-ଅଠର- — ବିଦ୍ରୋହ — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
-ଅଠର-
ଗଉରୀର ପଦେ କଥାରେ ରମାକୁ ଯେ କେତେ ଦିନ, କେତେ ରାତି ଭାବିବାକୁ ପଡ଼ିଲା, ସେ କଥା ରମା କେବଳ ଜାଣିଲା । ସେଦିନ କୌଣସି କଥାରେ ତାର ମନ ଲାଗିଲା ନାହିଁ ପ୍ରତି ମୁହୂର୍ତ୍ତରେ ‘ପତି ଦେବତା’ଙ୍କ ଛବଟି ତା ଆଖି ଆଗରେ ନାଚିଲା । ଶାଶୁ ଘରକୁ ଆସିବାର ଏତେ ଦିନ ଭିତରେ ସେ ଏପରି ଭାବରେ ‘ପତି ଦେବତା’ଙ୍କୁ କେଭେଁ ଦେଖି ପାରି ନ ଥିଲା । ନିଜ ହୃଦୟର ଅସନ୍ତୋଷକୁ ଏପରି ଭାବରେ ସେ କେଭେଁ ବୁଝିପାରି ନ ଥିଲା ।
କି ଦାରୁଣ ମାନସିକ ଯନ୍ତ୍ରଣାରେ ସେ ସନ୍ତୁଳି ହେଲା । ରାତିରେ ଆଖି ପକାଇଲା ମାତ୍ରେ ଦେଖିଲା, ଗଉରୀ ହସି ହସି ଆସି ପାଖରେ ଠିଆ ହୋଇ କହୁଛି ‘‘ଆସମ, ବୋଉ ଆସ । ମୁଣ୍ଡଟା ବାନ୍ଧି ଦେବି । ଫୁଲଗୁଡ଼ାକ ଶୁଖି ଗଲାଣି । ଅବନ୍ଧା ମୁଣ୍ଡରେ ଫୁଲ ଘେନିଲେ କଣ ସୁନ୍ଦର ଦିଶିବ ?’’
ଗଉରୀ ସେତେବେଳେ ହସୁଥିଲା ସତ; ମାତ୍ର ତା ହସରେ ଆଦୌ ସରାଗ ନଥିଲା । ଶୁଖିଲା ଓଠ, ଶୁଖିଲା ମୁହଁ, କଥାଗୁଡ଼ାକ ସବୁଦିନ ପରି ଟାଣ ଟାଣ ନୁହେଁ । ସେ ଦିନ ଏକାଦଶୀ । ଗଉରୀର ଏକାଦଶୀ...ଗଉରୀ ସେଦିନ ଜଳ ସ୍ପର୍ଶ କରି ନାହିଁ ।
ଏକାଦଶୀ ଉପବାସଟା ଗଉରୀ ଅପେକ୍ଷା ରମାକୁ ବେଶୀ ବାଧେ । ଦୁଃଖଟା ସବୁବେଳେ ସବୁ ଜାତିରେ ସମସ୍ତଙ୍କ ପ୍ରତି ସମାନ । ଦୁଃଖର କି ଜାତି ବିଚାର ଅଛି । ଦୁଃଖଟା କଣ ଜଣକର ବୋଲି କିଏ କହି ପାରିବ ? ଦୁଃଖର କି ନିର୍ଦ୍ଦିଷ୍ଟ ସୀମା ଅଛି ?
ଗଉରୀର ଏହି ବୈଧବ୍ୟପୂର୍ଣ୍ଣ ଅସୀମ ଦୁଃଖ ରମାର ହୃଦୟକୁ ଛୁଇଁ ତାକୁ ଅଧୀର କରି ପକାଉଥିଲା । ଏକାଦଶୀରେ ମୁଣ୍ଡ ବାନ୍ଧି, ଫୁଲ ପିନ୍ଧି ଦେଶବାସ ହେବାକୁ ତାର ଆଦୌ ମନ ହେଲା ନାହିଁ । ଶେଯରେ ଶୋଇ ଶୋଇ ସ୍ୱପ୍ନରେ ଗଉରୀର କେତେ ଆଦର ସୁଆଗ କଥା ଶୁଣି ସ୍ୱପ୍ନରେ କହିଲା–
‘‘ଆଜି ପରା ଏକାଦଶୀ ।’’
ଦେଖିଲା, ଗଉରୀ ଚମକିଲା ପରି ହୋଇ କହିଲା–‘‘ଏକାଦଶୀ ! ହଁ, ଆଜି ତ ଏକାଦଶୀ-!’’
ସେ ଜାଣେ, ଏକାଦଶୀ କଥା ଶୁଣିଲେ ଗଉରୀ ଏହିପରି ଚମକି ପଡ଼େ; ମାତ୍ର ସେ ଉପବାସ କରେ । ଯେଉଁଦିନ ସେ କାଚ ମାଛ ଛାଡ଼ିଥିଲା, ସେହିଦିନ ଜୀବନରେ ସେ ପ୍ରଥମେ ଚମକି ଥିଲା । ସେହି ଚମକ ତାର ସେହିପରି ରହି ଯାଇଛି । ବିଧବାର ବ୍ରତ କଥା ପଡ଼ିଲେ ସେ ଚମକି ଯାଏ, ଆଉ କାହାର ବିଭାଘର କଥା ପଡ଼ିଲେ ତା ହୃଦୟ ଭିତରେ ଥରେ ଉଠେ ।
ଏକାଦଶୀରେ ରମା ମୁଣ୍ଡ କୁଣ୍ଡେଇବ ନାହିଁ, ଏ କଥାଟା ଗଉରୀକି ଭଲ ଲାଗିଲା ନାହିଁ । ରମା ସ୍ୱପ୍ନରେ ଶୁଣିଲା, ଗଉରୀ କହୁଛି–
‘‘ଛି, ଏକାଦଶୀରେ ସଧବାମାଇପିଏ ମୁଣ୍ଡ ନ କୁଣ୍ଡାଇଲେ ବଡ଼ ଦୋଷ.....।’’
କାହାକୁ ଦୋଷ, କିପରି ଦୋଷ ସେ କହି ଆସୁଥିଲା, ହଠାତ୍ କହିଲା ହେଲା ପରେ କହିଗଳା ।
ରମା ପଚାରିଲା ‘‘ଦୋଷ କଣ ?’’
