ଦୃମିଳ ରାକ୍ଷସର ପୂର୍ବଜନ୍ମ ବୃତ୍ତାନ୍ତ ଓ ନହୁଷ ରାଜାର ଚରିତ — ହରିବଂଶ (ପ୍ରଥମ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିନହୁଷ ବାହେ ସ୍ୱର୍ଗକୁ ଅଙ୍ଗବଳ ଘେନି ।
ଆକାଶକୁ ସମଦଣ୍ଡ ଦେଲାକ ଚଳାଇ
ସ୍ୱର୍ଗମଣ୍ଡଳେ ପ୍ରବେଶ ହେଲା ରାଜା ଯାଇ ।
ଅକଳିତ ବଳ ତାର ନ ଯାଇ କଳନା
ସହସ୍ରେ ଯୋଜନ ମାଡ଼ି ଚାଲନ୍ତି ତା ସେନା ।
ନହୁଷ ଆସନ୍ତେ ସ୍ୱର୍ଗ ଡଗରା ଧାଇଁଲା
ଇନ୍ଦ୍ର ଦେବତା ଛାମୁରେ ଯାଇ ଜଣାଇଲା ।
ଭୋ ଦେବ ଅମରପତି ସାବଧାନ ଶୁଣ
ଦେଶାଉର ବାରତା ମୁଁ କହିବି ଏକ୍ଷଣ ।
ମଞ୍ଚମଣ୍ଡଳର ରାଜା ନହୁଷ ଗୋସାଇଁ
ସମଦଣ୍ଡ ଘେନି ସ୍ୱର୍ଗେ ଆସୁଅଛି ବାହି ।
ଏହିକ୍ଷଣି ସ୍ୱର୍ଗପୁର ପକାଇବି ଭାଞ୍ଜି
ଦିଗପାଳଙ୍କର ଦର୍ପ ପକାଇବ ଗଞ୍ଜି ।
ପ୍ରତାପୀ ତେଜବନ୍ତ ସେ ନହୁଷ ନୃପତି
ସମ୍ମୁଖ ସଂଗ୍ରାମେ ତାକୁ ପାରିବ କେ ଜିତି ।
ପାରିଲେ ତୁ ରକ୍ଷା କର ତୋ ସ୍ୱର୍ଗମଣ୍ଡଳ
ନୋହିଲେ ପଳାଇ ଯିବା ଚାଲ ଆଖଣ୍ଡଳ ।
ଯଦ୍ୟପି ସଂଗ୍ରାମ ଆଜ କରିବୁ ତୁ ରହି
କୋଟିଇନ୍ଦ୍ର ହେଲେ ତାକୁ ଜିଣନ୍ତାକେ ନାହିଁ ।
ସକଳ ଦେବତା ଆଜି ରଣେ ଜିଣି କରି
ମର୍ତ୍ତ୍ୟକୁ ଘେନିଣ ଯିବ ସ୍ୱର୍ଗ ଅପସରୀ ।
ଏଡ଼େ ବଡ଼ ଯଶ ସ୍ୱାମୀ ହେଲେ ଯିବ ନାଶ
ନୋହିଲେ ନହୁଷ ପାଦେ ଶରଣ ଯା ପଶ ।
ପାଛୋଟି ଯାଇଣ ତାକୁ ନମସ୍କାର କର
ବିଷ୍ଣୁଙ୍କ ପ୍ରାର୍ଥନା ପ୍ରାୟ କର ଯା ଆବର ।
ଯେବେ ଏହା ନ କରିବ ଆହେ ଶକ୍ରରାୟେ
ଆଜିଠାରୁ ଇନ୍ଦ୍ରପଦ ଯିବ ତୋର କ୍ଷୟେ ।
ତୁମ୍ଭେ ଅବା ବିଚାରିବ ମୁହିଁ ସ୍ୱର୍ଗେ ରାଜା
ଦେବେନ୍ଦ୍ର ହୋଇ କେମନ୍ତେ କରିବି ତା ପୂଜା ।
ଆପଣା କାର୍ଯ୍ୟ ନିମନ୍ତେ ପରକୁ ନିଊନ
ଏଥେ କିଛି ଦୋଷ ନାହିଁ ଜାଣ ହେ ରାଜନ ।
ପାର୍ବତୀଙ୍କ ରମଣ ଯେ ଦେବ ତ୍ରିପୁରାରି
କାର୍ଯ୍ୟର ନିମନ୍ତେ ସେହି ହୋଇଲେ ଭିକାରୀ ।
କୋଟି ଇନ୍ଦ୍ରପଦକୁ ସେ ତୃଣପ୍ରାୟ ମଣି
ସ୍ନେହେ ଗଙ୍ଗାକୁ ବହିଲେ ଶିରପରେ ଆଣି ।
ଦାନବ ବଧ ନିମନ୍ତେ ନାରାୟଣ ସ୍ୱାମୀ
ମାଳତୀ କନ୍ୟା ହୋଇଲେ ପ୍ରଭୁ ଅନ୍ତର୍ଯ୍ୟାମୀ ।
ନିଜେ ବ୍ରହ୍ମା ସୃଷ୍ଟି ଜୀବଜନ୍ତୁ ଜାତ କଲେ
କାର୍ଯ୍ୟର ନିମନ୍ତେ ସେହି ଅପୂଜା ହୋଇଲେ ।
ମହାବ୍ରହ୍ମବେତ୍ତା ପୁଣି ବ୍ୟାସ ମହାଯତି
କାର୍ଯ୍ୟର ନିମନ୍ତେ ଭାଇବୋହୂ ସଙ୍ଗେ ପ୍ରୀତି ।
ଏ କଥାମାନ ବିଚାର କର ଶଚୀସାଇଁ
ଭେଟିବା ଚାଲ ନହୁଷ ନୃପତିକୁ ଯାଇ ।
ଦେବଇନ୍ଦ୍ର କହିଲେ ମୁଁ କରିବି ଉପାୟ
ନାରାୟଣ ସ୍ୱାମୀକୁ ମୁଁ ଏକା କରେ ଭୟ ।
ଯେତେବେଳେ ଇନ୍ଦ୍ର କଲେ କମଳାର ସାଇଁ
ଆଗେ ଓଳଗିଲେ ମୋତେ ଶିରେ କରଦେଇ ।
ଏସନ ପୂଜା ମୁଁ ଘେନି ଅଛଇ ଯେ ପୂର୍ବେ
ମାନବଙ୍କୁ ନମସ୍କାର କରିବି କି ଏବେ ।
ନାରାୟଣ ଜାଣିଲେ ମୁଁ ହେଳେ ଯିବି ନାଶ
ଦେବଙ୍କ ମଧ୍ୟେ ପାଇବି ସିନା ଉପହାସ ।
