-ଦଶ- — ବିଦ୍ରୋହ — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
-ଦଶ-
କେତେ ରାତି ହେଲାଣି ବ୍ରଜ ଜାଣେ ନାହିଁ । ବାରଟାରେ ଲଣ୍ଠନଟା ଜାଳିଦେଇ ସେ ଖବରକାଗଜ ପଢ଼ୁଥିଲା । ଖବରକାଗଜଟା ହାତରେ ଅଛି, ମନେ ମନେ ସେ କଣ ଭାବୁଥିଲା କେଜାଣି, କୌଣସି କଥାକୁ ତାର ଦୃଷ୍ଟି ନାହିଁ । ଆକାଶ ତଳେ କେତେବେଳେ ଖଣ୍ଡେ ମେଘ ଭାସି ଆସି ଚନ୍ଦ୍ରକୁ ଘୋଡ଼ାଇ ପକାଇଲା, କେତେବେଳେ ଲୁଚକାଳି ଖେଳିବା ପରି ଉଜ୍ଜ୍ୱଳ ଜ୍ୟୋତ୍ସ୍ନାଧାରା ଧରଣୀ-ଦକ୍ଷକ ଅଭିନବ ରଜତ ଦେଶରେ ଭସାଇ ଦେଇଗଲା, ସେଥିପ୍ରତି ସେ ଆଦୌ ଲକ୍ଷ୍ୟ ରଖତ ନାହିଁ । ତଳେ କେତେବେଳେ ବୁଲା କୁକରଦଳ ରାତିର ନୀରବତା ଭାଙ୍ଗି ଭୁକି ଉଠିଲେ, ସେ କଥା ସେ ଜାଣି ପାରି ନାହିଁ । ଏକ ଲୟରେ ସେ ଖବରକାଗଜଟାକୁ ଚାହିଁଛି ଭାବୁଛି । ତା ଭାବନା ଯେପରି ସତେ ଅବା ଅକୁଳ ଅନନ୍ତ ମହାସମୁଦ୍ର ପରି ! ତା ଭାବନାର କୁଳଥଳ ସେ ନ ପାଇ ଏଣେ ତେଣେ କଣ ଆଶ୍ରୟ ଖୋଜିବାରେ ଲାଗିଛି ।
ଏଣେ ପାଖ ଘରେ ତା ବୋଉକୁ ନିଦ ନାହିଁ । ବୋଉକୁ ଯେ ସେଦିନ ନିଦ ନାହିଁ ତା ନୁହେଁ, ଅନେକ ଦିନ ତାକୁ ଏହିପରି ନିଦ ହୁଏ ନାହିଁ । ଆଖି ପଲକ ପଡ଼େ ନାହିଁ, ରାତି ରାତି ତାର ପାହିଯାଏ । କଣ ଚିନ୍ତା କରି କରି, ବାର କଥା ଏଣୁ ତେଣୁ ଭାବି ଭାବି ଦିନ ରାତି ତାର କଟିଯାଏ । ଅଶେଷ ଚିନ୍ତା ଭିତରେ ବୁଡ଼ି ସେ କେବଳ ଆଗେ ଆଗେ ଦେଖେ ବ୍ରଜକୁ । ବ୍ରଜ ଛଡ଼ା ସଂସାରରେ ସେ ଆଉ କାହାକୁ କିଛି ଭଲ କରି ଜାଣିପାରେ ନାହିଁ-ତା ଆଖି ଆଗରେ ବ୍ରଜ ସବୁବେଳେ ନାଚୁଥାଏ ।
ବୋଉକୁ ନିଦ ନାହିଁ ସତ; ମାତ୍ର ସେ ଚାହିଁଚି ବୋଲି କହି ହେବ ନାହିଁ । ଅନ୍ଦାର ଘରଟା କେତେବେଳେ ତାକୁ ଆଲୁଅ ଦିଶୁଛି, କେତେବେଳେ ବା ଘରଦ୍ୱାର କିଛି ନ ଥିଲା ପରି ତାକୁ ଜଣା ପଡ଼ୁଛି । ବେଳେ ବେଳେ ସେ କାହାକୁ କଣ କଥା କହିବାକୁ ଚେଷ୍ଟା କଲାବେଳେ ଆଖି ଭିତରେ କେବଳ ଲୁହ ଆସି ଜମା ହୋଇଯାଉଛି, କଣ୍ଠରୋଧ ହୋଇ ଉଡ଼ୁଛି–ସେ କେବଳ ନୀରବରେ ଅଥୟ ହୋଇ ପଡ଼ୁଛି । ତାର ମନେ ପଡ଼ୁଛି ଅନେକ ଦିନର ତଳର କଥା । ବ୍ରଜ ସେତେବେଳେ ପେଟରେ । ତାପରେ, ବ୍ରଜର ଅତି ପିଲା ଦିନର କଥା । ବ୍ରଜ ହସିଲା, ଖେଳିଲା, ବୁଲିଲା । ପୁଣି ଆଇଲା ଆଉ ଏକ ଖେଳର ଦିନ । ସେ ଗଲା ପାଠ ପଢ଼ି । ସେ ପାଠ ପଢ଼ିଲା, ଗୀତ ଗାଇଲା, ବାପ ମାଆଙ୍କୁ କେତେ ପୁରାଣ ଶୁଣାଇଲା ।
ବୋଉ ଭାବିଲା–ବ୍ରଜ ପଢ଼ିଯାଏ; ଏଣେ ଗିରସ୍ତ ଭାରିଯା ଦିହେଁ ଘରେ ବସି କେତେ କଣ କଥା ହୁଅନ୍ତା । କଥା ଭିତରେ ବଡ଼ କଥା ହେଉଛି–ବ୍ରଜ ବଡ଼ ହେବ, ଏମାନେ ତାର ସୁଖ ଦେଖିବେ, ପୁଅ ବୋହୁ ଧରି ଘର କରିବେ । ତା ପାଇଁ ଦିହେଁ କେତେ କାନ୍ଦନ୍ତି, ତା ରୋଗଶେଯ ପାଖେ ରାତି ରାତି ଅନିଦ୍ରାରେ କଟାଇ ଦିଅନ୍ତି । ତା ପାଇଁ ବୋଉ ନାକ କାନର ଅଳଙ୍କାରପତ୍ର କାଢ଼ି ମହାପ୍ରଭୁଙ୍କ ନାଆଁରେ ଥୋଇଦିଏ; ନନା ତା ପାଇଁ ଜମି ବନ୍ଧା ଦେଇ, ଟଙ୍କା ଆଣି ସତ୍ୟନାରାୟଣ ପାଲା କରାନ୍ତି । ଘୋର ବରଷା କାଳରେ କଳା ମେଘ ତଳେ ବିଜୁଳି ପରେ ବିଜୁଳି, ପୁଣି ବିଜୁଳି, ଆହୁରି ବିଜୁଳି ଯେପରି ପୃଥିବୀ ବ୍ରଜ ଲଗାଇ ଦିଏ । ତାକୁ ସଂସାରଟା କ୍ଷଣେ ଉଜ୍ଜ୍ୱଳ, କ୍ଷଣେ ଅନ୍ଧାର ଦିଶେ ।
