-ଚବିଶି- — ବିଦ୍ରୋହ — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
-ଚବିଶି-
ଯେଉଁଠାରେ ସ୍ନେହ ଆଦର ଯେତେ, ସେହିଠାରେ ମାନ ଅଭିମାନ ସେତେ–ଗଉରୀ ଏପର୍ଯ୍ୟନ୍ତ ଏହା ବୁଝିଥିଲା । ନନା ତାକୁ କେଡ଼େ ସୁଖ ପାଉଥିଲେ, ସେହି କେବଳ ଜାଣେ । ନନା ପାଖରେ ସେ କେତେ ଅଳିଝଳି, ଅଭିମାନ କରୁଥିଲା, ତାହା ଛଡ଼ା ଆଉ କିଏ ଜାଣନ୍ତି ନାହିଁ । ସେ ହାତରୁ କାଚ କାଢ଼ିଥିଲା, ମୁଣ୍ଡରୁ ସିନ୍ଦୂର ପୋଛିଥିଲା, ମନରୁ ସୁଖ ଆଶା ଛାଡ଼ିଥିଲା । ମାତ୍ର କେବଳ ନନାଙ୍କୁ ଆଗେ ଆଗେ ଦେଖି ତା କାମ ସେ କରି ଯାଉଥିଲା ।
ଦିନ ଏକାଦଶୀ ବାସି-ଦ୍ୱାଦଶୀ । ତା ଜୀବନରେ ଏପରି ଦଶ ପଚାଶ ଦ୍ୱାଦଶୀ ଗଲାଣି; ମାତ୍ର ଏ ଦ୍ୱାଦଶୀ ପରି କୌଣସି ଦ୍ୱାଦଶୀ ତାକୁ ଏଡ଼େ ନିଷ୍ଠୁର ନିରାଦନ୍ଦ ଜଣା ପଡ଼ୁନଥିଲା । ରମା ଦେଖିଲା, ଗଉରୀର ମୁଣ୍ଡ ମୁକୁଳା, ଦେହରେ ଓଦା ଲୁଗା । ଏପରି ଅବସ୍ଥାରେ ତା ଆଖିରୁ ଥପଥପ ଲୁହ ବୋହି ପଡ଼ୁଛି । କାଳେ କିଏ ଦେଖି ପକାଇବ, ଏଥିପାଇଁ ସେ ଲୁହ ଧାରକୁ ଓଦା କାନିରେ ପୋଛି ପକାଉଛି । ଗଉରୀକି ସେ ଏପରି ଭାବରେ କେବେ ହେଲେ ଦେଖି ନ ଥିଲା । ଦେଖିଲା ମାତ୍ରେ ତା ମନ ମରିଗଲା- କର କହିବ କିଛି ପାଟି ଫିଟିଲା ନାହିଁ । ନ ଜାଣିଲା ପରି ମୁହଁ ଆଡ଼େଇ ଘର ଉପରକୁ ଉଠିଗଲା ।
ରମା ଯେ ଘରକୁ ଯାଇଛି, ସେ ଆଉ ମୁହଁ ଟେକି ବସି ନାହିଁ, କି ଠିଆ ହୋଇ ନାହିଁ -ତଳେ ମୁହଁ ମାଡ଼ି ପଡ଼ିଯାଇଛି । ଦୁଇ ଧାର ଲୁହରେ ଭୂଇଁତଳ ଓଦା ହୋଇଯାଇଛି ।
କେତେ ସମୟ ଗଲା । କାହାର କୋମଳ କରସ୍ପର୍ଶ ପାଇ ସେ ଯେତେବେଳେ ମୁହଁ ଟେକିଲା, ଦେଖିଲା ଗଉରୀ ପାଖରେ ବସି ତା ପିଠିକି ଆଉଁସି ଆଉଁସି ଡାକୁଛି–
‘‘ବୋଉ, ବୋଉ..... !’’
ଡାକ ଶୁଣି ରମା ଆହୁରି କାନ୍ଦି ଉଠିଲା ।
ଗଉରୀ ଉପାୟ ନ ଦେଖି ତାକୁ ଜାକି ଧରି ପକାଇଲା । କେହି କାହାକୁ କିଛି କଥା କହିଲେ ନାହିଁ । ଏହିପରି କେତେ ସମୟ ଗଲା ।
ଗଉରୀ ହାତକୁ କୋହଳ କରି ଦେଇ କହିଲା -‘‘ବୋଉ, ବେଳ କେତେ ହେଲାଣି ! ଇମିତି ତୁମେ....’’
ଗଉରୀ ମୁହଁରୁ କଥା ଶୁଣି ତାର କୋହ ପୁଣି ବଢ଼ିଲା । ପୁଣି ସେ ମୁହଁ ପୋତି ଲୁହ ଢାଳିଲା ।
ଗଉରୀ ପଚାରିଲା–‘‘କଣ ବୋଉ, କଣ ହେଲା ?’’
ରମା ଜଡ଼ିତ କଣ୍ଠରେ ପଚାରିଲା–‘‘ତୁମର କଣ ହେଲା ଆଗ କହ ।’’
‘‘ମୋର ? ମୋର କିଛି ହୋଇ ନାହିଁ !’’
‘‘ତାହାହେଲେ ମୋର କିଛି ହୋଇନାହିଁ ।’’
‘‘ବାୟାଣୀ ହେଲ କି ?’’
‘‘ହଁ, ବାୟାଣୀ ହୋଇଚି । ମୁଁ ବାୟାଣୀ ନ ହେଲେ କି ତୁମକୁ ଇମିତି କିଏ କନ୍ଦାନ୍ତା ?’’
ଗଉରୀ ତରତରରେ କହି ପକାଇଲା- ‘‘ନାଇଁ, ମତେ କିଏ କାଇଁକି କନ୍ଦାନ୍ତା, ମୁଁ ମନକୁ କାନ୍ଦୁଚି ।’’
ରମା ତେଜି ଉଠିଲା ପରି କହିଲା–‘‘ମନକୁ ? ମାଇପୀ ଲୋକେ କି ସଂସାରରେ କେମେ ମନକୁ କାନ୍ଦନ୍ତି ? ନା, ନା, ତାଙ୍କୁ ଆଉ ଲୋକେ କନ୍ଦାନ୍ତି..... ।’’
ଗଉରୀର ମର୍ମସ୍ଥଳରେ ଯେପରି କଥା ପଦକ ବାଜିଲା । ସେ ସେହି କଥାକୁ ଭାବି ବସିଲା ପରି କିଛି ସମୟ ତୁନି ହୋଇଗଲା । ତା ପରେ ପଚାରିଲା –
‘‘ସତ କହୁଚ ? ଆଉ କିଏ କନ୍ଦାନ୍ତି ?’’
‘‘ହଁ ସତ କହୁଚି ।’’
‘‘ଆଚ୍ଛା, ତମକୁ କିଏ କନ୍ଦାଇଲା ତାହାହେଲେ ?’’
‘‘ତମକୁ ଯିଏ କନ୍ଦେଇଲା, ମତେ ସେ କନ୍ଦାଇଲା ।’’
‘‘ମୋତେ ମୋ ଭାଗ୍ୟ କନ୍ଦାଇଲା । ତୁମକୁ ?’’
