଅଣ-? ବଡ଼ ଲୋକ ହେଲେ ତୋ ଘରକୁ, ତୋ ବଡ଼ଲୋକିକୁ କିଏ ଧୋଇ ପିଇବ, ନା ଘୋରି ପିଇବ ଲୋ ରାଣ୍ଡ ଆଣ୍ଡୁକୁଡ଼ୀ ପୁତଖାଈ ନିଅଂଶୀ ? ମୋତେ ଫେର୍କହୁଚି–ତାହାରି ଟଙ୍କାରେ ତ ତମେ ମହାଜନ ବୋଲଉଚ, ନ ହେଲେ ଲେଙ୍ଗୁଟିଆ ବଷ୍ଟିମ ଜାତି, ଭିକ ମାଗୁ ମାଗୁ ଦିନ ସରୁ ନ ଥାନ୍ତା ! ଏ କଥା ଶୁଣି ତ ମୋତେ ଭେଳକା ମାରି ନେଇଗଲା । କାଳେ କେହି ଶୁଣିବ, ଏହି ଭୟରେ ମୁଁ ଆଉ ପାଟି ଫିଟାଇ ନାହିଁ । ‘ସେ ଭାରି ଟଙ୍କାଟିଆଟା–ଖାଲି ଏତକ କହି ଦେଇ ଏକମୁହାଁ ହୋଇ ପଳାଇ ଆସିଲି । ମୁଁ ଜାଣେ ପରା–ଏ ଗାଁବାଲା ଡାକୁଣୀଖିଆମାନେ ଟାମାକୁ ଟେଇ ଦେଉଛନ୍ତି । ମୁଁ ଖୁଆଇ ପିଆଇ ବଢ଼ାଇଲି, ଏବେ ମୁଣ୍ଡକୁ ହାତ ପାଇଲା ଯେ, ରଇଜଳା ପର ଶିଖାରେ ପଡ଼ି ମୋତେ ମାନିବ ନାହିଁ ।’’ ଦାସେ କହିଲେ–‘‘ ମୋର ତ ସେହି ଡର, କାଳେ ରାମା ପର ବୁଦ୍ଧିରେ ପଡ଼ି ଟଙ୍କା ଦାବୀ କରି ବସିବ । ପାଇବ ତ ତ୍ରିଫଳା ! ଏ ନିତେଲ ଦାସ ସାତଘାଟର ପାଣୀ ପେଇଦେବା ଲୋକ । ଆଉ କେହି ନୁହେଁ ଯେ, ଛାନିଆ ହୋଇଯିବ ! ତେବେ ଗୋଟାଏ ଗୋଳମାଳ ହେବା ଭଲ ନୁହେଁ । ସେ ପାପ ମୋ ଘରୁ ଗଲେ ମଙ୍ଗଳ; ମାତ୍ର ବାହାର କରିଦେଲେ ଗୋଟାଏ କଳଙ୍କ ହେବ । ସେ ଯେପରି ଆପେ ଆପେ ଯାଏ, ତମେ ସେହି ବାଟ କର, ସୁଦୁରା ମା-!’’ ସୁଦୁରୀ ମା କହିଲେ–‘‘ସେ ବାଗ ମୋତେ ଆସେ, ସବୁ ଖଞ୍ଜ ମୋତେ ଜଣା, ଖାଲି ଝିଅଟାର ବାହାଘର ହୋଇଗଲେ ମୋର ମନ୍ତ୍ର ମୁଁ ପ୍ରୟୋଗ କରିବି । ଟାମା ଥିଲେ ସେତେବେଳେ ଅନେକ କାମ କରିବ । ଝିଅ ଘିଅ, ତାକୁ ସବୁଦିନେ କିଏ ରଖି ପାରିବ ? ଦେଖୁ ଦେଖୁ ତାହାର ବି ତ ଆସି ଏଗାର ବର୍ଷ ପୁରିଗଲା, ଏବେ ତମେ ପାତ୍ର ଖୋଜ ।’’
ଦାସେ–ପାତ୍ର ତ ଠିକ୍ହୋଇଛି–ସେହି ବଳଗାଁ ଅଧିକାରୀଙ୍କ ପୁଅ । ପିଲାଟି ରୁପବାନ୍, ଗୁଣବାନ୍ବିଷୟ ସମ୍ପତ୍ତି ଗୋଟାଏ ଜମିଦାର ପରି । ସେଠାରେ କଲେ ଆମକୁ ବି ଗହଣା ଲାଗିବ ନାହିଁ–ସେ ସବୁ ଗହଣା ଆଣି ତାଙ୍କ ବହୁକୁ ପିନ୍ଧାଇ ନେଇଯିବ ବୋଲି କହିଛନ୍ତି ।
ଉଷା–ଛି, ଛି, ବାପ ହୋଇ ତମେ ଏ କଥା କହୁଚ ନା ? ସାତଟା ନାହିଁ କି ପାଞ୍ଚଟା ନାହିଁ, ଧାଇଁ ଧାଇଁ ଝିଅ ବୋଲି ଖଣ୍ଡେ, ତାକୁ ପାଞ୍ଚ ଖଣ୍ଡ ଗହଣା ବି ଦେବ ନାହିଁ ! ସେ ତ ବଡ଼ ଲୋକ, ତାଙ୍କ ବହୂକୁ ସେ ସୁନାରୁପାରେ ଛାଇଦେଇ ପାରନ୍ତି; ତେବେ ତମକୁ ଲୋକେ କଅଣ କହିବେ ? ଆଉ ଝିଅଟିକି ବି କାଳକାଳକୁ ଗୋଟାଏ ଖୁଣ୍ଟା ରହିବ । ତମେ କିଛି ନ ଦିଅ ପଛକେ, ମୁଁ ସେହି ଚୁଡ଼ୀ ଦିପଟ ମୋ ଝିଅକୁ ଦେବି ।