ଏହା ପରେ ବୋଉ ଭାବିଲା–ବ୍ରଜ ବଡ଼ ହେଲା, ଆଖିଦୃଗିଆ ହେଲା । ସଙ୍ଗେ ସଙ୍ଗେ ବାପ ମାଆଙ୍କର ଲାଗିଲା କନ୍ୟା ଖୋଜା । ଆଖି ବେଶି ଦୂରକୁ ଗଲା ନାହିଁ । ରାଧାନାଥଙ୍କ ସଙ୍ଗେ ପରମଗୁରୁ କଥାବାର୍ତ୍ତା ତୁଟେଇ ଦେଲେ । ତାରାମଣିଙ୍କ ସହିତ ସତ୍ୟଭାମା କଥା ପକାଇଲା । ପାଖ ପଡ଼ିଶା ଦୁଇଟା ଘରେ କେତେ ଦିନ କେତେ ରାତି କେତେ ଆଶା ଉତ୍ସାହରେ ଗୁପ୍ଚୁପ୍ କଥା ଚାଲିଲା । ଏ କଥା ଚାହୁଁ ଚାହୁଁ ପାଞ୍ଚ କାନ ହେଲା । ସବୁ ଆପେ ଆପେ ହୋଇଗଲା । ପଡ଼ିଶା ଘରର ଗଉରୀଦୋଡ଼ ଥଟାରେ ଥଟାରେ ବ୍ରଜ ବୋଉକୁ ‘ସମୁନ୍ଧିଆଣି’, ‘ସମୁନ୍ଧିଆଣି’ ଡାକୁ ଡାକୁ ସତରେ ଡାକିବାକୁ ହେବ ବୋଲି ସମ୍ଭବ ହେଲା । ଏହିପରି ଭାବରେ ବିଭପ୍ରସଙ୍ଗ ଚାଲିବାରୁ ଗଉରୀ ଆଉ ବ୍ରଜ ଘରକୁ ଆସିଲା ନାହିଁ । ବ୍ରଜ ମଧ୍ୟ ଲାଜରେ ତାଙ୍କ ଘରେ ପାଦ ଦେଲା ନାହିଁ । ସେଠି ବର୍ଷେ କି ଦି’ ବର୍ଷ ଦୁଇଟି କିଶୋର କିଶୋରୀଙ୍କ ଭିତରେ ଏହି ଲୀଳା ଚାଳିଲା । ଦୁଇ ପଡ଼ିଶା ଘରେ ସମସ୍ତେ ଏ କଥା ଗୋପନରେ ଗୋପନରେ ରଖି ମନେ ମନେ ହସିଲେ ।
ଏହା ପରେ ବ୍ରଜ ଗଲା କଟକ । ମାସେ ଗଲା, ଦି’ ମାସ ଗଲା । ବଡ଼ଦିନ ଛୁଟି ଯାଇ ଦୋଳ ଛୁଟି ଆସିଲା । ଦୋଳ ଛୁଟି ଡେଇଁ ଖରା ଛୁଟି ମାଡ଼ି ଆଇଲା । ପୁରୁଣା ବର୍ଷ ଯାଇ ନୂଆ ବର୍ଷ ହେଲା । ବ୍ରଜ କେତେ ଥର ଘରକୁ ଫେରିଲା । ଥରେ ଛୁଟି ଭିତରେ ନନାଙ୍କର ଶକ୍ତ ବେମାର । ସେଥିରୁ ଆଉ ନିସ୍ତାର ମିଳିଲା ନାହିଁ । ବ୍ରଜର ସେହି ଛୁଟି ଭିତରେ ସେ ସଂସାରରୁ ଚିରକାଳ ପାଇଁ ଛୁଟି ନେଇ ଆଖି ବୁଜିଲେ-ଭାବୁ ଭାବୁ ବୋଉକୁ ସଂସାରଟା ଘୋର ଅନ୍ଧକାରମୟ ଦେଖାଗଲା । ନିଜେ ନିଜେ ସେ ଚମକି ଉଠିଲା ।
ତା ପରେ ପୁଣି ବିଧବା ପ୍ରାଣରେ ଭାବନା ଆସିଲା–ବ୍ରଜ ପାଠ ପଢ଼ିଲା, ବଡ଼ ବଡ଼ଙ୍କୁ ମୁହେଁ କଥା କହିଲା । ଗାଁରେ ଶୁଣା ନଥିବା କଥାସବୁ କୁଆଡ଼ୁ ଶିଖି ଆସି ସମସ୍ତଙ୍କୁ ବୁଝାଇବାରେ ଲାଗିଲା । ତା କଥା ଶୁଣି କିଏ ଆଶ୍ଚର୍ଯ୍ୟ ହେଲା, କିଏ ହସି ହସି ଉଡ଼ାଇ ଦେଲା, କିଏ ବା ମିଛ ବୋଲି କହିଲା । ଏପରି ଚଣ୍ଡାଳଟାକୁ ରାଧାନାଥ ନିଜ କନ୍ୟା ପାଇଁ ପାତ୍ରର ଅଯୋଗ୍ୟ ବୋଲି ମନେ କଲେ ।...ଭାବି ଭାବି ବିଧବା ପ୍ରାଣ ଦୀର୍ଘ ନିଶ୍ୱାସ ଛାଡ଼ି କାନ୍ଦି ଉଠିଲା ।
ବିଧବାର ମନେ ପଡ଼ିଲା-ସାଇ ପଡ଼ିଶାର ଲୋକେ କଳି ଲଗେଇ ତାକୁ ଉଘେଇ ଉଘେଇ କହିଲେ–‘ପୁଅ ତୋର ଖାଉଚି ହୋଟଲରେ, ପୁଅ ତୋର ଖାଉଚି ପାଣ ହାତରେ ଲୋ’.....ଏସବୁ କଥା ବିଚାରି ବିଚାରି ତାର ମାତୃନ୍ଦ୍ୱଦୟ ପ୍ରଗାଢ଼ ବାତ୍ସଲ୍ୟଭାବରେ ଉଛୁଳି ଉଠିଲା । ତାର ଜାଗ୍ରତ ନିଦ୍ରା ଭାଜିଗଲା । ସେ ସେହି ଅନ୍ଧାର ଘରେ ବାୟାଣୀ ପରି ହୋଇ ‘ମୋ ବ୍ରଜ ରେ’ କହି ବ୍ରଜକୁ କୋଳକୁ ଟାଣିନେବ ବୋଲି ହାତ ବଢ଼ାଇଲା । ସବୁ ଶୂନ୍ୟ, ସେ ଘରେ ତା ଛଡ଼ା ଆଉ କିଏ ନାହାନ୍ତି ।
ବ୍ରଜ ସେହିପରି ବାରଣ୍ଡାରେ ବସିଛି, ବୋଉ ତାର ଘରୁ ଉଠିଆସି ତା ପଛଆଡ଼େ ଠିଆହୋଇ ଡାକିଲା–
‘‘କଣ ଭାବୁଚୁ ରେ ମୋ ଧନ ? ଏତେ ରାତି ହେଲାଣି, ଶୋଇବୁ ନାଇଁ ? କି ପାଠ ପଢ଼ିଲୁ, କେତେବେଳେ ହେଲେ ହାତରୁ କାଗଜ ଛାଡ଼ିଲୁ ନାହିଁ ?’’
ଏତେ ରାତିରେ ବୋଉ ଘର ଭିତରୁ ଉଠି ଆସିବା ଦେଖି ବ୍ରଜ ଟିକିଏ ଆଶ୍ଚର୍ଯ୍ୟ ହେଲା-। ପର ମୁହୂର୍ତ୍ତରେ ବୋଉ ମୁହଁର କଥା ଶୁଣି ଟିକିଏ ହସିଦେଇ କହିଲା–‘‘କାଗଜ ଛାଡ଼ିବି ? କାଇଁକି କାଗଜଟା କଣ ଅଡ଼ୁଆ କରୁଚି ? ଏଟା ଛାଡ଼ିଦେଲେ କଣ ମନରେ କିଛି ଭାବିହେବ ନାଇଁ-?’’
‘‘ଭାବି ଭାବି ତ କଣ୍ଟା ପରି ହୋଇଗଲାଣି । କଣ ଏତେ ଭାବୁଚୁ ରେ ଧନ ? ନନା ଗଲା ଦିନରୁ ତ ..... !’’
‘‘ବୋଉ, ତୁ କଣ ବିଚାରୁଛୁ ମୁଁ ସବୁବେଳେ ନନାଙ୍କ କଥା ଭାବୁଚି ବୋଲି ? ଭାବିଲେ ତ ସେ ଆଉ ଆସିବେ ନାଇଁ । ଯିଏ ଗଲା ସିଏ ଗଲା । ତାଙ୍କ କଥା ମନେ ପଡ଼ୁଚି; ମାତ୍ର ସଂସାରରେ ଯେ ଅଛନ୍ତି ତାଙ୍କ କଥା ସିନା ବେଶି ଭାବିବାକୁ ହେଉଚି...ମୁଁ ତ ଏବେ...!’’
