ଜରାସନ୍ଧର ନବମ ବାର ଧାଡ଼ି — ହରିବଂଶ (ପଞ୍ଚମ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଦ୍ୱାରେ ଉଭା ହୋଇଅଛି ବୀର ଫାଲ୍ଗୁନି ।
ଜରାସନ୍ଧ ବୋଲେ ତହିଁ ପଥ ହେବ କେତେ
କେଉଁଦିଗେ ଅଛନ୍ତି ସେ କହ ମୋ ଅଗ୍ରତେ ।
ଡଗରା ବୋଇଲା ଦେବ ସାବଧାନେ ଶୁଣ
ଏଥକୁ ସେ ମଣିଭଦ୍ର ଚଉବିଂଶ ଯୂଣ ।
ତୁଙ୍ଗଭଦ୍ରା ନଦୀ ଅଛି ତା ଦକ୍ଷିଣ ଭାଗେ
ଶଙ୍କେତ ନାମରେ ଗୁମ୍ଫା ଅଛି ତହିଁ ଲାଗେ ।
ଯେବଣଠାରେ ନିର୍ମଳ ନାମେ ଅଛି ବଟ
ଏଠାକୁ ହେବ ଦ୍ୱାତ୍ରିଂଶ ଯୋଜନ ଯେ ବାଟ ।
ଏହା କହିଣ ଡଗରା ବଢ଼ାଇଲା ହାତ
ଏ ସ୍ଥାନେ ବୋଲି ଦେଖାଇ ଦେଲା ସେ ପର୍ବତ ।
ଜରାସନ୍ଧ ଯେ ପ୍ରତିଜ୍ଞା କରି ତହୁଁ ଉଠି
ରଥର ଉପରେ ବିଜେ କଲାକ ଲେଉଟି ।
ବାଆସ୍ତରି ଭାର ଗଦା ବୁଲାଇଣ କରେ
ବାତ ଚକ୍ର ପରାୟେକ ଧାମେ ରୋଷଭରେ ।
ଊର୍ଦ୍ଧ୍ୱବାହୁ ହୋଇ ସେହି ହେଲା କୋପାନଳ
ଗଦାକୁ କାନ୍ଧେ ପକାଇ ଧାମେ ଅନ୍ତରାଳ ।
ହୁଂକାର ଘୋର ଶବଦ ଭୟଙ୍କର ଧ୍ୱନି
ଶବଦରେ କମ୍ପମାନ ହୁଏ ପୁର ତିନି ।
ଅଣଚାଶ ପବନ ଯେ ବହେ ଘନ ଘନ
ପବନ ଆଘାତେ ମେରୁ ହୁଏ କମ୍ପମାନ ।
ବୁଲାଇ ଗଦାବରକୁ ଫିଙ୍ଗନ୍ତେ ସରୋଷେ
ଭୟ ପାଇ କମ୍ପିଲେକ ସକଳ ତ୍ରିଦଶେ ।
ବତିଶ ବାର ପର୍ଯ୍ୟନ୍ତେ ଦୃଢ଼ କରି ଗଣି
ଗଣନ୍ତେ ବାରେକ ଭ୍ରମ କଲା ନୃପମଣି ।
ଏସନକ ବର ତାକୁ ଦେଇଛନ୍ତି ବେଧା
ଏକ ବେଳେ ବୁଲାଇଲେ ଯୂଣେ ହୋ ଏ ଗଦା ।
କୋପେ ଜରାସନ୍ଧ ଗଦା ବୁଲାଇଲା ବେଳେ
ଏକବାର ଭ୍ରମ ଯେଣୁ ହୋଇଲା ସେ କାଳେ ।
ଆକାଶ ମାର୍ଗରେ ଗଦା ଗଲା ବେଗେ ଉଡ଼ି
ଶବଦ ଶୁଭଇ ଯେହ୍ନେ ମେଘ ଘଡ଼ ଘଡ଼ି ।
ଅଣଚାଶ ବାୟୁ ଜାଣି କ୍ଷେପେ ଶୂନ୍ୟ ଗତି
ବିଜୁଳି ପରାୟେ ଦିଶେ ଚହଟି ତା ଜ୍ୟୋତି ।
ଆକାଶୁ ସୁର୍ଯ୍ୟମଣ୍ଡଳ ପଡ଼େ ଯେହ୍ନେ ଖସି
ତେସନ ସଞ୍ଜାତେ ଗଦା ଆସନ୍ତେଣ ଦିଶି ।
ରାମକୃଷ୍ଣ ଦୁହେଁ ଥିଲେ ଯେବଣ ଠାବରେ
ପଡ଼ିଲା ସେ ଗଦା ତାଙ୍କୁ ଯୋଜନ ଅନ୍ତରେ ।
ବରୁଣ ନାମେ ପର୍ବତ ସୁସଞ୍ଜିତ ଅତି
ଉଚ୍ଚରେ ସେ ପାଞ୍ଚଯୂଣ ତିନିଯୂଣ ପ୍ରତି ।
ସେ ଗିରି ଉପରେ ଗଦା ପଡ଼ିଲାକ ଆସି
ଶତେ ତାଳଯାଏ ଗିରି ତଳେ ଗଲା ପଶି ।
ବଜ୍ରାଘାତେ ପ୍ରାୟେ ଶବ୍ଦ ଶୁଭିଲା ପ୍ରଚଣ୍ଡ
ବନଗିରି ସହିତରେ କମ୍ପିଲା ବ୍ରହ୍ମାଣ୍ଡ ।
ଭୟେ ଚରାଚର ପ୍ରାଣୀ ହୋଇଲେ କାତର
ଶ୍ରୀକୃଷ୍ଣ ମୁଖକୁ ଚାହିଁ ପ୍ରଭୁ ନୀଳାମ୍ବର ।
ବୋଇଲେ କିମ୍ଭୁତ ଶବ୍ଦ ହୋଇଲା ଏ ଜାତ
