ରୁପାଚୁଡ଼ୀ
ଚିନ୍ତାମଣି ମହାନ୍ତି · ଭାଗ ୧୪ / ୧୮
ସମ୍ପୂର୍ଣ୍ଣ ସୂଚୀପତ୍ର
ଷୋଡ଼ଶ ପରିଚ୍ଛେଦ
ପ୍ରାୟଶ୍ଚିତ୍ତରେ ଦାସଙ୍କର ପାଞ୍ଚ ଶତ ଟଙ୍କା ବ୍ୟୟିତ ହେଲା; କିନ୍ତୁ ଦାସେ ହଜାରେ ବୋଲି କହି ବୁଲିଲେ । ତାଙ୍କର ଏ ବିପଦରେ ଅନେକ ଲୋକ ଦୁଃଖିତ ହେଲେ ନାହିଁ । ଜଣଙ୍କର ଦୁଃଖରେ ଆଉ ଜଣେ ସୁଖୀ, ଏହା ମାନବପ୍ରକୃତିରେ ମହତ୍ଦୋଷ । କେତେ ଦିନଯାଏଁ ଦାସଙ୍କ ପ୍ରକୃତିରେ ସମାଲୋଚନା ଯଥାତଥା ହେବାକୁ ଲାଗିଲା । ବନ୍ଧୁକର ଶବ୍ଦ ମୃହୂର୍ତ୍ତକ ମଧ୍ୟରେ ମିଳାଇଯାଏ; ମାତ୍ର ଧୁଆଁ କିଛିକ୍ଷଣ ରହି ଘୁରିବୁଲେ । ମଙ୍ଗଳା ମା କହିଲା–‘‘ମୋହରି ନିଃଶ୍ୱାସ ପଡ଼ିଲା । ମୋର ଫିରିଫିରା ଦିଖଣ୍ଡ ଘରେ ରଖି କହିଲା–‘ନା, ମୋ ଘରେ ନାହିଁ, ଥିଲେ ତ ଖାତାରେ ଲେଖା ହୋଇଥାଆନ୍ତି । ତୁ କେବେ କାହାର କରି ନେଇ ଫିସାଦ କାଢ଼ୁଛୁ ।’ ଏହା କହି ମୋ ଉପରେ ଆହୁରି ତେରିମେରି ହେଲା । ଯେତେ କହିଲି, ଠୁଳେ ମାନିଲା ନାହିଁ । କଅଣ କରିବି, କାନ ମୁଣ୍ଡ ଆଉଁଷି ହୋଇ ଆସିଲି ।’’ ଚେମୀ ଗଉଡ଼ୁଣୀ କହିଲା–‘‘ମୋତେ କଅଣ କହୁଛୁ ଲୋ ଭଉଣି, ମୁଁ ପରା ଅଙ୍ଗେ ନିଭେଇଚି ! ଏଡ଼େ ଏଡ଼େ ରୂପା ଚକି ଦିଖଣ୍ଡ ଦେଇ ତିନି ଥରରେ ତିନି ଆଞ୍ଜୁଳା ପଇସା ନେଲାଣି, ତେବେ ବି କହୁଛି–‘ହେଲା ନାହିଁ ।’ ନେଉ ଆଉ କେତେ ନେବ; ଦେବଧର୍ମ ଅଛି, ସେହି ଏକା ବୁଝାମଣା କରିବ ।’’ ଉଦିଆ ପୋଖରୀରୁ ଓଦା ସତ ସତ ହୋଇ ଉଠିଆସି କହିଲା–‘‘ହଁ ଲୋ ଚେମୀ ନାନି, ଦେବଧର୍ମ ବୁଝାମଣା କରିସାରିଲାଣି । ଏଥର ଖୁବ୍ଗୁଡ଼ାଏ ବାହାରିଲା ଯେ ! ଯେତିକି କରିବୁ ଛନ୍ଦମନ୍ଦ୍, ତେତିକି ନେବ ଗୋପାଳଚନ୍ଦ୍। ପାଞ୍ଚ ଶାସନରେ ତ ପାଞ୍ଚପୁଡ଼ି ଢାଳିଦେଇଛି, ନ ହେଲେ କଅଣ ଜାତି ହୋଇପାରିଥାନ୍ତା ?’’ କିନ୍ତୁ ପାଠକ ପୂର୍ବରୁ ଜାଣିଅଛନ୍ତି ଯେ, ଦାସେ ପାଞ୍ଚ ଶାସନକୁ ପାଞ୍ଚକୋଡ଼ି ମାତ୍ର ପ୍ରଣାମୀ ଦେଇଅଛନ୍ତି । ଉଦିଆ ମୁଖରେ ସେହି ପାଞ୍ଚକୋଡ଼ି ପାଞ୍ଚପୁଡ଼ି ହୋଇଅଛି–ଦାସଙ୍କ ଚକ୍ରବୃଦ୍ଧି ସୁଧକୁ ସୁଦ୍ଧା ଅତିକ୍ରମ କରିଗଲା ! ପୁନଶ୍ଚ ଉଦିଆ କହିଲା–‘‘ଶୁଣ୍ ଚେମୀ ନାନି, ମୋ କାଖରେ ଗଙ୍ଗାକଳସୀ ଅଛି, ମୁଁ ଓଦାଲୁଗା ପିନ୍ଧିଛି, ତୁ ବଡ଼ ଭଉଣୀ ପରି, ମଙ୍ଗଳା ମା ମାଉସୀ ମା ପରି, ଦିଆଖି ଛୁଉଁଛି, ମୁଁ ତମ କତିରେ ମିଛ କହୁ ନାହିଁ ! ଆମେ ତାହାର ଉଚ୍ଚାରିବା କଥାକୁ ହାତ ପାତିଥାଉଁ । ସେ କଅଣ କଲା ଶୁଣିବୁ ? ରୂପା ମୁଦି ବନ୍ଧା ଦେଇ ଚାରିଅଣ, ନେଇଥିଲି । କଅଣ କରିବି ଲୋ ଭଉଣି, ଯୁଆଡ଼ୁ ଯେତେ ଆଣିଲେ ତ ମଡ଼ାମରା ପେଟ ଚାଖଣ୍ଡକୁ ଅଣ୍ଟିଲା ନାହିଁ । ରହୁଁ ରହୁଁ ଛଅ ମାସ ହୋଇଗଲା-। ତା ବାପ ଦିନେ ପଇସା ନେଇ ଛଅ ମାସ ହୋଇଗଲା ! ତା ବାପ ଦିନେ ପଇସା ନେଇ ମୁଦିଟା ମୁକୁଳାଇବାକୁ ଗଲା । ମୂଳ ଚାରିଅଣା ନେଲା, ସୁଧ ଅଣେ ନେଇ ଆହୁରି ଦିପଇସା ନେଲା; ତେବେ ଯାଇ ମୁଦି ଦେଲା ! ଗରିବଙ୍କ ତଣ୍ଟି ଚିପି ଟଙ୍କାରେ ଅଣାଏ ସୁଧ ନେଲେ ତାହା କି ଧର୍ମ ସହିବ ? ଆଉ ଗୋଟାଏ କଥା ଶୁଣିବୁ ? ଆମ ଡୋମା ବାହାଘର ବେଳେ ବାରଣ୍ଡା ଦିଟା ଟଙ୍କା ନେଇଥିଲା । କଅଣ କହିବି ଲୋ ନାନି, ତୁ ପରତେ ଯିବୁ ନାହିଁ–ଆର ମାସରେ କଲିକତାରୁ ଆସି ପରା ଅଧସେରେ ଟଙ୍କା ନେଇ ତାଳିଦେଇ ଆସିଲା । ସେହି ଯେ କି ୠଷି ନା ମୁନି ସମୁଦ୍ର ଶୋଷିଥିଲା, ନିତେଇ ଦାସ ତାହାରି ପରି ସମୁଦ୍ର ଶୋଷିବା ଲୋକ ।’’ ଏହିପରି ଅନେକ ଲୋକ ଅନେକ କଥା କହନ୍ତି; ମାତ୍ର ଦାସେ ସେ କଥାରେ କର୍ଣ୍ଣଦାନ କରନ୍ତି ନାହିଁ । ସେ କହନ୍ତି ‘‘ନିନ୍ଦା ପ୍ରଶଂସା ପନ୍ଦର ଦିନ ।’’ ଏହା ଯଥାର୍ଥ କଥା । କୁକାର୍ଯ୍ୟ ସୁକାର୍ଯ୍ୟର ନିନ୍ଦା ପ୍ରଶଂସା ପ୍ରଥମରେ କିଛି ଦିନ ଯାଏଁ ଲୋକେ ଗାଇବୁଲନ୍ତି; ମାତ୍ର ତେଣିକି ତାହା ମିଳାଇଯାଏ । ସେଥିରେ କାହାର ବା ଭାତଲୁଗା ହେବ ଯେ, ସବୁଦିନେ ସେହି କଥା କିଏ ଘେନି ବସିଥିବ ?