ପୁଅ ମୁହଁରୁ ଏ କଥା ଶୁଣି ବିଧବାର ଶୋକ-ସିନ୍ଧୁ ସତେ ବା ଉଛୁଳିପଡ଼ିଲା । ସେ କଥାକୁ ଅଧେ କହି ଅଧେ ନ କହି, ପୁଅ ମୁଣ୍ଡକୁ ଆଉଁସି ଆଉଁସି କହିଲା–‘‘ମୋ ବ୍ରଜର କି ସଂସାରରେ ଆଉ କିଏ ଅଛି ? ଆହା, ମୋର ଗଣ୍ଠିଧନ ! ଜୀବନରେ କେତେ ଦୁଃଖ ଭୋଗିବାକୁ ଥିଲା । ପିଲାଦିନୁ ତ ଦୁଃଖୀ ହେବାକୁ ଥିଲା ରେ ବାବୁ ଆଉ କାହା କଥା ଭାବିବୁ ? ସବୁ ଚିନ୍ତାରୁ ତୋ ଚିନ୍ତା ମତେ ଏବେ ଦଳେଇଗଲାଣି । ତୁ ଘର କରିବୁ... !’’
ବୋଉର ଏ ଅବସ୍ଥା ଦେଖି ବ୍ରଜ ବଡ଼ ଆଶ୍ଚର୍ଯ୍ୟ ହେଲା । କହିଲା–‘‘ବୋଉ, ତୁ ତ ଇମିତି ହେଲେ ଚଳିବନି ! ବିଚାରୁନୁ ଆମେ କଣ ଏ ସଂସାରରେ ଏକୁଟିଆ ଦୁଃଖରେ ଅଛେଁ ? ଆମଠୁ ତ କେତେ କେତେ ଲୋକ କେତେ ଦୁଃଖରେ ସଢ଼ୁଛନ୍ତି । ତୁ ଯେବେ ସେମାନଙ୍କ କଥା ଜାଣି ମୁଁ, ତାହାହେଲେ ଆମର ଏ ଦୁଃଖ ତତେ ଦୁଃଖ ପରି ଲାଗିବ ନାଇଁ । ମୁଁ ସେଇ ଦୁଃଖୀଙ୍କ କଥା ଏଇ ହପ୍ତିକିଆ କାଗଜରେ ପଢ଼ୁଥିଲି-‘ବାଗଲପୁର ବୋଲି ଏକ ଗାଆଁରେ ଦଳେ ପାଣ ଥିଲେ ଯେ, ସେମାନେ ମୂଲ ଲାଗି ବେଶି ମଜୁରୀ କହିବାରୁ ଗାଆଁର ଜାତିଆ କରଣ ସାଆନ୍ତେ ସେଇ ଗରିବଗୁଡ଼ାଙ୍କୁ ହଟହଟା କରି ମାରୁଚନ୍ତି । ତାଙ୍କ ଗାଁ କିଏ ପୋଡ଼ି ଦେଇଚି । ସେମାନେ ଏବେ ନଈକୂଳ ହୁଡ଼ାରେ କୁଡ଼ିଆ ବାନ୍ଧି ରହିଛନ୍ତି । ସେଇ ଗାଁର ଟୋକାମାନେ ଆପଣା ଭିତରେ ଚାନ୍ଦା କରି ପାଣମାନଙ୍କୁ ସାହାଯ୍ୟ ଦେଇଛନ୍ତି । ଏଥିପାଇଁ ସେ ଅଞ୍ଚଳରେ ଭାରି ଚହଳ ପଡ଼ିଛି । ‘କଲଣ’ ବୋଲି ଆଉ ଏକ ଗାଁରେ ଅଛବ ଜାତିର ଲୋକେ ନାଟ ଆଖଡ଼ା କରି ଗୀତ ବୋଲୁଥିଲେ । ସେମାନେ ଭାଗବତ ପଢ଼ିଲେ ବୋଲି ସେଠାରେ ତେଲି ମହାଜନମାନେ ତାଙ୍କଠୁ ଘର ପିଛା ଟଙ୍କାଏ ଲେଖେଁ ଜରିମାନା ଆଦାୟ କରିଚନ୍ତି । ତାଙ୍କର ଦୋଷ-ଅଛଦ ଜାତିରେ ଜନ୍ମ ହୋଇ ସେମାନେ କାହିଁକି ଗୀତ ବୋଲି ନାଟ କଳେ । ଏହାଦ୍ୱାରା ଗାଆଁର ଅମଙ୍ଗଳ ହେଲା । ଯଦି ବା ଗୀତ ବୋଇଲେ, ସେ କାହିଁକି ଭାଗବତ ବୋଇଲେ ? ଏଇ ସବୁ କଥା ଏଇ ଖବରକାଗଜରେ ଛପା ହୋଇ ଆସିଚି । ୟାକୁସବୁ ପଢ଼ିଲେ, ଶୁଣିଲେ କଣ ଦୁଃଖ ଲାଗିବା କଥା ନୁହେଁ ?’’
‘‘ତୋର ଏଇ କଥା କେତେବେଳେ ହେଲେ ଗଲାନି ରେ ବ୍ରଜ ! ସବୁବେଳେ ସେଇ ପ୍ରାଣ ହାଡ଼ କଥା ଗୁଣିହେଲୁ । ଏ ତୋର କି ସଂସାରଛଡ଼ା ବୁଦ୍ଧି ? ତୋ ପାଇଁ ଭାବି ଭାବି ପରା ମୋର ମରିଯିବାକୁ ମନ ହେଲାଣି । ତୁ କାହାର ପୁଅ, କାହାର ନାତି, ତୋର ଏଇ ପାଣ ହାଡ଼ିଙ୍କ ପାଇଁ ଏତେ ଚିନ୍ତା କାହିଁକି ରେ ? ତୁ ଯିବୁ କାହାର ଶବ ଉଠେଇ, କିଏ ଆସିଲା ତ ଅଛବ ଲୋକ, ତୁ ଦେବୁ ତାକୁ ପାଣି କାଢ଼ି ପିଇବାକୁ । କୁଠି ଦାଉରି ଟୋକାଟେ ପାଠ ପଢ଼ିଲାନି, ତୁ ଯିବୁ ତାକୁ ବୁଝେଇବାକୁ । ଛି ଧନ, ଏଭଳି ଅଧର୍ମ କଥା ଏ କୁଳରେ କିଏ କେବେ କରି ନ ଥିଲେ । ନନା ଥିଲେ ତ ତୋର ଏକଥା ଦେଖି ତତେ ଘରେ ରଖେଇ ଦିଅନ୍ତେ ନାହିଁ । ଆଗରୁ ଖସି ଯାଇଛ୍ତି ସେ, ରକ୍ଷା ପାଇଛନ୍ତି । ତୋ କଥା ଭାବି ଭାବି ଦହଗଞ୍ଜ ହୋଇ ମରିବାକୁ ମୋତେ ସିନା ରଖେଇ ଦେଇ ଗଲେ !’’