ଜାଣି ନ ପାରିଲୁ ଆମ୍ଭେ ଏଥିର ତଦନ୍ତ ।
ଗୋବିନ୍ଦ ବୋଇଲେ ତୁମ୍ଭେ ଶୁଣ ହଳପାଣି
ଗଦା ଫିଙ୍ଗି ଦେଲା ଜରାସନ୍ଧ ନୃପମଣି ।
ଗଣନ୍ତେ ବିଭ୍ରମ ତାର ହେଲା ଯେହୁଁ ବାରେ
ତେଣୁ ଗଦା ପଡ଼ିଲାକ ଯୋଜନ ଅନ୍ତରେ ।
ଆଉବାରେ ବୁଲାଇ ସେ ଯେବେ ଫିଙ୍ଗିଥାନ୍ତା
ନିଶ୍ଚେ ଗଦା ଆସି ଆମ୍ଭ ଉପରେ ପଡ଼ନ୍ତା ।
ଭଲ ହୋଇଲା ଯେ ଧର୍ମଦେବ ରକ୍ଷା କଲା
ମେଣ୍ଟିଲା ମହା ଅରିଷ୍ଟି ବିପତ୍ତି ଖଣ୍ଡିଲା ।
ଏତେ ବୋଲି ନନ୍ଦିଘୋଷ ଆରୋହି ଶ୍ରୀହରି
ତାଳଧ୍ୱଜ ରଥେ ସଙ୍ଗର୍ଷଣ ବିଜେ କରି ।
ଆଦିତ୍ୟ ଅସ୍ତମାନରେ ଚଳିଲେ ଦୁଃଖରେ
ରାତ୍ରରେ ମିଳିଲେ ଯାଇ ଉତ୍ତର ବନରେ ।
ବୋଧପୁର ବୋଲିଣ ଯେ ପାଟଣାଏ ତହିଁ
ପୁରୁରବା ଚକ୍ରବର୍ତ୍ତୀ ତହିଁ ଥିଲା ହୋଇ ।
ଦ୍ୱାଦଶ ଯୋଜନ ପାଟଣାର ଦୀର୍ଘ ପ୍ରତି
ବସିଅଛି ଗୃହ ତହିଁ ଷଟତ୍ରିଂଶ ଜାତି ।
ମେଢ଼ ମଣ୍ଡପ ଦେଉଳ ଜଗତୀ ଅଟ୍ଟାଳୀ
ସରସ୍ୱତୀ ନଦୀତୀରେ କଟକି ଉଗୁଳି ।
ବଳରାମ ଜଗନ୍ନାଥ ଅର୍ଜ୍ଜୁନକୁ ଘେନି
ସେ ନଗ୍ରେ ମିଳିଲେ ଯାଇ ହୋଇଛି ରଜନୀ ।
ରାତ୍ରେ ନଗର ଭିତରେ ଗୁପତରେ ରହି
ସଙ୍ଗରେ ଅନ୍ନପୂର୍ଣ୍ଣା ଯେ ଅଛନ୍ତି ଗୋଡ଼ାଇ ।
କୋଟି କାମଧେନୁ ବତ୍ସା ଗର୍ଭ ମଧ୍ୟେ ଭରି
ଜଗବନ୍ଧୁ ସଙ୍ଗେ ଛନ୍ତି ସେ କପିଳା ନାରୀ ।
ଯେତେବେଳେ ଯା ଲୋଡ଼ନ୍ତି ହଳୀ ଚକ୍ରପାଣି
ସହସ୍ର ଗୁଣେ ଯେ ଗାଇ ଦିଅନ୍ତି ସେ ଆଣି ।
ଶୁକ ବୋଇଲେ ଯେ ଶୁଣ ପରୀକ୍ଷ ନୃପତି
ବୋଧପୁର ପାଟଣାରେ ରହିଲେ ଶ୍ରୀପତି ।
ନିତ୍ୟକର୍ମ ଶେଷ କରି ଭୋଜନ ସାରିଲେ
ବିଚିତ୍ର ଗୃହେ ଅଚିନ୍ତା ଭାବେ ନିଦ୍ରାଗଲେ ।
ଅର୍ଜ୍ଜୁନ ମଞ୍ଚାଳେ ଜଗନ୍ନାଥଙ୍କ ଚରଣ
ସୁପାତି ଶେଯରେ ଶଯ୍ୟା କଲେ ନାରାୟଣ ।
ଇତି ଶିରୀ ହରିବଂଶ କଥା ପୁଣ୍ୟମୟେ
ଇଦଂ ଏକାଦଶ ଅଧ୍ୟା ସମାପତ ହୋୟେ ।
ଏଥୁ ଅନନ୍ତରେ ଜରାସନ୍ଧ ନୃପସାଇଁ
ପରମ ସାନନ୍ଦ ହେଲା ଗଦା ଫୋପଡ଼ାଇ ।
ଆପଣା ହୃଦେ ବିଚାର କରେ ଶୁଦ୍ଧିବୁଦ୍ଧି
ଏବେ କାର୍ଯ୍ୟଗୋଟା ମୋର ହୋଇଲାକ ସିଦ୍ଧି
ଆଗହୁଁ ଏ ବୁଦ୍ଧି ଯେବେ ସ୍ଫୁରିଥାଆନ୍ତା ମୋତେ
ଅନିମିତ୍ତେ ସୈନ୍ୟ ମୋର ମରନ୍ତେ କିମର୍ଥେ ।
ଜୀବନ୍ତା ଧରିବି ବୋଲି କଲି ମୁଁ ସାହାସ
ପାଇଲି ଅନେକ ଲଜ୍ଜା ହେଲା କାର୍ଯ୍ୟନାଶ ।
ଯାଦବଙ୍କ ସଙ୍ଗେ କିପାଁ କରିଲି ମୁଁ କଳି
ବଇରୀ ଅଟନ୍ତି ମୋର ହଳୀ ବନମାଳୀ ।
ତାହାଙ୍କ ସକାଶେ ମୋତେ ହେଲା ଏତେ ଲାଜ
କର୍ମବଳେ ରକ୍ଷା ହେଲି ପ୍ରାଣ ଘେନି ଆଜ ।
ସବୁ ରାଜାମାନେ ତୁମ୍ଭେ ଶୁଣ ମୋର ବୋଲ