‘‘ଦୋଷ ଆଉ କିଛି ନୁହେଁ ଯେ, ଦୋଷ ଆପଣା କାଚ ସିନ୍ଦୂରକୁ ।’’
ରମା ବଡ଼ ସାହସରେ ପଚାରି ପକେଇଲା-
‘‘ତୁମେ କଣ ଇମିତି କେବେ ଦୋଷ କରିଥିଲ ?’’
ଗଉରୀ ଆଉ ସମ୍ଭାଳି ପାରିଲା ନାହିଁ । କୂଳ ଥଳ ହରେଇଲା ପରି ରମାର ବେକକୁ ଧରି ଯାକି ପକାଇଲା । ରମା ତା ବେକକୁ କୁଣ୍ଢାଇ ଧରି କହିଲା–
‘‘ଗଉରୀ !’’
ଚାହିଁ ଦେଖିଲା, ଘରଟାରେ କେହି ନାହାନ୍ତି । ସବୁଆଡ଼ ଅନ୍ଧାର । କେବଳ ତା ଆଖିପତା ଦି’ଟା ଓଦା ହୋଇଯାଇଛି । ସେ କେବଳ ତକିଆଟାକୁ କୁଣ୍ଢେଇ ଧରିଛି । ତା ବୁକୁ ଦୁମ୍ ଦୁମ୍ ପଡ଼ୁଛି, ଉଠୁଛି ।
କେତେ ସମୟ କଣ ହେଲା । ପୁଣି ସେ କେତେ କଥା ଭାବିଲା, ପୁଣି ଆଖି ବୁଜିଲା । ତା ପରେ ଦେଖିଲା, ଗଉନୀ ଧୀରେ ଧୀରେ ଆସି ତା ମୁଣ୍ଡ କୁଣ୍ଡେଇ ଦେଲା । କହିଲା–‘‘ଯା ବୋଉ, ଉଠୁ ।’’
ସନ୍ଧ୍ୟା ହେଲା । ଗଉରୀ ଉପାସରେ ଆସକତିଆ ହୋଇ ତଳେ ପଡ଼ିଗଲା । ସେ ରାତିରେ ଖାଇବା ପାଇଁ ରମାର କିଛି ମନ ହେଲା ନାହିଁ । ସେ ମୁଣ୍ଡବନ୍ଧା ତାକୁ ସୁଖ ଲାଗିଲା ନାହିଁ-। ଶୋଇବା ଘରକୁ ଯିବାକୁ ତାର ମନ ବଳିଲା ନାହିଁ । ମୁଣ୍ଡଟାକୁ ମୁକୁଳା କରି ଦେଇ ମଇଳା ଲୁଗା ଖଣ୍ଡିଏ ପିନ୍ଧି ଉପାସରେ ଅଗଣା ବାରଣ୍ଡାରେ ଆସି ଶୋଇ ପଡ଼ିଲା ।
ସେହିପରି ଶୋଇଛି, ଦେଖିଲା, ଗଉରୀ ପୁଣି ଧୀରେ ଧୀରେ ଆସି ତା ପାଖେ ଠିଆ ହେଉଛି । ଆଗ ଅପେକ୍ଷା ତା ହାତ ଆହୁରି ଶୀର୍ଣ୍ଣ ହୋଇ ଯାଇଛି । ପାପୁଲି ଦୁଇଟା କଇଁଫୁଲ ପରି ଧଳା । ଆଖିରେ ଆଉ ଜ୍ୟୋତି ନାହିଁ । ସତେ ବା ଅକାଳରେ ଗଙ୍ଗଶିଉଳି ଫୁଲ ଝଡ଼ି ପଡ଼ୁଛି ।
ଗଉରୀ ଡାକିଲା–‘‘ଉଠ, ଉଠ, ମୁଣ୍ଡଫିଟିଗଲାଣି, ଆଉ ଥରେ ବାନ୍ଧି ଦେବି ।’’
ରମାର ନିଦ ଭାଜିଗଲା । ଦେଖିଲା, ସବୁ ଶୂନ୍ୟ, ଶୂନ୍ୟ, ଶୂନ୍ୟ, ଅନ୍ଧକାର !