ଏମନ୍ତ ବିଚାରନ୍ତେ ସେ ଦେବ ଆଖଣ୍ଡଳ
ନିକଟେ ଆସି ମିଳିଲା ନହୁଷ ଭୂପାଳ ।
ଆକାଶରେ ସୈନ୍ୟ ତାର ଆସୁଛନ୍ତି ବାହି
ଦେବତାମାନେ କାତର ହେଲେ ତାହା ଚାହିଁ ।
ପ୍ରଳୟକାଳେ ଯେସନ ଘୋଟେ ମହାଜଳ
ତେସନ ଆସି ଘୋଟିଲା ନହୁଷ ଭୂପାଳ ।
ବନ୍ଧ ଭାଙ୍ଗିଲେ ଯେସନେ ବଢ଼େ ନଦୀଜଳ
ତେସନ ପ୍ରକାର ସ୍ୱର୍ଗେ ନହୁଷର ବଳ ।
ପୃଥ୍ୱୀ ପୂରିଣ ଆସନ୍ତି ନହୁଷର ଥାଟ
ଦେଖି ଦେବତାଙ୍କ ମଧ୍ୟେ ପଡ଼ିଲା ସଙ୍କଟ ।
ସୁଧର୍ମା ସଭାରେ ଥିଲେ ସମସ୍ତେ ଯେ ବସି
ଗୋଟି ଗୋଟି ହୋଇ ସର୍ବେ ପଳାଇଲେ ଖସି ।
ଦିଗପାଳ ଆଦି ଯେତେ ଗନ୍ଧର୍ବ ଦେବତା
ଇନ୍ଦ୍ର ଆଦି ଦେବତାଙ୍କୁ ଲାଗିଲାକ ଚିନ୍ତା ।
ଧାତିକାରେ ଯେ ଯାହାର ବାହନ ଆରୋହି
କପିଳାସ କନ୍ଦରେ ସେ ଲୁଚିଲେକ ଯାଇ ।
ଏକାକୀ ଇନ୍ଦ୍ର ଦେବତା ରହିଲେ ଆରମ୍ଭେ
ସୁଧର୍ମା ସଭାରେ ସେହି ବସିଛନ୍ତି ଦମ୍ଭେ ।
ବୃହସ୍ପତି ଆଦି ପାଖେ ନ ରହିଲେ କେହି
ଭୟକଲେ ଦେବତାଏ ନହୁଷକୁ ଚାହିଁ ।
ଇନ୍ଦ୍ର ବୋଇଲେ ତ ଆମ୍ଭେ ମନ୍ଦକୃତ୍ୟ କଲୁ
ସର୍ବେ ପଳାଇଲେ କିପାଁ ଏକାକୀ ରହିଲୁ ।
ଯଦ୍ୟପି ସଂଗ୍ରାମେ ଦ୍ୱନ୍ଦ୍ୱ ଆରମ୍ଭିବି ମୁହିଁ
ସମ୍ଭାଳି ନେବାକୁ ମୋତେ ଜଣେକେହି ନାହିଁ ।
ସଂଗ୍ରାମ ନ କରି ଯେବେ ସନ୍ଧି ମୁଁ କରିବି
ନମସ୍କାର ନ କଲେ ତ ନିଶ୍ଚେ ନାଶ ଯିବି ।
ଏତେ ଭାବି ଐରାବତ ପିଠିରେ ଆରୋହୀ
ନନ୍ଦନବନ ଭିତରେ ଲୁଚିଲେକ ଯାଇଁ ।
ତିନିସହସ୍ର ଯୋଜନ ସେହି ବନଗୋଟି
ଉଦେଗିରିଠାରୁ ମେରୁ ଗିରିଯାଏ ଘୋଟି ।
ଉତ୍ତରେ ଯେ ଚଉରାଶୀ ଧାର ଗଙ୍ଗା ହୋଇ
ତୋଟା ଚଉପାଶେ ବେଢ଼ି ଆସୁଅଛି ବହି ।
ସେ ତୋଟା ମଧ୍ୟରେ ଅଛି ବସନ୍ତ ନବର
ଗୁପତେ ରହିଲେ ତହିଁ ଯାଇ ପୁରନ୍ଦର ।
ଏସନ ଚରିତ କେହି ନ ଜାଣନ୍ତି ଆନ
ଏକା ଜାଣଇ ଗନ୍ଧର୍ବ ରାଜ ଋତୁପୂର୍ଣ୍ଣ ।
ସେ ଗନ୍ଧର୍ବ ଅଟଇ ସେ ତୋଟା ଜଗୁଆଳ
ଗୁପତେ ଯାଇଁ ରହିଲେ ତହିଁ ଆଖଣ୍ଡଳ ।
ଇନ୍ଦ୍ର ବୋଲେ ଋତୁପୂର୍ଣ୍ଣ ତୁ ମୋର ବିଶ୍ୱାସ
ଗୁପତ କଥାଏ ମୁଁ ଯେ କହିବି ତୋ ପାଶ ।
ନହୁଷ ନୃପତି ଆସେ ସ୍ୱର୍ଗପୁରେ ବାହି
ଦେବତା ଗୋଟିଏ ସ୍ୱର୍ଗେ ନାହାନ୍ତି ତ କେହି ।
ଆମ୍ଭଙ୍କୁ ଛାଡ଼ି ପଳାଇଗଲେ ଦେବଗଣେ
ଆମ୍ଭେ ଯେ ଏକା ହୋଇଣ ରହିଲୁ ଆସ୍ଥନେ ।
ଆମ୍ଭର ସୈନ୍ୟ ନୁହନ୍ତି ତାକୁ ସାମରଥ
ସେଥିପାଇଁ ଲୁଚିବାକୁ ଅଇଲୁ ସେ ଏଥ ।
ଏ ଶରୀରେ ଯେତେବେଳେ ଯାକେ ପ୍ରାଣ ଥିବ
ଦେହ ଧରି କେମନ୍ତେ ଏ ପୁର ମୁରୁଛିବ ।
ଯେ ଯେତେ ଯାହା ଚିନ୍ତଇ ପାଇ ସିନା ତାହା
ଏମନ୍ତ ସୁନ୍ଦର ପୁର ନ ଛାଡ଼ିବି ଏହା ।
ଅଙ୍ଗଭୋଗ କରିବାକୁ ଖୋଜିବି ଯେ ଦ୍ରବ୍ୟ
ଆଗରୁ ଚନ୍ଦନ ଆଦି ଅଛଇ ତ ସର୍ବ ।
ଏତେକ କହି ତହିଁରେ ଲୁଚିଲେକ ଇନ୍ଦ୍ର
ଯାଇ ସ୍ୱର୍ଗେ ବିଜେକଲେ ନହୁଷ ନରେନ୍ଦ୍ର ।
ବୋଇଲା ହକାରି ଆଣ ଇନ୍ଦ୍ର କରୁ ପୂଜା
ନୋହିଲେ ଯେ ସ୍ୱର୍ଗେ ଆମ୍ଭେ ହୋଇଲୁଟି ରାଜା
