ବିଦ୍ରୋହ
୧୮୯୮–୧୯୬୫
- ପଢ଼ିବା ସମୟ
- ୧୯୮ ମିନିଟ୍
- ଶବ୍ଦ
- ୩୧୭୪୮
- ସ୍ଥିତି
- ସାର୍ବଜନୀନ (Public domain)
-ଏକ-
ବାଡ଼ିପଟ ଗଙ୍ଗଶିଉଳି ଗଛରୁ ଫୁଲ ଝଡ଼ିବା ଆଗରୁ ଗଉରୀ ଶେଯରୁ ଉଠି ତା କାର୍ଯ୍ୟରେ ଲାଗିଯାଏ । ସେତେବେଳକୁ ଆକାଶର ତାରାଗହଳି କ୍ରମେ ପାତଳା ପଡ଼ି ଆସିଥାଏ । ଅନ୍ଧାର ପୂରାପୂରି ଛାଡ଼ି ନଥାଏ । ପାଖ ପଡ଼ିଶା ଘରର ଶାଶୁମାନେ ବୋହୂମାନଙ୍କ ନିଦ ଭାଙ୍ଗିବା ପାଇଁ ବେଳେ ବେଳେ ଚିତ୍କାର କରି ଉଠୁଥାନ୍ତି । ଦିଣ୍ଡପିଣ୍ଡାମାନଙ୍କରେ କାହିଁ କେଉଁଠି ବୁଦ୍ଧି କଣ୍ଠର ‘ହରି’ ‘ହରି’, ‘ନାରାୟଣ’ ‘ନାରାୟଣ’ ଶବ୍ଦ ଉଠି ଶାନ୍ତ ସ୍ନିଗ୍ଧ ଗମ୍ଭୀର ପଲ୍ଲୀ ଆକାଶକୁ ମୁଖରିତ କରୁଥାଏ । ବସାଫେରନ୍ତା ବାଦୁଡ଼ି ପକ୍ଷୀ ଅଗଣାର ଖୁବ୍ ଉଚ୍ଚରେ ଉଡ଼ି ଉଡ଼ି ଯିବାର ଜଣା ଯାଉଥାଏ । କେତେବେଳେ ବା ଗୋଟେ ଦି’ଟା ପକ୍ଷୀ ଗଉରା ଘର ଅଗଣାର ପିଜୁଳି ଗଛରେ ବସିବାକୁ ଯାଇ ଭୁଲରେ ପାଖ ଗଙ୍ଗଶିଉଳି ଗଛରେ ବସିପଡ଼ନ୍ତି । ଚାହୁଁ ଚାହୁଁ ମେଘ ନଥିବା ଅମାବାସ୍ୟା । ଆକାଶର ଫୁଟନ୍ତା ତାରାଗହଳି ପରି ଗଛମୂଳଟା ଫୁଟି ଉଠେ । ଝର ଝର, ସର ସର ହୋଇ କେତେ ଯେ ଫୁଲ ଝଡ଼ି ପଡ଼େ, ତାର ଖାପମାପ ରହେ ନାହିଁ । ଗଉରୀ ସେତେବେଳେ ସେହି ଗଛମୂଳେ ଠିଆ ହୋଇ ସେହି ଜାଲଜାଲୁଆ ଅନ୍ଧାର ଭିତରେ ସବୁ ଦେଖୁଥାଏ ଦେଖି ଦେଖି ମନେ ମନେ ଭାବୁଥାଏ–
‘‘ଆହା, କିଏ ଯେବେ ହଲେଇ ନ ଥାନ୍ତେ ଫୁଲ ସବୁ ଇମିତି ଏଣେ ତେଣେ ନ ଥାନ୍ତା ପରା ! ସଫା ସକାଳେ ହୋଇ ଆଲୁଅ ହୋଇଥିଲେ ଗଛଟି କେଡ଼େ ସୁନ୍ଦର ଦିଶି ନଥାନ୍ତା ! ଦେଖି ଦେଖି ମନ ପୁରି ଯାଇଥାନ୍ତା ପରା ! କେଡ଼େ ଦୁଷ୍ଟି ଏ ପକ୍ଷୀଗୁଡ଼ାକ !’’