ରାମା ବାହାରିଗଲା ଦିନଠାରୁ ପ୍ରାୟ ପ୍ରତିରାତିରେ ଦାସେ କୁସ୍ୱପ୍ନ ଦେଖୁଅଛନ୍ତି । ସିଂହ ବ୍ୟାଘ୍ରଦ୍ୱାରା କେବେ ଆକ୍ରାନ୍ତ ହେଉଅଛନ୍ତି; କେବେ ବା ରାମାର ମୃତ ପିତା ରାଧିକା ଦାସଦ୍ୱାରା ସ୍ତହୃତ ହେଉଅଛନ୍ତି । ଏହିପରି ନାନା ସ୍ୱପ୍ନ ଦେଖନ୍ତି । ଥରେ ସ୍ୱପ୍ନ ଦେଖିଲେ–ଗୋଟାଏ ବିରାଟ ବିକଟାକାର ଅଦୃଷ୍ଟଅଶ୍ରୁତପୂର୍ବ ଜୀବ ମାନବଭାଷାରେ ‘‘ରେ ରେ ରେ ରେ’’ କହି ହସ୍ତସୃଷ୍ଟି ଉତ୍ତୋଳନପୂର୍ବକ ଦାସଙ୍କ ଆଡ଼କୁ ଧାଇଁ ଆସିଲା । ଦାସେ ଭୟରେ ହାଉଳି ଖାଇ ଉଠି ବସି ଥରିବାକୁ ଲାଗିଲେ; ଆଉ ଥରେ ସ୍ୱପ୍ନ ଦେଖିଲେ–ରାଧିକା ଦାସ ତାଙ୍କୁ ଅନର୍ଗଳ ପ୍ରହାର କରୁଅଛି । ସେ ଭୟବିହ୍ୱଳ କଣ୍ଠରେ ‘‘ମରିଗଲି ମରିଗଲି ସଙ୍ଗାତେ, ଆଉ ମାର ନାହିଁ–ତମକୁ ଜୁହାର ହେଉଛି’’ ବୋଲି କହି ନିଦ୍ରାରୁ ଉଠି ବସି ମୁର୍ଚ୍ଛିତ ହେଲେ । ସ୍ୱାମୀଙ୍କ ବ୍ୟାକୁଳ ବାଣୀରେ ଉଷାଙ୍କର ନିଦ ଭାଙ୍ଗିଗଲା । ସେ ଦାସଙ୍କ ମୁଖରେ ଜଳସେଚନପୂର୍ବକ ତାଙ୍କୁ ସଚେତ କରାଇଲେ । ସ୍ୱାମୀଙ୍କ ମୁଖରୁ ସ୍ୱପ୍ନବୃତ୍ତାନ୍ତ ଶୁଣି ଉଷାଙ୍କ ମନରେ ସୁଦ୍ଧା ଭୟ ଜାତ ହେଲା । ପୁନଶ୍ଚ ଆଉ ଥରେ ସ୍ୱପ୍ନ ଦେଖିଲେ–ଗୋଟାଏ ବୃହତ୍ମର୍କଟ ଦାନ୍ତ ରଗଡ଼ି ଧାଇଁ ଆସି ତାଙ୍କ ମୁଣ୍ଡ ଉପରକୁ ଖପ୍କରି କୁଦା ମାରି ମୁଣ୍ଡଟା ଲହୁଲୁହାଣ କରିଦେଲା । ପ୍ରଥମଥଃ ଦାସେ ଏସବୁ କୁସ୍ୱପ୍ନକୁ ଖାତର କଲେ ନାହିଁ; ମାତ୍ର ସ୍ୱପ୍ନ କ୍ରମଶଃ ଭୀଷଣରୁ ଭୀଷଣତର, ଭୀଷଣତମ ହେବାରୁ ଭୟରେ କାତର ହୋଇପଡ଼ିଲେ-। ସ୍ୱପ୍ନ ସତ୍ୟ କି ମିଥ୍ୟା, ଅନେକ ଜାଣିବା ଲୋକଙ୍କୁ ପଚାରିଲେ । କେହି କହିଲା–ନିପଟ ମିଛ; କେହି କହିଲା, ସତ ନୁହେଁ କି ମିଛ ନୁହେଁ । କେହି ବା କହିଲା–କେତେ ସ୍ୱପ୍ନ ମିଛ ହୁଏ, ପୁଣି କେତେ ସତ ବି ହୁଏ । ସ୍ୱପ୍ନ ସତମିଛ ମିଶାମିଶି–ଅଧେ ସତ, ଅଧେ ମିଛ ! ଦାସେ ସ୍ୱପ୍ନକଥା ଉଷାଙ୍କ ବ୍ୟତୀତ ଅନ୍ୟ କାହାରିକୁ କହନ୍ତି ନାହିଁ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି କାଳେ ସ୍ୱପ୍ନକଥା ମଧ୍ୟରୁ ଆଉ କିଛି ବାହାରିପଡ଼େ, ସ୍ୱପ୍ନ–ଗୋପନର ଏହା ହିଁ କାରଣ । ଏହି ଅମଙ୍ଗଳ ସ୍ୱପ୍ନର ଫଳ କଅଣ ହେବ, ଦାସେ ଏହି ଭାବନାରେ ସର୍ବଦା ଶଙ୍କିତ ରହିଲେ ।