ରାମକୃଷ୍ଣ ମରିଛନ୍ତି ଦେଖିବା ହେ ଚାଲ ।
ଶୁଣି ସେ ନୃପତିମାନେ ହୋଇଲେ ସନ୍ତୋଷ
ବୋଲନ୍ତି ସୁବୁଦ୍ଧି ତୁମ୍ଭେ ଶ୍ରୀମନ୍ତ ପୁରୁଷ ।
ଏ ମଞ୍ଚ ମଣ୍ଡଳ ମଧ୍ୟେ ଏକ ଦଣ୍ଡଧାରୀ
ଚାରିଊଣା ଲକ୍ଷେ ରାଜା ତୋତେ ଆଶ୍ରାକରି ।
ରାମ ଜଗନ୍ନାଥ ସଙ୍ଗେ ହାରିଥିଲେ ରଣେ
ଯେ ତୋହର କାର୍ଯ୍ୟ ଦେବ କଲୁ ତୁ ଆପଣେ ।
ଏମନ୍ତ ବୋଲି ସମସ୍ତେ କଲେ ନିଉଛାଳି
ଲେଉଟି ଧମକ ଦେଇ ଚଳେ ମହାବଳୀ ।
ମଥୁରା ଗଡ଼କୁ ବେଢ଼ି ସୈନ୍ୟ ରହିଥିଲେ
ଜରାସନ୍ଧ ଯାନ୍ତେ ତାର ପଛେ ଗୋଡ଼ାଇଲେ ।
ଡଗରା ଆଗରେ ଯାଇ ବାଟ କଢ଼ାଉଛି
ସଇନ୍ୟକୁ ଚାହିଁ ଭାଳେ ସଙ୍କୋଚନ ବତ୍ସି ।
କେତେ ଶ୍ରମ ପାଇଲେଣି ଯୁଦ୍ଧେ ମୋର ଲୋକ
ରାତ୍ରେ ନିଦ୍ରା ନାହିଁ ଦିଶେ ନ ହୁଅଇ ଭୋକ ।
ଏତେ ବିଚାରିଣ ବୀର ଚଳାଏ ସଇନି
ଗିରି ନିକଟେ ମିଳିଲେ ରାତ୍ର ଦଣ୍ଡ ତିନି ।
ଦେଖିଲେ ପର୍ବତ ପଶି ଯାଇଛି ତଳକୁ
ଶତେ ତାଳ ଗଭୀର ଯେ ଦିଶଇ ନିମ୍ନକୁ ।
ଅଶିବାରଣ ବୋଲିଣ ନଗ୍ର ଏକ ଥିଲା
ଜରାସନ୍ଧ ଗଦାଘାତେ ସବୁ ନାଶ ଗଲା ।
ଡଗରା ମୁଖକୁ ଚାହିଁ ଜରାସନ୍ଧ ପୁଚ୍ଛି
ରାମକୃଷ୍ଣ ଥିବା ସ୍ଥାନ କେତେ ଦୂର ଅଛି ।
ଡଗରା ବୋଇଲା ଦେବ ହୋଇଲା ନିକଟ
ଏଠାରୁ ଯେ ଗୁମ୍ଫା ହେବ ଏକଯୁଣ ବାଟ ।
ଜରାସନ୍ଧ ବୋଲେ କାର୍ଯ୍ୟ ନୋହିଲା ତ କିଛି
ଏଠାରେ ଗଦା ପଡ଼ିବା ସଙ୍କେତ ଦିଶୁଛି ।
ଏତେ ବୋଲି ଧାତିକାରେ ସଇନ ଚଳାଇ
ମଣିଭଦ୍ରା ପର୍ବତରେ ପହଞ୍ଚିଲା ଯାଇ ।
ଦେଖିଲା ନିର୍ମଳ ବଟ ସମୂଳରେ ଅଛି
ସ୍ତମ୍ଭୀଭୂତ ହେଲା ରାଜା ନ ସ୍ଫୁରଇ କିଛି ।
ଦମଘୋଷ ମୁଖ ଚାହିଁ ଏମନ୍ତ ବୋଇଲା
ଏତେମତେ କାର୍ଯ୍ୟ କଲି ନିଷ୍ଫଳ ହୋଇଲା ।
ଅଧର୍ମରେ ଯୁଦ୍ଧ କଲେ ସେହି ମୂଢ଼ମତି
ଗଦା ବାଜିଥିଲେ ଯାଇ ନ ପାରନ୍ତି ବର୍ତ୍ତି ।
ବତିଶ ବେଳ ପର୍ଯ୍ୟନ୍ତେ ଗଦାକୁ ବୁଲାଇ
ବିଧିଯୋଗେ ଏକବେଳ ପାସୋରିଲି ମୁହିଁ ।
ତେଣୁ କରି ଏ ସ୍ଥାନକୁ ନ ଆସିଣ ଗଦା
ଯୋଜନ ଛଡ଼ାରେ ପଡ଼ି ଗ୍ରାମ କଲା ପଦା ।
ଆଉବେଳେ ବୁଲାଇଣ ଫିଙ୍ଗିଥାନ୍ତି ଯେବେ
ତେବେ ମୋର କାର୍ଯ୍ୟସିଦ୍ଧି ହୋଇଥାନ୍ତା ଭବେ ।
ଏମନ୍ତ ବୋଲିଣ ଆଜ୍ଞାଦେଲା ଜରାସନ୍ଧ
ଏଠାରେ ରହିବା ସର୍ବେ ଶାଢ଼ୀଘର ବାନ୍ଧ ।
ଶୁଣି ସକଳ ସଇନି ସନ୍ତୋଷ ହୋଇଲେ
ଯେଝା ଅନୁରୂପେ ରାନ୍ଧି ବାଢ଼ିଣ ଭୁଞ୍ଜିଲେ ।
ରାତ୍ରେ ନିଦ୍ରାଗଲେ ସର୍ବେ ସନ୍ତପନ୍ତ ହୋଇ
ରାତ୍ର ପ୍ରହରେକ ଥାଉଁ ଉଠନ୍ତି ଚିଆଇଁ ।
ଦୁଃଖିତେ କହଇ ରାଜା ସୈନ୍ୟଙ୍କୁ ଅନାଇ
