ବଂଶାନୁଚରିତ — ହରିବଂଶ (ପ୍ରଥମ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଚତୁର୍ଦ୍ଦଶୀ ପଉର୍ଣ୍ଣମୀ ଅମାବାସ୍ୟା ନିଶି ।
କୃଷ୍ଣ ଶୁକ୍ଳକରି ତହୁଁ ବେନି ପକ୍ଷ କଲେ
ତିରିଶ ଦିନରେ ମାସେ ଗଣିଣ ଲେଖିଲେ ।
ଅଶ୍ୱିନୀ ନକ୍ଷତ୍ର ଦ୍ୱିଜା କୃତ୍ତିକା ରୋହିଣୀ
ମୃଗଶିରା ଆରଦ୍ରା ଯେ ପୁନର୍ବସୁ ତିନି ।
ପୁଷ୍ୟା ଅଶ୍ଳେଷା ଯେ ମଘା ପୂର୍ବାଫାଲଗୁନି
ଉତ୍ତରାଫାଲ୍ଗୁନୀ ଆଉ ହସ୍ତା ଚିତ୍ରା ବେନି ।
ସ୍ୱାତୀ ବିଶାଖା ଏ ଦୁଇ ଅନୁରାଧା ଜ୍ୟେଷ୍ଠା
ମୂଳା ପୂର୍ବୋତ୍ତରାଷାଢ଼ା ଶ୍ରବଣ ଧନିଷ୍ଠା ।
ଶତଭିଷା ପୂର୍ବଭାଦ୍ରପଦ ଆଦିକରି
ଉତ୍ତରଭାଦ୍ର ରେବତୀ ଏ ଦକ୍ଷ କୁମାରୀ ।
ତାର ଚନ୍ଦ୍ର ଯୋଗ ଘେନି କରଣ ଆବର
ମେଷ ବୃଷଭ ମିଥୁନ କକଡ଼ାମାସର ।
ସିଂହ କନ୍ୟା ତୁଳା ବିଛା ଧନୁ ଯେ ମକର
କୁମ୍ଭ ମୀନ ଘେନି ମାସ ଅଟି ଯେ ବାର ।
ଏ ପ୍ରକାରେ ବାରମାସେ ବାର ଚନ୍ଦ୍ର ବସେ
ବାର ମାସରେ ହୁଅଇ ଜାଣ ତ ବରଷେ ।
ବରଷକ ଭୋଗକରେ ଷଡ଼ଋତୁ ତୁଲେ
ଅୟନେକ ହୁଏ ଜାଣ ଷଡ଼ମାସ ଗଲେ ।
ଅୟେନେକ ପୁଣି ଷଡ଼ମାସରେ ହୁଅଇ
ଦକ୍ଷିଣାୟନ ଉତ୍ତରାୟଣ ଏହି ଦୁଇ ।
ହେମ ଶିଶିର ବସନ୍ତ ନିଦାଘ ବରଷା
ଶରତ ଋତୁକୁ ଘେନି ଷଡ଼ଋତୁ ବସା ।
ଏମାନେ ଭୋଗ କରନ୍ତି ଦୁଇ ଦୁଇ ମାସ
ଷଡ଼ଋତୁ ଭୋଗ ଶେଷେ ବରଷେକ ଶେଷ ।
କକାଳନ୍ତକ ଯୁଗାନ୍ତକ ଭୋଗାନ୍ତକ ଜାଣି
ବାରମାସେ ସାତବାର ଆତଯାତ ପୁଣି ।
ସତ୍ୟ ତ୍ରେତା ଦ୍ୱାପର ଯେ କଳି ଚାରିଯୁଗ
ଦିଗପାଳମାନଙ୍କର ଦିବସେକ ଭୋଗ ।
ମଞ୍ଚମଣ୍ଡଳେ ଗଣ୍ଡାଏ ଯୁଗ ବୋଲି ଜାଣି
କାଳପ୍ରଳୟେ ମେରୁକୁ ହୁଏ ଆଣ୍ଠୁ ଆଣି ।
ଏହିପରି ଏକସ୍ତରି ଗୁଣ୍ଡା ଯୁଗ ଗଲେ
ବ୍ରହ୍ମାକୁ ଘଡ଼ିଏ ହୁଏ ପୁରାଣେ ଲେଖିଲେ ।
ଏ ବିଧିରେ ବ୍ରହ୍ମାକୁ ଯେ ତିରିଷ ଦିବସ
ମାସକ ହୁଏ କହିଲେ ମୁନି ଦେବବ୍ୟାସ ।
ଏ ବିଧି ମାସକୁ ଚାରିଗୋଟି ଯାର ମନୁ
ଚାରିସହସ୍ର କୋଡ଼ିଏ ବରଷେକ ଗଣୁ ।
ବ୍ରହ୍ମାର ଅଠରଲକ୍ଷ ତିରିଶ ବରଷେ
ବ୍ରହ୍ମା ନାଶଯାଇ ଜାଣ ତାର କାଳଶେଷେ ।
ସୁରଲୋକ ସହିତରେ ସର୍ବେ ନାଶଯାନ୍ତି
ସ୍ୱର୍ଗ ପାତାଳ ପୁରରେ କେହି ନ ରହନ୍ତି ।
ଏଥୁଅନନ୍ତରେ ଘୋଟେ ପ୍ରଳୟର ଜଳ
ବ୍ରହ୍ମାଣ୍ଡ ବିନାଶ ଯାଏ ହୁଅଇ ଅଥଳ ।
ବ୍ରହ୍ମା ଦିବସେ ବିଷ୍ଣୁର ସସ୍ରେ ରୂପ ହୋଇ
ମତ୍ସ୍ୟ କଚ୍ଛପ ବରାହ ରୂପେ ବିରାଜଇ ।
ନରସିଂହ ପର୍ଶୁରାମ ଶ୍ରୀରାମ ଜନିତ
କୃଷ୍ଣ ବଉଦ୍ଧ କଳକି ଏ ଆଦି ବିଖ୍ୟାତ ।
ରିପୁ ଦାନବ ବିନାଶି ବ୍ରହ୍ମାଙ୍କ ଦିବସେ
ରାମାୟଣ ରହିବଂଶ ଭାରତ ପ୍ରକାଶେ ।
ସ୍ୱର୍ଗ ମତ୍ତ୍ୟ ପାତାଳରେ ବସନ୍ତି ଯେ ଲୋକେ
ସମସ୍ତେ ଅନ୍ତ ହୁଅନ୍ତି ବ୍ରହ୍ମାର ଅନ୍ତକେ ।
ଇନ୍ଦ୍ର ନଈର୍ଋତ ଦିଗପାଳ ଚନ୍ଦ୍ର ସୂର୍ଯ୍ୟ
ଏମାନେ ଯୋଗେ ବିନାଶ ଯାନ୍ତି ପାଇ କାର୍ଯ୍ୟ ।
ଗ୍ରହ ତାରା ସହିତରେ ଯକ୍ଷ ରକ୍ଷଗଣ
ବ୍ରହ୍ମା ଦିବସରେ ସର୍ବେ ନାଶଯାନ୍ତି ପୁଣ ।
ସପତ ସାଗର ନବଦ୍ୱୀପ ଜଳମୟେ
ଏମନ୍ତେ ବ୍ରହ୍ମାର ଭୋଗ ଦିବସେକ ଯାଏ ।
ଯେତେବେଳେ ମହାଜଳ ପୃଥିବୀ ଘୋଟଇ
ଜଳ ଆଘତେ ପୃଥିବୀଯାକ ବୁଡ଼ିଯାଇ ।
ଗର୍ଜିବହେ ଅଣଚାଷ ମୂରତି ପବନ
ପ୍ରଚଣ୍ଡ ଘୋର ଅନଳ ଉଠେ ଘନ ଘନ ।
ଆବର୍ତ୍ତକ ମେଘ ପୂର୍ବଆଡ଼ରୁ ଘୋଟଇ
ପଚିଶ କ୍ଷଉଣୀ ବଳ ତା ସଙ୍ଗେ ଖଟଇ ।
କ୍ଷୀର ସମୁଦ୍ରରୁ ସେହି ବରଷଇ ନୀର
ନିରତେ ପ୍ରଳୟଜଳ ବହଇ ସତ୍ୱର ।
ପର୍ବତମାନ ଭାଙ୍ଗିଣ କରେ ଏକସ୍ଥଳ
ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ କରେ ସମତୁଲ ।
କୀଟ ପତଙ୍ଗ ଆଦି ଯେ ନ ରଖି କିଞ୍ଚିତ
ସମସ୍ତେ ପ୍ରଳୟଜଳେ ହୁଅନ୍ତି ନିହତ ।
ଭୂଲୋକକୁ ଆଦିକରି ସ୍ୱର୍ଗଲୋକଯାଏ
ସପତଦ୍ୱୀପା ପୃଥିବୀ ଶୂନ୍ୟମୟ ହୁଏ ।
ଆବର୍ତ୍ତକ ସମ୍ୱର୍ତ୍ତକ ଦ୍ରୋଣ ଯେ ପୁଷ୍କର
ଚାରିମେଘ ଘୋଟିଆସି ହୋଏ ଏକାକାର ।
ଅବିନାଶୀ ମେଘମାନେ ହୋଇ କାମରୂପୀ
ସପତ ଭୁବନ ଯାନ୍ତି ନିମିଷକେ ବ୍ୟାପି ।
