ହରିବଂଶ (ପଞ୍ଚମ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଯଂ ସର୍ବଦେବାଃ କଥୟନ୍ତି ସାରଂ, ବ୍ରହ୍ମା ନ ଜାନାତି କିମମ୍ୟ ସାରଂ ।ଅନେକବାରଂ କିଳ ନିର୍ବିକାରଂ, ବନ୍ଦେ ଜଗନ୍ନାଟକ ସୂତ୍ରଧାରଂ ॥
ନିଗମ କଳ୍ପତଚୋର୍ଗଳିତଂ ଫଳଂ ଶୂକମୁଖାଦମୃତଦ୍ରବ ସଂଯୁତଂ ।ପିବତ ଭାଗବତଂ ରସାମାଳୟଂ ମହୁରହୋ ରସିକା ଭୁବି ଭାବୁକାଃ ॥
ବେଦେ ରାମାୟଣେ ଚୈବ ପୁରାଣେ ଭାରତେ ତଥାଆଦ୍ୟେ ପ୍ରାନ୍ତେ ଚ ମଧ୍ୟେ ଚ ହରିଃ ସର୍ବତ୍ର ଗୀୟତେ ।ଅଶନିଶିତସୁଧାରଂ ଯସ୍ୟ ଚକ୍ରଂ ସୁଚାରୁର୍ମଣିକନକ ବିଚିତ୍ରୈଃ କୁଣ୍ଡଳ ଯସ୍ୟ କର୍ଣ୍ଣେ ।ଭ୍ରମରଶତସହସ୍ରୈଃ ସେବିକା ଯସ୍ୟ ମାଳା,ଅସୁରକୁଳନିହନ୍ତା ପ୍ରୀୟତାଂ ବାସୁଦେବ୍ୟଃ ॥
ଜରାସନ୍ଧ ଧାଡ଼ି
ଏଥୁଅନ୍ତେ ପରୀକ୍ଷିତ ନାମେ ମହାରାଜାଶୁକମୁନି ଚରଣରେ କରି ଦିବ୍ୟପୂଜା ।ବୋଇଲେ ଭୋ ମୁନି ତୁମ୍ଭେ ସୁପ୍ରସନ୍ନ ହୋଇଲହରୀ ଖଣ୍ଡ ଚରିତ କହିଲ ବୁଝାଇ ।ତବ ମୁଖୁଁ ଶୁଣିକରି ହରିଗୁଣା ଗାଥାକୃତାର୍ଥ ହୋଇଲି ପୂତ ହେଲା ମୋର ଆତ୍ମା ।ଆବର ସୁଦୟା ମୋତେ କର ବ୍ୟାସସୁତସଂକ୍ଷେପି କହିବା ଧାଡ଼ିଖଣ୍ଡର ଚରିତ ।ହେତୀ ଯେ ପ୍ରହେତି କଂସରାଜାର ବନିତାପତି ପୁତ୍ର ମରଣରେ ପାଇ ଘୋର ବ୍ୟଥାନିଜ ପିତା ଜରାସନ୍ଧ ଛାମୁରେ ମିଳିଲେବିକଳରେ କାନ୍ଦି ନିଜ ଦୁଃଖ ଜଣାଇଲେ ।ଶୁଣି ଜରାସନ୍ଧ ରାଜା କଲେ କି ବିଚାରଏ କଥା ବିସ୍ତାରି ମୋତେ କହ ମୁନିବର ।ଶୁକ ବୋଲନ୍ତି ଯେ ଶୁଣ ଅରଜୁନ ନାତିପବିତ୍ର ଏ ଗଙ୍ଗାଜଳ ଶ୍ରୀହରି କୀରତି ।ନିଜ ବେନି ଦୁହିତାଙ୍କ ପତି ପୁତ୍ର ବଧଶୁଣି ମହାକୋପ କଲା ରାଜା ଜରାସନ୍ଧ ।ପ୍ରତ୍ୟକ୍ଷରେ ଦେଖି ନିଜ ସୁତାଙ୍କ ବିକଳକାଳସର୍ପ ପ୍ରାୟ ଗର୍ଜ୍ଜି ହେଲା ଅନ୍ତରାଳ ।ଅଧରେ ଅଧର ଚାପେ ରଟମଟ ପାଟିକ୍ରୋଧଭରେ ବେନିଚକ୍ଷୁ ଦିଅଇ ତରାଟି ।ନୟନ ବୁଲାଇ କୁମ୍ଭକାର ଚକ୍ରପ୍ରାୟଉଲ୍ଲସଇ ରୋମାବଳି ପୁଲକଇ କାୟ ।ପୁଣ ପୁଣ ପ୍ରତିଜ୍ଞା ଯେ କରେ ଅପ୍ରମାଣଭାଙ୍ଗିବି ମଥୁରାପୁର କରି ରଣଭଣ ।ଉଗ୍ରସେନ ଆଦିକରି ସମସ୍ତ ମାରିବିଜୁଆଇଁ ଛଳେ ଦୁହିତା ମାନ ଉଦ୍ଧାରିବି ।ଉପ୍ରୋଧ ମୁଁ କରିଥିଲି ସିନା ବନ୍ଧୁପଣେଛପନ କୋଟି ଯାଦବ ସଂହାରିବି ରଣେ ।ଯେବେ ଉଗ୍ରସେନ ରାମ କୃଷ୍ଣ ଧରିଦେବତାହାର ଆମ୍ଭର ବନ୍ଧୁପଣ ରହିଥିବ ।ନୋହିଲେ ଯାଦବ କୁଳ ସମୂଳେ ସଂହାରି
ସମ୍ବନ୍ଧିତ ରଚନା
ହରିବଂଶ (ତୃତୀୟ ଖଣ୍ଡ)ଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ଦାସ
ହରିବଂଶ (ଷଷ୍ଠ ଖଣ୍ଡ)ଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ଦାସ
ମଥୁରାରେ ବସାଇବି ଆନ ଦଣ୍ଡଧାରୀ ।
ଏମନ୍ତ ବୋଲିଣ କ୍ରୋଧେ ହୋଇ ପରଚଣ୍ଡ