ଏତେ ବୋଲି ବସିଲା ସେ ସିଂହାସନ ମାଡ଼ି
ବୋଇଲା ସ୍ୱର୍ଗପୁର ନ ଯାଏ ଆଉ ଛାଡ଼ି ।
ନ ଥାଉ ସ୍ୱର୍ଗରେ ଇନ୍ଦ୍ର ବାହାରିଣ ଯାଉ
ନୋହିଲେ ଗୁହାରି କରି କାହା ଆଗେ କହୁ ।
ଅଥବା ସଂଗ୍ରାମେ ମୋତେ ପାରେ ଯେବେ ଜିଣି
ନୋହିଲେ ଦେବତା ଘେନି ଖଟୁ ଏହିକ୍ଷଣି ।
ଆବର ଦେବତା ଯେବେ କରିବେ ବିଖଣ୍ଡ
ଯମ କୁବେର ହେଲେହେଁ ଛେଦିବି ତା ମୁଣ୍ଡ ।
ଦେବତା ଆଦି ଅଛନ୍ତି ଯେତେ ସୁରମୁନି
ନିଶ୍ଚିନ୍ତେ ଥାନ୍ତୁ ସେମାନେ ଯେଝା ପଦ ଘେନି ।
ଯେବଣ ଦେବତା ମୋତେ କରିବେକ ରୋଷ
ପଦ ଛଡ଼ାଇ ତାହାକୁ କରିବି ବିନାଶ ।
ଏକମାତ୍ର ଏ ସ୍ୱର୍ଗେ ନ ଥାଉ ଇନ୍ଦ୍ରରାୟେ
ଆବର ଦେବଙ୍କୁ କହି ନ କରନ୍ତୁ ଭୟେ ।
ଏତେ ବୋଲି ଅଭିଷେକ ହେଲା ଶୁଭବେଳେ
ନହୁଷ ଇନ୍ଦ୍ର ବୋଲି ଯେ କହନ୍ତି ସକଳେ ।
ଇନ୍ଦ୍ର ସମାନ କରଇ କର୍ମ ଯଥାବିଧି
ସଚରାଚର ପାଳଇ ଆପେ ହୋଇ ଯୋଧୀ ।
ଦିଗପାଳଙ୍କୁ ଲୋଡ଼ିଲା ଦେଖ କେହି ନାହିଁ
ଅମର ସିଂହାସନେ ସେ ବସେ ଏକାହୋଇ ।
ପୁରେ ପୁରେ ପଶି ଖୋଜି ନ ପାଇଲା କାହିଁ
ଖୋଜୁ ଖୋଜୁ ସେ ଅନଙ୍ଗପନ୍ନଗେ ଦେଖଇ ।
ଶାଢ଼ୀମାଳା ହେଲା ତାକୁ ଗଉରବ କରି
ସ୍ୱର୍ଗ ରକ୍ଷା ପଦ ତାକୁ ଦେଲା ଦଣ୍ଡଧାରୀ ।
ସକଳ ଦେବତାଙ୍କର ଅଛି ଯେଝାବିଧି
ଇନ୍ଦ୍ର ପଦେ ବସିବାର ଅଛି ଯେଉଁ ସିଦ୍ଧି ।
ଦେବ ଭଣ୍ଡାର ସ୍ୱର୍ଗର ନିଧି ଆଦି କର୍ମ
ନହୁଷ ଆଗେ କହିଲା ଅନଙ୍ଗ ସେ ମର୍ମ ।
ଯକ୍ଷ ଗନ୍ଧର୍ବଗଣଙ୍କ ସେବାର ଯେ କଥା
ଭୂଲୋକ ଭୁବଲୋକର ସ୍ୱର୍ଗ ମାର୍ଗ ଯଥା ।
ଅମର ବାରସ୍ୱତୀର ଯେତେ କଥା ମାନ
ସବୁ କହିଲା ଗନ୍ଧର୍ବେ ସେ ପନ୍ନଗସେନ ।
ଶୁଣିଣ ନହୁଷ ରାଜା ହୋଇଲା ସନ୍ତୋଷ
ବୋଇଲା ମୋ ଇନ୍ଦ୍ରପଦ ହୋଇଲା ଅବଶ୍ୟ ।
ଏଥୁ ଅନନ୍ତରେ ପୁଣି କେତେଦିନ ଗଲା
ସଚୀପୁରକୁ ନହୁଷ ଇନ୍ଦ୍ର ବିଜେ କଲା ।
ପଲ୍ୟଙ୍କରେ ଅନ୍ତଃପୁରେ ପ୍ରବେଶିଲା ଯାଇ
ଆଜ୍ଞା ଦେଲା ଶଚୀ ଆସୁ ସଜ ବାଜ ହୋଇ ।
ଚଳିଗଲେ ମୃଦୁସୁଲୀ ତାର ଆଜ୍ଞା ପାଇ
ଏକାନ୍ତ ପୁରୁ ଆଣିଲେ ଶଚୀକି ଡକାଇ ।
ଶଚୀକି ଦେଖି ନହୁଷ ହୋଇଲା ହରଷ
ବୋଇଲା ମୋ ଅଙ୍କେ ସଖି ବହନ ତୁ ବସ ।
ଶଚୀ ବୋଲନ୍ତି ହୋଇଛି ମୁହିଁ ପୁଷ୍ପବତୀ
ଏଥକୁ ଆରତ କିପାଁ ହୁଅ ସୁରପତି ।
ଆବର ପାଞ୍ଚ ଦିବସ ସ୍ଥିର ହୋଇ ରହ
ଶୁଦ୍ଧସ୍ନାନ କଲେ ନାଥ ଛୁଇଁବ ମୋ ଦେହ ।
ହୃଦ ଥିବା ପଦାର୍ଥକୁ ଯେତେବେଳେ ଭୁଞ୍ଜି
ତୁମ୍ଭେ ମୋର ମୁଁ ତୁମ୍ଭର ଧାତା ଲେଖି ପାଞ୍ଜି ।
ଆଜ୍ଞାଭ୍ରଷ୍ଟ ହେଲେ କୋପ କରିବ ପାଞ୍ଚିଲି
ତେଣୁକରି ଥରେ ମୁହିଁ ଛାମୁକୁ ଅଇଲି ।
ଶୁଣିଣ ନହୁଷ ଇନ୍ଦ୍ର ସନ୍ତୋଷ ହୋଇଲେ
ଦୂତ ପଠାଇ ସପତ ଋଷି ଅଣାଇଲେ ।
ଏଥୁଅନ୍ତେ ଏନେ ପାଞ୍ଚି ଶଚୀ ମହାସତୀ
ମହାନିଶାରେ ଗଲେ ସେ ବାସବର କତି ।
ବସନ୍ତ କେଳି ନବରେ ଇନ୍ଦ୍ରଛନ୍ତି ଲୁଚି
ଚିନ୍ତାଭର ହୋଇ ଯାଇଁ ପ୍ରବେଶିଲେ ଶଚୀ ।