ଅନେକ ପ୍ରକାର ମେଘ ତାହାଙ୍କୁ ଖଟନ୍ତି
ଏକୁ ଏକ ମେଘ ମହାଯୋଦ୍ଧା ଯେ ଅଟନ୍ତି ।
କୋଟି କୋଟି ସମୁଦ୍ର ସେ ଶୋଷି ଏକେ ଏକେ
ତିଳ ପ୍ରମାଣେ ପେଷନ୍ତି ଘୋଟ ସପ୍ତଲୋକେ ।
ସପ୍ତମ ମେଘମାଳା ଯେ ଏକମୁଖ ହୋଇ
ଧାମନ୍ତି ଆକାଶମାର୍ଗେ ଜଳନ୍ତି ଆରୋହୀ ।
ଭୟଙ୍କର ଘଡ଼ଘଡ଼ି ଶବଦ ତଡ଼ିତ
ଝଟଝଟ ବିଜୁଳି ଯେ ବଜ୍ରର ନର୍ଘାତ ।
ମରୁତ ନାମେ ପବନ ବହେ ମହାଘୋର
ଆବର୍ତ୍ତକ ପୂର୍ବଦିଗ କରିଣ ଅନ୍ଧାର ।
ପଚିଶ ଯେ ଅକ୍ଷୌହିଣୀ ସଇନି ସଙ୍ଗତେ
କ୍ଷୀର ସମୁଦ୍ରରୁ ନୀର ବରଷେ ନିରତେ ।
ଦ୍ରୋଣ ମେଘ ଯେ ଦକ୍ଷିଣ ଦିଗକୁ ଘୋଟଇ
ତେଇଶୀ କ୍ଷଉଣୀ ବଳ ତାଙ୍କ ସଙ୍ଗେ ଥାଇ ।
ଘୃତ ସମୁଦ୍ର ନିରତେ ବରଷନ୍ତି ନୀର
ଦହନ ନାମେ ପବନ ବହେ ନିରନ୍ତର ।
ପୁଷ୍କର ମେଘ ଦକ୍ଷିଣ ଦିଗର ଯେ ରାଜା
ଦଶ ଅକ୍ଷୌହିଣୀ ବଳ ତାହାର ପରଜା ।
ସମୀର ନାମେ ପବନ ବହେ ମହାବଳ
ଇକ୍ଷୁ ନାମେ ସମୁଦ୍ରରୁ ବରଷଇ ଜଳ ।
ମହାଘୋର ନାଦକରି ବରଷନ୍ତି ପାଣି
ପବନ ବହେ ପ୍ରଳୟ ବେଳକାଳ ଜାଣି ।
ଶୂନ୍ୟଲୋକ ଆଦିକରି ବ୍ରହ୍ମାଣ୍ଡରେ ତୁଚ୍ଛା
ବରଷନ୍ତି ମେଘମାଳେ ଯେ ଯାହାର ଇଚ୍ଛା ।
ନିରନ୍ତରେ ବରଷନ୍ତି ରହି ସପ୍ତଲୋକେ
ସ୍ୱର୍ଗଭୁବନେ ନ ଥାନ୍ତି ଥାଉ ଦେବ ଲୋକେ ।
ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଏ ଚାରି
ଓଁକାର ସାବିତ୍ରୀ ମନ୍ତ୍ର ତନ୍ତ୍ର ବେଦଚାରି ।
କୀଟ ପତଙ୍ଗ ପ୍ରଭୃତି ଜୀବଜନ୍ତୁ କେହି
ଦେହଧାରୀ ହୋଇ ତହିଁ ଜଣେ ହେଁ ନ ଥାଇ ।
ବ୍ରହ୍ମାର ଆୟୁ ନିର୍ବଳେ ଏତେ ନାଶଯାନ୍ତି
ଶୂନ୍ୟଲୋକ ପର୍ଯ୍ୟନ୍ତେ କେ ଗୋଟିଏ ନଥାନ୍ତି ।
ଯେତେବେଳେ ଏ ପୃଥିବୀ ହୁଏ ଜଳମୟେ
ହଂସରେ ଚଢ଼ିଣ ବ୍ରହ୍ମା ସସ୍ରେ ବର୍ଷଯାଏ ।
ଶୂନ୍ୟପୁରେ ଭ୍ରମୁଥାଇ ବିଶ୍ରାମହିଁ ନାହିଁ
ଜଳଗହଳେ ବ୍ରହ୍ମାଣ୍ଡ ଯହୁଁ ନାଶଯାଇ ।
ବ୍ରହ୍ମା ପ୍ରଳେ ହେଲେ ଜଳ ମହଲ୍ଲୋକେ ଲାଗେ
ନିରଞ୍ଜନ ଦେବତାର ପୁର ଚାରିଦିଗେ ।
ମହାଭୟଙ୍କର କଳ କଳ ନାଦ କରି
ନିରଞ୍ଜନ ଦେବତାର ଆସନକୁ ଘେରି ।
ଚକ୍ଷୁଫେଇ ଅବହେଳେ ଚାହେଁ ଯୁଗପତି
ବ୍ରହ୍ମା ଆଦିକରି କେହି ଜଣେ ନାହିଁ ବର୍ତ୍ତି ।
ଧ୍ରୁବଲୋକ ପରିଯନ୍ତେ ଲାଗିଅଛି ଜଳ
ଅନଳ ଶିଖା ଭେଦିଛି ଆକାଶ ମଣ୍ଡଳ ।
ଏ ବିଧିରେ ସଦାଶିବ ସସ୍ରେ ବର୍ଷ ବର୍ତ୍ତି
ବୃଷଭ ଆରୋହି ଶୂନ୍ୟ ମଣ୍ଡଳେ ଭ୍ରମନ୍ତି ।
ଏହି ରୂପେ ତିନିକୋଟି ଯୁଗ ମନୁ ଗଲେ
ଈଶ୍ୱର ଦେବତାଙ୍କୁ ଯେ ଦିନେ ହୁଏ ଭଲେ ।
ରୁଦ୍ରବଳେ ସୃଷ୍ଟି ନାଶଯାଇ ଯେତେବେଳେ
ପହଁରୁଥାଇ ସେ ନିରଞ୍ଜନ ଦେବ ଜଳେ ।
ପରମ ବ୍ରହ୍ମରୂପକୁ ଧରି ଦେବସ୍ୱାମୀ
ମହାର୍ଣ୍ଣବ ଜଳେ କ୍ରୀଡ଼ା କରେ ଅନ୍ତର୍ଯ୍ୟାମୀ ।
ଅଶୀକୋଟି କଳ୍ପଯାଏ ପହଁରଇ ଏକା
ପରମାତ୍ମା ବ୍ୟତିରେକେ କେହି ନାହିଁ ଶାଖା ।
ଏହିରୂପରେ ଅନେକ କାଳ କଳ୍ପ ଯାଇ
ନିରଞ୍ଜନ ଦେବତାକୁ ବରଷେକ ହୋଇ ।
ନିରଞ୍ଜନ ଦେବତାର ଯେତେକ ଆୟୁଷ
କାଳ ସମାପତ ହେଲେ ସେହି ଯାନ୍ତି ନାଶ ।
ନିରଞ୍ଜନ ଦେବତାର ଆୟୁଷ ତୁଟଇ
ନିରାକାର ଦେବତାଙ୍କୁ ସତ୍ୱରେ ଭେଟଇ ।
ନିରାକାର ପୁରୁଷର ଆକାର ତ ନାହିଁ
ତାହାର ଭେଟ କେମନ୍ତେ ନିରଞ୍ଜନ ପାଇ ।
ନିରକାର ଆଶ୍ରା କରି ନିରଞ୍ଜନ ହରି
ନିରଞ୍ଜନ ପ୍ରଳେ ବିଷ୍ଣୁପୁରେ ଜଳ ଘେରି ।
ଗରୁଡ଼ ଉପରେ ବସେ ଦେବ ନିରାକାର
ପରମ ଶୂନ୍ୟମଣ୍ଡଳେ କ୍ଷେପେ ଖଗବର ।
କାଳ କାମ ନିଦ୍ରା ଯହିଁ ତିନିହେଁ ନ ଥାନ୍ତି
ସତୁରି ଯୋଜନ ମୋଟ ଗରୁଡ଼ ଦିଶନ୍ତି ।
ସେ ମହାପୁରୁଷ ବିଜେ ବିଷ୍ଣୁ କଳା ବହି
ଲୀଳା କରୁଥାନ୍ତି ଆପେ ହୋଇ ଜଳଶାୟୀ ।
ଏ ଅନୁକ୍ରମେ ଅନେକ କୋଟି ଯୁଗ ଗଲା
ସମୟେ ନାରାୟଣଙ୍କୁ ଗରୁଡ଼ ଚାହିଁଲା ।
ଭୋ ଦେବ ହେ ନାରାୟଣ ତୁମ୍ଭେମୋର ସ୍ୱାମୀ
ସର୍ବଭୂତେ ଆତ୍ମା ତୁମ୍ଭେ ଆହେ ଅନ୍ତର୍ଯ୍ୟାମୀ ।
ବିଷ୍ଣୁଲୋକ ପରିଯନ୍ତେ ଘୋଟିଲା ଏ ଜଳ
ଚତୁର୍ଦ୍ଦଶ ଲୋକେ ନାଶ ଗଲେଣି ସକଳ ।
ଅନନ୍ତକୋଟି ବ୍ରହ୍ମାଣ୍ଡେ ଜଳପୂର୍ଣ୍ଣ ହୋଇ