ମନ୍ତ୍ରୀଙ୍କୁ ବୋଲଇ ସାଜି ଆଣ ସମଦଣ୍ଡ ।
ରାଜା ଆଜ୍ଞା ଶୁଣି ବେଗେ ମନ୍ତ୍ରୀଗଣ ଯାଇ
ଦଣ୍ଡ ସଜାଇଲେ ଦାଣ୍ଡେ ଟମକ ବଜାଇ ।
ହାତୀ ରଥୀ ପଦାତି ଯେ ଅଶ୍ୱ ଅପ୍ରମିତ
ବୀର ମହାବୀର ଯୋଦ୍ଧା ପାଇକ ରାଉତ ।
ଏକ ଏକକରି ତାହା କେ କହିବ ଗଣି
ଜରାସନ୍ଧ ଅଙ୍ଗବଳ ସତାଇଶ କ୍ଷୌଣୀ ।
ଯେ ଯାହାର ଶସ୍ତ୍ର ଧରି ହେଲେ ଆଗୁସାର
ଛୟାଣୋଇସସ୍ର ରାଜା ବନ୍ଦିଘରେ ତାର ।
ଏକ ଏକ ରାଜାଙ୍କର ଲକ୍ଷକୋଟି ବଳ
ଚାଲନ୍ତେଣ ବସୁମତୀ ହେଲା ଟଳମଳ ।
ପଞ୍ଚାଶ ସହସ୍ର ରାଜା ଚାଲନ୍ତି ଆଗରେ
ପଞ୍ଚାଶ ସହସ୍ର ରାଜା ପଛ ପଟୁଆରେ ।
ଏଗାର ସହସ୍ର ରାଜା ଦକ୍ଷଭାଗେ ଯାନ୍ତି
ବାମଭାଗେ ଦଶସସ୍ର ଗମନ କରନ୍ତି ।
ରାଜାମାନଙ୍କର ଯେତେ ଚତୁରଙ୍ଗ ବଳ
ଯେ ଯାହା ସଙ୍ଗରେ ଘେନି ଚଳନ୍ତି ସକଳ ।
ରଥର ଉପରେ ରଥ ହାତୀପରେ ହାତୀ
ପଦାତି ଉପରେ ଅଶ୍ୱେ ମାଡ଼ି ଚାଲିଯାନ୍ତି ।
ମସ୍ତକେ ଟୋପର ପାଗ ଅଙ୍ଗେ ବଜ୍ରସେହ୍ନା
ରଥଧ୍ୱଜମାନଙ୍କରେ ଉଡ଼େ ବୀରବାନା ।
କୋଦଣ୍ଡ କାଣ୍ଡ କମାଣ ଭାଲି ଖଣ୍ଡା ଫରି
ଛେଲ ଚକ୍ର ପରିଘ ଯେ କୁନ୍ତ ଯଷ୍ଟି ଛୁରି ।
ଲୋହପାଶ ଚର୍ମପାଶ ଯମଦାଢ଼ କାତୀ
କୁଠାର ପରଶୁ ଗଦା ମୁଦ୍ଗର ଶକତି ।
ଏମନ୍ତେ ଆୟୁଧମାନ ଘେନି ଯେ ଯାହାର
କଷଣି ଛାଟେଣି କରେ କନ୍ଧରେ ତୃଣୀର ।
ଏସନକ ସଜ ହୋଇ ସୈନ୍ୟ ଅପ୍ରମିତ
ଆରୋହିଲେ ଯେ ଯାହାର ହାତୀ ଘୋଡ଼ା ରଥ
ସାରଥିଏ ଘୋଡ଼ାବାଗ ଧରି ଛାଟ ପିଟି
ପବନୁଁ ବେଗରେ ରଥ ବାହାନ୍ତି ଚହଟି ।
ଏକକୁ ଆରେକ ରଥ ବିଚିତ୍ର ମଣ୍ଡଣି
ଖମ୍ୱେ ଖମ୍ୱେ ବିରାଜଇ ନାନା ରତ୍ନମଣି ।
ଅପୂର୍ବ ଝୀନ ବସନ ଶ୍ୱେତ ପୀତ ନୀଳ
କଳସ ଉପରେ ଉଡ଼େ ବିଚିତ୍ର ଚିରାଳ ।
ନେତ ପତନୀ ସିନ୍ଧୁଆ ସୁପୀତ ମାଞ୍ଜିଷ୍ଠ
ବସନ୍ତ ଧବଳ ନୀଳ ନାନବର୍ଣ୍ଣେ ପାଟ ।
ଉଭା କାଠତ୍ରୋଣ ଖମ୍ୱମାନଙ୍କେ ମଣ୍ଡାଇ
ବିବଧ କୁସୁମ ହାର ତହିଁରେ ସଜାଇ ।
ରଥ ଆରୋହିଣ ବୀରେ ହେଲେ ଆଗୁଆଣି
ଅଙ୍କୁଶ ଘାତରେ ଗଜେ କରନ୍ତି ପଲାଣି ।
ଗଣ୍ଡସ୍ଥଳ ଜରଜର ଗଳେ ମଦଜଳ
ଖଣ୍ଡଗିରି ପ୍ରାୟ ଦୂରୁ ଦିଶେ ହାତୀଦଳ ।
ଗଳାରେ ଲମ୍ୱଇ ଘଣ୍ଟି କ୍ଷୁଦ୍ର ଘଣ୍ଟି ମାଳା
ପିଠିରେ ଚାନ୍ଦୁଆ ଶୋହେ ଦନ୍ତେ ସୁନାବଳା ।
ମଣିମାଣିକ୍ୟ ମୁକୁତା ଲମ୍ୱେ ଚଉପାଶେ
ଉଦୟ ପର୍ବତେ ଯେହ୍ନେ ଦିନକର ଦିଶେ ।
ମାହୁନ୍ତେ ଅଙ୍କୁଶଘାତେ କରନ୍ତି ପହିଜ
ରଥୀଙ୍କର ଚଉପାଶେ ଆବୋରିଲେ ଗଜ ।
ଛତିଶ ବିନ୍ଧାଣେ ଜିତା ରଣରଙ୍କା ଯେତେ
ମାହୁନ୍ତଙ୍କୁ ଆବୋରିଲେ ଯାଇ ସେ ରାଉତେ ।
ବାଗ ବନ୍ଧ ବଳିୟାର ଭରୀ ତରବାରୀ
ମୁଷଳ ପରଶୁ ଛେଲ କୁନ୍ତ ଆଦିକରି ।
ବତିଶ ଆୟୁଧ ଘେନି ଅଶ୍ୱପୃଷ୍ଠେ ଚଢ଼ି
ହସ୍ତୀଙ୍କର ଚଉପାଶେ ରହିଲେ ସେ ବେଢ଼ି ।
ବଳବନ୍ତ ପଦାତିଏ ରଣେ ଆଗୁସାର
କରେ ଅସିପତ୍ର ଢାଲ କୁନ୍ତ ଧନୁଶର ।