‘‘ଭାଗ୍ୟ ? ମିଛ ଗୋ ଗଉରୀ, ମିଛ । ଭାଗ୍ୟଠୁ ଆହୁରି ଉପରେ...... ପୁରୁଷ....... ପୁରୁଷ....... ପୁରୁଷ..........
ଦାଣ୍ଡ ଦୁଆରେ ପାଟି ଶୁଭିଲା–‘‘ଗଉରୀ ?’’
ଗଉରୀ ଘର ଭିତରୁ ବାହାରକୁ ଚାଲି ଆସିଲା । ନନାଙ୍କୁ ଆଗରେ ଦେଖି ତା ମୁହଁଟା କିମିତି ଶୁଖିଗଲା । ସେ କଣ କହିବ- ନ କହିବ, ଥଙ୍ଗଥଙ୍ଗ ହେଉଛି, ନନା ପାଟି କରି ଉଠିଲେ–
‘‘ଏସବୁ ଘର ଓଳା ଯାଇଛି, ଦୁଆର ଲିପା ହୋଇଛି, ଦିଶୁଛି ଟିକି ? ସୁବୁବେଳେ ଖାଲି ଗପସପ, ସୁବୁବେଳେ ଖାଲି ଶୁଆ ବସା......ଏ ସବୁ ଅନୀତି ଦେଖିଲେ ବିଧାତା ସହିବ ? ତୁ ତ ସାନ୍ତାଣୀ ହବୁ, ଏ ଘର କାମ କରିବ କିଏ ?’’
ଗଉରୀର ମୁଣ୍ଡ ତଳକୁ ଆହୁରି ପୋତି ହୋଇଗଲା । କାନ୍ଥ ତଳକୁ ଲେସି ହେଲାପରି ସେ ଠିଆ ହେଲା । ନନା ସେହିପରି ବକର ବକର ହୋଇ, ଘରର ଯାହା କିଛି ଅଭାବ ଅସୁବିଧା ସବୁଥିରେ ଏକା ଗଉରୀକି ଦୋଷ ଦେଇ ଦେଇ ଦାଣ୍ଡଆଡ଼େ ପୁଣି ଚାଲିଗଲେ । ପାହାଚ ଓହ୍ଲାଇଲା ଯାଏଁ ତାଙ୍କ ପାଟି ଗୁରୁ ଗୁରୁ ହୋଇ ଘରକୁ ଶୁଭୁଥିଲା ।
ଆଉ ଗଉରୀ ? ନନାଙ୍କ କଥାକୁ କାନେଇଥିଲା ? ....ନା, ନା.... ସେ ଭାବୁଥିଲା ।
ରମା ଡାକିଲା–ଗଉରୀ ‘‘ଗଉରୀ !’’
ଗଉରୀ ଲୁହ ପୋଛି ପୋଛି ଯାଇ କହିଲା–‘‘ଯା ବୋଉ, ତୁ ଖାଇପକା । କାଲି ଉପାସରୁ ମୋ ପେଟ କାଟି କାଟି ହେଉଚି, ବୁକୁକୁ ମାରୁଚି... ମୁଁ ଏଇକ୍ଷଣି ଖାଇବି ନାହିଁ ।’’
-ପଚିଶି-
ରମାର କିନ୍ତୁ ସେ ଦିନ ଖିଆପିଆ କିଛି ହେଲା ନାହିଁ । ଗଉରୀ କରିଥିଲା ଏକାଦଶୀରେ ଏକାଦଶୀ, ରମା ଦ୍ୱାଦଶୀରେ ଏକାଦଶୀ କଲା ।
ସଧବାର ଏକାଦଶୀ ! ଘରେ ପତି ଥାଉ ଥାଉ ସଧବାର ନିର୍ଜଳ ଉପବାସ ! ରମାକୁ ଏ ବୁଦ୍ଧି ବତାଇଲା କିଏ ? ଗଉରୀର ଦୁଃଖରେ ଦୁଃଖିନୀ ହେବା ପାଇଁ ତାକୁ ଶିଖେଇଲା କିଏ ? ବିଧବାର ନିଶ୍ୱାସରେ ଆପଣା ନିଶ୍ୱାସ ମିଶାଇ କାନ୍ଦିବା ପାଇଁ ତାକୁ ବାଟ ବତାଇଲା କିଏ ? ତା ହୃଦୟ ଭିତର ଫାଟିଗଲା ତା ମନ ଭିତର ଢଳିଗଲା । ବିଗତ-ଯୌବନ ରାଧାନାଥ ଯୌବନର ଏ ନିରାଟ ସହାନୁଭୂତିକୁ ବୁଝିବେ କୁଆଡ଼ୁ ?
ସାତ ସମୁଦ୍ର ସେ ପାଖ ତରୁଣୀର ଦୁଃଖ ବେଦନା ଓ ଏ ପାଖ ମଧୁପୁରବାସିନୀ ଗଉରୀର ଦୁଃଖ ବେଦନା ଭିତରେ ଜାତିଗତ ବା ଧର୍ମଗତ କିଛି ହେଲେ ଭେଦ ବିଚାର ନାହିଁ । ବିଧବାର ହୃଦୟଦୁଃଖ ଯେ କାଚ ସିନ୍ଦୁର ଲଗା ତରୁଣୀର ପ୍ରାଣକୁ ନ ଛୁଇଁବ, ଏପରି କିଛି କଥା ନାହିଁ-। ଯୌବନ ପରି ବେଳେ ବେଳେ ଦୁଃଖ ବିପଦ ମଧ୍ୟ କାହା ପ୍ରାଣରେ ମୁର୍ତ୍ତିମାନ୍ହୋଇ ଉଠେ । ତାହା କ୍ଷଣସ୍ଥାୟୀ ହେଲେ ମଧ୍ୟ ଏପରି ଭାବରେ ଜୀବନଟାକୁ ଗ୍ରାସିଦିଏ ଯେ, ଖୁବ୍ଆପଣାର ଲୋକ ଆଖିକୁ ତାହା ସ୍ୱଚ୍ଛ ଦର୍ପଣ ଭଳିଆ ଦିଶେ ।
ତେଣୁ ଗଉରୀର ଦୁଃଖ ବୁଝିବାକୁ ରମା ମନରେ କିଛି ବାଧା ପଡ଼ିଲା ନାହିଁ । ସେ ଦେଖିଲା, ଗଉରୀର ବୈଧବ୍ୟ ଦୁଃଖ ଯେତେ, ତା ଠାରୁ ତା ପିତାଙ୍କର ଅବିଚାର ବେଶି । ତାଙ୍କରି ଅବିଚାରରେ ସେ ବିଧବା ହେଲା । ତସଦ୍ବୁଦ୍ଧି ତ ଏବେ ହେଲେ ତାଙ୍କର ଜାଗ୍ରତ ହେଲା ନାହିଁ । ତହିଁରେ ପୁଣି ଆହୁରି ଅବିଚାର ! ସବୁଥିରେ ସବୁ କଥାରେ ଦୋଷ ହେଲା ଗଉରୀର । ରମା ତାଙ୍କୁ ହସି କରି କଥା ନ କହିଲା ତ ସେ ହେଲା ଗଉରୀର ଦୋଷ ! ରମା ଭଲ ହୋଇ ବେଶବାସ ହେଲାନାହିଁ ତ ସେ ହେଲା ଗଉରୀର କୁମନ୍ତ୍ରୀଣାର ଫଳ ! ରମା ତାଙ୍କ କଥାରେ ଜବାବ ଦେଲା ତ ସେଟା ହେଲା ଗଉରୀର ଉଦ୍ଧତ କାରଣ !