ଚୋର ପରାୟେ ପଳାନ୍ତି ଭୟେ ବେନି ଭାଇ ।
ଆଗେ ଦେଖାଦେଇ ମୋତେ ଯାଉଛନ୍ତି ଭଣ୍ଡି
ଯେତେ ଉପାୟ କରିଲେ ସବୁଯାଏ ଖଣ୍ଡି ।
ଆଦ୍ୟୁଁ ଆଠବେଳ ଯୁଦ୍ଧ କଲେ ମୋର ସଙ୍ଗେ
ଧରା ନ ପଡ଼ିଲେ ସେହୁ କଉଣସି ବାଗେ ।
ଜମ୍ବୁଦ୍ୱୀପ ନବଖଣ୍ଡେ ଯେତେ ଦଣ୍ଡଧର
ମୋର ପାଇଁ କଷ୍ଟ ସିନା ପାଇଲେ ଅପାର ।
ଜଣ ଜଣକରେ ଦଶଇନ୍ଦ୍ର ଜିଣି ପାର
ରାମକୃଷ୍ଣ ସାଧ୍ୟ ନୋହିଲେ ତ ତୁମ୍ଭ କର ।
ଜନମୁଖେ ଅପକୀର୍ତ୍ତି ହୋଇବ ନା ଲାଜ
ଏମନ୍ତ ହୋଇବାର ତ ଅଛି କିସ କାର୍ଯ୍ୟ ।
ଯେବଣ ଗଦା ଫିଙ୍ଗିଲି ମୁହିଁ ମନ୍ତ୍ରବଳେ
ଯୋଜନେ ପର୍ଯ୍ୟନ୍ତେ ସେହୁ ଭେଦିଲା ପାତାଳେ ।
ସେ ଯେବେ ପଡ଼ିଥାଆନ୍ତା ରାମକୃଷ୍ଣ ପରେ
ଜୀବନ କି ରହିଥାନ୍ତା ତାଙ୍କର ଶରୀରେ ।
ଏଡ଼େବଡ଼ ଉଦ୍ଯୋଗ ମୋ ହେଲା ଅକାରଣ
ଆଉ କିସ ବୁଦ୍ଧି ଅଛି କହ ବିଚାରିଣ ।
କ୍ରୋଟରାଗ୍ନି ପ୍ରାୟେ ହୃଦ ଦହୁଅଛି ମୋର
କେସନେ ଶାନ୍ତି ଲଭିବି ଏ କଥା ବିଚାର ।
ଦନ୍ତବକ୍ର ବୋଲେ ତୁମ୍ଭେ ବୁଦ୍ଧିମନ୍ତ ହୋଇ
ଅନିମିତ୍ତେ ଏତେ ଚିନ୍ତା କର କାହିଁପାଇଁ ।
ହାରିବା ଜିଣିବା ସିନା କ୍ଷତ୍ରୀଙ୍କ ବେଭାର
ଧଇର୍ଯ୍ୟପଣ ଧରିଣ ମତି କର ସ୍ଥିର ।
ଆପଣେ ଜୀଇଥିଲେ ତୁ ସବୁ ଅର୍ଜିପାରି
ଧନ ଜୀବନ ସମ୍ପଦ ନୁହଇ କାହାରି ।
ତୁମ୍ଭେ ଯେ ବୋଇଲ ମୋର ସୈନ୍ୟ ଗଲେ ନାଶ
ସେ କଥା ଶୋଚନା କଲେ ହେବ ଆଉ କିସ ।
ଯୁଆ ଖେଳ ଯୁଦ୍ଧ ଦୁଇ ଅଟେ ସମସରି
ଜଣେ ଜିଣଇ ଜଣେ ତ ନିଶ୍ଚେ ଯାଏ ହାରି ।
ସବୁକାଳେ ପ୍ରାଣୀର ତ ଜୟକଥା ନାହିଁ
ଲାଭ ହାନି ବୋଲି ପୂର୍ବୁମୁନି ଛନ୍ତି କହି ।
ଏ ଛାର କଥାକୁ କିପାଁ କର ଏଡ଼େ ଭୟ
ଏବେ ଭିଆଇବା ଆମ୍ଭେ ଅନେକ ଉପାୟ ।
ତରକିଲା କାକ ଯେହ୍ନେ ଶୂନ୍ୟେ ଯାଏ ଉଡ଼ି
ସୁପକ୍ୱ ଦ୍ରବ୍ୟ ହସ୍ତରୁ ପଡ଼ଇ ଉଛୁଡ଼ି ।
କାୟେ କାଣ୍ଡେ ଭେଟ ପୁଣ ନ ଯାଏ ଯାହାକୁ
ବଳବନ୍ତପଣେ ଆଉ ନ ଗଣ ତାହାକୁ ।
ରାମକୃଷ୍ଣଙ୍କର କଥା ତେମନ୍ତ ହୋଇଲା
ଜରାସନ୍ଧ ଆଗେ ଦନ୍ତବକ୍ର ଯେ କହିଲା ।
ଅଷ୍ଟବାର ବଞ୍ଚିଗଲେ ସୁପୁଣ୍ୟ ବଳରେ
ନିଶ୍ଚୟ ବିନାଶ ହେବେ ନବମ ଧାଡ଼ିରେ ।
କାଲି ସମରେ ସଇନି ପାଇଛନ୍ତି ଦୁଃଖ
ଆଜି ଏଠାରେ ରହିବା ସର୍ବେ ପାନ୍ତୁ ସୁଖ ।
ଏମନ୍ତ ଭାଳୁ ଭାଳୁ ଯେ ପାହିଲା ରଜନୀ
ଗଗନେ ଉଦୟ ହେଲେ ପ୍ରଭୁ ଦିନମଣି ।
ରାଜାଙ୍କୁ ଘେନିଣ ଜରାସନ୍ଧ ମହୀପାଳ
ସମଦଣ୍ଡ ଘେନି ରହେ ସରସ୍ୱତୀ କୂଳ ।
ପର୍ଶୁରାମଙ୍କ ସହିତ ରାମକୃଷ୍ଣଙ୍କ ସାକ୍ଷାତ