ପରଶୁ ମୁଦ୍ଗର ଗଦା କାତୀ ଖଡ଼୍ଗ ଫଳା
ଧାମନ୍ତି ପାଇକେ ତେଜ ଦିଶେ ଅନର୍ଗଳା ।
ଅଣ୍ଟାରେ କାଛେଣି ରଙ୍ଗ ପୀତ କଳା ଧଳା
ତହିଁରେ ଲମ୍ୱଇ ଘଣ୍ଟି ପାଗୁଡ଼ିର ମାଳା ।
ଗୁଞ୍ଜରା ମୁଣ୍ଡମାଳାରେ ଶୋହେ କାହା ଶିର
ବାହୁଟି କଙ୍କଣ କରେ ପାଦରେ ନୁପୁର ।
ହଳଦୀ ଚନ୍ଦନ ଥୋକେ ବୋଳି ହୋଇଛନ୍ତି
କେହୁ ନିଜ ଅଙ୍ଗେ ରଙ୍ଗମାଟି କେ ବିଭୂତି ।
କେ ମସ୍ତକେ ଘେନିଅଛି ଗୋରଚନା ଚିତା
କାହା ମୁଣ୍ଡେ ବେଣୀ ଶୋହେ କନ୍ଧରେ ପଇତା
କେ ମନ୍ଦାର ପୁଷ୍ପମାଳା ବାନ୍ଧିଅଛି ଜଟେ
ଯମଦାଢ଼ ଖଣ୍ଡା ଶୋହେ କାହା କଟୀତଟେ ।
ଚିରାମାରି ସିଂହନାଦ କରନ୍ତି ପ୍ରମୋଦେ
ଚୌଦପୁର ଚମକଇ କିଳିକିଳା ନାଦେ ।
ଛାଟେଣି କଷଟି ଶବ୍ଦ ଧନୁରେ ଟଙ୍କାର
ବୀରଙ୍କ ଗର୍ଜ୍ଜନ ଘାତେ କମ୍ପେ ତିନିପୁର ।
ଏକ ଯୋଗେ ଚଳିଯାନ୍ତି ଚତୁରଙ୍ଗ ବଳ
ସମୁଦ୍ର ଗର୍ଜ୍ଜନ ପ୍ରାୟେ ଶୁଭଇ ଚହଳ ।
ଘୋଡ଼ାଙ୍କର ହ୍ରେଷାରବ ହାତୀ ଗରଜନ
ରଥୀଙ୍କର ରଥଘୋଷ ଧନୁର ନିସ୍ୱଃନ ।
ବୀରଙ୍କର ସିଂହନାଦ ପଦାତିଙ୍କ ରଡ଼ି
ପ୍ରଳୟ କାଳରେ ଯେହ୍ନେ ମେଘ ଘଡ଼ଘଡ଼ି ।
ବାଜଇ ନିଶାଣ ଢୋଲ ଦମା ବୀରତୁର
ଘୁମୁରା ଦାଉଣ୍ଡି ବେଣୁ ବୀଣା ସପ୍ତସ୍ୱର ।
ମର୍ଦ୍ଦଳ ଅଧାଟି ଚାଙ୍ଗୁ ମୃଦଙ୍ଗ ମହୁରୀ
ଡିଣ୍ଡିମ ପଟ୍ଟହ ତାଳ ଯୋଡ଼ା ଶଙ୍ଗ ଭେରୀ ।
ଲକ୍ଷେ କୋଟି ବାଜଣା ଯେ ବାଜେ ଅପ୍ରମିତ
ବାଦ୍ୟନାଦ ଶବଦରେ ପୂରିଲା ଜଗତ ।
ପାତ୍ରମିତ୍ର ପୁରୋହିତ ମନ୍ତ୍ରୀ ଆଦିକରି
ଖଟଣି ସାମନ୍ତ ଲେଙ୍କା ଖୁଣ୍ଟିଆ ପ୍ରହରୀ ।
ଛତିଶ ନିଯୋଗ ମୂଳେ ବାସ୍ତରି ସେବକ
ରାଜପୁତ୍ର ଅମନାତ୍ୟ ଅଛନ୍ତି ଅନେକ ।
ଶୁଣ ହୋ ପରୀକ୍ଷ ରାଜା ଶୁକ ଯେ କହନ୍ତି
ସେନା ମଧ୍ୟେ ବିଜେ କଲା ମଗଧ ନୃପତି ।
ଛୟାଣୋଇ ସସ୍ର ରାଜାବନ୍ଦୀ ତାର ଘରେ
ଯେ ଯାହାର ସୈନ୍ୟ ଘେନି ଅଇଲେ ସଙ୍ଗରେ
ଏକ ଏକ ରାଜାଙ୍କର ଦଶବିଂଶ କ୍ଷୌଣୀ
ଏସନକ ଚାରିଊଣା ଲକ୍ଷେ ରାଜା ଗଣି ।
ସତାଇଶ କ୍ଷୌଣୀ ଅଙ୍ଗବଳ ତାର ଏକା
ଏ ବିଧିରେ ଯେତେସୈନ୍ୟ କେ କରିବ ଲେଖା
କହିବାକୁ ଅସମ୍ଭବ ଶ୍ରୁତି ଅଗୋଚର
ଦୁହିତାଙ୍କ ଛଳେ ଆସେ ମଗଧ ଈଶ୍ୱର ।
ପଞ୍ଚାଶ ଯୋଜନ ମାଡ଼ି ଚଳେ ସମଦଣ୍ଡ
ପାଦଭରେ କମ୍ପମାନ ପୃଥ୍ୱୀ ନବଖଣ୍ଡ ।
ଟଳ ଟଳ ବସୁମତୀ କମ୍ପେ ସପ୍ତଫେଣୀ
ପାଦରେଣୁରେ ଅଦୃଶ୍ୟ ହେଲେ ଦିନମଣି ।
ବନ କନ୍ଦନର ପର୍ବତ ମାଡ଼ି ଚଳେ ଥାଟ
ସୁଚିମୁନ ଭେଦିବାକୁ ନ ମିଳଇ ବାଟ ।
ଜରାସନ୍ଧ ରାଜା ଆପେ ବୀରବେଶ ହୋଇ
ମଧ୍ୟରେ ବିଜୟ କଲା ରଥେକ ଆରୋହି ।
ବାଜଇ ବିଜୟ ଶଙ୍ଖ ମର୍ଦ୍ଦଳ ମହୁରୀ
ଆଗରେ ସେବକେ ଉଭା ଦଧି ମତ୍ସ୍ୟ ଧରି ।
ବ୍ରାହ୍ମଣେ ମଙ୍ଗଳାଷ୍ଟକ ପଢ଼ନ୍ତି ଆଗରେ
ଜ୍ୟୋତିଷେ ଲଗ୍ନ କହନ୍ତି ପାଞ୍ଜି ଘେନି କରେ ।
ଭାଟଗଣେ କୀର୍ତ୍ତି ବର୍ଣ୍ଣି କରୁଛନ୍ତି ସ୍ତୁତି