କିନ୍ତୁ ରମାର ତ ଜୀବନ ଅଛି । ସେ ତ ନାରୀସୁଲଭ ଜୀବନ ପାଇଛି ! ତାର ତ ପର ଦୁଃଖ ବୁଝିବାର ବୁଦ୍ଧି ବିଚାର ଅଛି । ଘରେ ତାରି ସାଙ୍ଗର ଝିଅ ନିର୍ଜଳ ଉପବାସ କରିବ, ତଳେ ମୁହଁ ମାଡ଼ି ପଡ଼ି ରହିବ, ସେତେବେଳେ ସେ କି ଏଡ଼ିକି ପଶୁ ହୋଇଛି ଯେ ତୁଳିତଳ୍ପରେ ଯାଇ ଶୋଇ ପତିକି ପ୍ରେମର ଆଲିଙ୍ଗନ କରିବ ? ଘରେ ଯୁବତୀ କନ୍ୟା ଧାର ଧାର ଲୁହ ନ ଢ଼ାଳି ରକ୍ତ ଢ଼ାଳୁଛି, ସେତେବେଳେ ରମା ଯାଇ ପୁଣି ପତି ପାଖେ ବସିବ ? ଘରେ ଜଣକ ପ୍ରାଣରେ ନିଆଁ କୁହୁଳି ଉଠିଲା ବେଳେ ରମା କି ଗୀତ ବୋଲି ମନ ମୋହିପାରେ ?
ରମା ଜାଣି ଜାଣି ପତିଙ୍କି ଆଲିଙ୍ଗନ କଲା ନାହିଁ, ପତିଙ୍କି ପାଖେ ହସିଲା ନାହିଁ, କି ପତିଙ୍କି ମନ ଦେଇ କାମ କଲା ନାହିଁ । ବେଳେବେଳେ ସେ ମନଖିଆଲରେ ଚଳେ । ଗଉରୀକି ଦେଖେଇ ଦେଖେଇ କହେ–
‘‘ଗଉରି, ତୁମ ଦେହରେ କାଚ ଅଳଙ୍କାର ନାହିଁ ବୋଲି ତୁମେ ତ ଏମିତି ଦିଶୁଛ, ମୋ ଦେହରେ ନ ଥିଲେ ମୁଁ କିମିତି ଦିଶନ୍ତି ?’’
ଏ କଥା ଶୁଣିବା ମାତ୍ରେ ଗଉରୀ ଜିଭଟା କାମୁଡ଼ି ପକାଏ । ରମା ହସି ହସି ଭାଜିପଡ଼ି ସାଙ୍ଗେସାଙ୍ଗେ ନାକରୁ କାନରୁ ଅଳଂକାର ଗୁଡ଼ାକ କାଢ଼ି ତଳେ ଜମା କରି କହେ- ‘‘କିମିତି ଦିଶିଲା ଗଉରି, କହ ଦେଖି ।’’
ଗଉରୀ ତାକୁ ମଧୁର ଭତ୍ସନାରେ କଣ ପଦେ କହି ଗୋଳି ଗୋଳ କରି ଅଳଙ୍କାର ପୁଣି ପିନ୍ଧାଇଦିଏ ।
କେତେ ଦିନ ପରେ ଦେଖାଗଲା, ରମାର ଏ ଲୀଳା ପିଲାଖେଳ ପରି ପ୍ରତିଦିନ ଚାଲିଲା-। ଗଉରୀ ହସିଲେ ସେ ହସିଲା, ଗଉରୀ କାନ୍ଦିଲେ ସେ କାନ୍ଦିଲା, ଗଉରୀ ଶୋଇଲେ ସେ ଶୋଇଲା-! କୌଣସି କଥାରେ ଗଉରୀ ତାକୁ ମନା କରିପାରିଲା ନାହିଁ ।
ଏଣେ ରାଧାନାଥଙ୍କ ପ୍ରାଣରେ ଦିନକୁ ଦିନ ବିଷ ସଞ୍ଜରିବାକୁ ଲାଗିଲା । ସେ ଜୀବନର ଦିନ ରାତି ଗଣିବାରେ ଲାଗିଲେ । ଦୁଃସ୍ୱପ୍ନର ସୀମା ରହିଲା ନାହିଁ । ରମା କଥା ମନେ ପକାଇଲେ ସଙ୍ଗେ ସଙ୍ଗେ ଗଉରୀ ଆସି ତାଙ୍କ ମନୋରାଜ୍ୟର ତୋରଣ ଦୁଆରେ ଠିଆ ହେଲା । ତାର ଶୀର୍ଣ୍ଣ ଶୁକ ହାତ ଦୁଇଟା ତାଙ୍କ ଆଖି ଆଗରେ ବରାବର ଝୁଲିଲା । ତାର ବିମଳ ବିରସ ମୁଖମୁଣ୍ଡଳ ସୁବଆଡ଼େ ଦିଶିଲା ଏବଂ ତାରି ପଛେ ପଛେ କେତେ ଗୋପନରେ ଲୁଚି ଲୁଚି ରମା ବେଳେବେଳେ ତାର ଉଦ୍ଧତ ଯୌବନ ଗର୍ବରେ କ୍ରୁର କଟାକ୍ଷ ପକାଇ ଅବହେଳାରେ ମୁହଁ ବୁଲେଇ ଦେଲା ।
କ୍ରମେ ଗଉରୀର ନାଁଟା ତାଙ୍କୁ ବଡ଼ ଅସହ୍ୟ ହେଲା । ଏପରି କି ନିଜ ବାଉଳିରେ ସେ ବେଳେବେଳେ ରମା ହାତକୁ ଟାଣି ଧରି ଗଉରୀକି ଗାଳି ଦେବାରେ ଲାଗିଲେ । ତାଙ୍କର ବାଉଳି ଚାଉଳି ମତି ଭ୍ରମ ଯେତିକି ବଢ଼ିଲା, ରମା ସେତିକି ବିଚଳିତ ହୋଇ ଉଠିଲା ।
ଏଣିକି ଗଉରୀର କାମ ହେଲା, ନନାଙ୍କୁ ପ୍ରତି କଥାରେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିବା-। ରାତିରୁ ରାତି ଯାଏ ତା ହାତ କ୍ଷଣେ ହେଲେ ବନ୍ଦ ହେଲା ନାହିଁ । ନନାଙ୍କ ଚାର୍ଚ୍ଚା ବୁଝିବାଳ ନନାଙ୍କ କଥା ଶୁଣିବା ତାର ପ୍ରତିଦିନର କାର୍ଯ୍ୟ ହେଲା । କିନ୍ତୁ ଫଳ ହେଲା ଓଲଟା । ତାର ପ୍ରତି କାମ ପଛେ ପଛେ ରମା ଛାଇ ପରି ଲାଗି ରହିଲା । କାହା ଦୁଃଖ କିଏ ବୁଝୁ ନ ବୁଝୁ ଗଉରୀ ଦୁଃଖ ରମା ବେଶ୍ବୁଝିପାରିଲା ।
-ଛବିଶି-
ମଧୁପୁର ଗାଁର କୋଠା ମଣ୍ଡପଟିରେ କେତେ ଯୁଗର କେତେ ସ୍ମୃତି ଯେ ଲୁଚି ରହିଛି, ସେ କଥା ମନୁଷ୍ୟ ମୁଖରେ ସ୍ଫୁରିବା ବଡ଼ ଅସମ୍ଭବ । ସେହି ପଥର ଇଟା ଜୀବନ ପାଇ ପାରିଲେ ବା ମଧୁପୁର ଗାଁର ମଧୁମୟ ଇତିହାସ ସଙ୍ଗେ କେତେ ପୁଣ୍ୟଶ୍ଲୋକ ମହାତ୍ମାଙ୍କର ଯଶୋଗାନ କରି ପାରନ୍ତେ । ସେଠାର ପ୍ରତି ଧୂଳିକଣା ଭିତରେ କେତେ ପୁଣ୍ୟସ୍ମୃତି ଯେ ବିଜଡ଼ିତ ରହିଚି, ସେ କଥା ସେତେବେ୍ରଳେ ଜଗତ୍ଜାଣି ପାରନ୍ତା । ଏବେ ସେ କଥା ଗାଇବାକୁ ବସିଲେ ଜନଶ୍ରୁତିର ବହୁ ଅନ୍ଧକାରମୟ ଗହ୍ୱର ଭିତରେ ପଶି ଆଲୁଅ ଖୋଜିବାକୁ ପଡ଼ିବ !