ଶୁଣ ପରୀକ୍ଷ ବଦନ୍ତି ଶୁକ ମହାମୁନି
ବୋଧପୁର ନଗ୍ରୁ ରାମକୃଷ୍ଣ ଫାଲଗୁନି ।
ରାତ୍ର ଘଡ଼ିଏକ ଥାଉଁ ହୋଇଲେ ବାହାର
ଅସ୍ତ୍ର ଶସ୍ତ୍ର ନାହିଁ ହୋଇଛନ୍ତି ଶୂନ୍ୟକର ।
ଆଗରେ ବଳଭଦ୍ର ଯେ ମଧ୍ୟେ ବୀର ପାର୍ଥ
ପଛେ ବିଜେ କରିଛନ୍ତି ପ୍ରଭୁ ଜଗନ୍ନାଥ ।
ଗ୍ରାମରୁ ବାହାର ହୋଇ ଥୋକେଦୂର ଗଲେ
ବୁଧଗିରିରେ ଯାଇଣ ପ୍ରବେଶ ହୋଇଲେ ।
ସେ ପର୍ବତ ତଳେ ବହେ ଚିତ୍ରୋତ୍ପଳା ନଦୀ
ପର୍ବତ ତଳକୁ ହୋଇଅଛି କୋଟିଭେଦୀ ।
ସେ ନଦୀରେ ନିତ୍ୟକର୍ମ ସାରି ତିନିଜଣ
ଭୋଜନ ସାରିଣ କ୍ଷୁଧା କଲେ ନିବାରଣ ।
ଦକ୍ଷିଣ ମୁଖେ ଚଳିଲେ ତହୁଁ ଦୁଇଭାଇ
ଦେଖିଲେ ସେ ସ୍ଥାନଗୋଟି ଗହନ ଅଟଇ ।
ଥୋକେ ଦୂରେ ପ୍ରବେଶିଲେ ଗଣ୍ଡୁକୀ ପାଶରେ
ତଦନ୍ତେ ମିଳିଲେ କୋଳାହଳ କାନନରେ ।
ଖଣ୍ଡଗିରି ନାମେ ପରବତ ଅଛି ସଞ୍ଚ
ଏଗାର ଯୋଜନ ଦୀର୍ଘ ତ୍ରିଯୋଜନ ଉଚ୍ଚ ।
ସେ ପର୍ବତୁ ଜାତ ଶୁଦ୍ଧ ଶାଳଗ୍ରାମ ଶିଳା
ଅଛନ୍ତି ଛତିଶ ଜାତି ତହିଁ ବିଷ୍ଣୁକଳା ।
ସେ ଗିରି ପଶ୍ଚିମେ ତ୍ରିହେମର ଦକ୍ଷଭାଗେ
ଦେଖିଲେ ସେ ପର୍ଶୁରାମ ଆସୁଛନ୍ତି ଆଗେ ।
ଦକ୍ଷିଣ ପର୍ଶୁକୁଠାରେ କନ୍ଧେ ଛନ୍ତି ଭିଡ଼ି
ବାମରେ କଣ୍ଟା ବାଉଁଶ ଧାମ୍ଣା ଧନୁ ପଡ଼ି ।
କାଖେ ବେଦପୋଥି କୁଶବଟୁ ଅଙ୍ଗୁଳିରେ
କପିଳା ମଳ ବିଭୂତି ଚହଟେ ଅଙ୍ଗରେ ।
ଶିରେ ଦିବ୍ୟଜଟା କୃଷ୍ଣ ପିଙ୍ଗଳ ବଚନ
ତୁଳସୀମାଳ ରୁଦ୍ରାକ୍ଷ କଣ୍ଠେ ଆଭରଣ ।
ଯଜ୍ଞ ଉପବୀତ କନ୍ଧେ ଜାଜ୍ଜ୍ୱଲ୍ୟ ଯେ ଅତି
ରସାଣିତ ତମ୍ବାପ୍ରାୟ ଦେହର ଆକୃତି ।
ରେଣୁକା ନନ୍ଦନ ଯମଦଗ୍ନି ଋଷିବଳା
ଅବତାର ନାରାୟଣ ବିଷ୍ଣୁ ନିଜକଳା ।
ଅକ୍ଷୟ ଅଜରାମର ପୁଂସ ପୁଣ୍ୟମୟେ
ପୃଥ୍ୱୀ ନକ୍ଷତ୍ର ଯେ କଲେ ବହୁବାର ଯାଏ ।
ଯଜନ ଯାଜନ ଧ୍ୟାନ ଆଧ୍ୟାନ ସମଷ୍ଟି
ପିତାଙ୍କର ଆଜ୍ଞାମାତ୍ରେ ମାତାମୁଣ୍ଡ କାଟି ।
ସେ ପର୍ଶୁରାମ ଚରଣେ ଶରଣ ନମାମି
ଅଚ୍ୟୁତ ଦାସ କବିକୁ ଉଦ୍ଧର ଭୋ ସ୍ୱାମୀ ।
ଏପରି ବେଶେ ଆସନ୍ତେ ଯମଦଗ୍ନି ଶିଷ୍ୟ
ଖଣ୍ଡେ ଦୂରରୁ ଦେଖିଲେ ପ୍ରଭୁ ପୀତବାସ ।
ବଳରାମ ମୁଖ ଚାହିଁ ବଚନ ପ୍ରକାଶି
ଏ ଅଟନ୍ତି ପର୍ଶୁରାମ ଯମଦଗ୍ନି ଶିଷି ।
ଅଙ୍ଗରେ ଏ ବିଷ୍ଣୁତେଜ ଅଛନ୍ତି ସେ ବହି
ଅକ୍ଷୟ ଅଜରାମର ପୁଂସ ପୁଣ୍ୟଦେହୀ ।
ଏମନ୍ତ ବିଚାରି ମୁନି ସନ୍ନିଧିରେ ଯାଇ
ସାଷ୍ଟାଙ୍ଗରେ ଶୁତିଲେକ ଲକ୍ଷ୍ମୀଦେବୀ ସାଇଁ ।
ବଳଦେବ କୃଷ୍ଣାର୍ଜ୍ଜୁନ ନମିଲେ ମୁନିଙ୍କି
ପର୍ଶୁରାମ ସୁକଲ୍ୟାଣ କଲେ ସେ ତିନିଙ୍କି ।
କୁଶଳ ବାରତା ପର୍ଶୁରାମ ଯେ ପଚାରି