କେଶ ବାସ ଅସମ୍ଭାଳ ନେତ୍ରୁ ବହେ ବାରି
ଉଚ୍ଚସ୍ୱରେ ରୋଦନ ସେ ଇନ୍ଦ୍ର ମନୋହାରୀ ।
ଶଚୀ ଦେଖି ଆଚମ୍ବିତ ହେଲେ ସୁରପତି
ଇନ୍ଦ୍ର ବୋଇଲେ କି କାର୍ଯ୍ୟେ ଅଇଲ ଗୋ ସଚୀ ।
ପ୍ରାଣର ବିକଳେ ଆମ୍ଭେ ଲୁଚିଅଛୁ ଡରେ
ଦୁହେଁ ନାଶ ଯିବାଟି ଗୋ ପଡ଼ିଲେ ଛାମୁରେ ।
ଶଚୀ ବୋଇଲେ ତ ତୁମ୍ଭେ ନିଶ୍ଚିନ୍ତେ ରହିଲ
ନହୁଷ ଇନ୍ଦ୍ରକୁ ମୋତେ ବିଳସର ଦେଲ ।
ଅବଶ୍ୟ ବଳେ ସେ ଧରି କରିବ ଆନୀତି
କେବଣ ଉପାୟ ଅଛି କହ ସୁରପତି ।
ବାସବ ବୋଇଲେ ମୁହିଁ ତୁମ୍ଭଠାରୁ ଦୁଃଖୀ
ମୋହର ବଳେ କି ସଖି ପାରଇ ମୁଁ ରଖି ।
ତୁମ୍ଭ ବୁଦ୍ଧିବଳେ ତୁମ୍ଭେ ରଖ ତୁମ୍ଭ ଦେହୀ
ରାଜ ବଳାତ୍କାର କଲେ ରଖିବ କେ ସହି ।
ବିଷ୍ଣୁଙ୍କ ଛାମୁରେ ଯେବେ ପାରିବ ଜଣାଇଁ
ତାଙ୍କ ବିନୁ ମୋତେ ଅନ୍ୟ ଗତି ନିଶୁନାହିଁ ।
ବାସବ କହନ୍ତେ ଶଚୀ ବେଗେ ଚଳିଗଲେ
ନାରାୟଣଙ୍କ ଛାମୁରେ ପ୍ରବେଶ ହୋଇଲେ ।
ପ୍ରଳୟ ବଟପୂଟରେ ସେ ଅନନ୍ତଶାୟୀ
ଯୋଗନିଦ୍ରା ଯାଇଛନ୍ତି ତୈଲୋକ୍ୟ ଗୋସାଇଁ ।
ସନ୍ନିଧିରେ ସରସ୍ୱତୀ ଗାନ୍ଧାର ରାଗରେ
ବୀଣାଯନ୍ତ୍ରେ ଧରି ଗୀତ ଗାବନ୍ତି ସୁସ୍ୱରେ ।
ଦେଖିଲେ କମଳା ପାଦ ମଞ୍ଚାଳନ୍ତି ବସି
ଯୋଗନିଦ୍ରାରେ ଅଚେଷ୍ଟା ପ୍ରଭୁ ବ୍ରହ୍ମରାଶି ।
ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚତୁର୍ଭୁଜ
ବିରାଜନ୍ତି ନୀଳୋତ୍ପଳ ପ୍ରାୟ ଦେବରାଜ ।
ନବରତ୍ନର କୁଣ୍ଡଳ ଶୋଭା ବେନିକର୍ଣ୍ଣେ
ହେମରତ୍ନ ମାଳା ଲମ୍ବି ଅଛି ହୃଦସ୍ଥାନେ ।
ଅନନ୍ତ ସହସ୍ରଫଣା ଛତ୍ରାକାର ହୋଇ
ଅଙ୍ଗାଙ୍ଗ ଯୋଗନିଦ୍ରାରେ ସ୍ୱାମୀ ଛନ୍ତି ରହି ।
ଏମନ୍ତବେଳେ ଭେଟିଲେ ଶଚୀ ମହାମାୟୀ
କରଯୋଡ଼ି ସ୍ତୁତି କଲେ ପାଦପଦ୍ମ ଚାହିଁ ।
ଜୟ ତୁ ନିରଞ୍ଜନ ହେ ଯୋଗେଶ ଦେବତା
ଜୟ ତୁ ଯୋଗେଶ୍ୱର ହେ ସର୍ବଜନ ପିତା ।
ଜୟ ତୁ ଯୋଗେଶ୍ୱର ବଟପୁଟେ ଶୋଉ ସ୍ୱାମୀ
ଜୟ ତୁ ଯୋଗେଶ୍ୱର ହେ ଅଟୁ ଅନ୍ତର୍ଯ୍ୟାମୀ ।
ଜୟ ତୁ ଯୋଗେଶ୍ୱର ହେ ଦେବ ନାରାୟଣ
ଜୟ ତୁ ଯୋଗେଶ୍ୱର ହେ କରଣ କାରଣ ।
ଜଗତର ଭରାଭର ନିବାରଣ ଅର୍ଥେ
ଆପେ ନାନ ଅବତାର ହୁଅ ଶୂନ୍ୟପଥେ ।
ବେଳେବେଳେ ପୃଥ୍ୱୀ ତୁମ୍ଭେ ଉଦ୍ଧାରିଣ ଧର
ସଂସାର ପାଳନ ଅର୍ଥେ ନାନାରୂପ ତୋର ।
ଆରତ ଜନମାନଙ୍କୁ ହୁଅ ତୁମ୍ଭେ ସାହା
ତୁମ୍ଭେ ନ ରଖିଲେ ମୋର କେହି ନାହିଁ ନାହା ।
ଅନାଥର ନାଥ ପ୍ରଭୁ ଦୟା ମୋତେ କର
ସଙ୍କଟ ପଡ଼ିଲା ସ୍ୱାମୀ ଉଦ୍ଧାରୀଣ ଧର ।
ସ୍ୱାମୀ ସକଳ ଜୀବନ ଅଟ ତୁମ୍ଭେ ସାକ୍ଷୀ
ଆଶ୍ରିତ କଳପତରୁ ବୋଲି ଦିଅ ଲେଖି ।
ଜୟ ଜୟ ନାରାୟଣ ଆଦି କଳ୍ପ ଦେହୀ
ତୁମ୍ଭେ ନ ରଖିଲେ ପ୍ରଭୁ ରଖନ୍ତା କେ ନାହିଁ ।
ତୁମ୍ଭର ମହିମା ଦେବ ଅଗୋଚର ମୋତେ
ସ୍ତିରୀ ମୁଁ ପ୍ରାଣ ହାରିବି ହତ୍ୟାଲାଗୁ ତୋତେ ।
ଜଳ ସ୍ଥଳ ଅନଳ ଏ ପ୍ରଭୁ ତୁମ୍ଭ ମାୟା
ଜନ୍ମ ମରଣ ବାଧା ନ ଲାଗେ ତୁମ୍ଭ କାୟା ।