ରହିବାକୁ ଆଉ କାହିଁ ତିଳେ ଠାବ ନାହିଁ ।
ସ୍ଥାବର କୀଟ ପତଙ୍ଗ କେହି ନାହିଁ ବର୍ତ୍ତି
ସଂସାରଯାକ ହୋଇଲା ସବୁ ଏକ ମୂର୍ତ୍ତି ।
ସ୍ୱାମୀ ପୃଥ୍ୱୀ ନାଶଗଲା ହେଲା ଜଳମୟ
ଜଳ ନାଶଯାନ୍ତେ ଦେଖି ହୁଏ ଅଗ୍ନିମୟ ।
ଅନଳ ନାଶ ଯାଇଣ ଘୋଟିଲା ପବନ
ପବନ ନାଶ ଯାଆନ୍ତ ନିରାକାର ଶୂନ୍ୟ ।
ଶୂନ୍ୟର ଉପରେ ସ୍ୱାମି ଉଡ଼ୁଅଛି ମୁହିଁ
ପିଠିରେ ମୁଁ ବିଶ୍ୱ ମହାଭାରା ଅଛି ବହି ।
ଚଳି ନ ପାରଇ ଦେବ ମହାଭାଗ ପାଇ
ଅଶକତ ହେବାରୁ ମୁଁ ଛାମୁରେ ଜଣାଇ ।
ଗରୁଡ଼ ବଚନ ଶୁଣି ନାରାୟଣ ସ୍ୱାମୀ
ଅନେକ ପ୍ରକାରେ ଦୟାକଲେ ଅନ୍ତର୍ଯ୍ୟାମୀ ।
ବିଶ୍ୱରୂପ ଧରି ସ୍ୱାମୀ ବିସ୍ତାରିଲେ କାୟା
ଗରୁଡ଼ ନ ଜାଣଇ ସେ ବିଶ୍ୱକୂଟ ମାୟା ।
ବିଷ୍ଣୁର ଗର୍ଭ ଭିତରେ ପକ୍ଷୀ ଅଛି ବସି
ସକଳ ସଂସାର ବିଷ୍ଣୁ ଉଦରେ ପ୍ରକାଶି ।
ବ୍ରହ୍ମାଙ୍କୁ ଯେ ଆଦିକରି ଦଶଦିଗପାଳେ
ହିମବନ୍ତ ପରବତେ ଅଛନ୍ତି ସକଳେ ।
ଅଷ୍ଟକୋଟି ଗରିବର ଚନ୍ଦ୍ର ଦିବାକର
ଅଷ୍ଟନାଗ ସତାଈଶ ନକ୍ଷତ୍ର ଆବର ।
ନୀଳଗିରି ବିନ୍ଧ୍ୟଗିରି କୈଳାସ କନ୍ଦର
ମହେନ୍ଦ୍ର କନ୍ଦର୍ପ ବିନ୍ଧ୍ୟମାଳା ଗିରିବର ।
ଚନ୍ଦ୍ର ସୂର୍ଯ୍ୟ ତାରକାର ଆତଯାତ ତହିଁ
ସପତ ସମୁଦ୍ର ନଦୀମାନେ ଯାନ୍ତି ବହି ।
ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଏ ଚାରି
ଓଁ କାର ମୂଳ ସାବିତ୍ରୀ ମନ୍ତ୍ର ଆଦିକରି ।
ସ୍ୱର୍ଗମଞ୍ଚ ପାତାଳର ଯେତେ କୀର୍ତ୍ତି ତହିଁ
ଦେଖିଲା ବିଷ୍ଣୁର ଗର୍ଭେ ସବୁ ଅଛି ରହି ।
ସୃଷ୍ଟି କି ପ୍ରଳୟ କାଳେ ଅଛନ୍ତି ସଂହରି
ପୁଣି ସେ ସ୍ଥାପିବେ ବୋଲି ଗଭେଛନ୍ତି ଭରି ।
ଏସନକ ରୂପ ଦେଖି ବିନତାତନୟ
ନିଶ୍ଚିନ୍ତେ ତହିଁ ରହିଲା ଛାଡ଼ି ସବୁ ଭୟ ।
ବିଷ୍ଣୁ ଗର୍ଭେ ପାଶୋରିଲା ସବୁ ପକ୍ଷୀରାୟେ
ଏଥୁ ଅନନ୍ତରେ ଶୁଣ ପରୀକ୍ଷିତ ରାୟେ ।
ହରିବଂଶ ପୁରାଣ ତୁ ଶୁଣି ମୋକ୍ଷ ହୁଅ
ସକଳ ପାତକ ତୋର ଦେହୁ ଯାଉ କ୍ଷୟ ।
ଯାହା ଶୁଣନ୍ତେ ହୁଅଇ ସ୍ୱର୍ଗକୁ ନିଶାଣୀ
ଅଳପକେ ହୋଏ ଜାଣ ଯମଦଣ୍ଡ ଜିଣି ।
ସୃଷ୍ଟି ପ୍ରଳୟ କଥା ଏ ଅସମ୍ଭବ ବାଣୀ
ସାବଧାନ ହୋଇ ଶୁଣ ଆହେ ନୃପମଣି ।
ଯେବଣ ଜନେ ଶୁଣନ୍ତି ପ୍ରଳୟର କଥା
ରୋଗ ଶୋକ ବ୍ୟାଧିଖଣ୍ଡେ ସର୍ବ ମନୋବ୍ୟଥା ।
ଭୁଞ୍ଜନ୍ତି ବିପୁଳ ଲକ୍ଷ୍ମୀ ମନର ସ୍ୱଇଚ୍ଛା
ଧନ ଜନ ଗୋପ ଲକ୍ଷ୍ମୀ କଳ୍ପେ ଯେତେବାଞ୍ଛା ।
ଜୟ ନୀଳାଚଳନାଥ ନିଳାଦ୍ରୀ ବିହାରୀ
ଅବିକାର ବ୍ରହ୍ମ ତୁମ୍ଭେ ପ୍ରାଣ ଅଧିକାରୀ ।
ଯୋଗୀମାନଙ୍କର ଅଟ ଆଦିମୂଳ
ତୁମ୍ଭ ରୂପରେଖ ବର୍ଣ୍ଣ ନାହିଁ ଶୂନ୍ୟେ ଠୁଳ ।
ଦେବଙ୍କର ଶାଖା ତୁମ୍ଭେ ଦେବଙ୍କର ଆତ୍ମା
ତୁମ୍ଭେ ଯେ କର୍ମ ଅକର୍ମ ଅଟ ମହାତମା ।
ଅଖିଳକୋଟି ବ୍ରହ୍ମାଣ୍ଡେ ତୁମ୍ଭ ଖେଳରଙ୍ଗ
ଜୀବ ଆତ୍ମା ଜ୍ୟୋତି ତୁମ୍ଭେ ପରମାତ୍ମା ସଙ୍ଗ ।
ନୀଳ ଇନ୍ଦୀବର ପୁଷ୍ପ ପ୍ରାୟ ଶୋଭା ଦେହୀ
ତୁମ୍ଭ ଆଦିଅନ୍ତ ମଧ୍ୟ ନ ଜାଣନ୍ତି କେହି ।
ଦେବଙ୍କ ଉପରେ ତୁମ୍ଭେ ଅଟ ଦେବ ହରି
ଶରଣପଞ୍ଜର ନାଥ ତୁମ୍ଭେ ଦଇତ୍ୟାରି ।
କର ଚରଣ ନାସିକା ବହ ମୁଖ କର୍ଣ୍ଣ
ପଞ୍ଚଇନ୍ଦ୍ରୀ ତ୍ୟାଗୀ ତୁମ୍ଭେ ହୁଅ ଏକ ବର୍ଣ୍ଣ ।
ବିଚକ ପଦ୍ମ ପରାୟ ତୁମ୍ଭ ବେନି ଆଖି
ଅନେକ ଜନ୍ମ ପାତକ ଖଣ୍ଡେ ଯାହା ଦେଖି ।
ବିଗତକଳ୍ମଷ ପ୍ରଭୁ ତୁମ୍ଭେ ଗଙ୍ଗାଧାର
ନୀଳ ମେଘରେ ଯେସନ ଶୋଭା ତଡ଼ିତର ।
ଲାଲାଟେ ଶୋଭିତ ଚିତା ଶୋହେ ଶଙ୍ଖବର୍ଣ୍ଣ
ବାହୁରେଖାରେ ତିଳକ ଗୋଟି ଶୋଭାବନ ।
ବିସ୍ତାର ତୋ ଭୁଜଖଣ୍ଡ ସଂସାର ଆରମ୍ଭ
ତୋ ଘେନି ସିନା ସର୍ଜିଲା ବ୍ରହ୍ମା ଏହି ଭବ ।
ବିସ୍ତାର ତୁମ୍ଭ ହୃଦୟ ଭାରାଭର ପୃଥ୍ୱୀ
ସଂକୀର୍ଣ୍ଣ ତୋ ମଝା କି ସେ ହରିର ଆକୃତି ।
ଦକ୍ଷିଣରେ ବଳଭଦ୍ର ମଧ୍ୟରେ ସୁଭଦ୍ରା
ଆପେ ନିତି ରୂପ ହୁଅ ଘେନି ଯୋଗମୁଦ୍ରା ।
ଅଗ୍ନିକୋଣେ ମହୋଦଧି କୋଣାରକ ତଟେ
ବିଜୟ ଶ୍ରୀ ଜଗନ୍ନାଥ କଳ୍ପବଟପୁଟେ ।
ବ୍ରହ୍ମା ଇନ୍ଦ୍ର ଆଦିକରି ଦେବ ତ୍ରିପୁରାରି