ଚଣ୍ଡାଳକୁ କୋଳରେ ଧରି, ଯବନକୁ ସାଥୀ କରି ପତିତପାବନ ପତାକା ତଳେ ଚୌତନ୍ୟ ଯେତେବେଳେ ନାଚୁଥିଲେ, ନିର୍ଜନ ତରୁ ତଳେ ଯୋଗ-ଲୟରେ ବସି ମହାତ୍ମା ଜଗନ୍ନାଥ ଯେତେବେଳେ ଭାଗବତ ଲେକୁଥିଲେ, ପ୍ରାୟ ସେହି ସମୟରେ ମଧୁପୁର ଗାଁର ପ୍ରତିଷ୍ଠା । ଓଡ଼ିଶାର ପ୍ରତାପୀ ଗଜପତି ବଡ଼ଦାଣ୍ଡରେ ଧୁଳିରେ ଗଡ଼ି ଯେତେବେଳେ ଶତ୍ରୁ ମନ୍ତ୍ର, ଧନୀ ଦରିଦ୍ରଙ୍କୁ ସମାନ ଭାବରେ ଦେଖୁଥିଲେ, ସେତେବେଳେ ମଧୁପୁର ଗାଁର ମହାତ୍ମାମାନଙ୍କ ହୃଦୟ ଦୟା ଧର୍ମ ଦେବ ଭାବରେ ପୁରି ରହିଥିଲା ।
ମଧୁପୁର ଗାଁର ଏହି ସୁବର୍ଣ୍ଣ ଯୁଗର ସାକ୍ଷୀ ହେଉଛନ୍ତି ଚନ୍ଦ୍ର ସୂର୍ଯ୍ୟ ଗ୍ରହ ନକ୍ଷତ୍ର । ସେହିମାନେହିଁ କହିପାରନ୍ତି, ଗାଁର କେଉଁ ମହାତ୍ମା ପଟ୍ଟନାୟକ କିପରି ଭାବରେ ଭୋକୀ, ଶୋଷୀ, ରୋଗୀର ସେବା କରି ମରଲୋକର କଳ୍ପନାତୀତ କେଉଁ ମଧୁମୟ ସ୍ୱର୍ଗରେ ଅମର ହୋଇ ରହିଛନ୍ତି-। ପୁଣି କେଉଁ ମହାପାତ୍ର ପର ଦୁଃଖରେ ଦୁଃଖୀ ହୋଇ, ନିଜର ସର୍ବସ୍ୱ ଦାନ କରି ପରମ ସୁଖରେ ଅନ୍ତିମ ଜୀବନ କଟାଇ ପାରିଛନ୍ତି । କେଉଁ ବିଷୋୟୀ ଦେଶ ସେବା ପାଇଁ ରଣକ୍ଷେତ୍ରକୁ ଯାଇ ଘର ସଂସାର ମାୟା କଟାଇ ହସି ହସି କରି ପାରିଛନ୍ତି । କେଉଁ ବିଶ୍ୱାଳ, କେଉଁ ରଥ, କେଉଁ ଆଚାର୍ଯ୍ୟ ପରମ ବନ୍ଧୁ ଭାବରେ ଜୀବନ କଟାଇ ଜଗତରେ ବନ୍ଧୁତାର ଅମର ବନ୍ଧନର ପରିଚୟ ଦେଇଛନ୍ତି । କେଉଁ ନନ୍ଦ ଧନ ଗର୍ବରେ ଦରିଦ୍ର ଉପରେ ଅତ୍ୟାଚାର କରିଥିଲେ ବୋଲି ଏହି ମଣ୍ଡପରେ ଗ୍ରାମର ମହାତ୍ମାଗଣ ତାର ବିଚାର କରି ତାକୁ କଠୋର ଦଣ୍ଡ ଦେଇଛନ୍ତି । କେଉଁ ପରିଡ଼ା ବନ୍ଧୁର ପରମ ବିଶ୍ୱାସରେ ଗୋପନରେ ବିଷ ଦେଇ ସ୍ୱାର୍ଥରେ ଘାଣ୍ଟି ହୋଇଥିଲା ବୋଲି କେଉଁ ଦାସ ମହାତ୍ମା ତାକୁ ସତ୍ପଥକୁ ଆଣିବା ପାଇଁ ଚୈତନ୍ୟ ପରି ସେହି ଜଗାଇ ମାଧାଇ ଆତ୍ମାକୁ ଏହି ମଣ୍ଡପରେ କୋଳ କରି ନେଇଛନ୍ତି । ଏହିପରି କେତେ କେତେ ମଧୁର ବିଚିତ୍ର ଚିତ୍ର, କେତେ ଅପୁର୍ବ କାହାଣୀ ମଧୁପୁର ଇତିହାସ ବୁକୁରେ ଲେଖା ।
ଆଜି ପୁଣି କେତେ ଯୁଗ, କେତେ ବର୍ଷ ପରେ ସେହି ମଧୁପୁର ମଣ୍ଡପରେ ମଧୁପୁରବାସୀଙ୍କର ସଭା ବସିଲା । ସେଠି ଆଉ ପୂର୍ବର ସାମ୍ୟ ନୀତିର ବିଚାର କରାଗଲା ନାହିଁ । ପଟ୍ଟନାୟକ ଦଳ ବସିଲେ ଅଲଗା, ରଥ ଦଳ ବସିଲେ ଅଲଗା । ନନ୍ଦେ ସା ପାଖେ ବସିଲେ ଓ ପାଡ଼ୁଶୀଏ ଏ ପାଖେ ବସିଲେ । କିଏ ପରକୁ ଦାନ କରିଛି ବୋଲି ସେଠି ପୁରସ୍କାର ଘୋଷଣା କରାଗଲା ନାହିଁ । କିଏ ଦରିଦ୍ରର ସେବାକରିଛି ବୋଲି ସେଥିର ବିଚାର ହେଲା ନାହିଁ । କିଏ କେଉଁ ମଣିଷକୁ ଛୁଇଁଛି, କିଏ ଛୁଆଁ ମଣିଷ ପାଖରେ ବସି ଅଧାଛୁଆଁ ହୋଇଛି, ଖରାବେଳ କିଏ ଶୋଷୀ ଲୋକକୁ ପାଣି ଟୋପେ ପିଇବାକୁ ଦେଇ ଘୋର ପାପ ଅର୍ଜନ କରିଛୁ.......ଏହିପରି କେତେ କେତେ ପାପ, ମହାପାପର କଥା ବିଚାର ଚାଲିଲା ।