ସବୁ ବୃତ୍ତାନ୍ତ କହିଲେ ରାମ ଦଇତ୍ୟାରି ।
ଜରାସନ୍ଧ ନୃପତିର ଆଠଧାଡ଼ି ଯାକେ
ସଂକ୍ଷେପି କହିଲେ ସବିଶେଷ ଏକେ ଏକେ ।
ପର୍ଶୁରାମ ବୋଇଲେକ ତୁମ୍ଭେ ବିଶ୍ୱବାସୀ
ତୁମ୍ଭ ନାମକୁ ଧରିଣ ସର୍ବଭୟ ନାଶି ।
ସର୍ବଭୂତ ଆତ୍ମା ତୁମ୍ଭେ ପୁରାଣ ପୁରୁଷ
କୋଟି ଜରାସନ୍ଧ ହେଲେ କରିପାରେ କିସ ।
ତୁମ୍ଭେ ଯେ କରମକର୍ତ୍ତା ସୃଷ୍ଟି ଜାତ କର
ମହାପ୍ରଳୟ କାଳରେ ଗର୍ଭରେ ସଂହର ।
ତୁମ୍ଭେ ଗଙ୍ଗାଧର ବିଷ୍ଣୁ ତୁମ୍ଭେ ପଦ୍ମଯୋନି
ବିହନ୍ତା ପୁରୁଷ ତୁମ୍ଭେ କର ଲାଭ ହାନି ।
ଏ ଦ୍ୱାପର ମହାଭାରା ନିବାରିବା ପାଇଁ
କୌତୁକେ ଜାତ ହୋଇଲେ ନର ଦେହ ବହି ।
ରାମାବତାରେ ପାଇଛ ବହୁତର କୃଷ୍ଣ
ପିତାସତ୍ୟ ବୟସରେ ହେଲ ରାଜ୍ୟଭ୍ରଷ୍ଟ ।
ପିତାସତ୍ୟ ପାଳି ତୁମ୍ଭେ ହେଲ ବନଚାରୀ
ଦଣ୍ଡକାରଣେ ରାବଣ ସୀତା ନେଲା ହରି ।
ଏ ରାମ ସେ ଯୁଗ ସଉମିତ୍ରୀ ହୋଇଥିଲେ
ଅନେକ ଦୁଃଖେ ତୁମ୍ଭର ସେବା ଧର୍ମ କଲେ ।
ଯେତେବେଳେ ସୀତା ଘେନି ଆସିଲ ଗୋସାଇଁ
ବୀରବାଦ୍ୟ ଶୁଣିଣ ମୁଁ ଓଗାଳିଲି ଯାଇଁ ।
ଅଜଗବ ଧନୁ ଭଗ୍ନ କଲ ଭୁଜବଳେ
ନିରାକାର ବିଷ୍ଣୁ ବୋଲି ଜାଣିଲି ସେ କାଳେ ।
ସେ ଦିନୁ ବୀରବେଶ ମୁଁ ଛାଡ଼ିଲି ହେ ହରି
ଭଗବନ୍ତ ଦୀକ୍ଷା ଘେନି ହେଲି ବ୍ରହ୍ମଚାରୀ ।
ତୁମ୍ଭଙ୍କୁ ଦେଖିଣ ମୋର ଉପୁଜିଲା ଶ୍ରଦ୍ଧା
ଆଜହୁଁ ଖଣ୍ଡିଲି ମୋର ଜନ୍ମମୃତ୍ୟୁ ବାଧା ।
ଯୋଗୀଜନେ କରୁଥାନ୍ତି ତୁମ୍ଭଙ୍କୁ ଯେ ଲୟେ
ନୟନେ ଦେଖିଲି ତୁମ୍ଭ ରୂପ ଜ୍ୟୋତିର୍ମୟେ ।
ଆବର ବଚନ ମୋର ଶୁଣ ଭାବଗ୍ରାହୀ
ଦଣ୍ଡେକ ବିଶ୍ରାମ ଏଥେ କରିବା ମଣୋହି ।
ଶ୍ରୀକୃଷ୍ଣ ବୋଇଲେ ଏହି ଅରଣ୍ୟ ଯେ ଘୋର
ଏଠାରେ ମିଳିବ କାହୁଁ ଅପୂର୍ବ ଆହାର ।
ପର୍ଶୁରାମ ବୋଇଲେକ ଶୁଣ ଚକ୍ରପାଣି
କାମଧେନୁ ପ୍ରସାଦରେ ସବୁ ପାରେ ଆଣି ।
ପର୍ଶୁରାମ ଆଜ୍ଞାଦେଲେ କାମଧେନୁ ରାଇ
ମାଗୋ ଶ୍ରୀହରି ଭୋଜନ ଭିଆଅ ତୁ ଯାଇ ।
ଶୁଣିଣ କପିଳା ମାତା ଭିଆଣ ତକ୍ଷଣ
କହିଲା ମାତ୍ରକେ ସଞ୍ଚା କରିଲେ ନିର୍ମାଣ ।
ଚୌରାଶୀ ପ୍ରକାରେ ଦିବ୍ୟ ଭୋଗମାନ ସଞ୍ଚ
ପଟାନ୍ତର ଦେବାକୁ ଯେ ନାହିଁ ସ୍ୱର୍ଗ ମଞ୍ଚ ।
ମେଢ଼ ମଣ୍ଡପ ଅଟ୍ଟାଳି ଦିବ୍ୟ ରମ୍ୟ ଘର
ନିଅବକାଶେ ଶୋଭଇ ଚନ୍ଦ୍ରଶାଳା ପୁର ।
ସୁପକ୍ୱ ଅନ୍ନ ବ୍ୟଞ୍ଜନ ଷଡ଼ରସ ବିଧି
କାମଧେନୁର ପ୍ରସାଦେ ହେଲା ସର୍ବସିଦ୍ଧି ।
ଗୌର ଶୌରୀ ନଳବିଧି ରାନ୍ଧଣା ବହୁତ
ଇକ୍ଷୁଦଣ୍ଡ ଗଜା ଆଦି ଗୋରସ ସହିତ ।
ପଇଡ଼ ଅମୃତପାଣି କଦଳୀ ପଣସ