ପୁଣି କେତେବେଳେ ତାକୁ ନିଦ ଲାଗିଲା, ସେ ଜାଣେ ନାହିଁ । ଏ ଥର ଦେଖନ୍ତା, ଗଉରୀ ଆସୁଛି ହସି ହସି । ତାର ସେହି ଆଉ ବିଧବା ବେଶ ନାହିଁ । ଗୋରା ଅଙ୍ଗରେ ଅଳଙ୍କାର ମଣ୍ଡି ହୋଇ ଯାଇଛି । କେତେ ଯତ୍ନରେ ତାର ମୁଣ୍ଡ କିଏ ବାନ୍ଧି ଦେଇଛି । କି ହସ ମୁହଁରେ । ପବନରେ ନୂଆ ପାଟଶାଢ଼ୀ ଫର ଫର ଉଡ଼ୁଛି । ସତେ ବା ବା ସାତଟା ସାଗର ଉଛୁଳି ଉଠିଛି । ସେ ହସି ହସି, ଖେଳି ଖେଳି ଆସି କହୁଛି-
‘‘ଏଥର ମୁଣ୍ଡ ବାନ୍ଧି ଦେବି ?’’
ରମାର ଆନନ୍ଦର ସୀମା ନାହିଁ । ହସ ହସ ତାର ମୁହଁ ସମୁଉ ନାହିଁ । ଗଉଣୀର ବେକକୁ ଦି ହାତରେ ବାକି ଧରି ଓହଳିକା ପରି ହୋଇ ମୁହଁକୁ ମୁହଁ ଲଗାଇ କହୁଛି–‘‘ଗଉରି, ଗଉରି, ତୁମକୁ ଫେରେ ଏ ଦେଶ କିଏ ଦେଲା ? ଆହା, କେଡ଼େ ସୁନ୍ଦର, କେଡ଼େ ସିନ୍ଦୂର ଦିଶୁଛି । ତୁମେ ଇମିତି ବେଶ ହେଲେ ସିନା ମତେ ସୁଖ ଲାଗେ । ମତେ ହସିବାକୁ ମନ ହୁଏ–ଖେଳିବାକୁ ଇଛା ହୁଏ । ଗଉରି ତୁମେ ଆଉ ଏକାଦଶୀ କରିବ ନାହିଁ, ବାରବ୍ରତ ପାଳିବ ନାହିଁ । ତୁମେ ପାଳିଲେ ମୁଁ ପାଳିବି, ତୁମେ ବାର ବ୍ରତ ପାଳିବ ନାହିଁ । ତୁମେ ପାଳିଲେ ମୁଁ ପାଳିବି, ତୁମେ ବାର ବ୍ରତ କଲେ ମୁଁ କରିବି । ତୁମେ ଆଉ ମନା କରିବ ନାହିଁ ସେତେବେଳେ । ତୁମର ତ ମୁଁ ବୋଉ ନୁହେଁ, ମୁଁ ତୁମର ଭଉଣୀ । ଡାକିବ ନାଇଁ ଭଉଣୀ ବୋଲି ?’’
ରମାର ଆଖି ଦୁଇଟା ଅନେକ ସମୟ ବନ୍ଦ ହୋଇ ପଡ଼ିଥିଲା । ଆଖି ଫିଟିଲା; ଦେଖିଲା, ଘରଟା ଆଲୁଅ ହୋଇ ଯାଇଛି । ଆଗରେ ରାଧାନାଥ ଆଖି ତରାଟି ମୁହଁକୁ ଚାହିଁ ରହିଛନ୍ତି । ଆଉ ତାଙ୍କରି ବେକଟାକୁ ଏ ନିଜେ ଦୁଇ ହାତରେ ଟାଣି ଧରି, ମୁହଁକୁ ମୁହଁ ଲଗେଇ ‘ଗଉରି, ଗଉରି’ ବୋଲି ଚିତ୍କାର କରିବାରେ ଲାଗିଛି !
ସତେ କି ରମା ପିଣ୍ଡରୁ ପ୍ରାଣ ଛାଡ଼ି ଗଲା । ସେ କାହାକୁ କଣ ବୋଲି କହୁଥିଲା ! କେତେବେଳେ ଯେ ସେ ଆସି ଶେଯରେ ଶୋଇଛି, ଛଟପଟ ହୋଇ ‘ପତି ଦେବତା’ କଥା ବିଚାରି ବିଚାରି କେତେ ସମ୍ଭବ ଅସମ୍ଭବ ସ୍ୱପ୍ନ ଦେଖିଛି, କେତେବେଳେ ଯେ ‘ପତି ଦେବତା’ ରାଧାନାଥ ଲଣ୍ଠନଟିଏ ଧରି ଆସି ଘରେ ପହଞ୍ଚଛନ୍ତି, ସେ ଜାଣେ ନାହିଁ । ସେ ଆଖି ଫିଟେଇ ଦେଖିଲା, ଆଗରେ ମଧୁର ସ୍ୱପ୍ନ ଭିତରେ ଗଉରୀ ପରିବର୍ତ୍ତନରେ ବୁଦ୍ଧ ବିକଳାଙ୍ଗ ଛବିଟାଏ ! ...ତା ପ୍ରାଣ କି ସମ୍ଭାଳିବା କଥା !
ରମା ସେହି ଶେଯରେ ସେହିପରି କେତେ କଣ ଭାବି ଭାବି ପଡ଼ି ରହିଲା, ଏଣେ ରାଧାନାଥଙ୍କର ଦୁଃସ୍ୱପ୍ନର ସୀମା ରହିଲା ନାହିଁ । ସେହି ରାତିରେ ସେ ଆଖି ପକାଇଲା ମାତ୍ର ଦେଖିଲେ, କେତେବେଳେ ବିଧାତାର ଅଭିଶାପରେ ସେ ଦହି ହେୁଛନ୍ତି, କେତେବେଳେ ବା ନାରୀ ଅଭିଶାପରେ ଘାଣ୍ଟି ହେଉଛନ୍ତି । ପୁଣି କେତେବେଳେ ଯୁବତୀର ଗଳାକୁ ଧରି ସହଳିଲା ପରି ହୋଇ କହୁଚନ୍ତି–‘ଶାସ୍ତ୍ରରେ କଣ ମନା ଅଛି ? ଶାସ୍ତ୍ରରେ କଣ ମନା ଅଛି ? ତେବେ ମୁଁ ତୁମକୁ ବିଭା ହେବା ଭୁଲ ହେଲା ବୋଲି କିଏ ବା କହିଁକି କହିବ ?’
