ରୁପାଚୁଡ଼ୀ
୧୮୬୭–୧୯୪୩
- ପଢ଼ିବା ସମୟ
- ୨୬୨ ମିନିଟ୍
- ଶବ୍ଦ
- ୪୧୯୪୬
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଥମ ପରିଚ୍ଛେଦ
‘‘କି ହୋ ଉଠ ହୋ, ବେଳ ଆସି ବୁଡ଼ିବାକୁ ବସିଲାଣି–ତେବେ ବି ନିଦ ଭାଙ୍ଗୁ ନାହିଁ, ଏ କି ଗହନ ନିଦ ଲୋ ମାଆରାଣୀ !’’ ପିଢ଼ାରେ ଶୁଖୁଥିବା କେତେ ଖଣ୍ଡ ଲୁଗା ତୋଳୁଁ ତୋଳୁଁ ଉଷା ସୁପ୍ତ ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଉପରୋକ୍ତ ବାକ୍ୟ ପ୍ରୟୋଗ କରୁଥିଲେ । ତାଙ୍କର ଅଧେ ମନ ଲୁଗା ତୋଳାରେ–ଆଉ ଅଧକ ସ୍ୱାମୀଙ୍କ ନିଦ୍ରାଭଙ୍ଗରେ ନିଯୁକ୍ତି ଥିଲା । କିନ୍ତୁ ତାଙ୍କର ଏ ସୁଆଗ-ଶ୍ଳୋକ ସ୍ୱାମୀ ନିତ୍ୟାନନ୍ଦ ଦାସ ଡାକ ନାମ ନିତେଇ ଦାସଙ୍କ କର୍ଣ୍ଣକୁହର ସ୍ପର୍ଶ କରିପାରିଲା ନାହିଁ; ସ୍ୱାମୀଙ୍କ ନାସିକା ଗର୍ଜନରେ ଧକା ଖାଇ ଆକାଶରେ ମିଳେଇ ଗଲା । ସ୍ୱାମୀଙ୍କ କାନକୁ ନ ଗଲା ତ ନାହିଁ, ନିଦ୍ରାଦେବୀଙ୍କ ସିଂହାସନ ତଳେ ପହୁଞ୍ଚି ପାରିଥିଲେ ସେ ଟିକିଏ ଆଡ଼େଇ ହୋଇଯାଇଥାଆନ୍ତେ; ‘‘ଗହନ’’ ଏଡ଼େ ବଡ଼ ବିଶେଷଣଟାଏ ଲାଭ କରି ସେ କଦାଚ ଅକୃତଜ୍ଞ ହୁଅନ୍ତେ ନାହିଁ । ନିଦ୍ରାଦେବୀ ବୋଧହୁଏ ଶଂଖଚିଲ ମୁହଁ ଚାହିଁ ଘରୁ ବାହାରିଥିଲେ; ନଚେତ୍ଏଭଳି ଉଚ୍ଚ ସାର୍ଟିଫିକେଟ ତାଙ୍କ ଭାଗ୍ୟରେ ଘଟି ନ ଥାନ୍ତା । ଉଷା ଲୁଗାଗୁଡ଼ିକ ଅଲଗୁଣିରେ ସଜାଡ଼ି ରଖିଲେ । ତହିଁ ପରେ ସ୍ୱାମୀଙ୍କ ପିଠି ପାଖରେ ବସି ତାଙ୍କୁ ହଲାଇ ଦେଇ ଡାକିଲେ,–‘‘ସୁଦୁରୀବାପ ! ସୁଦୁରୀବାପ ! କି ହୋ ଉଠ ହୋ ।’’ କନ୍ୟା ସୁଭଦ୍ରା ଜନ୍ମ ହେଲା ଦିନୁ ଗୃହଣୀ ସ୍ୱାମୀଙ୍କୁ ‘‘ସୁଦୁରୀବାପ’’ ଉପାଧିରେ ଭୁଷିତ କରିଅଛନ୍ତି; ପ୍ରତିଦାନରେ ସେ ସୁଦ୍ଧା ସ୍ୱାମୀଙ୍କଠାରୁ ‘‘ସୁଦୁରୀମା’’ ଉପାଧି ଲାଭ କରିଅଛନ୍ତି । ପ୍ରଣୟିନୀଙ୍କ ସୁଆଗ-ଶୀତଳ ହସ୍ତର ଅମୃତସ୍ପର୍ଶରେ ହେଉ ବା ପ୍ରେମ-ସ୍ନିଗ୍ଧ ଆହ୍ୱାନରେ ହେଉ, ଦାସେ ଦେହରୁ ନିଦ ଝାଡ଼ିଝୁଡ଼ି ଦେଇ ଉଠି ବସିଲେ । ନିଦଟା ଯେ ପାକଳ ହୋଇ ନାହିଁ, ତାଙ୍କର ଜବାକୁସୁମଙ୍କାଶ ଅର୍ଦ୍ଧନିମୀଳିତ ନେତ୍ର ସେଥିର ନୀରବ ସାକ୍ଷ୍ୟ ପ୍ରଦାନ କରୁଥିଲା । ସେ ଆଖି ମଳି ମଳି ନିଦ୍ରୋତ୍ଧିତ ପାଣ୍ଡୁର ମୁଖରେ ହର୍ଷ-ଉଲ୍ଲାସର ମୃଦୁ-ହାସ୍ୟ ଫୁଟାଇ ସ୍ତ୍ରୀର ବାହୁରେ ଈଷତ୍ପ୍ରେମ-ଠେଲା ମାରି କହିଲେ–‘‘ହଠାତ୍ କେଡ଼େ ସ୍ୱପ୍ନଟା ଭାଙ୍ଗି ଦେଲ । ଆଃ, ସ୍ୱପ୍ନଟା ଯଦି ସତ ହୋଇଯାଆନ୍ତା, ତେବେ କି ମତା ସୁଦୁରୀମା ।’’
ଉଷା–ହଁ, ସପନ ସତ ହବ, ତତଲା ପାଣିରେ ଘର ପୋଡ଼ିଯିବ, ଖରାରେ ଖଇ ଉଡା ହେବ, ଆଉ ତୁମେ ବସି ମଜା ଲୁଟିବ ! ସପନରେ କଅଣ ହୋଇଥିଲ–ସ୍ୱର୍ଗର ଇନ୍ଦ୍ର, ନା ମଞ୍ଚର ନରେନ୍ଦ୍ର ?
ନିତେଇ–ତା’ କିଛି ବଡ଼ କଥା ନୁହେଁ ।
ଉଷା–କିଲୋ ମା, ତା’ଠଉଁ ବି ବଡ଼ ! ଆଚ୍ଛା ତେବେ କି ସପନ କୁହନି ଟିକିଏ ଶୁଣେ; ଆଉ ସୁଖ ସପନରେ ଦିନ କଟିଯାଏ କି ନା, ଥରେ ପରୀକ୍ଷା କରେଁ ।
ନିତେଇ କହିଲେ–‘ତେବେ ଶୁଣ କହୁଚି । ଏହି ସ୍ୱପ୍ନ ଦେଖିଥିଲି ଯେ, ବେଳ ରତ ରତ ହେଉଥାଏ, ମୁଁ ଆମ ବାଡ଼ି ପଛ ନଇକୂଳରେ ବୁଲୁଥିଲି । ଅସ୍ତଗାମୀ ସୂର୍ଯ୍ୟର ରକ୍ତବୋଳା ପୀତ କିରଣ ନଈପାଣିରେ ପଡ଼ି ବଡ଼ ସୁନ୍ଦର ଦିଶୁଥାଏ–ସତେ ଯେପରି ବିଶ୍ୱକର୍ମ ଆଉଟା ସୁନା ତଳେ ନାଳ ଚିରି ଢାଳି ଦେଇଛି ! ଦୂରରେ ପର୍ବତଟା ଓଲଟା କୋହି ପରି ଦିଶୁଥାଏ । ବଣିଆର ସ୍ୱଭାବ, ସେ ଆଉଟି ସାରି କୋହଟା ଉଗୁଡ଼େଇ ପକାଏ । କୁଲିମାନେ କାମ ଶେଷରେ ଦଳ ଦଳ ହୋଇ ଘରକୁ ଫେରିଗଲା