ବେନି ଧାଡ଼ି ପଟୁଆରୀ ଛାମୁରେ ଯୁବତୀ ।
ଏସନ ପ୍ରକାରେ ରାଜା ଶୁଭ ଅନୁକୂଳେ
ମଥୁରାକୁ ଦଣ୍ଡ ବାହେ ନାତିଙ୍କର ଛଳେ ।
ପଞ୍ଚାଶ ସହସ୍ର ରାଜା ଆଗୁଆଣି ସେନା
ଯେ ଯାହାର ଅଙ୍ଗବଳ ଘେନି ଅକଳନା ।
ଆବର ପଞ୍ଚାଶ ସସ୍ର ନୃପତି ପଛରେ
ଆସନ୍ତି ଅସଂଖ୍ୟ ସେନା ଘେନି ସଙ୍ଗତରେ ।
ଏଗାର ସହସ୍ର ନୃପ ଦକ୍ଷଭାଗେ ଛନ୍ତି
ବାମଭାଗେ ଦଶସସ୍ର ନୃପତି ଚାଲନ୍ତି ।
ଆପଣାର ଅଙ୍ଗବଳ ସଙ୍ଗତରେ ଘେନି
ମଧ୍ୟରେ ବିଜୟ ଜରାସନ୍ଧ ନୃପମଣି ।
ଏସନ ସମ୍ଭାରେ ଚଳେ ଚତୁରଙ୍ଗ ବଳ
ପାଦଭରେ ବସୁମତୀ ହୁଏ ଟଳମଳ ।
ମାର ମାର ଧର ଧର ଶବ୍ଦ ଘୋର ଧ୍ୱନି
ବୀରତୁର ଶବଦରେ କମ୍ପଇ ମେଦିନୀ ।
ବାଟେ ଆସୁ ଆସୁ ହାଟ ପାଟଣା ଉଜାଡ଼ି
ଯହିଁ ଯହିଁ ଚାଲିଯାନ୍ତି ବନଗିରି ମାଡ଼ି ।
ପ୍ରଥମ ଦିବସେ ଥାଟ ଯାନ୍ତେ ପଥ ବାହି
ତୁଙ୍ଗଭଦ୍ରା ନଦୀତୀରେ ପ୍ରବେଶିଲେ ଯାଇ ।
ରନ୍ଧନ ଭୋଜନ କରି ରାତ୍ରେକ ବଞ୍ଚିଲେ
ରଜନୀ ପ୍ରଭାତେ ତହୁଁ ପୁଣ ଚଳିଗଲେ ।
ଅଶ୍ୱ ଗଜ ସହିତରେ ସଇନ ଚଳାଇ
ପବନହୁଁ ଅଧିକରେ ଗଲେ ପଥ ବାହି ।
କାଶୀଶ୍ୱର ନାମେ କାଶୀ ଦେଶର ନୃପତି
ଜରାସନ୍ଧ ସଙ୍ଗେ ତାର ବାଳକାଳୁ ପ୍ରୀତି ।
ସେ ରାଜ୍ୟେ ବିଶ୍ରାମ କରି ପୁଣି ଆର ଦିନ
ପ୍ରଭାତେ ସଇନ୍ୟ ଘେନି ଚଳିଲେ ବହନ ।
ବପୁଳ ପର୍ବତେ ବିଭାଣ୍ଡକ ଋଷି ଥିଲେ
ସେ ପର୍ବତ ପୂର୍ବଭାଗେ ସୈନ୍ୟ ଚଳିଗଲେ ।
ଜୈମିନି ଆଶ୍ରମ ଦେଖି ଗନ୍ଧର୍ବ ପର୍ବତେ
ଗାନ୍ଧର୍ବୀ ନଦୀକି ପାର ହୋଇଲେ କିଞ୍ଚିତେ ।
ସେ ନଦୀ ଦକ୍ଷିଣେ ଗନ୍ଧମାଦନ ଯେ ବନ
ବେନି ଶତ ଯୋଜନ ସେ ବନ ଆୟତନ ।
ପର୍ବତ ତଳରେ ନଦୀ ବହେ ପରିମଳ
ଫଳ ଫଳି ବୃକ୍ଷଙ୍କର ଲୋଟୁଅଛି ଡାଳ ।
ହସ୍ତୀ ଘୋଡ଼ା ରହିବାକୁ ଭଲ ସ୍ଥାନ ଥାଇ
ସୂର୍ଯ୍ୟଅସ୍ତମାନେ ଥାଟ ରୁହାଇଲେ ତହିଁ ।
ରନ୍ଧନ ଭୋଜନ ଆଦି କର୍ମ ବଢ଼ାଇଲେ
ରାତ୍ର ପ୍ରହରେକ ଥାଉଁ ଉଠି ଚଳିଗଲେ ।
ଅନେକ ରାଜ୍ୟ ଉଜାଡ଼ି କଲେ ନାରଖାର
ଭୟ ପାଇ ନୃପେ ଦେଲେ ନାନ ଉପହାର ।
ଏଥୁଅନ୍ତେ ବୃହସ୍ପତି ସୁଧର୍ମା ସଭାରେ
ବସିକରି ଜଣାଇଲେ ଇନ୍ଦ୍ରଙ୍କ ଛାମୁରେ ।
ଜରାସନ୍ଧ ଯାଉଅଛି ଚତୁରଙ୍ଗ ବାହି
ସମର କରିବେ ରାମ କୃଷ୍ଣ ବେନି ଭାଇ ।
କୌତୁକେ ଅନେକ ସୈନ୍ୟ ମାରିବେ ଶ୍ରୀହରି
ସମର ଦେଖିବା ଚାଲ ଦେବଗଣ ଧରି ।
ବାସବ ବୋଇଲେ ଚାଲ ଆମ୍ଭେ ସର୍ବେ ଯିବା
କୃଷ୍ଣ ସଙ୍ଗେ ମଶି ଜରାସନ୍ଧକୁ ମାରିବା ।
ଅଙ୍ଗରା ବୋଇଲେ ତୁମ୍ଭେ ଶୁଣ ଦେବରାଜ
ଜରାସନ୍ଧ ବଞ୍ଚିଥିଲେ ଅଛି କେତେ କାର୍ଯ୍ୟ ।
ଯୁଧିଷ୍ଠିର ରାଜସୂୟ କଲା ପରିଯନ୍ତେ
ପାପୀ ଜରାସନ୍ଧ ରାଜା ରହିବ ଜୀବିତେ ।
ଭୀମସେନ ହାତେ ତାକୁ ମରାଇ ଶ୍ରୀହରି
ସମସ୍ତ ରାଜାଙ୍କୁ ନେବେ ବନ୍ଦିମୁକ୍ତ କରି ।
ତେଣୁ କୃଷ୍ଣ ନ ମାରିବେ ଏହାକୁ ସ୍ୱହସ୍ତେ