ସେଠି ସମସ୍ତେ ନାୟନ୍ତେ, ବିଚାରକ; ପୁଣି ସମସ୍ତଙ୍କ ନାଁରେ ଘୋର କଳଙ୍କ । କିଏ ସହିଠାରେ ବସି କାହା କାନରେ କାନୀ ବିରୁଦ୍ଧରେ କେତେ କଥା କହୁଛି । କିଏ କାହାକୁ ଚାହିଁ ବାହାରେ ହସି ଦେଇ ଭିତରେ ଭିତରେ ମୁହଁ ମୋଡ଼ି ଚାଙ୍ଗ ଉପହାସ କରୁଚି । ମଧୁପୁରରେ ସେ ଥିଲା ଏକ ଦିନର ଚିତ୍ର, ଏ ଆଉ ଏକ ଦିନର ଚିତ୍ର ! ସେହି ମଧୁପୁର ଅଛି, ସେହି ମଣ୍ଡପ ସେହିପରି ଶାଶ୍ୱତ ଭାବରେ ପଡ଼ିଛି, ଗାଁରେ ମଣିଷ ଅଛନ୍ତି, ସ୍ତ୍ରୀ ପୁରୁଷ ବାଳକ ବାଳିକା ସମସ୍ତେ ଅଛନ୍ତି, ଗାଁ ପାଖର ଛୋଟ ପଈଟା ସେହି କାଳରୁ ସେହିପରି ଆପଣା ଗର୍ବରେ ମୁଣ୍ଡ ଟେକି ଠିଆ ହୋଇ ରହିଛନ୍ତି–ମଧୁପୁରର ସବୁ ସେହିପରି ଅଛି; ମାତ୍ର ବଦଳିଛି ମଣିଷ ଜାତିଟାର ଭିତର ଜିନିଷଟା, ହୃଦୟଟା ! ପ୍ରକୃତିର ସକଳ ଶାଶ୍ୱତ ସମ୍ପଦ ଭିତରେ ମନୁଷ୍ୟର ସୀମାବଦ୍ଧ ଆଇନ ନୀତି ଏକାପରି ଗତି କରିପାରି ନାହିଁ । ତାହା କେବଳ ଗାଁରେ ଜମିରହି ଲୋଭ, କୁସଂସ୍କାର ହିଂସା, ଦ୍ୱେଷ, ଦାରିଦ୍ରତା ଏ ବଦ୍ଧ ପୁଷ୍କରିଣୀ ସୃଷ୍ଯି କରିଛି ମାତ୍ର !
ବ୍ରଜଘର ଶ୍ରାଦ୍ଧ ଭୋଜି ପରେ ବ୍ରଜକୁ ଯେତବେଳେ ଜାତି ବାସନ୍ଦ କରାଗଲା, ସେଥିରେ କାହା କାହା ମନରେ ତୃପ୍ତି ଆସିଲା ନାହିଁ ଜାତି ବାସନ୍ଦ ହେବା ପରେ ଯେ ବ୍ରଜକୁ କିଏ କିଏ ଭିତିରି ସବୁ କଥା ସାହାଯ୍ୟ କରୁଛନ୍ତି, ଏହା କେତେକଙ୍କୁ ବଡ଼ ଅସହ୍ୟ ହେଲା । ବ୍ରଜ ଭଳିଆ ଲୋକକୁ ଯେବେ ସାହାଯ୍ୟ କରିବା ଲୋକ ମଧୁପୁରରେ ଥାଇ ପାରନ୍ତି, ତାହାହେଲେ ମଧୁପୁରରେ ରାକ୍ଷସ ଅଛନ୍ତି ବୁଝିବାକୁ ହେବ ।
କବିରାଜଙ୍କ ବୈଠକ ଘରେ ଏହି ସିଦ୍ଧାନ୍ତ ହୋଇ ସଭା ବସିଲା । କାହାର ବାପକୁ, କାହାର ଭାଇକି, କାହାର ବା ଜ୍ଞାତି ବନ୍ଧୁଙ୍କୁ କୁହାଗଲା–ଅମୃକକୁ ଘରୁ କାଢ଼, ଅମୃକଙ୍କର ପ୍ରାୟଶ୍ଚିତ କର, ଅମୃକଙ୍କ ପାଇଁ ଦରକାର ହେଲେ ତୁମେ ଗ୍ରମତ୍ୟାଗୀ ହୁଅ । ଏ ଆଲୋଚନା ଭିତରେ କଥା ଏତେ ଦୂର ଉଠିଲା ଯେ, କାହା କଥା କିଏ ଶୁଣିପାରିଲେ ନାହିଁ ।
ଶେଷରେ କବିରାଜେ ତାଙ୍କର ବିକୃତ ମୁହଁକୁ ଅବିଚଳିତ ଭାବରେ ଥରାଇ ଗର୍ଜି ଉଠି କହିଲେ–‘‘ବିନା, ରଘୁ, ଗୋବିନ୍ଦ, ଗୋପାଳ, ତମୁମାନଙ୍କ ଯୋଗୁଁ ଗାଁର ଏପରି ଅବସ୍ଥା । ଗାଁର ଷାଠିଏ ଘର ମଧ୍ୟରୁ ପଚିଶି ଘର ଏବେ ଅଜାତିଆ ସଙ୍ଗେ ଚଳି ଅଜାତିଆ ହୋଇସାରିଲାଣି । ତୁମର ପିଲେ ଅଜାତିଆ ପିଲାଙ୍କ ପାଖେ ବସି ପାଠ ପଢ଼ୁଛନ୍ତି. ଅଜାତିଆଙ୍କ ଟଙ୍କାରେ ଧର୍ମ, ଜ୍ଞାନ ଅର୍ଜା ହେଉଛି । ଏହାଠୁ କି ଆଉ ବଡ଼ ପାପା ଅଛି ? ଥରେ ନୁହେ, ଦଶ ଦଶ ଥର ମୁଁ କହିଲାଣି–ପୁଅ ପୁତୁରାଙ୍କୁ ଛାଡ଼ି ଦିଅ, ନ ହେଲେ ଅଲଗା ହୋଇ ଯାଅ ।’ ଆଉ ଏଥିରେ କଣ ରହିଲା ? ଚଣ୍ଡାଳ ସଙ୍ଗେ ଚଣ୍ଡାଳ ହେବାକୁ ଇଚ୍ଛାଥିଲେ ଆଉ ଏ ଦେବ ମଣ୍ଡପରେ କାନ୍ଦ କାନ୍ଦ ହୋଇ ବସିବାରେ ଲାଭ କଣ.... ?’’ ହଠାତ୍ମଣ୍ଡପ ପ ପ ଟ ଦୁଇଚାରିଟା ସ୍ୱର ଏକାବେଳକେ ଉଠିଲା । ତାହା ସତେ ବା ଜୀବନର ମର୍ମସ୍ଥଳରୁ ବାହାରିଲା ! ଶୁଭିଲା –