ପରି ପକ୍ଷୀମାନେ ସେହି କିରଣସାଗର ଗର୍ଭରେ ବୁଡ଼ି ବୁଡ଼ି ଭାସି ଯାଉଥାଆନ୍ତି-। ଗୋଟିଏ ‘‘ଜଳପିଂପି’’ ଚଢ଼େଇ ନଇକୂଳ କୋଚିଲା ଗଛରେ ‘‘ଜଳପିଁପିଁ, ଜଳପିଁପିଁ’’ ଶଦ୍ଦ କରୁଅଛି-। ଆନୁନାସିକ ସ୍ୱରରେ ସେ କାହାକୁ କି ଜଳ ପିଇବାକୁ କହୁଅଛି, ତାହା ସେହି ଏକା ଜାଣେ । ପୂର୍ବଦିଗ ବିରକ୍ତ ବିରସ ମୁଖରେ, ଉଦ୍ୟସବ୍ୟଥିତ ନେତ୍ରରେ ଅସ୍ତଗାମୀ ସୁର୍ଯ୍ୟକୁ ଦେଖୁଅଛି । ଗୋଟାଏ ହୁଗୁଳା ଛିଣ୍ଡା ମଲ୍ଳୀମାଳା ବାୟୁରେ ଉଡ଼ିଗଲା ପରି ଧାଡ଼ି ଧାଡ଼ି ହୋଇ ବଗ ଉଡ଼ି ଯାଉଛନ୍ତି । ପବନ ଫୁର୍ଫୁର୍ହୋଇ ବହୁଛି; ଦୂର ଉପବନର ଶେଫାଳୀ-ସୌରଭ ସେଥିରେ ଭାସି ଆସୁଛି । ନଈ ଆରପାରିରେ ଖଣ୍ଡିଆଭୂତ ଚକ୍ରାକାରରେ ବାଲି ଉଡ଼ାଇ ଖେଳୁଛି । ଏହା ସବୁ ଦେଖି ଦେଖି ମୁଁ ନଇକୂଳରେ ବୁଲୁଥାଏ । ବୁଲୁଁ ବୁଲୁଁ ଆସି ଆମ ନାକେଇ ଆମ୍ବଗଛମୂଳରେ ପହୁଞ୍ଚିଲି । ଦେଖିଲି, ତା’ ମୂଳରେ ଯେଉଁ ହୁଙ୍କାଟା ଅଛି, ସେଥିରୁ ଝଡ଼ିପୋକ ବାହାରିଲା ପରି ଭଳ ଭଳ ହୋଇ ଟଙ୍କାଗୁଡ଼ାକ ବାହାରି ପଡ଼ୁଛି । ଦେଖିକରି ତ ମୁଁ ତାଟଙ୍କା ହୋଇଗଲି; ମୋର ମୁଣ୍ଡ ଘୁରିଗଲା । ମୁଁ କଅଣ କରିବି, କିଛି ଠିକ୍କରିପାରିଲି ନାହିଁ । ଯାହାହେଉ, ଧୀରେ ଧୀରେ ଯାଇ ଦେଖିଲି, ସତକୁ ସତ ଟଙ୍କାଗୁଡାଏ ! ମୋର ଛାତି ଦାଉଁ ଦାଉଁ ହୋଇଉଠିଲା । କାଳେ କେହି ଯେବେ ଆସି ଦେଖେ, ତେବେ ସର୍ବନାଶ ! ସେଆଡ଼କୁ କେହି ନ ଆସିବାଲାଗି କେତେ ଠାକୁରଙ୍କୁ ମୁଣ୍ଡ ମାରି ମାନସ କଲି-। ଶେଷରେ ଗାମୁଛାରେ ଦି-ବୁଜଳା ଟଙ୍କା ବାନ୍ଧିଲି; ଆଉ କୁଞ୍ଚକାନି ଫିଟାଇ ବୁଜୁଳାଏ ବାନ୍ଧିଲି । ତେବେ ବି ସରିଲା ନାହିଁ । ତେତିକିବେଳେ ମୋର ତଣ୍ଟିଟା ମୋଟା ହୋଇଗଲା-। ଆଉ ଉପାୟ ନ ଦେଖି