ଦେବ ରାନ୍ଧଣା ନିର୍ମାଣ ଚନ୍ଦ୍ରଶାଳା ବାସ ।
ସୁସ୍ୱାଦୁ ସୁପକ୍ୱ ଆଦି ସୁବାସ ଦରବ
ଚକ୍ଷୁ ପିଛଡ଼ା ମାତ୍ରକେ ମିଳେ ଆସି ସର୍ବ ।
ହରି ବଳରାମ ପାର୍ଥ ନିତ୍ୟକର୍ମ ସାରି
ମଣୋହିରେ ବିଜେ କଲେ ତହୁଁ ଜାଇ କରି ।
ସ୍ୱର୍ଣ୍ଣ ପଲମରେ ଅନ୍ନ ପର୍ଶେ ସୂପକାର
ଚଉରାଶୀ ମଢ଼ଫୁଲ ବିଧି ଉପଚାର ।
ପର୍ଶୁରାମ ମୁନି ନିଜେ ଫଳ ମୂଳ ସାରି
ଭୁଞ୍ଜିଣ କଷାୟ ଫଳ ଆଚମନ କରି ।
ସୁବର୍ଣ୍ଣ ଆସନେ ରାମ କୃଷ୍ଣ ଧନଞ୍ଜୟ
କୃଷ୍ଣାଜିନେ ବିଜେ କଲେ ରେଣୁକା ତନୟ ।
କଥାବାର୍ତ୍ତା ହୋଇ ସୁଖେ ରଜନୀ ବଞ୍ଚିଲେ
ଶୁଣ ହୋ ପରୀକ୍ଷ ରାଜା ଶୁକମୁନି ବୋଲେ ।
ଶ୍ରୀକୃଷ୍ଣଙ୍କୁ ଏକାନ୍ତରେ ଡାକି ପର୍ଶୁଧାରୀ ।
ବୋଇଲେ ଆମ୍ଭର ବାକ୍ୟ ଶୁଣ ତୁମ୍ଭେ ହରି ।
ଜରାସନ୍ଧ ଏ ସ୍ଥାନକୁ ଆସୁଥିବ ବାହି
ଆମ୍ଭେ ଏଥି ରହିବାର ପ୍ରୟୋଜନ ନାହିଁ ।
ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ କ୍ଷତ୍ରି ଚୂଡ଼ାମଣି
ଏକ ବାଣକରେ ପାର ତିନିପୁର ଜିଣି ।
ସେ ଛାର ସରାସନ୍ଧକୁ ତୁମ୍ଭର ଏ ଭୀତି
କପଟ କରିଣ କିପାଁ କହୁଛ ହେ ଯତି ।
ପର୍ଶୁରାମ ବୋଇଲେ ମୁଁ ଛାଡ଼ି କ୍ଷତ୍ରି ଧର୍ମ
ସନ୍ନ୍ୟାସ ଦୀକ୍ଷାକୁ ନେଲି ଆଚରି କରମ ।
ତେଜିଲି ମଦ ମତ୍ସର ଅହଙ୍କାର କୋପ
ଧଇଲି ଏଣେ ମୁହିଁ ସନ୍ନ୍ୟାସୀ ସ୍ୱରୂପ ।
ଆମ୍ଭ ଭଳି ଲୋକଙ୍କୁ ଯେ ନ ସାଜଇ ଏହା
ଶରୀରରେ ପ୍ରାଣ ଥିଲେ ଲଙ୍ଘଇ କେ ତାହା ।
ସଂଗ୍ରାମ ପଡ଼ିଲେ ଗୋରୁ ଦ୍ୱିଜ ହେଲେ ମାରି
ହତ୍ୟା ବିବାଦ ପାତକ ନୋହେ କେବେ ପାରି ।
ଆମ୍ଭେ ଜାଣୁ ଜାଣୁ କେହ୍ନେ କରିବୁ ଏ କର୍ମ
ଯଶ ବିନାଶ ହୋଇବ ନାଶ ଯିବ ଧର୍ମ ।
ଶ୍ରୀହରି ବୋଇଲେ ସ୍ୱାମୀ ଆଜି ଏଥି ଥିବା
ଦୂରରୁ ସୈନ୍ୟଙ୍କୁ ଦେଖି ପଳାଇଣ ଯିବା ।
ପର୍ବତେ ଉଠିଣ ବାଟ ଚାହିଁ ଥିବା ବସି
ନିକଟକୁ ଅଇଲେ ସେ ଯାଇ କିନା ଖସି ।
ପର୍ଶୁରାମ ସନ୍ତୋଷ ଯେ ଶ୍ରୀହରି ବଚନେ
ବୋଇଲେ ଆଉ କଥାଏ ଶୁଣ ଭଗବାନେ ।
ଅଷ୍ଟାଦଶ ବାର ଦେବ ଜରାସନ୍ଧ ଧାଡ଼ି
ସଂଗ୍ରାମେ ଅନେକ ହେବ ମହାଭାରା ପଡ଼ି ।
ଭୋ ଦେବ ୟା ଭୟେ ମଥୁରାକୁ ତେଜି ଯିବ
କୁଶସ୍ଥଳୀ ନିକଟରେ ଯାଇଣ ରହିବ ।
ଅଷ୍ଟ ପାଟବଂଶୀ ସହ ବହୁ ନରୀଗଣ
ପୁତ୍ର ନାତି ବଢ଼ିବେ ଯେ ହୋଇ ଅପ୍ରମାଣ ।
ପଦ୍ମବନ ପରାୟେକ ବଂଶ ଯେ ବଢ଼ିବେ
କୂଟେ ସକଳ ବିନାଶ ଅକ୍ଳେଶେ ହୋଇବେ ।
ଯୋଗବଳେ ଜାଣୁ ଆମ୍ଭେ ଭବିଷ୍ୟ ପୁରାଣ
ଆପଣ ସକଳ କଥା ଜାଣ ନାରାୟଣ ।
