ନବମ ପରିଚ୍ଛେଦ — ରୁପାଚୁଡ଼ୀ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ନବମ ପରିଚ୍ଛେଦ
ସୁଭଦ୍ରା ରାମାକୁ ରାମାଭାଇ ବୋଲି ଡାକେ ଏବଂ ଆନ୍ତରିକ ଭଲ ପାଏ । ସେ ରାମାର କାଖରେ ବଢ଼ିଅଛି । ସୁଭଦ୍ରା ବର୍ତ୍ତମାନ ଶିଶୁ ନୁହେଁ–ସେ ବଢ଼ିଗଲାଣି । ଯେ ତାହାର ବାଲ୍ୟକାଳର ବାହନ ଏବଂ କ୍ରୀଡ଼ାର ସଙ୍ଗୀ, ତାକୁ ସେ ଭଲ ନ ପାଇବ ବା କିପରି ? ଜନନୀ ଯେତେବେଳେ ରାମାକୁ କଠୋର ଉଷ୍ମ ଉର୍ସ୍ଥନାରେ ଅଭ୍ୟର୍ଥନା କରନ୍ତି; ସୁଭଦ୍ରା ତେତେବେଳେ ମୁହଁଟି ଶୁଖାଇଦିଏ ଏବଂ ମନେ ମନେ ଜନନୀଙ୍କ ପ୍ରତି ବିରକ୍ତ ହୁଏ । ଦିନେ ଦାସଦଂପତି ଘରେ ବସି ଖୋସଗଲପରେ ନିଯୁକ୍ତ ଥିଲେ । କନ୍ୟା ସୁଭଦ୍ରା ପାଖରେ ବସିଥିଲା । ସେ ମାକୁ କହିଲା–‘‘ମା, ତୁ ରାମାଭାଇକି ଏତେ ଗାଳି ଦଉ କାହିଁକି ? ମୁଁ ଢେର ଥର ଦେଖିଛି–ତୁ ଗାଳିଦେଲେ, ସେ ବାଡ଼ିଆଡ଼େ ଯାଇ କାନ୍ଦେ ।’’ ଉଷା କନ୍ୟାର ଏ ଅପ୍ରତ୍ୟାଶିତ କଥା ଶୁଣି ଈଷତ୍କ୍ରୁଦ୍ଧ ସ୍ୱରରେ କହିଲେ–‘‘ହଁ ଲୋ ଗେହ୍ଲେଇ–ରୁଲେଇଟା, କେତେ ବନେଇ ଚୁନେଇ କଥା କହୁଚୁ । ମୁଁ ତାକୁ ଇମିତି ଚେଙ୍କେ ଦାଗେଁଯେ, ସେ ବାଡ଼ିଆଡ଼କୁ ଯାଇ ଆଖିରୁ ଲେମ୍ବୁରସ ଗଡ଼େଇ ପକାଏ ।’’ ଆଉ କେହି ଏପରି କଥା କହିଥିଲେ, ଉଷା ତାହାର ମହତ ସାରି ଦେଇଥାଆନ୍ତେ; ମାତ୍ର ଆଉ କେହି କହି ନାହିଁ–କନ୍ୟା କହିଛି । ସ୍ନେହର ଯନ୍ତ୍ରଣା ତ ସହିବାକୁ ହୁଏ; ସୁତରାଂ ଅଧିକ କିଛି ନ କହି ଏତିକି ମାତ୍ର କହି ମୁହଁ ଭାରି କରି ତୁନୀ ହେଲେ । କନ୍ୟାଟି ମଧ୍ୟ ଛାଡ଼ିବାର ପାତ୍ରୀ ନୁହେଁ–ସେ ଉତ୍ତରାଧିକାରିଣୀ–ସୁତ୍ରରେ ଜନନୀର ଗୁଣ ପ୍ରାପ୍ତ ହୋଇଅଛି । ସେ ପୁନଶ୍ଚ କହିଲା–‘‘ତୁ ତାକୁ କାହିଁକି ଗାଳି ଦଉ ? ସେ ତ ଆମ ଘରେ ଏତେ କାମ କଲେ; ଗାଳିଦେଲେ ତାକୁ ବାଧିବ ନାହିଁ ?’’ ମାତ ଝଙ୍କାର ଦେଇ କହିଲେ–‘‘ ତୋହରି ପରି ରାଜଜେମାଦେଈକି ଫୁଲପାଣି ଯିମିତି ବାଧେ, ସିମିତି ତାକୁ ବାଧି ଯାଉଛି । ତାକୁ ନ ବାଧୁ ପଛକେ ତୋତେ ଆଗେ ବାଧି ଯାଉଥିବ । କଥା କହିବାର ସାଠଣା ଦେଖ-।’’ ମାତା ପୁତ୍ରୀର କଥୋପକଥନ ଶୁଣି ଦାସେ ହୋ ହୋ କରି ହସିଉଠି କହିଲେ–‘‘ଝିଅ ଯାହା କହିଲା ସତ, ତମେ ତାକୁ ଗାଳିଦିଅ ନାହିଁ ନା ? ପର ପୁଅକୁ ସବୁବେଳେ ଉଠୁଣୁ ବସୁଣୁ ଏପରି ଗାଳିଦେବା ଭଲ ନୁହେଁ ।’’ ଉଷା କ୍ରୋଧମିଶା ବିଦ୍ରୁପ ସ୍ୱରରେ କହିଲେ–‘‘ନା, ଏଣିକି ଆଉ ଗାଳି ଦେବି ନାହିଁ–ଦୁବ ବରକୋଳି ପତ୍ର ଦେଇ ପୂଜା କରିବି ! ହାତ ଯୋଡ଼ି କହିବି, ଠାକୁରେ, ଆସ–ଇଷ୍ଟଦେବତା, ଗୁରୁ ଗୋସାଇଁ, ଆସ, ତମକୁ ପିଢ଼ାପାଣି ଦେଇ ଫୁଲଚନ୍ଦନରେ ପୂଜା କରିବି-। ମୁଁ ସିନା ଗାଳିଦିଏଁ, ତମେ ଏବେ ମୁଣ୍ଡେଇ କରି ବସ । ରାମା ଉପରେ ତ କାହିଁକି ଭାରି ମୁଆଁସ ଦେଖୁଚି । ଜର ଭଲ କରି ଦେଲା ବୋଲି କି ?’’ ଏହା କହି କାହାଣେ ଛଟା ଢଗ ଉକାଳି ପକାଇଲେ । ସ୍ତ୍ରୀମାନେ ସ୍ୱଭାବତଃ ପଦ୍ୟପ୍ରବଣ ଜୀବ; ସେମାନେ ଯୋଗୀ ଭିକାରୀ ଗୀତ ଶୁଣିବାକୁ ଭଲ ପାଆନ୍ତି ଏବଂ କଥା କଥାକେ ଛଟା ଢଗ ମେଲି ପଦ୍ୟପ୍ରିୟତାର ପରିଚୟ ଦିଅନ୍ତି । ବିଧାତା ସେମାନଙ୍କୁ ପଦ୍ୟ ଉପାଦାନରେ ସୃଷ୍ଟି କରିଅଛନ୍ତି । ସେମାନେ କବିତାର ସଜୀବ ସଚଳ ପ୍ରତିମା । ପହଳୀ ଯୋଟାରେ କବି, ମହାକବି, ଅତିକବି ସୁଦ୍ଧା ତାଙ୍କୁ ସରି ନୁହନ୍ତି । ଗଛ, ପତ୍ର, କାନ୍ଥ, ବାଡ଼ ସମସ୍ତଙ୍କୁ ଲକ୍ଷ୍ୟ କରି ସେମାନେ ତୁଣ୍ଡେ ତୁଣ୍ଡେ ପଦ୍ୟ ରଚନା କରିଯାଆନ୍ତି । ସେମାନଙ୍କ ପରି ଆଶୁକବି ମହୀମଣ୍ଡଳରେ ବିରଳ । କବିତା କଳାରେ ନିପୁଣ ହେତୁ ସେମାନଙ୍କର କଳାବତୀ ଆଖ୍ୟା ସାର୍ଥକ ହୋଇଅଛି । ଉପମା, ଉତ୍ପ୍ରେକ୍ଷା ତ ସେମାନଙ୍କର ଜିହ୍ୱାଗ୍ରରେ; ସେମାନଙ୍କର କ୍ରନ୍ଦନ ସୁଦ୍ଧା କବିତା । ଶ୍ୱଶୁରାଳୟକୁ ଯିବାବେଳେ ସେମାନଙ୍କର କବିତାଶକ୍ତି ଶତଗୁଣିତ ହୋଇଉଠେ । ରୁପକଥାରେ ତ ସେମାନେ ରୂପବତୀ । ସନ୍ଧ୍ୟା ବେଳେ ଠାକୁରମାଙ୍କ ମୁଖକମଳ–ନିଃସୁତ ରୂପକଥା ଶୁଣିବାର ସୌଭାଗ୍ୟ ଯେଉଁ ମାନଙ୍କ ଜୀବନରେ ଘଟିଅଛି, ସେହିମାନେ ଏ ଉକ୍ତିର ଜୀବନ୍ତ ସାକ୍ଷୀ । ଦାସେ ସ୍ତ୍ରୀଙ୍କ ବିଦ୍ରୁପ ବାଣୀରେ କିଞ୍ଚିତ୍ଅପ୍ରତିଭ ହୋଇ କହିଲେ–‘‘ରାମା ଜ୍ୱର ଭଲ କରୁ ବା ନ କରୁ, ସମସ୍ତେ ତାହାରି ତୁଟୁକାରେ ଜ୍ୱର ଭଲ ହେଲା ବୋଲି କହୁଛନ୍ତି ।’’ କ୍ରୁଦ୍ଧା ତଂପୁଣୀ ପରି ଉଷା ଫଁ କରି ଗୋଟିଏ ନିଃଶ୍ୱାସ ପକାଇ ଉଦାର ଗମ୍ଭୀର ସ୍ୱରରେ କହିଲେ–‘‘ହଁ, ରାମା ତୁଟୁକାରେ ଜର ଭଲ ହୋଇଗଲା । ପଇସା କଉଡ଼ି ତ ମାଟି ଗୋଡ଼ି ପରି ମୁଠା ମୁଠା କରି ବୁଣିଲି–ବେଦବଇଦ ବି ଛାଡ଼ି ଅଲଗା ହେଲେ, ବୁଢ଼ୀ ଡାକ୍ତର ତ ଏକା ଟଙ୍କେ ନେଲା, ପୋଡ଼ାମୁହାଁ ଶଙ୍କରା ଯୋଗୀ ଦୁଇ ଥରରେ ଛ ପଇସା ଲେଖାଏଁ ତିନିଅଣା ନେଲା, କାହାରି ଉଷୁଦରେ ତ କିଛି ହେଲା ନାହିଁ, ଆଉ ରାମା ଭଲ କରିଦେଲା । ‘ଠେକି ପତାରେ ବେକାରେ–ତୁ କଉଁ ମଣଷରେ ଲେଖାରେ ।’’ ଭଲ କଲେ ଠାକୁରେ ଭଲ କରି ଦେଲେ; ଆଉ କିଏ ଭଲ କରିବ ? ମୁଁ ନ ଖାଇ ନ ପିଇ କାନ୍ଦି କାଟି ଯେତେ ଠାକୁରଙ୍କୁ ଡାକିଚି, ମୁଁ ଜାଣେ କି ମୋର ମନ ଜାଣେ । ଯେତେ ଦିନଯାଏଁ ତମେ ଜରରେ ପଡ଼ିଲ, ତେତେ ଦିନଯାଏଁ ମୋ ପେଟକୁ ଦାନା ଯାଇ ନାହିଁ, କି ଆଖିକି ନିଦ ଆସି ନାହିଁ । କାନ୍ଦି କାନ୍ଦି ଆଖି ଦି’ଟା ତ ଗେଣ୍ଡା ପରି ଫୁଲିଗଲା । ଠାକୁରେ ମୋ ଗୁହାରି ଶୁଣିଲେ । ଦେବତା ରଣରୁ ଆଜିଯାଏଁ ବି ମୁଁ ପାର ହୋଇ ନାହିଁ । ପୀରଙ୍କୁ ପଇସାକର ସିରିଣୀ ମନାସିଚି, ତ୍ରିନାଥମେଳା ସହିଚି, ଗାମଦେବତୀଙ୍କି ଛେନାପଣା ଯାଚିଛି । କିମିତି ତାହା ସବୁ ଦେବି, ମୋତେ ବୁଦ୍ଧି ଦିଶୁ ନାହିଁ । ମନ ଯାହା ହେଉଚି, ତାହା ଯେ ଦିନରାତି କରୁଚି, ସେ ଜାଣେ । ଆଉ କିଏ ଜାଣିବ ? କାନ୍ଦି କାନ୍ଦି ପୋଡ଼ା ଆଖିକି ବି ଭଲ ଦିଶୁ ନାହିଁ । ଯା’ ହେଉ, ତମେ ଭଲ ହେଲ, ଏହାମୋର ବଡ଼ାବଡ଼ିଙ୍କ ରାମ୍ୟ । ମୋତେ ଦିଅଣା ପଇସା ଦିଅ, ମୁଁ ଏ ଦେବଋଣରୁ ପାର ହୁଏଁ; ତେବେ ଯାଇ ମୁଁ ଗଙ୍ଗାରେ ସାତ ସିନାନ କଲା ପରି ମଣିବି ।’’