କେତେଗୁଡ଼ାଏ ଟଙ୍କା ଥଳିରେ ଚାଉଳ ନାଇଲା ପରି ଗିଳି ପକାଇଲି । ଦେଖୁଁ ଦେଖୁଁ ପେଟଟା ହାତୀପେଟ ପରି ଢୋଲ ହୋଇଗଲା । ଆଉ ଅଳିଚଳି ନ ପାରି ଶୋଇ ରହିଲି । ଘଡ଼ିକ ପରେ ତମେ ଯାଇ ପହୁଞ୍ଚିଲା । ମୋତେ ଦେଖି ତମେ ଛାନିଆ ହୋଇଗଲ-। ମୁଁ କହିଲି, ‘‘ଦେଖୁଛ କଅଣ ସୁଦୂରୀମା, ଚଞ୍ଚଳ ଯାଇ ଆମ ଗୁହାଳକତା ସିଇଡାଟା ଘେନିଆସ, ବୋଝକେତେ ଟଙ୍କା ଘରକୁ ବୋହିନେଇ ଯା, ମୁଁ ଟଙ୍କା ଗିଳି ଅଳିଚଳି ପାରୁନାହିଁ ।’’ ତୁମେ ଧାଇଁ ଯାଇ ସିଇଡା ଆଣି ଟଙ୍କା ବୋହି ନେଇଗଲା, ସବୁ ସରିଲାରୁ ମୋ ପାଖରେ ଆସି ଠିଆ ହେଲ । ମୁଁ ଟିକିଏ କଡ଼ ନେଉଟାଇବାବେଳେ ପେଟ ଫାଟିଯାଏ ଟଙ୍କାଗୁଡାକ ଝମ୍ଝମ୍ ହୋଇ ବାହାରି ପଡ଼ିଲା । ସଙ୍ଗେ ସଙ୍ଗେ ମୁଁ ମଧ୍ୟ ମରିଗଲି ।’’ ସୁଦୁରୀମା ମୁଁହଟାକୁ ପେଡ଼ି ପରି କରି କହିଲେ–ଥାଉ ହୋ ଥାଉ, ଏ କି ଅଶୁଭ କଥା ? ଅଲେଇ ବଲେଇ ସବୁ ଧୋଇଯାଇ, ସେ ନିଆଁ ସପନରେ ନିଆଁ ଲାଗୁ, ମୁଁ ଆଉ ଶୁଣିବି ନାହିଁ ।’’ ତହୁଁ ଦାସେ ମୁରୁକି ମୁରୁକି ହସି କହିଲେ–‘‘ଶୁଣତି, ଆଉ ଅଳ୍ପ ଅଛି । ସେଇତ କଣ ହେଲା କି, ମୁଁ ତ ମରିଗଲି; ମାତ୍ର ସବୁ ଦେଖୁଥାଏଁ, ଶୁଣୁଥାଏଁ । ମୋ ପେଟରୁ ବାହାରିଥିବା ଟଙ୍କାଯାକ ତମେ ଘରକୁ ନେଇଗଲ । ସବୁ ହାଣ୍ଡି, ଆଟିକା, ମାଠିଆରେ ସାଇତି ରଖି ଘରେ କୁଞ୍ଚି ଦେଇ ପୁଣି ମୋ ପାଖକୁ ଆସି ଗୁଣୁ ଗୁଣୁ ହୋଇ ବାହୁନି କାନ୍ଦି ବସିଲ । ଠିକ୍ନିଶବଦ ରାତିରେ ହରପାର୍ବତୀ ବାସୁଆବଳଦ ଉପରେ ବସି କଥାବାର୍ତ୍ତା କହି କହି ଆକାଶରେ ଯାଉଥିଲେ । ଆଉ କିଛି କଥା ନୁହେଁ–ତାଙ୍କ କୈଳାସର ଭୁତସାହୀ କଥା । କାଳିଆ ଭୁତକୁ ଭାରି ଜ୍ୱର; ସେ କୁଇନାଇନ୍ଖାଇ ଖାଇ ବାଉଳା ହୋଇଗଲାଣି । ଧିନ୍ଦାଭୁତର ମାଇପଟା ଭାରି ଉଲେଇ–ସେ ରାନ୍ଧୁ ରାନ୍ଧୁ ହାଣ୍ଡିରେ ଖାଇଦିଏ । ଚିକିଟା ଭୁତଟା ଦାବା ଖେଳରେ ହଳହଡା ସବୁ ବିକି ସାରିଲାଣି । ଗିଧିଆଭୁତର ପୁଅ ଏଥର ଏମ୍.