ବ୍ରଜ ପୁଣି ହସି ଉଠିଲା ! ଏ ହସ ଯେପରି ତା ଅନ୍ତରରୁ ବାହାରିଲା । ନୈଶ୍ୟ ନୀରବତା ଭଙ୍ଗ କରି ତାର କଳ କଳ କଣ୍ଠରୋଳ ପାଖ ପଡ଼ିଶା ଘରେ ପ୍ରତିଧ୍ୱନିତ ହୋଇ ଉଠିଲା । ହସହସ ମୁହଁରେ ସେ କହିଲା–‘‘ବୋଉ, ତୁ କାହିଁକି, ଆମ ଗାଁର ଅନେକ ଜାଣିବାର ଲୋକ ମଧ୍ୟ ଏଇପରି କଥା କହିବେ । ଆଚ୍ଛା, ମୁଁ ଗୋଟିଏ କଥା ପଚାରୁଚି । ମୁଁ ଯାହା କରୁଚି ଏସବୁ କଣ ଅଧର୍ମ କଥା ? ଶୋଷୀକି ପାଣି ଦେଲେ କି ଅଧର୍ମ ହୁଏ ? ମୁର୍ଖକୁ ପାଠ ଶିଖେଇଲେ କି ପାପ ହୁଏ ? ପର ଦୁଃଖ ଦେଖି ‘ଆହା’ ବୋଲି କହିଦେଲେ କି ଅନ୍ୟାୟ ହୁଏ ?’’
ଏ କେତେ ପଦ କଥା ଶୁଣି ବିଧବା ତୁଣ୍ଡରୁ ଆଉ କଥା ବାହାରିଲା ନାହିଁ । ପୁଅ ଯାହା ପଚାରିଲା, ତାର ଉତ୍ତର କଣ ଦେବ, ଖୋଜି ପାଇଲା ନାହିଁ । ସେ ପରା କେତେ ପୁରାଣ ଶୁଣିଚି, କେତେ ଦିଅଁ ଦେବତାଙ୍କ କଥା ଜାଣିଚି ! ସବୁଥିରେ ସେ ଶୁଣିଚି–ଶୋଷୀକୁ ପାଣି ଦେବ, ଭୋକୀକୁ ଅନ୍ନ ସେବ, ଦୁଃଖୀର ସାହା ହେବ.....ଏଇପରି କେତେ କେତେ କଥା ଗାଁରେ, ସାଇପଡ଼ିଶାରେ କେହି କେବେ ନ ଜାଣିଥିବା କଥା ସେ ଜାଣେ ! ପୁଅର ଏ କଥାରେ ସେ ଜବାବ ଦେ ବ ନା କେମିତି ? ପୁଅକୁ କିଛି ନୂଆ କଥା, ସୃଷ୍ଟିଛଡ଼ା କଥା ପଚାରୁ ନାଇଁ । ସତ କଥାକୁ କି ନାହିଁ କରି ହେବ ? ସେ କିଛି କହି ନ ପାରି ପୁଅ ମୁହଁକୁ କେବଳ ବାଲୁ ବାଲୁ ଚାହିଁ ରହିଲା ।
ବ୍ରଜ ବୋଉର ହାତ ଧରିପକାଇ କହିଲା–‘‘ବୋଉ, ବାହାରେ ଅବୁଝା ଲୋକେ ମତେ ଯାହା କହିବେ, ଯାହା ବୋଲିଛୁ ଭୁଲେଇ ଦେ, ତୁ କଣ ମତେ ସେଇ କଥା କହିବୁ ? ମୁଁ ତ ତୋ ଠାରୁ......’’ ବ୍ରଜ କଣ କହି ଆସୁଥିଲା, କହି ପାରିଲା ନାହିଁ । ଖାଲି ନୀରବରେ ନିଜର ବଡ଼ ବଡ଼ ଛଳଛଳ ଆଖି ଦୁଇଟାକୁ ପଦ୍ମ ଫୁଲ ପରି ଫୁଟେଇ ଦେଇ ବୋଉ ମୁହଁକୁ ଚାହିଁ ରହିଲା ।
ପୁଅର ଏ ଭାବ ଦେଖି ବୋଉ ତୁଣ୍ଡରୁ ଆଉ କଥା ବାହାରିଲା ନାହିଁ । କେବଳ ନିଜର ରସମୟ ମାତୃବକ୍ଷ ତଳେ ମାଆ ଅବୋଧ ଶିଶୁକୁ ଡାକି ଧଇଲା ପରି ବ୍ରଜକୁ ସେ କେବଳ ଡାକି ଧଇଲା ।
କେତେ ସମୟ ଏହିପରି ଗଲା । ଦୁହେଁ ନୀରବ । ଜନପ୍ରାଣି-ଳାହଳଶୂନ୍ୟ ଅନନ୍ତ ବସୁନ୍ଧରା-ବକ୍ଷର ଏହି ଯେଉଁ ସନ୍ତାନ-ବାତ୍ସଲ୍ୟର ନୀରବ ଲୀଳା ଚାଲିଲା ତାହା ଆଉ କେହି ଦେଖିଲେ ନାହିଁ । ଶାନ୍ତ ଗମ୍ଭୀର ମହାକାଶ ତଳେ କ୍ଷୀଣ ଦୃଷ୍ଟରେ ଗୋଟି ଗୋଟି ତାରା ନିରୀକ୍ଷଣ କରୁଥିଲେ ଏବଂ ଘର ବାହାରେ ଥିବା ଉଭୂଙ୍ଗ ତରୁଶ୍ରେଣୀ ଶିର ତୋଳି ଏ ଲୀଳା ଦେଖିବାକୁ ଚେଷ୍ଟା କରୁଥିଲେ ମାତ୍ର ।
ନୀରବତା ଭାଙ୍ଗି ବୋଉ କହିଲା–‘‘ଯା ବାବୁ, ଶୋଇ ପଡ଼ । ରାତି କେତେ ହେଲାଣି ।’’
ସୁବୋଧ, ସୁଶୀଳ ବାଳକ ପରି ବ୍ରଜ କାଗଜ ଖଣ୍ଡିକ ହାତରେ ଧରି ଶୋଇବା ଘରକୁ ପଶିଗଲା ।
ବୋଉ ତାର ସେହି ଅଡ଼ଙ୍ଗରେ ଅନ୍ଧାର ରାଜ୍ୟରେ କେତେ ଯେ କଣ ଦେଖିଲି, କେତେ ଯେ କଣ ଭାବିଲି, ତାର ଅନ୍ତରାତ୍ମା କେବଳ ଜାଣିଲା । ସଂସାରରେ ତା ଅନ୍ତର କତା ଆଉ ବୁଝିବ କିଏ ? ସେ ଆକୁଳ ଭାବରେ ମନେ ମନେ ପ୍ରଭୁଙ୍କୁ ଡାକିଲା–
‘‘ହେ ପ୍ରଭୁ ଜଗନ୍ନାଥେ, ବ୍ରଜକୁ ମୋର ବୁଢ଼ା କରିଥା, ବ୍ରଜ ମୋର ଯୁଗ ରାଇଜ କରୁ ।’’
ବୋଉର ଏହି ଆର୍ଶୀବାଦ ବାଣୀ ଶୂନ୍ୟ ଆକାଶ ତଳେ ଗମ୍ଭୀର ଭାବରେ ପ୍ରତିଧ୍ୱନିତ ହୋଇ କେଉଁ ଦେବଳୋକରେ ଯାଇ ପହଞ୍ଚିଲା କେଜାଣି ! ବୋଉ ପ୍ରାଣରେ ଶାନ୍ତି ଆସିଲା । ସେହିଠାରେ ବସି ବସି, ଭାବି ଭାବି ତାର ଆଖିପତା ଦୁଇଟି ମଡ଼େଇ ହୋଇଗଲା-ଅନେକ ଦିନର ବୁକୁ ଭିତରଟା ଉଶ୍ୱାସ ହୋଇଗଲା ।
-ଏଗାର-