ସକଳ ଦେବତା ତୋତେ ଥାନ୍ତି ସେବାକରି ।
ଦେବଙ୍କ ଭକତି ଘେନି ପରାନନ୍ଦ ରୂପୀ
ସକଳ ପ୍ରାଣୀଙ୍କି ତୁମ୍ଭେ ହୃଦେ ଅଛ ସ୍ଥାପି ।
ବାରେ ଦେଖିଲେ ସ୍ୱାମୀଙ୍କି ପାପ ଯାଇ ନାଶ
କାଳ କାମ ମୋହ ଯାଇ ଫିଟେ କାଳପାଶ ।
ନମସ୍ତେ ହେ ଜଗନ୍ନାଥ ସକଳ କାରଣ
ନମସ୍ତେ ହେ ଜଗନ୍ନାଥ ତୁଳସୀରମଣ ।
ଯେଉଁ ପାଦପଦ୍ମ ବ୍ରହ୍ମା ନ ପାଇଲା ଲେଶ
ସେହି ପାଦପଦ୍ମେ ଥାଉ ମୋହର ଯେ ଆଶ ।
ସେହି ପାଦପଦ୍ମ ନରେ ସଦା ଜୟ ଘୋଷ
ଜଗନ୍ନାଥ ପାଦ ସେବେ ଶ୍ରୀ ଅଚ୍ୟୁତ ଦାସ ।
ସୃଷ୍ଟି ପ୍ରକାରଣ
ଏଥୁଅନ୍ତେ ପରୀକ୍ଷିତ ନାମେ ମହାରାଜା
ଶୁକମୁନିର ଚରଣେ କଲେ ଦିବ୍ୟପୂଜା ।
ଭୋ ମୁନି ପ୍ରଳୟ କଥା କହିଲ ମୋ ଆଗେ
ସଂସାର ସମ୍ଭବ ପୁଣ ହେଲା କେଉଁ ବାଗେ ।
ସେ କଥାଟି ମୋର ଆଗେ କହ ତପୋବନ୍ତ
ଶୁଣିଲେ ପାତକମାନେ ହୋଇବ ନିହତ ।
କହନ୍ତି ଯେ ଇଦଂ ପ୍ରତିବାକ୍ୟ ମହାମୁନି
ଶୁଣନ୍ତି ପରୀକ୍ଷ ରାଜା ସୁଧାରସ ଧ୍ୱନି ।
ଯେତେବେଳେ ପୃଥିବୀର ପ୍ରଳୟ ହୋଇଲା
ଜନ ଜନ୍ତୁ ଗୋଟିଏକ ତହିଁ ନ ରହିଲା ।
ବ୍ରହ୍ମ ରୁଦ୍ର ଇନ୍ଦ୍ର ଚନ୍ଦ୍ର ନଇର୍ଋତ ଯମ
ଦଶ ବିଶ୍ୱେଦେବା ରବି ତାରଗଣ ସୋମ ।
ପିଶାଚ କିନ୍ନର ଯକ୍ଷ ଗନ୍ଧର୍ବ ସହିତେ
ନକ୍ଷତ୍ର ଯୋଗ କରଣ ବରୁଣ ସମେତେ ।
ମନୁ ଯୁଗପତି ଯେତେ ସଂସାର ଧାରଣ
ସ୍ଥାବର ଜଙ୍ଗମ ମୂଳେ ନାଶଗଲେ ପୁଣ ।
ପବନ ବଇଶ୍ୱାନର ଭାରାଭର ମୂଳେ
ସବୁ ନାଶଗଲା ମହାପ୍ରଳୟର ଜଳେ ।
ଦେହଧାରୀଯାକ ସବୁ ଗଲେ ଯହୁଁ କ୍ଷୟ
ସକଳ ବ୍ରହ୍ମାଣ୍ଡ ହେଲା ମହାଜଳମୟ ।
ଭୁଲୋକ ଯେ ଭୁବଲୋକ ସ୍ୱର୍ଲୋକ ଏ ତିନି
ମହର୍ଲ୍ଲୋକ ଆଦିକରି ଯେତେକ ମେଦିନୀ ।
ଜନଲୋକ ତପଲୋକ ସତ୍ୟଲୋକ ଘେନି
ମହାପ୍ରଳୟ କାଳେ ଏ ନାଶ ଗଲେ ପୁଣି ।
ପାତାଳ ସପତଲୋକ ଯେତେ ତଳପୁରେ
ତଳାତଳ ଅତିତଳ ରସାତଳ ଠାରେ ।
ମହାତଳ ପାତାଳକୁ ଘେନି ସାତ ପୁର
ଚଉଦ ଭୁବନ ରଚିଥିଲା ଦେବବର ।
ଏହିପରି ନାଗଲୋକ ସ୍ୱର୍ଗ ଦିଗପାଳେ
ମହା ପ୍ରଳୟ ଜଳରେ ପଡ଼ି ମୁଡ଼ି ମଲେ ।
ରୂପରେଖ ନାହିଁ କିଛି ସବୁ ଗଲେ କ୍ଷୟ
ଚଉଦ ଭୁବନଯାକ ହେଲା ଶୂନ୍ୟମୟ ।
ଏକମାତ୍ର ଶୁକ୍ଳାମ୍ୱର ବିଷ୍ଣୁ ଥିଲେ ରହି
ଜଳ ବଟପୁଟେ ହୋଇ ସେ ଉତ୍ତାନଶାୟୀ ।
ସୁରଲୋକ ନରଲୋକ ଋଷି ମହାଋଷି
ସିଦ୍ଧ ସାଧୁ ସାଧକେ ଯେ ବିଷ୍ଣୁ ଗର୍ଭେ ପଶି ।
ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଏ ଚାରି
ଓଁକାର ସାବିତ୍ରୀ ମନ୍ତ୍ର ତନ୍ତ୍ର ବେଦଚାରି ।
ସକଳ ବ୍ରହ୍ମାଣ୍ଡଯାକ ବିଶ୍ୱଗର୍ଭେ ଭରି
ବଟପୁଟରେ ଶୟନେ କଲେକ ମୁରାରି ।
ପଞ୍ଚାଶ ପାଖୁଡ଼ା ଷଡ଼ଚକ୍ର ବନ୍ଧ ମୁଦ୍ରା
ମହାଶୂନ୍ୟ ମଣ୍ଡଳରେ ଗଲେ ଯୋଗନିଦ୍ରା ।
ମନପବନ କାୟାକୁ କୁଲେ ଏକଗୋଷ୍ଠୀ
ସରୋବରେ ପ୍ରକାଶିଲେ ହଂସରୂପଗୋଟି ।
ବ୍ରହ୍ମଜଳା ଲାଗିଲାକ କାଉଁରୀ ମଣ୍ଡଳେ
ପରମ ଆତ୍ମାକୁ ଘେନ ରହଇ ନିଶ୍ଚଳେ ।
ଅମର ଗିରି ଉପରେ ପୁଷ୍ପେକ ଫୁଟିଲା
ଅଷ୍ଟଦଳ କମଳ ସେ ହୋଇ ବିକାଶିଲା ।
ଅଷ୍ଟାଙ୍ଗ ଯୋଗର ମୂଳ ଚଉରାଶୀ ଜ୍ଞାନ
ଷଡ଼ଚକ୍ରର ବାସନାମାନଙ୍କର ସ୍ଥାନ ।
ଅଦ୍ଭୁତେ ନାଭି କମଳୁ ହୋଇଲାକ ଜାତ
ଜଗତ ବାସନାରୂପେ ହୋଇଲା ବିଦିତ ।
ଉପମା ଦେବାକୁ ତାର ପଟାନ୍ତର ନାହିଁ
କୋଟି ସୂର୍ଯ୍ୟର ତେଜ ବିଧ୍ୱଂସୁଛି ତହିଁ ।
ଷାଠିଏ କୋଟି ଯୋଜନ ପଦ୍ମନାଡ଼ ଗୋଟି
ଜଳପ୍ରଳୟ ହୁଅନ୍ତେ ଉପରକୁ ଫୁଟି ।
ଚଉଦକୋଟି ପାଖୁଡ଼ା ଫୁଟିଲା ଉପରେ
ଚରାଚର ପୃଥିକୀକି ଘୋଟିଲା ତେଜରେ ।
ସହସ୍ରେକ ଯୁଗଯାଏ ବହିଲା ସେ ଘୋଟି
ସୁଗନ୍ଧରେ ଆମୋଦିଲା ଚରାଚର ସୃଷ୍ଟି ।
ଯେତେବେଳେ ପଦ୍ମଫୁଲ ଫୁଟି ବିକଶିଲା
ଶୂନ୍ୟୁ ଉଡ଼ି ଆସି ଏକ ଭ୍ରମର ବସିଲା ।
ସୁବର୍ଣ୍ଣ ବିନ୍ଦୁପରାୟେ ସେ ଭ୍ରମର କାୟା
ଆପେ ଅନ୍ତର୍ଯ୍ୟାମୀନାଥ ରଚିଲେକ ମାୟା ।
ପୁଷ୍ପ ଉପରେ ବସିଲା ସେ ଭ୍ରମର ପକ୍ଷୀ
ଶ୍ରଦ୍ଧାରେ ଚୁମ୍ବୀଲା ବସି ଶ୍ରମକୁ ଉପେକ୍ଷି ।
ପୟରୁ ଯେ ମକରନ୍ଦ ହୋଇଲାକ ବୃଷ୍ଟି
ତାର ଆସ୍ୱାଦନେ ତୋଷେ ଚରାଚର ସୃଷ୍ଟି ।