ଏ. ପାସ କରି ଉତ୍ତରକୈଳାସ ଜିଲ୍ଲାରେ ମେଜେଷ୍ଟର ହୋଇଅଛି । ଏହିପରି କେତେ କଥା କହି କହି ଯାଉଥିଲେ । ତମ କାନ୍ଦଣା ଶୁଣି ପାର୍ବତୀ କହିଲେ–‘‘ରୁହ ରୁହ ମହେଶ୍ୱର, ଏତେ ରାତିରେ ମଞ୍ଚରେ କିଏ କାନ୍ଦୁଛି, କାହାର କି ଦୁଃଖ ! ଏତେ ଲୋକଙ୍କର କଷ୍ଟ ଫେଡ଼ି ଆସିଲେ, ଏତେ ଚାଲ କିଏ କାନ୍ଦୁଛି ଦେଖିବା ।’’ ଇଶ୍ୱର କହିଲେ–‘‘ତମର ଆଉ କିଛି ନାହିଁ, କିଏ କେଉଁଠି କାନ୍ଦିଲା–କାହାର କି କଷ୍ଟ ହେଲା, ଖାଲି ଏହି ବେଉସା । ମୁଁ ଆଉ ଯାଇପାରିବି ନାହିଁ, ତମେ ଯିବ ତ ଯାଅ । ମାଇପିଲୋକଙ୍କର ଆଉ କିଛି ନାହିଁ–ଖାଲି ପରଘର କଥା ।’’ ପାର୍ବତୀ ଆଉ କିଛି ନ କହି ମୁହଁ କୁଷୁଣ୍ଡା କରି ବସିଲେ । ତାଙ୍କ ଆଖିର ଝର ଝର ହୋଇ ଲୁହ ଗଡ଼ିପଡ଼ିଲା । ମହାଦେବ ଲଜ୍ଜାବୋଳା ଅପ୍ରତିଭ ଦୃଷ୍ଟିରେ ପାର୍ବତୀଙ୍କ ମୁହଁକୁ ଚାହିଁ ଧୀରସ୍ୱରରେ କଅଁଳେଇ କହିଲେ–‘‘ରାଣୀମା, ମୁଁ ତମକୁ କିଛି କହିଲି କି ? ନନ୍ଦୀ ଆଜି ଅଞ୍ଜନ ପରି ଚିକ୍କଣ କରି ଭାଙ୍ଗ ଘୁଣ୍ଟିଥିଲା, ବିରାଟ ଏପଳି ଧରି ପକେଇଛି ଯେ, ବେଳେ ବେଳେ ମୁଁ ବେହୋଗ ହୋଇଯାଉଛି, ଏପରି କି ମୋ ଭିତରେ ମୁଁ କହିପାରୁ ନାହିଁ । ଯେବେ କିଛି ଅନ୍ୟାୟ କଥା କହିଥାଏ, ତେବେ ତୁମ୍ଭ ଧାଙ୍ଗଡ଼ ଭାଙ୍ଗଡ଼ ସ୍ୱାମୀର ଦୋଷ ଧରିବ ନାହିଁ ।’’ ଏହା କହି ମହାଦେବ ମୌନ ହୋଇ ରହିଲେ । ତାଙ୍କର ବାର୍ଦ୍ଧକ୍ୟ ରେଖାଙ୍କିତ ମୁଖରେ, ଆଉ ବ୍ୟଥାସିକ୍ତ ଦୃଷ୍ଟିରେ ଲଜ୍ଜା ମୁର୍ତ୍ତ ଧରି ଖେଳି ବୁଲିଲା । ପାର୍ବତୀଙ୍କ ରୁଦ୍ଧ ବେଦନା କ୍ରମଶଃ ଫୁଲି ଉଠି ଛାତି ଫଟାଇ ବାହାରି ଆସିବାର ଉପକ୍ରମ ହୋଇଥିଲା । ଅଭିମାନ ହୃଦୟକବାଟ ଭାଙ୍ଗି ବାହାରକୁ ବାହାରି ଆସୁଥିଲା; ମାତ୍ର ସ୍ୱାମୀଙ୍କ କାକୁତି ଶୁଣି ସେ ସବୁ ଭୁଲିଯାଇ ହସି ପକାଇ କହିଲେ–‘‘ବୃଥାରେ କି ତୁମ୍ଭଙ୍କୁ ଲୋକେ ଭୋଳାମହେଷ କହନ୍ତି । ଏହିକ୍ଷଣି ମାଇପିଲୋକଙ୍କର ସ୍ୱଭାବକୁ ନିନ୍ଦା କରୁଥିଲ, ତାହାସବୁ ଭୁଲିଗଲ ?’’ ଶିବ କହିଲେ–‘‘ଏଁ, କିଏ ନିନ୍ଦା କରୁଥିଲା ? ନାରୀଙ୍କ ସ୍ୱଭାବ ବଡ଼ କୋମଳ, ଆଉ ଜଳ ପରି ଶୀତଳ ପୁଣି ତରଳ । ସେମାନଙ୍କର କୋମଳବୃତ୍ତି ସଂସାରକୁ ବଞ୍ଚେଇ ରଖିଛି । ସେମାନଙ୍କର ସ୍ନେହ, ଭକ୍ତି, ଦୟା, ମାୟା ଆଉ ପରୋପକାରିତା ସେମାନଙ୍କ ପ୍ରାଣର ଦୁର୍ଲଭ ଦେବତ୍ୱ; ବିଧାତା ସେମାନଙ୍କର ଦେହ ପାଣିରେ ଗଢ଼ିଅଛି । ଖାଲି ଏତିକି ଯେ, ସେମାନେ ବିଜୁଳି ପରି ନିଜର ରୂପ ଶିଖାରେ ନିଜେ ନ ପୋଡ଼ି ଅପରକୁ ପୋଡ଼ି ମାରନ୍ତି; ମାତ୍ର ସେ କିଛି ନୁହେଁ-। ହଁ, କଣ କହୁଥିଲ–କିଏ କାନ୍ଦୁଛି, ସ୍ୱପ୍ନ ପରି ମୋର ଟିକିଏ ଟିକିଏ ହେତୁ ହେଉଛି । ଆଛା, ଚାଲ ଦେଖିବା–ଆମର ସୃଷ୍ଟି, ଭଲ ମନ୍ଦ ଆମେ ନ ଦେଖିଲେ ଆଉ କିଏ ଦେଖିବ ? ତମର ଏହି ପରୋପକାରିତା ଗୁଣ ହେତୁ ମୁଁ ତମକୁ ଅର୍ଦ୍ଧାଙ୍ଗରେ ମିଶାଇ ରଖିଛି, ଆଉ ଗଙ୍ଗାକୁ ମସ୍ତକରେ ଧରି ବୁଢ଼ାକାଳରେ ହଟହଟା ହେଉଛି । ସେଥିପାଇଁ ଦେବତାମାନେ ପଛରେ ଥଟା କରନ୍ତି–କରନ୍ତୁ, ସେ ପିଲାଗୁଡାକ ନାରୀମାହାତ୍ମ୍ୟ କାହୁଁ ବୁଝିବେ ?’’ ଶିବ ଏହା କହି ପାର୍ବତୀଙ୍କୁ ଘେନି ଆମ ପାଖରେ ଆସି ପହୁଞ୍ଚିଲେ । ତମଠାରୁ ସବୁ ଶୁଣି ମୋ ଉପରେ ଫୁଲପାଣି ଛିଞ୍ଚିଦେଲେ; ସେଇଠୁ ମୁଁ ଧଡ଼ପଡ଼ ହୋଇ ଉଠି ବସିଲି । ଏହି ସମୟରେ ତମ ଡାକ ଶୁଣି ନିଦ ଭାଙ୍ଗିଗଲା ।’’