ଗଉରୀ ଏହିପରି କେତେ କଥା ଭାବି ଭାବି ଆପଣା ଦେହରେ ହାତ ବୁଲାଇଦିଏ । ସେତେବେଳେ ତା ଲୁଗା ପଟା ତାକୁ ଭାର ବୋଧହୁଏ । ତାର ବୁକୁ ଭିତରଟା କଣ ହୋଇଯାଏ, ସେ ଜାଣିପାରେ ନାହିଁ । ଆଲୁଅ ହୋଇ ଆସୁଥିବା ସଂସାରଟା ଅନ୍ଧାର ହୋଇ ଆସିଲା ପରି ତାକୁ ଜଣାପଡ଼େ । ତା ଗୋଡ଼ତଳ ପୃଥିବୀଟା ଖାଲି ଘିରି ଘିରି ହୋଇ ବୁଲେ । ଝଡ଼ ପଡ଼ିଥିବା ଫୁଲ ତା ଆଖିକୁ ଆଉ ଫୁଲ ପରି ଦିଶେ ନାହିଁ । ସେ ଫୁଲ ସତେ ଅଦା କେଉଁ ସ୍ୱର୍ଗ ଅପ୍ସରୀର ମଣିମାଣିକା ଅଳଙ୍କାରପତ୍ର ଅକାଳରେ କାହା ଦେହରୁ ତାହା ଖସି ପଡ଼ି ଧୂଳି ମାଟିରେ ଗଡ଼ୁଛି ପରା ! ସେ କାନ୍ଦିବାକୁ ଚେଷ୍ଟା କରେ ନାହିଁ; ମାତ୍ର କୋଜିଣି କାହିଁକି ଆଖି ତାର ଲୁହ ଛଳଛଳ ହୋଇଯାଏ । ସବୁ ତାକୁ ଶୂନ୍ୟ... ଶୂନ୍ୟ... ମହାଶୂନ୍ୟ ଜଣାପଡ଼େ । କଥା କହିବାକୁ ମନ ହୁଏ; ମାତ୍ର ଭିତରେ ଭିତରେ କିଏ ମନା କରେ... ‘ନା, ନା, କହିଲେ ଶୁଣିବ କିଏ ?’
ପ୍ରତିଦିନ ରାତି ନ ପାହୁଁ ସଂସାରର ବାଡ଼ ବଗିଚାରୁ ଏହିପରି କେତେ ଯେ ଫୁଲ ଝଡ଼ି ପଡ଼ୁଛି, ତାର କଣ ଠିକଣା ଅଛି ? ଫୁଲ ଫୁଟୁଛି, ଫୁଲ ଝଡ଼ୁଛି, ତାହା ଦେଖି ଲୋକେ ଆନନ୍ଦ ଅନୁଭବ କରୁଛନ୍ତି । ସଂସାରରେ ଏହିପରି କେତେ କଥା ଘଟୁଛି, ଯାହାର ସୃଷ୍ଟି ଏବଂ ପ୍ରଳୟରେ ଲୋକଙ୍କର କିଛି ଯାଏ ଆସେ ନାହିଁ । ପ୍ରଳୟ ତ ମଙ୍ଗଳ ପାଇଁ, ପ୍ରଳୟତ ସୃଷ୍ଟି ପାଇଁ । ପ୍ରଳୟ ପଛେ ପଛେ ଯେବେ ସୁନ୍ଦର ସୃଷ୍ଟିର ମଧୁର ଆଶା ନ ଥାନ୍ତା, ଏ ପିଣ୍ଡରେ ପ୍ରାଣ ରହିପାରନ୍ତା କି ? ଫୁଲ ଝଡ଼ିବା ପଛେ ପଛେ ପୁଣି ଯେ ନୂଆଫୁଲ ଫୁଟି ଉଠେ, ଏ କଥା ନ ଜାଣେ କିଏ ? ପ୍ରଳୟ ଭିତରେ ଏହିପରି କିଛି ନା କିଛି ମଙ୍ଗଳର ଚିହ୍ନ ଦେଖି ବୋଧହୁଏ ପ୍ରଳୟ ଦେବତା ମହାଦେବଙ୍କୁ ଜଗତ୍ ଶିବ ବା ମଙ୍ଗଳ ନାମରେ ପୂଜା କରେ ।