ଏହି ସମୟରେ ଦାଣ୍ଡରେ କିଏ ଡାକିଲା–‘‘ଦାସ ପୁଅ, ଏ ଆଡ଼କୁ ଆସିବ ନା !’’ ‘‘ହଁ ଯାଉଛି’’ ବୋଲି କହି ଦାସେ ତରଭର ହୋଇ ଉଠି ଆସିଲେ । ଦାଣ୍ଡ କବାଟ ଖୋଲି ଆଗନ୍ତୁକ ଉପରେ ଦୃଷ୍ଟି ପଡ଼ିବା ମାତ୍ରେ ସହାସ୍ୟ ବଦନରେ କହିଲେ–‘‘କିଏ ହରି ବାବୁ, କି ବାପା, ଏତେବେଳେ କୁଆଡ଼େ ?’’ ଆଗନ୍ତୁକ ଯୁବକ କହିଲା, ‘‘ତମରି ପାଖକୁ ଆସିଛି ।’’
ଆଗନ୍ତୁକ–କଥା କଅଣ କି, ତଳ କୋଟରେ ତ ମୋର ଡ଼ିଗ୍ରୀ ହୋଇଥିଲା; ମାତ୍ର ଜଜ୍କୋଟରେ ସେ ରାୟ ଫେରିଗଲା । ତେବେ ମୋତେ ହାଇକୋଟ କରିବାକୁ ହେବ । ଓକିଲ ପାଖକୁ ଯାଇଥିଲି; ଏହି ବାଟେ ଆଗେ ତମ୍ଭ କତିକି ଆସିଲି–ଘରକୁ ବି ଯାଇ ନାହିଁ ?
ଦାସେ–ଓକିଲ କଅଣ କହିଲା ? ରାୟ ନକଲ ତାକୁ ଦେଇଥିଲ ନା ?
ଆଗନ୍ତୁକ–ମୁଁ ଯାଇ ପହଞ୍ଚିଲା ବେଳେ ଓକିଲ ଖଣ୍ଡେ କି ଆଇନ ବହି ପଢ଼ୁଥିଲା । ମୋ ଆଗରୁ ପାଞ୍ଚ ଛ ଜଣ ଯାଇ, କେହି ବସିଥିଲା, କେହି ବା ଠିଆ ହୋଇଥିଲା । ମୁଁ ସେମାନଙ୍କ ପାଖରେ ଯାଇ ଛିଡ଼ା ହେଲି । ଓକିଲ ମୋତେ ଟିକିଏ ଅନାଇ ଦେଇ ଆଉ କିଛି କହିଲା ନାହିଁ–ପୂର୍ବ ପରି ବହି ପଢ଼ି ବସିଲା । କିଛିକ୍ଷଣ ପରେ ଜଣେ ମୌତିଲ ତିନୋଟି ଟଙ୍କା ଅଣ୍ଟାରୁ କାଢ଼ି ତାହା ପାଖରେ ରଖିଦେଲା । ଓକିଲ ବହି ବନ୍ଦ କରି ତାହା ସାଙ୍ଗରେ କଥାବର୍ତ୍ତା କଲା–ମୋକଦମାର ହାଲ ବୁଝିଲା । ଓକିଲ ମୋତେ କଥା ନ କହିବାର କାରଣ ବୁଝି ପାରିଲି; ସବୁ ତ ପଇସାର ଖେଳ-। ଯାହାହେଉ, ମୁଁ ବି ତିନି ଟଙ୍କା ଥୋଇଦେଲି । ତେତେବେଳେ ବେଞ୍ଚ ଉପରେ ବସିବାକୁ କହି ରାୟ ନକଲ ପଢ଼ିଲା । ପଢ଼ି ସାରି ନଥିଟା ଫୋପାଡ଼ି ଦେଇ କହଲା–‘‘ତଳ କୋଟର ଓକିଲ ଏ ମୋକଦ୍ଦମାଟା ମାଟି କରି ଦେଇଛି ! ଭଲ ଭଲ ନଜିର ଥିଲା, ତାକୁ ସେ ଧରି ପାରି ନାହିଁ । ତମେ କାହାକୁ ଓକିଲ ଦେଇଥିଲ ?’’ ମୁଁ କହିଲି–‘‘ସପନି ବାବୁ ମୋର ଓକିଲ ହୋଇଥିଲେ ।’’ ସେଇଠୁ ଠୋ ଠୋ କରି ହସି ଉଠି କହିଲା–‘‘ସପନିକି ଓକିଲ କରିଥିଲ ? ତାହାର ଆଇନ୍ବହି ଅଛି ନା ? ଯେତେବେଳେ ଯେଉଁ ବହି ଦରକାର ହୁଏ, ମୋଠାରୁ ମାଗି ନେଇଯାଏ । ହାକିମ ସଙ୍ଗରେ ତ ତାର ଦେଢ଼ଶୁର ଭାଇବହୁ ସମ୍ବନ୍ଧ–କେହି କାହାର ମୁହଁ ଦେଖନ୍ତି ନାହିଁ । ଯେ ଚିହ୍ମଟ୍ଲେଖିବା ଲୋକ, ସେ କି ଓକାଲାତି କରିବ ? ଆଜିକାଲି କେତେ ନୂଆ ନୂଆ ଆଇନ ବାହାରୁଛି, ତାହା ସବୁ ଆଣି ପଢ଼ିଲେ ସିନା ହେବ । ଏହି ଦେଖ ମାସକ ମଧ୍ୟରେ ମୁଁ ତିନି ଆଲମାରୀ ନୂଆ ଆଇନ ବହି ଆଣି ରଖିଛି । ଏତେ ଓକିଲ ତ ଅଛନ୍ତି, ଯାଅ ନି ଭଲା କାହା ପାଖରେ ଖଣ୍ଡେ ପାଇବ କି ? ସେମାନେ ସବୁ ଏହି ବହିର ନାଁ ଆଗେ ଜାଣନ୍ତି ନା ? ଆଇନ କାନୁନରେ ମୁଁ ପୋକ; ଏ କାଲିକା ଅଣ୍ଡା ଟୋକଗୁଡ଼ାକ ମୋ ଆଖିରେ ଦିକଡ଼ାର ନୁହନ୍ତି । କାଲିର ଗୋଟାଏ ମକଦମାର ହାଲ ଶୁଣିବ-? ସପନିର ମାଉସୀପୁଅ ଭାଇ ରଘୁ ମୁଦାଲା ପକ୍ଷରେ ଥିଲା, ମୁଁ ମୁଦେଇ ପକ୍ଷରେ ଥିଲି । ମୁଦାଲାର ସାକ୍ଷୀ କହିଲା–‘‘ମୁଦାଲା ମୁଦେଇକି ମାରି ନାହିଁ–ଗାଳି ଦେଇଛି ।’’ ଏହା କହି ଥରିଲା । ମୁଁ ଜାଣି ନେଲି, ସାକ୍ଷୀ ଭୟରେ ଥରିଲାଣି । ଜେରାରେ ସେ ସହଜରେ ପଡ଼ିଯାଇ ସତ କଥା ପ୍ରକାଶ କରିବ । ତହୁଁ ମୁଁ ତାକୁ ଧମକ ଦେଇ କହିଲି–‘ଦେଖ୍, ଏ ଧର୍ମଦ୍ୱାର, ଏଠି ମିଛ କହିଲେ ଜେଲ ଖଟିବୁ । ଆଛା, ତୋ ଓକିଲ କି ତୋତେ ଏହିପରି କହିବାକୁ ଶିଖାଇଥିଲା ? ସାକ୍ଷୀର ତୁଣ୍ଡ ଆଫା ଆଫା ମାରିଗଲା । ସେ ହାତ ଯୋଡ଼ି କହି ପକାଇଲା–‘ ହଁ ହଜୁର, ଓକିଲବାବୁ ସେଇଆ କହି ଦେଇଥିଲେ ।’ ମୁଁ କହିଲି–‘ତେବେ ସତ କଥା କଅଣ କହ ? ସାକ୍ଷୀ କହିଲା–‘ସତ କଥା ଏହି ଯେ, ମୁଦାଲା ମୁଦେଇ ଗାଲକୁ ଦି ଚାପଡ଼ ମାରିଛି ।’ ସେଇଠୁଁ ମୁଁ ହାକିମଙ୍କୁ କହିଲି–‘ହଜୁର, ଓକିଲ ମିଥ୍ୟା ଶିକ୍ଷା ଦେଇଥିବାର ସାକ୍ଷୀ ସ୍ୱୀକାର କରୁଛି; ଅତଏବ ଓକିଲର ସନନ୍ଦ ରଦ୍କରାଯାଉ ।’ ହାକିମ କହିଲେ–‘ତୁମ୍ଭେ ଦଫା ଦେଇ ଲେଖି ଆଣ ।’ ମୁଁ ସିରସ୍ତକୁ ଆସି ଲେଖିବାକୁ ବସିଛି, ଓକିଲବାବୁ ଆସି ହାତଗୋଡ଼ ଧରି ଜୁହାର ନେହୁରା ହେଲେ । ମୁଁ ଆଉ ବିକଳ ସହ ପାରିଲି ନାହିଁ; ହାକିମଙ୍କୁ ଯାଇ କହିଲି–‘ହଜୁର, ଓକିଲ ନୂଆ ଲୋକ, ତାହାର ଏ ପ୍ରଥମ ଦୋଷ କ୍ଷମା ଦିଆଯାଉ ।’ ହାକିମ ତାକୁ ସାମଧାନ କରାଇ ଦେଇ ଖଲାସ ଦେଲେ । ଏହିପରି କେତେ କଥା ବକିଗଲା । ଓକିଲ ମୋକଦ୍ଦମା ବିଗାଡ଼ି ଦେଇଥିବା କଥା ଶୁଣିଲା ବେଲୁ ମୋର ତ ବ୍ରହ୍ମତାଳୁରେ ବିଚ୍ଛା କାମୁଡ଼ିଲାଣି; ତାହା କଥା ଶୁଣୁଛି କିଏ ? ବ୍ୟବସାୟୀମାନେ ତ ଆପଣା ପ୍ରୌତୀ ଦେଖାଇବା ଲାଗି ସମବ୍ୟବସାୟୀର ନିନ୍ଦା କରନ୍ତି । ସେ ଯାହା ହେଉ, ମୁଁ ପଚାରିଲି–‘‘ସତେ କଅଣ ମୋକଦ୍ଦମା ଚଳିବ ନାହିଁ ନା ବାବୁ ?’’ ସେ କହିଲା–‘‘ବଡ଼ କଷ୍ଟରେ ଚଳିବ । ଆଛା, ତମେ ପଞ୍ଚଶ ଟଙ୍କା ଦେବ ନା ? ତାହାହେଲେ ଶେଉଳ ମାଛକୁ ପୋହଳରେ ମାଡ଼ି ବସି ପୋଖରୀଡ଼ିରେ ଆଣି କଚାଡ଼ି ଦେଲା ପରି ମୋକଦ୍ଦମାଟା ତମରି ପାଖରେ ଆଣି କଚାଡ଼ି ଦେବି । ମୋର ଅସାଧ୍ୟ କିଛି ନାହିଁ; ମୁଁ କଳାକୁ ଧଳା ଏବଂ ଧଳାକୁ କଳା କରିପାରେ ।’’ ମୁଁ କହିଲି–‘‘ଅବଧାନ, ମୁଁ ଗରିବ ଲୋକ, ଋଣରେ ବୁଡ଼ି ମଲିଣି; ଏତେ ଦେଇ ପାରିବି ନାହିଁ–ଶଏଟି ଟଙ୍କା ଦେବି ।’’ ସେଉଠୁ ମୁହଁଟାକୁ ଖଟା ଖାଇଲା ପରି କରି କହିଲା–‘ତେବେ ଗଛମୂଳରେ ଯାଇ ଖୋଜ; ଶଏ ଟଙ୍କାରେ ପଚାଶଟା ଗଛମୂଳିଆ ଓକିଲ ମିଳିବେ ।’’ ମୁଁ ଆଉ କଅଣ କରିବି ଢେର କୁହାବୋଲା କରିବାରୁ ଦି’ଶ ଟଙ୍କାରେ ମଙ୍ଗିଲା ।
ଦାସେ–ବାବୁ, ମାମଲା, ନୁହେଁ ଯେ–ମାମଲା ! ମା ମରିଗଲେ ଯେପରି ଦଶ ଖଣ୍ଡି ଲୋଡ଼ା ହୁଏ, ଆଉ ଦଶ ଆଡ଼େ ଖର୍ଚ୍ଚ ଲାଗେ, ମାମଲାରେ ସେହିପରି । ପାଣି ପରି ଟଙ୍କା ଖର୍ଚ୍ଚ ନ କଲେ ମାମଲା ଜିଣି ହୁଏ ନାହିଁ । ମାମଲା ଜାଣିବା କାଠିକର ପାଠ । ବାରଲୋକଙ୍କୁ ବଶ କରିବ–ବାରଲୋକଙ୍କ ଗୋଡ଼ ଧରିବ, ତେବେ ଯାଇ ହେବ । ମାନ ଧରି ବସିଲେ କିମ୍ବା ପଇସା ଖର୍ଚ୍ଚକୁ ଡରିଲେ ମାମଲାମୋକଦମାରେ ପଶିବା ଉଚିତ ନୁହେଁ । ପଇସା ଖର୍ଚ୍ଚ ହେଉ ପଛେ, ବିକ୍ଷୟ ରକ୍ଷା କରିବ । ବିଷୟ ଗଲେ ମହତ ଯିବ । କହନ୍ତି ପରା–‘‘ସବୁ ଯାଉ ମହତ ଥାଉ, ମହତ ଗଲେ ନ ମିଳେ ଆଉ ।’’ ତମେ ହେଲ ଖାନ୍ଦାନ୍ବୁନିୟାଦ; ମହତକୁ ଜଗିବା ତମର ଦରକାର । ତମର ପଇସା ବଡ଼ ନୁହେଁ–ମାନମହତ୍ତ୍ୱ ବଡ଼ । ପଇସା ଖର୍ଚ୍ଚ ହେଉ, ବିଷୟ ରକ୍ଷା ହେଲେ ସେହି ବିଷୟରୁ ଖର୍ଚ୍ଚର ସହସ୍ରଗୁଣ ପଇସା ମିଳିବ । ପୋଖରୀଟା ଯଦି ତମର ହୁଏ, ବର୍ଷାରେ ସେଥିରୁ ଶଏ ଟଙ୍କାର ମାଛ ବିକ୍ରି ହେଲେ ଦଶ ବର୍ଷରେ ହଜାରେ ଟଙ୍କା ହେବ । ଅଥଚ ପୋଖରୀଟା ସୁରୁକ୍ଷାନୁକ୍ରମେ ତମର ରହିବ । ଏତେବେଳେ ଆଉ ପଇସାକୁ ଡର ନାହିଁ ବାବାଜି, ଶ୍ମଶାନରେ ପ୍ରସବ କରି ଡାଆଣୀକି ଡରିଲେ ଚଳିବ ନାହିଁ ।
ଆଗନ୍ତୁକ–ନା, ଦାସପୁଅ, ପଇସା ଖର୍ଚ୍ଚକୁ ମୁଁ ଡରୁ ନାହିଁ । ଏ ମୋକଦମାରେ ଖଇ ପରି ଟଙ୍କା ବିଞ୍ଚୁଛି; ମୁଁ ଡାଙ୍ଗରା ହୋଇ ସାରିଲିଣି । ମୁଁ କଟିଯିବା ଲୋକ ସିନା–ହଟିଯିବା ଲୋକ ନୁହେଁ ।
ଦାସେ–ତାହା କଅଣ ମୁଁ ଜାଣେ ନାହିଁ ? ତମ ପରି ଲୋକ ଦେଶ ଦୁନିଆରେ ଆଉ ଜଣେ ଅଛି ନା ହେବ ! ଆଛା, ଓକିଲ କାହାକୁ କଲ ?
ଆଗନ୍ତୁକ–ସମସ୍ତେ କହିଲେ ଦୀନୁ ବାବୁ ଖୁବ ଟାଣୁଆ ଓକିଲ; ମୁଁ ସେଇଆକୁ ଓକିଲ କରିଛି ।
ଦାସେ–ଭଲ କାମ କରିଛି ବାପ ! ଓଃ, କେତେ ଛନ୍ଦ ଫିକର ସେ ଜାଣେ । ହାକିମ ଆଗରେ ସୁଆଲ କଲାବେଳେ ତାହା ପାଟିରେ ତ ବାଟୁଳି ବାଜେ ନାହିଁ ତେବେ ଜାଣ ଯେ, ମୋକଦମାଟା ତମ ମୁଠାଭିତରେ ରହିଲାଣି । ଦୀନୁ ବାବୁ ଯେତେବେଳେ ଆଇନ ବହିଗୁଡ଼ାକ ହାକିମ ଆଗରେ ଧୁମ୍ଧାମ୍କରି କଚାଡ଼େ, ତେତେବେଳେ ହାକିମ ତ ତାଟଙ୍କା ହୋଇଯାଏ । ମୁଁ କେତେ ଥର ଆଖିରେ ଦେଖିଛି ପରା ! କି ତେଜ ରେ ବାବା, ଯିମିତି ଗୋଟିଏ ମହାବଳ ବାଘ ତ ।