ସେ ନାଭିକମଳକୁ ସେ ଭମର ଚୁମ୍ୱିଲା
ତତକ୍ଷଣେ ସେହି ଦେବ ତନୁକୁ ଧଇଲା ।
ଅହତ ଆଶ୍ରା କରି ସେ ପାଇଁ ସିଦ୍ଧଅଙ୍ଗ
କଳ୍ପେ ପର୍ଯ୍ୟନ୍ତ ନ ପାଇ ସେ କାହାରି ସଙ୍ଗ ।
ଯେତେବେଳେ ତାର ବୁଦ୍ଧି ହୋଇଲାକ ଆନ
ଧ୍ୟାନେ ବିଷ୍ଣୁଙ୍କୁ ଦେଖିଲା ପାଇ ଦିବ୍ୟ ଜ୍ଞାନ ।
ସାମ ଯଜୁ ଋକବେଦ ଅଥର୍ବ ଯେ ସିଦ୍ଧି
ଆନ ଗ୍ରନ୍ଥମାନ ହେଲା ସିଦ୍ଧ ଅଙ୍ଗେ ଭେଦୀ ।
ବେଦର ଅନ୍ତ ଜାଣି ସେ ବେଦାନ୍ତ ପାଇଲା
ଓଁକାର ଶବ୍ଦ ବୃହତ ସାମକୁ ଗାଇଲା ।
ମନ ପବନ ଚୈତନ୍ୟ ଚିଆଁ ଚାରିଖଣ୍ଡ
ଏ ଚାରି କର୍ମରୁ ଜାତ ହେଲେ ଚାରିମୁଣ୍ଡ ।
ଉତ୍ତର ପଶ୍ଚିମ ପୂର୍ବ ଦକ୍ଷିଣ ମୂରତି
ଏ ଚାରି କର୍ମରୁ ପୁଣି ଦେହେ ଚାରିଗତି ।
ଚାର ମୁଖେ ଦେବଧ୍ୱନି କଲାକ ରଚନ
ଅପୂର୍ବ ଧ୍ୱନି ଶୁଭିଲା ଏ ତିନି ଭୁବନ ।
ଯୁକତେ ତ ପୁଣ୍ୟମୟ ହୋଇଛି ମେଦିନୀ
ସପତସ୍ୱରରେ ବ୍ରହ୍ମା କଲେ ବେଦ ଧ୍ୱନି ।
ଅଚେତନ ହୋଇ ସ୍ୱାମୀ ଯାଇଥିଲେ ନିଦ୍ରା
ଚକ୍ଷୁ ଫେଡ଼ିଣ ଚାହିଁଲେ ଭାଙ୍ଗେ ଯୋଗନିଦ୍ରା ।
ଚକ୍ଷୁ ମଳିଣ ଚାହିଁଲେ ପ୍ରଭୁ ବିଶ୍ୱବାସ
ନାଭିକମଳେ ବସିଛି ଏକଇ ପୁରୁଷ ।
ଚତୁର୍ମୁଖେ ଚତୁର୍ବେଦ କମଣ୍ଡଳୁ କରେ
ବହୁତ ସାମଧ୍ୱନି ସେ କରେ ନିରନ୍ତରେ ।
ଶୁଦ୍ଧ ସୁବର୍ଣ୍ଣର ଜ୍ୟୋତି ଅଟେ ତାର କାୟା
ଦେଖି ଦେବ ନାରାୟଣ କଲ ତାକୁ ଦୟା
ନାଭି କମଳ ଉପରେ ପିତାମହ ସ୍ୱୀମୀ
କରପତ୍ର ଯୋଡ଼ି ପୁଣି ଚରଣେ ପ୍ରମଣି ।
ଅନେକ ସ୍ତୁତି ବଚନ ଅନ୍ତର୍ଗତେ ଗୁଣି
ଚତୁର ମୁଖରେ ପୁଣି ସ୍ତୁତିବାଣୀ ଭଣି ।
ଜୟ ତୁ ନିରାକାର ଯେଦେବଙ୍କ ଦେବତା
ଜୟ ତୁ ନିରାକାର ହେ ସଂସାର କରତା ।
ଜୟ ତୁ ଜଗତନାଥ ଦେବ ଆଦିକନ୍ଦ
ଜୟ ତୁ ନାରାୟଣ ହେ ପରମ ଆନନ୍ଦ ।
ଜୟ ତୁ ନୀଳାଦ୍ରିନାଥ ନିରାକାର ରେଖା
ଜୟ ତୁ ନିରାକାର ହେ ସଂସାର ନଉକା ।
ସ୍ୱାମୀ ତୋ ତହୁଁ ସୁମୂର୍ତ୍ତି ଆନ କେହି ନାହିଁ
ତୋର ରୂପରେଖ ବର୍ଣ୍ଣ ଅଛି ଆଉ କାହିଁ ।
ଅନାଥ ଅରୂପ ତୋର ଅବ୍ୟକତ ଜ୍ୟୋତି
ଅକୁଳ ଅମୋହ ତୁ ଯେ ଅଶ୍ରୁତି ଅମୂତ୍ତି ।
ଶତ୍ରୁମିତ୍ର ଉଦାସୀନ ଏ ତୋହର ନାହିଁ
କୀଟ ବ୍ରହ୍ମ ପରିଯନ୍ତେ ଗର୍ଭେ ଅଛୁ ବହି ।
ସ୍ଥାବର ଜଙ୍ଗମ କୀଟ ପତଙ୍ଗହିଁ ଭରି
ସଂସାର ଖେଳଘର କେ ପାରେ ଆନ କରି ।
ଏମନ୍ତେ ଅନେକ ସ୍ତୁତି କଲେ ଦେବବର
ଶୁଣିଣ ଦୟା ବସିଲା ହୃଦେ ବିଷ୍ଣୁଙ୍କର ।
ବ୍ରହ୍ମାଙ୍କୁ ଚାହିଁଣ ସ୍ୱାମୀ ବଚନ ବୋଇଲେ
ଉପାୟରେ ସୃଷ୍ଟି ଗୋଟା ଭିଆଅ ତୁ ଭଲେ ।
ସ୍ଥାବର ଜଙ୍ଗମ ଆଦି ଜୀବ ଚାରିଖାନି
କୀଟୁ ବ୍ରହ୍ମ ପରିଯନ୍ତେ ଭିଆଣ ଧରଣୀ ।
ମେରୁ ମନ୍ଦର ପର୍ବତ ଆଦି ଦିଗପାଳ
ସପତ ସମୁଦ୍ର ନଦୀ ବନ ଗିରିମାଳ ।
ମୂର୍ତ୍ତିମନ୍ତ ପ୍ରତିମା ତୁ ବସା ଯହିଁ ତହିଁ
ପ୍ରତିମାଙ୍କ ପୂଜାବିଧି ଭିଆଇବୁ ତୁହି ।
ଦେଲେ ଶାଢ଼ୀ ପରସାଦ ଶ୍ରୀମୁଖର ବାଣୀ
ସପତ ଦ୍ୱୀପ ପୃଥ୍ୱୀରେ ହୁଅ ତୁ କାରେଣୀ ।
ସକଳ ପ୍ରାଣୀଙ୍କର ତୁ ହେବୁ ଜୀବଦାତା
ସକଳ ବ୍ରହ୍ମାଣ୍ଡର ତୁ ହେବୁ ପିତା ମାତା ।
ଯୋଗାରୂଢ଼ ପ୍ରଭୁ ଏତେ ବଚନ କହିଲେ
ପରମଯୋଗୀ ସମାଧି ଯୋଗରେ ବସିଲେ ।
ପଦ୍ମପଦ ପାଇ ଧାତା ସେଠାରୁ ଅଇଲେ
ଯେବଣ ପ୍ରକାରେ ଏହି ସୃଷ୍ଟି ନିର୍ଭାକଲେ ।
ବିଶ୍ୱଭାରଭରକୁ ଯେ ଭିନ୍ନ ଭିନ୍ନ ପ୍ରତି
ଏକା ପରଂବ୍ରହ୍ମ ହେଲେ କେତେକ ମୁରତି ।
ଏମନ୍ତ ଯେ ଦେବପତି ଶୂନ୍ୟେ ଧ୍ୟାନ କରି
ଅଜପା ମହାମନ୍ତ୍ରକୁ ମନରେ ସୁମରି ।
ସପତ ସ୍ୱରରେ ଚାରି ବେଦକୁ ପଢ଼ିଲେ
ବତିଶ ଅଣାକାର ଯେ ତହୁଁ ପ୍ରକାଶିଲେ ।
ବେନି ଅକ୍ଷର ଛନ୍ଦିଲେ କରି ତିନିଠାବ
ସର୍ଜିଲେ ସେ ଆନ ଆନ କରି ନାନା ଜୀବ ।
ଆଠ ଅକ୍ଷର ବର୍ଣ୍ଣ ଯେ ଅବନା ଜପିଲେ
ସାବିତ୍ରୀ ନାମରେ କନ୍ୟା ତହୁଁ ଜାତକଲେ ।
ଅପୂର୍ବ ସୁନ୍ଦରୀ ସେହି ହୋଇ ନବଯୁବା
ନାହିଁ ତାକୁ ପଟାନ୍ତର ଉପମା କି ଦେବା ।
ଅଖିଳ ବ୍ରହ୍ମାଣ୍ଡ କୋଟି ଅଟେ ଜୀବଦାତା
ଓଁ କାରରୁ ଜନମିଲେ ଦେବଙ୍କର ମାତା ।