ସକାଳ ହେଲା । ରମା ଶେଯରୁ ଉଠି ବସିଆଡ଼ତି ପାଇଁ ଗଲା ବେଳକୁ ରାଧାନାଥ ଗୋଟାଏ କଣରେ ବସି ଘୁମାଉଥିଲେ ।
ରମାର ପ୍ରେମରେ ରାଧାନାଥ ବହୁ ଦିନରୁ ଆଶଙ୍କା କରୁଥିଲେ । ଆଶଙ୍କା ଭିତରେ ମଧ୍ୟ ସେ ବେଳେ ବେଳେ ମଧୁର ସ୍ୱପ୍ନ ଦେଖୁଥିଲେ । କେବେ କେବେ ତାଙ୍କର ସନ୍ଦେହ ହେଉଥିଲା ଯେ, ରମା ତାଙ୍କୁ ମନ ପ୍ରାଣଦେଇ ସୁଖ ପାଉଛି । ସେ ବୋଧହୁଏ ନିଜ ଦୋଷରୁ ସବୁକଥାକୁ ଭୁଲ୍ବୁଝୁଛନ୍ତି !
ମାତ୍ର ରମାର ପୂର୍ବ ଦିନର ବାଉଳି ଚାଉଳି ଶୁଣି ତାଙ୍କ ମନ ଭିତରେ ଛଳନା ପଶିଗଲ । ଆଖି ତାଳୁକୁ ଖୋସି ହୋଇଗଲାଣି । ରମା ଘରକୁ ମସିଲା ଦିନୁ ସେପର୍ଯ୍ୟନ୍ତ ଯେତେ ଯେତେ ସାନ ବଡ଼, ଭଲ ମନ୍ଦ କଥା ଘଟିଯାଇଛି, ସବୁ କାହୁଁ ଆସି ମୁହୂର୍ତ୍ତକେ ମନ ଭିତରେ ଖେଳି ଉଠିଲା । ସୁପ୍ତ ସ୍ମୃତି ଜାଗିଉଠିଲା ହୃଦୟ ଭିତରେ ଦଳି ଚକଟି ହୋଇଗଲା । ଜୀବନର କିଛି ଦୂର ସେ ପଛକୁ ଫେରି ଚାହିଁଲେ । ସବୁ କଥା ତାଙ୍କୁ.....ଅନ୍ଧାକାରମୟ ଦେଖାଗଲା ।
ଶେଯରୁ ଆସି ସେ ପିଣ୍ଡାରେ ବସିଲେ । ସବୁ ଦିନ ସେ ପିଣ୍ଡାରେ ବସନ୍ତି, ସେ ଦିନ କିନ୍ତୁ ସେଠାରେ ଆଦୌ ସୁଖ ଲାଗିଲା ନାହିଁ । ପୁଣି ଘରକୁ ଅଇଲେ । ଘର ଧକ୍କା ମାଇଲା ପରି ଲାଗିଲା । କାହାକୁ କଥା କହିବାକୁ ଇଚ୍ଛା ହେଲା ନାହିଁ; ମାତ୍ର କିଛି ନ କହିବାରୁ ଆଗ୍ନେୟଗିରି ପରି ସବୁ ଥା ବୁକୁ ଭିତରେ ଗୁମରେଇ ଗୁମୁରେଇ ଥରିଲା । ଭାବିଲେ, ସତରେ କଣ ରମା ମତେ ମେ ମନେ ଘୃଣା କରୁଛି ?
ସେ ଦିନ ମୁହଁ ମାଡ଼ିକରି ଶୋଇଥିଲା । ମୁଣ୍ଡ ବାନ୍ଧିବାକୁ କହିବାରୁ ସେ ମୁହଁ ଶୁଖାଇ ଦେଲା । ଠିକ୍ସେହି ସମୟରେ ଭିତରୁ ଗେଣ୍ଡାଟାଏ ବାହାରିଲା ବୋଲି ଗଉରୀ ଦିନେ ନିର୍ଜଳ ଉପବାସ କରିବା ପାଇଁ ସେ ନିଜେ ପୋଥି ଦେଖି ବ୍ୟବସ୍ଥା ଦେଇଥିଲେ । ଏ ବ୍ୟବସ୍ଥାଟା କଣ ରମାର ମନକୁ ପାଇ ନଥିଲା ?
ପୁଣି ଦିନେ ସାବିତ୍ରୀ ଅମାବାସ୍ୟା ପଡ଼ିଲା । ରମା ବେଶବାସ ହେବାକୁ ଆଦୌ ରାଜି ହେଲା ନାହିଁ । କହିବାରୁ ଉତ୍ତର ଦେଲା–‘‘ଗଉରୀ ଝିଅ ଘରେ ଥାଉ ଥାଉ ମୁଁ ପାଟପତନି ପିନ୍ଧି ବେଶ ବାସ ହୋଇ ପାରିବି ନାହିଁ ।’’ ଏତ କମ୍ସାହାସର କଥା ନୁହେଁ !