ଅଚ୍ୟୁତ ଦାସ ଶରଣ ମାଗେ ଲକ୍ଷ୍ମୀନାହା
ସଙ୍କଟ ପଡ଼ିଲା ନାଥ ରଖ ଚଉବାହା ।
ଏମନ୍ତେ ଅନେକ ସ୍ତୁତି କଲେକ ଇନ୍ଦ୍ରାଣୀ
ପରମ ଆନନ୍ଦ ହେଲେ ନିରାକାର ଶୁଣି ।
ନାରାୟଣ କହନ୍ତି ତୋ ଚିନ୍ତା କାହିଁ ପାଇଁ
କି ଅବା ବିପତ୍ତି ତୋତେ ପଡ଼ିଲା ଗୋ ତହିଁ ।
ସୁରପତି ବଲ୍ଲଭୀ ତୁ ଅଟୁ ଆଦ୍ୟପାଟ
ଦେବ କନ୍ୟାଙ୍କ ଭିତରେ ଅଟ ତୁମ୍ଭେ ଶ୍ରେଷ୍ଠ ।
ବାସବ ତୁମ୍ଭର ପତି ସ୍ୱର୍ଗପୁର ରାୟେ
ତୈଲୋକ୍ୟ ମଧ୍ୟେ ତୁମ୍ଭର କାହାକୁ ଗୋ ଭୟେ ।
ଶଚୀ ବୋଇଲେ ହେ ଶୁଣ ପ୍ରଭୁ ନାରାୟଣ
ତୁମ୍ଭେ ଠାକୁର ଥାଉଁ ମୁଁ ହେଲି ଅକାରଣ ।
ନହୁଷ ନାମେ ମଞ୍ଚର ଏକଇ ନୃପତି
ସେ ଆସି ସ୍ୱର୍ଗରେ ବସେ ହୋଇ ସୁରପତି ।
ବଳେ ସେ ସୁଧର୍ମାସଭା ବସିଲାକ ମାଡ଼ି
ଡରେ ଦେବବୃନ୍ଦ ସ୍ୱର୍ଗ ପଳାଇଲେ ଛାଡ଼ି ।
ମୋତେ ଆଦିକରି ସ୍ୱର୍ଗ ସମ୍ପଦ ଉପେକ୍ଷି
ନନ୍ଦନ ବନ ମଧ୍ୟରେ ସ୍ୱାମୀ ଲୁଚିଅଛି ।
ନିରେଖ ହୋଇଲି ଦେବ କେହି ନାହିଁ ସଖା
ଅନ୍ତଃପୁର ମଧ୍ୟେ ମୁହିଁ ଥିଲି ପ୍ରଭୁ ଏକା ।
ନହୁଷ ନୃପତି ମୋତେ ନେଉଥିଲା ବଳେ
ଧର୍ମ କଷଣ ପଡ଼ିଲା ମୋତେ ଏତେକାଳେ ।
କେବଳ ପ୍ରକାରେ କୁଳେ ନ ପାଇବି ଲଜ୍ଜା
ବିଚାରିଣ ଆଜ୍ଞା ମୋତେ ଦେବ ଦେବରାଜା ।
ନହୁଷକୁ ଦେଇଛ କି ତୁମ୍ଭେ ଇନ୍ଦ୍ରପଦ
ତୁମ୍ଭ ଇଚ୍ଛା ଅଛି କିନା କହ ମୋତେ ସିଦ୍ଧ ।
ଶଚୀଦେବୀର ମୁଖରୁ ଏସନକ ଶୁଣି
କୋପଭର ହୋଇଲେ ସେ ଦେବ ଚକ୍ରପାଣି ।
ନାରାୟଣ ବୋଇଲେ ତୁ ଶୁଣ ଗୋ ଯୁବତୀ
ଯେତେବେଳେ ସେ ନହୁଷ ଆସିବ ତୋ କତି ।
ବୋଲିବୁ ତାହାକୁ ସ୍ୱର୍ଗେ ଇନ୍ଦ୍ର ଯେ ହୁଅନ୍ତି
ସପତ ଋଷି ତାହାର ହାନ୍ଦୋଳା ବହନ୍ତି ।
ତୁମ୍ଭେ ଯେବେ ସ୍ୱର୍ଗେ ଇନ୍ଦ୍ର ହୋଇବ ନହୁଷ
ସପତ ଋଷିଙ୍କୁ ଘେନି ଏଠାବକୁ ଆସ ।
ତୋହର ହାନ୍ଦୋଳା ତାଙ୍କ କନ୍ଧେ ବୁହାଇବୁ
ତେବେ ସ୍ୱର୍ଗେ ମୋତେ ଘେନି ଇନ୍ଦ୍ର ତୁ ହୋଇବୁ ।
ଏସନ କଥା କହିଲେ ଯହୁଁ ଲକ୍ଷ୍ମୀପତି
ବାହୁଡ଼ି ସ୍ୱର୍ଗକୁ ଆସେ ଶଚୀ ମହାସତୀ ।
ଏମନ୍ତେ ଯେ ସାତଦିନ ସମ୍ପୂର୍ଣ୍ଣ ହୋଇଲା
ଶୁଦ୍ଧସ୍ନାନ ଦିନ ଶଚୀପୁରକୁ ସେ ଗଲା ।
ନହୁଷ ଇନ୍ଦ୍ରକୁ ଦେଖି ବୋଇଲେକ ସଚୀ
ଇନ୍ଦ୍ରର ଯେତେ ବିଧି ନ ଜାଣ ସୁରପତି ।
ଆବର ସ୍ୱର୍ଗରେ ଯେବେ ଇନ୍ଦ୍ର ରାଜା ହେବ
ତହିଁରେ ଯେ ବିଧି ତୁମ୍ଭେ ସେମାନ କରିବ ।
ପୟରେ ବିଜେ କରିବ ତୁମ୍ଭେ କିପାଁ ଏକା
ପୂର୍ବ ବିଧି କଲେ ହେବି ତୁମ୍ଭର ନାୟିକା ।
ଦେବଗୁରୁ ବୃହସ୍ପତି ତୁମ୍ଭ ସଙ୍ଗେ ଥିବେ
ଯେ ବିଧି ଯେଉଁଠାରେ ତା ପ୍ରବର୍ତ୍ତାଇ ଦେବେ ।
ମଞ୍ଚର ରାଜା ତୁମ୍ଭେ ନ ଜାଣ ସ୍ୱର୍ଗଭୋଗ
ଏହା ନ ଜାଣି ଅଇଲ କିପାଁ ଏତେ ବେଗ ।
ଶଚୀର ବଚନ ଶୁଣି ନହୁଷ ବୋଇଲା
ଇନ୍ଦ୍ରପଦ ବିଧି ମୋତେ କେହି ନ କହିଲା ।
କେମନ୍ତେ ବିଧିରେ କହ ସେ ଇନ୍ଦ୍ର ଆସଇ
ସେ କଥା ମହାସତୀ ଗୋ କହିବୁ ମଣାଇ ।
ଶଚୀ ବୋଲେ ଇନ୍ଦ୍ର ବିଧି ଶୁଣ ହୋ ନୃପତି
ଯେମନ୍ତେ ହୋଇ ପୁରୁକୁ ଆସେ ସୁରପତି ।
ରବି ଅସ୍ତକାଳେ କେହି ନ ଥିବେ ସେ ଏକା
ସପତ ଋଷି ବିମାନ ବହିବେ ନିଶାଖା ।
ଭରଦ୍ୱାଜ ଗଉତମ ଅଙ୍ଗିରା ଅଗସ୍ତି
ସନକ ଯେ ସନାତନ ଭୃଗୁ ଏ ବହନ୍ତି ।
ଏ ସପ୍ତଋଷିଙ୍କ କନ୍ଧେ ତୋ ହାନ୍ଦୋଳା ଥିବ
ସେ ହାନ୍ଦୋଳା ଚଢ଼ି ମୋର ପୁରୁକୁ ଆସିବ ।
ଏମନ୍ତ ବିଧିରେ ତୁମ୍ଭେ ଆସ ମୋର ପୁର
ଲଭିବ ମୋତେ ଯେ କଲେ ଇନ୍ଦ୍ରର ବେଭାର ।
ଶୁଣିଣ ନହୁଷ ଇନ୍ଦ୍ର ସନ୍ତୋଷ ହୋଇଲେ
ଦୂତ ପଠାଇ ସପତ ଋଷି ଅଣାଇଲେ ।
ଶାଢ଼ୀ ପ୍ରସାଦ ଦେଇଣ କହିଲେ ସୁଚିତ୍ତେ
ହାନ୍ଦୋଳାର ବହିନେବ ଶଚୀପୁରେ ମୋତେ ।
ଦିବ୍ୟବେଶ ହୋଇ ମୁହିଁ ବସିବି ବିମାନେ
ମୁଖେ ବେଦ ପଢ଼ି କନ୍ଧେ ବହିବ ସୁମନେ ।
ତେବେ ଜାଣ ଇନ୍ଦ୍ରପଦ ହେବ ମୋର ସିଦ୍ଧି
ଶଚୀ ବୋଇଲେ ଏରୂପେ ଇନ୍ଦ୍ରଙ୍କର ବିଧି ।
ନହୁଷ କହିଲେ ଯହୁଁ ଏସନକ ବାଣୀ
ଆତ୍ମା ବିସର୍ଜିଲେ ଶୁଣି ସେ ସପତ ମୁନି ।
ବୋଇଲେ ନହୁଷ ଇନ୍ଦ୍ର ହୋଇ ମନ୍ଦ କଲ
ଋଷିଏ ଦୋଳା ବହିବେ ଏହା ବିଚାରିଲ ।
ସମ୍ପଦରେ ମତ୍ତ ହୋଇ କଲ ଏ ବିଚାର
ଋଷି ଦେଳା ବୁହାଇବା କଥା ଅବେଭାର ।
ଦେଖ ଦେଖ ଶିରୋଗତ ଲକ୍ଷ୍ମୀ ସେ ତୁମ୍ଭର
ଏମନ୍ତ ବିଚାର କିପାଁ କଲ ନୃପବର ।
ଅନୀତି କଥା ଆମ୍ଭର ବହିବା ବମାନ
ଆମ୍ଭେ କେମନ୍ତେ ଜାଣିବୁ ବହିବା ବିଧାନ ।
ଅନୁଭବ ନାହିଁ ଆମ୍ଭେ ଧର୍ମକୁ ଜିଣିମା
ନହୁଷ ବୋଇଲେ ଉଠ ଋଷି ମହାତମା ।
ହାନ୍ଦୋଳା ବହ ହୋ କାନ୍ଧେ ବେଗେ ଯିବା ଚାଲ
ଉଛୁର ହୋଇଲେ ଗଡ଼ିଯିବ ଯୋଗବେଳ ।
ଏହା କହିଣ ନହୁଷ ଆରୋହି ବିମାନ
ଆଜ୍ଞାଦେଲେ ମୁନିମାନେ ଉଠି ବେଗେ ଘେନ ।
ଡରେ ସେ ସପତଋଷି ହାନ୍ଦୋଳା ବହିଲେ
କେ ଧୀରେ ଗମିଲେ କେହି ବେଗେବେଗେ ଗଲେ ।
ଯୁକତେ ସେ ତପଚାରୀ ପୁଣି ହୀନବଳ
କେବଳ ଆହାର କନ୍ଦମୂଳ ବୃକ୍ଷଫଳ ।
କୋମଳ ପତ୍ର ଭକ୍ଷିଣ ଉପାସ କରନ୍ତି
ବନ ବହନ ଫଳ ସେ ଚିପୁଡ଼ି ପିଅନ୍ତି ।
ପାଣି ଗଣ୍ଡୁଷେ ଭକ୍ଷନ୍ତି କରି ଉପବାସ
ଏମନ୍ତ ନିଷ୍ଠାପରର ବଳ ବୀର୍ଯ୍ୟ କିସ ।
ବିମାନ କନ୍ଧେ ମୁଖରୁ ରୁଧିର ଉଦ୍ଗାରି
ମୂର୍ଚ୍ଛାଗତ ହେଲେ ମୁଖୁଁ ବଚନ ନ ସ୍ଫୁରି ।
କେବଣ ଋଷି ବିକଳେ ପଡ଼ି ବେଗେ ଉଠି
ପଡ଼ି ଉଠିବାରୁ ଛିଡ଼ିଯାଏ ଆଣ୍ଠୁ ଗଣ୍ଠି ।
ଚାଲି ନ ପାରିଲେ ଋଷି ପଛରେ ରହିଲେ
ଧର୍ମ ସୁମରି ଧାତାକୁ କେହି ସାକ୍ଷୀ ଦେଲେ ।
ଶରୀରକୁ ଶ୍ରମଝାଳ ବହେ ଘନ ଘନ
ଉଠିପଡ଼ି ହୁଅନ୍ତି କେ ଋଷି ଅଚେତନ ।
ଏ ରୀତି ଦେଖି ନହୁଷ କୋପଭର ହେଲା
ଭର୍ତ୍ସନା କରି ବହୁତ ରୂପେ ଗାଳିଦେଲା ।
ମିଛେ ଉଠି ବସି ପୁଣି ହେଉଅଛି ଗେଲ
ବ୍ୟଥା ପାଉଅଛ ଯେବେ ଧୀରେ ଧୀରେ ଚାଲ ।
ମୁନିମାନେ ବୋଇଲେ ତୁ ମୁଢ଼ ମନ୍ଦମତି
ମହାପାତ ଅର୍ଜିଲୁଣି ଲଭିବୁ ଦୁର୍ଗତି ।
ତପୀଙ୍କ କାନ୍ଧେ ହାନ୍ଦୋଳା ଗୋଟା ବୁହାଇଲୁ