ଯାଗ ଯଜ୍ଞ ହୋମା ହବି ଯହିଁରେ ସେ ବିଧି
ଏହି ଚବିଶ ଅକ୍ଷରେ ବ୍ରହ୍ମା କରି ସିଦ୍ଧି ।
ଏ ବେନି କନ୍ୟା ହୋଇଲେ ସଂସାରକାରିଣୀ
ବ୍ରହ୍ମା ଭାରିଯା ଅନାଦି ଆଦି ଠାକୁରାଣୀ ।
ସୃଷ୍ଟି ଭିଆଣ ପୁରାଣ ହରିବଂଶ ବାଣୀ
ଅଚ୍ୟୁତାନନ୍ଦ ଦାସ ଯେ ଭଜେ ଚକ୍ରପାଣି ।
ବଂଶାନୁଚରିତ
କହନ୍ତି ଯେ ଶୁକମୁନି ଶୁଣ ନୃପମଣି
ଏଥୁ ଅନନ୍ତରେ ମହାରସ ଦିବ୍ୟବାଣୀ ।
ବଂଶାନୁଚରିତ ହରିବଂଶ କଥାଆଦି
ମୁକତିର ପତ ଏ ଯେ ଜ୍ଞାନକୁ ସମାଦି ।
ଏକମନ ହୋଇ ତୁମ୍ଭେ ଶୁଣ ମହାରାଜା
ଗାୟତ୍ରୀ ସାବିତ୍ରୀ ଦୁଇ ବ୍ରହ୍ମାଙ୍କ ଭାରିଯା ।
ଏ ବେନି ଜାତକଲେ ଯେ ଚାରିଗୋଟି ପୁତ୍ର
ଚାରିହେଁ ସଞ୍ଚିଲେ ଚରାଚର ଏ ଜଗତ ।
ଶୁକ ସନାତନ ମୁନି ନାରଦ ଏ ତିନି
ଯୋଗାରୁଢ଼ ହେଲେ ବ୍ରହ୍ମଚର୍ଯ୍ୟ ଦୀକ୍ଷା ଘେନି ।
ବିଧାତା ସମାନ ହେଲେ ଏ ପରମଯୋଗୀ
ଜନ୍ମହୋଇ ପୁତ୍ରେ ଗଲେ ସଂସାରକୁ ତ୍ୟାଗୀ ।
ସଂସାରତ୍ୟାଗୀ ହୁଅନ୍ତେ କଲେ ସାଧୁସଙ୍ଗ ।
ମହାଶୂନ୍ୟର ଭିତରେ ଗୋପ୍ୟ କଲେ ଅଙ୍ଗ ।
ସଂସାର ଇଚ୍ଛା ଛାଡ଼ିଲେ ତେଜି ମାୟା ମୋହ
ପରଂବ୍ରହ୍ମେ ଲୀନ କଲେ ଆପଣାର ଦେହ ।
ଧାତା ବିଚାରିଲେ ଏବେ କରିବି କି ବୁଦ୍ଧି
ତ୍ରିପୁତ୍ର ଜାତକରି ନ ହେଲା କାର୍ଯ୍ୟସିଦ୍ଧି ।
ଏତେକ ବୋଲି ସାବିତ୍ରୀ ଅଙ୍ଗସଙ୍ଗ ରସେ
ପୁତ୍ର ଏକ ଜାତକଲେ କେତେକ ଦିବସେ ।
ଦକ୍ଷ ପ୍ରଜାପତି ବୋଲି ଦେଲେ ତାଙ୍କ ନାମ
ଅପୂର୍ବ ମୁରତି କି ସେ ଅଭିନବ କାମ ।
ତେଜୋବନ୍ତ ବୁଦ୍ଧିମନ୍ତ ଅଟଇ ସେ ସୁତ
ସାବିତ୍ରୀ ଯାହାର ମାତା ବ୍ରହ୍ମା ଯାର ତାତ ।
ସର୍ବଗୁଣେ ସୁଲକ୍ଷମ ଧାତା ପୁତ୍ର ଗୋଟି
ସର୍ବ କର୍ମ ଧର୍ମେ କି ସେ ଦ୍ୱିତୀ ପରମେଷ୍ଠୀ ।
ସେ ପୁତ୍ରକୁ ଦେବପତି ଛାମୁକୁ ଦକାରି
ବୋଇଲେ ନବୀନ ସୃଷ୍ଟି ଭିଆଣ ଯତ୍ନକରି ।
ପୁତ୍ର ଦ୍ୱାରା ଧନ ଜନ ଆଦି ଯେତେ କର୍ମ
ଆପଣେ ଭିଆଇ ଯାଇ ସଂସାରିକ ଧର୍ମ ।
ପିତାଙ୍କର ଆଜ୍ଞାପାଇ ପୁତ୍ର ଚଳିଗଲା
ପଞ୍ଚାଶ ସହସ୍ର ପୁତ୍ର ମନୁ ଜାତ କଲା ।
ବୋଇଲେ ରେ ବାବୁ ତୁମ୍ଭେ ସୃଷ୍ଟିଯାଇ କର
ପିତାଙ୍କର ଆଜ୍ଞାପାଇ ଚଳିଲେ କୁମର ।
ଥୋକାଏ ଦୂରେ ନାରଦ ମୁନିଙ୍କୁ ଦେଖିଲେ
ଦୂରୁ ନମସ୍କାର କରି ପାଶେ ଚଳିଗଲେ ।
ଜେଡ଼ୁତା ଛାମୁରେ ପୁତ୍ର ପ୍ରବେଶିଲେ ଯାଇଁ
ନମସ୍କାର କରି ପୁଣି ଆଗେ ଉଭାହୋଇ ।
ନାରଦ ବୋଇଲେ କେଣେଯିବ ଆରେ ବାବା
କୁମର ବୋଇଲେ ଏହି ସଂସାର ରଚିବା ।
ତେବେ ସିନା ପୃଥିବୀରେ ହୋଇବୁ କାରେଣି
ଏମନ୍ତ ଶୁଣି କହନ୍ତି ଯେ ନାରଦ ମୁନି ।
ଅହନ୍ତା ବହି ନାରଦେ ଚାହିଁ କୁମରକୁ
କେମନ୍ତେ ସୃଷ୍ଟି ବିହିବୁ ଯାଇଁ ସେ ମଞ୍ଚକୁ ।
ସଂସାର ଧନ୍ଦାରେ ପଡ଼ି ହେଉଥିବୁ ଧନ୍ଦି
ଆମ୍ଭଭଳି ଲୋକ ଯେ ନ ପାରି ହେଲୁ ଛନ୍ଦି ।
ଅଜ୍ଞାନ ବାଳକେ ତୁମ୍ଭେ ନ କରି ରାଇଜ
ସ୍ୱର୍ଗ ମଞ୍ଚ ପାତାଳରେ ପାଇବଟି ଲାଜ ।
ଆବର ଶୁଣ ବାବୁରେ କହିବା କଥାଏ
ସୃଷ୍ଟିଯାକ ଭ୍ରମି ତୁମ୍ଭେ ଦେଖରେ ତନୟେ ।
ଏତେକ କହି ନାରଦ ପୁତ୍ରଙ୍କୁ ଚାହିଁଲେ
ଉପହାସ କରି ପୁଣି ବଚନ ବୋଇଲେ ।
ତୁମ୍ଭେ ସମସ୍ତେ ବାଳକ ନ ଜାଣ କପଟ
କେମନ୍ତେ ସୃଷ୍ଟି କରିବ ବିଷ୍ଣୁମାୟା କୂଟ ।
ବିଷ୍ଣୁଙ୍କୁ ଆଗ ପ୍ରସନ୍ନ କର ତୁମ୍ଭେ ଯାଇ
ଯୁଗରାଜ୍ୟ କର ପଛେ ସୃଷ୍ଟିକି ଭିଆଇ ।
ବିଷ୍ଣୁ ସେବିଲେ ପାଇବ ସିନା ସଦବୁଦ୍ଧି
ଯେତେକ କାର୍ଯ୍ୟ କରିବ ହେବ ସବୁ ସିଦ୍ଧି ।
ସକଳ ସିଦ୍ଧିଦାୟକ ବିଷ୍ଣୁ ଯେ କାରଣ
ସବୁଗୁଣେ ଗୁଣବନ୍ତ ଦେବ ନାରାୟଣ ।
ବିଷ୍ଣୁ ସେବା କର ବାବୁ ବିଷ୍ଣୁ ସର୍ବରୂପୀ
ଅଶେଷ କୋଟି ବ୍ରହ୍ମାଣ୍ଡଯାକ ଅଛି ବ୍ୟାପି ।
ଯହିଁ ଲୋଡ଼ିବ ତହିଁରେ ଦେବ ନାରାୟଣ
ସାବଧାନ ହୋଇ ଏବେ ପୁତ୍ରମାନେ ଶୁଣ ।
ଭକତକୁ ସୁପ୍ରସନ୍ନ ହୋନ୍ତି ଭାବଗ୍ରାହୀ
ବିଷ୍ଣୁ ବିନା ଏ ପୃଥ୍ୱୀରେ ଆନ କେହି ନାହିଁ ।
ଏ ସଂସାରଯାକ ଯାର ଘୋଟିଅଛି ମାୟା
ଯେ ପ୍ରାଣୀବଣାହୋଇ ସେ ବିଷ୍ଣୁରେ ଦୋରେହା ।
ଏହା ଶୁଣି କୁମର ଯେ ବିଷ୍ଣୁ ଲୋଡ଼ିଗଲେ