କିନ୍ତୁ ଆମ୍ଭେମାନେ ହଇପ୍କରି କହି ପାରୁଁ, ଓକିଲର ବକ୍ତୃତା ଶୁଣିବା ଦୂରେ ଥାଉ ଦାସଙ୍କର ଊର୍ଦ୍ଧ୍ୱ ତିନି ପୁରୁଷରେ ହାକିମଙ୍କ ମିସଇ କେହି ଦେଖି ନାହିଁ ।
ଆଗନ୍ତୁକ–ତମକୁ ଏକା ଶଏ ଟଙ୍କା ଚଳାଇବାକୁ ହେବ ଦାସପୁଅ । ମୁଁ କାଲି ଓକିଲକୁ ଦେବି ବୋଲି କହି ଆସିଛି । ହାତଉଧାରି ଦେବାକୁ ମୁଁ କହୁ ନାହିଁ; ମୋର ଘରତଳି ବନ୍ଧା ରଖି ଟଙ୍କା ଦେବ ।
ଦାସେ–ଛି ଛି, ଏ କଅଣ କହୁଛ ବାବାଜି ! ତମଠଉଁ ଘରତଳି ବନ୍ଧା ରଖି ଟଙ୍କା ଦେବି । ଏ କଥା କହିବାକୁ ତମ ଜିଭ ନଉଟିଲା ନା ? ତମ ବାପଙ୍କ ସଙ୍ଗରେ ମୋର ଭାବ, ତାହା ତମେ କଅଣ ଜାଣିବ ! ତମେ ତ ତେତେବେଳେ ପିଲା । ସେ ପୁଣ୍ୟାତ୍ମା ସ୍ୱର୍ଗରେ ଅଛନ୍ତି, ମୁଁ ନରକରେ ଘାଣ୍ଟି ହେଉଛି । ପୁରୁଷୋତ୍ତମ ପଟନାୟକ, ନାଁ ଶୁଣିଲେ ଗର୍ଭଣୀ ଗାଈ ବାଟ ଛାଡ଼ି ଅଲଗା ହୋଇଯାଉଥିଲା । ହାୟ ହାୟ, କି ମଣିଷ ଚାଲିଗଲା ରେ ! ଟଙ୍କା ମେ ହାତରେ ଥିଲେ ତମକୁ କହିବାକୁ ହୁଅନ୍ତା କାହିଁକି ? କଣ କି ବାବାଜି, ଟଙ୍କା ସବୁ ମୋଫସଲରେ ପଡ଼ି ରହିଲା । ଜାଣ ତ–ଏ କାଳେରେ ଦେବା ମରିବାକୁ କେହି ସୁଖ ପାଏ ନାହିଁ । ଶଏ ଟଙ୍କା ହାତରେ ଥିଲା, କାଲି ରାତିରେ ଜଣେ ଆସି ଜୁହାର ନିକୁଟି ହୋଇ ନେଇଗଲା । କିଛି ମାଲ ଯଦି ଆଣନ୍ତି, ତେବେ ଆଉ କାହାରି ପାଖରେ ଦେଖନ୍ତି ।
ଆଗନ୍ତୁକ–ମାଲ ଆଉ କାହିଁ ? ଅଳଙ୍କାର ଯାହା ଥିଲା, ତାହା ତ ଆଗରୁ ସବୁ ବିକି ଭାଙ୍ଗି ମୋକଦମାରେ ଲଗାଇ ସାରିଛି ।
ଦାସେ–ଦେଖ, ଯଦି ଆଉ କିଛି ଥାଏ । ନ ହେଲେ ତ ମୋତେ ଆଉ କିଛି ବାଟ ଦିଶୁ ନାହିଁ । ଆଛା, ପଟନାୟକ ଝିଅଙ୍କୁ ଯାଇ ପଚାରି ବୁଝନିଭଙ୍ଗା ତୁଟା ରୁପା ଗହଣା ଯଦି ତାଙ୍କ ପାଖରେ କିଛି ଥାଏ । ଏ ଯୁଗରେ ତ କାହାଭଳି ବିଶ୍ୱାସ ନାହିଁ, ଘରତଳି ବନ୍ଧା ଦେବା ମୋ ବିଚାରରେ ଭଲ ନୁହେଁ ।
ଆଗନ୍ତୁକ–ହେଉ, ତେବେ ପଚାରି ବୁଝି କାଲି କହିବି ।
ଏହା କହି ଆଗନ୍ତୁକ ଚାଲିଗଲେ; ଦାସେ ମଧ୍ୟ କାର୍ଯ୍ୟନ୍ତରରେ ନିଯୁକ୍ତ ହେଲେ ।