ଆଉ ଦିନେ–ସେ ଦିନଟ ବୈଶାଖ ମାସର ବଡ଼ ଏକାଦଶୀ ରାଧାନାଥଙ୍କ ଏକାଦଶୀ ପାରଣା ପାଇଁ ଘିଅ ଦୁଧର ନାନା ବ୍ୟବସ୍ଥା ହେଲା । ରାତିକି ଦେଖାଗଲା, ରମା-ଦିନଟାଯାକ ନିର୍ଜଳ ରହି ଗଉରୀ ପାଦତଳେ ଶୋଇଛି !
ଏହିପରି କେତେ କତେ ପାରିବାରିକ ସାନ ବଡ଼ ଘଟଣା ରାଧାନାଥଙ୍କ ସ୍ମୃତିପଟରେ ସଜୀବ ହୋଇ ଉଠିଲା । ଏସବୁ କଥା ଭିତରେ ରମା କେତେବେଳେ ତାଙ୍କୁ ଘୃଣା କଲା, କେତେବେଳେ ଉପହାସ କଲା, କେତେବେଳେ ବା ବିରାଗରେ ମୁହଁ ବୁଲେଇ ନେଇ ପୁଣି ଭ୍ରୁକୁଟୀ କଟାକ୍ଷରେ ଚାହିଁଲା । ମାତ୍ର ଥରେ ହେଲେ ସେ ତାର ଯୌବନ ଛଳଛଳ ବୁକୁ ପାଖେ ତାଙ୍କୁ ଆଲିଙ୍ଗନ କଲା ନାହିଁ କି ସରସ ମଧୁର ବଚନ ପଦେ କହି ମନ ମୋହି ନେଇ ପାରିଲା ନାହିଁ । ସେ ତା ପାଇଁ ଯେଉଁ ପ୍ରେମର ପୁଷ୍ପଶର୍ଯ୍ୟା ବିଛେଇ ରଖିଥିଲେ, ସେଥିରେ ସେ ସଗର୍ବରେ ପଦାଘାତ କରି ତୁମୁଳ ବିବାଦ ସୃଷ୍ଟି କରିଦେଲା । ସେ କଥା ନ କହି ବୁଦ୍ଧ ରାଧାନାଥଙ୍କ ବୁକୁରେ ଛୁରୀ ମାଇଲା । ସ୍ନେହ ସୁଆଗ ବଚନରେ ସେ ଥରେ ହେଲେ ହସି ନ ଦେଇ ତାଙ୍କର ବୃଦ୍ଧ ପ୍ରାଣକୁ ଆହୁରି ନିର୍ଜୀବ କରିଦେଲା ।
ଏ ସବୁ ଭୋଗି ଭୋଗି ରାଧାନାଥଙ୍କ ଆସନ୍ନ ଶୁଷ୍କ ପ୍ରେମ ହୃଦୟ ଭିତରେ ରାଗ ମଉ ହିଂସାରେ କୁହୁଳି ଉଠିଲା । ଅଶାନ୍ତ ନିଆଁରେ ପୋଡ଼ି ଜଳି ହୋଇ ସେ ଛଟପଟ ହେବାକୁ ଲାଗିଲେ । ଏହି ଅଶାନ୍ତିରୁ ଆତ୍ମରକ୍ଷା କରିବାପାଇଁ ସେ କେତେଥର କେତେ ବେଶ ବଦଳାଇଛନ୍ତି, ବାଧ୍ୟ ହୋଇ କେତେ ମଧୁର ହାସ୍ୟହସିଛନ୍ତି, ରମା କାନରେ କେତେ କୋମଳ ବଚନ ଶୁଣାଇଛନ୍ତି–ମାତ୍ର ସବୁ ବିଫଳ ହୋଇଛି ।
ମନଟା ଫାଟି ଯାଇପାରେ; ମାତ୍ର ସେଥିପାଇଁ ଛାତିଟା ଫାଟି ଯାଏ ନାହିଁ । ତେଣୁ ରମା ଭିତରର ଫଟା ମନ ଦେଖିବା ପାଇଁ ରାଧାନାଥଙ୍କୁ ବହୁତ ଭ୍ରମି ହେବାକୁ ପଡ଼ିଲା ।
ରମା ବାଉଳି ହୋଇ କଣ ନ କହିଲା ! ‘ତୁ ଏକାଦଶୀ କଲେ ମୁଁ ଉପାସ ରହିବି !’ ଭାବି ଦେଇ ରାଧାନାଥଙ୍କ ସବୁ ଶିର ଥରି ଉଠିଲା । ବହୁତ ଭାବି ଭାବି ସ୍ଥିର କଲେ ଯେ, ସେ ସବୁ ଗଉରୀ ହାତର କାମ ! ନ ହେଲେ ରମା କିଆଁ ତା ପାଇଁ ଏକାଦଶୀ କରିବାକୁ...‘‘ରାମ, ରାମ, ରାମ, ଅଲକ୍ଷଣୀଟାକୁ ଘରେ ପୋଷି ତେବେ କଣ ଏଇ ପଲ ଫଳିଲା ।’’
ଅଭାଗିନୀ ଗଉରୀ ଉପରେ ସମାଜରା ପ୍ରହାର ବାଜିଥିଲା, ସେଥିରେ ସେ ଘରେ ରହିପାରିବାକୁ ସମର୍ଥ ଥିଲା । ଏବେ ନନା ଙ୍କର ପୁଣି ପ୍ରହାର.....ୟାକୁ ସେ ସମ୍ଭାଳିବ କିମିତି ?