ଭେଟ ନ ପାଇଣ ସେହି ପୃଥ୍ୱୀରେ ବୁଲିଲେ ।
ଏହିମତେ ତହିଁ ଜାଣ କେତେ ଦିନ ଗଲା
ତଦନ୍ତ କରି ନ ପାରି ବିଷ୍ଣୁମାୟା ଲୀଳା ।
ଏହା ଶୁଣି ପ୍ରଜାପତି ମନେ କ୍ରୋଧ କଲେ
ଅକାରଣେ ଏତେ ପୁତ୍ର ମୋର ନାଶଗଲେ ।
ଅନେକ କାଳ ଗଲେ ତ ନଇଲେ ମୋ ପାଶ
ସେ ପୁତ୍ରମାନଙ୍କୁ ଆଉ ଅଛି କି ମୋ ଆଶ ।
ବିଚାର କଲେ ଏବେ ମୁଁ କରିବି କି ବୁଦ୍ଧି
ପଞ୍ଚାଶ ସହସ୍ର ପୁତ୍ରେ ଗଲେକ ଅବଧି ।
ସୃଷ୍ଟି ଭିଆଇବା ପାଇଁ ଯାଇ ହେଲେ ବଣା
କେତେ ମୁଁ ସହିବି ଆଉ ଲୋକଙ୍କ ଗଞ୍ଜଣା ।
ସଂସାର ସର୍ଜିବା ପାଇଁ ପିତା ଦେଲେ ଆଜ୍ଞା
ତାହାର ବଚନ ଏବେ ହୋଇଲା ଅବଜ୍ଞା ।
ଏମନ୍ତ ବିଚାରି ସେହି ଦକ୍ଷ ପ୍ରଜାପତି
ପୁଣି କଳ୍ପନାରୁ ଜାତ କଲେକ ସନ୍ତତି ।
ସେ ପଞ୍ଚାଶ ସହସ୍ରଙ୍କୁ ବେଦ ପଢ଼ାଇଲେ
ସୃଷ୍ଟି ଭିଆଇବା ପାଇଁ ତାଙ୍କୁ ଆଜ୍ଞାଦେଲେ ।
ଚଳିଲେ ସେ ପୁତ୍ରମାନେ ପିତାଙ୍କ ଆଦେଶେ
ଯାଉଁ ଯାଉଁ ମିଳିଲେକ ନାରଦଙ୍କ ପାଶେ ।
ଜ୍ୟେଷ୍ଠ ତାତଙ୍କୁ ଦେଖିଣ ପ୍ରଜାପତି ବଳେ
ଶୁତିଲେ ସେ ନମସ୍କାର କରି ପାଦତଳେ ।
ନାରଦ ବୋଇଲେ ତୁମ୍ଭେ କେଣିକିରେ ଯିବ
ଏଥିର ସନ୍ଦେଶ ବାବୁ ଆମ୍ଭଙ୍କୁ କହିବ ।
ପୁତ୍ରେ ବୋଇଲେ ଆମ୍ଭଙ୍କୁ ଆଜ୍ଞାଦେଲେ ଦକ୍ଷ
ସୃଷ୍ଟି ସଜନା କରିଣ ଆମ୍ଭେ ହେବୁ ରକ୍ଷ ।
ସକଳ ସଂସାର ଆମ୍ଭେ ଭିଆଇବୁ ଯୋଗେ
ନାରଦ ବୋଇଲେ ବିଷ୍ଣୁ ଭେଟଯାଇ ଆଗେ ।
ବିଷ୍ଣୁଙ୍କୁ ନ ଭେଟିଲେ ନ ହେବ କିଛି କାର୍ଯ୍ୟ
ପଛେ ପାଇବ ପୁତ୍ର ରେ ତୁମ୍ଭେ ବଡ଼ ଲାଜ ।
କୁମରେ ବୋଇଲେ ପିତା ଯଥାର୍ଥ ଅଟଇ
ବିଷ୍ଣୁ ବିନା କେହି ଚରାଚରନ ଗଢ଼ଇ ।
ବିଷ୍ଣୁ ଯେବେ ନ ଦେବଟି ଶ୍ରୀମୁଖ ବଚନ
ଯେତେକ କାର୍ଯ୍ୟ କରିବା ସବୁ ଅକାରଣ ।
ଏତେକ ବୋଲି କୁମରେ ବିଷ୍ଣୁ ଲୋଡ଼ିଗଲେ
ଅନେକ କାଳ ବୁଲି ସେ ଭେଟ ନ ପାଇଲେ ।
ଏକ ଏକ ଗଲେ ସେହି ଦିଗମ୍ୱର ହୋଇ
କେ କାହିଁ ଅଛି କା କଥା ନ ଜାଣିଲେ କେହି ।
କୁଟ କରନ୍ତି ନାରଦ ମୁନି ବ୍ରହ୍ମଚାରୀ
ହିଂସା ବହିଲେ ସାବତ ପୁତ୍ର ଗୁଣ ଧରି ।
ସତ୍ୟବଚନ କହିଣ ଭାବେ ଭଣ୍ଡି ଦେଲେ
କନିଷ୍ଠ ଭାଇ ପୁତ୍ରକୁ ପୃଥ୍ୱୀ ଭ୍ରମାଇଲେ ।
ଏମନ୍ତ ଲକ୍ଷେ କୁମର କାରଣ ନୋହିଲେ
ଦକ୍ଷ ପ୍ରଜାପତି ବସି ମନେ ଚିନ୍ତା କଲେ ।
ଅର୍ଜିଲି ମୁଁ ଗୁଣବନ୍ତ ପୁତ୍ର ବହୁ ଦୁଃଖେ
ପୃଥିବୀ କରିଣ ସେହି ସିନା ଏକେ ଏକେ ।
ଏଡ଼େ ଏଡ଼େ ପୁତ୍ର ମୋର ଅକାରଣେ ଗଲେ
ନାରଦ ବୁଦ୍ଧିରେ ମୋର ପୁତ୍ର ବୁଲି ମଲେ ।
ଚଣ୍ଡାଳ ସାବତ ପୁତ୍ରହିଂସା ମନେ ଧରି
ପୁତ୍ରକଷ୍ଟ ଦେଲା ମୋତେ କୁବୁଦ୍ଧି ବିଚାରି ।
ଜ୍ୟେଷ୍ଠ ଶ୍ରେଷ୍ଠପୁତ୍ରେ ମୋର ଜ୍ଞାନେଧ୍ୟାନେ ଗୁରୁ
ଅଜାତଶତ୍ରୁ ସେ ବ୍ରହ୍ମବେତ୍ତା ମହାମେରୁ ।
ସତ ସୁବୁଦ୍ଧି ବାଞ୍ଛି ସେ ପୁତ୍ର ନାଶଗଲେ
ଏଡ଼େ ବଳବନ୍ତ ପୁତ୍ରେ ବିଅର୍ଥ ହୋଇଲେ ।
ଦିଗପାଳ ସମ ପୁତ୍ର ହୋଇଲେ ନିରେଖ
ଦାରଦ ଯୋଗୁ ମୋହର ହେଲା ଏତେ ଦୁଃଖ ।
ତପୋଧନ ହୋଇ ଯେବେ ପରେ ବଇରାଗୀ
ବଇଦ ହୋଇ ଶରୀରେ ହୁଏ ଯେବେ ରୋଗୀ ।
ସୋଦର ହୋଇ ଯେବେ ସେ ହୁଏ କୁଳଭେଦ
ପିତା ହୋଇଣ ପୁତ୍ରକୁ ଦିଏ ଯେବେ ଖେଦ ।
କୁଳସ୍ତିରୀ ହୋଇ ଯେବେ ଛାଡ଼େ ଜାତିଲଜ୍ଜା
ପ୍ରଜାପତି ହୋଇ ଯେବେ ନାରୀକରେ ତେଜ୍ୟା ।
ଏ ନାରଦ ସଦାଚାରେ ବ୍ରହ୍ମଚର୍ଯ୍ୟ ରୂପ
ଜାଣୁ ଜାଣୁ କେମନ୍ତେ ସେ ଅର୍ଜିଲା ଏ ପାପ ।
ସୋଦର ହୋଇ ସେ କଲା କୁଳ ଛେଦଭେଦ
ସବୁକାଳେ ତା ଶରୀରେ ଥାଉ କଳିବାଦ ।
ଏସନକ ଶାପ ଯହୁଁ ପ୍ରଜାପତି ଦେଲେ
ହସ୍ତ ପ୍ରସାରି ନାରଦ ତାହାଙ୍କୁ ଘେନିଲେ ।
ବୀଣା ବଜାଇଣ ସେ ଯେ ଗଲେ ବ୍ରହ୍ମଲୋକେ
ମନରେ ଅତି ଆନନ୍ଦ ହୋଇଲେ ନିଶଃଙ୍କେ ।
ଏଥୁ ଅନନ୍ତରେ ତୁମେ ଶୁଣ ମହାପତି
ଦକ୍ଷ ତହୁଁ ଗଲେ ଯହିଁ ବ୍ରହ୍ମା ବସିଛନ୍ତି ।
ସକଳ ବୃତ୍ତାନ୍ତ ତାଙ୍କୁ କହିଲେ ବୁଝାଇ
ନାରଦ ବଚନେ ଗଲେ ଦିଗମ୍ୱର ହୋଇ ।
ଗଲେ ଯେ ପୁତ୍ରେ ନୋହିଲା କାର୍ଯ୍ୟ କିଛି ସିଦ୍ଧ
ସଂସାର ଧାରଣ ପୁତ୍ରେ ହେଲେ କାହିଁ ବଧ ।