ଗାଆଁରୁ ଦୂରରେ ଥାଇ ପାଠ ପଢ଼ୁଥିଲା ବେଳେ ଗଉରୀର ବିବାହ ଏବଂ ବିଧବା ହେବା ଉଭୟ କତା ବ୍ରଜ କାନକୁ ଗଲା । ପ୍ରଥମେ ବିବାହ ଖବର ପାଇ ସେ ବଡ଼ ବିଚଳିତ ହୋଇ ପଡ଼ିଥିଲା । ତାକୁ ଜଣା ପଡ଼ିଲା, ସତେ ଅବା ତା ବୁକୁ ଭିତରୁ ହୃତ୍ପିଣ୍ଡର ଖଣ୍ଡେ କିଏ କାଟି ଅଲଗା କରିଦେଲା । ତା ଜୀବନଟା ଦି’ ଭାଗ ହୋଇଗଲା । ଭାଗରେ ଗଉରୀ, ଭାଗକେ ସେ ନିଜେ ବ୍ରଜ-ବ୍ରଜ କିଛି ଭାବିପାରିଲା ନାହିଁ । ପିଲା ଦିନର ଖେଳସାଥୀ ଗଉରୀ ବଡ଼ ଦିନରେ ଜୀବନର ନାନା ସୁଖ ଦୁଃଖର ସାଥୀ ହେବ ବୋଲି ସେ ତାର କିଶୋର ଜୀବନର ଯାହା କିଛି ଅନୁଭୁତି ବଳରେ ବୁଝିପାରିଥିଲା । କେତେ ଯେ ସେ ସୁଖ-ସୌଧ ତୋଳିଥିଲା, କେତେ ଯେ ସେ ଜାଲ ବୁଣୁଥିଲା.....ଏ ଖବର ଫଳରେ ମୁହୂର୍ତ୍ତକେ ସବୁ କୁଆଡ଼େ କ୍ଷଣକର ସ୍ୱପ୍ନ ପରି ଜଣାପନିଲା ।
ବ୍ରଜ ବାସ୍ତବିକ ସ୍ୱପ୍ନ ଦେଖିଥିଲା । ଏସ୍ୱପ୍ନ ଯୌବନ ପ୍ରାରମ୍ଭରେ ନ ଦେଖେ କିଏ ? କିଏ ବା କିଶୋର ପ୍ରାଣରେ ସଂସାରଟାକୁ ରହସ୍ୟମୟ ଅରୁଣିମାର ରମଣୀୟ ରଙ୍ଗମଞ୍ଚ ପରି ମନେ ନ କରେ ? ନଦୀ କୂଳରେ କଳ କଳ ଲହରୀମାଳା ପରି କାହା ପ୍ରାଣରେ ବା ଉଦ୍ଗତି ଯୌବନର ଭାବ-ତରଙ୍ଗ ନ ଖେଳେ ? କଳିଜାର ଫୁଲ ଆକାରରେ ଫୁଟି ଉଠିଲା ବେଳକୁ କାନ୍ତ କୋମଳ ପାଖୁଡ଼ାଗୁଡ଼ିକୁ କିଏ ଜବତ ରଖିପାରେ କି ? କେହି କେବେ ପାରି ନାହିଁ-ବ୍ରଜ ମଧ୍ୟ ପାରି ନଥିଲା ।
ଗଉରୀର ବିବାହ ଖବର ପରେ ବିଧବା ହେବା ଖବର ବ୍ରଜ କାନକୁ ଗଲା । ଏ ଖବର ପାଇ କେତେ ଦିନ ସେ ନିତାନ୍ତ ବିଚଳିତ ହୋଇ ପଡ଼ିଲା । ମନକଥା କାହାକୁ କହି ପାରିଲା ନାହିଁ କିମ୍ବା କୌଣସି ପ୍ରକାରେ ଗଉରୀକୁ ଜଣାଇବାର ସୁଯୋଗ ପାଇଲା ନାହିଁ । ସମାଜର ନିଷ୍ଠୁର ଆଇନକାନୁନ ଭିତରେ ସେ ଛନ୍ଦି ହୋଇ ଛଟପଟ ହେଲା । ସେତିକିବେଳେ ତା ପ୍ରାଣରେ ସମାଜ ପ୍ରତି ଘୋର ଅବମାନନା ଆସିଲା । ସମାଜ ଯେ ପ୍ରଥମେ ତା ନିଜ ପ୍ରତି ଅନ୍ୟାୟ କରିଛି, ତା ପରେ ଗଉରୀକୁ ବିଧବା କରି ତହୁଁ ବଳି ଶତ ଗୁଣ ଅନ୍ୟାୟ କରିଛି, ଏ କଥା ସେ ଥର ଥର କରି ଶତ ଲକ୍ଷ ଥର ଭାବିଲା । ଭାବିଲେ କଣ ହେବ ? ଭାବିବା ଛଡ଼ା ସେ ଆଉ କିଛି କରିପାରିଲେ ନାହିଁ ।
ବ୍ରଜ ପଢ଼ା ସାରି ଘରକୁ ଫେରିଲା । ସେ ମନେ କରିଥିଲା ଯେ, ଆସିଲା ମାତ୍ରେ ଗଉରୀକି ଦେଖିଲା । ତା ପିଲାଦିନର ସାଥୀ ଗଉରୀ ହସି ହସି ଆସି ତା ପାଖେ ଠିଆ ହୋଇପଡ଼ିବ ! କେତେ କତା ପଚାରିବ, କେତେ ମାନ ଅଭିମାନ କରି ତା ପଖରୁ ରୁଷି ଚାଳିଯିବ । ମାତ୍ର ତାହା ସେ ଦେଖିଲା ନାହିଁ । ଘରକୁ ଆସି ତାକୁ ଦେଖିବାକୁ ସେ ଯେତିକି ଚେଷ୍ଟା କଲା, ସେତିକି ସେ ପାଖରୁ ଦୂର ଦୂର ହୋଇ ରହିଲା । ଏଣେ ପୁଣି ମନ ଭିତରେ ସେ ଗଉରୀ କଥା ଯେତିକି ବ୍ୟାକୁଳ ହୋଇ ଭାବିଲା, ତା ମାନସ-ପଟରେ ଗଉରୀର ଛାୟା, ସେତିକି ପରିଷ୍ଫୁଟ ହୋଇ ଦେଖାଗଲା । କେତେବେଳେ ବାଳିକା ବେଶରେ, କେତେବେଳେ ନୃତ୍ୟରଙ୍ଗିଣୀ କିଶୋରୀ ବେଶରେ, କେତେବେଳେ ବା ବିରହିଣୀ ବିଧବା ବେଶରେ ସେ ଘନ ଘନ ଭାବରେ ତାକୁ ଅଥୟ କଲା, ଅନାହୂତ ଭାବରେ ତା ବୁକୁ ଭିତରେ ଧକ୍କା ଦେଇ ତାକୁ ଜାଗ୍ରତ କରାଇଲା ।
ଗଉରୀ ସିନା ବ୍ରଜର ହୃଦୟ ଭିତରେ; ମାତ୍ର ବାହାରେ କାହିଁ ? ଗଉରୀକି ନ ଦେଖି ସେ ବନେ ମନେ ବିଚାରେ-ଗଉରୀର ଓ ମୋର ଦୁଇଟି ବୋଉ ମଧ୍ୟରୁ ଜଣେ ସିନା ମରିଯାଇଛି, ଆଉ ଜଣେ ତ ଅଛି ! କାହିଁ, ଗୁରୀ କାହିଁକି ତା ବୋଉ ପାଖକୁ ଆମ ଘରକୁ ଆସୁ ନାହିଁ ? ଏ କଥାଟା ସାହସରେ ସେ ବୋଉକୁ ପଚାରିପାରେ ନାହିଁ । ଗଉରୀ ବିଧବା ହୋଇଛି, ଖୁଦ୍ସମ୍ଭବ ଅଳଙ୍କାରପତ୍ର କାଢ଼ି ଦେଇଛି, ବାଳକୁ ମୁକୁଳା କରି ଦେଇଛି, ମୁହଁକୁ ଶୁଖାଇ ବସିଛି.....ଏହିପରି କେତେ ବିକଟ କରୁଣ ଛବି ବଅଜ ତାର ମାନସ-ପଟରେ ଆଙ୍କି ଜୀବନରେ ସକଳ କର୍ମ ଭିତରେ ପ୍ରତି ନିଃଶ୍ୱାସ ତଳେ ତଳେ ସାଇତି ସତେଜ ରଖିବାକୁ ଚେଷ୍ଟା କଲା ।