ମାତ୍ର ଏଠି ଯେଉଁ ପ୍ରଳୟ କଥା କୁହାଯାଉଛି, ଏଥିରେ ଆନନ୍ଦର କିଛି ହେଲେ ସମ୍ପର୍କ ନାହିଁ । ଏ ପ୍ରଳୟକୁ କୌଣସି ମହାଦେବଙ୍କ ମଙ୍ଗଳମୟ ପ୍ରଳୟ ବୋଲି କହି ହେବ ନାହିଁ । ଏ ହେଉଛି ମନୁଷ୍ୟର ମନଗଢ଼ା ପ୍ରଳୟ, ଶାସ୍ତ୍ରର ହାତଗଢ଼ା ନିଷ୍ଠୁର ଖେଳ ! ଏଠି ନିୟତି ନାହିଁ କି ଭାଗ୍ୟ ନାହିଁ । ଏଠି ଗଉରା ପରି କମନୀୟ କୁସୁମଟିଏ ସମାଜ-ବଗିଚାରୁ ଝଡ଼ିପଡ଼ିଛି । ତାକୁ ଦେଖି କେହି ହେଲେ ଆନନ୍ଦ ଅନୁଭବ କରୁ ନାହିଁ । ସେ ଫୁଲ ଆଉ ଦେବତା ଶିରର ଯୋଗ୍ୟ ନୁହେଁ ! ତାକୁ ଯେ ଥରେ ଦେଖୁଛି, ଆଖି ଛଳ ଛଳ କରି ଦେଉଛି କିମ୍ବା ବିସ୍ମୟରେ କଣ କେତେ କଥା ଭାବି ଭାବି ତୁନି ହୋଇ ରହୁଛି ।
ଗଉରୀ ବାଳବିଧବା !
ଗଙ୍ଗଶିଉଳି ଗଛମୂଳେ ଠିଆ ହୋଇ ସେ ଆପଣା ଦେହରେ ଆପେ ହାତ ବୁଲାଇ ବୁଲାଇ ଭାବେ-ଝଡ଼ିପଡ଼ିଲା ! ଏଇ ଗଙ୍ଗଶିଉଳି ଫୁଲ ପରି ସବୁ ମୋର ଅଳଙ୍କାର ପତ୍ର ଝଡ଼ିପଡ଼ିଲା-! ଫୁଲ ଝଡ଼ିବା ବେଳ ହେଲେ ଫୁଲ ଝଡ଼େ, ମାତ୍ର ମୋର ଏ.... ଆହା ! କିମିତି ଲୋକଙ୍କର ହାତ ଯାଏ-ଗୋଟି ଗୋଟି କରି ସବୁ ଅଳଙ୍କାରପତ୍ର କାଢ଼ି ପକାନ୍ତି ! ସତେ କଣ ତାଙ୍କ ମନସବୁ ପଥରରେ ଗଢ଼ା ! ସତେ କଣ ତାଙ୍କ ଘରେ କେହି କିଛି ଅଳଙ୍କାରପତ୍ର ପିନ୍ଧନ୍ତି ନାହିଁ । କିଏ କଣ ତାଙ୍କ ଘରେ ହସନ୍ତି ନାହିଁ, ହସି ହସି ପରକୁ ହସାନ୍ତି ନାହିଁ ? ଏଇ ଗଙ୍ଗଶିଉଳି ଫୁଲ ପରି ମୁଁ ଏବେ ଝଡ଼ିପଡ଼ିଛି । ମାତ୍ର ଏହାରି ପରି ତ ହସି ହସି ମରି ପାରୁ ନାହିଁ ! ଆହା, ଫୁଲ କେଡ଼େ ଆନନ୍ଦରେ ହସୁଛି । ସତେ ଅବା ସେ କହି ଯାଉଛି-ଯାଉଛି ମୋ, ଯାଉଛି । କାଲି ସକାଳୁ ପୁଣି ଇମିତି ଆସିବି, ଇମିତି ହସିବି, ଇମିତି ହସେଇବି ! ଏ ଗଉରୀ କି ଆଉ ହସିବ ? ଆଉ କି ଏ ହସି ହସି ଆସିବ ? ହସିବାକୁ କି ୟା ପାଇଁ ସଂସାରରେ ଆଉ ଥାନା ଅଛି ? କାହା ପାଇଁ ହସିବ ? ହସି ହସି ବା ଯିବ କୁଆଡ଼େ ? ୟାର ତ ରାତି ସବୁବେଳେ, ୟାର ଦିନ କାହିଁ ?