ଚଣ୍ଡାଳ ଜାତିକୁ ସୃଷ୍ଟି କରିଥିବା ଭଗବାନ ଆମକୁ ସୃଷ୍ଟି କରିଛନ୍ତି । ଏ କଥା କଣ ମିଛ ବୋଲି କିଏ କହି ପାରିବ ? ଆଜି ଏହି ପତିତ ଦେଶରେ ବେଶରେ ଆମେ ପତିତଙ୍କ ପାଇଁ ବୁଲୁଛୁ-। ଆମ ପାଇଁ କିଏ କାହିଁକି କଷ୍ଟ ପାଇବ ? ଆମର ଯେବେ ଅପରାଧ ସେଥିପାଇଁ ଆମେ ସିନା ଦାୟୀ, ଆମ ପାଇଁ ଆଉ କିଏ କାହିଁକି.... ’’
ସମସ୍ତେ ମୁହଁ ବୁଲେଇ ଦେଖିଲେ, ସେହି ଜାତିଛଡ଼ା ଅଭାଗାଦଳ....ଚଣ୍ଡାଳ ଗାଁରୁ ରାତିରେ ପାଠ ପଢ଼ାଇ ଫେରି ଆସୁଛନ୍ତି । ତାଙ୍କ କଥା ଭିତରେ କିଏ କାହାକୁ କଥା କହିଲେ ନାହିଁ, ସେ କଥାର କିଏ ପ୍ରତିବାଦ ସୁଦ୍ଧା କଲେ ନାହିଁ । ସେତିକିବେଳେ ଦେଖାଗଲା, ମଣ୍ଡପ ଉପରୁ ଜଣେ ହଠାତ୍ଓହ୍ଲେଇ ପଡ଼ି ସେହି ଜାତି ଛଡ଼ା ଦଳ ଭିତରୁ ଜଣକୁ କୁଣ୍ଢାଇ ଧରି କହିଲା–
‘‘ବାବୁ ମୋର, ସବୁ ମୋର ତୁ, ତତେ ମୁଁ ଛାଡ଼ି ପାରିବି ନାହିଁ । ତୋ ସାଙ୍ଗେ ସାଙ୍ଗେ ମୁଁ ନରକକୁ ଯିବି ପଛକେ.....’’
ଚାହୁଁ ଚାହୁଁ ଆଉ ଜଣେ, ଆଉ ଜଣେ, ପୁଣି ଜଣେ-ଦଶ କି ବାର ଜଣ ତଳକୁ ଓହ୍ଲାଇ ପଡ଼ିଲେ ।
ସେହି ନୀରବ ନିଶ୍ଚଳ ଉଦାର ଦୃଶ୍ୟ ଦେଖି ବହୁ ଯୁଗର ମଣ୍ଡପବାସୀ ମୁକ ପାଷାଣ ଦେବତାଙ୍କ ଭିତରେ ପ୍ରାଣ ସଞ୍ଚାର ହୋଇ ଥିବ ବୋଧହୁଏ; ମାତ୍ର ମଧୁପୁରର ବୃଦ୍ଧ କେତେ ଜଣ ‘ରାମ’ ‘ରାମ’ କହି କହି କାନରେ ହାତ ଦେଇ କହିଲେ–
‘‘ଏପରି ପୁଅଙ୍କୁ କୁଳରେ ପିଣ୍ଡ ଦେବାପାଇଁ ରଖିବା ଅପେକ୍ଷା କୁଳ ବୁଡ଼େଇ ଦେବା ଉଚିତ ।
କଥା ଶୁଣୁ ଶୁଣୁ ବ୍ରଜ ହସି କହିଲା–‘‘ତାହା ହେଲେ ତ ଏକ ନାଟକ ଅଭିନୟ ହେଲା ।’’
ବ୍ରଜ ଘର ଭିତରେ ଛୋଟ ସଭାଟିଏ–ଦଶ ପଚିଶି ଜଣ ଯୁବକଙ୍କର ସମ୍ମିଳନୀ । ଗାଁର ଯେ ଅବସ୍ଥା କ୍ରମେ କ୍ରମେ ଭିନ୍ନ ଦିଗକୁ ଗତି କରୁଛି, ଏଥିର ବିଚାର ଲାଗିସ ସମସ୍ତେ ଏକାଠି ହୋଇଛନ୍ତି । ମାସେ ପନ୍ଦର ଦିନ ତଳେ ଯେଉଁମାନେ ଏସବୁ କଥାର ଠାର ଧରୁ ନ ଥିଲେ, ସେ ଭିତରୁ କେତେ ଜଣ ମଧ୍ୟ ଆସି ଯୋଗ ଦେଇଛନ୍ତି । ବିଶେଷରେ ଜାତି ବାସନ୍ଦ ଗୋଳମାଳ ଫଳରେ କଥାଟା ସମସ୍ତଙ୍କ ମନକୁ ଧରିଛି ।
ମଣ୍ଡପ ବିଚାର କଥାକୁ ଲକ୍ଷ୍ୟ କରି ବ୍ରଜ ଯେତେବେଳେ ନାଟକ ଅଭିନୟ କଥା କହିଲା, ନରହରି ଥାଇ ଆଗ ଉତ୍ତର ଦେଲା–‘‘ହଁ, ନାଟକ ତ କୃତ୍ରିକ, ମାତ୍ର ଏ ହେଲା ପ୍ରକୃତ କ୍ୟାଚ ଅଭିନୟ । ନନା ଯେତେବେଳେ ମଣ୍ଡପରୁ ଓହ୍ଲାଇପଡ଼ି ମୋତେ କୋଳକୁ ଟାଣି ନେଲେ, ମୋ ଦେହଟା କେବଳ ଥରିଲା । ତାଙ୍କୁ ମୁଁ ସେତେବେଳେ କଣ କହିବି ବୁଝି ପାରିଲି ନାହିଁ । ନନା ମୋର କାନ୍ଦ କାନ୍ଦ ହୋଇ କହିଲେ, ‘ତତେ ମୁଁ ଛାଡ଼ିପାରିବି ନାହିଁ’....ତାଙ୍କର କଣ୍ଠରୋଧ ନ ହୋଇଥିଲେ ଆଉ କଣ ବା କହିଥାନ୍ତେ । କହୁ କହୁ ସେ ମୋ ଉପରେ ଲୁହ ଅସରା ଅଜାଡ଼ିଦେଲେ ।’’
ରାମ କହିଲା–‘‘ବହୁ ଦିନରୁ ତାଙ୍କ ହୃଦୟ ଭିତରେ ଏ ଭାବ ଜାଗି ରହିଥିଲା । ପିତୃସ୍ନେହ କି କେବେ ଶୁଖିବା କଥା ? ଗଙ୍ଗା ନଦୀ ପରି ତାହା ସବୁବେଳେ କୁଳ ଡେଇଁ ଉଛୁଳି ଉଠିବାକୁ ଚେଷ୍ଟା କରେ । ସମାଜର ଅତ୍ୟାଚାରରେ ତାହା ଏବେ ଉଛୁଳି ପଡ଼ିଛି, ଭାଇ !’’