ସେହି ଦିନୁ ଗଉରୀ ଉପରେ ରାଦାନାଥଙ୍କ ତୀବ୍ର ଦୃଷ୍ଟି ପଡ଼ିଲା । ସ୍ୱାର୍ଥରେ ଅନ୍ଧ ହୋଇ ଗଉରୀକୁ ସେ ଆଉ ‘ଗଣ୍ଠିଧନ’ ଗଉରୀ ରୂପରେ ଦେଖି ପାରିଲେ ନାହିଁ । ତାଙ୍କ ପ୍ରାଣରୁ ସନ୍ତାନ ବାତ୍ସଲ୍ୟର ମଧୁର ନିର୍ଜର କୁଆଡ଼େ ଶୁଖିଗଲା । କଳ୍ପିତ ବ୍ରହ୍ମରାକ୍ଷସ ପରି ତାଙ୍କ ମନ କେବଳ ଗଉରୀ ପଛେ ପଛେ ରହି ତାର ଦୋଷ ଦେଖିବାରେ ଲାଗିଲା । ଏଣିକି ଗଉରୀ ଘରେ ଭାତ ରାନ୍ଧିଲେ ଦୋଷ, ନ ରାନ୍ଧିଲେ ଦୋଷ । ସେ ନନାଙ୍କ ଆଗେ କଥା କହିଲେ ଦୋଷ, ନ କହିଲେ ଦୋଷ ।
ରାଧାନାଥଙ୍କର ଏ ମତି ଗତି ଗଉରୀକି କିଛି ଅଛପା ରହିଲା ନାହିଁ । ଅଳ୍ପ ଦିନ ଭିତରେ ରମା ଆଧ୍ୟ ସବୁ ବୁଝି ପାରିଲା । ରମା ଯେତିକି ବୁଝିଲା, ରାଧାନାଥଙ୍କ ରାଗ ସେତିକି ବଢ଼ିଲା ।
-କୋଡ଼ିଏ-
ଦିନେ ସତ୍ୟଭାମା ପୁଅ ମୁଣ୍ଡକୁ ଧୀରେ ଧରେ ଆଉଁସି ମଉଁସି କହିଲେ–‘‘ବୁଲି ବୁଲି ତ କଣ୍ଟା ଦି’ଖଣ୍ଡ ରହିଗଲାଣି । ଲୋକେ ସବୁ ପଛରେ କଣ କହୁଛନ୍ତି ଶୁଣୁନୁ ? ଯାହା ତ ହେଲା ହେଲା, ଏତେ ଏତେ କଥା ଶୁଣାଇବାକୁ ଦଇବ ମତେ କାହିଁକି ଜୀଆଇଛି ?’’
ବ୍ରଜ ବୋଉ ମୁହଁକୁ ଚାହିଁ ଟିକିଏ ରହି କହିଲା–‘‘ବୋଉ, ମୁଁ ଇମିତି କି ପାପ କରିଛି ଯେ ସବୁବେଳେ ତୁ ଇମିତି କଥା ଭାବୁଛୁ ? ମୁଁ ତ ଚୋରି କରୁନି କି କାହାକୁ ମାରଧର କରୁନି । ଲୋକେ ମତେ କାହିଁକି କଣ ବୋଲି କହିବେ ?’’
‘‘କଣ କହିବେ ବୋଲ କହୁଚୁ ? କାଲି ମତେ ନୀଳ ବୋଉ ଯାହା କହିଲା.....ହରରେ ଦଇବ, ଏତେ ଏତେ କଥା ମତେ ସହିବାକୁ ଥିଲା ? ମୁଣ୍ଡ ପୋତି ପୋତି ଅଇଲା ଭାରି ।’’
ସେତେବେଳେ ବୋଉ ମନର ଭାବ ଦେଖି ବ୍ରଜର ମନ ବଡ଼ ନଇଁଗଲା । କେବେ ହେଲେ ସେ ବୋଉ ମନରେ କଷ୍ଟ ଦେବ ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା । ଯେ କୌରସି କାର୍ଯ୍ୟ କଲାବେଳେ ସେ ଆଗେ ଆଗେ ତା ବୋଉର ହସ ହସ ମୁହଁଟିକୁ ଦେଖେ । ସତେ ଅବା ତା ବୋଉ ସର୍ବଂସହା ବସୁନ୍ଧରା ପରି ପୁଅର ଭାବ ଦେଖି ସେ ନିତାନ୍ତ ଶିଶୁ ପିଲାଟି ପରି ଅତି ବିନୟନମ୍ର ସ୍ୱରରେ କହିଲା–‘‘ବୋଉ, ଯେ କହୁଛନ୍ତି ସେ କଣ ସତ ମିଛ କିଛି ଜଣି ପାରୁଛନ୍ତି ? ତାଙ୍କ କଥାକୁ ଧରି ବସିଲେ ବା ତାଙ୍କ କଥାରେ ରାଗ ଅଭିମାନ କଲେ ଲାଭ କଣ ? ଜାଣୁଥିଲେ କି ସେମାନେ ଇମିତି କଥା କିଛି କହନ୍ତେ ?’’
‘‘ସତ ମିଛ କଣ କହିବେ ରେ ? ତୁ ତ ଯାହା କରୁଚୁ ସବୁ କହି ବୁଲୁଚୁ । ସେଇ କଥା ସେ କହୁଚନ୍ତି, ଆଉ ସତ ମିଛ କଣ କହିବେ ?’’