ଅଷ୍ଟାଦଶ ବେଳ ଧାଡ଼ି ଦେବେ ଏହିମତେ ।
ବୃହସ୍ପତି କଥା ଶୁଣି ଇନ୍ଦ୍ର ହେଲେ ତୁନି
ଶୁଣ ପରୀକ୍ଷ ବଦନ୍ତି ଶୁକ ମହାମୁନି ।
ଏଥୁଅନନ୍ତରେ ଜରାସନ୍ଧ ନରପତି
ପ୍ରଭାତୁ ସଇନି ଘେନି ଚାଲେ ଶୀଘ୍ର ଗତି ।
ଭାରତଖଣ୍ଡରେ ଯେତେ ଜମ୍ୱୁଦ୍ୱୀପ ରାଜା
ସକଳେ କରନ୍ତି ଭୟେ ତା ପାଦରେ ପୂଜା ।
ପାତ୍ର ମନ୍ତ୍ରୀ ପୁରୋହିତ ସଇନ ସହିତେ
ପ୍ରାଣ ଭୟେ ପୂଜା କରି ଗୋଡ଼ାନ୍ତି ପଶ୍ଚାତେ
ଚାରି ଊଣା ଲକ୍ଷେ ରାଜା ଅସଂଖ୍ୟ ସଇନ
ଦିନକୁ ଚାଲନ୍ତି ବାଟ ପଚାଶ ଯୋଜନ ।
ଏସନ ପ୍ରକାରେ ଯାଇ ସରସ୍ୱତୀ ତୀରେ
ରନ୍ଧନ ଭୋଜନ କରି ରହିଲେ ସେଠାରେ ।
ଅଶ୍ୱ ଗଜ ଆଜି ସର୍ବେ ଜଳପାନ କରି
ଅଚିନ୍ତାରେ ନିଦ୍ରାଯାଇ ବଞ୍ଚିଲେ ସର୍ବରୀ ।
ଏଥୁ ଅନନ୍ତରେ ନିଶି ହୁଅନ୍ତେ ପ୍ରଭାତ
ମଥୁରା କଟକେ ଯାଇ ପ୍ରବେଶିଲେ ଦୂତ ।
ଡଗର କହିଲେ ମିଳି ଉଗ୍ରସେନ ଆଗେ
ଥାଟ ସାଜି ଜରାସନ୍ଧ ଆସୁଅଛି ରାଗେ ।
ଛୟାଣୋଇ ସସ୍ର ରାଜା ଅନେକ ସଇନି
ପାତ୍ର ମନ୍ତ୍ରୀ ଅମନାତ୍ୟ ସଙ୍ଗେ ଅଛି ଘେନି ।
ରଥ ଗଜ ପଦାତିକ ଅଶ୍ୱ ଅପ୍ରମିତ
ଏତେ ତେତେ ବୋଲି ସଂଖ୍ୟା ନୁହଇ ଗଣିତ ।
ଖାଲ ଢିପ ପୋତି ହୋଇ ସମ ହେଲା ବାଟ
ଶତେକ ଯୋଜନ ମାଡ଼ି ରହିଛନ୍ତି ଥାଟ ।
ଚତୁରଙ୍ଗ ସେନା ଯେତେ ରଥ ଅଶ୍ୱ ଗଜ
ପରିଘାଇ ସମରକୁ ହୋଇଛନ୍ତି ସଜ ।
ସରସ୍ୱତୀ କୂଳେ ଥାଟ ରହିଛନ୍ତି ମାଡ଼ି
ପୁଚ୍ଛିଲେ ବୋଲନ୍ତି ଦେବୁ ମଥୁରାକୁ ଧାଡ଼ି ।
ନିଶ୍ଚୟ ଏ କଥା ଆମ୍ଭେ ଆସିଅଛୁଁ ଜାଣି
ଶୁଣି ଶଙ୍କା କଲେ ଉଗ୍ରସେନ ନରମଣି ।
ଓଷ୍ଠ କଣ୍ଠ ତାକୁ ଶୁଖି କମ୍ପିଲା ଶରୀର
ଭୟେ ଚିତ୍ତ ଅନ୍ତରାଳ ନ ଆସେ ଉତ୍ତର ।
ଯାଦବେ ବୋଲନ୍ତି ପାଇ ଏସନ ବାରତା
ବିନାଶ କାଳକୁ ହେଲା ବିପରୀତ କଥା ।
ଏଡ଼େ ବଡ଼ ପ୍ରୀତି ଭାଙ୍ଗିଗଲା ଅଳ୍ପକାଳେ
ମଥୁରା କଟକେ ରହି ନ ପାରିବା ଢାଳେ ।
କେହୁ ଯେ ବୋଲନ୍ତି ହଂସ ଡିମ୍ୱଥିଲେ ବର୍ତ୍ତି
ବନ୍ଧୁପଣ ଛାଡ଼ନ୍ତେ କି ମଗଧ ନୃପତି ।
ଝିଅଙ୍କ ବିକଳ ପୁଣି ଜାମାତା ମରଣ
ପାସୋରି ଥାନ୍ତେ ସେ ହଂସ ଡିମ୍ୱକୁ ଦେଖିଣ
ଦିଗପାଳ ସମବେନି ନାତି ଯାନ୍ତେ ନାଶ
ଯାଦବଙ୍କଠାରେ ତେଣୁ ବହିଛନ୍ତି ରୋଷ ।
ଥୋକାଏ ବୋଲନ୍ତି କଂସଥିଲେ ହ୍ୱନ୍ତା ଭଲ
ସେ ମରିଯିବାରୁ ହେଲା ମଥୁରାକୁ ସଲ ।
ଜରାସନ୍ଧ କୋପ କଲେ ନ ପାରିବା ରହି
ଛୟାଣୋଇ ସସ୍ର ରାଜା ବନ୍ଦୀ କଲା ସେହି ।
ଉଗ୍ରସେନ ଅବା ତାଙ୍କୁ କେତେକ ମାତର
ସେହିମତି ବନ୍ଦୀଘରେ ଭରିବେ ସତ୍ୱର ।
କେହୁ ଯେ ବୋଲନ୍ତି ଏକା ରାମକୃଷ୍ଣ ଥାନ୍ତେ
କି କରିବ ଜରାସନ୍ଧ ଆସି କୋପଚିତ୍ତେ ।
ନାନ ଉପଦ୍ରବ ଖଣ୍ଡି ପାରନ୍ତି ସେ ହରି
ତାଙ୍କ ପ୍ରସାଦରୁ ଆମ୍ଭେ କାହାକୁ ନ ଡରି ।
ଯା ନାମ ଧରନ୍ତେ କୋଟିପାପ ହୁଏ କ୍ଷୟ