ଗଙ୍ଗା ହସି ହସି ତା କଥା ଆରମ୍ଭ କଲା -‘‘ଶୁଣିଚ ନା, ମୋ ନନା କଣ କହିଛନ୍ତି ? ସେ କହୁଛନ୍ତି ମୋ ସଙ୍ଗେ ନରକକୁ ଯିବେ..... ।’’ କହି ସେ ପୁଣି ଠୋଠୋ ହସି ଉଠିଲା ।
ହରି ଟିକିଏ ଆଶ୍ଚର୍ଯ୍ୟ ହେଲାପରି ପଚାରିଲା–‘‘ନରକ ? ଆମେ କଣ କେବେ ନରକକୁ ଯିବାପାଇଁ ବାଟ ଠିକ୍କରୁଛେ ବୋଲି ସେ ମନେ କରନ୍ତେ ? ତାଙ୍କୁ ବୁଝାଇଦେଲେନି ?’’
ବ୍ରଜ କହିଲା–‘‘ଏଡ଼େ ଅଧୀର ହେଲେ କି ଚଳିବ ? ଆମେ ନରକକୁ ଯାଉଛେ କି ଆଉ କୁଆଡ଼େ ଯାଉଛେ, ଏ କଥା ସେ ଆମ କାର୍ଯ୍ୟରୁ ଜାଣି ପାରିବେ, କଥାରୁ ନୁହେ । ବୁଝାଇବା ଦରକାର ପଡ଼ିବ ନାହିଁ । ପତିତଙ୍କୁ ଉଦ୍ଧାର କରିବା ଯେବେ ନରକ ଯିବାର ଏକ ବାଟ ବୋଲି ଧରାଯାଏ, ତାହାହେଲେ ତ ପତିତପାବନ ଜଗନ୍ନାଥଙ୍କୁ ଖାଣ୍ଟି ନରକବାସୀ ବୋଲି କହିବାକୁ ହେବ-। ସେ ପରା ପତିତଙ୍କ ମୁକ୍ତି ପାଇଁ ପତିତପାବନ ବାନା ଦରି ରହିଛନ୍ତି ? ଲୋକ ଭୁଲରେ ଅନେକ କଥା କହିପାରେ; ମାତ୍ର ଜ୍ଞାନଚକ୍ଷୁ ଫିଟିଲେ ସେହି ସବୁ ପୂର୍ବ କଥା ଭାବି ଅନୁତାପରେ ସେ ପୁଣି ଶୁଦ୍ଧ ପବିତ୍ର ହୋଇ ଉଠେ । ଜାଣିନି, ଆମରି ଶାସ୍ତ୍ରେ ପରା ଅଛି, ଜଣେ ସନ୍ନ୍ୟାସୀ ପବିତ୍ର ଭାବରେ ନଈକୂଳରେ ବସି ତପସ୍ୟା କରୁଥାନ୍ତି । ସବୁବେଳେ ତାଙ୍କର ଭୟ ଥାଏ ଯେ, ଏହି ଚଣ୍ଡାଳ ଶ୍ରେଣୀର ମନୁଷ୍ୟ ଜୀବଗୁଡ଼ାକ କାଳେ ତାଙ୍କୁ ଛୁଇଁଦେବେ । ମାତ୍ର ଥରେ ହଠାତ୍ଏକ ବିପଦ ପଡ଼ିଲା-। ଜଣେ ଧୋବା-ଚଣ୍ଡାଳ ସେହି ପାଖରେ ଲୁଗା କାଚୁ କାଚୁ ତାଙ୍କ ଉପରେ ପାଣି ଟୋପାଏ ପଡ଼ିଗଲା । ସନ୍ନ୍ୟାସୀ ରାଗରେ ଜଳି ଉଠି ଧୋବାକୁ ଧରି ନିସ୍ତୁକ ମାଡ଼ ମାଇଲେ । ତାପରେ ନଈରେ ପଶି ଗାଧୋଉଛନ୍ତି, ଦେଖିଲେ, ଅଳ୍ପ ଦୂରରେ ସେହି ଧୋବାଟା ମଧ୍ୟ ଗାଧୋଉଛି । ତାକୁ ସେ ପାଖକୁ ଡାକି ପଚାରିଲେ, ‘‘କି ରେ ତୁ-ଚଣ୍ଡାଳଟାକୁ ଛୁଇଁବାରୁ ମୁଁ ସିନା ଗାଧୋଇଲି; ମାତ୍ର ମୋତେ ଛୁଇଁ ତୁ କିଆଁ ଗାଧୋଉଛୁ ?’’ ଧୋବା ହାତ ଯୋଡ଼ି କହିଲା–‘‘ପ୍ରଭୁ, ମୁଁ ମଣିଷ-ଚଣ୍ଡାଳ ଆପଣଙ୍କ ମାରା କହିଦେଲି; ମାତ୍ର ଆପଣଙ୍କ ଭିତରେ ଥିବା ରାଗ-ଚଣ୍ଡାଳ ମୋତେ ଛୁଇଁଲା । ସେଥିଯୋଗୁଁ ତ ଆପଣ ମୋତେ ମାଇଲେ । ନ ହେଲେ କି ତୁଛାଟାରେ ମଣିଷକୁ ମଣିଷ କେବେ ମାଇଲାଣି ? ସେହି ରାଗ-ଚଣ୍ଡାଳ ଛୁଆଁ ଦୋଷ ଛଡ଼ାଇବା ପାଇଁ ମୁଁ ଗାଧୋଉଛି ।’’ ଏ କଥା ଶୁଣି ସନ୍ନ୍ୟାସୀଙ୍କ ଆଖି ତାଳୁକୁ ଖୋସି ହୋଇଗଲା । ମନକୁ ମନ କହିଲେ, ବାସ୍ତବିକ ଦବେତା ଏହିଠାରେ । ମୁଁ ଏତେ ଜପତପ କରି ବୃଥାରେ ଦେବତା ଖୋଜି ବୁଲୁଛି । ଏହା ଭାବି, ସେ ଚଣ୍ଡାଳକୁ କୁଣ୍ଢାଇ ପକାଇ ଗଦ୍ଗଦ୍ସ୍ୱରରେ କହିଲେ, ‘ତୁ ଆଜି ମୋତେ ମହାଶିକ୍ଷା ଦେଲୁ, ତୁ ମୋର ଗୁରୁ ।’ ଆମ ଏ ଗାଁ ଲୋକ ଠିକ୍ଏହିପରି ଚଣ୍ଡାଳ ଛୁଇଁବା ପୂର୍ବ ସନ୍ନ୍ୟାସୀଙ୍କ ପରି ଶୁଦ୍ଧ ପବିତ୍ର ଭାବରେ ଅଛନ୍ତି । ଆମପରି ‘ଚଣ୍ଡାଳ’ଙ୍କ ବ୍ୟବହାରରେ ତାଙ୍କର ଦିନେ ହେଲେ ଜ୍ଞାନ ଉଦୟ ହେବ । କଣ କହୁଚ, ଜଗନ୍ନାଥ..... !’’