‘‘ମୁଁ ଯାଉଚି, ଏ କଥା ସତ । ଯାହା କରୁଚି, ତା ମଧ୍ୟ ସତ । ମାତ୍ର ମୁଁ ସତ କଥା ପାଇଁ କରୁଚି କି ମିଛଟାରେ ଇମିତି କରୁଚି, ସେମାନେ ସମସ୍ତେ ତା ବୁଝି ପାରୁଛନ୍ତି ?’’
ସେମାନେ ବୁଜନ୍ତୁ ନ ବୁଝନ୍ତୁ, ତୋର କଣ ଗଲା ? ତୋତେ ଏଘରିଆ କଲା ବେଳେ କଣ କିଏ ପିଠିରେ ପଡ଼ିଲେ ? ଗାଁରେ ମେଳି.....ତୁ ଇମିତି ଏଡ଼େ ବଳୁଆ ହୋଇଚୁ ଯେ ସମସ୍ତଙ୍କ କଥା ଏଡ଼ି ଦେଇ ଚଳିବୁ..... ।’’
ବ୍ରଜ ଆହୁରି ହସି କହିଲା-‘ଆଲୋ ବୋଉ, ମେଳି କଥା ସିନା କହୁଚୁ; ମାତ୍ର ପ୍ରକୃତରେ ମେଳି ନାହିଁ । ଖାଇବା ପିଇବା ବାହାର କଥାରେ ଲୋକେ ଖାଲି ମାନ ମହତ୍ତ୍ୱ ଜଗି ଜଗି ମରୁଛନ୍ତି । ସେ ଦିନ ତ ଦେଖିଲୁ, ଗାଁଯାକ ମେଳି କରି ମନେ କଲେ; ମାତ୍ର ଜଣ ଜଣ ହୋଇ କେତେ ଜଣ ଶ୍ରାଦ୍ଧରେ ଆସି ଖାଇଗଲେ । ଏ ଯେଉଁ ସ୍କୁଲରେ ବଶୀ ଅଛି ସେଥିରେ ଗୋଳମାଳ ଭିଆଇ ଭାଙ୍ଗି ଦେବାକୁ କେତେ ଚେଷ୍ଟା ଚାଲିଛି । ସେଇଥିରୁ ଲୋକ ଆସି ମୋ ପାଖେ କହିଦେଇ ଯାଉଛନ୍ତି, ‘‘ଯାହାର ପିଲେ ନାହାନ୍ତି ସେ ବସିଛନ୍ତି ଭାଙ୍ଗି ଦେବାକୁ । ତୁ ନ ବିଚାରିଲେ ଆମ ପିଲାଗୁଡ଼ାକ ମୂର୍ଖ ହୋଇଯିବେ, ବାବୁ ।’’ ଏ ସବୁ କଥା କଣ ମେଳି ଥିବା ଲୋକେ କରନ୍ତି ? ଖାଲି ସବୁଠି ଛଳନା ଚାଲିଚି । ଆମ ବଡ଼ ଜାତି ଲୋକେ ଯେମିତି ଛୋଟ ଜାତି ଲୋକଙ୍କୁ ଛୁଇଁଲେ ମାରା ହୋଇ ଯାଉଚନ୍ତି ବୋଲି ହୁରି ହେଉଚି, ଛୋଟ ଜାତିଙ୍କ ଭିତରେ ମଧ୍ୟ ଏହିପରି କେତେ କଥା ରହିଚି । ଦେଶଟା ଯାକ ଇମିତି ରୋଗ ଚାଲିଚି । ମେଳି ଭିତରେ ଅମେଳ ଅଛି, ଅମେଳ ଭିତରେ ଖାଲି ବିଷ ଅଛି ।’’
ପୁଅର କଥାଗୁଡ଼ାକ ସତ୍ୟଭାମା ବୁଝିଲେ କି ନାହିଁ କେଜାଣି, ଖାଲି ବାଲୁବାଲୁ କରି ଚାହିଁ ରହିଲେ । ତା ପରେ ବୋଧହୁଏ ଉତ୍ତର ଦେବା ପାଇଁ କୂଳଥଳ ନ ପାଇ କହିଲେ-
‘‘ତତେ ଏତେ କଥା କିଏ କହିଲା ? ଗାଁରେ ତ ଏତେ ଲୋକ ଅଛନ୍ତି, ତୁ ପଞ୍ଜାକୁ ଧରି ଏତେ ନାଟ କିଆଁ କରୁଚୁ? ନରି ବୋଉ କହୁଥିଲା, ହରି ବୋଉ କହୁଥିଲା, ଲୋକା ବୋଉ କହୁଥିଲା-ମସ୍ତେ କହୁଥିଲେ ତୋରି କଥାରେ ସମସ୍ତେ ମାନିଚନ୍ତି । ହଁ, ଗୋଟିଏ କଥା ମନେ ପଡ଼ିଲା । ତୁ ପୁଣି କୁମଡ଼େ ଗାଁ ପିଲାଙ୍କୁ ମତେଇଚୁ ଯେ ଆମେ ଯିଏ ବାଉରୀ ଲୋକ ସିଏ ? ଏ ବୁଦ୍ଧି ତତେ କିଏ ଦେଲା ?’’