ଦେହବନ୍ତ ହୋଇଛନ୍ତି ସେହି ଦେବରାୟ ।
ତାଙ୍କ ମୁଖ ଚାହିଁ ଯେବେ ପ୍ରାଣ ହେବା ନାଶ
ପ୍ରତ୍ୟକ୍ଷ ଲଭିବା ଆମ୍ଭେ ବଇକୁଣ୍ଠ ବାସ ।
ଉଚିତ ସଂଗ୍ରାମ ଯେବେ କରିବେ ଶ୍ରୀହରି
କୋଟି ଜରାସନ୍ଧ ହେଲେ ପଳାଇବେ ହାରି ।
କଂସଠାରୁ ବଳୀୟାର ନୁହେ ଜରାସନ୍ଧ
ତେଡ଼େ ବଳବନ୍ତ ହୋଇ ପ୍ରାଣେ ହେଲା ବଧ ।
କିଞ୍ଚିତ ସମରେ ଅଷ୍ଟମଲ ନାଶଗଲେ
ସେହି ଅଷ୍ଟମଲ୍ଲେ ୟାକୁ କି କରି ନ ଥିଲେ ।
ସେମାନେ ମରିବା ଶୁଣି ଅଇଲା ଏଥକୁ
ମତ୍ତଗର୍ବେ ଚିହ୍ନି ନ ପାରଇ ଏ କୃଷ୍ଣଙ୍କୁ ।
ସତେ କିବା ଉଗ୍ରସେନ ଏବେ କାହିଁ ଗଲା
ଏତେକ ମାତ୍ରକେ ବନ୍ଧୁ ପଣ ଏ ଛାଡ଼ିଲା ।
ଏସନେକ ଭାଳେଣି ଯେ କରନ୍ତି ଯାଦବେ
ବସନ୍ତି ଉତ୍ସବ ଛାଡ଼ି ଯେ ଯାହାରେ ସର୍ବେ ।
ଯେ ଯାହାର ମତେ ଚିନ୍ତା ଲାଗିଲା ସବୁନ୍ତି
ବୋଇଲେ ମଥୁରା ନାଶ ଗଲାକ ଏ ଘାନ୍ତି ।
ପରମ ପୁରୁଷ ରାମକୃଷ୍ଣ ବେନି ଭାଇ
ଦୁଷ୍ଟଙ୍କୁ ସଂହାରି ରକ୍ଷା କରିବେ ଏ ମହୀ ।
ସେ ପ୍ରଭୁଙ୍କ ପାଦପଦ୍ମେ ରହୁ ମୋର ସେବା
ଅଚ୍ୟୁତ ଦାସ କବିକି ଗତି ମୁକ୍ତି ଦେବା ।
ଉଗ୍ରସେନ ଓ ଯାଦବମାନଙ୍କ ରାମ କୃଷ୍ଣଙ୍କର ଆଶ୍ୱାସନା ଏବଂ ସୈନ୍ୟସଜ୍ଜା
ଏଥୁଅନନ୍ତରେ ପୁଣି ଶୁକ ତପୋବନ୍ତ
ପରୀକ୍ଷ ମୁଖକୁ ଚାହିଁ କହିଲେ ଏମନ୍ତ ।
ପବିତ୍ର ବଂଶରେ ଜାତ ତୁମ୍ଭେ ନୃପମଣି
ମୁକତ ହୋଇବ ଭାଗ୍ୟେ ଭାଗବତ ଶୁଣି ।
ଯାଦବେ ଏସନ ଭାଳି କରୁଥିଲେ ଚିନ୍ତା
ଗୁରୁ ମୁଖ ରାମକୃଷ୍ଣ ପାଇଲେ ବାରତା ।
ଅନ୍ତର୍ଯ୍ୟାମୀ ନାରାୟଣ ନ ଜାଣନ୍ତି ତାହା
ଆପେ ନିବାରିବେ ଆପେ କରିଛନ୍ତି ଯାହା ।
ଚାର କହିବାର ଶୁଣି ରାମ ଶିରୀପତି
ଉଗ୍ରସେନ ଆଗେ ଆସି ମିଳିଲେ ଝଟତି ।
ବସୁଦେବ ଆଦି ସର୍ବେ ବସିଛନ୍ତି ତହିଁ
ପ୍ରବେଶ ହୋଇଲେ ରାମକୃଷ୍ଣ ବେନିଭାଇ ।
ଯେ ଯାହାରେ ଯଥାମାନ୍ୟ କଲେ ସର୍ବେ ଚିହ୍ନି
ରତ୍ନସିଂହାସନେ ବିଜେ କଲେ ଭାଇ ବେନି ।
ଉଗ୍ରସେନ ରାଜା ମୁଖ ଚାହିଁ ପୀତବାସ
ବୋଲନ୍ତି ଭୋ ତାତ କିପାଁ ହେଉଛି ବିରସ ।
ଉଗ୍ରସେନ ବୋଲେ ତୁମ୍ଭେ ସର୍ବ ଅନ୍ତର୍ଯ୍ୟାମୀ
ମୁଁ କିସ କହିବି ତୁମ୍ଭେ ନ ଜାଣ କି ସ୍ୱାମୀ ।
ମଗଧ ଦେଶର ନୃପ ସଙ୍କୋଚ ନ ବଳା
ଜରାସନ୍ଧ ନାମେ ରାଜା ତେଜ ଅନର୍ଗଳା ।
ଜମ୍ୱୁଦ୍ୱୀପ ମଣ୍ଡଳେ ସେ ଅଟେ ନୃପବର
ଛୟାଣୋଇ ସସ୍ର ରାଜା ବନ୍ଦିଘରେ ତାର ।
ସତାଇଶ କ୍ଷୌଣୀ ଅଙ୍ଗ ବଳ ତାର ଏକା
ଲକ୍ଷେ ନୃପଙ୍କର ସୈନ୍ୟ ଅଟଇ ଅଲେଖା ।
ବିଧବା ହୋଇଣ ତାର ବେନି ସୁତା ଗଲେ
ପିତାର ଛାମୁରେ ଯାଇ କାନ୍ଦିଣ କହିଲେ ।
ଯମୁନାରେ ବୁଡ଼ି ହଂସ ଡିମ୍ୱ ମଲା କଥା
କାନ୍ଦି ଜଣାଇଲେ ଯହୁଁ ତା ବେନି ଦୁହିତା ।
ନାତିଙ୍କ ମରଣ ଶୁଣି କ୍ରୋଧେ ହୋଇ ଅନ୍ଧ
ସୈନ୍ୟ ସାଜି ଆସିଅଛି ରାଜା ଜରାସନ୍ଧ ।
ମଥୁରା କଟକ ଭାଙ୍ଗି କରିବ ସେ ଧ୍ୱଂସ