ଏହିକ୍ଷଣି ନାଶଯିବୁ କଥା ରୁହାଇଲୁ ।
ମଞ୍ଚର ମାନବ ତୁହି ସ୍ୱର୍ଗେ ଇନ୍ଦ୍ରରାଜା
ଶୃଗାଳ ହୋଇ ଭୁଞ୍ଜୁଛୁ ସିଂହ ବଳିଭୋଜା ।
ବଳବନ୍ତ ପଣେ ସ୍ୱର୍ଗ ବସିଲୁ ତୁ ମାଡ଼ି
ତୋର ଦର୍ପେ ଦେବତାଏ ଗଲେ ସ୍ୱର୍ଗ ଛାଡ଼ି ।
ଆମ୍ଭଙ୍କୁ ଦୋଳା ବୁହାଉ ତୋର ଏଡ଼େ ଦର୍ପ
ସର୍ପ ସର୍ପ ବୋଲୁ ବୋଲୁ ଘେନ ଆମ୍ଭ ଶାପ ।
ଆମ୍ଭଙ୍କୁ ଦୁଃଖ ଦେଲୁ ତୁ ହୁଅ କାଳସର୍ପ
ପବନ ଆହାରୀ ହୁଅ ଭାଙ୍ଗୁ ତୋର ଦର୍ପ ।
ତୋହର ସଙ୍ଗେ ସ୍ୱର୍ଗକୁ ଅଛନ୍ତି ଯେ ଆସି
ସର୍ପ ଦେହ ପାଆନ୍ତୁ ସେ ସମସ୍ତ ତ ଦୋଷୀ ।
ଏସନକ ଶାପ ଯହୁଁ ଦେଲେ ସପ୍ତଋଷି
ଦେଖୁ ଦେଖୁ ସେ ନହୁଷ ସର୍ପ ହୋଇ ଖସି ।
ମୁନି ଶାପ ଦିଅନ୍ତେ ସେ ସ୍ୱର୍ଗ ଛାଡ଼ିଗଲା
ମଞ୍ଚେ ସୈନ୍ଦ୍ରେୟ ପର୍ବତେ ଯାଇ ବାସ କଲା ।
ପର୍ବତ ଉତ୍ସର୍ଗ ଅତି ଅତିହିଁ ସୁସଞ୍ଚ
ଦଶ ସହସ୍ର ଯୋଜନ ଅଟଇ ତା ଉଚ୍ଚ ।
ପର୍ବତର ଶିଖ ଅଟେ ସୁବିସ୍ତାର ଘଞ୍ଚ
ଦୀର୍ଘ ଯେତିକି ତାହାର ପ୍ରତି ସମକଚ୍ଛ ।
ସେ ଅହି ଯାଇ ପ୍ରବେଶ ହେଲା ତହିଁ ତଳେ
ହରିତୁଙ୍ଗ ନଦୀ ବହେ ଅତି ନିରିମଳେ ।
ମହାସର୍ପ ହୋଇ ସେହି ନଦୀରେ ପଡ଼ିଲା
ଜୀବ କାରଣ ଅର୍ଥରେ ଧାତା ସୁମରିଲା ।
ବିରଞ୍ଚି ବୋଇଲେ ସର୍ପ ହୋଇ ଏଥେ ଥିବୁ
ଯୁଧିଷ୍ଠିର ଦରଶନେ ମୁକତି ହୋଇବୁ ।
ନହୁଷର ସୈନ୍ୟବଳ ସ୍ୱର୍ଗେ ଯେତେ ଥିଲେ
ସମସ୍ତେ ସର୍ପ ହୋଇ ସେ ବନରେ ରହିଲେ ।
ଅନେକ ଯେ ଅହି ଏକମେଳ ତହିଁ ହେଲେ
ତେଣୁ ଅହିରାଜ ନାମ ସେ ବନର ଦେଲେ ।
ସର୍ପ ଡରେ ସେ ବନକୁ ନ ପଶନ୍ତି କେହି
ହସ୍ତୀଶୁଣ୍ଢ ପ୍ରମାଣରେ ସର୍ପ ମୋଟା ତହିଁ ।
ଅଷ୍ଟଧାତୁ ମୂଳେ ନବ ବଟକ ଯେ ଦ୍ରବ୍ୟ
ଅମର ଔଷଧିମାନ ଅଛି ତହିଁ ସର୍ବ ।
ନହୁଷକୁ ଶାପ ଦେଇ ସପ୍ତଋଷି ଗଲେ
ଯେ ଯାହାର ତପସ୍ଥାନେ ପ୍ରବେଶ ହୋଇଲେ ।
ନହୁଷ ବିଯୋଗ ଦେଖି ସ୍ୱର୍ଗ ପୁରବାସୀ
ଅମର ମଣ୍ଡଳେ ସର୍ବେ ପ୍ରବେଶିଲେ ଆସି ।
ନନ୍ଦନମନେ ଯେ ଇନ୍ଦ୍ର ଲୁଚି ବସିଥିଲେ
ଐରାବତ ଆରୋହିଣ ସ୍ୱର୍ଗପୁରେ ଗଲେ ।
ଯକ୍ଷ ଗନ୍ଧର୍ବ କିନ୍ନର ଆଦି ବିଦ୍ୟାଧର
ସମସ୍ତେ ମିଳିଲେ ଆସି ଯେ ଯାହାର ପୁର ।
ବିଚିତ୍ର ନବରମାନ ଦେଖିଲେକ ଆସି
ସ୍ୱର୍ଗମଣ୍ଡଳ ସମସ୍ତ ହୋଇଅଛି ଧ୍ୱଂସି ।
ସୁଧର୍ମା ସଭାରେ ଯାଇ ବିଜେ ପୁରନ୍ଦର
ସକଳ ଦେବତା ଆସି ପ୍ରବେଶ ସଭାର ।
ବାସବ ବୋଇଲେ ଦେବଗୁରୁ ମୁଖ ଚାହିଁ
ଏତେ ଉପଦ୍ରବ ସ୍ୱର୍ଗେ କେହି କରି ନାହିଁ ।
ଅନେକ ଦାନରେ ପୂର୍ବେ ସ୍ବର୍ଗେ ଆସିଥିଲେ
ଏଡେ ବଡ ଉପଦ୍ରବ କେହି ନ କରିଲେ ।
ମାନବ ଇନ୍ଦ୍ର ହୋଇ ସେ ସ୍ୱର୍ଗକୁ ବାହିଲା
ଏଡ଼େ ଛିଦ୍ର କଥାଗୋଟା କେମନ୍ତ ପାଇଲା ।
ଦେବତାଏ ବୋଇଲେ ହୋ ଶୁଣ ଜମ୍ଭଭେଦୀ
ଅନଙ୍ଗସେନ କହିଲା ସ୍ୱର୍ଗର ଯେ ବିଧି ।
ଆମ୍ଭ ଛିଦ୍ର ଜାଣି ଶୁଣି ବହିଲାକ ମାଡ଼ି
ଆମ୍ଭର ଯେ ପ୍ରାଣ ହତ୍ୟା ଏହାଯୋଗୁଁ ପଡ଼ି ।