‘‘ଆଚ୍ଛା, ବୋଉ, ମୋ କଥା ଟିକିଏ ଭଲ କରି ଶୁଣ୍। ଆମେ ଯେବେ ବାଉରୀ ସାଇରେ ଥାନ୍ତେ, ଆଉ ସେଠି ଆଆ ବାସୁଆ ପରି ଆମେ ଚଳୁଥାନ୍ତେ–ମଦ ଖାଉଥାନ୍ତେ, ଗୋରୁ ମାରୁଥାନ୍ତେ, ପାପ କରୁ ଥାନ୍ତେ, ମିଛ କହୁଥାନ୍ତେ, ସେତେବେଳେ ଆମକୁ ଯେବେ କିଏ କହନ୍ତା–‘ପାପ କରନାଇଁ, ଗୋରୁ ମାର ନାଇଁ, ମିଛ କହ ନାଇଁ, ପାଠ ପଢ଼, ସତ କଥା କହ, ଦେହକୁ ସଫା ସୁତୁରା ରଖ’-ତାହା ହେଲେ କଣ ଆମେ ତାକୁ ଗାଳିଦିଅନ୍ତେ ବୋଉ ? ଆମକୁ ତ ସେ ସବୁ କଥା ଭଲ ଲାଗନ୍ତା–ନୁହେଁ ? ଆଉ ସେତେବେଳେ ଆମକୁ ଏସବୁ ଭଲ କଥା ଶିଖାଉଥାନ୍ତେ, ତାଙ୍କୁ ଯେବେ ଆଉ କିଏ ଲୋକ ଗାଳି ଦିଅନ୍ତା, ଆମେ କଣ ସେ ଲୋକକୁ ପ୍ରଶଂସା କରନ୍ତେ ? ନା, ତା କେଭେଁ କରନ୍ତେ ନାହିଁ ।’’
ବୋଉ ପୁଅର ଏ ଥାର ଉତ୍ତର କଣ ଦେବ ? କେବଳ ତାର ସ୍ନେହ ଢଳଢଳ ମକି ଦୁଇଯାର ଚାହାଣୀ ପୁଅର କପାଳ ଉପରେ ପଡ଼ି ରହିଲା ।
ଏହିପରି ସମୟରେ ବାଡ଼ି ଦୁଆରେ ପାଟି ଶୁଭିଲା-
‘‘ସାଆନ୍ତେ ଅଛ କି ସାଆନ୍ତେ ?’’
ବ୍ରଜ ଚମକିଲା ପରି ହୋଇ କହିଲା–‘‘ବୋଉ, ଗୋଟିଏ କଥା ମନେନାହିଁ । କହିବି କହିବି ବୋଲି ପାଶୋରି ଦେଲି । ଗୋଟିଏ ପରିବକୁ ଆଜି ଭାତ ମୁଠିଏ ଦେବାକୁ ହେବ ।’’
‘‘ତୋର ତ ସେଇ କଥା ସବୁବେଳେ । ଏ ଦିମ ନିଆ ଦିନେ ହେଲେ ଛାଡ଼ ହେଲା ? ଆଜି ବୁଢ଼ା ଆସିଲେ କାଲି ପିଲା ଆସିଲା, କାଲି ଅନ୍ଧ ଆସିଲେ ପରଦିନ ଛୋଟା ଆସିଲା । ଥିଲା ଘର ପରି ସବୁବେଳେ ବିଭାଘର ଭୋଜି ଭାତ ଚାଲିଚି । ଆସିବ କୁ’ଠୁ ଏତେ ?’’
‘‘ଭାତ ମୁଠାକରେ କଣ ବୋଉ ସବୁ ସରିଯିବ ? ଯାଇଥିଲି ରୁଅପଡ଼ାକୁ ଯେ, ମାଇପି ଲୋକଟିଏ ତିନି ସଳି ହେଲା ଉପାସ ଅଛି, ଦେଖିଲି । କହି ଆସିଥିଲି ମୁଠେ ଆମ ଘରଠି ଖାଇ ଦେଇ ଯିବାକୁ ।’’
ପାଟି ଶୁଭିଲା–‘‘ସାଆନ୍ତେ, ଅଛ କି ?’’
‘‘ଯା, ଯା, ବୋଉ ! ପୁଣି ସେ ଡାକ ପକାଇଲାଣି । ଇମିତି ଲୋକକୁ ଖାଇବାକୁ ଦେଲେ କଣ ଲୋକେ ମତେ ଗାଳି ଦେବେ ବୋଲି ଭୟ କରୁଚୁ ? ସେମାନେ ପରା ଦରିଦ୍ର । ତାଙ୍କର ସଂସାରରେ ଆଉ କିଏ ଅଛି ?’’
କିଛି ସମୟ ପୂର୍ବରୁ ବୋଉର ହୃଦୟରେ ବ୍ରଜ ପ୍ରତି ଯେଉଁ ବିରୋଧଭାବ କ୍ଷୀଣ ଭାବରେ ଜାଗି ଉଠିଥିଲା, ଏହି କେତେ ପଦ ଶୁଣି ତାହା କୁଆଡ଼େ ଉଭେଇ ଗଲା ।
‘‘ଓହୋ, ତୁ ଯେମିତି, ଯାହାକୁ ଡାକି ମଣିଚୁ, ସିଏ ସିମିତି । ବସେଇ ଉଠେଇ ଦେବନି ପରା ।’’ କହି ବୋଉ ଉଠି ଚାଲିଗଲା ।
ବ୍ରଜ ସେହିଠାରେ ସେହିପରି ପଡ଼ି ରହି ମନେ ମନେ ବିଚାରିଲା-‘‘ବୋଉ ମୋର ବୁଝୁନି କଣ ? ସବୁ ତ ବୁଝୁଚି । ବୁଝେଇ ଦେଲେ ସତ କଣ, ମିଛ କଣ, ଜାଣି ପାରୁଚି ।’’