ଗାଁରେ ବ୍ରଜକୁ ମୁହୂର୍ତ୍ତେ ହେଲେ ଡର ନାହିଁ । ଗାଁ ସ୍କୁଲ ହାଲ ବୁଝିବ, ବାଉରି ସାଇରେ ଗୋଟିଏ ନୈଶ୍ୟ ବିଦ୍ୟାଳୟ ବସାଇଛି, ମଝିରେ ମଝିରେ ସେଠାକୁ ଯିବାକୁ ହେବ । ଏହା ଛଡ଼ା ଦିନରେ କେତେବେଳେ ରୁଅବଡ଼ା ପାଣସାଇକୁ ବା ଚମ୍ପାଦେଇପୁର ହାଡ଼ିସାଇକୁ ଯାଇ ସେଠାରେ ପତିତ, ଲାଞ୍ଚିତ, ବତଭାଗ୍ୟଗୁଡ଼ିଙ୍କୁ କେତେ ସରସ ମଧୁର କଥା କହି ସେମାନଙ୍କ ହୃଦୟରେ ନାନା ଆଶା ଆଶ୍ୱାସନା ଖେଳାଇ, ସେମାନଙ୍କୁ ଖବରକାଗଜ ପଢ଼ି ଶୁଣାଇ, କେଉଁ ଘରେ ରୋଗୀଟାଏ, କେଉଁ ଘରେ ଭୋକୀଟାଏ ଅଛି, ସେ କଥା ବୁଝି ଘରକୁ ଫେରିବା । ଫେରିଲା ବେଳକୁ କେତେବେଳେ ଦିନ ଦି’ ପହର, କେତେବେଳେ ବା ରାତି ଛ’ ଘଡ଼ି । ବ୍ରଜର ଏହି ସବୁ କଥା ଲାଗି ଗାଆଁରେ ଭାରି ଚହଳ । ଗାଆଁଟାଯାକର ସେ ଚକ୍ଷୁଃଶୂଳ, ଗାଆଁରେ ତା ବିରୁଦ୍ଧରେ ନାନା ବିଚାର-ଦିଅଁ ଦେଉଳ ତାକୁ ମନା ହେବା ଲାଗି ନାନା ଷଡ଼ଯନ୍ତ୍ର ।
ଏହିପରି ଭାବରେ କଠୋର ଅଗ୍ନିପରୀକ୍ଷା ଭିତରେ ଚାଳି ଚାଲି ବ୍ରଜ ଦିନେ ବାଡ଼ିବାଟେ ଘରକୁ ଫେରୁଥିଲା । ଉଦୁଉଦିଆ ଖରାବେଳେ, ତଳ ତାତି ଓ ଉପର ତାତିରେ ଦେହ ସିଝି ଯାଉଛି । ବାହାରେ ଜନପ୍ରାଣୀ କେହି ନାହାନ୍ତି । କେବଳ ପାଖ ବର, କଇଁଆ ଗଛ ଗହଳିରେ କେଉଁଠି ଦୁଇ ଚାରିଟା କପୋତ ବସି କେଉଁ ଯୁଗଯୁଗାନ୍ତର ବିରହ ବେଦନାରେ ବ୍ୟଥିତ ହେଲା ପରି ବୁକୁ ଫଟେଇ ଗୁମୁରେଇ କାନ୍ଦି ଉଠୁଛନ୍ତି । ସେମାନଙ୍କ କାନ୍ଦକୁ ଗମ୍ଭୀର ଭାବରେ ସମର୍ଥନ କଲା ଭଳିଆ ଦୂରର ନାଳକୂଳିଆ ଶୀତଳ କିଆବୁଦା ଭିତରେ କେଉଁଠି କୁମ୍ଭାଟୁଆ ତାର ଗମ୍ଭୀର ସ୍ୱରଲହରୀ ଫିଟାଇ ସତେ ଅବା ଜଡ଼ ପାଷାଣକୁ ଚମକାଇ ଦେଉଛି । ଗଉରୀ ପରି ଗାଁର ଶତ ଶତ ବାଳବିଧବାଙ୍କ ପ୍ରାଣ ଯେ ଏହିପରି ନିଃସଙ୍ଗ ଗମ୍ଭୀରତାରେ ପରିପୂର୍ଣ୍ଣ, ଏ କଥା ସତେ ଅବା ଜଗତରେ ସେମାନେ ଘୋଷଣା କରୁଛନ୍ତି । ଗଉରୀ ପରି କେତେ ବାଳବିଧବାଙ୍କ ଗମ୍ଭୀର ଆର୍ତ୍ତନାଦ ଏହିପରି ଯେ ବେଳେବେଳେ ସମାଜର ଗମ୍ଭୀର ଘରେ ବାଜିଉଠେ, ସେ କଥା ବୋଧ ହୁଏ ଏମାନେ ତାଙ୍କ ନିଜର ବଜ୍ରଭାଷାରେ ପ୍ରଚୁର କରି ଆସୁଛନ୍ତି ଏବଂ ପୁଣି କେତେ କାଳ କେତେ ଯୁଗ ପ୍ରଚାର କରିବେ !
ଏହିପରି ନୁସ୍ତବ୍ଧ ମଧ୍ୟାହ୍ନ ମଧ୍ୟରେ ଏକାକୀ ବ୍ରଜ । ହାତରୁ ତାର ଖଣ୍ଡେ ବାଉଁଶ ଦାଡ଼ ଓ ଦୁଇ ଚାରି ଖଣ୍ଡ କି ବହିପତ୍ର । ନିର୍ଧୁମ ଖରାକୁ ମୁକୁଳା ମୁଣ୍ଡଟା ଦେଖାଇ ଦେଇ, କି ଭାବନାରେ ବୁଡ଼ି ବୁଡ଼ି ଭୂତ ପରି ସେ ଭୁସ୍ଭୁସ୍ ମାଡ଼ି ଚାଲିଆସୁଛି !
ଆସୁ ଆସୁ ବାଟରେ ହଠାତ୍ ସେ ଥକି ଠିଆ ହୋଇ ପଡ଼ିଲା । ତାରି ଆଗରେ ଖଣ୍ଡ ଦୂରରେ ଜଣେ କିଏ ପାଣି ମାଠିଆଏ କାଖରେ ଧରି ମୁହଁ ବୁଲେଇ ଆଡ଼େଇ ହୋଇଗଲା । ତା ଉପରେ ବ୍ରଜର ଆଖି ପଡ଼ିବା ମାତ୍ରେ ମୁହୂର୍ତ୍ତେ ସୁଦ୍ଧା ଭାବିବାକୁ ସମୟ ନ ପାଇ ସେ ପଚାରିଦେଲା–‘‘କି ଗଉରୀ ! ବାଃ ! ଆଉ ତ ଦେଖା ନାହିଁ । ତୋ ବ୍ରଜ ଭାଇକି କଣ ଏକାବେଳକେ ପାଶୋରିଦେଲୁ କି ?’’
ବ୍ରଜଭାଇ ଯେ ଗଉରୀର କେତେ ପ୍ରିୟ ଥିଲା, ଏ କଥା ସଂସାରରେ କେବଳ ଗଉରୀ ଜାଣେ, ଆଉ ବ୍ରଜ ଜାଣେ ।
ବ୍ରଜର କଥା ଶୁଣି ଗଉରୀ ମୁହଁ ଟେକି ଚାହିଁଲା ନାହିଁ କି ପଦେ ହେଲେ ଉତ୍ତର ଦେଲା ନାହିଁ ।
ବ୍ରଜ ପୁଣି ପଚାରିଲା–‘‘କଣ, କଥା କହିବୁ ନାଇଁ ବୋଲି ନିୟମ କରିଛୁ ନା କଣ ?’’