ବ୍ରଜ ଘରେ ଏହି ଛୋଟ ସଭାଟି ଚାଲିଥିଲା ବେଳେ ସଭା ଘର ଭିତରକୁ ବ୍ରଜ ବୋଉ କଣ ପାଇଁ ପଶି ଆସିଲା । ବୋଉକୁ ଦେଖି ନରହରି ହସି ହସି ପଚାରିଲା-‘‘ହେଇଟି ତ ବୋଉ । ଆଚ୍ଛା, କହିଲ ବୋଉ, ମୁଁ ନରକକୁ ଯାଉଛି ବୋଲି ଶୁଣି ମୋ ନନା ହସି ହସି ନରକକୁ ଯିବାକୁ କହିଲେଣି । ଆଉ ତୁମ ପୁଅ ନରକକୁ ଗଲେ ତୁମେ ଘରେ ରହିବ ନା ତାଙ୍କ ସାଙ୍ଗେ ସେଆଡ଼େ ଯିବ ?’’
ବୋଉର ବିଶାଳ ଆୟତ ଲୋଚନଯୁଗଳ ସ୍ନେହ ସୌହାର୍ଦ୍ର୍ୟରେ ଉଜ୍ଜ୍ୱଳ ଦେଖାଗଲା । ସେ ସ୍ନେହଜଡ଼ିତ କଣ୍ଠରେ କହିଲା–‘‘ବାୟାଗୁଡ଼ାକ ତୁମେ, ତୁମେ ନରକକୁ କିଆଁ ଯିବ ରେ ?’’
‘‘ଆମେ ତ ଯାଉ ନାହୁଁ । ଧର, ଯଦି ଯାଉ, ତେବେ ?’’
‘‘ତେବେ କଣ ତୁମେ ଯିବ ପୁଅ ସାଙ୍ଗରେ ?’’
ବୋଉ ଆଦରପୂର୍ଣ୍ଣ ସାହାଯ୍ୟ ଦୃଷ୍ଟିରେ ପୁଅ ଆଡ଼କୁ ଟିକିଏ ଚାହିଁ ଦେଇ କହିଲା–‘‘ସାଙ୍ଗରେ ଯିବ ନାହିଁ, ଆଉ କଣ ପୁଅକୁ ଏକୁଟିଆ ଛାନି ଦେବି ?’’
ସଭାରେ ସମସ୍ତେ ଆନନ୍ଦ ଉତ୍ତେଜନାରେ ଠୋ ଠୋ ତାଳି ମାରି କହି ଉଠିଲେ–‘‘ବ୍ରଜ ବାବୁ, ବ୍ରଜ ବାବୁ, ତୁମ ବୋଉ ମଧ୍ୟ ଯିବାକୁ ପ୍ରସ୍ତୁତ ହେଲେଣି । ଆଉ ପରୁଆ କଣ । କେୁଁ ଦିନ ଯିବାକୁ ହେବ, ତେବେ କହ ।’’
ଜଗନ୍ନାଥ କହିଲା–‘‘ତେବେ ଦିନ ଠିକ୍କର, ସେହି ଦିନ ନାରକୀଯାକ ଏକାଠି ଜମା ହେବେ’’-କହି ସେ ହସି ହସି ଭାଜି ପଡ଼ିଲା ।
ବୋଉ ଏପର୍ଯ୍ୟନ୍ତ କଥାଟାକୁ ଥଟାରେ ଥଟାରେ ନେଇଥିଲା । ଏହି ଶେଷ ପ୍ରଶ୍ନ ଶୁଣି ସେ ଆହୁରି ଆଶ୍ଚର୍ଯ୍ୟ ହୋଇ ପଚାରିଲା–
‘‘କି ରେ ଯିବ କୁଆଡ଼େ ? ସତରେ କୁଆଡ଼େ ଯିବ ?’’
ନରି କହିଲା–‘‘କୁଆଡ଼େ ? କହିଲୁ ପରା ନରକକୁ !’’
‘‘ନରକକୁ ? ହଇରେ, ତମେ ସବୁ କଣ ବାୟା ହୋଇଗଲ କି ରେ ? ନରକ କୁଠି, ତୁମେ ଯିବ କୁଆଡ଼େ ?’’
ବ୍ରଜ ଏ ପର୍ଯ୍ୟନ୍ତ ନୀରବରେ ବସି ସବୁ ଶୁଣୁଥିଲା, ମୁଚୁ ମୁଚୁ ହସୁଥିଲା । ଶେଷରେ କହିଲା-‘‘ନାଇଁ ଲୋ ବୋଉ; ନାଇଁ । ଆମ ପିଲାଗୁଡ଼ାକଙ୍କର କଥା ଶୁଣୁଚ କଣ ? ନରକ କଣ ବୁଝି ପାରୁନୁ ? ସେଇ ରୁଅପଡ଼ା ଗାଆଁଟା ! ଗାଁ ଲୋକେ ପରା କହୁଚନ୍ତି ସେଟାକୁ ନରକ ବୋଲି ! ଆଉ ସେହି ଲୋକଗୁଡ଼ାକ ନରକର କୀଟ ! ଆମେ ଯେ କେତେ ଜଣ ସେଠାରେ ଲୋକଙ୍କୁ ଭଲ କଥା ବତାଉନୁ ଆମେ ହେଉଛୁ ସେହି ନରକଗାମୀ ପ୍ରାଣୀ । କଥା ହେଉଛି ଯେ ଆହୁରି ସେହିପରି ଦଶ ପନ୍ଦର ଖଣ୍ଡ ଗାଁର ଲୋକ ଦିନେ ସେହି ରୁଅପଡ଼ାଠାରେ ଏକାଠି ହେବେ । ଗୋଟେ ବଡ଼ ସଭା ହେବ । ସମସ୍ତଙ୍କ ସେହିଠାରେ ଭଲ କଥା ଶୁଣାଇଦେବାକୁ ହେବ । ପିଲାଝିଲା ଧରି ସମସ୍ତେ ସଭାକୁ କଥା ଶୁଣିବାକୁ ଆସିବେ । ସେଇ କଥାକୁ ନରହରି ଥଟାରେ କହୁଛି, ଆମ ସାଙ୍ଗରେ ତୁ ସେଇ ନରକକୁ ଯିବୁ କି ?’’
ବୋଉ କଥାଟାକୁ ବୁଝିପାରି ଟିକିଏ ହସିଦେଲା । ଯିବାକୁ ନାହିଁ କଲାନି କି ହଁ କଲାନି । ସେ ଘରୁ ଗଲାବେଳେ ଏତିକି କେବଳ କହିଲା -‘‘ନରକ କହ, ସ୍ୱର୍ଗ କହ, ସବୁ ମୋର ତୁଇ ରେ ବାବୁ ।’’