ସକଳ ଯାଦବ ଶୁଣି ପାଉଛନ୍ତି ତ୍ରାସ ।
ଏହାଶୁଣି ସର୍ବଭୂତ ଆତ୍ମା ଦେବରାୟେ
ବୋଇଲେ ଏଥକୁ କିପାଁ କରୁଅଛ ଭୟେ ।
ଆମ୍ଭେ କି ନ ଜାଣୁ ଜରାସନ୍ଧ ଦୁଷ୍ଟପଣ
ରଣେ ଜିଣି ପାରଇ ସେ ଦେବ ଦୈତ୍ୟଗଣ ।
ଛୟାଣୋଇ ସସ୍ର ରାଜା ବନ୍ଦୀ ତାର ଘରେ
ସତାଇଶ କ୍ଷୌଣୀ ବଳ ଖଟନ୍ତି ପାଦରେ ।
ଜୁଆଇଁ ନାତି ମରନ୍ତେ ଝିଅ ଦୁଃଖ ଦେଖି
ସମଦଣ୍ଡ ବାହିଲା ଯେ ଉପ୍ରୋଧ ଉପେକ୍ଷି ।
ଆବର ବିଶେଷେ ଆସି ହେଲାଣି ନିକଟେ
ଏତେବେଳେ ଭୟକଲେ ଯିବା କେଉଁବାଟେ ।
ଜଣେ ହେଲେ ରହିପାରେ ଲୁଚି ଯହିଁ ତହିଁ
ସାତବଂଶ ଏ ଯାଦବେ ପଳାଇଲେ କାହିଁ ।
ନିସତ ହୋଇବା ମାତ୍ର ନ ପାଇବା କାର୍ଯ୍ୟ
ସମ୍ପଦ ବିନାଶ ହେବ ଉପୁଜିବ ଲାଜ ।
ଜରାସନ୍ଧ ନିପତିର ହୋଇଣ ବଇରୀ
ପଳାଇଲେ କେହି ରକ୍ଷା ନ କରିବେ ଡରି ।
ପୃଥିବୀ ମଧ୍ୟରେ ଆମ୍ଭେ ସ୍ଥାନ ନ ପାଇବା
ଗୋଟି ଗୋଟି ହୋଇ ଶତ୍ରୁହସ୍ତରେ ମରିବା ।
ସଙ୍କଟ ପଡ଼ିଲା ବୋଲି ମନରେ ନ ଡର
ଜରାସନ୍ଧଠାରେ କାର୍ଯ୍ୟ ଅଛଇ ଆମ୍ଭର ।
ଆବର କଥାଏ ସର୍ବେ ଶୁଣ ମନ ଦେଇ
ଯମପୁରେ ଗଲୁ ଆମ୍ଭେ ଗୁରୁ ପୁତ୍ର ପାଇଁ ।
ଆମ୍ଭଙ୍କୁ ଦେଖିଣ ଯମ ସମ୍ଭାବନା କଲେ
ସଭାମଧ୍ୟେ ନିଜେ ସିଂହାସନେ ବସାଇଲେ ।
ପଣ୍ଡୁରାଜା ବ୍ରହ୍ମହତ୍ୟା କରି ସେ ପାପରେ
ବସି ନ ପାରନ୍ତି ଧର୍ମ ଦେବଙ୍କ ସଭାରେ ।
ଦ୍ୱାଦଶ ପାବଚ୍ଛ ତଳେ କାଖେ ହସ୍ତ ଦେଇ
ଆମ୍ଭେ ଯେ ଦେଖିଲୁଁ ଉଭା ହୋଇଥିଲେ ତହିଁ
ଅନେକ ଆକୁଳ ହୋଇ ଅପମାନ ଯୋଗେ
ବୋଇଲେ କହିବ କୃଷ୍ଣ ଯୁଧିଷ୍ଠିର ଆଗେ ।
ସେ ଯଦ୍ୟପି ରାଜସୂୟ କରିବେ ମୋ ପାଇଁ
ତେବେ ଏ ସଭାର ମଧ୍ୟେ ବସିବି ମୁଁ ଯାଇଁ ।
ଯମହିଁ ବୋଇଲେ କହ ଯୁଧିଷ୍ଠିର ଆଗ
ଅବିଳମ୍ୱେ କରନ୍ତୁ ସେ ରାଜସୂୟ ଯାଗ ।
ପଣ୍ଡୁରାଜା ବିନୟରେ କହିଲେ ବହୁତ
ତେଣୁ ଆମ୍ଭେ ତାଙ୍କ ଆଗେ କରିଅଛୁ ସତ୍ୟ ।
ଯୁଧିଷ୍ଠିର ହସ୍ତେ ରାଜସୂୟ କରାଇବୁ
ବିପଦ ପଡ଼ିଲେ ତାଙ୍କୁ ସହାୟ ହୋଇବୁ ।
ଚାରିଊଣା ଲକ୍ଷେ ରାଜା ରୁଣ୍ଡ ହେବେ ତହିଁ
ଯଜ୍ଞକର୍ମ କରାଇବୁ ଆମ୍ଭେ ନିଜେ ଥାଇ ।
ତେଣୁ ଏ ଜରାସନ୍ଧକୁ ନ କରିବୁ ବଧ
ନ ହାରିବୁ ନ ଜିଣିବୁ ଲାଗିଥିବ ବାଦ ।
ତୁମ୍ଭେମାନେ ଏ କଥାକୁ ନ ପାଅ ପ୍ରୟାସ
ଅଳ୍ପଦିନେ ଜରାସନ୍ଧ ମରିବ ଅବଶ୍ୟ ।
ଯାଦବେ ହୋଇଲେ କୃଷ୍ଣ ବଚନରେ ଶାନ୍ତି
ଉଗ୍ରସେନ ରାଜା ବୋଲେ ଫିଟିଲାକ ଭ୍ରାନ୍ତି ।
କର୍ମକର୍ତ୍ତା ପୁରୁଷ ଏ ଦେଲେ ବଜ୍ରସେହ୍ନା
ଏହାଙ୍କ ପ୍ରସାଦେ ନାହିଁ ଆମ୍ଭର ଶୋଚନା ।
ଏମନ୍ତ ବିଚାର ସର୍ବେ କରୁଛନ୍ତି ବସି
ପୁଣି ଚାର ଜଣାଇଲା ବାର୍ତ୍ତା ଘେନି ଆସି ।
ଭୋ ମଣିମା ସାବଧାନେ ଶୁଣ ଚକ୍ରପାଣି
ନିଶ୍ଚୟ ଏ କଥା ସ୍ୱାମୀ ଅଇଲି ମୁଁ ଶୁଣି ।
ସୈନ୍ୟ ଘେନି ଜରାସନ୍ଧ କାଲି ରଜନୀରେ