ଏତେ ବୋଲିଣ କହିଲେ ରେଣୁକାର ବତ୍ସି
କିଛିବିଦ୍ୟା ଦେବା ଆମ୍ଭେ ଘେନ ତୁମ୍ଭେ ବାଛି ।
କାଳାନ୍ତକ ଯୁଗାନ୍ତକ ପ୍ରଳୟ ସେ ଶର
ଏହା ଦେଲେ ନେଇ ଜଗନ୍ନାଥଙ୍କ ଛାମୁର ।
ଏ ବାଣ ଯତ୍ନେ ସାଇତି ରଖ ଚକ୍ରଧର
ବଳରାମେ ସମର୍ପିଲେ ଭଇରବି ଶର ।
ଏ ବାଣ ଥିଲେ ଜିଣନ୍ତା ନୋହିବେ ସଂସାର
ଗନ୍ଧରବ ଆଦିକରି ଆଉ ବୈଶ୍ୱାନର ।
ହେ ଯୋଗାରୁଢ଼ ପୁରୁଷ ତିନି କାଳଜ୍ଞାତା
ତୁମ୍ଭେ ଜାଣ ଏହି ବାଣମାନଙ୍କର କଥା ।
ମଧୂ କଇଟଭ ବଧ କାଳେ ନାରାୟଣ
ଏ ବାଣକୁ କରିଥିଲେ ଆପେ ନିରିମାଣ ॥
ବହୁ ଯୁଗ ପର୍ଯ୍ୟନ୍ତେ ଏ ସ୍ୱର୍ଗପୁରେ ଥିଲାଦିଗ୍ବିଜୟ କାଳେ ମଞ୍ଚେ ରାବଣ ଆଣିଲା ।ଜମଦଗ୍ନି ସଙ୍ଗେ ମୁହିଁ ବିଶ୍ରାମ କୁଟୀରେପ୍ରବେଶି ଦେଖିଲି ଶର ଅଛଇ ସେଠାରେ ।ବିନୟଭାବେ ତାଙ୍କଠୁଁ ଘେନିଲଇଁ ଏହାନିଅ ବୋଲିଣ ସନ୍ତୋଷେ ଦେଲେ ମୁନିନାହା ।ସଚରାଚର ସାଧ୍ୟ ମୁଁ କଲି ଏହି ଶରେବଇରୀ ନିଶ୍ଟୟ ଏଥେ ଯିବ ଯମପୁରେ ।ଏ ସଞ୍ଜୀବନୀ ନାରାଚ ଘେନ ଦାମୋଦରଅଭଦ୍ୟେ ବଜ୍ର କବଚ ବଜ୍ର ସେହ୍ନାଶର ।ଆଜଯାଏ ସାଇତି ମୁଁ ଯତ୍ନେ ରଖିଥିଲିପୃଥ୍ୱୀଭାରା ନାଶିବାକୁ ତୁମ୍ଭ ହସ୍ତେ ଦେଲି ।ଏ ଶସ୍ତ୍ର ହାତରେ ଥିଲେ ବେରୀ ଯିବ ହଟିଆବର ବହୁତ ଗୁଣ ଏଥିରେ ଅଛିଟି ।ମରିବା ଲୋକ ଜୀଅଇ ଏହାର ପ୍ରସାଦେପ୍ରତ୍ୟକ୍ଷେ ଏ ରୁଦ୍ରରୂପୀ ଜାଣ ନିଶ୍ଚେଁ ହାଦେ ।କହନ୍ତେ ନ ସରଇ ଏ ବାଣର ମହିମାକୁମ୍ଭ ଦୈତ୍ୟ ବଧକାଳେ ଧରିଥିଲେ ଉମା ।ଏକୋଇଶ ବାର ମୁହିଁ ନିକ୍ଷତ୍ରିୟ କଲିଏହାର ପ୍ରସାଦେ ମୁହିଁ ଜଗଜ୍ଜୟୀ ହେଲି ।କୁଠାରୀ ଦେବୀ ମୋ ଠାରେ ପ୍ରସନ୍ନ ହୋଇଲେସନ୍ତୋଷରେ ଯାଚିଣ ସେ ନାରାଚକୁ ଦେଲେ ।ହିମବନ୍ତନନ୍ଦିନୀ ସେ ଦେବୀ ମାହେଶ୍ୱରୀକୁଠାର ସ୍ୱରୂପେ ମୋର ଗୃହେ ବିଜେ କରି ।ଯତନେ ଏ ଶସ୍ତ୍ର ତୁମ୍ଭେ ନିଅ ଧନଞ୍ଜୟଏ ଶସ୍ତ୍ରଥିଲେ ହସ୍ତରେ ନାହିଁ କିଛି ଭୟ ।ଏହିରୂପେ କଥା କହୁଁ ପ୍ରବେଶ ରଜନୀଅସ୍ତାଚଳକୁ ଚଳିଲେ ପ୍ରଭୁ ଦିନମଣି ।ଯଜନ ଯାଜନ ଜପ ସନ୍ଧ୍ୟା ଆଦିକରିମୁନି ସଙ୍ଗେ ବଢ଼ାଇଲେ ରାମ ପାର୍ଥ ହରି ।ସୁପକ୍ୱ ଅନ୍ନ ଭୁଞ୍ଜିଣ ଆଚମନ କଲେକୁଶାସନେ ନିଦ୍ରା କରି ରଜନୀ ବଞ୍ଚିଲେ ।ପ୍ରଭାତରୁ ସ୍ନାନ ସାରି ଗିରି ଶିଖେ ଉଠିଜରାସନ୍ଧ ଆସିବାକୁ ଦେଲେ ଏକ ଦୃଷ୍ଟି ।ଶୁଣ ପରୀକ୍ଷ କହନ୍ତି ଶୁକ ମହାମୁନିଇତି ଶ୍ରୀ ପୂଣ୍ୟପୁରାଣେ ହରିବଂଶ ଧ୍ୱନି ।ରାମ କୃଷ୍ଣ ପର୍ଶୁରାମ ପାଦେ ମୋର ସେବାଅଚ୍ୟୁତ ଦାସ କବିକି ଗତି ମୁକ୍ତି ଦେବା ।