ପୁତ୍ରଶୋକେ ହୋଇଲି ମୁଁ ଏବେ ମହାକଷ୍ଟୀ
ମୋର ଭିଆଣେ ନୋହିବ ଆଉ ନବସୃଷ୍ଟି ।
ଏମନ୍ତେ ପୁଣି ସେ ବ୍ରହ୍ମା ଅନ୍ତର୍ଗତ ଭାଳି
ନବପୁତ୍ର ଜାତ କଲେ ବୀର୍ଯ୍ୟବନ୍ତ ବାଳୀ ।
ଅତ୍ରି ଅଙ୍ଗିରା ପୁଲସ୍ତ୍ୟ ମରୀଚି ପ୍ରଚେତା
କଶ୍ୟପ ବଶିଷ୍ଠ ଭୃଗୁ କ୍ରତୁ ବ୍ରହ୍ମବେତ୍ତା ।
ଏ ନବ କୁମରେ ଦେଲେ ଧାତାଙ୍କର ପୁତ୍ର
ନବସୃଷ୍ଟି କରିବାକୁ ନବମୁନି ଜାତ ।
ଏ ନବପୁତ୍ରଙ୍କ ଯୋଗୁ ବ୍ରହ୍ମାଣ୍ଡ ସମ୍ଭବ
ପଶୁ ପକ୍ଷୀ ବୃକ୍ଷ ଦେବ ଦାନବ ମାନବ
ସ୍ୱେଦ ଅଣ୍ଡଜ ଉଦ୍ଦିଦ ଜରାୟୁଜ ଚାରି
ଅକାର ଉକାର ଆଉ ମକାରରୁ କ୍ଷରି ।
ଏମାନେ ଏ ନବପୁତ୍ର ଠାରୁ ଜାତ ହେଲେ
ଶୁଣ ହେ ପରୀକ୍ଷ ବୋଲି ଶୁକ ଯେ କହିଲେ ।
ଭୃଗୁଙ୍କ ଭାରିଯା ଜାଣ ଭାର୍ଗବୀ ଯେ ନାରୀ
ଭାର୍ଗର୍ବ ବୋଲି ପୁତ୍ରେକ ହୋଇଲା ତାହାରି ।
ମରୀଚି ପୁତ୍ର ରୁଚିକ ନାମେ ମହାମୁନି
ରୁଚକ ପୁତ ଅଟଇ ମୁନି ଜମଦଗ୍ନି ।
ଜମଦଗ୍ନିରେ ଭାରିଯା ରେଣୁକା ସୁନ୍ଦରୀ
ଜାତକଲେ ପର୍ଶୁରାମ ଆଦି ପୁତ୍ର ଚାରି ।
ଅଙ୍ଗିରା ଋଷିର ପୁତ୍ର ଅଙ୍ଗିରସ ଯତି
ସେ ଅଙ୍ଗିରସଙ୍କ ପୁତ୍ର ହେଲେ ବୃହସ୍ପତି ।
ବୃହସ୍ପତିଙ୍କ ନନ୍ଦନ ଭରଦ୍ୱାଜ ମୁନି
ତାହାଙ୍କ ନନ୍ଦନ ଦ୍ରୋଣ ବୀର ଚୂଡ଼ାମଣି ।
ଦ୍ରୋଣପୁତ୍ର ଅଶ୍ୱଥମା ନାମେ ତପଚାରୀ
ସିଦ୍ଧ ଅଙ୍ଗ ହେଲେ ନିରଞ୍ଜନ ସେବା କରି ।
ପୁଲସ୍ତ୍ୟ ମୁନିର ପୁତ୍ର ନାମ ପଉଲସ୍ତି
ବାରୁଣୀ ନାମେ ଭାରିଯା ତାର ରୂପବତୀ ।
ବିଶ୍ୱାବସୁ ନାମେ ଆଠପୁତ୍ର ହେଲା ତାର
ବିଶ୍ରବା ନାମେ ଯେ ଋଷି ହୋଇଲା ଆବର ।
ବଇଶ୍ରବଣ ନାମରେ ବିଶ୍ରବା ନନ୍ଦନ
ରାବଣ ଯେ କୁମ୍ଭକର୍ଣ୍ଣ ବିଭୀଷଣ ଜାଣ ।
ନଳକୁବର ଯେ ବଇଶ୍ରବଣର ସୁତ
ଚତୁର୍ଥେ ଗାୟତ୍ରୀଠାରେ ଯେଉଁ ପୁତ୍ର ଜାତ ।
ଦେବମନ୍ତ୍ରେ ଜିତ ସେହି ତାର ଶୁଦ୍ଧକାୟା
ସେ ପୁତ୍ରଠାରେ କରନ୍ତି ପିତା ବଡ଼ଦୟା ।
କ୍ରୁତୁଙ୍କର ପୁତ୍ର ନାମ ଅଟେ ବୃହଦୃପ
ଯେବଣ ନନ୍ଦନ ନାମ ଅଟଇ କଶ୍ୟପ ।
ସେ ଋଷିର ତେରଗୋଟି ଭାରିଯା ଯୁକତେ
ଏହାଙ୍କ ତହୁଁ ଜନମ ନାନାବର୍ଣ୍ଣ ଯେତେ ।
ଦିତି ଅଦିତି ବିନତା କଦ୍ରୁ ଚନ୍ଦ୍ରାବତୀ
ଛାୟା ମାୟା ଉତ୍କଳା ଯେ ନୀଳା ରୂପକାନ୍ତି ।
ମେଖଳା ଯେ ତିଳୋତ୍ତମା ଲୋଚନା ଆବର
ଏତେ ତେର ଭାରିଯା ଅଟେ କଶ୍ୟପ ଋଷିର ।
ଦିତିର ତହୁଁ ଦଇତମାନେ ଉପୁଜିଲେ
ଅଦିତୀ ଦେବୀ ଗର୍ଭରୁ ଦେବତା ଜନ୍ମିଲେ ।
କଦ୍ରୂର ତହୁଁ ଜନମ ହେଲେ ନାରାୟଣ
ପକ୍ଷୀଏ ଅଟନ୍ତି ଜାଣ ବିନତା ନନ୍ଦନ ।
ଭୂତ ପ୍ରେତ ଉପୁଜିଲେ ଛାୟା ମାୟାଠାରୁ
ଗ୍ରହେ ଉପୁଜିଲେ ଚନ୍ଦ୍ରାବତୀର ଗର୍ଭରୁ ।
ମାନବଙ୍କ ଗର୍ଭଧାରୀ ଉତ୍ପଳା ହୋଇଲେ
ନୀଳାନାମେ କନ୍ୟା ତାରାଗମ ଜାତ କଲେ ।
ମତ୍ସ କୂର୍ମଙ୍କ ଜନନୀ ମେଖଳା ଅଟଇ
ତିଳୋତ୍ତମା ଗର୍ଭୁ ପଶୁ ପତଙ୍ଗ ହୁଅଇ ।
ଲୋଚନା ତହୁଁ ସକଳ ଜନ ଉତପତ୍ତି
ସ୍ଥାବରଙ୍କ ମାତା ଅଟେ ଦେବୀ ରୂପକାନ୍ତି ।
କଶ୍ୟପଙ୍କଠାରୁ ଜାତ ଚାରିଖାନି ଜୀବ
ସର୍ପ ପତଙ୍ଗ ସହିତେ ଦେବତା ଗନ୍ଧର୍ବ ।
ପୁଲହ ସୁକୀର୍ତ୍ତି ପ୍ରଜାଗର ପୁତ୍ର ତିନି
ଜାତ କଲେ ଏହି ଚରାଚର ଯେ ମେଦିନୀ ।
ଋକ ଯଜୁ ସାମବେଦ ଅଥର୍ବ କରତା
ବ୍ରାହ୍ମଣମାନଙ୍କର ସେ ହେଲେ ଜୀବଦାତା ।
କଲେ ହବି ହୋମ ସନ୍ଧ୍ୟା ଜପ ତପ ଯୋଗ
ଯାଗରେ ଏହାଙ୍କୁ ଆଗ ଦେବ ହବିର୍ଭାଗ ।
ଏହାଙ୍କୁ ନ ବରି ଯେହୁ କରେ ହୋମବିଧି
ତାର କଲା କର୍ମମାନ ନୁହେ କେଭେ ସିଦ୍ଧି ।
ଆବର ଧାତାର ପୁତ୍ର ବଶିଷ୍ଠ ଯେ ମୁନି
ସୂର୍ଯ୍ୟବଂଶ ପୁରୋହିତ ଅଟନ୍ତି ସେ ଜ୍ଞାନୀ ।
ବଶିଷ୍ଠ ଭାରିଯା ନାମ ଅଟେ ଅରୁନ୍ଧତୀ
ତାହାଙ୍କଠାରୁ ଜାତ ହେଲେ ମୁନି ଯେ ଶକତି ।
ଶକତିଠାରୁ ଜାତ ପରାଶର ହେଲେ
ବେଦବ୍ୟାସ ନାମେ ପୁତ୍ର ତହୁଁ ଉପୁଜିଲେ ।
ତାହାଙ୍କ ନନ୍ଦନ ଆମ୍ଭେ ଶୁକମୁନି ହେଲୁଁ
ଅନେକ କାଳ ପର୍ଯ୍ୟନ୍ତ ମାତୃଗର୍ଭେ ଥିଲୁ ।
ପାଇଲୁ ମାତାର ଗର୍ଭେ ଥାଇ ଦିବ୍ୟଜ୍ଞାନ
ଅଜାତ ସେ ବ୍ରହ୍ମବେତ୍ତା ରୂପେ ବିଦ୍ୟମାନ ।