ଗଉରୀ କଣ ଉତ୍ତର ହେବ ? ନିର୍ଜନ ମରୁଭୂମି ଭିତରେ ସତେ ଅବା ସେ ପଥହରା ଜୀବଟିଏ ! କି ବିଷମ କଥା ! ଏତେବେଳେ କି ତାର ବ୍ରଜ ଭାଇ ପୁଣି ଉତ୍ତର ଆଶା କରେ ? ଆହା, ଆହୁରି ଆଗରୁ, ଅନେକ ଆଗରୁ ସେ କାହିଁକି ଉତ୍ତର ଆଶା କଲା ନାହିଁ ? ଦୂରରେ ରହି ପାଠ ପଢ଼ୁଥିଲା ବେଳେ କାହିର୍କି ଏ କଥା ପଚାରି ପଠାଇଲା ନାହିଁ ? ଏ କଥା ଭାବି ଭାବି ସେ ଏପରି ଭାବରେ ସଢ଼ିଗଲା ଯେ, ସତେ ଅବା ସେହି ମୁହୂର୍ତ୍ତରେ ସେହିଠାରେ ସେ ଭୂଇଁ ସଙ୍ଗେ ମିଶିଯିବ ! ସେତେବେଳେ ତାକୁ ଜଣା ପଡ଼ିଲା, ସେହି ଉଦୁଉଦିଆ ଖରା କେବଳ ତାହାରି ପାଇଁ ସଂସାରରେ ଏପରି ନିଆଁ ଭଳିଆ ଜଳି ଉଠିଛି; ତାହାରି ପାଇଁ ଏତେ ଝାଞ୍ଜି ପବନ ବହୁଛି । ଆଖି ତାର ଅନ୍ଧ ହୋଇଗଲା । ନିଜେ ସେ ଅଛି କି ନାହିଁ, ନିଜେ ଜାଣିପାରିଲା ନାହିଁ । ଯେତେବେଳେ ବ୍ରଜର ତୃତୀୟ ପ୍ରଶ୍ନ ହେଲା–‘‘କଥା କହିବୁ ନାଇଁ ?’’ ସେତେବେଳେ ତାର ଚେତନା ହେଲା । ଦେଖିଲା, ତାର ଗୋଡ଼ ହାତରୁ ଗମଗମ ହୋଇ ଝାଳ ବୋହୁଛି । ଆଖି ଦୁଇଟା ଲୁହରେ ପୂରି ରହିଛି । ବହୁ କଷ୍ଟରେ ସେ ଚେଷ୍ଟା କରି ପଦେ ମାତ୍ର ପଚାରିଲା–
‘‘ହଁ, ଭଲ ସବୁ; ମାତ୍ର...।’’
ବ୍ରଜ ଭାବିଥିଲା, ଏତେ ଦିନ ପରେ ଗଉରୀ ମୁହଁରୁ କଥା ଶୁଣିଲେ ସେ ଭଲ ଭାବରେ ଉତ୍ତର ହେବ । ଦେଖିଲା, ତାର ମଧ୍ୟ ସେହି ଅବସ୍ଥା । ସେ କଇ କହିବାକୁ ଯାଉଥିଲା, କି ଅଜ୍ଞାତ ମାବନାରେ ତାର ଅନ୍ତରାତ୍ମା ଥରି ଉଠିଲା । ସେ ଆଉ ପଦେ ହେଲେ ଓଲଟା ଉତ୍ତର ଦେଇ ପାରିଲା ନାହିଁ-କେବଳ ମୁହଁଟା ପୋତି କଣ ଭାବିବାରେ ଲାଗିଲା । କେତେ ବର୍ଷ ତଳର କି ଛବି ତା ଆଖି ଆଗେ ଆଗେ ନାଚିଗଲା । ପରମ ରମଣୀୟ ସେ ଛବି, ବୀଣାନିନ୍ଦୀ ସେ ମଧୁର ସ୍ୱର ! କୋମଳ ଚରଣର କି ନିରଳସ ଚାଳି ! ସବୁ ଯେପରି ତା ଆଗରେ ଗୋଟି ଗୋଟି ହୋଇ ଆସି ପ୍ରସ୍ତକୁ ପ୍ରସ୍ତ ଦେଖା ଦେଲା ! ସେହି ଛବି ଦେଖି ଦେଖି କେତେ ସମୟ ସେ ସେଠାରେ ଠିଆ ହୋଇ ରହିଲା, ସେ ଜାରେ ନାହିଁ । ନିକଯରେ କିଆବୁଦା ଭିତରୁ କୁମ୍ଭାଟୁଆଟାକୁ ଯେତେବେଳେ ହୁଙ୍କାରି ଉଠଇଲା, ସେ ମୁହଁ ଟେକି ଗଉରୀ ଆଡ଼କୁ ଆଖି ଫେରାଇଲା । ଦେଖିଲା, ସଂସାରଟା ତା ଆଗରେ ଶୂନ୍ୟ । ପାଖରେ କେହି ନାହାନ୍ତି-କେବଳ ଦୁଇ ଚାରିଟା ଗଛ ଆକାଶରୁ ମୁଣ୍ଡ ଟେକି ନିର୍ଜୀବ ଅବସ୍ଥାରେ ଘୁମେଇଲା ପରି ରହିଛନ୍ତି । ତାହାରି ପରି ସମସ୍ତ ଜଡ଼ ଜଙ୍ଗମ ଯେପରି କି ସ୍ୱପ୍ନ ଦେଖିବାରେ ଲାଗିଛନ୍ତି, ତାହାର ପାଦ ତଳର ମାଟି ଗୋଡ଼ ତାହାରି ପରି କାହାକୁ କଥା କହି ନ ପାରି ମୁକ ହୋଇ ରହିଛନ୍ତି ! ସେ ଆଉ କାହାକୁ କଣ କହିବ ? ଗଉରୀ ସେଠାରୁ କେତେବେଳେ ଯେ ଚାଲି ଯାଇଛି, ସେ ଜାଣେ ନାହିଁ ।
ବ୍ରଜ ଘରକୁ ଯାଇ, ଖବରକାଗଜଟା ସେହିପରି ହାତରେ ଧରି ଖଟଉପରେ ଚିତି ହୋଇ ପଡ଼ିଗଲା । ପଢ଼ିବାକୁ ସେ କାଗଜଟା ଫିଟାଇଲା । ମାତ୍ର ଦେଖିଲା, ସେ ଭିତରେ ଗଉରୀ ଲୁଚି ରହି ତା ସହିତ ଲୁଚକାଳି ଖେଳୁଚି । କି ସୁନ୍ଦର ସେ ଖେଳ ! ଏ ପିଲାକୁ ସେ ପିଲା ! ବାଡ଼ିପଟ ବିଲମାଳକୁ ନଈବଢ଼ି ଆସିଛି; ଦିହେଁ ହାତ ଧରା ଧରି ହୋଇ ହସି ହସି ଧାଇଁ ଧାଇଁ ଯାଇ ସେହି କାଣିରେ ପଡ଼ି ଯାଉଛନ୍ତି-ପାଣି ସୁଅରେ ଏ କିଆରୀରୁ ସେ କିଆରୀକୁ ଭାସି ଭାସି ଯାଉଛନ୍ତି । ଜଣେ ଭାସିଗଲେ ଆଉ ଜଣେ ତାକୁ ଗୋଡ଼େଇ ଯାଉଛି । ହାତକୁ ହାତ ଛନ୍ଦା ଛନ୍ଦି ହୋଇ ସେହି ସୁଅ ମୁହଁରେ ଶୋଇ ପଡ଼ୁଛନ୍ତି ! ଆସିଲା ଅଶିଣ ମାସ । ଜହ୍ନମାମୁଁ ଆକାଶରେ ହସି ଉଠିଲା । ବାଡ଼ି ବାଡ଼ି ହୋଇ ଜହ୍ନିଫୁଲ ଫୁଟି ଉଠିଲା । ଅପରାଜିତା ଫୁଲମାଳରେ ବାଡ଼ିପଟେ ଗଛଲତା ନେଳିଆ ହୋଇଗଲା । ଦୁହେଁ ସାଙ୍ଗ ହୋଇ ଚନ୍ଦ୍ର କିରଣରେ ଶୋଇଲେ, ଫୁଲ ତୋଳି ଗାଲକୁ ଫିଙ୍ଗି ଖେଳିଲେ । ତାପରେ ଆସିଲା ଶୀତଦିନ । ଦୁଇଟି ସାଥୀ ଏକାଠି ଜକାଜକି ହୋଇ ଚୂଲି ମୁଣ୍ଡେ ବସି ପଡ଼ିଲେ । କଥାବାର୍ତ୍ତା ହେଲେ ବୁଢ଼ୀ ଅସୁରୁଣୀ କଥା । ଗୋଟିଏ ଫୁଲ ପାଖେ ଆଉ ଗୋଟିଏ ଫୁଲ-କଥା ହେଉ ହେଉ ଦିହେଁ ଶୋଇପଡ଼ିଲେ । ବସନ୍ତ ସମୟ ଆସିଲା । ଫୁଲ ବଗିଚା ପାଖକୁ କେଉଁ ରାଜ୍ୟରୁ କେତେ ପ୍ରଜାପତି ଉଡ଼ି ଆସିଲେ । ମଧୁପୁର ଗାଆଁରେ ଏହି ଦୁଇଟି ପ୍ରଜାପତି ସେମାନଙ୍କ ପଛେ ପଛେ ଧାଇଁ ଧାଇଁ ଖେଳି ବୁଲିଲେ । ତା ପରେ ଆସିଲା ଖରାଦିନ । ଉଦୁଉଦିଆ ଖରାବେଳେ ଦିହେଁ ଗମ୍ଭୀରୀ ଘରେ ବସି ଗୀତ ଗାଇଲେ । ଆକାଶରେ ଚନ୍ଦ୍ର ଉଇଁଲେ ଅଗଣାରେ ହସିଲେ, ଖେଳିଲେ, ନାଚିଲେ, ତହିଁର ସୀମା ରହିଲା ନାହିଁ । କେତେବେଳେ ଦୁହେଁ ଲୁଚି କରି ଗଲେ ବରକୋଳି ତୋଳି । କୋଳି ଡାଳରୁ ଗଉରୀର ହାତ ପାଇଲା ନାହିଁ । ବ୍ରଜ ବଡ଼ କଷ୍ଟରେ ଆଙ୍କୁଡ଼ ତିଆରି କରି ଡାଳଟାଏ ଭିଡ଼ିଆଣି ତା ହାତକୁ ବଢ଼ାଇ ଦେଲା । ଆହା, ଗଉରୀର ଆନନ୍ଦ ସେତେବେଳେ ଦେଖେ କିଏ ? ମାତ୍ର କଅଁଳ ହାତ ତାର ! ସେହି କଣ୍ଟାର ଦାଉ ହାତ ସମ୍ଭାଳି ପାରିଲା ନାହିଁ । ଡାଳଟାକୁ କିଚି ସମୟ ଧରି ସେ ଛାଡ଼ିଦେଲା । କଣ୍ଟା ବାଜି ତା ଗାଲରୁ ଫାଳେ ରାମ୍ପୁଡ଼ି ହୋଇଗଲା । ବ୍ରଜର ଏଡ଼େ ବଡ଼ ପରିଶ୍ରମର ବହୁମୂଲ୍ୟ ଜିନିଷଟା ଗଉରୀ ଛାଡ଼ିଦେଲା । ସଙ୍ଗେ ସଙ୍ଗେ ବ୍ରଜର ଚାପୁଡ଼ାଟା ଗଉରୀର ପିଠିରେ ଯାଇ ବାଜିଲା । ‘‘ମରିଗଳି ଲୋ ବୋଉ’’ ବୋଲି କହି ସେହିଠାରେ ବସି ପଡ଼ିଲା । ପର ମୁହୂର୍ତ୍ତରେ ବ୍ରଜ ତାକୁ କୁଣ୍ଢେଇ ଧରି ଦେଖିଲା, ତା ଗାଲରୁ ଝର ଝର ହୋଇ ରକ୍ତ ବୋହି ଯାଉଛି । ବ୍ରଜକୁ ବୁଦ୍ଧି ଦିଶିଲା ନାହିଁ । ‘ମୋ ରାଣ, ବୋଉକୁ କହିବୁ ନାହିଁ କହ’ ସେ ତରତରରେ ପୁଞ୍ଜାଏ ବରକୋଳି ପତ୍ର ଚୋବେଇ ଖଣ୍ଡିଆ ଗାଲରେ ଲେସିଦେଲା ପରି ଦେଉଛି......ଏହିପରି ସମୟରେ ନିକଟରେ ପାଟି ଶୁଭିଲା–
ବ୍ରଜ କାଗଜରୁ ମୁହଁ କାଢ଼ି ଚାହିଁଲା, ସେ ବରକୋଳି ଗଛ ନାହିଁ କି ଗଉରୀ ମଧ୍ୟ ପାଖ ଆଖରେ ନାହିଁ । ବୋଉ ତାର ପାଣି ଢାଳଟିଏ ପିଣ୍ଡା ପାଖେ ଥୋଇ ଦେଇ, ବିଞ୍ଚଣା ଖଣ୍ଡେ ହାତରେ ଧରି ଘର ଭିତରକୁ ପଶି ଆସି କହୁଛି–
‘‘ତୋ ଘେନି ମୁଁ କଣ କରିବି କହିଲୁ, ବ୍ରଜ ! ବେଳ ଆସି ଗଡ଼ିଲା । ଲୋକ ଦୋଅଡ଼ ପାଇଟିକି ଗଲେଣି । ଏ ଗାଆଁରେ ଇକିତି କିଏ ଅଛି ରେ, ଏତେ ବେଳଯାଏ ପେଟରେ ଭାତ ପଡ଼ି ନାଇଁ ! ମୋର କପାଳରେ ଏ ଦୁଃଖ ସବୁ ଲେଖା !’’
ସବୁ ଦିନ ପରି ବୋଉକୁ ଆଗ ଆସିବା ଖବରଟା ଦେଇ ପାଣି ଢାଳେ, ବିଞ୍ଚଣା ଖଣ୍ଡେ ମାଗୁବାକୁ ବ୍ରଜର ଆଦୌ ମନେ ନାହିଁ । ଆସିଛି ତ ପଡ଼ି ଯାଇଛି ଖଟରେ । ଘର ବାହାର କତା ତାର ଆଉ କିଛି ଧାରଣା ନାହିଁ । ଏପରି ଅବସ୍ଥାରେ ବୋଉକୁ ଆଗରେ ଦେଖି ଅତି ପିଲାଙ୍କ ପରି ସେ କିଚି କହି ପାରିଲା ନାହିଁ । କିଛି ସମୟ ପରେ ଟିକିଏ ମୁର୍କେଇ ହସି ଦେଇ, ବୋଉ ହାତରୁ ବିଞ୍ଚଣା ଖଣ୍ଡକ ଟାଣି ନେଇ ଆପେ ବିଞ୍ଚି ହୋଇ ପଡ଼ି କହିଲା–
‘‘ହଉ, ଭାତ ବାଢ଼େ ! କେତେବେଳୁ ଆସିଲିଣି ଯେ.......ବସି ବସି ଭାବୁ ଭାବୁ.......ନା, ଏ ଖବରକାଗଜଟା ପଢ଼ୁଥିଲି ।’’
ସେତେବେଳକୁ ଦିନ ପ୍ରାୟ ତିନିଟା । ମଫସଲ ଗାଁରେ ଦୋଅଡ଼ ପାଇଟି ବେଳ ହୋଇ ସାରିଥିଲା । ପଡ଼ିଶା ରାଧାନାଥଙ୍କ ଘରେ ଗଉରୀ କାହାକୁ ପାଟି ଶୁଣାଇ କହୁଥିଲା-‘‘ନା, ନା, ତୁ ବସ, ମୁଁ ପାଣି ଆଣିପାରିବି ଯେ !’’