ଠଣା ମାଡ଼ି ରହିଥିଲା ସରସ୍ୱତୀ ତୀରେ ।
ପ୍ରଭାତ ହୁଅନ୍ତେ ଥାଟ ଚଳାଇ ଆସୁଛି
ଆଗରେ ନ କହି ପଛେ କହିଲେ କି ଅଛି ।
ଡାହାଳ ଦେଶ ସୀମାରୁ ଅଇଲି ମୁଁ ଛାଡ଼ି
ଯମୁନାକୁ ପାର ହୋଇ ଆସୁଛନ୍ତି ମାଡ଼ି ।
ରଥ ଗଜ ପଦାତି ଯେ ଅପ୍ରମିତ ଥାଟ
ପର୍ବତ କାନନ ଦଳି କଲେଣି ସେ ବାଟ ।
ମଥୁରା ଦେଶର ରାଜା ଛନ୍ନ ଛନ୍ନ ହୋଇ
ପଳାଇ ଲୋଡ଼ନ୍ତି ଗୃହବିତ୍ତ ଛାଡ଼ିଦେଇ ।
ଅକଳିତ ଥାଟ ସେ ଯେ ନୁହଇ କଳନା
ବଳେ ପଶି ଭାଙ୍ଗୁଛନ୍ତି ନଗର ପାଟଣା ।
ହାଟ ଦାଣ୍ଡ ଜୁର କରି ପୋଡ଼ୁଛନ୍ତି ଘର
ଯେ ଆଗେ ପଡ଼ଇ ତାକୁ କରନ୍ତି ପ୍ରହାର ।
ଚାହୁଁ ଚାହୁଁ ଆସୁଛନ୍ତି ପବନହୁଁ ବେଗେ
ଏକ୍ଷଣି ମିଳିବେ ଆସି ମଧୁବନ ଲାଗେ ।
ସାବଧାନେ ହୁଅ ଯେବେ ପାରିବ ଯୁଦ୍ଧରେ
ନୋହିଲେ ପଳାଇ ସର୍ବେ ଲୁଚ ଧାତିକାରେ ।
ଦେଖୁ ଦେଖୁ ସୈନ୍ୟ ମାଡ଼ି ପଡ଼ିଲେ ଅଯୋଗେ
ଯାଇ ନ ପାରିବେ ପଛେ ପଡ଼ି ତାଙ୍କ ଆଗେ ।
ଯମୁନା ଉତ୍ତରକୂଳେ ଦେଇଛନ୍ତି ଧାଡ଼ି
ନ ପୁଣ ମାରନ୍ତୁ ଆସି ସମସ୍ତଙ୍କୁ ବେଢ଼ି ।
ଏସନକ ଉଚ୍ଚବାଚ ହେଉଥିଲେ ଶୁଣି
ଧାଉଡ଼ିଆ ଚାର ଆସି ଜଣାଇଲା ପୁଣି ।
ସମସ୍ତେ ଯାଦବ ତୁମ୍ଭେ ବେଗେ ହୁଅ ସଜ
ନିଶ୍ଚୟ ମଥୁରାପୁର ନାଶଯିବ ଆଜ ।
ସାଗର ସମାନ ଜରାସନ୍ଧର ସଇନି
ଚାରି ଊଣା ଲକ୍ଷେ ରାଜା ସଙ୍ଗେ ଅଛି ଘେନି ।
ଏକ୍ଷଣି ଦେଖିଲୁ ଆମ୍ଭେ ଥୋକେ ଦୂର ଛାଡ଼ି
ସମୁଦ୍ର ଲହରୀ ପ୍ରାୟେ ଆସୁଛନ୍ତି ମାଡ଼ି ।
ଶୁଣିଣ ଯାଦବଗଣ ଉଠିଲେ ତଡ଼ତି
ସୈନ୍ୟ ସାଜ ସୈନ୍ୟ ସାଜ ଶୁଭେ ଚଉକତି ।
ମାର ମାର ଧର ଧର ଧ୍ୱନି କୋଳାହଳ
ସଜହୋଇ ବାହାରନ୍ତି ଚତୁରଙ୍ଗ ବଳ ।
ରଥ ଗଜ ଅଶ୍ୱ କେତେ କେ କରିବ ସଂଖ୍ୟା
ଛପନ କୋଟି ଯାଦବେ ସର୍ବେ ରଣରଙ୍କା ।
ଯେ ଯାହାର ଅଶ୍ୱଗଜ ରଥ ଚଢ଼ି ବେଗେ
ସମସ୍ତେ ମିଳିଲେ ଆସି ରାମକୃଷ୍ଣ ଆଗେ ।
ଭୟରେ ବୋଲନ୍ତି ଥୋକେ ସନ୍ଧି କର ଯାଇ
ବାହୁଡ଼ାଇ ଦିଅ ବାକ୍ୟେ ପ୍ରବୋଧ କରାଇ ।
ଯାଦବେ ଆରତ ହେବା ଦେଖି ଦେବରାୟ
ବୋଲନ୍ତି କିପାଇଁ ତୁମ୍ଭେ କରୁଅଛ ଭୟ ।
ଲକ୍ଷେ ଜରାସନ୍ଧ ଯେବେ ଆସୁଥିବ ବାହି
ଆମ୍ଭଙ୍କୁ ହାରିଣ ନିଶ୍ଚେଁ ଯିବେ ଲଜ୍ଜା ପାଇ ।
ତୁମ୍ଭେମାନେ ଭୟକରି ଅଥୟ ନ ହୁଅ
ରାଜାଙ୍କୁ ଆବୋରି ସର୍ବେ ଆନନ୍ଦରେ ଥାଅ ।
ଆମ୍ଭ ବେନି ଭାଇଙ୍କି ତ ଲାଗେ ଯୁଦ୍ଧ କଥା
ଆକୁଳ ହେଉଛ ତୁମ୍ଭେ କହ କିପାଁ ବୃଥା ।
ଯାଦବେ ବୋଇଲେ ତୁମ୍ଭେ ଶୁଭାଶୁଭ ଦାତା
ତୁମ୍ଭେ ଯେବେ ଆବୋରିଲ ଆମ୍ଭର କି ଚିନ୍ତା ।
ଏତେ କହି ଯେ ଯାହାର ଅସ୍ତ୍ର ଶସ୍ତ୍ର ଧରି
ଉଗ୍ରସେନ ଚଉପାଶେ ରହିଲେ ଆବୋରି ।
ଜଗତର ଆଦିକର୍ତ୍ତା କୃଷ୍ଣ ବଳରାମ
ତାଙ୍କୁ କି କରିବ ଜରାସନ୍ଧ କରି ତମ ।
ସେ ବେନି ଭାଇଙ୍କ ପାଦେ ଲୁଳୁ ମୋର ମାଥ
ଅଚ୍ୟୁତ ଦାସଙ୍କୁ ରକ୍ଷାକର ଗୋପୀନାଥ ।