ବିଶ୍ୱାସୀ ଲୋକ ଅନ୍ତରେ କଲେ ଯେବେମାୟା
ପିତା ହୋଇ ପୁତ୍ରକୁ ନ କରେ ଯେବେ ଦୟା ।
ବୈଦ୍ୟହୋଇ ଔଷଧିରେ ଦେବ ଯେବେ ବିଷ
ଚାଷ କରନ୍ତେ କୃଷିରେ ନୋହେ ଯେବେଶସ୍ୟ ।
ରାଜା ହୋଇଣ ଦଣ୍ଡିବ ଯେବେ ନ ବିଚାରି
ଧର୍ମପତ୍ନୀ ହୋଇ ଯେବେ ହୋଇବ ଦୋଚାରୀ ।
ମନ୍ତ୍ରୀ ହୋଇ ନ କରଇ ଯେବେ ସଦଭାବ
ବୃହସ୍ପତି ହୋଇଲେ ଯେ ନାହିଁ ତାଙ୍କୁ ଠାବ ।
ରାବଣର ଭାଇ ପୂର୍ବେ ବିଭୀଷଣ ଥିଲା
ଲଙ୍କାଛିଦ୍ରମାନ ଯାଇ ରାମଙ୍କୁ କହିଲା ।
ଅସୁରଙ୍କ ଛିଦ୍ର ପାଇ ପ୍ରଭୁ ରଘୁବଂଶୀ
କପି ଘେନି ଲଙ୍କାଗଡ଼ ପକାଇଲେ ଧ୍ୱଂସି ।
ସମୁଦ୍ର ଛିଦ୍ର ଅଗସ୍ତି ମୁନି ଜାଣିଥିଲେ
ଗଣ୍ଡୁଷ କରି ସମୁଦ୍ର ଚଳୁକେ କ୍ଷେପିଲେ ।
ନହୁଷ ଜାଣନ୍ତା କାହୁଁ ଛିଦ୍ର ସ୍ୱର୍ଗ କଥା
ଏହାଯୋଗୁ ଦେବତାଏ ପାଇଲେ ଏ ବ୍ୟଥା ।
ଏକା ଅନଙ୍ଗସେନ ଏ ସ୍ୱର୍ଗ କଲା ନାଶ
ଜ୍ୟେଷ୍ଠପୁତ୍ର ହୋଇ କଲା ଏଡ଼େ ଅବିଶ୍ୱାସ ।
ବୃହସ୍ପତିଙ୍କ ମୁଖରୁ ଏସନକ ଶୁଣି
କୋପେ ପ୍ରଜ୍ବଳିତ ହେଲେ ସୁରପୁରମଣି ।
କୋପଭର ହୋଇ ପୁଣି ବୋଇଲେ ବିଡ଼ୋଜା
ନନ୍ଦନବନୁ ବାହାରି ବହନ ଯାଅ ଯା ।
ବଜ୍ରଶକତି ବୁଲାନ୍ତି ବଇରାଗ ପାଇ
ଯାଅରେ ଅନଙ୍ଗସେନ ନ ଥାଅ ରେ ତୁହି ।
ବିଶ୍ୱାସଘାତକ କଲୁ ମୋଠାରେର ତୁ ମାୟା
ଶତେ ଜନମ ତୁ ଧରି ଅସୁରର କାୟା ।
ପୁତ୍ର ହୋଇ ପିତାଠାରେ କଲୁ ଅବିଶ୍ୱାସ
ତୋ ଜନ୍ମିତ ପୁତ୍ରହସ୍ତେ ହୁଅ ପ୍ରାଣ ନାଶ ।
ଏ ମୋହର ଶାପ ତୋତେ ନୋହିବାରେ ଆନ
ଅସୁର ହୋଇ ମଞ୍ଚରେ ରହ ବହୁଦିନ ।
ଏସନକ ଶାପ ଯହୁଁ ଦେଲେ ସୁରସାଇଁ
ସ୍ୱର୍ଗ ଛାଡ଼ି ବାହାରିଲା ପିତା ଆଜ୍ଞା ପାଇ ।
ଦୃମିଳ ନାମେ ଅସୁର ହୋଇଲା କୁମର
କଂସହସ୍ତେ ପ୍ରାଣ ଦେଇ ଗଲା ସ୍ୱର୍ଗପୁର ।
ଦେବସଭାତରେ ଯାଇ ପ୍ରବେଶ ହୋଇଲା
ନମସ୍କାର କରି ଇନ୍ଦ୍ର ଛାମୁରେ ମିଳିଲା ।
ଦେଖି ତାଙ୍କୁ ସୁରପତି ଆନନ୍ଦ ହୋଇଲେ
ପ୍ରସାଦ ଶାଢ଼ୀ ଚନ୍ଦନ ମାଳା ନେଇ ଦେଲେ ।
ଆଶିଷବାକ୍ୟେ ଆଶିଷ କଲେ ଦେବରାଜା
ନନ୍ଦନବନ ତୋଟାକୁ ପୁତ୍ର ତୁ ଯାଅ ଯା ।
ଚଳିଲା ଅନଙ୍ଗସେନ ଇନ୍ଦ୍ର ଆଜ୍ଞା ପାଇ
ନନ୍ଦନବନ ତୋଟାରେ ମିଳିଲାକ ଯାଇ ।
ଦଶ ଅର୍ବୁଦ ତୋଟାର ଉପରେ ଅଗ୍ରଣୀ
ଇନ୍ଦ୍ରର ଜ୍ୟେଷ୍ଠପୁତ୍ର ସେ ସ୍ୱର୍ଗର କାରେଣୀ ।
ଅଭିଶାପ ପାଇ ମଞ୍ଚେ ଜାତ ହୋଇଥିଲା
କଂସ ହସ୍ତେ ମରି ନିଜ ଭୁବନ ପାଇଲା ।
ଶୁକ ବୋଇଲେ ଶୁଣିଲୁ ତୁହୋ ନୃପରାୟ
ହରିବଂଶ ଆଦ୍ୟଖଣ୍ଡ ଅଟେ ପୁଣ୍ୟମୟ ।
ପବିତ୍ର ଗଙ୍ଗାଜଳ ଏ ବିଷ୍ଣୁ ପୁଣ୍ୟବାଣୀ
ଅନେକ ପାତକ ଧ୍ୱଂସ ହେବ ଏହା ଶୁଣି ।
ଯୋଗବଳେ ଦୃଶ୍ୟ ମୋତେ ହେଲା ଏହିକଥା
ସଂକଳ୍ପ କରି ଶୁଣିବ ହରିବଂଶ ଗାଥା ।
ତୁମ୍ଭେ ପଚାରିଲ ପିତା ପୁତ୍ରଙ୍କର ଯୁଦ୍ଧ
ଯେମନ୍ତ ପ୍ରକାରେ ହେଲା ଦୈତ୍ୟ ପ୍ରାଣବଧ ।
କହିଲି ତୋ ଆଗେ ହରିବଂଶର କାହାଣୀ
ଅଚ୍ୟୁତାନନ୍ଦ ଦାସକୁ ରଖ ଚକ୍ରପାଣି ।